ଦ୍ୱିତୀୟ ଅଙ୍କ — ଉତ୍କଳ-ଗୌରବ — ଅଶ୍ୱିନୀକୁମାର ଘୋଷ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଅଙ୍କ
ପ୍ରଥମ ଦୃଶ୍ୟ
-ରାଜୋପବନ ସମ୍ମୁଖସ୍ଥ ଅପରିସର ରାସ୍ତା-
[ଗୋଟିଏ ଉନ୍ମାଦିନୀର ଗୀତ ଗାଇ ଗାଇ ପ୍ରବେଶ]
ଗୀତ
ମୁହିଁ ଉନ୍ମାଦିନୀ- ମୋ’ର ନାମ ଉନ୍ମାଦିନୀ ।
ସାଗରେ ସରିତ ପରା ଧାଏଁ ଉନ୍ମାଦିନୀ ।
ଲଙ୍ଘି ପାହାଡ଼ ପର୍ବତ ଅବିରାମ ଧାଏଁ ସ୍ରୋତ-
ନାହିଁ ତରଙ୍ଗ ସଙ୍କୁଳ ନାହିଁ ଉଚ୍ଛାସ କଲ୍ଲୋଳ-
ତଥାପି ମୁଁ ତରଙ୍ଗିନୀ-
କଲ୍ଲୋଳିନୀ-ଉନ୍ମାଦିନୀ ॥
[ମୁକୁନ୍ଦ ଅତି ସାବଧାନ ହୋଇ ଗୋପନେ ଗୋପନେ ପ୍ରବେଶ କରୁଥିଲେ]
ଉନ୍ମାଦିନୀ – ଫେରି- ଫେର-
ମୁକୁନ୍ଦ – (ହଠାତ୍ଚମକି ଠିଆ ହେଲେ)
ଉନ୍ମାଦିନୀ – ଉନ୍ମାଦିନୀ- ଉନ୍ମାଦିନୀ ମୁଁ - ହିଃ- ହିଃ- ହିଃ (ଦ୍ରୁତ ପ୍ରସ୍ଥାନ କଲା)
ମୁକୁନ୍ଦ – କିଏ ଏହି ଉନ୍ମାଦିନୀ । -ଠିକ୍ କହିଚି-ଫେରିଯାଏଁ -ଫେରିଯାଏଁ- ମହାରାଜଙ୍କୁ ସମସ୍ତ ଖୋଲି କହିବି- ସତ୍ୟ କହିବି- କର୍ତ୍ତବ୍ୟ କରିବି- ଖୋଳଟା ମଧ୍ୟ ସହଜେ ଫେରି ପାଇବି- କିନ୍ତୁ, ଏଥିରେ ଯେ ଜେମାଦେଈଙ୍କ ମର୍ଯ୍ୟାଦା ନଷ୍ଟ-ମର୍ଯ୍ୟାଦା- ରାଜ-ମର୍ଯ୍ୟାଦା-ଏହି କୃତ୍ରିମ ମର୍ଯ୍ୟାଦା କ୍ଷତି ଭୟରେ ସତ୍ୟର ନଗ୍ନସୌନ୍ଦର୍ଯ୍ୟ ମୋତେ ଆଜି ଆପାଦମସ୍ତକ ଆବୃତ କରି, କଦର୍ଯ୍ୟ କରିବାକୁ ପଡ଼ିଚି ସିନା- ମିଥ୍ୟା ପ୍ରବଞ୍ଚନାର ଅସାର ହାସ୍ୟ-ଲାସ୍ୟରେ ଆପଣାକୁ ଆଜି ଜଗତ୍ସଙ୍ଗେ ଭସାଇ ଦେବାକୁ ପଡ଼ିଚି ସିନା ।-
ଉନ୍ମାଦିନୀ – (ନେପଥ୍ୟେ, ଅତିଦୂରେ) ଆଉ ବିଳମ୍ବ ନୁହେଁ- ଫେର- ଫେର-
ମୁକୁନ୍ଦ – ସେହି, ସେହି ଉନ୍ମାଦନୀ- ନା, ନା ଏ’ଯେ ହୃଦୟର କେଉଁ ଗଭୀରତମ ପ୍ରଦେଶର ପ୍ରତିଧ୍ୱନି- ଫେରି ଯାଏଁ- ଫେରିଯାଏଁ- ଆତ୍ମ-ମର୍ଯ୍ୟାଦା-ସତ୍ୟର ମର୍ଯ୍ୟାଦା-
ଚମ୍ପା – (ନେପଥ୍ୟେ) ରକ୍ଷା କରିବ- ଫେରିଯାଇ- ହାଃ-ହାଃ-ହାଃ-
[ଚମ୍ପାର ଏହିପରି ଅଟ୍ଟାହାସ୍ୟ କରୁ କରୁ ପ୍ରବେଶ]
ମୁକୁନ୍ଦ – (ପ୍ରଥମେ ଚମକି ଉଠିଲେ) କିଏ ?-କିଏ ? (ସଭୟେ ଚାହିଁଲେ)
ଚମ୍ପା – (ବ୍ୟଙ୍ଗଭାବେ) ଚିହ୍ନିକି- (ଆଉ କ’ଣ କହି ଥା’ନ୍ତା, ମାତ୍ର ମୁକୁନ୍ଦର ଦର୍ଶନରେ କିପରି କାମୋନ୍ମତ୍ତା ହୋଇ ଯେମନ୍ତ ମିନତିଭାବେ କହିଲା) ମୁକୁନ୍ଦ । ମୁକୁନ୍ଦ ।
ମୁକୁନ୍ଦ – (ଅବଜ୍ଞାଭରେ) ପୁଣି -ପୁଣି ତୁ ସୟତାନୀ-
ଚମ୍ପା – ସୟତାନୀ ମୁଁ ହୋଇ ନାହିଁ; ମୁକୁନ୍ଦ- ସୟତାନୀ ମୋତେ କରାଅ ନାହିଁ, ପ୍ରିୟା- (ଚରଣ ଧାରଣ କଲା)
ମୁକୁନ୍ଦ – ରାକ୍ଷସୀ- । (ଦୂରେ ନିକ୍ଷେପ କରି ପଳାୟନ କଲେ)
ଚମ୍ପା – ରାକ୍ଷସୀ । ହାଃ-ହାଃ-ହାଃ -ସେହି ରାକ୍ଷସୀ ଯେ ଆଜି ପାଇଛି କବଳେ- ମୁକୁନ୍ଦ । ମୁକୁନ୍ଦ । ଶୁଣିଯାଅ-ଶୁଣିଯାଅ- (ଉଚ୍ଚୈସ୍ୱରେ) ବିପଦର କଥା ଥରେ- ଥରେ- (ସ୍ୱଗତ) ଫେରିଚି- (ପ୍ରକାଶ୍ୟେ, ଅତି କାତରଭାବେ ଭାରା ବିପଦ । (ଭାରୀ ବିପଦ ।-
[ମୁକୁନ୍ଦର ବେଗେ ପୁନଃ ପ୍ରବେଶ]
ମୁକୁନ୍ଦ – କି ବିପଦ ? (ଚମ୍ପାକୁ ନିରୀକ୍ଷଣ କଲେ)
ଚମ୍ପା – ବିପଦ ବୋଲି ପବିଦ ।
ମୁକୁନ୍ଦ – କାହିଁ ? କ’ଣ ହୋଇଚି ?- କା’ର ?-
ଚମ୍ପା – ଯା’ର ଅନ୍ନ ଖାଉଚ- ଯା’ର ରକ୍ଷକ ବୋଲି ଗର୍ବକରୁଚ-
ମୁକୁନ୍ଦ – ମୁକୁନ୍ଦ ଥାଉ ଥାଉ ପ୍ରଭୁର ବିପଦ ।
ଚମ୍ପା – ପ୍ରଭୁ ନୁହେଁ- ପ୍ରଭୁ ନୁହେଁ - ପ୍ରଭୁ- କନ୍ୟାର-
ମୁକୁନ୍ଦ – ପ୍ରଭୁ-କନ୍ୟାର -।
ଚମ୍ପା – ହଁ -ହଁ ଜେମାଦେଈଙ୍କର-
ମୁକୁନ୍ଦ – ଜେମାଦେଈଙ୍କର- କି ବିପଦ ?- କେଉଁଠି ? କିଏ ଘଟାଇଚି- ?
ଚମ୍ପା – (କେବଳ ହସିବାକୁ ଲାଗିଲା)
ମୁକୁନ୍ଦ – କୁହ, କୁହ, -ଚରଣ ଧରୁଚି (ଚରଣ ଧାରଣ)
ଚମ୍ପା – ପୁଣି କାମାତୁରା ହୋଇ) ପ୍ରିୟତମ । ପ୍ରିୟ- ।
ମୁକୁନ୍ଦ – ସୟତାନୀ -ଓଃ ପ୍ରଭୁ-କନ୍ୟାର ବିପଦ । ଜେମାଦେଈଙ୍କ ବିପଦ । -କିଏ ସେ ବିପଦକାରୀ । (-ଉନ୍ମତ୍ତଭାବେ ପ୍ରସ୍ଥେନୋଦ୍ୟତ ହେଲେ)
ଚମ୍ପା – (ଉଚ୍ଚୈସ୍ୱରରେ) ଏହି ଯେ ସମ୍ମୁଖରେ-
ମୁକୁନ୍ଦ – (ଫେରି ପଡ଼ି) କାହିଁ- କାହିଁ ?
ଚମ୍ପା – (ମୁକୁନ୍ଦଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି)- ହାଃ- ହାଃ- ହାଃ
ମୁକୁନ୍ଦ – ପରିହାସ । ପିଶାଚୀ- (କ୍ରୋଧ ଓ ଘୃଣାବ୍ୟଞ୍ଜକ ଦୃଷ୍ଟିରେ ଚାହିଁ ଆସି ନିଷ୍କାସିତ କରିବାକୁ ଉଦ୍ୟତ ହେଲେ)
ମୁକୁନ୍ଦ – (ହଠାତ୍ ରହିଗଲେ)
ଚମ୍ପା – କି ‘ହସ’ ଏଥର ? (ଉଚ୍ଚ ହାସ୍ୟରେ ଗଗନ ବିଦୀର୍ଣ୍ଣ କରିଦେଲା)
ମୁକୁନ୍ଦ – ଭଉଣି ! ଭଉଣି ! -କାହିଁ ସେ ଖୋଳ ଦିଅ, ଦିଅ, ମର୍ଯ୍ୟାଦା ରକ୍ଷାକର- ରାଜାଜେମାଙ୍କ ମର୍ଯ୍ୟାଦା ରକ୍ଷାକର- ତୁମେ ଠିକ୍ କହିଚ, ଭଉଣି -‘ଭାରୀ ବିପଦ’ -ପ୍ରଭୁ -କନ୍ୟାଙ୍କର ‘ଭାରୀ ବିପଦ’ -ଜେମାଦେଈଙ୍କର ଭାରୀ ବିପଦ । -ଆଉ, ସେହି ବିପଦକାରୀ, ମୁହିଁ- ମୁହିଁ ନିଜେ- ଏହି ଅଧମ -।
ଚମ୍ପା – ବେଶ୍, ବୁଝିଚତ ଏଥର- ନମସ୍କାର- ମୋ’ର ତେଣେ ଅନେକ କାମ- (ପ୍ରସ୍ଥାନୋଦ୍ୟତା)
ମୁକୁନ୍ଦ – ନା, ନା, ଏ’ ବି ଗୋଟାଏ କାମ -ଏ’ ଯେ ପ୍ରଧାନ କାମ -ସଖୀର କାମ- ଜେମାଦେଈଙ୍କ କାମ- ରାଜାଙ୍କର କାମ- ରକ୍ଷାରକ, ମର୍ଯ୍ୟାଦା ରକ୍ଷାକର- ରାଜ-ମର୍ଯ୍ୟାଦା ରକ୍ଷାକର-ରାଜ ମର୍ଯ୍ୟାଦା -ରାଜ-ମର୍ଯ୍ୟାଦା- ।
ଚମ୍ପା – ଏହି ‘ରାକ୍ଷସୀ’, ‘ସୟତାନୀ’ଟାଦ୍ୱାରା ?-
ମୁକୁନ୍ଦ – ନା, ନା ଭଉଣି ! ଭଉଣି । (ହାତ ଧରି ପକାଇ) ବର୍ତ୍ତମାନ କର୍ତ୍ତବ୍ୟ -କର୍ତ୍ତବ୍ୟ କର୍ତ୍ତବ୍ୟର ଅନୁରୋଧରେ ସବୁ ଭୁଲି ଯାଅ, ଭଉଣି ।
ଚମ୍ପା – ଭୁଲି ଯିବି- ଭୁଲ ଯିବି, ପ୍ରିୟତମ-ତୁମରି ପରଶରେ-ତୁମରି ଆଲିଙ୍ଗନରେ- ତୁମରି ଚୁମ୍ବନରେ । (ଆଲିଙ୍ଗନ କରି ଚୁମ୍ବନ କରିବାକୁ ଯାଉଥିଲା)
ମୁକୁନ୍ଦ – ପିଶାଚୀ- । (ପଦଘାତରେ ଦୂରେ ନିକ୍ଷେପ କରି ପ୍ରସ୍ଥାନ କରୁଥିଲେ)
ଚମ୍ପା – ପଦାଘାତ ! ଓଃ - ଏ’ ଯେ ପଦାଘାତ’ ପରେ ପଦାଘାତ ।-ନା, ନା, ‘ପ୍ରେମିକ ପ୍ରେମିକା’ର ମିଳନାଘାତ, ଏକା ସଙ୍ଗେ ପରା । -ନାଗୁଣୀର ଅଙ୍ଗେ ॥
ମୁକୁନ୍ଦ – (ଫେରି ଆସି) ‘ନାଗୁଣୀ’ । -‘ନାଗୁଣୀ’ । -କରିବ ଦଂଶନ ନିଶ୍ଚେ ରହିଲେ ଜୀବିତ- ତୁହି, ତୁହିଲୋ ସର୍ପିଣୀ- ଅଟୁ ଜେମାଙ୍କର ବିଶ୍ୱସ୍ତ ସଙ୍ଗିନୀ- ଜାଣୁ ତେଣୁ ତାଙ୍କ ଯେତେ ଗୁପ୍ତ କଥା- ଜାଣୁଅଛି ପୁଣି- ପାପବାସନା ସେଦିନ ତୋ’ର -ନ କଲି ମୁଁ ତୃପ୍ତ ବୋଲି- ‘କୁମ୍ଭୀରର ହନ୍ତା’ ପଦେ, ବରିତଟି ସମରେନ୍ଦ୍ର ଆଜି, କୌଶଳେ ତୋହରି- ହାଃ-ହାଃ-ହାଃ - ଆରେ ରେ ପିଶାଚୀ । କୁମ୍ଭୀରର ହନ୍ତା ସିନା ସମରେନ୍ଦ୍ର ତୋ’ର -‘କୁମାରୀର ହନ୍ତା’ ଦେଖି ଯା’ ମୁକୁନ୍ଦ ଏବେ (ଭୀଷଣଭାବ ଧାରଣ କଲେ)
ଚମ୍ପା – (ଆତଙ୍କରେ ଶିହରି ଉଠିଲା) ମୁକୁନ୍ଦ - ମୁକୁନ୍ଦ-
ମୁକୁନ୍ଦ – ନା, ନା, ବଧିର, ବଧିର ମୁକୁନ୍ଦ- ଶ୍ରବଣେ, ଆଜି ଅବଳାର କାକୁତି-ମିନତି- କର୍ତ୍ତବ୍ୟର କଠିନ ନିର୍ଦ୍ଦେଶ ବଧିବି ପରାଣ ତୋ’ର-ତୁହି, ତୁହି ଅଟୁ ମର୍ଯ୍ୟାଦାର- ରାଜ-ମର୍ଯ୍ୟାସାର ପଥେ କଣ୍ଟକ ବିଶାଳ ।
ଚମ୍ପା – ମୁହିଁ- ମୁହିଁ କଣ୍ଟକ ବିଶାଳ ?-(ପ୍ରଥମେ ଭୀତା ହେଉଥିଲା, କିନ୍ତୁ ପରେ ପରେ କଣ ମନେ ପଡ଼ିବାରୁ ଉଲ୍ଲିସିତା ହୋଇ ଉଠିଲା)
ମୁକୁନ୍ଦ – ହଁ, ହଁ, ଜୀବିତ କଣ୍ଟକ ତୁହି- ଏହି ଦେଉଛି ଓପାଡ଼ି (କେଶ ଗୁଚ୍ଛ ଧରି ପୁଣି ଆସି ନିଷ୍କୋସିତ କରିବାକୁ ଗଲେ)
ଚମ୍ପା – କିନ୍ତୁ ସେହି ଖୋ-ଳ-ଟା- କି-
ମୁକୁନ୍ଦ – ‘ଖେଳ’ - ‘ଖୋଳ’ -(ଛାଡ଼ି ଦେଲେ)
ଚମ୍ପା – ହାଃ, ହାଃ, ହାଃ, ପ୍ରକୃତରେ କଣ୍ଟକ-ବିଶାଳ- ଖୋଳରୂପେ ନୁହେଁ କି ଜୀବିତ -?
[ମୁକୁନ୍ଦ ମନ୍ତ୍ରମୁଗ୍ଧବତ୍ ନିଶ୍ଚଳ ହୋଇଗଲେ]
ଚମ୍ପା – ଭାବୁଛ ଆଉ କ’ଣ ବୀରବର ?- ହତ୍ୟା କର- ଏହି ନିଅ ଅସି, ନିଜେ ମୁହିଁ ବାହାର କରି ଦେଉଛି (ଅସି ବାହାର କରି ଦେଲା)
ମୁକୁନ୍ଦ – ଦିଅ ଦିଅ ଆସି ସେହି, ଆମୂଳ ପ୍ରବେଶି ବକ୍ଷଦେଶେ ମୋ’ର ।(ବକ୍ଷଦେଶ ଦେଖାଇଲେ)
ଚମ୍ପା – ହାଃ ହାଃ ହାଃ - ଦେବି ଏତେ ସହଜରେ, ଏତେ କଷ୍ଟେ ଉପାର୍ଜିତ ଯେ ମହା ସଂପଦ ।
ମୁକୁନ୍ଦ – ହତ୍ୟା- ହତ୍ୟା - ପ୍ରାଣତ୍ୟାଗ ଏକମାତ୍ର ଆକାଙ୍କ୍ଷା ମୋହର -। (ମିନତିପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ)
ଚମ୍ପା – (ଅର୍ଦ୍ଧସ୍ୱଗତ) ଦେବି, ଦେବି, ସେହିହତ୍ୟା- ନୁହେଁ ନିଜ ହାତେ- ପଦାଘାତର ପ୍ରତିଶୋଧ ନେବି, ନେବି- ନୁହେଁ ନିଜ ପଦାଘତେ । ପ୍ରେମ ଯା’ର ଉନ୍ମାଦ ଅଧୁନା- ଯା’ର ହେତୁ ଉପେକ୍ଷିତ ଉପଯାଚିତ ଅଙ୍ଗମୋର ତା’ରି ପଦାଘାତେ- ତା’ରି କରେ ଦିଆଇବି ମରଣୁ ଅଧିକ ! ପରିଶେଷେ ପ୍ରେମିକ-ପ୍ରେମିକା, ରାଜଦଣ୍ଡେ ଯେବେ ଭଜିବେ ମିଳନ- ଗାଇବି ମିଳନ-ଗୀତି ନାଚି ଧେଇ ଧେଇ- ଅଟ୍ଟାହାସେ ଥର ଥର ଥରାଇ ମେଦିନୀ ।
ମୁକୁନ୍ଦ – କିବା ପଞ୍ଚ ଆନ- ନ କର, ନ କର, ବିଳମ୍ବ -
ଚମ୍ପା – ଦେଖୁଚତ, ବୀର- ଚମ୍ପା କଣ୍ଟକ କିପରି ସେହି ଖାପଟା ସଙ୍ଗେ ଏକାବେଳକେ ଖାପି ରହିଚି ।
ମୁକୁନ୍ଦ – ଅସହ୍ୟ ଅସହ୍ୟ ବ୍ୟଙ୍ଗ ଏହି- ଦିଅ ଦିଅ - ନତୁବା ଆପଣାହସ୍ତେ -
ଚମ୍ପା – (ନିରସ୍ତ କରାଇ) ଛି, ବୀର- ଏପରି ଆତ୍ମହତ୍ୟା କି ବୀର ପକ୍ଷେ-
ମୁକୁନ୍ଦ – ଖୁବ୍, ଖୁବ୍ଶୋଭନୀୟ, ଆର୍ଯ୍ୟେ ! ମର୍ଯ୍ୟାଦାର ନାଶଠାରୁ- (ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ)
ଚମ୍ପା – ଆଃ, ସେହି ମର୍ଯ୍ୟାଦାର ରକ୍ଷା ପାଇଁତ ମୁଁ ଏତେ ହରବର-
ମୁକୁନ୍ଦ – କ’ଣ - କ’ଣ କହିଲ, ଆର୍ଯ୍ୟ ! ମୁଁ ଯେ- କିଛି ବୁଝି ପାରୁ ନାହିଁ ।
ଚମ୍ପା – ବୁଝିବ ପରେ, ଆଗେ ଆସିଲ-
ମୁକୁନ୍ଦ – (ବୋକାପରି ଚାହିଁ ରହିଲେ)
ଚମ୍ପା – କେଉଁଠାକୁ ? ଯେଉଁଠାରେ ସୁନ୍ଦରୀ ସଖି ମୋ’ର (ଟିକିଏ ଇଙ୍ଗିତ କରି) ତୁମର ପଥକୁ ଅନାଇ-
ମୁକୁନ୍ଦ – (କେଉଁ ଆକର୍ଷଣରେ ପଦେ ଅଗ୍ରସର ହେଲେ)
ମୁକୁନ୍ଦ – ନା, ନା-କ୍ଷମା କର- କ୍ଷମା କର (ଭୟରେ କମ୍ପିଲେ)
ଚମ୍ପା – ସଖୀ ମୋ’ରି ତା’ହେଲେ ବିପଦଟାକୁ ଆଲିଙ୍ଗନ କରି-
ମୁକୁନ୍ଦ – (ଚମକି) କିନ୍ତୁ ମର୍ଯ୍ୟାଦାକୁ ଯେ ଡେଇଁ ପାରିବି ନାହିଁ, ଆର୍ଯ୍ୟେ -କର୍ତ୍ତବ୍ୟର ତାଡ଼ନାରେ ସୁଦ୍ଧା ନୁହେଁ- ସତ୍ୟର ଅବମାନନାରେ ମଧ୍ୟ ନୁହେଁ । -ଯେଣୁ ପ୍ରତିପତ୍ତ ତା’ର ଅଧିପତ୍ୟ ତା’ର ଏତେବେଶି- ଏତେଉଚ୍ଚ - ଲୋକ ଚକ୍ଷୁରେ- ସମାଜ ଚକ୍ଷୁରେ-ସମଗ୍ର ବିଶ୍ୱ ଚକ୍ଷୁରେ ।
ଚମ୍ପା – ତେବେ ତୁମେ ତୁମର ମର୍ଯ୍ୟାଦାକୁ ଆଲିଙ୍ଗନ କରି ଥାଅ- ଖୋଳଟାକୁ ଆଲିଙ୍ଗନ କରି ସଖୀ ମୋର-
ମୁକୁନ୍ଦ – ଖୋଳ ! ଖୋଳ ! ମହାବିପଦ । ଚାଲ, ଚାଲ, ଯଥାଇଚ୍ଛା, ବେଗେ ଘେନି ଚାଲ-
ଚମ୍ପା – ଆସ, ଆସ ବୀର ଏଣେ, ବେଗେ ।
[ଉଭୟେ ପ୍ରସ୍ଥାନ କଲେ ଓ ବିପରୀତ ଦିଗରୁ ସମରେନ୍ଦ୍ରର ପ୍ରବେଶ]
ସମରେନ୍ଦ୍ର – ହାଃ ହାଃ ହାଃ - ମୂଷା ଏଥର ଠିକ୍ ଯନ୍ତାରେ ପଡ଼ିଛି- ସେନାପତି ସାଆନ୍ତେ-
[ଅନନ୍ତର ଗମ୍ଭୀରଭାବେ ପ୍ରବେଶ]
ସମରେନ୍ଦ୍ର – ଆଃ, ଏତେ ପଛେଇ ପଡ଼ୁଛନ୍ତି କାହିଁକି ?
ଅନନ୍ତ – ପଛେଇ ପଡ଼ିଲେହେଁ ମଙ୍ଗଳ, ସମରେନ୍ଦ୍ର ।
ସମରେନ୍ଦ୍ର – ତୁମର ସିନେ ଦଶଟା ମୁଣ୍ଡ- ମୋ’ର ବାବା ଗୋଟିଏ -
ଅନନ୍ତ – ବର୍ତ୍ତମାନ ସୁଦ୍ଧା ସମୟ ଅଛି-
ସମରେନ୍ଦ୍ର – ଚୁଚୁନ୍ଦ୍ରା ଗିଳିସାରି-
ଅନନ୍ତ – ଫେରାଇ ଆଣିଲେ ହୁଅନ୍ତା ନାହିଁ-(ପ୍ରସ୍ଥାନୋଦ୍ୟତ)
ସମରେନ୍ଦ୍ର – ‘ହାଣ କୁରାଢ଼ି ବେକକୁ ଆଣ’ ସିନା- ଅନନ୍ତ- ସେପରି ସରଳ ସତ୍ୟବାଦୀ, ନିର୍ଭୀକ, ବୀରପୁରୁଷ-
ସମରେନ୍ଦ୍ର – ଏ’ ସୁର ବଦଳିଲା କେଉଦିନୁ, ସେନାପତେ ?
ଅନନ୍ତ – ନୀରବରେ ଯେଉଁଦିନୁ ମିଥ୍ୟାର ନିର୍ଯ୍ୟାତନା, ସତ୍ୟକୁ ସାନନ୍ଦେ ସହ୍ୟ କରିବାକୁ ଦେଖିଚି- ସମରେନ୍ଦ୍ର । ସମରେନ୍ଦ୍ର । ବର୍ତ୍ତମାନ ସୁଦ୍ଧା ସମୟ ଅଛି, ନିବୃତ୍ତ ହୁଅ - ମିଥ୍ୟା ଉପରେ ଯେଉଁ ସୌଧ ଆଜି ପ୍ରତିଷ୍ଠିତ- ସତ୍ୟରେ ତାହା ଦୃଢ଼ୀଭୂତ ହେବାକୁ ଦିଅ-
ସମରେନ୍ଦ୍ର – ସେନାପତେ । ଏ’ପରି ଅସମ୍ଭବ କଥା କିପରି ସମ୍ଭବ କରାଉଛନ୍ତି- ତେଲରେ ତେଲ ମିଶେ ସିନା- ପାଣିରେ କି-
ସମରେନ୍ଦ୍ର – ଭାବି ଦେଖନ୍ତୁ, ସେନାପତେ । ଆମର ଉନ୍ନତି ବାଟରେ ଏ’ ଗୋଟିଏ କାଳିଆ ଗୋଖୁର ସାପ ନୁହେଁ କି?
ଅନନ୍ତ – ସତ୍ୟ, କିନ୍ତୁ ବିଷହୀନ - ବିଷଥିଲେ ମଧ୍ୟ, ଆଘାତ ନ କଲେ କଦାପି ସେ-
ସମରେନ୍ଦ୍ର – ମାତ୍ର ଏ’ ଯେ ମଣିଷର ପ୍ରକୃତ । କେତେବେଳେ କ’ଣ- ନିଶ୍ଚିନ୍ତ ହେବା କି-
ଅନନ୍ତ – ଠିକ୍ଠିକ୍କହିଚ ସମରେନ୍ଦ୍ର- ସର୍ପଠାରୁ ମଧ୍ୟ ଭୟଙ୍କର- ବିନା ଆଘାତରେ ସୁଦ୍ଧା- ଓଃ- ନିଜ ପ୍ରକୃତିରୁ ଯେ ନିଜେ ମୁଁ ଅନୁଭବ କରି ଦେଖି ପାରୁଚ- ଉପାୟ ? ଉପାୟ ?-
ସମରେନ୍ଦ୍ର – (ହସି) ଉପାୟତ ମୁଁ କରି ରଖିଚ- ଏକାବେଳକେ ରୋଗର ଶେଷ-
ଅନନ୍ତ – ଶେଷ୍ ଶେଷ୍- ବେଶ୍ କରିଛି, ସମରେନ୍ଦ୍ର ସମରେନ୍ଦ୍ର - ତା’ପର ସାଧୁ ହୁଅ - ୠଷି ହୁଅ- ଯୋଗୀ ହୁଅ- ଯା’ ଇଚ୍ଛା-
ଅନନ୍ତ – ସମରେନ୍ଦ୍ର - ସମରେନ୍ଦ୍ର - କି ଦେବି ମୁଁ ତୁମ୍ଭଙ୍କୁ-
ସମରେନ୍ଦ୍ର – ଦେବ - ଦେବ ବ୍ୟସ୍ତ କାହିଁକି- ସେ ପର କଥା- ଆସ, ଆସ, କାମଟା ଆଗେ-
ଅନନ୍ତ – ପାରିବା- ପାରିବାତ, ସମରେନ୍ଦ୍ର ?
ଚମ୍ପା – ନ ପାରଲାଭଳି କାମ କି ଏ’ ସଂସାରରେ ଅଛି ?
ଅନନ୍ତ – କିଏ ? କିଏ ? ତୁ ? ତୁ ଏଥିମଧ୍ୟରେ ?- ତେବେ, ତେବେ, ଅସମ୍ଭବ ମଧ୍ୟ ସମ୍ଭବ ନିଶ୍ଚୟ । (ବେଗେ ପ୍ରସ୍ଥାନ)
ସମରେନ୍ଦ୍ର – ଚାଲ ଚାଲ ତେବେ, କେଉଁଠି କ’ଣ- (ପ୍ରସ୍ଥାନୋଦ୍ୟତ)
ଚମ୍ପା – (ଅଭିମାନଭରେ ଯେହ୍ନେ ଠିଆ ହେଲା)
ସମରେନ୍ଦ୍ର – କି, ଠିଆ ହେଲୁ ଯେ ?
ଚମ୍ପା – ମୋତେ ଭସାଇ ଦେବ ନାହିଁତ ? (ଏଣେ କିନ୍ତୁ ମୃଦୁ ମୃଦୁ ହସୁଥିଲା)
ସମରେନ୍ଦ୍ର – ଆହା । ତୋର ଏପରୀ ରୂପକୁ, ଯୌବନକୁ -
[ଚମ୍ପା ଯେହ୍ନେ ଭାରି ଉଲ୍ଲସିତା ହୋଇ ଉଠିଲା]
ଚମ୍ପା – ଆଉ ଗୁଣକୁ- ? କହିଲି ଭଲା, ମୋ’ ପରି ଆଉ ଜଣେ କେହି ଅଛି ନା- ସେହି କୁମ୍ଭୀର କଥାଟାରୁ ପରଖ କରି ନିଅନା ? -ଯାହାଯୋଗୁଁ ତୁମର ଆଜି ଏତେ ଉନ୍ନତି ।-
ସମରେନ୍ଦ୍ର – ଆଉ ସେ କଥା କାହିଁକି ? ସ୍ତ୍ରୀର ଚରିତ୍ର ନେଇ ତ ପୁରୁଷର ଭାଗ୍ୟ -?
ଚମ୍ପା – (ମୁରୁକି ମୁରୁକି ହସି) ଏପରି ଭାଗ୍ୟ କି ସତେ ମୋ’ର-
ସମରେନ୍ଦ୍ର – ହେବ କ’ଣ, ଚମ୍ପା ପ୍ରିୟତମେ- ହୋଇ ସାରିଲାଣି, କହ ?
ସମରେନ୍ଦ୍ର – ଏଥର ମୁଁ ସେନାପତି ହେବି ଯେତେବେଳେ-
ସମରେନ୍ଦ୍ର – ସାତେସାତ୍ ଚମ୍ପିକୁ ସେନାପତିଆଣୀ- (ଚୁମ୍ବନ କରିବାକୁ ଗଲା କିନ୍ତୁ ଚମ୍ପା ନିଜକୁ ଛଡ଼ାଇ ନେଲା) ଯା’ମ-
ଚମ୍ପା – ଏତେ ଆଶା ତୋ’ର । (ମନେ ମନେ କହୁ କହୁ ବିଦ୍ରୂପହାସ୍ୟରେ ମନୋଭାବ ଆହୁରି ପ୍ରକାଶ କରିବାକୁ ଯାଇ, ନିଜକୁ ସଂଯତ କରିନେଲା) -ଛି, ରାଗିଗଲ କି ? (ସାଉଁଳାଉ ସାଉଁଳାଉ) ବୁଝିଲ ନା- ଜେମାଦେଈ ମନେ କରିଥିଲେ, ମୁଁ ଡରି ମରିବି- କିନ୍ତୁ ଅସ୍ତ୍ରଖଣ୍ଡ ଯେ ମୋ ହାତରେ ରହିଛି, ତା’ ଆଉ ଧନମଣିଙ୍କର ଖିଆଲ ନାହିଁ ।
ସମରେନ୍ଦ୍ର- – ରହିବି କିପରି ? ଧନମଣି ଯେ ମୁକୁନ୍ଦା ପ୍ରେମରେ ଏକାବେଳକେ ମଜ୍ଗୁଲ୍
ଚମ୍ପା – (ଈର୍ଷାରେ ଯେହ୍ନେ ଜଳିଉଠି) ଓଃ- କି ଦିମାକ୍ଚମ୍ପା ବୋଲି ଯାହା ସଙ୍ଗେ ପାଣି ଚଳୁ ନ ଥିଲା- ମିଛୋଇ, ବଦମାସ୍ ବୋଲି ଗୋଇଠାମାରି -ଓଃ- କା’ ଲାଗି-
(ମୁକୁନ୍ଦର କଥା ଓ ପଦାଘାତ ମନେ ପଡ଼ି ଯିବାରୁ ନିଜ ଅଙ୍ଗକୁ ଚାହିଁ ଫୁଲି ଫୁଲି ଉଠୁଥିଲା)
ସମରେନ୍ଦ୍ର – ଏକାବେଳକେ ନଅର ମନା କରିଦେଲେ -ହାୟ ! ମୋ ସକାଶେ ତୋତେ କେତେ କଷ୍ଟ ସହିବାକୁ ନ ପଡ଼ୁଚିଟି- (ଉଆଁସି ଦେଉ ଦେଉ) ଆଚ୍ଛା, ଜେମାଦେଈତ ରାଜାଙ୍କୁ ସତ ଘଟଣାଟା-
ଚମ୍ପା – (ଦୀର୍ଘନିଃଶ୍ୱାସ ତ୍ୟାଗ ପୂର୍ବକ ବିଦ୍ରୂପାତ୍ମକ ହାସ୍ୟ କଲେ) ହଁ, କହିଲେ ଖାଲି ହେଲା- ପ୍ରଣାମ କରି ପାରିଲେତ?
ସମରେନ୍ଦ୍ର – ମାତ୍ର ସେଦିନ ମୁକୁନ୍ଦା ଯେମିତିକା ସତକଥାଟା କହି ପକାଇଥିଲା- ଭାଗ୍ୟକୁ ଅନନ୍ତ ସିଂହ ନ ଥିଲେ-
ଚମ୍ପା – ଆଚ୍ଛା, ଅନନ୍ତ ସିଂହକୁ ଆଜିକାଲି ଏମିତିକା ଛାଡ଼୍ଛାଡ଼୍ମାଡ଼୍ମାଡ଼୍ଦେଖୁଚି କାହିଁକି ?
ସମରେନ୍ଦ୍ର – ତାଙ୍କର ମୁଣ୍ଡ କ’ଣ ଆଉ ମୁଣ୍ଡ ହୋଇ ଅଛି ? ଯେଉଁ ବୋଝ ମୁଣ୍ଡ ଉପରେ ଲଦା ହେଲାଣି -ମୋ ମୁଣ୍ଡରେ କ’ଣ କମ୍ତି କି ?- ଏ ସବୁ ଫନ୍ଦି ଫିକରକୁ ସମୟ ମିଳୁଥାନ୍ତ ନା, ସେ ଚଳାଇ ନେଉ ଥିଲେ ? ଭାଗ୍ୟେ, ମହାରାଜ ସେହିପରି ଗୋଟାଏ ହୁକୁମ କରି ଦେଇଥିଲେ ବୋଲି ସିନା ।
ଚମ୍ପା – କିନ୍ତୁ ଅନନ୍ତସଂହ ଏମିତିକା ଢିଲା ହେଲେ ତ ସବୁ ମୁଷ୍କିଲ । (କ’ଣ ଭାବିବାକୁ ଲାଗିଲା)
ସମରେନ୍ଦ୍ର – କିଛି ଚିନ୍ତା ନାହିଁ, ଚମ୍ପା- ମୁଁ ଠିକ୍ ଆଣ୍ଟି ଦେଇଛି-
ଚମ୍ପା – ନା, ନା, ଆହୁରି ଦରକାର- ମୋତେ ପରୀକ୍ଷା କରି ଦେଖିବାକୁ ହେବ । (ଦ୍ରୁତ ପ୍ରସ୍ଥାନ)
ସମରେନ୍ଦ୍ର – ବେଶ୍ତ- ମାତ୍ର, ଏମିତିକା ଘୋଡ଼ା ଗମନା କାହିଁକି, ଟିକିଏ ବତକ ଗମନା ହୁଅ ।(ପ୍ରସ୍ଥାନ)