ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ · ଭାଗ ୭ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଭାଗ
ରାଧା କଳଙ୍କ ଭଂଜନଗୀତ– ୧ଦିନେ କଳାକାହ୍ନୁ କପଟ କରି ।ଶୋଇଲେ ମିଛେ ଜରୁଆଙ୍କ ପରି ॥
।୧।ଦେହରେ ତାତି ଖଇ ଫୁଟୁଥାଏ ।କୃଷ୍ଣ ହୋଇଲେ ବାତୁଳ ପରାଏ ॥
।୨।ଶୋଷେ ଘନ ଘନ ଖୋଜନ୍ତି ପାଣି ।ଦେଖି ମାତାଙ୍କ ହୃଦ ହେଲା ହାଣି ॥
।୩।ଡ଼ରିଯାଇଛି ମୋ ଗଳାର ହାର ।କୋଳେ ଧରି ମାତା ହେଲେ ଅଧିର ॥
।୪।ଗୀତ – ୨ଦୁଃଖେ ଯଶୋବନ୍ତୀ ବୈଦ୍ୟକୁ ପୁଚ୍ଛନ୍ତିଜାଣିଛ କି କବିରାଜି ।କି କାରଣେ ପୁତ୍ର ଖୋଲୁ ନାହିଂ ନେତ୍ରଜ୍ୱରରେ ଯାଏ ଆଉଜି ॥
ନୀଡ଼ୀ ଦେଖି ବୁଢ଼ା ଦଣ୍ଡେ ହେଲା ଛିଡ଼ାକହିଲା ରୋଗ ବିଧାନ ॥
ଏ ବିଷମ ଜ୍ୱର ଅଢ଼େଇ ପ୍ରହରନେଇପାରେ ରୋଗୀ ପ୍ରାଣ ॥
ଅଛି ଏକ ବିଧି କରିପାର ଯଦିଶାସ୍ତ୍ରରେ ପ୍ରମାଣ ଏହି ।ଶତ ଛିଦ୍ର କୁମ୍ଭେ କଳ ଆଣି ତୁମ୍ଭେରୋଗୀକୁ ଦିଅ ଗୋଧୋଇ ॥
ଜନ୍ମଦାତ୍ରୀ ଛଡ଼ା ଅନ୍ୟ କେହି ନାରୀପାଳିଥିଲେ ସତ୍ୟବ୍ରତ ।ଛିଦ୍ର କୁମ୍ଭେ ଜଳ ଆଣିବେ ଚଞ୍ଚଳଆନେ ହେବ ବିପରିତ ॥
ଶୁଣି ସର୍ବ ଗୋଈ ଏକୁ ଆର ହୋଇସର୍ବେ ହେଲେ ଠରାଠରି ।ଏ ବୁଢ଼ା ବଇଦ ଯୋଗୁଂ କର୍ମ ମନ୍ଦହେଲା ଆମ୍ଭର ଭଗାରି ॥
ଶୁଣି ବୈଦ୍ୟ ବାଣୀ ଯଶୋବନ୍ତୀ ରାଣୀଛିଦ୍ର କୁମ୍ଭ ଅଣାଇଲେ ।ଜଳ ଆଣିବାକୁ ଯମୁନା ନଦୀକୁସଭିଂଙ୍କୁ ଆଦେଶ ଦେଲେ ॥
ମନେ ଲାଜ ପାଇ କେହି ଗଲେ ନାହିଂମଉନେ ହୋଇଲେ ଛିଡ଼ା ।ଦେଖି ନନ୍ଦ ରାଜା ଡ଼କାଇ ପରଜାବୋଇଲେ ମୋ କର୍ମ ପୋଡ଼ା ॥
ଜଟିଳା କୁଟିଳା ଆଦି ଯେତେ ବାଳାସର୍ବେ ହୋଇଲେ ମଉନେ ।ବୋଲେ ଯଶୋମାତା ବୃଷଭାନୁ ସୁତାରାଧାଙ୍କୁ ଡ଼କା ବହନ ॥
ଗୀତ – ୩ମନେ ଖୁସିହୋଇ କୁଟିଳା ଶ୍ରୀରାଧାଙ୍କୁ ଡ଼କାଇ ।ମୁରୁକି ମୁରୁକି ହସିଲେ ତାଚ୍ଛଲ୍ୟ କଥା କହି ॥
।୧।ଆସ ସତୀ ଶିରୋମଣି ଗୋ ହେବ ସତୀ ପରୀକ୍ଷା ।ଶୁଣି ରାଧା ଆସି କରିଣ କଲେ କରୁଣା ଭିକ୍ଷା ॥
।୨।ସମର୍ପିଲେ ନିଜ ଜୀବନ କୃଷ୍ଣ ପାଦ ପୟରେ ।ଡ଼ାକିଲେ ରଖ ବଂଶୀଧର କୃପାକରି ମୋଠାରେ ॥
।୩।ରଖ ଘନଶ୍ୟାମ ପ୍ରଭୁ ହେ ରଖ କୁଞ୍ଜବିହାରୀ ।ଏ ଦାସୀ ଶ୍ରୀପଦ ସେବୁଛି ନ ହସାଅ ମୁରାରି ॥
।୪।ଦୟାମୟ ଦୟା ବହିଣ କଳଙ୍କ ଦୁର କର ।ଯୁଗେ ଯୁଗେ ରହୁ କୀରତି ଏ ମାଗୁଣି ମୋର ॥
।୫।ଶ୍ରୀକୃଷ୍ଣ ସୁମରି ଶ୍ରୀରାଧା ଛିଦ୍ର କଳସ ଧରି ।ଯମୁନା ନଦୀକୁ ଯାଆନ୍ତି ନୀର ଆଣିବେ ଭରି ॥
।୬।କୁମ୍ଭ ଭର୍ତ୍ତିକରି ଆଣିଲେ ଜଳ ଆନନ୍ଦ ହୋଇ ।ନିରେଖି ଚାହାଂନ୍ତି ସରବେ ଜଳ ଅଛି କି ନାହିଂ ॥
।୭।ନନ୍ଦ ଘରେ ହେଲେ ପ୍ରବେଶ ଜଳ ହୋଇଛି ପୂର୍ଣ୍ଣ ।ସେହି ଜଳ ନେଇ କୃଷ୍ଣଙ୍କୁ କରାଇଲେ ସ୍ନାହାନ ॥
।୮।ଜ୍ୱର ଦୂରହେଲା କାହ୍ନୁର ବେଗେ ହେଲେ ଆରୋଗ୍ୟ ।କଳଙ୍କ ତୁଟିଲା ମନରୁ ଖୋଲିଲା ରାଧା ଭାଗ୍ୟ ॥
।୯।ରାଧା କୃଷ୍ଣଙ୍କର ରହସ୍ୟ ଅତି ଆଶ୍ଚର୍ଯ୍ୟ ଜାଣ ।ଗୀତରେ ଭଣିଲେ ଅଚ୍ୟୁତ ଏ କଳଙ୍କ ଭଜନ ॥
।୧୦।କୃଷ୍ଣଙ୍କ କାଚରା ବେଶଦିନେ ବଂଶୀଧାରୀ ମନରେ ବିଚାରିହୋଇଲେ କାଚରା ବେଶ ।ଗୋପଦାଣ୍ଡେ ଯାଇ ଡାକୁଛନ୍ତି ରହିକାଚ କେ କିଣିବ ଆସ ॥
ନାନା ଜାତି କାଚ ଆଣିଅଛି ମୁହିଂନେଇ ଯାଅ ବାଛି ବାଛି ।ପସରାରେ ମୋର ଅନେକ ପ୍ରକାରକାଚମାନ ରଖିଅଛି ॥
ଯା ହାତକୁ ଯେଉଂ କାଚ ଗୋ ମାନିବଦେବି ଯତନେ ପିନ୍ଧାଇ ।କାଚରାର ଡାକ ଶୁଣି ଗୋପୀ ଯାକମନରେ ଆନନ୍ଦ ପାଇ ॥
କେଉଂଭଳି କାଚ ତୁମ୍ଭେ ଆଣିଅଛଦେଖାଅ କାଚରା ଭାଇ ।ନ ଦେଖିଲେ କାଚ କି ମୂଳ କରିବୁଏହା ଉଚିତ ନୋହଇଂ ॥
ଡ଼କାଡ଼କି ହୋଇ ଏକୁ ଆରେ ଚାହିଂବେଢିଲେ କାଚରା ପାଶେ ।ବୋଲନ୍ତି କାଚରା ଶୁଣ ନାରୀ-ହୀରାକାଚ ଦେଖି ଯା ହରଷେ ॥
ନୀଳମେଘୀ କଳା ବତୀ କାଚ ଅଛିଦିଶୁଛି କି ମନୋହର ।ଅସୁନ୍ଦର ନାରୀ ହୋଇଥିଲେ ଭରିଦିଶିବ କେଡ଼େ ସୁନ୍ଦର ॥
ଯାର ଶ୍ରଦ୍ଧା ଅଛି ନେଇଯାଅ ବାଛିଦେଇଣ ଉଚିତ ମୂଲ ।ଭଳି ଭଳି ଯେତେ କାଚ ଅଛି ସେତେପିନ୍ଧିଲେ ଲାଗିବ ଭଲ ॥
ଦେଖ ବ୍ରଜ ବାଳୀ ସୁନେଲୀ ରୂପେଲୀକାଚର କିପରି ଖଣି ।ମୋ ପାଖକୁ କିଣି ନିଅ ଗୋ ତରୁଣୀସତ୍ୟ ଅଟେ ମୋର ବାଣୀ ॥
ପଞ୍ଚୁରଙ୍ଗ ବର୍ଣ୍ଣି ନୀଳ ବାଇଗଣିପିନ୍ଧିଲେ ଶୋଭା ଦିଶେଟି ।ନ ଥିଲେଟି ଧନ କରଜ କରିଣଅବଶ୍ୟ ଆଣ ଝଟତି ॥
କାଚ ଅଛି ଦେଖ ମନ ଥିଲେ ରଖଫୁଟି ଦିଶୁଛି ମାଣିକ୍ୟ ।ହୀରା ମଣି ଏହା ସୁନା ପାଣିଦିଆସବୁଠାରୁ ଏ ଅଧିକ ॥
ରହିଅଛି ଚୁଡ଼ି ବାଛି ନିଅ କାଢ଼ିନୀଳ ଦାଗ ଅଛି ପଡ଼ି ।ଏହାର ମୂଲଟି ଅଧିକ ହୋଇଛିଆଣିଛି ମୁହିଂ ସଜାଡ଼ି ॥
ଯେତେ ପରକାର କାଚ ଥିଲା ମୋରଦେଖାଇଲି ନିଅ ହସି ।ଶୁଣି ଗୋପୀଗଣ ବୋଲନ୍ତି ବଚନକେଉଂ ଦେଶୁ ଅଛ ଆସି ॥
ଟୋକା ବୟସକୁ କାହିଂକି ତୁମ୍ଭକୁଲାଗିଲା ଗୃହ ଜଞ୍ଜାଳ ।କାଚରା ବୋଲନ୍ତି ଶୁଣ ଗୋ ଯୁବତୀଅତି ମନ୍ଦ ମୋ କପାଳ ॥
ଅତି ଅଲିଅଳେ ମୋର ସାଥି ପିଲେଖେଳୁଛନ୍ତି ଗେହ୍ଳା ହୋଇ ।ଦ୍ୱାର ଦ୍ୱାର ବୁଲି କାଚ ମୁଂ ବିକିଲିଲିହିଅଛି କର୍ମେ ବିହି ॥
ବିଶାଖା ବୋଲନ୍ତି କୃଷ୍ଣଚନ୍ଦ୍ର କାନ୍ତିପରି ଦିଶୁଛି ବଦନ ।କାଚରା କହଇ କେଉଂ କୃଷ୍ଣ ମୁହିଂଦେଖିନି ତିନି ଭୁବନ ॥
କାଚରାର କଥା ଶୁଣିଣ ଲଳିତାରାଧାଙ୍କୁ ସଙ୍ଗତେ ଧରି ।ଦୁହେଂ ପରବେଶ ଦେଖି ପୀତବାସକଳା କାଚ ଦେଲେ ଭରି ॥
କାଚ ପିନ୍ଧିକରି ରାଧିକା ସୁନ୍ଦରୀମନେ ସନ୍ତୋଷ ଲଭିଲେ ।ସର୍ବ ଗୋପୀ ମିଳି ଦେଲେ ହୁଳହୁଳିକୃଷ୍ଣଙ୍କୁ ରାଧା ଚିହ୍ନିଲେ ॥
ରାଧାକୃଷ୍ଣ ରସ ଅମୃତ ପରାଏପାପ ଯାଏ ଶୁଣିଦେଲେ ।ଏହି ଦିବ୍ୟ ରସ ପୁରାଣ ସାର ଯେଗୀତେ ଅଚ୍ୟୁତ ଭଣିଲେ ॥
ଓଗାଳ – ୧ଶୁଣ ହେ ଗୋପାଳ ଭାଇ ଦେଇ ମନକର୍ଣ୍ଣ ।ପଚାରିବା କଥା ପ୍ରତି ଦିଅ ହୋ ଧିଆନ ॥
।୧।ରାତ୍ର ଥାଉଂ ଗୋପୀମାନେ ତରତରେ ଉଠି ।ଗୋମୟ ଆଣିଣ ଦ୍ୱାରେ ଦେଲେ ସେହୁ ଝୋଟି ॥
।୨।ଅଙ୍ଗମାନ ପଖାଳିଲେ ସୁବାସିତ ଜଳେ ।ପାଟ ନେତ ପତନୀ ଯେ ପିନ୍ଧିଲେ ସକଳେ ॥
।୩।ମାଣିକର ଦିପାବଳୀ ଜଳାଇଣ ଗୋଈ ।କନକ ମଣାଇଲେ ଯେ ସଜାଡ଼ିଲେ ଦହି ॥
।୪।ସ୍ଫଟିକର ଖମ୍ବ ଯେ ଖଡ଼ୁଟି ରୂପା ଜାଲି ।ମର୍କତର ହାରକୁ ମାଣିକ ଖୁଆ ଫୁଲି ॥
।୫।ପାଟ ଡୋର ସେଥିକି ଯେ ହୀରାଲଗା ଫୁଲେ ।ଉଚ୍ଚାରିଲେ ଗୋପାଳୁଣୀ ହରି ହରି ବୋଲେ ॥
।୬।ନମସ୍ତେ ନମସ୍ତେ ତୁ କପିଳା ଦେବୀ ମାତ ।ଅନାଦି ପୁରୁଷ ତୋତେ ଅଙ୍ଗୁ କଲେ ଜାତ ॥
।୭।ସୁମରନ୍ତି ରାମକୃଷ୍ଣ କେଶବ ମୁରାରି ।ନମସ୍ତେ ଦଧିବାମନ ଗୋକୁଳ ବିହାରୀ ॥
।୮।ଗୋଲୋକ ଗୋପାଳ ନିତ୍ୟେ ସେବନ୍ତି ଯାହାଙ୍କୁ ।ଅନାଦିଙ୍କ ଆଜ୍ଞାରେ ନିଯୋଗୀ ଖଟିବାକୁ ॥
।୯।କୃଷ୍ଣ ନାମ ଗାୟନ ମଙ୍ଗଳ ହୁଳହୁଳି ।ଖୁଆର ଶବଦରେ ଯେ ସମୁଦ୍ର ଉଛୁଳି ॥
।୧୦।ସରିଲା ଦଧି ମନ୍ଥନ ତୋଳିଲେ ଲବଣୀ ।ଦଧିଭାଣ୍ଡ ପସରା ସାଜିଲେ ଗୋପାଳୁଣୀ ॥
।୧୧।ରୂପାର ପସରା ଯେ ସୁବର୍ଣ୍ଣ ଭାଣ୍ଡେ ଦହି ।ମାଣିକ୍ୟର କୁଞ୍ଚା ଗୋଟି ତଥି ପାଖେ ଥୋଇ ॥
।୧୨।ସୁବର୍ଣ୍ଣ ଚାଙ୍ଗୁଡ଼ି ଢାଙ୍କି ପାଟର ମୁଚୁଳି ।ଚନ୍ଦ୍ରସେଣା ନବରକୁ ବେଗେ ଗଳେ ଚଳି ॥
।୧୩।ଅର୍ଦ୍ଧକୋଶ ମାଡ଼ି ତାର ମୁଗୁନି ଗୁହାଳି ।ସେଠାବରେ ବିଜେହେଲେ ସେ ସମସ୍ତ ବାଳି ॥
।୧୪।ମେଳହୋଇ ଗୋଈ ଯେ ଡାକ ଦେଲେ ପୁଣି ।ରାଧିକା ଯେ ବିଜେହେଲେ ଗୃହରୁ ସେକ୍ଷଣି ॥
।୧୫।ଧୀରେ ଧୀରେ ବିଜେହେଲେ ମୁଗୁନି ପୀଠରେ ।ଗୋପୀମାନେ ପ୍ରଣମିଲେ ରାଧିକା ପୟରେ ॥
।୧୬।ଯେ ଯାହାର ମାନ୍ୟ ଘେନି ସମ୍ଭାଳିଣ ବାଳୀ ।ବୋଇଲେ ସୁବେଶ ହୁଅ ଯିବା ଗୋ ଗୁଆଳି ॥
।୧୭।ସର୍ବ ଗୋପାଙ୍ଗନାମାନେ ଦିବ୍ୟ ବେଶ ହୋଇ ।ହୁଳହୁଳି ଦେଇଣ ମଙ୍ଗଳ ଗୀତ ଗାଇ ॥
।୧୮।କସ୍ତୁରୀ କର୍ପୁର ଗନ୍ଧ ଚନ୍ଦନ ଲେପନ ।ମଙ୍ଗଳର ଶବଦ ଶୁଭଇ ଘନଘନ ॥
।୧୯।ପୂର୍ଣ୍ଣକୁମ୍ଭ ଥାପିଣ ଯେ ଚୁତ ଡ଼ାଳ ଦେଇ ।ଗୁଆ ଯେ ଶ୍ରୀଫଳ ଦୁର୍ବାକ୍ଷତ ତହିଂ ଥୋଇ ॥
।୨୦।ନାରିକେଳ ଯେ କଦଳୀ ଆଦି ନାନା ଫଳ ।ଛେନା ଯେ ଶାକର ପଣା ବାଢିଲେ ଶୀତଳ ॥
।୨୧।ଦିପାବଳୀ ମାନ ଜାଳୀ ମଙ୍ଗଳ ଆଳତି ।ଆଗ କରି ବନ୍ଦାଇଲେ ରାମକୃଷ୍ଣ ମୂର୍ତ୍ତି ॥
।୨୨।ନିରଞ୍ଜନ ଅର୍ଘ୍ୟ ଦେଇ କପିଳାଙ୍କୁ ସ୍ତୁତି ।ତୁମ୍ଭଙ୍କୁ ସେବିଣ ଯେ ଗୋପାଳ ବୃନ୍ଦ ସୁସ୍ଥି ॥
।୨୩।ଅମୃତଭାଣ୍ଡର ରସ କ୍ଷୀରର ପସରା ।ଛପନ କୋଟି ଜୀବଙ୍କ ଅଟେ ଜୀବଧାରା ॥
।୨୪।ବ୍ରହ୍ମା ବିଷ୍ଣୁ ମହେଶ୍ୱର ଦଶ ଦିଗପାଳ ।ଏମନ୍ତେ ଯେ ଗୋପୀମାନେ ବନ୍ଦାନ୍ତି ସକଳ ॥
।୨୫।ଏତେ ବୋଲି ପସରାକୁ ସ୍ତୁତିକରି ବାଳୀ ।ଦଧିଭାଣ୍ଡ ମୁଣ୍ଡେ ଘେନି ପଥେ ଗଲେ ଚଳି ॥
।୨୬।ଷୋଳ ସହସ୍ର ଗୋପିକା ଢଗ ଯେ ଢମାଳି ।ଯମୁନା କୂଳରେ ଯେ ଦେଖିଲେ ବନମାଳୀ ॥
।୨୭।ମନେ ବିଚାରନ୍ତି କୃଷ୍ଣ ଜାତି ଗୋପାଳୁଣୀ ।ଏମାନଙ୍କୁ ସରି ନୁହେଂ ଇନ୍ଦ୍ରର ଘରଣୀ ॥
।୨୮।କନକ ପୁଷ୍ପ ପରାଏ ଦିଶନ୍ତି ଯୁବତୀ ।ଏକୁ ଆରେକ ସମସ୍ତେ ବୟେସ ସୁମୂରତି ॥
।୨୯।ଦିବ୍ୟ ଅଳଙ୍କାର ଶୋଭା ଦେବଙ୍କୁ ଦୁର୍ଲ୍ଲଭ ।ଦେଖିଣ ଏହାଙ୍କୁ ବ୍ରହ୍ମା କରିବେଟି ଲୋଭ ॥
।୩୦।ଏତେ ଭାବି ଗୋପୀନାଥ ଓଗାଳିଲେ ଯାଇଂ ।କେଣିକି ଯାଉଛ ଗୋପୀ ଘାଟ ତ ନ ଦେଇ ॥
।୩୧।ଦଧି ଦୁଧ ଛେନା ବିକି ଗୋପପୁରେ ଥାଅ ।ରାଜାକୁ କର ନ ଦେଇ ଚାତୁରୀ ଦେଖାଅ ॥
।୩୨।ପ୍ରତାପୀ କଂସର ତେଜ ନ ଲାଗେ ତୁମ୍ଭଙ୍କୁ ।ଗୋପେ କଂସ ନୃପତି ଯେ କରିଛି ଆମ୍ଭଙ୍କୁ ॥
।୩୩।ଆୟ ବ୍ୟୟ ମୂଳ ଜମା ଆମ୍ଭଠାରୁ ନେବ ।ଗୋପ ଗୋପାଳୁଣୀ ତୁମ୍ଭେ ଏହା ନ ଜାଣିବ ॥
।୩୪।ଘାଟପେଣ୍ଠ କଂସ ରାଜା କଳା ଆମ୍ଭ ମୂଳେ ।ଜମା ନ ଦେଇଣ ଗୋପୀ ଯାଉଅଛ ବଳେ ॥
।୩୫।ଏତେ ଦିନେ ତୁମ୍ଭେ ଆମ୍ଭ ପଡ଼ିଅଛ ଭେଟ ।ପସରାମାନ ଗଣାଇ ଦେଇଯାଅ ଘାଟ ॥
।୩୬।ଶ୍ରୀକୃଷ୍ଣ ବଚନ ତହୁଂ ଶୁଣ ସର୍ବ ଗୋପୀ ।ଏକକୁ ଆରେକ ଭାଷା କହନ୍ତି ସଂଛେପି ॥
।୩୭।କେ ବୋଲଇ ନନ୍ଦସୁତ କରିଛି ମୁରାଟ ।ଘୋଳଦହି ପସରାକୁ ମାଗୁଅଛି ଘାଟ ॥
।୩୮।ନନ୍ଦ ସମ୍ପଦ ଯେବେ ବା ବହୁତ ନୋହିବଆମ୍ଭେ ସଞ୍ଚିଥିବା ଧନ କଂସ ବହି ନେବ ॥
।୩୯।ରାଧିକା ବୋଇଲେ ତୁମ୍ଭେ ନକର ଗହଳ ।ଖେଳୁଆଡ଼ ପୁଅ ସେ ତ କରୁଛି ଜଞ୍ଜାଳ ॥
।୪୦।ପ୍ରବୋଧ କରିଣ ଆମ୍ଭେ ଦଧି ବିକି ଯିବା ।ଲେଉଟି ଅଇଲେ ତାଙ୍କ ମାତାଙ୍କୁ କହିବା ॥
।୪୧।ରାଧିକା ବଚନ ଯହୁଂ ଶୁଣିଲେ କହ୍ନାଇ ।ହସି ଉଠିଲେକ ପ୍ରଭୁ ଟହ ଟହ ହୋଇ ॥
।୪୨।ବୋଇଲେ ବାଳୁତ ପୁଅ କହିଲ ଗୋ ମାଇଂ ।ବାର ବରଷର ଘାଟ ନେବି ଏଇଠାଇଂ ॥
।୪୩।ମାଇଂର ଗୈାରବ ବୋଲି କାହାକୁ ନମାନ ।ଏଠାରେ ସରିବ ଯେ ତୁମ୍ଭର ବଡ଼ପଣ ॥
।୪୪।ଏତେ ବୋଲି ପ୍ରକାଶିଲେ ପରଂବ୍ରହ୍ମ ମୂର୍ତ୍ତି ।ଆବର ସିଂହ ଠାଣିରେ ହେଲେ ସୁମୂରତି ॥
।୪୫।ଦିବ୍ୟ ରୂପ ଦେଖି ଗୋପୀ ହୋଇଲେ କାତର ।ପାଶୋରିଲେ ଦଧିବିକା କାମେ ଜର ଜର ॥
।୪୬।ଦଧି ତଳେ ଓହ୍ଳାଇଲେ ସକଳ ଗୁଆଳୀ ।ବୋଇଲେ ଶ୍ରୀକୃଷ୍ଣ ସଙ୍ଗେ କରିବା ଗୋ କେଳି ॥
।୪୭।ଆଜିଠାରୁ ଦଧି ଆମ୍ଭେ ନ ନେବୁଂ ଗୋପରୁ ।ସମସ୍ତେ ଖାଇବା ଯାଇ ନନ୍ଦରାଜା ଘରୁ ॥
।୪୮।ଶ୍ରୀକୃଷ୍ଣ ବୋଇଲେ କେତେ କରୁଛ ଚାତୁରୀ ।କୁବେର ସମ୍ପତ୍ତି ଯେ ତୁମ୍ଭଙ୍କୁ ନୁହେଂ ସରି ॥
।୪୯।ଗୋପୀଏ ବୋଇଲେ ତୁମ୍ଭେ ଶୁଣ ଚକ୍ରଧର ।ତୁମ୍ଭ ଜନ୍ମ କାଳୁଂ ଆମ୍ଭେ ନ ଜାଣୁ ଯେ କର ॥
।୫୦।ଏହି ଗୋପପୁରେ କଷ୍ଟ ପାଇଥିଲା ନନ୍ଦ ।ଗୋପେ ବଢାଇଲା ଏବେ ଗୋକୁଳର ଚାନ୍ଦ ॥
।୫୧।କହୁ କହୁ ବଢିଲା ଯେ ଗୋପୀଙ୍କର ସ୍ନେହ ।ମୋହନ ମୂରତି ଚାହିଂ ଶାନ୍ତି କଲେ କୋହ ॥
।୫୨।ଗୋପୀଏ ବୋଇଲେ ତୁମ୍ଭେ ଶୁଣ ବନମାଳୀ ।ଏକା ତୁମ୍ଭେ ବନ୍ଦୀ କଲ ଷୋଳ ସସ୍ର ବାଳୀ ॥
।୫୩।ଶାଶୁ ନଣନ୍ଦ ଆମ୍ଭର ଦେଉଥିବେ ଗାଳି ।ଗ୍ରାହକ ନ ନେବେ ଦଧି ହୋଇଲେ ଆମ୍ବିଳି ॥
।୫୪।ବିକିକରି ଆସୁ ଆମ୍ଭେ ଯିବୁ ନିଜ ପୁର ।ଲେଖା ଯେ କରିବା ତହିଂ ଘାଟର ବେଭାର ॥
।୫୫।ଶ୍ରୀକୃଷ୍ଣ ବୋଇଲେ ଗୋପୀ ହୋଇଲ କି ବାଇ ।ସମ୍ମୁଖେ ପଡ଼ିଛ ଆଜ ଛାଡ଼ିବି ମୁଂ ନାହିଂ ॥
।୫୬।ଶ୍ରୀକୃଷ୍ଣ ବଚନ ଶୁଣି ହସିଲେ ରାଧିକା ।ନୟନେ ପଡ଼ିଛି ଆଜ କରି ଲେଖାଯୋଖା ॥
।୫୭।ତୁମ୍ଭେ ତ ବାଳୁତ ପୁଅ ଆମ୍ଭେ ସ୍ତିରୀଜନ ।ଲେଖା ଯଦି ଲେଖିବ କରଣ ଜଣେ ଆଣ ॥
।୫୮।ଶ୍ରୀକୃଷ୍ଣ ବୋଇଲେ ଗୋପୀ କରଣଟି ଆମ୍ଭେ ।ଅମୂଲ୍ୟ ପସରା ଘେନି ବିକି ଯାଅ ତୁମ୍ଭେ ॥
।୫୯।ଦେଇ ଅଳଙ୍କାର ତୁମ୍ଭ ପସରା ସହିତେ ।ଘଟ ଧନ ବିଧି ଆଗୋ ଲେଖିବା ଗୋ କେତେ ॥
।୬୦।ଗୋପରେ ହୋଇବ ତୁମ୍ଭେ ନବଲକ୍ଷ ଘର ।ନିତ୍ୟ ନବଲକ୍ଷ ସୁନିଆଂ ହୋଇବ ଆମ୍ଭର ॥
।୬୧।ଶ୍ରୀକୃଷ୍ଣ ବୋଇଲେ କିଛି ଅଣ୍ଟିବ ତ ନାହିଂ ।ଏ ଧନ ଶ୍ରୀହରି ନେଇ ସାଇତିବୁ କାହିଂ ॥
।୬୨।ଜାଣିଲଇଂ ଶ୍ରୀହରି ଜନମ ଆମ୍ଭ ଦୁଃଖୀ ।ଦେହ ଅଳଙ୍କାରକୁ ଯେ ଦେଉଅଛ ଆଖି ॥
।୬୩।ଜାତିରେ ଗୋପାଳ ଆମେ ଗାଈ ଆମ ଧନ ।ଦଧି ଦୁଧ ଛେନା ବିକି ପୋଷୁ ଏ ଜୀବନ ॥
।୬୪।ଶ୍ରୀକୃଷ୍ଣ ବୋଇଲେ ଗୋପୀ ସବୁକଥା ଛାଡ଼ ।କେ ତୁମ୍ଭଙ୍କୁ ଗାଈ ଦେଲା କାହିଂର ଗଉଡ ॥
।୬୫।ପସରାର ଆଦ୍ୟସ୍ଥାନ କହିବ ଆମ୍ଭଙ୍କୁ ।ଯେତେକ ହୋଇବ ଧନ ଛାଡ଼ିବି ତୁମ୍ଭଙ୍କୁ ॥
।୬୬।ରାଧିକା ବୋଲନ୍ତି ତୁମ୍ଭେ ଶୁଣ ଭଗବାନ ।ତୁମ୍ଭଙ୍କୁ କିସ ଅଜଣା ଅଟ ନାରାୟଣ ॥
।୬୭।ଶ୍ରୀକୃଷ୍ଣ ବୋଇଲେ ଗୋପୀ ସ୍ଥିରହୋଇ ବସ ।ଗୁପ୍ତକଥା ଶୁଣି ମୁଂ ଯେ ହୋଇବି ସନ୍ତୋଷ ॥
।୬୮।ନିଗମ କଦମ୍ବ ମୂଳେ ସମସ୍ତେ ବସିଲେ ।ରାଧିକାଙ୍କୁ ଶ୍ରୀକୃଷ୍ଣ ଯେ ପୁଣି ପଚାରିଲେ ॥
।୬୯।କହ ସଖୀ ଗୋପାଳଙ୍କ ଆଦି ବିଧିମାନ ।ଦଧି ଦୁଧ ଖୁଆ ପାଞ୍ଚ ପସରା ବିଧାନ ॥
।୭୦।ଶ୍ରୀକୃଷ୍ଣଙ୍କ ପ୍ରଶ୍ନର ଉତ୍ତର ଦେବେ ରାଧା ।ଏହା ଶୁଣିବାକୁ ଅଚ୍ୟୁତାନନ୍ଦର ଶରଧା ॥
।୭୧।ଉତ୍ତାରରାଧିକା କହନ୍ତି ଯାହା ପଚାରନ୍ତି ହରି ।କେ କହିପାରିବ ତାହା ଆଦି ଅନ୍ତ କରି ॥
।୧।ଅପାର ଦିନର କଥା ଶୁଣିଥିଲି ପୂର୍ବେ ।ପିତାମୋର କହୁଥିଲେ ମାତାଙ୍କର ଆଗେ ॥
।୨।ତୁମ୍ଭେ ତ ଅନାଦି ନାଥ ପଚାରିଲ ମୋତେ ।ତୁମ୍ଭରି ଆଜ୍ଞାରେ ମୁହିଂ କହୁଅଛି ୟେତେ ॥
।୩।ଯେତେବେଳେ ନଥିଲା ପୃଥିବୀ ଆପ ବାଇ ।ଶୂନ୍ୟରେ ଅନାଦି ଥିଲେ ଡ଼ିମ୍ବକୋଷ ହୋଇ ॥
।୪।ଅନାଦିଙ୍କ ମନରୁ ଯେ ଆଦି ଜାତ କଲେ ।ଆଦିଙ୍କ ଠାବରୁ ବ୍ରହ୍ମା ବିଷ୍ଣୁ ଜନମିଲେ ॥
।୫।ଓଂକାର ତ୍ରିଗୁଣ ରୂପେ ହୋଇଲେ କୁମର ।ନିରୋପି ଚାହିଂଲେ ପିତା କାହୁଂ ନାହିଂ କ୍ଷୀର ॥
।୬।ଅଧୋମୁଖେ ରହିଣ ଅନାଦି ସ୍ତୁତି କଲେ ।କଳ୍ପନାରୁ କପିଳା ଯେ ବାହାର ହୋଇଲେ ॥
।୭।କପିଳାଂଠୁ ଜନମିଲେ ପୁଣି ଚାରି ବତ୍ସ ।କପିଳାର କ୍ଷୀର ଯହୁଂ ହୋଇଲା ପ୍ରତ୍ୟକ୍ଷ ॥
।୮।କ୍ଷୀର ଲାଗି ହୁଅନ୍ତେ ଯେ ଅନାଦି ଜାଣିଲେ ।ସାତଭାଗ କରି ଡ଼ିମ୍ବକୋଷ ଫୁଟାଇଲେ ॥
।୯।ଅଙ୍ଗୁ ଜାତ କଲେ ପ୍ରଭୁ ନନ୍ଦ ଗୋପାଳଙ୍କୁ ।ଶ୍ରୀମୁଖରେ ଆଜ୍ଞା ଦେଲେ ସେବ କପିଳାକୁ ॥
।୧୦।ଶ୍ରୀମୁଖ ବଚନ ଶୁଣି ନନ୍ଦ ଚଳିଗଲେ ।କପିଳ ସେବା କରନ୍ତେ କ୍ଷୀର ଯେ ପାଇଲେ ॥
।୧୧।କପିଳାକୁ ବୋଇଲେ ସେବଇଂ ମୁହିଂ ତୋତେ ।ସେବା ଛାଡ଼ି ଅମୃତ ମୁଂ ରାନ୍ଧିବି କେମନ୍ତେ ॥
।୧୨।ଏସନେକ କହନ୍ତେ କପିଳା ସୁମରିଲେ ।କପିଳାଙ୍କ ସ୍ତୁତି ଜାଣି ଅନାଦି ଆସିଲେ ॥
।୧୩।କପିଳା କହନ୍ତେ ଅନାଦି ବ୍ରହ୍ମା ସୁମରିଲେ ।ବ୍ରହ୍ମା ଆସନ୍ତେ ତାହାଙ୍କୁ ସକଳ କହିଲେ ॥
।୧୪।ଆମ୍ଭ ପୁତ୍ରକୁ ତୋହର ଦୁହିତା ଆଣି ଦିଅ ।ଆମ୍ଭର ବାକ୍ୟ ଏବେ ହୋ ପାଳନ କରାଅ ॥
।୧୫।ବ୍ରହ୍ମା ବୋଇଲେ ମୋର ପରଂବ୍ରହ୍ମ ଗୋତ୍ର ।ଗୋପାଳଙ୍କୁ କେହ୍ନେ ଦେବୁ ଆମ୍ଭର ଦୁହିତ ॥
।୧୬।ଅନାଦି ବୋଇଲେ ଆମ୍ଭେ ରଚିଲୁ ସର୍ବ ଜାତି ।ଆମ୍ଭ ଆଗେ ବର୍ଣ୍ଣଭେଦ କହୁ ବେଦପତି ॥
।୧୭।ଶ୍ରୀକୃଷ୍ଣ ବଚନ ଶୁଣି ବ୍ରହ୍ମା ଚଳିଗଲେ ।ଶୁଭରେ ନନ୍ଦକୁ ଶ୍ରଦ୍ଧା ବିଭା କରାଇଲେ ॥
।୧୮।ବିଭା ବେଳେ ଶ୍ରଦ୍ଧା ଦେଇ ବୋଲଇ ବଚନ ।ପିତା ମୋତେ ଆଜ୍ଞାକର ପସରା ବିଧାନ ॥
।୧୯।ସମସ୍ତ ଦେବତାମାନ ମେଳି ହୋଇଥିଲେ ।ମହଣ କୁଣ୍ଡାଇ ଆଦିମାତାଙ୍କୁ ଯେ ଦେଲେ ॥
।୨୦।ଦୁହୁଣି ଗୋରସ ଦହି ପତୁଳି ଦଧି ମତେ ।ମାତା ଦେଲେ ଅମୃତ ରଖିବା ଜାଗା ଯେତେ ॥
।୨୧।ଗିରିବର ରାଜା ଦଧି ମନ୍ଥା ଖୁମ୍ବ ଦେଲେ ।ଖୁଆ ଫୁଲି କଞ୍ଚି ଯେ ବରୁଣ ରାଜା ଦେଲେ ॥
।୨୨।ପବନ ଦେଲେ ଚାଙ୍ଗୁଡ଼ି ଶିବ ଦେଲେ ମହି ।ଚନ୍ଦ୍ର ସୂର୍ଯ୍ୟ ମିଶି ବସାଇଲେ ମନ୍ଥା ହୋଇ ॥
।୨୩।ମନ୍ଥିଲେ ଲବଣୀ ଯେ ହୋଇଲା ତହୁଂ ଜାତ ।ଅନାଦି ଭିଆଣ କଲେ ଅମୃତ ସମସ୍ତ ॥
।୨୪।ଗୋଲୋକ ଗୋପାଳ ଜାତି ପାଳନ୍ତି ଯେ ଗାଈ ।ଗାଈ ଯେ ପାଳିବା ଲୋକ ଗୋପାଳ ବୋଲାଇ ॥
।୨୫।ଗୋପାଳ ନାମଟି ଯେଣୁ ଗୋଲୋକରୁ ଜାତ ।ଯୁଗେ ଯୁଗେ ଏସନେକ ହୋଇଛି ଅମୃତ ॥
।୨୬।ବ୍ରହ୍ମା ଝିଅ ଶ୍ରଦ୍ଧା ହେଲେ ଆମ ନିଜ ମାତ ।ପିତା ଆମ୍ଭର ଗୋପାଳ ଅନାଦିଙ୍କ ସୁତ ॥
।୨୭।ଚାରିବେଦ ଚଉରାଶି ଯୁଗେଟି କପିଳା ।ସଂସାରକୁ ହୋଇଅଛି ସତ୍ୟ-ସିନ୍ଧୁ ଭେଳା ॥
।୨୮।ଶିଙ୍ଗ ତାର ସିଷୁ ବେଦ ପିଠି ବସୁନ୍ଧରୀ ।ଲାଞ୍ଜ ତା ଅନନ୍ତ ବେଦ ଆଉ ପଦ ଚାରି ॥
।୨୯।ଥନ ତା ଛପନ ଜୀବ ଗର୍ଭ ତାର ସିନ୍ଧୁ ।ମନ ତା ପର୍ବତ ଅଟେ ଦେବତାଙ୍କ ବନ୍ଧୁ ॥
।୩୦।ନଖ ମୁଖ ନାସିକା ସକଳ ବ୍ରହ୍ମାମୟ ।ରୋମେ ବସନ୍ତି ତେଜିଣ କୋଟି ଦେବରାୟ ॥
।୩୧।ଗୋଲୋକ ଗୋପାଳ ଜାତ ଜନ୍ମେ ଜନ୍ମେ ସେବା ।କପିଳା ମହିମା କେତେ ସଂକ୍ଷେପି କହିବା ॥
।୩୨।ତୁମ୍ଭେ ଦେବ ନାରାୟଣ ଆମ୍ଭେ ସ୍ତିରୀଜନ ।କି ଅବା ନ ଜାଣ ତୁମ୍ଭେ ପ୍ରଭୁ ଭଗବାନ ॥
।୩୩।ଶ୍ରୀକୃଷ୍ଣ ବୋଲନ୍ତି ଯାହା କହିଲ ଗୋ ତୁମ୍ଭେ ।ଯେତେ ଲେଖିଅଛି ଧନ ଛାଡ଼ିଦେଲୁ ଆମ୍ଭେ ॥
।୩୪।ଗୋପୀଏ ବୋଲନ୍ତି ଆମ୍ଭ ନାଶ କଲ ଦହି ।ଘରକୁ କି ରୂପେ ଯିବୁ କହ ହେ ମାଧୋଇ ॥
।୩୫।ସବୁ ଦଧି ଥୋଇଣ ଶ୍ରୀକୃଷ୍ଣ ଦେଲେ ଇଡ଼ି ।ଦେଖିଣ ସକଳ ବାଳୀ ହେଉଛନ୍ତି କୋଡ଼ି ॥
।୩୬।ଗୋପୀଏ ବୋଇଲେ କିସ କଲ ହେ କହ୍ନାଇ ।ଶାଶୁ ନଣନ୍ଦଙ୍କ ଆଗେ କି କହିବୁ ଯାଇଂ ॥
।୩୭।ଏତେ ବେଳ ଯାଏ ହରି ତୁମ୍ଭେ ବନ୍ଦୀ କଲ ।ବିକଳ ନ ପାଇ ପୁଣି ଦଧି ଇଡ଼ିଦେଲ ॥
।୩୮।ଶ୍ରୀକୃଷ୍ଣ ବୋଇଲେ ଦୁଃଖ ନକର ଗୋ ମନ ।ଦେଖ ଯାଇ ପସରାରେ ପୂରିଅଛି ଧନ ॥
।୩୯।ଧାଇଂଣ ସକଳ ଗୋପୀ ପସରା ଦେଖିଲେ ।ପସରାରେ ଧନ ଦେଖି ସନ୍ତୋଷ ହୋଇଲେ ॥
।୪୦।ଶ୍ରୀକୃଷ୍ଣଙ୍କ ପଦତଳେ ପ୍ରଣମିଲେ ବାଳୀ ।ଉଛୁର ହୋଇଲା ପ୍ରଭୁ ଏବେ ଯିବୁ ଚଳି ॥
।୪୧।ତକ୍ଷଣି ଗୋପୀଙ୍କୁ କୁଷ୍ଣ ମେଲାଣି କରିଲେ ।କରେ ଧରି ବେଣୁ ଗୋ-ଗୋଷ୍ଠକୁ ବିଜେ କଲେ ॥
।୪୨।ହରଷ ହୋଇଣ ଗୋପୀ ଗଲେ ନିଜ ପୁର ।ଶ୍ରୀକୃଷ୍ଣଙ୍କ ନାମ ଗୋଟି ଜପନ୍ତି ହୃଦର ॥
।୪୩।ସାଧୁଜନମାନେ ଏଥେ ନ ଘେନ ମୋ ଦୋଷ ।ତୁମ୍ଭମାନଙ୍କ ଆଜ୍ଞାରେ କଲି ଗୀତ ରସ ॥
।୪୪।ମୁହିଂ ଚିର ପାମର ଯେ ନ ଜାଣଇ କିଛି ।ପ୍ରଭୁ ପାଦରେଣୁ ଯେ ଭରସା କରିଛି ॥
।୪୫।ପସରା ବିଧାନ ଗୀତେ କହିଲିରେ ଭାଇ ।ଅଚ୍ୟୁତଦାସ କହଇ ଦୋଷ ଦେବ ନାହିଂ ॥
।୪୬।ଓଗାଳ – ୨ଯଶୋଦାଙ୍କ କୃଷ୍ଣପ୍ରାପ୍ତିସୁଦାମ ଗୋପାଳେ ଦେଖି ଦାମ ଯେ ଗୋପାଳ ।ଭଲା ଯୋଗେ ତୁମ୍ଭ ଆମ୍ଭ ହେଲା ଏକ ମେଳ ॥
।୧।ବରଷକେ ଥରେ ସିନା ତୁମ୍ଭ ଆମ୍ଭ ଭେଟ ।ଯାହା ପୂର୍ବେ କରିଛନ୍ତି ସେହି ନନ୍ଦଚାଟ ॥
।୨।ଏବେ ପଚାରୁଛି ପୂର୍ବ ଭାବକୁ ମିଶାଇ ।ଭଲା ଗଣ୍ଠି କଥା ମନେ ପଡ଼ିଛିରେ ଭାଇ ॥
।୩।ଅଧା ଗୋପାଳ କିମ୍ବା କହନ୍ତି କୃଷ୍ଣଙ୍କୁ ।ଏ କଥା କହି ସନ୍ତୋଷ କର ମୋ ମନକୁ ॥
।୪।ଦେବକୀ ଗର୍ଭେ ଜନ୍ମିଣ ଯଶୋଦା କୋଳରେ ।କାହିଂକି ବଢ଼ିଲେ ଗୋପେ ଆନନ୍ଦ ମନରେ ॥
।୫।ଦଶ ମାସ ଗର୍ଭେ ଧରି ଦେବକୀ ବିଚାରୀ ।ବିନା କ୍ଳେଶେ କୃଷ୍ଣଙ୍କୁ ପାଇଲେ ନନ୍ଦନାରୀ ॥
।୬।ପୂର୍ବେ କେଉଂ ତପ କରିଥିଲା ଯଶୋବନ୍ତୀ ।କୃଷ୍ଣ ପରା ପୁତ୍ର ପାଇ କୋଳରେ ଖେଳାନ୍ତି ॥
।୭।ନନ୍ଦରାଜା ପୂର୍ବେ କେଉଂ ତପ କରିଥିଲା ।ବଳରାମ କୃଷ୍ଣ ପରା କୁମର ପାଇଲା ॥
।୮।ଦେବକୀର କେଉଂ ଅପରାଧ ଥିଲା ଭାଇ ।ଜନ୍ମକଲା ପୁତ୍ର ପୁଣି କୋଳେ ନ ଧରଇ ॥
।୯।ପଚାରିବା କଥା କହିଦେବୁ ଯେବେ ତୁହି ।ଅଚ୍ୟୁତ ବୋଲନ୍ତି ଜାଣ ଦୋଷ ହେବ ନାହିଂ ॥
।୧୦।ଉତ୍ତାରସୁଦାମ ଗୋପାଳ କହେ ଶୁଣ ଦାମ ଭାଇ ।ପଚାରିବା କଥା ଗୋଟି କହୁଅଛି ମୁହିଂ ॥
।୧।ତ୍ରତୟା ଯୁଗରେ ଦଶରଥଙ୍କ ନନ୍ଦନ ।ଭରତ ଶତୁଘ୍ନ ଆଉ ରାମ ଯେ ଲକ୍ଷଣ ॥
।୨।କୈକେୟୀ ବଚନେ ରାମ ବନବାସ କଲେ ।ଲକ୍ଷ୍ମଣ ସୀତା ଯେ ତାଙ୍କ ସଙ୍ଗତରେ ଗଲେ ॥
।୩।ପଞ୍ଚୁବଟି ବନସ୍ତରେ କୁଟୀର ଯେ କଲେ ।ସୂର୍ପଣଖା ଆସି ରାମଚନ୍ଦ୍ରଙ୍କୁ ଭେଟିଲେ ॥
।୪।ସୂର୍ପଣଖା ନାସା କର୍ଣ୍ଣ କାଟିଲେ ଲକ୍ଷଣ ।ଭୟ ପାଇ ପଳାଇଲା ସେ ଲଙ୍କା ଭୁବନ ॥
।୫।ଏହା ଜାଣି ରାବଣ ଯେ କୋପଭର ହେଲା ।ମୃଗ ରୂପେ ମାରୀଚକୁ ବନେ ପଠାଇଲା ॥
।୬।ମୃଗକୁ ଦେଖିଣ ସତୀ ସୀତା ଲୋଭ କଲେ ।ମୃଗକୁ ଧରିଣ ଦିଅ ସ୍ୱାମୀକୁ କହିଲେ ॥
।୭।ସୀତାଙ୍କ ବଚନେ ରାମ ମୃଗକୁ ଗୋଡ଼ାଇ ।ଧାମନ୍ତେ ସେ ପଳାଇଲା ବେଗ ବେଗ ହୋଇ ॥
।୮।ଏକାଳେ ବାଣ ବସାଇ ମାରନ୍ତି ଶୀରାମ ।ଭୟରେ ମୃଗ ଡ଼ାକିଲା ରଖ ରେ ଲକ୍ଷ୍ମଣ ॥
।୯।ସେ ଡାକ ଶୁଣିଣ ସୀତା ଲକ୍ଷ୍ମଣେ ପଠାଇ ।ଯାଅ ବାବୁ ସ୍ୱାମୀଙ୍କୁ ମୋ ରକ୍ଷା କର ତୁହି ॥
।୧୦।ସୀତାଙ୍କ ଆଜ୍ଞାରେ ଯେ ଲକ୍ଷ୍ମଣ ଚଳିଗଲେ ।ମାୟା ବେଶେ ସୀତା ପାଶେ ରାବଣ ମିଳିଲେ ॥
।୧୧।ଭିକ୍ଷା ମାଗନ୍ତେଣ ତପୀ ସୀତାଙ୍କୁ ଚୋରାଇ ।ପ୍ରବେଶେ ହୋଇଲା ପୁଣି ଲଙ୍କାଗଡ଼େ ଯାଇ ॥
।୧୨।ଏଣେ ରାମ ଲକ୍ଷ୍ମଣଙ୍କୁ ଦେଖିଣ ଚକିତ ।ସୀତାଙ୍କୁ ଛାଡ଼ିଣ କେଣେ ଅଇଲୁ ରେ ଭ୍ରାତ ॥
।୧୩।ଲକ୍ଷ୍ମଣ ବୋଲନ୍ତି ରଖ ଲକ୍ଷ୍ମଣ ଡାକରେ ।ସୀତୟା କଟାଳ କରି ମୋତେ ପଠାଇଲେ ॥
।୧୪।ଶୁଣିକରି ରାମଚନ୍ଦ୍ର ଛନ୍ନ ଛନ୍ନ ହୋଇ ।ମୃଗଭାର ଘେନି ପହଞ୍ଚିଲେ ବେଗେ ଯାଇ ॥
।୧୫।ସୀତାଙ୍କୁ ନ ଦେଖି ରାମ ମୁର୍ଚ୍ଛାଗତ ହେଲେ ।ଲକ୍ଷ୍ମଣ ପ୍ରବୋଧକରି ତୋଳିଣ ଧରିଲେ ॥
।୧୬।ଜଟାୟୁଠାରୁ ବାରତା ପାଇ ରଘୁନାଥ ।ଋଷ୍ୟଶୃଙ୍ଗେ ହେଲେ ଯାଇ ସୁଗ୍ରୀ ସଙ୍ଗେ ଭେଟ ॥
।୧୭।ମିତ୍ରଛଳେ ରାମଚନ୍ଦ୍ର ବାଳିକୁ ବଧିଲେ ।କପିବଳ ଘେନି ମାଲ୍ୟବନ୍ତେ ବିଜେ ହେଲେ ॥
।୧୮।ଚାରିଦିଗ ଦୂତମାନ ପଠାଇଲେ ରାମ ।ହନୁମନ୍ତ ସୀତା ଠାବ କରିଲେ ଯେ ପୁଣ ॥
।୧୯।ଏହି ବାର୍ତ୍ତା ଶୁଣି ରାମ ଆନନ୍ଦ ହୋଇଲେ ।ସେତୁବନ୍ଧ ବାନ୍ଧି ରାମ ସୁବଳୟା ଗଲେ ॥
।୨୦।ଲଙ୍କାଗଡ଼େ ପ୍ରବେଶିଣ ରାକ୍ଷସ ବଧିଲେ ।ରାବଣାଦି କୁମ୍ଭକର୍ଣ୍ଣ ନିପାତ ହୋଇଲେ ॥
।୨୧।ସୀତୟା ଉଦ୍ଧାରିଣ ଅଇଲେକ ଫେରି ।ପୁଷ୍ପକେ ବସି ମିଳିଲେ ସେ ଅଯୋଧ୍ୟା ପୁରୀ ॥
।୨୨।ମାତାମାନେ ଦେଖି ବଡ଼ ବିକଳ ହୋଇଲେ ।କଉଶଲ୍ୟା କଇକେୟୀ କାରୁଣ୍ୟ ଯେ କଲେ ॥
।୨୩।କଇକେୟୀ ମାତାଙ୍କୁ ରାମ ସନମାନ କରି ।ବୋଇଲେ ଜନନୀ ମୁହିଂ କୁମର ତୋହୋରି ॥
।୨୪।ଏହି ସ୍ନେହ ଯଦି ମୋହଠାରେ ଥିଲା ତୋର ।ମୋ ଗର୍ଭରେ ଜନ୍ମ କିମ୍ପା ନୋହିଲୁ କୁମର ॥
।୨୫।ତେବେ କିମ୍ପା ବନବାସେ ତୋତେ ମୁଂ ପଠାନ୍ତି ।ଏହା ଶୁଣି ସନ୍ତୋଷ ଲଭିଲେ ସୀତାପତି ॥
।୨୬।ନିଶ୍ଚେ ମାତା ତୋ ଗର୍ଭରେ ଜନମ ହୋଇବି ।ଯଶୋଦା କୋଳରେ ମାତ ଯାଇଣ ବଢିବି ॥
।୨୭।ଦ୍ୱାପର ଯୁଗରେ ତୁମେ ଦେବକୀ ହୋଇବ ।ବସୁଦେବ ପତ୍ନୀ ହୋଇ ମଥୁରାରେ ଥିବ ॥
।୨୮।କୈାଶଲ୍ୟା ମାତା ମୋହର ନନ୍ଦରାଣୀ ହୋଇ ।ବୃଦ୍ଧାକାଳେ ଚିନ୍ତା କରୁଥିବେ ପୁତ୍ର ପାଇଂ ॥
।୨୯।ସେ ସମୟେ ତୋ କୋଳରେ ଜନମ ଲଭିବି ।ଯଶୋଦା କୋଳରେ ମୁହିଂ ଯାଇଣ ବଢ଼ିବି ॥
।୩୦।କ୍ଷତ୍ରିୟ ବଂଶରେ ଜାତ ଦେବକୀ ଅଟଇ ।ତା କୋଳରେ କୃଷ୍ଣଚନ୍ଦ୍ର ଜନ୍ମ ହେଲେ ଯାଇ ॥
।୩୧।ଯଶୋଦା କୋଳରେ ଆସି ବଢିଲେ କହ୍ନାଇ ।ଏଣୁ ଅଧା ଗୋପାଳ ଯେ ଶ୍ରୀକୃଷ୍ଣଙ୍କୁ କହି ॥
।୩୨।କ୍ଷତ୍ରିୟ ଗୋପାଳ ସେହି ଏଣୁକରି ଜାଣ ।ଅଧା ଗୋପାଳ କହିଲି ବୁଝିବ ପ୍ରମାଣ ॥
।୩୩।ଆଉ ଏକ କଥା ତୁମ୍ଭେ ଶୁଣ ମନ ଦେଇ ।ଯେତେବେଳେ ରାମ ଲଇକ୍ଷଣ ଦୁଇଭାଇ ॥
।୩୪।ସୀତାଙ୍କ ବିଚ୍ଛେଦେ ବୁଲୁଥିଲେ ବନସ୍ତର ।ଲକ୍ଷ୍ମଣକୁ କ୍ଷୁଧା ହୋଇଲାକ ଘୋରତର ॥
।୩୫।ଏ ସମୟେ ଗୋପାଳେ ଯେ ଗୋଧନ ଚରାଇ ।ଯାଉଥିଲେ ଭେଟ ଯେ ପାଇଲେ ରଘୁସାଇଂ ॥
।୩୬।ତାଙ୍କଠାରୁ କ୍ଷୀର ଖାଇ ସନ୍ତୋଷ ହୋଇଲେ ।ସୁବାହୁ ଗୋପାଳ ତହିଂ ମନେ ବିଚାରିଲେ ॥
।୩୭।ଯଦି ଏହୁ ମୋର କୋଳେ ହୋଇଥାନ୍ତେ ଜନ୍ମ ।ବନସ୍ତେ ବୁଲିବା କଷ୍ଟ ହୁଅନ୍ତା ମୋଚନ ॥
।୩୮।ଅନ୍ତର ବେଦନା ରାମଚନ୍ଦ୍ର ଯେ ଜାଣିଲେ ।ତୋ କୋଳେ ଜନମ ହେବୁଂ ବୋଲିଣ କହିଲେ ॥
।୩୯।ଦ୍ୱାପରରେ ନନ୍ଦ ରାଜା ହୋଇ ତୁ ଜନ୍ମିବୁ ।କାହ୍ନୁ ଶଙ୍କର୍ଷଣ ହୋଇ ତୋ ଘରେ ବଢିବୁ ॥
।୪୦।ପଚାରିବା କଥାମାନ କହିଲି ଫିଟାଇ ।ଅଚ୍ୟୁତ ବୋଲନ୍ତି ଦୋଷ ନ ଦେବ ହେ ଭାଇ ॥
।୪୧।ଓଗାଳ – ୩ରାଧାଙ୍କ ମୋହନ ବେଶଶୁଣ ହେ ଗୋପାଳ ଭାଇ ମୋ କଥା ।କହିବ ସଭାରେ ନିଶ୍ଚେ ଜାଣିଥା ॥
।୧।ରାଧାକୃଷ୍ଣ ଲୀଳା ଅପୂର୍ବ ରସ ।ଶୁଣିଲେ ପରାଣ ହୋଏ ସନ୍ତୋଷ ॥
।୨।କଥା ଏକ ମୋର ପଡ଼ିଲା ମନ ।ଯାହା କରିଛନ୍ତି ଜଗୁଜୀବନ ॥
।୩।କୃଷ୍ଣପ୍ରେମେ ରାଧା ସର୍ବଦା ବାଇ ।ହଟ କରୁଥାନ୍ତି କଳା କହ୍ନାଇ ॥
।୪।କୃଷ୍ଣେ ସୁମରିଣ ରାଧିକା ରାଣୀ ।ଏକ ଦିନକରେ କଲେ ଭାଳେଣି ॥
।୫।ପୂର୍ଣ୍ଣମାସୀଙ୍କୁ ଉପାୟ ପୁଚ୍ଛିଲେ ।କୃଷ୍ଣ ରୂପ ଦେଖିବାକୁ ଇଚ୍ଛିଲେ ॥
।୬।କିଭଳି ମୋହନ ବେଶ ଦର୍ଶନ ।କରିବାକୁ ମନ ହୋଏ ଉଚ୍ଛନ୍ନ ॥
।୭।ଜାଣିଥିଲେ ଭାଇ କହିବୁ ତାହା ।ଅଚ୍ୟୁତ କହନ୍ତି ରହସ୍ୟ ଏହା ॥
।୮।ଉତ୍ତାରଶୁଣ ଭାଇ ତୁମେ ପଚାର ଯାହା ।ଅଳପେ ଏଠାରେ କହିବି ତାହା ॥
।୧।ଦିନେ ରାଧିକା ମନେ ବିଚାରିଲେ ।ମୋହନ ବେଶ ହୋଇବି ବୋଇଲେ ॥
।୨।ବସ୍ତ୍ର ଅଳଙ୍କାରମାନ ନେଇଣ ।ବୃନ୍ଦାବନେ ପହଞ୍ଚିଲେ ଯାଇଣ ॥
।୩।କୃଷ୍ଣ ପାଇଂ ଶୋହେ ଯେଉଂ ଭୂଷଣ ।ରାଈ ପିନ୍ଧନ୍ତି କରି ଅନୁକ୍ଷଣ ॥
।୪।ଝୀନ ପୀତାମ୍ବର ପାଟ ପିନ୍ଧିଣ ।ଫୁଲ ମାଳାକୁ ଗଳେ ଲମ୍ବାଇଣ ॥
।୫।ପାଦେ ନୂପୁର ରୁଣୁଝୁଣୁ ବାଜେ ।ଦିବ୍ୟ କେଶ ମସ୍ତକରେ ବିରାଜେ ॥
।୬।ବାହୁରେ ପିନ୍ଧିଲେ ସେହୁ ବାହୁଟି ।ମୁଣ୍ଡେ ଗୋରଚନା ତିଳକ ପାଟୀ ॥
।୭।ଶୋଭା ଦିଶନ୍ତି ରାଧା ଠାକୁରାଣୀ ।ଅବିକଳ କୃଷ୍ଣଙ୍କ ରୂପଠାଣି ॥
।୮।ବଙ୍କିମା ଅଧରେ ମୁରଲୀ ବାଇ ।ନୀପମୂଳେ ବଜାନ୍ତି ସ୍ଥିର ହୋଇ ॥
।୯।କୃଷ୍ଣ ଗୁଣମାନ ମନେ ସୁମରି ।ବଂଶୀ ବଜାଉଥାନ୍ତି ବିମ୍ବାଧରୀ ॥
।୧୦।ଆସ ଆସ କୃଷ୍ଣ କରିବା ରାସ ।ବଂଶୀ ଡ଼ାକେ ଅଦଭୁତେ ସୁରସ ॥
।୧୧।ଦ୍ୱିତୀୟ ରନ୍ଧ୍ରେ ବାଆନ୍ତି ଶ୍ରୀମତୀ ।ଆସ କାହ୍ନୁ ହେ କରିବା ସୁରତି ॥
।୧୨।ପୁଣି ପ୍ରବୋଧିଣ ଦ୍ୟନ୍ତି ଆଦେଶ ।ବିହ୍ବଳିତ କରି କୃଷ୍ଣ ମାନସ ॥
।୧୩।ପୂର୍ଣ୍ଣମାସୀ ହୋଇଣ ହସ ହସ ।ବଂଶୀ ନ ବାଜଇ କିବା ରହସ୍ୟ ॥
।୧୪।କୃଷ୍ଣ ନାମେ ସେ ବଂଶୀ ନ ବାଜଇ ।ରାଧା ନାମେ ବାରମ୍ବାର ବାଜଇ ।।୧୫।ରାଧା ନାମେ ବାରମ୍ବାର ବାଜଇ ॥
ଜାଣି ଆଶ୍ଚର୍ଯ୍ୟ ହେଲେ ଭଗବତୀ ।।୧୬।ନିଶ୍ଚେ ଅଛି କାର ଏଥେ ଶକତି ॥
ଏହି ବଂଶୀ ଯୋଗୁଂ ମାନ ମହତ ।।୧୭।ସବୁ ହୋଇଅଛି ମୋର ବିଚ୍ୟୁତ ॥
ଆଜ ଦେଖିବି ତାଙ୍କୁ ମୁଂ ନୟନେ ।।୧୮।ନ ଦେଖିଲେ ତେଜିବି ଏ ଜୀବନେ ॥
ମୋହନ ବେଶ ନ ଦେଖିଲେ ସହୀ ।।୧୯।ବୃଥାରେ ଗୋପେ ମୁଂ ଫେରିବି ନାହିଂ ॥
ନାନା କଥାକୁ ମନେ ବିଚାରିଲେ ।।୨୦।ନୀପ ମୂଳୁ ବଂଶୀକୁ ଉଠାଇଲେ ॥
କୃଷ୍ଣ କୃଷ୍ଣ ବୋଲି ମନେ ସୁମରି ।।୨୧।ବଂଶୀ ବଜାନ୍ତି ଅତି ଯତ୍ନ କରି ॥
କୃଷ୍ଣ ନାମ ଯହୁଂ ବଂଶୀ ଶୁଣିଲା ।।୨୨।ଚଉଦିଗକୁ ସେ ସ୍ୱର ଶୁଭିଲା ॥
ଶୁଣି ଆନନ୍ଦ ହେଲେ ପୂର୍ଣ୍ଣମାସୀ ।।୨୩।ମନରେ ବଂଶୀକୁ ବହୁ ପ୍ରଶଂସି ॥
ଅନ୍ତର୍ଯ୍ୟାମୀ ସବୁ କଥା ଜାଣିଲେ ॥
।୨୪।ରାଈ ସମ୍ମୁଖରେ ନିଗୁଢ ରହସ୍ୟ ।କହିବାକୁ ଅଛି କାହା ସାହସ ॥
।୨୫।ମୋହନ ବେଶ ତେଜି ପୂର୍ଣ୍ଣ ଶଶୀ ।ଗୃହେ ଚଳିଲେ ମନେ ହୋଇ ଖୁସି ॥
।୨୬।ମୋହନ ବେଶ ଗୀତେ ହେଲା ଶେଷ ।ଭାବରେ ଭଣିଲେ ଅଚ୍ୟୁତ ଦାସ ॥
।୨୭।ଓଗାଳ– ୪ମୁରଲୀ ଚରିତଶୁଣ ସର୍ବ ଦେଶ ଭାଇ ଡ଼େରି ଶ୍ରୁତିପଥ ।ଯାହା ପଚାରିବି ତାହା ମୁରଲୀ ଚରିତ ॥
।୧।କିପରି ଏ ସୃଷ୍ଟି ପୁଣି କିପରି ବାଦନ ।ଭାଇମାନେ କହିଦେବ ତହିଂର ବିଧାନ ॥
।୨।ଛାଟକୁ ମାରିଣ ମୁଂ ଯେ ଦେଉଛି ଚେତାଇ ।ଛାଟ ନ ବାଜିଲେ ପାଠ ମନେପଡେ ନାହିଂ ॥
।୩।ଏ କଥା କହିଲି ବୋଲି ନ ଧରିବ ରୋଷ ।ଅଚ୍ୟୁତ କହନ୍ତି ଏ ଯେ ରାଧାକୃଷ୍ଣ ରସ ॥
।୪।ଉତ୍ତାରଶୁଣ ଶୁଣ ଭାଇମାନେ କହୁଅଛି ମୁହିଂ ।ସଦଗୁରୁ ସେବି କିଛି ଜାଣି ମୁଂ ଅଛଇ ॥
।୧।ଛାଟେକ ମାରିଣ ଯେବେ ପଚାରିଲ ଭାଇ ।ସେ କଥା ଶୁଣି ମୋ ଜ୍ଞାନ ଉପୁଜି ଉଠଇ ॥
।୨।ବହୁ ଗଣ୍ଠି କଥାମାନ ପଡ଼େ ଯେ ସଭାର ।ଅଳ୍ପ ଅଳ୍ପ କରି ମୁହିଂ କରିଲି ପ୍ରଚାର ॥
।୩।ପୃଥ୍ୱୀ ଆପ ତେଜ ବାଇ ଆକାଶ ଯେ ଜାଣ ।ପଞ୍ଚଭୂତେ ଏକଦଳ କରେ ଯେ ଘଟଣ ॥
।୪।ଜୀବ ପରମଙ୍କ ତହିଂ ଲୀଳା ଯେ ବିହାର ।ପାଞ୍ଚମନ ପଚିଶ ଯେ ପ୍ରକୃତି ବାହାର ॥
।୫।ଏକାଦଶ ଇନ୍ଦ୍ରି ଆଦି ସତତ ଅଇରି ।ଯେ ଯେଉଂ ଭାବରେ ରହିଅଛନ୍ତି ଯେପରି ॥
।୬।ଏକ ସ୍ଥାନରୁ ସମ୍ଭବ ଅନେକ ଯେ ନାମ ।ତାହା କହିବାକୁ ଅଟେ କେହୁ ହେବ କ୍ଷେମ ॥
।୭।ଏହିପରି କହୁଥିଲେ କହୁଥିବି ମୁହିଂ ।ମୁରଲୀ ଚରିତ ଏବେ ଶୁଣ ମନଦେଇ ॥
।୮।ମୁରଲୀ ବେଣୁ ବଇଂଶୀ ଏହି ତିନି ନାମ ।ଅଳାବେଣୀ ମୁରଲୀ ଯେ ମିଶିଣ ପଞ୍ଚମ ॥
।୯।ଶୁଣ ହୋ ଗୋପାଳ ଭାଇ ଦେଇ ମନକର୍ଣ୍ଣ ।ଯେତେ ଆଙ୍ଗୁଳ ପ୍ରମାଣ ଯେତେ ରନ୍ଧ୍ର ଜାଣ ॥
।୧୦।ବତ୍ରିଶ ଆଙ୍ଗୁଳ ଷଡ଼ରନ୍ଧ୍ର ଯେ ଯହିଂରେ ।ଜମ୍ବୁ ନବରତ୍ନ ଯତ୍ନ ବନ୍ଧା ତା ତହିଂରେ ॥
।୧୧।ଏ ମୁରଲୀ ରାସେ ବଜାଇଲେ ଯେ ଗୋବିନ୍ଦ ।ମନାଇଲେ ଷୋଳ ସହସ୍ର ଯୁବତୀ ବୃନ୍ଦ ॥
।୧୨।ମୁରଲୀ ବୋଲିଣ ନିଜ ନାମ ହୋ ଯାହାର ।ବତିଶ ଅଙ୍ଗୁଳି ପଞ୍ଚରନ୍ଧ୍ର ଯେ ତାହାର ॥
।୧୩।ଦୁଇ ରନ୍ଧ୍ର ଯନ୍ତ୍ରବନ୍ଧ ଅତି ସେ ସୁନ୍ଦର ।ଜଳଘାଟେ ବଜାଇଣ କରନ୍ତି ହୁନ୍ଦର ॥
।୧୪।ବଂଶୀଟି ଷୋଳ ଆଙ୍ଗୁଳ ସପତ ଯେ ରନ୍ଧ୍ର ।ତିନି ରନ୍ଧ୍ରରେ କଳଙ୍କ ନଳୀ ଯେ ପ୍ରବନ୍ଧ ॥
।୧୫।ତିନି ସ୍ୱରେ ଏକାବେଳେ କଲେକ ବାଦନ ।ତ୍ରିଭୁବନ କମ୍ପେ ଅଙ୍ଗେ ଭରେ ଯେ ମଦନ ॥
।୧୬।ବଶ କରିବାରୁ ବଂଶୀ ନାମ ଯେ ତାହାର ।ଏବେ ଶୁଣ ଅଳାବେଣୀର ଲୀଳା ବେହାର ॥
।୧୭।ଷୋଳ ଅଙ୍ଗୁଳ ନୀଳାରତ୍ନ ପ୍ରାୟେ ଆଭା ।ପଞ୍ଚରନ୍ଧ୍ର ବେନି ଯନ୍ତ୍ରେ ଅତ୍ୟନ୍ତ ଯେ ଶୋଭା ॥
।୧୮।ବେନି ରନ୍ଧ୍ରେ ନାଟ କଉତୁକେ ସେ ବଜାନ୍ତି ।ସର୍ବ ଗୋପାଳ ବାଳକ ମନକୁ ମଜ୍ଜାନ୍ତି ॥
।୧୯।ମୁରଲୀ ଅଷ୍ଟ ଆଙ୍ଗୁଳ ପ୍ରମାଣ ତାହାର ।ମଧ୍ୟେ ଦଶ ଗୋଟିକ ଯେ ମଣ୍ଡଳ ଆକାର ॥
।୨୦।ଯେତେବେଳେ ଧେନୁ ଘେନି ବନକୁ ଯାଆନ୍ତି ।ସେହି କାଳରେ ମୁରଲୀ ବାଦ୍ୟକୁ ବାଆନ୍ତି ॥
।୨୧।ଯାହା ପଚାରିଲୁ ଭାଇ ମୁରଲୀ ଚରିତ ।ବୁଝାଇ କହିଲେ ତାହା ଦୀନ ଯେ ଅଚ୍ୟୁତ ॥
।୨୨।ଓଗାଳ – ୫ଶୁଣ ହେ ଗୋପାଳ ଭାଇ ହୋଇ ଏକ ମନ ।ପଚାରୁଛି କିଛି ରାଧାକୃଷ୍ଣଙ୍କ ବିଧାନ ॥
।୧।ଏକଦିନେ ରାଧିକା ମନ୍ଦିରେ ବନମାଳୀ ।ରାଧାଙ୍କୁ ଘେନି ପଲଙ୍କେ କରୁଥିଲେ କେଳି ॥
।୨।ଏହି ସମୟରେ ଚନ୍ଦ୍ରସେଣା ଯେ ଅଇଲା ।କବାଟରେ ହାତ ମାରି ଉଚ୍ଚରେ ଡ଼ାକିଲା ॥
।୩।ଚନ୍ଦ୍ରସେଣା ଡାକ ଶୁଣି ରାଧା ଯେ ଚକିତ ।କି ବୁଦ୍ଧି କରିବି ବୋଲି ବିଚାରନ୍ତି ଚିତ୍ତ ॥
।୪।ତହୁଂ ପେଟାରୀରେ କଞ୍ଚି ଦେଇ ଚଳିଗଲେ ।ଚନ୍ଦ୍ରସେଣା ପାଶେ ଯାଇ କବାଟ ଫେଇଲେ ॥
।୫।ତହୁଂ ଭାଇ ଚନ୍ଦ୍ରସେଣା ରହିଲେ ଗୃହରେ ।ରାଧିକା ଯେ ଗଲେ ତହୁଂ ସ୍ନାନ କରିବାରେ ॥
।୬।ପାବଚ୍ଛ ଉପରେ କଞ୍ଚି କାଠିକୁ ରଖିଣ ।ସ୍ନାନ କରୁଥିଲେ ରାଈ ଜଳରେ ପଶିଣ ॥
।୭।ଏ ସମୟେ କଞ୍ଚିକାଠି ଚିଲ ଘେନିଗଲା ।ପଦ୍ମବନେ ଯାଇଣ ସେ ପକାଇଣ ଦେଲା ॥
।୮।ସେ ସମୟେ ସୂର୍ଯ୍ୟଦେବ ଉଦେ ହେଉଥିଲେ ।ଆନନ୍ଦେ କମଳ ବନ ସର୍ବ ବିକଶିଲେ ॥
।୯।ପଦ୍ମପରେ କଞ୍ଚିକାଠି ପଡ଼ିଲା ସେ ପୁଣ ।ତେଣେ ପେଟାରୀରେ ବନ୍ଦୀ ଜଗତ ଜୀବନ ॥
।୧୦।ଆହେ ଭାଇମାନେ ଶୁଣିଲଟି ଶ୍ରୁତି ପଥେ ।କିପରି ବନ୍ଧନୁଂ ମୁକ୍ତ ହେଲେ ନନ୍ଦ ସୁତେ ॥
।୧୧।ବୁଝାଇ ଏ କଥା ତୁମ୍ଭେ ଅବଶ୍ୟ କହିବ ।ନୋହିଲେ ଗୁରୁଙ୍କ ପାଦେ ଦୋରେହା ହୋଇବ ॥
।୧୨।ଉତ୍ତାରଆହେ ଭାଇମାନେ ସର୍ବେ ଶୁଣ ମନ ଦେଇ ।ଭଲା ସନ୍ଧି ଓଗାଳ ତ ପଚାରିଲୁ ତୁହି ॥
।୧।ଉପାୟ ନ ଦେଖି ରାଈ ଗୃହେ ଚଳିଗଲେ ।ଲଳିତା ଆଗରେ ସବୁ ବୁଝାଇ କହିଲେ ॥
।୨।ଲଳିତା ବୋଇଲେ ଯୋଗମାୟାକୁ ସୁମର ।ସେ ଅଇଲେ କହିଦେବେ ଏଥି ସୁବିଚାର ॥
।୩।ଚିଲ ଘେନି ଯିବା ଆଦି ସର୍ବ ସମାଚାର ।ଯୋଗମାୟା ଯୋଗବଳେ ଜାଣିଲେ ବେଭାର ॥
।୪।ପଦ୍ମ ମଧ୍ୟେ କଞ୍ଚିକାଠି ପଡ଼ିଅଛି ଜାଣ ।ଏଥକୁ ଉପାୟ ଏବେ କରିବା ବିଧାନ ॥
।୫।ରାଧାଙ୍କୁ ବୋଇଲେ ତୁମ୍ଭେ ସୁର୍ଯ୍ୟପୂଜା କର ।ସନ୍ତୋଷ ହେଲେ ଅଣାଇ ଦେବେ ଯେ ଭାସ୍କର ॥
।୬।ଯୋଗମାୟା ବଚନେ ରାଧିକା ବେଗେ ଯାଇ ।ପୂଜା ଅର୍ଘ୍ୟ ଦେଇଣ କହିଲେ ବିନୟୀ ॥
।୭।ପୂଜାରେ ସନ୍ତୁଷ୍ଟ ହୋଇ ଦେବ ଛାୟାକାନ୍ତ ।ଚାବି ପଡ଼ିଥିବା ପଦ୍ମ ଭସାଇ ତୁରିତ ॥
।୮।ବୃଷଭାନୁ ସୁତା ପାଶେ ନେଇଣ ଯେ ଦେଲେ ।ପଦ୍ମେ ଚାବି ଦେଖି ରାଧା ଆନନ୍ଦେ ଘେନିଲେ ॥
।୯।ତରତର ହୋଇ ରାଈ ବେଗେ ଚଳିଯାଇ ।ରନ୍ଧନାଦି କାର୍ଯ୍ୟମାନ ତକ୍ଷଣ ସାରଇ ॥
।୧୦।ଚନ୍ଦ୍ରସେଣା ଗୋଷ୍ଠେ ଗଲା ଭୋଜନ ସାରିଣ ।କୃଷ୍ଣଙ୍କୁ ପେଡ଼ିରୁ ରାଈ କାଢ଼ିଲେ ବହନ ॥
।୧୧।ସବୁ ସମାଚାରମାନ କହିଣ କୃଷ୍ଣଙ୍କୁ ।ମୁଖେ ଚୁମ୍ବେ ଦେଇ କୃଷ୍ଣ ଚଳିଲେ ଗୃହକୁ ॥
।୧୨।ପେଟାରୀରେ ତୁମ୍ଭେ କୃଷ୍ଣେ ରଖିଥିଲ ଭାଇ ।ଅଚ୍ୟୁତ ବୋଲନ୍ତି ଏବେ ଦେଲୁ ମୁକୁଳାଇ ॥
।୧୩।ଓଗାଳ – ୬ଶୁଣ ଶୁଣ ଭାଇ ମୋର ଓଗାଳ ବିଧାନ ।ପଚାରିବା ପାଇଂ କଥା ପଡ଼ିଗଲା ମନ ॥
।୧।ଲୀଳାମୟଙ୍କର ଲୀଳା ତ୍ରେତୟା ଯୁଗର ।ସେହି କଥା ଗୋଟି ହେଜି କୁହ ତତପର ॥
।୨।ଗରୁଡ଼ଙ୍କୁ ଚାହିଂ ପଚାରନ୍ତି ରଘୁବୀର ।କି ବର ମାଗୁଛ ମାଗ ଆହେ ପକ୍ଷୀବର ॥
।୩।କି ବର ମାଗିବି ପ୍ରଭୁ ବରେ କାର୍ଯ୍ୟ ନାହିଂ ।ଯେବେ ଇଚ୍ଛାକଲ ମୋରେ ବ୍ରହ୍ମାଣ୍ଡ ଗୋସାଇଂ ॥
।୪।ଦ୍ୱାପର ଯୁଗରେ ହେବ କୃଷ୍ଣ ଅବତାର ।ସେହି ରୂପ ଦେଖିବାକୁ ଇଚ୍ଛା ଯେ ମୋହର ॥
।୫।ଶ୍ରୀରାମ ବୋଇଲେ କପି ସୈନ୍ୟ ଛନ୍ତି ଘେରି ।କେମନ୍ତେ ଧନୁ ଛାଡ଼ିଣ ହେବି ବଂଶୀଧାରୀ ॥
।୬।ଗରୁଡ଼ ବୋଇଲେ ପକ୍ଷେ ଘର ମୁଂ କରିବି ।କେହି ନ ଦେଖିବେ ଏକା ମୁହିଂ ଦେଖୁଥିବି ॥
।୭।ଏହା ଶୁଣି ଶ୍ରୀରାମ ଯେ ମଉନ ହୋଇଲେ ।ପକ୍ଷୀବର ତହୁଂ ପକ୍ଷପୁର ବିରଚିଲେ ॥
।୮।ମଧ୍ୟେ ରାମ ଧନୁ ଛାଡ଼ି ବଂଶୀକୁ ଧଇଲେ ।ଗରୁଡ଼ ଦେଖିଣ ବହୁ ସ୍ତୁତି ଆରମ୍ଭିଲେ ॥
।୯।ରାମଙ୍କୁ ନଦେଖି ହନୁମନ୍ତ କୋପ କରି ।କରୁଡ଼ ଡେଣାକୁ ବେଗେ ପକାଇଲା ଚିରି ॥
।୧୦।ଦେଖିଲା ଶ୍ରୀରାମ ବଂଶୀ ଧରିଛନ୍ତି କରେ ।ହନୁମନ୍ତ କୋପ କଲା ଗରୁଡ଼ ଉପରେ ॥
।୧୧।ବେନି ଜନଙ୍କର ବହୁ ଯୁଦ୍ଧ ହେଲା ତହିଂ ।କେ କାହାକୁ ଯୁଦ୍ଧ ମଧ୍ୟେ ନ ଛାଡ଼ନ୍ତି ସେହି ॥
।୧୨।ଏହା ଦେଖି ଶ୍ରୀରାମ ଯେ ବଂଶୀକୁ ଛାଡ଼ିଲେ ।ଧନୁ ଧରି ହନୁମନ୍ତକୁ ସେ କୋଳ କଲେ ॥
।୧୩।ଆଉ ଯୁଦ୍ଧ ନ କର ହେ ଅଞ୍ଜନାର ସୁତ ।ତୋହ ପରି ଗରୁଡ଼ ଯେ ଅଟେ ମୋର ଭକ୍ତ ॥
।୧୪।ଏ ଯୁଗରେ ତୋ ଗର୍ବକୁ ଚୂନା କଲା ସେହି ।ଦ୍ୱାପର ଯୁଗରେ ହେବି ନନ୍ଦର କହ୍ନାଇ ॥
।୧୫।ସେ ସମୟେ ଗରୁଡ଼ ଯେ ହେବ ମୋର ଦାସ ।ତା ଗର୍ବ ଚୂନା କରିବୁରେ ଅଞ୍ଜନା ଶିଷ୍ୟ ॥
।୧୬।ଗରୁଡ଼କୁ ଆଜ୍ଞା ଦେଲେ ଯାଅ ପକ୍ଷୀବର ।ନିଶ୍ଚିନ୍ତ ମନରେ ତୁହି ଥାଅ ନିଜ ପୁର ॥
।୧୭।ଶ୍ରୀରାମଙ୍କ ଆଜ୍ଞା ମାତ୍ରେ ଗରୁଡ଼ ଯେ ଗଲେ ।କପି ସୈନ୍ୟ ଘେନିଣ ଶ୍ରୀରାମ ସଜ ହେଲେ ॥
।୧୮।ବହୁ ଯୁଦ୍ଧ କରି ରାବଣକୁ ବଧ କରି ।ଅଯୋଧ୍ୟାକୁ ଫେରି ଆସି ହେଲେ ଦଣ୍ଡଧାରୀ ॥
।୧୯।ଜାଣିଥିଲେ କହିବ ହୋ ଆମ୍ଭଙ୍କୁ ବୁଝାଇ ।ଏହାପରେ କିସ ହେଲା ହେ ଗୋପାଳ ଭାଇ ॥
।୨୦।ଉତ୍ତାରଯାହା ପଚାରିଲୁ ଏବେ ହେ ଗୋପାଳ ଭାଇ ।ଗୋଟି ଗୋଟି କରି ତୋତେ ଦେଉଛି ବୁଝାଇ ॥
।୧।ତ୍ରେତା ଯୁଗ ଯାଇ ପୁଣି ଦ୍ୱାପର ହୋଇଲା ।ଗୋପପୁରେ ଜନ୍ମି ପ୍ରଭୁ ହେଲେ ନନ୍ଦବଳା ॥
।୨।ଏହିପରି କହୁଥିଲେ କହୁଥିବି ଭାଇ ।ଠିକ ଠିକ କରି ଏବେ ଦେଉଛି ବୁଝାଇ ॥
।୩।ଦିନେ ପ୍ରଭୁ କୃଷ୍ଣଚନ୍ଦ୍ର ରୁକ୍ମିଣୀ ସଙ୍ଗରେ ।ପଶା ଖେଳୁଥଲେ ବସି କୁଣ୍ଡି କଟକରେ ॥
।୪।ରୁକ୍ମିଣୀ ବୋଇଲେ ଶୁଣ ଆହେ ପ୍ରାଣେଶ୍ୱର ।ଗରୁଡ଼ଠାରୁ ବଳିଷ୍ଠ ନାହିଂ ଆଉ ବୀର ॥
।୫।ଏହା ଶୁଣି ଶ୍ରୀକୃଷ୍ଣ ଯେ ହସ ହସ ହେଲେ ।ପରିହାସ ଦେଖି ଦେବୀ ତାଙ୍କୁ ପଚାରିଲେ ॥
।୬।କାହିଂକି ହସିଲ ତୁମ୍ଭେ ନ କହିଲେ ନାଥ ।ନିଶ୍ଚୟ ପ୍ରାଣ ତେଜିବି ଆହେ ନନ୍ଦସୁତ ॥
।୭।ଏହା ଶୁଣି ଶ୍ରୀକୃଷ୍ଣ ଯେ ବୋଲନ୍ତି ବଚନ ।ଗରୁଡ଼ଠାରୁ ବଳିଷ୍ଠ ସିନା ହନୁମାନ ॥
।୮।ଶୁଣି ଏହା ରୁକ୍ମିଣୀ ଯେ ବୋଲନ୍ତି ତାହାଙ୍କୁ ।କେମନ୍ତ ସେ ହନୁମାନ ଅଣାଅ ଏଠାକୁ ॥
।୯।ଶ୍ରୀକୃଷ୍ଣ ବୋଇଲେ ଶୁଣ ଆଗୋ ପ୍ରାଣେଶ୍ୱରୀ ।ବଂଶୀ ଛାଡ଼ି ଯେବେ ମୁହିଂ ହେବି ଚାପଧାରୀ ॥
।୧୦।ତୁମ୍ଭେ ସୀତୟା ରୂପକୁ କରିବ ଧାରଣ ।ତେବେ ହନୁମନ୍ତ ଆସି କରିବ ଦର୍ଶନ ॥
।୧୧।ଏହା ଶୁଣି ରୁକ୍ମିଣୀ ଯେ ସନମତ ହେଲେ ।କେମନ୍ତେ ହନୁମନ୍ତକୁ ଅଣାଅ ବୋଇଲେ ॥
।୧୨।ଶୁଣି କୃଷ୍ଣ ଗରୁଡ଼ଙ୍କୁ ବୋଇଲେ ବଚନ ।ଯାଅ ବେଗେ ଆଣ ଯାଇ ପବନ ନନ୍ଦନ ॥
।୧୩।କଦଳୀ ବନରେ ହନୁମନ୍ତ ରହିଥିବ ।ରାମଚନ୍ଦ୍ର ଡ଼ାକୁଛନ୍ତି ବୋଲିଣ କହିବ ॥
।୧୪।ଏହା ଶୁଣି ଗରୁଡ଼ ଯେ ବେଗେ ଚଳିଗଲା ।ବାଟରେ ଯାଇଣ ହନୁମନ୍ତକୁ ଭେଟିଲା ॥
।୧୫।ଜୀର୍ଣ୍ଣଶୀର୍ଣ୍ଣ ହୋଇଣ ପଡ଼ିଛି ବାୟୁ ବଳା ।ତାକୁ ଦେଖି ଗରୁଡ଼ ଯେ ବଚନ ବୋଇଲା ॥
।୧୬।ବେଗ ହୋଇ ଆସ କନ୍ଧେ ବସ ହନୁବୀର ।ରାମଚନ୍ଦ୍ର ଡାକୁଅଛି କୁଣ୍ଡି କଟକର ॥
।୧୭।ରାମଚନ୍ଦ୍ର ନାମ ଶୁଣି ବଳିଷ୍ଠ ହୋଇଲା ।ଜୀର୍ଣ୍ଣଶୀର୍ଣ୍ଣ ଦେହ ଛାଡ଼ି ପରାକ୍ରମୀ ହେଲା ॥
।୧୮।ରାମ ଶବ୍ଦ ନ ଶୁଣି ସେ ହୋଇଥିଲା କ୍ଳାନ୍ତ ।ରାମ ନାମ ଶୁଣିକରି ଉଠେ କପିନାଥ ॥
।୧୯।ଛାର ପକ୍ଷୀ ନେବ ମୋତେ କାନ୍ଧରେ ବସାଇ ।ଏହା କହି କାଖେ ତାକୁ ଜାକିଲାକ ନେଇ ॥
।୨୦।ଭୀଷଣ ମୂରତି ଧରି ବାହାର ହୋଇଲା ।କୁଣ୍ଡି କଟକରେ ଯାଇ ପରବେଶ ହେଲା ॥
।୨୧।ହନୁ ଯେ ଆସନ୍ତେ ତାହା ଜାଣି ଦେବ ହରି ।ରୁକ୍ମିଣୀକି ପଚାରନ୍ତି ଶୁଣ ପ୍ରାଣେଶ୍ୱରୀ ॥
।୨୨।ସୁଦର୍ଶନ ଚକ୍ର ଦ୍ୱାରେ ରଖାଇବା ନେଇ ।କେମନ୍ତ ବଳିଷ୍ଠ ତାକୁ ଆସିବ ସେ ଡ଼େଇଂ ॥
।୨୩।ଏଣେ ହନୁମନ୍ତ ଖୋଜି ଖୋଜି ସର୍ବ ସ୍ଥାନ ।ପ୍ରବେଶିଲା ଯହିଂ ଛନ୍ତି ପ୍ରଭୁ ରଘୁନାନ ॥
।୨୪।ଦେଖିଲା ଦ୍ୱାରେ ବୁଲୁଛି ଚକ୍ର ସୁଦର୍ଶନ ।ହସ୍ତ ପୂରାଇ ଦିଅନ୍ତେ ରହିଲା କରେଣ ॥
।୨୫।ରାମ ସୀତା ନିକଟରେ ପ୍ରବେଶ ହୋଇଲା ।ବେନି କର ଯୋଡ଼ି ରାମ ପାଦରେ ପଡ଼ିଲା ॥
।୨୬।ଶ୍ରୀରାମ ବୋଇଲେ ଶୁଣ ବାବୁ ହନୁ ବୀର ।ସୁଦର୍ଶନ ଚକ୍ର ବୁଲୁଥିଲା ସିଂହଦ୍ୱାର ॥
।୨୭।ହନୁମନ୍ତ ବୋଲେ କରେ ଗଦା ଅଛି ମୋର ।ଦ୍ୱାର ନ ଛାଡ଼ନ୍ତେ ତାକୁ କଲି ଯେ ପ୍ରକାର ॥
।୨୮।ଏ ବଚନ ଶୁଣି କୃଷ୍ଣ ଆଚମ୍ବିତ ହେଲେ ।ସୂର୍ଯ୍ୟବଂଶୀ ବୋଲି ତାକୁ ବହୁ ପ୍ରଶଂସିଲେ ॥
।୨୯।ପୁଣି ପଚାରନ୍ତି ରାମ ଗରୁଡ଼ ଯେ କାହିଂ ।ଶୁଣି ହନୁମନ୍ତ କର ଉଠାଇ ଦିଅଇ ॥
।୩୦।ଦେଖ ଗରୁଡ଼ ଯେ ମୋର କାଖତଳେ ଅଛି ।ନିଅ ଗରୁଡ଼କୁ ବୋଲେ ପବନର ବତ୍ସି ॥
।୩୧।ଏହା ଦେଖି ରୁକ୍ମିଣୀ ଯେ ଆଶ୍ଚର୍ଯ୍ୟ ହୋଇଲେ ।ଧନ୍ୟ ତୁମ୍ଭ ମାୟା ବୋଲି କୃଷ୍ଣଙ୍କୁ ବୋଇଲେ ॥
।୩୨।ହନୁକୁ ଚାହିଂଣ ବୋଇଲେକ ରଘୁବୀର ।ତୋ ପାଇଂ ଧନୁ ଧଇଲି ପବନ କୁମ୍ଭର ॥
।୩୩।ତ୍ରେତା ଯୁଗେ ଧନୁ ଛାଡ଼ି ବଂଶୀ ଧରି କରେ ।ତେଣୁ କୋପ କରିଥିଲୁ ଗରୁଡ଼ ଉପରେ ॥
।୩୪।ଏବେ ତୋ କାମନା ବାବୁ ହୋଇଲା ପୂରଣ ।ଯାଅ ବାବୁ ସୁଖେ ରହ କଦଳୀର ବଣ ॥
।୩୫।ଯାହା ପଚାରିଣ ଥିଲା ହେ ଗୋପାଳ ଭାଇ ।ବହୁ କଷ୍ଟେ ଛାନ୍ଦବନ୍ଧେ ଦେଲି ତା ବୁଝାଇ ॥
।୩୬।ହେଲା ନ ହେଲାକୁ ଦୋଷ ନ ଧରିବ ମୋର ।ଦୀନ ଅଚ୍ୟୁତି କହିଲା ଗୋପାଳ ହିତର ॥
।୩୭।ଓଗାଳ – ୭ସଭାଜନେ ଶ୍ରଦ୍ଧା ମନେ କଉତୁକ ରସ ।ଶ୍ରୀକୃଷ୍ଣଙ୍କ ଲୀଳା କଥା ଅପୂର୍ବ ରହସ୍ୟ ॥
।୧।ସମସ୍ତ ଗୋପାଳ ଭାଇ ହୋଇଅଛ ପୂର୍ଣ୍ଣ ।କରଯୋଡ଼ି ଜଣାଉଛି ବାଳକ ଅଜ୍ଞାନ ॥
।୨।ଗୋପପୁରେ କୃଷ୍ଣଚନ୍ଦ୍ର ଯେତେ ଲୀଳା କଲେ ।ଆଉ ଏକ ଲୀଳା କଥା କହିବଟି ଭଲେ ॥
।୩।କେଉଂଠାରେ କୃଷ୍ଣ କଳା ମଞ୍ଜରୀ ହୋଇଲେ ।ଗୋପିକାକୁ କେଉଂଠାରେ ମୂଷା କରାଇଲେ ॥
।୪।ମଞ୍ଜାରୀ ମୂଷିକ କଥା କହିବ ବୁଝାଇ ।ମନର ସଂଶୟ ମୋର ଯିବ ଦୂର ହୋଇ ॥
।୫।ଏହାର ବୃତ୍ତାନ୍ତ ଯଦି କହି ନ ପାରିବ ।ସଭା ମଞ୍ଚ ସ୍ଥାନକୁ ଯେ କେଭେଂ ନ ଆସିବ ॥
।୬।ମାତା ପିତା ଇଷ୍ଟଗୁରୁ ଦ୍ୱାହି ଯେ ତୁମ୍ଭକୁ ।ଅଚ୍ୟୁତ ବୋଲନ୍ତି ଆଉ ନ ଆସ ସଭାକୁ ॥
।୭।ଉତ୍ତାରସୁଜ୍ଞାନୀ ଗୋପଳମାନେ ଶୁଣ ଦେଇ ମନ ।ଯାହା ପଚାରିଲ ତାହା କରିବି ବର୍ଣ୍ଣନ ॥
।୧।ଇଷ୍ଟଗୁରୁ କଲ୍ୟାଣରୁ ଯାହା ମୁଂ ଜାଣିଛି ।କୃଷ୍ଣଙ୍କର ଲୀଳା ଗୀତେ ପ୍ରକାଶ କରୁଛି ॥
।୨।ଏକଦିନେ କୃଷ୍ଣଚନ୍ଦ୍ର ଲବଣୀ ଖାଇଣ ।କେତେକ ଲବଣୀ ତଳେ ପକାନ୍ତି ଖେଳିଣ ॥
।୩।ଏ ସମୟେ ଯଶୋଦା ଯେ ପ୍ରବେଶ ହୋଇଲେ ।ଲବଣୀ ଫିଙ୍ଗିବା ଦେଖି କୋପଭର ହେଲେ ॥
।୪।ଛାଟ ଧରି ଗୋଡ଼ାନ୍ତେଣ ଯଶୋମତୀ ରାଣୀ ।ଭୟେ ଲୁଚି ପଳାଇଲେ ଆପେ ବେଣୁପାଣି ॥
।୫।ପଛରେ ଗୋଡ଼ାଇଥାନ୍ତି ମାତା ନନ୍ଦରାଣୀ ।କାହିଂ ତୁ ଲୁଚିବୁ ଆଜ ଆରେ ନୀଳମଣି ॥
।୬।ପୁତ୍ରଙ୍କୁ ନ ପାଇ ରାଣୀ ଗୃହେ ଚଳିଗଲେ ।ମାୟାଧର ସେହି ଠାରେ ଅନ୍ତର୍ଦ୍ଧାନ ହେଲେ ॥
।୭।ଏକ ଗୋପିକା ଗୃହରେ ଯାଇ ପ୍ରବେଶିଣ ।ଗୋପୀଙ୍କୁ ବୋଲନ୍ତି କୃଷ୍ଣ ମୋର କଥା ଶୁଣ ॥
।୮।କେଉଂଠାରେ ମୋତେ ତୁହି ଦିଅ ଗୋ ଲୁଚାଇ ।କୋପେ ମାତା ଧାଇଂଛନ୍ତି ମାରିବାର ପାଇଂ ॥
।୯।ଏହା ଶୁଣି ଗୋପିକା ଯେ ବୋଲନ୍ତି ବଚନ ।ଆମ୍ଭର ଗମ୍ଭୀରା ଘରେ ଲୁଚ ହେ ମୋହନ ॥
।୧୦।ଗୋପୀଠାରୁ ଶୁଣି କୃଷ୍ଣ ବିନୟେ କହଇ ।ଅନ୍ଧାର ଗମ୍ଭୀରା ଘର ଡ଼ର ଯେ ମାଡ଼ଇ ॥
।୧୧।କୃଷ୍ଣଙ୍କ ବିନୟ ବାଣୀ ଶୁଣିଣ ଗୋପୀକା ।ବୋଲନ୍ତି ଯାହା କହିବ କରିବି ମୁଂ ଏକା ॥
।୧୨।ଶ୍ରୀକୃଷ୍ଣ ବୋଲନ୍ତି ମୋତେ ଘେନିକରି ଶୁଅ ।ନିଶ୍ଚିନ୍ତ ହୋଇଣ ମୋତେ ପଣତେ ଘୋଡ଼ାଅ ॥
।୧୩।ଏହା ଶୁଣି ଗୋପିକା ଯେ ବହନ ଚଳିଲା ।ଗମ୍ଭୀରା ଘର ପଲଙ୍କେ ଶେଯ ସେ ପାତିଲା ॥
।୧୪।ଶୁଅ ବାବୁ ବୋଲି ଯେଣୁ କହଇ ରମଣୀ ।ବେନି କରେ ତାହାକୁ ଧରନ୍ତି ବେଣୁପାଣି ॥
।୧୫।ଏକାହୋଇ ନିଦ୍ରା ମୋତେ ନ ଆସଇ କେବେ ।ଶୁଅ ତୁମ୍ଭେ ମୋର ପାଶେ କହୁଅଛୁ ଆମ୍ଭେ ॥
।୧୬।ଗୋପିକା ଶୁଣିଣ ତହୁଂ ଲଜ୍ଜାଭର ହୋଇ ।କୃଷ୍ଣଙ୍କ ପାଶେ ପଲଙ୍କେ ଶୟନ କରଇ ॥
।୧୭।ଗୋପୀ ଭାବେ ଏହୁ ସିନା ବାଳୁତ ନନ୍ଦନ ।ପ୍ରେମ ଆଲିଙ୍ଗନ କାହୁଂ ଶିଖିଲା ଏ ମାନ ॥
।୧୮।ଯେବେ ଯୁବା ହୋଇଥାନ୍ତା ଯଶୋଦା କୁମର ।କେଡ଼େ ଭାଗ୍ୟରେ ଧରନ୍ତି ହୁଅନ୍ତି କୋୟର ॥
।୧୯।ଅନ୍ତର୍ଯ୍ୟାମୀ ଗୋପୀର ଅନ୍ତର କଥା ଜାଣି ।ବୋଲନ୍ତି ତୁ ଭାବୁ ଯାହା ହେବି ବାଳାମଣି ॥
।୨୦।ବେନି ଚକ୍ଷୁ ବୁଜ ମୁହିଂ ହେବି ନବ ଯୁବା ।ତକ୍ଷଣେ ଗୋପୀ ନୟନ ବୁଜି ହେଲେ କାବା ॥
।୨୧।ତହୁଂ କୃଷ୍ଣ ହେଲେ କୋଟି କନ୍ଦର୍ପ ମୂରତି ।ଗୋପିକା ସଙ୍ଗେ ପ୍ରେମରେ କଲେ ଯେ ସୁରତି ॥
।୨୨।ଚଉଷଠି ବନ୍ଧ ଆଉ ବତିଶ ଲକ୍ଷଣେ ।ସୁରତି କରନ୍ତି କାହ୍ନୁ ଆନନ୍ଦିତ ମନେ ॥
।୨୩।ରତି ଶେଷେ ଦୁହେଂଯାକ ଶୋଇ ଯେ ପଡ଼ିଲେ ।ଦୀନମଣି ଅସ୍ତାଚଳେ ଗମନ କରିଲେ ॥
।୨୪।ରାତ୍ର ଦୁଇଘଡ଼ି କାଳ ହୁଅନ୍ତେଣ ଆସି ।ଗୋପିକାର ଶାଶୁ ତହିଂ ଆସିଲାକ ପଶି ॥
।୨୫।ଦେଖିଲାକ ଦୁଇ ଦ୍ୱାର ମେଲା ହୋଇଅଛି ।ବୋହୂ କେଣେ ଗଲା ବୋଲି ମନରେ ଭାବୁଛି ॥
।୨୬।ଘର ସବୁ ମେଲାଅଛି ବୋହୂ କାହିଂଗଲା ।ଏହା ଦେଖି ବୁଢ଼ୀ ମନେ ସନ୍ଦେହ ଲାଗିଲା ॥
।୨୭।ଘର ଭିତରେ ନିରେଖି ଚାହେଂ ସେହୁ ପୁଣି ।ଗମ୍ଭୀରା ଘରେ ଦେଖିଲା ବୋହୂ ଚକ୍ରପାଣି ॥
।୨୮।ବାରମ୍ବାର ତାହାକୁ ଯେ ସନ୍ଦେହ ଲାଗିଲା ।ପୁଣି ଦିହୁଡ଼ି ଲଗାଇ ନିରେଖି ଚାହିଂଲା ॥
।୨୯।ପୁଅ ମୋର ଘରେ ନାହିଂ ଏ କେଉଂ ଭବିଷ୍ୟ ।କହିଲେ କେହି ତ କେବେ ନ ଯିବେ ବିଶ୍ୱାସ ॥
।୩୦।ବାଳୁତ କୁମର ସିନା ନନ୍ଦର ନନ୍ଦନ ।କୋଟି କନ୍ଦର୍ପ ମୂରତି ହୋଇଲା କେସନ ॥
।୩୧।ଯାଉଛି ମୁଂ ଯଶୋଦାଙ୍କୁ ଡ଼ାକିଣ ଆଣିବି ।ଦେଖାଇ ଦୁହିଂଙ୍କ ଗର୍ବ ଚୁନା କରାଇବି ॥
।୩୨।ଏହା ଭାବି ବୁଢ଼ୀ ଖରତରେ ଚଳିଗଲା ।ନନ୍ଦର ମନ୍ଦିରେ ଯାଇ ପ୍ରବେଶ ହୋଇଲା ॥
।୩୩।ବୋଲନ୍ତି ଶୁଣ ଶୁଣ ଗୋ ଯଶୋବନ୍ତୀ ମାଏ ।ଶୁଣିବ ଆସ ଏଠାକୁ ଅପୂର୍ବ କଥାଏ ॥
।୩୪।ଯଶୋଦା ବୋଲନ୍ତି କି ଅପୂର୍ବ କଥା କହ ।ଏହା କହି ମନରୁ ମୋ ସଂଶୟ ଫିଟାଅ ॥
।୩୫।ଯଶୋଦାଙ୍କୁ ଚାହିଂ ବୁଢ଼ୀ ବୋଲଇ ବଚନ ।ଦେଖିବ ଆସ ଗୋ ପୁଣି ଆଶ୍ଚର୍ଯ୍ୟ ଘଟଣ ॥
।୩୬।ମାର୍ଜାର ମୂଷିକ କେଉଂଠାରେ ପ୍ରୀତି ହୁଏ ।ଦେଖିବ ଆସ ଗୋ ମାତା ଆମ୍ଭ ଗୃହ ଯାଏ ॥
।୩୭।ଏହା ଶୁଣି ଯଶୋବନ୍ତୀ ବେଗ ହୋଇ ଗଲେ ।ଗୋପୀର ଗୃହରେ ଯାଇ ପ୍ରବେଶ ହୋଇଲେ ॥
।୩୮।ମାୟାଧର ତାହା ଜାଣି ମାୟା ଆରମ୍ଭିଲେ ।ଗୋପିକାକୁ ମୂଷା କରି ମାର୍ଜାର ସେ ହେଲେ ॥
।୩୯।ଯଶୋଦା ଯେ ଗମ୍ଭୀରା ଦୁଆର ପାଶେ ଚାହେଂ ।ଶ୍ୱେତ ମୂଷା କଳା ମାର୍ଜାରର ପ୍ରୀତି ହୋଏ ॥
।୪୦।ରାଣୀ ଯଶୋବନ୍ତୀ ଦେଖି ଆଶ୍ଚର୍ଯ୍ୟ ଘଟଣ ।ଗୋପିକାକୁ ଡାକି ପୁଣି ବୋଲନ୍ତି ବଚନ ॥
।୪୧।ଆଉ ଗୋପୀ – ଗୋପାଳଙ୍କୁ ଡାକିଣ ଯେ ଆଣ ।ଦେଖନ୍ତୁ ଅଦ୍ଭୁତ କେବେ ଦେଖିନି ନୟେନ ॥
।୪୨।ତହୁଂ ବୁଢ଼ୀ ଖରତରେ ଗ୍ରାମରେ ପ୍ରବେଶ ।ଡାକଇ ଦେଖିବ ଯେବେ ବେଗହୋଇ ଆସ ॥
।୪୩।ତହୁଂ ଗୋପୀ ଗୋପାଳ ଯେ ବେଗହୋଇ ଆସି ।ଯଶୋଦାଙ୍କୁ ଚାହିଂ ପୁଣି ବଚନ ଯେ ଭାଷି ॥
।୪୪।ଯଶୋଦା ବୋଲନ୍ତି କେବେ ଶୁଣିନାହିଂ କାନ ।ମୂଷିକ ମାର୍ଜାର କେବେ ନଥିଲା ମିଳନ ॥
।୪୫।ଏହା ଶୁଣି ଗୋପୀ ଗୋପାଳ ଯେ ରୁଣ୍ଡହୋଇ ।ଦେଖୁଛନ୍ତି ଶ୍ୱେତ ମୂଷା କଳା ଯେ ବିଲାଇ ॥
।୪୬।ଗଡାଗଡି ପ୍ରେମ ଆଲିଙ୍ଗନ ବାରମ୍ବାର ।ଦେଖୁଛନ୍ତି ନରନାରୀ ହୋଇକରି ସ୍ଥିର ॥
।୪୭।କେତେକ ବେଳ ପର୍ଯ୍ୟନ୍ତ କୈାତୁକ ଲଗାଇ ।ମୂଷା ତା ଗର୍ତ୍ତରେ ପଶେ ମାର୍ଜାର ପଳାଇ ॥
।୪୮।ବୁଢ଼ୀ ଯାହା ଦେଖିଥିଲା ହେଲା ବିପରୀତ ।ରାଣୀଙ୍କୁ କହିବା କଥା ହୋଇଗଲା ସତ ॥
।୪୯।ଆଉ ବୁଢ଼ୀ ନ ସମ୍ଭାଳି କହେ ସେ ଚଳିଣ ।ଶୁଣ ଗୋ ଯଶୋଦା ରାଣୀ କହୁଛି ବଚନ ॥
।୫୦।ତୁମ୍ଭ ପୁତ୍ର ମୋର ବୋହୂ ଏକତ୍ର ଶୟନ ।ଦେଖି ତୁମ୍ଭ ନିକଟକୁ ଧାଇଂଲି ଯେ ପୁଣ ॥
।୫୧।ତୁମ୍ଭଙ୍କୁ କହିଲି ମୁହିଂ ବିପରୀତ କରି ।ଦେଖାଇବ ବୋଲି ଡାକି ଆଣିଲି ବିଚାରି ॥
।୫୨।ଏହି ସମୟରେ ରୋହିଣୀ ମାତାଙ୍କ ସଙ୍ଗତେ ।କୃଷ୍ଣ ବଳରାମ ଦୁହେଂ ଆସିଲେ ତୁରିତେ ॥
।୫୩।ଏଣେ ଗୋପିକାର ବୋହୂ ଜଳଧରି କରେ ।ଡାକଇ ଶାଶୁକୁ ଶ୍ରୀଘ୍ର ଜଳ ନିଅ ମୋରେ ॥
।୫୪।ଯଶୋଦା ବୋଲନ୍ତି ସର୍ବ ଗୋପୀ ଗୋପାଳଙ୍କୁ ।ଦେଖିଲଟି ସ୍ୱ- ଚକ୍ଷୁରେ ମୂଷା ବିରାଡିଙ୍କୁ ॥
।୫୫।ଏ ବୁଢ଼ୀ ଯେ ଚଳିହୋଇ କହୁଛି କିପରି ।ପୁତ୍ର ମୋର ଆସେ ରୋହିଣୀଙ୍କ କର ଧରି ॥
।୫୬।ବୋହୂ ତାର ଜଳ ଘେନି ଏହିଠାରେ ଅଛି ।କେମନ୍ତେ ଏ ଦୁହେଂ ମେଳ ହେଲେ କହ ବାଛି ॥
।୫୭।ତୁମ୍ଭେ ସର୍ବେ ନିଜେ ଆସି ଦେଖିଲ ଯେ ପୁଣ ।ଏ ବୁଢ଼ୀ କହୁଛି ମୋତେ କେମନ୍ତ ବଚନ ॥
।୫୮।ସମସ୍ତ ଗୋପୀ ଗୋପାଳ ମିଳିକରି ପୁଣି ।ବୁଢ଼ୀକୁ ଭର୍ତ୍ସନା କରି କହନ୍ତି ଯେ ବାଣୀ ॥
।୫୯।ବାଳୁତ ପୁତ୍ର ନାମରେ କହିଲୁ କେମନ୍ତ ।ଏହା କହିବାଟି ତୋର ନୁହଂଇ ଉଚିତ ॥
।୬୦।ଏପରି ତୁ ଅପବାଦ କେଭେଂ ଦେବୁ ନାହିଂ ।ଯଶୋଦାଙ୍କୁ ବୁଝାଇଣ କହନ୍ତି ସେ ଗୋଈ ॥
।୬୧।ଚାଲ ମାତ ନିଜ ଗୃହେ ଯିବା ଗୋ ବହନ ।ବୁଢ଼ୀର ହୋଇଅଛି ଯେ ମସ୍ତିଷ୍କ ବିଭ୍ରମ ॥
।୬୨।ଏହା କହି ସର୍ବ ଗୋପୀ ଗୋପାଳ ଯେ ଗଲେ ।ଯଶୋଦା ରୋହିଣୀ ପୁଏ କାଖ ହୋଇ ଚାଲେ ॥
।୬୩।ନିଜ ଗୃହେ ଚଳିଲେ ସେ ନନ୍ଦର ଘରଣୀ ।ପୁଅକୁ କି ପଡ଼ିଥିଲା ପ୍ରମାଦ ଯେ ପୁଣି ॥
।୬୪।ସର୍ବ ଗୋପୀ ଗୋପାଳ ଯେ ହରଷେ ଚଳିଲେ ।ରାଧାକୃଷ୍ଣ ରସ ଗୀତେ ଅଚ୍ୟୁତ ଭଣିଲେ ॥
।୬୫।ଶୁଣିଲ ତ ସଭାଜନେ ପଚାରିବା କଥା ।ମୂଷିକ ମାର୍ଜାର ରୂପେ ବିଚିତ୍ର ବାରତା ॥
।୬୬।ଗୋପାଳଙ୍କ ହିତେ ଗୀତେ କହିଲି ମୁଂ ଯାହା ।ଜଗତ ଜନଙ୍କ ପାଇଂ ଅମୃତଟି ଏହା ॥
।୬୭।ଓଗାଳ – ୮ଅଗ୍ନି ଉତ୍ସବସମସ୍ତ ଗୋପାଳଙ୍କୁ ମୋହର ନମସ୍କାର ।ସଭା ମଞ୍ଚ ସ୍ଥାନ ଦେଖି ପୁରୁଛି ଅନ୍ତର ॥
।୧।ବହୁଦିନ କଥା ମନେ ପଡ଼ିଲାରେ ଭାଇ ।ପଥ ପରିଶ୍ରମ କରି ଆସିଅଛୁ ତୁହି ॥
।୨।ବହୁଦିନ କଥା ନୁହେଂ ମାସେ ପୂର୍ବ ହୁଏ ।ନ ବୁଝିଲା ଲୋକଙ୍କୁ ସେ ଲାଗେ ଦୂର ପ୍ରାୟେ ॥
।୩।ଆମ୍ଭେମାନେ ମାଘ ପୂର୍ଣ୍ଣିମାରେ ଏକ ହୋଇ ।ଅଗ୍ନି ପୂଜା କରୁ ସର୍ବେ ଆନନ୍ଦିତ ହୋଇ ॥
।୪।କାହିଂକି ଅଗ୍ନି ଉତ୍ସବ କରନ୍ତି ହେ ଭାଇ ।ଆମ୍ଭେ ଆଦ୍ୟ ପୂଜା ବୋଲି କହୁ ସର୍ବ ଠାଇଂ ॥
।୫।ସମସ୍ତ ଯାଗାରେ ନର ନାରୀମାନେ ମିଳି ।ଅଗ୍ନି ପୂଜା କରୁଥାନ୍ତି ଦେଇ କରତାଳି ॥
।୬।କେ ମୃଦଙ୍ଗ ବଜାଇଣ ଅଗ୍ନି ଚାରିପାଖେ ।ହରିବୋଲ ହୁଳହୁଳି ଦିଅନ୍ତି ଯେ ମୁଖେ ॥
।୭।କେ ଅଗ୍ନିରେ କ୍ଷୀର ଦେଇ କରୁଥାନ୍ତି ଶାନ୍ତି ।କେହୁ ଅବା ଦଧି ଘୃତ ମିଶାଇ ଦିଅନ୍ତି ॥
।୮।କେଉଂ ସ୍ଥାନେ ନାରିକେଳ ପୋଡ଼ନ୍ତି କେ ଭାଇ ।କେଉଂ ସ୍ଥାନେ ଭୋଗମାନ ଦିଅନ୍ତି ସେ ନେଇ ॥
।୯।ଏହିପରି ଯିଏ ଯେଉଂ ସ୍ଥାନରେ କରନ୍ତି ।ଶାନ୍ତ ହୁଅ ବୋଲି ଅଗ୍ନିଦେବଙ୍କୁ ଜଣାନ୍ତି ॥
।୧୦।ପୁଣି କିମ୍ପା ଦୋଳ ପୂର୍ଣ୍ଣମୀରେ ସେହିପରି ।ମେଣ୍ଡା କୁଡ଼ିଆ କରିଣ ଅଗ୍ନି ଦ୍ୟନ୍ତି ଭରି ॥
।୧୧।ଅଗ୍ନି ଲାଗିକରି ଯହୁଂ ଜଳେ ଉଂଚା ହୋଇ ।ତହିଂପରି ଗୁଆ ଘୃତ ଢାଳନ୍ତି ଯେ ନେଇ ॥
।୧୨।ଆଜିଠାରୁ ଶାନ୍ତ ହୁଅ ଅଗ୍ନିଦେବ କହି ।କେତେ ଭକ୍ତି ସ୍ତୁତି ଲୋକେ କରନ୍ତି ଯେ ଯାଇ ॥
।୧୩।ଅଗ୍ନିଦେବ ଶାନ୍ତ ଯହୁଂ ହୁଅନ୍ତି ରେ ଭାଇ ।ତେବେ ରାଧା କୃଷ୍ଣ ଦୋଳ ମଣ୍ଡପେ ଝୁଲାଇ ॥
।୧୪।ମେଣ୍ଡା କୁଡ଼ିଆ ପୋଡ଼ିଣ କାହିଂକି ଏଠାଇଂ ।ଝୁଲଣକୁ ନ ଯାଆନ୍ତି ନନ୍ଦର କହ୍ନାଇ ॥
।୧୫।ଏତକ ବିଚାରି ମୋତେ କୁହ ଫେଡ଼ିକରି ।ଅଚ୍ୟୁତ ବୋଲନ୍ତି ବେଳ ହେଉଅଛି ଡେରି ॥
।୧୬।ଉତ୍ତାରଶୁଣ ହେ ପାଗଳ ଭାଇ ପଚାରିଲ ଯାହା ।ଇଷ୍ଟଗୁରୁ ସୁମରିଣ କହୁଅଛି ତାହା ॥
।୧।ଏକଦିନେ କୃଷ୍ଣଚନ୍ଦ୍ର ଚନ୍ଦ୍ରାବଳୀ ସଙ୍ଗେ ।ସଙ୍କେତ ଦେଇଣ କହିଥିଲେ ନାନା ରଙ୍ଗେ ॥
।୨।କଣ୍ଟ ଦେଇ କୃଷ୍ଣଚନ୍ଦ୍ର ଅଇଲେ ବାହାରି ।ବନେ ବନେ ଭ୍ରମଣ କରନ୍ତି ବଂଶିଧାରୀ ॥
।୩।ସୂର୍ଯ୍ୟ ପୂଜାକରି ବସିଥିଲା ଚାରୁବାଳା ।ରୈାଦ୍ରରେ ଚାଲି ନପାରି ଆକୁଳ ହୋଇଲା ॥
।୪।କୃଷ୍ଣ କୃଷ୍ଣ ଭାବି ଭାବି ରାଈ ବିନୋଦିନୀ ।ଅସ୍ତବ୍ୟସ୍ତ ହୁଅନ୍ତି ଯେ କୀର୍ତ୍ତିଦା ନନ୍ଦିନୀ ॥
।୫।ସଖୀମାନଙ୍କୁ ଛାଡ଼ିଣ ପାଗଳ ପରାଏ ।ଦାସ କବରୀ ଫିଟିଣ ତଳେ ଲୋଟିଯାଏ ॥
।୬।ରାଧାଙ୍କ ଉତ୍କଣ୍ଠା ଦେଖି ତହିଂ ସଖୀଗଣ ।ତୁଳସୀଙ୍କ ନିକଟକୁ ଚଳିଲେ ବହନ ॥
।୭।ତୁଳସୀ ଆଗରେ ଯାଇଂ ସମସ୍ତ କହିଲେ ।ଶୁଣିକରି ତୁଳସୀ ଯେ କୃଷ୍ଣ ପାଶେ ଗଲେ ॥
।୮।କେଳି କଦମ୍ବ ମୂଳରେ କୃଷ୍ଣଙ୍କୁ ଦେଖିଣ ।କହୁଛନ୍ତି ରାଧା ତୁମ୍ଭ ଲାଗି ହେ ମୋହନ ॥
।୯।ବାତୁଳ ପରାଏ ହୋଇ ଖୋଜନ୍ତି ତୁମ୍ଭଙ୍କୁ ।କି କରିବା କହ ଶ୍ୟାମବନ୍ଧୁ ହେ ଆମ୍ଭକୁ ॥
।୧୦।ଶୁଣି କହନ୍ତି ଶ୍ରୀହରି ତୁଳସୀଙ୍କୁ ଭାବି ।ନିଭୃତ କୁଞ୍ଜରେ ସଖୀ ଜାଣ ମୁହିଂ ଥିବି ॥
।୧୧।ଯାଅ ବେଗେ ଧନୀକି ମୋ ଆଣିବ ସେଠାକୁ ।ନିଶ୍ଚୟ ଭେଟ ହୋଇବ କହିବ ରାଧାଙ୍କୁ ॥
।୧୨।ଶୁଣିକରି ତୁଳସୀ ଯେ ବେଗହୋଇ ଗଲେ ।ଗୋପୀଙ୍କର ପାଶେ ସର୍ବ ବୃତ୍ତାନ୍ତ କହିଲେ ॥
।୧୩।ସର୍ବ ସଖୀ ମିଳି ଯାଇ ରାଧାଙ୍କ ନିକଟେ ।ବୋଲନ୍ତି ଆସ ଗୋ ରାଧେ ନିଭୃତ କଟକେ ॥
।୧୪।ଶ୍ୟାମବନ୍ଧୁ ଚାହିଂ ବସିଅଛନ୍ତି ଯେ ବାଟ ।ତାଙ୍କ ସଙ୍ଗେ ତୁମ୍ଭଙ୍କୁ ଗୋ କରାଇବୁ ଭେଟ ॥
।୧୫।ଚିତ୍ରା କୁଞ୍ଜେ ସମସ୍ତେ ଯେ ହୋଇଲେ ମିଳନ ।ହାସ ପରିହାସ କରି ତୃପ୍ତ କଲେ ମନ ॥
।୧୬।ପଶା ଖେଳ ଆରମ୍ଭ କରିଣ ସର୍ବେ ମିଳି ।ପଶା ପକାଇଲେ ସର୍ବେ ହୋଇ ଏକ ମେଳି ॥
।୧୭।ଏଣେ ଚନ୍ଦ୍ରାବଳୀ ବେଶ ହୋଇ ପଦ୍ମ କୁଞ୍ଜେ ।ଆସିବେ ବୋଲିଣ କୃଷ୍ଣ ମନେ ମନେ ସାଜେ ॥
।୧୮।କଣ୍ଟ ଦେଇ ନ ଆସିଲେ ଭଣ୍ଡ ନଟବର ।ମାତ୍ର ରହିଲେ କି ଆଉ ରାଧିକା ସଙ୍ଗର ॥
।୧୯।ଚାଲ ସଖୀ ଦେଖିବା ଗୋ କୁଞ୍ଜବନେ ଯାଇ ।ବେଶଭୂଷା ଓହ୍ଳାଇଣ ଦେଲେ ବେଗେ ଫେଇ ॥
।୨୦।ବେଶଭୂଷା ଫିଙ୍ଗିଦେଇ କ୍ରୋଧରେ ଅଇଲେ ।ଚିତ୍ରା କୁଞ୍ଜ ନିକଟରେ ଯାଇଣ ମିଳିଲେ ॥
।୨୧।ପଶା ଖେଳୁଛନ୍ତି ବସି ରାଈ ନଟବର ।ନିଶ୍ଚୟ ରାଧାଙ୍କ ଗର୍ବ ଭାଙ୍ଗିବି ନିକର ॥
।୨୨।ପଦ୍ମାକୁ ଡ଼ାକିଣ କହେ ଶୁଣ ସହଚରୀ ।ଜଟିଳା କୁଟିଳାକୁ ଗୋ ଆଣ ବେଗକରି ॥
।୨୩।ଶୁଣିକରି ସଖୀ ତହୁଂ ବେଗହୋଇ ଗଲେ ।ଜଟିଳ ନିକଟେ ଯାଇଂ ପ୍ରବେଶ ହୋଇଲେ ॥
।୨୪।ଜଟିଳା ବୋଲନ୍ତି କେଣେ ଅଇଲୁ ଗୁଆଳୀ ।ମନରୁ ସଂଶୟ ମୋର ତୁଟାଅ ଗୋ ବାଳୀ ॥
।୨୫।ପଦ୍ମା କହେ ଶୁଣ ମାତା ବଧୂ ଯେ ତୁମ୍ଭର ।ଚିତ୍ରା କୁଞ୍ଜେ ପଶା ଖେଳେ କୃଷ୍ଣ ସଙ୍ଗତର ॥
।୨୬।ଦେଖି ଧାଇଂ ଆସିଅଛି ତୁମ୍ଭ ନିକଟକୁ ।ତୁମ୍ଭ ବଧୁ ସତୀ ବୋଲି କୁହ ଯେ ଆମ୍ଭଙ୍କୁ ॥
।୨୭।ସତୀପଣ ଦେଖ ଯାଇଂ ଚିତ୍ରାଙ୍କ କୁଞ୍ଜରେ ।ଏହା ଶୁଣି ଜଟିଳା ଯେ କୁହଇ ପଦ୍ମାରେ ॥
।୨୮।ବଧୂ ମୋର ସୂର୍ଯ୍ୟପୁଜା କରିବାର ପାଇଂ ।ସଖୀମାନଙ୍କର ସଙ୍ଗେ ଗଲେ ବେଗ ହୋଇ ॥
।୨୯।ପଦ୍ମା କହେ ସୂର୍ଯ୍ୟ ପୂଜା ସାରି ନବବାଳୀ ।କ୍ରୀଡ଼ା କରୁଛନ୍ତି କୃଷ୍ଣ ହୋଇ ଏକମେଳି ॥
।୩୦।ଦେଖିବ ଯେବେ ଗୋ ତୁମ୍ଭେ ଆସ ସଙ୍ଗେ ମୋର ।ଦେଖିଲେ ମନୁ ସଂଶୟ ତୁଟିବ ତୁମ୍ଭର ॥
।୩୧।ଏହା ଶୁଣି ବୁଢ଼ୀ ତହୁଂ ହୋଇ ତରତର ।ବାଡ଼ି ଧରି ପଦ୍ମା ସଙ୍ଗେ ଗଲେ ଖରତର ॥
।୩୨।ଯାଇ ପହଞ୍ଚିଲେ କୁଞ୍ଜ ଅଳ୍ପ ଦୂର ଅଛି ।ସେହି ସ୍ଥାନେ ନାନ୍ଦିମୁଖୀ ସଖୀ ଜଗିଅଛି ॥
।୩୩।ନାନ୍ଦିମୁଖୀ ଜାଣିପାରି ସୁମରେ କୃଷ୍ଣଙ୍କୁ ।ବିପଦ ପଡ଼ିଲା ଆଜି ନିଶ୍ଚୟ ରାଧାଙ୍କୁ ॥
।୩୪।ବୋଲେ ନାନ୍ଦିମୁଖୀ ପ୍ରଭୁ ରକ୍ଷାକର ଏଥି ।ନୋହିଲେ ଜଟିଳା ନିଶ୍ଚେ କରିବ ଅନୀତି ॥
।୩୫।ଜଟିଳାଙ୍କୁ ଦେଖି ବନ ପଶୁ ପକ୍ଷୀ ବୃନ୍ଦ ।ରାବ ଦେଲେ ଉଚ୍ଚସ୍ୱରେ ହେଲା ପରମାଦ ॥
।୩୬।ଉଚ୍ଚେ ଡାକ ଦେଲେ ଆସି ଚନ୍ଦ୍ରସେଣା ମାତା ।ଶୁଣି ବୃନ୍ଦାବତୀ କହେ ଶୁଣ ଗୋ ଲଳିତା ॥
।୩୭।ଜଟିଳା ଆସୁଛି ଆମ୍ଭ ରାଈ ଅନ୍ବେଷଣେ ।କି ଉପାୟେ ଏଥୁଂ ରକ୍ଷା ହେବା ଆମ୍ଭେମାନେ ॥
।୩୮।ଏତେ ଭାଳି ଅଗ୍ନି ଦେବତାଙ୍କୁ ସୁମରିଣ ।ଏହି ବନ ଅତି ଶୀଘ୍ର କର ହେ ଦହନ ॥
।୩୯।ଚାହୁଂ ଚାହୁଂ ଅଗ୍ନି ବେଗେ ଜଳି ଯେ ଉଠିଲା ।ବୁଢ଼ୀ ଦେଖିକରି ପୁଣି ଚମକି ପଡ଼ିଲା ॥
।୪୦।ଚାହୁଂ ଚାହୁଂ ଅଗ୍ନି ଚାରି ପାଖେ ଲାଗିଗଲା ।ଜଟିଳା ଭାଳଇ ମନେ କି ଦଣ୍ଡ ପଡ଼ିଲା ॥
।୪୧।ମିଛରେ ମୋତେ ଏଠାକୁ ଆଣିଲା କିମ୍ପାଇଂ ।ଏତେ କହି ବାଡ଼ି ଧରି ଏଣେତେଣେ ଚାହିଂ ॥
।୪୨।ନାନ୍ଦିମୁଖୀ କହେ ମାତା ମୋ କଥା ନ ମାନି ।ଆସିଅଛ ଯେ କାରଣୁଂ ଭୋଗିବ ଏକ୍ଷଣି ॥
।୪୩।ଯେଉଂଆଡ଼େ ଚାଲେ ବୁଢ଼ୀ ଦେଖେ ଦାବାନଳ ।ହୁତାଶନ ଜଳିଉଠେ ହୋଇ କୋପାନଳ ॥
।୪୪।ଚାହୁଂ ଚାହୁଂ ଅଗ୍ନି ବୁଢ଼ୀ ଚାରିପାଶେ ଯାଇ ।ଉପାୟ ନ ଦେଖି ବୁଢ଼ୀ ରୋଦନ କରଇ ॥
।୪୫।ଏ ସମୟେ ନାନ୍ଦମୁଖୀ କହେ ଆଗୋ ଆଈ ।ଅସତୀ ବୋଲି ତୋ ବଧୂ ଆସିଥିଲ ଧାଇଂ ॥
।୪୬।ଯେବେ ତ୍ରିଭୁବନେ ତୋର ବଧୂ ଥିବ ସତୀ ।ଏହିକ୍ଷଣି ଦାବାନଳ ହୋଇଯିବ ଶାନ୍ତି ॥
।୪୭।ଏହା ଶୁଣି ବୁଢ଼ୀ ତାର ବଧୂକୁ ପ୍ରଶଂସେ ।ଦେଖେ ଅଗ୍ନି ବ୍ରଜେ ଶାନ୍ତହୋଇ ଆସେ ॥
।୪୮।ଏଣେ ଛାଡ଼ି ତେଣେ ଅଗ୍ନି ଜଳେ ପରଖରେ ।ଧେନୁ ବତ୍ସା ସଖା ସର୍ବ ଥିଲେ ବନସ୍ତରେ ॥
।୪୯।ସୁଦାମ ସୁବଳ ଆଦି ସର୍ବେ ମିଳିକରି ।ବତ୍ସା ରଖି ଖେଳୁଥିଲେ ହୋଇ କୈାତୁହଳୀ ॥
।୫୦।ଅଗ୍ନି ତେଜ ଦେଖି ସର୍ବେ ମନେ ଭୟ କଲେ ।ନିଶ୍ଚୟ ମରିବୁଂ ଭାବି କୃଷ୍ଣଙ୍କୁ ଡ଼ାକିଲେ ॥
।୫୧।ଆମ୍ଭ ପ୍ରାଣ ଗଲା ରଖ ହେ କଳା କହ୍ନାଇ ।ପଶା ଖେଳ ଛାଡ଼ି ପ୍ରଭୁ ଦେଲେ ପଛେ ଚାହିଂ ॥
।୫୨।ଅଗ୍ନି ପ୍ରବଳ ହୋଇଲା ରଖିବା ତ ନାହିଂ ।କେମନ୍ତେ ଏ ଅଗ୍ନିରୁ ମୁଂ ଉଦ୍ଧାର କରଇ ॥
।୫୩।ଏହା ଭାବି ଧାଇଂଗଲେ ବନସ୍ତ ଭିତରେ ।ଧେନୁବତ୍ସା ସହ ସଖା ଥିଲେ ଯେଉଂ ଠାରେ ॥
।୫୪।ଏଣେ ରାଧା ସଖୀ ସହ ଗୃହେ ଗଲେ ଚଳି ।ଜଟିଳା ସେ ବନେ ଥାଇ ହେଉଅଛି ଭାଳି ॥
।୫୫।କୃଷ୍ଣଙ୍କୁ ଦେଖନ୍ତେ ସଖାମାନେ ଆନନ୍ଦିତ ।ରକ୍ଷା କର ରକ୍ଷା କର ଡାକନ୍ତି ସମସ୍ତ ॥
।୫୬।ଶ୍ରୀକୃଷ୍ଣ କହନ୍ତି ଅଗ୍ନି ଦେବ ଶାନ୍ତ ହୁଅ ।ତୋ ଗର୍ଭ ପୂର୍ଣ୍ଣ କରିବି କହୁଛି ନିଶ୍ଚୟ ॥
।୫୭।ଶୁଣିକରି ବୈଶ୍ୱାନର ସାନ୍ତ୍ବନା ଧଇଲେ ।କୃଷ୍ଣଚନ୍ଦ୍ର ସେହିଠାରେ ତାଙ୍କୁ ବର ଦେଲେ ॥
।୫୮।ଏ ବୈଶାଖ ମାସ ପୂର୍ବେ କିଛି ମାସ ଥିବ ।ମାଘ ପୂର୍ଣ୍ଣମୀ ଜାଣିଥା ସତ୍ୱରେ ହୋଇବ ॥
।୫୯।ଯେତେ ନର ନାରୀ ଛନ୍ତି ପୂଜିବେ ସେଦିନ ।ଅଗ୍ନି ଉତ୍ସବ କରିବେ ହୋଇ ଖୁସି ମନ ॥
।୬୦।ସେହିଦିନ ପରେ ଜାଣ ଦୋଳ ପୂର୍ଣ୍ଣିମୀରେ ।ମେଣ୍ଢା କୁଡ଼ିଆ କରିଣ ଜାଳି ଆନନ୍ଦରେ ॥
।୬୧।ଖାଦ୍ୟ ସାମଗ୍ରୀ ସମସ୍ତ ମଗାଇ ତାହାର ।ସନ୍ତୋଷ କରି ପୂଜିବେ ସର୍ବ ନାରୀ ନର ॥
।୬୨।ଶାନ୍ତ ହୋଇଯିବ ତୁମ୍ଭେ ତୁମ୍ଭର ପୁରକୁ ।ତେବେ ନିଶ୍ଚେ ଯିବି ଜାଣ ଦୋଳ ମଣ୍ଡପକୁ ॥
।୬୩।ଜାଣିଥିବ ଭାଇ ମେଣ୍ଢା କୁଡ଼ିଆ ପୋଡ଼ିଲେ ।ରାଧାକୃଷ୍ଣଙ୍କୁ ବସାନ୍ତି ଦୋଳ ମଣ୍ଡପରେ ॥
।୬୪।କୃଷ୍ଣଠାରୁ ଶୁଣି ଅଗ୍ନିଦେବ ଶାନ୍ତ ହେଲେ ।ସର୍ବ ସଖାବୃନ୍ଦ ତହୁଂ ରକ୍ଷା ଯେ ପାଇଲେ ॥
।୬୫।ଜଟିଳା ବୁଢ଼ୀ ଦେଖିଣ ସାହସ ଧଇଲା ।ପ୍ରଣାମ କରିଣ ବୁଢ଼ୀ ଚଳିଣ ଅଇଲା ॥
।୬୬।ସେହିଦିନୁଂ ଗୋପବାଳ ସର୍ବେ ଶାନ୍ତ ହେଲେ ।ନିଜ ନିଜ ଗୃହେ ମିଳି ସୁଖରେ ରହିଲେ ॥
।୬୭।ଏହିପରି କହିଥିଲେ କହୁଥିବି ଭାଇ ।ରାଧାକୃଷ୍ଣ ପ୍ରେମ ଗୀତେ ଅଚ୍ୟୁତ ଲେଖଇ ॥
।୬୮।ଓଗାଳ – ୯ପଞ୍ଜସଖା ଜନ୍ମଶୁଣ ଶୁଣ ଆହେ ଭାଇ ମନ କରି ସ୍ଥିର ।ଆଉ ଏକ କଥା ଗୋଟି ପଡିଲା ମନର ॥
।୧।ପଞ୍ଚସଖା ଜନ୍ମ କାହୁଂ ହୋଇଲା ହେ ଭାଇ ।ଏହାର ଚରିତ ମୋତେ ଦେବଟି ବୁଝାଇ ।।୨।କେଉଂ ଯୁଗେ କେଉଂ ଅବତାର ହେଲେ ସେହି ।ଗୋଟି ଗୋଟି କରି ତାହା କହିବରେ ଭାଇ ॥
।୩।ସତ୍ୟ ତ୍ରେତା ଅନ୍ତେ ପୁଣି ଦ୍ୱାପର ଯେ କଳି ।ପଞ୍ଚସଖାଙ୍କର ଜନ୍ମ କହିବ ଯେ ଭାଳି ॥
।୪।ସଭାଜନମାନେ ଏହା ଶୁଣି ହେବ ତୋଷ ।ଗୀତରେ ଭଣିଲେ ଏହା ଯେ ଅଚ୍ୟୁତ ଦାସ ॥
।୫।ଉତ୍ତାରଗୋପାଳ ଭାଇଏ ଶୁଣ ଦେଇ ମନକର୍ଣ୍ଣ ।ପଞ୍ଚସଖା ଜନ୍ମକଥା କରିବି ଗାୟନ ॥
।୧।ସଦ୍ଗୁରୁ ସୁଦୟାରୁ ଯାହା ଜାଣେ ମୁହିଂସ୍ଥିରହୋଇ ଶୁଣ ସର୍ବେ ଦେଉଛି ବୁଝାଇ ॥
।୨।ଅନନ୍ତ ଯୁଗ ଯେ ଭାଇ ଆଦ୍ୟରେ ହୋଇଲା ।କୃଷ୍ଣ କଳ୍ପନାରୁ ପଞ୍ଚସଖା ଜନ୍ମ ହେଲା ॥
।୩।ରାଧାକୃଷ୍ଣ ଲୀଳା କଥା ପ୍ରକାଶିବା ପାଇଂ ।ଜନମ ହୋଇଲେ ପଞ୍ଚସଖା ରୂପେ ତହିଂ ॥
।୪।ଶୀଦାମ ସୁଦାମ ବସୁଦାମ ଆଉ ନନ୍ଦ ।ନିତ୍ୟ ଗୋଲୋକରେ ଜନ୍ମ ହେଲେ ଯେ ସୁନନ୍ଦ ॥
।୫।ଏହିପରି କୃଷ୍ଣ ସଙ୍ଗେ ଆନନ୍ଦେ ରହିଲେ ।ସତ୍ୟଯୁଗ ପ୍ରବେଶନ୍ତେ ପୁଣି ଜନ୍ମ ହେଲେ ॥
।୬।ଆଦି ଅନନ୍ତ ଲୀଳା ଏ ଶୁଣ ଆହେ ବାବୁ ।ଗୁପ୍ତ ଲୀଳାମାନ ଏବେ କହିଦେଲି ସବୁ ॥
।୭।ଅନନ୍ତ ଯୁଗେଟି ଜାଣ ଭାଇ ଯେ ଗୋପାଳ ।ପଞ୍ଚସଖା ତହିଂ ପୁଣ ଗୋଲୋକରେ ମେଳ ॥
।୮।ସତ୍ୟଯୁଗେ ଜାଣ ଭାଇ ବ୍ରାହ୍ମଣ ଅଟଇ ।କ୍ଷତ୍ରିୟ ଜନମ ତ୍ରେତା ଯୁଗକୁ ଯେ କହି ॥
।୯।କଳିଯୁଗ ଗୋଟି ଜାଣ ଶୁଦ୍ର ଜନ୍ମ ହୋଇ ।ଆଦି ଅନନ୍ତଙ୍କ ଯୁଗ ଶେଷରେଟି ଭାଇ ॥
।୧୦।ସତ୍ୟ ପ୍ରବେଶ ଯେ ହେଲା ଶୁଣ ମନ ଦେଇ ।ପ୍ରଭୁ ଜନମ ହୋଇଲେ ବ୍ରାହ୍ମଣ ଯେ ହୋଇ ॥
।୧୧।ପଞ୍ଚସଖାମାନେ ଋଷି ତନୁକୁ ବହିଲେ ।ମାରକଣ୍ଡ କୃପାଜଳ ଗାର୍ଗବ ଯେ ହେଲେ ॥
।୧୨।ସ୍ୱୟମ୍ଭୁ ନାରଦ ମିଶି ପଞ୍ଚଋଷି ହୋଇ ।ଏହି ପଞ୍ଚସଖା ସତ୍ୟ ଯୁଗରେଟି ଭାଇ ॥
।୧୩।ଶ୍ରୀରାମଙ୍କ ଜନ୍ମ ତ୍ରେତା ଯୁଗରେ ଯେ ଜାଣ ।ପଞ୍ଚସଖା ହେଲେ ଜନ୍ମ କହୁଅଛି ଶୁଣ ॥
।୧୪।ନଳ ନୀଳ ସୁଷେଣ ଯେ ଜନମ ହୋଇଲେ ।କାମ୍ୱବ ହନୁକୁ ଘେନି ପାଞ୍ଚଜଣ ହେଲେ ॥
।୧୫।ଦ୍ୱାପର ଲୀଳାର କଥା ଶୁଣ ମନ ଦେଇ ।ସୁବଳ ସୁବାହୁ ଦାମ ସୁଦାମ ବୋଲାଇ ॥
।୧୬।ଶ୍ରୀବତ୍ସକୁ ଘେନି ଆମ୍ଭେ ପଞ୍ଚସଖା ଜନ୍ମ ।ଦ୍ୱାପର ଲୀଳାର ଏହା କରିଲି ପ୍ରମାଣ ॥
।୧୭।ଦ୍ୱାପର ଯାଇଣ ପୁଣି କଳି ଯେ ହୋଇଲା ।ତେଣୁ ପଞ୍ଚସଖାଙ୍କର ରୂପ ବଦଳିଲା ॥
।୧୮।ଅନନ୍ତ ଅଚ୍ୟୁତ ନାମ ବହିଲୁ ଯେ ପୁଣି ।ଜଗନ୍ନାଥ ଯଶୋବନ୍ତ ବଳରାମ ଘେନି ॥
।୧୯।ପଞ୍ଚସଖା କଥା ଗୋଟି ଦେଲିଟି ବୁଝାଇ ।ହେଲା ନ ହେଲାକୁ ଦୋଷ ଦେବନି ହେ ଭାଇ ॥
।୨୦।ପାମର ଅଚ୍ୟୁତ ହେଜି କହିଲା ଏ କଥା ।ଜଗନ୍ନାଥ ତତ୍ତ୍ୱ କହି କିଏ ସମରଥା ॥
।୨୧।ଓଗାଳ –୧୦ଶୁଣ ଣୁଣ ଭାଇମାନେ କୃଷ୍ଣ ରସ ଗୀତ ।ଜାଣିବାକୁ ମନ ମୋର ହେଉଛି ଆରତ ॥
।୧।ସଦଗୁରୁ ସେବିଥିଲେ ଓଗାଳ ଫେଇବୁ ।ନ ହେଲେ ଭାଇରେ ଏହି ସଭା ଛାଡ଼ିଯିବୁ ॥
।୨।ଏକଦିନେ ଗୋପୀନାଥ ନିର୍ଜନରେ ବସି ।ଗୋପପୁର କଥାକୁ ଯେ ମନରେ ପ୍ରକାଶି ॥
।୩।କି କୁହୁକ ବଳେ ମୁହିଂ ରହିଲି ଦ୍ୱାରିକା ।ସଖା ଗୋପୀ କଥା ମନେ ପଡ଼ୁଅଛି ଏକା ॥
।୪।ସୁଦାମା ସୁବଳ ମଧୁମଙ୍ଗଳ ଯେ ସଖା ।ସର୍ବ ଗୋପୀ ଗୋପାଳ ଯେ ଖେଳୁଥିବେ ଏକା ॥
।୫।ସେ ସମୟେ ନାରଦ ଯେ ବୀଣାବାଦ୍ୟ କରି ।ପ୍ରବେଶ ହୋଇଲେ ଯାଇ ଦ୍ୱାରିକା ନଗରୀ ॥
।୬।ନାରଦକୁ ଦେଖି କୃଷ୍ଣ ବୋଲନ୍ତି ବଚନ ।କି କାରଣେ ମହାମୁନି ହେଲା ଆଗମନ ॥
।୭।ଶ୍ରୀକୃଷ୍ଣଙ୍କ ବାଣୀ ଶୁଣି ବ୍ରହ୍ମାଙ୍କ ସନ୍ତତି ।କହନ୍ତି ଦୁଃଖ ନକର ଆହେ ଯଦୁପତି ॥
।୮।ପଡ଼ୁଅଛି ମନେ ତୁମ ଆଜି ଯେ ସକଳ ।କେମନ୍ତ ଭେଟ ହୋଇବ ମୋର ସଖାକୁଳ ॥
।୯।ବହୁଦିନୁଂ ହେବ ଗୋପ ଛାଡ଼ି ଆସିଲିଣି ।ଗୋପୀମାନେ ସେହିଦିନୁଂ କାନ୍ଦୁଥିବେ ପୁଣି ॥
।୧୦।ନାଚି ନାଚି କହୁଛନ୍ତି ବ୍ରହ୍ମାଙ୍କ ନନ୍ଦନ ।ପ୍ରଭାସ ଯଜ୍ଞ ପ୍ରଭୁ ହେ କର ଆୟୋଜନ ॥
।୧୧।ତ୍ରିଭୁବନ ନିମନ୍ତ୍ରଣ କରିବା ଏଥିରେ ।କୁମାର ଶାମ୍ବ ଯାଆନ୍ତୁ ଦେବଲୋକ ପୁରେ ॥
।୧୨।ଆଉ ଏକ କଥା ଗୋଟି ବାସୁଦେବ ଶୁଣ ।ନାଗଲୋକଙ୍କୁ ଯାଆନ୍ତୁ ସାତ୍ୟକି ଯେ ପୁଣ ॥
।୧୩।ଅବଶିଷ୍ଟ ମର୍ତ୍ତ୍ୟ କାର୍ଯ୍ୟ କିଏ ସେ କରିବ ।ଶ୍ରୀକୃଷ୍ଣ ବୋଲନ୍ତି ମୁନି ତୁମ୍ଭେ ଚଳାଇବ ॥
।୧୪।ବଳଦେବ ଭୃତ୍ୟଙ୍କୁ ଯେ ସଙ୍ଗତରେ ନେଇ ।ପୂଜା ଦ୍ରବ୍ୟମାନ ସବୁ ଆଣିଲେକ ଯାଇ ॥
।୧୫।ଦେଖି ନାରଦ ଯେ ତାହା ଆନନ୍ଦ ହୋଇଲେ ।ଯେ ଯାହା ଭାର ଆଣିଲେ ସବୁ ଠୁଳ କଲେ ॥
।୧୬।ତାପରେ ନାରଦ ଗୋପେ ପ୍ରବେଶିଲେ ଯାଇଂ ।ବୀଣା ବଜାନ୍ତି ସେ କୃଷ୍ଣ ନାମ ଗାଇ ଗାଇ ॥
।୧୭।ବୀଣାବାଦ୍ୟ ଶୁଣି ଗୋପେ ଆଶ୍ଚର୍ଯ୍ୟ ହୋଇଲେ ।କାହିଂପାଇଂ ମହାଋଷି ଆସିଛ ବୋଇଲେ ॥
।୧୮।ନାରଦ ବୋଇଲେ ଏବ ଶୁଣ ଗୋପସୁତ ।ତୁମ୍ଭଙ୍କୁ ନେବାକୁ କହିଛନ୍ତି ଗୋପୀନାଥ ॥
।୧୯।ନନ୍ଦ ଯେ ଯଶୋଦା ଆଉ ଯେତେକ ଗୋପାଳ ।ପ୍ରଭାସ ଯଜ୍ଞରେ ଯାଇଂ ହୁଅ ସର୍ବେ ଠୁଳ ॥
।୨୦।ଶୁଣି ଗୋପବାସୀଙ୍କର ଆନନ୍ଦ ବଢିଲା ।ମଲା ମଣିଷ କି ସତେ ଜୀବନ ପାଇଲା ॥
।୨୧।ଚନ୍ଦ୍ରସେଣା ଶୁଣିଲା ଯେ ଗୋପରେ ଚହଳ ।ସମସ୍ତ ଗୋପାଳ ଯିବେ ଦ୍ୱାରିକା ନଗର ॥
।୨୨।ସେ ସମୟେ ଜଟିଳା ଯେ ପ୍ରବେଶ ହୋଇଲା ।କି କରୁଛ ବସି ତୁହି ବଚନ କହିଲା ॥
।୨୩।ତୋହୋର ଭାରିଯା ସେହି ରାଧିକା ସୁନ୍ଦରୀ ।ଘରୁ ବାହାରି ଗଲାଣି ଦ୍ୱାରିକା ନଗରୀ ॥
।୨୪।ଚନ୍ଦ୍ରସେଣା ବୋଲୁଛନ୍ତି ମିଛ କଥା ପୁଣି ।ମୋତେ ନ ପଚାରି ଯିବ ନାହିଂ ରାଧାରାଣୀ ॥
।୨୫।ଜଟିଳା କହନ୍ତି ତୋର ମୁଖେ ଲାଜ ନାହିଂ ।କେଉଂଦିନ ତୋତେ ମାନି ଚଳୁଥିଲା ସେହି ॥
।୨୬।ଏହା ଶୁଣି ଚନ୍ଦ୍ରସେଣା କ୍ରୋଧାନ୍ୱିତ ହେଲା ।ଯଜ୍ଞକୁ ଯାଉଛି ଯେବେ ଦେଖିବି ବୋଇଲା ॥
।୨୭।ବେନି ଖଣ୍ଡ କରି ତାକୁ କାଟିଣ ଯେ ଦେବି ।ଶ୍ୱାନ ଶୃଗାଳଙ୍କ ମୁଖେ ନେଇ ପକାଇବି ॥
।୨୮।ଏହିଠାରେ ଗୀତରେ ହୋ ପଡ଼ିଲାକ ଗଣ୍ଠି ।ସିହାଣ ଗାୟକ ହେଲେ ଆପେ ଯିବ ଫିଟି ॥
।୨୯।ଶ୍ରୀକୃଷ୍ଣ ଚରିତ ଏହା ଦେବଙ୍କୁ ଦୁର୍ଲ୍ଲଭ ।ଜାଣିଥିଲେ ଭାଇ ମୋତେ ଫିଟାଇ କହିବ ॥
।୩୦।ଉତ୍ତାରଅତି ଏ ଗହନ କଥା ପଚାରିଲ ଭାଇ ଯାହା ।ଜାଣିଛି ଯେତିକି କହୁଛି ଫିଟାଇଣ ତାହା ॥
।୧।କାହ୍ନୁ ସଙ୍ଗେ ଭେଟ ପାଇଂକି ରାଧା ମନେ ବିଚାରି ।ଯଜ୍ଞ ଦେଖିବାକୁ ଯାଆନ୍ତି ସେହୁ ଦ୍ୱାରିକା ପୁରୀ ॥
।୨।ଧୀରେ ଧୀରେ ରାଈ ଚଳନ୍ତି ଚତୁର୍ଦ୍ଦିଗକୁ ଚାହିଂ ।ଦେଖନ୍ତି ଜଟିଳା ସହିତେ ଚନ୍ଦ୍ରସେଣା ଆସଇ ॥
।୩।ସଖୀଙ୍କୁ ଡକାଇ ଶ୍ରୀମତୀ ବୋଇଲେ ଯେ ବଚନ ।ଆଜି ଯଦି ବାଧା ଦିଅନ୍ତି ଏଥେ ସେ ବେନିଜନ ॥
।୪।ଧରିବି ପ୍ରଚଣ୍ଡ ମୂରତି ହେବି ମୁଂ ଆଦିଶକ୍ତି ।ପ୍ରମାଦ ଗଣିବେଟି ଜାଣ ପଡ଼ିଲେ ଯେ ବିପତ୍ତି ॥
।୫।ଏତେକ ପାଞ୍ଚିଣ ଶ୍ରୀରାଧା ହସ୍ତେ ଖଡ଼୍ଗ ଧରିଲେ ।କ୍ରୋଧାନ୍ୱିତ ହୋଇ କରାଳ ରୂପ ଧାରଣ କଲେ ॥
।୬।ଜ୍ଞାନଶୂନ୍ୟ ହୋଇ ପଡ଼ିଲା ଚନ୍ଦ୍ରସେଣା ଭୁମିରେ ।ଶ୍ରୀରାଧା ଚଳିଲେ ଯଜ୍ଞକୁ ସଖୀଙ୍କ ସଙ୍ଗତରେ ॥
।୭।ଯଜ୍ଞର ସାମଗ୍ରୀ ଯେତେକ ସବୁ ହୁଅଇ ଠୁଳ ।ଯାହାକୁ ଯେପରି ଆଜ୍ଞାଟି ଦେଲେ ବ୍ରହ୍ମାଙ୍କ ବାଳ ॥
।୮।ବ୍ରାହ୍ମଣଙ୍କ ସେବା ଦକ୍ଷିଣା ଯୁଧିଷ୍ଠିର କରନ୍ତି ।ଭଣ୍ଡାର ଘରର ଦାୟିତ୍ୱ ଅର୍ଜୁନ ରଖୁଛନ୍ତି ॥
।୯।ଭୀମ ନକୂଳ ସହଦେବ କୁମାର ଶାମ୍ବ ପୁଣ ।ଯଜ୍ଞ ସ୍ଥାନମାନ ଜଗନ୍ତି ଚତୁର୍ଦ୍ଦିଗେ ରହିଣ ॥
।୧୦।ପାକଶାଳା କାର୍ଯ୍ୟ ସମସ୍ତ ଦୈାପଦୀ ଯେ କରିବ ।ଏମନ୍ତ ଶୁଣିଣ ସନ୍ତୋଷ ହେଲେ ଶ୍ରୀ ବାସୁଦେବ ॥
।୧୧।ଏହାପରେ ଯଜ୍ଞସ୍ଥାନରେ ରାଧିକା ଯେ ମିଳିଲେ ।ବାରେ ଦ୍ୱାର ଛାଡ଼ ଦୁଆରୀ ବିନୟରେ କହିଲେ ॥
।୧୨।କୋପେ ପ୍ରଜ୍ୱଳିତ ହୋଇଣ ଦ୍ୱାରପାଳ ବୋଲଇ ।ଦ୍ୱାର ଭିତରକୁ କାହାକୁ ଛାଡ଼ି ଦେବଟି ନାହିଂ ॥
।୧୩।ତହୁଂ ସର୍ବ ଗୋପୀ ଗୋପାଳ ଯଜ୍ଞ ସ୍ଥାନେ ମିଳିଲେ ॥
ଦ୍ୱାର ଭିତରକୁ ଯିବାକୁ ସବୁ ଅକ୍ଷମ ହେଲେ ॥
।୧୪।ଶେଷେ ଯଶୋମତୀ କହନ୍ତି ବହୁ ବ୍ୟାକୁଳ ହୋଇ ।ବାଟ ଛାଡ଼ ଦ୍ୱାରୀ ମୋତେଟି ଯଜ୍ଞ ଦେଖିବି ମୁହିଂ ॥
।୧୫।କିଛିକ୍ଷଣ ପରେ ଦେବକୀ ଯଜ୍ଞସ୍ଥାନେ ମିଳିଲେ ।କାହିଂପାଇଂ ଗୋଳ ହେଉଛି ବୋଲି ସେ ପଚାରିଲେ ॥
।୧୬।ଦେବକୀ ରାଣୀଙ୍କୁ ଦେଖିଣ ଯଶୋମତୀ କହନ୍ତି ।ବହୁ ଆଶା ନେଇ ଆସିଛି ପୁତ୍ର ମୁଖ ଦେଖନ୍ତି ॥
।୧୭।ଉଭୟେ ମର୍ମ ଖୋଳାଖୋଳି ହୋଇ ପୁତ୍ରେ ଚିନ୍ତିଲେ ।କିଛିକ୍ଷଣ ପରେ ନାରଦ ଆସି ପ୍ରବେଶ ହେଲେ ॥
।୧୮।ବୋଲନ୍ତି ଦେବର୍ଷି ନାରଦ ଆଉ କଳି ନ କର ।ଯାହା ପୁତ୍ର ସେ ହୋଇଥିବେ ନିଶ୍ଚେ ହେବେ ବାହାର ॥
।୧୯।ଯାର ଡାକ ଶୁଣି ଶ୍ରୀକୃଷ୍ଣ ଆସିବେଟି ବାହାରି ।ତାର ପୁତ୍ର ନିଶ୍ଚେ ସେ ହେବେ ଦେଖିବେ ନରନାରୀ ॥
।୨୦।ଦେବକୀ ଆନନ୍ଦ ହୋଇଣ କୃଷ୍ଣ କୃଷ୍ଣ ଡାକିଲେ ।ସେ ଡାକ ଶୁଣିଣ କାହ୍ନୁ ଯେ କେଭେଂ ନ ବାହାରିଲେ ॥
।୨୧।ନାରଦ ବୋଇଲେ ଶୁଣନ୍ତୁ ମାଏ ଗୋ ଯଶୋବନ୍ତୀ ।ତୁମ୍ଭେ ଡାକ ତୁମ୍ଭ ପୁତ୍ରକୁ ଆସନ୍ତୁ ସେ ଶ୍ରୀପତି ॥
।୨୨।ଶୁଣିକରି ଯଶୋମନ୍ତୀ ସେ ଅତି ଆକୁଳ ହୋଇ ।ଡାକନ୍ତି ସେ ନୀଳମଣି ରେ ବହୁଦିନୁଂ ଦେଖି ନାହିଂ ॥
।୨୩।ଯଶୋଦାଙ୍କ ଡାକ ଶୁଣିଣ କାହ୍ନୁ ହରଷ ହୋଇ ।ଢଳି ଢଳି ଆସି ମିଳିଲେ ମାତା ପାଶରେ ଯାଇ ॥
।୨୪।ଏହା ଦେଖି ଗୋପୀ ଗୋପାଳ ବହୁ ଆଶ୍ଚର୍ଯ୍ୟ ହେଲେ ।ଧନ୍ୟ ଧନ୍ୟ ଯଶୋମତୀ ଗୋ ବୋଲି ସର୍ବେ ବୋଇଲେ ॥
।୨୫।କୃଷ୍ଣଙ୍କୁ ଦେଖିଣ ଯଶୋଦା ମୁଖେ ଦ୍ୟନ୍ତ ଚୁମ୍ବନ ।ବୋଲନ୍ତି ତୋ ଯଜ୍ଞ ଦେଖିବାପାଇଂ ହେଲା ମୋ ମନ ॥
।୨୬।ଚାଲ ଚାଲ ବାବୁ ମୋହର ଦେଖିବି ଯଜ୍ଞ ସ୍ଥାନ ।ଯେତେ ଦୁଃଖ ଥିଲା ମନରେ ସବୁ ହେଲା ମୋଚନ ॥
।୨୭।ଦେବକୀ ବୋଲନ୍ତି ତହିଂ ତୁମେ ଧନ୍ୟ ନନ୍ଦରାଣୀ ।କୃଷ୍ଣ ପରାଏ ପୁତ୍ର ତୋହର ହୋଇଲାଟି ପୁଣି ॥
।୨୮।ମୁଂ ହତଭାଗିନୀ ଯେତେକ ଦୋଷ କରିଛି ଜାଣ ।କ୍ଷମାଦେବ ବାରେ କହୁଛି ଘେନ ମୋ ନିବେଦନ ॥
।୨୯।ଏଣେ କୃଷ୍ଣଙ୍କର ଦର୍ଶନ ନ ପାଇ ରାଧାରାଣୀ ।କ୍ରୋଧାନ୍ୱିତ ହୋଇ ବୋଲନ୍ତି ଶୁଣ ଶୁଣ ଭଗିନୀ ॥
।୩୦।ଯଦି ମୋର ସତୀପଣଟି ଥିବ ନିଶ୍ଚନ୍ତେ ରହି ।ଚତୁର୍ଦ୍ଦିଗେ ଅଗ୍ନି ଜଳିବ ଝାସ ଦେବିଟି ମୁହିଂ ॥
।୩୧।ରାଧିକାଙ୍କ କ୍ରୋଧୁଂ ଅଗ୍ନି ଯେ ଚାହୁଂ ଚାହୁଂ ଜଳିଲା ।ଝାସ ଦେବାପାଇଂ ଅନଳେ ରାଧାଙ୍କ ମନ ହେଲା ॥
।୩୨।ମାୟାଧର ତହୁଂ ମିଳିଲେ ଜାଣି ସବୁରି ମନ ।ଯଜ୍ଞସ୍ଥାନେ ନେଲେ ସଭିଙ୍କୁ ନେଦେଇ ଯେ କଷଣ ॥
।୩୩।ଯଜ୍ଞ କାର୍ଯ୍ୟମାନ ହୋଇଲା ସର୍ବେ ହୋଇଲେ ସ୍ଥିର ।ସଖୀଙ୍କ ସହିତେ ଶ୍ରୀରାଧା ଚଳିଲେ ନିଜ ପୁର ॥
।୩୪।ଯେଝା ଗୃହେ ତହୁଂ ଫେରିଲେ ହୋଇ ହରଷ ମନେ ।ପ୍ରଭାସ ଯଜ୍ଞରେ ସମାପ୍ତ ହେଲା ସବୁ ଯତନେ ॥
।୩୫।ଯାହା ପଚାରଲ ଭାଇ ହେ ରାଧାକୃଷ୍ଣ ରହସ୍ୟ ।ଅଚ୍ୟୁତ ବୋଲନ୍ତି ମନରେ କେବେ ନ ଧର ଦୋଷ ॥
।୩୬।