ଆଦିପର୍ବର ଅତିରିକ୍ତ ପାଠ — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଅନେକ ଦେଶୁଂ ମିଳିଲେ ଆସି ଦଣ୍ଡଧର ।୨୨।
ଦେଖନ୍ତି ସେ ପୁର ଗୋଟି ଦିଶେ ଅତି ଶୋଭା
କି ଜାଣି ସେ ପୁର ଚନ୍ଦ୍ର କିରଣର ଆଭା ।୨୩।
ଶ୍ରୀରାମ ପ୍ରବେଶ ହେବା ବିଦେହ ଶୁଣିଲେ
ପଟହ ଧ୍ୱନି ଉତ୍ସବେ ପୁର ମଣ୍ଡାଇଲେ ।୨୪।
ବାଟକୁ ଅଇଲେ ନେବା ପାଇଂ ମୁନିବରେ
ରାମ ଲକ୍ଷ୍ମଣ ପ୍ରବେଶ ଉତ୍ସବ ନବରେ ।୨୫।
ରାମଙ୍କୁ ଦେଖି ସନ୍ତୋଷ ସର୍ବ ତପୋଧନ
ପ୍ରତ୍ୟକ୍ଷେ ବିଷ୍ଣୁ କରିବେ ଦାନବ ନିଧନ ।୨୬।
ୟେହି ଶ୍ରୀରାମ ମାନବ ରୂପେ ଅବତାର
ୟେହି ଉଶ୍ୱାସ କରିବେ ସିନା ମହୀଭାର ।୨୭।
ମୁନିଙ୍କୁ ଦେଖିଣ ରାମ ପ୍ରଣିପାତ କଲେ
ଅକଳିତ ବଳ ଧନୁ ନେଇ ଦେଖାଇଲେ ।୨୮।
ଶ୍ରୀଭୁଜେ ସେ ଧନୁ କଲେ ରାମ ଆମଞ୍ଚନ
ବେନି ଖଣ୍ଡ ହୋଇ ଧନୁ ଗୋଟି ହେଲା ଭଗ୍ନ ।୨୯।
ଶବଦରେ କମ୍ପିଲାକ ସପତ ବ୍ରହ୍ମାଣ୍ଡ
ଦଲ ଦଲ ହୋଇଲା ସେ ପୃଥ୍ୱୀ ନବ ଖଣ୍ଡ ।୩୦।
ଧନୁ ଭଗ୍ନ ହେବା ଦେଖି ଜନକ କୁମାରୀ
ରାମ କଣ୍ଠେ ଲମ୍ବାଇଲେ ନେଇ ପୁଷ୍ୟ ମାଳୀ ।୩୧।
ଜନକ ବୋଇଲେ ଦେବି ତୋତେ ମୋ କୁମାରୀ
ବ୍ରତ ମୋହର ପୂରିଲା ହୋ କୋଦଣ୍ଡଧାରୀ ।୩୨।
ଣୁଣିଣ ସମସ୍ୟା ଦିଲେ ରାମ ଚାପଧାରୀ
ଅଯୋଧ୍ୟାକୁ ଦୂତ ପଠିଆଅ ବେଗ କରି ।୩୩।
ମକର କୃଷ୍ଣ ଉତ୍ତମ ଦିନ ଦେଖି ତହିଂ
ଅଇଲେକ ପିତା ଦଶରଥ ଥାଠ ବାହି ।୩୪।
ବିଦେହ ମଣ୍ଡଳେ ଯାଇ ତୁରିତେ ମିଳନ୍ତି
ବିବାହ ବିଧି ସ୍ୱୀକାର ବରଣ କରନ୍ତି ।୩୫।
ଛାୟା ମଣ୍ଡପ ବେଦୀରେ ବସି ମୁନିଗଣ
ସତ୍ୟ ବାକ୍ୟ ଉଚ୍ଚାରିଣ କରନ୍ତି ବରଣ ।୩୬।
ଶ୍ରୀରାମଚନ୍ଦ୍ରଙ୍କୁ କଲେ ସୀତାଙ୍କୁ ପ୍ରଦାନ
ଭରତକୁ ମାଣ୍ଡବୀ ଯେ ଜନକ ରାଜନ ।୩୭।
ଲକ୍ଷ୍ମଣେ ଉର୍ମିଳା ଶତ୍ରୁଘନେ ଶ୍ରୁତକୀର୍ତ୍ତି
ଚାରି ପୁତ୍ରେ ଚାରି କନ୍ୟା ଦିଲେ ମନେ ଚିନ୍ତି ।୩୮।
ବିଭା ହୋଇ ରାମଚନ୍ଦ୍ର ଅଯୋଧ୍ୟା ଆସନ୍ତେ
ଓଗାଳିଲେ ତାଙ୍କୁ ଯମଦଗ୍ନି ସୁତ ପଥେ ।୩୯।
ପରଶୁରାମର ଦର୍ପ ମର୍ଦ୍ଦି ରଘୁବୀର
ପ୍ରବେଶିଲେ ଦାଶରଥି ଅଯୋଧ୍ୟା ନଗର ।୪୦।
ମୁନି ଯଗ୍ୟଂରେ ଦତ୍ୟଙ୍କୁ ରାମଚନ୍ଦ୍ର ମାରି
ନିଶ୍ଚିନ୍ତେ ଅଯୋଧ୍ୟା ପୁରେ ଥିଲେ ଚାପଧାରୀ ।୪୧।
ଶ୍ରୀରାମ ଶଉର୍ଯ୍ୟ ବଳ ଦେଖି ଅଜ ସୁତ
ମନେ ମନେ ଭାଳନ୍ତି ଯେ ରାଜା ଦଶରଥ ।୪୨।
ପୁତ୍ର ଶ୍ରୀରାମ ମୋହୋର ଜଗତେ ବିଖ୍ୟାତ
ତାହାକୁ ରାଜ୍ୟେ ଦେଇଣ ହେବି ସ୍ୱର୍ଗ ପ୍ରାପ୍ତ ।୪୩।
ବଶିଷ୍ଠଙ୍କୁ ଘେନି ବସି ଭାଳେ ନୃପବର
କରିବି ରାମେ ଅଯୋଧ୍ୟା ରାଜ୍ୟେ ଦଣ୍ଡଧର ।୪୪।
ମକର ଶୁକ୍ଳ ଦଶମୀ ତିଥି ଗୁରୁବାରେ
ରୋହିଣୀ ନକ୍ଷତ୍ର ଭୋଗ ଅଟେ ସେ ଦିନରେ ।୪୫।
ଶୁକ୍ଳ ନାମେ ଯୋଗ ବବ ନାମରେ କରଣ
ନରପତି ହେବାର ଯେ ଅଟେ ଶୁଭ ଦିନ ।୪୬।
ଶ୍ରୀରାମଙ୍କ ଅଭିଷେକ ଶୁଣିଣ ମନ୍ଥରୀ
କୈକେୟୀ ଆଗେ କହଇ ତାର ହିତ କରି ।୪୭।
ଆଗୋ ରୟଣୀ ପ୍ରଭାତେ ରାମ ହେବ ରାଜା
ତୋହୋର ପୁତ୍ର କରିବ ତାର ପାଦ ପୂଜା ।୪୮।
ଅନେକ ପ୍ରକାରେ ତାକୁ କହିଲା ମଣାଇ
ଶୁଣିଣ କୈକେୟୀ ରାଣୀ ରାଜାକୁ କହଇ ।୪୯।
ପୂର୍ବ ବର ଦେବା ସତ୍ୟେ ସତ୍ୟ କରି ରାୟ
ଶ୍ରୀରାମକୁ ବନ, ରାଜ୍ୟ ଭରତକୁ ଦିଅ ।୫୦।
ଶ୍ରୀରାମ ଲକ୍ଷ୍ମଣ ତହୁଂ ଗଲେ ବନବାସେ
ସଙ୍ଗତେ ଜାନକୀ ଶୋଭା ପାନ୍ତି ତାଙ୍କ ପାଶେ ।୫୧।
ହରଷ ହୋଇଣ ତିନି ଜଣ ଚଳିଗଲେ
ରାମ ନଦେଖିଣ ରାଜା ମରଣ ଲଭିଲେ ।୫୨।
ମୃତ ଶବକୁ ସଂସ୍କାରି ଭରତ ଶତ୍ରୁଘ୍ନ
ବଶିଷ୍ଠ ମୁନି ସହିତେ ଗଲେ ଘୋର ବନ ।୫୩।
ରାମଙ୍କୁ କହିଲେ ଯାଇଂ ଶତ୍ରୁଘ୍ନ ଭରତ
ଚାଲନ୍ତୁ ଅଯୋଧ୍ୟା ପୁରେ ହେବ ନରନାଥ ।୫୪।
ଯେତେ କହିଲେ ଶ୍ରୀରାମ ନଆସିଲେ ଫେରି
ବାହୁଡ଼ି ଅଇଲେ ଦୁହେଂ ଅଯୋଧ୍ୟା ନଗରୀ ।୫୫।
ତହୁଂ ଗମନ୍ତି ବିପିନ ମଧ୍ୟେ ଦାଶରଥୀ
ରହିଲେକ ପଞ୍ଚବଟୀ ବନେ ସୀତାପତି ।୫୬।
ପୂର୍ବୁଂ ସୂର୍ପଣଖା ତହିଂ ବାସ କରିଥିଲା
ୟେହି ସମୟେ ଆସିଣ ଉପସ୍ଥିତ ହେଲା ।୫୭।
ହାବ ଭାବ ଦେଖାଇ ସେରାମଙ୍କ ଅଗ୍ରତେ
ବୋଲଇ ବିଳାସ ତୁମ୍ଭେ ମୋହୋର ସଙ୍ଗତେ ।୫୮।
ତଦନ୍ତେ ରାମ ବୋଇଲେ ଲକ୍ଷ୍ମଣଙ୍କୁ ଡାକି
ଯଥୋଚିତ ଦଣ୍ଡ ୟେବେ ଦିଅ ୟେ ମୂଢୀକି ।୫୯।
ତହୁଂ ସେ ତାହାର ନାକ କାନ ଦିଲେ ଛେଦି
ଡରେ ଅସୁରୀ ପଳାଇଗଲା କାନ୍ଦି କାନ୍ଦି ।୬୦।
ରାବଣେଶ୍ୱ ରଅଗ୍ରତେ କହିଲା ସମସ୍ତ
ଯତି ବେନି ଭାଇ କଲେ ୟେସନକ କୃତ୍ୟ ।୬୧।
ଖର ଦୂଷଣ ତ୍ରିଶିରା ମୂଳେ ସେନାପତି
ସେ ବେନି ତପସ୍ୱୀ କଲେ ସର୍ବ ବିନଶ୍ୟତି ।୬୨।
ଶୁଣିଣ ରାବଣେଶ୍ୱର କୋପେଣ ପ୍ରଚଣ୍ଡ
ଆଜି କାଟିବଇଂ ବେନି ଯତିଙ୍କର ମୁଣ୍ଡ ।୬୩।
ପୁଷ୍ୟକ ରଥ ଆରୋହି ଚଳେ ଦଶାନନ
ଶ୍ରୀରାମର ତେଜ ଦେଖି ବିଷର୍ଣ୍ଣ ବଦନ ।୬୪।
ୟେହି ତ ଅଟଇ ସ୍ୱୟଂ ବିଷ୍ଣୁ ଅବତାର
ୟେହା ହାତେ ନାଶ ଯିବ ସକଳ ଅସୁର ।୬୫।
ମୋହୋର ମରଣ ଜାଣ ହୋଇବ ନିକଟେ
ୟେ ଯେ ଜନକ ଦୁହିତା ସ୍ୱୟଂ ଲକ୍ଷ୍ମୀ ଅଟେ ।୬୬।
ମାୟା ମୃଗେକ ତକ୍ଷଣେ ଭିଆଇଲା ତହିଂ
ଆପେ କପଟେ ତପସ୍ୱୀ ରୂପେ ଗୋଟି ବହି ।୬୭।
କନକ କୁରଙ୍ଗୀ ଦେଖି ଲୋଭେ ମହାସତୀ
ଶ୍ରଦ୍ଧା କରି ଶ୍ରୀରାମଙ୍କୁ ଯାଇଣ ମାଗନ୍ତି ।୬୮।
ମୃଗ ମାରିବାକୁ ରାମଚନ୍ଦ୍ର ତହୁଂ ଗଲେ
ଲକ୍ଷ୍ମଣଙ୍କୁ ସେ ମଢିଆ ଗୋଟି ଜଗାଇଲେ ।୬୯।
ନାରାଜ ପୂରୋଇ ଧାଇଂଯାନ୍ତି ରଘୁବୀର
ଅନ୍ତରୀଛ ମାର୍ଗେ ମୃଗ ଯାୟେ ଖରତର ।୭୦।
ପଡ଼ନ୍ତେ ଯାଇ ତା ଅଙ୍ଗେ ଶ୍ରୀରାମଙ୍କ ବାଣ
ରାବେକ ଦିଲା ଶରଣ ରଖ ହୋ ଲକ୍ଷ୍ମଣ ।୭୧।
ରଖ ହୋ ଲକ୍ଷ୍ମଣ ବୋଲି ଶୁଭେ ଯେଣୁ ବାଣୀ
ଶୁଣିଣ ବିଷାଦ ପାଇ ଜନକ ଦୁଲଣୀ ।୭୨।
ବିସ୍ମୟ ଚିତ୍ତରେ ଦେବୀ ଲକ୍ଷ୍ମଣେ ନିରୀକ୍ଷି
ବୋଲନ୍ତି ଯେ ଗଦ ଗଦ ବାଣୀ ଚନ୍ଦ୍ରମୁଖୀ ।୭୩।
ନିଚୟେ ପଡିଲା ସ୍ୱାମୀଙ୍କୁ ବନେ ଅପଚୟ
ତ୍ରାହି ଶବଦ ଶୁଭଇ ତେଣୁ ମନେ ଭୟ ।୭୪।
ସୀତାଙ୍କ ବଚନେ ବୀର ଲକ୍ଷ୍ମଣ ଯେ ଗଲା
ତପସ୍ୱୀ ରୂପେ ରାବଣ ସୀତା ହରିନେଲା ।୭୫।
ଅଶୋକ ବନେ ଥୋଇଲା ଲଙ୍କାଗଡ଼ ନେଇ
ଅଇଲେ ସେ ମୃଗ ଭାର ଘେନି ବେନି ଭାଇ ।୭୬।
ସୀତା ନ ଦେଖି ବ୍ୟାକୁଳ ହେଲା ପଞ୍ଚମାନ
ଖୋଜିଲେ ରାମ ଲକ୍ଷ୍ମଣ ଗହନ ବିପିନ ।୭୭।
ଭ୍ରମି ଭ୍ରମି କିସ୍କିନ୍ଧ୍ୟାରେ ପ୍ରବେଶ ହୋଇଲେ
ସୁଗ୍ରୀବର ସଙ୍ଗେ ତହିଂ ମଇତ୍ର ବସିଲେ ।୭୮।
ଭେଟିଲେ ବୀର ହନୁକୁ ଦାଶରଥି ତହିଂ
ବଜ୍ର କୌପୀନ ଅମୃତ କୁଣ୍ଡଳ ଅଛଇ ।୭୯।
ରାମ ଅବତାରେ ହନୁମନ୍ତ ନିଜ ଭୃତ୍ୟ
ସୁଗ୍ରୀବର ହିତେ କଲେ ବାଳିକି ନିପାତ ।୮୦।
ସୀତା ଖୋଜିବାକୁ ରାମ ହନୁକୁ ପେଷିଲେ
ଚାରି ଯୂଥପତି ଚାରି ଦିଗକୁ ଲୋଡ଼ିଲେ ।୮୧।
ଯମଦଗ୍ନି ପର୍ବତରେ ଉଠେ ହନୁମନ୍ତ
ଉଠନ୍ତେ ପର୍ବତେ ଗୋଟି ହେଲା ରାସାଂଗତ ।୮୨।
ତହୁଂ ବିକ୍ରମିଣ ହନୁ ୟେ ମହିନ୍ଦ ଉଠି
ଲଙ୍କାଗଡ଼କୁ ପବନସୁତ ଦିଲା ଦୃଷ୍ଟି ।୮୩।
ବିକ୍ରମିଣ ତହୁଂ ଗଲା ଅଞ୍ଜନାର ସୁତ
ପାଦଭରେ ବୋଇଲେ ୟେ ଗିରି ରାସାଂଗତ ।୮୪।
ଶୁଣ ସାବଧାନେ କୁନ୍ତଭୋଜର ଦୁହିତେ
ୟେହି ବିବର ହୋଇଲା ହନୁପାଦ ଘାତେ ।୮୫।
ମହୀନ୍ଦ୍ର ଗିରି ୟେହାର ନାମ ଆଗୋ ମାତ
ଅମୋକ୍ଷ ଜନ ୟେଠାରେ ହୁଅନ୍ତି ମୁକତ ।୮୬।
ପାପନାଶିନୀରେ ସ୍ନାନ କଲେ ଶୁଦ୍ଧକାୟ
ନପାରଇ ପାପୀ ଜନେ ନେଇ ଯମ ରାୟ ।୮୭।
ଶତ ଶତ ଜନ୍ମର ଗୋ ପାପ ଯାଇ କ୍ଷୟ
ମୁକତି ଗତି ଦିଅନ୍ତି ପ୍ରଭୁ ଦେବ ରାୟ ।୮୮।
ଶୁଣିଲଟି ସାବଧାନେ ପଚାରିଲ ଯାହା
ରାମାବତାରେ ହନୁର ପାଦେ ହେଲା ୟେହା ।୮୯।
ୟେ ମହାଭାରତ ଜନେ ଶୁଣ ମନ ଦେଇ
ଶ୍ରୀହରି ସାରୋଳାଦାସ ଯେ ଲେଖଇ ।୯୦।
ଅତିରିକ୍ତ
ପଞ୍ଚପାଣ୍ଡବଙ୍କର କ୍ଷୀର ପାନ
ଅଗସ୍ତି ମୁନି କହନ୍ତି ପଞ୍ଚ ଯେ ପାଣ୍ଡବେ ।୧।
ବନେ ଭ୍ରମନ୍ତେ ଦେଖିଲେ ଶମ୍ଭୁଙ୍କୁ ସେ ଠାବେ ।୨।
ମୁନିଙ୍କୁ ଆଶ୍ରମେ ଦେଖି କଲେ ନମସ୍କାର
ସେ ବୋଇଲେ ତୁମ୍ଭେ ପରା ପଣ୍ଡୁଙ୍କ କୁମର ।୩।
ଜତୁ ଘର ପାର ହେଲ କେହ୍ନେ ପାଞ୍ଚଜଣ
ଦ୍ରିଯୋଧନ ରାଜା ରାଗ କରିଥିଲା ପୁଣ ।୪।
ବଦନ୍ତି ଯୁଝେଷ୍ଠି ଦେବ ଶୁଣ ମୁନିବର
ଦ୍ରିଯୋଧନ କପଟେ ବହୁ ସୁଖ ମୋର ।୫।
ତାର ପୁଣ୍ୟରୁ ଦେଖିଲି ସିନା ବନ ଘୋର
ଅନେକ ତୀର୍ଥେ ବୁଡ଼ିଲା ୟେ ମୋହୋର ଶିର ।୬।
ତା ଯୋଗୁଂ ପାଇଲି ସିନା ତୁମ୍ଭର ଦର୍ଶନ
ତୁମ୍ଭନ୍ତ ଦେଖିଣ ହେଲା ପାତକ ଦହନ ।୭।
ଆଗ୍ୟାଂ ମାଗନ୍ତି ତାହାଙ୍କୁ ସେ ଚାରି କୁମର
ବନେ ଅଛନ୍ତି ଦୁହିତା କୁନ୍ତଭୋଜଙ୍କର ।୮।
ମୁନି ବୋଇଲେ ହେ ରାଜା କ୍ଷୀର ଖାଇ ଯାଅ
ଅଡ଼ାଇ ଆଣିଲେ ଗାଈ ତିଳୋତ୍ତମା ଝିଅ ।୯।
ବାଛୁରୀ ଫିଟାଇ ଦେଇ ବସି ତପଚାରୀ
ଦୁଇ ଭାଇ ଦୁହିଂଲେ ସେ ବ୍ୟଗ୍ର ବ୍ୟଗ୍ର କରି ।୧୦।
ପଚାରନ୍ତି ଯୁଝେଷ୍ଠିର ଶୁଣ ତପଚାରୀ
ୟେ ଗାଈ ସନ୍ଦେଶ ମୋତେ କହିବା ବିସ୍ତାରି ।୧୧।
ବଦନ୍ତି ଯତି କପିଳା ଝିଅ ଯେ ସୁରଭୀ
ସୁରଭୀର ନନ୍ଦିନୀ ଯେ ଅଟଇ ଜାହ୍ନବୀ ।୧୨।
ଜାହ୍ନବୀର ନନ୍ଦିନୀ ଯେ ଅଟଇ ବଉଳା
ବଉଳାର ନନ୍ଦିନୀ ଯେ ଅଟଇ ଚଞ୍ଚଳା ।୧୩।
ବଉଳା ଯେ ଯାଇ କୁଶଦ୍ୱୀପକୁ ଚରିଣ
ୟେପାରିରେ ଥାଇ ତାର ଦୁହିତା ଯେ ପୁଣ ।୧୪।
ପ୍ରତିଦିନ ଗାଈ ଗୋଟି ଯାଇଣ ଆସଇ
ୟେପାରିରେ ଝିଅକୁ ସେ କ୍ଷୀର ପାନଦେଇ ।୧୫।
ୟେକ ଦିନକରେ ବଡ଼ ଉଛୁର ହୋଇଲା
ଚିର ଟାଣିବାରୁ ତଦୁତ୍ତାରେ ସେ ଅଇଲା ।୧୬।
ବୋଇଲା ଦୁହିତା ତାର ଶୁଣସି ଗୋ ମାତ
ଆଜି କ୍ଷୀର ସ୍ୱାଦୁ ମୋତେ ଲାଗେ ଅପ୍ରମିତ ।୧୭।
ସେ ବୋଲେ ସ୍ତନରେ ଲୁଣ ପାଣି ଲାଗିଥିଲା
ତେଣୁ କରି ବଡ ସ୍ୱାଦୁ ତୁଣ୍ଡକୁ ଲାଗିଲା ।୧୮।
ବୋଲଇ ବାଛୁରୀ ମାତ ନିଅ ମୋତେ ସାଙ୍ଗ
ଦେଖିବି ସାଗର ପାଣି କେମନ୍ତେ ସଂଯୋଗ ।୧୯।
ଆରଦିନ ସେ ଝିଅକୁ ସଙ୍ଗରେ ଘେନିଲା
କୂଳେ ରଖି ସେ ପାରିକୁ ପୁଣି ଚଳିଗଲା ।୨୦।
ମାତାର ଯାଆନ୍ତେ କ୍ଷୁଧା ଯହୁଂ କଟାଳିଲା
ଲୋଭେଣ ବାଛୁରୀ ପାଣିଯାକ ପିଇଦିଲା ।୨୧।
ସମୁଦ୍ରରେ ପାଣି ନାହିଂ ପଡିଲା ଶୁଖିଲା
ଅନେକ ଜୀବଜନ୍ତୁଙ୍କ ପ୍ରାଣନାଶ ହେଲା ।୨୨।
ବିଧାତାଙ୍କୁ ଜଣାଇଲେ ତହୁଂ ଦେବଗଣ
ମତ୍ସ୍ୟ କଚ୍ଛପ ବିନାଶ ହେଲେ ପଦ୍ମାସନ ।୨୩।
ବ୍ରହ୍ମା ତହୁଂ କହିଲେକ ଯାଇ ଗୋମାତାଙ୍କୁ
ତୋର ଝିଅ ପିଇଦିଲା ସମୁଦ୍ର ପାଣିକୁ ।୨୪।
ବ୍ରହ୍ମା ବଚନେ ସୁରଭୀ ଚିତ୍ତ ହେଲା ଦ୍ରବ
କ୍ଷୀର ପ୍ରସରୁ ପୂରିଲା ସମୁଦ୍ରର ଗର୍ଭ ।୨୫।
ସତ୍ୟ ଯୁଗେ ହରି କ୍ଷୀର ସମୁଦ୍ର ମନ୍ଥିଲେ
ଅନେକ ଦ୍ରବ୍ୟ ପାଇଣ ବାଣ୍ଟି ଘେନିଗଲେ ।୨୬।
ସେହି ଅଂଶରେ ନାତୁଣୀ ଅଟେ ତିଳୋତ୍ତମା
ୟେହାର ବହିଣୀ ନାମ ଅଟଇ ପୃଥୁନା ।୨୭।
ଶୁଣିଣ ଯୁଝେଷ୍ଠି ଦେବ ହରଷ ହୋଇଲେ
ସ୍ନାନ ତର୍ପଣ ସାରିଣ କ୍ଷୀର ପାନ କଲେ ।୨୮।
ବୋଇଲେ ଯେ ଭୀମସେନ ଶୁଣ ମୁନିବର
ରାଜ୍ୟ ଗଲା ଦିନୁ ନାହିଂ ସମ୍ପୂର୍ଣ୍ଣ ଆହାର ।୨୯।
ୟେହା ଶୁଣି ମୁନି କାମଧେନୁକୁ ଯେ ରାଇ
ପୁଣି ତିନି ଭାର ଦୁହିଂ ଦିଲେ ତପୀ ସାଇଂ ।୩୦।
ଚାରି ଜଣ ବସି ସୁଖେ କ୍ଷୀର ପାନ କର
ଭୀମସେନ ଯେ ବିଚାର କରଇ ମନର ।୩୧।
ତିନି ଜଣ ଖାଇଲେଣି କ୍ଷୀର ୟେହି ମତି
ତିନି ଭାର ଖାଇଲେ ମୁଂ ହୋଇବି ତୃପତି ।୩୨।
ଯୁଝେଷ୍ଠି ବୋଇଲେ ଯେବେ ହୋଇବି ରାଜନ
କନକମୟ ପାତ୍ରରେ ଧୋଇବି ଚରଣ ।୩୩।
ସମ୍ପୂର୍ଣ୍ଣ ଆହାର ରାଜ୍ୟ ଗଲା ଦିନୁ ନାହିଂ
ତୁମ୍ଭେ ଥୋକାୟେ ଦେଇଣ ଶାନ୍ତିକି କରାଇ ।୩୪।
ମୁନିଙ୍କୁ ଆଗ୍ୟାଂ ମାଗିଣ ଅଇଲେ ଯୁଝେଷ୍ଠି
ଫଳଭାର କାନ୍ଧେ ଘେନି ଅଛଇ କିରୀଟୀ ।୩୫।
ତତକ୍ଷଣେ ମାତାଙ୍କୁ କଲେ ନମସ୍କାର ସେହି
ୟେତେ ବିଳମ୍ବ କିମ୍ପାଇଂ କଲ ବନେ ଯାଇ ।୩୬।
ବହୁତ ଦୂର ପଥ ଗୋ ଯାଇ ଥିଲୁ ମାତ
ଫଳ କିଛି ନପାଇଲୁ ୟେହି ଯେ ବନସ୍ତ ।୩୭।
ପତ୍ରକୁଟୀର ଆଶ୍ରମ ଭିଆଇ ସେ ବନେ
ଭ୍ରମନ୍ତି ଯେ କୁତୂହୋଳେ ପଣ୍ଡୁର ନନ୍ଦନେ ।୩୮।
ଶ୍ରୀହରିଚରଣ ବନ୍ଦି ଶ୍ରୀସାରୋଳା ଦାସ
ଲେଖଇ ମହାଭାରତ ସାଗର ସଦୃଶ ।୩୯।
ଆଦିପର୍ବ ଦ୍ୱିତୀୟ ଖଣ୍ଡ ସମାପ୍ତ
ଆଦିପର୍ବର ପରିଶିଷ୍ଟ
ସାରଳା ଦେବୀଙ୍କ ବନ୍ଦନା
ଆଦିପର୍ବ ୪ର୍ଥ ପୃଷ୍ଠାର ୧୧।୨ ପାଠ ପରେ ‘ଦ’ ପୋଥିରେ ଅଧିକା ପାଠ-
ସଂସାରେ ଯେତେକ ଦେବା ଦେବୀ ଛନ୍ତି ରହି
ମଉନେ ବସିଥାନ୍ତି ସମାସ୍ୟା ନ ଦେଇ ।୧।
ଶ୍ରୀସାରୋଳା ଚଣ୍ଡୀ ମହିଂମା ଅଗୋଚର
ଫୁଫୁକାର ଧୁନି ଶବଦ ଅଗୋଚର ନିରନ୍ତର ।୨।
ଅଭାବେ ଯେଉଂ ଜନ ଯାନ୍ତି ତାର ପାଶେ
ସେ ଦେବୀର ନିଶ୍ୱାସେ ସେ ଯାନ୍ତି ପ୍ରାଣନାଶେ ।୩।
ଭଗତି ଭାବରେ ଯେ ଚରଣେ ଖଟଇ
ଚଉବର୍ଗ ସିଦ୍ଧି ସେ ତାହାକୁ ଦିଅଇ ।୪।
ରଣେ ବଣେ କାର୍ଯ୍ୟେ ଅକାର୍ଯ୍ୟେ ଯେ ସୁମରଇ ତାର ନାମ
ସେଠାରେ ଗୋସାମଣୀ ହୁଅନ୍ତି ପ୍ରସନ୍ନ ।୫।
ସେ ନଗ୍ରେ ଦେବୀ ବିଜୟେ କରିଛନ୍ତି
ଧନଧାନ୍ୟ ବିପୁଳ ତାଂକୁ ଦେଇଛନ୍ତି ।୬।
ଦୁଖୀ ହୋଇ ଜଣେହେଂ କେହିଂ ତହିଂ ନାହିଂ
ପ୍ରବାସୀ ଜନେ କେହି ଉପବାସେ ନ ଶୁଅଇ ।୭।
ସଂଖୋଳି ଲୋଡ଼ି ତାହାନ୍ତ ଅନ୍ନ ଯେ ଦିଅନ୍ତି
ଉଦୟରୁ ଅସ୍ତଯାୟେ ଦେବୀ ତିନି ମୂରତି ଧରନ୍ତି ।୮।
ପ୍ରଭାତ କାଳେ ବାଳକ ରୂପେ ବାଳକ ସଙ୍ଗେ ଖେଳୁଥାଇ
ନାନା ରଙ୍ଗେ ବାଳକଂକ ମନ ସେ ତୋଷଇ ।୯।
ୟେ ରୂପେ ପ୍ରହରେକ ଖେଳଇ ବାଳକ ରୂପେତ
ତହୁଂଣ ଦେବୀ ବାହାର ହୁଅଇ ତୁରିତ ।୧୦।
ବାଳକ ରୂପ ଛାଡ଼ି ହୁଅଇ ଯୁବାନାରୀ
ଯୁବାସ୍ତିରୀମାନଂକ ସଂଗତେ ହୁଅଇ ସେ ମେଳି ।୧୧।
ସଖୀ ସଂଘାତୁଣୀ ଦାସୀ ରୂପ ସେ ଧରଇ
ସବୁଂକରି ମନ ସେହୁ ମୋହିତ କରଇ ।୧୨।
ୟେମନ୍ତେ ପ୍ରହରେକ ହୁଅଇ ମେଳ ମତି
ସେ ନଗ୍ର ସ୍ତିରୀ ନଜାଣନ୍ତି ୟେହାର ଭାବ ଭକ୍ତି ।୧୩।
ଆପଣେ ମହାମାୟୀ ୟେ ରୂପେ ଖେଳଇ
ଯୁବାସ୍ତିରୀମାନଂକର ମନ ଯେ ହରଇ ।୧୪।
ଯୁବା ରୂପ ଛାଡ଼ି ଦେବୀ ହୁଅଇ ବାହାର
ପ୍ରାଚୀ ନଦୀରେ ଦେବୀ ସ୍ନାନ ସାରି ନିତ୍ୟେ ଯେ ବେହାର ।୧୫।
ବେଶ ବେଶନ ଯେ ଅଲେଖ ତିଳକ
ଷଡ଼ରସ ବ୍ୟଞ୍ଜନ ଯେ ଭୋଜନ କରଇ ହାକ ।୧୬।
ପାଟେ ପିନ୍ଧି ପାଟେକ ଉପରାଣ କରଇ
ନାନା ଅଳଂକାର ଦେବୀ ଆଭରଣ ହୁଅଇ ।୧୭।
ଶିରରେ ସୀମନ୍ଥିନୀ ଗଳାରେ ମୋତି ମାଳି
କର୍ଣ୍ଣରେ ସୁବର୍ଣ୍ଣ କାପ ଆବର କଢି ଯୋଡ଼ି ।୧୮।
ହାଥରେ ତାଡ଼ ଯେ ପୟରେ ନେପୁର
ବିଦ ମୁଦି କଂକଣ ରସାଣ ସୁନ୍ଦର ।୧୯।
ଶତେ ସରି ସୁବର୍ଣ୍ଣ କଣ୍ଠରେଣ ଲାଇ
ଦିବ୍ୟ ଶଙ୍ଖା ବାହି ଯେ ହାଥକୁ ଶୋଭା ପାଇ ।୨୦।
ଅଷ୍ଟଭୁଜ ତାଂକୁ ଦିଶଇ ଶୋଭାବନ
କାତି ଖପର ଯେ ଘେନିଣ ହାଥରେଣ ।୨୧।
ସିଂଘ ପିଠିରେ ମହାମାୟୀ କରଇ ବିଜୟେ
ଡାକେଣୀ ପିଚାଶୁଣୀ ଖଟନ୍ତି ତାର ପାୟେ ।୨୨।
ତରୁଣୀ ରୁପ ଧରି ଦେବୀ ହୁଅଇ ବାହାର
ବ୍ରହ୍ମାଣ୍ଡରେ କାୟା ଯେ ପୂରଇ ତାହାର ।୨୩।
ଉଦ୍ଦାନ ଦୁଇ ପ୍ରହରେ ଦେବୀ କରଇ ଭ୍ରମଣୀ
କ୍ଷଣକେ ବୁଲି ଆସଇ ନବଖଣ୍ଡ ମେଦିନୀ ।୨୪।
ଭ୍ରମଣ ସାରି ଦେବୀ ସନ୍ଧ୍ୟା ସମୟେ ଆସଇ
ଦୀପ ଦିହୁଡ଼ି ସେ ଯେ ଛାମୁରେ ଜଳୁଥାଇ ।୨୫।
ଦେଉଳ ଭିତରେ ବିଜେ କରନ୍ତି ଠାକୁରାଣୀ
ସେହି ସିଂଘ ଉପରେ ବିଜୟେ ଗୋସାମଣୀ ।୨୬।
ଶ୍ରୀପୁରୁଷୋତ୍ତମଂକୁ ବିଜେ କରନ୍ତି ଆପଣ
ଶ୍ରୀଜଗନ୍ନାଥଂକୁ ଦ୍ରଶନ କରନ୍ତି ବହନ
ତାଂକର ଯେଉଂ ସେବା କରନ୍ତି ତତକ୍ଷଣ ।୨୭।
ବଡସିଂଘାର ଖଟଣି ଦେବତାଂକ ମେଲାଣିର ବେଳେ
ମେଲଣି ହୋଇ ଦେବୀ ବାହାର ତତକାଳେ ।୨୮।
ସିଂଘର ପିଠିରେ ଯେ ବିଜୟେ କରନ୍ତି
ତତକ୍ଷଣେ ଆପଣାର ମନ୍ଦିରେ ମିଳନ୍ତି ।୨୯।
ୟେହି ପରି ନିତି ପ୍ରତି କରନ୍ତି ବେହାର
ୟେଡ଼େକ ମହିମାଂ ଚଣ୍ଡୀ ସାରୋଳା ଦେବୀର ।୩୦।
ଧନ୍ୟ ସେ ମହାମାୟୀ ତାଂକୁ ପଟାନ୍ତର ନାହିଂ
ରାଜାଂକର ଘରେ ତାଂକୁ ଭୋଗ ଖଞ୍ଜା ନାହିଂ ।୩୧।
ଛେଳି ପୋରୁହ ବୋଦା ସେ ଭିଆଇ
କାହିଂ କେତେ ଦୂରରୁ ଆଣଇ ସେ ମୋହି ।୩୨।
ନିତ୍ୟେ ହେଂ ଭୋଗ ତାର ପଡ଼ିଆ ନୋହଇ
ଦେବୀଂକର ଆଗ୍ୟାଂୟେ ଯେ ସମସ୍ତ ମିଳଇ ।୩୩।
ୟେମନ୍ତେ ୟେକ ଚିତ୍ତେ ଯେ ତାହାନ୍ତ ସେବନ୍ତି
ସେ ଯାହା ବାଞ୍ଚଇ ତାକୁ ମନ ଜାଣି ଦ୍ୟନ୍ତି ।୩୪।
ମୁହିଂଯେ ସାରୋଲାଦାସ ସେହି ଗ୍ରାମରେ ଥାଇ
ନାନା କଷ୍ଟ ପଡ଼ିଣ ଦିନ ମୁଂ ବଞ୍ଚଇ ।୩୫।
ଜାତିରେ ଶୂଦ୍ର ମୁଂ ଯେ ଅଟଇ ମୂରୁଖ
ପାଠ ଶାହାସ୍ରମାନ ମୁଂ ନଜାଣଇ ହାକ ।୩୬।
ସାରୋଳା ଗ୍ରାମରେ ମୁଂ ଅଟଇ ପ୍ରଧାନ
ପୁରୁଷ ଅନୁକ୍ରମେ ଅଟୁଂ ଯେ ଗ୍ରାମୀନ ।୩୭।
ଆମ୍ଭର ଇଷ୍ଟଦେବତା ସାରୋଳା ଚଣ୍ଡୀ ଦେବୀ
ତାହାର ଚରଣେ ଆମ୍ଭେ ସର୍ବଦା ଥାଉ ସେବି ।୩୮।
ଅପ୍ରାଧ କଲେ କ୍ଷମା କରଇ ମହାମାୟୀ
ଅନ୍ନ ବସ୍ର ଆମ୍ଭନ୍ତ ସଂଯୋଗେ ମିଳଇ ।୩୯।
ଚାଷ ଚଷିଣ ଆମ୍ଭେ ନାନା କୃଷି କରି
ଧାନର ଚାଷ କାକୁଡ଼ି ମାଣ୍ଡିଆ ଆଦି କରି ।୪୦।
ନାନା କୃଷି କରି ଦୁଖରେ ଦିନ ନେଉ
ୟେଥିରେ ଆହାଲାଦେ ଦିନ ବଞ୍ଚଥାଉ ।୪୧।
ଆମ୍ଭର ପିତାଂକର ଯେ ଅଟଇ ଚାରି ପୁତ୍ର
ପିତାମାତା ଆମ୍ଭର ଅଟନ୍ତି ବୃଦ୍ଧଗତ ।୪୨।
ସବୁହୁଂ ସାନ ମୁଂ ଯେ ଜଡ଼ ଭାବମତି
ଜ୍ୟେଷ୍ଠଭ୍ରାଥମାନେ ଯେ କାର୍ଯ୍ୟ କରୁଥାନ୍ତି ।୪୩।
ଯେଉଂ କୃଷିରେ ମୋତେ ଲଗାଇ ଦିଅନ୍ତି
ସେ କାର୍ଯ୍ୟ ସୁଖେଣ ମୁଂ କରୁଥାଇ ନିତି ।୪୪।
ଅଗ୍ୟାନ ଭାବେ ମୁଂ ଯେ କିଛିହିଂ ନ ଜାଣଇ
ଆପଣା କର୍ମେ ଯେ ମିଳଇ ତାହା ସୁଖେଣ ଭୁଞ୍ଜଇ ।୪୫।
ୟେମନ୍ତେଣ ମୁହିଂ ଯେ ବଞ୍ଚୁଥାଇ ଦିନ
କେବଳ ମନ ଥାଇ ମୋର ଗୋବିନ୍ଦ ଚରଣ ।୪୬।
ଗୁରୁଂକ ଦୟା ଯହୁଂ ମୋତେ ୟେତେକ ଅଛଇ
ଅଳପ ବୟସେ ମୋ ମନ ଭ୍ରମଣ ହୁଅଇ ।୪୭।
ଗୋବିନ୍ଦଂକ କଥାକୁ ୟେଡ଼େ ନବଳଇ ଚିତ୍ତ
ମୂରୁଖ ଜନ ମୁଂ ଯେ ଅଟଇ ଅପଣ୍ଡିତ ।୪୮।
ଶୂଦ୍ର ମୂରୁଖ ମୁଂ ଅଗ୍ୟାନ ଅଟଇ
ସାଧୁଜନମାନଂକର ଚରଣେ ଚିତ୍ତ ମୁଂ ଖଟାଇ ।୪୯।
ୟେହି ରୂପେଣ ଯେ ଥୋକାୟେ ଦିନ ଗଲା
ପୂର୍ବର ବାସନା ଯେ ଆନୁଆନ ନୋହିଲା ।୫୦।
ଶୁଣ ହୋ ସାଧୁଜନେ ଦେବୀର ମହିମାଂ
ଲକ୍ଷ ଦେବାକୁ ତାହାନ୍ତ ନାହିଂନା ଉପମା ।୫୧।
ବଇଶାଖ ଶୁକଳ ଯେ ଅଷ୍ଟମୀ ମଂଗଳ ବାର
ବଡ଼ହିଂ ତପତି ହେ କରିଛି ସେ ଦିନର ।୫୨।
ପ୍ରାଚୀ ନଦୀର ଯେ ଉତ୍ତର କୂଳରେ
ଆଖୁ ଭୂମି ଖଣ୍ଡିୟେ ଯେ କରିଛୁ ସେଠାରେ ।୫୩।
ଯନ୍ତ ସଜ ବସାଇ ପାଣି ତେଣ୍ଡୁ ତହିଂକି
ଚାରି ସଜ ଗୋଟି ଯେ ବସାଇଣ ହାକି ।୫୪।
ସେହି ଠାବରେ ଯେ ରାଜପଥ ଅଟଇ
ପ୍ରାଣୀମାନେ ନିତ୍ୟେ ସେ ପଥରେଣ ଯାଇ ।୫୫।
ସ୍ତିରୀ ପୁରୁଷ ବାଳକ ନଯାଇ କଳଣା
ଯାଉଂ ଆସୁଛନ୍ତି ଯେ ନଯାଇ ଗଣନା ।୫୬।
ମଧ୍ୟ ସ୍ଥାନରେ ପାଣି ତେଣ୍ଡୁଥାଇଂ ମୁହିଂ
ଭଣ୍ଡ ବିଭଣ୍ଡ କରି ଗୀତ ମୁଂ ଫୁକାରଇ ।୫୭।
ୟେମନ୍ତେଣ ଦେଖ ସେ ଦଇବ ରକୃତ
ଗ୍ରୀଷମ ସେ ଦିନ କରିଛି ବହୁତ ।୫୮।
ବେଳ ମଧ୍ୟାହ୍ନ ଦୁଇ ପ୍ରହର ଅଟଇ
ୟେମନ୍ତେଣ ବେଳେ ଦେବୀ ଭ୍ରମଣୀ କରୁଛନ୍ତି ମହାମାୟୀ ।୫୯।
ଯାନବାହାନ ନାହିଂ ପାଦରେ ଗବନ
ସଙ୍ଗତେ କେହି ନାହିଂ ୟେକାକେ ଆପଣ ।୬୦।
ଷୋଡଶା ରୂପ ଯେ ଧରିଣ ମହାମାୟୀ
ଦିବ୍ୟ ବେଶରେ ନାନା ଅଳଂକାର ଲାଇ ।୬୧।
ୟେକାନ୍ତ ହୋଇଣ ଯେ ଆସୁଛନ୍ତି ଭ୍ରମି
ମାନିନୀ ରୂପ ଯେ ଧରିଣ ଗୋସାମଣୀ
ମୋହୋର ତୁନି ହୁଅନ୍ତେ ଜାଣିଲେ ଠାକୁରାଣୀ ।୬୨।
ତାହାନ୍ତ ଦେଖି ମୁଂ ଯେ ଲଜ୍ଜାଗତ ପାଇଲି
ମଥା ପୋତିଣ ମୁଂ କୀର୍ତ୍ତି କରି ବସିଲି ।୬୩।
ୟେମନ୍ତେଣ ଦେବୀ ଯେ ଗଲେ ବାହାର ହୋଇ
ଯୁବା ରୂପ ଛାଡ଼ି ବୃଦ୍ଧା ରୂପ ତହିଂ ହୋଇ ।୬୪।
ଖଣ୍ଡେ ଦୂର ଯାଇଂ ଦେବୀ ହେଲେ ବୃଦ୍ଧା ରୂପ
ଯୁବା କନ୍ୟା ରୂପ କଲେକ ସେହୁ ଗୋପ୍ୟ ।୬୫।
ୟେମନ୍ତ ହୋଇଣ ସେହୁ ଦେବୀର ଚରିତ
ପ୍ରହରକେ ଭ୍ରମଣୀ କଲେ ଜଗତ ମାତ ।୬୬।
ପୁଣ ସେହି ବାଟେ ଆସନ୍ତି ଗୋସାମଣୀ
ସଂକଟ ତାରେଣୀ ସେ ମାନ ଉଦ୍ଧାରଣୀ ।୬୭।
ମୋହୋର ମନ ସେହୁ ବିଡ଼ିବାର ପାଇଂ
ବୃଦ୍ଧା ସ୍ତିରୀରୂପ ଧଇଲେ ଗୋ ମାଈ ।୬୮।
ମୋତେ ଚାହିଂଣ ସେ ବୋଇଲେ ମୃଦୁବାଣୀ
କୋକିଳ ଭାଷିଲା ପ୍ରାୟେ ଶୁଭୁଅଛି ଧୁନି ।୬୯।
ଗୀତ ଗାଉଥିଲୁ ତୁନି ଯେ ହୋଇଲୁ
ଲଜ୍ଜା ଭାବକୁ ତୁ ମନରେ ପାଇଲୁ ।୭୦।
ମୁହିଂ ବୋଇ ଲିମା ଗୋ ଯାଉଅଛ ତୁମ୍ଭେ
କେସନେ ଭଣ୍ଡ ବିଭଣ୍ଡ ଫୁକାରିବି ତୁଣ୍ଡେ ।୭୧।
ୟେତେକ କହି ମୁହିଂ ହୋଇଲଇଂ ତୂନି
କି ଗୀତ ଗାଇବି ଯେ କହିଦିଅ ପୁଣି ।୭୨।
ଠାକୁରାଣୀ ବୋଇଲେ ତୁ ବିଷ୍ଣୁର ଚରିତ ବଖାଣ
ତୋହୋର ମୁଖରେ ଅନ୍ୟ ବାକ୍ୟ ନଫୁରୁ ବଚନ ।୭୩।
ୟେହା ଶୁଣି ମୁଂ ଯେ ଚମତ୍କାର ପାଇ
ଥମ୍ଭୀଭୂତ ହୋଇ ରହିଲଇଂ ମୁହିଂ ।୭୪।
କ୍ଷଣେକ ରହି ମୁଂ ଯେ ଫୁକାରିଲି ଗୀତ
ହୃଦୟ ଫୁଟି ବାହାର ହୋଇଲା ବିଷ୍ଣୁର ଚରିତ ।୭୫।
ଶ୍ରୀକୃଷ୍ଣ ଚରିତ ମୁଖୁଂ ବାହାର ହୋଇଲା
ମୋହୋର ତୁଣ୍ଡରେ ଅନ୍ୟ କଥା ନଫୁରିଲା ।୭୬।
ୟେତେକ କହି ଦେବୀ ହୋଇଲେ ଅନ୍ତର୍ଧ୍ୟାନ
ମନେ ମନେ ମୁହିଂ କରିଲଇଂ ବିଚାରଣ ।୭୭।
ୟେକଥା ଗୋଟି ମୋତେ ଅଦ୍ଭୁତ ଦିଶିଲା
କେଉଂ ଦେବାଦେବୀ ମୋତେ ପ୍ରସନ୍ନ ହୋଇଲା ।୭୮।
କେମନ୍ତ ଜାଣିମି ମୁଂ ୟେଥିର ଚରିତ
ମନକୁ ମୋହୋର ଯେ ଲାଗିଲା ଭୟେଭୀତ ।୭୯।
ସେ ଦିନ କୀରତି ଯେ ବହନ ସରିଲା
ମନକୁ ମୋହୋର ଯେ ଉଚ୍ଛନ୍ନ ଲାଗିଲା ।୮୦।
ମନର ଉଚ୍ଛନ୍ନେ ମୁଂ ଅଇଲି ଗୃହବାସ
ମନ ଗୋଟି ମୋହୋର ହୋଉଛି ଉଲ୍ଲାସ ।୮୧।
ଶ୍ରୀଜଗନ୍ନାଥଂକୁ ମନରେ ଧ୍ୟାୟେ କରି
ମନରେ ରହିଲି କାହାକୁ ସମାସ୍ୟ ନ ଦେଇକରି ।୮୨।
ଅନ୍ନ ପାଣି କିଛି ନ କଲଇଂ ଭୋଜନ
ୟେମନ୍ତେ ରାତ୍ର ଗଲା ପ୍ରହରେକ ଜାଣ ।୮୩।
ରାତ୍ର ପ୍ରହରକ ଉତ୍ତାରୁ କଲଇଂ ଶୟନ
ନିଦ୍ରାରେ ଶୋଇଲି ଯେ ହରାଇଲି ଗ୍ୟାନ ।୮୪।
ରାତ୍ର ଦୁଇପ୍ରହର ହୋଇଲାକ ଯହୁଂ
ଠାକୁରାଣୀ ବିଜୟେ କଲେକ ଆସି ତହୁଂ ।୮୫।
ମୋହୋର ସୀମସ୍ଥାନେ ବସିଲେ ମହାମାୟୀ
ନାନା ବେଶ ବେଶନ ଅଳଂକାର ଲାଇ ।୮୬।
ଅଷ୍ଟଭୂଜରେ ଅଷ୍ଟ ଆଉଧ ଆଭରଣ କରିଣ
ସିନ୍ଦୂରେ ମୁଖଗୋଟି କରିଛି ମଣ୍ଡଣ ।୮୭।
ନିର୍ଧୂମ ଅଗ୍ନି ପ୍ରାୟେ ବିରାଜେ ଶରୀର
କାୟା ପୂରିଛି କି ଅସୁରୀ ବ୍ରହ୍ମାଣ୍ଡର ।୮୮।
ୟେମନ୍ତେ ବେଶେ ହୋଇ ଜଗତ ଜନନୀ
ମୋହୋର ସୀମସ୍ଥାନେ ବିଜେ କଲେକ ପୁଣି ।୮୯।
ବୋଇଲେ ସାରୋଳା ଉଠରେ ବହନ
ୟେତେ ବେଗେ ପାସୋରିଲୁ ମୋହୋର ବଚନ ।୯୦।
ଯାହା ସେ ଦିବସେ ଆଗ୍ୟାଂ ଦେଲି ତୋତେ
ବିଷ୍ଣୁପୁରାଣ ଫୁରୁ ତୋହୋର କଣ୍ଠ ତଟେ ।୯୧।
ୟେତେ ବେଗରେ ପାସୋରିଲୁ ତାହି
ବିଷ୍ଣୁର ଚରିତ ଯେ ଅମୃତ ପୟୋଧି ଅଟଇ ।୯୨।
ୟେତେକ ବଚନ ଯହୁଂ ଭାଷିଲେ ଠାକୁରାଣୀ
ସତ କି ସପନ ମୁଂ ନୁଆରିଲି ଜାଣି ।୯୩।
ନିଦ୍ରାର ପ୍ରସ୍ତାପେ ସପନରେ ମୁହିଂ
ବୋଇଲି ମାତା ଗୋ କେ ତୁମ୍ଭେ ପୁଣ୍ୟଦେହୀ ।୯୪।
ହସିଣ ବୋଲନ୍ତି ଯେ ସାରୋଳା ଚଣ୍ଡୀ ଦେବୀ
ମୁହିଂ ସାରୋଳା ଚଣ୍ଡୀ ଅଟଇ ମହାଭେଦୀ ।୯୫।
ତୁ ଯଂହୁ ସର୍ବଦା ମୋହୋରେ ଭଗତି
ତେଣୁ ସେ ପ୍ରସନ୍ନ ହୋଇଲି ଶୁଦ୍ଧମତି ।୯୬।
ବିଷ୍ଣୁର ଚରିତ ତୁ କରିବୁ ବଖାଣ
କୀରତି ରହିବ ମୃତୁ ଭୁବନେଣ ।୯୭।
କଳି ଯୁଗେ ପ୍ରାଣୀମାନେ ହୋଇଲେ ଅଗ୍ୟାନ
ଗୋବିନ୍ଦର ନାମ ପାସୋରିଲେ ଢାଳେଣ ।୯୮।
ଅଗ୍ୟାନ ମୂଢ ପଣେ ଅଳପେ ନିଶା ଯିବେ
ନାନା ପୀରତି ସେ ତରି ନୁଆରିବେ ।୯୯।
ୟେଣୁ କରି ତୋ ଆଗେ କହୁଅଛି ସରୂପ
ଶ୍ରୀମହାଭାରଥ ଅଷ୍ଟାଦଶ ପୁରାଣ କରିବୁ ଉକତ ।୧୦୦।
ପୁରାଣ ଗ୍ରନ୍ଥ ତୁ ପଦରେ ଛନ୍ଦିବୁ
ତେବେ ସେ ସଂସାର ମୋକନ୍ତ ମୁକତି ଗତି ଦେବୁ ।୧୦୧।
ୟେ ଶାସ୍ର ପଢି ପ୍ରାଣୀମାନେ ଗ୍ୟାନବନ୍ତ ହେବେ
ତେବେ ସେ ଘୋର ନରକୁ ଉଦ୍ଧାର ଗତି ପାଇବେ ।୧୦୨।
ୟେତେକ ବୋଲି ସେ ସାରୋଳା ସଂକଟ ତାରେଣୀ
ଦୟା କରି କହିଲେ ମୋତେ ଅମୃତ ରସ ବାଣୀ ।୧୦୩।
ଯହୁଂ ପ୍ରସନ୍ନ ମୁଖ ହୋଇଲେ ମହାମାୟୀ
ସେହି ସପନରେ ମୁଂ ନମସ୍କାର କରଇ ।୧୦୪।
ନମସ୍କାର ହୋଇପଡିଲାଇଂ ଚରଣେ
ପିମ୍ପୁଡ଼ି ଉପରେ ପର୍ବତ ଲଦୁଛ କେସନେ ।୧୦୫।
ଜନ୍ମରୁ ବିଦ୍ୟା ସେତ ପଢିଲା ମୋର ନାହିଂ
କେମନ୍ତେ ଅଷ୍ଟାଦଶ ପୁରାଣ ଲେଛିବଇଂ ।୧୦୬।
ଲେଖନ ପତ୍ର ମୁଂ ଯେ ଧରିବି କେମନ୍ତେ
ଅସମ୍ଭବ ଚରିତ ମୋତେ କହିଲ ଜଗତ ମାତେ ।୧୦୭।
ମୁହିଂ ଯେ ଅରଖିତ ଜାତିରେ ଶୂଦ୍ରଇ
ଗଣ୍ଡ ମୂରୁଖ ସଂଗତେ ମୁଂ ଲେଖା ଯେ ଅଟଇ ।୧୦୮।
ତୁ ଯେବେ ଦୟା ମୋତେ କରିବୁ ଗୋ ମାୟେ
ଜଗତେ କୀରତି ରହିବ ଥୋକାୟେ ।୧୦୯।
ଯହୁଂ ମୁଂ ୟେ ରୂପେ କହିଲି ବଚନ
କ୍ଷଣେ ତୂନି ହୋଇ ଦେବୀ କହନ୍ତି ବୟାଣ ।୧୧୦।
ବୋଇଲେ ମନେ ତୁ ନଭାଳ ହୋ କିଛି
ଲେଖନ ପତ୍ର ମୁଂ ତୋତେ ଯାଚି ଦେଉଅଛି ।୧୧୧।
ତୋହୋର କଣ୍ଠରେ ମୁଂ ନିଚେଂ ବସିଥିବି
ଗଲା ନ ଗଲା ପଦ ହୃଦୟରେ କହିଦେବି ।୧୧୨।