ଚତୁର୍ଦ୍ଦଶ ଅଧ୍ୟାୟ — ପଦ୍ମକଳ୍ପ — ଭୀମ ଭୋଇ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ଅଧ୍ୟାୟ
ଆଦି ଉବାଚକାରୁଣ୍ୟ ହୋଇଣ ଅପାର ।ପୂଚ୍ଛିଲା ଗୁରୁଙ୍କ ପୟର ॥
କରିବା ପରିତ୍ରାଣ ମୋତେ ।ଜଣାଏ ତୋର ପାଦଗତେ ॥
କହ ହେ ନାଥ ପେଡ଼ିକରି ।କହୁଛି ଶ୍ରୀଚରଣ ଧରି ॥
କିପରି କଳିଯୁଗ ମଧ୍ୟେ ।କରତା ଖେଳ ଭକ୍ତବୃନ୍ଦେ ॥
କହି ତୁଟାଅ ମନଭ୍ରମ ।କରତା ଅଟନ୍ତି ଆପଣ ॥
ଅନାଦି ଉବାଚକହନ୍ତି ପ୍ରଭୁ ପଦ୍ମ ପାଣି ।ଶୁଣ ଗୋ ଆଦି ମୋର ବାଣୀ ॥
କରିବି ବ୍ରହ୍ମାଣ୍ଡେ ଭ୍ରମଣ ।ସଙ୍ଗତେ ଘେନି ଭକ୍ତଗଣ ॥
କେତେକ କଳ୍ପ ଗଲା ପରେ ।କରିବି ଖେଳ ଯୋରନ୍ଦାରେ ॥
କରିବି ଧୂନୀକି ସ୍ଥାପନ ।ଶୂନ୍ୟ ସମାଧି ମନେ ଘେନ ॥
କଳିକି କରିବି ତଦନ୍ତେ ।କଷଣ ସହିବେ ମୋ ଭକ୍ତେ ॥
କରିବେ ମନରେ ବିଚାର ।କରତା କରନ୍ତେ ଉଦ୍ଧାର ॥
କେ ଅନ୍ତ କରିବି ମୋ ଖେଳ ।କଳଙ୍କି ହୋଇବ ଚହଳ ॥
କୃପାସିନ୍ଧୁକୁ କୋଳେ ଧରି ।କରିବି ଖେଳ ମୁଁ ନୁୟାରୀ ॥
କଦମ୍ୱ ମୂଳେ କଳ୍ପ ବଟ ।କରିବି କଳଙ୍କି ପ୍ରକଟ ॥
କପଟ ବେଳକୁ ମୁଁ ଚାହିଁ ।କୃପାକୁ ଉପଦେଶ ଦେଇ ॥
କରିବି ଭକ୍ତ ସଙ୍ଗେ କେଳି ।କଦର୍ଯ୍ୟେ ଛାଡ଼ିବେ ବୋବାଳି ॥
କାହାରି ନ ରହିବ ଚେତା ।କଳଙ୍କି ଖେଳର ବ୍ୟବସ୍ଥା ॥
କୃପା ମୂଳରେ ସର୍ବେ ଯାଇ ।କାରଣ କରନ୍ତେ ଗୋସାଇଁ ॥
କରିବେ ଦଇନି ଅପାର ।କର ପ୍ରସାରି ନିରନ୍ତର ॥
କାନ୍ଦି କାକୁସ୍ତେ କୃପା ଆଗେ ।କହିବେ ଶୁଣିଥାଅ ଏବେ ॥
କଷଣ ବିପତ୍ତିରୁ ତାଙ୍କୁ ।କୃପା ସେ କରିବେ ଭକ୍ତଙ୍କୁ ॥
କହଇ ଭୀମସେନ କନ୍ଧ ।କରତା କଳଙ୍କି ସମ୍ବନ୍ଧ ॥
ପଞ୍ଚଦଶ ଅଧ୍ୟାୟ
ଆଦି ଉବାଚକଳଙ୍କି କେଉଁଠାରେ ଠିକ ।କିରୂପେ କରତା ଅଲେଖ ॥
କେତେ ଦିନରେ ସଭା ଅଙ୍କ ।କହ ହେ ପ୍ରାଣର ନାୟକ ॥
କର କାରଣ ନାଥ ମୋତେ ।କରୁଣାକର ହୃଦଗତେ ॥
ଅନାଦିବ୍ରହ୍ମ ଉବାଚକହନ୍ତି ପ୍ରଭୁ ଦୀନବନ୍ଧୁ ।କୃପା ସାଗର ଭକ୍ତ ଇନ୍ଦୁ ॥
କଲୁ ଯେ ପୁଚ୍ଛା ମୋର ପାଏ ।କହିବି କଳଙ୍କିର ଗାଏ ॥
କରିବି ସମାଧି ଆସନ ।କପଟେ ଭକ୍ତ ମେଳା ଜାଣ ॥
କରିବି ସିଦ୍ଧ ସଙ୍ଗେ ଖେଳ ।କୃପା ସଙ୍ଗତେ ହେବି ମେଳ ॥
କରିବି ସଭା ଭକ୍ତ ଘେନି ।କମ୍ପିବ ଏ ନବ ମେଦିନୀ ॥
କରିବି ତିନିଦିନ ପରେ ।କହିଲୁଁ ତୋହର ଆଗରେ ॥
କାଶୀ ଯେ କୁରୁକ୍ଷେତ୍ର ପୁର ।ଆବର ବ୍ୟାସ ସରୋବର ॥
କଇଳାସ ଯେ ଖଣ୍ଡଗିରି ।ନିକଟ ନଗ୍ର ଆଦି କରି ॥
କୌସରା ରାଜ୍ୟପୁର ଯାଏ ।କହିଲି ତୋର ଆଗେ ଗାଏ ॥
କରିବି ଏଥିରେ ଭ୍ରମଣ ।କୃପାଳୁ ସଙ୍ଗତେ ଧରିଣ ॥
କରିବି ଖେଳ ଯେତେବେଳେ ।କେ ଅନ୍ତ କରିବ ମଣ୍ଡଳେ ॥
କାନ୍ଦିବ ବସୁମତୀ ଉଚ୍ଚେ ।କମ୍ପିବ ଧରିତ୍ରୀ ପ୍ରତ୍ୟେକ୍ଷେ ॥
କମ୍ପିବ ସ୍ୱର୍ଗେ ସୁନାସୀର ।କଦର୍ଯ୍ୟ ବାସୁକୀ ଆବର ॥
କେ ଅନ୍ତ କରିବ ଗୋ ସତୀ ।କଳଙ୍କି ପ୍ରଭାର ବିଭୂତି ॥
କରିବେ ରାଜା ଅତ୍ୟାଚାର ।କର ବସାଣ ଛତିଶର ॥
କରି କର୍ପୃଣ୍ୟ ଭକ୍ତ ମୋର ।କରୁ ଯେ ଥିବେ ନିରନ୍ତର ॥
କହେ ପାମର ଭୀମ ଭୋଇ ।କରତା ମୋତେ କର ତ୍ରାହି ॥
ଷୋଡ଼ଶ ଅଧ୍ୟାୟ
ଆଦି ଉବାଚକାନ୍ଦି ବିକଳେ ବସୁମତୀ ।କରତା ପାଦେ କରି ସ୍ତୁତି ॥
କହ କେବଳ ଭକ୍ତ ସଙ୍ଗେ ।କଳଙ୍କି ଖେଳ ମୋହ ଆଗେ ॥
କେତେ ଦିବସ କହି ଦିଅ ।କରିଣ ଥିବି ଅବଲୟ ॥
ଶ୍ରୀ ଅନାଦିବ୍ରହ୍ମ ଉବାଚକଳଙ୍କି ବେଳର କାହାଣୀ ।କହିବି ତୋର ଆଗେ ପୁଣି ॥
କା ଆଗେ ନ କହିବୁ ସତୀ ।କଳଙ୍କି ଖେଳର ଭାରତୀ ॥
କହିଲେ ଦ୍ରୋହ ଅରଜିବୁ ।କାମାକ୍ଷୀ କୁଳେ ଜନ୍ମ ହେବୁ ॥
କରିବୁ ବହୁ ସପତଣୀ ।ବହୁତ କୁଟୁମ୍ବରେ ପୁଣି ॥
କହିଲେ ଆଦି ଆଗେ ପ୍ରଭୁ ।କହିଲେ ଅପ୍ରାଧ ଅର୍ଜିବୁ ॥
କହିଲେ ଭକ୍ତଙ୍କର ନାମ ।କମ୍ୱୁ କପିଳ ପୁରସ୍ତମ ॥
କରୁଣାକର କାଶୀନାଥ ।କାନ୍ଦୁଚୁ କୁଳଧର ଏତ ॥
କାହ୍ନୁ ଯେ କଇଲାଣଆଦି ।କୃପାସିନ୍ଧୁ ଯେ କାଳିରୁଧି ॥
କହିଲି ଭକ୍ତଙ୍କ ସନ୍ଦେଶ ।ସ୍ୱର୍ଗପୁର ଯେ କଇଳାସ ॥
କାହାମା ସେନାପତି ମୂଳେ ।କଦମ୍ୱ ବୃକ୍ଷ ଓଳିତଳେ ॥
କରୁଣାକର ନାମ ତୋର ।ତା ମୂଳେ କହିଲି ଏଗାର ॥
କଟକ ଚଉଦ୍ୱାର ଜାଣ ।କହିବି ଭକ୍ତଙ୍କ ନାମ ॥
ଶିବ ଶଙ୍କର ଶଶୀଧର ।ଶରଧା ମନୁ ସାରଙ୍ଗର ॥
ଶରଣ ସନାତନ ଶ୍ୟାମ ।ସେଠାରେ ଏତେ ଭକ୍ତ ଜାଣ ॥
ସେନାପତି ଯେ ନିତ୍ୟାନନ୍ଦ ।ଶୁଣିଥା ସତୀ ଭକ୍ତବୃନ୍ଦ ॥
ସମ୍ୱଲପୁର ସହରରେ ।ଷାଠିଏ ଭକ୍ତ ଯେ ସେଠାରେ ॥
ସେନାପତି ଯେ ରଘୁନାଥ ।ସମର୍ପି ଦେବୀ ପାତ୍ରଛତ୍ର ॥
ସାକ୍ଷୀ ଯେ ଥାନ୍ତୁ ଶୂନ୍ୟବାସୀ ।ଶରଣ ନିତ୍ୟେ ଭୀମ ପଶି ॥
ସପ୍ତଦଶ ଅଧ୍ୟାୟ
ଅନାଦି ଉବାଚସତୀ ପୁଚ୍ଛିଲେ ଗୁରୁପାଏ ।ଶୁଣ ହେ ପ୍ରଭୁ ଦେବରାଏ ॥
ଶରଧା କରିଣ ମନରେ ।ଶୁଣିବ ସକ୍ଷ ଅନୁସାରେ ॥
ସମ୍ୱଲପୁରର ଭକତ ।ଶୁଣି ମୁଁ ହୋଇଲି କୃତାର୍ଥ ॥
ସମସ୍ତ ଭକତ ବାରତା ।କହି ତୁଟାଅ ମନ ବ୍ୟଥା ॥
ଅନାଦିବ୍ରହ୍ମ ଉବାଚସତ୍ୟରେ ସମସ୍ତ ବିଚାରି ।କହନ୍ତି ପ୍ରଭୁ ଦଇତାରୀ ॥
ସୁନୁପୁରର ଭକ୍ତ କଥା ।ସଧୀରେ ସମସ୍ତ ବାରତା ॥
ସନାତନ ଯେ ସତ୍ୟାନନ୍ଦ ।ଶଶୀଭୁଷଣ ସେ ସାନନ୍ଦ ॥
ଶତ୍ରୁଘନ ଯେ ସାର୍ବସାର ।ଏମନ୍ତେ ଷଡ଼ଭକ୍ତ ମୋର ॥
ଶିଶୁପାଳର ମୂଳେ ଏତେ ।ଶୁଣିଥା ଦେବୀ ଶୁଦ୍ଧ ଚିତ୍ତେ ॥
ବଲାସିଂହାରେ ବାରଜଣ ।ବାବାଜୀ ମଠର ମଧ୍ୟଣ ॥
ବିଶ୍ୱନାଥର ମୂଳେ ଏତେ ।ବିଶ୍ୱାସେ କହିଲାଇଁ ତୋତେ ॥
ବଲାଙ୍ଗି ପାଟଣାରେ ଭକ୍ତ ।ବିଶ୍ୱନାଥ ଯେ ରଘୁନାଥ ॥
ବିମ୍ୱାଧର ଯେ ବଳରାମ ।ବାମନ ବୈଦ୍ୟନାଥ ଜାଣ ॥
ବାଜିଆ ବାଲୁଙ୍କି ଖଦାଳ ।ବନମାଳୀର ସଙ୍ଗେ ଖେଳ ॥
ଲଇ ଲହଙ୍ଗା ପାଟଣାରେ ।ଲକ୍ଷେ ଯେ ଭକତ ସେଠାରେ ॥
ଲୀଳା ବିନୋଦ ମେଳେ ଏତେ ।ଲକ୍ଷ ସେ କହିଲଇଁ ତୋତେ ॥
ନିମ୍ୱବୃକ୍ଷ ଯେ ତା ଖୋଳିଲେ ।ଲମ୍ୱ ଯେ ଥିବ ଗୁଳୁଚିରେ ॥
ଲୟ ଲଗାଇ ଗୁରୁ ପାଦେ ।ଲମ୍ୱେ ମଉଳି ଅନୁବାଦେ ॥
ଲକ୍ଷଣବନ୍ତ ସେ ପୁରୁଷ ।ଲକ୍ଷେ ଭକତରେ ସେ ଦାସ ॥
ଲୟ ଲଗାଇ ଭୀମ ଭୋଇ ।ନମୁଛି ଗୁରୁପାଦେ ରହି ॥
ଅଷ୍ଟଦଶ ଅଧ୍ୟାୟଆଦି ଉବାଚଆଦି ଯେ ଆନନ୍ଦ ମନରେ ।ଆସି କରିଣ ନିରନ୍ତରେ ॥
ଆପଣ ଅନ୍ତର୍ଯ୍ୟାମୀ ନାଥ ।ଆଗେ କହିଲେ ସାରସ୍ୱତ ॥
ଆଶା ଯେ କରିଛି ଅପାର ।ଅନନ୍ତ ମହିଁମା ଯାହାର ॥
ଆଉ ଯେ କେଉଁଠାରେ ଭକ୍ତ ।ଆପେ କହନ୍ତୁ ବିଶ୍ୱନାଥ ॥
ଶ୍ରୀ ଅନାଦିବ୍ରହ୍ମ ଉବାଚଆଦ୍ୟ ଯେ ମାଳ ବେହାରରେ ।ଆଠଶ ପଞ୍ଚାଶ ସେଠାରେ ॥
ଆଗେ ଅନାଦି ଭକ୍ତ ମୋର ।ଅନନ୍ତ ଅଚ୍ୟୁତ ଆବର ॥
ଆଦିକନ୍ଦ ଯେ ଅନ୍ତର୍ଯ୍ୟାମୀ ।ଆବୁଆ ଆସାତ ଅନାଇଁ ॥
ଅନାମ ଆନନ୍ଦ ଆବର ।ଏରୂପେ ଯେତେ ଭକ୍ତ ମୋର ॥
ଅଭିନ ମୂଳେ ଯେତେ ଭକ୍ତ ।ଅତି ଆନନ୍ଦ ଦୃଢ ବ୍ରତ ॥
ଅରୂପ ବ୍ରହ୍ମଙ୍କ ପୟରେ ।ଆନନ୍ଦେ ଭଜେ ନିରନ୍ତରେ ॥
ଆବର ଭକ୍ତଙ୍କ କାହାଣୀ ।ଆଦି କହିବି ତୋତେ ପୁଣି ॥
ଆବର ଢେଙ୍କାନାଳ ପୁର ।ଅସଂଖ୍ୟ ଭକତ ମୋହର ॥
ଅନ୍ତ ଯେ କରି କହି ନୁହେ ।ଆଦ୍ୟରେ ଏକାକ୍ଷର ଲଏ ॥
ଅଛନ୍ତି ଭକତ ମୋହର ।ଆଦ୍ୟରେ ଯୋରନ୍ଦା ଗ୍ରାମର ॥
ଅନନ୍ତ ସାହୁ ଭଗବାନ ।ଆବର ଆନନ୍ଦଟି ଜାଣ ॥
ଅଛନ୍ତି ଭକତ ଅଶୀଏ ।ଅନ୍ତ କରିଣ କହି ନୁହେ ॥
ଶିବ ମୂଳରେ ଏତେ ଭକ୍ତ ।ଶୁଣ ଗୋ ଦେବୀ ବାକ୍ୟ ନିତ୍ୟ ॥
ଆହୁରି ପ୍ରକାର ଗ୍ରାମର ।ଆଣ୍ଟୁଆ ଭକ୍ତ ଅଛି ମୋର ॥
ଆଦ୍ୟରେ ଚନ୍ଦ୍ରମଣି ନାମ ।ଦ୍ୱିତୀୟେ ଭକ୍ତ ବଳରାମ ॥
ଅଚ୍ୟୁତାନନ୍ଦ ଯେ ଆକୁଳ ।ଆମ୍ଭ ସଙ୍ଗତେ କରି ଖେଳ ॥
ଆପେ ଅନାଦି ଦେଲେ କହି ।ଆଶା କରିଛି ଭୀମଭୋଇ ॥
ଊନବିଂଶ ଅଧ୍ୟାୟ
ଆଦି ଉବାଚଆବର ଭକ୍ତଙ୍କର ନାମ ।କହନ୍ତୁ ପ୍ରଭୁ ଭଗବାନ ॥
ଆଶା କରିଛି ମୁଁ ଅଭାଗୀ ।ଅନାଦି ପ୍ରଭୁଙ୍କର ଲାଗି ॥
ଅଛନ୍ତି ଭକ୍ତ କେଉଁଠାରେ ।ଆଜ୍ଞା ଯେ ହେଉ ଶ୍ରୀମୁଖରେ ॥
ଅଭୟ ଚରଣରେ ଆସି ।ଆଶା କରିଛି ତୁମ୍ଭ ଦାସୀ ॥
ଅନାଦି ବ୍ରହ୍ମ ଉବାଚଅନାଦି ଅବ୍ୟକ୍ତ ଈଶ୍ୱର ।ଆଜ୍ଞା ଯେ କଲେ ଆଦିଠାର ॥
ଅନୁଗୁଳର ଭକ୍ତ କଥା ।ଆଦି ଗୋ ଶ୍ରବଣ କରୁଥା ॥
ଅଙ୍ଗାର ବନ୍ଧ ହେ ଗ୍ରାମର ।ଅଛନ୍ତି ଆଠଭକ୍ତ ମୋର ॥
ଗଉରାଙ୍ଗ ଯେ ଗଣେଶ୍ୱର ।ଗତିଆ ଗୋବର୍ଦ୍ଧନ ଶିର ॥
ସାଧୁସୁନ୍ଦର ଭକ୍ତ ତୁଲେ ।ସୁଷୁପ୍ତି ମାର୍ଗରେ ବୁଝିଲେ ॥
ବିଶ୍ୱନାଥର ସଙ୍ଗେ ମେଳ ।ବୁଝୁଥା ତହିଁ ଶୂନ୍ୟ ଖେଳ ॥
ଅନନ୍ତ ପଶ୍ଚିମ ଦିଗରେ ।ଅଛନ୍ତି ଏତେ ଭକ୍ତ ମୋର ॥
ଆହୁରି କହୁଅଛି ସତୀ ।ଆମ୍ଭଙ୍କୁ ଯେଣୁ କରୁ ଭକ୍ତି ॥
ଆମ୍ୱପାଳର ଭକ୍ତ କଥା ।ଆଦି ଗୋ ଶ୍ରବଣ କରୁଥା ॥
ଅଛନ୍ତି ତହିଁ ବେନି ଶିଷ୍ୟ ।ଗୋବିନ୍ଦ ମହାରଣା ଦାସ ॥
ଗୋବର୍ଦ୍ଧନ ଯେ ମଲ ଭୋଇ ।ଗାଢ ଭକତ ଯେ ଅଟଇ ॥
ଆବର ଭକ୍ତଙ୍କ ବୃତ୍ତାନ୍ତ ।ଆଦି ଗୋ କର ତୁ ନିୟତ ॥
ଏ କଥା ନ କହିବୁ କାହିଁ ।ମୋ ପାଦ ପଦ୍ମ ଥାଅ ଛୁଇଁ ॥
ଅନନ୍ତ ପୁରେ ଭକ୍ତ ମୋର ।ଚାରି ଭକତ ଗଣନାର ॥
କୁରୁତି କୃପାନିଧି ତୁଲେ ।କରୁଣା କର ସାଧୁମେଳେ ॥
ଅତି ଆନନ୍ଦେ ଜୀବେ ଧ୍ୟାୟି ।ଅଧିକେ କି କହିବି ସହି ॥
ଆନନ୍ଦେ ଅଭୟ ଚରଣେ ।ଅନୁସରି ଯେ ଭୀମ ଭଣେ ॥
ବିଂଶ ଅଧ୍ୟାୟ
ଆଦି ଉବାଚକହଇ ଆଦି ପାଦେ ପଡ଼ି ।କହନ୍ତୁ ଭକ୍ତ ନାମ ଫେଡ଼ି ॥
କହନ୍ତି ପ୍ରଭୁଙ୍କ ଛାମୁରେ ।କୃତାର୍ଥ ହେବି ଶୁଣିବାରେ ॥
କହି ତୁଟାଅ ମନଭ୍ରମ ।କରୁଣା ନିଧି ତୁ ଉତ୍ତମ ॥
କହିଣ ଲୋଟି ଶ୍ରୀପୟରେ ।କରନ୍ତୁ ପ୍ରଭୁ କୃପା ମୋରେ ॥
ଅନାଦି ଉବାଚକରୁଣା ସାଗର ଈଶ୍ୱର ।କହିଲେ ଆଦିଙ୍କ ଛାମୁର ॥
କୁସନିକା ଯେ ତୀର୍ଥେ ମୋର ।ସନାତନ ଯେ ଭକ୍ତ ମୋର ॥
ତା ମୂଳେ ଏଗାର ଭକତ ।ଦ୍ୱାଦଶ ବନ୍ଧ ସାରସ୍ୱତ ॥
କୁବେର କହ୍ନାଇ ଉଗଆ ।ସୁଦରଶନ ଯେ ପାଣୁଆ ॥
ପରମାନନ୍ଦ ବିଶ୍ୱନାଥ ।ମୋ ନାମ ଶୁଦ୍ଧ ଅବିରତ ॥
ଅଛନ୍ତି ଭକ୍ତ ଯେ ତହିଁରେ ।ଶୁଣ ଗୋ ସତୀ ଏହି ବାରେ ॥
କହିବା ଆବର ଭକତ ।କୁମୁଣ୍ଡ କଳିଙ୍ଗାର ନିତ୍ୟ ॥
କହିଲି ସାରସ୍ୱତ ଫେଇ ।କା ଆଗେ ନ କହିବୁ ତୁହି ॥
ସାତ ଭଗତ ତହିଁଛନ୍ତି ।କିଶୋର ମୂଳେ ଗୋ ଭାରତୀ ॥
ଦୀନବନ୍ଧୁ ଯେ ଦଇତାରୀ ।କାହ୍ନୁ ଚରଣ ଆଦିକରି ॥
ମହାନିତ୍ୟର ଭକ୍ତ ମୋର ।ମନ ଉନ୍ନତ ଗଙ୍ଗାଧର ॥
କୁଶା ସିଂହର ଭକ୍ତନାମ ।ଆଦି ତୁ କର ଗୋ ଶ୍ରବଣ ॥
ଚକ୍ରଧରର ମୂଳେ ଭକ୍ତ ।ଚୌବନ ବନ୍ଧରେ ବିଦିତ ॥
ଚିନ୍ତାମଣି ଯେ ବାମଦେବ ।ଚାଇନ ଭୂତିଆ ମାଧବ ॥
ଏରୂପେ ଭକ୍ତ ଯେ ମୋହର ।କହିଲି ତୋହର ଆଗର ॥
ଅର୍ଜ୍ଜୁନ ପୁତ୍ର ମୂଳେ ଦେଇ ।ସିନ୍ଧୁକୁ ସମର୍ପିବି ମୁହିଁ ॥
ସାଧିବି କଳିଙ୍କି ରାହାସ ।ସାଜି ହୋଇଣ ଦଶଦିଶ ॥
ସତର ଅଙ୍କକୁ ଚାହିଁଣ ।ସଜ ହୋଇ ଯେ ଥିବୁ ଜାଣ ॥
ଶରଣ ଅଭୟ ପୟରେ ।ଶିର ମୋ ଲୋଟୁ ତା ପୟରେ ॥
ଆଦି ଉବାଚପୁଚ୍ଛିଲେ ଜଗତ ଜନନୀ ।ପ୍ରଭୁଙ୍କ ପାରୁଶରେ ପୁଣି ॥
ପୁଚ୍ଛିଲେ ଭଗତ ସନ୍ଦେଶ ।ପଚାରି ଜ୍ଞାନ ଉପଦେଶ ॥
ପ୍ରଭୁ ମୋ ପ୍ରାଣର ଈଶ୍ୱର ।ପରମ ପୁରୁଷ ମୋହର ॥
ପ୍ରାଣକୁ ମୋର ଭୟ କରି ।ପଚାରେ ଶ୍ରୀ ପୟର ଧରି ॥
ପ୍ରାଣ ଈଶ୍ୱର ଭଗବାନ ।ସିନ୍ଧୁ କୋଳରେ ସମର୍ପିଣ ॥
ପ୍ରଭୁ ମୋ ପ୍ରାଣର କରତା ।ପଚାରେ ବ୍ରହ୍ମଜ୍ଞାନ ଚେତା ॥
ସିନ୍ଧୁ ଯେ କି କରିବ ତହିଁ ।ସମସ୍ତ ଭଗତଙ୍କୁ ନେଇ ॥
ସଂକ୍ଷେପ କରି ମୋତେ କହ ।ଶୁଣିଲେ ତୁଟିବ ସନ୍ଦେହ ॥
ଶ୍ରୀ ଅନାଦିବ୍ରହ୍ମ ଉବାଚଶ୍ରୀ ଛାମୁ ଆଜ୍ଞା ଯେ କରିଲେ ।ଶୁଣ ଗୋ ଆଦି ନାରୀ ଭଲେ ॥
ସୁନ କାଟରେ ମୁଣ୍ଡମାଳ ।ଶୂନ୍ୟରୁ ଉଛୁଳିବ ଜଳ ॥
ମତୁରୀ କୋଶ ପରିଯନ୍ତେ ।ସୋହିଡ଼ ସାଜିବ ଜଗତେ ॥
ଶୂନ୍ୟ ଘଡ଼ଘଡ଼ି କରି ଜାତ ।ସହିବ ମୁକୁନ୍ଦର ସୁତ ॥
ସଜୀବ ଦେହେ ଭକ୍ତ ମୋର ।ସୋହତି ସାରିବ ସଂସାର ॥
ଚୌବନ ପ୍ରସ୍ଥ ଯେ ଭଗତେ ।ଚେତାଇ ଉଠିବେ ତୁରିତେ ॥
ଚାରିଦିଗରେ ଭକ୍ତ ଏବେ ।ଚମକି ପଡୁଥିବେ ଭାବେ ॥
ଚଣ୍ଡୀ ନଗର ଭକ୍ତ ମୋର ।ଚେତନା କରାଇ ଆବର ॥
ଚାରିଦିଗର ନାମ ଧ୍ୱନୀ ।ଚମକି ପଡ଼ିବଟି ଗୁଣି ॥
ଚେତି ଯେ ଥିବୁ ମହାମାୟୀ ।ଚହଳ ନ କରିବୁ କାହିଁ ॥
ଚନ୍ଦନ ଅର୍ଗଳୀ କବାଟ ।ଚାରିଦିଗରେ ଯେତେ ମଠ ॥
ଚରଚା ବୁଝିବେ ସମସ୍ତେ ।ଗୁରୁଯେ ମୁଖ ସିନ୍ଧୁ ଭୃତ୍ୟେ ॥
ଚେତନା ଦେଇ ସମସ୍ତଙ୍କୁ ।ସିଦ୍ଧ ମଧ୍ୟରୁ ସିନ୍ଧୁ ରଖୁ ॥
ଶରଣ ଅଭୟ ଚରଣେ ।ଶ୍ରୀଗୁରୁ ପାଦେ ଭୀମ ଭଣେ ॥
ଏକବିଂଶ ଅଧ୍ୟାୟଆଦି ଉବାଚପ୍ରମାଣକରି ସସ୍ରେବାର ।ଜଣାଏଁ ଶ୍ରୀଗୁରୁ ପୟର ॥
ଚୌବନ ପ୍ରସ୍ଥ ଭକ୍ତ ନାମ ।ଶୁଣିଲି ଶ୍ରୀମୁଖରୁ ପୁଣ ॥
ଆବର ଉକ୍ତଙ୍କର ନାମ ।ମୋତେ ବୁଝାଅ ପରଂବ୍ରହ୍ମ ॥
କହି କାର୍ପୁଣ୍ୟେ କରଯୋଡ଼ି ।ଶ୍ରୀଗୁରୁ ପାଦତଳେ ପଡ଼ି ॥
କମଳ ଚରଣେ ଲୋଟିଲା ।କାର୍ପୁଣ୍ୟ ଭାବେ ପୁଚ୍ଛା କଲା ॥
ଅନାଦିବ୍ରହ୍ମ ଉବାଚସତୀ ଶରଧା ଭକ୍ତ ଜାଣି ।କହିଲେ ପ୍ରଭୁ ଚକ୍ରପାଣି ॥
ନୀଳ ଧବଳ ବେନି ମୋର ।ଅଛନ୍ତି ଲୁହା ସିଂଘା ଠାର ॥
ଲକ୍ଷେ ଭକ୍ତରେ ସେନାପତି ।ଗୋସିଂହ ରାଜ୍ୟେ ବୁଝ ସତୀ ॥
କେଶବ ନିତ୍ୟାନନ୍ଦ ନାମ ।ନବୀନ ରୂପଟି ଉତ୍ତମ ॥
ସେ ଭକ୍ତ ଶିରେ ଶାଢ଼ୀ ଦେବୀ ।ପଶ୍ଚିମ ଦ୍ୱାର ଜଗାଇବି ॥
ତଦନ୍ତେ ଶୁଣ ମୋର ବାଣୀ ।ଶାରଦା କୁଳର କାହାଣୀ ॥
ସସମଲ ଯେ ଭକ୍ତ ମୋର ।ସତୀ ଗର୍ଭରେ ଅବତାର ॥
ନାରାୟଣ ଯେ ପିତା ନାମ ।ନିତ୍ୟେ ସେ କରେ ଧର୍ମାଧର୍ମ ॥
ତା ମୂଳେ ପନ୍ଦର ହଜାର ।ନାଗାନ୍ତି ଅଛନ୍ତି ମୋହର ॥
କଳାହାଣ୍ଡି ଯେ ପାଟଣାରେ ।କହିଲି ସତୀ ତୋ ଆଗରେ ॥
ବ୍ରହ୍ମ ଦେଶର ଭକ୍ତ ଯେତେ ।କହୁଛି ତୋହର ଅଗ୍ରତେ ॥
ବିରଜା କୁଳରେ ଉତ୍ପତ୍ତି ।ନାମ ତାହାର ଭାଗୀରଥି ॥
ତା ମୂଳେ ବାସ୍ତରି ଭଗତ ।ବିଦୁର ବିମ୍ୱାଧର ଦତ୍ତ ॥
ଗିରିଜାପତି ଗୋବର୍ଦ୍ଧନ ।ଗାଢ଼ ଭକତ ମୋର ଜାଣ ॥
ମଧୁ ଯେ ସୁଦର୍ଶନ ତୁଲେ ।ମାଳତୀ ମୁଷୁମାତ ମେଳେ ॥
ମଲ୍ଲୀ ଯେ କୁନ୍ଦଳତୀ ସାରୀ ।ଯୁବକ ରୂପେ ଅବତରି ॥
ଏରୂପେ ଭଗତ ଅଛନ୍ତି ।ସୁଚିତ୍ତେ ଶୁଣିଥାଅ ସତୀ ॥
ଶରଣ ପଞ୍ଜର ପୟରେ ।ଭୀମ ମାଗଇ ନିରନ୍ତରେ ॥
ଦ୍ୱାବିଂଶ ଅଧ୍ୟାୟଆଦି ଉବାଚଶୂନ୍ୟବାସୀଙ୍କ ପାଦତଳେ ।ଶରଣ ଗଲା ଆଦି ବାରେ ॥
ଶରଣ ପଞ୍ଜର ତୋ ବାନା ।ଶରଣ ମାଗୁଅଛି ସିନା ॥
ଭୋସ୍ୱାମୀ ବ୍ରହ୍ମାଣ୍ଡ ଠାକୁର ।ଜଣାଏଁ ତୋହର ପୟର ॥
କଳି ଯୁଗର ଶେଷ କଥା ।କହି ତୁଟାଅ ମନ ବ୍ୟଥା ॥
ଅନାଦି ଉବାଚଆଦି ଦେବୀର ଭକ୍ତି କଥା ।ଜାଣିଲେ ବ୍ରହ୍ମାଣ୍ଡ କରତା ॥
ଅନେକ ଶପଥ କରାଇ ।କହିଲେ ବ୍ରହ୍ମାଣ୍ଡ ଗୋସାଇଁ ॥
କରିବେ ଭକ୍ତେ ଅନ୍ୟାଚାର ।କଷଣ ପଡ଼ିବ ଅପାର ॥
କେହି କାହାକୁ ନ ମାନିବେ ।କପଟ ବୁଦ୍ଧି ଆଚରିବେ ॥
କଷା ବସନ ଆପେ ଦେଇ ।କରତା ପଣ ଥିବେ ବହି ॥
କାହାରି ନ ରହିବ ଚେତା ।କରିବେ ନାନା ଧର୍ମ ପନ୍ଥା ॥
କପି କେତନ ବାନା ବହି ।ପର ଦାରାରେ ମନଦେଇ ॥
ପରମ ବଇଷ୍ଣବ ଧର୍ମ ।ପ୍ରକାଶ କରୁଥିବ ନାମ ॥
ପାପେ ସକଳ ନାଶ ଯିବେ ।କାହାକୁ ଦୋଷ ସେହି ଦେବେ ॥
ନିଜ ଇଚ୍ଛାରେ ଯିବେ ନାଶ ।ନ ଲାଗେ ଆମ୍ଭ ଅଙ୍ଗେ ଦୋଷ ॥
ନୂୟରୀ କରିବି ମୁଁ ଧର୍ମ ।ନବୀନ ରୂପ ମୋର ଜାଣ ॥
ନିତ୍ୟ ରାହାସ କରାଇବି ।ସତ୍ୟେ ମୁଁ ସିନ୍ଧୁ ସଙ୍ଗେ ଥିବି ॥
ସିନ୍ଧୁ ଯେ ସେନାପତି ମୋର ।ସେ ଅବା ଥିବ ସଙ୍ଗତର ॥
ସମସ୍ତ ଭକ୍ତଙ୍କ ବାରତା ।ସିନ୍ଧୁକୁ ଦେବି ସର୍ବ ଚିନ୍ତା ॥
ଥିବି ମୁଁ ବ୍ୟାସ ସରୋବରେ ।ଖଣ୍ଡଗିରି ଯେ ଯାଜପୁରେ ॥
କପିଳାସର କନ୍ଦରରେ ।ଥିବି ମୁଁ ଏକାମ୍ୱରଠାରେ ॥
କୌସର ରାଜ୍ୟେ ଭକ୍ତ ମୋର ।ଅଛି ଅର୍ଜ୍ଜୁନ ମହାବୀର ॥
ତାହା ସଙ୍ଗରେ ଖେଳକରି ।ସୈନ୍ୟକୁ ସାଜିବି ନୁୟାରୀ ॥
ସମ୍ୱଲପୁର ଠାରୁ ଜାଣ ।ନବ ପ୍ରସ୍ତରେ ମୋର ସୈନ୍ୟ ॥
ନବୀନ ରୂପଟି ମୋହର ।କଳଙ୍କି ଲୀଳା ଅବତାର ॥
ଶୂନ୍ୟ ସମାଧି ବିନୁ ମୁହିଁ ।ଷାଠିଏ ବରଷରେ ଯାଇ ॥
ସାଜିବି ମୋର ଭକ୍ତ କୁଳ ।ସିଦ୍ଧ ସଙ୍ଗତେ କରି ମେଳ ॥
ସଭା ମଣ୍ଡପ ପରେ ବିଜେ ।ସୁନ୍ଦର ଶ୍ରୀମୁଖ ବିରାଜେ ॥
ଶୁଣ ଗୋ ଦେବୀ ସ୍ୱାରସ୍ୱତ ।ଶ୍ରୀମୁଖ ବଚନ ନିୟତ ॥
ହେବି କଳଙ୍କି ଅବତାର ।ଶ୍ରୀରାମଚନ୍ଦ୍ର ରାଜୁତିର ॥
ସନ ଊଣିଶ ଏକଚାଳିଶ ।ଦେଖିବ କଳଙ୍କିର ବେଶ ॥
ଅନ୍ୟ ମାର୍ଗରେ ନାହିଁ ଳୀଳା ।ନିୟତ ବଚନଟି ଭଲା ॥
ଦିଲ୍ଲୀ ଶକାବ୍ଦ ବୟାଳିଶ ।ଆମ୍ଭର କଳଙ୍କି ରାହାସ ॥
କଳଙ୍କି ଖେଳର କାହାଣୀ ।ଅର୍କ୍ଷିତ ଭୀମଭୋଇ ଭଣି ॥
ତ୍ରୟବିଂଶ ଅଧ୍ୟାୟଆଦି ଉବାଚପୟରେ ପୁଚ୍ଛା କଲା ସତୀ ।ଅନେକ ବାର କଲା ସ୍ତୁତି ॥
ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ।ଫେଡ଼ିବା ଅପରାଧ ମୋର ॥
ଆଶା କରିଛି ଅନମିତ୍ତେ ।ଭୋ ପ୍ରଭୁ ଆଜ୍ଞା ହେଉ ମୋତେ ॥
ପ୍ରଣାମ କରିବ ଅପାର ।ପୁଚ୍ଛଇ ଶ୍ରୀଗୁରୁ ପୟର ॥
ପରମ ବ୍ରହ୍ମ ନାମ ତୋର ।କହ କିପାଇଁ ଅବତାର ॥
କହି କାକୁସ୍ତେ କରଯୋଡ଼ି ।ଶ୍ରୀଗୁରୁ ପାଦତଳେ ପଡ଼ି ॥
ଅନାଦି ଉବାଚଶୁଣ ଲୋ ଯୋଗମାୟା ତୁହି ।ସୁଷୁପ୍ତି ମାର୍ଗେ ଚିତ୍ତ ଦେଇ ॥
ସତ ରଜ ଯେ ତମ ଗୁଣ ।ତମକୁ କରି ନିବାରଣ ॥
ରଜକୁ ଅତି ଶୀଘ୍ରେ ଧରି ।ସତ୍ୟକୁ ଉଦୟ ମୁଁ କରି ॥
ହରିବି ପୃଥିବୀର ଭାର ।ସାକ୍ଷୀ ଯେ ଚନ୍ଦ୍ର ଦିବାକର ॥
ସନ୍ଥକୁ କରିବି ପାଳନ ।ଦୃଷ୍ଟଙ୍କୁ କରି ସଂହାରଣ ॥
ଦନୁଜ କୁଳକୁ ନିବାରି ।ଭକ୍ତଙ୍କୁ ପାଳନ ମୁଁ କରି ॥
କରିବି ଖେଳ ଭକ୍ତ ସଙ୍ଗେ ।ରାସ ଉତ୍ସବ ଭୂମି ଭାଗେ ॥
ସ୍ୱର୍ଗ ଯେ ମର୍ତ୍ତ୍ୟ ପାତାଳର ।କରିବି ଖେଳ ମୁଁ ଆବର ॥
ସାକ୍ଷୀ ଯେ ଦଶଦିଗ ପାଳ ।ନିଶ୍ଚୟେ କରିବି ମୁଁ ଖେଳ ॥
କେ ଅନ୍ତ କରିବ ମୋ ଭକ୍ତ ।ପୃଥିବୀରେ କରିବି ଉଦିତ ॥
ପ୍ରଳୟ ଜଳର ସୋହତି ।ଯେପରି କରି ନୁହେ ସ୍ଥିତି ॥
ତେମନ୍ତ ବ୍ରହ୍ମାଣ୍ଡେ ଭ୍ରମଣ ।ଆଦି ଗୋ ତୁହି ଏହା ଜାଣ ॥
ଅରୂପ ବ୍ରହ୍ମଙ୍କର ଖେଳ ।କଳିରେ କଳଙ୍କ ପ୍ରବଳ ॥
କଟାକ୍ଷ ବଚନଟି ଏହି ।କହେ ଅର୍କ୍ଷିତ ଭୀମ ଭୋଇ ॥
ଚର୍ତୁବିଂଶ ଅଧ୍ୟାୟଆଦି ଉବାଚନମସ୍ତେ ଅରୂପ ଗୋସାଇଁ ।ନମସ୍ତେ ପ୍ରଭୁ ଭାବଗ୍ରାହୀ ॥
ଅଧୀନ ଦାସୀ ମୁଁ ଛାମୁରେ ।ଅପ୍ରାଧ କ୍ଷମାକର ବାରେ ॥
ଦୋଷ ମୋ ନ ଘେନିବ ସ୍ୱାମୀ ।ନିର୍ଗୁଣ ସ୍ୱାମୀ ଅନ୍ତର୍ଯ୍ୟାମୀ ॥
ନିତ୍ୟ ରାହାସ କଳିଯୁଗେ ।ଆଜ୍ଞା ଯେ କଲ ଭୂମିଭାଗେ ॥
ଲୀଳା ବିନୋଦେ ଭାବଗ୍ରାହୀ ।ନିଅତ ବଚନ କରାଇ ॥
ପୁଛିବି ସନ୍ଦେଶ ମୋହର ।ପଚିଶ ପ୍ରକୃତି ଆବର ॥
ପଞ୍ଚ ମନ ଯେ ଛଡ଼ ଐରୀ ।ଏକାଦଶ ଯେ ଇନ୍ଦ୍ରି କରି ॥
ଛାୟା ଯେ ଚଞ୍ଚଳ ପବନ ।ପାପ ଆତ୍ମା ଯେ ଏଥିଜାଣ ॥
ତ୍ରିଗୁଣ ବେଡ଼ି ନିରନ୍ତର ।ଆବର ହିଂସା ଅହଙ୍କାର ॥
ଏମାନେ ବେଷ୍ଟିତ ଅଙ୍ଗରେ ।ସଦା ସର୍ବଦା ନିରନ୍ତରେ ॥
ମାନବ ଅଙ୍ଗେ ଅଛି ରହି ।ମାରୁଛି ମାୟାରେ ମଜାଇ ॥
ଅରୂପ ବ୍ରହ୍ମ ତୁ ନିକର ।ପରମ ବ୍ରହ୍ମ ଅଣାକାର ॥
କରିବ ଭକ୍ତ ସଙ୍ଗେ ଖେଳ ।ଆପେ ତ ଆପଣେ ନିର୍ମଳ ॥
ବାଉନ ପାଟକରେ ଜନ୍ମ ।ମାନବ କୁଳଟି ପ୍ରମାଣ ॥
ଭକ୍ତ ଯେ ରହିଛନ୍ତି ତହିଁ ।କିପରି ବାରି ଆଣିବଇଁ ॥
ସନ୍ଦେହ ହେବାରୁ ମୋହର ।ପୁଚ୍ଛଇ ଶ୍ରୀଗୁରୁ ଛାମୁର ॥
ଦୟା କରନ୍ତୁ ଭାବଗ୍ରାହୀ ।ଆଶା ମୁଁ କରିଅଛି ରହି ॥
ଆଜ୍ଞା ଯେ କଲେ ଅଣାକାର ।ଅଜପା ନାମଟି ମୋହର ॥
ଆଦି ଉବାଚଭକ୍ତ ମୋହର ଅନବ୍ରତେ ।ମୋ ନାମ ଜପୁଥିବେ ନିତ୍ୟେ ॥
ଅର୍ଣ୍ଣବ ଏକାକ୍ଷରୀ ଜଳ ।ନିତ୍ୟେ ସେ କରିବେ କବଳ ॥
ତାହାଙ୍କ ଅଙ୍ଗେ ପାପ ନାହିଁ ।ଶୁଣ ଗୋ ସତୀ ମନଦେଇ ॥
ଏକଥା ତେବେ ଅଗୋଚର ।କାହିଁ ଜାଣିବେ ନରଛାର ॥
ପଢ଼ି ଯେ ଅପଢ଼ା ଅକ୍ଷର ।ପରମ ବ୍ରହ୍ମ ମୁଁ ଓଁକାର ॥
ମୁଁ ନିତ୍ୟେ ଭକତ ଅଙ୍ଗରେ ।ପୂରିଛି ଭିତର ବାହାରେ ॥
ପଚିଶ ପ୍ରକୃତି ନିବାରି ।ଇନ୍ଦ୍ରିକି ନିଗ୍ରହଣ କରି ॥
ତ୍ରିଗୁଣ ଆୟତ୍ତ କରାଇ ।ତ୍ରିକୂଟେ ଅନାହତ ବାଇ ॥
ଅର୍ଦ୍ଧମାତ୍ରା ଯେ ବିନ୍ଦୁଉଦ ।ଯେ ଯୋଗୀ କରିପାରେ ସାଧ୍ୟ ॥
ହିଂସା ଯେ ଅହଂକାର ମାନ ।ଆମ୍ଭର ଆଜ୍ଞାରେଟି ପୁଣ ॥
ତେଜିବେ ଭକତ ଅଙ୍ଗରୁ ।ଆବର ପ୍ରେମ ଭକ୍ତିଠାରୁ ॥
ପଞ୍ଚମନକୁ ତିଆରିଣ ।ଆମ୍ଭର ଆଜ୍ଞାକୁ ମାନିଣ ॥
ପର ଦ୍ରବ୍ୟକୁ ଲୋଭ ନାହିଁ ।ଯେ ଭକ୍ତ ଏମାନ ଜାଣଇଁ ॥
ପର ରମଣୀ ମାତା ପରି ।ଅନ୍ତରେ ପାଳନ ଯେ କରି ॥
ପୃଥିବୀ ଆପ ତେଜ ବାଇ ।ଆକାଶ ଅମନରେ ଥୋଇ ॥
ଅବନ୍ଧା ବନ୍ଧକୁ ବାନ୍ଧିଣ ।ଉଜାଣି ଜଳ ତେଣ୍ଡି ପୁଣ ॥
ମୋର ଚରଣ ପଖାଳିବେ ।ଅମୃତ ପାନ କରୁଥିବେ ॥
ଏକ୍ୱୈଶ ହଜାର ଛଅଶ ।ଘଟରେ ପରମ ପୁରୁଷ ॥
ବାରି ବାରଣ କରୁଥିବେ ।ଜାଗ୍ରତ ଦୁଅରୀ ଜାଣିବେ ॥
ବହୁଛି ରାତ୍ର ଦିବସରେ ।ଏହାକୁ ଯେଉଁ ଯୋଗୀ ଧରେ ॥
ବାର ଆଙ୍ଗୁଳ ବାହାରକୁ ।ବହୁଛି ବାର ଭିତରକୁ ॥
ତ୍ରିକୁଟ ଅନହତ ବାଇ ।ତୋଳିବେ ବ୍ରହ୍ମରନ୍ଧ୍ରେ ନେଇ ॥
ଉଜାଣି ବହିବ ମରୁତ ।ଅଙ୍ଗ ଯେ ନୋହିବଟି ହତ ॥
ପାଲଟି ବହିବ ପବନ ।ଓଁ କାର ବ୍ରହ୍ମରନ୍ଧ୍ରେ ଜାଣ ॥
ଆଦ୍ୟ ଅକ୍ଷର ମଧ୍ୟ କଳା ।ଅବନା ଏକାକ୍ଷର ଖେଳା ॥
ଏରୂପେ ଥିବେ ମୋର ଭକ୍ତ ।ତୋ ଆଗେ କହିଲି ନିୟତ ॥
ଛାୟାକୁ ସ୍ଥିର କରିଥିବେ ।ମୋହର ପାଦରେ ସେବିବେ ॥
ଉଦେ ଅସ୍ତରେ ଦରଶନ ।କରୁ ଯେ ଥିବେ ଭକ୍ତଗଣ ॥
ଏକୌଶ ହଜାର ଛଅଶ ।ଯେ ଭକ୍ତ ବାରିବ ଅବଶ୍ୟ ॥
ଦଣ୍ଡକୁ ତିନିଶ ଷାଠିଏ ।ଶରୀରେ ପରମ ଯେ ବହେ ॥
ତ୍ରିବେଣୀ ତ୍ରିକୁଟ ସନ୍ଧିରେ ।ତିନି ତିହୁଡ଼ି ତହିଁ ଭରେ ॥
ଏହାକୁ ବାରି ଭକ୍ତ ମୋର ।ଦର୍ଶନ କର ନିରନ୍ତର ॥
କରିବେ ଭକ୍ତ ଦରଶନ ।ଚୌଷଠି ବନ୍ଧରେଟି ଜାଣ ॥
ବନ୍ଧକେ ଶଏ ବାରଥର ।ପବନ ବହଇ ଶରୀର ॥
ଅରୂପ ବ୍ରହ୍ମଦ୍ୱାର ଏହି ।ତୋ ଆଗେ କହିଲୁ ବୁଝାଇ ॥
ଆବର ଅସ୍ତ ଦରଶନ ।ଭକ୍ତ ଯେ କରିବେ ନିପୁଣ ॥
ବାସ୍ତରି ଥର ଗତି କରେ ।ଶୁଣିଥା ଆଗେ ସତୀ ବାରେ ॥
ମୋ ଭକ୍ତେ ରହିଥିବେ ଚେତି ।ସୁଚିତେ ଶୁଣ ଗୋ ଭାରତୀ ॥
ଆଦିଙ୍କ ଦରଶନ ଏହି ।ତୋ ଆଗେ କହିଲୁ ବୁଝାଇ ॥
ମୋ ରୂପ ସେ ଭକ୍ତ ଚିହ୍ନଇ ।ମୁଁ ତାକୁ ଦରଶନ ଦେଇ ॥
ପିତା ମାତାଙ୍କ ଦରଶନ ।ମୋ ଭକ୍ତେ କରୁଥିବେ ଜାଣ ॥
ଆସନ ଦୃଢ ବନ୍ଧୁଠାରେ ।ଦେଖ ଯେ ଅନ୍ତର ବାହାରେ ॥
ତାଠାରେ ମୋର ଶ୍ରଦ୍ଧାଭାବ ।ସେ ଭକ୍ତ ମୋ ସଙ୍ଗେ ଖେଳିବ ॥
ଆବର କହୁଅଛି ଶୁଣ ।ମୋ ଭକ୍ତ ନାମଟି ନିପୁଣ ॥
ଅନନ୍ତ ସିଦ୍ଧ ପାଟଣାରେ ।ମୋ ଭକ୍ତ ଥିବେ ଯେ ସେଠାରେ ॥
ବହିଣ ବୀରବଧୂ ବାନା ।ବିଶ୍ୱାସେ ତୋତେ ଦେଲି ଚିହ୍ନା ॥
ନାମ ତୋ କୃପାସିନ୍ଧୁ ଦାସ ।କଳଙ୍କି ଖେଳ ପରବେଶ ॥
ତା ସଙ୍ଗେ ଖେଳ ମୁଁ କରିବି ।ପୃଥ୍ୱୀର ଭାରା ଉଶ୍ୱାସିବି ॥
ଶଙ୍କର ତହିଁ ଯ ପ୍ରବେଶ ।ସୈନ୍ୟ କେ ଘେନିଣ ଅଶେଷ ॥
ସିନ୍ଧୁ ସଙ୍ଗତେ ମେଳ ହୋଇ ।ମୋ କଣ୍ଟବେଳ ଥିବେ ଚାହିଁ ॥
ଆସି ମୁଁ ଦେବି ଦରଶନ ।ଶୂନ୍ୟ ସମାଧିଠାରୁ ଜାଣ ॥
ଉଦ୍ୟରୁ ଅସ୍ତ ଯାଏ ଦିନେ ।ଦେବି ମୁଁ ବାନା ଭକ୍ତଗଣେ ॥
ଆଶା କରିଛି ଅନୁଷଣ ।କହଇ ଭୀମଭୋଇ ହୀନ ॥
ପଞ୍ଚବିଂଶ ଅଧ୍ୟାୟଆଦି ଉବାଚଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ।ସନ୍ଦେହ ଫେଡ଼ିବା ମୋହର ॥
ଅବନା ଅଣରୂପ ସ୍ୱାମୀ ।ଆପେ ଆପଣ ଅନ୍ତର୍ଯ୍ୟାମୀ ॥
ଅଭୟ ପାଦେ କଲି ପୁଚ୍ଛା ।ଆପଣ ଦେଲେ ଧର୍ମ ଦୀକ୍ଷା ॥
ବାନା ଯେ ଭକ୍ତଙ୍କୁ ଦେଇଣ ।କି କାର୍ଯ୍ୟେ କହନ୍ତୁ ଆପଣ ॥
ନିବେଦନ ଯେ କରି ସତୀ ।ଶ୍ରୀଗୁରୁପାଦେ କରି ଭକ୍ତି ॥
ଶ୍ରୀ ଅନାଦି ବ୍ରହ୍ମ ଉବାଚକହନ୍ତି ପ୍ରଭୁ ଚକ୍ରପାଣି ।ସକଳ ଆଦି ଆଗେ ଭଣି ॥
ସାଧନା ବିଧି କରାଇବି ।ସିଦ୍ଧ ପଥକୁ ତାରି ନେବି ॥
ଯେତେ ଏ ଭଗତ ମୋହର ।କରିବି ନିରୋଳା ଆବର ॥
ନିତ୍ୟେ ରାହସ କରାଇବି ।ନୀଳ ଧବଳ ରୂପ ହେବି ॥
ଲକ୍ଷେ ନିଧିରେ ପରିପୂର୍ଣ୍ଣ ।ନିଜେ ମୁଁ ଅଙ୍ଗରେ ବହିଣ ॥
ଆବର ଚନ୍ଦ୍ର ଦିବାକର ।ପୃଥିରେ ଯେତେ ଭକ୍ତ ମୋର ॥
ସମସ୍ତେ ତହିଁ ଯେ ମିଳିବେ ।ମୋ ନାମ ବଦନେ ଗୁଣିବେ ॥
ଏରୂପେ କରିବଇଁ ଖେଳ ।ମୋ ଭକ୍ତ ଘେନିଣ ସକଳ ॥
ସାକ୍ଷାତେ ଦେଖିବୁ ତୁ ସତୀ ।ଚାରି ବେଦ ଯେ ଚଉକତି ॥
ପୂର୍ବ ପଶ୍ଚିମ ଯେ ଉତ୍ତର ।ଦକ୍ଷିଣ ଦୁଆର ଆବର ॥
ରହିବେ ଆମ୍ଭ ଆଜ୍ଞା ପାଇ ।ଶୁଣ ଗୋ ଦେବୀ ଆଦି ତୁହି ॥
ପଶ୍ଚିମ ଦିଗରୁ ନାଗନ୍ତି ।ଆସିବେ ଚଢ଼ି ଅଶ୍ୱ ହସ୍ତୀ ॥
ପରୀକ୍ଷା କରାଇ ସମସ୍ତ ।ଦେବି ମୁଁ ବ୍ରହ୍ମଚର୍ଯ୍ୟ ବ୍ରତ ॥
ପୂର୍ବରୁ ଯୋଗାନ୍ତି ଆସିବେ ।ଯୋଗ ମାର୍ଗରେ ଦେଖାଇବେ ॥
ହୁଗୁଳୀ ନଦୀ ତୀରୁ ଜାଣ ।ଆସିବ ଗାନ୍ଧି ଶଙ୍କର୍ଷଣ ॥
ଉତ୍ତର ଦିଗୁ ଭୀଷ୍ମଦ୍ରୋଣ ।ଆସିବେ ଘେନି ସୈନ୍ୟମାନ ॥
ତା ମୂଳେ ସୈନ୍ୟ ଏକଲକ୍ଷ ।ଏକଥା ବୁଝିଥା ପ୍ରତ୍ୟକ୍ଷ ॥
ଦକ୍ଷିଣ ଦିଗରେ ପାଣ୍ଡବେ ।ବୀର ବେଶରେ ଉଭା ହେବେ ॥
ହାରିବେ ଫିରିଙ୍ଗିର ସୈନ୍ୟ ।ଜିଣିବ ଗାନ୍ଧି ଶଙ୍କର୍ଷଣ ॥
ଏରୂପେ ସୈନ୍ୟ ଯେ ଅପାର ।ମିଳିବେ ଆମ୍ଭ ନିକଟର ॥
ତ୍ରିଜଟା ନନ୍ଦନ ସହିତେ ।ଯୁଦ୍ଧ ଯେ ହେବ ଅପ୍ରମିତେ ॥
ଲକ୍ଷ ହେ ବୀରମଣି ମୋର ।ବୀର ପଣରେ ଅଗ୍ରସର ॥
ଦାମ ହୋଇବ ସେନାପତି ।ତା ଶିରେ ଦେବି ମୁଁ ପାଟ ଛତି ॥
ସକଳ ବୀରମଣି ଦେବି ।ବ୍ୟାସ ଯେ ସରୋବର ନେବି ॥
ନାଗାନ୍ତି ଅର୍ଜ୍ଜୁନର ମୂଳେ ।ସମର୍ପି ଦେବି ଅବହେଳେ ॥
ପଦ୍ମ ପୋଖରୀ ନିକଟକୁ ।ପଠାଇ ଦେବି ମୁଁ ତାହାକୁ ॥
ଯୋଗାନ୍ତି ବ୍ରହ୍ମା କରେ ଦେଇ ।ଉଦୟ ବଟ ମୂଳେ ନେଇ ॥
ଭୀଷ୍ମ ଦ୍ରୋଣ ଯେ ଥିବ ମୋର ।ରଖାଇ ବିରାଟ ରାଜ୍ୟର ॥
କୁଣ୍ଡଳୀ ପର୍ବତ ଉପରେ ।ବିରୂପା ନଦୀର କୂଳରେ ॥
ଅର୍ଜ୍ଜୁନ ଧନୁ ତୂଣ ତହିଁ ।ଦ୍ୱାପରଯୁଗୁ ଅଛି ଥୋଇ ॥
ସେ ଧନୁ ଘେନିଣ ବହନ ।ମିଳିବ ଆମ୍ଭ ସନ୍ନିଧାନ ॥
ନେମ୍ୱାଳ ମଠରେ ଯେ ଖଣ୍ଡା ।ଦ୍ୱାଦଶ ହାତ ପରଚଣ୍ଡା ॥
ଘେନିଣ ରାମଚନ୍ଦ୍ର ବୀର ।ପ୍ରବେଶ ଆମ୍ଭ ନିକଟର ॥
କଳିଙ୍ଗା ସେନର ସ୍ତମ୍ଭରେ ।ଗଦା ଯେ ଅଛଇ ତହିଁରେ ॥
ତାହାକୁ ଘେନି ଭୀମସେନ ।ପ୍ରବେଶ ଆମ୍ଭ ନିକଟେଣ ॥
ଲିଙ୍ଗରାଜଙ୍କ କ୍ଷେତ୍ରଠାରେ ।ଭୈରବୀ ଅଛି ଯେ ତହିଁରେ ॥
ରଡ଼ି ଯେ ଛାଡ଼ିବ ବୋବାଳି ।ବ୍ରହ୍ମାଣ୍ଡେ ପଡ଼ିବ ଉଛୁଳି ॥
ଆସି କରିବ ଦରଶନ ।ସଙ୍ଗତେ ମହେଶ୍ୱରୀ ପୁଣ ॥
ପରୀକ୍ଷାକରି ନନ୍ଦଚାଟ ।ଦେବୀ ଯେ କରିବ ଆକଟ ॥
ତାହାଙ୍କୁ ସିଦ୍ଧ ବଳୀ ଦେଇ ।ସିନ୍ଧୁ ନିକଟେ ଥିବି ମୁହିଁ ॥
କଳା ଧଳା ଯେ ଅଶ୍ୱ ବେନି ।କଳଙ୍କି ବିଷ୍ଣୁ ଥିବେ ଘେନି ॥
ତହୁଁ ଯେ ହୋଇବ ବାହାର ।ମିଳିବେ ଯାଇ ବିରାଟର ॥
ସମସ୍ତ ରଥୀ ଅଣାଇବି ।ଏକଠାବ ଯେ କରାଇବି ॥
କଳି ଭାରତ କରାଇବି ।ଗୁପତ ଭାବେ ମୁହିଁ ଥିବି ॥
ଏ କଥା ଶୁଣ ଗୋ ନିୟତ ।ଦୃଷ୍ଟଙ୍କୁ କରି ସମାପତ ॥
ଅଭୟ ଚରଣରେ ଆସ ।କରିଛି ରାତ୍ର ଯେ ଦିବସ ॥
କହେ ଅର୍କ୍ଷିତ ଭୀମ ଭୋଇ ।ଭାରତ ଦେଖିବାର ପାଇଁ ॥
ଷଡ଼ବିଂଶ ଅଧ୍ୟାୟଆଦି ଉବାଚଅନାଦି ପ୍ରଭୁ ଭାବଗ୍ରାହୀ ।କହନ୍ତୁ ସଂଶୟ ଫିଟାଇ ॥
ଝରୁଛି ନୟନରୁ ଜଳ ।ଶୁଣିଣ ଭାରତର ଖେଳ ॥
ଥରୁଛି ମୋର ପିଣ୍ଡ ପ୍ରାଣ ।ଶ୍ରୀମୁଖ ବାକ୍ୟକୁ ଶୁଣିଣ ॥
ଟିକସ ଲେଖି ଦେଲା ପରି ।କଳଙ୍କି ଖେଳ ଯେ ନୁୟାରୀ ॥
ଜଣାଏ ତୁମ୍ଭ ପାଦଗତ ।ଆଜ୍ଞା ଯେ ହେଉ ପଦ୍ମ ନେତ୍ର ॥
ଚରଣେ ବିନତି ହୋଇଣ ।ଆଦି ପୁଚ୍ଛଇ ଅନୁଷଣ ॥
ଠିକଣା କରି କହ ନାଥ ।ଟାକି ମୁଁ ରହିଥିବି ପଥ ॥
ଅନାଦି ବ୍ରହ୍ମ ଉବାଚଆଦିର ଭକ୍ତି ଭାବ କଥା ।ଜାଣିଲେ ବ୍ରହ୍ମାଣ୍ଡ କରତା ॥
କହିଲେ ଠିକଣା ବତାଇ ।ଅନାଦି ପ୍ରଭୁ ଭାବଗ୍ରାହୀ ॥
ବ୍ରହ୍ମା ବିଷ୍ଣୁ ଯେ ଶିବ ନଦୀ ।ଏ ଯେବେ ବହିବ ଆଚ୍ଛାଦି ॥
ଉଛୁଳି ବଢ଼ିଯିବ ଜଳ ।ମୋହିତ ହୋଇଣ ପ୍ରବଳ ॥
ନକ୍ଷତ୍ର ଉଲ୍କାପାତ ହୋଇ ।ଉତ୍ତର ଦିଗୁ ଖସିବଇଁ ॥
କଟକ କୁଞ୍ଜଘାଇ ଯୋଡ଼ି ।ଜଳରେ ଯେବେ ଯିବ ବୁଡ଼ି ॥
ଆବର କହୁଅଛି ଶୁଣ ।ବାରିଧି ମାଡ଼ିଯିବ ପୁଣ ॥
ଓଡ଼ିଆ ଧାମକୁ ପୋତିବ ।ନିଶ୍ଚୟେ ବୁଝିଥିବୁ ଧ୍ରୁବ ॥
ଯମୁନା ନଦୀର ଧାରେକ ।ପଦ୍ମ ପୋଖରୀ ଯାଏ ଠିକ ॥
ଖଣ୍ଡଗରିରୁ ଉଦେବଟ ।ଅନନ୍ତ ପାଟଣା ନିକଟ ॥
ଅମାସ୍ୟା ନିଶିରେ ଯେ ଶଶୀ ।ପଶ୍ଚିମ ଦିଗେ ଯେବେ ଦିଶି ॥
ନ୍ତ୍ରିଜଟା ନନ୍ଦନ ଆବର ।ଗୋମାତା ଠାରୁ ନେବ କର ॥
ଏ କଥା ମାନ ଯେ ମହୀରେ ।ଯେବେ ତୁ ଦେଖିବୁ ନେତ୍ରରେ ॥
ଯେ ସାଲେ ତେର ଦିନ ପକ୍ଷ ।ଏ କଥା ଘଟିବ ପ୍ରତ୍ୟକ୍ଷ ॥
ଯେବେ ତୁ ନେତ୍ରରେ ଦେଖିବୁ ।ଆମ୍ଭଙ୍କୁ ଟାକି ବସିଥିବୁ ॥
ତିଆରି କହୁଅଛି ତୋତେ ।ସତ୍ୟ ଗୋ ମଣିଥିବ ଚିତ୍ତେ ॥
ଅର୍କ୍ଷିତ ଭୀମ ଭୋଇ କହେ ।ଏ କଥା ମିଥ୍ୟା କେବେ ନୁହେ ॥
ରହି ମୁଁ ଆଛି ଅନୁସରି ।ଅଣ ସାଧନାକୁ ଆବୋରି ॥
ସପ୍ତବିଂଶ ଅଧ୍ୟାୟନିଗମ ବଚନ ଶୁଣ ସୁଜ୍ଞଜନ ଭବିଷ୍ୟତ ବାଣୀକଥାଅତି ଅନ୍ୟାଚାରୀ କଳିଯୁଗ ନର କହୁଥିବେ ଗର୍ବକଥା ।ଢଗଢ଼ମାଳିଆ ବସି କରୁଥିବେ ବିଷ୍ଣୁ ଭକ୍ତ ଜନେ ଚାହିଁକରି ଉପହାସ ହୋଇ ହସ ହସ ସର୍ବେ ମୁଖ ଚାହାଁ ଚୁହିଁ ।ଏଥିରେ ଯେ ଦୋଷ ଘଟିବ ଅବଶ୍ୟ କେ କରିବ ତାରଅନ୍ତକୋଟି ଜନ୍ମଯାଏ କ୍ଷେତ୍ରବରଗଲେ ସେ ପାପ ନୁହଇ ମୁକ୍ତ ।ଦିବ୍ୟସିଂହ ଦେବଗଣ ଚାଳିଶରେ ସଂସାରେ ଲକ୍ଷ୍ମୀବିଜୟେନ ଥିବ କାନ୍ତାର ଦୁଃଖୀ ଦରିଦ୍ରର ନ ଥିବ ଅନ୍ନର ଭୟେ ।ରାମଚନ୍ଦ୍ର ଦେବ ସାତଆଠଅଙ୍କେ ଘଟିବ ଏକଥା ମାନସଇଁତ୍ରିଶ ଶେଷ କଳିଯିବ ନାଶ ଶଙ୍କିବ ଫିରିଙ୍ଗି ଦିନ ।ଦେବା ଦେବୀଙ୍କର ବଳୀ ଭୋଗମାନ କର୍ମେ ପରିପୂର୍ଣ୍ଣ ହେବଶ୍ରୀଫଳ ରୁଧିର କରିବେ ଆହାର ଜାଣିଥାଅ ବାକ୍ୟଧ୍ରୁବ ।ମୋହନ ମୃଗଲ ସେକାଳେ ଆସିଣ ପୃଥ୍ୱୀକି କରିବେ ସଲଦୁର୍ଦୁରା ଗୟଶ ନାନା ପୁଷ୍ପମାନ ଗଲେ ଲମ୍ବାଇବେ ମାଳ ।ମୁକୁନ୍ଦ ଦେବଙ୍କ ଅଣଚାଳିଶରେ କଳଙ୍କି ଆରମ୍ଭ ହେବଲାଗିବ ସମର ଅବନୀ ମଧ୍ୟରେ ଗୁପତେ ଜାଣ ସେ ଠାବ ।ବିଶ୍ୱାବସୁ କୁଳେ ଉତପତ୍ତି ହୋଇ ଜରମାନ ରାଜଛତ୍ରତାର କୋଳେ ପୁତ୍ର ଜନମ ହୋଇବ ପୂର୍ବେ ଇନ୍ଦ୍ରଙ୍କର ସୁତ ।ସୂର୍ଯ୍ୟଙ୍କ ତନୟ ତାଙ୍କ ସଙ୍ଗତରେ ତେତେବେଳେ ବୀରବେଶଭାଷେ ଭୀମ ଭୋଇ ଗୁରୁ ପାଦେ ଧ୍ୟାୟି ଅବଶ୍ୟ ରଖିବେ ଯଶ ।
ଅଷ୍ଟବିଂଶ ଅଧ୍ୟାୟଶୁଣ ହେ ସୁଜନେ ଭବିଷ୍ୟାତ ବାଣୀ ଯାହା ହେବ କଳିଯୁଗେକଳିଙ୍ଗ ଅସୁର ହୋଇ କୋପଭର ଯୁଝିବ ବିଷ୍ଣୁଙ୍କ ସଙ୍ଗେ ।ଭୟଙ୍କର ବେଶ ହୋଇବ ରାକ୍ଷସ ସ୍ୱର୍ଗକୁ ଲାଗିବ ଶିରଆସିବ ଓଡ଼ିଶା ହୋଇବ ଦୁର୍ଦ୍ଦଶା ହୋଇବ ଘୋର ସମର ।ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରବରେ ପଶି ଅନ୍ୟାୟ କରିବ ଯେଣୁକୋପଭର ହୋଇ ବାହାର ହୋଇବେ ନାଶିବେ ଅସୁର ତେଣୁ ।କଳାପାହାଡ଼ରୁ ବାହାର ହୋଇଣ ରାମକୃଷ୍ଣ ବେନିଭାଇକୋଣାର୍କ ଦେଉଳେ ପୂର୍ବରୁ ଗୁପତେ ରବିଛଡ଼ ବେନିଭାଇ ।ଶୂନ୍ୟଯାନ ଘେନି ଆସିବେ ଗୁପତେ କେହି ନ ପାଇବେ ଅନ୍ତଦାରୁବ୍ରହ୍ମ ମୂର୍ତ୍ତି ଧରି ଘେନିଯିବେ ଗୁପତରେ ଜଗନ୍ନାଥ ।ନେମ୍ବାଳ ମଠର ନିକଟରେ ପୁଣି ପ୍ରବେଶିବେ ହଳପାଣିଯାନ ନ ଚଳିବ ଫୋପଡ଼ାଇ ଦେବେ କଳଙ୍କି ଆରମ୍ଭେ ପୁଣି ।ବାରହାତ ଖଣ୍ଡା ଧରି ବେନିଭାଇ ବାହାର ହୋଇବେ ପୁଣିମହାଘୋର ଯୁଦ୍ଧ ସେଠାରେ ହୋଇବ ଲୋକହେବେ ରଣଭଣ ।ଲାଗିବ ଧନ୍ଦଳ ଉଠିବ କନ୍ଦଳ କେ ଅବା କରିବ ଅନ୍ତସାକ୍ଷୀକରି ଚନ୍ଦ୍ରସୂର୍ଯ୍ୟ ବେନିଜନ ବାହାର ହୋଇବେ ଭକ୍ତ ।ବୀରବେଶ ମାନ ସର୍ବେ ହୋଇଥିବେ ବୀରବଧୂ ବାନା ବହିବାଆନା ପ୍ରସ୍ତରୁ ରହିବେ ଭଗତେ ଗୁରୁଆଜ୍ଞା ଶିରେ ବହି ।ପ୍ରଭୁଙ୍କ ଚରଣେ କରିବେ ଦଇନି ଅପ୍ରମେୟ ଯୁଦ୍ଧହେବଯୋରନ୍ଦା ମଠରେ ପ୍ରବେଶିବେ ଭକ୍ତସଙ୍ଗତେ ଘେନି ରାଘବ ।ଢାଙ୍କୁଣି ଫିଟାଇ ଜଗତ ଗୋସାଇଁ ପାପଭାରା ଉଶ୍ୱାସିବେବୋଲେ ଭୀମଭୋଇ ଗୁରୁପାଦଧ୍ୟାୟି ସର୍ବେ ଭଜ ବାସୁଦେବେ ।
ଉନତ୍ରିଂଶ ଅଧ୍ୟାୟଶୁଣ ସୁଜ୍ଞଜନ ନିଗମ ବଚନ ବୁଝିଥାଅ ଶୁଦ୍ଧ ଚିତ୍ତେ,ଭବିଷ୍ୟାନ୍ତ ବାଣୀ କଳିର କାହାଣୀ କହୁଅଛି ମନଦୁଃଖେ ।କେନ୍ଦ୍ରାପଡ଼ା ସ୍ଥାନ ଦକ୍ଷିଣ ଦିଗରେ ଚଷାପଡ଼ା ଘାଟଯେହିବିରାଟ ଭୁବନ ଶୁଣ ହେ ସୁଜନ ଭବିଷ୍ୟାନ୍ତ ବାଣୀ ଏହି ।ଲକ୍ଷେ ଗୋରୁ ପଲ ସାତସମତୁଲ ଏକ ଲକ୍ଷ ଯେ ବୁଷଭକାହାର ଗୋଧନ ତହିଁ ରହିଛନ୍ତି କେ ଅବା କରିବ ଠାବ ।ମାହାଳ ବଣ ଯେ ଅପ୍ରମିତ ତହିଁ ଦେଢ଼କୋଶ ପରିଯନ୍ତେପୃଥନାର ଅଂଶ ତହିଁରେ ପ୍ରକାଶ ବୁଝିଥାଅ ଭବିଷ୍ୟନ୍ତେ ।ଏକାମ୍ବର ଯାଏ ପରିପୂର୍ଣ୍ଣ ହେବ ନିଶ୍ଚୟ ବଚନ ଗାଏସତୁରି ଲକ୍ଷ ଯେ ମହାରଥ ସେହୁ କଳାପାହାଡ଼ ବିମ୍ବରେଅସହ ଯୋଗକୁ ବାହାର ହୋଇବେ ଦିବ୍ୟସିଂହ ସୈନ୍ତ୍ରିଂଶରେ ।ଖଣ୍ଡଗିରିଠାରେ ଅଛନ୍ତି ସଇନୀ ଚାରିଲକ୍ଷ ଠିକଜାଣନକୁଳ ଯେ ସେବା ତହିଁରେ ଅଛନ୍ତି ବାହାର ହୋଇବେ ପୁଣ ।ଭୀମସେନ ଯାଇ କଲିକତାଠାରେ ଗୁପତେ ଅଛନ୍ତି ରହିମହା ପ୍ରତାପୀ ସେ ପଟେଲ ନାମରେ ଅଗ୍ରସର ସେନା ସେହି ।ମୋଗଲ ଅଂଶରେ ଜନମ ହୋଇଛି ମହମ୍ମଦ ଅଲି ଯେହିନାମରେ ବିଖ୍ୟାତ ହେବ ଏକମତ ସାତଆଠ ଅଙ୍କେ ଯାଇ ।ନୀଳାଚଳ ନାଥ ହେବେ ବଳବନ୍ତ ଶୁଣିଥାଅ ବିଜ୍ଞଜନତେତିଶ ଅଙ୍କରେ ମହା ଘୋର ରଣ ନିଶ୍ଚୟେ ହୋଇବ ଜାଣ ।କୁକୁଟ ନାମେ ଅଛଇ ଏକଭକ୍ତ ଦ୍ୱାପରରେ ରାଜନିଧିକୋଣାର୍କ ଦେଉଳ ଚିତ୍ର କର୍ମକରି କରାଇବେ ପୂଜାବିଧି ।ସାଳସାରୁଚିତ ବହିବ ବହୁତ ବୈଶାଖରେ ବୁଝିଥାଅସେଦିନ ଜାଣିବ ଯୁଗ ଥୟ ହେବ ସାତ ଚାରି ଏକମୟ ।ଅତ୍ୟନ୍ତ ଚହଳ ହୋଇବ ଗହଳ ନିର୍ଣ୍ଣୟ ବଚନ ଏହିପ୍ରଭୁଙ୍କ ଚରଣେ ଚିନ୍ତି ନିରାନ୍ତରେ ଭଣେ ଭୀମସେନ ଭୋଇ ।
ତ୍ରିଂଶ ଅଧ୍ୟାୟକାଳବେଳ କଥା ମନରେ ପଡ଼ିଲେ ରୋଦନ ମାଡ଼ୁଛି ଚିତ୍ତେକା ଆଗେ ଗୁହାରି କରିବି ହେ ଗୁରୁ ବିପତ୍ତି ଆସୁଛି ଯେତେ ।ସମରାଷ୍ଟ୍ର ବଳ ହୋଇବେ ପ୍ରବଳ କଳିଯୁଗେ ଅନ୍ୟାଚାରଅନାର୍ଯ୍ୟ ଲୋକଙ୍କ ହସ୍ତରୁ ଭଷିବେ ବ୍ରାହ୍ମଣ କନ୍ଧରେ ଭାର ।ଗୁହାରି କରିଲେ ମାଡ଼ ମାରୁଥିବେ ଗୋରୁ ମହିଷଙ୍କ ପରିଏତେକ କଷଣ କଳିରେ ଭୁଞ୍ଜିବେ ଭୂମି ହେବ ହତଶିରୀ ।ପଡ଼ିବ କଷଣ ଅମର ଭୁବନ ଦେବା ଦେବୀଙ୍କର ଯେତେଅପୂଜା ରହିବେ କଳିଯୁଗେ ପୁଣ ମୁକୁନ୍ଦଦେବ ରାଜୁତେ ।ଦିଲ୍ଲୀ ଶକାବ୍ଦ ଯେ ସନ ବାରଶରେ ଛୟାନବେ ସମତୁଳତେତିକି ବେଳକୁ ଦେବା ଦେବୀଙ୍କର ନିଶ୍ଚେ ହେବ ଅମଙ୍ଗଳ ।କଳାପାହାଡ଼ର ଦମନ କୀରତି ଦିନେ ବହିଯିବ ମହୀଅମର ସୁରିତ ଶୃଙ୍ଗ ଶୁଖିଯିବ ଦୁର୍ଭିକ୍ଷ କାନ୍ତାର ପାଇ ।ଦମନ କୀରତି ଘୋଟିବ ଅନୀତି ଓଡ଼ିଶା ମନ୍ଦିରେ ଜାଣ,ରାଜାକୁ ବନ୍ଧନ କରିବ ଦମନ ସତ୍ୟଅଟେ ଏ ବଚନ ।ଚୁହାଣ କୁଳରେ ଉତପତ୍ତି ହୋଇ ଅମରୀଶ ବେନି ଭାଇ,ତାଙ୍କରି କୋଳରେ କ୍ଷତ୍ରିପଣେ ଜାତ ଏକବୀର ଥିବ ହୋଇ ।ଶୁଣିବ ସୁଜନେ ଅସହ ଯୁଦ୍ଧରେ ଅଗ୍ରସର ବୀରବର,ଜୟକାର ନାମ ବିଖ୍ୟାତ ହୋଇବ ଭଣେ ଭୀମଭୋଇ ଛାର ।
ଏକତ୍ରିଂଶ ଅଧ୍ୟାୟଶୁଣ ହେ ସୁଜନେ ଭବିଷ୍ୟାନ୍ତ ବାଣୀ ନିଗମ ବଚନ ଏକ,ଏ କଳିଯୁଗରେ ପାପଭରା ହେବ ସର୍ବେହେବେ ଅବିବେକ ।ରାମଚନ୍ଦ୍ର ଦେବ ଦଶମ ଅଙ୍କରେ ଧର୍ମ ପରୀକ୍ଷା ହୋଇବ ।ଲଙ୍ଗୁଳୀ ସହିତେ ସେ ଶୂନ୍ୟପୁରୁଷ ଗୁପତେ ପରୀକ୍ଷା ଦେବ ।ତିନି ଅଙ୍କଠାରେ ପରୀକ୍ଷାର ଫଳ ନ ହେବାରୁ ସିଦ୍ଧ ଅନ୍ତ,ଶୂନ୍ୟବାସୀଙ୍କର ଗୁପତ ଶିଷ୍ୟରେ ଧର୍ମବଳେ ବଳବନ୍ତ ।ଦ୍ୱାଦଶ ଅଙ୍କରେ ଏକ ଧର୍ମଘଟ ହୋଇବ ସାରା ଧରାରେ,ମହିମା ଧର୍ମ ପରୀକ୍ଷା କରିବାକୁ ନ ଥିବେ କେହି ମହୀରେ ।ଲଙ୍ଗୁଳୀ ସହିତେ ଯେଉଁ ସୈନ୍ୟ ଥାଟ ହୋଇଥିଲା ବଳବନ୍ତ ।ମଉନ ମାର୍ଗକୁ ଆଶ୍ରୟ କରିଣ ଅଗ୍ନିହୋତ୍ରେ ହେବେ କ୍ଷାତ ।ଲାଗିବ ଧନ୍ଦଳ ମହିମାଙ୍କ ଖେଳ ମନ୍ଦର ଗିରିର ପରି,ରକ୍ଷା କରିବାକୁ କେହି ନ ରହିବେ ହୋଇଯିବେ ବକ ସରି ।ରାଜଦ୍ରୋହ ହରଣ ଶେଷ ହୋଇବ ସନ୍ଧିରେ ରହିବ କଥା,ଅଳ୍ପଦିନ ପରେ ଫିରିଙ୍ଗି ସମ୍ରାଟ ବଳେ ନୂଆଁଇବ ମଥା ।କଳି ଶେଷ ହେବ ଗୁପତ ଭିଆଣ ଗୁରୁ ଆଜ୍ଞା ଶିରେ ବହି,ଅଷ୍ଟମ ପଦରେ ପଦ୍ମକଳ୍ପ ଶାସ୍ତ୍ରେ ଅର୍କ୍ଷିତ ଭୀମ ଭାଷଇ ।
ଦ୍ୱାତ୍ରିଂଶ ଅଧ୍ୟାୟଶୁଣ ସୁଜ୍ଞଜନ ନିଗମ ବଚନ ଭବିଷ୍ୟାନ୍ତ ତଥ୍ୟାମାନ ।କେମନ୍ତେ ମହିମା ଧର୍ମ ରକ୍ଷା ହେବ ଏ କଥା ହେଉ ସନ୍ଧାନ ।ଶୂନ୍ୟବାସୀଙ୍କର ସୁଦୟା ହେବାରୁ ଲେଖିଲି ମୁଁ ପଦ୍ମକଳ୍ପେ ।ରାମଚନ୍ଦ୍ର ଦେବ ଦ୍ୱାଦଶ ଅଙ୍କରେ ଧର୍ମ ହେବ ସୂର୍ଯ୍ୟ ତାପେ ।ଧର୍ମ ରହିବାକୁ ଧର୍ମ ଜନ୍ମିଥିବେ ମହାନିତ୍ୟ ଭୂମି ଗର୍ଭ,ଦିବ୍ୟସିଂହ ଦେବ ତେତିଶ ଅଙ୍କରେ ଜନ୍ମ ହେବ ସେହି ଭାବ ।ଜାତ ହୋଇ ଗୁପ୍ତ ଭାବରେ ଖେଳୁଛି କେହି ନ ପାଇବେ ଅନ୍ତ,ଦେଖିବେ ଶୁଣିବେ ପୁଛିବେ ଭାଷିବେ ନ ପାଇବା ତା ଯୁଗତ ।ଫିରିଙ୍ଗି ଅଧୀନେ ରହି ଦିନା କେତେ ଯୋଗଧ୍ୟାନେ ବଳବନ୍ତ,ଅରଣ୍ୟ କନ୍ଦରେ କାନ୍ତାର ଲତାରେ ବାସ ଯେ କରିବ ସୁତ ।ସଂସାରୀ ହେବାକୁ ଇଚ୍ଛା ନ କରିବେ ବଳେ ବଳେ ତାତ ମାତ,ଗ୍ରାମବାସୀ ସର୍ବେ କୌଣସି ପରାୟେ ପ୍ରକାଶିବେ ତାର ମତ ।ଭକ୍ତ ସୁତ ହୋଇ ଭକ୍ତ ନ ଶୁଣିବ ଆଉ ବା କିଏ ଶୁଣିବେ,ମହିମା ଧରମଭଲ ନ ଲାଗିଲେ ମିଛରେ ଧର୍ମ ଜାଣିବେ ।ଯୋଗୀ ହେବା ପାଇଁ ମନ ବଳାଇବ ବାପ ମାଆ ଠାରୁ ବୁଝି,ବାପ ମାଆ ସୂତ୍ରେ ଆବଦ୍ଧ ରହିବା ସନ୍ନ୍ୟାସୀ ପଥକୁ ତେଜି ।ଶୂନ୍ୟ ବାଣୀ ହେବ ଅବ୍ୟକ୍ତ ପୁରୁଷ ସମ୍ଭଗୁ ହୋଇ ବନ୍ଦିତ,ଲେଖା ରକ୍ଷା ଯିବ ନିକଟେ ତାହାର ଜାଣ ବାବୁ ଏହା ସତ୍ୟ ।ବଳେ ତାତ ମାତ ପଠାଇବେ ତାକୁ ପାଇଣ ସେହି ସଙ୍କେତ,ଧର୍ମ ରଖିବାକୁ ସେହି ଉପଯୁକ୍ତ ଜାଣ ବାବୁ ଏ ଭଗତ ।ଦୀନ ଜନ ହୀନ ନୀଚ ଲୋକ ସବୁ ଧର୍ମ ବଳେ ବଳବନ୍ତ,ଗୁରୁଙ୍କ ଆଜ୍ଞାରେ ବତ୍ରିଂଶ ଅଧ୍ୟାରେ ଭଣେ ଭୀମ ଅରକ୍ଷିତ ।
ତେତ୍ରିଂଶ ଅଧ୍ୟାୟଶ୍ରୀ ଆଦି ଉବାଚପ୍ରତିନିଧିରେ ଆଦିମାତ ।ସ୍ତୁତି ଯେ କରଇ ବହୁତ ॥
କାକୁସ୍ତେ ଜଣାଇଲା ସତୀ ।ଗୁରୁ ପାଦରେ କରିସ୍ତୁତି ॥
ଅନନ୍ତ ଯୁଗର ବୃତ୍ତାନ୍ତ ।ନ ପାଇ ସତୀ ଆଦିଅନ୍ତ ॥
ପୁଚ୍ଛଇ ଶ୍ରୀଗୁରୁ ଛାମୁରେ ।ଆଦି ଯେ ଯୁଗ ଲବ୍ଧଠାରେ ॥
ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ।ଫେଡ଼ିବା ସନ୍ଦେହ ମୋହର ॥
ପରିପୂର୍ଣ୍ଣରେ ବ୍ରହ୍ମ ଲୀଳା ।ସଂଶୟ ଫେଡ଼ ପଦ୍ମଡୋଳା ॥
ଅନନ୍ତ ଯୁଗେ ଅନ୍ତନାହିଁ ।ଫେଡ଼ି କହନ୍ତୁ ଭାବଗ୍ରାହୀ ॥
ଅନାଦିବ୍ରହ୍ମ ଉବାଚଯୋଗ ମାୟାର ଭକ୍ତ ଦେଖି ।କହିଲେ ସଂଶୟ ଉପେକ୍ଷି ॥
ଯୁଗଲବ୍ଧାରେ ନ ପାଇବୁ ।ଆଜ୍ଞାକୁ ଟାକି ବସିଥିବୁ ॥
ଶିଶୁ ଲବ୍ଧାରେ ଏକାକ୍ଷର ।ଅନନ୍ତ ଯୋଗେ ହେଜିଧର ॥
ଆଦି ଲବ୍ଧାରେ ଭଜିଥିବୁ ।ଅନନ୍ତ ଯୁଗକୁ ପାଇବୁ ॥
ଦେଖିବୁ ବ୍ରହ୍ମ ଲବ୍ଧା ଭାବ ।ଯୁଗ ଶେଷକୁ କରଠାବ ॥
କଳିର ଦମନ ଅନୀତି ।ଅଦ୍ଭୁତେ କମ୍ପିବ ଧରିତ୍ରୀ ॥
ଏକଥା ବୁଝିଥିବୁ ସତୀ ।ଡାକି କହିବ ଭଗବତୀ ॥
ବିରଜା ସହିତରେ ମେଳ ।ସଙ୍ଗତେ ଘେନି ଯୋଗୀକୁଳ ॥
ଡଗର ହେବ ମହାମାୟୀ ।ଡାକି ଗୋ କହିବ ବୁଝାଇ ॥
ରାମ ରାଜତ୍ୱ ଦଶଠାରୁ ।ଶସ୍ୟ ହାନି ଯେ ପୃଥିବୀର ॥
ଆସିବେ ଏ ବ୍ରହ୍ମ ଶୋଷିନୀ ।କୃଷିକି କରିଯିବେ ହାନି ॥
ବିହନ ଓଳିଆ ଅଗାଡ଼ି ।ମୂଳ ବାଣିଜ୍ୟ ଯିବ ବୁଡ଼ି ॥
ଫନ୍ଦା ବୃତ୍ତିକି ଛାଡ଼ିଦେବେ ।ମନ କୁଳଟି ଏହି ଭାବେ ॥
କର ଗୋ ନପାଇବେରଜା ।ଅଦୋଷେ ଦଣ୍ଡିବେ ପରଜା ॥
ଦୁଃଖୀ ଗୋ ହୋଇବେ ଅପାର ।କଦର୍ଯ୍ୟେ କାନ୍ଦୁଥିବେ ନର ॥
ଅଦ୍ଭୁତେ ଉଠିବ ହୁତାଶ ।ପୋଡ଼ିବ ଗ୍ରାମ ପୁର ଦେଶ ॥
ଅସତ୍ୟ କରିବେ ବୈଷ୍ଣବେ ।ପାଦ ପାଦୁକା ଭୁଞ୍ଜାଇବେ ॥
ବାନର କର୍ଣ୍ଣ ଗୋ ପିଶାଚୀ ।ସାଧବ କରିବେଟି ବସି ॥
ବସନ୍ତବହିବ ଅକାଳେ ।ଫଳ ଫଳିବ ବୃକ୍ଷ ଡାଳେ ॥
ଅଜ୍ଞାନ ହୋଇବେଟି ଜନ ।ଧର୍ମରେ ହେବ ପରାଭିନ୍ନ ॥
କୋପ ବହିବେ ବ୍ରହ୍ମଚାରୀ ।ବ୍ରହ୍ମଚର୍ଯ୍ୟକୁ ତେଜ୍ୟା କରି ॥
ସଯୁଜ୍ୟ ବ୍ରହ୍ମ ଭକ୍ତ ଭାବେ ।ନର ଘଟରୁ ଦୂର ହେବ ॥
କେତେ ମୁଁ କହିବି ବତାଇ ।ଶୁଣିଥା ମନ କର୍ଣ୍ଣ ଦେଇ ॥
ଅନନ୍ତ ଯୁଗ ଶେଷ କାଳ ।ଓଡ଼ିଶା ମାଡ଼ିବଟି ଜଳ ॥
ଦାରୁ ପ୍ରତିମା ହେବ ହତ ।ପରୀକ୍ଷା କରଇ ଅନନ୍ତ ॥
ଦେବେଟି ବ୍ରହ୍ମଚର୍ଯ୍ୟ ଭକ୍ତି ।ଚତୁର୍ପାଦରେ ମର୍ମ କ୍ଷିତି ॥
କହଇ ଭୀମ ଅରକ୍ଷିତ ।ପଦ୍ମପାଦରେ ଦେଇ ଚିତ୍ତ ॥
ଆଶା ମୁଁ କରିଅଛି ରହି ।ଶ୍ରୀଗୁରୁ ରଖିବେ ବଞ୍ଚାଇ ॥
ଚତ୍ୱାତ୍ରିଂଶ ଅଧ୍ୟାୟଆଦି ଉବାଚଶୁଣି ମୁଁ ଶ୍ରୀମୁଖ ବଚନ ।ମୁକ୍ତି ଲଭିବି ତତକ୍ଷଣ ॥
ଏଣିକି କି କି ହେବ ନାଥ ।ଶୁଣିବି ଭବିଷ୍ୟ ବୃତ୍ତାନ୍ତ ॥
ଯତନେ ପୃଚ୍ଛେ ଶ୍ରୀମୁଖରେ ।ଅନାଦି ଗୁରୁଙ୍କ ପୟରେ ॥
ଯୁଗ ଲବ୍ଧାରେ ଯେତେ ରୀତି ।ଆଜ୍ଞା ଯେ କରିଲ ଶ୍ରୀପତି ॥
ଶୁଣି ମୁଁ ହୋଇଲି ସନ୍ତୋଷ ।ଅମୃତ ବାକ୍ୟ ସୁଧାରସ ॥
ଭବିଷ୍ୟ ବୃତ୍ତାନ୍ତ କାହାଣୀ ।ଶ୍ରୀମୁଖେ କହନ୍ତୁ ବଖାଣି ॥
ଅନାଦିବ୍ରହ୍ମ ଉବାଚକହିଲେ ବ୍ରହ୍ମାଣ୍ଡ କରତା ।ଅନନ୍ତ ଯୁଗର ବ୍ୟବସ୍ଥା ॥
ଏଗାର ଅଙ୍କ ଅଟେ ସ୍ଥିତି ।ସଭା ହୋଇବ ବାରସ୍ୱତୀ ॥
କମ୍ପିବ ଭୁବନ ମେଦିନୀ ।ସ୍ୱର୍ଗ ମଞ୍ଚ ଯେ ପୁର ତିନି ॥
ଭକ୍ତେ ମୋ ହୋଇବେ ବାହାର ।ଶୁକ ସନକ କମ୍ୱୁଧର ॥
ଅଗସ୍ତି କଶ୍ୟପ ଆବର ।ଶୁଣ ପୌଲସ୍ତି ଭକ୍ତ ମୋର ॥
ଅଛନ୍ତି ସତୀ ମହାନିତ୍ୟ ।ବୁଝିବା ଏଥିର ତଦନ୍ତ ॥
ସଭା ହୋଇବ ତିନି ଦଣ୍ଡ ।କମ୍ପିବ ପୃଥ୍ୱୀ ନବଖଣ୍ଡ ॥
ଉଲ୍ଲସୀ ପଡ଼ୁଥିବ ମହୀ ।ପ୍ରଳୟ ଜଳ ଉଠି ବହି ॥
ଉତ୍ତର ଦିଗେ ଉଲ୍କାପାତ ।ଶବଦ ଶୁଭିବ ନିର୍ଘତ ॥
ଥରହର ଯେ ହେବ ମହୀ ।ବାସୁକୀ ନପାରିବ ସହି ॥
ଫାଟିବ ଧରତ୍ରୀ ଅଦ୍ଭୂତେ ।ବାସୁକୀ ଶିରପରିଯନ୍ତେ ॥
ଉଜାଣି ଉଠିବଟି ଜଳ ।ନାଶିବ ଭୁବନ ମଣ୍ଡଳ ॥
ଭାସିବ ମହୀ ସୋହତୀରେ ।ଶୁଣ ଗୋ ସତୀ ଏଥୁତ୍ତାରେ ॥
ଯମୁନା ପ୍ରଖର ହୋଇଣ ।ଉତ୍ତର ଦିଗେ ଯିବେ ପୁଣ ॥
ସମୁଦ୍ରୁ ଉଠିବ ଲହରୀ ।କିଛିକିଛି ଗୋ ଯିବ ମାଡ଼ି ॥
ନାଶିବ ଭୁବନ ତ୍ରିଦଶ ।ରହିବ ଅନନ୍ତ ରାହାସ ॥
ତ୍ରିଧାମ ଓଁ କାରର ମୂଳେ ।ଜଳ ପ୍ରଳୟ ଅବହେଳେ ॥
ନିର୍ଣ୍ଣୟ ବଚନ ଏ ଗିର ।ଯାହା ତୁ ପୁଛିଲୁ ଛାମୁର ॥
ଶୁଣ ଗୋ ସତୀ ସ୍ଥିର ଭାବେ ।କହିବା ଅନନ୍ତ ପ୍ରସଙ୍ଗେ ॥
ମହା ନିତ୍ୟରୁ ଅନହତ ।ସ୍ଥାପନା ଅବ୍ୟକ୍ତ ଅଚ୍ୟୁତ ॥
ଅବର୍ଣ୍ଣ ଏକାକ୍ଷର ଭଜି ।କଳି ଦମନ ଦୂରୁ ତେଜି ॥
ବ୍ରହ୍ମ ଦର୍ଶୀରେ ପରାୟଣ ।ଭକ୍ତ ମୋ ରହିଥିବ ଜାଣ ॥
ମହିମା ପ୍ରସଙ୍ଗ ପ୍ରକଟେ ।ନାମ ତା କିଣୁ ଦାସ ଅଟେ ॥
ଶିଶୁ ଲବ୍ଧାରେ ଅନହତ ।ବ୍ରହ୍ମ ଲବ୍ଧାରେ ଅଟେ ସ୍ଥିତ ॥
ଯୁଗ ଲବ୍ଧାରେ ପରଂବ୍ରହ୍ମ ।ବିଶ୍ରାମୀ ଗୁପତରେ ଜାଣ ॥
ପ୍ରାଣ ଲବ୍ଧାରେ ପ୍ରାଣାୟେସ ।ଶତ ଅଧିକ ପଞ୍ଚବିଂଶ ॥
ଏରୂପେ ସେ ଭକ୍ତ ଅଟଇ ।ଗୁପତେ ସତି ଥିବୁ ଚାହିଁ ॥
ଅନନ୍ତ ଯୋଗ ଲବ୍ଧାଭାବ ।ଯତନେ ତାକୁ କର ଠାବ ॥
ନୂତନ ଅଙ୍ଗ ନୂଆ ଯୁଗେ ।ନୃସିଂହ ବାମନ ପ୍ରସଙ୍ଗେ ॥
ପଦ ପୁଷ୍ପର ପ୍ରାଏ ତନୁ ।ମୁଖ ବିକାଶେ ଯେହ୍ନେ ଭାନୁ ॥
ଗୁପ୍ତେ ବୁଝିଥା ମହାସତୀ ।ଜଗି ରହିବୁ ତାର କତି ॥
ତଦନ୍ତେ ଅନନ୍ତର ଖେଳ ।ଦେଖିବୁ ନିତ୍ୟ ଯେ ମଣ୍ଡଳ ॥
ବେନି କାଳରେ ବେନି କର୍ଣ୍ଣ ।ଦେଖିବ ତୋହର ନୟନ ॥
କହିଲି ସାର ବଚନକୁ ।ଟାକି ତୁ ଥିବୁ ଏଗାରକୁ ॥
କହଇ ଭୀମ ଅରକ୍ଷିତ ।ଆଶା ମୁଁ କରିଛି ବହୁତ ॥
ପଞ୍ଚତ୍ରିଂଶ ଅଧ୍ୟାୟଆଦି ଉବାଚଜଣାଏଁ ଜଗତ ଜନନୀ ।ଶିରେ ଜଣାଇ ବେନିପାଣି ॥
ଅବ୍ୟୟ ପୁରୁଷ ଗୋସାଇଁ ।କଥାଏ ପଚାରିବି ମୁହିଁ ॥
ଏକାଦଶର ଯେତେ ରିତି ।ଆଜ୍ଞା କରିଲ ପ୍ରାଣପତି ॥
ଏଣିକି କି ହେବ ହେ ସ୍ୱାମୀ ।ନିର୍ଗୁଣ ସ୍ୱାମୀ ଅନ୍ତର୍ଯ୍ୟାମୀ ॥
ଅବ୍ୟୟ ପୁରୁଷ ଅନାଦି ।କହିବା ଦ୍ୱାଦଶ ବିଭୁତି ॥
ଆଦି ଯେ ଜଣାଏଁ ଛାମୁର ।ଅନାଦି ଗୁରୁଙ୍କ ପୟରେ ॥
କହନ୍ତୁ ସଂଶୟ ଫିଟାଇ ।ଅନାଦି ପ୍ରଭୁ ଭାବଗ୍ରାହୀ ॥
ଆଶା ମୁଁ କରିଛି ବହୁତ ।ଅବ୍ୟକ୍ତ ବ୍ରହ୍ମ ହେ ଅଚ୍ୟୁତ ॥
ଶ୍ରୀ ଅନାଦି ଉବାଚନୀଳ ଧବଳ ବେନି ବର୍ଣ୍ଣ ।ବାହାର ହୋଇବେକ ପୁଣ ॥
ସଂସାରେ କରିବେ ଭ୍ରମଣ ।ଅର୍ଦ୍ଧ ନିଶୀରେ ସତୀ ପୁଣ ॥
କମ୍ପିବ ଧରଣୀ ମଣ୍ଡଳ ।ମହୀ ହୋଇବ ଅସମ୍ଭାଳ ॥
ଅଦ୍ଭୂତ ବିଷୟଟି ଜାଣ ।ଉଠିବ ଦମନର ସୈନ୍ୟ ॥
ଗମନ ମଣ୍ଡଳରେ ଜାଣ ।ଚଳିବେ ଚଢ଼ି ଶୂନ୍ୟ ଯାନ ॥
ମର୍ତ୍ତ୍ୟରେ ପଡ଼ିଯିବ ଛାୟା ।ନୀଳ ଯେ ନ ସହିବ ଏହା ॥
ଉଠିବ କୋପାଳନ ହୋଇ ।କରରେ ଅସ୍ତ୍ର ଶସ୍ତ୍ର ଲଇ ॥
ଲଙ୍କା ଅଧିପ ସେନାପତି ।ଧରଣୀ ମହା ମହାରଥୀ ॥
ପ୍ରବେଶ ସୁର ଯେ ନରେନ୍ଦ୍ର ।ସଙ୍ଗତେ ଘେନି ହେବ ବୃନ୍ଦ ॥
ନୀଳ ନାମରେ ଏକବୀର ।ସେ ଥିବ ଜାପାନ ଦେଶର ॥
ସେଠାରେ ବାନ୍ଧବଟି ଧ୍ୱଜା ।ସଙ୍ଗତେ ଚଳିବେ ବିରଜା ॥
ସମଲପୁରେ ସମଲାଇ ।ସେଠାରେ ପ୍ରବେଶିବେ ଯାଇଁ ॥
ମିଳନ ସୈନ୍ୟ ଘେନି ତାର ।ଜଗିବ ପଶ୍ଚିମ ଦୁଆର ॥
ତଦନ୍ତେ ବୁଝ ଗୋ ଭାରତୀ ।ସୁବର୍ଣ୍ଣ ରେଖା ଉପସ୍ଥିତି ॥
ମିଳିବେ ଅଷ୍ଟ ଚଣ୍ଡୀଗଣ ।ସଙ୍ଗତେ ଘେନି ଯେଝା ସୈନ୍ୟ ॥
ପ୍ରବେଶ ହେବେ ମର୍ତ୍ତ୍ୟପୁର ।ଶୁଣ ଗୋ ଆଦି ମୋ ଉତ୍ତର ॥
ଅନନ୍ତ କ୍ଷେତ୍ରର ମଧ୍ୟରେ ।ପ୍ରବେଶ ଯୁଗ ଶେଷଠାରେ ॥
କଳଙ୍କ କରିବେ ଅନନ୍ତ ।ଗୁପତ ବ୍ରହ୍ମଚର୍ଯ୍ୟ ବ୍ରତ ॥
ସେକାଳେ ଧରମ ପରୀକ୍ଷା ।ନିଷ୍କାମ ବ୍ରହ୍ମଚର୍ଯ ଦୀକ୍ଷା ॥
ଭଜନ ଏକାକ୍ଷର ନାମ ।ପରୀକ୍ଷା ଅଟଇ ନିଗମ ॥
ଗୁରୁ ଆଜ୍ଞାର ମୂଳ ବାଟ ।ସଂସାରେ ବସିଥିବ ହାଟ ॥
ଯୁଗ ଶେଷକୁ ଅନ୍ତି ଖେଳ ।ଆଦି ଗୋ ଯତନେ ସମ୍ଭାଳ ॥
ଅଦ୍ଭୁତ ବିଷୟ ବାରତା ।ଏ ବ୍ରହ୍ମଚର୍ଯ୍ୟ ଧର୍ମ ପନ୍ଥା ॥
ଖେଳ ହୋଇବ ଢ଼େଙ୍କାନାଳ ।ଅନନ୍ତ ମହିଁମା ମଣ୍ଡଳ ॥
ଆସିବେ ତିନିପୁର ଲୋକ ।ସୁର ଅସୁର ନାଗଲୋକ ॥
ବେଢ଼ିବେ ଅବନା ମଣ୍ଡଳ ।ଖେଳ କରିବେ ଭକ୍ତ କୁଳ ॥
ପ୍ରବେଶ ଅଷ୍ଟ ଯେ ଚଣ୍ଡୀକା ।ଦେଖିବେ ଧର୍ମର ପରୀକ୍ଷା ॥
ମ୍ଳେଚ୍ଛ ଅଧମ ଦୁରାଚାର ।ପଡ଼ିବେ କେତୁକା ଖପର ॥
ସାଧୁ ନିନ୍ଦିତ ଯେତେ ପ୍ରାଣୀ ।ବିରଜା ଭକ୍ଷିବଟି ପୁଣି ॥
ମାତୃହରଣ ଲୋକ ଯେତେ ।କାଳୀକା ଭକ୍ଷି ଅନୁମିତେ ॥
ରକ୍ତ ବୀର୍ଯ୍ୟରେ ଯେତେ ପ୍ରାଣୀ ।ହିଙ୍ଗୁଳା ଧରିନେବ ଟାଣି ॥
ଅଜ୍ଞା ଅବଜ୍ଞା ଯେତେ ନର ।ବିମଳା ଦେବୀର ଖପର ॥
ଦତ୍ତ ହରଣ ଯେତେ ପ୍ରାଣୀ ।ମାହେଶ୍ୱରୀର ଭାଗେ ପୁଣି ॥
ବାଳ ଉର୍ଭିଣୀ ଶିଶୁ ବଧ ।ଶାରଦା କରିବ ଏ ବଦ୍ଧ ॥
ଭେକ ନ ମାନି ମୂଢ଼ ପଣେ ।ମଙ୍ଗଳା ଭକ୍ଷିବ ଯତନେ ॥
ଗୁପତେ ଦେଖୁଥିବୁ ରହି ।ମୋ ଭକ୍ତ ଗଣ ଥିବେ ଯହିଁ ॥
ସେପୁରେ ପ୍ରବେଶ ହୋଇବୁ ।ଅନନ୍ତ ରାହାସ ଦେଖିବୁ ॥
ଯେ ଜାଣେ ଆଦ୍ୟ ମଧ୍ୟ ପ୍ରାନ୍ତ ।ଏକା ରହିବେ ସେହି ଭକ୍ତ ॥
ବ୍ରହ୍ମରେ ଲୀନ ହେବେ ସେହୁ ।ବାରି ବାରଣ କରେ ଯେହୁ ॥
ବ୍ରହ୍ମ ଓଁକାର ମନ୍ତ୍ର ସାର ।ଯେ ଭକ୍ତ ଜପେ ନିର୍ବେଦର ॥
ସେ ଭକ୍ତ ନ ପଡ଼ିବ ରଣେ ।ଉଜାଣି ଛନ୍ଦିବ ଯତନେ ॥
ଫେରାଇ ଆଣିବ ମରୁତ ।ନିଜ ଇଚ୍ଛାରେ ପଞ୍ଚଭୁତ ॥
ରଖି ପାରିଲେ ଅଦଭୁତେ ।କହିଲୁଁ ତୋହର ଅଗ୍ରତେ ॥
ତତ୍ତ୍ୱ ତାରକ ମନ୍ତ୍ର ସାର ।ଜପ କରଇ ନିରାନ୍ତର ॥
ଅବନା ଏକାକ୍ଷର ଧୂନୀ ।ଜପଇ ଯାହାର ମୂର୍ଦ୍ଧନୀ ॥
ଗର୍ଜି ଉଠିବ ପଞ୍ଚାନଳ ।ଶରୀର ନ ପଶିବ କାଳ ॥
ଆବର ଚିଆଁ ଚଇତନ ।ହେତୁ ଚେତାରେ ରହେ ପୁଣ ॥
ବ୍ରହ୍ମରେ ଲୀନ ହେଲେ ସେହି ।ଆଜ୍ଞାକୁ ଶିର ପରେ ବହି ॥
ଗୃପତେ ଲୁଚାଇଣ ଅଙ୍ଗ ।ପରମ ବ୍ରହ୍ମ ବାର ସଙ୍ଗ ॥
ନିତ୍ୟ ନିର୍ମଳ ନିରାଧାର ।ନର ଦେବଙ୍କୁ ଅଗୋଚର ॥
ଅଙ୍ଗରୁ ଉପାଙ୍ଗ ସହିତେ ।ଏକତ୍ୱ ଭାବ ଅବିରତେ ॥
ତଦନ୍ତେ ବୁଝ ଗୋ ଭାରତୀ ।ନିର୍ଗୁଣ ଉପାସନା ରୀତି ॥
ମଉନ ରୂପେ ଅବତାର ।ଦେଖିବୁ ନେତ୍ରରେ ତୋହର ॥
ସେ ଅଙ୍ଗେ ବିଭୁତି ଅପାର ।ବେଦ ବେଦାନ୍ତେ ଅଗୋଚରଖୋଜିବୁ ଯୁଗ ଶେଷ କାଳେ ।ସିଦ୍ଧ ପାଟଣା ଢ଼େଙ୍କାନାଳେ ॥
ରୂପତେ ବ୍ରହ୍ମଚର୍ଯ୍ୟ ମତ ।ବ୍ରହ୍ମ ପ୍ରଳୟ ପଞ୍ଚଭୂତ ॥
ଅଙ୍ଗରେ ବୀରବଧୂ ଲାଇ ।ସିଦ୍ଧ ପଦରେ ଥିବ ସେହି ॥
ନଲାଗେ ଅଙ୍ଗେ କର୍ମକାଣ୍ଡ ।ପ୍ରଳୟ ଯୋଗୀ ମାରକଣ୍ଡ ॥
ତା ମୂଳେ ଭକ୍ତେ ଥିବ ରହି ।ଅନନ୍ତ ଖେଳ ବେଳ ଚାହିଁ ॥
ଛନ୍ଦ କପଟ ମାୟା ତମ ।ନଲାଗେ ଶରୀରେଟି ଜାଣ ॥
ଏମନ୍ତ ଭକ୍ତ ଯେ ମୋହର ।ତା ସଙ୍ଗେ ଦ୍ୱାପର ଯୁଗର ॥
ଆଗତ ଭବିଷାନ୍ତ ବାଣୀ ।ସେ ଭକ୍ତ ମୋର ପାରେ ଜାଣି ॥
ସ୍ନେହ ଅଧିକ ବଳାଇଲି ।ମନ୍ତ୍ରୀ ଚଉର୍ଯ୍ୟ ପଣ ଦେଲି ॥
ତୋତେ ମୁଁ କହିଲି ବତାଇ ।ଶିଶୁ ଅନନ୍ତ ଖେଳ ଚାହିଁ ॥
ଗୁପତ ଖେଳଇ କାହାଣୀ ।ମୀନ ଶନିର ମଧ୍ୟେ ପୁଣି ॥
ଉଠିବ ପ୍ରଜ୍ୱଳିତ ଧାର ।ରକ୍ତ ନଦୀ ଯେ ଜୋରନ୍ଦାର ॥
କହଇ ଭୀମ ଅରକ୍ଷିତ ।ସମ୍ଭାଳି ଥାଅ ସାଧୁ ସନ୍ଥ ॥
ମୀନ ଶନିର ଆଗମରେ ।ନିଶ୍ଚୟ ହୋଇବଟି ବାରେ ॥
ଷଡ଼ତ୍ରିଂଶ ଅଧ୍ୟାୟଆଦି ଉବାଚଭକ୍ତ ଭାବରେ ପୁଚ୍ଛେ ସତୀ ।ଶୁଣ ହେ ପ୍ରଭୁ ପ୍ରାଣପତି ॥
ଅଭୟ ନମାମି ପଞ୍ଜର ।କରୁଣା ସିନ୍ଧୁ ଦାମୋଦର ॥
ବନ୍ଦଇ ଚରଣାରବିନ୍ଦ ।ହେ ମହାପୁରୁଷ ମୁକୁନ୍ଦ ॥
କହିଲ ଗୁପତ ବତାଇ ।ଅନାଦି ପ୍ରଭୁ ଭାବଗ୍ରାହୀ ॥
ତୋହର ଶ୍ରୀମୁଖ ବଚନ ।ମୁକ୍ତି ଲଭିଲି ତତକ୍ଷଣ ॥
ଆଶା ମୁଁ କରିଛି ଅପାର ।ମନୁ ସଂଶୟ କର ଦୂର ॥
କହି କାକୁସ୍ତେ ଯୋଡ଼ି କର ।ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ॥
କହ କି ହେବ ମୀନ ଯୋଗେ ।ଶନିଶ୍ଚରଙ୍କ ଆଦ୍ୟ ଭୋଗେ ॥
ଶୁଣିଲେ ନିସ୍ତରିବି ମୁହିଁ ।ଦୟା କରନ୍ତୁ ଭାବଗ୍ରାହୀ ॥
ଅଭାଗୀ ଅଧୀନ ଛାମୁରେ ।ଭୋ ପ୍ରଭୁ ଦୟାକର ବାରେ ॥
ନିରାଶ ନ କରିବ ଢ଼ାଳେ ।କଞ୍ଜର ବାସନା ନିରୋଳେ ॥
ବେଢ଼ି ଅଛନ୍ତି ଭକ୍ତଗଣ ।ବାସନା ବାସକୁ ଭେଦିଣ ॥
ସେ ବାସ କିରୂପେ ମିଳିବ ।ଭଗତ ଗଣେ ବାଣ୍ଟିଦେବ ॥
କି ରୂପେ କେଉଁଠାରେ ଭେଟ ।ଟାକି ମୁଁ ରହିଥିବି ବାଟ ॥
ନିର୍ଣ୍ଣୟ କରି କହ ନାଥ ।ଛାମୁରେ ଜଣାଏଁ ନିୟତ ॥
ଆଶା ମୁଁ କରିଅଛି ରହି ।ଗୁରୁଙ୍କ ଆଜ୍ଞା ଶିରେ ବହି ॥
ଯେତେ ମୁଁ ଶୁଣିଲି କର୍ଣ୍ଣରେ ।ଆଶା କରିଛି ନିରନ୍ତରେ ॥
ତତ୍ତ୍ୱ ତାରକ ବ୍ରହ୍ମଜ୍ଞାନ ।ଶ୍ରୀମୁଖେ କହିଲ ଆପଣ ॥
ଆଶା ମୁଁ କରିଛି ଅପାର ।ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ॥
ଦୟା କରନ୍ତୁ ଦାୟାନିଧି ।ଆଶା ମୁଁ କରିଛି ଅବଧି ॥
ଅନାଦି ବ୍ରହ୍ମ ଉବାଚକହନ୍ତି ସକଳ ବୁଝାଇ ।ଆଦିର ଭକ୍ତିଭାବ ଚାହିଁ ॥
ମୀନର ଆଦ୍ୟ ଭାଗେ ଜାଣ ।ପୃଥ୍ୱୀ ହୋଇବ ରଣଭଣ ॥
ପୂର୍ବ ଦିଗରେ ମୀନ ଉଦେ ।ମିଳିବ ବିରଜା ସନ୍ନିଧ୍ୟେ ॥
ସେଠାରେ ଶନିଶ୍ଚର ସଙ୍ଗେ ।ମେଳ ହୋଇବେ ନିଶୀ ଭାଗେ ॥
କମ୍ପିବ ଓଡ଼ିଶା ମଣ୍ଡଳ ।ଚନ୍ଦ୍ର ଭାଗା ଯେ ତୀର୍ଥଜଳ ॥
ସୋହତି ଉଠିବ ପ୍ରଖର ।ମିଳିବ ପ୍ରାଚୀର ଗର୍ଭର ॥
ନର ମାନବ ହତକରି ।ଜଳ ତରଳିବ ଲହରୀ ॥
ନିଶି ଅର୍ଦ୍ଧରେ ପରବେଶ ।କିଛି ଓଡ଼ିଶା ଯିବ ନାଶ ॥
ପାତାଳପୁର ନାଗଗଣ ।ଫେଣ ଉଭାରି ତତକ୍ଷଣ ॥
ମିଳିବେ କୁରୁକ୍ଷେତ୍ରଠାରେ ।ଅନନ୍ତ ଗୁରୁଙ୍କ ପୟରେ ॥
କମ୍ପିବ ପାତାଳ ଭୁବନ ।ଲୋକେ ହୋଇବେ ହତଜ୍ଞାନ ॥
ନାଗ ମଗଧ ପୁର ଯାଏ ।ଗୋ ଖୋଜ ପ୍ରାୟ ପୃଥ୍ୱୀ ହୁଏ ॥
ସଲିକ କଳାଶିକ ତହିଁ ।ଆଦି ଗୋ ଶୁଣ ମନଦେଇ ॥
ଅନଳ ଉଠିବ ଦକ୍ଷିଣେ ।କାମାକ୍ଷୀ ରଣ ଚଣ୍ଡୀଗଣେ ॥
ଉତ୍ତରେ ଗଙ୍ଗାର କୁମର ।ପ୍ରବେଶ ଅନଳ ମଧ୍ୟର ॥
ପଶ୍ଚିମେ ଅଗ୍ନି ବୃଷ୍ଟି ହେବ ।ସିଂହିକା ନନ୍ଦନ ନାଶିବି ॥
ନାଗାନ୍ତି ଆସିବେ ବହୁତ ।ଦୁର୍ଭିକ୍ଷ ପଡ଼ିବ ଜଗତ ॥
ରଣ ଭଣ ଗୋ ହେବ ମହୀ ।ପଶ୍ଚିମେ ସଦ ଶିବ ନଈ ॥
ଶୁଖିବ ଜଳ ଅବିଳମ୍ବେ ।ମୀନ ଶନିର ମଧ୍ୟଭାଗେ ॥
ମୋଗଲ ପଠାଣର ଧାଡ଼ି ।ମଧ୍ୟ ଓଡ଼ିଶା ଥିବ ମାଡ଼ି ॥
ସିଂହ ମଙ୍ଗଳ ଗ୍ରହବୃଷ୍ଟି ।କିଛି ମେଦିନୀ ଯିବ ଫାଟି ॥
ଗିରି କନ୍ଦର ଗୁମ୍ଫାମାନ ।ମୋ ଭକ୍ତେ ବହିବେଟି ପୃଣ ॥
ଆସିବେ ଚଣ୍ଡୀକାଇଗଣ ।ଭକ୍ଷିବେ ନଗ୍ରରେ ପଶିଣ ॥
ସିଦ୍ଧ ଅନନ୍ତ ବଟମୂଳେ ।ବସିଣ ସିନ୍ଧୁ କୁତୁହଳେ ॥
ବାମ ଭୁଜକୁ ଟେକି ଧୀରେ ।ଗୁପତେ ଅନନ୍ତ ଯୁଗରେ ॥
ବାଣ୍ଟିବ ଅମୂଲ୍ୟ ପସରା ।ମଧୁ ସଂଯୁକ୍ତ ଘୃତଧାରା ॥
ଭଗତ ବୃନ୍ଦ ଭାବ ଭୋଳେ ।ନୃତ୍ୟ କରିବେ ବାହୁମୂଳେ ॥
କେତେ ମୁଁ କହିବି ତିଆରି ।ଗୁପତେ ଦେଖି ଆଦି ନାରୀ ॥
ସେ ଭକ୍ତ ମହିମା ଅପାର ।ଅନନ୍ତ ଯୁଗ ଅଗ୍ରସର ॥
ଦେଖିବୁ କଳଙ୍କି ବେଳକୁ ।ଆଦି ଗୋ ଅନନ୍ତ ଯୁଗକୁ ॥
ବାମ ଭୁଜକୁ ଟେକି ଦେଇ ।ଊର୍ଦ୍ଧ୍ୱ ନୟନ ଦେଲେ ଚାହିଁ ॥
ଝଡ଼ିବେ ମ୍ଳେଚ୍ଛଦୁରାଚାର ।ମଉନ ବ୍ରହ୍ମ ଅବତାର ॥
ଡାହାଣ ଭୁଜ ପ୍ରହାରିଲେ ।ଅନଳ ଉପୁଜିବ ଭଲେ ॥
ଅଙ୍ଗରୁ ଉପୁଜିଲେ ସ୍ୱେଦ ।କ୍ରୋଧ ଅନଳେ ଅଦଭୁତ ॥
ଅନଳ ପ୍ରସଙ୍ଗ ପ୍ରଖର ।ଯୋଗମାୟା ଯେ ଅଗ୍ରସର ॥
ଜଗିଛି ବାମ ଡାହାଣରେ ।କେବଳ ଆଜ୍ଞା ବହି ଶିରେ ॥
ନୟନ ତରାଟିଲେ କୋପେ ।ବାବନା ଭୂତ ଯେ ନିଶଙ୍ଗେ ॥
ପାଦକୁ ପ୍ରହାର କରିଲେ ।ପୃଥ୍ୱୀ ଗୋ ରସାତଳ ଭଲେ ॥
ମୁଖ ବଚନ ପ୍ରଜ୍ୱଳିତ ।ନାଶ ହୋଇଲେ ଅକିଞ୍ଚିତ ॥
ଶୂନ୍ୟ ବ୍ରହ୍ମରେ ଦୃଷ୍ଟି ଦେଲେ ।ମିଳିବେ ଅନ୍ତରିକ୍ଷୁ ଭଲେ ॥
ପରମ ବ୍ରହ୍ମ ଗୁପ୍ତଭାବେ ।ବିଶ୍ରାମି ଭଗତର ଅଙ୍ଗେ ॥
ସେ ଭକ୍ତ ଧନ୍ୟ କଳିଯୁଗେ ।ରାସ ଉତ୍ସବ ପ୍ରେମ ଭାବେ ॥
କରି ଗୁପତେ ଥିବ ରହି ।ଅନନ୍ତ ଆସିବାର ପାଇଁ ॥
ଦିନ କଣ୍ଟକୁ ଧରି ଚିତ୍ତେ ।ଆଶ୍ରୟ ଗୁରୁ ପାଦ ଗତେ ॥
କହଇ ଅରକ୍ଷିତ ଭୀମ ।ଅବର୍ଣ୍ଣ୍ୟ ସ୍ୱାମୀ ପରଂବ୍ରହ୍ମ ॥
ନିଶ୍ଚେ ଆସିବେ ସ୍ୱଦେହରେ ।ଦେଖିବି ଏ ପାପ ନେତ୍ରରେ ॥
ସପ୍ତତ୍ରିଂଶ ଅଧ୍ୟାୟଆଦି ଉବାଚଆଦି ଅନନ୍ତ ଯୁଗ ସାର ।ପୁଚ୍ଛଇ ଶ୍ରୀଗୁରୁ ପୟର ॥
କହ କେବଣ ଦିନେ ସ୍ୱାମୀ ।ନିର୍ଗୁଣ ପ୍ରଭୁ ଅନ୍ତର୍ଯ୍ୟାମୀ ॥
ଆସିବେ କଳଙ୍କି ଲୀଳାକୁ ।ପୁଚ୍ଛେ ମୁଁ ଗୁରୁ ସଦନକୁ ॥
ଆଜ୍ଞା କରନ୍ତୁ ଭଗବାନ ।ପୁଚ୍ଛଇ ଶ୍ରୀଛାମୁରେ ପୃଣ ॥
ନିରାଶ ନ କର ହେ ନାଥ ।ଛାମୁରେ ଯୋଡ଼ୁଅଛି ହସ୍ତ ॥
ଚରଣ ତଳେନି ଯୋଗାଇ ।ଆଶ୍ରୟ କରିଅଛି ମୁହିଁ ॥
ଦୀନ ଦୁରିତ ନିବାରଣ ।କିଞ୍ଚିତେ ଆଜ୍ଞା ହେଉ ପୁଣ ॥
କୋଟି ବିନତି ଶ୍ରୀଛାମୁରେ ।ଆଜ୍ଞା ଅବଜ୍ଞା ନାହିଁ ବାରେ ॥
ପଦ୍ମପାଦରେ ପୁଚ୍ଛେ ସତୀ ।ଅନନ୍ତ ଯୋଗର ବିଭୂତି ॥
ଅପ୍ରାଧ କ୍ଷମାକର ମୋର ।ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର ॥
ଅନାଦି ବ୍ରହ୍ମ ଉବାଚଶୁଣ ଗୋ ସତୀ ମୋ ଉତ୍ତର ।ଯାହା ତୁ ପୁଚ୍ଛିଲୁ ଛାମୁର ॥
କହୁଛି ତୋହର ଅଗ୍ରତେ ।ମାୟା ଗୋ ନ ରଖିଣ ଚିତ୍ତେ ॥
ତୁ ଯେଣୁ ଜଗତ ଜନନୀ ।ତେଣୁ ମୁଁ କହୁଅଛି ପୁଣି ॥
ପ୍ରଘଟ ନ କରିବୁ କାହିଁ ।କହିଲେ ଦ୍ରୋହୀ ହେବୁ ତୁହି ॥
କଳଙ୍କି ବିଷ୍ଣୁ ମୋର ସଙ୍ଗେ ।ଖେଳ କରୁଛି ଭୂମିଭାଗେ ॥
ସେ ପୁଣି ତନୁକୁ ତେଜିବ ।ବଉଦ ବଳାସିଂହା ଠାବ ॥
ଯାଜ ନଗ୍ରରେ ଜାତ ହେବ ।କଳିଙ୍କି ବିଷ୍ଣୁ ବୁଝ ଧ୍ରୁବ ॥
ନୃସିଂହ ନାମ ଅଟେ ତାର ।ସେ ପୁଣି ଆସି ମୋ ଛାମୁର ॥
ଭେଟ ହୋଇବ ମହାନିତ୍ୟ ।ତୋତେ ମୁଁ କହିଲି ସଙ୍କେତ ॥
ଶେଷ କଳଙ୍କି ଅବତାର ।କହିଲି ତୋହର ଛାମୁର ॥
ସମାଧି ଯୋଗକୁ ତେଜିବି ।ଗୁପତେ ଏକାନ୍ତରେ ଥିବି ॥
ଅନନ୍ତ ବିଷ୍ଣୁ କୁଳେ ଜାତ ।ଜାତ ହୋଇବ ଏହି ମର୍ତ୍ତ୍ୟ ॥
ଆଦି ଶକତି ମୋର ମାତ ।ମୋ ପିତା ଅଟଇ ଅନନ୍ତ ॥
ଏମନ୍ତେ କହୁଛି ବତାଇ ।ଆଦି ଗୋ ହେତୁ କର ତୁହି ॥
ଗୁରୁ ଶିଷ୍ୟଙ୍କର ଏକାନ୍ତ ।ଅନନ୍ତ ଯୋଗ ସମାପତ ॥
ତୁ ତେଣୁ ନିଜ ମାତା ମୋର ।କହିଲି ଯୋଗର ବିଚାର ॥
ଯାହା ତୁ ପଚାରିଲୁ ମୋତେ ।ଫେଡ଼ିଣ କହି ଦେଲି ତୋତେ ॥
ମେଳଚ୍ଛ ଦମନ ହୋଇଲେ ।ଅନନ୍ତ ଯୋଗ ଶେଷ ଭଲେ ॥
ଶୁଣ ହେ ସାଧୁ ସନ୍ଥ ଜନ ।ବାହାର ହୋଇବେ ଦମନ ॥
ଅସ୍ତ୍ର ଶସ୍ତ୍ରକୁ ଥାଅ ଧରି ।ଶ୍ରୀଗୁରୁ ଆସିବେଟି ଫେରି ॥
ନିଶ୍ଚୟେ କଳଙ୍କି ହୋଇବ ।ଯେ ଦିନ ମୀନ ଶନି ଭୋଗ ॥
ପଞ୍ଚଗ୍ରହ ଯେ ଯୁକ୍ତ ହେବେ ।ଆଗାମୀ ଅଢ଼ାଇର ଯୋଗେ ॥
ତଦନ୍ତେ ଷଡ଼ ଗ୍ରହ ଆସି ।ଶନି କୁମ୍ଭରୁ ଯିବେ ଖସି ॥
ପ୍ରବେଶ ମୀନ ସଙ୍ଗତରେ ।ଟାକି ଥାଅ ହେ ସୁଜ୍ଞ ନରେ ॥
ହୋଇବ ଅସଂଖ୍ୟ ସମର ।ଦମନ ହୋଇବ ବାହାର ॥
ବିଷ୍ଣୁ ନାଶିବ ଅବହେଳେ ।ଭଗତେ ରଖି ବାହୁବଳେ ॥
ମ୍ଳେଚ୍ଛଙ୍କୁ ଦମନ ନାଶିବ ।ଦୁର୍ଗା ଖପର ପକାଇବ ॥
ଅସତ୍ୟ କଳି ଯେ ଦମନ ।ଶୁଣ ହେ ସାଧୁ ସୁଜ୍ଞଜନ ॥
ନ ପଡ଼ ଦମନର ଭାଗେ ।ଚେତାଇ ହେଉଅଛି ଆଗେ ॥
ସତ୍ୟ ନାବରେ ବସ ବାଇ ।ପାର ହୋଇବ ଭବ ନଈ ॥
କହଇ ଭୀମ ଅରକ୍ଷିତ ।ଶ୍ରୀଗୁରୁ ମୋର ସାମରଥ ॥