ରୁପାଚୁଡ଼ୀ
ଚିନ୍ତାମଣି ମହାନ୍ତି · ଭାଗ ୧୩ / ୧୮
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚଦଶ ପରିଚ୍ଛେଦ
ଯଥାସମୟରେ ଗ୍ରାମର ଉପକଣ୍ଠସ୍ଥ ବିସ୍ତୃତ ଆମ୍ରୋଦ୍ୟାନରେ ବିରାଟ ସଭା ବସିଲା । ପାଞ୍ଚ ଶାସନର ପଣ୍ଡିତ ଅପଣ୍ଡିତ ବ୍ରାହ୍ମଣମାନେ ଆସି ଆସନ ଗ୍ରହଣ କଲେ । ଅସଂଖ୍ୟ ଦର୍ଶକ ଜନତାକୁ ପୃଥଳିତ କଲେ । ବିଜନ ଉଦ୍ୟାନ ଜନାରଣ୍ୟରେ ପରିଣତ ହେଲା । ଦାସେ ଗଳବସ୍ତ୍ର ହୋଇ ହାତ ଯୋଡ଼ି ଏକପାଖରେ ଠିଆ ହେଲେ । ସଭାର କାର୍ଯ୍ୟ ଆରମ୍ଭ ହେଲା । ଆଜି ସୁଦର୍ଶନ ଶର୍ମା ସଭାରେ ଉପସ୍ଥିତ ଅଛନ୍ତି । ସେଥିପାଇଁ ସଭାର କାର୍ଯ୍ୟ ସତର୍କତାର ସହିତ ପରିଚାଳିତ ହେଉଅଛି । ସୁଦର୍ଶନ ଶର୍ମା ଜଣେ ପ୍ରତିଭାଶାଳୀ ସୁପଣ୍ଡିତ, ସ୍ପଷ୍ଟବାଦୀ ଏବଂ ବିଦ୍ୱାନ ହେତୁ ସମସ୍ତେ ତାହାଙ୍କୁ ଭୟଭକ୍ତି କରନ୍ତି । ଏଡ଼େ ବଡ଼ ପଣ୍ଡିତ; ମାତ୍ର ଉପାଧିଶୂନ୍ୟ । କାହିଁକି କେଜାଣି ସେ ଉପାଧିକୁ ଭଲ ପାଆନ୍ତି ନାହିଁ । ପ୍ରତ୍ୟୁତ ଉପାଧିକୁ ଉନ୍ନତିର ବ୍ୟାଧି ବୋଲି କହନ୍ତି । ଯେଉଁମାନେ ଉପାଧିକୁ ସ୍ୱର୍ଗଦ୍ୱାରର ଶିଢ଼ୀ ବୋଲି ଜ୍ଞାନ କରନ୍ତି, ସେମାନେ ଅବଶ୍ୟ ଏକଥାକୁ ସୁଖ ମଣିବେ ନାହିଁ-। ଯେଉଁ ଉପାଧି ଲାଗି କେଡ଼େ କେଡ଼େ ଲୋକ ଲାଳାୟିତ, ଯାହାପାଇଁ ଜଗତର କେତେ ଧନ, କେତେ ସ୍ତୁତି ବ୍ୟୟିତ ହେଉଅଛି, ସେହି ଚାତ୍କଚକ୍ୟଶାଳୀ ମହାର୍ହ ସୁବର୍ଣ୍ଣମୁକୁଟକୁ ସୁଦର୍ଶନ ରଙ୍ଗତା-ଟୋପର କହନ୍ତି । ଏହା ତାଙ୍କର ରୁଚିବୈଷମ୍ୟ ଛଡ଼ା ଅନ୍ୟ କିଛି ନୁହେଁ । ମାତ୍ର ସେଥିପାଇଁ ତାଙ୍କୁ ଦୋଷୀ କରିବା ଅନ୍ୟାୟ ଏବଂ ଅର୍ବାଚନୀୟତାର ପରିଚାୟକ–ଯେହେତୁ ‘‘ଭିନ୍ନରୁଚିର୍ହିଲୋକ’’ ବୋଲି ଋଷିବାକ୍ୟ ଅଛି । ସଂସାରରେ ଏପରି ଅନେକ ଲୋକ ଅଛନ୍ତି–ଇଚ୍ଛା କଲେ ସେମାନେ ଉପାଧି ଭଣ୍ଡାର ଲୁଣ୍ଠନ କରି ପାରନ୍ତେ; ମାତ୍ର ଆଜୀବନ ନିରୂପାଧିକ ।
ସଭାପକ୍ଷରୁ ଗୋଟିଏ ସତ କମେଟି ସ୍ଥାପିତ ହେଲା । ତର୍କଶାର୍ଦ୍ଦୁଳ, ବେଦାନ୍ତବାଗୀଶ, ନ୍ୟାୟପଞ୍ଚାନନ ଏବଂ ଶାସ୍ତ୍ରରତ୍ନାକର, ଏହି ଚାରିଜଣ ସେଥିରେ ମେମ୍ବର ହେଲେ ଏବଂ ବିଦ୍ୟାଭାସ୍କର ପ୍ରେସିଡ଼େଣ୍ଟ ବା ଚେୟାରମେନ୍ ହେଲେ । ଦାସଙ୍କ ବିଚାର ଭାର ସେହି ସବ୍-କମେଟି ଉପରେ ନ୍ୟସ୍ତ ହେଲା । କମେଟି ବିଚାର ଆରମ୍ଭ କଲେ । ତର୍କଶାର୍ଦ୍ଦୁଳ କହିଲେ–‘‘ପାଣ ପାପିଷ୍ଠ ବୋଲି କଥାରେ କହନ୍ତି । ପାଣ ହାଡ଼ି ପ୍ରକୃତି ଅସ୍ପର୍ଶ୍ୟ, ଅଧମ ଜାତିଗୁଡ଼ାକ ଚଣ୍ଡାଳଶ୍ରେଣୀର ଅନ୍ତର୍ଗତ । ପାଣଚାଉଳ ରାନ୍ଧି ଖାଇବା ଆଉ ପାଣଘରୁ ଖାଇବା ଏକ କଥା ।’’ ତର୍କଶାର୍ଦ୍ଦୁଳ ଏତିକି ମାତ୍ର କହିଛନ୍ତି, ବେଦାନ୍ତବାଗୀଶ ଆଉ ତାଙ୍କୁ କହିବାକୁ ଅବସର ନ ଦେଇ ହଠାତ୍ କହି ଉଠିଲେ–‘‘ଅରୁଆଚାଉଳ ହୋଇଥିଲେ ଦୋଷ କିଞ୍ଚିତ୍ ଊଣା ହୋଇପାରନ୍ତା; ମାତ୍ର ସେ ଉଷୁନା ଚାଉଳ ।’’ ନ୍ୟାୟପଞ୍ଚାନନ କହିଲେ–‘‘ସେ ଚାଉଳ ପୁଣି ଶୁଖିଲା ନୁହେଁ–ଓଦା; ପାଲୁଣୀ ତାକୁ ଧୋଇଥିଲା ।’’ ଦୁଇଜଣ ପ୍ରଧାନ ପଣ୍ଡିତଙ୍କୁ ନିଜର ମତ ସମର୍ଥନ କରିବାର ଦେଖି ତର୍କଶାର୍ଦ୍ଦୁଳ ଗଣଜୟୀ ବୀର ପରି ଦର୍ପରେ ଫୁଲିଉଠି ଅଧିକତର ଉତ୍ସାହିତ ହୋଇ କହିଲେ–‘‘ମୁଁ ସେଥିଲାଗି କହୁଛି–ଦାସଙ୍କ ପ୍ରତି ଚଣ୍ଡାଳାନ୍ନ ଭୋଜନର ଦୋଷ ଲେଖିଲା ।’’ ଶାସ୍ତ୍ରରତ୍ନାକର ଦାସଙ୍କର ଜଣେ ଖାତକ, ସମୟ ସମୟରେ ଦାସେ ଅନୁଗ୍ରହ କରି ମାଲ ବନ୍ଧା ରଖି ତାଙ୍କର ଗରବ ବଢ଼ାଇ ଦିଅନ୍ତି–ଅବଶ୍ୟ ଅସଲ ସୁଧ ବୁଝିନେବାବେଳେ କଡ଼ାଏ କ୍ରାନ୍ତେ ଛାଡ଼ନ୍ତି ନାହିଁ । ତଥାଚ ଆବଶ୍ୟକ ବେଳେ ବ୍ରାହ୍ମଣର ମହତ୍ତ୍ୱ ରଖିଦେବା ସାମାନ୍ୟ ଅନୁଗ୍ରହର କଥା ନୁହେଁ । ଅନୁଗ୍ରହହେତୁ ଦାସଙ୍କ ପକ୍ଷରେ ଓକୀଲାତୀ କରିବା ଶାସ୍ତ୍ରରତ୍ନାକରଙ୍କର ଏକାନ୍ତ କର୍ତ୍ତବ୍ୟ । ସେ କହିଲେ–‘‘କିନ୍ତୁ ସେ ଦୋଷ ଜ୍ଞାନକୃତ ନୁହେଁ ।’’ ଏହାଶୁଣି ପ୍ରେସିଡ଼େଣ୍ଟ ବିଦ୍ୟାଭାସ୍କର ମଧ୍ୟ୍ୟାହ୍ନଭାସ୍କର ପ୍ରାୟ ପ୍ରଚଣ୍ଡ ତେଜରେ କହିଲେ–‘‘ହଇହେ, ଜ୍ଞାନକୃତ ହେଉ ବା ଅଜ୍ଞାନକୃତ ହେଉ ଚଣ୍ଡାଳାନ୍ନ ଭୋଜନ ମହାପାପ । ପାଠ କହିଛି ପରା ‘ଅଜ୍ଞାନେ ବା ସଜ୍ଞାନେ ବା’ ତେଣିକି କଅଣ ମନରେ ପଡ଼ୁନାହିଁ । ମନୁ କି ପରାଶର କି ଯାଜ୍ଞବଳ୍କ୍ୟ କାହିଁରେ ଏ ବାକ୍ୟ ଅଛି, ଆମ ରାଧୁଥିଲେ କହିଦିଅନ୍ତା । ଓଃ, ଶ୍ଳୋକଟା ଅଗ ଜିଭରେ ଅଟକିଛି, ଆସୁଛି, ପୁଣି ଅଳ୍ପକେ ଫେରିଯାଉଛି । ତର୍କଶାର୍ଦ୍ଦୁଳେ, ଏଣିକି ଏହିପରି ହେଲା । ବଳ, ବିକ୍ରମ, ମେଧା ସବୁ ଜରା–ରାକ୍ଷସୀ ଶୋଷି ନେଲା । ଇନ୍ଦ୍ରିୟସବୁ ଅବଶ ହୋଇ ପଡ଼ିଲା–ମସ୍ତିଷ୍କ ଦୁର୍ବଳ ହୋଇଆସିଲା–ଗଲା ସବୁ ଆଉ କଅଣ । ହାୟ ରେ, ସେକାଳ ଆଉ ଏକାଳ ! ଦିନରେ ମୁଁ ପଚୀଶ ଶ୍ଳୋକ ମୁଖସ୍ଥ କରୁଥିଲି । ସେ ଶକ୍ତି କୁଆଡ଼େ ଉଡ଼ିଗଲା । ଯାହାକୁ ଶତ ସହସ୍ରବାର ଆବୃତ୍ତି କରିଥିଲି, ତାହାର ମୂଳ ଏବେ ପଇଟିବାକୁ ନାହିଁ, କି ମୂଳ ପଇଟିଲେ ଶେଷପଇଟୁ ନାହିଁ ।’ ବିଚାର ସଭାରେ ବିଦ୍ୟାଭାସ୍କରଙ୍କର ଏରୁପ ଆତ୍ମଶ୍ଳାଘା କାହାରି କାହାରିକୁ ଭଲ ଲାଗିଲା ନାହିଁ । ସେମାନେ ମୁଖ ଏବଂ ନେତ୍ରଭଙ୍ଗୀରେ ବିରକ୍ତି ପ୍ରକାଶ କଲେ । ଏପରି ଦୁଷ୍ଟ ଲୋକ ସୁଦ୍ଧା ଅନେକ ଅଛନ୍ତି, କେହି ଚିତ୍ତିବିନୋଦନ ସକାଶେ ଟିକିଏ ଆତ୍ମସ୍ତୁତି କଲେ ତାହା ସେମାନଙ୍କର ସହ୍ୟ ହୁଏ ନାହିଁ । ବିଦ୍ୟାଭାସ୍କରେ ତ କାହାରି କିଛି ଅନିଷ୍ଟ କରି ନାହାନ୍ତି–ଆତ୍ମପ୍ରଶଂସା ଗାଇଅଛନ୍ତି ମାତ୍ର । ତାହା ତ ଆଉ କାହାର ପୈତୃକ ସମ୍ପତ୍ତି ନୁହେଁ । ତଥାଚ ଯଦି କାହାରି ଦେହରେ ତାହା ନ ଚଳିଲା, ତେବେ ସେ କୋଟିମୁଖ ହୋଇ ଆତ୍ମସ୍ତୁତି କରୁ; ବିଦ୍ୟାଭାସ୍କରେ ତ ତାକୁ ନେହୁରା ହୋଇ ମନା କରୁ ନାହାନ୍ତି । ଯାହାହେଉ ବିଦ୍ୟାଭାସ୍କରେ ସେମାନଙ୍କର ମନୋଗତ ଭାବ ବୁଝିପାରି କଥାଟା ଭିନ୍ନ ଆଡ଼କୁ ଫେରାଇ ନେଇ କହିଲେ–‘‘ଯାଉ ସେ କଥା, ‘ଗତସ୍ୟ ଶୋଚନା ନାସ୍ତି ।’ କେହି କେହି ମନରେ କରିବେ, ସଭାରେ ବସି ନିଜର କୃତିତ୍ୱ ବାଢ଼ିବାକୁ ଲାଗିଲେ–କେହି ବା କହିବେ ଓଃ, ପଚାଶ ଶ୍ଳୋକ କେତେ, ଆମେ ଶଏ ଶ୍ଳୋକ ଦିନରେ କଣ୍ଠସ୍ଥ କରିଦେବୁଁ । ଟୋକାଗୁଡ଼ାକ–ବୟସ କେତେ, ଜ୍ଞାନ କେତେ, ଆଉ ଅନୁଭବ ଅବା କେତେ । ଖାଲି ଆମେ ବଡ଼ ! ବଡ଼ ହୁଅ, ତାଳଗଛ ପରି ବଡ଼ ହୁଅ ! କିଏ ମନା କରୁଛି, ନା ଈର୍ଷା କରୁଛି ? କିନ୍ତୁ ଆମଠାରୁ ତମର କେତେ ଶିଖିବାକୁ ଅଛି, ତାହା ଜାଣ ନାହିଁ । ହଁ, କହୁଥିଲି, ଦାସଙ୍କ ସମ୍ବନ୍ଧରେ ମୋର ମତ ଏହି ଯେ, ତାଙ୍କର ଦୋଷ ଗୁରୁତର, ସେହି ଅନୁସାରେ ସେ ପ୍ରାୟଶ୍ଚିତ୍ତ କରନ୍ତୁ । ପ୍ରାୟଶ୍ଚିତ୍ତରେ ଅଠର କାହାଣ କଉଡ଼ି ଦାନ କରିବାକୁ ହେବ । ସ୍ତ୍ରୀ ପୁରୁଷ ଦୁହେଁ ତ୍ରିରାତ୍ର ନିର୍ଜଳା ଉପବାସ କରିବେ । ଶେଷ ଦିନ ଗଣ୍ଡୁଷେ ଘୃତପାନ କରିବେ । ଷୋଡ଼ଶଦାନ, ବ୍ରାହ୍ମଣଭୋଜନ, ଜ୍ଞାତି ପ୍ରତିବେଶୀ ଭୋଜନ, ଏ ସବୁ କାର୍ଯ୍ୟ ହେବ । ପ୍ରତି ବ୍ରାହ୍ମଣ-ଶାସନକୁ ଶଏ ଶଏ ଟଙ୍କା, ସ୍ଥାନୀୟ ଦଧିବାମନ ଠାକୁରଙ୍କୁ ଶଏ ଟଙ୍କା, ଆଉ ପାଠାଗାରକୁ ପଚାଶ ଟଙ୍କା ଦେବାକୁ ହେବ । ଏହା ଛଡ଼ା ସହସ୍ରାଭିଷେକ, ସହସ୍ରନାମ ଜପ, ଚଣ୍ଡୀପାଠ ଆଦି ଧର୍ମକାର୍ଯ୍ୟ କରାଯିବ । ଏହା ହିଁ ଶାସ୍ତ୍ରର ନିୟମ ।’’
ସୁଦର୍ଶନ ଶର୍ମା ଏତେବେଳଯାଏଁ ନୀରବ ଥିଲେ । ପ୍ରାୟଶ୍ଚିତ୍ତର ବ୍ୟବସ୍ଥା ଶୁଣି ଦଣ୍ଡାୟମାନ ହୋଇ କହିଲେ–‘‘କେବଳ ଶାସ୍ତ୍ରର ବିଧାନ ଧରି ବସିଲେ ଚଳିବ ନାହିଁ । ବିଚାର ସମୟରେ ନ୍ୟାୟର ମାନଦଣ୍ଡରେ ବିଚାରକୁ ମାପି ମାନବୋଚିତ ଦୟା ଦାକ୍ଷିଣ୍ୟ ପ୍ରଦର୍ଶନ ବିଚାରକର ଧର୍ମ । ବିଚାର ନିଃସ୍ୱାର୍ଥ ନ ହେଲେ ତାହା ମଳିନ ଏବଂ ପଙ୍କିଳ ହୁଏ; ଅର୍ଥାତ୍ ବିଚାରରେ ସ୍ୱାର୍ଥର ଆବର୍ଜନା ପ୍ରବେଶ କଲେ ବିଚାର ପଣ୍ଡ ହୁଏ । ଦାସଙ୍କ ସ୍ତ୍ରୀ ପାଣଚାଉଳ କାହିଁକି ଆଣିଲେ, ପ୍ରଥମରେ ତାହା ବିଚାର କରିବା ଆବଶ୍ୟକ । ଚାଉଳ ପାଞ୍ଚସେର ବା ଦଶସେର ନୂହେଁ, ଅଥବା ଅତର ପରି ତାହା ବାସୁ ନଥିଲା । ତେବେ ସେଥିପ୍ରତି ଲୋଭ କାହିଁକି ହେବ ? ଶାସ୍ତ୍ରରତ୍ନାକର ଅଜ୍ଞାନକୃତ ଦୋଷ ବୋଲି ଯାହା କହିଥିଲେ ତାହା ଯଥାର୍ଥ । ବାସ୍ତବରେ ସନ୍ଧ୍ୟା ଅନ୍ଧକାରରେ ଭୁଲ ଘଟିଅଛି । ତେବେ ଦୋଷ ଗୋପନ କରିବା ଅବଶ୍ୟ ଅନ୍ୟାୟ । ଦାସେ ଜାଣି ପାରିଲାକ୍ଷଣି ବିଚାରପ୍ରାର୍ଥ ହୋଇଥିଲେ ସହଜ ବ୍ୟବସ୍ଥା ପାଇଁ ଥାଆନ୍ତେ । ସେ ତାହା ନ କରି ଉତ୍କୋଚ ଦେଇ ଦୋଷ ଲୁଚାଇ ରଖିବାର ଚେଷ୍ଟା କରିଥିଲେ । ପାପ ଗୋପନ କରିବା ମହାପାପ । ସେଥିପାଇଁ ଦାସେ ଦଣ୍ଡାର୍ହ । ମନୁଷ୍ୟ ମନୁଷ୍ୟର ଅସ୍ପର୍ଶ୍ୟ ନୁହେଁ, ପାଣ ହାଡ଼ି ପ୍ରଭୃତି ଘୃଣିତ କାର୍ଯ୍ୟ କରିବାରୁ ଅସ୍ପର୍ଶ୍ୟ । ନତୁବା ସେମାନେ ଭିନ୍ନ ବିଧାତାର ସୃଷ୍ଟ ନୁହନ୍ତି । ସେମାନେ ଘୃଣିତ ବ୍ୟବହାର ତ୍ୟାଗ କଲେ ସମାଜ ସେମାନଙ୍କୁ କଦାଚ ତୁଚ୍ଛ ନେତ୍ରରେ ଦେଖିବ ନାହିଁ । ସେମାନେ ଅବଧି କଦାଚାର ଛାଡ଼ିପାରି ନାହାନ୍ତି । ସୁତରାଂ ଅସ୍ପର୍ଶ୍ୟ ହୋଇ ରହିଅଛନ୍ତି । ‘‘ଅଜ୍ଞାନେ ବା ସଜ୍ଞାନେ ବା’’ ଏ ବାକ୍ୟର କିଛି ଅର୍ଥ ନାହିଁ । ଏରୂପ ବାକ୍ୟ ଯଦି କୌଣସି ଶାସ୍ତ୍ରରେ ଥାଏ, ତେବେ ତାହା ପ୍ରକ୍ଷିପ୍ତ କିମ୍ୱା କୌଣସି ସ୍ୱାର୍ଥସର୍ବସ୍ୱର କପୋଳକଳ୍ପିତ ଉକ୍ତି । ଅରୁଆ କିମ୍ୱା ଶୁଖିଲା ଚାଉଳର ଅଳ୍ପ ଦୋଷ, ଆଉ ଉଷୁନା କିମ୍ୱା ଓଦା ଚାଉଳର ଅଧିକ ଦୋଷ–ଏହା ସୁଦ୍ଧା ହାସ୍ୟକର କଥା । ଦାସେ ଦୋଷ କରିଅୁଛନ୍ତି; ସୁତରାଂ ପ୍ରାୟଶ୍ଚିତ୍ତଦଣ୍ଡ ଭୋଗ କରିବେ । ଅବସ୍ଥାଦୃଷ୍ଟିରେ ଦଣ୍ଡର ବ୍ୟବସ୍ଥା ହୁଏ । ଜଣେ ଭିକ୍ଷୁକ ଏହି ପାପ ବା ଦୋଷ କରିଥିଲେ ତାହା ପ୍ରତି କିରୁପ ଦଣ୍ଡବିଧାନ ହୁଅନ୍ତା ? ପ୍ରାୟଶ୍ଚିତ୍ତ କରିବା ଲଜ୍ଜା ବା ଅପମାନର କଥା ନୁହେଁ । ପ୍ରାୟଶ୍ଚିତ୍ତ ହିନ୍ଦୁର ନିତ୍ୟକର୍ମ । ପ୍ରାୟଶ୍ଚିତ୍ତର ଅର୍ଥ-ଦାନ । ଗୃହସ୍ଥ ଭିକାରୀକୁ ଭିକ ଦିଏ । ତାହା ତାହାର ପ୍ରାୟଶ୍ଚିତ୍ତ । ପାପର ଶ୍ରେଷ୍ଠ ପ୍ରାୟଶ୍ଚିତ୍ତ ଅନୁତାପ । ସେହି ଅନୁତାପକୁ ସ୍ଥାୟୀ କରିବା ସକାଶେ ଦାନ ବା ବ୍ୟୟ କରାଯାଏ । ନଚେତ୍ମନୁଷ୍ୟ ଭୁଲିଯାଇ ପୁଣି ପାପରେ ଲିପ୍ତ ହେବ, ଆଉ ପ୍ରାୟଶ୍ଚିତ୍ତର ଗୁରୁତ୍ୱ ରହିବ ନାହିଁ । ଦଣ୍ଡ ହେହକୁ ନ କାଟିଲେ ମନରେ ରହେ ନାହିଁ । ଅର୍ଥଦଣ୍ଡ ଦେହକୁ ଲାଗେ; ସୁତରାଂ ମନରେ ରହେ । ଅଳ୍ପ ଅର୍ଥଦଣ୍ଡ ଧନୀମାନଙ୍କୁ କାଟେ ନାହିଁ । ଦାସେ ଧନୀ-ଅତଃ ଦଣ୍ଡର ମାତ୍ରା ଅଧିକ ନ ହେଲେ ତାଙ୍କୁ ବାଧିବ ନାହିଁ । ତାଙ୍କ ପ୍ରତି ଯାହା ଅର୍ଥଦଣ୍ଡର ବ୍ୟବସ୍ଥା ହେବ, ସେହି ଅର୍ଥ କୌଣସି ସତ୍କାର୍ଯ୍ୟ ବା ସାଧାରଣହିତକର କାର୍ଯ୍ୟରେ ଲାଗିବା ଉଚିତ । ବ୍ୟବସ୍ଥା ବିକି ଖାଇବା ବ୍ରାହ୍ମଣର ଧର୍ମ ନୁହେଁ । ଶାସନକୁ ଯେଉଁ ଅର୍ଥ ଦାନ କରାଯିବ, ସେହି ଅର୍ଥ ଶାସନର କୌଣସି ହିତାନୁଷ୍ଠାନରେ ବ୍ୟୟିତ ହେବା ବାଞ୍ଚ୍ଥନୀୟ ।
ଘୃତ ପାନ କରି ଉପବାସ ରହିଲେ ଦେହ ଶୁଦ୍ଧ ହେବ ନାହିଁ । ଯେଉଁ ଶରୀର ମଳ-ମୁତ୍ରରେ ପୂର୍ଣ୍ଣ, ସେ ଶୁଦ୍ଧ ହେବ କିପରି ? ପକ୍ଷାନ୍ତରେ ମଳମୁତ୍ର ଅଭାବରେ ଶରୀର ରହିବ ନାହିଁ । ଯାହାର ମନ ପବିତ୍ର, ସେ ଚିରପବିତ୍ର । ପାପୀର ମନ ଅନୁତାପରେ ପବିତ୍ର ହୁଏ । ମନ ତା କାମନାରେ ସତତ କଳୁଷିତ । ପୁଣି କାମନା ବ୍ୟତୀତ ମନର ଅସ୍ତିତ୍ୱ ନାହିଁ । ଜ୍ଞାନୀମାନେ କହନ୍ତି–କର୍ମ କାମନା କରିବ; ମାତ୍ର ଫଳ କାମନା କରିବ ନାହିଁ । ଏହା ଜ୍ଞାନୀଙ୍କର କଥା; ମାତ୍ର ଅଜ୍ଞାନ ପକ୍ଷରେ ଅଡ଼ୁଆ ମହାଭାରତ । ଫଳ ପାଇଁ ସିନା କର୍ମ । ଫଳ-କାମନା ଛାଡ଼ି କାହିଁକି କିଏ କର୍ମ କରିବ ? କ୍ଷୂପ୍ତିପା-ସାମୟ ଶରୀର ଧରି ଫଳ କାମନା ନ କରିବ ବା କିପରି ? ଏ ସବୁ ବଡ଼ ଗଭୀର କଥା-ଉଚ୍ଚକଥା । ଅନେକ ସାର୍ବଭୌମ ପଣ୍ଡିତ ସୁଦ୍ଧା ଏ କଥା ମୀମାଂସା କରିବାକୁ ଯାଇ ଛନ୍ଦି ହୁଅନ୍ତି । ସେ ଯାହାହେଉ, ମୋର ମତ ଏହି ଯେ, ସସ୍ତ୍ରୀକ ଦାସେ ତିଳସୁବର୍ଣ୍ଣ ପ୍ରାୟଶ୍ଚିତ୍ତ କରନ୍ତୁ ଏବଂ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଆସନ୍ତୁ । ଏହା ଶାସ୍ତ୍ରୀୟ ଦଣ୍ଡ । ସାମାଜିକ ଦଣ୍ଡ ଏହି ଯେ, ବ୍ରାହ୍ମଣଭୋଜନ, ଜ୍ଞାତିପ୍ରତିବେଶୀ ଭୋଜନ କରାଇ ପାଞ୍ଚ ଶାସନକୁ ଶଏଟଙ୍କା ଦେବେ । ସେହି ଟଙ୍କାରେ ପାଞ୍ଚ ଶାସନର କେନ୍ଦ୍ରସ୍ଥଳରେ ଗୋଟିଏ ଟୋଲ ସ୍ଥାପିତ ହେବ । ସେଥିରେ ଶାସନର ବ୍ରାହ୍ମଣ .ପିଲାମାନେ ଶିକ୍ଷାଲାଭ କରିବେ । ଏହା ଛଡ଼ା ଦଧିବାମନ-ମନ୍ଦିର ସଂସ୍ଥାର ସକାସେ ଶଏଟଙ୍କା ଆଉ ପାଠାଗାର ସକାସେ ପଚାଶ ଟଙ୍କା ଦେବାକୁ ହେବ ।’’ ଶର୍ମାଙ୍କର ଏ ବ୍ୟବସ୍ଥା ଶୁଣି ଅନେକେ ଆଖି ଠରାଠରି ହେଲେ । ଯେଉଁମାନେ ପଣେ ଅର୍ଜନ ଆଶାରେ ଆସିଥିଲେ, ସେମାନଙ୍କର ମୁହଁ ଶୁଖିଗଲା । କେହି କେହି କୁହାକୁହି ହେଲେ–‘‘ଭସ୍ମା ସମସ୍ତଙ୍କ ଭେକାଳ ବୁଡ଼ାଇଲା । ଅଳ୍ପାୟୁଷ ଯେଉଁ ଠିକି ଗଲା, ସେଠି ଏହିପରି କଲା । ବ୍ରାହ୍ମଣ ହୋଇ ସ୍ୱଜାତିର ଦାନା ବୁଡ଼ାଇଲା । ଏଥିରେ କି ତାର ମଙ୍ଗଳ ହେବ ? ବ୍ରହ୍ମ ନିଃଶ୍ୱାସରେ ନିରଂଶିଆ ଠକ୍ପରି ଗଡ଼ି ପଡ଼ିବ ।’’ ପଛରେ ଏହିପରି ଅଭିଶାପ ଦେଲେ; ମାତ୍ର ସମ୍ମୁଖକୁ ଆସି ଯୁକ୍ତି କରିବାକୁ କେହି ସାହାସୀ ହେଲେ ନାହିଁ । କେତେଜଣ ପେଟରେ ଭୋକ ରଖି ମୁହଁରେ ସନ୍ତୋଷ ପ୍ରକାଶପୂର୍ବକ କହିଲେ–‘‘ଏ ଅତି ଉତ୍ତମ ବ୍ୟବସ୍ଥା । ଶାସନମାନଙ୍କରୁ ବିଦ୍ୟା ବୁଡ଼ିବାକୁ ବସିଲାଣି । ଟୋଲ ହେଲେ ପିଲାମାନେ ପଢ଼ି ମନୁଷ୍ୟ ହେବେ । ଶଏ ଟଙ୍କାରେ ଦୁଃଖେକଷ୍ଟେ ବର୍ଷେ ଯାଏଁ ଟୋଲ ଚଳିଗଲେ ତେଣିକି ସରକାରୀ ସାହାଯ୍ୟ ମିଳି ପାରିବ । ତାହାହେଲେ ଟୋଲଟି ସ୍ଥାୟୀ ହୋଇ ରହିବ । ଏ ଗୋଟାଏ କେତେ ମହତ୍କାର୍ଯ୍ୟ । ଏହା ନ କରି ଶଏଟଙ୍କାକୁ ପାଞ୍ଚଶଭାର ବ୍ରାହ୍ମଣ ବାଣ୍ଟି ନେଲେ ଘରପିଛା ତିନିଅଣା ପଡ଼ନ୍ତା । ତିନିଅଣା ପଇସାରେ କାହାର ବା ଯୁଗ କଟିଯିବ ? ଧର୍ମକୁ ଆଶ୍ରା କରି କାଳଯାପନ କରିବ ସିନା; ଧର୍ମକୁ ବିକି ଭାଙ୍ଗି ଖାଇବା ତ ବ୍ରାହ୍ମଣର କର୍ମ ନୁହେଁ । ତାହା ବ୍ରାହ୍ମଣର ଅକର୍ମ । ଏହି ଅକର୍ମ ହେତୁ ବ୍ରାହ୍ମଣ–ପ୍ରାଧାନ୍ୟ କ୍ରମରେ ଲୋପ ପାଇ ଆସୁଅଛି ।’ ଫଳତଃ ଶର୍ମାଙ୍କ ବ୍ୟବସ୍ଥା ସର୍ବସମ୍ମତିକ୍ରମେ ଧାର୍ଯ୍ୟ ହେଲା । ଅନନ୍ତର ‘‘ହରିବୋଲ’’ ଶବ୍ଦ ସହ ସଭା ଭଙ୍ଗ ହେଲା ।
ପ୍ରଥମ ପ୍ରାୟଶ୍ଚିତ୍ତ ବ୍ୟବସ୍ଥା ଶୁଣି ଦାସଙ୍କୁ ମୂର୍ଚ୍ଛା ମାରିନେବାର ଉପକ୍ରମ ହୋଇଥିଲା; କିନ୍ତୁ ଦ୍ୱିତୀୟ ବ୍ୟବସ୍ଥା କିଞ୍ଚିତ୍ଆଶ୍ୱାସନା ପ୍ରଦାନ କଲା । ଉଷା ଫି କରି ଗୋଟାଏ ନିଃଶ୍ୱାସ ଛାଡ଼ି ସ୍ତବ୍ଧ ହୋଇ ରହିଲେ । କିଛିକ୍ଷଣ ପରେ ଉଦାସ, ଗମ୍ୱୀର, ଶୋକାର୍ତ୍ତ ସ୍ୱରରେ କହିଲେ–‘‘ରାଶି ଅବଳ ନ ହେଲେ କି ଏଡ଼େ ଅପଦ ଘଟିବ ?’’ ଉଷା ଏଣିକି ମନ୍ଦ ଘଟଣାଗୁଡ଼ାକୁ ଗ୍ରହଦୋଷ ଆଡ଼କୁ ଠେଲି ଦିଅନ୍ତି । ଶାଗ କାଟୁ କାଟୁ ଅସାବଧାନତାବଶତଃ ହାତ କଟିଗଲା–ତାହା ଗ୍ରହ-ଦୋଷ । ଗୋରୁ ଚାଳ ଓଲାରି ଖାଇଲା–ସେ ସୁଦ୍ଧା ଗ୍ରହଦୋଷ । ଉଷାଙ୍କ ବିଚାରରେ ଆତ୍ମଦୋଷ ବୋଲି କୌଣସି ପଦାର୍ଥ ଜଗତରେ ନାହିଁ । ଥିଲେ ଅନ୍ୟର ଥିବ; ମାତ୍ର ତାଙ୍କର ନାହିଁ । ସବୁ ଦୋଷ ସେହି ଗ୍ରହ-ଗୁଡ଼ାକର । ସେମାନଙ୍କର ଅଦୃଷ୍ଟ ବଡ଼ ମନ୍ଦ । ବୋଧହୁଏ ସେମାନଙ୍କର ସୁଦ୍ଧା ଗ୍ରହଦୋଷ ପଡ଼ିଅଛି । ଯଥା–ସମୟରେ ଯଥାରୀତି ପ୍ରାୟଶ୍ଚିତ୍ତାଦି ହୋଇଗଲା । ଏଣିକି ପୁରୀ ଯିବାଲାଗି ଭାଲୁଣି ପଡ଼ିଲା । ଘରେ କାହାକୁ ରଖି ଯିବେ, କିଛି ସ୍ଥିର ହୋଇ ପାରିଲା ନାହିଁ । ଉଷା ଜଣକୁ ମନୋନୀତ କଲେ ଦାସଙ୍କ ମନକୁ ଆସେ ନାହିଁ । ସେହିପରି ଦାସଙ୍କ ବଛା ଲୋକ ଉଷାଙ୍କର ପସନ୍ଦ ହୁଏ ନାହିଁ । ଏହି ମତିବିରୋଧ ମଧ୍ୟକୁ ଯେତେ ଲୋକ ଆସିଲେ ସମସ୍ତ ବେପସନ୍ଦ ହୋଇଗଲେ । ଉଷା ଯାହାର ନାମ କହନ୍ତି; ଦାସେ କହନ୍ତି–‘‘ଛି, ସେଟା କଟା ଚୋର ।’’ ଦାସେ ଯାହାର ନାମ କହନ୍ତି, ଉଷା କହନ୍ତି–‘‘ଏଁ, ସେ ଗୋଖୁର ସାପ । ତାକୁ ପୁଣି ବିଶ୍ୱାସ ଅଛି ?’’ ବେପସନ୍ଦ ଲୋକଯାକ ପ୍ରତ୍ୟେକେ ଏହିପରି ଗୋଟାଏ ଗୋଟାଏ ଦୁର୍ଚ୍ଛନା ପୁରସ୍କାର ଲାଭ କରନ୍ତି । ଅନୁପସ୍ଥିତ କାଳରେ ଘରେ ଚୋରି ହୋଇ ପାରେ, ଘର ପୋଡ଼ି ଯାଇପାରେ ଅଥବା ଯେ ଘର ଜଗିଥିବ ସେ ଚିତା କାଟି ପାରେ । ଏହି ସବୁ ଆଶଙ୍କା ଦାସଙ୍କୁ ଘେରି ପକାଇଲା । ସେ ଏତେଦିନେ ରାମାର ଅଭାବ ଅନୁଭବ କରି କହିଲେ–‘‘ରାମା ଥିଲେ ଆଉଁ କିଛି ଚିନ୍ତା ଥାଆନ୍ତା ନାହିଁ ।’’ ଉଷା ଅବଜ୍ଞାର ଲଘୁହାସ୍ୟ ଅଧରରେ ଖେଳାଇ କହିଲେ–‘‘ଆହା କି ସାଧୂପୁରୁଷ ! ସେ ଡାକୁଣୀଖିଆକୁ ଘର ଜଗାଇ ଚୋର ହାତରେ ପରା କୁଞ୍ଚିକାଠି ଦେଇ ଯାଆନ୍ତି ? ସେ ଅଳ୍ପାଇଷର ନାଁ ଧର ନାହିଁ !’’ ଦାସଦମ୍ପତି ଅନନ୍ୟୋପାୟ ହୋଇ ପରିଶେଷରେ ଝିଅର ଶଶୁର ସେହି ବେଲଗାଁ ଅଧିକାରାଙ୍କୁ ଘର ଜଗାଇ ପୁରୀ ଯାତ୍ରା କଲେ । ରେଲ ସୁବିଧା ହେତୁ ଦିନକ ମଧ୍ୟରେ ପୁରୀରେ ପହଞ୍ଚିଲେ । ସେହି ଦିନ ରାତିରେ ଦାସେ ସ୍ୱପ୍ନ ଦେଖିଲେ–ଘରେ ଚୋର ପଶି ସବୁ ବହି ନେଲ ଯାଉଅଛନ୍ତି । ସେ ସ୍ତ୍ରୀଙ୍କୁ ଡାକିବାକୁ ଚେଷ୍ଟା କରୁଅଛନ୍ତି; ମାତ୍ର ଭୟରେ ତୁଣ୍ଡ ଖିନି ମାରି ଯାଉଛି । ଦାସେ ହଠାତ୍ବିଳବିଳାଇ ଉଠିଲେ–‘‘ସୁ ସୁ ସୁ ଦୁରୀମା ଚ ଚ ଚ ।’’ ଅର୍ଥାତ୍ସୁଦୁରୀମା, ଚୋର , ଚୋର, ଚୋର । ହଠାତ୍ଦାସଙ୍କର ନିଦ ଭାଙ୍ଗିଗଲା, ଦେହ ଶୀତରେ ପଡ଼ିଲା, ମନ ଭାରି ଘାଣ୍ଟି ଗୋଳେଇ ହେଲା । ସେ ସ୍ତ୍ରୀଙ୍କୁ ଉଠାଇ ସ୍ୱପ୍ନକଥା କହିଲେ । ଉଷା ଶୁଣି ଆଶଙ୍କାରେ ଅସ୍ଥିର ହୋଇ ପଡ଼ିଲେ ଏବଂ କହିଲେ–‘‘ତୀର୍ଥସ୍ନାନ, ଠାକୁରଦର୍ଶନ ତ ସରିଯାଇଛି, ମୋ ମନ ବଡ଼ ଉଚ୍ଛନ୍ନ ହେଲାଣି, ଚାଲ ଏହି ରାତିଗାଡ଼ିରେ ବାହାରିଯିବା ।’’ ଦାସେ ମଧ୍ୟ ସେହି କଥା ଭାବିଥିଲେ । ସୂତରାଂ ସହଜରେ ସମ୍ମତ ହୋଇ ଆଉ କାଳବିଳମ୍ୱ ନ କରି ସେହି ରାତିରେ ପୁରୀରୁ ବାହାରି ଆସିଲେ । ଘରେ ପହଞ୍ଚି ଦେଖିଲେ, ତାଙ୍କ ସ୍ୱପ୍ନର ଗୋଟିଏ ବର୍ଣ୍ଣ ସୁଦ୍ଧା ସତ୍ୟ ନୁହେଁ । ତହୁଁ ତାଙ୍କର ଛାତିଦୁଲକା ବନ୍ଦ ହୋଇଗଲା; ସେ ଦୀର୍ଘଶ୍ୱାସ ଛାଡ଼ି ଆଶ୍ୱସ୍ତି ଲାଭ କଲେ । ବାଟରେ ଆସୁଁ ଆସୁଁ କେତେ ଦେବତାଙ୍କୁ ଡାକିଥିଲେ; ମାତ୍ର ଘରେ ପହୁଞ୍ଚି ଆଉ କାହାକୁ ଡାକିବା ଉଚିତ ମନେ କରି ନାହାନ୍ତି । ଦାସଙ୍କର ଦେବଭକ୍ତି ଏବଂ କୃତଜ୍ଞତା ସବୁଦିନେ ଏହିପରି । ଏକା ଏହି ଦାସେ ନୁହନ୍ତି–ଏହିଭଳି ସଂସାରରେ ଯଥେଷ୍ଟ ସୁଲଭ । ବିପଦବେଳେ ସେମାନେ କେତେ ଦେବଦେବୀଙ୍କୁ ଡାକନ୍ତି ଏବଂ ଉତ୍କୋଚର ପ୍ରଲୋଭନ ଦେଖାନ୍ତି; ମାତ୍ର ବିପଦ ମେଣ୍ଟିଗଲେ ଆଉ କିଛି ମନରେ ଥାଏ ନାହିଁ । ସେମାନେ କୁକୁଡ଼ା ପରି ବଡ଼ ଚତୁର ଜୀବ; ଦେବତାଙ୍କୁ ସୁଦ୍ଧ ବୃଦ୍ଧାଙ୍ଗୁଳି ପ୍ରଦର୍ଶନ କରିପାରନ୍ତି । କୁକୁଡ଼ା-ସକାଳୁ ଉଠି କହେ, ‘‘ରଖ ମା ମଙ୍ଗଳା ରଖ’’; ପୁଣି ସନ୍ଧ୍ୟା ସମୟରେ ନିରାପଦ ସ୍ଥାନରେ ରହି କହେ–‘‘ଠକ୍ମା ମଙ୍ଗଳା ଠକ୍।’’ ସେ ଯାହା ହେଉ, ଦାସେ ପୁରୀ ଯାଇ ଗୋଟାଏ ସତ୍କାର୍ଯ୍ୟ କରିଆସିଥିଲେ । ଜଗନ୍ନାଥଙ୍କୁ ଦଶ ଟଙ୍କା ବାର୍ଷିକ ବୃତ୍ତ ଦେବେ ବୋଲି ଗରୁଡ଼ ସ୍ତମ୍ଭରେ ମୁଣ୍ଡ ମାରି କହିଆସିଥିଲେ; ମାତ୍ର ଜଗନ୍ନାଥଙ୍କ ଭାଗ୍ୟରେ ସେହି ବୃତ୍ତଲାଭ ଥରକରୁ ଅଧିକ ଘଟି ନାହିଁ । ଦାସେ ପ୍ରଥମ ବର୍ଷ ଦଶ ଟଙ୍କା ପଠାଇଥିଲେ; କିନ୍ତୁ ଦ୍ୱିତୀୟ ବର୍ଷ ତାଙ୍କର ଇନ୍କମ୍ଟାକ୍ସ ଦଶ ଟଙ୍କା ବଢ଼ିଯିବାରୁ ଜଗନ୍ନାଥଙ୍କ ବୃତ୍ତଛେଦ କରାଯାଇ ସେହି କ୍ଷତି ପୁରଣ କରିବାକୁ ହେଲା । ଏଥିରେ ଦାସଙ୍କର କିଛି ଦୋଷ ନାହିଁ–ଏହା ଜଗତର ଭାଗ୍ୟବିଧାତା ଜଗନ୍ନାଥଙ୍କର ଦୁର୍ଭାଗ୍ୟର ଦୋଷ ! ଜଗନ୍ନାଥେ ଇନ୍କମ୍ଟାକ୍ସ ଡେପୁଟିଙ୍କୁ ଟେକ୍ସ ବୃଦ୍ଧିର ବୃଦ୍ଧି ନ ଦେଇଥିଲେ ସେ ଯାବତନ୍ଦ୍ରାର୍କେ ପୁତ୍ରପୌତ୍ରାବିକ୍ରମେ ଦାସଙ୍କ ବୃତ୍ତିର ଅଧିକାରୀ ହୋଇପାରିଥାଆନ୍ତେ ।