ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୧୨ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ପରିଚ୍ଛେଦ
ରାମାକୁ ଜ୍ୱର; ଦୁଇ ଦିନ ହେଲାଣି ତାହା ପେଟକୁ ଗୋଟାଏ ଦାନା କି ଟୋପାଏ ପାଣି ଯାଇ ନାହିଁ । ଦୁଇ ଦିନ ଜ୍ୱରରେ ଟୋକାଟା ଝଡ଼ିଗଲାଣି । ସେ କୁଞ୍ଚକାନି ଘୋଡ଼ି ଯାକିଯୁକି ହୋଇ ଦାଣ୍ଡପିଣ୍ଡାରେ ଶୋଇଅଛି । ଭିତରୁ ମାଉସୀ ଡାକିଲେ–‘‘ଟାମା ରେ ଟାମା’’ । ରାମା ଅତି କଷ୍ଟରେ ଉଠି କହିଲା–‘‘ହଁ, ଯାଉଛି ।’’ ଏ କଥା ମାଉସୀଙ୍କ କାନକୁ ଶୁଭିଲା କି ନାହିଁ, ତାହା ଅନ୍ତର୍ଯ୍ୟାମୀଙ୍କୁ ଗୋଚର; ମାତ୍ର ସେ ନ ଶୁଣିଲା ପରି ପୁନଶ୍ଚ ଡାକିଲେ–‘‘ରେ ଟାମା, କି ରେ କାନରେ ନିଆଁ ଲାଗିଛି କି ? ପାଞ୍ଚକାହାଣ ଡାକ ଉଡ଼ିଗଲାଣି, ମୁହଁରୁ ପଦେ ଭାଷା ବାହାରୁ ନାହିଁ ।’’ ରାମା କହିଲା–‘‘ମୁଁ ତ ଜବାବ ଦେଇ ଆସୁଛି, ଆଉ ନ ଶୁଣିଲି କିମିତି ? ଜମାରୁ ତ ତିନିଥର ଡାକିଲୁ, ପାଞ୍ଚକାହାଣ ବୋଲି କିମିତି କହୁଛୁ ? ଆସିବାଯାଏଁ ହେଉ ନାହିଁ ନା କଅଣ ?’’ ଉଷା ଧମକ ଦେଇ କହିଲେ–‘‘କି ରେ, ତୁ ତ ଭାରି ବଢ଼ି ବଢ଼ି କଥା କହୁଛୁ ? ଯା, ଏହି ଗଗରା ନେଇ ପୋଖରୀରୁ ଗଗରେ ପାଣି ଆଣ ।’’ ରାମା କହିଲା–‘‘ଜରରେ ମୋ ଦେହ ଥରୁଛି, ମୁଁ ଯାଇ ପାରିବି ନାହିଁ । ଉଷା କହିଲେ–‘‘କଅଣ କହିଲୁ–ଯାଇ ପାରିବୁ ନାହିଁ ? ଆଉ ଖାଇ ପାରିବୁ ନା ? ତୋ ଚୌଦପୁରୁଷର ମୁଁ କିଛି ଖାଇଚି କି ରେ–ରାନ୍ଧି ବାଢ଼ି ପରଶିବି, ତୁ ଗିଳିବୁ ? ଖାଇବାବେଳକୁ ଫାଲୁଆ ଗୁଣ୍ଡା ବଲି ଗେଫି ଦେବ, ଆଉ କାମଟାଏ କରିବାବେଳକୁ ଗତର ଛିଡ଼ି ପଡ଼ୁଛି ।’’ ରାମା ଟିକିଏ ବିରକ୍ତ ହୋଇ କହିଲା–‘‘ତୁ ସବୁବେଳେ ମୋ ଚୌଦପୁରୁଷ ନାଁ ଧରିବୁ ନାହିଁ ।’’ ଉଷା ରେଳ ଇଞ୍ଜିନ ପରି ରକ୍ତନେତ୍ର ଧପ୍ ଧପ୍ କରି କହିଲେ–‘‘ଚୌଦପୁରୁଷ ନାଁ ଧରିବି ନାହିଁ ତୋତେ ଡରିବି ! କି ରେ ତୁ ତ ଭାରି ହୁମ୍ ହୁମ୍ ହେଉଚୁ, ମାରିବୁ କି ରେ ।’’ ଅଇଁଠାଚଟା କୁକୁରର ଚାତର ଦେଖ ।’’ ଜ୍ୱରରେ ରାମାର ଦେହ ଜଳୁଛି, ପେଟ ଜଳୁଛି, ପୁଣି ମନ ଜଳୁଛି; ଏହି ତ୍ରିତାପ ଉପରେ ସେ ଆଉ ମାଉସୀଙ୍କର ଭତ୍ସନା-ଉତ୍ତାପ ସହି ପାରିଲା ନାହିଁ । ସେ ଏହାଠାରୁ ବଳି ଅନେକ କଟୁକଥା ସହ୍ୟ କରିଅଛି, ସହ୍ୟ କରି କରି ତାହାର ଦେହ ପଥର ହୋଇ ଯାଇଅଛି; ତଥାପି ସେ ଆଜି ସହି ପାରିଲା ନାହିଁ । ସହିବାର ତ ସୁଦ୍ଧା ଗୋଟାଏ ସୀମା ଅଛି; ତାହାର ରକ୍ତମାଂସର ଶରୀର ଆଉ କେତେ ସହିବ ? ସେ ଆଖିରେ ଲୁହ ଢଳ ଢଳ କରି କହିଲା–‘‘ଯା, ମୁଁ ଆଉ ତୋ ଘରେ ରହିବି ନାହିଁ; ତୁ ଯାହା କହିବାର କହୁଥା ପଛକେ, ମୁଁ ଚାଲିଯାଉଛି ।’’ ଉଷା କହିଲେ–‘‘ଗଲେ କୋଉ ଗାତକୁ ଯିବୁ ଯା ରେ ଚୁଲିପଶା, ମୁଁ ତୋ ପଛରେ ଗୋଡ଼ାଇଯିବି କି ?’’ କେବଳ ଏତିକି ନୁହେଁ–ଆହୁରି କେତେ ଉଗ୍ର ଭର୍ତ୍ସନା ମଧ୍ୟ୍ୟ କଲେ ଏବଂ ରାମାର ଚୌଦପୁରୁଷ ଉଦ୍ଦେଶ୍ୟରେ ଅକଥ୍ୟ ଅମେଧ୍ୟ୍ୟ ପଦାର୍ଥ ବିଶେଷରେ ଶ୍ରାଦ୍ଧ ବାଢ଼ିଲେ । ତାହା ସବୁ ପାଠକମାନଙ୍କୁ ଶୁଣାଇବା ଶିଷ୍ଟାଚାର-ବିରୁଦ୍ଧ; ସୁତରାଂ ଲିଖିତ ହେଲା ନାହିଁ । ସେଥିରେ ବକ୍ତାର ତୁଣ୍ଡ, ଶ୍ରୋତାର କର୍ଣ୍ଣ ଏବଂ ପବିତ୍ର ଲେଖନୀ-ମୁଖ କଳୁଷିତ ହେବ । ରାମା ଶୁଣି ନ ଶୁଣିଲା ପରି କିଛି ନ କହି ଘରୁ ବାହାରି ଗଲା । ବୈଶାଖ ମାସ, ମଧ୍ୟ୍ୟାହ୍ନ ସମୟ, ଭୀଷଣ ରୌଦ୍ରରୁପ ଅଗ୍ନିଚୁର୍ଣ୍ଣରେ ଚୌଦିଗ ସମାଚ୍ଛନ୍ନ । ଗ୍ରାମ ନିସ୍ତବ୍ଧ, ପଥ ନିର୍ଜନ, ପଶୁପକ୍ଷୀର ଶବ୍ଦ ସୁଦ୍ଧା ଶୁଣାଯାଉ ନାହିଁ । ରାମା ସେହି ନିର୍ଜନ ପଥରେ ଚାଲିଲା । ଖରାରେ ମୁଣ୍ଡ ଫାଟି ଯାଉଅଛି, ତପ୍ତଧୂଳିରେ ଗୋଡ଼ ଜଳି ଯାଉଛି, ଖରୋଷ୍ଣ ପବନରେ ଶରୀରରେ ତପ୍ତ ଲୌହଶଳାକା ବିଦ୍ଧ ହେଲା ପ୍ରାୟ ଯନ୍ତ୍ରଣା ଅନୁଭୂତ ହେଉଅଛି; କିନ୍ତୁ କାହିଁରେ ରାମାର ଭ୍ରୂକ୍ଷେପ ନାହିଁ । ସେ ନିର୍ଲକ୍ଷ୍ୟ ଭାବରେ ଚାଲିଅଛି । ନିୟତି ତାହାକୁ କେଉଁଆଡ଼କୁ ଘେନି ଯାଉଅଛି, ତାହାର ଏ ଯାତ୍ରାର ଶେଷ କେଉଁଠାରେ, ସେ କିଛି ଭାବିବାକୁ ନାହିଁ, ଯନ୍ତ୍ରଚାଳିତ ପ୍ରାୟ କେବଳ ଚାଲିଅଛି । କେଉଁଠାକୁ ଯାଉଅଛି, ତାହା ସେ ନିଜେ ଜାଣେ ନାହିଁ । କିଛି କ୍ଷଣ ପରେ ଗ୍ରାମର ଉପକଣ୍ଠବର୍ତ୍ତୀ ପୁଷ୍କରିଣୀ କୁଳରେ ଗୋଟାଏ ବଟବୃକ୍ଷର ଛାୟାରେ ଯାଇ ବସିଲା । ଚାରିଆଡ଼ ନିସ୍ତବ୍ଧ, ପ୍ରଖର ରୌଦ୍ରରେ ସମ୍ମୁଖବର୍ତ୍ତୀ ନୀଳ ବିଶାଳ ପ୍ରାନ୍ତର ନାନାବର୍ଣ୍ଣ ଧାରଣ କରୁଥାଏ । ସୂର୍ଯ୍ୟ ସେହି ପ୍ରାନ୍ତରରେ ଅମିତ ଉତ୍ତାପ ଢାଳି ଦେଉଥାଆନ୍ତି । ଗୋଟିଏ ସିନ୍ଦୁରମୁଣ୍ଡୀ ପକ୍ଷୀ ଘନ ପତ୍ରାନ୍ତରାଳରେ ଦେହ ଲୁଚାଇ ‘‘ଖଟରେ ଶୋ, ଖଟରେ ଶୋ’’ ଶବ୍ଦରେ ଦିଗନ୍ତ ମୁଖରିତ କରୁଅଛି । କ୍ଷୁଦ୍ର ପକ୍ଷୀଟି କାହାକୁ ଖଟରେ ଶୋଇବାପାଇଁ ଅଳି କରୁଅଛି, ତାହା ସେହି ଜାଣେ । ବିଶାଳ ପ୍ରାନ୍ତର-ବକ୍ଷରେ ବିରାଟ ମରୀଚିକା କୃଷ୍ଣବେଣୀ ବିସ୍ତାରପୂର୍ବକ ନାଚି ନାଚି ଚାଲି ଯାଉଥାଏ । ମର୍ମପୀଡ଼ିତର ଖରୋଷ୍ଣ ଶ୍ୱାସ ଆଶାକୁ ଝଡ଼ାଇ ଦେଲା ପ୍ରାୟ ନିବାଘ ପବନ ଗଛର ପତ୍ର ଝଡ଼ାଇ ଦେଇ ବହି ଯାଉଥାଏ । ପୁଷ୍କରିଣୀରେ ବିଶ୍ୱପିତାଙ୍କର ମଧୁର, ଶୀତଳ, ତରଳ କୃପା ବାରିରାଶିଚୂପରେ ସଞ୍ଚିତ । ନୀଳ ଜଳଦର୍ପଣରେ ତୀରସ୍ଥ ବୃକ୍ଷରାଜି ସୁନ୍ଦର ମୁଖଚ୍ଛାୟା ଅବଲୋକନ କରି ନିଜର ସୌନ୍ଦର୍ଯ୍ୟରେ ନିଜେ ମୁଗ୍ଧ ହେଉଥାଆନ୍ତି । ପୁଷ୍କରିଣୀଟି ବିବିଧ ଜଳପୁଷ୍ପରେ ଅଳଙ୍କୃତ । ଯେମନ୍ତ କି ସୌନ୍ଦର୍ଯ୍ୟର ବହୁ ଉପାଦାନ ତାହା ବକ୍ଷରେ ଇତସ୍ତତଃ ରହିଅଛି । ଜଳଚର ପକ୍ଷୀବୃନ୍ଦ ମୁଣ୍ଡ ଉପରେ ରାବି ରାବି ବକ୍ରାକାରରେ ଉଡ଼ି ବୁଲୁଥାନ୍ତି । ଆକାଶରେ କେତେ ଖଣ୍ଡ କ୍ଷୁଦ୍ର ମେଘ ପବନ ସଙ୍ଗରେ ଗୁଡ଼ା-ବାଗୁଡ଼ି ଖେଳି ବୁଲୁଥାଆନ୍ତି । ଖଣ୍ଡେ ଘୂର୍ଣୀବାୟୁ ଅକସ୍ମାତ୍ ଆବିର୍ଭୁତ ହୋଇ ଗଛ ପତ୍ର ହଲାଇ ଛିନ୍ନପତ୍ର ଏବଂ ବକ୍ରଶାଖାରେ ତାହାର କ୍ରୀଡ଼ାର ଚିହ୍ନ ରଖି ଚୋର ପରି ଅନ୍ତର୍ହିତ ହୋଇଗଲା । ଭବପାରାବାର ଭୀଷଣ ଭଉଁରୀରେ ଜୀବକୂଳ ଘୁରି ବୁଲିଲା ପ୍ରାୟ ଶୁଷ୍କ ପତ୍ରରାଶି ଆକାଶରେ ଘୁରି ବୁଲିଲେ । ଚାରିଆଡ଼େ ଏତେ ସୌନ୍ଦର୍ଯ୍ୟ, ଲାବଣ୍ୟମୟୀ ପ୍ରକୃତିର ଏତେ କ୍ରୀଡ଼ା; କିନ୍ତୁ ରାମା ଦୃଷ୍ଟି ସେଥିପ୍ରତି ଲେଶ ମାତ୍ର ନାହିଁ । ସେ ନିଜର ଦୁରଦୃଷ୍ଟିସହ କଳହରେ ନିଯୁକ୍ତ । ଦୁଃଖୀର ହୃଦୟ ସୌନ୍ଦର୍ଯ୍ୟପିପାସୁ ନୁହେଁ–କୋଟି ସୌନ୍ଦର୍ଯ୍ୟ ତାହା ଚକ୍ଷୁରେ ତୁଚ୍ଛ । ସେ ତାହାର ଦୁଃଖଦୁର୍ଭାବନାରେ ସର୍ବଦା ତନ୍ମୟ । ସୌନ୍ଦର୍ଯ୍ୟ ସମ୍ପଦ ତାହା ନିକଟରେ ବିଡ଼ମ୍ବନା ମାତ୍ର । ଦୁଃଖୀର ଜୀବନ ଚିର ନିରାନନ୍ଦ ଏବଂ ସର୍ବଦା ହାହାକାରମୟ ।
ମାଉସୀଙ୍କ ଦୁର୍ବାକ୍ୟ ଉଷାକାଳ ପ୍ରାୟ ରାମାବ୍ଦ ହୃଦୟକୁ ଭିତରେ ଭିତରେ ଦଗ୍ଧ କରୁଅଛି-। ସେ ମନେ ମନେ ଭାବୁଅଛି, କର୍ମହୀନ-ଆନନ୍ଦବିକାଶଶୂନ୍ୟ ଜୀବନ କେବଳ ଶରୀରର ବିଫଳଭାର ମାତ୍ର । ନିଃସଙ୍ଗ ଜୀବନ ମରୁଭୂମି ତୁଲ୍ୟ ନୀରସ ଏବଂ ନୈରାଶ୍ୟମୟ । ହୃଦୟର ଶୂନ୍ୟତାକୁ ଘେନି କାଳଯାପନ କରିବା ଦୁର୍ବହ ଯନ୍ତ୍ରଣା ଭିନ୍ନ ଅନ୍ୟ କିଛି ନୁହେଁ । ବିଧାତା କି ମାନବକୁ ଯନ୍ତ୍ରଣାର ଅନଳକୁଣ୍ଡରେ ଦଗ୍ଧ କରିବାପାଇଁ ଅସହାୟ କରି ଜନ୍ମ ଦିଅନ୍ତି ? କେହି କେହି ଏହାକୁ କର୍ମଫଳ ବୋଲି କହନ୍ତି । କିନ୍ତୁ ଯାହାର କର୍ମ ନାହିଁ, ତାହାର କର୍ମଫଳ ଭୋଗ ବିଷମ ସମସ୍ୟା ନୁହେଁ କି ? ଏହା ଶିରୋନାସ୍ତି ଶିରୋବ୍ୟଥା ପରି କଥା ସିନା । ମୁଁ ବାଳକ, କର୍ମଜୀବନର ବହୁଦୂରରେ ଅବସ୍ଥିତ; ମୋର ପୁଣି କର୍ମଫଳ ? ଏହା ଆଶ୍ଚର୍ଯ୍ୟରୁ ଆଶ୍ଚର୍ଯ୍ୟତର ନୁହେଁ କି ? ତେବେ କି ଲୋକେ ଇହଜନ୍ମର ସୁଖଦୁଃଖକୁ ପରଜନ୍ମର କର୍ମଫଳ ବୋଲି ନିର୍ଦ୍ଦେଶ କରନ୍ତି ? ପୂର୍ବଜନ୍ମ ସତ୍ୟ କି ମାନବର କଳ୍ପନା, ତାହା ବୁଝିବା ତ ମୋ ଭଳି କ୍ଷୁଦ୍ରପ୍ରାଣ ଅଜ୍ଞାନ ବାଳକ ପକ୍ଷରେ ଅସମ୍ଭବ । ଏହିପରି ଭାବୁଁ ଭାବୁଁ ମଧ୍ୟ୍ୟରେ ମଧ୍ୟ୍ୟରେ ମାଉସୀଙ୍କ ଦୁର୍ବାକ୍ୟର ସ୍ମୃତି ଉପସ୍ଥିତ ହୋଇ ତାହାର ଚିନ୍ତାସୂତ୍ର ଛଡ଼ାଇ ଦେଇଥାଏ । ସେହି ଭାବରେ କିଛି ସମୟ ଅତିବାହିତ ହେଲା । ଦୂରରେ ଗୋଟିଏ ସ୍ତ୍ରୀମୂର୍ତ୍ତି ଦେଖି ହଠାତ୍ ତାହାର ଦୃଷ୍ଟିପଥରୁ ଚିନ୍ତାର ଯବନିକା ଅପସୃତ ହୋଇଗଲା । ପିତ୍ତଳକଳସୀ କାଖିଲେ ଘେନି ଜଣେ ସ୍ତ୍ରୀ ପୋଖରୀ ଆଡ଼କୁ ଆସୁଅଛି । କଳସୀରେ ଖରା ପଡ଼ି ଜ୍ୟୋତି ବାହାରୁଅଛି । ସେହି ଜ୍ୟୋତିରେ ତାହାର ମୁଖମଣ୍ଡଳ ଉଦ୍ଭାସିତ । ଯେପରି କି ଦେବୀ-ପ୍ରତିମା ମୁଖରୁ ପ୍ରଭା ନିର୍ଗତ ହେଉଅଛି । ସେ ଦେଖୁଁ ଦେଖୁ ଆସି ରାମା ପାଖରେ ଉପସ୍ଥିତ ହୋଇ ନାନା କଥା କହି ସ୍ନେହର ଉଚ୍ଛ୍ୱାସରେ ତାହାକୁ ଆଚ୍ଛନ୍ନ କରି ପକାଇଲା । ଅଦୃଷ୍ଟର କି ଅଦ୍ଭୁତ ପରିବର୍ତ୍ତନ ! କେଉଁଠାରୁ ଏ ସ୍ନେହମୟୀ ଆସି ତାହାର ଅନ୍ଧକାରମୟ ଶୂନ୍ୟ ହୃଦୟକୁ ସ୍ନେହର ଜ୍ୟୋସ୍ନାରେ ପୂର୍ଣ୍ଣ କରିଦେଲା ? ପାଠକ ଚିହ୍ନିଲେ କି ଏ ରମଣୀରତ୍ନ କିଏ ? ଏ ସେହି ବଂଶୀଧର ସେନାପତିଙ୍କ ସହଧର୍ମିଣୀ ହରିପ୍ରିୟା-ରାମାର ଧର୍ମଭଉଣୀ । ରାମା ତାଙ୍କୁ ଦେଖି ବିସ୍ମିତ ହୋଇ ପଚାରିଲା,‘ କି ନାନି, ତୁ ଏ ଖରାରେ କାହିଁକି ଆସିଲୁ ?’ ହରିପ୍ରିୟା କହିଲେ–‘‘ଗାଧୋଇ ଆସିବାବେଳେ ଦେଖିଥିଲି, ବୁଦ୍ଧିଆ ପାଣ ପୁଅଟି ଭାରି କାନ୍ଦୁଥିଲା । ସେ କାଲି ରାତିରୁ ଭାତ ଖାଇ ନାହିଁ । ଆହା, ମାଛେଉଣ୍ଡ ପିଲାଟି’’–ଏତିକି କହି କାନ୍ଦି ପକାଇଲେ । ଲୁଗା କାନିରେ ଲୁହ ପୋଛୁ ପୋଛୁ କହିଲେ–‘‘ମନଟା ଘାଣ୍ଟି ଚକଟି ହେଲା ରେ ରାମ, ସେହି ପିଲାଟିପାଇଁ । ଏହି ପିତ୍ତଳ ମାଠିଆରେ ଭାତ ଆଣିଥିଲି । ତାକୁ ଦେଇ ମାଠିଆଟା ଧୋଇ ନେବାକୁ ଆସିଛି । ଦି ଦିନ ହେଲା ତୋର କାହିଁକି ଦେଖା ନାହିଁ ?’’ ରାମା କହିଲା–‘‘ମୋତେ ଜର ।’’ ‘‘ଏଁ, ଜରରେ ଏଠି ଆସି ବସିଚୁ-। କି ଆମ ଘରକୁ ଗଲୁ ନାହିଁ ? ଦେହ ତ କଣ୍ଟା ପରି ହୋଇ କଳା ପଡ଼ିଗଲାଣି–ଆଖି କାନ ଭିତରକୁ ପଶିଗଲାଣି; ତୁ କେତେ ଦିନ ହେଲା ଖାଇ ନାହୁଁ ରେ ? ମାଉସୀ କିଛି କହିଚି କି ? ହରିପ୍ରିୟା ଏହା କହି ରାମାର ଦେହରେ ମୁଣ୍ଡରେ ସ୍ନେହର ହାତ ବୁଲାଇ ଦେଲେ । ରାମା ଅଶ୍ରୁ-ସତଳ ନେତ୍ରରେ କେବଳ ଏତିକି କହିଲ,–‘‘ମୁଁ ତାହା ଘରୁ ବାହାରି ଆସିଲି–ଆଉ ଯିବି ନାହିଁ ।’’ ହରିପ୍ରିୟା ବୁଝିଲେ ଘଟଣା ଗୁରୁତର ହୋଇଅଛି; କିନ୍ତୁ ତେତେବେଳେ ଆଉ କିଛି ପଚାରିବା ଉଚିତ୍ ନୁହେଁ ଭାବି କହିଲେ–‘‘ଆଛା କଲୁ ବାହାରି ଆସିଲୁ, ଚାଲ ମୋ ଘରକୁ । ସେ ଆଉ ମାଉସୀ ଘର ନୁହେଁ–ତୋର ନାନୀଘର । ଆଜିଠଉଁ ତୁ ମୋର ବଡ଼ପୁଅ ।’’ ଏହା କହି ରାମାର ହାତ ଧରି ଉଠାଇ ନେଇଗଲେ । ମାଠିଆଟା ପୋଖରୀରେ ଧୋଇ ନେଇ ରାମାକୁ ଆଗରେ ଚଲାଇ ନିଜେ ପଛେ ପଛେ ଚାଲିଲେ । ଘରେ ପହଞ୍ଚି ରାମାକୁ ପୁଷ୍ଟିକର ଲଘୁପଥ୍ୟ ଖାଇବାକୁ ଦେଇ ପରିଷ୍କୃତ ବିଛଣାରେ ଶୁଆଇଲେ । ଘୋଡ଼ିବାପାଇଁ ପେଡ଼ୀରୁ ଖଣ୍ଡେ ବାରହାତୀ ଦଟା ବାହାର କରିଦେଲେ । ସନ୍ଧ୍ୟା ସମୟରେ ବୈଦ୍ୟ ଡକାଇ ଦେଖାଇଲେ । ବୈଦ୍ୟ ପ୍ରତ୍ୟହ ଆସି ଔଷଧ ଦେଲା । ହରିପ୍ରିୟା ରୋଗୀର ଶୁଶ୍ରୁଷାଭାର ଗ୍ରହଣ କଲେ । ଉପଯୁକ୍ତ ଔଷଧ, ପଥ୍ୟ ଏବଂ ପରିଚର୍ଯ୍ୟାରେ ରାମା ସାତ ଆଠ ଦିନ ମଧ୍ୟ୍ୟରେ ଜ୍ୱରମୁକ୍ତ ହେଲା ।
ଦିନେ ହରିପ୍ରିୟା ସ୍ୱାମୀଙ୍କ ଗୋଡ଼ ଘଷୁ ଘଷୁ ମିନତି ସ୍ୱରରେ କହିଲେ–‘‘ମୁଁ ଗୋଟେ କଥା କହିବି, ତମେ ରଖିବ ନା ?’’ ସ୍ୱାମୀ କହିଲେ–‘‘ମୁଁ ତମର କେଉଁ କଥା ନ ରଖି ଏଡ଼ିଦିଏ ?’’ ହରିପ୍ରିୟା ଲଜ୍ଜିତ ହୋଇ କହିଲେ–‘‘ତାହା ମୁଁ କହୁଚି ନା ? ଏବେ ମୋ କଥାଟା ଶୁଣ–ରାମାକୁ ତମ ଘରେ ରଖ । ସେ ନିତେଇ ଦାସ ଘରୁ ବାହାରି ଆସିଛି, ଆଉ ସେଠିକି ଯିବ ନାହିଁ । ପିଲାଟା କେତେ ଗାଳିଗଞ୍ଜନା ସହିବ ? ତାହା ଉପରେ ପୁଣି ପେଟକଷ୍ଟ ! ଅନାଥ ପିଲାଟିର କଷ୍ଟ ଦେଖି ମୋତେ କାନ୍ଦ ମାଡ଼େ ।’’ ଏହା ଶୁଣି ବଂଶୀଧର ସେନାପତି କହିଲେ–‘‘ଏ ତ ଅତି ଭଲକଥା, ପିଲାଟି ଖୁବ୍ ଚମ୍ଭାଚତୁର, ପାଞ୍ଚଅକ୍ଷର ବି ପଢ଼ିଛି, ଆମ ଘରେ ରହୁ । ପିଲା ଦୁହିଁଙ୍କୁ ରାତିରେ ପଢ଼ାଇବ, ଦିନରେ ଯାଉତିପତ୍ର ଲେଖିବ । ମୋର କି ଜଣେ ଗୁମସ୍ତା ଦରକାର ଥିଲା; ରାମା ସେ କାମ ବେଶ୍ କରି ପାରିବ । ଗୁମସ୍ତା ଜଣେ ରହିଲେ ମାସକୁ ସାତ ଟଙ୍କା ଦରମା ନିଅନ୍ତା; ରାମ ଆମ ଘରେ ଖାଇବ, ଆଉ ପାଞ୍ଚ ଟଙ୍କା ଦରମା ନେବ ।’’ ଏହି ପ୍ରସ୍ତାବ ପରେ ଉପଯୁକ୍ତ ସର୍ତ୍ତରେ ରାମା ସେନାପତିଙ୍କ ଘରେ ରହିଲା । ତାହାର ଦୁଃଖ-ଦିନ ଶେଷ ହୋଇ ସୁଖ-ଦିନ ଆରମ୍ଭ ହେଲା ।
ରାମା ଦାସଙ୍କ ଗୃହତ୍ୟାଗ କଲାବେଳେ ଦାସେ ଥିଲେ ନାହିଁ; ପରେ ଆସି ସ୍ତ୍ରୀଙ୍କଠାରୁ ଶୁଣିଲେ । ମାତ୍ର ଦୁଃଖିତ ହେଲେ ନାହିଁ । ମଳୁ ଯାହା ଖୋଜୁଥାଏ, ବୈଦ୍ୟ ଯଦି ତାହାହିଁ ବ୍ୟବସ୍ଥା କରେ, ତେବେ ତାହା ତ ଆନନ୍ଦର କଥା, ସେଥିରେ ଦୁଃଖିତ ହେବାର ବା କାରଣ କଅଣ ଅଛି ? ଦାସେ କହିଲେ–‘‘ଗଲା, ପାପ ଗଲା; ସେ ଆପେ ଆପେ ଯାଇଛି, ଏହା ଖୁବ୍ ଭଲ କଥା–ଅତି ସୌଭାଗ୍ୟର କଥା । ଆମେ କାଢ଼ି ଦେଇଥିଲେ ଗାଁ ଲୋକେ ଗୋଟାଏ ଦୁର୍ଚ୍ଛନା ଦିଅନ୍ତେ । କୁଆଡ଼େ ଗଲା, କିଛି ଜାଣ କି ?’’ ଉଷା କହିଲେ–‘‘ସେନାପତି ଘରୁଟା ଉଛୁଣି ବାସୁଛି ପରା; ସେଇଠିକି ଯାଇଥିବ ଆଉ କେଉଁ ଚୁଲୀକି ଯିବ ? ସେନାପତି ମାଇପ ଧର୍ମ ଭଉଣୀ ହୋଇଛି । ସେ ମୋଠୁଁ ବେଶି ମଣ୍ଡିବ–ନିଘା କରିବ । ଯାଉ ପଛକେ–ଅଢ଼େଇ ଦିନ । ଦେଖିବ–ବୁଲାକୁକୁର ବାରଘର ଅଇଣ୍ଠାପତ୍ର ଚାଟି ଚାଟି ଫେର୍ଆସିବ । ବାର ବର୍ଷର ଉଷୁନା ଧାନ ଢିଙ୍କିଶାଳକୁ ନ ଆସି ଆଉ କୁଆଡ଼େ ଯିବ ?’’ ଦାସେ କହିଲେ–‘‘ଖବରଦାର, ଫେର୍ ଆସିଲେ ସେ ବେମାନକୁ କଥା ସୁଦ୍ଧା କହିବ ନାହିଁ ।’’ ଉଷା ମୁହଁଟାକୁ ମୋଡ଼ି ଦେଇ ବ୍ୟଙ୍ଗସ୍ୱରରେ କହିଲେ–‘‘ହଁ, ସେ ମୋତେ ଗୟାରେ ପିଣ୍ଡ ଦେବ ପରା, କଥା କହିବି, ନା ମୁଣ୍ଡୀ ଛାଞ୍ଚୁଣୀରେ ପିଟିବି ! ସେ ବାହାରିଗଲା–ଏହା ଆମ ବଡ଼ାବଡ଼ିର ଭାଗ୍ୟ । ଏଇଥିରେ ପୁଣି ରାଣ୍ଡ ଆଣ୍ଠୁକୁଡ଼ୀଏ କହନ୍ତି–‘ଟୋକାଟାକୁ କେତେ ଦିନ ରାତି ଗଞ୍ଜୁଛି ।’ କି ଲୋ ଘରଭାଙ୍ଗୀ ନିର୍ମୂଳୀ ବଅଁଶଖାଈଏ, ଟୋକାଟାର ଗୁଣ ତ କେହି ବୁଝିବ ନାହିଁ; ସବୁବେଳେ ମୋହରି ନାଁରେ ଦୁର୍ଚ୍ଛନା ଦେଇ ବୁଲୁଥିବ ! ମୁଁ ତବ ପୁଅଘରତାର କିଛି ଖାଇଛି, ନା ତମ ମୁହଁରେ ନିଆଁଲେଣ୍ଡୁଆ ଜାଳିଛି ।’’ ଏତିକି ମାତ୍ର କହି ଉଷା କି କାର୍ଯ୍ୟ କରିବାକୁ ଅନ୍ୟତ୍ର ଚାଲିଗଲେ । ଦାସେ ସ୍ତ୍ରୀଙ୍କର ଯଥେଷ୍ଟ ପ୍ରଶଂସା କରି ମନେ ମନେ କହିଲେ–‘‘ଧନ୍ୟ ଉଷା, ଧନ୍ୟ ତମର ଉପସ୍ଥିତ ବୁଦ୍ଧି ! ତମ ବୁଦ୍ଧି ଆଗରେ ସାତଟା ହାକିମର ବୁଦ୍ଧି ହାର ମାନିବ । ତମ ପରି ବୁଦ୍ଧିମତୀ ସ୍ତ୍ରୀ ପାଇ ମୁଁ ଭାଗ୍ୟବାନ । ଯେ ଖଞ୍ଜରେ ତମେ ରାମାକୁ ବାହାର କଲ, ସେ ଖଞ୍ଜ ଆଉ କେହି ଜାଣିବ ନାହିଁ, କି ସେ ବୁଦ୍ଧି ଆଉ କାହା ମୁଣ୍ଡରେ କଞ୍ଚେଇବ ନାହିଁ । ତମ ପରି ସ୍ତ୍ରୀରତ୍ନ ମୋତେ ଜନ୍ମେ ଜନ୍ମେ ମିଳୁଥାଉ । ତମେ ମୋର ଉପଯୁକ୍ତ ସ୍ତ୍ରୀ; ମାତ୍ର ମୁଁ ତୁମ୍ଭର ଉପଯୁକ୍ତ ସ୍ୱାମୀ ନୁହେଁ । ଆର ଜନ୍ମରେ ଯଦି ତମେ ସ୍ୱାମୀ ହୁଅନ୍ତ, ଆଉ ମୁଁ ତମର ସ୍ତ୍ରୀ ହୋଇ ଚରଣସେବାର ସୌଭାଗ୍ୟ ଲାଭ କରନ୍ତି, ତେବେ ଷୋଳବିଶ୍ୱା ରାଜଯୋଟକ ହୁଅନ୍ତା ।’’
ରାମା ବାହାରିଲା; ଦାସଦମ୍ପତି ତାହାର ଖୋରାକୀ ପୋଷାକୀ ଯୋଗାଇବାରୁ ନିସ୍ତାର ପାଇଲେ । ରାମା ସୁଦ୍ଧା ମାଉସୀଙ୍କ ଆଶୀର୍ବାଦ ଜଞ୍ଜାଳରୁ ରକ୍ଷା ପାଇ ତ୍ରାହି ମଧୁସୁଦନ ସରଣପୂର୍ବକ ଗଙ୍ଗାରେ ସାତ ସ୍ନାନ କଲା । ଏଥିରେ ଉଭୟ ପକ୍ଷର ଅନାବିଳ ମଙ୍ଗଳ । ଏରୂପ ଆକାଂକ୍ଷିତ ମଙ୍ଗଳ ବହୁ ଭାଗ୍ୟରେ ଏବଂ ବହୁ ତପସ୍ୟାରେ ଉପଲବଧି ହୁଏ । ହେଲେ ଉଷାଙ୍କୁ ବଡ଼ ହରବରରେ ପଡ଼ିବାକୁ ହେଲା । ପାଣି ଆଣିବା, ଚାଉଳ ଧୋଇବା, ଭାତ ରାନ୍ଧିବା ପ୍ରକୃତି କାର୍ଯ୍ୟରୁ ସେ ନିସ୍ତାର ପାଇଥିଲେ । ରାମା ଅଭାବରେ ସେହି ସମସ୍ତ ଭାର ତାଙ୍କୁ ପୁନଶ୍ଚ ମୁଣ୍ଡାଇବାକୁ ହେଲା । ଦିନେ ମୁହଁସଞ୍ଜବେଳେ ସେ ପୋଖରୀକୁ ଚାଉଳ ଧୋଇବାକୁ ଗଲେ । ଚାଉଳ ଧୋଇ ସାରି ଆଡ଼ି ଉପରେ ଚାଉଳଧୁଆ ରଖି ଦେଇ ଲୁଗା ପଖାଳିବାକୁ ଗଲେ । ସେ ଯେଉଁଠାରେ ଚାଉଳଧୁଆ ରଖିଲେ, ତତପୂର୍ବରୁ ନାଥିଆମା ପାଲୁଣୀ ଚାଉଳ ଧୋଇ ତାହାର ଖଣ୍ଡେ ଛଡ଼ାରେ ରଖିଥିଲା । ସେଦିନ ନାଥିଆ ଘରେ ପଖାର ବାସାଇବାକୁ କିଛି ଥିଲା ନାହିଁ; ସେ ପୋଖରୀରେ ଗେଣ୍ଡା ଅଣ୍ଡାଳୁ ଥିଲା । ସେଥିରୁ ଚାରିଟା ହେଲେ ତାହାର ତରକାରୀ ବଳିଯିବ । ଉଷା ଲୁଗା ଧୋଇସାରି ଭୁଲରେ ନାଥିଆମାର ଚାଉଳ ଧୁଆଟି ଘେନି ଚାଲି ଆସିଲେ । ସନ୍ଧ୍ୟାର ଅନ୍ଧକାରରେ ଏରୂପ ଭ୍ରମ ଘଟିବା ବିଚିତ୍ର ନୁହେଁ । ନାଥିଆମା ଉଷାଙ୍କ ଚାଉଳ ଧୁଆଟି ନେଇ ଘରକୁ ଗଲା । ସେଦିନ ଚାଉଳ ଧୁଆ ବଦଳ କେହି ଜାଣିପାରିଲେ ନାହିଁ । ତହିଁ ପରଦିନ ସକାଳେ ନାଥିଆମା ଚାଉଳଧୁଆ ଘେନି ଦାସଙ୍କ ଘରକୁ ଆସି ଉଷାଙ୍କୁ କହିଲା–‘‘ସାଆନ୍ତାଆଣୀଏ, କାଲି ସଞ୍ଜବେଳେ ଚାଉଳଧୁଆଟା ବଦଳ ହୋଇ ଯାଇଥିଲା । ମୁଁ ତମ ଚାଉଳଧୁଆଟା ଆଣିଛି; ତାକୁ ରଖି ମୋ ଚାଉଳଧୁଆଟା ଦିଅ । ଆଜି ସକାଳେ ଦେଖିଲି ଯେ, ଏଟା ମୋ ଚାଉଳଧୁଆ ନୁହେଁ; ଏଟା ପୁରୁଣା, ମୋର ନୂଆ । ମୁଁ କହିଲି, ପୋଖରୀ ତୁଠକୁ ଆଉ ତ କେହି ଆସି ନାହାନ୍ତି; ଏକା ସାଆନ୍ତାଣୀଏ ଆସିଥିଲେ । ସେ ବହକରେ ମୋ ଚାଉଳଧୁଆଟା ନେଇ ଯାଇଥିବେ, ଏହା କହି ତମ ଚାଉଳଧୁଆ ଘେନି ଧାଇଁ ଆସିଲି । ‘‘ଉଷା ନିଜର ଚାଉଳଧୁଆ ଚିହ୍ନି ଜିଭ କାମୁଡ଼ି ପକାଇ ତାଟକା ହୋଇଗଲେ; ତାଙ୍କ ଛାତି ଦାଉଁ ଦାଉଁ ହୋଇ ଉଠିଲା । ସେ ମନେ ମନେ ଭାବିଲେ–‘‘ତେବେ କଣ କାଲି ରାତିରେ ମୁଁ ପାଣିଚାଉଳ ରାନ୍ଧିଥିଲି । ଏ ତ ବଡ଼ ବିଷମ କଥା । କେହି ଯେବେ ଏହା ଶୁଣେ, ତେବେ କଅଣ ହେବ ? କିନ୍ତୁ ପ୍ରତ୍ୟୁତ୍ପନ୍ନମତି ବଳରେ ସେଥିରେ ପ୍ରତିକାରର ଉପାୟ ସ୍ଥିର କରିନେବାକୁ ତାଙ୍କର ବିଳମ୍ବ ହେଲା ନାହିଁ । ସେ ନାଥିଆମାକୁ ଅନେକ ନେହୁରା ହୋଇ କହିଲେ–‘‘ନାଥିଆମା, ମୁଁ ତୋତେ ଚାରିଅଣା ପଇସା ଦେଉଛି, ତୋ ପୁଅ ରାଣ ତି; ତୁ ଏ କଥା କାହାରିକୁ କହିବୁ ନାହିଁ । ଅଜାଣତରେ ତ ହୋଇଗଲା, ଆଉ କଅଣ କରିବି ?’’ ନାଥିଆମା କହିଲା–‘‘ଏ, କଅଣ କହୁଚ ସାଆନ୍ତାଣୀଏ, ଆଖି ଛୁଉଁଛି, ମୁଁ କାହାକୁ କହିଲେ ମୋ ଜିଭ ଛିଡ଼ି ପଡ଼ିବ । ମୁଁ ଆଉ କାହା ପରି ଖଚେଇ ଓଲଗାଲୀ ନୁହେଁ ଗୋ ମା’ ରାଣୀ ! ଛି, ଛି, ଠାକୁରେ ମୋତେ ସେ ବୁଦ୍ଧି ଦେଇନାହାନ୍ତି । ସେ ଦିନ ଶିବ ପ୍ରଧାନ ବିଲରୁ ରଥିଆ ଧାନ ଚୋରି କରି ନେବାବେଳେ ମୁଁ ଯାଇ ହାବୁଡ଼ିଗଲି । ରଥିଆ ଗୋଡ଼ହାତ ଧରି କହିଲା–‘ମାଉସୀ, କାହାରି କତିରେ କହିବୁ ନାହିଁ ।’ ମୁଁ ଆଜିଯାଏଁ ସେ କଥା କାହାରିକି କହିଚି ନା ? ସବୁ କଥାକୁ ପାର ଅଛି, ଖଚମିଛକୁ ପାର ନାହିଁ । ପାଲୁଣୀ ହେଲି ବୋଲି ମୁଁ କଅଣ ଏ କଥା ଜାଣେ ନାହିଁ ? ତମେ ରାଣ ପକେଇ କହିଲ; ମୁଁ ପୁଣିପରା କାହାକୁ କହିଦେବି ? ଆଉ ଦିନେ ତମ ମୁହଁକୁ ଚାହିଁ ପାରିବି ନା ? ଗୋଟିଏ କଥା କହିବି ସାଆନ୍ତାଣୀଏ, ପେଟେ ଭୋକ, ମୁହେଁ ଲାଜ କାହିଁକି ? ମୁଁ ପଇସା ନେବି ନାହିଁ–ମୋର ଯେଉଁ ଗୁଣାଖଣ୍ଡକ ଛ ଅଣାକୁ ବନ୍ଧା ଦେଇଥିଲି, ମୋର ସେହି ଗୁଣାଖଣ୍ଡକ ଦିଅ ।’’ ଉଷା ଦ୍ୱିରୁକ୍ତି ନ କରି ଘରୁ ଗୁଣାଖଣ୍ଡକ ଆଣି ନାଥିଆମାକୁ ଦେଲେ ଏବଂ ତାହାର ଚାଉଳଧୁଆଟି ମଧ୍ୟ୍ୟ ଦେଲେ । ନାଥିଆମା ଅତି ଆନନ୍ଦରେ ଉଷାଙ୍କୁ ଜୁହାର ହୋଇ ଚାଲିଗଲା । ବାଟରେ ଯାଉଁ ଯାଉଁ ତାହାର ସହୀ ବାୟାଣୀକୁ ଦେଖି କହିଲା–‘‘ସହି, ଏ ଗୁଣାଖଣ୍ଡ ମୋ ନାକରେ ପିନ୍ଧାଇ ଦେବତି ।’’ ବାୟାଣୀ ଗୁଣା ପିନ୍ଧାଇ ଦେଇ ପଚାରିଲା–‘‘ଆଜି ଗୁଣା ମୁକୁଳାଇ ଆଣିଲ କି ? ସୁଧ କେତେ ନେଲା ?’’ ନାଥିଆମା ଏଣିକି ତେଣିକି ଅନାଇଁ ଦେଇ ବାୟାଣୀ କାନ ପାଖରେ ଖୁବ୍ ତୁନୀ ତୁନୀ ଭାବରେ ଆମୁଳ ବର୍ଣ୍ଣନା କରିଗଲା । ବାୟାଣୀ ବସିପଡ଼ି ଗାଲରେ ହାତ ଦେଇ କହିଲା–‘‘ସତ ନା ସହି, ବୈଷମ ହୋଇ ପାଣଚାଉଳ ରାନ୍ଧି ଖାଇଲା ! ତାଙ୍କ ଜାତିରେ ତ ବଟା ଲାଗିବ ?’’ ନାଥିଆମା କହିଲା–‘‘କିଏ କାହିଁକି ଜାଣିବ ଯେ ବଟା ଲାଗିବ । ମୋ ରାଣ ତ ସହି, ଏ କଥା କାହାରିକି କହିବ ନାହିଁ, ସୁକୁରୀମା ମୋତେ ତୋର ରାଣ ପକାଇ କହିଚି ।’’ ବାୟାଣୀ କହିଲା, ‘‘ମୋର କି ଗରଳ ପଡ଼ିଛି, ମୁଁ କହିବି ? ଯାର ପାପ ତାର, ମୋର କଅଣ ଗଲା ?’’ ଅନନ୍ତର ଦୁଇ ସହୀ ଦୁଇ ଆଡ଼କୁ ଚାଲିଗଲେ ।
କଥା ଲୁଚି ରହେ ନାହିଁ, ସମୟରେ ଫୁଟି ବାହାରେ । କିଛି ଦିନ ପରେ ଏକଥା ପୂର୍ବୋକ୍ତ ପାଠାଗାରର ସଭ୍ୟମାନଙ୍କର କର୍ଣ୍ଣଗୋଚର ହେଲା । ଦାସେ ସେମାନଙ୍କୁ ଚାନ୍ଦା ନ ଦେଇ ଥଟା ବିଦ୍ରୁପ କରିଥିଲେ, ଏହା ପାଠକମାନଙ୍କର ସ୍ମରଣ ଥିବ । ଏତେଦିନ ପରେ ସେମାନଙ୍କୁ ପ୍ରତିଶୋଧର ସୁବର୍ଣ୍ଣସୁଯୋଗ ମିଳିଲା । ସେମାନେ ଗ୍ରାମରେ କହି ବୁଲିଲେ । ଫଳରେ ଦାସଙ୍କୁ ଧୋବା, ଭଣ୍ଡାରୀ ମନା ହେଲା–ସେ ଏକଘରିଆ ହୋଇ ରହି ପ୍ରମାଦ ଗଣିଲେ । ଦାସେ ପୂର୍ବରୁ ସ୍ତ୍ରୀଙ୍କଠାରୁ ଘଟଣା ଶୁଣିଥିଲେ । ଏଡ଼େ ବଡ଼ କଥାଟା ଛଅଣା ପଇସାରେ ଉଡ଼ାଇ ଦେଇଥିବାରୁ ସ୍ତ୍ରୀଙ୍କ ବୁଦ୍ଧିର ପ୍ରଶଂସା ମଧ୍ୟ୍ୟ କରିଥିଲେ । ଆତ୍ମଶୁଦ୍ଧି ସକାଶେ ସ୍ତ୍ରୀପୁରୁଷ ଉଭୟେ ଗଙ୍ଗୋଦକ ପାନ କରିଥିଲେ । ଅଜ୍ଞାତପାପର ଏହା ସଙ୍ଗୋପନ ପ୍ରାୟଶ୍ଚିତ । ଏତେ କରି ସୁଦ୍ଧା କିଛି ହେଲା ନାହିଁ–କଥାଟା ଫୁଟିଉଠି ପ୍ରକାଶ ପାଇଲା । ମାତ୍ର ଦାସେ ହଟିବାର ପାତ୍ର ନୁହନ୍ତି, କଥାଟାକୁ ଉଡ଼ାଇ ଦେବା ସକାଶେ ସେ ଯଥେଷ୍ଟ ଚେଷ୍ଟା କରିଥିଲେ; କିନ୍ତୁ କୃତକାର୍ଯ୍ୟ ହୋଇ ପାରିଲେ ନାହିଁ । ସେ ପ୍ରଥମରେ କହିଲେ–‘ନାଥିଆମାର କଥା ସମ୍ପୂର୍ଣ୍ଣ ମିଥ୍ୟା । ବିନା ସୁଧରେ ତାହାର ଗୁଣାଖଣ୍ଡନ ନ ଦେବାରୁ ସେ ଏହି ମିଥ୍ୟାପବାଦର ଆଶ୍ରୟ ନେଇଅଛି । ଏହିପରି କରିବା ପାଇଁ ସେ ଦାସଙ୍କୁ ଧମକାଇ ଯାଇଥିଲା ।’ ଦ୍ୱିତୀୟରେ କହିଲେ–‘ପାଠାଗାରର ମେମ୍ବରମାକଙ୍କୁ ଚାନ୍ଦା ନ ଦେବାରୁ ସେମାନେ ନାଥିଆମାଦ୍ୱାରା ଏହି କାଣ୍ଡ ଭିଆଇ ଅଛନ୍ତି ।’ ଏହିପରି ନାନା କାରଣ ଦେଖାଇ ସେ ନିଜର ନିର୍ଦ୍ଦୋଷତା ସପ୍ରମାଣ କରିବାପାଇଁ ପ୍ରୟୋଗ କରିଥିଲେ । ଦୋଷୀ ଦୋଷମୁକ୍ତ ହେବାପାଇଁ ଯେତେ ଚେଷ୍ଟା କରୁ ପଛେ, ଧର୍ମର ଜୟ ସୁନିଶ୍ଚିତ । ନାଥିଆମା ମହାପ୍ରସାଦ ଧରି ସତ୍ୟ କଥା କହିଗଲା । ଧର୍ମ ଭୟ ତାହାର ଅଛି, ସୁତରାଂ ଛଅଣା ପଇସାପାଇଁ ସେ କାହିଁକି ମିଥ୍ୟା କହି ନରକଗାମୀ ହେବ ? ବିଶେଷତଃ ମିଥ୍ୟା କହି ଧର୍ମକୁ ଲଙ୍ଘିଲେ ସେ ଜାତିରେ ଅଟକ ହେବ । ଜାତି ଆଗରେ ହାତୀ ଯାଇ ପାରେ ନାହିଁ–ପାଲୁଣୀମୁଣ୍ଡ ନାଥିଆମା ଅବା କେଉଁ ଛାର ? ମିଥ୍ୟାଜାଲ ବୁଣି ପାପଗୋପନର ଚେଷ୍ଟା କରିଥିବା ହେତୁ ସମସ୍ତେ ଦାସଙ୍କୁ ଛି-ଛାକର କଲେ । ଶେଷରେ ଦାସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପ୍ରାୟଶ୍ଚିତ୍ତର ବିଧାନ ଆଣିବା ସକାଶେ ବ୍ରାହ୍ମଣ-ଶାସନକୁ ଗଲେ । ବିଧାନଦାତା ତର୍କଶାର୍ଦ୍ଦୁଳ ମହାଶୟ ଏଡ଼େ ବଡ଼ ପାପର ପ୍ରାୟଶ୍ଚିତ୍ତ ବିଧାନ ଏକାକୀ ଦେବାକୁ ଭୀତ ଏବଂ ଅସ୍ୱୀକୃତ ହୋଇ କହିଲେ–ପାଞ୍ଚ ଶାସନଯାକର ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରି ସଭା ନ କଲେ ସେ ବିଧାନ ଦେଇ ପାରିବେ ନାହିଁ । ତହୁଁ ଦାସେ ଅଗତ୍ୟା ପାଞ୍ଚ ଶାସନକୁ ନିମନ୍ତ୍ରଣ କରିବାକୁ ଗଲେ; ମାତ୍ର ଉପଯୁକ୍ତ ଶାସନମର୍ଯ୍ୟାଦା ନ ପାଇଲେ ବ୍ରାହ୍ମଣମାନେ ଆସିବେ ନାହିଁ ବୋଲି କହିଲେ । ଦାସଙ୍କ ପକ୍ଷରେ ଏହା ଗଣ୍ଡଗୋଳରେ ବିସ୍ପୋଟକ ତୁଲ୍ୟ ହେଲା । ଯାହା ହେଉ, ସେ କାନ୍ଦିକୁନ୍ଥାଇ ପ୍ରତି ବ୍ରାହ୍ମଣ-ଶାସନକୁ ଦଶଟଙ୍କା ଲେଖାଏଁ ପ୍ରଣାମୀ ଦେଲେ । ବ୍ରାହ୍ମଣମାନେ ସଭା କରି ବିଧାନ ଦେବାର ସ୍ଥିର ହେଲା ।
ମିଥ୍ୟା ଆବରଣରେ ସତ୍ୟକୁ ଘୋଡ଼ାଇ ରଖି ହୁଏ ନାହିଁ । ଅଗ୍ନି ଉପରେ ପର୍ବତ ପ୍ରମାଣ କୁଟାପତ୍ର ଢାଙ୍କିଲେ ସୁଦ୍ଧା ଅଗ୍ନି ଲୁଚି ରହେ ନାହିଁ; କୁଟାପତ୍ରସବୁ ପୋଡ଼ି ଦେଇ ସେ ଆତ୍ମପ୍ରକାଶ କରେ । ଚିରା ଲୁଗାରେ ତାଳି ପକାଇଲେ ତାହା ନିଶ୍ଚୟ ଫୁଟି ଦିଶିବ । ସତ୍ୟର ତେଜ ବନ୍ୟାକାଳୀନ ନଦୀସ୍ରୋତ ପରି ପ୍ରଖର; ସହସ୍ର ବାଲିବନ୍ଧ ତାହାର ଗତି ପ୍ରତିହତ କରିପାରେ ନାହିଁ-। ଦାସେ ସତ୍ୟ ଗୋପନ କରିବାକୁ ଏତେ ଚେଷ୍ଟା କଲେ; ମାତ୍ର କାହିଁରେ କିଛି ହେଲା ନାହିଁ । କୃତକର୍ମର ଅବଶ୍ୟମ୍ଭାବୀ ଫଳ ତାଙ୍କୁ ଭୋଗ କରିବାକୁ ହେଲା । କୃତକର୍ମର ଫଳ ନିୟତି ପରି ଅବ୍ୟର୍ଥ, ନିୟତିର ଗତି ରୁଦ୍ଧ କରିବାକୁ ସ୍ୱୟଂ ବିଧାତା ପୁରୁଷ ସୁଦ୍ଧା ଅକ୍ଷମ । ତେବେ ମିଥ୍ୟା ବା ପାପର ଫଳ ହଠାତ୍ ଫଳେ ନାହିଁ । ନୌକା ବୋଝାଇ ହେଉଁ ହେଉଁ ବୁଡ଼େ ନାହିଁ–ବୋଝାଇ ଅତିରିକ୍ତ ହେଲେ ବୁଡ଼ିଯାଏ ।