ସପ୍ତଦଶ ଛାନ୍ଦ — ଲାବଣ୍ୟବତୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତଦଶ ଛାନ୍ଦ
ବ୍ରହ୍ମଚାରୀ ଲାବଣ୍ୟବତୀର ବାର୍ତ୍ତା ନେଇଚନ୍ଦ୍ରଭାନୁ ପାଶେ ପ୍ରବେଶ(ରାଗ-ଶଙ୍କରାଭରଣ)ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ ।ସାଧବ ଯୁବତୀମାନେ ଅତି ପ୍ରମୋଦରେଗଲେ ବହିତ୍ର ବନ୍ଦାଇଅର୍ଘ୍ୟସ୍ଥାଳୀମାନ କରେ ହୁଳହୁଳି ଦେଇ ।୧ ।ରତ୍ନାକର ସାଧୁତ ଭଗିନୀ ମେଘମାଳା ।ଦଇବେ ସେ ଦିନ ଭ୍ରାତୃପୁରେ ଯାଇଥିଲା ।ତାକୁ ଜାୟା ସଙ୍ଗେ ଦେଖି,ହୋଇଲା ବୋଇତିଆଳ ଅତିଶୟ ସୁଖୀ ।୨ ।ପୁରେ ପ୍ରବେଶ ଏକାନ୍ତେ ବଲ୍ଲଭୀ ସଙ୍ଗତେହାସ କଉତୁକ ବେଳେ କହୁଛ ସୁଚିତ୍ତେ ।ଧନ ମୋହ ରାଣ ତୋତେ,ମୁଁ ଯାହା ବୋଲିବି ତାହା କରିବୁ ତ୍ୱରିତେ ।୩ ।ବିପରୀତ ମାଗିବେ ପରା ଏମନ୍ତ ଘେନିଅତି ରସିକା ଚତୁରୀ ଦଣ୍ଡ ହେଲା ତୁନି ।କହ ଶୁଣିବା ସେ କଥା,ବୋଇଲା ଲଜ୍ଜିତ ହୋଇ ପୋତିଲା ସେ ମଥା ।୪ ।ନାୟକ କହିଲା ତୋ ନଣନ୍ଦ ମେଘମାଳା ।ପରିହାସ ତାହାଠାରେ ତୋର ପ୍ରବର୍ତ୍ତିଲା ।ସେ କୁମାରୀ ପ୍ରାଣ ପରି,ତୁ ତାହାକୁ କହିବୁ କହିବ ଯାଇକରି ।୫ ।ବିଦ୍ୟାନଗ୍ର ନୃପତି ନନ୍ଦନ ଚନ୍ଦ୍ରଭାନୁ ।ଲାବଣ୍ୟବତୀର ଶୋଭା ଶୁଣିଲାର ଦିନୁ ।ହୋଇଅଛି ଅତି ବଶ,ନ ପାଇଲେ ଜୀବନରେ କ୍ଷଣେ ନାହିଁ ଆଶ ।୬ ।ସୁନ୍ଦରପଣକୁ ଆଉ ଗାରେ କାହିଁ ନାହିଁ ।କୁଳେ ଉଜ୍ୱଳ ସାମର୍ଥେ ଭୋଗକରେ ମହୀ ।ଅବିଧିତ ହେବ ବିଭା,ଭଜ ସେ ରସିକକୁଞ୍ଜରକୁ ମହା ଶୋଭା ।୭ ।ସୁମନା ବୋଇଲା ଦେଖ ଏ ପ୍ରାଣ ଯାହାର ।ଏ କଥାକୁ କାହିଁ ପାଇଁ ନିୟମ ତାହାର ।ଏତେ କହି ଗଲା ଉଠି,ମେଘମାଳା ପାଶରେ ପ୍ରବେଶ ବିମ୍ବଓଷ୍ଠୀ ।୮ ।ବସି ପାଶେ ଘଡ଼ିଏ ମାତିଲା ପରିହାସେ ।କ୍ରମଶେ କ୍ରମଶେ କରି ପକାଇଲା ବିଷେ ।ଜେମା ବିଭା ନୋହିବେକି,କି ଉପାୟ ତାତ ମାତ କରନ୍ତି ଏଥିକି ।୯ ।ସେ ରାମା ତରକି ଥିଲା ବ୍ରହ୍ମଚାରୀ ଶୁକ ।ଜ୍ୟେଷ୍ଠଭ୍ରାତା ସଙ୍ଗତରେ କରି ଅବଲୋକ ।ଏବେ ମନରେ ବିଚାରେ,ଭ୍ରାତା କହି ପଠିଆଇ ଅଛି ଏହା କରେ ।୧୦ ।ମାଳିନୀ କହିବାର ଆସୁଛି ସତ ହୋଇ ।ମୁଁ କିମ୍ପାଇ ଛାଡ଼ିବିଟି ସଖୀର ବଡ଼ାଇ ।ପାଞ୍ଚି ଏମନ୍ତ କହିଲା,ସମେ ବର ମିଳିଲେ ବିବାହ ହେବ ବାଳା ।୧୧ ।
ମାନସରେ ହେଲେ ସିନା ମରାଳ ରସିବ ।
ମେଘ ନୀର ହେଲେ ସିନା ଚାତକ ତୋଷିବ ।
ମନେ ମନହିଁ ମିଶିବ,
ଚନ୍ଦ୍ର ହେଲେ ସିନା ଚକୋରକୁ ଉଲ୍ଲାସିବ ।୧୨ ।
ଚୂତ ମଞ୍ଜରୀରେ ଯେବେ କୋକିଳ ରସିବ ।
ତେବେ ସିନା ଅତିଅନ୍ତ ସୁନ୍ଦର ଦିଶିବ ।
ଶୁଣି ଏ କହେ ଏମନ୍ତ,
ଏହି ବିଧିରେ ମିଳିଲେ ହେବ କି ସମ୍ମତ ।୧୩ ।
ଦ୍ୱିତୀୟା ମୋଲେ ସମ୍ମତ ନୋହିବ କାହିଁକି ।
ବିଧାତା ଘଟାଇ ଦେଇ ଯେ ଯୋଗ୍ୟ ଯହିଁକି ।
ପ୍ରତିବନ୍ଧ ଅଛି ଏତେ,
ସ୍ୱପ୍ନବଶେ ପୁରୁଷେ ଦେଖିଛି ଦିନେ ରାତ୍ରେ ।୧୪ ।
ଦୀର୍ଘନେତ୍ରୀ ସତ୍ୟ-ଜନୟିତ୍ରୀ ବୋଲି ଘେନ ।
ଅଙ୍ଗୀକାର କଲା କଥା ନ କରିବ ଆନ ।
ସତ୍ୟେ ବିଷ ଭକ୍ଷି ହର,
ସତ୍ୟେ ଲଂଘି ନାହିଁଟି କୂଳକୁ ଅକୂପାର ।୧୫ ।
ଅସୁର ଯୁବତୀ ବୃନ୍ଦାବତୀ ପୂର୍ବେଥିଲା ।
ଶ୍ରୀପତି କେଡ଼େ ସୁନ୍ଦର ବର ନ ରସିଲା ।
ମାୟାଧର କଲେ ମାୟା,
ସତ୍ୟ ଘେନି ଅନଳେ ଦହନ କଲା କାୟା ।୧୬ ।
ତଥାପି ହିଁ ଶୁଣିବା ସେ କେମନ୍ତ ସୁନ୍ଦର ।
ପ୍ରଥମା କହେ ଜାଣିଛି କାମାବେଶ ତାର ।
କାଞ୍ଚିପତି ପ୍ରିୟସୁତ,
ଚନ୍ଦ୍ରଭାନୁ ଜେମାର ହୋଇଛି ଅନୁରକ୍ତ ।୧୭ ।
ଏତେ ବୋଲି ପ୍ରାଣପ୍ରିୟା ପାଶକୁ ଗମନ ।
ପୁନରପି କହିଲା ସେ ସକଳ ବିଧାନ ।
ଘେନି ବ୍ରହ୍ମଚାରୀ କୀର,
ପୋତପାଳ ବସି କରେ ଏମନ୍ତ ବିଚାର ।୧୮ ।
ତ୍ରିବିଧ ଦୂତ ଶାସ୍ତ୍ରରେ ଲିଖିତ ହୋଇଛି
ଦ୍ୱିବିଧ ଦୂତରୁ ଆଉ କାର୍ଯ୍ୟ ନାହିଁ କିଛି ।
ପଡ଼େ ଯେଉଁ କାର୍ଯ୍ୟ ଯହିଁ,
ସେ କାର୍ଯ୍ୟ ନିର୍ବାହ କରେ ପ୍ରତ୍ୟୁତ୍ତର ଦେଇ ।୧୯ ।
ପ୍ରଭୁ ପଚାରିଲେ ଶଙ୍କା ନ ଥାଇ ଯାହାର ।
ତାହାକୁ ସଂସାରେ କହି ସୁଶ୍ଲିଷ୍ଠାର୍ଥଚାର
ଦୂତ ହେଲେ ମିଛ କହି,
କାର୍ଯ୍ୟକାଳେ ମିଥ୍ୟା କହିବାର ଦୋଷ ନାହି ।୨୦ ।
ନର ବା କୁଞ୍ଜର ବା ଅଶ୍ୱତ୍ଥାମା ହତ ।
କାର୍ଯ୍ୟେ କହିଲେଟି ଯୁଧିଷ୍ଠର ସତ୍ୟବନ୍ତ ।
ଆମ୍ଭେ କହିବା ଏମନ୍ତ,
ଚିତ୍ରେ ସ୍ୱପ୍ନେ ଦେଖଛି ବା ତାକୁ ନୃପସୁତ ।୨୧ ।
ବ୍ରହ୍ମଚାରୀ କହିଲା ଚାତକ ଯହିଁ ଥାଇ
ସେହି ସ୍ଥାନେ ନିତିନିତି ଘନ ବରଷଇ ।
ସ୍ୱପ୍ନେ ଦେଖିଅଛି ବୀର,
ପରମ କରମବନ୍ତମାନଙ୍କେ ସେ ସାର ।୨୨ ।
ବନଦୁର୍ଗା ଉପାସନା ମୋର ସବୁଦିନେ ।
ସେ କହିଲେ ଆସୁ ଆସୁ ଦେଖିଲି ସ୍ୱପନେ ।
ଜାଣ ସାକ୍ଷାତ ପ୍ରକାର,
ବେନି ଚିତ୍ତ ରସିବ କରିଛୁ ପରସ୍ପର ।୨୩ ।
ଏତେ ବୋଲି ଶୁକ ଦେଲେ ମେଘମାଳା କରେ ।
ଆଦ୍ୟୁଁ ପ୍ରାନ୍ତଯାଏ କଥନ ସେ ଧୀର ଗିରେ ।
ମେଧାବିନୀ ଘେନି ସଖୀ,
ଅବରୋଧରେ ଯାଇଣ ଭେଟିଲା ସୁମୁଖୀ ।୨୪ ।
ପୁଂସ ପ୍ରତିରୂପ ଚିତ୍ରଲେଖା ଯେଉଁ ପୁରେ ।
ତହିଁ ଶୋଇଛି ନବୀନା ପଲ୍ଲବ ଶେଯରେ ।
ବାଡ଼ଚିତ୍ର ଚାହିଁ କୀର,
ହେଲା କାର୍ଯ୍ୟ ବୋଲିଣ ଚିତ୍ତକୁ କଲା ସ୍ଥିର ।୨୫ ।
ଅନାଇଲା ସେ ଶୋଭା ହୋଇଛି ଆନ ଆନ ।
କୈଳାସ ପର୍ବତ ପ୍ରାୟ ମେରୁ ପରି ସ୍ତନ ।
ନେତ୍ରେ ପୂରିଅଛି ଜଳ,
ଦୂର କରି ଦେଇଅଛି ଉଜ୍ଜ୍ୱଳ କଜ୍ଜଳ ।୨୬ ।
ଫାଟିଫୁଟି ପଡ଼ୁଅଛି ମୁକୁତା ମାଳିକା
ଚନ୍ଦନ ପଡ଼ି ତନୁରେ ହେଉଛି ଫୋଟକା ।
ନଭେ ଦ୍ୱୀତିୟାର ଶଶୀ,
ଉଦୟ ହେଲା ପରାୟ ଶେଯେ ଶୋଭା ଦିଶେ ।୨୭ ।
ପାକ କଲା ଶାକ ପ୍ରାୟ ଜଳଜର ପୂର୍ଣ୍ଣ ।
ମୃଣାଳନାଳ ପଡ଼ିଲା ମାତ୍ରେ ଗାତ୍ରେ ଚୂର୍ଣ୍ଣ ।
ଉଶୀରର ଲେପ ଯହିଁ,
ତପତ ଲୋହେ ଜମ୍ବାଳ ପରାୟେ ଶୁଖଇ ।୨୮ ।
ରତ୍ନଶାଣେ ବସିଲେ ନ ତୁଟେ ଶୋଭା ଯଥା
ତଥା କ୍ଷୀଣ ହେଲେ ଲଭି ମନମଥ ବ୍ୟଥା ।
ଶୋଭା ହୋଇ ନାହିଁ ହତ,
ରତି ରତିକି ସମାନ ନୋହିଏ ଏମନ୍ତ ।୨୯ ।
ଦନ୍ତି-ଦନ୍ତ ପିତୁଳା କି ରଜତ ପିତୁଳା ।
ତୁଳା-କୋମଳାଙ୍ଗୀ ବହିଅଛି ଏହି ତୁଳା ।
ଗଣ୍ଡେ ବହେ ଲୁହଧାର,
ପୋଛିବାରୁ କେବଳ ଦିଶୁଛି ତେତେ ତୋରା ।୩୦ ।
ଦେଖିବାକୁ ଲୋକେ ନୋହିବାକୁ ଭ୍ରମଚିତ୍ତ
ରାମା ବହିଛି କି ଏତେ ହେମାଙ୍ଗୀ ସଙ୍କେତ ।
ହାସହୀନେ ଦିଶେ ମୁଖ,
ଦିନ ଥାଇଁ ଉଦୟ କି ବିଶଦ ମୟୂଖ ।୩୧ ।
ଶୁକ ଏ ଦଶାକୁ ତାର ଅନାଇ ବିଚାରେ ।
ଧାତାରୁ ଦାରୁଣ ହୋଇ ନାହିଁ ଏ ସଂସାରେ ।
ଏତେ ଦୁଃଖ ତ ଏହାର,
ଏତେ ଏତେ ବିଧି କଲା କେବଣ ବୁଦ୍ଧିର ।୩୨ ।
ଭୋଗୀ ଭୋଗକୁ ଯୋଖିଲା ମଳୟ ଅନିଳ ।
ଶିବେ ଭୋଗେ ସିନ୍ଧୁ କଲା ମନ୍ଥନେ ଗରଳ ।
ଦେଲା ରାହୁକୁ ଅମୃତ,
କଳାନିଧି ପରା ଦ୍ରବ୍ୟେ କଳଙ୍କ ଅଙ୍କିତ ।୩୩ ।
ତୀର୍ଥରାଜ ଜଳ କଲା ଲବଣ ସହିତ ।
ଧର୍ମେ ନୀଚ ପରାଭବ ବିହିଲା ଯେମେନ୍ତ ।
ତଥା କୋମଳ ପିଣ୍ଡକୁ,
ବିହିଲା ଉଦ୍ଦଣ୍ଡ ଫୁଲ କୋଦଣ୍ଡ ଦଣ୍ଡକୁ ।୩୪ ।
ଧୈର୍ଯ୍ୟ ରଖି ନ ପାରି ସେ ପୁଚ୍ଛିଲା ଏସନ ।
ଥୋକାଏ ଦିନ ହୋଇଲି ବୋଲି ପାଶୁଁ ଭିନ୍ନ ।
କ୍ଲେଶ ସ୍ୱଭାବ ହୃଦୟେ,
ନ ବହି କି କଥା ଏହୁ କୁହ ତ ନିଶ୍ଚୟେ ।୩୫ ।
ଏ ବଚନେ ଚଞ୍ଚଳ ଲୋଚନେ ବାଳା ଚାହିଁ ।
ଚିହ୍ନିଲା ଆପଣାର ପୋଷିଲା ଶୁକ ତହିଁ ।
ବିଚାରିଲା ଶୁଭ ହେଲା,
ଶିବ ଆଜ୍ଞା ଘଟିଲା ଚତୁରା କହିଥିଲା ।୩୬ ।
କାଞ୍ଚି ନଗରକୁ ସଖୀ ନେଇଥିଲା ମାଗି
ଜାଣିଲା ସେ କୁମର ମୋହରେ ଅନୁରାଗୀ ।
କିମ୍ପା ନୋହିଲେ ଅଇଲା,
କହ ବୋଲି ନେତ୍ରାନ୍ତରେ ସଖୀକି ଠାରିଲା ।୩୭ ।
କହୁଛି ହେମମଞ୍ଜରୀ ଫଳାଶନ ଚାହିଁ ।
ଯେଉଁଦିନ ସ୍ୱପନେ ଏ ହେଲା ଭୂତ ସ୍ନେହୀ ।
ପ୍ରେତ ଅତନୁ ବିଚାର,
ପ୍ରେତପତି ପାଶେ ନେବ ଜୀବନ ଏହାର ।୩୮ ।
ଶୀତଭାନୁ ଏହି ନାମ ଆଦ୍ୟ ଦ୍ୱିଅକ୍ଷର ।
ଛାଡ଼ି ସନ୍ତାପିତ କରୁଅଛି ନିରନ୍ତର ।
ତେଜ ଅନଳ ପ୍ରକାର,
ବହିବାରୁ ଦହି ଦେଉଅଛି କଳେବର ।୩୯ ।
ପିକ କଳ ପ୍ରଥମରେ ଆକାର ବହିଛି ।
ଯାମ ହିଁ ଆକାର ବିନା ବାଳାରେ ହୋଇଛି ।
ଜଣା ନ ଯାଇକି ଦଶା,
ଏଣୁ ନଦୀ ବିପରୀତ ହୋଇଲା ସୁଦୃଶା ।୪୦ ।
ଶୁକ ଏ ଉତ୍ତର କଲା ଭିତ୍ତିର ଯେ ଲେଖା ।
ଏ ପୁରୁଷ ବିନୁ ତ ଆନକୁ ନାହିଁ ଦେଖା ।
ଏହି ଦେଖିଛି ବାଳାକୁ,
ଚିତ୍ରସ୍ୱପ୍ନେ ଚିନ୍ତା କରେ ନିରତେ ଲୀଳାକୁ ।୪୧ ।
ଏହା ବିରହକୁ ତା ବିରହ ଅଛି ବଳି ।
ଅନୁରାଗ ମଧ୍ୟେ ଏ ଦୁହିଁକି ସାର କଲି ।
ଧାତା ସୁନ୍ଦର ସଂସାରେ,
ଜନ୍ମ ରାଜା କରିଅଛି ସ୍ତିରୀ ପୁରୁଷରେ ।୪୨ ।
ତା ହୃଦବନରେ ଜଳୁଅଛି କାମାନଳ
ଘନ ହୋଇ ଘନରସବଶରୁ ଶୀତଳ ।
କରୁ କରକରଦନା,
ତପତ ଲୋହ ଜମ୍ବାଳ ଏହାର ବେଦନା ।୪୩ ।
ନ ହରିବନିକି ଚନ୍ଦ୍ରଭାନୁ ସେ ବୋଲାଇ
ଉଦୟ ଲଭିଛି ସିନା ଏହି ତାପ ପାଇଁ ।
ଶୁଣି ଏ କଥା ତାହାର,
ବୋଇଲେ ଲଳନାକୁ ପାଳନ ପୁନଃ କର ।୪୪ ।
ଦେଇ ଲେଖି ଅତ୍ୟନ୍ତ କାତର କାମୁଁ ରଖ ।
ଶୁକର ଏ ବାଣୀ ଶୁଣି ସର୍ବେ ଲଭି ସୁଖ ।
ସେ ବୋଇଲେ ଆମ୍ଭେ ନାରୀ,
ପ୍ରଥମରେ ଲେଖିବୁଁଟି ପତ୍ରିକା କି କରି ।୪୫ ।
ରବି କର ପରଶେ ପଦ୍ମକୁ କରେ ତୋଷ ।
ପଲ୍ଲବିତ ଲତା ଉପସ୍ଥିତେ ମଧୁମାସ ।
ଚୂତ ମୁକୁଳ ଅଶନ,
ହୋଇଲେ ସିନା କହଇ କୋକିଳ ବଚନ ।୪୬ ।
ଘନ ଗରଜିଲେ ସିନା ମୟୁର ଅନାଇଁ ।
ଆନନ୍ଦରେ ନୃତ୍ୟକରି ବାଣୀ ପ୍ରକାଶଇ ।
କୀର ବୋଇଲା ଏ ସତ,
ତେବେ ପ୍ରେମପତ୍ର ଯାଇ ଆଣୁ ଆମ୍ଭ ଦୂତ ।୪୭ ।
ମେଘମାଳା ପଠିଆଇ ବୋଧି ବ୍ରହ୍ମଚାରୀ ।
ଯେତେ କହିଲେ ତ ଆଗେ କହିବା ବିସ୍ତାରି ।
ଗଲା ସେ କୁମାର ପାଶେ,
ନାରୀ ମାନସ ଉଲ୍ଲାସ ଛାନ୍ଦ ହେଲା ଶେଷ ।୪୮ ।
ମହିଷ ବିଜୟୀ ଅତି ସୁରଭି ସ୍ୱରୂପ ।
ସଦାଶିବ ସୁଖଦାନ କରଣେ ଲୋଲୁପ ।
ରାମ ଦୁର୍ଗା ଇଷ୍ଟଦେବୀ,
ଉପଇନ୍ଦ୍ର ବୀରବର ଦୁଃଖେ ନାଶେ ଭାବି ।୪୯ ।
ଅଷ୍ଟାଦଶ ଛାନ୍ଦ
ବ୍ରହ୍ମଚାରୀ ଚନ୍ଦ୍ରଭାନୁର ପତ୍ର ଘେନିଲାବଣ୍ୟବତୀ ପାଶେ ପ୍ରବେଶ(ରାଗ-ମାଳବ)ଶୁଣ ବିଶୁଦ୍ଧ ବୁଧ ଏଥୁ ଅନ୍ତେ ।ଚିତ୍ରରୁ ଚିତ୍ର ଚରିତ ସୁଚିତ୍ତେ ।୧ ।କୁମର ଚାରିମିତ୍ର ସଙ୍ଗେ ବସି ।ବୀଣାଜିଣା ବାଣୀ ପ୍ରସଙ୍ଗେ ଭାଷି ।୨ ।ପ୍ରେମବୀଜ ତାର ରୋପିତ ହୃଦେ ।ରୋମାଞ୍ଚିତ ବ୍ୟାଜେ ଅଙ୍କୁର ଉଦେ ।୩ ।ତାହାକୁ ବୃଦ୍ଧି କରିବା ପାଇଁ ।ସ୍ୱେଦ ସଲିଳ ପ୍ରକାଶିତ ହୋଇ ।୪ ।ବୋଲଇ ଅଦ୍ଭୁତସ୍ଥଳୀ ସୁନ୍ଦରୀ ।ଫୁଲରୁ ଫଳ ଯେଣୁ ଜାତ କରି ।୫ ।ଏ ଘେନି କରଇ ବିବେକ ବଣା ।ଫୁଲରୁ ଫଳ ଜାତ ଥିଲା ଶୁଣା ।୬ ।ଶଙ୍ଖ ଉପରେ ପଦ୍ମ ବିକଶିତ ।ଏହି ନୁହଁଇ କି ଅତି ଅଦ୍ଭୁତ ।୭ ।ପଦ୍ମ ମଧ୍ୟରୁ ଶଙ୍ଖ ଜାତ ଶୁଣି ।ବିଷ୍ଣୁ ବହିଛନ୍ତି ବିଚିତ୍ର ପୁଣି ।୮ ।ନ ଶୁଣି ଚିତ୍ତରୁ ହୋଏ ବିଶୋର ।ଭାଳି ନିଧି ନାମ ଦେଲେ କୁବେର ।୯ ।ସଂସାରେ ପ୍ରକଟ ହେବାକୁ ଧାତା ।ସଂଖ୍ୟା ଗଣନାରେ ରଖିଲାକି ତା ।୧୦ ।ପୁଣି ନୟନେ ଯୁଗ ଦେଖିଅଛି ।କେମନ୍ତ ପ୍ରକାରେ ପାରିବ ମୂର୍ଚ୍ଛି ।୧୧ ।ଏମନ୍ତ ପ୍ରକାରେ କଥନ ବେଳେ ।ବ୍ରହ୍ମଚାରୀ ଆସି ଛାମୁରେ ମିଳେ ।୧୨ ।ନମସ୍କାର କରି ଦେଇ ଆସନ ।ସାଧୁ ତ ଶୁକ ନ ଦେଖି ଉଚ୍ଛନ୍ନ ।୧୩ ।ଭାବେ ମୋର ଯେବେ ସୁକୃତ ଥିଲା ।ସ୍ୱପ୍ନେ ଦର୍ଶନ ବିନଭୋଗ ହେଲା ।୧୪ ।ଏବେତ ସୁକୃତ ହୋଇଛି ଊଣା ।କାହିଁକି କରିବ ବାଳା କରୁଣା ।୧୫ ।ଦୁର୍ଲଭ ପଦାର୍ଥେ ଦେବାରୁ ମନ ।ଆଜ ହୋଇଲା ମୋ ମରଣ ଦିନ ।୧୬ ।ସେ ବାଣୀ ସଙ୍ଗେ ଜୀବନ ଯିବଟି ।ରହି ବ୍ୟାକୁଳ ମୋତେ ନ ଦେବୁଟି ।୧୭ ।ଦ୍ୱିଜ ରୀତି ଦେଖି ବିଚାର କଲା ।ନ ଭଜିଲା ଶଙ୍କା ଏହାର ହେଲା ।୧୮ ।ଆଶଙ୍କା କାହିଁକି ନଥିବ ପୁଣି ।ସ୍ୱର୍ଗକୁ ପକାଇଅଛି ନିଃଶ୍ରେଣୀ ।୧୯ ।ପୁଣି ଚନ୍ଦ୍ରକୁ ବଢ଼ାଇଛି ପାଣି ।ତମ ରଜନୀରେ ଦେଖିବ ପୁଣି ।୨୦ ।କହିଲା ଏମନ୍ତ ବଚନ ଭାଳି ।କରୁଣା-ବୃକ୍ଷ କି ନିରାଶ ଫଳି ।୨୧ ।ମାନସ ଦେଇ ସେବିଲେ ମହେଶ ।ପ୍ରାଣୀର ବ୍ୟାଧି କି ନୁହଇ ନାଶ ।୨୨ ।ଯାଚକ ଦାନ ମାଗିଯାଇ କର୍ଣ୍ଣେ ।ଶୂନ୍ୟେ ଆସିଛି କି ଶୁଣିଛ କର୍ଣ୍ଣେ ।୨୩ ।ମେଘ କି କରେ ଅଳପ ବରଷା ।ନିଷ୍ଫଳ କାହିଁ ହୋଇଛି ତପସ୍ୟା ।୨୪ ।ଏ ବାଣୀ ରାଜାଜ୍ଞ ଧରି ରଖିଲା ।ଯମ ପାଶେ ପ୍ରାଣ ପଳାଉଥିଲା ।୨୫ ।ଦୁଷ୍ଟ ସଂଶୟକୁ ପକାଇ ହାଣି ।ଯାବତ ବିଧିକି ପକାଇ ପୁଣି ।୨୬ ।କନ୍ୟା ସ୍ୱପ୍ନରେ ଯେମନ୍ତ ଦେଖିଲା ।ବାଡ଼ରେ ଦେବୀ ଚିତ୍ରରେ ଲେଖିଲା ।୨୭ ।ଦଣ୍ଡ ଦଣ୍ଡକରେ ଫୁଳକୋଦଣ୍ଡ ।ସେଦିନୁ ଯେଉଁ ରୂପେ ଦେଲା ଦଣ୍ଡ ।୨୮ ।କାହିଁକି ବୋଇଲା ପୁରୁଷ ସାର ।ବାଳାଠାରେ ନାହିଁ ବିନୟ ତାର ।୨୯ ।ଏମନ୍ତରେ ଯେଉଁ ବାଳା ସୌନ୍ଦର୍ଯ୍ୟ ।ଚାହିଁ ରହିବ ନାହିଁ ପଶୁ ଧୈର୍ଯ୍ୟ ।୩୦ ।ପାଷାଣ ନେବ ତରଳ ପଦବୀ ।ଏଥି ଉତ୍ତାରେ ଆଉ କି କହିବି ।୩୧ ।ଧାତା ଦାରୁଣ ହେବା ନୁହେଁ ବଡ଼ ।ନ ଜାଣେ ରସ ଜନ୍ମୁ ବେଦ ଜଡ଼ ।୩୨ ।ଏଥି ଉତ୍ତାରୁ ଆମ୍ଭର ପ୍ରବେଶ ।ସଖୀ ସଙ୍ଗେ ଦୂତ ପେଷିଲେ ପାଶ ।୩୩ ।ତୁମ୍ଭର ଭାଗ୍ୟ ଅତି ବଳିଆର ।ଶୁଣିଲାକ୍ଷଣି ହେଲା ସୀଉକାର ।୩୪ ।ଚତୁରୀଗୁଣେ ନ ଦେଲା ଚିଟାଉ ।ବହୁତ କହି କି ହୋଇବ ଆଉ ।୩୫ ।ଯିବାକୁ ଜୀବ କଣ୍ଠେ ଅଛି ରହି ।ଲେଉଟାଅ ତାକୁ ପତ୍ରିକା ଦେଇ ।୩୬ ।ଏ ବାଣୀ ଶ୍ରବଣେ ମିତ୍ରକୁ ଚାହିଁ ।କୁମାର କହିଲା ଗଦ୍ଗଦ୍ ହୋଇ ।୩୭ ।ଶୁଭୁଛି ଯେତେ ତା ସୁନ୍ଦରୀପଣ ।ତେଡ଼ିକି ଅଛି ଅନୁରାଗ ପୁଣ ।୩୮ ।ତାକୁ ଦେଖିବାକୁ ବିନୟ ଭାବେ ।ବଚନେ ଆଉ କି ଜଗତେ ଥିବେ ।୩୯ ।ଭିଆଉଁ ଭିଆଉଁ ବିନୟ ଭାଷା ।ଶେଷ ହୋଇଯିବ ଜୀବନ ଆଶା ।୪୦ ।ଗଲେ ଏ କଥାକୁ ନାହିଁ ଶୋଚନା ।ଦୁଃଖ ପାଇବ ମଞ୍ଜୁଳ ଲୋଚନା ।୪୧ ।ଯଥା କଥା କରି ତାକୁ ଜଣାଣ ।ଲେଖିବା ତୁଳିକା କାଗଜ ଆଣ ।୪୨ ।ଆଣି ଲେଖିଲେ ବିଚାରି ବିଚାରି ।ପତ୍ରିକା ଘେନିଗଲେ ବ୍ରହ୍ମଚାରୀ ।୪୩ ।କହିବାକୁ ଯେତେ କହିବା ବାଣୀ ।ଶେଷହିଁଶେଷ ନ କରିବେ ପୁଣି ।୪୪ ।ଦୂତ ସିଂହଳ ଦ୍ୱୀପରେ ପ୍ରବେଶ ।ସୁମୁଖୀ ଦେଖିଣ ହୋଇଲା ତୋଷ ।୪୫ ।ଅବରୋଧକୁ ସଙ୍ଗେ ଘେନିଗଲେ ।ପୁର ପ୍ରାଙ୍ଗଣେ ନେଇ ବସାଇଲେ ।୪୬ ।କୁମାରୀ ବସିଛି ସଖୀଙ୍କ ସଙ୍ଗ ।ଶୁକ କହୁଛି କୁମାର ପ୍ରସଙ୍ଗ ।୪୭ ।ଏ କାଳେ ମିଳି କହେ ଏ ଭାଷକୁ ।ଯେଉଁ ଗୋସାଇଁ ତୋ ପ୍ରାଣ ପାଶକୁ ।୪୮ ।ଯାଇଥିଲେ ଆଣିଛନ୍ତି ପ୍ରମୋଦେ ।ମୋହନ ମନ୍ତର ପତର ମୁଦେ ।୪୯ ।ଉଚ୍ଛନେ ବାଳା ପଚାରିଲା କାହିଁ ।ବୋଇଲା ଆସିଛି ଦ୍ୱାରେ ବସାଇ ।୫୦ ।କି କୃତ୍ୟ କଲୁ ମନ୍ତ୍ରୀ ସୁତା ବୋଲେ ।ଦେଖିଥିବ ତାକୁ ଦୁଆରପାଳେ ।୫୧ ।ସେ ବୋଲେ ସେ ଜାଣେ ଚକ୍ଷୁବନ୍ଧନ ।ସ୍ତିରୀ ବୋଲି ଚିହ୍ନି ଛାଡ଼ନ୍ତି ଜନ ।୫୨ ।ଏଥିରେ ହରଷ ଅଧିକ ହେଲା ।ଦ୍ୱାରନ୍ତର ହୋଇ ଜେମା ରହିଲା ।୫୩ ।ଦ୍ୱିଜକୁ କହିଦେଲା ମେଘମାଳା ।ନମସ୍କାର କରୁଅଛନ୍ତି ବାଳା ।୫୪ ।ମନୋରଥ ଅସ୍ତୁ ହେଉ ଏ ବାଣୀ ।କଲ୍ୟାଣ କଲା ଯୋଡ଼ି ବେନିପାଣି ।୫୫ ।ଜଟାରୁ ଚିଟାଉ ବାହାର କଲା ।ଏଠାରେ ଏ ଛାନ୍ଦ ଶେଷ ହୋଇଲା ।୫୬ ।ରାମଜିତ ରାମ ରାମ ବିନୋଦି ।ଉପଇନ୍ଦ୍ର ବୀର ସନ୍ତାପ ଛନ୍ଦି ।୫୭ ।