ଲାବଣ୍ୟବତୀ
ଉପେନ୍ଦ୍ର ଭଞ୍ଜ · ଭାଗ ୪ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଛାନ୍ଦ
ବାଜିକର ସିଂହଳକୁ ଯାଇ ଭୋଜବିଦ୍ୟା ଦେଖାଇବା(ରାଗ-ଭୂପାଳ)ଏତୁଅନ୍ତେ ଶୁଣ ଜନେ ମନ ଦେଇ ।ମନୋହର ବସନ୍ତ ଋତୁକୁ ଚାହିଁ ।୧ ।ବିଜେ ଆରାମେ କର୍ଣ୍ଣାଟକ ରାଜସୁତ ।ସମୀପରେ ବସିଛନ୍ତି ଚାରି ମିତ୍ର ।୨ ।ସାବଧାନେ ମଣିମା ଖୁଣ୍ଟିଆ ଡାକେ ।ସେବାନିପୁଣ ତହିଁ ଖଟଣୀ ଲୋକେ ।୩ ।ଯଶ ବର୍ଣ୍ଣନା କରନ୍ତି ଭାଟେ ଶ୍ଳେଷେ ।ଏକ ପଦରେ ଗୀତ କବିତ୍ୱ ବଶେ ।୪ ।ଚନ୍ଦ୍ର ସେହି ଭାଷ ପରି ବୀର ଦାନୀ ।କୀର୍ତ୍ତି ନିଶ୍ଚେ ତାର ହାର ଧୀର ମାନୀ ।୫ ।ଯାନ ଜବ ଦେଖି ପର ଦର୍ପ ହୀନେ ।ପାଏ ସୁଖଭାବନୀୟ ପ୍ରତିଦିନେ ।୬ ।ଭେଟେ କବି ଗୀତ କରି ତ୍ରିବିଧିରେ ।ପ୍ରାନ୍ତ ଯମକ ଶୃଙ୍ଖଳ ଗୋମୂତ୍ରରେ ।୭ ।ଦରଚୟ ହର ଧୀର ପ୍ରଶଂସାର ।ସାର ସୟକର କର ଏ ସଂସାର ।୮ ।ସାର ସାର ଜିତ ଗତି ହେ କୁମାର ।ମାର ପରଶତ ଅତି ସୁକୁମାର ।୯ ।ହଟ ଦେଖାଉ ଅଛନ୍ତି ନଟ ତହିଁ ।ଚଢ଼ିବଂଶ ଶଳାକାରେ ଢୋଳବାଇ ।୧୦ ।ନାଟ କରୁଅଛନ୍ତି ଗଣିକା ଆଳୀ ।ଗୀତ ଗାଉଅଛନ୍ତି ଗୁଣିକେ ମିଳି ।୧୧ ।ଗଜ ଅଶ୍ୱ ରତନ ବସନ ମାନ ।ମୂଲ୍ୟ କରୁଛନ୍ତିଜ୍ଞାନଶୀଳଜଳନ ।୧୨ ।ରାଜାମାନେ ଗତ ଯୁଦ୍ଧକଥା ଭାଷି ।କରୁଛନ୍ତି ସାଧନ ପଦାତି ଆସି ।୧୩ ।ବସନ୍ତକା ମୁଖ ଚାହିଁ ପରିହାସେ ।ଏହି ସମୟେର ଗୁଣନିଧି ଭାଷେ ।୧୪ ।ତୁମ୍ଭ କନ୍ୟା ଲାଭ ହେଲା ଦ୍ୱୀପାନ୍ତରେ ।କିଛି ଅପୂର୍ବ ପଦାର୍ଥ ଏ ଉତ୍ତାରେ ।୧୫ ।ଯୁବରାଜ ଛାମୁରେ ନ କଲ ଭେଟି ।ଶୁଣି ସଲ୍ଲଜ ହୋଇ ସେ ବେଗେ ଉଠି ।୧୬ ।ନିଜ ରମଣୀ ପାଶର ନେଇ କୀର ।ଦେଲା ପଢ଼ା ଶୁଣି ସର୍ବେ ତୋଷଭର ।୧୭ ।ଏହିକାଳେ ଜଣାଇଲା ବେତ୍ରକକର ।ଆସି ବୋଇତିଆଳେକ ଅଛି ଦ୍ୱାର ।୧୮ ।ବୋଲି ସିଂହଳଦୀପୁ ଆସିଛି ମୁହିଁ ।ଇଚ୍ଛା ମୋର ଯୁବରାଜ ଭେଟ ପାଇଁ ।୧୯ ।ଶୁଣି ନୃପସୁତ କଲା ସୀଉକାର ।ଆଣି ଛାମୁରେ ଭେଟାଇ ପ୍ରତିହାର ।୨୦ ।ଶିରେ କର ଦେଇ ଭେଟି ଏତେ ଦ୍ରବ୍ୟ ।ଦେଲା ପ୍ରମୋଦ ଚିତ୍ତରେ ସେ ସାଧବ ।୨୧ ।ମେଷଚକ୍ଷୁ ନୀଳା ବ୍ରହ୍ମଜାତି ହୀରା ।ତାର ମୁକୁତା କୁକୁଟ ଡିମ୍ବ ପରା ।୨୨ ।ଅଛି ସୁମାଣିକ୍ୟ ପଦ୍ମରା ଜାତି ।ଅଷ୍ଟବକ୍ର ପ୍ରବାଳ ହିଁ ପନ୍ତି ପନ୍ତି ।୨୩ ।ଚନ୍ଦ୍ରକାନ୍ତ ପାଷାଣ ନୀଳେନ୍ଦ୍ରି ମଣି ।ଲକ୍ଷ୍ମୀ ନାରାୟଣ ଶିଳା ନୋହେ ଗଣି ।୨୪ ।ଅଗ୍ରୁ ଚନ୍ଦନ ଅତର ଶ୍ରୀକର୍ପୂର ।ଜଳୁ ପାତାଳ ଚୂଆ ପନିରନୀର ।୨୫ ।ସମରାଜି ଜୁଆଦ ଜାହ୍ନବୀ ଜଳ ।ମନୋହର ବଂଶପତ୍ର ହରିତାଳ ।୨୬ ।ରୌପ୍ୟ ଇଚ୍ଛାକୁ ଫୁଲ ତୁଲରେ ଦେଇ ।ଜମ୍ଭୁନଦ ବିନା ଆନ ହେମ ନାହିଁ ।୨୭ ।ମଣି ପଦରେ ମିହିରମଣି ଲେଖ ।ଦନ୍ତେ ଦନ୍ତିଦନ୍ତ ନଖେ ବ୍ର୍ୟାଘ୍ରନଖ ।୨୮ ।ଚର୍ମ ଆସନରେ ସାର ବୋଲିବାର ।ଚର୍ମ ଆଢ଼େଣୀ ଖଡଗଚର୍ମ ସାର ।୨୯ ।ଉନା ତରବାରୀ ବୁନ୍ଦି ଯମଦର ।ଶଙ୍ଖ ଦକ୍ଷିଣାବର୍ତ୍ତକ ଶୁଦ୍ଧତର ।୩୦ ।ଏକମୁଖୀ ରୁଦ୍ରାକ୍ଷରେ ସୁଶୋଭନ ।ଚାରୁ କନକମୃଗ ଚଉଁରୀମାନ ।୩୧ ।ଶୁଭ୍ର କାଗଜ ଲହୁରୀ ଦେଶଜାତ ।କାମ କାଞ୍ଚନ ନୀଳା ଅପ୍ରମିତ ।୩୨ ।ସିନ୍ଧୁଜାତି ହୟ ଭାରବାହ ଖର ।ବଜ୍ରଜାତି ଗଜ ପାଟଭାଲି କୀର ।୩୩ ।ନେପାଳିକା ମୂଷିକା ସାଳିଆ ଚାରୁ ।ଲବଙ୍ଗର ଲାଲ ଜାତିଫଳ ତରୁ ।୩୪ ।ଚକୋରକ ଦିନଜ୍ଞାତା ପାରାବତ ।କଳପନ ଶୂନ୍ୟଖୁରୀ ସୁରଞ୍ଜତ ।୩୫ ।ଲୋହ ଚୁମ୍ବକ ପରଶୁଗ୍ରୀବ ଯହିଁ ।ଦାସୀନେତ୍ର ଗଉରୀବେତ୍ରରେ ଶୋହି ।୩୬ ।ଶୃଙ୍ଗ କମାଣ ତୀର ଚାତକପତ୍ର ।ଲାଗିକି ବିଚିତ୍ର ବଶ କରେ ନେତ୍ର ।୩୭ ।ମାନଦରୀଶାୟକ ଉତ୍ତମ ଫରୀ ।ଅଛି ରୋପଣ ବନରେ ଚିତ୍ର କରି ।୩୮ ।ଦେଖି ଦିବ୍ୟ ପଦାର୍ଥ ସମ୍ମୋହନରେ ।କରେ ସାଧୁକୁ ପ୍ରଶଂସା ସୁମନରେ ।୩୯ ।ଏକ ଦେଶେ ଏ ନ ମିଳେ ବିଚାରିଲେ ।କେଉଁ ଦେଶରୁ ଆଗତ ପଚାରିଲେ ।୪୦ ।ସେ ବୋଇଲା ସଂହଳ ଦ୍ୱୀପର ମୁହିଁ ।ଏ ଦେଶକୁ ଆସିଛି ବାଣିଜ୍ୟ ପାଇଁ ।୪୧ ।ଯେହୁ ଲାବଣ୍ୟବତୀ ସମ୍ଭବସ୍ଥାନ ।ତହିଁ ଅପୂରୁବ କେଉଁ ଦ୍ରବ୍ୟମାନ ।୪୨ ।ଲକ୍ଷ୍ମୀ ପରିପୂରିତ ସେ ସବୁକାଳେ ।ଏବେ ଅଧିକ ରାଜକୁମାରୀ ବଳେ ।୪୩ ।ହେଉଁନାହିଁ ଯେ ଭରସା ତାହାଙ୍କରି ।ଏହା କହିବାକୁ ଛନ୍ତି ଅନୁସରି ।୪୪ ।ହରି ଉତ୍ସଙ୍ଗସଦନ ମୋର ଭ୍ରଷ୍ଟ ।ନୋହୁ ତାକୁ ନ କରିବୁ ଏ ମୋ ପୃଷ୍ଟ ।୪୫ ।ଏ ବଚନ ଶ୍ରବଣେ ସେ ଚାରିମିତ୍ରେ ।ପରସ୍ପରେ ଠରାଠରି ହେଲେ ନେତ୍ରେ ।୪୬ ।ମନ୍ତ୍ରୀ ସୁତ ବୋଇଲେ ଭୃତ୍ୟକୁ ଚାହିଁ ।ଦିନ କେତେ ଭୋଗ ହେ ପଚାର ଯାଇ ।୪୭ ।ଏ ବଚନକୁ ଡାକିଲା ପ୍ରତିହାରୀ ।ହୁଅ ସମସ୍ତେ ମେଲାଣି ନିଜ ପୁରୀ ।୪୮ ।ତାହା ଡାକ ପ୍ରମାଣେ ନିର୍ଜ୍ଜନ ସଭାପୁଚ୍ଛେ ସାଧୁକୁ ନୃପଜ ହୋଇ ଲୋଭା ।୪୯ ।ତୁମ୍ଭେ ଯାହା କହିଲ ହେ ଆଲୋକିତ ।ସତେ ଏମନ୍ତ ସୁନ୍ଦରୀ ମଞ୍ଚେ ଜାତ ।୫୦ ।ସେ ବୋଇଲା ଆମ୍ଭ ପରେ ଏତେ କଥା ।ଘେନ ପ୍ରଥମ ପଦରେ ନାହିଁ ମିଥ୍ୟା ।୫୧ ।ପରଦ୍ରବ୍ୟ ପରସ୍ତିରୀ ହରଣକୁ ।ଲେଖୁଁ ଶୁଭ କରି ତହୁଁ ମରଣକୁ ।୫୨ ।ନାହିଁ ଖଳ ଦୁର୍ଜ୍ଜନ ନିର୍ଦ୍ଧନ ଜନ ।ଶୁଣିଲାର ପ୍ରସଙ୍ଗ ନ କହୁଁ ପୁନଃ ।୫୩ ।ଦୂତ କବି ଭାଟ ତିନି ଜଣେ ଜଣେ ।ନୋହୁଁ ଅଧିକ କହିବୁ କି କାରଣେ ।୫୪ ।ଯାହା ସମେ ବ୍ରହ୍ମାଣ୍ଡ ଉଦରେ ବର ।ନାହିଁ ଜଳିଗଲା ଦିନୁ ପଞ୍ଚଶର ।୫୫ ।ତାକୁ ସମାନ ହେବାକୁ ଅଛି ଏହି ।ଯାହା ଦର୍ପଣ ମଧ୍ୟର ଦିଶେ ସେହି ।୫୬ ।ତାକୁ ଏ ରୂପେ ନିର୍ମାଣ କଲା ବିହି ।କୀଟ କାଟୁ ଅକ୍ଷର ଯେମନ୍ତ ହୋଇ ।୫୭ ।ଯେତେ କବି ବର୍ଣ୍ଣିଛନ୍ତି ଯେତେ ନାରୀ ।ଠିକେ କହି ରମ୍ଭାରତି ନୋହେ ସରି ।୫୮ ।ବଡ଼ କରି ବୋଲନ୍ତି ଲାବଣ୍ୟବତୀ ।ସେହି ଜନମ ହୋଇଣ ଅଛି କ୍ଷିତି ।୫୯ ।ଯଥା ନ ଦେଖି ନ ଖାଇ ସୁଧା ନାମ ।ସର୍ବମତେ କହି ସ୍ୱାଦୁ ମନୋରମା ।୬୦ ।ତଥା ଆଗୁ ଜାତ ହେବେ ବୋଲି ବାମା ।ଖ୍ୟାତ ହୋଇଲା ଲାବଣ୍ୟବତୀନାମା ।୬୧ ।ହାସ ଅଧର ଚାହିଁଲେ ଏ ସଂଶୟ ।କରିଅଛି କାହା ଶୋଭା କେ ଉଦୟ ।୬୨ ।ବାଳ ଅରୁଣ କି ସୁଧାସ୍ନାନ କରି ।ଅନୁରାଗ ହରଷ ମିଶିଲାପରି ।୬୩ ।କିବା ମାଣିକ୍ୟ କୁହରୁ ମେଳି ଜ୍ୟୋତି ।ଦିଶେ ତାହା ଝଟକଇ ଦନ୍ତପନ୍ତି ।ସେ ଅଧରେ ଶୋଭା ତାମ୍ବୁଳ ବୋଳ ।କେ କାହାକୁ ରଙ୍ଗ କଲା ହୋଏ ଗୋଳ ।୬୫ ।କାହା ରଦନେ ସେ କାଳେ କି ସୁନ୍ଦର ।ସିନ୍ଦୂରରେ ମାଜିଲା କି ଘନସାର ।୬୬ ।ବୋଳଢୋକିବା ବେଳେ ଦିଶଇ ଗଳେ ।ଫଗୁପିଚିକା ଯେମନ୍ତେ କାଚନଳେ ।୬୭ ।କଳେ ଥାଇ ପାନ ପିକ କି ମଞ୍ଜୁଳ ।ପକ୍ୱ ନାରଙ୍ଗ ପ୍ରାୟ ଗଣ୍ଡସ୍ଥଳ ।୬୮ ।ଅଙ୍ଗେ ଅଛି ନବପୁଷ୍ପ ନବପକ୍ଷୀ ।ଏକ ଏକ ଅଙ୍ଗେ ଲାଖି ରହେ ଆଖି ।୬୯ ।ଭିଆଇଛି ଛାଣି ଆଣି ଶୋଭାସାର ।ଜଗଜ୍ଜୟ ଜଙ୍ଗମମୂରତି ସାର ।୭୦ ।ଅଥ ମନ୍ମଥର ମନଭେଦୀ ଶର ।ମରମକୁ ଭେଦିବାରେ ମନୋହର ।୭୧ ।ହର ପଥର ହେଲେ କାତର ଘୋଟି ।ଘେନ ଏଥର ଯିବ ହୃଦୟ ଫୁଟି ।୭୨ ।ରୂପ ଚୁମ୍ବକଶିଳର ମିତ୍ର କିଏ ।ହୃଦୁଁ କାଢ଼ିନେବ ମନ ଲୋଭ ପ୍ରାୟେ ।୭୩ ।ବରବର୍ଣ୍ଣନା ବର୍ଣ୍ଣନା କରି ଯେତେ ।ଉପମାଙ୍କ ଲାଭ ତାହା ହାନି ତେତେ ।୭୪ ।ଭାବ ହାବଲୀଳା ବିଳସାଦି ଚିନ୍ତ ।ଯାହା ଅଙ୍ଗେ ହୋଇଅଛି ମୂର୍ତ୍ତିମନ୍ତ ।୭୫ ।ତାହା ଶୋଭା କହିଲେ ସରିବ ନାହିଁ ।ପୂର୍ବେ ନଥିଲା ନୋହିବ ଏବେ ନାହିଁ ।୭୬ ।ରାଜା କହିଛି ଜେମାକୁ କର ବର ।ମୋର ମିତ୍ର ମନ୍ତ୍ରୀକି ହୋଇଛି ଭାର ।୭୭ ।କନ୍ୟା ଅନୁରୂପେ ଆଉ ବର ନାହିଁ ।ମନ ପ୍ରଧାନ ବିଭାକୁ ଅଛି ତହିଁ ।୭୮ ।ଶୁଣି ମନ୍ତ୍ରୀସୁତ କଲା ଏ ଉତ୍ତର ।ଆମ୍ଭ ନୃପତି ସୁତ ନୂତନ ମାର ।୭୯ ।ହୋଇବ କି କାର୍ଯ୍ୟ ଉଦେଯାଗ କଲେ ।ଶୁଣି ଶୁକ ପଢ଼ିଦେଲା ସେହିକାଳେ ।୮୦ ।ସୁଧାପାନ କଲା ରାହୁ ଉପାୟରେ ।ପ୍ରୀତ ହୋଇଅଛଇ ଚନ୍ଦ୍ର କୁମୁଦରେ ।୮୧ ।ଗୁଞ୍ଜ ତୁଳା ହୋଇଛି ସୁବର୍ଣ୍ଣ ତୁଲେ ।କର୍ମସବୁ ଉଚ୍ଚ ନୀଚ ପାଞ୍ଚ ବଳେ ।୮୨ ।ଶୁଣି କୁମାରବର ଆଶ୍ଚର୍ଯ୍ୟ ଘେନି ।ବୋଲେ ତୁହି ଦେଖିଛୁ କି ମେଧାବିନୀ ।୮୩ ।କୀର କହିଲା ସେ ରସାଭୂଷା ଯୋଷା ।ଶିଶୁ କାଳରୁ ମୁହିଁ ତାହାଙ୍କ ପୋଷା ।୮୪ ।ଶୁଣି ଚଞ୍ଚୁ ଚରଣକୁ ଧରି ତାର ।ପୁଣି ଧରିଲା ବୋଇତିଆଳ କର ।୮୫ ।ରାମାନାମେ ମୋହନ ଉଚ୍ଚାଟଘର ।ରୂପେ କି ଥିବ ନୋହିଛି ସେ ଗୋଚର ।୮୬ ।ତୁମ୍ଭ ବଚନ ବସନ୍ତଋତୁ ହେଲା ।ତାହା ଯୋଗୁଁ ଆଶାତରୁ ପଲ୍ଲବିଲା ।୮୭ ।କଲେ ନିରାଶ ହୋଇ ଗ୍ରୀଷମ କାଳ ।ତାକୁ ଜାଳିଦେବଟି ବିରହ ନଳ ।୮୮ ।ଶୁଣି ସେ ବୋଇଲେ ବୀର ହୁଅ ସ୍ଥିର ।ଆମ୍ଭମାନଙ୍କୁ ଘେନି ଉପାୟ କର ।୮୯ ।ପରିବେଶ ହେଲେ ପୁଷ୍ପକାଳ ସାର ।ପିକ ନ ଲଭଇ ନିକି ସହକାର ।୯୦ ।ଏ ବଚନେ ଶାନ୍ତି ଲଭି ସେହୁ ପୁନଃଖଡ଼ି ପକାଇ କଲେ ଶକୁନମାନ ।୯୧ ।ସାଧୁତାକୁ ତହିଁ ଅନୁକୂଳ ଦେଲେ ।ବିଜ୍ଞ ବ୍ରହ୍ମଚାରୀ ଜଣେ ସଙ୍ଗ କଲେ ।୯୨ ।ଶୁଭେ ସେ କାଳେ ଆତାୟୀବାଣୀ ଭ୍ରମେ ।ଗଲା ଦକ୍ଷିଣେ ଦ୍ୱିଜ ଗୋମାୟୁ ବାମେ ।୯୩ ।ପଛୁଁ ପବନ ବହିଲା ହୋଇ ସ୍ୱଚ୍ଛ ।ଗୋପୀ ଧାବରୀ ଡାକିଲେ ଦଧିମାଛ ।୯୪ ।ଆଶା ବଢ଼ିଲା ଶୁଭସୂଚକ ଜାଣି ।ଛାନ୍ଦ ସମାପତ ତୋଷ ପୁଂସମଣି ।୯୫ ।ନୀଳ ରୋହିତଶରୀର ଦରହାରୀ ।ଶ୍ରୁତି ନିସ୍ତାରକ କୀର୍ତ୍ତି ଖ୍ୟାତକାରୀ ।୯୬ ।ମୀନମୂର୍ତ୍ତି ରଘୁପତି ଶ୍ରୀପୟର ।ଭାବେ ଉପଇନ୍ଦ୍ର ଭଞ୍ଜ ବୀରବର ।୯୭ ।
ଅଷ୍ଟମ ଛାନ୍ଦ
ଲାବଣ୍ୟବତୀର ଚିତ୍ରପଟ ଘେନିସନ୍ୟାସୀ ଚନ୍ଦ୍ରଭାନୁ ପାଶେ ପ୍ରବେଶ(ରାଗ-ମଙ୍ଗଳଗୁଜ୍ଜରୀ)ଏଥୁ ଅନନ୍ତରେ ରସ ଶୁଣ ସୁଜନ ।ମନ୍ତ୍ରୀକି ଡାକି ସଂହଳଦ୍ୱୀପ ରାଜନ ।୧ ।ବୋଇଲା କିଶୋରଦଶା ପ୍ରାପ୍ତ କୁମାରୀ ।କର ବେଗେ ବର ଦେବା ବିବାହକରି ।୨ ।ଶୁଣିଲେ ସୁନ୍ଦରୀ ଶୋଭା ହରିତୋଷରେ ।ହରି ଘେନି ଯିବେ ଅବା ବିଧି ବଶରେ ।୩ ।ନୃପତି ହୋଇ ପ୍ରମାଦ ସମ୍ପତ୍ତି ବାଧ ।ଶିରୀସ୍ନେହ ତୁଟିଗଲେ ସେ ହେବେ କ୍ରୋଧ ।୪ ।ଶୁଣି କରଯୋଡ଼ି କହେ ସଚିବ ତହିଁ ।ମୋର ବିଚାରକୁ ବର ଦିଶୁତ ନାହିଁ ।୫ ।ଶିବଙ୍କୁ ଦେଲେ ପାର୍ବତୀ ଶାପ ପଡ଼ିବ ।ଭସ୍ମ ଭୂଷଣ ଅଙ୍ଗେ ଏ କେହି ଜଡ଼ିବ ।୬ ।ଚନ୍ଦ୍ର ତା କ୍ଷୀଣ କଳଙ୍କୀ ତହିଁକି ସୁଖ ।ଅଶ୍ୱିନୀ କୁମାର ହେଲେ କୁରଙ୍ଗ ମୁଖ ।୭ ।କୁସୁମଧନୁ ଅତନୁ ଅଛି ଆଉ କେ ।ଚିତ୍ରପଟ ଦେଖାଇବା ମାନବଲୋକେ ।୮ ।ରୁଣ୍ଡ ନରବରପନ୍ତି କରିବା ଆଣି ।ଇଚ୍ଛାବର ବରୁ ପଛେ ରମଣୀମଣି ।୯ ।ଭୂପତିବର ତହିଁକି ହେଲେ ସମ୍ମତ ।ମାନବେ ଲେଖା ନ ଗଲା ସୁନ୍ଦରୀ ଚିତ୍ର ।୧୦ ।ଜ୍ଞାନାନନ୍ଦ ନାମେ ଏକ ସନ୍ୟାସୀ ଥିଲା ।ସଚିବ ପ୍ରତିଭୂମାୟା ସମୀପେ ଗଲା ।୧୧ ।ସେକାଳେ ସେ ବିଶ୍ୱକର୍ମା ଏକତ୍ୱମନେ ।ନିର୍ମାଣୁଛନ୍ତି ପ୍ରତିମା ଜେମା ସମାନେ ।୧୨ ।ଜଗତ ମଞ୍ଜୁ ମଞ୍ଜୁଷା ମଧ୍ୟେ ପ୍ରତିମା ।ଦର୍ପଣ ଫୁଟି ଦିଶୁଛି ବାଳା ସୁଷମା ।୧୩ ।ଏକାଳେ ସନ୍ୟାସୀ କରି ସାମ ଗାୟନ ।ଲାବଣ୍ୟବତୀ ସ୍ୱରୂପ ଘେନିଲାଦାନ ।୧୪ ।ଦାନକଲାବେଳେ ମାତ୍ର କହିଲେ ଏତେ ।ଆମ୍ଭ ବିନ୍ଧାଣିତ୍ୱ ଖ୍ୟାତ କର ଜଗତେ ।୧୫ ।ସୀଉକାର କଲା ଯୋଗୀ ବାହୁଡ଼ି ଆସି ।ଦେଖାଇ ସ୍ୱରୂପ ମନ୍ତ୍ରୀ ମତିକି ତୋଷି ।୧୬ ।ସେ ବୋଇଲେ ଧର୍ମତାତ ଆମ୍ଭେ ତୁମ୍ଭର ।ଆମ୍ଭବୋଲେ ଏହା ଘେନି ଭ୍ରମ ସଂସାର ।୧୭ ।ଦେଖାଇ ଭୂପତିଗଣେ ବଶ କରିବ ।ଦୋଷ ଗୁଣସୁନ୍ଦର ପଣକୁ ବୁଝିବ ।୧୮ ।ଏ ବଚନେ ଶିଷ୍ୟକରେ ପେଡ଼ା ବୁହାଇ ।ଏଣୁ ଏବେ ଏତେ ଦେଶ ଭ୍ରମିଲା ସେହି ।୧୯ ।ଯେଉଁ ଦେଶେ ଯେଉଁ ରୂପ କଲେ ଆଦର ।କହୁଥାଇ ଚାହିଁ ମହୀପତ ନିକର ।୨୦ ।କୁନ୍ତଳ କୁନ୍ତଳବର୍ଣ୍ଣ ସାରିଲେ ଦିନ ।ମତ୍ସ୍ୟଜନ ମତ୍ସ୍ୟପରି ନିମିଷ ହୀନ ।୨୧ ।ନିଷିଧେ ନିଷେଧି ଆନ ଲୋକ ନ କଲେ ।ମାଳବରେ ମାଳା କରି ତାହା ଜପିଲେ ।୨୨ ।ମଘରେ ମଘବାପଦ ପାଇଲା ପରି ।ବିହେହ ବିଦେହଶରେ ହୋଇଲେ ଘାରି ।୨୩ ।କନାଉଜ କନ୍ୟାଉଚ୍ଚ ଶୁଭିଲା ବାଣୀ ।ମରୁଦେଶ ମରୁ ରମ୍ଭା ଏମନ୍ତେ ଭଣି ।୨୪ ।ଅଙ୍ଗରେ ଅଙ୍ଗନା ଅଙ୍ଗ ପ୍ରଶଂସା କଲେ ।ଏହି ରମ୍ଭା ବୋଲି କଳିକଳିଙ୍ଗେ ହେଲେ ।୨୫ ।ଧାତା ହଟ୍ଟ ଏହି ମରହଟା ବିଚାର ।ସଉରାଷ୍ଟ୍ରେ ଭାଷି ସଉଦାମିନୀ ସ୍ଥିର ।୨୬ ।ଚୋଳେ ନିଚୋଳେଘୋଡ଼ାଇ ରଖିବା ଚିନ୍ତା ।ଦ୍ରାବିଡ଼େ ନିବିଡ଼େ ଆଲିଙ୍ଗନେ ମମତା ।୨୭ ।ଗୁଜୁରାତି ରାତି ଦିନେ ଦେଖିବା ଇଚ୍ଛାବିଦର୍ଭରେ ଦର୍ଭହାସୀ ଦର୍ଶନ ବାଞ୍ଛା ।୨୮ ।ଉତ୍କଳେ ଉତ୍କଳା ହୋଇ ବରହେ ଭାରୀ ।ଗଉରୀଏ ଗଉରବ ଗଉଡ଼େ କରି ।୨୯ ।ନେପାଳେ କପାଳଥିଲେ ପାଇବା ଭାବି ।ମାଗଧେ ମାଗଧମୁଖେ ବର୍ଣ୍ଣାଇ ଛବି ।୩୦ ।କୁଞ୍ଜଗଳେ ଗଳେ ବାନ୍ଧି ବୁଲିବା ସ୍ନେହୀ ।ବଙ୍ଗାଳି ଗାଳି ଉପମାବଳୀକି ଦେଇ ।୩୧ ।ଲୋମ ଲୋମହର୍ଷିତା ଦେଖି ତ୍ୱରିତ ।କଳେବର କଳେବରେ ଆନନ୍ଦଜାତ ।୩୨ ।କେରଳେ ଭାବେ କେରମାଳୟା ହୋଇବ ।ଯମନ ମନକୁ ଭିନ୍ନ ନୋହେ ଏ ଭାବ ।୩୩ ।ସିନ୍ଧୁରେ ଭାଷିଲେ ସିନ୍ଧୁରେ ଯେ ଝାସିବ ।ସିନ୍ଧୁର ଗମନା ପ୍ରତିଅଙ୍ଗେ ମିଶିବ ।୩୪ ।ବାଳା ତୁଳାପିତୁଳାକୁ ଚାହିଁ ସରାଗେ ।ପିତୁଳା କରି ରଖିଲେ ନୟନ ଯୁଗେ ।୩୫ ।ବିଦଗଧେ ବିଦଗଧ କାମ ଦହନେ ।ସେ ଭାବନା ନ ଛାଡ଼ିଲେ ରଜନୀ ଦିନେ ।୩୬ ।କେ ବୋଲେ ପଟ କିଏ କାହାର କପଟ ।ଦେଖିଲେ କିଞ୍ଚିତ ଚିତ୍ତ ହୋଏ ଲମ୍ପଟ ।୩୭ ।କେ ବୋଲେ ଏ କେହି ହେଲା ଦମ୍ଭ ରହିଲା ।ସାତକୁମ୍ଭ କୁମ୍ଭଉରଜାକୁ ବିହିଲା ।୩୮ ।କେ ବୋଲେ ସତେ କାମିନୀ ଅଛି ଏମନ୍ତେ ।କେମନ୍ତେ ଗଢ଼ିଲା ବିହି ଆୟୂଷକେତେ ।୩୯ ।କେ ବୋଲେ ସତେ ଏରୂପ ଥିଲେ ତରୁଣୀ ।ଏତେକାଳେ ଅଳଙ୍କୃତା ହେଲା ଧରଣୀ ।୪୦ ।କେ ବୋଲେ ମୋହନ ମୂର୍ତ୍ତିମନ୍ତ ହୋଇଲା ।ସକଳ ସୁନ୍ଦର ଅଙ୍ଗେ ଘେନି ଅଇଲା ।୪୧ ।କେ ବୋଲେ ଆନନୋହ ନେତ୍ର ସୁକୃତି ।ଦେଖିଲାଇ ଲାବଣ୍ୟବତୀର ଆକୃତି ।୪୨ ।ବିଚାରିଲେ ଯୁବା ସୃଷ୍ଟକିବା ପ୍ରଳୟ ।ହୋଇଲା ହୋଇଛି ଉତପାତ ଉଦୟ ।୪୩ ।ବିଦ୍ୟୁସ୍ଥିର ଇନ୍ଦୁ ଚିର ନିଶି ଦିବସ ।ଅମଳିନ ହୋଇ ତ ନଳିନ ବିକାଶ ।୪୪ ।ପୁଣି ବିଚାରିଲେ ବଳଭୂମୀ ବିଚାରି ।ଅଙ୍ଗେ ଅଙ୍ଗେ ରହିଲା କି ଦୁର୍ଗକରି ।୪୫ ।ଦେଖ ଏ ପ୍ରତ୍ୟକ୍ଷ କଥା କରୀକି ହରି ।ମାରେ ଏବେ ଆରୋହିଛି ହରିକି କରୀ ।୪୬ ।ଦର୍ଶନେ ରାଜନ ଯୋଗ ଆଗେ ଦେଇଛି ।କଞ୍ଜପରେ ରଞ୍ଜନ ଖଞ୍ଜନ ହୋଇଛି ।୪୭ ।ଯେ ନିର୍ମାଣ କେତେ ଅନୁମାନ କି ତାର ।ନୋହେ ସେ ପୁରୁଷ କେଡ଼େ ଥୟତା କର ।୪୮ ।ହେଲେ ହୋଇଥିବା ଅବା ବିଧାତା ମାତା ।ମନେ ମନାସିବା କଥା ହୁଅଇ କି ତା ।୪୯ ।ପ୍ରୟୋଗେ ଅସୁରୀ ସୀତା ସଦୃଶ ପରି ।ଏରୂପକୁ ଅଛି କି ସେ ନିର୍ମାଣ କରି ।୫୦ ।ଏମନ୍ତେ ରାମାପ୍ରଶଂସା ସଂସାରେ ଖ୍ୟାତ ।ନୃପତି ସମୂହ ହେଲେ ଉଚ୍ଛନ୍ନ ଚିତ୍ତ ।୫୧ ।ମନକୁ ପେକ୍ଷିତ କଲେ ସିଂହଳ ଦ୍ୱୀପ ।ଶୟନେ ଦେଖିଲେ ସ୍ୱପ୍ନେ ବାଳା ସ୍ୱରୂପ ।୫୨ ।ଅସର ପାଇ ବିନ୍ଧିଲା କୁସୁମ ଶର ।ସାରିଲେ ଉଷୀର ବାଟି ଶଶିର କର ।୫୩ ।ଶିଶିର କରର ରବି ଛବି ପାଇଲେ ।ନବପଲ୍ଲବ ଶୟନ କରି ଶୋଇଲେ ।୫୪ ।ଦ୍ୱିଜ ରୁଣ୍ଡୀଭୂତକରି ଚଣ୍ଡୀ ବରଣ ।ପ୍ରତିଦିନ କରିବାରେ ହେଲେ ନିପୁଣ ।୫୫ ।ଶମ୍ପାଗୋରୀ ଅନୁକମ୍ପା କରିବା ପାଇଁ ।ଶିବେ ଗୋଦୋହନ କରି ଚମ୍ପାଚଢ଼ାଇ ।୫୬ ।ଆଜନ୍ମସୁଖୀ ନୟନେ ଦେଖିବା ପାଇଁ ।ଗଣେଶଙ୍କୁ ଲଡ଼ୁ ଦେବା ଗଣନା ନାହିଁ ।୫୭ ।କରେ ଛୁଇଁବାକୁ ତାର କୁଚ କଳସୀ ।ରମାବଲ୍ଲଭଙ୍କୁ ଦେଲେ ଲକ୍ଷେ ତୁଳସୀ ।୫୮ ।କାମଶାସ୍ତ୍ର ଦେଖି ସ୍ତିରୀ ବଶୀକରଣ ।କଲେ ମନ୍ତ୍ର ଅଉଷଧିମଣି ଭିଆଣ ।୫୯ ।ଶୋଭାଅର୍ଥେ ମଣ୍ଡିହେଲେ ରତ୍ନାଳଙ୍କାରେ ।ପଉଣ୍ଡ୍ରିକ ବାସୁଦେବ ହେଲା ପ୍ରକାରେ ।୬୦ ।କେତକୀ ଫୁଲ ବଞ୍ଚିତ ଯଥା ମଧୁପ ।ତଥା ନୃପମଣ୍ଡଳ ବାଳାରେ ଲୋଲୁପ ।୬୧ ।ନ ତୁଟିଲା ପୁଣି ଆଶା କେବେ ତାଙ୍କର ।ବିରହିଣୀ ନାୟିକା ତ୍ରିବଳୀ ପ୍ରକାର ।୬୨ ।ଉଚ୍ଚତରୁ ଫଳେ ଖର୍ବେ ଆଶାୟୀ ପରି ।ଲାବଣ୍ୟବତୀ ନାମକୁ ମନ୍ତର କରି ।୬୩ ।ବାଳା ପ୍ରତିଅଙ୍ଗ ଶୋଭା ମାନସେ ଥୋଇ ।ଅପଣା ଶୋଭାକୁ ଆଦରଶରେ ଚାହିଁ ।୬୪ ।ବାହ୍ୟରେ ଆରମ୍ଭ ସେ ଅନ୍ତରେ ବ୍ୟାକୁଳ ।ଭସ୍ମ ଆଚ୍ଛନ୍ନରେ ଥାଇ ଯଥା ଅନଳ ।୬୫ ।ବିଚକ୍ଷଣ ଜନ ପେଷି ସିଂହଳ ଦ୍ୱୀପେ ।ପ୍ରୀତି ଲଗାଇଲେ ରତ୍ନେଶ୍ୱର ମହୀପେ ।୬୬ ।ଲାବଣ୍ୟବତୀ ସ୍ୱରୂପ ଆସିବା ଘୋଷ ।ଆଗୁଁ ପ୍ରକଟ ହୋଇଲା କର୍ଣ୍ଣାଟଦେଶ ।୬୭ ।ଚନ୍ଦ୍ରଭାନୁ ଭାବି ଯାହା ସାଧୁତ କହି ।ତାକୁ କେ ନିର୍ମାଣି ରୂପପଟେ କେ ଲିହି ।୬୮ ।ରୂପକାର ରଙ୍ଗାଜୀବ ମର୍ତ୍ତ୍ୟେରେ କାହିଁ ।ମନକୁ ଆସେ ମଘବା ଭୁବନେ ନାହିଁ ।୬୯ ।ହୋଇଥିଲା ମୋ ନେତ୍ରର ବିଧାତା ଋଣୀ ।ଶୁଝିବ ବୋଲି କି ଆଣେ ପ୍ରତିତରୁଣୀ ।୭୦ ।ଗୁରୁଦ୍ରୋହୀ ପୁଣି ସ୍ୱର୍ଗଭୋଗ ପାଇଛି ।ସାତସିନ୍ଧୁ ଚଳୁ ଭିତରେ ରହିଛି ।୭୧ ।ପକ୍ଷ ବିନା ହୋଇଅଛି ଗଗନଗତି ।ଜଳ ଉପରେ ଶଇଳ ଭାସି ଅଛନ୍ତି ।୭୨ ।ଯେଉଁ ଦଇବେ ହୋଉଛି ଏତେ ବିଧାତା ।ସେହି ଦଇବେ ହେଲାକି ବାଳା ରତନ ।୭୩ ।ଜ୍ୟେଷ୍ଠ ତୃଷିତ ଚାତକ ଯେମନ୍ତ ହୋଇ ।ଜଳଦ ଦର୍ଶନେ ତନମନ କରଇ ।୭୪ ।ଆଷାଢ଼େ ଘନ ଦୁର୍ଦ୍ଦିନ ଚକୋରପନ୍ତି ।ଆଶା ଯେହ୍ନେ ଶରଦ ଆଗମେ କରନ୍ତି ।୭୫ ।ସ୍ୱରୂପ ପ୍ରେବଶ ତଥା ଟେକିଲା ଆଶା ।ଅସର ହୋଇଲା ତେଣୁ ବାସର ନିଶା ।୭୬ ।ପାଛୋଟାଇ ପିଠିଆଇ ମନକୁ ମୃଦେ ।କର୍ଣ୍ଣ ଡେରେ ଯଥା ମୃଗ ଘଣ୍ଟି ଶବଦେ ।୭୭ ।ସପ୍ରେମେ ନୟନ ସେହି ଦିଗକୁ ଟେକି ।ନିରେଖ କାଗଜ ଚକି ଯଥା କୁତୁକୀ ।୭୮ ।ନିଦ୍ରା କ୍ଷୁଧା ବାଧା କରି ପାରିଲେ ନାହିଁ ।ଅଳପ ଅନୁରାଗ କି ହୋଇବ କହି ।୭୯ ।ବିନାୟକ ପୂଜ୍ୟ ସଦାଶିବ ତୋଷଦ ।ସୁମନସଗଣର ଯେ ହରେ ବିଷାଦ ।୮୦ ।ଉପେନ୍ଦ୍ର ଭଞ୍ଜ ବୀରବର ବିଚାରେ ।ଗୀତ ଶେଷ କରିବି ତାଙ୍କ କୃପାରେ ।୮୧ ।