ଛ’ମାଣ ଆଠଗୁଣ୍ଠ
ଫକୀରମୋହନ ସେନାପତି · ଭାଗ ୧୩ / ୧୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଗୋପୀ ସାହୁ ଦୋକାନଘରେ
ବିରୂପା ନଦୀକୂଳ–ଗୋପାଳପୁର ଘାଟ, ଏହିଟି କଟକ ଯିବାର ଦାଣ୍ଡ । ଲୋକମାନେ ଏହିଠାରେ ପାରି ହୁଅନ୍ତି । ଆଗେ ଗୋପାଳପୁର ଗ୍ରାମ ଏହିଠାରେ ଥିଲା, ଗଲା ଆଠ ଅଙ୍କ ଭୋଦୁଅ ଅଷ୍ଟମୀ ବଡ଼ ବଢ଼ିରେ ଭାସିଯାଇଅଛି । ଗ୍ରାମ ଗଲାଣି, ନାମ ଯାଇ ନାହିଁ । ତୁଠ ଉପରେ ଗୋଟିଏ ଭାରି ବଡ଼ ବରଗଛ । ଗଛମୂଳରେ ଗୋପୀ ସାହୁର ଦୋକାନ ଘର । ଘରଟି ସାତପାଞ୍ଚ (୧) । ସେଥିମଧ୍ୟରୁ ଅଧକରେ ଗୋଟିଏ କୋଠରୀ, ଅଧେ ମେଲା । ଆଗରେ ଦୁଇହାତ ଲମ୍ବ ପିଣ୍ଡା । ଦୈବଦୁର୍ବଳେ କେହି ବାଟୋଇ ରହିଗଲେ ମେଲାଘରେ ରୋଷେଇ କରନ୍ତି । ଗୋପୀ ବୁଢ଼ା ହୋଇଗଲାଣି, ବିଲବାଡ଼ିକି ଆଉ ପାରେ ନାହିଁ । ଗଲା ଅଙ୍କରେ ବୁଢ଼ୀ ଚାଲିଗଲା ଦିନରୁ ତା’ ଅଣ୍ଟା ବସିଗଲାଣି । ପୁଅମାନେ ମଧ୍ୟ ବୁଢ଼ାକୁ ଧନ୍ଦାରେ (୨) ପକାନ୍ତି ନାହିଁ ।
ଗୋପୀ ତୁଚ୍ଛା ବସିବା ଲୋକ ନୁହେଁ, ବସିବାଠାରୁ ଘଷିବା ଭଲ–ବରଷେ ହେଲା ଫନ୍ଦାଟାଏ (୩) ଫାନ୍ଦିଛି (୪) । ଦିନ ପ୍ରହରକବେଳେ ଚାରିଟା ମୁହଁରେ ଦେଇ ଦୋକାନକୁ ଆସେ, ସଞ୍ଜବେଳେ ଦୋକାନ ଘରେ ଲମ୍ବା ନଳୀ କୋଲପଟାଏ ପକା ଘରକୁ ଚାଲିଯାଏ । ଦୋକାନଠାରୁ ଘର ଅଧକୋଶ ଛଡ଼ା । ଦୋକାନରେ ଚାଉଳ, ଡାଲି, ଲୁଣ, ଚୁଡ଼ା, ଧୂଆଁପତ୍ର ରଖିଥାଏ । ସଞ୍ଜବେଳେ ଘରକୁ ଯିବାବେଳେ ପସରା ସବୁ ଗୋଟାଏ ଟୋକେଇରେ ଭରତି କରି ଘରକୁ ଘେନିଯାଏ । ଗୋପୀ ଗାଁ ଲୋକଙ୍କ ପାଖରେ କହେ, ସେ ଏଣିକି ବଡ଼ ସାହାଖର୍ଚ୍ଚୀ ହୋଇପଡ଼ିଲାଣି-। ସଞ୍ଜବେଳେ ସୋରିଷେ ସୋରିଷେ (୫) (୬) ଆପୁ ନ ଖାଇଲେ ରାତିରେ ନିଦ ହୁଏ ନାହିଁ । ଆପୁ ଖାଇସାରି ଚୂଡ଼ାଗୁଣ୍ଡି ଦି’ଟା କିମ୍ବା ମୁଢ଼ିଗୁଣ୍ଡି ଦି’ଟା ପାଟିରେ ନ ପକାଇଲେ ନୁହେଁ-। ଧୂଆଁ ଅଭ୍ୟାସ ତ ଅଛି । ହେଲେ ଖର୍ଚ୍ଚ ନିଜ ଅର୍ଜନରୁ ଚଳାଏ । ପୁଅମାନେ ଦୋକାନ କରିବା ସକାଶେ ଯେ ଆଠଣିଟିଏ ହେଇଥିଲେ, ସେଥିରୁ ଯେ ପଇସାଏ ଅଧଲାଏ ବାହାରେ, ସେଥିରେ ଚଳିଯାଏ, ପାଣ୍ଠିରେ ହାତ ଲାଗେ ନାହିଁ ।
ଅଶିଣମାସିଆ ଦିନ, ଦିନଯାକ ମେଘଟା ଘୋଡ଼େଇଛି, ଦୁଇ ତିନି ଅସରା ପାଣି ମଧ୍ୟ ହୋଇଗଲାଣି । ବର୍ଷା ପଡ଼େ ଟପର ଟପର, ବାଟଟା କାଦୁଅରେ ଚପର ଚପର । ବାଟୋଇ କେହି ନାହାନ୍ତି । ବେଳ ଆହୁରି ଦଣ୍ଡେ ଅଛି, ମାତ୍ର ମେଘ ଘୋଟିଥିବାରୁ ଅନ୍ଧାର ହୋଇଆସିଲା ପରି ଜଣାଯାଉଅଛି । ଗୋପୀ ଦୋକାନକୁ ଅନାଇ କହିଲା, ‘‘ଆଜି ସକାଳୁ କାହା ମୁହଁ ଚାହିଁଥିଲି । ଅଧଲାଟିକର ଧୂଆଁପତ୍ର ମଧ୍ୟ ସରିଲା ନାହିଁ ।’’ ଗୋପୀ ଦୋକାନକୁ ଗୋଟାଏ ଟୋକେଇରେ ପୂରାଇ ଗାମୁଛା ମୁଣ୍ଡରେ ବାନ୍ଧି ପିଣ୍ଡାରେ ବସିଲା, ଆକାଶକୁ ଅନାଇ ଆପେ ଆପେ କହିଲା– ‘‘ବେଳ ବୁଡ଼ିନାହିଁ । ନଦୀଘାଟକୁ ଅନାଇ ଅଛି, କେହି ବାଟୋଇ ପାରିହୋଇ ଆସିବ ପରା ! ନଦୀତୁଠକୁ ଏକ ଧ୍ୟାନରେ ଅନାଇ ଭଜନ ଆରମ୍ଭ କରିଅଛି–’’
‘‘ଦିନ ଗଲାଟିରେ ସରି,
ବୃଥା କାଳ କାଟିଦେଲି ନ ଭଜି ଶ୍ରୀହରି । ଘୋଷା ।
ବହିଯାଉଅଛି ଆୟୁ ନଦୀସ୍ରୋତ ପରି,
ପଡ଼ିଲେ କାଳସାଗରରେ ନ ଆସିବ ଫେରି ।’’
ବିଷୟରେ (୭) ମତ୍ତ (୮) ହୋଇ ଦିବସ ଶର୍ବରୀ (୯)
ଆପଣାର ନିଜ ଧାମ ରହିଛି ପାସୋରି ।
ଦୀନଜନେ ଦୟାକର ଦୟାମୟ ହରି
ନିରନ୍ତର ତୁମ୍ଭ ନାମ ଥିବି ହୃଦେ ଧରି ।’’
‘‘ଏ ଦୋକାନୀ– ରହିବାକୁ ଜାଗା ମିଳିବ ?’’ ଗୋପୀ ଚମକିପଡ଼ି ଅନାଇଲା, ଦୋକାନ ଆଗରେ ଦୁଇଜଣ ବାଟୋଇ । ଯଥାଟି ପିନ୍ଧା, ମୁଣ୍ଡରେ ଗାମୁଛା ଗୁଡ଼ିଆ, ପିଠିରେ ସାନ ଗୋଟାଏ ବୋକଚା, କାନ୍ଧରେ ତାଳପତ୍ର ଛତାଟିଏ । ଜଣେ ପୁରୁଷ, ତା’ ପଛଆଡ଼େ ଗୋଟିଏ ସ୍ତ୍ରୀ, ପାଟଶାଢ଼ି ଖଣ୍ଡିଏ ପିନ୍ଧା, କୁମ୍ଭକର୍ଣ୍ଣ ଧଡ଼ି, ସୂତାଶାଢ଼ି ଖଣ୍ଡିଏ ଚଉତା ହୋଇ ଉପରାଣ (୧୦) ପଡ଼ିଛି, ସର୍ବାଙ୍ଗ ଢଙ୍କା, କେବଳ ନାକର ଫୁଲଗୁଣା ଆଉ ନାଟମୟୂର (୧୧) ଦିଶୁଛି । ଲୋକେ କହନ୍ତି, ‘‘ଭେକ (୧୨) ଥିଲେ ଭିକ ।’’ ଲୁଗାପଟାରୁ ଗୋପୀ ବୁଝିଗଲା ଆଣ୍ଟୁଆ (୧୩) ମହାଜନ । ଗୋପୀ ଚଞ୍ଚଳ ଦୋକାନ ପିଣ୍ଡାରୁ ଓହ୍ଲାଇପଡ଼ି ଦୁଇଜଣଙ୍କୁ ଦୁଇଟି ଦଣ୍ଡବତ ହୋଇ କହିଲା, ‘‘ଆଜ୍ଞା ଆସନ୍ତୁ, ଦୋକାନ ଉପରକୁ ଆସନ୍ତୁ, ରୋଷେଇ କରନ୍ତୁ, ସବୁ ସରଞ୍ଜାମ ଅଛି, ଦେବି ।’’ ଗୋପୀ ଦୁହିଁଙ୍କ ଗୋଡ଼କୁ ଅନାଇ ଦୁଇଢାଳ ପାଣି ଦେଲା, ଆଉ ମେଲା ଘରେ ଛିଣ୍ଡା ପଟିଖଣ୍ଡେ ମେଲାଇ ଦେଲା ।
ସ୍ତ୍ରୀ ଲୋକଟି ଆଗେ ଗୋଡ଼ ଧୋଇ ଓଦାଲୁଗା ପାଲଟି ପଟିରେ ଯାଇ ଚକାପାଡ଼ି ବସିଲେ । ଦେହର ଅଳଙ୍କାରମାନ ଦେଖି ଗୋପୀ ‘ଆଜ୍ଞା’ ‘ସାଆନ୍ତ’ ‘ସାଆନ୍ତାଣୀ’ ଇତ୍ୟାଦି ସମ୍ବୋଧନ କଥାମାନ ପ୍ରତି କଥା ଆଗରେ ବୋଲିଯାଉଅଛି । ଏଣେ ସ୍ତ୍ରୀ ଲୋକଟି ଗୋପୀର ଭକ୍ତି ଦେଖି ଖୁସି ହୋଇଗଲେଣି । ପଣତକାନିରୁ ଚାରିଅଣିଟିଏ ଫିଟାଇ ଗୋପୀ ପାଖକୁ ଫୋପାଡ଼ି ଦେଇ କହିଲେ, ‘ଏ ବୁଢ଼ାପୁଅ ରୋଷେଇ ସରଞ୍ଜାମ ଦେ ।’’ ଗୋପୀ ଲଣ୍ଡଭଣ୍ଡ ହୋଇ ସୁଉକିଟି ଉଠାଇନେଇ ଦୁଇ ହାତରେ ଲେଉଟାଲେଉଟି କରି ଦୁଇ ତିନି ଥର ଦେଖିଲା । ତାହା ବାଦ୍ ଦୁଇଥର ଚୁମା ଖାଇ, ଦୁଇଥର ମୁଣ୍ଡରେ ମାରି, କୁଞ୍ଚତଳ କାନିରେ ବାନ୍ଧି, ନାହି ପାଖରେ ଖୋସିଦେଲା । ଗୋପୀର ମୁଖ ଦେଖି ଜଣାଯାଏ, ସେ ଆଉଥରେ ମନ ମଧ୍ୟରେ ବୋଲିଥିବ, ‘‘ଆଜି ସକାଳେ କାହା ମୁହଁ ଚାହିଁଥିଲି, ସଉଦା ନ ନେଉଣୁ ସୁଉକିଟାଏ ।’’ ଦୋକାନ ଆରମ୍ଭ ଦିନରୁ ଏଟା ନୂଆ କଥା ।
ଗୋପୀ ରୋଷେଇ ସରଞ୍ଜାମ ସମସ୍ତ, ଅର୍ଥାତ୍ ଚାଉଳ, ଚୋପାଳିଆ ବିରିଜାଇ, ଲୁଣ ଆଣି ଥୋଇଦେଇ ଆଗେ ନିଆଁ ବରିହା ଫୁଙ୍କି ଚୁଲି ଲଗାଇଦେଲା । ସ୍ତ୍ରୀ ଲୋକଟି ଭାତ ରାନ୍ଧିବାକୁ, ପୁରୁଷ ମାଠିଆ ଡେବିରି ହାତରେ ଧରି ପାଣି ଆଣିବାକୁ ବାହାରିଲେ । ସ୍ତ୍ରୀ ଲୋକଟି କହିଲେ, ‘‘ଆରେ ବୁଢ଼ାପୁଅ, ଏଠି ଦୁଧ ଘିଅ ମିଳିବ ? ଦୁଧ ଘିଅ ନ ହେଲେ ମୁଁ ଖାଏ ନାହିଁ ।’’
ଗୋପୀ କହିଲା ‘‘ଆଜ୍ଞା ସତକଥା, ସତକଥା, ନ ମିଳିବାକୁ ସିନା, ଏସବୁ କ’ଣ ଛାମୁଁ ଠା’ ବସିବା ଜିନିଷ ? ଜଳଖିଆ ପାଇଁ ଆଚ୍ଛା କାଣ୍ଡିଆ ସରୁଚୁଡ଼ା ହୁଅନ୍ତା, ନିରୁତା ଗାଈଦୁଧ ହୁଅନ୍ତା, ନବାତ ନୋହିଲେ ଦକ୍ଷିଣୀ ନୂଆଗୁଡ଼ ହୁଅନ୍ତା, ଆଉ ଖନ୍ଦା ପାଇଁ ବଡ଼ ଶେଉଳ ନୋହିଲେ ବାଳିଆମାଛ, ବନ୍ତଳକଦଳୀ, ମୁଗଜାଇ, ଦୁଧଘିଅ ହୁଅନ୍ତା । କ’ଣ କରିବି ଆଜ୍ଞା, ଏଇଟା ତ କାଙ୍ଗାଳ ଦେଶ, ଆପଣଙ୍କର ପଦାରବିନ୍ଦ ରଜ (୧୪) କିପରି ମୋ କପାଳକୁ ପଡ଼ିଗଲା । ଆଜ୍ଞା, ଗୋଟାକେତେ ପଇସା ଦିଅନ୍ତୁ, ଗାଁ ବୁଲି ଦେଖେ ।’’
ସ୍ତ୍ରୀଲୋକଟି ପୁନର୍ବାର ଗୋଟାଏ ସୁକି ଫୋପାଡ଼ିଦେଲେ । ଗୋପୀ ପୂର୍ବ ପରି କାନିରେ ବାନ୍ଧି ଗ୍ରାମକୁ ଧାଇଁଲା । ରାତି ଅଧଘଡ଼ି ସମୟରେ ଗୋପୀର ସାନପୁଅ ବୃନ୍ଦାବନ ଖଣ୍ଡେ କଦଳୀପତ୍ର ଠୋଲାରେ ଦୁଇ ତିନି ତୋଳା ଘିଅ, ଗୋଟାଏ ମାଟି ଠେକିରେ ମାଣେ ଅନ୍ଦାଜ ଦୁଧ, ଯୋଡ଼ାଏ ବାଇଗଣ ଦୋକାନ ପିଣ୍ଡାରେ ଥୋଇଦେଇ କହିଲା, ‘‘ଆଜ୍ଞା, ବାପା ବଟେଇ (୧୫) ଦେଲା । ସେ ଅନ୍ଧାରକଣା, ଆସିପାରିଲା ନାହିଁ ।’’
ଦୋକାନରେ ତୃତୀୟ ଲୋକ ନାହିଁ । ସ୍ତ୍ରୀ ଲୋକଟି ଭାତ ରାନ୍ଧୁଛି, ପୁରୁଷଟି ଯୋଗାଇ ଦେଉଛି । ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ।
ସ୍ତ୍ରୀ– ଶୁଣିଲୁ ରେ ଗୋବିନ୍ଦା, ଶୁଣିଲୁ ତ, କାନ ଲଗାଇ ଶୁଣିଲୁ ତ, ମତେ ସମସ୍ତେ ସାଆନ୍ତାଣୀ କହୁଥିଲେ, ଯେଉଁଠିକି ଯିବି ସମସ୍ତେ ସାଆନ୍ତାଣୀ କହିବେ । ତତେ ସାଆନ୍ତ କିଏ କହୁଥିଲା ? ଆରେ ଚାଲ, କଟକକୁ ଚାଲ, ତତେ କ’ଣ କରିଦେବି ଦେଖିବୁ । ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ।
ଗୋବିନ୍ଦା– ନା ଚମ୍ପା ସାଆନ୍ତାଣୀ, ଚାଲ ଆମ ଗାଁକୁ ଯିବା, ସେଇଠି ରହିବା । ବିଲବାଡ଼ି କିଣିବା, ଚାଷ କରିବା, ହଳିଆ ରଖିବା ।
ଚମ୍ପା– ଆରେ, ସତେ ଲୋକେ ଯାହା କହନ୍ତି–
‘ଅତି ନିଉଛଣା ଅନ୍ଧାର ରାତି,
ଅତି ନିଉଛଣା ଭଣ୍ଡାରି ଜାତି ।’
ବିଲବାଡ଼ି କ’ଣ ହବ ରେ ? ଆରେ ଯାହା ସାଙ୍ଗରେ ଆଣିଛି, ଶହେ ବରଷ, ଦି’ଶ ବରଷ ବସି ଖାଇଲେ ତ ସରିବ ନାହିଁ ।
ଗୋବିନ୍ଦା– ନା ସେ କଥା ହବ ନାହିଁ । ମୁଁ ଗାଁକୁ ଯିବି, ଘରୁ ଢେର୍ ଦିନ ହେଲା ଖବର ପାଇ ନାହିଁ । ମୋ ମନ କିମିତି ଗୁଡ଼େଇତୁଡ଼େଇ ହେଉଛି, ନୋହିଲେ ମୋ ଭାଗ ଦିଅ, ମୁଁ ଯାଏଁ, ତୁମର ଯାହା ମନ କର ।
ଚମ୍ପା– ଭାଗ ? ଭାଗ କ’ଣ ? ଭାଇ ଭାଗ ? ଆରେ ଯାହା କହନ୍ତି –
‘‘ପଡ଼ୋଶୁଣୀ ପିଠା ଦେଖି ରବାଇଖବାଇ (୧୬)
ଘଷିଫଡ଼ାରେ ଗୁଡ଼ ଲଗାଇ ଭଡ଼ ଭଡ଼ ଚୋବାଇ ।’’
ଧନ ସେଠି ଥିଲା ମୋର– ଏଠି ବି ମୋର, ମୁଁ କ’ଣ ଚୋରି କରି ଆଣିଛି ? ସାତଦିନ ହେଲା ବରଷା ନାହିଁ, କାଦୁଅ ନାହିଁ, ଏ ଗାଁ, ସେ ଗାଁ, ୟା ଓଳି, ତା’ ଓଳି ବୁଲେଇ ବୁଲେଇ ମାରିଲାଣି । କହିଲୁ, ସାଆନ୍ତ ପହଡ଼ଘର କଣରେ ତିନି ଜାଗାରେ ସୁନା ଟଙ୍କା, କଳା ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା, କିଏ ପୋତିଥିଲା ? ନିଶୂନ ରାତିରେ ମୁଁ ଗାତ ଖୋଳେ, ସାଆନ୍ତ ମୁଁ ଦୁହେଁ ପୋତୁଁ । ତୁ କ’ଣ ଜାଣିଥିଲୁ ? ଏସବୁ ମୋର ନା, ଆଉ କାହାର ?
ଗୋବିନ୍ଦା– ଟଙ୍କା ତ ପୋତିଥିଲୁ, ସବୁ କରିଥିଲ, କଞ୍ଚି ନ ପାଇଥିଲେ କିଛି ପାଇଥାନ୍ତ କି-? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା ?
ଚମ୍ପା– ‘ଏହିଁକି ଏତେ ନା, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ?’ ବଡ଼ ବୁଦ୍ଧିଟାଏ କାଢ଼ିଲାରେ ! ମତେ ଆଉ ବୁଦ୍ଧି ଆସନ୍ତା ନାହିଁ । ଦେଖିଛୁ, ସେଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ ଦୁଇକୋଶ ବାଟ ଧାଇଁ ଗୋଡ଼ରେ ଫୋଟକା ବାହାରିପଡିଲା; କାନ୍ଦି କାନ୍ଦି ତୋଟି ବସିଗଲା । କହୁଛି କ’ଣ ନା ବୁଦ୍ଧି କହିଲି ! ବୁଦ୍ଧିରେ ବୁଦ୍ଧି ନା ବଳେଇପଡ଼ି ଯାଇଛି କୁଦି ?’ ଆଚ୍ଛା କହିଲୁ, ମୁଁ ସେ ରାଣ୍ଡ ବ୍ରାହ୍ମଣୀ ସାଙ୍ଗରେ ସଙ୍ଗାତ ବସି ରାତିଏ ରହି ତା’ ଘରୁ ଜମିର ସନନ୍ଦ ଆଡ଼ଖୁର ଭିତରୁ ଘେନିଆସିଲି, ସେ ବୁଦ୍ଧି ତୁ କହିଦେଇଥିଲୁ ?
ଗୋବିନ୍ଦ ଆଉ କିଛି ନ କହି ରୁଷି ଆସି ପିଣ୍ଡାରେ ବସିଲା । ଚମ୍ପା ମଧ୍ୟ ତୁନି । ଏକା ଚାହାଳୀରେ ପାଠ, ଏକ ଅବଧାନର ଚାଟ । ଚତୁର ଚତୁରା କଥା, କେହି କାହାକୁ ଊଣା ନୁହେଁ, ସହଜରେ କିଏ ପଛଘୁଞ୍ଚା ଦେବ ? ଦୁଇଜଣଙ୍କୁ ଦୁଇଜଣ ଚିହ୍ନନ୍ତି । ଚମ୍ପାର ଭାବନା, ଯଦି ଗୋବିନ୍ଦା ଘରକୁ ଯାଏ, ଟଙ୍କା ସୁନାଗୁଡ଼ାକ ତା’ ହାତରୁ ଯାଇ ଭଣ୍ଡାରୀ ଘରେ ପଶେ, ପୁନର୍ବାର ହାତପୈଠ ହେବା ସହଜ ନୁହେଁ ! ପୁଣି ଗୋବିନ୍ଦାର ମା ଓ ଭାର୍ଯ୍ୟା କଥା ମଧ୍ୟ ତା’ ମନରେ ପଡ଼ିଲା । ଏଣେ ଗୋବିନ୍ଦାର ଭାବନା, ଚମ୍ପା କଟକ ସହରରେ ପଶିଲେ ତାକୁ ଆୟତ୍ତ ରଖିବା ସହଜ ହେବ ନାହିଁ । ଅଇଣ୍ଠା ଖାଈ କୁକ୍କୁରୀ ଆଉ ଖଣ୍ଡିଏ ଅଇଣ୍ଠାପତ୍ର ସମ୍ମୁଖରେ ଦେଖିଲେ ପୂର୍ବ ପତ୍ର ଗୋଡ଼ରେ ଦଳି ଦେଇଯାଏ । ବିପରୀତମୁଖ ଦୁଇ ବଳ ସମାନ ହେଲେ ଦୁହେଁ ସ୍ୱ ସ୍ୱ ସ୍ଥାନରେ ସ୍ଥିର ହୋଇ ରହନ୍ତି ।
ରାତ୍ର ଅନ୍ଦାଜ ପାଞ୍ଚ ଘଡ଼ି କି ଛ’ ଘଡ଼ି, ଭାତ ଡାଲି ପ୍ରସ୍ତୁତ ହୋଇଗଲାଣି । ଚମ୍ପା ଅଳ୍ପକାଳ ଛିଡ଼ା ହୋଇ କ’ଣ ଭାବିଲା, ପାଖକୁ ଆସି ସାକୁଲେଇ କହିଲା, ‘‘ଦେଖ୍ ଗୋବିନ୍ଦା, ତୁ ତ କହୁଛୁ ନଈ ଆରପାରି ଚାରିକୋଶ ବାଟରେ ତୋ ଘର । ହେଉ ଚାଲ, କଟକ ଚାଲ, ମୁଁ କିଛି ଟଙ୍କା ଦେବି, ତୁ ଘରେ ଦେଇଯିବୁ । ତୁ ଯଦି ମୋ କଥା ନ ଶୁଣୁ, ଟଙ୍କା ତ ଟଙ୍କା, ସୁନା ତ ସୁନା, କାଣି କଉଡ଼ି ଧୋଇ ପାଣି ଟୋପାଏ, ? ଆ, ଆ ବଡ଼ ଭୋକ ଲାଗିଲାଣି, ଖାଇବା ଆ ।’ ଗୋବିନ୍ଦା ମଧ୍ୟ ଭୋକରେ କାଉଳି ହେଲା । ବୋଧହୁଏ ସେ ଏଥିରେ ଅଧା ରାଜି ହୋଇ ଉଠ ଉଠ ହେଉଥିଲା । ମାତ୍ର ଅନ୍ଧାରରେ ଚମ୍ପାକୁ ତ ଦିଶୁନାହିଁ, କିଛି ଜବାବ ନ ପାଇ ସେ ଭାରି ଖପା ହୋଇ କହିଲା, ‘‘ମଲା ଯା, ପୋଇଲାଙ୍କୁ ସାଆନ୍ତ କହିଲେ ମୁଣ୍ଡରେ ଚଢ଼ନ୍ତି । ଯା ମ ଯା–ଖାଇଲୁ, ଖାଇଲୁ, ନ ଖାଇଲୁ ନାହିଁ ।’’
ଗୋବିନ୍ଦା ଉଠୁଥିଲା, ପୁନର୍ବାର ବସିପଡ଼ି ଚମ୍ପାକୁ ତରାଟିମରାଟି ଚାହିଁଲା । ପାଞ୍ଚିଲା, ହଁ, ମୁଁ ପୋଇଲା, ତୁ ସାଆନ୍ତାଣୀ, ମାତ୍ର ପାଟି ଫିଟାଇ କିଛି କହିଲା ନାହିଁ । ଗୋବିନ୍ଦା ଆପଣାର କେଡ଼େ ସୌଭାଗ୍ୟ ସ୍ୱପ୍ନ ଦେଖୁଥିଲା, କେତେ ବିଲବାଡ଼ି, କେତେ ବଳଦ ହଳିଆ, କେତେ ଦୁହାଁଳଗାଈ ଘରେ ବନ୍ଧା, କେତେ ଖାତକ ଟଙ୍କା କରଜ ନେବାକୁ ଆସି ଦୁଆରେ ବସିଛନ୍ତି, ସବୁଥିରୁ ଏକାବେଳକେ ନିରାଶ ! ଦିନଯାକ ପାଣି କାଦୁଅରେ ବୁଲି ଥକା, ତା’ଉପରେ ଭୋକ । ଗୋବିନ୍ଦା ଏତେବେଳେଯାଏ ମନ ଦୁଃଖରେ ବସି ଭାବୁଥିଲା । ବର୍ତ୍ତମାନ ଚମ୍ପା ‘ପୋଇଲା’ କହିବାରୁ ତାଳୁରେ ବିଛା କାମୁଡ଼ିଲାପରି ସର୍ବାଙ୍ଗ ଜଳୁଅଛି, କିଛି କହିପାରୁ ନାହିଁ । ସେ ଜାଣେ, ତା’ପରି ଦୁଇଜଣ ଲୋକ ବଳରେ ଚମ୍ପା ସାଙ୍ଗରେ ପାରିବେ ନାହିଁ । ସେ କେତେଥର ମଙ୍ଗରାଜ ଘର ଭେଣ୍ଡିଆ ହଳିଆମାନଙ୍କୁ ବାଡ଼େଇଥିବାର ନିଜ ଆଖିରେ ଦେଖିଛି । ତୁଷ ମଧ୍ୟରେ ନିଆଁ ପରି ତା’ ମନକୁ ଭିତରେ ପୋଡ଼ି ପକାଉଛି ।
ଚମ୍ପା ଦୁଇ ପତ୍ର ଭାତ ବାଢ଼ି, ଭାତ ମଝିରେ ଗାଡ଼ କରିଦେଇ ଡାଲି ବାଢ଼ିଦେଲା । ବୃନ୍ଦାବନ ଯେ ଦୁଧଠେକିଟି ଦେଉଥିଲା, ସେତକ ବାହାରକୁ ଥରେ ଅନାଇ ଦେଇ ଆପଣା ଭାତରେ ଢାଳିଦେଲା । ଗୋବିନ୍ଦା ଅନ୍ଧାରେ ବସି ଦେଖୁଛି । ଦୁଧ ଢଳା ଦେଖି ତା’ ଦେହରେ ନିଆଁ ଢାଳି ଦେଲାପରି ଜଣାଗଲା । ମନରେ କଲା, ଦୁଧଟିକକରେ ତ ଏହା–ଟଙ୍କା ସୁନା କଥା ତ ଅଛି !
ଚମ୍ପା ଡାକିଦେଲା, ‘‘ହେଇ ତୋ ଭାତ ରହିଲା, ଖା ବା ନ ଖା, ମୁଁ ଏତେ ଗୋଡ଼ ଧରିପାରେ ନାହିଁ ।’’ ଚମ୍ପା ଓଦା ହାତଟା ମୁହଁରେ ବୁଲାଇଦେଇ ଠୁଙ୍ଗାହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ଡା ସୁଡ଼୍ସୁଡ଼୍ ଶବ୍ଦରେ ଦଣ୍ଡକ ମଧ୍ୟରେ ପତ୍ର ଖାଲି କରିଦେଲା । ଚୁଲିମୁହଁ ପାଖରେ ମୁହଁଟା ଧୋଇପକାଇ ପୁନର୍ବାର ଥରେ ବାହାରକୁ ଅନାଇ ଡାକିଲା, ‘‘ଆରେ ଆ, ଭାତ ଖାଆ ।’’ ଉତ୍ତର ନାହିଁ । ଖପା ହୋଇ କହିଲା, ‘‘ଆରେ ୟାକୁ କହନ୍ତି, ସୁଖ ଭାତ ତୋଟି କୁଣ୍ଡାଇବା-।’’ ଜଳନ୍ତା ନିଆଁରେ କୁଟା ପକାଇଲାପରି ଗୋବିନ୍ଦାକୁ ଏ କଥା ଜଣାଗଲା । ତାହା ବାଦ୍ ଚମ୍ପା ପଟି ଖଣ୍ଡିକ ଉପରେ ଗଣ୍ଠିରା ଲୁଗାରୁ ଅଧେ ମେଲାଇଦେଇ ଗଣ୍ଠିରାଟି ସାବଧାନରେ ବେକତଳ ପର୍ଯ୍ୟନ୍ତ ଦେଇ ଚିତ୍ ହୋଇ ଶୋଇପଡ଼ିଲା ।
ଗୋବିନ୍ଦା ସେହିପରି ପିଣ୍ଡାରେ ବସି ଭାବୁଛି । ସେ ବର୍ତ୍ତମାନ ଭଲ କରି ବୁଝିଲାଣି, ସାପୁଣୀ ମୁଣ୍ଡରୁ ମଣି ନେବା ସହଜ ନୁହେଁ । ଆମ୍ଭେମାନେ ଗୋବିନ୍ଦପୁରର ଲୋକଙ୍କଠାରୁ ଯେପରି ଶୁଣିଛୁଁ, ସେଥିରୁ ଅନୁମାନ କରୁଅଛୁଁ, ଗୋବିନ୍ଦାର ଆଉ ଅଧିକ କିଛି ପ୍ରତ୍ୟାଶା (୧୮) ଥିଲା । ସ୍ତ୍ରୀଠାରୁ ମର୍ଯ୍ୟାଦା, ପ୍ରେମ, ଭକ୍ତି ଆନୁଗତ୍ୟ (୧୯) ପ୍ରତ୍ୟାଶା କରିବା ପୁରୁଷଜାତିର ସ୍ୱଭାବ । ଚମ୍ପାର ଆଚରଣରୁ ଜଣାଯାଏ, ତାହାର ଇଚ୍ଛା ଭଲ ପାଏ ତ ଭଲ ପାଏଁ, ହେଲେ ତୁ ଯେଉଁ ଭଣ୍ଡାରୀ, ସେହି ଭଣ୍ଡାରୀ । ଗୋବିନ୍ଦା ଏହି ଅବସ୍ଥାରେ କେତେବେଳେଯାଏ ବସିଲାଣି, ସେ ଜାଣେନାହିଁ ।
ଘୋର ଅନ୍ଧକାର ରାତ୍ରି, ମଣିଷ ନିଜ ଦେହ ଦେଖିପାରିବ ନାହିଁ । ସାଁ ସାଁ କରି ଦକ୍ଷିଣା ପବନ ବାଡ଼ୋଉଛି, ତୁହାକୁ ତୁହା ବରଷା, ବରଗଛଟା ଗୋଟାଏ ଅନ୍ଧକାରଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି । ଗୁଡ଼ାଏ ବାଦୁଡ଼ି ସାନ ସାନ ଅନ୍ଧକାର ଖଣ୍ଡପରି ଚାରିଆଡ଼ୁ ଉଡ଼ି ସେହି ଅନ୍ଧକାରଗଦାରେ ଝୁଲିପଡ଼ିଛନ୍ତି, ପୁଣି କେତେଖଣ୍ଡ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ିଯାଉଛନ୍ତି, କିଚ୍ କିଚ୍ ଶବ୍ଦ କରି ବରଫଳ ଖାଉଅଛନ୍ତି, ଟପ୍ ଟପ୍ ବରଫଳ ତଳେ ପଡ଼ୁଛି । ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ, ଘର ମଧ୍ୟରେ ଚମ୍ପାର ଅନୁନାସିକା ଶବ୍ଦ ଆହୁରି ଭୟଙ୍କର ଶୁଭୁଅଛି । ସେହି ଅନ୍ଧକାରଗଦା ତଳେ ଦୁଇଟା ପଶୁର ଖେଁ–ଖେଁ କାମୁଡ଼ାକାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକିପଡ଼ି ଅନାଇଲା । ଘର ମଧ୍ୟରେ ଜଳୁଥିବା ଦୀପର ତେଜଟି କ୍ରମଶଃ କ୍ଷୀଣ ହୋଇଆସୁଛି । ଶେଷ ସନ୍ଧ୍ୟାରେ ପଶ୍ଚିମ ଆକାଶରେ ଗୋଟିଏ ମାତ୍ର ଲୋହିତ କିରଣରେଖା ଅନନ୍ତ ଆକାଶରେ ପଡ଼ିଲାପରି ଘର ମଧ୍ୟରେ ଜଳୁଥିବା ଦୀପରୁ ଗୋଟିଏ କିରଣରେଖା ନିସ୍ତେଜ ଭାବରେ ସେହି ଅନ୍ଧାର ତଳେ ପଡ଼ିଅଛି ।
ଗୋବିନ୍ଦା ଭଲ କରି ଅନାଇ ଦେଖିଲା–ଦୁଇଟା ବିଲୁଆ ବରଫଳ ଖାଉ ଖାଉ କଳି ଲାଗିଲେ, ଗୋଟାଏ ବିଲୁଆ ଆରଟାକୁ ତଡ଼ିଦେଇ ଆପେ ସମସ୍ତ ଫଳ ଅଧିକାର କରିବସିଲା । ଗୋବିନ୍ଦା ବିଲୁଆର କାର୍ଯ୍ୟ ଦେଖି କ’ଣ ବୁଝିଲା, କ’ଣ ମନରେ ପାଞ୍ଚିଲା, ଉଠିବସି ଚାରିଆଡ଼କୁ ସାବଧାନରେ ଅନାଇଲା । ଧୀରେ ଅତି ଧୀରେ ଉଠିଯାଇ ଚମ୍ପାର ଗୋଡ଼ଠାରୁ ମୁଣ୍ଡଯାଏ ଅନେଇଲା । ଠଣାରେ ମୁଠି ରଖିଦେଇଥିଲା, ଧୀରେ ଧୀରେ ଆଣି ସେଥିରୁ କ’ଣ ଫିଟାଇ ଅଣ୍ଟାରେ ଭଲ କରି ଲୁଗା ଭିଡ଼ିଦେଇ ସେହି ପଦାର୍ଥଟା ଦୃଢ଼ରୂପେ ଧରିଲା । ଧୀରେ ଧୀରେ ଯାଇ ଚମ୍ପାକୁ ଏକ ଧ୍ୟାନରେ ଅନାଇଲା । ଭୂମି ଉପରେ ପଡ଼ି ନିଦ୍ରିତା ଶୂକରୀକୁ (୨୦) ବଣ ମଧ୍ୟରୁ କେନ୍ଦୁଆ ଯେପରି ଅନାଏଁ, ସେହିପରି ଏକ ଧ୍ୟାନରେ ଚାହିଁଅଛି । ତାହାର ଆଖି ଦୁଇଟା ଜଳୁଅଛି । ଡାହାଣ ହାତରେ ଦୃଢ଼ କରି କ’ଣ ଧରିଅଛି, ଏତେ ସାବଧାନ, ଏତେ ଧୀର ଯେ, ନିଃଶ୍ୱାସଟା ମଧ୍ୟ ବଳରେ ପକାଉ ନାହିଁ । ଡାହାଣ ଗୋଡ଼ଟି ଆଗକୁ ପକାଇବାମାତ୍ରେ ଗୋଟିଏ ଜ୍ୟୋତି ଚକ୍ଚକ୍ କରି ଚମ୍ପା ଉପରଦେଇ କାନ୍ଥରେ ବୁଲିଗଲା । ଗୋବିନ୍ଦା ଚମକିପଡ଼ି ଏକାବେଳକେ ପିଣ୍ଡାତଳକୁ ଓହ୍ଲାଇ ପଡ଼ିଲା । ଚତୁର୍ଦ୍ଦିଗକୁ ସାବଧାନରେ ଅନାଇଲା, କାହିଁ କିଛି ନାହିଁ, କେବଳ ପୂର୍ବପରି ଚତୁର୍ଦ୍ଦିଗରେ ଘୋର ପୈଶାଚିକ ଶବ୍ଦ, ଗଛତଳ ଡାଳର କେତେଖଣ୍ଡ ଅନ୍ଧାର ଫଡ଼ଫଡ଼ ହୋଇ ଉଡ଼ିପଳାଇଲେ । ବିଲୁଆଟା ଚରୁଥିଲା, ପଳାଇଗଲା । ତାହା ହସ୍ତରେ ଥିବା ପଦାର୍ଥବିଶେଷରେ ଆଲୁଅ ପଡ଼ି ଚକ୍ ଚକ୍ ଦିଶିଲା ।
ଗୋବିନ୍ଦା ସମସ୍ତ ବୁଝିପାରିଲା । ପୂର୍ବଠାରୁ ଅଧିକ ସାହସ ବାନ୍ଧି ଧୀରେ ଧୀରେ ଗୋଡ଼ ପକାଇ ଘର ମଧ୍ୟକୁ ଗଲା । ଶୁକରୀ ଉପରେ କେନ୍ଦୁଆ ଯେପରି ଝାମ୍ପି ପଡ଼େ, ସେହିପରି ଚମ୍ପା ଉପରକୁ ଝାମ୍ପି ପଡ଼ିଲା । ଠିକ୍ ସେହି ସମୟରେ ଦୀପଟା ପୋଡ଼ିଯାଇ ଦପ୍ କରି ଜଳିଉଠି ଲିଭିଯିବାରୁ କିଛି ଦିଶିଲା ନାହିଁ । ଘର ମଧ୍ୟରେ ଉତ୍କଟ ଗଁ ଗଁ ଶବ୍ଦ, ଗୋଡ଼ ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବଧ୍ ହୋଇଗଲା । ସେହି ଶବ୍ଦ ଶୁଣି ବିଲୁଆଟା ଧଡ଼ପଡ଼ ହୋଇ ପଳାଇଗଲା । ଗଛଟାରୁ ଅନ୍ଧକାରଖଣ୍ଡ ବୁଣିଗଲା ପରି ବାଦୁଡ଼ିଗୁଡ଼ାକ କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ । ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡାଳମାନଙ୍କୁ, ଦୋକାନ ଘରକୁ କଡ଼ କରି ଦୋହଲାଇ ଦେଲା । ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲାପରି ଜଣାଗଲା ।
୧) ସାତପାଞ୍ଚ—ସାତ ହାତ ଲମ୍ବ ଓ ପାଞ୍ଚ ହାତ ଚଉଡ଼ା, ୨) ଧନ୍ଦା — ଜଞ୍ଜାଳ, ୩) ଫନ୍ଦା—ବୃତ୍ତି, ୪) ଫାନ୍ଦିଛି—ବ୍ୟବସ୍ଥା କରିଛି, ସୋରିଷେ— ସୋରିଷ ଆକୃତି ସଦୃଶ, ୬) ଆପୁ—ଅଫିମ, ୭) ବିଷୟ—ସଂସାର ସମ୍ପର୍କୀୟ ଆକର୍ଷଣ, ୮) ମତ୍ତ—ବିଶେଷ ଭାବେ ଅନୁରକ୍ତ, ପାଗଳ, ୯) ଶର୍ବରୀ —ରାତ୍ରି, ୧୦) ଉପରାଣ—ଉତ୍ତରୀୟ, ଚାଦର, ୯) ଫୁଲଗୁଣା ଓ ନାଟମୟୂର —ନାକର ଅଳଙ୍କାର ବିଶେଷ, ୧୨) ଭେକ—ପୋଷାକ, ୧୩) ଆଣ୍ଠୁଆ–ନାମଜାଦା, ଟାଣୁଆ, ୧୪) ରଜ–ଧୂଳି, ୧୫) ବଟେଇ—ଯିବାଲାଗି କହିବା, ପଠାଇବା, ୧୬) ରବାଇଖବାଇ–ଈର୍ଷାଯୋଗୁଁ ଅଶାନ୍ତି, ୧୮) ପ୍ରତ୍ୟାଶ ।—ଅଭିଳାଷ, ୧୯) ଆନୁଗତ୍ୟ-ଅନୁଗତର ଭାବ, ବାଧ୍ୟ, ଅଧୀନତା, ୨୦) ଶୂକରୀ—ମାଈଘୁଷୁରି
✽✽✽
ତ୍ରୟୋବିଂଶ ପରିଚ୍ଛେଦ