ଚତୁର୍ଥ ଅଙ୍କ — ଉତ୍କଳ-ଗୌରବ — ଅଶ୍ୱିନୀକୁମାର ଘୋଷ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଅଙ୍କ
ପ୍ରଥମ ଦୃଶ୍ୟ
-କକ୍ଷ-
[ମଳିନବେଶା କୃଷ୍ଣା ଏକାକିନୀ ମୌନଭାବେ ବସି କ’ଣ ଚିନ୍ତା କରୁଥିଲେ - କେତେବେଳେ ଭୟରେ ଶିହରି ଉଠୁଥିଲେ - କେତେବେଳେ ବା ବିମର୍ଷଭାବ ଧାରଣ କରୁଥିଲେ - ସେହି ଭାବୋଦ୍ଦୀପକ ମୃଦୁ ମୃଦୁ ବାଦ୍ୟ ଧ୍ୱନି ଘରଟିକୁ ତରଙ୍ଗାୟିତ କରି ରଖିଥିଲା । ଅନନ୍ତ ସିଂହ ଅଲକ୍ଷେ ଧୀର ପଦ ବିକ୍ଷେପେ ପ୍ରବେଶ କଲେ
ଓ ମୃଦୁ କରସ୍ପର୍ଶ କରିବା ସଙ୍ଗେ ସଙ୍ଗେ ଡାକିଲେ - ]
ଅନନ୍ତ – କୃଷ୍ଣା ।
କୃଷ୍ଣା – (ଭୀତା ଓ ଚମକିତା ହୋଇ ଘୁଞ୍ଚି ଠିଆହେଲେ)
ଅନନ୍ତ – ପ୍ରାଣେଶ୍ୱରୀ ।
କୃଷ୍ଣ – ‘ପ୍ରାଣେଶ୍ୱରୀ’ । - ହାଃ ହାଃ ହାଃ -
ଅନନ୍ତ – ବୁଝିଛି - ବୁଝିଛି ମନୋଭାବ ତୁମ୍ଭର - ସମ୍ୱୋଧନରେ ମଧ୍ୟ ମୋ’ର ଅଧିକାର ନାହିଁ -ଯେ ପର୍ଯ୍ୟନ୍ତ ସେହି ତସ୍କରଟା -
କୃଷ୍ଣା – ‘ତସ୍କର’-’ତସ୍କର’ - (ବିସ୍ଫୋରିତ ନେତ୍ରରେ ଚାହିଁଲେ)
ଅନନ୍ତ – ଓଃ - ସେହି ତସ୍କର - ଭୟ ସତେ ସତେ କ’ଣ -
କୃଷ୍ଣା – ଦୂର ହେବ - ଥାଉଁ ଏ’ ଜୀବନ । (ଶ୍ଲେଷ ପୂର୍ଣ୍ଣ ନେତ୍ରରେ ଚାହିଁଲେ)
ଅନନ୍ତ – ଜୀବନ ଭୟରେ ସେ ପଳାଇଛି, ପ୍ରାଣେ -
କୃଷ୍ଣା – ମାତ୍ର ମୋର ଭୟ କ’ଣ - (ହଠାତ୍ ସଲଳ୍ପେ ମୁଖ ଫେରାଇ ନେଇ ମାଟି ସଙ୍ଗେ ମିଶିବାକୁ ଯାଉଥିଲେ)
ଅନନ୍ତ – ମୃତ୍ୟୁ ସୁନିଶ୍ଚିନ୍ତ ଜାଣି କେହି କି କେବେ -
କୃଷ୍ଣା – (ଚମକିତା ହୋଇ) ‘ମୃତ୍ୟୁ’ । - ‘ମୃତ୍ୟୁ’ । - ଅସମ୍ଭବ - ଅସମ୍ଭବ ମୃତ୍ୟୁ ନାହିଁ, ମୁତ୍ୟୁ ହୋଇପାରେ ନାହିଁ -
ଅନନ୍ତ – ‘ପାରେନାହିଁ’ - ଠିକ୍ କହିଚ - ମୃତ୍ୟୁ ସଙ୍ଗେ ଯୁଦ୍ଧ କରିବାକୁ ଯେମନ୍ତ ସେ ଆଜୀବନ ପ୍ରସ୍ତୁତ - କି ଅଲୌକିତ ଶକ୍ତି ତାର - ଏଡ଼େ ଏଡ଼େ କଠିନ ଲୌହ ଦଣ୍ଡଗୁଡ଼ାକ ସେଦିନ କେଡ଼େ ଅନାୟସରେ ବଙ୍କାଇ, ପୁଣି ସିଧା କରି ଦେଇ ଚାଲିଗଲା ସିନା -
କୃଷ୍ଣା – ହାଃ, ହାଃ - ଏହାଠାରୁ କଠିନତର ଦଣ୍ଡକୁ ଯେ ସେଦିନ ଅନାୟାସେ ଚରମାର କରି - (କହୁ କହୁ କି ଧିକ୍କାରେ ରହିଗଲେ) -
ଅନନ୍ତ – ଆଶ୍ଚର୍ଯ୍ୟ - ଆଶ୍ଚର୍ଯ୍ୟତାର ଦୁଃସାହସ ! - ଏତେ ସତର୍କ ପ୍ରହରୀ ଥାଉଁ ଥାଉଁ, - ପର୍ବତପରି ଉଚ୍ଚ ପ୍ରାଚୀର ପରିବେଷ୍ଟିତ ରାଜପୁରୀ ମଧ୍ୟରେ ପ୍ରବେଶ କରି, - ଏହି ମୁଁ ଫେରି ଯାଉଁ ଯାଉଁ, କେତେ ବା ସମୟ ପାଇଲା, ସେଥି ମଧ୍ୟରେ, ,କୁଟିମ ତୁମକୁ ବହନ କରି, - ନିଶ୍ଚୟ କେଉଁ ଅଦୃଶ ଶକ୍ତି ପ୍ରଭାବରେ -
କୃଷ୍ଣା – (ନିର୍ଲଜ୍ଜଭାବେ) ‘ଅଦୃଶ ଶକ୍ତି’ - ପ୍ରକୃତରେ ‘ଅଦୃଶ’ ଶକ୍ତି - ପ୍ରଭାବ ତାର ଦୃଷ୍ଟିର ଅତୀତ - କଳ୍ପନାର ଅତୀତ ତା’ରିଠାରେ ଏକା ସମ୍ଭବ –
ନୁହେଁ କି ?
ଅନନ୍ତ – (ସ୍ୱଳ୍ପ ସିନ୍ଧିଗ୍ଧଭାବେ ଚାହିଁଲେ) କିନ୍ତୁ ଏ’ ଦୁଃସାହସ ତା’ର ତୁମରି ଯୋଗୁଁ ବଢ଼ି ଯାଇଥିଲା ସିନା - ମୋର ମଧ୍ୟ ଦୋଷ କିଛି କମ୍ନୁହେଁ - ପୂର୍ବୋପକାରର କୃତଜ୍ଞତାରେ ଯଦି ଏତେ ଦୂର ଅନୁପ୍ରାଣିତ ହୋଇ ନ ଥାନ୍ତି, ତାହା ହେଲେ କି ଏପରି କୃତଘ୍ନତା -
କୃଷ୍ଣା – ‘କୃତଘ୍ନତା’ । - ଘୋର କୃତଘ୍ନତା । (ଦୀର୍ଘନିଶ୍ୱାସ ତ୍ୟାଗକଲେ)
ଅନନ୍ତ – (କ୍ରୋଧାବିଷ୍ଟ ହେଲେ) ସର୍ପ - ସର୍ପ ସେହି - ଦଂଶନ କରିବା ତା’ର ପ୍ରକୃତି । ଆଜି ବୁଝୁଚି, ତସ୍କର - ସେ ଦିନ ରାତ୍ରିରେ ତୋ’ରି ସେହି ପ୍ରଚ୍ଛନ୍ନ ପାପ ଲାଳସା - ଓଃ ! ମୁଁ କି ଗୋଟାଏ ହୃଦୟାବେଗରେ ଲକ୍ଷ୍ୟ କରି ପାରି ନ ଥିଲି ସିନା ।
କୃଷ୍ଣା – ଥାଉ - ଥାଉ - ସେହି ସ୍ମୃତି - ଶେଳ ସମ ବିନ୍ଧୁ ଅଛି ମର୍ମେ - ଓଃ, କି ଜ୍ୱାଳା - ନିଜ ରକ୍ତେ ନିଜ ରକ୍ତେ ପରା ଲିଭାନ୍ତି ଏ’କ୍ଷଣି - କିନ୍ତୁ - କିନ୍ତୁ, ଲିଭିବ କି - ଲିଭିବ କି -
ଅନନ୍ତ – ଲିଭିବ ନିଶ୍ଚୟ - କୃଷ୍ଣା । କୃଷ୍ଣା । ଏହି ପ୍ରତିଜ୍ଞା ମୋହର - ଯେଉଁଠାବେ ଥାଉ ସେ ତସ୍କର - ଅନଳେ, ଅନିଳେ ବ୍ୟୋମ ଅବା - ଜୀବିତ ବି ମୃତ - ଆଣିବି ମୁଁ ଖୋଜି କ୍ଷଣେ - ଦେବି ଉପହାର - ନା - ନା - ସ୍ୱହସ୍ତେ ବିଦାରି ବକ୍ଷ, ରକ୍ତ ଗଙ୍ଗା କରିବି ବାହାର - ସେହି ରକ୍ତ କରି ଅଞ୍ଜଳି ଅଞ୍ଜଳି - ଭୀମ ସମ ବୋଲିବି ମୁଁ - (ଆଉ କହି ନ ପାରି କୃଷ୍ଣାର ବେଣୀରେ ବୋଳିବାର ଅଭିନୟ କଲେ)
କୃଷ୍ଣା – ପାଇବ - ପାଇବ କି ସନ୍ଧାନ ତାହାର ? - ଆଣି - ଆଣି ଦେବ କି ସାକ୍ଷାତେ ସତେ ? ମୁକ୍ତକେଶା ଆଜିଠାରୁ କୃଷ୍ଣା ତେବେ ଜାଣ - । (ବେଣୀ ମୁକୁଳାଇ ଦେଲେ)
ଅନନ୍ତ – କୃଷ୍ଣା - କୃଷ୍ଣା - ଥାଅ ଘେନି ସେହି ତୃଷ୍ଣା - ବାହାରିଳି ଏହିକ୍ଷଣି ଅନ୍ୱେଷଣେ ତା’ର - (ପ୍ରସ୍ଥାନୋଦ୍ୟତ)
ଦୂତ – ସେନାପତେ ! ସର୍ବନାଶ -
ଅନନ୍ତ – କରିବି ସ୍ୱହସ୍ତେ ମୁହିଁ - ରକ୍ତ-ରକ୍ତ-ରକ୍ତ - (ବେଗେ ପ୍ରସ୍ଥାନ କଲେ)
ଦୂତ – ସର୍ବନାଶ, ଜେମାଦେଈ - ହୋସେନ୍ଖାଁ - [ନେପଥ୍ୟେ ଗୁଡ଼ୁମ୍ ଗୁଡ଼ୁମ୍ ଶବ୍ଦ]
ଦୂତ – (ପ୍ରସ୍ଥାନ କରୁ କରୁ) ଏହି - ଶୁଣନ୍ତୁ, ଶୁଣନ୍ତୁ, ଜେମାଦେଈ ।
କୃଷ୍ଣା – ଶୁଣିବି ପଶ୍ଚାତେ - ନିର୍ବାପିତ କରି ଆଗେ - ତୃଷ୍ଣା - ତୃଷ୍ଣା - ତୃଷ୍ଣା - ।
[ଅଟ୍ଟହାସ୍ୟପୂର୍ବକ କି ଯେ ଲାଳସାପୂର୍ଣ୍ଣ ଦୃଷ୍ଟିରେ ଚାହିଁ, ଆପଣାର ମୁକୁଳିତ ବେଶୀ ସାଉଁଳିବାକୁ ଲାଗିଲେ]
ଦ୍ୱିତୀୟ ଦୃଶ୍ୟ
[ସନ୍ତ୍ରସ୍ତେ ସମରେନ୍ଦ୍ର ଓ ଚମ୍ପା ପ୍ରବେଶ କଲେ]
ସମରେନ୍ଦ୍ର – ଚମ୍ପା । ଏ ଯୁଦ୍ଧ ଗୋଳମାଳରେ କୌଣସି ମତେ ତ ‘ବନ୍ଦି’ରୁ ମୁକୁଳା ପାଇଲୁ - ଏବେ କାନ୍ତାରରେ ପଡ଼ିବା ନାହିଁ ତ ?
ସମରେନ୍ଦ୍ର – ମାଇପି - ମାଇପି, ମୁଁ ଚମ୍ପା - ମିଣିପ - (ଚମ୍ପାକୁ ଅଙ୍ଗୁଳି ନିର୍ଦ୍ଦେଶ କଲା)
ଚମ୍ପା – ଚାଲ, ଚାଲ, ଡେରି ହଉଚି - ଖାଁ ସାହେବ ତେଣେ ହାଁ କରି -
ସମରେନ୍ଦ୍ର – ଚାହିଁ ବସିଥିବେ ତ ବୁଝିଲି - କିନ୍ତୁ -
ଚମ୍ପା – ‘କିନ୍ତୁ’ ଫେର କ’ଣ -
ସମରେନ୍ଦ୍ର – ସେ କିହ୍ମୀରିଆ ହଁ । ନୁହେଁ ତ - ?
ଚମ୍ପା – ବିଧାତାଟା କେଉଁ ଅକଲରେ ତୁମକୁ ମିଣିପ କରି ଗଢ଼ିଥିଲା କେଜାଣି ?
ସମରେନ୍ଦ୍ର – ବିଧାତାର ସେହି ଭୁଲ ଆମେ ଠିକ୍କରି ନେଲେ ହୁଅନ୍ତା ନାହିଁ, ଚମ୍ପା ?
ଚମ୍ପା – ଆମେ ଆଉ କରୁଚୁ କ’ଣ କି ? - ସେନାପତି ହେବାର -
ସମରେନ୍ଦ୍ର – ‘ସେନାପତି’ । -
ସମରେନ୍ଦ୍ର – ପୁଣି- (ନାକ କାନ ମୋଡ଼ି ଗାଲରେ ଚଟକଣି ଖାଇ) ସହକାରୀ ସେନାପତିରୁ ତ ଏ’ ଫଳ ?
ଚମ୍ପା – ତୁମରି ବୁଦ୍ଧି ଦୋଷରୁ ସିନା । ଖୋଳଟା ଯଦି ଅନନ୍ତ ସିଂହକୁ ବିଶ୍ୱାସ କରି ନ ଥା’ନ୍ତ- ଆଉ ସେ ଅସ୍ତ୍ରଟା ଯଦି ମୋ ହାତରେ ତେତେବେଳେ ଥା’ନ୍ତ- ତା’ ହେଲେ ସିଂହ ଉପରେ ଆଜି ହାତୀ ଚଢ଼ିଥାନ୍ତା କି ? –
ସମରେନ୍ଦ୍ର – କେମିତି ? ତୁମେ ଯେତେବେଳେ ‘ସିଂହ’-
ଚମ୍ପା – ଅନନ୍ତସିଂହର ଢିଲାଭାବ ଦେଖି ମୁଁ ସନ୍ଦେହ କଲାବେଳେ ତୁମେ ନ ବୁଝି ନ ସୁଜି କେମିତିକା କହୁଥିଲ- ‘ଖୁବ୍ ଆଣ୍ଟ ଦେଇଚି’ -
ସମରେନ୍ଦ୍ର – ସେଇଥିପାଇଁ ତ କହୁଚି- ଏ’ ଦେହଟା ପରି ବୁଦ୍ଧିଟା ମୋ’ର ଯଦି ହୋଇ ନ ଥା’ନ୍ତା-
ଚମ୍ପା – ଯେତେବେଳେ ଯେମିତିକା- କଣ ଚାଞ୍ଛି ଦେଉ ନାହିଁ ?
ସମରେନ୍ଦ୍ର – କିନ୍ତୁ ସେ ଦିନିକା ଭଳି ଯେମିତିକା ଆଉ ଚାଞ୍ଛି ନ ଦିଅ- ଦେଖିଲ, -ଘା’ଟା ଏ’ ଯାଏଁ-
ଚମ୍ପା – ଛି, ପ୍ରାଣେଶ୍ୱର । ସେହି ଛୋଟ କଥାଟା ଏଡ଼େ କରି ଧରିଚ ନା ? -ତୁମେ ପରା ସେନାପତି ହେଲେ ମୁଁ ହେବି ସେନାପତିଆଣୀ-
ସମରେନ୍ଦ୍ର – ତା-ତା- ମୁଁ କହୁଚି କଣ’କି- ପଦଟା ଓଲଟେଇ ଦେଲେ ହୁଅନ୍ତା ନାହିଁ ? ସବୁ ଯେତେବେଳେ ଓଲ୍ଟା- ମଣିମାଙ୍କ- ମଣିମା କାହିଁକି- ବିଧାତାଙ୍କର ବି ବୁଝାମଣାରୁ ବୁଝିବାକୁ ତ ଆଉ ବାକି କିଛି ନାହିଁ ।
ଚମ୍ପା – ମତ୍ଲବଟା ତୁମର କ’ଣ ଶୁଣେ- (ହଠାତ୍ ଯୁଦ୍ଧର କୋଳାହଳ ଶୁଣି ଓ ଅଦୂରେ ଅନନ୍ତକୁ ଦେଖି)
ସମରେନ୍ଦ୍ର – ଚମ୍ପା-ଚମ୍ପା-ପଳେଇଆ-ପଳେଇଆ-
[ଉଭୟଙ୍କର ସଭୟେ ବେଗେ ପ୍ରସ୍ଥାନ]
ଅନନ୍ତ – ଉପାୟ କ’ଣ ? ପଠାଣତ କ୍ରମେ ଦୂର୍ଦ୍ଧର୍ଷ ହୋଇ ଉଠିଲେ- ଗଡ଼ରକ୍ଷାର କି ଉପାୟ କରୁଚି ? -ନା, ନା, ସର୍ବାଗ୍ରେ ପ୍ରତିଜ୍ଞା ରକ୍ଷା କର୍ତ୍ତବ୍ୟ ମୋ’ର- ରକ୍ତ-ରକ୍ତ- ମୁକୁନ୍ଦର ରକ୍ତ-
୧ମ ସୈନିକ – ସେନାପତେ । ସର୍ବନାଶ- ଶତ୍ରୁ ଗୁପ୍ତପଥର ସନ୍ଧାନ ପାଇଚି ।
ଅନନ୍ତ – ମୁକୁନ୍ଦର ସନ୍ଧାନ ? -
୨ୟ ସୈନିକ – ଆଉ ରକ୍ଷା ନାହିଁ, ସେନାପତେ । ଶତ୍ରୁ ରାଜପୁରୀ ମଧ୍ୟରେ ପ୍ରବେଶ କରିଛି -
ଅନନ୍ତ – କିନ୍ତୁ, ମୁକୁନ୍ଦ-ମୁକୁନ୍ଦ- ? – [ତୁତୀୟ ସୈନିକର ପ୍ରବେଶ]
୩ୟ ସୈନିକ – ସେନାପତେ । ଜେମାଦେଈ ଶତ୍ରୁ କବଳେ-
ଅନନ୍ତ – ମୁକୁନ୍ଦ କବଳେ ନୁହେଁତ- ? – (ଆସି ଉନ୍ମୋଚନ କରି ବେଗେ ପ୍ରସ୍ଥାନୋଦ୍ୟତ)
[ମୂର୍ଚ୍ଛିତାକୃଷ୍ଣାସ୍କନ୍ଧେ କ୍ଷତବିକ୍ଷତ ଦେହେ ମୁକୁନ୍ଦର ପ୍ରବେଶ]
ମୁକୁନ୍ଦ – ମୁକୁନ୍ଦ କବଳେ ପଡ଼ିଅଛି ବାଳା- ରକ୍ଷିତ ନାରୀରମାନ- ରକ୍ଷିତ ମର୍ଯ୍ୟାଦା ରାଜାର ଆମ୍ଭର- ପରାମର୍ଶ ବନ୍ଧୁ, ଘେନି ଶୀଘ୍ର ପଳାଅ ଏ’ଠା’ବୁ (ଅନନ୍ତର ଚରଣପ୍ରାନ୍ତେ ଶୁଆଇ ଦେଲେ)
(ନେପଥ୍ୟେ ଯୁଦ୍ଧ କୋଳାହଳ) ତରବାରୀ- ଖଣ୍ଡେ ତରବାରୀ- ବନ୍ଧୁ । ବନ୍ଧୁ । -ଭଗ୍ନ ମୋର ଅସି ଖଣ୍ଡ ଖଣ୍ଡ ରଣେ । (ନେପଥ୍ୟେ)- ‘ଆଲ୍ଲା ହୋ’ ରବ - (ଗୁଡ଼ଗ୍ ଗୁଡ଼ମ୍ ଶବ୍ଦ) ଏହି- ଏହି ଯେ ଆସନ୍ତି ଧାଇଁ- କ୍ଷୁଧିତ ଶାର୍ଦ୍ଦୂଳ ସମ- ଶିକାର ସନ୍ଧାନେ- ଆସି-ଆସି- [ଅନନ୍ତ ନିର୍ବାକ ନିଶ୍ଚଳ ହୋଇ ଦେଖୁଥିଲେ । ଅନନ୍ତର ହସ୍ତରୁ ଆସି କାଢ଼ିନେଇ]
ମୁକୁନ୍ଦ – କ୍ଷମ ଅପରାଧ, ଭାଇ- ଆସ, ସୈନ୍ୟଗଣ- [କି ଯାଦୂରେ ଯେହ୍ନେ ସୈନ୍ୟଗଣକୁ ବଶକରି ଘେନି ପ୍ରସ୍ଥାନ କଲେ]
ଅନନ୍ତ – ମୁକୁନ୍ଦ ! ମୁକୁନ୍ଦ ! -ଭାଇ-ଭାଇ- । (ସେହି ଅଦ୍ଭୁତ ଶକ୍ତି ଆକର୍ଷଣରେ ଅନୁଧାବନୋଦ୍ୟତ ହେଲେ)
କୃଷ୍ଣା – (ଚେତନା ଲାଭ କରି) ଏଁ-ଏଁ- କେଉଁଠାରେ ମୁହିଁ-
କୃଷ୍ଣା – କିଏ-କିଏ- ତେବେ କି ସ୍ୱପ୍ନ (ମୂର୍ଚ୍ଛତା ପ୍ରାୟ ହେଲେ)
ଅନନ୍ତ – ସ୍ୱପ୍ନ-ସ୍ୱପ୍ନ, କୃଷ୍ଣା । ସ୍ୱପ୍ନ ପରି ଆସି, ସେ ଯେ ସ୍ୱପ୍ନ ପରି ସତେ ଯାଇଅଛି ଚାଲି ?
ନେପଥ୍ୟେ) – (ଆଲ୍ଲାହୋ ଆକ୍ବର ।
ଅନନ୍ତ – ଉଠ, ଉଠ, କୃଷ୍ଣା- ପ୍ରିୟତମେ- ନରାପଦ ନୁହେଁ ସ୍ଥାନ (କୃଷ୍ଣାକୁ ଧରିବାକୁ ଗଲେ)
କୃଷ୍ଣା – କିଏ-କିଏ- ଛୁଅଁନା, ଛୁଅନାଁ ମୋତେ-
ଅନନ୍ତ – କୃଷ୍ଣା । କୃଷ୍ଣା । - ତୃଷ୍ଣା କି ତୁମ୍ଭର-
କୃଷ୍ଣା – ‘ଲିଭି ନାହିଁ ?’ -ଲିଭିବ କିପରି- କିଏ ଲାଭାଇବ ? -(ନେପଥ୍ୟେ ମୁକୁନ୍ଦକୁ ଉଦ୍ଦେଶ୍ୟ କରି ଚାହିଁ ଠିଆ ହେଲେ)
ଅନନ୍ତ – କ୍ଷମାକର, କୃଷ୍ଣା- ଭୁଲିଥିଲି ପ୍ରତିଜ୍ଞା ନିଜର, ସାମାନ୍ୟ ଆବେଗେ- ରକ୍ତ-ରକ୍ତ-ରକ୍ତ ସେହି ତସ୍କରର-
(ନେପଥ୍ୟେ) – ‘ଆଲ୍ଲାହୋ’ ଆକ୍ବର-
ଅନନ୍ତ – ଚାଲ, ଚାଲ, କୃଷ୍ଣା । ଆଗେ ନିରାପଦ ସ୍ଥାନେ-
କୃଷ୍ଣା – ସିଂହ-ଶିଶୁ ମୁହିଁ-ନ ଲୋଡ଼ଇ କେବେ ଶୃଗାଳର କର-
ଅନନ୍ତ – କୃଷ୍ଣା । କୃଷ୍ଣା । -ଓଃ । କି ଶେଳ ବିନ୍ଧିଲ ଆଜି ମରମେ ମୋହର- (କଶାହତ ଅଶ୍ୱପରି ବେଗେ ପ୍ରସ୍ଥାନ କଲେ)
କୃଷ୍ଣା – (କେଉଁ ବିଭୀଷିକାର ଛାୟା ସମ୍ମୁଖେ ଯେମନ୍ତ ଦେଖିବାକୁ ପାଇ)
ଅନନ୍ତ । - ସେନାପତେ । - ଫେର-ଫେର-(ଅନୁଧାବନ କଲେ)
ତୃତୀୟ ଦୃଶ୍ୟ
[ଶିବିରରେ ଖାଁ ସାହେବ କେତେକ ମୋସାହେବଙ୍କ ସଙ୍ଗେ ନୃତ୍ୟ, ଗୀତ ଓ ପାନାଦିରେ ମତ୍ତ ଥିଲେ । କ୍ଷଣକାଳ ପୂର୍ବେ ଗୋଟାଏଭୀଷଣ ଖଣ୍ଡ ଯୁଦ୍ଧରେ ଶତ୍ରୁପକ୍ଷ ପରାସ୍ତ ହୋଇ ଯାଇଥିବାରୁ ଏବଂ ରାତ୍ରିର ଅନ୍ଧକାର କ୍ରମେ ଘନୀଭୂତ ହୋଇ ଆସୁଥିବାରୁ ଯୁଦ୍ଧର ଆଶଙ୍କା ନ ଥିଲା । ]
କିଆବାତ ? -କିଆବାତ୍? -ଆଓ ମେରାସାତ୍
ଦୁନିଆକୋ ଛୋଡ଼ୋ- ଆସ୍ମାନ୍ମେ ଚଢ଼ୋ-
ହାମ୍ସେ ମିଲି ଖେଲି- କଏସି ରଙ୍ଗେଲି ॥
(ସମସ୍ତେ ନିଶାରେ ଲୁପ୍ତ-ଜ୍ଞାନ ହେବା ଦେଖି ନର୍ତ୍ତକୀର ପ୍ରସ୍ଥାନ)
[ଅଲକ୍ଷ୍ୟେ ସମରେନ୍ଦ୍ର ଚମ୍ପାବେଶରେ ଓ ଚମ୍ଫା ସମରେନ୍ଦ୍ର ବେଶରେ ନିମ୍ନୋକ୍ତଭାବେ କଥୋପକଥନ କରୁ କରୁ ପ୍ରବେଶ କଲେ]
ସମରେନ୍ଦ୍ର – (ସଭୟେୁ) ଚମ୍ପା ।
ସମରେନ୍ଦ୍ର – ନା, ନା- (କାନମୋଡ଼ି ଚଟକଣି ଖାଇ) ସମରେନ୍ଦ୍ର- ସମ-
ଚମ୍ପା – ଆଚ୍ଛା, ଖାଁ ସାହେବ ତ ତମର ମୁଚ୍ଛଟା ଦେଖିଥିବେ ?-
ଚମ୍ପା – କିଛି ଭୟ ନାହିଁ- ମୁଁ କହିଦେବି - କ’ଣ କି, ଏହି କଲମା ପଢ଼ିଲାବେଳେ ଦୁଇ ହାତରେ ମୁଛଟା ସାଉଁଳୁ-ସାଉଁଳୁ-
ସମରେନ୍ଦ୍ର – (ଉତ୍ତେଜିତ ହୋଇ) ଝଡ଼ି ପଡ଼ିଚି- ଠିକ୍କହିଚୁ ଚମ୍ପା-
ଚମ୍ପା – ପୁଣି ଚମ୍ପା- (ଦାନ୍ତ କାମୁଡ଼ି ଆଖି ଦେଖାଇ)
ସମରେନ୍ଦ୍ର – (କାନ ମୋଡ଼ି ଚଟକଣି ଖାଇ ଗୋଡ଼ଧୂଳି ମୁଣ୍ଡରେ ନେଇ) ଆଉ ନୁହେଁ- ଆଉ ନୁହେଁ- କିନ୍ତୁ ମୁଛଟା ମୋର ଯଦି ଦେଖି ପକାନ୍ତି-
ଚମ୍ପା – ଭଲ କରି ଘୋଡ଼େଇ ରଖିପାରୁନା-
ସମରେନ୍ଦ୍ର – କାହିଁକି, ଚ- (ଜିଭ କାମୁଡ଼ି ଓ ସେହିପରି ଚଟକଣି ଖାଇ) କହି ଦେବି- ‘ତୁମରୁ ଯେ ସବୁ ଓଲଟା’-
ଚମ୍ପା – ଚୁପ୍ ଖାଁ ସାହେବ ଚେଇଁଲେଣି ପରା- ଦେଖ, ସାବଧାନ- କଥା କହିବ ନାହିଁଟି ।
ସମରେନ୍ଦ୍ର – (ସଭୟେ) ଚ-ମ୍ପା-
ସମରେନ୍ଦ୍ର – (ପାଟି ଅଠା ଅଠା କରି ଇଙ୍ଗିତରେ ଯେମିତିକା କରିଲେ) ‘ଆଉ କହିବାର ଶକ୍ତି ଯେ ନାହିଁ-’
ଚମ୍ପା – କେମିତିକା ମିଣିପଟାମ ।
ସମରେନ୍ଦ୍ର – (ଇଙ୍ଗିତରେ ନିଜର ଚେଶ ଦେଖାଇଲେ କେବଳ)
[ଇତି ମଧ୍ୟରେ ଖାଁ ସାହେବ, ନିଶା ଛାଡ଼ ଛାଡ଼ ହେବାରୁ କି କ’ଣ ଉଠି ବସିଥିଲେ]
[ଚମ୍ପା ଓ ସମରେନ୍ଦ୍ର ଅଗ୍ରସର ହେଲେ, ମାତ୍ର ସମରେନ୍ଦ୍ର ଲଜ୍ଜାବତୀ ଲତାଟି ପରି ଚମ୍ପାକୁ ଚମ୍ପକବୃକ୍ଷ ସମାନ ଜଡ଼େଇ ରହିଥାଏ ]
ଚମ୍ପା – (ନିର୍ଭିକଭାବେ) ବନ୍ଦେଗି-ବନ୍ଦେଗି-
ଖାଁ ସାହେବ – ଆଦାବ୍, ଆଦାବ୍ ଆୟେ, ଆୟେ- (ଅନ୍ୟାନ୍ୟ ମୋ ସାହେବମାନଙ୍କୁ)- ବେ କୁ ବ୍। କମ୍ବକ୍ତ । ନିକ୍ଲୋ, ଭାଗୋ ଇହିଁସେ-
[ମୋ ସାହେବଗଣ ଉଠି; ଆଖି ମଳୁ ମଳୁ, ସମରେନ୍ଦ୍ରକୁ ଟେରେଇ ଚାହୁଁ ଚାହୁଁ ପ୍ରସ୍ଥାନ କଲେ
ଖାଁ ସାହେବ – (ସମରେନ୍ଦ୍ରଆଡ଼େ ଟେରେଇ ଚାହୁଁ ଚାହୁଁ) ୟେ ତେରା ଅଉରାତ୍
ଖାଁ ସାହେବ – ଖାସା ଅଉରାତ୍ଉସିକା ବାସ୍ତେ ହାମ୍ ଲୋକ କିଲ୍ଲା ଆଜ୍ ଫତେକିଆ-
ଖାଁ ସାହେବ – ଏ’ ଲଢ଼ାଇ ଆଖର୍ ହୋନେକା ବାଦ୍ ଆପ୍ ଦୋନୋକା ବାସ୍ତେ ନବାବ୍କା ପାଶ୍ କୋଶିସ୍ କରେଙ୍ଗେ ଯେସା ଆପ୍ ଦୋନୋକୋ ଏକ୍ ଏକଠୋ ବଡ଼ା ଜାୟଗିର୍ ମିଲ୍ଯାଏ-
ଚମ୍ପା – ତା’ତ ମିଳିବ, ଆପଣ ଯେତେବେଳେ ଅନୁଗ୍ରହ କରିଚନ୍ତି- କିନ୍ତୁ ସେ ଯେଉଁ ପ୍ରାର୍ଥନାଟା- ବିବିର ମୋର- (ସମରେନ୍ଦ୍ରକୁ ଚୁମୁଟି ଦେଇ) କହୁ ନାହଁ- ତୁମର ପ୍ରାର୍ଥନା କଣ- ?
ସମରେନ୍ଦ୍ର – (ଏକାନ୍ତେ ଚମ୍ପାକୁ) କହୁଚି କହୁଚି, ଚମ୍ପା- ଚୁମୁଟି ରକ୍ତ ବାହାର କରିଦେଲ ଯେ-
ଚମ୍ପା – ପୁଣି- (ଇଙ୍ଗିତରେ ଶାସନ କଲେ)
ଖାଁ ସାହେବ – କିଆ ମାଙ୍ଗ୍ତେହୋ, ପିଆରି- ମାଙ୍ଗୋ, ମାଙ୍ଗୋ-
ସମରେନ୍ଦ୍ର – (ଏକାନ୍ତେ) ଚମ୍ପା, ‘ପିଆରି’ କଣ- ?
ଚମ୍ପା – ଆଃ- ଦେଖିଲ, ଖାଁ ସାହେବ ତୁମକୁ କେତେ ଭଲପାଆନ୍ତି । -ମନକଥା ଖୋଲି କହିବାରେ ଲାଜ କିଆଁ ?
ସମରେନ୍ଦ୍ର – ମନକଥା ଖୋଲୁ ଖୋଲୁ, ନିଶଦାଢ଼ି ଯଦି ଖୋଲି ପଡ଼େ -
ଖାଁ ସାହେବ – କୁଛ୍ ଡ଼ରିଏ ମତ୍ ତୁମ୍ହାରା ଓ୍ୟାସ୍ତେ ହାମ୍ ଜାନ୍ ଦେନେକୁ ତୟାର ହୁଁ-
ଚମ୍ପା – (ସମରେନ୍ଦ୍ର ସଙ୍ଗେ ପରାମର୍ଶ କରିବାର ଛଳନା କରି) ହଁ- ‘ପିଆର’ କହୁଚନ୍ତି କି- ଆଗେ ସେହି ଦୁଇଟା କାଫେରର ଜାନ୍ ଆଣି ନ ଦେବାଯାଏ-
ଖାଁ ସାହେବ – (ହୋ ହୋ କରି ହସି) ଓଇ ଦୋନୋ କାଫେର୍ ଅନନ୍ତ ଔର ମୁକୁନ୍ଦ- ଏତ ଥୋଡ଼ାଇ ବାତ୍ହେ- ମେରି ପିଆରେ, ହାମ୍ ଦୂତ୍କା ମୁହଁ ସେ ସବ୍ ଶୁନ୍ ଓ ଦୋନୋ ଆପ୍କା ସତୀତ୍ୱ ନଷ୍ଟ୍ କର୍ନେକା ଓ୍ୟାସ୍ତେ ଯେସା କୟେଦ୍ କିଏଥେ, ହାମ୍ ଓ ଦୋନୋକା ଜାନ୍ ଲେନେକା ଓ୍ୟାସ୍ତେ ଓଇସି କବର୍ମେ କୟେଦ୍ କର୍କେ ରଖେଙ୍ଗେ ।
ଚମ୍ପା – ବହୁତ୍ ବହୁତ୍ ସଲାମ (ପ୍ରସ୍ଥାନୋଦ୍ୟତ)
ସମରେନ୍ଦ୍ର – (ସେହିପରି ସଲାମ୍ କରୁ କରୁ ପ୍ରସ୍ଥାନୋଦ୍ୟତ)
ଖାଁ ସାହେବ – ଏ କିଆ ବାତ୍, ପିଆର- କାହାଁଯାତେ ହୋ- (ଅଞ୍ଚଳ ଧରିଲେ)
ସମରେନ୍ଦ୍ର – (ସଭୟେ) ଚମ୍ପା-
ଖାଁ ସାହେବ – ‘ଚମ୍ପକ୍’, ‘ଚମ୍ପକ୍’, -ଆଃ -କିଆ ଖୁବ୍ସୁରତ୍ ନାମ୍ ଆଇୟେ ମେରି ଚମ୍ପକ୍ ବିବି (ଆଲିଙ୍ଗନ ଉଦ୍ଦେଶ୍ୟରେ ଅଗ୍ରସର ହେଲେ) [ସମରେନ୍ଦ୍ର ସଭୟେ ଚମ୍ପାକୁ ଜଡ଼େଇ ଧରିଲେ]
ଚମ୍ପା – ମ, ତୁମର ସତୀତ୍ୱ କଅଣ ଚାଲି ଯାଉଚି ?
ଖାଁ ସାହେବ – କଭି ନେଇଁ, ବିବି ସାହେବ- କୁଛ୍ ଡରିଏ ମତ୍ ହାମ୍ଭାରୀ ହୁସିଆର ଆଦ୍ମୀ- କହିଁ କୋଇ ଫାଁକା ଉଙ୍କା ରହେଗା ନେହିଁ- ଆଇୟେ, ମିଆଁ ସାହେବ ।
ଚମ୍ପା – ମୁଷ୍କିଲ । (ହଲକ ଶୁଖିଗଲା ପରା)
ଖାଁ ସାହେବ – (ସସ୍ମିତେ ଚମ୍ପା ପ୍ରତି) କିଆ ଦେଖ୍ତେ- ହୋଇ ମିଆଁ ସାହେବ- ହାମ୍ ଇସିମେ ମୁଛ୍ଦାଢ଼ି ପକାୟା- ହାମ୍କୁ ବହୁତ୍ କଦର୍ ମାଲୁମ୍ହେ- (କହୁ କହୁ ସମରେନ୍ଦ୍ର ପାଖକୁ ଲାଗି ଆସିଲେ)
ଚମ୍ପା – ଆମ ପାଖେ କଦରର କି ଦରକାର, ସାହେବ- ସେହି ପ୍ରାର୍ଥନାଟି ପୂର୍ଣ୍ଣ କଲେତ ଚିରକାଳ ରାଜିରେ ଗୋଲାମ ହୋଇ ରହିବୁଁ ?
ଖାଁ ସାହେବ – ମଗେ ନମୁନାତ ବତ୍ଲାଓ- (ଆଲିଙ୍ଗନ କରିବାକୁ ଉଦ୍ୟତ)
ସମରେନ୍ଦ୍ର- – ଚମ୍ପା- (ଚମ୍ପାକୁ କୁଣ୍ଢାଇ ପକାଇଲା)
ଚମ୍ପା – (ଖାଁ ସାହେବକୁ ବାଧାଦେଇ, ଉପସ୍ଥିତ ବୁଦ୍ଧିବଳରେ) ବିବିମେରା ବୋଲତା ସବ୍ତୋ ବନ୍ଦ ହେ, ମଗର ଆପ୍କା ଆଁଖତ ଖୋଲା ହେ-
ଖାଁ ସାହେବ – (ହୋଃ ହୋଃ କରି ହସି) ଓଇ ରାସ୍ତାସେ ସତୀତ୍ୱ ନିକଲ୍ଯାତା ? -ବହୁତ୍ଖୁସି ହାମ୍ ଆଁଖ୍ ବି ବନ୍ଦ କର୍ ଦେତେ ହେଁ-
ଚମ୍ପା – (ସମରେନ୍ଦ୍ରକୁ ଟାଣି ଘେନି ପ୍ରସ୍ଥାନ କରୁଥିଲା)
ଖାଁ ସାହେବ – ଆୟେ ମେରି ଜାନ୍ମେରି ପ୍ୟାରେ (କହୁ କହୁ ଅନ୍ଧଭାବେ ଆଲିଙ୍ଗନ ଉଦ୍ଦେଶ୍ୟରେ ହନ୍ତାଡ଼ୁ ହନ୍ତାଡ଼ୁ, ଭୀତତ୍ରସ୍ତ, ପଳାୟନରତ ସମରେନ୍ଦ୍ରକୁ ହଠାତ୍ ଧରି ପକାଇ କାମାତୁରଭାବେ ଗାଢ଼ ଚୁମ୍ୱନ କରିବାକୁ ଯାଇ ତାର ଦାଢ଼ିରୁ ପୁଳାଏ କାମୁଡ଼ି ଦେଲେ)
ସମରେନ୍ଦ୍ର – ଉଃ, ଉଃ, ମରିଗଲି, ମରିଗଲି, ମୁଁ ଚମ୍ପା- (ନସରପସର ହୋଇ ଉଠି ଧାଇଁ ପ୍ରସ୍ଥାନ କଲା) ଖାଁ ସାହେବ- ଓ୍ୟାକ୍ଥୁ- ତୋବା- ତୋବା- ଧରୋ ପକ୍ଡ଼ୋ- ଓ୍ୟାକ୍ଥୁ- ମାରୋ- ଓ୍ୟାକ୍ଥୁ- ଯେରା ପାନି, ପାନି- ଓ୍ୟାକ୍ଥୁ-ଓ୍ୟାକ୍ଥୁ- (ବାନ୍ତି କରିବାକୁ ଲାଗିଲେ ପରା)