ପଞ୍ଚମ ସର୍ଗ — ପ୍ରଣୟ ବଲ୍ଲରୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ସର୍ଗ
ପୁଷ୍ପେ କୀଟହସ୍ତିନା-ଭୂପତି ବିଜେ କରିଛନ୍ତିରତ୍ନମୟ ସିଂହାସନେ,ସତେ କି ଧରମ- ମୂର୍ତ୍ତି-ପ୍ରତିବିମ୍ୱଉଜ୍ଜ୍ୱଳ ଜ୍ଞାନ-ଦର୍ପଣେ ?ଉଭୟ ପାର୍ଶ୍ୱରେ ଶୋଭନ୍ତି ସଚିବଆଦି ସଭାସଦଗଣ,ନ୍ୟାୟ, ବିବେକାତି ରହିଛନ୍ତି ଯେହ୍ନେଧରି ନର-ଅପଘନ ।ସଭ୍ୟ ସହ ନୃପ- ବଦନ ପ୍ରସନ୍ନଉଜ୍ଜ୍ୱଳ ନିର୍ମଳ ଶାନ୍ତ,ଯଥା ଶାରଦୀୟ ନକ୍ଷତ୍ର-ମଣ୍ଡଳ-ମଣ୍ଡିତ ରଜନୀକାନ୍ତ ।ସିଂହାସନ ପାଦ- ପୀଠରେ ଉଜ୍ଜ୍ୱଳରତ୍ନରାଜି ଥା’ନ୍ତି ଲାଗି,ରାଜନ୍ୟ-ମଣ୍ଡଳ ମୁକୁଟ-ରତନେଆଲିଙ୍ଗନ ଦେବା ଲାଗି ।ପାଶେ ରତ୍ନଘଟେ ରଖା ହୋଇଥାଏଯମୁନାର ସ୍ୱଚ୍ଛ ଜଳ,ଯାଚକ-ଭୂସୁର ବାଞ୍ଚା ମହୀରୁହକରିବା ପାଇଁ ସଫଳ ।ନୃପ ଦକ୍ଷ କରେ ପ୍ରଚଣ୍ଡ ପ୍ରଭାରେରାଜୁଥାଏ ରାଜଦଣ୍ଡ,ଦୁରୁ ଦେଖି ତାହା ରିପୁବର୍ଗ-ଗର୍ବହୋଇଯାଏ ଖଣ୍ଡ ଖଣ୍ଡ ।ଅବଳ ସକଳ ଦେଉଥିଲେ ଯେଉଁଗଜମୁକ୍ତା ଉପହାର,ବାଛି ବାଛି ଯେଉଁ ରତ୍ନ ଉପହାରଦେଇଥିଲା ପାରାବାର;ସଭାମଣ୍ଡପରେ ଝୁଲୁଥିଲେ ତାହାହୋଇ ଅବନତ ମୁଖ,ପ୍ରଫୁଲ୍ଲିତ ହେଉ- ଥିଲେ ଲଭି ରାଜ-ଦଣ୍ଡର ଚଣ୍ଡ-ମୟୂଖ ।ନୃପ ଧନୁର୍ନାଦେ ରାକ୍ଷସ ସକଳରାଜ୍ୟ ସହ ତେଜି ଦର୍ପଦୂରେ ଲୁଚିଥିଲେ ଗରୁଡ଼-ଗର୍ଜନଶ୍ରବଣରେ ଯଥା ସର୍ପ ।ହୃଦୟ ଭିତରେ କ୍ଷମା ନରେଶଙ୍କହୃଦୟ ଉପରେ କ୍ଷୌମ,ପରିଚ୍ଛଦ ରୂପେ ଥାଇ ହୋଇଥିଲେଶୋଭା-ରାଜ୍ୟେ ସାର୍ବଭୌମ ।ଅତି ହିଁ ପ୍ରବଳ ଥିଲା ତାଙ୍କ ଲୋଭଗୁଣୀଗଣଙ୍କର ଗୁଣେ,ରତ୍ନକୁ ଶିଶିର- ବିନ୍ଦୁ ମଣୁଥିଲେମାନବ-ଶରୀର ତୃଣେ ।ଜୀବନେ ତାଙ୍କର ସତ୍ୟ ସହ ଯଶନିତି କରୁଥାନ୍ତି କଳି,ସ୍ୱଚ୍ଛତା ଉଚ୍ଚତା ଗୁଣରେ ଥିବାରଏକରୁ ଅପର ବଳି ।ଲୋକଙ୍କ ବିବାଦେ ବିଚାରେ ନିପୁଣଥିଲେ ନିଜେ ନରପତି,ସତ୍ୟ ଯଶ ବାଦ ବିଚାର କ୍ଷମତା
ଦେଇଥିଲେ ଲୋକ ପ୍ରତି ।
ପର-ପରଶଂସା ଶୁଣିଲେ ନୃପତି
ହେଉଥିଲେ ଆହ୍ଲାଦିତ,
ତାଙ୍କ କାର୍ଯ୍ୟୁ ଭଲ କାର୍ଯ୍ୟ କରିବାକୁ
କିନ୍ତୁ ଦେଉଥିଲେ ଚିତ୍ତ ।
ଅବିଶ୍ରାମେ ଯଥା ଚଳନ୍ତି ଭାସ୍କର,
ଅହୋରାତ୍ର ବହେ ବାତ,
କରଗ୍ରାହୀ ନୃପ ପ୍ରଜାହିତେ ତଥା
ରହିଥାନ୍ତି ଅବିଶ୍ରାନ୍ତ ।
ନିଜେ ଦୁଃଖ ସହି ହରୁଥିଲେ ସଦା
ପ୍ରକୃତି-ପୁଞ୍ଜର ଦୁଃଖ,
ପାଦପ ଯେମନ୍ତ ଛାୟା ଦିଏ ସହି
ପ୍ରଚଣ୍ଡ ଭାନୁ ମୟୂଖ ।
ଶାସନେ ତାଙ୍କର ଆଲୋକ ଥିଲେହେଁ
ତମ ଥିଲା ଘୋରତମ,
ସେହି ତମ ଭେଦି କୁପଥ ଗମନେ
କେହି ନୋହୁଥିଲେ କ୍ଷମ ।
ସଭା ସମ୍ମୁଖରେ ଉଭାହୋଇ ଆସି
କରଯୋଡ଼ି ପ୍ରତିହାରୀ,
ଜଣାଇଲା, ‘‘ଦେବ, କଣ୍ୱ-ଆଶ୍ରମରୁ
ଆସିଛନ୍ତି ତପଶ୍ଚାରୀ ।
ଦୁଇ ଜଣ ଋଷି- ଶିଷ୍ୟ’ ଛନ୍ତି ପୁଣି
ନାରୀ’ ଛନ୍ତି ଦୁଇଜଣ,
କେଜାଣି କି କାର୍ଯ୍ୟେ ଇଚ୍ଛା କରୁଛନ୍ତି
ଶ୍ରୀଛାମୁଙ୍କ ଦରଶନ ।
ନାରୀଙ୍କ ମଧ୍ୟରେ ଏକ ଅଛି ବୃଦ୍ଧା
ତରୁଣୀ ଅଛି ଅପର,
ମନେ କରଇଁ ସେ ଋଷିକନ୍ୟା ନୁହେ,
ହେଲେ ବା ହେବ ଅପ୍ସରା ।
ତାପସଙ୍କ ମଧ୍ୟେ ତରୁଣୀର ରୂପ
ଦିଶୁଛି ଲାବଣ୍ୟମୟ,
ପାଣ୍ଡୁର-ପତନ- ମଧ୍ୟେ ମନୋରମ
ଯଥା ନବ କିଶଳୟ ।
ପଠାଇଅଛନ୍ତି ପରା ମୁନିବର
ପତ୍ର ଦେଇ ତାଙ୍କ ହସ୍ତେ,
ଆଜ୍ଞା ହେବ ଯେବେ ଉପଗତ ହେବେ
ଛାମୁରେ ଆସି ସମସ୍ତେ ।’’
ପ୍ରତିହାରୀ କଥା ଶୁଣି ମହାରାଜ
ଚମତ୍କାର ମଣି ମନେ,
ବୋଇଲେ, ‘‘ସତ୍ୱର ନିଅ ତାଙ୍କୁ ମୁହିଁ
ଯାଉଛି ଅଗ୍ନି-ଭବନେ ।’’
ଶକୁନ୍ତଳା ଏଣେ ସିଂହଦ୍ୱାରେ ଥାଇ
ବିଚାରୁଛନ୍ତି ଅନ୍ତରେ,
‘‘ଏହିକ୍ଷଣି କାନ୍ତ ଆସିଯିବେ ପରା
ମୋ ଆସିବା ଉଦନ୍ତରେ ।
କେଜାଣି ଆପଣେ ନିଜେ ହସି ହସି
ନେବେ ମୋର କର ଧରି,
ଅଥବା ସାଦରେ ଘେନିଯିବା ଲାଗି
ପଠାଇବେ ସହଚରୀ !
ଯାହା ହେଉ ଆଉ ସ୍ୱାମୀ-ଦରଶନେ
ଅଧିକ ବିଳମ୍ୱ ନାହିଁ,
କେଉଁଠାକୁ ନେବେ, ହେବ ସୁସଜ୍ଜିତ
କେଉଁ ଗୃହ ମୋହ ପାଇଁ ?
କେତେ କେତେ ଘର କେମନ୍ତ ସୁନ୍ଦର
ଶାଳତରୁ ଜିଣି ଉଚ୍ଚ,
କେମନ୍ତ ଧବଳ ରାଜହଂସ-କାନ୍ତି
ଏହା ତୁଲେ ହେବ ତୁଚ୍ଛ ।
କେମନ୍ତେ ଚିହ୍ନିବି କିଏ ଶ୍ୱଶ୍ରୂ ଦେବୀ,
କିଏ ବା ଥିବେ ନଣନ୍ଦ,
କାହାକୁ ସାଦରେ ଆଲିଙ୍ଗିବି ତହିଁ
ବନ୍ଦିବି କାହାର ପଦ ?’’
ବୃଥା କିପାଁ ଏତେ ଭାବନା ଭାବିନି !
ଭବିତବ୍ୟ ଅଛି ଆନ,
ଭବିଷ୍ୟତ-ପୁର- ପ୍ରବେଶ-କ୍ଷମତା
ଲଭି ନାହିଁ ନର-ଜ୍ଞାନ ।
ଏମନ୍ତ ସମୟେ ପ୍ରତିହାରୀ ଆସି
ଜଣାଇ ରାଜସମ୍ମତି,
ଆଗନ୍ତୁକ ଚାରି- ଜଣେ ଘେନିଗଲା
ଅଗ୍ନିଗୃହେ ନୃପ କତି ।
ଦେଖିଲେ ନରେଶ ତାପସଙ୍କ ମଧ୍ୟେ
ରୂପବତୀ ସୁକୁମାରୀ,
ପ୍ରସ୍ତର ଭିତରେ ହୀରାଖଣ୍ଡ ପରି
ସହଜେ ହେଉଛି ବାରି ।
ତାପସମାନଙ୍କୁ ପ୍ରସନ୍ନ ବଦନେ
ରାଜା କରି ସମାଦର,
ପୁଚ୍ଛିଲେ କୁଶଳ ତାଙ୍କ, ମୁନିଙ୍କର,
ତଥା ଆଶ୍ରମପଦର ।
ଶାରଦ୍ବତ ଦେଲେ ଉତ୍ତର କୁଶଳ
ଥିବାର ସେ ସମୁଦାୟ,
ପୁଣି ପଚାରିଲେ ନରେଶ ତାଙ୍କର
ଆଗମନ-ଅଭିପ୍ରାୟ ।
ଶାରଦ୍ବତ କଣ୍ୱ- ପ୍ରେରିତ-ପତ୍ରିକା
ଦେଲେ ନରବର-କରେ,
ମୁଦ ଫେଇ ମୁଦେ ପଢୁଁ ପଢୁଁ ନୃପ
ବିସ୍ମିତ ହେଲେ ଅନ୍ତରେ ।
ଶକୁନ୍ତଳା ଆଶା ଦଗ୍ଧ ହୋଇଯିବ
ଅନଳ-ଗୃହ-ଅନଳେ,
ଏ ବିଶ୍ୱାସ ତିଳ- ମାତ୍ର ଥିଲା ନାହିଁ
ତାହାର ହୃଦ-କମଳେ ।
ପତ୍ର ପଢ଼ି ଥରେ ଶୂନ୍ୟେ ଅନାଇଲେ
ସେ ପତ୍ର ପଢ଼ିଲେ ପୁଣି,
କେମନ୍ତ କଥା ଏ ବୋଲି ପୁନଃ ପୁନଃ
ମନେ ମନେ ହେଲେ ପୁଣି ।
ବିଶ୍ରଦ୍ଧ ନୟନେ ଶକୁନ୍ତଳା ପ୍ରତି
ଚାହିଁ ଚାହିଁ ବାରମ୍ୱାର,
ବିଷଣ୍ଣ ହୃଦୟେ ପୁଣି ବିଚାରିଲେ,
‘‘ଏ ତ ବଡ଼ ଚମତ୍କାର !
ଚିତ୍ର ନୁହେ ଶଠ- ଜନ ଶତ ଶତ
ଶାଠ୍ୟ କଲେ ଏ ସଂସାରେ,
ଚିତ୍ର ଶତାଂଶରେ ଶାଠ୍ୟ ଦେଖାଗଲେ
ଏକା ସାଧୁ-ଜନଠାରେ ।
ଶତ ଶାଠ୍ୟୁଁ ବଳି ମୁନିଙ୍କ ପତ୍ରରେ
ପୂରିଅଛି ଯେଉଁ ଶାଠ୍ୟ,
ମୁନି ହେଲେ ଜଟ ଛିଣ୍ଡାଇ ମରନ୍ତେ,
ଏ କି ଶ୍ରାବ୍ୟ, ଏ କି ପାଠ୍ୟ ?
ସତ୍ୟ ନା କୁହୁକ ବୁଝିପାରୁନାହିଁ,
କି ଦେବି ଏଥି ଉତ୍ତର ?
ପଠନଭ୍ରମ ବା ବୋଲି ଆଉ ଥରେ
ପଢ଼ିଲେ ପୁଣି ପତର ।
ଯାହା ପଢ଼ିଥିଲେ ତାହା ଲେଖା ଅଛି
ପୁନଶ୍ଚ ବିଚାର କଲେ,
‘‘ନିଶ୍ଚୟ ଦଇବୀ ମାୟା ଏହା ମୋତେ
ଠକିବାକୁ କଉଶଳେ ।
ନ ହେଲେ ଏପରି ସୁନ୍ଦରୀ ହୁଏ କି
ଅବନୀ ତଳେ ସମ୍ଭବ ?
ପୁଣି ବୃଦ୍ଧ କଣ୍ୱ ମୁନିଙ୍କ ଦୁହିତା
ହେବା ତହୁଁ ଅସମ୍ଭବ ।
ମୁନି-କନ୍ୟା ଦେହେ ମଣ୍ଡିତ ହୋଇଛି
ସ୍ୱର୍ଗୀୟ ଭୂଷଣରାଶି,
ମୁଁ କି ଏଡ଼େ ମୂର୍ଖ; ଏତକ ନ ବୁଝି
ଏ ପତ୍ରେ ହେବି ବିଶ୍ୱାସୀ ?
ଆସ ଜ୍ଞାନ, ଆସ ବିବେକ, ମୋ’ ହୃଦେ
ବସି ଦିଅ ମୋତେ ବଳ,
ଉଚିତ ଉତ୍ତର ଦେବି, ଏ ଘଟଣା
ହେଉ ସତ୍ୟ ଅବା ଛଳ ।’’
ବୋଇଲେ, ‘‘ତାପସ- କୁମାର, ପଠନେ
ବୁଝିଲି ପତ୍ରିକା ମର୍ମ,
ଯାହା ଲେଖିଛନ୍ତି ମୁନି ତାହା ମୋର
ଧର୍ମ ନୁହେ, ନୁହେ କର୍ମ ।
ଏ ନାରୀ ସହିତ କେବେ କାହିଁ ମୋର
ହୋଇ ନାହିଁ ପରିଣୟ
କୁରୁବଂଶୀ ଆଗେ ଦେଖାଗଲା ଆଜି
ଅଭିନବ ଅଭିନୟ ।
ଯଦି ଗର୍ଭବତୀ ନ ଥା’ନ୍ତା ଯୁବତୀ,
ନୋହିଥାନ୍ତା ବିବାହିତା,
ତେବେ ମହର୍ଷିଙ୍କ ଆଦେଶ ପାଳନେ
ନ ଥିଲା ମୋ କିଛି ଚିନ୍ତା ।
କେମନ୍ତେ ବଳିଲା ମନ ମୁନିଙ୍କର
ନିଜେ ହୋଇ ପୁରୁବଂଶୀ,
ସ୍ୱକୀୟ ବଂଶର କୀର୍ତ୍ତି-କଳାକର-
ଅଙ୍ଗେ ଢାଳିବାକୁ ମସୀ !’’
ଶାରଦ୍ବତ ଚଳି ବୋଇଲେ,‘‘ନରେଶ,
ସବୁ କଥା କି ଅନୃତ ?’’
ହସି ନରପତି ବୋଇଲେ,‘‘ତାପସ,
ଇନ୍ଦ୍ରଜାଲ ଏ ପ୍ରକୃତ ।’’
ଶାରଦ୍ବତ-
‘‘ଦେଖ ଶକୁନ୍ତଳା, ଫିଟାଅ ନରେନ୍ଦ୍ର
ନୟନ-ତିରସ୍କରଣୀ,
ପ୍ରତିପନ୍ନ କର କେଉଁ ରୂପେ ତୁମ୍ଭେ
ହୋଇଛ ତାଙ୍କ ଘରଣୀ ?’’
ଶକୁନ୍ତଳା-
‘‘ବୁଝିପାରୁ ନାହିଁ, ସତ୍ୟ କି ଏ କଥା
ଚଳୁଅଛି ପରିହାସ,
ମୋ’ ମନ ପରୀକ୍ଷା କରୁଛନ୍ତି ବୋଲି
ହେଉଛି ଦୃଢ଼ ବିଶ୍ୱାସ ।
କେତେ ରଙ୍ଗେ ଭାଷା କରନ୍ତି ନରେଶ
ବୁଝିବ ବୁଝିବା ଲୋକ,
ଭିନ୍ନ ଭିନ୍ନ ଅର୍ଥ ବହି ବିରଚିତ
ହୋଇଥାଏ ତାଙ୍କ ଶ୍ଲୋକ ।’’
ଦୁଷ୍ମନ୍ତ-
‘‘ସତେ କି ସୁନ୍ଦରି ! ଚିହ୍ନିଅଛ ମୋତେ
ମୁଁ ଧରିଛି ତୁମ୍ଭ କର ?
ସତେ କି ବଲ୍ଲଭ- ରୂପେ ଦେଖିଅଛ
ବଦନକୁ ଦୁଷ୍ମନ୍ତର ?
ଶକୁନ୍ତଳା-
‘‘ଯେଉଁ ବଚନ ମୋ’ ଜୀବନ କିଣିଲା
ଶୁଣୁଅଛି ସେହି ସ୍ୱର,
କମଳିନୀ କେବେ ବିକଶିଅଛି କି
ନ ଚାହିଁ ନିଜେ ଭାସ୍କର ?’’
ଦୁଷ୍ମନ୍ତ-
‘‘ଭଲକରି ଥରେ ଦେଖ କିନା ମୁଁ କି
ଯାଇଥିଲି ତୁମ୍ଭ ପାଶ ?
ତୁମ୍ଭ ପରିଣେତା ମୁହିଁ ଥିବାର କି
କରୁଛ ଦୃଢ଼ ବିଶ୍ୱାସ ?’’
ଶାରଦ୍ବତ-
‘‘ଦେଖ ନା ନୃପଙ୍କ ବଦନ, ବିବାହ-
କଥା କର ପ୍ରତିପନ୍ନ ।
ଶକୁନ୍ତଳା-
‘‘ ସ୍ୱାମୀ ଥିବା ଯେବେ ସମ୍ମତ ନୁହନ୍ତି
ଦେଖିବି କିହିଁ ଲପନ ?
ତେବେ ତାଙ୍କ ପ୍ରୀତି- ଉପହାର ଅଛି
ନାମାଙ୍କିତ ଅଙ୍ଗୁରୀୟ,
ପ୍ରଣୟ-ପ୍ରମାଣ ତାହା ମୋର ନେଇ
କରପଦ୍ମେ ତାଙ୍କ ଦିଅ ।’’
ନରେଶ ବୋଇଲେ, ‘‘ତାହା ଯଦି ଅଛି
ଏତେ କଥା କାହିଁ ପାଇଁ ?’’
ସୁନ୍ଦରୀ ଚଞ୍ଚଳେ ଦେଖିଲା ଅଞ୍ଚଳେ
ଗଣ୍ଠି ନାହିଁ, ମୁଦି ନାହିଁ ।
ଏ କାନି ସେ କାନି ଦେଖିଲେ ବ୍ୟାକୁଳେ,
ସତ୍ତା ନାହିଁ ମୁଦ୍ରିକାର,
ପୂର୍ବରୁ ବିପଦ କରି ଦେଇଅଛି
ନିଜ ପଥ ପରିଷ୍କାର ।
ଚାହିଁ ନରପତି ସହାସେ ବୋଲନ୍ତି,
‘‘ଦେଖ କର ଅନ୍ୱେଷଣ,
ପ୍ରମାଣିତ ହେଉ, ଦୂଷ୍ମନ୍ତ ନୃପତି
କରଇ ମିଥ୍ୟା ଭାଷଣ ।
ଦେଖ ହେ ତାପସ, ବିଳମ୍ୱ କାହିଁକି
ଦେଖାଅ ମୁଦ୍ରିକା ଆଣି,
ହେବ ଏହିକ୍ଷଣି ତୁମ୍ଭ ତପସ୍ୱିନୀ
ହସ୍ତିନାର ପାଟରାଣୀ ।’’
ଅପମାନଭରେ ଶକୁନ୍ତଳା-ହୃଦ
କମ୍ପିଗଲା ଥରଥର,
ନୟନ-ଯୁଗଳୁଁ ଅଶ୍ରୁ ଦୁଇ ଧାର
ବହିଗଲା ଦରଦର ।
ସଖୀ କହିଥିଲା, ଯାହା ତା’ ପ୍ରାଣର
ପ୍ରଣୟ-ମନ୍ଦିର-କଞ୍ଚି;
ହଜାଇ ତା’ ହେଳେ ଅସମ୍ଭବ ମନେ
ହେଲା ରହିବାର ବଞ୍ଚି ।
ଅନ୍ଧକାରମୟ ଦିଶିଲା ଜଗତ,
ସ୍ଫୁରି ନ ପାରିଲା ଭାଷା,
ତେଣୁ ପରିଣତ ହୋଇ ଉଡ଼ିଗଲା
ହିମାଳୟ ତୁଲ୍ୟ ଆଶା ।
ଜାଣି ନ ପାରିଲେ ଅପଘନେ ତାଙ୍କ
ଅଛି କି ନା ଆଉ ପ୍ରାଣ,
କାହିଁ ଯିବେ ଅବା କେମନ୍ତେ ରହିବେ
ତହିଁକି ନ ହେଲା ଜ୍ଞାନ ।
ଢଳି ପଡ଼ୁ ପଡ଼ୁ ଗଉତମୀ ଧରି
ବସିଗଲେ ଭୂମିତଳେ,
ପରାଣ ଅଛି କି ନାହିଁ ବୋଲି ମୁଖ
ଚାହିଁଲେ ଅତି ବିକଳେ ।
ହାହାକାର କରି ତାପସ-ଯୁଗଳ
ବଦନେ ସିଞ୍ଚିଲେ ଜଳ,
ଦେଖିଲେ ନାସିକା- ବାୟୁ ଅଛି, କିନ୍ତୁ
ନୟନ-ତାରା ନିଶ୍ଚଳ ।
ନୃପତି ବୋଇଲେ, ‘‘କାହିଁକି କରୁଛ
ଏ ତାରୁଣ ଅଭିନୟ,
କେଉଁ ଲାଭ ଆଶା ଅଛି ତାହା ବେଗେ
କହନା କରି ନିଶ୍ଚୟ ।’’
ଶାର୍ଙ୍ଗରବ କ୍ରୋଧେ ବୋଇଲେ, ‘‘ଆମ୍ଭର
ନାହିଁ ଧନେ ପଣେ ଆଶ,
ଏହି ଅଭିନୟ ଅଧିନାୟକର
ହେବ ଏକା ସର୍ବନାଶ !
ଆବାଲ୍ୟ ଆଶ୍ରମ- ଲାଳିତା ସରଳା
ମାୟାବନୀ ହେବା ବାଣୀ,
ହାୟ ରେ ଦଇବ, ହାୟ ଧର୍ମଦେବ,
ଏଥି ଶୁଣାଇଲ ଆଣି !
ପର-ପ୍ରବଞ୍ଚନା ଅବଳ-ଗଞ୍ଜନା
ହେଲା ଏବେ ରାଜଧର୍ମ,
ଲକ୍ଷ୍ମୀଦେବି ! ତୁମ୍ଭେ କେଉଁ ଲୋଭେ ପଡ଼ି
ତେଜିପାରୁନାହିଁ ହର୍ମ୍ୟ ।’’
ବୋଇଲେ ନରେଶ, ତରୁଣ ତାପସ,
କରୁଣେ ମିଶାଇ କ୍ରୋଧ,
ବାଳ-ଚପଳତା କିପାଁ ଦେଖାଉଛି
ନ ନେଇ ବିଷୟବୋଧ ?
ତରୁଣୀର ଦଶା- ଦର୍ଶନେ ସହସା
ତନୁ ହୁଏ ଲୋମାଞ୍ଚିତ;
ମଣଇଁ, ମୋ ନାମ କହି କେହି ତାକୁ
କରିଅଛି ପ୍ରବଞ୍ଚିତ ।
ଶୋଭାବତୀ ଶୋଭା- ସରିତରେ ଦେବେ
ହୋଇଯିବେ ଲୋଭାନ୍ୱିତ;
କପଟେ ଲମ୍ପଟ କେହି ତହିଁ ଚାହିଁ
ହୋଇଥିବ ନମଜ୍ଜିତ ।
ଶାର୍ଙ୍ଗ-
‘‘ଦେବେ ଯେବେ ଲୋଭେ ପଡ଼ନ୍ତେ କାହିଁକି
ନେଇଥାନ୍ତେ ତୁମ୍ଭ ନାମ ?
ଦିବ୍ୟ ରୂପ ବହି ପ୍ରଣୟେ କି ହୋଇ
ନ ପାରନ୍ତେ ସିଦ୍ଧକାମ ?
ଦୁଷ୍ମନ୍ତ-
‘‘ସ୍ୱଭାବତଃ ନାରୀ ଦେବେ ଏଡ଼ି ଲୋଡ଼ି-
ଥାଏ ନର-ପ୍ରୀତି-ପାଶ,
ନଳ ରୂପ ଧରି- ଥିଲେ ଦେବେ ବହି
ଦମୟନ୍ତୀ-ଲାଭ-ଆଶ ।’’
ଶାର୍ଙ୍ଗ-
‘‘ସତ୍ୟ ଅପଳାପ ନ ହେଉ, ସନ୍ତାପ
ନ ପଶୁ ସାଧୁ ଜୀବନେ,
ଏହା ଆମ୍ଭ ଶିକ୍ଷା ଏହା ଧର୍ମଦୀକ୍ଷା,
ଏହା ଆମ୍ଭ କାର୍ଯ୍ୟେ ମନେ ।
କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ
କେ କରିପାରିବ ଆନ,
ଶତ ପ୍ରତିଷେଧ ଲଙ୍ଘି ପଶିଥାଏ
କର୍ମଫଳ ବଳବାନ ।
ରହ ଶକୁନ୍ତଳା, ଧର୍ମ ଅନୁସରି
କର୍ମଫଳ କର ଭୋଗ,
ବୃଥା ଆମ୍ଭେ ଆଉ କରି ନ ପାରିବୁଁ
ଅପଧର୍ମ ଅନୁଯୋଗ ।
ଶାରଦ୍ବତ ଭାଇ, ଚାଲ ଆଗ ହୋଇ
ରହି ନ ପାରିବା କ୍ଷଣେ,
ଚାଲ ଗଉତମି, ନ ହେଲେ ପଡ଼ିବା
ମହାପାପ-ଆକ୍ରମଣେ ।’’
ତାପସଙ୍କ ସହ ଚଳିଲେ ଗୌତମୀ
ଦୁଃଖିନୀକି ଦେଇ କାନ୍ତେ,
ଜ୍ଞାନ-ଛାୟା ଲଭି ମଣିଲା ଦୁଃଖିନୀ
ସମର୍ପିତ ହେଲା କାନ୍ତେ ।
ତାପସଙ୍କ ରୀତି ବିଲୋକି ବୋଇଲେ
ନରପତି ଉପହାସେ,
‘‘ଧନ୍ୟ ହେ ତାପସ ! କର୍ମଫଳ ରଖି
ଦେଇଯାଉଛ ମୋ ପାଶେ ।
ପୁରୁବଂଶ ହେବ ବିସ୍ତୃତ-ବିଶ୍ରୁତ-
କୀରତି ଜାର-ସନ୍ତାନେ ।’’
ଶୁଣି ବିମୁଗ୍ଧାର ଆଶା-ଲତା ନବ
ପଲ୍ଲବିତ ହେଲା ପ୍ରାଣେ ।
‘ଜାର’ ଶବ୍ଦ ‘ଯାର’ ବୁଝିଲା ସରଳା
ଅକ୍ଷରଭେଦ ନ ବାରି,
ଭୀମ-ବଜ୍ର-ନାଦ ନ ଗଣି ଚାତକୀ
ପାନ କରେ ଘନ ବାରି ।
ଯେଉଁ ସୁଧାକରୁଁ ସୁଧା ପାନ କରି
ଚକୋରୀ ଥାଏ ଜୀବନେ,
ସେହି ଚନ୍ଦ୍ରମାରୁ ଗରଳ ଝରିବା
କେମନ୍ତେ ଭାବିବ ମନେ ?
ଯେଉଁ ନୃପ-ପ୍ରେମ- ଜଳେ ନିମଜ୍ଜିତ
ହୋଇଅଛି ପ୍ରେମଶୀଳା,
କେମନ୍ତେ ମଣନ୍ତା ସେହି ପ୍ରେମ-ଜଳ
ପାଲଟିଛି ହିମଶିଳା ।
ସମୁଳେ ‘‘ତଥାସ୍ତୁ’’ ଉଚ୍ଚାରି ତାପସେ
ବାହାରିଗଲେ ଚଞ୍ଚଳ,
କାଳେ ପୁରୁବଂଶେ କୁନ୍ତୀର ଉଦରେ
ଫଳିଲା ସେହି ସୁଫଳ ।
ସାଧୁ ପ୍ରତି କରି ଉପହାସ କେହି
ପାଇ ନ ପାରନ୍ତି ପାର,
ସାଧୁ-ଅଙ୍ଗେ ପଡ଼ି ଉପହାସ ପୁଣି
ସାଧିଥାଏ ଉପକାର ।
ଶକୁନ୍ତଳା ଯେଉଁ ଭାବରେ ବୁଝିଲେ
ତାହା ମଧ୍ୟ ନୁହେ ବ୍ୟର୍ଥ,
ପୁତ୍ର ତାଙ୍କ ହେଲେ ଜନନୀ-ମାନସ-
ସିଦ୍ଧି-ସାଧନେ ସମର୍ଥ ।
ସ୍ୱଭାବ-ସାଧବ ସରଳ ହୃଦୟେ
ହୁଡ଼ିଯାନ୍ତି ଯେବେ ପଥ,
ବିଧାତା ସେ ଦୋଷ କ୍ଷମ ସିଦ୍ଧ କରେ
ତାଙ୍କ ଶୁଭ-ମନୋରଥ ।
ସଂଜ୍ଞା ଉପଗତ ହୋଇଗଲା ଆସି
ବିମୁଗ୍ଧାର ଅପଘନେ,
ପ୍ରତ୍ୟାଖ୍ୟାନ କଥା ସବୁ ପରିହାସ
ବୋଲି ବୋଧକଲେ ମନେ ।
ପରିହାସ-ପଟୁ ନୃପମଣି ବୋଲି
ଜାଣି ତ ଥିଲେ ଦୁଃଖିନୀ,
ବିଷକୁ ପୀୟୂଷ ବିଶ୍ୱାସେ ପିଇଲେ
ଥିବାରୁ ପ୍ରେମ-ଭୋଖିନୀ ।
ବିରାଜିଲା ତାଙ୍କ ବଦନର ଜ୍ୟୋତି
ବିମାର୍ଜିତ ହେଲା କାନ୍ତି,
ରାଜଲକ୍ଷ୍ମୀ କି ଏ ମୂର୍ତ୍ତିମତୀ ବୋଲି
ରାଜା-ମନେ ହେଲା ଭ୍ରାନ୍ତି ।
ରାଜଲକ୍ଷ୍ମୀ ଭାର ହୋଇଥିଲା ତାଙ୍କ
ଜୀବନର ସୁଖକର,
ଏହି ରାଜଲକ୍ଷ୍ମୀ ଭାର ହେଲା କିନ୍ତୁ
ଦୁର୍ବହ ଦୁଃସହତର ।
କର୍ତ୍ତବ୍ୟର ବିମୂଢ଼ ହୋଇ ମହାରାଜ
ରହିଲେ ବିଷମ କଷ୍ଟେ,
ବୁଚାରିଲେ ମନେ ଚୁଚୁନ୍ଦ୍ରା ସହସା
ପଶିଗଲା ନାଗ କଣ୍ଠେ ।
ନୃପ-ଭାବ ଦେଖି ପୁରୋଧା ବୋଇଲେ,
‘‘ନରେନ୍ଦ୍ର ନ ହୁଅ ଖିନ୍ନ,
ତୁମ୍ଭର କୁମର ଜନ୍ମିବ ଶରୀରେ
ବହି ଚକ୍ରବର୍ତ୍ତୀ ଚିହ୍ନ ।
କେତେ ମୁନି କେତେ ଗଣକ ଏ କଥା
କହିଛନ୍ତି ବାରମ୍ୱାର,
ସେହିଟି କେବଳ ପ୍ରକୃଷ୍ଟ ଉପାୟ
କଣ୍ୱ-ପତ୍ର ପରୀକ୍ଷାର ।
ପ୍ରସୂତିକା ହେବା- ଯାଏ ବରାରୋହା
ରକ୍ଷିତା ହେଉ ଯତନେ,
ତା’ପରେ ଗ୍ରହଣ ଅବା ନିଗ୍ରହଣ
ଯା’ ହେବ ଛାମୁଙ୍କ ମନେ ।’’
ସଙ୍କେତେ ସମ୍ମତି ବିଜ୍ଞାପିଲେ ନୃପ
ତାଙ୍କ ଗୃହେ ନେବା ପାଇଁ,
ସରଳହୃଦୟା ବିନମ୍ରବଦନା
ବାମା ତା’ ଜାଣଇ ନାହିଁ ।
ବାମାକୁ ପୁରୋଧା ବୋଇଲେ, ‘‘ଆସ ମା,
ସଦନକୁ ଯିବା ଆସ,
ଧର୍ମବଳ ତୋର ସୁଖ ସମ୍ପାଦିବ
ଧରମେ ରଖ ବିଶ୍ୱାସ ।
ଚାଲିଲେ ପୁରୋଧା, ଗଲେ ଶକୁନ୍ତଳା
ତାଙ୍କ ପଦ କରି ଲକ୍ଷ୍ୟ,
ଅଭାଗିନୀ ମନେ କଲେ ଯାଉଛନ୍ତି
ପ୍ରାଣେଶ-ନିବାସ-କକ୍ଷ ।
ଜାଣିଥାନ୍ତେ ଯଦି ଗତି ହେଉ ନାହିଁ
ପତିଙ୍କ ପୁଣ୍ୟ ପ୍ରାସାଦ,
ଜୀବନ ସଂଶୟ ହୋଇଥାନ୍ତା, କାହିଁ
ଚଳିଥାନ୍ତା ଅବା ପାଦ ?
କିଛି ଦୂର ଯାଇଁ ପଥେ ଉଭା ହୋଇ
ଅପୂର୍ବ ଏକ ସୁନ୍ଦରୀ,
‘ଆସ ବତ୍ସେ, ଆସ ମୋ ପୁରକୁ’ ବୋଲି
ନେଲା ବାଳା-କର ଧରି ।
‘ଏ କି ଏ କି’ ବୋଲୁଁ ବୋଲୁଁ ପୁରୋହିତ
ଜାଣି ନ ପାରିଲେ ଆଉ,
କେଉଁ ଦିଗେ ଘେନି- ଗଲା ସେ ରମଣୀ,
ଆସିଥିଲା ଅବା କାହୁଁ ?
ବାମା ନିରୁଦ୍ଦେଶ ବାରତା ଜାଣିଲେ
ପୁରୋଧା-ମୁଖୁଁ ନରେଶ,
ଜାଣି ନ ପାରିଲେ କରିଛି ପ୍ରଣୟ
ପୁଷ୍ପେ କୀଟ ପରବେଶ ।
ମତି ଯା’ର ଶୁଭ ଗତିରେ ତା’ ଶୁଭ
ଉଭା କରିଦିଏ ଧର୍ମ,
ଶକୁନ୍ତଳା ଯହିଁ ରହିଲା ସେ ପୁର
ଦୁଃଖ-ବିଶିଖର ବର୍ମ ।