ଛ’ମାଣ ଆଠଗୁଣ୍ଠ
ଫକୀରମୋହନ ସେନାପତି · ଭାଗ ୫ / ୧୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଗାଁ ହାଲଚାଲ
ତାଲୁକେ ଫତେପୁର ସରଷଣ୍ଡ ଗୋଟାଏ ଭାରି ବଡ଼ ତାଲୁକା । ସଦରଜମା ପାଞ୍ଚହଜାର ଦୁଇଶହ ଆଠ ଟଙ୍କା ଛ’ ଅଣା, ମଫସଲ ଅସୁଲ ଅଢ଼େଇ ପଟ । ଫାଉ ଫାଉରାତ (୧) ଛାଡ଼ିଦିଅ । ଏଥିରେ ପାଞ୍ଚଗୋଟି ମୌଜା–ମୌଜେ ରାମନଗର, ବାଲିଆ, ହାଣ୍ଡିଖାଇ, ସଉତୁଣିଆ ଓ ଗୋବିନ୍ଦପୁର । ଗୋବିନ୍ଦପୁର ସବୁଠାରୁ ବଡ଼ । ଊଣା ଅଧିକେ ପାଞ୍ଚଣା ଘର ବସ୍ତି, ସବୁ ଜାତିର ଲୋକ ଅଛନ୍ତି, ଗୋଟାଏ ଦୋକାନ ଅଛି । ସେ ଦୋକାନରେ ସବୁ ଜିନିଷ ମିଳେ–ଡାଲି, ଚାଉଳ, ଧୂଆଁପତ୍ର, ଲୁଣ, ତେଲ ଯାହା ଖୋଜ ପାଇବ । ଦୁଇ ଚାରି ପଇସାର ଘିଅ ଖୋଜିଲେ ମଧ୍ୟ ମିଳିପାରେ । ଦୋକାନୀର ତିନିପୁରୁଷରୁ ଦଶମୂଳ (୨) ସାଇତା ଅଛି । ଦୁଇ ତିନିକୋଶରୁ ବୈଦ୍ୟମାନଙ୍କର ଡାବ ଆସେ । ଗ୍ରାମଟି ଲମ୍ବାଲମ୍ବି, କିନ୍ତୁ ସିଧାସଳଖ ନୁହେଁ, ଆଠ ବାଙ୍କିଆ । ଅସୁରଦୀଘିର ଉତ୍ତର ଆଉ ପଶ୍ଚିମ ଆଡ଼ିର ଅଧେ ମାଡ଼ିବସିଛି । ମଝିରେ ଗୋହିରି, ଦୁଇ ସାହାଲା ଘର । ମଝି ଗୋହିରିଟା ଖୁବ୍ ଓସାରିଆ ହେଲେ ମଧ୍ୟ ଯିବାଆସିବା ବାଟ ଦଶ ବାର ହାତରୁ ବେଶି ନୁହେଁ । ବାଟ ଦୁଇପାଖ ସମସ୍ତଙ୍କ ଦୁଆର ଆଗରେ ଖତଗାଡ଼ । ଖଣ୍ଡେ ଖଣ୍ଡେ ଖାଲି ଜାଗା ଅଛି । ସକାଳେ ସେଠାରେ ଗାଈ ବଳଦ ବନ୍ଧା ହୁଅନ୍ତି । ସ୍ଥାନେ ସ୍ଥାନେ ଖଣ୍ଡେ ଖଣ୍ଡେ ଶଗଡ଼ ଥୁଆହୋଇଛି-। ଗୋହିରିରୁ ସମସ୍ତଙ୍କ ଦୁଆରକୁ ଯିବା ପାଇଁ ଅଲଗା ଅଲଗା ବାଟ ଅଛି । ଗ୍ରାମଟି ତିନି ଭାଗରେ ବିଭକ୍ତ–ସାଆନ୍ତ ସାଇ, ତନ୍ତୀ ସାଇ, ବ୍ରାହ୍ମଣ ସାଇ ।
ସାଆନ୍ତ ସାଇରେ ଖୋଦ୍ ରାମଚନ୍ଦ୍ର ମଙ୍ଗରାଜଙ୍କ ଘର—ଏଥିପାଇଁ ଖୁବ୍ ଡାକ । ରାତି ଛ’ ଘଡ଼ି ପର୍ଯ୍ୟନ୍ତ କଚେରୀ ଜାରୀ । ଦୋକାନଟା ମଧ୍ୟ ଏଇ ସାଇରେ । ରାତି ପ୍ରହରକ ସରିକି ଆଉ ସବୁ ସାଇ ତୁନିତାନି । ବ୍ରାହ୍ମଣ ସାଇର ପ୍ରକୃତ ନାମ ଶାସନ । ଶାସନ ଭାଗ ପଞ୍ଚାଶ ଗୋଟା । ପୁଅଭାୟା ବାସ୍ତରୀ ଘର । ଶାସନ ଗୋହିରି ଦୁଇ ପାଖରେ ଦେଢ଼ଶ ଅନ୍ଦାଜ ନଡ଼ିଆ ଗଛ । ମୁଣ୍ଡରେ ବଡ଼ ପିଣ୍ଡି ବନ୍ଧାଅଛି, ସେଠାରେ ବଳଦେବ ପୂଜା ହୁଅନ୍ତି । ପିଣ୍ଡିଠାରୁ ଦଶପନ୍ଦର ହାତ ଛାଡ଼ି କେତେଗୁଡ଼ିଏ ଗଜା ଭଳିଆ ନଡ଼ିଆ ଗଛ, ମୂଳ ସଫାସୁତୁରା । ସେଇଟା ଗୋସାଇଁମାନଙ୍କ ବୈଠକ ଜାଗା । ନାସ ଶୁଙ୍ଗା, ଭାଙ୍ଗ ଘୋଟା, ଯଜମାନ ଘରକଥା, ଅରଜନ କଥା ଇତ୍ୟାଦି ଇତ୍ୟାଦି କଥାମାନ ସେହିଠାରେ ସମାଧାନ ହୁଏ । ଦିନେ ଦିନେ ସେଠାରେ ବଡ଼ ଗୋଳମାଳ ହୁଏ । ସେଦିନ ଯଜମାନ ଘରୁ ମିଳିଥିବା ଶ୍ରାଦ୍ଧ ଚାଉଳ ବା ସଭ୍ୟମାନ୍ୟ ଦକ୍ଷିଣା ବାଣ୍ଟ ହେଉଥିବାର ସହଜରେ ଜଣାପଡ଼ିଯାଏ-। ସେ କଳି ଶୁଣି ଲୋକମାନେ କହନ୍ତି, ‘‘ବ୍ରାହ୍ମଣଗୁଡ଼ାକ ଚାଉଳମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି ।’’ ମାତ୍ର ଲୋକମାନଙ୍କର ଏପରି କଥାଟା ଆମ୍ଭମାନଙ୍କୁ କିଛି ସୁଖ ଲାଗେ ନାହିଁ । ତାହାର କାରଣ, ଏମାନେ ନିପଟ ମୂର୍ଖ, ଗତରକୁଢ଼ି, ବ୍ରାହ୍ମଣ କର୍ମହୀନ ହେଲେ ମଧ୍ୟ ଛତିଶ ବର୍ଣ୍ଣର ରଜା ତ ! ଏମାନଙ୍କୁ କୁକୁର ସଙ୍ଗେ ତୁଳିବା କେତେବେଳେ ହେଲେ ଉଚିତ ନୁହେଁ । ଉପମାଟା ମଧ୍ୟ ଭଲ ହେଲା ନାହିଁ । କାରଣ ପ୍ରେତ ଉଦ୍ଦେଶ୍ୟରେ ଉତ୍ସୃଷ୍ଟ ଓଦା ଚାଉଳ ସକାଶେ ବ୍ରାହ୍ମଣମାନଙ୍କର କଳି; ଆଉ କୁକୁରଙ୍କ କଳି ଅଇଁଠାଭାତ ସକାଶେ । ଦେଖନ୍ତୁ, ପ୍ରେତ-ଉଚ୍ଛିଷ୍ଟ ଆଉ ମନୁଷ୍ୟଙ୍କ ଉଚ୍ଛିଷ୍ଟ ଓଦା ଚାଉଳ ଆଉ ସିଝା ଚାଉଳ କଥାଟା କେତେ ଛାଡ଼ିଲା ! ଆଉ କୁକୁରମାନେ କାମୁଡ଼ାକାମୁଡ଼ି ଲାଗନ୍ତି । ବ୍ରାହ୍ମଣମାନେ ବାଡ଼ିଆବାଡ଼େଇ ହୁଅନ୍ତି ସିନା, ଗୋଟାଏ ବ୍ରାହ୍ମଣ ଆଉ ଗୋଟାକୁ କାମୁଡ଼ିବାର ବା ରାମ୍ପୁଡ଼ିବାର ତ ଦେଖାନାହିଁ । ଆକାଶରେ ଶାଗୁଣା ଉଡ଼ିଲେ କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରବେଳେ ଗୋସେଇଁମାନେ ଚିତାପଇତା ହୋଇ ପଲ ପଲ ବାହାରିଲେ କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି ।
ପାଣିଗ୍ରାହୀ ଭାଗ ବାଟିକ ମିଶି ଶାସନ ଭାଗ ଜମି ପାଞ୍ଚଶ ମାଣ । ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରି ଜମି ଭୋଗ ଦାଖଲ କରିବା ନିମନ୍ତେ ମରହଟ୍ଟା ସୁବାଦାର ତମ୍ବାପାତିଆ ସନନ୍ଦ ଦେଇଅଛନ୍ତି । ତ୍ରିକାଳ ବୋଇଲେ–ଭୂତ, ଭବିଷ୍ୟତ, ବର୍ତ୍ତମାନ । ଭୂତ କଥା ଭୂତଙ୍କୁ ଜଣା, ଭବିଷ୍ୟତ କଥା କୌଣସି ମନୁଷ୍ୟ ଜାଣନ୍ତି ନାହିଁ–ବର୍ତ୍ତମାନ କଥା ଆମ୍ଭେମାନେ ଜାଣୁ । ଗୋରୁଗାଈ ଖୋଜିଆଣି ବାନ୍ଧିବା, ଗୁହାଳରେ ଧୂଆଁ ଦେବା, ହଳିଆକୁ ପଖାଳପାଣି ଦେବାରେ ସନ୍ଧ୍ୟାବେଳଟା ଗଡ଼ିଯାଏ–ଭୂମିଦାତାଙ୍କୁ ଆର୍ଶୀବାଦ କରିବେ କେତେବେଳେ ? କଥା ପଡ଼ିବାରୁ ଦିନେ ଭୋବନି ବାହିନୀପତି କହି ବସିଲେ, ‘‘ଆମ୍ଭର ଭୂମି କାହିଁ ଯେ, ସନ୍ଧ୍ୟାରେ ଆଶୀର୍ବାଦ କରିବୁଁ ?’’ କଥାଟା ମଧ୍ୟ ନିହାତି ମିଛ ନୁହେଁ । ଶାସନ ଭାଗ ପାଞ୍ଚଶ ମାଣ ମଧ୍ୟରୁ ଦଶ ବର୍ଷ ଭିତରେ ଚାରିଶ ମାଣ ବିକାଭଙ୍ଗା ସରିଲାଣି । ବାକି ଯେ କେତେ ମାଣ–ମଙ୍ଗରାଜେ ସମ୍ଭାଳିଛନ୍ତି ବୋଲି ଅଛି । ‘‘ଗୋ ବ୍ରାହ୍ମଣ ହିତାୟାଚ’’—ମଙ୍ଗରାଜଙ୍କର ଭାରି ଯତ୍ନ । ବୁଲା-ଗୋରୁଗୁଡ଼ିକ ମଙ୍ଗରାଜେ ସାବଧାନ କରି ଆପଣା ଗୋଠରେ ରଖନ୍ତି । କେହି ପ୍ରାଣ ଏପରି ନା-ଉଆରସୀ (୩) ଗୋରୁ ଆଣି ବକ୍ସିସ୍ ସ୍ୱରୂପ କିଛି କିଛି ନେବାର ସଚରାଚର ଦେଖାଯାଏ । ବଳଦ ଛାଡ଼ି କେବଳ ଗାଈସଂଖ୍ୟା ତିନିଶହରୁ ଟପିଗଲାଣି । ଗୋମାତା ବାର ଜାଗାରେ ବୁଲି କଷ୍ଟ ପାଇବେ, ସେଥିସକାଶେ ସମ୍ଭାଳିଛନ୍ତି, ନିହାତି ବଳିପଡ଼ିଲେ ବର୍ଷକୁ ବର୍ଷ ପଠାଣ ଗୋଆଲାଙ୍କୁ ଅଧାଅଧି ଦେବାକୁ ପଡ଼େ । ସେପରି ବ୍ରାହ୍ମଣମାନଙ୍କ ଜମିଗୁଡ଼ିକ କିଣି ନେଇଛନ୍ତି, ସମ୍ଭାଳି ରଖିଛନ୍ତି । ଗୋସାଇଁମାନେ ଜମି ନ ବିକି କ’ଣ କରିବେ ? ଏକ ବ୍ରାହ୍ମଣିଆ ଚାଷ, ତାହା ବାଦ୍ ଚୋରଗୁଡ଼ାକ ବାଛି ବାଛି ବ୍ରାହ୍ମଣ ଜମିର ଧାନ ଚୋରି କଲେ । ମଙ୍ଗରାଜଙ୍କୁ କିଛି ଜମି ବିକିଦେଲେ ଚୋରମାନେ ଡରରେ ପାଖ ପଶିପାରନ୍ତି ନାହିଁ-। ଆଉ ମଙ୍ଗରାଜେ ପାଞ୍ଚ ପାଞ୍ଚ ଟଙ୍କାରେ ପାଞ୍ଚମାଣ ଜମି କିଣିଲେ ବୋଲି କେହି କେହି କହନ୍ତି । ଏକଥାଟା ସେମାନଙ୍କର ବୁଝିବା ଭୁଲ । ଆଚ୍ଛା, ତୁମ୍ଭେ ଭରଣେ ବୁଣିଲେ ପାଞ୍ଚଭରଣ କାଟ ତ-? ମଙ୍ଗରାଜଙ୍କ ଟଙ୍କାଟା କି ବାଞ୍ଝ ? ସେଥିରେ କ’ଣ କଳନ୍ତର (୪) ନାହିଁ ?
ଶାସନ ମଝିରେ ଶିବୁ ପଣ୍ଡିତଙ୍କ ଘର । ଏହାଙ୍କ ଜେଜେ (୫) ବିକି ଖାଡ଼ଙ୍ଗା ପୂରା ସାତପାଦ ବ୍ୟାକରଣ ମୁହେଁ ମୁହେଁ କହିଯାଉଥିବାର ପଣ୍ଡିତଙ୍କଠାରୁ ଶୁଣାଯାଏ । ନୈଷଧାନ୍ତ ପାଠ ତାହାଙ୍କଠାରେ ଅଟକୁ ନ ଥିଲା । ପଣ୍ଡିତଙ୍କ ନାନା ବ୍ୟାକରଣ ଶବ୍ଦ ଓ ସନ୍ଧିଗୁଡ଼ାକ କୋଇଲି ଗୀତ ପରି ହାଙ୍କି ଯାଉଥିଲେ । ସେମାନଙ୍କ ପୋଥିସବୁ ଖଟୁଲିରେ (୬) ସାଇତା ଅଛି । ପଣ୍ଡିତେ ପ୍ରତିଦିନ ପୂଜା କରନ୍ତି । ଆପେ ପଣ୍ଡିତ ମଧ୍ୟ ଜଣେ ଟାଣ ପଣ୍ଡିତ । ପୋଥିରୁ ଡୋରି ନ ଫିଟାଇ ପାଞ୍ଚବର୍ଗ ଅଭିଧାନ (୭) କହିଯାଇପାରନ୍ତି । ପଣ୍ଡିତଙ୍କ ସାଆନ୍ତ ବାପାଙ୍କର ମଉଳାପୁଅ ଭାଇଙ୍କର ଭିଣୋଇର ମାଉସୀପୁଅ ଭାଇ ନବଦ୍ୱୀପ ଯାଇ ନ୍ୟାୟଶାସ୍ତ୍ର ପଢ଼ି ଆସିଥିଲେ । ସାରକଥା—ଖାଡ଼ଙ୍ଗା ବଂଶ ସକାଶେ ଶାସନର ବିଦ୍ୟା କେତେବେଳେ ଛାଡ଼ ନାହିଁ । ଏହାଙ୍କ ଦାଣ୍ଡପିଣ୍ଡାରେ ଚୌପାଢ଼ୀ । ଶାସନ ପିଲାମାନେ ଦୁଇଓଳି ପଢ଼ନ୍ତି । ଏକଚାଳିଶ କର୍ମକର୍ମାଙ୍ଗ ଷୋଳପଣ ଏହିଠାରେ ପଢ଼ାହୁଏ । କେହି କେହି ପିଲା ବର୍ଗେ ଦୁଇବର୍ଗ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ଲାଭ କରନ୍ତି ।
ପଶ୍ଚିମ ସାହାଲା ତନ୍ତୀସାହିରେ ତନ୍ତୀ ଦେଢ଼ଶ ଘର । ଏହି ସାହିର ଗୋହିରଟା ସଫାସୁତୁରା, ଖତଗାଡ଼, ଗୋବରଗଦା କିଛି ନାହିଁ । ଆପଣ ମନେକଲେଣି, ଏଠାରେ ପାଞ୍ଚ ଆଇନ୍ ଜାରୀ ଅଛି । ମିଉନିସ୍ପାଲିଟିର ଶଗଡ଼ ଆସି ଅଳିଆ ସବୁ ଉଠାଇ ନେଇଯାଏ । ଆପଣଙ୍କୁ ସାବଧାନ କରିଦେଉଛୁ, ଆମ୍ଭମାନଙ୍କଠାରୁ ନ ଶୁଣି କୌଣସି କଥା ସିଦ୍ଧାନ୍ତ କରି ପକାଇବେ ନାହିଁ-। ଅନେକ ଅନୁସନ୍ଧାନ, ଅନେକ ପ୍ରମାଣ ସଂଗ୍ରହ କରି ଆମ୍ଭମାନଙ୍କୁ ଲେଖିବାକୁ ହୁଏ । ଆପଣଙ୍କର ଏପରି ଭ୍ରମ ଅପନୋଦନ ନିମନ୍ତେ ଆମ୍ଭମାନଙ୍କର ଏତେ ପରିଶ୍ରମ, ନୋହିଲେ ପ୍ରୟୋଜନ କ’ଣ ? ପୁଣି ଏଣୁତେଣୁ ଗୁଡ଼ାଏ ଲେଖିପକାଇବା ଆମ୍ଭମାନଙ୍କ ଅଭ୍ୟାସର ବିପରୀତ । ଅକାଟ୍ୟ ପ୍ରମାଣ ନ ପାଇଲେ କିମ୍ବା ଯାହା ନ୍ୟାୟଶାସ୍ତ୍ରସଙ୍ଗତ ନୁହେଁ, ଏମନ୍ତ କଥାଗୁଡ଼ାକ ଆମ୍ଭେମାନେ ଶୁଣୁନାହୁଁ । ଯାହା ଲେଖିବୁ, ସେ କଥାଗୁଡ଼ାକ ନ୍ୟାୟଶାସ୍ତ୍ର ଅନୁସାରେ ପ୍ରମାଣ କରାଇଦେବୁଁ; ଆପଣଙ୍କର ପାଟି ଫିଟାଇବାର ବାଟ ନ ଥିବ । ଦେଖନ୍ତୁ ପ୍ରମାଣ ପ୍ରୟୋଗ ନିମନ୍ତେ ନ୍ୟାୟଶାସ୍ତ୍ର କହନ୍ତି, ‘‘ପର୍ବତୋ ବହ୍ନିମାନ ଧୂମାତ୍’’ ଅର୍ଥାତ୍ ପର୍ବତରୁ ଧୂଆଁ ବାହାରୁଛି କିମ୍ପା ? ନା–ଭିତରେ ନିଆଁ ଅଛି । ମହାନଦୀର ପାଣି ବଢ଼ି ଆସୁଅଛି ଦେଖିଲେ ଜାଣିବ, ଉପରେ ଭାରି ବର୍ଷା ହୋଇଗଲାଣି । କାର୍ଯ୍ୟ-କାରଣର ଗୋଟାଏ ଏମନ୍ତ ନିତ୍ୟ ସମ୍ବନ୍ଧ ଅଛି । ‘‘ନ କାର୍ଯ୍ୟମ୍ କାରଣଂ ବିନା’’—କାରଣ ନ ଥିଲେ କାର୍ଯ୍ୟ ହୁଏ ନାହିଁ । ଏଠାରେ ନଦୀବୃଦ୍ଧିର କାରଣ ହେଲା ବୃଷ୍ଟି । ସେହିପରି ଆମ୍ଭେମାନେ ଅକାଟ୍ୟ ଯୁକ୍ତି ଦେଖାଇ ପ୍ରମାଣ କରାଇ ଦେଇପାରୁ—ଗୋବର ସହିତ ଗୋରୁର ନିତ୍ୟ ସମ୍ବନ୍ଧ ଅଛି । କାରଣର ଅଭାବ ହେଲେ କାର୍ଯ୍ୟର ଅଭାବ ହେବ, ଏ କଥା ଆପଣ ଅବଶ୍ୟ ସ୍ୱୀକାର କରିବେ । ସୁତରାଂ ତନ୍ତୀସାହିର ଗୋବରଗଦାର ଅଭାବର କାରଣ ଗୋରୁର ଅଭାବ; ଅର୍ଥାତ୍ ତନ୍ତୀସାହିରେ ଗୋରୁ ନାହିଁ , ସୁତରାଂ ଗୋବର ନାହିଁ । ଆପଣମାନଙ୍କ ମନରେ ଆଉ ଗୋଟାଏ ଭାରି ଖଟକା ଲାଗିପାରେ । ଗୋରୁଗୁଡ଼ାକ ବାଘ ଭାଲୁ ନୁହନ୍ତି ଯେ ବଣରେ ରହିବେ–ଏମାନେ ଗ୍ରାମ୍ୟପଶୁ, ଗ୍ରାମରେ ରହିବା ଏମାନଙ୍କର ସ୍ୱଭାବ । ଯେଉଁଠାରେ ପାଣି, ସେହିଠାରେ ମାଛ; ସେହିପରି ଗ୍ରାମରେ ଗ୍ରାମ୍ୟପଶୁ, ଏଟା ଧରାବନ୍ଧା କଥା । ତନ୍ତୀସାହି ଗୋଟାଏ ଗ୍ରାମ–ତେବେ ଗ୍ରାମ୍ୟ-ପଶୁ ନାହାନ୍ତି କି ସକାଶେ ? ଆମ୍ଭେମାନେ ପରମେଶ୍ୱରଙ୍କ ସୃଷ୍ଟି-କୌଶଳରେ ଅନେକ ବ୍ୟଭିଚାର ଦେଖିବାକୁ ପାଉଁ–ହୁଏତ ତାହାଙ୍କର କାର୍ଯ୍ୟରେ ଗଫଲତି, ନ ହୁଏ ଢିଲା । ଦେଖନ୍ତୁ, ପଶୁ କହ, ପକ୍ଷୀ କହ, କୀଟ ବୋଲ, ପତଙ୍ଗ ବୋଲ, ସବୁ ଜାତିରେ ଅଣ୍ଡିରା ମାଈ ଅଛନ୍ତି । ସେଥିମଧ୍ୟରେ ତ ଗୋଟାଏ ଗୋଟାଏ ହିଞ୍ଜଳ (୮) ଦେଖାଯାଏ । ସେହିପରି ତନ୍ତୀସାହି ଗ୍ରାମ ହେଲେ ମଧ୍ୟ ଏଥିରେ ଗ୍ରାମ୍ୟ-ପଶୁ ନାହିଁ । ପଶୁ ସମ୍ବନ୍ଧରେ ଏଟା ହିଞ୍ଜଳ, ଅର୍ଥାତ୍ ଏଠାରେ ବନ୍ୟପଶୁ ବାଘ, ଭାଲୁ କିମ୍ବା ଗ୍ରାମ୍ୟ-ପଶୁ ଗାଈଗୋରୁ କେହି ନାହାନ୍ତି । ତାହାର ମଧ୍ୟ କାରଣ ଥାଇପାରେ । କାରଣ ବିନା କାର୍ଯ୍ୟ ନାହିଁ, ଏହା ନ୍ୟାୟଶାସ୍ତ୍ରର ସୂତ୍ର ଅଟେ । ବ୍ୟାକରଣ ରଚକମାନେ ସୂତ୍ର ଠିକ୍ କରି ନ ପାରିଲେ ନିପାତନସିଦ୍ଧ (୯) ବୋଲି ଗୋଟିଏ କଥା କହି କାର୍ଯ୍ୟ ସାରିଦିଅନ୍ତି । ମାତ୍ର ଏହା ଏକପ୍ରକାର ଠକପଣିଆ । ତାହା ଆମ୍ଭମାନଙ୍କ ହାତରେ ହେବ ନାହିଁ । ସେକଥା ଥାଉ । ତନ୍ତୀସାହିରେ ଗୋରୁ କ୍ୟାଁ ନାହିଁ, ତାହାର କାରଣ ବୁଝନ୍ତୁ । ବାଇବେଲରେ ଲେଖାଅଛି ‘ଜଣେ ସେବକ ଦୁଇଜଣ ସାଆନ୍ତର ସେବା କରିପାରେ ନାହିଁ ।’ ସଚରାଚର ଦେଖାଯାଏ, ଶାସ୍ତ୍ରକାରମାନେ ଠିକେ ଠିକେ ଦୁଇକଥା କହି କାର୍ଯ୍ୟ ସାରି ବସନ୍ତି । ଟୀକାକାର ନ ଥିଲେ ମୂଳଗ୍ରନ୍ଥ ବୁଝିବା ନିତାନ୍ତ କଠିନ । ମଲ୍ଲୀନାଥ, ମଥୁରାନାଥ, ଶ୍ରୀଧର ବାଖ୍ୟା କରିଦେଇ ନ ଥିଲେ ରଘୁବଂଶ, ନ୍ୟାୟ, ଭାଗବତ ପରି ଗ୍ରନ୍ଥମାନ ଆଜିଯାଏ ଡୋରି ଭିଡ଼ାହୋଇ ପଡ଼ିଥାନ୍ତା ସେହିପରି ଆମ୍ଭେମାନେ ବାଇବେଲ ବ୍ୟାଖ୍ୟା କରିଦେଲେ ବୁଝିବା ସହଜ ନୁହେଁ । ଆପଣ ନ ହୁଏ ଟାଣିଟୁଣି ଏକପ୍ରକାର ପାଠ ଲଗାଇଯିବେ; ମାତ୍ର ସମସ୍ତଙ୍କ ହାତରେ ତ ସବୁ କଥା ହୁଏ ନାହିଁ । ବାଇବେଲ ସୂତ୍ରର ଅର୍ଥ ଏହି କି, ଜଣେ ମନୁଷ୍ୟ ଏକ ସମୟରେ ଦୁଇ କାର୍ଯ୍ୟ କରିପାରେ ନାହିଁ; ଅର୍ଥାତ୍ ଲୁଗାବୁଣାରେ ତନ୍ତୀମାନଙ୍କର ଦିନ ଯାଏ, ଚାଷ କରିବାକୁ ବେଳ କାହିଁ ? ଚାଷ ଯଦି ନ କଲେ ବଳଦ ରଖିବାର ଦରକାର କ’ଣ ? ବଳଦ ନ ଥିଲେ ଗୋବର କାହୁଁ ଆସିବ ? ଗୋବର ଅଭାବରୁ ଖତଗଦା ନ ଥିବାରୁ ଦାଣ୍ଡ ସଫା ।
ଆଜିକାଲି ଊଣେଇଶ ଶହ ସମ୍ବତ୍ସଭେ ବିଜ୍ଞାନଶାସ୍ତ୍ରର ଖୁବ୍ ମର୍ଯ୍ୟାଦା, କାରଣ ଏହି ଶାସ୍ତ୍ର ସବୁ ଉନ୍ନତିର ମୂଳ ଅଟେ । ଦେଖନ୍ତୁ, ଇଂରେଜମାନେ କେଡ଼େ ଗୋରା ଆଉ ଓଡ଼ିଆମାନଙ୍କ ଦେହ କାଳିଆ । ସେଥିର କାରଣ, ସେମାନେ ବିଜ୍ଞାନ ଶାସ୍ତ୍ର ପଢ଼ିଅଛନ୍ତି, ଓଡ଼ିଆ ମୋତେ ଜାଣନ୍ତି ନାହିଁ-। ଆମ୍ଭେମାନେ ହାଲ ବିଜ୍ଞାନର ଚର୍ଚ୍ଚା ଆରମ୍ଭ କରିଅଛୁଁ । ବର୍ତ୍ତମାନ ପ୍ରସଙ୍ଗଟା ଆମ୍ଭେମାନେ ସେହି ଶାସ୍ତ୍ର ଅନୁସାରେ ପ୍ରମାଣ କରିଦେଇପାରୁଁ । ଆପଶ ପାଠରେ ମନ ଦେଉନ୍ତୁ, ବିଜ୍ଞାନଶାସ୍ତ୍ର ଯେ କେଡ଼େ ଠିକ୍ ତାହା ବୁଝିପାରିବେ । ଉକ୍ତ ଶାସ୍ତ୍ରର ସୂତ୍ର ଏକ–ଏକ ସ୍ଥାନରେ ଦୁଇଗୋଟି ବସ୍ତୁ ରହି ନ ପାରେ । ଆପଣଙ୍କ ଦୁଧପିଆ ଗିନାରେ ପାଣି ରହେ ତ ? ଏ କଥା ବୋଲିବେ, ସେଥିପାଇଁ ଉକ୍ତ ସୂତ୍ର ବ୍ୟାଖ୍ୟା ଆବଶ୍ୟକ, ଅର୍ଥାତ୍ ଗୋଟିଏ ସ୍ଥାନରେ ଏକ ସମୟରେ ଦୁଇଗୋଟି ପଦାର୍ଥ ରହି ନ ପାରେ । ଗିନାରେ ଦୁଧ ପୂର୍ଣ୍ଣ ଥିଲେ ଆଉ ପାଣି ରହିପାରିବ ନାହିଁ । ଲୁଗାବୁଣା ସକାଶେ ବାହାର ଭିତର ଦୁଇ-ଜାଗା ଦରକାର । ଘର ଭିତରେ ଲୁଗା ବୁଣାଯାଏ, ଲୁଣ୍ଡି (୧୦) କାଟିବା, ତାଗୀ (୧୧) କରିବା ଇତ୍ୟାଦି କର୍ମ ବାହାରେ ହୁଏ । ସୁତରାଂ ତାସଣ (୧୨) ଜାଗାରେ ଗୋବରଗଦା ରହିବା ନିତାନ୍ତ ଅସମ୍ଭବ । ଆଉ ସ୍ତ୍ରୀ ପୁରୁଷ ମିଳିତ ନ ହେଲେ ଲୁଗା ପ୍ରସ୍ତୁତ ହୋଇପାରେ ନାହିଁ । ସୂତାରେ ତୋରାଣି ଦେବା, ନଟେଇ ବା ଚରଖିରେ ଚଢ଼ାଇବା, ନଳି (୧୩) ବଳିବା ଏସବୁ ତନ୍ତିଆଣୀମାନଙ୍କର କାର୍ଯ୍ୟ । ଗାଈ ବଳଦ ଦାଣ୍ଡରୁ ଖୋଜିଆଣି ବାନ୍ଧିବାକୁ ସେମାନଙ୍କର ବେଳ କାହିଁ—ଇତ୍ୟାଦି ଆହୁରି ମଧ୍ୟ କାରଣ ଅଛି, ମାତ୍ର କଥା ବଢ଼େଇ ଲେଖିବା ଆମ୍ଭମାନଙ୍କ ଦେହରେ ଚଳେନାହିଁ, ସେଥିପାଇଁ ଠିକେ ଠିକେ ସବୁକଥା ଲେଖିପକାଉଁ ।
୧) ଫାଉ ଫଉରାତ—ଉପରିଲାଭ, ୨) ଦଶମୂଳ—ଜ୍ୱର, କାଶ ଓ ଶ୍ୱାସ ରୋଗରେ ବ୍ୟବହୃତ ଦଶଗୋଟି ଗଛର ମୂଳ, ୩) ନା-ଉଆରସୀ—ଯେଉଁ ସମ୍ପତ୍ତିର କେହି ଦାବିଦାର ନାହିଁ, ୪) କଳନ୍ତର—ସୁଧ, ୫) ଜେଜେ—ପିତାମହ, ୬) ଖଟୁଲି—ଶାଳଗ୍ରାମ ଓ ଭାଗବତ ଗ୍ରନ୍ଥ ଆଦି ରଖିବାର କ୍ଷୁଦ୍ର କାଷ୍ଠାସନ, ୭) ପାଞ୍ଚବର୍ଗ ଅଭିଧାନ—ଅମରକୋଷ ଅଭିଧାନର ପଞ୍ଚବର୍ଗ, ୮) ହିଞ୍ଜଳ—ନପୁଂସକ, ୯) ନିପାତନସିଦ୍ଧ–ବ୍ୟାକରଣର ସାଧାରଣ ନିୟମଦ୍ୱାରା ଯାହା ନିଷ୍ପନ୍ନ ହୁଏ ନାହଁ, ୧୦) ଲୁଣ୍ଡି –ତନ୍ତୀର ମଣ୍ଡଦିଆ ସୂତା ୧୧) ତାଗୀ—ଡୋରି, ସରୁ ସୂତା, ୧୨) ତାସଣ—ଲୁଗା ବୁଣିବା ପୂର୍ବରୁ ଟାଣି—ସୂତାକୁ ମଣ୍ଡଦେଇ ମାଜିବା, ୧୩) ନଳି—ଯେଉଁ କାଠିରେ ତନ୍ତୀମାନେ ସୂତା ଗୁଡ଼ାଇ ରଖନ୍ତି ।
✽✽✽
ଦଶମ ପରିଚ୍ଛେଦ
ଭଗିଆ ଆଉ ସାରିଆ
ତନ୍ତୀସାହି ମୁଣ୍ଡରେ ଭାଗବତ ଘର ଆଉ ଦଧିବାମନ ମନ୍ଦିର । ତନ୍ତୀମାନଙ୍କ ଜାତିଆଣ ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଜାତିଆଣ ଟଙ୍କା କ’ଣ ଜାଣନ୍ତି ? ଅବଶ୍ୟ ଏ କଥାଟା ଆପଣଙ୍କୁ ବୁଝାଇଦେବା ଦରକାର ନାହିଁ, ମାତ୍ର ଆଉ ନବ୍ୟ ବାବୁମାନଙ୍କୁ ବୁଝାଇଦେବା ଦରକାର । କାରଣ ସେମାନେ ବିଦ୍ୱାନ୍, ବଡ଼ ବଡ଼ କଥା ପଢ଼ିଅଛନ୍ତି, ବଡ଼ ବଡ଼ କଥା ଜାଣନ୍ତି । ଆପଣା ଜେଜେବାପାର ବାପା ନାମ ପଚାର, ଅଣ୍ଡାଳି ହେବେ, କିନ୍ତୁ ଇଂଲଣ୍ଡର ତୃତୀୟ ଚାର୍ଲସ୍ର ପଞ୍ଚଦଶ ପୁରୁଷଙ୍କ ନାମ ସେମାନଙ୍କର କଣ୍ଠସ୍ଥ । ଇଂରେଜ ସମାଜ ବା ଫରାସୀ-ସମାଜର କଥାଗୁଡ଼ାକ ପଢ଼ିଲେ ଲୋକେ ବିଦ୍ୱାନ୍ କହିବେ । ଆପଣାର ବା ପ୍ରତିବାସୀ ଜାତି ଓ ସମାଜର କଥା ଜାଣିବାର ଦରକାର କ’ଣ ? ଯାଉ, ସେଥିରେ କ’ଣ ଅଛି ? ବାବୁମାନେ ଏକଥା ଶୁଣିଲେ ଖପା ହୋଇଯିବେ, ଆମ୍ଭମାନଙ୍କର କହିବା ଦରକାର କ’ଣ ?
ଜାତିଆଣ ଟଙ୍କାର ଅର୍ଥ ଏହି ଯେ, ଜାତି ମଧ୍ୟରେ କେହି ଭଲ ମନ୍ଦ କଲେ ପଞ୍ଚମାନେ ତାହାକୁ ଜରିମାନା କରନ୍ତି କିମ୍ବା କେହି ଗରିବ ଜାତିଭାଇ ଦେଇ ନ ପାରିଲେ ପଞ୍ଚଗୋସେଇଁ ମାନ୍ୟ ନେଇ ତାହାକୁ ଉଠାଇ ନିଅନ୍ତି । ଟଙ୍କା ପରମାଣିକ (୧) ଜିମାରେ ଥାଏ । ସେହି ଟଙ୍କାରେ ମନ୍ଦିରଟି ତୟାର ହୋଇଅଛି । ଏହି ନିୟମ ସବୁ ହାଟୁଆ ଜାତିରେ ଚଳେ । ଆହା ! ଏହି ସୁନ୍ଦର ପ୍ରଥାଟି ଦିନକୁଦିନ ଲୋପ ପାଉଅଛି । ଆଜିକାଲି ଅଦାଲତ ଦୁଆର ମେଲା, ଲୋକମାନେ ଜ୍ଞାନୀ ଅର୍ଥାତ୍ ସଭ୍ୟ ହେଲେଣି, ପାଞ୍ଚଶାସନ କିଏ ମାନୁଛି ? ଇଂରେଜୀ ଆଇନ୍ କହେ, ‘ଦେଖ ବାବା ସାବଧାନ ! ତୁମ୍ଭେ ଯେବେ କିଛି ଅପରାଧ କର ଆଉ ସେଥିରେ ଯଦି ଆଇନସଙ୍ଗତ ପ୍ରମାଣ ପାଉଁ, ଦଣ୍ଡ ଦେବୁ ।’
ଚଲାକ୍ ଲୋକ କହିଲା, ‘ଆଜ୍ଞା ଆପଣ ଯେମନ୍ତ ପ୍ରମାଣ ନ ପାଇବେ, ସେଥିର ଫିକର (୨) ମୋତେ ଜଣା ।’ ଆଉ ଓକିଲ ତାହା ପିଠି ଥାପୁଡ଼ାଇ କହିଲେ, ‘କୁଛ୍ ପରବା ନେହିଁ, ଟଙ୍କା ଆଣ, ମୁଁ କଳାକୁ ଧଳା, ଧଳାକୁ କଳା କରିଦେବି ।’ ଏଥିରେ ଏହି ଫଳ ହେଉଅଛି ଯେ, ଅନେକ ଚଲାକ୍ ଓ ଧନବାନ୍ ଲୋକ ଶତ ଅପରାଧ କରି ମଧ୍ୟ ଦେହ ଝାଡ଼ି ଚାଲିଯାଉଅଛନ୍ତି, ନିରୀହ ନିର୍ଦ୍ଧନ ଲୋକଙ୍କୁ ହରବରରେ ପଡ଼ିବାକୁ ହେଉଅଛି । ଆଉ ଦୁଇ ପକ୍ଷ ମକଦ୍ଦମାରେ ଟଙ୍କା ବାଣ୍ଟି କାଙ୍ଗାଳ । ସେହି ଟଙ୍କା ଗାଁର ବାରଭୂତ ଗୋଟାଇ ଖାଉଅଛନ୍ତି । ଆଉ ପଞ୍ଚୁଆତଙ୍କ ଆଖିରେ ଧୂଳି ପକାଇବାର ବାଟ ନାହିଁ । ପୁଣି ପ୍ରକୃତ ଅପରାଧୀଠାରୁ ଜରିମାନା ଅସୁଲ ଟଙ୍କା ସତ୍କାର୍ଯ୍ୟରେ ଲାଗୁଥିଲା ।
ନିର୍ବୁଦ୍ଧିତ୍ୱର ସହିତ ତନ୍ତୀ ଜାତିର ଗୋଟାଏ ସମ୍ବନ୍ଧ ଥିବାର ସମସ୍ତେ ବୋଲନ୍ତି । କାହାରି ବୁଦ୍ଧିର ତ୍ରୁଟି ଦେଖିଲେ ଲୋକେ ବୋଲନ୍ତି, ‘ଆରେ ତୁଟା ତନ୍ତୀ ନା କଣ ରେ ?’ ଅର୍ଥାତ୍ ତୁ ତନ୍ତୀ ପରି ହୁଣ୍ଡା । ଆପଣ ସଭ୍ୟତା ଶିଖିଥିଲେ ତନ୍ତୀମାନଙ୍କର ଦଧିବାମନ ମନ୍ଦିର ତୟାର କଥା ଶୁଣି ସେହି ପ୍ରବାଦକୁ ଅକାଟ୍ୟ ସତ୍ୟ ବୋଲି ବିଶ୍ୱାସ କରିବେ । ଆପଣ କହିବେ, ସାଧାରଣ ଟଙ୍କାଗୁଡ଼ାକ ଏପରି ଅପବ୍ୟୟ କିମ୍ପା ? କିଲିଟର ସାହେବଙ୍କ ନାମରେ ସ୍କର୍ଲାସିପ୍ ବାନ୍ଧ, ନୋହିଲେ ଲାଟ ସାହେବଙ୍କ ନାମରେ ହାସପାତାଳ ବସାଅ, ମନ୍ଦିରଟା କ’ଣ ?
ଆପଣଙ୍କ ମନ ଯୋଗାଇ କଥା କହିବା ଆମ୍ଭମାନଙ୍କର କାର୍ଯ୍ୟ, ମାତ୍ର ଆପଣଙ୍କ କଥାଟା ଆମ୍ଭମାନଙ୍କ ମନକୁ କିପରି ଲାଗୁଅଛି । ଆପଣଙ୍କୁ କୁହାଯାଉନାହିଁ ଏ କଥା ଠିକ୍; କିନ୍ତୁ ତନ୍ତୀ ବୁଦ୍ଧି ଅର୍ଥ କ’ଣ ଜାଣନ୍ତି—ଏହା ଗୋଟାଏ ଯୋଗାରୂଢ଼ ଶବ୍ଦ । ଯେମନ୍ତ ପଙ୍କଜ ବୋଇଲେ ପଦ୍ମ, ତେବେ ପଙ୍କରୁ ଯେ ଜାତ ହେବ ଅର୍ଥାତ୍ ଘୋଡ଼ାଦଳ, ଶିଉଳି, ଶାମୁକା, ଗେଣ୍ଡା ସମସ୍ତେ କି ପଦ୍ମ ? ତାହା ନୁହେଁ । ସେହିପରି ତନ୍ତୀ ଅର୍ଥ ନିର୍ବୁଦ୍ଧିଆ, ନିର୍ବୁଦ୍ଧିଆ ଅର୍ଥ ତନ୍ତୀ ନୁହେଁ । ସେଦିନ ମାଞ୍ଚେଷ୍ଟରର ତନ୍ତୀମାନେ ପାର୍ଲିଆମେଣ୍ଟ କମ୍ପାଇଦେଲେ, ତାହା କି ଜାଣନ୍ତି ନାହିଁ ? ଆପଣ ଯେ ବାବୁ ସାଜିଅଛନ୍ତି, ତାହା ତ କେବଳ ତନ୍ତୀ ପ୍ରସାଦାତ୍ (୩) । ଏ ପ୍ରକାର ତନ୍ତୀଙ୍କ ବୁଦ୍ଧି ପ୍ରତି ଦୋଷାରୋପ କରିବା ଏକପ୍ରକାର ବେମାନି । ହିସାବ ଧରିଲେ ଆମ୍ଭମାନଙ୍କ ପୂର୍ବପୁରୁଷ ସମସ୍ତେ ତନ୍ତୀ ଥିଲେ । ଏଥିର ପ୍ରମାଣ ସଂଗ୍ରହ ନିମନ୍ତେ ପ୍ରତ୍ନତତ୍ତ୍ୱବିଦ୍ୟାର ଅନୁଶୀଳନ କରିବାର ଦରକାର ନାହିଁ । ଗ୍ରାମ ଗ୍ରାମକେ ଠାକୁର ମନ୍ଦିରଗୁଡ଼ାକ ସେଥିର ପ୍ରତ୍ୟକ୍ଷ ସାକ୍ଷୀ ।
କୌଣସି ବିଷୟରେ ଦୁଇପଟ ନ ଦେଖି ହଠାତ୍ ସିଦ୍ଧାନ୍ତରେ (୪) ଉପନୀତ (୫) ହେବା ତନ୍ତୀତ୍ୱର ଚିହ୍ନ ବୋଲି ଆମ୍ଭେମାନେ ବିଶ୍ୱାସ କରୁଁ । ଦେଖାଯାଉ, ଠାକୁର ମନ୍ଦିରଗୁଡ଼ାକ ବାସ୍ତବିକ ତନ୍ତୀଙ୍କ କାର୍ଯ୍ୟ କି ନୁହେଁ । ଘୋର ମଫସଲିଆ ଲୋକମାନଙ୍କ କଥା ଆପଣଙ୍କୁ ଜଣାଥିବ-। ସେମାନେ ଦିନଯାକ ଦୁଃଖ-ଧନ୍ଦାରେ ଲାଗିଥାନ୍ତି, ସଞ୍ଜ ହେଲେ ମୁଠାଏ ମୁଠାଏ ଖାଇ ଶୋଇପଡ଼ନ୍ତି । ଗ୍ରାମରେ ଧର୍ମପ୍ରଚାରକ ନାହାନ୍ତି, ଲାଇବ୍ରେରୀ ନାହିଁ, ଧର୍ମକଥା କାହୁଁ ଶୁଣିବେ ? ଠାକୁର ମନ୍ଦିରରେ ସଞ୍ଜ ସକାଳେ ଶଙ୍ଖ, ଘଣ୍ଟା ବାଜେ । ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଶବ୍ଦ ଜଣାଇଦିଏ ‘ଜଗତରେ ପ୍ରଭୁ ଅଛନ୍ତି ।’ ସେଠାରେ ଭାଗବତ-ଗାଦି ଅଛି, ରାଧାଷ୍ଟମୀ, ଜନ୍ମାଷ୍ଟମୀ, କାର୍ତ୍ତିକ ମାସ ପ୍ରଭୃତି ପର୍ବଦିନ ମନ୍ଦିରରେ ଭାଗବତ ପାଠ ହୁଏ, ଲୋକମାନେ ଯାଇ ଶୁଣନ୍ତି । ମନ୍ଦିର ନ ଥିଲେ ପ୍ରଭୁର ନାମ ବା ଧର୍ମଗ୍ରନ୍ଥ ଶୁଣିବାର ଉପାୟ ନ ଥିଲା । ବିଦେଶୀ ଲୋକ କିମ୍ବା ଗ୍ରାମରେ କାହାରି ଖଞ୍ଜ ଅଖଞ୍ଜରେ (୬) ଭାତ ରନ୍ଧା ହୋଇ ନ ପାରିଲେ ପୂଜାହାରୀ ପାଖରେ ଯୋଡ଼ାଏ ପଇସା ପକାଇଦେଲେ ପେଟେ ପ୍ରସାଦ ଖାଇବାକୁ ମିଳେ-। ପଞ୍ଚୁଆତ, ଗ୍ରାମଲୋକଙ୍କ ଦୋଷାଦୋଷର ବିଚାର ଠାକୁର ମନ୍ଦିରରେ ହୁଏ । ଆମ୍ଭେମାନେ ସଂକ୍ଷେପରେ ଇଂରାଜୀ ତର୍ଜମା କରିଦେଲେ ଆପଣ ସହଜରେ ବୁଝିପାରିବେ । ଠାକୁର ମନ୍ଦିରଗୁଡ଼ିକରେ ଗ୍ରାମ ମଧ୍ୟରେ ଚର୍ଚ୍ଚ (ଭୋଜନାଳୟ), ପବ୍ଲିକ୍ ଲାଇବ୍ରେରୀ (ସାଧାରଣ ପୁସ୍ତକାଳୟ), ହୋଟେଲ (ଭୋଜନାଳୟ), ଟାଉନ୍ ହଲ୍ (ଭାଗବତ ଘର) ଏହି ଚାରି କାର୍ଯ୍ୟ ଚଳେ-। ସେ କଥା ଯାଉ, ଆମ୍ଭମାନଙ୍କୁ ଆଉ କଥା ଲେଖିବାକୁ ହେବ ।
ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତୀମାନଙ୍କର ମଧ୍ୟ ଜଣେ ପରମାଣିକ ଅଛି । ସେ ଜାତି ମଧ୍ୟରେ ପ୍ରଧାନ । ପରମାଣିକକୁ ନ ଧରିଲେ ଜାତିଆଣ କର୍ମ କିଛି ଚଳେ ନାହିଁ । ବାହା ପୁଆଣି ହେଲେ ପରମାଣିକ ଜାତିରେ ଗୁଆ ଦିଏ । ସେଥିସକାଶେ ମୂର୍ତ୍ତିଏ ଲୁଗା ଆଉ ଗୋଟିଏ ଗୁଆ ମାନ୍ୟ ପାଏ । ଜାତିର ହାରି-ଗୁହାରି ପରମାଣିକଠାରେ ହେଲେ ସେ ଗୁଆ ଦେଇ ପଞ୍ଚୁଆତ ଶଙ୍ଖୋଳି ଆଣେ । ସଭାରେ ଫୁଲ ଚନ୍ଦନ ଆଗେ ପରମାଣିକକୁ ଦିଆଯାଏ । ଜାତି ଭାତରେ ପରମାଣିକ ଆଗେ କୃଷ୍ଣ ନ କଲେ (୭) କାହାରି ହାତ ଚଳେ ନାହିଁ । ଏହି ପରମାଣିକ ପଦଟା ପୁରୁଷାନୁକ୍ରମିକ, ଅର୍ଥାତ୍ ପରମାଣିକ ପୁଅ ପରମାଣିକ ହେବ କିମ୍ବା ତାହା ବଂଶରୁ କେହି ଜଣେ ହେବ, ଯେ ସେ ଲୋକ ହୋଇପାରିବ ନାହିଁ ।
ବର୍ତ୍ତମାନ ପରମାଣିକର ନାମ ଭଗିଆ ଚନ୍ଦ । ଭଗିଆ ବିଚରା ବଡ଼ ସାଦାସିଧା ଲୋକ, ଛନ୍ଦ କପଟ ତା ମନକୁ ଛୁଇଁନାହିଁ । ତାକୁ ଶାଗ କହ–ହଁ, ମୁଗ କହ–ହଁ । ଗାଁ ଲୋକମାନେ ଭଗିଆକୁ ହୁଣ୍ଡା-ତନ୍ତୀ ବୋଲି ଡାକନ୍ତି । ଆପଣଙ୍କୁ କହିବାକୁ ଏତେବେଳେ ସଳଖ ଦାଣ୍ଡ ପଡ଼ିଗଲା-। ଆମ୍ଭେମାନେ ଇସାରାରେ (୮) ସବୁ ବୁଝିପାରୁ । ଆପଣଙ୍କ ମୁହଁ ଆକାରରୁ ସବୁ କଥା ଜଣାପଡ଼ିଗଲାଣି । ଆପଣ କହୁଛନ୍ତି ବା କହିବେ କିମ୍ବା କହିବାକୁ ମନେ କରିଅଛନ୍ତି ବା କରିବେ–ଏଗୁଡ଼ାକ ନିପଟ ତନ୍ତୀ ନୁହନ୍ତି ତ ଆଉ କ’ଣ ? ବାପ ପରମାଣିକ ଥିଲା ବୋଲି ହୁଣ୍ଡାଟାକୁ ସରଦାର କରି ସବୁ ତନ୍ତୀଗୁଡ଼ାକ ତାକୁ ଜୁହାରୁଛନ୍ତି । ଆରେ ବାବୁ, ଯେବେ ଜଣେ ସରଦାର କରିବାର ଦରକାର ହେଲା, ପାର୍ଲିଆମେଣ୍ଟର ମେମ୍ବର ବା ଇଉନାଇଟେଡ୍ ଷ୍ଟେଟ୍ର ପ୍ରେସିଡେଣ୍ଟ୍ ବାଛିଲା ପରି ପାଞ୍ଚଜଣ ଭୋଟ (ମତ) ନେଇ ଜଣେ ସିଆଣିଆ ଭଳିଆ ଲୋକକୁ ପରିମାଣିକ କର-! ତା ନ କରି ବାପ ପରମାଣିକ ଥିଲା ବୋଲି ଅଯୋଗ୍ୟ ଲୋକଟାକୁ ପରମାଣିକ କରି ବସିଅଛ-? କଥାଟା ଏକା ସତ । ମନ ମାନିଗଲା ପରା ! ହକ୍ କଥାରେ ଉଁ ଚୁ କରିବାକୁ କି ବାଟ ଥାଏ ? ଆମ୍ଭେମାନେ ବରାବର ତନ୍ତୀମାନଙ୍କ ପଟ ଧରି ଚାଲିଥିଲୁଁ, ଏଣିକି ଆଉ ବାଟ କାହିଁ-? ଆମ୍ଭେମାନେ ପ୍ରତିଜ୍ଞା କରିଅଛୁଁ ବା କରିବୁଁ, ତନ୍ତୀ କଥାରେ ଆଉ ପାଖ ପଶିବୁଁ ନାହିଁ । ହେଲେ ତନ୍ତୀମାନଙ୍କୁ ଚିହ୍ନି ରଖିବାର ଉଚିତ । ହେ ପାଠକ ଅବଧାନେ, ଆମ୍ଭମାନଙ୍କର ଜ୍ଞାନ ଅତି ଅଳ୍ପ, ସୁତରାଂ ତନ୍ତୀ ଚିହ୍ନିବାକୁ ନିତାନ୍ତ ଅକ୍ଷମ । ଅନୁଗ୍ରହ କରି ଆମ୍ଭମାନଙ୍କୁ ତନ୍ତୀ ଚିହ୍ନାଇ ଦେଉନ୍ତୁ-।
ହିନ୍ଦୁ ହୋଇଥିଲେ ବେଦ, ବେଦାନ୍ତ, ହିନ୍ଦୁଶାସ୍ତ୍ର ଅବଶ୍ୟ ମାନ୍ୟ କରିବେ । ଶାସ୍ତ୍ରରେ ଅଛି ‘ଶମେ ଦମସ୍ତପଃଶୌଚଂ (୯) ସନ୍ତୋଷଂ କ୍ଷାନ୍ତିରାର୍ଜବଂ (୧୦) ମଦ୍ଭକ୍ତିଶ୍ଚ ଦୟା ସତ୍ୟଂ ବ୍ରହ୍ମପ୍ରକୃତୟସ୍ତ୍ୱିମାଃ’ (୧୧)–ଏହି ସମସ୍ତ ବ୍ରହ୍ମତ୍ୱର ଲକ୍ଷଣ । ସେହି ବ୍ରାହ୍ମଣ ପୂଜନୀୟ, ବରଣୀୟ, ଭକ୍ତିର ଯୋଗ୍ୟ, ଏପରି ବ୍ରାହ୍ମଣର ପଦଧୂଳି ଆମ୍ଭେମାନେ ମସ୍ତକରେ ଧାରଣ କରିବାକୁ ଶଏବାର ପ୍ରସ୍ତୁତ, ମାତ୍ର–
ଶୁଣ ପରୀକ୍ଷ ନରନାଥ ।
ତାମ୍ପଡ଼ା ଶୁଖୁଆ ପଖାଳ ଭାତ ।
ସି-ଅକ୍ଷର (୧୨) ବିବର୍ଜିତ ।
ଚିତା ପଇତାଦି ଶୋଭିତ ।
ବିଲ ବାଛିବାକୁ ଆଗ ।
ଦହି-ଚୂଡ଼ାକୁ ବାଘ ।
ସନ୍ଧ୍ୟା-ଗାୟତ୍ରୀହୀନ ।
ବିଲରୁ ଚିପନ୍ତି ମୀନ ।
ପୋଥିରୁ ନ ଫିଟେ ଡୋରି ।
ଯଜମାନ ଚାଉଳ-ଚୋରି ।
ସଭାରେ ନ ଫିଟେ ପାଟି ।
ନାମଟି ସୁନ୍ଦର ତ୍ରିପାଠୀ ।
ସୁନ୍ଦର ତିହାଡ଼ିଙ୍କୁ ଓଳଗି ହୁଏ, କାରଣ ସେ ବ୍ରାହ୍ମଣ ଔରସରୁ ଜାତ । ସୁନ୍ଦର ତିହାଡ଼ି ଆପଣଙ୍କ କୁଳପୁରୋହିତ, ଯେହେତୁ ତାହାଙ୍କ ବାପା ପୁରୋହିତ ଥିଲେ । ଆପଣଙ୍କୁ ବୋଲିବାକୁ ସାହସ ଅଣ୍ଟୁନାହିଁ, କିନ୍ତୁ ଆମ୍ଭେମାନେ ପାଞ୍ଜିରେ ନାମ ଲେଖି ରଖିଲୁଁ । ପୁଣି ଶାସ୍ତ୍ରରେ ଲେଖାଅଛି–
‘‘ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକାୟା ।
ଚକ୍ଷରୁନ୍ମୀଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ ।’’
ଅଜ୍ଞାନରୂପ ନେତ୍ରରୋଗରେ ଅନ୍ଧ ବ୍ୟକ୍ତିର ଚକ୍ଷୁ ଜ୍ଞାନରୂପ ଅଞ୍ଜାନଶଳାକା (୧୩) ଦ୍ୱାରା ଯେ ଉନ୍ମୀଳିତ (୧୪) କରନ୍ତି, ସେହି ଗୁରୁଙ୍କୁ ନମସ୍କାର କର ।
ସତ୍ୟ ବୋଲନ୍ତୁ ଏପରି ଲୋକକୁ ଗୁରୁ କରନ୍ତି କି ଗୁରୁର ପୁତ୍ର ଆପଣଙ୍କ ଗୁରୁ ? ଯାଉ, ସେ କଥାଗୁଡ଼ାକ–କହିଲେ କ’ଣ ହେବ ? ମାତ୍ର ତନ୍ତୀ ଚିହ୍ନା ପଡ଼ିଗଲେ । ଗୋଦରୀ ଲୋ ଆପଣା ଗୋଡ଼କୁ ଅନା । ଖୋଜି ବସିଲେ ଦରଦର ‘କୁହୁଡ଼ିପହଁରା’ ଢେର୍ ପାଇବ । ଧାନକୁଟୁଣୀ ଭାଗବତ ପଢ଼ିଲା ପରି ଆମ୍ଭେମାନେ ଗାଁ-କଥା ଲେଖୁ ଲେଖୁ ଆପଣଙ୍କ ଭଳିଆ ଲୋକଙ୍କ କଥା କହି ବସିଅଛୁଁ-। ତେବେ କ’ଣ ଜାଣନ୍ତି, ବିଷୟଟା ପଡ଼ିଲେ ଖାଲରେ ପଡ଼ୁ, ଢିପରେ ପଡ଼ୁ, ସମସ୍ତେ ଦି’କଥା ମାରିଦିଅନ୍ତି । ସଂକୀର୍ତ୍ତନରେ ହାଉଡ଼ାଟା (୧୫) ମଧ୍ୟ ଆଁ କରିଦିଏ ।
ସେ ସବୁ କଥା ଥାଉ, ଏବେ ଗାଁ କଥା ଶୁଣନ୍ତୁ । ଆଟିକା ମାପକୁ ପଲମ । ଭଗିଆ ଯେପରି ହୁଣ୍ଡା, ତା’ ଭାର୍ଯ୍ୟାଟି ସେହିପରି ହୁଣ୍ଡା, ତା’ ଭାର୍ଯ୍ୟାଟି ମଧ୍ୟ ସେହିପରି ହୁଣ୍ଡୀ, ନାମ ସାରିଆ-। ବୟସ ଅନ୍ଦାଜ ପଚିଶ ହେବ । ସାରିଆର ଗୁଣ ତ ଶୁଣିଲେ, ରୂପ କଥା ଶୁଣିବେ କି ? ଦେଖନ୍ତୁ, ପର ପ୍ରତ୍ୟାଶୀ (୧୬) ହେବା ଗୋଟାଏ ଭାରି ଖରାପ କଥା । ଆପଣ ବୁଦ୍ଧି ବଳରେ ଅନୁମାନ ଦ୍ୱାରା କିଛି କିଛି ବୁଝିବାକୁ ଚେଷ୍ଟା କରନ୍ତୁ । କେବଳ ଆମ୍ଭମାନଙ୍କ ହାତକୁ ଚାହିଁ ରହିବେ ନାହିଁ-। ଅନୁମାନ ଦ୍ୱାରା କିପରି ବୁଝିବାକୁ ହୁଏ, ସେଥିର ମୂଳ ସୂତ୍ର ଶୁଣିଲେ ଆପଣଙ୍କ ବାଟ ଫିଟିଯିବ-। ଯେବେ ଶୁଣିବେ ଯୁବତୀ ରାଜକନ୍ୟା, ତକ୍ଷଣେ ବୁଝିଯିବେ, ସେ କନ୍ୟାଟି ଭାରି ସୁନ୍ଦରୀ, ଭାରି ଗୁଣବତୀ—‘‘ନାହିଁ ନ ଥିବ ପଟାନ୍ତର, ରମା ଉମା ସଙ୍ଗେ ତାକୁ ଧର ।’’ ହେଉ ପଛେ ଉଆଉଗାଲୀ, ପେଚାନାକୀ, ସେ କଥା ଧରିବେ ନାହିଁ । ଯେବେ ଶୁଣିବେ, ଫଲଣା (୧୭) ଜମିଦାର, ହାତରେ ଢେର୍ ଟଙ୍କା ଅଛି, ତକ୍ଷଣେ ବୁଝିଯିବେ, ସେ ରୂପବାନ, ଗୁଣବାନ, ଦାତା, ଦୟାଳୁ ଇତ୍ୟାଦି ଇତ୍ୟାଦି । ଆମ୍ଭମାନଙ୍କ ସାରିଆ ଗାଁର ତନ୍ତୀଆଣିଟିଏ । ଏବେ ସକଳ କଥା ବୁଝିନିଅନ୍ତୁ ।
ଭଗିଚନ୍ଦ ଆଉ ସାରିଆ ଘରକୁ ଦୁଇ ପରାଣୀ । ମାଇକିନିଆମାନେ କହନ୍ତି, ‘‘ଦୁଇ ପରାଣିଆ ଭଲ, ବାନ୍ଧି କତରା (୧୮) ଚଲ ।’’ ଆମ୍ଭମାନଙ୍କ ହୁଣ୍ଡାହୁଣ୍ଡୀ କଥା ସେହିପରି । ନକଡ଼ ଛକଡ଼ (୧୯) ନାହିଁ । ଦୁଇଜଣଙ୍କର ନିମିଷେ ଛାଡ଼ବାଡ଼ (୨୦) ଥାଏ ନାହିଁ । ଦୁହେଁ ମିଳିମିଶି ଘରକାମ କରନ୍ତି । ଭଗିଆ ତନ୍ତ ବୁଣିବାବେଳେ ସାରିଆ ନଳୀ ବଳେ, ଲୁଣ୍ଡି ବଳେ, ଚରଖିରେ ସୂତା ଦିଏ । ସାରିଆ ଭାତ ରାନ୍ଧିବାବେଳେ ଭଗିଆ ଚୁଲି ଫୁଙ୍କେ, ପାଣି ଆଣିଦିଏ । ଗାଁର ମସ୍କରା (୨୧) ନିନ୍ଦୁକ ଲୋକମାନେ ସେମାନଙ୍କୁ ଦେଖି ଢଗ ମେଲନ୍ତି – ‘‘ସାରୀ ଭଗିଆକୁ ଦେଖ, ବଗଲା ବଗୁଲୀ ଲେଖ ।’’ ଆହା, କି ଅପୂର୍ବ କବିତା ହେଲା ! ମାତ୍ର ଆମ୍ଭେମାନେ ବୋଲୁଁ, ଏପରି ନିନ୍ଦା ଯେଉଁମାନଙ୍କ ନାମରେ ରଟେ, ସେହିମାନେ ଏକା ଜଗତରେ ପ୍ରକୃତ ଭାଗ୍ୟବାନ । ସ୍ୱର୍ଗର କାଳ୍ପନିକ ସୁଖକୁ ସେହିମାନେ ଏକା ପ୍ରାଣରେ ଅନୁଭବ କରନ୍ତି । କୌଣସି ଇଂରେଜ କବି କହିଅଛନ୍ତି, ‘‘ଯେଉଁମାନେ ବିଶୁଦ୍ଧ ଦାମ୍ପତ୍ୟ ପ୍ରେମ ଅନୁଭବ କରନ୍ତି, ସେମାନେ ସ୍ୱର୍ଗୀୟ ଜୀବ । ସେହି ପ୍ରେମରେ ଯାହାର କଳଙ୍କ, ସେ ନରକର ଯନ୍ତ୍ରଣା ଭୋଗ କରେ ।’’
ଓହୋ ! ଆମ୍ଭେମାନେ ଗୋଟାଏ ଉତ୍କଟ ଭୁଲ କରିପକାଇଅଛୁଁ ! ‘‘ମୁନୀନାଞ୍ଚ ମତିଭ୍ରମ’’-। ମୁନିମାନେ ଲେଖାପଢ଼ା କରିବାବେଳେ ବଡ଼ ଭୁଲ କରିପକାନ୍ତି । ଅର୍ଥାତ୍ ଯେଉଁମାନେ ଲେଖିବାବେଳେ ଭୁଲନ୍ତି ସେମାନେ ମୁନି । ସୁତରାଂ ଆଜିଠାରୁ ଲୋକମାନେ ଯେ ଆମ୍ଭମାନଙ୍କୁ ମୁନି କିମ୍ବା ଋଷି ବୋଲି ଡାକିବେ ସେ ବିଷୟରେ କିଛି ମାତ୍ର ସନ୍ଦେହ ନାହିଁ । ଓହୋ, କି ଭାଗ୍ୟ ! ବରଷସାରା ସାହେବଙ୍କ ଦୁଆରେ ନେଉଳ ପରି ଲୁଙ୍ଗ୍ ଲୁଙ୍ଗ୍ ହେବାକୁ ନାହିଁ, କରଜଦାମ୍ କରି ହଜାର ହଜାର ଟଙ୍କା ଖରଚରେ ଡାକ୍ତରଖାନା ବସାଇବାକୁ ନାହିଁ କିମ୍ବା ନିହାତି ସହଜ କଥା ବକ୍ସିସ୍ ଦେଇ ଫରାସୀମାନଙ୍କ ଗୋଡ଼ହାତ ଧରିବାକୁ ନାହିଁ, ମାହାଳିଆଟାରେ କେଡ଼େ ନାମଟାଏ ପାଇଗଲୁ ! ମାତ୍ର ସତ୍ୟର ମର୍ଯ୍ୟାଦା ରକ୍ଷା ନିମନ୍ତେ ସ୍ୱାର୍ଥତ୍ୟାଗ କରିବାକୁ ଆମ୍ଭେମାନେ କେବେହେଁ କାତର ନୋହୁଁ । ‘‘ନ ମିଥ୍ୟା ପାତକଂ ପରଂ’’ (୨୨) ଅସ୍ୟାର୍ଥ–ମିଥ୍ୟା ଆଉ ପାତକ ପର ନିକଟକୁ ଯାଏ ନାହିଁ, ଆପଣା ପାଖେ ଥାଏ । ଏଥିସକାଶେ ଆମ୍ଭମାନଙ୍କୁ ସତ୍ୟକଥା ଲେଖିବାକୁ ହେଉଅଛି ।
ଭଗି ସାରୀ ଦୁଇପ୍ରାଣୀ ନୁହନ୍ତି । ଗୋଟିଏ ଗାଈ ଅଛି, ନାମ ନେତ–ତାକୁ ଲଗାଇ ତିନି ପ୍ରାଣୀ । ଗାଈଟାକୁ ଆମ୍ଭେମାନେ ମନୁଷ୍ୟ ସାଙ୍ଗରେ ଗଣିଲୁଁ, ସେଥିରେ କଥା ଅଛି । ନେତକୁ ସାରିଆ ଝିଅ ପରି ପୋଷିଥାଏ, ଝିଅ ପରି ଗେହ୍ଲା କରେ । ପରମେଶ୍ୱର ମନୁଷ୍ୟ ମନରେ ଏକ ଆଶ୍ଚର୍ଯ୍ୟ ଅପତ୍ୟ ସ୍ନେହ (୨୩) ଦେଇଅଛନ୍ତି । ଭୋକବେଳେ ଭାତ ନ ପାଇଲେ ଲୋକେ ଡାଳପତ୍ର ଚୋବାଇବା ପରି ଯାହାର ପିଲାଝିଲା କିଛି ନାହିଁ, ସେ କୁକୁର ପିଲାଟିଏ, ବିରାଡ଼ି ପିଲାଟିଏ କିମ୍ବା ଛଡ଼ାଟିଏ ପୋଷି ତାକୁ ଭଲପାଏ । ସାରିଆ ଦିନରାତି ନେତ ସାଙ୍ଗରେ ଲାଗିଥାଏ-। ପଘାରୁ ଫିଟି ମଧ୍ୟ ନେତ କାହିଁ ଯାଏ ନାହିଁ, ସାରିଆ ପାଖେ ପାଖେ ଥାଏ । ଟିକିଏ ଦାଣ୍ଡକୁ ଚାଲିଗଲେ ସାରିଆ ଡାକେ–‘ନେତ ଲୋ’ ! ନେତ କହେ, ହଁ...ମାଁ । ଧାଇଁ ଆସି ସାରିଆକୁ ଚାଟେ, ସାରିଆ ତା’ ଦେହରେ ହାତ ବୁଲାଇ ଦେଇ ଢେର୍ ଆଦର କରେ, ଢେର୍ ଦୁଃଖ ସୁଖ କଥା କହେ-। ପଖାଳ ବେଲାରେ ନେତ ମୁହଁ ଡୁବାଇଦେଲେ ସାରିଆ ତାକୁ ଗୋଟିଏ ସାନ ପ୍ରେମ ଚାପୁଡ଼ା ମାରି ‘ଡାକୁଣୀଟା’ ବୋଲି ଗାଳିଦିଏ । ଆମ୍ଭେମାନେ ଜାଣୁ, ସେହି ଗାଳି ଭିତରେ ସାରିଆର ଆନନ୍ଦ ଓ ପ୍ରେମ ପୂର୍ଣ୍ଣ ଥାଏ ।
ଭଗିଆ, ସାରିଆ, ନେତ ତିନିପ୍ରାଣୀ ଗୋଟିଏ ଘରେ ଶୁଅନ୍ତି । ସାରିଆ ନେତ ପଛରେ ତସୁ । (୨୪) ଓ ଘଷି ଗୁଣ୍ଡାରେ ଗୋଟାଏ ଧୂଆଁ ଦିଏ । ନେତଟି ବଡ଼ ସୁଲକ୍ଷଣୀ, ହାଲକୁ ପ୍ରଥମେ ପଛରେ ଛଡ଼ାଟିଏ (୨୫) ଲାଗିଛି । ନେତର ସର୍ବାଙ୍ଗ କଳା, ମୁଣ୍ଡରେ ଚାନ୍ଦ । ‘‘କାଳିଗାଈ ମୁଣ୍ଡରେ ଚାନ୍ଦ, ତାକୁ ଆଣି ଶ୍ରୀଘରେ ବାନ୍ଧ ।’ ଶିଙ୍ଗ ପାତଳ, ଆଉ ଝାମ୍ପରା, ଲାଞ୍ଜ ସରୁ, ଖୁବ୍ ଲମ୍ବା । ଲାଞ୍ଜ ଅଗରେ ଚଅଁର ପରି ପେଣ୍ଡା ବାଳ ଭୂଇଁରେ ଲୋଟି ଯାଉଛି । ପିଠିଟି ନୁଆଣ, ମୁଠୁଣିକରୁ କିଛି ଊଣା ଚୌଡ଼ା, ପିଚାଟି ଚୌଡ଼ା, ହାକୁଡ଼ାଟିଏ (୨୬) ସାନ ପାଣିକଖାରୁ ପରି ପିଠି ଆଡ଼କୁ ନଇଁ ପଡ଼ିଛି । ବେକରେ ଥଳୀଟା ଆଉ ଗାଈଠାରୁ କିଛି ବେଶି ଝୁଲୁଛି । ଦୁଧ ନାଡ଼ଟା ଗୋଟାଏ ପାଳ ଦଉଡ଼ା ପରି ମୋଟ, ପହ୍ନା କଥା କ’ଣ କହିବୁ ? ‘‘ପୟୋଧରୀଭୂତ-ଚତୁଃସମୁଦ୍ରାଃ ।’’ ନେତ କଳିଙ୍ଗା ଗାଈ ପରି ଖୁବ୍ ଯେ ଗୋଟାଏ ଉଞ୍ଚା, ତାହା ନୁହେଁ, ମଧ୍ୟଭଳି । ଡାକ ଋଷିବଚନ ଅଛି–
‘‘ପେଟେ ଉଞ୍ଚ ଗାଈ ।
ପଟେ (୨୭) କୁଣ୍ଡା ଖାଇ ।
ଘାସ ଦେଖି ବାଇ ।
ତାଠୁ ଦୁଧ ପାଇ ।’’
କଥା କ’ଣ କି, ଗାଈ ମୁହଁରେ ଦୁଧ । ତେବେ ଆପଣ କି ଠେକି ଧରି ଗାଈ ଥୋବଣିଟା ଦୁହିଁ ବସିବେ ? କଥା ସେପରି ନୁହେଁ, ଗାଈ ଗୋଟିକ କାଗଜକଳ ପରି । କଳମୁହଁରେ ଛିଣ୍ଡା କନା, ଛିଣ୍ଡା ଦଉଡ଼ି, ପଚା ପନାସି (୨୮) ପରି ତୁଳାଗୁଡ଼ାଏ ପୂରାଇଦେଲେ ପଛବାଟେ ସଫା, ଧଳା, ସୁନ୍ଦର, ଚିକ୍କଣ କାଗଜ ବାହାରି ପଡ଼େ । ସେହିପରି ଗାଈ ମୁହଁରେ କୁଣ୍ଡା, ପେଜ, ଘାସଗୁଡ଼ାକ ପୂରାଇଦିଅ, ପହ୍ନାବାଟେ ଦୁଧ ବୋହି ପଡ଼ିବ । ନେତର ଦୁଧର ପରିମାଣଟା ଆମ୍ଭମାନଙ୍କୁ ଜଣାନାହିଁ-। ସେଦିନ ମଙ୍ଗରାଜଙ୍କ ଦରବାରରେ ନେତ କଥା ପଡ଼ିଥିଲା । ସମସ୍ତେ ଅନୁମାନ କଲେ, ଦୁଇଓଳି ପାଞ୍ଚ ସେରରୁ ଊଣା ନୁହେଁ । ମଙ୍ଗରାଜେ ଗୋଟାଏ ନିଃଶ୍ୱାସ ପକାଇ କହିଲେ, ‘‘ଏଁ ! ତନ୍ତୀ ବାପୁଡ଼ାର (୨୯) ଏମନ୍ତ ଗାଈ ?’’
ଲୋକେ କହନ୍ତି, ‘‘ପିତା ଗୁଣରେ ପୁତା’’, ମାତ୍ର ଏ କଥା ମଧ୍ୟ ସତ–’’ବଂଶନାଶ ବେଳକୁ ଘୋଡ଼ାମୁହାଁ ପୁଅର ଜନ୍ମ ।’’ ଭଗିର ବାପ ଗୋବିନ୍ଦ ଚନ୍ଦ୍ର ଗାଁରେ ଜଣେ ସେରନ୍ତା (୩୦) ଲୋକ ଥିଲା । ନିଜ ଗାଁ ଛାଡ଼ି ଆଖପାଖ ଦୁଇ ଚାରିଖଣ୍ଡ ଗାଁରେ ପଞ୍ଚୁଆତ (୩୧) ବସିଲା, ଗୋବିନ୍ଦ ଚନ୍ଦ୍ରକୁ ଡାକ । ଭାରି ଭାରି ମାମଲା ଝୁଙ୍କିଲେ ଗୋବିନ୍ଦଙ୍କୁ ଖୋଜାପଡ଼େ, ଅର୍ଥାତ୍ ପିଆଦା ସମନ ଆଣିଲେ କିମ୍ବା ଡାକରେ ବେରିଙ୍ଗ୍ ଭାଷା ଆସିଲେ, ଗୋବିନ୍ଦ ନ ଯିବା ପର୍ଯ୍ୟନ୍ତ ଲୋକମାନେ ଘରୁ ବାହାରୁ ନ ଥିଲେ । ଗୋବିନ୍ଦ ନିଜେ ତନ୍ତ ବୁଣୁ ନ ଥିଲା, ତନ୍ତୀମାନଙ୍କ ବୁଣା ଲୁଗା କିଣିନେଇ ହାଟରେ ବିକେ କିମ୍ବା ଉପୁରି ମହାଜନ ଆସିଲେ ମାଲ ପଟାଇଦିଏ (୩୨) ଏଥିରେ ତାହାର ଭଲ ପାଞ୍ଚପଇସା ହାତକୁ ଚଢ଼ୁଥିଲା । ଗୋବିନ୍ଦ ହାତରେ ହଜାର ହଜାର ଥିବାର ଲୋକେ ଅନୁମାନ ବିଦ୍ୟାରେ ଗଣି ପକାଇଥିଲେ । ଲୋକମାନେ ଆପଣା ପରମାୟୁ ଓ ପର ଧନକୁ ବେଶି ଦେଖନ୍ତି । ଯାହାହେଉ, ଗୋବିନ୍ଦ ଯେ ଦଶଟଙ୍କା ଅରଜି ଥିଲା, ଏ କଥା ସତ ।
ଜମିଦାର ବାଘସିଂହ ବଂଶ ପଡ଼ିଆସିବା (୩୩) ବେଳେ ଖଣ୍ଡେ ଖଣ୍ଡେ ଜମି ବିକ୍ରି ହେଲା-। ଗୋବିନ୍ଦପୁର ଗାଁ ତଳେ ଚକେ ଗହୀର ଜମି ଛ’ ମାଣ ଆଠଗୁଣ୍ଡ ବାହାଲି ନିଷ୍କର, ତାକୁ ଗୋବିନ୍ଦ କିଣି ନେଇଥିଲା । ‘‘ଗାଁ ଧୋଉରାପାଣି ଯେଉଁଠି ପଶେ, ପଧାନ ହଳ ସେଇଠି ଚଷେ ।’’ ଅସ୍ୟାର୍ଥ –ପଧାନ ଗ୍ରାମର ସର୍ବୋତ୍କୃଷ୍ଟ ଜମିଖଣ୍ଡ ଚାଷ କରେ । ଜମିଖଣ୍ଡରେ ଗାଁ ଧୋଉରା ପାଣି ପଶେ-। ଭାରି କଳିନ୍ଦ, (୩୪) ପାଣି ବହୁଳ ହେତୁରୁ ରାବଣା ଧାନ ହୁଏ ।’’
‘‘ଜମି ପାଇଲେ ସିଆଣା (୩୫),
ଧାନ ବୁଣିବ ରାବଣା ।
ହାତେ ଲମ୍ବ କାଢ଼ିବ ସୀଂସା,
ଝୁରି ମରିବେ ସାଇପଡ଼ିଶା ।’’
ଧୋଇ ନାହିଁ, ମରୁଡ଼ି ନାହିଁ, ମାଣକୁ ଆଠ ଭରଣ ତ ଆଗେ ଥୋଇଦିଅ । ଭଗିଆ ତନ୍ତୀଲୋକ, ଚାଷ କରିବ କ’ଣ? ବଖରା (୩୬) ଦେଇ ମାଣକୁ ପାଞ୍ଚଭରଣ ପଚାଶ ନଉତି ଧାନ ପାଏ । ଭଗି ହୁଣ୍ଡା ହେଲେ କ’ଣ ହେବ, ତାହାର ଢେର୍ ସଦ୍ଗୁଣ ଥିଲା । ଶ୍ରାଦ୍ଧ, ମଙ୍ଗଳା, ନବାନ୍ନରେ ଜାତିଭାଇଙ୍କ ମୁହଁ ଧୁଆଏ (୩୭) । ଭାଟ ଭିକାରି ଦୁଆରୁ ଫେରନ୍ତି ନାହିଁ । ‘‘ହାଉଡ଼ାର ଦୁଷ୍ମନ (୩୮) ନାହିଁ ।’ ହୁଣ୍ଡା ହୁଣ୍ଡି କଥା କହି ଜାଣନ୍ତି ନାହିଁ, ଗାଁରେ କଳି ହେଲେ କବାଟ କିଳିଦିଅନ୍ତି-। ଗାଁରେ ସମସ୍ତେ ଏମାନଙ୍କୁ ଭଲ ପାଆନ୍ତି । ଅଭାବ ସମସ୍ତ ଦୁଃଖର ମୂଳ । ଧନ, ବିଦ୍ୟା, ଖ୍ୟାତି, ସ୍ୱାସ୍ଥ୍ୟ ପ୍ରଭୃତି କୌଣସି ବାଞ୍ଛନୀୟ, ଲୋଭନୀୟ ଏବଂ ଅତ୍ୟାବଶ୍ୟକ ପଦାର୍ଥର ଅଭାବ ହେଲେ ଲୋକେ କଷ୍ଟ ଅନୁଭବ କରନ୍ତି । ଆମ୍ଭମାନଙ୍କ ତନ୍ତୁବାୟ–ଦମ୍ପତିର (୩୯) କୌଣସି ପଦାର୍ଥର ଅଭାବ ନ ଥିଲା । ପବିତ୍ର ଦାମ୍ପତ୍ୟ ସ୍ନେହ, ବିଶୁଦ୍ଧ ପ୍ରେମ, ଅଖଣ୍ଡ ସନ୍ତୋଷ, ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ, ସରଳ ଧର୍ମଭାବ ପ୍ରଭୃତି ସ୍ୱର୍ଗୀୟ ଭାବମାନ ଯଦି ଆପଣ ଏକ ସ୍ଥାନରେ ସମାବେଶ ଦେଖିବାକୁ ଇଚ୍ଛା କରନ୍ତି, ତେବେ ଆମ୍ଭେମାନେ ଏହି ଗ୍ରାମ୍ୟ ତନ୍ତୁବାୟ ପରିବାରର ନାମ ଉଲ୍ଲେଖ କରିପାରୁଁ-। ଆମେମାନେ ଆଜନ୍ମ କାଳ ଦେଖି, ଶୁଣି, ପଢ଼ି ବୁଝିଅଛୁ ନିରବଚ୍ଛିନ୍ନ ସୁଖ, ବିଧି ମନୁଷ୍ୟ ଲଲାଟରେ ଲେଖି ନାହାନ୍ତି । ତନ୍ତୁବାୟ ପରିବାର କି ଏହି ନୈସର୍ଗିକ ନିୟମର ବହିର୍ଭୂତ ? ମହାକବି କାଳିଦାସ ଲେଖିଅଛନ୍ତି, ‘‘ପ୍ରାୟେଣା ସାମାଗ୍ର୍ୟବିଧୌ ଗୁଣାନାଂ ପରାଙ୍ମୁଖୀ ବିଶ୍ୱ ସୃଜଃ ପ୍ରବୃତ୍ତିଃ ।’ (୪୦) ଏହି ମହାବଚନକୁ ବା କିପରି ଅମର୍ଯ୍ୟାଦା କରିବୁ ?
ତେବେ ଏମାନେ କି ପୂର୍ଣ୍ଣ ସୁଖୀ ନୁହନ୍ତି ? କିଏ କହିବ, କିପରି ବା କହିପାରିବ? ଶାଳଗ୍ରାମର ବସିବା ଶୋଇବା ସମାନ । ମନୁଷ୍ୟ ହୃଦୟର ଭାବ ହାସ୍ୟ-କ୍ରନ୍ଦନ-ସ୍ରୋତ ଧରି ବାହାରିପଡ଼େ । ଏମାନେ ହସିବାର କେହି ଦେଖିନାହିଁ, କାନ୍ଦିବାର କେହି ଶୁଣିନାହିଁ । କଥାରୁ ଧରାଯାନ୍ତା, କାହାରି ସଙ୍ଗରେ ତ କଥା କହିବେ ନାହିଁ । ଆମ୍ଭମାନଙ୍କ ପାଖରେ କିନ୍ତୁ କାହାରି କଥା ଲୁଚିବାର ବାଟ ନାହିଁ । ବାଣୁଆମାନେ ଖୋଜର ମଡ଼ା (୪୧) ଧରି ଧରି ଯାଇ ଜନ୍ତୁ ଭେଟନ୍ତି । ସେହିପରି ଆମ୍ଭେମାନେ ଲୋକମାନଙ୍କ କାର୍ଯ୍ୟ ସବୁର ପିଛା ଧରି ଧରି ସେମାନଙ୍କ ମନର ଭାବ ଧରି ପକାଉଁ । ସେଦିନ ରାତିରେ ରୁକୁଣୀମା-ବୋହୂର ଷଠୀଘରକୁ ସାରିଆ ଯାଇଥିଲା, ପିଲାଟିକୁ ଚାହିଁଦେଇ ଚାଲିଆସିଲା, ଚକୁଳି ବାଣ୍ଟଯାଏ ରହିଲା ନାହିଁ । ଘରକୁ ଆସି ପେଟ ଟାଣୁଛି ବୋଲି କହି ଉପାସ ଶୋଇ ରହିଲା । ଆମ୍ଭେମାନେ ଏହା ମଧ୍ୟ ଜାଣୁଁ–ଅନେକ ରାତି ପର୍ଯ୍ୟନ୍ତ ନ ଶୋଇ ଏକଡ଼ ସେକଡ଼ ହେଉଥିଲା । ଭଗିଆ ଥରେ କହିଲା, ‘‘ଦଇବ ତ ଦେଇନାହିଁ, ଦୁଃଖ କଲେ କ’ଣ ହେବ ?’’ କ’ଣ ଦେଇନାହିଁ କିଛି ତ ବୁଝାଗଲା ନାହିଁ ?
ବାର ବରତରେ ସାରିଆର ଆଜିକାଲି ଭାରି ମନ । ବୁଢ଼ୀ ମଙ୍ଗଳାଙ୍କଠାରେ ବେଶି ବେଶି ଭକ୍ତି ଦେଖାଉଅଛି । ଡାକ୍ତର ଆଉ ଓକିଲଙ୍କ ଦୁଆରେ କାହାକୁ ଦେଖିଲେ ବୁଝିନେବ, ସେହି ଲୋକଟା ଉପରେ କିପରି ବିପଦ ପଡ଼ିଛି । ଆମ୍ଭମାନଙ୍କ ବୁଢ଼ୀ ମଙ୍ଗଳାଙ୍କଦ୍ୱାରା ଡାକ୍ତର ଆଉ ଓକିଲ ଦୁଇ କାର୍ଯ୍ୟ ହୁଏ । ଗାଁରେ କାହାରି କିଛି ପୀଡ଼ା ହେଲେ କିମ୍ବା ମାଲି ମାମଲା ପଡ଼ିଲେ ମଙ୍ଗଳାଙ୍କର କିଛି କିଛି ଲାଭ ହୁଏ । ମଙ୍ଗଳାଙ୍କଠାରେ ସାରିଆର ଭକ୍ତି ଦେଖି ବୁଝୁଅଛୁଁ ତାହା ମନରେ କଷ୍ଟ ଜାତ ହୋଇଅଛି । ସାରିଆ ପିଣ୍ଡାରେ ବସି ନଟି ବୁଲାଉଥିବାବେଳେ ଦାଣ୍ଡରେ କୌଣସି ସାନପିଲା ଖେଳୁଥିବାର ଦେଖିଲେ ତାହା ହାତ ନଟେଇଟା ବୁଲେ ନାହିଁ । ଉଆଁସ ପୁନେଇଁରେ ଘରେ ପିଠାଟିଏ, ଛେନା ଟିକିଏ ହେଲେ ସାରିଆ ନିଃଶ୍ୱାସ ପକାଏ । ଭଗି ରାଣ ନିୟମ ପକାଇ ନ ଖୁଆଇଲେ ଖାଏ ନାହିଁ । ସେଦିନ ସାନ କସ୍ତା ଯୋଡ଼ଟିଏ ଜଣେ ଫରମାସ (୪୨) ଦେଇ ଭଗି ପାଖରୁ ବୁଣାଇ ନେଲା । ଯୋଡ଼ଟି ବୁଣାଗଲା ବାଦ୍ ସାରିଆ ତାକୁ ଓଳିଏ ଯାଏ ଚଉତିବାବେଳେ ତା’ ଆଖିରେ ପାଣି ଢଳ ଢଳ ହେଉଥିବାର ଭଗି ଦେଖି ଗୋଟାଏ ଲମ୍ବା ନିଃଶ୍ୱାସ ପକାଇଲା ।
୧) ପରମାଣିକ (ପ୍ରାମାଣିକ)—ଗ୍ରାମର ମୁଖ୍ୟ ବ୍ୟକ୍ତି, ୨) ଫିକର—କୌଶଳ, ୩) ପ୍ରସାଦାତ୍—ଅନୁଗ୍ରହରୁ, ୪) ସିଦ୍ଧାନ୍ତ–ନିଷ୍ପତ୍ତି, ୫) ଉପନୀତ—ପହଞ୍ଚିବା, ୬) ଖଞ୍ଜ-ଅଖଞ୍ଜ—ସୁବିଧା ଅସୁବିଧା, ୭) କୃଷ୍ଣ ନକଲେ—କୃଷ୍ଣଙ୍କୁ ସମର୍ପଣ କରି ଭୋଜନ ଆରମ୍ଭ, ୮) ଇସାରା—ସଙ୍କେତ, ଠାର, ୯) ଶମ— ଇନ୍ଦ୍ରିୟଦମନ, ଦମ— ଆତ୍ମ-ସଂଯମ, ତପଃ—ଧ୍ୟାନ, ଶୌଚ—ଶୁଚିତା, ନିର୍ମଳତା, ୧୦) କ୍ଷାନ୍ତି–କ୍ଷମା, ଆର୍ଜବ–ସରଳତା, ୧୧) ବ୍ରହ୍ମ..ସ୍ତ୍ୱିମାଃ–ବ୍ରାହ୍ମଣୋ-ଚିତ ସ୍ୱଭାବ, ୧୨) ‘ସି’– ‘ସିଦ୍ଧିରସ୍ତୁ’ ର ଆଦ୍ୟବର୍ଣ୍ଣ । ପୂର୍ବେ ବିଦ୍ୟାଭ୍ୟାସ ପୂର୍ବରୁ ଗୁରୁ ଛାତ୍ରର ହାତ ଧରି ପ୍ରଥମେ ‘ସିଦ୍ଧିରସ୍ତୁ’ (ସିଦ୍ଧି ଲାଭ ହେଉ) ଏହା ଲେଖାଇ ଦେଉଥିଲେ, ୧୩) ଶଳାକା—କାଠି, ୧୪) ଉନ୍ମୀଳିତ—ଖୋଲିବା, ୧୫) ହାଉଡ଼ା— ବାକ୍ଶକ୍ତିହୀନ, ୧୬) ପର ପ୍ରତ୍ୟାଶୀ—ଅନ୍ୟଠାରୁ ଆଶା କରିବା, ୧୭) ଫଲଣା——ଅମୁକ, ୧୮) କତରା—ଛିଣ୍ଡା ମଶିଣା, ୧୯) ନକଡ଼ ଛକଡ଼–ଗୋଳମାଳ, ଅଡ଼ୁଆ, ୨୦) ଛାଡ଼ବାଡ଼—ବିଚ୍ଛେଦ, ୨୧) ମସ୍ତର—ପରିହାସକାରୀ, ୨୨) ନ ମିଥ୍ୟା ପାତକଂ ପରଂ—ମିଛକହିବାଠାରୁ ବଳି ଆଉ ପାପ ନାହିଁ, ୨୩) ଅପତ୍ୟ—ପୁତ୍ର ବା କନ୍ୟା ସନ୍ତାନ, ୨୪) ତସୁ—ଧାନର ଚୋପା, ୨୫) ଛଡ଼ା—ମାଈବାଛୁରୀ, ୨୬) ହାକୁଡ଼—କୁକୁଦ, ଚୂଳ, ୨୭) ପଟେ—ଏକ ବସ୍ତା, ୨୮) ପନାସି—ବନ୍ୟ ଘାସବିଶେଷ, ୨୯) ବାପୁଡ଼ା—ସାମାନ୍ୟ ବ୍ୟକ୍ତି, ୩୦) ସେରନ୍ତା— ମୁଖ୍ୟ, ୩୧) ପଞ୍ଚୁଆତ—ପଞ୍ଚାୟତ ସଭା, ୩୨) ପଟାଇ ଦେବା—ବିକ୍ରି କରିଦେବା, ୩୩) ପଡ଼ିଆସିବା—ଅବନତି, ୩୪) କଳିନ୍ଦ—ଉର୍ବର, ୩୫) ସିଆଣା—ଚତୁର, ବୁଦ୍ଧିମାନ, ୩୬) ବଖରା–ଜମି ଭାଗ ଦେଇ ଚାଷ କରାଇବା, ୩୭) ମୁହଁ ଧୁଆଏ—ଖାଇବାକୁ ଦିଏ, ୩୮) ଦୁଷ୍ମନ୍—ଶତ୍ରୁ, ୩୯) ତନ୍ତୁବାୟ—ତନ୍ତୀ, ୪୦) ପ୍ରାୟେଣ...ପ୍ରବୃର୍ତ୍ତିଃ—କାହାରିକୁ ସମସ୍ତ ଗୁଣରେ ପରିପୂର୍ଣ୍ଣ କରି ସୃଷ୍ଟି କରିବାକୁ ଈଶ୍ୱର ଇଚ୍ଛା କରନ୍ତି ନାହିଁ, ୪୧) ଖୋଜର ମଡ଼ା— ପାଦର ଚିହ୍ନ, ୪୨) ଫରମାସ—ବରାଦ ।
✽✽✽
ଏକାଦଶ ପରିଛେଦ