ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୨ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ପରିଚ୍ଛେଦ
‘‘ସଙ୍ଗାତେ ଘରେ ଅଛ ନା, ସଙ୍ଗାତେ, ହେ ସଙ୍ଗାତେ !’’ ଉଷା ଖରପଦକ୍ଷେପରେ ଗୃହାନ୍ତରରୁ ଆସି ସ୍ୱାମୀଙ୍କୁ କହିଲେ–‘‘ତମକୁ ଟାମା ବାପ ଡାକୁଛନ୍ତି ।’’ ଟାମା ଅର୍ଥ ରାମା । ଉଷାଙ୍କ ଶ୍ୱଶୁର ନାମ ରାମ ଦାସ; ସୁତରାଂ ସେ ରାମା ବୋଲି କିପରି କହିବେ ? ପତିକୁଳର ଗୁରୁଜନମାନଙ୍କ ନାମ ବାଆଁରେଇ କହିବା ହିନ୍ଦୁ ନାରୀମାନଙ୍କ ଚିରନ୍ତନୀ ଧାରା । କିନ୍ତୁ ପିତୃକୁଳର ଗୁରୁଜନମାନଙ୍କ ନାମ ଧରିବାରେ ସେରୂପ କିଛି ବାଧ୍ୟବାଧକତା ନାହିଁ; କେବଳ ପତିକୁଳର ଗୁରୁଜନମାନଙ୍କ ନାମ ଉଚ୍ଚାରଣ କରିବା ମହାପାପ ! ଦାସେ ତେତେବେଳେ ଖଣ୍ଡେ ଚିରାଲୁଗା ସିଉଁ ଥିଲେ । ଛୁଞ୍ଚିମୁନ ପରି ତାଙ୍କର ମନ ଲୁଗାରେ ଲାଖି ରହିଗଲା । ପତ୍ନୀଙ୍କ କଥା ଶୁଣି ତାଙ୍କର ଦୃଷ୍ଟି ଲୁଗାରୁ ବାହାରି ଆସି ପତ୍ନୀଙ୍କ ମୁଖାରବିନ୍ଦରେ ନିବଦ୍ଧ ରହିଲା । ସେ କିଛିକ୍ଷଣ ଫଲ ଫଲ ହୋଇ ଚାହିଁ ରହି ପଚାରିଲେ–‘‘କିଏ ଡାକୁଛି ?’’ ଉଷା କପଟରୋଷ ପ୍ରକାଶପୂର୍ବକ କଥା ଉପରେ ଟିକିଏ ତୋର ଦେଇ ଈଷତ୍ଲଘୁସ୍ୱରରେ କହିଲେ–‘‘ତମରି ସଙ୍ଗାତ ଡାକୁଛନ୍ତି । ସେ ପହଡ଼େ ହେଲା ଦାଣ୍ଡରେ ଠିଆ ହୋଇ ପଣେ କିଛି ବୋଡ଼ି ଡାକ ମାରି ହାଲିଆ ହୋଇଗଲେଣି, ତମ ଗଭୀର କାନକୁ କଅଣ ଶୁଭୁ ନାହିଁ ? ଏ କି କାନ ଲୋ ମା, କମାରଶାଳରୁ କାନଟା ପକେଇ ଆଣୁ ନାହଁ ।’’ ଦାସେ ଟିକିଏ ହସି ଦେଇ କହିଲେ–‘‘ହଁ, ତମରି ଜିଭ ପରି କାନଟାକୁ ଶାଣ ଦେଇ ଆଣିଲେ ହୁଅନ୍ତା-।’’
ଉଷା–କି,ମୋ ଜିଭଟା କଅଣ ଏଡ଼େ ଧାରୁଆ ?
ଦାସେ–ରାମ୍ ରାମ୍, କିଏ କହିଲା ? ତମ ଜାତିର ଜିଭ ପୁଣି ଧାରୁଆ ହେବ ? ଯେଉଁ ଜିଭ କତିରେ ଓକିଲ ବାରିଷ୍ଟର ହାର ମାନିବେ, ସେ ଜିଭ କି କାହାର ଧାରୁଆ ହୋଇପାରେ ? ସାଙ୍ଗେ ସାଙ୍ଗେ ଧାର ଶୁଝିଦେଇ ପୁଣି କରଜ ଲଦି ଦେବ ।
ଉଷା–ତେବେ ମାଇପେ ସବୁ ମହାଜନ, ଆଉ ମିଣିପେ ସବୁ ଖାତକ ?
ଦାସେ–ଯୁଗେ ଯୁଗେ, ନା ଆଜି ?
ଉଷା–କାହିଁକି ତମେ ଏତେ ଧାରୁଆ ହୁଅ ?
ଦାସେ–ଯୁଗ ନ ଗଲାକୁ । ନ ହେଲେ ଉପାସ ରହିବାକୁ ହେବ ଯେ ! ଆଉ ରାନ୍ଧିଦେବ କିଏ ?
ଉଷା–ରାନ୍ଧିବା ଛଡା ଆମର ଆଉ କିଛି ଗୁଣ ନାହିଁ ?
ଦାସେ–ହଁ, କଳି କରିବା, ଗାଳି ଦେବା, ଘର ଭାଙ୍ଗିବା, ଆଡ଼ରୁଷା ଦେଇ ବସିବା–ଏହିପରି ଢେର ଢେର ମହତ୍ଗୁଣ ଅଛି । ତମ ଜାତିଟା ଗୁଣର ଖଣି; ଗୁଣ ନାହିଁ ବୋଲି କିଏ କହିବ-?
ଉଷା–ତେବେ ନିଜେ ନିଜେ ରାନ୍ଧି ଖାଅ ନାହିଁ କାହିଁକି ?
ଦାସେ–ବିଧାତା ଯୋଗ୍ୟତା ଦେଇଥିଲେ ଆଉ ଏତେ ହଟହଟା କାହିଁକି ହୁଅନ୍ତୁ ?
ଉଷା–ହଟାହଟା କଅଣ ?
ଦାସେ–ଏଇ ଖାଇବା ପିନ୍ଧିବାକୁ ଦେଇ ମନ ଯୋଗାଇ ସବୁ ଫରମାୟ ଗୋଡ଼ କତିରେ ହାତରେ କରି ସୁଦ୍ଧା ବେଳକେ ରୁଟି ଛକେରା !
ଉଷା–ଯାଅ ଯାଅ, ଢେର କହିଲଣି । ଏବେ ସଙ୍ଗାତ କଙ୍କଡା ଗାତକୁ ସଙ୍ଖୋଳିବ ଯାଅ-।
ଦାସେ ଆଉ କିଛି ନ କହି ଉଠିଗଲେ । ଦାଣ୍ଡ କବାଟ ଖୋଲି ଦେଇ ହର୍ଷୋଜ୍ଜ୍ୱଳ ମୁଖରେ କହିଲେ, ‘‘ଏ କିଏ ସଙ୍ଗାତେ, ଘରକୁ ନ ଆସି ଦାଣ୍ଡଟାରେ କାହିଁକି ଠିଆ ହୋଇଛ ? ଆସ ଆସ, ମୁଁ ବିଛଣା ଖଣ୍ଡେ ଆଣେ ।’’ ଆଗନ୍ତୁକ କହିଲେ–‘‘ନା ନା, ବିଛଣାର ଦରକାର ନାହିଁ, ଭାରି ଜରୁରୀ କାମ ଅଛି । ତମେ ଟିକିଏ ଆମ ଘରଯାଏ ଆସ ।’’
ଦାସେ–କାମଟା କଅଣ, ଶୁଣେ ।
ଆଗନ୍ତୁକ–ଆମ ଘରକୁ ଗଲେ ନୀରୋଳାରେ କହିବି ।
ଦାସେ–ଏଠି ଆଉ କିଏ ଅଛି କି ?
ଆଗନ୍ତୁକ–କେହି ନ ଥିଲେ ସଙ୍ଗାତୁଣୀ ତ ଅଛନ୍ତି, ଷଡ଼କାନ ମନ୍ତ୍ରଭେଦ ।
ଦାସେ–ମୁଁ ତାଙ୍କୁ ମନା କରିଦେବି, ସେ କାହାରି ପାଖରେ କହିବେ ନାହିଁ ।
ଆଗନ୍ତୁକ–ନା, ନା, ସଙ୍ଗାତ, ସେ ଜାତକି ବିଶ୍ୱାସ ନାହିଁ । ସେମାନଙ୍କ ପେଟରେ କଥା ତୀର୍ଣ୍ଣ ହୁଏ ନାହିଁ । ଯାହା ଶୁଣିବେ, ତାହା ଅନ୍ୟକୁ ନ କହିବାଯାଏ କଥାଟା ଶୂଳ ବ୍ୟାଧି ପରି ତାଙ୍କ ପେଟକୁ ବିନ୍ଧେ । ଅନ୍ୟ ପାଖରେ ଓକାଳି ପକାଇଲେ ଯାଇଁ ପେଟ ଥଣ୍ଡା ହୁଏ ।