ଅର୍ଜୁନ କର୍ତ୍ତୃକ କପିଳା ବଧ ଓ ତାହାଙ୍କର ପାପ ଖଣ୍ଡନ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିକପିଳାର ସନିଧ୍ୟେ ଭେଟଇ ତତକ୍ଷଣେ ।୨୩।
ଦେଖିଣ ବାଣ ବିଚାରଇ ହୃଦଗତେ
କପିଳାର ପ୍ରାଣ ମୁଂ ଦହିବି କେମନ୍ତେ ।୨୪।
ଗୋହତ୍ୟା ସ୍ତିରୀହତ୍ୟା କଲେ ପାରନାହିଂ
ୟେହା ମୁଂ ମାଇଲେ ମୋର କିଛି ଜଣାନାହିଂ ।୨୫।
କେତେ କୋପ କରି ତୁ ବୀର ପାଥ
ଅକାରଣେ କେମନ୍ତେ କରିବି ୟେହା ଘାତ ।୨୬।
ଅନ୍ତର ହୋଇ ସେ ଠାବରେ ବାଣ ବସିଲା
ତିନି ବ୍ରହ୍ମାଣ୍ଡ ବସି ସେ ସୁର ବାଣ ହୋଇଲା ।୨୭।
ବାଣ ନ ଯାନ୍ତେ ବିଚାରଇ ଫାଲଗୁନି
ମହା ପ୍ରକୋପିତ ହୋଇଲା କରେ ଧନୁ ଘେନି ।୨୮।
ପୁଣି ଧନୁରେ ବସାଇଲା ଦିବ୍ୟ ଶର
ତୁ ଯାଇ ସେ ଜୀବକୁ ବେଗେ ପ୍ରହାର ଯେ କର ।୨୯।
ପାଥର ବଚନେ ଚଳଇ ଦିବ୍ୟ ଶର
ତୁରିତେ ପଡ଼ିଲାକ କପିଳା ଉପର ।୩୦।
ପଡ଼ନ୍ତେ କପିଳା ହୋଇଲା ବେନି ଖଣ୍ଡ
ଶବଦ ଶୁଭିଲା ସପତ ବ୍ରହ୍ମାଣ୍ଡ ।୩୧।
ପ୍ରାଣ ଘେନି ବିଚାରଇ ଦିବ୍ୟ ଶର
କପିଳା ବଧ କରି ପାର ନାହିଂ ତିନି ପୁର ।୩୨।
ଇଶ୍ୱର ଦେବତାୟେ ପୂର୍ବେ ଗୋହତ୍ୟା କଲେ
ସେ ମହାଦେବଙ୍କୁ ପାର ନ ଗଲାତ ଭଲେ ।୩୩।
ବାରାଣସୀ ମଣିକର୍ଣ୍ଣିକାରେ ହର ପଶି
କାହିଂରେ ଈଶ୍ୱରେ ପାର ନାହିଂ ହୋଇଲେକ ଧ୍ୱଂସି ।୩୪।
ଭଇରୋବ ରୂପ ଯେ ଧଇଲେ ଈଶ୍ୱରେ
ମୋତେ ତ ପାର ନୋହିବ ତିନି ପୁରେ ।୩୫।
ୟେତେ ବୋଲି ବାଣ ଭୂମିରେ ବସିଲା
ହତ୍ୟା ଦୋଷେ ବାଣ ବିସ୍ମୟେ ହୋଇଲା ।୩୬।
ବାଣ ଲେଉଟି ନ ଯାନ୍ତେ ବୀର ପାଥ
ବାବଲ ଶର ବୀର ଧରିଲାକ ହାଥ ।୩୭।
ବାଣକୁ ତିଆରଇ ବୀର ସର୍ବସାଚୀ
ମୋହୋର ବୋଲ କରି ନ ଆସିବୁ ଘୁଞ୍ଚି ।୩୮।
ସେ ଜୀବକୁ ତୁ ବେଗେ ଘେନି ଆସ
ଧନୁରେ ବସାଇ ସେ କହଇ ବିଶ୍ୱାସ ।୩୯।
ନିମିଷେକେ ଆଣି କରିବ ମୋର କତି
ବେଗେ ନଇଲେ ତୋତେ ଅନଳେ ଦେବି ଶାସ୍ତି ।୪୦।
ରୋଷେଣ ଚଳଇ ସେ ଅତି ଖରତରେ
ଗର୍ଜିଣ ପଡ଼ିଲା ଯାଇ କପିଳା ଉପରେ ।୪୧।
ଅନ୍ତିଅନ୍ତ କରିଣ ଆଣଇ ଗୋ ମୁଣ୍ଡ
ଘେନିଣ ବାଣ ଯେ ଚଳିଲା ପରଚଣ୍ଡ ।୪୨।
ଆସନ୍ତେଣ ଅନ୍ତରୁ ଫୁଟି ଖସି ପଡ଼ିଲା
ପବିତ୍ରେଶ୍ୱର ବୋଲି ମହାଲିଙ୍ଗେକ ହୋଇଲା ।୪୩।
ରକତ ବୃଷ୍ଟି ହୋଇଲା ଯେତେ ଦୂର
ମନ୍ଦାକେ ଲିଙ୍ଗେକ ହୋଇ ଉପୁଜିଲା ପୃଥୀର ।୪୪।
ଶବ ଘେନି ପାଥର କତିରେ ପ୍ରବେଶ
ନିରେଖି ଦେଖି ପାଥ ହୋଇଲା ବିରସ ।୪୫।
କପିଳାର ମୁଣ୍ଡ ଗୋଟି ଘେନି ବୀରମଣି
ହୃଦଗତେ ପାଥ ବିଚାରଇ ପୁଣ ପୁଣି ।୪୬।
କପିଳା ଦ୍ରୋହ ମୁଂ କଲଇଂ ଅଦ୍ୟାପି
ମାଳତୀ ଲତାର ଉପରେ ତାହା ଥାପି ।୪୭।
ପଞ୍ଚୁଆତ୍ମାରେ ବସି ଭାଳଇ ବୀର ପାଥ
ଅନମିତ୍ତେ ଗୋବଧ ମୁଂ ୟେତେ କୃତ୍ୟ ।୪୮।
କି ବୋଲି ବୋଲିବେ ମୋତେ ଦେବ ପୁରନ୍ଦର
ମୋହୋର ମୁଖ ନ ଚାହିଂବେ ଦେବ ଚକ୍ରଧର ।୪୯।
ଦେବଗଣମାନେ କିସ ବୋଲିବେଟି ମୋତେ
କାହାରି ମୁଖ ମୁଂ ଚାହିଂ ନପାରିବି ଯୁଗତେ ।୫୦।
ଯୁଝେଷ୍ଠିଙ୍କରମୁଖ ମୁଂ କେମନ୍ତେ ଚାହିଂବି
ମନେ ମନେ ବସି ଭାଳଇ ବାସେବି ।୫୧।
ପୁଣ ମନେ ବିଚାର କରଇ ଅରଜୁନ
ଆସି ପ୍ରବେଶ ହୋଇଲେ ଯୁଝେଷ୍ଠିଙ୍କ ସନ୍ନିଧାନ ।୫୨।
ମଥା ପୋତି ବୃକ୍ଷ ଉହାଡ଼େଣ ହୋଇ
ତୁମ୍ଭର ମୁଖ କେମନ୍ତେ ଚାହିଂବଇଂ ମୁହିଂ ।୫୩।
ଯୁଝେଷ୍ଠି ଦେବ ବୋଇଲେ କିସ କଲୁ ।
କି ନିମନ୍ତେ ମୋର ମୁଖ ନ ଚାହିଂଲୁ ।୫୪।
ସହଦେବ ବଦନ ଚାହିଂଲେ ଯୁଝେଷ୍ଠି
କିସ ଦୋଷ କଲା ବନସ୍ତେ ମୋହୋର ଭାଇ ଗୋଟି ।୫୫।
ଗଣ୍ଡା ଆଣି ପଶିଲାଉଂ ଆମ୍ଭେ
ତୋହୋର ବଚନ କିସ ବିଚାରୁ ସହଦେବେ ।୫୬।
ପ୍ରାଣର ସଖା ମୋହୋର ଅଟଇ ଫାଲଗୁନି ।
ୟେହାରେ ଉଶ୍ୱାସ ହୋଇବ ମେଦିନୀ ।୫୭।
କି ନିମନ୍ତେ ମୋହୋର ମୁଖ ନ ଚାହଂଇ ତୋଳି
ବିଚାରି ସହଦେବ ପାତିଲା କୁଣ୍ଡଳୀ ।୫୮।
କରପତ୍ର ଯୋଡିଣ କହଇ ସହଦେବ
ଶୁଣ ତୁମ୍ଭେ ୟେକ ମନେ ଯୁଝେଷ୍ଠି ରାଜଦେବ ।୫୯।
ତୁମ୍ଭ ଆଗ୍ୟାଂୟେ ଗଣ୍ଡା ଆଣି ଗଲେ ଫାଲଗୁନି
ଅରଣ୍ୟେ ବୁଲନ୍ତେଣ ଦିବା ଯେ ରୟେଣୀ ।୬୦।
ଦେଖି ଗଣ୍ଡାଜୀବେ ପଳାଇଲେ ବହୁତ ଦୂର
ଡରେ ଲୁଚିଲେ ଯାଇ ବନ ଗିରି କନ୍ଦର ।୬୧।
ଗଣ୍ଡା ନ ପାଇ ସେ ବୁଲନ୍ତି ଘୋର ବନେ
ଗଣ୍ଡା ଜୀବମାନ ନ ଦେଖିଲେ ନୟନେ ।୬୨।
କ୍ଷୁଧାରେ ଆରତ ହୋଇଣ ଯାଇଂ ପର୍ବତେଣ ଉଠି
ପୂର୍ବ ମୁଖ ହୋଇଣ ଦିଲେ ୟେକ ଦୃଷ୍ଟି ।୬୩।
ଦେଖିଲେ ଗୋମାତା କପିଳା ତହିଂ ଚରୁଅଛି
ଗଣ୍ଡା ଜୀବ ବୋଲି ବିଚାରିଲେ ବିବଚ୍ଛି ।୬୪।
ୟେହି ସେ ଗଣ୍ଡା ଜୀବ ବୋଲି ବୋଇଲା ଦିବ୍ୟଶର
ବାଣ ପଡ଼ିଲା ଯାଇଂ କପିଳା ଉପର ।୬୫।
କପିଳାର ମୁଣ୍ଡ ଦେଖି ଚକିତ ବୀର ପାଥ
ମନେ ବିରସ ହୋଇ ସୁମରେ ଜଗନ୍ନାଥ ।୬୬।
ଲଜ୍ଜା କରି ତୁମର ମୁଖ ନ ଚାହିଂ
ଗୋହତ୍ୟା କଲେ ଦେବ ବସିଲା ଠାବ ନାହିଂ ।୬୭।
ସହଦେବଙ୍କୁ ବୋଇଲେ କରିବା କିସ ବୁଦ୍ଧି
କେମନ୍ତେ ଖଣ୍ଡଣ ହୋଇବ ପାପ ବ୍ୟାଧି ।୬୮।
ସହଦେବ ବୋଇଲେ ଦେବତାୟେ ହୋଇଲେ ଗୋଟି
ତେବେ ସେ ଖଣ୍ଡିବା ହୋଇବ କି ପାପ ଦୋଷ ସେଟି ।୬୯।
ଯୁଝେଷ୍ଠି ବୋଇଲେ ପାଥ ହରିଙ୍କି ଧ୍ୟାୟେ କର
ସେହି ସେ ଆପଦ ଖଣ୍ଡିବେ ତୁମ୍ଭର ।୭୦।
ଯୁଝେଷ୍ଠିଙ୍କର ବଚନେ ବୀର ଧନର୍ଜ୍ଜୟେ
ୟେକ ମନେ କୃଷ୍ଣଙ୍କୁ ବସି କଲା ଧ୍ୟାୟେ ।୭୧।
ଚନ୍ଦ୍ରଶିଳା ପରେ ବିଜେ କରିଥିଲେ ଚକ୍ରଧର
ସତ୍ୟଭାମା ଦେବୀ ବସିଛନ୍ତି କତିର ।୭୨।
ଆସନ କଂପିଲା ଯେ ଜାଣିଲେ ଦେବହରି
ଗରୁଡ଼କୁ ଧ୍ୟାୟେ କଲେ ଯେ ମୁରାରି ।୭୩।
ସତ୍ୟଭାମାୟେ ବୋଇଲେ ମୋତେ ତେଜ୍ୟା କଲୁ ହରି
କିସ ବିକ୍ରିୟା ମୋର ପାଇଲୁ ଦେବ ଦଇତାରି ।୭୪।
ବୋଲନ୍ତି କେଶବ ଶୁଣ ଗୋ ପ୍ରାଣ ସହି
ମୋତେ ସୁମରଣା କଲା ପାଣ୍ଡବ ବିବଛଇଂ ।୭୫।
ସତ୍ୟଭାମା ବୋଇଲା ପାଣ୍ଡବେ ଜଦୁର ଘରେ ମଲେ
ପୁଣି ସେ କେମନ୍ତେ ନାଥ ବ୍ରତିଣ ଅଇଲେ ।୭୬।
ଦିବସେ ସ୍ୱପ୍ନ କି ଦେଖିଲୁ ଯଦୁସାଇଂ
ପାଣ୍ଡବଙ୍କ ମଲାର ଆଜକୁ ଷଷ୍ଠ ବରଷ ହୋଇ ।୭୭।
କାହିଂ ହୋଇଲ ବାଇ କାହିଂ କଲ କେମନ୍ତ
ୟେଥିର ଚରିତ ମୋତେ କହିବ ଜଗତଭୂତ ।୭୮।
ବୋଲନ୍ତି ମାଧବ ଶୁଣ ଗୋ ପ୍ରାଣସହି
ମୋହୋର ଥିଲେ ପାଣ୍ଡବେ ପାରି ନୋହି କାହିଂ ? ।୭୯।
ଶୁଣ ପ୍ରାଣ ସହି କହଇ ମୁଂ ତୋତେ
ପାଣ୍ଡବେ ମଲେ ତୁ କାହିଂ ଦେଖିବୁ ମୋତେ ।୮୦।
ସେ ଯେ ପାଣ୍ଡବେ ପ୍ରତକ୍ଷେ ଦେବହରି
ମହାଭାରା ନିବାରି ଭାରତେ ଅବତରି ।୮୧।
ଗୋବିନ୍ଦ ଜଗମୋହନ ପୁଣ ଶକ୍ରାବତୀ
ୟେ କଥା କାହିଂ ଫୁଟ ନୋହିବ ପ୍ରିୟବତୀ ।୮୨।
ରାମ୍ୟେକ ଦ୍ୱୀପେ ଯେ ଥିଲା ପକ୍ଷୀବର
କୃଷ୍ଣର ସୁମରନ୍ତେ ଅଇଲା ଖରତର ।୮୩।
ପକ୍ଷୀର ବାତ ଘାତେ ଗିରିବର କମ୍ପିଲେ
ଗିରିକନ୍ଦର ଅରଣ୍ୟ ସମସ୍ତ ଚୂର ଗଲେ ।୮୪।
ଦ୍ୱାରକାୟେ ପ୍ରବେଶ ଖଗେଶ୍ୱର
ଶତେ ସହସ୍ର ପ୍ରଣପତ୍ୟ କୃଷ୍ଣର ପୟର ।୮୫।
କିସ ଅର୍ଥେ ସୁମରଣା କଲ ଦେବ ହରି
କେହୁ ଅସଖ୍ୟ ମୋତେ ଆଗ୍ୟାଂ ଦେବା ଦଇତାରି ।୮୬।
ଶ୍ରୀକୃଷ୍ଣେ ବୋଇଲେ ହୋ ଯୁଝେଷ୍ଠିଙ୍କି ଦେଖିଯିବା
ନିର୍ଝର ଝ ରଅରଣ୍ୟେ ଯାଇଣ ପଶିବା ।୮୭।
ଗରୁଡ଼ ପିଠିରେ ବିଜେ କଲେ ଦେବହରି
ଘଡ଼ିକେ ମିଳିଲେ ଯାଇ ହିଡ଼ିମ୍ୱିକୀ ନାମେ ପୁରୀ ।୮୮।
ଯେତେ ଦୂରେ ଯୁଝେଷ୍ଠିଙ୍କର ଦିଶିଲା ଆସନ
ଗରୁଡ଼ ପୃଷ୍ଠରୁ ଉତୁରି ଭଗବାନ ।୮୯।
ଯୁଝେଷ୍ଠିଙ୍କ ପୟରେ ପ୍ରଣପତ୍ୟ ଦେବ ହରି
ଉଠିଣ ଜଗନ୍ନାଥଙ୍କୁ ଯୁଝେଷ୍ଠି କୋଳ କରି ।୯୦।
ଯୁଝେଷ୍ଠି ବୋଇଲେ ଶୁଣିମା ଜଗତ ଭୂତ
ସ୍ୱାମୀ ଗଣ୍ଡା ଆଣିଯାଇ କପିଳା ବଧ କଲା ବୀର ପାଥ ।୯୧।
ଶୁଣିଣ ନାରାୟଣ ବିରସ ହୋଇଲେ
ଅର୍ଜୁନର ମୁଖ ଚାହିଂ ଦେବ ସମାସ୍ୟା ଦିଲେ ।୯୨।
ନ ଜାଣି ଦୋଷ କଲୁ ପ୍ରାଣର ସଂଘାତ
ମୋତେହେଂ ଅଗୋଚର କଲୁ ଯେ ଉତକୃତ ।୯୩।
ବ୍ରହ୍ମାଙ୍କୁ ଧ୍ୟାୟେ କଲେ ଦେବ ହରି
ଜାଣିଣ ଧାତା ମରୁଳ ପିଠିରେ ବିଜେକରି ।୯୪।
ତୁଲେଣ ଅଛନ୍ତି ବ୍ରହ୍ମ ଋଷିମାନେ
ଷାଠିୟେ ସହସ୍ର ଶିଷ ଘେନି ଚତୁର ବଦନେ ।୯୫।
କାନ୍ଧରେ ପଇତା ହସ୍ତରେ କୁଶବଟୁ
ଛତା ଧୋତି ପୋଥି ଅନ୍ତରୀକ୍ଷ ଭୁବନ ଘଟୁ ।୯୬।
ଯହିଂରେ ବିଜେ କରିଛନ୍ତି ଦେବ ହରି
ନାରାୟଣ ସନ୍ନିଧାନେ ଯାଇ ଧାତା ବିଜେ କରି ।୯୭।
ଦେଖିଣ କୃତ କୃତ ଦେବ ଚକ୍ରଧର
ଯୁଝେଷ୍ଠି ଦେବେ ଯାଇ ନମନ୍ତି ପୟର ।୯୮।
ବସିତେ ଆସନ ଦିଲେ ଦେବଧାତା
ସାମାର୍ଜନା ବଚନେ କହନ୍ତି ଧର୍ମସୁତା ।୯୯।
ଅର୍ଜୁନର କଥା କହନ୍ତି ସଞ୍ଚପି
ଅଛିଟି କି କାରଣ ଦେବ କହିବା ଅଦ୍ୟାପି ।୧୦୦।
ବ୍ରହ୍ମାୟେ ବୋଇଲେ ଦେବତାନ୍ତ ସୁମର
ପାପ ଦୋଷ ଖଣ୍ଡଣ କରିବେ ଚକ୍ରଧର ।୧୦୧।
ଧାତାର ବଚନେ ଦେବ ଦଇତାରୀ
ସଉରଭ ପାତ୍ରେ ଜଳ ଭରି ଦେବତାଙ୍କୁ ସୁମରି ।୧୦୨।
ନାରାୟଣଙ୍କ ଚିନ୍ତନେ ଜାଣିଲେ ଦେବ ହର
ବିଜେ କଲେ ଦେବ ବୃଷଭ ଉପର ।୧୦୩।
କରେଣ ତ୍ରିଶୂଳ ଲଲାଟେ ଗନ୍ଧ ଘଟି
କଟିରେ ବ୍ରାଘ ଚର୍ମ ଭୂଷଣ ଲାଙ୍ଗଟି ।୧୦୪।
ସୁଦ୍ଧ ସଷ୍ଟିକ ବିରାଜଇ ନିଜ ଗାତ୍ର
ଡ଼ମ୍ୱରୁ ବଜାଇ ବିଜେ କରନ୍ତି ତ୍ରିଅନେତ୍ର ।୧୦୫।
ଶିବଗଣ ତୁଲେ ଚଉଦ କୋଟି
ନନ୍ଦିକେଶ୍ୱର ତୁଲେ ବିଜୟେ ଧୃଜଟି ।୧୦୬।
ବିଘ୍ନରାଜେ ବିଜୟେ ଇନ୍ଦୁର ବାହନେ
କାର୍ତ୍ତିକେଶ୍ୱର ବିଜେ କଲେ ମୟୂର ଆରୋହଣେ ।୧୦୭।
ଈଶ୍ୱରେ ବିଜେ କଲେ ହିଡ଼ିମ୍ୱକ ବନେ
ଦେଖି ପୂଜାକଲେ ଧର୍ମର ନନ୍ଦନେ ।୧୦୮।
ଜଗନ୍ନାଥେ ପ୍ରଣପତ୍ୟ ବିଶ୍ୱନାଥ ପାଦ ତଳେ
ଅର୍ଜୁନ କଥାମାନ କହନ୍ତି ସୋଢଳେ ।୧୦୯।
ପୂଜା ପାଇ କରି ରହିଲେ ଦେବହର
ଗଜାନନ ସହିତେ କାର୍ତ୍ତିକକୁମାର ।୧୧୦।
କାର୍ତ୍ତିକ ପୟରେ ନମନ୍ତି ଯୁଝେଷ୍ଠି
ଦୁର୍ଗା ବିଜେ କଲେ ସିଂଘର ଯେ ପିଠି ।୧୧୧।
ମାହେଶ୍ୱରୀ ବିଜେ କଲେ ହିଡ଼ିମ୍ୱକ ବନର
କରେ ଶୋଭାବନ ଦେବୀର କାତି ଯେ ଖପର ।୧୧୨।
ହିଡ଼ିମ୍ୱକ ବନେବି ଜୟେ ଶାକାମ୍ୱେରୀ
ଦେଖିଣ ଯୁଝେଷ୍ଠି ଦେବ ପ୍ରଣପତ୍ୟ କରି ।୧୧୩।
ଅସ୍ତୁକାର ବଚନ ଉଚ୍ଚାରନ୍ତି ଭଦ୍ରକାଳୀ
ମଞ୍ଚେଣ ରାଜା ତୁ ହୁଅ ସତ୍ୟ ପ୍ରତିପାଳି ।୧୧୪।
ଯୁଝେଷ୍ଠି ବୋଇଲେ ଦେବି ଦୋଷ କ୍ଷମାକର
ୟେ ହତ୍ୟା ଦୋଷ ମା ଗୋ ତୁମ୍ଭର ହୋଉପାର ।୧୧୫।
ଦୁର୍ଗେ ବୋଇଲେ ତୋର ପୂରୋଇବି ଆଶ
ୟେ ମଞ୍ଚ ମଣ୍ଡଳେ ତୁ ଅଟୁ ସାଧୁ ପୁରୁଷ ।୧୧୬।
ରହିଲେ ଶାକାମ୍ୱେରୀ ହିଡ଼ିମ୍ୱକ ବନେ
ମୃଗ ବାହନେ ବିଜେ କଲେ ଯେ ପବନେ ।୧୧୭।
ତୁଲେଣ ଅଇଲେ ଅଣଂଚାଶ ପବନ ଘେନି
ବିଜେ କଲେ ଯହିଂ ଅଛନ୍ତି ପଦ୍ମଯୋନି ।୧୧୮।
ସପତ ରତ୍ନ ଘେନି କୁବେର ମହାତମା
ପ୍ରବେଶ ହୋଇଲେ ଯହିଂ ଅଛନ୍ତି ବେଦବ୍ରହ୍ମା ।୧୧୯।
ଅଇରାବତ କାନ୍ଧରେ ଦେବ ଇନ୍ଦ୍ର
ଚଉଷଠୀ କୋଟି ତୁଲେ ବିଦ୍ୟାଧର ଦେବବୃନ୍ଦ ।୧୨୦।
ପୁରନ୍ଦର ଅଶୀଲକ୍ଷ ବୀରମାନ
ଯେ ଯାହାର ଯାନବାହାନେ କରନ୍ତ ଗବନ ।୧୨୧।
ଜୟେ ମୁନି ଚିତ୍ରସେନ ଆବର ସବୁ ବ୍ରାହ୍ମଣ
ୟେମାନେ ହୋଇଛନ୍ତି ସଇନ ଆଗେଣ ।୧୨୨।
ଦେବ ପୁରୁଷ ସଂଗରେ ବିଜେ ନବଗ୍ରହେ
ରାହୁ କେତୁ ଆଦି କରି ବିଜୟେ ସଭିୟେଂ ।୧୨୩।
ବାୟୁ ବରୁଣ ଦଶ ଦିଗପାଳେ
ଯେ ଯାହାର ଯାନବାହାନେ ଅଇଲେ ସକଳେ ।୧୨୪।
ସତାଇଶ ଲକ୍ଷ ଚନ୍ଦ୍ର ଦେବତା ଆଦିକରି
ବିଜେ କଲେ ଯାଇ ହିଡ଼ିମ୍ୱିକ ନାମେ ପୁରୀ ।୧୨୫।
ରବି ଶୁକ୍ର ବୁଧ ଶନିଶ୍ଚର ମୂଳେ
ପ୍ରବେଶ ହୋଇଲେ ଯାଇଂ ଦେବତାଙ୍କ ମଣ୍ଡଳେ ।୧୨୬।
ସନକ ସନାତନ ଭୀଷ୍ମ ମହାଦେବ
ପ୍ରବେଶ ହୋଇଲେ ଯହିଂ ଅଛନ୍ତି କେଶବ ।୧୨୭।
କୋଟିୟେ ଋଷି ଘେନି ବିଜୟେ ବେଦବ୍ୟାସ
ପ୍ରବେଶ ହୋଇଲେ ଯାଇଂ ଯୁଝେଷ୍ଠି ଦେବଙ୍କର ପାଶ ।୧୨୮।
ପଉଲସ୍ତି ଅଇଲେ ଲକ୍ଷେ ଚେଲା ଘେନି
କୋଟିୟେ ଚେଲା ଘେନି ବିଜୟେ ମାରକଣ୍ଡ ମହାମୁନି ।୧୨୯।
ଦେବଋଷି, ବ୍ରହ୍ମଋଷି, ରାଜଋଷି ମୂଳେ
ଯମଦଅଗ୍ନିର ମୂଳେ ବସିଲେ ସକଳେ ।୧୩୦।
କୃଷ୍ଣ ବୋଇଲେ ବାସବର ମୁଖ ଚାହିଂ
ସୁଧର୍ମା ସଭା ଅଣାଅ ସୁର ସାଇଂ ।୧୩୧।
ଜଗନ୍ନାଥ ଆଗ୍ୟାଂ ପାଇ ଦେବ ଦଇବତ
ଦେବ ସଭା ବସାଇଲେ ତୁରିତ ।୧୩୨।
ସମସ୍ତେ ହେଂ ବିଜେ ଅମର ଆସ୍ତାନେ
ଉପରେ ପୁଷ୍ପ ବୃଷ୍ଟି କଲେ ମଘବାନେ ।୧୩୩।
ଭର ହରଷ ରଂଗେ ନୃତ୍ୟ କରନ୍ତି ବିଳାସୁଣୀ
ଗାନ୍ଧାରେ ନୃତ୍ୟ କରନ୍ତି ରଙ୍ଗ ଖଟଣି ।୧୩୪।
ବ୍ରହ୍ମ ବୀଣା ଧଇଲେ ଯେ ବ୍ରହ୍ମାର ନନ୍ଦନ
ନୃତ୍ୟ ରସେ ମତ୍ତ ହେଲେ ଦେବଗଣ ।୧୩୫।
ୟେମନ୍ତର ସମୟେ ସଭାରେ ଉଭା ହୋଇଲେ ଯୁଝେଷ୍ଠି
ପ୍ରଣପତ୍ୟ ହୋଇ ଦେବ ସଭାରେ ଯାଇଂ ଉଠି ।୧୩୬।
ଉଠ ଉଠ ବୋଲନ୍ତେ ଦେବ ହର
ୟେମନ୍ତେ ବାଞ୍ଚା ପୂରୋଉଂ ତୋହୋର ।୧୩୭।
ଯୁଝେଷ୍ଠି ବୋଇଲେ ପିତା ଅର୍ଜୁନ କପିଳା ବଧ କଲା
ତେଣୁ କରି ମୋତେ ଶଙ୍କା ଲାଗିଲା ।୧୩୮।
ଇନ୍ଦ୍ର ଗୋବିନ୍ଦ ଧାତା ଯେ ଆପଣ
ହରି ହର ବରିତ ବୁଝିଲ କେସନ ।୧୩୯।
କୃଷ୍ଣ ବୋଇଲେ ଧାତା ଭାରାଭର ଅର୍ଥେ
ପୃଥୀରେ ଜାତ ଆମ୍ଭେ ହୋଇଲୁ କୃଷ୍ଣ ପାର୍ଥେ ।୧୪୦।
ସେ ଯେବେ ପାପୀ ମୁଂ କିସ ଅପାପୀ
କୃଷ୍ଣ ଅର୍ଜୁନ ଶୟଳେ ବୋଲନ୍ତି ଅଦ୍ୟାପି ।୧୪୧।
ତୁ ଯେବେ ଧାତା ବିହିଲୁ ପାପ ଦୋଷେ
ଆମ୍ଭେ ଦୁହେଂ କିଂପା ଥିବୁ ମଞ୍ଚ ଦେଶେ ।୧୪୨।
ପୃଥୀର ଭାରା ଭର ଉଶ୍ୱାସ ନିମନ୍ତେ
ଆମ୍ଭେ ଦୁହେଂ ଜାତ ହୋଇଛୁଂ କୃଷ୍ଣ ପାଥେ ।୧୪୩।
ସଂଗ୍ରାମ ଭୂମିରେ ଗୋ ବ୍ରାହ୍ମଣ ସମସ୍ତେ ପଡ଼ି
ତହିଂର ଦୋଷ ଯେବେ ମୋତେ ବିଚାରିବ ବେଦ ଚାରି ।୧୪୪।
ୟେତ ନୟନେ ନ ଦେଖିଲା କଲା ଜୀବ ଘାତ
ୟେ କଷଣୁଂ ଯେବେ ପାର ନ କରିବୁ ବିଧାତ ।୧୪୫।
କୃଷ୍ଣ ବୋଇଲେ ଅର୍ଜୁନଙ୍କୁ ପାପ ଦଶା ବିହିଲେ
ଭାରା କେମନ୍ତେ ଉଶ୍ୱାସ ହୋଇବ ବୋଇଲେ ।୧୪୬।
ଇନ୍ଦ୍ର ବୋଇଲେ କୃଷ୍ଣ ଅର୍ଜୁନ ୟେକ ଆତ୍ମା
ତୋହୋର ଦେହରୁ ଜାତ ଅଟନ୍ତି ୟେକ ଆତ୍ମା ବେଦ ବ୍ରହ୍ମା ।୧୪୭।
ବ୍ରହ୍ମାଙ୍କର ରୋଧିର ଈଶ୍ୱର ବିଭୂତି
ବିଷ୍ଣୁର ଦେହ ୟେ ଇନ୍ଦ୍ରର ଆଗତି ।୧୪୮।
ଇନ୍ଦ୍ର ବୋଇଲେ ୟେ ମୋହୋର କୁମର
ୟେହାକୁ ମୁକତ କରିବା ବେଦବର ।୧୪୯।
ବିଷ୍ଣୁ ଇନ୍ଦ୍ର ଯହୁଂ ହୋଇଲେ ବିନୋଇ
ୟେହାକୁ ହତ୍ୟା ଦୋଷ ଅଛି ଦେବ କାହିଂ ।୧୫୦।
ଧାତା ଆଗ୍ୟାଂ ଦିଲେ ନାରଦ କଇଂ ରାଇ
ଯଗ୍ୟଂକୁ ଆରମ୍ଭ କର ବ୍ୟାସଙ୍କୁ ବସାଇ ।୧୫୧।
ନାରଦ କହିଲେ ନାରାୟଣଙ୍କ ଅଗ୍ରତେ
ଯାଗକୁ ଆରମ୍ଭ ହୋ କର ନରପତ୍ୟେ ।୧୫୨।
କୃଷ୍ଣଙ୍କୁ ଅନେକ ବିନୋଇ ଯୁଝେଷ୍ଠି
ତୋହୋର ସକଳ ନାଥ ଖଣ୍ଡଇ ଅରିଷ୍ଟି ।୧୫୩।
ଯାଗକୁ ସମ୍ଭାର ନାଥ ପାଇବୁ ଆର କାହିଂ
ତୋ ତହୁଂ ଆନ ତ ସଖା ନାଥ ନାହିଂ ।୧୫୪।
ନାରଦଙ୍କୁ ରାଇ ବୋଇଲେ ଦେବ ହରି
ରତ୍ନାକର ଭୁବନୁଂ ସମ୍ଭାର ଆଣ ଶକ୍ୟ ଯେତେ ତୁମ୍ଭରି ।୧୫୫।
ମାୟାଧର ନାଥ ସେ ମାୟାକୂଟ କଲା
ରତ୍ନାକର ଭୁବନେ ମୁନି ସମସ୍ତ ପାଇଲା ।୧୫୬।
ବିଶ୍ୱକର୍ମାଙ୍କୁ ରାଇ ଆଗ୍ୟାଂ ଦିଲେ ଦେବହରି
ଯଗ୍ୟଂ ଶାଳ ଭୁବନ ଭିଆଅ ଯତ୍ନକରି ।୧୫୭।
ଜଗନ୍ନାଥଙ୍କର ଆଗ୍ୟାଂୟେ ଶିଳ୍ପୀ ବେଗେ ଗଲା
କ୍ଷଣକର ମଧ୍ୟେ ଯଗ୍ୟଂ ଶାଳା ଭିଆଇଲା ।୧୫୮।
ଦେବଋଷି, ବ୍ରହ୍ମଋଷି ବସିଲେ ଯଗ୍ୟଂଶାଳେ
ଦାବାନଳ ଅଗ୍ନି ଥାପିଲେ ମହାନଳେ ।୧୫୯।
ଗୁଆଘୃତ ଯେ ଜଳ ତିଳ ଘେନି
ଆହୁତିରେ ବରଣ ହୋଇଲେ ବିଶ୍ୱାମିତ୍ର ମୁନି ।୧୬୦।
ମୁକତି ଘଟି ନେଇ ଯଗ୍ୟେଂ ଆରୋପିଲେ
ଈଶ୍ୱର ଦେବତା ସନିଧ୍ୟେ ବିଜେ କଲେ ।୧୬୧।
ପବନ ଦେବତା ମୁନି ବେଦବ୍ୟାସ
ପାପ ଶାନ୍ତି ମନ୍ତ୍ର ପଢନ୍ତି ଭାରଦ୍ୱାଦଶ ।୧୬୨।
ଅଗସ୍ତି ପଢନ୍ତି ମୁକତି ଗାୟତିରୀ
ଅଜପା ପଢ଼ନ୍ତି ଦେବ ବଶିଷ୍ଠ ତପଚାରୀ ।୧୬୩।
ଅର୍ଜ୍ଜୁନ କଇଂ ଆଣି ଯାଗ କତିରେ ବସାଇଲେ
ମୁକତ ମନ୍ତ୍ର ତୀର୍ଥ ଜଳ ସ୍ନାହାନ କରାଇଲେ ।୧୬୪।
ଅଜପା ଗାୟତ୍ରୀ ପଢନ୍ତି ସମସ୍ତ ଋଷି
ଆପଣେ ବେଦବର ବୋଲନ୍ତି ନ ଲାଗୁ ଗୋହତ୍ୟା ଦୋଷି ।୧୬୫।
ସକଳ ଦେବତାୟେ ଜୟେ ଜୟେ ଧୁନି କଲେ
ପାଥର ଶିରେ ପଞ୍ଚାମୃତ ସିଞ୍ଚିଲେ ।୧୬୬।
କୋଟିୟେ ତୀର୍ଥ ଘେନି ଅଇଲେ ପୁଷ୍କର
ଅଭିଷେକ କଲା ନେଇ ଅର୍ଜୁନର ଶିର ।୧୬୭।
ଅପସରୀମାନେ କରନ୍ତି ମଙ୍ଗଳ ଧୁନି
ହୁଳହୁଳି ନାଦ କରନ୍ତି କାମିନୀ ।୧୬୮।
ସୁସ୍ୱରେ କାମିନୀମାନେ କରନ୍ତି ନୃତ୍ୟଗୀତ
ମଙ୍ଗଳ ପଢନ୍ତି ଚଣ୍ଡମୁନି ପୁତ୍ର ।୧୬୯।
ଗୋମତୀରେ ସ୍ନାହାନ କରାଇଲେ ଝୀନ ବାସ ପିନ୍ଧାଇ
ଦେବସଭାରେ ପାଥକୁ ବସାଇଲେ ନେଇ ।୧୭୦।
ୟେମନ୍ତେ ମତେ ପାଥକୁ ମୁକତି ହୋଇଲା
ମର୍କତେଶ୍ୱର ଲିଙ୍ଗ ପୃଥୀରେ ରହିଲା ।୧୭୧।
ମାଳତୀ ଲିଙ୍ଗେକ ଯେ ଘୋଡ଼ାଇଲା ମୁଣ୍ଡର
ଗୋକର୍ଣ୍ଣଶ୍ୱର ସେ ହୋଇଲା ପୃଥିବୀର ।୧୭୨।
ଋଷିଗଣମାନେ ଅନେକ କଲ୍ୟାଣ ଭାଷି
ଅସ୍ତୁ କରାଇଲେ ପାତେକ ହୋୟେ ଧଂସି ।୧୭୩।
କୃଷ୍ଣ ଆଗ୍ୟାଂଦିଲେ ଯୁଝେଷ୍ଠିଙ୍କି ଚାହିଂ
ତୁମ୍ଭର ପାପମାନ ଶରୀରେ ହୋଉ ନାହିଂ ।୧୭୪।
ପାପ ପୁଣ୍ୟ କହି ତୁମ୍ଭେ ୟେଥେ ଯାଅ ପାଞ୍ଚ ଭାଇ
ଶରୀର ନିର୍ମଳ ହୋଉ ତୁମ୍ଭର ଦେବତାଗଣ ଚାହିଂ ।୧୭୫।
ନାରାୟଣ ବଚନେ ଗଲେ ପଣ୍ଡୁର ନନ୍ଦନ
ନାରାୟଣ ପ୍ରସନ୍ନେ ପାପ କଲେ ଦହନ ।୧୭୬।
ଜଗନ୍ନାଥେ ବୋଇଲେ ପାପ ଶରୀରେ ଯେବେ ଥାନ୍ତା
ତୁମ୍ଭର ଦୁଇ ଭାଗେ ଦୁଇ ଦ୍ୱାର ଲାଗନ୍ତା ।୧୭୭।
ୟେବେ ନିକଳଙ୍କ ହୋଇବ ତୁମ୍ଭର ଦେହୀ
ନାରାୟଣ ହରଷ ହୋଇଲେ ପାଣ୍ଡବନ୍ତ ଚାହିଂ ।୧୭୮।
ୟେବେ ସେ ନିର୍ମଳ ହୋଇଲେ ପାଣ୍ଡବ ଧର୍ମ ରାୟେ
ୟେ ପାଥକୁ ଘେନି ଭାରା ରହିବି ଥୋକାୟେ ।୧୭୯।
ତୁ ଧର୍ମରାୟେ ସ୍ୱାମୀ ଦୟା କରିଥିବା
ତୋହୋର ଚରଣେ ଥାଉ ମୋହୋର ସେବା ।୧୮୦।
ଯୁଝେଷ୍ଠି ବୋଇଲେ ସ୍ୱାମି ତୋହୋର ଆଶ୍ରିତେ
ସତ୍ୟେ ବ୍ରତୁ ଆମ୍ଭେ ପଣ୍ଡୁର ପଞ୍ଚୁପୁତ୍ରେ ।୧୮୧।
ସ୍ୱାମି ଯେବଣ କୂଟ କଲେକ କଉରୋବ
ଦୁସ୍ତରୁ ତରିଲୁ ତୋହୋ ଯୋଗୁଂ ବାସୁଦେବେ ।୧୮୨।
ହରି କୂଟେ ନେଇ ଭୀମକୁ ବିଷ ଲଡ଼ୁ ଦେଲେ
ନାଗେଣୀ ଖାଉ ବୋଲି ଜଳେ ପକାଇଲେ ।୧୮୩।
ବାରୁଣାବନ୍ତେ ନେଇ କଲେ ଯେଉଂ କୂଟେ
ପୁରେକ ଭିଆଇଲେ ଗୁଆଘୃତ ଛଣପଟେ ।୧୮୪।
ତରିଲୁ ତହୁଂ ହରି ତୋହୋର ପରସାଦେ
ଦ୍ୱାପର ଯୁଗେ ଶରଣ ତୋର ପାଦେ ।୧୮୫।
ଗୋହତ୍ୟା ବ୍ରହ୍ମହତ୍ୟା ଦୋଷମାନ
ତୋହୋର ଶରଣେ ଖଣ୍ଡୁ ପାତକମାନ ।୧୮୬।
ସଦୟା ଦୟା ହୋଇବୁ ଦେବ କାଶି
ଅବିଚ୍ଛନ୍ନେ ବିଜୟେ ବିଶ୍ୱବାସୀ ।୧୮୭।
ଯେ ତୋତେ ୟେକା ବେଳେ ନୟନେ ଦେଖିବ
କୋଟିୟେ ଜନ୍ମର ପାପ ଯେ ହରିବ ।୧୮୮।
ଦେଖିଲେ କିଂଚିତ ପାପ ନଥିବ ଶରୀରେ
ତୋର ମୁଖ ଦେଖନ୍ତେ ବସିବ ସ୍ୱର୍ଗପୁରେ ।୧୮୯।
ସଦାଶିବ ନାଥ ପ୍ରତକ୍ଷେ ଉଭାହୋଇ
ଇନ୍ଦ୍ର ନିତି ବରଷା କରିବ ତୋର ତହିଂ ।୧୯୦।
ନିତି ହିଂ ବରଷା କରିବ ସୁରପତି
ମୋହୋର କଥା ରହିଥିବ ପୃଥି ।୧୯୧।
ଇନ୍ଦ୍ର ଗୋବିନ୍ଦ ଧାତା ଯୁଝେଷ୍ଠି ପାଞ୍ଚଭାଇ
ଧାତା ବୋଇଲେ ତୁମ୍ଭେ ୟେଥେ ଲିଙ୍ଗେ ଲିଙ୍ଗେ ଥୋଇ ।୧୯୨।
ତେତିଶ କୋଟି ଦେବତା ପାଣ୍ଡବ ପାଞ୍ଚଭାଇ
ଲିଙ୍ଗ ପୂଜନ୍ତି ଯେ ମନ୍ତ୍ର ପରିଘାଇ ।୧୯୩।
ବାଲୁକା ଲିଙ୍ଗେକ ପୂଜି ଉପରେ ବେଲପତ୍ରି ଢାଳି
ଲିଙ୍ଗେ ବିଦାରି ବିଜେ କଲେ ଦେବଶୂଳୀ ।୧୯୪।
ଇନ୍ଦ୍ରେ ଯାହା ପୂଜିଲେ ଇନ୍ଦ୍ରେଶ୍ୱର ବୋଲି ହୋଉ
ଯମେ ଯାହା ପୂଜିଲେ ଯମେଶ୍ୱର ବୋଲାଉ ।୧୯୫।
ବ୍ରହ୍ମା ଯାହାକୁ ପୂଜିଲେ ବ୍ରହ୍ମେଶ୍ୱର ଜାଣ
ଚନ୍ଦ୍ର ଯାହା ପୂଜିଲେ ଚନ୍ଦ୍ରେଶ୍ୱର ପୁଣ ।୧୯୬।
ବରୁଣ ଯାହା ପୂଜିଲେ ବରୁଣେଶ୍ୱର ନାମ ହୋଇ
କୁବେର ଯାହା ପୂଜିଲେ କୁବରେଶ୍ୱର ନାମ ବହି ।୧୯୭।
ତେତିଶ କୋଟି ଦେବେ ପୂଜିଲେ ତେତିଶ ନାମ ବହି ହୋଇ
ଠିକ ଠିକ ନାମ ମୁଂ ଯେ କହିଲି ବଞ୍ଚାଇ ।୧୯୮।
ପଞ୍ଚୁ ପାଣ୍ଡେବ ଯେ ଲିଙ୍ଗେ ଲିଙ୍ଗେ ପୂଜି
ଧର୍ମେଶ୍ୱର, ଭୀମେଶ୍ୱର, ଅର୍ଜୁନେଶ୍ୱର, ନକୁଳେଶ୍ୱର,
ସହଦେବେଶ୍ୱର ପୃଥୀରେ ଉପୁଜି ।୧୯୯।
କୋଇନ୍ତା ଯାହା ପୂଜିଲେ କୋନ୍ତେଶ୍ୱର ନାମ ହୋଇ
ବ୍ରହ୍ମାୟେ ଆଗ୍ୟାଂ ଦିଲେ କୋଇନ୍ତାଙ୍କର ତନଇ ।୨୦୦।
ବ୍ୟାସେ ବୋଇଲେ ପାତେକ ମୁକତ ୟେ ତୀର୍ଥ
ସ୍ୱର୍ଗୁଂ ପୁଷ୍ପ ବୃଷ୍ଟି କରୁଥିବ ସୁରନାଥ ।୨୦୧।
ନିତି ଇନ୍ଦ୍ର ଦେବତା ୟେଥି ବରଷିବ
ତେବେ ସେ ହରନାଥ ଦେହ ଶୀତଳ ହୋଇବ ।୨୦୨।
ବ୍ରହ୍ମା ଆଗ୍ୟାଂ ଦିଲେ ବ୍ୟାସଙ୍କୁ ଯେ ଚାହିଂ
ପୂଜା ୟେଥିରେ କେ କରୁଥିବ ରହି ।୨୦୩।
ସହଦେବ ବଦନ ଚାହିଂଲେ ବ୍ୟାସ ମହାଋଷି
ଚଉକତି ବୁଲି ବାବୁରେ ଦେଖ ଉପଲେସି ।୨୦୪।
ବ୍ୟାସଙ୍କର ବଚନେ ଚଳଇ ସହଦେବ ମନ୍ତ୍ରୀବର
ଟୁଙ୍ଗା କରବା ଖୋଳନ୍ତେ ଦେଖିଲା ଶବର ।୨୦୫।
ଶବରକୁ ଘେନି ଚଳିଲା ମନ୍ତ୍ରୀ ବେଗେ
ଧାତିକାରେ କଲା ନେଇ ବ୍ୟାସଙ୍କର ଆଗେ ।୨୦୬।
କୃଷ୍ଣ ବୋଇଲେ ଶୁଣ ହୋ ଶବର
ପାଣି ପତ୍ର ନେଇ ପୂଜା କର ହର ।୨୦୭।
ତଟେଣ ମାଛ ବାହଇ କପିଳା
ଗେଣ୍ଡା ମାଂସ ଭକ୍ଷନ୍ତି ଜାତିରେ ତୟେଂଳା ।୨୦୮।
ତାହାକୁ ଘେନି ବୀର ସଭାରେ ପରବେଶ
ଦେଖିଣ ଯୁଝେଷ୍ଠି ଦେବ କଲେ ଉପହାସ ।୨୦୯।
ବ୍ୟାସ ବୋଇଲେ ତୁ ସର୍ବଭୂତେ ନାଥ
ୟେ ଯେବେ ଅନୀତି, ଅଛଇ କେ ନାଥ ।୨୧୦।
ଛପନ କୋଟି ଜୀବ ଜନ୍ତୁ ସଭିୟେଂ ୟେକ ପ୍ରାଣ
ୟେବେ ନାରାୟଣ କେହ୍ନେ କଲୁ ଭିଆଣ ।୨୧୧।
ସହଦେବ ବୋଇଲା ନାଥ ଜନ୍ମରେ ବାଉରୀ
ଗେଣ୍ଡା ଶାମୁକେ ବ୍ରତନ୍ତି ୟେ ଆହାରି ।୨୧୨।
କୃଷ୍ଣ ବୋଇଲା ୟେ ଶବର ଭାବକୁ ବହିଲା
ୟେହାର ଦେହରୁ ପାପ ସକଳ ଧ୍ୱଂସଗଲା ।୨୧୩।
ନର ନାରାୟଣ ମଞ୍ଚେ ଅବତାର
କ୍ଷୟେ ଜୀବ ତ ତୋଷିବ ସବୁ ୟେକକାର ।୨୧୪।
ବ୍ରହ୍ମାୟେ ୟେହାକୁ ଦିଅ ପଇତା
ଯୁଗେ ଯୁଗେ ୟେହାର ପୁରାଣେ ଥାଉ କଥା ।୨୧୫।
ଆପଣେ ବେଦବ୍ୟାସେ କୋଇଲି ସୁତା ଘେନି
ତୟେଂଳା ଗଳାରେ ପକାଇଲେ ମହାମୁନି ।୨୧୬।
ତୀର୍ଥ ଜଳ ପୁଣି ସେ ସିଞ୍ଚିଲେ ମୁନିବର
ଆଜହୁଂ ହୋଇଲୁ ତୁ କାଳିନ୍ଦୀ ବିପ୍ରବର ।୨୧୭।
ବାଉରୀ ଶାସନ ବୋଲି ୟେହାର ନାମ ହୋଉ
ୟେ ଆମ୍ଭର କଥା ଯୁଗେ ଯୁଗେ ଥାଉ ।୨୧୮।
ବାଉରୀ ଆଣି କରି ଯେ ବସାଇଲା ଗ୍ରାମ
ତେଣୁ କରି ହୋଇଲା ବାଉରୀ ଶାସନ ନାମ ।୨୧୯।
ଦେବତାୟେ ଥାଇ ତମ୍ୱା ପଟା ଲେଖନ କରାଇ
ଯେ ୟେହା ହରଇ ୟେ ସେ ଦୋଷଅ ପହରଇ ।୨୨୦।
ଯୁଗେ ଯୁଗେ ହୋଇ ପୁରାଣରେ ଥାଉ କଥା
କଥା ରହିବ ଦୋଷ ହରିବେ ସର୍ବଥା ।୨୨୧।
ୟେସନେକ ତାମ୍ରପଟା ମହାଜନଙ୍କୁ ଦେଇ
ଦେବତା ଗଣମାନେ ଗଲେ ଯେ ଯାହାର ତହିଂ ।୨୨୨।
ରହିଲେ ପାଣ୍ଡବେ ହିରଣକ ବନେ
ଆର ଦିନ ମହୀନ୍ଦ୍ର ପର୍ବତକୁ କରନ୍ତି ଗମନେ ।୨୨୩।
କୋଇନ୍ତା ଆଦି କରି ପଞ୍ଚୁପାଣ୍ଡବେ
ଗୋକର୍ଣ୍ଣଶ୍ୱରକୁ ଦେଖନ୍ତି ଯୁଝେଷ୍ଠି ରାଜଦେବେ ।୨୨୪।
ମଛ କୁଣ୍ଡେ ପଶି ସ୍ନାହାନ ଦେବ କରି
ଦେଖନ୍ତି ସଦାନନ୍ଦ ମାହେନ୍ଦ୍ର ନାମେ ଗିରି ।୨୨୫।
ନିଜ ସ୍ୱରୂପ ଧରିଣ ବିଶ୍ୱନାଥ ତହିଂ ଉଭା
କି ଜାଣ ଦିଶଇ ସେ ଚନ୍ଦ୍ର କିରଣ ଆଭା ।୨୨୬।
ପଞ୍ଚରତ୍ନ ଦେଇ ପୂଜା କଲେ ପାଣ୍ଡୁର ଆତ୍ମଜ
ସ୍ୱର୍ଗେଣ ପୁଷ୍ପବୃଷ୍ଟି କଲେ ଦେବରାଜ ।୨୨୭।
ପୂଜନ୍ତି ୟେକ ମନେ ଦେବ ବିଶ୍ୱବାସୀ
ଯୋଗ ଲୟେ କରି ଦେବ ତୁସ୍ତି ଅଭ୍ୟାସି ।୨୨୮।
ଜୟ ତ୍ରିଅମ୍ୱକ ଆଦି ଶୂଳ ହସ୍ତା
ଜୟ ତୁ ସଦାଶିବ ଅଭୟେ ବରଦାତା ।୨୨୯।
ଜୟ ତୁ ସଦାଶିବ କପିଳ ସ୍ୱର୍ଗବାସୀ
ଜୟ ତୁ ସଦାନନ୍ଦ ତ୍ରିପୁର ଦର୍ପ ଧ୍ୱଂସି ।୨୩୦।
ଜୟ ତୁ ସଦାନନ୍ଦ ମତି ଭୋଳା
ଜୟ ତୁ ସଦାନନ୍ଦ ଆନନ୍ଦ ମତି ମୁକୁଳା ।୨୩୧।
ଜୟ ତୁ ସଦାନନ୍ଦ ଦକ୍ଷର ଯଗ୍ୟଂ ଦର୍ପ ଭାଞ୍ଜୁ
ଜୟ ତୁ ସଦାନନ୍ଦ ଯୋଗୀଜନ ମନ ରଂଜୁ ।୨୩୨।
ଜୟ ତୁ ସଦାନନ୍ଦ କପିଳାସ ବାସୀ
ଜୟ ତୁ ସଦାନନ୍ଦ ଅନ୍ଧକ ଦର୍ପ ଧ୍ୱଂସି ।୨୩୩।
ଜୟ ତୁ ସଦାନନ୍ଦ ଆଦି ନିରଞ୍ଜନ
ଜୟ ତୁ ସଦାନନ୍ଦ ଆଦି ଈଶାନ ।୨୩୪।
ଜୟ ତୁ ସଦାନନ୍ଦ ରାବଣ ବର ଦ୍ୟନ୍ତା
ଜୟ ତୁ ସଦାନନ୍ଦ ପଞ୍ଚମ ବକ୍ତ୍ର ତ୍ରାତା ।୨୩୫।
ଜୟ ତୁ ସଦାନନ୍ଦ ଅନାଦି ପଞ୍ଚମୁଖ
ଜୟ ତୁ ସଦାନନ୍ଦ ଜୟ ଶଶିରେଖ ।୨୩୬।
ଜୟ ତୁ ସଦାନନ୍ଦ ଭଗତ ମଚ୍ଛଳା
ଜୟ ତୁ ସଦାନନ୍ଦ ଭଗତକୁ ଭୋଳା ।୨୩୭।
ଜୟ ତୁ ସଦାନନ୍ଦ ସଞ୍ଚାରଞ୍ଚା
ଜୟ ତୁ ସଦାନନ୍ଦ ଅଭୟେ କାଳ ବଞ୍ଚା ।୨୩୮।
ଜୟ ତୁ ସଦାନନ୍ଦ ପାର୍ବତୀ ପ୍ରାଣନାଥା
ଜୟ ତୁ ସଦାନନ୍ଦ ଶଶି ଗଙ୍ଗା ମଥା ।୨୩୯।
ଜୟ ତୁ ସଦାନନ୍ଦ ସୃଷ୍ଟି ଉଦ୍ଧାରଣ
ଜୟ ତୁ ସଦାନନ୍ଦ ପାପମାନ ଖଣ୍ଡଣ ।୨୪୦।
ଜୟ ତୁ ସଦାନନ୍ଦ ଦେବଙ୍କର ରାଜ
ସର୍ବ ଭୂତ ନାଥ ତୁହି ଅନାଦି ଆତ୍ମଜ ।୨୪୧।
ଜୟ ତୁ ସଦାନନ୍ଦ ରେଖ ଅରେଖ
ଜୟ ତୁ ସଦାନନ୍ଦ କାଳ ଗରଳ ଭକ୍ଷ ।୨୪୨।
ଜୟ ତୁ ସଦାନନ୍ଦ କରୁଣା କର ଇଚ୍ଛା
ଜୟ ତୁ ସଦାନନ୍ଦ ଜଗତ ଜନ ମୋଚ୍ଛା ।୨୪୩।
ଜୟ ତୁ ସଦାନନ୍ଦ ଅନାଦି ବିଶ୍ୱ ବାସୀ
ଜୟ ତୁ ସଦାନନ୍ଦ ଅଭୟେ ବ୍ରହ୍ମରାଶି ।୨୪୪।
ଜୟ ତୁ ସଦାନନ୍ଦ କାଳ ଗରଳ ଭକ୍ଷନ୍ତା
ଜୟ ତୁ ସଦାନନ୍ଦ ସଂସାର ଜୀବଦାତା ।୨୪୫।
ଜୟ ତୁ ସଦାନନ୍ଦ ଲୋହିତ ପିଙ୍ଗଳ ଦେବ
ଜୟ ତୁ ସଦାନନ୍ଦ ଲାଙ୍ଗଟ ନାମ ବହିବ ।୨୪୬।
ଜୟ ତୁ ସଦାନନ୍ଦ ସମ ସୁଖ ଦୁଖ
ଜୟ ତୁ ସଦାନନ୍ଦ ଉଦ୍ଧାରଣ ମମ ଦୁଖ ।୨୪୭।
ଜୟ ତୁ ସଦାନନ୍ଦ ଭଗତ ଅନୁମତେ
ଜୟ ତୁ ସଦାନନ୍ଦ ତୁ ଦୁଦୁରା ଘେନୁ ଚିତ୍ତେ ।୨୪୮।
ଜୟ ତୁ ସଦାନନ୍ଦ ଅନାଦି ଶୂଳପାଣି
ଜୟ ତୁ ସଦାନନ୍ଦ ଅଭୟେ ବ୍ରହ୍ମଗ୍ୟାନୀ ।୨୪୯।
ଜୟ ଜୟ ମହାଦେବ ଉମା ପ୍ରାଣନାଥ
ଶୂଦ୍ରମୁନି ସାରୋଳା ଦାସ ତବ ଭକ୍ତ ।୨୫୦।
ୟେମନ୍ତେ ଅନେକ ତୁସ୍ତି କଲେକ ଯୁଝେଷ୍ଠି
ନିଜ ରୂପ ଧରି ଉଭା ପ୍ରସନ୍ନ ଧୂର୍ଜଟି ।୨୫୧।
ଯୁଝେଷ୍ଠି ଦେବ ଶତବାର ଯେ ପ୍ରଣମି
ତୋର ପ୍ରସନ୍ନ ମୁକତି ହେଲି ଦେବ ସ୍ୱାମୀ ।୨୫୨।
ହର ବୋଇଲେ ସମସ୍ତ ଜନ୍ମ ପାତକ ତୋର କ୍ଷୟେ ଯାଉ
ସମସ୍ତ ଅରିଷ୍ଟି ଖଣ୍ଡ ରାଜ୍ୟ ପ୍ରାପତ ହୋଉ ।୨୫୩।
ବର ଦେଇ ଅନ୍ତରୀକ୍ଷେ ଗମିଲେ ତ୍ରିପୁରାନ୍ତ
ରହିଲେ ମହୀନ୍ଦ୍ରଗିରି ଶିଖେ ପଣ୍ଡୁଙ୍କର ସୁତ ।୨୫୪।