ଦଶମ ପରିଚ୍ଛେଦ — ଶନିସପ୍ତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ପରିଚ୍ଛେଦ
ବାଳକର ବିଦ୍ୟାରମ୍ଭ ହେଲା । ପିଣ୍ଡାର ଏକାଶଂରେ ବନମାଟି ଘଷି ଲେଖିବାର ଜାଗା ପ୍ରସ୍ତୁତ କରାଗଲା । ଶେଫାଳିକା ଶିଶୁର ହାତ ଧରି ନୂଆ ଖଡ଼ିରେ ମଙ୍ଗଳସୂଚକ, ‘‘ସିଦ୍ଧରସ୍ତୁ’’ ଲେଖିଦେଲେ । ଶିଶୁଟି ସିଦ୍ଧରସ୍ତୁ ଉଚ୍ଚାରଣ କରି ବିଦ୍ୟାଦେବୀ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ଭୂମିରେ ପ୍ରଣାମ କଲା । ଏ ଅନ୍ତେ ପାଠାରମ୍ଭ । ଶେଫାଳିକା ଗୋଟାଏ ମୁଣ୍ଡଳା କାଟିଦେଲେ । ବାଳକଟି ଖଡ଼ିରେ ତାହା ଉପରେ ମଡ଼ାଇବାକୁ ଲାଗିଲା । ଓଡ଼ିଆ ଅକ୍ଷରର ଆକୃତି ଗୋଲ, ପ୍ରଥମତଃ ମୁଣ୍ଡଳା କଟାରେ ଅଭ୍ୟସ୍ତ ହେଲେ ଅକ୍ଷର ଲେଖିବାବେଳେ ସହଜରେ ହାତ ବୁଲେ । ଏହି ହେତୁ ଏ ଦେଶରେ ପ୍ରଥମ ବିଦ୍ୟାର୍ଥୀର ମୁଣ୍ଡଳା କାଟିବାର ଧାରା କେଉଁ କାଳରୁ ଚଳିଆସୁଛି । ମୁଣ୍ଡଳା ମଡ଼ାଇବେବେଳେ ଶିଶୁର ଅଧିକ ମନୋଯୋଗ ଆକର୍ଷଣ ଉଦ୍ଦେଶ୍ୟରେ ଶେଫାଳିକା ସ୍ନେହ–ଶୀତଳ କଣ୍ଠରେ କହନ୍ତି– ‘‘ବାବୁ ଆମର ଡାଲି ଘୁଣ୍ଟୁଛି ।’’ ସ୍ନେହାଧିକ ବଶତଃ ଶେଫାଳିକା ପୁତ୍ରକୁ କେବେ ବାବୁ, କେବେ ବାୟା, କେବେ ବନ ଏହିପରି କେତେବେଳେ କଅଣ ଡାକି ପକାନ୍ତି ସେଥିରେ ସ୍ଥିରତା ନାହିଁ । ଶିଶୁ ଡାଲି ଘୁଣ୍ଟା କଥା ଶୁଣି ମା ମୁହଁକୁ ଚାହିଁ ଦେଇ ଫକ୍କରି ହସିଉଠି ସ୍ୱଭାବମଧୁର ସ୍ୱରରେ କହେ– ‘‘ଦାଲି ଘୁନ୍ତିମି ।’’ ଅନନ୍ତର ଦ୍ୱିଗୁଣ ଉତ୍ସାହରେ ଏବଂ ମହା ଆମୋଦରେ ମୁଣ୍ଡଳା କାଟିବାରେ ନିଯୁକ୍ତ ହୁଏ; ଏହିପରି ମୁଣ୍ଡଳାକଟାରେ କେତେଦିନ ଅତିବାହିତ ହେଲା । ତହିଁପରେ ସ୍ୱର, ବ୍ୟଞ୍ଜନ ଶିକ୍ଷା ଧୀର ଗତିରେ ଚାଲିଲା । ବର୍ଣ୍ଣଶିକ୍ଷା ଶେଷ ହେବାକୁ ପ୍ରାୟେ ବର୍ଷେ କାଳ ଲାଗିଲା । ତେଣିକି ବନାନ ଶିକ୍ଷା ଆରମ୍ଭ ହେଲା । ସେ କାଳରେ ବଡ଼ ସୁନ୍ଦର କୌଶଳରେ ବନାନ ଶିକ୍ଷା ଦିଆଯାଉଥିଲା । ନିତ୍ୟ ଦ୍ରଷ୍ଟବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ନାମ ସଂଯୁକ୍ତ ଥିବାରୁ ପିଲାମାନେ ବନାନ ଶିକ୍ଷାରେ ଆମୋଦ ଅନୁଭବ କରୁଥିଲେ ଏବଂ ସହଜରେ ବନାନ ମନେରଖି ପାରୁଥିଲେ । ଆକାରକୁ ବାଡ଼ି, ହ୍ରସ୍ୱଇକାରକୁ ଚିତା, ଦୀର୍ଘ ଈକାରକୁ ଅଙ୍କୁଶୀ, ହ୍ରସ୍ୱ ଉକାରକୁ ଚାରିଅଙ୍କ, ଦୀର୍ଘ ଊକାରକୁ କ ପୁଡ଼ିଆ, ଏକାରକୁ ଓଡ଼ା, ଐକାରକୁ ଓଡ଼ାଛଟଣୀ, ଓକାରକୁ ଓଡ଼ାବାଡ଼ି ଏବଂ ଔକାରକୁ ବାଳ ବାନ୍ଧିଆ କହୁଥିଲେ । ଯ ଫଳାକୁ ଆଠପଣ, ମଫଳାକୁ କାନମୋଡ଼ି, ରେଫ୍କୁ ଆଠଅଙ୍କ, ଏହିପରି ଅନ୍ୟାନ୍ୟ ଯୁକ୍ତ ବର୍ଣ୍ଣର ସ୍ୱତନ୍ତ୍ର ନାମ ଅଛି । ସୁକୁମାରମତି ବାଳକମାନଙ୍କର ମନେରଖିବା ଭଳି ଏଡ଼େ ସହଜ କୌଶଳ ଯେ ସୃଷ୍ଟି କରିଥିଲେ, ବାସ୍ତବରେ ସେ ଜଣେ ଆଦର୍ଶ ଭାବୁକ ଏବଂ ଅସୀମ ବୁଦ୍ଧିମାନ୍, ଏହା ଦ୍ୱିରୁକ୍ତ ନୁହେଁ । ତାଙ୍କର ମହୀୟସୀ ଚିନ୍ତା ଅତଳ ଗଭୀର ପ୍ରଦେଶକୁ ପ୍ରବେଶ କରିପାରୁଥିଲା । ଅନ୍ୟ କୌଣସି ଭାଷାରେ ଏରୂପ ସହଜ ସୁନ୍ଦରଧାରା କେହି ଆବିଷ୍କାର କରିଥିବାର ପ୍ରମାଣ ପ୍ରାୟଶଃ ମିଳେ ନାହିଁ ।
ପିଲାଟି ବନାନ ଶେଷ କରି ନାନା ପ୍ରକାର ବୃକ୍ଷ, ଲତା, ଫୁଲ, ଫଳ, ପଶୁ, ପକ୍ଷୀ, ପ୍ରଭୃତିର ନାମ ଲେଖି ଶିଖିଲା । ତହିଁ ଉତ୍ତାରୁ ପୋଥିଧରି ଅକ୍ଷର ଚିହ୍ନି ରାସ ଗାଇଲା । ପିତାମାତାଙ୍କର ଆନନ୍ଦ ଆଉ କହିଲେ ନ ସରେ । ସନ୍ତାନର ବିନ୍ଦୁଏ ଗୁଣ ଦେଖିଲେ ପିତୃମାତୃ ହୃଦୟରେ ସିନ୍ଧୁଏ ଆନନ୍ଦ ଉଛୁଳି ପଡ଼େ । ସୁତରାଂ ନନ୍ଦ ଦମ୍ପତିର ଆନନ୍ଦ ଅସୀମ ଅତିକ୍ରମ କରିଗଲା । ପ୍ରତ୍ୟହ ସନ୍ଧ୍ୟା ସମୟରେ ଶେଫାଳିକା ପୁଅକୁ ପାଖରେ ବସାଇ ପାଠ ଡକାନ୍ତି, ଦେବଦେବୀଙ୍କର ସ୍ତୁତି ଶିଖାନ୍ତି ଏବଂ ଚାଣକ୍ୟର ଶ୍ଳୋକ ମୁଖସ୍ଥ କରାନ୍ତି । ପୁଅର ଚିତ୍ତ ବିନୋଦନ ଏବଂ ସ୍ମୃତି ଶକ୍ତିର ବିକାଶ ସକାଶେ ନାନା ପ୍ରକାର ଗଳ୍ପ କରନ୍ତି । ସେ ଗଳ୍ପ ବ୍ୟର୍ଥ ଶୂନ୍ୟଗର୍ଭ ବା ଅସାର ନୁହେଁ । ଯହିଁରେ ବାଳକର ଚରିତ୍ର ଗଠନ ହେବ, ଧର୍ମଶିକ୍ଷା, ନୀତିଶିକ୍ଷା ଏବଂ ବ୍ୟବହାର ଶିକ୍ଷା ହେବ, ପାପ ପୁଣ୍ୟର ଜ୍ଞାନ ଜନ୍ମିବ, ସେହିପରି ଗଳ୍ପ କହନ୍ତି । ଗଳ୍ପ ଛଳରେ ସ୍ୱାସ୍ଥ୍ୟ–ତତ୍ତ୍ୱ ମଧ୍ୟ ଶିକ୍ଷା ଦିଅନ୍ତି । କଥାକୁ ଯେଉଁପରି ଭାବରେ ନଚାଇ ଖେଳାଇ ହାସ୍ୟରସ ମିଶାଇ କହିଲେ ପିଲାମାନେ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି, ଶେଫାଳିକା ସେହିପରି ଭାବରେ ଶ୍ରୁତି ରସାୟନ ଗଳ୍ପ ରଚନା କରି କହନ୍ତି । ସ୍ଥୂଳତଃ ବାଳକର ନୈତିକ ଜୀବନ ଗଠନ ସକାଶେ ଯେଉଁପରି ଶିକ୍ଷା ଆବଶ୍ୟକ, ଶେଫାଳିକା ପୁତ୍ରକୁ ସେହିପରି ଶିକ୍ଷା ଦିଅନ୍ତି । ସୁଜନୀମାନେ ଏହିପରି ସତ୍ଶିକ୍ଷା ଓ ସଦୂପଦେଶଦ୍ୱାରା ସନ୍ତାର ନିର୍ଦ୍ଦୋଷ, ନିଷ୍କଳଙ୍କ, ଉଜ୍ଜ୍ୱଳ, ପବିତ୍ର ଜୀବନ ଗଠନ କରନ୍ତି ।
ଦେଖୁଁ ଦେଖୁଁ ପିଲାଟି ନବମ ବର୍ଷରେ ପଦାର୍ପଣ କଲା । ସେହି ବର୍ଷ ତାହାର ଉପନୟନ କ୍ରିୟା ସମାହିତ ହେଲା । ଦିନେ ଶେଫଳିକା ସ୍ୱାମୀଙ୍କୁ କହିଲେ, ‘‘ପୁଅର ଅଙ୍କ ପାଠ କିଛି ହେଲା ନାହିଁ । ସେ ବିଦ୍ୟାରେ ତ ତୁମେ ମୁଁ ଦୁହେଁ ଶୁଭଙ୍କରଙ୍କର ପଣଗୋସବାପ ପଣଗୋସ ମା, ପିଲାଟି କାହାଠାରୁ ଅବା ଶଖିବ ? ଏବେ ସେ ଟିକିଏ ବଡ଼ ହୋଇ ଆସିଲାଣି, ଏଣିକି ପାଠଶାଳାକୁ ଯାଉ । କାଲି ତୁମେ ତାକୁ ନେଇ ପାଠ ଶାଳାରେ ଛାଡ଼ି ଆସ । ଅବଧାନକୁ କହିଆସିବ, ସେ ତାକୁ ମାରିବ ନାହିଁ, ତାକୁ ଦରମା ଅଧିକା ଚାରିଅଣା ଦିଆଯିବ । ଏ ପ୍ରସ୍ତାବ ନନ୍ଦଙ୍କର ମନୋନୀତ ହେଲା-। ସେ ତହିଁଆରଦିନ ପୁଅକୁ ଘେନି ପାଠଶାଳାକୁ ଗଲେ । ରେଜେଷ୍ଟେରୀ ବହି ପୂରଣ କରିବା ସକାଶେ ଅବଧାନ ପିଲାର ନାମ ପଚାରିଲା । ନନ୍ଦେ କିଛି ନ କହୁଣୁ ଗୋଟିଏ ଚାଟପିଲା ହଠାତ୍ କହି ପକାଇଲା– ‘‘ଅବାଧାନେ, ତାହା ନା ଶନିସପ୍ତା, ସମସ୍ତେ ତାକୁ ଶନି ବୋଲି ଡାକନ୍ତି ।’’ ଶନିସପ୍ତା ନାମ ଶୁଣି ଅବଧାନ ମୁଖରେ ଟିକିଏ ଚୋରା ହାସ୍ୟ ଫୁଟିଉଠିଲା । ନନ୍ଦେ ତାହା ଦେଖି ପ୍ରତ୍ୟୁତ୍ପନ୍ନମତି ବଳରେ କହିଲେ– ‘‘ନା ଅବଧାନେ ତାହା ନୁହେଁ, ତାହାର ନାମ ସନାତନ, ଗାଉଁଲି କଥାରେ ସନିଆ ବୋଲି ଡକନ୍ତି; ମାତ୍ର ସ୍ନେହରେ ଶନି ବୋଲି ଡାକନ୍ତି ।’’ ଅବଧାନେ ରେଜେଷ୍ଟରୀ ବହିରେ ସନାତନ ବୋଲି ଲେଖିଲା । ସେହିଦିନୁଁ ଶନିସପ୍ତା ସନାତନରେ ପରିଣତ ହେଲା । ପାଠକ ଅବଧାନ, ଏଣିକି ଆମ୍ଭେମାନେ ମଧ୍ୟ ତାହାକୁ ଶନିସପ୍ତା ପରିବର୍ତ୍ତରେ ସନାତନ ନାମରେ ଅଭିହିତ କରିବୁଁ । ଆଶାକରୁ, ଏ ସାମାନ୍ୟ ପରିବର୍ତ୍ତନକୁ କେହି ଅସହ୍ୟ ମଣିବେ ନାହିଁ ।
ସନାତନ ପାଠଶାଳାରେ ଭର୍ତ୍ତି ହେଲା ଦିନଠାରୁ ଅବଧାନର ଏକାଦଶ ବୃହସ୍ପତି ଯୋଗ-। କେବେ ଭାତ ଖାଇବା ସକାଶେ, କେବେ ବା ଜଳଖିଆ ଖାଇବା ନିମନ୍ତେ, ଅନେକ ସମୟରେ ନନ୍ଦଙ୍କ ଘରୁ ନିମନ୍ତ୍ରଣ ଆସେ । ଅବଧାନ ଭୁରିଭୋଜନରେ ସନ୍ତୁଷ୍ଟ ହୋଇ ସନାତନର ପ୍ରଶଂସାରେ ସହସ୍ରଜିହ୍ୱ ହୁଏ । ବେଳେବେଳେ ଶେଫାଳିକା ତାକୁ ଡକାଇ ନେଇ ଷୋଡ଼ଶୋପଚାରରେ ପୂଜା କରି ପାନ ଖାଇବା ସକାଶେ ଗୋପନରେ ଶୁକ୍ଳବର୍ଣ୍ଣ ବିଶିଷ୍ଟ କି ପଦାର୍ଥ ଦକ୍ଷିଣା ଦିଅନ୍ତି । ବନ୍ଧ୍ୟା ହୃଦୟ ଏତିକିରେ ତୃପ୍ତ ନୁହେଁ । ଦିନେ ଶେଫାଳିକା ଅବଧାନ ହାତରେ ମୂର୍ତ୍ତିଏ ମହାପ୍ରସାଦ ଗୁଞ୍ଜିଦେଇ କହିଲେ– ‘‘ବାପ, ତୁ ମୋର ଧର୍ମର ପୁଅ, ମୋ ବାୟା ତୋର ସାନ ଭାଇ, ତା ଦେହରେ ଆଙ୍ଗୁଳି ଟିପ ଛୁଇଁବୁ ନାହିଁ– ମୋ ରାଣତି, ମୋ ମୁଣ୍ଡ ଖାଇବୁ ।’’ ସେଦିନ ଅବଧାନକୁ ଗୋଟାଏ ମାଣିଆବନ୍ଦୀ ଯଥା ମିଳିଲା । ଏତେ କରି ସୁଦ୍ଧା ମାତୃପ୍ରାଣ ସନ୍ତୁଷ୍ଟ ନୁହେଁ । ପିଲାଟି ପାଠଶାଳାରେ ଥିବାଯାଏ ଶେଫାଳିକାଙ୍କ ମନ ଛନ ଛନ ହେଉଥାଏ । କାଳେ ପାଠ ନ ଆସିଲା ବୋଲି ଅବଧାନ ତାକୁ ମାରୁଥିବ, ସେ ବିକଳ ହୋଇ କାନ୍ଦୁଥିବ, କାଳେ କେହି ଦୁଷ୍ଟ ପିଲା ତାହା ସାଙ୍ଗରେ କଳି କରି ଓଲଟି ଅବଧାନ ପାଖରେ ସତ ମିଛ କହି ତାକୁ ମାଡ଼ ଖୁଆଉଥିବ, କାଳେ ସେ ଭୋକରେ ଆଉଟି ହୋଇ ଡରେ ଅବଧାନକୁ କହୁ ନ ଥିବ, ଏହିପରି ନାନାଚିନ୍ତାରେ ସେ ଭାରାକ୍ରାନ୍ତ ହୁଅନ୍ତି । ହାୟ ସ୍ନେହ, ତୋର ବଡ଼ କଠୋର ଯନ୍ତ୍ରଣା, ତୁ ମାତୃହୃଦୟରେ ସକୁଟୁମ୍ୱରେ ବାସକରୁ । ଦିନେ ଦିନେ ଶେଫାଳିକା ପିତେଇକୁ ପଠାଇ ଦିଅନ୍ତି । ସନାତନ ହସି ଖୁସି ହୋଇ ପଢ଼ୁଛି କି ମୁହଁ ଶୁଖାଇ ବସିଛି, ସେ ଯାଇ ଦେଖି ଆସେ । ସବୁବେଳେ ପିତେଇ କଥା ମଧ୍ୟ ବିଶ୍ୱାସ କରନ୍ତି ନାହିଁ ନିଜେ ଯାଇ ଉହାଡ଼ରେ ଥାଇ ଦେଖି ଆସନ୍ତି । ବିଧାତା ମାତୃହୃଦୟକୁ ଛିନ୍ନଭିନ୍ନ କରିବାପାଇଁ ସେ ହୃଦୟରେ ସ୍ନେହ ଦେଇଥାଏ । ସେ ସ୍ନେହ ଆଉ କିଛି ଦେଖେ ନାହିଁ, ଶୟନରେ ସ୍ୱପନରେ ବା ଜାଗ୍ରତରେ ଖାଲି ଆଶଙ୍କା ଦେଖେ । ମାତା ସନ୍ତାନର ଯେତିକି ମଙ୍ଗଳ ବାଞ୍ଛା କରେ, ତାହାର ଜୀବନ ତେତିକି ଆଶଙ୍କାମୟ ମଣେ । ସ୍ନେହ ଆଗେ ଅମଙ୍ଗଳକୁ ଡାକି ପଛେ ମଙ୍ଗଳକୁ ଡାକେ । ସେ ଏହିପରି ଅନ୍ଧ ଏହିପରି ନିରାଟ, ଅବିବେକ ।
ସନାତନ ପାଠଶାଳାରେ ପଢ଼ିବାକୁ ଲାଗିଲା । ପିଲାଟି ଯେପିରି ଶାନ୍ତ ସୁଶୀଳ, ଅଧ୍ୟୟନରେ ସେହିପରି ମନୋଯୋଗୀ । ସେ କେବେ ଅନୁପସ୍ଥିତ ହୁଏ ନାହିଁ କିମ୍ୱା ବୃଥା ପୀଡ଼ାର ଛଳନା କରି ପାଠ କମେଇ କରେ ନାହିଁ । ଦୁଷ୍ଟ ପିଲାମାନଙ୍କ ସଙ୍ଗରେ ମିଶିବା ତାହାର ସ୍ୱଭାବବିରୁଦ୍ଧ । ସେ କାହାରି ସଙ୍ଗରେ କଳହ କରେ ନାହିଁ, କି କାହାରିକୁ କୁବାକ୍ୟ କହେ ନାହିଁ । ସରଳ ମଧୁର, ସାଧୁ ବ୍ୟବହାରଦ୍ୱାରା ସେ ଅଳ୍ପ ସମୟ ମଧ୍ୟରେ ସହପାଠୀମାନଙ୍କର ପ୍ରିୟପାତ୍ର ହୋଇ ଉଠିଲା । ଅବଧାନେ ମଧ୍ୟ ତାହାକୁ ଖୁବ୍ ଭଲପାଏ । ଯାହା ଲାଗି ପଣେ ଉପାର୍ଜନ ହୁଏ, କିଏ ବା ତାହାକୁ ଭଲ ନ ପାଏ ? ସନାତନ ସମସ୍ତଙ୍କ ଆଗରୁ ପାଠଶାଳାକୁ ଯାଇ ପ୍ରତ୍ୟୟ ଶୂନ୍ୟ ହୁଏ । ସେ ଏରୂପ ଶ୍ରୁତିଧର ଯେ, ଅନ୍ୟ ପିଲାଙ୍କ ପରି ତାକୁ କୌଣସି ବିଷୟ ଅଧିକ ଥର କହିବାକୁ ହୁଏ ନାହିଁ, ଥରେ ଦୁଇଥର କହିଦେଲେ ଶିଖିପକାଏ । ଅଳ୍ପଦିନ ମଧ୍ୟରେ ସେ ପଣକିଆ ଶେଷ କରି ଶୋଧି ପଢ଼ିଲାଣି । ସନ୍ଧ୍ୟାବେଳେ ପିତାଙ୍କ ପାଖରେ ବସି ସନ୍ଧ୍ୟା ଗାୟତ୍ରୀ ଅଭ୍ୟାସ କରେ । ତହିଁପରେ ବଡ଼ମାଙ୍କ ପାଖରେ ଶୋଇ ଗଳ୍ପ ଶୁଣେ । ପାଠଶାଳାର ଦୈନନ୍ଦିନ ଘଟନା ବଡ଼ମାଙ୍କ ପାଖରେ ବର୍ଣ୍ଣନା କରେ । କେବେ କହେ, ‘‘ଶଙ୍କରା ଆଜି ଢେର ମାଡ଼ ଖାଇଛି, ପାଠ ଆସିଲା ନାହିଁ ବୋଲି ଅବଧାନେ ତାକୁ ପିଟି ଶୋଇ ଦେଇଗଲେ ।’’ କେବେ କହେ– ‘‘ବଡ଼ମା, ନବୀନା ଆଜି ଗଛରେ ଚଢ଼ି ଲୁଚିଥିଲା, ଚାରିଟା ପିଲା ଯାଇ ତାକୁ ଧରି ଆଣିଲେ । ସେ ଆଜି ସକାଳ ଓଳିଟା ଯାକ ମଢ଼ୁଆଶାଙ୍କୋଳୀରେ ବନ୍ଧା ହୋଇ ଧାନକୁଟା, ହେଟାଗୁଡ଼ି ପଡ଼ିଥିଲା । ଢିଙ୍କିଆ ହେଟାଗୁଡ଼ିଟା ଭାରି କଷ୍ଟ । ତନ୍ତୀ ଘର ଦୀନୁ କାଲି ଢିଙ୍କିଆ ହେଟାଗୁଡ଼ି ପଡ଼ି ଗୋଟାଯାକ ଖାଲି ବରଡ଼ା ପତ୍ରପରି ଥରିଲା । ଯେ ଲୁଚେ ସେ ଢେର ମାଡ଼ ଖାଏ, ମୁଁ କେଭେ ଲୁଚିବି ନାହିଁ ବଡ଼ମା ।’’ ଶେଫାଳିକା ସ୍ନେହରେ, ଆଦରରେ ପୁଅକୁ କୋଳକୁ ଟାଣିନେଇ ମୁଖ ଚୁମ୍ୱନ କରି କହନ୍ତି, –‘‘ନା, ବାପ, ତୁ ମୋର ସୁନାପୁଅ, କାହିଁକି ଲୁଚିବୁ ? ତୁ କଅଣ ପାଠଚୋର କି । ଯେ ପାଠଚୋର ସେ ସିନା ଗଛରେ ଚଢ଼ିଲୁଚେ, ହାଣ୍ଡିଶାଳରେ ଭାତହାଣ୍ଡି ଧରି ଲୁଚେ, ଆଉ ମାଡ଼ ଖାଏ ।’’ ବାଳକମାନେ ବଡ଼ ସ୍ନେହକାଙ୍ଗାଳୀ, ସେମାନେ ଯେତେ ସ୍ନେହ ପାଆନ୍ତି, ତେତେ ଅଧିକ ଖୋଜନ୍ତି । ସନାତନ ମାତୃପ୍ରଶଂସାରେ ସ୍ଫୀତ ହୋଇ ଅଧିକ ସ୍ନେହ ଆକର୍ଷଣ ଆଶାରେ କହେ, ‘‘ବଡ଼ମା, ମୋତେ ଆଜି ନୂଆପାଠ ଆସିଲା । ଆମେ ଚାରିଜଣ ଏକା ସାଙ୍ଗରେ ନୂଆପାଠ ଲେଖୁଥିଲୁଁ, ଆଉ କାହାରିକି ଆସିନାହିଁ, ମୋତେ ଆଗେ ଆସିଲା । ଅବଧାନେ କହିଛନ୍ତି– ‘‘କାଲି ପୂଜାନେଇଗଲେ, ଆଉ ଗୋଟେ ନୂଆପାଠ ଲେଖିଦେବେ । ନରିଆ କାଲି ପୂଜାଥାଳୀ ଘେନି ଆସୁ ଆସୁ ବାଟରେ ଅଧେ ଅହ୍ମଣିଆ ଲୁଚେଇ ଖାଇଦେଇଥିଲା । ସେଟା ଭାରି ଟାଉକା । ସେ ଠାକୁର ଅହ୍ମଣିଆ ଅଇଣ୍ଠା କରେ, ତାହାର କଅଣ ପାଠ ହୁଏ ନା ବଡ଼ମା ? ଆଉ ଗୋଟେ କଥା ଶୁଣିବୁ ନା, ଶୁଣିଲେ ତୁ ହସି ହସି ‘‘ନାକରା କାତରା’’ ହୋଇଯିବୁ । ପାଧିଆଘର ଭୋଳାକୁ ମୂଳରୁ କଥା କହି ଆସେ ନାହିଁ, କଠିଣ ଶବ୍ଦ ଉଚାରଣ କରିବାକୁ ତାହା ତୁଣ୍ଡ ଲେଉଟେ ନାହିଁ । ସେ ସାନ୍ତ୍ୱନାକୁ କହେ ସନ୍ତାନ, ଇଂରାଜିକୁ କହେ ଇଞ୍ଜିମିଞ୍ଜି, ଇନ୍ସପେକ୍ଟରକୁ କହେ ଇନିଶପେକ୍ଟର, ନିଷ୍କ୍ରାଣକୁ କହେ ନିଶୁଆପାଣ, ଅଭ୍ରଂକଷକୁ କହେ ଅଭିରକଷ । ଅବଧାନେ ତାକୁ ଭାରି ପିଟନ୍ତି ।’’ ଶେଫାଳିକା ଯଦି ପଚାରନ୍ତି– ‘‘ଅବଧାନ ତୋତେ ମାରେ ନା ?’’ ତେବେ ସନାତନ ସତେଜ କଣ୍ଠରେ କହେ, ‘‘କି ମୋତେ କାହିଁକି ? ମୁଁ କଅଣ ଲୁଚେ, ନା ମୋତେ ପାଠ ଆସେ ନାହିଁ ।’’ ମାତାପୁତ୍ର ମଧ୍ୟରେ ପାଠଶାଳା ସମ୍ୱନ୍ଧରେ ଏହିପରି ନାନାକଥା ହୁଏ । ତାହା ସବୁ ବିସ୍ତୃତଭାବରେ ଲେଖି ପୋଥି ବଢ଼ାଇବା ନିଷ୍ପ୍ରୟୋନ ।
ଶ୍ରୀପଞ୍ଚମୀ ସମୟରେ ପିଲାମାନେ ବନ୍ଧbବାନ୍ଧବମାନଙ୍କ ଘରେ ବୁଲି ବୁଲି ଗୀତ ଗାଇ ଚାଟ ଭିକ୍ଷା କରନ୍ତି । ସେ ସମୟଟା ଅବଧାନମାନଙ୍କର ଲାଟବନ୍ଦୀସ୍ୱରୂପ । ଶ୍ରୀପଞ୍ଚମୀ ପରଦିନ ପ୍ରତ୍ୟୁଷରେ ଅବଧାନେ ନଡ଼ିଆ, ଖଡ଼ୀ, ଗୁଆ, ବେତ ଏବଂ ଫୁଲ ଏହି ଦ୍ରବ୍ୟ ନେଇ ନଦୀ ବା ପୁଷ୍କରିଣୀର ଜଳ ମଧ୍ୟରେ ପୋତି ଦେଇ ଆସନ୍ତି । ପରେ ପିଲାମାନଙ୍କୁ ସେହି ସ୍ଥାନ ଦେଖାଇ ଦେଇ ଖୋଜିବାକୁ କହନ୍ତି । ତହୁଁ ପିଲାମାନେ ପାଣିରେ ପଶି କାଦୁଅ ବାଲି ଚିପି ଅଣ୍ଡାଳନ୍ତି । ଯେଉଁମାନେ ବଡ଼ ଲୋକ କିମ୍ବା ଯେଉଁମାନଙ୍କ ପାଖରୁ ଅବଧାନଙ୍କର ଲୁଗା ବା ରୌପ୍ୟଚକି ପାଇବାର ଭରସା ଥାଏ, ସେମାନଙ୍କର ପୁତ୍ରମାନେ ଭାଗ୍ୟଦେବୀଙ୍କ ଏକ ଚାଟିଆ ନିୟମରେ ଏବଂ ଅବଧାନଙ୍କ ସାହାଯ୍ୟରେ ଉପରୋକ୍ତ ପଦାର୍ଥମାନ ପ୍ରାପ୍ତ ହୁଅନ୍ତି । ଅନ୍ୟ ପିଲାମାନଙ୍କର ତାହା ପାଇବା ଆଇନ ବିରୁଦ୍ଧ । ଯେହେତୁ ସେମାନଙ୍କର ଅଭିଭାବକମାନେ ଦରିଦ୍ର; ନଚେତ୍ କୃପଣ । ଏହି ଉଭୟ ଅପରାଧରେ ଭାଗ୍ୟଦେବୀ ସେମାନଙ୍କୁ ଛାଡ଼ପତ୍ର ଦିଅନ୍ତି । ଉକ୍ତ ପଞ୍ଚପଦାର୍ଥ ଲାଭରୁ ଭବିଷ୍ୟତରେ ଅଗାଧ ବିଦ୍ୟାର୍ଜନର ସୂଚନା ମିଳେ । ସେହି ଶୁଭସୂଚକ ପଦାର୍ଥ ପରି ବାଳକମାନେ ଗ୍ରାମ ଗ୍ରାମ ବୁଲି ଭିକ୍ଷା କରନ୍ତି । ଦିନେ ପିଲାମାନେ ଭିକ୍ଷା କରିବାକୁ ବାହାରିଲେ । ସନାତନ ମଧ୍ୟ ସେମାନଙ୍କର ସହଗାମୀ ହେଲା । ସେମାନେ ଦିନସାରା ଭିକ୍ଷା କରି ସନ୍ଧ୍ୟାରେ ଫେରିବେ । ସେଦିନ ଶେଫାଳିକାଙ୍କର କୌଣସି କାର୍ଯ୍ୟରେ ମନ ଲାଗିଲା ନାହିଁ । ସେ ନବଧୃତ ପକ୍ଷୀ ପରି ଛଟପଟ ହେବାକୁ ଲାଗିଲେ । ଦେକୁଁ ଦେଖୁଁ ଦୁଇପ୍ରହର ଗଡ଼ିଗଲା । ସୌଦାମିନୀ ଭାତ ବାଢ଼ି ‘‘ନାନୀ, ଖାଇବ ଆସ’’ ବୋଲି ବାରମ୍ୱାର ଡାକିବାରୁ ଶେଫାଳିକା ଯାଇ ଭାତ ପାଖରେ ବସିଲେ; ମାତ୍ର ଭାତଗୁଣ୍ଡା ପାଟି ଭିତରକୁ ନେଇପାରିଲେ ନାହିଁ– କିଏ ଯେପରି କଣ୍ଠ ଭିତରକୁ ଠେଲି ବାହାର କରିଦେଲା । ସେ ଭାତବେଲାରେ ହାତ ରଖି ଉଦାସ ଦୃଷ୍ଟିରେ ବସିରହିଲେ । ଏଥିମଧ୍ୟରେ ସୌଦାମିନୀ କେତେଥର ଆସି ‘‘ନାନୀ, ଖାଉ ନାହଁ କାହିଁକି’’ ବୋଲି କହି ଗଲାଣି, ମାତ୍ର ଶେଫାଳିକାଙ୍କର ସେ କଥାକୁ ଲକ୍ଷ୍ୟ ନାହିଁ । ସେ ନୀରବ, ନିଷ୍ପନ୍ଦ ହୋଇ ବସିଅଛନ୍ତି, ଯେପରିକି ଏକ ଦୂରୁହ ଚିନ୍ତାରେ ତାଙ୍କ ମନ ସଂଯୁକ୍ତ ଅଛି, ତାହାକୁ ଛାଡ଼ି ଫେରି ଆସିପାରୁ ନାହିଁ । ଏହି ସମୟରେ ପିତେଇ ଆସି କହିଲା– ‘‘କି ମା ଠାକୁରାଣୀ, ଖାଉ ନାହଁ, ବସିଛ କାହିଁକି ?’’ ସୁପ୍ତ ବ୍ୟକ୍ତି ଅନ୍ୟର କରସ୍ପର୍ଶରେ ଚମକି ପଡ଼ିଲା ପରି ଶେଫାଳିକା ପିତେଇ କଥାରେ ଚମକି ପଡ଼ି ଧୀର ଗମ୍ଭୀର ସ୍ୱରରେ କହିଲେ– ‘‘କଅଣ ଖାଇବି ଲୋ, ମୋ ବାୟା କଅଣ କରୁଥିବ, ସେ ଖାଇଥିବ କି ନାହିଁ କେଜାଣି । ମୋ ପେଟଟା ଖାଲି ମହଣ୍ଡେଇ ହେଉଛି ।’’ ପିତେଇ କର୍ କର୍ ହୋଇ ହସିଉଠି କହିଲା– ‘‘ଏକା ତୁମର ପୁଅ ଅଛି, ନା ଆଉ କାହାର ଦୁନିଆରେ ଅଛି । ଅବଧାନ ସାଙ୍ଗରେ ଅଛି, ସେ ପୋଡ଼ାମୁହାଁ କଅଣ ଦୁଇ ତିନି ପଇସାର ଜଳପାନ କିଣି ପିଲାଙ୍କୁ ଖୁଆଇବ ନାହିଁ ? ତାଙ୍କ ଲାଗି ମୁଠାମୁଠା ଅର୍ଜିବ, ପୁଣି ତାଙ୍କୁ ଅଖିଆ ରଖି ଉପାସେ ମାରିବ ? ଆଚ୍ଛା, ଆସୁନି ଭଲା, ଯେବେ ପିଲାଙ୍କୁ ନ ଖୁଆଇଥିବ, ତେବେ ଆଜି ତାର ଅଷ୍ଟମଚନ୍ଦ୍ର । ତା ମହତ ଦିକଡ଼ାର କରିଦେବି ନାହିଁ ?’’ ପିତେଇ ଆଉ କଅଣ କହିବାକୁ ଯାଉଥିଲା; ମାତ୍ର ତା କହିବା ପୂର୍ବରୁ ସୌଦାମିନୀ କହିଲା– ‘‘ହଁ ଲୋ ପିତେଇ, ଗୁହାଳେ ପିଲା ଯାଇଚନ୍ତି, ଦି ପଇସାର ଜଳଖିଆ ଢେର ହେବ । ନ ଖାଇଲେ ଆହୁରି ବଳିପଡ଼ିବ, ଏତେ କଅଣ ହେବ କି ? ତୁ ଯେପରି ତେନ୍ତୁଳିପତ୍ରରେ ଭାତ ଖାଉ-।’’ ମାତ୍ର ପିତେଇ ଏ ଶ୍ଳେଷୋକ୍ତିରେ ଅପ୍ରତିଭ ହେବାର ପାତ୍ର ନୁହେଁ । ସେ ହସ୍ତମୁଖ ସଞ୍ଚାଳନ ପୂର୍ବକ ଅପୂର୍ବ ନୃତ୍ୟଭଙ୍ଗୀରେ କହିଲା, ‘‘ନା ଗୋ ନା, ତେନ୍ତୁଳି ପତ୍ରରେ କାହିଁକି ଖାଇବି, ମୁଁ ପଟଲାଡଙ୍ଗାରେ ଭାତ ଖାଏଁ । ଦି ପଇସାର ନ ହେଉ, ଦିଅଣାର କିଣି ଖୁଆଇଲେ କି ତାର ବାପର ମାଲ ସରିଯିବ ? ଯାଉ, ସେ କଥା କାହିଁକି, ତୁମକୁ ଜୁହାର ହେଉଛି ମା ଠାକୁରାଣୀ, ମୋରାଣ ତି, ତମ ବାପା ମା ରାଣ ତି, ତମେ ଖାଅ, କିଛି ଭାବନା କର ନାହିଁ । ଆଉ ଦିଘଡ଼ି ଗଲେ ଅବଧାନ ପିଲାଙ୍କୁ ଘେନି ଆସି ପହଞ୍ଚିବ ।’’ ସୌଦାମିନୀ ମଧ୍ୟ ଖାଇବା ପାଇଁ ନାନୀଙ୍କୁ ବାରମ୍ୱାର ସକଳର ପ୍ରାର୍ଥନା କଲେ । ଶେଫାଳିକା ତାହା ଏଡ଼ି ନ ପାରି ଯତ୍କିଞ୍ଚିତ୍ ଆହାର କରି ଉଠିଗଲେ । ପୁଅକୁ ଦଣ୍ଡେ ନ ଦେଖିଲେ ସେ ଏହିପରି ଆତ୍ମବିସ୍ମୃତ ହୋଇ ଚାରିଦିଗ ଅନ୍ଧକାର ଦେଖନ୍ତି । ବନ୍ଧ୍ୟାର ଚିର ନୀରସ ପ୍ରାଣରେ ସ୍ନେହ, ମାୟା, ମମତାର ଅମୃତଧାରା କିଏ ପ୍ରବାହିତ କଲା ? ମରୁଭୂମିରେ ଅପତ୍ୟସ୍ନେହର ବାସନ୍ତୀ ସୁଷମା କିଏ ଫୁଟାଇଲା ? ବନ୍ଧ୍ୟା ଜୀବନ ରୂପ ବଦ୍ଧ ଜଳାଶୟରେ କିଏ ସ୍ରୋତସଞ୍ଚାର କଲା ? ଏ ଲୀଳା କାହାର ? ଏ ଲୀଳା ଏଇ ଇନ୍ଦ୍ରଜାଲ ମୋହ ଲୀଳାମୟୀ ନିୟତିର-। ନିୟତି ଅସାଧ୍ୟ ସାଧନ କରେ, ଅସମ୍ଭବ ସମ୍ଭବ କରେ । ତାହାର କ୍ଷମତା ଅଶେଷ, ମହିମା ଅଶେଷ । ତାହାର ଅଜ୍ଞେୟ ଅନନ୍ତ ରହସ୍ୟ ଭେଦକରିବା ମାନବ ଶକ୍ତି ନିୟତିର ମହାଶକ୍ତି ନିକଟରେ ନତଶିର ।
ନଦୀସ୍ରୋତ ଏବଂ କାଳସ୍ରୋତ ମଧ୍ୟରେ ଯଥେଷ୍ଟ ପ୍ରଭେଦ ପରିଲିକ୍ଷିତ ହୁଏ । ନଦୀସ୍ରୋତ ଗତିର ହ୍ରାସ ବୃଦ୍ଧି ଅଛି ଏବଂ ସମୟ ବିଶେଷରେ ନଦୀସ୍ରୋତ ମରିଯାଏ; ମାତ୍ର କାଳସ୍ରୋତର ଗତି ସମାନ ଏବଂ ସେ ସ୍ରୋତ ମରେ ନାହିଁ । ବର୍ଷା ଋତୁରେ ନଦୀସ୍ରୋତର ବେଗ ଯେପରି ପ୍ରବଳ ଥାଏ, ଅନ୍ୟ ସମୟରେ ସେପରି ଥାଏ ନାହିଁ । ଅଧିକନ୍ତୁ ଗ୍ରୀଷ୍ ଋତୁରେ ସ୍ରୋତ ଏକାବେଳକେ ଶୁଖିଯାଏ । ସମୟ ସ୍ରୋତେ କେବେ ଧୀର ବା କେବେ ପ୍ରଖର ହୁଏ ନାହିଁ । ତାହାର ଗତି ଶୃଙ୍ଖଳିତ ଏବଂ ସମପରିମିତ । ବାୟୁସ୍ରୋତ ସଙ୍ଗରେ ମଧ୍ୟ କାଳ ବହେ, କେବେ ବା ପ୍ରବଳରୁ ପ୍ରବଳତର ବେଗରେ ପ୍ରବାହିତ ହୁଏ । ବାୟୁସ୍ରୋତ ସର୍ବତୋମୁଖୀ ଏବଂ କାଳସ୍ରୋତ ଏକଦିଗମୁଖୀ-। ସୃଷ୍ଟିର ଧ୍ୱଂସ ସଙ୍ଗେ ସଙ୍ଗେ ବାୟୁ ପ୍ରବାହ ମରିଯାଏ; ମାତ୍ର କାଳପ୍ରବାହର ଧ୍ୱଂସ ନାହିଁ କି ସୃଷ୍ଟି ନହିଁ– ଅଛି କେବଳ ସ୍ଥିତି । ଯାହାର ଉତ୍ପତ୍ତି ନାହିଁ, ତାହାର ଧ୍ୱଂସ କାହୁଁ ଆସିବ ? ପ୍ରଳୟରେ ସବୁ ଧ୍ୱଂସ ପ୍ରାପ୍ତ ହୁଏ, ଥାଏ କେବଳ ଅନାଦି–ଅନନ୍ତ ମୃତ୍ୟୁଞ୍ଜୟ ମହାକାଳ ସେହି କାଳଗର୍ଭରୁ ପୁଣି ନବସୃଷ୍ଟିର ଉଦ୍ଭବ ହୁଏ । ପୃଥିବୀ, ବାୟୁ, ଅଗ୍ନି ପ୍ରଭୃତି ଏହି ମହାକାଳ ଗର୍ଭସମ୍ଭୁତ-। କାଳର ସ୍ୱଭାବ ରୁକ୍ଷ; ମାତ୍ର ସେହି ରୁକ୍ଷତା ମଧ୍ୟରେ ଋଷି ଜନୋଚିତ କୋମଳତା ସ୍ନେହ, ପ୍ରୀତି, ଦୟା, ଦକ୍ଷିଣ୍ୟାଦି ବିଦ୍ୟମାନ । ଧ୍ୱଂସ କେବଳ କାଳର ଲକ୍ଷ୍ୟ ନୁହେଁ, ସେହି ଧ୍ୱଂସ ସାହାଯ୍ୟରେ ସେ ନବସୃଷ୍ଟି ଆନୟନ କରେ । କାଳ ସବୁଠାରୁ ପୁରାତନ ଏବଂ ସମସ୍ତଙ୍କର ଜନ୍ମଦାତା । ନଦୀସ୍ରୋତ ବାଧା ପ୍ରାପ୍ତ ହେଲେ ସ୍ଥଗିତ ହୁଏ, ବାୟୁସ୍ରୋତର ନିମ୍ନସ୍ତର ମଧ୍ୟ ପର୍ବତ, ବୃକ୍ଷ ଏବଂ ଗୁହାଦିଦ୍ୱାରା ବାଧା ପ୍ରାପ୍ତ ହୁଏ । ସେଥିରେ କାହାର ସମ୍ପୂର୍ଣ୍ଣ ଗତିରୋଧ ନ ହେଲେ ମଧ୍ୟ ସେ ବାଧା ପ୍ରାପ୍ତିରୁ ଅବ୍ୟାହତି ପାଏ ନାହିଁ; ମାତ୍ର କାଳସ୍ରୋତର ବାଧା ନାହିଁ । ସର୍ବପ୍ରକାର ବାଧା ତାହାକୁ ବାଟ ଛାଡ଼ିଦେଇ ଅଲଗା ହୋଇଯାଏ । କାଳ ଅନାଦି ଅନନ୍ତ, ଏହା ପୂର୍ବରୁ ଉକ୍ତ ହୋଇଅଛି । ବନ, ସପ୍ତାହ, ପକ୍ଷ ପ୍ରଭୃତି ସେହି କାଳର ବୁଦ୍ବୁଦ, ଆଉ ବର୍ଷ ପର୍ଯ୍ୟାୟ ସେହି ଗତିଶୀଳ କାଳର ଗୋଟାଏ ଗୋଟାଏ ପଦକ୍ଷେପ କିମ୍ୱା ଗୋଟାଏ ଗୋଟାଏ ନିଃଶ୍ୱାସଯାତ । ଏହି ଅନାଦି ଅନନ୍ତ ଅବ୍ୟାହତଗତି, ଅଜର, ଅମର, ସର୍ବସ୍ରଷ୍ଟା, ପାତା, ନିୟନ୍ତା ମହାକାଳ କିଏ ? ଏହି କାଳହିଁ ମହାପ୍ରକୃତିର ଜନକ, ଶୂନ୍ୟମୟ, ପରମବ୍ରହ୍ମ । ଥାଉ ସେ ତତ୍ତ୍ୱଚିନ୍ତା, ଅଦାବେପାରୀକି ଜାହାଜର ଖବର କି ଲୋଡ଼ା । କ୍ଷୁଦ୍ରାଦପି ଅତିକ୍ଷୁଦ୍ର ପକ୍ଷ ଦୁଇଖଣ୍ଡ ସାହାଯ୍ୟରେ ମଶାର ହିମାଳୟଚୂଡ଼ା ସ୍ପର୍ଶ ଆଶା କେବଳ ଦୂରାଶାମାତ୍ର । ହିମାଳୟର ଦୀର୍ଘ ପଥ ମଧ୍ୟରେ କେତେ କ୍ଷୁଧିତ ଜୀବ ସେ ମଶାର ଜୀବନ ଶୋଷିନେବା ପାଇଁ ଅଧୀର ଅପେକ୍ଷାରେ ଟାକି ରହିଅଛନ୍ତି । ପୁଣି ଯାହା ଭାବିଲେ କିଛି ସ୍ଥଳକୂଳ ମିଳେ ନାହିଁ, ଚାରିଆଡ଼େ ଅନ୍ଧକାର ଦେଖାଯାଏ, ସେ ଭାବନାରେ ଅନଧିକାରୀର ଫଳ ବା କଅଣ ?
ବର୍ଷପରେ ବର୍ଷ ଅତିବାହିତ ହେବାକୁ ଲାଗିଲା । ବନ୍ଧ୍ୟାର ସମଗ୍ର ହୃଦୟ ମନ ଅଧିକାର କରି ଶ୍ରୀମାନ ସନାତନ ଅଗାଧ ମାତୃସ୍ନେହର ସ୍ନିଗ୍ଧ ଶୀତଳ ଛାୟା ମଧ୍ୟରେ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ସାପ ବଢ଼ିଲେ ଚକ୍ର ବଢ଼େ, ଆବୃତି ବୃଦ୍ଧି ସଙ୍ଗେ ସଙ୍ଗେ ଜ୍ଞାନ ଏବଂ ବିଦ୍ୟାର ଅଭିବୃଦ୍ଧି ମଧ୍ୟ ଘଟିଲା । ସେ ପଣକିଆ, ଶୋଧି, ଉଡ଼ାଙ୍କ, ଫେଡ଼ାଙ୍କ, ଅଙ୍କଗୁଣା, ହରିଗୁଣ, ଫେଡ଼ିମିଶା, ନଳ, ଭିଆଣ, କୁଟା, କ୍ରୟବିକ୍ରୟ, ଅସଲହବୁ ଶେଷ କଲା । ଅସଲହବୁ (ସୁଧକଷା)ଠାରୁ ସାଧାରଣତଃ ଗଣିତ ଶିକ୍ଷା ଶେଷ ହୁଏ । କେହି ଅଧିକ ପଢ଼ିବାକୁ ଇଚ୍ଛାକଲେ ଲୀଳାବତୀ ସୂତ୍ର ଏବଂ ବିବିଧ ଚାତୁରୀପୂର୍ଣ୍ଣ ଶାଠ ପ୍ରଭୃତି ଅନୁଶୀଳନ କରେ । ସନାତନ ସକାଳଓଳି ପାଠଶାଳାରେ ଖଡ଼ିପାଠ ଲେଖେ, ଉପର ଓଳି ତାଳପତ୍ରରେ ହସ୍ତାକ୍ଷର ଲେଖେ । ହସ୍ତାକ୍ଷର ଲେଖିବାର ଧାରା ଏହିପରି–
ଏହା ଗୋଟିଏ ସୁନ୍ଦର କୌଶଳ । ଏଥିରେ ହସ୍ତାକ୍ଷର ଲେଖା, ଅଙ୍କ କଷା ଦୁଇ କାର୍ଯ୍ୟ ହୁଏ । ସନାତନ ହସ୍ତାକ୍ଷର ଲେଖିସାରି ପୋଥି ଗାଏ । ସେ ରାସ, ଦଶମ, ଏକାଦଶ ଶେଷ କରି ହରିବଂଶ ଧରିଲାଣି । ତହିଁପରେ ‘‘ଚଉଛା’’ ଧରି ଛାନ୍ଦ ଗୀତ ଅଭ୍ୟାସ କରେ । ମୋଟା ମୋଟି କହିଲେ ପୂର୍ବାହ୍ନରେ ପାଠାଶାଳାରେ ଗଣିତଚର୍ଚ୍ଚା ଏବଂ ଅପରାହ୍ନରେ ସାହିତ୍ୟଚର୍ଚ୍ଚା ହୁଏ । ସାହିତ୍ୟପାଠ ମଧ୍ୟରେ ବୈଦେହୀଶବିଳାସ, ଲାବଣ୍ୟବତୀ, ରସିକହାରାବଳୀ, ପ୍ରେମସୁଧାନିଧି, କୋଟିବ୍ରହ୍ମାଣ୍ଡସୁନ୍ଦରୀ, ରସକଲ୍ଲୋଳ, ବିଦଗ୍ଧଚିନ୍ତାମଣି ପ୍ରଧାନ । ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ଧର୍ମଗ୍ରନ୍ଥ ମଧ୍ୟ ଅଧୀତ ହୁଏ । ଛାତ୍ରମାନେ କେବଳ ପ୍ରାଚୀନ କବିମାନଙ୍କର ଛାନ୍ଦଗୀତ କଣ୍ଠସ୍ଥ କରନ୍ତି ନାହିଁ, ସେଥିର ପ୍ରାଞ୍ଜଳ ଅର୍ଥ ମଧ୍ୟ କଣ୍ଠସ୍ଥ କରନ୍ତି । ଅଧିକାଂଶ ଦକ୍ଷିଣୀ ଅବଧାନ ପ୍ରାଚୀନ ସାହିତ୍ୟ ଛାନ୍ଦଗୀତର ସୁନ୍ଦର ଅର୍ଥ କରିପାରନ୍ତି । ହାୟ, ସେ ସୁରୀତି ଆଉ ନାହିଁ-। ପ୍ରାଚୀନ ସାହିତ୍ୟ ଚର୍ଚ୍ଚାର ବିଲୋପ ସଙ୍ଗେ ସଙ୍ଗେ ମାତୃସାହିତ୍ୟର ଅବନତି ଘଟିଲା । ଅନେକ ସାହିତ୍ୟ ମହାରଥୀ ପ୍ରାଚୀନ ସାହିତ୍ୟ ନାମ ଶୁଣିଲେ ନାସିକା ସଙ୍କୁଚିତ କରନ୍ତି, କେହି କେହି ଖାଲି ଘୃଣା କରି କ୍ଷାନ୍ତ ହୁଅନ୍ତି ନାହିଁ, କୈବର୍ତ୍ତ ସୁନ୍ଦରୀସୁଲଭ ସାଧୁଭାଷା ପ୍ରୟୋଗପୂର୍ବକ ସେଗୁଡ଼ାକ ନିହାତି ଦୋଷପୂର୍ଣ୍ଣ ଏବଂ ସର୍ବଥା ଅପାଠ୍ୟ ବୋଲି ଗର୍ବ ସ୍ଫୀତ କଣ୍ଠରେ ଘୋଷଣା କରିବାକୁ ଟିକିଏ ହେଲେ ଲଜ୍ଜାବୋଧ କରନ୍ତି ନାହିଁ । ବର୍ତ୍ତମାନ ସାହିତ୍ୟୋନ୍ନତିର ଧାରା ନାନା ମୁନିଙ୍କ ମତରେ, ନାନା ପ୍ରକାର । ଏଣିକି ‘ପାଖେଇ ପାଖେଇ ଚାଲ’ ବୋଲି କହିଲେ ଚଳିବ ନାହିଁ, ତାହାହେଲେ ବେଦ ଅଶୁଦ୍ଧ ହେବ । ‘‘ପାଖାଇ ପାଖାଇ’’ କହିବାକୁ ହେବ, ନଚେତ୍ ଭୁଲ ହେବ । ଏହିପରି ଚଷୁକୁଟା ଚର୍ଚ୍ଚାରେ ସାହିତ୍ୟୋନ୍ନତିର ସାତଫାଳିଆ ଶିଢ଼ି ପ୍ରସ୍ତୁତ ହେଉଅଛି । ଖାଲି ମୁରବିଆନା ଦେଖାଇ ଶ୍ଳେଷଗର୍ଭ କଥା କହିବାଟା ଏ ଯୁଗର ଗୋଟାଏ ଧାରା ହୋଇଅଛି । ସମସ୍ତେ ମୁରବି, ସମସ୍ତେ ବଡ଼; ଶିକ୍ଷାର୍ଥୀ କେହି ନାହିଁ, କି ସାନ କେହି ନାହିଁ । ପ୍ରାଚୀନ ସାହିତ୍ୟ ସେ ଓଡ଼ିଆ ଭାଷାର ପ୍ରାଣ, ପିଣ୍ଡ ଏବଂ ଆତ୍ମା, ଏହା ସେମାନେ ବୁଝି ସୁଦ୍ଧା ବୁଝନ୍ତି ନାହିଁ ।
ସନାତନ ବାଳକ ହେଲେ ମଧ୍ୟ ତାହାର ଶୌଚ, ଆଚାର ଏବଂ ନିଷ୍ଠା ସୁବ୍ରାହ୍ମଣୋଚିତ । ସେ ସନ୍ଧ୍ୟା ସମୟରେ ପାଠଶାଳାରୁ ଆସି ଗୋଡ଼ହାତ ଧୋଇ ଲୁଗା ପାଲଟି ଖଣ୍ଡିଏ କୁଶାସନରେ ବସି ଗାୟତ୍ରୀମନ୍ତ୍ର ଜପ କରେ । ତହିଁପରେ ସାମାନ୍ୟ କିଛି ଖାଇ ଅଳ୍ପ ବିଶ୍ରାମ କରେ । ବିଶ୍ରାମାନ୍ତେ ପୁରାଣ ପାଠରେ ନିଯୁକ୍ତ ହୁଏ । ତାହାର ପିତା ମାତା ଏବଂ ଗ୍ରାମର ଚିତ୍ରଗୁପ୍ତ ଓ୍ୟାରଣ୍ଟ ପ୍ରାପ୍ତ କେତେ ଜଣ ବୃଦ୍ଧ ପୁରାଣ ଶୁଣନ୍ତି । ବାଳକ ମୁଖରେ ହରିନାମ ବଡ଼ ମଧୁର, ତହିଁ ଉପରେ ତାହାର ମଧୁର କଣ୍ଠ; ଅତଃ ସ୍ରୋତା କର୍ଣ୍ଣରେ ମଧୁ ଉପରେ ମଧୁ ବୃଷ୍ଟି ହୋଇଯାଏ । ସନାତନ ଏଥିମଧ୍ୟରେ ଅମରକୋଷ ଅଭିଧାନ ଖଣ୍ଡି କଣ୍ଠସ୍ଥ କରି ସାରିଅଛି । ପିତାଙ୍କର ପୁରୋହିତ ବ୍ୟବସାୟ, ସମୟର ଏକାନ୍ତ ଅଭାବ; ସୁତରାଂ ସେ ସବୁ ସମୟରେ ପୁଅର ପଢ଼ାଶୁଣା ଦେଖିବାର ସୁବିଧା ପାଆନ୍ତି ନାହିଁ-। ବାଳକ ମାତାଠାରୁ ଅଭିଧାନ ଶିକ୍ଷା କରି ଏଣିକି ବ୍ୟାକରଣ ଆରମ୍ଭ କରିଅଛି । ସମୟର ସଦ୍ବ୍ୟବହାର ବିଷୟରେ ସେ ବିଶେଷ ଜାଗ୍ରତ ଥାଏ । ସମୟକୁ ଏପରି ଭାବରେ ପହରା ଦେଇଥାଏ ଯେ, ତାକୁ ଟିକିଏମାତ୍ର ଏଣେ ତେଣେ ଛାଡ଼ି ନ ଦେଇ ସର୍ବଦା କାର୍ଯ୍ୟରେ ଲଗାଇଥାଏ-। ଅଧ୍ୟୟନ ଏବଂ ଠାକୁରପୂଜା ଏହି ଦୁଇଟିକୁ ସେ ପ୍ରାଣଠାରୁ ପ୍ରିୟତର ମଣେ । ଥରେ ଅଧେ କେବେ ତାହାର ଅଜ୍ଞାତରେ ବା ଅନିଚ୍ଛାରେ ଟିକିଏ ସମୟର ଅପବ୍ୟୟ ହେଲେ ସେ ଦୀର୍ଘ ନିଃଶ୍ୱାସଟାଏ ପକାଇ ହୃଦୟର ଗଭୀର ବେଦନା ନୀରବରେ ବ୍ୟକ୍ତ କରେ ।