ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୬ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ପରିଚ୍ଛେଦ
ସବୁ ଦିନ କାହାର ସମାନ ଯାଏ ନାହିଁ । ମନୁଷ୍ୟ ଜୀବନରେ ନାନା ଆପଦ ଅଛି; ରୋଗ ସେଥି ମଧ୍ୟରେ ପ୍ରଧାନ । ଶରୀରର ବ୍ୟାଧିମନ୍ଦିର ବୋଲି ମହାବାକ୍ୟ ଅଛି । ଛାଗକୁ ବାଘ ଛକିଲା ପ୍ରାୟ ରୋଗମାନେ ମାନବ ଜୀବନକୁ ଚାରିଆଡ଼ୁ ଛକି ବସିଅଛନ୍ତି; ଟିକିଏ ସୁବିଧା ପାଇବା ମାତ୍ରେ ଆକ୍ରମଣ କରନ୍ତି । ନିତେଇ ଦାସଙ୍କୁ ଗତ କେତେ ଦିନ ହେଲା ସନ୍ଧ୍ୟା ସମୟରେ ଅଳ୍ପ ଅଳ୍ପ ଜ୍ୱର ହେଉଥିଲା । ତାହା ପ୍ରତି ସେ ତେତେ ଲକ୍ଷ୍ୟ ରଖି ନ ଥିଲେ । ଜ୍ୱର କ୍ରମଶଃ ପ୍ରବଳ ହୋଇ ଉଠିଲା । ଦିନରେ ବା ରାତିରେ କେତେବେଳେ ହେଲେ ଜ୍ୱର ଓହ୍ଲାଇଲା ନାହିଁ । ଦାସେ ନିତାନ୍ତ ଦୁର୍ବଳ ହୋଇ ଶଯ୍ୟାଶ୍ରୟୀ ହେଲେ । ଉଷାଙ୍କର ଉତ୍କଣ୍ଠା ବୃଦ୍ଧି ହେବାକୁ ଲାଗିଲା । ସେ ରାମାଦ୍ୱାରା ଶଙ୍କରନାଥ ବୈଦ୍ୟକୁ ଡକାଇ ପଠାଇଲେ ଭିକ ମାଗେ ଏବଂ ବୈଦ୍ୟବୃତ୍ତି କରେ । ଗୋଟାଏ ବିଶାଳ ଔଷଧ ବଟୁଆ ତାହାର କାଖତଳେ ଝୁଲୁଥାଏ । ସେ ପ୍ରତ୍ୟହ ତାଳଭୂଳ ଢେଙ୍କିରେ କୁଟି ଚାଲୁଣୀରେ ଚଲାଇ ଔଷଧ ପ୍ରସ୍ତୁତ କରେ । ତାହାର ତିନି ପୁରୁଷରେ କେହି ପାଠଶାଳା ମାଡ଼ି ନ ଥିଲେ ସୁଦ୍ଧା ସେ ସ୍ଥଳବିଶେଷରେ ତୁଣ୍ଡେ ତୁଣ୍ଡେ ସଂସ୍କୃତ ଶ୍ଳୋକ ରଚନା କରି ଆବୃତ୍ତି କରେ । ଏହା ତାହାର ଅସାଧାରଣ ପ୍ରତିଭାର ଫଳ । କବିରାଜ ଯଥାସମୟରେ ଆସି ପହୁଞ୍ଚିଲା । ଉଷା ସ୍ୱାମୀଙ୍କ ପାଖରେ ବସି ତାଙ୍କ ମୁଣ୍ଡରେ ହାତ ବୁଲାଇ ଦେଉଥିଲେ । ବୈଦ୍ୟକୁ ଦେଖି ଟିକିଏ ଦୁରକୁ ଘୁଞ୍ଚି ବସିଲେ । ବୈଦ୍ୟ ପଚାରିଲା–‘‘ମହାଜନଙ୍କୁ କେବେ ଜ୍ୱର ହେଲା ? ମୁଁ ତ ଶୁଣିକରି ଧାଇଁଛି ତ ମା କହିଲା,–‘ଗାଧୋଇ ଆସିଛ ଗଣ୍ଡେ କିଛି ପାଟିରେ ପକେଇ ଦେଇ ଯା ।’ ମୁଁ କହିଲି–‘ନା, ମହାଜନଙ୍କୁ ଜର, ରାତି ଅଧରେ ତାଙ୍କ ଦ୍ୱାରରେ ଠିଆ ହେଲେ ସେ ମହତ ବଞ୍ଚେଇ ଦିଅନ୍ତ; ଆଉ କେହି ହୋଇଛି ନା ଘଡ଼ିଏ ଟାଳି ଦେବି ।’ କାହିଁ, ହାତ ଦେଖାଇଲ ।’’ ଦାସେ ଦୁଇ ତିନି ଥର ‘ଉହୁ’ କରି ଡାହାଣ ହାତଟି ବଢ଼ାଇ ଦେଲେ । ବୈଦ୍ୟ ନାଡ଼ୀ ଦେଖି କହିଲେ–‘‘ବାତ, ପିତ୍ତ, ଶ୍ଳେଷ ସାଙ୍ଗରେ ଆମ୍ବ ଦୋଷ ମିଶିଗଲା; ମୋତେ ଟିକିଏ ଆଗରୁ ଖବର ଦେଲ ନାହିଁ ! ଆଚ୍ଛା, କିଛି ଭୟ ନାହି, ମୁଁ ଔଷଧ ଦେଇ ଯାଉଛି । ପାଠ କହିଛି ପରା–
‘‘କର୍କଟୋ ମର୍କଟୋ ପିତ୍ତ ଶୁଣୀଚୂର୍ଣ୍ଣେନ
ଗୋଳୟେତ୍ ।
ବଟିକା ହରଡ଼ ମାତ୍ରେଣ ତ୍ରିଭି ଦୋଷ ବିନଶ୍ୟତି ।’’
ଏହା କହି ବଟୁଆରୁ କିଞ୍ଚିତ୍ ଚୁର୍ଣ୍ଣ ବାହାର କରି ଉଷାଙ୍କ ହାତରେ ଦେଇ କହିଲା, ‘‘ମହୁରେ ଗୋଳି ଏ ଔଷଧ ତିନି ପାନ ଖୁଆଇବ ।’’ ଉଷା ପଚାରିଲେ–‘‘ସେହି ଯେ କଟକଟ ମଟମଟ ଉଷୃଦ କହିଲ, ଏ ସେହି ଉଷୁଦ ନା ?’’ ବୈଦ୍ୟ ହସି ହସି କହିଲା–‘‘କଟକଟ ମଟମଟ ନୁହେଁ–କର୍କଟ ଯେ କଙ୍କଡ଼ା, ମର୍କଟ ଯେ ମାଙ୍କଡ଼, ତାହାରି ପିତ୍ତ ଏ ଔଷଧରେ ପଡ଼ିଛି ।’’
ଉଷା–ଏଁ, କଙ୍କଡ଼ା ଜାଣି ଗଡ଼ିଆରୁ ଦିଟା ଅଣ୍ଡାଳି ଆଣି ଚିପି ଦେଇ ପିତ୍ତ କାଢ଼ିଲି, ଆଉ ମାଙ୍କଡ଼ ପିତ୍ତ କିମିତି କାଢ଼ିଲ ? ମାଙ୍କଡ଼ଟାକୁ ପିଟି ମାରି ପକାଇଲ ନା କଅଣ ?
ବୈଦ୍ୟ–ନ ମାରିଲେ ହବ କିମିତି ? ବୈଦ୍ୟ ହବା କଅଣ ଥଟା ତାମସା କଥା ! ଏତେ ବୈଦ୍ୟ ତ ଅଛନ୍ତି, ବଟୁଆ ଝୁଲେଇ ଚାଲିଛନ୍ତି, ଆଛା ଭଲା ପଚାରନି ଯାଇ–ଏ ଔଷଧର ନାଁ କେହି ଜାଣନ୍ତି ନା ? ଖାଲି ଭଣ୍ଡଗୁଡ଼ାକ, ବୈଦ୍ୟ ନା ଯମଦୂତ । ଆସୁନି ଭଲା ଶଙ୍କରା ଯୋଗୀ ଆଗରେ କିଏ କଥା କହିବ । ଏଡ଼େ ବାପର ପୁଅ କିଏ ଅଛି ଦେଖିବା ! ଏଗୁଡ଼ାକ ତିନି ଜନ୍ମିଯାଏଁ ମୋ ପାଖରୁ ପାଠ ପଢ଼ିଲେ ସରିବ ନାହିଁ । ସେ ଦିନ କଅଣ ହେଲା, ଶୁଣିବ ? ଆମେ ତ ଯୋଗୀ, ସନ୍ନ୍ୟାସୀ ଜାତି, ଭିକ ମାଗିବା ଆମର ଧର୍ମ । ଯେତେ ସଂପତ୍ତି ଥାଉ ପଛକେ ଭିକ ନ ମାଗିଲେ ଆମର ଅଧର୍ମ ହେବ । ସେଦିନ ଆର ସାହିକି ଭିକ୍ଷା କରିବାକୁ ଯାଇଥିଲି । ମକଦମ ଘରେ ପହୁଞ୍ଚି କେନ୍ଦରା ବଜାଇ ପଦେ ଗୀତ ଗାଇଲାକ୍ଷଣି ବୁଢ଼ୀ ସାଆନ୍ତାଣୀ ଭିକ ଆଣି ଦିଅନ୍ତି । ସେଦିନ ଘଡ଼ିଏଯାଏଁ କେହି ଶୁଣିଲେ ନାହିଁ । ଘର ଭିତରେ ଗୋଳମାଳ ଶୁଭୁଥାଏ । ମକଦମଙ୍କ ସାନପୁଅଟି ଦାଣ୍ଡରେ ଖେଳୁଥିଲା । ତାକୁ ପଚାରିଲି । ସେ କହିଲା–‘‘ବାବୁଙ୍କୁ ଜର, ଚାରି ପାଞ୍ଚ ଜଣ ବଇଦ ତାଙ୍କ ପାଖରେ ବସିଚନ୍ତି ।’’ ଏହା ଶୁଣି ମୁଁ ଭିତରକୁ ଯାଇ ଦେଖିଲି, ମକଦମ ଖଟରେ ଶୋଇଛନ୍ତି । ଚେତନା ତେତେ ନାହିଁ, କି ଆଖିବି ଫିଟୁ ନାହିଁ । ବୈଦ୍ୟମାନେ କି ଔଷଧ ଦେବେ ବୋଲି ବଡ଼ ଭାବନାରେ ପଡ଼ିଛନ୍ତି । ମୋତେ ଦେଖି ଜଣେ କହିଲା–‘ହେଇଟି ଶଙ୍କରନାଥ ବି ଆସିଲାଣି ।’ ଆଉ ଜଣେ କହିଲା, ‘ଶଙ୍କରନାଥ ଆମରି ପରି ଜଣେ ନା ଆଉ ବ୍ରହ୍ମା ବିଷ୍ଣୁ ?’ ଏ କଥାଟା ମୋତେ ବଡ଼ ବାଧିଲା । ମୁଁ କିଛି ନ କହି ବଟୁଆରୁ ବଡ଼ିଟିଏ ବାହାର କରି ସେଥିରୁ ଫାଳେ ଖାଇବାକୁ ଦେଲି । ସେ ବଡ଼ ପେଟରେ ପଡ଼ିଲାକ୍ଷଣି ମକଦମ ଡାହାଣ ଆଖି ମେଲି ଚାହିଁଲେ; ଆଉ ତାଙ୍କ ଡାହାଣ ପଖଟାଯାକ ଶୀତଳ ହୋଇ ଆସିଲା । ତହୁଁ ମୁଁ ବୈଦ୍ୟମାନଙ୍କୁ କହିଲି–‘‘ମୁଁ ଫାଳେ ଜ୍ୱର ଛଡ଼ାଇ ଦେଲି, ତୁମ୍ଭେମାନେ ମିଶି ଆରଫାଳକ ଛଡ଼ାଇ ଦିଅ ।’’ ଏହା ଶୁଣି ସମସ୍ତଙ୍କ ମୁହଁ କଳା ପଡ଼ିଗଲା; ପାଟିରୁ ‘‘ଉଁ କି ଚୁଁ’’ କଥା ବାହାରିଲା ନାହିଁ ! ସେଇଠୁଁ ମୁଁ ଆର ବଡ଼ି ଫାଳକ ଦେଲି । ମକଦମ ତାହା ଖାଇ ଧଡ଼କରି ଉଠି ବସିଲେ; ଆଉ ମୋତେ ଟାଣି ନେଇ ପାଖରେ ବସାଇ କହିଲେ–‘‘ଶଙ୍କର, ତୁ ଆଜି ମୋତେ ବଞ୍ଚେଇ ଦେଲୁ–ତୁ କଅଣ ନେବୁ କହ । ତୁ ଯାହା କହିବୁ, ମୁଁ ତାହା ଦେବି ।’’ ମୁଁ କହିଲି–‘‘ଅବଧାନ ତମ ଘର ଭିକମୁଠାକ ତ ମୋର ଆଶ୍ରା; ଆଉ କହିବି ପୁଣି କଅଣ ?’’ ମକଦମ ମୋତେ ଲୁଗା ଯୋଡ଼େ ଆଉ ପାଞ୍ଚଟଙ୍କା ଦେଇ ବିଦା କରିଦେଲେ । ଏହା ଦେଖି ବୈଦ୍ୟଗୁଡ଼ାକ କିଏ କୁଆଡ଼େ ପଳାଇଲେ ତାହାର ପତ୍ତା ମିଳିଲା ନାହିଁ । ରୋଗ ଚିହ୍ନିଲେ ହେବ, ନ ଖାଲି ବୈଦ୍ୟ ହୋଇ କଅଣ ହେବ ? ଏହି ଯେ ମହାଜନଙ୍କର ଜର, ତାହାର ଲକ୍ଷଣ କେହି କହି ପାରିବେ? ଜରରେ ତାଙ୍କର ଗୋଡ଼ହାତ ଘୁଳେଇ ହେଉଥିବ–ମୁଣ୍ଡ ବିନ୍ଧୁଥିବ–ଆଖି ଫାଟି ପଡ଼ୁଥିବ–ନାକ ଧକ୍ଧକ୍ ହେଉଥିବ–ପେଟ ଟାଣୁଥିବ, ଆଉ ମନ ଛଟ ଛଟ ହେଉଥିବ ।’’ ବୈଦ୍ୟର କଥା ନ ସରୁଣୁ ଦାସେ କହିଲେ–‘‘ହଁ ରେ ଶଙ୍କୁରୁ, ତୁ ଯାହା କହିଲୁ, ତାହା ଠିକ୍ । ତୋତେ ମୁଁ ଖୁସି କରି ଦେବି, ତୁ ମୋତେ ଭଲ କରି ଦେ ।’’ ଏହା ଶୁଣି ବୈଦ୍ୟ ମନେ ମନେ କହିଲା–‘‘ଆଉ ଅଧିକ କିଛି ନ ଦିଅ ପଛକେ ଆଠଦିନ ତଳେ ଚଂପାକଢ଼ୀମାଳ ବନ୍ଧା ଦେଇ ଯେଉଁ ତିନି ଟଙ୍କା ନେଇଛି, ତେତିକ ଛାଡ଼ିଦେଲେ ମୋର ଆନନ୍ଦ । ଆଉ ତମେ କିଛିଦିନ ବିଛଣାରେ ପଡ଼ି ନ ରହିଲେ କି ସହଜରେ ତମଠାରୁ ପଇସା ବାହାରିବ ! ମୋ ହାତରେ କିଛିଦିନ ଆଗେ ତବ୍ଦ ହୁଅ–ମୁଁ ବି ସେହିପରି ଔଷଧ ଦେଇଛି ।’’ ଅନନ୍ତରର ପ୍ରକାଶରେ କହିଲା–‘‘ତମ କଥାରେ ମୋର ହେଳା ଅଛି ନା ? ଦୁଇଟା ଦିନ ମଧ୍ୟରେ ଯେବେ ଜ୍ୱର ଛଡ଼ାଇ ନ ଦେବି, ମୋ ନା ଶଙ୍କରନାଥ ନୁହେଁ ।’’ ଏହା କିହି ବୈଦ୍ୟ ବିଦାୟ ନେଲା ।
ବୈଦ୍ୟର ଅମୃତହସ୍ତା ଗୁଣରୁ ହେଉ ବା ଔଷଧ ଗୁଣରୁ ହେଉ, ଜର ଆଉ ଦାସଙ୍କୁ ଛାଡ଼ି ଅନ୍ୟତ୍ର ଯିବାକୁ ଇଚ୍ଛା କଲା ନାହିଁ । ସମୟ ସମୟରେ ଦାସଙ୍କର ମୂର୍ଚ୍ଛା ହେବାର ଉପକ୍ରମ ହେଲା । ଉଷା ଅତି କାତର ହୋଇ ପଡ଼ିଲେ । ବାତ୍ୟା-ବିକ୍ଷୁବ୍ଧ ସମୁଦ୍ର ପ୍ରାୟ ତାଙ୍କର ହୃଦୟ ଘନ ଘନ ଅଲୋଡ଼ିତ ହୋଇ ଉଠିଲା । ପ୍ରତିବେଶୀମାନେ ଡାକ୍ତର ଡାକିବାକୁ ଉପଦେଶ ଦେଲେ । ଉଷା ରାମାକୁ ଆଠଅଣା ପଇସା ଦେଇ ଡାକ୍ତର ପାଖକୁ ପଠାଇଲେ । ରାମା ଯାଇ ଡାକ୍ତରଙ୍କୁ ରୋଗର ବିବରଣ ଏବଂ ରୋଗୀର ଅବସ୍ଥା ଜଣାଇଲା । ମାତ୍ର ଡାକ୍ତର କହିଲା–‘‘ଟଙ୍କାଏ ଭିଜିଟ୍ନ ଦେଲେ ମୁଁ ଯାଇ ପରିବି ନାହିଁ; ଆଠଅଣା ପଇସାପାଇଁ ଦେଢ଼କୋଶ ବାଟ ମୋର କିଏ ଯିବ ?’’ ତହୁଁ ରାମା ଫେରି ଆସି ମାଉସୀଙ୍କୁ କହିଲା, ‘‘ଡାକ୍ତର ଆସିଲା ନାହିଁ; ସେ କହିଲା–ଟଙ୍କାଏ ନ ନେଲେ ଏତେ ବାଟ ଆସିପାରିବ ନାହିଁ ।’’ ଉଷା କିଛିକ୍ଷଣ ରାମା ମୁହଁକୁ ଉଦାସନେତ୍ରରେ ଅନାଇ କହିଲେ–‘‘ଏତେ ବାଟ କେତେ ରେ ? ବାଟ ଚାରିପାହୁଲ ଆସିବାକୁ କଅଣ ତାର ଗତର ଛିଡ଼ି ପଡ଼ିବ, ନା ରାଧା ଦିହକୁ ବାଧିଯିବି ? ତେବେ ତୁ ଆଉ ଆଠଅଣା ନାଇ ଯା । ଆଉ ଗୋଟେ କଥା କରିବୁ–ଚାରିଅଣା ପଇସା କୁଞ୍ଚକାନିରେ ବାନ୍ଧି ନାହି ମୁଣ୍ଡରେ ଖୋସି ଦେଇ ଥା । ଆଗେ ବାରଅଣା ଦେବୁ, ସେଥିରେ ଯେବେ ସେ ଡ଼ାକୁଣୀଖିଆ ନ ମଙ୍ଗେ; ତେବେ ଆଉ ଚାରିଅଣା ଦେଇ ଡ଼ାକି ଆଣିବୁ । ତା’ ଘରକୁ କଅଣ ରୋଗ ବୈରାଗ ଯାଏ ନାହିଁ–ସେ କଅଣ ସବୁଦିନେ ଲୁହାରେ ମୁଣ୍ଡ ବାନ୍ଧି ରହିଥିବ ? ଅନ୍ୟାୟ କରି ଅଳ୍ପାଇଷ କେତେଦିନ ବଞ୍ଚିବ ? ଅସତ୍ ଧନ ଅଗ୍ନି ଖାଇଯିବ !’ ରାମା କହିଲା ‘‘ଏ ତ ଆଚ୍ଛା ବୁଦ୍ଧି, ଚାରିଅଣା ଲୁଚାଇ ରଖି ପଛରେ ଦେଲେ ସେ କହିବ, ମଝିରୁ ଚାରିଅଣା ମାରି ନେବାପାଇଁ ତୁ ଏ ଚାତୁରୀ ଖେଳୁଥିଲୁ । ସେତେବେଳେ ଦୋଷ ମୋର ହେବ । ସେ ତ ଏ ଗାଁରେ ଯାହା ଘରକୁ ଆସିଲେ ଟଙ୍କାଏ ନିଏ; ଆଉ ତମଠୁଁ ବାରଅଣା ନେବ ?’’ ଉଷା ଈଷତ୍ ରୁଷ୍ଟ ସ୍ୱରରେ କହିଲେ–‘‘ସେ ତାହା କାହିଁକି କହିବ ? ତୁ ଆଗେ ବାରଅଣା ଦେଇ ଦେଖିବୁ, ସେ ଯେବେ ନ ଆସେ, ତେବେ ଆଉ ଚାରିଅଣା ଦେଇ କହିବୁ ଉଷୁଦଖର୍ଚ୍ଚ ଲାଗି ଏହି ଚାରିଅଣା ଅଲଗା ଦେଇଛନ୍ତି-। ନିର୍ବୁଦ୍ଧିଆଟା, ତୋର ଦୋଷ କାହିଁକି ହେବ ?’’ ରାମା ମନେ ମନେ ମାଉସୀଙ୍କ ବୁଦ୍ଧିର ପ୍ରଶଂସା କରି ପୁନଶ୍ଚ ଡ଼ାକ୍ତର ଡାକିବାକୁ ଗଲା । ମାତ୍ର ମାଉସୀଙ୍କ କହିଲା ପରି ଏତେ ଛନ୍ଦ ପିକର ନ କରି ଡାକ୍ତର ଆଗରେ ଟଙ୍କାଟି ଥୋଇ ଦେଲା । ଏଥର ଡାକ୍ତର ଆଉ ମନା ନ କରି ରାମା ସଙ୍ଗରେ ଆସିଲା ।
ଡାକ୍ତର ପହିଲି ସାହୁ ଜାତିରେ ତେଲୀ । ବୟସ ପ୍ରାୟ ପଚିଶ କି ଛବିଶ ହେବ । ସେ କଂପାଉଣ୍ଡରୀ ପାସ୍କରି ଔଷଧପତ୍ର କୀଣି ଆଣି ଘରେ ରହି ବ୍ୟବସାୟ କରେ । ତାହାର ସ୍ୱଭାବ ଟିକିଏ ଅତିରଞନପଟୁ । ମୁଣ୍ଡବ୍ୟଥା ପାଖରୁ ପେଟଟଣାଯାଏ ସେ ସବୁ ରୋଗରେ ହାର୍ଟଫେଲ୍ ହେବାର ସ୍ୱପ୍ନ ଦେଖେ । ରୋଗୀ ଦେଖିବାକୁ ଆସିଲେ ଅତି ସାବଧାନ ହୋଇ ଆସେ–ଦେହରେ ତିନି ଚାରିଟା କୋଟ୍ ଘୋଡ଼ି ହୋଇ ମୁଣ୍ଡରେ ଟୋପି ଦେଇ ଏବଂ ଗୋଡ଼ରେ ଜୂତା ମୋଜା ପିନ୍ଧି ରୋଗୀ ପାଖକୁ ଆସେ । କେବଳ ଏତିକି ନୁହେଁ, ଲୁଗାରେ ଅତର ଏବଂ ଏସେନ୍ସ ଛିଞ୍ଚା ହୋଇଥାଏ । ଏତେ ସାବଧାନତା ସତ୍ତ୍ୱେ କାଳେ ରୋଗିଦେହର ବିଷାକ୍ତ ବାଷ୍ପ ଅନ୍ୟ ବାଟ ନ ପାଇ ଆଖିବାଟେ ତାହା ଦେହ ଭିତରକୁ ଚାଲିଯାଏ, ସେଥିପାଇଁ ସେ ଯୋଡ଼ାଏ ମୋଟା ଚଷମାରେ ଚକ୍ଷୁ ଆବୃତ କରିଥାଏ । ଡାକ୍ତର ଆସି ଦାସଙ୍କର ନାଡ଼ୀ ପରୀକ୍ଷା କରି ଦଣ୍ଡେଯାଏ ସ୍ତବ୍ଧ ହୋଇ ଠିଆ ହେଲା । ତହିଁପରେ ପଚାରିଲା–‘‘ଆଉ କେହି ଔଷଧ ଦେଇଥିଲା କି ?’’ ରାମା କହିଲା–‘‘ଶଙ୍କରନାଥ କି ଚୂର୍ଣ୍ଣ ଦେଇଥିଲା ।’’ ଡାକ୍ତର ବିକୃତ ମୁଖଭଙ୍ଗୀ କରି କହିଲା–‘‘ସେହି ତ ରୋଗ ବିଗାଡ଼ି ଦେଇ ଯାଇଛି, ସେ ମୂର୍ଖଟା କଅଣ ଜାଣେ ? ଆଛା, ଚଞ୍ଚଳ ଜଣେ ଭଣ୍ଡାରୀକି ଡାକିଆଣ; ରୋଗୀର ମୁଣ୍ଡ କ୍ଷୌର କରି ପାଣି ଢାଳିବାକୁ ହେବ ।’’ ଉଷା କହିଲେ–‘‘ତରୁଆ ମଳୁ; ମୁଣ୍ଡରେ ପାଣି ଢାଳିବ, ସନ୍ସିପତ ହୋଇଯିବ ନାହିଁ କି ?’’ ଡାକ୍ତର କହିଲା–‘‘ତାହା ନ କଲେ ହାର୍ଟଫେଲ ହୋଇଯିବ ।’’ ଏହା କହି ଜ୍ୱରର ମାପକାଠି ଥାର୍ମୋମିଟାର ଯନ୍ତ୍ର ପକେଟରୁ ବାହାର କରି ତାହା କାଖସନ୍ଧିରେ ଯାକିବାକୁ ରୋଗୀକୁ କହିଲା । ଡାକ୍ତର ପ୍ରଥମ ଥର ନ ଆସି ଆଠ ଅଣା ସ୍ଥଳରେ ଟଙ୍କାଏ ନେବାରୁ ଏକେ ତ ତାହା ପ୍ରତି କ୍ରୋଧରେ ଉଷାଙ୍କର ହାଡ଼ ଜଳିଯାଉଥିଲା; ତାହା ଉପରେ ଜ୍ୱରକାଠି ଦେଖି ଗର୍ଜି ଉଠି ସେ କହିଲେ–‘‘ଏକି ନବରଙ୍ଗ, ପଇସା ଖାଇବାର ଖେଳ ନା କଅଣ ? ଜରୁଆ ମଳୁ, ମୁଣ୍ଡରେ ପାଣି ଢାଳିବ, କାଠିରେ ଜର ମାପିବ, ଏହି ଡାକ୍ତର ନା ଆଉ କିଛି-? ଏଥିଲାଗି ପୁଣି ରୋଗୀ ନ ଦେଖୁଣୁଁ ଆଗତୁରା ଟଙ୍କେ । ନା, ନା, ସେଖଣ୍ଡ କି ହାଡ଼, ନା କାଠି, ତାଙ୍କ ଦେହରେ ଲଗାଅ ନାହିଁ, କି ମୁଣ୍ଡରେ ପାଣିଫାଣି ଢାଳ ନାହିଁ ।” ଡାକ୍ତର କହିଲା–‘‘ତାହା ନ କଲେ ହାର୍ଟଫେଲ ହେବ ଯେ ।’’ ଉଷା କହିଲେ–‘‘କଅଣ ହାଟଫଳ ହେବ ? ଜର ତ ହେଇଚି; ଆଉ ହାଟଫଳ ଗୋଟେ ପୁଣି କଅଣ ?’’ ଡାକ୍ତର ଟିକିଏ ମୁରୁକି ହସି ରାମାକୁ ଅନାଇ କହିଲା–‘‘ସ୍ତ୍ରୀଲୋକ କି ନା, ବୁଝିପାରୁ ନାହାନ୍ତି ।’’ ପରେ ଉଷାଙ୍କୁ ଲକ୍ଷ୍ୟ କରି କହିଲା, ‘‘ହାର୍ଟଫେଲ୍କଅଣ କି, ଦମ୍ବନ୍ଦ ହୋଇଯିବ । ଆଉ ଏ ଯନ୍ତ୍ରକୁ ଛୁଇଁଲେ ବି କିଛି ଦୋଷ ନାହିଁ । ଦେହରେ କେତେ ତାପ ଅଛି, ତାହା ଏଥିରେ ଜଣାଯାଏ । ଏହା କାଚର ନଳ-ହାଡ଼ ନୁହେଁ, କି କାଠ ନୁହେଁ । ଏହି ଦେଖ, ପାରା ଏହି ଯନ୍ତ୍ରର ଏହିଠାରେ ଥିଲା; ଏବେ ଏତେ ଉପରକୁ ଉଠିଗଲା ।’’ ଅନନ୍ତର ଯନ୍ତ୍ରଟି ଉଷାଙ୍କ ପାଖକୁ ନେଇଯାଇ କହିଲା–‘‘ପାରା ଏହିଠାରୁ ଏତେ ଛାଡ଼ିଗଲା, ଏହି ଦାଗଠାରୁ ଏହି ଦାଗଯାଏଁ ଯେତେ, ଦେହରେ ତେତେ ତାପ ଅଛି ।’’ ଉଷା କହିଲେ–‘‘ତପ କଅଣ ଏତେ ବହଳରେ ଦିହ ଉପରେ ବସିଯାଇଛି, ନା ତମେ ମାପି ପକେଇଲ ? ମୁଁ ସେ ଯନ୍ତ୍ରଫନ୍ତ୍ର ଜାଣେ ନାହିଁ । ବଇଦ ସିନା ନାଡ଼ୀ ଦେଖି ଛୁତ ଦେଖି ଉଷୁଦ ଦିଅନ୍ତି; ଆଉ ପଦିକାରେ ଜମି ମାସିଲା ପରି କାଠିରେ କିଏ ଜର ମାପେ ? ତମେ ନାଡ଼ୀ ଦେଖି ଉଷୁଦ ଦବ ତ ଦିଅ, ନ ହେଲେ ଚାଲିଯାଅ, ଟଙ୍କାଟା ପଛକେ ଖାଇଲ ତ ଖାଇଲ । ଧର୍ମ ଥିଲେ ବୁଝାମଣା କରିବ ।’’ ଡାକ୍ତର ଉଷାଙ୍କର ଢ଼ଙ୍ଗଢ଼ାଙ୍ଗ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇ ମନେ ମନେ କହିଲା–‘‘ମୁଁ ଢେର ମାଇକିଣା ଦେଖିଛି; ମାତ୍ର ଏଭଳି ମାଇକିଣା ଦେଶ ଦୁନିଆରେ ଦେଖି ନାହିଁ । ଏ ମାଇକିଣାଟା ତ ମର୍ଦ୍ଦଙ୍କର ବାପ; ଏହାର ଆଖି କାନ କଥା କହୁଛି ।’’ ଡାକ୍ତର ଛ ପୁଡ଼ିଆ ଔଷଧ ପକେଟରୁ ବାହାର କରି ରାମ ହାତରେ ଦେଇ କହିଲା–‘‘ଏହାକୁ ଥରକେ ଗୋଟାଏ ଲେଖାଏଁ ଥଣ୍ଡା ପାଣିରେ ଦିନରେ ତିନି ଥର କରି ଖୁଆଇବ ।’’ ଏହା କହି ପ୍ରସ୍ଥାନ କଲା ।
ଡାକ୍ତରୀ ଔଷଧରେ କିଛି ଫଳ ହେଲା ନାହିଁ । ଆଉ ଔଷଧ ବା କଅଣ କରିବ ? ଔଷଧ ସିନା ପ୍ରାକୃତିକ କ୍ରିୟାର ସାହାଯ୍ୟ କରେ । ରୋଗ ଅସାବଧାନତାର ଶାସ୍ତି । ସେହି ଶାସ୍ତି ଭୋଗ ପରେ ପ୍ରକୃତି ଆପେ ଆପେ ରୋଗ ଭଲ କରିଦିଏ । ଯେଉଁ ପ୍ରକୃତି ଭାଙ୍ଗେ, ସେହି ପୁଣି ଗଢ଼ିବିଏ; ସେହି ରୋଗ ଆଣିଦିଏ–ଯଥା–ସମୟରେ ସେହି ଭଲ କରିଦିଏ । ଔଷଧ ଊପଲକ୍ଷ୍ୟ ମାତ୍ର । ପ୍ରକୃତିଠାରୁ ବଳି ବୈଦ୍ୟ ନାହିଁ; ସାବଧାନତା ପରି ଔଷଧ ନାହିଁ । ସ୍ଥାନୀୟ ଅପରପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ନାମରେ ଖଣ୍ଡେ କି ଓଡ଼ିଆ ଖବରକାଗଜ ଆସେ । ରାମା ଥରେ ସେହି କାଗଜରେ ଜ୍ୱରର କେତେଗୁଡ଼ିଏ ମୁଷ୍ଟିଯୋଗ ପଡ଼ିଥିଲା । ତାହା ସାଧାରଣ ଜ୍ୱରର ଔଷଧ ନୁହେଁ–ପାଳିଜ୍ୱରର ତୁଟୁକା । ଦାସଙ୍କର ଜ୍ୱର କିଛିଦିନ ପରେ ପାଳିଜ୍ୱରରେ ପରିଣତ ହେଲା-। ରାମା ସେହି ମୁଷ୍ଟିଯୋଗ ପ୍ରୟୋଗ କଲା । ତାହା ଅନ୍ୟ କିଛି ନୁହେଁ–ଗୋଟିଏ ଉଦ୍ରିଦର ମୂଳ । ଜ୍ୱର ପାଳିଦିନ ସେହି ମୂଳ ଆଣି ତାହାକୁ ସାତଖିଅ ଲାଲସୁତାରେ ବାନ୍ଧି କଟିଦେଶରେ ବାନ୍ଧିବାକୁ ହୁଏ । ସେହି ଔଷଧ ଗୁଣରେ ହେଉ ବା ଦାସଙ୍କ ସୌଭାଗ୍ୟର ଆଶୀର୍ବାଦ ଫଳରେ ହେଉ, ତୁଟୁକା ପ୍ରୟୋଗ ପରେ ଦାସଙ୍କୁ ଆଉ ଜ୍ୱର ହେଲା ନାହିଁ । କଥାରେ କହନ୍ତି–ଦାରୁ ଲାଗେ ନାହିଁ, ଦୁବ ଲାଗେ । ଅନେକ ସ୍ଥଳରେ ଦେଖାଯାଏ–ବଡ଼ ବଡ଼ ଔଷଧ ଯେଉଠାରେ ପରାସ୍ତ ହୁଏ, ସାମାନ୍ୟ ତୁଟୁକାରେ ସେ ରୋଗ ଭଲ ହୋଇଯାଏ । ଦ୍ରବ୍ୟଗୁଣର ମାହାତ୍ମ୍ୟ ଅସାଧାରଣ । ଯାହାକୁ ହେୟ ଜ୍ଞାନ କରାଯାଏ, ସମୟରେ ତାହା କୋଟିଏ ଟଙ୍କାର ଉପକାରରେ ଆସେ । ଦାସଙ୍କର ଶରୀରରେ କ୍ରମଶଃ ନବବଳର ସଞ୍ଚାର ହେଲା । ଗ୍ରୀଷ୍ମତାପଦଗ୍ଧ ନିଷ୍ପତ୍ର ତରୁ ନବବର୍ଷାର ଅମୃତ ଜଳ ପାନ କରି ପୁଷ୍ପପଲ୍ଲବରେ ଶୋଇତ ହେଲା ପ୍ରାୟ ଛ ମାସ ମଧ୍ୟରେ ଦାସଙ୍କର ନଷ୍ଟ ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଫେରି ଆସିଲା । ଏହି ଉପକାର ହେତୁ କିଛି ଦିନଯାଏ ରାମାର କିଞ୍ଚିତ୍ଭାଗ୍ୟୋଦୟ ହୋଇଥିଲା । ମାଉସୀଙ୍କର ପୂର୍ବ ପ୍ରଦତ୍ତ ବିଶେଷଣ ତାହା ପ୍ରତି ପ୍ରଯୁକ୍ତ ହେଲା ନାହିଁ । ମାତ୍ର ସେ ଭାବ ଅଧିକ ଦିନ ସ୍ଥାୟୀ ହେଲା ନାହିଁ । ପାପିହୃଦୟର କ୍ଷଣିକ ଧର୍ମଭାବ ପରି ଉଦୟର ପର ମୁହୁର୍ତ୍ତରେ ତାହା ବିଲୟ ଭଜିଲା । ପୂର୍ବ ପରି ମାଉସୀ ସେହି ପ୍ରିୟ ବିଶେଷଣ–ଗୁଡ଼ିକ ପୁନଶ୍ଚ ରାମା ପ୍ରତି ପ୍ରୟୋଗ କଲେ । ଏ ସଂସାର ଏହିପରି, ଏଠାରେ ଉପକାରର ପ୍ରତ୍ୟୁପକାର ସୁଲଭ ନୁହେଁ; ଲାଞ୍ଚନା ହିଁ ସୁଲଭ । ଯେଉଁ ପାଷଣ୍ଡ ଉପକାର ଗ୍ରହଣ କରି ଶିଶୁପରି ମୂହୂର୍ତ୍ତକେ ଭୁଲିଯାଏ, ସେ ଉନ୍ମାଦ-ଗ୍ରସ୍ତ କିମ୍ବା ହୃଦୟ ବୋଲିବା ପଦାର୍ଥ ତାହା ଶରୀରରେ ନାହିଁ । ସେ ପଶୁଠାରୁ ଅଧମ ଏବଂ ଅମେଧ୍ୟଠାରୁ କୋଟି ଗୁଣ ଘୃଣ୍ୟ । ତାହାର ନାମୋକାରଣ ପାପତନକ-।