ବ୍ରହ୍ମନିରୂପଣ ଗୀତା
ଭୀମ ଭୋଇ · ଭାଗ ୭ / ୧୦
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱାଦଶ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଇଲେ ଶୁଣିମା ନାରାୟଣ,ଯାହା ଆଗ୍ୟାଁ ହେଲା ସ୍ୱାମୀ ଉଚିତ ପ୍ରମାଣ । ୧ ।ଠିକ ଠିକ କରି ବେଦମତରେ କହିଲ,ଭେଦାନ୍ତ ନିର୍ଗୁଣ ଜ୍ଞାନ ଗୁପତେ ରଖିଲ । ୨ ।ଅନନ୍ତ ନାମଟି କେଉଁ ଅକ୍ଷର ଶବଦ,ଫେଡ଼ି ମୋତେ କହ ଶୁଣି ଆତ୍ମା ହେଉ ବୋଧ । ୩ ।ପରମ ନାମଟି କିସ ଶବଦ ଗୋଚର,ଏ କଥା ବିଚାରି ମୋତେ କହ ଗ୍ୟାନ ସାର । ୪ ।କୃଷ୍ଣ ନାମ ଶବଦ ଅଟଇ ଭେଦ କିସ,ଏହା ମୋତେ ଫେଡ଼ି କହ ମନ ହେବ ତୋଷ । ୫ ।ଜଗନ୍ନାଥ ନାମ କିସ ଶବଦ ତା ଅଟେ,ଅକ୍ଷର ଭେଦରେ ମୋତେ କହ ଏହି ଘଟେ । ୬ ।ଏତେ ବୋଲି ନିରାକାର ଯୋଡ଼ି ବେନିକର,ପାଏ ପଡ଼ି ସାଷ୍ଟାଙ୍ଗରେ ନମିଲେ ପୟର । ୭ ।ଶ୍ରୀ ଗୁରୁଦେବ ଉବାଚଗୁରୁଦେବ ବୋଲୁଛନ୍ତି ଶୁଣ ନିରାକାର,ବୁଝାଇ କହିବା ତୋତେ ଭେଦର ବିଚାର । ୮ ।ଏ ଘଟ ଶିରକମଳ ମେରୁଦଣ୍ଡ ଶିଖେ,ପୃଷ୍ଠଭାଗରେ ଅନନ୍ତ ବିଜୟ ପ୍ରତକ୍ଷେ । ୯ ।ଙ ଅକ୍ଷରଟି ତହିଁ ଓଁ କାର ବସିଲା,ଶକତି ପରାଏ ଆକାରରେ ବିଶ୍ରମିଲା । ୧୦ ।ନଅ ଅକ୍ଷରଟି ତହିଁ ନାମ ବୋଲାଇଲା,ନାମରୁ ଭେଦାନ୍ତ ତହୁଁ ଚେତା ସରିଗଲା । ୧୧ ।ତଅ ଅକ୍ଷରଟି ତହିଁ ତାରଣ ଅଟଇ,ଭେଦ ନିର୍ଗୁଣକୁ ଧରି ବର୍ଣ୍ଣଟି ବସଇ । ୧୨ ।ଓଁ ଅକ୍ଷରଟି ଦିଶେ ଅଗ୍ନି ତେଜମଏ,ଶକତି ବସିଛି ତହିଁ ଅଗ୍ନି ତେଜ ପ୍ରାଏ । ୧୩ ।ନଅ ଅକ୍ଷରଟି ତହିଁ ଦିଶେ ତମ୍ବା ବର୍ଣ୍ଣ,ନଅ ମଅ ଦୁଇ ମଧ୍ୟେ ଭେଦ ଅଛି ଜାଣ । ୧୪ ।ତଅ ଅକ୍ଷରଟି ବର୍ଣ୍ଣ ଦିଶଇ ଧବଳ,ଗ୍ୟାନନେତ୍ର ଥିବ ଯାର ପାଇବ ସେ ସ୍ଥଳ । ୧୫ ।ଅନନ୍ତ ନାମଟି ଯେହୁ ତିନିକ୍ଷର ବସେ,ଏ ମଥାର ପୃଷ୍ଠଭାଗେ ରହିଅଛି ପାଶେ । ୧୬ ।ଅନନ୍ତ ବୋଲନ୍ତେ ଅନୁମାନ ନ ପାଇଲା,ଉହାଡ଼ରେ ରହିବାରୁ ଅଗୋଚର ହେଲା । ୧୭ ।ପରମ ନାମର ଭେଦ ଶୁଣ ଏବେ ବାବୁ,ଭିନ୍ନ ଭିନ୍ନ କରି ତୋତେ କହିଦେବା ସବୁ । ୧୮ ।ପଅ ଅକ୍ଷରଟି ଅଟେ ପ୍ରାଣ ଶକ୍ତି ଲିଙ୍ଗ,ମଣ୍ଡଳ ଆକାରେ ତାର ହୋଇଛି ଆରମ୍ଭ । ୧୯ ।ରଅ ଅକ୍ଷରଟି ତହିଁ ଶରଣରକ୍ଷଣ,ଋଋକୁ ପରଚେ ହେଲେ ନୋହିବ ମରଣ । ୨୦ ।ମଅ ଅକ୍ଷରଟି ତହିଁ ମାଇ ଅଟେ ଜାଣ,ଚିହ୍ନି ନ ପାରିଲେ ମୋହ ମାୟା କରେ ଭ୍ରମ । ୨୧ ।ପଅ ଅକ୍ଷରଟି ଦିଶେ କୁଙ୍କୁମ ବରଣ,ପଦ୍ମ ପ୍ରାଏ ଢଳହଳ ଅରୁଣ ପ୍ରମାଣ । ୨୨ ।ଋଋ ଅକ୍ଷରଟି ଦିଶେ ଶୁକ୍ଳାମ୍ବର ମୂର୍ତ୍ତି,ତହିଁର ଶବଦମାନେ ବେଦାନ୍ତ ଆକୃତି । ୨୩ ।ମଅ ଅକ୍ଷରଟି ଦ୍ରୋଛନା ଦିଶେ କଳା ପ୍ରାଏ,ଯେ ଚିହ୍ନି ପାରିବ ଦେଖ ଜାଜଲ୍ୟତାମଏ । ୨୪ ।ପଅ ମଅ ବେନିକ୍ଷର ମଧ୍ୟରେ ପ୍ରକାଶେ,ୠୠକ୍ଷର ଭେଦ ଅର୍ଥ ସବୁଙ୍କୁ ନ ଆସେ । ୨୫ ।ପରମ ନାମଟି ତହିଁ ବସେ ତିନିକ୍ଷରେ,ଆବୋରି ରହିଛି ଶିର କର୍ଣ୍ଣ ବାମକରେ । ୨୬ ।କୃଷ୍ଣ ନାମରେ ଶବଦ ଶୁଣ ନିରାକାର,ତୋ ଆଗେ କହିବା ଫେଇ ଭେଦର ବିଚାର । ୨୭ ।କୁଉ ଅକ୍ଷରଟି ଯେଉଁ କାମ ଶକ୍ତି କଳା,ଶୁଭ ଅକ୍ଷରେ କା ହୋନ୍ତେ କଳପ ଜନ୍ମିଲା । ୨୮ ।ଋଉ ଅକ୍ଷରଟି ଯେହୁ ଅଟେ ରଜ ରସ,ରା ରାର ଭିତରେ ପ୍ରେମ ଭେଦର ପ୍ରକାଶ । ୨୯ ।ସଅ ଅକ୍ଷରଟି ତହିଁ ପବନ ହୋଇଛି,ପାଣିର ବଳେ ପବନ ବପୁ ଉଠୁଅଛି । ୩୦ ।କୁଉ ଅକ୍ଷର ରୂପଟି ଗଉର ବରଣ,ଶକତି ଆକାରେ ହୋଇଅଛି ଆଭରଣ । ୩୧ ।ଋଉ ଅକ୍ଷର ବର୍ଣ୍ଣଟି ଦଧି ପ୍ରାଏ ଦିଶେ,ଚେତା ବିନ୍ଦୁ ବ୍ରହ୍ମ ତହିଁ ଲାଳୁଆ ପ୍ରକାଶେ । ୩୨ ।ସଅ ଅକ୍ଷରଟି ଦିଶେ ପାଣ୍ଡୁର ବରଣ,ଶଶି ତେଜ ଦ୍ରୋଛନା ଅଟଇ ବିସ୍ତାରଣ । ୩୩ ।କୃଷ୍ଣ ନାମ ଶବଦରେ ତ୍ରିଅକ୍ଷର ବସେ,କୁରୁ ଷଣ ମାତ୍ରା ଦୁଇ ଅର୍ଥରେ ନ ମିଶେ । ୩୪ ।ଏହି ଶିର ମୁଖଦ୍ୱାର ବର୍ଣ୍ଣ ଭେଦ କଥା,ଶୁଣ ନିରାକାର ତୁହୋ ମନେ ଧର ଚେତା । ୩୫ ।ଭ୍ରୂଲତା ପଟରେ ଗ୍ୟାନ କପୋଳର ନ୍ୟାଏ,ବୁଝାଇ କହିଲେ ଭେଦ ମହା ଦୁରୁନଏ । ୩୬ ।ଜଗନ୍ନାଥ ନାମରେ ଭେଦାନ୍ତ ଦେବା କହି,ଏକ ମନ ହୋଇ ଶୁଣ ବେନି କର୍ଣ୍ଣ ଦେଇ । ୩୭ ।ଜଅ ଅକ୍ଷରଟି ଯେହୁ ଜୀବନ ସେ ଲିଙ୍ଗ,କୋଟି କୋଟି ତହିଁରୁ ହେଉଛି ଅଙ୍ଗଭଙ୍ଗ । ୩୮ ।ଗଅ ଅକ୍ଷରଟି ଯେହୁ ଗର୍ଭ ବୋଲି କହି,ଭାତ ଫୁଟା ପ୍ରାଏ ବ୍ରହ୍ମ ପଞ୍ଚନ ହୁଅଇ । ୩୯ ।ନଅ ଅକ୍ଷରରୁ ବହୁଅଛି ନାମରାଶି,ସୋହତିରେ ପଡ଼ି ଆସେ କାଳିନ୍ଦୀରେ ଭାସି । ୪୦ ।ଥଅ ଅକ୍ଷରଟି ଯେହୁ ତୁଳନ ନିକିତି,ବ୍ରହ୍ମକୁ ମରମ ଖଞ୍ଜେ ଦେଉଛି କରତି । ୪୧ ।ଜଅ ଅକ୍ଷର ବରଣ ଅରୁଣର କାନ୍ତି,ଡଗ ଡଗ ସେ ଶକ୍ତିରୁ ଉଠୁଛି ତପତି । ୪୨ ।ଗଅ ଅକ୍ଷର ଦ୍ରୋଛନା ରଙ୍ଗ ବର୍ଣ୍ଣ ଦିଶେ,ଚମକି ଶବଦ ଘେନି ମଣ୍ଡଳା ପ୍ରକାଶେ । ୪୩ ।ନଅ ଅକ୍ଷରର ରୂପ ଶେତବର୍ଣ୍ଣ ଦିଶେ,ଜୀବ ଅଙ୍ଗେ ଭେଦ ଭୂତ ଭବିଷ୍ୟ ପ୍ରକାଶେ । ୪୪ ।ଥଅ ଅକ୍ଷର ବରଣ ହୀରାକଣି ପ୍ରାଏ,ପାରା ପ୍ରାଏ ଢଳହଳ ହେଉଛି ତା କାଏ । ୪୫ ।ଶର କର୍ଣ୍ଣ ଡାହାଣ ଭାଗର ଏହୁ ଅର୍ଥ,ଡାହାଣ ଭାଗରେ ଛନ୍ତି ଜୀବ ମୁକ୍ତି ଭୂତ । ୪୬ ।ଶୁଣିଲୁ କି ନିରାକାର ମହାନିତ୍ୟ ଭୁଅ,ଏହାଙ୍କୁ ଚିହ୍ନି ଭେଦିଲେ ରହେ ନିଜ ଦେହ । ୪୭ ।ନିରାକାର ଉବାଚନିରାକାର ବୋଇଲେ ଶୁଣିମା ବ୍ରହ୍ମବେତ୍ତା,ଏ ସେ ମହାନିତ୍ୟ ସ୍ଥଳୀ ନିରୂପଣ କଥା । ୪୮ ।ପିତା ଅଙ୍ଗେ ଜୀବ ପିଣ୍ଡ ଘଟଣା ହେଉଛି,ହେତୁ ଚେତା ଦୁଇ ଏ କାହିଁରୁ ପାଉଅଛି । ୪୯ ।ଠୂଳରୂପ ଧରି ସିନା ଆକାଶୁ ଖସିଲା,ପିତା ଅଙ୍ଗ ତେଜି ମାତା ପଦ୍ମରେ ପଶିଲା । ୫୦ପିତା ଅଙ୍ଗୁ ସକଳ ଧରିଣ ଆସିଥିଲା,କି ଅବା ମାତା ଗର୍ଭରେ ସମସ୍ତ ପାଇଲା । ୫୧ ।ବିନ୍ଦୁ ରୂପ ଦ୍ରୋଛନା ଧଇଲା କେଉଁପରି,କେତେଠାରୁ ଠୁଳାନ୍ତ ହୋଇଲା ଭାଗ କରି । ୫୨ ।ପିତାର ଅଙ୍ଗ ଶକତି ନିଷ୍ଠା ବୋଲି କହି,କି ପ୍ରକାରେ ପାଣି ଲାଳ ହେଲା କହ ଫେଇ । ୫୩ ।ଏ କଥା ଗୋଟାକୁ ମୋର ବହୁତ ସଂଶୟ,ଏଥିରେ ଅରଥ ସନ୍ଧି ତତ୍ତ୍ୱ ମୋତେ କହ । ୫୪ ।ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ତୁ ହୋ ଶୁଣ ଆଦିକନ୍ଦବୁଝାଇ କହିବା ଜୀବ ପିଣ୍ଡ ଭେଦ ବନ୍ଧ । ୫୫ ।ଅକାମ ମଣ୍ଡଳୁ ଶୂନ୍ୟ ହେଉଅଛି ଜାତ,ଶୂନ୍ୟ ରୂପ ବିନେ ଗୋଡ଼ ଆକାର ସମ୍ଭୂତ । ୫୬ ।ପବନ ଗୋଡ଼ରୁ ଜାତ ହେଉଅଛି ଭେଦ,ପବନ ପାଦ ଶବ୍ଦରୁ ସଞ୍ଚରୁଛି ନାଦ । ୫୭ ।ନାଦର ଉଝାଳ ଘେନି ଜାତ ହେଲା ବିନ୍ଦୁ,ଆକାରେ ପ୍ରକାଶ ହେଲା କୁହୁଡ଼ିଆ ବିନ୍ଦୁ । ୫୮ ।ଅ ଅ ବୋଲନ୍ତେ ଆସି ଆକାର ଧଇଲା,ଶୂନ୍ୟ ଭେଦ ଶବଦ ବେଦାନ୍ତ ଯୁକ୍ତ ହେଲା । ୫୯ ।ଶୂନ୍ୟ ପବନ ଆକାର ହାନ୍ଦୁଳନ୍ତେ ଭରି,ବିନ୍ଦୁ ବ୍ରହ୍ମ ଦିଶିଲା ଯେସନେ ଛଳ ବାରି । ୬୦ ।ଜଳ ମନ୍ଥନ କରନ୍ତେ ଜ୍ୟୋତିରୂପ ହେଲା,ବ୍ରହ୍ମ ଯୋଗସ୍ଥଳେ ପଡ଼ି ଜୀବ ବୋଲାଇଲା । ୬୧ ।ଯେତେବେଳେ ଜୀବ ପିଣ୍ଡ ଘଟଣା ହେଉଛି,ସବୁ ଠୁଳ କରି ଅନହତେ ସିଝାଉଛି । ୬୨ ।ଅନନ୍ତ ନାମ ତହିଁରେ ମିଶାଉଛି ଅଠା,ମେଦ କରି ଏକଠାରେ ବାନ୍ଧୁଅଛି ମେଣ୍ଟା । ୬୩ ।ପରମ ନାମଟି ତହିଁ ହେଉଅଛି ପାଣି,ଅଠାଣି ପେଷାଣି ହେଉଅଛି ଦୁଇ ବେନି । ୬୪ ।ଶ୍ରୀକୃଷ୍ଣ ନାମଟି ତହିଁ ଚୁମ୍ବକ ଟାଙ୍ଗଣା,ମେଦ କରି ଜୀବ ପିଣ୍ଡ ହେଉଛି ପାଙ୍ଗଣା । ୬୫ ।ଜଗନ୍ନାଥ ନାମଟି ହେଉଛି ରୂପ ଜାତି,ସକଳ ମିଶାଇ ଏକ ଠାବରେ ପାଗନ୍ତି । ୬୬ ।ଅନନ୍ତଙ୍କ ତ୍ରିଅକ୍ଷର ଲାଗିଅଛି ତହିଁ,ପରମ ତ୍ରୟ ଅକ୍ଷର ସଷ୍ଟମ ବୋଲାଇ । ୬୭ ।ଶ୍ରୀକୃଷ୍ଣଙ୍କ ତ୍ରିଅକ୍ଷର ତହିଁରେ ମିଶୁଛି,ତିନି ତିନି ଥର କଲେ ନବମ ହେଉଛି । ୬୮ ।ଜଗନ୍ନାଥ ଚାରିକ୍ଷର ତହିଁରେ ମିଶୁଛି,ତ୍ରିଗୁଣ ବୋଲନ୍ତେ ନରେ ଅକ୍ଷର ଲାଗୁଛି । ୬୯ ।ସେ ତେର ଅକ୍ଷର ତେର କଳା ବୋଲାଉଛି,ତେର ଗୁଣେ ଜୀବ ପିଣ୍ଡ ଘଟଣା ହେଉଛି । ୭୦ ।ତେବେ ସିନା ବୋଲାଉଛି ବ୍ରହ୍ମ ବୀଜ ନାମ,ଜୀବ ଘଟଣାଟି ଗ୍ୟାନୀଜନଙ୍କୁ ଅଗମ୍ୟ । ୭୧ ।ଯେତେବେଳେ ବ୍ରହ୍ମ ବୀଜ ସ୍ଥଳରୁ ଖସୁଛି,ମହିମା ଶକତି ଥମ୍ବ ଉପରେ ବସୁଛି । ୭୨ ।ମହିମାଙ୍କ ହସ୍ତ ନାହିଁ ଲାଗିଲେ ନ ଆସେ,କର୍ମ କାଣ୍ଡ ବର ବାଞ୍ଛା ଦେଲେ ଯାଇ ଖସେ । ୭୩ ।ବ୍ରହ୍ମ ବୀଜ ଯେତେବେଳେ ଖସି ଆସୁଅଛି,ଲଲାଟ ଚକ୍ର ମଣ୍ଡଳେ ବେଢ଼ାଏ ବୁଲୁଛି । ୭୪ ।ବିହି ଧାତା ଧରିଛନ୍ତି କର୍ମଦଣ୍ଡ ଛପା,ଜୀବ ମୁଣ୍ଡେ ଛପା ଦ୍ୟନ୍ତି ଅଢ଼ୈକ୍ଷର ଲେଖା । ୭୫ ।ତେବେ ସିନା ଜୀବ ବିନ୍ଦୁ ପିତା ଅଙ୍ଗୁ ଆସେ,କର୍ମ ସିଦ୍ଧି ଘେନି ତହୁଁ ମାତା ଅଙ୍ଗେ ପଶେ । ୭୬ ।ହଅ ଅକ୍ଷରଟି ଯେ ହେତୁ ବୋଲି ଜାଣ,ପିଣ୍ଡ ଶକ୍ତିରେ ପଶନ୍ତେ ହୁଅଇ ସିହାଣ । ୭୭ ।ଚଅ ଅକ୍ଷରରୁ ଚେତା ହେଉଅଛି ଜାଣ,ରଜ ବୀଜ ପିଣ୍ଡ ମଧ୍ୟେ ରହିଛି ପରାଣ । ୭୮ ।ପିତା ଅଙ୍ଗ ମଧ୍ୟେ ଘେନି ଆସୁଛି ନିର୍ଗୁଣ,ମାତାର ଅଙ୍ଗରୁ ପାଉଅଛି ଗୁଣ ଗ୍ୟାନ । ୭୯ ।ଶୁଣିଲୁ କି ନିରାକାର ଜୀବ ନିରୂପଣ,ଏ ପ୍ରକାରେ ଆତ୍ମା ପିଣ୍ଡ ହେଉଛି ସର୍ଜ୍ଜନ । ୮୦ ।ନିରାକାର ଉବାଚନିରାକାର ବୋଇଲେ ଶୁଣିମା ନାରାୟଣ,କଥାଏ ପୁଚ୍ଛିବ କୋପ ନ କରିବା ପୁଣ । ୮୧ ।ଏ ଘଟରେ କେଉଁଠାରେ ଅଛନ୍ତି ଶ୍ରୀଗୁରୁ,କହି ଆଗ୍ୟାଁ ହେଉ ମୋତେ ସୁଧା ଶ୍ରୀମୁଖରୁ । ୮୨ ।ବାମେ କି ଡାହାଣେ ଛନ୍ତି ନ ଜାଣଇ କିଛି,ଗୁରୁ ମୁଖେ ଶୁଣିଥିଲେ ପରତେ ମୋ ଅଛି । ୮୩ ।ଗୁରୁ ନ କହିଲେ କିଛି ସଂଶୟ ନ ଯାଏ,ଦେଖିଲା ଶୁଣିଲା କଥା ଅପରତେ ଥାଏ । ୮୪ ।ନିରାକାର ମୁଖକୁ ଚାହିଁଣ ଗୁରୁ ହସି,ସାବଧ୍ୟାନ ହୋଇ ଶୁଣ ଠୁଳଶୂନ୍ୟବାସୀ । ୮୫ ।ଅପ୍ରସନ୍ନ ଭେଦ ତୋତେ ପ୍ରସନ୍ନ କରିବା,ତୁ ଯେବେ ଅପ୍ରତେ କଲୁ ବୁଝାଇ କହିବା । ୮୬ ।ପଦେ ପଦେ ସୁଧାରସ ଅଟଇ ଏ କଥା,ଭେଦି ପାରିଲେ ମୂରୁଖ ହେବ ଗ୍ୟାନବନ୍ତା । ୮୭ ।ଏ ଘଟରେ ବାମ ପାରୁଶରେ ଗୁରୁଛନ୍ତି,ମହିମା ଛାମୁରେ ନେଇ ଦର୍ଶନ କରାନ୍ତି । ୮୮ ।ଏ ପିଣ୍ଡ ପ୍ରାଣର ସେ ଅଟନ୍ତି ଦୀକ୍ଷାଗୁରୁ,ଜୀବନକୁ ତାରି ନ୍ୟନ୍ତି ପ୍ରକୃତି ପିଣ୍ଡରୁ । ୮୯ ।ଏ ଘଟକୁ ଜଗୁଆଳ ପରମ ପୁରୁଷ,ଜୀବନ ସମୀପେ ସାକ୍ଷୀ ରୂପେ ପରକାଶ । ୯୦ ।ବାମ ଅଙ୍ଗଠାରୁ ଦେହ ପ୍ରଳୟ ହେଉଛି,ପଶ୍ଚିମ ଭାଗକୁ ଫେରି ଡାହାଣେ ଘୋଟୁଛି । ୯୧ ।ବାମଅଙ୍ଗୁ ରୋଗମାନେ ହେଉଛନ୍ତି ଜାତ,ଦେହରେ ପୀଡ଼ା କରନ୍ତେ ଆତ୍ମା ହୁଏ ହତ । ୯୨ ।ଯମର ଭୁବନ ଅଛି ଡାହାଣ ଅଙ୍ଗରେ,ପରମଙ୍କୁ ଆଗ୍ୟାଁ ଘେନି ଆସ୍ୟ ଖିନ୍ନ କରେ । ୯୩ ।ଜୀବ ଯହିଁ ନାମ ତହିଁ ଛନ୍ତି ଏକ ଫାଳେ,ଡାହାଣ ଭାଗର କଣ୍ଠ ଚକ୍ରର ମଣ୍ଡଳେ । ୯୪ ।ଦ୍ୱାଦଶ ଯୁଣେକ ତହିଁ ଛଡ଼ାଛଡ଼ି ଅଛି,ମୋହ ତେଜେ ଜୀବଆତ୍ମା ଚେତି ନ ପାରୁଛି । ୯୫ ।ପରମକୁ ଜୀବ ଖୋଜୁଅଛି ନିରନ୍ତରେ,ଚିହ୍ନି ପାରିଲେ ସେ ଦୁଇ ଛନ୍ତି ଏକଠାରେ । ୯୬ ।ଯେସନେ ଜିଭ୍ୟା ଅଗ୍ର ନାସାକୁ ନ ପାଏ,ସେହିରୂପେ ପରମଟି ଜୀବ ପାଶେ ଥାଏ । ୯୭ ।ଯେସନେକ ବେନି ନେତ୍ର ହଇଛି ଯାଉଁଳି,ଏ ନେତ୍ରରୁ ଆରନେତ୍ର ନ ଦିଶେ ଅଙ୍ଗୁଳି । ୯୮ ।ସେହିପରି ଜୀବ ପର୍ମ ଛନ୍ତି ଏକଠାରେ,ମଧ୍ୟରେ ବାରଣ ହୋଇଛନ୍ତି ଏ ପ୍ରକାରେ । ୯୯ ।ଯେସନେକ ଜଳକୁମ୍ଭ ମଥାପରେ ଥାଇ,ଓହ୍ଲାଇ ପିଇଲେ ସିନା ତୃଷା ତ ପଳାଇ । ୧୦୦ ।ଅନୁମାନ ବୁଦ୍ଧି ଥିଲେ ଜଳକୁ ପିଇଲା,ନୋହିଲେ ସେ ଜଳ ଥାଇ ତୃଷାର୍ତ୍ତରେ ମଲା । ୧୦୧ ।ସେହିରୂପେ ମଥାପରେ ଅଛି ନିଜ ନାମ,ନାମ ନାମ ବୋଲି ପ୍ରାଣୀ ହେଉଥାନ୍ତି ଭ୍ରମ । ୧୦୨ ।ତୁ ଅବା ବୋଲିବୁ କାଳ କେଉଁଠାରୁ ଆସେ,ଆପଣା ଘଟୁ ଉବୁକି ଆତ୍ମାଲିଙ୍ଗେ ଗ୍ରାସେ । ୧୦୩ ।କହିଲା ଶୁଣିଲା କଥା ମିଥ୍ୟା ଏ ବଚନ,ତତ୍ତ୍ୱକୁ ପାଇବୁ ଆପ ଦେହେ କଲେ ଗ୍ୟାନ । ୧୦୪ ।ରାମ ରାମ ବୋଇଲେ କି କ୍ଷୟ ଯିବ ପାପ,ଭାତ ଭାତ ବୋଇଲେ କି ପଳାଇବ ଭୋକ । ୧୦୫ ।ଆହାର ଭକ୍ଷିଲେ ସିନା ଆତ୍ମା ବୋଧ ହେବ,ନାମକୁ ଭଜିଲେ ସିନା ମୁକତି ଲଭିବ । ୧୦୬ ।ଭଜିବାରେ କିସ ଲାଭ ଶୁଣିଲେ ଯାଇ ସିନା,ଶୁଣିବାରେ କିସ ଲାଭ ପଢ଼ିଲେ ଯାଏ ଜଣା । ୧୦୭ ।ପଢ଼ିବାରେ କିସ ସୁଖ ବୁଝିଲେ ସିନା ଅଛି,ବୁଝିବାର କିସ ପ୍ରିୟ ଭେଦ କର ବାଛି । ୧୦୮ ।ଭେଦ କଲେ କିସ ହେବ ଭଜିଲେ ଅଛି ସବୁ,ଭଜୁଥିଲେ କିସ ହେବ ତେଜିଲେ ମିଳେ ପ୍ରଭୁ । ୧୦୯ ।ତେଜ୍ୟା କଲେ କି ହୋଇବ ଧରି ନ ପାରିଲେ,ଧରିଲେ କି ହୋଇବ ଚିହ୍ନି ନ ପାରିଲେ । ୧୧୦ ।ଚିହ୍ନିଲେ କି ହେବ ବାନ୍ଧି ଯେମନ୍ତେ ନ ପାରେ,ବାନ୍ଧିଲେ କି ହେବ ଯେବେ ଜାଗ୍ରତେ ନ ଧରେ । ୧୧୧ ।ଧରିଲେ କି ହେବ ଲଭି ପାରିଲେ କି ଯାଇ,ମଜ୍ଜି ପାରିଲେ ବ୍ରହ୍ମରେ ତେବେ ଲୀନ ହୋଇ । ୧୧୨ ।ଶୁଣିଲୁ କି ନିରାକାର ଗ୍ୟାନର ଆଚାର,ନିର୍ବେଦ ନିଷ୍କାମ ବ୍ରହ୍ମ ଭକ୍ତିର ବିଚାର । ୧୧୩ ।ବ୍ରହ୍ମ ନିଜ ଆସ୍ଥାନକୁ ଗୋଟିଏ ଉହାଡ଼,ତାହାଙ୍କ ଭଗତି ଅଟେ ସବୁଠାରୁ ବଡ଼ । ୧୧୪ ।ବ୍ରହ୍ମ ବୋଲିବାର କଥା ବହୁତ କଠିଣ,ସତ୍ୟ ଧର୍ମ ପାଳିବାର ବଡ଼ାଇ କଷଣ । ୧୧୫ ।ବ୍ରହ୍ମକୁ ଭଜିଲା ଲୋକ ବ୍ରହ୍ମେ ହୋନ୍ତି ଲୀନ,କ୍ରିୟା-କର୍ମ-କଲାମାନେ ମାୟାରେ ବନ୍ଧନ । ୧୧୬ ।ସତ୍ୟ ଆଶ୍ରେ କଲା ଲୋକ ଶୂନ୍ୟ ବ୍ରହ୍ମେ ପଶେ,ପାପ କର୍ମ କଲା ଲୋକ ନରକେ ନିବାସେ । ୧୧୭ ।ବିହି କର୍ମ କଲା ଲୋକ ମହତକୁ ପାୟେ,କୁକର୍ମ କରିବା ଲୋକ ଯମପୁର ଯାଏ । ୧୧୮ ।ସତ୍ୟଟି ଶୁକଳ ଅଟେ ମିଥ୍ୟା ପଦ କଳା,କାଳିଆ ନୁହନ୍ତି ପ୍ରଭୁ ନୁହନ୍ତି ଧବଳା । ୧୧୯ ।ଶୁଣିଣ ଶ୍ରୀ ନିରାକାର ମନେ ଗଦଗଦ,ତତକ୍ଷଣେ ନମିଲେ ଶ୍ରୀଗୁରୁ ପଦ୍ମପାଦ । ୧୨୦ ।ସାଧୁ ସୁଗ୍ୟଁଜନେ ମୋର ଦୋଷ ନ ଧରିବ,ଶରଣ ପଶୁଛି ପାଦେ ସୁଦୟା କରିବ । ୧୨୧ ।ଦୋଷ ଅପରାଧ ମୋର କ୍ଷମା କରି ସବୁ,ତୁମ୍ଭଙ୍କୁ ଭଗତମାନ କରିଛନ୍ତି ପ୍ରଭୁ । ୧୨୨ ।ତୁମ୍ଭେ ପାଦେ ଭୃତ୍ୟ କରି ମୋତେ ପାରି କର,ଦନ୍ତରେ ତିରଣ ଧରି ପଶୁଛି ପୟର । ୧୨୩ ।ଗୁରୁ ଶିଷ୍ୟଙ୍କର ବେନି ପାଦେ ପରିଣାମି,ଦିବାନିଶି ଡାକୁଅଛି ରଖ ଗୁରୁ ସ୍ୱାମୀ । ୧୨୪ ।ବ୍ରହ୍ମ ନିରୂପଣ-ଗୀତା ପ୍ରବନ୍ଧେ ପ୍ରକାଶ,ଅଲେଖ ବ୍ରହ୍ମକୁ ଧ୍ୟାୟି ଭଣେ ଭୀମ ଦାସ । ୧୨୫ ।ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,ଶ୍ରୀଗୁରୁଶିଷ୍ୟ-ସମ୍ବାଦେ, ଘଟଭେଦଆତଯାତବର୍ଣ୍ଣନେ ଶିରକର୍ଣ୍ଣଚକ୍ରମଣ୍ଡଳଭୁଅ କଥନେ,ଆଗମ ନିର୍ଗମ ବିଚାରଣେ ନାମଦ୍ୱାଦଶୋଽଧ୍ୟାୟଃ