ଷଷ୍ଠ ସର୍ଗ — ପ୍ରଣୟ ବଲ୍ଲରୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ସର୍ଗ
ପ୍ରଣୟ-ଫଳଶିଶିର-ସଦନେ ଜନ୍ମିଲା ନନ୍ଦନମନୋହର ରୂପବନ୍ତ,ତା’ ଦେଖି ଶିଶିର ଆନନ୍ଦେ ଅଧୀରହେଲା ଯେହ୍ନେ ଉନମତ୍ତ ।ସ୍ଥୂଳ ଉର୍ଣ୍ଣ-ବାସ ବାଛି ବାଛି ଦେଲାପେଡ଼ି ସକଳକୁ ଦାନ,ସୁପକ୍ୱ ଗୋଧୂମ- ରାଶି ଦାନେ କଲାଦାତ୍ରଭୋଜି ସମାଧାନ ।ଇକ୍ଷୁ ଦଣ୍ଡ-ମାନ ଖଣ୍ଡ ଖଣ୍ଡ କରିକ୍ଷେପିଲା କେଦାର ଗର୍ଭେ,କୁସୁମ-କୁସୁମ ରଞ୍ଜିତ ବସନପାଇଲେ ରସିକ ସର୍ବେ ।ଦିଗେ ଦିଗେ ହେଲା ହରିଦ୍ରାରଞ୍ଜିତମଧୁମୟ ଶୁଭ ପତ୍ର,ଆତପ-ତାପିତ ଜନେ ବିତରିଲାଲକ୍ଷ ଲକ୍ଷ ଆତପତ୍ର ।ଗଗନଚାରୀଙ୍କି ହେବା ପାଇଁ ପତ୍ରନେଲା ଚକ୍ର-ପବମାନ,କରିନେଲା ପଥ ଧୂଳି-ବିରଚିତଭଉଁରୀ-ଖମ୍ୱ-ସୋପାନ ।ନିର୍ବାସିତ ପଦ୍ମ- ସବୁକୁ ଆଣିଲାହୃଦେ ହୋଇ ଦୟାଯୁକ୍ତ,ଶୀତବିକମ୍ପିତ ପ୍ରଭାତକୁ କଲାକୁଜ୍ଝଟକା- କାରାମୁକ୍ତ ।ରାତ୍ରି ଭୋଗୁଥିଲା ସୁଦୀର୍ଘ ସମୟହସନ୍ତି ବହନ ଦଣ୍ଡ,କ୍ଷମାକରି ତାକୁ ପୁରସ୍କାର ଦେଲାଚନ୍ଦ୍ରିକା-ପୀୟୁଷ-ଖଣ୍ଡ ।ଦିଗଙ୍ଗନାମାନେ ହଟି ହଟି ନେଲେପାତଳ-ପାଟଳ-ପାଟ,ଚିର-ଜ୍ୟୋତି-ଲୋଭୀ ଜ୍ୟୋତିଷ୍କ-ମଣ୍ଡଳଜୂର କଲେ ଜ୍ୟୋତି-ହାଟ ।ସୁନାରୀ ଖର୍ଜୁର ରହିଲେ ସୁମର୍ଣ୍ଣହାର-ସଙ୍ଗଠନେ ବ୍ୟସ୍ତ,ଚନ୍ଦ୍ରାତପ ପାଇଁ ଶାଳ୍ମଳୀଏ ହେଲେଅହୋରାତ୍ର ସୂଚି-ହସ୍ତ ।ପତ୍ର ପାଇ ବନ- ନଗର-ଉଦ୍ୟାନ-ଜନପଦୁଁ ତରୁ ଲତା,ଶିଶିର-ମନ୍ଦିରେ ଉପଗତ ହେଲେହୃଦେ ଭରି ପ୍ରଫୁଲ୍ଲତା ।ବିଶାଳ ରସାଳ ଶାଳ ସହିତରେପଳାସ-ପାଦପଗଣ,ସଂହତି ବଳରେ ତରୁ-ସଂଘ ମଧ୍ୟେଦେଖାଇଲେ ବଡ଼ପଣ ।ତାଙ୍କ ପଛେ ପଛେ ମଧୁକ-ଶିରୀଷ-କାଞ୍ଚନ ଭୂରୁହଶ୍ରେଣୀ,ଉଭା ହୋଇଗଲେ ବିଭବାନୁରୂପବସନ-ଭୂଷଣ ଘେନି ।ଶୁଭ୍ର ପରିଚ୍ଛଦେ ଅଭ୍ର ଚମକାଇଦମ୍ଭେ ନିମ୍ୱ ମହୀରୁହ,ତରୁ-ସମ୍ମିଳନୀ- ମଣ୍ଡପେ ବସିଲା
ଭେଦକରି ତରୁ-ବ୍ୟୂହ ।
କିନ୍ନର ସ୍ୱରୂପେ କିନ୍ନରୀ ସ୍ୱରୂପେ
ସାଜି ଦିବ୍ୟ ବିଭୂଷଣେ,
ମାଧବୀ ନିଆଳୀ ମଲ୍ଲୀ ନେଇଥିଲା
ଚମ୍ପକ ମଧ୍ୟ ପ୍ରାଙ୍ଗଣେ ।
ସେବା ପାଇଁ କତି ଥିଲେ ମଞ୍ଜୁଆତୀ
କର୍ଣ୍ଣିକାର, କୁରୁବକ,
ବକୁଳ, ବକମ କର୍ଣ୍ଣେ ଶିରେ ଘେନି
ମଞ୍ଜୁଳ-ପୁଷ୍ପ-ସ୍ତବକ ।
ଆସିଲେ ସୁମନ ଦଳ ଦଳ ହୋଇ
ଆସିଲେ ଦ୍ୱିଜ-ମଣ୍ଡଳ,
ସ୍ୱଦେଶୀ ବିଦେଶୀ ଶୋଭା-ସମ୍ଭାରରେ
ମଣ୍ଡିଦେଲେ ସଭାସ୍ଥଳ ।
ଅଗସ୍ତ୍ୟଙ୍କ ଶୁଭ- ଆଶିଷ-ବାରତା
ସମୀର ଆଣିଲା ବହି,
ମଳୟ-ଭୂଧର- ଚନ୍ଦନ-ସୌରଭ
ଲୋଭେ ତହିଁ କ୍ଷଣେ ରହି ।
ଶଙ୍ଖ ବଜାଇଲା ମଧୁପ ମଧୁରେ
ନାମକରଣ-ଉତ୍ସବେ,
ନବ-ନନ୍ଦନର ‘‘ବସନ୍ତ’’ ନାମରେ
ଏକମତ ହେଲେ ସର୍ବେ ।
ମଧୁ ଭୋଜି ହେଲା ପରଷିଲେ ଫୁଲ୍ଲ
ହୃଦୟେ ସୁମନ-ଦଳ,
ଲୁଚି କରୁଥିଲା ମଧୁପ ଶଙ୍ଖୁଆ
ଲଗାଇ କୌଶଳ ଛଳ ।
ଦ୍ୱିଜଗଣ ମଧୁ ସହିତ ଭକ୍ଷଣ
କରୁଥାନ୍ତି ମଧୁଭାଣ୍ଡ,
ମହୀରୁହଗଣ ସ୍ତମ୍ଭୀଭୂତ ହୋଇ
ରହିଲେ ଚାହିଁ ସେ କାଣ୍ଡ ।
ସୁଦୂର ଆଗତ କୋକିଳ ମଧୁରେ
କଲା ଶୁଭ ଆଶୀର୍ବାଦ,
ଦ୍ୱିଜଗଣ ତାହା ସମର୍ଥନ କଲେ
ଉଚ୍ଚାରି ‘ତଥାସ୍ତୁ’ ନାଦ ।
କ୍ରମେ ବୃଦ୍ଧ ହେଲା ଶିଶିର ଶରୀର
ହୋଇଗଲା ବଳହୀନ,
ଶଶିକଳା-ମତ ବଢ଼ିଲା ବସନ୍ତ
କରମେ ହେଲା ପ୍ରବୀଣ ।
ପୁତ୍ରେ ରାଜ୍ୟ ଦେଇ ଶିଶିର ପର୍ବତ-
ତଳେ ଯାଇ କଲା ବାସ,
ତନୁ ତ୍ୟାଗ କଲା ଘୋର ତଫେ ଚାରି-
ଦିଗେ ଜାଳି ଆଶ୍ରୟାଶ ।
ଜନ୍ମିଥିଲା ବୋଲି ମରଣ ଲଭିଲା,
ଜନମିବ ସେହିପରି,
ଦେଲା ଯାହା ଯାହା ଜନ୍ମାନ୍ତରେ ତାହା
ଭଣ୍ଡାରେ ରହିବ ଭରି ।
ବସନ୍ତ-ମାଧୁରୀ ଦର୍ଶନ-ମାନସେ
ଦୁଷ୍ମନ୍ତ ନୃପତି ଦିନେ,
ଏକାକୀ ଭ୍ରମଣ କରୁଥିଲେ ଯାଇ
ତଟିନୀ-ତଟ ବିପିନେ ।
ଶ୍ରବଣେ ତାଙ୍କର ପ୍ରବେଶିଲା ଏକ
ରମଣୀ-କଣ୍ଠର ଗାନ,
ଜଳଧର-ନାଦେ ଶିଳୀନ୍ଧ୍ର ପରାଏ
ପୁଲକି ଉଠିଲା ପ୍ରାଣ ।
ସ୍ୱର ଲକ୍ଷ୍ୟକରି ଲୁଚି ଉପଗତ
ହେଲେ ଗାନ ସନ୍ନିଧାନେ,
ମୁହୂର୍ତ୍ତେ ଶ୍ରବଣ କଲେ ସେ ମଧୁର
ଗୀତ ଶ୍ରୁତି-ପ୍ରଣିଧାନେ ।
ଯେତିକି ଶୁଣିଲେ ତେତିକି ନୃପଙ୍କ
ଜୀବନ ହେଲା ବ୍ୟାକୁଳ,
ବିସ୍କୃତି-ସାଗର- ମଧ୍ୟେ ପଶି ଯେହ୍ନେ
ଖୋଳି ପାଉ ନାହିଁ କୂଳ ।
ଦେଖିଲେ ନରେଶ, ନାରୀ ଏକ ଅଛି
ଶିଶୁଟିଏ ଧରି କୋଳେ,
ତରୁଣୀ ଏ ବନ ପୁଲକାଉଅଛି
ସଙ୍ଗୀତ-ସ୍ୱର-ହିଲ୍ଲୋଳେ ।
ଗୀତେ ଥିଲା, ‘‘ଅଳି ନବ ବିକସିତ
ନଳିନୀକି ପରିହରି,
ବଂଶ ରନ୍ଧ୍ରେ ରନ୍ଧ୍ରେ ଭ୍ରମି ମରୁଥାଏ
କେଉଁ ସୁଖ-ଆଶା କରି ?’’
ପୁରୁଷ ଗୋଟିଏ ଆସିଲା ସେଠାକୁ
ନାନାବିଧ ଫୁଲ ଧରି,
ତାକୁ ଚାହିଁ ଶିଶୁ ହରଷେ ଉଠିଲା
ମାତା-କୋଳ ତ୍ୟାଗକରି ।
‘‘ବାବା, ବାବା’ ବୋଲି ବାଳକ ପୁରୁଷ
ବକ୍ଷେ କଲା ଆରୋହଣ,
ପୁରୁଷ ହିଁ ତାକୁ ସାଦରେ ଧଇଲା
କରି କର ପ୍ରସାରଣ ।
ରୂପ-ସମ୍ପଦରେ ଚାରିଙ୍କର କେହି
କାହାକୁ ନ ଥିଲେ ନ୍ୟୁନ,
ଚାରି ଜଣଙ୍କର ଆନନ୍ଦରେ ଶୋଭା
ହୋଇଗଲା ଚତୁର୍ଗୁଣ ।
ଚାତକ-ନୟନେ ଅକସ୍ମାତ ଚାରି
ମେଘ ସମ୍ମିଳିତ ନଭେ,
ପ୍ରାୟେ ନୃପତିଙ୍କ ହୃଦେ ଉତ୍କଣ୍ଠା
ଜନମାଇଦେଲେ ଲବେ ।
ଶାର୍ଦ୍ଦୂଳର ଗନ୍ଧ ପାଇଲେ ଯେସନ
ହୁଅନ୍ତି ହରିଣ-ଦଳ
ଚକିତେ ଚୌଦିଗ ଚାହିଁଲେ ସେମାନେ
ହୃଦୟ କରି ଚଞ୍ଚଳ ।
ଚାହୁଁ ଚାହୁଁ ପଶି କାନନେ ନୃପଙ୍କ
ନୟନୁ ହେଲେ ଅନ୍ତର,
ନାଚି ନାଚି ତାଙ୍କ ଶୋଭା ନରେଶଙ୍କ
କମ୍ପିତ କଲା ଅନ୍ତର ।
ନୃପ-ନେତ୍ରେ ବନ ନିରସ ଦିଶିଲା,
ନୀରସ ଦିଶିଲା ମହୀ,
ରସ-ଲୁବ୍ଧ-ହୃଦେ ଲେଉଟି ଆସିଲେ
ପଥେ ଧୀରେ ରହି ରହି ।
ରାଜ-ପଣ, ରାଜ- ସମ୍ପଦ ସକଳ
ପ୍ରତୀତ ହେଲା ନିରସ,
ନିରସ ଲାଗିଲା ମଧୁମୟ ମଧୁ-
ମାସର ରାତ୍ରି ଦିବସ ।
କେଉଁ ସୁଖେ ଇଚ୍ଛା ତହିଁର ବିବକ୍ଷା
ମନେ ତାଙ୍କ ହେଲା ନାହିଁ,
ଯେଉଁ ସୁଖେ ଚିନ୍ତା ପଶଇ ଲେଉଟି
ଆସେ ତା ରୁକ୍ଷତା ଚାହିଁ ।
ଦୁର୍ବାସାଙ୍କ ଶାପ- ବଳେ ନୃପ-ହୃଦେ
ଶକୁନ୍ତଳାର ପ୍ରଣୟ,
ପିଞ୍ଜର-ନିବଦ୍ଧ କ୍ଷୁଧିତ-ଶାର୍ଦ୍ଦୂଳ
ପରାଏ ହେଲା ଅଥୟ ।
ବସିଥାନ୍ତି ରାଜା ବାହାର-ମଣ୍ଡପେ
ନଗର-ରକ୍ଷକ ଆସି,
ମୁଦ୍ରିକା ଗୋଟିଏ ନୃପ-ହସ୍ତେ ଦେଲା
ପ୍ରଣମି ଏମନ୍ତ ଭାଷି-
‘‘ମହାରାଜ, ଆଜ ନଗର ଭ୍ରମଣ-
ସମୟରେ ଅପହୃତ,
ଏହି ମୁଦ୍ରିକାର ସହିତ ଧୀବର
ଜଣେ ହୋଇଅଛି ଧୃତ ।
ଧୀବର କହେ, ସେ ମାଛ ମାରିଥିଲା
ଶଚୀ-ତୀର୍ଥ-ଜଳେ ଜାଲେ,
ମୁଦ୍ରିକା ପାଇଲା ଗର୍ଭେ ତାକୁ ଖଣ୍ଡ
ଖଣ୍ଡ କରିବାର କାଳେ ।
ମୁଦ୍ରିକା ଆମିଷ- ଗନ୍ଧ କରୁଅଛି
ସେ କଥାକୁ ସମର୍ଥିତ,
ମୁଦ୍ରିକାରେ ହୋଇ- ଅଛି ଛାମୁଙ୍କର
ନାମ ଅକ୍ଷର ଖୋଦିତ ।’’
‘‘ସତ କି ହେ’’ ବୋଲି ନରେଶ ନିଅନ୍ତେ
ମୁଦ୍ରିକାର ପରିଚୟ
ଫିଟିଗଲା ସ୍ମୃତି- କପାଟ, ଦିଶିଲା
ଶକୁନ୍ତଳା-ପରିଣୟ ।
ଜାଣିଲେ ଅକ୍ଷରେ ଅକ୍ଷରେ ସତ୍ୟ, ଯା’
ଲେଖିଥିଲେ କଣ୍ୱ ମୁନି,
ବିସ୍ମୟେ ବିଷାଦେ କ୍ଷୋଭେ ରହିଗଲେ
ରାଜା ହୋଇ କ୍ଷଣେ ତୁନି ।
କିମ୍ଭୂତ ଘଟଣା ବୋଲି କେତେ କେତେ
ଚିନ୍ତା କଲେ ମନେ ମନେ,
ପଶିବାରେ କିନ୍ତୁ ସମର୍ଥ ନ ହେଲେ
ନିବିଡ଼-ରହସ୍ୟ-ବନେ ।
ନୃପ ଆଦେଶରେ ଧୀବର ସତ୍ୱର
ସମକ୍ଷକୁ ହୋଇ ନୀଚ,
କମ୍ପକଳେବରେ ବିଚଳିତ ସ୍ୱରେ
କହିଲା ହୋଇ ବିନୀତ ।
‘‘ମହାରାଜ ଧର୍ମ- ଅବତାର, ଜଣେ
ଧୀବର ମୁଁ ନୁହେ ଚୋର;’’
ନରେଶ ବୋଇଲେ, ‘‘ଜାତି ପରିଚୟେ
ଆବଶ୍ୟକ ନାହିଁ ମୋର ।’’
ଧୀବର-
‘‘ଧର୍ମପ୍ରଭୋ, ମାଛ ମାରି ଆଣିଥିଲି
ଦୋଷ ବୁଝି ଦିଅ ଦଣ୍ଡ,’’
ରାଜା-
‘‘ମାଛ ମାରିବାର ବିଷୟ ମର୍ଣ୍ଣନ
କରିବାର ସବୁ ପଣ୍ଡ ।’’
ଧୀବର-
‘‘ମହାରାଜ, ମୁହିଁ ଜଣେ କର୍ମକରି
ପୋଷେଁ ବହୁ ପରିବାର;’’
ରାଜା-
‘‘ଧୀବର ତୁମର ବୃଥା ମାତ୍ର ଏତେ
ବାଚାଳତା କରିବାର ।’’
‘‘ରକ୍ଷା କର’’ ବୋଲି ଧୀବର ପଡ଼ିଲା
ନୃପତି-ଚରଣତଳେ,
ଭୂମି ଭିଜିଗଲା ଶରୀର-ଘର୍ମରେ
ନୟନ-ନିଃସୃତ-ଜଳେ ।
କୋଷାଧ୍ୟକ୍ଷେ ଚାହିଁ ନରେଶ ବୋଇଲେ,
‘‘ଶତ ସ୍ୱର୍ଣ୍ଣମୁଦ୍ରା ଆଣ,’’
ଶୁଣି ଧୀବରର ସାହସ ଉଡ଼ିଲା,
ହଜିଗଲା ପୁଣି ଜ୍ଞାନ ।
ଭୂତଳେ କପାଳ ଲଗାଇ ଧୀବର
ହୋଇଥିଲା ଦଣ୍ଡବତ,
ବୁଝିଲା ସେ ଆଜ୍ଞା ଅର୍ଥଦଣ୍ଡ ତାକୁ
ହେଲା ସ୍ୱର୍ଣ୍ଣମୁଦ୍ରା ଶତ ।
ଭୀତ ମାନବକୁ ହିତ ହିଁ ଅହିତ
ବୋଧ ହୋଇଥାଏ ସଦା,
ବନପ୍ରିୟ-ଧ୍ୱନି ପ୍ରେତ-ବାଣୀରୂପେ
ହୁଏ ତା’ ଚମକପ୍ରଦା ।
କାନ୍ଦି ଉଚ୍ଚସ୍ୱରେ ଧୀବର କହିଲା,
‘‘ମହାରାଜ, ତ୍ରାହି ତ୍ରାହି,
ଶତ ସ୍ୱର୍ଣ୍ଣମୁଦ୍ରା ସତର ପୁରୁଷେ
କେହି ମୋର ଦେଖି ନାହିଁ ।
ନ ବୁଝି ଦୀନକୁ ଦଣ୍ଡ ଦେବାପାଇଁ
ଯଦ୍ୟପି କଲେ ବିଚାର,
ସଦୟ ହୃଦୟେ ଆଜ୍ଞା ହେଉ ମୋତେ
ଯିବା ପାଇଁ କାରାଗାର ।’’
କୋଷାଧ୍ୟକ୍ଷ ଶତ ସ୍ୱର୍ଣ୍ଣମୁଦ୍ରା ଘେନି
ଉପଗତ ନୃପ-ପାଶେ,
ଧୀବରକୁ ନୃପ ବୋଇଲେ, ‘‘ଏ ମୁଦ୍ରା
ପୁରସ୍କାର ନିଅ ଦାସେ !’’
ପାରିତୋଷିକ କି ପାରିହାସିକ, ତା’
କେହି ନ ପାରିଲେ ବୁଝି,
ଉଠି ନମ୍ର-ମୁଖେ ରହିଲା ଧୀବର
ମୁଦ୍ରା ଚାହିଁ ନେତ୍ର ବୁଜି ।
ଆହୁରି ବୋଇଲା, ‘‘ଛାମୁଙ୍କ ମୁଦ୍ରିକା
ଥିବାର ନ ଥିଲି ଜାଣି,
ନିରକ୍ଷର ଦାସ କେମନ୍ତେ ଜାଣନ୍ତି,
ନତୁ ଦେଇଥାନ୍ତି ଆଣି ।
ଛାମୁଙ୍କ ମୁଦ୍ରିକା ଛାମୁ ରଖି ମୋତେ
ଆଜ୍ଞା ଦେଲେ ଯିବି ଘର,
ଦୟା ଯଦି ହୁଏ ତାମ୍ର ମୁଦ୍ରା କିଛି
ବିଚରି ପ୍ରଦାନ କର ।’’
ରାଜାଦେଶ-ମତେ ନଗର-ରକ୍ଷକ
ସ୍ୱର୍ଣ୍ଣ-ମୁଦ୍ରା ସବୁ ଧରି,
ବଳେ କୈବର୍ତ୍ତର ବଦ୍ଧାଞ୍ଜଳି ମୁକ୍ତ
କରି ତହିଁ ଦେଲା ଭରି ।
‘‘ଯାଅ, ଯାଅ’’ ବୋଲି କହିଲେ ନରେଶ
ଚଳିଲା ଧୀବରବର,
କିଛି କିଛି ଦୂରେ ପଛକୁ ଅନାଇ
ଅନାଇ ଥରକୁ ଥର ।
ଅଙ୍ଗୁରୀୟ ପାଇ ନରେଶ ରହିଲେ
ଜୀବନେ ଜନ୍ମିଲା କ୍ଳେଶ,
ରାଜ୍ୟ-କାର୍ଯ୍ୟେ ଅବା ଆମୋଦେ ପ୍ରମୋଦେ
ମନ ନ ଲାଗିଲା ଲେଶ ।
ଯହିଁ ଥିଲେ ତହିଁ ଶୁଣନ୍ତି ଯେସନେ
ଜଗତ କରୁଛି ଗାନ,
ସହଧର୍ମିଣୀକି ଦୁଷ୍ମନ୍ତ ନରେଶ
ଦେଲେ ଘୋର ଅପମାନ ।
ରାଜସିଂହାସନେ ବସିଲେ ଯେସନେ
କହେ ରାଜସିଂହାସନ,
ସହଧର୍ମିଣୀକି ଅଦୋଷେ ତେଜିଲ
ତୁମ୍ଭେ କି ମୋର ଭାଜନ ?
ଘରେ ଥିଲେ ଯେହ୍ନେ ଘର କହେ, ତୁମ୍ଭେ
ଘରକୁ କରିଛ ପର,
ଉଦ୍ୟାନକୁ ଗଲେ ଦିଶନ୍ତି ପାଦପେ
ଗାଢ଼-କ୍ରୋଧ ଥରଥର ।
ନଗରେ ଭ୍ରମିଲେ ଦେଖନ୍ତି, ପ୍ରଜାଏ
କହୁଛନ୍ତି ପାରସ୍ପରେ,
ବିନା ଦୋଷେ ଆହା ସୁନ୍ଦରୀ ପତ୍ନୀକି
ରାଜା ନ ରଖିଲେ ଘରେ ।
ରଜନୀରେ କହେ ଚକ୍ରବାକୀ ଦୁଃଖେ
କାନ୍ଦି କାନ୍ଦି ହୋଇ କ୍ଳାନ୍ତ,
ଦୁଷ୍ମନ୍ତ ନୃପଙ୍କ ନୀତି ବଳେ ମୋତେ
ଛାଡ଼ିଦେବେ କି ମୋ କାନ୍ତ ?
ନିଶାନ୍ତେ ଶୁଣନ୍ତି, ଦୁଷ୍ମନ୍ତଙ୍କ ଦୋଷ
ଗାଉଛି କଜ୍ଜଳପାତି,
ପ୍ରଭାତେ ଦେଖନ୍ତି, ପୁଷ୍ପେ ଭୃଙ୍ଗ କହେ-
‘ଦୁଷ୍ମନ୍ତ ବିଶ୍ୱାସଘାତୀ’ ।
ଗଗନେ ବିହଙ୍ଗ- ଦଳ କହୁଛନ୍ତି
‘‘ପୁରୁବଂଶେ ହୋଇ ଜନ୍ମ,
ଦୁଷ୍ମନ୍ତ ନୃପତି ଧର୍ମପତ୍ନୀ ତେଜି
କଲେ ଅତି ନୀଚ କର୍ମ ।’’
ସରେ ହଂସଦଳ କହୁଛନ୍ତି ବିସ
ଗ୍ରାସି କରି କଳକଳ,
‘‘ବିସ-ଖଣ୍ଡ-ପ୍ରାୟେ ଗ୍ରାସ କଲେ ରାଜା
ଘୋର ବିଷ ହଳାହଳ ।’’
ଏରୂପେ ପ୍ରକୃତି- ବିଦ୍ରୂପ ଭ୍ରମରେ
ଭାବିଲେ ରାଜା ଦୁଷ୍ମନ୍ତ,
‘ପ୍ରିୟ ବଲ୍ଲଭୀକି ପରିହାର କରି
ହେଲି ବଡ଼ ଦୋଷବନ୍ତ ।
ମହର୍ଷିଙ୍କ ମଧୁ- ମୟ-ପତ୍ର ପିତା
ମଣିଲି ବାତୁଳପ୍ରାୟ,
ହିତ-ବୁଦ୍ଧି ତେଜି ହତ-ବୁଦ୍ଧି ହେଲି
ଏବେ ଅଛି କି ଉପାୟ ?
କିସ ବୋଲୁଥିବେ ମହର୍ଷି, କିସ ବା
ପ୍ରିୟା ବୋଲୁଥିବ ମନେ,
କେଉଁ ଧର୍ମବଳେ ଦଣ୍ଡିବି ଆଉ ମୁଁ
କପଟୀ ଲମ୍ପଟ ଜନେ ?
ଯେଉଁ ରାଜା ଯେଉଁ ଦୋଷେ ଲିପ୍ତ ଥାଇ
ପରକୁ ଦଣ୍ଡେ ସେ ଦୋଷେ,
ଧର୍ମରାଜ ତାକୁ ତହୁଁ ଶତ ଗୁଣ
ଦଣ୍ଡ ଦେଇଥାନ୍ତି ରୋଷେ ।
କେଉଁ ଗୁଣ ପାଇଁ ମୋ ପ୍ରତି ରହିବ
ରାଜଲକ୍ଷ୍ମୀଙ୍କର ପ୍ରୀତି,
ମିଥ୍ୟା ପ୍ରବଞ୍ଚନା ନିରୀହେ ଲାଞ୍ଚନା
ହେଲାଠାରେ ରାଜନୀତି ।
କେଉଁ ଭୂତ ଏଡ଼େ ଭ୍ରମ ଜନ୍ମାଇଲା
ମସ୍ତକରେ ମୋର ବସି,
ଭୁଜ-ବଳୟକୁ ଭୁଜଙ୍ଗ ମଣିଲି,
ଲକ୍ଷ୍ମୀଙ୍କୁ କଲି ରାକ୍ଷସୀ ।
ଆଉ ଲଭିବି କି ପ୍ରିୟ ବଲ୍ଲଭୀକି
ଦୁଃଖୀ ହେଲି ଦେଇ ଦୁଃଖ,
ବନେ ତପୋବନେ ଲୋଡ଼ି ବା ଲଭନ୍ତି
କେହ୍ନେ ଦେଖାଇବି ମୁଖ ।
ସଖୀ-କଷ୍ଟ ଶୁଣି କିସ କହୁଥିବେ
ଅନସୂୟା, ପ୍ରିୟମ୍ୱଦା,
ବଳ ଦେଖାଇଲି ଶିରୀଷ-କୁସୁମେ
ପ୍ରହାରି ଦାରଣ ଗଦା ।
ତାଙ୍କ ଅମାୟିକ ହୃଦ-ଉଦ୍ୟାନେ ମୁଁ
ଲଗାଇଲି ମାୟାନଳ,
ତାଙ୍କୁ ଦହି ନିଜେ ଦଗଧ ହେଉଛି
ଯନ୍ତ୍ରଣା ବଡ଼ ପ୍ରବଳ ।
କି କରେଁ ଏ ଦେହେ ହେଉଅଛି ଦଗ୍ଧ
ନୀଡ଼-ପକ୍ଷୀ ପ୍ରାୟ ଚିତ୍ତ,
ଧର୍ମଶାସ୍ତ୍ର ହେବ କୁଣ୍ଠିତ କଥନେ
ଏ ପାପର ପ୍ରାୟଶ୍ଚିତ୍ତ ।
ନିଜ କରେ ଆଙ୍କି ପ୍ରିୟାର ମୂରତି
ଶୋଭିତ କରିଛିଁ ଘର,
କେମନ୍ତେ ଚାହିଁବି, ଡରିବ ପରା ସେ
ମୁଖ ଚାହିଁ ଏ ବ୍ୟାଘ୍ରର ।
ଲଜ୍ଜାବଶେ ମୋର ନିକଟୁଁ ସୁନ୍ଦରୀ
ଯେ କାଳେ ହୁଏ ଅନ୍ତର,
ବୋଲୁ ଥିଲି, ‘‘ସଖି, କଦାପି ବରଜି
ନ ପାରିବୁ ମୋ ଅନ୍ତର ।
ଦିବା ଅବସାନେ ଛାୟା ଯେବେ କରେ
ଦୂରକୁ ଦୂରକୁ ଗତି,
ପ୍ରେମ-ପରବଶେ ମୂଳେ ତାକୁ ଧରି
ରଖିଥାଏ ବନସ୍ପତି ।
ସୁକୁମାରି, ତୋର ଶରୀର କୋମଳ
ଶିରୀଷ କୁସୁମ ପରି,
ତା’ବୃନ୍ତ ପରାଏ ହୃଦୟକୁ ତୋର
ଦେଉଛି କଠିନ କରି ।’’
ଏବେ ନିଜେ ମୁହିଁ ଦୂର କଲି ତାକୁ
ଶରୀର କରି ପଥର,
ହୃଦୟ ମୋହର ହୋଇ ଯାଇଅଛି
କୁଳିଶୁଁ କଠିନତର ।
ଦିବ୍ୟ ପରିବାର ବୀଭତ୍ସ, ଉତ୍କଟ
ଗନ୍ଧ ପାଇ ମୋର ବନେ,
ପାପ ସ୍ପରଶିବ ବୋଲି ଭୟେ ପରା
ରହି ନ ପାରିଲେ କ୍ଷଣେ ।
ଆହା ପୁତ୍ର-ସ୍ନେହ କେମନ୍ତ ମଧୁର
ସେ ଦିବ୍ୟ ପୁରୁଷଙ୍କର,
ସ୍ନେହ-ସ୍ନିଗ୍ଧ-ସୁତ ଧାଇଁଲା କୋଳକୁ
ନିଜେ ନ ବଢ଼ାଉଁ କର ।
ପିତା-କୋଳେ ପୁତ୍ର ହର୍ଷେ ହସି ହସି
ପରବେଶ କରି ବଳେ,
ତିନି ପୁର ଶୋଭା- ସୁଖରାଶି ଯେହ୍ନେ
ଥୋଇଦେଲା ପାଦତଳେ ।
‘ଯା’ କୋଳେ ବାଳକ କ୍ରୀଡ଼ା କରୁଥିଲା
ଜନନୀ ଥିବେ ସେ ତାର,
ମାତା-କୋଳୁଁ ଯାଇ ଅଳଙ୍କୃତ କଲା
କି ସୁଖେ କୋଳ ପିତାର !
ପର ଗୁଣ ତିଳେ ଥିଲେ ତାଳରୂପେ
ଶିକ୍ଷଣେ ଥିଲି ଅଭ୍ୟସ୍ତ,
ପୁତ୍ରବତ୍ସଳତା ଗୁଣକୁ ହରାଇ
ଦେଇଅଛି ମୋର ହସ୍ତ ।
ବସନ୍ତ-ଅମୃତ- ମାଧୁରୀ ପିଇବା-
ପାଇଁ ଦିବ୍ୟ-ପରିବାର,
ସ୍ୱର୍ଗୁଁ ଆସିଥିଲେ ସୁଖକର ମଣି
କାନନେ ବିଚରିବାର ।
ବସନ୍ତ-ମାଧୁରୀ- ମୂର୍ତ୍ତିମତୀ ମୋର
ପ୍ରିୟା ବନ-ଅଳଙ୍କାର,
ତାକୁ ଯା’ ଅସୁଖ ମଣିଲି ମୋହର
ଜ୍ଞାନକୁ ଶତ ଧିକ୍କାର ।
ମୋ ପ୍ରିୟା ମଧୁରୀ ଶର୍କରା ନିକଟେ
ବସନ୍ତ-ମାଧୁରୀ ଗୁଡ଼,
ଶର୍କରାକୁ ଯାହା କର୍କରେ ଗଣିଲି
ମୋଠାରୁ କେ ଅଛି ମୂଢ଼ !
ପ୍ରିୟା, ସଙ୍ଗ କରି- ଥିଲା ଜଗତର
ଶୋଭାର ଶୋଭା ବର୍ଦ୍ଧନ,
ପ୍ରିୟାର ବିରହ କରୁଛି ସକଳ
ଶୋଭାର ଶୋଭା ମର୍ଦ୍ଦନ ।
ତପୋବନେ ଦେଖି- ଥିଲି ଯେଉଁ ଫୁଲ
ଯେଉଁ ତରୁଲତାମାନ,
ସଦ୍ୟ-ସ୍ୱର୍ଗ-ଚ୍ୟୁତ ପରି ହେଉଥିଲେ
ନେତ୍ରକୁ ପ୍ରତୀୟମାନ ।
ଆଜି ତହୁଁ ବଳି ଲୋକ ପ୍ରଶଂସିତ
ଫୁଲ୍ଲ-ଫୁଲ ଲତା ବୃକ୍ଷ,
ନୟନକୁ ମୋର ପ୍ରତୀତ ହେଉଛି
କର୍କଶ ମଳିନ ରୁକ୍ଷ ।
ପ୍ରିୟା-ସଙ୍ଗ ଥିଲା ଶ୍ରବଣ-ଶକତି
ସ୍ୱରର ମଧୁଗ୍ରାହିଣୀ,
ତା’ ଯୋଗୁଁ କାନନ- ପକ୍ଷୀଧ୍ୱନି ଥିଲା
ହୃଦୟ-ପ୍ରୀତି-ଦାୟିନୀ ।
‘ସ୍ୱଭାବତଃ ଶୁକ ପିକ ଶାରୀ ସ୍ୱର
ଶ୍ରବଣ-ତୋଷଣ-ପଟୁ,
କିନ୍ତୁ ପ୍ରିୟା ବିନା ସେହି ସ୍ୱନ ଏବେ
ହେଉଅଛି କର୍ଣ୍ଣକଟୁ ।
ପ୍ରିୟା କରେ ଥାଇ ଯେଉଁ ଫୁଲ ମୋତେ
ଦେଉଥିଲା ମଧୁ-ଗନ୍ଧ,
ତାହା ବାସ ଏବେ ନାସାରନ୍ଧ୍ରେ ପଶି
ମନେ ଲଗାଉଛି ଦ୍ୱନ୍ଦ୍ୱ ।
ପ୍ରିୟା-କର-ଫଳ ଭୋଜନ କରି ମୁଁ
ତୁଚ୍ଛ ମଣିଥିଲି ସୁଧା,
ସ୍ମୃତି-ମୁଖେ ତିକ୍ତ ଲାଗୁଛି ତା’ ବିନା
ତହୁଁ ଭଲ ଫଳ ସୁଦ୍ଧା ।
ପ୍ରିୟା ସଙ୍ଗେ ବସି ବୁଝିଥିଲି ଏକା
ପଲ୍ଲବ-ଆସନ-ମୂଲ୍ୟ,
ତା’ ବିନା ଶାଳ୍ମଳୀ- ତୂଳା-ଶଯ୍ୟା ହେଲା
ଶାଳ୍ମଳୀ-କଣ୍ଟକ ତୁଲ୍ୟ ।
ଜଗତର ସୁଖ ଶୀତ-ଗ୍ରୀଷ୍ମସମ-
ସମ୍ମିଳନେ ପରସ୍ପର
ଏକର ଅଭାବେ ଅନ୍ୟ ହୋଇଥାଏ
ଦାରୁଣ ଦୁଃଖର ଘର ।
ପ୍ରିୟା ମୋର ଶୀତ, ଭିନ୍ନ ଥାଇ ଏବେ
କମ୍ପୁଥିବ ଥରହର;
ଗ୍ରୀଷ୍ମ ହୋଇ ମୁହିଁ ତା’ ବିନା ହେଉଛିଁ
ଦହ୍ୟମାନ-କଳେବର ।
ଆଉ କି ଏ ଦଗ୍ଧ- ଜୀବନେ ମିଳନ-
ସୁରଭି ସମୟ ଆସି,
ତା’ କଷ୍ଟ-ରଜନୀ ମୋ ତାପ-ଦିବସ-
ଦାରୁଣତା ଦେବ ନାଶି ?
ବଲ୍ଲଭୀ ହେମନ୍ତ- ବିଭାବରୀ ହୋଇ
ବର୍ଷୁଥିବ ଅଶ୍ରୁକଣ,
ନୟନ ମୋହର ବାରି ବରଷୁଛି
ହୋଇ ପ୍ରାବୃଟର ଘନ ।
ତା’ ଶୋକ-ତୁହିନ ମୋ ଦୁଃଖ-ଦୁର୍ଦ୍ଦିନ
ପ୍ରାବଲ୍ୟ ହେବ କି ନାଶ,
ମିଳନ-ଶରଦେ ସୁଖେନ୍ଦୁ-ଶୋଭିତ,
ହେବ ସ୍ୱଚ୍ଛ ଭାଗ୍ୟକାଶ ?’’
ସଜଳ-ନୟନେ ଅଙ୍ଗୁରୀୟେ ଚାହିଁ
ମଧୁର ଭର୍ତ୍ସନା କରି,
ବୋଇଲେ, ‘‘ହା, ହତ- ଭାଗ୍ୟ ଅଙ୍ଗୁରୀୟ
ଥିଲୁ ଖଣ୍ଡତପ କରି ।
ଯେଉଁ ପୁଣ୍ୟ-ବଳେ ଥିଲୁ ସୁନ୍ଦରୀର
ସୁନ୍ଦର କର-ପଲ୍ଲବେ,
ସେହି ପୁଣ୍ୟ କ୍ଷୟ ହୋଇଯିବା ବେଳୁଁ
ରହି ନ ପାରିଲୁ ଲବେ ।’’
ସୁନ୍ଦରୀର ଚିତ୍ର ଥିଲା ଯେଉଁ କକ୍ଷେ
ତହିଁକି କରି ଗମନ,
ଚିତ୍ର ଧରି କରେ ଲଗାଇ ବକ୍ଷରେ
ବଦନେ ଦେଲେ ଚୁମ୍ୱନ ।
ଚିତ୍ରିତା ସୁନ୍ଦରୀ- ଭାଲେ ସ୍ୱେଦକଣା
ଦିଶୁଥାଏ ଝଲଝଲ,
ସିକ୍ତ ହୋଇ ତହିଁ ଲିପ୍ତ ହୋଇଥାଏ
କୁଟିଳ ଚୂର୍ଣ୍ଣକୁନ୍ତଳ ।
ସଲଜ୍ଜେ ଅପାଙ୍ଗେ ଚକ୍ଷୁ-ତାରା ଢଳି
ବକ୍ର ହୋଇଥାଏ ଦୃଷ୍ଟି,
ଯେଉଁ ଦୃଷ୍ଟି ତା’ର ହୃଦେ କରିଥିଲା
ନବ ପ୍ରେମାଙ୍କୁର ସୃଷ୍ଟି ।
ପୁନଃ ପୁନଃ ତାହା ଅନାଇ ନୃପଙ୍କ
ଦୃଷ୍ଟିଶକ୍ତି ହେଲା ହ୍ରାସ,
ହୃଦୟରେ ହେଲା ତପୋବନ ସହ
ବାମା-ମୂର୍ତ୍ତି ପରକାଶ ।
ସେ ମୂର୍ତ୍ତି ଭିତରେ ମନ ପଶିଗଲା
ବାହ୍ୟଜ୍ଞାନ ଗଲା ଚଳି,
କାଷ୍ଠମୂର୍ତ୍ତି ପରି ଅବନୀ ଉପରେ
ନୃପତି ପଡ଼ିଲେ ଢଳି ।
ବହୁ କ୍ଷଣ ପରେ ସଂଜ୍ଞା ଲଭି ଉଠି
ଚିତ୍ର ଚାହିଁ ପୁନଃ ପୁନଃ,
ଦୁର୍ଲ୍ଲଭ-ପବିତ୍ର- ପ୍ରଣୟ-ଗୌରବ
ବୃଦ୍ଧି କଲେ ଶତ ଗୁଣ ।
ପ୍ରିୟାସଙ୍ଗ-ସୁଖ- ସ୍ମୃତି ଦୁଃଖେ ନୃପ
ସମୟ ଯାପନ କଲେ,
ମନ ଜ୍ଞାନ ଘେନି ବିବେକ ରହିଲା
ଆଶା-ଲତା ଛାୟାତଳେ ।
ସୁଖ ଦୁଃଖ ଚିର ନୁହନ୍ତି ଜଗତେ
ସଭିଙ୍କର ଅଛି କ୍ଷୟ,
ଆଜି ଯା ବଦନ ହରଷରେ ପୂର୍ଣ୍ଣ,
କାଲିକି ବିଷାଦମୟ ।
ଯାହା ଲାଗି ପ୍ରାଣ ଯେତିକି ପ୍ରଫୁଲ୍ଲ
ତା’ ଲାଗି ତେତେ ବିକଳ,
ତେତିକି ତପତ ହୋଇଥାଏ, ଯାହା
ଯେତିକି ହୁଏ ଶୀତଳ ।
ତେତିକି ତିମିରେ ମଜ୍ଜଇ ଅବନୀ
ଯେତିକି ହୁଏ ଉଜ୍ଜ୍ୱଳ,
ଯେମନ୍ତ ମଧୁର ତିକ୍ତ ହିଁ ତେମନ୍ତ
ପ୍ରକୃତ ପ୍ରଣୟ-ଫଳ ।