ବ୍ରହ୍ମନିରୂପଣ ଗୀତା
ମହିମା ଧର୍ମର ସନ୍ଥ କବି · ପ୍ରାୟ ୧୮୫୦–୧୮୯୫ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୧୧୯ ମିନିଟ୍
- ଶବ୍ଦ
- ୧୯୧୦୮
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ନିରାକାର ଉବାଚଶ୍ରୀଗୁରୁଙ୍କ ମୁଖକୁ ଚାହିଁଣ ନିରାକାର,ପାଏ ପଡ଼ି ଉଠି ଶିରେ ଯୋଡ଼ି ବେନି କର ।୧।ଭୋ ଗୁରୁ ଗୋସାଇଁ ମୋତେ କରୁଅଛ ମାୟା,ଆମ୍ଭଠାରେ ଲେଶେ ତୁମ୍ଭ ନାହିଁକି ସୁଦୟା ।୨।ବେଦାନ୍ତ ମାର୍ଗରେ ଯେ କହିଲ ନାନାମତେ,ସଂଶୟ ଲାଗିଲା ମନେ ନ ଗଲା ପରତେ ।୩।ଅନେକ ପ୍ରକାରେ ଶ୍ରୁତି ବିଚାର କହିଲ,ବ୍ରହ୍ମ-ନିରୂପଣ ଭେଦ ଗୁପତେ ରଖିଲ ।୪।ତୁମ୍ଭେ ଯେ ଆମ୍ଭର ଗୁରୁ ପିଣ୍ଡ ମୋକ୍ଷକାରୀ,ମହାମନ୍ତ୍ର କର୍ଣ୍ଣମୂଳେ କହୁଛ ବିସ୍ତାରି ।୫।ଅମୋକ୍ଷା ପିଣ୍ଡକୁ ସ୍ୱାମୀ ମୋକ୍ଷା କରାଉଛ,ସଦବ୍ରହ୍ମଜ୍ଞାନ ମୋତେ କିପାଁ ନ କହୁଛ ।୬।ଲୁଚାଇ ଥୋଇଛ ମୋତେ କରୁଛ କପଟ,ଗୁରୁ ଆଗ୍ୟାଁ ପାଳି ସିନା ପଶନ୍ତି ବୈକୁଣ୍ଠ ।୭।ବୈକୁଣ୍ଠ ମହିମା କଥା କହ ଗୁରୁଦେବ,ଅପ୍ରତିଆ ମନେ ମୋର ଶୁଣି ପ୍ରତେ ଯିବ ।୮।ସଦା ଅପରାଧୀ ମୋର ନାହିଁ ଗ୍ୟାନ ବୁଦ୍ଧି,ତୁମ୍ଭେ ମୋର ଗୁରୁଦେବ କରୁଣା ବାରାଧି ।୯।ସତ୍ୟ ତଥ୍ୟ କରି ଫେଡ଼ି କହ ମୋ ଆଗର,ଅଣରୂପ ବ୍ରହ୍ମ କିସ ଅନାଦି ଶରୀର ।୧୦।ମହିମା ସାଗର ବ୍ରହ୍ମ କେମନ୍ତ ସ୍ୱରୂପ,ନିର୍ଣ୍ଣୟ କହିବ ମୋତେ ନ କରିବ ଗୋପ୍ୟ ।୧୧।୬-୧:- ଅମୂକ୍ଷା; ମୂକ୍ଷ-ପାଠ ପୋଥିରେ ଅଛି ।ଶ୍ରୀଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,ବ୍ରହ୍ମ-ନିରୂପଣ ଭେଦ ଅତି ଅଗୋଚର ।୧୨।ଅଶ୍ରୁତି ଅମୂର୍ତ୍ତିପଦ ମହାବ୍ରହ୍ମ ସେହି,ନିରୂପଣ କଲେ ଶୁଷ୍କ ତରୁ ପଲ୍ଲବଇ ।୧୩।ପାଷାଣ ହୁଅଇ ପାଣି, ଦୁବ ହୁଏ ଦାରୁ,ଗିରିମାନେ ବଢ଼ିଯାନ୍ତି ପାଲଟନ୍ତି ମେରୁ ।୧୪।ମୃତଶବ ହୋଇଥିଲେ ପଶଇ ପରାଣ,କଳା କମଳ ହୁଅଇ ଧବଳ ବରଣ ।୧୫।ବିନା ମେଘେ ଆକାଶରୁ ବରଷଇ ଜଳ,ଜୀବକୁ ଆକ୍ରୋଶି ଥିଲେ ଘୁଞ୍ଚିଯାଏ କାଳ ।୧୬।ବୃଦ୍ଧ ଅଙ୍ଗ ଯୁବା ଅଙ୍ଗ ହୁଏ ଦିନୁ ଦିନ,କେଶବାଳ ପାଚିଥିଲେ କଳା ହୁଏ ଜାଣ ।୧୭।ପଙ୍ଗୁ ଗିରିବର ଲଙ୍ଘି ଯାନ୍ତି ଏ ଧର୍ମରେ,ଚିତ୍ତ ମଜ୍ଜାଇ ପାରିଲେ ଅରୂପ ବ୍ରହ୍ମରେ ।୧୮।ଜଡ଼ା ବୃକ୍ଷ ହୋଇ ଯାଇ ଅଗର ଚନ୍ଦନ,କାଲ ହୋଇଥିଲେ କର୍ଣ୍ଣେ ଶୁଭଇ ବଚନ ।୧୯।ଅନ୍ଧ ହୋଇଥିଲେ ଚକ୍ଷୁ ଦିଶଇ ନିଶ୍ଚଏ,ମହାପାପୀ ହୋଇଥିଲେ ପାପ ଯିବ କ୍ଷଏ ।୨୦।ଶୁଖା ଭୂମି ଓଦା ଯେ ହୋଇବ ବସିଥିଲେ,ରୋମ ପୁଲକିବ ବ୍ରହ୍ମନିରୂପଣ କଲେ ।୨୧।ଲୁହାମୁଣ୍ଡା ହୀରା ହେବ ବ୍ରହ୍ମନିରୂପଣେ,ଖପର ହୋଇବ ସୁନା ଅନାମ ବଚନେ ।୨୨।ନାଗଗରଳ ପ୍ରତକ୍ଷେ ହୋଇବ ଅମୃତ;ଅଣରୂପ ବ୍ରହ୍ମଭେଦ ମହିମା ଏମନ୍ତ ।୨୩।ମହୁରାବିଷ ହୋଇବ ଅମର ମୌଷଧି,ଅନାମ ଅରୂପ ବ୍ରହ୍ମ ଯେ ପାରିବ ଭେଦି ।୨୪।ଶସା ପହଁରିବ ଯେ ଅଗାଧ ସିନ୍ଧୁଜଳେ,ଷୋଲ ପେଣ୍ଡା ପରା ଏକ ଲାଗିବ ସେ କୂଳେ ।୨୫।ନିର୍ଜୀବ କାଷ୍ଠପିତୁଳୀ ଜୀବନ୍ୟାସ ହେବ,ନିଶବ୍ଦ ଶବ୍ଦ ଭେଦିଲେ ବଚନ କହିବ ।୨୬।ଅସଙ୍ଗାଗାଈ ଚିରରେ ପହ୍ନାଇବ କ୍ଷୀର,ନିର୍ଝର ଝରରୁ ଯେ ବହଇ ଝରଝର ।୨୭।ଅବସନ୍ତରେ ଶୀତଳ ବହିବ ପବନ;ଫଟା କୁଡ଼ିଆ ହୋଇବ ନୂଆ ନବତନ ।୨୮।ବଜ୍ର ଦଧି ପ୍ରାଏ ହେବ ହସ୍ତ ମାରି ଦେଲେ,ଅରୂପ ଅନାମ ବ୍ରହ୍ମ ଭେଦାଭେଦ କଲେ ।୨୯।ଜଳର ଭିତରୁ ମୀନ କୂଳକୁ ଆସଇ,ଗିରି ପର୍ବତରେ ପଦ୍ମଫୁଲଏ ଫୁଟଇ ।୩୦।ମହାବ୍ରହ୍ମ ମହିମାର ଏମନ୍ତ ପ୍ରତାପ;ତେଣୁକରି ବୋଲାଉଛ ଅନାଦି ଅରୂପ ।୩୧।ଅହି ସର୍ପକୁ ମଣ୍ଡୁକି ମୁଖେ ଦେବ ଚୁମ୍ବ,ମଞ୍ଜାରି କୋଳରେ ମୂଷା ଶୟନ କରିବ ।୩୨।ସଞ୍ଚାଣ ପାରା ଏ ଦୁହେଁ ହୋଇବେ ସଂଯୋଗ,ବ୍ରହ୍ମନିରୂପଣ ଭେଦ ଏମନ୍ତ ସ୍ୱଭାବ ।୩୩।ବ୍ୟାଘ୍ର ଛେଳି ହୋଇ ଏକ କୋଠାରେ ଭକ୍ଷିବେ,ସିଂହ ଯେ ଶୃଗାଳ ନୃତ୍ୟ ଗୀତହିଁ କରିବେ ।୩୪।ଶତ୍ରୁ ଭଗାରି ଏକାନ୍ତ ବସିବେ ଯେ ମିତ୍ର,ଗୁରସ୍ତ ଭାରିଯା ହୋଇଯିବେ ମାତା ପୁତ୍ର ।୩୫।ଅନଳ ପତଙ୍ଗ ହେବେ ଏକାଙ୍ଗ ପୀରତି,ଯମକୁ ଦେଖିଯିବ ସେ ମାଗିବ ସୁରତି ।୩୬।ହସ୍ତୀ ସଙ୍ଗତରେ ମୂଷା ହୋଇବ ସମାନ,କର୍ଣ୍ଣରେ ଶୁଣିବେ ଯେବେ ବ୍ରହ୍ମନିରୂପଣ ।୩୭।ଲବଣ କର୍ପୂର ହେବେ ବହିବ ଶୀତଳ,ମଧୁର ଜାତ ହୋଇବ ଲିମ୍ବବୃକ୍ଷ ଡାଳ ।୩୮।ତେତେବେଳେ ଗୁରୁଶିଷ୍ୟ ବାରଣ ନ ଯିବେ,ପାଶେ ବସିଥିଲା ଲୋକ ସିଦ୍ଧାନ୍ତ ହୋଇବେ ।୩୯।ବାଞ୍ଝସ୍ତିରୀଗର୍ଭେ ହୋଇଯିବେ ପୁତ୍ର ଜାତ,ଅରୂପ ବ୍ରହ୍ମର ଭେଦ ଶୁଣିଲେ ଚରିତ୍ର ।୪୦।ଦରିଦ୍ରକୁ ଅଷ୍ଟରତ୍ନ ପରାପତ ହେବ,ଶୂନ୍ୟବ୍ରହ୍ମଙ୍କ ଚରିତ ଯୁଗେ ଯୁଗେ ଥିବ ।୪୧।ମହାପାପୀ ସ୍ୱଦେହରେ ହୋଇବ ମୁକତ,ବ୍ରହ୍ମନିରୂପଣ ଭେଦ ଶୁଣିଲେ ଅରଥ ।୪୨।ମାତାକୁ ହରଣ କରିଥିବ ଯେଉଁ ଲୋକ,ଏ ଗୀତା ଶୁଣିଲେ ତାର କ୍ଷୟ ଯିବ ପାପ ।୪୩।ବ୍ରହ୍ମହତ୍ୟା କରିଥିଲେ କଟିଯିବ ଦୋଷ,ବ୍ରହ୍ମଭେଦ କର୍ଣ୍ଣେ ଯେବେ ହୋଇବ ପ୍ରକାଶ ।୪୪।ସ୍ତିରୀହତ୍ୟା କରିଥିଲେ ହୋଇବ ଉଧାର,ତଦନ୍ତ କରି ବୁଝିଲେ ଦୋଷ ଯିବ ତାର ।୪୫।ବାଳହତ୍ୟା କରିଥିଲେ ପାତକ ଖଣ୍ଡିବ,ମରିଗଲେ ଅନ୍ତକାଳେ ଯମ ନ ଦଣ୍ଡିବ ।୪୬।ଗୋରୁ ହତ୍ୟା କରିଥିଲେ ପାପଯିବ କ୍ଷଏ,ଦାନ ପୁଣ୍ୟ କରିବାକୁ ନ ଥିବ ସଂଶଏ ।୪୭।ଅପରାଧି ହୋଇଥିଲେ କ୍ଷମାହେବ ଦୋଷ,ଗୁରୁହେଲେ ବୋଲିବେ ଏହିଟି ମୋର ଶିଷ୍ୟ ।୪୮।ଶୁଣିଲୁ କି ନିରାକାର ବ୍ରହ୍ମର ମହିମା,ବୁଝି ନ ପାରିଲେ ଭେଦ ପଶ୍ଚାନ୍ତେ କହିବା ।୪୯।ଅରୂପ ବ୍ରହ୍ମଟି ଯୋଗୀମାନଙ୍କର ଭେଖ,ସର୍ପ ପରାଏ ଯୋଗରୁ ଛାଡ଼ୁଛନ୍ତି ଜକ ।୫୦।ମୂର୍ଖ ପଣ୍ଡିତ ହୋଇବ ବୁଝିଲେ ଏ ଭେଦ,ଅନାମବ୍ରହ୍ମରୁ ଆଣ ପ୍ରକାଶିବ ପଦ ।୫୧।ଦୁଷ୍ଟ ହୋଇଥିଲେ ଶାନ୍ତଶୀଳ ହୋଇଯିବ,ସର୍ବକର୍ମ ତେଜି ଏକ ପାଦକୁ ଲଭିବ ।୫୨।ଅଗ୍ୟାନୀ ହୋଇଲେ ଗ୍ୟାନ ପାଇ ତତକ୍ଷଣ,ବ୍ରହ୍ମନିରୂପଣ ଭେଦ ଏମନ୍ତ ବିଧାନ ।୫୩।ଅୠତୁରେ ଚତୁଫଳ ଫଳିବ ପ୍ରତକ୍ଷେ,ଚାଣ୍ଡାଳ ହୋଇଲେ ବେଦ ଉଚ୍ଚାରିବ ମୁଖେ ।୫୪।ବିନାମାଡ଼େ ବାଜିଯିବ ଟମକ ନିଶାଣ,ଦୁଲୁ ଦୁଲୁ ହୋଇ ଗରଜିବ ମହାଟାଣ ।୫୫।ଚାହିଁଦେଲେ ହୋଇଯିବ ସୁବର୍ଣ୍ଣ ମନ୍ଦିର,ଆଗ୍ୟାଁକୁ ରଖିପାରିଲେ ହୋଇବ ଅମର ।୫୬।ଜନ୍ମ ମରଣ ନୋହିବ ଯୁଗେ ଯୁଗେ ଥିବ,ବ୍ରହ୍ମବିନ୍ଦୁ ନାଦହିଁ ପାଷାଣ ପାଲଟିବ ।୫୭।କାୟା ଦୁର୍ବ୍ବଳ ନୋହିବ ପାଇ ଗ୍ୟାନତତ୍ୟୁ,ଯୁଗ ଯୁଗାନ୍ତରେ ଆଉ ନ ବୁଡ଼ିବ ହେତୁ ।୫୮।ମୁଖରୁ ବ୍ରହ୍ମ ଅନଳ ଉଦେ କରି ପାରେ,ଫୁଙ୍କିଦେଲେ ଜଳିଯିବ କଞ୍ଚାକାଷ୍ଠ ଖରେ ।୫୯।ହାଡ଼ି ହୋଇଲେ ବ୍ରାହ୍ମଣ ହୋଇବ ନିଶ୍ଚଏ,କୋଟି ଜନ୍ମ ଦୋଷ ମୁହୂର୍ତ୍ତକେ ଯିବ କ୍ଷଏ ।୬୦।ସୂତାର ବସନ ଛିଡ଼ା କନା ପିନ୍ଧିଥିଲେ,ଝୀନ ପାଟ ହେବ ବ୍ରହ୍ମନିରୂପଣ କଲେ ।୬୧।କବିପଣ ହୋଇଯିବ ପଣ୍ଡିତ ସମାନ,ଅଙ୍ଗେ ବିଜୟେ କରିବେ ବ୍ରହ୍ମନାରାୟଣ ।୬୨।ଚନ୍ଦ୍ରକିରଣ ପରାଏ ବିରାଜିବ ମୁଖ,ବିଦୁ ଝଟକ ପ୍ରାଏ ଦିଶିବ ବ୍ରହ୍ମରୂପ ।୬୩।ସମୁଦ୍ର ଭିତରେ ଅଗ୍ନି ଲାଗିଯାଇ ପାରେ,ମହାଜନ ହୋଇପାରେ ତିନିଭୁବନରେ ।୬୪।ଛିଡ଼ିଗଲା ମୁଣ୍ଡ ଫେରି ଯୋଡ଼ି ହୋଇଯିବ,ବ୍ରହ୍ମନିରୂପଣ ଭାବ ଏମନ୍ତ ସ୍ୱଭାବ ।୬୫।ଉଠିଥିବ ଯେଉଁ ବ୍ରହ୍ମନିରୂପଣ ଧୁନି,ଗୋରୁ ଖୋଜ ପରାଏକ ଦିଶିବ ଏ ଭୂମି ।୬୬।ଯେଣିକି ଚାହିଁଲେ ସବୁ ଦିଶିବ ତିରଣ,ଶକତିରେ ବସିବାକୁ ହୋଇବ ଭାର୍ଜନ ।୬୭।ସାତତାଳ ଜଳେ ମାଡ଼ିଦେଲେ ଉବୁକିବ,ବ୍ରହ୍ମନିରୂପଣ ଯେଉଁଠାରେ ହେଉଥିବ ।୬୮।ସାତ କିଳିଣି କବାଟ ଖଞ୍ଜା ଫିଟିଯିବ,ସାଙ୍କୁଳି ଥିଲେ ଚରଣେ ଖଣ୍ଡ ଖଣ୍ଡ ହେବ ।୬୯।ଡର ଭୟ ଭ୍ରାନ୍ତି ନାହିଁ ଅଭୟ ଭୁବନ,ଯେଉଁଠାରେ ଲାଗିଥିବ ବ୍ରହ୍ମନିରୂପଣ ।୭୦।କ୍ଷୁଧା ତୃଷା ନ ଲାଗିବ ଭୁଞ୍ଜିଲା ପରାଏ,ନାମ ଅରୂପ ବ୍ରହ୍ମ ଯେ ପୂରିଯିବ ଦେହେ ।୭୧।ରୋଗ ବ୍ୟାଧି ଏ ଦେହରୁ ଯାଇପାରେ ଛାଡ଼ି,ପଡ଼ି ଯେବେ ଥିବ ବ୍ରହ୍ମନିରୂପଣ ଧାଡ଼ି ।୭୨।ନିର୍ବୁଦ୍ଧିଆ ଲୋକମାନେ ବୁଦ୍ଧିବନ୍ତ ହେବେ,ବ୍ରହ୍ମନିରୂପଣ ଯେବେ କର୍ଣ୍ଣରେ ଶୁଣିବେ ।୭୩।ଗୃହୀ ସଂସାରୀଏ ହୋଇଯିବେ ବ୍ରହ୍ମୠଷି,ଭେଦ ନିରୂପଣ ଯେବେ ପାଶେ ଥିବ ବସି ।୭୪।ବେଶ୍ୟା ସ୍ତିରୀମାନେ ହେବେ ସତୀ ସୁଲକ୍ଷଣୀ,ନିଶ୍ଚଏ ସତ୍ୟ ଏ ବାବୁ ବ୍ରହ୍ମବାକ୍ୟ ବାଣୀ ।୭୫।ଗ୍ରୀଷମ ଋତୁ ହୋଇଲେ ଶୀତ କରିଯିବ,ବ୍ରହ୍ମନିରୂପଣ ଯେଉଁଠାରେ ହେଉଥିବ ।୭୬।ଉଡ଼ା ଜନ୍ତୁମାନେ ହସ୍ତେ ଧରା ଦେବେ ଆସି,ଅନ୍ଧାର ନିଶିରେ ନିଶ୍ଚେ ଉଇଁଯିବ ଶଶୀ ।୭୭।ଘୃତ ଅଗ୍ନି ହୋଇଯିବେ ଦୁଇ ମଇତର,ବ୍ରହ୍ମନିରୂପଣ ଭେଦ ଶୁଣିଲେ ବିଚାର ।୭୮।ଖଗ ସର୍ପ ହୋଇଯିବେ ବାନ୍ଧବ ପ୍ରମାଣ,ବ୍ରହ୍ମନିରୂପଣ ଭେଦ ଚରିତ୍ର ବଖାଣ ।୭୯।ଅମର ଭୁବନ ବୋଲି ଅଛି ଆର କାହିଁ,ଶୂନ୍ୟ ସ୍ଥାନମାନଙ୍କୁ ବୈକୁଣ୍ଠ ବୋଲି କହି ।୮୦।ଯା ଦେହରେ ଲାଗିଥିବ ପରମ କୀର୍ତ୍ତନ,ସେହି ଏକା କରିପାରେ ବ୍ରହ୍ମନିରୂପଣ ।୮୧।କର୍ଣ୍ଣେ ଶୁଣି ନିରାକାର ମନେ ହେଲେ ତୋଷ,ଗୁରୁଶିଷ୍ୟ ସମ୍ବାଦେ ଭଣିଲେ ଭୀମଦାସ ।୮୨।ଇତି ଶ୍ରୀ ବ୍ରହ୍ମ-ନିରୂପଣ ଗୀତା, ସୁଜନଜନହିତା,ଗୁରୁ-ଶିଷ୍ୟସମ୍ବାଦେ, ବ୍ରହ୍ମଭେଦ କଥନେନାମୋ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଶ୍ରୀ ଗୁରୁଦେବ ଉବାଚଶୁଣ ବାବୁ ନିରାକାର ବ୍ରହ୍ମର ବୃତ୍ତାନ୍ତ,ଆଦ୍ୟ ଅନ୍ତ କରି ତୋତେ କହିବା ସିଦ୍ଧାନ୍ତ ।୧।ଅରୂପ ବ୍ରହ୍ମର କଥା ପଚାରିଲୁ ଯେବେ,ସାବଧାନ ହୋଇ ଶୁଣ କହିଦେବା ଏବେ ।୨।ସତ୍ୟ ତତ୍ତ୍ୱ ଦୃଢ଼ବ୍ରତ ପାରି ଯେବେ କରି,ହେତୁ ଚେତା ଘେନି ସ୍ୱଦେହରେ ଯିବ ତରି ।୩।ଗୋରୁ ଶିଙ୍ଘ ଅଗ୍ରପ୍ରାଏ ତହିଁର ଆସ୍ଥାନ,ତାଳୁକା ଦୁଆର ଶିଖେ ଶିଶୁରନ୍ଧ୍ରେ ମୁନ ।୪।ଫଣୀ ପରେ ମଣି ତହିଁ ନିର୍ଭା ହୋଇଅଛି,ସେ ଭିତରେ ଅଣରୂପ ବ୍ରହ୍ମ ଖେଳୁଅଛି ।୫।ଛେଚିଲେ ନ ଫାଟେ ମଣି ଛେଦିଲେ ନ କାଟେ,ଅଗ୍ନିରେ ନ ପୋଡ଼େ ମଣି ପବନେ ନ ଉଡ଼େ ।୬।ଜଳେ ନ ବୁଡ଼ୁଛି ଗନ୍ଧ ପ୍ରକଟ ନୋହୁଛି,ବଜ୍ରହୁଁ କଠିନ ମଣି ମହା ଆଣ୍ଟେ ଅଛି ।୭।ସେ ମଣିକି ଏକାକ୍ଷର ବ୍ରହ୍ମ ବୋଲି କହି,କବି ବିଚାରକୁ ଭେଦ ଏମନ୍ତ ଦିଶଇ ।୮।ଏକ ଧର୍ମ ଏକ ବ୍ରହ୍ମ ଏକ ଭେଦ ତାର,ସେ ଗର୍ଭରେ ଶୂନ୍ୟ ବ୍ରହ୍ମ କରନ୍ତି ବେହାର ।୯।ଅଣଅକ୍ଷର ଅଲେଖ ପୁରୁଷ ଅଟଇ,ଅନାମ ଅରୂପ ବ୍ରହ୍ମ ତାହାକୁଟି କହି ।୧୦।ମଥା କେଶ ଗୋଟା ଏକ ଚାରିଫାଳ କରି,ତହିଁରୁ ଫାଳେକ ଯେତେ ମୋଟା ସମସରି ।୧୧।ତେଡ଼େ ସରୁ ଅଣରୂପ ବ୍ରହ୍ମର ଶରୀର,ନେତ୍ରରେ ଦିଶୁଛି ନାହିଁ ଦିଶିଲା ପ୍ରକାର ।୧୨।ଆବାଲ୍ୟ ମୂରତି ବ୍ରହ୍ମ ସେହି ଏକା ଅଟେ,ଆସିବା ଯିବା ହେଉଛି କେଶ ମୂଳ ବାଟେ ।୧୩।ଅଲେଖ ବ୍ରହ୍ମର ବାଟ ଊର୍ଦ୍ଧ୍ୱକୁ ଫିଟିଛି,ତାଳୁକା ଦୁଆରେ ଅବକାଶ ହେଉଅଛି ।୧୪।ତହିଁରୁ ଆହୁରି ସରୁ ହେବ ଯାର ଚିତ୍ତ,ଅରୂପ ବ୍ରହ୍ମର ସିନା ହୋଇବ ଭଗତ ।୧୫।ମନକୁ ମୋଟୁଆ କଲେ କାହିଁରେ ପଶିବ,ନିଗମର ଭେଦାଭେଦ କେମନ୍ତେ ଦିଶିବ ।୧୬।ଗ୍ୟାନ ନେତ୍ରେ ଚାହିଁବାକୁ ବଡ଼ାଇ ଦୁର୍ଗମ,ବିବେକ ବୁଦ୍ଧିରେ କେହି ନାହିଁ ଗମାଗମ ।୧୭।ଚିହ୍ନିବି ବୋଇଲେ ଚିହ୍ନା ନ ଦିଏ କାହାକୁ,ନିଗମ ଭିତରେ ହଜି ଯାଇଛି ମନକୁ ।୧୮।ଲେଉଟି ନ ଚାହେଁ ସେ ଯେ ଅପାଲଟ ବ୍ରହ୍ମ,ଥୟରେ ଭେଟିବ ତାଙ୍କୁ ଘେନି କେଉଁ କର୍ମ ।୧୯।ତତ୍ତ୍ୱ ବୁଝି ଆଶ୍ରେ କଲେ ତରିବା ହେଉଛି,ଚାରି ଯୁଗରେ କାହାକୁ ଦେଖା ନ ଦେଉଛି ।୨୦।ସର୍ବଠାରୁ ସାର ବ୍ରହ୍ମ ଅଲଗା ରହିଛି,ଏକୋଇଶ ବ୍ରହ୍ମାଣ୍ଡରୁ ଛଡ଼ାଇ ହୋଇଛି ।୨୧।ଅତି ସୁକୁମାର ବ୍ରହ୍ମ କଷଣ ନ ସହେ,ନିଗମ ଭିତରେ ଶୁଖା ମନ୍ଦିରରେ ରହେ ।୨୨।ମାୟା ଛାୟା ନ ଲାଗଇ ନିଷ୍କାମ ତା ଅଙ୍ଗ,ଏକା ରହିଅଛି କାହିଁ ନୋହେ ସାଥି ସଙ୍ଗ ।୨୩।ଜନ୍ମ ମରଣ ନ ଲାଗେ ଅମର ଅକ୍ଷଏ,ଖୋଲ ପୋଲ ନାହିଁ ନିଦା ଅଟେ ତାଙ୍କ କାଏ ।୨୪।ନିଦ୍ରା ମଇଥୁନ ତାଙ୍କୁ ନ ଲାଗଇ କିଛି,ସଦା ସରବଦା ଉଜାଗରେ ବସିଅଛି ।୨୫।ଏ ପିଣ୍ଡ ବ୍ରହ୍ମାଣ୍ଡ ତାର ଆଗ୍ୟାଁରେ ରହିଛି,ବସିଲାଠାରେ ଅଶେଷ ବ୍ରହ୍ମାଣ୍ଡ ଦିଶୁଛି ।୨୬।କାମନା କଳ୍ପନା ନାହିଁ, ନିଷ୍କାମ ମଉଜ,ରୁଧିର ମାଏଁସ ନାହିଁ ନୋହେ ରଜ ବୀଜ ।୨୭।ଚିନ୍ତା ଅର୍ଥ ନ ଲାଗଇ ଅଚିନ୍ତାରେ ଅଛି,ପିଣ୍ଡ ବ୍ରହ୍ମାଣ୍ଡକୁ କୃପାନେତ୍ରରେ ଚାହିଁଛି ।୨୮।ଅଖଣ୍ଡିତ ବ୍ରହ୍ମ ସେ ଯେ ଗୋଟା ହୋଇଅଛି,କିଛି ଊଣା ନାହିଁ ତାର ପୂର୍ଣ୍ଣ ରହିଅଛି ।୨୯।ଶୂନ୍ୟ ମହାଶୂନ୍ୟ ବୋଲି ତାହାକୁଟି କହି,ତାଙ୍କ ଉପରକୁ ଆଉ ବଡ଼ ନାହିଁ କେହି ।୩୦।ସେହିଟି ପୃଥୀର ଚୂଳ ସମସ୍ତଙ୍କ ବଡ଼,ଆପେ ଆପଣେ ଗଢ଼ିଣ ହୋଇଛି ନିବାଡ଼ ।୩୧।ଯୋନିରେ ଜନମ ନୋହେ ଗର୍ଭରେ ନ ରହେ,ସମସ୍ତ ଗଢ଼ିଛି, ତାଙ୍କୁ ଗଢ଼ି ନାହିଁ କିଏ ।୩୨।ଭେଦ କଲେ ମହାଭିଡ଼ ପଦହିଁ ନିଗୁଢ଼,ଅର୍ଥ ସମ୍ପାଦ ନ ଲାଗେ ଅତି ମହାଗାଢ଼ ।୩୩।ସେହି ସେ ସାକ୍ଷାତେ ବ୍ରହ୍ମ ବ୍ରହ୍ମାଣ୍ଡର ମେରୁ,ଛପନାକୋଟି ଜୀବର ଅଟନ୍ତି ସେ ଗୁରୁ ।୩୪।ମୁକତି ପସରା ଗୋଟି ଅଛି ତାର ତହିଁ,ଆଦ୍ୟନ୍ତରୁ ଅମନ ମନ୍ଦିରେ ଅଛି ଥୋଇ ।୩୫।ଅବ୍ୟଗତ ବ୍ରହ୍ମ ସେ ଯେ ବଚନ ନ କହେ,ନିଜ ଶକତି ତାହାର କାହାକୁ ନ ଦିଏ ।୩୬।ପାରୁଶରେ ରହିବାକୁ ସ୍ଥାନ ଆଉ ନାହିଁ,ଆସ୍ଥାନ ଖଣ୍ଡିଏ ଏକା ଅଛି ତାଙ୍କ ପାଇଁ ।୩୭।ସୂଚିମୁନ ଅଗ୍ରେ ତହିଁ କେମନ୍ତେ ରହିବ,ଦ୍ୱିତୀୟ ଜନକୁ ଆଉ କାହିଁ ଅଛି ଠାବ ।୩୮।ନିରାକାର ଉବାଚବୋଇଲେ ସେ ନିରାକାର ଶୁଣ ଗୁରୁଦେବ,କେଉଁଠାରେ ଥାଇ ସେବା ଭଗତି ଖଟିବ ।୩୯।ଯାହା ଆଗ୍ୟାଁହେଲା ସ୍ୱାମୀ ବ୍ରହ୍ମର ତଦନ୍ତ,ଆଶ୍ଚର୍ଯ୍ୟ ଲାଗିଲା ମୋତେ ଶୁଣି ଏ ସିଦ୍ଧାନ୍ତ ।୪୦।ଆଉ ଜଣେ ରହିବାକୁ ନାହିଁ ଯେବେ ଠାବ,ସେ ବ୍ରହ୍ମର ମନ୍ଦିରକୁ କି ପ୍ରକାରେ ଯିବ ।୪୧।ଗଲେ କାହିଁ ଉଭା ହୋଇ କରିବ ଦର୍ଶନ,ଦୁଖ ସୁଖ ଜଣାଇ କି ମାଗିବ ଶରଣ ।୪୨।କେଉଁଠାରେ ବସି ମଞ୍ଚାଳିବ ପଦ୍ମପାଦ,ବ୍ୟକତ କରାଇ କେହୁ ପଚାରିବ ପଦ ।୪୩।ଅନହତ ଧୁନି ତାଙ୍କ କେହୁ ଜଣାଇବ,ଅବକାଶ ବେଳେ କେହୁ ପାରୁଶରେ ଥିବ ।୪୪।ଅଜାତ ଭୁବନ ସେ ଯେ ଆତଯାତ ନାହିଁ,କେମନ୍ତ ପ୍ରକାରେ ଦେହ ଆସୁଛନ୍ତି ବହି ।୪୫।କିଳିଣି କବାଟ କେହୁ ଦିଏ ସେ ମନ୍ଦିରେ,ଆଗ୍ୟାଁବର୍ତ୍ତୀ ହୋଇ କେହୁ ଥାଇ ଶ୍ରୀଛାମୁରେ ।୪୬।ଶୟନ ଆସନ ତାଙ୍କୁ କେହୁ ଶେଯାଉଛି,ଲିପା ପୋଛା କରି କେହୁ କୋଠା ଖରକୁଛି ।୪୭।ଶ୍ରୀଗୁରୁଦେବ ଉବାଚସେ ଠାବରେ ସେବା ଭାବ ଭକତି ନ ସ୍ମରେ,ଛଡ଼ାଇ ହୋଇ ସେ ବ୍ରହ୍ମ ରହିଛି ନିରୋଳେ ।୪୮।ଦର୍ଶନ ଶରଣ ନାସ୍ତି ସେ ମନ୍ଦିରେ ସିନା,ଆଦ୍ୟନ୍ତରୁ ଛଡ଼ାଇ କରିଛି ସବୁ ମନା ।୪୯।ଧରି ନ ପାରନ୍ତି କେହୁ ଅମୂଲ୍ୟ ରତନ,ନିର୍ଗୁଣ ନୁହଇ ବ୍ରହ୍ମ ମହାନିରିଗୁଣ ।୫୦।ଚାରିଯୁଗ ଯୁଗାନ୍ତରେ ଯାଇ ନାହିଁ କେହି,ଅର୍ଦ୍ଧାଙ୍ଗ ପରେ ଯେ ମରୁଛନ୍ତି ବଣା ହୋଇ ।୫୧।ମହା ଅନ୍ଧକାର ପଥ ଅଲେଖ ଭୁବନ,ଉପରକୁ ଦିଶଇ ସେ ଧୂର୍ମମଏ ବ୍ରହ୍ମ ।୫୨।କର୍ଣ୍ଣେ ନ ଶୁଣିଲା କଥା ନେତ୍ରେ ନ ଦେଖିଲା,ଠାବେ ଠାବେ କବାଟ ଲାଗିଛି ଅନର୍ଗଲା ।୫୩।ସେ ରୂପକୁ ବର୍ଣ୍ଣିବାକୁ ବହୁତ କଠିଣ,ଅକ୍ଷର ନ ବସେ ଯହିଁ ନ ସ୍ଫୁରେ ବଚନ ।୫୪।କିସ ମୁଁ କହିବି ବାବୁ ତହିଁର ବିଧାନ,ସୁଦୟା ହୋଇଲେ ଏକା ଫିଟିବ ପ୍ରସନ୍ନ ।୫୫।ଆଗ୍ୟାଁ କରି କହିଲେ ଦିଶିବ ବ୍ରହ୍ମ କଥା,ଚାରିଯୁଗେ ମୁନିଗଣେ ହୋଇଛନ୍ତି ଥୋତା ।୫୬।ଅନେକ ପ୍ରକାରେ ବେଦଶାସ୍ତ୍ରମାନ କଲେ,ଅରୂପ ବ୍ରହ୍ମର ଅନ୍ତ କେହି ନ ପାଇଲେ ।୫୭।ବ୍ରହ୍ମ ବ୍ରହ୍ମ ବୋଲିବାର ସମସ୍ତେ ଜାଣନ୍ତି,ଭେଦାଭେଦ କରି କେହୁ ତତ୍ତ୍ୱ ନ ଜାଣନ୍ତି ।୫୮।କର୍ମାଧି ପଥରେ ସର୍ବେ ଆତଯାତ ହେଲେ,ଅଲେଖ ପୁରୁଷ ସ୍ୱାମୀ ନିର୍ବେଦେ ରହିଲେ ।୫୯।ଶୂନ୍ୟ ବୋଲିବାକୁ ସର୍ବେ ଗଲେ ଅପସରି,କିଛି ନ ଦିଶନ୍ତେ ପଳାଇଲେ ଭୟ କରି ।୬୦।ଅମନ ମନ୍ଦିର ସେ ଯେ ନ ଲାଗଇ ମନ,ନ ଥିଲା ପରାଏ ପୁର ଦିଶୁଅଛି ଶୂନ୍ୟ ।୬୧।ଯାକୁ ଦୟା ହେବ ଅସାଧନାରେ ଦେଖିବ,ଅନୁମାନ ଅନୁଭବ ପଥରେ ଦିଶିବ ।୬୨।ଲୋଡ଼ିଲେ ସିନା ପଦାର୍ଥ ହସ୍ତକୁ ଆସଇ,ନ ଲୋଡ଼ିଲେ ଦାଣ୍ଡେ ପଡ଼ିଥିଲେ ନ ଦିଶଇ ।୬୩।ଚୋରଙ୍କ ପରାଏ ଲୁଚିଅଛି ନିରନ୍ତରେ,ଆସିବା ଯିବା ହେଉଛି ଭିତର ଭିତରେ ।୬୪।ବହୁତ ଚତୁରେ ଅଛି ନ ଦେଉଛି ଧରା,ଝଲକି ଦିଶୁଛି ସେହି ବିଦୁଝଟ ତୋରା ।୬୫।ନେତ୍ର ଲିଭିଯିବ ବ୍ରହ୍ମରୂପକୁ ଚାହିଁଲେ,ପ୍ରସନ୍ନ ହୋଇବେ ମହାଭକ୍ତକୁ ଦେଖିଲେ ।୬୬।ନିରାକାର ଉବାଚକେମନ୍ତ ପ୍ରକାରେ ବ୍ରହ୍ମ ହେଉଛି ପ୍ରସନ୍ନ,ସଂଶୟ ଫେଡ଼ିଣ ମୋତେ କହ ନାରାୟଣ ।୬୭।ତୁମ୍ଭେ ତ ମୋହର ଗୁରୁ ମୁହିଁ ତୁମ୍ଭ ଶିଷ୍ୟ,କେମନ୍ତେ ବିହରୁଛନ୍ତି ସେ ବ୍ରହ୍ମପୁରୁଷ ।୬୮।କିସ ଜାତୁ ମାତୁ ତାର କିସ ଆଦି ଅନ୍ତ,କି ପ୍ରକାରେ କ୍ଷରାକ୍ଷର କେବଣ ବୃତ୍ତାନ୍ତ ।୬୯।ତତ୍ତ୍ୱ ବ୍ରହ୍ମବାଣୀମତେ କହ ସାରସ୍ୱତ,ଶୂନ୍ୟବ୍ରହ୍ମ ନିରୂପଣ ଶ୍ରୀମୁଖେ ଭଗତ ।୭୦।ନ କହିଲେ ନ ଛାଡ଼ିବି ପଚାରୁଣ ଥିବି,ଗୁରୁ ଶ୍ରୀପୟରେ ପଛେ ଅପରାଧୀ ହେବି ।୭୧।ଏତେ ବୋଲି ନିରାକାର ଶିରେ ଯୋଡ଼ି କର,ସାଷ୍ଟାଙ୍ଗେ ପ୍ରଳମ୍ବ କରି ଶ୍ରୀଗୁରୁ ପୟର ।୭୨।ଭାବଗଦଗଦେ ନେତ୍ରୁ ଅଶ୍ରୁ ଧାରା ବହେ,ପୁନ ପୁନ ପ୍ରଳମ୍ବିତ କରି ଗୁରୁ ପାଏ ।୭୩।ମହିମାସାଗର କଥା ଶୁଣ ସାଧୁଜନ,ଅତି ମହାଗାଢ଼ କଥା ବ୍ରହ୍ମନିରୂପଣ ।୭୪।ଭାବିଲେ ଭଜିଲେ ହୋଇଯିବଟି ସିଦ୍ଧାନ୍ତ,ଭେଦିଲେ ସୁଗ୍ୟାନୀ ହେବ ପଢ଼ିଲେ ପଣ୍ଡିତ ।୭୫।ଶୂନ୍ୟବ୍ରହ୍ମ ଘର ପଦ କରିଅଛି ଯୁକ୍ତ,ଦୋଷ ନ ଧରିବ ମୋର ସୁଗ୍ୟଁ ସାଧୁ ସନ୍ଥ ।୭୬।ମହିମା ବ୍ରହ୍ମମଣ୍ଡଳୁ ଛାଣି ଆଣି ପଦ,ଅଣଶବଦେ ଶବଦ ବସାଇଛି ଭେଦ ।୭୭।ଜଣାନନ୍ଦ ନିରାକାର ଦୁହିଁଙ୍କ ସମ୍ୱାଦ,ବ୍ରହ୍ମଗ୍ୟାନୀ ଯୋଗିମାନେ ଅନୁମାନେ ଭେଦ ।୭୮।ଏକବ୍ରହ୍ମ ପାଦବିନ୍ଦ ହୃଦୟରେ ଗୁଣି,ବ୍ରହ୍ମ-ନିରୂପଣ-ଗୀତା ଭୀମଦାସ ଭଣି ।୭୯।ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,ଶ୍ରୀ ଗୁରୁଶିଷ୍ୟସମ୍ୱାଦେ, ବ୍ରହ୍ମନିରୂପଣ ବର୍ଣ୍ଣନେ,ଭେଦାଭେଦକଥନେ, ଚରିତକଥନେନାମ ତୃତୀୟୋଽଧ୍ୟାୟଃ ।
ସମ୍ବନ୍ଧିତ ରଚନା
ପଦ୍ମକଳ୍ପ
ଭୀମ ଭୋଇ
ସ୍ତୁତି ଚିନ୍ତାମଣି
ଭୀମ ଭୋଇ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି