ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୫ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ବିଚାରଇ ମାଳଯମକରେ କବି ମନେ ।
ବୁଲେ ରାମ-ରାମ ରାମନେତ୍ରୀ ଘେନି ବନେ ଯେ ।ବୃହଦ୍ଭାନୁ ଭାନୁ ଭାନୁ ପ୍ରଭା ତାପ ନାହିଁ ।ବୃତ ତମତମାଳ ମାଳତୀଲତା ଯହିଁ ଯେ । ୧।ବହଇ ନିର୍ଝର ଝରଝର ଅବିରତ ।ବିଶେଷ ତରଙ୍ଗ ରଙ୍ଗ ରଙ୍ଗଣୀ ଶୋଭିତ ଯେ ।ବହି ଚନ୍ଦ୍ର ଚନ୍ଦ୍ର ଚନ୍ଦ୍ର ଶୀତକୁଳ ବାତ ।ବହେ ମନ୍ଦ ମନ୍ଦ ମନ୍ଦସୁତ କରେ ରୁତ ଯେ । ୨।ବିଞ୍ଚେ ଘନଘନ ଘନ କୁଶକ’ଣ ଯଥା ।ବୃଷ୍ଟି ମଧୁର ମଧୁର ମଧୁରଜେ ତଥା ଯେ ।ବିଭାଜିତ ଭୃଙ୍ଗ ଭୃଙ୍ଗ ଭୃଙ୍ଗ କରେ କେଳି ।ବନୀ ବନୀ ବନିତା କି ପୁଷ୍ପହାସେ ଝଳି ଯେ । ୩।ବୋଧେ ଶୃଙ୍ଖଳାରେ ରଘୁନାଥ ସୀତା ମତି ।ବିଚିତ୍ର ଚିତ୍ରକୂଟ ଯେ କୂଟଜେ ବ୍ରତିତ ଯେ ।ବୃତତୀତତି ଜୟନ୍ତୀ ଅତିଭା ବାସନ୍ତୀ ।ବାସନ୍ତୀ ସତିରେ ଫୁଲ୍ଲ ଫୁଲରେ ପ୍ରବର୍ତ୍ତି ଯେ । ୪।ବର୍ତ୍ତିକ ତିକ ଆଳି କଳି ଯେ ବିହରିତ ।ବିହରିତ ମାନ ମାନ ଶୁକ ସୁକବିତ ଯେ ।ବିତର ତରଳ ନେତ୍ର ନେତ୍ର ସୁବାସିନୀ ।ବାସିନୀ ସୁଜାତି ଜାତୀ ସ୍ୱଭାବ ଭାବିନି ଯେ । ୫।
୧ମ ପଦ :- ରାମ-ରମଣୀୟ, ସୁନ୍ଦର । ରାମ-ରାମଚନ୍ଦ୍ର । ରାମନେତ୍ରୀ-ମୃଗନେତ୍ରୀ । ବୃହଭାନୁ-ଅଗ୍ନି । ଭାନୁ-ସୂର୍ଯ୍ୟ । ଭାନୁ-କିରଣ । ତମାଳମାଳ-ତମାଳ ବୃକ୍ଷ ସମୂହ ।
୧ମ ପଦ :- କବି ‘ମାଳଯମକରେ’ କବିତା କରିବାକୁ ମନରେ ବିଚାର କରେ । (ମାଳଯମକ ଲକ୍ଷ୍ମଣ,-ଏକମାତ୍ର ଶବ୍ଦ ଭିନ୍ନାର୍ଥକରେ ଦୁଇରୁ ଅଧିକ ଥର ପ୍ରୟୋଗ ହେଲେ ମାଳ ଯମକ ହୁଏ । ଯଥା,-‘ରାମ ରାମରାମ ନେତ୍ରୀ’) ।
ସୁନ୍ଦର ରାମଚନ୍ଦ୍ର ମୃଗନେତ୍ରୀ ସୀତାଙ୍କୁ ସଙ୍ଗରେ ଘେନି କାନନରେ ଭ୍ରମଣ କରନ୍ତି । ସେହି ବନରେ ତମାଳ ବୃକ୍ଷମାନଙ୍କ ଦେହରେ ମାଳତୀ ଲତା ଘନ ଭାବରେ ମାଡ଼ିବାରୁ ଅଗ୍ନି ଓ ସୂର୍ଯ୍ୟ କିରଣର ଉତ୍ତାପ ବାଧେ ନାହିଁ ।
୨ୟ ପଦ :- ନିର୍ଝର-ଝରଣା । ଚନ୍ଦ୍ର-ଚନ୍ଦନ । ଚନ୍ଦ୍ର-କର୍ପୁର । ଚନ୍ଦ୍ର-ଜଳ । ମନ୍ଦସୁତ-କୋକିଳ । ରୁତ-ଧ୍ୱନି ।
୨ୟ ପଦ :- ଝରଣା ସବୁବେଳେ ଝର ଝର ହୋଇ ବହୁଅଛି । ସେହି ଝରଣା ସ୍ରୋତର ଦୁଇ ପାର୍ଶ୍ୱରେ ବିଭିନ୍ନ ରଙ୍ଗର ରଙ୍ଗଣୀ ପୁଷ୍ପ ଫୁଟି ଶୋଭା ପାଉଅଛି । ପବନ ଜଳ, କର୍ପୂର ଓ ଚନ୍ଦ୍ରର ଶୈତ୍ୟଗୁଣକୁ ଧାରଣ କରି ଧୀରେ ଧୀରେ ବହୁଅଛି । କୋକିଳ ଅନବରତ ଧ୍ୱନି କରୁଅଛି ।
୩ୟ ପଦ :- ଘନ-ମେଘ । କୁଶକ’ଣ-ଜଳକଣା । ମଧୁର-ମହୁଲ ଗଛ । ମଧୁର-ମନୋହର । ମଧୁରଜ-ଫୁଲରେଣୁ । ଭୃଙ୍ଗ-ଗୁଡ଼ତ୍ୱକ୍ଗଛ । ଭୃଙ୍ଗ-ଭୃଙ୍ଗରାଜ ଗଛ । ଭୃଙ୍ଗ-ଭ୍ରମର । ବନିତା-ସ୍ତ୍ରୀ ।
୩ୟ ପଦ :- ଯେପରି ମେଘ ଖୁବ୍ ଘନଭାବରେ ଜଳକଣାସବୁ ବିଞ୍ଚେ (ମେଘ କୁଣ୍ଡା ଝାଡ଼େ), ସେହିପରି ମହୁଲ ଗଛ ମାଧୁର୍ଯ୍ୟ ଗୁଣ ବା ମହୁ ଓ ଫୁଲର ରେଣୁ ବିଞ୍ଚୁଅଛି । ଶୋଭା ପାଉଥିବା ଭୃଙ୍ଗରାଜ ଓ ଗୁଡ଼ତ୍ୱକ ବୃକ୍ଷରେ ଭ୍ରମରମାନେ କେଳି କରୁଅଛନ୍ତି । ସେ ‘ବନୀ’ କାନନ ‘ବନୀ’ ସୁନ୍ଦର ସ୍ତ୍ରୀ ପ୍ରାୟ ପୁଷ୍ପବିକାଶ ଛଳରେ ହାସ ପ୍ରକାଶ କରୁଅଛି । (ସୁନ୍ଦରୀ ସ୍ତ୍ରୀ ହସିଲେ ଯେପରି ଅତ୍ୟନ୍ତ ସୁନ୍ଦର ଦିଶେ, ସେହିପରି କାନନରେ ଫୁଲ ଫୁଟିଥିବାରୁ ବେଶୀ ମନୋହର ହୋଇଅଛି) ।
୪ର୍ଥ ପଦ :- ବ୍ରତତୀତତି-ଲତାସମୂହ । ଅତିଭା-ଅତ୍ୟନ୍ତ ଶୋଭା । ବାସନ୍ତୀ-ମାଧବୀଲତା । ବିଚିତ୍ର-ସୁଶୋଭିତ । କୁଟଜ-ଗରିମଲ୍ଲିକା । ବୁତତି-ମଣ୍ଡିତ ।
୪ର୍ଥ ପଦ :- ରାମଚନ୍ଦ୍ର ସୀତାଙ୍କର ମନ ବୋଧ କରିବା ନିମିତ୍ତ ଶୃଙ୍ଖଳାବଦ୍ଧ ନିୟମରେ କହିଲେ, ‘‘ଦେଖ, ନାନା ଶେଭାରେ ଚିତ୍ରିତ ଚିତ୍ରକୂଟ ପର୍ବତ ଗିରିମଲ୍ଲିକାରେ ମଣ୍ଡିତ ହୋଇଅଛି, ଲତାସମୂହ ବେଷ୍ଟିତ ଜୟନ୍ତୀ ବୃକ୍ଷସବୁ ଅତି ଶୋଭା ପାଉଅଛନ୍ତି: ରେ ସତି ! ମାଧବୀ ଓ ଯୁଥିକା ଲତା ପ୍ରସ୍ଫୁଟିତ କୁସୁମରେ ଭୂଷିତ ହୋଇଅଛନ୍ତି ।’’
୫ମ ପଦ :- ବର୍ତ୍ତିକ-ବଣିଚଢ଼ାଇ । ତିକ-ବାୟା ଚଢ଼ାଇ । ଆଳି ଆଳି-ଦଳ ଦଳ । ବାସିନୀ-ସୁଗନ୍ଧଯୁକ୍ତ । ସ୍ୱଭାବ-ସ୍ୱଭାବତଃ । ଭାବିନି-ଭାବବତୀ ।
୫ମ ପଦ :- ‘‘ବଣି ଓ ବାୟାଚଢ଼େଇ ଦଳ ଦଳ ହୋଇ ବିହାର କରୁଅଛନ୍ତି । (ଅନ୍ୟାର୍ଥ ’କତି’ ସମୀପରେ ‘ବର୍ତ୍ତି’ ପ୍ରବର୍ତ୍ତି ‘କ’ ମୟୁରମାନେ ଦଳ ଦଳ ହୋଇ ନୃତ୍ୟ କରୁଅଛନ୍ତି ) । ଉତ୍ତମ କବିର ଗାନପରି ଶୁକପକ୍ଷୀର ମନୋହର ଗାନ ମନରୁ ଅଭିମାନକୁ ହରଣ କରୁଅଛି । ରେ ମୃଗମଦ ସୁଗନ୍ଧନି (କସ୍ତୁରୀ ବାସନାପରି ଯାହାର ଦେହର ବାସନା) ସୀତେ ! ହେ ପ୍ରିୟେ ! ତୁମ୍ଭର ତରଳ ନେତ୍ର ପକାଇ ଦେଖ, ସୁଗନ୍ଧନୀ ଓ ଉତ୍ତମ ଜାତୀୟ ମାଳତୀ ଲତା କିପରି କୁସୁମବତୀ ହୋଇଅଛି ।’’
ବିନିସ୍ୱତ ସ୍ୱତ ଶୋଭିତ ଭୀତ ବୈଭ୍ରାଜ ।ବୈଭ୍ରାଜ ସୁରସା ରସା କରକର ବୀଜ ଯେ ।ବିଜନମିତ ମିତ ହରଷ ରସବାର ।ବାରଣବୃଷା ବୃଷାଳସାଳ ପୁର ପୁର ଯେ । ୬।ବୋଧନ୍ତି ରାମ ସିଂହାବଲୋକନେ ଅବଳା ।ବଳାକାପନ୍ତି କରିଛି ଧ୍ରୁବକୁ ଧବଳା ଯେ ।ବଳାଇ ମାନସ ମାନ ଅନା ପ୍ରାଣବନ୍ଧୁ ।ବନ୍ଧୁକ ରଞ୍ଜନ ଅତି ରଙ୍ଗ ନିରବନ୍ଧୁ ଯେ । ୭।ବନ୍ଧୁରପଥଟି ହେଜି ହେଜି ପଦ ବଳା ।ବଳାଧ୍ୱନି ପ୍ରାୟେ ଝିଲ୍ଲୀ ଶବଦ ପ୍ରବଳା ଯେ ।ବଳାପନ୍ତି ଫଳବତୀ ପ୍ରଫୁଲ ସେବତୀ ।ବତିଶଲକ୍ଷଣା ଦେଖ ବିହରେ ପାର୍ବତୀ ଯେ । ୮।ବତୀର୍ଣ୍ଣ ଅପୂର୍ବ ହୋଇ କେତେ ନାଗବଲ୍ଲୀ ।ବଲ୍ଲିକା ତଳେ ଶୟନ ଚାମରୀ ଆବଳୀ ଯେ ।ବଳିବ ଚଇତ୍ର ରଥୁଁ ଏମନ୍ତ ଭାବନା ।ବନାଳୀ ପ୍ରଭୁ କରିଣ କର ସମ୍ଭାବନା ଯେ । ୯।ବ୍ୟାଘ୍ର ଗତିରେ ସଧୀରେ କହନ୍ତି ବୀର ସେ ।ବୀରତରୁରେ ତରୁଣି କୁସୁମ ବରଷେ ଯେ ।ବର ଉନ୍ନତି ଉନ୍ନତ ଉପମା-ବିହୀନ ।ବିହିତ କରିଛି ବିହି କକୁଭ ବଚନ ଯେ । ୧୦।
୬ଷ୍ଠ ପଦ :- ବୈଭ୍ରାଜ-ସ୍ୱର୍ଗଉଦ୍ୟାନ । ବୈଭ୍ରାଜ-ଦେଦୀପ୍ୟମାନ । ରସା-ପୃଥିବୀ । କରକର-ଡାଳିମ୍ବର । ରସବାର-ଅନୁରାଗସମୂହ । ବାରଣବୃଷା-କଦଳୀଗଛ । ପୁର-ଗୁଳ୍ମଗଛ । ପୁର-ଆଗରେ ।
୬ଷ୍ଠ ପଦ :- ‘‘ଏହା ସ୍ୱତଃସିଦ୍ଧ ଯେ, ସ୍ୱର୍ଗଉଦ୍ୟାନର ଶୋଭା ଏ ବନର ଶୋଭାଠାରେ ଭୀତ ହୋଇଅଛି, । (ଏ ବନର ଶୋଭା ବୈଭ୍ରାଜ ନାମକ ଦେବ ଉଦ୍ୟାନର ଶୋଭାଠାରୁ ବେଶୀ ମନୋହର) । ହେ ସୁରସା ! ପୃଥିବୀ ଦାଡ଼ିମ ଫଳର ମଞ୍ଜିରେ ଦେଦୀପ୍ୟମାନ ହୋଇଅଛି (ଦାଡ଼ିମ ଫଳ ବୃକ୍ଷରେ ପାଚି ଫାଟି ମଞ୍ଜିସବୁ ତଳେ ପଡ଼ି ସୁନ୍ଦର ଦିଶୁଅଛି) । ହେ ସଖି ! କଦଳୀଗଛ, ବଡ଼ବଡ଼ ଶାଳ ଗଛ, ଗୁଗ୍ଗୁଳ ପ୍ରଭୃତି ବୃକ୍ଷମାନେ ଆଗରେ ରହି ହର୍ଷ ଓ ଅନୁରାଗ ସମୂହକୁ ଜାତ କରୁଅଛନ୍ତି । (ଏମାନଙ୍କୁ ଦେଖିଲେ ହର୍ଷ ଓ ଅନୁରାଗ ହୃଦୟରେ ଜନ୍ମୁଅଛି) ।’’
୭ମ ପଦ :- ବଳାକାପନ୍ତି-ବଗପକ୍ଷିସମୂହ । ଧ୍ରୂବକୁ -ଲଣ୍ଡା ଗଛକୁ ।
୭ମ ପଦ :- ପୁଣି ରାମଚନ୍ଦ୍ର ସିଂହାବଲୋକନ ଲକ୍ଷଣରେ ସୀତାଙ୍କୁ ବୋଧ ଦେଇ କହୁଅଛନ୍ତି, ‘‘ରେ ପ୍ରାଣବନ୍ଧୁ ! ମୋ କଥା ମାନି ଥରେ ଚାହିଁ ଦେଖ, ବଗସବୁ ଥୁଣ୍ଟା ଗଛମାନଙ୍କୁ ଧବଳିତ କରିଅଛନ୍ତି । (ଥୁଣ୍ଟା ଗଛରେ ବହୁତ ବଗ ବସିଥିବାରୁ ତାହା ଧବଳିତ ହୋଇଅଛି) । ବଧୂଲୀ ପୁଷ୍ପ ଗାଢ଼ ଲାଲରଙ୍ଗ ହେତୁ ଅନୁରାଗଜନକ ହୋଇଅଛି ।’’
୮ମ ପଦ :- ବନ୍ଧୁରପଥ-ଖାଲଢ଼ିପ ସ୍ଥାନ । ଝିଲ୍ଲୀ-ଝିଙ୍କାରୀ । ବଳାପନ୍ତି-ବାଡ଼ିଅଁଳା । ପାର୍ବତୀ-ପ୍ରଜାପତି ।
୮ମ ପଦ :- ‘‘ରେ ବନ୍ଧୁ ! ଏ ଖାଲି ଢିପ ବାଟ, ଏହା ମନେକରି (ସାବଧାନ ହୋଇ) ପାଦ ପକାଇ ଚାଲ । ତୋର ବଳା ଧ୍ୱନି ପ୍ରାୟ ଝିଙ୍କାରୀ ଶବ୍ଦ ପ୍ରବଳା ହୋଇଅଛି । ବାଡ଼ିଅଁଳା ଗଛସବୁ ଫଳବତୀ ହୋଇଅଛନ୍ତି । ସେବତୀ ଲତାରେ ଫୁଲ ଫୁଟିଅଛି । ରେ ଲକ୍ଷଣବତୀଶ ସୀତେ ! ପ୍ରଜାପତି କୀଟ ତହିଁରେ କିପରି ବିହାର କରୁଛି ଦେଖ ।’’
୯ମ ପଦ :- ନାଗବଲ୍ଲୀ-ପାନଲତା । ବଲ୍ଲିକା-ଲତା । ଚୈତ୍ରରଥ-କୁବେରଙ୍କ ଉଦ୍ୟାନ । ବନାଳି-ବନସମୂହ ।
୯ମ ପଦ :- ‘‘କେତେ ପାନ ଲତା ‘ଅପୂର୍ବ ବତୀର୍ଣ୍ଣ’ ଅବତୀର୍ଣ୍ଣ ହୋଇଅଛି । ଲତାମାନଙ୍କ ତଳରେ ଚାମରୀ ମୃଗସବୁ ଶୟନ କରିଅଛନ୍ତି । ତାହା ଦେଖି ମନରେ ଭାବନା ହେଉଛି, ଏ ବନ କୁବେର ଉଦ୍ୟାନଠାରୁ ମଧ୍ୟ ଅଧିକ ମନୋହର ଅଟେ । ଏ ବନ ବନମାନଙ୍କର ପ୍ରଭୁ-ଏହା ସମ୍ଭାବନା କର ।’’
୧୦ମ ପଦ :- ବୀରତରୁ-ଅର୍ଜୁନ ଗଛ । ବରଉନ୍ନତ-ଅତି ଉଚ୍ଚ । କକୁଭ-ଦିଗ, ଅର୍ଜ୍ଜନୁବୃକ୍ଷ ।
୧୦ମ ପଦ :- ବୀର ରାମଚନ୍ଦ୍ର ତତ୍ପରେ ବ୍ୟାଘ୍ରଗତି ଲକ୍ଷଣରେ ଧୀରଭାବରେ କହୁଅଛନ୍ତି, ‘‘ରେ ତରୁଣୀ ! ଅର୍ଜ୍ଜୁନବୃକ୍ଷ ପୁଷ୍ପମାନଙ୍କୁ ବର୍ଷଣ କରୁଅଛି । ସେ ବୃକ୍ଷ ଖୁବ୍ ଉଚ୍ଚ ଓ ଉପମାବିହୀନ ଅଟେ । ବିଧାତା ଏହାକୁ ଯେଉଁ କକୁଭ ନାମ ଦେଇଅଛି, ତାହା ଉଚିତ ହୋଇଅଛି ।’’
ବଚ ସହିତରେ ସହି ପ୍ରକାଶେ ବିଭୁତି ।ବିଭୂଷଣ ଚମ୍ପା ଷଣପୁଷ୍ପ ଅବିରତି ଯେ ।ବିରଳ ଭାରତୀ କରି ଭାରତୀ ବିହାରେ ।ବିହୟସେ ଲାସ୍ୟ ଉଲ୍ଲାସକୁ ନ ବିସରେ ଯେ । ୧୧।ବିଶଦ ମଲ୍ଲିକାକୁଳ ବକୁଳ ବସତି ।ବଶରେ ବସନ୍ତି ମଧୁକରେ ବିଳସନ୍ତି ଯେ ।ବିଳଶଯ୍ୟା ଗନ୍ଧସାର ଗନ୍ଧରେ ବିଦିତ ।ବିଦିଗ ଦିଗ ଜବନେ ପବନେ ବାସିତ ଯେ । ୧୨।ବସନ୍ତବସନ ବଶ ମହାଯମକରେ ।ବସନ୍ତ ବସନ୍ତପକ୍ଷୀ ବସନ୍ତଦ୍ରୁମରେ ଯେ ।ବିଥୀବିଥୀ ଶୋଭା ଦିଶି କୁମୁଦ କୁମୁଦ ।ବିଲୋକ ହାସ ପ୍ରକାଶି କୁମୁଦ କୁମୁଦ ଯେ । ୧୩।ବିକଶିତ ହୋଇଛନ୍ତି କେଶରୀ କେଶରୀ ।ବିଳସେ ଶାଖାରେ ଦେଖ କେଶରୀ କେ ସରି ଯେ ।ବିଦାରି ଯାଇଛି କରିକେଶରୀ କେଶରୀ ।ବିହୀନ ହୋଇଛି ମାତ୍ର କେଶରୀ କେଶରୀ ଯେ । ୧୪।ବାଳାକୁ ହସ୍ତ ଦେଖାଇ ପୁଣି ରଘୁବର ।କାକ୍ୟ ସମ୍ବୋଧନ ଭାଷି ସର୍ବ ଯମକର ଯେ ।ବଇଦେହୀ ସୁମନା ସୁମନା ଏ ସୁରଭି ।ବଇଦେହୀ ସୁମନା ସୁମନା ଏ ସୁରଭି ଯେ । ୧୫।୧୧ଶ ପଦ :- ବଚ-କୋକିଳ । ଭାରତୀ-ଭରତିଆ ପକ୍ଷୀ । ବିହାୟସେ-ଆକାଶରେ । ଲାସ୍ୟ-ସ୍ତ୍ରୀମାନଙ୍କର ମଣ୍ଡଳାକୃତି ନୃତ୍ୟ ।
୧୧ଶ ପଦ :- ‘‘ରେ ସହି ! ଏହି ଅର୍ଜ୍ଜୁନ ବୃକ୍ଷ ଶୁକପକ୍ଷୀଙ୍କ ସହିତ ‘ବି-ଭୂତି’ ପକ୍ଷୀରୂପେ ଐଶ୍ୱର୍ଯ୍ୟ ପ୍ରକାଶ କରୁଅଛି (ବୃକ୍ଷରେ ବହୁତ ପକ୍ଷୀ ବସିଥିବାରୁ ବୃକ୍ଷ ତାଙ୍କଦ୍ୱାରା ଆଚ୍ଛାଦିତ ହୋଇଅଛି ) ଏବଂ ସର୍ବଦା ଚମ୍ପା ଓ ଷଣପୁଷ୍ପ ଗଛର ଫୁଲ ଦ୍ୱାରା ଏ ବୃକ୍ଷ ଭୂଷିତ ହୋଇଅଛି । (ବୃକ୍ଷ ଉପରେ ଶୁକପକ୍ଷୀ ଏବଂ ତଳେ ଘେରି ରହିଥିବା ଚମ୍ପା ଓ ଷଣପୁଷ୍ପ ଗଛର ଫୁଲ ଯୋଗେ ଶୋଭିତ ହୋଇଅଛି) । ଭରତିଆ ପକ୍ଷୀ ସୁନ୍ଦର ଶବ୍ଦ କରି ବିହାର କରୁଅଛି । ଉଲ୍ଲାସ ମନରେ ନୃତ୍ୟଛଳରେ ଆକାଶକୁ ଉଡ଼ିଯାଇ ପୁଣି ଆସି ବସୁଛି । (ଭରତିଆ ପକ୍ଷୀ କୌଣସିଠାରେ ସ୍ଥିର ହୋଇ ବସେ ନାହିଁ । ସେ ଆନନ୍ଦ ମନରେ ଆକାଶରେ ଉଡ଼ୁଛି ପୁଣି ସେ ବୃକ୍ଷରେ ବସୁଛି) ।
୧୨ଶ ପଦ :- ବିଶଦ-ଶୁକ୍ଳ । ମଧୁକର-ଭ୍ରମର । ଗନ୍ଧସାର-ଚନ୍ଦନ । ଜବନେ-ଶୀଘ୍ର ।
୧୨ଶ ପଦ :- ‘‘ମଲ୍ଲିବୁଦା ବହୁତ ଫୁଲ ଫୁଟିଥିବା ଯୋଗୁ ଶୁକ୍ଳବର୍ଣ୍ଣ ହୋଅଛି । ଏ ବନ ବକୁଳ ବୃକ୍ଷରେ ପୂର୍ଣ୍ଣ ହୋଇଅଛି । (ଅନ୍ୟାର୍ଥ :- ଏ ବନ ଶୁକ୍ଳ ମଲ୍ଲି ଓ ବକୁଳ ଗଛର ବାସସ୍ଥାନ ହୋଇଅଛି) । ଭ୍ରମରମାନେ ବଶୀଭୂତ ହୋଇ ଫୁଲମାନଙ୍କରେ ବସୁ ଅଛନ୍ତି । ସୁଗନ୍ଧରେ ମୋହିତ କରୁଥିବା ଚନ୍ଦନ ବୃକ୍ଷମାନଙ୍କରେ ସର୍ପମାନେ ବିହାର କରନ୍ତି । ଦିଗ ବିଦିଗ ସବୁ ପବନ ଯୋଗେ ଅହରହ ସୁବାସିତ ହେଉଅଛନ୍ତି ।’’
୧୩ଶ ପଦ :- ବସନ୍ତବସନ-ପୀତାମ୍ୱର (ରାମଚନ୍ଦ୍ର) । ବସନ୍ତ-ଆସୀନ ବା ଉପବିଷ୍ଟ । ବସନ୍ତପକ୍ଷୀ-ହଳଦୀବସନ୍ତ । ବସନ୍ତଦ୍ରୁମରେ-ଆମ୍ବଗଛରେ । ବିଥୀ-ବିଥୀ-ଶ୍ରେଣୀ ଶ୍ରେଣୀ । କୁମୁଦ-ରକ୍ତପଦ୍ମ । କୁମୁଦ-କଇଁ । କୁମୁଦ-ବୃଥା ଆନନ୍ଦ ।
୧୩ଶ ପଦ :- ବସନ୍ତବସନ ରାମଚନ୍ଦ୍ର ମହାଯମକରେ ବଶ ହୋଇ କହୁଅଛନ୍ତି, (ମହାଯମକ ଲକ୍ଷ୍ମଣ-ପ୍ରତ୍ୟେକ ପାଦରେ ଏକଶବ୍ଦ ଯମକ ନିୟମରେ ରହିଥାଏ) ‘ହେ ସଖୀ ! ହଳଦୀବସନ୍ତ ପକ୍ଷୀ ଆମ୍ବଗଛରେ ବସି ଅଛନ୍ତି । ପୁଷ୍କରିଣୀରେ ରକ୍ତପଦ୍ମ ଓ କଇଁଫୁଲସବୁ ଧାଡ଼ି ଧାଡ଼ି ହୋଇ ଫୁଟି ଶୋଭା ପାଉଅଛି । ତୁମ୍ଭେ ସେମାନଙ୍କୁ ହାସ ପ୍ରକାଶ କରି ଦେଖ ଏବଂ ସେମାନଙ୍କ କୁତ୍ସିତ ପ୍ରକାଶକୁ ମୁଦ୍ରିତ କରିଦିଅ । (ତୁମ୍ଭର ହାସ ଦେଖି କଇଁ ଓ ନେତ୍ରର ଶୋଭା ଦେଖି ପଦ୍ମ ଲଜ୍ଜାରେ ମୁଦ୍ରିତ ହୋଇଯିବେ । )
୧୪ଶ ପଦ :- କେଶରୀ-ନାଗେଶ୍ୱର । କେଶରୀ-ପୁନ୍ନାଗ । କେଶରୀ-ମର୍କଟ ବିଶେଷ । କରିକେଶରୀ-ଶ୍ରେଷ୍ଠ ହସ୍ତୀ । କେଶରୀ-ସିଂହ । କେଶରୀ-ଘୋଟକ ।
୧୪ଶ ପଦ :- ‘ପୁଣି ଏ ବନରେ ପୁନାଙ୍ଗ, ନାଗେଶ୍ୱର ବୃକ୍ଷମାନେ ପୁଷ୍ପିତ ହୋଇଅଛନ୍ତି । ତାଙ୍କ ଡାଳରେ ବାନରମାନେ ରତିକ୍ରୀଡ଼ା କରୁଅଛନ୍ତି । ତାଙ୍କ ରତିକ୍ରୀଡ଼ା ସହିତ ଆଉ କିଏ ସମାନ ହେବ ? (ଆଉ କେହି ସମାନ ନୁହଁନ୍ତି । ଦେଖ, ଏଠାରେ ସିଂହ ଶ୍ରେଷ୍ଠହସ୍ତୀକୁ ବିଦାରଣ କରି ଯାଇଅଛି ।) (ତୁ ମନେ କରିବୁ, ମୁଁ ତ କରୀଗମନା ଓ କରୀକୁମ୍ଭସ୍ତନା, ସିଂହ ମୋତେ କାଳେ ବିଦାରିବ । ମାତ୍ର ସେ ଭୟ କର ନାହିଁ । କାରଣ, ସେ ହସ୍ତୀକୁ ବିଦାରଣ କରି ଚାଲି ଯାଇଅଛି-ଏଠାରେ ନାହିଁ) । ଏ ବନ ସହିତ କେହି ସମାନ ହେବେ ନାହିଁ । କିମ୍ବା ଏ ବନ କେବଳ ଶ୍ରେଷ୍ଠ ଘୋଟକ ବିହୀନ ହୋଇଅଛି । (ଏ ବନରୁ ସବୁ ଅଛି ମାତ୍ର ଉତ୍ତମ ଜାତୀୟ ଅଶ୍ୱ ନାହାନ୍ତି) ।’’
୧୫ଶ ପଦ :- ସୁମନା-ଦେବପୁଷ୍ପ ବା ଲବଙ୍ଗ ବୃକ୍ଷ । ସୁରଭି-ସୁନ୍ଦର । ବଇଦେହୀ-ପିପ୍ପଳୀ ଗଛ । ସୁମନା-ମନୋରମା । ସୁମନା-ଧୀର । ସୁରଭି-ଜାଇଫଳ ଗଛ ।
୧୫ଶ ପଦ :- ତତ୍ପରେ ରଘୁବର ସୀତାଙ୍କୁ ସମ୍ବୋଧନ କରି ହସ୍ତଦ୍ୱାରା ଦେଖାଇ ଦେଇ ସର୍ବଯମକରେ କହିଲେ, (ସର୍ବଯମକ ଲକ୍ଷଣ:- ସମସ୍ତ ପାଦ ଭିନ୍ନାର୍ଥରେ ଏକ ଶବ୍ଦ ବିଶିଷ୍ଟ ହେଲେ ସର୍ବଯମକ ହୁଏ) ‘‘ହେ ବୈଦେହୀ ! ହେ ମନୋରମେ ! ହେ ଧୀରେ ! ଦେଖ, ଏ ମାଳତୀ ପୁଷ୍ପ, ଏ ଚମ୍ପାପୁଷ୍ପ, ଏ ପିପ୍ଳୀ ବୃକ୍ଷ, ଏ ଲବଙ୍ଗ ବୃକ୍ଷ, ଏ ଜାଇଫୁଲ ବୃକ୍ଷ ।’’
ବିଦ୍ୟଲୋକରେ ପ୍ରିୟକ ମାଧବୀ ସଂଘାତ ।ବିଦ୍ୟ ଲୋକରେ ପ୍ରିୟକ ମାଧବୀ ସଂଘାତ ଯେ ।ବାଳିକା କନକକାନ୍ତି କନକ କନକ ।ବାଳିକା କନକକାନ୍ତି କନକ କନକ ଯେ । ୧୬।ବିଳାସିନିଏ ସାରଙ୍ଗ ସାରସ ଚକ୍ରରେ ।ବିଳାସିନୀଏ ସାରଙ୍ଗ ସାରସ ଚକ୍ରରେ ଯେ ।ବରାହ ବରେ ପ୍ରକାଶ ମାନ ଯେ ଦନ୍ତରେ ।ବରାହବରେ ପ୍ରକାଶମାନ ଯେ ଦନ୍ତରେ ଯେ । ୧୭।ବୋଲନ୍ତି ଗୋମୂତ୍ର ଛନ୍ଦେ ହସ ହସ ହୋଇ ।ବୀଣାପ୍ରତିଭାରେ ଅନା ଡୋଳାକୁ ଖେଳାଇ ଯେ ।ବାରବାର ତାରତର ମଣିଗଣ ଜ୍ୟୋତି ।ବିରତର ସୁରତର ଏଣୀ ଏଣ ପ୍ରୀତି ଯେ । ୧୮।ବଶ ରତ୍ନନିଧି ଗୁଞ୍ଜ ସଙ୍ଗ ଆସନରେ ।ବଶ ଯତ୍ନ ବିଧି କୁଞ୍ଜଭୃଙ୍ଗ ପ୍ରସନ୍ନରେ ଯେ ।ବାଦୀବାତ ବେଣୁ ଥାଇ ଥାଇ ପ୍ରେମଶୀଳା ।ବେଦିବତ ମଣୁଥାଇ ପାଇ ରାମ ଶିଳା ଯେ । ୧୯।ବ୍ୟଥା କରିବନି ପାଦ ପ୍ରକାଶି ବସିଲେ ।ବସାଇ ଜାନୁରେ ଅନ୍ତର୍ଲିପିଏ ଭାଷିଲେ ଯେ ।ବିହାରସ୍ଥାନକେ ମୀନମାନଙ୍କ ଅଟଇ । (ବନ)ବାୟସରେ କେହୁପ୍ରତିପାଳିତ ହୁଅଇ ଯେ । ୨୦ । (ପିକ)
୧୬ଶ ପଦ :- ଲୋକରେ-ସଂସାରରେ । ଲୋକ-ଦେଖ । ପ୍ରିୟକ-କଦମ୍ବ ଗଛ । ମାଧବୀ-ତୁଳସୀଗଛ । ସଂଘାତ-ସମୂହ । ବାଳିକା-ବାଳିକେ ବା ବାଳେ ବୋଲି ସମ୍ବୋଧନ । ବାଳିକା-ଲଟିପଲାଶ । କନକକାନ୍ତି-ସୁବର୍ଣ୍ଣ ଓ ଚମ୍ପକ ପରି କାନ୍ତିବିଶିଷ୍ଟାସ୍ତ୍ରୀ ।
୧୬ଶ ପଦ :- ‘‘ହେ ସଙ୍ଗାତ ! ହେ ବାଳେ ! ହେ ଚମ୍ପକବର୍ଣ୍ଣେ ! ଦେଖ, ଏ ଧାର୍ମିକ ଲୋକଙ୍କର ପ୍ରିୟ ତୁଳସୀ ବୃକ୍ଷ । କଦମ୍ବ ବୃକ୍ଷ ମାଧବୀ ଲତା ସମୂହରେ ବେଷ୍ଟିତ ହୋଇ ଶୋଭା ପାଉଅଛି । ପୁଣି ନାଗେଶ୍ୱର, ସୁନାରୀ, କିଂଶୁକ ଓ ଚମ୍ପା ବୃକ୍ଷ କିପରି ଶୋଭା ବିସ୍ତାର କରିଅଛନ୍ତି ।’’
୧୭ଶ ପଦ :- ବିଳାସିନୀ-ବିଳାସବତୀ ସ୍ତ୍ରୀ । ସାରଙ୍ଗ-ଚନ୍ଦ୍ର, ଭଦଭଦଳିଆ, ପଦ୍ମ, ଚକ୍ରବାକ, ମତ୍ତହସ୍ତୀ । ସାର-ଶ୍ରେଷ୍ଠ । ସଚକ୍ରରେ-ସମୂହରେ । ସାରଙ୍ଗ-ହଂସ । ସାରସ-ସାରସ ପକ୍ଷୀ । ଚକ୍ରରେ-ଚକ୍ରବାକପକ୍ଷୀ । ବରାହବରେ-ଶ୍ରେଷ୍ଠ ବରାହମାନେ । ମାନ-ଗର୍ବ । ବରାହବରେ-ପ୍ରଧାନ ଯୁଦ୍ଧରେ । ଦନ୍ତରେ-ପର୍ବତ ଶୃଙ୍ଗରେ ବା ଲତା କୁଞ୍ଜରେ ।
୧୭ଶ ପଦ :- ‘‘ହେ ବିଳାସିନି ! ଏ ପୁଷ୍କରିଣୀର ଜଳ ଚକ୍ରବାକ ସହିତରେ ଶୋଭମାନ ହୋଇଅଛି । ଏ ଭ୍ରମର ପଦ୍ମ ସମୂହରେ ବିଳାସବତୀ ହୋଇଅଛି । ହେ ବରେ ! ଦେଖ, କିପରି ଘୋରତର ଯୁଦ୍ଧରେ ମତ୍ତ ହେଲା ପ୍ରାୟ ଦନ୍ତ ଦେଖାଇ ପର୍ବଭରେ ଶୁକରମାନେ ବୁଲୁଅଛନ୍ତି ।’’
୧୮ଶ ପଦ :- ବୀଣାପ୍ରତିଭା-ବିଦ୍ୟୁତ୍ପରି ଗୌରାଙ୍ଗୀ । ବାର ବାର-ପୁନଃପୁନ । ତାରତର-ଅତ୍ୟୁଜ୍ଜ୍ୱଳ । ବିରତର-ରତିକ୍ରୀଡ଼ାରେ ବିଶେଷରେ ଆସକ୍ତ । ଏଣୀ ଏଣ-ମୃଗୀ ମୃଗ ।
୧୮ଶ ପଦ :- ପୁଣି ରାମଚନ୍ଦ୍ର ହସ ହସ ହୋଇ ଗୋମୂତ୍ର ଛନ୍ଦରେ କହନ୍ତି, ‘‘ହେ ବିଦ୍ୟୁତ୍ ଗୋରୀ ! ମଣି ପୁଞ୍ଜପରି ସମୁଜ୍ଜ୍ୱଳ ତୋର ଚକ୍ଷୁଦ୍ୱୟର ଡୋଳାକୁ ବାରମ୍ବାର ଖେଳାଇ ନିରୀକ୍ଷଣ କର, ମୃଗୀ ଓ ମୃଗମାନେ କିପରି ସୁରତରେ ବିଶେଷଭାବରେ ରତ ହୋଇ କ୍ରୀଡ଼ା କରୁଅଛନ୍ତି ।’’
୧୯ଶ ପଦ :- ଗୁଞ୍ଜ-କାଇଞ୍ଚ । ରାମଶିଳା-ସୁନ୍ଦର ପ୍ରସ୍ତର । ରତ୍ନନିଧି-ରତ୍ନସମୂହ ।
୧୯ଶ ପଦ :- ‘‘ଅସନ ବୃକ୍ଷରେ ମାଡ଼ିଥିବା କାଇଞ୍ଚ ଲତାର ଫଳସବୁ ରତ୍ନମାନଙ୍କୁ ସୁଦ୍ଧା ଧିକ୍କାର କରୁଅଛି । ବିଧାତା ନିର୍ମିତ କୁଞ୍ଜମାନଙ୍କରେ ଭ୍ରମରସବୁ ବସି ଅଛନ୍ତି । ହେ ପ୍ରେମଶୀଳେ ! ବାଉଁଶ ଗଛରେ ପବନ ପଶି ତାକୁ କିପରି ବାଦନଶୀଳ କରିଅଛି, ଶୁଣ ।’’ ତତ୍ପରେ ରାମଚନ୍ଦ୍ର, ଖଣ୍ଡିଏ ସୁନ୍ଦର ପଥର ପଡ଼ିଥିବାର ଦେଖି ତାକୁ ବେଦୀ ପ୍ରାୟ ମନେକଲେ ।
୨୦ଶ ପଦ :- ‘‘ହେ ସୀତା ! ତୋର ପାଦ ବ୍ୟଥା କରିବଣି ।’’ ଏପରି କହି ସେ ଶିଳା ଉପରେ ବସିଲେ । ସୀତାଙ୍କୁ ଜାନୁ ଉପରେ ବସାଇ ଅନ୍ତଲପିରେ କହିଲେ, ‘‘ମୀନମାନଙ୍କର ବିହାର ସ୍ଥାନ କିଏ ? ‘ବାୟସ’ କାକଦ୍ୱାରା କିଏ ପ୍ରତିପାଳିତ ହୁଏ ?’’
ବିଭାବରୀ ପ୍ରକାଶେ କି କଲେ ପକ୍ଷୀଆଳି । (ରୁତ)ବିରୁପାକ୍ଷ ନେତ୍ରାନଳେ କେହୁ ଗଲା ଜଳି ଯେ । (ମାର)ବିଷ୍ଣୁ କୋଳେ ସର୍ବକାଳେ କେହୁ ମନୋହର । (ରମା)ବିଶ୍ୱରେ କରୁଛି କେହୁ ପର ଉପକାର ଯେ । ୨୧ । (ତରୁ)ବାନରଙ୍କର ପ୍ରସିଦ୍ଧ ନାମ କେ ଜଗତେ । (କପି)ବିଚାର ଗ୍ରହଗଣନା ସଂଖ୍ୟା ପୁନଃ କେତେ ଯେ । (ନବ)ବୟସୀ ସ୍ୱୟମ୍ବରେ କନ୍ୟାକୁ କିସ କହି । (ବର)ବୋଲାଇ ଜୀବ ମଧ୍ୟରେ ସାରସ୍ୱତ କେହି ଯେ । ୨୨ । (ନର)ବୋଲନ୍ତି ଯବନେ ଇଷ୍ଟଦେବରେ କି ଭାଷ । (ପିର)ବସୁଧାପତି ପ୍ରଜାଙ୍କଠାରୁ ଘେନେ କିସ ଯେ । (କର)ବାମନମୂର୍ତ୍ତି ନନ୍ଦନ ବୋଲାନ୍ତି କାହାର । (ରୁର)ବାଞ୍ଛସଂସାରୁ କି ହୋଏ ଗୁରୁଶିଷ୍ୟଠାରେ ଯେ । ୨୩ । (ରବ)ବିଧିରେ ଯୁଦ୍ଧରେ କେହୁ ବଚନ ଚହଳ । (ମାର)ବସନ୍ତ ହୋଇଲେ କିସ କରଇ କୋକିଳ ଯେ । (ରବ)ବିପ୍ରଲବ୍ଧା ପ୍ରଭାତେ କି କରେ ଉପକାନ୍ତେ । (ମାନ)ବ୍ରହ୍ମାଣ୍ଡେ ଜୀବନମୁକ୍ତଅଟଇ କେ ସତେ ଯେ । ୨୪ । (ତପୀ)ବେଦେ କେ ଆଉ ଅଥର୍ବ ଯଜୁଃ ସାମ ତେଜି । (ରୁକ)ବସନ୍ତେ କେ କେ ବିଯୋଗୀ ଶତ୍ରୁ କହ ହେଜି ଯେ ।ବନ ପିକ ରୁତ ମାର ବୋଲେ ବଇଦେହୀ ।ବିଶେଷ ତୋଷ ଚୁମ୍ବନ ଆଲିଙ୍ଗନ ବିହି ଯେ । ୨୫।୨୧ଶ ପଦ :- ବିଭାବରୀ-ରାତ୍ରି । ପକ୍ଷିଆଳି-ପକ୍ଷୀସମୂହ । ବିରୁପାକ୍ଷ-ମହାଦେବ ।
୨୧ଶ ପଦ :- ‘‘ରାତ୍ର ପ୍ରକାଶ ହୁଅନ୍ତେ ପକ୍ଷୀ ସମୂହ କ’ଣ କରନ୍ତି ? ମହାଦେବଙ୍କ ନେତ୍ରାନଳରେ କିଏ ଜଳିଗଲା ? ସବୁ ସମୟରେ ବିଷ୍ଣୁଙ୍କ କୋଳରେ କିଏ ଶୋଭାପାନ୍ତି ? ସଂସାରରେ ପରର ଉପକାର କିଏ କରୁଛି ?’’
୨୨ଶ ପଦ :- ‘‘ଜଗତରେ ବାନରମାନଙ୍କର କେଉଁ ନାମ ପ୍ରସିଦ୍ଧ ? ପୁଣି ଗଣନା କଲେ ଗ୍ରହସଂଖ୍ୟା କେତେ ହେବ ? ବିଚାର କର, ସ୍ୱୟମ୍ୱର କାଳରେ ସଖୀ କନ୍ୟାକୁ କ’ଣ କହେ ? ଜୀବମାନଙ୍କ ମଧ୍ୟରେ ଶ୍ରଷ୍ଠ କିଏ ?’’
୨୩ଶ ପଦ :- ‘‘ଯବନମାନେ ଇଷ୍ଟଦେବଙ୍କୁ କ’ଣ ବୋଲି କହନ୍ତି ? ରାଜା ପ୍ରଜାଙ୍କଠାରୁ କ’ଣ ନିଅନ୍ତି ? ବାମନମୂର୍ତ୍ତି ବିଷ୍ଣୁ କାହାର ପୁତ୍ର ଅଟନ୍ତି ? ଏ ସଂସାରରେ ଗୁରୁ ଶିଷ୍ୟଠାରେ କ’ଣ ହେବାକୁ ଇଚ୍ଛା କରନ୍ତି ?’’
୨୪ଶ ପଦ :- ‘‘ଘୋର ଯୁଦ୍ଧରେ କି ଚହଳ ବାକ୍ୟ ଶୁଣାଯାଏ ? ବସନ୍ତ ସମୟରେ କୋକିଳ କ’ଣ କରେ ? ବିପ୍ରଲବ୍ଧା କାମିନୀ ଜାରପୁରୁଷଠାରେ ପ୍ରଭାତରେ କ’ଣ କରେ ? ସଂସାରରେ ପ୍ରକୃତରେ କିଏ ଜୀବନ ମୁକ୍ତ ଅଟେ ?
୨୫ଶ ପଦ :- ‘‘ଅଥର୍ବ, ଯଜୁ, ସାମବେଦକୁ ଛାଡ଼ି ଆଉ କି ବେଦ ରହିଲା ? ବସନ୍ତକାଳରେ ବିରହିମାନଙ୍କର ଶତ୍ରୁ କେଉଁମାନେ ? ଏହା ହେଜି କହ । (୧୯ଶ ପଦଠାରୁ ୨୫ଶ ପଦ ପର୍ଯ୍ୟନ୍ତ ରାମଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ‘ବନ ପିକ ରୁତ ମାର’ ‘ରମା ତରୁ କପି ନବ’ ‘ବର ନର ପିର କର’ ‘ରୁର ତର ମାର ରବ’ ‘ମାନ ତପୀ ରୁକ’ ହେଲା) ଶେଷରେ ରାମଚନ୍ଦ୍ର ପଚାରିଲେ ବନସ୍ତରେ ବିରହୀର ଶତ୍ରୁ କିଏ ? ବିରହୀକୁ କେଉଁମାନେ କଷ୍ଟ ଦିଅନ୍ତି ? ରାମଙ୍କ ପ୍ରଶ୍ନ ଶୁଣି ବୈଦେହୀ କହିଲେ, ‘‘ବନ, ପିକ, ରୁତ ମାର ।’’ ଏହା ଶୁଣି ରାମ ଖୁବ୍ ଆନନ୍ଦିତ ହୋଇ ତାଙ୍କୁ ଚମ୍ବନ ଓ ଆଲିଙ୍ଗନ କଲେ ।
ବହିର୍ଲିପି କହି ବେନି ବେନି ବର୍ଣ୍ଣ ଲେଖି ।ବାମ ନାଶି ଦକ୍ଷିଣବର୍ଣ୍ଣକୁ ଭଜ ସଖିଗୋ ।(ଶିବ) ବନ୍ଦ୍ୟ କେ ଜଗତେ, କେହୁ ତିଳକର ସ୍ଥାନ । (ଭାଲ)(ସଭା) ବସି ରାଜ କି କରି ବେଶ୍ୟାର କି ରଞ୍ଜନ ଯେ । ୨୬ । (ରୂପ)(ଚଣ୍ଡୀ) ବ୍ୟୋମକେଶମୋହିନୀ କେ, ଶିଶୁ କେ ପାଳଇ । (ମାତା)(ପଶା) ବଡ଼ ଖେଳରେ କେ ଘେନ, ଘନ କି ମୁଞ୍ଚଇ ଯେ? (ନୀର)(କବି) ବିରଚେ କେହୁ ପ୍ରବନ୍ଧ, ଋଷି କି କରନ୍ତି । (ତପ)(ଗିରି) ବହେ ଉତ୍ତୁଙ୍ଗ ଶୃଙ୍ଗ କେ, ବିପ୍ରେ କି ହୁଅନ୍ତି ଯେ । ୨୭ । (ବ୍ରତ)(ଗଦା) ବିଷ୍ଣୁ ଆୟୁଧ କେ ଚକ୍ର ବିନା, କେ ଅଗମ୍ୟ ? (ବନ)(ଲୋକ) ବ୍ରହ୍ମା କି ପାଳନ୍ତି, କେହୁ ରଚନ୍ତି ସଂଗ୍ରାମ ଯେ ? (ବୀର)ବୁଝି ମୈଥିଳୀ ଭାଷିତ ଗୁରୁ କରି ନାହିଁ ।ବୋଲେ ରାଘବ ଅଗୁରୁବିଦ୍ୟା ସିନା ସେହି ଯେ । ୨୮।ବିକାଶି ମୁଗ୍ଧା ପ୍ରକାଶି ଚନ୍ଦନ ବିଶେଷ ।ବିଲେପିତେ ଧୂପିତେ କି ବଳିଛି ମାନସ ହେ ।ବୋଲି ନୁଛିଯାଇ ତୋର ଉଦାରପଣକୁ ।ବିହିଲେ ଲଲାଟେ ଗଇରିକରେ ଚିତ୍ରକୁ ଯେ । ୨୯।ବଳିମୁଖ ମୁଖର ନାଦରେ ଯାଉଁ ପାଶେ ।ବେଗେ କରେ କରେ କୋଳ ଭୀରୁମଣି ତ୍ରାସେ ଯେ ।ବତ୍ସେ ସେ ବିଚିତ୍ର ଚିତ୍ର ଲାଗି ଶୋଭା ପାଇ ।ବାରିଦେ କି ଅରୁଣ ଅରୁଣ ଗଲା ଉଇଁ ଯେ । ୩୦।
୨୬ଶ ପଦ :- ପୁଣି ବହିର୍ଲିପିରେ ବାକ୍ୟ ପ୍ରକାଶ କରି କହିଲେ, ‘‘ଗୋ ସଖି ! ଦୁଇ ଦୁଇ ଅକ୍ଷର ଲେଖି ବାମ ଅକ୍ଷର ନାଶି ଦକ୍ଷିଣ ଅକ୍ଷରକୁ ହେତୁ କର । ଜଗତରେ ପୂଜ୍ୟ କିଏ ? ତିଳକରେ ସ୍ଥାନ କିଏ ? ରାଜା କ’ଣ କରି ବସନ୍ତି ? ବେଶ୍ୟାର ରଞ୍ଜନ କଅଣ ?’’
୨୭ଶ ପଦ :- ବ୍ୟୋମକେଶ-ମହାଦେବ । ଘନ-ମେଘ । ଉତ୍ତୁଙ୍ଗ-ଅତି ଉଚ୍ଚ । ବିପ୍ରେ-ବ୍ରାହ୍ମଣମାନେ ।
୨୭ଶ ପଦ :- ‘‘ଶିବଙ୍କର ମୋହିନୀ କିଏ ? ପିଲାଙ୍କୁ କିଏ ପାଳେ ? ଖେଳ ମଧ୍ୟରେ ବଡ଼ କିଏ ? ମେଘ କ’ଣ ତ୍ୟାଗ କରେ ? କିଏ ପ୍ରବନ୍ଧ ରଚନା କରନ୍ତି ? ଉଚ୍ଚ ଶୃଙ୍ଗ କିଏ ବହେ ? ବ୍ରାହ୍ମଣମାନେ କ’ଣ ହୁଅନ୍ତି ?’’
୨୮ଶ ପଦ :- ସଂଗ୍ରାମ-ଯୁଦ୍ଧ ।
୨୮ଶ ପଦ :- ‘‘ଚକ୍ର ବିନା ବିଷ୍ଣୁଙ୍କର ଆୟୁଧ କ’ଣ ? ଅଗମ୍ୟ କିଏ ? ବ୍ରହ୍ମା କାହାକୁ ପାଳନ୍ତି ? କିଏ ସଂଗ୍ରାମ କରନ୍ତି ? (ରାମଙ୍କର ଏହି ପ୍ରଶ୍ନର ଉତ୍ତର ଷୋଳଗୋଟି ଶବ୍ଦ ଲେଖି ପ୍ରତ୍ୟେକ ପଦର ବାମ ଅକ୍ଷର ଲିଭାଇ ଦେଇ ଡାହାଣ ଅକ୍ଷରମାନ ପଢ଼ିଲେ ହେଲା, ବଲଭା ପଣ୍ଡିତା ସାର, ବିପରୀତ ଦାନ କର ।) ଏହା ବୁଝିପାରି ସୀତା କହିଲେ, ‘‘ମୁଁ ତ ଗୁରୁ କରିନାହିଁ । (ମୁଁ ତାହା ଜାଣେ ନାହିଁ) ।’’ ରାମଚନ୍ଦ୍ର ଉତ୍ତର ଦେଲେ, ତାହା ଅଗୁରୁ ବିଦ୍ୟା ସିନା ।’’ ସେ ବିଦ୍ୟା ଶିଖିବା ପାଇଁ ଗୁରୁର ଦରକାର ନାହିଁ ।
୨୯ଶ ପଦ :- ରାମଙ୍କ କଥା ଶୁଣି ସୀତା ମୁଗ୍ଧାକନ୍ୟା ପ୍ରାୟ ସବୁ ଜାଣି କିଛି ନ ଜାଣିଲା ପରି ହୋଇ କହିଲେ, ‘‘ଅଗୁରୁ ତ ଚନ୍ଦନ ବିଶେଷ, ତାହା ବୋଳି ହେବାପାଇଁ ବା ଧୂପ ଦେବାରେ ତୁମ୍ଭର ମନ ବଳିଛି କି ?’’ ‘‘ଏହା କହିବାଦ୍ୱାରା କ’ଣ ତୋର ଉଦାରପଣ ଲୁଚିଯିବ ?’’ [ଆହା କିଛି ଯେପରି ଜାଣେ ନାହିଁ; ଉଦାରପଣକୁ ନୁଚିଯାଏ କିନା],- ଏହା କହି ରାମ ସୀତାଙ୍କ ଲଲାଟରେ ଗେରୁର ତିଳକ ଦେଲେ ।
୩୦ଶ ପଦ :- ବଳୀମୁଖ-ବାନର । କରେ-ହସ୍ତରେ ।
୩୦ଶ ପଦ :- ଏହି ସମୟରେ ଗୋଟିଏ ମାଙ୍କଡ଼ ଖିଁ ଖିଁ ଶବ୍ଦ କରି ତାଙ୍କ ପାଖକୁ ଯାଆନ୍ତେ, ଭୟାଳୁଶ୍ରେଷ୍ଠା ସୀତା ଭୟ ପାଇ ରାମଙ୍କୁ ଅତି ଖରେ ହସ୍ତ ଦ୍ୱୟରେ କୁଣ୍ଡାଇ ପକାଇଲେ । ସେ ଗେରୁ ଚିତା ରାମଙ୍କ ଛାତିରେ ଲାଗି ମେଘରେ ଅରୁଣ ବର୍ଣ୍ଣର ସୂର୍ଯ୍ୟ [ବାଳସୂର୍ଯ୍ୟ] ଉଇଁଲା ପ୍ରାୟ ବିଚିତ୍ର ଶୋଭା ଦିଶିଲା ।
ବିଚକ୍ଷଣ କାନ୍ତକାନ୍ତ ବଚନ ପ୍ରକାଶି ।ବାଳା ପୁଂସ ରୀତି ରାଗ ରାଗ ଛଳେ ଦିଶି ଯେ ।ବାରେ ହସି ମଉନ ଉନ୍ନତସ୍ତନୀ ବାଳା ।ବିସ୍ତୀର୍ଣ୍ଣ ମଧ୍ୟଯମକ ଏ ଭାଗେ ହୋଇଲା ଯେ । ୩୧।ବାରଣକେଶର ପୁଷ୍ପ ତୋଳୁଁ ପଡ଼ି ରଜ ।ବାରି ଜନ୍ମାଉଁ ଅଦ୍ଭୁତେ ନେତ୍ର ସରସିଜ ଯେ ।ବିଚାରିଣ ପ୍ରିୟା ମାନ ପ୍ରିୟ ଚଞ୍ଚଳିତ ।ବିଲୋମଲୋମ ମେଷଯୁଦ୍ଧରେ ଚାଟୁ କୃତ ଯେ । ୩୨।ବରଦ ବିରସାନନ ସାର ବିଦରବ ।ବଧ ମାନ ଜରତ ତରଜନ ମାଧବ ଯେ ।ବିଦ୍ଧ ମାର ତ ହେବ ବହେ ତର ମାଧବି ।ବିହେ ସଦା ତରସ ଶରତ ଦାସ ହେବି ଯେ । ୩୩।ବକ୍ରୋକ୍ତି ପ୍ରକାଶ କରି ଚତୁରୀରତନ ।ବିସ୍ତାରିଛି ନୃତ୍ୟ ଶେଷ କେ କି କହ ମାନ ଯେ ।ବଲ୍ଲଭ ତହିଁ ମଧୁର ଧ୍ୱନିକି ରଚନା ।ବିଣୀ ନାଚିଲେ ନାଚନ୍ତା ଉତ୍ଫୁଲ୍ଲ ସୁମନା ଯେ । ୩୪।ବଦନକୁ ନୁଆଇଁ କହିଲେ ରସବତୀ ।ବିସୋରିବ ନାହିଁ ପରା ସେ ସୁରସପତି ଯେ ।ବିଳସି ବିଳସି ବନେ ପର୍ଣ୍ଣବାସେ ଯାଇ ।ବିଦ୍ୟ ଆଦ୍ୟଯମକ ପିଶିତ ଶୁଷ୍କେ ତହିଁ ଯେ । ୩୫।୩୧ଶ ପଦ :- ରାଗ-ଅନୁରାଗ ବା ସ୍ନେହ । ରାଗ-ରଙ୍ଗ ।
୩୧ଶ ପଦ :- ତାହା ଦେଖି ଚତୁର ରାମ ମନୋହର ବଚନ ପ୍ରକାଶ କରି କହିଲେ, ‘‘ହେ ପ୍ରିୟେ ! ବାଳାର ବିପରୀତରତିର ସ୍ନେହ ରଙ୍ଗ ଛଳରେ ଦିଶିଲା । [ବିପରୀତ ରତିବେଳେ ପୁରୁଷ ସ୍ତ୍ରୀ ଓ ସ୍ତ୍ରୀ ପୁରୁଷରୂପେ ବିବେଚିତ ହୋଇଥିବାରୁ ପୁରୁଷଠାରେ ସ୍ତ୍ରୀର ପୁଷ୍ପବତୀର ଗୁଣ ଦେଖାଗଲା ।] ଏହା ଶୁଣି ଉନ୍ନତସ୍ତନା ବଳା ସୀତା ଥରେ ହସି ମୌନ ହେଲେ । ଏହି ଭାବରେ ମଧ୍ୟଯମକ ଲକ୍ଷଣ ବିସ୍ତିରିତ ହେଲା । [୨୯ଶ ପଦଠାରୁ ୩୧ଶ ପଦ ପର୍ଯ୍ୟନ୍ତ ମଧ୍ୟ ଯମକ । ମଧ୍ୟଯମକର ଲକ୍ଷଣ :- ପାଦର ମଧ୍ୟ ଭାଗରେ ଯମକ ନିୟମ ଅନୁସୃତ ହୋଇଥିଲେ ମଧ୍ୟ ଯମକ ହୁଏ] ।
୩୨ଶ ପଦ :- ବାରଣକେଶର-ନାଗକେଶର । ସରସିଜ-ପଦ୍ମ ।
୩୨ଶ ପଦ :- ତାହାପରେ ରାମଚନ୍ଦ୍ର ନାଗେଶ୍ୱରଫୁଲ ତୋଳିବାବେଳେ ଫୁଲର ପରାଗ ସୀତାଙ୍କ ନେତ୍ର ପଦ୍ମରେ ପଡ଼ିବାରୁ ଜଳ ଜନ୍ମି ଅଦ୍ଭୁତ ଦେଖାଗଲା । [ଜଳରୁ ପଦ୍ମ ଜାତ ହୁଏ, ମାତ୍ର ଏ ନେତ୍ରପଦ୍ମରୁ ଜଳ ଜାତ ହେଉଅଛି, ତେଣୁ ଅଦ୍ଭୁତ] ତାହା ଦେଖି ‘ପ୍ରିୟା ମାନ କଲା କି ?’ ଏପରି ବିଚାରି ରାମଚନ୍ଦ୍ର ଚଞ୍ଚଳ ଲୋମବିଲୋମ ମେଷଯୁଦ୍ଧ ଛନ୍ଦରେ ଚାଟୁକ୍ତିକଲେ । [ଲୋମବିଲୋମ ମେଷଯୁଦ୍ଧ ଲକ୍ଷଣ :- ଗୀତର ପ୍ରତ୍ୟେକ ପାଦକୁ ମୂଳରୁ ଶେଷକୁ ପାଠ କଲେ ଯାହା ଶେଷରୁ ମୂଳକୁ ପାଠ କଲେ ତାହା] ।
୩୩ଶ ପଦ :- ବରଦ-ପ୍ରସନ୍ନ । ବିରସାନନ-ବିମର୍ଷ ମୁଖ । ବିଦରିବ- ବିଶେଷରେ ଦ୍ରବୀଭୂତ । ବଧ-ନାଶ । ଜରତ-ବୃଦ୍ଧ । ତର୍ଜନ-ଭୟ । ମାଧବି-ବସନ୍ତକାଳ । ବିଦ୍ଧ-ଭେଦନ । ମାର-କନ୍ଦର୍ପ ।
୩୩ଶ ପଦ :- ‘‘ହେ ପ୍ରିୟେ ! ପ୍ରସନ୍ନା ହୁଅ । ତୁମ୍ଭର ଶ୍ରେଷ୍ଠ ମୁଖରେ ଫୁଟିଥିବା ବିରସ ଭାବକୁ ନାଶ କର, ବିଶେଷରେ ଦ୍ରବୀଭୂତ ହୁଅ [ମାନ ତ୍ୟାଗ କରି ] ବସନ୍ତ ତର୍ଜନ କରି ଆସୁଅଛି-। ସେ ତାର ଶର ବିନ୍ଧିବ ଓ ମାରିବ । ବାସନ୍ତୀଲତା ଉଦ୍ବେଳିତ ହେଉଅଛି । ଏହା ଦେଖି ମୋ ମନରେ ତ୍ରାସ ଜାତ ହେଉଛି । ତୁ ତୋର ବିଶେଷ ଭାବରେ ବଢ଼ିଥିବା ଏ ମାନ୍ୟକୁ ତ୍ୟାଗ କର । ମୁଁ ସାନୁରକ୍ତ ହୋଇ ତୋର ଦାସ ହେବି । (ବସନ୍ତର ଶୋଭା ଦେଖି ମୋ ମନରେ କନ୍ଦର୍ପର ଭୟ ଜାତ ହେଉଛି । ତୁ ଏତେବେଳେ ମାନ କଲେ କନ୍ଦର୍ପ ମୋତେ ବହୁତ ଦୁଃଖ ଦେବ । ତୁ ମୁଖ ନ ଶୁଖାଇ ପ୍ରସନ୍ନା ହୁଅ, ମୁଁ ତୋର ଦାସ ହେବି ।’’
୩୪ଶ ପଦ :- ଏହା ଶୁଣି ଚତୁରୀ ରତନ ସୀତା ବକ୍ରୋକ୍ତି ପ୍ରକାଶ କରି କହିଲେ, ‘‘କିଏ ନୃତ୍ୟ ବିସ୍ତାର କରୁଥିଲା, ଶେଷ ହେଲା କି ? ମାନ ବୋଲି କ’ଣ କହୁଛ ? (ନୃତ୍ୟ ଶେଷରେ ମାନ ହୁଏ, ଏଠାରେ କେହି ନୃତ୍ୟ କରୁ ନ ଥିଲା; ମନ ବୋଲି କ’ଣ କହୁଛ ?)’’ । ତାହା ଶୁଣି ରାମଚନ୍ଦ୍ର ମଧୁର ସ୍ୱରରେ ଧନ୍ୟର୍ଥକୁ ରଚନା କରି କହିଲେ, ‘‘କେକୀ ଅର୍ଥାତ୍ ମୟୁର ‘ସୁମନା’ ମାଳତୀ ଫୁଲ ‘ଉତ୍ଫୁଲ’ ଫୁଟିବା ସମୟରେ ନୃତ୍ୟ ବିସ୍ତାର କରେ । ବର୍ଷାଦିନେ ମାଳତୀ ଫୁଲ ଫୁଟେ ଓ ମୟୁର ନୃତ୍ୟ କରେ) । ତୁ ତ ସୁମନା, ‘ଉତ୍ଫୁଲ’ ଉଲ୍ଲସିତ ହେଲେ ତୋ ବେଣୀ ନାଚନ୍ତା ।’’ ( ଅର୍ଥାତ୍ ତୁ ବିପରୀତ ରତି କଲେ ତୋର ବେଣୀ ନାଚନ୍ତା ସିନା) ।
୩୫ଶ ପଦ :- ରସବତୀ ସୀତା କାନ୍ତଙ୍କର ବିପରୀତ ରତି ମାଗିବାର ଅଭିପ୍ରାୟ ବୁଝି ଲଜ୍ଜାରେ ମୁହଁ ତଳକୁ ପୋତି କହିଲେ, ‘‘ସେ ରସସାରକୁ ମନରୁ ପାସୋରିବ ନାହିଁ ପରା ? (ଅନ୍ୟର୍ଥ-ସେ ସୁରସମ୍ପତ୍ତିକୁ ପାସୋରିବ ନାହିଁ ପରା) ?’’ ଏହିପରି ସେ ଦୁହେଁ ବନରେ ବିହାର କରି କରି ପର୍ଣ୍ଣକଟୀରରେ ପହଞ୍ଚିଲେ । ସେଠାରେ ମାଂସ ଶୁଖାଇବାରେ ଆଦ୍ୟଯମକ ପ୍ରକାଶ ହେଲା । (ଆଦ୍ୟଯମକ ଲକ୍ଷଣ-ପ୍ରତ୍ୟେକ ପାଦର ପ୍ରଥମରେ ଯମକ ଶୃଙ୍ଖଳା ଅନୁସୃତ ହେଲେ ଆଦ୍ୟଯମକ ହୁଏ) ।
ବଳି ବଳିପୁଷ୍ଟ ଝାମ୍ପେ ଆହାର ଲୋଭିତେ ।ବଳି ବଳିଶୋଭିନୀ ତାହାର ନିବାରିତେ ଯେ ।ବାସ ବାସଅଙ୍ଗୀର ଖସିଲା ଦୀପ୍ତ ସ୍ତନ ।ବିମ୍ବ ବିମ୍ବଅରୁଣର ଯେ ଓଷ୍ଠ ନିନ୍ଦନ ଯେ । ୩୬।ବିପଦ ବି-ପଦ ଚଞ୍ଚୁ ଘାତରେ ବିହନ୍ତେ ।ବିରସ ବୀରସତ୍ତମ କାଶଶର କୃତେ ଯେ ।ବୃନ୍ଦ ବୃନ୍ଦ ମନ୍ଦର ତାଡ଼ିଲା ନେତ୍ର ଦିବେ ।ବିଧିରେ ବିଧୀରେ ମଜ୍ଜି ଏକଦୋଷେ ସର୍ବେ ଯେ । ୩୭।ବିନୟ ବିନୟ ରଖି ଲୋଟନ୍ତେ ସେ ଆଗେ ।ବିହଙ୍ଗମେ ବିହି ଗମେ ତ୍ରାହି ସୀତା ମାଗେ ଯେ ।ବାରେ ବାରେ ଖେଦ ଦେବ ବାଣୀ ଏ ତେମନ୍ତ ।ବିଷ ବିଷମ ଯେମନ୍ତ ସନ୍ନିପାତେ ହିତ ହେ । ୩୮।ବିଦ୍ୟ ପ୍ରାନ୍ତ ଯମକେ କହିବା ନେତ୍ରଦାନ ।ବକ୍ର ଚିହ୍ନ ରଖି ମାତ୍ର କଲେ ନେତ୍ର ଦାନ ଯେ ।ବଢ଼ିଲା ତୋଷ ଅଶେଷ ଲଭି ଖରେ ଗତି ।ବୃଷା-ସୁତ ଖଗବର୍ଗ କଲେ ଖ-ରେ ଗତି ଯେ । ୩୯।ବିଶିଷ୍ଟରେ ଅନୁକଳ ପୁଂସ ଦୀନବନ୍ଧୁ ।ବିନୋଦରେ ସଙ୍ଗେ ଘେନି ହରେ ଦିନବନ୍ଧୁ ଯେ ।ବଶ ଧ୍ୟାନମାନସେ ବୀର ସେ ସତୀ ପଦେ ।ବୋଲେ ଭଞ୍ଜ ଉପଇନ୍ଦ୍ର ବେନି ବିଂଶ ପଦେ ଯେ । ୪୦।
୩୬ଶ ପଦ :- ବଳି-ବାରଣ ନ ମାନି । ବଳିପୃଷ୍ଟ-କାକ । ବଳିଶୋଭନୀ-ତ୍ରିବଳୀ ଶୋଭିତା-। ବାସ-ବସ୍ତ୍ର । ବାସଅଙ୍ଗୀ-ସୌରଭାଙ୍ଗୀ । ବିମ୍ବ-କଇଞ୍ଚିକାକୁଡ଼ି ।
୩୬ଶ ପଦ :- ବଳବାନ୍ କାକ ଆହାର ଲୋଭରେ ଶୁଖୁଥିବା ମାଂସକୁ ଝାମ୍ପନ୍ତେ ସୀତା ତାହା ନିବାରଣ କରିବାକୁ ଗଲାବେଳେ ଯେଉଁ ସୀତାଙ୍କ ଓଷ୍ଠ ବିମ୍ବଫଳକୁ ଓ ସୂର୍ଯ୍ୟମଣ୍ଡଳକୁ ନିନ୍ଦା କରେ, ସେହି ସୌରଭଙ୍ଗୀ ତ୍ରିବଳୀଶୋଭିନୀ ସୀତାଙ୍କ ଦେହରୁ ଲୁଗା ଖସି ପଡ଼ିଲା । ତେଣୁ ସ୍ତନ ଦେଖାଗଲା ।
୩୭ଶ ପଦ :- ବିମ୍ବ-ମଣ୍ଡଳ । ବି-ପକ୍ଷୀ । ଚଞ୍ଚୁ-ଥଣ୍ଟ । ତମ-କ୍ରୋଧ । ମନ୍ଦ-କାକ । ଦିବ-ସ୍ୱର୍ଗ ବା ଆକାଶ । ବିଧିରେ-ଦୈବଯୋଗରେ । ବିଧୀରେ-ଧୀରତା ବିହୀନରେ ବା ମୁର୍ଖତାରେ ।
୩୭ଶ ପଦ :- କାକାପକ୍ଷୀ ପାଦ ଓ ଥଣ୍ଟ ଘାତରେ ସୀତାଙ୍କର ଓଷ୍ଠ ଓ ସ୍ତନକୁ ଆଘାତ କରନ୍ତେ ବୀରଶ୍ରେଷ୍ଠ ରାମଚନ୍ଦ୍ର କାଇଁଶିକାର ପ୍ରୟୋଗ କରି ଶୁନ୍ୟରେ ଥିବା ଅସଂଖ୍ୟ କାକଙ୍କର ନେତ୍ର ଉପାଡ଼ି ପକାଇଲେ । ଦୈବ ଯୋଗରେ ଓ ବିଧାନୁନୁସାରେ ଗୋଟିକ ଦୋଷରେ ସମସ୍ତେ ମଜ୍ଜିଲେ ।
୩୮ଶ ପଦ :- ବି-ପକ୍ଷୀ । ନୟ-ନିତି । ବିନୟ-ନମ୍ରତା । ବିହଙ୍ଗମେ-ପକ୍ଷୀମାନେ ।
୩୮ଶ ପଦ :- ଆଖି ଫୁଟି ଯିବାରୁ ସେ କାକପକ୍ଷୀମାନେ ବିନୟରେ ଓ ଶିଷ୍ଟାଚାର ପୂର୍ବକ ସୀତାଙ୍କ ଆଗରେ ଗଡ଼ିଲେ । ତାହା ଦେଖି ସୀତା ପ୍ରାର୍ଥନା କଲେ,‘‘ଏ ପକ୍ଷୀମାନଙ୍କୁ ତ୍ରାଣ କର । ଏମାନଙ୍କ ଚକ୍ଷୁ ପୁଣି ପ୍ରଦାନ କର ।’’ ରାମଚନ୍ଦ୍ର କହିଲେ, ଏ ଓଷ୍ଠ ଓ ସ୍ତନର କ୍ଷତଚିହ୍ନ ବାରମ୍ବାର ମୋ ମନରେ ଦୁଃଖ ଦେବ । ତେଣୁ ତାଙ୍କୁ ନିଷ୍କୃତି ଦେବା ଉଚିତ ନୁହେ ।’’ ସୀତା ପ୍ରତ୍ୟୁତ୍ତରରେ କହିଲେ,‘‘ ଗରଳ ବିଷମ ସନ୍ନିପାତରେ ହିତ, ଏ କ୍ଷତ ଚିହ୍ନ ସେହିପରି ଦିନେ ହେଲେ ହିତପ୍ରଦ ହେବ ।’’
୩୯ଶ ପଦ :- ଖରେ-ବେଗରେ । ଗତି-ଗମନ । ଖରେ-ଆକାଶରେ ।
୩୯ଶ ପଦ :- ବର୍ତ୍ତମାନ ପ୍ରାନ୍ତଯମକରେ କହିବା । ନେତ୍ର ଖଣ୍ଡନକାରୀ ରାମ ଦୟାପୂର୍ବକ କେବଳ ମାତ୍ର ବକ୍ର ଚିହ୍ନ ରଖି କାକମାନଙ୍କୁ ନେତ୍ର ଦାନ କଲେ । (କାକମାନେ ନେତ୍ର ପାଇ ଅତ୍ୟନ୍ତ ତୋଷ ହେଲେ ଓ ଶୀଘ୍ର ଉଡ଼ି ଆକାଶରେ ଗତି କରି ଗଲେ ।
୪୦ଶ ପଦ :- ବିଶେଷ ଭାବରେ ସ୍ତ୍ରୀର ଅନୁଗତ ଦୀନବନ୍ଧୁ ରାମଚନ୍ଦ୍ର ପ୍ରିୟା ସୀତାଙ୍କୁ ସଙ୍ଗରେ ଘେନି କେଳି ବିନୋଦରେ ଦିନ କାଟିଲେ । ସେ ବୀର ରାମଚନ୍ଦ୍ର ଓ ସୀତାଙ୍କ ପାଦରେ ଧ୍ୟାନ ମନାହୋଇ ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ଚାଳିଶ ପଦରେ କହିଲେ ।
ବିଂଶ ଛାନ୍ଦରାଗ ବଙ୍ଗଳାଶ୍ରୀବୋଇଲେ ସୀତା ଶୀତାଂଶୁମୁଖୀ ଏକଦିନେ ଅତି ଦୀନ ହୋଇ ।ବିହି ବିହିଲା ବନବାସ ବାସରେ ନୃପତି ହେବାର ଯାଇ ।ବିଳସାଇ ଯଥା ଅଳକା ତେଜାଇ ଇଶ୍ୱରଙ୍କୁ ଶମଶାନେ ।ବିଷ୍ଣୁଙ୍କୁ ରତନପଲଙ୍କ ଛଡାଇ ଜଡ଼ାଇ ସର୍ପ-ଶୟନେ । ୧ ।ବିସୋରି ନ ପାରି ଅବିଧି ବିଧିକି କିପାଇ ବୋଲାଇ ବିଧି ।ବସାଇ କୋଳେ ଶ୍ରୀରାମ କହେ ଭୋଳେ ରସାଇ ଲାବଣ୍ୟନିଧି ।ବିରଞ୍ଚି ଏକାନ୍ତେ କେଳିକି ବିରଚି ଗଉରୀ କମଳା ସଙ୍ଗେ ।ବିଜନ ସ୍ଥାନ ବୋଲିଟି ତୋତେ ମୋତେ ବନେ ବିହାରଇ ରଙ୍ଗେ । ୨ ।ବିବେକ କର ରସିକ ରସିକାର ଏଥୁ ଅଛି କି ଉତ୍ସବ ।ବୃଷଭାସ୍ୟା ତେଜି ମଳୟପର୍ବତେ ବସନ୍ତେ ଆସେ ବାସବ ।ବ୍ରହ୍ମଲୋକ ଛାଡ଼ି ସେହି ପୁଣି ଲୋଡ଼ି ଗନ୍ଧମାର୍ଦନ ଶିଖରୀ ।ବିଭବୁଁ ଆମ୍ଭର ସୁରସପ୍ରବୀଣା କି ଊଣା ଅଛି କି କରି ?। ୩ ।ବିହରି ସଉଧ ସଦନେ ବିହରି ସଉଦ୍ଧସଦନେ ଧନ ।ବେଢ଼ି ଡାକୁଥାନ୍ତି କଞ୍ଚୁକିନ ବେଢ଼ି ଡାକୁଛନ୍ତି କିଞ୍ଚୁକିନବସିଥାଇ ଚନ୍ଦ୍ରାତପ ତଳେ ବସିଥାଇ ଚନ୍ଦ୍ରାତପ ତଳେ ।ବେଷ୍ଟିତ ଯେ ସହଚରୀକୁଳେ ବେଷ୍ଟିତ ଯେ ସହଚରୀକୁଳେ । ୪ ।ବୁଲିବା ଥିଲା ଜଗତୀରେ ବୁଲିବା ଜଗତୀରେ ହେଲା ଘେନ ।ବିଲୋକୁ ଥାଇଁ ଚିତ୍ରଲେଖା ବିଲୋକୁ ଥାଇଁ ଚିତ୍ରଲେଖା ପୁନ ।ବିକ୍ଷିପ୍ତ ଶେଯେ ରଜନୀକର ଶେଯେ ବିକ୍ଷିପ୍ତ ରଜନୀକର ।ବୋଧକ ସୁକବି ଗିର ହେଉଥିଲା ବେଧକ ଶୁକ-ବି ଗିର । ୫ ।୧ମ ପାଦ :- ଶୀତାଂଶୁମୁଖୀ-ଚନ୍ଦ୍ରବଦନା । ଅତି ଦୀନ-ଅତି ଦୁଃଖିତ । ବାସରେ-ଦିନରେ ଅର୍ଥାତ୍ ଅଭିଷେକ ଦିନରେ ।
୧ମ ପଦ :- ଦିନେ ଚନ୍ଦ୍ରମୁଖୀ ସୀତା ଅତି ଦୁଃଖଭାବରେ କହିଲେ, ‘‘ରାତ୍ର ପାହିଲେ ରାଜା ହେବାର କଥା ଗଲା । ବିଧାତା ଯେପରି ଶିବଙ୍କୁ ଅଳକା ଭୁବନ ଛଡ଼ାଇ ଶ୍ମଶାନରେ ବୁଲାଇଲା, ବିଷ୍ଣୁଙ୍କୁ ରତ୍ନପଲଙ୍କ ଛଡ଼ାଇ ସର୍ପ ଶଯ୍ୟାରେ ଶୁଆଇଲା, ସେହିପରି ଆମ୍ଭ କପାଳରେ ରାଜ ସୁଖ ଛଡ଼ାଇ ବନବାସ ବିଧାନ କଲା ।’’
୨ୟ ପଦ :- ‘‘ ‘ଅବିଧି’ ଅନୁଚିତ ବିଧାନକୁ ଯେ ପାଶୋରି ନ ପାରେ ସେ କାହିଁକିବିଧି ନାମ ବହିଛି ?’’ ଏହା ଶୁଣି ଶ୍ରୀରାମ ଲାବଣ୍ୟନିଧି ସୀତାଙ୍କୁ କୋଳରେ ବସାଇ ପ୍ରେମଭୋଳରେ ତାଙ୍କ ମନକୁ ରସାଇ କହିଲେ, ‘‘ବିରଞ୍ଚି (ଯେ ବିହିତ ଆଚରଣ କରନ୍ତି) ପାର୍ବତୀଙ୍କ ସଙ୍ଗତରେ ଏକାନ୍ତରେ କେଳି କରିବା ପାଇଁ ଈଶ୍ୱରଙ୍କୁ ଶ୍ମଶାନରେ ବୁଲାଇଲା, ଲକ୍ଷ୍ମୀଙ୍କ ସଙ୍ଗେ ଏକାନ୍ତରେ ବିହରିବା ପାଇଁ ବିଷ୍ଣୁଙ୍କୁ ସାଗର ମଧ୍ୟରେ ସର୍ପ ଶୟନରେ ବିଳସାଇଲା । ଏ ବନ ନିର୍ଜନ ସ୍ଥାନ ବୋଲି ସେ ବିଧାତା ତୋତେ ଓ ମୋତେ ଏକାନ୍ତରେ ନାନାରଙ୍ଗରେ କେଳି କରିବା ପାଇଁ ପଠାଇଅଛି ।’’ (ବିଧାତା ଯାହା କରିଛି ତା ଅବିଧି ନୁହେଁ, ଉଚିତ କାର୍ଯ୍ୟ କରିଛି । ଏହାଦ୍ୱାରା ରାମଙ୍କର ସୁଖ ଦୁଃଖରେ ସମୀରତା ଗୁଣ ସୁଚିତ ହେଲା) ।
୩ୟ ପଦ :- ବାସବ-ଇନ୍ଦ୍ର । ସୁରସପ୍ରବୀଣା-ରତିପଣ୍ଡିତା ।
୩ୟ ପଦ :- ‘‘ହେ ପ୍ରିୟେ ! ମନରେ ବିଚାର କର, ରସିକ ରସିକାର ଏଥୁଁ ବଳି ଆଉ ଆନନ୍ଦ ଅଛି କି ? ଇନ୍ଦ୍ର ଏକାନ୍ତରେ ବିହାର କରିବା ନିମିତ୍ତ ସୁରପୁରୀ ଛାଡ଼ି ବସନ୍ତ କାଳରେ ମଳୟ ପର୍ବତକୁ ଆସନ୍ତି । ସେହି ବିଧତା ପୁଣି ବ୍ରହ୍ମଲୋକ ଛାଡ଼ି ବିହାର ନିମିତ୍ତ ଗନ୍ଧମାର୍ଦନ ପର୍ବତ ଖୋଜି ଆସନ୍ତି । ହେ ରତନିପୁଣା ! ଆମ୍ଭର ଏଠାରେ ଐଶ୍ଚର୍ଯ୍ୟର କିଛି ଊଣାଅଛି କି ?’’
୪ର୍ଥ ପଦ :- ସଉଧ ସଦନେ-କୋଠାଘରେ । ସଉଦ୍ଧ ସଦନେ-ଋଷିଗୃହରେ । କଞ୍ଚୁକିନ-ଯୋଦ୍ଧା ବା ଅନ୍ତପୁରସ୍ଥ ନପୁଂସରକ୍ଷକ । କଞ୍ଚୁକିନ-ସର୍ପ । ଚନ୍ଦ୍ରାତପ-ଚାନ୍ଦୁଆ । ଚନ୍ଦ୍ରାତପ-ଚନ୍ଦ୍ର,କିରଣ । ସହଚରୀ-ସଖୀ । ସହଚରୀ-ଝିଣ୍ଟିବୃକ୍ଷ ।
୪ର୍ଥ ପଦ :- ‘‘ହେ ଧନ ! ଆମ୍ଭେ ଆଯୋଧ୍ୟାର ରାଜଭବନରେ ବିହରୁଥିଲେ, ଏଠାରେ ଋଷିମାନଙ୍କ ଗୃହରେ ବିହରୁ ଥାଇଁ; ସାଠାରେ ‘କଞ୍ଚୁକୀ’ ପ୍ରତହାରୀମାନେ ବେଢ଼ି ରହି ଡାକୁଥିଲେ, ଏଠାରେ ‘କଞ୍ଚୁକିନ’ ସର୍ପମାନେ ଚାରିଆଡ଼େ ବେଢ଼ି ରହି ଶବ୍ଦ କରୁଅଛନ୍ତି । ସେଠାରେ ଚାନ୍ଦୁଆ ତଳେ ବସୁଥିଲେ, ଏଠାରେ ଚାନ୍ଦ କିରଣ ତଳେ ବସୁଥାଇଁ । ସେଠାରେ ସଖୀ ସମୂହରେ ବେଷ୍ଟିତ ହୋଇଥିଲେ, ଏଠାରେ ଝିଣ୍ଟିଗଛ ସମୂହରେ ବେଷ୍ଟିତ ହୋଇ ରହିଛେ ।’’
୫ମ ପଦ :- ଜଗତୀ-ଅଟ୍ଟାଳିକା । ଜଗତୀରେ-ପୃଥିବୀରେ । ଚିତ୍ରଲେଖା -ସାରୀପକ୍ଷୀ । ରଜନୀକର -କର୍ପୂରଚୁର୍ଣ୍ଣ । ରଜନୀକର-ଧୂଳିରାଶି । ସୁକବି-ଉତ୍ତମ କବି । ଶୁକବି- ଶୁକପକ୍ଷୀ ।
୫ମ ପଦ :- ‘‘ସେଠାରେ ‘ଜଗତୀରେ’ ଅଟ୍ଟାଳିକାରେ ବୁଲୁଥିଲେ, ଏଠାରେ ‘ଜଗତୀ’ରେ ମହୀରେ ବୁଲିବାର ହେଲା । ସେଠାରେ କାନ୍ଥମାନଙ୍କରେ ଲିଖିତ ହୋଇଥିବା ଚିତ୍ର ସବୁ ଦେଖୁଥିଲେଇଁ, ଏଠାରେ ଭାଲ ପଟରେ ଲେଖା ଯାଉଥିବା ତିଳକକୁ ପରସ୍ପର ପରସ୍ପରର ଦେଖୁଛେଁ । ସେଠାରେ ଶଯ୍ୟାରେ ‘ରଜନୀକର’ କର୍ପୂରଚୂର୍ଣ୍ଣ ବିଞ୍ଛା ଯାଉଥିଲା, ଏଠାରେ ଶଯ୍ୟାରେ ‘ରଜନୀକର’ ଧୂଳି ସମୂହ ବିଞ୍ଛା ଯାଉଅଛି । ସେଠାରେ ଉତ୍ତମ କବିଙ୍କର ବାଣୀ ଅର୍ଥାତ୍ କବିତା ଶୁଣି ଚିତ୍ତ ବୋଧ ହେଉଥିଲା, ଏଠାରେ ଶୁକ ପକ୍ଷୀର ଗାନ ଚିତ୍ତ ବୋଧ କରୁଅଛି ।’’
ବାରେ ବାରେ ଦେଖି ଭଦ୍ର ଉତ୍ସବକୁ ଭଦ୍ର ଉତ୍ସବକୁ ଦେଖି ।ବିଶେଷ ଖଦୀର ଚଳିତ ବିଶେଷ ଖଦିର ଚଳିତ ସଖି ।ବିଘ୍ନ ନୋହେ ତଥି ଅକ୍ଷଲୀଳା ଏଥି ବିଘ୍ନ ନୋହେ ଅଲୀଳା ।ବସିଥାନ୍ତି ସାକ୍ଷୀସୁଶୀଳା ଅଛନ୍ତି ଏବେ ତ ଶାଖୀ ସୁଶିଳା । ୬ ।ବଶ କରୁଥିଲା ଚିତ୍ତ କ୍ଷୀରପାନ ବଶ କରେ କ୍ଷୀରପାନ ।ବାଳା ଶୁଣୁଥାଇ ଆନକ ସ୍ୱନକୁ ଶୁଣିମା ଆନକ ସ୍ୱନ ।ବିଧିରେ ଗନ୍ଧର୍ବେ ଗାୟନ କରନ୍ତି ବୋଧନ୍ତି ସୁମନାବାସେ ।ବିଧିରେ ଗନ୍ଧର୍ବେ ଗାୟନ କରନ୍ତି ବୋଧନ୍ତି ସୁମନାବାସେ । ୭ ।ବାନ୍ଧବି ଏଥିରେ ଦେଖାଯାଉ ନାହିଁ ନାଚିବାର ନୃତ୍ୟକାରୀ ।ବେଣୀ ନାସ ମଣି ରମଣୀମଣିରେ ନଚା ଅନୁଗ୍ରହ କରି ।ବିହନ୍ତି ନର୍ତ୍ତନ ନର୍ତ୍ତକବରହିଁ ଅଛି ନର୍ତ୍ତକବରହୀ ।ବୋଲି ଚତୁରୀ ନାସାପୁଡ଼ା ଫୁଲାଇ ଶିରଶ୍ଚାଳି ଦେଇ ରହି । ୮ ।ବ୍ୟାଜ ପାଳନା ଏତିକି ବୋଲୁଁ ଇଶ ମୁଗ୍ଧାଭାବେ ଭାଷେ କିସ ।ବିହୁ ଯାହା ତାହା ସୁଦେହା ସୁତ୍ସ୍ନେହା ଜାଣି ତ ଥିବୁ ଅବଶ୍ୟ ।ବିମଳ ଆଦରଶ ପରା ତୋ ହୃଦ ମୋ ବାଞ୍ଛିବା ବିମ୍ବ ଥିବ ।ବରୁଣ ଦିଗ ତରୁ ଲତା ତରଣୀ ଅନାଇଁ ଅନାଇଁ ଧବ । ୯ ।ବାଞ୍ଛିଲା ସମ୍ପତ୍ତି ଦରିଦ୍ରରେ ପରାପତି ପରା ପତି ଭଣି ।ବଳି ଉଦରେ ଶରଣ ଦାନୀପଣେ ହୁଡ଼ିଥିଲି ସୁଲକ୍ଷଣି ।ବୀଣା-କଳକଣ୍ଠ ଜିଣାକଣ୍ଠ ! ଗଣ୍ଠିରତ୍ନ ମନ-କୃପଣର ।ବିଦେହ-ନରରାଣ-ଜେମା ତୁ ମୋର ପରାଣ ଯେ ପରାଣର । ୧୦ ।
୬ଷ୍ଠ ପଦ :- ଭଦ୍ରଉତ୍ସବ-ମଙ୍ଗଳ ଉତ୍ସବ । ଭଦ୍ରଉତ୍ସବ-ଭଦଭଦଳିଆ ପକ୍ଷୀ । ଖଦିର-ଖଇର । ଖଦୀର -ବସ୍ତ୍ରନିର୍ମିତ । ଅକ୍ଷଲୀଳା-ପଶାଖେଳ । ଅକ୍ଷଲୀଳା-ଚକ୍ଷୁର ବିଳାସ । ଶାଖୀ -ବୃକ୍ଷ । ସୁଶିଳା-ଭଲ ପଥର ।
୬ଷ୍ଠ ପଦ :- ‘‘ସେଠାରେ ଥରେ ଥରେ ମଙ୍ଗଳ ଉତ୍ସବକୁ ଦେଖୁ ଥିଲାଇଁ, ଏଠାରେ ‘ଭଦ୍ର’ ଭଦଭଦଳିଆ ପକ୍ଷୀଙ୍କ ଲୀଳା ଖେଳା ଦେଖୁଛେଁ । ହେ ସଖୀ ! ସେଠାରେ ବହୁତ ଖଦି ଚାମରମାନଙ୍କର ଚାଳନ ହେଉଥିଲା, ଏଠାରେ ବହୁତ ଖଇରଗଛ ପବନଦ୍ୱାରା ଚାଳିତ ହେଉଅଛି । ସେଠାରେ ପଶାଖେଳ ନିର୍ବିଘ୍ନରେ ହେଉଥିଲା, ଏଠାରେ ‘ଅକ୍ଷଲୀଳା’ ନେତ୍ରରେ ବିଳାସ ନିର୍ବିଘ୍ନରେ ହେଉଅଛି । ସେଠାରେ ସାକ୍ଷୀ ହୋଇସୁଶୀଳା ସଖୀମାନେ ବସିଥାନ୍ତି, ଏଠାରେ ‘ଶାଖୀ’ ବୃକ୍ଷସବୁ ଓ ‘ସୁଶୀଳା’ ଉତ୍ତମ ପଥର ଖଣ୍ଡମାନ ରହିଅଛି ।’’
୭ମ ପଦ :- କ୍ଷୀରପାନ-ଦୁଗ୍ଧପାନ । କ୍ଷୀରପାନ-ଜଳପାନ । ଆନକ-ପଟ୍ଟହବାଦ୍ୟ । ଆନକସ୍ୱନ-ସଶବ୍ଦ ମେଘ । ସୁମନା-ପଣ୍ଡିତମାନେ । ବାସେ-ଗୃହରେ । ଗନ୍ଧର୍ବେ-କୋଇଲିମାନେ । ସୁମନା-ଫୁଲ ।
୭ମ ପଦ :- ‘‘ସେଠାରେ ‘କ୍ଷୀରପାନ’ ଦୁଗ୍ଧପାନ ଚିତ୍ତବଶ କରୁଥିଲା, ଏଠାରେ ‘କ୍ଷୀର’ କ୍ଷୀରଗଛ ‘ପାନ’ ପାନ ଲତା- ଏମାନେ ଅଥବା ପବିତ୍ର ଜଳ ପାନ ଚିତ୍ତବଶ କରୁଅଛି । ହେ ବାଳା ! ସେଠାରେ, ‘ଆନକସ୍ୱନକୁ’ ପଟ୍ଟହବାଦ୍ୟ ନାଦକୁ ଶୁଣୁଥିଲେ, ଏଠାରେ ‘ଆନକସ୍ୱନ’ ମେଘ ଧନିକୁ ଶୁଣିବା । ସେଠାରେ ‘ଗନ୍ଧର୍ବମାନେ’ ଗାୟକମାନେ ଉଚ୍ଚରେ ଗାନ କରୁଥିଲେ, ଗୃହରେ ସ୍ତ୍ରୀମାନେ ବୋଧ କରୁଥିଲେ (ଅଥବା ପଣ୍ଡିତମାନେ ବୋଧ କରୁଥିଲେ), ଏଠାରେ ‘ଗନ୍ଧେବ’ କୋକିଳମାନେ ବିଧିବଶରେ ଗାୟନ କରୁଛନ୍ତି ଓ ପୁଷ୍ପମାନେ ବାସନାଭେ ମନକୁ ତୋଷ କରୁଛନ୍ତି ।’’
୮ମ ପଦ :- ‘‘ହେ ବାନ୍ଧବି ! ସେଠାରେ ଯାହା ଥିଲା, ତା’ର ଅନୁରୁପ ସବୁ ଏଠାରେ ଅଛି; କିନ୍ତୁ ସେଠାରେ ନୃତ୍ୟକାରୀମାନେ ଥିଲେ, ମାତ୍ର ଏଠାରେ ନୃତ୍ୟକାରୀମାନେ ନାଚିବାର ଦେଖାଯାଉ ନାହିଁ । ହେ ରମଣୀମଣି ! ଅନୁଗ୍ରହ କରି ବେଣୀ ଓ ନାସାମଣିକି ଥରେ ନଚା ।’’ (ଏହାଦ୍ୱାରା ବିପରୀତ ରତି ମାଗିବାର ଜଣାଗଲା) ଏହା ଶୁଣି ସୀତା କହିଲେ, ‘‘ସେଠାରେ ଶ୍ରେଷ୍ଠ ନାଟୁଆମାନେ ନୃତ୍ୟ କରୁଥିଲେ, ଏଠାରେ ନାଟୁଆ ମୟୁରସବୁ ଅଛନ୍ତି’’-ଏହା କହି ଚତୁରୀ ସୀତା ନାସା ପୁଡ଼ା ଫୁଲାଇ ମୁଣ୍ଡ ହଲାଇ ରହିଗଲେ । (ଏହାଦ୍ୱାରା ନାସାମଣି ଓ ବେଣୀଦୁହେଁ ନାଚିଲେ) ।
୯ମ ପଦ :- ଆଦରଣ-ଦର୍ପଣ । ବରୁଣଦିଗ-ପଶ୍ଚିମଦିଗ । ତରଣୀ-ସୁର୍ଯ୍ୟ । ଧବ-ସ୍ୱାମୀ ।
୯ମ ପଦ :- ଏହା ଦେଖି ରାମ କହିଲେ, ‘‘ଏ ଛଳ ପାଳନା ସିନା, [ମୁଁ ଯାହା କହିଲି-ଏ ସେପରି ନୁହେ] ।’’ ଏତିକି କହନ୍ତେ ଚତୁରୀ ସୀତା ପ୍ରେମ ଭୋଳରେ ଜାଣି ସୁଦ୍ଧା ନ ଜାଣିଲାପରି କହିଲେ, ‘‘କି କଥା ? [ତୁମ୍ଭେ ଆଉ କ’ଣ କହିଥିଲ କି] ?’’ ରାମ ଉତ୍ତର ଦେଲେ, ‘‘ହେ ସୁଦେହା ! ହେ ସୁସ୍ନେହା ! ତୁ ଯାହା କହୁ ଓ କରୁ, ତାହା ତ ଅବଶ୍ୟ ଜାଣିଥିବୁ । ତୋହର ହୃଦୟ ଦର୍ପଣପରି ନିର୍ମଳ, ତେଣୁ ମୋର ମନକଥା ସେଥିରେ ପ୍ରତିବିମ୍ବିତ ହୋଇଥିବ ନିଶ୍ଚୟ, [ତୁ ହୃଦୟରେ ମୋ କଥା ନିଶ୍ଚୟ ବୁଝିପାରୁଅଛୁ] ।’’ ରାମଙ୍କ ଏହି କଥାରେ ତରୁଣୀ ସୀତା ପଶ୍ଚିମଦିଗ ଓ ତରୁଲତାଙ୍କୁ ଅନାଇଁ ପତିଙ୍କୁ ବୋଧ କଲେ । ସୂର୍ଯ୍ୟ ପଶ୍ଚିମରେ ଅସ୍ତ ଗଲେ ବୃକ୍ଷରେ ଲତା ବେଷ୍ଟିତ ହେଲା ପ୍ରାୟ ମୁଁ ତୁମ୍ଭ ଅଙ୍ଗରେ ବେଷ୍ଟିତ ହେବି, ତୁମ୍ଭ କାମନା ପୂର୍ଣ୍ଣ ହେବ ।’’
୧୦ମ ପଦ :- ସୀତାଙ୍କ ସମ୍ମତି ପାଇବାରୁ ରାମଚନ୍ଦ୍ର ଦରିଦ୍ର ଲୋକ ବାଞ୍ଛିଲା ବିତ୍ତ ପ୍ରାପ୍ତ ହେଲା ପ୍ରାୟ ଆନନ୍ଦିତ ହୋଇ କହିଲେ, ‘‘ହେ ସୁଲକ୍ଷଣି ! ଦାତାପଣରେ ବଳି ତୋହଠାରେ ହାର ମାନି ତ୍ରିବଳୀ ଆକାରରେ ତୋ ଉଦରରେ ଶରଣ ପଶିଅଛି; ମାତ୍ର ମୁଁ ସେ କଥା ହୁଡ଼ି ଯାଇଥିଲି । ହେ ବୀଣାଜିଣା କଣ୍ଠି ! ହେ କୋକିଳକଣ୍ଠି ! ମୋ ମନରୂପ କୃପଣର ତୁ ଗଣ୍ଠିରତ୍ନ । ହେ ବୈଦେହୀ-! ତୁ ଯେ ମୋର ପ୍ରାଣର ପ୍ରାଣ ।’’
ବନ୍ଧୁକ ଅଧରକାରି ଅଧରିରେ ବନ୍ଧୁ ତୁ ମୋ ରକ୍ଷଣରେ ।ବର୍ତ୍ତୂଳ ଉରୁ ତୁଳା କୋଟିବାଦିନି ପିତୁଳା ମୋ ଲଷଣରେ ।ବିଦେହପ୍ରେତ ଝାଡ଼ିବାକୁ ଅନ୍ତରଗତୁଁ ତୋ ବାଣୀ ମନ୍ତର ।ବୈଦ୍ୟ ହୋଇ ବିହୁ ରସ ଦାନ ହତକରଣେ ବିରହଜ୍ୱର । ୧୧ ।ବାହୁବଲ୍ଲୀ ଗଳାମାଳା କରି ପୁଷ୍ପ ହାସରେ ମଣ୍ଡନ ବିହୁ ।ବଡ଼ ଘେନାଘେନି ଘେନା ମନୋରମ ଚରମ ଦେଖାଇ ନାହୁଁ ।ବକ୍ଷୋଜ ସ୍ୱୟମ୍ଭୁ ଶମ୍ଭୁ କରପଦ୍ମେ ପୂଜି କାଳ ଭୟ ନାହିଁ ।ବିଭୁ ତୁ ମୁଁ ଦାସ ଏହି ରୂପେ ଏକା ହୋଇଥିବୁ ଅନୁଗ୍ରହୀ । ୧୨ ।ବୋଇଲେ ସୁମତି ଏ ସର୍ବ ସମ୍ମତି ପୁଂସ ପ୍ରଭୁ ନାରୀ ଦାସୀ ।ବୋଲାଇ କେ ଇଶ ବିଚାର ମାନସ ନ ଘେନିମ ହେଲେ ଦୋଷୀ ।ବେଗେ ଓଳଗି ସରାଗେ ଏତେ କହି ଉପୁଜାଇ କେତେ ଭାବ ।ବିବାହନିର୍ବାହେ କେ ଚରଣ ଛୁଏଁ ଉତ୍ତର କଲେ ରାଘବ । ୧୩ ।ବରବର୍ଣ୍ଣିନି ଅନୁପମା ସୁଷମା ସକଳ ଗୁଣରେ ଝଳି ।ବାଳ ଅଧର ହାସ ବାସ କୋମଳ ପକାଇଲେ ଗର୍ବ ଦଳି ।ବିଶୁଦ୍ଧ ଅଞ୍ଜନ ସିନ୍ଦୁର କର୍ପୁର କସ୍ତୁରୀ ଲବଣୀ ଆସି ।ବୋଧନ୍ତି ତୋ ଚିତ୍ତ ଚିତ୍ରକ ଲେପନ ହୋଇ କେ କାହିଁରେ ମିଶି । ୧୪।ବାରିଜ ଲକ୍ଷ୍ମୀ ନିଳୟ ତୁ ଲାବଣ୍ୟଲକ୍ଷ୍ମୀ ବୋଲାଉଛୁ ଯେଣୁ ।ବଦନ ସୁଷମା ସମ ନୋହି ପଦତଳରେ ଶରଣ ତେଣୁ ।ବନ୍ଦନ ବାଣୀ ଆନ ନାରୀମାନଙ୍କେ ରମ୍ଭା ରତି ପରା କହି ।ବଲ୍ଲଭି ନଖକୋଣ କ’ଣ ଶୋଭାକୁ ଲଭିବା ଭାବନ୍ତି ସେହି । ୧୫ ।୧୧ଶ ପଦ :- ଉରୁ- ଜଘନ । ତୁଳାକେଟି-ନୂପୁର । ଈକ୍ଷଣ-ଚକ୍ଷୁ । ବିଦେହପ୍ରେତ-କାମଭୁତ ।
୧୧ଶ ପଦ :- ‘‘ହେ ବନ୍ଧୁକ ବିନିନ୍ଦିତ ଅଧରି ! [ବଧୁଲୀ ଫୁଲକୁ ରଙ୍ଗିମାରେ ହରାଇ ଦେଇଛି ଯାହାର ଅଧର] ହେ ପ୍ରିୟେ! ମୋତେ ରକ୍ଷା କରିବାରେ ତୁ ଏକମାତ୍ର ମୋର ବନ୍ଧୁ । ( କନ୍ଦର୍ପ ଭୟରୁ ରଖିବାରେ ତୁ ଏକମାତ୍ର ବନ୍ଧୁ) । ହେ ବର୍ତ୍ତୁଳଉରୁ ! ହେ ନୂପୁରବାଦିନି ! ତୁ ମୋର ନେତ୍ର ପିତ୍ତୁଳିକା ଅଟୁ । ମୋର ଅନ୍ତର୍ଗତରୁ କାମ ଭୂତକୁ ଝାଡ଼ିବା ପାଇଁ ତୋର ବାଣୀ ମନ୍ତ୍ରପ୍ରାୟ ଅଟେ । ମୋର ବିରହଜ୍ୱରକୁ ନାଶ କରିବାରେ ତୁ ବୈଦ୍ୟ ପ୍ରାୟ ହୋଇ ଶୃଙ୍ଗାର ରସରୂପେ ରସାୟନ (ଜ୍ୱର ନାଶକ ଔଷଧ) ଦାନ କରୁ ।’’
୧୨ଶ ପଦ :- ବାହୁବଲ୍ଲୀ -ବାହୁଳତା । ଚରମ-ପୃଷ୍ଠଦେଶ ବା ପିଠି । ସ୍ୱୟମ୍ଭୁ ଶମ୍ଭୁ-ସ୍ତନରୂପ ସ୍ୱୟମ୍ଭୁ ଶିବ ।
୧୨ଶ ପଦ :- ‘‘ତୁ ତୋ ବାହୁଲତାକୁ ଗଳାର ମାଳାସ୍ୱରୂପ କରି ପୁଷ୍ପ ସମ ହାସ ପ୍ରକାଶ ପୂର୍ବକ ମୋ ଗଳାରେ ମଣ୍ଡନ କରୁ । ହେ ପ୍ରିୟେ ! ମୋଠାରେ ତୋର ବଡ଼ ସ୍ନେହ ଥିବାରୁ, ତୁ ଆଜିଯାଏ ମୋତେ ତୋର ସୁନ୍ଦର ପୃଷ୍ଠଭାଗ ଦେଖାଇ ନାହୁଁ । (ଏ ପର୍ଯ୍ୟନ୍ତ ଦିନେ ହେଲେ ସୁଦ୍ଧା ଅଭିମାନରେ ମୋ ଆଡ଼କୁ ପିଠି କରି ଶୋଇନାହୁଁ) । ତୋହର ବକ୍ଷରେ ଥିବା ସ୍ୱୟଂଜାତ ମହାଦେବଙ୍କୁ [ସ୍ତନସ୍ତମ୍ଭୁଙ୍କୁ] କରପଦ୍ମରେ ପୂଜିବାରୁ ମୋହର ଯମ ରୂପ କାମର ଭୟ ଆଉ ନାହିଁ । ମୁଁ ତୋର ସ୍ତନଶମ୍ଭୁକୁ ପୂଜିବାରୁ ତୁ ପ୍ରଭୁ ଓ ମୁଁ ଦାସ । ଏହିପରି ସବୁଦିନେ ଅନୁଗ୍ରହ ରଖିଥିବୁ । (ତୁ ସେବ୍ୟ, ମୁଁ ସେବକ ଏହି ଦୟା ଯେପରି ସବୁଦିନ ଥିବ-ଅର୍ଥାତ ତୋର ସ୍ତନ ଶମ୍ଭୁଙ୍କୁ ମୁଁ ଯେପରି ସବୁଦିନ କରପଦ୍ମରେ ପୂଜୁଥିବି ) ।’’
୧୩ଶ ପଦ :- ଏହା ଶୁଣି ବୁଦ୍ଧିମତୀ ସୀତା କହିଲେ, ‘‘ଏହା ସର୍ବ ସମ୍ମତ ଅଟେ ଯେ, ପୁରୁଷ ପ୍ରଭୁ ଓ ନାରୀ ଦାସୀ । କିଏ ସେବ୍ୟ ଓ କିଏ ସେବକ ଏ କଥା ମନରେ ବିଚାର କର । ମୁଁ ଦୋଷୀ ହେଲେ ମୋ ଦୋଷ ମନରେ ଧରିବ ନାହିଁ ।’’ ଏହା କହି ସୀତା ନାନା ରହସ୍ୟ କରି ସ୍ନେହ ଉପୁଜାଇ ଶୀଘ୍ର ଯାଇ ରାମଙ୍କ ଚରଣରେ ପ୍ରଣାମ କଲେ । (ଏହାଦ୍ୱାରା ରାମ ସେବ୍ୟ ଓ ସୀତା ସେବିକା-ଏହି ସୂଚିତ ହେଲା) । ତାହା ଦେଖି ରାମ ଉତ୍ତର କଲେ, ‘‘ବିବାହ କାଳରେ କିଏ ଚରଣ ଛୁଏଁ ? (ବିବାହ କାଳରେ ପୁରୁଷ ସ୍ତ୍ରୀର ପାଦ ଛୁଏ । ତେଣୁ ପୁରୁଷ ସେବକ ଓ ସ୍ତ୍ରୀ ସେବ୍ୟା) ।
୧୪ଶ ପଦ :- ରାମଚନ୍ଦ୍ର ପୁଣି ପ୍ରଶଂସା କରି କହିଲେ, ‘‘ହେ ବରବର୍ଣ୍ଣିନି ! ତୋର ଶୋଭା ସର୍ବପ୍ରକାର ଗୁଣରେ ଝଳି ଅନୁପମ ହୋଇଅଛି । ତୋର କେଶ ବିଶୁଦ୍ଧ ଅଞ୍ଜନର ଗର୍ବକୁ ଦଳି ପକାଉଛି, ତୋର ଓଷ୍ଠ ସିନ୍ଦୁର ଗର୍ବକୁ ଦଳୁଅଛି, ତୋର ହାସ କର୍ପୂରର ଗର୍ବକୁ ଦଳୁଅଛି, ତୋର ଦେହର ବାସନା କସ୍ତୁରୀ ଗନ୍ଧକୁ ଦଳୁଅଛି, ତୋର କୋମଳତା ଲହୁଣୀର ଗର୍ବକୁ ଦଳୁ ଅଛି । ତେଣୁ ବିଶୁଦ୍ଧ ଅଞ୍ଜନ, ସିନ୍ଦୁର, କର୍ପୂର, କସ୍ତୁରୀ, ଲହୁଣୀ ଆସି ଏକ ଅନ୍ୟ ସହିତ ମିଶି ତିଳକ ଓ ଅଙ୍ଗର ଲେପନ ହୋଇ ତୋର ସେବା କରିବାଦ୍ୱାରା ମନକୁ ବୋଧ କରନ୍ତି । (ଅଞ୍ଜନ ଓ ସିନ୍ଦୁର ଲହୁଣୀରେ ମିଶି ତିଳକ ହୁଅନ୍ତି, କସ୍ତୁରୀ ଓ କର୍ପୂର ମିଶି ଅଙ୍ଗଲେପ ହୁଅନ୍ତି ) ।’’
୧୫ଶ ପଦ :- ବାରିକ-ପଦ୍ମ । ନିଳୟ-ଘର । ସୁଷମା-ଶୋଭା ।
୧୫ଶ ପଦ :- ‘‘ପଦ୍ମ ଲକ୍ଷ୍ମୀଙ୍କର ବାସସ୍ଥାନ ଅଟେ । ଯେ ହେତୁରୁ ତୁ ଶୋଭାଲକ୍ଷ୍ମୀ ବୋଲାଉଛୁ, ତେଣୁ ପଦ୍ମ ତୋର ବଦନ ଶୋଭାକୁ ସମ ନ ହୋଇ ତୋର ପଦତଳରେ ଶରଣ ପଶିଅଛି । ଅନ୍ୟ ନାରୀମାନଙ୍କୁ ପ୍ରଶଂସା କଲାବେଳେ ତାଙ୍କୁ ରମ୍ଭା ରତି ପ୍ରାୟ ବୋଲି ଉପମା ଦେଇଥାନ୍ତି । (ଏ ନାରୀ ରମ୍ଭା ପ୍ରାୟ ସୁନ୍ଦରୀ ବା ରତି ପରି ସୁନ୍ଦରୀ ବୋଲି କହିଥାନ୍ତି) । ହେ ବଲ୍ଲଭି ! ସେହି ରମ୍ଭା ଓ ରତି ଦୁହେଁ ତୋର ନଖକୋଣରେ ଶୋଭାରୁ ସାମାନ୍ୟ ମାତ୍ର ଲଭିବା ପାଇଁ ଭାବି ହେଉଛନ୍ତି ।’’
ବାରାଣସୀରେ ଶମ୍ଭୁ ସେବି ଲଭିଛ ବୋଲନ୍ତି ନୁହଇ କିଛି ।ବିପୁଳସ୍ତନ ସ୍ୱୟମ୍ଭୁ ଶମ୍ଭୁ ପ୍ରଭୁ ସେ ଶୋଭା ପରେ ହୋଇଛି ।ବୋଲନ୍ତି ତୋ ସଙ୍ଗ ମନାସି ବିନାଶିଥିଲି ଅଙ୍ଗ ଗଙ୍ଗାନୀରେ ।ବତ୍ସରେ ସ୍ୱଚ୍ଛରେ ବିଳସିବା ହାରେ ସକଳରୂପେ ସେ ହାରେ । ୧୬ ।ବଜ୍ରସିଂହକୁ ଜିଣିଛି ଅଛି ନାହିଁ ଦୁର୍ବଳକଟୀ ବାଦୀରେ ।ବହୁତ ପ୍ରଶଂସାକୁ ମନ୍ଦ ଉଦରେ ପାଏ ଯାହା ପ୍ରସାଦରେ ।ବହି କୃପା ତଥା ଅଜଗବ ଗର୍ବ ଭାଙ୍ଗିଥିଲୁଁ ଭ୍ରୁଭଙ୍ଗୀରେ ।ବାମେ ଟେକି ତେଣୁ ସେ ଧନୁ ଭାଙ୍ଗିଲି ମୁଁ ଧନ୍ୟ ତୋର ସଙ୍ଗରେ । ୧୭ ।ବିନତିଗର୍ଭ ଭାରତୀ ଶୁଣି ଭଣି ପ୍ରୀତିମତି ମନୋହାରୀ ।ବୃନ୍ଦାଅସୁରୀ ତୁଳସୀ କରି ହରି ଶିରେ ଘେନିଲାର ପରି ।ବିଧୁ ମହେଶରୁ ବଡ଼ ତ ନୁହଇ ସେ ମୁକୁଟ କଲା ପ୍ରାୟେ ।ବସୁଧାପରେ ଜନ୍ୟ ଧନ ! ସେ ରୂପେ ମୋଠାରେ ପ୍ରଭୁ ସଦୟେ । ୧୮ ।ବୋଲାବୋଲି ହେଉଁ ସ୍ନେହ ବଚନ ସେ ବିଚିତ୍ର ରଜନୀ ମିଳି ।ବିରଚାଇଲା ଯେ ରମଣୀରତନେ ଯତନେ ପୁରୁଷ କେଳି ।ବାଜିଲା ରସନା ବାଦ୍ୟ ମରଦଳ ମଧ୍ୟେ ବ୍ରହ୍ମଶିରୀ ଦେଇ ।ବୀଣାନାଦ ହୁଁ ହୁଁ କୃତ ଜାତ ବଶେ କଣ୍ଠ ନାରକ କରାଇ । ୧୯ ।ବିଚଳିତ ରମ୍ଭା ଉରୁବଶୀ ରାମା ଚଞ୍ଚଳ ଶେଷ ଅଂଶୁକ ।ବୃତ୍ର ଅନ୍ତକପରେ ତହିଁ ସନ୍ତକ କାଟିଲେ ଭୋଳ ରସିକ ।ବିଭାବରୀ ଅନ୍ତ କଲେ ନିତ୍ୟକୃତ୍ୟ ଚିତ୍ରକୂଟ କେଳି ଶେଷ ।ବିଂଶପଦେ ଛାନ୍ଦ ଉପଇନ୍ଦ୍ର ବୀରବର ରଚିବାରେ ତୋଷ । ୨୦ ।
୧୬ଶ ପଦ :- ‘‘ବାରଣାସୀରେ ମହାଦେବଙ୍କୁ ସେବି ତୋତେ ଲାଭ କରିଛି,- ମୁଁ ଏହା ବା କହନ୍ତି, ମାତ୍ର ତାହା ଠିକ୍ ନୁହେଁ । କାରଣ, ତୋର ସ୍ୱୟମ୍ଭୁ ଶମ୍ଭୁ ରୂପ ସ୍ତନର ଶୋଭା ସେ କାଶୀଶ୍ୱରଙ୍କ ଶୋଭା ଉପରେ ପ୍ରଭୁ ହୋଇଛି । [ସ୍ୱୟଂ କାଶୀଶ୍ୱର ତ ତୋ ସ୍ତନ ନିକଟରେ ତୁଚ୍ଛ, ତେଣୁ ତାଙ୍କୁ ସେବି ତେତେ ପାଇଛି-ଏକଥା କିପରି କହିବି ?] ତୋ ସଙ୍ଗ ପାଇବା ମାନସ କରି ଗଙ୍ଗା ଜଳରେ ମୋ ଦେହ ବିନାଶିଥିଲି-ଏହା ବା କହନ୍ତି; ମାତ୍ର ତାହା ମଧ୍ୟ ଭୁଲ । କାରଣ ତୋ ବକ୍ଷରେ ନିର୍ମଳ ଭାବରେ ବିହରୁ ଥିବା ହାର ଶୀତଳ, ନିର୍ମଳ ଓ ଶୁଭ୍ର ଗୁଣରେ ଗଙ୍ଗାକୁ ହରାଇଅଛି । [ନିକୃଷ୍ଟକୁ ସେବା କରି ଉତ୍କୃଷ୍ଟ ବସ୍ତୁପ୍ରାପ୍ତ ହେବା ଅସମ୍ଭବ] ।’’
୧୭ଶ ପଦ :- ‘‘ତୋହର କ୍ଷୀଣକଟୀ ବଜ୍ରକୁ କଠିନତାରେ ଓ ସିଂହକୁ କୃଶତାରେ ଜିଣିଅଛି । ତେଣୁ ତା ସହିତ ବିବାଦୀ ହେବାକୁ ଆଉକିଛି ଅଛି କି ? ଯେଉଁ କଟୀ ପ୍ରସାଦରୁ ଜଠରରେ ମନ୍ଦ ଶବ୍ଦ ମଧ୍ୟ ପ୍ରଶଂସା ପାଇଥାଏ, [ଯେଉଁ କ୍ଷୀଣକଟୀ ଯୋଗୁ ଉଦରର ପ୍ରଶଂସା କରି ମନ୍ଦୋଦରୀ ବା କ୍ଷୀଣୋଦରୀ କହିଥାନ୍ତି] ତା ପ୍ରସାନରୁ ଭଲ ଗୁଣ ବା କି ପ୍ରଶଂସା ନ ପାଇବ ? ମୋଠାରେ ଦୟା ପୂର୍ବକ କଟାକ୍ଷପାତ କରି ମୋର ବାମହସ୍ତରେ ହରଧନୁର ଗର୍ବ ତୁ ଭଗ୍ନ କରିଥିଲୁ (ମୁଁ ତୋର କଟାକ୍ଷପାତରେ ବଳୀ ହୋଇଥିବାରୁ ହରଧନୁ ବାମ ହସ୍ତରେ ଧରି ଭାଙ୍ଗିବାକୁ କ୍ଷମ ହୋଇଥିଲି) । ତେଣୁ ତୋ ସକାଶେ ମୁଁ ଧନ୍ୟ ହୋଇଅଛି ।’’
୧୮ଶ ପଦ :- ରାମଙ୍କର ବିନୟ ବଚନମାନ ଶୁଣି ଚିତ୍ତହାରିଣୀପ୍ରିୟା ସୀତା କହିଲେ, ‘‘ବିଷ୍ଣୁ ବୃନ୍ଦାବତୀ ଅସୁରୀକୁ (ବୃନ୍ଦାବତୀ ପ୍ରଥମେ ଜଳନ୍ଧର ଅସୁରର ସ୍ତ୍ରୀ ଥିଲେ) ତୁଳସୀ କରି ଶିରରେ ଘେନିଲା ପରି ଏ ହୋଇଛି । ମୁଁ ତୁମ୍ଭ ଅନୁଗ୍ରହରୁ ବଡ଼ ହୋଇ ତୁମ୍ଭ କହିବା ମୁତାବକ ଗୁଣମାନ ବହିଅଛି) । ଶିବଙ୍କଠାରୁ ଚନ୍ଦ୍ର ତ ବଡ଼ ନୁହେଁ, ସେ ଶିବ ଚନ୍ଦ୍ରଙ୍କୁ ମୁକୁଟ ପ୍ରାୟ ମସ୍ତକରେ ବହି ଅଛନ୍ତି । ସେହିପରି ମୁଁ ବସୁଧାରୁ ଜାତ ହୋଇଥିଲେ ସୁଦ୍ଧା ତୁମ୍ଭ ଯୋଗେ ଧନ୍ୟ ହୋଇଅଛି । (ଶିବ ଦୟାପୂର୍ବକ ଚନ୍ଦ୍ରଙ୍କୁ ଶରରେ ବହନ କରି ତାଙ୍କୁ ଧନ୍ୟ କଲା ପ୍ରାୟ ତୁମ୍ଭେ ଦୟାକରି ମୋତେ ଏପରି ବଡ଼ପଣ ଦେଇ ଧନ୍ୟ କରିଅଛ । ପ୍ରକୃତରେ ମୁଁ ଉପଯୁକ୍ତ ନୁହେଁ) ।
୧୯ଶ ପଦ :- ସେହି ରାମ ସୀତା ଦୁହେଁ ଏହିପରି ଅନୁରାଗ ମିଶା ବାଣୀ କଥାବାର୍ତ୍ତା ହେଉଁ ହେଉଁ ବିଚିତ୍ର ରାତ୍ରି ଆସି ପ୍ରବେଶିଲା । (ରାତ୍ରି ବିଚିତ୍ର କାହିଁକି ?) ସେ ରାତ୍ରି ରମଣରତ୍ନ ସୀତାଙ୍କଦ୍ୱାରା ଯତ୍ନ ପୂର୍ବକ ‘ପୁରୁଷ କେଳି’ ବିପରୀତ ରତି ବିରଚନ କଲା (ସ୍ତ୍ରୀ ପୁରୁଷୁର ନ୍ୟାୟ କେଳି କରିବାରୁ ରାତ୍ରି ବିଚିତ୍ର ହେଲା) । ପୁଣି କେଳିର ମଧ୍ୟଭାଗରେ ‘ବ୍ରହ୍ମଶିରୀ’ ହର ସମ୍ପତ୍ତି ପ୍ରଦାନ କଲା ଅର୍ଥାତ୍ ଦିଗମ୍ବର କରାଇଲା । ଦିଗମ୍ବର ମହାଦେବ ତାଣ୍ଡବ ନୃତ୍ୟ କଲାବେଳେ ସ୍ୱର୍ଗରେ ମର୍ଦ୍ଦଳ ବାଜେ ଓ ନାରଦ ବୀଣା ବାଦନ କରନ୍ତି, ସେହିପରି ବିପରୀତ ରତି ସମୟରେ ସୀତାଙ୍କର ରସନା (ଅଳଙ୍କାର ବିଶେଷ) ବାଦ୍ୟ ବାଜିବାରୁ ଓ ହୁଁ ହୁଁ କୃତ ବୀଣାଦାନ ଶୁଭିବାରୁ ସେ ରାତ୍ରି ‘ବ୍ରହ୍ମଶିରୀ’ ସ୍ୱର୍ଗ ସୁଖ ଦାନ କଲା ।
୨୦ଶ ପଦ :- ସ୍ୱର୍ଗରେ ରମ୍ଭା ଓ ଉର୍ବଶୀ ସ୍ୱର୍ଗବେଶ୍ୟା ଦୁହେଁ ନୃତ୍ୟକାଳରେ ବିଚଳିତ ହେବାରୁ ତାଙ୍କ ଲୁଗାର ପଣତ ଚଞ୍ଚଳ ହୋଇଥାଏ । ସେହିପରି ଏ ବିପରୀତ ରତି କାଳରେ ରମ୍ଭୋରୁ ସୀତା ନୃତ୍ୟ କଲା ପ୍ରାୟ ବିଚଳିତ ହେବାରୁ ବସନର ଶେଷ ମଧ୍ୟ ରହିଲା ନାହିଁ । ସେ ସମୟରେ ରସିକ ରାମଚନ୍ଦ୍ର ବିହ୍ୱଳରେ ଶମ୍ଭୁ ରୂପ ସୀତାଙ୍କ ବର୍ତ୍ତୁଳ ସ୍ତନଯୁଗଳରେ ଯେ ନଖକ୍ଷତ କାଟି ସନ୍ତକ ରଖିଲେ, ତାହା ଇନ୍ଦ୍ରଙ୍କ ଉପରେ ସନ୍ତକ କାଟିଲା ପ୍ରାୟ ହେଲା । (ରତି ସୁଖ ଯେ ଇନ୍ଦ୍ର ସୁଖରୁ ଉତ୍କୃଷ୍ଟତର, ତାହାର ସୂଚନା ରଖିବା ପାଇଁ ଏ ସନ୍ତକ କାଟିଲେ । ) ରାତ୍ରି ଶେଷରେ ନିତ୍ୟକର୍ମମାନ ଶେଷ କଲେ । ଏଠାରେ ଚିତ୍ରକୂଟ କେଳି ସମାପ୍ତ ହେଲା । କୋଡ଼ିଏ ପଦରେ ଏ ଛାନ୍ଦ ବୀରବର ଉପେନ୍ଦ୍ର ରଚନା କରି ତୋଷ ଲଭିଲେ ।
ଏକବିଂଶ ଛାନ୍ଦରାଗ -ଦେଶାକ୍ଷବିଦୂଷଣ ଗୀତ ସୁଜନେ ଶୁଣ ॥
ବିଜ୍ଞାନୀ ଚିତ୍ରକୂଟ ଋଷିଗଣ ।ବିଷ୍ଣୁ କରି ଶ୍ରୀରାମଙ୍କୁ ନ ଚିହ୍ନି ॥
ବିଚାରି ଏ ଭୟ ରାକ୍ଷସ ଘେନି ।ବିନାଶେ ଆମ୍ଭ ଧନ୍ୱୀ ପୋଷିତ ॥
ବୋଲାବୋଲି ହୋଇ ଛାଡ଼ୁଁ ପର୍ବତ । ୧।ବିବେକୀବର ଶୁଣି ଥାଅ ଭାଷି ॥
ବାଳୀ ଭ୍ରାତ ଘେନି ଦଣ୍ଡକେ ପଶି ।ବରଷାରେ ରସା ତେଜି ମାନସ ॥
ବରଟା ସଖା ସଙ୍ଗେ ଘେନି ହଂସ ।ବନଜନାଳ ସମ୍ବଳ କରି ॥
ବାଣ ଶରାସନ ତେସନ ପରି । ୨ ।ବୀରାଧିବୀର କେତେ ଦୂର ଚଳେ ॥
ବିରାଧ ଆସୁଛି ଧରିଣ ଶୂଳେ ।ବରାହ ହରିଣ ଗୁନ୍ଥିଛି ତହିଁ ॥
ବହିବା ରକତ ଦେଉଛି ଲେହି ।ବିସ୍ତାରୁଁ ତୁଣ୍ଡ ଏମନ୍ତ ଦିଶି ॥
ବିଳେ କି କର ଯାଏ ପଶି । ୩ ।ବିଧିରେ ପଲାଶ ରୁଧିର ସଞ୍ଚା ॥
ବିକଶିଲା ପୁଷ୍ପ ପରାୟେ ପଞ୍ଚା ।ବାହୁ ଶଖାରେ ହୋଇଛି ଦୀପିତ ॥
ବିଗଳିତ ଝାଳ ମଧୁ ସଂଜାତ ।ବୁଲାଇ ଡ଼ୋଳା ଦେଉଛି ଚାହିଁ ॥
ବିଶେଷ ଭୃଙ୍ଗ ଚକ୍ରଗତି ବିହି । ୪ ।ବିଲୋକିଲା ସେହି ତିନିଜଣଙ୍କୁ ॥
ବିଚାରମାନ ଆଣିଲା ମନକୁ ।ବେନିତୀରେ ଚମ୍ପା ତମାଳ ତରୁ ॥
ବିକଚପୁଷ୍ପେ କେ ପତ୍ରେ କେ ଚାରୁ ।ବହୁଛି ମଧ୍ୟେ ଲାବଣ୍ୟ ସର ॥
ବାରିଜ କୁମୁଦ କହ୍ଲାରେ ସାର । ୫ ।୧ମ ପଦ :- ଧନୀ-ଧନୁର୍ଦ୍ଧର ।
୧ମ ଓ ୨ୟ ପଦ :- ହେ ସାଧୁଜନମାନେ ! ଦୋଷଶୂନ୍ୟ ଏ ଗୀତକୁ ଶ୍ରବଣ କର । ଚିତ୍ରକୂଟ ପର୍ବତରେ ଥିବା ଅଜ୍ଞାନୀ ଋଷିମାନେ ଶ୍ରୀରାମଙ୍କୁ ବିଷ୍ଣୁ ବୋଲି ଚିହ୍ନି ପାରିଲେ ନାହିଁ । ସେ ଭୟ ପାଇ ବିଚାର କଲେ, ‘‘ରାକ୍ଷସମାନେ ମନେ କରିବେ, ଆମ୍ଭର ବିନାଶ ପାଇଁ ଋଷିମାନେ ଆଣି ଏ ଧନୁର୍ଦ୍ଧାରୀ ଦୁଇ ବୀରଙ୍କୁ ପୋଷିଅଛନ୍ତି (ରାକ୍ଷସମାନେ ଏହା ବିଚାରି ଆମ୍ଭଙ୍କୁ ମାରିବେ) । ଏହି ପରି ପରସ୍ପର କୁହାକୋହି ହୋଇ ଚିତ୍ରକୂଟ ପର୍ବତ ଛାଡ଼ି ଯିବାକୁ ବାହାରନ୍ତେ, ବିବେକୀବର ରାମଚନ୍ଦ୍ର ତାହା ଜାଣିପାରି କହିଲେ, ‘‘ତୁମ୍ଭେ ଥାଅ (ଚିତ୍ରକୁଟ ଛାଡ଼ି ତୁମ୍ଭେ ଯାଅ ନାହିଁ । ) ତତ୍ପରେ ସୀତାଓ ଭାଇ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ଚିତ୍ରକୂଟ ଛାଡ଼ି ଯାଇ ଦଣ୍ଡକାରଣ୍ୟରେ ପ୍ରବେଶ କଲେ । ଯେପରି ବର୍ଷାକଳାରେ ହଂସ ଓ ହଂସୀ ପୃଥୀବୀକୁ ଛାଡ଼ି ସାଙ୍ଗ ସାଥୀମାନଙ୍କୁ ସଙ୍ଗରେ ଧରି ପଦ୍ମନାଡ଼କୁ ପାଥେୟ ସ୍ୱରୂପ ନେଇ ମାନସରୋବରରେ ପଶେ, ସେହିପରି ରାମ ଓ ସୀତା ଚିତ୍ରକୂଟ ତ୍ୟାଗକରି ଲକ୍ଷ୍ମଣକୁ ସାଙ୍ଗରେ ନେଇ ଧନୁବାଣକୁ ସମ୍ବଳ କରି ଦଣ୍ଡକାରଣ୍ୟରେ ପହଞ୍ଚିଲେ । ପଥରେ ବଳ ଦେଇ ସବୁ ବିପଦରୁ ରକ୍ଷା କରିବ ବୋଲି ଧନୁବାଣ ସମ୍ବଳ ହୋଇଅଛି) ।
୩ୟ ପଦ :- ବୀରାଧିବୀର-ବୀରଶ୍ରେଷ୍ଠ । ଲେହି-ଚାଟି । ଭାନୁ-ସୁର୍ଯ୍ୟ । କର-କିରଣ ।
୩ୟ ପଦ :- ବୀରଶ୍ରେଷ୍ଠ ରାମଚନ୍ଦ୍ର ସେଠାରୁ କିଛି ଦୂର ଚଳିଯାନ୍ତେ ଦେଖିଲେ, ବିରାଧ ନାମକ ରାକ୍ଷସ ଗୋଟାଏ ଶୂଳ ଧରି ଆସୁଅଛି । ସେ ଶୂଳରେ ସେ ରାକ୍ଷସ ବରାହ ମୃଗ ପ୍ରଭୃତି ପଶୁମାନଙ୍କୁ ଗୁନ୍ଥିଛି ଓ ପଶୁମାନଠାରୁ ବୋହି ପଡ଼ୁଥିବା ରକ୍ତକୁ ଚାଟି ପକାଉଛି । ସେ ରକ୍ଷାସ ପାଟି ବିସ୍ତାର କଲାବେଳେ ଗୁହାରେ ସୂର୍ଯ୍ୟକିରଣ ପଶିଗଲା ପ୍ରାୟ ଦେଖାଉଛି ।
୪ର୍ଥ ପଦ :- ପଲାଶ-ରାକ୍ଷସ, ପଲାସଗଛ । ଭୃଙ୍ଗ-ଭ୍ରମର ।
୪ର୍ଥ ପଦ :- ସେ ରାକ୍ଷସ ପ୍ରକୃତରେ ଗୋଟାଏ ପଲାଶ ବୃକ୍ଷପରି ହୋଇଅଛି । ତା ଦେହରେ ଲାଗିଥିବା ରକ୍ତଚିହ୍ନସବୁ ପଲାଶ ବୃକ୍ଷରେ ଫୁଲ ଫୁଟିଲା ପ୍ରାୟ ଦେଖାଯାଉଅଛି । ତାହାର ବାହୁଦ୍ୱୟ ଡାଳରୂପେ ଶୋଭା ପାଉଅଛି ଓ ଦେହରୁ ବହୁଥିବା ଝାଳ ମହୁ ପରି ବୋଧ ହେଉଅଛି । ସେ ରାକ୍ଷସ ଡୋଳା ବୁଲାଇ ଚାହିଁ ଦେଲାବେଳେ, ଭ୍ରମର ଚକ୍ରାକାର ଗତିକଲା ପରି ଜଣାଯାଉଅଛି । (ରାକ୍ଷସ ରୂପ ପଲାଶ ବୃକ୍ଷର ରକ୍ତ ଚିହ୍ନ ରୂପ ପୁଷ୍ପରୁ ସ୍ରବୁଥିବା ଝାଳ ରୁପ ମହୁ ପାନ ନିମନ୍ତେ ଡୋଳାରୂପ ଭ୍ରମର ଚକ୍ରାକାରରେ ଭ୍ରମୁ ଅଛି କି ?
୫ମ ପଦ :- ବିକଚ-ପ୍ରଷ୍ଫୁଟିତ । ସର-ଜଳ । ବାରିଜ-ପଦ୍ମ । କହ୍ଲାର-ଶ୍ୱେତପଦ୍ମ ।
୫ମ ପଦ :- ସେ ବିରାଧ ରାକ୍ଷସ ରାମ, ଲକ୍ଷ୍ମଣ ଓ ସୀତା, ଏ ତିନିଜଣଙ୍କୁ ଦେଖି ମନରେ ବିଚାର କଲା, ଏକ ପାଖରେ ପ୍ରଷ୍ଫୁଟିତ ପୁଷ୍ପ ଶୋଭିତ ଚମ୍ପା ବୃକ୍ଷ ଓ ଅନ୍ୟ ପାଖରେ ମନୋହର ପତ୍ର ଶୋଭିତ ତମାଳ ବୃକ୍ଷ ବିରଜୁ ଅଛି ଏବଂ ମଧ୍ୟ ଭାଗରେ ମନୋରମ ଜଳପ୍ରବାହ ବହୁଅଛି । ସେହି ମନୋରମ ଜଳ ପ୍ରବାହ ଫୁଟିଥିବା ପଦ୍ମ, ନୀଳ କଇଁ ଓ କହ୍ଲାର ପୁଷ୍ପ ଯୋଗେ ଶ୍ରେଶ୍ଠତ୍ୱ ଲାଭ କରିଅଛି । (ଏଠାରେ ରାମଚନ୍ଦ୍ର ମନୋହର ତମାଳ ବୃକ୍ଷ ଓ ଲକ୍ଷ୍ମଣ ପୁଷ୍ପିତ ଚମ୍ପକ ବୃକ୍ଷରୂପେ କଳ୍ପିତ ହୋଇଅଛନ୍ତି । ଦୁହେଁ ଦୁଇ କଡ଼ରେ ଓ ସୀତା ମଧ୍ୟରେ ଥିବାରୁ ସୀତା ବୃକ୍ଷ ଶୋଭିତ ଦୁଇ ତଟରେ ମଧ୍ୟରେ ଥିବା ଲାବଣ୍ୟ ଜଳପ୍ରବାହରୂପେ ଗତି କରୁଅଛନ୍ତି । ଜଳପ୍ରବାହରେ ପଦ୍ମ ଫୁଟିଲା ପରି ସୀତାଙ୍କର ମୁଖପଦ୍ମ ଫୁଟିଲା ପରି ସୀତାଙ୍କର ମୁଖପଦ୍ମ ମନୋହର, ନୀଳୋତ୍ପନ ପ୍ରାୟ ସୀତାଙ୍କ ନୟନଯୁଗଳେ ଢଳଢ଼ଳ ଓ କହ୍ଲାର ପରି ନଖପନ୍ତି ସବୁ ଶୁଭ୍ର ହୋଇଅଛି) ।
ବାତେ ଚଳୁଅଛି ନୀଳଉତ୍ପଳ ॥
ବୀଚି ଭୃଙ୍ଗାଳିରେ କି ମହୋଜ୍ଜ୍ୱଳ ।ବିହାର କରୁଛି ମତ୍ତମରାଳୀ ॥
ବୃତ ଶଇବାଳେ କମଳକଳି ।ବିଲୋଳ ଘନରସ ପୂରିତ ॥
ବିତର୍କ ସର୍ବ ଶ୍ଳେଷ ଏତେ ମାତ୍ର । ୬ ।ବିକ୍ରମି କରୁଁ ନିକଟକୁ ଗତି ॥
ବିଗ୍ରହବନ୍ତ ଦରଶନେ ଚିନ୍ତି ।ବରାକ ନେତ୍ରେ କାମ ଜଳିଗଲା ॥
ବୃଷ୍ଟିସୁଧା ଇନ୍ଦ୍ର ଅସ୍ଥିରେ କଲା ।ବସନ୍ତ ସଙ୍ଗୀରହିସ୍ୱରୂପ ॥
ବଂଶ ଲୋହ ପୁଷ୍ପ କମାଣ ରୋପ । ୭ ।ବ୍ରହ୍ମାଣ୍ଡେ ଏକ ସୁନ୍ଦରୀ ଏ ରତି ॥
ବିନା ଏଡ଼େ ଶୋଭା କେଉଁ ଯୁବତୀ ।ବଳେ ନେଇଥିଲା ଶମ୍ବରପୁରୀ ॥
ବିବାଦେ ଜିଣି କି କରିଛି ଚୋରୀ ।ବିବେକ ଏହି ଚୋରୀ ପ୍ରମାଣ ॥
ବନେ ପଶେ ଘେନି ଜଟାଧାରଣ । ୮ ।ବେନି ପୁରୁଷ ଅସ୍ଥି ସହ କରି ॥
ବଧି ଭକ୍ଷିବି ଅଗସ୍ତି ସୁମରି ।ବିଜିର୍ଣ୍ଣ ହେଲେ ଜୀର୍ଣ୍ଣ କରିଦେବି ॥
ବୃଷ୍ଟିସୁଧା ପିଇ ଅମର ହେବି ।ବନିତାମଣି ସ୍ଥିର ଯୌବନୀ ॥
ବିପିନେ ବିହରିବି ଏହା ଘେନି । ୯ ।ବାସାଙ୍ଗେ ଜିଣେ ପାରିଜାତକକୁ ॥
ବୋଲିବି ଯୋଜନଗନ୍ଧା ଏହାକୁ ।ବିଲୋପ କରି ଦେବି ରତିନାମ ॥
ବାଦେ ଜିଣିମାକୁ କେ ମୋତେ କ୍ଷମ ।ବିଚାରି ରାମ ଲକ୍ଷ୍ମଣ ଧରି ॥
ବହି ବେନିସ୍କନ୍ଧେ ଗମନ କରି । ୧୦ ।୬ଷ୍ଠ ପଦ :- ବୀଚି-ଲହରୀ । ଭୃଙ୍ଗାଳି-ଭ୍ରମରସମୂହ । ମରାଳୀ-ହଂସୀ । ବିଲୋଳ-ଚଞ୍ଚଳ । ଘନରସ-ବହୁଜଳ, ଶୃଙ୍ଗାର ରସ ।
୬ଷ୍ଠ ପଦ :- ପବନ ଯୋଗରେ ନୀଳୋତ୍ପଳ ଦୋହଲିବା ପ୍ରାୟ ସୀତାଙ୍କର ନୟନ ଯୁଗଳ ଢଳଢଳ ହେଉଅଛି । ତାହାଙ୍କର ବାହୁଯୁଗଳ ଲହରୀ ସଦୃଶ ଆନ୍ଦୋଳିତ ହେଉଅଛି ଓ ପଦ୍ମ ଉପରେ ଭ୍ରମରସବୁ ବସି ଶୋଭା ପାଇଲାପରି ସୀତାଙ୍କ ମୁଖପଦ୍ମ ଉପରେ ଥିବା କୁଞ୍ଚିତ କୁନ୍ତଳ ସବୁ ଦେଖାଯାଉଅଛି । ତାହାଙ୍କର ଗତି ମତ୍ତହଂସୀର ଗମନ ତୁଲ୍ୟ ହୋଇଅଛି । ପଦ୍ମକଢ଼ି ତୁଲ୍ୟ ସ୍ତନଦ୍ୱୟ ଶୈବାଳ ରୂପ ବସ୍ତ୍ରଦ୍ୱାରା ଆଚ୍ଛାଦିତ ହୋଇ ସୁନ୍ଦର ଦେଖାଯାଉଅଛି । ଚଞ୍ଚଳ ପ୍ରବାହ ଜଳରେ ପୂର୍ଣ୍ଣ ହେଲାପ୍ରାୟ ସୀତା ନିବିଡ଼ ଶୃଙ୍ଗାର ରସରେ ପୂର୍ଣ୍ଣ ହୋଇଅଛନ୍ତି । ବିରାଧ ରାକ୍ଷସ ତାଙ୍କୁ ଦେଖି ଏହିପରି ଶ୍ଲେଷଭାବରେ ମନରେ ବିଚାର କଲା ।
୭ମ ପଦ :- ବିଗ୍ରହବନ୍ତ-ଦେହବନ୍ତ । ବରାକ-ମହେଦେବ । ପୁଷ୍ପକମାଣ- ଫୁଲଧନୁ ।
୭ମ ପଦ :- ତତ୍ପରେ ସେ ରାକ୍ଷସ ପାଦ ନିକ୍ଷେପ କରି ତାଙ୍କ ନିକଟକୁ ଗଲା ଓ ଦେହଧାରୀ ତିନିମୂର୍ତ୍ତିଙ୍କୁ ଦେଖି ମନରେ ଚିନ୍ତା କଲା, ‘‘ଶଙ୍କରଙ୍କ ନେତ୍ରପାତ ଯୋଗେ କନ୍ଦର୍ପ ଜଳି ଯାଇଥିଲା । ତାହାର ଅସ୍ଥିରେ ଇନ୍ଦ୍ର ଅମୃତ ବୃଷ୍ଟି କରିବାରୁ ବୋଧହୁଏ ସେ କନ୍ଦର୍ପ ନିଜ ରୂପକୁ ଧରି ତାହାର ସଖା ବସନ୍ତକୁ ଓ ସ୍ତ୍ରୀ ସଙ୍ଗରେ ଘେନି ଆସୁଅଛି । ପୁଣି ସେ କୁସୁମଧନୁ ଓ ଫୁଲଶର ଛାଡ଼ି ବାଉଁଶଧନୁ ଓ ଲୁହାଶରକୁ ଧରିଅଛି ।’’
୮ମ ପଦ :- ‘‘ ଏ ସ୍ତ୍ରୀ ବ୍ରହ୍ମାଣ୍ଡରେ ମଧ୍ୟରେ ଏକମାତ୍ର ସୁନ୍ଦରୀ ରତିଦେବୀ । ତାହା ବିନା ଏଡ଼େ ସୁନ୍ଦରୀ ଆଉ କେଉଁ ସ୍ତ୍ରୀ ବା ହେବ ? ବଳାତ୍କାରରେ ଶମ୍ବରାସୁର ଏହାକୁ ନିଜ ପୁରମଧ୍ୟକୁ ନେଇଥିଲା । ଏ କନ୍ଦର୍ପ ତା ସହିତ ବିବାଦ କରି କିମ୍ବା ଚୋରାଇ ସୁନ୍ଦରୀକୁ ଆଣିଅଛି । ଏ ଯେତେବେଳେ ଜଟା ଧାରଣ କରି ବନ ମଧ୍ୟରେ ଲୁଚି ବୁଲୁଅଛି, ସେଥିରେ ମନେହେଉଛି ଯେ, ଏ ନିଶ୍ଚୟ ଚୋରି କରି ଆଣିଅଛି । [ଯୁଦ୍ଧରେ ଜୟ କରି ଆଣିଥିଲେ ବନରେ ଲୁଚି ଲୁଚି ବୁଲନ୍ତା କାହିଁକି] ?’’
୯ମ ପଦ :- ‘‘ଏ ଦୁଇ ପୁରୁଷଙ୍କୁ ମାରି ହାଡ଼ ସହିତ ଖାଇବି ଓ ଅଜୀର୍ଣ୍ଣ ହେଲେ ଅଗସ୍ତି ମୁନିଙ୍କୁ ସ୍ମରଣା କରି ଜୀର୍ଣ୍ଣ କରିଦେବି । ପୂର୍ବେ ବୃଷ୍ଟି ହୋଇଥିବା ଅମୃତ [କନ୍ଦର୍ପର ଅସ୍ଥିର ଇନ୍ଦ୍ର ଅମୃତ ବୃଷ୍ଟି କରିବାରୁ ଏ ପୁରୁଷ ଜୀବନ ପାଇଅଛି, ସେହି ଅସ୍ଥିରେ ପଡ଼ିଥିବା ଅମୃତ] ପାନ କରି ମୁଁ ଅମର ହେବି ଓ ଏହି ଚିରଯୌବନା ସ୍ତ୍ରୀରତ୍ନକୁ ନେଇ ବନରେ ବିହାର କରିବି ।’’
୧୦ମ ପଦ :- ବାସାଙ୍ଗେ-ଦେହ ସୌରଭରେ ।
୧୦ମ ପଦ :- ‘‘ଏ ସ୍ତ୍ରୀର ଅଙ୍ଗସୌରଭ ପାରିଜାତ ପୁଷ୍ପର ସୌରଭକୁ ଜିଣିଅଛି, ତେଣୁ ଏହାକୁ ଯୋଜନାଗନ୍ଧା କହି ଡାକିବି । ଏହାର ରତି ନାମକୁ ଲୁଚାଇ ଦେବି । ମୋତେ ବିବାଦରେ ଜିଣିବାକୁ ସମର୍ଥ କିଏ ଅଛି ? [ମୋତେ ବିବାଦରେ କେହି ଜିଣି ପାରିବେ ନାହିଁ ] ।’’ ଏହିପରି ବିଚାର କରି ସେ ରାମ ଲକ୍ଷ୍ମଣ ଦୁହିଁଙ୍କି ଦୁଇ କାନ୍ଧରେ ବସାଇ ନେଇଗଲା ।
ବତାସ ବୃକ୍ଷ ଉତ୍ପାଟି ଉଡ଼ାଇ ॥
ବଲ୍ଲରୀକି ଯଥା ପ୍ରକମ୍ପ ଦେଇ ।ବର୍ଦ୍ଧମାନ ଏହି ଲକ୍ଷ ସେଠାରେ ॥
ବାରି ପୁଣ ସୀତା ନୟନୁ ଝରେ ।ବମନ ମୋତିପନ୍ତି କି କରେ ॥
ବିନିମିଷୁଁ ଝସ ଉପମା ଧରେ । ୧୧ ।ବିଚିତ୍ର ହେଲା ବିଚିତ୍ର ହେବାରୁ ॥
ରହିଲା ତୃଣାଙ୍କୁର ଯେଣୁ ମେରୁ ।ବାର ପଛେ ଯଥା ହଂସୀ ଗୋଡ଼ାଇ ॥
ବିଧିରେ ଯଥା ମାଗଧ ବିନ୍ଧଇ ।ବିକଳ ଶୁଣି ସୋଦର ଦୁଇ ॥
ବାଳ ଧରି ଡ଼େଇଁ ଲୋଟାଇମହୀ । ୧୨ ।ବିଲୋମ ଲୋମ ଗତାଗତ ବଶେ ॥
ବିରୋଧ ବଧ ଖ୍ୟତଖାତତ୍ରୋଶେ ।ବିମାନେ ସ୍ୱର୍ଗ ସ୍ତୁତି ଦିବ୍ୟରୂପେ ॥
ବନ୍ଦନା କଲେ ବିବୁଧକଳାପେ ।ବୈଦେହୀ ମହାସନ୍ତୋଷ ହେଲେ ॥
ବୃକ୍ଷକ ମୂଳେ ସେ ଦିନ ରହିଲେ । ୧୩ ।ବିଧିରେ ପୂର୍ବରୁ ହରି ହରିଣୀ ॥
ବିଭୀତେ ସେହି ଲକ୍ଷ୍ମଣାକୁ ଆଣି ।ବନେ ସବୁଦିନେ ସିନା ଶୟନ ॥
ବନେ ହରିଲେ ଦିନ ନୋହି ଦୀନ ।ବିଶ୍ୱରେ ଖ୍ୟାତ ସୁବର୍ଣ୍ଣରୂପେ ॥
ବନ୍ଦେଗତିବଶେ ଦ୍ୱିଜେତପୁଷ୍ପେ । ୧୪ ।ବିଭାତ ସହଜେ ଅତି ରଞ୍ଜନ ॥
ବାୟୁସଖାରେ ହୁଅଇ ପୂଜନ ।ବାଜଇ ସୀତାର ନୂପୁର ଘଣ୍ଟି ॥
ବଶେ ମୃଗବର୍ଗ ପାଶେ ପ୍ରକଟି ।ବିଗତ ଭୟ ଦେଖି ସ୍ଥକିତ ॥
ବର୍ଦ୍ଧକୀ ବନ୍ଧନେ ଗଢ଼ିଲା ବତ । ୧୫ ।୧୧ଶ ପଦ :- ବଲ୍ଲରୀ-ଲତା । ବମନ-ବାନ୍ତି । ବିନିମିଷୁଁ-ପଲକ ନ ପଡ଼ିବାରୁ ।
୧୧ଶ ପଦ :- ପ୍ରବଳ ପବନ ବୃକ୍ଷକୁ ଉପାଡ଼ି ଉଡ଼ାଇ ନେଲାବେଳେ ବୃକ୍ଷର ଆଶ୍ରିତ ଲତାକୁ ପ୍ରକମ୍ପିତ କରିବା ଉପମା ଏଠାରେ ବର୍ଦ୍ଧମାନ ହେଲା । (ସେ ରାକ୍ଷସ ରାମଲକ୍ଷ୍ମଣଙ୍କୁ କନ୍ଧରେ ବହି ଉଡ଼ାଇ ନେଇଯିବାରୁ ସୀତା ଭୟରେ କମ୍ପିବାକୁ ଲାଗିଲେ) ପୁଣି ସୀତା ନିର୍ନିମେଷ ନେତ୍ରରୁ ଲୁହ ବିନ୍ଦୁ ଝରିଲା ତା ଦେଖି ମୀନ ମୋତିପନ୍ତି ବମନ କରୁଛି କି ?
୧୨ଶ ପଦ :- ବାର-ଘୋଡ଼ା । ମାଗଧ-ଭାଟ ।
୧୨ଶ ପଦ :- ଯେଣୁ ତୃଣାଙ୍କୁର ସଦୃଶ ବିରାଧ ରାକ୍ଷସ ମେରୁ ପର୍ବତ ତୁଲ୍ୟ ରାମ ଲକ୍ଷ୍ମଣଙ୍କୁ ବହନ କରି ବିଚିତ୍ର ଘଟଣା ଘଟାଇ ଦେଲା, ସେହି ହେତୁରୁ ମୀନ ମୋତି ବମନ କରିବା ରୂପ ବିଚିତ୍ର ଦୃଶ୍ୟ ଦେଖାଗଲା । ତତ୍ପରେ ସୀତା ଘୋଟକ ପଛରେ ହଂସୀ ଗୋଡ଼ାଇଲା ପ୍ରାୟ ରାକ୍ଷସ ପଛରେ ଗୋଡ଼ାଇଲେ ଓ ବଧିର ଆଗରେ ଭାଟ ସ୍ତୁତିପାଠ କଲା ପରି ରାକ୍ଷସକୁ ବହୁତ ଅନୁନୟ ବିନୟ କଲେ । (ଯେତେ ସ୍ତୁତି ପାଠକଲେ ସୁଦ୍ଧା ବଧିର ଯେପରି ନ ଶୁଣେ, ରାକ୍ଷସ ସେହିପରି ସୀତାଙ୍କ ଅନୁନୟ ବିନୟ ଶୁଣିଲା ନାହିଁ) । ରାମ ଲକ୍ଷ୍ମଣ ଦୁଇ ଭାଇ ସୀତାଙ୍କ ବିକଳ କ୍ରନ୍ଦନ ଶୁଣି ରାକ୍ଷସର କେଶ ଧରି କନ୍ଧରୁ ଡେଇଁପଡ଼ି ତାକୁ ଭୂମିରେ ଗଡ଼ାଇ ଦେଲେ ।
୧୩ଶ ପଦ :- ସେ ଦୁଇଭାଇ ବିରାଧକୁ ଏଣିକି ତେଣିକି ଘୋଷରା ଘୋଷରି କରିବାଦ୍ୱାରା ସେ ବଧ ହେଲା । ସେଠାରେ କ୍ରୋଶକ ପର୍ଯ୍ୟନ୍ତ ଖାଲ ହୋଇ ଯିବାରୁ ତାହା ବିରାଧ ଖ୍ୟାତ ନାମରେ ପ୍ରସିଦ୍ଧି ପାଇଲା । ରାକ୍ଷସ ଦିବ୍ୟରୂପ ଧରି ବିମାନରେ ବସି ରାମ ଲକ୍ଷ୍ମଣଙ୍କୁ ସ୍ତୁତିକରି ସ୍ୱର୍ଗପୁରକୁ ଗଲା । ଅନନ୍ତର ଦେବତାମାନେ ରାମ ଲକ୍ଷ୍ମଣଙ୍କୁ ବନ୍ଦନା କଲେ । ବିରାଧର ମୃତ୍ୟୁରେ ବୈଦେହୀ ଆନନ୍ଦିତା ହେଲେ । ସେ ଦିନ ଗୋଟିଏ ବୃକ୍ଷ ମୂଳରେ ସେ ତିନିଜଣ ରହିଲେ ।
୧୪ଶ ପଦ :- ହରି-ନାରାୟଣ, ସିଂହ । ହରିଣୀ-ସିଂହୀ, ଲକ୍ଷ୍ମୀ । ବନେ-ଜଳରେ, ଅରଣ୍ୟରେ । ଦ୍ୱିଜେ-ବ୍ରାହ୍ମଣମାନେ, ପକ୍ଷୀସମୂହ ।
୧୪ଶ ପଦ :- ରାମ ଓ ସୀତା ପୂର୍ବଜନ୍ମରେ ‘ହରି ହରିଣୀ’ ନାରାୟଣ ଲକ୍ଷ୍ମୀଙ୍କ ପରି (ଲକ୍ଷ୍ମୀ ନାରାୟଣ ନିର୍ଭୟରେ ସମୁଦ୍ର ଜଳରେ ଅନନ୍ତ ଶୟନ କଲା ପରି) ନିର୍ଭୟରେ ସେହି ଲକ୍ଷ୍ମଣକୁ କହିଲେ ଅର୍ଥାତ୍ ‘ହରି ହରିଣୀ’ ସିଂହ ସିଂହୀ ନିର୍ଭୟରେ ବନରେ ଭ୍ରମଣ କଲା ପ୍ରାୟ ରାମ ସୀତା ନିର୍ଭୀକ ଚିତ୍ତରେ ସେ ବନରେ ବିହାର କଲେ । ପୂର୍ବେ ସବୁଦିନେ ସିନା ଜଳରେ ଶୟନ କରୁଥିଲେ, ଏବେ ବନରେ ଦୁଃଖ ଅନୁଭବ ନ କରି ମଧ୍ୟ ଦିନ କଟାଇଲେ । ସଂସାରରେ ସୁବର୍ଣ୍ଣମୟୀ ପ୍ରତିମାଙ୍କୁ ବ୍ରାହ୍ମଣମାନେ ଗତି ମୁକ୍ତି ପାଇବାପାଇଁ ପୁଷ୍ପ ପ୍ରଦାନ କରି ପୂଜା କରିଥାନ୍ତି । ସେହିପରି ହଂସପକ୍ଷୀମାନେ ମନ୍ଦଗମନ ହେତୁ ସ୍ୱର୍ଣ୍ଣ ପ୍ରତିମା ସୀତାଙ୍କୁ ପୂଜା କରୁଅଛନ୍ତି । ଅନ୍ୟାର୍ଥ-ସୀତା ଗମନ ହେତୁ ପାଦ ପକେଇଲାବେଳେ ହଂସମାନେ ଓ ପଦ୍ମପୁଷ୍ପମାନେ ସେ ଗମନକୁ ଓ ପାଦକୁ ସମାନ ନ ହେବାରୁ ବନ୍ଦନା କରୁଅଛନ୍ତି ।
୧୫ଶ ପଦ :- ବାୟୁସଖା-ଅଗ୍ନି ।
୧୫ଶ ପଦ :- ରାମ ଲକ୍ଷ୍ମଣଙ୍କର ତେଜ ଅତି ଉଜ୍ଜ୍ୱଳ ହୋଇଥିବାରୁ ଅଗ୍ନିଦ୍ୱାରା ପୂଜିତ ହୁଏ । (ଅଗ୍ନିଠାରୁ ଅଧିକ ତେଜ ହେତୁରୁ ଅଗ୍ନି ପୂଜା କରେ) । ସୀତାଙ୍କର ନୂପୁର ଘଣ୍ଟି ପ୍ରାୟ ଶବ୍ଦ କରେ । ରାମଲକ୍ଷ୍ମଣଙ୍କ ତେଜ ରୂପ ଅଗ୍ନି ଦେଖି ଓ ସୀତାଙ୍କ ନୂପୁର ଘଣ୍ଟି ଶବ୍ଦ ଶୁଣି ମୃଗମାନେ ବଶ ହୋଇ ଆସି ନିର୍ଭୟ ଚିତ୍ତରେ ପାଖରେ ମିଳିଲେ ଓ ରାମ ପ୍ରଭୃତିଙ୍କୁ ଦେଖି ବଢ଼ାଇ ନିର୍ମିତ କାଷ୍ଠ ପିତୁକା ପ୍ରାୟ ସ୍ଥିର ଭାବରେ ଠିଆ ହେଲେ ।
ବକୁଳ ଅଶୋକ କଦମ୍ବ ଝିଣ୍ଟି ॥
ବିକଶି କୁସୁମ ଗନ୍ଧ ଚହଟି ।ବାମା ବାମପାଦ ଲାଗି ଗମନେ ॥
ବିଟିକାଶେଷ ପାନର ପତନେ ।ବିଷୋଉଁ ପଥେ କୋଳ ରଚନେ ॥
ବହୁ ସଖୀ ନାମ ସ୍ନେହ ଚୁମ୍ବନେ । ୧୬ ।ବିଳସେ ଅଳିଆବ କାଳିନନେ ॥
ବୋଧ ତ୍ରିକାଳଫୁଲ ମଧୁପାନେ ।ବାଞ୍ଛାକଳ୍ପତରୁ ବାନ୍ଧବୀ ନିଶ୍ଚେ ॥
ବିବିଧ ଫଳଗର୍ଭ ଦାନ ସଞ୍ଚେ ।ବେଭାରେ ମଧୁସୂଦନ ସେହି ॥
ବଞ୍ଚନ୍ତି କାଳକୁ ବିନୋଦ ବିହି । ୧୭ ।ବିଖ୍ୟାତ ଅନନ୍ତ କୀରତିମାନ ॥
ବିନାଶନରେ ଅନୁଜ ସୁମନ ।ବିନିଦ୍ରବିଯୋଗୀ ଦୀକ୍ଷାରୁ କରି ॥
ବାସର ନିଶା ନିତି ନିତି ହରି ।ବସୁଧା ନ କଲେ ପିଶାଚୀହୀନ ॥
ବୋଲନ୍ତି ଯେଣୁ ପତିତ ପାବନ । ୧୮ ।ବାଳା ସ୍ନେହ ସରସ୍ୱତୀକି ପାଳି ॥
ବହନ ସରସ୍ୱତୀରେ ସେ ମିଳି ।ବାଶିଷ୍ଠୀ ବାସୀସୁବାସୀ ସଙ୍ଗେ ॥
ବିଧୌତକବରୀ କାବେରୀ ଭଙ୍ଗେ । ୧୯ ।ବିହରି ନର୍ମଦା ଘେନି ନର୍ମଦା ॥
ବାହୁଦା ପ୍ଲବନେ କାନ୍ତ ବାହୁଦା ।ବୁଡ଼ି ହଂସପରି ହଂସଜାନୀରେ ॥
ବାରେ ଗମନ ପ୍ରଚାରି ରେବାରେ ।ବିକାଶୀ କାଶୀ-ସରିତେ ସ୍ନାୟୀ ॥
ବିନ୍ଧ କନ୍ୟାରେ କନ୍ୟା ଘେନିଯାଇ । ୨୦ ।
୧୬ଶ ପଦ :- ସୀତାଙ୍କର ଗମନ ସମୟରେ ତାଙ୍କର ବାମପାଦ ଲାଗି ଅଶୋକ ବୃକ୍ଷରେ, ଚର୍ବଣ ଶେଷ ପାନର ପତନରେ ବଉଳ ଗଛରେ, ପଥ ମଧ୍ୟରେ ଯାଉଁ ଯାଉଁ ଚଢ଼ିବା ମାନସରେ କୋଳ କରିବା ହେତୁ କଦମ୍ବ ଗଛରେ ସହଚରୀ ବୋଲି କହି ସ୍ନେହରେ ଚୁମ୍ବନ ଦେବାଦ୍ୱାରା ଅଁଳା ଗଛରେ ଫୁଲ ଫୁଟି ସୁଗନ୍ଧ ଚହଟି ଗଲା । (ଏହା ଦ୍ୱାରା ଦୋହଦ ଲକ୍ଷଣ ସୂଚିତ ହେଲା) ।
୧୭ଶ ପଦ :- ଅଳିଆବଳୀ-ଭ୍ରମରସମୂହ । ମଧୁସୂଧନ-ମଧୂଦୈତ୍ୟ ହନ୍ତା ବା ରାମଚନ୍ଦ୍ର, ମଧୁପ୍ରିୟ ବା ଭ୍ରମର ।
୧୭ଶ ପଦ :- ଅସମୟରେ ବକୁଳାଦି ବୃକ୍ଷମାନେ ପୁଷ୍ପିତ ହୁଅନ୍ତେ ଭ୍ରମରମାନେ ସେ ବନରେ ବିଳସିଲେ । ତ୍ରିକାଳ ଫୁଲ ଅର୍ଥାତ୍ ବର୍ଷା, ବସନ୍ତ ଓ ହେମନ୍ତ ୠତୁର ଫୁଲସବୁ ଏକ ସମୟରେ ଫୁଟିବାରୁ ସେମାନେ ମଧୂପାନ କରି ତୃପ୍ତ ହେଲେ । ଲୋକମାନଙ୍କୁ ବାଞ୍ଛିତ ଫଳ ପ୍ରଦାନକରି ବାଞ୍ଛାକଳ୍ପତରୁ ବୋଲାଉଥିବା ମଧୂଦୈତ୍ୟହନ୍ତା ରାମଚନ୍ଦ୍ର ଭ୍ରମର ପ୍ରାୟ ତ୍ରିକାଳ ପୁଷ୍ପୋପମା ସୀତାଙ୍କ ସହିତ ବିହାର କରି ତ୍ରିକାଳ କଟାଇଲେ ।
୧୮ଶ ପଦ :- ବିନାଶନରେ-ଅନାହାରରେ । ଅନୁଜ-ସାନଭାଇ । ବସୁଧା-ପୃଥିବୀ ।
୧୮ଶ ପଦ :- ପ୍ରସିଦ୍ଧ ଓ ଅପରିମିତ କୀର୍ତ୍ତିମନ୍ତ ଅନୁଜ ଲକ୍ଷ୍ମଣ ଅଭୋଜନରେ ବିନିଦ୍ର ରହି ସୁଦ୍ଧା ଆନନ୍ଦ ମନରେ ଦିନ ଓ ରାତି କଟାଇଲେ । ସେ ଯେଣୁ ପତିତର ପବିତ୍ରକାରକ ଆଖ୍ୟା ପାଇଛନ୍ତି, ତେଣୁ ‘ପିଶାଚ’ ରାକ୍ଷସମାନଙ୍କୁ ନାଶ କରି ସ୍ୱର୍ଗଗତି ଦେବାଦ୍ୱାରା ପବିତ୍ର କଲେ ।
୧୯ଶ ପଦ :- ତୀର୍ଥରାଜ-ସମୁଦ୍ର । ସରସ୍ୱତୀ-ବାଣୀ ବା ବଚନ । ବାଶିଷ୍ଠୀ-ଗୋମତୀ ନଦୀ । ବାସୀସୁବାସୀ-ସୌରଭ ମୟୀ । କବରୀ-ଖୋଷା । ଭଙ୍ଗେ-ତରଙ୍ଗରେ ।
୧୯ଶ ପଦ :- ଯେଉଁ ରାମଚନ୍ଦ୍ର ବର୍ତ୍ତମାନ ସମୁଦ୍ର ତୀରରେ ବାସ କରୁଅଛନ୍ତି (ଶୀକ୍ଷ୍ରତ୍ରରେ ଦାରୁବ୍ରହ୍ମରୂପେ ଅବସ୍ଥାନ କରି ଶୀକ୍ଷେତ୍ରକୁ ପବିତ୍ର ତୀର୍ଥ କରିଅଛନ୍ତି) ସେହି ରାମଚନ୍ଦ୍ର ସେତେବେଳେ ନାନାତୀର୍ଥରେ ଭ୍ରମଣ କଲେ । ପ୍ରିୟା ସୀତାର ସ୍ନେହପୂର୍ଣ୍ଣ ବାଣୀକୁ ପାଳନ କରି ଶୀଘ୍ର ସରସ୍ୱତୀ ନଦୀ ତୀରରେ ମିଳିଲେ । ତତ୍ପରେ ସୌରଭମୟୀ ଓ ସୁବସନ ପରିହୀତା ସୀତା ରାମଙ୍କ ସଙ୍ଗରେ ଯାଇ କାବେରୀ ନଦୀର ତରଙ୍ଗ ‘କବରୀ’ କେଶକୁ କ୍ଷାଳିତ କଲେ ।
୨୦ଶ ପଦ :- ନର୍ମଦା-ଲୀଳାଦାୟିନୀ । ହଂସଜା-ଯମୁନା । ବିନ୍ଧ୍ୟକନ୍ୟା-ମହାନଦୀ ।
୨୦ଶ ପଦ :- ‘ନର୍ମଦା’ ଲୀଳାଦାୟିନୀ ସୀତାଙ୍କୁ ସଙ୍ଗରେ ନେଇ ରାମଚନ୍ଦ୍ର ନର୍ମଦା ନଦୀରେ କ୍ରୀଡ଼ା କଲେ । ବାହୁଦା ନଦୀ ପାର ହେଲାବେଳେ ସୀତା ରାମଚନ୍ଦ୍ରଙ୍କୁ ବାହୁ ଦାନ କଲେ (ଅର୍ଥାତ୍ରାମ ସୀତାଙ୍କ ବାହୁ ଧରି ନଦୀ ପହଁରାଇ ନେଲେ) । ଯମୁନା ଜଳରେ ହଂସ ହଂସୀପରି ବୁଡ଼ି ରେବାନଦୀକୁ ସ୍ନାନ ପାଇଁ ଗମନ କଲେ । କାଶୀକ୍ଷେତ୍ର ସମୀପବର୍ତ୍ତୀ ଗଙ୍ଗା ନଦୀରେ ସ୍ନାନ କରି ବିନ୍ଧ୍ୟକନ୍ୟା ମହାନଦୀକୁ ସୀତା ସହ ଗମନ କଲେ ।
ବେତ୍ରବତୀ ଗତି ଯୁବତୀ ତୋଷି ॥
ବ୍ରାହ୍ମୀ କଲୋଳ-କଲ୍ଲୋଳରେ ପଶି ।ବେଣୀଶୋଭୀ ନେଇ କୃଷ୍ଣ ବେଣୀକି ॥
ନିକ୍ଷେପି ପାଣିରେ ଶିରେ ପାଣିକି ।ବେଗରେ ଗୟା ପ୍ରୟାଣ କରି ॥
ବିକଶିତା ପୁଷ୍ପେ ସୀତା ମଞ୍ଜରୀ । ୨୧ବସିଣ ଫଲ୍ଗୁରେ ଫଲ୍ଗୁ କାମରେ ॥
ବାଲିଗୋତ୍ର ପିଣ୍ଡେ ଗୋତ୍ର ଉଚ୍ଚାରେ ।ବିସ୍ତାରି କର ଦଶରଥ ତରି ॥
ବିଦାରି ଶାପରେ ବାରି ତା ବାରି ।ବାହାର ହାରଶୋଭିନୀ ଘେନି ॥
ବିପ୍ରେ କରନ୍ତି ବିପ୍ରଳାପ ଧ୍ୱନି । ୨୨ ।ବର ବେନି ଏକ ବରବରନୀ ॥
ବିଟ ଏ ବିଟପୀ ପଳାନ୍ତି ଘେନି ।ବଜ୍ର ପଡ଼ି ଯାଉ ମସ୍ତକ ଫାଟି ॥
ବଜ୍ର ଆଦି ରତ୍ନ କରିବା ଲୁଟି ।ବାମାକ୍ଷୀ ବାମା ବସନାଞ୍ଚଳ ॥
ବଳେ ଧରୁଁ ଧରିତ୍ରୀଜା ଆକୁଳ । ୨୩ ।ବୋଲନ୍ତି କହି ଦଣ୍ଡଧର ପାଶେ ॥
ବିହାଇ ଦଣ୍ଡ ବନ୍ଧାଇବା ପାଶେ ।ବିଛେଦି ରାମା ବସ୍ତ୍ର ଖଡ଼୍ଗେ ॥
ବେଗ ବେଗ ଯାଉ ଗୋଡ଼ାଇ ସଙ୍ଗେ ।ବସାଉଁ ଚାପେ ତିକ୍ଷ୍ଣମାର୍ଗଣେ ॥
ବୀର ଲକ୍ଷ୍ମଣ ପଳାନ୍ତି ମାର୍ଗଣେ । ୨୪ ।ବ୍ୟାକୁଳ ବିନାଶେ ନବୀନାମଣି ॥
ବିଭାଜ ଚନ୍ଦ୍ରଭାଗାଳିକା ପୁଣି ।ବିପଥେ ଚନ୍ଦ୍ରଭାଗାରେ ସଞ୍ଚରି ॥
ବାଲୁକାରେ ଶିବ ଶିବଦ କରି ।ବିହୀନ ଋଷିଜା ରୁଷିବାରେ ॥
ବିନୋଦ ଋଷିବାରକୁଲ୍ୟାତୀରେ । ୨୫୨୧ଶ ପଦ :- ପାଣିରେ-ହସ୍ତରେ । ପ୍ରୟାଣ-ଗମନ । ମଞ୍ଜରୀ- ଲତା ।
୨୧ ପଦ :- ତତ୍ପରେ ବେତ୍ରବତୀ ନଦୀକୁ ଯାଇ ଯୁବତି ସୀତାଙ୍କୁ ତୋଷ ପ୍ରଦାନ କଲେ । ବ୍ରାହ୍ମୀ ନଦୀର ଚଞ୍ଚଳ ଲହରୀଯୁକ୍ତ ଜଳରେ (ଅର୍ଥାତ୍ ଖରସ୍ରୋତା ବ୍ରାହ୍ମୀ ନଦୀର ଜଳରେ ) ପଶି ସ୍ନାନ କଲେ । ବେଣୀଶୋଭୀ ସୀତାଙ୍କୁ କୃଷ୍ଣବେଣୀ ନଦୀକୁ ନେଇ ତାହା ଜଳକୁ ହସ୍ତରେ ଧରି ମସ୍ତକରେ ଛିଞ୍ଚି ହେଲେ । ସେଠାରୁ ଶୀଘ୍ର ଗୟା ତୀର୍ଥକୁ ଗଲେ । ସେଠାରେ ପୁଷ୍ପିତା ହେଲା ପ୍ରାୟ ସୀତା ପୁଷ୍ପବତୀ ହେଲେ ।
୨୨ଶ ପଦ :- କାମରେ-ଅସାର କାମନାରେ ବା କୌତୁକରେ । ବାଲିଗୋତ୍ର-ବାଲିରାଶି ।
୨୨ଶ ପଦ :- ତାହାପରେ ସୀତା ଫଲ୍ଗୁ ନଦୀରେ ବସି ଖେଳ କୌତୁକରେ ବାଲି ସବୁକୁ ପିଣ୍ଡ କରି ଗୋତ୍ର ଉଚ୍ଚାରଣ ପୂର୍ବକ ପ୍ରଦାନ କରନ୍ତେ, ଦଶରଥ ହସ୍ତ ବଢ଼ାଇ ପିଣ୍ଡ ନେଲେ ଓ ମୋକ୍ଷ ହୋଇଗଲେ । [ତତ୍ପରେ ରାମ ଆସି ପିଣ୍ଡ ଦେଲାବେଳେ ଦଶରଥ ପିଣ୍ଡ ନେଲେ ନାହିଁ । ରାମଚନ୍ଦ୍ର ଫଲ୍ଗୁନଦୀକୁ ଏହାର କାରଣ ପଚାରନ୍ତେ ନଦୀ କିଛି ଉତ୍ତର ନ ଦେବାରୁ] ରାମଚନ୍ଦ୍ର ଅଭିଶାପଦ୍ୱାରା ତା ଜଳକୁ ନିବାରଣ କଲେ । (ତୁ ନିର୍ଜଳା ହୋଇଯିବୁ କହିବାରୁ ନଦୀର ଜଳ ଶୁଷ୍କ ହୋଇଗଲା) । ପୁନର୍ବାର ଫଲଗୁ ବିନୟ ପ୍ରକାଶ କରନ୍ତେ ବର ଦେଲେ, -’ତୋ ବାଲିକୁ ବିଦାରଣ କଲେ ଜଳ ଦେଖାଯିବ ।’ ସେଠାରୁ ହାରଶୋଭିନୀ ସୀତାଙ୍କୁ ନେଇ ବାହାର ହୋଇ ଯିବାବେଳେ ତୀର୍ଥର ପୂଜକ ବ୍ରାହ୍ମଣମାନେ ବିରୋଧ ବଚନ ପ୍ରକାଶ କରି କହିଲେ ।
୨୩ଶ ପଦ :- ବଜ୍ର-ହୀରା । ବସନାଞ୍ଚଳ- କାନିପଣନ୍ତ । ଧରିତ୍ରୀକା-ସୀତା ।
୨୩ଶ ପଦ :- ‘‘ଗୋଟିଏ ବରବର୍ଣ୍ଣିନୀ ସ୍ତ୍ରୀ ସହିତ ଦୁଇଗୋଟି ପୁରୁଷ ଅଛନ୍ତି, ଜଣାଯାଏ ବିଟପୁରୁଷ ଦୁହେଁ ବିଟପୀ ସ୍ତ୍ରୀକୁ ଘେନି ପଳାଇ ଯାଉଛନ୍ତି । ବଜ୍ର ପଡ଼ି ଏମାନଙ୍କର ମସ୍ତକ ଫାଟିଗଲେ, ଏ ସ୍ତ୍ରୀ ପାଖରେ ଥିବା ହୀରା ଆଦି ରତ୍ନ ସବୁ ଆମେ ଲୁଟିକରି ନିଅନ୍ତେ ।’’ ଏହା କହି ସେ ବ୍ରାହ୍ମଣମାନେ ବାମଲୋଚନା ସୀତାଙ୍କ ଲୁଗା ପଣନ୍ତ ବଳେ ଧରି ଟାଣିବାରୁ ସୀତା ଆକୁଳ ହେଲେ ।
୨୪ଶ ପଦ :- ଦଣ୍ଡଧର-ରାଜା । ଚାପ-ଧନୁ । ତୀକ୍ଷ୍ଣମାର୍ଗଣେ-ତୀକ୍ଷ୍ଣ ଶରଦ୍ୱାରା ।
୨୪ଶ ପଦ :- ବ୍ରାହ୍ମଣମାନେ ସୀତାଙ୍କ ପଣନ୍ତ ଟାଣି କହିଲେ, ‘‘ରାଜା ଆଗରେ କହି ତୁମ୍ଭଙ୍କୁ ଦଣ୍ଡ ଦିଆଇ ଦଉଡ଼ିରେ ବନ୍ଧାଇବୁ ।’’ ବ୍ରାହ୍ମଣମାନଙ୍କର ଏ ଆଚରଣ ଦେଖି ରାମଚନ୍ଦ୍ର ପ୍ରିୟାର ବସ୍ତ୍ର ଖଡ଼୍ଗରେ କାଟି ତରତରରେ ସେଠାରୁ ଚାଲିଯାନ୍ତେ, ବିପ୍ରମାନେ ତାଙ୍କ ପଛରେ ଗୋଡ଼ାଇଲେ । ବୀର ଲକ୍ଷ୍ମଣ ଧନୁରେ ତୀକ୍ଷ୍ଣ ଶରକୁ ବସାଇ ଲକ୍ଷ୍ୟ କରନ୍ତେ, ଯାଚକ ବିପ୍ରମାନେ ଭୟରେ ପଳାଇ ଗଲେ ।
୨୫ଶ ପଦ :- ନବୀନାମଣି-କାମିନୀଶ୍ରେଷ୍ଠା, (ସୀତା) । ବିଭ୍ରାଜ-ଶୋଭମାନ । ଚନ୍ଦ୍ରଭାଗାଳିକା-ଅର୍ଦ୍ଧଚନ୍ଦ୍ର ସଦୃଶ । ଶିବଦ-ମଙ୍ଗଳପ୍ରଦ । ୠଷିଜା-ୠଷିକନ୍ୟା ।
୨୫ଶ ପଦ :- ବ୍ରାହ୍ମଣମାନେ ପଳାଇଯିବାରୁ ସୀତାଙ୍କର ବ୍ୟାକୁଳତା ଦୂର ହେଲା । ଅନନ୍ତର ରାମଚନ୍ଦ୍ର ଅର୍ଦ୍ଧଚନ୍ଦ୍ରପରି ଶୋଭମାନ ଲଲାଟ ଯାହାର ଏପରି ଯେ ସୀତା, ତାଙ୍କୁ ସଙ୍ଗରେ ଘେନି ଅବାଟରେ ଯାଇ ଚନ୍ଦ୍ରଭାଗା ନଦୀ ତଟରେ ପ୍ରବେଶ ହେଲେ । ମଙ୍ଗଳ କାମନା ପାଇଁ ସେଠାରେ ବାଲୁକାରେ ଶିବମୂର୍ତ୍ତି ବସାଇ ପୂଜା କଲେ । ତତ୍ପରେ ରୋଷବିହୀନା ୠଷିକନ୍ୟା ସୀତାଙ୍କ ସହ ୠଷିକୁଲ୍ୟା ନଦୀତଟକୁ ଯାଇ ରାମଚନ୍ଦ୍ର କେଳି କଲେ ।
ବିହି ଇଶ୍ୱର ପଦ ଇକ୍ଷ୍ୱାକୁରେ ॥
ବିଭୁ ଅଟନ୍ତି ସଦା ଇକ୍ଷ୍ୱାକୁରେ ।ବହନ୍ତେ ପଥ ଅତ୍ରିମଠେ ମିଳେ ॥
ବିଧୁହେଲା ଯାହା ଲୋଚନ ମିଳେ ।ବଞ୍ଛିଲେ ସୁକଲ୍ୟାଣ ସୁଦୟା ॥
ବନ୍ଦିଲେ ସୀତା ଦେଖି ଅନସୂୟା । ୨୬ ।ବିଳୋହି ଅମ୍ଳାନଶାଢ଼ି କି ଶୋଭା ॥
ବିଦ୍ୟୁତପ୍ରଭା ଦୂର କରେ ପ୍ରଭା ।ବୋଇଲେ ବନେ ତ ରଜକ ନାହିଁ ॥
ବହ୍ନିରେ ଧୌତ ଯେବେ ମ୍ଳାନ ହୋଇ ।ବୈଦେହୀ ଚିତ୍ତ ହରଷେ ସାନ୍ଦ୍ର ॥
ବଡ଼ ଆନନ୍ଦ ଶୁଣି ରାମଚନ୍ଦ୍ର । ୨୭ ।ବିହରୁ ବିହରୁ ଦଣ୍ଡକାରଣ୍ୟେ ॥
ବୃନ୍ଦ ବୃନ୍ଦ ଋଷି ଦେଖି ସୁପୁଣ୍ୟେ ।ବିଦେହ କୋଟି ଏକଦେହ ବହି ॥
ବୋଲନ୍ତାଇ ଏ ଲକ୍ଷ କିଛି ନୋହି ।ବନଦ-ଶ୍ୟାମ କାହିଁ ଏ ଥିଲା ॥
ବରିଲା ଏ ରାମା କି ତପ କଲା । ୨୮ ।ବିଧାତା ଆମ୍ଭଙ୍କୁ କରନ୍ତା ନାରୀ ॥
ବର ହୁଅନ୍ତେ ଏ କୋଦଣ୍ଡଧାରୀ ।ବ୍ରହ୍ମପଦବୀ ପାଇ ହେବ କିସ ॥
ବହିବା କି କରି କାମିନୀବେଶ ?ବିଚାରୁ ପୁଲକିତ ଶରୀରେ ॥
ବେପଥୁ ଜନ୍ମି ଆଉଜି ବୃକ୍ଷରେ । ୨୯ ।ବିଭ୍ରମ ଉପୁଜିଗଲା ମାନସ ॥
ବୋଇଲେ ସଖାଙ୍କୁ ସଖିଗୋ ଆସ ।ବହିବା ତୁମ୍ବୀକି ଉରରେ ରଖି ॥
ବକ୍ଷୋରୁହ ହେଲା ଭାବରେ ସୁଖୀ ।ବେଣୀ ଏ ଭାବି ଜଟା ଲମ୍ବାଇ ॥
ବିବିଧ କୁସୁମ ମଣ୍ଡିଲେ ନେଇ । ୩୦ ।୨୬ଶ ପଦ :- ଇକ୍ଷ୍ୱାକୁରେ-ସୂର୍ଯ୍ୟବଂଶରେ । ଇକ୍ଷ୍ୱାକୁରେ-ଲାଉତୁମ୍ବୀରେ ।
୨୬ଶ ପଦ :- ଇକ୍ଷ୍ୱାକୁ ବଂଶର ପ୍ରଭୁ ରାମଚନ୍ଦ୍ର ‘ଇକ୍ଷ୍ୱାକୁରେ’ ଲାଉ ତୁମ୍ବୀରେ ଈଶ୍ୱର ମୂର୍ତ୍ତି ଦେଖି ତାଙ୍କୁ ପୂଜା କରି, ପଥରେ ଯାଉ ଯାଉ ଯାହାଙ୍କ ନେତ୍ର ମଳରୁ ଚନ୍ଦ୍ର ଜନ୍ମ ହୋଇଥିଲେ, ସେହି ଅତ୍ରି ୠଷିଙ୍କ ମଠରେ ପ୍ରବେଶ ହେଲେ । ସେ ୠଷି ଦୟା ସହିତ କଲ୍ୟାଣ ବାଞ୍ଛିଲେ । (ରାମ ଲକ୍ଷ୍ମଣ ନମସ୍କାର କରିବାରୁ ୠଷି କଲ୍ୟାଣ କଲେ) । ଅତ୍ରି ୠଷିଙ୍କ ପତ୍ନୀ ଅନସୂୟାଙ୍କୁ ଦେଖି ସୀତା ତାଙ୍କର ପଦ ବନ୍ଦନା କଲେ (ନମସ୍କାର କହିଲେ) ।
୨୭ଶ ପଦ :- ସେ ଅନସୂୟା ସୀତାଙ୍କ ଖୁବ୍ ସୁନ୍ଦର ଓ ବିଦ୍ୟୁତ୍ପ୍ରଭା ନିନ୍ଦି ଦୀପ୍ତିମାନ୍ ଅମ୍ଲାନ ଶାଢ଼ିକୁ ଦେଇ କହିଲେ, ‘‘ବନରେ ତ ଧୋବା ନାହାନ୍ତି । ଯେବେ ଏହା ମଳାଇ ହେବ, ତେବେ ଏହାକୁ ଅଗ୍ନିରେ ଧୌତ କରିନେବ । (ଅମ୍ଳାନ ବସ୍ତ୍ର ଅଗ୍ନିରେ ଧୌତ ହେଲେ, ତାହାର ମଳିନତା ଦୂରହୁଏ ଓ ଶୋଭାବଢ଼େ) । ଏହା ଶୁଣି ସୀତାଙ୍କ ମନ ହର୍ଷପୂର୍ଣ୍ଣ ହେଲା ଓ ରାମଚନ୍ଦ୍ର ଆନନ୍ଦିତ ହେଲେ ।
୨୮ଶ ପଦ :- ବିଦେହ କୋଟି-କୋଟି କନ୍ଦର୍ପ । ବନଦଶ୍ୟାମ- ଘନଶ୍ୟାମ ।
୨୮ଶ ପଦ :- ରାମ, ଲକ୍ଷ୍ମଣ ଓ ସୀତା ଏହିପରି ଦଣ୍ଡକାରଣ୍ୟରେ ବୁଲୁବୁଲୁ ଅସଂଖ୍ୟ ୠଷି ଉତ୍ତମ ପୁଣ୍ୟବଳରେ ତାଙ୍କୁ ଦର୍ଶନ କରି ମନରେ ବିଚାରିଲେ, ‘କୋଟିଏ କନ୍ଦର୍ପ ଗୋଟିଏ ଦେହ ବହିଅଛନ୍ତି, ଏ ଲକ୍ଷ୍ୟ ଏହାଙ୍କୁ ଦେଲେ ସୁଦ୍ଧା ସମାନ ହେବ ନାହିଁ । [କୋଟି କନ୍ଦର୍ପର ଶୋଭା ମଧ୍ୟ ଏ ଶୋଭାଠାରୁ ନ୍ୟୁନ ହେବ] । ଏ ଘନଶ୍ୟାମ ମୂର୍ତ୍ତି କେଉଁଠାରେ ଥିଲେ ? ପୂର୍ବେ କି ତପ କରିଥିବାରୁ ଏ ସ୍ତ୍ରୀ ତାଙ୍କୁ ପତିରୂପେ ବରଣ କଲେ ?
୨୯ଶ ପଦ :- ବେପଥୁ-କମ୍ପନ ।
୨୯ଶ ପଦ :- ‘ଯଦି ବିଧାତା ଆମ୍ଭମାନଙ୍କୁ ନାରୀ କରିଥାନ୍ତେ ଓ ଏହି କୋଦଣ୍ଡଧାରୀ ଆମର ବର ହୋଇଥାନ୍ତେ, ତେବେ ବ୍ରହ୍ମପଦବୀରେ ଆମର ଦରକାର କ’ଣ ? ଏବେ ଆମେ କିପରି ନାରୀ ବେଶ ଧାରଣ କରିବା ?’ ଏହା ବିଚାରନ୍ତେ ତାଙ୍କ ଶରୀର ରୋମାଞ୍ଚିତ ହେଲା । ବେପଥୁ ଆଦି ଭାବମାନ ଜନ୍ମିବାରୁ ସେମାନେ ବୃକ୍ଷକୁ ଆଉଜି ଠିଆହେଲେ ।
୩୦ଶ ପଦ :- ତାଙ୍କମନରେ ଭ୍ରମ ଜାତ ହେବାରୁ ସେମାନେ ସଖାଙ୍କୁ ‘ଗୋ ସଖି ଆସ’ ଏହା କହିଲେ । ତାଙ୍କ ହାତରେ ଥିବା ଲାଉ ତୁମ୍ବୀକି ଛାତିରେ ରଖି ଏ ଆମ୍ଭର ସ୍ତନ ବୋଲି ଭାବୀ ସୁଖୀ ହେଲେ । ନିଜ ନିଜର ଜଟା ପିଠିକି ପକାଇ ଦେଇ ‘ଏ ଆମର ବେଣୀ’ ଏପରି ଭାବି ତହିଁରେ ନାନାପ୍ରକାର ଫୁଲ ମଣ୍ଡିଲେ ।
ବିହୁଥିଲେ ଯେ ଆହୁତି ଅଗ୍ନିର ॥
ବିସୋରିଲେ ସ୍ୱାହା ଆଦ୍ୟ ଅକ୍ଷର ।ବକ୍ରେ ଚାହିଁ ତା ପୁନଃ ପୁନଃ କହି ॥
ବିଚେଷ୍ଟା ତାଙ୍କର ରାଘବ ଚାହିଁ ।ବୈଦେହୀ ଲକ୍ଷ୍ମଣରୁ ଅନ୍ତର ॥
ବାଞ୍ଛା ବରଦାନେ ରଚନ ଗିର । ୩୧ ।ବଲ୍ଲବୀ ତୁମ୍ଭେ ହୋଇବ ଦ୍ୱାପରେ ॥
ବ୍ରଜେ ରହିବୁଁ ଆମ୍ଭେ କଂସ ଡରେ ।ବୃନ୍ଦାବନରେ ହେବ ରାସକେଳି ॥
ବଲ୍ଲଭୀ ଏକା ଏ ଦେହେଁ ମୈଥିଳୀ ।ବହିବୁଁ ଗୋପୀନାଥ ନାମକୁ ॥
ବୋଲେ ଉପେନ୍ଦ୍ର ବୋଧିଗଲେ ତାଙ୍କୁ । ୩୨ ।
୩୧ଶ ପଦ :- ଯେଉଁ ୠଷିମାନେ ଅଗ୍ନିରେ ଆହୁତି ଦେଉଥିଲେ, ସେମାନେ ସ୍ୱାହାର ଆଦ୍ୟ ଅକ୍ଷର ଅର୍ଥାତ୍ ସ୍ୱା ଭୁଲିଯାଇ କେବଳ ହା ହା ବାରମ୍ବାର କହି ରାମଚନ୍ଦ୍ରଙ୍କୁ ବକ୍ରଭାବରେ ଚାହିଁଲେ । ତାଙ୍କର ଏପରି ବିରହ ଭାବମାନ ଦେଖି ରାଘବ ସୀତା ଓ ଲକ୍ଷ୍ମଣଠାରୁ ଅନ୍ତର ହୋଇ ଯାଇ ସେମାନଙ୍କୁ ମନଇଚ୍ଛା ବରପ୍ରାପ୍ତି ହେବାପାଇଁ ଏହି ବାକ୍ୟ କହିଲେ; -
୩୨ଶ ପଦ :- ବଲ୍ଲବୀ-ଗୋପାଳୁଣୀ । ବଲ୍ଲଭୀ-ପତ୍ନୀ ।
୩୨ଶ ପଦ :- ‘‘ହେ ମୁନିମାନେ ! ଦ୍ୱାପର ଯୁଗରେ ତୁମ୍ଭେମାନେ ଗୋପୀ ହେବ । ମୁଁ କୃଷ୍ଣରୂପେ ଜାତ ହୋଇ କଂସ ଭୟରେ ବ୍ରଜପୁରରେ ରହିବି । ବୃନ୍ଦାବନରେ ତୁମ୍ଭର ଓ ମୋର ରାସକେଳି ହେବ । ତେଣୁ ମୁଁ ଗୋପୀନାଥ ନାମକୁ ବହିବି । ଏ ଅବତାରରେ ସୀତା ଏକମାତ୍ର ମୋର ପ୍ରିୟା ।’’ ଉପେନ୍ଦ୍ର କହେ, ରାମଚନ୍ଦ୍ର ଏହିପରି ୠଷିମାନଙ୍କୁ ବୋଧ ଦେଇ ଗଲେ ।
ଦ୍ୱାବିଂଶ ଛାନ୍ଦ(ଭାଗବତ ବୃତ୍ତେ)ବାତାପି ସୂଦନ ଆଶ୍ରମ ।ବିପିନେ ପ୍ରବେଶ ଶ୍ରୀରାମ । ୧ ।ବଇରୀ ହିଂସା ତହିଁ ହତ ।ବଇରୀ ସନ୍ନିଧି କପୋତ । ୨ ।ବାୟସ କଉଶିକ ମେଳ ।ବସି ଅଛନ୍ତି ଏକ ଡାଳ । ୩ ।ବ୍ୟାଳ ଫଣାକୁ ଟେକି ଖେଳି ।ବରହୀ ପାଶେ ନୃତ୍ୟଶାଳୀ । ୪ ।ବାରଣ ସିଂହ ଏକ ସ୍ଥାନ ।ବିରଚି ଅଛନ୍ତି ଶୟନ । ୫ ।ବ୍ୟାଘ୍ର କୁରଙ୍ଗ ରଙ୍ଗ ବହି ।ବୃକାଳି ମିଳୁଛନ୍ତି ତହିଁ । ୬ ।ବତ୍ସା ଧେନୁଙ୍କ ମହିଷିର ।ବିଭୀତେ ପାନ କରେ କ୍ଷୀର । ୭ ।ବକ ପାଶରେ ଜଳଘାଟେ ।ବିଶାରକୁଳହିଁ ଚହଟେ । ୮ ।ବ୍ରାହ୍ମଣ ତପୋବଳ ସାର୍ଥ ।ବିଚାର କଲେ ରଘୁନାଥ । ୯ ।ବିଲୋକି ସୀତା ଋଷିଶିଷେ ।ବିତର୍କି ଏମନ୍ତ ମାନସେ । ୧୦ ।
୧ମ ପଦ :- ଅନନ୍ତର ଶ୍ରୀରାମ ‘ବିତାପିସୂଦନ’ ଅଗସ୍ତ୍ୟୠଷିଙ୍କ ଆଶ୍ରମବନରେ ପ୍ରବେଶ କଲେ । (ଅଗସ୍ତ୍ୟୠଷି ବାତାପି ନାମକ ଅସୁରକୁ ଖାଇ ଜୀର୍ଣ୍ଣ କରି ଦେଇଥିଲେ) ।
୨ୟ ପଦ :- ସେ ବନରେ ଶତ୍ରୁ ପ୍ରତି ହିଂସାଭାବ ନାହିଁ । ତେଣୁ ସଞ୍ଚାଣପକ୍ଷୀ ପାଖରେ କପୋତ ରହିଅଛି ।୩ୟ ପଦ :- ବାୟସ-କାକ । କଉଶକ-ପେଚା ।୩ୟ ପଦ :- କାକ ଓ ପେଚା ଏକାଠି ଗୋଟିଏ ଡାଳରେ ବସି ଅଛନ୍ତି ।୪ର୍ଥ ପଦ :- ବର୍ହୀ- ମୟୂର । ବ୍ୟାଳ-ସର୍ପ ।୪ର୍ଥ ପଦ :- ସର୍ପ ଫଣାକୁ ଟେକି ଖେଳୁଅଛି ଓ ମୟୂର ତାହା ପାଖରେ ନୃତ୍ୟ କରିବାରେ ରତ ହୋଇଅଛି ।୫ମ ପଦ :- ବାରଣ-ହସ୍ତୀ ।୫ମ ପଦ :- ହସ୍ତୀ ଓ ସିଂହ ଏକସ୍ଥାନରେ ଶୟନ କରିଅଛନ୍ତି ।୬ଷ୍ଠ ପଦ :- କୁରଙ୍ଗ-ହରିଣ । ବୃକାଳୀ-ବଳିଆ କୁକୁରସମୂହ ।୬ଷ୍ଠ ପଦ :- ବ୍ୟାଘ୍ର ଓ ମୃଗ ମିଶି କ୍ରୀଡ଼ା କଲାବେଳେ ବଳିଆକୁକୁର ଆସି ତାଙ୍କ ସହିତ ମିଳିତ ହେଉଅଛି ।୭ମ ପଦ :- ଗାଈମାନଙ୍କର ଛୁଆ ସବୁ ଅର୍ଥାତ ବାଛୁରୀମାନେ ନିର୍ଭୟରେ ମଈଁଷୀଠାରୁ ଦୁଧ ଖାଉଅଛନ୍ତି ।୮ମ ପଦ :- ବିଶାରକୁଳ-ମୀନ ସମୂହ ।୮ମ ପଦ :- ଜଳଘାଟରେ ବଗ ପାଖରେ ମତ୍ସ୍ୟମାନେ ଓଲଟି ପାଲଟି ଖେଳା କରୁଅଛନ୍ତି ।୯ମ ପଦ :- ଏହା ଦେଖି ରଘୁନାଥ ବିଚାର କଲେ, ‘ଅଗସ୍ତ୍ୟ ୠଷିଙ୍କ ତପୋବଳ ସାର୍ଥକ ଅଟେ । ’୧୦ମ ପଦ :- ବୃଦ୍ଧାଶ୍ରବା-ଇନ୍ଦ୍ର । ଚାରୁଧାରା-ଶଚୀ ।୧୦ମ ପଦ :- ଅଗସ୍ତ୍ୟଙ୍କ ଶିଷ୍ୟମାନେ ସୀତାଙ୍କୁ ଦେଖି ମନରେ ବିଚାର କଲେ -ବୃଦ୍ଧଶ୍ରବାରେ କୋପୀ ପରା ।ବନେ ଆସିଲା ଚାରୁଧାର । ୧୧ ।ବୋଧୁଛନ୍ତି ଗୋଡ଼ାଇ ସଙ୍ଗେ ।ବିଦ୍ୟାଧର ଯୁଗଳ ରଙ୍ଗେ । ୧୨ ।ବୋଧ ନ ଘେନୁ କି ଅଦମ୍ଭା ।ବଳେ ଜାନୁରେ ଯେଉଁ ରମ୍ଭା । ୧୩ ।ବନଜପାଦେ ଦେଇ ଦେଖା ।ବିନିତି ଧରି ଚିତ୍ରରେଖା । ୧୪ ।ବିମଳ ଚିବୁକକୁ ଛୁଇଁ ।ବିନୟୀ ଚନ୍ଦ୍ରକଳା ହୋଇ । ୧୫ ।ବାସଅଙ୍ଗୀରେ ଆଲୀଙ୍ଗନ ।ବିଚିତ୍ର କାଳବତୀ ଘେନ । ୧୬ ।ବିଶିଷ୍ଠ ଯେ ସୁନ୍ଦରୀବୃନ୍ଦ ।ବହେ ଏ ପୁରନ୍ଦରୀ ପଦ । ୧୭ ।ବାଦୀ ତହିଁରେ କେହି ହୋଇ ।ବିରୋଧୀ କାନ୍ତେ କାହିଁପାଇଁ । ୧୮ ।ବୋଲେ ସେ ଗୌତମ ଅବଳା ।ବୃକ୍ଷାସଙ୍ଗମୁଁ ଶାପେ ଶିଳା । ୧୯ ।ବିକୁକ୍ଷିବଂଶୀ ରାମପଦ ।ବାଜି ତା ପୂରୁବ ସମ୍ପଦ । ୨୦ ।୧୧ଶ ପଦ :- ‘ଇନ୍ଦ୍ରଙ୍କଠାରେ କୋପ କରି ଶଚୀ ବନକୁ ଅଇଲା କି ?’୧୨ଶ ପଦ :- ‘ଦୁଇଟି ବିଦ୍ୟାଧର ସଙ୍ଗରେ ଗୋଡ଼ାଇ ନାନା ରଙ୍ଗରେ ବୋଧ ଦେଉଅଛନ୍ତି ।’୧୩ଶ ପଦ :- ଅଦୟା-ଅଧୈର୍ଯ୍ୟ ।