ଛ’ମାଣ ଆଠଗୁଣ୍ଠ
ଫକୀରମୋହନ ସେନାପତି · ଭାଗ ୧୦ / ୧୬
ସମ୍ପୂର୍ଣ୍ଣ ସୂଚୀପତ୍ର
କିପରି ଘର ପୋଡ଼ିଲା
ଆଜି ଅନନ୍ତପୁର ଗ୍ରାମରେ ହାହାକାର ପଡ଼ିଛି । ଗଲା ଅଧରାତିରୁ ବାଘସିଂହ ଘରେ ନିଆଁ ଲାଗି ସମସ୍ତ ଘର, ଧାନ ଅମାର ପୋଡ଼ି ଛାରଖାର ହୋଇଗଲାଣି । ନିଆଁ ପାଉଁଶ ବୋଳିହୋଇ କାଳିଆ କାଳିଆ କାନ୍ଥଗୁଡ଼ାକ ଛିଡ଼ା ହୋଇଅଛି । ଏପର୍ଯ୍ୟନ୍ତ ନିଆଁ ଲିଭି ନାହିଁ । ଘର ଭିତରେ ଚାଳ ବସିଯାଇ ଧୂ ଧୂ ହୋଇ ଜଳୁଅଛି । ମୂଳି ବାଉଁଶଗୁଡ଼ାକ ଫଟ୍ ଫଟ୍ କରି ଫୁଟୁଅଛି । କେଉଁଠାରେ କାନ୍ଥ ଉପରେ ବାଉଁଶ ଯୋଡ଼ାଏ, କେଉଁଠାରେ ନଡ଼ା ମେଞ୍ଚାଏ ଲାଗି ଜଳୁଅଛି । ମୋଟା ମୋଟା ଖୁମ୍ବଗୁଡ଼ାକ ଅଗ୍ନିସ୍ତମ୍ଭ ପରି ଦିଶୁଅଛି । କବାଟରେ ନିଆଁ, ଚୌକାଠରେ ନିଆଁ, ଚାରିଆଡ଼େ ନିଆଁ । ଧାନ ଘର ଭିତରେ ନିଆଁ ପଶି ଭାରି ଧୂଆଁ ବାହାରୁଅଛି । ଜ୍ୟେଷ୍ଠମାସିଆ ଦିନ, ଚାଳବାଡ଼ ଶୁଖି ସବୁ ଝୁଣା ହୋଇ (୧) ରହିଥିଲା । ପାଖ ମୁହିଁବାକୁ ସାଧ୍ୟ କାହାର ? ପବନ ଏତିକିବେଳେ କାହିଁ ଥିଲା । କେବଳ ଆଟୁ ଭିତରକୁ ନିଆଁ ଯାଇପାରିନାହିଁ, କବାଟ ଧରିଲାଣି । ହଳିଆମାନେ ମାଠିଆ ମାଠିଆ ପାଣି ପକାଇ ଆଟୁ କବାଟ ପାଖକୁ ଯିବାକୁ ଚେଷ୍ଟା କରୁଅଛନ୍ତି ।
ଯାତ୍ରାକାଳିମାନେ (୨) ବାହୁଡ଼ି ଅଇଲେଣି । ଦିନ ଛ’ ଘଡ଼ି–ତଳେ ନିଆଁ, ଉପରେ ନିଆଁ-। ଘରୁ କୁଟା କେରାଏ ବାହାରି ନାହିଁ । ଅଧରାତିରେ ନିଆଁ ଲଗିଲା, ମାଇକିନିଆମାନେ ନିଦବାଉଳାରେ ହାଉଳି ଖାଇ (୩) ଦେହ ଲୁଗା ଘେନି ବାହାରି ତୋଟା ମଧ୍ୟରେ ଗଛ ମୂଳରେ ବସିଅଛନ୍ତି । ବଣ ବିରାଡ଼ି ପରି ଘରନିଆଁକୁ ଅନାଇ ଡକା ପାଡ଼ୁଛନ୍ତି । ହଳିଆମାନେ ଗାଈ ବଳଦ ଫିଟାଇ ଦେଇ ଆଗରୁ ପଳାଇ ଯାଇଥିଲେ । ସେମାନେ ଚେଷ୍ଟା କରିଥିଲେ କେତେକ ଜିନିଷ ବଞ୍ଚାଇ ପାରିଥାନ୍ତେ, ମାତ୍ର ପର ପାଇଁ କେତେଜଣ ନିଆଁରେ ପଶନ୍ତି ? ଦିନ ବୁଡ଼ି ଆସିଲାଣି-। ବାଘସିଂହ ଘରେ ପିଲାଠାରୁ ବୁଢ଼ାଯାଏ କାହାରି ଦାନ୍ତରେ ଦାନ୍ତକାଠି ବାଜିନାହିଁ । ପିଲାଗୁଡ଼ିକଙ୍କୁ ଆଉ ବୋହୂଗୁଡ଼ାଙ୍କୁ ଝୋଲା ମାରିଗଲାଣି (୪) । ବୁଢ଼ା ପୁରୋହିତ କେଳୁ ରଥେ ଅନେକ ବୁଝାଇ ସମଝାଇ ଦାନ୍ତ ଘଷାଇଲେ । ଘରୁ ଗୁଡ଼, ଚୁଡ଼ା କଂସା କଂସା ତୋରାଣି ସମସ୍ତଙ୍କୁ ମୁନ୍ଦାଏ ମୁନ୍ଦାଏ ପିଆଇ ସାଷ୍ଟମ (୫) କରାଇଲେ । ମାଇକିନିଆ ମଧ୍ୟରେ କେହି ଖାଇଲା ବା କେହି ନ ଖାଇଲା-। ବାଘସିଂହ ଘରଆଡ଼େ ଚାହିଁ ଢକ ଢକ କରି ଢାଳେ ପାଣି ପିଇ ଦେଇ ପଡ଼ିଗଲେ-।
ଧାନ ଘର ଛାଡ଼ି ଆଉ ଆଉ ଘରେ ନିଆଁ ଲିଭିଲାଣି, କୌଣସି କୌଣସି ଘରୁ ଅଳପ ଅଳପ ଧୂଆଁ ବାହାରୁଅଛି । ରାତି ଅନ୍ଦାଜ ଦୁଇଘଡ଼ି । ଭାଇମାନଙ୍କ ସହିତ ବାଘସିଂହ ଆଉ ଗାଁଲୋକେ ସମସ୍ତେ ଗୋଟାଏ ଗଛ ମୂଳରେ ବସିଛନ୍ତି । ବାଘସିଂହ ପଚାରିଲେ, ‘‘ନିଆଁ କିପରି ଲାଗିଲା ?’’ ସମସ୍ତଙ୍କର ପ୍ରଶ୍ନ ନିଆଁ କିପରି ଲାଗିଲା ? ଉତ୍ତର ଦେଉଛି କିଏ ? କେଳୁ ରଥେ କହିଲେ, ‘‘ନିଆଁ ଲଗାଇବ କିଏ ? ବାଘ ଦୁଆରକୁ କିଏ ଆସିବ । ହିଙ୍ଗୁଳା ଠାକୁରାଣୀଙ୍କର କର୍ମ ।’’ ସମସ୍ତେ ତାହାଙ୍କ ମୁହଁକୁ ଚାହିଁ କହିଲେ, ‘‘ଠିକ୍, ଏଇ କଥା ଠିକ୍ ।’’ ଗୋବିନ୍ଦ ରଥେ କହିଲେ, ‘‘ନାହିଁ ହୋ, ତାହା ନୁହେଁ, ବୁଢ଼ୀ ମଙ୍ଗଳାଙ୍କ କୋପ । ଦେଖୁ ନାହାନ୍ତି ମଙ୍ଗରାଜ ବରଷକ ସାରା ପୂଜା ଲଗାଉଛନ୍ତି । ମୁଁ କେତେଥର କହିଲି, ପୂଜା ପଠାଅ, ଶୁଣିଲେ ନାହିଁ, ଏବେ ଦେଖିଲ ତ ? ମୁଁ ନ ବୁଝି ନ ସୁଝି କଛି କଥା କହେ ନାହିଁ । ଠାକୁରାଣୀ କୂଟ (୬) ନ ହେଲେ ଓଳିପରୁ (୭) ପାଳଦଉଡ଼ି ଗଦାରୁ ନିଆଁ କାହୁଁ ଅଇଲା ?’’
ମାଣିକ କହିଲା, ‘‘ସେ ସବୁ କଥା ଯାହା ହେଉ, ନୂଆବୋହୂ ପହରାଟା (୮) ଏକା ବଡ଼ ଖରାପ । ସେ ଏ ଘରେ ପାଦ ଦେବା ଦିନୁ ନାନା ଅମଙ୍ଗଳ ଗୋଡ଼ାଇଛି ।’’ ଶାମା ମା କହିଲା, ‘‘ଏ କଥାଟା ଏକା ସତ, ଠିକ୍ ସତ– ଡରରେ ସିନା କହିପାରୁ ନ ଥିଲି । ଦେଖିଲ ନା, ଚୈତ୍ର ମାସରେ କିଛି କାହିଁ ନାହିଁ, ଗାଈଟାକୁ ସାପ ଦଂଶିଦେଲା । ସାପ କି ଏ ଗାଁରେ ନ ଥିଲେ ? ଗାଈ କାମୁଡ଼ୁଥିଲେ କେଉଁଦିନ ? ମୋହର ତ ବାର ପୁଞ୍ଜା ବୟସ ହେଲା, ‘ବାଘସିଂହ ଘର ଗାଈକୁ ସାପ କାମୁଡ଼ିଛି, ଏକଥା ଶୁଣିନାହିଁ ।’’ ମକରା ହଳିଆ କହିଲା, ‘‘ନୁହେଁ ତ କ’ଣ ? ଦୁଇ ବରଷ ତଳେ ମୋହର ହାତୀପରି ଦୁଇଟା ବଳଦ ଗୁମ୍ଗୁମ୍ କରି ବସିଗଲେ ।’’ ଅର୍ଜ୍ଜୁନା ହଳିଆ କହିଲା, ‘‘ଏହି ଆମ୍ବ ତୋଟାରେ ଗୋରୁ ଚରୁଥିଲେ, ଏ ବରଷ ଗୋଟାଏ ଦେଖିବାକୁ ସପନ ।’’ ହଳିଆ ହଳିଆଣି, ଭଣ୍ଡାରି ଭଣ୍ଡାରୁଣୀ ସମସ୍ତଙ୍କ ଅନୁମାନ, ଯୁକ୍ତି ଏବଂ ପ୍ରମାଣ ପ୍ରୟୋଗ ଦ୍ୱାରା ସ୍ଥିର ହେଲା ବୋହୂ ପହରା ଘରପୋଡ଼ିର କାରଣ ଅଟେ । ଏହି ସିଦ୍ଧାନ୍ତର ପୋଷକତା (୯) ନିମନ୍ତେ ମାଣିକ ପୁନଶ୍ଚ କହିଲା, ‘‘ଦେଖୁନାହଁ, ବୋହୂ-ମାଉସୀ ଯେପରି ପାଦ ଦେଇଛି, ତିନିଦିନ ଯାଇ ନାହିଁ, ତିନି ପକ୍ଷ ଯାଇ ନାହିଁ ଅମଙ୍ଗଳ ସାଙ୍ଗେ ସାଙ୍ଗେ ।’’
ବାଘସିଂହ ପଚାରିଲେ, ‘‘ବୋହୂ-ମାଉସୀ କିଏ ? ବୋହୂ-ମାଉସୀ କିଏ ?’ ଡୋଲି ଚଢ଼ି ବୋହୂ-ମାଉସୀର ଆଗମନ, ଅଶ୍ୱାରୋହଣପୂର୍ବକ ଡାଳିଯୋଡ଼ା ଫତେସିଂହଙ୍କର ଦେବଦର୍ଶନକୁ ଯାତ୍ରା ଇତ୍ୟାଦି ଯଥାଦୃଷ୍ଟି, ଯଥାଶ୍ରୁତ ସାଳଙ୍କାରେ (୧୦) ପୂର୍ବକଥିତ (୧୧) ମାଣିକ ବର୍ଣ୍ଣନା କଲା ଏବଂ ସଙ୍ଗେ ସଙ୍ଗେ ମାଉସୀ ଆଣିଥିବା ଭାରର ସଂଖ୍ୟା ଭାରସ୍ଥିତ ପଦାର୍ଥମାନଙ୍କ ବିଷୟ ବର୍ଣ୍ଣନା କରିବାକୁ ବିସ୍ମୃତ ହେଲା ନାହିଁ । ସାବି ମା କେଉଟୁଣୀ କହିଲା, ‘‘ସେ ଗୋବିନ୍ଦପରୁକୁ କେତେଥର ଚୁଡ଼ା ବିକିବାକୁ ଯାଇ ଦେଖିଆସିଛି, ବୋହୂ-ମାଉସୀ ରୂପ ଠିକ୍ ରାମଚନ୍ଦ୍ର ମଙ୍ଗରାଜଙ୍କ ଘରର ଚମ୍ପା ପରି ।’’ ଶଙ୍କରା ହଳିଆ କହିଲା, ‘‘ଯେଉଁ ଲୋକଟା ପଣସ ଭାର ଆଣିଥିଲା, ସେଟା ମଙ୍ଗରାଜଙ୍କ ହଳିଆ ।’’ ବାଘସିଂହ ଭାଇମାନେ ମୁହଁ ଚାହାଁଚୁହିଁ ହୋଇ କହିଲେ, ‘‘କାହିଁ, ଆମ୍ଭେମାନେ ତ ଦାଣ୍ଡେ ଦାଣ୍ଡେ କେନ୍ଦ୍ରାପଡ଼ାରୁ ଆସୁଅଛୁଁ, ଡୋଲି କିମ୍ବା ଘୋଡ଼ା ତ ଦେଖିଲୁ ନାହିଁ-?’’ କେନ୍ଦ୍ରାପଡ଼ା ଦାଣ୍ଡ ଏବଂ ଡାଳିଯୋଡ଼ା ଫତେସିଂହଙ୍କ ଘରଠାକୁ ରାତିରାତି ଲୋକ ଗଲେ । ସେମାନେ ବାହୁଡ଼ି ଆସି ଯେଉଁ ସମ୍ବାଦ ଦେଲେ, ସେଥିରୁ ଜଣାଗଲା, ସର୍ବୈବମିଥ୍ୟା, ମାଉସୀର ଅସ୍ତିତ୍ୱ ଅସ୍ୱୀକାର, ଏହି ଘଟନା ଘେନି ଗ୍ରାମ ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ଆଲୋଚନା ହେଲା । ଆଖପାଖ ଗ୍ରାମରେ ମଧ୍ୟ କଥା ପଡ଼ିଲା । ସମସ୍ତେ ଅନୁମାନ କଲେ, ଏହା ମଙ୍ଗଳାର ମାୟା । ଆମ୍ଭେମାନେ କହୁଁ, ପିଶାଚୀର କାର୍ଯ୍ୟ ହୋଇପାରେ । ଡାଳିଯୋଡ଼ା ଫତେସିଂହ ସଙ୍ଖୁଳି ଆସି ଝିଅକୁ ଘେନିଗଲେ । ଲୋକେ କହନ୍ତି, ‘‘ପିଲାଟା ଯେପରି ଅନ୍ନଜଳ ଛାଡ଼ି ବସିଥିଲା, ବାପ ଘେନିଯାଇ ନ ଥିଲେ, ପ୍ରାଣ ପାଇବା କଠିନ ହୋଇଥାନ୍ତା ।’’
୧) ଝୁଣା ହେବା—ଝୁଣା ଭଳି ଦହନଶୀଳ ହେବା, ୨) ଯାତ୍ରାକାଳି— ଯାତ୍ରା ଦେଖିବାକୁ ଆସିଥିବା ଲେକ, ୩) ହାଉଳିଖାଇବା—ହଠାତ୍ ଭୀତିପ୍ରାପ୍ତ ହୋଇ ଚିତ୍କାର କରିବା, ୪) ଝୋଲା ମାରିବା—ବେହୋସ ବା ଅଚେତ ହୋଇଯିବା, ୫) ସାଷ୍ଟମ—ସଚେତ କରାଇବା, ୬) କୂଟ—ଜଟିଳତା, ମାୟା, ୭) ଓଳି—ଚାଳର ପ୍ରାନ୍ତଭାଗ, ୮) ପହରା—ଭାଗ୍ୟ, ୯) ପୋଷକତା—ସମର୍ଥନ, ଆନୁକୂଲ୍ୟ, ୧୦) ସାଳଙ୍କାରେ—ଅଳଙ୍କାର ସହିତ ଅର୍ଥାତ୍ ଏଣୁତେଣୁ ନାନା ବିଷୟ ଯୋଗ କରି, ୧୧) ପୂର୍ବକଥିତ—ପୂର୍ବରୁ କୁହାଯାଇଥିବା ।
✽✽✽
ଅଷ୍ଟାଦଶ ପରିଚ୍ଛେଦ
ସାଆନ୍ତାଣୀ
‘‘ସର୍ବେ ଚଳିବେ କାଳବଳେ,
କଥା ରହିବ ମହୀ ତଳେ ।’’
ଶ୍ରାବଣ ମାସ, ରାଧାଷ୍ଟମୀ ଦିନ, ଖୁବ୍ ଭୋର, ଅଳ୍ପ ଅଳ୍ପ ଅନ୍ଧାର ଅଛି, ଲୋକମାନେ ବିଛଣା ଛାଡ଼ି ନାହାନ୍ତି । ଅବଶ୍ୟ ଅନେକ ଲୋକଙ୍କ ନିଦ ଭାଙ୍ଗିଲାଣି, ମାତ୍ର ଖୁବ୍ ଦରକାର ନ ଥିଲେ ବର୍ଷା ଆଉ ଶୀତ ଋତୁର ପାହାନ୍ତି ବିଛଣା ଲୋକମାନଙ୍କୁ ଟିକିଏ ଟାଣି ଧରେ । ମଙ୍ଗରାଜ ଘର ପୋଇଲୀ ମରୁଆ ଢାଳଟିଏ ଡେବିରି ହାତରେ ଧରି ଖାଇବା ହାତରେ କବାଟ ଫିଟାଇ ଘରୁ ବାହାରି ପଡ଼ିଲା । ହଠାତ୍ ତାହାର ଦୃଷ୍ଟି ଚଉରା ଉପରେ ପଡ଼ିଗଲା । ସେ ଥକ୍କା ହୋଇ ଠିଆ ହୋଇଗଲା । ଧଳାଟାଏ କ’ଣ ? ତୁଳସୀ ଚଉରାଟା ମଙ୍ଗରାଜଙ୍କ ମଝି ଅଗଣା ମଧ୍ୟରେ । ସାଆନ୍ତାଣୀଙ୍କ ନିଜସ୍ୱ ମଧ୍ୟରେ ଚଉରାଟି । ବୃନ୍ଦାବତୀ ପୂଜା ତାହାଙ୍କ ଜୀବନର ବ୍ରତ । ତୋଟା ମଧ୍ୟରୁ ପୁଆଟିଏ (୧) ଆଣି ନିଜେ ରୋଇଛନ୍ତି । ସକାଳୁ ଉଠି ଚଉରା ଚାରିପାଖେ ଖରକିବା (୨) ଗୋବର ପାଣିରେ ଛୁଞ୍ଚଦେବା, ଗାଧୋଇ ଆସି ମୂଳରେ ପାଣି ଦେବା, ଅରୁଆ ଚାଉଳ ପୁଞ୍ଜାଏ ଭୋଗ ଦେବା, ସଞ୍ଜ ଦେବା, ଏହିସବୁ କାର୍ଯ୍ୟ କରୁ କରୁ ଦିନ ଅଣ୍ଟେ ନାହିଁ । ସଞ୍ଜ ଦେଇସାରି ବେକରେ ପଣନ୍ତ କାନି ପକାଇ ପୂରା ଅଧ ଘଡ଼ିଏ ଜୁହାର ହୁଅନ୍ତି । ତୁନି ତୁନି କ’ଣ କହନ୍ତି ବୃନ୍ଦାବତୀଙ୍କୁ ଜଣା ।
ମରୁଆ ଧୀରେ ଧୀରେ ଚଉରା ପାଖକୁ ଯାଇ ଭଲ କରି ଅନାଇଲା ଏଁ, ଏ କ’ଣ ? ସାଆନ୍ତାଣୀଏଁ–ସାଆନ୍ତାଣୀଏଁ–ସାଆନ୍ତାଣୀଏଁ–ଉତ୍ତର ନାହିଁ । ମରୁଆ ଢାଳଟି ତଳେ ଥୋଇ ଦେଇ ଦେହରେ ହାତ ଦେଇ ହଲାଇଲା । ରାତିରେ ଅସ୍ରାଏ ପାଣି ବର୍ଷିଯାଇଛି । ଲୁଗାପଟା ଓଦା, କାଦୁଅ ଲଟପଟ, ଦେହଟା କାଠପରି ହୋଇଯାଇଛି, କୁଆପଥର ପରି ଶୀତଳ । ମରୁଆ ଗୋଟାଏ ଭୟଙ୍କର ରଡ଼ି ଛାଡ଼ି ବାହୁନି ବସିଲା–‘‘ମୋ ସାଆନ୍ତାଣୀ ଗୋ, ମୋ ସାଆନ୍ତାଣୀ ! କାହିଁ ଛାଡ଼ିଗଲ, ମୋ ସାଆନ୍ତାଣୀ ଗୋ ! ପିମ୍ପୁଡ଼ି ପେଟକଥା କିଏ ଜାଣିବ, ମୋ ସାଆନ୍ତାଣୀ ଗୋ ! ମୋତେ ଜର ହେଲେ କିଏ ପଥି ରାନ୍ଧି ଖୁଆଇବ, ମୋ ସାଆନ୍ତାଣୀ ଗୋ ।’’ ମରୁଆ ପାଟି ଶୁଣି ଉଆସର ସମସ୍ତେ ଧାଇଁ ଆସିଲେ, ଅଗଣା ପୂରିଗଲା । ସମସ୍ତେ ବାହୁନି ବସିଲେ । ବୋହୂମାନଙ୍କ ମୁଣ୍ଡରେ ଲୁଗା ନାହିଁ, କାନ୍ଦି ଲୋଟିଯାଉଛନ୍ତି । ସମସ୍ତଙ୍କଠାରୁ ବେଶି ବାହୁନିଲା ଚମ୍ପା । ସେ ବାଡ଼ି ଦୁଆରଠାରୁ ଦାଣ୍ଡଦୁଆର ପର୍ଯ୍ୟନ୍ତ ଧାଁଦଉଡ଼ କରି ଡାକ ଛାଡ଼ିଥାଏ । ସମସ୍ତେ କାନ୍ଦି ବସିଛନ୍ତି, କିଏ କାହାକୁ ତୁନି କରାଉଛି ?
ମୁହୂର୍ତ୍ତ ମଧ୍ୟରେ ଗାଁ ଏମୁଣ୍ଡ ସେମୁଣ୍ଡ ବିଦ୍ୟୁତ୍ ଗତିରେ ଖବର ହୋଇଗଲା । ସ୍ତ୍ରୀ ଲୋକମାନେ ବାସିପାଇଟି ଛାଡ଼ି, ପୁରୁଷମାନେ ଦୁଃଖ ଧନ୍ଦା ଛାଡ଼ି ସାଆନ୍ତାଣୀଙ୍କ ଗୁଣ ଗାଇବସିଲେ-। ନିତାନ୍ତ ନିଃସମ୍ପର୍କୀୟା ସ୍ତ୍ରୀମାନେ ମଧ୍ୟ କାନ୍ଦି ପକାଇଲେ । କେହି କହିଲା–ଆଜି ମହାଷ୍ଟମୀ, ପୁଣ୍ୟଦିନରେ ଗାଁରୁ ଲକ୍ଷ୍ମୀ ଚାଲିଗଲେ । କେହି କହିଲା–ମଙ୍ଗରାଜଙ୍କ ଘର ବଢ଼ନ୍ତି (୩) ଏତିକି, ଆଜିଠାରୁ ଶିରୀ ଛାଡ଼ିଲା । ଗାଁ ସ୍ତ୍ରୀମାନଙ୍କ ମଧ୍ୟରେ ସ୍ୱାମୀସେବା କଥା ପଡ଼ିଲେ ସାଆନ୍ତାଣୀଙ୍କୁ ପଟାନ୍ତର ଦେଉଥିଲେ । ତାହାଙ୍କ ଚରିତ୍ର ଯେମନ୍ତ ନିର୍ମଳ, ଧର୍ମରେ ସେହିପରି ମତି । ସ୍ତ୍ରୀମାନଙ୍କ ସର୍ବସ୍ୱ ଧନ ‘ପତିସୋହାଗ’ ବିଧାତା ତାହାଙ୍କ କପାଳରୁ ପୋଛି ଦେଇଥିଲା, ମାତ୍ର ସେଥିକି ତାଙ୍କର ଶୋଚନା ନ ଥାଏ । ସେ ମନରେ ଭଲ କରି ବୁଝିଥିଲେ, ପତିସେବା ସ୍ତ୍ରୀମାନଙ୍କର ଧର୍ମ, ପତିସେବାରେ ସ୍ତ୍ରୀମାନଙ୍କ ସୁଖ । କେବଳ ପତିସେବା ନୁହେଁ, ମନୁଷ୍ୟସେବାକୁ ମଧ୍ୟ ସେ ମହାସୁଖକର ଜ୍ଞାନ କରୁଥିଲେ । ମୁଣ୍ଡକୁ ହାତ ପାଇଲା ଦିନୁ ପୁଅମାନେ ପାଖ ପଶନ୍ତି ନାହିଁ-। ବୋହୂମାନେ ଯେ ଅମାନ୍ୟ କରନ୍ତି ତାହା ନୁହେଁ, ମାତ୍ର ମୁରବି ମାନ୍ୟଟା ଥିଲା ନାହିଁ । ଶାଶୁ ବାଧିକି ପଡ଼ିଛନ୍ତି ବୋଲି ଯେ ବୋହୂମାନେ ତେଲ ହାତଟା ଗୋଡ଼ରେ ହାତରେ ବୁଲାଇ ଦେଇଛନ୍ତି, ଏ କଥାଟା କେବେ ଦେଖିବାରେ ଆସିନାହିଁ । ଏଇଟା କିନ୍ତୁ ସାଆନ୍ତାଣୀଙ୍କ ନିଜକୃତ ଦୋଷର ଫଳ-। ଘରଣୀପଣିଆ ଜଣାଇବା, ପୁଅ, ବୋହୂ, ଚାକର, ପୋଇଲୀମାନଙ୍କୁ ଶାସନରେ ରଖିବାର କ୍ଷମତା ତାଙ୍କର ନ ଥିଲା । ସେ କଥାଟାକୁ ସେ ମଧ୍ୟ ସୁଖ ପାଉ ନ ଥିଲେ । ତାଙ୍କଠାରେ ଧୁଆମୂଳା ଅଧୁଆମୂଳା ସମାନ । ତାଙ୍କୁ ଯେ ମାନିଲା ଭଲ, ଯେ ନ ମାନିଲା ସେ ମଧ୍ୟ ଭଲ । କେହି ଦଶପଦ ଗାଳି ଦେଉ, ଜାଡ଼ି ହାଉଡ଼ି ପରି ଥାଆନ୍ତି ।
ଶାଳଗ୍ରାମର ଶୋଇବା ବସିବା ପରି ତାଙ୍କ ହସ କାନ୍ଦ କେହି ଜାଣିପାରିବେ ନାହିଁ । କାହାରି ସଙ୍ଗରେ କଳି କିମ୍ବା କାହାରି ସଙ୍ଗରେ ଭାବ ନାହିଁ । କାହାରି ପାଖରେ ବସି ଦୁଃଖସୁଖ ଦୁଇଟା କଥା କହିବାର କେହି ଦେଖିନାହିଁ । କେବଳ ଉଆସ ମଧ୍ୟରେ କାହାରି ବେମାର ହେଲେ ଦିନ ନାହିଁ, ରାତି ନାହିଁ, ଜଗି ବସି ସେବା କରନ୍ତି । ବେମାରି ସମୟରେ ପୋଇଲି ହେଉ ବା ବୋହୂ ହେଉ, ନାହିଁ କରୁ କରୁ ଗୋଡ଼ରେ ହାତରେ ହାତ ବୁଲାଇ ଦେବେ । ବାହାରେ ହେଉ, ଘରେ ହେଉ, କେହି ଉପାସ ଥିଲେ ତାକୁ ନ ଖୁଆଇ ଜଳ ଛୁଅନ୍ତି ନାହିଁ । ଗାଁର ଦରିଦ୍ର ବୁଢ଼ୀ ବା ଅନାଥା ବିଧବାଙ୍କର ସର୍ବଦା ଖବର ନିଅନ୍ତି । କାହାରି ଘରେ ଖାଇବାକୁ ନ ଥିବାର ଶୁଣିଲେ, ସାଆନ୍ତଙ୍କୁ ଲୁଚାଇ, ପୁଅବୋହୂଙ୍କୁ ଲୁଚାଇ, ଚାଉଳ ମାଣେ, ବିରିଜାଇ ମୁଠାଏ, ଲୁଣ ବକଟେ, ତେଲ ଟିକିଏ, କଖାରୁ ଖଣ୍ଡେ, ଭେଣ୍ଡି ଜହ୍ନି ପୁଞ୍ଜାଏ, ଯାହାର ଯାହା ଦରକାର ପଠାଇଦିଅନ୍ତି । ଗାଁର କାହାରି ବୋହୂଝିଅ, ଦେହକୁ ଲାଗିଲେ ପୋଇଲୀ ପଠାଇ ତନଖି (୪) କରନ୍ତି । ଦେଉନ୍ତୁ ନ ଦେଉନ୍ତୁ, ଗରିବ ଦୁଃଖୀମାନଙ୍କର ତାଙ୍କଠାରେ ଗୋଟାଏ ବଡ଼ ଆଶା-ଭରସା ଥାଏ । ଅନେକ ପରଜାଏ ଖାତକ, ଅନେକ ଦରିଦ୍ର ପ୍ରଜା ସାଆନ୍ତାଣୀଙ୍କ ଯତ୍ନରେ ମଙ୍ଗରାଜଙ୍କ ଦାଢ଼ରୁ ମୁକ୍ତି ପାଇଥିବାର ଶୁଣାଯାଏ । ମଙ୍ଗରାଜେ କାହାରି ଉପରେ ଜୁଲମ (୫) କଲେ ସେ ଯଦି ବୋହୂ ଝିଅ ପଠାଇ ସାଆନ୍ତାଣୀଙ୍କ କାନରେ ଦୁଃଖକଥାଟା ବଜାଇ ପାରିଲା, ତେବେ ତ ବାସ୍ । ସେଥିସକାଶେ ମଙ୍ଗରାଜଙ୍କଠାରୁ ଢେର୍ ଗାଳି ଗଞ୍ଜଣା ଶୁଣିବାକୁ ହୁଏ, ଚମ୍ପା ଟାହୁଲି-ମାହୁଲି କେତେ କଥା କହେ, ମାତ୍ର ସାଆନ୍ତାଣୀ ତେତେବେଳେ କାଲୁଣୀ । କାହାରି ଉପକାର କରିପାରିଲେ କୋଟିନିଧି ପାଆନ୍ତି-। ଶିବୁ ପଣ୍ଡିତେ ସାଧୁଭାଷାରେ କହନ୍ତି, ‘ସାଆନ୍ତାଣୀ ଦୟା, ସ୍ନେହ, ଭକ୍ତି ପ୍ରଭୃତି ସ୍ୱର୍ଗୀୟ ଗୁଣାବଳୀର ମୁର୍ତ୍ତିମତୀ ଦେବୀ ।’
ସାଆନ୍ତାଣୀଙ୍କର କିନ୍ତୁ ଗୋଟିଏ ବିଚିତ୍ର ସ୍ୱଭାବ ଥିଲା । ସେ’ଟି ଦୋଷ କି ଗୁଣ, ଆମ୍ଭେମାନେ ସ୍ଥିର କରିପାରୁନାହୁଁ, ଆପଣମାନେ ବୁଝନ୍ତୁ । ପାଞ୍ଚଟା କଥା ଯୋଡ଼ି ରଙ୍ଗଭଙ୍ଗ କରି କହିବାର ଶକ୍ତି ନ ଥିଲା, ପୁଣି କଥାଗୁଡ଼ାକ ଏତେ ଧୀର ଯେ, ଦାଣ୍ଡ ଦୁଆର ଲୋକେ କେଭେଁ ତାଙ୍କର ତୁଣ୍ଡ ଶୁଣିନାହାନ୍ତି । ମାତ୍ର ସାଆନ୍ତେ ଉଆସ ମଧ୍ୟରେ କୌଣସି ପୋଇଲୀ ବା ଚାକର ଉପରେ ରାଗି ଚଳିହେଲେ (୬) ବା ମାରିବାକୁ ବସିଲେ, ସାଆନ୍ତାଣୀ କିଛି ନ ବୁଝି ନ ଶୁଝି ମଝିରେ ପଶିଯାନ୍ତି ଏବଂ ବିବିଧ ଯୁକ୍ତି ପ୍ରୟୋଗପୂର୍ବକ ତାହାର ନିର୍ଦ୍ଦୋଷତା ପ୍ରମାଣ କରାଇବାକୁ ବିବିଧ ପ୍ରକାର ଚେଷ୍ଟା କରନ୍ତି । ତେତେବେଳେ ତାଙ୍କର ସତ୍ୟ ମିଥ୍ୟା ଜ୍ଞାନ ଥାଏ ନାହିଁ, ସୁତରାଂ ସାଆନ୍ତଙ୍କ ରାଗଟା ତାଙ୍କରି ମୁଣ୍ଡ ଉପର ଦେଇ ଚାଲିଯାଏ । ପର ପାଇଁ ବିଶେଷରେ ଦୋଷୀକୁ ରକ୍ଷା କରିବା ପାଇଁ ମିଥ୍ୟା କଥା କହିବା ଏବଂ ଅନ୍ୟର ଅପରାଧ ସକାଶେ ଆପେ ଲାଞ୍ଛିତ (୭) ହେବା ଅବଶ୍ୟ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ; ମାତ୍ର ଆଜିଯାଏ ତାଙ୍କର ସ୍ୱଭାବ ବଦଳି ନ ଥିଲା । ‘ସ୍ୱଭାବୋ ନୈବ ମୁଚ୍ୟତେ ।’ ଦୋଷୀ ହେଉ ବା ନିର୍ଦ୍ଦୋଷ ହେଉ, କାହାରି କିଛି ଦୁଃଖ ଦେଖିଲେ ସେ କାନ୍ଦି ପକାଉଥିଲେ ।
ଆଉ ଗୋଟିଏ କଥା, ଉଆସ ମଧ୍ୟରେ ଦୁଇଟା ପୋଇଲୀ ମଧ୍ୟରେ ବା ବୋହୂ ବୋହୂ ମଧ୍ୟରେ କଳି ହେଲେ ସେ ପ୍ରାୟ ଦୁର୍ବଳ ପଟ ଧରି ଚାଲିବାର ଦେଖାଯାଏ । ଏଇଟା ଅବଶ୍ୟ ପକ୍ଷପାତିତାର ଚିହ୍ନ । ବୁଝି-ସମଜି ପକ୍ଷ ଧରିବାକୁ ହୁଏ, ତାଙ୍କଠାରେ ଏ ଗୁଣର ନିତ୍ୟାନ୍ତ ଅଭାବ ଥିଲା ।
ସାଆନ୍ତାଣୀଙ୍କର ଗୋଟିଏ ମହତ୍ ଦୋଷ ଥିଲା–ଅବଶ୍ୟ ମହତ୍ ଦୋଷ ବୋଲିବାକୁ ହେବ–ସାଆନ୍ତେ ସେଥିସକାଶେ ଚିରକାଳ ବିରକ୍ତ । ତାଙ୍କର ଘରକରଣା ବୁଦ୍ଧି ଜଡ଼ସୁଦ (୮) ନ ଥିଲା । ଟଙ୍କା ପଇସା ଯେ କି ମହାମୂଲ୍ୟ ପଦାର୍ଥ, ସେ ତାହା ଜାଣୁ ନ ଥିଲେ । ସେ ଖୋଜନ୍ତି ନାହିଁ, ସୁତରାଂ ହାତପୈଠ ହୁଏ ନାହିଁ । ଯଦି ଦୈବାତ୍ ଦୁଇଅଣା ଚାରିଅଣା ପଇସା, ଟଙ୍କାଟିଏ, ସୁକିଟିଏ ହାତରେ ପଡ଼ିଯାଏ, ଧାନ ଉଷୁଆଁ ହାଣ୍ଡି ତଳେ, ନୋହିଲେ କୁଣ୍ଡାହାଣ୍ଡି ତଳେ ଉଗାଡ଼ି ପକାନ୍ତି, ନୋହିଲେ ଚାଳବାଡ଼ରେ ଖୋସିଦିଅନ୍ତି । ଗାଁର କାହାରି ଝିଅ ଶାଶୁଘରକୁ ଯିବାବେଳେ ଶାଢ଼ି ଖଣ୍ଡେ କିମ୍ବା ଥୋପ (୧୦) ଯୋଡ଼ାଏ କିମ୍ବା ଭୁଜା ଉଖୁଡ଼ା ଦୁଇମାଣ ମୁକୁନ୍ଦ ହାତରେ କିଣାଇ ଦିଅନ୍ତି କିମ୍ବା କାହାରି ଘରେ ଖାଇବାର ନ ଥିଲେ ତାହା ଭାଗ୍ୟରେ ପଡ଼େ । ଏପରି ଦେବାର ଶୁଣାଯାଏ, କିନ୍ତୁ କେହି କେବେ ଦେଖି ନାହିଁ ।
ଯାହାହେଉ, ସାଆନ୍ତାଣୀଙ୍କର ଦୋଷ ଥାଉ ବା ଗୁଣ ଥାଉ, ଘରଠାରୁ ବାହାର ପର୍ଯ୍ୟନ୍ତ ସମସ୍ତେ ହାୟ ହାୟ କରୁଅଛନ୍ତି । କେବଳ କାନ୍ଦୁନାହିଁ ଜଣେ । ମୁକୁନ୍ଦା ହଳିଆ ପାକୁଆ ପାଟି ଆଁ କରି ଆଖିବୁଜି ମାଂସଶୂନ୍ୟ ଡେଙ୍ଗା ହାଡ଼ୁଆ ଗୋଡ଼ ଦୁଇଟାକୁ ଲମ୍ବାଇଦେଇ ବାଡ଼କୁ ଆଉଜି ବସିପଡ଼ିଅଛି । ମୁକୁନ୍ଦାର ତିନିକୂଳରେ କେହିଥିବାର ଜଣାନାହିଁ । ତାହାର ବୟସ, ଜାତି, କୁଳ, ଗୁଣଗ୍ରାମର କଥା ଶୁଣିବେ ? ହଳିଆ ବାପୁଡ଼ା କଥା କିଏ ପଚାରେ ? ସେ ନିଜେ କହେ, ସାଆନ୍ତାଣୀଙ୍କ ଜନ୍ମ ସମୟରେ ଧାଈକୁ ଡାକିବାକୁ ଯାଇଥିଲା । ତାହା କୋଳରେ ସାଆନ୍ତାଣୀ ଏଡ଼େଟିଏ, ବାପଘରୁ ସାଙ୍ଗେ ସାଙ୍ଗେ ଆସିଅଛି । ହାଉଡ଼ା କଥା ହାଉଡ଼ା-ମା ଜାଣେ । କେବଳ ମୁକୁନ୍ଦା ସାଆନ୍ତାଣୀଙ୍କ ମନକଥା ବୁଝୁଥିଲା । କୌଣସି କଥାରେ ସାଆନ୍ତାଣୀ ମନଦୁଃଖ କଲେ ମୁକୁନ୍ଦା ଆସି ଜଳଜଳ କରି ତାଙ୍କ ମୁହଁକୁ ଚାହିଁରହେ । ସାଆନ୍ତାଣୀ ତା’ ମୁହଁକୁ ଚାହିଁ ମୁଣ୍ଡ ତଳକୁ ପୋତିଦିଅନ୍ତି । ସେ ଚାହାଣୀ ଅର୍ଥାତ୍ ନୀରବ ବକ୍ତୃତାରେ ସବୁ କଥା ଛିଡ଼େ । ସାଆନ୍ତାଣୀ ସାନ୍ତ୍ୱନା ନ ପାଇ ତୁନି ହୁଅନ୍ତି । ସାଆନ୍ତାଣୀ କିଛି ମାତ୍ର ମନଦୁଃଖ କଲେ ଯାହା ଆଖିରୁ ଝରଝର ହୋଇ ପାଣି ବୋହିପଡ଼ୁଥିଲା, ଆଜି ମରି ପଡ଼ିଛନ୍ତି, ସେ କାନ୍ଦୁନାହିଁ । ଯାହାର ଜଗତର ସମସ୍ତ ସୁଖ, ସମସ୍ତ ଶାନ୍ତି, ସମସ୍ତ ଭରସା, ସମସ୍ତ ଆଶା, ସମସ୍ତ ସାନ୍ତ୍ୱନା, ସମସ୍ତ ସ୍ନେହ ଏକ ସଙ୍ଗରେ ଶେଷ ହୋଇଯାଏ, ସେ କାନ୍ଦେନାହିଁ । କେବଳ ସେ ବେଳେବେଳେ ଫଁ-ଫଁ ନିଃଶ୍ୱାସ ପକାଉଛି । ବୋଧହୁଏ, ସେଥିସକାଶେ ତାହାର ଶୁଷ୍କ ହୃଦୟ ଫାଟିଯାଉ ନାହିଁ ।
ମଙ୍ଗରାଜେ ମୁଣ୍ଡ ପାଖରେ ବସି ଏକଧ୍ୟାନରେ ସାଆନ୍ତାଣୀଙ୍କ ମୁହଁକୁ ଅନାଇଅଛନ୍ତି । ନିଶ୍ଚଳ, ନିସ୍ତବ୍ଧ ଦୁଇ ଆଖିରୁ ଲୋତକ ବହିଯାଉଅଛି । ମଙ୍ଗରାଜଙ୍କ ଆଖିରେ କେହି ତ କେବେ ଲୋତକ ଦେଖିନାହିଁ, ଆଜି ନୂତନ ଦେଖାଗଲା । ଲୋକେ କହନ୍ତି, ସ୍ନେହ, ମାୟା, ମମତା, ଚକ୍ଷୁଲଜ୍ଜା, ଧର୍ମ, କର୍ମ ମଙ୍ଗରାଜଙ୍କ ମନକୁ ଛୁଇଁ ନାହିଁ । ସେ ଭଲକରି ବୁଝିଥିଲେ ‘‘ଟଙ୍କା ଏବ ମନୁଷ୍ୟାନାଂ ଚତୁବର୍ଗଫଳପ୍ରଦା (୧୧) ।’’ ଦିବା ରାତ୍ର ତାଙ୍କର ଟଙ୍କା ଥିଲା ଧ୍ୟାନ – ଟଙ୍କା ଥିଲା ଜ୍ଞାନ । ସେ ତୁନି ହୋଇ ବସି ଭାବିବାର ଅନେକଥର ଦେଖାଯାଇଅଛି; କିନ୍ତୁ ସେ ସମୟରେ ଏକପ୍ରକାର ଜ୍ୟୋତି ତାଙ୍କ ଆଖିରୁ ବାହାରୁଥାଏ । ସମୁଦ୍ର ଗର୍ଭଜାତ ଉତ୍ତାଳ (୧୨) ତରଙ୍ଗମାଳା ବେଳାଭୂମିରେ ପଡ଼ି ଲୀନ ହୋଇଗଲା ପରି ହୃଦୟଜାତ ନାନା ଆଶା, ନାନା ଚିନ୍ତାର ତରଙ୍ଗ ଆସି ଭ୍ରୂଲତାର ଉପରିଭାଗରେ ରେଖାକାର ଧରି ଲୀନ ହେଉଥାଏ । ଆଜି ଭାବନା; କିନ୍ତୁ ଅନ୍ୟରୂପ । ନେତ୍ର ଅର୍ଦ୍ଧ ନିମୀଳିତ (୧୩), ସ୍ପନ୍ଦନଶୂନ୍ୟ, ଅଶ୍ରୁସିକ୍ତ । ମଙ୍ଗରାଜ କି ସାଆନ୍ତାଣୀଙ୍କ ସକାଶେ କାନ୍ଦୁଛନ୍ତି ? ପ୍ରିୟବସ୍ତୁର ବିୟୋଗ ମନୁଷ୍ୟ ପକ୍ଷରେ ଅସହ୍ୟ । ମଙ୍ଗରାଜେ କି ପବିତ୍ର ଦାମ୍ପତ୍ୟ ପ୍ରେମର ସ୍ୱର୍ଗୀୟ ମାଧୁରୀ ଅନୁଭବ କରୁଥିଲେ ? କାହିଁ ? ସେ ସାଆନ୍ତାଣୀଙ୍କୁ ପ୍ରେମରେ ଦୁଇଟା କଥା କହିବାର ତ କେହି କେବେ ଶୁଣିନାହିଁ ! ତେବେ ଆଜି ଏତେ ବ୍ୟାକୁଳ କିମ୍ପାଇଁ ?
ଯାହାହେଉ, ସାଆନ୍ତାଣୀଙ୍କ ବିଚ୍ଛେଦ ଯନ୍ତ୍ରଣା ଯେ ସେ ଅନୁଭବ କରୁଛନ୍ତି, ସହଜ ବିଶ୍ୱାସରେ ଆମ୍ଭେମାନେ ଏହା ବୋଧ କରୁଅଛୁଁ । ଯାହାକୁ ଆଠକଳସ ମାଡ଼ି (୧୪) ବେଦୀ ଉପରେ ବିବାହ କରି ଅର୍ଦ୍ଧାଙ୍ଗରୂପେ ଗ୍ରହଣ କରିଅଛି, ସେ ଭଲ ହେଉ ବା ମନ୍ଦ ହେଉ, ତାହା ପ୍ରତି ଗୋଟାଏ ମାୟା ଥାଏ । ଏହି ନୈସର୍ଗିକ ମାନବଧର୍ମ ଅତିକ୍ରମ କରିବା ସହଜସାଧ୍ୟ ନୁହେଁ । ଯେ ସ୍ତ୍ରୀ ଧର୍ମକାର୍ଯ୍ୟର ସହଧର୍ମିଣୀ–ପ୍ରାଣାଧିକ ସନ୍ତାନ ସନ୍ତତିଙ୍କ ଜନନୀ, ଯେ ସ୍ତ୍ରୀ ସୁଖଦୁଃଖରେ ଏକମାତ୍ର ସମଭାଗିନୀ, ଯେ ସ୍ତ୍ରୀ ରୋଗରେ ଶୁଶ୍ରୁଷାକାରିଣୀ, ବିପଦରେ ମନ୍ତ୍ରୀ, ଶରୀର ରକ୍ଷାରେ ଧାତ୍ରୀ, ତୁମ୍ଭେ ଯଦି ନିତାନ୍ତ ପାଷଣ୍ଡ ହୁଅ, ତାହାର ଗୁଣଗାରିମା ଅନୁଭବ କରିବାର ଶକ୍ତି ଯଦି ନିତାନ୍ତ ତୁମ୍ଭର ଧନ ଥାଏ–ଜୀବନକାଳରେ ତାହାକୁ ପ୍ରେମ କର ଅବା ନ କର, କିନ୍ତୁ ତାହାର ବିଚ୍ଛେଦ ଯନ୍ତ୍ରଣା ଅବଶ୍ୟ ଭୋଗ କରିବାକୁ ହେବ-। ଆଉ ସାଧ୍ୱୀ, ସଚ୍ଚରିତ୍ରା, ପତିପରାୟଣା, ଧାର୍ମିକା ସ୍ତ୍ରୀର ଗୁଣଗାରିମା ଯେଉଁ ଲୋକ ଥରେ ମାତ୍ର ହୃଦୟରେ ଅନୁଭବ କରୁଅଛି, ତାହାର ବିଚ୍ଛେଦ ଯନ୍ତ୍ରଣା ଯେ କି ରୂପ ଅସହ୍ୟ ତାହା ବର୍ଣ୍ଣନା କରିବାକୁ ଭାଷାର ସୃଷ୍ଟି ହୋଇନାହିଁ । ତାହା ସ୍ତ୍ରୀ ବିୟୋଗବିଧୂର ବ୍ୟକ୍ତି କେବଳ ହୃଦୟରେ ଅନୁଭବ କରେ । ନାଗସର୍ପ ଯାହାକୁ ଦଂଶନ କରିଅଛି, ସେହି ବ୍ୟକ୍ତି ବିଷର ଯନ୍ତ୍ରଣା ଜାଣେ, କଥାରେ ବୁଝାଇବାର କଥା ନୁହେଁ । ସେହି ବ୍ୟକ୍ତି ଜାଣେ, ଶୋଣିତବାହିନୀ ଶିରା ସମସ୍ତ ଛିନ୍ନଭିନ୍ନ ହୋଇଯାଇ ତାହାର ହୃତ୍ପିଣ୍ଡ ଶୁଷ୍କଭାବରେ ପଡ଼ିଅଛି । ସେହି ବ୍ୟକ୍ତି ବୋଧକରେ ଜଗତର ସମସ୍ତ ସୁନ୍ଦର ପଦାର୍ଥର ସୌନ୍ଦର୍ଯ୍ୟ, ସମସ୍ତ ମାଧୁର୍ଯ୍ୟର ମାଧୁରିମା, ସମସ୍ତ ପୁଷ୍ପର ସୁଗନ୍ଧ, ସମସ୍ତ ସଙ୍ଗୀତର ତାନଲହରୀ, ସମସ୍ତ ପବିତ୍ରତା ଚିତାଗ୍ନିରେ (୧୫) ଦଗ୍ଧିଭୂତ ହୋଇ ଯାଇଅଛି । ସଂକ୍ଷେପରେ କହିବାକୁ ଗଲେ, ସେ ଆପଣାକୁ ମୃତ ଲୋକ ମଧ୍ୟରେ ଜୀବିତ, ଜୀବିତ ମଧ୍ୟରେ ଆପଣାକୁ ମୃତ ବୋଲି ଜ୍ଞାନ କରେ ।
ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ ଦୁଇଗୋଟି ନଦୀ ପ୍ରବାହିତ ହେଉଥିଲା । ଗୋଟିଏ ଉତ୍ତାଳତରଙ୍ଗମୟୀ ସର୍ପକୁମ୍ଭୀରସଙ୍କୁଳା କୂଳପ୍ଳାବିନୀ ଚର୍ମଣ୍ୱତୀ (୧୬), ଆଉ ଗୋଟିଏ ଅନ୍ତଃସ୍ରୋତା (୧୭) ପୂତସଲିଳା (୧୮) କୂଳପାବନୀ (୧୯) ଫଲ୍ଗୁ । ହୁଏତ ମଙ୍ଗରାଜେ ବୁଝିଛନ୍ତି, ଫଲ୍ଗୁ ଚିରକାଳ ନିମନ୍ତେ ବିଦାୟ ଗ୍ରହଣ କଲା । ମଦ୍ୟପର ସମ୍ମୁଖରେ ଗିନାଏ ଜଳ, ଗିନାଏ ମଦିରା (୨୦) ଥୁଆ ହୋଇଥିଲେ ସେ ସୁରାଗିନାଟିକୁ ଅଧିକ ଆଦର କରେ ଏବଂ ଯତ୍ନରେ ରଖେ; ମାତ୍ର ଜଳଗିନାଟିର ଏକାବେଳକେ ଅଭାବ ହେଲେ ସେ ତେତେବେଳେ ବୁଝିପାରେ, ସୁରା ଉନ୍ମାଦକାରିଣୀ ସତ୍ୟ, ମାତ୍ର ଜଳ ତାହାର ଜୀବନ ।
ମଙ୍ଗରାଜଙ୍କ ଅବସ୍ଥା ଦେଖି ଆମ୍ଭେମାନେ ଅନୁମାନ କରୁଅଛୁଁ, ତାଙ୍କ ମନରେ ଦୁଃଖ ଓ ଅନୁତାପ ଉଭୟ ଉପସ୍ଥିତ ହୋଇଅଛି । ଦୁଃଖରେ ମନୁଷ୍ୟ କାନ୍ଦେ, ଅନୁତାପରେ କାନ୍ଦେ ନାହିଁ, ଦୁଃଖ ହୃଦୟର ଜ୍ୱଳନ୍ତ ଅଙ୍ଗାର, ଅନୁତାପ ତୁଷାଜଳ (୨୧) ନିଜର ଦୁଷ୍କୃତି (୨୨) ନିଜର ଅଯତ୍ନ (୨୩) ସହିତ ସାଆନ୍ତାଣୀଙ୍କ ମୃତ୍ୟୁର ନିକଟ ସମ୍ବନ୍ଧ ଥିବାର ଅନୁମାନ କରି ସେ ଅନୁତାପ କରୁଅଛନ୍ତି କି ? ତାଙ୍କଦ୍ୱାରା ସଂଖ୍ୟାତୀତ ଦୁଷ୍କୃତି ଅନୁଷ୍ଠିତ ହୋଇଅଛି । କାହିଁ, କେବେହେଲେ ସେ ତ ଅନୁତାପ କରୁଥିବାର କେହି ଦେଖିନାହିଁ ? କିଏ ବୋଲିପାରେ ? କ୍ଷଣପରିବର୍ତ୍ତନଶୀଳ ମନୁଷ୍ୟ ସ୍ୱଭାବ କିଏ ଜାଣେ ? ବିଶ୍ୱବିଧାତା ସମାନ ଉପାଦାନରେ ଜଗତରେ ସମସ୍ତ ନରନାରୀକୁ ସୃଷ୍ଟି କରିଅଛନ୍ତି । ରକ୍ତ, ମାଂସ, ଅସ୍ଥି, ମଳ, ମୂତ୍ରରେ ଯେପରି ଶରୀର ଗଠିତ, ସେହିପରି ଦୟା, ମାୟା, ସ୍ନେହ, ମମତା, ହିଂସା, ଦ୍ୱେଷ, ନିଷ୍ଠୁରତା ପ୍ରଭୃତି ବୃତ୍ତିମାନଙ୍କରେ ମନ ଗଠିତ । ସେହି ସମସ୍ତ ବୃତ୍ତି ଉପଯୁକ୍ତରୂପେ ସମାନ ଭାବରେ କାର୍ଯ୍ୟକାରୀ ହେଲେ ମନୁଷ୍ୟ ହୋଇଥାଏ । ମାତ୍ର ଯେବେ ଗୋଟିଏ ଉପାଦାନ ବଳବତ୍ତର ହୋଇ ସୀମାଲଙ୍ଘନପୂର୍ବକ ଅନ୍ୟ ବୃତ୍ତିମାନଙ୍କ ଉପରେ ଆଧିପତ୍ୟ ବିସ୍ତାର କରେ, ତେବେ ସେ ମନୁଷ୍ୟର ମନୁଷ୍ୟତ୍ୱ ଲୁପ୍ତ ହୋଇଯାଏ, ତେତେବେଳେ ହୁଏତ ସେ ଦେବତା, ନଚେତ୍ ରାକ୍ଷସରୂପେ ପରିଣତ ହୁଏ ।
ଅର୍ଥାତ୍ ମନୁଷ୍ୟର ମନ ସ୍ୱର୍ଗୀୟ ଓ ନାରକୀୟ ଦୁଇପ୍ରକାର ବୃତ୍ତିରେ ଗଠିତ । ସ୍ୱର୍ଗୀୟ ବୃତ୍ତି ମନୁଷ୍ୟକୁ ଦେବରୂପରେ ପରିଣତ କରେ ଓ ନାରକୀୟ ବୃତ୍ତି ରାକ୍ଷସ କରିପକାଏ । ଯଦି ତୁମ୍ଭେ ଶୁଣ, ଗୋଟିଏ ଲୋକ ଦୟାପରବଶ ହୋଇ ଅନ୍ୟର ଜୀବନ ରକ୍ଷା କରିବାକୁ ଯାଇ ଆପଣା ଜୀବନ ବିସର୍ଜନ କଲା, ସେତେବେଳେ କି ତାହାକୁ ଦେବତା କହିବ ନାହିଁ ? ଯେତେବେଳେ ଶୁଣ, ଜଣେ ଲୋକ କେତେ ଖଣ୍ଡ ସୁନା ଅଳଙ୍କାର ସକାଶେ ଗୋଟିଏ ଶିଶୁ ହତ୍ୟା କଲା–ମିଳାଇ ଦେଖ, ପୁରାଣବର୍ଣ୍ଣିତ ରାକ୍ଷସ ସହିତ ତାହାର ମେଳ ହେଉଛି କି ନା ? ମାତ୍ର ଏପରି ଦୃଷ୍ଟାନ୍ତ ବିରଳ ନ ଥିଲେ ମଧ୍ୟ ସଚରାଚର ଦେଖାଯାଏ ନାହିଁ । ମନୁଷ୍ୟ ଚିରକାଳ ମନୁଷ୍ୟ ଏବଂ ମନୁଷ୍ୟମନର ମୂଳ ଉପାଦାନ ସମାନ ଥିଲେ ମଧ୍ୟ ବାହ୍ୟ ପ୍ରକୃତି ଆସାମଞ୍ଜସ୍ୟମୟ-। କୋଟି କୋଟି ମନୁଷ୍ୟ ମଧ୍ୟରେ ଜଣକ ରୂପ ସହିତ ଅନ୍ୟ ଜଣକର ରୂପରେ ମିଳନ ନାହିଁ । ମାନସ ପ୍ରକୃତି ମଧ୍ୟ ସେହିପରି । କାହାରି କାହାରି କୌଣସି ଚିତ୍ତବୃତ୍ତି ବଳବତୀ, କାହାର ଦୁର୍ବଳତା, କାହାରି କାହାରି ଚିରନିଦ୍ରିତା ସମୟ ବିଶେଷରେ ଘଟଣାଚକ୍ର ପରିବର୍ତ୍ତରେ ନିଦ୍ରିତା ବୃତ୍ତି ସମସ୍ତ ଜାଗରିତ (୪) ହୋଇ ଉଠିବାର ଦେଖାଯାଏ । ମଦ୍ୟପ ଦୂରାଚର ଜଗାଇ ମାଧାଇ ପରମବୈଷ୍ଣବ ହେବେ, କିଏ ଜାଣିଥିଲା ? ଆଉ ଖ୍ରୀଷ୍ଟବିଦ୍ୱେଷୀ ଅତ୍ୟାଚାରୀ ପାଉଲ ଆଜି ପୂଜନୀୟ, ମହର୍ଷିପଦବାଚ୍ୟ । ଗାଧିନନ୍ଦନ ରାଜର୍ଷି ବିଶ୍ୱାମିତ୍ରଙ୍କର ସହସ୍ର ସହସ୍ର ଯୁଗବ୍ୟାପୀ ତପସ୍ୟା, ତତୋଽଧିକ ଜ୍ୱଳନ୍ତ ବ୍ରହ୍ମନିଷ୍ଠା ମେନକାର ନିମେଷମାତ୍ର ଅପାଙ୍ଗ (୨୫) ଦୃଷ୍ଟିରେ ଟଳିଗଲା । ବିଶେଷ ଅନୁଧ୍ୟାନ କରି ଦେଖ, ଏପରି ହଠାତ୍ ପରିବର୍ତ୍ତନର ମୂଳ କାରଣ, ଘଟଣା ଏବଂ ସଂସର୍ଗୀ ଭଗବାନ ଶଙ୍କରାଚାର୍ଯ୍ୟଙ୍କର ମହାବାକ୍ୟ, ସମସ୍ତଙ୍କର ସ୍ମରଣ ରଖିବାର ଉଚିତ–
‘‘କ୍ଷଣମିହ ସଜ୍ଜନସଂଗତିରେକା
ଭବତି ଭବାର୍ଣ୍ଣବତରେଣ ନୌକା ।’’
ସନାତନ ବ୍ରହ୍ମଧର୍ମର ଉପଦେଶ– ତୁମ୍ଭେ ପାପକୁ ଘୃଣା କର, ପାପୀକୁ ଘୃଣା କର ନାହିଁ-।
ଯେଉଁ ବୃତ୍ତିର ବଶମ୍ବଦ (୨୬) ହୋଇ ମନୁଷ୍ୟ ଅନୁତାପ କରେ, ମଙ୍ଗରାଜଙ୍କର ସେହି ବୃତ୍ତି ଆଜି ଉତ୍ତେଜିତ ହୋଇ ଉଠିନାହିଁ, ଏକଥା କିଏ କହିପାରେ ? ଆମ୍ଭେମାନେ ଅନ୍ତର୍ଯ୍ୟାମୀ ନୋହୁଁ, ମଙ୍ଗରାଜଙ୍କ ମନର ଭାବ କିପରି ଜାଣିବୁଁ ? ଜାଣିଲେ ମଧ୍ୟ ଦୁଃଖ ଏବଂ ଅନୁତାପ ଯୁଗାପତ୍ (୨୭) କିପରି ତାହାଙ୍କ ମନକୁ ବଶୀଭୂତ କରି କଣ୍ଠରୋଧ ଏବଂ ବାହ୍ୟଜ୍ଞାନଶୂନ୍ୟ କରିପକାଉଛି, ତାହା ବର୍ଣ୍ଣନା କରି ଆପଣଙ୍କୁ ବୁଝାଇ ଦେବାର ଶକ୍ତି ନାହିଁ । ଜଡ଼ା ଯେପରି କଥା କହି ନ ପାରି ହାତଗୋଡ଼ ହଲାଇ ଆପଣା ମନର ଭାବକୁ ପ୍ରକାଶ କରିବାକୁ ଚେଷ୍ଟା କରେ, ଆମ୍ଭେମାନେ ସେହିପରି ଏଣୁ ତେଣୁ ଗୁଡ଼ାଏ କହିପକାଇଲୁଁ ।
ହେ ପାଠକ ଅବଧାନ ! କ୍ଷମା କରନ୍ତୁ, ଏତିକି ହେଉ, ଦେବଦୁନ୍ଦୁଭି ଅହିଅ (୨୮) ନାଗରା ବାଜିଲାଣି । ଶୁଭକଉଡ଼ି ଗୋଟାଇ ନେଇ ମଙ୍ଗଳପେଡ଼ିରେ (୨୯) ରଖିବା ସକାଶେ ଗ୍ରାମର ସୁଲକ୍ଷଣୀ ଅହିଅ ସ୍ତ୍ରୀମାନେ ଦାଣ୍ଡକୁ ଚାହିଁ ବସିଛନ୍ତି, ଏତିକି ହେଉ ।
‘ହରି ହରି ବୋଲ ମନ’ ।
୧) ପୁଆ-ଛୋଟ ଚାରାଗଛ, ୨) ଖରକିବା—ଓଳେଇବା, ୩) ବଢ଼ନ୍ତି—ବିକାଶ, ୪) ତନଖି—ଅନୁସନ୍ଧାନ, ତତ୍ତ୍ୱାବଧାନ, ୫ । ଜୁଲମ—ଜବରଦସ୍ତି, ଅତ୍ୟାଚାର, ୬) ଚଳିହେବ-ରାଗିବା, ୭) ଲାଞ୍ଛିତ—ଅପମାନିତ, ୮) ଜଡ଼ସୁଦ—ଆଦୌ, ଜମାରୁ, ୯) ହାତପୈଠ—ହସ୍ତଗତ, ୧୦) ଥୋପ—ରଙ୍ଗ ସୂତାର ଫିତାର ଦୁଇପାଖରେ ଟସରର ରଙ୍ଗିନ ଫୁଲ ଲଗିଥିବା ପାଟଫୁଲି; ଏହାକୁ ଜୁଡ଼ାରେ ପିନ୍ଧନ୍ତି, ୧୧) ଚତୁର୍ବର୍ଗ—ଧର୍ମ, ଅର୍ଥ, କାମ, ମୋକ୍ଷ, ୧୨) ଉତ୍ତାଳ—ଉଚ୍ଚ ଉଚ୍ଚ ଶବ୍ଦ କରୁଥିବା, ୧୩) ନିମୀଳିତ—ବନ୍ଦ, ମୁଦି ହୋଇଥବା, ୧୪) ଆଠକଳସମାଡ଼ି—ଆଠଗୋଟି ପୂର୍ଣ୍ଣକୁମ୍ଭ ସ୍ଥାପିତ ହେଉଥିବା ବିବାହ ବେଦୀରେ ବସି, ୧୫) ଚିତାଗ୍ନି —ଶବଦାହ ଅଗ୍ନି, ୧୬) ଚର୍ମଶ୍ୱତୀ — ବୁନ୍ଦେଲଖଣ୍ଡ ରାଜ୍ୟରେ ପ୍ରବାହିତ ଚମ୍ବଲ ନଦୀ, ୧୭) ଅନ୍ତଃସ୍ରୋତା—ଯେଉଁ ଜଳପ୍ରବାହ ଭୂସ୍ତର ମଧ୍ୟଦେଇ ପ୍ରବାହର ଓ ଯାହା ବାହାରକୁ ଦେଖାଯାଏ ନାହିଁ । ୧୮) ପୂତସଲିଳା–ପବିତ୍ର ଜଳସମ୍ପନ୍ନା, ୧୯) ପାବନୀ—ପବିତ୍ରକାରିଣୀ, ୨୦) ମଦିରା—ମଦ୍ୟ, ୨୧) ତୁଷାନଳ – ଚଷୁର ନିଆଁ, ଏହା ଭିତରେ ଭିତରେ କୁହୁଳି ଜଳୁଥାଏ, ୨୨) ଦୁଷ୍କୃତି—କୁକର୍ମ; ୨୩) ଅଯତ୍ନ—ଯତ୍ନର ଅଭାବ, ଅବହେଳା, ୨୪) ଜାଗରିତ—ଜାଗ୍ରତ, ଚେଇଁଉଠିବା, ୨୫) ଅପାଙ୍ଗ—କଟାକ୍ଷ, ବକ୍ରଦୃଷ୍ଟିପାତ, ୨୬) ବଶମ୍ବଦ—ଅଧୀନ, ଆଜ୍ଞାବହ; ୨୭) ଯୁଗପତ୍—ଏକ ସମୟରେ; ୨୮) ଅହିଅ—ସଧବା ସ୍ତ୍ରୀ, ୨୯) ମଙ୍ଗଳପେଡ଼ି—ନାରୀମାନେ ସିନ୍ଦୂର, କଜଳପାତି ଓ ଆରସି ପ୍ରଭୃତି ରଖୁଥିବା ସିନ୍ଦୂରପେଡ଼ି ।
✽✽✽
ଊନବିଂଶ ପରିଚ୍ଛେଦ