ଛ’ମାଣ ଆଠଗୁଣ୍ଠ
ଫକୀରମୋହନ ସେନାପତି · ଭାଗ ୭ / ୧୬
ସମ୍ପୂର୍ଣ୍ଣ ସୂଚୀପତ୍ର
ହିତୋପଦେଶ
ପ୍ରଥମା – ଭାରି ତ ଫୁସ୍ଫୁସ୍ ?
ଦ୍ୱିତୀୟା – ଉଠିବ ପରା ବାସ ।
ପ୍ରଥମା – ଚାଷ କି ବାସ ?
ଦ୍ୱିତୀୟା – ସର୍ବନାଶ ।
ଏ କିଏରେ ବାପା ! ତନ୍ତୀ ତୁଠରେ କବିତା । ରାନ୍ଧୁଣୀ ଗାଧୁଆବେଳ ଗଡ଼ିଗଲାଣି, ତନ୍ତୀତୁଠରେ ଦିଓଟି ଦରବୁଢ଼ୀ ଦଶ ଦଶ ହାତ ଛାଡ଼ି ବସି ଦାନ୍ତ ଘଷୁ ଘଷୁ ଏ କଥାଗୁଡ଼ିକ କହି ପରସ୍ପର ମୁହଁକୁ ଚାହାଁ-ଚାହିଁ ହେଲେ, ମୁରୁକି ମୁରୁକି ହସି ପୁଣି ଡରିଗଲା ପରି ତୁନି ହେଲେ ।
ତୁମ୍ଭେ ପାଟିକରି କଥା କହ, ସେଥିରେ କେହି ମନ ଦେବେ ନାହିଁ, ନିହାତି ପାଖଲୋକ ମଧ୍ୟ ନ ଶୁଣିଲା ପରି ରହିବେ । କିନ୍ତୁ ଦୁଇଜଣ ଫୁସ୍ଫୁସ୍ ହେଉନ୍ତୁ, ଲୋକଙ୍କ ମନ ଦେଖ ସେହିଠାରେ, କଥାଟା ଶୁଣିବାପାଇଁ ସମସ୍ତଙ୍କ ମନ ଗୁଡ଼େଇ ପୁଡ଼େଇ ହେଉଥାଏ । ବାସ୍ତବିକ ସାନ ମଞ୍ଜି ଭିତରେ ବଡ଼ ଗଛ ଲୁଚିରହିଲା ପରି ତୁନି କଥା ମଧ୍ୟରେ କେବେ କେବେ ଭାରି କାରଖାନା ଥାଏ । ତୁଠରେ ତ ଆଉ କେହି ନାହିଁ, ଦରବୁଢ଼ୀ ଦିଓଟି କି ସକାଶେ ତୁନି-ତୁନି ଇସାରାରେ (୧) ଏପରି କଥା କହିଲେ, ପୁଣି ଡରିଯାଇ ତୁନି ହେଲେ ?
ତନ୍ତୀତୁଠର ପାଣି-ଗଡ଼ନ୍ତି ଡାହାଣ ହାତି ଅଧାଅଧି ବାଟକୁ କୋଡ଼ିଏହାତ ଅନ୍ଦାଜ ଛାଡ଼ି ଜାଉଁଳି ବର-ଅଶ୍ୱତ୍ଥ ଗଛ ଲଗାଲଗି ହୋଇ ରହିଛି । ଗଛଦିଓଟି ଅଧା ଭଳିଆ ଥାକୁଲ ଥୁକୁଲ, ପୁଣି ସେଥିରେ କଅଁଳପତ୍ର ଲଦି ହୋଇଅଛି । ଘାଟପାଖ ବାଟ ପାଖରେ ବର-ଅଶ୍ୱତ୍ଥ ବିଭା କରାଇଦେଲେ କନ୍ୟାଦାନର ଫଳ ମିଳେ । ହିନ୍ଦୁମାନଙ୍କର ଏହି ସଂସ୍କାରର ଚିହ୍ନ ଅନେକ ସ୍ଥାନରେ ଦେଖାଯାଏ । ମାଇକିନିଆ ଦିଓଟି କଥା କହୁ କହୁ ସେହି ଗଛମୂଳକୁ ଦୁଇ ତିନିଥର ଅନାଇଥିଲେ । ଏବେ କଥା କାହିଁ ଯାଏ ? ଚୋର ତ ଅନ୍ଧାର ରାତିରେ ଖୁବ୍ ହୁସିଆରରେ ଚୋରି କରେ, ଜେଲଖାନାକୁ ଏତେ କଏଦୀ କାହୁଁ ଅଇଲେ ? ବୁଦ୍ଧିମାନ୍ ହୁସିଆର ଗୋଇନ୍ଦା ଆଖିରେ ଧୂଳି ପକାଇବା ସହଜ କଥା ନୁହେଁ । ଅବଶ୍ୟ ଗଛମୂଳର ପଦାର୍ଥବିଶେଷ ସହିତ ଏମାନଙ୍କ କଥାର ଘନିଷ୍ଠ ସମ୍ବନ୍ଧ ଅଛି । ଠିକ୍ ! ଆମ୍ଭମାନଙ୍କ ଅନୁମାନ ସମ୍ପୂର୍ଣ୍ଣ ଠିକ୍ । ଖିଅମୁଣ୍ଡଟି ହାତରେ ପଡ଼ିଲେ ବୁଦ୍ଧିମାନ ତନ୍ତୀ ଯେମନ୍ତ ବିଡ଼ାଏ ସୂତା ସଳଖେ ସଳଖେ ଟାଣିଆଣେ, ଆମ୍ଭମାନଙ୍କୁ ସେହିପରି ବୁଦ୍ଧିମାନ ଜାଣିବ । ଟିକିଏ ସଙ୍କୁନ (୨) ଦେଇ ସବୁ କଥା ଆମମାନଙ୍କଠାରୁ ଶୁଣିଯାଅ ।
ଯାଉଁଳିଗଛ ଉହାଡ଼ରେ ଦିଓଟି ସ୍ତ୍ରୀ ବସି କ’ଣ କୁହାକୁହି ହେଉଛନ୍ତି । ମଲା–ଯା ! ଏମାନଙ୍କୁ ଯେ ଆମ୍ଭେମାନେ ଭଲ କରି ଚିହ୍ନୁ ! ଅସମୟରେ ଅସ୍ଥାନରେ ଏମାନେ ବସି କ’ଣ କହୁଛନ୍ତି ? ମିଳନଟା ମଧ୍ୟ ଭାରି ଚମତ୍କାର ରକମର । ଗୋଟିଏ ଧୂର୍ତ୍ତା (୩) ନଷ୍ଟପ୍ରକୃତି ଶୃଗାଳୀ, ଆଉ ଗୋଟିଏ ଠିକ୍ ବିପରୀତ–ନିତାନ୍ତ ନିରୀହ ମେଣ୍ଢୀ । ଦୁହିଁଙ୍କ ମଧ୍ୟରୁ ଜଣେ ନାକବସଣୀ ଟେକି ସାପୁଣୀ ଫଣା ଟେକି ସାବଧାନତା ସହିତ ଅନାଇଲାପରି ଚାରିଆଡ଼କୁ ଅନାଇ ଅନର୍ଗଳ ବକ୍ତୃତା ଉଜାଡ଼ି ପକାଉଅଛି । ଦ୍ୱିତୀୟାର ପାଖରେ ପାଣିମାଠିଆଟି ଥୁଆ, ଡାହାଣ ହାତରେ ଦାନ୍ତକାଠି ଖଣ୍ଡିଏ ମୁଠା, କପାଳଯାଏଁ ଓଢ଼ଣାଟଣା । ଗୋଟାଏ ଉତ୍କଟ ଶବ୍ଦ ଶୁଣିଲେ ମେଣ୍ଢି ଯେପରି ସେହି ଦିଗକୁ ତାଟକା ହୋଇ ଚାହିଁ ରହିଥାଏ, ସେହିପରି ସେହି ସ୍ତ୍ରୀଟି ‘ସ୍ଥିର ମନ, ଧୀର ବୁଦ୍ଧି, ପଞ୍ଚଭୂତ ଆତ୍ମା ଦୋରସ୍ତ, ନିର୍ମଳ ହୃଦକମଳ’ରେ ଶୁକଦେବଙ୍କ ମୁଖରୁ ପରୀକ୍ଷିତ ପୁରାଣ ଶୁଣିଲା ପରି ବାକ୍ୟାବଳୀ ଶ୍ରବଣ କରୁଅଛି । ମାତ୍ର ସେଗୁଡ଼ିକ ତାହା ମସ୍ତକଭଣ୍ଡାରରେ ସଞ୍ଚିତ ହେଉଅଛି କି ଆର କାନବାଟେ ସଳଖେ ସଳଖେ ବାହାରିଯାଉଅଛି, ତାହାର ସ୍ଥିରତା ବୋଲିବାକୁ ଆମ୍ଭେମାନେ ନିତାନ୍ତ ଅକ୍ଷମ ।
ଆପଣ ଅବଶ୍ୟ ସେମାନଙ୍କ କଥା ଶୁଣିବାକୁ ଇଚ୍ଛା କରିବେ,ସନ୍ଦେହ ନାସ୍ତି । ଜଣେ ମତୁଆଲା କହିଥିଲା—
‘‘ସଂସାର ବିଷବୃକ୍ଷସ୍ୟ ମଦ୍ୟମାଂସାମୃତ ଫଳଂ ।’’
ଅର୍ଥାତ୍ ସଂସାରରୂପ ବିଷବୃକ୍ଷରେ ମଦ୍ୟ, ମାଂସ ଏହି ଦିଓଟି ଫଳ ଫଳିଅଛି । ଏକଥା ଶୁଣି ବୃଦ୍ଧ ମନୁ ବୋଇଲେ–
‘‘ନ ମାଂସଭକ୍ଷଣେ ଦୋଷ ନ ମଦ୍ୟେ....
ପ୍ରବୃତ୍ତିରେଷା ଭୂତାନାଂ....’’
ଅର୍ଥାତ୍ ଭୂତମାନେ ବା ଭୂତପରି ଲୋକମାନେ ଏପରି କଥା କହନ୍ତି । ଠିକ୍ କଥା–‘ବୃଦ୍ଧସ୍ୟ ବଚନଂ ଗ୍ରାହ୍ୟଂ ମାତ୍ର ସଂସାରରୂପ ବିଷବୃକ୍ଷରେ ଯେ ଦୁଇଗୋଟି ଅମୃତ ଫଳ ଫଳିଅଛି, ଏ କଥା ଠିକ୍ ସତ୍ୟ । ଚିହ୍ନରା କିଏ ? କେବଳ ଆମ୍ଭମାନଙ୍କୁ ସେ ଫଳ ଦିଓଟି ଜଣା ‘ପରୋପକାରଂ ସ୍ୱର୍ଗାୟ’ । ପରର ଉପକାର କରିବା ହେଉଛି ଆମ୍ଭମାନଙ୍କର ବ୍ରତ । ଆପଣମାନଙ୍କର ଉପକାର ସାଧନ ନିମନ୍ତେ ସେହି ଫଳ ଦିଓଟିର ନାମ ପ୍ରକାଶ କରୁଅଛୁ । ଗୋଟିଏ ଫଳର ନାମ ତୁନିକଥା ଶୁଣିବାକୁ ଇଚ୍ଛା, ଆଉ ଗୋଟିକର ନାମ ପରନିନ୍ଦା । ତୁମେ କାହାରି ଘରର ଗୁପ୍ତ ଛିଦ୍ରକଥା (୪) କହ କି କାହାର ନିନ୍ଦା କର, ଦେଖିବ, ଲୋକମାନେ ଭାରି ଆନନ୍ଦରେ ମନ ଦେଇ ଶୁଣିବେ । ବୁଝିବା ହେଲେଟି କି ? ଫଳର ମାହାତ୍ମ୍ୟ ନ ଥିଲେ କି ତାହାର ଏଡ଼େ ଆନନ୍ଦ ହୁଅନ୍ତା ?
ଆମ୍ଭେମାନେ କ’ଣ ଲେଖିବାକୁ ଯାଇ କ’ଣ ଲେଖିପକାଉଛୁଁ । ଯେତେ ବେଗରେ ଆହୁଲା ଭିଡ଼, ପାଣିସୁଅଟା ନାଆକୁ ଲକ୍ଷ୍ୟ ସ୍ଥାନରୁ ଦୂରକୁ ଟାଣିନିଏ; ମାତ୍ର ଟାଣୁଆ ନାଉରୀ ମଙ୍ଗ ଛାଡ଼େ ନାହିଁ । ଆମ୍ଭମାନଙ୍କ କଲମ ଏଣେତେଣେ ଯାଉଅଛି ସତ୍ୟ, ମାତ୍ର ମୂଳକଥାଟା ହଲଚଲ ହୋଇପାରିବ ନାହିଁ, କଥାଟା ଦାଣ୍ଡେ ଦାଣ୍ଡେ ଚାଲିଥିବ ।
ସେ କଥା ଯାଉ, ଆପଣଙ୍କୁ ଆଉ ସନ୍ଦେହରେ ପକାଇ ରଖିବା ଉଚିତ ନୁହେଁ । ଏ ଦିଓଟି ସ୍ତ୍ରୀଲୋକ କିଏ, କି କି କଥା କହୁଅଛନ୍ତି, ସବୁ ଖୋଲାସା (୫) କରି କହିଦେବା ଉଚିତ । କୌଣସି କୌଣସି ଲୋକ ଗୋଟିଏ କଥା କହିବା ଆଗରୁ ଅନେକ ମୁଖବନ୍ଧ, ଅନେକ ବକ୍ତୃତା କରି ବସନ୍ତି । ମାତ୍ର ଆମ୍ଭମାନଙ୍କର ସ୍ୱଭାବ ଏହାର ସମ୍ପୂର୍ଣ୍ଣ ବିପରୀତ । ବୋଲିବାର ପରିଷ୍କାର କରି ଝଟପଟ କହିପକାଉ । ଆଉ ଅନେକ ଲୋକ ଭୟରେ ଅନେକ କଥା ଲୁଚାନ୍ତି କିମ୍ବା କହୁ କହୁ କ’ଣ କହିପକାନ୍ତି । ଏହି ଦେଖନ୍ତୁ ନା, ଦରବୁଢ଼ୀ ମାଇକିନିଆ ଦିଓଟି ଇସାରାରେ କ’ଣ କହୁ କହୁ ତୁନି ହୋଇଗଲେ । ମାତ୍ର ତନ୍ତିଆଣୀ ମାଇକିନିଆମାନଙ୍କଠାରୁ ଆମ୍ଭମାନଙ୍କର ସାହସ ଖୁବ୍ ବେଶି; ବୀର ପରି ସବୁକଥା କହିଯିବୁ । ଆଉ ଗୋଟିଏ କଥା କ’ଣ ଜାଣନ୍ତି ? ଆମ୍ଭଭଳିଆ ଲୋକ ଡକାପାଡ଼ିଲେ ମଧ୍ୟ କେହି ଶୁଣିବାକୁ ନାହିଁ, କିନ୍ତୁ କେହି ପ୍ରଧାନ ଲୋକ ଆଁ କରିଦେଲେ ଦେଖିବେ ଦୁଇଶହ ଲୋକ ତାଙ୍କ ପାଟିକି ଅନାଇ ରହିବେ । ବିଲାତର ଲୋକେ ପ୍ରଧାନ ପ୍ରଧାନ ଲୋକଙ୍କ କଥା ଶୁଣିବାପାଇଁ ଅଣ୍ଟାରେ ପଇସା ଖୋସି ଦଉଡ଼ନ୍ତି । ଗଛମୂଳିଆ ସ୍ତ୍ରୀଲୋକ ଦିଓଟି ଗ୍ରାମରେ ସୁବିଖ୍ୟାତ । ଆପଣ ମଧ୍ୟ ସେମାନଙ୍କୁ ଭଲ କରି ଚିହ୍ନନ୍ତି । ମନୁଷ୍ୟମାନେ ରୂପରେ ନୁହେଁ, ଗୁଣରେ ସିନା ଚିହ୍ନାଯାନ୍ତି । ଭଲ ହେଉ ବା ମନ୍ଦ ହେଉ ସାଧାରଣର କଣ୍ଟରୁ (୬) ଯାହାର ଗୁଣ ଯେତେ ବେଶି, ସେ ତେତେ ବିଖ୍ୟାତ । ଗୋବିନ୍ଦପୁର ଗ୍ରାମରେ ଊଣା ଅଧିକେ କାହାଣେ ମାଇକିନିଆ ଅଛନ୍ତି, ସେମାନଙ୍କ ମଧ୍ୟରେ ଏ ଦିଓଟି ବଛା । ଗୋଟିଏ ଚତୁରତା ଓ ଧୂର୍ତ୍ତତାରେ, ଆଉ ଗୋଟିଏ ସରଳତା ଓ ନିର୍ବୋଧତାରେ । ଦିଓଟି ବିଖ୍ୟାତ ସ୍ତ୍ରୀଲୋକ, ପୁଣି ଗୁପ୍ତକଥା, ଆପଣ କି ନ ଶୁଣି ଛାଡ଼ିବେ ? ସେଥିସକାଶେ ସିନା ଲେଖିବାକୁ ବସିଅଛୁ ।
ଆମ୍ଭେମାନେ ବହୁ ପରିଶ୍ରମ ବହୁ ଯତ୍ନ କରି ସେମାନଙ୍କର କଥା ସଂଗ୍ରହ କରିଅଛୁଁ । ଗୋଟିଏ ସ୍ତ୍ରୀ ଭାରି ଏକ ଲମ୍ବା ବକ୍ତୃତା କରିଥିଲା । କେତେଗୁଡ଼ାଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମ୍ଭେମାନେ ମଧ୍ୟ ଅନଭ୍ୟସ୍ତ (୭) । ତାହାର ସାରମର୍ମ ଲେଖୁଅଛୁଁ ।
‘‘ଦେଖ ସାରିଆ–ବୁଢ଼ୀ ମଙ୍ଗଳା ସବୁର ମୂଳ, ତାଙ୍କ ଆଜ୍ଞାରେ ପୃଥ୍ୱୀ ଚଳୁଚି, ସଂସାର ଆତଯାତ ହେଉଚି, ତାଙ୍କ ଆଜ୍ଞା କି ଅନାସ୍ତା (୮) ହବ ? କେତେ ବାର ବରତ କରି ଦେବୀଙ୍କ ଆଜ୍ଞା ପାଇଚ; ତୁମର ଖୁବ୍ ଭାଗ୍ୟ । ଏଡ଼େ ଭାଗ୍ୟ କାହିଁ ଦେଖିବାର ନାହିଁ ପରା । ଏକା ସାଆନ୍ତଙ୍କ ଘର ଉପରେ ଦୟା ଥିଲା; ଏବେ ତମ ଉପରେ ହେଲା । ତମେ ମଙ୍ଗଳାଙ୍କ ମନ୍ଦିରଟା ବନାଇଦିଅ ତ, ଦେଖିବ, ତମ ଘର ଲକ୍ଷ୍ମୀଭଣ୍ଡାର ହୋଇଯିବ । ପଣ ପଣ, କାହାଣ କାହାଣ ଟଙ୍କା କାହୁଁ ଆସି ଘରେ ପଶିବ, ଧାଡ଼ି ଧାଡ଼ି ଧାନମରେଇ ବସିଯିବ । ଭଗବାନ କି ଆଉ ତନ୍ତ ବୁଣିବ ? ତମ ପଛରେ ଦଶଜଣ ପୋଇଲୀ ଗୋଡ଼ାଇବେ । ତମେ ମଙ୍ଗଳାଙ୍କ ଆଜ୍ଞା ମାନ; ଯେପରି ହେଉ ମନ୍ଦିରଟା ବନାଇଦିଅ । ଟଙ୍କା ସକାଶେ ଭାବନା କ’ଣ ଅଛି ? ମଙ୍ଗଳାଙ୍କ ନାଁ ଶୁଣିଲେ ଟଙ୍କା କିଏ ନ ଦେବ ? ଆଉ କୁଆଡ଼େ କ୍ୟାଁ ଖୋଜିବ ? ମଙ୍ଗରାଜଙ୍କ କାନରେ ପଡ଼ିଲେ ରାତି ଅଧରେ ଟଙ୍କା ଗଣିଦେବେ, ସେ କଥାରେ ମୁଁ ଲଗା ହେଲି, ମୁଁ ଟଙ୍କା ଆଣିଦେବି, ତୁମକୁ କିଛି କରିବାକୁ ହେବ ନାହିଁ । ବେଶି ଟଙ୍କା ଲୋଡ଼ା ନାହିଁ, ଦେଢ଼ଶ ଟଙ୍କା ହେଲେ ଖୁବ୍ ଗୋଟାଏ ବଡ଼ ମନ୍ଦିର ହୋଇଯିବ-। କେନ୍ଦରାପଡ଼ାରେ ଯେ ବଳଦେବଙ୍କ ମନ୍ଦିର ଅଛି, ଠିକ୍ ତେତିକି ଉଞ୍ଚା, ତେତିକି ଚଉଡ଼ା ହେବ-। ତମ ଛ’ ମାଣ ଆଠଗୁଣ୍ଠ ଜମି କଣ୍ଟ ଲେଖିଦେବ (୯), ମୁଁ ଟଙ୍କା ଆଣିଦେବି । ତୁମ ଜମି ତ କେହି ଘେନିଯିବ ନାହିଁ, ଯେଉଁଠା ଜମି ସେହିଠାରେ ରହିବ, କେବଳ ଗୁଜା (୧୦) ରେ ଲେଖାଯିବ-। ମନ୍ଦିର ବନା ସରିଲେ ତ ତମେ କେତେ ଲୋକଙ୍କୁ ଟଙ୍କା ଦବ । ମା ମଙ୍ଗଳା କିଛି ଶକୁନ ଦେଇଥିବେ, ନିଶ୍ଚେ ଦେଇଥିବେ । ସେ ପ୍ରଥମେ ଶକୁନ ପରି ଗୋଟିଏ ସୁନା ଟଙ୍କା ଦିଅନ୍ତି, ସେ କି ରୂପା ଟଙ୍କା ଦେବେ ?
ବତ୍କୃତାକାରିଣୀର କଥା ଯେ ସାରିଆ ହୃଦୟଙ୍ଗମ କରିପାରିଲା, ଏହା ଆମ୍ଭେମାନେ ବିଶ୍ୱାସ କରିପାରୁନାହୁଁ । ସେ ବଲବଲ କରି ଚାହିଁ ରହିଥାଏ । ପଣ ପଣ ଟଙ୍କା, ଦେଢ଼ଶହ ଟଙ୍କା । ଦେଢ଼ଶ ଟଙ୍କାର ଅର୍ଥ ବୁଝିବା ତାହା ପକ୍ଷରେ କି ସହଜ କଥା ? ଟଙ୍କାକର ପଇସା ଗଣିବାକୁ ହେଲେ ସାରିଆ ଗାଁକୁ ବାହାରେ ନାହିଁ, ଭଗିଆ ଆଉ ସେ ଦୁଇ ଜଣ କବାଟ କିଳିଦେଇ ଦୁଇ ତିନି ଘଣ୍ଟା ମଧ୍ୟରେ ଗଣିକରି ଠିକ୍ କରନ୍ତି । ଯେଉଁଦିନ ପାଞ୍ଚସୁକା କି ଅଠରଅଣାର ଲୁଗା ବିକ୍ରି ହୁଏ, ସେଦିନ ତାହା ଭାଇ ଲୋକନାଥିଆ ପାଖରୁ ଗଣାଇ ଆଣେ । ଆଉ ତାହା ଘରେ ପାଞ୍ଚ ଛ’ ଜଣ ପୋଇଲୀ ପଶିବେ ଏହା ବିପଦ କି ସମ୍ପଦ ! ମହା ମୁସ୍କିଲ ! ଭଗିଆ ପାଖରେ ନାହିଁ, କରେ କ’ଣ-? ପଳାଇ ପାରିଲେ ରକ୍ଷା । ସାରିଆ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ଥରେ ପାଣିମାଠିଆକୁ ଅନାଇ– ‘‘ଚମ୍ପା ସାଆନ୍ତାଣୀ’’–ଏତିକି କହି ତୁନି ହେଲା, ଆଉ କିଛି କହିପାରିଲା ନାହିଁ । ମାତ୍ର ଧୂର୍ତ୍ତା ଚତୁର ଚମ୍ପାର କିଛି ବୁଝିବାକୁ ବାକି ରହିଲା ନାହିଁ । ତାର ମନ୍ତ୍ର ଯେ କିଛି କାଟ କଲା ନାହିଁ, ତାହା ସେ ବେଶ୍ ବୁଝିନେଲା-। ପୁଣି ଶିକାର ହାତରୁ ପଳାଇବା ସକାଶେ ଛଟପଟ ହେଲାଣି । ଢେର୍ ଦିନ ଖୋଜି ଖୋଜି ବିରାଡ଼ି ଇଲିଶି ଧରିଅଛି, ତାହା ଦାଢ଼ରୁ କି ସହଜେ ପଳାଇବ ? ମନ୍ତ୍ର ବଦଳାଇବା ଦରକାର ।
ଚମ୍ପା– ‘‘ଦେଖ ସାରିଆ, ଟଙ୍କାରେ କ’ଣ ଅଛି, ସୁନାରେ କ’ଣ ଅଛି ? ଟଙ୍କା-ସୁନାରେ କେହି ସ୍ୱର୍ଗକୁ ଯାଏ ନାହିଁ । ମୂଳକଥା ପିଲାଝିଲା । ଯେଉଁ ଘରେ ପିଲା ନାହିଁ, ସେ ଘର ତ ଦିନ ଦିପହରେ ଅନ୍ଧାର । ବାଞ୍ଝ (୧୧) ବରଡ଼ୀ (୧୨) ହେବା କି ଊଣା ପାପ ? ସାଆନ୍ତଙ୍କ ଘରେ ରୋଜ ପୁରାଣ ହୁଏ, ମୁଁ ଶୁଣେ । ସେଦିନ ଗୋସାଇଁ ପୋଥିରେ ଗାଇଲେ–
‘‘ଯାହାର ପିଲାଝିଲା ନାହିଁ,
ସକାଳୁ ତା’ ମୁହଁ ଚାହିଁବ ନାହିଁ ।
ତିନିପୁଆତୀ ସୁଲକ୍ଷଣୀ
ବାଞ୍ଝ ବରଡ଼ୀ ଗାଁ ନିଉଛୁଣୀ ।
ଯାହାର ଘରେ ପୁଅ ଝିଅ ନ ଥାଏ,
ସେଇ ମାଇକିନିଆ ବଡ଼ ଦୁଃଖ ପାଏ ।’’
ଭାଗବତ ପାଠ କ’ଣ ମିଛ ? ମାହାଳିଆକୁ ସମସ୍ତେ ଗାଦିକୁ ମୁଣ୍ଡିଆ ମାରୁଛନ୍ତି ? ଆଉ ତମେ ଦେଖିବଟି, ବଡ଼ିସକାଳୁ ତମ ଦୁଆରବାଟେ କେହି ଲୋକ ଚାଲନ୍ତି ନାହିଁ । କ୍ୟାଁ ଚାଲନ୍ତି ନାହିଁ-? ତମ ମୁହଁ ଦେଖିବେ ନାହିଁ, ବୋଲି । ତମେ ଶୁଣିଥିବ, ଆମ ସାଆନ୍ତାଣୀ ପ୍ରଥମେ ବାଞ୍ଝ ଥିଲେ । ଦିନ ଘଡ଼ିଏଯାଏ ଆମ୍ଭେମାନେ ତାଙ୍କ ମୁହଁ ଚାହୁଁ ନ ଥିଲୁ ପରା । ସାଆନ୍ତାଣୀ କାନ୍ଦି କାନ୍ଦି ମଙ୍ଗଳାଙ୍କୁ ପୂଜା ଦେଲେ । ଦେବୀଙ୍କର ତମ ଉପରେ ଯେପରି ଦୟା ହେଲା, ଏବେ ଦେଖ, ନାତି-ନାତୁଣୀ ଦେଖିବାକୁ ବସିଲେଣି ।’’
ସାରିଆ ଚାହିଁ ସ୍ୱପ୍ନ ଦେଖୁଅଛି, କଥା ସବୁ ଶୁଣି ତା କାନ ଭାଁ ଭାଁ ଡାକିଲାଣି, ପଳାଇବାକୁ ଇଚ୍ଛା, ବାଟ କାହିଁ । ବିରାଡ଼ି ମୂଷା ବେକ ମାଡ଼ି ବସିଅଛି । ଦୁଇ ଆଖିରେ ପାଣି ଢଳଢଳ କରୁଅଛି । କଥା କହିବାକୁ ଇଚ୍ଛା, ପାଟି ଫିଟୁନାହିଁ । ବହୁତ କଷ୍ଟରେ ପାଟି ଫିଟିଲା ।
ସାରିଆ –‘‘ମୁଁ କ’ଣ କରିବି ? ଲୋକେ କହୁଛନ୍ତି, ସାଆନ୍ତେ ଜମି କଣ୍ଟ ନେଖିନେଲେ ଫେରାଇ ଦିଅନ୍ତି ନାହିଁ ।’’
ଚମ୍ପା– ‘‘ରାମ ! ରାମ ! ରାମ ! ଏ କି କଥା କହିଲ ! ମଙ୍ଗଳକାମକୁ ଟଙ୍କା ଦେବେ, ତମ ଜମି ନେବେ ? ସେ ଗାଁ ଲୋକଙ୍କ କଥା ଶୁଣୁଛ କ୍ୟାଁ ? ଏ ଗୋବିନ୍ଦପୁର ଗାଁଟା ପୃଥୀର ନିଉଛୁଣା । ଏ ଗାଁ ମାଇକିନିଆଏ ଦିନ ଦିପହରେ ବୁଡ଼ାଇ ମାରିବେ ପରା !
ତମ ସୁଖ ଦେଖି ସେମାନେ ହାଇଁପାଇଁ ହେଉଛନ୍ତି । ଏ ଗାଁରେ ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ । ତମେ କାହାରି ପାଖରେ କିଛି କହିବ ନାହିଁ । ଆହୁରି ଦେଖ, ଠାକୁରାଣୀଙ୍କ ଆଜ୍ଞା ନ ମାନିଲେ ଆଖି ଫୁଟିଯାଏ, କାନକୁ ଶୁଭେ ନାହିଁ, ଲୋକେ ମରିଯାନ୍ତି । ଗୋପୀନାଥପୁରର ତିନିଜଣ ମାଇକିନିଆ ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳକେ ରାଣ୍ଡ ହୋଇଗଲେ, ତମେ କ’ଣ ଏ କଥା ଶୁଣିନାହଁ ?
ସାରିଆ ନିଶ୍ଚଳ କାଠପିତୁଳାଟି ପରି ସବୁ କଥା ଶୁଣୁଥିଲା । ଶେଷ କଥାଟା ଶୁଣି ଆଉ ସମ୍ଭାଳି ପାରିଲା ନାହିଁ, କାନ୍ଦିପକାଇଲା । କଇଁକଇଁ ହେଇ କହିଲା, ମୁଁ କ’ଣ କରିବି ? ଚମ୍ପା ସାଆନ୍ତାଣି, ମୁଁ କ’ଣ କରିବି ?
ଚତୁରା ଚମ୍ପା ଏତେବେଳେ ସାରିଆର ମନକଥା ବେଶ୍ ବୁଝିନେଲା, ମନ୍ତ୍ରକାଟୁ କରିଥିବାର ଜାଣି ମନ ମଧ୍ୟରେ ଖୁବ୍ ଖୁସିଟାଏ ହୋଇ କହିଲା, ‘‘ଦେଖ ସାରିଆ ! ତମେ କିଛି ଡର ନାହିଁ । ତମକୁ କିଛି କରିବାକୁ ହବ ନାହିଁ, ମୁଁ ସବୁ କରିଦେବି ।’’
ସାରିଆ – ‘‘ନାହିଁ ନାହିଁ, ମୋର କିଛି ଲୋଡ଼ା ନାହିଁ, ସେ ଭଲ ଥାଆନ୍ତୁ ।’’
ଚମ୍ପା –‘‘କିଛି ଡର ନାହିଁ, ଭଗବାନ ଗୋଡ଼ରେ କଣ୍ଟା ବାଜିବ ନାହିଁ ।’’ ଚମ୍ପା ଦଧିବାମନ ଧଣ୍ଡା (୧୩) ଓ ମୂର୍ତ୍ତିଏ ରସକୋରା ମହାରଦ ସାରିଆ ହାତରେ ଦେଇ କହିଲା ‘‘ଦେଖ ସାରିଆ ! ଏହି ଧଣ୍ଡା, ଏହି ମହାରଦ ସାକ୍ଷୀ ରହିଲେ, ମୁଁ ତମର ସବୁ ଭଲ କରିଦେବି, ତମର ତିନି ପୁଅ ହେବ, ଆଉ ଭଗବାନର କୋଟିଏ ଆୟୁଷ ହେବ, କିଛି ଚିନ୍ତା ନାହିଁ ।’’
ସାରିଆ–‘‘ମୁଁ କ’ଣ କରିବି ? ଚମ୍ପା ସାଆନ୍ତାଣୀ, ମୁଁ କ’ଣ କରିବି ।’’
ଚମ୍ପା–‘‘ତମକୁ କିଛି କରିବାକୁ ହେବ ନାହିଁ । ଆଜି ସନ୍ଧ୍ୟାବେଳେ ଭଗବାନ ଓ ତମେ ଦୁଇଜଣ ଏଠିକି ଆସିବ, ଯାହା କରିବାକୁ ହେବ, ମୁଁ କରିଦେବି । ଆଉ ମଙ୍ଗଳା ବରତ ଧଇଲେ ଯେତେବେଳେ ଯାଏ ମଙ୍ଗଳାଙ୍କ କାମ ନ ହେଇଛି, ଦୁଇଜଣ ସିନାନ (୧୪) କରି ଉପାସ ରହିଥିବ, ଖାଲି ଅଳ୍ପ ଅଳ୍ପ ଚୁଡ଼ା ଖାଇବ । ତମେମାନେ ବରତ କଥା ଜାଣିନାହିଁ, ସେଥିପାଇଁ ସବୁ କହୁଚି ।’’
ତାହା ବାଦ୍ ସାରିଆ ଧୀରେ ଧୀରେ ଦୀଘି ମଧ୍ୟକୁ ଗାଧୋଇବାକୁ ଗଲା । ଚମ୍ପା କେତେବେଳଯାଏ ଗଛ ମୂଳରେ ଠିଆହୋଇ ଚାରିଆଡ଼କୁ ଅନାଇଁ ସନ୍ତୁଷ୍ଟ ଚିତ୍ତରେ ସାଆନ୍ତଙ୍କ ଉଆସ ଆଡ଼କୁ ଚାଲିଗଲା ।
ଆମ୍ଭେମାନେ ଗୁପ୍ତଭାବରେ ଅନୁସନ୍ଧାନ କରି ସମ୍ବାଦ ପାଇଅଛୁଁ, ସେ ଦିନ ଅଧରାତିଯାଏ ସାରିଆ ଉଆସ ମଧ୍ୟରେ ଥିଲା, ଭଗବାନ କଚେରିରେ ଥିଲା । ତହିଁଆର ଦିନଠାରୁ ଚାରିଦିନ ଯାଏ ଭଗବାନକୁ ଗାଁ ମଧ୍ୟରେ କେହି ଦେଖିନାହିଁ । ତାହାକୁ କଟକ ବାଟରେ ଲୋକେ ଦେଖିଥିବାର କେହି କେହି କହନ୍ତି ।
୧) ଇସାରା–ସଙ୍କେତ, ୨) ସଙ୍କୁନ—ସଙ୍କେତ, ୩) ଧୂର୍ତ୍ତା —ଚତୁରୀ, କୌଶଳକାରିଣୀ, ୪) ଛିଦ୍ରକଥା—ଦୂଷଣୀୟ ବିଷୟ, ୫) ଖୋଲାସା—ସ୍ପଷ୍ଟ, ୬) କଣ୍ଟ –ପରିମାପ, ୭) ଅନଭ୍ୟସ୍ତ—ଅଭ୍ୟାସରହିତ, ଯାହାର ଅଭ୍ୟାସ ନାହିଁ । ୮) ଅନାସ୍ଥା, ଅବିଶ୍ୱାସ, ଉପେକ୍ଷା, ୯) କଣ୍ଟ ଲେଖିବା—ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଧକସ୍ୱରୂପ ରଖିବାକୁ ଚୁକ୍ତି କରିବା, ୧୦) ଗୁଜା–ଚୁକ୍ତିପତ୍ର, ୧୧) ବାଞ୍ଝ—ବନ୍ଧ୍ୟା ନାରୀ, ୧୨) ବରଡ଼ୀ—ଯେଉଁ ବୀର ସନ୍ତାନ ଜାତ ହୋଇନାହିଁ, ୧୩) ଧଣ୍ଡା—ଦେବତାଙ୍କ ଛଡ଼ାମାଳ, ୧୪) ସିନାନ–ସ୍ନାନ ।
✽✽✽
ଚତୁର୍ଦ୍ଦଶ ପରିଚ୍ଛେଦ