ଗୁରୁଭକ୍ତି ଓ ଗୀତା (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଡଃ ଆର୍ତ୍ତବଲ୍ଲଭ ମହାନ୍ତି, ଏମ.ଏପ୍ରଥମ ପଟଳଶ୍ରୀ ଗଣେଶାୟ ନମଃ ଅବିଘ୍ନମସ୍ତୁକହୁଅଛି ଅଚ୍ୟୁତ ତୁ ଶୁଣ ଗୋପସୁତ ।ରାମଚନ୍ଦ୍ର ଦାସ ତୁଲେ ବାର ଗୋପାଳ ତ ॥
ବରଣ କରିଣ ଆଣ କୁଣ୍ଡବଳଦାକୁ ।ସାଇବିରି ବୋଲି ଦେଶ ଏହି ଯେ ଗ୍ରାମକୁ ॥
ଆଜ୍ଞା ପାଇଁ ରାମଚନ୍ଦ୍ର ଯଦୁଦାସ ରାଇ ।ଆଜ୍ଞା ପରମାଣେ ଯାଅ ସାରଦା ଦେଶଇ ॥
ରାହାସ ଗୋପାଳ ତୁମ୍ଭେ ଆଣିମ ସେ ସ୍ଥାନ ।ଶ୍ରୀକୃଷ୍ଣର ଯାତ୍ରା ତହିଁ ହେବ ପାଞ୍ଚଦିନ ॥
ଶ୍ରୀଗୁରୁ ପରମଗୁରୁ ଆଜ୍ଞା ଘେନି ଚଳି ।ସାରଦା ମଣ୍ଡଳେ ବାର ଗୋପାଳ ଯେ ମିଳି ॥
କହିଲେ ଗୁରୁଙ୍କ ଆଜ୍ଞା ତୁମ୍ଭଙ୍କୁ ବରଣ ।କୁଞ୍ଜଗ୍ରାମେ ଯିବା ସାଜ ତୁମ୍ଭେ ରାସଗଣ ॥
ଉତ୍ଥାନ ପବନ ଯେ ମୁକୁନ୍ଦ ଅନନ୍ତ ହିଁ ।ବତ୍ସ ଯେ ଯାଦବ ଆନନ୍ଦ ବାଳକ ତହିଁ ॥
ମଧୁ ଯେ ମଥୁରୀ ଏତେ ଜନଙ୍କୁ କହିଲେ ।ପୀତାମ୍ୱରପୁରେ ଯାଇଁ ପ୍ରବେଶ ହୋଇଲେ ॥
ଭ୍ରଥଦେବ ବିଷ୍ଣୁଦେବ ସୁଦାମ ଗୋବିନ୍ଦ ।ଆଜ୍ଞା ଦେଇଛନ୍ତି ମୋତେ ଶ୍ରୀ ଅଚ୍ୟୁତାନନ୍ଦ ॥
ତହୁଁ ଚଳି ବକ୍ରଦାସ ଧର୍ମଦାସ କହି ।ଦଶମୀ ବୈଶାଖମାସେ ମିଳିବେ ଯେ ଯାଇଁ ॥
ଯଦୁଦାସ ଭାଷା ଘେନି ଦଶମୀ ଦିନରେ ।ପ୍ରବେଶ ହୋଇଲେ ଯାଇଁ ଆନନ୍ଦ ମନରେ ॥
ପାଞ୍ଚଦିନ ରଙ୍ଗ ରସ ଆନନ୍ଦ ରହସ ।ରାସ ସାରି ପ୍ରବେଶ ଭଜନ କୁଦ ଦେଶ ॥
ନୀଳଗିରି କୁଦେ ଦିନେ କଲେକ ରହଣି ।ଆନନ୍ଦ ରହସେ ତହିଁ ପୁହାଇ ରଜନୀ ॥
ପ୍ରାତକାଳେ ସର୍ବେ ସ୍ନାନ କଲେକ ଯତନେ ।ସୂର୍ଯ୍ୟଙ୍କୁ ଜଳ ଦେଇଣ ସ୍ତୁତିବାକ୍ୟ ମାନେ ॥
କେହୁ ବୋଲଇ ସୂର୍ଯ୍ୟ ତ ବ୍ରହ୍ମାଣ୍ଡଧାରଣ ।ପୃଥିବୀ ରକ୍ଷଣହିଁ ତ ତୁମ୍ଭ ଜ୍ୟୋତି ପୁଣ ॥
ଋଷି ବିପ୍ର ବଇଷ୍ଣବ ତୁମ୍ଭଙ୍କୁ ଚାହିଁଣ ।ଜଳେ ସ୍ନାନ ଶଉଚରେ ହୁଅନ୍ତି କାରଣ ॥
ସ୍ନାନ ସାର କୂଳେ ବସି କମଳଆସନେ ।ପୂର୍ବମୁଖେ ବସି କଲେ ଭଜନ ଯତନେ ॥
କୃଷ୍ଣରୂପ ଲଏ କରି ବସିଲେ ଆସନେ ।ସୁମରିଣ ମନ୍ତ୍ର ଧ୍ୟାନ ହୃଦରେ ଯତନେ ॥
ସମ୍ବନ୍ଧିତ ରଚନା
ହରିବଂଶ (ତୃତୀୟ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ହରିବଂଶ (ପଞ୍ଚମ ଖଣ୍ଡ)ଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ
ଚବିଶ ଗୋପାଳ ଦଣ୍ଡବତ ଅଷ୍ଟାଙ୍ଗରେ ।ପଞ୍ଚାଙ୍ଗକୃତ ଅଞ୍ଜଳି ପ୍ରଣିପତ୍ୟ କରେ ॥
ରାହାସ ଗୋପାଳ ଯେ ଉତ୍ଥାନ ପଚାରିଲେ ।ସ୍ନାହାନ ଭୋଜନ ଆଜ୍ଞା ହୋଇବ ସେ ମୋରେ ॥
ଶ୍ରୀମୁଖରୁ ଶୁଣିଲେ ସଂଶୟ ଆମ୍ଭ ଯିବ ।ବାରଗୋଟି ଦାସ ମନୁଁ ବିସୋର ନ ଯିବ ॥
ତୁମ୍ଭ ଆଜ୍ଞା ଘେନି ଆମ୍ଭେ ସର୍ବଠାରେ ଥିବୁ ।ଜନମାନେ ପଚାରିଲେ ତାଙ୍କୁ ବୁଝାଇବୁ ॥
ଶୁଣ ହୋ ଉତ୍ଥାନ ଦାସ ସ୍ନାହାନ ବିଧାନ ।କାକ ରାବ ଦିଅନ୍ତେଣ ଉଠିବ ବହନ ॥
ପଥ ଚାଲିବାକୁ ମନ୍ତ୍ର ଗୋଟିଏ ଭଜିବ ।ଜଳ ପରିସ୍ରାବ ଦୁଇ ମନ୍ତ୍ର ସୁମରିବ ॥
ଜଳେ ମୁଖ ପ୍ରକ୍ଷାଳିଣ ମୃତ୍ତିକା ହସ୍ତରେ ।ତିନିବାର ସପ୍ତବାର ମୃତ୍ତିକା ବିଧିରେ ॥
ତେବେ ମନଦୋଷେ ହରେ ଶୁଣ ହୋ ଉତ୍ଥାନ ।ଏମନ୍ତ ବିଧିରେ କରୁଥିବ ନିତିଦିନ ॥
ଉତ୍ତରଦିଗକୁ ମୁଖ କରିବ ପ୍ରଭାତେ ।ଡାହାଣ ଭାଗକୁ ସୂର୍ଯ୍ୟ ରହିବ ଯେମନ୍ତେ ॥
ସୂର୍ଯ୍ୟଙ୍କୁ ମମ୍ମୁଖ କରି ବିରୋଳେଣ ବସି ।ବଇଷ୍ଣବ ବିପ୍ରଜନ ଅଂଶ ଯେତେ ଋଷି ॥
ଅଣ ଯେ ଉଦୟ ଯେବେ ସୂର୍ଯ୍ୟ ହୋଇଥିବ ।ପୂର୍ବଦିଗେ ମୁଖକରି ଦନ୍ତ ଯେ ଘଷିବ ॥
ଉଦୟ ହୋଇଲେ ମୁଖ ଉତ୍ତରକୁ କରି ।ଦକ୍ଷିଣେ ପଶ୍ଚିମେ ମୁଖ କେବେ ହେଁ ନ କରି ॥
ଆମ୍ରପତ୍ର ନ ତୋଳିବ ପଡ଼ିଲେ ଘଷିବ ।ଅପମାର୍ଗ, କୁମ୍ଭାରୁଆ, ବରଓଳି, ଲିମ୍ୱ ॥
କରଞ୍ଜ ଯେ ଉଦୁମ୍ୱର ଏ ଶୁଦ୍ଧ ଅଟଇ ।ଯେ ଯାହାକୁ ରୁଚିବ ଯେ ରଖିଥିବ ନେଇ ॥
ଜଳେ ପଶି ସ୍ନାହାନ କରିବ ସୂର୍ଯ୍ୟ ଚାହିଁ ।ଅନନ୍ତ ମୂରତି ରୂପ ଜଳେ ପ୍ରକାଶଇ ॥
ନାରାୟଣ ମୂରତି ସେ ଜଳେ ସୁମରନ୍ତି ।ପୂର୍ବେ ଉଦେ ହୋଇଣ ଯେ ପଶ୍ଚିମକୁ ଯାନ୍ତି ॥
ଏଣୁ କରି ଜଳେ ପଶି କରିବ ସ୍ନାହାନ ।ସେ ରୂପକୁ ଚାହିଁ ତାଙ୍କୁ କରିବ ସ୍ମରଣ ॥
ମାନସିକ ଭାବେ ତାକୁ ସ୍ନାହାନ କରାଇ ।ତାଙ୍କ ଗୁଣମାନ ସୁମରିବ ଜଳେ ଥାଇ ॥
ତାଙ୍କ ରୂପ ଧ୍ୟାଇ ଯେଉଁମାନଙ୍କ ଭଜନ ।ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ତାଙ୍କ ପାଦେ ଲୀନ ॥
ଏଣୁକରି ଉଦେ ସନ୍ଧ୍ୟା ବୈଷ୍ଣବର ଦୃଢ଼ ।ନ ପାରନ୍ତି ଗୃହୀଜନେ ବିଷୟ ଝଗଡ଼ ॥
ଶୁଣ ହୋ ଉତ୍ଥାନ ଦାସ ଗୁରୁଭକ୍ତି ରସ ।ଗୁରୁଭକ୍ତିଗୀତା ଏ ଦ୍ୱିତୀୟ ଖଣ୍ଡ ପରକାଶ ॥
ପ୍ରଥମ ଛାନ୍ଦ ଏ କର୍ମବିଧି ଦେଲୁ କହି ।
ବୁଝି ହେତୁ କର ବାବୁ ଅଚ୍ୟୁତ କହଇ ॥
ଇତି ଶ୍ରୀ ଗୁରୁଭକ୍ତିଗୀତା ଦ୍ୱିତୀୟଖଣ୍ଡେ ଶିଷ୍ୟବୋଧନେକର୍ମବିଧିକଥନେ ନାମ ପ୍ରଥମ ପଟ୍ଟଳଦ୍ୱିତୀୟ ପଟଳକରପତ୍ର ଯୋଡ଼ିଣ ଯେ ରାମଚନ୍ଦ୍ର କହି ।ଜଳର ତିଳକବିଧି କହିବା ବୁଝାଇ ॥
ପ୍ରଥମରେ କିଛି ଜଳ ହସ୍ତରେ ଘେନିବ ।ଅଣାକାର ବିନ୍ଦୁରେ ଯେ ସିଞ୍ଚି ପକାଇବ ॥
ଅର୍ଦ୍ଧବିନ୍ଦୁ ଉପରେ ତିଳକ ବିନ୍ଦୁ ଦେଇ ।ଅର୍ଦ୍ଧବିନ୍ଦୁ କଣ୍ଠେ ଦିଅ ଷୋଳକ୍ଷର ଧ୍ୟାଇ ॥
ଠଅବିନ୍ଦୁ ଦେବ ପୁଣ ଦ୍ୱାଦଶ ବଳରେ ।ଫଅବିନ୍ଦୁ ବସିବ ଯେ ଦଶ ପାଖୁଡ଼ାରେ ॥
ଲ ଅକ୍ଷର ଅର୍ଦ୍ଧବିନ୍ଦୁ ଛଡ଼ ଯେ ପାଖୁଡ଼ା ।ସ ଅକ୍ଷର ଅର୍ଦ୍ଧବିନ୍ଦୁ ରଖିବ ଯେ ପୁଡ଼ା ॥
ଅର୍ଦ୍ଧମାତ୍ରା ଉପରେ ଯେ ଚତୁର୍ଦ୍ଦଳ ଯାଏ ।ଛଡ଼ ବିନ୍ଦୁ ବସିଅଛି ଲିଙ୍ଗଚକ୍ର ଦେହେ ॥
ଏଣୁକରି ସେ ବିନ୍ଦୁକୁ ତିଳକେ ପୂଜିବ ।ସଦଗୁରୁ ଦେଖାଇଲେ ଏ ଭେଦ ପାଇବ ॥
ଛଡ଼ ବିନ୍ଦୁ ଉପରେ ଯେ ଅଣାକାର କହି ।ସେ ବିନ୍ଦୁ ଚିହ୍ନିଲେ ଯେ ନିସ୍ତାର ଗତି ପାଇ ॥
ବିନ୍ଦୁ ଭେଦ ନ ଜାଣନ୍ତି ଯେବଣ ଯେ ଦାସ ।ବିଧବା ଯୁବତୀ ପ୍ରାୟେ ହୋଇଯାନ୍ତି ନାଶ ॥
ବାମରେଖା ଲଲାଟରେ ବ୍ରହ୍ମାପୁଜା ଦେଇ ।ଦକ୍ଷିଣ ରେଖା ଯେ ପୁଣ ସଦାଶିବ ହୋଇ ॥
କଲି ଅଟେ ଗରୁଡ଼ର ପୂଜା ଅଟେ ସେହି ।ହରିର ମନ୍ଦିର ଏ ନିର୍ବାଣ ପୁର ହୋଇ ॥
ନୟନର ଉପରେ ଯେ ଭ୍ରୁଲତା ମଧ୍ୟରେ ।ତ୍ରିକୁଟ ସନ୍ଧିରେ ହରି ବିଜୟ ସେଠାରେ ॥
ଜ୍ୟୋତିରୂପ ସେଠାବରେ ଅର୍ଦ୍ଧବିନ୍ଦୁ କହି ।ଏହା ଚିହ୍ନି ଘେନିଲେ ତିଳକ ଗତି ପାଇ ॥
ଗୁରୁଙ୍କ ଭଣ୍ଡାର ଏହୁ ଗୁପତ ଅଟଇ ।ଦୃଢ଼ଭକ୍ତି ଶିଷ୍ୟ ହେଲେ ଗୁରୁ ଦ୍ୟନ୍ତି କହି ॥
ଶୁଣ ଆହେ ତେର ଦାସ ରାସର ମଣ୍ଡଳୀ ।ପୂର୍ବଜନ୍ମେ ଭାଗ୍ୟ ଥିଲେ ଏହୁ ଗୁରୁ ମିଳି ॥
ଆଣ୍ଟ ବୋଲି ପ୍ରାଣିମାନେ ହେଉଥାନ୍ତି ଦାସ ।ଆତ୍ମାର ଭିତରୁ ତିଳେ ନ ଜାଣନ୍ତି ଲେଶ ॥
ଆତ୍ମା ଭେଦ ଜାଣିଲେଟି ପ୍ରାଣୀ ଗତି ପାଇ ।ଆତ୍ମା ନ ଭେଟିଲେ ଚାରିଖାନି ଭ୍ରମୁଥାଇ ॥
ବାହାର ଭିତର ତୁମ୍ଭେ ବୁଝ ମନ ଦେଇ ।କହିବ ତୁମ୍ଭେ ଶିଷ୍ୟରେ ଏ ଭେଦ ବୁଝାଇ ॥
ଅଂଶା ଅଂଶ ଯେଉଁମାନେ ପୂର୍ବାଭାଗ୍ୟେ ଥିବ ।ଏ ଗୁରୁ ମିଳିଲେ ତାଙ୍କ ସଂଶୟ ଫିଟିବ ॥
ଅଚ୍ୟୁତର ଶିଷ୍ୟ ରାମ ରାମଶିଷ୍ୟ ବାର ।ବାର ମଧ୍ୟେ ଚାରି ଅଟେ ଭ୍ରଥର କୁମର ॥
ଏହି ବାରଜଣଗଣେ ବ୍ରହ୍ମାଣ୍ଡ ଉତ୍ସନ୍ନ ।ସ୍ଥାନେ ସ୍ଥାନେ ଦେବ ପୁଣ ରାହାସ ରଞ୍ଜନ ॥
ଶ୍ରୀକୃଷ୍ଣ ଚୈତନ୍ୟଙ୍କର କରୁଣା ତୁମ୍ଭରେ ।ଗୋଲୋକ ଆୟୁଧ ଲୀଳା ଧଇଲେ ହସ୍ତରେ ॥
ହରିନାମ ଆଶ୍ରେ କରି ସଂସାରରେ ଥିବ ।ତିଳକଭେଦ ଜାଣିଲ ସଂସାରୁ ତରିବ ॥
ମୁକୁନ୍ଦ, ଅନନ୍ତ, ବତ୍ସ, ସୁଦାମ, ଆନନ୍ଦ ।ଗୋବିନ୍ଦ, ବାଳକ, ମଧୁ, ମଥୁରୀ ଯେ ବୃନ୍ଦ ॥
ଚିତ୍ତରେ ସନ୍ତୋଷ ହୋଇ ସାଷ୍ଟାଙ୍ଗେ ପ୍ରଣାମ ।ଆମ୍ଭେମାନେ ହୋଇଅଛୁଁ ଅତି ଯେ ଅଧମ ॥
ପ୍ରେମଭରେ ଅଶ୍ରୁଝରେ କଲେ ଆଲିଙ୍ଗନ ।ତୁମ୍ଭ ଆମ୍ଭ ଅଙ୍ଗ ପୁଣ ନୋହେ ଭିନ୍ନାଭିନ୍ନ ॥
ଠାକୁର ଆଜ୍ଞାରେ ଆମ୍ଭେ ଆସନେ ବସିବୁ ।ତୁମ୍ଭଙ୍କୁ ସଂସାର ଦେଇ ଖେଳରେ ରସିବୁ ॥
ଦ୍ୱାପରଲୀଳା ଯେ କିଛି ଭିଆଣ କରିବ ।ଆପଣେ ତରିଣ ପୁଣି ପରେ ଯେ ତାରିବ ॥
ଷୋଳସସ୍ର ଗୋପାଳ ଯେ ଆମ୍ଭର ସେ ଗଣ ।ମକୁନ୍ଦ ଅନନ୍ତ ଶ୍ରେଷ୍ଠ ଅଟନ୍ତି ଯେ ପୁଣ ॥
ବିଷୟାଝଗଡ଼ ଛାଡ଼ି ରାହାସେ ମଜ୍ଜିଲ ।ବାଳକ ଯେ ପୁତ୍ରବଧୁ ମନକୁ ରଞ୍ଜିଲ ॥
ସାଧୁସନ୍ଥ ବୈଷ୍ଣବମାନଙ୍କୁ ଉତ୍ତମ ।ରାହାସ ଲୀଳା ହୋଇବ ଗ୍ରାମ ମଠମାନ ॥
ଆବର ଛଡ଼ ଗୋପାଳେ ତୁମ୍ଭ ସଙ୍ଗେ ପଡ଼ି ।ରାହାସଲୀଳା କରିବେ ତୁମ୍ଭ ଶିକ୍ଷା କରି ॥
ରାହାସ ଦାସର ଗୁରୁ ତୁମ୍ଭେ ବାରଜଣ ।ତାହାଙ୍କୁ କହିବ ଏହୁ ତିଳକ ପ୍ରମାଣ ॥
ଏହି ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡରେ ।କର୍ମବିଧି କହିଲି ଯେ ତୁମ୍ଭରି ହିତରେ ॥
ବିଷୟା ସଂସାରେ ଜନ୍ମହୋଇ ତୁମ୍ଭେ ପୁଣ ।ପୂର୍ବହେତୁ ପାସୋରିଲ ଦେହକୁ ବହିଣ ॥
ଆମ୍ଭହେତୁ ପ୍ରସରିଲା ଶ୍ରୀକୃଷ୍ଣ କରୁଣା ।ତୁମ୍ଭହେତୁ ପ୍ରସରିଲା ପୂର୍ବର ବାସନା ॥
ଜନ୍ମେ ଜନ୍ମେ ତୁମ୍ଭେମାନେ ରାହାସର ଜନ ।ଅଚ୍ୟୁତର ବଚନ ତୁମ୍ଭେ ହେତୁ କରି ଘେନ ॥
ଇତି ଶ୍ରୀଗୁରୁଭକ୍ତି ଗୀତାୟାଂ ଗୁରୁଶିଷ୍ୟବୋଧନେସ୍ନାନବିଧିକଥନେ ନାମ ଦ୍ୱିତୀୟପଟଳତୃତୀୟ ପଟଳକର ଯୋଡ଼ି ପଚାରନ୍ତି ବତ୍ସ ସେ ପବନ ।ଗୋବିନ୍ଦ ଆନନ୍ଦ ହୋଇ ପଚାରଇ ପୁଣ ॥
ତ୍ରିସନ୍ଧ୍ୟା କେମନ୍ତ ଗୁରୁ କହିବା ବୁଝାଇ ।କିପାଁ କରୁଥାନ୍ତି ପ୍ରାଣିମାନେ ଏହା ଧ୍ୟାଇ ॥
ନ କଲେଣ କିସ ହୋଏ କଲେ କିସ ଫଳ ।ଏଥିର ସନ୍ଦେଶ ଶୁଣ ଦ୍ୱାଦଶ ଗୋପାଳ ॥
ତ୍ରିସନ୍ଧ୍ୟାରେ ସୁମରଣ କରନ୍ତି ଯେ ଜନ ।ସପ୍ତପୁରୁଷ ଉଦ୍ଧାରନ୍ତି କୃଷ୍ଣ ଭଜି ପୁଣ ॥
ଶୁଣ ଆହେ ଗୋପସୁତ ପ୍ରାତ ସ୍ନାନକଥା ।ଶୁଣସି ହେ ଏ ଗ୍ରନ୍ଥର ଯେମନ୍ତ ବ୍ୟବସ୍ଥା ॥
ମଧ୍ୟ ସନ୍ଧ୍ୟା କହିଦେବ ଏବେ ତୁମ୍ଭେ ଶୁଣ ।ଯେମନ୍ତେ ରହିବ ହେତୁ ତୁମ୍ଭର ହୃଦେଣ ॥
ପ୍ରାତକାଳେ ପୂର୍ବରୁ ଯେ ପ୍ରହରେ ଭଜନ ।ତହୁଁ ଯେ ଉଠି କରିବ ରୋଷେଇ ବିଧାନ ॥
ତିନିଘଡ଼ି ରୋଷେଇ ଯେ କରିଣ ସାରିବ ।ଦ୍ୱିତୀୟ ପ୍ରହରେ ସ୍ନାନ ପୁଣି ଯେ କରିବ ॥
ପୁଣ ପୂର୍ବମୁଖ ହୋଇ ମନ୍ତ୍ରକୁ ସୁମରି ।ଦ୍ୱିତୀୟ ସନ୍ଧ୍ୟା ସାରିଲେ ସେ ଦିଗେ ନ କରି ॥
ଦୁଇଘଡ଼ି ଭୋଜନର ନିତି ଯେ କରିବ ।ଛଡ଼ଘଡ଼ି ଶୟନରବିଧି ଯେ ସାରିବ ॥
ପୁଣ ଦୁଇ ଘଡ଼ିଠାରୁ କର୍ମବିଧି ସାରି ।ସ୍ନାହାନ କରିବ ଯେ ପଶ୍ଚିମମୁଖ କରି ॥
ଧ୍ୟାନକରି ପୂଜାବିଧି ସେ ଦିଗେ କରିବ ।ସୂର୍ଯ୍ୟମୁଖ ହୋଇଣ ଯେ ସ୍ନାହାନ ସାରିବ ॥
ତ୍ରିୟବାର ସ୍ନାହାନ ଯେ ଗୋପାଳର ବିଧି ।ଅମେଧ ଗୃହରେ ନ କରିବ ଅନ୍ନସିଦ୍ଧି ॥
ନୂଆପାକ କରି ହସ୍ତେ କରିବ ଭୋଜନ ।ଖୋଳ କରତାଳ ବହିଥିବ ଯେତେ ଦିନ ॥
ଶ୍ରୀ ବୃନ୍ଦାବନଲୀଳା ଶ୍ରୀକୃଷ୍ଣଙ୍କର ବେଶ ।ରୁଞ୍ଜ ଗୁଞ୍ଜ ତରାସ ତ ଚୂଳ ମାଳ ବେଶ ॥
ଖୋଳ କରତାଳ ଶିଂଘା ବେଣୁ ଯେ ବଇଁଶୀ ।ଏମାନ ବହିଣ ଥିବ ସଦା ଦିନ ନିଶି ॥
ଏଣୁକରି ଅଶୁଚି ଯେ ଅଙ୍ଗ ନ କରିବ ।ଶୁଚିବନ୍ତ ହୋଇକରି ସଦାବେଳେ ଥିବ ॥
ପୂରିଲାର ଭାଣ୍ଡପ୍ରାଏ ତାର ଘଟ ରହି ।ଶୁଚିବନ୍ତ ଘଟ ପୁଣ ନୂଆପରି ଥାଇ ॥
ଶୁଦ୍ଧ ଅନ୍ନ ନ ଭକ୍ଷ ଛୁତକ ଅନ୍ନମାନ ।ଉପାସନା ନଇବେଦ୍ୟ ନ କରିବ ଭିନ୍ନ ॥
ଶ୍ରାଦ୍ଧଅନ୍ନ ନ ଭକ୍ଷି ପତିଜ ଘରଅନ୍ନ ।କୃଷ୍ଣଉପାସନା ନାହିଁ ପତିତ ଯେ ଜନ ॥
ରାଜଖନ୍ଦା ଅନ୍ନମାନ ନ କରି ଭୋଜନ ।ଶମ୍ଭୁ ଅନ୍ନ ବିଷ୍ଣୁ ଜନେ ନିଷେଧଟି ଜାଣ ॥
ରାଜା ସମପଣକୁ କଳ୍ପଣା ହୋଇଥାଇ ।ବିଷ୍ଣୁଙ୍କୁ ଯେ ସମପଣ କରିବା ନୋହଇ ॥
ଆମିଷ ମାଏଁସ ଯେଉଁ ଘରେ ରନ୍ଧାହୋଇ ।ବ୍ରଜବାସୀ ବଇଷ୍ଣବ ସେ ପାକ ନ ଛୁଇଁ ॥
ପତିତଟି ଜାଣ ବାବୁ ସେହୁ ପାକମାନ ।କୃଷ୍ଣଭାବ ନ ଜାଣେ ଯେ ପତିତରେ ଗଣ ॥
ଛୁତକ ଘର ଅମେଧ ଅନ୍ନ ତା ନ ଛୁଇଁ ।ଦଶମ ଦିବସେ ଗୃହଶୁଦ୍ଧି ତାର ହୋଇ ॥
ଶ୍ରାଦ୍ଧଅନ୍ନ ପିତୃଗଣେ କଳ୍ପୁଥାନ୍ତି ପୁଣ ।ରାହାସଲୀଳା କରିବ ଏବିଧି ଦେଖିଣ ॥
କୃଷ୍ଣଯୋଗ୍ୟ ନୋହଇ ସେହୁ ଅନ୍ନମାନ ।ବ୍ରଜ ବଇଷ୍ଣବମାନେ ତେଜିବଟି ପୁଣ ॥
ସଂସାରର ଜନମାନେ ବାସୀ ସେ ଅଟନ୍ତି ।ଘୁଞ୍ଚିଯିବ ସାଧୁମାନେ ସେହି ଠାବୁରୁଟି ॥
ଦ୍ୱାଦଶ ରାତ୍ର ଅନ୍ତରେ ସେଠାରେ ଭୁଞ୍ଜିବ ।ନବତନ ବିଧି ପାକ ହାଣ୍ଡି ଯେ କରିବ ॥
ବାଦିମାନେ ସଂସାରେ ବହୁତ ଛନ୍ତି ଜାଣ ।ଅକର୍ମ ଜନମାନେଟି କର୍ମର ବିଧାନ ॥
କୃଷ୍ଣଙ୍କୁ ନିଷେଧ ଯେ ବୈଷ୍ଣବ ଯଉଁ ଜନ ।ଏଗାର ଦିବସ ଯାଏ ନ କରେ ଭୋଜନ ॥
ଅକର୍ମର ଗତି ଜିହ୍ୱା ଲାଳସା କରଇ ।କର୍ମମାନ ଜାଣିକରି ମୃକାର ବହଇ ॥
ବ୍ରଜନୀତି କର୍ମମାନ ତୁମ୍ଭେ କରୁଥିବ ।ଗୋପାଳମୂରତି–କଳା ହୃଦରେ ଧରିବ ॥
ଜ୍ୟୋତିରାନନ୍ଦ ମୂରତି ତ୍ରିକୁଟେ ବସାଇ ।ନିତି ଭୋଗ ଦେଉଥିବ ସେ ସ୍ଥାନକୁ ଚାହିଁ ॥
ଗୋପାଳ ମନ୍ତ୍ରକୁ ପାଞ୍ଚଭାଗ ଯେ କରିବ ।ପଞ୍ଚ ଯେ ମୂରତି ଏହି ଭାବରେ ପୁଜିବ ॥
ଜନ ବଳଭଦ୍ର ଦୂତୀ ତ୍ରିପୁରା ସୁନ୍ଦରୀ ।ଗୋପୀ ଗୋବିନ୍ଦାୟ ବଲ୍ଲଭାୟ ପୂଜା କରି ॥
କୃଷ୍ଣାୟ କୃଷ୍ଣ ପୂଜିବ ଏପଞ୍ଚ ବିଧିରେ ।ତ୍ରିପୁରା ପୂଜିଲେ ଗୋପୀ ଥାନ୍ତି ତାଙ୍କଠାରେ ॥
ରାଧା କୃଷ୍ଣଙ୍କ ମୂରତି ସହଜେ ବିଖ୍ୟାତ ।ଏକ ଅଙ୍ଗ ପଞ୍ଚମୂର୍ତ୍ତି ଲୀଳାର ନିମିତ୍ତ ॥
ଶୁଣ ଆହୋ ଗୋପସୂତ ଅଚ୍ୟୁତ ବଚନ ।ଏହୁ ଗୁରୁଭକ୍ତି ଗୀତ ଦ୍ୱିତୀୟ ଖଣ୍ଡେଣ ॥
ପୂର୍ବ ଜନ୍ମ ଭାଗ୍ୟଥିଲେ ବିଷ୍ଣୁ ବ୍ରତ କରେ ।ବିଷ୍ଣୁଙ୍କୁ ସୁମରିଣ ଭବ-ଭୟ ହରେ ୪୦ ॥
ଇତି ଶ୍ରୀଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେପୂଜା ବିଧି ବିଧାନକଥନେ ନାମ ତୃତୀୟପଟଳଚତୁର୍ଥ ପଟଳବକ୍ର ବିଷ୍ଣୁ ଦେଖିଣ ଯେ ପଚାରନ୍ତି ପୁଣ ।ତିଳକର ଥୋକେ ପ୍ରଭୁ ନୋହିଲା ପ୍ରମାଣ ॥
ଏ ଦୁଇ କର୍ମ ଛାଡ଼ିଣ ଅନ୍ୟ କର୍ମ କରେ ।କନିଷ୍ଠ ଗୋପାଳ ବୋଲି କହିଟି ତାହାରେ ॥
ଉତ୍ତମ ମଧ୍ୟମ ଯେ କନିଷ୍ଠ ତିନି ମତ ।ଜାତିମାନଙ୍କରେ ପ୍ରାଣୀ ଅଛନ୍ତି ଏମନ୍ତ ॥
ଏଣୁକରି ତୁମ୍ଭେମାନେ କୁଳ ସେ ତାରିବ ।କଳିଯୁଗରେ ତୁମ୍ଭର କୀରତି ରହିବ ॥
ମଧ୍ୟମ କନିଷ୍ଠ କୁଳେ ରାମ ଭ୍ରଥ ସାର ।ବିଷ୍ଣୁ ଧର୍ମ ବକ୍ର ପଞ୍ଚଜନେ ମୋର ସାର ॥
କମାର ଯେ ରାମଦାସ କୁମ୍ଭାର ଯେ ରାମ ।ନନ୍ଦ କନ୍ଦ ମୁରାରି ଅଟନ୍ତି ତିନିଜଣ ॥
ନିରଞ୍ଜନ ବେହେରା ଦକ୍ଷିଣ ଚନ୍ଦ୍ର ଦୁଇ ।କନିଷ୍ଠ ମଧ୍ୟମ ତାର ବାରଜଣ ଭାଇ ॥
ବିଭା ବନ୍ଦାପନା ଯେ ଅଶୌଚ କର୍ମମାନ ।ଧର୍ମପଥମାନ କରି କରନ୍ତି ସ୍ଥାପନ ॥
ସତ ଯତ ଦୟା ଶାନ୍ତି ମନ୍ତ୍ର ଯନ୍ତ୍ରମାନ ।ଛାୟା ଯେ ଅବାଡ଼ ଜ୍ୟୋତି ସମାଧି ସାଧନ ॥
ଏ ସାଧନମାନ ତୁମ୍ଭେ ନିତ୍ୟେ କରୁଥିବ ।ଆପଣେ ତରିବ ତୁମ୍ଭେ ପରେ ନିସ୍ତାରିବ ॥
ଏ ଭେଦ ଜାଣି ଉତ୍ତମ ମଧ୍ୟମ ଯେ କରେ ।ଗ୍ରହଣ କଲେଣ ପାପ ଲାଗିବ ତୁମ୍ଭରେ ॥
ରୋଗ ଶୋକ ଦାରିଦ୍ର୍ୟ ଗୃହରେ ହେବ ଜାତ ।ଏଣୁକରି ଶାନ୍ତି ରୂପ ଧରି ଗୋପସୁତ ॥
ଖୋଳ ଯେ କର୍ତ୍ତାଳ ଶିଙ୍ଘା ବେଣୁ ଯେ ବଇଂଶୀ ।ରୁଞ୍ଜ ଗୁଞ୍ଜ ଗରଗଡ଼ ଚୂଳ ତ୍ରାସ ମିଶି ॥
ଶଙ୍ଖ ବୀଣା ଖଞ୍ଜଣି ପଖାଉଜ ମୟୁର ।ଏମାନ ବହିଣ ତୁମ୍ଭେ ଶ୍ରେଷ୍ଠ ଗୋପ ତେର ॥
ମୁକୁନ୍ଦ ଅନନ୍ତ ବତ୍ସ ପବନ ସୁଦାମ ।ଯାଦବ ବାଳକ ମଧୁ ମଥୁରି ଉତ୍ଥାନ୧୫ ॥
ଗୋବିନ୍ଦ ଯେ ବୃନ୍ଦାବନ ବାରସୁତ ଶୁଣ ।ଉତ୍ତମ ଗୋପାଳ ତୁମ୍ଭେ ମୂଳେ ଥିବ ପୁଣ ॥
ଫୁଲ ପାନ ବସନ ଚନ୍ଦନ ଦୃଢ଼ ମନ ।ଏମନ୍ତ ପୂଜା ଦେଖିଣ ଯେବଣ ଭୁବନ ॥
ଏହା ଦେଖିଲେ ଯେ ପୁଣ ରାହାସ ରଞ୍ଚିବ ।ଅଣରାସ ଜନଠାରେ କେଭେଁ ନ ବସିବ ॥
ଭୁଞ୍ଜିବ ଯେ ନୂଆପାକେ ହସ୍ତରେ ରାନ୍ଧଣ ।ଦ୍ୱାଦଶ ଗୋପାଳେ ଭୋଗ ଦେବ ବାର ସ୍ଥାନ ॥
ଶଙ୍ଖର ଶବଦ ଦେବ ମଧୁଦାସ ମୂଳେ ।ବାଳକ ରନ୍ଧନ ପାକ କରିଣ କୁଶଳେ ॥
ସଖୀ ଅଙ୍ଗ ସେବା ରଖ ମୁକୁନ୍ଦ ଅନନ୍ତ ।ରାଧା ସେବା ମୁକୁନ୍ଦ ଦୂତୀସେବା ଅନନ୍ତ ॥
କୃଷ୍ଣସେବା ପବନ କରିବ ମନ ଦେଇ ।ଉତ୍ଥାନ ମୃଦଙ୍ଗ ସେ ଉଛୁଳିବ ମହୀ ॥
ଦୁହାର ମୃଦଙ୍ଗ ଧର ଗୋବିନ୍ଦ ହୋ ଦାସ ।କଂସାଳ ଶିରୀ ଧରିବ ଆନନ୍ଦ ହରଷ ॥
ଦ୍ୱିତୀୟ କଂସାଳ ରଖ ବତ୍ସ ଦାସ ମୂଳେ ।ତୃତୀୟ କଂସାଳ ରଖ ମାଧୁରୀର ମେଳେ ॥
ବୃନ୍ଦାବନ ଦାସ ମୁଳେ ପଙ୍ଖା ଯେ ବିଞ୍ଚଣି ।ଏହି ବାର ଦାସଙ୍କର ରାହାସ ଗାୟଣି ॥
ଶ୍ରେଷ୍ଠ ଯେ ଗୋପାଳ ଅଟ ତୁମ୍ଭେ ବାର ଦାସ ।ତୁମ୍ଭ କରୁଣାରୁ ସର୍ବଶ୍ରେଷ୍ଠ ହେବ ଅଂଶ ॥
ଚବିଶ ଗୋପାଳ ଶୁଣ ତିଳକ ପ୍ରମାଣ ।ବକ୍ର ବିଷ୍ଣୁ ଦକ୍ଷିଣ ପଚାରେ ଯାହା ପୁଣ ॥
ଚବିଶ ଗୋପାଳ ଘେନ ଏହୁ ଯେ ବିଚାର ।ଉତ୍ତମ ମଧ୍ୟମ ଶିଷ୍ୟ ଗୁରୁ ସମାଚାର ॥
ହରି ମନ୍ଦିର ତିଳକ ସପ୍ତବିନ୍ଦୁ କଥା ।କହିବା ଏଥିର ସନ୍ଧି ଯେ ଏଥି ବ୍ୟବସ୍ଥା ॥
ହୃଦୟ ତିଳକବିନ୍ଦୁ କହୁଅଛି ଶୁଣ ।ଦ୍ୱାଦଶ ତିଳକ ଯେଉଁ ଭାବେଣ ପ୍ରମାଣ ॥
କର୍ଣ୍ଣେ ସୂର୍ଯ୍ୟ ଦେବତାଙ୍କୁ ତିଳକ ଯେ ଦେଇ ।ନୟନକୋଣ ତିଳକ ଚନ୍ଦ୍ରଦେବ କହି ॥
କଣ୍ଠତଟ ତିଳକ ଯେ ଈଶ୍ୱର ଗଉରୀ ।ବିମଳା ସଖୀ ବାହୁରେ ପୂଜାବିଧି କରି ॥
ଲକ୍ଷ୍ମୀନାରାୟଣ ପୂଜ ହଦଦେଶେ ଦେଇ ।ବ୍ରହ୍ମା ସାବିତ୍ରୀଙ୍କ ପୂଜା ନାଭିରେ ବସଇ ॥
କାମଦେବ କାମାକ୍ଷୀଙ୍କି ଲିଙ୍ଗମୂଳେ ଦେବ ।ଶଙ୍ଖିନୀ ଗଣପତିଙ୍କ ପଦାଦ୍ୟେ ପୂଜିବ ॥
ଦ୍ୱାଦଶ ତିଳକଭେଦ ଶୁଣ ମନ ଦେଇ ।ପଞ୍ଚାଶ ଅକ୍ଷରେ ଯେ ନିର୍ବାଣ ପୂଜା ହୋଇ ॥
ଏ ପଞ୍ଚାଶ ଚିହ୍ନିକରି ତିଳକ ଯେ ଘେନେ ।ମୃତ୍ୟୁକାଳେ ଗମନ୍ତି ଏ ଶ୍ରୀକୃଷ୍ଣ ଭୁବନେ ॥
ଏ ପଞ୍ଚାଶ ନ ଭେଦି ଯେ ଘେନଇଁ ତିଳକ ।ମଲେଣ ସେ ଆତଯାତ ହେଉଥାନ୍ତି ଲୋକ ॥
ସାଧୁତ ମହତଘରେ ଜନ୍ମ ହେଉଥାନ୍ତି ।ମୁକ୍ତିପଦ ଲଭନ୍ତି ସେ ଭକ୍ତି ନ ପାବନ୍ତି ॥
ପଞ୍ଚାଶ ଅକ୍ଷର ଭେଦି ତିଳକ ଯେ ଦେବ ।ବେନି ଚକ୍ଷୁକୋଣେ ସିଧି ଅକ୍ଷର ବସିବ ॥
ର ଅସ୍ତୁ ବସିବ ଓଷ୍ଠର ଯେ ବେନି କୋଣେ ।ଇ ଈ ବସିବ ଦନ୍ତପାଟିର ବେନି ସ୍ଥାନେ ॥
ଓଔ ଲଲାଟରେ ବସେ ଋୠ ଭୁଜ ଦୁଇ ।ୡ ୡ ବସେ ଶ୍ରବଣରେ ଏଐ କଣ୍ଠ ତହିଁ ॥
ଉ ଊ କୁକ୍ଷିରେ ବସେ ବ୍ରହ୍ମରନ୍ଧ୍ରେ ଅ ଆ ।ଗୁରୁଙ୍କ ବଚନ ଏହୁ ଦୃଢ଼ଚିତ୍ତ ହିୟା ॥
ଡାହାଣ ଭୁଜରେ କ ଖ ଗ ଘ ଙ ବସଇ ।ବାମଭୂଜେ ଚ ଛ ଜ ଝ ଞ କ୍ଷର ଯେ ଶୋହି ॥
ଟ ଠ ଡ ଢ ଦକ୍ଷିଣ ଯେ ପାଦମଲୋ ବସେ ।ଣ ତ ଥ ଦ ଧ ନ ବାମପାଦ ଆଡ଼େ ମିଶେ ॥
ପ ଫ ବ ଭ ମ ଯ ନାଭିଦେଶରେ ପ୍ରକାଶ ।ର ଳ ଶ ଷ ସ ରେଣ ଲୀନ ହୋଏ ଶେଷ ॥
ହଂ କ୍ଷଂ ବ୍ରହ୍ମରନ୍ଧ୍ରେ ଏମନ୍ତେ ପ୍ରକାଶ ।ତିଳକଭେଦ ଜାଣନ୍ତି ୟେମନ୍ତ ଯେ ଦାସ ॥
ଏ ଭେଦ ନ ଜାଣି ଯେବେ ଘେନନ୍ତି ତିଳକ ।ମନର ସଂଶୟମାନ ନ ଛାଡ଼ଇ ତାଙ୍କ ॥
ଚିତ୍ତ ଛନ୍ନ ଛନ୍ନ ଯେ ଶାହାସ୍ରମାନ ଶୁଣି ।କେଉଁଠାରୁ ପଚାରିବି ହେଉଥାଇ ଗୁଣି ॥
ଏଣୁକରି ସଦଗୁରୁଠାରୁ ଘେନି ନାମ ।ନାମକୁ ଚିହ୍ନିଲେ ଦମ୍ଭ ମନର ଉତ୍ତମ ॥
ନାମ ବୀଜମନ୍ତ୍ର ଅଣଅକ୍ଷର ଯେ ହୋଇ ।ଦ୍ୱିତୀୟ ଡାଳ ଯେ ଏକାକ୍ଷର ମନ୍ତ୍ର କହି ॥
ତୃତୀୟ ଡାଳ ଯେ ପୁଣ ଅଟଇ ତାରକ ।ଶ୍ୟାମ ପଞ୍ଚାକ୍ଷର ମନ୍ତ୍ର ଚତୁର୍ଥ ଡାଳେକ ॥
ଷୋଳନାମ ଗୋଟି ପଞ୍ଚ ଡାଳ ଯେ ଅଟଇ ।ଏ ପଞ୍ଚମନ୍ତ୍ରରୁ ସର୍ବମନ୍ତ୍ର ଜନ୍ମ ହୋଇ ॥
ଏହୁ ପଞ୍ଚମନ୍ତ୍ର ଭଜି ଶୁଚିବନ୍ତେ ଥିବ ।ରାହାସ ସାରିଣ ପ୍ରାନ୍ତେ ସମାଧି ସାଧିବ ॥
ସଂସାର ପାପ ତୁମ୍ଭର ଅଙ୍ଗରେ ନ ମିଶେ ।ଚୁମିର ନାଶଇ ଯେହ୍ନେ ସୂର୍ଯ୍ୟ ପରକାଶେ ॥
ହରଷ ହୋଇଲେ ଶୁଣି ଚବିଶ ଗୋପାଳ ।ଅଚ୍ୟୁତର ଚରଣରେ ନମିଲେ ସକଳ ॥
ଏହି ଗୁରୁଭକ୍ତି ଗୀତା ଯେ ଜନ ପଢ଼ଇ ।ଭଲ ସଂଶୟମାନ ସକଳ ଛାଡ଼ଇ ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ ତିଳକବିଧିନିର୍ଣ୍ଣୟେ ନାମ ଚତୁର୍ଥ ପଟଳପଞ୍ଚମ ପଟଳବାଳକ ମଥୁର ବୃନ୍ଦାବନ ଯେ ପଚାରି ।ମାଳାମାନ କି ନମନ୍ତେ ହୃଦେ ଥାନ୍ତି ଧରି ॥
ଏଥିର ଯେ ସାର ଗୁରୁ କହିଦେବ ପୁଣ ।କେମନ୍ତ କରି ଭଜନ କେଉଁ ମନ୍ତ୍ରେ ପୁଣ ॥
ଶୁଣ ଆହୋ ଗୋପସୁତ କହିଦେବା କିଛି ।ଅପାର ମହିମା ଯେ ତୁଳସୀମାଳେ ଅଛି ॥
ଶୟେ ଅଷ୍ଟଗୋଟି ଯେ ତୁଳସୀ ମାଳକରି ।ମେରୁ ବୋଲି ଏକଗୋଟି ସର୍ବ ପରେ ଭରି ॥
ବ୍ରହ୍ମଅଙ୍ଗ ଧରିଣ ଯେ ଅଛନ୍ତି ତୁଳସା ।ସାଧୁଜନମାନେ ଭଜନକୁ କରି ଆଶା ୫ ॥
ତିନି ଗଣ୍ଡାଠାରେ ନେତ୍ର ଅଟଇ ପ୍ରମାଣ ।ଦ୍ୱାଦଶ ଗଣ୍ଡାଠାରେ ଯେ ଭୁଜ ପରମାଣ ॥
କୋଡ଼ିଏ ଗଣ୍ଡାରେ ତାଙ୍କ ଚରଣ ଅଟଇ ।ପଚିଶ ଗଣ୍ଡାରେ ପୁଣ ଆଉ ପାଦ ହୋଇ ॥
ଆଠଗୋଟି ଶଏପରେ ଆରପାଦ ଜାଣ ।ମେରୁ ଯେହୁ ଶିର ତାଙ୍କ ଅଟଇ ପ୍ରମାଣ ॥
ଏମନ୍ତ ହୋଇଣ ଯେ ଅନନ୍ତ ବ୍ରହ୍ମରୂପ ।ଭଗତିନିମନ୍ତେ ମନ୍ତ୍ରମାନଙ୍କୁ ଯେ ଜପ ॥
ଅନାମିକା ଅଙ୍ଗୁଷ୍ଠି ଯେ ମଧ୍ୟରେ ଧରିବ ।ଇଷ୍ଟମନ୍ତ୍ର ଯେ ଯାହାର ତହିଁରେ ଜପିବ ॥
ଚାରିବାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ ।ଷୋଳଗ୍ରନ୍ଥ ଫେରାଇଲେ ଲକ୍ଷେ ଯେ ବୋଲାଇ ॥
ପନ୍ଦର ଗଣ୍ଡା ଯେ ଦୁଇ ଗୋଟିର ଭଜନ ।ଶିଷ୍ୟର ଯେ ପାପମାନ ହୁଅଇ ଦହନ ॥
ଆଦ୍ୟରେ ଯେ ଦୁଇଗୋଟି ଗୁରୁଙ୍କ ଦକ୍ଷିଣା ।ଏଣୁକରି ଶିଷ୍ୟ ମନ୍ତ୍ର କରୁଥିବ ଗଣା ॥
କେ ଅବା ଗ୍ରନ୍ଥେ ଜପିବ କେବା ଦୁଇଗ୍ରନ୍ଥ ।କେ ଅବା ରୁଏ ଜପିବ ବିଷୟାଜଡ଼ିତ ॥
କେ ଅବା ତୃତୀୟ ଗ୍ରନ୍ଥ କେବା ଚାରି ପାରେ ।ବିଷୟା ତେଜିଲେ ଅବା ଲକ୍ଷେ ନାମ ଧରେ ॥
ତଜନୀ ଅଙ୍ଗୁଷ୍ଠ ଅଗ୍ରେ ମନ୍ତ୍ର ନ ଜପିବ ।ଯେତେକ ଜପ କରିବ ନିଷ୍ଫଳ ହୋଇବ ॥
ଅସଂଖ୍ୟ କରିଣ ଯେବେ ମନ୍ତ୍ର ଜପ କରି ।ମଲେ ଲଭନ୍ତି ସେ ଯେ ବଇକୁଣ୍ଠ ପୁରୀ ॥
ରାଜାଘରେ ସାଧୁତ ମହନ୍ତ ଘରେ ଜାତ ।ଭଜନ ସିଦ୍ଧି ନୋହୁଣୁ ଯେବେ ହୋଏ ହତ ॥
ରୁଆ ଗ୍ରନ୍ଥ ଲକ୍ଷେ ଜାଣି ଯେ ନର ଜପଇ ।ଗୋଲୋକେ ପ୍ରବେଶ ହୋଇ ବୈଷ୍ଣବେ ଜନ୍ମଇ ॥
ଗୋଲୋକେ ବୈଷ୍ଣବଘରେ ଆତଯାତ ହୋଇ ।ରାଜୁତ ସାଧୁତ ଘରେ ଜନ୍ମ ତାର ନାହିଁ ॥
ମହାନ୍ତ ଦଣ୍ଡପାଟରେ ନୋହନ୍ତି ସେ ଜାତ ।ମହାନ୍ତ ଦଣ୍ଡପାଟରେ ମୁରାଟ ବହୁତ ॥
ରାଜୁତ ସଧୁତ ଯେ ମହାନ୍ତ ପୁତ୍ର ହୋଇ ।ମମତା ଛାଡ଼ିଲେ ସେହୁ ଭଗତି ଲଭଇ ॥
ଏଣୁକରି ତୁମ୍ଭେମାନେ ନିଜ କର୍ମ ୟେଡ଼ ।ରାହାସ ରଞ୍ଚିଲେ ତୁମ୍ଭେ ହୋଇବ ଯେ ବଡ଼ ॥
ଯୋଗ୍ୟପୁତ୍ର ହେଲେ ମନ୍ତ୍ର ଭଜନ କରଇ ।ଗୁରୁଙ୍କ ଦକ୍ଷିଣା ଜପେ ଗୁରୁ ଗତି ପାଇ ॥
ଦ୍ୱିତୀୟ ଯେ ମାଳାଗୋଟି ଶିଷ୍ୟର ଦେହରେ ।ଗୁରୁଙ୍କ ନିମନ୍ତେ ଶିଷ୍ୟ ବହଇ ହୃଦରେ ॥
ପଞ୍ଚାଶ ଶିଷ୍ୟରେ ଶଏ ଗୁରୁଙ୍କର ମାଳି ।ଆଠର ନିମନ୍ତେ ଚାରିଗୋଟି ତହିଁ ମିଳି ॥
ଏଣୁକରି ଶିଷ୍ୟଠାରେ ଗୁରୁଙ୍କ ଭଜନ ।ଯୋଗ୍ୟ ଶିଷ୍ୟ ହେଲେ ଗୁରୁ ତାରଇ ସେ ପୁଣ ॥
ଶିଷ୍ୟ ସ୍ନାହାନ ସାରିଲେ ଗୁରୁ ସ୍ନାନ କରି ।ଏଣୁକରି ଗୁରୁଅଙ୍ଗୁ ପାପକୃତ ହରି ॥
ଜ୍ଞାନବଳେ ଗୁରୁ ପୁଣ ଶିଷ୍ୟପାପ ନାଶେ ।ଜ୍ୟୋତିରାନନ୍ଦଙ୍କୁ ଧ୍ୟାୟୀ ଥାଆନ୍ତି ମାନସେ ॥
ଜୀବ ପରମର ଭେଦ ଗୁରୁ ଯେ ଜାଣଇ ।ସେ ଗୁରୁ ଆପଣେ ତରେ ଶିଷ୍ୟ ତାରି ନେଇ ॥
ଯେଉଁ ଗୁରୁର ଜୀବ ପରମ ଭେଦ ନାହିଁ ।ଗୁରୁ ଶିଷ୍ୟ ଭ୍ରମୁଥାନ୍ତି ଦେହ ନାନା ବହି ॥
ମୁକୁନ୍ଦ ଅନନ୍ତ ବାଣୀ ଘେନିବା ଗୋସାଇଁ ।ହସ୍ତରେ କେମନ୍ତେ ମନ୍ତ୍ରମାନ ଜପ ହୋଇ ॥
ତୋପଶ୍ରେଷ୍ଠ ମହାନ୍ତ ଯେ ଶୁଣ ବେନିଜନ ।ତୁମ୍ଭେ ସେ ପଚାରିପାର ଗୁପ୍ତ କଥାମାନ ॥
ପୂର୍ବର ବାସନା ଥିଲା ବିଷୟା ତେଜିଲ ।ଗୋକୁଳ କୁଳରେ ତମ୍ଭେ ବିହନ ହୋଇଲ ॥
ଫଳ ବୃକ୍ଷମାନଙ୍କୁ ଖଣନ୍ତା ଯେବେ ଥାଇ ।ସକଳ ତାହାର ପୁଣ ବାହାର ହୁଅଇ ॥
କହିବା ତହିଁର କଥା ଶୁଣ ବେନିଜନ ।ଅଙ୍ଗୁଷ୍ଠି ରେଖାରେ ଜପ ଯେମନ୍ତ ହୋଇଣ ॥
କୋଡ଼ିଏ ରୂଆ ଯେ ନାମ ଭଜନ କରିବ ।ତିନିଶ କୋଡ଼ିଏ ନାମ ଯେମନ୍ତ ବୁଝିବ ॥
ବାମହସ୍ତେ କୋଡ଼ିକ ପୁରିବା ଅନୁସାରେ ।ଗ୍ରନ୍ଥେକ ହୁଅଇ ପୁଣ ଏକ ଯେ ବିଂଶରେ ॥
ଗ୍ରନ୍ଥେକ ନାମ ଯେ ପୁଣ ଶୁଣ ମନଦେଇ ।ଚାରିଶ ଛଅ ହଜାର ପ୍ରମାଣ ଅଟଇ ॥
ଷୋଳ ଗ୍ରନ୍ଥେ ନାମ ପୁଣ ଲକ୍ଷେକ ପ୍ରମାଣ ।ଦୁଇ ସହସ୍ର ଚାରିଶଟି ଅଧିକ ଯେ ଜାଣ ॥
ଏମନ୍ତ ହୋଇଣ ମନ୍ତ୍ର ଭଜନ ଅଟଇ ।ଦୁଇ ସସ୍ର ଚାରିଶ ଗୁରୁଙ୍କ ମନ୍ତ୍ର ହୋଇ ॥
ଲକ୍ଷେ ନାମ ଜପି ଶିଷ୍ୟ ଅଭେଦ ଅଟଇ ।ଶିଷ୍ୟ ଏଣୁ କରିଣ ଯେ ଭେଦାଭେଦ ନାହିଁ ॥
ତତ୍ତ୍ୱ ନ ଜାଣିଲେ ମନ୍ତ୍ର ହୃଦେ ଦୃଢ଼କରି ।ମୁଖେ ଜପ କରୁଥାଇ ମନ୍ତ୍ରନାମ ଧରି ॥
ପବନ ଉତ୍ଥାନ ଦୁଇ ପଚାରୁଁ ଗୋସାଇଁ ।ତତ୍ତ୍ୱର ଭଜନ ଏବେ କହିବା ବୁଝାଇ ॥
ଶୁଣ ହେ ପବନ ଦାସ ଅତି ଏ ଗୁପତ ।ସହସ୍ର ଜଣରେ ଅବା ଜଣେ ଏକ ତତ୍ତ୍ୱ ॥
ସଦଗୁରୁ ମିଳିଲେ ଯେ ସଦଶିଷ୍ୟ ପାଇ ।ଅପଗୁରୁ ଅବା ଅପଶିଷ୍ୟ ନ ଜାଣଇ ॥
ପରମ ଗୁପତ ଦୀକ୍ଷା ଭଜନର ସାର ।ହେତୁମନେ ପବନ ହେ ଉତ୍ଥାନ ବିଚାର ॥
ଶୁଣ ଆହେ ଗୋପସୁତ ତହି ଅଛି ଭେଦ ।ହୋଇଛି ମନ୍ତ୍ର ତହିଁରେ ଚାରିଗୋଟି ଛନ୍ଦ ॥
ଗାୟତ୍ରୀ ବତିଶ ମୂଳେ ସାବିତ୍ରୀ ବସଇ ।ରୁଦ୍ରସ୍ତିରୀ ବ୍ରହ୍ମସ୍ତିରୀ ଚାରିମନ୍ତ୍ର ହୋଇ ॥
ଚାରିମନ୍ତ୍ର ଏକ ଏକ କ୍ଷର ମନ୍ତ୍ରସାର ।ଗଣ୍ଡାକ ପୂରିଛି ମନ୍ତ୍ର ମନରେ ବିଚାର ॥
ଆବର ଛନ୍ଦକୁ ମେରୁ ଅର୍ଦ୍ଧରେ ବସାଇ ।ଏ ତତ୍ତ୍ୱ ଜାଣିଲେ ଶିଷ୍ୟ ଭଗତି ଲଭଇ ॥
ମାଳିରେଖ ଜପ କଲେ ନବ ଭକ୍ତି ହୋଇ ।ଦଶ ଯେ ଭଗତିତତ୍ତ୍ୱ ଜପ କଲେ ପାଇ ॥
ମାତାଗର୍ଭେ ରେଖାମାଳି ଜପକରେ ତହିଁ ।ମୃତ୍ୟୁକାଳେ ରେଖାମାଳି ଜପି ନ ପାରଇ ॥
ମମତା ଦେହରେ ରେଖାମାଳ ଜପହୋଏ ।ତତ୍ତ୍ୱ ନ ଜାଣିଲା ଶିଷ୍ୟ ଜପ କରୁଥାଏ ॥
ଯେଉଁ ଶିଷ୍ୟ ତତ୍ତ୍ୱରେ ଭଜନ ପୁଣ କରେ ।ମୃତ୍ୟୁକାଳେ ମନେ ଭଜି ଅମନେ ବିହରେ ॥
ନିଶି ଦିବସରେ ଜପ କରୁଛି ଇଚ୍ଛାରେ ।ସେ ଜପର ସାଧନରେ ବିଶ୍ରାମରେ ଧରେ ॥
ନିଶି ଦିବସରେ ହଂସ ଜପ କରୁଥାଇ ।ଏକୋଇଶ ହଜାର ଯେ ଛଅଣ ଅଟଇ ॥
ଏମନ୍ତ ଭଜନ ଯେ କରିପାରେ ନିତି ।ଶ୍ୱେତ ରଙ୍ଗ ଶ୍ୟାମଳ କଳରେ ଦେଇ ମତି ॥
ତେବେ ଜୀବ ଗତି ପାଏ ଗୁରୁମୁଖୁଁ ଶୁଣି ।ଗୁରୁ ଶିଷ୍ୟ ତରନ୍ତି ଯେ ତତ୍ତ୍ୱ ଜପ ଗୁଣି ॥
ଜପିଲେ ଭଗତି ଗତି ପାଇବ ଉତ୍ତମ ।ସଦଗୁରୁ ସେବିଥିଲେ ସଦଶିଷ୍ୟ ମାନ ॥
ଏହି ଗୁରୁଭକ୍ତି ଗୀତା ଦ୍ୱିତୀୟ ଖଣ୍ଡରେ ।କହଇ ଅଚ୍ୟୁତ ଗୋପସୁତଙ୍କ ଆଗରେ ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେ ଗୁରୁଶିଷ୍ୟ ବୋଧନେମାଳାନିର୍ଣ୍ଣୟେ ଭଜନବିଧି କଥନେ ନାମ ପଞ୍ଚମଃ ପଟଳଃଷଷ୍ଠ ପଟଳଯଦୁଦାସ ପଚାରଇ ଗୁରୁମୁଖ ଚାହିଁ ।ଯେଉଁ ନର ତୁଳସୀର ମାଳ ଥାନ୍ତି ବହି ॥
ଶୁଣ ଯଦୁଦାସ ବତ୍ସ କହି ଦେବା ତୋରେ ।ତୁଳସୀ ବହିଣ ଥାନ୍ତି ଯେ ଜନ ହୃଦରେ ॥
ଶିରରେ ତୁଳସୀ ଥିଲେ ବ୍ରହ୍ମହତ୍ୟା ହରେ ।କର୍ଣ୍ଣରେ ତୁଳସୀ ଥିଲେ ଗୋହତ୍ୟା ନିବାରେ ॥
କଣ୍ଠରେ ତୁଳସୀ ଥିଲେ ଭଗତି ଲଭଇ ।ବାହେ ବାନ୍ଧିଥିଲେ ସୁରାପାନ କ୍ଷଏ ଯାଇ ॥
ମାତୃ ଯେ ହରିଣ ଦୋଷ ହୃଦଭାଗେ ନାଶେ ।କରମାଳେ ବିସୁଳିପାତକ ଯେ ବିନାଶେ ॥
ଶଏ ଅଷ୍ଟଉତ୍ତର ଯେ ହୃଦରେ ଲମ୍ୱାଇ ।ଚଉବନ ଗୋଟି କଣ୍ଠତଟରେ ଘେନଇ ॥
ଚଉବନ ଅର୍ଦ୍ଧ କରମାଳରେ ଧରିବ ।କରମାଳା ଅର୍ଦ୍ଧେକ ଯେ କଣ୍ଠରେ ଥୋଇବ ॥
ଗୋଟିଏ ବଳିବ ତହିଁ ମେରୁ ଅର୍ଦ୍ଧେ ହେବ ।ଛଡ଼ ଗୋଟି ଅର୍ଦ୍ଧେ ହେବ ଲେଖାକୁ ଆସିବ ॥
କର୍ଣ୍ଣ ଅର୍ଦ୍ଧେ ଶିରପରେ ରଖିବ ଯତନ ।ଏମନ୍ତେଣ ବଇଷ୍ଣବ ମାଳାର ଭଜନ ॥
ଲେଖା ନ କରିଣ ମାଳ ବହିଣ ଯେ ଥାନ୍ତି ।ମୁକତି ପଥରେ ଯାନ୍ତ ଭକ୍ତି ନ ପାବନ୍ତି ॥
ତୁମ୍ଭ ଦେହ ଅନ୍ତେ ଦାସ ହୋଇବେ ଅପାର ।ବହୁତ କାଠ ବହିବେ ହୃଦୟ ଦେଶର ॥
ଦମ୍ଭପଣେ ଗୁରୁଠାରେ ନମ୍ରଚିତ୍ତ ନୋହି ।ମାଳିମାନ ବହିଥିବେ ବଡ଼ପଣ ବହି ॥
ଲୋଭବନ୍ତ ଗୁରୁମାନେ କଳିରେ ପ୍ରବଳ ।ନ ବୁଝି ନ ପଢ଼ି ମନ୍ତ୍ର ଦେବେ କର୍ଣ୍ଣମୂଳ ॥
ଯନ୍ତ୍ର ଭେନ ନ ଜାଣେ ଯେ ମନ୍ତ୍ର କି ସେ ପାଏ ।କଢ଼ି ପୁଷ୍ପେ ଭ୍ରମର ନିରାଶ ଯେହ୍ନେ ହୋଏ ॥
ମନ୍ତ୍ରକୁ ବୁଝାଇ ଯେବେ ଯନ୍ତ୍ରକୁ ବୁଝାଇ ।ତନ୍ତ୍ରକୁ ବୁଝିଣ ଯେବେ ଜ୍ୟୋତିରୂପ ଧ୍ୟାୟି ॥
ଜ୍ୟୋତିର କଳ ଅଟଇ ଛାୟା ଯେ ଅବାଡ଼ ।ଗୁରୁଜନମାନଙ୍କର ଏ ସାଧନା ବଡ଼ ॥
ଏ ସାଧନା ଅଙ୍ଗେ ଥିଲେ ଅଗ୍ନିରୂପ ହୋଇ ।ପାପମାନେ ଏ ସାଧନେ ଦହି ଭସ୍ମ ଯାଇ ॥
ଅଚ୍ୟୁତ ଦାସ ଯେ ମୁହିଁ କହିଲି ତୁମ୍ଭରେ ।ବାର ଦାସ ଯେ ସାଧନ କର ନିରନ୍ତରେ ॥
ଗୁରୁଭକ୍ତିଗୀତା ଏ ଷଷ୍ଠମ ଛାନ୍ଦ ରସ ।ଶିଷ୍ୟ ହେତୁ ନିମନ୍ତେଣ କଲଇଁ ପ୍ରକାଶ ॥
ଇତି ଶ୍ରୀ ଗୁରୁଭକ୍ତିଗୀତାୟାଂ ଦ୍ୱିତୀୟଖଣ୍ଡେ ଗୁରୁଶିଷ୍ୟବୋଧନେ ମାଳାସଂଖ୍ୟାନିରୂପଣେ ନାମ ଷଷ୍ଠପଟଳଃସପ୍ତମ ପଟଳବୃନ୍ଦାବନ ଗୋବିନ୍ଦ ପୁଚ୍ଛନ୍ତି ବେନି ଜନ ।ସଂଶୟ ଫେଡ଼ିଣ ଗୁରୁ କହିବା ଯତନ ॥
ସ୍ନାନର ଫଳ ଯେ ମୋତେ କହିବା ବୁଝାଇ ।କେଉଁ କାଳେ ସ୍ନାନ କଲେ କେଉଁ ଫଳ ପାଇ ॥
ଶୁଣ ଆହେ ଗୋପସୁତ କହିବ ତୁମ୍ଭରେ ।କେଉଁ କାଳେ ସ୍ନାନ କଲେ କେଉଁ ଫଳ ମିଳେ ॥
ସୂର୍ଯ୍ୟ ଅଣଉଦୟେ ସ୍ନାହାନ ଯଦି କରି ।ବତିଶ ଦଣ୍ଡର ଫଳ ହୁଅଇ ତାହାର ॥
ସୂର୍ଯ୍ୟ ଉଦୟ କାଳେ ଯେ ସ୍ନାହାନ କରଇ ।ଷୋଳଦଣ୍ଡ ଫଳ ପୁଣ ସେ କାଳେ ଲଭଇ ॥
ପ୍ରହରକଠାରେ ଯେବେ କରଇ ସ୍ନାହାନ ।ଆଠ ଦଣ୍ଡ ଫଳ ପୁଣ ଲଭଇ ସେ ଜନ ॥
ଦ୍ୱିତୀୟ ପ୍ରହରେ ଯେବେ ସ୍ନାହାନ କରଇ ।ଚାରିଖଣ୍ଡ ଫଳ ପୁଣ ସେକାଳେ ଲଭଇ ॥
ସୂର୍ଯ୍ୟ ଅସ୍ତେ ସ୍ନାହାନ କରନ୍ତି ଯେଉଁ ଜନ ।ଚଉଷଠି ଦଣ୍ଡ ଫଳ ଲଭନ୍ତି ସେ ପୁଣ ॥
ଅଣ ଯେ ଉଦୟ ସ୍ନାନ ଋଷି ବଇଷ୍ଣବ ।ଉଦୟ ସ୍ନାହାନ ପୁଣ ସଂସାରୀ କରିବ ॥
ଦ୍ୱିତୀୟ ପ୍ରହର ସ୍ନାନ ବିଷୟାର୍ଥୀ ଜାଣ ।ତୃତୀୟ ପ୍ରହର ସ୍ନାନ କାହିଁରେ ନ ଗଣ ॥
ଚତୁର୍ଥ ପ୍ରହର ସ୍ନାନ ଫଳ ଅନ୍ତ ନୋହେ ।ତ୍ରୟ ବାର ସ୍ନାହାନ ସକଳ ଶାସ୍ତ୍ରେ କହେ ॥
ଅଣ ଉଦୟ ସ୍ନାନ ପ୍ରାତସ୍ନାନ ଦୁଇ ।ଏକ ସନ୍ଧ୍ୟା ବୋଲି କରି ତାହାକୁଟି କହି ॥
ଦ୍ୱିତୀୟ ପ୍ରହର ସ୍ନାନ ତୃତୀୟ ପ୍ରହର ।ଦୁଇ ସନ୍ଧ୍ୟା ବୋଲି କରି ଏଥିର ବିଚାର ॥
ଅସ୍ତ ସ୍ନାନ ରାତ୍ର ତ୍ରିସନ୍ଧ୍ୟା ଅଟଇ ।ରାତ୍ର ପ୍ରହରକଠାରୁ କର୍ମବିଧି କହି ॥
କର୍ମସ୍ନାନ ଏମନ୍ତ ଅଟଇ ପୁଣ ଶୁଣ ।ତତ୍ତ୍ୱସ୍ନାନ କଲେ ପାପ ହୁଅଇ ଦହନ ॥
ଗଙ୍ଗା ଯେ ଯମୂନା ସରସ୍ୱତୀ ତିନି ନଈ ।ଅର୍ଦ୍ଧମାତ୍ରା ତଳରୁ ସେ ଆସୁଅଛି ବହି ॥
ସେ ନଦୀରେ ଯେଉଁମାନେ କରନ୍ତି ସ୍ନାହାନ ।ଅଖଣ୍ଡ ଫଳ ଲଭନ୍ତି ସେହୁ ପୁଣ୍ୟ ଜନ ॥
ଅଣାକାର ଆକାର ପ୍ରଣବ ସାର ନଈ ।ଓଁ କାରରୁ ଏହି ତିନି ଧାରେ ବହି ଯାଇ ॥
ମାତାଗର୍ଭ ପାପ ଯାଏ ଜନ୍ମକର୍ମ ପାପ ।ପୂର୍ବଜନ୍ମ ପାପମାନ ଖଣ୍ଡଇ ତୁରିତ ॥
ସାଧୁ ବିପ୍ରମାନେ ସେହୁ ଜଳେ ସ୍ନାନ କରି ।ତ୍ରିବେଣୀ ନଦୀରେ ପୁଣ ପ୍ରାତ ସନ୍ଧ୍ୟା ସାରି ॥
ଜଳସ୍ନାନ ସାରିଣ ଯେ ମନ୍ତ୍ର ସ୍ନାନକରି ।ମନ୍ତ୍ରସ୍ନାନ ସାରିଣ ଯେ ତ୍ରିବେଣୀ ସୁମରି ॥
ତ୍ରୟବାର ସ୍ନାହାନରେ ଶୁଦ୍ଧ ହୋଏ କାଏ ।ଜଳେ ସ୍ନାନ କଲେ ଦେହୁ ମଳି ଛାଡ଼ିଯାଏ ॥
ମନ୍ତ୍ରସ୍ନାନ କଲେ ଦେହ ଶୁଚିବନ୍ତ ହୋଇ ।ତ୍ରିବେଣୀ ସ୍ନାହାନ କଲେ ପାପ ଘୁଞ୍ଚିଯାଇ ॥
ଋଷି ବିପ୍ର ବଇଷ୍ଣବ ସୁଜ୍ଞ ନରମାନେ ।ରେଚକ ପୂରକ ଯେ କୁମ୍ଭକ କରି ମନେ ॥
ଭୁର୍ଭୁବଃ ସ୍ୱଃ ମାତୃକା ଯେ କର ଅଙ୍ଗନ୍ୟାସ ।ଷଡ଼ଙ୍ଗ କବଚ ଭୁତଶୁଦ୍ଧିରେ ପ୍ରକାଶ ॥
ସେହୁ ତ୍ରିବେଣୀରେ ପଶି ଯେହୁ ଜପ କରେ ।ସକଳ ପାତକମାନେ ହରନ୍ତି ସେଠାରେ ॥
ଏ ଭେଦ ନ ଜାଣି ଯେ ଜଳରେ ସ୍ନାନ କରେ ।ଦେହକୁ ଆରାମ ଧରେ ଭୋଗ ସୁଖ କରେ ॥
କେ କୃମି ରୋଗକୁ ସୁଖ ଅଟଇଟି ଜଳ ।ସଂସାର କର୍ମମାନଙ୍କୁ ଅଟଇ କୁଶଳ ॥
ଏହି ଗୁରୁଭକ୍ତି ଗୀତା ସପ୍ତମ ଛାନ୍ଦରେ ।ଅଚ୍ୟୁତ ଦାସ କହଇ ଦ୍ୱିତୀୟ ଖଣ୍ଡରେ ॥
ଇତି ଶ୍ରୀଗୁରୁଭକ୍ତିଗୀତାୟାଂ ଦ୍ୱିତୀୟ ଖଣ୍ଡେଗୁରୁଶିଷ୍ୟ ବୋଧନେ ସ୍ନାନଯୋଗ କଥନେ ନମଃ ସପ୍ତମ ପଟଳଃଅଷ୍ଟମ ପଟଳମୁକୁନ୍ଦ ଅନନ୍ତ ଦାସ ଭ୍ରାଥଦାସ ତିନି ।ଆଜ୍ଞା ହେଉ ଗୁରୁଦେବ ଛାୟା ଭେଦ ଚିହ୍ନି ॥
ଛାୟାର କେମନ୍ତ ଫଳ ଗୁରୁଦେବ କହି ।କେମନ୍ତେ ସାଧନ ହେବ ଶୁଣିବି ଗୋସାଇଁ ॥
ଶୁଣ ଆହେ ଗୋପସୂତ ଗୁପତ ଏ କଥା ।ସଦଗୁରୁ ଜାଣନ୍ତି ଯେ ଛାୟାର ବ୍ୟବସ୍ଥା ॥
ମାଘ ଯେ ଫଗୁଣ ଭାଦ୍ରମାସ ହୋଇଥିବ ।ଶୁକଳ ପକ୍ଷରେ ଭଲ ଦିନ ପଡ଼ିଥିବ ॥
ବିଷ୍ଟି ବିତିପାତ ଯେ ନ ଥିବ ସେହି ଦିନ ।ମାହେନ୍ଦ୍ର ବାରୁଣୀ ପଡ଼ିଥିବ ଯୋଗ ମାନ ॥
ଶୁଭ ଚନ୍ଦ୍ର ଶୁଭ ତାର ଦେଖି ଶୁଭ ବାର ।ଛାୟାଭେଦ ଦେଖାଇବ ଅମୃତ ଯୋଗର ॥
କାଳ ସେ ଯେ ଛାଏଣି ଚାୟାରେ ସେହୁ ମିଶେ ।ମନୁଷ୍ୟକୁ ଜଗିଥାନ୍ତି ରାତ୍ର ଯେ ଦିବସେ ॥
କାୟା ଯେତେ କର୍ମକରେ ଛାୟେଣି ଜାଣଇ ।ଛାୟେଣି ଜାଣିଣ ଛାୟା ଆଗରେ କହଇ ॥
ରାତ୍ର ଦିନ ପାପ ପୁଣ୍ୟ ଲେଖା ହୋଇଥାଇ ।ସ୍ୱପନସୁନ୍ଦରୀ ତାର ସଖୀଗଣ ହୋଇ ॥
ସ୍ୱପନସୁନ୍ଦରୀ ଛାୟା ଆଗେ କହେ ଯେଣୁ ।ଯେଉଁ କର୍ମ କରିଥାନ୍ତି ପ୍ରାଣିମାନେ ତେଣୁ ॥
କାଳପୁରୁଷ ଯେ ତାହା ଲେଖନ କରଇ ।କାଳ ଯେ ପୁରୁଷ ତାର କରଣ ଅଟଇ ॥
ବହୁତ ପାପ ହୋଇଲେ ଅକାଳ ମରଣ ।ପୁଣ୍ୟ କରିଥିଲେ କାଳେ ଲଭଇ ମରଣ ॥
କାୟା ଯେ ମିଶଇ ପୁଣ ଛାୟାରେଣ ଯାଇ ।ଛାଏଣି ପୁଣ ଯେ ଛାଇ ଭିତରେ ପଶଇ ॥
ଧର୍ମ ବୋଲି କହି କହି ଛାୟା ଯେ ପୁରୁଷ ।ଧର୍ମନେଇ ଭେଟାଇଟି ଯମରାଜା ପାଶ ॥
ଏଣୁକରି ଧର୍ମ କଥା ନିତ୍ୟେ କହୁଥିବ ।ଛାୟାରୂପ ଦରଶନେ ଧର୍ମଫଳ ହେବ ॥
ନବତନ ବସ୍ତ୍ର ଏକ କରିବ ଯତନ ।ଶୀତଳ ସଞ୍ଚା କରିବ ନାନା ବିଧିମାନ ॥
ଏକଦୃଷ୍ଟି ରଖିବ ଯେ ଛାଏଣି ଶିରରେ ।ଛାଏଣି ଶିରକୁ ଦୃଷ୍ଟି ଦେବ ଛାଇଠାରେ ॥
ଧବଳ ଶରୀର ଯେବେ ଆକାଶେ ଦିଶିବ ।ପ୍ରସନ୍ନ ହୋଇଲେ ବୋଲି ଶିଷ୍ୟବୋଧ ହେବ ॥
ଶିର ଯଦି ନ ଦିଶିବ ଛାଇର ପ୍ରମାଣ ।ନନ୍ଦମାସେ ଜାଣିଚ ଯେ ପିତୃର ମରଣ ॥
ହସ୍ତ ନ ଦିଶିଲେ ଭ୍ରାଥ ନିକଟେ ମରଇ ।ପାଦ ନ ଦିଶିଲେ ତାର ପୁତ୍ର ନାଶ ଯାଇ ॥
ଉଦର ଯେ ନ ଦିଶିଳେ ମାତୃ ହୋଏ ହତ ।ଛାୟା ବ୍ରହ୍ମ ନ ଦିଶିଲେ ଆପେ ହୋଏ ହତ ॥
ବକ୍ର ଭାବ ହୋଇଲେ ଯେ ଦିଏ ବହୁଦୁଃଖ ।ଛାୟା ଦରଶନ ପୁଣ ଜାଣିବ ଏତେକ ॥
ଗୁଣବାନ ପ୍ରାଣୀ ଯେବେ ଏହା ଭେଦିପାରେ ।ଧର୍ମକଥା କହୁଥାଇ ନିଶି ଦିବସରେ ॥
ଛାୟାର ଯେ ଅଙ୍ଗ ଜାଣ ଓଁକାର ଅଟଇ ।ଓଁକାର ଯେ ବହୁରୂପ ଅନନ୍ତଟି ସେହି ॥
ଶ୍ୱେତ ଅନନ୍ତ ରୂପକୁ ଧ୍ୟାନ ଯେ କରିବ ।ନିତି ତିନି ବେଳେ ତାଙ୍କୁ ଦର୍ଶନ କରିବ ॥
ହ୍ରୀ ବ୍ରହ୍ମ ସ୍ୱରୂପ ବୋଲିଣ ସେ ନମିବ ।ଅଚ୍ୟୁତର ଗଣ ସେହୁ ଏହା ଯେ ବୁଝିବ ॥
ଗୁରୁଭକ୍ତି ଗୀତା ଦ୍ୱିତୀୟଖଣ୍ଡର ବାଣୀ ।