ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ · ଭାଗ ୬ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଭାଗ
ଇନ୍ଦ୍ର ପୁଜା ଗୀତଜୟ ଜୟ କୃପାସିନ୍ଧୁ କମଳା ବର ।କଉତୁକେ ବିଜେ ପ୍ରଭୁ ନୀଳ କନ୍ଦର ॥
।୧।କାହ୍ନୁ ସଙ୍କର୍ଷଣ ବୋଲି ନାମ ପାଇଲେ ।ଲୀଳା କରିବାକୁ ନନ୍ଦ ଘରେ ବଢିଲେ ॥
।୨।ଅନାଥର ନାଥ ପ୍ରଭୁ ବୈକୁଣ୍ଠେ ବାସ ।ନନ୍ଦ ଘରେ ବଢିଲେ ଅଷ୍ଟମ ବରଷ ॥
।୩।ଗୋପପୁରେ ନନ୍ଦ ଇନ୍ଦ୍ରେ କରନ୍ତି ପୂଜା ।ପୂଜା କରିବାକୁ ବିଜେ ଦେବାଧିରାଜା ॥
।୪।ଇନ୍ଦ୍ର ପୂଜା ଭଗ୍ନ କଲେ ଶ୍ରୀକୃଷ୍ଣଚନ୍ଦ୍ର ।ପୂଜା ଭଗ୍ନ ହେବା ସ୍ୱର୍ଗେ ଜାଣିଲେ ଇନ୍ଦ୍ର ॥
।୫।କୋପେ ଇନ୍ଦ୍ର ରାଜା ଚାରିମେଘକୁ ପେଶି ।ବିଜୁଳି ଚମକି ଶିଳା ବରଷେ ଆସି ॥
।୬।ବଜ୍ରଘାତେ ଗୋପପୁର କଲେ ସେ ଜୁର ।ଆତଙ୍ଗେ ଡାକନ୍ତି ରଖ କମଳାବର ॥
।୭।ଦୋଳରେ ବସିଲେ ଯାଇ ନନ୍ଦ କୁମାର ।ଗୋପୀ ଗୋପାଳେ ଆବୋରି ଧରିଲେ କୋଳ ॥
।୮।ଆତଙ୍ଗେ ଡାକନ୍ତି ତ୍ରାହି କମଳାବର ।ଢାଳି ପଟୁଆରେ ପ୍ରଭୁ କରନ୍ତି ଭାର ॥
।୯।କୁମ୍ଭ ଯେ ବୁଡ଼ାନ୍ତି ନେଇ ଯମୁନା ଜଳେ ।ଯମୁନାର ନୀର ଘେନି ଗୋପକୁ ଗଲେ ॥
।୧୦।ଗୋପେ ଗୋପାଳୁଣୀମାନେ ଚାହିଂଣ ଥିଲେ ।ଦ୍ୱାରେ ପୁର୍ଣ୍ଣ କୁମ୍ଭମାନ ନେଇ ଥାପିଲେ ॥
।୧୧।ଘରେ ଘରେ ହୁଳହୁଳି ଶବଦ ପୁରି ।କୁମ୍ଭ ଯେ ବନ୍ଦାନ୍ତି ଗୋପ ଯୁବତୀ ମିଳି ॥
।୧୨।ଦାମ ଯେ ସୁଦାମ ବାହୁ ସୁବାହୁ ମେଳେ ।ଗୋପସୁତ ସଙ୍ଗେ କାହ୍ନୁ ଲଉଡ଼ି ଖେଳେ ॥
।୧୩।ପିନାକୀ ଧନୁର ଶେଷ ଥିଲା ବାଉଂଶ ।ତାହା ଆଣି ଦେଲେ ବ୍ରହ୍ମା ଶ୍ରୀକୃଷ୍ଣ ପାଶ ॥
।୧୪।ଦିବ୍ୟ ବଂଶୀ କରି ହରି ଧରିଣ କରେ ।ଆନନ୍ଦେ ବାଆନ୍ତି ଗୋପସୁତ ମେଳରେ ॥
।୧୫।କୁବେର ଆଣିଣ ଦେଲେ ଦିବ୍ୟ ପତନୀ ।ମଣ୍ଡନ ହୋଇଲେ କୃଷ୍ଣ ଅଙ୍ଗରେ ଆଣି ॥
।୧୬।ପାଟ ପତନୀକୁ ଦିବ୍ୟ ଠେକା ବାନ୍ଧିଲେ ।ଚୂଳ କରି କୃଷ୍ଣଚନ୍ଦ୍ର ଶିରେ ମଣ୍ଡିଲେ ॥
।୧୭।ଗୋପାଳ ପୁଅଙ୍କୁ ବାନ୍ଧିଦେଲେ ଖଲରୀ ।ମୟୁର ପୁଚ୍ଛକୁ ଚୂଳେ ବାନ୍ଧିଲେ ହରି ॥
।୧୮।କର୍ଣ୍ଣତଟେ ବ୍ୟାଘ୍ର ନଖ ପାଦୁକା ଦେଇ ।ଘରେ ଘରେ ବିଜେ ପ୍ରଭୁ ବ୍ରହ୍ମାଣ୍ଡ ସାଇଂ ॥
।୧୯।ପୂଜାବିଧି ବତାଇଲେ ଦେବ ଶ୍ରୀଧର ।ସଙ୍ଗତେ ଘେନିଣ ସର୍ବ ଗୋପ କୁମର ॥
।୨୦।ସର ଲବଣୀ ଭୁଞ୍ଜିଣ ହୋଇଲେ ତୋଷ ।ଗୀତରେ ଭଣିଲେ ଦୀନ ଅଚ୍ୟୁତ ଦାସ ॥
।୨୧।ରାଧାକୃଷ୍ଣ ମିଳନ ଗୀତଶୁଣ ହେ ଛଇଳ ନାଗରବରମୂରଲୀଫୁଙ୍କା ତ୍ରିଭଙ୍ଗ ସୁନ୍ଦରଆଜ ଦିନେ ଯାହା କଲ ନାଗରମନରୁ ନ ଯାଏ ଶ୍ୟାମ ସୁନ୍ଦର ।ହେ ଛଇଳବର!।୧।ରଜକିନୀ ବେଶେ ଆସି ମୋ ପୁର ।ଲାଟ ବାସ ନେବାକୁ ଆସି ଧାଇଂଲାଟବାସ ନେବାକୁ ଆସି ଧାଇଂପିନ୍ଧି ଅଳଙ୍କାର ସୁବେଶ ହୋଇପରିଧାନରେ ସୁ-ପୀତ ଅମ୍ବରଲୋଟଣୀ ଜୁଡ଼ା ଗଭା ମନୋହର ।ହେ ମୁରଲୀଧର!।୨।ନବ ଯୁବତୀ ରୂପରେ ବାହାର ।ପ୍ରବେଶ ହୋଇଲ ମୋର ସମୀପେମନ୍ଦେ ହସି ଭାଷିଲେ ଯେ ଅଳପେବୋଇଲ ଗୋ ବୃଷଭାନୁ ନନ୍ଦିନୀବାଳ ସୁଷମା ଶ୍ରୀକୃଷ୍ଣ ମୋହିନୀ ।ହେ ରାଜନନ୍ଦିନୀ!।୩।ଲାଟ ବାସ ଦିଅ ମନମୋହିନୀ ।ଆସିଛି ମୁହିଂ ନୂଆ ରଜକିନୀଉଜ୍ଜଳ କରିବି ମାନସ ଜାଣିନୀଳ ବାସ ଝଟକିବ ଯେ ପୁଣିଗୋପରେ ଛନ୍ତି ଯେତେ ରଜକିନୀ ।କି ଗୋ ଜେମାମଣି!।୪।ନଅ ଗୋ କାମ ପରଖିଣ ପୁଣି ।ନୀଳ ଶାଢୀ ଆଣି ଦେଲି ତୁରିତେବାରି ନ ପାରିଲି ମୁଂ ଅନ୍ତର୍ଗତେଝୀନ କାଞ୍ଚୁଲୀକି ଦେଲି ତ ମୁହିଂନାରୀ ଜାଣି ଲଜ୍ୟା ଯେ ହୋଇ ତହିଂ ।ହେ ପ୍ରାଣ ମାଧୋଇ!।୫।ତେରଛ ନୟନେ ଚାହିଂଲି ରହି ।ନିରେଖୁଥିଲି ତୋ ହାସ୍ୟବଦନବାସ ଗୋଟାଇ ନେଲ ତତକ୍ଷଣଯତନରେ ତହିଂ ବୁଜୁଳି ବାନ୍ଧିଚଳିଲା ବେଳକୁ ପିଠିରେ ଲଦି ।କି ହେ ଦୟାନିଧି!।୬।ସଖୀ ଶିଖାଇ ଦେଲେ କି ଏ ବୁଦ୍ଧି ।ଚିହ୍ନ ଚିହ୍ନ ଗୋ ଆସିଣ ରାଧିକାଏହି ସେହି ଶଠ ମନ୍ଦର ଟେକାହସ ହସ ମୁଖେ ଯାନ୍ତି ପଳାଇଧାଇଂ ଧରିଲେ ବେଗେ କରି ହୋଇ ।ହେ କଳା କହ୍ନାଇ!।୭।ଚିହ୍ନାପଡ଼ି ସେଠୁ ଗଲ ପଳାଇ ।ଶୁଣରେ କିଶୋରୀ ମୋ ସ୍ନେହାଧୀନାରଜକିନୀ ଯହିଂ ପାଇଂକି ସିନାତୋର ପିନ୍ଧବାସ ଲଭିବା ପାଇଂତୋର ଦାସୀର ଦାସୀ ତହିଂ ହୋଇ ।ଗୋ ନବୀନା ରାଈ!।୮।ଯାଉଥିଲି ଦେଖା କରିବା ପାଇଂ ।ତୁ ମୋର ପରାଣ ଅଟୁରେ ସହୀଚିହ୍ନା ପଡ଼ିଲେଟି ସେଠାରେ ମୁହିଂକେବା ନ ଜାଣେ ତୁ ମୋ ହୃଦେଶ୍ୱରୀଦଣ୍ଡେ ମୁଂ ନ ଦେଖି ହୁଏ ଯେ ଘାରି ।ମୋ ହୃଦ ପଞ୍ଜୁରୀ!।୯।ତୁ ତ ମଇନା ମୋ ରାଈ କିଶୋରୀ ।ଏଇପରି ଲୀଳା କରେ ମୁଂ ସିନାସବୁ କଥା ଜାଣୁରେ ବୀଣାଜିଣାତୋ ପ୍ରେମରେ ପଡ଼ି ମରୁଛି ସିନାଏହିପରି ରାଧା କୃଷ୍ଣଙ୍କ ବିନା ।ମୋ ପ୍ରୀତି ରାହାସ!ଭାବରେ ଭଣିଲେ ଅଚ୍ୟୁତି ଦାସ ।।୧୦।କଂସ ବଧ(ଆହେ) ଗୋକୁଳରେ ଯେତେ ଲୀଳା କଲେ କହ୍ନାଇ ।ମାନବ ଦେହ ବହି କେ ପାରିବ କହି ॥
।୧।କଂସର ଯେ ଅଷ୍ଟମଲ୍ଲ ବିନାଶ କଲେ ।ପିତା ନନ୍ଦକୁ ବରୁଣ ପୁରୁ ଆଣିଲେ ॥
।୨।କେତେ କେତେ ଆପଦରୁ ଗୋପୀ ଗୋପାଳେ ।ରଖିଲେ ଶ୍ରୀକୃଷ୍ଣଚନ୍ଦ୍ର ଥାଇ ଗୋକୁଳେ ॥
।୩।କାଳୀକି ଦଳିଲେ କାଳିନ୍ଦୀରେ ଶ୍ରୀହରି ।ବିଷ ଜଳକୁ ଅମୃତ କଲେ ବିଚାରି ॥
।୪।ଭାବୁଥାଇ ଅନୁକ୍ଷଣେ ସେ କଂସାସୁର ।ଇକ୍ଷଣେ ନାଚନ୍ତି ରାମକୃଷ୍ଣ ତାହାର ॥
।୫।ଅଷ୍ଟସଖା ଅଷ୍ଟସଖୀ ଘେନି କହ୍ନାଇ ।ଗୋପେ ଲୀଳା କଲେ ଆଠ ବରଷ ରହି ॥
।୬।ରଥ ଘେନି ଅକ୍ରୁର ଗୋପକୁ ଅଇଲା ।ଧନୁଯାତ୍ରା ଛଳେ ବେନି ଭାଇଙ୍କି ନେଲା ॥
।୭।ମଧୁପୁରେ ରଜକ ଯେ ମାଇଲେ ଯାଇ ।ଗନ୍ତାଇତ ବାସ କୁଞ୍ଜ ପିନ୍ଧାଏ ତହିଂ ॥
।୮।ମାଳାକାର ସୁଦାମାକୁ ମୋକ୍ଷ ସେ କଲେ ।କୁବୁଜାର ତିନିକୁଜ ସଳଖି ଦେଲେ ॥
।୯।କୁବଳୟା ହସ୍ତୀ ମାହୁନ୍ତକୁ ମାରିଣ ।ତହୁଂ ମୁଷ୍ଟିକେ ମାରିଲେ ଆଉ ଚାଣୁର ॥
।୧୦।କଂସାସୁର ବୀର ନେତ୍ରେ ଦେଖିଣ ମଲା ।ମଞ୍ଚା ଉପରୁ ସେ ବୀର ଟଳି ପଡ଼ିଲା ॥
।୧୧।ମନ୍ଦ ଜରାସନ୍ଧ ଧାଡ଼ିଦେଲା ଅପାର ।ତାହା ଯୋଗୁଂ ତେଜିଗଲେ ମଥୁରାପୁର ॥
।୧୨।ଦ୍ୱାରିକା ଭୁବନେ ବାସ କରି ରହିଲେ ।ସାତବଂଶ ଯାଦବ ଯେ ସଙ୍ଗତେ ଥିଲେ ॥
।୧୩।ଅଷ୍ଟ ପାଟବଂଶୀ ତହିଂ ବିଭା ହୋଇଲେ ।ରଇବତ ପର୍ବତରେ ଯାଗ ବିହିଲେ ॥
।୧୪।ପ୍ରଦ୍ୟୁମ୍ନ ଆଦି କୁମର ସେଠାର ଜାତ ।ପାଣ୍ଡବଙ୍କ ସଙ୍ଗେ ପ୍ରିୟ ହେଲେ ବହୁତ ॥
।୧୫।ଦୁର୍ଯ୍ୟୋଧନ ସଙ୍ଗେ ଗୋଳ ଦେଲେ ଲଗାଇ ।ପଡ଼ା ମାଗିଲେ ହସ୍ତିନାପୁରକୁ ଯାଇ ॥
।୧୬।ଦିନକୁ ଦିନ ସେ ବଢାଇଲେ ବିରୋଧ ।କୁରୁ ପାଣ୍ଡବରେ ହେଲା ଭାରତ ଯୁଦ୍ଧ ॥
।୧୭।ତେର ଜଣ ରହିକରି ସମସ୍ତେ ମଲେ ।ଯାଦବଙ୍କୁ ସଂହାରିବେ ବିଚାର କଲେ ॥
।୧୮।କାଦମ୍ବରୀ ପାନେ ଭୋଳ ହେଳେ ସକଳେ ।କୋକୁଆ ଭୟ ଯେ ଦେଖାଇଲେ ସେକାଳେ ।।୧୯।ସାତବଂଶ ଯାଦବ ଯେ ହେଲେ ବିନାଶ ।ଜଳେ ବୁଡି ଦ୍ୱାରିକା ଯେ ରହିଲା ଶେଷ ॥
।୨୦।କୁଶସ୍ଥଳୀରେ ଶୟନ କଲେକ ଯାଇ ।ଜାରା ଶବର ଯେ ଶର ବିନ୍ଧିଲା ତହିଂ ॥
।୨୧।ଅର୍ଜୁନଠାରୁ ସେ କଳା ନେଇ ଚଳିଲେ ।ନୀଳମାଧବ ସ୍ୱରୂପେ ପୂଜା ପାଇଲେ ॥
।୨୨।ପଣ୍ଡୁ ରାଜାଙ୍କର ଚାରି କୁମର ମଲେ ।ଏକା ହୋଇ ଯୁଧିଷ୍ଠିର ସ୍ୱର୍ଗକୁ ଗଲେ ॥
।୨୩।ଦ୍ୱାପର ଚରିତ ଶେଷ ହୋଇଲା ଏଥି ।ଗୀତରେ ଭଣିଲେ ଯା ପାମର ଅଚ୍ୟୁତି ॥
।୨୪।ଓଗାଳ – ୧ଶୁଣ ହେ ଗୋପାଳ ଭାଇ ମନ କର୍ଣ୍ଣ ଦେଇ ।କଥା ଏକ ପଚାରୁଛି ଦେବ ମୋତେ କହି ॥
।୧।ଶ୍ରୀକୃଷ୍ଣ ଅଙ୍ଗୁ ତୁମକୁ ଜନମ ଯେ କଲେ ।କେତେ ଚକ୍ର କରି ତୁମ୍ଭ ତନୁ ନିର୍ମାଣିଲେ ॥
।୨।କେଉଂ ଚକ୍ର କେତେ ଦଳ ଅଟଇ ରେ ଭାଇ ।ଗୋଟି ଗୋଟଇ କରି ମୋତେ କହିବ ବୁଝାଇ ॥
।୩।ଆବର ଗୋଟିଏ କଥା କହୁଅଛି ଜାଣ ।କେଉଂ ଦଳେ କେଉଂ ଦେବ କରିଛନ୍ତି ସ୍ଥାନ ॥
।୪।କେଉଂ ଦେବୀମାନେ ତାଙ୍କ ସଙ୍ଗତେ ଅଛନ୍ତି ।ବୁଝାଇଣ କହିବ ହେ ଗୋପର ସନ୍ତତି ॥
।୫।ପ୍ରଥମରେ କେଉଂ ବିଦ୍ୟା ପଢିଲ ହେ ଭାଇ ।ପଞ୍ଚାଶ ଅକ୍ଷର ମଧ୍ୟେ ଅଛି କିବା ନାହିଂ ॥
।୬।ଗୁରୁସେବା ଥିଲେ ସିନା କହିବ ବୁଝାଇ ।ଅଚ୍ୟୁତ ବୋଇଲେ ମୋର ଦୋଷ ଦେବ ନାହିଂ ॥
।୭।ଉତ୍ତାରଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ମାତା ଗର୍ଭ କଥା ତୋତେ କହୁଛି ବୁଝାଇ ॥
।୧।ପଦ୍ମଚକ୍ର କଥା ଯାହା ପଚାରିଲ ମୋତେ ।ସଂକ୍ଷେପେ କହୁଛି ମୁହିଂ ଶୁଣ ଦିବ୍ୟଚିତ୍ତେ ॥
।୨।ମୂଳ କମଳରେ ଚାରି ଦଳ ଅଟେ ପୁଣି ।ବକ୍ରତୁଣ୍ଡ ଗଣପତି ସଙ୍ଗତରେ ଘେନି ॥
।୩।ଷଡ଼ ଯେ ପାଖୁଡ଼ା ଲତା କମଳର ତଳେ ।କାମେଶ୍ୱର ରହିଛନ୍ତି ରତି ଘେନି କୋଳେ ॥
।୪।ନାଭି କମଳ ଯେ ଦଶ ପାଖୁଡ଼ାରେ ହୋଇ ।ବ୍ରହ୍ମା ସାବିତ୍ରୀଙ୍କର ସେ ଆସ୍ଥାନ ଅଟଇ ॥
।୫।ହୃଦପଦ୍ମ ମଧ୍ୟରେ ଦ୍ୱାଦଶ ଦଳ ମୂଳେ ।ନାରାୟଣ ରହିଛନ୍ତି ଲକ୍ଷ୍ମୀ ଘେନି କୋଳେ ॥
।୬।କଣ୍ଠ କମଳ ଯେ ଷୋଳ ଦଳଟି ପ୍ରମାଣ ।ପଶୁପତି ରହିଛନ୍ତି ପାର୍ବତୀ ଘେନିଣ ॥
।୭।ଲଳାଟ ପଟରେ ବେନି ଦଳ ବିରାଜଇ ।ଆଦ୍ୟାଶକ୍ତି ଘେନି ନିରଞ୍ଜନ ଛନ୍ତି ରହି ॥
।୮।ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣକୁ ଆରେ ଭାଇ ।ଛାଡ଼ି ଆଗେ ସିଦ୍ଧିରସ୍ତୁ ପଢିଲଟି ମୁହିଂ ॥
।୯।ସଂକ୍ଷେପରେ କହିଲି ମୁଂ ସକଳ ତୁମ୍ଭଙ୍କୁ ।ଅଚ୍ୟୁତ ଦାସ ବୋଲନ୍ତି ଗୋପାଳମାନଙ୍କୁ ॥
।୧୦।ଓଗାଳ –୨ଶୁଣ ଶୁଣ ଆହେ ଭାଇ କହୁଅଛି ମୁହିଂ ।ଏଡ଼େ ତମତମ କିମ୍ପା ହେଉଅଛୁ ତୁହି ॥
।୧।କୋପ ନ ନିବାରି ଭାଇ ସଭାରେ ବସୁଛ ।ଅଳପ କଥାରେ ଦାନ୍ତ ଦେଖାଇ ହସୁଛ ॥
।୨।କେଉଂ ପ୍ରକୃତି ବଶରୁ ଏଡ଼େ କୋପ ହୁଅ ।ଏଥିର ସଂଶୟ ସବୁ ଫିଟାଇଣ ଦିଅ ॥
।୩।କେଉଂ ପ୍ରବୃତ୍ତିର ଅଙ୍ଗ କିପରି ହୋଅଇ ।କାହୁଂ ତାଙ୍କ ଜନ୍ମ କାହିଂ ବାସ ଯେ ଅଟଇ ॥
।୪।ଭିନ୍ନ ଭିନ୍ନ କରି ସବୁ ବୁଝାଇ କହିବ ।ଅଚ୍ୟୁତ ବୋଲନ୍ତି ତେବେ ସଭାରେ ବସିବ ॥
।୫।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ମୁହିଂ ଛାର ଅଜ୍ଞାନ ଯେ କି କହିବି ତାହା ॥
।୧।ଗୁପତ ଅଟଇ ଏହୁ ଗୁରୁଙ୍କ ଭଣ୍ଡାର ।ଆସୁ କି ନ ଆସୁ କିଛି କହୁଛି ଛାମୁର ॥
।୨।ପୃଥ୍ୱୀ ଆପ ବାୟୁ ତେଜ ଆକାଶ ଦେହରେ ।ପଞ୍ଚଭୂତ ପ୍ରକୃତି ଅଛନ୍ତି ଯେ ପ୍ରକାରେ ॥
।୩।ସେହି ଭାବେ ତୋତେ ଭାଇ ବୁଝାଇ କହିବୁଯେ ଯାହାର ଯେଉଂ ନାମ କହିଦେବା ସବୁ ॥
।୪।ପୃଥ୍ୱୀ ପାଞ୍ଚ ପ୍ରକୃତି କହିବା ଏବେ ଶୁଣ ।ନାଳ ଝାଳ ମୂତ୍ର ବୀର୍ଯ୍ୟ ରକତ ପ୍ରମାଣ ॥
।୫।ଏମନ୍ତେ ପ୍ରକାର ଭାଇ ଏ ପାଞ୍ଚ ପ୍ରକୃତି ।ତେଜ କଥା ଶୁଣି ଏବେ ମନ କର ଶାନ୍ତି ॥
।୬।କ୍ଷୁଧା ତୃଷ୍ଣା ନିଦ୍ରା ଘେନି ତିନିଗୋଟି ଏହି ।ସପତ ସମୁଦ୍ର ଏହା ତହୁଂ ଜାତ ହୋଇ ॥
।୭।ଆଉ ଯେ ପ୍ରକୃତି ଏବେ ଶୁଣ ଦେଇ ମନ ।ବାୟୁର ଭିତରେ ପୁଣି ଅଛି ପାଞ୍ଚଜଣ ॥
।୮।ଧାପନ ଚଞ୍ଚଳ ବଳ ସହଜକୁ କରି ।ସ୍ଥିର ବୋଲି ପାଞ୍ଚ ଏହୁ ବୁଝ ହେ ବିଚାରି ॥
।୯।ବାୟୁର ସ୍ୱଭାବ ସିନା ଏସବୁରେ ବାବୁ ।ଆକାଶ ପ୍ରକୃତି ପୁଣ କହିଦେବା ସବୁ ॥
।୧୦।ଲୋଭ ମୋହ କାମ କ୍ରୋଧ ତାମସ ସହିତେ ।ଆକାଶର ପଞ୍ଚ ଏହୁ କହିଦେଲୁଂ ତୋତେ ॥
।୧୧।ଏହି ପ୍ରକୃତି ଦୋଷରୁ ରୋଗ ହୁଏ ଜାତ ।ଗୋପାଳଙ୍କ ହିତେ କହେ ଦାସ ଯେ ଅଚ୍ୟୁତ ॥
।୧୨।ଓଗାଳ – ୩ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଆହୁରି କଥାଏ ଦାସେ ପଚାରୁଛି ମୁହିଂ ॥
।୧।ଲଲାଟରେ ତିଳେକ ଯେ ଘେନିଅଛ ଭାଇ ।କେବଣ ଚିତା ଯେ ସେହୁ କି ନାମ ବୋଲାଇ ॥
।୨।ଦୁଇ ପାଖେ ଦୁଇ ରେଖା ଶୋଭାବନ ହୋଏ ।ମଧ୍ୟରେ ଦିଶଇ ଟୋପି ତିଳେକ ଗୋଟାଏ ॥
।୩।ଦୁଇ ପାଖ ଗାର ଭାଇ କିସ ଅଟେ ପୁଣ ।ମଧ୍ୟରେ ଯେ ଟୋପି କେହୁ କୁହ ବୁଝାଇଣ ॥
।୪।ସିଦ୍ଧଗୁରୁ ସେବିଥିଲେ କହିବୁରେ ଭାଇ ।ଅଣଗୁରୁ ହୋଇଥିଲେ ଜାଣିବ ବା କାହିଂ ॥
।୫।ଚିତାର ମରମ ଭାଇ ଯେବେ କହିଦେବ ।ତେବେ ସିନା ତିଳକ ଯେ ଲଳାଟେ ବହିବ ॥
।୬।ଅଚ୍ୟୁତ ବୋଲନ୍ତି ନ କହିଲେ ଯେ ଏଠାରେ ।ଗୁରୁ ଦ୍ୱାହି ତୁମ୍ଭଙ୍କୁ ତା ବହିବଟି ଶିରେ ॥
।୭।ଉତ୍ତାରଶୁଣ ଶୁଣ ଭାଇମାନେ ପଚାରିଲ ଯାହା ।ତହିଂର ବୃତ୍ତାନ୍ତ ଏବେ କହୁଅଛି ତାହା ॥
।୧।ଦିବ୍ୟ ଚିତ୍ତେ ଶୁଣ ଭାଇ ଦେଇ ମନକର୍ଣ୍ଣ ।ବ୍ରହ୍ମା ବିଷ୍ଣୁ ଶିବ ତିନି ଅଟନ୍ତି ସେ ପୁଣ ॥
।୨।ଡ଼ାହାଣେ ବସନ୍ତି ବ୍ରହ୍ମା ବାମେ ପଞ୍ଚାନନ ।ମଧ୍ୟରେ ଅଛନ୍ତି ବିଷ୍ଣୁ ରତ୍ନ ସିଂହାସନ ॥
।୩।ନିର୍ମଳ ଭାବେଣ ଯେ ପବିତ୍ର ଦିବ୍ୟ ସ୍ଥାନ ।ଏକାନ୍ତର ଗୋଟି ସେହୁ ରତ୍ନ ସିଂହାସନ ॥
।୪।ଭକତ ଲଳାଟ ପଟେ ଆସନଟି ସେହି ।ଶ୍ରୀହରି ମନ୍ଦିର ତୋର କଷଟି ବୋଲାଇ ॥
।୫।ଶ୍ରୀହରି ଅଟନ୍ତି ଆମ୍ଭ ଇଷ୍ଟଦେବ ଯେଣୁ ।ଶ୍ରୀହରି ମନ୍ଦିର ଚିତା ବହୁ ଆମ୍ଭେ ତେଣୁ ॥
।୬।ତିଳକ ମହିମା ଭାଇ କହିଲି ଯେ ଏତେ ।ଅଚ୍ୟୁତ ଦାସ କହନ୍ତି ଗୋପାଳଙ୍କ ହିତେ ॥
।୭।ଓଗାଳ – ୪ଶୁଣ ହୋ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଭଲା ସନ୍ଧି କଥା ମନେ ପଡ଼ିଲା ତୁହାଇ ॥
।୧।ରାଧାକୃଷ୍ଣ କଥା ଭାଇ ଅପୂର୍ବ ରହସ୍ୟ ।ଶୁଣିଲେ ଗୋପାଳ ଭାଇ ହୋଇବେ ସନ୍ତୋଷ ॥
।୨।କେଉଂଦିନ ଚନ୍ଦ୍ରସେଣା କୃଷ୍ଣ ବେଶ ହେଲା ।ଏକଥା ଶୁଣିଣ ଭାଇ ସନ୍ଦେହ ଲାଗିଲା ॥
।୩।କୃଷ୍ଣ ରୂପ ଦେଖି କୋପ କରେ ଚନ୍ଦ୍ରସେଣା ।ସେ କିମ୍ପା କୃଷ୍ଣ ରୂପକୁ କରିଲା ଧାରଣା ॥
।୪।ଏକଥା ବିଚାରି ଭାଇ କହିବଟି ବାଛି ।ବହୁଦିନୁଂ ଏ କଥାରେ ସନ୍ଦେହ ମୋ ଅଛି ॥
।୫।ଆହୁରି କଥାଏ ଦାସେ ପଡ଼ିଲା ମୋ ମନ ।କହିବା କଥା ବୁଝାଇ ଦେବ ହୋ ବହନ ॥
।୬।ଗୋବର୍ଦ୍ଧନ କେଉଂଠାରେ ଚନ୍ଦ୍ରାବଳୀ ହେଲେ ।ଏ କଥାଟି ମୋତେ ଭାଇ କହିଦେବୁ ଭଲେ ॥
।୭।ପୁରୁଷ ହୋଇଣ କିମ୍ପା ସ୍ତ୍ରୀ ରୂପ ହୋଅଇ ।ମୋତେ କହିବଟି ଭଲା ଏ କଥା ବୁଝାଇ ॥
।୮।ଗୋଟି ଗୋଟି କରି ମୋତେ ଦେବ ସବୁ କହି ।ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି ॥
।୯।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ପଦ ପଦ କରି ଏବେ କହିଦେବା ତାହା ॥
।୧।ବାଳୁତ କୁମର ମୁହିଂ ନ ଜାଣଇ କିଛି ।ଯାହା ଅଳ୍ପ ଜାଣେ ତାହା କହୁଅଛି ବାଛି ॥
।୨।ଦିନେ ରାଧା ସହସ୍ର କୁମ୍ଭରେ ଜଳ ଆଣି ।ଦିଅନ୍ତେ କୃଷ୍ଣଙ୍କୁ ଭଲ ହେଲେ ବେଣୁପାଣି ॥
।୩।ସେହିଦିନୁ ସତୀ ବୋଲି ଜାଣିଲେ ସମସ୍ତେ ।ଆନନ୍ଦ ମନେ ରହିଲେ ସର୍ବ ଗୋପ ଲୋକେ ॥
।୪।ମଧୁମଙ୍ଗଳ ଯେ ଭାବି ଦିନେ ଏକାନ୍ତରେ ।ରାଧା ଅସତୀ ଘୋଷଣା ହେବ କି ପ୍ରକାରେ ॥
।୫।ଏକଦିନେ ପତ୍ର ଖଣ୍ଡେ ଲେଖିଲେ ଶ୍ରୀକରେ ।ରାଧା ଦେଇଛନ୍ତି ବୋଲି ଲେଖଇ ପତ୍ରରେ ॥
।୬।ଆହେ ପ୍ରାଣେଶ୍ୱର ମୋର ହୃଦୟର ହାର ।ବହୁଦିନ ଦେଖା ନ ଦେଲ ହେ ପ୍ରାଣେଶ୍ୱର ॥
।୭।ଜାଣିଥାଅ ଏବେ ଦେବାଳୟ ସ୍ଥାନ ।ଭଙ୍ଗା ପଡ଼ିଅଛି ଏବେ ନାମ ଦଧିଗ୍ରାମ ॥
।୮।ନିର୍ଜନ ସ୍ଥାନ ଅଟଇ ଜାଣିଥିବ ସେହି ।ଆସିଲେ ସେସ୍ଥାନେ ଭେଟ ହେବ ହେ ମାଧୋଇ ॥
।୯।ଏମନ୍ତ ଲେଖିଣ ବାର୍ତ୍ତା ପତ୍ରକୁ ମୁଦିଲେ ।ଆପଣା ହସ୍ତରେ ଧରି ନିଜେ ବାହାରିଲେ ॥
।୧୦।ଚିତ୍ରାକୁ ଦେଖିଣ କହେ ସେ ମଧୁମଙ୍ଗଳ ।ବେଗହୋଇ ଯାଅ ତୁହି ସେ ଗୋପ ନଗର ॥
।୧୧।ରାଧାଙ୍କୁ କହିବାଯାଏ ରଖିଥିବେ ସେହି ।ଚନ୍ଦ୍ରସେଣା ପତ୍ର ପଢି ରଖିଦେବ ଯହିଂ ॥
।୧୨।ସେ ପତ୍ରକୁ ବେଗେ ନେଇ ଚିରି ପକାଇବ ।ଏ କଥା ଜାଣିଥା ସଖୀ ନିଶ୍ଚୟ କରିବ ॥
।୧୩।ଏବେ ଏହି ପତ୍ର ଆଗେ ନିଅ ସହଚରୀ ।ଏ ପତ୍ର ପାଇଣ ବେଗେ ଯାଅ ଗୋ ଚତୁରୀ ॥
।୧୪।ଏହା ଶୁଣି ଚିତ୍ରରେଖା ସେହିପରି କଲା ।ରାଧାଙ୍କୁ କହିଣ ପୁଣି ଫେରିଣ ଅଇଲା ॥
।୧୫।ଚିତ୍ରରେଖା ବାଟେ ଚନ୍ଦ୍ରସେଣାକୁ ଭେଟିଲା ।ଅନେକ ତା ସଙ୍ଗେ ପୁଣି ଦୁଃଖସୁଖ ହେଲା ॥
।୧୬।ଦୁଃଖସୁଖ ହୋଇ ପୁଣି ପତ୍ର ଛାଡ଼ିକରି ।ଚାଲି ଆସିଲା ତା ପାଶୁଂ ନ ଜାଣିଲା ପରି ॥
।୧୭।ପତ୍ରକୁ ଦେଖିଣ ଚନ୍ଦ୍ରସେଣା ଚାହେଂ ପୁଣି ।ଏ କିସ ଛାଡ଼ିଲା ପୁଣ ଗୋପର ତରୁଣୀ ॥
।୧୮।ଦେଖିଲା ଲେଖା ହୋଇଛି ରହସ୍ୟ ବିଷୟ ।କୃଷ୍ଣଙ୍କୁ ଡ଼ାକିଛି ରାଧା ଦେଖି ତା ବିସ୍ମୟ ॥
।୧୯।ଏ କଥା ପରୀକ୍ଷା କରି ରାଧାଙ୍କୁ ଡ଼ାକିବି ।କିପରି ତା ସତୀପଣ ଆଜି ଛଡ଼ାଇବି ॥
।୨୦।ପତ୍ର ପଢିକରି ପୁଣି ଚାଳରେ ଖୋସିଲା ॥
କୃଷ୍ଣ ହୋଇ ଯିବି ନିଶ୍ଚେ ମନରେ ଭାଳିଲା ॥
।୨୧।ଚିତ୍ରାଠାରୁ ଶୁଣିଥିଲା ରାଧିକା ସୁନ୍ଦରୀ ।ପତ୍ର ନେଇକରି ବେଗେ ପକାଇଲା ଚିରି ॥
।୨୨।ଆହୁରି କଥାଏ ଦାସେ ଶୁଣ ମନ ଦେଇ ।ମଧୁମଙ୍ଗଳ ଯେ ଆନ ପତ୍ର ଲେଖେ ତହିଂ ॥
।୨୩।ଆରେ ପ୍ରାଣସଖୀ ଚନ୍ଦାବଳୀ ତୁହି ମୋର ।ତୋର ବିଚ୍ଛେଦରେ ମୁହିଂ ହୋଇଲି ଅସ୍ଥିର ॥
।୨୪।ନଦୀ ବାଟ ଘାଟ ସବୁ ଆଡ଼ ଜଗି ଥାଇ ।ତୋ ଦେଖା ନ ପାଇ ପୁଣି ବାତୁଳ ହୁଅଇ ॥
।୨୫।ଏ ପତ୍ର ପାଇଣ ତୁମ୍ଭେ ନିଶ୍ଚୟ ଆସିବ ।ଭଙ୍ଗା ଦେଉଳର ପାଶେ ଆସିଣ ମିଳିବ ॥
।୨୬।ଦଧିଗ୍ରାମ ବୋଲି ସଖୀ ଜାଣିଥାଅ ତୁହି ।ସନ୍ଧ୍ୟା ଗଲେ ନିଶ୍ଚୟ ଆସିବୁ ପ୍ରାଣସହୀ ॥
।୨୭।ଏହା ଲେଖି ପତ୍ରକୁ ସେ ନିଜେ ମୁଦିଦେଲା ।ନିଜ ହାଥେ ଧରି ତାହା ବାହାର ହୋଇଲା ॥
।୨୮।ନିର୍ଜନ ସ୍ଥାନେ ବସିଛି ଗୋବର୍ଦ୍ଧନ ମଲ୍ଲ ।ତାର ପାଶେ ପ୍ରବେଶିଲା ସେ ମଧୁମଙ୍ଗଳ ॥
।୨୯।ଆସିଲା ବାଟରେ ସେହି ଶୈବ୍ୟାକୁ ଦେଖିଣ ।ବୋଇଲା ଚନ୍ଦ୍ରମାମୁହାଂ କଥା ମୋର ଶୁଣ ॥
।୩୦।ଚନ୍ଦ୍ରାବଳୀ ପାଖକୁ ଗୋ ବେଗହୋଇ ଯିବୁ ।ରହସ୍ୟ କଥା ହୋଇଛି ବୋଲିଣ କହିବୁ ॥
।୩୧।ଗୋବର୍ଦ୍ଧନ ମଲ୍ଲ ଚିଠି ପଢିକରି ନେଇ ।ଚାଳରେ ଖୋସିବ ଚାହିଂଥିବୁ ଚନ୍ଦ୍ରମୁହାଂ ॥
।୩୨।ସେ ପତ୍ରକୁ ବେଗେ ନେଇ ଚିରି ପକାଇବ ।ଏ କଥା ଜାଣିଥା ସଖୀ କେହି ନ ଜାଣିବ ॥
।୩୩।ମଧୁମଙ୍ଗଳ ଯାଆନ୍ତେ ଗୋବର୍ଦ୍ଧନ ମଲ୍ଲ ।ଦେଖିଲା ଖଣ୍ଡିଏ ପତ୍ର ପଡ଼ିଛି ଭୂମିର ॥
।୩୪।ପତ୍ରକୁ ଉଠାଇ ପୁଣି ଖୋଲି ଯେ ଦେଖିଲା ।ଶ୍ରୀକୃଷ୍ଣ ଆତୁର ହୋଇ ଲେଖିଛି ଜାଣିଲା ॥
।୩୫।ସବୁଦିନେ ଧିଟପଣ କରୁଅଛି ଚୋର ।ଆଜି ଚନ୍ଦ୍ରାବଳୀ ରୂପେ ହେବି ମୁଂ ନିକର ॥
।୩୬।ଦେବାଳୟ ସ୍ଥାନେ ମୁହିଂ ପହଞ୍ଚିବି ଯାଇ ।କୃଷ୍ଣର ଗାରିମା ଆଜି ଦେବି ମୁଂ ଛଡ଼ାଇ ॥
।୩୭।ପତ୍ର ପଢିସାରି ପୁଣି ଚାଳରେ ଖୋସିଲା ।ଚନ୍ଦ୍ରାବଳୀ ଚିଠି ନେଇ ଚିରି ପକାଇଲା ॥
।୩୮।ଏଣେ ମଧୁମଙ୍ଗଳ ଯେ ସଖାଙ୍କୁ ଡ଼ାକିଣ ।ବୋଲନ୍ତି ଅପୂର୍ବ କଥା ଶୁଣ ସଖାଗଣ ॥
।୩୯।ନଣ୍ଡା ଦେଉଳକୁ ନିତି ପ୍ରତି କିଏ ଆସି ।ଆନନ୍ଦେ ରହନ୍ତି ଏଥି ହୋଇଣ ବିଳାସୀ ॥
।୪୦।ଆଜି ଆମ୍ଭେମାନେ କରେ ଦିହୁଡ଼ି ଜାଳିଣ ।ଚିହ୍ନିବା ସେ କେଉଂ ଲୋକ କରେ ଦୁଷ୍ଟପଣ ॥
।୪୧।ଏହା କହି ସମସ୍ତେ ଯେ ଲୁଚିଣ ବସିଲେ ।ଏଣ ନଗରରେ ମଧୁମଙ୍ଗଳ ଭାବିଲେ ॥
।୪୨।ବହୁଦିନ ରାଧା ସଙ୍ଗେ କୃଷ୍ଣ ଭେଟ ନାହିଂ ।ଆଜି ଏକାକୀ ରହିବ ରାଧା ଚନ୍ଦ୍ରମୁହୀ ॥
।୪୩।ଚନ୍ଦ୍ରସେଣା ପତ୍ର ପାଇ କୃଷ୍ଣରୂପ ହୋଇ ।ଦେବାଳୟେ ଆସିବ ସେ ଜାଣିଅଛି ମୁହିଂ ॥
।୪୪।ଏତେ କହି କୃଷ୍ଣ ପାଶେ ବେଗେ ଚଲିଗଲେ ।ମଉନେ ଅଛନ୍ତି କୃଷ୍ଣ ଯାଇଣ ଭେଟିଲେ ॥
।୪୫।ସଖାଙ୍କୁ ଦେଖିଣ କୃଷ୍ଣ ବୋଲନ୍ତି ବଚନ ।କେଣେ ଆସିଅଛ ମନ ହେଉଛି ଉଚ୍ଛନ୍ନ ॥
।୪୬।ମଧୁମଙ୍ଗଳ କହନ୍ତି ଶୁଣ ନଟବର ।ଆଜ ଏକ ଭିଆଇଛି ଅଦ୍ଭୁତ ବ୍ୟାପାର ॥
।୪୭।ଏକା ହୋଇ ରହିଅଛି ରାଧା ଚନ୍ଦ୍ରମୁଖୀ ॥
ଚନ୍ଦ୍ରସେଣା ତାହାଙ୍କୁ ଯେ ଆସିଛି ଉପେକ୍ଷି ॥
।୪୮।ରାଧା ସଙ୍ଗେ ତୁମ୍ଭେ ଯାଇ ମେଳ ହୋଇକରି ।ଚନ୍ଦ୍ରାବଳୀ ପୁରେ ଯିବ ଆହେ ବଂଶୀଧାରୀ ॥
।୪୯।ଆମ୍ଭେ ସଖାଗଣ ଥିବୁ ଦେବାଳୟ ସ୍ଥାନେ ।ପ୍ରବେଶ ହୋଇବ ଯାଇ ତହିଂ ସନ୍ନିଧାନେ ॥
।୫୦।ଏତେ କହି ବେଗ ହୋଇ ସେ ମଧୁମଙ୍ଗଳ ।ପ୍ରବେଶ ହୋଇଲେ ଯାଇ ଦଧିଗ୍ରାମ ପୁର ॥
।୫୧।ସଖା ସଙ୍ଗେ ସେ ସ୍ଥାନରେ ନିଶ୍ଚିନ୍ତେ ବସିଲେ ।ସର୍ବ ବିଷୟ ଭାବିଣ ଆନନ୍ଦିତ ହେଲେ ॥
।୫୨।ଏଣେ ଚନ୍ଦ୍ରସେଣା ସ୍ୱୟଂ କୃଷ୍ଣ ରୂପ ହେଲା ।ମୟୂର ଚନ୍ଦ୍ରିକା ପୁଣି ଶିରରେ ଖୋସିଲା ॥
।୫୩।କରେ ବାହୁଟି କଙ୍କଣ ପାଟ ପୀତାମ୍ବର ।ଭଙ୍ଗା ବଂଶୀ ଖଣ୍ଡେ ଧରି ଚାଲେ ଧୀର ଧୀର ॥
।୫୪।ବିଚାରଇ ମନେ ମନେ ଅତି କ୍ରୋଧ ହୋଇ ।ଆଜି ରାଧା ସତୀପଣ ଦେବି ମୁଂ ଛଡ଼ାଇ ॥
।୫୫।ଏଣେ ଗୋବର୍ଦ୍ଧନ ଚନ୍ଦ୍ରାବଳୀ ବେଶ ଧରି ।ବାହାର ହୋଇଲା ପୁଣି ବେଗ ହୋଇକରି ॥
।୫୬।ଆଜ ଦେବାଳୟ ସ୍ଥାନେ ପ୍ରବେଶ ହୋଇବି ।କୃଷ୍ଣର ଗାରିମା ନିଶ୍ଚେ ଛଡ଼ାଇଣ ଦେବି ॥
।୫୭।ଏତେ କହି ପ୍ରବେଶିଲା ଦେବଙ୍କ ମନ୍ଦିରେ ।ଓଢ଼ଣୀ ଟାଣି ଆସିଣ ବସିଲା କୋଣରେ ॥
।୫୮।ଚନ୍ଦ୍ରସେଣା ପୁଣି ଅନ୍ତରରେ ରାଗ ହୋଇ ।ବଂଶୀକି ଧରି ମିଳିଲେ ଦେବାଳୟେ ଯାଇ ॥
।୫୯।ଭିତରେ ପଶନ୍ତି ଯାଇ ସାଜି ନଟବର ।ରାଧା ଆସିଲେଣି ବୋଲି ଭାବଇ ମନର ॥
।୬୦।ଭାବୁ ଭାବୁ ଭେଟିଲେ ଯେ କଣ କନ୍ଦି ପୁର ।ମାୟା ରାଧା ଉଠିଲେ ଯେ ହୋଇ ତତପର ॥
।୬୧।ଦୁହେଂ ଯାଇ କୁଣ୍ଢାକୁଣ୍ଢି ମିଳାମିଳି ହେଲେ ।ଶବ୍ଦ ଶୁଣି ଗୋପାଳେ ଯେ ହୁଳା ଜାଳିଦେଲେ ॥
।୬୨।ହୁଳାଜାଳି ଦେଖନ୍ତି ସେ ମାୟା କୃଷ୍ଣ ରାଧା ।ରାଧାପୁରେ କୃଷ୍ଣ ତେଣେ ପାଇ ପ୍ରେମ ସୁଧା ॥
।୬୩।ସଖା କଥା ମନେପଡ଼ିବାରୁ ବେଗ ହୋଇ ।ବେଗେ ବେଗେ ପ୍ରବେଶିଲେ ଦେବାଳୟେ ଯାଇ ॥
।୬୪।କୃଷ୍ଣ ଆସିବା ଦେଖିଣ ସଖୀଗଣ ମାନ ।ଆନନ୍ଦେ ନାଚନ୍ତି ତାଳି ଦେଇଣ ବହନ ॥
।୬୫।ଆସ ଦେଖିବ ହେ ଭାଇ ତୁମ୍ଭ ମାମୁ ଗୁଣ ।ରାଧା କୃଷ୍ଣ ବେଶ ହୋଇଛନ୍ତି କାହିଂ ପୁଣ ॥
।୬୬।କୃଷ୍ଣ ଦେଖିଲେ ସେଠାରେ ଭାଇ ଗୋବର୍ଦ୍ଧନ ।ପଚାରିଲେ କାହିଂପାଇଂ ଏ କିସ ଭିଆଣ ॥
।୬୭।ଲଜ୍ଜାରେ ତାହାକୁ କିଛି ଉତ୍ତର ନ ଦେଇ ।ଛାଡ଼ିଦିଅ ଆହେ କୃଷ୍ଣ ନ ପଚାର ତୁହି ॥
।୬୮।ସଖାଏ ତାଳି ଦେଇଣ ହସନ୍ତି ନିକର ।ଆଉ କେବେ ନ ଆସିବୁଂ ଏ ଦେବ ମନ୍ଦିର ॥
।୬୯।ଲଜ୍ଜାପାଇ ତଳମୁଖ ହୋଇଣ ବସିଲେ ।ଜାଣିପାରି କୃଷ୍ଣଚନ୍ଦ୍ର ତାଙ୍କୁ ଛାଡ଼ିଦେଲେ ॥
।୭୦।ପଚାରିବା କଥା ଭାଇ କହିଲି ବୁଝାଇ ।ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି ॥
।୭୧।ଓଗାଳ – ୫ଶୁଣ ହେ ଗୋପାଳ ଭାଇ ମନକର୍ଣ୍ଣ ଦେଇ ।ଆଉ କେତେ ପଦ କଥା ପଚାରୁଛି ମୁହିଂ ॥
।୧।କେଉଂ ଗୁରୁଠାରୁ ଭାଇ ଶିକ୍ଷା କଲ ତୁମ୍ଭେ ।ତହିଂର ବୃତ୍ତାନ୍ତ ଏବେ ପଚାରୁଛୁ ଆମ୍ଭେ ॥
।୨।କେଉଂ ଗୁରୁ ଶିକ୍ଷାରୁ ଯେ କି ଫଳ ହୋଅଇ ।ଏହା ମୋତେ ବୁଜାଇଣ କହିଦେବ ଭାଇ ॥
।୩।କେଉଂ ଗୁରୁ ଶିକ୍ଷାରୁ ଯେ ବୈକୁଣ୍ଠେ ବସଇ ।କେଉଂ ଗୁରୁ ଶିକ୍ଷାରୁ ଯେ ନରକେ ପଡ଼ଇ ॥
।୪।କେଉଂ ଗୁରୁ ପ୍ରସାଦେ ଯେ ଲଭଇ ପୁରୁଷ ।କେଉଂ ଗୁରୁ ଯୋଗେ ଲଜ୍ଜା ପାଇ ହୋଏ ନାଶ ॥
।୫।ଗୁରୁ ଶିକ୍ଷା କରିଥିଲେ କହିବ ହେ ଭାଇ ।ଅଣଗୁରୁଆ ଥିଲେ ଏହା ଜାଣିବ ଯେ କାହିଂ ॥
।୬।ଉତ୍ତର ନ କହି ଭାଇ ଯେବେ ଘରେ ଯାଉ ।ରମଣୀ ଉଚ୍ଛିଷ୍ଟ ତୋର ପିତୃଶ୍ରାଦ୍ଧେ ଦେଉ ॥
।୭।ଉତ୍ତର ନ କହି ଯେବେ ସଭାରେ ତୁ ବସୁ ।ଶୁକର ଯୋନିରେ ଜନ୍ମହୋଇ ହେବୁ ପଶୁ ॥
।୮।ଉତ୍ତର ନ କହି ଯେବେ ମୁହିଂ ନ ଫିଟାଉ ।ମରିଲେ ବିଲୁଆ ହୋଇ କରିବୁ ହୁକେ ହୁ ॥
।୯।ଆହେ ଭାଇମାନେ ରୋଷ ନ ବହିବ ଚିତ୍ତେ ।ଅଚ୍ୟୁତ ବୋଲନ୍ତି ଏହା ଗୋପାଲଙ୍କ ହିତେ ॥
।୧୦।ଉତ୍ତାରଶୁଣ ହେ ଗୋପାଳ ଭାଇ ହେତୁକରି ତୁହି ।ସଦଗୁରୁ ଉପଦେଶ ନ କହିବୁ କାହିଂ ॥
।୧।ଉତ୍ତମ ମଧ୍ୟମ ପୁଣି ଅଛଇ ଅଧମ ।ତିନି ପ୍ରକାରେ ଯେ ସବୁ ହୋଇଛି ନିୟମ ॥
।୨।ଉତ୍ତମ ଗୁରୁ ନିକଟେ ଶିକ୍ଷା ଥିଲେ ଭାଇ ।ଉତ୍ତମ ଫଳ ଲଭିବ ଶାସ୍ତ୍ର ଅଛି କହି ॥
।୩।ମଧ୍ୟମଠାରୁ ମଧ୍ୟମ ଫଳ ହୋଏ ଜାଣ ।ଅଧମ ଗୁରୁ ଯେ ସିନା ମରଣ ସମାନ ॥
।୪।ଆହେ ଭାଇମାନେ ରୋଷ ନ ବହିବ ଚିତ୍ତେ ।ଯାହା ପୁର୍ବୁଂ ଶୁଣିଥିଲି କହିଲି ତୁରିତେ ॥
।୫।ଯେଉଂ ଗୁରୁ ଶ୍ରୀଚରଣ ସ୍ପର୍ଶ କଲେ ଜନ ।ସର୍ବ ପାପ ନାଶି ବୈକୁଣ୍ଠକୁ ଯିବ ପ୍ରାଣ ॥
।୬।ଇହଜନ୍ମେ ଯଶ ଲଭୁଂ ଅନ୍ତେ ଯେ ମୁକତି ।ଏମନ୍ତେ ଗୁରୁ ଚିହ୍ନିଣ ସେବ ଦିନରାତି ॥
।୭।ଆହେ ଭାଇ କଳିଯୁଗେ ଅଧମ କେତେକ ।ଗୁରୁ ବୋଲାଇଣ ଦେଖାବନ୍ତି ନିଜ ଟେକ ॥
।୮।ରଜକ ଚାଣ୍ଡାଳ ଆଦି ଯେତେ ଛୋଟ ଜାତି ।ସେମାନେ ଏହାଙ୍କ ଦ୍ୱାରେ ପାଣି ନ ଛୁଅଂନ୍ତି ॥
।୯।ଏପରି ନିକୃଷ୍ଟ ଲୋକେ ଗୁରୁ କରି ଭାଇ ।ଇହ ଜନ୍ମେ ଲଜ୍ଜା ଅନ୍ତେ ନର୍କରେ ପଡ଼ଇ ॥
।୧୦।ଗୋପାଳମାନେ ଅଟନ୍ତି ବ୍ରାହ୍ମଣ ସମାନ ।ନୀଚଠାରୁ ଶିକ୍ଷାନେବା ଧିକ ତାକ ଜନ୍ମ ॥
।୧୧।ସିଂହ ହୋଇ ଶ୍ୱାନ ଆଣି ମସ୍ତକେ ବହିବା ।ଧିକ ତାଙ୍କ ଶିକ୍ଷା ଧିକ ନ ମରି ରହିବା ॥
।୧୨।ଆହେ ଭାଇମାନେ ସର୍ବେ ବୁଝି ଶିକ୍ଷା କର ।ଅଚ୍ୟୁତ ବୋଲନ୍ତି ଦୋଷ ନାହିଂଟି ମୋହର ॥
।୧୩।ଓଗାଳ – ୬ରାଧାଙ୍କ କୃଷ୍ଣ ରୂପଆହେ ଭାଇମାନେ ସର୍ବେ ହୋଇଅଛ ମେଳ ।ମନରୁ ସଂଶୟ ଫେଡ଼ି କହିବ ସକଳ ॥
।୧।ଗୋପପୁରେ କାହିଂ କୃଷ୍ଣ ହୋଇଥିଲେ ରାଜା ।କେଉଂମାନେ ତାଙ୍କର ଯେ ହୋଇଲେ ପରଜା ॥
।୨।ଅମୃତ ସାମଗ୍ରୀ ବନେ କାହୁଂ ସେ ପାଇଲେ ।କେବଣ ନାରୀ ତାହାଙ୍କୁ ପରଷିଣ ଦେଲେ ॥
।୩।କେଉଂଠାରେ ନନ୍ଦସୁତ ହୋଇଲେ ବୃଷଭ ।କେଉଂ ସଖା ଥିଲେ ସଙ୍ଗେ ବୁଝାଇ କହିବ ॥
।୪।କାହିଂକି ବୃଷଭ ହୋଇଗଲେ କେଉଂଠାରେ ।କେଉଁ ଅଭିଳାଷ ତାଙ୍କ ଥିଲାଟି ମନରେ ॥
।୫।କେଉଂଠାରେ କୃଷ୍ଣଚନ୍ଦ୍ର ହୋଇଥିଲେ ନାରୀ ।ଚିହ୍ନି ନ ପାରିଲେ ତାଙ୍କୁ କେତେ ବ୍ରଜବାଳୀ ॥
।୬।କେଉଂଠାରେ ବନମାଳୀ ନର୍ତ୍ତକୀ ହୋଇଣ ।ନାଚୁଥିଲେ କହିଦେବ ଗୋପାଳ ନନ୍ଦନ ॥
।୭।କେଉଂଠାରେ ରାସେଶ୍ୱରୀ କୃଷ୍ଣ ରୂପ ଧରି ।ମୂରଳୀ ବଜାଉଥିଲେ କହିବ ବିଚାରି ॥
।୮।ଆହେ ସର୍ବ ଦେଶ ଭାଇ କହିଦେବ ମୋତେ ।ଅଚ୍ୟୁତ କହନ୍ତି ଏହା ଗୋପାଳଙ୍କ ହିତେ ॥
।୯।ଉତ୍ତାରଶୁଣ ଭାଇମାନେ ଯାହା ପଚାରିଲ ଏଥେ ।ସଂଶୟ ଫେଇ ଉତ୍ତର କହୁଅଛି ତୋତେ ॥
।୧।ବତ୍ସା ଘେନି ଗୋଷ୍ଠେ ଯାଇଥିଲେ ବନମାଳୀ ।ବଳରାମ ସଙ୍ଗେ ସର୍ବ ଗୋପସୁତ ମିଳି ॥
।୨।କ୍ରୀଡ଼ା ରଙ୍ଗେ କୃଷ୍ଣଚନ୍ଦ୍ରେ ରାଜା ତହିଂ କରି ।ଗୋପସୁତେ ପ୍ରଜା ହୋଇ କରନ୍ତି ଗୁହାରି ॥
।୩।ଖେଳୁ ଖେଳୁ କ୍ଷୁଧା ଯହୁଂ ହୋଇଲା ପ୍ରବଳ ।କି କରିବୁ ବୋଲି ସର୍ବେ କରନ୍ତି ବିଚାର ॥
।୪।ତାହା ଜାଣି ଅନ୍ନପୂର୍ଣ୍ଣା ପ୍ରବେଶ ହୋଇଲେ ।ଅମୃତ ସାମଗ୍ରୀମାନ ପରିଷଣ ଦେଲେ ॥
।୫।ଆଉଦିନେ କୃଷ୍ଣ ମଧୁମଙ୍ଗଳ ସଙ୍ଗରେ ।ଚନ୍ଦ୍ରାବଳୀ ପୁରେ ଯାଉ ଯାଉ ବିଚାରିଲେ ॥
।୬।ଗୋପେ ଈଶ୍ୱରଙ୍କ ଷଷ୍ଠୀ ଯାତ୍ରାରେ ନିର୍ମିତ ।କଳା ବୃଷଭରେ ପ୍ରବେଶିଲେ ଦୁଇ ମିତ ॥
।୭।ଚନ୍ଦ୍ରବଳୀ ଅଭିସାର ପଥ ଜଗିଥିବେ ॥
ଡ଼ରାଇ କୃଷ୍ଣପ୍ରୀତିରୁ ନିବୃତ୍ତ କରିବେ ॥
।୮।ଦେଖ କେତେ ନିଷ୍ଠା ତୁମ୍ଭ ଠାରେ ଜଣାଯିବ ।ଏହା କାରଣରୁ କୃଷ୍ଣ ହୋଇଲେ ବୃଷଭ ॥
।୯।ଆଉ ଏକ ଦିନେ କୃଷ୍ଣ ରାଧା ଭାବ ମାନ ।ଚିତ୍ତେ ବିଚାରି ମଦନେ ହୋଇଲେ ଉଚ୍ଛନ୍ନ ॥
।୧୦।ବିଚାରିଲେ ଆଜ ମୁହିଂ ନାରୀ ବେଶେ ଯିବି ।ରାଧା ସହିତରେ ସର୍ବ ଗୋପୀଙ୍କି ଭଣ୍ଡିବି ॥
।୧୧।ଏତେ ଭାଳି ନାରୀ ବେଶ ହୋଇ ତରତରେ ।ବେଗେ ଯାଇ ମିଳିଲେ ଯେ ଗୋପୀଙ୍କ ସଙ୍ଗରେ ॥
।୧୨।ସଙ୍ଗୀତ ଆରମ୍ଭ କଲେ ସର୍ବ ଗୋପବାଳୀ ।ନାରୀ ବେଶେ ତହିଂ ଯେ ନାଚନ୍ତି ବନମାଳୀ ॥
।୧୩।ସେହିଠାରେ ରାଧିକା ଯେ କୃଷ୍ଣ ରୂପ ହୋଇ ।ମୁରଳୀ ଧରି ବାଇଲେ କୃଷ୍ଣ ଗୁଣ ଗାଇ ॥
।୧୪।କୃଷ୍ଣ ତହିଂ ରାଧା ହୋଇ ବାମେ ଉଭା ହେଲେ ।ଅଚ୍ୟୁତ ବୋଲେ ଜାଣିବ ଗୁରୁ ସେବିଥିଲେ ॥
।୧୫।ଓଗାଳ – ୭ଶୁଣ ହେ ଗୋପାଳ ସର୍ବେ ମନ କର୍ଣ୍ଣ ଦେଇ ।ଗେପାଳଙ୍କ ହିତେ ଏହା ଉଦ୍ଧାର କରଇ ॥
।୧।ଭଲା ସନ୍ଧି କଥା ମନେ ପଡ଼ିଲା ରେ ଭାଇ ।ଗୋପାଳ ଓଗାଳେ ଜାଣ ସମସ୍ତ କହଇ ॥
।୨।ଶୁଣିଲା ଦିନୁଂ ମୋର ଯେ ମନେ ରହିଥିଲା ।ତୁମ୍ଭଙ୍କୁ ଦେଖିଣ ମୋର ମନରେ ପଡ଼ିଲା ॥
।୩।ଶୁଣିଲା ଦିନୁଂ ସେକଥା ଲାଗେ ଆଚମ୍ବିତ ।ଏବେ ମୋତେ କହିଦେବ ତାହାର ରଚିତ ॥
।୪।କୃଷ୍ଣଙ୍କୁ ଦେଖିଲେ ପରା ଜଟିଳା କୁଟିଳା ।ବିଶ୍ୱ ନେତ୍ରେ ଚାହିଂ ଲଉଟାନ୍ତି ଆଖି ଡ଼ୋଳା ॥
।୫।ରାଧା କୁଞ୍ଜେ ଗଲେ ସେ ଯେ ଦେଉଥାନ୍ତି ଗାଳି ।କଳା କାହ୍ନୁ ସଙ୍ଗେ କଥା ନ କହିବୁ ବାଳୀ ॥
।୬।ସେ କେମନ୍ତେ କୃଷ୍ଣଙ୍କର ବିକଳ ନ ସହି ।ଲଳିତାଙ୍କୁ ଆଜ୍ଞା ଦେଲେ ଯାଅ ବାରେ ତୁହି ॥
।୭।ବିଶାଖାକୁ ସଙ୍ଗେ ନେଇ ବେଗହୋଇ ଯିବ ।କୃଷ୍ଣଙ୍କୁ ନେଇଣ ରାଧା ସଙ୍ଗେ ମିଳାଇବ ॥
।୮।ଏ କଥା ଗୋଟି ଜଟିଳା କହିଲେ କେମନ୍ତେ ।ଅଚ୍ୟୁତାନନ୍ଦ ବୋଲନ୍ତି ବୁଝାଅ ଯେ ମୋତେ ॥
।୯।ଉତ୍ତାରଶୁଣ ହେ ଗୋପାଳ ଭାଇ ଦେଇ ମନ କର୍ଣ୍ଣ ।ଯାହା ପଚାରିଲ ତାର ଦେଉଛି ବର୍ଣ୍ଣନ ॥
।୧।ଏକ ଦିନେ ମାନ କରି ବୁଷଭାନୁ ସୁତା ।କୃଷ୍ଣଙ୍କ ମୁଖ ନ ଚାହିଂ ନ କହିଲେ କଥା ॥
।୨।ଶ୍ରୀକୃଷ୍ଣ ଯାଇଣ ବହୁ ବିନତି କରିଲେ ।ତଥାପି ରାଧିକା ମନେ ପ୍ରସନ୍ନ ନୋହିଲେ ॥
।୩।ତାହା ଦେଖି କୃଷ୍ଣଚନ୍ଦ୍ର ବିମୁଖ ହୋଇଣ ।କି ଉପାୟ କରିବି ମୁଂ ମନରେ ଭାବିଣ ॥
।୪।ଏତେ ଭାବି କୁନ୍ଦଲତା ସଖୀକି ଡ଼କାଇ ।କିସ ମୁଂ କରିବି ଏବେ କହ ପ୍ରାଣସହୀ ॥
।୫।କୁନ୍ଦଲତା ବୋଲେ ଶ୍ୟାମ କିଛି ଦୁଃଖ ନାହିଂତୁମ୍ଭଙ୍କୁ ଅପୁର୍ବ ବେଶେ ଭେଟାଇବି ମୁହିଂ ॥
।୬।ତହୁଂ କୁନ୍ଦଲତା ଆଣି ବସ୍ତ୍ର ଅଳଙ୍କାର ॥
ଅପୁର୍ବ ନାରୀର ବେଶ କୁଷ୍ଣଙ୍କୁ କରିଲେ ।ପିକ ଶବ୍ଦ ପରି କଣ୍ଠ ଧ୍ବନି ପ୍ରକାଶିଲେ ॥
।୭।ବାଜଇ ନୁପୁର ମୃଦୁ ଯୁଗଳ ଚରଣ ।କଳାବତୀ ନାମ ହରି କରିଲେ ଧାରଣ ॥
।୮।ଅଲକ୍ଷ୍ୟରେ ଚାଲିଗଲେ ଜଟିଳା ନିବାସ ।କୁନ୍ଦଲତାକୁ ଦେଖିଣ ରାଧିକା ହରଷ ॥
।୯।ହରଷ ହୋଇଣ ପୁଚ୍ଛେ ହରିଣୀ ନୟନୀ ।କହ କନ୍ଦଲତା ତୋର ପ୍ରୟୋଜନ ବାଣୀ ॥
।୧୦।ଅକସ୍ମାତେ କି କାରଣେ ଆଗମନ ତୋର ।ତୋର ସଙ୍ଗେ ଆସିଲେ ଏ କି ନାମ ଏହାର ॥
।୧୧।କୁନ୍ଦଳତା କହିଲେ ଯେ ରାଧିକାର ପ୍ରତି ।ମଥୁରା ଦେଶର ନାରୀ ନାମ କଳାବତୀ ॥
।୧୨।ତୁମ୍ଭ ଗୁଣ କୀର୍ତ୍ତି ଶୁଣି ଆନନ୍ଦ ମନରେ ।ଆସିଛି କିଛି ଗାୟନ କରିବ ଏଠାରେ ॥
।୧୩।ଏହାର ଗାୟନ କଥା କି କହିବି ମୁହିଂ ।ନନ୍ଦରାଜା ଘରେ ଦିନେ ଗାୟନ କରଇ ॥
।୧୪।ଶୁଣି ତହିଂ ମୁଗଧ ହୋଇ ଆସିଛି ଏଠାକୁ ।ରାଧା ଶୁଣି ପଚାରଇ ସେ କୁନ୍ଦଲତାକୁ ॥
।୧୫।ଏ ଗାୟନ ବିଦ୍ୟା କାହାଠାରୁ ଶିଖିଛନ୍ତି ।କୁନ୍ଦ କହେ ବୃହସ୍ପତି ଶିକ୍ଷା ଦେଇଛନ୍ତି ॥
।୧୬।ରାଧିକା କହଇ ସ୍ୱର୍ଗେ ରହେ ବୃହସ୍ପତି ।ତାର ସଙ୍ଗେ ଏହାର ସାକ୍ଷାତ କେଉଂ ମତି ॥
।୧୭।କୁନ୍ଦଲତା କହେ ଶୁଣ ଏ ମଧୁ ଭୁବନେ ।ରଙ୍ଗରସେ ଯଜ୍ଞ କଲେ ସକଳ ବ୍ରାହ୍ମଣେ ॥
।୧୮।ସେ ସମୟେ ସ୍ୱର୍ଗପୁରୁଂ ଆସି ବୃହସ୍ପତି ।ମଧୁପରେ ଏକ ମାସ କଲେ ଯେ ବସତି ॥
।୧୯।ଅକସ୍ମାତେ ବୃହସ୍ପତି ବ୍ରାହ୍ମଣ ସଭାରେ ।ବସିଣ ଗାଇଲେ ବହୁ ସୁମଧୁର ସ୍ୱରେ ॥
।୨୦।ଶୁଣୁଥିଲା ସେହି ସ୍ଥାନେ ରହି କଳାବତୀ ।ଆଉ ଦିନେ ଏକା ଗାନ କଲା ବୁଦ୍ଧିମତୀ ॥
।୨୧।ବୃହସ୍ପତି ତହୁଂ ବଡ଼ ଆଶ୍ଚର୍ଯ୍ୟ ହୋଇଣ ।କଳାବତୀଙ୍କୁ ପୁଛ୍ଛନ୍ତି ଆନନ୍ଦ ମନେଣ ॥
।୨୨।ଏତେ ଦିନେ ଏତେ ଶିକ୍ଷା କଲ କେଉଂପରି ।ବିସ୍ମୟ ଲାଗଇ ମୋତେ କହ ତୁ ଚତୁରୀ ॥
।୨୩।ଏ ସମୟେ ତହୁଂ ଏକ ବ୍ରାହ୍ମଣ ଯେ ଆସି ।ବୃହସ୍ପତିଙ୍କୁ କହନ୍ତି ମୃଦୁ ମୃଦୁ ଭାଷି ॥
।୨୪।ଏହାକୁ କିଛି ଅଳ୍ପକେ ଶିକ୍ଷା ଦିଅ ପ୍ରଭୁ ।ବିଖ୍ୟାତ ହୋଇବ ନାମ ତୁମ୍ଭର ହେ ବିଭୁ ॥
।୨୫।ଆନନ୍ଦରେ ଶିକ୍ଷା ଦେଲେ ରହି କିଛି ଦିନ ।ଅଳ୍ପ ଶିଖି କଳାବତୀ ହୋଇଲା ନିପୁଣ ॥
।୨୬।କଳାବତୀ ପ୍ରତି ତହୁଂ କହେ ସୁଧାମୁଖୀ ।ଏକ ଗୀତ ଗାଇ ମୋତେ କର ତୁମ୍ଭେ ସୁଖୀ ॥
।୨୭।କଳାବତୀ ଗାଏ ଗୀତ କୋକିଳର ସ୍ୱରେ ।ଶୁଣିକରି ସର୍ବେ ହେଲେ ଆନନ୍ଦ ଅନ୍ତରେ ॥
।୨୮।ସର୍ବ ସଖୀ ଶୁଣିକରି ହେଲେ ବିସ୍ମୟିତ ।ସଭା ଗୋଟିଯାକ ଭାଇ ହୋଇଲା ସ୍ଥକିତ ॥
।୨୯।ରାଧା ଚିତ୍ତ ମାନବତୀ ବଜ୍ରରୁ କଠିନ ।କଳାବତୀ ଗାନେ ହୃଦ ହଜିଗଲା ପୁଣ ॥
।୩୦।ବହୁତ ପ୍ରଶଂସା କଲେ ରାଧିକା ସୁନ୍ଦରୀ ।ତୋ ସମାନ ନାହିଂ ମର୍ତ୍ତେ ଏପରି ଯେ ନାରୀ ॥
।୩୧।ଅମୂଲ୍ୟ ପଦକ କଣ୍ଠୁ କାଢ଼ି ରାଧାରାଣୀ ।କଳାବତୀ ଗଳେ ପିନ୍ଧାଇଣ ଦ୍ୟନ୍ତି ପୁଣି ॥
।୩୨।ଏହି ସମୟରେ ଲଳିତା ଯେ ଆସି ।ରାଧା କର୍ଣ୍ଣେ କହେ ସେହୁ ହୋଇଣ ଯେ ଖୁସି ॥
।୩୩।ଶୁଣ ଗୋ ମୋହର ବାଣୀ ଏ ବ୍ରହ୍ମଚାରିଣୀ ।ବିଚାରି ଏହାକୁ ଦିଅ ଆଉ କିଛି ପୁଣି ॥
।୩୪।ଏହା ଶୁଣି ଶ୍ରୀରାଧିକା ହର୍ଷ ମନ ହୋଇ ।ରୂପ ମଞ୍ଜରୀକୁ ଚାହିଂ ବଚନ ଭାଷଇ ॥
।୩୫।ମୋହର ଯେ ବେଶଘରୁ ଆଣ ଦ୍ରବ୍ୟମାନ ।ପିନ୍ଧାଇଣ ଦିଅ ସଖୀ କରିଣ ଯତନ ॥
।୩୬।ତାର ଉଚ୍ଚ କୁଚଯୁଗେ ଜଡ଼ାଇ ସରାଗେ ।ତେବେ ମନ ଖୁସି ହେବ କହୁଛି ତୋ ଆଗେ ॥
।୩୭।କୁନ୍ଦଲତା କହେ ଲଜ୍ଜାଶୀଳା ଏ ଯୁବତୀ ।ଯେଝା ବସ୍ତ୍ର ଆଭରଣ ସମର୍ପ ତା କତି ॥
।୩୮।ତା ନିଜ ଭୁବନେ ନେଇ ସେ ନିଜେ ପିନ୍ଧିବ ।ନାନା ଦେଶେ ବୁଲି ତୁମ୍ଭ ନାମ ପ୍ରକାଶିବ ॥
।୩୯।ରାଧିକା କହନ୍ତି ସଖୀ ଏ ନୁହେଂ କଥନ ।ନାରୀ ସଭା ମଧ୍ୟେ ଲଜ୍ଜା କରେ କି କାରଣ ॥
।୪୦।ଶୁଣି କଳାବତୀ କହେ ଶୁଣ ମୋ ଭାରତୀ ।ମାଳ ଆଭରଣେ ନାହିଂ ମୋହର ଯେ ଶାନ୍ତି ॥
।୪୧।ଯେବେ ହେଲ ପରଶନ ଦିଅ ଆଲିଙ୍ଗନ ।ସତ୍ୟ କଥା କହୁଛି ମୁଂ ନୁହେଂ ଲୋଭୀ ଜନ ॥
।୪୨।ମୋର ବାଣୀ ନ ରଖି ନ ପିନ୍ଧି ଯେବେ ତୁମ୍ଭେ ।ମୋର ସଖୀମାନେ ପିନ୍ଧାଇବେ ଆଜି ଦମ୍ଭେ ॥
।୪୩।ଏହିପରି କହୁ କହୁ ଠାରିଦେଲେ ତହିଂ ।ତକ୍ଷଣେ ମିଳିଲେ ଆସି ସର୍ବ ଗୋପ ଗୋଈ ॥
।୪୪।ତହୁଂ ନିଜ ଈଶ୍ୱରୀର ଇଙ୍ଗିତ ବୁଝିଣ ।କାନ୍ଧ ଦୁଇ ଧଇଲେକ ଯାଇ ଦୁଇଜଣ ॥
।୪୫।ପୃଷ୍ଠେ ଯାଇ ଏକ ଖୋଲେ କାଞ୍ଚୁଲୀ ବନ୍ଧନ ।କଦମ୍ବ ଫୁଲ ଦୁଇଟି ବକ୍ଷରେ ଶୋଭନ ॥
।୪୬।ବନ୍ଧନ ଖୋଲନ୍ତେ ଦୁଇ ଖସିଣ ପଡ଼ିଲେ ।ଦେଖି ସର୍ବ ସଖୀମାନେ ବିସ୍ମୟ ହୋଇଲେ ॥
।୪୭।ହାତେ ତାଳି ଦେଇ ସଖୀମାନଙ୍କୁ ଦେଖାଇ ।କଅଣ ପଡ଼ିଲା ବୋଲି ପୁଚ୍ଛନ୍ତି ଯେ ଗୋଈ ॥
।୪୮।କପଟ ଓଢଣା କଳାବତୀର ଦେଖିଣ ।ବୃଷଭାନୁ ସୁତା ବସେ ବିମୁଖ ହୋଇଣ ॥
।୪୯।ସଖୀଗଣେ ଦୂରେ ଥାଇ ଦେଇ ବସ୍ତ୍ର ମୁଖେ ।ଅଟ୍ଟହାସରେ ହସିଲେ ଅପୂର୍ବ ଯେ ଦେଖେ ॥
।୫୦।ଏହିପରି ହାସ ପରିହାସ ବହୁ କରି ।କଦମ୍ବ କୁସୁମକୁ ସେ କହନ୍ତି ଧିକ୍କାରି ॥
।୫୧।ନିଷ୍କପଟା ହୋଇ କପଟୀର ବକ୍ଷ ସ୍ଥଳେ ।କଦମ୍ବର ପୁଷ୍ପ ବଡ଼ ଧନ୍ୟ କ୍ଷିତି ତଳେ ॥
।୫୨।ଏତେ କହି କୁନ୍ଦଲତା ପ୍ରତି ରାଧା କହି ।କୁନ୍ଦଲତା ଆଜି ତୁମ୍ଭେ ହୋଇଲ ବିଜୟୀ ॥
।୫୩।ଆଉ କିସ କହିବି ଗୋ ତୁମ୍ଭଙ୍କୁ ଏ ସ୍ଥାନେ ।ଯଥେଷ୍ଟ କହିପାର ଗୋ ଆପଣା ବଚନେ ॥
।୫୪।ଅନେକ ଯତନେ ତୁମ୍ଭେ ଆଣିଲ ଏହାଙ୍କୁ ।ସଖୀଙ୍କ ହାଟର ମଧ୍ୟେ ବିଦ୍ୟା ବିକିବାକୁ ॥
।୫୫।ସେ ବିଦ୍ୟା ବିକା ନ ଗଲା ମୂଳ ହାନି ହେଲା ।ତୁମ୍ଭର ଯା ବୁଦ୍ଧି ବିଦ୍ୟା ତାହା ଜଣାଗଲା ॥
।୫୬।କୃଷ୍ଣଚନ୍ଦ୍ର କହନ୍ତି ଲଳିତା ସଖୀ ଶୁଣ ।ଏହି ବାଟେ ବିଦ୍ୟା ମୁହିଂ ବିକିବି ଏକ୍ଷଣ ॥
।୫୭।ଯଦି ନ କରିବି ତେବେ କଲି ଏହି ପଣ ।ମୋହର କାଞ୍ଚୁଲୀ ଦେବୀ ତୁମ୍ଭ ନିକଟେଣ ॥
।୫୮।ଏହି ପଣକରି ସେହି ନାରୀ ବେଶ ହୋଇ ।ଜଟିଳା ନିକଟକୁ ଗମନ କଲେ ସେହି ॥
।୫୯।ଭୂମିରେ ପଡ଼ିଣ ଉଚ୍ଚେ କରନ୍ତି ରୋଦନ ।ସେ କ୍ରନ୍ଦନ ଶୁଣିଣ ଜଟିଳା ଦୁଃଖ ମନ ॥
।୬୦।କିଏ ତୁମ୍ଭେ କେଉଂଠାରୁ କର ଆଗମନ ।କି ଦୁଃଖ ନିମନ୍ତେ ଏଥି କରୁଛ ରୋଦନ ॥
।୬୧।ସକଳ ବୃତ୍ତାନ୍ତ ଝିଅ କହ ମୋର ସ୍ଥାନ ।ଏତେ କହି ଆଖି ଲୁହ ପୋଛନ୍ତି ବହନ ॥
।୬୨।ବୃଷଭାନୁ ଝିଆରୀ ମୁଂ ବାସ ମଥୁରାରେ ।କୀର୍ତ୍ତିଦା ମାଉସୀ ମୋର ଥାଏ ଗୋ ପଛରେ ॥
।୬୩।ଅତି ପ୍ରିୟ ଅଟେ ଏହି ରାଧିକା ସୁନ୍ଦରୀ ।ସ୍ୱାମୀ ଆଳୟରେ ଥିଲି ବହୁଦିନ ଧରି ॥
।୬୪।ଅତି ଶ୍ରଦ୍ଧା ମନେ ବହି ଆସିଥିଲି ଧାଇଂ ।ମୋତେ ଦେଖି ନ ଚାହିଂଲା ସେ ଚନ୍ଦ୍ରମାମୁହୀଂ ॥
।୬୫।କୁଶଳ ବାରତା ସେହୁ ନ ପୁଚ୍ଛିଲା ଜାଣ ।କେଉଂ ଅପରାଧେ ମୋତେ ନ କରେ ଗଣନ ॥
।୬୬।ରାଧାଙ୍କୁ ପଚାର ମତ ଶପଥ ଦେଇଣ ।କ୍ରୋଧ କିମ୍ପା ବହେ ମନେ ମୋତେ ଯେ ଦେଖିଣ ॥
।୬୭।ଏହା ଶୁଣି ଜଟିଲା ଯେ କୁହେ ଧୀର ବାଣୀ ।ଶୁଣ ଝିଅ କ୍ରୋଧ ଶାନ୍ତ କର ତୁହି ପୁଣି ॥
।୬୮।ତୋତେ ନେଇ ନିଜେ ମୁହିଂ ଯିବି ବଧୂ ପାଶ ।ମିଳାଇଣ ଦେବି ନିଶ୍ଚେ କହୁଛି ଅବଶ୍ୟ ॥
।୬୯।ଜଟିଲା କଳାବତୀଙ୍କୁ ନେଲା ସେହି କ୍ଷଣ ।ଅତି ଶୀଘ୍ର ମିଳିଲାକ ସେ ମଧୁ ଭୁବନ ॥
।୭୦।ଲଳିତାକୁ କହେ ବୁଢ଼ୀ ତୁମ୍ଭେମାନେ ଶୁଣ ।ମୋ ବୋହୂର ଭଗ୍ନୀ ଏହୁ ତୁମ୍ଭେ କି ନ ଜାଣ ॥
।୭୧।କେତେ ଆଶାକରି ଆସିଥିଲା ଏହୁ ମନେ ।ଦେଖିବ ବୋଲି ଭଗ୍ନୀକୁ ଆନନ୍ଦିତ ମନେ ॥
।୭୨।କି କାରଣେ ସ୍ନେହ ଆଲିଙ୍ଗନ ନ କରିଲା ।କଥା ପଦେ କହିବାକୁ ତୁଣ୍ଡ ନ ଫିଟିଲା ॥
।୭୩।ଶୁଣ ବଧୁ ଆମ୍ଭର ବିନୟ ସୁଚିତ୍ତରେ ।ବ୍ରଜପୁରେ ପୂର୍ଣ୍ଣ ତୁମ୍ଭେ ସକଳ ଗୁଣରେ ॥
।୭୪।ମୋହୋ ରାଣ କହୁଅଛି ତୁମ୍ଭର ଭଗ୍ନୀକୁ ।କର ଧରି ଘେନି ନିଅ ତୁମ୍ଭ ନିକଟକୁ ॥
।୭୫।ସମ୍ପଦ ହୋଅଇ ସିନା ବନ୍ଧୁସେବା କଲେ ।ବିପଦ ଘଟଇ ବନ୍ଧୁସେବା ନ କରିଲେ ॥
।୭୬।ଏହା ଶୁଣି ରାଈ ଜାଣି ମଉନେ ରହିଲେ ।କିଛିକ୍ଷଣ ପରେ ଧିରେ ବଚନ ବୋଇଲେ ॥
।୭୭।ଶୁଣ ମାତା ମାନୁଅଛି ଗୃହେ ଯାଅ ତୁମ୍ଭେ ।ଯେ ଆଜ୍ଞା କରିଲେ ନିଶ୍ଚେ ପାଳିବୁ ଯେ ଆମ୍ଭେ ॥
।୭୮।ବାଳିକାଙ୍କ ବିବାଦେ ଗୋ କି କର ନିଷ୍ପତ୍ତି ।କ୍ଷଣେ ପ୍ରସନ୍ନତା କ୍ଷଣେ କ୍ରୋଧଯୁକ୍ତ ଅତି ॥
।୭୯।ଜଟଳା ବୁଝାଇ କହେ ରାଧାଙ୍କୁ ସତ୍ୱରେ ।ତୁମ୍ଭେ ଦୁହେଂ ମିଳିଗଲେ ଯିବି ମୁହିଂ ପୁରେ ॥
।୮୦।ଶ୍ରୀମତୀ କହଇ ମାତା ଶୁଣ ବାଣୀ ମୋର ।କୁନ୍ଦଲତା ସଙ୍ଗେ କଳି ହୋଇଛି ଏହାର ॥
।୮୧।ସେ ଯେବେ ମିଳିବ ମୁହିଂ ମିଶିବି ୟା ସଙ୍ଗେ ।ଏହାଙ୍କର ବହୁ ଗୁଣ ଜାଣିନାହଂ ରଙ୍ଗେ ॥
।୮୨।ମାୟା କଳାବତୀ କହେ କିଛି କଳି ନାହିଂ ।କୁନ୍ଦଲତାକୁ ପଚାର ରାଣ ଯେ ପକାଇ ॥
।୮୩।ଜଟିଲା କହଇ ଝିଅ ଛାଡ଼ ସବୁ କଥା ।ମନରୁ ଛାଡ଼ ଗୋ ଏବେ ସକଳ ଯେ ବ୍ୟଥା ॥
।୮୪।କଳାବତୀ ସଙ୍ଗେ ରାଧା ମିଳନ କରିଲେ ।ଦୁହେଂଯାକ ମାୟା ଅଶ୍ରୁ ଲୋତକ ଢାଳିଲେ ॥
।୮୫।ଜଟିଳା କହେ ଭୋଜନ କରିଲେ ଗୋ ତୁମ୍ଭେ ।ସନ୍ତୋଷ ହୋଇବୁଂ ଦେଖି ନୟନେ ଯେ ଆମ୍ଭେ ॥
।୮୬।ପୁଣି ଜଟିଳାକୁ କହେ ଲଳିତା ଇଙ୍ଗିତେ ।ତୁମ୍ଭେ ଅଛ ଆମ୍ଭେ ଯାଉଅଛୁ ଗୋ ତୁରିତେ ॥
।୮୭।ଦୁହିଂଙ୍କୁ ଶୟନ କରାଇବ ଏକ ସଙ୍ଗେ ।ଦୁହିଂଙ୍କର କଳି ଆଉ ନ ଶୁଣିବୁ କେଭେଂ ॥
।୮୮।ଏହିପରି ଯାହା ଜଣା କହିଲିରେ ଭାଇ ।ସର୍ବ ସଖୀ ମିଳି ଆନନ୍ଦରେ ତାଳି ଦେଇ ॥
।୮୯।ଶ୍ରୀକୃଷ୍ଣ କହନ୍ତି ଦେଖ ବିଦ୍ୟା ବିକା ମୋର ।ଅସନ୍ତୁଷ୍ଟ ଥାଏ ଯେହୁ ମୋହର ଉପର ॥
।୯୦।ସେ କେମନ୍ତେ ପ୍ରାଣ ପଣେ ମିଳାଇଲେ ନେଇ ।କୁନ୍ଦଲତା ବିଦ୍ୟାବୁଦ୍ଧି ଜାଣିଲ ଗୋ ସହୀ ॥
।୯୧।ରାଧାକୃଷ୍ଣ ସୁବେଶରେ ପଲଙ୍କେ ବସିଲେ ।ପରିହାସ କରି ସର୍ବେ ସୁଖେ ଚଳିଗଲେ ॥
।୯୨।ଜଟିଳା ନିବାସେ କୃଷ୍ଣ ରାଧା ରଙ୍ଗେ ମାତି ।ଅତି ଆନନ୍ଦରେ ତହିଂ ପୁହାଇଲେ ରାତି ॥
।୯୩।ପ୍ରଭାତ ହୁଅନ୍ତେ କୃଷ୍ଣ ନିଦ୍ରା ଭଙ୍ଗ କଲେ ।ଜଟିଳାକୁ କହି ନିଜ ଗୃହକୁ ଚଳିଲେ ॥
।୯୪।ମାୟା କଳାବତୀ କୃଷ୍ଣ ଦେହେ ଲୀନ ହେଲେ ।ରାଧାକୃଷ୍ଣ କେଳିରସ ଅଚ୍ୟୁତ ବୋଇଲେ ॥
।୯୫।ଯାହା ପଚାରିଲ ଭାଇ କହିଲି ବୁଝାଇ ।ହେଲା ନ ହେଲାକୁ ଦୋଷ ନ ଧରିବ କେହି ॥
।୯୬।ଓଗାଳ – ୮ରାଧାଙ୍କ ଜନ୍ମଶୁଣ ହୋ ଗୋପାଳ ଭାଇ ମନ କରି ସ୍ଥିର ।ପଚାରୁଛି ମୁହିଂ କିଛ ଗୋପ ସମାଚାର ॥
।୧।କୃଷ୍ଣ ଜନ୍ମ କେତେ ଦିନେ ରାଧା ଜନ୍ମ ହେଲେ ।କାହା ଗର୍ଭେ ଜନ୍ମ ହେଲେ କହିବଟି ଭଲେ ॥
।୨।ଜନ୍ମ କାଳେ ରାଈଙ୍କର ଚକ୍ଷୁ ନ ଫିଟିଲା ।କ୍ଷୀର ନ ଖାଇଲା ପୁଣି ଦେହ ନ ଚଳିଲା ॥
।୩।କେମନ୍ତେ ଫିଟିଲା ଚକ୍ଷୁ କହିବ ଫେଇଣ ।କାହାଠାରୁ ପ୍ରଥମେ ଖାଇଲେ ପୁଣ କ୍ଷୀର ॥
।୪।କିଏ ତାଙ୍କ ମାତା ମୋତେ କହିବ ସଭାର ।ମନ ମଧ୍ୟୁଂ ସଂଶୟେ ଯେ ହୋଇଯିବ ଦୂର ॥
।୫।ରାଧାଙ୍କର ଜନ୍ମ ମୋତେ କହିବାକ ବାଛି ।ଅଚ୍ୟୁତ ବୋଲନ୍ତି ବେଳ ଉଛୁର ହେଉଛି ॥
।୬।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ପଦ ପଦ କରି ଏବେ କହୁଛି ମୁଂ ତାହା ॥
।୧।ଅଜ୍ଞାନ ବାଳୁତ ମୁହିଂ କିଛି ନ ଜାଣଇ ।ଯାହା ଅଳ୍ପ ଜାଣେ ମୁହିଂ କହୁଛି ରେ ଭାଇ ॥
।୨।ଗୋପେ ଯଶୋଦା କୋଳରେ କୃଷ୍ଣ ଯେ ବଢିଲେ ।ବରଷ ପନ୍ଦର ଦିନେ ରାଧା ଜନ୍ମ ହେଲେ ॥
।୩।ବୃଷଭାନୁ ପତ୍ନୀ ଅଟେ କୀର୍ତ୍ତିଦା ସୁନ୍ଦରୀ ।ତାଙ୍କ ଗର୍ଭେ ଜନ୍ମ ହେଲେ ରାଧା ବିମ୍ବାଧାରୀ ॥
।୪।ଜନ୍ମ ହୋଇ ଚକ୍ଷୁ ନ ଫିଟିଲା ରାଧାଙ୍କର ।ମୁଖ ନ ଫିଟଇ ପୁଣି ନ ଖାଆନ୍ତି କ୍ଷୀର ॥
।୫।ଏହା ଦେଖି କୀର୍ତ୍ତିଦା ଯେ ହୋଅନ୍ତି ବିକଳ ।ମନର କଥା ଜାଣିଲେ ବ୍ରହ୍ମାଙ୍କର ବାଳ ॥
।୬।ମନ ପବନ ଯାନରେ ଚଢିକରି ଆସି ।ପ୍ରବେଶିଲେ ସତ୍ୱର ସେ ଗୋପପୁରେ ଋଷି ॥
।୭।ନାରଦଙ୍କୁ ଦେଖିଣ କୀର୍ତ୍ତିଦା ଉଠିଲେ ।ଆସନ ପକାଇଦେଇ ବସନ୍ତୁ ବୋଇଲେ ॥
।୮।ପଚାରନ୍ତି କି କରିବି ଆହେ ମୁନିବର ।ଦେଖ କନ୍ୟା ଗୋଟି ଜନ୍ମ ହୋଇଛି ମୋହର ॥
।୯।ଚକ୍ଷୁ ନ ଫିଟିଲା ପୁଣି ମୁଖ ନ ଫିଟଇ ।କେମନ୍ତେ ବଞ୍ଚିବ ମୋତେ କୁହ ମନଦେଇ ॥
।୧୦।ନାରଦ ବୋଲନ୍ତି କିଛି ନ ଭାଳ ଗୋ ସତୀ ।ଜାଣିଲି ଆଜ ଦିନ ହିଂ ଫେଡ଼ିବ ଦୁର୍ଗତି ॥
।୧୧।ଏତେ କହି ନାରଦ ଯେ ବେଗ ହୋଇ ଗଲେ ।ନନ୍ଦର ମନ୍ଦିରେ ଯାଇ ପ୍ରବେଶ ହୋଇଲେ ॥
।୧୨।ଦେଖି ନନ୍ଦ ଯଶୋଦା ଯେ ବୋଲନ୍ତି ବଚନ ।କି କାରଣେ ମହାମୁନି କଲ ଆଗମନ ॥
।୧୩।ନାରଦ ବୋଲନ୍ତି ଶୁଣ ଗୋପରାଜା ତୁହି ।ବୃଷଭାନୁ ଗୋପ ସଙ୍ଗେ ପ୍ରୀତି ତୋ ଅଛଇ ॥
।୧୪।ତାହାଙ୍କ କନ୍ୟାଟି ଜନ୍ମ ହୋଇଛି ନିକର ।ଯଶୋଦାଙ୍କୁ ଯିବା ପାଇଂ ଆଦେଶ ଯେ କର ॥
।୧୫।ନନ୍ଦରାଣୀ ପ୍ରଭୁଙ୍କୁ କୋଳରେ ଧରି ଧୀରେ ।ପ୍ରବେଶ ହୋଇଲେ ଯାଇ ବୃଷଭାନୁ ପୁରେ ॥
।୧୬।କୀର୍ତ୍ତିଦା ଦେଖିଣ ବହୁ ସନମାନ କଲା ।କନ୍ୟା କଥାକୁ ଯଶୋଦା ଆଗରେ କହିଲା ॥
।୧୭।ଦେଖ ଗୋ ଭଉଣୀ ଏ କନ୍ୟାର ଚକ୍ଷୁ ମୁଖ ।ନ ଫିଟଇ କି କରିବି ମନ ବଡ଼ ଦୁଃଖ ॥
।୧୮।ଏହା କହୁ କହୁ ନୟନରୁ ଅଶ୍ରୁ ଢାଳି ।ଯଶୋଦାଙ୍କ କୋଳେ କନ୍ୟା ଦେଲେ ନେଇ ବାଳୀ ॥
।୧୯।ଶୁଣି ଯଶୋଦା କନ୍ୟାକୁ କୋଳକରି ନେଲେ ।କୃଷ୍ଣ କର ବାଜି କନ୍ୟା ଉଲ୍ଲାସ ହୋଇଲେ ॥
।୨୦।ନନ୍ଦରାଣୀ କ୍ଷୀର କନ୍ୟା ମୁଖେ ଦେଲେ ନେଇ ।ସେ କ୍ଷୀର ଖାଇଣ କନ୍ୟା ଚମକି ଉଠଇ ॥
।୨୧।ତାହା ଦେଖି କୃଷ୍ଣ ମୁଖ ଛଡ଼ାଇ ଦିଅନ୍ତି ।ନିଜ ମୁଖ ନେଇ ମାତା ସ୍ତନରେ ଭରନ୍ତି ॥
।୨୨।କୃଷ୍ଣଙ୍କର କର ବାଜିବାରୁ କନ୍ୟା ଦେହେ ।ଉଲୁସି ଉଠିଣ ଚକ୍ଷୁ ଫେଡ଼ିକରି ଚାହେଂ ॥
।୨୩।ସର୍ବେ ଦେଖି ଆନନ୍ଦରେ ବହୁ ପ୍ରଶଂସିଲେ ।ଧନ୍ୟ ଯଶୋମତୀ ରାଣୀ ବୋଲିଣ ବୋଇଲେ ॥
।୨୪।ଏହିପରି କହୁଥିଲେ କହୁଥିବି ଭାଇ ।ସଂକ୍ଷେପରେ ଏହାକୁ ମୁଂ କହିଲି ବୁଝାଇ ॥
।୨୫।ପ୍ରଥମରେ ଯଶୋଦାଙ୍କ କ୍ଷୀର ଖାଇକରି ।ବଢନ୍ତି କୀର୍ତ୍ତିଦା ଘରେ ରାଧିକା ସୁନ୍ଦରୀ ॥
।୨୬।ରାଧାଙ୍କ ଜନ୍ମ ଚରିତ କହିଲିରେ ଭାଇ ।ଅଚ୍ୟୁତ ବୋଲନ୍ତି ଦୋଷ ନ ଧରିବ କେହି ॥
।୨୭।ଓଗାଳ – ୯ପେଟିକା କଥାଶୁଣ ହେ ଗୋପାଳ ଭାଇ ଦେଇ ମନକର୍ଣ୍ଣ ।ଭଲା ସନ୍ଧି କଥା ଏକ ପଡ଼ିଗଲା ମନ ॥
।୧।ତୁମ୍ଭଙ୍କୁ ଦେଖିଣ ବଡ଼ ସାହାସ କରିଛି ।ବହୁଦିନ ସନ୍ଧି କଥା ମନେ ମୋ ପଡ଼ିଛି ॥
।୨।ତୁମ୍ଭଠାରୁ ଶୁଣି ଭାଇ ହୋଇବି ସନ୍ତୋଷ ।ଦେବ ଯେ ଫିଟାଇ ମୋର ମନର ସନ୍ଦେଶ ॥
।୩।ଏକଦିନେ ପ୍ରଭାତୁଂ ଉଠିଣ ନନ୍ଦରାଣୀ ।ରାଧିକାଙ୍କ ଲାଗି ବହୁ ଭୂଷଣାଦି ଆଣି ॥
।୪।ପେଟିକାରେ ରଖୁଛନ୍ତି ହୋଇ ଆନନ୍ଦିତ ।ଏ ସମୟେ କୃଷ୍ଣଚନ୍ଦ୍ର ହେଲେ ଉପସ୍ଥିତ ॥
।୫।କି କରୁଛ ବୋଲି ମାତା ବୋଲନ୍ତି ଶ୍ରୀ ହରି ।କଥା ନ କହିଣ ମାତା ରହେ ତୁନି କରି ॥
।୬।ପୁଣି କୃଷ୍ଣ ପୁଛା କଲେ ପେଟିକା ଭିତରେ ।ଯତ୍ନକରି କିବା ରଖ କୁହ ମୋ ଆଗରେ ॥
।୭।ଯଶୋଦା ବୋଲନ୍ତି ବାବୁ ଏଥେ କିଛି ନାହିଂ ।ବାଳକଙ୍କ ସଙ୍ଗେ ଯାଇ ଖେଳରେ କହ୍ନାଇ ॥
।୮।ଶ୍ରୀକୃଷ୍ଣ ବୋଲନ୍ତି ମାତ ନ କହିବ ଯେବେ ।ନ ଶୁଣିବା ଯାଏ ଏଥୁଂ ନ ଯିବି ମୁଂ କେବେ ॥
।୯।ଶୁଣିଣ ଏସନ ବାଣୀ ଯଶୋଦା କହନ୍ତି ।ପେଟିକାର ବିବରଣୀ ଶୁଣରେ ଶ୍ରୀପତି ॥
।୧୦।ଚନ୍ଦନ କର୍ପୁର ଆଉ କୁଙ୍କୁମ କସ୍ତୁରୀ ।ଅଙ୍ଗ ଲେପନାଦି ସର୍ବ ରଖିଅଛି ଭରି ॥
।୧୧।ଭୂଷଣର ପାଇଂ କାଞ୍ଚି କୁଣ୍ଡଳ କଙ୍କଣ ।ଅମୂଲ୍ୟ ବୈଦୁର୍ଯ୍ୟ ରତ୍ନ ମୁକ୍ତାହାରମାନ ॥
।୧୨।ଏସବୁ ପଦାର୍ଥମାନ ପେଟିକାରେ ଅଛି ।ଫେଡ଼ି କହିଲାଇଂ ତୋତେ ଶୁଣରେ ଶ୍ରୀବତ୍ସି ॥
।୧୩।ଶ୍ରୀକୃଷ୍ଣ କହନ୍ତି ମାତ କାହା ପାଇଂ ଏହା ।ସଜାଡ଼ି ରଖୁଛି ମୋତେ କୁହ କିନା ତାହା ॥
।୧୪।ନନ୍ଦରାଣୀ କହେ ପେଟିକା ତୁମର ନୁହଂଇ ।ଅମୁଲ୍ୟ ରତନ ଏଥି ବହୁତ ଅଛଇ ॥
।୧୫।କୃଷ୍ଣ କହେ ମାତା ତେବେ କାହା ପାଇଂ ରଖ ।ଆମ୍ଭଠାରୁ ବଳି ସ୍ନେହ କାହାକୁ ଯେ ଦେଖ ॥
।୧୬।ଯଶୋଦା କହନ୍ତି ଶୁଣ କହୁଛି ତୋହରେ ।ପାଇଛି ତୋତେ ମୁଂ ବାବୁ କେତେ ପୁଣ୍ୟ ଫଳେ ॥
।୧୭।ତୋହ ପରି ପ୍ରାଣ ସମ ବ୍ରଜର ଭୂଷଣ ।ଅଛି ଏକ କନ୍ୟା ମୋର ନୟନ ରଞ୍ଜନ ॥
।୧୮।ତାହାର ନିମିତ୍ତ ବସ୍ତ୍ର ଅଳଙ୍କାର ମାନ ।ପେଟିକାରେ ରଖିଅଛି ଶୁଣ ବାପଧନ ॥
।୧୯।କେଶବ କହନ୍ତି ସେହୁ ଅଛି କେଉଂ ସ୍ଥାନେ ।ଏତେ ସ୍ନେହ ତାକୁ ମାତ କର କି କାରଣେ ॥
।୨୦।ଯଶୋଦା କହନ୍ତି ଭଗ୍ନୀ କୀର୍ତ୍ତିଦା ମୋହର ।ତାହାର ଗର୍ଭରୁ ଜନ୍ମ ହୋଇଛି ଯାହାର ॥
।୨୧।ସୁନ୍ଦରୀ ସୁଶୀଳା ଚାରୁଶୀଳା ଇଚ୍ଛାବତୀ ।ସରଳ ବିନୟଯୁକ୍ତ ଅଟେ ଯା’ର ମତି ॥
।୨୨।ବ୍ରହ୍ମାଙ୍କର ସୃଷ୍ଟି ଗୁଣ ତାହାଠାରୁ ପର ।ସେହି ରାଧା ପ୍ରତି ସ୍ୱାଭାବିକ ସ୍ନେହ ମୋର ॥
।୨୩।ରାଧା ନାମ ଶୁଣି କୃଷ୍ଣ ହେଲେ ପୁଲକିତ ।କିପରି ପାଇବି ସେହି ରାଧାଙ୍କୁ ତୁରିତ ॥
।୨୪।ଯଶୋମତୀ ନିଜ ପୁତ୍ର ପ୍ରତି ସ୍ନେହ କହେ ।ସେହି ସତୀ ଅଛି ତାର ନିଜ ପ୍ରତି ଗୃହେ ॥
।୨୫।ତାର ପତି ଚନ୍ଦ୍ରସେଣା ଆସିଛି ଏଠାକୁ ।ବ୍ରଜେନ୍ଦ୍ର ସହିତ ବାବୁ ଦେଖା କରିବାକୁ ॥
।୨୬।ଏ ସମୟେ ଲବଙ୍ଗ ନାମରେ ଏକ ଦାସୀ ।ରାଣୀ ପ୍ରତି କହେ ଆସି ବଚନ ଯେ ଭାଷି ॥
।୨୭।ଶୁଣ ଗୋପରାଣୀ ପୂର୍ବେ ଡ଼ାକିଲ ଯାହାଙ୍କୁ ।କଙ୍କଣ ଟଙ୍କଣ ଦୁଇ ସେ ସ୍ୱର୍ଣ୍ଣକାରଙ୍କୁ ॥
।୨୮।ବାହାରେ ଅଛନ୍ତି ତୋରେ ଅପେକ୍ଷା କରିଣ ।କି ଆଜ୍ଞା କରିବ ତାକୁ କର ଗୋ ବହନ ॥
।୨୯।ଏ ବାର୍ତ୍ତା ଶୁଣିଣ ହରଷିତ ହେଲେ ରାଣୀ ।ଧନିଷ୍ଠାକୁ ଡାକିଣ କହନ୍ତି ଧୀର ବାଣୀ ॥
।୩୦।ଶୁଣ ଗୋ ଧନିଷ୍ଠା ଧୀରେ ଅତି ଯତନରେ ।ଏ ପେଟିକା ନେଇ ରଖ ଗୃହର ମଧ୍ୟରେ ॥
।୩୧।କୃଷ୍ଣ ଲାଗି କିରୀଟ କୁଣ୍ଡଳ ଆଭରଣ ।ଗଢାଇବା ନିମନ୍ତେ ଗୋ କରୁଛି ଗମନ ॥
।୩୨।ଏହା କହି ନନ୍ଦରାଣୀ ବାହାରେ ଚଳିଲେ ।ସୁବଳାଦି ସଙ୍ଗେ କୃଷ୍ଣ ମନ୍ତ୍ରଣା ଯେ କଲେ ॥
।୩୩।ଏକାନ୍ତେ ବସିଣ ସେହୁ ପେଟିକା ଖୋଳିଲେ ।ବସ୍ତ୍ର ଅଳଙ୍କାର ସବୁ ବାହାର କରିଲେ ॥
।୩୪।ଧନିଷ୍ଠାର ହସ୍ତେ ତାହା ସବୁ ସମର୍ପିଲେ ।କୃଷ୍ଣଚନ୍ଦ୍ର ପେଟିକାର ମଧ୍ୟେ ପ୍ରବେଶିଲେ ॥
।୩୫।ସୁବଳାଦି ଯେତେ ସଖା କୃଷ୍ଣଙ୍କ ବଚନେ ।ପୂର୍ବପରି ପେଟକାକୁ ବାନ୍ଧିଲେ ତକ୍ଷଣେ ॥
।୩୬।ଅଳ୍ପ କ୍ଷଣେ ଚନ୍ଦ୍ରସେଣା ସେଠାରେ ମିଳିଲେ ।ଭକ୍ତିଭରେ ଯଶୋଦାଙ୍କୁ ପ୍ରଣାମ ଯେ କଲେ ॥
।୩୭।ତାଙ୍କୁ ନନ୍ଦରାଣୀ ବୋଲୁ ଅଛନ୍ତି ବଚନ ।ପେଟିକାରେ ରହିଅଛି ରତନ ଭୂଷଣ ॥
।୩୮।ଅମୂଲ୍ୟ କାଞ୍ଚନ ଯେ ବସନ ମନୋହର ।କସ୍ତୁରୀ କୁଙ୍କୁମ ଅଙ୍ଗେ ବିଲେପନ କର ॥
।୩୯।ଅନ୍ୟ ହସ୍ତେ ଦେବାକୁ ମୋ ବିଶ୍ୱାସ ଯେ ନାହିଂ ।ପେଟିକା ନେଇଣ ନିଜେ ଯାଆ ଏବେ ତୁହି ॥
।୪୦।ତୋହର ଘରଣୀ ଅଛି ଯେଉଂ ଅନ୍ତଃପୁରେ ।ଗୋପନେ ନେଇଣ ଦେବୁ ତାହାରି ହସ୍ତରେ ॥
।୪୧।ଏହି ଆଶିର୍ବାଦ କହ ତାହାକୁ ଯେ ମୋର ।ତାର ଅଙ୍ଗ ଯୋଗେ ଦେଲି ଏହ ଅଳଙ୍କାର ॥
।୪୨।ଏହା ନେଇ ନିଜ ଅଙ୍ଗେ କରୁ ସେ ଭୂଷଣ ।ହେବ ପତି କୁଳେ ଏ ଦୁର୍ଲ୍ଲଭ ସର୍ବ କ୍ଷଣ ॥
।୪୩।କୀର୍ତ୍ତିଦାର କୀର୍ତ୍ତିଦାତା ଅଟେ ସେ ରାଧିକା ।ମୋର ନେତ୍ର ସୁଖଦାୟୀ ଅତ୍ୟନ୍ତ ଅଧିକା ॥
।୪୪।ଉଜ୍ଜଳ ଭୂଷଣ ଯେତେ ନିଜ ଅଙ୍ଗେ ଭରି ।ଚିରଞ୍ଜିବୀ ହୋଇ ରହୁ ସୈାଭାଗ୍ୟରେ ଦୁରି ॥
।୪୫।ଏହି କଥା ଶୁଣିଣ ସେ ଯଶୋଦା ମୁଖରୁ ।ଚନ୍ଦ୍ରସେଣା ଗଲେ ତାଙ୍କ ଭଗ୍ନୀ ନିକଟରୁ ॥
।୪୬।ଯାଇ ପହଞ୍ଚିଲେ ସେହି ଧନିଷ୍ଠା ନିକଟେ ।ଦିଅ ଗୋ ଧନିଷ୍ଠା ମୋର ପେଟିକା ସନ୍ତୁଷ୍ଟେ ॥
।୪୭।ଯଥା ଆଜ୍ଞା ବୋଲି ଶିରେ ପେଟିକା ଘେନିଣ ।ନିଜ ଗୃହେ ବାହାର ହୋଇଲା ତତକ୍ଷଣ ॥
।୪୮।ପେଟିକା ମଧ୍ୟରେ କୃଷ୍ଣ ଗୁପ୍ତରେ ରହିଲେ ।ଏହାପରେ କିସ ହେଲା କହ ତୁମ୍ଭେ ଭଲେ ॥
।୪୯।ସଦଗୁରୁ ସେବିଥିଲେ କହିବ ସତ୍ୱରେ ।ଅଚ୍ୟୁତ କହନ୍ତି ଏହା ଗୋପାଳ ହିତରେ ॥
।୫୦।ଉତ୍ତାରଶୁଣ ଆହେ ଭାଇମାନେ ପଚାରିଲ ଯାହା ।ପଦ ପଦ କରି ଏବେ କହୁଅଛି ତାହା ॥
।୧।ମନକୁ ଆସିଲେ ଭାଇ ସନ୍ତୋଷ ହୋଇବ ।ନ ହେଲେ ଆମ୍ଭଙ୍କୁ ତୁମ୍ଭେ ବୁଝାଇଣ ଦେବ ॥
।୨।ପେଟିକାର କଥା ଭାଇ ଅତି ଯେ ବିସ୍ମୟ ।ଯେଉଁ ପେଟିକାରେ ରହିଥିଲେ ଦେବରାୟ ॥
।୩।ପେଟିକାରେ ମଧ୍ୟେ କୃଷ୍ଣ କରନ୍ତି ବିଚାର ।ଆଜ ବଡ଼ ଭାଗ୍ୟ ମୋର କରିବି ବେହାର ॥
।୪।କୈାତୁକ ସମୁଦ୍ରେ କୃଷ୍ଣ ହୋଇଣ ନିଗମ୍ନ ।ହସି ହସି ଯାନ୍ତି କୃଷ୍ଣ ମସ୍ତକେ ବସିଣ ॥
।୫।ନିଜ ମନେ ଚନ୍ଦ୍ରସେଣା ଆନନ୍ଦ ଯେ ହୋଇ ।ବୋଇଲା ବଡ଼ ସୈାଭାଗ୍ୟ ଆଜି ମୋ ଅଟଇ ॥
।୬।ପେଟିକା ଭାରରୁ ଅନୁମାନ କରେ ମନେ ।ପୂର୍ଣ୍ଣ ଅଛି ଏ ପେଟିକା ବହୁ ଧନ ରତ୍ନେ ॥
।୭।ଏ ଦ୍ରବ୍ୟ ଦେଇଣ ଲକ୍ଷେ ଗାଈ କିଣିବଇଂ ।ଗୋବର୍ଦ୍ଧନ ମଲ୍ଲର ଅଛଇ ଯେତେ ଗାଈ ॥
।୮।ସେହିପରି ମୋ ସମ୍ପଦ ହୋଇବ ଏଥର ।ଏହା ଭାବି ଗମନ କରନ୍ତି ଧୀର ଧୀର ॥
।୯।ବ୍ରଜରାଜ ପୁରରୁ ସେ ଆପଣା ଭୁବନ ।ଅତି ବ୍ୟଗ୍ରେ ଚନ୍ଦ୍ରସେଣା କଲାକ ଗମନ ॥
।୧୦।ତନୁ ପୁଲକିତ ହୃଦ ପ୍ରଫୁଲ୍ଲ ହୋଇଲା ।ବୋଝ ବୋହି ତଥାପି ସେ ଶ୍ରମ ନ ମଣିଲା ॥
।୧୧।ଗୃହେ ଯାଇ ଜଟିଳାକୁ ଡ଼କାଇ ବହନ ।ଆସ ଆସ ମାତ ଆଜି ବଡ଼ ଶୁଭ ଦିନ ॥
।୧୨।ଉତ୍ତମ ବସନ ସ୍ୱର୍ଣ୍ଣ ମଣି ଅଳଙ୍କାର ।ବଡ଼ ଭାଗ୍ୟେ ଲାଭ ଆଜ ହୋଇଛି ଆମ୍ଭର ॥
।୧୩।ଶ୍ରୀଘ୍ର ଆସି ଦେଖ ମାତା ଏହି ଯେ ପେଟରା ।କେତେ ଧନ ରତ୍ନେ ଏହୁ ହୋଇଅଛି ଭରା ॥
।୧୪।ପ୍ରସନ୍ନ ହୋଇଣ ରାଣୀ ରତନ ଭୂଷଣ ।ଯତ୍ନ କରି ଦେଇଛନ୍ତି ବଧୂ ନିମନ୍ତେଣ ॥
।୧୫।ଏତେ କହି ଚନ୍ଦ୍ରସେଣା କହେ ମାତା ପ୍ରତି ।ଶୁଣ ମାତା ଆଶୀର୍ବାଦ କରେ ଯଶୋମତୀ ॥
।୧୬।ଏହି ଆଶୀର୍ବାଦ ମାତା କୁହ ଗୋ ବଧୂକୁ ।ରତ୍ନ ଅଳଙ୍କାର ସବୁ ଦିଅ ରାଧିକାକୁ ॥
।୧୭।ଏହା ନେଇ ନିଜ ଅଙ୍ଗେ କରୁ ସେ ଭୂଷଣ ।ହେବ ପତିକୁଳେ ଏ ଦୁର୍ଲ୍ଲଭ ସର୍ବ କ୍ଷଣ ॥
।୧୮।ଜଟିଳା ସନ୍ତୋଷ ହୋଇ ମନେ ମନେ କହେ ।ମୋର ବଧୂ ଲାଗି ଯଶୋବନ୍ତୀ ଭଲ ଦିଏ ॥
।୧୯।ଅଳଙ୍କାର ପାଇ ବଧୁ ମୋର ପୁତ୍ର ପ୍ରତି ।ଜାଣିଲି ଏଥର ସେ ପ୍ରସନ୍ନ ହେବ ଅତି ॥
।୨୦।ହସିଣ ଜଟିଳା ବୁଢ଼ୀ ପୁତ୍ରକୁ ଯେ କହେ ।ଶୁଣ ପୁତ୍ର ଏ ପେଟିକା ବଡ଼ ଭାରି ହୋଏ ॥
।୨୧।ତୋହର ଭଗିନୀ କୁଟିଳା ଯେ ଶିଶୁ ସମ ।ମୁହିଂ ଅତି ଜରା ଭାର ବହନେ ଅକ୍ଷମ ॥
।୨୨।ଗୃହ ମଧ୍ୟେ ବଧୁ ମୋର ଅଛି ଯେଉଂ ଠାରେ ।ପେଟିକାକୁ ଦିଅ ନେଇ ତାଙ୍କ ସମ୍ମୁଖରେ ॥
।୨୩।ଏହା ଶୁଣି ଚନ୍ଦ୍ରସେଣା ପେଟରା ନେଇଣ ।ରାଧା ଆଗେ ରଖିଦେଲେ ହରଷ ମନେଣ ॥
।୨୪।ତାହା ଦେଖି ସଖୀଗଣ ଅତି ହର୍ଷ ମନ ।ଲଳିତାକୁ ରାଧାଦେବୀ ବୋଲନ୍ତି ବଚନ ॥
।୨୫।ଶୁଣ ସଖୀ ଆଜ ମୋର ବାମ ପଟ ନେତ୍ର ।ନାଚୁଅଛି କି କାରଣେ ଏ ବଡ଼ ବିଚିତ୍ର ॥
।୨୬।ଶୁଣିଣ ଲଳିତା ତାଙ୍କୁ କହନ୍ତି ଉତ୍ତର ।ପେଟିକାରେ ଅଛି ସଖୀ ବସ୍ତୁ ମନୋହର ॥
।୨୭।ମଣିନ୍ଦ୍ର ଭୂଷଣ ନନ୍ଦରାଣୀ ଦେଇଛନ୍ତି ।ତାହା ପ୍ରାପ୍ତ ଲାଗି ତୁମ୍ଭ ନେତ୍ର ନାଚୁଛନ୍ତି ॥
।୨୮।ପୁନର୍ବାର ହସି ରାଧା କହନ୍ତି ସଖୀରେ ।ସୈାଭାଗ୍ୟ ସଂପଦ ଅଛି ପେଟିକା ମଧ୍ୟରେ ॥
।୨୯।ପେଟିକା ଦେଖିଣ ମୋର ମନ ଅତିଶୟ ।ଚଞ୍ଚଳ ହେଉଛି ସଖୀ ଜାଣିଲି ନିଶ୍ଚୟ ॥
।୩୦।ଆସ ଗୋ ପେଟିକା ସଖୀ ଦେଖିବା ଖୋଲିଣ ।ଏହାର ମଧ୍ୟରେ ଅଛି କି କି ଆଭରଣ ॥
।୩୧।ଏହିପରି ସର୍ବ ସଖୀ ହୋଇଣ ହରଷ ।ଘେରିଣ ବସିଲେ ପେଟିକାର ଚାରି ପାଶ ॥
।୩୨।ତହୁଂ ଶ୍ରୀରାଧିକା ଆସି ଆପଣାର ହାଥେ ।ପେଟିକା ଖୋଲିଲେ ଅତି ଆନନ୍ଦିତ ଚିତ୍ତେ ॥
।୩୩।ପେଟିକା ମଧ୍ୟରୁ କୃଷ୍ଣ ହୋଇଲେ ବାହାର ।ସଖୀଗଣ ତାହା ଦେଖି ହେଲେ ଚମତ୍କାର ॥
।୩୪।ହସି ହସି କରତାଳି ଦିଅନ୍ତି ସମସ୍ତେ ।ଏ କି ଅଦଭୁତ ସଖୀ ଦେଖ ଗୋ ସାକ୍ଷାତେ ॥
।୩୫।ଅନ୍ତପୁରେ ବସିଛନ୍ତି ସର୍ବ ସଖୀଗଣ ।ଅଙ୍ଗରେ ଯେ କାହାରଟି ନାହିଂନା ବସନ ॥
।୩୬।ଏକାବେଳେ ସବୁରି ବଦନ ଦେଖି କୃଷ୍ଣ ।ଆନନ୍ଦ ଚିତ୍ତରେ ମାତି ହୋଇଲେ ସନ୍ତୁଷ୍ଟ ॥
।୩୭।ହସିଣ ଲଳିତା ତହିଂ କହେ ରାଧା ପ୍ରତି ।ଧନ୍ୟ ଏ ଭୁଷଣ ବସ୍ତୁ ଧନ୍ୟ ଗୃହପତି ॥
।୩୮।ଯେ ଆଣିଲା ଆପଣାର ମସ୍ତକରେ ବୋହି ।ଧନ୍ୟ ଗୋପେଶ୍ୱରୀ ଏହା ଦେଲା ଗୋ ପଠାଇ ॥
।୩୯।ଯଶୋଦା ଜଟିଳା ପୁଣି ପତି ଚନ୍ଦ୍ରସେଣ ।ଏହି ତିନିଜଣ ତୋର ଗୁରୁବର୍ଗ ମାନ ॥
।୪୦।ଏ ତିନିଙ୍କ ବାକ୍ୟ ତୁହି ପାଳନ ଗୋ କର ।ଏ ଭୂଷଣ ନେଇ ଶ୍ରୀଘ୍ର ନିଜ ଅଙ୍ଗେ ଭର ॥
।୪୧।ଲଳିତାର ଏହି ବାକ୍ୟ ରାଧିକା ଶୁଣିଣ ।ଲଜ୍ଜାରେ ରହିଲେ ସେହୁ ମଉନ ହୋଇଣ ॥
।୪୨।ରାଧିକାର ପ୍ରତି ଏହା କହିଣ ଲଳିତା ।କୃଷ୍ଣ ପ୍ରତି କହେ ତହୁଂ ହୋଇଣ ଗର୍ବିତା ॥
।୪୩।ଶୁଣ କାହ୍ନୁ ବହୁ ରତ୍ନ ପେଟିକାରେ ଭରି ।ମୋହର ସଖୀ ନିମନ୍ତେ ଦେଲେ ବ୍ରଜେଶ୍ୱରୀ ॥
।୪୪।ତାହା ତୁମ୍ଭେ ଚୋରିକରି ରଖି କେଉଂଠାରେ ।ପ୍ରବେଶ ହୋଇଲ ନିଜେ ପେଟିକା ମଧ୍ୟରେ ॥
।୪୫।ସବୁ ଅଳଙ୍କାର ତୁମ୍ଭେ ଆଣ ହୋ ଝଟତି ।ନହେଲେ କହିଣ ଦେବି ଜଟିଳାର କତି ॥
।୪୬।ଚନ୍ଦ୍ରସେଣା ପ୍ରତି ତୁମ୍ଭେ କଲ ଅବିଚାର ॥
ପୃଥିବୀକୁ ସତୀ ଶୂନ୍ୟ କରିବାକୁ ଚାହଂ ।।୪୭।ନିଶ୍ଚୟ ହେ କୃଷ୍ଣ ତୁ୍ମ୍ଭେ ରତ୍ନ ଆଣିଦିଅ ॥
କୃଷ୍ଣ କହନ୍ତି ଲଳିତା କହୁଅଛି ତୋତେ ।।୪୮।ତୁମ୍ଭ ସଖୀ ଧୂର୍ତ୍ତ ଅଟେ ମିଛେ ଭଣ୍ଡେ ମୋତେ ॥
ପେଟିକା ମଧ୍ୟେ ସୁଗନ୍ଧ ଦ୍ରବ୍ୟମାନ ଦେଖି ।।୪୯।ସେ ସମସ୍ତ ସମର୍ପିଲେ ଧନିଷ୍ଠା ଯେ ସଖୀ ॥
ଶ୍ରୀଅଙ୍ଗକୁ ସୁବାସିତ କରିବାକୁ ମନ ।।୫୦।ବଳିବାରୁ ପଶିଲି ମୁଂ ପେଟିକା ମଧ୍ୟେଣ ॥
ତୁମ୍ଭ ସଖୀ ପଠାଇଣ ଅତି ଆପଣାର ।ମୋତେ ଗୋ ଆଣିଲା ସେହି କରି ବଳାତ୍କାର ॥
।୫୧।ମନଦେଇ ଶୁଣ ଆଗୋ ଲଳିତା ସୁନ୍ଦରୀ ।ଆମ୍ଭ ଦୁହିଂଙ୍କର ଦୋଷାଦୋଷ ନ୍ୟାୟ କରି ॥
।୫୨।ଯଦି ଦୋଷ ଥାଏ ତେବେ ଦଣ୍ଡ ଦିଅ ମୋତେ ।ତୁମ୍ଭ ଭୁଜ ପାଶେ ବାନ୍ଧି ମୋତେ ହୃଷ୍ଟ ଚିତ୍ତେ ॥
।୫୩।ଦିବା ରାତ୍ରି ବନ୍ଦୀ ହୋଇ ରହିବି ଯେ ମୁହିଂ ।ଏହି ଦଣ୍ଡ ଅଙ୍ଗୀକାର କରୁଅଛି ସହୀ ॥
।୫୪।ଲଳିତା ବୋଲନ୍ତି ଆଗୋ ରାଧିକା ସୁନ୍ଦରୀ ।ନିଅ ଅଳଙ୍କାର ପିନ୍ଧ ଅତି ଯତ୍ନ କରି ।।୫୫।ଏହା କହି ଲଳିତା ଯେ ରାଧା କର ଧରି ।କୃଷ୍ଣଙ୍କ ପାଖକୁ ନେଲେ ଧୀର ଧୀର କରି ॥
।୫୬।ଚାରିପାଖେ ସଖୀଗଣ ମଧ୍ୟେ ରାଧା କୃଷ୍ଣ ।ମଙ୍ଗଳ ଗୀତ ଗାଆନ୍ତି ହୋଇଣ ସନ୍ତୁଷ୍ଟ ॥
।୫୭।କହୁ କହୁ ରାଧା କୃଷ୍ଣ ପ୍ରେମ ଯେ ବଢିଲା ॥
ଏଣେ ଘର କଥା ସବୁ ମନରେ ପଡ଼ିଲା ।।୫୮।ଜନନୀ ମୋହର ଅତି ଆକୁଳ ହୋଇଣ ।ଖୋଜୁଥିବେ ମୋତେ ପରା ହୋଇଣ ଉଚ୍ଛନ୍ନ ॥
।୫୯।ସବୁ ସଖୀମାନଙ୍କୁ ଯେ କହିଣ ଆସିଲେ ।ଆପଣା ନଗ୍ରରେ ଆସି ପ୍ରବେଶ ହୋଇଲେ ॥
।୬୦।ଏ ସମୟେ ଯଶୋଦା ଖୋଜନ୍ତି କୃଷ୍ଣ କାହିଂ ।ସମ୍ମୁଖେ ପ୍ରବେଶ ହେଲେ ନନ୍ଦର କହ୍ନାଇ ॥
।୬୧।କୃଷ୍ଣଙ୍କୁ ଦେଖିଣ ରାଣୀ ଆନନ୍ଦ ହୋଇଣ ।କେଣେ ବୁଲି ଯାଇଥିଲୁ ଆରେ ବାପଧନ ॥
।୬୨।ସର ଲବଣୀ ଗୋଟିକା ଅଧାମ ଭୁଞ୍ଜାଇ ।ଗୃହରେ ରଖିଲେ ଅତି ଆନନ୍ଦିତ ହୋଇ ॥
।୬୩।ଯାହା ଅଳ୍ପ ଜାଣିଥିଲି କହିଲି ବୁଝାଇ ।ଅଚ୍ୟୁତାନନ୍ଦ ବୋଲନ୍ତି ଦୋଷ ଦେବ ନାହିଂ ॥
।୬୪।ଓଗାଳ – ୧୦ଗୋଭେଦ ଚିତ୍ରଣସର୍ବ ଗୋପାଳ ଭାଇଙ୍କୁ ଯୋଡ଼ୁଛି ମୁଂ କର ।ମୋ ବିନୟ କଥା ଭାଇ ଶୁଣିବି କର୍ଣ୍ଣର ॥
।୧।ଅଜ୍ଞାନ ପରାଏ ଭାଇ ନ କହିବ କିଛି ।ସମସ୍ତ କହିବ ମୋତେ ପାଦରେ ପଡ଼ୁଛି ॥
।୨।ପ୍ରଶ୍ନ ଏକ ପଚାରୁଛି ମନ ଦେଇ ଶୁଣ ।ଉତ୍ତର କହିବ ଭାଇ ମନରେ ଚିନ୍ତିଣ ॥
।୩।ଗାଈମାନେ କେତେ ବର୍ଣ୍ଣ କହିବ ହେ ଭାଇ ।କେତେ ବର୍ଣ୍ଣ ହେଲେ ଗାଈ ପୂରଣ ହୁଅଇ ॥
।୪।ଆଦ୍ୟରେ ଯେ କେଉଂ ଗାଈ ଜନମ ହୋଇଲା ।କାହାଠାରୁ କିଏ ପୁଣି ଉତପତି ହେଲା ॥
।୫।ଏହିପରି ଗୋଟି ଗୋଟି କହବି ବୁଝାଇ ।ତୁମ୍ଭେ ଆମ୍ଭେ ଏକା ସିନା ଭିନ୍ନାଭିନ୍ନ ନାହିଂ ॥
।୬।ରାଧା କୃଷ୍ଣ କଥା ଭାଇ ଯେତେ ପଡ଼ୁଥିବ ।ଏ ଜୀବ ଆତ୍ମା ଶୁଣିଣ ଉଦ୍ଧାର ହୋଇବ ॥
।୭।କୃଷ୍ଣ ବିନା ପରିତ୍ରାଣ ଜାଣ ଆଉ ନାହିଂ ।ସେ ନାମକୁ ଛାଡ଼ିଦେଲେ କୁଳ ବୁଡ଼େ ଭାଇ ॥
।୮।ସେ ନାମକୁ କ୍ରମେ କ୍ରମେ ଚରଚା କରିବ ।ଅଚ୍ୟୁତାନନ୍ଦ କୁହନ୍ତି ସଂସାରୁ ତରିବ ॥
।୯।ଉତ୍ତାରଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା ।ଗୋଟି ଗୋଟି କରି ଏବେ କହିଦେବା ତାହା ॥
।୧।ମନଦେଇ ଶୁଣୁଥିବ ହୃଷ୍ଟ କରି ଚିତ୍ତ ।ଏବେ କହୁଅଛି ମୁହିଂ ଗୋମାତା ଚରିତ ॥
।୨।ଗୋରୁଙ୍କର ବର୍ଣ୍ଣ ଯାହା ଜାଣିଅଛି ଭାଇ ।ମନ ଦେଇ ଶୁଣ ଏବେ କହୁଅଛି ମୁହିଂ ॥
।୩।କପିଳା, ବଉଳା, କଇଂଫୁଲିଆ, ଶ୍ୟାମଳୀ ।କାଇଂଶିଆ, କଜଳିଆ, ଧବଳୀ ଯେ କାଳୀ ॥
।୪।କଷରୀ, ଚାନ୍ଦିଆ, ଶଙ୍ଖବର୍ଣ୍ଣ, ପାଉଂଶିଆ ।ପାଟଳି ଜାତି, କଅଂରୀ, ଖଇରୀ, ଛଉଆ ॥
।୫।ଏହି ଷୋଳ ବର୍ଣ୍ଣ ଗାଈ ଅଟଇ ପ୍ରମାଣ ।ବୁଝାଇ କହିଲି ଏହା ହେତୁ ଚିତ୍ତେ ଘେନ ॥
।୬।ଗାଈଙ୍କର ବର୍ଣ୍ଣ ଯାହା ଶୁଣିଲ ତ ଭାଇ ।ଏବେ ତାଙ୍କ ଜନ୍ମ କଥା ଶୁଣ ମନ ଦେଇ ॥
।୭।ବସୁମାତା ବୋଲି ତାକୁ ବେଦ ଯେ ବଖାଣି ।ପୃଥ୍ୱୀ ଧରିବାକୁ ତାର ନାମ ଯେ ଧରଣୀ ॥
।୮।ଧେନୁ ରୂପରେ କପିଳା ହୋଇଲା ଜନମ ।ତାଙ୍କଠାରୁ ଜନମିଲା ବଉଳା ଯେ ପୁଣ ॥
।୯।ବଉଳାଠାରୁ ବିମଳା ଜନମ ହୋଇଲା ।ବିମଳାର ଝିଅ ତଇତିଳା ଯେ ହୋଇଲା ॥
।୧୦।ତଇତିଲା ଠାରୁ ହେଲା ସୁରଭୀ ଯେ ଜାତ ।ସୁରଭୀ ଝିଅ ନନ୍ଦିନୀ ନାମରେ ବିଖ୍ୟାତ ॥
।୧୧।ନନ୍ଦିନୀ ଗର୍ଭରୁ ରସା ଜନମ ହୋଇଲା ।ରସାଠାରୁ ସତ୍ୟମୟୀ ପୁଣି ଜନମିଲା ॥
।୧୨।ସତ୍ୟମୟୀଠାରୁ ଚିଳୋତ୍ତମା ଜନ୍ମ ହେଲା ।ପୃଥୁନା ଯେ ତା ଗର୍ଭରୁ ପୁଣି ଜାତ ହେଲା ॥
।୧୩।ଏହି ଯାଏ ଧେନୁ ହେଲା ଦଶଟି ପୁରୁଷ ।ଯାହା ପଚାରିଲୁ ଶୁଣ ଆହେ ଗୋପଶିଷ୍ୟ ॥
।୧୪।ପୃଥୁନାଠାରୁ ବଂଶ ଯେ ହୋଇଲା ଅସଂଖ୍ୟ ।ମାଈ ବତ୍ସା ଜନମିଲେ ପଞ୍ଚାଶ ଯେ ଲକ୍ଷ ॥
।୧୫।ପଚିଶ ସହସ୍ର ଜାତ ହେଲେ ଯେ ଅଣ୍ଡିର ।କ୍ରମେ କ୍ରମେ ବ୍ୟାପିଲେ ଯେ ବିଶ୍ୱ ଚରାଚର ॥
।୧୬।ଯାହା ପଚାରିଲୁ ଭାଇ ଗୋମାତାର ଜନ୍ମ ।ବୁଝାଇ କହିଲି ଭାଇ ରଖ ଏହା ମନ ॥
।୧୭।ଠିକେ ଠିକେ ଏହାକୁ ଯେ କହିଲି ବୁଝାଇ ।ଅଚ୍ୟୁତ କହନ୍ତି ଏହା କୃଷ୍ଣ ପାଦ ଧ୍ୟାୟି ॥
।୧୮।ଓଗାଳ– ୧୧ଶୁଣ ହେ ଗୋପାଳ ଭାଇ ଅପୂର୍ବ ରହସ୍ୟ ।ଯାହା ଶୁଣି ଭାଇମାନେ ହୋଇବେ ସନ୍ତୋଷ ॥
।୧।ଜଟିଳା ବୁଢ଼ୀକୁ କେଉଂଦିନ ବାଘ ଧରି ।ନେଉଥିଲା ମୋତେ ଏହା କହିବ ବିସ୍ତାରି ॥
।୨।କେଉଂଠାରେ ଥିଲା ବାଘ ଅଇଲା କେମନ୍ତେ ।ପିଠିରେ ପକାଇ ବାଘ ନେଲା କେଉଂ ବାଟେ ॥
।୩।କିଂପାଇଂ ପୁଣ ସେ ବାଘ ଛାଡ଼ିଲା ତାହାକୁ ।ଏ କଥା ବିଚାରି ଭାଇ କହିବ ଆମ୍ଭଙ୍କୁ ॥
।୪।ତୁମ୍ଭ ଠାରୁ ଶୁଣି ମୁହିଂ ଲଭିବି ସନ୍ତୋଷ ।ଅଚ୍ୟୁତ ବୋଲନ୍ତି ମୋର ନ ଧରିବ ଦୋଷ ॥
।୫।ଉତ୍ତାରସୁବଳ ଗୋପାଳ ଶୁଣି ହୋଇଲେ ଆନନ୍ଦ ।ଯାହା ପଚାରିଲ ଏବେ ଶୁଣ ତାର ଭେଦ ॥
।୧।ଏକଦିନେ ରାଧିକାକୁ ଜଟିଳା ହକାରି ।ବୋଲେ ଆଜିଠାରୁ କାହିଂ ନ ଯିବୁ ସୁନ୍ଦରୀ ॥
।୨।ଯେଣେ ଯାଉଅଛି ମୁହିଂ ତୋର ଅପବାଦ ।ଶୁଣିବାରୁ କର୍ଣ୍ଣକୁ ମୋ ଲାଗୁଅଛି ଖେଦ ॥
।୩।ବାଘ ନ ଖାଇଣ ତୋତେ ରଖିଲା କିପରି ।ଆଉ କେଣେ ଯିବୁ ନାହିଂ ଶୁଣ ସୁକୁମାରୀ ॥
।୪।ଏହା ଶୁଣି ମନେ ରାଈ ଡ଼ାକେ ହରି ହରି ।ଏ ବିପଦୁଂ ରକ୍ଷାକର ଆହେ ବଂଶୀଧାରୀ ॥
।୫।ଏ କଥା ଜାଣି ଲଳିତା ବେଗହୋଇ ଗଲା ।କୃଷ୍ଣଙ୍କ ଆଗରେ ଯାଇ ସମସ୍ତ କହିଲା ॥
।୬।ଶୁଣିକରି କୃଷ୍ଣ ତହୁଂ ବାଘ ରୂପ ହେଲେ ।ସୁଘଞ୍ଚ ବୁଦାରେ ଯାଇ ଲୁଚିଣ ବସିଲେ ॥
।୭।ଏଣେ ବୁଢ଼ୀ ଜଟିଳା ଯେ ଖାଇସାରି କରି ।ହାତ ଧୁଅନ୍ତେଣ ବାଘ ନେଲା ଯେ ଓଟାରି ॥
।୮।ପିଠିରେ ପକାଇ ବାଘ ଖଣ୍ଡେ ଦୂର ଯାଇ ।ବାଟରେ ପକାଇ ଦୂରେ ବସେ ରାଗ ହୋଇ ॥
।୯।ଦେଖିକରି ରାଧାରାଣୀ ମୂର୍ଚ୍ଛାଗତ ହେଲେ ।ବାଘ ବାଘ ବୋଲି ସର୍ବେ ଡାକ ତହୁଂ ଦେଲେ ॥
।୧୦।ସମସ୍ତ ଗୋପାଳମାନେ ଆକୁଳ ହୁଅନ୍ତି ।କି କରିବା ଭାଇ ଏବେ ସରିଲା ସମ୍ପତ୍ତି ॥
।୧୧।ଶୁଣି ବୋଲନ୍ତି ନନ୍ଦ ଯେ ସାବଧାନେ ରୁହ ।ଗୋବତ୍ସା ଖାଇବ ଆଉ ନାହିଂଟି ସନ୍ଦେହ ॥
।୧୨।ଏହା କହି ନନ୍ଦ ଯଶୋଦା ଯେ ବାହାରିଲେ ।ଜଟିଳା ପଡ଼ିଅଛି ଯେ ଦେଖିବାକୁ ଗଲେ ॥
।୧୩।କୃଷ୍ଣ ଗୋଡ଼ାଇ ବୋଲନ୍ତି ଯିବି ମୁଂ ସଙ୍ଗର ।ଦେଖିବି ଜୀବିତ ବାଘ କେଉଂ ପରକାର ॥
।୧୪।ନନ୍ଦ ବୋଲନ୍ତି ଯେ ଘରେ କାଠ ବାଘ ଅଛି ।ଦେଖିବୁ ଯା ଆନନ୍ଦରେ ଆରେ ଶିରୀବତ୍ସି ॥
।୧୫।ନାହିଂ ବାପା ଯିବି ମୁହିଂ ତୁମ୍ଭରି ସଙ୍ଗର ।ଦେଖିବି ଜୀବିତ ବାଘ କେମନ୍ତ ପ୍ରକାର ॥
।୧୬।ସମସ୍ତ ଗୋପାଳମାନେ ଚାଳନ୍ତି ଝସାଇ ।କେମନ୍ତେ ରକ୍ଷା ହୋଇବା ଆମ୍ଭେ ଆରେ ଭାଇ ॥
।୧୭।କହ୍ନାଇ ବୋଲନ୍ତି କିଛି ଭୟ ନାହିଂ ଭାଇ ।ବାଘ ବାରିଣି ମନ୍ତ୍ର ଯେ ମୁଂ ଜାଣି ଅଛଇ ॥
।୧୮।ତୁମ୍ଭ ଦେହକୁ ମନ୍ତ୍ରରେ ଦେଉଛି ମୁଂ ଝାଡ଼ି ।ବାଘ ପଳାଇବ ତୁ୍ମ୍ଭେ ଦେଲେ ଯେ ଘଉଡ଼ି ॥
।୧୯।ମନ୍ତ୍ରରେ ଝାଡ଼ିଲେ ଯହୁଂ ନନ୍ଦର କୁମର ।ଠେଙ୍ଗା ବାଡ଼ି ଧରି ବାହାରନ୍ତି ଗୋପ ନର ॥
।୨୦।ଦେଖିଲେ ଯେ ବୁଢ଼ୀ ପଡ଼ିଅଛି ଖଣ୍ଡେ ଦୂର ।ବାଘ ଚାହିଂ ବସିଅଛି ତାହା ନିକଟର ॥
।୨୧।ତାହା ଦେଖି ଗୋପାଳେ ଯେ ଭୟରେ ନ ଗଲେ ।ପଚଘୁଞ୍ଚା ଦେଇଣ ଯେ ସମସ୍ତେ ରହିଲେ ॥
।୨୨।ଶ୍ରୀକୃଷ୍ଣ ବୋଲନ୍ତି ତୁମ୍ଭେ ଆସ ପଛ ହୋଇ ।ମୁଂ ଯାଉଛି ବାଘକୁ ଯେ ଦେବି ଘଉଡ଼ାଇ ॥
।୨୩।ଏତେ କହି ନନ୍ଦସୂତ ବେଗହୋଇ ଗଲେ ।ବୁଢ଼ୀର ନିକଟେ ଯାଇ ପ୍ରବେଶ ହୋଇଲେ ॥
।୨୪।କୃଷ୍ଣଙ୍କୁ ଦେଖିଣ ମାୟା ବାଘ ପଳାଇଲା ।ବନସ୍ତରେ ଯାଇ ବାଘ ଲୁଚିଣ ବସିଲା ॥
।୨୫।ବୁଢ଼ୀକୁ ଉଠାଇ ବେଗେ ଧଇଲେ ଶ୍ରୀହରି ।ପାଣି ଆଣ ବୋଲି ଡାକ ଦିଅନ୍ତି ମୁରାରି ॥
।୨୬।ଡାକ ଶୁଣି ସର୍ବେ ଜଳ ଘଟି କରେ ଧରି ।ପ୍ରବେଶ ହୋଇଲେ ଯହିଂ ଛନ୍ତି ବଂଶୀଧାରୀ ॥
।୨୭।ବୁଢ଼ୀ ମୁଖେ ଜଳ ସିଞ୍ଚି ସଚେତ କରିଲେ ।ବାଘ ଭୟ ଗଲା ଯହୁଂ ସର୍ବେ ସୁସ୍ଥ ହେଲେ ॥
।୨୮।ଜଟିଳାକୁ ଘେନିଣ ସକଳ ଗୋପ ଗୋଈ ।କେମନ୍ତେ ଗୋ ବାଘ ନେଲା କହ ମାତା ତୁହି ॥
।୨୯।ଶୁଣି ଜଟିଳା କହନ୍ତି ମନ୍ଦ ବୁଦ୍ଧି କଲି ।ସୂର୍ଯ୍ୟପୂଜା ବନ୍ଦ କରି ବୋହୂକୁ ରଖିଲି ॥
।୩୦।ତେଣୁ ଏ ଦଶାକୁ ମୁହିଂ ଅର୍ଜିଲି ଗୋ ଝିଅ ।ସୂର୍ଯ୍ୟପୂଜା କରୁ ଏବେ ବଧୂକୁ ମୋ କୁହ ॥
।୩୧।ଯାହା ପଚାରିଲ ଭାଇ ଶୁଣିଲ ଉତ୍ତର ।ଅଚ୍ୟୁତ ଦାସ ବୋଲନ୍ତି ଗୋପାଳ ହିତର ॥
।୩୨।ଓଗାଳ – ୧୨ବାଡ଼ି ମାପଶୁଣ ହେ ଗୋପାଳ ଭାଇ ଡ଼େରି ଶ୍ରୁତିପଥ ।ଯାହା କହୁଅଛି ମୁହିଂ ଜାଣିବା ବୃତ୍ତାନ୍ତ ॥
।୧।ଗାଈକି ଚରାଇ ତୁମ୍ଭେ ଯାଅ ବନସ୍ତର ।ବାଡ଼ିଖଣ୍ଡ ଧରିଥାଅ କିମ୍ପାଇ ଯେ କର ॥
।୨।ସେ ବାଡ଼ି କେତେ ଆଙ୍ଗୁଳ କହିବୁରେ ଭାଇ ।ଅମାପେ ବାଡ଼ି ଧରିଲେ ଗୋରୁ ବଢେ ନାହିଂ ॥
।୩।ମାପକରି ଯେବେ ବାଡ଼ି ଧରିବଟି କର ।ନିଶ୍ଚୟ ଗୋରୁ ଉନ୍ନତ ହୋଇବେ ତୁମ୍ଭର ॥
।୪।ଏ ଆମ୍ଭର ଇଷ୍ଟବାକ୍ୟ ଶୁଣିଥାଅ ଭାଇ ।ଅମାପରେ ବାଡ଼ି କେବେ ଧରିବ ଯେ ନାହିଂ ॥
।୫।ମାପ ଥିବା ବାଡ଼ି ଯେବେ ଧରିଥିବ କର ।ଶତ୍ରୁ ସଙ୍ଗେ ଯୁଦ୍ଧ କଲେ ଜୟ ଯେ ତୁମ୍ଭର ॥
।୬।ଗାଈ ମଇଂଷିମାନଙ୍କୁ ଯେବେ ରୋଗ ହୋଇ ।ଏ ବାଡ଼ି ବୁଲାଇଦେଲେ ଭଲ ଯେ ହୋଅଇ ॥
।୭।କୃଷ୍ଣ କୃଷ୍ଣ କହି ତିନିବାର ମନ୍ତ୍ର ପଢି ।ବାଟି ଘୋରି ପିଆଇଲେ ଯିବ ରୋଗ ଛାଡ଼ି ॥
।୮।କୃଷ୍ଣ କୃଷ୍ଣ କରି ବାଡି ଧରି ବୁଲାଇଲେ ।ହଜିଲା ଗୋରୁ ମଇଂଷି ମିଳିଯିବେ ଭଲେ ॥
।୯।ବାଡ଼ି ଧରିକରି ଭାଇ ବୁଲିଲେ ବନର ।ଭୂତପ୍ରେତ ଆଦି କେହି ନ ଆସେ ପାଶର ॥
।୧୦।କେତେ ଆଙ୍ଗୁଳି ବାଡ଼ି ବହିଛ ହୋ ଭାଇ ।ପ୍ରଥମରେ ବାଡ଼ି କାହା ପାଖେ ଥିଲା ରହି ॥
।୧୧।କିଏ ତୁମ୍ଭ ଇଷ୍ଟ ଆଉ କାହା ଶିଷ୍ୟ ଭାଇ ।ଅଚ୍ୟୁତ କହନ୍ତି ମୋତେ ଦିଅ ଯେ ବୁଝାଇ ॥
।୧୨।ଉତ୍ତାରଶୁଣ ହେ ସିହାଣ ଭାଇ ପଚାରିଲ ଯାହା ।ମନକର୍ଣ୍ଣ ଦେଇ ଶୁଣ କହୁଅଛି ତାହା ॥
।୧।ଯଶୋଦା କୋଳେ ବଢିଲେ ନନ୍ଦର କହ୍ନାଇ ।ଗୋବତ୍ସା ସଙ୍ଗରେ ଯାନ୍ତି ଗୋଡ଼ାଇ ଗୋଡ଼ାଇ ॥
।୨।ଯଶୋଦା ବୋଲନ୍ତି ବାବୁ ଶୁଣରେ କୁମର ।କାହିଂକି ଯାଉଛୁ ବାବୁ ଗୋବତ୍ସା ସଙ୍ଗର ॥
।୩।ଖାଇଲେ ଯାହାକୁ ହାତ ଧୋଇ ଆସେ ନାହିଂ ।ସେ ପୁଣି ଖରାରେ ବତ୍ସା ସଙ୍ଗରେ ବୁଲଇ ॥
।୪।ଆଉ ବାବୁ ନ ଯିବୁ ତୁ ବତ୍ସା ଚରାଇଣ ।ବାନ୍ଧି ରଖିବି ମୁଂ ଘରେ ଜାଣିଥାଅ ପୁଣ ॥
।୫।କୃଷ୍ଣ ବୋଲନ୍ତି ଗୋ ମାତା ଶୁଣ ମନ ଦେଇ ।ଗୋରୁ ଚରାଇବା ଆମ୍ଭ ବିହିତ ଅଟଇ ॥
।୬।ବୃତ୍ତି ଶିଖିଥିଲେ ସିନା ରାଜା ବୋଲାଇବା ।ଅଧର୍ମୀ ପରାଏ କିମ୍ପା ଘରେ ରହିଥିବା ॥
।୭।ଏ ସମୟେ ପୈାର୍ଣ୍ଣମାସୀ ପ୍ରବେଶ ହୋଇଲେ ।କିସ କରୁଅଛ ଯଶୋବନ୍ତୀକୁ କହିଲେ ।।୮।ଯଶୋବନ୍ତୀ ବୋଲନ୍ତି ଗୋ ଶୁଣ ପୈାର୍ଣ୍ଣମାସୀ ।କି କହିବି କାହ୍ନୁ ମୋର ମାନୁନାହିଂ କିଛି ॥
।୯।ବତ୍ସା ଚରାଇବା ଏକ ଝୁଙ୍କ ଧରି କରିବନରେ ବୁଲଇ ପ୍ରେତ ପିଶାଚ ନ ଡ଼ରି ॥
।୧୦।ଶୁଣି ପୈାର୍ଣ୍ଣମାସୀ ବୋଲେ ଶୁଣ ଯଶୋବନ୍ତୀ ।କାହ୍ନୁକୁ ଘେନି ଯାଉଛି ଗୋବର୍ଦ୍ଧନ କତି ॥
।୧୧।ସେସବୁ ଜାଣଇ ବିଦ୍ୟା କିଛି ଭୟ ନାହିଂ ।ନନ୍ଦ ଯଶୋଦାଙ୍କୁ କହି ବେଗେ ନେଲେ ତହିଂ ॥
।୧୨।ଦୁରୁ ଦେଖି ଗୋବର୍ଦ୍ଧନ ଆନନ୍ଦ ହୋଇଲେ ।କେଣେ ଆସିଅଛ ପୈାର୍ଣ୍ଣମାସୀକି କହିଲେ ॥
।୧୩।ବୁଢ଼ାକାଳେ ନନ୍ଦର ଏ ହୋଇଛି କୁମର ।ଗାଈ ଚରାଇବା ଶ୍ରଦ୍ଧା ଅଟଇ ଏହାର ॥
।୧୪।ତୋହଠାରୁ ତନ୍ତ୍ର ମନ୍ତ୍ର ଯେ ଶିଖିବା ପାଇଂ ।ଆସିଅଛି ମୋର ସଙ୍ଗେ ଗୋଡ଼ାଇ ଗୋଡ଼ାଇ ॥
।୧୫।ଏ ତୋହର ପିଲା ଭାଇ ନ ଜାଣଇ କିଛି ।ଗୋଶାସ୍ତ୍ର ବିଦ୍ୟା ବତାଅ ତୋତେ କହୁଅଛି ॥
।୧୬।ଶୁଣିକରି ଗୋବର୍ଦ୍ଧନ ଆନନ୍ଦ ହୋଇଲେ ।ଗୋବର୍ଦ୍ଧନ ମଲ୍ଲ ତହୁଂ ବିଦ୍ୟା ଶିକ୍ଷା ଦେଲେ ॥
।୧୭।ପାଞ୍ଚଗୋଟି ବିଦ୍ୟା କହି ଦେଇଛନ୍ତି ଭାଇ ।ଗୋଟିକର କଥା ପଚାରିଲୁ ମୋତେ ତୁହି ॥
।୧୮।ବାଡ଼ି ନବେ ଆଙ୍ଗୁଳ ଯେ ଅଟଇ ପ୍ରମାଣ ।ଗୋପେଶ୍ୱରଠାରୁ ପାଇଥିଲେ ଗୋବର୍ଦ୍ଧନ ॥
।୧୯।ମହାଦେବ କହିଥିଲେ ଗୋବର୍ଦ୍ଧନକୁ ହିଂ ।ଏ ପାଞ୍ଚ ପଦାର୍ଥ ରଖିଥିବୁ ଏବେ ତୁହି ॥
।୨୦।ନନ୍ଦଘରେ କୃଷ୍ଣ ଯେବେ ଜନମ ହୋଇବ ।ତୁମ୍ଭ ପାଖକୁ ଆସିଲେ ତୁମ୍ଭେ ଯାଚି ଦେବ ॥
।୨୧।ଯାହା ଅଳ୍ପ ଜାଣିଥିଲି କହିଲି ରେ ଭାଇ ।ଅଚ୍ୟୁତ ବୋଲନ୍ତି ଦୋଷ ନଦେବ ହେ କେହି ॥
।୨୨।