ଚତୁର୍ଥ ସର୍ଗ — ପ୍ରଣୟ ବଲ୍ଲରୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ପ୍ରଣୟ-ସୌରଭନରପତି ଗଲେ ନିଜ ନଗରୀକୁସୁନ୍ଦରୀ ରହିଲା ବନେ,ନରପତିଙ୍କର ବିଳାସ ସକଳଲୀଳା କଲା ବାମା ମନେ ।ଚିର ଆଚରିତ କରମେ ବାମାରମନ ହେଲା ଉଦାସୀନ,ନବ ନବ ସୁଖ- ମୟୀ ସ୍ମୃତି ଆସିତହିଁ ହେଲେ ସମାସୀନ ।ରାଜପୁର, ରାଜ- ବିଭବ, ନଗର,ଅଶ୍ୱ, ଗଜ, ଦାସ, ଦାସୀ,ବିଚରଣ କଲେ ବନବାସିନୀରକଳ୍ପନା-କ୍ଷେତ୍ରରେ ଆସି ।ମନେ ମନେ ସଜ ହୋଇ ଯାଉଥାଏପତିପୁର ଯିବା ପାଇଁ,ଦୁଃଖ କରେ ପୁଣି ଚିରସଙ୍ଗିନୀଙ୍କଭାବୀ ବିରହକୁ ଧ୍ୟାୟି ।ସେନେହ-ପୋଷିତ ମୃଗ-ବିହଙ୍ଗଙ୍କୁଏବେ ଛାଡ଼ିଯିବା ବୋଲି,ସ୍ନେହମୟୀଦୃଷ୍ଟି ଦେଉଥାଏ ତାଙ୍କସୁନ୍ଦର ଅଙ୍ଗରେ ବୋଳି ।କେବେ ଉଭା ହୋଇ ସ୍ୱହସ୍ତ-ବର୍ଦ୍ଧିତପାଦପ-ବଲ୍ଲରୀ-ପାଶେ,କରୁଥାଏ ତାଙ୍କ ଭବିଷ୍ୟତ ଚିନ୍ତାକଳ୍ପିତ-ବିରହୋଚ୍ଛାସେ ।ଆଶ୍ରମର ସ୍ନେହ- ବରଷାରେ ମିଶିହସ୍ତିନାର ପ୍ରେମ-ବାତ,ମୁହୁର୍ମୁହୁଃ କରି ଦେଉଥାଏ ତାରପରାଣେ ପୁଲକ ଜାତ ।ପ୍ରଥମେ ପ୍ରଥମେ ସମୟର ସ୍ରୋତପ୍ରବାହିତ ହେଲା ଖର,ଦିନୁଦିନ ହୋଇ ଆସିଲା ତା’ ଗତିକ୍ରମେ ମନ୍ଦୁ ମନ୍ଦତର ।କାନ୍ତ-ଦରଶନ ଉତ୍କଣ୍ଠା ବାମାରକ୍ରମଶଃ ହୋଇ ଉନ୍ନତ,ସ୍ଥିରୁ ସ୍ଥିରତର କଲା ସମୟକୁରୁଦ୍ଧ କରି ଗତି-ପଥ ।ଶକୁନ୍ତଳା ମନ ସହିତ ସମୟଉଜାଣି ରଚିଲେ ଗତି,କଳ୍ପନା ଆଣିଲା ଆଶ୍ରମ-ଅତିଥିହସ୍ତିନା-ଅବନୀ-ପତି ।କୁଞ୍ଜ-ଆଳାପନେ, କାନନ-ଭ୍ରମଣେହେଲା ତାଙ୍କ ସଙ୍ଗେ ରତ,ମନ କାଳ ସୁଖ ଅବଲୋକି ଜ୍ଞାନହେଲା ତାଙ୍କ ଅନୁଗତ ।ଶକୁନ୍ତଳା-ଦେହ ମାତ୍ରକ ରହିଲାଆଶ୍ରମ-କୁଟୀରେ ବସି,ନିକଟେ ନ ଥିଲେ ସଖୀମାନେ କିମ୍ୱାଅନ୍ୟ ତାପସ ତାପସୀ ।କୁଟୀର-ପ୍ରାଙ୍ଗଣେ ଉପଗତ ହେଲେଅତିଥିରୂପେ ଦୁର୍ବାସା,ଦେଖିଲେ କୁମାରୀ ବସିଅଛି, କିନ୍ତୁନ କହିଲା ତାଙ୍କୁ ଭାଷା ।
‘‘ଅତିଥି ମୁଁ’’ ବୋଲି ଉଚ୍ଚାରିଲେ ମୁନି
କୁମାରୀ ଶୁଣିଲା ନାହିଁ,
କେମନ୍ତେ ଶୁଣନ୍ତା ତା’ମନ-ମତିଥି
ହୋଇ ଥିଲା ଦୂରେ ଯାଇ ।
ତହିଁ ମୁନିବର ବିସ୍ମୟ ସହିତ
ମନେ ବହି ଅପମାନ,
ଉଚ୍ଚରେ ବୋଇଲେ, ‘‘ଅଭିମାନିନି ଲୋ,
କାହିଁ ଥାଇ ତୋ’ କି ଧ୍ୟାନ ?
ମୁନି-ଆଶ୍ରମରେ ଥାଇ ତୋ’ ଆଶ୍ରମ-
ବିଧାନରେ ଅବହେଳା,
କର୍ତ୍ତବ୍ୟ କରମ ଏହି ତୋ’ ମାନସ
ଦୂରେ କରୁଅଛି ଖେଳା ।
ଘେନ ପୂଜ୍ୟ-ପୂଜା ବ୍ୟତକ୍ରମ-ଫଳ
ଯା’ଠାରେ ରଖିଛୁ ଲୟ,
ସେ ତୋତେ ଚିହ୍ନିବ ନାହିଁ ତୁ ଦେଲେହେଁ
ଆପଣାର ପରିଚୟ ।’’
ଏହା କହି ମୁନି ଚାଲିଯାଉଥିଲେ,
ଜାଣିଲେ ସଜନୀଦ୍ୱୟ,
ନିକଟ କାନନେ ଫୁଲ ତୋଳୁଥିଲେ
ଲଭିଲେ ଘୋର ବିସ୍ମୟ ।
ଧାଇଁ ମହର୍ଷିଙ୍କ ପାଦତଳେ ପଡ଼ି
ବହୁତ କରି ବିନୟ
ବୋଇଲେ,‘‘ତାତ ହେ, କ୍ଷମ ଦୋଷ ହୋଇ
ବାଳିକା ପ୍ରତି ସଦୟ ।’’
ତାପସୀଙ୍କ ଅତି କାରୁଣ୍ୟରେ ହେଲା
ମୁନିଙ୍କ କୋପ ଶୀତଳ,
ଦାବ-ଦଗ୍ଧ-ଗିରି ହୁଅଇ ଯେସନ
ଲଭି କାଦମ୍ୱିନୀ-ଜଳ ।
ବୋଇଲେ ମହର୍ଷି, ‘‘ଯା’କୁ ଚିନ୍ତୁଥିଲା,
ଥିଲେ ତାର ନିଦର୍ଶନ;
ପୂର୍ଣ୍ଣ-ପରିଚୟ ପାଇବ ତାହାକୁ
କଲେ ତାହା ପ୍ରଦର୍ଶନ ।’’
ତାପସୀଏ ଶୁଣି ଫେରି ବିଚାରିଲେ,
‘‘ବିପଦ-ସାଗର ତଟ
ମିଳିଲା, ଏ କଥା ହେବନାହିଁ କିନ୍ତୁ
କୁମାରୀ-ପାଶେ ପ୍ରକଟ ।
କୁମାରିକି ନୃପ ହେମ-ଅଙ୍ଗୁରୀୟ
ଅଛନ୍ତି କରି ପ୍ରଦାନ,
ସେହି ଅଙ୍ଗୁରୀୟ କରିବ ତାହାଙ୍କ
ବିଲୁପ୍ତ-ସ୍କୃତି ଉତ୍ଥାନ ।
ବିଶେଷତଃ ତହିଁ ହୋଇଛି ନିର୍ମଳେ
‘ଦୁଷ୍ମନ୍ତ’ ନାମ ଉତ୍କୀର୍ଣ୍ଣ,
କତୁରି ହୋଇ ସେ କରିଦେବ ତାଙ୍କ
ସଂଶୟ-ବନ୍ଧନ ଛିନ୍ନ ।’’
ସଖୀଏ ବୋଇଲା, ‘‘ସଖି, ଏକ କଥା
ସଂଶୟ ମଣୁଛି ମନେ,
ଦୁଇ ଦୁଇ ଅର୍ଥ ହେଉଥିଲା ତାଙ୍କ
ସହିତ ଆମ୍ଭ ବଚନେ ।
ଯଦି କୁମାରୀର ପ୍ରତିକୂଳେ ନୃପ
ପ୍ରକାଶନ୍ତି ସବୁ ଅର୍ଥ,
ତେବେ ତ କୁମାରୀ କଳଙ୍କ-ସାଗରେ
ଜୀବନ କରିବ ବ୍ୟର୍ଥ ।’’
ଅପରା ବୋଇଲା, ‘‘ମନ୍ଦ ତେଜି ଭଲ
ଭାବ ଘେନିଥାନ୍ତି ସନ୍ତ,
ମନ ବଚନରେ କର୍ମର ଏକତା
ରଖନ୍ତି ଚରିତ୍ରବନ୍ତ ।
ପ୍ରତିକୂଳ ଅର୍ଥ କେମନ୍ତେ କରିବେ
କରି ଅନୁକୂଳ କର୍ମ,
କର୍ମେ ତାହାଙ୍କର ଫଳିତ ହୋଇଛି
ମନ-ବଚନର ମର୍ମ ।
ବଦନର ଭାବ ମାନବ-ହୃଦୟ-
ପୁସ୍ତକର ସୂଚୀପତ୍ର,
ବଜନେ ଦର୍ଶିତ ହୋଇଥାଏ ସେହି
ପୁସ୍ତକର ପ୍ରତି ଛତ୍ର ।
ମୋହୋ ଜାଣିବାରେ ନୃପଙ୍କ ହୃଦୟ
ପ୍ରସନ୍ନ ପ୍ରଶସ୍ତ ପୁତ,
କପଟତା କିମ୍ୱା ଶଠତା ତହିଁରେ
ନ ପାରେ ହୋଇ ସମ୍ଭୁତ ।
କିନ୍ତୁ ସେ ତ ରାଜା ରାଜଧର୍ମବଶେ
ରାଜକର୍ମେ ଥିବେ ରତ,
ମୁନି ଅଭିଶାପ ରୋଧିଦେବ ତାଙ୍କ
ପ୍ରଣୟ-ସ୍ମରଣ-ପଥ ।
କହି ଯାଇଛନ୍ତି ଆସିବାକୁ ଯାହା
ଆଉ ତ ଆସିବେ ନାହିଁ,
ଉପାୟ କେବଳ ଆବଶ୍ୟକ ଏବେ
ତାଙ୍କ ଦରଶନ ପାଇଁ ।
ତାତ କହିଥାନ୍ତି, ‘ଯହିଁ ଯେତେ ସୁଖ
ତହିଁ ଥାଏ ତେତେ ବିଘ୍ନ,
ସୁଖ ନ ମିଳଇ ଦୁଃଖ ଭୟ କରି
ଚିତ୍ତ କଲେ ଉଦବିଗ୍ନ’ ।’’
ତା’ପରେ ତାପସ- କନ୍ୟାଦ୍ୱୟ ଗଲେ
ଶକୁନ୍ତଳା ସନ୍ନିଧାନ,
ଦେଖିଲେ ସୁନ୍ଦରୀ ବାମକରେ ଗଣ୍ଡ
ଥୋଇ କରୁଅଛି ଧ୍ୟାନ ।
ପୁତ୍ତଳିକା ପରି ବସିଛି, ସମ୍ମୁଖେ
ଭୂତଳେ ହୋଇଛି ଲେଖା,
‘ଦୁଷ୍ମନ୍ତ’ ଅକ୍ଷର- ତ୍ରୟେ ମୁହୁର୍ମୁହୁଃ
ଚଳିଛି କଠିନୀ-ରେଖା ।
‘ଦୁଷ୍ମନ୍ତ’ ‘ଦୁଷ୍ମନ୍ତ’ ପଢ଼ନ୍ତେ ସଖୀଏ
ଅନାଇଦେଲା ସୁନ୍ଦରୀ,
ନାହିଁ ନରପତି, ଉଭା ହୋଇଛନ୍ତି
ମାତ୍ର ବେନି ସହଚରୀ ।
ନ ଜାଣଇ କିସ ଲେଖିଅଛି ତଳେ
ସଖୀଏ ହସନ୍ତି ଚାହିଁ,
ନିଜେ ପଢ଼ି ପରେ ମେଣ୍ଟାଇଲା ଖରେ
ପ୍ରେମାଞ୍ଚିତ ଲଜ୍ଜା ପାଇ ।
ସଖୀ-ପରିହାସ ନ ଗଣି ସତ୍ୱର
ଶିରେ ପୋଛିଦେଲା କର,
ସଖୀଏ ବୋଇଲା, ‘‘ଲଲାଟ ବିଭୂତି-
ଲେଖା ହେଉ ଦୁଃଖହର ।’’
ଆଣିଥିଲେ ଫୁଲ ସଜନୀ ଦ୍ୱିତୟ
ତ୍ରିତୟ ବିମଳ ମନେ,
ନେଇ ଦେବାଳୟେ ଗୌତମୀ ସହିତ
ଲାଗିଲେ ଦେବ-ଅର୍ଚ୍ଚନେ ।
କେତେ ଦିନ ପରେ ଆଶ୍ରମେ ଆସିଲେ
କଣ୍ୱ ମୁନି ସୁଧୀବର,
ଶକୁନ୍ତଳା ତାଙ୍କ ପଦ ବନ୍ଦି ପାଶୁଁ
ଅନ୍ତର ହେଲା ସତ୍ୱର ।
ଆଉ ଯେତେ ଥିଲେ ତାପସ ତାପସୀ
ବନ୍ଦି ମୁନି ପାଦତଳେ,
ମୁନି ପଚାରନ୍ତେ ବୋଇଲେ ସମସ୍ତେ
ଅଛନ୍ତି ରହି କୁଶଳେ ।
ପୁଣି ନିଜ ନିଜ କାର୍ଯ୍ୟରେ ଲାଗିଲେ
ମୁନିଙ୍କ ଆଦେଶ ପାଇ,
କେ କଲା ଯଜନ କେ ବା ଅଧ୍ୟୟନ
ପୂର୍ବ ରୀତି ଅନୁଯାୟୀ ।
ସଖୀ ସଙ୍ଗେ ଥାଏ ଶକୁନ୍ତଳା, କିନ୍ତୁ
ମୁନିଙ୍କୁ କଲେ ଦର୍ଶନ,
କିଛି ଛଳ କରି ଦୂର ହୋଇଯାଏ
ବିନତ କରି ବଦନ ।
କୁମାରୀ-ସୁଲଭ ସରଳତା ତାର
ସ୍ୱଭାବକୁ ପରିହରି,
ଭୟ ଭୟେ ଲଜ୍ଜା ପଛେ ଲୁଚିଥାଏ
ତନୁ ସଙ୍କୁଚିତ କରି ।
ଦିନେ ମହାଋଷି ତରୁମୂଳେ ବସି
ଭାବୁଥାନ୍ତି ମନେ ମନେ,
ଭିନ୍ନ ଭିନ୍ନ ରୀତି ଦିଶୁଅଛି କିପାଁ
ଶକୁନ୍ତଳା ଆଚରଣେ ।
ପୂର୍ବପରି ଆସି ମୋ’ ଆଗେ ଭରସି
କହୁ ନାହିଁ କିପାଁ କଥା,
ସମକ୍ଷେ ପଡ଼ିଲେ ଅପସରି ଯାଏ,
ଅବନତ କରି ମଥା ।
ତନୁ ଆବରଣେ କେତେବେଳେ ତାର
ଦିଶୁ ନାହିଁ ଅବହେଳା,
ମୁଖ କାନ୍ତି ତାର ଭିନ୍ନ ଦିଶୁଅଛି
ଜୀବନେ ତା’ କିସ ହେଲା ?
କାକ ବସିଥିଲା ପାଦପ ଉପରେ
କଲା କିସ କିସ ରବ,
ଧ୍ୟାନ ଦେଇ ମୁନି ଶୁଣି ଅବଗତ
ହେଲେ ସେ ରହସ୍ୟ ସର୍ବ ।
ବିଶଦ-ବଦିତ ହେଲେ ଶକୁନ୍ତଳା-
ଦୁଷ୍ମନ୍ତ-ପ୍ରଣୟ-କଥା,
ମନେ କଲେ ଚୂତ- ପାଦପ ବରିଛି
ଯୋଗ୍ୟ ସହକାର ଲତା ।
ଆନନ୍ଦିତ ହେଲେ ଆହୁରି ଜାଣି ସେ
ଲତିକା ଧରିଛି କଷି,
ନିଜ ଅଭିଲାଷ ସଫଳ ମଣିଲେ
ସୁତାଭାଗ୍ୟ ପରଶଂସି ।
ବିଚାରିଲେ ମନେ ପିତାପୁରେ ସୁତା
ଥିବା ନୁହେ ଶ୍ରେୟସ୍କର,
ନିଜ ଲୋକ ସଙ୍ଗେ ପତି ସମୀପକୁ
ପଠାଇଦେବା ସତ୍ୱର ।
ଗୌତମୀଙ୍କି ଡାକି ବୋଇଲେ, ‘‘ସୁସିଦ୍ଧ
ହୋଇଛି ମୋ ସଙ୍କଳପ,
ଶକୁନ୍ତଳା ଯୋଗ୍ୟ- ବର ପାଇଁ ଯାହା
କରି ଯାଇଥିଲି ତପ ।
ଆସି ଅବଗତ ହେଲି, ବିଜେ ନିଜେ
କରି ହସ୍ତିନା-ଭୂପତି,
ପ୍ରୀତିସହକାରେ ଶକୁନ୍ତଳା-କର
ଗ୍ରହଣ କରିଅଛନ୍ତି ।
ହସ୍ତିନାକୁ ଏବେ ଯାଉ ଶକୁନ୍ତଳା
ସେବିବ ସ୍ୱାମୀଚରଣ,
ଉଚିତ ନୁହେ ତା’ ପକ୍ଷେ ଆଉ ଏହି
କାନନେ ତପଶ୍ଚରଣ ।
କାଲି ପ୍ରଭାତରୁ ଉଠି ତୁମ୍ଭେ ଘେନି
ସଙ୍ଗରେ ତାପସଦ୍ୱୟ,
ଶକୁନ୍ତଳାକୁ ମୋ’ ଦେଇଆସ ଯାଇ
ହସ୍ତିନାରାଜ-ନିଳୟ ।’’
କାଶ୍ୟପ-ବଚନ ଗୌତମୀ ଶ୍ରୁତିକି
ହୋଇ ଆନନ୍ଦର ଝର,
ହୃଦୟ-କ୍ଷେତ୍ରକୁ ବିକ୍ଷୋଭିତ କରି
ଦାରୁଣେ ବହିଲା ଖର ।
ଆଜନମ କୋଳ- ଲାଳିତା ସ୍ନେହର
ମୁର୍ତ୍ତି ହେବ ରାଜରାଣୀ
ଚରିତାର୍ଥ ହେବ ନାହିଁ କା ଶ୍ରବଣ
ଶୁଣିଲେ ସେ ମଧୁବାଣୀ ?
ନୟନ-ପ୍ରତିମା ଚିରଦିନ ପାଇଁ
ନୟନୁ ହେବ ଅନ୍ତର,
ସେ କଥା ଭାବିଲେ ଦୁଃଖେ ବିଦାରିତ
ସହଜେ ହୁଏ ଅନ୍ତର ।
କ୍ଷଣକେ ସେ କଥା ବିସ୍ତାରିତ ହେଲା
କୁଟୀରେ କୁଟୀରେ ଯାଇ,
ଦୂରକ୍ରମେ ଯଥା ବଢ଼ିଥାଏ ଦୀପ
ନିକଟ ବସ୍ତୁର ଛାଇ ।
ହସି ହସି କେହି ତାପସୀ କହିଲା,
‘‘ପୂର୍ବରୁ ମୁଁ ଥିଲି ଜାଣି,
ଶକୁନ୍ତଳା ଘେନି ଅଳଙ୍କୃତା ହେବ
ଦୁଷ୍କନ୍ତଙ୍କ ରାଜଧାନୀ ।’’
କେ ବୋଇଲା, ‘‘ଆମ୍ଭ ଶକୁନ୍ତଳା ଯାଇ
ଲଭିଲେ ରାଜ-ସମୃଦ୍ଧି,
ଅଧିକୁ ଅଧିକ ହେବ ଏବେ ଆମ୍ଭ
ଆଶ୍ରମର ଭାଗ୍ୟବୃଦ୍ଧି ।’’
କେ ବୋଇଲା, ‘‘ଏତେ କଥା ହୋଇଅଛି,
କିଛି ମୁଁ ନ ଥିଲି ଜାଣି,
କିଏ ବା ଜାଣିବ ଉପବାସୀ ଜନ
ନିମଜ୍ଜି ପିଇଲେ ପାଣି ?’’
କେ ବୋଇଲା, ‘‘ଓହୋ ଶକୁନ୍ତଳା ଦିଶେ
କିଛି ନ ଜାଣିଲା ପରି,
ଦେଖ କି କୌଶଳେ ସୌଭାଗ୍ୟ-ମନ୍ଦିର
ନେଇଛି ପ୍ରସ୍ତୁତ କରି ।’’
ଅପରା ବୋଇଲା, ‘‘ଜାତୀୟ ଗୌରବ
ଚାହିଁ ଭାଗ୍ୟ ନିଏ ବରି,
କ୍ଷତ୍ରିୟନନ୍ଦିନୀ ବୋଲି ସିନା ତାକୁ
ଘେନିଲେ ନୃପକେଶରୀ ।
ଆଉ ଏକ କଥା ଲୋକଙ୍କୁ ନିପୁଣ
କରାଏ ପ୍ରକୃତିଗୁଣ,
ତୀକ୍ଷ୍ଣ କରିବାକୁ ଯାଇ ନ ଥାଏ କେ
ବନ କଣ୍ଟକର ମୁନ ।
ସମ ଜାତି ଦେଖି ପରସ୍ପର ମନ
ସ୍ୱଭାବେ ହୁଅଇ ସମ,
ବାୟସ-ପାଳିତ ପିକ-ଶାବ ପିକେ
ମିଶିବାକୁ ହୁଏ କ୍ଷମ ।’’
ପ୍ରିୟମ୍ୱଦା ଶୁଣି ସହାସ୍ୟେ କହିଲା,
ଅନସୂୟା ମୁଖ ଚାହିଁ,
‘‘ସଜନି ! ସଂଶୟ- ତରଣୀ ଲାଗିଲା
ସୁବର୍ଣ୍ଣ ଭୂମିରେ ଯାଇ ।’’
ଅନସୂୟା ମୁଦ ସମୁଦିତ ହେଲା
ପ୍ରକାଶିଲା ନିଜ ଭାଷ,
‘‘ସତେ ସଖି ! ସତ- କାର୍ଯ୍ୟରେ ସହାୟ
ଚିନ୍ତାମଣି ବିଶ୍ୱବାସ ।’’
ଶକୁନ୍ତଳା କର୍ଣ୍ଣେ ପଡ଼ନ୍ତେ ସେ କଥା
ବିଚରିଲା ନିଜ ମନେ,
‘‘ଦୁହିତାର ଦୋଷ କ୍ଷମିବାକୁ ପିତା
ତୁଲ୍ୟ ନାହିଁ ତ୍ରିଭୂବନେ ।
ପାଳିଛନ୍ତି ମୋତେ ତାତ ପିତୃ-ମାତୃ-
ସ୍ନେହ କରି ସମନ୍ୱୟ,
କଥା ପଦେ ସୁଦ୍ଧା ତାଙ୍କୁ ନ ପଚାରି
ଜୀବନ କଲି ବିକ୍ରୟ ।
ଧନ୍ୟ ଧନ୍ୟ ପିତା ! ଗେହ୍ଲାଈ ସୁତାର
କିଛି ନ ଧଇଲେ ଦୋଷ,
ତ୍ରୁଟି ଚାହିଁ ସ୍ନେହ ନ ତୁଟି ତାଙ୍କର
ଅଧିକ ବଢ଼ିଛି ତୋଷ ।
ହୃଦୟ ତାଙ୍କର ନ କଳି ହୃଦୟ
ହେଉଧିଲା ମୋ’ ଅସ୍ଥିର,
ପ୍ରବାଳ ଲତିକା କେମନ୍ତେ ଜାଣିବ
ସାଗର କେତେ ଗଭୀର ?
ଆସିବାକୁ କାନ୍ତ କହି ଯାଇଥିଲେ
ନ ଆସିଲେ ଆଜିଯାଏ,
ତାଙ୍କ ପ୍ରେମ ଅବା କେମନ୍ତେ କଳିବି
ତାହା ତ ସିନ୍ଧୁ ପରାଏ ।
କାନ୍ତ-ପ୍ରେମ ଯେବେ ସାଗର ମୋ’ ପ୍ରେମ
ହେବ ତ ସରିତ ସରି,
ସାଗର ଅଙ୍କକୁ ସରିତ ଯିବାକୁ
ନ ଥାଏ ତ ଅପସରି ।
ଉଚ୍ଚ ଲୋକଠାରେ ଉଚ୍ଚ ଆଶା କଲେ
ନ ହୁଏ କେବେ ନିଷ୍ପଳ,
ଜଳସ୍ତମ୍ଭ ଯେବେ ଉର୍ଦ୍ଧକୁ ଉଠଇ
ବରିନିଏ ମେଘଜଳ ।
ହସିବେ କି ତାଙ୍କ ରମଣୀମଣ୍ଡଳ
ମୋର ସେହି ରୀତି ଚାହିଁ ?
ତରଙ୍ଗ-ଭୂଭଙ୍ଗ ନ ଗଣି ତଟିନୀ-
ସାଗରେ ପଶଇ ଯାଇଁ ।’’
ଏହିରୂପେ କେତେ କଳ୍ପନା-ଜଳ୍ପନା
ଲାଗିଗଲା ତପୋବନେ,
ସମସ୍ତେ ଜାଣିଲେ, ଶକୁନ୍ତଳା ଯିବ
ପରାହେ ପତିଭବନେ ।
ଦିନକ ମାତର ଥାଇ ତପୋବନେ
ରାଜରାଣୀ ହେବ ଯାଇ,
ମୁନି-କନ୍ୟାଗଣ ଜାଣି ତାକୁ ସ୍ନେହ
ଭାଷରେ ଦେଲେ ଭସାଇ ।
ନିକଟୁଁ ଅନ୍ତର ହେବାକୁ ନ ହେଲା
କୁମାରୀମାନଙ୍କ ମନ,
ପ୍ରଗାଢ଼ ପ୍ରୀତିରେ କରୁଥାନ୍ତି ତାକୁ
ପୁନଃ ପୁନଃ ନିରୀକ୍ଷଣ ।
ଅନ୍ୟ ଚିନ୍ତା ପାଇଁ ଶକୁନ୍ତଳା ଆଉ
ନ ପାଇଲା ଅବସର,
ଯେ ଆସେ ପାଶକୁ କରୁଥାଏ ତାକୁ
ଦ୍ୱିଗୁଣ ସ୍ନେହ ଆଦର ।
ତପୋବନେ ମାୟା- ମମତାକୁ ଚାହିଁ
ଭାନୁ ହେଲେ ଈର୍ଷାନ୍ୱିତ,
ତର୍ଜି ତର୍ଜି ଯେହ୍ନେ ରାଗ-ରକ୍ତ-ମୁଖେ
ବେଗେ ହେଲେ ଅସ୍ତମିତ ।
ମାନବ ଧରମ- ସୀମାକୁ ଲଙ୍ଘିଲେ
ଦେବେ ନ ପାରନ୍ତି ସହି,
ନିଜେ ନିଜେ ଯେଣୁ ଧର୍ମ-ସୀମା-ମଧ୍ୟେ
ଚିର-କାଳ ଥା’ନ୍ତି ରହି ।
ସନ୍ଧ୍ୟା ଉପଗମେ ମୁନି-ବନ ହେଲା
ବେଦସ୍ୱନେ ମୁଖିରିତ,
ଚଞ୍ଚଳମତିର ସନ୍ଧ୍ୟା ହିଁ ଚଞ୍ଚଳ
ଗତିରେ ଗଲା ତ୍ୱରିତ ।
ସନ୍ଧ୍ୟାବିଧି ସାରି କୁମାରୀ ଶୋଇଲା
ପ୍ରିୟ ସଖୀଦ୍ୱୟ ସଙ୍ଗେ,
ନାମ ମାତ୍ର ତନୁ ଶଯ୍ୟାରେ ରହିଲା,
ଲାଗିଲେ ଆଲାପ ରଙ୍ଗେ ।
ତିନି ସଖୀଙ୍କର ମନ, ମନକଥା
ସବୁ କରିଦେବେ ଶେଷ,
ଏକର କଥନ ନ ସରୁ ଅନ୍ୟର
କଥା କରେ ପରବେଶ ।
ନିଦ୍ରା ଆଜି ମୁନି- ସୁତାଙ୍କ କୁଟୀର-
ସୀମା ମାଡ଼ି ପାରୁ ନାହିଁ,
ବାରମ୍ୱାର ଆସି ଲେଉଟି ଯାଉଛି
ଦୁଆର ମୁଖକୁ ଚାହିଁ ।
ଅବଶେଷେ ନିଦ୍ରା ସ୍ୱପନ ସହିତ
କୁଟୀରେ ପ୍ରବେଶି ବଳେ,
କୁମାରୀଙ୍କ କର୍ଣ୍ଣ- ପଟେ ଥାପୁଡ଼ିଲେ
ମୃଦୁମନ୍ଦେ କଉଶଳେ ।
ବାରମ୍ୱାର ଚେଇଁ କୁମାରୀଏ ପୁଣି
କରୁଥାନ୍ତି କଥାରମ୍ଭ,
ସ୍ୱପନର ସ୍ନେହ ଆଲିଙ୍ଗନେ ଚେତା
ମାନିଗଲା ପରାଭବ ।
ସ୍ୱପ୍ନକୋଳେ ବସି ଶକୁନ୍ତଳା ହେଲା
ହସ୍ତିନାରେ ଉପଗତ,
ଦେଖିଲା ନଗରେ ପୂରିଛି କୁଟୀର-
ଶ୍ରେଣୀ ଯେହ୍ନେ ପରବତ ।
ଧାତ୍ରୀ ହରିତକୀ ଫଳରୂପେ ରାଜ-
ପୂରେ ଝୁଲେ ହୀରା ନୀଳା,
ମୁନିପତ୍ନୀଙ୍କର ପରି ଲାଗିଅଛି
ପୁରନାରୀଙ୍କର ଲୀଳା ।
ଅକୁନ୍ଦିତ ଗଜ- ଦନ୍ତ-ପାଦ-ଖଟ
ବାହୁ ତା’ ସୁବର୍ଣ୍ଣ-ଦଣ୍ଡ,
ଆକାରେ ଯେସନ ଗ୍ରାମ୍ୟ ବର୍ଦ୍ଧକୀର
କରଚଞ୍ଚା-କାଷ୍ଠଖଣ୍ଡ ।
ରଜତ ଦଉଡ଼ି ଗୁନ୍ଥା ହୋଇଅଛି
ବକ୍ଷେ ତାର କପାଗଦା,
ସୁବର୍ଣ୍ଣ-ରୁଖାରେ ରତ୍ନ ବଇଠାରେ
ସଳିତା ଜଳୁଛି ସଦା ।
ବଳ୍କଳ ପରାଏ ସୂକ୍ଷ୍ମ-ହେମ-ପତ୍ର
ପିନ୍ଧିଛନ୍ତି କେତେ ରାଣୀ,
ଘୋଟକୀ ଦର୍ଶନେ ମୃଗୀପରି କଲେ
ତା’ ପ୍ରତି ବକ୍ରଚାହାଣି ।
ବାୟସ ନ ଡାକୁଁ ଗଉତମୀ ଆସି
‘‘ଶକୁନ୍ତଳା, ଶକୁନ୍ତଳା’’,
ଡାକି ଉଠାଇଲେ ସେ ଡାକ ତାହାର
ସ୍ୱପନରେ ମିଶିଗଲା ।
ସ୍ୱପନର ଅଙ୍କ- ଚାରିଣୀକି ତାହା
ଏମନ୍ତ ପ୍ରତୀତ ହେଲା,
ରାଜପୁର ମଧ୍ୟୁଁ କେହି ‘‘ଶକୁନ୍ତଳା,
ଶକୁନ୍ତଳା’’ ଡାକ ଦେଲା ।
ଚେଇଁ ପ୍ରିୟମ୍ୱଦା ଉଠି ହଲାଇଲା
ସ୍ୱପନ-ମଜ୍ଜିତା-ଦେହ,
ମଣିଲା ସେ ରାଜ- ପୁର ନାରୀ ଏକ
ଧରି କରୁଅଛି ସ୍ନେହ ।
ଗାଢ଼ ଆଲୋଡ଼ନେ ଭାଙ୍ଗିଲା ସ୍ୱପନ,
ଚମକି ଚାହିଁଲା ଭୀରୁ,
ଅଟବୀ-କୁଟୀରେ ରହିଅଛି ଦୂରେ
ସମ୍ପଦର ଅଟବୀରୁ ।
ପୁନଶ୍ଚ ଗୌତମୀ ଡାକିଲେ, ‘‘ସତ୍ୱରି
ଶକୁନ୍ତଳା ତେଜ ତଳ୍ପ,
ଆସ ପ୍ରିୟମ୍ୱଦା, ଆସ ଅନସୂୟା,
ବିଭାବରୀ ଅଛି ଅଳ୍ପ ।
କଜ୍ଜଳପତ୍ରୀଏ କେତେବେଳୁଁ ବନେ
ରାବିଲେଣି ବାରମ୍ୱାର,
କ୍ଷଣକ ଭିତରେ ଦୂର ହୋଇଯିବ
ନିଶା-ଶେଷ-ଅନ୍ଧକାର ।
ହେଲେଣି ଅଦୃଶ୍ୟ ସାନ ତାରାସବୁ
ବଡ଼ ବଡ଼ ତାରାମାନ,
ଅରୁଣ-ଉଦୟ- ପଥ ପରିଷ୍କାର
ହେଉଛି ପ୍ରତୀୟମାନ ।’’
ଚମକିଲା ପରି ଉଠି କାକଗଣ
ସେହି କାଳେ କଲେ ରଡ଼ି,
ସତେ କି ତାଙ୍କର ଧନ କେ ନେଉଛି
ଥିବାରୁ ସେ ଶୋଇପଡ଼ି ।
ଗୌତମୀ ସହିତ ପ୍ରିୟମ୍ୱଦା ଆଦି
ତହୁଁ ଯାଇ କଲେ ସ୍ନାନ,
କେତେ ମୁନିସୁତ ଆଗୁଁ ସ୍ନାନ କରି
ସାରିଦେଲେ ବେଦଗାନ ।
ଶକୁନ୍ତଳା ସ୍ନାନ କରାଇଲା ସଖୀ
ଅଙ୍ଗେ ଲେପି ତୀର୍ଥ-ମାଟି,
ବିଲେପି କୁଙ୍କୁମ ସଙ୍ଗେ ଗୋରୋଚନା
ନାଗେଶ୍ୱର ଚୂର୍ଣ୍ଣ ବାଟି ।
ସ୍ନାନ ଅବଶେଷେ ପିନ୍ଧି ମୁକ୍ତକେଶୀ
ମନୋରମ ସୂକ୍ଷ୍ମବାସ,
ଗୁରୁ-ଜନ ପଦେ ପ୍ରଣମି ଘେନିଲା
ମଙ୍ଗଳ ଆଶିଷ-ଭାଷ ।
ଗୌତମୀ ବୋଇଲେ, ‘‘ମହାରାଣୀ-ପଦେ
ହୁଅ ବତ୍ସେ ! ଗୌରବିଣୀ’’,
ଅନ୍ୟ କେ ବୋଇଲା, ‘‘ସୀତା ପରି ହୁଅ
ମହାବୀର-ପ୍ରସବିନୀ ।’’
ଅନ୍ୟ କେହି ସେହି ଆଶୀର୍ଭାଷ ଶୁଣି
ବିଚାରିଲା ମନେ ମନେ,
ସୀତା ନିର୍ବାସିତା ହୋଇ ବୀରପୁତ୍ର
ପ୍ରସବିଥିଲେ ଯେ ବନେ ?
ଏଣେ କଳାକର ଚନ୍ଦ୍ରିକା ସହିତ
ବଦନରେ ଭରି ମ୍ଲାନି,
ବାରୁଣୀ ମନ୍ଦିର ସମୀପସ୍ଥ ହେଲେ
ଲୋକନେତ୍ରେ ଦେଇ ଗ୍ଲାନି ।
ଅନ୍ୟ ଦିଗେ ରବି କରି ସମୂଜ୍ଜ୍ୱଳ
ଅରୁଣକୁ ଅଗ୍ରସର,
ଉଦୟ-ପର୍ବତେ ପଦକ୍ଷେପ କରୁ-
ଛନ୍ତି ହୋଇ ତରତର ।
ଜ୍ୟୋତିଷ୍କ ଯୁଗଳ ଦେଖାଇଲେ ଭବେ
ନିଜ ଦଶା-ବିପର୍ଯ୍ୟୟ,
ଦେଖୁଁ ଦେଖୁଁ ଏକ ଅଧୋଗତ, ତେଣେ
ଅପରର ଅଭ୍ୟୁଦୟ ।
ଧରାଧର-ଗୁରୁ ମେରୁ-ଶିରେ ପାଦ
ଦେବାର ଗରବ ଫଳେ,
ଶ୍ରୀହୀନ ଶଶାଙ୍କ ନିପତିତ ହେଲେ
ଅସ୍ତାଚଳ ପାଦ-ତଳେ ।
କୁମୁଦିନୀ-ଶୋଭା ଦୃଷ୍ଟି-ପଥୁଁ ଯାଇ
ସ୍କୃତିପୁରେ କଲା ବାସ,
କାହା ଜୀବନରେ ଉଲ୍ଲାସ ରହିଛି
ପ୍ରଣୟୀ ଗଲେ ପ୍ରବାସ ?
କୁମୁଦିନୀପୁର ତେଜି ମଧୁକର
କମଳିନୀ ଦ୍ୱାରେ ଆସି,
ପ୍ରଭାତ-ଭିଖାରି ହୋଇ ଗାନସ୍ୱରେ
ଦେଲା ତାର ନିଦ୍ରା ନାଶି ।
ପକ୍ୱ କୁବଳୟ- ଫଳେ ହିମକଣା
ପ୍ରାତଃ ସମୀରଣେ ହଲି,
ଅରୁଣାଲିଙ୍ଗନ ମୁଦେ ଦେଉଅଛି
ମାଣିକ୍ୟର ଦର୍ପ ଦଳି ।
ବୀତନିଦ୍ର ହୋଇ ଉଟଜ ଉପରୁ
ଓହ୍ଲାଇ ମୟୂରମାନେ,
ଶିଖଣ୍ଡ-ରତନ କାନ୍ତି ମାଳିନେଲେ
ଅରୁଣ-କିରଣ-ଶାଣେ ।
କ୍ଷୁର-କ୍ଷୁଣ୍ଣ ବେଦି- ପ୍ରାନ୍ତେ ଉଭା ହୋଇ
ହରିଣ-ହରିଣୀଗଣ,
ଗ୍ରୀବା ସଳଖାଇ ଆଗେ, ପଛେ କଲେ
ଅପଘନ ପ୍ରସାରଣ ।
ଏକାଳେ ହାରୀତ ନାମେ ଋଷିପୁତ୍ର
କାଶ୍ୟପ ଆଦେଶ ପାଇ,
ଅଳଙ୍କାର-ପୂର୍ଣ୍ଣ ଥାଳି ଏକ ଆଣି
ଦେଲା ଶକୁନ୍ତଳା ପାଇଁ ।
ରୁଣ୍ଡ ହୋଇଥିଲେ ତାପସୀ-ମଣ୍ଡଳୀ
ଚାହିଁ ସବୁ ଅଳଙ୍କାର,
ବୋଇଲେ, ‘‘ଏ ଭୂଷା ସବୁ କାହିଁ ଥିଲା,
ଆହା କେଡ଼େ ଚମତ୍କାର !’’
କେ ବୋଇଲା, ‘‘ଏହି ବିଚିତ୍ର ଭୂଷଣ
କଦାପି ନୁହେଁ ପାର୍ଥିବ,
ସ୍ୱର୍ଗୀୟ ଭୂଷଣ ସ୍ୱର୍ଗ ଅପସରା
ରାତ୍ରେ ଆଣି ଦେଇଥିବ ।
ଭୂଲୋକର ସୁଖ ଦୁଃଖ ଭଲ ମନ୍ଦ
ସ୍ୱର୍ଗକୁ ଦିଶଇ ପରା,
ଦୁହିତାର ସ୍ନେହ- ବଶେ ଆସିବାକୁ
ଦୂର ନୁହେ ତାକୁ ଧରା ।
ସ୍ତିରୀ କଥା ସ୍ତିରୀ ଜାଣଇ, ସ୍ତିରୀଏ
ଭୂଷଣ-ଅନୁରାଗିଣୀ,
ସ୍ୱର୍ଗେ ଥାଇ ତାର ସ୍ନେହ କି ଛାଡ଼ିଛି
ଯେ ଯାହା ଗର୍ଭଧାରିଣୀ ।’’
କେ ବୋଇଲା, ‘‘ମୁନି ଜାଣି ଜାଣି କରି-
ଥିଲେ ଏସବୁ ସଞ୍ଚିତ,
ପ୍ରିୟ ସୂତା ତାଙ୍କ ପ୍ରିୟ ଭୂଷଣରୁ
ନ ହେବ ବୋଲି ବଞ୍ଚିତ ।’’
ହାରୀତ ବୋଇଲେ, ‘‘ମୁନି ମହିମାରେ
ନୁହେ ଏହା ଚମତ୍କାର,
ତାଙ୍କ ଉଦ୍ୟାନର ଏକ ଏକ ତରୁ
ଏକ ଏକ ଧନାଗାର ।
ପୁଣି ଏକ ଏକ ରାଜା ମୁନୀନ୍ଦ୍ରଙ୍କ
ଏକ ଏକ ମହାତରୁ,
ଏତିକି ଭୂଷଣ ମିଳିବାର କେଉଁ
ଚିତ୍ର ତାଙ୍କ ନିକଟରୁ ?
ସିଦ୍ଧତପାଙ୍କର ଶରଧା ନ ଥାଏ
ଧନ ରତ୍ନ ଅଳଙ୍କାରେ,
ପୂତ ହେବା ଆଶେ ଧନ ରତ୍ନ ଆଦି
ଉଭା ହୋଇଥାନ୍ତି ଦ୍ୱାରେ ।
ମୁନୀନ୍ଦ୍ର ଆଦେଶେ ଉଦ୍ୟାନେ ବୁଲି ମୁ୍ଁ
କର ବଢ଼ାଇବା ମାତ୍ରେ,
କେଉଁଠାରୁ କେଉଁ ଅଳଙ୍କାର ଆସି
ପୂରିଗଲେ ଏହି ପାତ୍ରେ ।
ଭୂଷା ଖଞ୍ଜିବାକୁ ତାପସୀମାନଙ୍କ
ବୁଦ୍ଧି ହୋଇଗଲା ବଣା,
କେଉଁ ଭୂଷା କେଉଁ ଅଙ୍ଗେ ଯୋଜନୀୟ
ତାଙ୍କୁ ତ ନ ଥିଲା ଜଣା ।
କହିଦେଲା ତାହା ପରିବ୍ରାଜିକାଏ
ଥିଲା ତାପସୀଙ୍କ ସଙ୍ଗେ,
ମୁଦେ ପ୍ରିୟମ୍ୱଦା ଭୂଷା ନେଇ ମଣ୍ଡି-
ଦେଲା ଶକୁନ୍ତଳା-ଅଙ୍ଗେ ।
ନିସର୍ଗ-ସୁନ୍ଦରୀ- ଶକୁନ୍ତଳା ଦେହେ
ସ୍ଥାନ ଲଭି ଅଳଙ୍କାରେ,
ପ୍ରଫୁଲ୍ଲିତ ହେଲେ ରବି ରଶ୍ମି-କୋଳେ
ପଙ୍କଜିନୀ ପରକାରେ ।
ଭୂଷଣମଣ୍ଡିତା ଶକୁନ୍ତଳା ଅଙ୍ଗେ
ପଡ଼ି ନବ-ରବି-କର,
ଧନ୍ୟ ହେଲି ବୋଲି ଉଷତେ ନାଚିଲା
ଉଲ୍ଲସାଇ କଳେବର ।
ଭୂଷା ଶେଷେ ଯୋଷା ସଖୀ କରୁଁ ନେଇ
ସୁରଙ୍ଗ-ଦୁକୂଳ-ଶାଟୀ,
ପରିଧାନ କଲା କ୍ଷୀଣ-କଟି ଗୌର-
ଦେହେ କରି ପରିପାଟୀ ।
ସେଦିନ ଜାଣିଲା ଯହିଁ ପାଇଁ ତାର
ହୋଇଥିଲା କର୍ଣ୍ଣବେଧ,
ସେଦିନ ଜୀବନେ ଅନୁଭବ କଲା
ବଳ୍କଳ-ଦୁକୂଳ-ଭେଦ ।
ଏକାଳେ ମୁନୀନ୍ଦ୍ର ଆସି ସ୍ନେହ-ଦୃଷ୍ଟି
ଦେଇ ଶକୁନ୍ତଳା ପ୍ରତି,
ବିଚାରିଲେ ମନେ ଶକୁନ୍ତଳାହୀନ
ହେବ ମୋ’ ବନ ସମ୍ପ୍ରତି ।
ସେ ବିଚାରେ ହୃଦ ବିକ୍ଷୋଭିତ ହୋଇ-
ଗଲା ମୁନିବରଙ୍କର,
ମୃଣାଳ-ଲାଳସୀ ଗଜ ପ୍ରବେଶିଲେ
ଯେସନେ କମଳାକର ।
ହୃଦ ଆନ୍ଦୋଳନେ ନୟନଯୁଗଳେ
ଜଳ ହେଲା ଢଳଢଳ,
ବିକମ୍ପିତ ସରେ ସ୍ୱତଃ ଆସିଥାଏ
ଜଳଦ-ଦଳକୁ ଜଳ ।
ସେହି କାଳେ ଯଦି କଥା କହିଥାନ୍ତେ
ଅଶ୍ରୁ ଯାଇଥାନ୍ତା ବହି,
ପାନ୍ଥତରୁ ଦେହେ ପଥ ଫିଟିଗଲେ
ପାଥ କି ପାରଇ ରହି ?
ସମୟ ପାଇଲେ ଜୀବନେ ପ୍ରବୃତ୍ତି
ଫୁଟି ପଡ଼ିଥାଏ ଆସି,
ପ୍ରବୃତ୍ତି-ବର୍ଜିତ କେ ଅଛି ଜଗତେ
କି ଗୃହୀ କି ବନବାସୀ ?
ମୁନି ଆଗମନ ଚାହିଁ ଶକୁନ୍ତଳା
ସଲଜ୍ଜେ ଚରଣ-ତଳେ,
ଗୌତମୀ ଆଦେଶେ ପ୍ରଣିପାତ କଲା
ନୟନ ପୂରାଇ ଜଳେ ।
ଆନନ୍ଦ-ପୁଲକେ ବାଷ୍ପ-ଗଦଗଦ-
କଣ୍ଠେ ଆଶିଷିଲେ ମୁନି,
‘‘ସମସ୍ତ କୁଶଳେ ପତି-ରତ୍ନାକରେ
ହୁଅ ମା ତୁ ସୁରଧନୀ ।
ପୁତ୍ର ଲାଭ କର ଚକ୍ରବର୍ତ୍ତୀ-ଚିହ୍ନ
ବିମଣ୍ଡିତ କଳେବର ।’’
ସହର୍ଷେ ଗୌତମୀ ବୋଇଲେ, ‘‘ଏହିଟି
ଆଶୀର୍ବାଦ ଛଳେ ବର ।’’
ବସି ମୁନି ପାଶେ ସୁତାକୁ ବସାଇ
କ୍ଷଣେ ସ୍ଥିର କରି ମନ,
ସସ୍ନେହେ ବୋଇଲେ, ‘‘ମାଆ ଗୋ, ତୁ ଆଜି
ଗମିବୁ ପତିସଦନ ।
ଥିଲୁ ତପୋବନେ ଶାନ୍ତର ଭବନେ
ସଖୀ ସଙ୍ଗେ ଖେଳି ରଙ୍ଗେ,
ପଶିବୁ ଏଥର ସମ୍ପତ୍ତି ସଲିଳ-
ସଂସାର-ସିନ୍ଧୁ-ତରଙ୍ଗେ ।
ନାବ ବିନା କେହି ସାଗରେ ପଶିଲେ
ଲଭଇ ଘୋର ବିପଦ,
ସଂସାର-ସାଗର ପାଇଁ ମହାପୋତ
ଏକମାତ୍ର ସ୍ୱାମୀ-ପଦ ।
ନାରୀମାନଙ୍କ ସ୍ୱାମୀଟି ଈଶ୍ୱର
ସ୍ୱାମୀଙ୍କ ଚରଣ ସ୍ୱର୍ଗ,
ଲକ୍ଷ୍ମୀ ସଦା ପତି- ବ୍ରତାର ସଙ୍ଗିନୀ
ସ୍ୱାମୀ ପ୍ରୀତି ଅପବର୍ଗ ।
ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ
ସ୍ୱାମୀ ସେବା ନାରୀ-ଧର୍ମ,
ସ୍ୱାମୀ-ପଦେ ଭର୍କ୍ତି ଅର୍ଚ୍ଚନାରେ ମତି
ଅର୍ପି ତୁ କରିବୁ କର୍ମ୍ମ ।
ସ୍ୱାମୀ ଯା’ କହିବେ ଦୁଷ୍କର ହେଲେହେଁ
ପାଳନେ ହେବୁ ତତ୍ପର,
ଥରେ ଯା’ ବାରିବେ ଆଉ ତହିଁ କେବେ
ହେବୁ ନାହିଁ ଅଗ୍ରସର ।
ଦୁଃଖ ଥିଲେ ମନେ ଦୂର କରିବୁ ତା’
ସ୍ୱାମୀ-ଦରଶନ ମାତ୍ର,
ପରିହାସ କଲେ ତାଙ୍କୁ ନ ମଣିବୁ
ପ୍ରତି-ପରିହାସ-ପାତ୍ର ।
ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ
ଶୋଇବୁ ଶୟନ ପରେ,
ସ୍ୱାମୀଙ୍କର ଶଯ୍ୟା ତେଜିବା ପୂର୍ବରୁ
ଉଠୁଥିବୁ ପ୍ରତ୍ୟୁଷରେ ।
ଅବସର ଦେବୁ ନାହିଁ ତୋ’ ନେତ୍ରକୁ
ପର ପୁଂସ-ନିରୀକ୍ଷଣେ,
ସୋଦର ହେଲେହେଁ ନିର୍ଜନେ ନିକଟେ
ରହି ଦେବୁ ନାହିଁ କ୍ଷଣେ ।
ସ୍ୱାମୀ ଯେବେ ରୋଷ କରିବେ ଅଥବା
କରିବେ ଯଦି ଭର୍ତ୍ସନା,
ସେ ଦୋଷ ନ ଘେନି ନତ-ଶିରେ ସହି
କରିବୁ ତାଙ୍କ ଅର୍ଚ୍ଚନା ।
ନିଜ କରେ ରାନ୍ଧି ନିଜେ ଦେଉଥିବୁ
ପତିଙ୍କି ଅନ୍ନ ବ୍ୟଞ୍ଜନ,
ଭୋଜନ ସମୟ ପାଶେ ଉଭାହୋଇ
ଚାଳିବୁ ଧରି ବ୍ୟଜନ ।
ସ୍ୱାମୀ-ସେବା-କାର୍ଯ୍ୟେ ନାରୀ-ପ୍ରତିନିଧି
କଦାପି କରିବୁ ନାହିଁ,
ବିନା ବେତନର ପରିଚାରିକାକୁ
ଘରୁ ଦେବୁ ଘଉଡ଼ାଇ ।
ସ୍ୱାମୀ ତୋ’ ଅବନୀ- ଭାର ବହିଛନ୍ତି
ତୋ’ ଶିରେ ତାଙ୍କ ଚରଣ,
କେତେ ଧୈର୍ଯ୍ୟ ତୋହୋ ପାଇଁ ପ୍ରୟୋଜନ
ରଖିବୁ ସଦା ସ୍ମରଣ ।
ବାସ-ଭୂଷଣର ଗର୍ବ ନ କରିବୁ
ଅବା ତହିଁ ପାଇଁ ଅଳି,
ଯାହା ଦେବେ ତୋଷ ସନ୍ତୋଷେ ଘେନିବୁ
ଜାଣିବୁ ତାହା ତୋ’ ଭଳି ।
ଶାଶୁଙ୍କ ଚରଣ ସେବୁଥିବୁ ନିତି
ଗୃହର ଦେବତା ମଣି,
ଶାଶୁଟି ସ୍ୱାମୀର ପୂଜା-ସିଂହାସନ
ସର୍ବ ସମ୍ପଦର ଖଣି ।
ନଣନ୍ଦ ଅଳିରେ କେବେ ନ ଚଳିବୁ
ଅଧିକେ କରିବୁ ସ୍ନେହ,
ବିମନ ହେଲେ ସେ କୋଳକୁ ଆଣିବୁ
ଆଉଁସି ତା’ ମୁଖ ଦେହ ।
ଆଉ ଯେତ ପୁର- ନାରୀ ଥିବେ ତାଙ୍କୁ
କରିବୁ ଭଗିନୀ ଜ୍ଞାନ,
ସେ କଥା କଦାପି ନ କରିବୁ ଯହିଁ
ହେବ ତାଙ୍କ ଅପମାନ ।
ଗୁରୁଜନ କେହି ପାଶକୁ ଆସିଲେ
ଉଠିବୁ ତେଜି ଆସନ,
ଉଚ୍ଚାସନ ଦେଇ ବନ୍ଦି ସବିନୟେ
କରିବୁ ମୃଦୁ ଭାଷଣ ।
ଉଚ୍ଚହାସ କେବେ ନ କରିବୁ ପୁଣି
ନ କରିବୁ ଉପହାସ,
ପରିହାସ ଛଳେ କରିବୁ ନାହିଁଟି
ସଖୀଜନ-ମାନ ହ୍ରାସ ।
ନିଜେ ପରିଷ୍କୃତ ଥାଇ ନିଜ ଗୃହ
ରଖିଥିବୁ ପରିଷ୍କାର,
ପରିଜନଙ୍କର ଦୁଃଖ ଶୁଣୁଥିବୁ
କରୁଥିବୁ ପ୍ରତିକାର ।
ଅନାହତ ହୋଇ ଆସି କେହି ତୋର
ଅଯଥା ପ୍ରଶଂସା କଲେ,
ଜାଣିଥିବୁ ତାର ଆଗମନ ତୋତେ
ଠକିବାକୁ କଉଶଳେ ।
ସ୍ୱାମୀଦୋଷ, ରୋଷ ଜନ୍ମାଇବାକୁ ତୋ’
ବର୍ଣ୍ଣିବ ଆସି ଯେ ନାରୀ,
ତା’ କଥା ବିଷମ ବିଷ ମଣିଥିବୁ
ସେ ଏକା ତୋର ଭଗାରି ।
ଏତେ ଦିନଯାଏ ମଣିଥିଲୁ ପ୍ରିୟ
ସମ୍ପତ୍ତି ତୋ’ ତପୋବନ,
ଏଥର ମଣିବୁ ଅଖିଳ-ଅବନୀ
ହେଲା ତୋର ପ୍ରିୟଧନ ।
ତପୋବନ-ମହୀ- ରୁହ-ଗତ-ସ୍ନେହ
ମହୀରେ କରିବୁ ନ୍ୟସ୍ତ
ମୃଗ-ମୃଗୀ ଗତ ମମତା କରିବୁ
ମାନବ-ସମାଜଗତ ।
ସ୍ୱାମୀ ତୋର ଋଷି- ସ୍ୱରୂପ ମଣ୍ଡିତ
କରିଛନ୍ତି ରାଜ୍ୟାଶ୍ରମ,
ସେ ଆଶ୍ରମ-ନୀତି- ରକ୍ଷଣେ ନିଜର
ଜୀବନ କରିବୁ କ୍ଷମ ।
ଉଠ ମା, ଏଥର ଚାଲ ଶୁଭକ୍ଷଣେ !
ସ୍ୱାମୀ-ପଦ-କଞ୍ଜ-ଧ୍ୟାୟି,
ଗୌତମୀ ସହିତ ଶିଷ୍ୟ ଦୁଇ ତୋତେ
ତହିଁ ଦେବେ ପହୁଞ୍ଚାଇ ।
ଆଗେ ଶାରଦ୍ବତ, ଚାଲି ଦେଖାଅ ତୋ’
ଭଗିନୀର ଗତିପଥ,
ଗୌତିମୀ, ଦୁହିତା ସଙ୍ଗେ ଚଳ, ହେଉ
ଶାର୍ଙ୍ଗରବ ଅନୁଗତ ।’’
ଚାଲିଲେ ଗୌତମୀ ହସ୍ତିନାଭିମୁଖେ
ଶକୁନ୍ତଳା କର ଧରି,
ଚାଲିଲେ ମୁନୀନ୍ଦ୍ର ତାପସ-ମଣ୍ଡଳ
ସହ ସର୍ବ ସହଚରୀ ।
ଶକୁନ୍ତଳା ପଥେ ଯାଉଁ ଯାଉଁ ତାର
ତରୁ-ଲତା ଚାହିଁ ଚାହିଁ,
ହୃଦୟ-ପଟରେ ଚିତ୍ରି ନେଉଥାଏ
ସେନେହ-ରଙ୍ଗେ ରଙ୍ଗାଇ ।
ଥରେ ଥରେ ସବୁ ତରୁ-ଲତା-ଅଙ୍ଗ
କରି ଦେଉଥାଏ ସ୍ପର୍ଶ,
ବିକାଶ ବ୍ୟାଜରେ ତରୁ-ଲତାଙ୍କର
ହେଉଥାଏ ଲୋମହର୍ଷ ।
କେତେକ ଶିଶିର- ଛଳେ କେତେ ଅବା
କୁସୁମ-ବର୍ଷଣ-ଛଳେ,
ଶକୁନ୍ତଳା-କର- ସ୍ପରଶ ମାତ୍ରକେ
ଲୋତକ ମୋଚନ କଲେ ।
ଯେଉଁସବୁ ତରୁ- ଲତାକୁ ସୁଶୀଳା
ଛାଡ଼ି ଦେଇଥାଏ କ୍ରମେ,
ବିରହ-ବେଦନା ଅନୁଭବ ଯେହ୍ନେ
କରୁଥାନ୍ତି ମର୍ମେ ମର୍ମେ ।
ବନେ ମୁହୁର୍ମୁହୁଃ ଶ୍ରୁତିଗତ ହେଲା
କପୋତ କରୁଣ ଗାନ,
ସତେ ଯେହ୍ନେ କାନ୍ଦି ପକାଇଲେ ଦୁଃଖ-
ଭରେ ତରୁ-ଲତାମାନ ।
କୁହୁ କୁହୁ ସ୍ୱନେ ମଧୁରେ ଭାଷିଲା
କୋକିଳ ବନବାନ୍ଧବ,
ଶୁଭ ଗମନରେ ବନଦେବୀ ଯେହ୍ନେ
କଲେ ହୁଳହୁଳି ରବ ।
ହରିଣ ହରିଣୀ ମୟୂର ମୟୂରୀ
ଆହାର ବିହାର ଛାଡ଼ି,
ଦୁଃଖିତ ନୟନେ ଅନାଇ ରହିଲେ
ପଥ-ପାର୍ଶ୍ୱେ ଧାଡ଼ି ଧାଡ଼ି ।
ମୃଗଶିଶୁ ଏକ ଆସି ଶକୁନ୍ତଳା
ଚରଣ ଦୁକୂଳାଞ୍ଚଳେ,
ଲୁଚି ଲୁଚି ସଙ୍ଗେ ସଙ୍ଗେ ଚାଲୁଥାଏ
ନ ରହି ହରିଣୀ-ଦଳେ ।
କେତେ ଦୂରେ ତାହା ଜାଣି ଶକୁନ୍ତଳା
ଆଉଁସି ତା’ ଦେହ ମୁଖ,
ସଜଳ ନୟନେ ପିତାଙ୍କୁ କହିଲା
ପ୍ରକାଶି ହୃଦୟ-ଦୁଃଖ-
‘‘ଜାଣ ତାତ ମୋତେ ଯେମନ୍ତ ସ୍ନେହରେ
ପାଳିଅଛ ତପୋବନେ,
ଆଜନ୍ମ ଜନନୀ- ହୀନ ଏ ଶିଶୁକୁ
ପାଳିଅଛିଁ ମୁଁ ତେସନେ;
ସ୍ନେହ-ରଜ୍ଜୁ ତାର ଛିଣ୍ଡାଇ ଯିବାକୁ
ମୋ ପ୍ରାଣେ ହେଉଛି କଷ୍ଟ,
ଛାଡ଼ିଗଲେ ମୋତେ କେତେ ଦିନଯାଏ
ଲୋଡ଼ିବ ହୋଇ ଉତ୍କଣ୍ଠ ।
ଅନୁମତି ହେଲେ ନିଅନ୍ତି ଏହାକୁ
ବୋଲି ହେଉଅଛି ମନ,
ନ ହେଲେ ଛଡ଼ାଇ ନିଅ ଏ ଶିଶୁକୁ
ମୋତେ ଛାଡ଼ୁଛ ଯେସନ ।’’
ଶୁଣି ମୁନିବର ମୃଗକୁ ଧଇଲେ
ନୟନୁ ବୁହାଇ ବାରି,
ବୋଇଲେ, ‘‘ମା ମୋର, ଜାଣିଲି ମୋ’ ହୃଦ-
ବ୍ୟଥା ଅଛୁ ଜାଣିପାରି ।
ମୃଗଶିଶୁ-ରୂପ ଉଦୟ-ପର୍ବତେ
ଉଇଁଛି ଯେ ସ୍ନେହ-ରବି,
ବ୍ୟାପିବ ତା’କର ହସ୍ତିନା ନଗର
ରାଜ୍ୟ ଅଚଳ ଅଟବୀ ।
ଅରୁଣ ଲୋହିତ ବରଣ ପରାଏ
ମୃଗଶିଶୁ ଥାଉ ବନେ,
ଯାଅ ମା, ଅଶୁଭ ଧୂଳିସାତ ହୋଇ
ଲୋଟୁ ତୋ’ ରଙ୍ଗ-ଚରଣେ ।’’
କାନନକୁ ଚାହିଁ ବୋଇଲେ ମୁନୀନ୍ଦ୍ର,
‘‘ଆହେ ତରୁ-ଲତାମାନେ,
ତୁମ୍ଭ ଆଜନମ ସଖୀ ଯାଉଅଛି
ଆଜି ପତିସନ୍ନିଧ୍ୟାନେ ।
ଜଳ ପାନ କରୁ ନ ଥିଲା ଯେ ଆଗେ
ତୁମ୍ଭଙ୍କୁ ନ ଦେଇ ଜଳ,
ହେଉଥିଲା ତୁମ୍ଭ ଅଙ୍ଗେ ନବ ପୁଷ୍ପ
ଦେଖିଲେ ମୁଦେ ବିହ୍ୱଳ;
ତହିଁପାଇଁ ସଖୀ- ବୃନ୍ଦ ଘେନି କେତେ
କରୁଥିଲା ମହୋତ୍ସବ,
କେତେ ଯତନରେ ରଖୁଥିଲା ତୁମ୍ଭ
ନୈସର୍ଗିକ ସଉଷ୍ଠବ;
ଭୂଷଣରଙ୍କୁଣୀ ହୋଇ ଯେ ତୁମ୍ଭର
ଅଙ୍ଗଭଙ୍ଗ ହେବ ଜାଣି,
କେବେହେଁ ତୁମ୍ଭର ପଲ୍ଲବ ଛେଦନେ
ବଢ଼ାଇ ନ ଥାଏ ପାଣି;
ତୁମ୍ଭେମାନେ ଏବେ ପ୍ରସନ୍ନଭାବରେ
କର ଅନୁମତି-ଦାନ,
ମଧୁମୟ ଶୁଭ- ମୟ ହେଉ ସେହି
ଶକୁନ୍ତଳାର ପ୍ରସ୍ଥାନ
ସରୋଜ-ଶୋଭିତ ସରୋବରେ ହେଉ
ଗତି-ପଥ ମନୋହର,
ପଦ୍ମ-ବାସ ବହି ଗନ୍ଧବହ ହେଉ
ଅନୁକୂଳ ସୁଖକର ।
ନବ ନବ ଦୃଶ୍ୟ ନୟନ-ପଥରେ
ହେଉ ତାର ମନୋରମ,
ଛାୟାତରୁ ଶ୍ରମ ନାଶନ୍ତୁ ଆତପ-
ତାପ କରି ଉପଶମ ।’’
କୁମାରୀ ବୋଇଲା, ‘‘ତାତ, ମୋ ସଙ୍ଗରେ
ନ ଯିବେ କି ସଖୀଦ୍ୱୟ ?’’
ମହର୍ଷି ବୋଇଲେ, ‘‘ହୋଇଲାଣି ତାଙ୍କ
ବିବାହର ଯୋଗ୍ୟ ବୟଃ ।
ରାଜସଦନକୁ ନଗରକୁ ତାଙ୍କ
ଯିବାର ଉଚିତ ନୁହେ,
ତୋ ସଙ୍ଗେ ଗୌତମୀ ଯିବେ, ଆଶ୍ରମରେ
ରହିବେ ତୋ ସଖୀ ଦୁହେଁ ।
କୁମାରୀ ବୋଇଲା ‘‘ପିତୃକୋଳ ତେଜି
ସଖୀଙ୍କି ଅନ୍ତର କରି,
ଅଚିହ୍ନିତା ନାରୀ- ମଣ୍ଡଳୀରେ କେହ୍ନେ
ରହିବି ଜୀବନ ଧରି ?
ମଳୟ-ପର୍ବତୁଁ ଉନ୍ମୁଳିତ ହୋଇ
ଚନ୍ଦନ-ଲତା ଯେସନ,
ଉଦ୍ୟାନକୁ ଗଲେ ଝାଉଁଳି ପଡ଼ଇ
ମୋ’ ଦଶା ହେବ ତେସନ ।’’
ମହର୍ଷି ବୋଇଲେ, ‘‘ତୋତେ ଲାଭକରି
ରାଜପୁର ନାରୀମାନେ,
ତୋ ପ୍ରାଣ ତୋଷିବେ ମଧୁର ଭାଷଣେ
ମଧୁମୟ ସୁସମ୍ମାନେ ।
ପତିଙ୍କ ସମ୍ପତ୍ତି- ବନେ ମନ ତୋର
ସୁଖେ କରି ପରବେଶ,
ଆଶ୍ରମ ସ୍ମରଣ ପାଇଁ ଅବସର
ତୋତେ ଦେବ ନାହିଁ ଲେଶ ।
ପ୍ରାଚୀକୋଳେ ରବି ପରାଏ ତୋ କୋଳେ
ଶୋଭିତ ହୋଇ ନନ୍ଦନ,
କରିଦେବ ରାଜ- ପୁର ଆଲୋକିତ
ତୋ ହୃଦ-ମୃଦ-ବର୍ଦ୍ଧନ ।’’
ସଖୀଏ ବୋଇଲେ, ‘‘ଆମ୍ଭଙ୍କୁ ସଜନି,
ସମର୍ପୁଛୁ କାହା କରେ ?
ମନେ କରୁଥିବୁ ରାଜ-ଉପବନେ
ବିଚରଣ ସମୟରେ ।’’
ସୁଶୀଳା ବୋଇଲା, ‘‘ତରୁ-ଲତାଭାର
ରହିଲା ତୁମ୍ଭ ଉପରେ,
ନ ଝୁରିବ ମୋତେ ମୃଗଶିଶୁ ମଜ୍ଜି
ତୁମ୍ଭର ସ୍ନେହ-କୂପରେ ।
ପାଶୁଁ ଗଲି ବୋଲି ଜାଣୁଛି ଅନ୍ତରୁ
ଅନ୍ତର ମୁଁ ହେବି ନାହିଁ,
ନିଆଳୀ-ମୂଳରେ ଜଳସେକ କରି
ଦେଉଥିବ ମୋହ ପାଇଁ ।’’
ମୁନିପାଦେ ପଡ଼ି ଉଠି ଶକୁନ୍ତଳା
ଆଲିଙ୍ଗିଲା ସଖୀଦ୍ୱୟେ,
ବଳ୍କଳ-ଦୁକୂଳ ତିନ୍ତାଇ ଲୋତକେ
ଲଗାଇ ହୃଦ ହୃଦୟେ ।
ପ୍ରିୟମ୍ୱଦା ସଖୀ ବୋଇଲା, ‘‘ସଜନି,
ପାସୋରିଛୁଁ ଅଙ୍ଗୁରୀୟ,
ସେ ତୋ ପ୍ରଣୟର ଆଦ୍ୟ ଉପହାର
ସଯତନେ ସଙ୍ଗେ ନିଅ ।
ତାକୁ ନ ଦେଖିଲେ ପୀରତି ଲାଘବ
ମଣିପାରେ କାନ୍ତ-ମନ,
କାନ୍ତ-ପ୍ରୀତି-ରୂପେ ନାମାକ୍ଷର ତାଙ୍କ
କରିଥିବୁ ଗଣ୍ଠିଧନ ।’’
‘‘ଦୂର ହେଲୁ ଏବେ’’ ବୋଲି ପ୍ରିୟମ୍ୱଦା
ଅନସୂୟା କାନ୍ଦି କାନ୍ଦି,
ଆବାଲ୍ୟସଙ୍ଗିନୀ ଦୁକୂଳ-ଅଞ୍ଚଳେ
ଅଙ୍ଗୁରୀୟ ଦେଲେ ବାନ୍ଧି ।
ଲେଖି ମୁଦିଥିଲେ ପତ୍ରଟିଏ ମୁନି
ଦେଇ ଶାରଦ୍ବତ କରେ,
କହିଲେ ନନ୍ଦିନୀ ସଙ୍ଗେ ତା ଦେବାକୁ
ଦୁଷ୍ମନ୍ତଙ୍କ ନିକଟରେ ।
ପୁନଶ୍ଚ କୁମାରୀ ବୋଇଲା, ‘‘ପିଅର
କେବେ ପୁଣି ଦରଶନ,
କରିବି ତୁମ୍ଭର ଚରଣ-କମଳ
ଆସି ଏହି ତପୋବନ ?’’
ମହର୍ଷି ବୋଇଲେ, ‘‘ଯେ କାଳେ ଶୋଭିବ
ତୋ ପୁତ୍ର ମସ୍ତକେ ଛତି,
ସେହି ଛତ୍ର-ଛାୟା ତଳେ ସ୍ନିଗ୍ଧ ହେବ
ସସାଗରା ବସୁମତୀ ।
ତୋ ପତି ଏ ବନେ ବାନପ୍ରସ୍ଥରୂପେ
ହେବେ ମୋକ୍ଷ-ଅଭିଳାଷୀ,
ମୋକ୍ଷ ପାଇଁ ତୁହି ତାଙ୍କ ପଦ-ସେବା
କରିବୁ ଏ ବନେ ଆସି ।’’
ଆଉ ଯେତେ ଥିଲେ ତାପସ-ତାପସୀ
ସମସ୍ତଙ୍କୁ ଶକୁନ୍ତଳା,
କା’ ପଦ ବନ୍ଦନ କା’ମୁଖ ଚୁମ୍ୱନ
କାହାକୁ ଆଶ୍ଳେଷ କଲା ।
ଚାଲିଲେ ଗୌତମୀ ଶକୁନ୍ତଳା ସହ
ଶାରଦ୍ବତ ତାଙ୍କ ଆଗେ,
ଚାଲିଲେ ତାହାଙ୍କ ପୃଷ୍ଠରକ୍ଷୀରୂପେ
ଶାର୍ଙ୍ଗରବ ପଛଭାଗେ ।
ପ୍ରଣୟ-ସୌରଭ କ୍ରମେ ବିସ୍ଫାରିତ
ହୋଇ ଶକୁନ୍ତଳା ମନେ,
ପଥକଷ୍ଟ ବଳ- ପ୍ରାବଲ୍ୟକୁ ତାହା
ବିନାଶ କଲା ଗମନେ ।
ଆଶ୍ରମେ ଆସିଲେ ମୁନି ମହାମନା
ସୁଖ ଦୁଃଖ କରି ସମ,
ତାଙ୍କ ସଙ୍ଗେ ଆସି ତାପସ-ତାପସୀ
କଲେ ନିଜ ନିଜ କର୍ମ ।