ଶନିସପ୍ତା
ଚିନ୍ତାମଣି ମହାନ୍ତି · ଭାଗ ୫ / ୧୭
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ପରିଚ୍ଛେଦ
ପିତେଇର ଗୋଟାଏ ସୁମହତ୍ ଗୁଣ ଏହି ଯେ, ସେ ଯାହା ଶୁଣେ ଏବଂ ସେହି ଶୁଣିବାରୁ ଯେଉଁ ଜ୍ଞାନାର୍ଜନ କରେ ତାହାକୁ ସେ ପେଟରେ ଲୁଚାଇ ରଖେ ନାହିଁ । ଜଗତର ହିତ ଅର୍ଥରେ ତାହା ପ୍ରଚାର କରିଦିଏ । ଏକା ପିତେଇ ନୁହେ – ପ୍ରାୟ ପ୍ରତ୍ୟେକ ସ୍ତ୍ରୀ ଏହି ବିଶିଷ୍ଟ ଗୁଣର ଅଳ୍ପାଧିକ ଅଧିକାରିଣୀ । ସେଟା ତାଙ୍କ ପକ୍ଷରେ ବିଧାତାଙ୍କର ଅତିରିକ୍ତ ଦୟାର ଦାନ । ଏହି ବିଶିଷ୍ଟ ଗୁଣ ଯୋଗୁଁ ସେମାନେ ବିଶିଷ୍ଟା । ମଫସଲ ଗ୍ରାମରେ ତ ଟେଲିଫୋନ୍ ନାହିଁ; ସୁତରାଂ ପିତେଇ ପରି ଜଣେ ଜଣେ ନାରୀଦ୍ୱାରା ବିନା ବ୍ୟୟରେ ତ୍ୱରିତ ବାର୍ତ୍ତା ପ୍ରଚାରର ଖୁବ୍ ସୁବିଧା । ସେଥି ସକାଶେ ବିଧାତା ଏହିପରି ନାରୀରତ୍ନରୁ କୌଣସି ଗ୍ରାମକୁ ବଞ୍ଚିତ କରିନାହାନ୍ତି । ଯେଉଁ ଗ୍ରାମରେ ଖୋଜ ଏହିପରି ଗୁଣନିପୁଣା ଅନ୍ତତଃ ଅର୍ଦ୍ଧପଣରୁ ଉଣା ମିଳିବେ ନାହିଁ । ପିତେଇ ମାଛି ଅନ୍ଧାରରୁ ଉଠି ନନ୍ଦଙ୍କ ବିବାହପ୍ରସଙ୍ଗ ପ୍ରଚାର କରିବାକୁ ଶୁଭଯାତ୍ରା କଲା । ଘଡ଼ିକ ମଧ୍ୟରେ ଗ୍ରାମସାରା ରସନା ନାଗରା ପିଟିଦେଇ ଫେରି ଆସିଲା । ସ୍ଥାନେ ସ୍ଥାନେ ଆଲୋଚନା ସଭା ବସିଗଲା । ଅନେକଙ୍କୁ ପରିହାସର ଗୋଟାଏ ପୃଷ୍ଟିକର ଖାଦ୍ୟ ମିଳିଗଲା । କେହି କହିଲା– ‘‘ବ୍ରାହ୍ମଣ ମରିବାବେଳକୁ ପରିବା କାଟି ବସିଲା ।’’ କେହି କହିଲା– ‘‘ବିଭା ବନ୍ଦାପନା ଏକ ସଙ୍ଗରେ ହେବ ।’’ କେତେକ କହିଲେ– ‘‘ବିଭା, ବନ୍ଦାପନା, କାର୍ଯ୍ୟଘର ତିନିକାମ ଏକା ଥରକେ ଛିଡ଼ିଯିବ ।’’ କେହି ଅସାଧାରଣ ଶାସ୍ତ୍ର ବିଶାରଦ ବ୍ୟକ୍ତି ଦାରୁଣ କ୍ଷୋଭ ପ୍ରକାଶପୂର୍ବକ କହିଲା ‘‘ଜାତି ଗଲା, ଧର୍ମ ଗଲା, ସବୁ ଗଲା । ଏ କଳିକାଳରେ ଆଉ କିଛି ରହିବ ନାହିଁ । ଭାଗବତରେ କହିଛି ପରା – ‘ସର୍ବେ ହୋଇବେ ଏକକାର, ନ ଥିବେ ବେଦର ବିଚାର ।’ ଏଥିରେ ପୁଣି ଲୋକେ କହନ୍ତି– ‘‘ଇନ୍ଦ୍ର ପାଣି ଦେଲା ନାହିଁ, ବସୁମତୀ ଶସ୍ୟ ହରଣ କଲା ।’’ କିରେ ବାବୁ, ଦେବତାଙ୍କୁ ନିନ୍ଦା କିଆଁ ? ନିଜ କରଣି ତ ନିଜେ ଭୋଗୁଥାଇଁ । ବ୍ରାହ୍ମଣର ଯୁବତୀ ବିବାହ ମହାପାପ । ଯେଉଁ ଦେଶରେ ତାହା ହୁଏ, ସେ ଦେଶରେ ପୁଣି ବର୍ଷା ହେବ, ଧାନ ଫଳିବ ! ଏତେ ଦୁର୍ଭିକ୍ଷ କାହିଁକି ହେଉଛି, ଏତେ ଉପଦ୍ରବ କାହିଁକି ଘଟୁଛି ! ଘୋର ପାପ ଘୋର ପାପ ! ପୃଥିବୀ ଆଉ ଏ ପାପର ଭାର ସହିପାରିବ ନାହିଁ, ପାତାଳକୁ ଧସିଯିବ-।’’ କେତେ ଏହିପରି କହି ନିଜର ଶାସ୍ତ୍ର ଜ୍ଞାନରେ ଅପରକୁ ଚକିତ ସ୍ତମ୍ଭିତ କରିବାକୁ ପ୍ରୟାସୀ ହେଲେ । ଥୋକେ ଶିରଶ୍ଚାଳନାଦ୍ୱାରା ଏ ମତର ଅନୁମୋଦନ କରି ଗଭୀର ପାଣ୍ଡିତ୍ୟ ପ୍ରଦର୍ଶନରେ ଅଣୁମାତ୍ର ଅବହେଳା କଲେ ନାହିଁ ।
ବିବାହର ଲଗ୍ନ ସ୍ଥିର ହେଲା । ନନ୍ଦେ ଆୟୋଜନରେ ଲାଗିଲେ । ଶେଫାଳିକାଙ୍କୁ କେତେବେଳେ ତର ନାହିଁ ଘରଲିପା, ଧାନକୁଟା, ଝୁଟିଦିଆ, ଜାଇ ମଙ୍ଗଳା ପ୍ରଭୃତିରେ ସେ ସର୍ବଦା ବ୍ୟସ୍ତ । ସବୁ ଠିକ୍ହେଲା; ମାତ୍ର ଶାସନର ବ୍ରାହ୍ମଣମାନେ ଅଡ଼ି ବସିଲେ । ସେମାନଙ୍କର ସମସ୍ତ ଆପତ୍ତି ନନ୍ଦଙ୍କ ଯୁକ୍ତିତର୍କରେ ନଈ ବଢ଼ିରେ ଆବର୍ଜନା ପରି ଭାସିଗଲେ ସୁଦ୍ଧା ସେମାନେ ନିଜର ଜିଦ୍ ଛାଡ଼ିଲେ ନାହିଁ । ନନ୍ଦେ ସେମାନଙ୍କୁ ବୁଝାଇ କହିଲେ– ‘‘ବ୍ରାହ୍ମଣର ଯୁବତୀ ବିବାହ ଅଶାସ୍ତ୍ରୀୟ ନୁହେଁ । ପୂର୍ବେ ବ୍ରାହ୍ମଣ ସମାଜରେ ଯୁବତୀ ବିବାହ ପ୍ରଚଳିତ ଥିଲା । ଶାସ୍ତ୍ରରେ ସେଥିର ଭୁରି ଭୁରି ପ୍ରମାର ରହିଅଛି । କେବଳ ମଧ୍ୟରେ କେତେକାଳ ମୁସଲମାନ ରାଜତ୍ୱର ଦୌରାତ୍ମ୍ୟ ହେତୁ ତାହା ବନ୍ଦ ହୋଇ ଯାଇଥିଲା । ସେ ବିଧି ପୁନଶ୍ଚ ଚଳାଇଲେ ବେଦ ଅପବିତ୍ର ହୋଇଯିବ ନାହିଁ । ଉପସ୍ଥିତ କ୍ଷେତ୍ରରେ ଚଞ୍ଚଳ ନାରୀଧର୍ମ ପ୍ରାପ୍ତ ହେବା ତ ବାଳିକାର ଦୋଷ ନୁହେଁ କିମ୍ବା ତାହାର ପିତାମାତାର ଦୋଷ ସୁଦ୍ଧା ନୁହେ । ତେବେ ସେଥିପାଇଁ ସେମାନେ ପତିତ ହେବେ କାହିଁକି ? ଏହା ବିଚାର ନୁହେଁ ଅଖଣ୍ଡ ସ୍ୱାର୍ଥପରତାର ଉତ୍କଟ ପ୍ରମାଣ । ଯଦିଚ ତୁମ୍ଭମାନଙ୍କ ବିଚାରରେ ସେମାନେ ପତିତ ହୁଅନ୍ତି, ତେବେ ପତିତକୁ ଚିରକାଳ ପତିତ କରି ରଖିବା ଧର୍ମ ନୁହେଁ । ପତିତକୁ ଉଦ୍ଧାର କରିବାହିଁ ଧର୍ମ । ଗୋଟିଏ ନିର୍ଦ୍ଦୋଷ ବାଳିକାର ଜୀବନ ମାଟିକରି ଦେବାଠାରୁ ଅନ୍ୟାୟ ଅଧର୍ମ ଆଉ କଅଣ ଅଛି । କେହି ଚଞ୍ଚଳ, କେହି ବା ବିଳମ୍ବରେ ନାରୀତ୍ୱ ପ୍ରାପ୍ତ ହୁଏ, ତାହା ତ କାହାର ଆୟତ୍ତାଧିନ ନୁହେଁ । ପ୍ରକୃତିର କାର୍ଯ୍ୟରେ କିଏ ବାଧା ଦେଇପାରିବ ? ବାଳିକାଟା ବାରବର୍ଷରେ ରଜୋବତୀ ହେଲା ବୋଲି ତାହାର ଜାତି, ଧର୍ମ କେଉଁବାଟେ କେଉଁଆଡ଼େ ପଳାଇ ଗଲା ।’’ ନନ୍ଦେ ଏହିପରି ଅନେକ ବୁଝାଇଲେ; ମାତ୍ର ସବୁ ଅରଣ୍ୟ ରୋଦନରେ ପରିଣତ ହେଲା । ବ୍ରାହ୍ମଣମାନେ ନିଜର ଟାଣ ଛାଡ଼ିଲେ ନାହିଁ । ସେମାନେ ସ୍ପଷ୍ଟଭାବରେ କହିଲେ–‘‘ ଯହା ବେଦପୁରାଣରେ ନାହିଁ, ତାହା ସମର୍ଥନ କରି ଆମ୍ଭେମାନେ ପାପର ଭାଗୀ ହୋଇପାରିବୁ ନାହିଁ । ତୁମ୍ଭେ ଯୁବତୀ ବିବାହ କଲେ ଶାସନରେ ଏକଘରିଆ ହୋଇ ରହିବ । ନନ୍ଦେ ବିରକ୍ତ ହୋଇ କହିଲେ–‘‘ବେଦର ଉଦାହରଣ ତ ସମସ୍ତେ ଦେଉଛ; ମାତ୍ର ବେଦ କାଠ କି ପଥର ଏବଂ ସେଥିରେ କଅଣ ଥାଏ, କେହି ଜାଣ କି ? ଏ ବିବାହ ମୁଁ ନିଶ୍ଚୟ ନିଶ୍ଚୟ କରିବି, ତୁମ୍ଭେମାନେ ଯାହା କରିବାର କର । ନନ୍ଦେ ଏହା କହି ଆଉ କେହି କିଛି କହିବା ପୂର୍ବରୁ ତ୍ୱରିତଗତିରେ ସେଠାରୁ ପ୍ରସ୍ଥାନ କଲେ । ବ୍ରାହ୍ମଣମାନେ ସୁଦ୍ଧା ରାଗରେ ଗର୍ ଗର୍ ହୋଇ ଉଠି ଚାଲିଗଲେ ।
ଦୁଇ ପକ୍ଷର ବିବାଦ ତୃତୀୟ ପକ୍ଷଦ୍ୱାରା ମୀମାଂସିତ ହୁଏ, ସବୁ ଗ୍ରାମରେ ଏହା ଦେଖାଯାଏ । ଭଜୁ ଆଚାର୍ଯ୍ୟ ଶାସନର ଜଣେ ପ୍ରାଚୀନ ଲୋକ । ତାଙ୍କର ପଢ଼ାଶୁଣା ଅଧିକ ନ ଥିଲେ ହେଁ ସେ ବୟୋଽଧିକ; ସୁତରାଂ ବ୍ୟବହାର ନିପୁଣ । ପଣ୍ଡିତ ନ ହେଲେ ସୁଦ୍ଧା ‘‘ସର୍ବନାଶେ ସମୁତ୍ପନ୍ନେ ଅର୍ଦ୍ଧଂ ତ୍ୟଜିତ ପଣ୍ଡିତଃ’’, ଏହି ନୀତିର ମର୍ମ ସେ ଭଲ ବୁଝନ୍ତି । ସେ ଶାସନର ବ୍ରାହ୍ମଣମାନଙ୍କୁ କହିଲେ, ‘‘ସାରଥି ନନ୍ଦଙ୍କୁ ଏକଘରିଆ କରି ଆମ୍ଭେମାନେ ଚଳି ପାରିବାତ ? ଶାସନରେ ସେ ଶିବରାତ୍ରିର ଶଳିତା, ସେ ନିଭିଲେ ଶାସନ ଅନ୍ଧକାର । ସେ ଅଛନ୍ତି ବୋଲି ଲୋକେ ବିଧିବ୍ୟବସ୍ଥା ନେବା ପାଇଁ ଆମ ଶାସନକୁ ଆସୁଛନ୍ତି । ସେଥିରେ ସମସ୍ତଙ୍କୁ ଦି ପଇସା ମିଳୁଛି । ତାଙ୍କ ସଙ୍ଗରେ କଳି କଲେ ଆପଣାର କ୍ଷତି ସିନା । ରାନ୍ଧୁଣୀ ସଙ୍ଗରେ ବିବାଦ କଲେ କି ତୁଣର ସ୍ୱାଦୁ ମିଳେ ? ଆଉ ତାଙ୍କର ବା ଆମ୍ଭେମାନେ କଅଣ କରିପାରିବା ? ସେ ଜମିଦାର ଘର ପୁରୋହିତ ଜମିଦାର ତାଙ୍କର ସପକ୍ଷ । ଆମ୍ଭେମାନେ ତାଙ୍କୁ ନ ଚଳାଇଲେ ଅନ୍ୟ ବ୍ରାହ୍ମଣ ଆସି ଚଳାଇବେ, ତେତେବେଳେ ଆମ୍ଭେମାନେ ହଟହଟାରେ ପଡ଼ିବା । ତାହାଛଡ଼ା ଯହିଁରେ ସାପ ନ ମରିବ, ବାଡ଼ି ନ ଭାଙ୍ଗିବ, ସେହିପରି ବ୍ୟବସ୍ଥା କରିବା ଉଚିତ । ସେ ଗୋଟାଏ ପ୍ରାୟଶ୍ଚିତ୍ତ କରନ୍ତୁ, ତାହାହେଲେ ତାଙ୍କ କଥା ରହିବ ଆଉ ଆମ କଥା ବି ରହିବ । ସେଥିରେ ଉଭୟ ପକ୍ଷର ମଙ୍ଗଳ । ଏ ପ୍ରସ୍ତାବରେ ସମସ୍ତେ ସମ୍ମତ ହେବାରୁ ଭଜୁ ଆଚାର୍ଯ୍ୟ ଯାଇଁ ନନ୍ଦଙ୍କୁ କହିଲେ– ‘‘ବିବାହ ପରେ ତୁମ୍ଭେ ତିଳସୁବର୍ଣ୍ଣ ପ୍ରାୟଶ୍ଚିତ୍ତ କର, ତାହା ହେଲେ ସବୁ ଗୋଳ ଛିଡ଼ିଯିବ ।’’ ଏହା ଶୁଣି ନନ୍ଦେ ହୋ ହୋ କରି ହସଉଠି କହିଲେ– ‘‘ଆଚାର୍ଯ୍ୟ ଆପଣେ ଏ କଥା ତୁମ୍ଭର କହିବା ପଣ୍ଡଶ୍ରମ ମାତ୍ର । ତୁମ୍ଭେ ନ କହି ଥିଲେ ବି ମୁଁ ପ୍ରାୟଶ୍ଚିତ୍ତ କରିଥାଆନ୍ତି । ପ୍ରାୟଶ୍ଚିତ୍ତ ମୁଁ ପ୍ରତ୍ୟହ କରେ, ତାହା ବ୍ରାହ୍ମଣର ଧର୍ମ । ମୁଁ ପ୍ରାୟଶ୍ଚିତ୍ତର ବିରୋଧୀ ନୁହେଁ । ନିତ୍ୟ ପ୍ରାୟଶ୍ଚିତ୍ତଦ୍ୱାରା ବ୍ରାହ୍ମଣଦ୍ୱାରା ବ୍ରାହ୍ମଣ ଆଚାରନିଷ୍ଠ ଏବଂ ପବିତ୍ର ହୁଏ । ଜାଣିତ ବା ଅଜାଣିତ ଦୋଷର କ୍ଷାଳନ ନିମନ୍ତେ ବ୍ରାହ୍ମଣ ତ୍ରିସନ୍ଧ୍ୟା, ତର୍ପଣ ଏବଂ ଗାୟତ୍ରୀ ଜପ କରେ; ତାହାହିଁ ତାହାରି ପ୍ରାୟଶ୍ଚିତ୍ତ । ସମାଜଶାସନ ବ୍ରାହ୍ମଣହାତରେ ଅଛି ବୋଲି ତାହାର ଯଦୃଚ୍ଛା ବ୍ୟବହାର କି ନ୍ୟାୟାନୁମୋଦିତ । ତୁମ୍ଭେମାନେ ଯଦି ବାଳିକାଟିକୁ ବିବାହ କରାଇ ନ ଦିଅ ଏବଂ ସେଥିପାଇଁ ସେ ଯଦି ବିପଥଗାମିନୀ ହୁଏ ବା ଭ୍ରୂଣହତ୍ୟା କରେ, ତେବେ ସେ ପାପ କାହାର ହେବ ? ତାହାର ଅନଳ ନିଃଶ୍ୱାସରେ କି ସମାଜ ପୋଡ଼ି ଭସ୍ମୀଭୂତ ହେବ ନାହିଁ । ସମାଜର ଏହିପରି କଠୋର ଶାସନ ହେତୁ ଲୋକମାନେ ଧର୍ମାନ୍ତର ଗ୍ରହଣ କରୁଅଛନ୍ତି । ସେଥିପାଇଁ ହିନ୍ଦୁ ସମାଜ କ୍ରମଶଃ ଦୁର୍ବଳ ଏବଂ ହିନ୍ଦୁ ସଂଖ୍ୟା ହ୍ରାସ ହୋଇ ଯାଉଅଛି । ତୁମ୍ଭେମାନେ ଯାହାକୁ ସମାଜରୁ ତଡ଼ିଦେଉଅଛ, ଅନ୍ୟ ଧର୍ମର ସମାଜ ତାହାକୁ ସମାଦରରେ ଗ୍ରହଣ କରି ପରିପୁଷ୍ଟ ହେଉଅଛି । ତେବେ ଉଦାରତା କାହାର – ତୁମ୍ଭର, ନା ଅନ୍ୟ ଧର୍ମାବଲମ୍ବୀମାନଙ୍କର ? ଦୋଷୀକୁ ତ୍ୟାଗ କରିବା ଧର୍ମ ନା, ତାହା ପ୍ରତି ଉଦାରତା ପ୍ରଦର୍ଶନ କରିବା ଧର୍ମ ? ଯେଉଁ ଧର୍ମରେ ଉଦାରତା ନାହିଁ, ତାହା ଧର୍ମପଦବାଚ୍ୟ ନୁହେଁ । ଉଦାରତା ଧର୍ମର ମହାର୍ହ ଅଳଙ୍କାର । ତୁମ୍ଭରି ଅଯୋଗ୍ୟତାରୁ ନାନା ପ୍ରକାର ଉପଧର୍ମ ଓ ଅପଧର୍ମ ସୃଷ୍ଟି ହେଉଅଛି । ସେଥିରେ ହିନ୍ଦୁସମାଜ ଏବଂ ହିନ୍ଦୁଧର୍ମ କେବଳ କଳୁଷିତ ହେଉନାହିଁ, କ୍ଷତ ବିକ୍ଷତ ଏବଂ ବିଶୃଙ୍ଖଳ ହେଉଅଛି । ମନୁଷ୍ୟର ସର୍ବଦା ଗୋଟାଏ ଅବଲମ୍ବନ ଛାଡ଼ିଲେ ତାହାର ଆଉ ଗୋଟାଏ ଅବଲମ୍ବନ ଦରକାର ସୁତରାଂ ସ୍ୱଧର୍ମ ଛାଡ଼ିଲେ ସେ ଅନନ୍ୟୋପାୟ ହୋଇ ପରଧର୍ମ ଗ୍ରହଣ କରିବ । ଜଳମଗ୍ନ ବ୍ୟକ୍ତି ଯାହାକୁ ପାଖରେ ପାଏ, ତାହାର ଗୁଣ ବା ଶକ୍ତି ବିଚାର ନ କରି ଦୃଢ଼ଭାବରେ ତାହାକୁ ଧରି ପକାଏ । ଉଦାରତା ହେତୁ ହିନ୍ଦୁ ଧର୍ମ ଜଗତରେ ଏଡ଼େ ଉପାଦେୟ ଏବଂ ମହମିତ । କିନ୍ତୁ ଦୁଃଖର ବିଷୟ, ହିନ୍ଦୁ ଧର୍ମର ଉଦାରତା କ୍ରମଶଃ ଲୋପ ପାଇଆସୁଅଛି । ଏ କାଳରେ କଥା କଥାକେ ହିନ୍ଦୁମାନଙ୍କର ଯେପରି ଜାତି, ଧର୍ମ ଧ୍ୱଂସ ହୁଏ, ଅନ୍ୟ କୌଣସି ଧର୍ମାବଲମ୍ବୀଙ୍କର ସେପରି ହୁଏ ନାହିଁ । ଧର୍ମ, ନ୍ୟାୟ ଏବଂ ସତ୍ୟର ଦୃଢ଼ଭିତ୍ତି ଉପରେ ସମାଜ ପ୍ରତିଷ୍ଠିତ । ସେଥିରୁ ସ୍ଖଳିତ ହେଲେ ସମାଜର ଅସ୍ତିତ୍ୱ ସୁଦ୍ଧା ରହିବ ନାହିଁ । ସମାଜପତିମାନେ ଏ କଥା ନ ବୁଝିବା ଗଭୀର କ୍ଷୋଭର ବିଷୟ ।
ବ୍ରାହ୍ମଣ ସମାଜର ଯେତେ ଅଧୋଗତିର କାରଣ ଅଛି, ସେଥି ମଧ୍ୟରେ ବାଲ୍ୟବିବାହ ପ୍ରଧାନ । ବାଲ୍ୟବିବାହର ମାରାତ୍ମକତା ସମାଜ ପ୍ରାଣେ ପ୍ରାଣେ ଭୋଗ କରି ସୁଦ୍ଧା ନୀରବ ରହିଅଛି-। କୌତୁକ ଦେଖି ଆମୋଦ ଉପଭୋଗ କଲା ପ୍ରାୟ ସମାଜ ଏହି କ୍ଷତିକର ଅଭିନୟ ବସି ଦେଖୁଅଛି । ଗୌରୀ ଦାନର ପୁଣ୍ୟ ଅଛି, ଯୁବତୀଦାନର ପୁଣ୍ୟ ନାହିଁ, ଏହା ଗୋଟାଏ ଅନ୍ଧବିଶ୍ୱାସ । ବାଲ୍ୟ ବିବାହରେ ପୁଣ୍ୟ ଯାହା ହେଉ; ମାତ୍ର ସମାଜର ଯଥେଷ୍ଟ ପାପ ପ୍ରବେଶ କରେ । ବାଲ୍ୟବିବାହ ହେତୁ ପିଲାମାନେ ବ୍ରହ୍ମଚର୍ଯ୍ୟ ରକ୍ଷା କରିପାରୁ ନାହାନ୍ତି । ଏ ଯୁଗରେ ଚଉଦ ପନ୍ଦର ବର୍ଷର ବାଳକ ସୁଦ୍ଧା ପିତା ହୋଇ ବସୁଅଛି । ଫଳରେ ରୁଗ୍ଣ ଦୁର୍ବଳ; ଖର୍ବକାୟ ହୋଇ କ୍ଷୀଣାୟୁ ହେଉଅଛି ଏବଂ ଅକାଳରେ ମୃତ୍ୟୁରେ କରାଳ କବଳରେ ନିପତିତ ହେଉଅଛି । ବ୍ରହ୍ମଚର୍ଯ୍ୟ ମାନବର ଦ୍ୱିତୀୟ ଜୀବନ । ବ୍ରହ୍ମଚର୍ଯ୍ୟ ପାଳନ କରି ମୁନିଋଷିମାନେ ଯୁଗଜୀବି ହେଉଥିଲେ । ଆମ୍ଭେମାନେ ସେମାନଙ୍କର ବଂଶଧର ହୋଇ ସୁଦ୍ଧା କର୍ମଦୋଷରୁ ପଶୁପକ୍ଷୀଠାରୁ ସ୍ୱଳ୍ପାୟୁ । ଗାର୍ଗୀ, ଆତ୍ରେୟ, ଶର୍ମିଷ୍ଠା, ଶକୁନ୍ତଳା ପ୍ରଭୃତି ମହମିତା ଋଷି କନ୍ୟାମାନେ ଦୁଧନାନ୍ତ ନ ପଡ଼ୁଣୁ ବିବାହିତା ହୋଇ ନ ଥିଲେ । ତେବେ ସେମାନଙ୍କର ଜାତି ଧର୍ମ ରହିଥିଲା କିପରି । ଖାଲି ଏହି ଯୁଗଟା କି ଜାତି, ଧର୍ମ ପାଳିବାର ଯୁଗ ? ବାଲ୍ୟବିବାହଦ୍ୱାରା ସମାଜରେ ବାଳବିଧବାର ସଂଖ୍ୟା ବଢ଼ି ଉଠୁଅଛି-। ସେଥିର ଫଳରେ ବ୍ୟଭିଚାର, ଗୁପ୍ତପାପ ଘୁଣ ରୂପରେ ସମାଜର ପଶି ତାହାକୁ ଅନ୍ତଃସାରଶୂନ୍ୟ କରିଦେଉଅଛି । ସମାଜର ଏହି ମହାପାପ ସକାଶେ କିଏ ଦାୟୀ ସମାଜର କର୍ଣ୍ଣଧାରମାନେ ନୁହନ୍ତି କି ? ଖାଲି ଗତାନୁଗତିକ ନ୍ୟାୟରେ ସମାଜପତି ବୋଲାଇଲେ ଚଳିବ ନାହିଁ । ସମାଜପତିମାନେ ସମାଜର ଚିକିତ୍ସିକ । ସମାଜର କେଉଁ ଅଙ୍ଗରେ କି ରୋଗ ଜାତ ହେଲା, ତାହା ଚିହ୍ନି ଚିକିତ୍ସା କରିବାକୁ ହେବ । ଆଚାର୍ଯ୍ୟ ଆପଣେ, ବାଲ୍ୟବିବାହ ପାଇଁ ପ୍ରାୟଶ୍ଚିତ୍ତ କରିବା ଉଚିତ, କି ଯୁବତୀ ବିବାହ ସକାଶେ ପ୍ରାୟଶ୍ଚିତ୍ତ କରିବା ଉଚିତ କର୍ଣ୍ଣଧାରମାନଙ୍କର କର୍ଣ୍ଣ ଧରି ଏହା ତୁମ୍ଭେ ବୁଝାଇ ଦେବ । ଆଉ ଅଧିକ କିଛି କହିବାକୁ ମୋର ସମୟ ନାହିଁ । କାହାରିକୁ ବିପନ୍ନ କରି ଆତ୍ମପ୍ରାଧାନ୍ୟ ଉପଭୋଗ କରିବା ବ୍ରାହ୍ମଣର କାର୍ଯ୍ୟ ନୁହେଁ । ତଦ୍ଦ୍ୱାରା ପଶୁତ୍ୱ ଆଡ଼କୁ ଗତି ହୁଏ ।’’
ନନ୍ଦଙ୍କ କଥାରେ ଆଚାର୍ଯ୍ୟ ଲଜ୍ଜିତ ହୋଇ କହିଲେ– ‘‘ନନ୍ଦ ଆପଣେ, ମୋର ଭୁଲ, ତୁମ୍ଭେ ପ୍ରକୃତ ବ୍ରାହ୍ମଣ । ମୁଁ ତୁମ୍ଭଙ୍କୁ ଅକାରଣ ପ୍ରାୟଶ୍ଚିତ୍ତ କରାଇବାକୁ ଯାଉଥିଲି । ମୋର ଅପରାଧ କ୍ଷମା କରିବ । ତୁମ୍ଭର ପ୍ରାୟଶ୍ଚିତ୍ତ କରିବାର ଦରକାର ନାହିଁ । ଆଉ କେହି ଖାଉ ବା ନ ଖାଉ ମୁଁ ତୁମ୍ଭ ଘରେ ଖାଇବି । ମୁଁ ଜାଣିଲି – ବ୍ରହ୍ମତେଜ ତୁମ୍ଭ ଦେହରେ ଅଛି । ଧର୍ମର ଆଲୋକରେ ତୁମ୍ଭର ହୃଦୟ ଆଲୋକିତ, ଶରୀର ଦେବାତୟ ପରି ପବିତ୍ର, ମନ ଗଙ୍ଗାଜଳ ପରି ସ୍ୱଚ୍ଛ ଏବଂ ଜ୍ଞାନ ପ୍ରଭାତୀ ତାରକା ପରି ଉଜ୍ଜ୍ୱଳ ଓ ନିର୍ମଳ । ତୁମ୍ଭେ ଆଜି ମୋର ଜ୍ଞାନଚକ୍ଷୁ ଉନ୍ମୀଳନ କରିଦେଲ, ସେଥିଲାଗି ମୁଁ ତୁମ୍ଭ ନିକଟରେ ଋଣୀ ଏବଂ କୃତଜ୍ଞ ।’’ ଏହା କହି ଆଚାର୍ଯ୍ୟେ ପ୍ରସ୍ଥାନ କଲେ । ଶାସନର ବ୍ରାହ୍ମଣମାନେ ତାଙ୍କଠାରୁ ସମସ୍ତ ଶୁଣି ଆଉ କୌଣସି ଉଚ୍ଛୃଙ୍ଖଳତା ପ୍ରକାଶ କଲେ ନାହିଁ ।
ନନ୍ଦେ ଉପସ୍ଥିତ ସଙ୍କଟରୁ ପାର ହେଲେ, ମାତ୍ର କାଳେ ଏ ଉତ୍ତାରୁ ଆଉ କିଛି ବାଧା ବିଘ୍ନ ଘଟେ ଏହି ଆଶଙ୍କାରେ ତାଙ୍କର ଛାତି ଦୁକୁ ଦୁକୁ ହେଉଥାଏ । ସେ ଥରେ ଅତୀତ, ଥରେ ଭବିଷ୍ୟତ ଆଡ଼କୁ ଚାହିଁ ଦେଇ ମନେ ମନେ ଭାବିଲେ– ‘‘ମୋର କିଛି ଭୁଲ ହେଉନାହିଁତ ? ଯାହା ମୋର ଇଚ୍ଛା ନୁହେଁ, ତାହା କରିବାକୁ ପଡ଼ୁଛି, ଏହା ଶନିସପ୍ତାର ଫଳ ନୁହେଁତ ? ସବୁ ଦଶାର ଫେର, ଶନିସପ୍ତା ଦଶା ତ ସାମାନ୍ୟ ନୁହେ । ଯାହାର ଦାଉ ବଡ଼ ବଡ଼ ଲୋକେ ସମ୍ଭାଳି ପାରିନାହାନ୍ତି, ମୋ ପରି କ୍ଷୁଦ୍ର ଜୀବର ତ କଥାହିଁ ନାହିଁ ।’’ ନନ୍ଦେ ସବୁବେଳେ ନିଜକୁ ସାନ ମଣନ୍ତି । ଜ୍ଞାନିମାନଙ୍କର ସ୍ୱଭାବ, ସେମାନେ ସମସ୍ତଙ୍କ ତଳେ ନିଜର ଆସନ ନିରୂପଣ କରନ୍ତି । ନିଜକୁ ସାନ ମଣନ୍ତି ବୋଲି ସେମାନେ ଏଡ଼େ ବଡ଼ । ନନ୍ଦେ ପୁନଶ୍ଚ ଭାବିଲେ– ‘‘ସ୍ତ୍ରୀ ବୁଦ୍ଧିରେ ମୁଁ ଭୁଲିଛି, ସ୍ତ୍ରୀବୁଦ୍ଧି ପ୍ରଳୟଂକରୀ ଲୋକେ ଦାୟିକାଦେଇ କହନ୍ତି, ‘ସ୍ତ୍ରୀ ବୁଦ୍ଧିରେ ଜଗନ୍ନାଥ ମହାପ୍ରଭୁ ଖଣ୍ଡିଆ ।’ ତେବେ ସତେ କଅଣ ମୁଁ ନାରୀମାୟାରେ ଆଚ୍ଛନ୍ନ ହୋଇଅଛି । ନା, ନା, ତାହା କି ହୁଏ । ଆଉ ସ୍ତ୍ରୀ ବୁଦ୍ଧି ବା ହେୟ କାହିଁକି ? ସ୍ତ୍ରୀର ବୁଦ୍ଧି ପୁରୁଷର ଶକ୍ତି ଉଭୟର ମିଳନର ସଂସାର ଯାତ୍ରା ସହଜ ହୁଏ । ବିଶେଷତଃ ଶେଫାଳିକା ପରି ସ୍ତ୍ରୀ ପ୍ରତି ଅବିଶ୍ୱାସ କରିବା ଆତ୍ମଦ୍ରୋହ ଛଡ଼ା ଆଉ କିଛି ନୁହେଁ । ଯାହାର ତ୍ୟାଗ ଅସାଧାରଣ, ଯେ ହସି ହସି ନିଜର ଅଧିକାର ପରକୁ ଦେଇପାରେ, ସେ ସାମାନ୍ୟ ସ୍ତ୍ରୀ ନୁହେଁ । ସ୍ତ୍ରୀମାନେ ଦାନପ୍ରିୟା ସତ୍ୟ, ସେମାନେ ଧନ, ମାନ, ସୁଖ ନିର୍ବିକାର ଚିତ୍ତରେ ଦାନ କରିପାରନ୍ତି; ମାତ୍ର ନିଜର ସ୍ୱାମୀକୁ ଅପରକୁ ଦାନ କରିପାରନ୍ତି ନାହିଁ । ସ୍ୱାମୀ ଯେ ସେମାନଙ୍କର ଆରାଧ୍ୟ ଦେବତା । ଆରାଧ୍ୟ ଦେବତାକୁ କି କେହି ଦାନ କରିପାରେ ? କିନ୍ତୁ ଶେଫାଳିକା ସେହି ସ୍ୱାମୀ ଦାନ କରିବାକୁ ବସିଅଛି । କିଏ କେବେ ଏଭଳି ମହାଦାନ କରି ଦାନର ମାହତ୍ମ୍ୟ ବଢ଼ାଇ ପାରିଛି ? ତାହାର ତ୍ୟାଗ ଯେପରି ଆନ୍ତରିକ, ଦାନ ସେହିପରି ଉଦାର । ସେ ଏଥିରେ କି ଭବିଷ୍ୟତ ମଙ୍ଗଳ ଦେଖୁଛି ତାହା ସେହି ଜାଣେ; ମାତ୍ର ତାହାର ମଙ୍ଗଳ ହସ୍ତରେ ଯେ ମୋର ସୌଭାଗ୍ୟ ଗଠିତ ହେବ, ଏଥିରେ ସନ୍ଦେହର ଲେଶମାତ୍ର ଅବକାଶ ନାହିଁ । ଛି ଛି, ଏଭଳି ଦେବୀକଳ୍ପା ସ୍ତ୍ରୀ ପ୍ରତି ମୁଁ ଅବିଶ୍ୱାସ କରୁଛି । ଧିକ୍ ଶତ ଧିକ ମୋତେ । କିନ୍ତୁ ମୋର କି ଚାରା; ସବୁ ଶନିସପ୍ତା କରୁଛି ଏ ବିବାହର ଯଦି ବଂଶରକ୍ଷା ନ ହୁଏ, ତେବେ ନ ହେଲା ତ ନାହିଁ, ପତିତକୁ ଉଦ୍ଧାର କରିବାର ତ ସାମାନ୍ୟ ଆନନ୍ଦ ନୁହେଁ । ସେ ଆନନ୍ଦ ସଙ୍ଗେ ସଙ୍ଗେ ସମାଜସଂସ୍କାରର ଗୋଟାଏ ଆଦର୍ଶ ପ୍ରଦର୍ଶନ ମଧ୍ୟ ହେବ । ତାହାହିଁ ଯଥେଷ୍ଟ ଲାଭ । ସମାଜ ସେବାର ସୌଭାଗ୍ୟ କି ସାମାନ୍ୟ ସୌଭାଗ୍ୟ ।
ବିବାହର ଦିନ ଯେତେ ନିକଟବର୍ତ୍ତୀ ହେଉଅଛି, ନନ୍ଦଙ୍କ ଘରେ କର୍ମଚାଞ୍ଚଲ୍ୟ ତେତେ ବୃଦ୍ଧି ଲାଭ କରୁଅଛି । ଶେଫାଳିକାଙ୍କର ଆନନ୍ଦ ସୀମାଲଙ୍ଘନ କରିଅଛି । ତାଙ୍କର ଉଦାସ ବିଷର୍ଣ୍ଣ ମୂର୍ତ୍ତି ଆଉ ନାହିଁ । ସେ ଏବେ ହାସ୍ୟମୟୀ ଏବଂ କର୍ମତତ୍ପରା । ଆଶା କଅଣ ନ କରିପାରେ– ଶୁଖିଲା କାଠରେ ବି ଫୁଲ ଫୁଟାଏ । ଶେଫାଳିକା ନାନା କାର୍ଯ୍ୟରେ ବ୍ୟସ୍ତ । ଟିକିଏ ଅବସର ପାଇଲେ ସ୍ୱାମୀଙ୍କ ପାଖକୁ ଧାଇଁ ଆସି, ଏଟା ହେଲାନାହିଁ ସେଟା ହେଲା ନାହିଁ, ଅମୁକ ପଦାର୍ଥ ଆସିନାହିଁ ଅମୁକ ପଦାର୍ଥ ନ ହେଲେ ଚଳିବ ନାହିଁ, ଏହିପରି ବରାଦ କରି ସ୍ୱାମୀଙ୍କୁ ଉତ୍ତ୍ୟକ୍ତ କରୁଅଛନ୍ତି । ଆଜି ପୁଣି ଅଳଙ୍କାର ପାଇଁ ନୂତନ ଫରମାସ । ସେ ସ୍ୱାମୀଙ୍କୁ କହିଲେ– ‘‘ମୋର, ଅଳଙ୍କାର ଭାଙ୍ଗି ନୂତନ ଅଳଙ୍କାର ଗଢ଼ାଇ ଆଣ ।’’ ନନ୍ଦେ କହିଲେ– ‘‘କି, ତୁମ୍ଭର ଅଳଙ୍କାର ଲୋଡ଼ା ନାହିଁ ?’’
ଶେଫାଳିକା– ନା ମୋର ଅଳଙ୍କାର ଅଛି ।
ନନ୍ଦେ– କି ଅଳଙ୍କାର ଅଛି ?
ଶେଫାଳିକା– ଅଛି ଗୋ ଅଛି । ଆର୍ଯ୍ୟରମଣୀର ଯାହା ଶ୍ରେଷ୍ଠ ଅଳଙ୍କାର, ତାହା ମୋର ଅଛି । ସେ ବିଷୟରେ ମୁଁ ଭାଗ୍ୟବତୀ ।
ଶେଫାଳିକା ସ୍ତ୍ରୀର ଅଳଙ୍କାର ସ୍ୱାମୀ ବୋଲି ଲକ୍ଷ୍ୟ କରୁଛନ୍ତି ଜାଣି ନନ୍ଦେ ମୃଦୁ ହସି କହିଲେ– ‘‘ତାହା ଜାଣିହେଲା; ମାତ୍ର ଏତେ ଅଳଙ୍କାର କାହିଁକି ?’’
ଶେଫାଳିକା– ତାକୁ ଯେ ମୋର ସାନ ଭଉଣୀ ପରି ସାଜ୍ଜସଜ୍ଜା କରି ଏ ଘରକୁ ଆଣିବାକୁ ହେବ, ଅଧିକ ଅଳଙ୍କାର ନ ହେଲେ ଚଳିବ କିପରି ?
ନନ୍ଦେ– ଏଥି ମଧ୍ୟରେ ସମ୍ବନ୍ଧ ପାତିସାରିଲାଣି ? ଭଉଣୀ ନା ସଉତୁଣୀ ?
ଶେଫାଳିକା– ଭଉଣୀ, ସଉତୁଣୀ ।
ନନ୍ଦେ– ତାହାହେଲେ ସର୍ବନାଶ । ତୁମ୍ଭରି ଜାତି ବିରାଦରମାନେ ତ କହନ୍ତି– ‘‘ଆନ ସୁତୁଣୀ ପାଳେ ଲାଳେ, ଭଉଣୀ ସଉତୁଣୀ ବିଷ ଦେଇ ମାରେ ।’’
ଶେଫାଳିକା– ସେ ତାହା ପାରିବ ନାହିଁ ।
ନନ୍ଦେ– କାହିଁକି ?
ଶେଫାଳିକା– ତାହାର ଜନ୍ମ ପବିତ୍ର ଆର୍ଯ୍ୟନାରୀ ବଂଶରେ । ଆଉ ଯେ ପାରୁ ପଛେ, ସେ ତାହା ପାରିବ ନାହିଁ ।
ନନ୍ଦେ– ଓଃ, କର୍ପୁର ଗଲାଣି କନା ଅଛି ।
ଶେଫାଳିକା– କର୍ପୁର ସେହି କନାରେ ସୁବାସ ରଖି ଯାଇଛି ।
ନନ୍ଦେ– ଆଚ୍ଛା, ସେ କଥା ଯାଉ; ଏ ଅଳଙ୍କାରଗୁଡ଼ିକ ଦାନର ଦକ୍ଷିଣା, ନା ଯୌତୁକ ?
ଶେଫାଳିକା– କି ଦାନ ?
ନନ୍ଦେ– ତୁମ୍ଭେ ପରା ସ୍ୱାମୀଦାନ କରୁଛି ? ଲୋକେ କନ୍ୟାଦାନ କରନ୍ତି, ତୁମ୍ଭେ ସ୍ୱାମୀଦାନ କଲ; କାହିଁରେ ପୁଣ୍ୟ ଅଧିକ ? ଛି ଶେଫାଳିକା, ମୋତେ ଆଉ ଜଣକ ହାତରେ ଟେକି ଦେବାରେ ତୁମର କି ଟିକିଏ ମମତା ହେଲା ନାହିଁ ?
ଶେଫାଳିକା– ମୋର ପଦାର୍ଥ ଯାହାକୁ ଇଚ୍ଛା ବାଣ୍ଟି ଦେଲି, ତୁମର ସେଥିରେ କଥା କହିବା ଅନଧିକାର ।
ନନ୍ଦେ– ତେବେ ମୋର ପରାଜୟ । ଆଚ୍ଛା ତୁମେ ହୁଳହୁଳି ଦେଇ ବରକନ୍ୟା ବରଣ କରି ଘରକୁ ଆଣିବାବେଳେ ହସିବ ନାହିଁ ତ ? କିନ୍ତୁ ମୋତେ ବଡ଼ ହସ ମାଡ଼ିବ । ଆଉ ଗୋଟାଏ କଥା ଆଗରୁ କହି ରଖୁଛି– ମୁଁ ହଳଦି ଲଗାଇବି ନାହିଁ, ସେଥିପାଇଁ ମୋତେ ବିରକ୍ତ କରିବ ନାହିଁ ।
ଶେଫାଳିକା– ଏ କି ଅଘନ କଥା, ବିବାହ ମଙ୍ଗଳ କାର୍ଯ୍ୟରେ ହଳଦୀ ପୁଣି କିଏ ନ ଲଗାଏ ?
ନନ୍ଦେ– ନା, ମୁଁ ତାହା ପାରିବି ନାହିଁ ।
ଶେଫାଳିକା– ହେଉ, ନ ପାରିବ ତ ନାହିଁ, ତେବେ ଟିକିଏ ହଳଦି ମୁଣ୍ଡରେ ଛୁଇଁ ଦେବ; ଏହା ପାରିବ ତ ?
ନନ୍ଦେ– ହଁ, ତାହା ପାରିବି । ଆଚ୍ଛା କହିଲ ଭଲା ମୋତେ ବରବେଶ କିପରି ମାନିବ ?
ଶେଫାଳିକା– କିପରି ?
ନନ୍ଦେ– ବରଟି ଦିଶିବ ଠିକ୍ ଯେପରି ଗୋଟିଏ କିସ୍କିନ୍ଧ୍ୟାବାସୀ ବୃଦ୍ଧ ଶାଖାଚର ଜୀବବିଶେଷ । ଖାଲି ଗୋଟାଏ ଲାଙ୍ଗୁଡ଼ର ଅଭାବ ।
ଶେଫାଳିକା– ଛି, ନିଜକୁ ନିଜେ ଟାହୁଲି କରୁଛ, ଲାଜମାଡ଼ୁ ନାହିଁ ।
ନନ୍ଦେ– ଟାହୁଲି କଲି କାହିଁ ? ଆଚ୍ଛା ମୋ ପାଖରେ କନ୍ୟାଟି ବସିଲେ କିପରି ସୁନ୍ଦର ଦିଶିବ ଜାଣ ନା ?
ଶେଫାଳିକା– କିପରି ?
ନନ୍ଦେ– ଠିକ୍ ଯେପରି ପ୍ରେତ ପାଖରେ ପରୀ କିମ୍ବା ଡାମରାକୁଆ ପାଖରେ ହଳଦୀବସନ୍ତ ଅଥବା କୁଜା କାଶିଆ ପାଖରେ କାଶିଆମା ଘର କନିଆ ବୋହୂ ।
ଶେଫାଳିକା– ଫକ୍କରି ହସିଦେଇ କହିଲ– ‘‘କବି ପରି ତ ଖୁବ୍ ଉପମା ଯୋଖି ଯାଉଚ, ତେବେ ଖଣ୍ଡେ କାବ୍ୟ ଲେଖୁନାହଁ?’’
ନନ୍ଦେ– ହଁ, ଲେଖନ୍ତି ଯେ, କିନ୍ତୁ–
ଶେଫାଳିକା– ଆଉ ଫେର୍ କିନ୍ତୁ କଅଣ ?
ନନ୍ଦେ– କିନ୍ତୁ କଅଣ କି, ସମାଲୋଚକଗୁଡ଼ାକ ଲେଖାଇ ଦିଅନ୍ତି ନାହିଁ ।
ଶେଫାଳିକା– କାହିଁକି ?
ନନ୍ଦେ– ଭୁଲ ଧରନ୍ତି ।
ଶେଫାଳିକା– ଆଉ କଅଣ ବିଜୟମାଲ୍ୟ କଣ୍ଠରେ ଲମ୍ବାଇ ଦିଅନ୍ତେ ?
ନନ୍ଦେ– ତାହା ନ ଲମ୍ବାନ୍ତି ପଛେ; ମାତ୍ର ଭୂଲ ନ ଧରନ୍ତେ କି ?
ଶେଫାଳିକା– ହେଉ ଭୁଲ ଧରନ୍ତୁ ପଛେ, ତୁମେ ଲେଖ । ଭୁଲ ଅବା କାହିଁରେ ନାହିଁ । ସମାଲୋଚକମାନେ କି ଭୁଲ କରନ୍ତି ନାହି ।
ନନ୍ଦେ– ହଁ ଢେର୍ ଭୁଲ କରନ୍ତି– ଶହକରେ ପାଞ୍ଚକୋଡ଼ି ।
ଶେଫାଳିକା– ତେବେ ତୁମ୍ଭଙ୍କୁ ବାଛନ୍ତି କାହିଁକି ?
ନନ୍ଦେ– ଆରେ ଆଚ୍ଛା କଥା କହୁଛ । ସେ ଯେ ସମାଲୋଚକ, ଭୁଲ ଧରିବାପାଇଁ ତାଙ୍କର ଜନ୍ମ । ନିଜେ ଭୁଲ ନ କରିବେ ବୋଲି ତ ଏପରି କିଛି ଆଇନ ନାହିଁ ।
ଶେଫାଳିକା କର୍ କର୍ ହୋଇ ହସି ଉଠି କହିଲେ–‘‘ଆଚ୍ଛା ତୁମେ ଆଗେ ଲେଖ, ଭୁଲକୁ ଭୟ କାହିଁକି ? ସଂସାରରେ ନିର୍ଭୁଲ ବା ନିର୍ଦ୍ଦୋଷ କିଛି ନାହିଁ ।’’
ନନ୍ଦେ– ତୁମ୍ଭଠାରୁ ଅଭୟ ପାଇଲି, ଏଣିକି ଲେଖିବି । କାବ୍ୟରେ ନାୟକ ନାୟିକା ଦରକାର । ମୁଁ ସିନା ନାୟକ; ମାତ୍ର ନାୟିକାର ଅଭାବ ଥିଲା । ତୁମେ ସେ ଅଭାବ ପୂରଣ କରି ନବ ନାୟିକାଟିଏ ଯୋଟାଇ ଦେଲଣି, ଏବେ କାବ୍ୟାରମ୍ଭ ହେବ ।
ଶେଫାଳିକା ଉଠି ଠିଆହୋଇ କହିଲେ– ‘‘ତୁମ ସାଙ୍ଗରେ ରଙ୍ଗ କୌତୁକ କରିବାକୁ ମୋତେ ତର ନାହିଁ । ମୋର ଢେର କାମ ଅଛି, ମୁଁ ଯାଉଛି ।’’ ଏହା କହି ସେଠାରୁ ଚାଲିଗଲେ ।