ଶନିସପ୍ତା
ଚିନ୍ତାମଣି ମହାନ୍ତି · ଭାଗ ୪ / ୧୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ପରିଚ୍ଛେଦ
ପ୍ରତାପପୁର ଶାସନର ଦୁଇକ୍ରୋଶ ଉତ୍ତରରେ ପ୍ରତି ବୁଧବାରରେ ଗୋଟାଏ ହାଟ ବସେ-। ହାଟର ଖୁବ୍ ନାମଡାକ୍ । ଦିନକର ବାଟରୁ ଦୋକାନୀ ପଶାରିମାନେ ଆସନ୍ତି । ହାଟରେ ସୁତାଠାରୁ ମୁକ୍ତା ପର୍ଯ୍ୟନ୍ତ ଯାହା ଖୋଜିଲେ ତାହା ମିଳେ । ଏହି ହେତୁରୁ ବହୁଦୂରରୁ କ୍ରେତାମାନେ ଆସନ୍ତି । ହାଟଟି ସାଧାରଣରେ ‘‘ବୁଧବାର ହାଟ’’ ନାମରେ ପରିଚିତ । ଲୋକେ କହନ୍ତି– ‘‘ବୁଧବାର ହାଟରେ ବାପ ମା ଛଡ଼ା ସବୁ ମିଳେ । ପ୍ରତାପପୁର ଶାସନର ଅନେକ ବ୍ରାହ୍ମଣ ନଡ଼ିଆଜାଲି ମୁଣ୍ଡାଇ ହାଟକୁ ଯାଆନ୍ତି । ନଡ଼ିଆ ବିକିସାରି ଲୁଣ ତେଲ ପାନ, ଗୁଆ, ଦୁକୁତା ପ୍ରଭୃତି ଆବଶ୍ୟକ ଦ୍ରବ୍ୟ କିଣି ଆଣନ୍ତି । ସହରବାସୀଙ୍କ ପରି ପଲ୍ଲୀବାସୀଏ ନିତି ଖାଆନ୍ତି ନାହିଁ । ସେମାନେ ସପ୍ତାହର ଉପଯୁକ୍ତ ଦ୍ରବ୍ୟ ହାଟରୁ କ୍ରୟ କରି ରଖନ୍ତି । ଅଧିକ ହେଲେ ବଳି ପଡ଼େ, ଉଣା ହେଲେ ସେହିଥିରୁ ତୁଲାଇ ନିଅନ୍ତି । ଏହି ହାଟଟି ସେ ଅଞ୍ଚଳର ଅନ୍ତର୍ବାଣିଜ୍ୟକୁ ବଞ୍ଚାଇ ରଖିଅଛି ।
ଦିନେ ପଞ୍ଚୁ ରଥ ଏବଂ ଶୁକୁଟି ପତ୍ରୀ ହାଟ ସଉଦା ସାରି ଫେରି ଆସୁଥିଲେ । ଏଦୁହେଁ ପ୍ରତାପପୁର ଶାସନ ନିବାସୀ; ସୁତରାଂ ସାରଥି ନନ୍ଦଙ୍କର ପ୍ରତିବେଶୀ । ସେମାନଙ୍କ ସଙ୍ଗରେ ଶୁକୁଟି ପତ୍ରୀର ମାଉସୀପୁଅ ଭାଇ ଭୂତେଇ ମିଶ୍ର ଥିଲେ । ମିଶ୍ର ହାଟକୁ ଆସିଥିଲେ; ଶୁକୁଟି ପତ୍ରୀ ତାଙ୍କୁ ଦେଖି ସାଙ୍ଗରେ ଡାକି ଆଣିଥିଲା । ସାରଥି ନନ୍ଦେ ମଧ୍ୟ ସେଦିନ ହାଟକୁ ଯାଇଥିଲେ । ଉକ୍ତ ତିନିଜଣଙ୍କ ପଛେ ପଛେ ସେ ଆସୁଥିଲେ; ମାତ୍ର ତାହା କେହି ଲକ୍ଷ୍ୟ କରି ନାହାନ୍ତି । ଅନ୍ଧକାର ରାତ୍ରି, କେତେ ହାଟୁଆ ଚାଲୁଛନ୍ତି, କିଏ କାହାକୁ ଚିହ୍ନିବ କାହଁକି ? ସବୁ ଥକାଠାରୁ ହାଟ ଥକା ବେଶି ବାଧେ । ସମସ୍ତଙ୍କ ମନ ନିଜ ନିଜ ଘରର ତୋରାଣି କଂସା ପାଖରେ, ଏପରି ଅବସ୍ଥାରେ କିଏ କାହାକୁ ଚାହେଁ । ଉପରୋକ୍ତ ତିନିଜଣ ନାନା କଥା କହି କହି ଚାଲିଅଛନ୍ତି । ଏ ବର୍ଷର ପାଳକ କଥା, ଗ୍ରାମର କଥା, ନିଜ ସୁଖ ଦୁଃଖର କଥା, ଏହିପରି ନାନା କଥାର ଆଲୋଚନା ହେଉଅଛି । ଭୂତେଇ ମିଶ୍ର ନିଜର ଅବସ୍ଥା ପ୍ରସଙ୍ଗରେ କହିଲେ– ‘‘ଏଥର ଆଷାଢ଼ ମାସରୁ ଘରୁ ଧାନ ସରିଯିବ, ତେଣିକି କଅଣ ହେବ ଆଜହୁଁ ମୋତେ ଏହି ଚିନ୍ତା ଘାରିଲାଣି । ଗଲାବର୍ଷ ଧୂଳିହାତ ପାଣିହାତ କରି ମାରି ନେଇଗଲି, ହେଲେ ଏ ସନ କିଛି ଭରସା ଦିଶୁନାହିଁ । ଚାକରୀରୁ ମିଳିବ ଚାରିଟଙ୍କା, ସେ ପୁଣି ସ୍କୁଲ ଚାକିରୀ, ତିନି ଚାରିମାସରେ ଥରେ ବର୍ତ୍ତନ ମିଳିବ । ତାହାରି ଉପରେ ଭାର ଦେଇ କି ଦଶ ପ୍ରାଣୀ କୁଟୁମ୍ବ ପୋଷି ହେବ ? ଚାକିରୀ ଖଣ୍ଡ ସୁଦ୍ଧା ଟଳମଳ । ନୂଆ ମାଷ୍ଟରଟା ସଙ୍ଗରେ ମୋର ପଡ଼ୁନାହିଁ, ସେ ମୋତେ କିପରି ବାହାର କରିବ ଏହି ଖଞ୍ଜରେ ଅଛି । ମୁଁ ତାକୁ ଡରେ ନାହିଁ ଯେ, ଖୁବ୍କରି ବେଳେ ବେଳେ ବତାଇ ଦିଏଁ । ଥରେ କହିଲେ– ‘‘ତୁମ୍ଭେ ମୋର ଭଲା କଅଣ କରିପାରିବ, ଚାକିରୀ ଖଣ୍ଡ ଗଲେ ମୁଁ ଉପାସ ରହିବ ନାହିଁ । ସ୍ୱବୃତ୍ତି, ପାରିବୃତ୍ତି, କବିରାଜୀ, ଢୋଲକ ବାଜି, ମୋର ଏ ଚାରି ବିଦ୍ୟା ଅଛି । ପୁରୋହିତ ମୋର ସ୍ୱବୃତ୍ତି, ଅପର-ପ୍ରାଇମେରୀ ପାସ୍ କରି ଟ୍ରେନିଂ ପଡ଼ିଛି– ତାହା ମୋର ପାରିବୃତ୍ତି, କିଛି କବିରାଜୀ ମଧ୍ୟ ଜାଣେ, ତହିଁ ଉପରେ ଗାଇବା ବଜାଇବା ଅଛି । ଏଥି ମଧ୍ୟରୁ କୌଣସି ଗୋଟାକୁ ଆଶ୍ରା କଲେ ମୁଁ ବଞ୍ଚିଯିବି; ମାତ୍ର ତୁମ୍ଭେ କରଣ ଜାତି ହଳ କରିବ ନାହିଁ, କି ମୂଲ ଲାଗିବ ନାହିଁ । ଆଉ କଥା ଥାଉ, ଭିକ ବି ମାଗିପାରିବ ନାହିଁ । ଚାକିରୀଖଣ୍ଡ ଗଲେ ତୁମ୍ଭେ ଦିନ ଦିପହରେ ଗଡ଼ିଯାଇ ମରିବ ।’’ ସେହିଦିନୁ ଆଉ କିଛି ସେ କହୁନାହିଁ । ନିଜେ ତ ଯେଉଁ ପଣ୍ଡିତ, ସେଥିରେ ପୁଣି ମୋତେ ବାଛିବ । ପ୍ରଥମ ଶିକ୍ଷକ, ଦ୍ୱିତୀୟ ଶିକ୍ଷକ ନ ଲେଖି ଏକମ ଶିକ୍ଷକ, ଦୁଇୟ ଶିକ୍ଷକ ବୋଲି ଲେଖେ, ଏହା କଅଣ ତାହାର ଭୁଲ ନୁହେଁ-। ଭୂତେଇ ଉତ୍ତେଜିତ ହୋଇ ଏହିପରି କେତେକଥା ବକି ବକି ଚାଲି ଥାଆନ୍ତି; ମାତ୍ର ସେ ଉଚ୍ଛୃଙ୍ଖଳତା ତାଙ୍କ ସ୍ୱଭାବର ଗୁଣ ନୁହେଁ– ଗୋଟାଏ କୃଷ୍ଣବର୍ଣ୍ଣ ପଦାର୍ଥ ବିଶେଷର ଗୁଣ, ଏହା ବୋଲିବା ବାହୁଲ୍ୟ । ହାଟରୁ ବାହାରିବାବେଳେ ସେ ସେହି ପଦାର୍ଥ ଦୁଇପଇସାର କିଣି ପାଣିଚଳାକ ସଙ୍ଗରେ ଗିଳି ପକାଇ ଥିଲେ ।
ଶୁକୁଟି ପତ୍ରୀ କହିଲା, ‘‘ଘରକରଣା କଥା କାହିଁକି କହୁଛ ନନା, ଛାଡ଼ିଦିଅ ସେ କଥା । ଯାହା କହନ୍ତି – ଘରର ଝକ୍ ମାରଣା, ତାହା ଠିକ୍ । ଜମି ବନ୍ଧା ପକାଇ ଟୋକାଟାକୁ ପଇତା ଖିଏ ଦେଲି; ମାତ୍ର ତିନି ବର୍ଷ ହେଲା ସେ ଜମି ଆଉ ମୁକୁଳାଇ ପାରିଲି ନାହିଁ । ଅର୍ଜନ ପାତିତ ନାହିଁ, ଯାହା ଭଲା ହୁଅନ୍ତା, ତାହା ଭସ୍ମା ସାରଥିଆ ତ କରାଇ ଦେଲାନାହିଁ ।
ଭୂତେଇ– ସାରଥିଆ କିଏ ?
ଶୁକୁଟି– ସେହି ଯେ ଆମ ଶାସନର ସାରଥି ନନ୍ଦ ।
ଭୂତେଇ– ମୁଁ ତ ଶୁଣିଛି ସେ ଜଣେ ଭଲ ପଣ୍ଡିତ । ସେ କଅଣ କଲେ ?
ଶୁକୁଟି– ତା ମୁଣ୍ଡ ଗଣ୍ଡି ପଣ୍ଡିତ ! ସ୍ୱଜାତିର ଅନ୍ନରେ ଧୂଳି ପକାଇବ, ଏହି ପଣ୍ଡିତପଣ ନା ଆଉ କିଛି ?
ପଞ୍ଚୁ ରଥେ ଏ ପର୍ଯ୍ୟନ୍ତ ସବୁ ନୀରବରେ ଶୁଣୁ ଥିଲେ । ନନ୍ଦଙ୍କର ନିନ୍ଦା ଶୁଣି ସେ ଆଉ ସହି ପାରିଲେ ନାହିଁ । କହିଲେ– ‘‘କିରେ ଶୁକୁଟା ତୁ ସାରଥି ନନ୍ଦକୁ ନିନ୍ଦା କରୁଛୁ କାହିଁକି ? ତାହାପରି ଜଣେ ବ୍ରାହ୍ମଣ ଆମ ଶାସନରେ ଅଛିନା ? ତାହାରି ଲାଗି ଶାସନର ମର୍ଯ୍ୟାଦା ଅଛି ।’’
ଶୁକୁଟି– ମୁଁ କଣ ତାହା ମନାକରୁଛି ? ତାହାପରି ଜାଣିବାର ଆଉ କିଏ ? ସେ ଯେତେବେଳେ ବେଦ ପୁରାଣରୁ ଆଣି ଦାଇକା ଦେଖାଏ, ତେତେବେଳେ ତା ମୁହଁରେ କଥା କହିବ କିଏ ? ଶାସନରୁ ତ ବିଦ୍ୟା ସରିଗଲା, ଖାଲି ସେହି ଅଛି ବୋଲି ଯାହାକିଛି ଅଛି । ତାହାପରେ ଶାସନ ଅନ୍ଧାର ହୋଇଯିବ । ହେଲେ ଆମେ ଚାରିପଇସା ଖାଇଲେ ତାହା ଦେହ ସହେ ନାହିଁ କାହିଁକି ? ସେଦିନ ସେ ବିଲାତ ଫେରାନ୍ତା ଟୋକାଏ ବିଧାନ ନେବାକୁ ଆସିଥିଲା, ଆମେ ସବୁ ଶାସନ ମର୍ଯ୍ୟାଦା ଅଢ଼େଇଶ ଟଙ୍କା ମାଗିଲୁ, ସେ ଦେବାକୁ ମଙ୍ଗିଥିଲା । ତାହାହେଲେ ଘରପିଛା ଦଶଟଙ୍କା ଲେଖାଏଁ ମିଳିଥାଆନ୍ତା; ମାତ୍ର ସାରଥି ନନ୍ଦ ଯାଇ ପାଞ୍ଚଟଙ୍କାରେ ରଫା କରିଦେଲା । ଘରକା ସୁଉକେ ବି ମିଳିଲା ନାହିଁ । ସ୍ୱଜାତିର ତଣ୍ଟି ଚିପିଲେ ବିଧାତା କଅଣ ମଙ୍ଗଳ କରିବେ ? ଆଉ କଅଣ ଅଛି, ମୂଳରୁତ ଆଣ୍ଠକୁଡ଼ା, ସକାଳୁ ଉଠି ମୁହଁ ଚାହିଁଲେ ବି ଯଶ ନାହିଁ ।
ପଞ୍ଚୁ ରଥେ– ରାମ ରାମ, ଏହା କି ମନୁଷ୍ୟ କହେ । ନିଃସନ୍ତାନ ହେବା ତ ଅଦୃଷ୍ଟର କଥା, ସେଥିରେ ମନୁଷ୍ୟର କି ଚାରା ଅଛି । ବ୍ୟବସ୍ଥା ପଇସାସବୁ ତୁମ୍ଭେମାନେ ନିଅ, ସେ କଅଣ ତାହା ଛୁଏଁ ?
ଭୂତେଇ– (ଆଶ୍ଚର୍ଯ୍ୟ ହୋଇ) କଅଣ, ସେ ପଇସା ସେ ନିଅନ୍ତି ନାହିଁ ?
ପଞ୍ଚୁ– ନା, ସେ କହନ୍ତି– ‘‘ବ୍ୟବସ୍ଥା ବିକି ଖାଇବା ବ୍ରାହ୍ମଣର ଧର୍ମ ନୁହେଁ ।’’
ଭୂତେଇ– ତାହାହେଲେ ତ ସେ ଜଣେ ପ୍ରକୃତ ଆଦର୍ଶ ବ୍ରାହ୍ମଣ । ସେପରି ଲୋକର ପାଦୋଦକ ପାନ କରିବା ଉଚିତ । ଧନ୍ୟ ଏ ସଂସାର, ଏପରି ସାଧୁ ସଚ୍ଚରିତ୍ର ନ୍ୟାୟନିଷ୍ଠ ନିର୍ଲୋଭ ବ୍ରାହ୍ମଣ ନାମରେ ବି ନିନ୍ଦା ରଟନା ହୁଏ ।
ଏ ମନ୍ତବ୍ୟ ଶୁଣି ଶୁକୁଟି ପତ୍ରୀର ଉଚ୍ଛ୍ରିତ ମସ୍ତକ ଲଜ୍ଜାରେ ଆନତ ହୋଇଗଲା । ସେ ଆଉକିଛି କହିପାରିଲା ନାହିଁ । କଥା ଶେଷ ହେବାବେଳକୁ ବାଟ ମଧ୍ୟ ସରି ଆସିଥିଲା । ଗ୍ରାମରେ ପହଞ୍ଚି ସମସ୍ତେ ନିଜ ନିଜ ଘରକୁ ଗଲେ ।
ଶୁକୁଟି ପତ୍ରୀର କଠୋର କୁତ୍ସା ରଟନାରେ ନନ୍ଦେ ବିଚଳିତ ହେଲେନାହିଁ । ଜଣକ ମୁହଁରୁ ଗୁଣର ପ୍ରଶଂସା ଏବଂ ବ୍ୟବହାରର ନିନ୍ଦା ଯୁଗବତ୍ ବାହାର ହେବାର ଦେଖି ବରଂ ଆଶ୍ଚର୍ଯ୍ୟାନ୍ୱିତ ହେଲେ । ସେ ମନେ ମନେ ଭାବିଲେ – ‘‘ଶେଫାଳିକା କହିଥିଲେ – ‘ଲୋକେ କହିବେ ସକାଳୁ ଉଠି ଆଣ୍ଠୁ କୁଡ଼ାର ମୁହଁ ଚାହିଁଲେ ଯଶ ନାହିଁ ’ ଏହା ସତ କଥା । ଲୋକେ କହିବେ କାହିଁକି, କହି ସାରିଲେଣି । ଏହି ତ ଶୁକୁଟି ପତ୍ନୀର ପ୍ରକାଶ୍ୟରେ କହିବାକୁ ସୁଦ୍ଧା ସଙ୍କୁଚିତ ହେଲା ନାହିଁ । ତେବେ ମୁଁ ବିବାହରେ ମତ ଦେଇ ଭୁଲ କରିନାହିଁ । ଯଦି ବା ଭୁଲ ହୋଇଥାଏ, ତେବେ ଥରେ ଅଧେ ଭୁଲଭ୍ରାନ୍ତି ଘଟିଲେ ଯେ ସାରା ଜୀବନଟା ବ୍ୟର୍ଥ ହୋଇଯିବ, ଏପରି ତ କୌଣସି ବିଧି ନାହିଁ । ଏ ବୟସରେ ବିବାହ ନ କରି ବନକୁ ଯିବା ଉଚିତ, ଏହା ଶାସ୍ତ୍ରାଦେଶ; ମାତ୍ର ସେହି ଶାସ୍ତ୍ର କହୁଛି, ‘ପୁତ୍ରାର୍ଥେ କ୍ରିୟତେ ଭାର୍ଜ୍ୟା, ପୁତ୍ରଃ ପିଣ୍ଡପ୍ରୟୋଜନମ୍।’ ପୁତ୍ର ଅଭାବରେ ପିଣ୍ଡ କିଏ ଦେବ ? ଏହା ମୁଁ ଭୁଲି ଯାଇଥିଲି; କିନ୍ତୁ ଶେଫାଳିକା ଭୁଲି ନାହାନ୍ତି । ସେ ଖୁବ୍ ବୁଦ୍ଧିମତୀ, ଏପରି ବୁଦ୍ଧିମତୀ ସ୍ତ୍ରୀ ମୋ କପାଳକୁ ବଞ୍ଚିଲେ ହୁଏ । ହାୟ, ଯାହାର ସ୍ତ୍ରୀ ଏପରି ଗୁଣବତୀ ତାହାର ପୁଣି ଦ୍ୱିତୀୟ ବିବାହ-। କିନ୍ତୁ କଅଣ କରିବି ଗୋଟାଏ ଅଭାବ ଲାଗି ସ୍ୱୀକାର କରିବାକୁ ହେଲା ।’’ ସତେ ତ ତାଙ୍କର ପୁତ୍ର ନାହିଁ, ପୁତ୍ର ଅଭାବରେ ଯେ ତାଙ୍କର ଛପନ–ପୁରୁଷ ଜଳପିଣ୍ଡ ବିନା ଶୁଷ୍କକଣ୍ଠରେ ଛଟପଟ ହେବେ । ବାସ୍ତବରେ ପୁତ୍ରର ଜଳଧାର ବିନା ପିତୃପୁରୁଷରୂପ ଚାତକ ମୁହଁରେ ଜଳ ଦେବ କିଏ । ପିତୃପୁରୁଷଙ୍କ ତୀବ୍ର ଶାପାନଳରେ ନନ୍ଦେ ଯେ ଜଳି ଭସ୍ମ ହୋଇଯିବେ । ଏହିପରି ଚାରିଆଡ଼କୁ ବିଚାର କରି ସେ ବିବାହରେ ମତ ଦେଇଅଛନ୍ତି । ସ୍ୱାମୀଙ୍କର ସମ୍ମତି ପାଇ ଶେଫାଳିକାଙ୍କ ମନ ଉଲ୍ଲାସରେ ନାଚି ଉଠି ଉତ୍ସାହରେ ମାତି ଉଠିଅଛି । ସେ ନା ନା ସ୍ଥାନକୁ ଲୋକ ପଠାଇ ପାତ୍ରୀର ଅନୁସନ୍ଧାନ କରୁଅଛନ୍ତି । ସେ ଆଉ ବିଳମ୍ବ ସହିପାରୁ ନାହାନ୍ତି, ରାତିରେ ଶୋଇପାରୁ ନାହାନ୍ତି । ଅଧୀର ଉତ୍କଣ୍ଠା ଏତେ ବଢ଼ୁଅଛି ଯେ, ଶଯ୍ୟା ତାହାକୁ କଣ୍ଟକିତ ବୋଧ ହେଉଅଛି ।
ତ୍ରିପୁରା ଗ୍ରାମରେ ସପ୍ତା ବସିଅଛି । ଲୋକରଞ୍ଜନ ସକାଶେ ବାରୁଆଳ ମୁର୍ତ୍ତି ତୟାରି ହୋଇଅଛି । ସ୍ୱୟଂ ଶ୍ରୀମତୀ ବାରୁଆଳୀ କ୍ରୋଧରକ୍ତ ନେତ୍ରରେ ଦଣ୍ଡାୟମାନ । କେଶପାଶ ମୁକୁଳିତ ହୋଇ ପୃଷ୍ଠ ହେଶରେ ବିଲୁଣ୍ଠିତ । ଶ୍ରୀମତୀ ବାମ ଶ୍ରୀହସ୍ତରେ ଦଗ୍ଧଭାଗ୍ୟ ସ୍ୱାମୀର ଚୈତନ୍ୟ ଚିହ୍ନ ଦୃଢ଼ ମୁଷ୍ଟିରେ ଧାରଣପୂର୍ବକ ଦକ୍ଷିଣ ଶ୍ରୀହସ୍ତରେ ସଂମାର୍ଜନୀ ଚାଳନା କରୁଅଛି । ସେ ଦୃଶ୍ୟ ଯାତ୍ରାକାଳି ସ୍ତ୍ରୀ ଲୋକମାନଙ୍କର ବଡ଼ ଲୋଭନୀୟ । ସୁତାରାଂ ସମସ୍ତେ ସେହିଠାରେ ରୁଣ୍ଡ ହୋଇଅଛନ୍ତି । ପିମ୍ପୁଡ଼ିମାଳ ପରି ଦର୍ଶକର ଯାତାୟତ ଲାଗିଅଛି । ଦିନେ ପ୍ରତାପପୁର ଶାସନରୁ ପଞ୍ଝାଏ ସ୍ତ୍ରୀଲୋକ ଯାତ୍ରା ଦେଖିବାକୁ ବାହାରିଲେ । ଶେଫାଳିକା ମଧ୍ୟ ସେମାନଙ୍କ ସଙ୍ଗରେ ଗଲେ । ଯାତ୍ରାରେ ପହଞ୍ଚି ଜଣେ ଦୁଇଜଣ ଅରସିକା ବୃଦ୍ଧା ସପ୍ତା ଭାଗବତ ଶୁଣିବାକୁ ବସିଲେ, ଆଉ ସମସ୍ତେ ବାରୁଆଳି ଦେଖା ଏବଂ ସଉଦା କିଣାରେ ଲାଗିଲେ । କେହି ଗୋଡ଼ ହାତର ଆଙ୍ଗୁଳିକି କିଛି ମୁଦି କିଣିଲା, କେହି ରଙ୍ଗଢଙ୍ଗିଆ ପୁତିମାଳ କିଣିଲା, କେହି ହାଣ୍ଡୀ, କେହି ବଢ଼ା, କେହି ଶାଗଧୂଆ ଜାଲି କିଣିଲା, କେହି ବା ଚୂଡ଼ାଗୁଡ଼ କିଣି ଉଦର ଦେବତାକୁ ପିଣ୍ଡ ଅର୍ପଣ କଲା । ଯେଉଁମାନେ ପୁଅ ଝିଅର ମା, ସେମାନେ ପୁଅ ଝିଅଙ୍କ ପାଇଁ କଣ୍ଢେଇ କିଣିଲେ, କେହି ପୁଅ ପାଇଁ ରେଶମୀ ଅଣ୍ଟାଡୋର କିଣିଲେ, କେହି ଝିଅ ଲାଗି କଉଡ଼ି ଥୋପାଯୁକ୍ତ ହାତଫୁଲି କିଣିଲା, କେହି ତାହାର ସ୍ନେହପାଳିତ କୁନି ବିରାଡ଼ି ପାଇଁ ଘୁଂଗୁରୁମାଳ କିଣିଲା; ମାତ୍ର ଶେଫାଳିକା କିଛି କିଣିଲେ ନାହିଁ । ତାଙ୍କର କିଏ ଅଛି, ସେ କାହା ଲାଗି କିଣିବେ ? ତାଙ୍କର ମନଟା ତିକ୍ତ ହୋଇ ଉଠିଲା । ବନ୍ଧ୍ୟା ନାରୀର ଦୁଇ ଆଖିରୁ ସାତ ସମୁଦ୍ରର ଜଳ ବାହାରି ଆସିଲା । ସେ ଯାତ୍ରାରୁ ଚାଲିଆସିଲେ । ଅଳ୍ପ ଦୂରରେ ଗୋଟାଏ ଘର ଥିଲା, ସେ ଯାଇ ସେହି ଘର ପିଣ୍ଡାରେ ବସିପଡ଼ିଲେ ।
କିଛିକ୍ଷଣ ପରେ ଶେଫାଳିକା ଉଠି ଦ୍ୱାର ମୁହଁରେ ଠିଆହୋଇ ଡାକିଲେ– ‘‘ଘରେ କିଏ ଅଛିଲୋ ମା, ଏ ବ୍ରାହ୍ମଣ ଘର ନା କି ଘର, ଲୋଟାଏ ପାଣି ମିଳିବ ?’’ ଗୃହ ମଧ୍ୟରୁ କ୍ଷୀଣ କମ୍ପିତ ସ୍ୱରରେ ଉତ୍ତର ଆସିଲା – ‘‘କିଏ ଲୋ ମା, ଭିତରକୁ ଆସ ।’’ ଶେଫାଳିକା ଘର ଭିତରକୁ ଯାଇ ଦେଖିଲେ– ଜଣେ ରୋଗଶୀର୍ଣ୍ଣା ବୃଦ୍ଧା ମଳିନ ଶଯ୍ୟାରେ ଶୟନ କରିଅଛି । ବୃଦ୍ଧା ଶେଫାଳିକାକୁ କହି ପଚାରିଲା– ‘‘ତମ ଘର କଉଁଠି ଲୋ ମା ?’’ ଶେଫାଳିକା କହିଲେ– ‘‘ଆମ ଘର ପ୍ରତାପପୁର । ସପ୍ତା ଦେଖିବାକୁ ଆସିଥିଲି । ଶୋଷ କଲା ଯେ ପାଣି ପିଇବାକୁ ଆସିଲି ।’’ ବୃଦ୍ଧା, ଏହା ଶୁଣି ଡାକିଲେ, ଲୋ ସଉଦି, ଲୋ ଚୁଲିପଶି, ଲୋ ପୋଡ଼ାମୁହିଁ, କାନରେ ନିଆଁ ଲାଗିଛି କି ? ଲୋଟାଏ ପାଣି ଆଣ ।’’ ଅଳ୍ପକ୍ଷଣ ପରେ ଗୋଟାଏ ଚତୁର୍ଦ୍ଦଶବର୍ଷୀୟା ଜଳକୁମ୍ଭ ହସ୍ତରେ ଉପସ୍ଥିତ ହେଲା । କିଶୋରୀ ଗୌରବର୍ଣ୍ଣା, ଅପୂର୍ବ ସୁନ୍ଦରୀ; ମାତ୍ର ତାହାର ସୌମ୍ୟସୁନ୍ଦର ବଦନମଣ୍ଡଳ ଚନ୍ଦ୍ର ପରି ମଳିନ । ପରିଧେୟ ଖଣ୍ଡିଏ ଜୀର୍ଣ୍ଣ ମଳିନ ଲାଲ କିନାରି ଖଦି; ମାତ୍ର ସେହି ମଳିନ ବସ୍ତ୍ରାନ୍ତରାଳରୁ ସୁନ୍ଦରୀର ଅଲୌକିକ ସୌନ୍ଦର୍ଯ୍ୟ ଫୁଟି ବାହାରୁଅଛି । କିଶୋରୀ ପାଣି ଲୋଟା ଥୋଇ ଦେଇ ଅପରଚିତା ଆଗନ୍ତୁକାର ମୁହଁକୁ ଚାହିଁ ଠିଆ ହୋଇ ରହିଲା । ଶେଫାଳିକା ଜଳପାନ କରିସାରି ମୃଦୁ ମଧୁର ସ୍ୱରରେ ବୃଦ୍ଧାକୁ ପଚାରିଲେ, ‘‘ଜର ହୋଇଛି କି ମାଉସୀ ?’’
ବୃଦ୍ଧା– ହଁ, ଜର ହୋଇଛି, ମରିଯିବି । ପୋଡ଼ାମୁହାଁ ଯମ ବି ମୋତେ ପାଶୋରିଲାଣି ?
ଶେଫାଳିକା– ନା ଲୋ ମାଉସୀ, ଯମ ପାଶୋରିବା ଲୋକ ନୁହେଁ । ତେତେ ସେ କାହାର ଜାଗିରିଖିଆ ଚାକର ନୁହେଁ ଯେ, ଡାକିଲାକ୍ଷଣି ଆଜ୍ଞାପ୍ରମାଣେ ଆସି ହାଜର ହେବ । ନଗାହାରି ପୁରିଲେ, ସଂସାରରୁ ଦାନାପାଣି ସରିଲେ ସେ ବଳେ ବଳେ ଆସି ନେଇଯିବ । ଏଟି କଅଣ ତମର ଝିଅ ?
ସଂସାର, ସମାଜ ଏବଂ ରୋଗର ଦାରୁଣ ଆଘାତରେ ବୃଦ୍ଧାର ସ୍ୱଭାବ ଅସ୍ୱାଭାବିକ କଡ଼ା ହୋଇଯାଇ ଥିଲା । ସେ କର୍କଶ ସ୍ୱରରେ କହିଲା– ‘‘ହଁ ମୋର ଝିଅ ମୋର ଗାତ, ମୋର ଚୁଲି । ସବାଖାଇ, ଅସୁରୁଣୀ, ବାପକୁ ଖାଇଲା, ଜାତି ଧର୍ମ ଖାଇଲା, ଆଉ ମୋତେ ଖାଇଲେ ଯାଇ ତା ପେଟ ପୂରିବ । ଝିଅ ନୁହେଁ ଯେ, ମୋର ଭଗାରୀ ମୋ ପେଟରୁ ଜନ୍ମ ହୋଇଥିଲା ।’’ ଶେଫାଳିକା ମୃଦୁ ମୃଦୁ ହସି ମନେ ମନେ କହିଲେ– ଯାହା କହନ୍ତି ମଳୁ ଚଳୁ, ତାହା ସତ । ରୋଗୀର ସ୍ୱଭାବ ସେ କଥା କଥାକେ ଚଳିଉଠେ । ଶେଫାଳିକା ସ୍ୱଭାବମଧୁର ଜିହ୍ୱାରେ ଆଉ ଟିକିଏ ମଧୁ ବୋଳି ଦେଇ ସହାନୁଭୂତିବ୍ୟଞ୍ଜକ ଅତ୍ୟନ୍ତ କୋମଳ ସ୍ୱରରେ କହିଲେ– ‘‘ପିଲାଟା ଉପରେ କାହିଁକି ଏତେ ବେକାର ହେଉଛୁ ମାଉସୀ ? ମୁଁ ଜାଣୁଛି– ତୋ ମନରେ ଖୁବ୍ ଦୁଃଖ ହୋଇଛି । ଆଚ୍ଛା କହନି ମାଉସୀ, କି ଦୁଃଖ ?’’ ବୃଦ୍ଧା ଉଦାସସ୍ୱରରେ କହିଲା– ‘‘କଅଣ କହିବି ଲୋ ମା, କହିଲେ କିଏ ଦୁଃଖ ହରିନେବ ନା ବୋଝ ଭାର ହୋଇଛି ଯେ, ଓହ୍ଲାଇ ପକାଇବ ।’’ ଶେଫାଳିକା କହିଲେ– ‘‘ନା, ଦୁଃଖ କେହି ହରିନେଇପାରେ ନାହିଁ, ତେବେ ଦୁଃଖୀ ପାଖରେ ଦୁଃଖ କହିଲେ ଦୁଃଖର ଭାର ଅଧେ ଉଣା ହୋଇଯାଏ । ସଂସାରରେ ଦୁଃଖୀ କିଏ ନୁହେଁ ଲୋ ମାଉସୀ, ତୁ ଦୁଃଖୀ, ମୁଁ ଦୁଃଖୀ, ସମସ୍ତେ ଦୁଃଖୀ । ତେବେ କାହାର ଦୁଃଖ ଅଳ୍ପ ଆଉ କାହାର ବା ଅଧିକ ।’’ ବୃଦ୍ଧା ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ଅପେକ୍ଷାକୃତ ନରମ ସ୍ୱରରେ କହିଲା, ‘‘ତେବେ ଶୁଣିବୁ ମା ମୋର ଦୁଃଖ, ଆଚ୍ଛା କହୁଛି ଶୁଣ ।’’ ବୃଦ୍ଧା ଏହା କହି ଶଯ୍ୟାରୁ ଉଠି କାନ୍ଥକୁ ଆଉଜି ବସିଲା । ରୋଗରାଜ୍ୟର ପ୍ରଜାପରି ତାହାର ଦେହ ଶୀର୍ଣ୍ଣ, ପଞ୍ଜରାସ୍ଥି ଗଣି ହେଉଅଛି । ମୁଖ ପାଣ୍ଡୁର, ନୟନ ଦୀପ୍ତିହୀନ, ଯେମନ୍ତ କି, କି ଗୋଟାଏ ନିଦାରୁଣ ବେଦନା ତାହାର ନୟନରୁ ଜ୍ୟୋତି ଶୋଷି ନେଇଅଛି । ବୃଦ୍ଧା ଧୀରେ ଧୀରେ କହିଲା– ‘‘ଏ ଗ୍ରାମରେ ସାତ ପୁରୁଷ ହେଲା ଆମର ବାସ । ସମ୍ପତ୍ତି ଯାହା ଥିଲା, ତାହା ମୋର ଶଶୁରଙ୍କଠାରୁ ଶେଷ ହୋଇଅଛି ସେ ନିଶା ପାଣିରେ ସବୁ ଉଡ଼ାଇ ଦେଇ ଯାଇ ଅଛନ୍ତି । ଅର୍ଥାଭାବରୁ ନିଜର ଏକମାତ୍ର ପୁତ୍ରକୁ ଚାରି ଅକ୍ଷର ପାଠ ପଢ଼ାଇ ଯାଇ ପାରି ନାହାନ୍ତି । ବ୍ରାହ୍ମଣ ମୂର୍ଖ ହେଲେ ଭିକ୍ଷା ବୃତ୍ତି ଛଡ଼ା ଆଉ ତାହାର ଆଶ୍ରୟ କଣ ଅଛି; ଯାହାହେଉ ଦୁଃଖେ ଦୁଃଖେ ଦିନ କଟିଯାଉଥିଲା । ଦେଖୁଁ ଦେଖୁଁ ଏ ପୋଡ଼ାକପାଳୀର ବୟସ ଏଗାର ବର୍ଷ ହୋଇ ଗଲା । ତାକୁ ପାଣି ଠେକିଏ ଢାଳି ଦେଇ ପାତ୍ରସ୍ଥ କରି ପାରିଲୁ ନାହିଁ । ଆମ ବଂଶରେ ଝିଅ ବିକା ନାହିଁ । ଖାଲି ହାତରେ ତ ଆଉ ବିଭାଘର ହୁଏ ନାହିଁ । ତେବେ ମାଗିମୁଗି ଧୂଳି ହାତ ପାଣି ହାତ ପାଣି କରି କାମଟା ଚଳାଇ ଦେବାକୁ ହୋଇଥାଆନ୍ତା । ବରପାତ୍ର ବି ଠିକ୍ ହୋଇଥିଲା । ହେଲେ ସେ ସୁଖ ଏ ହୀନକପାଳୀ ଭାଗ୍ୟରେ କାହିଁ ? ବାର ବର୍ଷରେ ଗୋଡ଼ ଦେଲାକ୍ଷଣି ଏ ବଅଁଶଖାଇ ବାପକୁ ଖାଇଦେଇ ବସିଲା । ବିଧାତା ଯାକୁ ଦୁଃଖ ଦିଏ, ତାକୁ ଦୁଃଖ ଉପରେ ଦୁଃଖ ଦିଏ । ବାପ ମରିବାର ଚାରିମାସ ଯାଇନାହିଁ, ଅଲକ୍ଷଣୀ ଘରଯୋଗା ହୋଇ ବସିଲା-। ଏବେ ଜାତି ଗଲା, ଧର୍ମ ଗଲା, ସବୁ ଗଲା । ବ୍ରାହ୍ମଣ ଘରେ ପାରିଲା କନ୍ୟା କିଏ ବିଭା କରିବ । ପିତୃପୁରୁଷଙ୍କ ଜଳପିଣ୍ଡ ବୁଡ଼ିଲା, ସେମାନେ ନରକରେ ପଡ଼ିଲେ, ଏହାଠଉଁ ବଳି ଆଉ କି ଦୁଃଖ ଅଛି କହ ଲୋ ମା ? କୁଳକଳଙ୍କିନୀ ମରିଗଲେ ଶଲ ଯାଆନ୍ତା । ଏ, ହଟହଟା ଜୀବକୁ ଯମ ଖାଇ କେଉଁ ତୁଠରେ ମୁହଁ ଧୋଇବ ? ଏହାରି ଲାଗି ଦୁଇବର୍ଷ ହେଲା ମୁଁ ଗାଁରେ ଏକଘରିଆ ହୋଇ ରହିଅଛି, ଲାଜରେ ମୁଣ୍ଡ ଟେକିପାରୁ ନାହିଁ । ମୁଁ ମଲେ ମୋତେ କେହି ଛୁଇଁବେ ନାହିଁ, ପାଣହାଡ଼ି ଘୋଷାରି ନେଇ ମଶାଣି ଭୂଇଁରେ ଗଡ଼େଇ ଦେଇ ଆସିବେ ।’’ ବୃଦ୍ଧାର ଜୀର୍ଣ୍ଣ ଜୀବନରେ କରୁଣ ଇତିହାସ ଶୁଣି ଶେଫାଳିକା କହିଲେ– ‘‘ତାହାତ କପାଳର ଦୋଷ ଲୋ ମାଉସୀ, ସେଥିରେ ଝିଅର କି ଚାରା ଅଛି । ଆହା, ଚାନ୍ଦମୁହଁଟି ଶୁଖିଯାଇଛି । ଜଣେ ଜଣେ ରାଶିମନ୍ତ ବଢ଼ିଆଳ ଥାଆନ୍ତି, ଏଗାର ବାର ବର୍ଷରେ ଘରଯୋଗୀ ହୁଅନ୍ତି, ସେଥିକି ସେ କଅଣ କରିବ । ତାହାର ହାବର କଥା ତ ନୁହେଁ । ଝିଅଟିର ନା କଅଣ ମାଉସୀ ?
ବୃଦ୍ଧା– ଅତି ସରାଗରେ ବାପ ସୌଦାମିନୀ ନା ଦେଇଥିଲେ ।
ଶେଫାଳିକା– ନା ଟି ଆଚ୍ଛା ସୁନ୍ଦର । କିଛି ଚିନ୍ତା କରନା ମାଉସୀ । ଝିଅଟି ସୁଲକ୍ଷଣୀ, ତାହା କପାଳରେ ଖୁବ୍ ସୁଖ ଅଛି ।
ବୃଦ୍ଧ– ସୁଖ ଅଛି ନା ପାଉଁଶ ଅଛି । ସମାଜରେ ଯାହାର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ, ତାହାର ସ୍ୱପ୍ନରେ ବି ସୁଖ ନାହିଁ ।
ଏହି କଥାବାର୍ତ୍ତା ଶୁଣି ସୌଦାମିନୀ ଲଜ୍ଜାରେ ସଙ୍କୋଚିତ ହୋଇ ସେଠାରୁ ପଳାଇ ଯାଇଥିଲା । ଶେଫାଳିକା କିଛିକ୍ଷଣ ମନେ ମନେ କଅଣ ଭାବି ସଙ୍କୋଚ କମ୍ପିତ କଣ୍ଠରେ କହିଲେ–‘‘ମାଉସୀ, ମୁଁ ଗୋଟାଏ କଥା କହିବି, ମନରେ କିଛି ବିଚାରିବୁ ନାହିଁ ତ ?’’
ବୃଦ୍ଧା– ନା, ମା, କାହିଁକି କଅଣ ବିଚାରିବି ? କଅଣ କହିବୁ କୁହ ।
ଶେଫାଳିକା– ଝିଅଟିକି ମୋତେ ଦେ ।
ବୃଦ୍ଧ ବିସ୍ମୟବିହ୍ୱଳ ଦୃଷ୍ଟିରେ ଶେଫାଳିକାଙ୍କ ମୁହଁଙ୍କୁ ଚାହିଁ ରହି କେତେକ୍ଷଣ ପରେ କହିଲା–‘‘ତୁ ନେବୁ, ନେଇ କଅଣ କରିବୁ ?’’
ଶେଫାଳିକା– ମୋ ସ୍ୱାମୀଙ୍କ ସଙ୍ଗରେ ବିବାହ ଦେବି ।
ବୃଦ୍ଧାର ବିସ୍ମୟ ଆହୁରି ବୃଦ୍ଧି ଲାଭ କଲା । ସେ କହିଲା–‘‘ସମାଜ ପତିତ କରିବ ନାହିଁ-?’’
ଶେଫାଳିକା– ସେ କଥାର ଭାର ମୋ ଉପରେ ।
ବୃଦ୍ଧା– ତୁ କାହିଁକି ନିଜ ଗଳାରେ କାଳଫାଶ ବାନ୍ଧିବୁ ? ପରୋପକାର ଲାଗି ବୋଲି କହିବୁ ? ପରୋପକାର ତ ସବୁ ସମୟରେ ସବୁ ଅବସ୍ଥାରେ ଧର୍ମ ନୁହେ ମା ।
ଶେଫାଳିକା– କାଳଫାଶରେ ଭୟ ମୋର ନାହିଁ ମାଉସୀ । ମୁଁ ପରୋପକାର କରିବାକୁ ଯାଉନାହିଁ, ସେ ସୌଭାଗ୍ୟ ମୋର ନାହିଁ । ନିଜର ଉପକାର ପାଇଁ ମୁଁ ଏହା କରିବି ।
ଏ ମହିମାମୟୀ ରମଣୀର ସ୍ଥିର ନିଶ୍ଚଳ ଉକ୍ତି ଶୁଣି ବୃଦ୍ଧା ନିର୍ବାକ ବିସ୍ମୟରେ ଅଭିଭୂତ ହୋଇପଡ଼ିଲା । ଶେଫାଳିକା ତାହାର ଏ ଭାବ ଲକ୍ଷ୍ୟ କରି ମୃଦୁ ମୃଦୁ ହସିବାକୁ ଲାଗିଲେ । ବୃଦ୍ଧା ଚକିତ କଣ୍ଠରେ କହିଲା– ‘‘ମା, ତୁ କେଉଁ ଦେବୀ, ମନୁଷ୍ୟ ରୂପ ଧରି ଏ ପତିତାକୁ ଉଦ୍ଧାର କରିବାକୁ ଆସିଛୁ ? ଏ ପାପିଷ୍ଠାର ବିକଳ କ୍ରନ୍ଦନରେ ତୋର ସଂହାସନ କି ଟଳିଛି ମା !’’ ବୃଦ୍ଧାର କଣ୍ଠ ବାଷ୍ପରୁଦ୍ଧ ହୋଇଆସିଲା– ନେତ୍ରଦ୍ୱୟରୁ ଶ୍ରାବଣର ବୃଷ୍ଟିଧାରା ବାହାରି ଆସିଲା । ସେ ବିହ୍ୱଳ ହୋଇ ଶେଫାଳିକାଙ୍କୁ କୁଣ୍ଢାଇ ପକାଇଲା । ଶେଫାଳିକା ବୃଦ୍ଧାର ହସ୍ତଧରି କହିଲେ– ‘‘ନା, ମାଉସୀ, ମୁଁ ଦେବୀ ନୁହେ, ତୋହିରି ଝିଅ, ତୋହରି ପରି ମନୁଷ୍ୟ । ମୋର ପୁଅ ଝିଅ କିଛି ନାହିଁ । ମୋର ଶ୍ୱଶୂରଙ୍କ ବଂଶ ରକ୍ଷା ଲାଗି ମୁଁ ସ୍ୱାମୀଙ୍କୁ ବିଭା କରାଇବି । ସେଥିପାଇଁ ତୋ ପାଖରେ କନ୍ୟା ଭିକ୍ଷା କରୁଛି ।’’ ବୃଦ୍ଧା ଏହା ଶୁଣି ମନେ ମନେ ଶେଫାଳିକା ପ୍ରତି ସମ୍ମାନର ପୁଷ୍ପାଞ୍ଜଳି ଢାଳି ଦେଲା– କୃତଜ୍ଞତାର ଅର୍ଘ୍ୟସ୍ୱରୂପ ଅଶ୍ରୁ ପ୍ରବାହରେ ବକ୍ଷ ଭସାଇଦେଲା । ଆନନ୍ଦରେ ଗୋଟାଏ ଉନ୍ମତ୍ତ ବାୟୁ ପ୍ରଚଣ୍ଡ ବେଗରେ ତାହା ହୃଦୟ ମଧ୍ୟରେ ବହିଗଲା । ମନରୂପ ଶୁଖିଲା କାଠରେ ଆଶାର ଫୁଲ ଫୁଟି ଉଠିଲା, ତହିଁ ସଙ୍ଗେ ସଙ୍ଗେ ତାହାର ନିରାନନ୍ଦ ପାଣ୍ଡୁର ଶୁଷ୍କ ଅଧର କୋଣରେ କ୍ଷୀଣ ହାସ୍ୟରେଖା ଦେଖାଗଲା । କ୍ରନ୍ଦନ ମୁଖରେ ହାସ୍ୟ ରୌଦ୍ର ବୃଷ୍ଟିରେ ଅପୂର୍ବ ସମ୍ମିଳନ ପରି ବୋଧ ହେଲା । ବୃଦ୍ଧା ଶେଫାଳିକା ମସ୍ତକରେ ରୋଗଶୀର୍ଣ୍ଣ କମ୍ପିତ ହସ୍ତ ସ୍ଥାପନ କରି ଅଶ୍ରୁ ଗଦ୍ଗଦ୍ କଣ୍ଠରେ କହିଲା– ‘‘ମୁଁ କଲ୍ୟାଣ କରୁଛି, ତୁ ଚିରକାଳ ସ୍ୱାମୀ-ସୌଭାଗ୍ୟବତୀ ହୋଇଥା, ପାକଲା ବାଳରେ ସିନ୍ଦୂର ପିନ୍ଧ, ତୋର କାଚପଟି ଅକ୍ଷୟ ହେଉ । ପୂର୍ବ ଜନ୍ମରେ ତୁ ମୋର ମା ଥିଲୁ, ଏ ଜନ୍ମରେ ମୋତେ ଏ ଦୁର୍ଭାଗ୍ୟର ସଙ୍କଟରୁ ଉଦ୍ଧାର କଲୁ । ମୁଁ ଏବେ ଆନନ୍ଦରେ ମରିବି । ତୋର ଏ ଦୟାର ଋଣ ମୁଁ ସାତ ଜନ୍ମରେ ଶୁଝିପାରିବ ନାହିଁ । ସଉଦୀ ତୋର ସାନ ଭଉଣୀ, ତାକୁ ତୋ ହାତରେ ଦେଇ ମୁଁ ନିଶ୍ଚିନ୍ତ ହେଲି । ତାହାର ଭବିଷ୍ୟତ ମଙ୍ଗତ ତୋହରି ହାତରେ ଅଛି । ଏହା ମୋର ଆତ୍ମାପୁରୁଷ ହୃଦୟ ଭିତରୁ ମୋତେ କହି ଦେଉଛି ।’’ ସୌଦାମିନୀ ବହୁକାଳ ପରେ ମାତାଙ୍କ ସ୍ନେହ ସ୍ୱର ଶୁଣି କିଞ୍ଚିତ୍ ଆଶ୍ଚର୍ଯ୍ୟାନ୍ୱିତ ହେଲା ଏବଂ ଧୀରେ ଧୀରେ ଆସି ମାତାଙ୍କ ରୋଗଶଯ୍ୟା ପାଖରେ ବସି ପଡ଼ିଲା । ବୃଦ୍ଧା ତାହାର ହାତକୁ ଶେଫାଳିକାଙ୍କ ହାତ ଉପରେ ରଖି କହିଲା– ‘‘ମା, ଏହି ତୋର ସାନ ଭଉଣୀ କି ନେ, ମୁଁ ଏବେ ଖଲାସ । ସଉଦି, ତୋରି ବଡ଼ ନାନୀକୁ ଜୁହାର ହୋ ।’’ ସୌଦାମିନୀ ମାତୃ ଆଦେଶମତେ ଶେଫାଳିକାଙ୍କ ପାଦତଳରେ ଲୁଠି କରି ଜୁହାରଟିଏ ହେଲା । ଶେଫାଳିକା ତାହାକୁ କୋଳକୁ ଟାଣିନେଇ ତାହାର ଚିବୁକ ଟେକିଧରି ସ୍ନେହାର୍ଦ୍ର ସ୍ୱରରେ କହିଲେ– ‘‘ସୌଦାମିନି, ମୁଁ କିଏ କହନି ? ମୁଁ ତୋ ମାର ବଡ଼ ଝିଅ, ମୋତେ ନାନୀ ବୋଲି ଡାକିବୁ ।’’ ସୌଦାମିନୀ ଲଜ୍ଜାରେ ମୁଖ ଅବନତ କଲା, ଶେଫାଳିକା ସ୍ୱହସ୍ତରୁ ସ୍ୱର୍ଣ୍ଣ ମୁଦ୍ରିକା ବାହାର କରି ହସି ହସି ତାହା ଅଙ୍ଗୁଳିରେ ପିନ୍ଧାଇ ଦେଲେ । ସବୁ ହେଲା; ମାତ୍ର ବର କିଏ ଏବଂ ବରର ବୟସ କେତେ, ବୃଦ୍ଧା ତାହା ଜାଣିପାରିଲା ନାହିଁ କିମ୍ବା ଶେଫାଳିକାଙ୍କୁ ପଚାରିବାକୁ ସାହସ ଖଟିଲା ନାହିଁ । ପଚାରିବି ଅବା କିପରି ? ହିନ୍ଦୁ ରମଣୀ କି ସ୍ୱାମୀର ନାମ କହିବ, ତାହା ପଚାରିବା ତ ଅବିଧି; ମାତ୍ର ବୃଦ୍ଧାର ଏ ସନ୍ଦେହ ଅଧିକ କ୍ଷଣ ସ୍ଥାୟୀ ହେଲା ନାହିଁ । ଶେଫାଳିକା ଉଠିବାକୁ ଉନ୍ମୁଖ ହେଉଅଛନ୍ତି ଏହି ସମୟରେ ପିତେଇ ଡାକି ଡାକି ଆସିଲା– ‘‘ମା ଠାକୁରାଣୀ, ଆସ, ସମସ୍ତେ ବାହାରିଲେଣି ।’’ ବୃଦ୍ଧା ପିତେଇକୁ ଦେଖି ତାହାକୁ ଶେଫାଳିକାଙ୍କ ଦାସୀ ମନେକରି ପଚାରିଲା– ‘‘କିଏ କାହା ଘର ବୋହୂ ଲୋ ଝିଅ ?’’ ପିତେଇ କହିଲା– ‘‘ପ୍ରତାପପୁର ଶାସନର ନନ୍ଦଙ୍କ ଘର ବୋହୂ ।’’ ବୃଦ୍ଧା ହସି ହସି କହିଲା– ‘‘ଏବେ ଚିହ୍ନିଲି ସାରଥି ନନ୍ଦ ବୋହୂ । ସାରଥିର କେତେ ବୟସ ହେବ କି, କାଲି ମୋ ଆଗରେ ପିଲା, ମୋ ସଉଦୀର କପାଳ ଭଲ ।’’ ଅନନ୍ତର ଶେଫାଳିକା ଉଠି ଠିଆହୋଇ କହିଲେ– ‘‘ମା ମୁଁ ଯାଉଛି, କାଲି ଲୋକ ପଠାଇ ସବୁ ଠିକ କରିବି । ବିବାହ ଏହି ଆସନ୍ତା ବୈଶାଖ ମାସରେ ହେବ, ତୁ କିଛି ଚିନ୍ତା କରିବୁ ନାହିଁ । ସବୁ ଭାର ମୋ ଉପରେ ।’’ ଏହା କହି ବୃଦ୍ଧାର ପଦ ପ୍ରାନ୍ତରେ ନମସ୍କାର କଲେ । ବୃଦ୍ଧା ସସ୍ନେହେ ଆଶୀର୍ବାଦପୂର୍ବକ ଦାଣ୍ଡଦ୍ୱାର ପର୍ଯ୍ୟନ୍ତ ଯାଇ ଶେଫାଳିକାଙ୍କୁ ବାଟୋଇ ଦେଇ ଆସିଲା ।
ବୃଦ୍ଧାର ଆଜି କି ଆନନ୍ଦ ! ସେ ଆନନ୍ଦ-ସ୍ୱର୍ଗର ଆନନ୍ଦାମୃତ ପାନ ସୁଖ ଉପଭୋଗ କରୁଅଛି । କି ଗୋଟାଏ ବୈଦ୍ୟୁତିକ ଶକ୍ତି ତାହାର ପ୍ରତି ଶିରା ସନ୍ଧିରୁ ପ୍ରତି ରକ୍ତ କଣିକାରୁ ରୋଗ ବାର୍ଦ୍ଧକ୍ୟର ଦୁର୍ବଳତା ହରି ନେଇଅଛି । ଯେଉଁ କନ୍ୟା ପ୍ରତି ଘୃଣାରେ ହୃଦୟ ଦଗ୍ଧ ହେଉଥିଲା, ସେହି କନ୍ୟା ପ୍ରତି ଆଜି ସ୍ନେହାଦରର ସୀମା ନାହିଁ । ଦୁଃଖଭାରାକ୍ରାନ୍ତ ଦିନ ଆଜି ସୁଖରେ ଲଘୁ ବୋଧ ହେଉଅଛି । ଆଜି ଦିନଟି କି ମଧୁର ଆକାଶ ବତାସ ମଧୁର, ସୃଷ୍ଟି ମଧୁମୟ । ବୃଦ୍ଧା କନ୍ୟାକୁ କୋଳକୁ ଟାଣିନେଇ ତାହା ମସ୍ତକରେ ମାତୃସ୍ନେହର ଶୀତଳ ହସ୍ତ ବୁଲାଉ ଦେଉଁ ଦେଉଁ କହିଲା– ‘‘ମା, ଏ ଦୁଃଖିନୀ ମା’ଟା ଉପରେ ରାଗିବୁ ନାହିଁ । ଢେର କଟୁ କଥା କହିଛି, ଢେର ଗଞ୍ଜଣା ଦେଇଛି, ଗର୍ଭଧାରିଣୀ ହୋଇ ବିମାତାଠାରୁ ନିଷ୍ଠୁର ହୋଇଅଛି; ସବୁ ଭୁଲି ଯିବୁ । ଦାରିଦ୍ର୍ୟ କଷ୍ଟ ଆଉ କନ୍ୟାଦାୟ କଷ୍ଟ ବଡ଼ କଷ୍ଟ ମା । ସେ ଜ୍ଞାନୀକୁ ବି ପାଗଳ କରିଦିଏ । ମୋ ମା, ମୋ ରାଣୀ, ମୋ ଲକ୍ଷ୍ମୀ, ସବୁ ଭୁଲିଯା ।’’ ବୃଦ୍ଧା କନ୍ୟାକୁ ଏହିପରି ପ୍ରବୋଧ ଦେଇ ଉପସ୍ଥିତ ଯେତେ ଦେବଦବୀଙ୍କ ନାମ ମନରେ ପଡ଼ିଲା ସମସ୍ତଙ୍କୁ ଅତ୍ୟନ୍ତ ଭକ୍ତିର ସହିତ ହାତ ଯୋଡ଼ି ଦଣ୍ଡବତ କରିବାକୁ ଲାଗିଲା ।