ବୈଦେହୀଶ ବିଳାସ (ଦ୍ୱିତୀୟ ଖଣ୍ଡ)
ଉପେନ୍ଦ୍ର ଭଞ୍ଜ · ଭାଗ ୨ / ୭
ସମ୍ପୂର୍ଣ୍ଣ ସୂଚୀପତ୍ର
ବିଚିତ୍ରିତ ଚିତ୍ରରେ ହୋଇଥିଲେ ॥
ବାମା ମଧୁଶଯ୍ୟାକୁ ମଣ୍ଡାଇଲେ ।ବପୁବନ୍ତରୁ ହୋଇଛି ରଞ୍ଜନ ॥
ବ୍ୟକ୍ତ ସୁନେତ୍ର ରୋହିତ ଖଞ୍ଜନ ॥ ୧ ।ବିପତନ ଯେ ପଲଙ୍କ ପଲକ ॥
ବେଣୀ ରତ୍ନପ୍ରଦୀପରେ ଅଧିକ ।ବେଣୀ ଶୋଭା ଅଗୁରୁ ଧୂମ ଧାର ॥
ବହିଅଛି ଅଳକା ମନୋହର ॥ ୨।ବକ୍ର ଦର୍ପଣ ଚନ୍ଦ୍ରାତପେ ଶୋହି ॥
ବିନୋଦକୁ ପ୍ରକାଶିବାରେ ସ୍ନେହୀ ।ବିହି ପୁରେ ରୂପକଶ୍ଳେଷ ଛନ୍ଦି ॥
ବହେ ଦମ୍ପତି ହେବେ ବନ୍ଧାବନ୍ଧି ॥ ୩।ବସୁ ତହିଁ ରାମା ହେଲେ ରାଘବ ॥
ବିଧିରେ ତ ବାସକସଜ୍ଜା ଭାବ ।ବିଲୋକିତ କାନ୍ତା ସ୍ମରି ଆଗତେ ॥
ବଳି ଚିତ୍ତଦ୍ୱାରେ ଚାହିଁ ଆରତେ ॥ ୪।ବିରହରେ ଉତ୍କଣ୍ଠିତା ପ୍ରକାଶି ॥
ବିହିବାକୁ ସୁରସ ମାନ ଘୋଷି ।ବିମ୍ବାଧରେ ହୋଇବାକୁ ଖଣ୍ଡିତା ॥
ବେଗ ବେଗ ହୋଇଅଛି ମମତା ॥ ୫।୧ମ ପଦ :- ଖଞ୍ଜନ -ଭଦଭଦଳିଆ ପକ୍ଷୀ । ବପୁବନ୍ତରେ-ଶୋଭାରେ ।
୧ମ ପଦ :- ନାନାବର୍ଣ୍ଣ ଚିତ୍ରରେ ବିଚିତ୍ରିତ ହୋଇଥିବା ଓ ପଟ୍ଟବସ୍ତ୍ରରେ ଭୂଷିତ ହୋଇଥିବା ମଧୁଶଯ୍ୟା ଗୃହକୁ ମଣ୍ଡାଇଲେ । ରମଣୀମାନଙ୍କ ପରି ସେ ମଧୁଶଯ୍ୟା ଗୃହ ଲାବଣ୍ୟବନ୍ତରୁ ଅନୁରାଗ ଜନିତ ହୋଇଛି । ତହିଁରେ ଚିତ୍ରିତ ହୋଇଥିବା ରୋହିମାଛ, ଖଞ୍ଜନ ପକ୍ଷୀ ମୀନନୟନା ଓ ଖଞ୍ଜନାକ୍ଷୀ ରମଣୀମାନଙ୍କ ଉତ୍ତମ ନେତ୍ର ସଦୃଶ ହୋଇଅଛନ୍ତି । (ବାମାମାନେ ଚନ୍ଦନାଦିରେ ଚିତ୍ରିତ ହୋଇଥାନ୍ତି, ବସ୍ତ୍ରାଦିରେ ଭୂଷିତ ହୋଇଥାନ୍ତି ଏବଂ ତାଙ୍କ ନେତ୍ର ମୀନ ଓ ଖଞ୍ଜନ ପକ୍ଷୀର ନେତ୍ରପରି ହୋଇଥାଏ, ସେହିପରି ଏ ବାସର ଗୃହ ଚିତ୍ରିତ ହୋଇଅଛି । ନାନାପ୍ରକାର ପଟ୍ଟବସ୍ତ୍ରଦ୍ୱାରା ଆବୃତ ହୋଇଅଛି ଓ ସେଥିରେ ମୀନ, ଖଞ୍ଜନାଦି ଅଙ୍କିତ ହୋଇଅଛନ୍ତି) ।
୨ୟ ପଦ :- ପଲକ-ପକ୍ଷୁପାତ । ଅଳକ-ଚୂର୍ଣ୍ଣକୁନ୍ତଳ, କୁବେରଙ୍କ ପୁର ।
୨ୟ ପଦ :- ବାସର ଗୃହରେ ପଡ଼ିଥିବା ପଲଙ୍କ ରମଣୀଙ୍କ ନେତ୍ରରେ ପଲକ ସଦୃଶ ଅଟେ । ବାମାମାନେ ନାନା ରତ୍ନରେ ବେଶଭୂଷା ହୋଇଥିଲା ପରି ଏ ଗୃହ ବହୁ ରତ୍ନ ପ୍ରଦୀପରେ ଭୂଷିତ ହୋଇଅଛି । ଗୃହ ଅଗୁରୁ ଧୂମର ଶିଖା ବାମାଙ୍କର ବେଣୀର ଶୋଭା ଧାରଣ କରିଅଛି । ଯେପରି ବାମାମାନେ ଅଳକା ଅର୍ଥାତ୍ ଚୂର୍ଣ୍ଣକୁନ୍ତଳ ଧାରଣ କରିଥାନ୍ତି ସେହିପରି କୁବେର ପୁରୀ ପ୍ରାୟ ସେ ଗୃହ ମନୋହର ହୋଇଥିବାରୁ ଅଳକା ପୁରୀ ନାମ ବହିଅଛି ।
୩ୟ ପଦ :- ବକ୍ତ୍ର-ମୁଖ । ଚନ୍ଦ୍ରାତପ-ଚାନ୍ଦୁଆ । ଦମ୍ପତ୍ତି-ସ୍ୱାମୀ ଓ ସ୍ତ୍ରୀ ।
୩ୟ ପଦ :- ବାମାମାନଙ୍କ ମୁଖ ଜ୍ୟୋତି ଯେପରି ଦର୍ପଣ ପ୍ରାୟ ଶୋଭାପାଏ, ସେହିପରି ଏ ବାସର ଗୃହ ଦର୍ପଣ ଖଚିତ ଚାନ୍ଦୁଆଦ୍ୱାରା ଶୋଭାପାଉଅଛି । ପୁଣି ବାମାଗଣ ରତିକ୍ରୀଡ଼ାରେ ସ୍ନେହୀ ହେଲାପରି ଏ ଗୃହ ବିନୋଦ ଭାବକୁ ସ୍ନେହର ସହିତ ବହିଅଛି (ମନୋହର ହୋଇଅଛି ) । ସେ ଗୃହରେ ସ୍ତ୍ରୀ ପୁରୁଷ ଦୁହେଁ ବାହୁଦ୍ୱାରା ଛନ୍ଦାଛନ୍ଦି ହେବେ ବୋଲି ଏ ରୂପକ ଶ୍ଳେଷରେ ଗୃହର ବର୍ଣ୍ଣନା ରଚନା କରାଗଲା ।
୪ର୍ଥ ପଦ :- ବାସକସଜ୍ଜା ନାୟିକା କାମାତୁର ହୋଇ ବେଶଭୂଷା ସହିତ ଉଦ୍ବିଗ୍ନ ଚିତ୍ତରେ ନିଜର ସ୍ୱାମୀ ଆସିବା ପଥକୁ ଚାହିଁ ବସି ରହିଲା ପରି, ରାମଚନ୍ଦ୍ର ମଧୁଶଯ୍ୟା ଗୃହରେ ବସି କାମାର୍ତ୍ତ ଚିତ୍ତରେ ସୀତାଙ୍କ ଆଗମନ ଅପେକ୍ଷାରେ ଚାହିଁ ରହିଲେ । (ଏଠାରେ ରାମଚନ୍ଦ୍ର ବାସକସଜ୍ଜା ରମଣୀ ସହିତ ଉପମିତ) ।
୫ମ ପଦ :- ରାମଚନ୍ଦ୍ର କାନ୍ତାଙ୍କ ବିରହରେ ଆକୁଳିତ ହୋଇ ବିରହୋତ୍କଣ୍ଠିତା ନାୟିକା ପ୍ରାୟ ଉତ୍ତମ ରସ କଥାମାନ ଘୋଷି ହେଲେ (ବିରହୋତ୍କଣ୍ଠିତା ନାୟିକା ଗୁଣ ପ୍ରକାଶ ପାଇଲା) । ପୁଣି ସୀତାଙ୍କର ବିମ୍ୱୋଷ୍ଠରେ ଅତିଶୀଘ୍ର କ୍ଷତ ଦାଗ ଅଙ୍କିତ କରିବା ପାଇଁ ଅସ୍ଥିର ହୋଇ ଉଠିଲେ (ଖଣ୍ଡିତା ନାୟିକାର ଧର୍ମ ସୂଚିତ ହେଲା ) ।
ବହୁବଚନେ ଏଣୁ ସିଦ୍ଧତର୍କି ॥
ବ୍ୟାକରଣେ ରାମ ରାମା କରି କି ?ବିହି ଏଣୁ ଗୀତେ ଯୋଷା ସୁଷମା ॥
ବୋଲନ୍ତି ପାଶ୍ଚାତ୍ୟେ ଶ୍ରୀରାମା ରାମା ॥ ୬।ବିଲକ୍ଷିତ ହୋଇବ କିପାଁ କଲେ ॥
ବିରୋଚନ ମୋହନେ ରାମା ହେଲେ ।ବୟସୀଏ ଏ କାଳେ ସୁଲକ୍ଷଣୀ ॥
ବିଜେ କରାଇଲେ ବାଜୁଁକିଙ୍କିଣୀ ॥ ୭।ବଡ଼ତୃଷାର୍ତ୍ତୀ ଚାତକ ଯେମନ୍ତ ॥
ବାରିବାହ ଧ୍ୱନି ଶୁଣି ତେମନ୍ତ ।ବିଦ୍ୟୁବିଦ୍ୟୁତକାନ୍ତି ଦିଶିଗଲା ॥
ବର୍ଦ୍ଧମାନ ତୋଷ ଅତି ହୋଇଲା ॥ ୮।ବାଳା ରହୁଁ କେଳିପୁର ସନ୍ନିଧି ॥
ବୟସିକାଏ ଛଳଭାବେ ବୋଧି ।ବିକର୍ତ୍ତନ ତେଜେ ମୋଦ ପଦ୍ମିନୀ ॥
ବିକର୍ତ୍ତନବଂଶୀ ସେ ତୁ ପଦ୍ମିନୀ ॥ ୯।ବାକଚାତୁରୀ କେମନ୍ତ ରହିଲା ॥
ବଲ୍ଲଭରେ ସମର୍ପିବା ହୋଇଲା ।ବଜାଇଣ ବଳେ ଦ୍ୱାର ଦେହଳୀ ॥
ବାହୁଡ଼ିଲେ କବାଟ କିଳି ଆଳୀ ॥ ୧୦।
୬ଷ୍ଠ ପଦ :- ରାମ ବାସଗୃହରେ ବସି ରାମା ହେଲେ; ଏହି ବର୍ଣ୍ଣନା ଅଳୀକ ନୁହେଁ । ବ୍ୟାକରଣ ଶାସ୍ତ୍ରରେ ରାମ ଶବ୍ଦର ବହୁବଚନରେ ରାମା ହୋଇଥାଏ । (ରାମଃ, ରାମୌ, ରାମାଃ) । ତେଣୁ ଗୀତରେ ରାମଙ୍କୁ ସ୍ତ୍ରୀ ରୂପରେ ବିଧାନ କରାଗଲା । ପୁଣି ପଶ୍ଚିମ ଅଞ୍ଚଳରେ ଲୋକମାନେ ଶ୍ରୀରାମା ରାମା ବୋଲି କହିଥାନ୍ତି । (ତେଣୁ ରାମକୁ ସ୍ତ୍ରୀ ଲିଙ୍ଗ କରି ରାମା ରୂପେ ବର୍ଣ୍ଣନା କଲେ କ୍ଷତି କ’ଣ ?)
୭ମ ଓ ୮ମ ପଦ :- ରାମ ଶବ୍ଦକୁ ରାମା ବୋଲି ବର୍ଣ୍ଣନା କଲେ ଏହା ଅସଙ୍ଗତ ହେବ ନାହିଁ; କାରଣ, ବିରୋଚନ ରାକ୍ଷସକୁ ପୂର୍ବେ ମାଳତୀ କନ୍ୟାରୂପେ ଏହି ରାମଚନ୍ଦ୍ର ମୋହିତ କରିଥିଲେ । ଏହି ସମୟରେ ସଖୀମାନେ ସୁଲକ୍ଷଣବତୀ ସୀତାଙ୍କୁ ବାସର ଗୃହକୁ ବିଜେ କରାଇଲେ । ସୀତାଙ୍କର ଗମନ ସମୟରେ ପାଦର କିଙ୍କିଣୀ ବାଜିବା ଶବ୍ଦ ଶୁଣି ମହାତୃଷାତୁର ଚାତକପକ୍ଷୀ ମେଘର ଗର୍ଜନ ଶୁଣି ଯେପରି ଆନନ୍ଦିତ ହୁଏ, ରାମଚନ୍ଦ୍ର, ସେହିପରି ଆନନ୍ଦିତ ହେଲେ । ସୀତାଙ୍କ ଦେହ କାନ୍ତି ବିଜୁଳି ତେଜକୁ ନିଷ୍ପ୍ରଭ କରି ପ୍ରକାଶିତ ହେଲା, ତେଣୁ ରାମଚନ୍ଦ୍ରଙ୍କ ଆନନ୍ଦ ଅତିଶୟ ବର୍ଦ୍ଧିତ ହୋଇଗଲା ।
୯ମ ପଦ :- ସୀତା ବାସରଗୃହ ସମୀପରେ ରହିଯାନ୍ତେ ସମବୟସୀ ସଖୀମାନେ ଛଳ ଭାବରେ ବୋଧ କରି କହିଲେ, ‘‘ହେ ସଖୀ ! ସୂର୍ଯ୍ୟ ତେଜରେ ପଦ୍ମ ପ୍ରଷ୍ଫୁଟିତ ହୁଏ । ସେ ରାମଚନ୍ଦ୍ର ସୂର୍ଯ୍ୟ ବଂଶଧର, ତୁ ତ ପଦ୍ମିନୀ ରମଣୀ । କାନ୍ତ ସଙ୍ଗମକୁ ଭୟ କରୁଛ କାହିଁକି ?’’
୧୦ମ ପଦ :- ସଖୀମାନେ ଯେଉଁ ବକ୍ରୋକ୍ତି କଲେ, ସେଥିରେ ବାକ୍ଚାତୁରୀ ପ୍ରକାଶିତ ହେଲା, ପୁଣି କାନ୍ତଙ୍କ ସମର୍ପଣ କରିବାର ମଧ୍ୟ ହେଲା । ତାହାପରେ ବଳାତ୍କାରରେ ହାରର ଏରୁଣ୍ଡି ବନ୍ଧଙ୍କୁ ବଳାଇ ଦେଇ କବାଟ କଳି ସଖୀମାନେ ଫେରିଗଲେ ।
ବଳେ ବସାଉଁ ତଳେ କୋଳେ କାନ୍ତ ॥
ବିରାଜିତ ପ୍ରଭାରେ ଦୁର୍ଗା ମତ ।ବ୍ରୀଡ଼ାବତୀ ଚଞ୍ଚଳ ନ ଛାଡ଼ିଲେ ॥
ବୋଧୁଁ ବିନୟେ ଧୀରା ଧୀର ହେଲେ ॥ ୧୧।ବିଦଗଧ ଶ୍ରୀରାମଚନ୍ଦ୍ର କହେ ॥
ବନ୍ଧୁ ଜୀବନ ଥିବାରେ ଏ ଦେହେ ।ବିଳାସିନୀ ନ କରିବ ଆନକୁ ॥
ବୋଲି ଛୁଇଁ ଦୀପ ହୁତାଶନକୁ ॥ ୧୨।ବଇଦେହୀକେଶୁଁକାଢ଼ି କେତକୀ ॥
ବର୍ଣ୍ଣ ଲିଖିତ ପୋଛି କସ୍ତୁରୀକି ।ବଳି ନାହିଁ ଆନେ ଆଜଯାଏ ତ ॥
ବଳାଇବି ଜନ୍ମେ ଜନ୍ମେ ମୋ ଚିତ୍ତ ॥ ୧୩।ବର ମଣ୍ଡପରୁ ଯିବ ବାହୁଡ଼ି ॥
ବାର୍ତ୍ତାବହେ ତୁମ୍ଭଙ୍କୁ ନେବି ଲୋଡ଼ି ।ବୀରମୁକୁଟେ ପତ୍ର କରି ଦତ୍ତ ॥
ବିନ୍ୟସ୍ତ ଯେ ପ୍ରଦୀପେ କଲେ ହସ୍ତ ॥ ୧୪ ।ବଇଦର୍ଭୀ ଚାତୁରୀ ପ୍ରକାଶିତ ॥
ବତ୍ସେ ସଂଯୋଗିପଢ଼ିରଘୁସୂତ ।ବତ୍ସପାଦ ଚିହ୍ନ ପରି ହୃଦରେ ॥
ବାହ୍ୟେ ନ ଦିଶି ରଖିଲେ ଭିତରେ ॥ ୧୫।୧୧ଶ ପଦ :- ବ୍ରାଡ଼ାବତୀ-ଲଜ୍ଜାବତୀ । ଧୀରା-ପଣ୍ଡିତା । ଧୀର-ସ୍ଥିର ।
୧୧ଶ ପଦ :- ନାୟକ ରାମଚନ୍ଦ୍ର ବଳପୂର୍ବକ ସୀତାଙ୍କୁ ନେଇ ଶଯ୍ୟାରେ ନିଜ କୋଳରେ ବସାନ୍ତେ, ସୀତା ଜ୍ୟୋତିରେ ଦୁର୍ଗା ସମାନ ବିରାଜିତ ହେଲେ, (କନକ ଦୁର୍ଗାଙ୍କ ବର୍ଣ୍ଣ ଶୁଦ୍ଧ ସୁବର୍ଣ୍ଣ ପରି) । ସେ ନୀଳମଣୀ ପ୍ରଭାରେ ଜଡ଼ିତ ହେଲେ ଯେପରି ଦିଶିବେ ସୀତା ସେହିପରି ଦିଶିଲେ । ସେ ଲଜ୍ଜାବତୀ ହେତୁ ଚଞ୍ଚଳତା ଶୀଘ୍ର ଛାଡ଼ି ନ ଥିଲେ । ରାମ ବିନୟ ବାକ୍ୟରେ ବୋଧ କରନ୍ତେ, କ୍ରମେ ସୀତା ସ୍ଥିର ହେଲେ ।
୧୨ଶ ପଦ :- ବିଦଗ୍ଧ-ପଣ୍ଡିତ, ଚତୁର । ବିଳାସିନୀ-ସ୍ତ୍ରୀ ବା ଭାର୍ଯ୍ୟା । ଦୀପ ହୁତାଶନ-ଦୀପାଗ୍ନି ।
୧୨ଶ ପଦ :- ତାହା ପରେ ଚତୁର ରାମଚନ୍ଦ୍ର କହିଲେ, ‘‘ହେ ପ୍ରିୟେ ! ମୋର ଏ ଦେହରେ ପ୍ରାଣ ଥିବାଯାଏ, ତୋ ବିନା ଅନ୍ୟ ସ୍ତ୍ରୀକୁ ଚାହିଁବି ନାହିଁ ।’’ ଏହା କହି ସେ ଦୀପର ଅଗ୍ନିକୁ ଛୁଇଁ ନିୟମ କଲେ ।
୧୩ଶ ପଦ :- ରାମ ଏପରି ନିୟମ କରିବାରୁ ସୀତା ମୁଣ୍ଡରେ କେଶରୁ କେତକୀ ପାଖୁଡ଼ାକାଢ଼ି ଚିବୁକରୁ କସ୍ତୁରୀକୁ ପୋଛି ଅକ୍ଷର ଲେଖିଲେ; ‘‘ଆଜିଯାଏ ତ ମୋର ମନ ତୁମ୍ଭ ବିନା ଅନ୍ୟଠାରେ ବଳି ନାହିଁ । ପର ଜନ୍ମମାନଙ୍କରେ ମଧ୍ୟ ମୋ ଚିତ୍ତ ଅନ୍ୟ ପୁରୁଷଠାରେ ବଳାଇବି ନାହିଁ ।’’
୧୪ଶ ପଦ :- ବାର୍ତ୍ତାବହ-ଦୂତ । ବୀରମୁକୁଟେ-ବୀରଶ୍ରେଷ୍ଠ ରାମଚନ୍ଦ୍ରଙ୍କୁ ।
୧୪ଶ ପାଦ :- ‘‘ପରଜନ୍ମରେ ପିତା ବର ବରି ଆଣି ବିଭାମଣ୍ଡପରେ ବସାଇଥିବେ, ମାତ୍ର ମୁଁ ରାଜି ନ ହେବାରୁ (ଦ୍ୱାପର ଯୁଗରେ ରୂକ୍ମିଣୀ ଅବତାରର କଥା) ସେ ବର (ଶିଶୁପାଳ) ମଣ୍ଡପରୁ ବାହୁଡ଼ିଯିବ । ମୁଁ ଦୂତଦ୍ୱାରା ତୁମ୍ଭଙ୍କୁ ଖବର ଦେଇ ବରି ନେବି ।’’ ଏହା ଲେଖି ସୀତା ସେ ପତ୍ର ରାମଙ୍କୁ ପ୍ରଦାନ କରି ପ୍ରଦୀପରେ ହସ୍ତ ଦେଲେ । (ପ୍ରଦୀପ ଛୁଇଁ ନିୟମ କଲେ) ।
୧୫ଶ ପଦ :- ପତ୍ରରେ ପ୍ରକାଶିତ ସୀତାଙ୍କର ବାକ୍ଚାତୁରୀକୁ (ଅର୍ଥାତ୍ ତୁମ୍ଭେ ଏ ଜନ୍ମରେ ଅନ୍ୟ ସ୍ତ୍ରୀ କରି ନ ପାର; କିନ୍ତୁ ଅନ୍ୟ ଜନ୍ମରେ ମୋ ବ୍ୟତୀତ ଅନ୍ୟ ସ୍ତ୍ରୀ କରିପାରିବ, ମାତ୍ର ମୁଁ ଜନ୍ମଜନ୍ମାନ୍ତରେ ସୁଦ୍ଧା ତୁମ୍ଭ ବ୍ୟତୀତ ଅନ୍ୟ ପୁରୁଷକୁ ଚାହିଁବି ନାହିଁ) ପାଠକରି ରାମଚନ୍ଦ୍ର ବକ୍ଷଦେଶରେ ନାରାୟଣ ଶ୍ରୀବତ୍ସ ଚିହ୍ନ ବହିଲା ପରି ତାହା ଧାରଣ କଲେ, ମାତ୍ର ପଦାକୁ କିଛି ପ୍ରକାଶ କଲେ ନାହିଁ ।
ବିଶଦତା ଚିତ୍ତ ନଭେ ଉଦୟ ॥
ବିନିର୍ଗତ ହେଲା ଘନ ସଂଶୟ ।ବିମଳତା ରସ ଖ୍ୟାତ ହୋଇଲା ॥
ବିକାଶକୁ କାଶ ହାସ ପାଇଲା । ୧୬।ବନଜୀନୀ ଶେଯ ସରେ ରାଜିତା ॥
ବହେ ପୁଲକରାଜି ପ୍ରଫୁଲ୍ଲତା ।ବନ୍ଧ ସର୍ବତୋଭାବେ ଗଲା ଦିଶି ॥
ବିଚଳିତ ନିର୍ମଳେ ହେଲା ଶଶୀ । ୧୭।ବିସ୍ତୃତ ଯେ ହଂସକର ନିଃସ୍ୱନ ॥
ବିତପନ ନକ୍ଷତ୍ରମାଳା ପୁନ ।ବ୍ୟୁତ୍ପତ୍ତିରେ ଯୁବତୀ ଋତୁମତୀ ॥
ବିଧୂନନେଶରଦ ହେଲା ଖ୍ୟାତି । ୧୮।ବୀରେ ବିଖ୍ୟାତ ତୁ ସାରସଦୃଶା ॥
ବଦନରେ ଜଡ଼କର ପ୍ରଶଂସା ।ବିମ୍ବାଧରେ ତ ସଦନ ମଧୁର ॥
ବକ୍ଷୋରୁହେ ଗିରିସମ ବିଚାର । ୧୯।ବିଧି ଘନଜଘନା ବୋଲିବାର ॥
ବ୍ୟବହାର ଖ୍ୟାତ ସର୍ବ ସେଠାର ।ବିନାଶନ ହେଲା ନିଶା ଏକାଳେ ॥
ବେଶ୍ୟା ପ୍ରାୟେ ଗଗନ ବିରାଜିଲେ । ୨୦।୧୬ଶ ପଦ :- ବିଶଦତା-ନିର୍ମଳତ । ନଭ-ଆକାଶ । ଘନ-ମେଘ । ରସ-ଜଳ, ଶୃଙ୍ଗାର ରସ ।
୧୬ଶ ପଦ :- ଉଭୟ ଉଭୟଙ୍କର ମନକଥା ଜାଣି ପାରିବାରୁ ସେମାନଙ୍କର ଚିତ୍ତରୂପ ଆକାଶରୁ ସଂଶୟ ରୂପ ମେଘ ଦୂର ହୋଇଗଲା ଓ ନିର୍ମଳ ଭାବ ଉଦିତ ହେଲା । ବର୍ଷା ଋତୁ ପରେ ଶରତଋତୁ ପ୍ରବେଶ କଲେ ଆକାଶ ନିର୍ମଳ ହୁଏ, ଜଳ ସଫା ହୁଏ, କାଶତଣ୍ଡୀ ଫୁଲ ଫୁଟେ; ସେହିପରି ଉଭୟଙ୍କ ମନରୁ ସଂଶୟ ମେଘ ଦୂର ହେବାରୁ ଚିତ୍ତ ନିର୍ମଳ ହେଲା, ଶୃଙ୍ଗାର ରସ ପୂର୍ଣ୍ଣ ଭାବରେ ଖ୍ୟାତ ହେଲା ଏବଂ କାଶ ଫୁଲ ସମ ହାସ ପ୍ରକାଶିତ ହେଲା ।
୧୭ଶ ପଦ :- ବନଜୀନୀ-ପଦ୍ମିନୀ । ସର-ପୁଷ୍କରିଣୀ,ସରୋବର ।
୧୭ଶ ପଦ :- ସୀତା ପଦ୍ମଫୁଲ ପ୍ରାୟ ହେଲେ, ଶଯ୍ୟାସରୋବର ପ୍ରାୟ ହେଲା । ଶରତ ସମୟରେ ସରୋବରରେ ପଦ୍ମ ବିକଶିତ ହେଲା ପରି ଶଯ୍ୟାରେ ସୀତା ରୋମାଞ୍ଚିତ ହୋଇ ଶୋଭା ପାଇଲେ । ସରୋବରରେ ଜଳ ଶୁଖିଗଲେ ବନ୍ଧମାନ ପ୍ରକାଶିତ ହେଲା ପ୍ରାୟ ଶଯ୍ୟା ସରୋବରରେ ଚତୁଷଷ୍ଠି କାମବନ୍ଧ ପ୍ରକାଶିତ ହେଲା । ନିର୍ମଳ ଚନ୍ଦ୍ର ଶରତ୍ କାଳରେ ଦେଖାଗଲା ପ୍ରାୟ ଏଠାରେ ଉତ୍ତମ ଭାବରେ ଚନ୍ଦ୍ର ଚାଳନା ହେଲା ।
୧୮ଶ ପଦ :- ହଂସକ-ହଂସ ପକ୍ଷୀ, ନୁପୂର । ନକ୍ଷତ୍ରମାଳା-ତାରକାସମୂହ, ମୁକ୍ତାମାଳା । ବ୍ୟୁତ୍ପତ୍ତିରେ-ଜାଣିବାରେ । ବିଧୁନନେ-ରତିକ୍ରୀଡ଼ାରେ ।
୧୮ଶ ପଦ :- ଶରତ୍ କାଳରେ ସରୋବରମାନଙ୍କରେ ହଂସଙ୍କର ଶବ୍ଦ ଶୁଣାଗଲା ପରି ଏଠାରେ ରତିକ୍ରୀଡ଼ା ଯୋଗୁ ନୂପୁରସ୍ୱନ ଶୁଣାଗଲା ଏବଂ ନକ୍ଷତ୍ରସବୁ ନିର୍ମଳ ଆକାଶଯୋଗୁଁ ସ୍ପଷ୍ଟ ଦେଖାଗଲା ପ୍ରାୟ କଣ୍ଠ ସ୍ଥିତ ମୁକ୍ତାମାଳା ଦେଖାଗଲା । ସ୍ତ୍ରୀମାନେ ଋତୁମତୀ ହୁଅନ୍ତି, ତେଣୁ ସୀତାଙ୍କୁ ଋତୁମତୀ ବିଚାର କରି ତାଙ୍କ ରତିକୁ ଶରତ୍କାଳ ସହିତ ଖ୍ୟାତ କରାଗଲା ।
୧୯ଶ ପଦ :- ବିଖ୍ୟାତ-କଥିତ । ସାରସଦୃଶା-ପଦ୍ମଲୋଚନା । ଜଡ଼କର-ଚନ୍ଦ୍ର, ମୁକ, ଶିଶିର । ମଧୁ-ବସନ୍ତ କାଳ । ବକ୍ଷୋରୁହ-ସ୍ତନ ।
୧୯ଶ ପଦ :- ବୀର ରାମଚନ୍ଦ୍ର କହିଲେ, ‘‘ଗୋ ପଦ୍ମଲୋଚନେ ! ତୁମ୍ଭେ ତୁଷାର ସଦୃଶା ଅର୍ଥାତ୍ ହିମ ଋତୁ ଅଟ । (ତୁମ୍ଭର ଦେହ ତୁଷାର ସଦୃଶ ଶୀତଳ) । ତୁମ୍ଭର ଯେଉଁ ବଦନ ସହିତ ତୁଳନୀୟ ହୋଇ ଚନ୍ଦ୍ର ପ୍ରଶଂସା ପାଉଅଛି, ସେ ବଦନ ଶୀତଳ ହୋଇଥିବାରୁ ତାହା ଶୀତକାଳ ପ୍ରାୟ ଅଟେ । ତୁମ୍ଭର ବିମ୍ୱାଧର ଅମୃତର ଗୃହ ହୋଇଥିବାରୁ, ତାହା ବସନ୍ତର ସ୍ଥାନ ହୋଇଅଛି । ତୁମ୍ଭର ସ୍ତନଯୁଗଳ ଗିରିସମ ଅର୍ଥାତ୍ ପର୍ବତ ସମାନ ହୋଇଥିବାରୁ ଗିରିସମର ବିଚାର ହେଲା ।’’ (ଏଥିରେ ହେମନ୍ତ, ଶୀତ, ବସନ୍ତ ଓ ଗ୍ରୀଷ୍ମଋତୁର ସୂଚନା ଦିଆଗଲା ) ।
୨୦ଶ ପଦ :- ବେଶ୍ୟା-ବେଶ ହୋଇଥିବା ଲୋକ ।
୨୦ଶ ପଦ :- ‘‘ଗୋ ସୀତେ ! ତୁମ୍ଭଙ୍କୁ ଘନଜଘନା ବୋଲିବା ଉଚିତ’’ (ଏଠାରେ ଘନ ବା ମେଘ ଶବ୍ଦର ବ୍ୟବହାରରେ ବର୍ଷାଋତୁର ସୂଚନା ମିଳିଳା ) । ବ୍ୟବହାରରେ ସୀତାଙ୍କଠାରେ ଶରଦାଦି ଋତୁସମୂହ ଖ୍ୟାତ ହେଲେ । ଏହି ସମୟରେ ରାତ୍ର ଶେଷ ହେବାରୁ ଆକାଶ ବେଶ ହୋଇଥିବାଲୋକ ପ୍ରାୟ ଶୋଭିତ ହେଲା ।
ବିଧୂକୋଳ ଦିଗ ବେଶ୍ୟା ତେଜିଲା ॥
ବେଗେ ସବିତା ଭାବରେ ମଜ୍ଜିଲା ।ବନଜୀନୀ ଯେ କୁଳଟା ସ୍ୱଭାବେ ॥
ବିକର୍ତ୍ତନ ଉଲ୍ଲସେ ସେ ଭୃଙ୍ଗ ଚୂମ୍ବେ । ୨୧ ।ବଳିଭୁଜ ସତ୍ୟବାକ ରଚନା ॥
ବିବୁଧେ ଯେ ସେ ବେଶ୍ୟାବଶ ସିନା ।ବାୟସ ସାହୁ ଡାକକୁ ପେଚକ ॥
ବୃକ୍ଷକ୍ରୋଡ଼େ ଲୁଚେ ହୀନ ଖାତକ । ୨୨।ବିଚକ୍ଷଣା କୁମୁଦିନୀ ଦେଖାଇ ॥
ବିଷ୍ଫାରିତ ମାଦ୍ରିତେ ସତୀ ମୁହିଁ ।ବସି ନ ପାରି ନ ରସି ଭ୍ରମର ॥
ବ୍ୟର୍ଥ ବାଦ ଦେଇ କରେ ଝଙ୍କାର । ୨୩ ।ବାୟୁ ମନ୍ଦ ଗୁଣକୁ ଆଶ୍ରେ କରି ॥
ବାସ ପୁଷ୍ପବତୀର ନେଲା ହରି ।ବିଶ୍ୱେ ସମୀର ହୋଇଲା ରଜକ ॥
ବିଚାରୁଛି ଅନୁସ୍ୱାରେ ଅଧିକ । ୨୪।ବଲ୍ଲୀଠାରୁ କାମୁକୀ ବଳି ନାହିଁ ॥
ବିନୋଦକୁ କୁସୁମେ ଯେଣୁ ଦେଇ ।ବିହଇ ଯେ ସମ୍ଭୋଗକୁ ମଧୁପ ॥
ବେନି ସବୁ କାଳରେ ଅନୁରୂପ । ୨୫।
୨୧ଶ ପଦ :- ପ୍ରଭାତ ହେବାରୁ ପୂର୍ବଦିଗ ରୂପ ବେଶ୍ୟା ଚନ୍ଦ୍ର ରୂପ ପୁରୁଷ କୋଳକୁ ତ୍ୟାଗକରି ସୂର୍ଯ୍ୟଙ୍କ ଭାବରେ ମଜ୍ଜିଲେ । (ତେଣୁ ବେଶ୍ୟା ନାମରେ ଅଭିହିତ) । ସ୍ୱଭାବରେ ପଦ୍ମିନୀ ଅସତୀ ଅଟଇ, କାରଣ ସୂର୍ଯ୍ୟ ତାକୁ ପ୍ରଷ୍ଫୁଟିତ କଲେ; ମାତ୍ର ଭ୍ରମର ବିଟପୁରୁଷ ରୂପରେ ତାକୁ ଚୁମ୍ୱନ ଦେଲା । (ପ୍ରଭାତ ହେବାରୁ ପୂର୍ବଦିଗରେ ସୂର୍ଯ୍ୟ ଉଦିତ ହେଲେ, ପଦ୍ମ ଫୁଟିଲା ଓ ତହିଁରେ ଭ୍ରମରମାନେ ଉଡ଼ି ବସିଲେ) ।
୨୨ଶ ପଦ :- ବଳିଭୁକ-କାକ । ସତ୍ୟବାକ-ସତ୍ୟ ବଚନ । ବିବୁଧେ-ଦେବତାମାନେ । ବାୟସ-କାକ ।
୨୨ଶ ପଦ :- କାକମାନେ ସତ୍ୟ ବଚନ ପ୍ରକାଶ କରି ଗାଇ ବୁଲିଲେ, ‘‘ଦେବତାମାନେ ଯେ ବେଶ୍ୟାସକ୍ତ ଅଟନ୍ତି ଏହା ସତ୍ୟ । (ଚନ୍ଦ୍ର ଓ ସୂର୍ଯ୍ୟ ଦିଗ୍ବେଶ୍ୟାରେ ଆସକ୍ତ, ଏହା କାକମାନେ ରାବ ଦେଇ କହି ବୁଲିଲେ) । ପୁଣି କାକ ସାହୁ ପ୍ରାୟ ହେଲେ । ତାଙ୍କ ଡାକକୁ ଶୁଣି ପେଚାମାନେ ହୀନ ଖାତକ-ପ୍ରାୟ ବୃକ୍ଷ କ୍ରୋଟରରେ ଲୁଚିଲେ ।
୨୩ଶ ପଦ :- ବିଚକ୍ଷଣା-ବୁଦ୍ଧିମତୀ, ପଣ୍ଡିତା । କୁମୁଦିନୀ-କଇଁଲତା ।
୨୩ଶ ପଦ :- ମୁଁ ଜାଣିପାରୁଛି, କଇଁ ପଣ୍ଡିତା ଅଟେ । ନିଜ କାନ୍ତ ଚନ୍ଦ୍ରର ଉଦୟରେ ସେ ପ୍ରଫୁଲ୍ଲିତ ଓ ଅସ୍ତରେ ମୁଦ୍ରିତ ହୁଏ, ତେଣୁ ସେ ସତୀ । ଭୃଙ୍ଗ କାମୁକପୁରୁଷ ପ୍ରାୟ ହୋଇ ତା’ ପାଖକୁ ଗଲା, ମାତ୍ର ତା’ ଉପରେ ବସିନ ପାରି ବୃଥାରେ ଅପବାଦ ଦେଇ ଝଙ୍କାର କରୁଅଛି ।
୨୪ଶ ପଦ :- ଧୀର ପବନ ବହିବାରୁ ଜଣାଗଲା, ପବନର ଯେ ‘ମନ୍ଦଗତି’ ତାହା ପବନର ମନ୍ଦଗୁଣକୁ ଆଶ୍ରୟ କରିଅଛି । ମନ୍ଦଗୁଣ ବିଶିଷ୍ଟ ପୁରୁଷ ପୁଷ୍ପବତୀ ରମଣୀର ବସନ ହରଣ କଲା ପରି, ମନ୍ଦପବନ ପୁଷ୍ପବତୀ ଲତାରୁ ବାସ (ସୁଗନ୍ଧ) ହରଣ କରି ନେଉଅଛି । ଆଉ ମଧ୍ୟ ଏ ସଂସରରେ ସେ ରଜକ ପ୍ରାୟ ହେଲା । (ରଜକ ପୁଷ୍ପବତୀର ବାସ ନେଇ ସଫା କରେ) । ମୁଁ ବିଚାରୁଛି, ରଜକର ଅନୁସ୍ୱାର ମାତ୍ର ଅଧିକ ଲାଗି ସେ ରଞ୍ଜକ ହୋଇଅଛି, (ତେଣୁ ପୁଷ୍ପ ସୌରଭ ନେଇ ସମସ୍ତଙ୍କ ମନ ରଞ୍ଜନ କରୁଥାଏ ) ।
୨୫ଶ ପଦ :- ବଲ୍ଲୀ-ଲତା । କୁସୁମେ-ପୁଷ୍ପକାଳରେ । ବିନୋଦ-ଆନନ୍ଦ ।
୨୫ଶ ପଦ :- ଲତାଠାରୁ ବଳି କାମୁକୀ ଆଉ କେହି ନାହିଁ, କାରଣ ସେ ପୁଷ୍ପବତୀ ସମୟରେ ମଧ୍ୟ କଳି ଦିଏ ଏବଂ ମଧୁପ ସହିତ ସମ୍ଭୋଗ ବିଧାନ କରେ । ମଧୁପ ସ୍ୱଭାବରେ ମଦ୍ୟପ ଅଟେ । କାମୁକୀ ଲତା ଓ ମଦ୍ୟପ ମଧୁପ ଉଭୟେ ସବୁ ସମୟରେ ପରସ୍ପରର ଅନୁରୂପ ଅଟନ୍ତି ।
ବେଶ୍ମେ ଦୀପ ମଳିନ ହେବା ଚାହିଁ ॥
ବାହାରିଲେ କାନ୍ତପାଶୁଁ ବୈଦେହୀ ।ବାମଦେବାରି ଯେ ରଣେ ହାରିଲା ॥
ବିଜୟ ତା ରଥ କି ଲେଉଟିଲା । ୨୬।ବିଳମ୍ବିତ ଗତି ଆନ୍ଦୁ ବିହିତେ ॥
ବାରଣ କି ଯୋଚିଥିଲା ଏ ପ୍ରତେ ।ବନ୍ଧୁହୀନେ ପୃଷ୍ଠେଲୋକେ ଚିକୁର ॥
ବୈଜୟନ୍ତୀ ଅଧୋଗତି ପ୍ରକାର । ୨୭।ବଳା ଅଳ୍ପ ଝୁମୁଝୁମୁ ସ୍ୱନିତ ॥
ବାଜେ ପରାଜୟ ତୂର ଯେମନ୍ତ ।ବିନ୍ଧେ ନୟନଛଳେ ନୀଳୋତ୍ପଳ ॥
ବାମ ଦକ୍ଷିଣେ ଶର କି ଚଞ୍ଚଳ । ୨୮।ବେଢ଼ିଗଲେ ସଜନୀ ଚାରିପାଶେ ॥
ବିଧାନୀ ସେ ନୋହିଲେ ପରିହାସେ ।ବିଚାରିଲେ ଜାଣିମେ ଗୁରୁଜନ ॥
ବେଶ କଲେ ନୀତି ସାରି ବହନ । ୨୯।ବସିଥିଲା ଯେ ଓଷ୍ଠେ ରଦପଦ ॥
ବିଦ୍ରୁମରେ ଯେମନ୍ତ କୀଟ ଭେଦ ।ବିଶେଷରେ ତାମ୍ବୁଳ ଭୁଞ୍ଜାଇଲେ ॥
ବିଲୋପକୁ ଯେ ତାର ବିଚାରିଲେ । ୩୦।୨୬ଶ ପଦ :- ବେଶେ-ଘରେ । ବାମଦେବାରି-କନ୍ଦର୍ପ ।
୨୬ଶ ପଦ :- ଗୃହରେ ଦୀପ ମଳିନ ହେବାର ଦେଖି ସୀତା କାନ୍ତ ପାଶରୁ ବାହାରିଲେ । ତାଙ୍କ ମନ୍ଥର ଗତି ଦେଖି ମନେହୁଏ କନ୍ଦର୍ପ ରଣରେ ହାରିଯିବାରୁ ତାହାର ପରାଜିତ ରଥ ମନ୍ଥରଗତି କରି ଲେଉଟିଲାକି ?
୨୭ଶ ପଦ :- ଆନ୍ଦୁ-ହସ୍ତୀର ପାଦବନ୍ଧନ ଶୃଙ୍ଖଳ, ପାଦଭୂଷଣ । ଚିକୁର-କେଶ । ବନ୍ଧୁହୀନେ-ବନ୍ଧନ ରଜ୍ଜୁ ଛିନ୍ନ ହେତୁ ।
୨୭ଶ ପଦ :- ମନ୍ଥରଗତି ହେତୁ ଏପରି ପ୍ରତୀତ ହୁଏ, କନ୍ଦର୍ପ ସେ ରଥରେ ପାଦ ଶାଙ୍କୁଳି ଦେଇ ହସ୍ତିକୁ ବାନ୍ଧିଥିଲା କି ? ପୁଣି ବନ୍ଧନ ଫିଟି ଯାଇଥିବାରୁ କେଶ ପିଠିରେ ଲୋଟୁଛି । ତା ଦେଖି ମନେହୁଏ, କନ୍ଦର୍ପର ପରାଜିତ ପତାକା ଅଧୋଗତି ଲଭିଅଛି କି ? (ପରାଜିତ ହେବାରୁ ପତାକା ଉପରକୁ ନ ଉଡ଼ି ତଳ ଦିଗକୁ ପଡ଼ିଅଛିକି ?)
୨୮ଶ ପଦ :- ତୁର-ବାଦ୍ୟବିଶେଷ, ତୁରୀ । ବଳା-ପାଦାଳଙ୍କାର ବିଶେଷ ।
୨୮ଶ ପଦ :- ପାଦର ବଳା ଅଳ୍ପ ଝୁମୁଝୁମୁ ଶବ୍ଦ କରେ, ସେଥିରୁ ମନେହୁଏ, ପରାଜୟ ହେତୁରୁ ତୁରୀ ମନ୍ଦ ମନ୍ଦ ବାଜୁଅଛି କି ? ସେହି ଗତିବେଳେ ସୀତା ମନର ଚଞ୍ଚଳତା ହେତୁ ଏ ଦିଗ ସେ ଦିଗକୁ ବରମ୍ବାର ଚାହୁଁଥିବାରୁ ମନେ ହୁଏ, କନ୍ଦର୍ପ ନୀଳୋତ୍ପଳ ଶରକୁ ବାମ ଓ ଦକ୍ଷିଣ ଦିଗକୁ ଖରତରେ ବିନ୍ଧୁଅଛିକି ?
୨୯ଶ ପଦ :- ସେହିକାଳରେ ସଖିମାନେ ସୀତାଙ୍କର ଚାରିପାଖରେ ବଢ଼ିଗଲେ, ସେମାନେ ସୀତାଙ୍କ ଅଙ୍ଗରେ କ୍ଷତ ଚିହ୍ନମାନ ଦେଖି ପରିହାସରେ ସମୟ ଅତୀତ କଲେ ନାହିଁ । ବିଳମ୍ୱ ହେଲେ କାଳେ ଗୁରୁଜନମାନେ କ୍ଷତ ଚିହ୍ନମାନ ଦେଖିବେ, ତାହା ଭାବି ସେମାନେ ଶୀଘ୍ର ନିତ୍ୟକର୍ମମାନ ସମାପ୍ତ କରି ସୀତାଙ୍କୁ ବେଶଭୂଷା କଲେ । (ଏହାଦ୍ୱାରା ସଖିମାନଙ୍କର ଚାତୁର୍ଯ୍ୟ ସୂଚିତ ହେଲା) ।
୩୦ଶ ପଦ :- ରଦପଦ :- ଦନ୍ତଚିହ୍ନ । ବିଦ୍ରୁମ-ପୋହଳା ।
୩୦ଶ ପଦ :- ପ୍ରବାଳରେ କୀଟର ଦଂଶନ ଜନିତ କ୍ଷତ ଦେଖାଗଲା ପରି ସୀତାଙ୍କ ରକ୍ତିମ ଓଷ୍ଠରେ ଯେଉଁ ଦାଗସବୁ ଦେଖାଯାଉଥିଲା, ତାହାକୁ ଲୋପ କରିବାପାଇଁ ବିଚାରି ସଖିମାନେ ବିଶେଷରୂପେ ତାଙ୍କୁ ପାନ ଭୁଞ୍ଜାଇଲେ ।
ବିଧ୍ୱଂସିଲେ ସେ ଚିହ୍ନ ଗଣ୍ଡଦେଶୁଁ ॥
ବିହି ମକରୀ ଚିତ୍ରକ ସନ୍ତୋଷୁ ।ବକ୍ଷୋଜରେ ରାଜିତ ନଖକ୍ଷତ ॥
ବିଧୁ ଅର୍ଦ୍ଧ ଶମ୍ଭୁଶିରେ ଯେମନ୍ତ । ୩୧।ବେଢ଼ାଇଣ ଚୋଳ ତା ଗୁପ୍ତ କରି ॥
ବିଜେ ବାହାରେ ପୁଂସବର ଚାରି ।ବୋଲେ ଉପଇନ୍ଦ୍ର ଭଞ୍ଜ ଏ ରସ ॥
ବୁଝ ବୁଧମାନେ ପଦ ବତିଶ । ୩୨।୩୧ଶ ପଦ :- ବକ୍ଷୋଜ-ସ୍ତନ । ବିଧୁଅର୍ଦ୍ଧ-ଅର୍ଦ୍ଧଚନ୍ଦ୍ର ।୩୨ଶ ପଦ :- ଚୋଳ-କାଞ୍ଚଲା । ବୁଧମାନେ-ପଣ୍ଡିତମାନେ ।
୩୧ଶ ଓ ୩୨ଶ ପଦ :- ପୁଣି ସେହି ସଖୀମାନେ ସୀତାଙ୍କ ସନ୍ତୋଷ ବର୍ଦ୍ଧନ ନିମିତ୍ତ ମକରୀ ଚିତ୍ର ଲେଖି ତାଙ୍କ ଗଣ୍ଡସ୍ଥଳରେ ହୋଇଥିବା କ୍ଷତ ଚିହ୍ନକୁ ଲୋପ କଲେ । ମହାଦେବଙ୍କ ଶିରରେ ଅର୍ଦ୍ଧଚନ୍ଦ୍ର ଯେପରି ଦେଖାଯାଏ, ସେହିପରି ଦେଖାଯାଉଥିବା ସ୍ତନଯୁଗଳୋପରି ନଖକ୍ଷତ ଚିହ୍ନକୁ କାଞ୍ଚଲା ବେଢ଼ାଇ ଲୁଚାଇ ଦେଲେ । ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏହି ଚାରି ପୁରୁଷଶ୍ରେଷ୍ଠ ବାସର ଗୃହରୁ ଯାଇ ବାହାରେ ବିଜେ କଲେ । ଉପେନ୍ଦ୍ରଭଞ୍ଜ ଏ ରସକୁ ବତ୍ରିଶ ପଦରେ କହିଲେ । ହେ ପଣ୍ଡିତମାନେ ! ତାହା ହୃଦୟଙ୍ଗମ କର ।
ଷୋଡ଼ଶ ଛାନ୍ଦ(ରାଗ-ନଳିନୀ ଗୌଡ଼ା)