ପଦ୍ମିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିପ୍ରକାଶ କାଳ (୧୯୧୦-୧୯୨୦)୧୯୧୦ ସମ୍ୱଲପୁରରେ ଲେଖା ଆରମ୍ଭ ଓ ୧୯୨୦ ମାଘ ପୂର୍ଣ୍ଣିମା,ପଦ୍ମପୁରରେ ଲେଖା ଅସମ୍ପୂର୍ଣ୍ଣ ରୂପେ ରଚିତ ।
ପ୍ରଥମ ସର୍ଗ
ଜ୍ଞାନାଲୋକପ୍ରଦାୟିନୀ ଭାସ୍ୱତୀ ଭାରତୀ,ତୋର ଦତ୍ତ ଜ୍ଞାନ-ଦୀପେ ହୁଏ ତୋ’ଆରତି ।ଯେଉଁ ରୂପେ କରିଥାନ୍ତି ସାଗର ତର୍ପଣ,ସାଗର ସଲିଳ କରି ସାଗରେ ଅର୍ପଣ ।ପବିତ୍ର ଆସନ ତୋର ପ୍ରତିଭା-ପଦ୍ମିନୀ,ବିକାଶେ ବିନାଶ ହେଲେ ଅଜ୍ଞାତା-ଯାମିନୀ ।ପୁଣ୍ୟବାନ ମାନବର ହୃଦୟ-ସରସୀ,ସ୍ୱଚ୍ଛ ପୂତ ହୁଏ ତୋର ପୟର ପରଶି ।ପୁଣ୍ୟହୀନ ଜୀବନ ମୋ ଅଜ୍ଞାତାପୂରିତ,କେମନ୍ତେ ତହିଁରେ ହେବ ପ୍ରତିଭା ସ୍ଫୁରିତ ।ଲଭି ନାହିଁ ଜ୍ଞାନ ମାତ୍ର କରୁଛୁଁ ଭଜନା,ଲେଖନୀ ବଦନେ କରି ତୋର ନୀରାଜନା ।ଲେଖନୀ ନୁହଇ ମୋର ଧାତୁବିଜଡ଼ିତ,କେମନ୍ତେ ଟାଣିବ ତୋର ପ୍ରଭାବ ତଡ଼ିତ ।ଭକ୍ତି କରିଥାଏ ବୋଲି ଅସାଧ୍ୟ ସାଧନଦୃଢ଼ମନେ କରୁଅଛି ତୋର ଆରାଧନ ।ଘୃଣି ମୋତେ କରୁଥିବୁ ଯଦି ପଳାୟନ,ପଛେ ପଛ ଯିବି ହୋଇ ଭକ୍ତିପରାୟଣ ।ସମାନ ସମାନ ନିଶ୍ଚେ ପଡ଼ିବ ତୋ’ ପାଦ,ସମସ୍ୱରେ ଉଠୁଥିବ ନୂପୁରନିନାଦ ।ସେ ନାଦମାଧୁରୀ କରି ଶ୍ରୁତିପଥେ ପାନ,ଚାଲୁଥିବି ପାଦ ଚାହିଁ ତୋଷି ତୋଷି ପ୍ରାଣ ।ନଗର ଉପରେ ରାଜେ ଚିତୋର ନଗର,ଗୌରବ-ମୁକୁଟରୂପେ ଆର୍ଯ୍ୟ-ଗୌରବର ।ଉନ୍ନତ ନଗର ଭଳି ଉନ୍ନତହୃଦୟ-ବହି, ତହିଁ ରହିଥାନ୍ତି ଲୋକ ସମୁଦୟ ।ସେ ଉଚ୍ଚ ହୃଦୟେ ଉଚ୍ଚ ପ୍ରବୃତ୍ତିସକଳ,ଅଧିଷ୍ଠିତ ଥା’ନ୍ତି କରି ସ୍ୱବଳ ପ୍ରବଳ ।ପ୍ରବୃତ୍ତିର ବଳେ ଧର୍ମ ହୋଇଥାଏ ଉଚ୍ଚ,ଧରମ ମଣାଇଥାଏ ଜୀବନକୁ ତୁଚ୍ଛ ।ବିପଦ ସମୟେ ନେଇ ଧରମଶରଣ,ପୁରବାସୀ କରିଥାନ୍ତି ମରଣବରଣ ।ଯେତେବେଳେ ଯବନର ପ୍ରବଳ ପ୍ରତାପ,ଭାରତବାସୀଙ୍କ ହୃଦେ ଦେଲା ଘୋର ତାପ ।ଭରତବଂଶର ଧର୍ମ-ପୂତ-ସିଂହାସନେ,ମାତିଲା ଯବନ ବସି ବିବିଧ ବ୍ୟସନେ ।ଦର୍ପଭରେ ବିନ୍ଧ୍ୟଗିରି ଶିରେ ଦେଇ ପାଦ,ଦାକ୍ଷିଣାତ୍ୟ ମସ୍ତକରେ ଢାଳିଲା ପ୍ରମାଦ ।ବଳେ କଲା ଦୁର୍ଗମାନ ଭଗ୍ନ ବିଲୁଣ୍ଠିତ,ସତୀତ୍ୱରତନ ପଦେ ଲଗ୍ନ ବିଲୁଣ୍ଠିତ ।ସେକାଳେ ଚିତୋରବାସୀ ଧର୍ମେ ଥାଇ ବଳୀ,ଯବନକୁ ମଣୁଥାନ୍ତି ଯୁଦ୍ଧ-ଯଜ୍ଞ-ବଳି ।
ସମ୍ବନ୍ଧିତ ରଚନା
ଅଯୋଧ୍ୟା ଦୃଶ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ରାଧାନାଥ ରାୟ
ନୃପତି ଲକ୍ଷ୍ମଣ ସିଂହ ମଣ୍ଡି ସିଂହାସନ,
ଧର୍ମମତେ କରୁଥାନ୍ତି ସ୍ୱରାଜ୍ୟ ଶାସନ ।
ପିତ୍ରାନୁଜ ଭୀମ ସିଂହ ଭୀମ ପରାକ୍ରମ,
ପୃଷ୍ଠରକ୍ଷୀ ଥାଇ ତାଙ୍କ ବଢ଼ାନ୍ତି ବିକ୍ରମ ।
ଯେ କାଳେ ଲକ୍ଷ୍ମଣ ସିଂହ ଥିଲେ ବାଳବୟଃ,
ପିତା ତାଙ୍କ ଗମିଥିଲେ ତ୍ରିଦଶ-ଆଳୟ ।
ସେ ସମୟେ ଭୀମ ସିଂହ ବହି ରାଜ୍ୟଭାର,
ଲକ୍ଷ୍ମଣେ ଶିଖାଇଥିଲେ ରାଜନୀତି ସାର ।
ଯୁବକ ଲକ୍ଷ୍ମଣେ ରାଜନୀତି ବିଚକ୍ଷଣ
ଚାହିଁ କରିଛନ୍ତି ତାଙ୍କୁ ରାଜତ୍ୱ ଅର୍ପଣ ।
ଲକ୍ଷ୍ମଣହିଁ ଚଳୁଛନ୍ତି ତାଙ୍କ ଉପଦେଶେ,
ବସି ରାଜସିଂହାସନେ ନରପତି ବେଶେ ।
ରାଜ୍ୟେ ଥାନ୍ତି ଭୀମ, ରାଜ-ଜନକ-ସମରେ,
ସେନାପତି ହୋଇଥାନ୍ତି ବିପକ୍ଷ ସମରେ ।
ରଖିବାକୁ ତାଙ୍କୁ ପୂର୍ବ ସମ୍ମାନ ସମ୍ଭ୍ରମ,
ନବରେ ନଗରେ ରାଜ୍ୟ ନ ଥାଏ କା’ ଭ୍ରମ ।
ଲକ୍ଷ୍ମଣ ସହିତ ଭୀମ ମହାରାଣା ପଦେ,
ଅଧିକାରୀ ଥାନ୍ତି ସଦା ସକଳ ସମ୍ପଦେ ।
ଭୀମ ସିଂହ ପ୍ରିୟା ଥିଲେ ମହିଷୀ ପଦ୍ମିନୀ,
ମହୀୟସୀ ସତୀ ପତି-ଚିତ୍ତବିନୋଦିନୀ ।
ଜୀବନେ ବା ସ୍ୱଭାବରେ ତାହାଙ୍କ ସହିତ,
ପଦ୍ମିନୀକି ତୁଳିବାର ନ ହୁଏ ବିହିତ ।
ସେ ପଦ୍ମିନୀ ରଜନୀରେ ଥାଏ ମ୍ଳାନି ବହି,
ଏ ପଦ୍ମିନୀ ଦିବା-ରାତ୍ର ଥା’ନ୍ତି ଜ୍ୟୋତିର୍ମୟୀ ।
ସେ ପଦ୍ମିନୀ ହୃଦ ଫେଡ଼ି ସେବଇ ସବିତା
ଚାଟୁବଶେ ହୁଏ ପୁଣି ଭ୍ରମରେ ସେବିତା ।
ଏ ପଦ୍ମିନୀ ହୃଦୟର ପ୍ରେମେ ଅଧିକାର
ଏକା ଭୀମ ସିଂହ ବିନା ନ ଥାଏ କାହାର ।
ତାକୁ କେହି ନ ରଖନ୍ତି ନାଶେ ଯେବେ ହିମ
ଏହାଙ୍କୁ ରଖନ୍ତି ସର୍ବ ବିପଦରୁ ଭୀମ ।
କେବଳ ମାର୍ଦ୍ଦବ କାନ୍ତି ମାଧୁରୀ ସୌରଭେ,
ସାମ୍ୟ ବହି ସେ ପଦ୍ମିନୀ ଫୁଟଇ ଗୌରବେ ।
ରାଜପୁରେ ପଦ୍ମିନୀଙ୍କ ସମ୍ପୂର୍ଣ୍ଣ କ୍ଷମତା,
ବିସ୍ତାରିତ କରିଥାଏ ବାତ୍ସଲ୍ୟ-ମମତା ।
ରୂପେ ତାଙ୍କ ପ୍ରମୋଦିତ ରାଣୀଙ୍କ ନବର,
ଗୁଣେ ହୁଏ ଆମୋଦିତ ଚିତୋର ନଗର ।
ଯଶ ହୋଇ ପ୍ରଭାବିତ ସମସ୍ତ ମିବାରେ,
ହୁଏ ପୁଣି ପ୍ରଧାବିତ ମହୀ ଭ୍ରମିବାରେ ।
ଶସ୍ତ୍ର ହୁଏ ଆଲୋକିତ ରାଣା ବୀରଗଣେ,
ଶାସ୍ତ୍ର ହୁଏ ଆଲୋଚିତ ଶୁଦ୍ଧାନ୍ତ ପ୍ରାଙ୍ଗଣେ ।
ରାଜପୁରେ ହେଉଥାଏ ନିତି ରାମାୟଣ,
ପାଠ କରୁଥାନ୍ତି ତାହା ସ୍ଥବିର ବ୍ରାହ୍ମଣ ।
ଉଚ୍ଚାରି ସଂସ୍କୃତ ଶ୍ଲୋକ ସ୍ୱଭାଷାରେ ଅର୍ଥ,
ବୁଝାଇଦେବାରେ ଥା’ନ୍ତି ପାଠକ ସମର୍ଥ ।
ଯବନିକା ଅନ୍ତରାଳେ ପୁରବାମାଗଣ,
ବସି କରୁଥାନ୍ତି ସେହି ଶ୍ଲୋକାର୍ଥ ଶ୍ରବଣ ।
ବାଳକ ବାଳିକାମାନେ ଥାଇ ତାଙ୍କ ପାଶେ,
ପରସ୍ପରେ ଲାଗିଥାନ୍ତି ସୁମଧୁର ଭାଷେ ।
ବେଳେବେଳେ ନିଜ ପ୍ରଶ୍ନ ସମାଧାନ ପାଇଁ,
ଦେଉଥାନ୍ତି ଜନନୀଙ୍କ ଚିବୁକ ହଲାଇ ।
କାହିଁ ବା ସଙ୍ଗିନୀଯୁଗ ବସି ପରସ୍ପରେ,
ଆଳାପରେ ଲାଗିଥାନ୍ତି ଭିତରେ ଭିତରେ ।
ଦିନେ ପାଠସାରି ଉଠିଗଲାରୁ ବ୍ରାହ୍ମଣ,
ଆଲୋଚନାରତ ହେଲେ ପୁରାଙ୍ଗନାଗଣ ।
ପଦ୍ମିନୀଙ୍କି ପଚାରିଲେ ଲକ୍ଷ୍ମଣଙ୍କ ରାଣୀ,
‘‘କାକି, ତୁମ୍ଭେ ଲଙ୍କା କଥା ସବୁଥିବ ଜାଣି ।
ଅଛନ୍ତି କି ରାଜା ରୂପେ ଚହିଁ ବିଭୀଷଣ,
ଅଟନ୍ତି କି ରକ୍ଷଗଣ ବିକଟ ଭୀଷଣ ?
ହୋଇଛି କି ସ୍ୱର୍ଣ୍ଣକାନ୍ଥେ ସେମାନଙ୍କ ଘର,
ଗ୍ରାସନ୍ତି କି ରକ୍ଷେ ପାଶେ ହାବୋଡ଼ିଲେ ନର ।
ପର୍ବତର ସେତୁ ସତେ ଅଛି କି ସାଗରେ,
ଅଇଲ ସେ ପଥେ କିବା ଆରୋହି ନାବରେ ?
ସୁବଳ ନାମରେ ଗିରି ଅଛି କି ତହିଁରେ,
ରହିଥିଲେ ରାମ ସୈନ୍ୟ ସହିତ ଯହିଁରେ ?
ମହାର୍ଣ୍ଣବ ବେଢ଼ିଛି କି ଲଙ୍କା ସମନ୍ତାତ,୧
ସ୍ନାନ କି କରନ୍ତି ତହିଁ ନିତି ତୁମ୍ଭ ତାତ ?
ସାଗର କେମନ୍ତ ଦିଶେ କେତେ ତହିଁ ଜଳ,
ଦିଶଇ କି ନାହିଁ ତାର ସେପାରି କି ସ୍ଥଳ?’’
ପଦ୍ମିନୀ କହିଲେ ହସି ରାଣୀଙ୍କି ଉତ୍ତର;
‘‘ବିଭୀଷଣ ନାମେ ତହିଁ ନାହିଁ ନରବର ।
ସେଠାରେ ଅମର ହୋଇ କେହି ରାଜପଣ,
କରୁଥିବା ନ ଜାଣନ୍ତି ପୁରବାସୀଗଣ ।
ନୁହନ୍ତି ସେଠାରେ ଲୋକେ ବିକଟ ଭୀଷଣ,
ଅଛନ୍ତି ସରଳ ନର ସୁଧର୍ମ୍ମଭୂଷଣ ।
ସୁବର୍ଣ୍ଣର କାନ୍ଥ ତହିଁ ନାହିଁ କାହା ଘରେ,
ଅଛି ଚୂନଲିପା କାନ୍ଥ ଦଗ୍ଧ ଇଷ୍ଟକରେ ।
ନ କରନ୍ତି କେହି ତହି ମାନବ ଭକ୍ଷଣ,
ଜୀବହିଂସା ସେ ଦେଶର ଅଧର୍ମ୍ମ ଲକ୍ଷଣ ।
କିନ୍ତୁ ଶୁଣିଥିଲି ଏହି ଭାରତମଣ୍ଡଳ,
ଅସୁର-ବିପ୍ଳବେ ହେଉଅଛି କଲବଲ ।
କେଉଁ ଦିଗୁଁ ଆସି ପରା ନିଶାଚରଗଣ,
ସୁନ୍ଦରୀ ଯୁବତୀ ଦେଖି କରନ୍ତି ହରଣ ।
ଭାଙ୍ଗିଦେଇଥାନ୍ତି ବଡ଼ ବଡ଼ ଦେବାଳୟ,
କରନ୍ତି ହରଣ ଦେବ ଧନରତ୍ନଚୟ ।
ସେ କଥା ଶ୍ରବଣେ ମୋର ଜନ୍ମିଥିଲା ଭୟ,
ଜନକ ଫେଡ଼ିଲେ ମୋର ସକଳ ସଂଶୟ ।
ବୋଇଲେ ଦେବତା, ନର, ନିଶାଚରମାନେ
ଜନ୍ମ ଲଭିଥାନ୍ତି ଧରାତଳେ ସବୁ ସ୍ଥାନେ ।
ଚକ୍ଷୁକୁ ଦିଶନ୍ତି ସର୍ବେ ମାନବ ଆକାର
ଦିଏ ଜାତି ପରିଚୟ ତାହାଙ୍କ ଆଚାର ।
ଦୁଃଖ ସହି କରଇ ଯେ ଲୋକ ଉପକାର,
କରଇ ଲୋକଙ୍କୁ ନାନା ବିପଦୁ ଉଦ୍ଧାର,
ଉପାୟେ ଅର୍ଜନ କରିଦିଏ ପରଧନ,
ପରଦୁଃଖ ଧ୍ୱଂସି କରେ ସୁଖ ବରଧନ,
ଜ୍ଞାନ କରି କରିଥାଏ ଜ୍ଞାନ ବିତରଣ,
ତା’ ଜୀବନ ଦେବତାଙ୍କ ଶୁଭବତରଣ ।
ଯେଉଁ ଲୋକ ନ କରଇ ପର-ଅପକାର,
ପର-ଦାରେ କରିଥାଏ ଜନନୀ ବିଚାର
ଧର୍ମପଥେ ଥାଇ କରେ ଧନ ଅରଜନ,
ନ ବଳାଏ ମନ ତହିଁ ଚାହିଁ ପରଧନ,
ଗୁରୁଜନେ ମାନ୍ୟ କରି କରିଥାଏ ଘର,
ଜ୍ଞାନୀ-ଜନ ଚାହିଁ ସଦା କରେ ସମାଦର,
ପାପକର୍ମ୍ମେ ନିରନ୍ତର ଥାଏ ତାର ଡର,
ଚିହ୍ନିଥିବ ସେ ଲୋକଟି ପ୍ରକୃତରେ ନର ।
ପରଦୁଃଖ ଦେଖି ଯା’ର ମନେ ହୁଏ ସୁଖ,
ପରେ ଦୁଃଖ ପ୍ରଦାନେ ଯେ ନ ହୁଏ ବିମୂଖ,
ଅତ୍ୟାଚାର କରିଥାଏ ପର ନାରୀ ପ୍ରତି,
ପରଧନ ଛଳେବଳେ ଗ୍ରହଣେ ଯା’ ମତି,
ପଙ୍କରେ ମହିଷ ପ୍ରାୟେ ପାପେ ଯେ ମଗନ,
ଭୀଷଣ ରାକ୍ଷସ ବୋଲି ସେ ଲୋକକୁ ଗଣ ।
ନ ଦିଶେ ସାଗର ଥିଲେ ମୋ’ ପିତୃନଗରେ,
ମୋ ପିତା କରନ୍ତି ସ୍ନାନ ନଦୀ-ତଡ଼ାଗରେ ।
ସେ ଦେଶରୁ ଏ ଦେଶକୁ ମୋର ଆସିବାର
ସମୟରେ ପଡ଼ିଥିଲା ପଥେ ପାରାବାର ।
ଲଘିଂଲି କାନନ ଗିରି ସୁବଳ କୁବଳ,
ଚିହ୍ନିବାକୁ ନ ଥିଲା ମୋ ମନେ କୌତୂହଳ ।
ଯେତେବେଳେ ପ୍ରବେଶିଲି ପାରାବାରତୀରେ,
ଶିବିକାରୁ ଓହ୍ଲାଇଲି ନତମୁଖେ ଧୀରେ ।
ଯବିନକା ଅନ୍ତରାଳେ ସହଚରୀ କରେ
କର ଦେଇ, ନୀଚ ହେଲି ରମ୍ୟ ଏକ ଘରେ
ସୁକୋମଳ ମଖମଲଷ ଆସ୍ତୃତ ତା’ ତଳ,
ଆସନହିଁ ଥିଲା ତହିଁ ସୁରମ୍ୟ କୋମଳ ।
ମଖମଲ ଭିତ୍ତିପଟେ ସୁବର୍ଣ୍ଣର ଲତା,
ରତ୍ନଫୁଲେ ବଢ଼ୁଥାଏ ତାର ମଞ୍ଜୁଳତା ।
ବର୍ଣ୍ଣ ଅନୁରୂପ ରତ୍ନ ବିରଚିତ ଅଙ୍ଗେ,
ସଜୀବତା ଭ୍ରାନ୍ତି ଦେଇ କ୍ରୀଡ଼ନ୍ତି ବିହଙ୍ଗେ ।
ଉର୍ଦ୍ଧ୍ୱପଟ ସେହିପରି ଥିଲା ମନୋହର
ମାଳ ମାଳ ଝୁଲୁଥାଏ ରତନ ଝାଲର ।
ଲମ୍ୱତି ରତନ ପୁଷ୍ପେ ଲମ୍ୱିତ ଭ୍ରମରେ,
ପ୍ରଥମେ ମୁଁ ସତ୍ୟ ମଣିଥିଲି ତା’ ଭ୍ରମରେ ।
ସୁଖାସନେ ବସି ତହିଁ ସଲଜ୍ଜ ନୟନେ,
ଅନାଇଲି ଭିତ୍ତିପଟ ଗବାକ୍ଷ ଅୟନେ ।
ଜଳର ଡୁଙ୍ଗରିମାନ କରି କରି ନାଟ,
ଆସିଯାଇ କରୁଛନ୍ତି ବିଷମ ବିଭ୍ରାଟ ।
ଗୃହ କେଉଁଠାରେ ଥାଇ ଲୋକ ଏକ ଦଳ,
‘ଜୟ ରାମଚନ୍ଦ୍ର’ ନାଦେ କରନ୍ତି ଚହଳ ।
ଦୂରକୁ ଦିଶିଲା ନୀଳ ଅଚଳ କାନନ,
କ୍ଷୁଦ୍ର କ୍ଷୁଦ୍ର ବୃକ୍ଷ ତହିଁ ଲାଗିଥାଏ ଘନ ।
ଦୂରତରେ ଦୃଷ୍ଟ ହେଲା ଉଚ୍ଚ ପରବତ,
ଦୂରତମେ ନୀଳନଭେ ହେଲା ପରିଣତ ।
ସେହିପରି ଦୃଶ୍ୟ ପୁଣି ବିଲୋକଲି ଥରେ,
ଅନ୍ୟ ପାଖ ଭିତ୍ତିପଟ ଗବାକ୍ଷ-ପଥରେ ।
ମଧ୍ୟେ ମଧ୍ୟେ କିନ୍ତୁ ଖଣ୍ଡେ ଖଣ୍ଡେ ପରବତ,
ଉପରକୁ କରିଥାନ୍ତି ମସ୍ତକ ଉନ୍ନତ ।
ଏକ ଦିଗ ଏକ ମୁଖେ ବେଗେ ଥା’ନ୍ତି ଧାଇଁ,
ଆଚମ୍ୱିତ ହେଲି ତାଙ୍କ ବ୍ୟଗ୍ରଗତି ଚାହିଁ ।
ନିକଟ ପ୍ରକୋଷ୍ଠେ ଥିଲେ ମହାରାଣା ବସି,
ମୋ ନିକଟେ ଉପଗତ ହୋଇ ହସି ହସି,
ବୋଇଲେ ସଖି ଗୋ, ଏ ଯେ ଦେଖୁଛ ପର୍ବତ
ଏହା ରାମଚନ୍ଦ୍ରଙ୍କର ସେତୁବନ୍ଧ-ପଥ ।
ଏହି ପଥେ ରାଘବେନ୍ଦ୍ର ଲଘିଂ ପାରାବାର,
ନାଶିଲେ ରାବଣ ସହ ତାର ପରିବାର ।
ବାହୁଡ଼ିଲେ ସୀତା ଘେନି ପୁଷ୍ପକ ରଥରେ,
ସୈନ୍ୟ ସହ ଅଯୋଧ୍ୟାକୁ ପୁଷ୍ପର ପଥରେ ।
ଆଜି ମୁହିଁ ଭାଗ୍ୟବଳେ ତୁମ୍ଭ ସଙ୍ଗ ଲଭି,
ରାଘବେନ୍ଦ୍ର ଗଉରବେ ହୋଇଛି ଗୌରବୀ ।
ସେ ବଚନେ କରି ମହିଁ ତଳକୁ ମଦନ,
ନିଜ ଭାଗ୍ୟ ବିଜ୍ଞାପିଲି ବିକାଶି ରଦନ ।
ଜାଣି ମୋ ଆକାଂକ୍ଷା ପୁଣି କଥା ଆକର୍ଣ୍ଣନେ,
ଲାଗିଲେ ନରେଶ ସେତୁ ବିଷୟ ବର୍ଣ୍ଣନେ ।
ବୋଇଲେ ସୁଶୀଳେ, ଖଣ୍ଡ ଖଣ୍ଡ ପରବତ,
ମଜ୍ଜିଅଛି ମଧ୍ୟେ ମଧ୍ୟେ ସେତୁବନ୍ଧ-ପଥ ।
ଥିଲା ଉଚ୍ଚ ବାଲି , ମାଟି, ପାଦପ, ପଥରେ
ଭାଙ୍ଗିଯାଇଅଛି ସିନ୍ଧୁ ତରଙ୍ଗାଘାତରେ ।
ଯୁଗେ ଯୁଗେ କ୍ରମେ କ୍ରମେ ହୋଇ ହୋଇ ତନୁ,
ହୋଇଛି ସାଗର-ସାତ ସେତୁବନ୍ଧ-ତନୁ ।
ତନୁ ଗଲେ କିସ ହେଲା ବଢୁଛି କୀରତି,
ଏହିରୂପେ ବଢ଼ିଥାଏ ଆଦର୍ଶ ପୀରତି ।
ତାଙ୍କ ସେ ବଚନ ଶୁଣି ମୁଁ ହୋଇ ଲଜ୍ଜିତ,
ଆନନ୍ଦ-ସାଗରେ ହୋଇଗଲି ନିମଜ୍ଜିତ ।
ପିତାପୁରେ ମୋର ମଧ୍ୟ କରିଛି ଶ୍ରବଣ,
ଏହିପରି ପଣ୍ଡିତଙ୍କ ମୁଖୁଁ ରାମାୟଣ ।
ତହିଁ ଯାହା ହୋଇଅଛି କଳିକା ଆକାର,
ଏଥି ଫୁଟି କରୁଅଛି ସୌରଭ ପ୍ରସାର ।
ସେତୁ ଚିହ୍ନ ଗିରି ମାତ୍ର ମୋ’ ନେତ୍ର-ପଥିକ,
ଶ୍ରୁତିପ୍ରୀତିକର ଆଉ ଯେସବୁ ଅଧିକ ।
ସେ ଦେଶେ ମିଳଇ ବହୁ ନାରୀକେଳ ଫଳ,
ଏ ଦେଶରେ ବଟତରୁଛାୟା ସୁଶୀତଳ ।’’
ଶୁଣି ରାଣୀ ହସି ହସି ବୋଇଲେ, ‘‘ଗୋ କାକି,
ହାତୀଧରା କଥା ଏବେ ରହିଗଲା ବାକି ।’’
ପଦ୍ମିନୀ ବୋଇଲେ, ‘‘ତୁମ୍ଭେ ଶୂକରଶିକାର,
ବିଷୟ ବର୍ଣ୍ଣିବା ପାଇଁ କରିଛ ସ୍ୱୀକାର ।
କହିବ କାଳିକି’’ ବୋଲି ଉଠି ହସି ହସି,
ଚାଲିଗଲେ ସ୍ୱ-ସଦନେ ପରମ ରୂପସୀ ।
ରାଣୀ ହସି ଉଠିଗଲେ ସ୍ୱକୀୟ ସଦନ,
ସେହିରୂପେ ହସି ଗଲେ ଅନ୍ୟ ବାମାଗଣ ।
ଦ୍ୱିତୀୟ ସର୍ଗ
ଭାରତର ରାଜଧାନୀ ଦିଲ୍ଲୀ ସିଂହାସନେ,ଯବନସମ୍ରାଟ ରାଜେ ମଦମତ୍ତ ମନେ ।ଅଭିହିତ ହୁଏ ଆଲ୍ଲାଉଦ୍ଦୀନ ନାମରେ ,ଅଧମ ପ୍ରବୃତ୍ତି ପୋଷେ ହୃଦୟ-ଧାମରେ ।ଜୀବନେ ପୂରିଛି ତାର ଅଧର୍ମ-ତିମିର,ତାରକା ସଦୃଶ ରତ୍ନେ ମଣ୍ଡିତ ଶରୀର ।ମାନସ ହୋଇଛି ତାର ଅମାବାସ୍ୟା-ତିଥି,ବୁଡ଼ିଛି ବିବେକ ରୂପ ସହସ୍ର-ଦୀଧିତି ।ତହିଁ ସଙ୍ଘେ ଯାଇଅଛି ନ୍ୟାୟ କଳାକର,ପ୍ରତାପ ନିଦାଘ ତାର ଦୁର୍ଦ୍ଦମ ପ୍ରଖର ।ଲାଗିଛି ତା’ ଦ୍ୱେଷାନଳ ଆର୍ଯ୍ୟ-କୁଳାଚଳେ,ପଡ଼ୁଛି ସତୀତ୍ୱ-ଫୁଲ ତାହାରି କବଳେ ।ନୀଚ ଲୋକ ପାଏ ଯଦି ବଡ଼ ଅଧିକାର,ନ ଥାଏ ତା’ ପାପ ପୁଣ୍ୟେ ବିବେକ ବିଚାର ।ଜଲାଲଉଦ୍ଦୀନ ଥିଲେ ଦିଲ୍ଲୀ ଅଧିଶ୍ୱର,ଏ ଆଲ୍ଲାଉଦ୍ଦୀନ ଥିଲା ଦାସ ତାହାଙ୍କର ।ଖଳମତି କୁପ୍ରବୃତ୍ତି କରି ବଳବତୀ,କଉଶଳେ ହୋଇଗଲା ରାଜ ସେନାପତି ।ପବନକୁ ଲୋଡ଼ୁଥାଏ ଯେମନ୍ତ ଅନଳ,ଯବନସମ୍ରାଟ ତାକୁ ପାଇଗଲେ ବଳ ।ସେ ପବନ ଆଣେ ଯେବେ ପ୍ରବଳ ବରଷା,ନ ଭାବିଲେ ଅନଳର ହୁଏ ଯେଉଁ ଦଶା ।ଦାକ୍ଷିଣାତ୍ୟ ସେବଗିରି ଲୁଣ୍ଠନ କାରଣ,କଲେ ଆଲ୍ଲାଉଦ୍ଦୀନକୁ ସମ୍ରାଟ ପ୍ରେରଣ ।ଦେବଗିରି ଲୁଟି ଗେନି ଧନରତ୍ନରାଶି,ବାହୁଡ଼ିଲା ଆଲ୍ଲା ପଦ-ମଦ-ସ୍ରୋତେ ଭାସି ।ସେହି ଧନରତନକୁ ଗ୍ରାସିଲା ତା’ ଲୋଭ,କିନ୍ତୁ ରାଜପ୍ରାପ୍ୟ ବୋଲି ଆକ୍ରମିଲା କ୍ଷୋଭ ।ଲୋଭ ସଙ୍ଗେ ମିଶି ତାର କପଟ କୌଶଳ,ସହଜେ ବଢ଼ାଇଦେଲା ପାପବୁଦ୍ଧିବଳ ।ବିଶ୍ୱାସଘାତପ ପୁଣି ପ୍ରଭୁର ଘାତକ,ହେବା ପାଇଁ ଶିକ୍ଷାଦେଲା ତାହାକୁ ପାତକ ।ବୋଇଲା ସମ୍ରାଟ ତୁଳେ କ୍ଷୋଭ କରି ନାଶ,ରାଜଲକ୍ଷ୍ମୀ-କୋଳେ କର ସ୍ୱାଧୀନ ବିଳାସ ।ସେ ମୋହନେ ମଜ୍ଜି ଆଲ୍ଲା ବାହୁଡ଼ିବା ପଥେ,ଭାବିଲା ରତନ ଯେତେ ଅଛି ମୋର ହସ୍ତେ ।କେତେ ବଳେ ଛଳେ ଏହା କରିଛି ଅର୍ଜ୍ଜନ,ଯଦ୍ୟପି କରିବି ରାଜଭଣ୍ଡାରେ ଅର୍ପଣ ।ଘରେ ବସି ବୃଦ୍ଧ ରାଜା ଭୋଗିବ ସକଳ,ତା’ପରେ ଭୋଗିବ ତାର କୁମର କେବଳ ।ଯେତେ ରତ୍ନ ଦେଖି ନାହିଁ ବୃଦ୍ଧ ସ୍ୱ-ଜୀବନେ,ମୋ ଭୁଜ ବିକ୍ରମେ ଆଜି ଲଭିବ ଭବନେ ।ନିଜେ ଯଦି ଯାଇଥାନ୍ତା ଏ ଧନଲୋଭରେ,ନିଶ୍ଚେ ପ୍ରାଣ ଦେଇଥାନ୍ତା ପରିପନ୍ଥୀ କରେ ।ଯଦିବା ନ ମରିଥାନ୍ତା ଅନ୍ତିମ ସମୟ,ନିକଟ ହେଲାଣି ଆସି ଅଶୀ ବର୍ଷ ବୟଃ ।ଅଳ୍ପଦିନେ ସିଂହାସନେ ବସିବ ତା’ ସୁତ,ସହଜେ ପାରିବ କରି ମୋତେ ପଦଚ୍ୟୁତ ।ମୋ’ ଅର୍ଜିତ ଧନରତ୍ନେ ବସି କରି କ୍ରୀଡ଼ା,ପ୍ରଭୁ ହୋଇ ମୋ ଜୀବନେ ଦେଉଥିବ କ୍ରୀଡ଼ା ।ମୂର୍ଖ ହେଉ, ପାପୀ ହେଉ ରାଜାର ନନ୍ଦନ,ସିଂହାସନେ ବସି ହୁଏ ଜଗତବନ୍ଦନ ।ଥାଉଁ ଥାଉଁ ନିଜ ବୁଦ୍ଧିବଳ ବାହୁବଳ,ପ୍ରଜାରୂପେ ହେଉଥାଏ ନର କଲବଲ ।ସର୍ବ ଦଳବଳ ଆଜି ମୋର ଆଜ୍ଞାଧୀନ,କାଲି ପୁଣି ହୋଇଯିବି ଭୃତ୍ୟଠାରୁ ହୀନ ।କି କରିପାରିବ ବୃଦ୍ଧ ନ ଦେଲେ ଏ ଧନ,ଏହି ଧନବଳେ ତାର ସାଧିବି ନିଧନ ।ଏହିଠାରେ ଅଛି ମୋର ପୂର୍ଣ୍ଣ ପରାକ୍ରମ,ଦିଲ୍ଲୀ ଗଲେ ପଣ୍ଡ ହେବ ମୋ’ ସକଳ ଶ୍ରମ ।ଏହିଠାରେ ମୋ ଉପରେ ସ୍ୱାମୀ ନାହିଁ କେହି,ଦିଲ୍ଲୀ ଗଲେ ଭୃତ୍ୟ ହେବି ଧନରତ୍ନ ଦେଇ ।କାଳ ଜାଣି କର୍ମ କଲେ ଫଳଇ ସଫଳ,ସବୁବେଳେ ନ ପାରଇ ରହି ଭାଗ୍ୟବଳ ।ମୋହଠାରେ ଅଛି ଆଜି ଯେଉଁ ଧନପଣ,ଛାଡ଼ିଲେ ହସିବେ କାଲି କାପୁରୁଷଗଣ ।ଜନମି ନ ଥାଏ କେହି ରାଜଛତ୍ର ଧରି,ପରାକ୍ରମୀ ଚାହିଁ ନିଏ ରାଜଲକ୍ଷ୍ମୀ ବରି ।ଜଲ୍ଲାଲର କେଉଁ ବାପ ଥିଲା ରାଜପଦେ,ସେ ତ ଦିଲ୍ଲୀ ଦଳୁଅଛି ଆସି ଆଜି ପଦେ ।କପଟେ କାଇକୋବାଦେ ଦେଇ ବିଷାଶନ,ଭୃତ୍ୟ ଥିଲା, ମାଡ଼ି ବସିଅଛି ସିଂହାସନ ।ପର ରାଜ୍ୟ ବଳେ ନେଲେ କିଛି ନାହିଁ ପାପ,ସୁଯୋଗ ଛାଡ଼ିଲେ ପରେ ମିଳଇ ସନ୍ତାପ ।ଯା’ର ବେଶୀ ପରାକ୍ରମ ରାଜ୍ୟହିଁ ତାହାର,ସିଂହ କରିଦିଏ ବନୁ ବ୍ୟାଘ୍ରକୁ ବାହାର ।ରାଜଲକ୍ଷ୍ମୀ ନ ବାରଇ ପାପୀ ପୁଣ୍ୟବାନ,ପ୍ରଚଣ୍ଡ ଯା’ ଖଡ୍ଗ ତାର ଅଙ୍କେ କରେ ସ୍ଥାନ ।ସମ୍ରାଟ ଶ୍ୱଶୁର ମୋର ତହିଁ ପିତୃଭ୍ରାତା,ମୁଁ ଖଡ୍ଗ ଧଇଲେ ତାର ନଥିବ କେ ତ୍ରାତା ।ଜାତି ବନ୍ଧୁ ନାଶେ ନାହିଁ ବୀରଧର୍ମେ ଦୋଷ,ତହିଁପାଇଁ ରାଜଲକ୍ଷ୍ମୀ ନ କରନ୍ତି ରୋଷ ।ପିତୃବ୍ୟ ମାତୁଳ ଗୁରୁ ପିତାମହ ନାଶି,ହୁଅନ୍ତି ଭାରତେ ରାଜଲକ୍ଷ୍ମୀ-ଅଭିଳାଷୀ ।ଆଜ ରାଜଲକ୍ଷ୍ମୀଙ୍କର ମୋହନ ମନ୍ତର,ଶ୍ରବଣେ ମୋହର ପଡ଼ୁଅଛି ନିରନ୍ତର ।ଭାଗ୍ୟେ ଯାଇଥିଲି ଦେବଗିରି ଆକ୍ରମଣେ,ଭାଗ୍ୟେ ନ ପଡ଼ିଲି ରବି-ସୁତ-ସଂକ୍ରମଣେ ।ଭାଗ୍ୟ ମୋର ହୋଇଅଛି ଉଜ୍ଜ୍ୱଳ ଉଦୟ,ନ ପାରିବି ହେଳି ଏହି ଭାଗ୍ୟର ସମୟ ।ନ ଛାଡ଼ିବି ଧନ ରତ୍ନ ନେବି ରାଜପଣ,ନିଜେ ଆସି ମରୁ ବୃଦ୍ଧ ସମ୍ରାଟ ଆପଣ ।ଜାଣଇଁ ମୁଁ ବୃଦ୍ଧ ନୃପ ଅତୀବ କୃପଣ,ସେହିପରି ଲୁବ୍ଧ ହୁଏ ଚାହିଁ ପରଧନ ।ତା’ ଲୋଭ-ଗରଭେ ଧନ ପୂରାଇବା ପାଇଁ,ହୋଇଅଛିଁ ସିନା ମୁହିଁ ପଦ-ମଦ୍ୟପାୟୀ ।କହନ୍ତି ଲୋଭରୁ ପାପ, ପାପରୁ ମରଣ,ହେଉ ବୃଦ୍ଧ ନରପତି ତା’ ଉଦାହରଣ ।କେତେ ଲୋକ ନଷ୍ଟହେଲେ, ତା’ ଲୋଭର ଲାଗିମରୁ ବୃଦ୍ଧ ହୋଇ ଏବେ ସେ ପାପର ଭାଗୀ ।ଲୁବ୍ଧକର ଘଣ୍ଟିନାଦେ ମୁଗ୍ଧ ମୃଗ ପରି,ମଧୁର ବଚନେ ତାକୁ ଦିଏଁ ଲୁବ୍ଧ କରି ।ବଡ଼ିଶର ଖାଦ୍ୟ କରେ ମୀନ ଆକର୍ଷଣ,ଭଲ ରତ୍ନ କିଛି ଦିଏ ଉପଢ଼ଉକନ ।ନାଦ ସ୍ୱାଦ ମୋହେ ଧାଇଁଆସୁ ମୋର ପାଶ,ଏଠାରେ ଲଗାଇ ଦେବି ଶମନର ପାଶ ।ଏହିରୂପେ ଭାବି ନିଜ ପୀଡ଼ା କରି ଛଳ,ଲେଖିଲା ପତର ବୃଦ୍ଧ ସମ୍ରାଟ୍କୁ ଖଳ ।‘‘ଭୋ ମହାମହିମ ଦେବ ଦିଲ୍ଲୀ ଅଧୀଶ୍ୱର,ଅଧୀନ ମୁଁ ଘେନି ତୁମ୍ଭ ଶୁଭାଶିଷ ବର ।ଜୟ ଆଶେ ଦାକ୍ଷିଣତ୍ୟ କରି ଅଭିଯାନ,ଚୂର୍ଣ୍ଣ କଲି ଦେବଗିରି-ପତି ଅଭିମାନ ।ଦୁର୍ଗଦେବୀ ଧରିଥିଲା ଯେ ଅବଗୁଣ୍ଠନ,ବଳେ ଫେଇ କଲି ତାର ଭୂଷଣ ଲୁଣ୍ଠନ ।ବିବିଧ ଭୂଷଣପୂର୍ଣ୍ଣ ବିବିଧ ରତନେ,ଛାମୁକୁ ନେଉଛିଁ ସବୁ ଅତୀବ ଯତନେ ।କିନ୍ତୁ ଦେବ ଲେଖିବାକୁ ହେଉଛି ବ୍ରୀଡ଼ିତ,ଯାଇପାରୁ ନାହିଁ ପଥେ ହେବାରୁ ପୀଡ଼ିତ ।ସାମନ୍ତସକଳ ଏଣେ ଲୋଭେ ଭରି ମନ,ରତ୍ନ ବାଣ୍ଟିଦିଅ ବୋଲୁଛନ୍ତି ଘନ ଘନ ।ସେନା ତ ଅଛନ୍ତି ଏଥି, ଏକା କରି ବିଜେ,ରତ୍ନରାଶି ହସ୍ତଗତ କରିନିଅ ନିଜେ ।ରତ୍ନ ଫୁଲ ସବୁ ବଡ଼ କଷ୍ଟେ ଅବଚିତ,ବିଳମ୍ୱିଲେ ହୋଇପାର ଲାଭରୁ ବଞ୍ଚିତ ।ପୋଷୁଛ ଦାସକୁ ଦେବ ଦେଇ ବରତନ,ପେଷିଲି ଲୁଚାଇ ତେଣୁ ଲୋଚାଏ ରତନ ।ଅଶେଷ ରତନ ଅଛି ରାଜପ୍ରାପଣୀୟ,ଜଣାଇଲି ଲେଖି ପତ୍ର ଅତି ଗୋପନୀୟ ।’’ପତ୍ର ସହ ପଠାଇଲା କେତେକ ରତନ,ଲୋଭେ ଯହିଁ ମଜ୍ଜିଯିବ ସମ୍ରାଟର ମନ ।ସମ୍ରାଟ ରତନ ସହ ପତ୍ରଟିକୁ ପାଇ,ମୁଗ୍ଧ ଲୁବ୍ଧ ହୋଇଗଲେ ଅଶ୍ୱ ଚଢ଼ି ଧାଇଁପ୍ରବେଶିଲେ ଯାଇ ଆଲ୍ଲାଉଦ୍ଦୀନ ଶିବିର,ଥିଲା ତହିଁ ଗୁପ୍ତ ରିପୁ ଧର୍ମ୍ମଧ୍ୱଂସା ବୀର ।ସାଦରେ ବସାଇ ଆଲ୍ଲା ରମ୍ୟ ସିଂହାସନେ,ଭୁଲାଇଲା ସମ୍ରାଟ୍କୁ ମଧୁର ଭାଷଣେ ।ଯେଉଁରୂପେ ଦେବଗିରି ଦୁର୍ଗ କଲା ଜୟ,ବର୍ଣ୍ଣିଲା ସକଳ ହୋଇ ପ୍ରଫୁଲ୍ଲ ହୃଦୟ ।ପ୍ରଚଣ୍ଡମୂରତି ଘେନି ହୋଇ ଅବିନୟ,ଉଲଙ୍ଗ ଖଡ଼ଗ ଧରି କଲା ଅଭିନୟ-ବୋଲି ଏହିରୂପେ କଲି ପରିପନ୍ଥୀ ନାଶ,ଛେଦିଲା ସମ୍ରାଟ୍ ଶିର ମନୁ ତେଜି ତ୍ରାସ ।ଯେ ଖଡ଼୍ଗ ଥିଲା ତାର ପ୍ରଭୁର ପ୍ରସାଦ,ସେ ଖଡ଼୍ଗେ ଘଟାଇଲା ପ୍ରଭୁର ପ୍ରମାଦ ।ପ୍ରଭୁର ଭକତ ଲୋକେ ହୁଅନ୍ତି ଜଗତେ,ଅଭିଷିକ୍ତ ହେଲା ଆଲ୍ଲା ପ୍ରଭୁର ରକତେ ।ସୈନ୍ୟ ସହ ଆସି କରି ଦିଲ୍ଲୀ ଅଧିକାର,ଭରିଅଛି ହୃଦୟରେ ସବୁ ଅବିଚାର ।ଗୁର୍ଜ୍ଝରମହିଷୀ କରି ପ୍ରୀତି ଉଚ୍ଚାରଣ,ନିର୍ବିକାରେ କରୁଛନ୍ତି ତା’ ପଦଚାରଣ ।ରତନପ୍ରଭାରେ ତାର ପୁର ଆଲୋକିତ,ବ୍ୟସନ ସମ୍ଭାର ସଦା ହୁଏ ଆଲୋଡ଼ିତ ।ବିବିଧ କୁସୁମେ ପୁର ହୋଇ ସୁବାସିତ,ଗଣିକା-ଗାୟନେ ହେଉଅଛି ଉଭାସିତ ।ପିଞ୍ଜରସ୍ଥ ପକ୍ଷୀ ଶିଖି କରି ଉଚ୍ଚ ତାନ,ପୁନଃ ପୁନଃ କରୁଅଛି ପ୍ରେମଗୀତ ଗାନ ।ଥରେ ରତ୍ନଭୂଷା ଥରେ କୁସୁମ ଭୂଷଣେବାମାବୃନ୍ଦ ଲାଗିଛନ୍ତି ନୟନ ତୋଷଣେ ।ଦୁର୍ଲ୍ଲଭ ପଦାର୍ଥ ଯେତେ ହେଉଅଛି ଲାଭ,ସମ୍ରାଟ ହୃଦୟ ତେତେ ମଣୁଛି ଅଭାବ ।ଯେତିକି ବ୍ୟସନ ରସ କରୁଛି ସମ୍ଭୋଗ,ତେତିକି ବଢୁଛି ତାର ଅସନ୍ତୋଷ ରୋଗ ।ଯାହା ଥରେ ମଞ୍ଜୁ ମଣି ରଖଇ ଆଦରେ,ଦୁଇ ଦିନ ପରେ ତାକୁ ପେଲଇ ପାଦରେ ।ଭୋଗକରି ଉଚ୍ଚ ଚାଟୁ ଭାରତୀ ଆସବ,ପ୍ରମୋଦେ ମଣୁଛି ନିଜେ ଭାରତ-ବାସବ ।ଛଳ ବଳ କଉଶଳ ପ୍ରଭାବ ଓଜରେ,ଦ୍ୱିତୀୟ କାହାକୁ ଆଉ ନ ଆଣେ ନଜରେ ।ଶୁଣିଲା ସୁନ୍ଦରୀ ଏକ ଚିତୋର ନଗରେ,ବିରାକୁଛି ପୁରନ୍ଦରୀ ପରି ସ୍ୱରଗରେ ।ସୁନ୍ଦରୀଏ ପରଶଂସି ବୋଲନ୍ତି ତା’ ରୂପ,ସିନ୍ଧୁ ହେଲେ ଅପରାଙ୍କ ଶୋଭା ହେବ କୂପ ।ଭିନ୍ନ ଭିନ୍ନ ଶୋଭା ଯେତେ ଜଗତେ ଅତୁଳ,ସୁକୁମାର ଅଙ୍ଗେ ତାର ହୋଇଛନ୍ତି ଠୁଳ ।ରତନମାନର କାନ୍ତି ଜ୍ୟୋତିଷ୍କଙ୍କ ପ୍ରଭା,ଅନୁରୂପ ସ୍ଥାନେ ବସି କରିଛନ୍ତି ସଭା ।ପୁଷ୍ପଙ୍କ ମାଧୁରୀ ଇନ୍ଦ୍ରଧନୁର ବରଣ,ଫୁଟି ଉଠିଛନ୍ତି ଲଭି ତା’ ଅଙ୍ଗେ ଶରଣ ।ବରଞ୍ଚ ସେମାନେ ଥିଲେ ନିର୍ଜୀବ ନିର୍ବଳ,ଅଙ୍ଗେ ତାର ହୋଇଛନ୍ତି ସଜୀବ ଉଜ୍ଜ୍ୱଳ ।କଉଣସି ବର୍ଣ୍ଣ ରଖି ନାହିଁ ନିଜ ଜାତି,ଏକ ବର୍ଣ୍ଣେ ମିଶିଅଛି ଅନ୍ୟ ବର୍ଣ୍ଣ ଭାତି ।ପରସ୍ପର ଜ୍ୟୋତି କରି ଆଦାନ ପ୍ରଦାନ,ଏକତା-ବନ୍ଧନେ ହୋଇଛନ୍ତି ପ୍ରାଣବାନ ।ଯେଉଁରୂପେ ପଞ୍ଚଭୂତ ହେଲେ ସମ୍ମିଳିତ,ଉଠଇ ଜୀବନ ତହିଁ ହୋଇ ସଞ୍ଚରିତ ।ବିଜୁଳି କେବଳ ତାର ଅଙ୍ଗେ ହୋଇ ଚୂରି,ଉଛୁଳି ପଡ଼ୁଛି ସର୍ବ ଅବୟବେ ପୂରି ।ରୂପ ଅନୁସାରେ ବାମା ସଦ୍ଗୁଣସକଳ,ପରସ୍ପର ସମ୍ମିଶ୍ରଣେ ଅଛନ୍ତି ସବଳ ।ଦୟା ତାର ବୋଲେ ଯେବେ ଦୁଃଖିଦୁଃଖହରକ୍ଷମା ବୋଲିଥାଏ ଦୋଷ ମନରେ ନ ଧର ।ଦୁହିଁଙ୍କ ବଚନ-ରସେ ସ୍ନିଗ୍ଧ ହୋଇ ମନ,କରୁଥାଏ ସଦା ଲୋକ ମଙ୍ଗଳସାଧନ ।ମଧୁର କୋମଳ ତାର, ସତ୍ୟ ସୁବଚନ,କର୍ଣ୍ଣେ ପଡ଼ି ପ୍ରାଣେ କରେ ଅମୃତ ସେଚନ ।ଯେ ଥରେ ଶୁଣିଛି ତାର ଆହ୍ଲାଦିନୀ ବାଣୀ,ସେ ବୋଲୁଛି ମୂର୍ତ୍ତିମତୀ ବାଗ୍ଦେବୀ ସେ ରାଣୀ ।ଯେ କେହି ତାହାକୁ ଥରେ କରିଛି ଦର୍ଶନ,ବୋଲୁଛି ହୋଇଛି ନେତ୍ରେ ପୀୟୁଷ ବର୍ଷଣ ।ନେତ୍ର ଦେଇ ତା’ ପ୍ରାଣକୁ ସୁଖ ଉପହାର,ଲଭୁଅଛି ଉଚ୍ଚ ଧନ୍ୟବାଦ ବାରମ୍ୱାର ।ବହୁମୁଖୁଁ ପଦ୍ମିନୀର ପ୍ରଶଂସା ଶ୍ରବଣେ,ଲାଳସା ଉଠିଲା ବଢ଼ି ଯବନ ଜୀବନେ ।ଭାବିଲା-‘ଯା ରୂପ-ଗୁଣ ଏତେ ପ୍ରଶଂସିତ,ସମ୍ରାଟ୍ ମୁଁ କିପାଁ ହେବି ତା’ ଭୋଗେ ବଞ୍ଚିତ ?ଯେତେବେଳେ ଯାହା ମୋର ବାଞ୍ଚିଅଛି ମନତେତେବେଳେ କରିଅଛି ସେ କର୍ମ୍ମ ସାଧନ’ ।କିସ ଥିଲି କିସ ପୁଣି ହୋଇଅଛି ଆଜି,ଭାଗ୍ୟ ସଦା ରହିଅଛି ମୋ କଥାରେ ରାଜି ।ଥିଲି ଦିନେ ଜଲାଲର ସାମାନ୍ୟ ଚାକରଯତ୍ନବଳେ ଲାଭ କଲି ତା’ ଦୂହିତା-କର ।ଯତ୍ନବଳେ ହେଲି ପୁଣି ତାର ସେନାପତି,ପୁଣି ଯତ୍ନେ ଆଣିଅଛିଁ ତା’ ମସ୍ତକ ଛତି ।ଯତ୍ନ କଲେ ରତ୍ନ ମିଳେ ଧ୍ରୁବ ସତ୍ୟ କଥା,ଯତନବିହୀନ ଲୋକ ବସି ଭୋଗେ ବ୍ୟଥା ।ଶାସ୍ତ୍ରେ ମୋର ଲେଖା ନାହିଁ ଧରମାଧରମ,ଯହିଁ ଲାଭ ତାହା ମୋର କର୍ତ୍ତବ୍ୟ କରମ ।ପଦ୍ମିନୀ ଲଭିବା ନୁହେ ମୋ’ ପକ୍ଷେ କଠିନ,ଭାରତ ଭୂପତିବୃନ୍ଦ ମୋ ଆଜ୍ଞା ଅଧୀନ ।ଦେବଗିରି ଆଣିଅଛି ନିଜ ଅଧିକାରେ,କନୌଜ ରହିଛି ମୋର ଚିତ୍ତ ତୋଷିବାରେ ।ଗୁର୍ଜ୍ଜରୁ ଆଣିଛିଁ ରାଜ-ସ୍କନ୍ଧରୁ କମଳା,ତହିଁ ସଙ୍ଗେ ରାଜ-ଅଙ୍କଶୋଭିନୀ କମଳା ।ଅବଶିଷ୍ଟ ଅଛି ଏବେ ଚିତୋର ପଦ୍ମିନୀ,ଯତନେ କରିବି ତାକୁ ଚିତ୍ତର ମୋଦିନୀ ।ତଦୁତ୍ତରେ ନେଇ ସବୁ ଚିତୋର ସମ୍ୱାଦ,ଭାବିଲା ଉଚିତ କିନା ପ୍ରଥମେ ବିବାଦ ।ସ୍ଥିର କଲା ନ ଫଳିଲେ ଛଳ କଉଶଳଅବଶେଷେ ପ୍ରକାଶିବ ଭୂଜଦଣ୍ଡବଳ ।ଯେ ମନ୍ତ୍ରେ କରୁଛି ଦିଲ୍ଲୀ ରାଜଲକ୍ଷ୍ମୀ ଭୋଗ,କରିବ ଚିତୋର-ଲକ୍ଷ୍ମୀ ପାଇଁ ତା’ ପ୍ରୟୋଗ ।ପତ୍ର ସହ ଦେଇ ବହୁ ରମ୍ୟ ଉପଚାର,ଚିତୋରକୁ ଅବିଳମ୍ୱେ ପଠାଇଲା ଚାର ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ