ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୪ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ପରିଚ୍ଛେଦ
ରାତି ପାହି ଆସିଲା । ସପ୍ତର୍ଷିମଣ୍ଡଳୀ ଦେବକାସାର ମାନସସରୋବରରୁ ଯଜ୍ଞପୂତ ହସ୍ତରେ ସୁବର୍ଣ୍ଣ କମଳ ତୋଳି ନେଇ ବ୍ରହ୍ମପୂଜା ସମାଧାନପୂର୍ବକ ତପସ୍ୟାର୍ଥେ କେଉଁ ଅଜ୍ଞାତ ତପୋବନ ଉଦ୍ଦେଶ୍ୟରେ ଯାତ୍ରା କଲେ । ସେମାନଙ୍କ ପୂଜା ପୁଷ୍ପ ପ୍ରାଚୀମୂଳରେ ଉଷାର ମୁକୁଟମଣି ପ୍ରାୟ ପ୍ରତିଭାତ ହେଲା । ରାତ୍ରିର ପଣତଖଚିତ ଶତଶତ ମଣିମୁକ୍ତାପ୍ରାୟ ତାରକାରାଜି କେଉଁଆଡ଼େ ଝଡ଼ିପଡ଼ିଲେ । ଦେବ କରୁଣା ସମୀରଣରୂପ ଧରି ଶୀତଳ ଆଶୀର୍ବାଦ ବିତରଣରେ ସହସ୍ରହସ୍ତ ହୋଇ ସର୍ବତ୍ର ବିଚରଣ କଲା । ଧରଣୀ-ବଦନରେ କୋଟି ଲାବଣ୍ୟଶ୍ରୀ ଫୁଟି ଉଠିଲା । ନବରାଜରୂପେ ନବ ଦିନମଣି ସପ୍ତାଶ୍ୱଯୋଜିତ ରଥରେ ବସି ଦିଗ୍ବିଜୟାର୍ଥେ ବହିର୍ଗତ ହେଲେ । ବିହଗ ବିଶ୍ୱବଛଳରେ ତାଙ୍କର ବିଜୟବାଦ୍ୟ ଏକତାନ ସ୍ୱରରେ ବାଜି ଉଠିଲା । ସୁଖମୟ ପୁଣ୍ୟପ୍ରଭାତ ଦିବସର ହିରଣ୍ମୟ ଦୀପ୍ତିରେ ବୁଡ଼ିଗଲା ।
ନିତେଇ ସକାଳୁ ଉଠି ଦାନ୍ତପତ୍ର ଘଷି ଦୋକାନକୁ ଗଲେ । ଦ୍ୱାର ଖୋଲିବା ମାତ୍ରେ ଚିଠିଖଣ୍ଡକ ତାଙ୍କ ଦୃଷ୍ଟିରେ ପଡ଼ିଲା । ସେ ତାହା ଉଠାଇ ନେଇ ପାଠ କରିବାକୁ ଲାଗିଲେ । ଚିଠିଖଣ୍ଡ କୁଳିପଦା ମହନ୍ତଙ୍କ ଦ୍ୱାରା ରାମା ନାମରେ ଲିଖିତ । ସେଥିରେ ଅନ୍ୟ କିଛି ନାହିଁ; କେବଳ ଏତିକି ଲେଖାଅଛି ଯେ–‘‘ରାମ, ବଡ଼ ଦୁଃଖର କଥା–ଏହି ମାସ ତେର ଦିନ ମଙ୍ଗଳବାର ସକାଳେ ତୋର ପିତା ପେଟବିନ୍ଧା ରୋଗରେ ବୃନ୍ଦାବନ ଧାମରେ ଦେହତ୍ୟାଗ କଲେ । ତୋର ଜାଣିବା କାରଣ ଲେଖିଲୁଁ; ତୁ ବିଧିମତ ଅଶୌଚ ଧାରଣ କରିବୁ ।’’ ଦାସେ ଚିଠିଖଣ୍ଡ ଥରେ ପଢ଼ିଲେ–ଦୁଇ ଥର ପଢ଼ିଲେ–ତିନି ଥର ପଢ଼ିଲେ–ପୁଣି ଆଉ ଥରେ ପଢ଼ିଲେ । ଏହିପରି ଯେତେ ଥର ପଢ଼ିଲେ, ପ୍ରତିଥର ତାଙ୍କ ମୁଖମଣ୍ଡଳରୁ ହର୍ଷର ଦୀପ୍ତି ଝଡ଼ି ପଡ଼ୁଥାଏ । ଶେଷରେ ଦୋକାନ ବନ୍ଦ କରି ସେ ଏହି ଶୁଭସମ୍ୱାଦ ପ୍ରଣୟିନୀଙ୍କ କର୍ଣ୍ଣଗୋଚର କରିବା ସକାଶେ ଗୃହାଭିମୁଖରେ ଧାବିତ ହେଲେ । ଗୃହରେ ପହୁଞ୍ଚି ଦେଖିଲେ, ଉଷା ସୁନ୍ଦରୀ ବାସନମଜାରେ ନିଯୁକ୍ତ ଅଛନ୍ତି । ଦାସେ ପଚାରିଲେ–‘ରାମା କାହିଁ ?’ ଉଷା ପଛକୁ ଫେରି ଅନାଇ କହିଲେ–‘ସେ ମୁଢ଼ି ପାଇଁ ଗୁଡ଼ିଆଘରକୁ ଯାଇଛି । କି, କାହିଁକି ?’ ଦାସେ ପତ୍ନୀଙ୍କ ପାଖରେ ବସି ପଡ଼ି ଚାରିଆଡ଼କୁ ଚାହିଁ ଦେଇ ମୃଦୁସ୍ୱରରେ କହିଲେ–‘ଶୁଣିଲଣି ଗୋଟାଏ କଥା ?’
ଉଷା–କି କଥା ?
ଦାସେ–ସଙ୍ଗାତଙ୍କର କାଳ ହୋଇଗଲା ।
ଉଷା–ସତେ ?
ଦାସେ–ଏହି ପରା, ମହନ୍ତ ଚିଠି ଲେଖିଛନ୍ତି ବୃନ୍ଦାବନରୁ ।
ଏହା କହି ଚିଠିଖଣ୍ଡ ଆମୂଳଚୂଳ ପଢ଼ିଗଲେ । ଉଷା ଦୁଇ ତିନି ଥର ‘‘ଚୁ ଚୁ” କରି ବାହାରେ ଟିକିଏ ବିଷାଦ ପ୍ରକାଶପୂର୍ବକ କହିଲେ–ମୁଁ କହୁଥିଲି ପରା, ଏ ବୁଢ଼ାକାଳରେ କି ଆଉ ବୁଲାଚଲା ଦେହରେ ସହିବ ?’’
ଦାସେ–ତମ କାଳତୁଣ୍ଡରୁ ଯାହା ବାହାରିଥିଲା, ସେହି କଥା ଘଟିଲା ।
ଉଷା–ମୁଁ କଅଣ କାଳତୁଣ୍ଡୀ ? ଆଚ୍ଛା ହଉ, କାଳତୁଣ୍ଡୀ କଥା ପଛକୁ ବୁଝିବ ।
ଏହା କହି ସ୍ୱାମୀଙ୍କ ମୁଖକୁ ଚାହିଁ ଟିକିଏ ହସି ଦେଲେ । ଦାସଙ୍କ ମୁହଁରୁ ସୁଦ୍ଧା ଟିକିଏ ଚୋରା ହସ ବାହାରି ପଡ଼ିଲା । ଏହି ସମୟରେ ରାମା ଆସି ପହୁଞ୍ଚିବାରୁ ଉଭୟେ ମୁଖ ଗମ୍ଭୀର କରି ବସି ରହିଲେ । କିଛିକ୍ଷଣ ନୀରବରେ ଅତିବାହିତ ହେଲା । ପରେ ଉଷା ପଁ କରି ଗୋଟାଏ କପଟ ଦୀର୍ଘଶ୍ୱାସ ତ୍ୟାଗ କରି କହିଲେ–‘‘ସେ ପୁଣ୍ୟବନ୍ତ, ତୀର୍ଥରେ ତାଙ୍କର ମରିବାର ଯୋଗ ଥିଲା-। ଆଉ କାହାର କଅଣ ଯିବ–ପିଲାଟା ମଝି ଦରିଆରେ ଭାସିଲା ।’’ ରାମା କିଛି ବୁଝି ନ ପାରି ପଚାରିଲା,–‘‘ମାଉସି ! କିଏ ମଲା ?’’ ଦାସେ ଚିଠିଖଣ୍ଡିକ ତାହା ପାଖକୁ ପକାଇ ଦେଇ କହିଲେ–‘‘ନେ ରେ ବାପ ପଢ଼ ।’’ ରାମ ଚିଠି ପଢ଼ିସାରି ଧଡ଼ କରି ବସିପଡ଼ିଲା । ଅଣ୍ଟିରେ ଥିବା ମୁଢ଼ି ବୁଣି ହୋଇ ପଡ଼ିଲା । ତାହା ମୁଣ୍ଡରେ ଆକାଶ ଭାଙ୍ଗି ପଡ଼ିଲା । ଶୋକର ଶତଦୃଶ୍ଚିକଦଂଶନରେ ହୃଦୟ ଜଳିଗଲା । ପୁତ୍ର ପକ୍ଷରେ ପିତୃଶୋକଠାରୁ ବଳି ଭୀଷଣ ଶୋକ ଆଉ କଅଣ ଅଛି ? ତାହାର ଦେହ ଘନ ଘନ ଶୀତେଇ ଉଠିଲା–ଆଖି ଆଗରୁ ଦିବସର ଆଲୁଅ କିଏ ଲିଭାଇ ଦେଲା । ସେ କାନ୍ଦିବାକୁ ଇଚ୍ଛା କଲା; ମାତ୍ର କାନ୍ଦି ପାରିଲା ନାହିଁ । ଯେପରି ତାହାର ଚକ୍ଷୁରୁ କିଏ ଲୋତକ ହରି ନେଇଗଲା । ଗ୍ରୀଷ୍ମ ନଦୀସ୍ରୋତ ପ୍ରାୟ ଶୋକର ତୀବ୍ରଉତ୍ତାପରେ ଅଶ୍ରୁଝର ଶୁଷ୍କ ହୋଇଗଲା । ଯେ ସଂସାରରେ ନିଃସଙ୍ଗ, ନିଃସହାୟ । ଯାହାର ଦୁଃଖରେ ଆହା ବୋଲିବାକୁ କେହି ନାହିଁ, ଯାହାକୁ ସମସ୍ତେ ଛାଡ଼ି ଚାଲିଗଲେ, ତାହାକୁ ଅଶ୍ରୁ ବା ଛାଡ଼ି ନ ଯିବ କାହିଁକି? ଆକସ୍ମିକ ଆଘାତର ବେଗ ସହ୍ୟ କରିବା ବୟସ୍କ ଲୋକ ପକ୍ଷରେ ବଡ଼ କଠିନ; କୋମଳପ୍ରାଣ ବାଳକର ତ କଥାହିଁ ନାହିଁ । ଅବ୍ୟକ୍ତ ଯାତନାରେ ତାହାର ଛାତି ଫାଟିଗଲା, ତାହାର ମୃତ ପିତା ଛାୟାମୂର୍ତ୍ତି ଧରି ଦୃଷ୍ଟି ସମକ୍ଷରେ ଘୁରି ବୁଲିଲା । କେଉଁଠୁ ଏ ଦାରୁଣ ଶୋକ ଆସି ତାହାର ଜୀବନର ଗତିକୁ ଓଲଟପାଲଟ କରିଦେଲା । ସଂସାରରେ ତାହାର ଅବଲମ୍ୱନ କଣ ଅଛି-? ନୀରବରୋଦନରେ ସେ ନିଜର ବକ୍ଷ ନିଜେ ବିଦାରି ପକାଇଲା । ଚନ୍ଦ୍ରକୁ ମେଘ ଢାଙ୍କିଲାପ୍ରାୟ ଶୋକର ଗଭୀର କାଳିମା ତାହାର ବାଳ ଲାବଣ୍ୟଶ୍ରୀ ବୁଡ଼ାଇ ଦେଲା । ସେ ଗୋଟାଏ ଦୀର୍ଘଶ୍ୱାସ ତ୍ୟାଗ କଲା । ସେ ତପ୍ତଶ୍ୱାସରେ ଯେଉଁ ଅସହ୍ୟ ବିଜଡ଼ିତ ଥିଲା,ତାହା କିଏ ଜାଣିବ ? ବାଳକର କୋମଳ ପ୍ରାଣ ଆଉ କେତେ ସହିବ ? ଦେଖୁ ଦେଖୁ ସେ ମୂର୍ଚ୍ଛିତ ହୋଇ ତଳେ ଢଳି ପଡ଼ିଲା । ହାୟ, ଗ୍ରୀଷ୍ମର ଅନଳଶ୍ୱାସରେ ପୁଷ୍ପ ପ୍ରାୟ ଶୋକର ତପ୍ତଶ୍ୱାସରେ ବାଳକଟି ଝାଉଁଳି ପଡ଼ିଲା ।
ଦାସେ ରାମାକୁ ଉଠାଇ ବସାଇଲେ । ଉଷା ପାଣି ଆଣି ତାହା ମୁହଁକୁ ଛାଟିଲେ । ରାମା କେତେ କ୍ଷଣ ପରେ ଆଖି ମେଲି ଚାହିଁଲା; କିନ୍ତୁ ମୂର୍ଚ୍ଛା ତାହା ପକ୍ଷରେ ଭଲ ଥିଲା । ମୂର୍ଚ୍ଛାପରି ଦୁଃଖୀର ଦୁଃଖହର ଔଷଧ ଆଉ କିଛି ନାହିଁ । ମାତୃକୋଳରେ ପୀଡ଼ିତ ଶିଶୁ ପୀଡ଼ା ଭୁଲିଲା ପ୍ରାୟ ମୂର୍ଚ୍ଛା–କୋଳରେ ଦୁଃଖୀ ସମସ୍ତ ଦୁଃଖଯନ୍ତ୍ରଣା ଭୁଲିଯାଏ । ମୁର୍ଚ୍ଛାର ସ୍ପର୍ଶରେ କଅଣ ଅଛି କେଜାଣି, ସେଥିରେ ଦୁଃଖୀ ଯେପରି ଶାନ୍ତିଲାଭ କରେ, ବୋଧହୁଏ ସ୍ୱର୍ଗରେ ସେପରି ଶାନ୍ତିଲାଭର ସ୍ଥାନ ନାହିଁ-। ମୂର୍ଚ୍ଛାଭଙ୍ଗ ସଙ୍ଗେ ସଙ୍ଗେ ରାମାର ସୁପ୍ତଶୋକ ଚେଇଁ ଉଠିଲା । ବନ୍ଧ ଭାଙ୍ଗିଗଲେ ରୁଦ୍ଧ ଜଳସ୍ରୋତ ଯେପରି ପ୍ରବଳ ବେଗରେ ବହି ଆସେ, ତାହାର ନୟନରୁ ଅଶ୍ରୁଧାରା ସେପରି ଅସମ୍ଭାଳବେଗରେ ବହି ଆସିଲା । ସେ ଘଡ଼ିଏ ଯାଏ ଧକେଇ ହୋଇ ଖୁବ୍ କାନ୍ଦିଲା–କାନ୍ଦିକାନ୍ଦି ନିସ୍ତେଜ ହୋଇପଡ଼ିଲା-। ଶୋକର ପ୍ରଥମ ବେଗ ଟିକିଏ ଊଣା ହୋଇ ଆସିଲା; କିନ୍ତୁ ସଂପୂର୍ଣ୍ଣ ତିରୋହିତ ହେଲା ନାହିଁ । ଦମକା ତୋଫାନ ପରି ରହି ରହି ଥରେ ଥରେ ପ୍ରବଳ ହୋଇ ଉଠୁଥାଏ-। ଯେପରି ତାହା କଲିଜାରେ କିଏ ମୁହୁର୍ମୁହୁ ପ୍ରତପ୍ତ ଲୌହର ଚେଙ୍କା ଲଗାଇ ଦେଉଅଛି । ଉଷା ପ୍ରବୋଧ ଦେଇ କହିଲେ–‘‘ଆଉ କାନ୍ଦିଲେ କଅଣ ହେବ ରେ ବାପ, କାହାର ବାପ ମା ସବୁଦିନନେ ବଞ୍ଚି ରହିଲେଣି, ନା ରହିବେ । ମୁଣ୍ଡ କୋଡ଼ି ହୋଇ ଫଟାଇ ଦେଲେ କି ମଲା ମଣିଷ ବଞ୍ଚି ମଶାଣିପଦାରୁ ଉଠିଆସିବ ନାହିଁ । ତୁ ତ ବାର ତେର ବର୍ଷର ହେଲୁଣି, ମୁଣ୍ଡକୁ ହାତ ପାଇ ଆସିଲାଣି, ତୋର ପେଟ କଅଣ ଅପେକ୍ଷା ରହିବ ? ତୁ ହେମତ ଧର । ଆଉ ଇମିତି ହେଲେ କଅଣ ହେବ ?’’ ଦାରୁଣଶୋକ କିଏ ପ୍ରବୋଧ ମାନିବ? ଉତ୍କୂଳ ବନ୍ୟାସ୍ରୋତ କି ବାଲି ବନ୍ଧରେ ସମ୍ଭାଳି ହେବ ? ଶ୍ଳୋକର ଶାନ୍ତି ସାନ୍ତ୍ୱନାରେ ନୁହେଁ–ଅଶ୍ରୁରେ । ଦୁଃଖୀ ପକ୍ଷରେ ଅଶ୍ରୁ ବିଧାତାର ଦୟାର ଦାନ । ଅଶ୍ରୁ ଦୁଃଖ ଦେବାପାଇଁ ମସେ ନାହିଁ–ଦୁଃଖ ହରିବା ପାଇଁ ଆସେ । ଅଶ୍ରୁରେ ଯାତନା ଧୋଇ ଯାଏ । ଅଶ୍ରୁ ନ ଥିଲେ ଶୋକ ଦୁଃଖର ଅସହ୍ୟ ଗୁରୁଭାରରେ ମାନବ ହୃଦୟ ଖଣ୍ଡ ଖଣ୍ଡ ହୋଇ ଫାଟିଯାନ୍ତା-। ଅଶ୍ରୁପରି ବିପଦ୍ବନ୍ଧୁ ଜଗତରେ ଆଉ କେହି ନାହିଁ । ରୋଗରେ, ଶୋକରେ, ବିପଦରେ ସେ ବଳେ ବଳେ ଆସି ସାନ୍ତ୍ୱନା ଦିଏ । ସେ ମାନବର ମହାହିତୈଷୀ; ତାହାର ଋଣ ମାନବ ବହୁ ଜନ୍ମରେ ପରିଷୋଧ କରିପାରିବ ନାହିଁ । ଅଶ୍ରୁ ଦେବତା । ସଦ୍ୟ–ପିତୃହୀନ ବାଳକ ରାମା ବିସ୍ତର କାନ୍ଦିଲ; ସେଥିରେ ତାହାର ଦୁର୍ବହ ହୃଦୟଭରା କ୍ରମଶଃ ଲଘୁ ହୋଇ ଆସିଲା । ମନ୍ତ୍ରଦ୍ୱାରା ସର୍ପବିଷ ଓହ୍ଲାଇ ଗଲା ପରି କ୍ରନ୍ଦନଦ୍ୱାରା ତାହାର ଶୋକ ଧୀରେ ଧୀରେ ଓହ୍ଲାଇ ଆସିଲା । ପ୍ରଥମ ଦିନର ଶୋକ ଦ୍ୱିତୀୟ ଦିନକୁ ତେତେ ରହିଲା ନାହିଁ; ତୃତୀୟ ଦିନ ଆହୁରି ଊଣା ହୋଇ ଆସିଲା । ମାନବ ସ୍ୱଭାବ ଏହିପରି; ସେଥିରେ ଶୋକ ସ୍ଥାୟୀ ହୋଇ ରହି ପାରେ ନାହିଁ । ମାନବ ଯଥାସମୟରେ ଶୋକଜଗତରୁ ବାସ୍ତବଜଗତକୁ ଫେରି ଆସେ । ବାତ୍ୟା–ଭୀଷଣ ଅମାନିଶାର ଅବସାନରେ ଯେପରି ପ୍ରାଚୀଦିଗରେ ଉଷାର ପଙ୍କଜ ପାଟଳମୂର୍ତ୍ତି ଫୁଟି ଉଠେ, ସେହିପରି ମାନବର ଶୋକାନ୍ଧକାର ହୃଦୟରେ ଆଶାର ଆଲୋକ ଫୁଟି ଉଠେ । ଶୋକ ଦୁଃଖର ଆତିଶଯ୍ୟରେ ମାନବ ଆତ୍ମହତ୍ୟା କରିବାକୁ ବସେ; ମାତ୍ର ପାରେ ନାହିଁ । ସଂସାରରେ କେହି ସହଜରେ ମରିବାକୁ ଇଚ୍ଛା କରେ ନାହିଁ–ଅତି ବଡ଼ ଦୁଃଖୀ ସୁଦ୍ଧା ନୁହେ । ସଂସାରର ଆକର୍ଷଣ ତାହାକୁ ଟାଣି ଧରେ । ଯାହାର କିଛି ମାତ୍ର ଅବଲମ୍ବନ ନାହିଁ–ସଂସାର ଯାହା ପକ୍ଷରେ ଅଗ୍ନିମୟୀ ମରୁଭୁମି ତୁଲ୍ୟ, ସେ ସୁଦ୍ଧା ମରିବାକୁ ଇଚ୍ଛା କରେ ନାହିଁ । ଯମ ଯାହାର କଣ୍ଠ ପର୍ଯ୍ୟନ୍ତ ଗ୍ରାସ କରି ପକାଏ, ସେହି ପରଲୋକର ଯାତ୍ରୀ ସୁଦ୍ଧା ମରିବାକୁ ମନ ବଳାଏ ନାହିଁ । ଯଦି କେହି ମରିବାକୁ ଇଚ୍ଛା କରେ, ତେବେ ତାହା ରୋଗ, ଶୋକ ଦାରିଦ୍ର୍ୟ ବା ଅଭିମାନର କ୍ଷଣିକ ଉତ୍ତେଜନା ମାତ୍ର । ଆଶା ତାହାର ହାତ ଧରି ମରଣପଥରୁ ଟାଣିଆଣେ । ଲୋକେ ଯେଉଁ ମାଟିରେ ପଡ଼ନ୍ତି, ସେହି ମାଟି ଧରି ଉଠନ୍ତି । ଆଶା କହେ–‘‘ଫେରିଆ, ଫେରିଆ, ଦୁର୍ଲଭ ମାନବ ଜନ୍ମ ହରାଇ ବ ସନା । ଆଜି ଦୁଃଖ ସହିଲେ କାଲି ସୁଖ ପାଇବୁ ।’’ ଆଶା ସିନା ମାନବ ଜୀବନର ଭାର ବହନ କରେ । ଜୀବନ ଯେଡ଼େ ଦୁଃଖମୟ ହେଉ ପଛେ ତାହା କେହି ଦୁର୍ବହ ମଣେ ନାହିଁ ।
ରାମାର ପିତୃଶ୍ରାଦ୍ଧ ହୋଇଗଲାଣି । ଗ୍ରାମବାସୀ ଏବଂ ମଉସାଙ୍କ ସାହାଯ୍ୟରେ କାମଟା ଊଣା ଅଧିକରେ ଚଳିଗଲା । ରାମା ମନରେ ଯଥେଷ୍ଟ ସାନ୍ତ୍ୱନା ମଧ୍ୟ ଆସିଲାଣି । ତାହା ଦୃଷ୍ଟିପଥରେ ଅତୀତର ଯବନିକା ଟଣାହୋଇ ଯାଇଅଛି । ବର୍ତ୍ତମାନ ସେ ଆଉ ଶୋକପିତୁଳା ନୁହେଁ–ତାହା ମୁଖମଣ୍ଡଳରୁ ଶୋକର ଛାୟା ଅପସୃତ ହୋଇ ପୁର୍ବପରି ହର୍ଷର ରେଖାପାତ ହେଲାଣି-। ଜଗତରେ ସମସ୍ତଙ୍କର ଏହିପରି ହୋଇଥାଏ । ଶୋକର ବିସ୍ତୃତି ଆସେ । ଶୋକର ବିସ୍ତୃତି ନ ଥିଲେ ମାନବସୃଷ୍ଟି କେଉଁ କାଳରୁ ଲୋପ ପାଇ ସାରନ୍ତାଣି ଯେଉଁ ପ୍ରକୃତି ଶୋକ ଆଣିଦିଏ, ବିସ୍ତୃତି ସୁଦ୍ଧା ସେହି ଆଣି ଦିଏ । ‘‘ମୁତ୍ୟୁକୋଳରେ ଜୀବନ ଏବଂ ଜୀବନ ବକ୍ଷରେ ମୁତ୍ୟୁର ଛାୟା’’ ଏହା ଜାଣି ସୁଦ୍ଧା ଲୋକେ ସ୍ୱଜନବିଯୋଗରେ ଶୋକ କରନ୍ତି; ମାତ୍ର ସେ ଶୋକ କ୍ଷଣିକ । ପାଣିରେ ଲୁଣ ପରି ଅନ୍ତ୍ୟେଷ୍ଟି ପରେ ତାହା ମିଳେଇଯାଏ । ମନୁଷ୍ୟ ଜାତି ବଡ଼ ଅକୃତଜ୍ଞ; ତାହାର ଶ୍ରଦ୍ଧା ଭକ୍ତି ସୃତିପୂଜା ପ୍ରଭୃତି ପାଣିରେ ଗାର । ସେ ମୂର୍ତ୍ତି ସଙ୍ଗେ ସଙ୍ଗେ ସ୍ମୃତିକୁ ବିସର୍ଜନ ଦିଏ । ଜୀବିତକାଳରେ ଯେ ପ୍ରାଣର ପ୍ରାଣ ଥାଏ, ମୃତ୍ୟୁ ପରେ ସେ ପରଠାରୁ ପର ହୁଏ । ଏତିରେ ପୁଣି ସଂସାରରେ ମାୟାମମତା ପ୍ରବଳ । ଯେଉଁ ମାୟାମମତା ଲାଳସା–ମିଶ୍ରିତ, ତାହା ଅସ୍ଥାୟୀ ଏବଂ ବ୍ୟର୍ଥ । ଲାଳସା, ସ୍ନେହ ଏବଂ ପ୍ରେମକୁ ଅପବିତ୍ର କରେ ।
ଶୋକ ମନୁଷ୍ୟକୁ ଦଗ୍ଧ କରିବାକୁ ଆସେ ନାହିଁ–ଶିକ୍ଷା ଦେବାକୁ ଆସେ । ଶୋକ ପରି ଶିକ୍ଷକ ଆଉ ନାହିଁ । ଶୋକ ଉଦ୍ଧତକୁ ଶାନ୍ତ କରେ–କ୍ରୋଧୀକୁ ଶୀତଳ କରେ–ଅସଂଯତକୁ ସଂଜତ କରେ ଅଳ, ସବୁ କର୍ମୀ କରେ ଏବଂ ପରମୁଖାପେକ୍ଷୀକୁ ସ୍ୱାବଲମ୍ବୀ କରେ । ସ୍ଥୂଳତଃ ଶୋକ ମାନବ ପ୍ରକୃତିକୁ ଭାଙ୍ଗି ଦେଇ ନୂତନ ପ୍ରକାରରେ ଗଢ଼ି ଦିଏ, ଚରିତ୍ରକୁ ନିର୍ଦ୍ଦୋଷତା ଆଡ଼କୁ ଘେନିଯାଏ । ସେହି ଶୋକ ରାମାକୁ ସ୍ୱାବଲମ୍ବନ ଏବଂ ସାହସର ଦୀକ୍ଷା ଦେଇ ଯାଇଅଛି । ବର୍ତ୍ତମାନ ତାହାର ସ୍ଫୂର୍ତ୍ତି ଦେଖିଲେ ଏହା ସହଜରେ ପ୍ରତୀୟମାନ ହୁଏ । ରାମାର କାର୍ଯ୍ୟର ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଅଛି, ଅର୍ଥାତ୍ ସେହି ବିଷୟରେ ସେ କ୍ଳାସ ପ୍ରମୋସନ ପାଇଅଛି । ବର୍ତ୍ତମାନ ସଉଦା ବହିବା, ଦୋକାନ ଜଗିବା ଏବଂ ଝିଅ କାଖେଇବାରେ ତାହାର କର୍ତ୍ତବ୍ୟ ସୀମାବଦ୍ଧ ନୁହେଁ । ଚାଉଳ ଧୋଇ ଆଣିବା, ପୋଖରୀରୁ ପାଣି ବହି ଆଣିବା ପ୍ରଭୃତି କେତେକ ନୁତନ କାର୍ଯ୍ୟର ଭାରବହନରେ ତାହାର କର୍ତ୍ତବ୍ୟର ସୀମା ବିସ୍ତାର ବିସ୍ତୃତ ହୋଇଅଛି । ତାହାର ହସ୍ତାକ୍ଷରଗୁଡ଼ିକ ମୁକ୍ତା ପରି ଗୋଲ ଏବଂ ସୁନ୍ଦର । ପ୍ରତ୍ୟହ ସନ୍ଧ୍ୟାବେଳେ ଦାସେ ତାହାଦ୍ୱାରା ଦୋକାନରେ କାଳିସଉଦାର ଫର୍ଦ୍ଦ ଲେଖାଇ ରଖନ୍ତି । ମଉସା ପୁତୁରା ମଧ୍ୟରେ ଅନେକ କଥା ହୁଏ । ତାହା ଅନ୍ୟ କିଛି ନୁହେଁ–କେବଳ ପରନିନ୍ଦା, ପରକୁତ୍ସା ଇତ୍ୟାଦି ସତ୍ ପ୍ରସଙ୍ଗ । ରାମାକୁ ତାହା ଭଲ ନ ଲାଗିଲେ ସୁଦ୍ଧା ସେ ଶୁଣିବାକୁ ବାଧ୍ୟ । ସମୟ ସମୟରେ ମଉସା ସଦୁପଦେଶ ଦିଅନ୍ତି । ପ୍ରତିବେଶୀ ପତ୍ରରେ ଏହା ଦିଅ, ତାହା ଦିଅ ବୋଲି କହି କୌଶଳରେ ନିଜର ଉଦ୍ଦେଶ୍ୟ ସିଦ୍ଧ କଲା ପରି କହନ୍ତି–‘‘ରାମା, ଆମ ଗାଁ ଟୋକାଗୁଡ଼ାକ ବେଶି ଖାଇ ଅଳସୁଆ ଆଉ ରୋଗା ହୋଇ ଯାଉଛନ୍ତି । ଅଧୁକଗୁଡ଼ାଏ ଖାଇବା ଭଲ ନୁହେଁସେଥିରେ ଦେହ ମାଟି ହୋଇଯାଏ ସିନା ! ଯେଉଁମାନେ ବହୁତ ଗିଳନ୍ତି, ସେମାନେ ଚଞ୍ଚଳ ମରିଯାନ୍ତି । ମୋ ଖାଇବା ତ ତୁ ରୋଜ ଦେଖୁଛୁ; ଚାଉଳ ତିନି ମୁଠାର ଭାତ ହେଲେ ମୋର ଢେର ।’’ ରାମା ମନେ ମନେ କହେ–‘‘ହଁ, ତମେ ଅଳ୍ପ ଅଧାରୀ; ତମ ଭାତ ଥାଳିକି ତ ବିରାଡ଼ି ଡେଇଁ ପାରିବ ନାହିଁ ।’’ କିନ୍ତୁ ପ୍ରକାଶ୍ୟରେ କିଛି କହେ ନାହିଁ । ମଉସାଙ୍କ ଲଙ୍ଗିତ ଯେ, ରାମାକୁ ଅଳ୍ପ ଖାଇବା ପାଇଁ ପ୍ରବର୍ତ୍ତନା, ତାହା ସେ ବୁଝିପାରେ । ପାନ ଖାଇଲେ ଦାନ୍ତ ପଡ଼ିଯାଏ, ତେଲ ଲଗାଇ ଗାଧୋଇଲେ ଲୁଗାରେ ତେଲଚିଟା ଲାଗି ଗନ୍ଧାଏ ଏବଂ ଲୁଗା ମଇଳା ହୋଇ ଅଳ୍ପଦିନରେ ଚିରିଯାଏ । ପିଠା, ମିଠା ବା ମାଛ ବଡ଼ ଗରିଷ୍ଠ ପଦାର୍ଥ; କେବଳ ପାଣି ନିର୍ଦ୍ଦୋଷ । ତାହା ଯେତେ ପିଇବ, ତେତେ ଉପକାର; ଯେହେତୁ ତାହା ଅକୀଣା ପଦାର୍ଥ । ଏହିପରି ଅନେକ ମୂଲ୍ୟବାନ୍ ଉପଦେଶଦ୍ୱାରା ମଉସା ଅନୁଗ୍ରହ କରି ପ୍ରତ୍ୟହ ରାମାର କର୍ଣ୍ଣ ପବିତ୍ର କରନ୍ତି ।
ଦିନେ କଥାପ୍ରସଙ୍ଗରେ ଉଷା ସ୍ୱାମୀଙ୍କୁ ପଚାରିଲେ–‘‘ସଙ୍ଗାତ ଯେ ତମ ଘରେ ଟଙ୍କା ରଖି ଯାଇଛନ୍ତି, ଏ କଥା ତମେ ରାମାକୁ କହିଛି କି ?’’ ଦାସେ କହିଲେ–‘‘ନା, ତାକୁ କହିବାକୁ ତା ବାପ ମନା କରି ଯାଇଛି । କହିଥିଲା–ଏତେ ଟଙ୍କା ଅଛି ବୋଲି ଜାଣିଲେ ଖେପତ ! ଟୋକାଟାର ମନ ମୋଟା ହୋଇଯିବ । କି, ତମେ କାହିଁକି ଏହ ପଚାରୁଛ ?’’ ଉଷା କହିଲେ–‘‘ରାମା ଜାଣିଲେ ମାଗିବ ନାହିଁ କି ? ଗାଁରେ ରାଣ୍ଡେ ପୋଡ଼ାମୁହାଁମାନେ ତାକୁ କେତେ ବୁଦ୍ଧି ଦେବେ ।’’ ଦାସେ ସ୍ତ୍ରୀର ମନ ବଡ଼ିବାପାଇଁ କହିଲେ–‘‘ତାହାର ମାଲ ସେ ନେବ ନାହିଁ ? ପର ମାଲ ନେଲେ ଯେ ଅଧର୍ମ ହେବ ।’’ ଉଷା ସ୍ୱାମୀଙ୍କ ଉପରେ ଟିକିଏ ବିରକ୍ତ ହୋଇ କହିଲେ–‘‘କି, ତମେ ତାହା ଘରୁ ଚୋରି କରି ଆଣିଛି କି ଅଧର୍ମ ହେବ ?’’ ଦାସେ ସ୍ତ୍ରୀର ମନ ବୁଝିଲେ ଏବଂ ମନେ ମନେ କହିଲେ–‘‘ପ୍ରକୃତ ସହଧର୍ମିଣୀ’’ ଅନ୍ତରର ଟିକିଏ ଗମ୍ଭୀର ହୋଇ କହିଲେ ‘‘ତାହାର ବିତ କୋଡ଼ିହଣା ମାଲ ନୁହେଁ, ଚୋରିମାଲ ସିନା ।’’ କେହି କୌଣସି ଅନ୍ୟାୟ କାର୍ଯ୍ୟ କରି ବସିଲେ ସେ ଦୋଷ କଟାଇବାକୁ ଯୁକ୍ତିର ଅଭାବ ହୁଏ ନାହିଁ ତାହା ବ୍ୟର୍ଥ ଯୁକ୍ତି ହେଉ ବା ମନକୁ ଆଖି ଠାରିବା ହେଉ; ସେହି ଯୁକ୍ତିନ ଥିଲେ ମନୁଷ୍ୟ ଅନୁତାପରେ ଜଳିପୋଡ଼ି ମରନ୍ତା ।
ଉଷା–ଏଁ, ସେ ପରା ଚାକିରୀ କରିଥିଲା ?
ଦାସେ–ଚାକିରୀ କରି କେତେ ଦରମା ପାଉଥିଲା ଯେ, ନିଜେ ଚଳି–ଘର ଚଳାଇ ଆହୁରି ଏତେ ଟଙ୍କା ଜମା କରି ରଖିଥିଲା ! କୋଡ଼ିଏ ଶଗଡ଼ କାଠ ଦେଇ ଦଶ ଶଗଡ଼ ବୋଲି ଲେଖିଦିଏ; ଆଉ ଦଶ ଶଗଡ଼ର ଦାମ ନିଜେ ନିଏ । ଏହା ଚୋରି ନୁହେଁ ଆଉ କଅଣ ? ଲାଞ୍ଚ ଖାଇବା ଆଉ ଚୋରି କରିବା ଏକ କଥା । ମୁନିବର ଦାନା ଖାଇ ତାହାର କ୍ଷତି କରିବା ନିମତ୍କହାରାମୀ ନୁହେଁ କି ?
ଉଷା–ତେବେ ଅଧର୍ମ ହେବ ବୋଲି କାହିଁକି କହୁଥିଲା ? ଏ କାଳରେ ଧର୍ମ ଅଧର୍ମ କିଏ ମାନୁଛି ? ପର ଧନ ଘରେ ନ ପଶିଲେ କେହି ବଡ଼ ହୁଏ ନାହିଁ । ତମେ ସେ ଉଜୁଡ଼ା ବୁଦ୍ଧି ଛାଡ଼ି ସେହି ଟଙ୍କାରେ ବେପାର କର । ବିରି ଯେପରି ଶସ୍ତା ହୋଇଛି, କିଣି ରଖିଦେଲେ ପଛକୁ ଖୁବ୍ ଲାଭ ହେବ ।
ଦାସେ–ହଁ, ତାହା ଜାଣି ହେଲା; ଆଉ ରାମା କଥା କଅଣ କରାଯିବ ?
ଉଷା–ରାମା ଯିମିତି ଅଛି ସିମିତି ରହିବ, ଆଉ କଅଣ ? ବେପାର କଲେ ତ ଜଣେ ମଣିଷ ଦରକାର, ସେ ପୁଣି ପଇସା ନେବ । ରାମା ତ ଆଉ ପଇସା ନେବ ନାହିଁ–ମୁଠେ ଭାତ ଖାଇବ ସିନା । ସେହି କାମ ସେ କରୁ । ଆଉ ଗୋଟାଏ କଥା–ଘର କରି କେତେବେଳେ କଅଣ ଆପଦ-ବିପଦ ଘଟିବ, ଜଣେ ମଣିଷ ପାଖରେ ଥିଲେ କି ଭଲ ନୁହେଁ ?
ଦାସେ–ସେ ମୁଣ୍ଡ ମାଣ୍ଡି ରହିଲେ ସିନା !
ଉଷା–ନ ରହି ଆଉ କଉଁ ଗାତକୁ ଯିବ ? ମାକୁ ଖାଇଲା–ବାପକୁ ବି ତ ଖାଇଲା, ଆଉ କିଏ ଆଶ୍ରା ଭରସା ଅଛି ଯେ, କଉଁଠିକି ଯିବ ? ଯେବେ ଦୁଧ ଭାତରେ ତାହାର ଗଳା କୁଣ୍ଡେଇ ହେବ, ତେବେ ଗଲେ ଯିବ । ତେତେବେଳର କଥା ଦେଖାଯିବ । ଧାନ ଥିଲେ ତମ ଧାନ ଘର ଅଛିଆ ରହିବ, ନା ଚନ୍ଦେଇପାଣି ବିନା ଲୁଣ ଅମର ରହିବ ? ଭାତ ଥିଲେ କେତେ ଭାତୁଆ ଆସି ମିଳିବେ । ଏହି କଥାକୁ–‘‘ଏତେ ଡର ପଡ଼ିଛି, ନା ତେର ହାତ ଲମ୍ବ ଘର ପଡ଼ିଛି ।’’ ଆମ ଘରଠୁଁ ଆଉ କଉଁଠି ବେଶି ସୁଖ ପାଇବ ଯେ, ଯିବ ।
ଦାସେ–ହଁ, ସୁଦୁରା ମା, ତମେ ଯାହା କହିଲ ତାହା ଠିକ୍ । ଗଲେ ସେ ତା କପାଳ ଘେନି ଯିବ, ଆମର କଅଣ ନେଇଯିବ ? କଥାରେ କହନ୍ତି ପରା–‘‘ଯେଣେ ଯା, କପାଳ ଘେନି ବୁଲୁଥା ।’’ ବେଳେ ବେଳେ ତମେ ଯେଉଁ କଥା କୁହ, ତାହା ବେଦର ଗାର । ତମ ବୁଦ୍ଧି ଆଗର ମରଦଙ୍କ ବୁଦ୍ଧି ବି ସରି ନୁହେଁ ।
ଉଷା–ମିଣିପେ ପାଠ ପଢ଼ିଲେ ବୋଲି ତାଙ୍କର କଅଣ ବେଶୀ ବୁଦ୍ଧି ! ଉଷା ବୈଷ୍ଣବାଣୀ ସାମାନ୍ୟ ନୁହେଁ–ସାତଟା ମରଦର କାନ କାଟି ଛାଡ଼ି ଦେବ ।
ଦାସେ–ହଁ, ତାହା ତମେ କରିପାର; ସେକଥା କିଛି ବିଚିତ୍ର ନୁହେଁ । ସାତଟା କାହିଁକି, ସାତ ଗଣ୍ଡା ମରଦଙ୍କୁ ବି ପାଠ ପଢ଼େଇ ଛାଡ଼ି ଦେବ । ତମ ଜାତିଟା ଏକା ସେହିପରି ! ଘୋଡ଼ା ଚଢ଼ି ଜାଣୁଥିଲେ ତ ଯାଇ ଯୁଦ୍ଧ କରନ୍ତ; ଭାଗ୍ୟେ ସେ ବିଦ୍ୟାଟା ହାସଲ କରି ପାରି ନାହିଁ ।
ଉଷା–କି, ଏତେ ଗରଜ ପଡ଼ିଛି, ଘୋଡ଼ା ଚଢ଼ିବୁଁ କାହିଁକି ? ଖାଲିକି ତ କେହି ନାହିଁ । ତମେ କଟାରୀରେ ଯାହା କରି ନ ପାରିବ, ଆମେ କଟାକ୍ଷରେ ତାହା କରିଦେବୁଁ ।
ଦାସେ–ନ ଜାଣି ତମକୁ ବିଧାତା ସେ ବ୍ରହ୍ମାଣ୍ଡ ଦେଇଛି କି ? ମଣିଷ କି ଛାର, ସେ ଅସ୍ତ୍ରରେ ତମେ ଭୂତପ୍ରେତକୁ ବି ବଶ କରିପାର । ଢେର ବେଳ ହେଲାଣି; ଏବେ ଟିକିଏ ତେଲ ଦିଅ–ଗାଧୋଇ ଯାଏଁ ।
ଉଷା ତେଲଘଡ଼ି ଆଣି ସ୍ୱାମୀଙ୍କୁ ଦେଲେ । ଦାସେ ତେଲ ଲଗାଇ ଗାଧୋଇବାକୁ ଗଲେ-। ଉଷା କି କାର୍ଯ୍ୟ କରିବା ସକାଶେ ଗୃହାନ୍ତରକୁ ଗମନ କଲେ ।