ଛ’ମାଣ ଆଠଗୁଣ୍ଠ
ଫକୀରମୋହନ ସେନାପତି · ଭାଗ ୨ / ୧୬
ସମ୍ପୂର୍ଣ୍ଣ ସୂଚୀପତ୍ର
ରାମଚନ୍ଦ୍ର ମଙ୍ଗରାଜ
ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲ ଜମିଦାର, ମଧ୍ୟ ମହାଜନ । ନଗଦ ଟଙ୍କା କାରବାରଠାରୁ ଧାନର ମହାଜନୀ ବେଶି । ଶୁଣାଯାଏ, ଆଡ଼େ (୧) ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେନାହିଁ । ଲୋକଟି ବଡ଼ ଧାର୍ମିକ । ବର୍ଷ ମଧ୍ୟରେ ୨୪ଟା ଏକାଦଶୀ, ୪୦ଟା ଥିଲେ ମଧ୍ୟ ଗୋଟାଏ ଯେ ଛାଡ଼ ପଡ଼ନ୍ତା, ଏ କଥା ଆମ୍ଭେମାନେ କହିବାକୁ ଅକ୍ଷମ । ଏକାଦଶୀ ଦିନ ତୁଳସୀପତ୍ର ଜଳ ମାତ୍ର ଅବଲମ୍ବନ । ସେଦିନ ଉପରଓଳି ମଙ୍ଗରାଜଙ୍କର ଜଗା ଭଣ୍ଡାରି କଥା କହୁ କହୁ କହି ପକାଇଥିଲା, ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ଦ୍ୱାଦଶୀ ପାରଣା (୨) ସକାଶେ ସାଆନ୍ତଙ୍କ ଶୋଇବା ଘରେ ସେରେ ଦୁଧ, ଦିଶୁ (୩) ଖଇ, ନବାତ, ପାଚିଲା କଦଳୀ ରଖାଯାଇଥାଏ । ସେ (ଜଗା) ଦ୍ୱାଦଶୀ ଦିନ ବଡ଼ିସକାଳେ ତୁଚ୍ଛା (୪) ବାସନ ମାଜେ । ଏକଥା ଶୁଣି ଜଣ କେତେ ମୁହଁ ଚାହାଁଚାହିଁ ହୋଇ ମୁରୁକି ମୁରୁକି ହସିଥିଲେ । ଜଣେ କହିପକାଇଲା, ‘‘ଡୁବି କରି ପାଣି ପିଇଲେ ମହାଦେବଙ୍କ ବାପ ବି ଜାଣିପାରିବେ ନାହିଁ । ଏ କଥାର ଅର୍ଥ ସଫା ବୁଝାଗଲା ନାହିଁ, ମାତ୍ର ଆମ୍ଭେମାନେ ଅନୁମାନ କରିନେଲୁ, ଏହା ନିନ୍ଦୁକର କଥା । ସେ କଥା ଛାଡ଼, ବରଞ୍ଚ ଆମ୍ଭେମାନେ ସାଆନ୍ତଙ୍କ ସପକ୍ଷରେ ଓକିଲାତି କରିପାରୁଁ । ଭାଣ୍ଡ ଶୂନ୍ୟ ହେବା କାର୍ଯ୍ୟଟା ଯେ ମଙ୍ଗରାଜଙ୍କଦ୍ୱାରା ଅନୁଷ୍ଠିତ ହୋଇଅଛି, ଏଥିର ଚାକ୍ଷୁଷ ସାକ୍ଷୀ କାହିଁ ? ଶୁଣିବା କଥା ଅନୁମାନ କଥା ପ୍ରମାଣରୂପେ ଗ୍ରହଣ କରିବାକୁ ଆମ୍ଭେମାନେ ନିହାତି ନାରାଜ । ଅଦାଲତର ହାକିମମାନଙ୍କର ତ ଏହି ରାୟ । ଆଉ ଗୋଟିଏ କଥା ଦେଖ–ବିଜ୍ଞାନଶାସ୍ତ୍ର କହେ, ଜଳୀୟ ପଦାର୍ଥ ସବୁ ବାଷ୍ପାକାର ହୋଇ ଉଡ଼ିଯାଏ । ଦୁଧ ତ ଜଳୀୟ ପଦାର୍ଥ, ଜମିଦାର ଘର ଦୁଧ ବୋଲି ବିଜ୍ଞାନ ବିଧି ଡରିବ ପରା ! ପୁଣି ସେ ଘରେ ମୂଷା, ଚୁଚୁନ୍ଦୁରା, ଚୁଟିଆ ଥିଲା, ଛାରପୋକ, ମଶାମାଛି ଅବା କେଉଁ ଘରେ ନ ଥାନ୍ତି ? ପେଟପାଟଣା ପାଇଁ ଜଗତର ସମସ୍ତ ପ୍ରାଣୀ ଧାଉଁଛନ୍ତି । ବିଶେଷରେ ସେମାନେ ମଙ୍ଗରାଜଙ୍କ ପରି ହରିଭକ୍ତି-ବିଳାସ ଗ୍ରନ୍ଥ-ମାହାତ୍ମ୍ୟ ଶୁଣିନାହାନ୍ତି । ଏଥିରୁ ମଙ୍ଗରାଜଙ୍କ ଧର୍ମନିଷ୍ଠା ପ୍ରତି ସନ୍ଦେହ କରିବା ମହାପାପ ବୋଲି ବିଚାର କରୁଁ ।
ଆହୁରି ମଧ୍ୟ ପାର୍ଶ୍ୱବର୍ତ୍ତୀ ଘଟଣାମାନଙ୍କ ପ୍ରତି ନଜର ରଖିବା ନିମନ୍ତେ ପ୍ରମାଣ ଆଇନରେ ବିଚାରକମାନଙ୍କ ପ୍ରତି ବିଶେଷ ବିଧି ଅଛି । ମଙ୍ଗରାଜେ ଉଷୁନା ଛୁଅନ୍ତି ନାହିଁ-ମାଛ ଶୁଖୁଆ କଥା ଛାଡ଼ । ଦ୍ୱାଦଶୀ ଦିନ ବାହ୍ମଣଭୋଜନ କରାଇ ତହିଁ ଉତ୍ତାରେ ପାରଣା କରନ୍ତି । ମଙ୍ଗରାଜେ ଭାରି ହୁସିଆର ଲୋକ । ଏହି ବାହ୍ମଣଭୋଜନ ରୂପ ମହତ୍ କାର୍ଯ୍ୟରେ କେତେ ବିଘ୍ନ ଘଟିପାରେ । ଏଥିସକାଶେ ଜଣେ କେଉଟକୁ ମାଣେ ଓ ଜଣେ ଗୁଡ଼ିଆକୁ ମାଣେ ଏପରି ଦୁମାଣ ଜମି ଖଞ୍ଜି ଦେଇଛନ୍ତି । ଦ୍ୱାଦଶୀ ଦିନ ଭୋରୁ କେଉଟ ଦୁଇ ନଉତି (୫) ଚୂଡ଼ା ଓ ଗୁଡ଼ିଆ କୋଡ଼ିଏ ପଳ (୬) ଗୁଡ଼ ଦାଖଲ କରିଯାଏ । ଗୋବିନ୍ଦପୁର ଶାସନ ୨୭ ଘର ବାହ୍ମଣ ସମସ୍ତେ ନିମନ୍ତ୍ରିତ ହୋଇ ଆସନ୍ତି-। ବେଳ ଛଅଘଡ଼ି ମଧ୍ୟରେ ବାହ୍ମଣଭୋଜନ ହୋଇଯାଏ । ମଙ୍ଗରାଜେ ସ୍ୱୟଂ ବାହ୍ମଣମାନଙ୍କୁ ପରିବେଷଣ କରନ୍ତି । ଥରେ ପତ୍ରରେ ଚୂଡ଼ା ଗୁଡ଼ ଲଗେଇଦେଇ ମଙ୍ଗରାଜେ ଉଚ୍ଚ ପାଟିକରି ହାତ ଯୋଡ଼ି କହନ୍ତି, ‘‘ଗୋସେଇଁମାନେ କହନ୍ତୁ, ଆଉ କିଛି ଲୋଡ଼ା କି ନାହିଁ ? ଢେର୍ ଜଳପାନ, ଢେର୍ ଗୁଡ଼ ଅଛି, ମାତ୍ର ମୁଁ ଜାଣେ, ଆପଣମାନଙ୍କ ଆଖି ବଡ଼, ପେଟ ସାନ । ଆପଣମାନଙ୍କ ପେଟକୁ ବଳି ପଡ଼ିଲାଣି । ଏଥିଉତ୍ତାରେ କୌଣସି ପେଟବିକଳିଆ ବାହ୍ମଣ ଜଳପାନ ମାଗି ବସିଲେ, ସାଆନ୍ତେ ତିନିଆଙ୍ଗୁଳିଆ ପାଞ୍ଚ-ସାତ ପୁଞ୍ଜା ଚୁଡ଼ା ଧରି ପତ୍ରକୁ ଫୋପାଡ଼ି ଦିଅନ୍ତି । ତହିଁଉତ୍ତାରେ ଗୋସେଇଁମାନେ ‘ପୂର୍ଣ୍ଣ ହେଲା, ପୂର୍ଣ୍ଣ ହେଲା’ କହି ଲମ୍ବା ଲମ୍ବା ହାକୁଟି ମାରି ଆଶୀର୍ବାଦ କରି ପତ୍ର ଛାଡ଼ନ୍ତି । ବାହ୍ମଣଭୋଜନ ଉତ୍ତାରେ ଯେଉଁ ଏକ ନଉତି ଚୁଡ଼ା ଓ ଅଧାଅଧି ଗୁଡ଼ ବଳିପଡ଼େ, ତାହା ଭକ୍ତିପୂର୍ବକ ମଙ୍ଗରାଜେ ସେବା କରନ୍ତି । (୭) ପାଠକ ଆପଣ ପଚାରିବେ, ନଉତିଏ ଚୁଡ଼ାରେ ସତେଇଶ ଜଣ ବାହ୍ମଣଙ୍କ ପେଟ କିପରି ପୂରିଲା? ହରିବୋଲ ଭାଇ, ହରିବୋଲ ! ଏସବୁ କଥାର ଉତ୍ତର ଦେବାକୁ ଗଲେ ଆମ୍ଭମାନଙ୍କର ଆଉ ଲେଖା ଚଳିବ ନାହିଁ । ଯୀଶୁଖ୍ରୀଷ୍ଟ ଦୁଇଖଣ୍ଡ ରୁଟିରେ ବାରଶତ ଲୋକ ଖୁଆଇଲେ, ପୁଣି ଚାରିପାଛିଆ ବଳିପଡ଼ିଲା । କାମ୍ୟକବନରେ ଶ୍ରୀକୃଷ୍ଣ ଦୁର୍ବାସାଙ୍କ ବାରହଜାର ଶିଷ୍ୟଙ୍କର ପେଟ ଟିକିଏ ଶାଗରେ ପୂରାଇ ଦେଇଥିଲେ । ଏହି ମହାପୁରୁଷଙ୍କ ହସ୍ତମହିମା ପ୍ରତି ଯଦି ଆପଣଙ୍କର ବିଶ୍ୱାସ ନ ଥାଏ, ତେବେ ଆମ୍ଭମାନଙ୍କ ମଙ୍ଗରାଜ ଚରିତ୍ର ପଢ଼ିବା ନିମନ୍ତେ ଅନୁରୋଧ କରିବାକୁ ସାହସ କରିପାରିବୁ ନାହିଁ ।
ଏପରି ଶୁଣାଅଛି, ତାଙ୍କର ମାଉସୀ ପୁଅ ଭାଇ ଶ୍ୟାମ ମଲ୍ଲେ ସହରକୁ ଯାଇଥିଲେ । ପାପ ଛପା (୮) ରହେ ନାହିଁ । ସେ କୁସଙ୍ଗରେ ପଡ଼ି ପିଆଜମିଶା କୋବି ଖାଇଥିବା ସାଆନ୍ତଙ୍କ ନିକଟରେ ଅଜଣା ରହିଲା ନାହିଁ । ଆଜିଯାଏ ରୂଢ଼ ବଢ଼ି ରହିଥାନ୍ତା । ମଙ୍ଗରାଜେ ଖୁବ୍ କମ୍ ଖରଚରେ ଅଥାତ୍ ଶ୍ୟାମଙ୍କ ଦେଢ଼ବାଟି ପୈତୃକ ଲାଖରାଜରୁ (୯) ୧୫ମାଣ ଜମି ମାତ୍ର ନେଇ ଖଲାସ କରିଦେଲେ । ମଙ୍ଗରାଜେ ଦିନେ ଶ୍ୟାମକୁ ଡାକି ମୁରବିପଣିଆ କରି କହିଲେ, ‘‘ଦେଖ ଶ୍ୟାମ, ଏଣିକି ହୁସିଆର ରହ । ମୁଁ ଥିଲି ବୋଲି ମୋ ମୁଲାଜାରେ (୧୦) ପାଞ୍ଚଜଣ ତୋତେ ଟେକିନେଲେ ସିନା, ନୋହିଲେ ତୁ ଏକାବେଳକେ କିରସ୍ତାନ ହୋଇଯାଇଥାନ୍ତୁ-ତୋ ସାତପୁରୁଷ ଅହି ନରକରେ ପଡ଼ିଥାନ୍ତେ । ଆଉ ମୁଁ ବୋଲି ସିନା ତୋର ମାଣ ପାଞ୍ଚ ଟଙ୍କାରେ ନେଲି, ଆଉ କେହି ଦୁଇ ଟଙ୍କାରେ ଛୁଅନ୍ତା ନାହିଁ । ଯେତେହେଲେ ତୁ ତ ଭାଇ, କ’ଣ ତୋତେ ଫୋପାଡ଼ି ଦେବି-? ହେଲେ, ବିପଦ ଆପଦ ବେଳକୁ ମୁଁ, ଭଲବେଳେ କେହି ନୁହେଁ । ଏହି ସେଦିନ ଭୀମା ଗଉଡ଼ର ଫୌଜଦାରୀ ମକଦ୍ଦମାରେ ତୋତେ ଗୁହା (୧୧) ହେବାକୁ କହିଲି । ଘରେ ଲୁଚିଲୁ, ଦେଖାଦେଲୁ ନାହିଁ ।’’
ହାୟ ! ହାୟ ! ଯେଉଁ ନିନ୍ଦୁକମାନେ ଖୀଷ୍ଟଙ୍କୁ କ୍ରୁଶରେ ଚଢ଼ାଇଲେ, ପରମା ସତୀ ସୀତାଙ୍କୁ ବଣକୁ ପଠାଇଲେ, ସେମାନଙ୍କ ବଂଶଧରମାନେ ଯେ ହରିବାସର (୧୨) ଉପବାସୀ ପରୋପକାରୀ ମଙ୍ଗରାଜଙ୍କ ଅଖ୍ୟାତି ରଟନା କରିବେ, ଏହା କିଛି ବିଚିତ୍ର ନୁହେଁ । ନିନ୍ଦୁକମାନେ ଯେଉଁ କଥା କହି ବୁଲିବେ, ଆମ୍ଭମାନଙ୍କୁ ନାଚାର ହାଲତରେ (୧୩) ସେ କଥା ବୋଲିବାକୁ ହେଉଅଛି । ସେମାନେ କହନ୍ତି, ମଙ୍ଗରାଜେ ଚାରିକୋଶ ମଧ୍ୟରେ କାହାରି ଗୋଖୋଜରୁ ଖୋଜେ ଜମି ରଖିଲେ ନାହିଁ । ବାକି ଥିଲା ଭାଇ-ଓର (୧୪) ଖୋଜି ଖୋଜି ଏତେଦିନେ ପାଇଲେ । ଶ୍ୟାମ ପିଆଜ ଖାଇ ବାହ୍ମଣ ଭୋଜନ କରାଇଲା, ମଙ୍ଗରାଜ ଘର ମାଇକିନିଆମାନେ ଯେ ଚମ୍ପାକୁ ପଠାଇ ହାଟରୁ ପିଆଜ କିଣି ଆଣନ୍ତି, କଥାଛଳରେ ଆମ୍ଭେମାନେ ମାନିଗଲୁ, ଚମ୍ପା ପିଆଜ କିଣି ଆଣିଲା । ଖାଇବାର ପ୍ରମାଣ କାହିଁ ? ‘‘ପଲାଣ୍ଡୁ (୧୫) ଗୁଞ୍ଜନ (୧୬) ଚୈବ’’– ମନୁରେ ଖାଇବାକୁ ସିନା ମନା–କିଣିଲେ ପତିତ ହେବ ଏ ବିଧି କାହିଁ ? ମାତ୍ର ଭଦ୍ରଲୋକ ଘର ମହିଳାମାନଙ୍କ ଦୋଷାଦୋଷ ସମାଲୋଚନାକାରୀ ନିନ୍ଦୁକମାନଙ୍କ କଥାରେ ଉତ୍ତର ଦେବାକୁ ଆମ୍ଭେମାନେ ସମ୍ପୂର୍ଣ୍ଣ ନାରାଜ ।
୧) ଆଡ଼େ—ପ୍ରସ୍ଥରେ, ୨) ପାରଣା—ଉପବାସ ପରେ ପ୍ରଥମ ଭୋଜନ, ୩) ଦିଶୁ—ଅଳ୍ପ ପରିମାଣରେ, ୪) ତୁଚ୍ଛା—ଶୂନ୍ୟ, ଖାଲ, ୫) ନଉତି— ଗଉଣି, ୬) ପଳ—ଚାରିତୋଳା ପରିମାଣ, ୭) ସେବ । କରନ୍ତି—ଭୋଜନ କରନ୍ତି ୮) ଛପା—ଲୁଚି ରହିବା, ୯) ଲାଖରାଜ—ନିଷ୍କର ଭୂମି, ୧୦) ମୁଲାଜା— ମୁଖଲଜ୍ଜା, ୧୧) ଗୁହା—ସାକ୍ଷୀ, ୧୨) ହରିବାସର—ଏକାଦଶୀ, ୧୩) ନାଚାର—ନିରୂପାୟ ଅବସ୍ଥା, ୧୪) ଓର—ସୁବିଧା, ୧୫) ପଲାଣ୍ଡୁ – ପିଆଜ, ୧୬) ଗୁଞ୍ଜନ—ଗାଜର ।
✽✽✽
ଦ୍ୱିତୀୟ ପରିଚ୍ଛେଦ
ସ୍ୱନାମ ପୁରୁଷୋ ଧନ୍ୟଃ
ମଙ୍ଗରାଜେ ଗରିବର ପୁଅ ଥିଲେ । ଶୁଣାଅଛି, ସାତବର୍ଷ ବୟସରେ ସେ ଛେଉଣ୍ଡ (୧) ହୋଇ ବୁଲୁଥିଲେ । ପଇସା ଅଭାବରୁ ବାପର ଶୁଦ୍ଧ ହୋଇନାହିଁ । ଚାଳକୁ ନଡ଼ା ନ ଉଠିବାରୁ କାନ୍ଥ ପଡ଼ିଯାଇଥିଲା । ଏହାଙ୍କ ବାଲ୍ୟଜୀବନ, ବିଦ୍ୟାଶିକ୍ଷା, କର୍ମକ୍ଷେତ୍ରରେ ପ୍ରବେଶ ପ୍ରଭୃତି ଘଟଣାମାନ ବିଚିତ୍ର ରକମର । ଜଗତର କୌଣସି ପ୍ରଧାନ ଲୋକଙ୍କ ଜୀବନଚରିତ ଅଲୌକିକ ଘଟଣାଶୂନ୍ୟ ନୁହେଁ । ସେ ସବୁ କଥା ଲେଖିବାକୁ ଗଲେ ଢେର୍ କାଗଜ କଲମ, ଢେର୍ ସମୟ ଆବଶ୍ୟକ; ମାତ୍ର ପରିମିତବ୍ୟୟିତା (୨) ଯେ ଗୋଟିଏ ମହତ୍ ଗୁଣ, ଏ ବିଷୟରେ ଆମ୍ଭମାନଙ୍କର ଶିକ୍ଷାଗୁରୁ ମଙ୍ଗରାଜେ । ଅର୍ଥନୀତି ସମ୍ବନ୍ଧରେ ମହାପଣ୍ଡିତ ବେଞ୍ଜାମିନ ଫ୍ରାଙ୍କ୍ଲିନ୍ ଯେଉଁ ଉପଦେଶ ଦେଇ ଯାଇଅଛନ୍ତି, ସେଥିର ମର୍ମ ଆମ୍ଭେମାନେ ଏହିପରି ବୁଝିଅଛୁ । କାଗଜ ବଜାରରୁ କିଣିଆଣିବା ସହଜ, ବ୍ୟବହାର କରିବା ବଡ଼ କଠିନ । ଏଥିରୁ ଆମ୍ଭେମାନେ ଠିକେ ଠିକେ ସବୁ କଥା ଲେଖି ମଙ୍ଗରାଜୀ ଅର୍ଥନୀତିର ମର୍ଯ୍ୟାଦା ରକ୍ଷା କରିବାକୁ ଚେଷ୍ଟା କରିବୁଁ ।
ମଙ୍ଗରାଜଙ୍କ ଜମିଦାରୀର ନାମ ଫତେପୁର ସରଷଣ୍ଢ, ସଦରଜମା (୩) ପାଞ୍ଚହଜାର, ଅଠେଇଶ ବାଟି ବାହେଲ (୪) ଲାଖରାଜ, ବାଜିଆପ୍ତି (୫) ପନ୍ଦର ବାଟି ସତାଇଶ ମାଣ—ସତାଇଶ ମାଣ କିମ୍ପା ଜାଣ, ଏଥିର ଜଣେ ସାତମାଣିଆ ସରିକଦାର (୬) ଥିବାର ଜଜ୍ ଅଦାଲତରେ ଅପିଲ ଦାଏର ଅଛି । ଲୋକେ କହନ୍ତି ଚାଳିଶ ପଞ୍ଚାଶ ହଜାର ଟଙ୍କା ମହାଜନୀରେ ଖେଳୁଅଛି । ବଡ଼ଲୋକ ଘର କଥା ବଡ଼ ଶୁଭେ । ଆମ୍ଭେମାନେ ଅନୁମାନ କରୁ, ୧୫ ହଜାରରୁ ବେଶି ନୁହେଁ । ମିଥ୍ୟା କଥା କହିବା ଆମ୍ଭମାନଙ୍କର ଧର୍ମ ନୁହେଁ । ଇନକମ୍ ଟିକସ୍ ଇଲାକା (୭) ପିଆଦାଠାରୁ ଶୁଣି ଏକଥା କହୁଅଛୁଁ । ଧାନ ମହାଜନୀ କାଗଜ କୋଡ଼ିଏ ବରଷ ହେଲା ରଫା (୮) ହୋଇନାହିଁ । ଏଥକୁ ସଠିକ ହିସାବ ଦେବାକୁ ଅକ୍ଷମ । ଗଲା ଅଙ୍କ ସୁନିଆ ବାହାରେ ଧାନଘରିଆ ଯେଉଁ ପାଞ୍ଜି ଦାଖଲ କରିଥିଲା, ସେଥି ମଥୋଟରୁ (୯) ଆମ୍ଭେମାନେ ଜାଣୁଅଛୁ ଯେ, ଦୁଇହଜାର ସାତ ଭରଣ ପନ୍ଦର ନଉତି ଛ’ ବିଶ୍ୱା (୧୦) ଦୁଇ କାଣି (୧୧) ଧାନ ଅମାରରେ ଜମା ଅଛି ।
ଘର ପାଞ୍ଚ ପରସ୍ତ (୧୨)–ତିନି ପରସ୍ତରେ ତିନି ପୁଅ । ଏକ ପରସ୍ତରେ ସାଆନ୍ତ ସାଆନ୍ତାଣୀ ଓ ସାନଝିଅ ମାଳତୀ ଥାନ୍ତି, ବାହାର ପରସ୍ତ କଚେରି । କଚେରି ଘର ପାଞ୍ଚଶେଣିଆ (୧୩) ଶେଣିପଟାରେ ବାଘ, ହାତୀ, ବିରାଡ଼ି, ରାଧାକୃଷ୍ଣ, ମାଙ୍କଡ଼ ଖୋଳାଯାଇଅଛି । କାନ୍ଥ ସବୁରେ ନୀଳ, ଶୁକ୍ଳ, ରକ୍ତ, ହରିତ୍, ପାଟଳ–ବିବିଧ ରଙ୍ଗରେ ପଦ୍ମ, କହ୍ଲାର (୧୪) କୁମୁଦ, ମାଳତୀ, ପୁଷ୍ପମାଳା, ବାନରଯୂଥ, ରାକ୍ଷସଶ୍ରେଣୀ ସମ୍ବଳିତ ରାମ-ରାବଣ ଯୁଦ୍ଧ ପ୍ରଭୃତି ପୌରାଣିକ ଘଟଣାମାନ ଅଙ୍କିତ ରହିଅଛି । ରାଜପୁତନାର କୌଣସି ସ୍ଥାନରେ ଗୋଟିଏ ଉଲଙ୍ଗ ସ୍ତ୍ରୀମୂର୍ତ୍ତି ଦେଖି ଟଡ୍ ସାହେବ ଅନୁମାନ କରିଅଛନ୍ତି, ଭାରତର ପୂର୍ବକାଳର ଅଙ୍ଗନାମାନେ ଉଲଙ୍ଗ ଥିଲେ । ହାୟ ! ହାୟ ! ଆମ୍ଭେମାନେ ମଙ୍ଗରାଜଙ୍କ କାନ୍ଥର ଚିତ୍ର ଦେଖାଇ ସାହେବଙ୍କ ମୂର୍ଖତା ଦୂର କରିପାରିଲୁ ନାହିଁ । ଭିତ୍ତି (୧୫) ଚିତ୍ରିତ ସଖିମଣ୍ଡଳୀ-ପରିବେଷ୍ଟିତ ରାଧିକାଙ୍କର ଗେରୁରଙ୍ଗରେ ହାଣ୍ଡିକଳା ବୁଟାଦାର ଘାଗରା ଦେଖିଲେ ଅବଶ୍ୟ ସାହେବଙ୍କର ମୂର୍ଖତା ଓ ଭ୍ରାନ୍ତି ବିଦୂରିତ ହୋଇଥାନ୍ତା । ଏହି ସମସ୍ତ ଚିତ୍ର ଅଙ୍କିତ କରାଇବା ନିମନ୍ତେ ଅନ୍ୟ ଦେଶରୁ ଚିତ୍ରକାର ଲୋଡ଼ିବାକୁ ହୋଇନାହିଁ । ସମସ୍ତ କାର୍ଯ୍ୟ ଚମ୍ପାଙ୍କର ସ୍ୱହସ୍ତ ସମ୍ପାଦିତ ଅଟେ । ଚମ୍ପା ଏତେ ପ୍ରକାର ପଶୁର ଛବି ଚିତ୍ର କରିପାରେ ଯେ ସେପରି ପଶୁ କଲିକତା ଜୁଲଜିକେଲ ଉଦ୍ୟାନରେ (ଚିଡ଼ିଆଖାନା) ତୁମ୍ଭେ ଖୋଜି ପାଇବ ନାହିଁ ।
ମଙ୍ଗରାଜ ଉଆସ ଲଗାଲଗି ପଛରେ ଗୋଟିଏ ବଡ଼ ବଗିଚା, ବାଡ଼ିଦୁଆର ପାଖରେ ଭାରି ଗୋଟାଏ ପୋଖରୀ-ପୋଖରୀ ଚାରିପାଖରେ ନଡ଼ିଆ ଗଛ, ତା’ ପଛକୁ କଦଳୀ, ଆମ୍ବ, ପଣସ, ଓଆଉ ଗଛ । ବଗିଚା ପଘାର (୧୬) ଚାରିପାଖ ସୁନାର ଖାଇ (୧୭) ବାଉଁଶ ବାଡ଼ ପ୍ରାଚୀର ପରି ବେଢ଼ି ରହିଅଛି । ମଙ୍ଗରାଜଙ୍କ ପରି ନିସ୍ୱାର୍ଥ ଲୋକ ଦୁନିଆରେ ଅଳ୍ପ ଦେଖିବ । ତାଙ୍କର ସବୁ କାର୍ଯ୍ୟ ପରୋପକାର ନିମନ୍ତେ । ସାଆନ୍ତଙ୍କ ଏହି ବଡ଼ ବଗିଚାଟି ଗୋବିନ୍ଦପୁର ହାଟର ସ୍ଥିତି ଓ ଉନ୍ନତିର ମୂଳାଧାର ଅଟେ । ବଗିଚାର ନଡ଼ିଆ, କଦଳୀ, ବାଇଗଣ, କଖାରୁ, ଖଡ଼ାଠାରୁ ଲଙ୍କାମରିଚ ପର୍ଯ୍ୟନ୍ତ ନ ଯାଉଥିଲେ ହାଟର ଏଡ଼େ ଜାରି (୧୮) ଦେଖନ୍ତ ନାହିଁ । ସାଆନ୍ତଙ୍କ ବଗିଚାର ପରିବା ବିକା ନ ସରିଲେ ଆଉ କାହାରି ବିକିବାର ଅଧିକାର ନାହିଁ । ସେ ତ ଠିକ୍ କଥା । ଭଲ ଜିନିଷଗୁଡ଼ାକ ପଡ଼ିରହିବ, ଖରାପ ଜିନିଷ ଆଗେ ବିକ୍ରି ହେବ, ଏହା ତ ଉଚିତ ନୁହେଁ । ହାଟ ଯେ ନିଜ ଜମିଦାରୀ ମଧ୍ୟରେ, ଅନ୍ୟ ଲୋକର ହୋଇଥିଲେ ଅନ୍ୟ କଥା ।
ସୁନିଆ (୧୯) ଓ ପର୍ବପର୍ବାଣୀରେ ଯେ ସବୁ କଖାରୁ, ବାଇଗଣ, କଦଳୀ ଭେଟି ଆସେ, ସେ ସବୁ ସଳଖେ ସଳଖେ ହାଟକୁ ଯାଏ । ଚୀନ ଦେଶର ପ୍ରାଚୀର ତୟାର ହେଲା ଉତ୍ତାରେ ସମ୍ରାଟ ଦେଶର ସମସ୍ତ ଇତିହାସ ଲେଖକଙ୍କୁ ଧରିଆଣି ହତ୍ୟା କରିଥିଲେ–କାରଣ ପ୍ରାଚୀରରେ କେତେ ଟଙ୍କା ଖରଚ ହେଲା କାଳେ କାଳେ ସେମାନେ ଲେଖି ପକାଇବେ । ଏଥକୁ ଆମ୍ଭେମାନେ ସମ୍ରାଟଙ୍କୁ ନିରହଙ୍କାରୀ ପୁରୁଷ ବୋଲି କହୁ । ମହତ୍ ଲୋକମାନେ ମହତ୍ କାର୍ଯ୍ୟ ସାଧନ କରି ସେଥିରେ କେତେ ଟଙ୍କା ଖରଚ ହେଲା, କହି ବୁଲନ୍ତି ନାହିଁ । ମଙ୍ଗରାଜଙ୍କୁ ପଚାର, ଆପଣଙ୍କର ନଅର ବନାରେ କେତେ ଟଙ୍କା ଲାଗିଲା ? ଉତ୍ତର ‘ଢେର୍ ଟଙ୍କା–ମୁଁ ତ ସେଥିରେ ସରିଗଲି ।’ ପାଠକ, ନିରାଶ ହେବେ ନାହିଁ, ଅଧିର ହେବେ ନାହିଁ ।
ପ୍ରତ୍ନତତ୍ତ୍ୱ ବିଦ୍ୟାଳୟରେ ସବୁ ପୁରୁଣା କଥାର ଠିକଣା ଲାଗିଯାଏ । ନଅଶ ବରଶ ଉତ୍ତାରେ ଜଣେ ସାହେବ ଆସି ପୁରୀ ମନ୍ଦିର ତୟାରୀରେ କେତେ ଟଙ୍କା ଖରଚ ହେଲା, ତାହା ହିସାବ କରି ତାଲିକା ଦେଖାଇଲେ । ମଙ୍ଗରାଜଙ୍କର ଲେଉଟିଆ ଶାଗ ବିକ୍ରି ପର୍ଯ୍ୟନ୍ତ ପତ୍ର ରହିଅଛି, ଘର ତିଆରି ଖରଚର କି ହିସାବ ମିଳିବ ନାହିଁ ? ଦେଓୟାନ ଗଙ୍ଗା ଗୋବିନ୍ଦ ସିଂହଙ୍କ ମାତୃକ୍ରିୟା ପରି କ୍ରିୟା ଭାରତବର୍ଷରେ ଆଜିଯାଏ କେହି କରି ନାହିଁ । ବଙ୍ଗଳା ହାତରେ ସମୁଦାୟ ଜିଲ୍ଲାର କିଲଟର ସାହେବ ଡାଲି, ଚାଉଳ, ମଇଦା, ତେଲ, ଘିଅ, ନଡ଼ିଆ, କଦଳୀ କିଣି ପଠାଇବେ ବୋଲି ବଡ଼ଲାଟ ସାହେବ ସେମାନଙ୍କ ଉପରେ ଚିଠା ଜାରି କରିଥିଲେ । ନବଦ୍ୱୀପର ରାଜା ଶିବଚନ୍ଦ୍ର ସେହିପରି ମାତୃକ୍ରିୟା କରିବାକୁ ଇଚ୍ ଛାକରି ଖରଚର ଡାବ (୨୦) ମାଗି ପଠାଇଲେ । ଦେଓୟାନ ଗଙ୍ଗା ଗୋବିନ୍ଦ କେବଳ ଗଞ୍ଜେଇ, ଆପୁ (୨୧) ଧୂଆଁପତ୍ର ଖରଚ ଡାବ ପଠାଇଦେଇ ତାହା ଅନୁପାତରେ ସମସ୍ତ ଖରଚର ଠିକଣା ଲଗାଇବାକୁ ସଙ୍କେତ କରି ଭାଷା ଲେଖିଥିଲେ । ଏହି ସବୁ ଜିନିଷ ଖରିଦରେ ବାସ୍ତରି ହଜାର ଟଙ୍କା ଖରଚ ପଡ଼ିଥିଲା । ନବଦାତ ଖରିଦ ଛାଡ଼ି ସମସ୍ତ ଜମିଦାରୀ ବେଠରେ (୨୨) ଅନେକ ଜିନିଷ ଦେଇଥିଲେ । ଆମ୍ଭେମାନେ ଘର ତୟାରିର ଗୋଟିଏ ହିସାବ ଦେଉଅଛୁ–ବୁଦ୍ଧିମାନ ପାଠକମାନେ ତାକୁ ଧରି ମୋଟ ଖରଚ କଥା ବୁଝିପାରିବେ । ଧାନଘର ପାଞ୍ଜିରୁ ଆମ୍ଭେମାନେ ଠିକ୍ ହିସାବ ପାଇଅଛୁଁ । ବଢ଼େଇ, କମାର ବେଠିଆଙ୍କ ପଛେ ପନ୍ଦର ଭରଣ ବାଇଶ ନଉତି ଧାନ ଖରଚ ପଡ଼ିଥିଲା । ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ଶୁଣାଯାଇଅଛି, ସେ କେବଳ ପରର ବିକଳ ସହି ନ ପାରି ଧାନ ଟଙ୍କା କରଜ ଦିଅନ୍ତି, ନୋହିଲେ ସେଥିରେ ତାଙ୍କର ନିଜର ଲାଭ କିଛି ନାହିଁ । ଆମ୍ଭେମାନେ କହୁଁ, ବରଞ୍ଚ ଲୋକସାନ । ଧାନ ଦେଢ଼ିରୁ (୨୩) ବେଶି କରଜା ନାହିଁ, ଏଥିରେ ଲାଭ କଣ? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେବା ବେଳକୁ ନୂଆ କଞ୍ଚା । ଆଚ୍ଛା ପାଠକ, ଆପଣଙ୍କ ଓଦାଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା ଶୁଖିଲାର କେତେ ପ୍ରଭେଦ । ଗଲା ଅଙ୍କ ପାଞ୍ଜିଆ (୨୪) ଯେ ସାଲତମାମି (୨୫) ଦାଖଲ କରିଥିଲା, ସେଥିରେ ମହାଜନୀ କରଜାରେ ଆଠଟଙ୍କା ଛଅଅଣା ଦୁଇକଡ଼ା ଦୁଇକ୍ରାନ୍ତି ଛାଡ଼ ତଳେ ପଡ଼ିଥିବାର ଦେଖାଯାଇଅଛି । ଏତେଗୁଡ଼ାଏ ଟଙ୍କା ଛାଡ଼ ସକାଶେ ପାଞ୍ଜିଆ ଗାଳି ଖାଇ ଯେଉଁପରି କୈଫିୟତ (୨୬) ଦେଇଥିଲେ, ସେଥିର ସାରମର୍ମ ଏହି–ଭିକାରୀ ପଣ୍ଡା କରଜ ନେବାର ମୂଳ ପାଞ୍ଚଟଙ୍କା, ସେଥିରେ କଳନ୍ତର ଚକ୍ରବୃଦ୍ଧି ପ୍ରମାଣେ ବାରଟଙ୍କା ପାଞ୍ଚଅଣା ଏଗାର ଭଣ୍ଡା ଦୁଇକଡ଼ା । ଗାଏ ଦୁଇପଦକୁ ମୋଟ ଓ ଆଦାୟ ସତର ଟଙ୍କା ପାଞ୍ଚ ଅଣା ଦୁଇ ପଇସା ବାଦେ ବାକି ଛାଡ଼ ଦେଢ଼ ଗଣ୍ଡା ।
୧) ଛେଉଣ୍ଡ —ପିତୃମାତୃହୀନ ସନ୍ତାନ, ୨) ପରିମିତବ୍ୟୟିତା—ସଂଯତଭାବେ ଖର୍ଚ୍ଚ କରିବା, ୩ । ସଦରଜମା-ସରକାରଙ୍କୁ ଦେୟ ରାଜସ୍ୱ, ୪) ବାହେଲ —ନିଷ୍କର ଜମି, ୫) ବାଜ୍ୟାପ୍ତି —ଯେଉଁ ଜମି ପୂର୍ବେ ନିଷ୍କର ଥିଲା; ମାତ୍ର ପରେ ଯହିଁରେ ରାଜସ୍ୱ ଧାର୍ଯ୍ୟ ହୋଇଅଛି, ୬) ସରିକଦାର—ଅଂଶୀଦାର, ୭ । ଇଲାକା—ବିଭାଗ, ୮) ରଫା—ନିଷ୍ପତ୍ତି, ମୀମାଂସା, ୯) ମଥୋଟ—ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆଦାୟ ହୋଇଥିବା ପରିମାଣର ସର୍ବୋମୋଟ, ୧୦) ବିଶ୍ୱା—ଏକ ଗୌଣିର ଷୋଳଭାଗରୁ ଏକଭାଗ, ୧୧) କାଣି—ଏକ ବିଶ୍ୱାର ଚତୁର୍ଥାଂଶ, ୧୨) ପରସ୍ତ —ଖଞ୍ଜା, ୧୩) ପାଞ୍ଚଶେଣିଆ—ଯେଉଁ ଘର ଚାଳରେ ପାଞ୍ଚଟି ଶେଣି ଥାଏ, ୧୪) କହ୍ଲାର—କଇଁଫୁଲ, ୧୫) ଭିତ୍ତି–କାନ୍ଥ, ୧୬) ପଘାର—ହିଡ଼ ଉପରେ ଦିଆଯାଇଥିବା ବାଡ଼, ୧୭) ସୁନାଇ ଖାଇ (ଘାଇ)– ହଳଦିଆ ରଙ୍ଗର ଏକପ୍ରକାର ବାଉଁଶ, ୧୮) ଜାରି—ଖ୍ୟାତି, ୧୯) ସୁନିଆଁ –ଭାଦ୍ରବ ଶୁକ୍ଳ ଦ୍ୱାଦଶୀ, ଏହି ଦିନ ପୁରୀ ରାଜାଙ୍କର ରାଜତ୍ୱ ଅଙ୍କ (ସାଲ) ପରିବର୍ତ୍ତିତ ହୁଏ ଓ ସୁନାରେ ଅଙ୍କ କଟାଯାଇଥାଏ, ୨୦) ଡାବ—ତାଲିକା, ୨୧) ଆପୁ–-ଅଫିମ, ୨୨) ବେଠି—ବିନା ପାରିଶ୍ରମିକରେ ବାଧ୍ୟତାମୂଳକ କାର୍ଯ୍ୟ, ୨୩) ଦେଢ଼ି—ଟଙ୍କାରେ ଆଠ ଅଣା ସୁଧ ଅଥବା ଧାନ ପରିମାଣର ଅର୍ଦ୍ଧୈକ ସୁଧହାର, ୨୪) ପାଞ୍ଜିଆ—ହିସାବରକ୍ଷକ, ୨୫ । ସାଲତମାମି—ବର୍ଷକର ଶେଷ ହିସାବ ବା ବିବରଣ, ୨୬) କୈଫିୟତ—(ଯାବନିକ ଶବ୍ଦ) ହେତୁ, କାରଣ ପ୍ରଦର୍ଶନ ।
✽✽✽
ତୃତୀୟ ପରିଚ୍ଛେଦ
ବାଣିଜ୍ୟେ ବସତେ ଲକ୍ଷ୍ମୀସ୍ତଦର୍ଦ୍ଧଂ କୃଷିକର୍ମଣି ।
ଅସ୍ୟାର୍ଥଃ
‘‘ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ,
ତହୁଁ ଅଧେ କଲେ ଚାଷ ।’’
ଆମ୍ଭେମାନେ ଅନୁମାନ କରୁଁ, ଜଣେ ମରହଟ୍ଟୀ କବି ଏହି କବିତା କହିଅଛନ୍ତି । ଆଜିକାଲିର କବି ହୋଇ ଥିଲେ, ଏହିପରି କହନ୍ତେ–
‘‘ବାଣିଜ୍ୟେ ଲକ୍ଷ୍ମୀଙ୍କ ବାସ,
ତହୁଁ ଅଧେ ବି. ଏଲ୍. ପାଶ’’
ମଙ୍ଗରାଜଙ୍କ ନଅର ଦେଖି କେହି ଅନଭିଜ୍ଞ ଲୋକ ଅନୁମାନ କରିପାରନ୍ତି, ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶିୟା ଓକିଲଙ୍କ ଘର । ବାଷଠି ଘର ଭଗ୍ନାଶଂର (୧) ସମଷ୍ଟି ମାତ୍ର । କଥା କ’ଣ ଜାଣନ୍ତି, ‘ଭାଗ୍ୟଂ ଫଳତି ସର୍ବତ୍ରଂ’ । ଏହି ଯେ ଅଦାଲତର ଓଳିରେ ଗଣ୍ଡା ଗଣ୍ଡା ଶାଲପାଗିଆ ବୁଲୁଅଛନ୍ତି, ମଙ୍ଗରାଜଙ୍କ କଛରେ ପଚିଶ ଘର ଭଗ୍ନାଂଶ ଗାଏ କରିବାକୁ କେତେଜଣ ମିଳିବେ? ସାଆନ୍ତେ ଆପେ କହନ୍ତି, ସେ କାହାରି ଗୋଟାଏ ପଇସା ଆଣନ୍ତି ନାହିଁ । ନିଜ ବୁଦ୍ଧି, ନିଜ ବାହୁ ବଳରେ ମାଟିରୁ ସୁନା ପଇଦା କରିଅଛନ୍ତି । ଏହିପରି ଶୁଣାଅଛି–ଶୁଣା କିମ୍ପା ଆମ୍ଭେମାନେ ଠିକ୍ କଥା ଜାଣୁ – ମଙ୍ଗରାଜେ ପ୍ରଥମେ ଗାଁ ପଧାନଠାରୁ ଦୁଇମାଣ ଜମି ଭାଗରେ ଧରିଥିଲେ । ବର୍ତ୍ତମାନ ଚାଷଜମି ଚବିଶଦସ୍ତି ପଦିକାରେ ଚାରି ବାଟି ଛ’ମାଣ, ଏହା ଛାଡ଼ି ତିରିଶି ବାଟି ସତର ମାଣ ଭାଗରେ ଲାଗିଛି । ଜମି ସବୁ ଲାଖରାଜ (୨), କିଛି ନିସ୍ୱବାଜ୍ୟାପ୍ତି (୩) ଅଧିକାଂଶ ଖରିଦା ବ୍ରହ୍ମୋତ୍ତର (୪) ଚାଷ ବଳଦ ୧୫ ହଳ । ହଳିଆ ୧୨ ଜଣ । ଏମାନେ ବାରମାସିଆ, ଜାତିରେ ବାଉରି – ତିନିଜଣ ପାଣ । ଚାଷ ଓ ବଗିଚା ଏମାନଙ୍କର ଜିମା । ମଙ୍ଗରାଜଙ୍କ ଶିକ୍ଷା ଓ ଉତ୍ସାହରେ ଏମାନେ କର୍ମଠ ଓ ଉତ୍ସାହୀ-। ବ୍ରାହ୍ମମୁହୂର୍ତ୍ତରେ (୫) ଶଯ୍ୟା ତ୍ୟାଗ କରିବା ସ୍ୱାସ୍ଥ୍ୟ–ବିଧାନଶାସ୍ତ୍ରର ବିଧି । ଖରା ହେଉ, ବରଷା ହେଉ, ତୋଫାନ ହେଉ, ଝଡ଼ି ହେଉ, ମଙ୍ଗରାଜେ ଏହି ବିଧି ଲଙ୍ଘନ କରିବାର କେବେ କେହି ଦେଖିନାହିଁ-। ଶାସ୍ତ୍ରରେ ଲେଖାଅଛି–
‘‘ଯେତେକ ଦେଖ ନଦନଦୀ,
ସମସ୍ତେ ମିଳନ୍ତି ଜଳଧି ।
ଆପଣା ଗୁଣ ପାସୋରନ୍ତି,
ଲବଣ ଗୁଣକୁ ଭଜନ୍ତି ।’’
ଠିକ୍ କଥା । ସେହିପରି ସ୍ତ୍ରୀ, ଦାସଦାସୀ ସମସ୍ତେ ସାଆନ୍ତଙ୍କ ଗୁଣକୁ ଊଣା ଅଧିକରେ ଲାଭ କରିଥାନ୍ତି । ଆମ୍ଭେମାନେ ସାଆନ୍ତଙ୍କ ଘର ଦାସଦାସୀମାନଙ୍କୁ ଦେଖି ଏହି ଶିକ୍ଷା ଲାଭ କରିଅଛୁଁ । ମଙ୍ଗରାଜେ ବ୍ରାହ୍ମମୁହୂର୍ତ୍ତରେ ଉଠି ଦାନ୍ତ ଘଷିପକାନ୍ତି । କଲିକତା ସହରରେ ଦୁଇଥର ତୋପ ପଡ଼େ । ପ୍ରାତଃକାଳ ତୋପ ରାତ୍ରି ଶେଷଜ୍ଞାପକ । ମଙ୍ଗରାଜେ କଚେରୀ ପିଣ୍ଡାରେ ଛିଡ଼ାହୋଇ ହଳିଆକୁ ଡାକଦେଲେ ଗ୍ରାମର ଲୋଜେ ଆଖିବୁଜି ମଧ୍ୟ ଜାଣିପାରନ୍ତି, ରାତି ପାହିଲାଣି-। ବୋହୂ ଭୁଆସୁଣୀଏ (୬) ବାସିପାଇଟିରେ ଲାଗିଯାନ୍ତି । ମଫସଲର ଲୋକେ ଘଣ୍ଟା ଫଣ୍ଟା ବୁଝନ୍ତି ନାହିଁ । ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିଲେ ବଳଦ କାନ୍ଧରୁ ଜୁଆଳି ବାହାରେ । ଆଖପାଖ ଚାଷୀମାନେ ଦୂରରୁ ଅନାଇଁ ଦେଖନ୍ତି ମଙ୍ଗରାଜଙ୍କ ବଡ଼ ତାଳପତ୍ର ଛତା ହିଡ଼ ଉପରୁ ଉଠିଲାଣି କି ନାହିଁ । ମଙ୍ଗରାଜେ ତାଙ୍କର ହଳିଆମାନଙ୍କୁ ପୁଅ ପରି ପାଳିଛନ୍ତି । ମା ବାପ ପିଲାମାନଙ୍କ ଖିଆପିଆ ନିଜେ ନ ଦେଖିଲେ ସେମାନଙ୍କ ମନ ମାନେ ନାହିଁ । ହଳିଆମାନେ ଧାଡ଼ି ହୋଇ ଖାଇବାକୁ ବସିଗଲେ ସାଆନ୍ତେ ରାନ୍ଧୁଣିଆକୁ ଉଚ୍ଚସ୍ୱରରେ ଡାକି ଦିଅନ୍ତି–ଆରେ ତୋରାଣି ଆଣ, ତୋରାଣି ଆଣ, ଏମାନଙ୍କ ତଣ୍ଟି ଶୁଖିଯାଉଛି । ରାନ୍ଧୁଣିଆ ଅଭ୍ୟସ୍ତ ବିଦ୍ୟା ପ୍ରଭାବରେ ଫି ଜଣକୁ ଦୁଇ କଂସା କରି ତୋରାଣି ଦିଏ । ହଳିଆ ଏତେଗୁଡ଼ାଏ ତୋରାଣି ପିଇବାକୁ ନାରାଜ ହେଲେ ସାଆନ୍ତେ ତାହାର ଉପକାରିତା ଓ ବଳକାରିତ୍ୱ ସମ୍ବନ୍ଧରେ କ୍ଷୁଦ୍ର ଏକ ବକ୍ତୃତା କରି ତାହା ପିଆଇ ଦେଇ ତହିଁ ଉତ୍ତାରେ ଭାତର ବ୍ୟବସ୍ଥା କରି ଆପେ ସ୍ନାନ କରିବାକୁ ବାହାରିଯାନ୍ତି । ସାଆନ୍ତଙ୍କ ବଗିଚାରେ ସତରଟା ସଜନାଗଛ । ସଜନା ଶାଗ ହଜମୀ, ବଳକର, ରୋଗନାଶକ, ମୁଖରୋଚକ, ରୋଗୀର ପଥ୍ୟ । ନିର୍ଘଣ୍ଟରେ (୭) ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ, ଆମ୍ଭେମାନେ ଜାଣୁନାହିଁ, କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ, କିନ୍ତୁ ସାଆନ୍ତଙ୍କ ମୁଖରୁ ‘ଯଥା ଶ୍ରୁତଂ ତଥା ଲିଖିତଂ-।’ ସେଥିସକାଶେ ବଗିଚାର ସଜନା ଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ, ହଳିଆମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସମସ୍ତ ଉତ୍ସର୍ଗୀକୃତ । ଏହି ଯେ ଫୁଲ ଦେଖୁଅଛ, ଏପରି ଉପାଦେୟ ପଦାର୍ଥ ପୃଥିବୀରେ ନାହିଁ । ପୁଞ୍ଜାଏ ରାଇ ଯଦି ସେଥିରେ ମିଶେ, ତା କଥା ଛାଡ଼-। ପରମେଶ୍ୱରଙ୍କ ସୃଷ୍ଟିରେ କେତେ ଭଲ ଅଛି–ସେଥିରେ ଭଲ ମନ୍ଦ ମିଶାମିଶି । ଦେଖ, ପଣସ ଖୋସାଗୁଡ଼ିକ ମଧୁର, କିନ୍ତୁ ତାହା ଭିତରେ ସୁତାଗୁଡ଼ାକ ବଦହଜମୀ, କିନ୍ତୁ ଜ୍ଞାନୀଲୋକଙ୍କଠାରେ କିଛି ଅଖଞ୍ଜ ରଖେ ନାହିଁ–ଭଲକୁ ଭଲ, ମନ୍ଦକୁ ମନ୍ଦ, ବାଛି ଦିଅନ୍ତି । ସଜନାର ସବୁ ଭଲ, କେବଳ ଛୁଇଁଗୁଡ଼ାକ ଖରାପ ଓ ବଦହଜମୀ । ସେଥିପାଇଁ ହଳିଆ କିମ୍ବା ଚାକରମାନଙ୍କ ପତ୍ର ଛୁଇଁପାରେ ନାହିଁ, ବାହାରେ ବାହାରେ ହାଟକୁ ଯାଏ ।
୧) ବାଷଠି ଘର ଭଗ୍ନାଂଶ—ବହୁ ଘର ବୁଡ଼ାଇ ଯାହା ତିଆରି ହୋଇଛି, ୨) ଲାଖରାଜ— ନିଷ୍କର ଜମି, ୩) ନିସ୍ୱବାଜ୍ୟାପ୍ତି – ଯେଉଁ ଲାଖରାଜ ଜମିକୁ ଇଂରେଜ ଗଭର୍ଣ୍ଣମେଣ୍ଟ ବାଜ୍ୟାପ୍ତି କରି ତହିଁ ଉପରେ ଅଧା ଜମା ଧାର୍ଯ୍ୟ କରିଅଛନ୍ତି, ୪) ବ୍ରହ୍ମୋତ୍ତର—ବ୍ରହ୍ମୋତ୍ତର ଜମିକୁ ଦାନଗ୍ରୀହତା ବା ତାଙ୍କର ଉତ୍ତରାଧିକାରୀ ଅନ୍ୟ ବ୍ୟକ୍ତିକୁ ବିକ୍ରୟ କରିଦେଇଥିଲେ, ଖରିଦଦାର ସେ ଜମିକୁ ନିଷ୍କରରୂପେ ଭୋଗ କରିବାର ହକ୍ଦାର ନ ଥିବାରୁ ତା’ଉପରେ କେଉଁ ସ୍ଥାନରେ ପୁରାଜମା, କେଉଁ ସ୍ଥାନରେ ଅଧା ଜମା ଧାର୍ଯ୍ୟ ହୋଇଅଛି । ଏହା ବୃତ୍ତିକୁ ଖରିଦ ବ୍ରହ୍ମୋତ୍ତର ବୋଲାଯାଏ, ୫) ବ୍ରାହ୍ମମୁହୂର୍ତ୍ତ–ସୂର୍ଯ୍ୟୋଦୟର ପୂର୍ବଘଣ୍ଟା, ଭୋର, ୬) ଭୁଆସୁଣୀ—ନବବଧୂ, ୭) ନିର୍ଘଣ୍ଟ—ଯେଉଁ ବହିରେ ଦ୍ରବ୍ୟମାନଙ୍କର ଗୁଣ ବର୍ଣ୍ଣିତ ହୋଇଥାଏ ।
✽✽✽
ଚତୁର୍ଥ ପରିଚ୍ଛେଦ