ବ୍ରହ୍ମନିରୂପଣ ଗୀତା
ଭୀମ ଭୋଇ · ଭାଗ ୮ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ତ୍ରୟୋଦଶ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଇଲେ ଶୁଣିମା ବ୍ରହ୍ମବେତ୍ତା,ଯାହା ଆଗ୍ୟାଁ ହେଲା ସ୍ୱାମୀ ଅଗୋଚର କଥା । ୧ ।ଉଚିତ ପ୍ରମାଣ କଥା ସତ୍ୟ ଏ ବଚନ,ଗୁରୁପାଦ ଧରି ପ୍ରଳମ୍ବିତ ପୁଣ ପୁଣ । ୨ ।ଭୋ ଗୁରୁ ବିନତି ମୋର ଘେନିବାର ହେଉ,ମନରୁ ସଂଶୟ କଥା ଦୂର ମୋର ଯାଉ । ୩ ।ଉତ୍ତମ କଥାଏ ଆସି ପଡ଼ିଲା ମୋ ମନେ,ଆଗ୍ୟାଁ ହେଲେ ପଚାରିବି ଶ୍ରୀଗୁରୁ ଚରଣେ । ୪ ।ଏ ଶରୀର ହଂସମାନଙ୍କର କି କି ନାମ,ବିସ୍ତାରି କହିବା ମୋତେ ନ କରିବା ତମ । ୫ ।ଶ୍ରୀଗୁରୁ ମୁଖରୁ ଶୁଣି ମନେ ପ୍ରତେ ଯିବ,ଏ ସଂଶୟ ତୁମ୍ଭ ବିନୁ ଆନ କେ କହିବ । ୬ ।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,ବୁଝାଇ କହିବା ହଂସମାନଙ୍କ ସଞ୍ଚାର । ୭ ।ହ ଅକ୍ଷର ଗୋଟିଏକ ହଂସ ବୋଲି କହି,ପାଣି ପବନ ସର୍ବାଙ୍ଗେ ଅଙ୍ଗରେ ଖେଳଇ । ୮ ।ହାଉ ହାଉ ମନ୍ଦିର ସେ ଅଗ୍ନି ବିରାଜିତ,ତେଣୁ ଅଙ୍ଗରେ ପୂରିଛି ଉଷୁମ ତପତ । ୯ ।ସ ଅକ୍ଷରଟି ଅଟେ ଗୋଟିଏ ସେ ହଂସ,ଚେତା ଚମକୁ ତ ଥାଏ ଅଙ୍ଗକୁ ପରାସ । ୧୦ ।ଶବଦର ଘର ତହିଁ ଆବୋରିଛି ଚେତା,ଅସ୍ଥି ମାଂସ ରୋମ ଚର୍ମେ କରେ ତେଣୁ ବ୍ୟଥା । ୧୧ ।ପଅ ଅକ୍ଷରଟି ଗୋଟାଏକ ହଂସ କହି,ପାଣି ପବନ ସର୍ବାଙ୍ଗେ ଅଙ୍ଗରେ ଖେଳଇ । ୧୨ ।ତେଣୁକରି ପବନଟିଏ ଏ ଦେହେ ଖେଳୁଛି,ସମୁଦ୍ରରେ ଗଙ୍ଗା ପ୍ରାଏ ଶରୀରେ ବୁଲୁଛି । ୧୩ ।ରାଆ ଅକ୍ଷରଟି ରାଜହଂସ ବୋଲାଉଛି,ରାଆର ମଣ୍ଡଳୁ ତୁଣ୍ଡ ବଚନ ଫିଟୁଛି । ୧୪ ।ରାଆ ଶବଦୁ ହେଉଛି ରାମ ନାମ ପଦ,ତେଣୁକରି ନାମ ରାଶି ଜନ୍ମରେ ସମ୍ପାଦ । ୧୫ ।ହ ଅକ୍ଷର ମନ୍ଦିରଟି ଅଗ୍ନିମଏ ତେଜ,ଅରୁଣ ପରାଏ ତହୁଁ ପେଲୁଅଛି ଝାଞ୍ଜ । ୧୬ ।ସଅ ଅକ୍ଷର ମଣ୍ଡଳ ଅତ୍ୟନ୍ତ ଶୀତଳ,ହସ୍ତ ଦୃଷ୍ଟି ନ ଗମଇ ପାଣିରୁ ପାତଳ । ୧୭ ।ପ ଅକ୍ଷର ମଣ୍ଡଳ ଶିଶିର ହେମମଏ,ଜାଜୁଲ୍ୟ ହେମାଳ ଭୂମି ରହି ନୋହେ ଘାଏ । ୧୮ ।ରା ଅକ୍ଷର ମଣ୍ଡଳଟି ସର୍ବଦା ଶୀତଳ,ଘୁ ଘୁ ଘୁ ଘୁ ଶବଦ ଶୁଭୁଛି କୋଳାହଳ । ୧୯ ।ଶୁଣିଲୁ କି ନିରାକାର ହଂସର ଚରିତ୍ର,ନ ବୁଝି ପାରିଲେ ଅର୍ଥ ବହୁତ ବିଚିତ୍ର । ୨୦ ।ନିରାକାର ଉବାଚନିରାକାର ବୋଇଲେ ଶୁଣିମା ସଦଗୁରୁ,ଆହୁରି କଥାଏ ଆଗ୍ୟାଁ ହେଉ ଶ୍ରୀମୁଖରୁ । ୨୧ ।ଶୂନ୍ୟ ଶୂନ୍ୟ ମହାଶୂନ୍ୟ କାହାକୁଟି କହି,ତିନିଥରେ ତିନି ଗୋଟି ଶବଦ ବସଇ । ୨୨ ।ନିର୍ବେଦ ବୋଲିବା କଥା କେମନ୍ତ ଶବଦ,ବୁଝାଇ କହିବା ମୋତେ ତତ୍ତ୍ୱ ଭେଦାଭେଦ । ୨୩ ।ନିଷ୍କାମ ବୋଲିବା କଥା କେମନ୍ତ ବିଧାନ,ଏହା ମୋତେ ପ୍ରସନ୍ନେ କହିବା ନାରାୟଣ । ୨୪ ।ଅରୂପ ବ୍ରହ୍ମଶବଦ ବୋଲିବା କି ହେତୁ,ଏ ସନ୍ଦେଶ ବୁଝାଇ କହିବା ଗ୍ୟାନ ତତୁ । ୨୫ ।ଅନାମିକା ବୋଲିବାର କେବଣ ବିଭୂତି,ଅନାମ ବୋଲିବା ପଦ କିସ ଆଦି ରୀତି । ୨୬ ।ଅକ୍ଷଏ ବୋଲିବା ପଦ କେମନ୍ତ ସ୍ୱଭାବ,ଏହା ମୋତେ ପ୍ରସନ୍ନେ କହିବା ଗୁରୁଦେବ । ୨୭ ।ସଗୁଣ ନିର୍ଗୁଣ ବୋଲିବାର କଉଁ ବିଧି,ଏହା ମୋତେ ବିଚାରି କହିବା ଗ୍ୟାନ ସିଦ୍ଧି । ୨୮ ।ନିଗମ ଦୁର୍ଗମ ବୋଲି କେମନ୍ତ ପରାଏ,ଏକଥା ଶୁଣି ମୋ କର୍ଣ୍ଣେ ମନେ ବଡ଼ ଭଏ ।୨୯।ଗୁରୁ ସ୍ୱାମୀ ବୋଲିବାର ଶବଦ ତା କିସ,ଏହା ମୋତେ ଆଗ୍ୟାଁ ହେଉ ହେ ବ୍ରହ୍ମପୁରୁଷ ।୩୦।କର୍ତ୍ତା ପ୍ରଭୁ ବୋଲିବାର କେବଣ ବୃତ୍ତାନ୍ତ,ବୁଝାଇ କହ ଏଥିର କାରଣ ସିଦ୍ଧାନ୍ତ ।୩୧।ଅଲେଖ ମହିମା ବୋଲିବାର କେଉଁ ହେତୁ,ଏହା ମୋତେ ବୁଝାଇ କହିବା ଜାତୁ ମାତୁ ।୩୨।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,ବୁଝାଇ କହିବା ତିନି ଶୂନ୍ୟର ବିଚାର ।୩୩।ଠୁଳ ଶୂନ୍ୟ ପୁରକୁ ଶୂନ୍ୟେକ ବୋଲି କହି,ବାବୁ ନିରାକାର ତୋର ଭୁବନ ଅଟଇ ।୩୪।ମହାନିତ୍ୟ ଭୁବନ ଶୂନ୍ୟେକ ବୋଲି କହି,ସେ ଶୂନ୍ୟରେ ରହିଛନ୍ତି ମହିମା ଗୋସାଇଁ ।୩୫।ତହିଁ ଉପରକୁ ଅଛି ଅଲେଖ ଭୁବନ,ଦ୍ୱିତୀୟ ଶୂନ୍ୟରୁ ଗୋଟେ ବୋଲାଉଛି ଶୂନ୍ୟ ।୩୬।ଗୁରୁ ବୋଲିବାର କଥା ପଚାରିଲୁ ଯାହା,ଶୁଣ ନିରାକାର ତୁ ହୋ ଚତୁର୍ଦ୍ଧାତା ବାହା ।୩୭।ଗଅ ଅକ୍ଷରଟି ଯେହୁ ଆଗ୍ୟାଁଟି ଗରିଷ୍ଟ,ନ ପାଳି ପାରିଲେ ତାଙ୍କୁ ପଡ଼ୁଥାଇ ରିଷ୍ଟ ।୩୮।ରଅ ଅକ୍ଷରଟି ରକ୍ଷାରକ୍ଷଣ ସେ ପଦ,ବଚନ ଅବଗ୍ୟାଁ କଲେ ପଡ଼ଇ ପ୍ରମାଦ ।୩୯।ପ୍ରଭୁ ବୋଲିବାର ପଦ ପ୍ରାଣଟି ଅଟଇ,ଘଟରୁ ଜୀବ ଛାଡ଼ିଲେ ପ୍ରାଣ ନାଶ ଯାଇ ।୪୦।କ୍ଷଅ ଅକ୍ଷରଟି ଯେହୁ ପରମ ପୁରୁଷ,ଛଡ଼ାଇ ହୁଅନ୍ତେ ଜୀବ ଭବେ ଗଲା ନାଶ ।୪୧।ଉଅ ଅକ୍ଷରଟି ଯେହୁ ଭୂତାନ୍ତ ଭବିଷ୍ୟ,ନ ଚିନ୍ନି ପାରିଲେ କାଳ ଭୟ କରେ ନାଶ ।୪୨।ସ୍ୱାମୀ ବୋଲିବାର କଥା ଶୁଣ ନିରାକାର,ବୁଝାଇ କହିବା ତୋତେ ତହିଁର ବିଚାର ।୪୩।ସଅ ଅକ୍ଷରଟି ଯେହୁ ସତ୍ୟବାଦୀ ଅଟେ,ନ ଧରି ପାରିଲେ କାଳ ମରଣହିଁ ଘୋଟେ ।୪୪।ନିଷ୍କାମ ବୋଲିବା ପଦ ଶୁଣ ବାବୁ ତୁହି,ଭିନ୍ନ ଭିନ୍ନ କରି ତୋତେ କହି ଦେବା ଫେଇ ।୪୫।ନିଅଁ ଅକ୍ଷରଟି ଯେହୁ ସାକ୍ଷାତେ ସେ ନାମ,ନିରୋଳାରେ ଥାଇ ନ ଲାଗଇ କାଳ ଯମ ।୪୬।ସ୍କାଆ ଅକ୍ଷରଟି ଯେହୁ କାମନା ଅନଙ୍ଗ,କାମନା ଦେହରେ ନାମ ହୋଇଥାଇ ସଙ୍ଗ ।୪୭।ଅଗ୍ନିର ଭିତରେ ଅଗ୍ନି ପଡ଼ିଲେ କି ପୋଡ଼େ,ଅଗ୍ନି କି ଅଗ୍ନି ସରୂପ ଖାଇବ କି ଦାଢ଼େ ।୪୮।ସେହି ରୂପେ ନିଷ୍କଳଙ୍କ ହୋଇଛନ୍ତି ସ୍ନେହ,ଲିଙ୍ଗେ ବ୍ରହ୍ମ ପଶିଯାନ୍ତେ ଲାଗିବ କି ମୋହ ।୪୯।ଜଳର ଭିତରେ ମୀନ ମରଇ କି ବୁଡ଼ି,ସେହି ରୂପେ ନିଷ୍କାମ ବ୍ରହ୍ମର ନିଅଁ ଧାଡ଼ି ।୫୦।ମୃତ୍ତିକା ପାଷାଣ ନୁହେଁ ଏକଠାରେ ରହି,ମାଟି ସଙ୍ଗେ ପଥର କି ଯିବ ମାଟି ହୋଇ ।୫୧।ସେହି ରୂପେ ନିଷ୍ଠା ବ୍ରହ୍ମ କାମନା ଭିତରେ,ଅକଳ୍ପଣାରୁ ସେ ମାୟା ନ ଭେଦେ ଅଙ୍ଗରେ ।୫୨ନିର୍ଗୁଣ ବୋଲିବା କଥା ଶୁଣ ଆଦିକନ୍ଦ,ବୁଝାଇ କହିବା ତୋତେ ତାର ଭେଦ ବନ୍ଧ ।୫୩।ନିର୍ଗୁଣ ବ୍ରହ୍ମଟି ଗୁଣ ଭିତରରେ ଥାଇ,ଗାୟନ କରନ୍ତେ ଯଶ ପରା ରସ ପାଇ ।୫୪।ଗୁଣ ପାଶେ ନିଅଁ ଶବ୍ଦ ଯେ ଚିହ୍ନି ପାରିବ,ନିରାଧାର ପ୍ରଭୁଙ୍କୁ ସେ ଦର୍ଶନ କରିବ ।୫୫।ନିର୍ବେଦ ବୋଲିବା କଥା ପଚାରିଲୁ ମୋତେ,ସାବଧାନ ହୋଇ ଶୁଣ କହଇ ମୁଁ ତୋତେ ।୫୬।ନିଗମ ବ୍ରହ୍ମଟି ଯେହୁ ବେଦାନ୍ତରେ ଥାଇ,ନ ଚିହ୍ନି ପାରିବ ଯେବେ ଶାହାସ୍ରେ ଭୁଲଇ ।୫୭।ବେଦରେ ନିରୋଳା ରୂପେ ଥାଇ ଯେଉଁ ବ୍ରହ୍ମ,ବେଦ ତତ୍ତ୍ୱକୁ ନ ଚିହ୍ନି କରୁଥାନ୍ତି କର୍ମ ।୫୮।ତେଣୁ କରି ଭ୍ରମ ହୁଏ ସବୁଙ୍କର ଚିତ୍ତ,ବେଦର ତତ୍ତ୍ୱଟି କେହି ନ ପାବନ୍ତି ଅନ୍ତ ।୫୯।ଅକ୍ଷଏ ବୋଲିବା କଥା ଶୁଣ ଠୁଳବାସୀ,ତତ୍ତ୍ୱ ବୋଧ କରି ତୋତେ କହିବା ବିଶ୍ୱାସି ।୬୦।ଓ ଓ ପାଶେ କ୍ଷମା ମାତ୍ରା ବସିଅଛି ଯେଣୁ,କ୍ଷରାକ୍ଷର ନାହିଁ ତହିଁ ଅଣାକ୍ଷର ତେଣୁ ।୬୧।ଅଲେଖ ମହିମା ପଦ ପଚାରିଲୁ ମୋତେ,ଛଡ଼ ଗୋଟା ଅକ୍ଷର ଭେଦାନ୍ତ ଅଦଭୁତେ ।୬୨।ଅ ଅ ଲ ଲ ଖ ଖ କ୍ଷର ଯେ ଅର୍ଥ କରିବ,ଶରଣ ମାଗି ତା ପଦ୍ମ ପାଦରେ ନମିବ ।୬୩।ମ ମ ହି ହି ମା ମା କ୍ଷର ଯେ ଦେବ ଚିହ୍ନାଇ,ପ୍ରତେ ଯିବୁ ତାର ପାଦେ ଖଟିଥିବୁ ତୁହି ।୬୪।ଛଡ଼ ଗୋଟା କ୍ଷର ଯେହୁ ପରଚେ କରିବ,ମହିମା ଭଜିବା ତାର ସୁଫଳ ହୋଇବ ।୬୫।କେତେ ପ୍ରାଣୀ ନାମ ବୋଲୁ ଅଛନ୍ତି କି ନାହିଁ,କର୍ଣ୍ଣେ ଶୁଣିଲା ମାତ୍ରକେ ଜୀବ କି ତରଇ ।୬୬।ଚିହ୍ନି ପାରିଲେ ତାହାଙ୍କୁ ମୁକତି ପାଇବ,ନୋହିଲେ ଲେଉଟି ଫେରି ଯମ ଭାଗେ ହେବ ।୭୭।ମହିମା ବୋଲିବା କଥା ସମସ୍ତେ ଜାଣନ୍ତି,ନିଜ ମହିମାର ଅନ୍ତ କେହି ନ ଜାଣନ୍ତି ।୬୮।କେହୁଣି ଠାବରେ ନାହିଁ ସବୁଠାରେ ଥାନ୍ତି,ଆତ୍ମା ଗ୍ୟାଁନୀ ଭକ୍ତଙ୍କୁ ସେ ଦୃଶ୍ୟ ହୋଇଛନ୍ତି ।୬୯।ଶୁଣୁଥିଲୁ କି ନିରାକର ଚରିତ୍ର ବିଧାନ,ଲତା ପ୍ରାଏ କଥା କେତେ କରିବା ଆଧ୍ୟାନ ।୭୦।ଆହୁମ୍ବ କଥାଏ ତୋତେ କହିଦେବା ବାଛି,ମନକୁ ତୋହର ଯେବେ ପ୍ରତେ ନ ପାଉଛି ।୭୧।ଗୁରୁ ବୋଲି ଉଚ୍ଚାରନ୍ତେ ଆଗ୍ୟାଁ ବୋଲାଇଲା,ଆତ୍ମା ଭେଦି ଭଗତଙ୍କୁ ହିତାନ୍ତ ବୋଇଲା ।୭୨।ସ୍ୱାମୀ ବୋଲି ବଖାଣନ୍ତେ ଗଲା ଶୂନ୍ୟ ହୋଇ,ବର୍ଦ୍ଧ ଆକାଶେ ଚାହିଁଲେ କିଛି ନ ଦିଶଇ ।୭୩।ପ୍ରଭୁ ବୋଲିବାକୁ ସେହୁ ପାଶେ ନ ରହିଲା,ଅରୂପ ବୋଲନ୍ତେ ରୂପ ରେଖ ନ ଦିଶିଲା ।୭୪।ନିର୍ଗୁଣ ବୋଲନ୍ତେ ହେଲା ଗିରି ପ୍ରାଏ ବୋଝ,ଅଗ୍ୟାଁନୀମାନେ ବୋହନ୍ତେ ହେଲା ଅଣଶଯ ।୭୫।ସୁଗ୍ୟାନୀମାନଙ୍କୁ ହୁଏ ଫୁଲମାଳ ପ୍ରାଏ,ସେ ବ୍ରହ୍ମକୁ କରି ସେ ପାରନ୍ତି ଆଏ ବଏ ।୭୬।ନିର୍ବେଦ ବୋଲନ୍ତେ ତାଙ୍କୁ ନ ବସିଲା କ୍ଷର,ଅଦଭୁତେ ଯୁକ୍ତହେଲା ଶୂନ୍ୟର ଆକାର ।୭୭।ନିର୍ଗୁଣ ବୋଲନ୍ତେ ତାଙ୍କୁ ଗୁଣ ନ ଲାଗଇ,ରଜ ବୀଜରୁ ସେ ପ୍ରଭୁ ବାହାର ଅଟଇ ।୭୮।ଅକ୍ଷଏ ବୋଲନ୍ତେ ତାର କ୍ଷୟ ବୃଦ୍ଧି ନାହିଁ,ଅପାଲଟ ବ୍ରହ୍ମ ସେ ଯେ ପାଲଟ ନୁହଇ ।୭୯।ନିଷ୍କାମ ବୋଲନ୍ତେ ତାଙ୍କୁ ନିର୍ମଳ ହୋଇଲା,ମାୟା ମୋହରେ ନ ପଶି ନିଶ୍ଚିନ୍ତେ ରହିଲା ।୮୦।ଅନାମ ବୋଲନ୍ତେ ତାର ନାମ ରାଶି ନାହିଁ,ରୂପରେଖ ଧରି ଆକାଶକୁ ଉଡ଼ି ଯାଇ ।୮୧।ଶୁଣିଲୁ କି ନିରାକାର ବ୍ରହ୍ମର ନିର୍ଣ୍ଣୟ,ଏ ଘଟ ଭିତରେ ତୋର ଭେଦ କର ଥୟ ।୮୨।ନିରାକାର ଉବାଚନିରାକାର ବୋଇଲେ ଶୁଣିମା ଗୁରୁସାଇଁ,ଜୀବ ଆତ୍ମା ନିଜ ସ୍ଥାନ କେମନ୍ତ ଅଟଇ ।୮୩।ପରମର ନିଜସ୍ଥାନ କେମନ୍ତ ପ୍ରକାର,ଭୋ ସ୍ୱାମୀ ଶ୍ରୀଗୁରୁ ଶ୍ରୀମୁଖରେ ଆଗ୍ୟାଁ କର ।୮୪।ଶ୍ରୀ ଗୁରୁଦେବ ଉବାଚଶୁଣ ବାବୁ ନିରାକାର ଆତ୍ମାର ବିଚାର,ଜୀବ ନିଜ ସ୍ଥାନ ଘର ଯେମନ୍ତ ପ୍ରକାର ।୮୫।କାଚ ଘଡ଼ି ଭିତରେ ଯେ ପୂରିଥାଇ ଜଳ,ଯେତେ ସୀମାନ୍ତରୁ ଥାଇ ଦିଶେ ଢଳହଳ ।୮୬।ସେହିରୂପେ ଜୀବଆତ୍ମା ଏ ଘଟରେ ଅଛି,ଜୀବ ନିଜ ସ୍ଥାନେ ଜଳ ବୁନ୍ଦେ ଆକ୍ରୋଶିଛି ।୮୭।ସେ ଭିତରେ ଜୀବ ଆତ୍ମା ଅଛି ମୀନ ପ୍ରାଏ,ଜଳ ପଙ୍କ ହଦହିଁ ନ ଲାଗେ ତାଙ୍କ କାଏ ।୮୮।ପାଣିର ଫୋଟକା ପ୍ରାଏ ତହିଁର ଆକାର,ସେହି ସ୍ଥାନେ ଜୀବ ଆତ୍ମା କରୁଛି ବେହାର ।୮୯।ଜୀବଆତ୍ମା ରୂପ ଦିଶେ କୁଙ୍କୁମ ବରଣ,ତାହାର ପୁତ୍ର ଅଟନ୍ତି ଚିଆଁ ଚଇତନ ।୯୦।ସାକ୍ଷାତେ ଯୁବତୀ ଜାନୁ ଯଉବନ ଅଛି,ଏ ଘଟରେ ଏକଶତ ପଣକୁ ସେ ଗଛି ।୯୧।ଯୁବତୀ ବୋଲନ୍ତେ ଜୀବ ଭୋଗ ବିଳସିଲା,ପରମ ସାକ୍ଷୀରୂପରେ ଅଲଗା ବସିଲା ।୯୨।ତେଣୁ କରି ଜୀବଆତ୍ମା ନଶୁଅଛି ଆପେ,ବଡ଼ଶୀ କଣ୍ଟାରେ ମୀନ ଆୟତ୍ତ ଯେ ରୂପେ ।୯୩।ଶୁଣିଲୁ କି ନିରାକାର ଆତ୍ମା ଭେଦାଭେଦ,ଶରୀ ଅର୍ଥ ବ୍ରହ୍ମଗୀତା ନିରୂପଣ ପଦ ।୯୪।ପରମ ପବିତ୍ର ଏବେ ଶୁଣ ସାବଧାନେ,ତୁ ଯେବେ ଅପ୍ରତେ କଲୁ କହୁ ତୋ ବଚନେ ।୯୫।ଶୁକ୍ଲାମ୍ବର କାନ୍ତି ବେଦ ତହିଁର ଆସ୍ତାନ,ପବନ ଚଳୁଛି ତହିଁ କ୍ଷଣେ ନାହିଁ ଶୂନ୍ୟ ।୯୬।ସିଂହାସନେ ବସିଛନ୍ତି ପରମ କୁଶଳ,କୋଟିଏ ଚନ୍ଦ୍ରରୁ ଜିଣି ଆସ୍ତାନ ଶୀତଳ ।୯୭।ତହିଁର ପାରୁଶେ ନାସା ପବନର ଘର,କମାର ଧୁକଣା ପ୍ରାଏ ତହିଁର ଆକାର ।୯୮।ସେହିଠାରୁ ପବନ ହେଉଛି ଆତଯାତ,ଯନ୍ତ୍ର ସୂତ୍ରେ ଫେରୁଅଛି ଏ ଦେହ ସୁଚେତ ।୯୯।ଯେସନେକ କୀଟ ଟାଣିଥାଇ ଜାଲ ତାର,ସେରୂପେ ପବନ ଗୋଡ଼ ଏ ଘଟେ ସଞ୍ଚାର ।୧୦୦।ଏ ଜୀବ ପରମ ଯେତେଦିନ ଘରେ ଥାଇ,ତେତେ ଦିନ ମୃତପିଣ୍ଡ ଶୋଭା ପାଉଥାଇ ।୧୦୧।ପାଣି ପବନରେ ପିଣ୍ଡ ହୋଇଅଛି ଜାତ,ଜୀବ ପରମଟି ଏ ଘଟରେ ସାମରଥ ।୧୦୨।ଶୁଣିଲୁ କି ନିରାକାର ଜୀବ ପର୍ମ କଥା,ବେନି କର୍ଣ୍ଣେ ଶୁଣି ମନେ ଧର ହେତୁ ଚେତା ।୧୦୩।କୋଟିଏ ଜନ୍ମର ସାଧି ସିଦ୍ଧାନ୍ତ ହୋଇଛି,ହେତୁ ନ ଧରି ପାରନ୍ତେ ଅଯଶ ହେଉଛି ।୧୦୪।ହଅ ଅକ୍ଷରକୁ ପ୍ରଚେ ହୁଅ ନିରନ୍ତରେ,ମମକ୍ଷର ଲାଗିଅଛି ତହିଁର ପାଶରେ ।୧୦୫।ମାମାକ୍ଷର ବସିଅଛି ତହିଁର ପାଖକୁ,ଏକଠାରେ ଥାଇ ନାରୁଅଛି ଦେଖୁ ଦେଖୁ ।୧୦୬।ଏହିରୂପେ ଚାରିଯୁଗ ଯାଉଅଛି ବହି,ହେତୁ ବ୍ରହ୍ମ ନିଜ ନାମ ନ ପାବନ୍ତି କେହି ।୧୦୭।ଅଅକ୍ଷର ଅବ୍ୟଗତ ଅବନା ଅଟଇ,ତାହାଙ୍କୁ ଚିହ୍ନିଲେ ହେତୁ ବୁଡ଼ିଯିବ ନାହିଁ । ୧୦୮।ଲଲକ୍ଷର ଲାଗିଅଛି ତହିଁର ପାଶକୁ,ସତ୍ୟ ସତ୍ତ୍ୱ କରି କେହି ନାହିଁ ଚିହ୍ନିବାକୁ ।୧୦୯।ଖଖକ୍ଷର ବସିଅଛି ତହିଁର ଆଗରେ,ଛଡ଼କ୍ଷର ଗୁନ୍ଥା ଅଛି ଅନାମିକା ଡୋରେ ।୧୧୦।ଶୁଣିଲୁ କି ନିରାକାର ବ୍ରହ୍ମର ବୃତ୍ତାନ୍ତ,ତୋ ଦେହରେ ଭେଦି ତୁ ହୋ କର ଆଦିଅନ୍ତ ।୧୧୧।କର୍ଣ୍ଣ ଶିର ଚକ୍ରରୁ ଲାଗିଛି ସୂତା ପ୍ରାଏ,ଯନ୍ତ୍ର ଚଳୁଅଛି ତହିଁ ପବନର ଦେହେ ।୧୧୨।ପରମ ମଣ୍ଡଳୁ ଚଲା ହେଉଅଛି କଳ,ତାର ଲାଗିଛି ଅଙ୍ଗୁଷ୍ଠି ଅଗ୍ରର ମଣ୍ଡଳ ।୧୧୩।ତେଣୁ କରି ପବନ ଚଳୁଛି ସର୍ବଠାରେ,ଭେଦ ରୂପେ ନିଶବଦେ ଖେଳୁଛି ଦେହରେ ।୧୧୪।ଜୀବ ମଣ୍ଡଳରୁ ତହିଁ ଲାଗିଅଛି ଧାରା,ରୁଧିର ପଡ଼ୁଛି ଦେହେ ଜଳ ପ୍ରାଏ ତୋରା ।୧୧୫।ତେଣୁକରି କଞ୍ଚା ଅଛି ସର୍ବାଙ୍ଗ ଶରୀର,ଯେଉଁଠାରେ ଖୁଣ୍ଟି ଦେଲେ ବୁହଇ ରୁଧିର ।୧୧୬।ହେତୁ ମଣ୍ଡଳ ଯନ୍ତ୍ରରେ ଲାଗିଅଛି ଲତା,ଶ୍ରୁତାଶ୍ରୁତି ହେବାରୁ ଭାସୁଛି ସର୍ବ କଥା ।୧୧୭।ସର୍ବାଙ୍ଗ ଶରୀରେ ଲାଗିଅଛି ଚେତାଗ୍ରହ,ଯହିଁରେ ଛୁଇଁଲେ ଚିଆଁଉଛି ଏହି ଦେହ ।୧୧୮।ନିଅ ନାମ ମଣ୍ଡଳରୁ ନିଦ୍ରା ପ୍ରସରୁଛି,କୁହୁଡ଼ି ପରାଏ ଏ ଶରୀରେ ଘୋଟିଅଛି ।୧୧୯।ଓଁ ମଣ୍ଡଳରୁ ଆଳସିକ ଉଦେ ହୋଇ,ପିଣ୍ଡ ଅଶକତ କରି ଆଶାରେ ଘାରଇ ।୧୨୦।କାଳର ଅଙ୍ଗରୁ ଅଙ୍ଗେ ପଡ଼ିଗଲେ ଛାଇ,ଦେହଧାରୀ ହୋଇ ଯେତେ ପଡ଼ୁଛନ୍ତି ଶୋଇ ।୧୨୧।ଶୁଣିଲୁ କି ନିରାକାର ଦେହର ଭେଦାନ୍ତ ।ବୁଦ୍ଧି ଯାର ଥାଇ ତାକୁ ବୋଲି ଗ୍ୟାନବନ୍ତ ।୧୨୨।ସାଧୁ ସୁଗ୍ୟଁଜନେ ମୋର ନ ଧରିବ ଦୋଷ,ମୂର୍ଖ କବି ଅଟଇ ମୁଁ ବାଳୁତ ବୟସ ।୧୨୩।କୃପା କରିଥିବ ଦେଇ ଆଶିଷ କଲ୍ୟାଣ,ସାଧୁ ସୁଗ୍ୟଁଜନଙ୍କ ଚରଣେ ମୋ ଶରଣ ।୧୨୪।ବ୍ରହ୍ମ-ନିରୂପଣ- ଗୀତା ପଦ ସାରସ୍ୱତ,ମହାନିତ୍ୟ ଭୁବନରୁ ହୋଇଛି ଉକତ ।୧୨୫।ଅନାମ ଅଲେଖ ବ୍ରହ୍ମ ମହିମା ଅଶେଷ,ବ୍ରହ୍ମ- ନିରୂପଣ- ଗୀତା ଭଣେ ଭୀମ ଦାସ ।୧୨୬।ଇତି ଶ୍ରୀ ବ୍ରହ୍ମ-ନିରୂପଣ ଗୀତା, ସୁଜନ- ଜନ- ହିତା,ଶୀ ଗୁରୁ-ଶିଷ୍ୟ- ସମ୍ବାଦେ, ଜୀବ ପରମ ଚରିତ୍ରକଥନେ ଭେଦାଭେଦ ବର୍ଣ୍ଣନେ ଆଗମନିଗମ ବିଚାରଣେ ଗୁରୁଦେବ ପ୍ରସନ୍ନେନାମ ତ୍ରୟୋଦଶୋଽଧ୍ୟାୟ