ବ୍ରହ୍ମନିରୂପଣ ଗୀତା
ଭୀମ ଭୋଇ · ଭାଗ ୨ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଅଧ୍ୟାୟ
ଶ୍ରୀ ଗୁରୁଦେବ ଉବାଚଶୁଣ ବାବୁ ନିରାକାର ବ୍ରହ୍ମଭେଦ କନ୍ଦ,ଯେଉଁ ରୂପେ ବିହରୁଛି ଅନାଦିତ କନ୍ଦ ।୧।ଅପରଚେ ବ୍ରହ୍ମ ତୋତେ ପରଚେ କରିବା,ତୁ ଯେବେ ଅପ୍ରତେ କଲୁ ବୁଝାଇ କହିବା ।୨।ଆପେ ସେବା ଘେନୁଥାଇ ଆପେ ସେବା କରେ,ଆପଣେ ଅଚିନ୍ତା ହୋଇ ଆପେ ଭୟ କରେ ।୩।ଆପେ ଶିଷ୍ୟ ହୋଇଥାଇ ଆପଣେ ଶ୍ରୀଗୁରୁ,ଆପେ ତରୁ ତୃଣ ହୋଏ ଆପେ ଗିରି ମେରୁ ।୪।ଆପେ ସାଆନ୍ତପଣରେ ଆପଣେ ସେବକ,ଆପେ ପଢ଼ାକ ପଣ୍ଡିତ ଆପଣେ ମୂରୁଖ ।୫।ଆପେ ମହା ବ୍ରହ୍ମଗ୍ୟାନୀ ଆପଣେ ଅଗ୍ୟାନୀ,ଆପଣେ ଅଣବିବେକ ଆପେ ଅନୁମାନୀ ।୬।ଆପେ ମାରୁଥାଇ ମାଡ଼ ଆପେ କଷ୍ଟ ସହେ,ଆପେ କରୁଥାଇ ଦୋଷ ଆପେ ବୁଝେ ନ୍ୟାଏ ।୭।ଆପଣେ ଶତ୍ରୁ ପଣିଆ ଆପେ ହୋଏ ମିତ୍ର,ଆପଣେ ସେ ପିତା ମାତା ଆପେ ହୋଏ ପୁତ୍ର ।୮।ଆପଣେ ସେ ହର୍ତ୍ତା କର୍ତ୍ତା ଆପେ ପତ୍ନୀ ପତି,ଆପେ ଅନ୍ଧାର ଉଜ୍ଜ୍ୱଳ ଆପେ ଦିବା ରାତି ।୯।ଆପଣେ ତୋଳଇ ଘର ଆପେ ବୋଲେ ନୋହେ,ଆପଣେ ବିଚାର କରି ଫେଡ଼ି ଭାଙ୍ଗିଦିଏ ।୧୦।ଆପଣେ ଚାଲଇ ପଥ ଆପେ ଥାଇ ବସି,ଆପଣେ ବିରସ ମନ ଆପେ ଦିଏ ହସି ।୧୧।ଆପଣା ଇଚ୍ଛାରେ ବଡ଼ ଆପେ ହୋଏ ସାନ,ଆପେ ସାଧୁତପଣିଆ ଆପେ ହୀନିମାନ ।୧୨।ଆପଣା ଇଚ୍ଛାରେ ଶୋଏ ଆପେ ଫେରି ଉଠେ,ଆପେ ହୋଏ ଛୋଟ ମୋଟ ଆପଣେ ନିତୁଟେ ।୧୩।ଆପେ ବୋଲେ ନାହିଁ ନାହିଁ ଆପେ ବୋଲେ ହୋଇ,ଆପଣେ ଅଦେହ ରୂପ ଆପେ ବହେ ଦେହୀ ।୧୪।ଆପସୁଖେ କୋପ କରେ ଆପେ ହୋଏ ଶାନ୍ତ,ଆପେ ଗଞ୍ଜଣା ଦିଅଇ ଆପେ ହୋଏ ହିତ ।୧୫।ଆପଣେ ବୁଡ଼ାଇ ମାରେ ଆପେଯାଏ ବୁଡ଼ି,ଆପଣାଙ୍କ ବୁଦ୍ଧି ପଶେ ଆପେ ଯାଇ ହୁଡ଼ି ।୧୬।ଆପଣେ ଲଗାଏ ପ୍ରୀତି ଆପଣ ଛଡ଼ାଏ,ଆପଣେ ଅନ୍ତର କରି ଆପଦ ଫେଡ଼ାଏ ।୧୭।ଆପଣେ ବନ୍ଧନ କରେ ଆପେ ବନ୍ଦୀ ହୋଏ,ଆପଣେ ବହଇ ଭାର ଆପଣେ ନ ବହେ ।୧୮।ଆପଣେ ମହା ନିଷ୍କାମ ଆପଣେ ସକାମ,ଆପେ ଅନାମିକା ବ୍ରହ୍ମ ଆପେ ବହେ ନାମ ।୧୯।ଆପେ ଧର୍ମ କରୁଥାଇ ଆପଣେ ଖରାପ,ଆପେ ଦ୍ରୋହ କରୁଥାଇ ଆପେ ଦିଏ ଶାପ ।୨୦।ଆପେ କର୍ମ କରୁଥାଇ ଆପେ ହୋଏ ଭ୍ରମ,ଆପେ କାଳରୂପେ ପୀଡ଼େ ଆପେ ହୋଏ ଯମ ।୨୧।ଆପେ ସୁଖୀ ହୋଇଥାଇ ଆପେ ରୋଗ ବ୍ୟାଧି,ଆପେ ବଇଦ ହୁଅଇ ଆପେ ମଉଷୁଧି ।୨୨।ଆପେ ମହାପୁଣ୍ୟ ହୋଏ ଆପଣେ ପାତକ,ଆପେ ରାଗ ତମ ହୋଏ ଆପଣେ ସାତୁକ୍ୟ ।୨୩।ଆପେ ସ୍ତିରୀଲିଙ୍ଗ ହୋଏ ଆପଣେ ପୁରୁଷ,ଆପେ ପଚିଶ ପ୍ରକୃତି ଆପେ ପ୍ରେମରସ ।୨୪।ଆପେ ଭାଷେ ଆପେ ରସେ ଆପେ କଉତୁକ,ଆପେ ମହା ଯୋଗୀ ହୁଏ ଆପେ ମହାତିକ ।୨୫।ଆପେ କହେ ଆପେ ଶୁଣେ ଆପେ ନାହିଁ ବୁଝେ,ଆପେ ଖେଳେ ଆପେ ପଢ଼େ ଆପେ ମନ ହେଜେ ।୨୬।ଆପେ ଦରଶନ କରେ ଚାହିଁ ଆପ ଘଟେ,ଆପେ ସେ ଶରଣ ମାଗେ ଆପେ ପାଦେ ଲୋଟେ ।୨୭।ଆପେ ବଶ୍ୟ ଆପେ ବେଶ୍ୟା ଆପେ କରେ ନାଟ,ଆପେ ଛବି ଆପେ ଭବି ଆପେ ନଟକୂଟ ।୨୮।ଆପେ ଗଡ଼ି ଆପେ ସଢ଼ି ଯାଉଥାଇ ଭ୍ରମି,ଆପେ ଭାବ ଭୋଳ ହୁଏ ଆପେ ନାମ ପ୍ରେମୀ ।୨୯।ଆପେ ଚଉଷଠିବନ୍ଧେ କରୁଥାଇ ଲୀଳା,ଆପେ ବୃଦ୍ଧା ଆପେ ଯୁବା ଆପେ ହୋଏ ପିଲା ।୩୦।ଆପେ ଦାରୀ ଆପେ ଚୋରି ଆପଣେ ଅନୀତି,ଆପେ ହାରେ ଆପେ ଜିଣେ ରୂପି ଥାଇ ଛାତି ।୩୧।ଆପେ ଚୋର ଆପେ ଧର ଆପେ ଡାକୁ ଥାଇ ।ଆପେ ସିନ୍ଧିଗାତ ଖୋଳି ନେଉଥାଏ ବୋହି ।୩୨।ଆପେ ରାଜାପଣେ ବସେ ଆପେ ଧରେ ଛତ୍ର,ଆପେ ଦୂରପଣେ ହୋଏ ଆପେ ମନ୍ତ୍ରୀ ପାତ୍ର ।୩୩।ଆପେ ମିଛ ଆପେ ସତ ଆପେ ହୋଏ ଠକ,ଆପେ ହୁକୁମ ହାକିମ ଆପେ ହୋଏ ଲୋକ ।୩୪।ଆପେ ଖେଳେ ଆପେ ବୁଲେ ଆପଣେ ନିଷତ,ଆପେ କହଇ ବଚନ ଆପେ ଅବ୍ୟଗତ ।୩୫।ଆପେ ହାଟ ଆପେ ବାଟ ଆପରେଣ ବୁଝା,ଆପେ ପ୍ରଶଂସିତ ହୁଏ ଆପେ ବହେ ଲଜ୍ଜ୍ୟା ।୩୬।ଆପେ ଖାଏ ଆପେ ପିଏ ଆପେ ଉପାସନ;ଆପେ ଦୁଖ ଆପେ ସୁଖ ଆପଣେ କଷଣ ।୩୭।ଆପେ ଯାଏ ଆପେ ରହେ ଆପେ ଇଚ୍ଛାମନ,ଆପେ ସରିସମ ହୋଏ ଆପେ କରେ ମାନ୍ୟ ।୩୮।ଆପରେ ଅଣବିକାର ଆପଣେ ଆକାର,ଆପଣେ ବାଛବେଭାର ଆପଣେ ଆଚାର ।୩୯।ଆପଣେ ସାକ୍ଷାତେ ବ୍ରହ୍ମ ଆପେ ହୋଏ ଶୂନ୍ୟ,ଆପେ ରୂପକାନ୍ତି ହୋଏ ଆପଣେ ଅବର୍ଣ୍ଣ ।୪୦।ଆପଣେ ପରମ ହୋଏ ଆପେ ହୋଏ ଜୀବ,ଆପେ ସେ ଅଲଗା ହୋଏ ଆପେ ହୋଏ ଯୋଗ ।୪୧।ଆପଣେ ଅମୃତ ହୋଏ ଆପେ ହୋଏ ବିଷ,ଆପଣ ପ୍ରାଣ ପାତକି ଆପେ ହୋଏ ନାଶ ।୪୨।ଆପଣେ ଗ୍ରହ କଳସ ଆପଣେ ବ୍ରାହ୍ମଣ,ଆପେ ପରାଚିତ ହୋଇ ଆପେ ଘେନେ ଦାନ ।୪୩।ଆପଣେ ଚାଣ୍ଡାଳ ହୋଇ ଆପଣେ ସେ ଶୂଦ୍ର,ଆପେ ଶୁଭା ପାଉଥାଇ ଆପେ ଛନ୍ନ ଛିଦ୍ର ।୪୪।ଆପେ ଜନମ ଜାତକ ଆପଣେ ମରଣ,ଆପଣେ ମୁକତି ପଦ ଆପେ ଉଧାରଣ ।୪୫।ଆପଣେ ବୈଷ୍ଣବ ହୋଇ ଆପଣେ ଅତିଥ,ଆପେ ଶରଣ ସମ୍ଭାଳି ଆପଣେ ବାଞ୍ଛିତ ।୪୬।ଆପେ ଉଞ୍ଚ ଆପେ ଲେଞ୍ଚ ଆପେ ସର୍ବସମ,ଆପେ ଛତିଶ ପାଟକ ଆପେ ବହେ ନାମ ।୪୭।ଆପଣେ ଶବଦ ଭେଦ ଆପେ ନିଶବଦ,ଆପେ ମନ ଆନନ୍ଦରେ ଆପେ ଗଦଗଦ ।୪୮।ଆପେ କବି ଆପେ ଯୋଗୀ ଆପେ, ହୋଏ ଭୋଗୀ,ଆପେ ପଦ ଯୋଡ଼ି ହୋଏ ଆପେ ଅନୁଭବୀ ।୪୯।ଆପେ କ୍ଷୀର ଆପେ ନୀର ଆପେ ସ୍ୱାଦ ସର,ଆପେ କଷା ଆପେ ପିତା ଆପଣେ ମଧୁର ।୫୦।ଆପେ ହୋଏ ମହାଜନ ଆପେ ସାଉ ଖାତ,ଆପେ ଦରିଦ୍ର ହୁଅଇ ଆପେ ଧନବନ୍ତ ।୫୧।ଆପଣେ ହୁଅଇ କାୟା ଆପେ ହୋଏ ଛାୟା,ଆପେ ବଣା ହେଉଥାଇ ଆପେ ମହାମାୟା ।୫୨।ଆପେ ସତ ଶାନ୍ତି କ୍ଷମା ଆପେ ଦୟାଶୀଳ,ଆପେ ଆଗ୍ୟାଁ କରୁଥାଇ ଆପେ ମାନେ ବୋଲ ।୫୩।ଆପଣେ ହୁଅଇ ଭେଦ ଆପେ ହୋଏ ପଦ,ଆପଣେ ଅବୁଝା ହୋଏ ଆପେ ଉନମାଦ ।୫୪।ଆପେ ବୋଲେ ମାର ମାର ଆପେ ବୋଲେ ରଖ,ଆପେ ଦେଖାଇଣ ବୋଲେ ଆପେ ବୋଲେ ରଖ ।୫୫।ଆପେ ବୋଲେ ନାହିଁ ନାହିଁ ଆପେ ବୋଲେ ଯିବି,ଆପେ ବୋଲେ ଦେବି ଦେବି ଆପେ ବୋଲେ ନେବି ।୫୬।ଆପେ ବିଚିତ୍ର ବିନ୍ଧାଣି ଆପେ ହୁଏ କମ,ଆପେ ଲେଖନ ବାରେଶି ଆପେ ସହେ ଧର୍ମ ।୫୭।ଆପଣେ ଦିବ୍ୟ ମନ୍ଦିର ଆପେ ହୋଏ ଇଟା,ଆପେ ବିଷୟା ଲଭନ୍ତି ଆପେ ମହାନିଷ୍ଠା ।୫୮।ଆପେ ହଜି ଯାଇ ଆପେ ଅଥଳ ଅକୂଳ,ଆପେ ଗୋଳିଆ ହୁଅଇ ଆପଣେ ନିର୍ମଳ ।୫୯।ଆପେ ଅନ୍ତର୍ଯ୍ୟାମୀ ହୋଇ ଆପେ ଜାଣେ ସବୁ,ଆପେ ନୁହଇ ଠାକୁର ଆପେ ମହାପ୍ରଭୁ ।୬୦।ଶୁଣିଲୁ କି ନିରାକାର ଅଦଭୁତ କଥା,ବ୍ରହ୍ମର ଗର୍ଭ ବିଚାର ଦିଅନ୍ତି ବାରତା ।୬୧।ଗମି ଗମି ନ ପାରନ୍ତି ବେଦ ବେଦାନ୍ତରେ,ରହିଅଛି ବ୍ରହ୍ମ ପିଣ୍ଡ ବ୍ରହ୍ମାଣ୍ଡ ବାହାରେ ।୬୨।ସଦଗୁରୁ ପାଦପଦ୍ମେ ସେବା ଥିବ ଯାର,ସେ ଅଣରୂପ ବ୍ରହ୍ମର ପାଇବ ଗୋଚର ।୬୩।ନିରାକାର ଉବାଚନିରାକାର ବୋଲୁଛନ୍ତି ଶୁଣିମା ଗୋସାଇଁ,ସେ ବ୍ରହ୍ମର ବର୍ଣ୍ଣ କାନ୍ତି କହ ମୋତେ ଫେଇ ।୬୪।କାଳିଆ କି ଗୋରା ଅଙ୍ଗ ସେ ବ୍ରହ୍ମଶରୀର,ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର ।୬୫।ଶ୍ରୀଗୁରୁଦେବ ଉବାଚରୂପ ପ୍ରାଏ ଦିଶୁଅଛି ସାକ୍ଷାତେ, ଅରୂପ,ଦେହ ପ୍ରାଏ ଦିଶୁଅଛି ଅଦେହ ସ୍ୱରୂପ ।୬୬।ଜାଜୁଲ୍ୟ ପରାଏ ଦିଶେ ଜାଜୁଲ୍ୟ ନୁହନ୍ତି,ବାଳ ଝୀନ ପ୍ରାଏ ଦିଶେ ଆବାଲ୍ୟ ମୂରତି ।୬୭।ସଜ୍ୟୋତି ପରାଏ ଦିଶେ ଦଇବେ ଅଜ୍ୟୋତି,ଜ୍ୟୋତି ଲିଙ୍ଗ ପ୍ରାଏ ଦିଶେ ସ୍ୱଭାବେ ଅଜ୍ୟୋତି ।୬୮।ଧବଳାଙ୍ଗ ଦିଶେ ନାହିଁ ଧବଳ ମୂରତି,କାଳିଆ ଦିଶଇ ନୋହେ କାଳିଆ ସଂଜ୍ୟୋତି ।୬୯।ଶ୍ରୋଣିତ ଦିଶଇ ନୋହେ ଶ୍ରୋଣିତ ପରାଏ,ପୀତ ବର୍ଣ୍ଣ ଦିଶେ ପୀତ ବର୍ଣ୍ଣହିଁ ନ ଧରେ ।୭୦।ରଙ୍ଗ ପ୍ରାଏ ଦିଶେ ନୋହେ ରଙ୍ଗର ଦୃଚ୍ଛନା,ଶେତବର୍ଣ୍ଣ ଦିଶେ ନୋହେ ଶେତର ଅଚିନା ।୭୧।କୁଙ୍କୁମ ପ୍ରାଏକ ଦିଶେ କୁଙ୍କୁମ ସାଦୃଶ,ହେଙ୍ଗୁଳ ପ୍ରାଏକ ଦିଶେ କୁଙ୍କୁମ ସାଦୃଶ,ହେଙ୍ଗୁଳ ପ୍ରାଏକ ଦିଶେ ହେଙ୍ଗୁଳ ସାଦୃଶ ।୭୨।ପିଙ୍ଗଳ ଦିଶଇ ନୋହେ ପିଙ୍ଗଳର କାଏ,ଶାମଳ ଦିଶଇ ନୋହେ ଶାମଳ ପରାଏ ।୭୩।ଲୋହି ବର୍ଣ୍ଣ ଦିଶେ ନୋହେ ଲୋହିତ ସ୍ୱରୂପ,ନୀଳବର୍ଣ୍ଣ ଦିଶେ ନୋହେ ନୀଳର ପ୍ରତାପ ।୭୪।ଗୌରବର୍ଣ୍ଣ ଦିଶେ ନୋହେ ଗଉର ମୂରତି,ତାମ୍ରବର୍ଣ୍ଣ ଦିଶେ ନୋହେ ତାମ୍ରର ଆକୃତି ।୭୫।ଅରୁଣ ପରାଏ ଦିଶେ ନିଅରୁଣ କାନ୍ତି,ଚନ୍ଦ୍ର ପ୍ରାଏ ଦିଶେ ନୋହେ ଚନ୍ଦ୍ରମା ମୂରତି ।୭୬।ଅନଳ ପରାଏ ଦିଶେ ନିଅନଳ ତେଜା,ଶୋଭା ସୁନ୍ଦର ଦିଶୁଛି ନାହିଁ ଭାବ ମଜ୍ଜା ।୭୭।ତମ୍ୱା ପ୍ରାଏ ଦିଶୁଅଛି ତମ୍ୱା ନୋହେ ଦେଖ,ରୂପା ପ୍ରାଏ ଦିଶେ ନୋହେ ରୂପା ଝକ ଝକ । ୭୮।ସୁନା ପରାଏକ ଦିଶେ ସୁନାରୁ ଅତୁଳ,ହୀରା ପରାଏକ ଦିଶେ ହରୀରୁ ଅମୂଲ୍ୟ ।୭୯।ମୋତି ପ୍ରାଏ ଦିଶେ ନୋହେ ମୋତିର ଝଟକ,ମାଣିରତ୍ନ ଦିଶେ ନୋହେ ମାଣିକ୍ୟ ଝଟକ ।୮୦।ସଷ୍ଟିକ ପରାଏ ଦିଶେ ସଷ୍ଟିରେ ନ ଯାଏ,ବଇଡ଼ୁର୍ଯ୍ୟ ପ୍ରାଏ ଦିଶେ ବଇଡ଼ୁର୍ଯ୍ୟ ନୋହେ ।୮୧।ବ୍ରହ୍ମଜ୍ୟୋତି ପ୍ରାଏ ଦିଶେ ବ୍ରହ୍ମର ଅଗ୍ରଣି,ପଦ୍ମମଣି ପ୍ରାଏ ଦିଶେ ପଦ୍ମରାଗ ଜିଣି ।୮୨।ପରଶୁ ପଥର ପ୍ରାଏ ଦିଶଇ ଶୋଭିତ,ପରଶୁ ପଥର ନୋହେ ବ୍ରହ୍ମ ଅଲୋକିତ ।୮୩।ଦର୍ପଣ ପ୍ରାଏ ଦିଶଇ ଛାୟାର ଝଲକ,ଛାୟା ପ୍ରାଏ ନ ଦିଶଇ ବ୍ରହ୍ମ ନିକଳଙ୍କ ।୮୪।ଆକାର ପ୍ରାଏ ଦିଶଇ ଆକାର ତା ନାହିଁ,ଆକାଶ ବୋଇଲେ ବ୍ରହ୍ମ ମହାଶୂନ୍ୟ ଦେହୀ ।୮୫।ଧୃମବର୍ଣ୍ଣ ଦିଶେ ନୋହେ ଧୃମାନ୍ତି ଶରୀର,ନାମ ପ୍ରାଏ ଦିଶେ ନୋହେ ଅନାମ ଆକାର ।୮୬।ଅକ୍ଷର ପରାଏ ଦିଶେ ନୋହେ ମାତ୍ରାକ୍ଷର,ବର୍ଣ୍ଣନା ବୋଇଲେ ବର୍ଣ୍ଣି ନୋହେ ରୂପ ତାର ।୮୭।ଜାଲା ପ୍ରାଏ ଦିଶୁଅଛି ନୋହେ ଜାଲା ତେଜେ,ଆପ ପ୍ରାଏ ଦିଶେ ଅଣଆପରେ ବିରାଜେ ।୮୮।ପୃଥୀ ପରାଏକ ଦିଶେ ପୃଥିବୀ ସେ ନୋହେ,ପୃଥୀ ଉପରେ ପୃଥୀରେ ସ୍ଥାନ ମାଡ଼ି ରହେ ।୮୯।ଶେଷ ପ୍ରାଏ ଦିଶୁଥାଇ ଅଶେଷ ଅଟଇ,ଅନନ୍ତ ବୋଇଲେ ଆଦି ଅନ୍ତ ନ ମିଳଇ ।୯୦।ପବନ ପ୍ରାଏ ଦିଶଇ ନୁହଇ ପବନ,ମୀନ ପରାଏକ ଦିଶେ ନୁହଇ ସେ ମୀନ ।୯୧।ପାଣି ପରାଏକ ଦିଶେ ନୁହଇ ସେ ପାଣି ।ଚିହ୍ନିଲା ପରାଏ ଦିଶେ ନୁହଇ ସେ ଚିହ୍ନି ।୯୨।ଆଣିଲା ପରାଏ ଦିଶେ ନୁହଇ ସେ ଆଣି,ଭଣିଲା ପରାଏ ଦିଶେ ନୁହଇ ସେ ଭଣି ।୯୩।ଲେଖିଲା ପରାଏ ଦିଶେ ନୁହଇ ସେ ଲେଖି,ଯୋଖିଲା ପରାଏ ଦିଶେ ନୁହଇ ସେ ଯୋଖି ।୯୪।ପକ୍ଷୀ ଜନ୍ତୁ ପ୍ରାଏ ଦିଶେ ନୁହଇ ସେ ପକ୍ଷୀ,ଦେଖିଲା ପରାଏ ଦିଶେ ନୁହଇ ସେ ଦେଖି ।୯୫।ରହିଲା ପରାଏ ଦିଶେ କେବେହେଁ ନ ରହେ,ଧରିବି ବୋଇଲେ ବ୍ରହ୍ମ ଧରାହିଁ ନ ଦିଏ ।୯୬।ଥୋଇଲା ପରାଏ ଦିଶେ ଥୋଇଲାର ନୋହେ,ଶୋଇଲା ପରାଏ ଦିଶେ କେବେହେଁ ନ ଶୁଏ ।୯୭।ବାନ୍ଧିଲା ପରାଏ ଦିଶେ ନୁହଇ ସେ ବନ୍ଧା,ନିନ୍ଦା କରୁଥିଲେ ତାକୁ ନ ଲାଗଇ ନିନ୍ଦା ।୯୮।ମଲା ପ୍ରାଏ ଦିଶୁଥାଇ କେବେହେଁ ନ ମରେ,ଊଣା ଦିଶୁଥାଇ ସର୍ବ ସାମାନ୍ୟ ଉପରେ ।୯୯।ଗୋଟାଏ ପ୍ରାଏ ଦିଶୁଥାଇ ନୁହଇ ସେ ଗୋଟା,ଦୁଇ ପ୍ରାଏ ଦିଶୁଥାଇ ଚିହ୍ନିଲେ ଏକଟା ।୧୦୦।ଗୁଆ ପ୍ରାଏ ଦିଶୁଥାଇ ନୁହଇ ସେ ଗୁଆ,ପୁରୁଷ ପ୍ରାଏ ଦିଶୁଛି ନବତନ ନୂଆ ।୧୦୧।ଲମ୍ୱ ପ୍ରାଏ ଦିଶୁଅଛି ନୁହଇ ସେ ଲମ୍ୱ,ଦୀର୍ଘପ୍ରତି ଦିଶେ ନୋହେ ଓସାର ଆରମ୍ଭ ।୧୦୨।ବେଦାନ୍ତ ପ୍ରାଏ ଦିଶୁଛି ନୁହଇ ବେଦାନ୍ତ,ଅର୍କ୍ଷିତ ପ୍ରାଏ ଦିଶୁଛି ନୁହଇ ଅର୍କ୍ଷିତ ।୧୦୩।ପାଦ ପ୍ରାଏ ଦିଶୁଅଛି ନୋହେ ପାଦବିନ୍ଦ,ପୁଷ୍ପ ପ୍ରାଏ ଦିଶୁଅଛି ନୋହେ ବାସ ଗନ୍ଧ ।୧୦୪।ମେଘ ପ୍ରାଏ ଦିଶୁଅଛି ନୋହେ ମେଘଅନ୍ଧା,ଧାରା ପ୍ରାଏ ଦିଶୁଅଛି ନୋହେ ଜଳବୁନ୍ଦା ।୧୦୫।ବିଦୁ ପ୍ରାଏ ଝଟକୁଛି ନୁହଇ ସେ-ବିନ୍ଦୁ,ମଧୁ ପ୍ରାଏ ଦିଶୁଅଛି ନୁହଇ ସେ ମଧୁ ।୧୦୬।ଝର ପ୍ରାଏ ଦିଶୁଅଛି ନୋହେ ଅରବିନ୍ଦ,ସୁଧା ପ୍ରାଏ ଦିଶେ ନୋହେ ସୁଧା ମକରନ୍ଦ ।୧୦୭।ମନୁଷ୍ୟ ପ୍ରାଏ ଦିଶୁଛି ନୁହଇ ମନୁଷ୍ୟ,ପୁରୁଷ ପ୍ରାଏ ଦିଶୁଛି ନୁହଇ ପୁରୁଷ ।୧୦୮।କନ୍ଦର୍ପ ପ୍ରାଏକ ଦିଶେ ନୁହଇ କନ୍ଦର୍ପ,କୋଟିଏ କାମରୁ ଜିଣି ଅଲଗା ସେ ରୂପ ।୧୦୯।ବୃକ୍ଷ ପ୍ରାଏ ଦିଶୁଅଛି, ନୋହେ ବୃକ୍ଷ ଗୋଟା,ଝାଡ଼ ବନ ପ୍ରାଏ ଦିଶେ ନୋହେ ଝାଡ଼ ଲଟା ।୧୧୦।ଓଦା ପ୍ରାଏ ଦିଶୁଅଛି ନୁହଇ ସେ ଓଦା,ଗଦା ପ୍ରାଏ ଦିଶୁଅଛି ନୁହଇ ସେ ଗଦା ।୧୧୧।ଶୁଖା ପ୍ରାଏ ଦିଶୁଅଛି ନୁହଇ ସେ ଶୁଖା,ଏକ ହୋଇ ଥାଇ ତାର ନାହିଁ କିଛି ଶାଖା ।୧୧୨।ପୋଡ଼ା ପ୍ରାଏ ଦିଶୁଅଛି ନୁହଇ ସେ ପୋଡ଼ା,ଏକାମ୍ୱର ପ୍ରାଏ ଦିଶେ ନୁହଇ ସେ ଛିଡ଼ା ୧୧୩।ବାରଣ ପ୍ରାଏକ ଦିଶେ ନୁହଇ ସେ ବାଇ,ବଡ଼ାଇ ଚତୁରେ ଅଛି ଅଣରୂପ ହୋଇ ।୧୧୪।କନ୍ଦି ବେଡ଼ା ପ୍ରାଏ ଦିଶେ ନୋହେ କନ୍ଦି ବେଡ଼ା,ଓଲୁଙ୍କ ପ୍ରାଏକ ଦିଶେ ନୁହେ କାଲ ଜଡ଼ା ।୧୧୫।ଅନ୍ଧା ପ୍ରାଏ ଦିଶୁଥାଇ ନୁହେ ନେତ୍ର ଅନ୍ଧା,ଫନ୍ଦା କଲା ପ୍ରାଏ ଦିଶେ ନ କରଇ ଫନ୍ଦା ।୧୧୬।ଧୂଳିଆଧୂଷର ଦିଶେ ନୁହଇ ଧୂଳିଆ,ମେଳଛ ପ୍ରାଏକ ଦିଶେ ନୁହଇ ମଳିଆ ।୧୧୭।କାଳ ଭୟ ପ୍ରାଏ ଦିଶେ ନୁହେ କାଳରାହୁ,କିସ କହିବି ମହିମା ବ୍ରହ୍ମ ମହାବାହୁ ।୧୧୮।ସଦଗୁରୁ ପ୍ରାଏ ଦିଶେ ନୁହେ ସଦଗୁରୁ,ଶରଣ ବୋଇଲେ ଦୟା ହୁଏ ଶ୍ରୀପୟରୁ ।୧୧୯।ଗୁରୁ ଆଗ୍ୟାଁ ଗରେଷ୍ଟରେ ବାନ୍ଧିଅଛି ପଦ,ଏକ ବ୍ରହ୍ମ ଅଙ୍ଗେ ଏହୁ ଚଳିବ ସମ୍ପାଦ ।୧୨୦।ଗ୍ୟାନୀଜନମାନେ ମୋର ନ ଧରିବ ଦୋଷ,ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମଦାସ ।୧୨୧।ଇତି ଶ୍ରୀବ୍ରହ୍ମ-ନିରୂପଣଗୀତା, ସୁଜନଜନହିତା, ଗୁରୁ-ଶିଷ୍ୟସମ୍ବାଦେ, ଅଲେଖବ୍ରହ୍ମରୂପବର୍ଣ୍ଣନେ, ଏକଅଙ୍ଗନ୍ୟାୟବିଚାରଣେ, ଭେଦାଭେଦକଥନେ,ନାମ ଚତୁର୍ଥୋଽଧ୍ୟାୟ ।