ତ୍ରୟୋଦଶ ପରିଚ୍ଛେଦ — ଶନିସପ୍ତା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରୟୋଦଶ ପରିଚ୍ଛେଦ
ପ୍ରେମାନନ୍ଦ ସ୍ୱାମୀଙ୍କର ଚେଷ୍ଟା, ଯତ୍ନ, ଅଧ୍ୟବସାୟ ଏବଂ ପରିଶ୍ରମ ଫଳରେ ସେବାଶ୍ରରେ କ୍ରମଶଃ ଉନ୍ନତି ହେବାକୁ ଲାଗିଲା । ସେ ସର୍ବତ୍ର ସୁଲଭ ମୂଳମୂଳିକା ସଂଗ୍ରହ କରି ଔଷଧ ପ୍ରସ୍ତୁତ ପୂର୍ବକ ବିତରଣ କରନ୍ତି । ପ୍ରତ୍ୟହ ନିକଟବର୍ତ୍ତୀ ଗ୍ରାମମାନଙ୍କରୁ ଶତ ଶତ ଲୋକ ଆସି ଔଷଧ ନେଇ ଯାଆନ୍ତି । ଔଷଧର ମୂଲ୍ୟ ବା ପାରିଶ୍ରମିକ କିଛି ନିଆଯାଏ ନାହିଁ । ଆଶ୍ରମ ନାମରେ ଯଦି କେହି କିଛି ଦିଏ; ତେବେ ତାହା ଗ୍ରହଣ କରାଯାଏ । ଶିଶ୍ୟମାନେ ଦୂରବର୍ତ୍ତୀ ଗ୍ରାମସମୂହରେ ବୁଲି ଔଷଧ ବିତରଣ କରନ୍ତି । ସ୍ୱାମୀଙ୍କର ଔଷଧ ପ୍ରାୟ ବିଫଳ ହୁଏ ନାହିଁ । ଏ ହେତୁ ତାଙ୍କ ଔଷଧ ପ୍ରତି ଲୋକଙ୍କର ବିଶ୍ୱାସ ଷୋଳପଣ । ବାସ୍ତବରେ କବିରାଜି ଔଷଧ ଶାସ୍ତ୍ରୋକ୍ତ ପ୍ରଣାଳୀରେ ଏବଂ ଉପଯୁକ୍ତ ବୈଦ୍ୟ ହସ୍ତରେ ପ୍ରସ୍ତୁତ ହେଲେ ତାହା ନିଶ୍ଚୟ ଫଳପ୍ରଦ ହୁଏ । ଯୋଗାସିଦ୍ଧ ଆର୍ଯ୍ୟ ଋଷି ଉଦ୍ଭାବିତ ଆୟୂର୍ବେଦ ଚିକିତ୍ସାର ଗୌରବ ଯୁଗେ ଯୁଗେ ଘୋଷିତ ହୋଇ ଆସୁଅଛି ଏବଂ ଚିରକାଳ ଘୋଷିତ ହେଉଥିବ । ତାହାର ମହିମାସୂର୍ଯ୍ୟ ପୃଥିବୀରୁ ଅନ୍ତର୍ହିତ ହେବ ନାହିଁ । ଏଣିକି ଯେତେପ୍ରକାର ଚିକିତ୍ସା ପ୍ରବର୍ତ୍ତିତ ହୋଇଅଛି, ହେଉଅଛି ବା ହେବ, ଆୟୁର୍ବେଦ ଚିକିତ୍ସା ସେ ସମସ୍ତର ପ୍ରସୂତି । ସମସ୍ତେ ତାହା ନିକଟରେ ଋଣୀ, କିନ୍ତୁ କାହାରି ଫଳ ଆୟୁର୍ବେଦ ଚିକିତ୍ସା ଫଳ ପରି ଚିରସ୍ଥାୟୀ ନୁହେଁ । ଏ ଉକ୍ତି ଅନ୍ୟ ଦେଶ ପ୍ରତି ପ୍ରଯ୍ୟୁଜ୍ୟ ନୁହେଁ । ଏହା ଆର୍ଯ୍ୟ ଜନନୀ ଭାରତ ପ୍ରତି । ଯେଉଁ ଦେଶର ଜଳବାୟୁ ମୃତ୍ତିକାରେ ଯେଉଁ ଜାତିର ଶରୀର ଗଠିତ, ସେହି ଦେଶୋତ୍ପନ୍ନ ଔଷଧ ସେହି ଜାତି ପକ୍ଷରେ ହିତକର । ଆଶ୍ରମରେ ଗୋଟିଏ ବେଦାନ୍ତ ବିଦ୍ୟାଳୟ ସ୍ଥାପିତ ହୋଇଅଛି । କେତେଜଣ ଛାତ୍ର ବିନା ବ୍ୟୟରେ ଉକ୍ତ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି । ବେଦାନ୍ତ ସଙ୍ଗେ ସଙ୍ଗେ ଆୟୁର୍ବେଦ ମଧ୍ୟ ଶିକ୍ଷା ଦିଆଯାଏ । ସ୍ୱୟଂ ସ୍ୱାମୀ ଛାତ୍ରମାନଙ୍କୁ ଶିକ୍ଷା ଦିଅନ୍ତି-। ଅଷ୍ଟମୀ, ଚତୁର୍ଦଶୀ, ଅମାବାସ୍ୟାଦି ଅଧ୍ୟୟନ ନିଷିଦ୍ଧ ଦିବସରେ ସ୍ୱମୀ ନିକଟବର୍ତ୍ତୀ ଗ୍ରାମ, ହାଟ, ମେଳା ପ୍ରଭୃତି ବହୁଜନ ସମାଗତ ସ୍ଥାନକୁ ଯାଇ ଧର୍ମ ସମ୍ବନ୍ଧରେ ଉପଦେଶ ଦିଅନ୍ତି । ଆଶ୍ରମ ନିକଟରେ ବାଟିଏ ପତିତ ଭୂମି ଥିଲା । ସେଥିରେ କୃଷି ହେବା ଦୂରେଥାଉ ଘାସ ସୁଦ୍ଧା ଉଧାଏ ନାହିଁ-। ସ୍ୱାମୀ ସେହି ଭୂମିକୁ ନାମମାତ୍ର କରରେ ଜମିଦାରଠାରୁ ପଟା ନେଇ ଚାଷ କରିବାକୁ ଇଚ୍ଛା କଲେ-। ତାଙ୍କର ଏ ଉଦ୍ୟମ ଦେଖି ଅନେକ ନ ହସି ରହିପାରିଲେ ନାହିଁ । କେହି କେହି ପରିହାସ କରି କହିଲେ– ‘‘ସ୍ୱାମୀ ମରୂଭୁମିରେ ଚାଷ କରୁଛନ୍ତି ।’’ ମାତ୍ର ସ୍ୱାମୀ ଭଗ୍ନୋତ୍ସାହ ହେଲେ ନାହିଁ । ଗୋଟାଏ ନୂତନ ଆଦର୍ଶ ଦେଖାଇବାକୁ ହେଲେ ପ୍ରଥମତଃ ଧୈର୍ଯ୍ୟର ଏକାନ୍ତ ଆବଶ୍ୟକ । ଲୋକଙ୍କର ଥଟା, ଟିଟିକାର ପ୍ରତି ଭ୍ରୂକ୍ଷେପ ନ କରି ଯେ ଦୃଢ଼ବ୍ରତୀ ହୋଇ ଯଥେଷ୍ଟ ଧୈର୍ଯ୍ୟ ସହ କାର୍ଯ୍ୟ ସମାଧାନରେ ଅଗ୍ରସର ହୁଏ, ଜୟଲକ୍ଷ୍ମୀ ତାହାରି ମସ୍ତକରେ ସାଫଲ୍ୟର ସୁବର୍ଣ୍ଣମୁକୁଟ ପିନ୍ଧାଇ ଦିଅନ୍ତି । ସ୍ୱାମୀଙ୍କର ଭାଗ୍ୟରେ ତାହାହିଁ ଘଟିଥିଲା । ସେ ଅନାୟାସଲବ୍ଧ ତୃଣ, ଲତା, ଗୁଳ୍ମ ପ୍ରଭୃତି ପଚାଇ ସେଥିରୁ ଏକ ପ୍ରକାର ଉତ୍କୃଷ୍ଟ ସାର ପ୍ରସ୍ତୁତ କରି କ୍ଷେତରେ ପ୍ରୟୋଗ କଲେ । ତଦ୍ଦ୍ୱାରା ଉକ୍ତ ଉଷର କ୍ଷେତ୍ର ଅସାଧାରଣ ଉର୍ବର ହୋଇଉଠିଲା । ସେଥିରୁ ଧାନ, କପା, ପନିପରିବା, ମୁଗ, ବିରି, ହରଡ଼ ପ୍ରଭୃତି ନାନାଫସଲ ଉତ୍ପନ୍ନ ହେଲା । ଖଣ୍ଡେ ଭୂମି ଔଷଧ ସକାଶେ ନିର୍ଦ୍ଦିଷ୍ଟ ରହିଲା । ବନ ପର୍ବତରୁ ବିବିଧ ଦୁଷ୍ପ୍ରାପ୍ୟ ଔଷଧ ବୃକ୍ଷ ବା ବୀଜ ଆଣି ସେଥିରେ ରୋପଣ କରାଗଲା । ବୃକ୍ଷ୍ୟୁତ୍ପନ୍ନ ପଦାର୍ଥମାନ ବିକ୍ରୟ କରାଯାଏ ନାହିଁ । ତାହା ଆଶ୍ରମବାସୀଙ୍କ ବ୍ୟବହାରରେ, ଅତିଥି ସେବାରେ ଏବଂ ଅକ୍ଷମ ଦରିଦ୍ର ସେବାରେ ଲାଗେ । ଶିଷ୍ୟମାନେ ସମସ୍ତେ ଆଶ୍ରମରେ ବସି ସୂତା କାଟନ୍ତି । ସେଥିରେ ଲୁଗା ବୁଣାଇ ଦୀନ ଦୁଃଖୀଙ୍କୁ ଦାନ କରାଯାଏ । ଏହିସବୁ କାର୍ଯ୍ୟଦ୍ୱାରା ଆଶ୍ରମ ପ୍ରତି ଲୋକଙ୍କର ଭକ୍ତି ବହୁଗୁଣିତ ହୋଇଉଠିଲା । କାହାରି ବିବାହ ବ୍ରତାଦି ଉତ୍ସବ ହେଲେ ସେ ସର୍ବାଗ୍ରେ ଆଶ୍ରମକୁ ଯଥାଶକ୍ତି ଦାନ କରେ । ଆଶ୍ରମ ପ୍ରତି ଲୋକେ କ୍ରମଶଃ ଏରୂପ ଭକ୍ତିପ୍ରବଣ ହୋଇ ଉଠିଲେ ଯେ, ଯାହାର ଯେଉଁ ଫସଲ ହୁଏ, ସେ ଆଗେ ଆଶ୍ରମରେ କିଛି ଦେଇଯାଏ । ଏମନ୍ତ କି କାହାରି ବାଡ଼ିରେ ଶାଗ ଶୁକ୍ରବାର ହେଲେ ସେ କେରାଏ ଆଣି ଆଶ୍ରମରେ ଦେଇଯାଏ । ସ୍ୱାମୀଙ୍କର କାହିଁରେ ଆଡ଼ମ୍ବର ନାହିଁ । ସେ ଦିନରେ ଥରେ ମାତ୍ର ଆହାର କରନ୍ତି । ରାତିରେ କୁଟା ବା ଶୁଷ୍କପତ୍ର ବିଛାଇ ମୁଣ୍ଡତଳେ ଖଣ୍ଡେ ଇଟା ଦେଇ ସେ ଶୟନ କରନ୍ତି । ଦୁଇଖଣ୍ଡି ଚାରିହାତି ବେଢ଼ାଣ ହେଲେ ତାଙ୍କର ବର୍ଷେ ଚଳିଯାଏ । ଏରୂପ ଦୀନଭାବରେ ଚଳିବାର କାରଣ କାହି ପଚାରିଲେ କହନ୍ତି– ‘‘ମୁଁ ସେବକ, ମୋର ସେବକ ପରି ରହିବା ଉଚିତ । ବିଶେଷତଃ ମୁଁ ସନ୍ନ୍ୟାସୀ, ତ୍ୟାଗ ମୋର ଧର୍ମ; ସୁତରାଂ ଭୋଗ କି ଲୋଡ଼ା ? ଯେ ଭୋଗରେ ଆସକ୍ତ, ଭୋଗ ତାକୁ ଭୋଗ କରେ । ଯେ ତ୍ୟାଗର ସୁଖ, ତ୍ୟାଗର ଆନନ୍ଦ ପ୍ରାଣରେ ଉପଭୋଗ କରେ, ସେହି ଏକା ସଂସାରରେ ପ୍ରକୃତ ଭୋଗୀ । ଏହା ବ୍ୟତୀତ ଇତର ଗ୍ରାମ୍ୟସୁଖ ଭୋଗ ବାସନା ମୋର ନାହିଁ ।’’ ପ୍ରତ୍ୟହ ଆଶ୍ରମରେ ରୋଗୀ ସେବା, ଅତିଥି ସେବା, ଦରିଦ୍ରନାରାୟଣ ସେବା ହୁଏ । ଏତେ ସେବା କରି ସୁଦ୍ଧା ସ୍ୱାମୀ ସନ୍ତୁଷ୍ଟ ନୁହନ୍ତି । ଦିନେ ସେ ମନେ ମନେ ଭାବିଲେ–‘‘ସବୁ ହେଲା, କେବଳ ଦେବ ସେବାର ଅଭାବ । ତାହା ବ୍ୟତୀତ ସେବା ପୂର୍ଣ୍ଣ ନୁହେଁ ।’’ ଅନନ୍ତର ସେ ଆଶ୍ରମରେ ରାଧାକୃଷ୍ଣ ମୂର୍ତ୍ତି ପ୍ରତିଷ୍ଠା କରି ଯଥାରୀତି ସେବାପୂଜା କରିବାକୁ ଲାଗିଲେ-। ସେହି ଦିନଠାରୁ ଆଶ୍ରମର ନାମ ହେଲା– ‘‘ରାଧାକୃଷ୍ଣ ସେବାଶ୍ରମ । ଏଣିକି ଆଶ୍ରମରେ ରାଧାକୃଷ୍ଣଙ୍କର ବାର ପୁନେଇ ତେର ଯାତ୍ରାରେ ଉତ୍ସବ ହୁଏ । କ୍ରମେ ଆଶ୍ରମଟି ତୀର୍ଥତୁଲ୍ୟ ବିଖ୍ୟାତ ହୋଇଉଠିଲା ।
ବୀରବର ମାନଧତା ଏବଂ ଧରଣୀଧର ବୈରିଗଞ୍ଜନ ଦୁଇଜଣ ଜମିଦାର । ଦୁହିଁଙ୍କର ଇଲାକା ପରସ୍ପର ସଂଲଗ୍ନ । ଜମିଦାର ଦୁହେଁ କେହି କାହାର ଜ୍ଞାତି ବା ବନ୍ଧୁ ନୁହନ୍ତି । କେବଳ ଏକ ଜାତି ମାତ୍ର । ଦୁହେଁଯାକ ପ୍ରତିଷ୍ଠାବାନ୍; କେହି କାହାରିକୁ ଊଣା ନୁହେଁ । ପୁରୁଷାନୁକ୍ରମେ ଉଭୟ ବଂଶ ମଧ୍ୟରେ ମନୋମାଳିନ୍ୟ ଚଳି ଆସୁଅଛି । ବର୍ତ୍ତମାନ ଜମିଦାର ଦୁହେଁ ମଧ୍ୟ ସେହି ବଂଶୀୟ ଧାରା ଅକ୍ଷତ ରଖିଅଛନ୍ତି । ତାହା ଯେପରି ସେମାନଙ୍କର ଗୋଟାଏ ଗୌରବମୟ ସୁମହତ୍ କୌଳିକ କୀର୍ତ୍ତି । ତାହା ଉଚ୍ଛେଦ କରିବାକୁ କାହାରି ଇଚ୍ଛାନୁହେଁ । ସେମାନେ ବଂଶର ଉପଯୁକ୍ତ ଭୂଷଣ ମଣି, ପୂର୍ବପୁରୁଷମାନଙ୍କର କୀର୍ତ୍ତି ରକ୍ଷା ସେମାନଙ୍କର–କର୍ତ୍ତବ୍ୟ, ଅନ୍ୟଥା ପିତୃପୁରୁଷମାନଙ୍କର ଅଭିଶାପରେ ସେମାନଙ୍କୁ ନରକ କୁଣ୍ଡରେ ପଡ଼ିବାକୁ ହେବ । ଦୁହିଁଙ୍କ ମଧ୍ୟରେ ମାଲିମାମଲା ସର୍ବଦା ଲାଗି ରହିଅଛି । ସେଥିରେ ଦୁହେଁ ସର୍ବସ୍ୱାନ୍ତ ହୋଇ ନାହାନ୍ତି; ମାତ୍ର ଆକଣ୍ଠ ଋଣମଗ୍ନ । ଉଭୟେ ଅଭିମାନର ଉତ୍ତୁଙ୍ଗ ହିମାଳୟ; ସୁତରାଂ ପ୍ରତିଯୋଗିତାରେ କେହି କାହାରି ତଳେ ନୁହେଁ । ସୁନିଆଁ ଦିନ ଜଣେ ଦଳେ ଯାତ୍ରାବାଲା ଅଣାଇଲେ ଅନ୍ୟ ଜଣକ ତିନି ଦଳ ଅଣାଏ । ଜଣକର କଟକରୁ ରୋସନି ଆସିଲେ ଜଣକର କଲିକତାରୁ ଆସେ । ପ୍ରତିଯୋଗିତା କ୍ଷେତ୍ରରେ ପରସ୍ପରକୁ ପରାସ୍ତ କରିବାକୁ ସର୍ବଦା ପ୍ରଚେଷ୍ଟା । ଏ ଗୁଣଟା ମଧ୍ୟ ସେମାନଙ୍କର ଉତ୍ତରାଧିକାରିତା ସୁତ୍ରରେ ପ୍ରାୟ ପୈତୃକ ସମ୍ପତ୍ତି । ଉଭୟ ଜମିଦାରଙ୍କ ପ୍ରଭୁଭକ୍ତ କର୍ମଚାରୀମାନେ ଉଭୟର ମନୋମାଳିନ୍ୟକୁ ଖୁବ୍ ପୃଷ୍ଟିକର ଆହାର ଯୋଗାନ୍ତି । ଏଟା ସେମାନଙ୍କର ସ୍ୱାର୍ଥ-ଦେବତାର ପବିତ୍ର ଆଦେଶ ଏବଂ ପ୍ରଭୁହିତୈଷୀତାର ଚୂଡ଼ାନ୍ତ ନିଦର୍ଶନ । ମାନଧାତାଙ୍କ ପ୍ରଭୁ ମନତୋଷଣ କୌଶଳୀ, ଚାଟୁପଟୁ ଉଚ୍ଚ କର୍ମଚାରୀ ଗର୍ବ କରି ଜମିଦାରଙ୍କ ଆଗରେ କହନ୍ତି– ‘‘ଆମ ରାଜାଙ୍କ ସାଙ୍ଗରେ ବୈରିଗଞ୍ଜନଟା କେଉଁ ଗୁଣରେ ସରି । ଆମର ଜଣେ ପାଇକ ତାଙ୍କ ପାତ୍ରର ନିଶ ପଟେ କାଟି ଆଣିଥିଲା । ସେ ନିଶ ଅଦ୍ୟାବଧି ଆମ ଗନ୍ତାଘର ଅଛି । ଆମ ତାଲୁକା ତ ମୋଗଲ ବାଦସାହ ଅମଳ ଆଗରୁ ଆଉ ସେ ତ ରାଜା ନୁହେଁ– ମରହଟାଙ୍କ ଜାଗିରିଦାର । ଧୋବା ଭଣ୍ଡାର ପରି ଜାଗିରୀ ! ହା–ହା–ହା– ।’’ ରାଜ ପାରିଷଦବର୍ଗ ସମସ୍ତେ ଦନ୍ତ ବିସ୍ତାର କରି କହନ୍ତି– ‘ହା–ହା–ହା–’ ରାଜଦରବାର ଗୋଟାଏ ବିରାଟ ହାସ୍ୟର ହାଟରେ ପରିଣତ ହୁଏ । ଜମିଦାର ଦୁହେଁ ରାଜା ନୁହନ୍ତି, ଅଧୀନସ୍ଥ କର୍ମଚାରୀ ଓ ପ୍ରଜାମାନେ ତାଙ୍କୁ ରାଜୋପାଧି ପ୍ରଦାନ କରି ଅଛନ୍ତି । ବୈରିଗଞ୍ଜନଙ୍କ ପାରିଷଦ ବା ମୋସାହେବ ବର୍ଗ ମଧ୍ୟ କଥା କହିବାରେ ଅପଟୁ ନୁହନ୍ତି । ସେମାନେ ଉଗ୍ର ଦର୍ପରେ କହନ୍ତି– ‘‘ଓଃ, ମାନଧାତା ପରି କେତେଗଣ୍ଡା ଲୋକ ଆମ ମଣିମାଙ୍କ ଫୁଟୁକିରେ ଉଡ଼ିଯିବେ । ଆମ ଦଦେଇ ମହାରାଜା ତା ଗୋସାଇଁ ବାପାକୁ ନାକରେ ପାଣି ପେଇ ଦେଇଥିଲେ, କାହିଁ କପୂର, କାହିଁ ଭୂଟଖଡ଼ି । ଛି–ଛି–ଛି– ।’’ ଉଭୟ ଦରବାରରେ ଏହିପରି ରୁଚିକର ଚର୍ଚ୍ଚା ହୁଏ ।
ବର୍ତ୍ତମାନ ଗୋଟାଏ ଫଉଜଦାରୀ ମୋକଦ୍ଦମାରେ ଉଭୟ ପକ୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇଅଛନ୍ତି । ମାନଧାତାଙ୍କର ଅଗାଧୁ ମଳିକ ନାମରେ ଜଣେ ପିଆଦା ଅଛି । ଅଗାଧୁର ଆକୃତି ଗୋଟାଏ ଶିଶୁରାକ୍ଷସ ପରି । ଆକୃତି ଅନୁରୂପ ଗୋଟାଏ ସ୍ଥୁଳ ପ୍ରକାଣ୍ଡ ବଂଶଦଣ୍ଡ ସବୁବେଳେ ତାହା ହାତରେ ଥାଏ । ଗାଁରେ ସେ ‘‘ଦଣ୍ଡାସୁର’’ ନାମରେ ପ୍ରସିଦ୍ଧ । ସେ ମଧ୍ୟ ଏ ନାମକୁ ଅମର୍ଯ୍ୟାଦାକର ମଣେ ନାହିଁ । ଯେଉଁ କାର୍ଯ୍ୟ ଯୁକ୍ତିତର୍କର ଅସାଧ୍ୟ. ନ୍ୟାୟବିଚାରର ଅସାଧ୍ୟ, ଆଇନ ଅଦାଲତର ଅସାଧ୍ୟ, ଦଣ୍ଡାସୁର ତାହାର ସେହି ଠେଙ୍ଗା ସାହାଯ୍ୟରେ ସେ କାର୍ଯ୍ୟ ସାଧନ କରିଆସେ-। ସେହି ଠେଙ୍ଗା ତାହାର ସର୍ବାର୍ଥସାଧିକା । କଥିତ ମୋକଦ୍ଦମାଟା ସେହି ମହାଠେଙ୍ଗାର କୀର୍ତ୍ତି । ଦୁଇରାଜ୍ୟ ସୀମାରେ ଗୋଟାଏ ବେଲଗଛ ଅଛି । ବୈରିଗଞ୍ଜନଙ୍କ ଲୋକେ ସେହି ଗଛରୁ ଦୁଇଟା ବେଲ ତୋଳିଥିଲେ । ପରମହିତୈଷୀମାନଙ୍କଦ୍ୱାରା ଏହି ସମ୍ବାଦ ବିଦ୍ୟୁତ୍ଗତିରେ ଆସି ମାନଧାତାଙ୍କ କର୍ଣ୍ଣ ସ୍ପର୍ଷ କଲା । ସେ ଅଗାଧୁକୁ ଡାକି କହିଲେ–‘‘ଅଗାଧୁ, ତୁ ଯାଇ ବାରଣ କର, ସେ ଆମ ଗଛ, ସେ କାହିଁକି ବେଲ ନେବେ ?’’ ଅଗାଧୁ ଯେଉଁଠିକି ଯାଏ , ସେଠି କିଛି କରି ଆସେ, ମାନଧାତା ଏହା ଜାଣନ୍ତି । ସୁତରାଂ ସାବଧାନ କରାଇଦେଇ କହିଲେ–‘‘ଖବରଦାର, ବେଆଇନ କାମ କରିବୁ ନାହିଁ, ତୁ ଯେ ସେହିପରି ଜନ୍ତୁଟିଏ । ତୋତେ କନ୍ୟାଟିଏ ଖୋଜିବାକୁ ପଠାଇଲେ ତୁ ବିଭା ହୋଇପଡ଼ି ଆସିବା ଲୋକ, ଦେଖ୍ ଆଉ କିଛି କରି ବୁସିବୁ ନାହିଁ ।’’ ଅଗାଧୁ ମୁରୁକି ମୁରୁକି ହସି ପ୍ରଭୁଙ୍କୁ ଗୋଟାଏ ଲମ୍ବା ଦଣ୍ଡବତ ପକାଇ କହିଲା–‘‘ନା ମହାପ୍ରଭୁ, ଶ୍ରୀମୁଖରୁ ଯେଉଁ ପରି ଶ୍ରୀଆଜ୍ଞା ହେଲା, ସେହିପରି କରିବି ।’’ ଅଗାଧୁ ଏହିପରି ମୁହଁରେ କହିଲା; ମାତ୍ର କାର୍ଯ୍ୟକ୍ଷେତ୍ରରେ ଶ୍ରୀଆଜ୍ଞାରେ ଶ୍ରୀଅବଜ୍ଞା କରି ବସିଲା । ଏକେତ ସେ ପିଆଦା, ଗର୍ବ ଅଭିମାନ ଏବଂ କ୍ରୋଧର ଆଗ୍ନେୟଗିରି ତହିଁ ଉପରେ ଶ୍ରୀମୁଖରୁ ଶ୍ରୀଆଦେଶ ପ୍ରାପ୍ତ, ଆଉ କି ରକ୍ଷା ଅଛି, ବାରୁଦରେ ଅଗ୍ନି ସଂଯୋଗ । ଅଗାଧୁ ଯାଉଁ ଯାଉଁ କେତେଜଣ ବାଡ଼ିଆ ସଂଗ୍ରହ କରିନେଇ ଯଥାସ୍ଥାନରେ ଉପସ୍ଥିତ ହେଲା ଏବଂ ବିପକ୍ଷ ଲୋକଙ୍କୁ ନିର୍ଧୂମ ପ୍ରହାରରେ ଅବଶ କରି ପକାଇଲା । ବୈରିଗଞ୍ଜନ ଏ ସମ୍ବାଦ ପାଇ ଦଳେ ବାଡ଼ିଆ ପଠାଇ ଦେଲେ । ଅନ୍ୟପକ୍ଷରେ ମଧ୍ୟ ଯଷ୍ଠିଧର ବୀରମାନେ ଆସିଲେ । ପିଟାପିଟି ଲାଗିଲା, କାହାର ମୁଣ୍ଡ ଫାଟିଲା, କାହାର ହାତ ଭାଙ୍ଗିଲା, କାହାର ଦାନ୍ତ ଝଡ଼ି ଗଲା । ଶେଷରେ ଅଗାଧୁ ଜୟୀ ହୋଇ ଫେରିଆସିଲା । ମାନଧାତା ବିରକ୍ତ ହୋଇ କହିଲେ–‘‘ମୁଁ ମନା କରିଥିଲି, ତେବେ ବି ତୁ ଗୋଟାଏ ପର୍ବ କରି ଆସିଲୁ ? ମାଲିମୋକଦ୍ଦମା ହେବ, ପାଣିପରି ଟଙ୍କା ଖର୍ଚ୍ଚ ହେବ, ଏ ପୁଣି ଗୋଟାଏ ବିଷମ ଜଞ୍ଚାଳ ।’’ ଅଗାଧୁ ମୃଦୁ ହସି କହିଲା–‘‘ଆଜ୍ଞା, ଜମିଦାରୀ ଥିଲେ ଜଞ୍ଜାଳ ଥିବ, ଆଉ କେଉଁ ଜମିଦାରୀଟା ବା ରୁଷିରାଜ୍ୟ ପରି ନିଜଞ୍ଜାଳ ହୋଇଅଛି ? ଟଙ୍କା ଖର୍ଚ୍ଚ ନ କରି, ମାଲି ମୋକଦ୍ଦମା ନ କରି କଅଣ ଜମିଦାରୀ ରଖି ହେବ ? ମାନ୍ ଆଗେ ନା ଟଙ୍କା ଆଗେ । ଶ୍ରୀଛାମୁଙ୍କର ଯେ କୋଟିଏ ଟଙ୍କାର ମାନ୍ ରହିଲା ।’’ ମାନଧାତା ହୋ ହୋ କରି ହସିଉଠି କହିଲେ, –‘‘ଦେଖ ହେ ଲୋକଟାର କେଡ଼େ ଟାଣ । ବାଃ ବାଃ ନ ହେଲେ କି ଅଗାଧୁ । ସତ ସତ, ତୁ ମୋର ଟେକ ରଖିଛୁ । ଆଚ୍ଛା ତୋତେ ‘‘ପାଇକରତ୍ନ’’ ଶାଢ଼ୀ ଦିଆଯିବ । ଏହି ସମୟରେ ପୋଲିସ ଉପସ୍ଥିତ ହୋଇ କେତେ ଜଣକୁ ଗିରଫଦାର କରି ନେଇଗଲା । ଅପର ପକ୍ଷରୁ ମଧ୍ୟ ଦୋଷୀ ଧରାହୋଇ ଗଲେ । ଗାଢ଼ ଭିଡ଼ ଭାବରେ ମୋକଦ୍ଦମା ଚାଲିଲା, ଅର୍ଥର ବିପୁଳ ଶ୍ରାଦ୍ଧ ହେଲା । ଶେଷରେ ଉଭୟ ପକ୍ଷରୁ କେତେ ଜଣର କାରାବାସ ଏବଂ କେତେ ଜଣର ଅର୍ଥଦଣ୍ଡ ହୋଇ ଏହି ମୋକଦ୍ଦମା ଯଜ୍ଞର ପୂର୍ଣ୍ଣାହୂତି ହେଲା-।
ପ୍ରେମାନନ୍ଦ ସ୍ୱାମୀ ଏହି ଘଟଣା ଶୁଣି ଅତ୍ୟନ୍ତ କ୍ଷୁବ୍ଧ ହେଲେ । ଦୁଇଟି ସମ୍ଭ୍ରାନ୍ତ ବଂଶକୁ ସର୍ବାପଦର ମୂଳ ଏହି ଦାରୁଣ ମନୋମାଳିନ୍ୟ ହସ୍ତରୁ ରକ୍ଷା କରିବା ସକାଶେ ସେ ମନେ ମନେ ସଙ୍କଳ୍ପ କଲେ । ଜମିଦାର ଦୁହେଁ ତାଙ୍କୁ ଦେବତା ତୁଲ୍ୟ ଭକ୍ତି କରନ୍ତି । ଏଭଳି ଶାନ୍ତ ଶିଷ୍ଟ, ନିର୍ଲୋଭ, ଜନହିତୈଷୀ ମହାପୁରୁଷଙ୍କୁ ପଦତଳରେ କାହାର ମସ୍ତକ ବା ଭକ୍ତିରେ ନତ ନ ହେବ । ଧରଣୀଧର ବୈରିଗଞ୍ଜନ ତାଙ୍କ ନିକଟରୁ ଦୀକ୍ଷା ନେବାପାଇଁ ଅନେକ ଥର ପ୍ରାର୍ଥନା କରିଅଛନ୍ତି; ମାତ୍ର ସ୍ୱାମୀ ହିଁ କି ନା କିଛି କହି ନାହାନ୍ତି । ଉପରୋକ୍ତ ମୋକଦ୍ଦମା ପଳରେ ବୀରବର ମାନଧାତା ସଙ୍କଟ ପୀଡ଼ାରେ ଆକ୍ରାନ୍ତ ହେଲେ । ପୀଡ଼ା କ୍ରମଶଃ ବୃଦ୍ଧି ଆଡ଼କୁ ଚାଲିଲା, ଚିକିତ୍ସା ବ୍ୟର୍ଥ ହେବାକୁ ଲାଗିଲା । ରୋଗୀ ଶଯ୍ୟା ଗ୍ରହଣ କଲେ । ତାଙ୍କର ଅମୃତ ଔଷଧ ଏବଂ ଅଶାନ୍ତ ସେବା ଚିକିତ୍ସାରେ ରୋଗୀ କ୍ରମେ କ୍ରମେ ଆରୋଗ୍ୟ ଆଡ଼କୁ ଅଗ୍ରସର ହେଲେ । ଯେଉଁଦିନ ଆରୋଗ୍ୟ ସ୍ନାନ କଲେ, ସେହିଦିନ ସ୍ୱାମୀଙ୍କ ପଦ ଧରି କହିଲେ–‘‘ପ୍ରଭୋ, ଆପଣ କିଏ ? ଆପଣ ନର ନୁହନ୍ତି, ଦେବତା ନୁହନ୍ତି– ମୋର ଭାଗ୍ୟ ଦେବତା । ସଦୟ ହୋଇ ମୋତେ ମୃତ୍ୟୁ ମୁଖରୁ ଛଡ଼ାଇ ଆଣି ଅଛନ୍ତି । ମୁଁ ପାପୀ, ନରାଧମ, ବିପଥଗାମୀ, ଧର୍ମ କଅଣ ଜାଣେ ନାହିଁ, ପ୍ରଭୋ । ତୁମ୍ଭ ପାଦ ପଦ୍ମରେ ଶରଣ ପଶିଲି, ଦୟାକରି ଏ ଅଧମକୁ ଶିଷ୍ୟ ରୂପରେ ଗ୍ରହଣ କରି ସତ୍ପଥ ଦେଖାଇ କୃତାର୍ଥ କର । ‘‘ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ୱରଃ, ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ।’’ ଏହା କହି ସ୍ୱାମୀଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲେ । ସ୍ୱାମୀ ତାଙ୍କୁ ଆଦରପୂର୍ବକ ଉଠାଇ ଆଶୀର୍ବାଦ କରି ମନ୍ତ୍ରଦାନରେ ସମ୍ମତ ହେଲେ । ମାନଧାତା ଆଶାବାଣୀ ଶୁଣି ଆଶ୍ୱସ୍ତ ହେଲେ ।
ଦୀକ୍ଷା ଗ୍ରହଣର ଶୁଭଦିନ ଧାର୍ଯ୍ୟ ହେଲା । ପ୍ରେମାନନ୍ଦ ସ୍ୱାମୀଙ୍କ ନିର୍ଦ୍ଦେଶମତେ ଉଭୟ ଜମିଦାର ଆସି ବିଭିନ୍ନ କକ୍ଷରେ ବସିଲେ । ମାତ୍ର କାହାରି ଆସିବା କେହି ଜାଣନ୍ତି ନାହିଁ । ସ୍ୱାମୀ ଗୋପନରେ ସେହିପରି ବ୍ୟବସ୍ଥା କରିଥିଲେ । ସେ ପ୍ରଥମେ ବୈରିଗଞ୍ଜନଙ୍କ ପାଖକୁ ଯାଇ କହିଲେ– ‘‘ଦୀକ୍ଷାଗ୍ରହଣ ବଡ଼ କଠୋର ବ୍ରତ, ତାହା ପାଳନ କରିପାରିବ ?’’
ବୈରିଗଞ୍ଜନ– ଯେତେ କଠୋର ହେଲେ ବି ପାଳନ କରିବ ଗୁରୁଦେବ, ଶ୍ରୀଚରଣକୁ ଚାହିଁ ଏ ପ୍ରତିଜ୍ଞା କରୁଛି ।
ସ୍ୱାମୀ– କିଛି ତ୍ୟାଗ କରିବାକୁ ହେବ ।
ବୈରିଗଞ୍ଜନ– ଧନ, ଜନ, ଆଧିପତ୍ୟ ସବୁ ଗୁରୁଙ୍କ ପାଦରେ ସମର୍ପଣ କଲି । ଆଦେଶ ହେଲେ ଜୀବନ ବି ତ୍ୟାଗ କରିପାରିବି ।
ସ୍ୱାମୀ– ନା, ଜୀବନ ତ୍ୟାଗ କରିବାକୁ ହେବ ନାହିଁ – ଈର୍ଷା ତ୍ୟାଗ କର ।
ବୈରିଗଞ୍ଜନ– ତ୍ୟାଗ କଲି, ଆଜିଠାରୁ ମହାଶତ୍ରୁ ପ୍ରତି ସୁଦ୍ଧା ଇର୍ଷା କରିବି ନାହିଁ ।
ଅନନ୍ତର ସ୍ୱାମୀ ମାନଧାତାଙ୍କ ନିକଟକୁ ଯାଇ ପଚାରିଲେ–‘‘ତୁମେ ଗୋଟିଏ କୋଠର ବ୍ରତ ଧାରଣ କରିପାରିବ?’’
ମାନଧାତା– ଜଗତର ସମସ୍ତଙ୍କୁ ପ୍ରେମ କରିବି ଏହା ମୋର ଶତବାର ସତ୍ୟ ।
ସ୍ୱାମୀ– କ୍ରୋଧ, ହିଂସା, ମାତ୍ସର୍ଯ୍ୟ ପ୍ରଭୃତି ତ୍ୟାଗ ନ କଲେ ପବିତ୍ର ପ୍ରେମବ୍ରତ ଧାରଣର ଉପଯୁକ୍ତ ହୋଇ ପାରିବ ନାହିଁ ।
ମାନଧତା– ଏହି ମୂହୂର୍ତ୍ତରେ ସବୁ ପରିତ୍ୟାଗ କଲି ।
‘‘ତେତେ ଆସ ବତ୍ସ,’’ ସ୍ୱାମୀ ଏହା କହି ମାନଧାତାଙ୍କୁ ସଙ୍ଗରେ ଘେନି ବୈରିଗଞ୍ଜନଙ୍କ ପାଖରେ ଯାଇ ଉପସ୍ଥିତ ହେଲେ । ଉଭୟ ଜମିଦାରଙ୍କ ହସ୍ତ ଏକତ୍ର କରି କହିଲେ– ‘‘ତୁମେମାନେ ପରସ୍ପର ବୈରତା ଭୁଲିଯାଅ, ଏହା ମୋର ଗୁରୁ ଦକ୍ଷିଣା ।’’ ଦୁଇ ଜମିଦାର ପରସ୍ପରକୁ ଆଲିଙ୍ଗନ କରି ଗୁରୁଙ୍କ ପ୍ରଣାମ କଲେ ଏବଂ କହିଲେ, ‘‘ଆଜିଠାରୁ ଆମ୍ଭେମାନେ ପରସ୍ପରର ଶତ୍ରୁ ନୋହୁ–ଅକପଟ ଅନ୍ତରଙ୍ଗ ବନ୍ଧୁ ।’’ ପୁନଶ୍ଚ ଦୁହେଁ ଦୁହିଙ୍କୁ ଆଳିଙ୍ଗନ କଲେ । ପ୍ରେମର ମିଳନ ହେଲା, ଈର୍ଷା ପିଶାଚ ଚିରକାଳପାଇଁ ପଳାୟନ କଲା । ମହାପୁରୁଷଙ୍କ ମହାପ୍ରଭାବରେ ଅସାଧ୍ୟ କଅଣ ? ଅସାଧ୍ୟ ଶବ୍ଦ ସେମାନଙ୍କ ଅଭିଧାନରେ ନାହିଁ । ସ୍ୱାମୀ ଏତିକିରେ ପ୍ରୀତ ନ ହୋଇ କହିଲେ–‘‘ଯହିଁରେ ବନ୍ଧୁତା ଦୃଢ଼ଭିତ୍ତି ଉପରେ ସ୍ଥାପିତ ହେବ, ତାହା କର । ବୀରବରଙ୍କର ପୁତ୍ର ଅଛି, ଧରଣୀଧରଙ୍କର କନ୍ୟା ଅଛି । ସେ ଉଭୟର ଶୁଭବିବାହ ମୁଁ କାମନା କରୁଛି ।’’ ଏହା ଶୁଣି ଦୁହେଁ ଏକ ସଙ୍ଗରେ କହି ଉଠିଲେ–‘‘ଆପଣଙ୍କ ପବିତ୍ର ମଙ୍ଗଳାଦେଶ ଆମ୍ଭମାନଙ୍କର ଶିରୋଧାର୍ଯ୍ୟ ପ୍ରଭୋ । କିନ୍ତୁ ଆପଣଙ୍କ ଏ ବିବାହରେ ପୌରହିତ୍ୟ କରିବାକୁ ହେବ ।’’ ଅନନ୍ତର ସେମାନଙ୍କର ଦୀକ୍ଷାଗ୍ରହଣ ସମାହିତ ହେଲା । ମାନଧାତା କହିଲେ–‘‘ଏହି ମିଳନର ସ୍ମୃତିସ୍ୱରୂପ ମୁଁ ରାଧାକୃଷ୍ଣଙ୍କର ଦେଉଳ ତୟାର କରାଇ ଦେବି, ଆଉ କର୍ମୀ ଅଭ୍ୟାଗତ ପ୍ରଭୃତିଙ୍କ ସକାଶେ ସ୍ୱତନ୍ତ୍ର ଘର କରିଦେବି । ବୈରିଗଞ୍ଜନ କହିଲେ– ‘‘ଦେବନୀତି ଚଳିବା ସକାଶେ ମୁଁ ପାଞ୍ଚବାଟୀ ଭୂମି ଖଞ୍ଜିଦେବି, ଆଉ ବେଦାନ୍ତ, ଆୟୁର୍ବେଦ ବିଦ୍ୟାଳୟ ପରିଚାଳନାର ତାବତୀୟ ଭାର ମୁଁ ବହନ କରିବି ।’’ ସେମାନେ କଥାନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ । ଅଧିକନ୍ତୁ ପ୍ରଜାମାନଙ୍କଠାରୁ ଘର ପିଛା ବାର୍ଷିକ ପୁଡ଼ିଏ ଲେଖାଏଁ ଧାନ ଆଦାୟ କରି ଆଶ୍ରମକୁ ଦେଲେ । ଏହି ଦାନଦ୍ୱାରା ଆଶ୍ରମଟି ସ୍ଥାୟୀ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇ ରହିଲା । ଉଭୟ ଜମିଦାରଙ୍କ ପୁତ୍ର କନ୍ୟାର ବିବାହ ହୋଇଗଲା । ସ୍ୱାମୀଙ୍କ ପରାମର୍ଶାନୁସାରେ କାର୍ଯ୍ୟ କରିବାକୁ ସେମାନଙ୍କର ଋଣ ମଧ୍ୟ କ୍ରମଶଃ ପରିଶୋଧ ହୋଇଆସିଲା । ଏଣିକି ଉଭୟ ମଧ୍ୟରେ ଅଭେଦ ପ୍ରୀତି । ସେମାନଙ୍କର ଏରୂପ ପରିବର୍ତ୍ତନ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । କେହି କେହି କହିଲେ– ‘‘ସ୍ୱାମୀ କି ମନ୍ତ୍ର ଜାଣନ୍ତି କେଜାଣି, କେଉଁ ପୁରୁଷର ଚଳି ଆସୁଥିବା ଘୋଡ଼ାମହିଁଷିର ବିବାଦ କଥା ପଦକେ ମିଳେଇଗଲା । ଯାହା ହେଉ ଦୁଇଟା ଖାନ୍ଦାନ୍ ବୁନିଆଦି ଘର ରକ୍ଷା ହୋଇଗଲା ।’’ ସମସ୍ତେ ଏହିପରି ଆନନ୍ଦ ପ୍ରକାଶ କଲେ । ନିରାନନ୍ଦ କେବଳ ଉଭୟର ହିତୈଷୀ କର୍ମଚାରିବୃନ୍ଦ । ସେମାନେ ଏଥିଲାଗି ସ୍ୱାମୀଙ୍କୁ ଅଭିଶାପ ଦେଇଥିଲେ କି ନାହିଁ, ସେ କଥା ପଦାକୁ ଫୁଟି ନାହିଁ । ସମସ୍ତଙ୍କଠାରୁ ଆନନ୍ଦିତ ହେଲା ସନାତନ । ତାହାର ପୋଥିତ କ୍ଷୁଦ୍ର ବୀଜଟି ଗଛ ହୋଇ ଫଳ ଧରିଲା, ଏହାଠାରୁ ବଳି ଆନନ୍ଦର କଥା ଆଉ କଅଣ ଅଛି, ଉପଯୁକ୍ତ ପାତ୍ର ହସ୍ତରେ ଆଶ୍ରମଟି ସୁପରିଚାଳିତ ହେଲା । ସେ ଏବେ ଚିନ୍ତାମୁକ୍ତ ହେଲା । ତାହାର ସାଧୁ ଉଦ୍ଦେଶ୍ୟ ସିଦ୍ଧ ହେଲା । ସଦନୁଷ୍ଠାନର ବୀଜ ବିଫଳ ହୁଏ ନାହିଁ ।
ଏଣେ ନାନା ସ୍ଥାନରୁ ସନାତନର ବିବାହ ସମ୍ବନ୍ଧ ଆସିବାକୁ ଲାଗିଲା । ଶିକ୍ଷିତ, ସଚ୍ଚରିତ୍ର, ସଦ୍ବଂଶୀୟ ପାତ୍ର ହସ୍ତରେ କନ୍ୟା ସମ୍ପ୍ରଦାନ କରିବା କାହାର ଇଚ୍ଛା ନୁହେଁ ? ସେରୂପ ଜାମାତା ଲାଭ ଭାଗ୍ୟରେ ଘଟେ । କୋଷ୍ଠୀ ନ ପଡ଼ିବାରୁ କେତେସ୍ଥାନର ସମ୍ବନ୍ଧ ଭାଙ୍ଗିଗଲା । କେବଳ ତିନି ଖଣ୍ଡି କୋଷ୍ଠୀର ବିବାହ ମେଳକ ଘଟିଲା । ସେଥିମଧ୍ୟରୁ ବାଛି ସମ୍ବନ୍ଧ ସ୍ଥିର କରାଯିବ । ସନାତନ ଏହା ଶୁଣି ଉଦ୍ବିଗ୍ନ ହୋଇ ଉଠିଲା । ତାହାର ଦିନରାତି କାଟିଲା ନାହିଁ । ଉଦ୍ବେଗପୂର୍ଣ୍ଣ ଦିନରାତି ବଡ଼ ଦୀର୍ଘ ହୁଏ । ତାହାର ମୁଖମଣ୍ଡଳ ଶୁଷ୍କ ଏବଂ ବିଦୀର୍ଣ୍ଣ । ସେ ଉଦାସ ନିରାଲମ୍ବ ଭାବରେ ସର୍ବଦା କଅଣ ଚିନ୍ତାକରେ, ତାହା ସେହି ଜାଣେ । ସେ ବସି ଚିନ୍ତାମଗ୍ନ ଥିବାବେଳେ ବୋଧହୁଏ, ଯେପରି ତାହାର ଶରୀର ମର୍ତ୍ତ୍ୟରେ ପଡ଼ି ରହିଅଛି ମାତ୍ର ମନ ସ୍ୱର୍ଗରାଜ୍ୟରେ ପଶି ଅମୃତ ଖୋଜି ବୁଲୁଅଛି । ଅନିଚ୍ଛାର ତପ୍ତ ହାହାକାର ତାହାର ଅନ୍ତଃକରଣରୁ ନୀରବରେ କରୁଣ କାତର ଧ୍ୱନି ଉଠାଉଅଛି । ହତାଶ ହୁତାଶନରେ ତାହାର ହୃଦୟ ଭସ୍ମୀଭୂତ, ସେ ଆତ୍ମୋଦ୍ଧାରରେ କିଛି ଉପାୟ ପାଉ ନାହିଁ । ବନ୍ଧୁମାନେ ତାହାର ଏ ଭାବ ଦେଖି ଦୁଃଖିତ । ଦିନେ ତାହାର ଜଣେ ବନ୍ଧୁ ତାକୁ ବୁଝାଇ ବଂଶରକ୍ଷା କରିବା ମାନବର କର୍ତ୍ତବ୍ୟ । ଜରତ୍କାରୁ ମୁନି ବିବାହ ନ କରିବା ହେତୁ ତାଙ୍କ ସ୍ୱର୍ଗୀୟ ପିତୃପୁରୁଷମାନଙ୍କର ଦୁର୍ଗତି ଚୂଡ଼ାନ୍ତ ସୀମାରେ ଉପସ୍ଥିତ ହୋଇଥିଲା । କାଳ–ମୂଷିକ ତାଙ୍କ ବଂଶବେଣାମୁଟାର ସମସ୍ତ ଚେର କାଟିଦେଇ ଗୋଟିଏ ମାତ୍ର ଅବଶିଷ୍ଟ ରଖିଥିଲା । ତାଙ୍କ ପିତୃପୁରୁଷମାନେ ସେହି ଚେରଟା ଧରି ଓହଳିଥିଲେ । ସେ ଗୋଟିକୁ ମୂଷା କାଟି ଦେଇଥିଲେ ପିତୃପୁରୁଷମାନେ ଦୁର୍ଗତିର ଅତଳ ଗହ୍ୱର ଗର୍ଭରେ ନିକ୍ଷିପ୍ତ ହୋଇଥାନ୍ତେ । ସେମାନଙ୍କର ଆସନ୍ନ ବିପଦ ଦେଖି ମୁନି ବିବାହ ବନ୍ଧନରେ ଆବଦ୍ଧ ହେଲେ । ବର କନ୍ୟାଙ୍କର ହାତଗଣ୍ଠି ସଙ୍ଗେ ସଙ୍ଗେ ଛିନ୍ନ ବେଣାଚେରଗୁଡ଼ାକର ଗଣ୍ଠି ପଡ଼ିଗଲା । ପିତୃଗଣ ଉଦ୍ଧାର ହୋଇଗଲେ– ନା ? କିଏ କାହାକୁ ଉଦ୍ଧାର କରେ ଭାଇ, ମାନବ ନିଜ କର୍ମଗୁଣରେ ଉଦ୍ଧାର ହୁଏ । ସେହିପରି ନିଜର ପୁଣ୍ୟ ଦେଇ ଅନ୍ୟକୁ କେହି ଉଦ୍ଧାର କରିପାରେ ନାହିଁ । ଧର୍ମ–ରାଜ୍ୟରେ ଧାର ବିକ୍ରୟ ବା ଦିଆ ନିଆ ଚଳେ ନାହିଁ । ସମସ୍ତେ ନିଜର କର୍ମଫଳ ଭୋଗ କରନ୍ତି ।’’ ବନ୍ଧୁ କହିଲା–‘‘ଆଚ୍ଛା, ତାହା ଜାଣି ହେଲା, ତେବେ ବିଧାତାର ସୃଷ୍ଟିରକ୍ଷା କିପରି ହେବ ?’’ ସନାତନ ହସ ହସି କହିଲା–‘‘ମୋ ପରି ଗୋଟାଏ ସାମାନ୍ୟ ଜୀବ ବିବାହ ନ କଲେ କି ବିଧାତାର ଅନାଦି କାଳର ସୃଷ୍ଟି ଝରଟା ଏକାବେଳକେ ଶୁଖିଯିବ ।’’ ବନ୍ଧୁଟି ହଠାତ୍ କିଛି ଉତ୍ତର ଖୋଜି ନ ପାଇ କହିଲା– ‘‘ସମସ୍ତେ ଯେବେ ତୁମ୍ଭ ପରି ବିବାହ ନ କରିବାକୁ ପ୍ରତିଜ୍ଞା କରନ୍ତି, ତେବେ ସୃଷ୍ଟି ଲୀନ ହେବା ବିଚିତ୍ର କଅଣ ?’’ ସନାତନ କହିଲା–‘‘ନା, ସମସ୍ତେ କେଉଁ ମୋପରି ହେବେ ନାହିଁ । ଖୁବ୍ ଅଳ୍ପ ଲୋକେ ଏ ବାଟରେ ଚାଲନ୍ତି ଏବଂ ଚାଲିବେ; ମାତ୍ର ସେମାନଙ୍କ ସଂଖ୍ୟା ପୃଥିବୀର ଲୋକସଂଖ୍ୟା ତୁଳନାରେ କିଛି ନୁହେଁ । ଆଉ ସମସ୍ତେ କେବେ ଏକମତ ହୋଇ ପାରିନାହାନ୍ତି କିମ୍ବା ହୋଇପାରିବେ ନାହିଁ । ସେପରି ହେଉଥିଲେ ପୃଥିବୀରେ ପାପପୁଣ୍ୟରେ ରାଜନୀତି ବା ଧର୍ମନୀତିରେ ଏତେ କଟକଣା ନ ଥାନ୍ତା । ସୃଷ୍ଟିରେ ସବୁ ଅସମାନ, କାହାରି ସହିତ କାହାରି ମେଳ ନାହିଁ, ଏମନ୍ତ କି ଦୁଇଟି ମନୁଷ୍ୟ ବା ଦୁଇଟି ଗଛ ଅଥବା ଦୁଇଟି ପଶୁ ଏକାପରି କେଉଁଠାରେ କେବେ ଦେଖାଯାଏ ନାହିଁ । ସୌଶାଦୃଶ୍ୟ ମଧ୍ୟରେ କିଛି ହେଲେ ବିଭିନ୍ନତା ଥାଏ । ଏପରି ସ୍ଥଳେ ସମସ୍ତଙ୍କର ମତ କି ଏକ ହୋଇପାରେ ? ଜଣେ ଶିଳ୍ପୀ ହାତରେ ଏକ ଛାଞ୍ଚରେ ଢଳା ଦୁଇଟି ପ୍ରତିମା ଏକାପରି ହୁଏ ନାହିଁ, କେଉଁଠି ହେଲେ ଟିକିଏ ବଙ୍କା ଦେଢା ରହିଯାଏ । ତଥାପି ଯଦି କେଉଁ ସୁଦୂର ମହାସତ୍ୟ ଯୁଗରେ ସମସ୍ତଙ୍କ ମତ ଏକ ହେବାର ଉଦ୍ଭଟ ଦୁର୍ଭରସା ତୁମ୍ଭର ଥାଏ, ତେବେ ସୁଦ୍ଧା ବନ୍ଧୁ ତୁମ୍ଭର କଳ୍ପିତ ସୃଷ୍ଟିନାଶର କିଛି ଆଶଙ୍କା ନାହିଁ । ଯେହେତୁ ସୃଷ୍ଟି ରକ୍ଷାର ତାର ମନୁଷ୍ୟ ଉପରେ ନାହିଁ । ଯାହାର ସୃଷ୍ଟି ସେହି ରକ୍ଷା କରିବ । ଅନନ୍ତର କାର୍ଯ୍ୟ କି ଶାନ୍ତ ମାନବ କରିପାରେ ? ହସ୍ତୀର ବୋଝ ପିପିଲ୍ଲିକା ବହି ପାରିବ ନାହିଁ ।’’ ବନ୍ଧୁଟି ବାରମ୍ବାର ଖୁଞ୍ଚା ଖାଇ ସୁଦ୍ଧା ନିବୃତ୍ତ ହେଲା ନାହିଁ । ସେ କହିଲା–‘‘ପିତାମାତଙ୍କର ଅବାଧ୍ୟ ହେବା ପୁତ୍ର ପକ୍ଷରେ ମହାପାପ ।’’ ସନାତନ କହିଲା– ତାହା ମୁଁ ଜାଣେ, ଆଉ ଜାଣେ ବୋଲି ଅଦ୍ୟାବିଧି କେବେ ତାଙ୍କର ଅବାଧ୍ୟ ହୋଇନାହିଁ, କି ଜୀବନରେ ହେବି ନାହିଁ । ମୁଁ ଯେବେ ଅନ୍ୟାୟ ପଥରେ ଚାଲିବି, ତେବେ ବାଧା ଦେବା ସେମାନଙ୍କର କର୍ତ୍ତବ୍ୟ । ଆଉ ନ୍ୟାୟପଥରେ ଧର୍ମପଥରେ ଚାଲିଲେ ସେମାନେ ବାଧା ଦେଇପାରିବେ ନାହିଁ, କି ତାହା ଅବାଧ୍ୟତା ହେବ ନାହିଁ ।’’ ବନ୍ଧୁମାନେ ଏହିପରି ଅନେକ ଯୁକ୍ତ କରନ୍ତି; ମାତ୍ର ସନାତନ ପ୍ରତିଜ୍ଞାରେ ପର୍ବତ ପରି ଅଚଳ ଅଟଳ । ଏକଥା ଶୁଣି ପିତାମାତାଙ୍କର ସନ୍ଦେହ ଏବଂ ଆଶଙ୍କା ବଢ଼ିଉଠିଲା । ପ୍ରତିବେଶୀମାନେ ବିନା ମୂଲ୍ୟରେ ପରାମର୍ଶ ଦେଲେ– ‘‘ଏ ରୋଗ ବଡ଼ କଠିନ, ବିଦାହ ତାହାର ଏକମାତ୍ର ଔଷଧ । ଏହିପରି ଢେର୍ କହନ୍ତି–ବୈଷ୍ଣବ ହେବି, ବୈରାଗୀ ହେବି; ମାତ୍ର ହାତଛଡ଼ା ହେଲେ ସବୁ ଉଡ଼ଙ୍ଗ କୁଆଡ଼େ ଉଡ଼ିଯାଏ-।’’ ନନ୍ଦଦମ୍ପତି ଏ ମୂଲ୍ୟବାନ ସୁପରାମର୍ଶ ମାହାଳିଆରେ ପାଇ ଶୀଘ୍ର ପୁତ୍ରର ବିବାହ ବିଷୟରେ ତତ୍ପର ହେଲେ । ସନାତନ ଭାବିଲା–‘‘ଏବେ ସର୍ବନାଶ, କିଛିଦିନ ଆତ୍ମଗୋପନର ନ କଲେ ଆଉ ନିସ୍ତାର ନାହିଁ ।’’ ଉତ୍ତେଜନାର ପରିଣାମ ବା ଭଲ ମନ୍ଦ ଭାବିବାକୁ ତାହାର ସମୟ ନାହିଁ; ସୁତରାଂ ‘‘ଯଃ ପଳାଇତି ସ ତିଷ୍ଠତି’’ ନୀତି ସାର କଲା । ସେ ଦିନେ ମାଛି ଅନ୍ଧାରରୁ ଉଠି ଇଷ୍ଟଦେବଙ୍କୁ ସ୍ମରଣ ଏବଂ ପ୍ରଣାମ କରି ତହିଁ ପରେ ପିତାମାତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରି ‘‘ସଙ୍କଟେ ମଧୁସୂଦନ’’ ସ୍ମରଣପୂର୍ବକ ଘରୁ ବାହାରି ଚାଲିଗଲା ।