ସପ୍ତମ ସର୍ଗ — ପ୍ରଣୟ ବଲ୍ଲରୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ପ୍ରଣୟ-ଛାୟାଦିନେ ସିନ୍ଧୁ-କୁଳେ ନୀଳାଚଳ-ତଳେକରୁଥିଲେ ବିଚରଣ,ଶାନ୍ତି, ଶ୍ରଦ୍ଧା, ଦୟା କ୍ଷମା, ଭକ୍ତି, ଧୃତିଆଦି ଦେବକନ୍ୟାଗଣ ।ହୋଇଥିଲେ ମଲ୍ଲୀ ମାଧବୀ ନିଆଳୀକୁସୁମ-ଚୟନେ ରତ,ଥରେ ପୁଷ୍ପେ ଥରେ ଡାଳିରେ ତାଙ୍କରଭ୍ରମୁଥିଲା ମଧୁବ୍ରତ ।ମନର ଆନନ୍ଦ ସହିତରେ କାହାକଣ୍ଠରୁ ମଧୁର ଗୀତ,ଉଠି ନିଜ ପ୍ରାଣ ସହ ସଙ୍ଗିନୀଙ୍କକରୁଥାଏ ଉଲ୍ଲସିତ ।ଚରମେ ତାଙ୍କର ଲମ୍ୱି ଦୋଳୁଥାଏକ୍ରମ-ସୂକ୍ଷ୍ମ-ଅଗ୍ର-ବେଣୀ,ବେଣୀ ଅଗ୍ରେ କ୍ରମ- ସ୍ଥୂଳ ହୋଇଥାଏସ୍ତବକିତ-ମୋତିଶ୍ରେଣୀ ।ଝୀନ ବସନରେ କୁମାରୀଙ୍କ ତନୁ-କାନ୍ତି ହେଉଥାଏ ବାରି,ବଦନ-ପ୍ରଭାରେ ଅମୃତାୟମାନହେଉଥାଏ ଦିଗ ଚାରି ।କୋକନଦକାନ୍ତି- ପାଦେ ହୋଇଗଲାବନଭୂମି ଶୋଭନୀୟ,ସେହି ପାଦ ସଦା ଦେବତ୍ୱ-ଲୋଲୁପମୁନି-ମନ-ଲୋଭନୀୟ ।କର-କମନୀୟ- କାନ୍ତି ଚୁମ୍ୱି ହେଲେକିଶଳୟଚୟ ହୃଷ୍ଟ,ଫୁଲ୍ଲେ ଫୁଲମାନ କର-କୋଳ ଗଲେତେଜି ତରୁ-ଲତା ପୃଷ୍ଟ ।ଖଗ ମୃଗଗଣ ପୁତ୍ର ପ୍ରାୟେ ତାଙ୍କପାଶେ ଆସି କଲେ ଲୀଳା,କେ ଚଞ୍ଚୁ ବିସ୍ତାରି, ସତୃଷ୍ଣେ କେ ଚାହିଁକ୍ଷୁଧା ତୃଷା ଜଣାଇଲା ।ଏମନ୍ତ ସମୟେ ରକ୍ଷ-ରାଜ ସୁତାହିଂସା ହେଲା ଉପଗତ,ବାଜ-ଚଞ୍ଚୁ ପରି ନଖପଂକ୍ତି ତାରଶାର୍ଦ୍ଦୂଳ-ସଦୃଶ ଦନ୍ତ ।ଭଲ୍ଲୁକ-ଲୋଚନା ଉଲୂକ-ବଚନାଉଚ୍ଚାରି କର୍କଶ ଭାଷ,ଦୟା ସନ୍ନିକଟେ ଦମ୍ଭେ କଲା ନିଜଆଧିପତ୍ୟ ପରକାଶ ।ରାକ୍ଷସୀକି ଚାହିଁ ଖଗମୃଗଗଣପଳାଇଲେ ଇତସ୍ତତଃ,କମ୍ପିଲା ପାଦପ- ବଲ୍ଲରୀ ସହିତବନଭୂମି ହୋଇ ତ୍ରସ୍ତ ।ଦେବକନ୍ୟା-ଦଳେ ତଡ଼ିବାକୁ କଲାରକ୍ଷ-ରାଜ-ସୁତା କଳି,ଏକ ମୁଖେ ତାଙ୍କ ଅନେକ ମୁଖକୁବାକ୍ୟ-ବାଦେ ଗଲା ବଳି ।ଦେବକନ୍ୟାଗଣ ବହୁ-ବାକ୍ୟେ ତାକୁବହୁତ କଲେ ଭର୍ତ୍ସନା,କେ ବୋଇଲା, ‘‘ମୃଗପକ୍ଷୀ ଦରଶନେ
ଲମ୍ୱିପଡ଼େ ତୋ ରସନା ।’’
କେ ବୋଇଲା, ‘‘ପଳା, ଛୁଅଁନା ଛୁଅଁନା
ନିତି ଖାଉ ଗୋରୁ ଅଶ୍ୱ’’,
କେ ବୋଇଲା, ‘‘ତନୁ ସ୍ଥୂଳ କରିଅଛୁ
ପିଇ ଘୃଷ୍ଟି-ମାଂସ-ରସ ।’’
କୋପେ ରାକ୍ଷସୀର ତନୁ କମ୍ପିଗଲା
ଚଳାଇଲା ନଖଦନ୍ତ,
କରିଦେଲା ଦେବ- କନ୍ୟକାଗଣର
ଶରୀର କ୍ଷତ-ବିକ୍ଷତ ।
ରକତ-ପ୍ରବାହେ ଦେବକନ୍ୟାଙ୍କର
ତନୁ ହେଲା ଜରଜର,
କ୍ଷମା ପ୍ରବୋଧନେ ସମସ୍ତେ ନିବର୍ତ୍ତି
ଗଲେ ନିଜ ନିଜ ଘର ।
ହିଂସା ଯାଇ ପିତା ନିକଟେ କହିଲା
ଦେବକନ୍ୟାଙ୍କର କଥା,
କଳହେ ତାହାକୁ ଭର୍ତ୍ସନା ସହିତ
ଘୃଣା କରିଥିଲେ ଯଥା ।
ରାକ୍ଷସ-ଭୂପତି ଶୁଣିଲା ସେସବୁ
ରକ୍ଷଜାତି ଅପମାନ,
ବିଘୂର୍ଣ୍ଣିତ ହେଲା ନୟନ ତାହାର
ତନୁ ହେଲା କମ୍ପମାନ ।
ରାଜମନ୍ତ୍ରୀ କ୍ରୋଧେ ଗରଜି କହିଲା,
‘‘ଦେବେ ତ ଖାଇଲେ ସୁଧା,
ତଥାପି ଆମ୍ଭର ଭକ୍ଷ୍ୟ ନେଇଥାନ୍ତି
ନିବର୍ତ୍ତ ନ କରି କ୍ଷୁଧା ।
ଯଜ୍ଞ ଛଳ କରି ଖାଇଯାଉଛନ୍ତି
ଅଶ୍ୱ ବୃକ୍ଷ ମେଷ ଛାଗ,
କେବେ ନ ଛାଡ଼ିଲେ ଲୁଚି ଘେନିବାକୁ
ଆମ୍ଭର ଭୋଜନ ଭାଗ ।
ନୀଳାଚଳ ତଳ- ସିନ୍ଧୁ-କୂଳ ଯହିଁ
ଶବରେ ବୁଣନ୍ତି ଜାଲ,
ସେହି ରମ୍ୟ-ବନ ଆମ୍ଭ ଅଧିକାରେ
ରହିଅଛି ଚିରକାଳ ।
ଦେବସୁତାମାନେ ନିର୍ଭୟେ ବୁଲିଲେ
ଆମ୍ଭରି ରାଜ୍ୟକୁ ଆସି,
ରାଜ-ନନ୍ଦିନୀକି ଗାଳି ଦେଲେ ପୁଣି
ବିବିଧ ଭର୍ତ୍ସନା ଭାଷି ।
ଅଙ୍ଗୁଳି ପ୍ରବେଶୁଁ ବାହୁ ପ୍ରବେଶିବ
କରୁଁ ଯେବେ ଅବହେଳା,
କ୍ଷୁଦ୍ର ଛିଦ୍ର ପଥେ ଜଳ ପଶି ପଶି
ବୁଡ଼ାଇଦିଏଟି ଭେଳା ।
ସତତ ଆମ୍ଭଙ୍କୁ ଠକୁଛନ୍ତି କରି
ନାନା ଛଳ କଉଶଳ,
ସତେ କି ଆମ୍ଭଙ୍କୁ ପାରିବେ ସେମାନେ
ଦେଖାଇବୁଁ ଯଦି ବଳ ?’’
‘‘ସତ, ସତ’’ ବୋଲି ଉଚ୍ଚ ନାଦ କଲେ
ରାଜ-ସଭାସଦଗଣ,
ଲୋଭ ମଦ ଦ୍ୱେଷ କପଟ ପ୍ରଭୃତି
ଉଭା ହୋଇ ଜଣ ଜଣ ।
ଦଳବଳ ସହ ରାକ୍ଷସ-ଭୂପତି
ସତ୍ୱର ହୋଇ ବାହାର,
ମହା ଆସ୍ଫାଳନେ ଗର୍ଜି କମ୍ପାଇଲେ
ଅମରାବତୀର ଦ୍ୱାର ।
ଚାହିଁ ସୁରପତି ନଗର ଦୁଆରେ
ଅସୁରଙ୍କ ଆକ୍ରମଣ,
ପ୍ରଥମେ ପେଶିଲେ ସେନାନୀଙ୍କି ଦେଇ
ପ୍ରବୀଣ ସୈନିକଗଣ ।
ଶ୍ରେଷ୍ଠ ଥିଲେ ତହିଁ ଉତ୍ସାହ ସାହସ
ଧୈର୍ଯ୍ୟ ବୁଦ୍ଧି ପରାକ୍ରମ,
ଅସୁରଙ୍କ ସହ ଯୁଦ୍ଧେ ପ୍ରବର୍ତ୍ତିଲେ
ପ୍ରକାଶି ଘୋର ବିକ୍ରମ ।
କାମ-ଲୋଭ ମଦ ଆଳସ୍ୟ ବିଳାସ
ଆଦି ସଂଶପ୍ତକଦଳ,
ରାକ୍ଷସ ପକ୍ଷରୁ ଆସି ଗ୍ରାସି ଦେଲେ
ଦେବ-ବାହିନୀର ବଳ ।
ଉତ୍ତାନେ ପଡ଼ି କେ ଯୋଷା-ଚେଳାଞ୍ଚଳେ,
କେ ବଂଶ-ପାଦପ-ତଳେ,
କେହି ଅର୍ଥ-ପୂର୍ଣ୍ଣ ପ୍ରାସାଦ ଭିତରେ
ଘୋର ଘର୍ମ ନାଶ କଲେ ।
କାହା ଶିରେ କାହା ବକ୍ଷେ କା’ ମରମେ
କାହା ସର୍ବ ଅବୟବେ
ବାଜିଥିଲା ବିଷ- ଦିଗ୍ଧ ଶରମାନ
ଭୀଷଣ ରାକ୍ଷସୀହବେ ।
ଜନ୍ମିଲା ବେଦନା ତହିଁ ଦେବସେନା-
ଗଣ ହେଲେ କଲବଲ,
ଅଶ୍ୱିନୀସୁତଙ୍କ ଚିକିତ୍ସାରେ ମଧ୍ୟ
ନ ଦିଶିଲା ଆଶୁଫଳ ।
ସେନାପତି ଯାଇ ସୁରେଶେ କହିଲେ,
ଦୁର୍ଜୟା ଆସୁରୀ ନୀତି,
ଶକ୍ର ଶ୍ରୁତି-ପଥେ ହୃଦୟେ ପଶିଲା
ଦାରୁଣ ଅସୁର-ଭୀତି ।
ପୁରୋଧାଙ୍କୁ ଚାହିଁ ମଘବା ବୋଇଲେ,
‘‘କହ ଗୁରୋ, ପ୍ରତିକାର,
ନ ହେଲେ ଅସୁର ଉପଦ୍ରବେ ହେଲା
ସୁର-ପୁର ଛାରଖାର ।
ନୀଳାଚଳ ପ୍ରତି ଯତ୍ନ କରିବାକୁ
କହିଛନ୍ତି ଦେବ ହରି,
ସ୍ୱର୍ଗକୁ ରାକ୍ଷସେ ବଳେ ପଶିଲେଣି,
ମର୍ତ୍ତ୍ୟେ କି ରହିବେ ଡରି ?’’
ଜ୍ଞାନ-ପ୍ରତିଚକ୍ଷୁ ଲଗାଇ ଗୀଷ୍ଠତି
କାଟିଲେ ଧରମ-ଖଡ଼ି,
ତ୍ରିଦଶାଧିପଙ୍କୁ କହିଲେ ଧରମ-
ନୀତି-ଫଳ ଶ୍ଲୋକ ପଢ଼ି ।
‘‘ସାଧବ-ବଞ୍ଚନ ମାୟା ପ୍ରଲୋଭନ
ମହାପାପ ଦେବରାଜ,
ବିଶ୍ୱାମିତ୍ରଙ୍କର ତପୋଭଙ୍ଗ-ତରୁ
ଫଳିତ ହୋଇଛି ଆଜ ।
ପୂଜ୍ୟଜନ ମଧ୍ୟେ ନାରୀମାନଙ୍କର
ପତି ଏକା ପୂଜ୍ୟତମ,
ନ ବୁଝି ଦୁର୍ବାସା ଶକୁନ୍ତଳା ପ୍ରତି
ଶାପ ଦେଲେ ବହି ତମ ।
ସେହି ଶାପବଳେ ନିର୍ଦ୍ଦୋଷ ଦୁଷ୍ମନ୍ତ
ଭୋଗୁଛନ୍ତି ଘୋର କଷ୍ଟ,
ଧାର୍ମିକ ମାନବ ଦୁଃଖେ ସୁରପୁରୀ
ହୋଇଅଛି ଶିରୀଭ୍ରଷ୍ଟ ।
ନରେଶ ଦୁଷ୍ମନ୍ତ ନୀତି-ଧର୍ମବନ୍ତ,
ତାଙ୍କୁ କଲେ ସମାଦର,
ତାଙ୍କ ଧର୍ମ-ନୀତି- ପ୍ରଭାବେ ଅନ୍ତର
ହୋଇଯିବ ରକ୍ଷ-ଦର ।
ସେହି ନରପତି ଅଙ୍ଗେ ବହିଛନ୍ତି
ବହୁ ଦେବତାଙ୍କ ଗୁଣ,
ବୈଷ୍ଣବୀ ଶକତି ପ୍ରୟୋଗେ ଦାନବ-
ବଳ ନାଶେ ସୁନିପୁଣ ।’’
ଶୁଣି ସୁରପତି ମାତଳିର ପ୍ରତି
ସତ୍ୱର ଆଦେଶ କଲେ,
‘‘ଯାଅ ସୂତ, ରଥ କରି ସୁସଜ୍ଜିତ
ସତ୍ୱର ଅବନୀତଳେ ।
ପ୍ରିୟ-ବନ୍ଧୁ ରୂପେ ଦୁଷ୍ମନ୍ତ ନୃପଙ୍କୁ
କହି ଆମ୍ଭ ନିମନ୍ତ୍ରଣ,
ଅତି ସମାଦରେ ସ୍ୟନ୍ଦନେ ବସାଇ
ସ୍ୱର୍ଗେ କର ଆନୟନ ।’’
ଆଜ୍ଞା ଶିରେ ଧରି ପ୍ରଣିପାତ କରି
ଚଳିଲା ସାରଥିବର,
ସ୍ୱର୍ଗୀୟ-ରତନେ ନନ୍ଦନ-ପ୍ରସୂନେ
ରଥ କରି ମନୋହର ।
ନରେଶ ଛାମୁରେ ଉପଗତ ହୋଇ
ସୁରେଶଙ୍କ ନିମନ୍ତ୍ରଣ,
ବିନୋଦେ ବିନୋଦୀ କହିଲା ସ୍ୟନ୍ଦନେ
କରିବାକୁ ଆରୋହଣ ।
ଶୁଚିବନ୍ତ ହୋଇ ପ୍ରଦକ୍ଷିଣ କରି
ନରେଶ ଚଢ଼ିଲେ ରଥେ,
ମାତଳି ଚାଳନେ ଘେନିଗଲେ ଅଶ୍ୱେ
ସୁରରଥ ସୁରପଥେ ।
ଅମର-ନଗର ପୂର୍ବଦ୍ୱାରେ ଯାଇ
ରଥ ହେଲା ଉପଗତ,
ରତ୍ନମୟ-ତୁଙ୍ଗ ତୋରଣ ଯହିଁରେ
ହୋଇଅଛି ଶୋଭାବନ୍ତ ।
ରତ୍ନାକର-ରତ୍ନ ସକଳ ଯହିଁରେ
ଦିଗବ୍ୟାପୀ ଘନ ପରି,
ଘନେ ଗୁନ୍ଥା ହୋଇ ନକ୍ଷତ୍ର-ପ୍ରଭାରେ
ନଭ ଦେଉଛନ୍ତି ଭରି ।
ରତ୍ନମୟ ନଭ ଦେଖିଲେ ମାନବ-
ଲୋଭ ରହେ ଅପସରି,
ବିଚାରଇ ବୃଷ୍ଟି- ଜଳ ସବୁ କୂପ-
ଗର୍ଭେ କି ପାରଇ ଧରି ?
ଗୁଣ ଘେନିବାର ଲୋଭେ ପୂର୍ଣ୍ଣ ଥିଲା
ନରପତିଙ୍କର ହୃଦ,
ସୁର-ଶିଳ୍ପୀ-ଗୁଣ ଦର୍ଶନେ ତା’ ଗଲା
ଘେନିଲେ ନିର୍ମଳ ମୁଦ ।
ପ୍ରଶସ୍ତ ତୋରଣ- ପଥେ ନୃପ ସୁର-
ପୁରେ କରି ପରବେଶ,
ଦେଖିଲେ ନଗର- ନିବାସୀଙ୍କ ରମ୍ୟ
ରୂପ, ମନୋହର ବେଶ ।
ନିର୍ମଳ-ଶରୀର ଉଜ୍ଜ୍ୱଳ ବସନେ
ମଣ୍ଡି ସୁରବାଳାଗଣ,
ପ୍ରସନ୍ନ-ବଦନେ ସଶ୍ରଦ୍ଧ ଲୋଚନେ
ନୃପେ କଲେ ନିରୀକ୍ଷଣ ।
ଏକ ନାରୀ ଏକ ଉଦ୍ୟାନ ପାଦପ-
ମୂଳେ ଦେଉଥିଲା ଜଳ,
ନରେଶଙ୍କୁ ଚାହିଁ ବିଷଣ୍ଣ ବଦନେ
ଦୃଷ୍ଟି କରିଦେଲା ତଳ ।
ନରପତି ପୁନଃ ପୁନଃ ନିରୀକ୍ଷଣ
କଲେ ସେ ଯୋଷା-ଆନନ,
ମନେକଲେ ସେହି ମଣ୍ଡିଥିଲା ପରା
ତଟିନୀ-ତଟ-କାନନ ।
ପୁଣି ଅନାଇଲେ ଉଦ୍ୟାନେ ଭ୍ରମଣ
କରୁଛି ତା’ ସହଚରୀ,
ବନେ ଦେଖିଥିଲେ ଯେଉଁ ଶିଶୁ ସେହି
ଶିଶୁଟିକୁ କୋଳେ ଧରି ।
ବନେ ଯେ ଯୁବକ କୁସୁମ ଆଣିଲା
ସେହି ଦେଖୁଛି ଉଦ୍ୟାନ,
ନୃପ ଆଗମନେ ଅବା ରଥସ୍ୱନେ
ନାହିଁ ତାଙ୍କ କିଛି ଧ୍ୟାନ ।
ମାତଳିକି ନୃପ ପଚାରିଲେ, ‘‘ଏହି
ଉଦ୍ୟାନର ଚାରି ଜଣ,
ସତତ ସ୍ୱର୍ଗରେ ଥା’ନ୍ତି, ନା ସମୟେ
କରନ୍ତି ମର୍ତ୍ତ୍ୟେ ଭ୍ରମଣ ?
ଜାଣିବାକୁ ମୁଁ କି ଭାଜନ ସାରଥି
ନାମ ତାଙ୍କ କିସ କିସ,’’
ସାରଥି ବୋଇଲା, ‘‘ଶୁଣିବାହେଉନ୍ତୁ
ହସ୍ତିନା-ମଣ୍ଡଳାଧୀଶ !
ପୁଂସ ନାମ ପ୍ରେମ, ଯୋଷା ନାମ ପ୍ରୀତି,
ସୁଖ ତାଙ୍କ ସୁତ ନାମ,
ନିର୍ମଳ ପବିତ୍ର ସ୍ଥାନ ବିଲୋକିଲେ
ଯାଇଥାନ୍ତି ମର୍ତ୍ତ୍ୟଧାମ ।
ଯା’ କୋଳେ ବାଳକ ରହିଛି ହରଷେ,
ମୈତ୍ରୀ ନାମ ଅଟେ ତାର,
ଏହାଙ୍କ ଉଦ୍ୟାନ- ଫଳେ ପରିପୁଷ୍ଟ
ସତତ ସୁର-ସଂସାର ।’’
ଶୁଣି ନରପତି ବୁଝିନେଲେ ତାଙ୍କ
ବନେ ଦୂର ହେବା କଥା,
ସ୍ୱର୍ଗେ ଆସି ସ୍ୱର୍ଗ- ସୁଖରୁ ବଞ୍ଚିତ
ଭାବି ନତ କଲେ ମଥା ।
ସୁରପତି ପାଇ ନରପତିଙ୍କର
ଆଗମନ ସମାଚାର,
କର ଧରି ନେଇ ଆସନେ ବସାଇ
କଲେ ଦିବ୍ୟ ସତକାର ।
ବିସ୍ତାରି କହିଲେ ନିଶାଚରଙ୍କର
ଉପଦ୍ରବ ବିବରଣ,
ଶୁଣି ନରପତି ଅସୁର-ନାଶନେ-
ବାହାରିଲେ ତତକ୍ଷଣ ।
ଅସୁର ଡଗର ଜଣାଇଲେ ତେଣେ
ଅସୁର-ଭୂପତି ପାଶେ,
‘‘ରକ୍ଷରାଜ, ରଣ ସକାଶେ ଦୁଷ୍ମନ୍ତ
ଆସୁଛନ୍ତି ମହୋଲ୍ଲାସେ ।’’
ଆଚାର୍ଯ୍ୟ ବଦନ ଚାହିଁ ରକ୍ଷରାଜ
ପଚାରିଲେ ଅଭିମତ,
ଆଚାର୍ଯ୍ୟ ବିଚାରି କହିଲେ ତାହାଙ୍କୁ
ବିଗତ କଥା ସମସ୍ତ ।
‘‘ରକ୍ଷରାଜ, ଯେତେ- ବେଳେ ଦେବଗଣ
ଅସୁରଙ୍କୁ ଥା’ନ୍ତି ଡରି,
ଦୈବ-ବଳ ଦେଇ ମାନବୀ-ବୁଦ୍ଧିକି
ରହନ୍ତି ଭରସା କରି ।
ଅମରବୃନ୍ଦକୁ ଜୟ କରିଥିଲା
ମହାବୀର ଦଶାନନ,
ନର-କର-ଶର ପୀଡ଼ାରେ ସବଂଶେ
ମାନିଲା କାଳ-ଶାସନ ।
ରାବଣ-ଭଗିନୀ ସୂର୍ପଣଖା ଥିଲା
ସେ ମହା-କଳହ-ମୂଳ,
ତୁମ୍ଭ ସୁତା ଯୋଗୁଁ କୋପାନ୍ୱିତ ଏବେ
ହୋଇଛୁଁ ରାକ୍ଷସକୁଳ ।’’
ଶୁଣି ରକ୍ଷରାଜ ଆଚାର୍ଯ୍ୟ ବଚନ
ମନେ ମନେ ନେଲା ବୁଝି,
ପ୍ରକାଶ୍ୟେ ବୋଇଲା ‘‘କି ଯଶ ବଢ଼ିବ
ମାନବ ସଙ୍ଗରେ ଯୁଝି ?
ମାନବକୁ ଯେବେ ଭରସା କଲେଣି
ଦେବେ ଲଭି ଆମ୍ଭ ଭୟ,
ଦେବତାଙ୍କ ବଳ ଜଣାଗଲା, ଏହା
ନୁହେ କି ଆମ୍ଭର ଜୟ ?
ଚାଲ ଯିବା ଜୟ- ପତାକା ଉଡ଼ାଇ
ବଜାଇ ବିଜୟ-ଢକ୍କା,
ଚିରଦିନ ପାଇଁ ରହିଥାଉ ଦେବ-
ହୃଦୟେ ରାକ୍ଷସ-ଶଙ୍କା ।’’
ଦଳ-ବଳ ସହ ରାକ୍ଷସ-ଭୂପତି
ବାହୁଡ଼ିଲା ନିଜ ଦେଶ,
ଅମର-ଡଗର ସୁରେଶ ଛାମୁରେ
କହିଲା ସେହି ସନ୍ଦେଶ ।
ଦୁଷ୍ମନ୍ତ ନୃପଙ୍କ ଅଭିଯାନ ହେଲା
ଉତ୍ସବରେ ପରିଣତ,
କୁସୁମ-ବର୍ଷଣ କଲେ ତାଙ୍କ ଶିରେ
ଅମର-ଯୋଷା ସମସ୍ତ ।
ଅପ୍ସରା-ନର୍ତ୍ତନେ କିନ୍ନରୀ-ଗାୟନେ
ସ୍ୱର୍ଗ ହେଲା ମଧୁମୟ,
ସୁରବନ୍ଦିଗଣ ଉଚ୍ଚେ ଉଚ୍ଚାରିଲେ,
‘‘ଜୟ ପୁରୁବଂଶୀ ଜୟ ।’’
ଅମର ଶରୀରେ ଯଯାତି ହରଷେ
ଆଶିଷିଲେ ବାରମ୍ୱାର,
ଅମର-ବିଗ୍ରହ ପୁରୁ ଆସି ଦେଲେ
ସ୍ୱର୍ଗୀୟ କୁସୁମ-ହାର ।
ଜୟନ୍ତଙ୍କୁ କୋଳୁ ଓହ୍ଲାଇ ବାସବ
ଦୁଷ୍ମନ୍ତଙ୍କୁ କଲେ କୋଳ,
ନିଜ ବକ୍ଷ-ହାର ଦେଲେ ତାଙ୍କ ବକ୍ଷେ
ମହାନନ୍ଦେ ହୋଇ ଭୋଳ ।
ପ୍ରେମ ପ୍ରୀତି ଦୁହେଁ ଆସି ନିକଟକୁ
ସ୍ନେହେ ଆଲିଙ୍ଗନ କଲେ
ଆନନ୍ଦେ ବୋଇଲେ, ‘‘ଯାଅ ନୃପ, ସୁଖ
ଲଭିବ ଅବନୀ ତଳେ ।’’
ସୁରପତି-ପଦେ ପ୍ରଣମିଲେ ନୃପ
ବିନୟେ ମେଲାଣି ମାଗି,
ମାତଳିକି ଶକ୍ର ଆଜ୍ଞା ଦେଲେ ତାଙ୍କୁ
ପହଞ୍ଚାଇଦେବା ଲାଗି ।
ନିଜେ ସୁରପତି ନୃପ-କର ଧରି
ଆରୋହାଇ ଦେଲେ ରଥେ,
ଆନନ୍ଦେ ବୋଇଲେ, ‘‘ଯାଅ ବତ୍ସ, ତବ
ବାଞ୍ଛା ସିଦ୍ଧ ହେଉ ପଥେ ।’’
ବାହୁଡ଼ିବା ପଥେ ନରପତି କଲେ
ଦର୍ଶନ ନନ୍ଦନ-ବନ,
ସୁବର୍ଣ୍ଣ-କୁସମ- ବୀଥିରେ ପାଦପେ
ରଚିତ ହୋଇଛି ବର୍ଣ୍ଣ ।
ଅମର ଅକ୍ଷର ପଡ଼ନେ ଜାଣିଲେ
ରଚିତ ହୋଇଛି ଶ୍ଲୋକ,
‘‘ଦୁଷ୍ମନ୍ତ ନୃପଙ୍କ ପୁଣ୍ୟ-ସୁରଭିରେ
ଆମୋଦିତ ଦେବଲୋକ ।
ଦୁଷ୍ମନ୍ତଙ୍କ ଯଶ- ପଟଳ ଫୁଟିଛି
ନନ୍ଦନେ କୁସୁମ ଛଳେ,
ଉଜ୍ଜ୍ୱଳ କନକ- ବର୍ଣ୍ଣ ହୋଇଅଛି
ମନ ତାଙ୍କ ପୁଷ୍ପଦଳେ ।
ପବିତ୍ର ପ୍ରେମହିଁ ରହିଅଛି ସେହି
ପୁଷ୍ପଗର୍ଭେ ହୋଇ ମଧୁ,
ହିମବିନ୍ଦୁ ରୂପେ ଆଶୀର୍ବାଦ ତହିଁ
ଢାଳୁଛନ୍ତି ବିଶ୍ୱବନ୍ଧୁ ।’’
ନିଜ ପରଶଂସା ଅଧିକ ନ ପଢ଼ି
ନୃପ ନେଲେ ବେଗେ ରଥ
ସ୍ୱର୍ଣ୍ଣଦୀ-ପୁଳିନେ ଓହ୍ଲାଇ ଦେଖିଲେ
ଲିପି ଅଛି ଶତ ଶତ ।
ଶମ୍ଭୁଳ-ପଟଳ ଲେଖି ଦେଇଛନ୍ତି
‘‘ଧନ୍ୟ ଧନ୍ୟ ପୁରୁବଂଶ, ’’
ପଢ଼ି ଜଳେ ପଶି ଘୋଷୁଛନ୍ତି ତାହା
ଅଗଣିତ ରାଜହଂସ ।
ଶୁଣି ଶୁଣି ତାହା ଭ୍ରମି ଥରେ ପୁଣି
ବାସବ-ସ୍ୟନ୍ଦନେ ବସି,
ଚଳିଲେ ଭୂପତି ମାତଳି ନିକଟେ
ନିଜ ଭାଗ୍ୟ ପରଶଂସି ।
ନିର୍ମଳ ମରୂତ- ମଣ୍ଡଳକୁ ଲଘିଂ
ରଥ ପ୍ରବେଶିଲା ବେଗେ,
ଉଚ୍ଚ ପରବତ ମସ୍ତକକୁ ଯହିଁ
ଚୁମ୍ୱନ କରନ୍ତି ମେଘେ ।
ଘନ-ଘୃଷ୍ଟ-ରଥ ପଦ-ବିକୀରିତ-
ନିର୍ମଳ-ସଲିଳ-କଣ,
ପାନ କଲେ ସୁଖେ ପର୍ବତ-ବିବରୁ
ବାହାରି ଚାତକଗଣ ।
ତଡ଼ିତ-କାନ୍ତିରେ ଅଶ୍ୱତନୁ ହେଲା
ମୁହୁର୍ମୁହୁଃ ସମୁଜ୍ୱଳ,
ତା’ ପରେ ଦୃଷ୍ଟିରେ ଆବିର୍ଭୁତ ହେଲା
ଶ୍ୟାମଳ ଅବନୀ-ତଳ ।
ପର୍ବତ-ଶିଖର ଦିଶିଲା ଗଗନ-
ସୋପାନେ ଚଢ଼ିଲା ପରି,
ଭୂତଳ ଦିଶିଲା ପର୍ବତକୁ ଯେହ୍ନେ
ଟେକି ଦେଉଅଛି ଧରି ।
ଅଥବା ତ୍ରିଦିବ- ବିଳାସୀ ନୃପତି
ପ୍ରତି ହୋଇ ମାନବତୀ,
ନିକଟ ନିକଟ ହେଲେ ଦୂର ଦୂର
ହେଉଅଛି ବସୁମତୀ ।
କ୍ରମଶଃ ଦିଶିଲା କେହି ସହଚରୀ
ମହୀକି ମଧୁରାଶ୍ୱାସ
ଦେଇ, ଆଣୁଅଛି ସ୍ୱର୍ଗ-ପ୍ରତ୍ୟାଗତ
ପ୍ରଶଂସିତ ନୃପ ପାଶ ।
ପାଦପେ ମସ୍ତକ ଉତ୍ତୋଳନ କଲେ
ଅବନୀ ଲୁଣ୍ଠନ ଛାଡ଼ି,
ସୁପ୍ତ ବିହଙ୍ଗମେ ଶିର ଟେକି ଯଥା
ଉଠିଥାନ୍ତି ଡେଣା ଝାଡ଼ି ।
ମାର୍ଗରେ ପଡ଼ିଲା ହେମକୂଟ ନାମେ
କିଂପୁରୁଷ ପରବତ,
ଗୋଧୂଳିକାଳୀନ- ଭାନୁକର-ଦୀପ୍ତ
ମେଘ ପ୍ରାୟେ ପ୍ରଭାବନ୍ତ ।
ବାସବ ବରୁଣ ସାଗର କଲ୍ଲୋଳ
ଧୋଉଛନ୍ତି ଯା’ର ପାଦ,
ଉଦୟାସ୍ତ ରବି- ପ୍ରଦୀପେ ଆରତି
ଦେଇ ଗାଇ ସ୍ତୁତିବାଦ ।
କାଦମ୍ୱିନୀ ଲଭି ବିରାଟ ବିଗ୍ରହ
ମଧୁମୟ ଘରଷଣ,
ଅଙ୍ଗରାଗରୂପେ ଅଙ୍ଗେ ଜଡ଼ି ଯା’ର
ଭୁଲେ ବାରିବରଷଣ ।
ବାର ମାସ ଯହିଁ ବସନ୍ତ ବିହରେ
ଘେନି ସର୍ବବିଧ ଫୁଲ,
ମହାନନ୍ଦଭରେ ଭ୍ରମନ୍ତି ଭ୍ରମରେ
କୂଜନ୍ତି କୋକିଳକୁଳ ।
ସରେ ସରେ ଯହିଁ ସ୍ୱର୍ଣ୍ଣ-କମଳିନୀ
ଶୋଭା ବିକଶିତ କରେ,
ରତ୍ନରାଜି ଯହିଁ ତିମିର ନାଶନ୍ତି
କିନ୍ନରଙ୍କ ଘରେ ଘରେ ।
ସ୍ୱର୍ଣ୍ଣ-କମଳିନୀ- ଅଙ୍ଗ ଛୁଇଁବାକୁ
ଦିବାକର-କର ଥରେ,
ମଧ୍ୟାହ୍ନ ନିଭୃତେ ଲୁଚି ଲୁଚି ତେଣୁ
ପଶିଥାଏ ଡରେ ଡରେ ।
କିନ୍ନରୀ ଗାୟନେ ବିହଙ୍ଗ କୂଜନ
ମାତ୍ର ବାଦ ହୁଏ ତହିଁ,
ବରଷା ବୋଇଲେ ବୁଝନ୍ତି ତହିଁରେ
ତରୁପୁଷ୍ପ ବରଷଇ ।
ଯେତିକିରେ ଫୁଲ ଫଳ ଉପୁଜିବ
ତେତିକି ପଡ଼େ କାକର,
କିନ୍ତୁ ଫଳ ମୂଳ ବଳି ପଡ଼ିଥାଏ
ପୂରାଇ ଲୋକ ଉଦର ।
ତପସ୍ୱୀ-ମଣ୍ଡଳ ତପ ସାଧିଥାନ୍ତି
ତହିଁ ରହି ନିରାପଦେ,
ସିଦ୍ଧିହିଁ ସେ ସ୍ଥଳେ ନ ପାରନ୍ତି ତେଜି
ନିତି ପୂଜା ଲଭି ପଦେ ।
ସୁରାସୁର-ପିତା କଶ୍ୟପ ସେ ନଗେ
କରନ୍ତି ସସ୍ତ୍ରୀକ ବାସ,
ସୁରାସୁରଙ୍କର ଭକତି ତହିଁରେ
ବିଳସେ ଲଭି ଉଲ୍ଲାସ ।
ସମସ୍ତେ ଅଜାତ-ଶତ୍ରୁ, ସେ ପର୍ବତେ
ନିବସନ୍ତି ଯେତେ ଜନ୍ତୁ,
ପରସ୍ପରହିତ- ସାଧନେ ନିରତ
ହୋଇଥାନ୍ତି ଅଧିକନ୍ତୁ ।
କୁଶାଙ୍କୁର ଆଣି ଶାର୍ଦ୍ଦୂଳ ସସ୍ନେହେ
ଦିଏ ମୃଗ-ଶିଶୁ-ମୁଖେ,
ଗଜ-ଶିଶୁ ପାଇ କେଶରୀ ହସ୍ତରୁ
କପିତ୍ଥ ଭୁଞ୍ଜଇ ସୁଖେ ।
ମାତଳିକି ନୃପ ସାଗ୍ରହେ ପୁଚ୍ଛିଲେ
ପର୍ବତର ପରିଚୟ,
ପ୍ରଶଂସି ମାତଳି କହିଲା ଗିରିର
ମନୋରମ କଥାଚୟ ।
କଶ୍ୟପ ଚରଣେ ଅର୍ଚ୍ଚିବାକୁ ନୃପ
ରଥ ଓହ୍ଲାଇଲେ ତଳେ,
ଦେଖିଲେ ସ୍ୟନ୍ଦନ ଗଗନେ ଯେସନ
ଭୂତଳେ ତେସନ ଚଳେ ।
ଚକ୍ର ନ ପଶଇ ଧୂଳି ବାଲି ମଧ୍ୟେ
ନ ନାଚେ ଅସମ ତଳେ
ଚଳେ ଯଥା ହଂସ ଅବାତ କମ୍ପିତ
ଗଭୀର ସରସୀ-ଜଳେ ।
ତହିଁ ଲାଗି ନୃପ ସାରଥି ବଦନ
ଅନାଇଲେ ଚମତ୍କାରେ,
ସୁରେଶ-ନରେଶ- ରଥ-ତାରତମ୍ୟ
ଜ୍ଞାତ ହେଲେ ସେହିଠାରେ ।
ଅଦୂରେ ଦେଖିଲେ ମୁନି ଏକ’ଛନ୍ତି
ନଶ୍ଚଳ ଅଚଳ ରୂପେ,
ପାଦୁଁ କଟିଯାଏ ତାହାଙ୍କ ମଜ୍ଜିତ
ହୋଇଛି ବଲ୍ମୀକ-ସ୍ତୂପେ ।
ବିଷଧର-ଚର୍ମ- ଉପବୀତ ସହ
ହୋଇଅଛି ଉପବୀତ,
ଜୀର୍ଣ୍ଣ-ଲତା-ଜାଲ ବେଢ଼ି କଣ୍ଠଦେଶ
କରୁଅଛି ନିପୀଡ଼ିତ ।
ରବି-ଅଭିମୁଖୀ ହୋଇ ସ୍ଥାଣୁ ପରି
ରହିଛନ୍ତି ମୁନିବର,
ସ୍କନ୍ଧ-ବିଳମ୍ୱିତ ଜଟା-ମଣ୍ଡଳରେ
ପକ୍ଷୀ କରିଛନ୍ତି ଘର ।
ରଥୁଁ ଅବତରି ନରପତି ସେହି
ମୁନିଙ୍କି ପ୍ରଣାମ କରି,
ଆଶ୍ରମ-ଦର୍ଶନ- ସୁଖ-ପୀୟୁଷରେ
ମନପ୍ରାଣ ଦେଲେ ଭରି ।
ଦେଖିଲେ ଆଶ୍ରମ କଳପ-ପାଦପ-
ଛାୟା-ସୁଶୀତଳ ତଳ,
ସୁଲଭ ତହିଁରେ ହେବ-କମଳିନୀ-
ସୁରଭି-ବାସିତ ଜଳ ।
ପଥର ପରାଏ ପଡ଼ି ରହିଅଛି
ଯହିଁ ତହିଁ ମଣିଶିଳା,
ସ୍ନେହ ବିତରଣ କରୁଛନ୍ତି ବୁଲି
ସୁରବାଳା ସ୍ନେହଶୀଳା ।
ସୁର-ବନିତାଙ୍କ ଗତି ରୀତି ଦେଖି
ସ୍ୱତଃ ହେଲା ନୃପ ମନେ,
ବନ୍ଦନ୍ତେ ଚରଣ ତୋଷନ୍ତେ ଶ୍ରବଣ
‘ମାଆ’ ଶବ୍ଦ ସମ୍ୱୋଧନେ ।
ତେମନ୍ତେ ତପସ୍ୟା- ଫଳ-ସ୍ଥଳେ ପୁଣି
ତପସ୍ୟା ରହିଛି ଲାଗି,
ବିଚାରିଲେ ନୃପ ସେହି ତାପସଙ୍କ
ତପ ନୁହେ ନିଜ ଲାଗି ।
ସ୍ୱର୍ଗରୁ ଅଧିକ ମନୋରମ ପୁଣି
ସୁଖକର ଏହି ସ୍ଥଳ,
ଅବଶ୍ୟ ଜଗତ- ଜନ-ଭୋଗ୍ୟ ହେବ
ଏଠାରେ ତପସ୍ୟା ଫଳ ।
ନିଜ ପାଇଁ ଲୋକେ ତପ କରିଥାନ୍ତି
ଦୁଃଖ ପରେ ସହି ଦୁଃଖ,
ପରସୁଖ ପାଇଁ ତପ-ସାଧନାରେ,
ତ୍ୟକ୍ତ ହୋଇଥାଏ ସୁଖ ।
ତଳୁ ଉପରକୁ ଉଠିଥିବା ଲୋକ
ଜାଣିଥାଏ ତଳ କଥା,
ଉଚ୍ଚାସନେ ଥାଇ ଯତ୍ନ କରିଥାଏ
ହରିବାକୁ ତଳ ବ୍ୟଥା ।
ମୋ’ ସୁଖ ଜଗତେ ବିତରିବା ପାଇଁ
ହେଉଛି ଏଠାରେ ମନ,
ନିଜ ସୁଖ କିହିଁ ଏକାକୀ ଭୁଞ୍ଜିବେ
ସ୍ୱଭାବ-ତିତିକ୍ଷୁ-ଜନ ?
ଶକ୍ର-ସୂତ ଗଲା ସେଠାରୁ କଶ୍ୟପେ
ସମାଚାର ଦେବା ପାଇଁ,
ଅଶୋକ-ପାଦପ- ତଳେ ନରପତି
ରହିଲେ କାନନ ଚାହିଁ ।
‘‘ଛାଡ଼ ଛାଡ଼ ଦୁଷ୍ଟ, ଛାଡ଼ ରେ’’ ଶବଦ
ପଡ଼ିଲା ନୃପତି-କର୍ଣ୍ଣେ,
ଦେଖିଲେ କେଶରୀ- ଶାବକ-କେଶର
ଧରିଛି ବାଳକ ଜଣେ ।
ଚମତ୍କୃତ ହୋଇ ହସ୍ତିନା-ଭୂପତି
ବାଳକର ପରାକ୍ରମେ,
କୌତୁକଦର୍ଶନ- ମାନସେ ତାହାର
ସମୀପକୁ ଗଲେ କ୍ରମେ ।
ତାପସୀଏ ପୁଣି ବୋଇଲା ଶିଶୁକୁ,
‘‘ଛାଡ଼ିଦିଅ ଆରେ ଦୁଷ୍ଟ,
ବାଳ-ଚପଳତା ଛାଡ଼ିଯିବ ତୋର
କେଶରିଣୀ ହେଲେ ରୁଷ୍ଟ ।
ଏ କି ଦୁଃସାହସ, ସିଂହଶିଶୁ ସୁଖେ
କରୁଥିଲା ସ୍ତନ୍ୟପାନ,
ବଳେ ଆଣି ତାର ଦନ୍ତ ଗଣୁଅଛୁ,
କରିଛୁ କି ମୃଗ-ଜ୍ଞାନ ?
ଅଧର ଲମ୍ୱାଇ ‘‘ଏତକେ ଡରିଲି’’
ବୋଲି ଉପହାସ ଛଳେ,
କେଶରୀ-ଶାବକ- କେଶରକୁ ଶିଶୁ
ଧଇଲା ଅଧିକ ବଳେ ।
ଅନ୍ୟ ତପସ୍ୱିନୀ ବୋଇଲା, ‘‘ସଜନି’,
କେବେ କି ସେ ଥାଏ ଡରି,
ମୁନି ମୁଖୁଁ ସର୍ବ- ଦମନ ନାମ ସେ
ପାଆନ୍ତା ଆଉ କିପରି ?’’
ସଙ୍କେତେ ବୋଇଲା, କ୍ରୀଡ଼ାଦ୍ରବ୍ୟ ଦାନ
ପ୍ରଲୋଭନେ ତାକୁ ଭଣ୍ଡ,
ନ ହେଲେ କେଶରୀ- ଶାବକକୁ ଧରି
ଦେଉଥିବ କେତେ ଦଣ୍ଡ ।
ପ୍ରଥମା ବୋଇଲା, ‘‘ମୃଗେନ୍ଦ୍ର-ଶାବକ
ଛାଡ଼ିଦିଅ ମୋର ବାପ,
ସୁତ-କଷ୍ଟ ଚାହିଁ ଜନନୀ ତାହାର
ମନେ ଲଭୁଥିବ ତାପ ।
ଖେଳିବା ନିମନ୍ତେ ମୋହଠାରୁ ଏବେ
ଅନ୍ୟ କ୍ରୀଡ଼ନକ ନିଅ,’’
ତା’ ଶୁଣି ବାଳକ କର ପ୍ରସାରିଲା
କହି, ‘‘ଦିଅ, ଦିଅ ଦିଅ ।’’
ଚାହିଁଲେ ନୃପତି ଶିଶୁ ହସ୍ତ ଯେହ୍ନେ
ନବ-ବିକଶିତ ପଦ୍ମ,
ଚକ୍ରବର୍ତ୍ତୀ-ଚିହ୍ନ ସକଳ ତହିଁରେ
ରହିଛନ୍ତି କରି ସଦ୍ମ ।
‘‘ଆଣୁଅଛୁଁ’’ ବୋଲି, ଉଭୟ ତାପସୀ
ସତ୍ୱର ସେଠାରୁ ଗଲେ,
‘‘ଆଣିଲେ ଛାଡ଼ିବି’’ ବୋଲି ଶିଶୁ ସିଂହ-
ଶିଶୁକୁ ଧଇଲା ବଳେ ।
ମାଗୁଁ ତାପସୀଏ ଲେଉଟି କହିଲା
ନୃପତିଙ୍କ ମୁଖ ଚାହିଁ,
‘‘ଦେଖ ମହାଶୟ, ଏ ଦୁଷ୍ଟ ବାଳକ
ସିଂହ-ଶିଶୁ ଛାଡ଼ୁନାହିଁ ।’’
କୁମାରଙ୍କୁ ଚାହିଁ ନୃପଙ୍କର ହୃଦ
ହୋଇଗଲା ଦ୍ରବୀଭୂତ,
ମନେ ବୋଲୁଥିଲେ, ‘ଧନ୍ୟ ସେହି ଲୋକ,
ଏ ଶିଶୁ ଯାହାର ସୁତ ।
କୋଳେ ଧରି ମୁଖେ ଚୁମ୍ୱନ ଦେବାକୁ
ହେଉଅଛି ମୋର ଚିତ୍ତ,
କେମନ୍ତେ ମୋ ସ୍ନେହ ଘେନିବ ବାଳକ
ମୁଁ ଯେ ତା’ ଅପରିଚିତ ?
ଦରଶନ ଯା’ର ଏଡ଼େ ସୁଖକର
ସ୍ପରଶ କେଡ଼େ ମଧୁର,
ସ୍ପରଶ-ଲାଳସା ଲାଗିଛି ଦର୍ଶନ-
ସୁଖ କରିବାକୁ ଦୂର ।’
ସ୍ପରଶ-ଲାଳସା ଦରଶନ-ସୁଖ-
ସଙ୍ଗେ କରି ଘୋର ଯୁଦ୍ଧ,
ନୃପତି-ହୃଦୟ- ସମର-ଭୂମିକୁ
କରିଦେଲେ କ୍ଷଣେ କ୍ଷୁବ୍ଧ ।
ନୃପତି ବୋଇଲେ, ‘‘ତାପସ-କୁମାର,
କିମ୍ପା ଏଡ଼େ ହରବର,
ସିଂହ-ଶିଶୁ ସହ ବୀରଭାବ ତେଜି
ତାପସ ସ୍ୱଭାବ ଧର ।
ନୃପକୁ ତାପସୀ ବୋଇଲା, ‘‘ଏ ଶିଶୁ
ତାପସ-ନନ୍ଦନ ନୁହେଁ,’’
ନୃପତି ବୋଇଲେ, ‘‘ତାପସ ମଣିଲି
ଥିବାରୁ ତାପସ-ଗୃହେ ।’’
ତା’ପରେ ନୃପତି ସ୍ନେହ-ସହକାରେ
ଧରି ବାଳକର କର,
ହୃଦ-କ୍ଷୋଭ ସହ କେଶରୀ-ଶିଶୁକୁ
କରାଇଦେଲେ ଅନ୍ତର ।
ଦ୍ରବୀଭୂତ ସ୍ୱର୍ଣ୍ଣ- ଖଣ୍ଡଦ୍ୱୟ ଯଥା
ମିଶି ହୁଏ ଏକ ଦେହ,
ସ୍ନେହର ବାଳକ ନୃପେ ମିଶିଗଲା
ପାଇ ମଧୁମୟ ସ୍ନେହ ।
ନୃପ ସହ ସର୍ବ- ଦମନର ଚାହିଁ
ଏକରୂପ ଏକାକାର,
ତାପସୀ-ହୃଦୟେ ଆହ୍ଲାଦ ସହିତ
ନୃତ୍ୟ କଲା ଚମତ୍କାର ।
ଶିଶୁ-କର ଧରି ରାଜା କରି କରି
ସ୍ପର୍ଶ-ସୁଖ ଅନୁଭବ,
ବୋଇଲେ,‘‘ସୁଶୀଳେ, ଏ କୁମରମଣି
କେଉଁ ବଂଶେ ସମୁଦ୍ଭବ ?’’
‘‘ପୁରୁବଂଶେ’’ ଏହି ଉତ୍ତର ଶ୍ରବଣେ
ପୁଣି ବିଚାରିଲେ ମନେ,
‘ପୁରୁବୃଦ୍ଧମାନେ ଚରମ ସମୟେ
ବାସ କରିଥାନ୍ତି ବନେ ।’
ପୁଣି ପଚାରିଲେ, ‘‘ଏ ସ୍ଥାନକୁ ହୋଇ-
ପାରେ କି ମାନବ-ଗତି ?’’
ଉତ୍ତର ପାଇଲେ, ‘‘ସେ ବିଧି ନ ଖଟେ
ଶିଶୁର ଜନନୀପ୍ରତି ।
ଦେବଗୁରୁ ବଂଶ- ଗରଭସମ୍ଭୂତା
ଶିଶୁର ଗର୍ଭଧାରିଣୀ,
ଭାଗ୍ୟ-ଦୋଷେ ଆସି ପୁତ୍ର ଜାତ କଲା
ହୋଇ ଏ ବନଚାରିଣୀ ।’’
ଭାବିଲେ ନୃପତି, ‘ଆଶା-ମରୀଚିକା’
ଧରୁଅଛି ହ୍ରଦାକର,
ଜଣାଯିବ ଏବେ ଅଛି କି ନା ତହିଁ
ପ୍ରବେଶର ଅଧିକାର ।’
ବିସ୍ମୟେ ବୋଇଲା, ‘‘ବାଳକର ପିତା
ନାମ କିସ ଅଛି ଜଣା ?’’
ତାପସୀ ବୋଇଲା, ‘‘ଅଧାର୍ମିକ ନାମ
ଉଚ୍ଚାରିବା ଏଥି ମନା ।’’
ଜନନୀର ନାମ ଜାଣିବାକୁ ନୃପ
କରୁଥିଲେ ଅଭିଳାଷ,
ଭାବିଲେ, ‘ତା’ ହେଲେ ହେବ ଏକା ସିନା
ଅଭଦ୍ରତା ପରକାଶ ।’
ଅପରା ତାପସୀ ମୃତ୍ତିକା ମୟୂର
ଏକ ଆଣି ଧରି କରେ
ବୋଇଲା ଶିଶୁକୁ, ‘‘ଶକୁନ୍ତ-ଲାବଣ୍ୟ
ଦେଖ ଦେଖ ବତ୍ସ ! ଥରେ ।’’
‘ଶକୁନ୍ତଳା’ ବୁଝି ବୋଇଲା ବାଳକ,
‘‘କାହିଁ ମୋ ଜନନୀ କାହିଁ ?’’
ତାପସୀ ବୋଇଲା, ‘‘କହୁଛି ସୁନ୍ଦର
ମୟୂର ଦେଖିବା ପାଇଁ ।’’
ନୃପ ବିଚାରିଲେ, ‘ଶିଶୁର ଜନନୀ
ନାମ ହେଲା ଶକୁନ୍ତଳା,
କେତେ ଭାଗ୍ୟବତୀ ସେ ନାମ ବହନ୍ତି,
ତା’ ଘେନି ଦ୍ୱିଧା ନ ଗଲା ।’
ମୃତ୍ତିକା-ମୟୂର ଧଇଲା ବାଳକ
ଯାଇ ତପସ୍ୱିନୀ ପାଶ,
ସନ୍ତୋଷ ସୂଚନା କଲା ତା’ ଅଧରେ
ଫୁଟି ମନ୍ଦ ମନ୍ଦ ହାସ ।
ଦେଖିଲା ତାପସୀ, ଶିଶୁ-ମଣିବନ୍ଧେ
ରକ୍ଷା-କାଣ୍ଡ ତାର ନାହିଁ,
କାହିଁ ପଡ଼ିଗଲା ବୋଲି ଅନ୍ୱେଷଣ
କଲା ଇତସ୍ତତଃ ଚାହିଁ ।
ଏଣେ ନରପତି ରକ୍ଷା-କାଣ୍ଡଟିକି
ତଳୁ ଉଠାଇଲେ କରେ,
‘‘ଛୁଅଁନା, ଛୁଅଁନା’’ ବୋଲି ତପସ୍ୱିନୀ
କହୁଁ କହୁଁ ତରତରେ ।
ଚାହିଁ ତପସ୍ୱିନୀ- ଯୁଗଳ ବିସ୍ମୟେ
ବକ୍ଷସ୍ଥଳେ ଦେଇ ହସ୍ତ,
ଭୟ ହୃଦେ ଭରି ‘‘କି ହେଲା, କି ହେଲା’’
ବୋଲି ହେଲେ ମହାବ୍ୟସ୍ତ ।
ନୃପତି ବୋଇଲେ, ‘‘କିସ ହେଲା କାହିଁ-
ପାଇଁ ଏତେ ଉଦବିଗ୍ନ,
ମୋହୋ ସ୍ପରଶରେ ଶିଶୁ-ରତନର
ମଙ୍ଗଳେ ହେବ କି ବିଘ୍ନ ?’’
ତାପସୀ ବୋଇଲେ, ‘‘ଅମଙ୍ଗଳ କିଛି
ନାହିଁ ଶିଶୁରତନର,
ପିତା ବିନା ଅନ୍ୟ- ହସ୍ତକୁ ଗଲେ ତା’
ହୋଇଥାଏ ବିଷଧର ।
ନିଜେ ଶିଶୁ ଅବା ଜନନୀ ତାହାର
କରିପାରେ ତା’ଗ୍ରହଣ,
ଅନ୍ୟ ଲୋକ ତାହା ଗ୍ରହଣ କରିବା
କେବଳ ମୃତ୍ୟୁବରଣ ।
ଜାତକର୍ମବେଳେ ଶିଶ-କରେ ଦେଇ-
ଥିଲେ ତା’ ବାସବ ପିତା,
ଅଶୁଭ-ନାଶନ ସୁର ମହୌଷଧି
ନାମ ତା ‘ଅପରାଜିତା’ ।’’
ନୃପତି ବୋଇଲେ, ‘‘ଅନ୍ୟ କରେ ଯାଇ
ପ୍ରାଣ ନାଶିଛି କି କାର ?’’
ତାପସୀ ବୋଇଲା, ‘‘ଥରେ ନୁହେ ତାହା
ଘଟିଅଛି ବହୁବାର ।’’
ନୃପତି ଭାବିଲେ, ‘ଏତେ ପ୍ରମାଣରୁ
ଆଉ କି ଅଛି ସଂଶୟ,
ନିଶ୍ଚୟ ବାଳକ ମୋହୋ ପ୍ରଣୟିନୀ
ଶକୁନ୍ତଳାର ତନୟ ।’
‘‘ମୋ ପୁତ୍ର, ମୋ ପୁତ୍ର’’’ ବୋଲି ବାଳକକୁ
ଧରି କଲେ ଆଲିଙ୍ଗନ,
ଆନନ୍ଦ-ଜନିତ ଲୋତକେ ବେନିଙ୍କ
ତିନ୍ତିଗଲା ଅପଘନ ।
ବାଳକ ବୋଇଲା, ‘‘ଛାଡ଼ କିମ୍ପା ଆସି
ଏମନ୍ତ ହୁଅ ମୋ କତି,
ତୁମ୍ଭେ ନୁହ ମୋର ଜନକ, ମୋ’ ପିତା
ଦୁଷ୍ମନ୍ତ ହସ୍ତିନା-ପତି ।’’
ବାଳକ ଆପତ୍ତି ନ ଘେନି ନୃପତି
ଚୁମ୍ୱ ଦେଲେ ବାରମ୍ୱାର,
ତା’ ଚାହିଁ ବାଳକ, ଚାହିଁ ତାପସାଏ
ମଣୁଥାନ୍ତି ଚମତ୍କାର ।
ଆନନ୍ଦ ଉପରେ ଆନନ୍ଦ ନୃପଙ୍କ
ହୃଦୟରେ କଲା ନୃତ୍ୟ,
ମନ ସହିତରେ ଜୀବନ ଉଲ୍ଲସି
ହୋଇଗଲେ କୃତକୃତ୍ୟ ।
ତାପସାଏ ଯାଇ କହିଲା ସେ କଥା
ସବୁ ଶକୁନ୍ତଳା ପାଶ,
ଶକୁନ୍ତଳା ଆଶା ସହ ସମ୍ମିଳିତ
ନ ହେଲା କିନ୍ତୁ ବିଶ୍ୱାସ ।
ଶକୁନ୍ତଳା ଆସି ସ୍ୱନେତ୍ରେ ଦେଖିଲେ
ପୁତ୍ର ଅଛି ପିତା-ଅଙ୍କେ,
ରହିଗଲେ ହର୍ଷ- କମଳ-ମଣ୍ଡିତ
ବିଷମ-ବିଷାଦ-ପଙ୍କେ ।
ଚକିତେ ବିସ୍ମୟେ କୁମାର ବୋଇଲା
ଜନନୀ-ବଦନ ଚାହିଁ,
‘‘ମା ଗୋ, ଏହି ଲୋକ ପୁତ୍ର ବୋଲି ମୋତେ
ଧରୁଛନ୍ତି କାହିଁ ପାଇଁ ?
ବାରମ୍ୱାର ମୋତେ କୋଳ କରୁଛନ୍ତି
ଘେନୁନାହାନ୍ତି ମୋ’ ମନା,
ଦେଖ ତ କାହିଁକି ହୋଇଯାଉଛନ୍ତି
ଏମନ୍ତ ଉଷତମନା ?’’
କହି କହି ଶିଶୁ ଏକ କର ନେଇ
ଧଇଲା ଜନନୀ-କର,
ଅପର ହସ୍ତଟି ରହିଥିଲା ସ୍ନେହ-
ବନ୍ଧେ ନରପତିଙ୍କର ।
ନ ନିଏ ନୃପତି- କରୁଁ କର ଶିଶୁ
ନ ଛାଡ଼େ ଜନନୀ-କର,
ଆକର୍ଷଣେ ଦୁଃଖ ତଡ଼ି ସୁଖ ବୃଦ୍ଧି
କରିଦେଲା ଦୁହିଁଙ୍କର ।
କେହି କାହା କଥା କହିବାକୁ ଆଉ
ହେଲା ନାହିଁ ଅବସର,
ଭଗୀରଥ ହୋଇ ମିଳାଇଲା ଶିଶୁ
ସୁରଧୁନୀ ରତ୍ନାକର ।
କୁମର-ବଚନେ ଶକୁନ୍ତଳା ପ୍ରାଣ
ହୋଇଗଲା ସୁଧାସ୍ନାତ,
କାନ୍ତ-ଦରଶନେ ପୁଲକ ଛଳରେ
ପ୍ରାମାଙ୍କୁର ହେଲା ଜାତ ।
ହାସ ତା’ ଅଧରେ ନ ଫୁଟି ବଦନେ
ନେତ୍ରେ ହେଲା ସଞ୍ଚାରିତ,
ନବୀନ ମୃଦ୍ଘଟ- ଜଳ ବାହାରକୁ
ହୁଏ ଯଥା ସଂକ୍ଷରିତ ।
ବୁଝିଥିଲା ବାମା ମାତା ଲାଗି ତାର
ଘଟିଛି ପତି-ବିରହ,
ପତି-ପ୍ରେମ ସ୍ମରି ଦର୍ଶନ-ଲାଳସେ
ଥାଏ ତହିଁ ଅହରହ ।
ମନେ କରୁଥାଏ ପ୍ରଣୟ-ପାଳନେ
ହୋଇଛି ନିଜେ ଅକ୍ଷମା,
ପତି-ଦରଶନ ଲଭିଲେ ଚରଣେ
ବିନୟେ ମାଗନ୍ତା କ୍ଷମା ।
ରାଜା ଭାବୁଥିଲେ ପ୍ରେମ-ମୂରତିକି
ପ୍ରଣୟ-ପୀଠେ ଆରାଧି,
ନ ପାରି ଧରମ ଲଘିଂ ନିଜେ ହୋଇ-
ଛନ୍ତି ମହା ଅପରାଧୀ ।
କେଉଁ କଥା କହି କେମନ୍ତ କ୍ଷାଳନ
କରାଇବେ ନିଜ ଦୋଷ,
ଅଙ୍ଗୁରୀୟ ଲାଭ- କଥା କହିଲେ କି
ଜନ୍ମିବ ପ୍ରିୟାର ତୋଷ ?
ଛଅ ବରଷର ବିରହ-ଯାତନା
କେଉଁଆଡ଼େ ଗଲା ଉଡ଼ି,
ପରସ୍ପର ମୁଖ ଦେଖି ସୁଖୀମୃତ-
ପାରବାରେ ଗଲେ ବୁଡ଼ି ।
କୁମାର-ଚନ୍ଦ୍ରମା ତହିଁକି ଉଲ୍ଲାସେ
ବଢ଼ାଇ ଦେଇଛି କର,
ଲହରୀ ଉପରେ ଲହରୀ ମେଲିଲା
ଦମ୍ପତି-ସୁଖ-ସାଗର ।
ପବିତ୍ର ଦମ୍ପତି- ପ୍ରେମ ସୁଖ ଚାହିଁ
ଗିରି ହେଲା ପୁଲକିତ,
ଫୁଟିଗଲା ଫୁଲ- କଳିକା, ଫୁଟିଲା
କୁସୁମ ହେଲା ସ୍ଫଳିତ ।
ନବୀନ ଆନନ୍ଦେ ବିହଙ୍ଗମଗଣ
କଲେ ମଧୁମୟ ଗାନ,
ସ୍ତନ୍ୟପାନ ତେଜି ଆନନ୍ଦେ ନାଚିଲେ
ହରିଣ-ଶାବକମାନ ।
ଏମନ୍ତ ସମୟେ ସୁରାସୁର-ଗୁରୁ
ହେଲେ ତହିଁ ଉପଗତ,
ଚରଣେ ତାଙ୍କର ପଡ଼ଲେ ତିନିହେଁ
ଯୁଗ୍ମ ଯୁଗ୍ମ କରି ହସ୍ତ ।
ହସି ମହାମୁନି ଆଶିଷିଲେ, ‘‘ତୁମ୍ଭ
ସର୍ବଦୁଃଖ ହେଉ କ୍ଷୟ,
କୁମର-ରତନ ହେଉ ତୁମ୍ଭ କୁଳେ
ବୃଦ୍ଧିଶୀଳ-ଜ୍ୟୋତିର୍ମୟ ।
ଉଦୟାଶା-କୋଳୁ ଉଦୟ ଭୂଧର
ମଣ୍ଡିଅଛି ଦିନମଣି,
ନାଶ ହେଲା ତୁମ୍ଭ ବିଷାଦ-ତିମିର-
ଆବୃତ-ଶୋକ-ରଜନୀ ।’’
ସାଦରେ ସସ୍ନେହେ ମହାମୁନି ତାଙ୍କୁ
ନେଇ ଅଦିତିଙ୍କ ପାଶ,
କଲେ ଶକୁନ୍ତଳା- ପତି-ନୃପତିଙ୍କ
ପରିଚୟ ପରକାଶ ।
ପତ୍ନୀ-ପୁତ୍ର ସହ ବିନୟେ ଭୂପତି
ବନ୍ଦିଲେ ଅଦିତି-ପାଦ,
ଅଦିତି ତାହାଙ୍କୁ ଆନନ୍ଦେ ମଧୁରେ
ଦେଲେ ଶୁଭ ଆଶୀର୍ବାଦ ।
ଦଳ ଦଳ ଆସି ଦେଖିଲେ ନୃପଙ୍କୁ
ତାପସ-ତାପସୀଗଣ,
କେହି ସୁର, କେହି ନର ବୋଲି ତାଙ୍କୁ
କଲେ କେତେ ବିତର୍କଣ ।
ନୃପତିଙ୍କି ଚାହିଁ କଶ୍ୟପ ବୋଇଲେ,
‘‘ନ କରିବ ଅନୁତାପ,
ତୁମ୍ଭ ସ୍ମୃତି-ଲୋପ କରି ଦେଇଥିଲା
ଦୁର୍ବାସା ମୁନିଙ୍କ ଶାପ ।
ଉଭାବିତ ହୋଇ- ଥା’ନ୍ତା ପୁଣି ସ୍ମୃତି
ଯେଉଁ ଅଙ୍ଗୁରୀୟ ବଳେ,
ଶକୁନ୍ତଳା ସ୍ନାନ- କାଳେ ହରାଇଲା
ତାହା ଶଚୀତୀର୍ଥ-ଜଳେ ।
ତୁମ୍ଭ ପ୍ରତି ତାର ମନ ରହିଥିଲା,
ତୁମ୍ଭ ପଦେ ଥିଲା ଧ୍ୟାନ,
ଅଞ୍ଚଳୁ ମୁଦ୍ରିକା ଖସିପଡ଼ିବାର
ପ୍ରତି ନ ରହିଲା ଜ୍ଞାନ ।
ଜଳେ ଖେଳୁଥିଲା ମୀନ ତା’ ଆହାର
ବିଚାରି ଭକ୍ଷଣ କଲା,
ଧୀବର ସେ ମୀନ ମାରନ୍ତେ ମୁଦ୍ରିକା
ତୁମ୍ଭ ସମକ୍ଷକୁ ଗଲା ।
ଶକୁନ୍ତଳା-ମାତା ଦୁହିତା ବିପଦ-
ସମୟ ପ୍ରବେଶ ଚାହିଁ,
ଦୁହିତାକୁ ଆଣି ଦେଇଗଲା ଆମ୍ଭ
ଆଶ୍ରମେ ରଖିବା ପାଇଁ ।
ଦେଖୁଛ ତ ଏହି ସ୍ଥାନର ପ୍ରଭାବ,
ଏଥି ନାହିଁ ଶୋକ ତାପ,
ତୁମ୍ଭ ବ୍ୟବହାରେ ହୋଇ ନାହିଁ ମଧ୍ୟ
ସତ୍ୟ ପ୍ରତି ଅପଳାପ ।
ଅଧିକନ୍ତୁ ଘୋର ଅନୁତାପେ ତୁମ୍ଭ
ମହିମା ଯାଇଛି ବଢ଼ି,
ତାହା ଯୋଗୁଁ ପୁଣି ଅବନୀର ପାପ-
ବୀଜ ଯାଇଅଛି ସଢ଼ି ।
ପତ୍ନୀ ପୁତ୍ର ଘେନି ଯାଅ ଏବେ ସୁଖେ
ଅବନୀ ପାଳନ କର,
ତମ୍ଭ ପରା ପତି- ବିରହେ ଅବନୀ
ଅଛି ଦୁଃଖ-ଜରଜର ।’’
ବିଦାୟ-ପ୍ରଣାମ କରି ନରପତି
ମହର୍ଷି-ଦମ୍ପତି-ପଦେ;
ପତ୍ନୀ ପୁତ୍ର ସହ କିଛି ଦୂର ଚାଲି
ଗଲେ ସେ ଆଶ୍ରମପଦେ ।
ତହୁଁ ରଥେ ବସି କୁମରମଣିକି
କୋଳେ ବସାଇଲେ ନେଇ,
ପାଶେ ବସାଇଲେ ବଲ୍ଲଭୀମଣିକି
କର-ପଦ୍ମେ କର ଦେଇ ।
ମାଳତି-ଚାଳନେ ବାସବ-ସ୍ୟନ୍ଦନ
ମୁହୂର୍ତ୍ତ ମଧ୍ୟରେ ଆସି
ହସ୍ତିନା ନଗର- ରାଜପଥେ ଦେଲା
ଦିବ୍ୟ ଶୋଭା ପରକାଶି ।
ପୁରବାସୀଗଣ ଚାହିଁ ଜୟନାଦେ
ଗଗନ କମ୍ପିତ କଲେ,
ମାତଳି ବିଦାୟ କରି ନରବର
ଅନ୍ତର୍ଭବନକୁ ଗଲେ ।
ପାଟରାଣୀ ହେଲେ ଶକୁନ୍ତଳା, ତାଙ୍କ
ପୁତ୍ର ହେଲେ ପାଟରାଜା,
ଦିଗ ଦିଗନ୍ତରେ ବାଜିଗଲା ରାଜା-
ରାଣୀଙ୍କ ସୁଯଶ-ବାଜା ।
ଏକପ୍ରାଣ ହେଲେ ନୃପତି-ଦମ୍ପତି,
ଭିନ୍ନ ମାତ୍ର ଥିଲା କାୟା,
ସ୍ନିଗ୍ଧ କରୁଥିଲା ଜୀବନକୁ ସଦା
ପବିତ୍ର ପ୍ରଣୟ-ଛାୟା ।
......