ଶନିସପ୍ତା
ଚିନ୍ତାମଣି ମହାନ୍ତି · ଭାଗ ୬ / ୧୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ପରିଚ୍ଛେଦ
ବିବାହ ଶେଷ ହୋଇଗଲା, ତହିଁ ସଙ୍ଗେ ସଙ୍ଗେ ତିଳ ସୂବର୍ଣ୍ଣ ପ୍ରାୟଶ୍ଚିତ୍ତ ମଧ୍ୟ ହୋଇଗଲା । ବିବାହରେ କେତେ ଆଡ଼ମ୍ବର ହୋଇ ନାହିଁ; ମାତ୍ର ବିବାହ ଭୋଜୀ ଖୁବ୍ ଆଡ଼ମ୍ବରରେ ହୋଇଥିଲା । ଶାସନର ବ୍ରାହ୍ମଣମାନେ ଉତ୍ସବରେ ଯୋଗ ଦେଇଥିଲେ ଏବଂ ଭୋଜୀ ଖାଇ ସନ୍ତୋଷ ଲାଭ ମଧ୍ୟ କରିଥିଲେ । ସୁଖର ବିଷୟ, ଜାତି ଧର୍ମ ନଷ୍ଟହେବାର ଦୁଃସ୍ୱପ୍ନ ସେମାନେ ଆଉ ଦେଖି ନାହାନ୍ତି । କେହି ଅତି ରକ୍ଷଣଶୀଳ ଦଳଭୁକ୍ତ ଲୋକେ କହିଲେ– ‘‘ନନ୍ଦେ ବ୍ରାହ୍ମଣ କୁଳରେ ଗୋଟାଏ ନୂଆ ବାଟ ଫିଟାଇଲେ ସତ; କିନ୍ତୁ ସେ ବାଟରେ କିଏ ଚାଲିବ ? କେହି ନ ଚାଲିଲେ ବାଟ ଆପେ ମରିଯିବ । ଉଦାରନୈତିକଦଳ କହିଲେ–‘‘ବାଟ ମରିଗଲେ ସୁଦ୍ଧା ତାହାର ଚିହ୍ନଟା ଥିବ-। ଜଣେ ଯେଉଁ ବାଟରେ ଯାଇଛି, କେବେ ହେଲେ ଆଉ ଜଣେ ସେହି ବାଟର ଚିହ୍ନ ଧରି ଚାଲିବ । କୌଣସି ବୃହତ୍ ଅନୁଷ୍ଠାନର ସାଫଲ୍ୟ ଦିନେ ଦୁଇଦିନର ମିଳେ ନାହିଁ । ଅନୁଷ୍ଠାନ ଯେତେ ବଡ଼ ହୁଏ, ତାହାର ବିଘ୍ନ ମଧ୍ୟ ତେତେ ବଡ଼ ହୁଏ ଏବଂ ସାଫଲ୍ୟରେ ବି ତେତେ ବିଳମ୍ବ ଘଟେ ।’’ ଏହିପରି କେତେ କଳ୍ପନା ଜଳ୍ପନା ଲାଗିଲା । ଯେ ଯାହା କହୁ ବା କାର୍ଯ୍ୟ ଗତିରେ ଯାହା ଘଟୁ; ମାତ୍ର ନନ୍ଦେ ଯେଉଁ ନୈତିକ ସାହସର ଆଦର୍ଶ ଦେଖାଇଲେ, ତାହା ଅତୁଳନୀୟ । ସମାଜର ଏରୂପ ବଳ କେତେ ଜଣ ଦେଖାଇ ପାରନ୍ତି ? ଯେ ପାରେ, ସେ ଏକା ପ୍ରକୃତ ସଂସ୍କାରବୀର ।
ଗ୍ରାମର କାହାରି ଘରକୁ ନୂଆବୋହୂ ଆସିଲେ ସ୍ତ୍ରୀ ସମାଜର ଗୋଟିଏ ଉତ୍ସବ ଲାଗିଯାଏ । ସେମାନେ ଦଳ ଦଳ ହୋଇ ନବ ବଧୂକୁ ଦେଖିବାକୁ ଆସନ୍ତି । ନୂଆବୋହୂ ଯେପରି ଗୋଟାଏ ଦର୍ଶନୀୟ ପଦାର୍ଥ କିମ୍ବା କିମ୍ଭୁତ କିମ୍ଭାକାର ଅପୂର୍ବ ଜୀବ କେଉଁ ଭିନ୍ନ ସୃଷ୍ଟିରୁ ଆସିଅଛି । ଗାଁ ମାଇପେ ଯେ ଖାଲି ରୂପ ଦେଖିବାକୁ ଆସନ୍ତି, ତାହା ନୁହେଁ । ନୂଆବୋହୂର ହାତ, ଗୋଡ଼ କଟି, କଣ୍ଠ, ନାକ, କାନ ଅଣ୍ଡାଳି ଅଳଙ୍କାରର ବହରଟା ବି ଦେଖି ନିଅନ୍ତି ଏବଂ ଫେରିବାବେଳେ ବାଟରେ ନୂଆବୋହୂର ରୂପଗୁଣର ସମାଲୋଚନା କରି କରି ଯାଆନ୍ତି । ଏତେ ଲୋକଙ୍କର କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସାଟିଫିକେଟ ହାସଲ କରିବା ସହଜ କଥା ନୁହେଁ; ସୁତରାଂ ଅଧିକାଂଶ ନୂଆବୋହୂ ଫେଲ ହୋଇ ଯାଆନ୍ତି । ପ୍ରତି ଗ୍ରାମରେ ପ୍ରବୀଣା ସମାଲୋଚିକା ଅଛନ୍ତି । ସେମାନେ ପ୍ରଥମେ ମତ ପ୍ରକାଶ କରନ୍ତି । ପରେ ତାହା ସାଳଙ୍କୃତ, ପଲ୍ଲବିତ ହୋଇ ଅନ୍ୟମାନଙ୍କଦ୍ୱାରା ପ୍ରଚାରିତ ହୁଏ । କଥାକୁ ଯେ ଯେତେ ଫେଣାଇ ଫୁଲାଇ ସ୍ଥୁଳ କରିପାରେ, ସେ ତେତେ ପଣ୍ଡିତା ଏବଂ ଚତୁରୀ ବୋଲି ଖ୍ୟାତି ଲାଭ କରେ । କେହି କହେ–‘‘ବୋହୂର ମୁହଁଟା ଚେକା ନ ହୋଇ ଟିକିଏ ଲମ୍ବଆସିଆ ହୋଇଥିଲେ ଖୁବ୍ ସୁନ୍ଦର ହୋଇଥାଆନ୍ତା । ଚେକାମୁହଁଟା କାଳ ପେଚାମୁହିଁପରି ଦିଶେ ।’’ କେହି କହେ–‘‘ମଣିପଙ୍କ ପରି ଚାଲିଟା ଧସ୍ ଧସ୍ ।’’ କେହି କହେ–‘‘ହସଟା ଫସ୍ ଫସ୍ ।’’ କେହି ଅଦ୍ଭୁତ ସୌନ୍ଦର୍ଯ୍ୟତତ୍ତ୍ୱବିଶାରଦା ବିଚିତ୍ର ରୁଚିମତୀ ରମଣୀ କହେ–‘‘କଙ୍କାଳଟା ଭାରି ସରୁ, ଆଉ ଟିକିଏ ମୋଟ ହେଇ ଥାଆନ୍ତା କି ?’’ କେହି କହେ ବୋହୂଟା ଖୁବ୍ ଡଉଲ ଡାଉଲ ସୁନ୍ଦର ଯେ, ଖାଲି ଟିକଏ ଉଞ୍ଚ କପାଳୀ ।’’ ପ୍ରତିବାଦସ୍ୱରୂପ ଅନ୍ୟକେହି ତାହାର ମତ ସଂଶୋଧନ କରି କହେ– ‘‘ଖାଲି ଉଞ୍ଚ କପାଳୀ ନୁହେଁ– ନଳ ଗୋଡ଼ୀ ।’’ କେହି କହେ– ‘‘ବୋହୂଟାର ପହରା ଭଲ ନୁହେଁ, ଘରେ ଆସି ଗୋଡ଼ ଦେଲା କି ନ ଦେଲା, ଶାଶୂ ଜ୍ୱରରେ ପଡ଼ିଲା-। କାଲି ଆସିଲା, ଆଜି ସମସ୍ତଙ୍କ ମୁହଁଙ୍କୁ ଫଲ ଫଲ କରି ଚାହିଁ କଥା କହୁଛି । ଏ କି କଳଙ୍କ ଲୋ ମା, ମାଇକିନିଆ ଝିଅ ହୋଇ ଯାହାର ଲାଜ ସରମ ନାହିଁ, ତାହା ମୁହଁରେ ନିଆଁ, ତା ଜୀବନକୁ ଧିକ୍-।’’ ଏହିପରି ଯାହା ମନକୁ ଆସେ, ସେ ତାହା କହେ । ସେମାନଙ୍କ ମନୋମତ ସୁଲକ୍ଷଣ ବା ସୌନ୍ଦର୍ଯକୁ ଏକତ୍ର ମିଶାଇ ପ୍ରତିମା ଗଢ଼ିଲେ କିପରି ଅଦ୍ଭୁତ ସୁଷମା ଫୁଟି ଉଠିବ, ତାହା ପାଠକେ ଅନୁମାନ କରନ୍ତୁ ।
ଗାଁ ମାଇକିନିଆମାନେ ସୌଦାମିନୀକୁ ଦେଖିବାକୁ ଧାଡ଼ି ଛୁଟିଲେ । ତାହାର ଦେହଯାକ ଅଣ୍ଡଳାଅଣ୍ଡଳି କରି ତାକୁ ଅର୍ଦ୍ଧମୃତ କରି ପକାଇଲେ । କିନ୍ତୁ ବାଛିବାକୁ କିଛି ପାଇଲେ ନାହିଁ । ବରଂ ନବବଧୂର ସୌନ୍ଦର୍ଯ୍ୟର ଭୂୟସୀ ପ୍ରଶଂସା କଲେ– କେହି କହିଲା– ‘’ଦରିଦ୍ର ଘରେ କି ଏଭଳି ରତ୍ନ ଥିଲା, ବିଧାତା ଗୋବର ଗଦାରେ ପଦ୍ମ ଫୁଟାଇ ଥିଲା । ବୋହୂ ନୁହେଁ ଯେ. ଗୋଟାଏ ସ୍ୱର୍ଣ୍ଣପ୍ରତିମା-। ବିଧାତା ଗୋଟିଏ ଚାଉଳରେ ଗଢ଼ିଛି । ଆହା, ତିଳ ଫୁଲ ପରି କି ସୁନ୍ଦର ନାକ, ଆଖି ଦୁଇଟି ଯେପରି ଯୋଡ଼ିଏ ଖଞ୍ଜନ ପକ୍ଷୀ ।’’ କେହି ପରିହାସରସିକା ଉଚ୍ଚ କଳ୍ପନା କରି କହିଲା–‘‘ଏହାକୁ ଦେଖିଲେ ମୁନିମାନଙ୍କ ତପୋଭଙ୍ଗ ହେବ, ନନ୍ଦ ବୁଢ଼ା ବା ବାଇ ନ ହେବ କିଆଁ-? ନନ୍ଦର ତପସ୍ୟା ଭାଙ୍ଗିବା ପାଇଁ ସ୍ୱର୍ଗର ଦେବତାମାନେ ଉର୍ବଶୀକୁ ପଠାଇଛନ୍ତି । ଏ ମାନବୀ ନୁହେଁ, ନିଶ୍ଚେ ଡେଣା କଟାପରୀ । ନନ୍ଦ ଏ କନ୍ୟାଲାଖି ବର ନୁହେଁ । ବୁଢ଼ାଟା ତାହାର ଅଜା ପରି ଦିଶୁଛି । ମୋ ଚଣ୍ଡାଳୁଣୀର କଅଣ ଆଖି ଫୁଟି ଯାଇଥିଲା ଯେ, ଏଭଳି ଚିତ୍ରପ୍ରତିମାକୁ ପାଣିରେ ପକାଇ ଦେଲା ।’’ କେହି ବା କଥାର ପ୍ରତିବାଦ କରି କହିଲା– ‘‘ସେ ତ ବିଧାତାନିର୍ବଦ୍ଧ, ମା କଅଣ କରିବ । ମା ଜନ୍ମ ଦେଇଛି ବୋଲି କଅଣ କର୍ମ ଦେଇଛି ? ଯାହା ହାଣ୍ଡିରେ ଯେ ଚାଉଳ ଦେଇଛି, ସେ ତାହା ଘର କରିବ । କପାଳ ଲେଖାକୁ ଆନ କରିବ କିଏ ? କପାଳରେ ଥିଲେ ସେହି କାଲି ସୁଅମା ହୋଇ ବସିବ । ସବୁ କପାଳ ଲୋ ଭଉଣୀ, କପାଳ ଛଡ଼ା ଗତି ନାହିଁ । ବ୍ରାହ୍ମଣ ଘରେ ପାରିଲ କନ୍ୟା, ହାତଛନ୍ଦା ଯାହା ହୋଇଗଲା, ସେହିଟା ବଡ଼ କଥା ।’’
ସାରଥୀ ନନ୍ଦେ ଖୁବ୍ ନକଲିଆ ଲୋକ । ଯାତ୍ରାର ବିଦୂଷକ ପରି ସେ ଖୁବ୍ ରଙ୍ଗ ରହସ୍ୟ କରିପାରନ୍ତି । ତାଙ୍କର କଥା ଶ୍ରୋତାର କର୍ଣ୍ଣଲୋଭନୀୟ । ତାଙ୍କର ସରସ ରହସ୍ୟରେ ଅନେକ ସଂସାର–ଜଞ୍ଜାଳ ଦଗ୍ଧ ଅନ୍ତଃକରଣ କ୍ଷଣକ ପାଇଁ ଶୀତଳ ହୁଏ । ସୁତରାଂ ତାଙ୍କ କଥା ଶୁଣିବାକୁ ସମସ୍ତେ ଲାଳାୟିତ । ଅଷ୍ଟମଙ୍ଗଳା ପରେ ଦିନେ ବାଟରେ ତାଙ୍କ ସହିତ ପୂର୍ବୋକ୍ତ ଭଜୁ ଆଚାର୍ଯ୍ୟଙ୍କର ଭେଟ ହେଲା । ଆଚାର୍ଯ୍ୟେ ସହାନୁଭୂତି ଦେଖାଇ କହିଲେ–‘‘ନନ୍ଦ ଆପଣ, ବିବାହଟି ସୁରୁଖରୁରେ ଚଳିଗଲା, ଏହା ବଡ଼ ଆନନ୍ଦର କଥା । ଆଉ ବୋହୂ ଭାତ ଦିନ କାକରା, ଆରିସା ପିଠା ନ ହେଲେ ହେବ ନାହିଁ, ଏହା ମୁଁ ଆଗରୁ କହିଦେଉଛି ।’’ ନନ୍ଦେ ଗୋଟାଏ ଦୀର୍ଘ ନିଃଶ୍ୱାସ ଛାଡ଼ି କହିଲେ– ‘‘ହଁ, କାକରା ପୁଣି ଆରିସା ପିଠା, ଏତିକିରେ ତ ନାକେଦମ ହୋଇଗଲାଣି । ସବୁ ଦଶାର ଫେର୍ ଭାଇ, ସବୁ ଦଶାର ଫେର୍ । ମୋର କଅଣ ବିବାହ କରିବାର ଇଚ୍ଛା ଥିଲା, ଶନିସପ୍ତାର କାଣ୍ଡ, କଅଣ କରିବି । ନା ବୋଲି ତ କହିପାରିଲି ନାହିଁ, ଯେପରି କିଏ ମୋ ତଣ୍ଟି ଚିପି ଧରିଲା । ଯେତେବେଳକୁ ଯେଉଁ ଯୋଗ ଅଛି, ତାହା କିଏ ଖଣ୍ଡନ କରିବ ? ଶନିସପ୍ତା ସାତବର୍ଷ ମଧ୍ୟରୁ ବର୍ଷେ କଟିଗଲା, ଆହୁରି ଛବର୍ଷ ଅଛି । ବର୍ଷକ ମଧ୍ୟରେ ତ ଏ ଦୁର୍ଯୋଗ ଏହାପରେ ଆଉ କଅଣ ଅଛି କିଏ କହିପାରେ ।’’ ଆଚାର୍ଯ୍ୟେ ହୋ ହୋ ଶବ୍ଦରେ ହସିଉଠି କହିଲେ– ‘‘ଶନିସପ୍ତା ହେତୁ ପରା ତୁମ୍ଭର ବିବାହ ଦୁର୍ଭାଗ୍ୟ ଘଟିଲା ? ତେବେ ତ ଶନିସପ୍ତା ତୁମ୍ଭ ପକ୍ଷରେ ମଙ୍ଗଳ ! ସମସ୍ତେ କୁହନ୍ତି–‘‘ବିବାହେ ଶୁଭକାର୍ଯ୍ୟ; କିନ୍ତୁ ତୁମ୍ଭର ଠିକ୍ ଓଲଟା ।’’ ନନ୍ଦେ କିଛିକ୍ଷଣ ନୀରବ ରହି ଲଘୁସ୍ୱରରେ କହିଲେ– ‘‘ଆଚ୍ଛା କହିଲ ଭଲା, ଜଣେ, କର୍ମଚାରୀ କି ଦୁଇଜଣ ହାକିମର ମନ ଯୋଗାଇ ପାରେ ?’’ ଆଚାର୍ଯ୍ୟେ ହାସ୍ୟର ମାତ୍ରା ଚତୁର୍ଗୁଣ ବଢ଼ାଇ ଦେଇ କହିଲେ– ‘‘ତେବେ ଏଥି ମଧ୍ୟରେ ତୁମ୍ଭେ ହାକିମର କର୍ମଚାରୀ ହୋଇ ପଡ଼ିଲାଣି ।’’
ନନ୍ଦେ– ଏକା ମୁଁ ନୁହେଁ, ସମସ୍ତେ । ତୁମ୍ଭେ ଟିକିଏ ନିଜକୁ ଚାହିଁଲେ ନିଜେ କେଉଁ ଶ୍ରେଣୀୟ, ତାହା ବୁଝିପାରନ୍ତ । ଉଚ୍ଚଜାତିର ସ୍ତ୍ରୀମାନେ ସମସ୍ତେ ଧର୍ମାବତାର ହାକିମ ଆଉ ପୁରୁଷମାନେ କର୍ମଚାରୀ । କର୍ମଚାରୀ ସିରସ୍ତାର କାମ ସବୁ କରେ, ହାକିମ ଖାଲି ଗୋଟାଏ ଦସ୍ତଖତ ସହି କରିଦିଏ । ସେହିପରି ପୁରୁଷମାନେ ସବୁ ଆଣି ଗୋଡ଼ କତିରେ ହାଜର କଲେ ସ୍ତ୍ରୀମାନେ ମୁଠାଏ ଫୁଟାଇ ଦିଅନ୍ତି; ମାତ୍ର ଏଣିକି ଶିକ୍ଷା ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ତେତକ ସୁଦ୍ଧା ବୁଡ଼ିବାକୁ ବସିଲାଣି । ହାଣ୍ଡିଶାଳର ଧୂଆଁ ଲାଗିଲେ ଅନେକ ନୀରଜନେତ୍ରାଙ୍କ ନେତ୍ରଯୁଗଳରୁ ନୀର ଝର ଝର ହୋଇ ଝରିପଡ଼େ । ଏ ଦାରୁଣ କରୁଣ ଦୃଶ୍ୟ ଅନେକ ପୁରୁଷନାମା ଭଦ୍ରଜୀବଙ୍କ ନେତ୍ରରେ ଏକାନ୍ତ ଅସହ୍ୟ । ହାକିମୀ ସମ୍ବନ୍ଧଟା ଖାଲି ଦସ୍ତଖତରେ ଶେଷ ହୁଏ ନାହିଁ– ତାହା ଉପରେ ନାନା ହୁକୁମ ଆଉ ବାର ଫରମାସ । ଆଜି ଲୁଣ ନାହିଁ, କାଲି ତୁଣ ନାହିଁ, ଏହାତ ନିତ୍ୟନୈମିତ୍ତିକ ଗାର୍ହସ୍ଥ୍ୟ ଅଭାବ, ଏହାଛଡ଼ା ପୁଣି ଆବୁ ଉପରେ ବଥ । ସେହି ଯେ କି ଯମରାଜ ନା କବିରାଜ କି ଗନ୍ଧତେଲ ବାହାର କରିଛି, ସେ ପୁଣି ଟଙ୍କାକୁ ଟାଙ୍କିଏ– ତାହା ଫରମାସ୍, ପାଣି ଅଳତା ଫରମାସ୍, ଏହିପରି ଆହୁରି କେତେ କଣ । ସବୁ ଫରମାସ୍ ନ ଯୋଗାଇଲେ ମାନିନୀଙ୍କର ମାନଭଙ୍ଗ ହେବ ନାହିଁ । ପୂର୍ବ ଝୁମ୍ପା ଚଉଁରୀରେ ଖୋଷା ବନ୍ଧା ହେଉଥିଲା; ମାତ୍ର ଏଣିକି ଲୁହାର କଣ୍ଟା, ଖୁଞ୍ଚ ନ ହେଲେ ଚଳୁ ନାହିଁ । ଆଉ କିଛିଦିନ ଗଲେ ବୋଧହୁଏ କବ୍ଜା ଭିଡ଼ା ହୋଇ ସ୍କୃ ଅଣ୍ଟାଯିବ । ଆଜିଯାଏ କେହି ଯେ ଗାଉନ୍, ବୁଟ୍ଜୋତା, ସେଇକେଲ ପ୍ରଭୃତି ବିଳାସର କୁବେର ସଦା ଫରମାସ୍ କରିନାହାନ୍ତି, ଏତିକି ରକ୍ଷା ।
ଆଚାର୍ଯ୍ୟେ– ଏହି କେତେଟା ଦିନ ଭିତରେ ତୁମ୍ଭ ଉପରେ ଏତେ ଫରମାସ୍ ହୋଇ ସାରିଲାଣି ?
ନନ୍ଦେ– ନା, ମୋର ‘ସିଦ୍ଧରସ୍ତୁ’ ଆରମ୍ଭ ହୋଇ ନାହିଁ, ତେବେ ହେବା କେତେ ମାତ୍ର । ଅନେକଙ୍କର ଯେତେବେଳେ ହେଲାଣି, ତେବେ ମୋର ନ ହେବ କାହିଁକି ?
ଆଚାର୍ଯ୍ୟେ– ଆଚ୍ଛା, ତାହା ଜାଣି ହେଲା; ମାତ୍ର ତୁମ୍ଭର ବର୍ତ୍ତମାନ କଅଣ ଲେଖା ଲାଗିଛି-?
ନନ୍ଦେ– ‘‘କଳିବେଦ’’ ଆଉ ‘‘କଳିଅଭିଧାନ’’ ନାମରେ ଦୁଇଖଣ୍ଡ ଆରମ୍ଭ ହୋଇଅଛି । ସେସବୁ ଆଧ୍ୟାତ୍ମିକ ତତ୍ତ୍ୱ । କଳିକାଳର ଚାରିବେଦର ନାମ ଶୁଣିବ ? ମିଥ୍ୟା, ପ୍ରତାରଣା, ଜାଲ ଏବଂ ଜୁଆଚୋରି । ଅନ୍ୟ ଯୁଗରେ ଲୋକେ ଋକ୍, ସାମ, ଯର୍ଜୁ ଏବଂ ଅଥର୍ବ ବେଦକୁ ଆଶ୍ରୟ କରି ବଞ୍ଚିରହିଥିଲେ; ମାତ୍ର କଳି କାଳରେ ମିଥ୍ୟା, ପ୍ରତାରଣା, ଜାଲ ଆଉ ଜୁଆଚୋରି ଏହି ଚାରିବେଦକୁ ଆଶ୍ରୟ ନ କଲେ କେହି ବଞ୍ଚି ପାରିବେ ନାହିଁ । ସେ କାଳରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ତିନି ଦେବତାଙ୍କର ପୂଜା ହେଉଥିଲା, କଳିକାଳରେ ହାକିମ, ନାରୀ, ଉଦର ଏହି ତ୍ରିଦେବତା ପୂଜିତ ହେବେ, ଆଉ ତାରକ ବ୍ରହ୍ମର ନାମ ହେବ ‘‘ଗୌରଚନ୍ଦ୍ର’’ ଅର୍ଥାତ୍ ଟଙ୍କା । ଏହି ମୁକ୍ତି ମନ୍ତ୍ର ଜପ କରି କଳିଯୁଗରେ ଲୋକେ ତପ୍ତବୈତରଣୀ ପାର ହେବେ । ମନ୍ତ୍ର ଯଥା :–
‘‘ଗୌରଚନ୍ଦ୍ର, ଗୌରଚନ୍ଦ୍ର, ଭଜ ଗୌରଚନ୍ଦ୍ର ହେ, ମାଂ ଅକ୍ଷମ, ମାଂ ଅରକ୍ଷ, ରକ୍ଷଃ ଗୌରଚନ୍ଦ୍ର ହେ ।’’
ଆଚାର୍ଯ୍ୟ– ବାଃ, ଆଛା ଆଧ୍ୟତ୍ମିକ ତତ୍ତ୍ୱ ଉଦ୍ଭାବନ କରିଛ । ହେଉ, ଏବେ ଅଭିଧାନର ଟିକିଏ ନମୁନା ଶୁଣାଅ, ମୁଁ କୃତାର୍ଥ ହୋଇଯାଏ ।
ନନ୍ଦେ– ଅଭିଧାନର ନାମ ହେଉଛି– ‘‘କଳି ଅଭିଧାନ ବା ସାରଥିକୋଷ ।’’ ତାହା ବର୍ଗବିଶିଷ୍ଟ ନୁହେଁ– ଅବର୍ଗ । ଅଭିଧାନର ମଙ୍ଗଳାଚରଣ ମୂଳ ଶ୍ଳୋକ ଏହି :–
‘‘ଯସ୍ୟ ଜ୍ଞାନ ଦୟାସିନ୍ଧୋ,
ରଘୁଆ ମା ନାକରେ ଗୁଣା ।
ସେବ୍ୟତାମକ୍ଷୟୋ ଧୀରଃ,
ଶଙ୍ଖୀ ବିରାଡ଼ି ପିତେଇ ନାନୀ ॥’’
ଆଚାର୍ଯ୍ୟେ– ନନ୍ଦ ଆପଣେ, ସଂସ୍କୃତ ବିଦ୍ୟାରେ ତ ତମର ଅଗାଧ ଜ୍ଞାନ, ଅର୍ଥାତ୍ ଏକାବେଳକେ ଅଜ୍ଞାନ । ସେହିପରି ତୁମ୍ଭ ପ୍ରତିଭା କି ଅମୂଲ୍ୟ । ତୁମ୍ଭ ପ୍ରତିଭା ତେଜରେ ଗାଁସାରା ଦିନେ ଆଲୋକିତ ହେବ, ଗରିବ ଲୋକେ ତେଲ ଖର୍ଚ୍ଚରୁ ବଞ୍ଚିଯିବେ । ଧନ୍ୟ ତୁମ୍ଭେ, ତୁମ୍ଭର ମସ୍ତିଷ୍କ, ଧନ୍ୟ ତୁମ୍ଭର ହାତଗୋଡ଼, ଧନ୍ୟ ଏକା ଏ ଯମକତୁରୀ ଯୋଗରୁ ତୁମ୍ଭେ ବଞ୍ଚି ରହିବ କି । ଆଉ କଳି ରାମାୟଣରୁ ଦୁଇ ଚାରିପଦ କହ ।
ନନ୍ଦେ– ନା, ଭାଇ, ଆଜି ବେଳ ନାହିଁ, ପାଠକମାନେ ମଧ୍ୟ ବିରକ୍ତ ହୋଇ ଆସିଲେଣି । ତାହା ଆଉ ଦିନେ ଶୁଣିବ । ଯମକତୁରୀ ଯୋଗକୁ ମୋର ଭୟ ନାହିଁ, ଭୟ ଏକା ସେହି ଶନିସପ୍ତାକୁ-।
ଆଚାର୍ଯ୍ୟେ– ଶନିସପ୍ତା ତ ତୁମ୍ଭର ମଙ୍ଗଳ ।
ନନ୍ଦେ– ସେହି ମଙ୍ଗଳଟା ତୁମ୍ଭେ ବିନା ପଇସାରେ ନିଅ । ତୁମ୍ଭପରି ପ୍ରିୟବନ୍ଧୁଙ୍କୁ ମୁଁ ତାହା ଦେବାକୁ ଅଣୁମାତ୍ର କୁଣ୍ଠିତ ନୁହେଁ । ବରଂ ତୁମ୍ଭ ଦେହ ଛୁଇଁ ନିୟମ କରି କହୁଛି– ‘ମୁଁ ସେଥିରେ ଆନନ୍ଦିତ ।’
ଆଚାର୍ଯ୍ୟେ– ଆଚ୍ଛା, ସେ କଥା ପରେ ଦେଖାଯିବ, କେବେ ମୋତେ ରାମାୟଣ ଶୁଣାଇବ ଆଗେ ତାହା କହ ।
ନନ୍ଦେ– ତୁମ୍ଭ ପରମାୟୁ ମୋତେ ଦେଇ ତୁମ୍ଭେ ଦୀର୍ଘଜୀବୀ ହୋଇଥାଅ । ରାମାୟଣର ରଚନା ଶେଷ ହେଲେ ତୁମ୍ଭଙ୍କୁ ଶୁଣାଇବି । ନନ୍ଦେ ଏହା କହି ହସି ହସି ସେଠାରୁ ପ୍ରସ୍ଥାନ କଲେ ।
ଆଉ ଗୋଟିଏ କଥା ଭୁଲରେ ରହି ଯାଇଅଛି । ସୌଦାମିନୀର ବିବାହ ସମୟରେ ତାହାର ବୃଦ୍ଧା ରୁଗ୍ଣା ଜନନୀର ଅଦ୍ଭୁତ ପରିବର୍ତ୍ତନ ଘଟିଥିଲା । ଯେପରି ଯାଦୁ ମନ୍ତ୍ରବଳରେ କିଏ ତାହାର ରୋଗ ହରି ନେଇଗଲା । ସେ ନିଜର ଦୈନ୍ୟ, ପୀଡ଼ା ଏବଂ ସମସ୍ତ ଚିନ୍ତା ଏକାବେଳକେ ଭୁଲିଯାଇ ଏକ ଅପୂର୍ବ ଆନନ୍ଦରେ ବିଭୋଳ ହୋଇଥିଲା । ଯାହା ମନରୁ ଆଶା ଏକାବେଳକେ ଧୋଇ ପୋଛି ହୋଇ ଯାଇଥିଲା, ତାହା ପକ୍ଷରେ ଏ ଆକସ୍ମିକ ଘଟଣା ଅସ୍ୱପ୍ନସୁଲଭ ନୁହେଁ କି ? ଆଶା ମାନବକୁ କେତେବେଳେ କି ଭଙ୍ଗୀରେ ନଚାଏ, ହସାଏ, କନ୍ଦାଏ, ତାହା ସେହି ଏକା ଜାଣେ । ଯେଉଁ ଆଶା-ଲତା ନୈରାଶଦାବାନଳରେ ପୋତି ଭସ୍ମ ହୋଇଯାଇଥିଲା, ସେହି ଭସ୍ମସ୍ତୁପରୁ ପୁଣି ସେ ଆଶାଲତା କଞ୍ଚାଇ ଉଠି ଏତେଶୀଘ୍ର ଫଳ ଧାରଣ କରିବ, ବାସ୍ତବରେ ମହାବିସ୍ମୟକର ନୁହେଁ କି ? ବୃଦ୍ଧା ଜାମାତାର ମସ୍ତକରେ ଶୀର୍ଣ୍ଣ, କମ୍ପିତ ହସ୍ତ ସ୍ଥାପନପୂର୍ବକ ଆଶୀର୍ବାଦ କରି କହିଲା, ‘‘ବାବା, ମୁଁ କନ୍ୟାବଦଳରେ ତୁମ୍ଭଙ୍କୁ ପୁତ୍ରରୂପରେ ପାଇଲି, ଏହା ମୋର କେଡ଼େ ସୌଭାଗ୍ୟ, ତାହା କହି ହେବାର ନୁହେଁ । ଆଜିର ଏହି ଆନନ୍ଦୋତ୍ସବ ତୁମ୍ଭ ଜୀବନରେ ଅକ୍ଷୟ ହେଉ, ମୁଁ ଏହି ଆଶୀର୍ବାଦ କରୁଅଛି ।’’ ତହିଁପରେ କନ୍ୟାମସ୍ତକରେ ହସ୍ତ ଦେଇ ଆନନ୍ଦ ଗଦ୍ଗଦ୍ କଣ୍ଠରେ କହିଲା– ‘‘ମା, ତୁ ସୀତା ସାବିତ୍ରୀ ପରି ପତିପ୍ରାଣା ହୋଇ ପତିଦେବତାଙ୍କ ସେବାରେ ପ୍ରାଣ ଉତ୍ସର୍ଗ କର, ତୋର ହାତର ଶଙ୍ଖା ଏବଂ କପାଳର ସିନ୍ଦୂର ଅକ୍ଷୟ ହେଉ, ଧର୍ମରେ ମତି ଅଟଳ ହେଉ, ତୁ ପୁତ୍ରବତୀ ହ, ସୁଜନନୀ ହ, ଏହା ମୋର ଶେଷ ଆଶୀର୍ବାଦ ।’’ କନ୍ୟା ଜାମାତକୁ ଦେଖି ବୃଦ୍ଧାର ଆନନ୍ଦର ସୀମା ନାହିଁ, ସେ ଯେପରି ଆଉ ମର୍ତ୍ତ୍ୟରେ ନାହିଁ, କେଉଁ ଆନନ୍ଦମୟ ସ୍ୱର୍ଗଧାମରେ ନିବାସ କରୁଅଛି । ଜାତି ରକ୍ଷା ହେଲା, ଧର୍ମ ରକ୍ଷା ହେଲା, କୁଳ ରକ୍ଷା ହେଲା, ଏହି ଆନନ୍ଦ ତାହା ହୃଦୟରେ ଏତେ ବୃଦ୍ଧିଲାଭ କଲା ଯେ, ସେହି ଆନନ୍ଦର ବେଦନା ତାହା ପକ୍ଷରେ ଦୁଃସହ ହୋଇଉଠିଲା । ଦୁଃଖର ଯନ୍ତ୍ରଣା ପରି ଆନନ୍ଦର ଯନ୍ତ୍ରଣା ମଧ୍ୟ ସମୟ ବିଶେଷରେ ଦୁର୍ବହ ହୁଏ । ବୁଦ୍ଧା ଆଉ କହିପାରିଲା ନାହିଁ, ଅତି ଆନନ୍ଦରେ ତାହାର ଦମ୍ ଅଟକି ଗଲା । ସେ ବେଳେବେଳେ ମୂର୍ଚ୍ଛିତ ହୋଇପଡ଼ିଲା । କେବେ କେବେ ଅଚେତନ ଅବସ୍ଥାରେ ସ୍ୱର୍ଗୀୟ ସ୍ୱାମୀଙ୍କର ଉଦ୍ଦେଶ୍ୟରେ କହେ– ‘‘ମୋ ସଉଦୀର କେଡ଼େ ସୌଭାଗ୍ୟ, କେଡ଼େ ସୁଖ, କେଡ଼େ ଆନନ୍ଦ, ତୁମ୍ଭେ ଯାହା ଦେଖିପାରିଲ ନାହିଁ; ମୁଁ ଆଖିରେ ଦେଖିଲି, ମୋ ଆଖି ଧନ୍ୟ ହେଲା । ଥରେ ସ୍ୱର୍ଗରୁ ଆସି ଦେଖି ଯାଅ, ତୁମ୍ଭର ଦୁଃଖିନୀ କନ୍ୟା କିପରି ରାଜରାଣୀ ହୋଇଛି ।’’ ବୃଦ୍ଧା ଏହିପରି ଆନନ୍ଦରେ ପାଗଳ ହୋଇ ବିବାହ ବାସୀଦିନ ପ୍ରାଣତ୍ୟାଗ କଲା । ବୃଦ୍ଧାର ଏ ମରଣ ଦୁଃଖର ମରଣ ନୁହେଁ ସୁଖର ମରଣ । ସେ ଆଜୀବନ ଦୁଃଖରେ ଦହି ହୋଇ ଅନ୍ତିମକାଳରେ ହସି ହସି ମୃତ୍ୟୁର ସୁଖ ଶଯ୍ୟାରେ ଶୟନ କଲା । ତାହାର ମୁଖରେ ମୃତ୍ୟୁର କରାଳ ପାଣ୍ଡୁର ଛାୟା ନାହିଁ, ତୃପ୍ତି ଏବଂ ଆନନ୍ଦର ଦୀପ୍ତି ବିଦ୍ୟମାନ । ଯେମନ୍ତ କି ମୃତ୍ୟୁ ତାକୁ ଛୁଇଁନାହିଁ, ସେ ହସି ହସି ଆପେ ଦେହ ଛାଡ଼ି ଚାଲି ଯାଇଅଛି-। ସେ ଆନ୍ଦମୟ ପୁଣ୍ୟ ଶରୀର ସ୍ପର୍ଶ କରିବା ଭଳି ସାହସ ମୃତ୍ୟୁର ନାହିଁ । ନନ୍ଦେ ଯଥାରୀତି ଶାଶୁଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କଲେ । ମାତୃଶୋକର ପ୍ରଚଣ୍ଡ ଆଘାତରେ ସୌଦାମିନୀର କୋମଳ ହୃଦୟପଞ୍ଜର ଭାଙ୍ଗିପଡ଼ିଲା । ମାତୃଶୋକଠାରୁ ବଳି ଶୋକ ନାହିଁ । ଯାହାର ମା ନାହିଁ; ସେ କୁଟୁମ୍ୱ ଗହଳରେ ଥାଇ ସୁଦ୍ଧା ଏକୁଟିଆ ଏବଂ ଅନାଥ । ଲୋକେ କହନ୍ତି, ‘ଯାହାର ମା ନାହିଁ ତାହାର ସାହା ନାହିଁ ।’ ଅସ୍ଥାୟୀ ଜଗତରେ କିଛିହିଁ ସ୍ଥାୟୀ ନୁହେଁ, ଶୋକ ଦୁଃଖ ସ୍ଥାୟୀ ହେବ କାହିଁକି-? ଶେଫାଳିକାଙ୍କର ସ୍ନେହ ସାନ୍ତ୍ୱନାରେ ସୌଦାମିନୀର ଶୋକ କ୍ରମଶଃ ଊଣା ହୋଇଆସିଲା । ଶୋକ ପଛେ ପଛେ ବିସ୍ମୃତି ଥାଏ । ଶୋକ ଯେଡ଼େ ଗୁରୁତର ହେଉ ପଛେ, ପ୍ରକୃତିର ଅଲଙ୍ଘ୍ୟ ନିୟରେ ତାହା କ୍ରମେ କ୍ରମେ ମିଳାଇ ଯାଏ । ମନୁଷ୍ୟ ଦେହରେ ସବୁ ସହ୍ୟ ହୁଏ– ଶୋକ ବି ସହ୍ୟ ହୁଏ । ତାହା ହେଉ ନ ଥିଲେ ଶୋକାଗ୍ନିର ପ୍ରଖର ତେଜରେ ମାନବସୃଷ୍ଟି କେଉଁ କାଳରୁ ଧ୍ୱଂସପ୍ରାପ୍ତ ହୋଇସାରନ୍ତାଣି ।
ଶେଫାଳିକା ସୌଦାମିନୀକୁ ପ୍ରାଣଠାରୁ ବଳି ସ୍ନେହ କରନ୍ତି । ସେରୂପ ସ୍ନେହ ଜନନୀ ସୁଦ୍ଧା କନ୍ୟାକୁ କରିପାରେନାହିଁ । ବାଳିକାର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ତାଙ୍କର ସବୁବେଳେ ସତର୍କ ଦୃଷ୍ଟି ଥାଏ । ସୌଦାମିନୀକୁ ସେ କୁଟାକେରାଏ ଦିଖଣ୍ଡ କରାଇ ଦିଅନ୍ତି ନାହିଁ । ସୌଦାମିନୀ କାମପାଇଟି କରିବାକୁ କହିଲେ ଶେଫାଳିକା କହନ୍ତି– ‘‘ଦୂର ବାୟାଣି, ତୁ ଅଣ୍ଡା ଖଣ୍ଡକ, କି ପାଇଟି କରିବୁ ? ମୁଁ ଯାହା କରୁଛି ତୁ ବସି କରି ତାହା ଦେଖ୍, ଶିଖ୍, ପଛକୁ କରିବୁ ନାହିଁକି ? ମୋତେ କଅଣ ସବୁଦିନେ ଘେନିକରି ବସିଥିବୁ ? ମୁଁ ମରିଗଲେ କଅଣ କରିବୁ ?’’ ଶେଷ କଥାଟା ସୌଦାମିନୀକୁ ବଡ଼ ବାଧେ, ସେ କାନ୍ଦୁଣୁ ମାନ୍ଦୁଣୁ ହୋଇ କହେ– ‘‘‘ସେମିତି କଥା କହିଲେ ମୁଁ ମୁଣ୍ଡ ଫଟାଇ ଦେବି ।’’ ଶେଫାଳିକା ହସି ହସି ସ୍ନେହସିକ୍ତ କୋମଳକଣ୍ଠରେ କହନ୍ତି– ‘‘ନା ଲୋ, ମୁଁ ମରିବି ନାହିଁ, ତୋତେ ଛାଡ଼ି ମୁଁ କୁଆଡ଼େ ଯିବି ? ତୋତେ ଛାଡ଼ି ବୈକୁଣ୍ଠକୁ ଗଲେ ସୁଦ୍ଧା ମୋର ସୁଖ ନାହିଁ-। ମୁଁ କଅଣ କହିଲି ବୋଲି ସତେ ମରିଯାଉଛି ଯେ, ତୁ କାନ୍ଦୁଛୁ ?’’ ଏହା କହି ବାଳିକା ସପତ୍ନୀକୁ କୋଳକୁ ଟାଣି ନେଇ ତାହା ମୁଣ୍ଡରେ ସ୍ନେହାଦରରେ ସ୍ନିଗ୍ଧ କୋମଳ ହସ୍ତ ବୁଲାଇ ଦିଅନ୍ତି ଏବଂ ମନେ ମନେ କହନ୍ତି– ହାୟ, ମୁଗ୍ଧ ସରଳା ଅଲେଳ ବାଳିକା । ତୋର କୋମଳ ହୃଦୟ ପାର୍ଥିବ ପାପ ଉପାଦାନରେ ଗଠିତ ନୁହେଁ । ସେ ହୃଦୟରେ ଦ୍ୱେଷ ନାହିଁ, ଈର୍ଷା ନାହିଁ, ଛଳ ନାହିଁ, ମାୟା ନାହିଁ, କପଟତା ନାହିଁ; ଅଛି ଖାଲି ପ୍ରାଣର ଅଗାଧ ପ୍ରେମ, ଅସୀମ ମମତା, ଆଉ ଅତୁଳ ଆତ୍ମୀୟତା-। ଯେଉଁ ପ୍ରେମରେ ପର ଆପଣା ହୁଏ, ଶତ୍ରୁ ମିତ୍ର ହୁଏ, ବନର ପଶୁପକ୍ଷୀ ବଶୀଭୂତ ହୁଏ, ସେହି ଅନାବିଳ ସ୍ୱର୍ଗୀୟ ପ୍ରେମରେ ତୋର ହୃଦୟ ପବିତ୍ର । ତୋପରି ସପତ୍ନୀ ହସ୍ତରେ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ଛାଡ଼ିଦେଲେ ସୁଦ୍ଧା ଦୁଃଖ ବା ଅନୁତାପ ଲେଶମାତ୍ର ନାହିଁ– ବରଞ୍ଚ ସୁଖ ଏବଂ ଆନନ୍ଦ ଯଥେଷ୍ଟ ଅଛି-। ତୋତେ ସପତ୍ନୀ ରୂପରେ ପାଇ ମୁଁ ସୌଭାଗ୍ୟବତୀ ।
ଦିନେ ସୌଦାମିନୀ ଶେଫାଳିକାଙ୍କ ବେକରେ ଓହଳି ପଡ଼ି ସହାସ୍ୟ ବଦନରେ ତାଙ୍କ ମୁଖକୁ ଚାହିଁ, ପଚାରିଲା– ‘‘ତୁମେ କଅଣ ମୋର ସଉତୁଣୀ ?’’
ଶେଫାଳିକା– ନା, ତୋର ନାନୀ ।
ସୌଦାମିନୀ– ତେବେ ତୁମକୁ ବଡ଼ ନାନୀ ବୋଲି ଡାକିବି ?
ଶେଫାଳିକା– ନା, ଖାଲି ନାନୀ ବୋଲି ଡାକିବୁ, ଆଉ ମୁଁ ତୋତେ ‘ସଦୂ’ ବୋଲି ଡାକିବି-। ସୌଦାମିନୀ ନାମଟି ବଡ଼ ମଧୁର; କିନ୍ତୁ ବଡ଼, ମୁଁ ସେ ନା ଧରି ଡାକି ପାରିବି ନାହିଁ ।
ସୌଦାମିନୀ– ହଁ ନାନୀ, ତମେ ‘ସଦୂ’ ବୋଲି ଡାକିବ । ତମ ପରି ସ୍ନେହମୟୀ ଭଉଣୀ ମୋତେ ଜନ୍ମେ ଜନ୍ମେ ମିଳୁଥାଉ ।
ଶେଫାଳିକା– ମୋ ପରି ତୋତେ ମିଳୁଥାଉ ବୋଲି କହିଲୁ ଆଉ ତୋ ପରି ମୋତେ ମିଳିଥାଉ ବୋଲି ତ କହିଲୁ ନାହିଁ ? ତେବେ ତୋର ପ୍ରାର୍ଥନା ବିଧାତାଙ୍କ କର୍ଣ୍ଣ ଛୁଇବ ନାହିଁ ।
ସୌଦାମିନୀ– ମୋପରି ଲୋକ ତମ ଦାସୀ ହେବାର ଯୋଗ୍ୟ ନୁହେଁ ନାନୀ । ଆଛା ତମେ ମୋତେ କାହିଁକି କାମ ଦାମ କରାଇ ଦେଉନା ଭଲା କହିଲା ? ତମେ ରାନ୍ଧିବାଢ଼ି ପରଶିବ, ଆଉ ମୁଁ ଚୌଧୁରୀ ପରି ଚକାମାଡ଼ି ବସି ଖାଇବି, ଏହା କି ଭଲ କଥା ? ସତ କହୁଛି ନାନୀ, ମୋତେ ଭାରି ମାଡ଼ିପଡ଼େ ।
ଶେଫାଳିକା– ସେଥିରେ ତୋର ଲଜ୍ଜା କଅଣ ସଦୂ ? ମୁଁ ଯେତେବେଳେ ନ ପାରିବି, ତେତେବେଳେ ତୁ ରାନ୍ଧିବାଢ଼ି ମୋତେ ପରଶିବୁ ନାହିଁକି ? ଦୁହେଁଯାକ ତ ଏକ ଦେବତାର ସେବିକା, ତୁ କଲେ କଅଣ ଆଉ ମୁଁ କଲେ ବା କଅଣ ।
ଶେଫାଳିକା ସୌଦାମିନୀକୁ ପ୍ରାଣର ସହିତ ଭଲ ପାଆନ୍ତି । ଦୁଇ ସଉତୁଣୀ ଏକସଙ୍ଗରେ ଖାଆନ୍ତି, ଏକ ସଙ୍ଗରେ ବସନ୍ତି, ଏକ ସଙ୍ଗରେ ଗଳ୍ପ କରନ୍ତି । ଗୋଟିକୁ ଯେଉଠିଁ ଦେଖିବ, ଅପରଟି ସେହିଠି । ଯେପରି ଗୋଟିଏ ଅପରଟିର ଛାୟା ବା ପ୍ରତିବିମ୍ୱ କିମ୍ୱା ଏକ ବୃନ୍ତରେ ସଜ ବାସୀ ଦୁଇଟି ଫୁଲ । ଅଥବା ଗୋଟିଏ ସଙ୍ଗୀତର ରାଗିଣୀ, ଅନ୍ୟଟି ମୂର୍ଚ୍ଚନା । ଶେଫାଳିକା ସୌଦାମିନୀକୁ ଯେପରି ସ୍ନେହ କରନ୍ତି, ସୌଦାମିନୀ ପ୍ରବୀଣା ସପତ୍ନୀ ଶେଫାଳିକାକୁ ସେହିପରି ଭକ୍ତିକରେ । ସେରୂପ ହେବା ମଧ୍ୟ ସ୍ୱାଭାବିକ । ତୁମ୍ଭେ ଯାହାକୁ ଯେପରି ଭାବିବ, ସେ ତୁମ୍ଭଙ୍କୁ ଠିକ୍ ସେହିପରି ଭାବିବ । ତୁମ୍ଭେ ଜଣକୁ ମିତ୍ର ଭାବିଲେ ସେ ତୁମ୍ଭଙ୍କୁ ମିତ୍ର ଭାବିବ ଆଉ ଶତ୍ରୁ ଭାବିଲେ ସେ ତୁମ୍ଭଙ୍କୁ ଶତ୍ରୁ ଭାବିବ । ଶତ୍ରୁକୁ ଯଦି ତୁମ୍ଭେ ମିତ୍ର ଭାବ, ତେବେ ଶତ୍ରୁ ବି ତୁମ୍ଭଙ୍କୁ ମିତ୍ର ଭାବିବ । ତୁମ୍ଭର ମନୋମତ ଭାବ ତାହା ହୃୟରେ ପ୍ରତିଫଳିତ ହେବ । ଏଥିପାଇଁ ‘‘ଚିତ୍ତଦର୍ପଣ’’ ବୋଲି କହନ୍ତି । ମାନବର ଚିତ୍ତ ମଧ୍ୟରେ ଏହିପରି ଆଶ୍ଚର୍ଯ୍ୟ ସଂଯୋଗ ଅଛି । ସେହି ବୈଦ୍ୟୁତିକ ସଂଯୋଗ ହେତୁ ଜଣକର ଚିତ୍ତଭାବ ଅନ୍ୟର ଚିତ୍ତରେ ପ୍ରତିଫଳିତ ହୁଏ । ବିଧାତାଙ୍କ ସୃଷ୍ଟିର ଏହା ବିଚିତ୍ର କୌଶଳ । ଯେତେବେଳେ କଳ୍ପନାରେ ଏତେଦୂର ହୋଇପାରେ, ତେତେବେଳେ ପ୍ରତ୍ୟକ୍ଷୀଭୂତ କାର୍ଯ୍ୟରେ କଅଣ ନ ହେବ ? ତୁମ୍ଭେ ଜଣକୁ ସ୍ନେହରେ ରାଜସିଂହାସନରେ ବସାଇଥିବ, ସେ କି ତୁମ୍ଭଙ୍କୁ ଭକ୍ତି ନ କରି ରହିପାରିବ ? ସ୍ନେହ ଆଉ ଭକ୍ତି ଏ ଉଭୟ ପରସ୍ପର ବିନିମୟ ସାପେକ୍ଷ । ଦୁଇ ସପତ୍ନୀଙ୍କର ସୌହାର୍ଦ୍ୟ ଗ୍ରାମର ସ୍ତ୍ରୀ ସମାଜରେ ଗୋଟିଏ ଅଭିନୟ ଦୃଶ୍ୟହୋଇଉଠିଲା । ଦିନେହେଲେ ମନାନ୍ତର ନାହିଁ କଳହ ନାହିଁ, ଜିହ୍ୱାରେ ବିଷବୋଳା କିମ୍ୱା ଶାଣଦିଆ ନାହିଁ । କଳି କଅଣ ସତ୍ୟଯୁଗ ହେଲା । କେହି କହିଲା, ‘‘ନନ୍ଦଘର ବଡ଼ବୋହୂ ଗୋଟାଏ ଦେବୀ ।’’ କେହି କହିଲା– ‘‘ଦେବୀ ହେଉ ବା ଯାହାହେଉ, ସଉତୁଣୀକୁ ବଶ କରି ରଖିବାର ଟୁଣା–ଟାମୁଣା ଖୁବ୍ ଜାଣେ ।’’ କେହି କହିଲା– ‘‘ସାନବୋହୂଟା ବି ସୁନାମୁଣ୍ଡେ ।’’ କଥାରେ କହନ୍ତି– ‘‘କନିଆଁ ଭାର୍ଯ୍ୟା ନିଆଁ, ସେ ଉଛୁଣି ନିଆଁ ବିଞ୍ଚୁରୁ ଥାଆନ୍ତା; ମାତ୍ର ସରଗ ପଥର ପରି ଶୀତଳ ହୋଇ ରହିଛି । ସାପୁଆଣୀ ହାତରେ ନାଗୁଣୀ କୁଚିଆ ହୋଇ ରହିଲା ପରି ରହିଛି ।’’ ଏହିପରି କିଏ ଶେଫାଳିକାର, କିଏ ସୌଦାମିନୀର ଏବଂ କିଏ ବା ଉଭୟର ପ୍ରଶଂସା କଲେ; ମାତ୍ର ସେମାନଙ୍କ ଚରିତ୍ରରୁ କିଛି ଶିକ୍ଷା କଲେ କି ନାହିଁ, ତାହା ଅଦ୍ୟାବିଧି ପ୍ରକାଶ ପାଇନାହିଁ ।