ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୯ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଏକାଦଶ ପରିଚ୍ଛେଦ
ପ୍ରିୟପୁର ଗ୍ରାମରେ ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ଅଛି, ପାଠକମାନେ ଏହା ପୂର୍ବରୁ ଜାଣିଅଛନ୍ତି । ସରବରାକାର ବଂଶୀଧର ସେନାପତି ସେହି ସ୍କୁଲର ସଂପାଦକ । ସରବରାକାରୀରୁ ତାଙ୍କର ବାର୍ଷିକ ସହସ୍ରାଧିକ ଟଙ୍କା ଆଦାୟ ହୁଏ । ତାହା ଛଡ଼ା ଆଠହଳ ବଳଦର ଚାଷ ଅଛି; ସୁତରାଂ ଅବସ୍ଥା ଖୁବ୍ସ୍ୱଚ୍ଛଳ । ତାଙ୍କ ଦାଣ୍ଡ ଆଗରେ ଅଲଗା ଗୋଟାଏ ବଙ୍ଗଳା ଅଛି । ସେହି ବଙ୍ଗଳାରେ ସ୍କୁଲ ହୁଏ । ସେନାପତିଙ୍କର ଦୁଇଟି ପୁଅ ସ୍କୁଲରେ ପଢ଼ନ୍ତି । ସ୍କୁଲଦ୍ୱାରର ସମ୍ମୁଖସ୍ଥ ସ୍ୱୀୟ ପ୍ରଶସ୍ତ ପିଣ୍ଡାରେ ଖଣ୍ଡେ କମ୍ବଳ ବିଛାଇ ସେନାପତି ତାହା ଉପରେ ସିରସ୍ତା ବାଢ଼ି ସିହା, ଉଆରିକା ଏବଂ ଚେକ୍ପାଉତି ଖାତା ସଙ୍ଗରେ ଯୁଦ୍ଧରେ ପ୍ରବୃତ୍ତ ଥାଆନ୍ତି । ମଧ୍ୟେ ମଧ୍ୟେ ହଳିଆମାନଙ୍କୁ କାର୍ଯ୍ୟର ବରାତ୍କରନ୍ତି, ହାରି ଫେରାଦି ବୁଝନ୍ତି; ସର୍ବୋପରି ସ୍କୁଲର କାର୍ଯ୍ୟପ୍ରତି ଦୃଷ୍ଟି ରଖିଥାଆନ୍ତି । ଏକ ସଙ୍ଗରେ ଅନେକ କାର୍ଯ୍ୟ କରିବାକୁ ଲୋକେ କହନ୍ତି–ସେନାପତି ଅଷ୍ଟାବଧାନୀ ନୁହନ୍ତି–ବହୁ ଅବଧାନୀ । ଯେଉଁ ପିଲାମାନେ ପତା କରି ନ ଥାନ୍ତି, ମାଷ୍ଟର୍ସେମାନଙ୍କୁ ଠିଆ କରାଇ ଦିଅନ୍ତି । ତାହା ଦେଖି ସେନାପତି ହସି ହସି କହନ୍ତି–‘‘ମାଷ୍ଟର ବାବୁ, ଏଟା ଦଣ୍ଡ ନା ଦୟା । ବସି ବସି ଗୋଡ଼ ଲାଗିଯାଉଥିବ, ଟିକିଏ ଠିଆ ହେବା ଭଲ, ଏ ଯେ ଶାପରେ ବର । କିଏ ପତା କରି ନାହିଁ–ଗୋପୀ ବେହେରା ପୁଅ ନା ? ହଁ, ସେ ଚେଙ୍ଗଜଳକା ଭାରି ସଇତାନ୍। ଆରଟା କିଏ ? ପଞ୍ଜୁଆ କି ? ସେ ବି ବଦମାସଙ୍କର ଓସ୍ତାଦ୍। ସେ ମେଣ୍ଢାବାଳିଆଟା ତ ଚାଲନ୍ତା ଶଗଡ଼ରେ ହାତ ଦେବା ଲୋକ ! ପକାଅ ସେ ଦିଟାକୁ ଧାନକୁଟା ହେଟା ଗୁଡ଼ି ।’’ ଏରେ ମନେ ମନେ ଭାବୁଥାନ୍ତି–ଆହା, ଛୁଆଟାମାନେ କେତେବେଳୁ ଠିଆ ହେଲେଣି–ଗୋଡ଼ ଫାଟି ପଡ଼ୁଥିବ । ପୁଣି ଦଣ୍ଡକ ପରେ କହନ୍ତି–‘‘ମାଷ୍ଟରପୁଅ, ଆଛା ଏଥରକ ସେମାନଙ୍କଠାରୁ ଜାମିନ୍ମୁଚାଲିକା ନେଇ ବସିବାକୁ କୁହ; ଆଉ ଦିନେ ପଢ଼ା ନ କଲେ ପିଣିପିଣିଆ ବାଉଁଶଡ଼ାଙ୍ଗରେ ଡାଙ୍ଗେଇ ଦେଇଯିବ ।’’ ବାଳକମାନଙ୍କ ପ୍ରତି ସେ ସର୍ବଦା ଏହିପରି ସଦୟ ଶାସନ ପ୍ରୟୋଗ କରନ୍ତି । ସେନାପତି ମାଷ୍ଟରଙ୍କର ପିତୃବୟସୀ-। କେବେ ତାଙ୍କୁ ମାଷ୍ଟରବାବୁ, କେବେ ବା ମାଷ୍ଟରପୁଅ ବୋଲି ସ୍ନେହ ସମ୍ଭୋଧନ କରନ୍ତି । ଦିନେ ମାଷ୍ଟର ଜଣେ ଛାତ୍ର ପ୍ରତି ବିରକ୍ତ ହୋଇ କହିଲେ–‘‘ତୁ ରାମାୟଣଟା ଯାକ ପଢ଼ି ଶେଷ କଲୁ, ଆଉ ରାବଣ କେଉଁ ସ୍ଥାନରୁ ସୀତାଙ୍କୁ ଘେନିଗଲା, ଏତକ ମନେ ରଖି ପାରିଲୁ ନାହିଁ-?’’ ଏହା ଶୁଣି ସେନାପତି ପିଲାଟିକୁ ଡାକି କହିଲେ–‘‘କି ରେ, ପଞ୍ଚବଟୀ ବନସ୍ତରୁ ପରା ? ରାବଣେଶ୍ୱର ଯେତେବେଳେ ସୀତ୍ୟାଙ୍କୁ ହରଣ କରି ନେଲା, ପକ୍ଷୀଚଟା ଖଣ୍ଡେ ଯୁଧ୍ୟ କଲା । ହାୟ ରେ, ହାୟ ରେ, କି ହକିୟତ୍ସେ ! ତାହା ଶୁଣିଲେ କି ଆଖିରେ ଲୁହ ରହିବ ?’’ ପିଲାମାନେ ସେନାପତିଙ୍କ କଥା ଶୁଣି ହସି ଉଠିଲେ । ହାସ୍ୟର କାରଣ ସେ ମାଷ୍ଟରଙ୍କୁ ପଚାରନ୍ତେ ମାଷ୍ଟର ସଲ୍ଲଜ ହାସ୍ୟରେ କହିଲେ–‘‘ଆପଣ ରାବଣକୁ ରାବଣେଶ୍ୱର, ସୀତାଙ୍କୁ ସୀତ୍ୟା ଆଉ ଯୁଦ୍ଧକୁ ଯୁଧ୍ୟ ବୋଲି ଅଶୁଦ୍ଧ କରି କହିବାରୁ ପିଲା ମାନେ ହସୁଛନ୍ତି ।’’ ତହୁଁ ସେନାପତି କହିଲେ–‘‘ହଁ ହୋ, ଆମେ ମରହଟୀ ଲୋକ, ଅଶୃଧ୍ୟ ସଂଶୁଧ୍ୟ ଆମର କିଏ ଏତେ ବିଚାରୁଛି ? ସୀତା ଯେ–ସୀତ୍ୟା ସେ–ସୀତାୟା ବି ସେ–ସବୁ ଏକାକଥା । ଆଚ୍ଛା, ମାଷ୍ଟରପୁଅ, ଏବେ କେଉଁଠି ଯୁଧ୍ୟ ଲାଗିଛି ନା ?’’ ମାଷ୍ଟର କହିଲେ–‘‘ନା, ଜର୍ମନୀ ହାରିଗଲା, ଆମ ଚକ୍ରବର୍ତ୍ତୀ ଜିଣିଲେ; ଆଉ ଯୁଧ୍ୟଖବର କିଛି ଶୁଣାଯାଉ ନାହିଁ ।’’ ସେନାପତି କହିଲେ–‘‘ସେଥର ଯେତେବେଳେ ବିଲେଇତୀ ରଜା ସାଙ୍ଗରେ ଭାରତେସୁଇଁ ଘର ଯୁଦ୍ଧ ଲାଗିଥିଲା, ତେତେବେଳେ ମୁଁ କଲିକତାରୁ ଗଙ୍ଗାସ୍ନାନ କରିବାକୁ ଯାଇଥିଲି-। ଦିନେ ହୁଡ଼କ ଉଠିଲା–କୁଂପାନୀ ସମସ୍ତଙ୍କୁ ଯୁଧ୍ୟକୁ ନେଇଯିବ । ସେଇଠୁ ଛାଟିପିଟ ହୋଇ କିଏ କେଉଁ ବାଟେ ପଳାଇ ଆସିଲା ଯେ, ଆଉ କାହାରି ଧୂଳି ଦିଶିଲା ନାହିଁ । ଢେର ବେଳ ହେଲାଣି ମାଷ୍ଟରପୁଅ, ଏଇ ଚାରିଟା ହିସାବ ପଚାରି ପିଲାଙ୍କୁ ଛାଡ଼ିଦିଅ ।’’ ସଂପାଦକଙ୍କ ଆଦେଶାନୁସାରେ ମାଷ୍ଟର ମାନସାଙ୍କ ଚର୍ଚାରେ ମନୋନିବେଶ କଲେ । ସେ ଜଣେ ପିଲାକୁ ପଚାରିଲେ–‘‘ମାସକୁ ତିନି ଟଙ୍କା ହେଲେ ଦଶ ଦିନକୁ କେବେ ହେବ ?’’ ସେନାପତି ଏହା ଶୁଣି ତାଟଙ୍କା ହୋଇ କହିଲେ–‘‘ଏଡ଼େ କଷ୍ଟ ହିସାବ କଅଣ ପିଲାମାନେ କହିପାରିବେ ? ତିନି ଟଙ୍କାକୁ ମାସକ ତିରିଶ ଦିନରେ ହରି ତାକୁ ପୁଣି ଦଶଦିନକୁ ମାଗି ଦଶରେ ଗୁଣିବ; ଏଡ଼େ ହିସାବଟେ ପିଲାଏ ତୁଣ୍ଡେ ତୁଣ୍ଡେ କିମିତି କହିବେ ?’’ ମାଷ୍ଟର କହିଲେ–‘‘ତାହାର ସହଜ ସୁତ୍ର ଅଛି, ମାସକ ତିନି ଦଶ ଦିନ, ତିନି ଦଶକୁ ତିନି ଟଙ୍କା ହେଲେ ଦଶ ଦିନକୁ ଟଙ୍କାଏ ପଡ଼ିଲା ।’’ ସେନାପତି ଖୁସି ହୋଇ କହିଲେ–‘‘ଠିକ୍ଠିକ୍, ଏଡ଼େ ସହଜ ସୁତ୍ର ଅଛି ? କହନ୍ତି ସିନା, ସର୍କାରା ପାଠ ଏକା ଏକା ଅସଲ ପାଠ ।’’
ରାମା ସମୟ ସମୟରେ ଯାଇ ସେହି ସ୍କୁଲରେ ବସେ । କେବେ ପିଲାମାନଙ୍କୁ ପାଠ କହିଦିଏ, ମାନସାଙ୍କ ପଚାରେ, ସାନ ପିଲାଙ୍କର ହସ୍ତାକ୍ଷର ସଂଶୋଧନ କରିଦିଏ । ଏହିପରି ମାଷ୍ଟରଙ୍କର ଅନେକ ସହାୟତା କରେ । ମାଷ୍ଟର ମଧ୍ୟ ତାକୁ ଆନ୍ତରିକ ଭଲ ପାଆନ୍ତି । ସେଦିନ ମାଷ୍ଟରଙ୍କ ପାଖରୁ ସେ ଖଣ୍ଡେ ପାନ ଖାଇ ଯାଇଥିବାରୁ ମାଉସୀଙ୍କଠାରୁ ଯେଉଁ ଗାଳି ପୁରସ୍କାର ପାଇଥିଲା, ପାଠକ ତାହା ଜାଣିଅଛନ୍ତି । ଉଷା ତାକୁ ସ୍କୁଲକୁ ଯିବାକୁ ମନା କରନ୍ତି; ମାତ୍ର ସେ ତାହା ଶୁଣେ ନାହିଁ । ଏ ହେତୁ ରାମା, ମାଷ୍ଟର ଏବଂ ସ୍କୁଲ ଉଷାଙ୍କର ଚକ୍ଷୁଶୁଳ । ରାମର ବିଦ୍ୟାନୁରାଗ ଏବଂ ସାଧୁ ବ୍ୟବହାର ଦେଖି ସେନାପତି ତାକୁ ଆନ୍ତରିକ ସ୍ନେହ କରନ୍ତି । ତାଙ୍କ ପିଲା ଦୁଇଟିକୁ ପାଠ କହିଦିଏ ବୋଲି ତାଙ୍କ ଗୃହଣୀ ହରିପ୍ରିୟା ମଧ୍ୟ ରାମା ପ୍ରତି ସୁପ୍ରସନ୍ନା । ହରିପ୍ରିୟା ସମୟ ସମୟରେ ରାମାକୁ ଡାକି ନେଇ ଆଦର କରି ଜଳଖିଆ ଦିଅନ୍ତି–ଖିଆପିଆ ବେଳ ହୋଇଥିଲେ ଭାତ ଦିଅନ୍ତି । ପାଖରେ ବସାଇ ଦୁଃଖ କଷ୍ଟର କଥା, ମାଉସୀଘରର କଥା, ମାଉସୀଙ୍କ ବ୍ୟବହାର, ଏସବୁ ଶୁଣି ଅନୁକଂପାର ଦୀର୍ଘଶ୍ୱାସ ତ୍ୟାଗ କରି କହନ୍ତି–‘‘ହାୟ, ଯାହା କହନ୍ତି–‘‘ପର ଘର ଥାଇ ପର ପରାଣୀ, ଭୋକିଲା ଶୋଷିଲା ଦୁଇ ନ ଜାଣି ।’ ରାମ, ତୁ ମୋତେ ପରି ଭାବିବୁ ନାହିଁ; ମୋ ରାଣଟି, ଭୋକ କଲେ ମୋ କତିକି ଚାଲି ଆସି ଗୁଣ୍ଡାଏ ଖାଇଦେଇ ଯିବୁ । ମୋର ଚେମା, ଶୁକୁଟା, ଦିହେଁ ଯେମିତି; ତୁ ବି ସିମିତି ।’’ ଚେମା, ଶୁକୁଟା, ହରିପ୍ରିୟାଙ୍କର ଦୁଇଟି ପୁତ୍ରର ନାମ । ତାଙ୍କର ଅନେକ ପିଲା ମରି ମରି ଶେଷକୁ ଏହି ଦୁଇଟି ଅଛନ୍ତି । ପିଲା ଦୁଇଟି ସୁଶ୍ରୀ ଏବଂ ସକଳ; ସେମାନଙ୍କର ଚେମା, ଶୁକୁଟା ନାମ କେହି ଅନୁମୋଦନ କରିବେ ନାହିଁ । କିନ୍ତୁ ମାତୃହୃଦୟ ସର୍ବଦା ଆଶଙ୍କା–ପ୍ରବଣ, କଦର୍ଯ୍ୟ ନାମ ଶୁଣିଲେ ଯମ ଘୃଣା କରି ପାଖ ପଶିବ ନାହିଁ, ଏହି ଧାରଣାରେ ଏରୁପ ନାମ ରଖାଯାଇଅଛି । ସୁତରାଂ ସ୍ୱାସ୍ଥ୍ୟସଂପଦର ପୂର୍ଣ୍ଣ ଅଧିକାରୀ ହୋଇ ସୁଦ୍ଧା ପିଲା ଦୁଇଟି ଚେମା, ଶୁକୁଟା ଅପବାଦ ବୃଥାରେ ବହିଅଛନ୍ତି ଏବଂ ଆଜୀବନ ବହିଥିବେ । ହରିପ୍ରିୟାଙ୍କ ଅସରନ୍ତି ସ୍ନେହଧାରାରେ ଅଭିଷିକ୍ତ ହୋଇ ରାମା ସ୍ୱୀୟ ଭବିଷ୍ୟତ୍ସମ୍ବନ୍ଧରେ ଆଶ୍ୱସ୍ତ ହେଲା । ଚରିତ୍ରବଳ ଦ୍ୱାରା ବାଲ୍ୟ ଜୀବନରେ ଏହିପରି ଉଜ୍ଜ୍ୱଳ ଅମଳିନ ରେଖାପାତ ହୁଏ । ସ୍ନେହର ଅବସାନ ନାହିଁ; ତାହାର କ୍ରମବୃଦ୍ଧି ସମସ୍ତଙ୍କର କାମନୀୟ । ଏହି ଅଯାଚିତ ସ୍ନେହକୁ ଦୃଢ଼ କରିବା ସକାଶେ ରାମା ହରିପ୍ରିୟାଙ୍କ ସହିତ ଗୋଟାଏ ସଂପର୍କ ସ୍ଥାପନର ଇଚ୍ଛା କଲା । ଦିନେ ମୂର୍ତ୍ତିଏ ମହାପ୍ରସାଦ ଆଣି ହରିପ୍ରିୟାଙ୍କ ହାତରେ ଗୁଞ୍ଜି ଦେଇ କହିଲା–‘‘ତୁମେ ମୋର ଧରମ ଭଉଣୀ ।’’ ଏହା କହି ତାଙ୍କ ଗୋଡ଼ପାଖରେ ଗୋଟିଏ ଦଣ୍ଡବତ କଲା । ହରିପ୍ରିୟା ତାହା ମସ୍ତକରେ ସ୍ନେହର ସ୍ନିଗ୍ଧଶୀତଳ ହସ୍ତ ବୁଲାଇ ଦେଇ କହିଲେ, ‘‘ହଁ ରେ, ମୁଁ ତୋର ଭଉଣୀ, ଆଜି ନୁହେଁ, ଆଗରୁ ହୋଇସାରିଛି । ମୁଁ ଯେବେ ନୂଆଭୁଆସୁଣୀ ହୋଇ ଏ ଘରକୁ ଆସିଲି, ତେତେବେଳୁ ମୋର ଶାଶୁ ନଣନ୍ଦ, କି ଯାଆ ଯଉଳା କେହି ନାହାନ୍ତି । ତୋ ମା ସାଙ୍ଗରେ ଧରମ ମା ବସିଲି, ସେ ମୋତେ ଗାଧୋଇବାକୁ ନେଇଯାଏ, ଖୁଆଏ, ପିଆଏ ବୋଧ ଶୋଧ କରେ । ସେ ମୋତେ ଝିଅଠାରୁ ଅଧିକ ସ୍ନେହ କରୁଥିଲା । ହାୟ, ମୋର ସେ ଦେବାତୁଲ୍ୟ ଦୟାବତୀ ମା ଆଜି ସ୍ୱର୍ଗରେ ।’’ ଏହା କହୁଁ କହୁଁ ତାଙ୍କର ନେତ୍ର ଅଶ୍ରୁସିକ୍ତ ହୋଇ ଆସିଲା । ସେ ରାମାକୁ ପାଖକୁ ଟାଣି ନେଇ ସ୍ପେହାର୍ଦ୍ର କଣ୍ଠରେ କହିଲେ–‘‘ତୁ ମୋର ସାନଭାଇ, ମୋ ପାଖରେ ଲାଜ କରିବୁ ନାହିଁ ଯେତେବେଳେ ତୋର ଯାହା ଦରକାର, ମୋତେ କହିବୁ ।’’ ରାମା ଏ କଥା ଶୁଣି ସ୍ତମ୍ଭିତ ହୋଇଗଲା ଏବଂ ଭାବିଲା–‘‘ଏ ସାମାଦ୍ୟ ମାନବୀ ନୁହେଁ, ମାନବୀ-ହୃଦୟ କି ଏଡ଼େ ପ୍ରଶସ୍ତ ହୋଇପାରେ ! ଏ ମୋର ମାତୃଦେବୀଙ୍କର କରୁଣା, ମୋତେ ଆଶ୍ରୟ ଦେବା ପାଇଁ ମୂର୍ତ୍ତିମତୀ ହୋଇ ସ୍ୱର୍ଗରୁ ଓହ୍ଲାଇ ଆସିଅଛି-। ଏହାର ବଚନରେ କି କେବଳ ଅମୃତ ଅଛି–ହୃଦୟରେ କି ସ୍ନେହ, ଅନୁକଂପା ଭିନ୍ନ ଆଉ କିଛି ନାହିଁ-! ଦୟାଦେବୀ କି ଅଶ୍ରୁ ରୂପରେ ଏହାର ନେତ୍ରରେ ଆଶ୍ରୟ ନେଇଅଛନ୍ତି ? ଏ ଦେବୀ ନୁହେଁ–ଦେବୀର ଅରାଧ୍ୟା ମହାଦେବୀ ।’’ ଏହା ଭାବି ମାଉସୀ ଏବଂ ହରିପ୍ରିୟାଙ୍କର ତୁଳନା କଲା–‘‘ଗୋଟିଏ ଆଷାଢ଼ୀ ଅମାବାସ୍ୟାର ଘନଘଟା–ଚ୍ଛନ୍ମ ନିଶୀଥିନୀ, ଅପରଟି ବାସନ୍ତୀପୂର୍ଣ୍ଣିମାର ବିଶଦ ଜ୍ୟୋସ୍ନାମୟୀ ଯାମିନୀ; ଗୋଟିଏ ବିକ୍ଷଲତା, ଅପରଟି ଅମୃତ-ବଲ୍ଳରା; ଗୋଟିଏ ଉଗ୍ରା ମୁଖରା ଚଣ୍ଡାଲୁଣୀ, ଅପରଟି ଶାନ୍ତା ସୁଶୀଳା ସୁପବିତ୍ରା ବ୍ରାହ୍ମଣୀ; ଗୋଟିଏ ତପ୍ତ ବାଲୁକାମୟ ମରୁଭୁମି, ଅପରଟି ସ୍ୱଚ୍ଛଶୀତଳତୋୟା ତରଙ୍ଗିଣୀ; ଗୋଟିଏ ନରକର ଦୁର୍ଗନ୍ଧ ପଙ୍କ, ଅପରଟି ସ୍ୱର୍ଗର ସୌରଭମୟ ଶତଦଳ; ଗୋଟିଏ ଉଚ୍ଛିଷ୍ଟ ଜଳ, ଅପରଟି ତୀର୍ଥବାରି ।’’ ରାମାର ଆଶ୍ରୟରଜ୍ଜୁ ଏକଆଡ଼ୁ ଯେତେ ଫିଟିଯାଉଥିଲା, ଅନ୍ୟ ଆଡ଼େ ତେତେ ଗୁଡ଼ାଇ ହୋଇଯାଉଥିଲା । ଏକ ବୃକ୍ଷର ଲତା ଯାଇ ଅନ୍ୟ ବୃକ୍ଷରେ ମାଡ଼ିଲେ ପ୍ରଥମ ବୃକ୍ଷ ପ୍ରତି ସେ ଆଉ ପୂର୍ବ ପରି ନିର୍ଭର କରେ ନାହିଁ; ରାମା ସେହିପରି ହରିପ୍ରିୟାଙ୍କୁ ପାଇ ମାଉସୀଙ୍କ ପ୍ରତି କ୍ରମଶଃ ମମତାହୀନ ହେବାକୁ ଲାଗିଲା । ସେ ହରିପ୍ରିୟାଙ୍କୁ ନାନୀ ବୋଲି ଡାକେ; ଚେମା, ଶକୁଟା ତାହାକୁ ମାମୁ ବୋଲି ଡାକନ୍ତି । ରାମା ଏଣିକି ଅଧିକାଂଶ ସମୟ ସେନାପତିଙ୍କ ଘର ପାଖରେ କଟାଏ । ବାଳକ ସ୍ନେହର ବଶ; ସେ ଯାହାଠାରୁ ସ୍ନେହ ପାଏ, ତାହାକୁ ଆତ୍ମୀୟ କରିନିଏ । ଦିନେ ହରିପ୍ରିୟା କହିଲେ, ‘‘ରାମ, ତୁ ମୋତେ ଆଉ ତମେ ନ କହି ତୁ ବୋଲି କହିବୁ ।’’ ରାମା ଟିକିଏ କୁଣ୍ଠିତ ହୋଇ କହିଲା–‘‘ତୁ ବୋଲି କହିବାକୁ ମୋର ତୁଣ୍ଡ ଲେଉଟିବ ନାହିଁ ।’’ ହରିପ୍ରିୟା କହିଲେ–‘‘ନା, ମୋ ରାଣଟି, ତୁ ବୋଲି କହିବୁ ।’’ ସେହି ଦିନଠାରୁ ରାମା ତାଙ୍କୁ ଆଉ ତମେ ନ କହି ତୁ ବୋଲି କହେ ।
ଶରତ୍କାଳ ପରେ ହେମନ୍ତ ହିମକିରୀଟ ମସ୍ତକରେ ଧରି ବିଜେ ହେଲା । ବାତ୍ୟାବିକ୍ଷବ୍ଧ ସାଗର-ଗର୍ଭରେ ତରଣୀ ଇତସ୍ତତଃ ଧାବିତ ହେଲା ପ୍ରାୟ ନୀଳ ପ୍ରଶାନ୍ତ ଅନନ୍ତ ଅମ୍ବର ପ୍ରଦେଶରେ ବର୍ଷଣକ୍ଷାନ୍ତ ଘନଯୁଥ ଘୁରି ବୁଲିଲେ । ସୂର୍ଯ୍ୟ ବଡ଼ ବିମର୍ଷ । ତାଙ୍କର ମର୍ତ୍ତ୍ୟବାନ୍ଧବୀ ସରୋବରଜେମା କମଳିନୀ ମର୍ତ୍ତ୍ୟରୁ ବିଦାୟ ନେଇଅଛି । ସେ ଏଡ଼େ ବଡ଼ ଶୋକ ସହିବେ କିପରି ? ବଡ଼ଲୋକ ପ୍ରକାଶ୍ୟ ଭାବରେ କାନ୍ଦିଲେ ସମସ୍ତେ ତାଙ୍କୁ ଧୈର୍ଯ୍ୟହୀନ କହିବେ । ସୁତରାଂ ରଜନୀରେ କେଉଁ ଅଜ୍ଞାତ ଶୂନ୍ୟରେ ଲୁଚି ରହି ଶିଶିରଚ୍ଛଳରେ ଅଶ୍ରୁ ବର୍ଷଣ କଲେ । ପ୍ରେମିକର ସେହି ପୁଣ୍ୟାଶ୍ର, ପ୍ରେମିକାର ସମାଧିରେ ପୃଷ୍ଠବୃଷ୍ଟି ତୁଲ୍ୟ । ଲାଳସାବିହୀନ ପ୍ରେମ ବଡ଼ ପବିତ୍ର । ଧାନ୍ୟସୁସ୍ପର ମଧୁର ସୌରଭରେ ଚତୁର୍ଦ୍ଦିଗ ଆମୋଦିତ ହେଲା । ଧାନ୍ୟକ୍ଷେତ୍ରର ସ୍ଥାନେ ସ୍ଥାନେ ପକ୍ୱ ଆଶୁଧାନ୍ୟର କିଆରୀ ପ୍ରକୃତି ତାପସୀର ବସ୍ତ୍ରରେ ତାଳି ପଡ଼ିଲାପ୍ରାୟ ଦୁରରୁ ଦେଖାଗଲା । ଶତବର୍ଗ ଫୁଲ ଉଦ୍ୟାନରେ ଶତସ୍ୱର୍ଗର ସୁଷମାବିଭବ ଅଜାଡ଼ିଦେଲା । ଶତବର୍ଗ ଗଛଗୁଡ଼ିକ ଛତ୍ରଧର, ତାହାର ଫୁଲ ହେମନ୍ତର ହେମକାନ୍ତ ରାଜଚ୍ଛତ୍ର । ନଦୀର ଦୁଇକୂଳରେ ସୋରିଷ ଫୁଲ ଫୁଟି ହଳଦିଆ ଲୁଗା ଶୁଖା ହେଲା ପ୍ରାୟ ଦିଶିଲା । ନଦୀ ମୃଦୁ ହୁଳହୁଳୀ ଦେଇ ଚାଲିଲା । ଦୁଇ କୂଳରେ ପକ୍ଷୀମାନଙ୍କର ନହବତ ବସିଲା । ଏତେ ହଳଦିଆ ଲୁଗା–ଏକେ ଆୟୋଜନ କେଉଁ ଭାଗ୍ୟଧରର ବିବାହ ସକାଶେ, କିଏ କହିବ ? କାର୍ତ୍ତିକବ୍ରତୀଏ ରାତ୍ରି ଥାଉଁ ଥାଉଁ ସ୍ନାନ କଲେ । ସେମାନଙ୍କର ଶଙ୍ଖ ହୁଳହୁଳୀ ଶବ୍ଦ ଉଛୁଳି ପଡ଼ିଲା । ଦେବାଳୟରେ ମଙ୍ଗଳାଳତିର ଘଣ୍ଟା, ଘଡ଼ି, ଝାଞ୍ଜ, କର୍ତ୍ତାଳ, ମୃଦଙ୍ଗର ମଙ୍ଗଳ ମଧୁର ସ୍ୱର କର୍ଣ୍ଣରେ ଅମୃତ ବୃଷ୍ଟି କଲା । ଆନନ୍ଦ ଏବଂ ପବିତ୍ରତା ଚାରିଆଡ଼େ ଖେଳି ବୁଲିଲା । କାର୍ତ୍ତିକପୁର୍ଣ୍ଣିମାରେ ବ୍ରତ ଉଦ୍ଯାପିତ ହେଲା । ସେଦିନ ପ୍ରାତଃକାଳରେ ନଦୀବକ୍ଷ ଅସଂଖ୍ୟ କଦଳୀପଟନିର୍ମିତ ରଥରେ ଅପୂର୍ବଶ୍ରୀ ଧାରଣ କଲା । କେତେ ରଥ ଅନେକ ଦୂରଯାଏ ଭାସିଗଲା–କିଏ ଖଣ୍ଡେ ଦୂରରେ ଅଟକିଲା, କେହି ବା ଆଦୌ ଚାଲିଲା ନାହିଁ । ତଦ୍ଦ୍ୱାରା ପୂର୍ଣ୍ଣପୁଣ୍ୟ, ଖଣ୍ଡପୁଣ୍ୟ ଏବଂ ଅପୁଣ୍ୟ ସୁଚିତ ହେଲା । ରଥସ୍ଥ ଦୀପାବଳୀ ନଦୀର ସ୍ୱର୍ଣ୍ଣଫେନପୁଞ୍ଜ ପ୍ରାୟ ସୁନ୍ଦର ଦିଶିଲା । ରାତ୍ରିରେ ମଧୁର ମଧୁର ଶୀତ ବୋଧ ହେଲା । ହେମନ୍ତ କାଳ ବଡ଼ ସୁନ୍ଦର, ମଧୁର, ପବିତ୍ର ଏବଂ ଶାନ୍ତିପ୍ରଦ । କିନ୍ତୁ ଜ୍ୱରର ପ୍ରକୋପ ସର୍ବତ୍ର ଦେଖାଯାଏ । ସେ ଜ୍ୱରକୁ କାର୍ତ୍ତିକ-ନିଗିଡ଼ାଜ୍ୱର କହନ୍ତି । ସେ ବର୍ଷ ହରିପ୍ରିୟାଙ୍କୁ ଜ୍ୱର ହେଲା । ପ୍ରଥମତଃ ସେ ଜ୍ୱରକୁ ହେୟ ଜ୍ଞାନ କଲେ; ମାତ୍ର କିଛିଦିନ ପରେ ଜ୍ୱର ଭୀଷଣ ହୋଇଉଠିଲା । ପ୍ରଳାପ, ମୂର୍ଚ୍ଛା ପ୍ରଭୃତି ଲକ୍ଷଣ ମଧ୍ୟ ଦେଖାଗଲା । ସେନାପତିଙ୍କ ପରିବାର ଆଶଙ୍କାରେ ଅଧୀର ହୋଇ ଉଠିଲେ । ସବୁଠାରୁ ଅଧିକ ଅଧୀର ହେଲା ରାମା । ସେ କେତେ ଦେବତାଙ୍କର ଚରଣୋଦକ, ଚନ୍ଦନତୁଳସୀ ଏବଂ ପ୍ରସାଦୀପୁଲ ଆଣି ନାନୀଙ୍କର ଦୈବୀ ଚିକିତ୍ସା କଲା–କେତେ ଦେବତାଙ୍କୁ ଡାକିଲା–କେତେ ଦେବତାଙ୍କୁ ଭୋଗ ମାନସ କଲା; ମାତ୍ର କାହିଁରେ ଜ୍ୱର ଊଣା ହେଲା ନାହିଁ । ସେନାପତି ବୈଦ୍ୟ ଡାକି ଔଷଧର ବ୍ୟବସ୍ଥା କଲେ । ରାମା ନ ଖାଇ ନ ଶୋଇ ପ୍ରାଣପଣରେ ଚିକିତ୍ସା କଲା । ଜଗି ବସି ଯଥାସମୟରେ ଔଷଧ ଖୁଆଏ, ସ୍ୱହସ୍ତରେ ପଥ୍ୟ ପ୍ରସ୍ତୃତ କରିଦିଏ । ରୋଗିଣୀ ପଥ୍ୟ ନ ଖାଇଲେ ରାମା କାନ୍ଦିପକାଏ ଏବଂ କହେ–‘‘ମୋ ରାଣଟି ନାନି, ତୁ ଖା; ନ ଖାଇଲେ ମୁଁ ତୋରି ଗୋଡ଼ତଳେ ମୁଣ୍ଡ ପିଟି ଦେବି ।’’ ହରିପ୍ରିୟା ରୋଗି–ସୁଲଭ ଟିକିଏ ଫିକା ହସ ହସି କହନ୍ତି–‘‘ଆଛା, ତେବେ ଅଳ୍ପ ଦେ ।’’ ରାମାମୁଖରେ ହାସ୍ୟରେଖା କ୍ରନ୍ଦନ ମଧ୍ୟରେ ଫୁଟି ଉଠେ । ସେ କେଉଁ ଠାରୁ ଡାଳିମ୍ବ, କେଉଁ ଠାରୁ ସିଦୁଡ଼ି, କେଉଁଠାରୁ କମଳା ସଂଗ୍ରହ କରି ଆଣି କହେ–‘‘ନାନି, ଏ ସବୁ ଜରୁଆ ପାଟିକି ଭଲ ଲାଗେ ।’’ ଏ କଥା ମଧ୍ୟରେ କି ଅଗାଧ ସ୍ନେହ–କି ପ୍ରାଣର ମମତା ପ୍ରଚ୍ଛନ୍ନ ଥାଏ, ତାହା ହରିପ୍ରିୟା ବୁଝନ୍ତି । ଲୀଳାୟିତ ଆନନ୍ଦରେ ତାଙ୍କ ରୋଗର୍ଶର୍ଣ୍ଣ ହୃଦୟ ଫୁଲିଉଠେ । ସେ ହସି ହସି କହନ୍ତି–‘‘ରାମ, ଆର ଜନ୍ମରେ ତୁ ମୋର ପୁଅ ଥିଲୁ-।’’ ଔଷଧଠାରୁ ସେବାର ମୂଲ୍ୟ ଅଧିକ । ରାମାର ସେବାଶୁଶ୍ରୁଷାଗୁଣରେ ହରିପ୍ରିୟା ଧୀରେ ଧୀରେ ଆରୋଗ୍ୟ ଆଡ଼କୁ ଅଗ୍ରସର ହେଲେ । କ୍ରମଶଃ ତାଙ୍କ ଶରୀରରେ ବଳ ସଞ୍ଚିତ ହୋଇଆସିଲା । ସେ ରୋଗଶଯ୍ୟା ଛାଡ଼ି ଅଳ୍ପ ଅଳ୍ପ ଚଲାବୁଲା କଲେ । କେତେ ଦିନ ପରେ ତାଙ୍କର ନଷ୍ଟସ୍ୱାସ୍ଥ୍ୟ ବାରପଣ ଫେରି ଆସିଲା । ରାମାର ସୁପରିଚର୍ଯ୍ୟାର ପ୍ରଶଂସା ତାଙ୍କ ମୁହଁରେ ସର୍ବଦା ଲାଗି ରହିଲା-। ସେ କହିଲେ–‘‘ରାମ, ତୁ ମୋତେ ଯମମୁହଁରୁ ଛଡ଼ାଇ ଆଣିଲୁ; ତୋର ଏ ଉପକାର ମୁଁ ଶୁଝି ପାରିବି ନାହିଁ । ରାମା ଲଜ୍ଜିତ ହୋଇ କୃତ୍ରିମ କୋପ ପ୍ରକାଶପୂର୍ବକ କହିଲା–‘‘ଯା, ସେପରି କଥା କହିଲେ ମୁଁ ଆଉ ତୋ ଘରକୁ ଆସିବି ନାହିଁ । ଭାରି କାମଟେ କରି ପକାଇଲି ଯେ, ସେଥିଲାଗି ହରଘଡ଼ି ସେହି କଥା ତୋର ଭଜନମାଳ ହୋଇଛି ।’’
ହରିପ୍ରିୟାଙ୍କରଜ୍ୱର ଛାଡ଼ିଗଲା; ମାତ୍ର ଦୁର୍ବଳତା ଯାଇ ନାହିଁ । ଅଳଙ୍କାରବିରଳ ଶୀର୍ଣ୍ଣଶରୀରରୁ ଗୋଟାଏ ସ୍ନିଗଧ ସରଳ ସୌନ୍ଦର୍ଯ୍ୟ ଫୁଟି ବାହାରୁଅଛି । ସ୍ୱଭାବ ସୁନ୍ଦର ରୁପକୁ ଅଳଙ୍କାରରେ ଭାରାକାନ୍ତ କଲେ ତାହାର ସୌନ୍ଦର୍ଯ୍ୟ ନଷ୍ଟ ହୁଏ । ହରିପ୍ରିୟା ପିଣ୍ଡାରେ ଖୁଣ୍ଟକୁ ଆଉଜି ଗୋଡ଼ ଲମ୍ବାଇ ବସିଅଛନ୍ତି–କମଳ-କୋଳରେ ସୌରଭ ପ୍ରାୟ କୋଳରେ ଗୋଟିଏ ଶିଶୁ । ଏହି ସମୟରେ ରାମା ଗୋଟିଏ ସୁପୁଷ୍ଟ ସୁପକ୍ୱ ସପୁରିପଣସ ହାତରେ ଧରି ଉପସ୍ଥିତ ହେଲା । ଶିଶୁଟି ସୁନ୍ଦର ମୁଖରେ କୋଟି ଲାବଣ୍ୟର ହାସ ଖେଳାଇ କହିଲା–‘‘ଏ, ମାମ୍!’’ ରାମା ଫଳଟି ତାହା ପାଖରେ ଥୋଇଦେଲା । ଶିଶୁ ଫଳଟି ଧରି ଗୋଟାଯାକ ଗିଳିଦେବାକୁ ସମୁଦ୍ୟତ ହେଲା; ମାତ୍ର ବହୁ ଉଦ୍ୟମ ବିଫଳ ହେବାରୁ ଶେଷରେ ଗୋଡ଼ରେ ଫଳଟି ଗଡ଼ାଇ ଦେଇ କହିଲା–‘‘ଦାଃ । ଅନନ୍ତର ଠିଆ ହୋଇ ଜନନୀର ବାମକର୍ଣ୍ଣଟି ଭୋଜନ କରିବାକୁ ଚେଷ୍ଟା କଲା । ଜନନୀ ଟାଣି ଆଣି କୋଳରେ ବସାଇଲେ । ଶିଶୁର ଲୀଳା ଦର୍ଶନରେ ହରିପ୍ରିୟା ଏବଂ ରାମା ଉଭୟେ ନିବିଷ୍ଟମନା ଥିବାରୁ ଏ ପର୍ଯ୍ୟନ୍ତ କେହି କାହାକୁ କିଛି କହି ନ ଥିଲେ । ଏବେ ହରିପ୍ରିୟା କଥା କହିଲେ । ସେ ରାମା କୁ ଅନାଇ ପଚାରିଲେ–‘‘ଏ ସପୁରିପଣସଟି କେଉଁଠୁ ଆଣିଲୁ ?’’ ରାମା କହିଲା–‘‘ଜଣକର କଲିକତାକୁ ଖଣ୍ଡେ ଭାଷା ଲେଖି ଦେଇ ଆସିଲି, ସେ ଯାଚିକରି ଦେଲା । ନାନି, ତୁ ଏଥିରୁ ତାରି ଖଣ୍ଡ ଖାଇଲେ ତୋର ଜର ଅରୁଚି ଛାଡ଼ିଯିବ; ମୁଁ କାଟି ଆଣେ ?’’ ନାନୀ ଟିକିଏ ହସି ଦେଇ ରାମା ସିଠିରେ ବାତ୍ସଲ୍ୟହସ୍ତ ବୁଲାଉଁ ବୁଲାଉଁ କହିଲେ–‘‘ନା ରେ, ମୋର ଅରୁଚି ଛାଡ଼ିଗଲାଣି ।’’ ରାମା ବାଳକୋଚିତ ଅଜଟିଆ ସ୍ୱରରେ କହିଲା–‘‘ହଁ, ଛାଡ଼ିଗଲାଣି ! ତୁ କିଛି ଖାଉ ନାହୁଁ–ବଞ୍ଚିବୁ କିମିତି ? ନା, ତୁ କହ, ମୁଁ କାଟି ଆଣେ ।’’ ରାମାର ଏହି ଆତ୍ମୀୟତାରେ ମୁଗ୍ଧ ହୋଇ ହରିପ୍ରିୟା କହିଲେ–‘‘ନା ରେ ରାମ, ତୋ ନାନୀ ମରିବ ନାହିଁ–ତୁ ଭାବନା କର ନା ।’’ ଏହି ସମୟରେ ଶିଶୁଟି ତାହାର କ୍ଷୁଦ୍ର କୋମଳ ସୁନ୍ଦର ହାତ ଦୁଇଟି ରାମ ଆଡ଼କୁ ବଢ଼ାଇ ଦେଇ କହିଲା–‘‘ଦେ, କାମ୍ ।’’ ଶିଶୁଟି ହରିପ୍ରିୟାଙ୍କର କନ୍ୟା ଉମା । ରାମା କହିଲା–‘‘ହେଇ ଉମା କହିଲାଣି ଖାଇବ ।’’ ଏତିକି ମାତ୍ର କହି ଆଉ ନାନୀଙ୍କ ସମ୍ମତିର ଅପେକ୍ଷା ନ ରଖି ପଣସ କାଟିବାକୁ ଚାଲିଗଲା । କେତେ କ୍ଷଣପରେ ଗୋଟାଏ ପଥର ଥାଳୀରେ ଖଣ୍ଡୀକୃତ ସପୁରୀ ଥାଳୀଏ ଘେନି ଫେରି ଆସିଲା । ହରିପ୍ରିୟା କହିଲେ–‘‘ସେ ଘର ସିନ୍ଦୁକ ଉପରେ ରଖି କିଛି ଢାଙ୍କ ଦେଇଥା, ସେ ଆସିଲେ ତାଙ୍କୁ ଦବୁ, ପିଲାଙ୍କୁ ଦବୁ, ତୁ ଖାଇବୁ, ଆଉ ମୋତେ ଦିଖଣ୍ଡ ଦବୁ ।’’ ରାମ ଆଦେଶ ପାଳନ କଲା । ହରିପ୍ରିୟା ଦଣ୍ଡେଯାଏଁ ତାହା ମୁହଁକୁ ଚାହିଁ ରହି ପଚାରିଲେ–‘‘ତୋ ମୁହଁ ଶୁଖିଲା ଦିଶୁଛି କାହିଁକି ରେ ରାମ, ଖାଇ ନାହୁଁ କି ?’’ ରାମା ତଳକୁ ଚାହିଁ କହିଲା–‘‘ହଁ, ଖାଇଛି ।’’ ନାନୀ କହିଲେ–‘‘ତୋ ମନ ଖୁସି ନାହିଁ କାହିଁକି–କେହି ଗାଳି ଦେଇଚି କି ରେ ?’’ ରାମ ମୁହଁ ଥମ୍ଥମ୍କରି କହିଲା–‘‘ଗାଳି ମୋର କେତେବେଳେ ଛାଡ଼ କି !’’ ଏହି ସମୟରେ କାହାର ଦମ୍ଦମ୍ପଦଶବ୍ଦ ଶୁଭିଲା । ଭାଇ ଭଉଣୀ ଦୁହେଁ ଦ୍ୱାରଆଡ଼କୁ ଉତ୍ସୁକଦୃଷ୍ଟିରେ ଚାହିଁ ରହିଲେ । କ୍ଷଣକ ପରେ ଉଷାଙ୍କର ମୂର୍ତ୍ତି ଦେଖାଗଲା । ରାମର ମୁହଁ କଳା ପଡ଼ିଗଲା । ଉଷା କ୍ରୁଦ୍ଧା ତଂସୃଣୀ ପ୍ରାୟ ଫଁ ଫଁ ହୋଇ ବ୍ୟର୍ଥରାଗରେ ଫୁଲି ଉଠି କହିଲେ–‘‘ତମର ଭଲା ଏ କି ବିଚାର ଚେମାମା ? ସବୁବେଳେ ଯେ ଟାମା ତମ ଘରେ ଆସି ବସୁଚି, ତମେ କେବେ ହେଲେ ବି ତାକୁ ଦାଣ୍ଟୁ ନାହିଁ ?’’ ଏ କଥା ଶୁଣି ହରିପ୍ରିୟାଙ୍କର ଗୋଡ଼ଠାରୁ ମୁଣ୍ଡ ଯାଏଁ କ୍ରୋଧାଗ୍ନି ଚରିଗଲା । ସେ ଆତ୍ମସମ୍ବରଣ କରି କହିଲେ–‘‘କି ଅନ୍ୟାୟ କାମଟା ସେ କରି ପକାଇଲା ଯେ, ମୁଁ ତାକୁ ଦାଣ୍ଟିବି ? ପିଲା ଲୋକ, ଟିକିଏ ଖେଳିଲା ବୁଲିଲା; କଅଣ ହେଲା ?’’
ଉଷା–ତେବେ ତମେ ତା’ ମୁହଁ ବଢ଼ଉଚ ।
ହରିପ୍ରିୟା–ବେଶ୍କଲି, ମୁହଁ ବଢ଼େଇଲି । ତା ମୁହିଁ ବଢ଼ି ନାହିଁ ଯେ, ତମେ ତାକୁ ସବୁବେଳେ ଗାଳି ଦେଇ ଦେଇ ତମରି ମୁହଁ ବଢ଼ିଯାଇଚି ।
ଉଷା–ମୋ ଗାଳିଟା ତମକୁ ଏତେ ବାଧେ କାହିଁକି ?
ହରିପ୍ରିୟା–ମୁଁ ପିଲାଛୁଆର ମା, ମୋତେ ବାଧିବ ନାହିଁ ? ସେ ମୋର ଧର୍ମର ଭାଇ; ମୋତେ ବାଧିବ ନାହିଁ ଆଉ କାହାକୁ ବାଧିବ ? ମା’ ବାପଛେଉଣ୍ଡିଆ ପିଲାଟାକୁ ତମେ କାହିଁକି ସବୁବେଳେ ଗାଳି ଦେବ, ତା ପ୍ରାଣକୁ କଅଣ ବାଧିବ ନାହିଁ ?
ଉଷା–ମୋ ଘରେ ରହିଚି; ଭଲ ମନ୍ଦରେ ମୁଁ ପଦେ କହିବି ନାହିଁ ?
ହରିପ୍ରିୟା–ସେ କଅଣ ତମର କିଣା ଚାକର ହୋଇ ତମ ଘରେ ରହିଚି ? ତାହାର ସବୁ ଖାଇଲ, ଆଉରି ତା ଉପରେ ଗାଳି ?
ଉଷା ଅଧେ କ୍ରୃଦ୍ଧ ଅଧେ ଭୀତ ହୋଇ କହିଲେ, ‘‘ଆମେ ତାର କଅଣ ଖାଇବୁଁ ?’’ ହରିପ୍ରିୟା ଟିକିଏ ଉତ୍ତେଜିତ ହୋଇ କହିଲେ–‘‘କଅଣ ଖାଇଲ କେହି ଜାଣେ ନାହିଁ–‘ହାତୀ ମଲା କୁଲା ଢାଙ୍କୁଣୀ ପଡ଼ିଛି ।’ ତା‘ ବାପର ଟଙ୍କା ନ ପାଇଥିଲେ କଉଁଠି ଉଛୁଣିକା ବଡ଼ ମହାଜନ ବୋଲାଉଥାଆନ୍ତ ?’’ ଉଷା ଏ କଥା ଶୁଣି ଏକାବେଳକେ ଶୀତଳ ହୋଇ ପଡ଼ି ହରିପ୍ରିୟାଙ୍କ ବାକ୍ୟବାଣ ସହଜରେ ହଜମ କରିଦେଲେ । ଟଙ୍କା କଥା କାଳେ ଅଧିକ ପ୍ରକାଶ ହୋଇପଡ଼େ, ଏହି ଆଶଙ୍କାରେ ‘‘ହଁ, ସେ ଭାରି ଟଙ୍କାଟିଆ’’–କେବଳ ଏତିକି କହ ଫେରିଗଲେ । ନଚେତ୍ସେ ଯୁଦ୍ଧରେ ପୃଷ୍ଠଭଙ୍ଗ ଦେବାର ପାତ୍ରୀ ନୁହନ୍ତି । ଏହି ବାଦାନୁବାଦ ମଧ୍ୟରେ ରାମ କେତେବେଳେ କେଉଁବାଟେ ଯାଇ ମଉସା ଘର ପିଣ୍ଡାରେ ବସିଲାଣି । ଆଜି ତାହାର ଆଉ ନିସ୍ତାର ନାହିଁ । ଅତଃପର କି ଶାସ୍ତି ତାହା ଭାଗ୍ୟରେ ଅଛି, ତାହାହିଁ ଭାବୁଅଛି । ଅନୁତାପ ଏବଂ ଆତ୍ମଗ୍ଳାନି ଦୁଷ୍ଟ କୀଟ ପରି ତାହା ହୃଦୟକୁ କୋରି ପକାଉଅଛି । ସେ କାହିଁକି ନାନୀ ଘରକୁ ଗଲା, ନ ଯାଇଥିଲେ ତ ଆଉ ଏତେ ଭାବିବାକୁ ହୁଅନ୍ତା ନାହିଁ । ଏହିପରି ନାନା କଥା ଭାବି ସେ ଆସନ୍ନ ବିପଦ ପ୍ରତୀକ୍ଷାରେ ଭୀତଚିତ୍ତରେ ମୁହଁ ଶୁଖାଇ ବସିଅଛି । ଏହି ସମୟରେ ସୁଭଦ୍ରା ଆସି କହିଲା,–‘‘ତୁ କୁଆଡ଼େ ଯାଇଥିଲୁ ରାମା ଭାଇ ? ମା ତୋତେ କେତେ ଗାଳିଦେଇ ଖୋଜିବାକୁ ଯାଇଛି । ତୁ ଆମର ଏତେ କାମ କରୁଛୁ, ତେବେ ବି ନିଆଁ ମାଟ, ତୋତେ ଦେଖିପାରୁ ନାହିଁ ।’’ ରାମା ତାହା ମୁହଁକୁ ଅନାଇ ଟିକିଏ ହସି ଦେଇ ତାହା ମୁଣ୍ଡରେ ଗୋଟାଏ କ୍ଷୁଦ୍ର ସ୍ନେହଚାପଡ଼ା ମାରି କହିଲା–‘‘ଦୂର ବାୟାଣି, ତାହା କହନ୍ତି ନାହିଁ । ସୁଭଦ୍ରା ସହାନୁଭୁତିବେଳା ଅଭିମାନ ସ୍ୱରରେ କହିଲା–‘‘ହଁ, କହନ୍ତି ନାହିଁ, ତୁ ଯେ କାନ୍ଦୁ ! ମିଛ ନୁହେଁ ରାମା ଭାଇ, ମା ଯେତେବେଳେ ତୋତେ ଗାଳିଦିଏ, ମୋତେ ଭାରି ବିକଳ ଲାଗେ–ମୁଁ ତୋ କାନ୍ଦଣା ସହିପାରେ ନାହିଁ, ମୋତେ ବଡ଼ ବାଧେ ।’’ ଏହିପରି ନାନା କଥା କହି ସହାନୁଭୁତିରେ ରାମାକୁ ଆଚ୍ଛନ୍ନ କରି ପକାଇଲା । ରାମା ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ମନେ ମନେ କହିଲା–‘‘ ହାୟ, ଏ ବାଳିକାଟି ଗୋବର ଗଦାର ପଦ୍ମଫୁଲ ।’’ ଏହି ସମୟରେ ଉଷା ରାଗରେ ଗରଗର ହୋଇ କାହା ଉଦ୍ଦେଶ୍ୟରେ ବିବିଧ ଅଖାଦ୍ୟ ଅପେୟର ବ୍ୟବସ୍ଥା କରି କରି ଘର ପାଖରେ ଆସି ଉପସ୍ଥିତ ହେଲେ । ରାମାକୁ ଦେଖି କିଛି କହିଲେ ନାହିଁ–କେବଳ ବିଷବୋଳା ଅନଳନେତ୍ରରେ କେତେ ଥର ଚାହିଁ ଚାହିଁ ଘରଭିତରକୁ ଚାଲିଗଲେ ।