ଲାଖବିନ୍ଧା (୨) — ସାରଳା ମହାଭାରତ ଆଦି ପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିଭୀମକୁ ସାହା ହୋଇଲା ପବନ ପରଚଣ୍ଡ ।୨୨।
ଅସୁରର ରଥ ଭୀମ ବୁଲାଇଲା ଅତି ବେଗି
ଦକ୍ଷିଣ ମୃତ୍ତି କରିଣ ପକାଇଲା ଫିଙ୍ଗି ।୨୩।
କୋପେଣ ଫିଙ୍ଗିଦିଲା ପାଣ୍ଡବ ଭୀମସେନ
ବଜ୍ରଲାଭ ପଡିଲା ଯାଇଂ ପଞ୍ଚଦଶ ଯୋଜନ ।୨୪।
ରାଜାର ବିଅର୍ଥେ ପଳାବନ୍ତି ସଇନି
ଧାମଇ ବ୍ରିକୋଦର କରେଣ ଗଦା ଘେନି ।୨୫।
ପଳାବନ୍ତି ଦୁରାନ୍ତକ ବଳ ସମର ଉପେଛି
ବିକଳେ ବୋଲନ୍ତି ଆସି ଲାଗଇ କିନା ପଛି ।୨୬।
ବାସ ଭଗ୍ନ ପକ୍ଷୀ ପ୍ରାୟେ ବିକଳେ ପଳାନ୍ତି
ବିଶା ଶତେ ରଥ ତିନି କୋଟି ହାଥୀ ।୨୭।
ଅଗଣିତ ଅଶ୍ୱ ଅସଂକ୍ଷେଣ ପାଦାନ୍ତି
ମାରିଲେ ନସରଇ ଯେ ଅସୁର ବଳ ଅପ୍ରମିତି ।୨୮।
ୟେତେକ ସଇନି ଭୀମ ମାଇଲାକ ରୋଳେ
ପଡିଲେ ନିଶାଚର ବଳ ସାଂଗ୍ରାମ କୁତୁହୋଳେ ।୨୯।
ବାଣା ବାସବିର ଯେ ପଡ଼ିଲା ସମର
ପଞ୍ଚଶତ ଭୁଜେ ବାଣ ବିନ୍ଧଇ ବାଣାସୁର ।୩୦।
ହାବୋଡ଼ା ଶରେକ ଯେ ମାଇଲା ବୀର ପାଥ
ବାଣାସୁର ହୃଦରେ ପଡ଼ିଲା ଯେହ୍ନେ ବଜ୍ର ଘାତ ।୩୧।
ଘାୟେଣ ତ୍ରାସ କଲା ବଳି ରାଜାର ବଳ
ମୋହନା ଶରକେ ମାଇଲା ଛତ୍ରୀୟ ଅଚାର୍ଗଳ ।୩୨।
ମୋହେ ବାଣାସୁର ପଡ଼ିଲା ଉତ୍ତନାସାହୀ ହୋଇ
ଅନ୍ତରୀଛେ ସାରଥୀ ତାର ରଥେକ ନେଲା ବାହି ।୩୩।
ରାଜାର ବିଅର୍ଥେ ଦଣ୍ଡ ହୋଇଲାକ ଭଗ୍ନ
ଅନେକ ସନ୍ୟ ଗୋଡ଼ାଇ ମାଇଲା ଭୀମସେନ ।୩୪।
ପଡ଼ିଲେ ଅସୁରେ ଭୂମିରେ ଲୋଟି କାୟେ
ବାତ ବିଘାତେ ଯେହ୍ନେ କଦଳୀ ବନ ପ୍ରାୟେ ।୩୫।
ଭୀମସେନ ଅର୍ଜୁନ ଧାଇଂଲେ ବହନ
ନାରକା ଶଅମ୍ୱକରକଇଂ ଭେଟିଲେ କୋପମନ ।୩୬।
ନାରକାର ରଥ ଭୀମସେନ ଧରି
ଶଅମ୍ୱର ନୃପତିର ରଥେ ନେଇଣ କଚାଡ଼ି ।୩୭।
ଯେସନେକ ମଉଦଧି ପବନ ବିଘାତେ ଉଠି
ୟେକା ପାଣ୍ଡବେକ ଲକ୍ଷେ ରାଜା ଘୋଟି ।୩୮।
ନାରକା ଶଅମ୍ୱର ବେନି ରଥ ହାଦେ ଚୂରଗଲା
ଭାଳିଲେ ଦନୁଜ ବଳ ଆବୋରନ୍ତା କେହି ନୋହିଲା ।୩୯।
ମହାଘୋର ସଂଗ୍ରାମ ହୋଇଲା ନିଶା ରାତି
ପଳାନ୍ତି ଦାନବ ବଳ ନରହନ୍ତି କତି ।୪୦।
ଆପଣେ ଆପଣେ ମାରନ୍ତି ହୋଅନ୍ତି ଅନ୍ୟାଅନ୍ୟି
ପର ଆପଣାର ବୋଲି ନପାରନ୍ତି ଚିହ୍ନି ।୪୧।
କେଶିନୀ ମୁଦୁସୁଲି ବାହଇ ଦ୍ରୋପତୀର ରଥ
ଅନେକ ସଇନି ପାଣ୍ଡବେ କରନ୍ତି ନିପାତ ।୪୨।
ଅସୁର ବଳ ଧଂସି ଧାମଇଂ ବ୍ରିକୋଦର
ତେର ଯୋଜନ ଦାନବନ୍ତ ପଡ଼ଇ ପୟେର ।୪୩।
ରୋଧିର ନଦୀ ବହଇ ବନସ୍ତ ଭିତରେ
କଦଳୀ ଭେଳା ଜାଣି ଉପୁଚିଆଇଲେ ଅସୁରେ ।୪୪।
ସମର କରନ୍ତେ ଯେ ରୟଣୀ ପାଇଲା
କୁରୁବଳ ଥାଠ ଘେନି ମାନଗୋବିନ୍ଦ ରହିଲା ।୪୫।
ଦେଖଇ ଭୀମସେନ କଉରୋବ ବଳ
ଚାହିଂଲା ମାରୁତି କଟାକ୍ଷ କୋପାନଳ ।୪୬।
ରକତେ କର୍ଦନ ଚାରି ପାଣ୍ଡବଙ୍କ ଅଙ୍ଗ
ହରିଣ ବିଦାରଣେ ଯେସନେ ଦିଶଇ ନରସିଙ୍ଘ ।୪୭।
ଶଲ୍ୟ ଅଶସ୍ତମା କୃପ ଆଚାର୍ଯ୍ୟେ
ଶଙ୍କୁନି ଜଦ୍ୟରଥ କଳିଙ୍ଗସେନ ମହାରାଜେ ।୪୮।
ୟେମାନେ ସମସ୍ତେ ରଥେ ରଥେକ ଆରୋହି
ଗିରିବର ସମାନେଣ ଅଛନ୍ତି ବୀରେ ରହି ।୪୯।
ଅସୁର ବଳ ନିପାତି ଆସନ୍ତି ଚାରି ବୀରେ
ରଥେକ ଆରେହି ଅଛନ୍ତି ଦ୍ରୋପତୀ ସଙ୍ଗରେ ।୫୦।
ଦୂରେଣ ଦେଖିଲେ କେଶରୀ ଲାଙ୍ଗୁଡ଼ ଧ୍ୱଜ ଚିହ୍ନ
ଫରହର ଉଡ଼ନ୍ତି ଆଲମ୍ୱ ଧବଳ ବର୍ଣ୍ଣ ।୫୧।
ସାଂଗ୍ରାମେ କରନ୍ତେ ପାଇଲା ରୟଣୀ
ଦେଖିଲା ମହା ସମ୍ଭର୍ବେ କୁରୁବଳ ସଇନି ।୫୨।
ଧାମଇଂ କୋପଭରେ ପାଣ୍ଡବ ସୁନ୍ଦର
ଅସୁରଙ୍କ ତହୁଂ ଉଛୁଡ଼ି ଘେନିଥିଲା ବଜ୍ର ମୁଦୁଗର ।୫୩।
ପର୍ବତ ପ୍ରାୟେକ ଦିଶଇ ବେନି ବାହୁ
ନିଶାକର ମେଳେ କିବା କ୍ରୀଡା କରେ ରାହୁ ।୫୪।
ତେସନ ଶୋଭାବନ ପାଣ୍ଡବ ମହାବଳୀ
ଶ୍ରୋଣିତ ବର୍ଣ୍ଣ ହୋଇଛି ସବୁରି ମନ୍ଦାର ପୁଷ୍ପ ଭଳି ।୫୫।
ରେ ରେ କାର ଧାମଇଂ ଭୀମସେନ
ଛାମୁରେ ଓଗାଳିଲା ଆସି ମହାବଳୀ କର୍ଣ୍ଣ ।୫୬।
ଅନେକ ଶର ଯେ ବିନ୍ଧିଲା ମହା ରୋଷେ
ଶସ୍ର ସବୁ ଭଗ୍ନ ହୋଇଲା ମାରୁତିର ତ୍ରାସେ ।୫୭।
କର୍ଣ୍ଣର ରଥେ ନେଇ ମାଇଲା ବଜ୍ର ମୁଥେ
ମହା ଭାର ପାଇ ରଥ ଭାଞ୍ଜି ହୋଇଲା ଖଣ୍ଡ ଶତେ ।୫୮।
ସାରଥୀ ହୟେ ଯେ ପଡ଼ିଲେ ମହୀ ଲୋଟି
କର୍ଣ୍ଣର ହୃଦେ ନେଇ ମାଇଲା ବଜ୍ରମୁଷ୍ଟି ।୫୯।
ଭୀମସେନର ବଜ୍ର ମୁଥଘାତେ କର୍ଣ୍ଣ ଯେ ଘୁମାଇଂ
ଅଶସ୍ତମା ରଥ ଟେକିଲା ବେଗେ ନେଇଂ ।୬୦।
ଅର୍ଜୁନ ମିଳିଲା ଯାଇ ଅଶସ୍ତମା ପାଶେ
ଦ୍ରୋଣଙ୍କର ନନ୍ଦନ ବିନ୍ଧିଲା ବାଣ ମହାରୋଷେ ।୬୧।
ସହସ୍ରେ ନାରାଜ ଯେ ମାଇଲା ରୋଷଭରେ
ପଡନ୍ତି ନାରାଜ ଯାଇଂ ପାଥର ଉପରେ ।୬୨।
ତିନି ଭୁବନ କମ୍ପିଲା ଅଶସ୍ତମାର ବାଣେ
ଦେଖିଣ ଫାଲଗୁନି ଯେ କଲାକ ଆବରଣେ ।୬୩।
ପୁଣ ଅହିବ୍ରତେକ ନାରାଜ ପୂରୋଇଣ ଦ୍ରୋଣି
ଅର୍ଜୁନ ଉପରକୁ ବିନ୍ଧିଲାକ କୋପେ ଟାଣି ।୬୪।
ଜଳଧାରା ପ୍ରାୟକେ ହୋଇଲା ଶର ବୃଷ୍ଟି
ଦେଖିଣ ବଞ୍ଚାଇଲା ତାହା ବୀରବର କିରୀଟୀ ।୬୫।
ପୁଣି ଅଶସ୍ତମା ଲକ୍ଷେ ନାରାଜ ଘେନି
ଦ୍ରୋଣଙ୍କର ନନ୍ଦନ ଯେ ବିନ୍ଧିଲା ବେଳ ତିନି ।୬୬।
ଅର୍ଜୁନ ସହିଲା ଅଶସ୍ତମାର ଶର
ନାରାଜ ପୂରୋଇଲା ପାଣ୍ଡବ ସୁନ୍ଦର ।୬୭।
ଅହିବ୍ରତେ ନାରାଜ ପୂରେଇ ଅଶସ୍ତମାକୁ
ଚାରି ଅହିବ୍ରତ ଶର ବିନ୍ଧିଲା ରଥ ଉପରକୁ ।୬୮।
ଚାରି ଅଶ୍ୱକୁ ଚାରି ଅହିବ୍ରତ ଶର
ଅହିବ୍ରତେକ ଶର ପେଷିଲା ସାରଥୀ ଉପର ।୬୯।
ୟେକାବେଳକେ ସମସ୍ତ ନିରୋଧି
ଅନ୍ଧାର ଘୋର କରି ଅର୍ଜୁନ ଶର ବିନ୍ଧି ।୭୦।
ପଡ଼ିଲେ ନାରାଜ ଅବିଚ୍ଛନ୍ନେ ମୃତ୍ତି
ପ୍ରଥମେ ଛ଼ିଡ଼ି ପଡ଼ିଲେ ହୟ ଯେ ସାରଥୀ ।୭୧।
ଦୁଜଣେ ଅଶସ୍ତମା ରଥ ପଡଇ ଛିଡ଼ି
ଦ୍ରୋଣିର ଉପରେ ରଥ ପଡ଼ିଲାକ ମାଡ଼ି ।୭୨।
ଘାୟେଣ ଅଶସ୍ତମା ପଡ଼ଇ ଅସାଷ୍ଟମେ
ଶଲ୍ୟ ରଥ ଧରି କଚାଡ଼ଇ ବୀର ଭୀମେ ।୭୩।
ନକୁଳ କୁମାର ନେଇ ମାଇଲା ବଜ୍ରକୁନ୍ତେ
କୃପଙ୍କର ରଥ ଭାଜି ପଡ଼ିଲା ସାରଥୀ ସହିତେ ।୭୪।
ସହଦେବ ଶଙ୍କୁନିକି ମାଇଲା ମୁଦୁଗରେ
ରଥ ଭାଞ୍ଜି ପଡ଼ିଲା ଶଙ୍କୁନି ଉପରେ ।୭୫।
ଅଶସ୍ତମା କୃପାଚାର୍ଯ୍ୟ ଶଲ୍ୟ ଯେ ଶଙ୍କୁନି
ଚାରିହେଂ ପଳାଇଲେ ଅସାଷ୍ଟମ କାୟେ ଘେନି ।୭୬।
ଥାଠ ଆବୋରି ଯେ ଥିଲେ ଚାରି ବୀରେ
ଭଗନସ୍ତ ହୋଇ ପଶିଲେ ସନ୍ୟର ଭିତରେ ।୭୭।
ଆରେ ଆରେ ବୋଲି ଯେ ଡାକଇ ଭୀମସେନ
ପଶିଲା ରଣ ରଙ୍ଗେ ସୋହୋଡ଼ ଥାଠ ମନ୍ଥନ ।୭୮।
ଅଠାଣୋଇଂ ଭାଇ ତୁଲେ ମାନ ଚକ୍ରବ୍ରତୀ
ସମସ୍ତେ ଚଢି ଅଛନ୍ତି ମୟେମତ୍ତ ହାଥୀ ।୭୯।
ହସ୍ତେଣ ଗଦା ପରଶୁ ମୁଦୁଗର
ବେଢିଣ ପ୍ରହାର କଲେ ଭୀମସେନର ଉପର ।୮୦।
ଗହଳ ସମର ଦେଖି କୋପେ କାଳେବର
ଧାମଇ ରଣରଙ୍ଗେ ପାଣ୍ଡବ ସୁନ୍ଦର ।୮୧।
ଅନ୍ତରାଳ ନୟନ ସେ ବଦନ ବିକଟା
ଭଇରୋବ ମୃତ୍ତି ସେ କଂକାଳ ରୁଦ୍ର ପେଟା ।୮୨।
ବିହତ ଦାଢ଼ କରାଳ ବିକଟ ବିକରାଳ
ଖାଂକର କେଶ ନୟନ ଭ୍ରମଇ ଅନ୍ତରାଳ ।୮୩।
ବେନି ଭୁଜେ ଦରାଣ୍ଡି ଧଇଲା ଗଜ ବେନି
ଅନ୍ତରୀଛେ ବୁଲାଇଲା ଉର୍ଦ୍ଧ୍ୱବାହୁ ଘେନି ।୮୪।
ଘୋର ରଡ଼ି ଶବଦେ କରି ଭୀମସେନ ଉଠି
ଭାଜିଲେ କଉରୋବେ ବଳ ଅନ୍ତରାଳ ଦୃଷ୍ଟି ।୮୫।
ଗଜେ ଗଜ ଧରି ବୀର କୋପେଣ କଚାଡ଼ି
ରାଜା ଆରୋହନ୍ତେ ଗଜ ତହୁଂ ଭୀମ ବାମ ଭୁଜେ ଧରି ।୮୬।
ଡାହାଣ କରେ ନେଇ ମାଇଲା ବଜ୍ର ମୁଥେ
ଅସ୍ଥି ମାୟେଂସ ଧୂଳି ହୋଇଲା ହାଥୀ ମୟ ମତ୍ତେ ।୮୭।
ପାଦ ଗତି ହୋଇଣ ଦ୍ରିଯୋଧନ ପଳାଇ
ହାକ ଦିଅଇ ଭୀମସେନ ରହ ରହ ଭାଇ ।୮୮।
ରାଜାକୁ କଟାଳ ଯହୁଂ କଲା ପାଣ୍ଡବ ପଞ୍ଚାଣ
ରଥେ ରଥେ ଚଢିଣ ଧାଇଂଲେ ଭୀଷ୍ମ ଦ୍ରୋଣ ।୮୯।
ପବନର ନନ୍ଦନ ଭୀଷ୍ମ ଦ୍ରୋଣଙ୍କୁ ଦେଖି
ଧାମଇଂ ଗର୍ଜିଣ ଗଉରୋବ ଉପେକ୍ଷି ।୯୦।
ମାତଙ୍ଗ ପର୍ବତ ଜାଣି ଭୀମସେନ ଶରୀର
ଭୁବି ଭୁବନ କମ୍ପିଲା ଯାହାର ପାଦଭର ।୯୧।
ଦ୍ରୋଣ ଗୁରୁ ଦେଖିଲେ ପବନର ନନ୍ଦନ
ଭୀଷ୍ମେ ବୋଇଲେ ଦ୍ରୋଣ ବିଜେ କଲା ଭୀମସେନ ।୯୨।
ଶତଶଙ୍ଗି ପର୍ବତ ତୁଟିଲା ଯାହାର ପାଦଲାଗି
ବନସ୍ତ କଷ୍ଟ ସୁମରି ଧାମଇ ମହାରାଗୀ ।୯୩।
ମୂର୍ଖ ଅଗ୍ୟାଂନ ୟେ ଦୁର୍ଭାର ଦୁଷ୍ଟ ମନ୍ଦ
ଜିଣିପାରିବା ଟିକି ୟେହାର ତୁଲେ କଲେ ଦ୍ୱନ୍ଦ ।୯୪।
ଦ୍ରୋଣେ ବୋଇଲେ ଆମ୍ଭେ ସାଂଗ୍ରାମେ ନ କଲେ
ଦ୍ରିଯୋଧନ କୋପ କରିବନା ୟେହି ମତେ ବାହୁଡ଼ିଲେ ।୯୫।
ଭୀଷ୍ମ ଦ୍ରୋଣ ଦ୍ରିଯୋଧନକୁ ଆବୋରି ହୋଇଛନ୍ତି ଆଗେ
ଧାମଇ ମାରୁତି ଯେ ପବନହୁଂ ଅତି ବେଗେ ।୯୬।
ନୟନ ବିକାଶିଲା ରକତ କୁମୁଦ ଦୃଷ୍ଟି
କୋପେଣ ପାଣ୍ଡବ ଲୋହାର ବେନି ଗଦା ଘେନି ପିଟି ।୯୭।
ଭୀଷ୍ମେ ଚଢ଼ିଥିଲେ ରୂପା ରଥ କଣୟ ଛାୟେଣି
ଗଦା ବିଘାତେ ଭଗ୍ନ କଲା କାଳ ଦଣ୍ଡ ପାଣି ।୯୮।
ଭୀଷ୍ମଙ୍କର ରଥ ଯହୁଂ ଭାଜି ଚୂର ଗଲା
ଆରକେ ରଥ ଚଢି ପୁଣିହିଂ ଆବୋରିଲା ।୯୯।
ୟେକ ମୁଖ ହୋଇଣ ଭୀଷ୍ମ ଦ୍ରୋଣ ବେନି ଯୋଧୀ
ଅବିଚ୍ଛନ୍ନେ ବାଣ ଘେନି ଭୀମସେନ ଉପରକୁ ବିନ୍ଧି ।୧୦୦।
ଯେସନେକ ଜଳ ପର୍ବତୁଂ ପଡ଼ଇ ଖସି
ମାରୁତିର ଶରୀରେ ଜୁଳୁଜୁଳା ପୋକ ପ୍ରାୟେ ଦିଶି ।୧୦୧।
ଭାଷ୍ମ ଦ୍ରୋଣଙ୍କର ଶହସ୍ରକୁ ତାର କିଛି ନାହିଂ ଭୟେ
ଶହସ୍ରେ ପଡ଼ି ଚୂର ହୋଉଛନ୍ତି ପର୍ବତେ ଟେଳା ପ୍ରାୟେ ।୧୦୨।
ଦୁସହ କଟାଳ ଦେଖି ପାଣ୍ଡବ ମହାତେଜୀ
କୋପେଣ ଭୀଷ୍ମଙ୍କର ରଥ ଧଇଲା ଗଳଗାଜି ।୧୦୩।
ଭୁଜଦଣ୍ଡେ ତୋଳି ରଥ କୋପେଣ ବୁଲାଇ
ଦ୍ରୋଣଙ୍କର ରଥେ ତାହା କଚାଡ଼ିଲା ନେଇ ।୧୦୪।
ଭାଞ୍ଜିଣ ବେନି ରଥ ହୋଇଲା ଭଗନସ୍ତି
ଅସାଷ୍ଟମ ହୋଇ ପଡ଼ିଲେ ବେନି ମହାରଥୀ ।୧୦୫।
ଦୂରେ ରହି ଦେଖି କ୍ରୋଧ କରଇ ମାନଗୋବିନ୍ଦ
କିମର୍ଥେ ବୁଡ଼ାଇଲି ମୁଂ ୟେତେକ ସମ୍ପଦ ।୧୦୬।
କର୍ଣ୍ଣ ଅଶସ୍ତମା କୃପ ଭୂରିସର୍ବା ଶଲ୍ୟ
ବିନା କାର୍ଯ୍ୟେ ଦେହ ଗଞ୍ଜାଇଲେ ମହା ମହାମଲ୍ଲ ।୧୦୭।
ଶଙ୍କୁନି ଆଦି କରି ଭୀଷ୍ମ ଦ୍ରୋଣ ପଡ଼ିଲେ
ୟେତେକ ବିପଦ ମୋତେ କେଉଣ ପୁରୁଷ ବିହିଲେ ।୧୦୮।
ଶତେଭ୍ରାଥ ଘେନି ମୁଂ ପ୍ରାଣ ପାଇଲି ଯେ ଧର୍ମେ
ବୁଡ଼ାଇଲି ରାଜ୍ୟେ ମୁହିଂ କେବଣ ବିଧାତାର କର୍ମେ ।୧୦୯।
ଭୀଷ୍ମ ଦ୍ରୋଣଙ୍କୁ ଆକ୍ରେଷି ଅଛି ଭୀମ ଊର୍ଦ୍ଧ୍ୱବାହୁ
ଦ୍ରିଯୋଧନ ବିଚାରଇ ୟେ ପ୍ରତକ୍ଷେ ଅଟେ ରାହୁ ।୧୧୦।
ଗଦା ପିଟନ୍ତେ ନେଇ ଦ୍ରୋଣଙ୍କ ଉପରେ
ଅର୍ଜୁନ ନକୁଳ ସହଦେବ ଆସି ଧଇଲେ ତିନି ବୀରେ ।୧୧୧।
ଅର୍ଜୁନ ବୋଇଲା ରହ ରହ ଗୋସାଇଂ
ୟେହାଙ୍କୁ ନାଶ କରିବାକୁ ଠାକୁରଙ୍କର ଆଗ୍ୟାଂ ନାହିଂ ।୧୧୨।
ଅର୍ଜୁନ ବୋଇଲେ ସ୍ୱାମୀ ମନେ କିମ୍ଫେ ନଭାଳ
ପିଅର ଗୁରୁ ୟେମାନେ କିମ୍ପେ ଧର୍ମକୁ ନ ପାଳ ।୧୧୩।
ଅର୍ଜୁନ ବଚନେ ଭୀମସେନ ଶାନ୍ତି କଲା କୋପ
ସାଷ୍ଟମ ହୋଇ ଦ୍ରୋଣ ବୋଇଲେ ସାଧୁ ସାଧୁ ମୋହୋର ବାପ ।୧୧୪।
ତବ ଜୀବନ ଧନି ପିତା ତୁମ୍ଭର ଧନି
ଧନି ଧନି ସାଧବୀ ଅଟଇ ତୁମ୍ଭର ଜନନୀ ।୧୧୫।
ଅନେକ ପ୍ରଶଂସା ଯହୁଂ କରନ୍ତି ଭୀଷ୍ମ ଦ୍ରୋଣେ
ନମସ୍କାର କରି ବାହୁଡ଼ିଲେ ଚାରି ଜଣେ ।୧୧୬।
ଶାଲୁ ପୁଣ୍ଡରୀକ ଦମଘୋଷ ଋକ୍ମଣ ଶିଶୁପାଳ
ୟେମାନେ ରହିଅଛନ୍ତି ଆବୋରିଣ ବଳ ।୧୧୭।
ଭୀମସେନ ଧାମଇଂ ତାହାଙ୍କ ଉପରକୁ
ସିଙ୍ଘ ଦେଖି ଯେହ୍ନେ ପୟେଡ଼ ପଡ଼ଇ ବନଜୀବମାନଙ୍କୁ ।୧୧୮।
ବିକଟ ଦୃଷ୍ଟି ଦେଖି ପଳାନ୍ତି ଥାଠ ଭାଞ୍ଜି
ପଞ୍ଚୁ ରାୟେ ୟେକ ହୋଇ ନାରାଜ ବିନ୍ଧିଲେ ଗଳଗାଜି ।୧୧୯।
ଶସ୍ରକୁ ବ୍ରିକୋଦର ନକରଇ କିଛି ଭୟେ
ପାଞ୍ଚରାଜାଙ୍କର ଶର ଛେଦଇ ଧନୁର୍ଜୟେ ।୧୨୦।
ଭୀମସେନ ଗଦାପିଟେ କରି ଘୋର ରଡ଼ି
ବେଳ ହୋଇଲାନି ଆସି ଚତୁର୍ଦ୍ଦଶ ଘଡ଼ି ।୧୨୧।
ଗୋଳଯୁଦ୍ଧ ହୋଇଲାନି ରାତ୍ର ଘେନି ତିନି ଯେ ଦିବସ
ନାରାଜ ବିନ୍ଧି ନପାରନ୍ତି ଜନେ ନିରାଶ ଉପବାସ ।୧୨୨।
ଭୀମ ଅର୍ଜୁନର ସାଂଗ୍ରାମେ ଶାନ୍ତି ନାହିଂ
ଅନ୍ୟେଣ ଇଚ୍ଛା ନାହିଂ ସାଂଗ୍ରାମେ ଝାସ ଦେଇ ।୧୨୩।
ୟେସନେକ ମହିମା ପାଣ୍ଡବ ପଞ୍ଚାଣ
ପଞ୍ଚଚାଳିଶ କ୍ଷଉଣୀ ବଳେ ପଶି କଲେ ମହାରଣ ।୧୨୪।
ମେରୁ ପ୍ରତିକ୍ଷଣେ ବିଜୟେ ଦିନକର
ଉଦେ ନାଥ ଅସ୍ତ ଯେ ହୋଇଲା ଅନ୍ଧାର ।୧୨୫।
ଭୀଷ୍ମ ଦ୍ରୋଣେ ପଳାବନ୍ତି ଶ୍ରୋଣିତ ବର୍ଣ୍ଣ ଅଙ୍ଗ
କିଂଶୁକ ପୁଷ୍ପ ଜାଣି ଦିଶନ୍ତି ବିରଙ୍ଗ ।୧୨୬।
ଦ୍ରିଯୋଧ ନରହିଥିଲା ଯୋଜନେକ ଅନ୍ତରେ
ଭୀଷ୍ମ ଦ୍ରୋଣେ ପ୍ରବେଶ ହୋଇଲେ କୁରୁନାଥ ଛାମୁରେ ।୧୨୭।
ଗଙ୍ଗାକୂଳେ ପର୍ବତ ଗୋଟିୟେ ନାମ ରଣଜୟେ
ଭଗ୍ନବଳ ଘେନି ତହିଂ ରହିଛି କୁରୁରାୟେ ।୧୨୮।
ୟେଣେ ଗହଳ ଧନ୍ଦୋଳ କହି ତ କି ପାରି
ବ୍ରହ୍ମାଣ୍ଡ ଉଛୁଳୁ ଅଛି ଭୀମସେନର ଘୋର ରଡ଼ି ।୧୨୯।
ଭୀଷ୍ମ ଦ୍ରୋଣେ ବୋଇଲେ ହୋ ୟେଥି ନଥିବା
ବନଗହନ ଭିତରକୁ ଚାଲ ଅପସରି ଯିବା ।୧୩୦।
ସେ ଥାଠ ଭାଞ୍ଜି ଆସିବ ଆମ୍ଭର କତିକି
ନପାରିବା କେହି ରହି ସବୁ ବୁଡ଼ାଇବା ନିକି ।୧୩୧।
ତହୁଂ ଘୁଞ୍ଚି ବନସ୍ତେ ପଶିଲେ କୁରୁରାୟେ
ଜାରାର ଥାଠ ପଳାଇ ନପାରନ୍ତି ଗଦା ଘାୟେ ।୧୩୨।
କାହାର ଅଙ୍ଗ ଭାଞ୍ଜି ଅଛି କାହାର ଚରଣ ଛୋଟା
ଗଜ ଅଶ୍ୱ ଚଳି ନିଆରନ୍ତି ସବୁହେଂ ଶର ଫୁଟା ।୧୩୩।
କଦଳୀବନେ ଯେହ୍ନେ ପଶିଲା ମତ୍ତନାଗ
ଖଗେଶ୍ୱରେ ଦେଖି ବିମ୍ୱରେ ଯେହ୍ନେ ପଶଇ ଉଡ଼ଙ୍ଗ ।୧୩୪।
ବିଶେଷେଣ ମହାମତ୍ତ ଆବର ନିଶାକାଳ
ଭାଞ୍ଜିଲା ଦମନ ବଳ କରିଣ ମହାଗୋଳ ।୧୩୫।
କେ ପର କେ ଅପର ଅଟଇ ଆପଣା
କେ ଶତ୍ରୁ ମିତ୍ର ବୋଲି ନହେଲା କଳଣା ।୧୩୬।
ପୟେତର ଘାୟେ ଲିଭିଲା ଦିହୁଡ଼ିର ହୁଳା
ଦୁଗୁଣ ପ୍ରହାର କଲା ପବନର ବଳା ।୧୩୭।
ଅର୍ଜୁନର ସାଂଗ୍ରାମ କହିତ କି ପାରି
ଉଭୟ ମୁଖେ ସେ ସନ୍ୟନ୍ତ ସାଂଗ୍ରାମେଣ ମାରି ।୧୩୮।
ବିରଥବିଶହସ୍ରସାଂଗ୍ରାମେ ଦିଅଇ ପିଠି
ନ ମାରଇ ରଣେ କଇଚ୍ଛା ଜଗଜ୍ଜେଠି ।୧୩୯।
ଭୀମସେନ ସଇନ ମାଇଲା ବହୁତ
ଦୁଇ ହସ୍ତେ ଧରି ପିଟଇ ରଥେ ରଥ ।୧୪୦।
ବଜ୍ରଲାଭ ରଥ ଶତେ ନଳ ଆୟତନ
ଅହିବ୍ରତେକ ଶାର୍ଦ୍ଦୋଳ ଯୋଚିଲା ଅଛି ବିଦ୍ୟମାନ ।୧୪୧।
ଦଶ ଲକ୍ଷ ଭାର ପାଣିଦ୍ରବ୍ୟ ଲାଗିଥିଲା
ସେ ରଥ ଫିଙ୍ଗିଦିଲା ଯୁଣେକ ପଡିଲା ।୧୪୨।
ରଥ ଭଗ୍ନ ଦେଖି ଭୀଷ୍ମ ଦ୍ରୋଣେ ପଳାଇଲେ
ଆବର କେବଣ ବାପୁଡ଼ା ରହିବ ତାହାର ଛାମୁରେ ।୧୪୩।
ଯେସନେକେ କ୍ଷୀର ସିନ୍ଧୁ ମନ୍ଥିଲା ମନ୍ଦର
କାଳଦଣ୍ଡ ଘେନି ବିଜୟେ କି ନାଶକର ।୧୪୪।
ଦୁସହ ସାଂଗ୍ରାମେ ପଶିଲେ ଚାରି ଭାଇ
ସନ୍ୟ ବଳ ନମାରନ୍ତି ଠାକୁରଙ୍କ ଆଗ୍ୟାଂ ନାହିଂ ।୧୪୫।
ୟେକା ବ୍ରିକୋଦର ମାଇଲା ଅନେକ ସଇନି
ଶହସ୍ର ପକାଇଂ ସଇନି ଦନ୍ତେ ତିରଣ ଘେନି ।୧୪୬।
ରଥ ଗଜ ଅଶ୍ୱ ଛାଡ଼ିପଳାନ୍ତି ମହା ଦୁଖେ
ରଖ ରଖ ସ୍ୱାମୀ ବୋଲି ଦଶନହ ଭରି ମୁଖେ ।୧୪୭।
ନିର୍ଦ୍ଦୟ ନିରାପକ୍ଷ ଯାହାର ଶରୀର
ଶରଣ ବୋଇଲେ ଦୁଗୁଣ କରଇ ପ୍ରହାର ।୧୪୮।
ଅର୍ଜୁନ ବଇକୁଲ୍ୟ ସନ୍ୟର କଷ୍ଟ ଦେଖି
ସ୍ୱାମୀ ୟେହାନ୍ତ ମାଇଲେ କି ହେବ ସଭିହେଂ ନିରିମାଖି ।୧୪୯।
ତିନିନ୍ତ ଠେଂସି ବୀର ମହା ଯୁଦ୍ଧ କଲା
ପଞ୍ଚଦଶ ଯୋଜନ ଯାୟେ ପାୟେଡ଼ା ପଡିଲା ।୧୫୦।
ଦମନକ ଶାଲୁ ପୁଣ୍ଡରୀକ ଶିଶୁପାଳ ରୁକ୍ମଣ
ୟେକା ପ୍ରହାରକେ ବିରଥୀ ହୋଇଲେ ପାଞ୍ଚଜଣ ।୧୫୧।
ଦମନକ ଶାଲୁ ପୁଣ୍ଡରୀକ ରୁକ୍ମଣ ଶିଶୁପାଳ
ବେନି ହସ୍ତେ ଧଇଲା ପାଞ୍ଚଙ୍କର ବାଳ ।୧୫୨।
ଆକ୍ରେଷିଣ ଆଣୁ ଅଛି ପବନର ବାଳେ
ଊର୍ଦ୍ଧ୍ୱବାହୁ କରି ଆଣନ୍ତେ ଚରଣ ନ ପଡ଼ଇ ତଳେ ।୧୫୩।
ଯୁଝେଷ୍ଠି ଦେବ ବିଜେ କରିଅଛନ୍ତି ଦକ୍ଷିଣ ଜଗତୀ ଉପରେ
ସନ୍ନିଧ୍ୟେ ପ୍ରବେଶ ହେଲେ ଯାଇଂ ଚାରି ବୀରେ ।୧୫୪।
ମକର ମାସ କୃଷ୍ଣ ପକ୍ଷ ଦଶମୀ ଦିନର
ଚନ୍ଦ୍ର ଦେବତା ଉଦେ ହୋଇ ଅଛି ଅଢାଇ ପ୍ରହର ।୧୫୫।
ଯୁଝେଷ୍ଠି ଦେବ ଦେଖିଲେ ଭୀମସେନର ମୂରତି
ଜଗତୀ ଉପରୁ ଓହ୍ଲାଇ ଅଇଲେ ତଡ଼ତି ।୧୫୬।
ପ୍ରଣପତ୍ୟ ହୋଇ ସୁତିଲେ ଚାରିଭ୍ରାଥେ
ଦେଖିଲେ ପାଞ୍ଚ ଜଣଙ୍କ କେଶ ଭୀମସେନ ହାଥେ ।୧୫୭।
ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ପଣ୍ଡାୟେ
ଛାଡ଼ି ଦିଅ ପଳାନ୍ତୁ ୟେ ପାଞ୍ଚ ରାଜାୟେ ।୧୫୮।
ଆମ୍ଭେ ବ୍ରାହ୍ମଣ ଆମ୍ଭର କିସ ହତ୍ୟାବାଦୀ
ବେଦ ଶାହାସ୍ରେ ଆମ୍ଭର ଶରୀର ସମ୍ପାଦି ।୧୫୯।
ସେ ପାଞ୍ଚରାଜାନ୍ତ ଗଳାଇ ଦିଲା ଜାନୁ ତଳେ
ଛାଡ଼ିଲା ମାତ୍ରକେ ପଳାଇଲେ ପ୍ରାଣର ବିକଳେ ।୧୬୦।
ସେ ଭଗ୍ନବଳ ପଳାଇ କୁରୁ ଥାଠେଣ ପଶି
ପଳାନ୍ତି ସମସ୍ତେ ରହିତ ନୁଆରନ୍ତି ଭରସି ।୧୬୧।
ୟେକକୁ ଆରକେ କେହି ପ୍ରତେ ନାହିଂ ରାୟେ
ଅସମ୍ଭାଳେ ପଳାବନ୍ତି କେହି ନେଉଟି ନଚାହାନ୍ତି ଭୟେ ।୧୬୨।
ୟେ ପାଞ୍ଚରାଜାୟେ ଯେ ଗଲେକ ପଳାଇ
ରଜନୀ ପ୍ରଭାତେ ଥାଠେ ଭେଟିଲେକ ଯାଇଂ ।୧୬୩।
ମନ୍ଦାଅଗ୍ନି ନଦୀ ତୀରେ ରହି ଅଛନ୍ତି ସଇନି
ସନ୍ନିଧ୍ୟେ ପ୍ରବେଶ ହୋଇଲେ ନିଜଆତ୍ମା ଘେନି ।୧୬୪।
ଦ୍ରିଯୋଧନ ରାଜା ତହିଂ ନିତ୍ୟକର୍ମ ସାରି
ବନସ୍ତେ ପଶି ସଇନି କନ୍ଦମୂଳ ଆହାର କରି ।୧୬୫।
ସଇନି ସମୀକ୍ଷା କରନ୍ତି ରାଜାମାନେ
କାହାର ପାଆକ ପଡିଲା କାହାର ଦୁଇ ଭାଗ ନିଧନେ ।୧୬୬।
ଦ୍ରିଯୋଧନ ରାଜାର ଯେ ଅଷ୍ଟାଦଶ କ୍ଷଉଣୀ
ସାତ କ୍ଷଉଣୀ ପଡ଼ିଲେ ପଳାଇଲେ ୟେଗାର କ୍ଷଉଣୀ ।୧୬୭।
ଯେତେକ ସଇନି ଅଇଲେ ଉବୁରି
ସାଷ୍ଟମ ହୋଇ ଆତ୍ମା ନାହିଂନା କାହାରି ।୧୬୮।
ଦ୍ରିଯୋଧନ ପୁଚ୍ଛାକଲା ସେ ପାଞ୍ଚରାଜାନ୍ତି ରାଇ
ତୁମ୍ଭନ୍ତୁ ଯେ ବ୍ରାହ୍ମଣ ଧରିନିଲା ଛାଡିଲା କିସ ପାଇଂ ।୧୬୯।
ରୁକ୍ମଣ ବୋଇଲା ସ୍ୱାମୀ ଶୁଣିମା ଧୃତିରାଷ୍ଟି
ଆମ୍ଭନ୍ତ ଆବୋରିଲା ତାହାର ଭାଇ ଗୋଟି ।୧୭୦।
ଦୁର୍ଭାର ଦିଜବର ସେ କଇଚ୍ଛା ଜଗଜ୍ଜେଠି
ଧର୍ମ ବଳେ ନ ମୋଡ଼ିଲା ସେ ପାଞ୍ଚଙ୍କର ମୁଣ୍ଡ ଗୋଟି ।୧୭୧।
ତାହାଙ୍କର ପିଅର କି ସେ ଜ୍ୟେଷ୍ଠ ଭ୍ରାଥ ବ୍ରାହ୍ମଣେକ ଅଛି
ମହା ଭିଗ୍ୟଂବନ୍ତ ସେ ୟେହାନ୍ତ କଲା ବାଚି ।୧୭୨।
ଛାଡ଼ହେ ପଣ୍ଡାୟେ ବୋଲି ଦୟା ଭାବ କଲା
ତାହାର ବଚନେ ସେ ଆମ୍ଭନ୍ତ ଛାଡ଼ିଦିଲା ।୧୭୩।
ଦ୍ରିଯୋଧନ ବୋଇଲା ୟେହା ନଗଲା ବୁଝି ତ
ଭିକ୍ଷୁକ ବ୍ରାହ୍ଣଣ ହୋଇ କାହୁଂ ହୋଇଲା ୟେମନ୍ତେ ।୧୭୪।
ଭୀଷ୍ମେ ବୋଇଲେ ତୁ ରାଜାଧିରାଜ ଶିରୋମଣି
ୟେତେବେଳ ପରିଯନ୍ତେ କିମ୍ପେ ତାହାନ୍ତ ନ ଚିହ୍ନି ।୧୭୫।
ପୁଣ ପୁଣ ଗାଙ୍ଗେବନ୍ତ ପୁଚ୍ଛେ ଦ୍ରିଯୋଧନ
ସେ କେଟି ତାହାଙ୍କୁତ ନାହିଂ ମୋର ଗ୍ୟାଂନ ।୧୭୬।
ରାଜାର ବଚନେ କହନ୍ତି ଗଙ୍ଗାର ନନ୍ଦନ
ଯାହା ତୁ ପଚାରିଲୁ ଶୁଣ ହୋ ଦ୍ରିଯୋଧନ ।୧୭୭।
ଇନ୍ଦ୍ର କି ଗୋବିନ୍ଦ କହ ଅର୍ଜୁନ ୟେ ତିନି
ଆମକେ ଜିଣନ୍ତା ନାହିଂ ଲକ୍ଷେ ରାଜାର ସଇନି ।୧୭୮।
ଇନ୍ଦ୍ର ଦେବତାର ଆମ୍ଭେ ନୋହୁନା ବଇରି
ଅର୍ଜୁନ ଲେଖା ୟେ ତ ପିତାମହ ଆମ୍ଭରି ।୧୭୯।
ଆମ୍ଭର ଗଦାଗୁରୁ ଅଟନ୍ତି ବଳଭଦ୍ରେ
ତାହାଙ୍କ ଦେଖନ୍ତେ ଆମ୍ଭଙ୍କୁ ଦୟା କରନ୍ତି ଗୋବିନ୍ଦେ ।୧୮୦।
ପାଣ୍ଡବ ତ ମଲେ ଜଦୁର ଘରେ ଜଳି
ଆମ୍ଭନ୍ତ ଜିଣିମାକୁ କେ ସାମର୍ଥ ଅଛି ଆନେ ଭଳି ।୧୮୧।
ଭୀଷ୍ମେ ବୋଇଲେ ବାବୁ ବୁଡ଼ିଲା ତୋହୋର ଗ୍ୟାଂନ
ଲାଖ ଯେ ବିନ୍ଧିଲା ସେହୁ ପ୍ରତକ୍ଷେ ଅରଜୁନ ।୧୮୨।
ବେନି ବୃକ୍ଷ ବୁଲାଇ ଯେ ଧାଇଂଲା ପ୍ରଥମେ
ପବନର ନନ୍ଦନ ସେ ଯେ ପାଣ୍ଡବ ଭୀମସେନ ।୧୮୩।
ତାହାର ପଛେ ଯେ ବେନି ବୃକ୍ଷ ଧରି କରେ
ନକୁଳ ସହଦେବ ସେ ମାଦ୍ରୀର କୁମରେ ।୧୮୪।
ଯୁଝେଷ୍ଠି ମାତ୍ର ନ ଥିଲେ ତାହାଙ୍କର ତୁଲେ
ଚାରିପାଣ୍ଡବେ ଲକ୍ଷେ ରାଜାନ୍ତ ଜିଣିଲେ ।୧୮୫।
ଦ୍ରିଯୋଧନ ବୋଇଲା ୟେ ତ ଅତି ଅଗୋଚର
ପଞ୍ଚୁପାଣ୍ଡବେ କୋଇନ୍ତାୟେ ମଲେ ଜଦୁର ଘର ।୧୮୬।
ପ୍ରତେକ୍ଷ ଦେଖିଲୁ ସାତ ଜଣ ମଲା
ପୁରଞ୍ଚନ ସହିତେ ପ୍ରତେକ୍ଷ ନାଶଗଲା ।୧୮୭।
ଭୀଷ୍ମେ ଦ୍ରୋଣେ ବୋଇଲେ ସେମାନେ ସର୍ବ ମିଥ୍ୟା
ପୁରଞ୍ଚନ ନାଶ ଗଲା ସେହି ସେ ସତ କଥା ।୧୮୮।
କହିଲେ ଶଙ୍କୁନି ଧୁଶାସନ କର୍ଣ୍ଣ ଶଲ୍ୟ
ଆଦ୍ୟହୁଂ ଜାଣୁନି ନା ତୁମ୍ଭେ କୁରୁବଳଙ୍କୁ ନକହ ଭଲ ।୧୮୯।
ଜଦୁର ଘରେ ଯେ ପ୍ରତକ୍ଷେ ନାଶଗଲେ ପାଣ୍ଡବେ
ସୋଦ୍ରିମା ପଣ ତୁମ୍ଭେ ନ ଛାଡ଼ କେବେହେଂ ଗାଙ୍ଗବେ ।୧୯୦।
ଦ୍ରୋଣଙ୍କୁ କହନ୍ତି ୟେ ଲାଘବ ଚରିତ
ମରନ୍ତା ଲୋକଙ୍କୁ ୟେହାଙ୍କର ଶୋଗ ଯେ ବହୁତ ।୧୯୧।
ପ୍ରଶୁରାମ ଅବା ଦୟା କଲେ ଅନୁରାଗେ
ଯେ ସେ ଭିକ୍ଷାଶୀ ସେହି ସେ ତହିଂର କସଂଯୋଗେ ।୧୯୨।
ଗୁରୁ ତୋଷି ଅବା ବିଦ୍ୟା ପାଇଲେ
ବ୍ରାହ୍ମଣ ଜନମୁ କି ଆନ ଜନମ ହୋଇଲେ ।୧୯୩।
ଭୀଷ୍ମେ ବୋଇଲେ ବାବୁ ଆମ୍ଭନ୍ତ ଭାଞ୍ଜିଲ
ଦେହ ଗଞ୍ଜାଇଲ ପ୍ରାଣେ ନାଶ ନଗଲ ।୧୯୪।
ଅଜାତଶତ୍ରୁ ସେ ଯେ ଧର୍ମରାଜ ଯୁଝେଷ୍ଠି
ତାହାଙ୍କର ବଚନ ଅଲଙ୍ଘିତ ସେ ଭାଇ ଚାରିଗୋଟି ।୧୯୫।
ତେଣୁ କରି ନାଶ ନକଲେ ତୁମ୍ଭନ୍ତ ରଣେ
ଜନ୍ମ କଳଙ୍କ ଘେନି ତୁମ୍ଭେ ହୋଇଲ ଜଣେ ଜଣେ ।୧୯୬।
ଆରେ ମନ୍ଦ ମତ୍ତ ଗର୍ବ ଭାବେ ତୁମ୍ଭେ ବୁଡାଇଲ ଆମ୍ଭନ୍ତ
ୟେହି ଦିନା ଦୁଇ ଚାରିରେ ଜାଣିମାନା ସତ ମିଛ ତଦନ୍ତ ।୧୯୭।
ଭଗ୍ନବଳ ଘେନି ଚଳଇ ମାନଗୋବିନ୍ଦ
ପାଞ୍ଚାଳୀକି ଦେଖି ଯୁଝେଷ୍ଠି ଅନେକ ସାନନ୍ଦ ।୧୯୮।
ଯାହା ସେ ବୋଇଲେ ବ୍ୟାସ ମହାମୁନି
ମହତଙ୍କର ବାକ୍ୟ ଘେନି ଲଭିଲୁ ଯିଘ୍ନସେନୀ ।୧୯୯।
ମଦନଗିରି ପର୍ବତେ ସଇନି ନିବ୍ରତ କଲା
ଦ୍ରୋପଦ ପୁଅଙ୍କର ଚିହ୍ନ ବର୍ଣ୍ଣ ନଦିଶିଲା ।୨୦୦।
ଭୀମସେନ ବୋଇଲା ଦେବ ଦ୍ରୋପତୀ ଘେନିଣ ସଙ୍ଗରେ
ଚାଲ ବିଜେ କରିବା ଦ୍ରୋପଦ ଜଗତୀ ଉପରେ ।୨୦୧।
ତେବେ ସେ ଦ୍ରୋପଦର ଜାଣିମାନା ତଇଥ
ଯୁଝେଷ୍ଠି ଦେବେ ବୋଇଲେ ବାବୁ ନୋହୋଇ ୟେମନ୍ତେ ।୨୦୨।
ଆରେ ଆମ୍ଭେ ଅଇଲାଇ ବିପତ୍ତିର କାଳେ
ଦୃଗତି ବଞ୍ଚି ରହିଲାଇ ବାବୁ କୁରାଳର ଶାଳେ ।୨୦୩।
ସମ୍ପଦର କାଳେ ଆନଠାବେ କିମ୍ପେ ଯିବା
ସେହି କୁରାଳ ଶାଳେ ରହି ହୋଇବାକ ବିଭା ।୨୦୪।
ବିପଦର କାଳେ ଆମ୍ଭନ୍ତ ଠାବ ଦିଲା ଚକ୍ରୀ
ମୁକତ ହୋଇବନା ଆମ୍ଭର ବିଭା ଦେଖି ।୨୦୫।
ପାଣ୍ଡବେ ପାଞ୍ଚେହେଂ କେଶିନୀ ଦ୍ରୋପତୀ
ବଇଡୁର୍ଯ୍ୟ ପର୍ବତରେ ବସିଣ ଭାଳନ୍ତି ।୨୦୬।
ଲକ୍ଷେକ ନୃପତି ଭଗନସ୍ତେ ପଳାଇଲେ
ସଭିୟେଂ ୟେକ ହୋଇ ଲେଉଟନ୍ତି ବୋଲି ବାଟ ନିରୋଧିଲେ ।୨୦୭।
ଆମ୍ଭର ଥାଉଂ ପ୍ରମାଦ ପଡିବ କି ଦ୍ରୋପଦକୁ
ଦୋହିତା ଗୋଟି ଦେଇ ସମର୍ପି ହୋଇଲା ଆମ୍ଭଙ୍କୁ ।୨୦୮।
କେଶିନୀ ବୋଇଲା ତୁମ୍ଭେ ମହତ ପଞ୍ଚୁଜନେ
ଲକ୍ଷେକ ନୃପତି ଜିଣିଲ ତୁମ୍ଭେ ବିଦ୍ୟମାନେ ।୨୦୯।
ପୁତ୍ରନ୍ତ ଘେନ କେଣେ ପଳାଇଲେ ଦ୍ରୋପତ
ଅନେକ ବିକଳ ହୋଉଛନ୍ତି ଲୋଡ଼ିଣ ତୁମ୍ଭନ୍ତ ।୨୧୦।
ଚାଲ ଚାଲ ସ୍ୱାମୀ ଆମ୍ଭେ ନିଜ ଭୁବନକଇ ଯିବା
ପାଞ୍ଚାଳ ଦେଶ ରାଜାର ଦୋଷ ନଧରିବା ।୨୧୧।
ସ୍ୱାମୀ ଦ୍ରୋପତୀ ଜାତ କଲା ଯହିଂର ନିମନ୍ତେ
କାଳେ ସୁକାର୍ଯ୍ୟ ଲଭିଲା ଦ୍ରୋପଦ ନୃପତ୍ୟେ ।୨୧୨।
ଯୁଝେଷ୍ଠି ବୋଇଲେ ଆମ୍ଭେ ଅଟୁ ଯେ ଭିଖାରୀ
ଆମ୍ଭନ୍ତ ଦେବ ବୋଲିକି ଦ୍ରୋପଦ ସଞ୍ଚିଲେ କୁମାରୀ ।୨୧୩।
କେଶିନୀ ବୋଇଲା ମୁଂ ଜାଣଇ ୟେଥିରେ ଭାବ
ତୁମ୍ଭନ୍ତ ବୁଝଇ ମୁହିଂ ପଞ୍ଚୁ ଯେ ପାଣ୍ଡବ ।୨୧୪।
ଦ୍ରୋପଦ ରାଜାକୁ ଯେବେ ଦ୍ରୋଣେ ଧରି ନେଲେ
ଅର୍ଜୁନର ହାଥେ ନେଇ ବନ୍ଦୀ କରାଇଲେ ।୨୧୫।
ଅନମିତ୍ତେ ଅପମାନ ଦିଲାକ ଦ୍ରିଯୋଧନ
ତାହାର ଅଭିମାନେ ରାୟେ ଖଟିଲା ତ୍ରିଲୋଚନ ।୨୧୬।
ଅଠର ବରଷେ ପ୍ରସନ୍ନ ହୋଇଲେ ଧୃଜଟୀ
ଦ୍ରୋପଦ ବୋଇଲେ ମୋତେ ଦେବା ଦୋହିତା ୟେକ ଗୋଟି ।୨୧୭।
ମୁହିଂ ତାହା ପ୍ରଦାନ କରିବି ଅର୍ଜୁନକୁ
ତାହାର ହାଥେ ନଶାଇବି କୌରବଙ୍କୁ ।୨୧୮।
ଈଶ୍ୱରେ ଆଗ୍ୟାଂ ଦିଲେ ବ୍ୟାସ ଦୁର୍ଭାସାଙ୍କୁ
କନ୍ୟା ଗୋଟିୟେ ତୁମ୍ଭେ ଉପୁଜାଇଂ ଦିଅ ଦ୍ରୋପଦଙ୍କୁ ।୨୧୯।
ସ୍ୱାମୀର ଆଗ୍ୟାଂୟେ ମହା ମୁନି କଲେ ଯାଗ
ଶିଖଣ୍ଡୀ ଧୃଷ୍ଟଦୃମନ ସେ ଜାତ ହୋଇଲେ ଆଗ ।୨୨୦।
ପଛେଣ ଜାତ ହୋଇଲେ ୟେହୁ ଯିଘ୍ନସେନୀ
ପାଣ୍ଡବେ ଜଦୁର ଘରେ ଦହନ ହୋଇଲେ ଶୁଭିଲାକ ଧୁନି ।୨୨୧।
ବ୍ୟାସଙ୍କୁ ପଚାରିଲେ ଯେସନେ କଲେ କଥା ଫୁଟ
ମହା ଲାଖେକ ଭିଆଇ ପାଡ଼ିଲେ ବ୍ୟାସ କୂଟ ।୨୨୨।
ଅର୍ଜୁନହୁଂ ଆନ ୟେହା ନୋହିବ ବିନ୍ଧନ୍ତା
ୟେ ଲାଖ ଯେ ବିନ୍ଧିବ ଦେବଇଂ ତାହାରେ ଦୋହିତା ।୨୨୩।
ୟେସନେକ ଚରିତ ଭିଆଇଲେ ମୁନି ବ୍ୟାସେ
ସୟମ୍ୱର କଲା ରାଜା ତୁମ୍ଭର ପ୍ରତିଆଶେ ।୨୨୪।
ସଦାଶିବର ବାକ୍ୟକେ ଆନ କଲା
ଯାହା ବାଞ୍ଛିଲା ଦ୍ରୋପଦ ତାହା ସେ ପାଇଲା ।୨୨୫।
ଯୁଝେଷ୍ଠି ପୁଛା କଲେ କେଶିନୀ ଅଗ୍ରତେ
ଆମ୍ଭେ ପାଣ୍ଡବେ ବୋଲି ତୁ ଜାଣିଲୁ କେମନ୍ତେ ।୨୨୬।
କେଶିନୀ ବୋଇଲା ଯେ ଆଦି ଅବତାରେ
କେତୁକା ନାମ ୟେହାର ଆଦି ସତ୍ୟ ଯୁଗରେ ।୨୨୭।
ମୋହୋର ନାମ ସେ ଅଟଇ ଉଗ୍ରତାରା
ଦାସୀ ପଣେ ଖଟଇ ମୁଂ ୟେହାର ମନୋହରା ।୨୨୮।
ଦୁତୀୟ ଜନମେ ୟେ ୟେକ ବଳା ପାର୍ବତୀ
ମୋହୋର ନାମ ଦେବ କାଉଂରୀ ମାଳତୀ ।୨୨୯।
ଜନ୍ମେ ଜନ୍ମେ ମୁଂ ୟେହାର ପରିବାରୀ ଅଟଇ
ଭୃତ୍ୟ ସଭାବେ ମୁଂ ୟେହାର ଚରଣେ ଖଟଇ ।୨୩୦।
ତୃତୀୟ ଜନମେ ୟେ ଅଟଇ ଶଚୀଦେବୀ
ମୁହିଂ ସେ ପ୍ରିୟମ୍ୱଦା ୟେହାର ଚରଣେ ସେବୀ ।୨୩୧।
ଚତୁର୍ଥ ଜନମେ ୟେ ଦ୍ରୋପତୀ ରୂପେ ଅବତରି
କେଶିନୀ ନାମ ମୋହୋର ମୁଂ ଜନ୍ମେ ଜନ୍ମେ ଭୃତ୍ୟକାରୀ ।୨୩୨।
ତୁମ୍ଭେ ପାଞ୍ଚ ଇନ୍ଦ୍ର ସିନା ଅଟ ୟେକ ମୂରତି
ମୁଂ ତୁମ୍ଭନ୍ତ ଜାଣି ଅଛିନି ତୁମ୍ଭେ ଜନ୍ମେ ଜନ୍ମେ ପତି ।୨୩୩।
ଅନେକ ଜନ୍ମର କଥା ଯହୁଂ କହିଲା କେଶିନୀ
ଯୁଝେଷ୍ଠି ବୋଇଲେ ତୁ ତ ପୂଜାକୁ ଯୋଗ୍ୟ ମାନି ।୨୩୪।
ଅନେକ ଗଉରବେ କଲେ କେଶିନୀକି
ଅପର୍ଣ୍ଣା ବୃନ୍ଦା ଅର୍କ ମେଳେ ଲେଖିଲେ ପାଞ୍ଚାଳୀକି ।୨୩୫।
କନ୍ୟାକୁ ଘେନି ସେ ପଣ୍ଡୁ ପଞ୍ଚୁ ପୁତ୍ରେ
କୁରାଳଶାଳକୁ ଗମନ୍ତି ମାତାଙ୍କର ସମୀପେ ।୨୩୬।
ସେ କନ୍ୟା ଦେଖି ବିଚାରନ୍ତି ଦେବ ଧର୍ମେ
ଲାଖ ବିନ୍ଧିଲା ଅର୍ଜୁନ ବରି ନ ଦିଲା ଜ୍ୟେଷ୍ଠ ଅନୁକ୍ରମେ ।୨୩୭।
ଆମ୍ଭନ୍ତ ସେ କନ୍ୟା ହୋଇବ ଯୁଗତେ
କେମନ୍ତେ ଭିଆଇଛନ୍ତି ବ୍ୟାସ ତପୋବନ୍ତେ ।୨୩୮।
କନ୍ୟାର ଲୋଭେ ଯୁଝେଷ୍ଠି ମନରେ ବିଚାରି
ଯୁଗତେ କନ୍ୟା ହୋଇବ ଆମ୍ଭରି ।୨୩୯।
ଭୀମସେନ ବିଚାରଇ ଅର୍ଜୁନ ଅବା ଲାଖ ବିନ୍ଧିଲା
ଦୁଷ୍ଟ ରାଜାମାନନ୍ତ ଘେନି ମାନଗୋବିନ୍ଦ ଗୋଳ କଲା ।୨୪୦।
ମୁଂ ଯେବେ ସାଂଗ୍ରାମ ନକରି ହୋଅନ୍ତି ତୁନୀ
ଅର୍ଜୁନ ଛାର ଦର୍ପେ କି ଆଣନ୍ତା ଯିଘ୍ନସେନୀ ।୨୪୧।
ମୋହୋର ସେ କନ୍ୟା ହୋଇବ ଯୁଗତେ
ଅର୍ଜୁନ ୟେକଥା ଅବା ଲଙ୍ଘିବ କେମନ୍ତେ ।୨୪୨।
ଯୁଗତେ ଯେବେ ମୋତେ ନଦେବେ କୁମାରୀ
ବଳାତ୍କାରେ ଅବଶ୍ୟ ମୁଂ ନେମଇଂ ଉଛୁଡ଼ି ।୨୪୩।
ସାଂଗ୍ରାମେ ଚାରିହେଂ ତ ନୋହନ୍ତି ମୋତେ ସରି
ପାଞ୍ଚାଳୀକି ଘେନି ରହିବି ପଛେ ହିଡିମ୍ୱିକୀ ବନ ପୁରୀ ।୨୪୪।
ନକୁଳ ବିଚାରଇ ସୁକୁମାର ମୋତେ ଦେଖି
ମୋତେ ସେ ନିଶ୍ଚେ ବରିବ ଶରଦ ଚନ୍ଦ୍ରମୁଖୀ ।୨୪୫।
ସହଦେବ ବିଚାରଇ ମୁଂ ମନ୍ତ୍ରୀ ଚୂଡାମଣି
ମୋତେ ସେ ପ୍ରାପତ ହୋଇବ ଯେ ଦ୍ରୋପଦ ଦୁଲଣୀ ।୨୪୬।
ୟେସନେକ ବିଚାର ଯେ ସବୁଙ୍କର ମନେ
ଯୁଝେଷ୍ଠି ବୋଇଲେ ଆମ୍ଭେ ଲୋଭ କରିବୁଂ କେସନେ ।୨୪୭।
ଆମ୍ଭର ଲୋଭ କଲେ ହୋଇବ ବହୁତ ମନ୍ଦ
ସୋଦରେ କଳଙ୍କ ଲାଗିବ ହୋଇବ ବଡ଼ ଦ୍ୱନ୍ଦ ।୨୪୮।
ମାତାଙ୍କର ଅଗ୍ରତେ କହିବା ଗୋପ୍ୟକରି
ଯେହ୍ନେ ଆଗ୍ୟାଂ ଦିଅନ୍ତି କୁନ୍ତଭୋଜର କୁମାରୀ ।୨୪୯।
ରାତ୍ର ଯେ ହୋଇଅଛି ଅଢାଇ ପ୍ରହର
ସୟଂବର କନ୍ୟା ଘେନି ପ୍ରବେଶ କୁରାଳଶାଳ ଦ୍ୱାର ।୨୫୦।
ମା ଗୋ ପାଣି କଳସାୟେ ଦେବା ପାଦ ଶଉଚ କରିବା
କୋଇନ୍ତାୟେ ବୋଇଲେ କିସ ପ୍ରାପତ ହୋଇଲାରେ ବାବା ।୨୫୧।
ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣସି ଗୋ ମାୟେ
ପ୍ରାପତ ହୋଇଲା ବଡ ସୁସଞ୍ଚ ଫଳ ଗୋଟାୟେ ।୨୫୨।
ମାତା ବୋଇଲେ ଯେବେ ପ୍ରାପତ ୟେକ ଫଳ ଗୋଟି
ପାଞ୍ଚ ଭାଇଯାକ ତୁମ୍ଭେ ଭୁଞ୍ଜ ବାବୁ ବାଣ୍ଟି ।୨୫୩।
ଯେସନେକେ ଆଗ୍ୟାଂ ଦିଲେ ସେ ପରମ ଅପର୍ଣ୍ଣା
ତୁମ୍ଭର ଆଗ୍ୟାଂ ଆମ୍ଭନ୍ତ ପାଷାଣ ରେଖ ସିନା ।୨୫୪।
ଭୀମସେନ ବୋଇଲା ମା ଗୋ ସେ ସତେ ନୋହଇ ଫଳ
ଲାଖ ବିନ୍ଧି ଆଣିଲୁ ଗୋ ଦ୍ରୋପଦ ଦୁଲାଳ ।୨୫୫।
କୋଇନ୍ତାୟେ ବୋଇଲେ ବାବୁ ମହତଙ୍କର ବଚନ
ତୁମ୍ଭେ ସାଧୁ ପୁତ୍ର ମୋର ବଚନ ନକର ଆନ ।୨୫୬।
ଯେହ୍ନେ ଆଗ୍ୟାଂ ମୁଂ ଦେଲି ନିରାଧାରି
ପାଞ୍ଚେହେଂ ପ୍ରଦାନ ହୋଅ ଦ୍ରୋପଦ କୁମାରୀ ।୨୫୭।
ଯୁଝେଷ୍ଠି ବୋଇଲେ ମା ଗୋ ଯେହି ସେ ଯୁଗତି
କୋଇନ୍ତାୟେ ଜାଣନ୍ତି ଯେ ପାଣ୍ଡବଙ୍କର ପ୍ରକୃତି ।୨୫୮।
କେଶିନୀ ମୁଖ ଚାହିଂ ବୋଇଲେ ଯଘ୍ନିସେନୀ
କେମନ୍ତେ ବୁଲନ୍ତି ଗୋ ଭିକ୍ଷାପାତ୍ର ଘେନି ।୨୫୯।
ପ୍ରବେଶ ହୋଇଲେ ଯାଇ ମହାନିଶା କାଳେ
ତିରଣ ଲୋଚିୟେ ଜାଳିଲେ କୁରାଳର ଶାଳେ ।୨୬୦।
କେଶିନୀ ବୋଇଲା ଗୋସାମଣୀ ଜାଣିଲି ୟେହାଙ୍କର ବସା
ଦ୍ରୋପଦ ବିକଳ ତେଣେ ହୋଉଥିବନି ମନୀଷା ।୨୬୧।
ରାଜାର ଅଗ୍ରତେ ମୁଂ ବାରତ କରଇଂ ଯାଇଂ
ୟେଥକୁ ଦ୍ରୋପଦଙ୍କୁ ଆଣଇ କଢାଇଂ ।୨୬୨।
ୟେଡ଼େକ ତିଆରିଣ ଗଲାକ ମୁଦୁସୁଲୀ
ଦ୍ରୋପଦ ଭୁବନକୁ ସେ ବହନ ହୋଇଂ ଚଳି ।୨୬୩।
କୁମ୍ଭାରଶାଳରେ ପାଉଂଶ ଶେଯ୍ୟା ଗୋଟିୟେକ କଲେ
କରପଟି ଗୋଟିୟେ ପାଡ଼ି କୋଇନ୍ତାୟେ ଶୁତିଲେ ।୨୬୪।
ତାହାଙ୍କର ପାଦ ତଳେ ପାଉଂଶ ଶେଯ୍ୟା ଗୋଟିୟେ ପାଡ଼ି
ତହିଂର ଉପରେ ଯୁଝେଷ୍ଠି ଦେବ ଯେ ପହୁଡ଼ି ।୨୬୫।
ତାହାଙ୍କର ପାଦ ତଳେ ପାଉଂଶ ଶେଯ୍ୟା ଚାରିଗୋଟି
ତହିଂରେ ଉପରେ ପହୁଡ଼ିଲେ ଭୀମ ନକୁଳ ସହଦେବ କିରାଟୀ ।୨୬୬।
ତାହାଙ୍କର ପାଦ ତଳେ ପାଉଂଶ ଶେଯ୍ୟା ସୁପାତୀ
କୋଇନ୍ତାୟେ ବୋଇଲେ ଗୋ ସେହିଠାରେ ଶୋଅ ଦ୍ରୋପତୀ ।୨୬୭।
ଛାର ଶେଯ୍ୟା ଦେଖି ସେ ଦ୍ରୋପଦର ଦୋହିତା
ଭୋ ଦଇବ ବୋଲି ସେ କପାଳେ ଦିଲା ହାଥ ।୨୬୮।
କୋଇନ୍ତାୟେ ବୋଇଲେ ଗୋ ଭିକ୍ଷାଶୀ ମୋହୋର ପୋୟେ
ତୋହୋର କରମେ ୟେହାନ୍ତ ପାଇଲୁ ଗୋ ମାୟେ ।୨୬୯।
ଯାହା ଅରଜି ମାତା ତାହା ସିନା ଭୁଞ୍ଜି
ସମ୍ପଦ ବିପଦ ମାଗୋ ସଂସାରର ମଝି ।୨୭୦।
ଦ୍ରୋପତୀ ବଇକୂଲ୍ୟ ପାଉଂଶ ଶେଯ୍ୟା ଦେଖି
ଭୋ ଦଇବ ପୁରୁଷ ମୋହୋର କପାଳେ ୟେହା ସେ ଅଛୁ ଲେଖି ।୨୭୧।
ହଂସୁଲୀ ତୁଳୀ ଗଜଦନ୍ତ ରତ୍ନ ଖଟୁଲି
ବେଢି ଇଚ୍ଛାରନ୍ତି ମୋତେ ଲକ୍ଷେକ ପୋଇଲି ।୨୭୨।
ସୁପାତୀର ଉପରେ ଦାସୀ ନେତ ପାଡ଼ି
ତହିଂରେ ଉପରେ କର୍ପୂର ଗୁଣ୍ଡି ସେବତୀ ପାଖୁଡ଼ି ।୨୭୩।
ତହିଂରେ ରଗଡ଼ି ହୋଅଇ ମୋହୋର ଶରୀର
କେମନ୍ତେ ଶୋଇବି ମୁଂ ପାଉଂଶ ଶେଯ୍ୟା ଉପର ।୨୭୪।
ଲକ୍ଷେକ ବ୍ରାହ୍ମଣ ଘେନି ବ୍ୟାସ ମହାଯତି
ମହାଯାଗ କୁଣ୍ଡୁ ମୋତେ କଲେ ଉତପତ୍ତି ।୨୭୫।
ପାଞ୍ଚାଳ ରାଜାର ମୁଂ ଅଟଇ ଦୁଲଣୀ
ଭୋ ଦଇବ ପୁରୁଷ ମୋତେ ୟେହା କଲୁ ଆଣି ।୨୭୬।
ୟେ ଛାର ପାଉଂଶ ଉଡ଼ି ପଡ଼ିଲେ ଦିନକର ସୁକୃତ ଯାଇ
ୟେହା ମାଡ଼ିଗଲେ ଆଷ୍ୟ ଶ୍ରୀହାନି ହୋଅଇ ।୨୭୭।
ମୁହିଂ ପରମ ମାହେଶ୍ୱରୀ ଶରୀରେ ଗ୍ୟାଂନ ଥାଉଂ ଥାଉଂ
ୟେ ଭସ୍ମ ଶେଯ୍ୟାରେ ଶୋଇବି ମୁଂ ଆର କାହୁଂ ।୨୭୮।
ଦେଖିଣ ଭୀମ ସେ କଟାକ୍ଷିଣ ଚାହିଂ
ବୋଲଇ ଦ୍ରୋପତୀ ଗୋ ନଶୁଅ କାହିଂ ପାଇଂ ।୨୭୯।
ଦେଖିଣ ଭୟେ କଲା ଦ୍ରୋପଦ କୁମାରୀ
ୟେ ଦୁଷ୍ଟ ବ୍ରାହ୍ମଣ ଗୋଟି ନ ପୁଣି ମୋତେ ମାରି ।୨୮୦।
ଭୟେଣ ପାଞ୍ଚାଳୀ ପହୁଡ଼ିଲେ ବିକଳେ
ପଞ୍ଚୁ ପାଣ୍ଡବଙ୍କର ଚରଣର ତଳେ ।୨୮୧।
ଦେଖଇ ଚକ୍ରଭାର ଯେ ତମ୍ୱା କପୋରା
ଉରା ଗଡୁ ପୀଢା ଯେ ସୀମସ୍ଥାନେ ସବୁ ଡେରା ।୨୮୨।
ଦଦରା ଛତା ଚିରା ପାଣ୍ଡୋଇ ହରିଗୋବିନ୍ଦ ମୁଣି
ସ୍ୱାହା ପ୍ରୋକ୍ଷଣୀ ସଉରୋଭ ପାତ୍ର ପାଣି ।୨୮୩।
କୁଶ ତମ୍ୱା ପାତ୍ର ପୁଇଚାନ୍ଦିଆ ପୁଷ୍କର ମାଳୀ
ଦେଖି ମୃଚ୍ଛାଗତ ହୋଇଲା ଦ୍ରୋପଦ ଦୁଲାଳୀ ।୨୮୪।
ରାଜକୁମାରୀ ହୋଇ ୟେହେନେକ କର୍ମ ମୋହୋର
ଭିକ୍ଷାଶୀ ବ୍ରାହ୍ମଣନ୍ତ ମୁହିଂ ପାଇଲଇଂ ବର ।୨୮୫।
ଭୋ ଦଇବ ପୁରୁଷ ତୁ ପାପ ପୁଣ୍ୟ ନବିଚାରୁ
ସ୍ତିରୀ ବୋଲି କରି ଜନମ କିମ୍ପେ କରୁ ।୨୮୬।
ଆନ ରାଜା ହୋଇ ଯେବେ ମୋତେ ପାଆନ୍ତା
ମଥାର ଉପରେ ବସାଇ ମୋତେ ଘରେ ନିଅନ୍ତା ।୨୮୭।
ନିର୍ଦ୍ଦୟା ବ୍ରାହ୍ମଣ ୟେଡ଼େ ହରସୋଗୀ
ଅନ୍ତେଣ ହୋଇଲି ମୁଂ ୟେହାଙ୍କର ପାଦ ତଳକୁ ଯୋଗୀ ।୨୮୮।
ଦ୍ରୋପତୀର ଶୋଚନା ହାଦେ କହିତ କି ପାରି
ରାଜାର ନନ୍ଦିନୀ ସେ ବିଶେଷେ ବାଳୁତ କୁମାରୀ ।୨୮୯।
ବିକଳେ ପହୁଡ଼ିଲେ ସେ ଭୀମର ତ୍ରାସ କରି
ପୁଣ ପୁଣ ଦ୍ରୋପତୀ ନାରାୟଣ ନାରାୟଣ ସୁମରି ।୨୯୦-୧୧୧୨୦।
ଦ୍ରୌପଦୀର ପୂର୍ବଜନ୍ମ କଥା
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
କୁଟୁମ୍ୱ ବସାଇ ଭାଳଇ ଦ୍ରୋପଦ ନୃପତି ।୧।
ଅକାରଣେ କିମ୍ପେ ମୁଂସୟମ୍ୱର କଲି
କାର୍ଯ୍ୟ ନପାଇଲି ଧଂସି ହୋଇ ମଲି ।୨।
ପ୍ରତ୍ୟକ୍ଷେ ଲାଖ ବିନ୍ଧିଲେ ସେ ବ୍ରାହ୍ମଣ ଗୋଟି
କାଳକ ଶତ୍ରୁପଣ ମୋତେ କଲାକ ଧୃତିରାଷ୍ଟ୍ରି ।୩।
ଯେବଣ ଗୋଳ ସେ କଲେ ଦୁଷ୍ଟରାଜାୟେ
ମୋହୋର କଲା କୃତ ଆବର କାହାକୁ ଦୋଷ ଦିୟେ ।୪।
କେ କେଣେ ମାଇଲା ସେ ବ୍ରାହ୍ମଣ ଗୋଟିକି
ଭୟେ ପଳାଇଲୁ ଆମ୍ଭେ ନୁଆରିଲୁ ଦେଖି ।୫।
କେ ପାଞ୍ଚାଳୀକି ମୋର ଘେନିଗଲା ବଳେ
ରୋବଇ ଦ୍ରୋପଦେଶ୍ୱର ଦୋହିତାର ବିକଳେ ।୬।
ଧୃଷ୍ଟଦୃମନର କଷ୍ଟ କହିତେ କେହୁ ପାରି
ଅନେକ ରୋଦନ କରଇ ସେ ଭୂମିରେଣ ପଡ଼ି ।୭।
ଦୋହିତାର ବିକଳେ ରୋବଇ ପଦ୍ମାବତୀ
ମା ଗୋ କାଳକ ପ୍ରତିପାଳି ତୋତେ ମୁଂ ୟେବେ ହୋଇଲି ବିଅର୍ଥୀ ।୮।
କେ ପ୍ରାଣେ ମାଇଲା କେବା କେଣିକି ଘେନିଗଲା
ପୋଡୁ ମୋର ଦେହ ମୋତେ କିମ୍ପେ ମରଣ ନୋହିଲା ।୯।
ଆରେ ବାବୁ ମୋହୋର ଶିଖଣ୍ଡୀ ଧୃଷ୍ଟଦୃମନ
ଲୋଡ଼କି ନା ବାବୁ ଆରେ ବ୍ରାହ୍ମଣଙ୍କର ବର୍ଣ୍ଣ ଚିହ୍ନ ।୧୦।
ଗୋଳବେଳେ ଅବା ସେ କେଣେ ଥାନ୍ତି ଲୁଚି
ଭୟେ ପଳାଇଲୁଂ ଆମ୍ଭେ ନ ଗଲା ବିପ୍ର ଘୁଞ୍ଚି ।୧୧।
ତାହାର ତୁଲେ କିନା ରଣ ଯଗ୍ୟଂ ନକଲୁ
ଦ୍ରୋପତୀର ପାଇଂ କିମ୍ପେ ସଭିୟେ ନ ମଲୁଂ ।୧୨।
ଦ୍ରୋପଦର ବଚନେ ସେ ଦ୍ରୋପଦର ବେନି ବଳା
ତୁଲେ କୁମାରେ ଘେନିଲେ ସହସ୍ରେକ ହୁଳା ।୧୩।
ସଭାର ଆୟତନ ଯାଉଛନ୍ତି ଲୋଡ଼ି
ଦେଖିଲେ ଅନେକ ରାଜା ଯୋଦ୍ଧା ଛନ୍ତି ପଡ଼ି ।୧୪।
ରତ୍ନମଣି ମୁକୁଟ ବିରାଜିତ ଲଲାଟେ
ରକତେ ତ୍ରିପଣ୍ଡ ହୋଇ ପଡ଼ିଛନ୍ତି ରଣ ଥାଟେ ।୧୫।
ରକତ ମାୟେଂସ ଦେଖି ବିଜୟେ ଶମଶାନୀ
କରନ୍ତି ରୋଧିର ପାନ ଯୋଗ୍ନୀ ବୃନ୍ଦଘେନି ।୧୬।
ଟହ ଟହ ହାସ୍ୟେ ହୁଳୁ ହୁଳି ଶବଦେ
ବ୍ରହ୍ମାଣ୍ଡ ଉଛୁଳୁ ଅଛି ଡାକି ଡମ୍ୱରୁ ନାଦେ ।୧୭।
ମାତାଙ୍ଗୀବୃନ୍ଦ ଘେନି ଦେବୀ କରନ୍ତି ଭ୍ରମଣି
ଅନେକ କ୍ରୀଡ଼ା ରଙ୍ଗ କରନ୍ତି ଗୋସାମଣୀ ।୧୮।
ଚର୍ଚ୍ଚିକା ଚାମୁଣ୍ଡା ଚାଚକେଶ୍ୱରୀ ଭଦ୍ରକାଳୀ
କଙ୍କାଳୀ ବେତାଳୀ ଭୈରୋବୀ ବାସେଳୀ ।୧୯।
ମତୁଆଳ ଖେଡେ ହୃଦେ ବନମାଳା
ଖେଚରୀ ଭୂଚରୀ ଦେବୀ ଚକିତା ଚଞ୍ଚଳା ।୨୦।
କେ ବ୍ୟାଘ୍ର କେ ସିଂହ କେ ଶାର୍ଦ୍ଦୋଳ ବାହିନୀ
ଗଜ ଅଶ୍ୱ ଗର୍ଧଭ ବଳେୟା ପୟାଣି ।୨୧।
ନାଚନ୍ତି ଗାବନ୍ତି ବାଦନ୍ତି କୁତୋହୋଳେ ଖେଡ଼ି
ପ୍ରେତ ଭୂତମାନେ ଦିଅନ୍ତି ଘୋରରଡ଼ି ।୨୨।
ମହା ନିଶାକାଳେ ରକତ ମାୟେଂସେ ଭେଳା
ତୋ ରୂପତ ଲୟେ ମା ଗୋ ଉଦ୍ଧର ସର୍ବମଙ୍ଗଳା ।୨୩।
ସେ ନବ କୋଟି କାନ୍ତାନୀ ଚରଣେ ମୋର ସେବା
ଶୂଦ୍ରମୁନି ସାରୋଳାଦାସଙ୍କୁ ପ୍ରସନ୍ନ ହୋଇବା ।୨୪।
ହୁଳାନ୍ତ ଲଗାଇ ଚଳି ଯାନ୍ତି ଦୃଷ୍ଟଦୃମନେ
ସମସ୍ତ ଦେବୀମାନେ ହୋଇଲେ ଅନ୍ତର୍ଦ୍ଧାନେ ।୨୫।
ଲୋଡନ୍ତି ମେଢ ମଣ୍ଡପ ଅଣ ଉହାଡ଼ ଥାନ ମାନେ
ତୋଟାପୁର ନାଟପୁର ପଶିଲେ ଗହନବନେ ।୨୬।
ସମସ୍ତ ଗୋପ୍ୟ ଥାନେ ଲୋଡ଼ନ୍ତି ଉପଲେସି
କେବଣ ଠାବେ ଅବା ଗୋପ୍ୟେ ଥାନ୍ତି ବସି ।୨୭।
ରୁଧିର ମୃତୁ ପିଣ୍ଡ ପଡ଼ିଛନ୍ତି ଅପ୍ରମିତେ
ଆସ୍ତାନ ଆଦି କରି ଚଉବିଂଶ ଯୋଜନ ପରିଯନ୍ତେ ।୨୮।
ଲୋଡ଼ି ନ ପାଇଲେ ସେ ଦ୍ରୋପଦର ଚାଟେ
ଭ୍ରମନ୍ତେ ପ୍ରବେଶ ହୋଇଲେ କୁରାଳଶାଳ ନିକଟେ ।୨୯।
ଶିଖଣ୍ଡୀ ବୋଇଲେ ୟେ ଅଟଇ ଅଣ ଉହାଡ଼ଥାନ
ୟେଥି ଅବା ବ୍ରାହ୍ମଣେ ହୋଇଥିବେ ଗୋପ୍ୟାନ ।୩୦।
ଉତ୍ତାନଶାହା ହୋଇ ପହୁଡ଼ିଛି ପବନର ବାଳ
ନିଶ୍ୱାସ ଘାତେ ଆକାଶକୁ ଉଠୁଅଛି ଚାଳ ।୩୧।
ପାଞ୍ଚଦିନ ପରିଯନ୍ତେ ଆହାର ନିଦ୍ରା ନାହିଂ
ଶତ୍ରୁ ମର୍ଦ୍ଦି ସୁସ୍ତେ ନିଶ୍ଚିନ୍ତେ ଅଛି ଶୋଇ ।୩୨।
ନିଶ୍ୱାସ ଘାତେ ଚାଳ ଗୋଟି ଉଠଇ
ଦ୍ୱାଦଶ ତାଳ ଉପରକୁ ସଞ୍ଚା ଛାଡ଼ି ଉଡ଼ଇ ।୩୩।
ନିଶ୍ୱାସ ସଂହରନ୍ତେ ପୁଣ ବାହୁଡ଼ିଣ ବସଇ
ଦୂରେ ଥାଇ ଧୃଷ୍ଟଦୃମନ କଲେ ମହାତ୍ରାସଇ ।୩୪।
ଶିଖଣ୍ଡୀ ବୋଇଲା ବାବୁ ନଯିବା ତହିଂର ପାଶ
ୟେହିକ୍ଷଣି ଭକ୍ଷିବେଟି ଶୋଇଛନ୍ତି ରାକ୍ଷସ ।୩୫।
ଭୟେଣ କୁମାରେ ନଗଲେ ତାହାଙ୍କର କତି
ବାହୁଡ଼ି ଯାଇଂ ପିତା ଦ୍ରୋପଦଙ୍କୁ କହନ୍ତି ।୩୬।
ଭୋ ତାତ ଅନେକ ଦୂର ଗଲୁ ଆମ୍ଭେ ଗମି
କାହାକଇଂ ଦେଖି ନୁଆରିଲୁ ଦେବ ସ୍ୱାମୀ ।୩୭।
ଦ୍ରୋପତୀ ବ୍ରାହ୍ମଣଙ୍କର ଯେ ନାହିଂ ବର୍ଣ୍ଣ ଚିହ୍ନ
ଶୁଣି ଦ୍ରୋପଦେଶ୍ୱର ବିଚ୍ଛନ୍ନ କଲା ମନ ।୩୮।
ଉଚ୍ଚ ସ୍ୱରେ ରୋଦନ କରଇ ଭୂଅପତି
ପୁରଜନମାନେ ସମସ୍ତେ ରୋବନ୍ତି ।୩୯।
ମା ଗୋ ଅଦାର ଅଯୋନି ଜାତ ଅଗ୍ନିକୁମାରୀ
ପିତାର ଅଦଛ ପଣେ ହୋଇଲୁ ଦୁଖ ଭାରି ।୪୦।
ମୋର ହୃଦର କଥା କହିବି କାହା ଆଗ
ଶରୀର ବିସର୍ଜିବି ଗୋ ନହଉ ଶୋକ ଯୋଗ ।୪୧।
କରନ୍ତି ରୋଦନ ସେ ପୁରର ସମସ୍ତ କାମିନୀ
ୟେମନ୍ତର ସମୟେ ପ୍ରବେଶ କେଶିନୀ ।୪୨।
ଜଣାଇଂ ମୁଦୁସୁଲୀ ପଶିଲା ଅନ୍ତେଶ୍ୱର ପୁରେ
ସମସ୍ତେ ଥିର ହୋଇ ବୋଲନ୍ତି ୟେତ ଥିଲା ସଙ୍ଗତରେ ।୪୩।
ଦ୍ରୋପଦ ବୋଇଲେ ଗୋ କେବଣ ବାରତା
କେଶିନୀ ବୋଇଲେ ତୁମ୍ଭେ ଛାଡ ଶୋକ ଚିନ୍ତା ।୪୪।
ସମସ୍ତ କୁଶଳ ଯେ କହଇ ମୁଦୁସୁଲୀ
ଦ୍ରୋପଦ ବୋଇଲେ ମୁଂ ନିସ୍ତରିଲି ନିସ୍ତରିଲି ।୪୫।
କେଶିନୀ କହଇ ବସି ସମସ୍ତ ବିଧାନ
ଲାଖ ବିନ୍ଧିଲା ସ୍ୱାମୀ ଯେବଣ ବିଦୁଜନ ।୪୬।
ତାହାନ୍ତ ଗୋଳ ଯହୁଂ କଲେ କୁରୁବୀରେ
ବଡ ଭ୍ରାଥେକ ଆସି ହୋଇଲା ସଙ୍ଗତରେ ।୪୭।
ବେନି ବୃକ୍ଷ ଉପାଡ଼ି ଧରିଅଛି ବେନି ହାଥେ
ଦେଖିଣ ଭାଜିଲେ ଦୁଷ୍ଟରାଜାୟେ ସମସ୍ତେ ।୪୮।
ବୃକ୍ଷ ବୁଲାଇ ପବନ ଗତି କରି ପିଟି
ରଥ ଗଜ ଅଶ୍ୱ ପଡିଲେ ଭୂମି ଲୋଟି ।୪୯।
ପୁଣି ଧାଇଂଲେ ବ୍ରାହ୍ମଣ ଜଣ ବେନି
ବୃକ୍ଷେ ବୃକ୍ଷେ ସେ କରେ ଛନ୍ତି ଘେନି ।୫୦।
ଆସନ୍ତେଣ ଭେଟିଲେ ମନ୍ତ୍ରୀ ଯେ ଶଙ୍କୁନି
ସେ ତ୍ରାସେ ପଳାଇଲା ୟେ ଅଇଲେ ତାହାର ରଥ ଘେନି ।୫୧।
ଅନେକ ରତ୍ନ ଯେ ମଣ୍ଡିଲା ଅଛି ରଥେ
ତହିଂର ଉପରେ ବସାଇଲେ ଦ୍ରୋପତୀଙ୍କି ମୋତେ ।୫୨।
ଯେବଣ ସାଂଗ୍ରାମ କଲେ ଦିଜବରେ
ଦେବଙ୍କୁ ଦୁଲ୍ଲଭ ସେ ମାନବେ ଅଗୋଚରେ ।୫୩।
ଲକ୍ଷେ ରାଜାକଇ ସେ ବ୍ରାହ୍ମଣ ଚାରି ଜଣେ
ତଦନ୍ତ ନାହିଂ ଦେବ ପଡ଼ିଲେ ଯେତେ ରଣେ ।୫୪।
ଯେତେବେଳେ ସାଂଗ୍ରାମ କଲେ ରୁକ୍ମଣ ବାଣାସୁର ସଅମ୍ୱର ବଜ୍ରଲାଭ
ଦେଖିବାକୁ ଅବଶ୍ୟ କହିବାକୁ ଦୁଲ୍ଲଭ ।୫୫।
ରଥେ ରଥେ ଗଜେ ଗଜେ ପିଟିଲେ ଦେବ ଧରି
ୟେକା ଘାନ୍ତିକେ କଚାଡ଼ନ୍ତି ଅଶ୍ୱ ଚାରି ଚାରି ।୫୬।
ଭାଜି ପଳାଇଲେ ରାଜାୟେ ନରହିଲେ କେହି
ପଞ୍ଚଦଶ ଯୋଜନ ପରିଯନ୍ତେ ରୁଧିର ନଦୀ ବହି ।୫୭।
ମହା ବଳବନ୍ତା ସେ ଅଟନ୍ତି ବ୍ରାହ୍ମଣେ
ଲକ୍ଷେ ରାଜା ଦର୍ପ ସେ ମର୍ଦ୍ଦିଲେ ଚାରିଜଣେ ।୫୮।
କାଳଦମନ ଶିଶୁପାଳ ପୁଣ୍ଡରୀକ ରୁକ୍ମଣ
ଶାଲୁ ନୃପତିକି ଲାଇ ଦୃଷ୍ଟି ପାଞ୍ଚଜଣ ।୫୯।
ୟେହାଙ୍କର ସନ୍ୟ ଦେବ ଅସଂକ୍ଷେପ କରି ମାରି
ଯେ ପାଞ୍ଚ ରାଜାନ୍ତ ଦେବ ଆଣିଲେ କେଶଧରି ।୬୦।
ଜୟଦେବ ବୋଲି କରି ୟେକଇ ପଣ୍ଡାୟେ
ସେହି ବସିଥିଲେ ଦେବ ଦକ୍ଷିଣ ପଞ୍ଚୁ ମଣ୍ଡୋଆୟେ ।୬୧।
ତାହାଙ୍କର ଛାମୁରେ ନେଇ ପାଞ୍ଚନ୍ତି ପକାଇ
ସେ ଚାରିପଣ୍ଡାୟେ ଯେ ଗଡ଼ ଘାଲି ଶୋଇ ।୬୨।
ବଡ ଧାର୍ମିକ ବିବେକ ସେ ବଡ଼ ଦୟାବନ୍ତ
ବୋଇଲେ ଛାଡ଼ିଦିଅ ମାରି କିସ ଅର୍ଜିବ ୟେହାନ୍ତ ।୬୩।
ତାହାଙ୍କର ବଚନ ଦେବ ଅଟଇ ଅଲଙ୍ଘିତ
ଆଗ୍ୟାଂ ପ୍ରମାଣେ ଦେବ ଛାଡ଼ିଦିଲେ ତାହାନ୍ତ ।୬୪।
ବେନି ଜାନୁ ତଳରେ ଦେବ ଦିଲେ ତାହାନ୍ତ ଗଳାଇ
ସମସ୍ତ ରାଜାଙ୍କୁ ୟେ ଶାସ୍ତି କହଣା ନଯାଇ ।୬୫।
ସଞ୍ଚପି କେଶିନୀ ମୁଦୁସୁଲୀ କହିଲା ସମସ୍ତ
ଶୁଣି ପଞ୍ଚାଳେଶ୍ୱର ଅନେକ ଉଷତ ।୬୬।
ତୁ ମୋହୋର ମାତା ଗୋ ତୋହୋର ଅପାଦ ଘେନଇ ମୁହିଂ
ୟେବେ ତୁ ସେମାନନ୍ତ ଗୋ ଛାଡ଼ି ଅଇଲୁ କାହିଂ ।୬୭।
କହଇ କେଶିନୀ ଯେ ଶୁଣ ନୃପରଣ
ୟେ ମୋହୋର ବଚନ ଦେବ ଶୁଣିମା ସାବଧାନ ।୬୮।
ଆମ୍ଭନ୍ତ ଘେନି ଗଲେ ସେ ବ୍ରାହ୍ମଣ ପାଞ୍ଚବୀରେ
ଯାଇଂଣ ରହିଲେ କୁରାଳଶାଳ ଭିତରେ ।୬୯।
ସ୍ୱାମୀ ଅନେକ ବିନୋୟି ମୁଂ କହିଲି ତାହାଙ୍କୁ
ବିଜେ କରିବା ଦେବ ଦ୍ରୋପଦ ଭୁବନକୁ ।୭୦।
ଇଚ୍ଛା କଲେ ଦେବ ତ୍ରିଲୋକ୍ୟ ପାରନ୍ତି ସେ ଗମି
ଇଚ୍ଛା ନ କଲେ ଦେବ ସେ ମେରୁହୁଂ ଅଚଳ ସ୍ୱାମୀ ।୭୧।
ଭୋ ଦେବ ଗୋସାମଣୀ ମୋତେ ଆଗ୍ୟାଂ ଦିଲକେ ରାଇ
ବୋଇଲେ ପିତାଙ୍କୁ ମୋହୋର ଘେନି ଆସ ବେଗେ ଯାଇଂ ।୭୨।
ବହନ ବିଜେ ଦେବ କରିବା ମହୀପତ୍ୟେ
ନପୁଣ ଦେଖି ନପାରି ସେ ଚଳନ୍ତି ଶୂନ୍ୟପଥେ ।୭୩।
ଶିଖଣ୍ଡୀ ବୋଇଲା ଦେବ ବ୍ରାହ୍ମଣ ତହିଂ ନାହିଂ
କେବଣ ଦାନବେ ଦେବ ଅଛନ୍ତି ତହିଂ ଶୋଇ ।୭୪।
ଆମ୍ଭେ ସେହି କୁରାଳଶାଳେ ଦେଖିଲୁ ଦେବରାୟେ
ସନ୍ନିଧିକୁ ନଗଲୁ ଦେବ ରାକ୍ଷସଙ୍କ ଭୟେ ।୭୫।
ଦ୍ରୋପଦ ବୋଇଲେ ଆୟୀ ଯାଅନି କେଶିନୀ
ଶିଖଣ୍ଡୀ ଧୃଷ୍ଟଦୃମନନ୍ତ ସଙ୍ଗତରେ ଘେନି ।୭୬।
ତିନିହେଂ ଆଡ଼େ ହୋଇଥିବେ ସେ ଗୁପତେ
ଅନ୍ତର ହୋଇ ଦେଖିବ ସେ ବ୍ରାହ୍ମଣ କି ଦଇତେ ।୭୭।
ଅଢ଼ାଇ ପ୍ରହର ହୋଇଅଛି ରୟଣୀ
ଚଳିଲେ କେଶିନୀ ରାଜକୁମାରନ୍ତ ଘେନି ।୭୮।
କୁରାଳଶାଳ ସନ୍ନିଧେଣ ସେ ଯାଇଂ
ଭୟେଣ ଦୂର ହୋଇ ରହିଲେ ବେନିଭାଇ ।୭୯।
ହସ୍ତରେ ଦିହୁଡିୟେ ଘେନି କେଶିନୀ ମୃଦୁଗାମିନୀ
ଭିତରେ ପଶିଲା ନିର୍ଭୟେ ନିଭ୍ରମି ।୮୦।
ଦେଖିଲା ଶୋଇ ଅଛନ୍ତି ସାତ ଜଣେ
ତୁନୀ କରି ହକାରିଲା ଦେଖ ହୋ ବ୍ରାହ୍ମଣେ ।୮୧।
ଦେଖନ୍ତି ସୀମଥାନେ ଶୋଇଅଛି ୟେକଇ ମହନ୍ତରୀ
ତାହାଙ୍କର ପାଦ ତଳେ ବ୍ରାହ୍ମଣେକ ଶୟନ କରି ।୮୨।
ତାହାଙ୍କର ପାଦତଳେ ଶାଇଛନ୍ତି ବ୍ରାହ୍ମଣ ଚାରି ଗୋଟି
ପାଉଂଶ ଗୁଡାୟେ ପାଡ଼ି ଶୋଇଛନ୍ତି ନାହିଂ କର୍ପଟି ।୮୩।
ତାହାଙ୍କର ପାଦତଳେ ଶୋଇଛନ୍ତି ଦ୍ରୋପତୀ
ମା ଗୋ କେବଣ ପାତକ କଲୁ ପାଉଛୁ ୟେଡ଼େ ଶାସ୍ତି ।୮୪।
ରତ୍ନ ବେଲୁରି ଖଟ ନେତର ସୁପାତି ଜାତି ପାଖୁଡ଼ି
ତହିଂ ତୋହୋର କାୟା ଗୋଟି ହୋଅଇ ରଗଡ଼ି ।୮୫।
ଲକ୍ଷେ ମାଢ ତୁଳ କର୍ପୁରର ଧୂଳି
ସେ ଶଯ୍ୟାର ଉପରେ ତାହା ସିଞ୍ଚନ୍ତି ତିନି ଓଳି ।୮୬।
ଆଲଟ ଚାମର ଧରି ଲକ୍ଷେକ ମୁଦୁସୁଲୀ
ଅହର୍ନିଶି ଇଚ୍ଛାରନ୍ତି ତୋତେ ଲକ୍ଷେକ ପୋଇଲି ।୮୭।
ଭିକ୍ଷାଶୀ ବ୍ରାହ୍ମଣ କିୟେ ଅସୁର କାମ ରୂପୀ
ୟେହାଙ୍କର ପାଦତଳକୁ ଯୋଗ୍ୟ ହୋଇଲୁ ଅଦ୍ୟାପି ।୮୮।
ରାଗେଣ କୋପଭର ହୋଇଲା ଶିଖଣ୍ଡୀ
ହାଣିବି ବ୍ରାହ୍ମଣନ୍ତ ବୋଲି ଅସିପତ୍ର କାଢି ।୮୯।
କେଶିନୀ ବୋଇଲା ତୁମ୍ଭର ୟେ ମରିବାର ବୁଦ୍ଧି
ୟେହି କ୍ଷଣି ବୁଡାଇବ ତୁମ୍ଭେ ଦ୍ରୋପଦର ସମ୍ପ୍ରଦ୍ଧି ।୯୦।
ପର୍ବତ ପଡି ଚୂର ହୁଅନ୍ତି ୟେହାଙ୍କର କାୟେ
କିସ ହୋଇବ ତୋର ଖଣ୍ଡା ଚୋଟ ଘାୟେ ।୯୧।
ଚାଲ ହୋ ଘେନି ଆସିବା ଯାଇଂ ଦ୍ରୋପଦ ରାଜାଙ୍କୁ
ଭଗତି ହୋଇଣ ଘେନିଯିବା ଯେ ୟେହାଙ୍କୁ ।୯୨।
ଦୃମନ ବୋଇଲା ୟେ କଥା ହିଂ ଅଟଇ
ଦ୍ରୋପଦ ଆସି ଦେଖନ୍ତୁ ତାହାଙ୍କର ଦୁହିତା କଷ୍ଟଇଂ ।୯୩।
କନ୍ୟା ଗୋଟି ଘେନିୟେ ପଳାଇ ଆସିଲେଗଳି
ୟେଥେ ଲୁଚି ରହିଲେ ଓହଡ଼ ଥାନ ବୋଲି ।୯୪।
ଦଦରା ଛତା ଛିଣ୍ଡା ପାଣ୍ଡୋଇ ହରିଗୋବିନ୍ଦ ମୁଣି
ଜନ୍ମେଣ ପାତକ କରିଅଛି ୟେ ମୋର ଭୟେଣୀ ।୯୫।
କେଶିନୀ ବୋଇଲା ବାବୁ ୟେମନ୍ତ ନ ବୋଲ
ବଡ଼କୁ ନିନ୍ଦାକଲେ ଆପଣାକୁ ହୋଅଇ ସଲ ।୯୬।
ପାଦେଣ ଲକ୍ଷ୍ମୀ ତୁମ୍ଭେ ପେଲାଅ କିସ ଅର୍ଥେ
ମରିବାର ବୁଦ୍ଧି ଯେ ପାତିଲେ ବେନି ଭ୍ରାଥେ ।୯୭।
ଦେବତାନ୍ତ ନିନ୍ଦାକଲେ ନର୍କେ ହୋଅଇ ଜାତ
ବ୍ରାହ୍ମଣ ନିନ୍ଦା କଲେ ବଂଶ ହୋଅଇ ନିପାତ ।୯୮।
ତପୀ ନିନ୍ଦା କଲେ ଶରୀର ହୋୟେ କ୍ଷତି
ନପୁଂସକ ହୋଇ ପୁରୁଷ ନିନ୍ଦା କଲେ ସତୀ ।୯୯।
ଗୁରୁ ନିନ୍ଦା କଲେ ହୋଅଇ ଶିର ଚ୍ଛେଦ
ମାତାପିତା ନିନ୍ଦା କଲେ ପଡଇ ପରମାଦ ।୧୦୦।
ପାଠ ଗୁରୁ ନିନ୍ଦା କଲେ ପ୍ରାପତ ନୋହଇ ବିଦ୍ୟା
ବାତୁଳ ହୋଇ ବୁଲଇ ଯେ ନିନ୍ଦଇ ଯୋଗସିଦ୍ଧା ।୧୦୧।
ନଜାଣି ନିନ୍ଦା କରନ୍ତି ଯେ ବଇଦ ଯୋଗୀ
ଜନ୍ମେ ଜନ୍ମେଣ ସେ ହୋଇଥାଇ ସଦା ରୋଗୀ ।୧୦୨।
କ୍ଷତ୍ରୀଙ୍କି ନିନ୍ଦା ସେ କରଇ ନଜାଣି
ରାଜଦଣ୍ଡେ ଅପ୍ରାଧି ସେ ଅବଶ୍ୟ ହୋଅଇ ହାଣି ।୧୦୩।
ଶହସ୍ର ନିନ୍ଦା କଲେ ନମିଳଇ କ୍ଷତ୍ରୀ ବିଧି
ଶାହାସ୍ର ନିନ୍ଦା କଲେ ହୁଅଇ ଗଳିତ କୋଷ୍ଠ ବ୍ୟାଧି ।୧୦୪।
ଲକ୍ଷ୍ମୀ ନିନ୍ଦା କଲେ ଦରିଦ୍ର ହୁଅଇ ଜନ୍ମେ ଜନ୍ମେ
ଭାରତୀ ନିନ୍ଦା କଲେ ଗଜମୂର୍ଖ ଜନ୍ମ ଅନୁକ୍ରମେ ।୧୦୫।
ମନ୍ତ୍ର ନିନ୍ଦା କଲେ ହୁଅନ୍ତି ବଧିର
ଓୌଷଧ ନିନ୍ଦା କଲେ ରୋଗ ହୋଅଇ ଅପାର ।୧୦୬।
ଗୋରୁ ନିନ୍ଦା କଲେ ହାନି ହୋଅଇଟି କୃଷି
ପୁତ୍ର ନିନ୍ଦାକଲେ ଯେ ହୁଅନ୍ତି ନିଅଂଶୀ ।୧୦୭।
ସ୍ତିରୀ ନିନ୍ଦାକଲେ ନୋହଇ ଗୃହବାସ
ମହତ ନିନ୍ଦା କଲେ ଅପ୍ରମିତ ଦୋଷ ।୧୦୮।
ତୁମ୍ଭେ ଯେ ମହତ ୟେ ବ୍ରାହ୍ମଣ ଶସ୍ର ଧାରୀ
ଗ୍ୟାଂନବନ୍ତ ହୋଇ କିମ୍ପେ ପରେ ନିନ୍ଦା କରି ।୧୦୯।
ତୁମ୍ଭେ ଯେପଳାଇଲ ମୁହିଂ ଦେଖିଲି ବନୁ ଚଛୁ
ଅଗ୍ୟାଂନେ ନାଶ ଯିବାକୁ କିମ୍ପାଇ ଲୋଡୁ ଅଛୁ ।୧୧୦।
କେଶିନୀ ମୁଦୁସୁଲୀ ସଂବୁ ଝାଇଣ କହଇ
ଶିଖଣ୍ଡୀ ଧୃଷ୍ଟିଦୃମନକୁ ନେଲା ଭୟେ କରାଇ ।୧୧୧।
ରାତ୍ର ହୋଇଣ ଅଛି ତୃତୀୟ ପ୍ରହର
କୁମରେ ପ୍ରବେଶ ଆସି ହୋଇଲେ ପିତାଙ୍କ ଛାମୁର ।୧୧୨।
ମହାଯୋଗ କରାଇ ଦେବ ଜାତ କଲୁ ଦୋହିତା
ଚାଣ୍ଡାଳହୁଂ ବଳିଲା ଦେବ ତାହାଙ୍କର ଅବସ୍ତା ।୧୧୩।
ଜନ୍ମେ ଦରିଦ୍ର ଭିକ୍ଷାଶୀ ବ୍ରାହ୍ମଣ ପାଞ୍ଚ ବାପୁଡା
ପାଉଂଶେ ପଡ଼ି ଅଛନ୍ତି ଧୂସୁରା ଧୂସୁରା ।୧୧୪।
ୟେ ମାଘମାସ ଶୀତ ପାଉଂଶ ଶଯ୍ୟା ପାଡ଼ିତ ନାହିଂ ବାସ
ଚକ୍ରହରି ଗୋବିନ୍ଦମୁଣି ବ୍ରତନ୍ତି ଭିକ୍ଷା ବାସ ।୧୧୫।
ତୁ ମହା ସୟମ୍ୱର ଦେବ କରାଇଲୁ ଅବା
ତାହାର କର୍ମଗୋଟି କେ ଆନ କରିବା ।୧୧୬।
ୟେସନେକ ପ୍ରପଞ୍ଚ ଦେବ ମହାଦୁଖ ଭୋଗୀ
ଦ୍ରୋପତୀକୁ ଦେଖିଲୁ ଦେବ ତାହାଙ୍କର ପାଦ ଯୋଗୀ ।୧୧୭।
ମାଆ ରାଣ୍ଡେକ ଶାଇଅଛି ଦେବ କୁମ୍ଭାର ପାଉଂଶର
ଆବର ବାପୁଡ଼ା ଶୋଇଛି ପାଦ ତଳେ ତାହାର ।୧୧୮।
ୟେହାଙ୍କର ପାଦତଳେ ଶୋଇ ଅଛନ୍ତି ଚାରି ବାପୁଡ଼ା
ବସ୍ର ହୀନେ ଦିଶନ୍ତି ଦେବ ଅଚାର୍ଗଳା ମହାବୀରା ।୧୧୯।
ତାହାଙ୍କର ପାଦତଳେ ଶୋଇଅଛି ପାଞ୍ଚାଳୀ
ବିକଳେ ଶୋଇଛି ଛାର ପାଉଂଶର ଧୂଳି ।୧୨୦।
ଦରିଦ୍ର ଭିକ୍ଷୁକ ସେ ଅଟନ୍ତି ହୀନ ଜାତି
କନ୍ୟା ଗୋଟି ଘେନି ସେ ଡରେ ଯାଇଂ ଲୁଚିଣ ଅଛନ୍ତି ।୧୨୧।
ୟେ ମୋଢୀ କେଶିନୀ ଯେ ବଡ଼ ଅନାଚାରୀ
ପରିବାରୀ ପେଷଣକାରୀ ସିହାଣୀ ଚତୁରୀ ।୧୨୨।
ଧନ କିଛି ୟେହାକୁ ଯେବେ ଲାଞ୍ଚ ଲୋକ ଦେବ
ରୋଗୀ ଲୋକଙ୍କୁ ୟେ କାମଦେବ କରିବ ।୧୨୩।
ଦ୍ରୋପଦ ବୋଇଲେ ରେ ଶୁଣ ପୁତ୍ର ବେନି
ତୁମ୍ଭେ କିମ୍ପେ ନିନ୍ଦା କଲ ରେ ମୁଦୁସୁଲୀ କେଶିନୀ ।୧୨୪।
ଆରେ ଆନ ରାଜା ହୋଇ ଯେବେ ମୋ ଦୁହିତାକୁ ପାଆନ୍ତା
ଗଙ୍ଗା ପ୍ରାୟେ କରି ମଥାରେ ଘେନି ଥାଆନ୍ତା ।୧୨୫।
ତାହାଙ୍କର ପାଦ ତଳକୁ ଯେବେ ଯୋଗ୍ୟ ମୋହୋର କୁମାରୀ
ନୋହନ୍ତି ବ୍ରାହ୍ମଣ ସେ ସ୍ୱର୍ଗୁଂ ଅବତରି ।୧୨୬।
ଦ୍ରୋପତୀର ଭାଗ୍ୟ ମୋହୋର ବଂଶର ବଡ ପୁଣ୍ୟ
ଦେଖି ମୁକତ ହୋଇଲା ଫିଟିଲା କଷ୍ଟମାନ ।୧୨୭।
ବାବୁ ଦେଖି ମୁକତ ହୋଇଲାରେ ରାଜ୍ୟଜନ ମୋହୋର
ବହନ କରି ମୋର ପୁରେ ଉଚ୍ଛବ କର ।୧୨୮।
ରାଜାର ଆଗ୍ୟାଂରେ ପୁରେ ଦିଆଇଂ ଘୋଷଣ
ବାଜିଲା ବୀର ତୂର ଟମକ ନିଶାଣ ।୧୨୯।
ସମଦଣ୍ଡ ଘେନି ଦ୍ରୋପଦେଶ୍ୱର ରାୟେ
କୁରାଳଶାଳ ସନ୍ନିଧିରେ ପ୍ରବେଶ ଆସି ହୋୟେ ।୧୩୦।
ୟେଥୁ ଅନନ୍ତରେ କରୁଣାକର ନାମରେ କୁମ୍ଭାର
କୋଇନ୍ତାଙ୍କୁ ତୋଳିଲା ଗୋ କେତେ ନିଦ୍ରାକର ।୧୩୧।
କୋଇନ୍ତାୟେ ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବଙ୍କୁ ତୋଳି
ଚିଆଂଇ ଉଠିଲେ ସେ ପାଣ୍ଡବ ମହାବଳୀ ।୧୩୩।
ରସିତା ନାମେଣ ସେ ଅଟଇ କୁମ୍ଭାରୁଣୀ
ଦ୍ରୋପତୀଙ୍କି ତୋଳି ବସାଇଲା ଆଣି ।୧୩୪।
ନବତନ ଘଟରେ ଗଙ୍ଗା ଜଳ ଆଣି ପୂରୋଇ
ସେ ଚକ୍ରୀ ଭାରିଯା ଦ୍ରୋପତୀଙ୍କି ସ୍ନାହାନ କରାଇ ।୧୩୫।
ଅନେକ ସୁଗନ୍ଧ ଲଗାଇ କେଶ ପଖାଳି
ଆପଣାର ତହୁଂ ପିନ୍ଧାଇଲା ନବତନ ପାଟୋଳି ।୧୩୬।
ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଫାଲଗୁନି
ହୃଦଗତେ ସୁମର ତୁ ରାମ କୃଷ୍ଣ ବେନି ।୧୩୭।
ହୃଦଗତେ ଅର୍ଜୁନ କଲାକ ୟେକ ଲୟେ
ନାରାୟଣଙ୍କୁ ଚିନ୍ତିଲା ସେଛତ୍ରୀ ଧନୁର୍ଜୟେ ।୧୩୮।
ହରି ବଳରାମେ ଜାଣିଲେ ଯୋଗବଳେ
ଗରୁଡ଼ ପିଠି ଆରୋହି ଅଛନ୍ତି ଶୂନ୍ୟ ମଣ୍ଡଳେ ।୧୩୯।
ଦ୍ୱାରକା ନାୟେକନ୍ତ ସାତ ବଂଶ ସହିତେ
ଅଷ୍ଟା ପାଟ ବଂଶୀ ନାୟିକାନ୍ତ ଆଣିଲେ ଯୁଝେଷ୍ଠିଙ୍କ ବିଭା ଦେଖିବା ନିମନ୍ତେ ।୧୪୦।
ତାଳଧ୍ୱଜ ରଥେ ବିଜୟେ ନୀଳାମ୍ୱର
ଗରୁଡ଼ ନସହଇ ଯେ ବଳଦେବଙ୍କର ଭାର ।୧୪୧।
ଛପନ କୋଟି ଯଦୁଯାଦବ ବୀର ତୁଲେ
କୁରାଳ ଶାଳେ ଆସି ଶ୍ରୀନାରାୟଣେ ବିଜେକଲେ ।୧୪୨।
ବଇନେତ୍ର ପିଠିରୁ ଉତୁରି ନାରାୟଣ
ପ୍ରଳମ୍ୱ କରନ୍ତି ଯୁଝେଷ୍ଠିଙ୍କର ଚରଣ ।୧୪୩।
ବଳଦେବଙ୍କୁ ପୂଜାକଲେକ ଦେବ ଧର୍ମେ
ଭୀମ ଅର୍ଜୁନ ନକୁଳ ସହଦେବ ଚାରି ପ୍ରଳମ୍ୱିତ ଶ୍ରୀପୁରୁଷଙ୍କ ଉତ୍ତମେ ।୧୪୪।
ଛପନ କୋଟି ଯାଦବଙ୍କର ସଇନି
ଯୁଝେଷ୍ଠିଙ୍କ ଚରଣେ କରନ୍ତି ସର୍ବେ ମାନି ।୧୪୫।
ଯେତେବେଳେ ବିଜୟେ କଲେ ହୃଷିକେଶୀ
ଷାଠିୟେ ସହସ୍ର ଶିଷ୍ୟ ଘେନି ବିଜୟେ ବ୍ୟାସ ମହଋଷି ।୧୪୬।
ଲକ୍ଷେକ ବ୍ରାହ୍ମଣ ଘେନି ଧୌମ୍ୟ ପୁରୋହିତେ
ବିଭା ଯୋଗାଡ଼ ଘେନି ବିଜୟେ ତୁରିତେ ।୧୪୭।
ଲକ୍ଷେ ଶିଷ୍ୟ ଘେନି ଉଦ୍ଦାଳକ ସୁମନ୍ତକ ବଶିଷ୍ଠ ବିଶ୍ୱାମିତ୍ରେ
ସହସ୍ରେ ବାଲଖିଲ୍ୟା ଘେନି ମାରକଣ୍ଡ ବାଲମିକ ଲୋମଶ ସହିତେ ।୧୪୮।
ଦୁର୍ଭାସା ଭାରଦ୍ୱାଦଶ ଜନକ ବିଭାଣ୍ଡକେ
ଯୁଝେଷ୍ଠିଙ୍କ ବିବାହ ଉଚ୍ଛବେ ଆସି ପ୍ରବେଶ ଯାଗନିକେ ।୧୪୯।
ଗଉତମ ଶାୟଂନ୍ତନୁ ମହାଋଷି ପାରେଶ୍ୱର
ଅହିବ୍ରତେକ ଶିଷ୍ୟ ଘେନି ଅଇଲେ ସଙ୍ଗର ।୧୫୦।
ମହାଋଷିମାନେ ସମସ୍ତେ ବିଜେ କଲେ
ଦେଖି ଯୁଝେଷ୍ଠି ଦେବେ ପାଦ ଅର୍ଘ୍ୟ ଦିଲେ ।୧୫୧।
ସମସ୍ତ ଋଷିମାନେ ଘେନି ନାରାୟଣ ବିଜେକଲେ ଯହୁଂ
ଅମରଗଣ ଘେ ନିବାସବ ମିଳିଲେକ ତହୁଂ ।୧୫୨।
ସୁଧର୍ମା ସଭାକୁ ଆଣିଲେ ଅମରପୁରୁ
କୁବେର ଅନେକ ରତ୍ନ ଅଳଙ୍କାର କାଢିଲା ଭଣ୍ଡାରୁ ।୧୫୩।
ଆକାଶୁ ଅଇଲେ ସମସ୍ତ ଦଇବତ ପୁରୁଷେ
ସମସ୍ତେ ବିଜେକଲେ ଯେ କୁରାଳଶାଳ ପାଶେ ।୧୫୪।
ତହିଂ ରତ୍ନଭୁବନ ଗୋଟି ସଞ୍ଚିଲେ ଦେବତାୟେ
ମାନବଙ୍କୁ ଦିଶଇ ସେ କୁରାଳଶାଳ ପ୍ରାୟେ ।୧୫୫।
ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁ
କୁରାଳଶାଳ କେସନେକ ହୋଇଲା କଣୟ ଭୁବନୁଂ ।୧୫୬।
ଅଗସ୍ତି ବୋଇଲେ ଶୁଣ ହୋ ମନୁ ପୁରୁଷ
ଯେତେବେଳେ ଦ୍ରୋପଦ ସୟମ୍ୱର ବିଧାନ କଲା ପ୍ରକାଶ ।୧୫୭।
ଲକ୍ଷେ ରାଜାଙ୍କୁ ସେ ଲକ୍ଷେ ଭୁବନ କଲା
ପାଣ୍ଡବଙ୍କର ନାମ ସେ ସଭାରେ ନପଡିଲା ।୧୫୮।
ଆକାଶେ ଜାଣିଲେ ଇନ୍ଦ୍ର ଦଇବତ
ବିଶ୍ୱକର୍ମା ରାଇ ଆଗ୍ୟାଂ ଦିଲେ ପୁରୁହୁତ ।୧୫୯।
ଆକାଶୁଂ ନିଅ ମୋର ଅନ୍ତରୀଛ ଭୁବନ
ଦ୍ରୋପତ ରାଜ୍ୟ ଅନ୍ତରେଣ ତ୍ରିବେଣୀ ନଦୀ ସନ୍ନିଧାନ ।୧୬୦।
ସେ ଭୁବନ ରକ୍ଷା କରଇ କରୁଣାକର ବିଦ୍ୟାଧର
ଅସୁର ଭୟେ ହୋଇଲେ ତହିଂ ଲୁଚଇ ପୁରନ୍ଦର ।୧୬୧।
ଇନ୍ଦ୍ର ଆଗ୍ୟାଂୟେ ତାହା ବିଶ୍ୱକର୍ମା ନେଲା
ତ୍ରିବେଣୀ ଗଙ୍ଗା କୂଳେ ନେଇଣ ଥୋଇଲା ।୧୬୩।
କରୁଣାକର ବିଦ୍ୟାଧରକୁ ବୋଲଇ ସୁନାଶୀର
ଗୋପ୍ୟାନ ରୂପେ ତୁ ହୋଇବୁ କୁମ୍ଭାର ।୧୬୪।
ଅମର ବିଳାସୁଣୀ ୟେ ୟେହାର ନାମ ଋଷିତା
ମେନାକର ଦୁହିତାୟେ ତୋହୋର ବନିତା ।୧୬୫।
ଜାଳ ଅଗ୍ନି ହାଣ୍ଡି ତୁ ୟେମାନ ଥିବୁ ସଞ୍ଚି
ମୋହୋର ହିତେ ପାଣ୍ଡବେ ହୋଉଛନ୍ତି ଦୁଖୀ ।୧୬୬।
କୁମ୍ଭିରୀ କିନ୍ନରୀ ହିଡିମ୍ୱକ ବକ ଚାରି
ଅମର ଭୁବନକୁ ୟେ ନିତ୍ୟେ ଦ୍ୟନ୍ତି ଧାଡ଼ି ।୧୬୭।
ତାହାନ୍ତ ବଧ କରାଇବାର ନିମନ୍ତେ
ପାଣ୍ଡବନ୍ତ ବନବାସ କରାଇ ଅଛୁଂ ଯୁଗତେ ।୧୬୮।
ମୋହୋର ନିମନ୍ତେ ୟେ ପାଉଛନ୍ତି ଦୁଖ
ଦ୍ରୋପଦର ଭୁବନେ ପାଇବେ ନାହିଂ କି ସୁଖ ।୧୬୯।
ଗହନ ଅଟବ୍ୟା ସେ ଅସୋହତ ଭୂମି
କଣୟ ଭୁବନ ଥାପିଲେ ସୁରନାଥ ସ୍ୱାମୀ ।୧୭୦।
ୟେହେନେକ କରି ସଞ୍ଚିତ କଲେ ଦେବରାୟେ
ସେ ବାରସ୍ୱତୀ ଭୁବନ ଦିଶଇ କୁରାଳଶାଳ ପ୍ରାୟେ ।୧୭୧।
ମୁକୁତା ଚୂରିତହିଂ କର୍ପୂର ଗୁଣ୍ଡି ସିଞ୍ଚି
ବେନି ଦଣ୍ଡ ବହଳ ପକାଇଲେ ବିଞ୍ଚି ।୧୭୨।
ୟେହେନେକ ସଞ୍ଚିତ କଲେ ଦେବତାୟେ
ସେ ରତ୍ନକର୍ପୂର ଗୁଣ୍ଡି ଦିଶଇ କୁମ୍ଭାର ପାଉଂଶ ପରାୟେ ।୧୭୩।
କରୁଣାକର ବିଦ୍ୟାଧର ଋଷିତା ନାମେ ବିଦ୍ୟାଧରୀ
ଚକ୍ରୀ ଚକ୍ରିଣୀ ପ୍ରାୟେ ଦିଶନ୍ତି ଗୋପ୍ୟକାରୀ ।୧୭୪।
ପାଣ୍ଡବଙ୍କର ଗୋପ୍ୟେ ସେ ଗୋପ୍ୟେ ହୋଇଥିଲେ
ତାହାଙ୍କର ଗୋପ୍ୟେ ସରିଲା ସେ ଉଦିତ ହୋଇଲେ ।୧୭୫।
ପରିମଳ ଭୁବନ ସେ ଦୁତୀ ବାରସ୍ୱତୀ
ଦେଖି କାମପାଳ, ଯାଦବେ ପ୍ରଶଂସା କରନ୍ତି ।୧୭୬।
ବ୍ୟାସେ ପୁଚ୍ଛାକଲେ ସ୍ୱାମୀ ଶୁଣିମା ଶ୍ରୀବାସୁଦେବେ
ଦ୍ରୋପତୀକି ପ୍ରଦାନ ହୋଇବେ ପଞ୍ଚୁ ଯେ ପାଣ୍ଡବେ ।୧୭୭।
ଦ୍ରୋପଦ କିସ ବୋଲିବେ ସେ ୟେହାଙ୍କ ବଚନ ଶୁଣି
କି ଉତ୍ତର ଦେବେ ଦ୍ରୋପଦେଶ୍ୱରଙ୍କ ଦୁଲଣୀ ।୧୭୮।
କ୍ଷଣେକ ଆମ୍ଭେ ଗୋପ୍ୟାନେ ହୋଇଥିବା
ଓହୋ କୁଳ ଗୋତ୍ର ବାରତା ଶୁଣିମା ।୧୭୯।
ୟେସନେକ ବିଚାରି ସେ ରହିଲେ କୁରାଳଶାଳ ଭୁବନେ
କୋଟିୟେ ମହଋଷି ତହିଂ ହୋଇଲେ ଗୋପ୍ୟାନେ ।୧୮୦।
ସାତ ବଂଶ ଘେନି ରାମକୃଷ୍ଣ ଉଗ୍ରସେନ
ଦେବତାନ୍ତ ସହିତେ ଗୋପ୍ୟାନ ମଘବାନ ।୧୮୧।
ରତ୍ନ ଯୋଗାଡମାନ ଘେନି ଅଳକା ଅଧିପତି
ସେହି ଗୋପ୍ୟାନ ହୋଇଲେ ତହିଂରେ ଅନ୍ତର୍ଗତି ।୧୮୨।
ୟେମନ୍ତର ସମୟେ କେଶିନୀ ମୁଦୁସୁଲୀ
ରତ୍ନବାସ ଅଳଙ୍କାର ଘେନି ଅଇଲା ଦ୍ରୋପତୀଙ୍କି ଅଲେଖ ତିଳକ କରିବ ବୋଲି ।୧୮୩।
ସୂତ୍ରକାର ମାନନ୍ତ ରାଇ ଆଗ୍ୟାଂ ଦିଲେ ନୃପବର
ଦକ୍ଷିଣଦ୍ୱାରୁଂ କୁରାଳଶାଳକୁ ବୋଲି ଛାୟା ମଣ୍ଡୋପ କର ।୧୮୪।
ଦ୍ରୋପଦ ସିଙ୍ଘଦ୍ୱାରଠାରୁ କୁରାଳ ଶାଳ ପାଞ୍ଚଯୁଣ
ପାଞ୍ଚ ଲକ୍ଷ ବିନ୍ଧାଣି ତହିଂ ଲାଗିଲେ ବହନ ।୧୮୫।
ସର୍ବ ସଞ୍ଚିତ ରାଜା ଯେ ଅଟଇ ଦ୍ରୋପଦ
ଆଗ୍ୟାଂୟେ ସମସ୍ତ ତହିଂ ହୋଇଲା ସମ୍ପାଦ ।୧୮୬।
ଅଲେଖ ଯୋଗାଡ଼ ଘେନି ଅଇଲା କେଶିନୀ
ଦେଖିଲା ଦେବସଭା ପ୍ରାୟେ ଦିଶଇ ପୂରିଛଇଂ ସଇନି ।୧୮୭।
ଦ୍ରୋପତୀ ବୋଇଲେ ତୁ ଶୁଣ ଗୋ କେଶିନୀ
ମୋହୋର ପିତାମାତାର ଲୋ ଜୀବନ ଧନି ଧନି ।୧୮୮।
ମୁହିଂ ତ ଉତ୍ତମ ହୋଇଲି ସ୍ତିରୀ କୁଳେ ଜନ୍ମ
ୟେ ପାଞ୍ଚେ ଆକାଶ ଦଇବତ ଆଦିବ୍ରହ୍ମ ।୧୮୯।
କଣୟ ନିର୍ମାଣ ଲୋ ଅଟଇ ୟେ ଭୁବନ
ମାନବଙ୍କୁ ଦିଶଇ କୁରାଳଶାଳ ଯେସନ ।୧୯୦।
ସମସ୍ତ ଦେବତାୟେ ୟେହିଠାରେ ଥିଲେ
ଦ୍ରୋପଦର ମନ ବିଡ଼ିବାକୁ ୟେହିଠାରୁ ଗୋପ୍ୟ ହୋଇଲେ ।୧୯୧।
ପାଉଂଶ ଯେଉଂଣ ଲୋ ସେ କର୍ପୂରର ଗୁଣ୍ଡି
ୟେମାନେ ସବୁ ହାଦେ ସୁବର୍ଣ୍ଣର ହାଣ୍ଡି ।୧୯୨।
ୟେହୁ ଖଣ୍ଡ ଖଣ୍ଡ ଯେ ଦିଶୁଅଛି ଖପରା
ୟେମାନେ ସବୁ ହାଦେ ଗୋ ସୁବର୍ଣ୍ଣ କପୋରା ।୧୯୩।
ପିତାର ଆଗରେ ମୋର କହ ଯାଇଂ ଧାତି
ବ୍ରାହ୍ଣଣେ ପ୍ରାୟେ ବୁଝି ନ ପୁଣ ବୋଲଇ ଅନୀତି ।୧୯୪।
କେଶିନୀ ବୋଇଲା ମୋତେ ୟେ ମାନ କିମ୍ପେ କହୁ
ମୁହିଂ ତାହା ସଞ୍ଚପି କହିଅଛଇଂ ଆଗହୁଂ ।୧୯୫।
ଅନେକ ସମ୍ଭରେ ଦ୍ରୋପଦେଶ୍ୱର ରାୟେ
କୁରାଳଶାଳ ଦ୍ୱାରେ ଯାଇଂ କଲେଜ ବିଜୟେ ।୧୯୬।
ଦେଖିଲେ ନାରଖାର ଦିଶଇ ଘରପୁରା
ଦେଖିଣ ଉପହାସ୍ୟ କଲେକ ସର୍ବବୀରା ।୧୯୭।
ୟେତେଠାବ ଥାଉଂ ୟେଥେଂ କିମ୍ପେ ଯେ ରହିଲେ
ମନ୍ଦ ଠାବ ବୋଲି ସୟମ୍ୱର କାଳେ କେହି ୟେଥକୁ ନଇଲେ ।୧୯୮।
କଷ୍ଟିଜନମାନେ ସିନାକୁ ସ୍ଥାନେ ଥାଆନ୍ତି
ଜାଣିଲୁ ୟେମାନଙ୍କର ଅସାର୍ଥୁକ ଜୀବତି ।୧୯୯।
ବାହାରେ ଥାଇ ଡାକ ଦିଅନ୍ତି ଦ୍ରୋପଦେଶ୍ୱର ରାୟେ
ବାଭିୟେ ବାହାର ହୋଇ ଆସକିନା ଲାଖବିନ୍ଧା ପଣ୍ଡାୟେ ।୨୦୦।
ଗରୁହଂସୀ ପଣେ ନ ଶୁଣନ୍ତି ଦ୍ରୋପଦ ରାଜାର ବୋଲ
ଯୋଦ୍ଧାୟେ ବୋଲନ୍ତି ୟେ ବିପ୍ରେ ଅଟନ୍ତି ଅବା କାଲ ।୨୦୧।
ରାଜାର ଚାରଗଣେ ଅଟନ୍ତି ବଡ଼ ଦୁଷ୍ଟ
କ୍ଷଣେ କ୍ଷଣେ ମନ୍ଦ କହୁଅଛନ୍ତି ଦ୍ରପିଷ୍ଟ ।୨୦୨।
ଯୋଗୀ ତପସ୍ୱୀ ରାଉଳ ପୁଣ ଭିକ୍ଷା ବାସୀ
ମାଗି ବ୍ରତନ୍ତି ୟେମାନେ ମିଛିକା ଗରୁହଂସୀ ।୨୦୩।
ଯୁଝେଷ୍ଠି ବୋଇଲେ ବାବୁ ଯାଅ ଧନଞ୍ଜୟେ
ବାକ୍ୟ ଶୁଣକିନା କିସ ବୋଲନ୍ତି ଦ୍ରୋପଦେଶ୍ୱର ରାୟେ ।୨୦୪।
ଅର୍ଜୁନ ବୋଇଲେ ସ୍ୱାମୀ ମୁଂ ଯିବଇଂ କେଉଂଣ ମତେ
ଗଲେ ଦ୍ରୋପଦେଶ୍ୱର ଅବଶ୍ୟ ବରଣ କରିବ ମୋତେ ।୨୦୫।
ତୁମ୍ଭେ ଯିବା ହୋଉ ଦ୍ରୋପଦର ତହିଂକି
ସାବଧାନେ ଶୁଣିମା ସେ ଆଜ୍ଞା ଦିଅଇ କି କି ।୨୦୬।
ଯୁଝେଷ୍ଠି ବୋଇଲେ ସେ ରାଇଲେ ଲାଖବିନ୍ଧା ପଣ୍ଡାକୁ
ଆମ୍ଭେ କିସ ଉତ୍ତର ଯେ କହିବା ତାହାଙ୍କୁ ।୨୦୭।
ଆମ୍ଭନ୍ତ ପଚାରିବ ତୁମ୍ଭେ ଲାଖ ବିନ୍ଧିଲ ଟିକି
ହୋଇ ବୋଲି ଆସିବକି ଆମ୍ଭର ମିଥ୍ୟା ବାକି ।୨୦୮।
ଭୀମସେନ ବୋଇଲା ତୁମ୍ଭେ ନଯାଅ ନଯାଉ ବୀରପାଥ
ଡାକ ଦେଇ ତେଣେ ହୋଇଲାନି ବିମୁଖ ଦ୍ରୋପଦେଶ୍ୱର ନାଥ ।୨୦୯।
ମୁହିଂ ଯିବିନି କି ଦ୍ରୋପଦର ତହିଂକି
କିସ ବୋଲଇ ଦ୍ରୋପଦ ଶୁଣଇଂ କିନା ବାକି ।୨୧୦।
ଯୁଝେଷ୍ଠି ଦେବ ହସିଲେଭୀମସେନବଚନେ
ତୋହୋର ମନ ଆମ୍ଭେ ଜାଣିଛୁ ନା ଯେହ୍ନେ ।୨୧୧।
ପାଞ୍ଚୁପାଣ୍ଡବ ଯେ ହାତ ଧରା ଧରି
ୟେକ ମୃତ୍ତି ହୋଇ ବାହାର ହୋଇଲେ ଆଗ ସରି ।୨୧୨।
ସେ ପାଞ୍ଚଙ୍କର ମୃତ୍ତି ଦେଖିଣ ପଞ୍ଚାଳ
ପାଦ୍ୟ ଅର୍ଘ୍ୟ ଦେଇ ପୂଜା କଲାକ ପାଦତଳ ।୨୧୩।
ବାଭିୟେ କେଉଂଣ ପଣ୍ଡାୟେ ତୁମ୍ଭେ ଲାଖ ବିନ୍ଧିଲଟି
କାହାକୁ ପ୍ରଦାନ କରିବି ମୋହୋର ଦୁହିତା ଗୋଟି ।୨୧୪।
ଯୁଝେଷ୍ଠି ଦେବ ବୋଇଲେ ଆମ୍ଭେ ପଞ୍ଚଭ୍ରାଥ
ୟେକା ଜଣେ ଅର୍ଜିଲେ ପାଞ୍ଚେହେଂ କରୁଂ ଭୁକ୍ତ ।୨୧୫।
ପଦାର୍ଥେ ପାଇଲେ ପାଞ୍ଚେ ହେଂ ଭୁଞ୍ଜୁ ବାଣ୍ଟି
ପାଞ୍ଚଙ୍କରି ହୋଇ ଆମ୍ଭର ୟେକ ଆତ୍ମା ଗୋଟି ।୨୧୬।
ଦ୍ରୋପଦ ବୋଇଲେ ୟେ ଅଟଇ ମହତ
ବଡ଼ ବଡ଼ଙ୍କର କଥା ଅଟଇ ୟେମନ୍ତ ।୨୧୭।
ଦ୍ରୋପଦ ବୋଇଲେ ୟେ ଯେ ସ୍ତିରୀ ରତ୍ନକାନ୍ତି
ଜଣକଂର ବିଭା ନା ହୋଇବ ଯୁଗତି ।୨୧୮।
ଯୁଝେଷ୍ଠି ଦେବ ବୋଇଲେ ଆମ୍ଭର ୟେମନ୍ତ ବେଭାର
ୟେକା ଦ୍ରୋପତୀକି ଆମ୍ଭେ ପାଞ୍ଚହେଂ ଅଟୁ ବର ।୨୧୯।
କର ହେ ନୃପତି ତୋର ଅଛି ଯେବେ କାର୍ଯ୍ୟ
ୟେ ପାଞ୍ଚଙ୍କୁ ୟେ କନ୍ୟା ପ୍ରଦାନ କରିବୁ ଯେ ଆଜ ।୨୨୦।
ଶୁଣିଣ ମୃଚ୍ଛାଗତ ହୋଇଲା ରାଜନ
ଦୁର୍ଦ୍ଧଂସ ବଚନ ବୋଇଲେ ଧୃଷ୍ଟ ଯେ ଦୃମନ ।୨୨୧।
ଶିଖଣ୍ଡୀ ବୋଇଲା ତୁମ୍ଭେ ଭିକ୍ଷାସି ଜନ ଅଟ
ସଂଚୟେ ଜାଣିଲୁ ତୁମ୍ଭେ ଜନ୍ମହୁଂ ନଷ୍ଟ ।୨୨୨।
ୟେମନ୍ତ ବେଭାର ଅଟଇ ନଟକାର ଜାତି
ଗୋଳକୁଣ୍ଡା ଅଟନ୍ତି ତାହାଙ୍କର ଯୁବତୀ ।୨୨୩।
ଦ୍ରୋପଦ ବୋଇଲା ବାଭିୟେ କହିଲୁ ଅନୀତି
ୟେକ ସ୍ତରୀକି କାହିଂ ଅଛି ପାଞ୍ଚ ପତି ।୨୨୪।
ୟେକ ପୁରୁଷକୁ ଯେ ଯୁଗତେ ପଞ୍ଚୁକନ୍ୟା
ଲୋକିତ କର୍ମକୁ ଦିଶିଲା ତୁମ୍ଭର ବାକ୍ୟ ହୀନା ।୨୨୫।
ମହତ ହୋଇ କହିଲ ଅମହତ ବାକ୍ୟ
ପୁରୁଷମାନଙ୍କୁ ୟେକଥା ନୁହଇ ନା ଶକ୍ୟ ।୨୨୬।
ବେଳୁଂବେଳ ଦ୍ରୋପଦେଶ୍ୱର କହୁଅଛି ବାକ୍ୟ ଚଳି
ବ୍ୟାସଙ୍କର ବଦନ ଚାହିଂ ବୋଲନ୍ତି ବନମାଳୀ ।୨୨୭।
ଭୀମସେନ ନସହିବଟି ଦ୍ରୋପଦର ଝିଙ୍ଘାସ
ୟେହିକ୍ଷଣି ଦ୍ରୋପଦର ହୋଇବ ପ୍ରାଣନାଶ ।୨୨୮।
ତତକ୍ଷଣେ ବ୍ୟାସେ ଯେ ବାହାର ହୋଇଲେ
ଦ୍ରୋପଦ ପାଣ୍ଡବଙ୍କ ମଧ୍ୟେ ବିଜେ କଲେ ।୨୨୯।
ବ୍ୟାସଙ୍କୁ ଦେଖି ଦ୍ରୋପଦେଶ୍ୱର ରାୟେ
ଶତେ ସହସ୍ରେ ଦଣ୍ଡ ପ୍ରଳମ୍ୱିତ ବ୍ୟାସଙ୍କ ପଦ୍ମ ପାୟେ ।୨୩୦।
ଦ୍ରୋପଦେଶ୍ୱର ବୋଇଲେ ତୁମ୍ଭର ଯେ ଦୟା ମୋତେ ସର୍ବକାଳେ
ଜାଣିଣ ଅଇଲ ସ୍ୱାମୀ ମୋତେ କଟାଳର ବେଳେ ।୨୩୧।
ଆପଣେ ତୁମ୍ଭେ ତୁଲେ ଘେନି ଦଶ ସହସ୍ର ମୁନି
ମହାଯାଗରୁ ଜାତ କଲ ମୋହୋର ନନ୍ଦିନୀ ।୨୩୨।
ରାଜାନ୍ତ ଆଣିଲି ମୋହୋର ବରଣେ
ଲାଖ ସଞ୍ଚିଲି ତୋହୋର ଆଜ୍ଞା ପରମାଣେ ।୨୩୩।
ୟେ ବ୍ରାହ୍ମଣ ଗୋଟି ଲାଖ ବିନ୍ଧିଲା ଅବରଣେ
ୟେବେ ବୋଲନ୍ତି ପ୍ରଦାନ ହୋଇବୁଂ ପାଞ୍ଚଜଣେ ।୨୩୪।
ଷାଠିୟେ ଲକ୍ଷ ଗ୍ରନ୍ଥ କଲ ଯେ ନିର୍ଜିତେ
ୟେକା ସ୍ତିରୀକି କାହିଂ ପଞ୍ଚଭ୍ରଥା ଅଛିକି ତୋହୋର ଶାସ୍ରେ ଯୁଗତେ ।୨୩୫।
ବ୍ୟାସେ ବୋଇଲେ ବାବୁ ଶୁଣ ହୋ ଦ୍ରୋପତ
ତୋହୋର ଦୁହିତାକୁ ପଞ୍ଚଭ୍ରଥା ଅଛି ପୂର୍ବର ଲିଖିତ ।୨୩୬।
ତୁ ଯେ ପଚାରିଲୁ ପୂର୍ବର ବାରତା
ଶୁଣ ସାବଧାନେ ତୋତେ କହୁଂ ପୂର୍ବର ଆଦି କଥା ।୨୩୭।
କୃତସର୍ବ ବୋଲି ୟେକ ପ୍ରଳୟ କାଳେ
ନାରାୟଣ ଯୋଗ ଲୟେ ସେ ମହାର୍ଣ୍ଣବ ଜଳେ ।୨୩୮।
ବିରାଳଚକ୍ର ନାମେ ଯେ ୟେକଇ ଉଡଙ୍ଗ
ଅନନ୍ତ ଶଯ୍ୟାରେ ବିଜେ ଦେବ ତାହା ଅଙ୍ଗ ।୨୩୯।
ନାହିଂସ୍ୱର୍ଗ ନାହିଂ ମଞ୍ଚ ନାହିଂ ଯେ ପାତାଳ
ପୃଥ୍ୱୀ ଆପ ତେଜ ବାୟୁ ଆକାଶ ନାହିଂ ଯେ ସକଳ ।୨୪୦।
ଦେବ ଦାନବ ପକ୍ଷ କିନ୍ନର ଆଦି କରି
ନାଗ ଲୋକ ଆବର ଜଙ୍ଗମ କୀଟ ପତଙ୍ଗ ସମସ୍ତ ପ୍ରଳୟ ଧାରୀ ।୨୪୧।
ନାହିଂ ଚନ୍ଦ୍ର ନାହିଂ ସୂର୍ଯ୍ୟ ନାହିଂ ଯେ ପବନ
ନାହିଂ ଦିବା ନାହିଂ ରାତ୍ର ନାହିଂ ସନ୍ଧ୍ୟା ଅବକାଶ ମାନ ।୨୪୨।
ଦକ୍ଷିଣକୁ ଶିର କରି ମହାସର୍ପ ଅଛଇ ଶୋଇ
ୟେଡ଼େ ପ୍ରଳୟ ପାଣି ତାର ଗର୍ଭକୁ ନଅଣ୍ଟଇ ।୨୪୩।
ସେ ସର୍ପ ଫଣାରେ ଦେବ ଦେଇ ସୀମଥାନ
ମହାଯୋଗ ଶୟନ ଦେବନାରାୟଣ ।୨୪୪।
ସନ୍ନିଧ୍ୟ୍ୟେ ବିଳାସୁଣୀ ଖଟଇ ଆଦିନାରୀ
ଅନାଦି ଅପର୍ଣ୍ଣା ସେ ସମସ୍ତ ଜାତ କରି ।୨୪୫।
ସତ୍ୟଯୁଗ ସତର ଲକ୍ଷ ଅଠାଇସି ସହସ୍ର ବରଷ
ଊନପାଦୟେ ଚାରି ଲକ୍ଷ ବତିଶ ସହସ୍ର ବରଷ ।୨୪୬।
ତ୍ରେତୟା ଯୁଗ ବାର ଲକ୍ଷ ଛୟାଣୋଇ ସହସ୍ର ବରଷ
ଊନପାଦ ତିନି ଲକ୍ଷ ଚବିଶ ସହସ୍ର ବରଷ ।୨୪୭।
ଦ୍ୱାପର ଯୁଗ ଆଠ ଲକ୍ଷ ଚଉଷଠି ସହସ୍ର ବରଷ
ଉନପାଦ ଦୁଇ ଲକ୍ଷ ଷୋଳ ସହସ୍ର ବରଷ ।୨୪୮।
କଳିଯୁଗ ଚାରିଲକ୍ଷ ବତିଶ ସହସ୍ର ବର୍ଷ
ଊନପାଦ ୟେକ ଲକ୍ଷ ଆଠ ସହସ୍ର ବରଷ ।୨୪୯।
ଗଣ୍ଡାୟେକ ବୋଲି କହି ଚାରିଯୁଗେ
ୟେହି ରୂପେ ସର୍ପକୁ ୟେକ ଦିନ ଭୋଗେ ।୨୫୦।
ୟେହିମତେ ଅଷ୍ଟ ଉତ୍ତର ଶତେ ବରଷ
ୟେତେକାଳ ହୋଇଲେ ଇନ୍ଦ୍ରଦେବତା ଯାଇ ନାଶ ।୨୫୧।
ଇନ୍ଦ୍ର ନାଶ ଗଲେ ପିତାକୁ ହୋଅଇ ୟେକ ଦିନେ
ୟେହି ମତେ ବ୍ରହ୍ମାକୁ ଅଷ୍ଟ ଉତ୍ତର ଶତେ ବରଷ ଲେଖନେ ।୨୫୨।
ୟେତେକେ ବ୍ରହ୍ମାର ଆୟୁଷ ଯେବେ ସରଇ
ଈଶ୍ୱର ଦେବତାଙ୍କୁ ଦିବସେ ଅପହରଇ ।୨୫୩।
ୟେ ବିଧିରେ ଅଷ୍ଟ ଉତ୍ତର ଶତେକ ବରଷ
ମହାରୁଦ୍ର ଦେବତାର ଅଟଇ ଆୟୁଷ ।୨୫୪।
ରୁଦ୍ର ନାଶ ଗଲେ ଆଦିତ୍ୟଙ୍କୁ ହୁଅଇ ଦିନେ
ଅଷ୍ଟ ଉତ୍ତର ଶତ ବରଷେ ଆଦିତ୍ୟ ହୋୟେ ଲୀନେ ।୨୫୫।
ଶତେକ ଆଦିତ୍ୟ ଗଲେ ଚନ୍ଦ୍ରଙ୍କୁ ହୁଅଇ ଦିନେ
ଅଷ୍ଟ ଉତ୍ତର ଶତ ବରଷେ ଚନ୍ଦ୍ର ହୁଅଇ ନିଧନେ ।୨୫୬।
ୟେହିମତେ ଶତେ ଅଷ୍ଚ ଉତ୍ତର ବରଷେ ଚନ୍ଦ୍ରହିଂ ନାଶ ଯିବ
ଚନ୍ଦ୍ରହିଂ ନାଶ ଗଲେ ବିଷ୍ଣୁଙ୍କୁ ୟେକ ଦିବସ ହୋଇବ ।୨୫୭।
ଦିବସ ସରିଲେ ରାତ୍ରେ ଯାଇ ନିଦ୍ରା
ବିଷ୍ଣୁଙ୍କର ନିଦ୍ରା ଗଲେ ଭାଞ୍ଜଇ ଯୋଗ ମୁଦ୍ରା ।୨୫୮।
ଅନାଦି ପୁରୁଷ ଯେତେବେଳେ ନିଦ୍ରା ଯାୟେ
ପୃଥୀ ଆପ ତେଜ ବାୟବ ଆକାଶ ସମସ୍ତ ଯାଇ କ୍ଷୟେ ।୨୫୯।
ତାହାର ନିଦ୍ରା ଗଲେ କିଛିହିଂ ନ ଥାଇଂ
ଦିବସହିଂ ଯେତେ କାଳ ରାତ୍ରହିଂ ତେତେ କାଳ ହୋଇ ।୨୬୦।
ନିଦ୍ରା ଭାଞ୍ଜିଲେ ପ୍ରସରଇ ରୟଣୀ
ପୁଣି ଉଦା କରାବନ୍ତି ଶ୍ରୀନାରାୟଣ ଚଛୁ ବେନି ।୨୬୧।
ଦେଖଇ ଜଳମୟେ ସଚରାଚର ନାହିଂ କିଛି
ବସି ଅମୃତ ନୟନେ ଚାହାନ୍ତି ଶ୍ରୀବଚ୍ଛି ।୨୬୨।
ଅମୃତ ଦୃଷ୍ଟିରେ ଯହିଂ ଚାହିଂଲେ ଅନାଦି
ପଞ୍ଚଦଶ ବ୍ରହ୍ମା ଜଳରୁ ଉପୁଜିଲେ ଶୂନ୍ୟ ଭେଦି ।୨୬୩।
ପୁଣ ଉଦେ କରନ୍ତି ଶ୍ରୀନାରାୟଣର କାୟେ
ସେ ଧାତୁ ବାଦ୍ୟ ପୁରୁଷଙ୍କୁ ହୋଇଲା ଜଳ ଆଣ୍ଠୁଆୟେ ।୨୬୪।
ସରସ୍ୱତୀଙ୍କି କଟାଳିଲେ ଯୁବା ରୂପ ଦେଖି
କଟାକ୍ଷି ଚାହିଂଲେ ୟେ ଅନାଦି ଧବଳମୁଖୀ ।୨୬୫।
ସେ ଅନାଦି ନାରୀଙ୍କର କଟାକ୍ଷ ନୟନେ
ତ୍ରୈଲୋକ୍ୟ ମୋହିନୀ କନ୍ୟା ହୋଇଲା ଉତପନ୍ନେ ।୨୬୬।
ସେ ଅନାଦି ନାରୀ ଯେ ମାଗିଲା ଆଧାର
ବାକ୍ୟ ଦେବୀ ବୋଇଲେ ପଞ୍ଚଦଶ ବ୍ରହ୍ମାଙ୍କୁ ତୁ ମାର ।୨୬୭।
କେତୁ ବୋଲି ବୋଇଲେକ ଯହୁଂ ଆଦି ନାରୀ
କେତୁକା ନାମ ଯେ ହୋଇଲା ତାହାରି ।୨୬୮।
ବାକ୍ୟ ଦେବୀ ବଚନେ ଧାଇଂଲେ କେତୁକା
ସହସ୍ର ବରଷେ ବ୍ରହ୍ମାୟେ ମାରଇ ୟେକା ।୨୬୯।
ଚଉଦ ବ୍ରହ୍ମା ମାଇଲା ଚଉଦ ସହସ୍ର ବରଷେ
ରୁଧିର ମାୟେଂସ ସେ ଆପ୍ୟାନ କଲାକ ସନ୍ତୋଷେ ।୨୭୦।
କୋଟିୟେ ବ୍ରହ୍ମାଣ୍ଡ ହୋଇଛି ଜଳମୟେ
ବ୍ରହ୍ମା କେତୁକାକୁ ଜଳ ହୋଇଲା ଆଣ୍ଠୁଆଣି ପ୍ରାୟେ ।୨୭୧।
ଶୂଦ୍ରେକ ବ୍ରହ୍ମାଙ୍କୁ ଧରି ନୁଆରି ପଛେ ଗୋଡ଼ାଇଲା
ନାରାୟଣ ଶରଣ ବୋଲିଣ ଫୁକାରିଲା ।୨୭୨।
ମହା ରତି ଶବଦେ ଭାଞ୍ଜିଲା ଯୋଗନିଦ୍ରା
ନୟନ ମଳିଣ ଚାହିଂଲେ ଯୋଗସିଦ୍ଧା ।୨୭୩।
ପଳାଇ ଶୂଦ୍ରେକ ବୋଲଇ ନାରାୟଣ ତ୍ରାହି ତ୍ରାହି
ବିଷ୍ଣୁନାଥ ବୋଇଲେ ଗୋ ରହ ରହ ଆୟୀ ।୨୭୪।
କେତୁକା ବୋଇଲା ୟେ ମୋହୋର ନିଜ ଭକ୍ଷ
ମୁହିଂ ତ୍ରିପୁତି ହୋଇବି ତୁମ୍ଭେ କିମ୍ପେ ୟେହା ରଖ ।୨୭୫।
ବିଷ୍ଣୁ ବୋଇଲେ ଆବର ବ୍ରହ୍ମାମାନେ ମୋହୋର ଗଲେ କାହିଂ
ଧବଳାଙ୍ଗୀ ବୋଇଲେ ସ୍ୱାମୀ ଜୀବତେ କେହି ନାହିଂ ।୨୭୬।
ମୋତେ ରମିତେ ଇଚ୍ଛା କଲେ ତୁମ୍ଭର ନିଦ୍ରା କାଳେ
ରାଗେ କେତୁକା ମୁଂ ଜାତ କଲି ବେନି ଡୋଳେ ।୨୭୭।
ଆଗ୍ୟାଂ ଦେଲି କେତୁକାୟେ ୟେହାନ୍ତ ସବୁକୁଇ ଭକ୍ଷ
ୟେ ମୋଢା ବଡ଼ାଇ ଦୁଷ୍ଟ ୟେହାନ୍ତ କିମ୍ପେ ରଖ ।୨୭୮।
ଶ୍ରୀନାରାୟଣେ ବୋଇଲେ ଶରଣ ପଶିଲା ଆମ୍ଭନ୍ତ ଯେବେ
ସମୟେକ ରଖ ୟେହାକୁ ଭକ୍ଷ ଦ୍ୱାପର ଯୁଗେ ।୨୭୯।
ବାକ୍ୟ ଦେବୀ ବୋଇଲେ ୟେ ହୋଇବ କେମନ୍ତେ
ୟେହା ବିସ୍ତାରିଣ ଦେବ କହିବା ଆଦି ନାଥେ ।୨୮୦।
ନାରାୟଣ ବୋଇଲେ ୟେବେ ହୋଇବ ସତ୍ୟଯୁଗ
ସତ୍ୟ ଅନ୍ତରେ ହୋଇବ ତ୍ରେତୟା ଯୁଗ ଭୋଗ ।୨୮୧।
ତ୍ରେତୟା ଅନ୍ତେ ଯେ ହୋଇବ ଦ୍ୱାପର
ୟେ ଶୂଦ୍ରକ ବ୍ରହ୍ମା ଧୁଶାସନ ରୂପେ ଅବତାର ।୨୮୨।
ୟେ କେତୁକା ଜନ୍ମ ହୋଇବ ଦ୍ରୋପତୀ ରୂପ ହୋଇ
ଦ୍ୱାପର ଯୁଗେ ଧୁଶାସନକୁ ଖାଉ ତହିଂ ।୨୮୩।
ୟେ କେତୁକା ହେଲା ଯହୁଂ ବ୍ରହ୍ମାଙ୍କର ବଇରି
ଚଉଦ ବ୍ରହ୍ମା ଖାଇଲାନି ମୁଣ୍ଡ ମୋଡ଼ି କରି ।୨୮୪।
ୟେ ଶୂଦ୍ରକୁ କୋପ ୟେହାକୁ ସର୍ବକାଳେ
ୟେହାର କେଶ ଧରି ନେବ କଉରୋବ ସଭାତଳେ ।୨୮୫।
ଦ୍ରୋପତୀ ବଲ୍ଲଭ ହୋଇବ ଭୀମସେନ
ଭୀମ ଧୁଶାସନରେ ଯେ ହୋଇବ ସାଂଗ୍ରାମେ ।୨୮୬।
ଧୁଶାସନକୁ ସାଂଗ୍ରାମେ ମାରିବ ବିକ୍ରୋଦର
ଭୁଜ ଓପାଡ଼ି ୟେହାର ମଥାରେ ନିଉଡ଼ିବ ରୁଧିର ।୨୮୭।
ରକତେ ସ୍ନାହାନ କରିବ ଦ୍ରୋପତୀ
ସେ ରୁଧିର ପାନ କରିଣ ହୋଇବ ତ୍ରିପୁତି ।୨୮୮।
ଶୁଣ ହୋ ଦ୍ରୋପଦେଶ୍ୱର ୟେ ଅନାଦି ସିଦ୍ଧ କଥା
ୟେଡ଼େ ସରୂପେ ତୋହୋର ଦ୍ରୋପତୀ ଦୁହିତା ।୨୮୯।
ୟେ ହାଦେ ଦ୍ରୋପତୀୟେ ହାଦେ ଭୀମସେନ
ଧୁଶାସନ ରୁଧିର ୟେ କରିବ ଆପ୍ୟାନ ।୨୯୦।
ୟେହା ଶୁଣି ଦ୍ରୋପଦ ଯେ ବ୍ୟାସଙ୍କୁ ପୁଚ୍ଛାକଲା
ତ୍ରେତୟା ଯୁଗୟେ ପୁଣି କାହିଂ ପୁହାଇଲା ।୨୯୧।
ପ୍ରଥମେ କେତକା ଦୁଜେ ୟେକ ବଳା ପାର୍ବତୀ
ବ୍ୟାସେ ବୋଇଲେ ଶୁଣ ହୋ ଦ୍ରୋପଦ ନୃପତି ।୨୯୨।
ହେମବନ୍ତ ତଳେ ମାଳତୀ ନାମେଣ ଯେ ନଦୀ
ତହିଂ ୟେକ ବଳା ପାର୍ବତୀ ଯୋଗ ସାଧି ।୨୯୩।
ୟେକ ବଳାକଇଂ ଇଚ୍ଛା କଲେ ଦେବ ହର
ଆସିଣ ସଦାଶିବ ଖଟନ୍ତି ପାଶର ।୨୯୪।
ମୀନ ମାସ ଶୁକ୍ଳ ପକ୍ଷ ଶ୍ରୀୟେକାଦଶୀ
ବସନ୍ତ ଋତୁ ହସ୍ତା ନକ୍ଷତ୍ର କନ୍ୟ ରାଶି ।୨୯୫।
ସେ ଦିନେ ଗାୟତିରୀ ଆସନ୍ତି ଗଙ୍ଗାକୁ ପାଣି ହେରି
ନିରଞ୍ଜନ ପୁରୁଷ ଭ୍ରଥା ଅଟନ୍ତି ତାହାରି ।୨୯୬।
ନିରଞ୍ଜନ ପଞ୍ଚୁ ଆତ୍ମା ପଞ୍ଚୁ ଷଣ୍ଢ ହୋଇ
ସେ ଗାୟତିରୀ ପଛକତି ଅଛନ୍ତି ଗୋଡାଇ ।୨୯୭।
ଈଶ୍ୱର ବୋଇଲେ ଦେଖ ୟେକ ବଳା ପାର୍ବତୀ
ମାତା ତୋର ଗାୟତିରୀ ୟେଡ଼େକ ଅସତୀ ।୨୯୮।
ୟେକା ଗାଈକି ଗୋଡ଼ାଇ ଅଛନ୍ତି ପଞ୍ଚୁଷଣ୍ଢ
ପାଞ୍ଚକଇଂ ଆଶା ଦେଖାଇ କରୁଅଛି ଲଣ୍ଡ ଭଣ୍ଡ ।୨୯୯।
ଯେବଣ ଷଣ୍ଢକୁ ତାର ଇଚ୍ଛା ଯେ ହୋଇବ
ଚାରିଙ୍କି ନିରାଶ କରି ୟେକ ଆବୋରିବ ।୩୦୦।
ୟେ ପାଞ୍ଚକଇଂ ଆଶା ଅଛି ଯେ ଦେଖାଇ
ସ୍ତିରୀଜନ୍ମର ୟେ ଧର୍ମକୁ ନୁଆସଇ ।୩୦୧।
କପିଳାକୁ ୟେକ ବଳା ମନେ କଲା ବିକୃତି
ବୋଇଲେ ମାତାର ୟେକଥା ନଯୋଗାଇ ଯୁଗତି ।୩୦୨।
ସ୍ତିରୀଜନ୍ମ ହୋଇ ୟେଡ଼େକ ଅବିଶ୍ୱାସୀ
ଈଶ୍ୱରେ ୟେକ ବଳା ଗାୟତିରୀକି ଦୁଷୀ ।୩୦୩।
ୟେସନେକ ଚରିତ ଯେ ଜାଣିଲେ କପିଳା
ବୋଇଲେ ତୁ ମନେ ବିକୃତ ଧଇଲୁ ଗୋ ୟେକ ବଳା ।୩୦୪।
ଭୋ ଈଶ୍ୱର ଦୃଷ୍ଟିରେ ଦେଖି ବିକୃତ ଧଇଲୁ ମନେ
ତୁ ୟେହାର ଭ୍ରାଥ ହୋଇ ଜନ୍ମିବୁ ଧୃଷ୍ଟ ଯେ ଦୃମନେ ।୩୦୫।
ତୁ ଯେ ୟେକ ବଳା ମନେ ଧଇଲୁ ବିକୃତି
ଦ୍ରୋପତୀ ରୂପେ ଜାତ ହୁଅ ତୋର ହୋଉ ପଞ୍ଚୁପତି ।୩୦୬।
ୟେତେକ ଶାପ ଦେଇ ଗଲେକ କପିଳା
ମହାଯୋଗ ଘେନି ବସିଲେ ୟେକବଳା ।୩୦୭।
ପାଟୋଳି ବସନ ପଞ୍ଚାଉନ କୋଟି ମାଡ଼ି
ମହାଲୟେ ବସିଲେ ସକଳ ଜଞ୍ଜାଳ ଛାଡ଼ି ।୩୦୮।
ଆଦିତ୍ୟର ସୁତ ଯେ ଅଟଇ ଶନିଶ୍ଚର
ତାହାର ଦୃଷ୍ଟି ପଡ଼ିଲେ ଯେ ଦହଇ ସଂସାର ।୩୦୯।
ଡରେଣ ତାହାକୁ କନ୍ୟା ଦିଅନ୍ତା କେହି ନାହିଂ
ଦଶ ଲକ୍ଷ ବରଷ ସେ ଅଛି ଅବିଭାଇ ହୋଇ ।୩୧୦।
ଅନଳସେନ ବୋଲିଣ ଦକ୍ଷ ବଂଶେଣ ରାଜା
କୃତ୍ତିକାବତୀ ବୋଲିଣ ତାହାର ତନୁଜା ।୩୧୧।
ଅନଳସେନକୁ ବୋଇଲେ ଦିନକର ଜ୍ୟୋତି
ଆମ୍ଭର ଶନିଶ୍ଚରକୁ ଦେବୁ ତୋର ଦୋହିତା କୃତ୍ତିକାବତୀ ।୩୧୨।
କରତାର ବଚନ ସେ ଭାଞ୍ଜି ନୁଆରିଲା
ଦେବି ମୋହୋର ଦୋହିତା ନିରଞ୍ଜନକୁ ସତ୍ୟ ମନାଇଲା ।୩୧୩।
ସ୍ୱାମୀ ୟେକ ବର୍ଣ୍ଣି ପାଟୋଳି ବସ୍ର ପଞ୍ଚାଉନ କୋଟି
ଦୁହିତାକୁ ଘୋଡାଉଥିବୁ ନପଡିବ ତହିଂ ଶନିଶ୍ଚର ଦୃଷ୍ଟି ।୩୧୪।
ସେ ବସ୍ର ତେଜେ ଶନିଶ୍ଚରଙ୍କ ଆକ୍ରଷଣ ହୋଇବାକ ଶାନ୍ତି
ଦେବଇଂ କନ୍ୟା ମୋହୋର ହୋଇଲା ସତି ସତି ।୩୧୫।
ରାଜାର ବଚନେ ଯେ ସ୍ୱାମୀ କରତାର
ଦେଖିଲେ ୟେକ ବର୍ଣ୍ଣ ପାଟୋଳି ବସ୍ର ନାହିଂ ଅନ୍ୟ ଠାବର ।୩୧୬।
ପଞ୍ଚାଉନ କୋଟି ପାଟୋଳି ବସ୍ର ମାଡ଼ି ବସିଅଛି ୟେକ ବଳା ପାର୍ବତୀ
ତାହାଙ୍କୁ ମାଗି ଆଣିବାକୁ ହୋଅନ୍ତି ଭ୍ରାନ୍ତି ।୩୧୭।
ଯହିଂ ତପେ ବସିଛନ୍ତି ଅନାଦି କେତୁକା
ଦିନକର ନାଥ ଯାଇ ଭେଟିଲେ ତାଙ୍କୁ ୟେକା ।୩୧୮।
ଆଦିତ୍ୟ ୟେକ ବଳା ପାର୍ବତୀଙ୍କି ବହୁତ କଲେ ତୁସ୍ତି
ବିନୟ ଦେଖି ପ୍ରସନ୍ନ ହୋଇଲା ୟେକ ବଳା ପାର୍ବତୀ ।୩୧୯।
କେବଣ ଆଧ୍ୟାନ ହୋ ମାଗ କରତାର
ବିରଞ୍ଚି ନାରାୟଣ ବୋଲନ୍ତି ଉତ୍ତର ।୩୨୦।
ଶନିଶ୍ଚରକୁ ବିଭା କରାଇବି ମହାମାୟେ
ତୁଯେ ସିଦ୍ଧ ଦେବୀ ମୋର ପୁତ୍ରକୁ କରିବୁ ସଦୟେ ।୩୨୧।
ୟେକ ବର୍ଣ୍ଣ ପାଟୋଳି ବସ୍ର ପଞ୍ଚାଉନ କୋଟି
ୟେତେକ ପାଇଲେ ଅନଳସେନ ଦେବ ଦୁହିତା ଗୋଟି ।୩୨୨।
ୟେକବଳା ବୋଇଲେ ଶୁଣିମା ଦେବରାଜ
ୟେ ବସ୍ରେ ନାରାୟଣ ଅଛି ବହୁତ କାର୍ଯ୍ୟ ।୩୨୩।
ଆଦିତ୍ୟ ବୋଇଲେ ତୋହୋର କାର୍ଯ୍ୟକାଳେ
ୟେ ବସ୍ର ଦେବୀ ତୋହୋର କଟାଳର ବେଳେ ।୩୨୪।
ଚତୁର୍ଥ ଅବତାରେ ମୁଂ ହୋଇବି ଦ୍ରୋପତୀ
ଗାୟତ୍ରୀ ଶାପ୍ୟେ ମୋର ହୋଇ ପଞ୍ଚୁପତି ।୩୨୫।
କଷଣ ପଡ଼ିବ ମୋତେ କୁରୁ ସଭାତଳେ
କଉରବେ ମୋତେ ବିବସନ କରିବେ ଯେତେବେଳେ ।୩୨୬।
ୟେ ମୋହୋର ସତୀପଣ ନାଶିବାର ନିମନ୍ତେ
ସେ କାଳରେ ବସ୍ର ଦେବ ମାଗିବଇଂ ତୋତେ ।୩୨୭।
ପଞ୍ଚାଉନ କୋଟିରେ କୋଟିୟେ ବସ୍ର ଲାଇଂ
ଛପନ କୋଟି ବସ୍ର ମୋତେ ଦେବୁ ତୁ ତୁଲାଇ ।୩୨୮।
କରତାର ବୋଇଲେ ହୋଇଲା ମୋହୋର ସତ୍ୟ ସତ୍ୟ
ମାଗି ପଞ୍ଚାଉନ କୋଟି ବସ୍ର ନେଲେ ଦିନକରନାଥ ।୩୨୯।
ଅନଳସେନ ନୃପତିକି ବସ୍ର ଦିଲେ ନେଇ
ବିଭାର କାଳେ ବସ୍ର ଘୋଡ଼ାଇଲେ କନ୍ୟାର ତହିଂ ।୩୩୦।
ଶନିଶ୍ଚରକୁ ପ୍ରଦାନ କରାଇଲେ କୃତ୍ତିକାବତୀ
ରକ୍ତବସ୍ରେ ଦୃଷ୍ଟି ଦେଇ ଶନି ହେଲେ ଶାନ୍ତି ।୩୩୧।
ବିବାହ ଉତ୍ତାରେ ମାଗିନେଲେ କରତାର
ସେ ବସ୍ର ସଂହରିଲେ ନେଇ ରଥର ଉପର ।୩୩୨।
ଶୁଣ ହୋ ଦ୍ରୋପଦ ବୋଲନ୍ତି ମୁନି ବ୍ୟାସେ
ଦୁଜ ଅବତାର କଥା କହିଲୁ ଅବଶେଷେ ।୩୩୩।
ତୃତୀୟ ଅବତାର ୟେ ଶଚୀ ରୂପ ଧରି
କ୍ଷେତ୍ରାଧିପତି ପୁଷ୍କର ଘରେ ଅବତରି ।୩୩୪।
ଇନ୍ଦ୍ରଦେବତାକୁ ପ୍ରଦାନ କଲା ସେ ପୁଷ୍କର ରାଜନ
ଅଛୟେ ପାଟବଂଶୀ ବସିଲା ସେ ଅମର ସ୍ୱର୍ଗ ଥାନ ।୩୩୫।
ଦଶ ଲକ୍ଷ ବରଷ ପରିଯନ୍ତେ ସେ ବାସବ ମନୋହାରୀ
ନିକଣ୍ଟେକ ରାଜ୍ୟ କଲା ଇନ୍ଦ୍ର ଜମ୍ୱୁ ଦତ୍ୟ ମାରି ।୩୩୬।
ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ଅନୁରଥ ବଂଶେଣ ବ୍ରାହ୍ମଣେକ ଉତପତ୍ତି ।୩୩୭।
ସେହି ବ୍ରାହ୍ମଣର ନାମ ଅଟଇ କେଶିରଥ
କେଶିରଥ ପୁତ୍ର ହୋଇଲା ଦାସରଥ ।୩୩୮।
ଦାସରଥର ପୁତ୍ର ଯେ ଅଟଇ ମନୁରଥ ନାମ
ଉଦେରଥ ବୋଲି ତାହାର ପୁତ୍ରେକ ମହାବ୍ରହ୍ମ ।୩୩୯।
ୟେହାର ନନ୍ଦନ ବିଷ୍ଣୁ ରଥ ଦ୍ୱିଜ
ଯମରଥ ବୋଲି ତାହାର ତନୁଜ ।୩୪୦।
ଯମରଥର ପୁତ୍ର ବ୍ରହ୍ମରଥ ବୋଲି
ରୁଦ୍ରରଥ ନାମ ତାହାର ପୁତ୍ରେକ କହିଲି ।୩୪୧।
ରୁଦ୍ରରଥର ପୁତ୍ର ତ୍ୱଷ୍ଟାରଥ ନାମ
ବେଦଶାସ୍ର ପୁରାଣେ ଜାଣି ଦୁତୀବ୍ରହ୍ମ ।୩୪୨।
ବୈଶାଖ ଶୁକଳ ଦୁତୀୟାର ଦିନ
ଅର୍କବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୩୪୩।
ସେ ଦିନ ତ୍ୱଷ୍ଟାରଥ ଅମର ସ୍ୱର୍ଗକୁ ଗଲେ
ବାସବ ଦେବତାତାଙ୍କୁ ବସିତେନ ବୋଇଲେ ।୩୪୪।
ଲାଜେଣ ଆସ୍ତାନରୁ ଅଇଲେ ତପଚରୀ
କୋପେଣ ଆଜ୍ଞାଦିଲେ ବୃତ୍ତ୍ରରଥଙ୍କୁ ହକାରି ।୩୪୫।
ଆରେବୃତ୍ତ୍ର ! ତୁ ଯାଇଂରୁଦ୍ରଙ୍କୁ ସେବାକର
ଈଶ୍ୱର ଦେବତାଙ୍କୁ ସେବାକରି ବସ ଅମର ସ୍ୱର୍ଗପୁର ।୩୪୬।
ତ୍ୱଷ୍ଟାର ଆଗ୍ୟାଂ ପାଇ ସେ ବୃତ୍ତ୍ର ମହାଋଷି
କପିଳାସ କନ୍ଦରକୁ ସେ ବିଜେ ବାଳ ଶିଷି ।୩୪୭।
ଆନ କିଛି ନଜାଣଇ ସେ ଯେ ବାଳ ସୁତ
ବାସଖିଳା ତପେ ସେ ଖଟଇ ବିଶ୍ୱନାଥ ।୩୪୮।
ସ୍ନାହାନ ଷଟକର୍ମ ନିତ୍ୟକର୍ମ ସାରି
ରାତ୍ର ବେନି ଘଡ଼ି ଥାଉଂ ଯାଇଥାୟେ ଗଡ଼ି ।୩୪୯।
ଶିବ ଶିବ ବୋଲି ସୁମରିଥାଇ ଅନୁବ୍ରତେ
ଗଡ଼ଘାଲି ଶୁୟେ ଦେଢ ପ୍ରହର ପରିଯନ୍ତେ ।୩୫୦।
ଚଉବିଂଶ ବରଷ ପରିଯନ୍ତେ ଘୋର ତପ କଲା
ଈଶ୍ୱର ଦେବତାଙ୍କର ଆସନ କମ୍ପିଲା ।୩୫୧।
ମେଷ ମାସ ଶୁକଳ ପକ୍ଷ ପଞ୍ଚମୀର ରାତି
ଶଉରୀ ବାର ମୃଗଶିରା ନକ୍ଷତ୍ର ପାହାନ୍ତି ।୩୫୨।
ଗଡ଼ି ଯାଉଅଛି ନିତ୍ୟକର୍ମର ବିଧାନେ
ସର୍ପବିଘାତ ହୋଇଲା କପିଳାସ ଈଶାନ୍ୟେ ।୩୫୩।
ମହାଗରଳ ଜ୍ୱଳା ଲାଗି ସେହୁ ବାଳ
ଶରୀର ବିସର୍ଜନ ମୁଖୁଂ ବହଇ ଗରଳ ।୩୫୪।
ବର ଦେବେ ବୋଲି ଆସୁଛନ୍ତି କାଶୀ
ଉମା ମହେଶ୍ୱର ଦେଖିଲେ ମରିଅଛି ବାଳ ଶିଷି ।୩୫୫।
ଉମା ବୋଇଲେ ସ୍ୱାମୀ ଶିବ ସେବା ୟେମନ୍ତ
ତୁମ୍ଭଙ୍କୁ ସେବାକରି ନାଶଗଲା ୟେ ବାଳୁତ ।୩୫୬।
ସଦାଶିବ ବୋଇଲେ ଶୁଣ ଗୋ ଗିରିଜା
ୟେ ପୁତ୍ର ଗୋଟିକି କରିବା ସ୍ୱର୍ଗପୁରେ ରାଜା ।୩୫୭।
ଈଶ୍ୱର ବୋଇଲେ ନାରଦଙ୍କୁ ହକାରି
ୟେ ପୁତ୍ର ଗୋଟି ନିଅ ତୁ ଯଶୋବନ୍ତ ପୁରୀ ।୩୫୮।
ବ୍ରହ୍ମାଙ୍କୁ ବୋଲିବୁ ଯେ ରୁଦ୍ରଙ୍କ ଭଗତା
ତୋହୋର ତହୁଂ ଭଲଠାବେ ଥୋଇବୁ ନେଇ ଧାତା ।୩୫୯।
ମୃତୁପିଣ୍ଡ ଗୋଟି ନେଇ ବସାଇଲେ ମନ – ପବନ ଦଣ୍ଡେ
ପୁତ୍ର ଘେନି ପ୍ରବେଶ ହୋଇଲେ ଯଶୋବନ୍ତୀ ବ୍ରହ୍ମାଣ୍ଡେ ।୩୬୦।
ବ୍ରହ୍ମାଙ୍କ ଆଗେ ସମର୍ପିଲେ ବୃତ୍ତ୍ର ମହଋଷି
ସଦାଶିବ ଆଗ୍ୟାଂ ତୋତେ ୟେହାକୁ ଭଲଠାବେ ଥୋଅସି ।୩୬୧।
ମୃତୁପିଣ୍ଡ ଗୋଟି ଘେନିଗଲେ ସୃଷ୍ଟିକରତା
ନିଜ ପ୍ରାଣ ଦେଇ ଜିଆଂଇଲେ ଦେବ ଧାତା ।୩୬୨।
ନାରଦଙ୍କୁ ରାଇ ସମର୍ପିଲେ ବାଳ ସୁତ
ମୋହୋର ତହୁଂ ଭଲ ଠାବେ ଅମରପୁର ସିନା ଯୁଗତ ।୩୬୩।
ବାସବ ଦେବତାର ସେ ଫିଟିଲା ଇନ୍ଦ୍ରପଦ
ବୃତ୍ତ୍ରମହଋଷିଙ୍କି ଇନ୍ଦ୍ରପଦେ ବସାଅ ନାରଦ ।୩୬୪।
ପିତାର ଆଗ୍ୟାଂରେ ଚଳନ୍ତି କଳହପ୍ରିୟା
ଇନ୍ଦ୍ରଙ୍କୁ ଜଣାଇଲା ଧାତା ବୋଇଲେ ଯାହା ।୩୬୫।
ଇନ୍ଦ୍ରଙ୍କୁ କହିଲେ ତୋହୋର ତହୁଂ ହାଦେ ଫିଟିଲା ଇନ୍ଦ୍ରପଦ
ବୃତ୍ତ୍ରମହଋଷି ସ୍ୱର୍ଗେ ହୋଇବାକ ଇନ୍ଦ୍ର ।୩୬୬।
ଆଗ୍ୟାଂ ପ୍ରମାଣେ ସ୍ୱର୍ଗ ଛାଡ଼ିଲେ ମଘବା
ଯାହା ସେ ସଞ୍ଚିଲେ ପିତାମହ ରୁଦ୍ର ଦେବା ।୩୬୭।
ଇନ୍ଦ୍ର ଦଣ୍ଡ ଛତ୍ର ମାନ ଛାଡ଼ିଲା ସମସ୍ତ
ଶଚୀକି ଘେନି ୟେକା ବାହାର ହୋଇଲେ ପୁରୁହୁତ ।୩୬୮।
ଇନ୍ଦ୍ର ଦେବତା ଯେତେବେଳେ ଶଚୀକି ଛାଡ଼ି ଅମରପୁରୁଂ ଗଲେ
ବୃତ୍ତ୍ର ମହଋଷି ଇନ୍ଦ୍ରପଦେ ବସିଲେ ।୩୬୯।
ତପେ ମନାଇଲେ ସେ ଦେବ ତ୍ରିଲୋଚନେ
ଘେନିଲେ ଇନ୍ଦ୍ରପଦ ରୁଦ୍ର ପରଶନେ ।୩୭୦।
ଦିଗପାଳେ ଚଳିଲେ ବୃତ୍ତ୍ର ମହଋଷିର ଆଗ୍ୟାଂ ବର୍ତ୍ତୀ
ଅପକ୍ଷେରାୟେ ଖଟିଲେ ବାହାନ ଅଇରାବତ ହାଥୀ ।୩୭୧।
ସମସ୍ତ ବ୍ରହ୍ମାଣ୍ଡେ ଭିଆଇଲା ନୀତି କ୍ରମେ
ସଚରାଚର ପାଳିଲେ ମହଋଷି ଅତି ଧର୍ମେ ।୩୭୨।
ଇନ୍ଦ୍ରଦେବତା ରାଜ୍ୟ ଭ୍ରଷ୍ଟ ହୋଇଗଲା
ପଦ୍ମବନେ ପଶି ନାରାୟଣକଇଂ ଚିନ୍ତା କଲା ।୩୭୩।
ଚଉବିଂଶ ବରଷେ ଜାଣିଲେ ଜନାର୍ଦ୍ଦନେ
ଇନ୍ଦ୍ରଦେବତାଙ୍କୁ ଭେଟିଲେ ଖଗେଶ୍ୱର ବାହାନେ ।୩୭୪।
ଅନେକ ବଇକୁଲ୍ୟ ହୋଇଲେ ଆଖଣ୍ଡଳେ
ଶତେ ସହସ୍ର ଦଣ୍ଡପ୍ରଳମ୍ୱ ନାରାୟଣଙ୍କ ପାଦତଳେ ।୩୭୫।
ସ୍ୱାମୀ ଜମ୍ୱୁଦତ୍ୟ ମାରି ସିଞ୍ଚିଲେ ଅମର
ଇନ୍ଦ୍ର ପଦେ ବସିଲି ମୁଂ ମନୁ ଯେ ସତର ।୩୭୬।
ଈଶ୍ୱର ବ୍ରହ୍ମାୟେ ହରିଲେ ମୋହୋର ଇନ୍ଦ୍ର ପଦ
ବୃତ୍ତ୍ରମହଋଷିକି ଦିଲେ ୟେ ମୋହୋର ପଦ ।୩୭୭।
ଅନାଥର ବନ୍ଧୁ ତୁ ଜଗଭୂତ ନାରାୟଣ
ତୋହୋର ପ୍ରସାଦେ ଦେବ ମୁଂ ପାଇବି କାରଣ ।୩୭୮।
ନାରାୟଣ ବୋଇଲେ ତୁ ଯାଅସି ଅମର
ବୃତ୍ର ମହଋଷିଙ୍କି ମାରି ଇନ୍ଦ୍ରପଦ ଘେନ ଯେ ତୋହୋର ।୩୭୯।
ଇନ୍ଦ୍ର ବୋଇଲା ମୋହୋର ଘେନିଲା ସମସ୍ତ
କିସ ଘେନିଣ ମୁଂ ସମର କରିବି ଶହସ୍ର ନାହିଂ
ମୋହୋର ହସ୍ତ ।୩୮୦।
ସେହିଠାରେ ତପ କରୁଥିଲେ ମହଋଷି ଦଧିଋଚି
ତାହାଙ୍କୁ ରାଇ ଆଗ୍ୟାଂ ଦିଲେ ଶିରୀବଚ୍ଛି ।୩୮୧।
ତୁ ପ୍ରାଣ ଛାଡ଼ ବାବୁ ବାସବର ଅର୍ଥେ
ତୋହୋର ଅସ୍ଥି ଘେନି ମାରୁ ୟେ ଋଷି ବୃତ୍ତ୍ରେ ।୩୮୨।
ୟେସନେକ ଆଗ୍ୟାଂ ଯହୁଂ ଦିଲେ ଶିରୀବତ୍ସି
ପ୍ରାଣ ବିସର୍ଜନ ହୋଇଲା ଦଧିଋଚି ମହଋଷି ।୩୮୩।
ଋଷିର ପିଣ୍ଡ ଯେ ଘେନିଲା ସହସ୍ରାକ୍ଷ
ତାହାକଲା ନେଇ ହାଦେ ଅଭେଦ କପଚ ।୩୮୪।
ପଞ୍ଜରା ହାଡ଼କୁ ସେ କଲାକ କୋଦଣ୍ଡ
ତହିଂକି ଗୁଣକଲା ମଝି ଶିରା ଚର୍ମଖଣ୍ଡ ।୩୮୫।
ଅଙ୍ଗୁଷ୍ଠି ମାନଙ୍କୁ ପୁଣ ନାରାଜ ଯେ କଲା
ପାଦର ଅସ୍ଥିକି ସେ ମୁଦୁଗର କଲା ।୩୮୬।
ଋଷିର ଚର୍ମ ଯେ ହୋଇଲା ମେଖଳି
ୟେମାନନ୍ତ ଘେନି ତହୁଂ ମଘବାନ ଚଳି ।୩୮୭।
ନାରାୟଣ ବୋଇଲେ ଯାଅ ଦେବ ଇନ୍ଦ୍ର
ବୃତ୍ତ୍ର ମହଋଷିଙ୍କି ମାରି ଘେନ ଇନ୍ଦ୍ରପଦ ।୩୮୮।
କୋପେଣ ଇନ୍ଦ୍ର ଯେ ଚଳଇ ଅତିରାଗେ
କ୍ଷଣମାତ୍ରେ ଯାଇଂ ମିଳିଲା ଅମର ସ୍ୱର୍ଗେ ।୩୮୯।
ବୃତ୍ତ୍ର ମହଋଷିର ସଙ୍ଗେ ଅନେକ ଯୁଦ୍ଧକଲା
ବାଳୁତ ନନ୍ଦନ ସେ ସାଂଗ୍ରାମେ ହାରିଲା ।୩୯୦।
ଋଷିଙ୍କର କପଚ ସେ ମାଇଲା ବୁଲାଇ
ଘାୟେଣ ବୃତ୍ତ୍ରଋଷି ପଡିଲା ଘୁମାଇଂ ।୩୯୧।
ଋଷିଙ୍କର ନଖ ଯେ ତୀକ୍ଷ ପ୍ରଶୁ
ୟେମନ୍ତେ ବୃତ୍ତ୍ର ମହଋଷି ହୋଇଲା ଧୂଳି ପାଂଶୁ ।୩୯୨।
ବୃତ୍ତ୍ର ମହଋଷିଙ୍କି ମାଇଲାକ ଇନ୍ଦ୍ର
ଆପଣେ ଇନ୍ଦ୍ରପଦେ ବସିଲା ଦେବଇନ୍ଦ୍ର ।୩୯୩।
ନିଜ ସ୍ୱର୍ଗେଣ ସେ ହୋଇଲାକ ରାଜା
ଦିଗପାଳମାନ ସମସ୍ତେ କଲେ ପାଦପୂଜା ।୩୯୪।
ତ୍ୱଷ୍ଟା ମହଋଷିଙ୍କି ଯେ କହିଲେ ନାରଦ
ତୋହୋର ପୁତ୍ରକୁ ନାଶ କଲା ଦେବ ଇନ୍ଦ୍ର ।୩୯୫।
ବାହୁଡ଼ାଇ ଇନ୍ଦ୍ର ପଦ ଘେନିଲା ସେ ବଳେ
ତ୍ୱଷ୍ଟାୟେ ସମସ୍ୟା ନ ଦିଲେ ଯୋଗ ଲୟେ ବେଳେ ।୩୯୬।
ରାଗେଣ ଭୂମିକି ମାଇଲେ ଧରି ବାଲି ମୁଠାୟେ
ବାଳ ଖିଳା ବାହାର ହୋଇଲେ ବେନି ଯେ ତନୟେ ।୩୯୭।
ବାଲମ୍ୱିକ ତ୍ରିଅମ୍ୱକ ଦୁଇଙ୍କର ନାମ ଦିଲେ
ଇନ୍ଦ୍ରଦେବତାଙ୍କୁ ମାର ବୋଲି ପେଷିଲେ ।୩୯୮।
ପିତାର ଆଗ୍ୟାଂୟେ ସେ ବେନି ଯେ ତନୟେ
ଅମର ସ୍ୱର୍ଗରେ ସେ ପଶିଲେ ନିର୍ଭୟେ ।୩୯୯।
ଚିତ୍ରସେନ ଜୟସେନ ଅଙ୍ଗାରପନ୍ନଙ୍ଗ ପ୍ରଚଣ୍ଡାବଳୀ
ଚାରି କୁମାରେ ଯାଇ ବାଳଖିଳାନ୍ତି ଓଗାଳି ।୪୦୦।
ଅନେକ ସମର କଲେକ ବିଦ୍ୟାଧରେ
ଗନ୍ଧର୍ବନ୍ତ ମାଇଲେ ସେ ଋଷିର କୁମାରେ ।୪୦୧।
ମୋହ ଶରେ ପକାଇ ଅଇଲେ ଖର କରି
ଖାଣ୍ଡବ ବନେ ଆସି ଭେଟିଲେ ଅମରାରି ।୪୦୨।
ଇନ୍ଦ୍ର ତୁଲେ ଅନେକ ସମର ହୋଇଲା
ବଜ୍ରଶରେ ଇନ୍ଦ୍ର ଋଷିକୁମାରନ୍ତ ମାଇଲା ।୪୦୩।
ଆପଣାର ପୁତ୍ରକୁ ଆଣି ଦିଲାକ ଅମୃତ
ଅଙ୍ଗାରପନ୍ନଙ୍ଗ ଜୟସେନ ପ୍ରଚଣ୍ଡାବଳୀ ଚିତ୍ରସେନ ପାଇଲେ ଜୀବିତ ।୪୦୪।
ନାରଦ ଯାଇ କହିଲେ ତ୍ୱଷ୍ଟା ମହଋଷିଙ୍କି
ଇନ୍ଦ୍ର ନାଶ କଲା ତୋର ପୁତ୍ର ଦୁହିଙ୍କି ।୪୦୫।
ଶୁଣି ତ୍ୱଷ୍ଟାୟେ ଉଠିଲେ ମହାରାଗି
କାଳାନଳ ତେଜ ଜାଣି ଆସଇ ପରମ ଯୋଗୀ ।୪୦୬।
ଇନ୍ଦ୍ରଦେବତାଙ୍କୁ ରକ୍ଷା କରିବ କେହୁ ଆଜ
ବ୍ରହ୍ମା ବିଷ୍ଣୁ ମହେଶ୍ୱର କେ ରଖନ୍ତୁ ଦେବରାଜ ।୪୦୭।
ମନ ପବନ ଦଣ୍ଡ ଚଢି ନାରଦେ ଧାତିକାରେ ଅଇଲେ
ଇନ୍ଦ୍ରଦେବତାଙ୍କୁ ଆସିଣ ବାରତା କହିଲେ ।୪୦୮।
ଋଷିପୁତ୍ରନ୍ତ ତୁ ଯେ କଲୁ ପ୍ରାଣେ ଭ୍ରଷ୍ଟ
ତୋହୋର ତହିଂ ଆସୁଅଛି କୋପେ ତ୍ୱଷ୍ଟ ।୪୦୯।
ମନୁଅନ୍ତ ମହାତ୍ମା ସେ କଳ୍ପେ ତପୀ
ବ୍ରହ୍ମାର ଆୟୁଷ ସରି ଯାହାର ଆୟୁଷ ବ୍ୟାପୀ ।୪୧୦।
ତାହାର କୋପ କରନ୍ତେ ଟଳଇ ହାଦେ ମେରୁ
ପଳାଇ ସମୁଦ୍ରେ ପଶ ଯା ଆଉ ୟେଥେ କିସ କରୁ ।୪୧୧।
ଇନ୍ଦ୍ର ବୋଇଲା ତ୍ୱଷ୍ଟା ମହଋଷିର କୋପେ
ସମୋଦ୍ର ଦହନ ହୋଇବ ତାହାର ଗରୁତାପେ ।୪୧୨।
ୟେଡ଼େକ ମହାତମା ଯେବେ କୋପ ହିଂ କରିବ
ନାରାୟଣ ଆଦି କରି କେ ମୋତେ ରଖିବ ।୪୧୩।
ପଞ୍ଚୁ ଆତ୍ମା ଶରୀରୁଂ କାଢିଲା ସୁରପତି
ଧର୍ମେଣ ଆତ୍ମାୟେ ନେଇ ଥୋଇଲାକ ଧାତି ।୪୧୪।
ଦୁଜ ଆତ୍ମା ନେଇ ପବନେ ଥୋଇଲା
ତିଜ ଆତ୍ମା ନେଇ ଅନ୍ତରୀଛେ କଲା ।୪୧୫।
ଚତୁର୍ଥ ଆତ୍ମା ନେଇ ଅଶ୍ୱିନୀକି ଦିଲା
ପଞ୍ଚମ ଆତ୍ମାକୁ ନେଇ କୁମାରେସମର୍ପିଲା ।୪୧୬।
ପଞ୍ଚୁଆତ୍ମା ପାଞ୍ଚଠାରେ ସୁନାଶୀର କଲା
ପାପ ଆତ୍ମା ଘେନିଣ ପୁରନ୍ଦର ବସିଲା ।୪୧୭।
ତ୍ୱଷ୍ଟାୟେ ଭେଟିଲେ ଆସି ବାସବର ଛାମୁରେ
କ୍ରୋଧଭରେ ଦେହ କମ୍ପଇ ଥରହରେ ।୪୧୮।
ବାସବଙ୍କୁ ଚାହିଂ ବାଲନ୍ତି ତପୋନିଷ୍ଠ
ତୁ ମୋହୋର ପୁତ୍ରକୁ ନାଶ କଲୁରେ ଦୁଷ୍ଟ ।୪୧୯।
ଶରୀର ତୋହୋର ଭସ୍ମ ହୋଉ ବୋଇଲେ ଋଷି ତ୍ୱଷ୍ଟ ।୪୨୦।
ବାସବେ ବୋଇଲେ ତୁମେ ଶୁଣିମା ମୁନିବର
ବିଚାରି କୋପ କରିବା ଦୋଷ ନାହିଂ ମୋହୋର ।୪୨୧।
କୋପାନଳେ ଚାହାନ୍ତେ ଅନଳ ଉଠିଲା
ଇନ୍ଦ୍ର ଦେବତାର ଶରୀର ଭସ୍ମ ହୋଇଗଲା ।୪୨୨।
ଆପଣେ ତ୍ୱଷ୍ଟାୟେ ଯେ ବସିଲେ ଇନ୍ଦ୍ର ପଦେ
ପାଳିଲେ ତ୍ରୈଲୋକ୍ୟ ସେ ପରମ ସାନନ୍ଦେ ।୪୨୩।
ବ୍ୟାସେ ବୋଇଲେ ହୋ ଶୁଣ ଦ୍ରୋପଦ ନୃପତି
ତ୍ୱଷ୍ଟାର କୋପେ ଇନ୍ଦ୍ର ହେଲା ଭସ୍ମ ଗତି ।୪୨୪।
ତାହାର ଭାରିଯା ଯେ ଅଟଇ ଦେବୀ ଶଚୀ
ଆକାଶଗଙ୍ଗା କୂଳେ ସେ ରୋଦନ କରୁଅଛି ।୪୨୫।
ସିଂହ ଶୁକଳ ଦ୍ୱାଦଶୀ ଚନ୍ଦ୍ର ବାର
ଉତ୍ତରାଷାଢା ନକ୍ଷତ୍ର ଭୋଗ ଅଟଇ ସେ ଦିନର ।୪୨୬।
ବୃଷଭ ବାହନେ ବିଜେ ଉମା ମହେଶ୍ୱର
ବିଜେ କରି ଆସୁଅଛନ୍ତି ଆକାଶଗଙ୍ଗା ତୀର ।୪୨୭।
ବୃଷଭ ରୁହାଇଣ ବୋଇଲେ ଶଶୀ ମୁଖୀ
ସ୍ତିରୀୟେ ରୋଦନ କରୁଛି ଅନାସ୍ତ ବଡ଼ ଦୁଖୀ ।୪୨୮।
ସଦାଶିବ ବୋଇଲେ ସ୍ତିରୀ ଜନ୍ମ ବଡ ବାଈ
ଅପ୍ରସନ୍ନ ଜନନ୍ତ ଗୋ ଛୁଇଂତ ନ ଯୋଗାଇ ।୪୨୯।
ଗଉରା ବୋଲନ୍ତି ଶୁଣିମା ବିଶେଶ୍ୱର
ସ୍ତିରୀ ଜନ୍ମ ଗୋଟାକୁ ଦେବ ଦୋଷ ଯେ ଅପାର ।୪୩୦।
ୟେକ ସ୍ତିରୀୟେ ରୋଦନ୍ତେ ଆରେକ ସ୍ତିରୀ ଯେ ରୁହାଇବ
ଅନ୍ୟ ଜାତି ହୋଇଲେ ଦୂରୁହୁଂ ସମାର୍ଜିବ ।୪୩୧।
କଳି ଦ୍ୱନ୍ଦ ହିଂସା ଯଦ୍ୟପି ସେହୁ କରିଥିବ
ରୋଦନ କାଳେ ଯାଇଂ ଅବଶ୍ୟ ରୁହାଇବ ।୪୩୨।
ୟେହା ବିଚାର ନକରନ୍ତି ଯେଉଂ ସ୍ତିରୀ ଜନେ
କାଠବେଙ୍ଗ କରି ତାହାନ୍ତ ଜନ୍ମ କରଇ ଯମେ ।୪୩୩।
ସ୍ତିରୀଜନଙ୍କୁ ଦେବ ଅଛି ୟେସନେକ ଶାସ୍ତି
ତୁମ୍ଭେ କ୍ଷଣେକ ବିଶ୍ରାମ କର ଦେବ ମୁଂ ତାହାର କ୍ରୋଧ
କରଇ ଶାନ୍ତି ।୪୩୪।
ୟେହେନ୍ନକ ଦୋଷକୁ ପାର୍ବତୀ ଭୟେକରି
ସୁଗ୍ୟାଂନୀ ସ୍ତିରୀମାନେ ୟେହା ପରିମାଣି ବିଚାରି ।୪୩୫।
ଈଶ୍ୱରଙ୍କୁ ବୁଝାଇ ଦେବୀ ବୃଷଭୁଂ ଓହ୍ଲାଇଲେ
ନ କାନ୍ଦ ଆୟୀ ବୋଲି ମୁଖେ ହସ୍ତ ଦିଲେ ।୪୩୬।
ସୁନ୍ଦର ସୁଲକ୍ଷଣି ସୁକୁମାର ତୋର କାୟେ
ପ୍ରତ୍ୟକ୍ଷେ ଦିଶୁଅଛି ଅମର ନାୟେକାଣୀ ପ୍ରାୟେ ।୪୩୭।
ମାଗ ଗୋ ମହାତ୍ମାଣୀ ମନେ ଯାହା ଇଚ୍ଛୁ
ଅବଶ୍ୟ ପ୍ରାପତ ହୋଇବ ମନେ ଯାହା ବାଞ୍ଛୁ ।୪୩୮।
ଆମ୍ଭେ ସେ ଅଟୁ ହାଦେ ଶଙ୍କର ଗିରଜା
ମନ କାମନା ସିଦ୍ଧ ହୋଉ ତୁ ନିଜ ପୁରକୁ ଯା ଯା ।୪୩୯।
ପତିଂଦେହି ପତିଂଦେହି ବୋଲି ବୋଇଲେ ପାଞ୍ଚଥର
ତୋଷେ ହରପାର୍ବତୀ ବୋଇଲେ ତୋର ହୋଉ ପଞ୍ଚୁବର ।୪୪୦।
ଶଚୀ ବୋଇଲେ ତୁମ୍ଭେ ହର ଯେ ପାର୍ବତୀ
ୟେକ ସ୍ତିରୀକି କେହ୍ନେ ହୋଇବ ପାଞ୍ଚ ପତି ।୪୪୧।
ଈଶ୍ୱରେ ବୋଇଲେ ମା ଗୋ ନ ଭାଳ ବିକଳ
ତ୍ୱଷ୍ଟାର କୋପେ ଦହିଜ ହୋଇଲା ଆଖଣ୍ଡଳ ।୪୪୨।
ପଞ୍ଚୁ ଆତ୍ମା ଥୋଇଲେ ଯେ ପଞ୍ଚୁ ଠାବେ କରି
ସେ ପାଞ୍ଚ ଆତ୍ମା ଯେ ମଞ୍ଚେଣ ଅବତରି ।୪୪୩।
ଧର୍ମେ ହାଦେ ଯେବଣ ଆତ୍ମାକୁ ଥୋଇଲା
ଧର୍ମତେଜ ଘେନି ଯୁଝେଷ୍ଠି ଉପୁଜିଲା ।୪୪୪।
ପବନେ ଥୋଇଲା ଯେବଣ ହିଂ ଆତ୍ମା
ପବନ ତେଜ ଘେନି ଉପୁଜିଲା ବୀର ଭୀମା ।୪୪୫।
ଇନ୍ଦ୍ର ଯେବଣ ଆତ୍ମା ଶୂନ୍ୟେଣ ଥୋଇ ଥିଲା
ବାସବର ତେଜ ଘେନି ସେ ଅର୍ଜୁନ ଉପୁଜିଲା ।୪୪୬।
ଅଶ୍ୱିନୀରେ ଥୋଇଲା ଯେବଣ ଆତ୍ମା ଗୋଟି
ଅଶ୍ୱିନୀ ତେଜ ଘେନି ନକୁଳ କୁମାର ସେଟି ।୪୪୭।
କୁମାରେଣ ଥୋଇଥିଲା ଯେବଣ ଆତ୍ମା ୟେକ
ବେନି ସତ୍ୱ ବାଜି ସେ ସହଦେବ ଧାର୍ମିକ ।୪୪୮।
ତୁ ଶଚୀ ଉପୁଜିବୁଂ ଦ୍ରୋପଦର ଯଗ୍ୟେଂ
ପଞ୍ଚୁ ପାଣ୍ଡବନ୍ତ ନେଇ ଦିଅ ତୋର ଅଙ୍ଗେ ।୪୪୯।
ୟେତେ ବୋଲିଣ ହର ପାର୍ବତୀ ଆଗ୍ୟାଂ ଦିଲେ ସେ ଶଚୀ ଦେବୀ ତୋର ଯାଗ ଉପୁଜିଲେ ।୪୫୦।
ବ୍ୟାସେ ବୋଇଲେ ଶୁଣ ଦ୍ରୋପଦ ନୃପତ୍ୟ
ଦୋହିତାର ଆଦି କଥା ତୋହୋର ଅଟଇ ୟେମନ୍ତ ।୪୫୧।
ୟେ ପଞ୍ଚୁ ପାଣ୍ଡବେ ୟେକା ୟେ ଦ୍ରୋପତୀ
ଭାରା ନିବାରଣେ ମଞ୍ଚରେ ଉତପତ୍ତି ।୪୫୨।
ୟେ ପଞ୍ଚ ମୂରତି କି ତୁ ନମଣୁ ଭିନ୍ନାଭିନ୍ନ
ୟେକ ଲୟେ କରିଣ ତୁ ପାଣ୍ଡବନ୍ତ ବର୍ଣ୍ଣ ଚିହ୍ନ ।୪୫୩।
ଶୁଣି ପରମ ସାନନ୍ଦ ଚନ୍ଦ୍ର ଧ୍ୱଜର ସୁତ
ବ୍ୟାସଙ୍କୁ ତୁସ୍ତି ସେହୁ କରଇ ବହୁତ ।୪୫୪।
ନମସ୍ତେ ଭୋ ବ୍ୟାସଦେବ ପାରେଶ୍ୱର ଶିଷି
ନାଉକା ବିମାନେ ଯାହାର ତେଜହିଂ ବିକାଶି ।୪୫୫।
ସତ୍ୟବାଦୀ ନନ୍ଦନ ତୁ ଭୂତ ଭବିଷ୍ୟ ଗ୍ୟାଂତା
ସାର୍ଥୁକ ପୁରୁଷ ତୁ ଅଦୃଷ୍ଟିକି ବକତା ।୪୫୬।
ଅଗ୍ୟାଂନୀକୁ ଗ୍ୟାଂନ ଦିଅନ୍ତା ଅଗତିକୁ ମୋକ୍ଷ ଗତି
ମୂର୍ଖକଇଂ ପଣ୍ଡିତପଣ ଦିଅଇ ତୋହୋର କୃତ ଶ୍ରୁତି ।୪୫୭।
ଅଣାକାର ପୁରୁଷ ତୁ ବାରିଲୁ ବର୍ଣ୍ଣ ଚିହ୍ନ
ଅଜପା ଲୟ କରି ତୁ ଠୁଳ କଲୁ ଶୂନ୍ୟ ।୪୫୮।
ହେମ ଶିଶିର ବସନ୍ତ ଗ୍ରୀଷମ ବରଷା ଶରଦ ଛଡ଼ ଋତୁ
ଧାତୁ ବାଦ ପୁରୁଷ ତୁ କଲୁ ସମସ୍ତ ହେତୁ ।୪୫୯।
କୋଟିୟେ ବ୍ରହ୍ମାଣ୍ଡ ଯାହାର ଉଦର ଭିତରେ
ଶତେ ପ୍ରଳୟ ବଞ୍ଚିଲୁ ତୁ ନାରାୟଣ ଗର୍ଭରେ ।୪୬୦।
ପରମାନନ୍ଦ ପୁରୁଷ ତୁ ଅଟୁ ଗ୍ରନ୍ଥକଇ କବି
ମୁହିଂକି ବର୍ଣ୍ଣନା ତୋତେ କରିତେ ପାରିବି ।୪୬୧।
ଅନର୍ଗଳା ସରସ୍ୱତୀର ତୁ ଭଣ୍ଡାର ଅଧିକାରୀ
ନ କହି ବିଙ୍ଘସିଲୁ ତୁ କଳପ କୋଟି ଚାରି ।୪୬୨।
କାଳ ବଞ୍ଚାଇବାକୁ ସାମରଥ ଯେବଣ ଋଷି
ବ୍ରହ୍ମାର ବ୍ରହ୍ମ ପଦକୁ ଯାର ତଲୟେ ଅଭ୍ୟାସି ।୪୬୩।
ତୋହୋର ପଦ୍ମପାଦେ ଶରଣ ମୋର ନିତ୍ୟେ
ଶୂଦ୍ରମୁନି ସାରୋଳଦାସ ବଦନ୍ତି ସୁଚିତ୍ତେ ।୪୬୪।
ଜୟ ତୁ ଭାରତୀ ଭାଷିତ ତୋର ଭାଷା
ସର୍ବଦ୍ୱନ୍ଦ ପରିତ୍ୟାଜି ମୁଂ ବଳାଇଲି ମନୀଷା ।୪୬୫।
ନାରାୟଣ ବଲ୍ଲଭୀ ଗୋ ଆଗ୍ୟାଂ ମୋତେ ଦେବା
ଗିରିଜା ବାକ୍ୟରେ ମୁଂ ହୋଇଲି ମାନବା ।୪୬୬।
ଇତିଶ୍ରୀ ମହାଭାରତ ଆଦିପର୍ବ ଥାପି
ସଂସାର ଜନ ହିତେ ମୁଂବ ଞ୍ଚାଇଲି ଅଦ୍ୟାପି ।୪୬୭।-୧୧୫୮୭।