ସ୍ତୁତି ଚିନ୍ତାମଣି
ଭୀମ ଭୋଇ · ଭାଗ ୬ / ୬ · ଭାଗ ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚାଶୀ ବୋଲିଗୃହଧର୍ମ ମାର୍ଗେ ଭଜି ଯେ ପାଇବ କାହିଁ ବା ତହିଁର ବାଟ,ବିହିତ ଧର୍ମେ ଥାଇ ଭଜି ପାରିଲେ ଅଛି ମୁକତି ନିକଟ ।ଆପଣା ପିଣ୍ଡ ପ୍ରାଣଦାନ କରିବ ସଦଗୁରୁଙ୍କର ପାଦେ,ଦାରା ସୁତ ବିତ୍ତ ସକଳ ସମର୍ପି ରହିବ ମନ ଆନନ୍ଦେ ।ଆପଣା ଭାଇ ଭଗ୍ନୀ ଜ୍ଞାତି ବାନ୍ଧବ ସକଳ ସମର୍ପି ଦେଇ,ପାଇଲ ବୋଲି ସତ୍ୟ ସତ୍ୟ କହିବ ମନରେ ଆନନ୍ଦ ହୋଇ ।ଆପଣା ବୃତ୍ତି ଦୁଃଖ ସୁଖ ଫନ୍ଦାକୁ ଗୁରୁ ଶ୍ରୀଚରଣେ ଦେବ,ଘର ଦ୍ୱାର ଆଦି ସକଳ ସମର୍ପି ଦାସପଣେ ଯୋଗାଇବ ।ଦାସ ଦାସୀ ହୋଇ ସଦଗୁରୁଠାରେ ଦାନା ପାଣି ଅନୁସରି,ସଦା ସର୍ବଦା ସମର୍ପି ହେଉଥିବ ତ୍ରାହି ତ୍ରାହି ବୋଲି କରି ।ଭାତ ବିତ୍ତ ଚିତ୍ତ ବୃତ୍ତି ଆଦିକରି ଚିନ୍ତା ଅର୍ଥ ଲାଭ ହାନି,ଆପଣା ହୃଦରୁ କଳ୍ପଣା ଛଡ଼ାଇ ନିଷ୍ମାମ ହୋଇବ ପୁଣି ।ଯେଉଁ ବୃତ୍ତି କଲେ ଗୁରୁ ସୁମରିବ ପାଦତଳେ ଭାରା ଦେଇ,ଏ ବୃତ୍ତିର ଯାହା ହାନି ଲାଭ ହେବ ସକଳ ବୁଝିବୁ ତୁହି ।ଗୁରୁ ସୁମରି ରତିସୁକ କରିବ ଭାରିଯାକୁ କୋଳେ ଘେନି,ତେତେବେଳରେ ବିରୁଦ୍ଧ ନ କରିବ ଜପୃଥିବ ନାମଧୂନି ।ତିରିଶ ଦିନେ ସ୍ତିରୀ ସଙ୍ଗ କରିବ ବେଳା ୠତୁ ମତ ଧରି,ଶୁଭାଶୁଭେ ପଦ୍ମେ ବୀଜ ଦାନ ଦେବ ଅମୃତ ଯୋଗ ସୁମରି ।ଋତୁ ମତରେ କିଛିହିଁ ଦୋଷ ନାହିଁ ଗୃହଧର୍ମ ବେଲାଇଲା,ଗୃହ କରିବାର ଉଚିତ ପ୍ରମାଣ ବିହିତ କର୍ମକୁ ଗଲା ।ପ୍ରାତରୁ ଗୋମୟ ଶରୀରେ ଲଗାଇ ଜଳେ କରିବ ସ୍ନାହାନ,ନିଶିରେ ରଜବୀର୍ଯ୍ୟ ବାଧା ଯେତେକ କଟିବ ସେ ଦୋଷମାନ ।ସପତ ଧାତୁକୁ ସାତ ବୁଡ଼ ମାରି ମୁଖେ ନାମକୁ ଜପିବ,ସାଷ୍ଟାଙ୍ଗେ ଦର୍ଶନ ଶତବାର କରି ଗୁରୁପାଦ ସୁମରିବ ।ଭାଇ ଭଗ୍ନୀ ପ୍ରାଏ ଦିନ ନେଉଥିବ ୠତୁମତେ ପତ୍ନୀ ପତି,ସାଧୁସେବା କରି ଦିନ ବଞ୍ଚୁଥିବ ବୋଲାଇବ ଯତି ସତୀ ।କି ଅବା ବ୍ରାହ୍ମଣ କି ଅବା ଚାଣ୍ଡାଳ ଅବ୍ୟ ନ କରିବ ଚିତ୍ତେ,ଜାତି ଗୋତ୍ରହିଁ ନ ପଚାରିବ କିଛି ହାନି ଲାଭ ତାର ଯେତେ ।କିଛି ତାହାର ମନରେ ନ ଧରିବ ଉଚ୍ଚ ନୀଚ ବୋଲିକରି,ଗୃହଧର୍ମବିଧି ଏମନ୍ତ ପ୍ରକାର ସତ୍ୟଧର୍ମେ ଯାନ୍ତି ତରି ।ସାଧୁସେବାବିନୁ ହୃଦରେ ତାହାର ଅନ୍ୟ ନ ଜାଣଇ କିଛି,ତେବେ ସିନା ଗୃହଭକ୍ତି ବୋଲାଇବ ଶାହସ୍ରରେ ଲେଖାଅଛି ।କାଞ୍ଜି ଭାଜି ବାସି ତାତିଲା ସହିତେ ଯାହାଥିବ ତାର ଘରେ,ହସ୍ତେ ଘେନି ତାହା ପ୍ରବେଶ ହୋଥବ ସାଧୁମାନଙ୍କ ଛାମୁରେ ।ସାଧୁଙ୍କୁ ସନ୍ତୋଷେ ଭୋଜନ କରାଇ କରପତ୍ର ଶିରେ ଦେଇ,ଗୁରୁଙ୍କ ଭଣ୍ଡାରେ ଯାହା ଅଛି ପାଅ ମୋହର ଅର୍ଜିଲା ନାହିଁ ।ପତିତ ଜୀବ ମୁଁ କାହିଁରୁ ପାଇବି ମୋହର ଶକତି ନାହିଁ,ଗୁରୁ ସିନା ଖଞ୍ଜୁଛନ୍ତି ପଡ଼ିଭାତ ମୁଁ ଛାର ପାଇବି କାହିଁ ।ସାଧୁପାଦେ ସେବା ଲାଗିଥିବ ଯେବେ ସଂଶୟ ନ ଥିବ ହୃଦେ,ଭଣେ ଭୀମ କନ୍ଧ ମନରେ ଆନନ୍ଦ ସପ୍ତଦଶ ଶତ ପଦେ ।
ଛୟାଶୀ ବୋଲିସାଧୁଜନମାନେ ସନ୍ତୋଷରେ ଭୁଞ୍ଜି ଛାଡ଼ିଯିବେ ଅବଶେଷ,ଯାହା ଥିବ ପାତ୍ରେ କୁଟୁମ୍ବ ସହିତେ ସଂଖୋଳି କରିବ ଗ୍ରାସ ।ସାଧୁ ଉଚ୍ଛିଷ୍ଟ ପାତ୍ର ଚାଟି ଖାଇବ ମନେ ନ ଧରି ଅବଦ,ସମସ୍ତେ କଣିକା ଲେଖାଏଁ ପାଇବ ଯେସନେକ ପରସାଦ ।ସାଧୁ ଗୋଷ୍ଠୀଠାରେ ଅବ୍ୟ ନ କରିବ ମୁକ୍ତି ଗଙ୍ଗାଜଳ କହି,ପୁତ୍ର ଦୋହିତା ଭାରିଯା ସଙ୍ଗେ ଘେନି ଏକାନ୍ତେ ବସିବ ଯାଇ ।ସାଧୁ ଅବଶେଷ ପାଇଣ ଆନନ୍ଦେ ଯେ ସେବେ ଚରଣାବିନ୍ଦ,ଅନ୍ତକାଳେ ସଦଗତିକି ଲଭଇ ଛିଡ଼ଇ ତ୍ରିଗୁଣ ବନ୍ଧ ।ଦୁଃଖ ସୁଖକୁ ସମାନ ମଣି ଥାଇ କେବେ ନୁହଇ ବିମୁଖ,ନାମେ ଆଶ୍ରେ କରି ଦିନ ବଞ୍ଚୁଥାଇ ବୋଲେ ଏ ମୋ ବଡ଼ ସୁଖ ।ଯାହା ହୋଇଗଲେ ଶ୍ରୀଗୁରୁ ଜାଣିବେ ହୃଦରେ ନ ରଖି ଚିନ୍ତା,ଗୃହଧର୍ମେ ଥାଇ ନାମ ଆଶ୍ରେ କରି ଧଇର୍ଯ୍ୟ ପଣେ ଶକତା ।ଏମନ୍ତ ଭକ୍ତର ବାନ୍ଧବ ଅଟନ୍ତି ପର୍ମେଶ୍ୱର ମହାବ୍ରହ୍ମ,ଅତି ଆନନ୍ଦରେ ଦିନ ବଞ୍ଚୁଥାଇ ଦିବା ନିଶି ଜପି ନାମ ।ଗୃହରେ ଥାଇ ନାମ ଆଶ୍ରିତ କଲେ ଏହି ପରକାରେ ଭଜ,ବିହିତ ଲକ୍ଷଣେ ଭକ୍ତିମାର୍ଗେ ଚାଲ ନ କର ମନରେ ଲାଜ ।ଭକ୍ତି ଯେ କରିବ କି ଲଜ୍ନା ତାହାର ଲଜ୍ଜା କଲେ ନ ମିଳଇ,ନାମ ବ୍ରହ୍ମ ବିନୁ କିଛି ନ ଜାଣଇଁ କାହାକୁ ତା ଭୟ ନାହିଁ ।ମହାଦେବ ଶିବଙ୍କର ଦୀକ୍ଷା ନୁହେ ତହିଁରୁ ଅତି କଠୋର,ଅଲେଖ ମହିମା ବୋଲିବାର ପଦ ଅଷ୍ଟାଙ୍ଗ ଯୋଗ ଉପର ।ଅବତାର ବିଷ୍ଣୁଙ୍କର ଦୀକ୍ଷା ନୁହେ ତହିଁରୁ ଅଟଇ ଗାଢ଼,କୋଟି କୋଟି ବିଷ୍ଣୁ ତାଙ୍କ ତହୁଁ ଜାତ ସେଠାକୁ ନୁହନ୍ତି ବଡ଼ ।ବ୍ରହ୍ମା ବେଦପତିଙ୍କ ଦୀକ୍ଷା ନୁହେ ତହିଁରୁ ଅଧିକ ଉଚ୍ଚ,ସୃଷ୍ଟି ହେଲା ଦିନୁ କୋଟି କୋଟି ବ୍ରହ୍ମା ଜନ୍ମ ହୋଇଛନ୍ତି ପଛ ।ନାଗାନ୍ତି ଯୋଗାନ୍ତି ଦୀକ୍ଷା ନୁହେ ଏହୁ ତହିଁରୁ ଆହୁରି ଆଣ୍ଟ,ନିଷ୍କାମ ଧର୍ମ ଯେଉଁଠାରୁ କ୍ଷରୁଛ ଅଟନ୍ତି ପରା ବୈକୁଣ୍ଠ ।ବେଦାନ୍ତୀ ସିଦ୍ଧାନ୍ତି ଦୀକ୍ଷା ଧର୍ମ ନୁହେ ରହିଲାଣି କେତେଦୂରେ,ନିର୍ବେଦ ଧାରଣା ଯାହାକୁ ବୋଲନ୍ତି ଅଲେଖ ଅବନାପୁରେ ।ସନ୍ଥ ମହନ୍ତଙ୍କ ଦୀକ୍ଷାଧର୍ମ ନୁହେ ଅଛି ବହୁତ ଅନ୍ତର,ଦେଖା ଶିଖା ଭକ୍ତି ସେ ବ୍ରହ୍ମଠାବକୁ ନୁଖଇ ସେ ବଳୀଆର ।ନିଶବ୍ଦ ଭୁବନ ଦୀକ୍ଷା ଧର୍ମ ଏହି ନିର୍ବେଦରେ ଚରାଚର,ଅଲେଖ ମହିମା ବୋଲନ୍ତି ଯାହାକୁ ଅରୂପ ତାଙ୍କ ଶରୀର ।ନିଶବଦ ଘର ଏକପାଦ ଧର୍ମ ଅଟଇ ସାତ୍ୱିକ ଧର୍ମ,ନୁହଇ ସ୍ତିରୀ ସେ ନୁହଇ ପୁରୁଷ ଦୁଇ ବୋଲି ନୁହ ଧର୍ମ ।ସେ ଠାବରେ ଆଉ ଦିବା ନିଶି ନାହିଁ ଏକତ୍ୱ ପ୍ରକାର ବିଧି,ସେ ଠାବକୁ ଯେହୁ ଜନ ବଳାଇବ ଅସାଧନା ସର୍ବସିଦ୍ଧି ।ସାଧିବାର ବ୍ରହ୍ମ ନୁହଇ ସେ ପ୍ରଭୁ ଅନାମ ତାହାର ରୀତି,କାମନା କଳ୍ପଣା କାହିଁ ବା ଲାଗିବ ନ ପଶି ପାରେ ପ୍ରକୃତି ।
ସତାଶୀ ବୋଲିଅରୂପ ବ୍ରହ୍ମ ସେ ରୂପ ନ ଦିଶଇ ନାହିଁ ତାର ହାଇ ଛାଇ,ଜନମ ଦିନରୁ ଉଚ୍ଛାରେ ବଢିଛି ଆଧାର ପାଣି ନ ଖାଇ ।ପିତା ମାତା ନାହିଁ ଅଯୋନିସମ୍ଭୁତ ନାହିଁ ରଜବୀର୍ଯ୍ୟ ଗନ୍ଧ,କେ ଗଢ଼ି ନାହିଁ ଆପେ ଗଢ଼ି ହୋଇଛି ଅରୂପ ଅନାଦି କନ୍ଦ ।ଅନାମିକା ସେହୁ ନାମ ନାହିଁ ତାର ନ ବସେ ଅକ୍ଷର ପଦ,ଚାରି ଯୁଗ ମଧ୍ୟେ ତାହାର ମହିମା ବର୍ଣ୍ଣି ନ ପାରିଲା ବେଦ ।ଅବ୍ୟକ୍ତ ପୁରୁଷ ବ୍ୟକତ ନ ହୁଏ ବଚନ ଯହିଁରେ ନାହିଁ,ଅଲେଖ ମଣ୍ଡଳ ପୁର ଭୁବନକୁ ନିଶବଦ ବୋଲି କହି ।ନିର୍ବେଦ ପୁରୁଷ ବେଦ ନ ଲାଗଇ ନ ପଶେ ଶବଦ ଭେଦ,ଅଖଣ୍ଡ ବ୍ରହ୍ମ ସେ ଖଣ୍ଡ ଖଣ୍ଡ ନୁହେ ନାହିଁ ତାର ବିନ୍ଦୁ ନାଦ ।ଜପ ତପ ମନ୍ତ୍ର କିଛି ନ ଲାଗଇ ସକଳ ଠାବରୁ ଛଡ଼ା,ସକଳ ପିଣ୍ଡକୁ ଗଢ଼ି ଅଛି ସେହି ଆପ ଶରୀର ଅଗଢ଼ା ।ତୀର୍ଥ ବ୍ରତ ଯଜ୍ଞ ହୋମ ନ ଲାଗଇ କ୍ରିୟା କର୍ମ ଆଦି ଛାଡ଼ି,ସକଳ ଜୀବ ମାୟାରେ ପଡ଼ିଛନ୍ତି ଆପଣ ମୋହେ ନ ପଡ଼ି ।ଦଶମୀ ଏକାଦଶୀ ବ୍ରତ ନ ପାଇ ନୁହକ ତାହାର କର୍ମ;ବ୍ରହ୍ମକୁ ଭେଟିବୁ ବୋଲି ପ୍ରାଣୀମାନେ କରୁଛନ୍ତି ଦାନ ଧର୍ମ ।ମନ ନାହିଁ ତାର ଅମନ ପୁରୁଷ ଅମନମଣ୍ଡଳେ ବାସ,ଅଣ ଆକାର ବିହରେ ସେହି ପ୍ରଭୁ ଶୂନ୍ୟ ରୂପରେ ପ୍ରକାଶ ।ରୂପ ରେଖ ତାର ବର୍ଣ୍ଣ ଚିହ୍ନ ଆଦି ନିଗମ ନିଗମେ ଗଲା,ଗମି ଭେଟିବାକୁ କାହା ଶକ୍ତି ନାହିଁ ଅଗମ୍ୟେ ଯାଇ ରହିଲା ।ସଂସାର ସାଗର କର୍ମମାନ ଯେତେ ଲାଗି ନ ପାରଇ ତାଙ୍କୁ,ଏ କ୍ରିୟା କର୍ମରେ କେ ଭେଟିବ ତାଙ୍କୁ ପଚାରୁଅଛି କାହାକୁ ।ଅକର୍ମ ଦାୟକ କର୍ମ ନ ଲାଗଇ ନୁହଇ କାହାରେ ବଶ୍ୟ,ଏ ଭକ୍ତି ମାର୍ଗରେ ପ୍ରସନ୍ନ ନୁହଇ ଅଟଇ ତାଙ୍କୁ ଭବିଷ୍ୟ ।ତାହାର ଛାମୁକୁ ଭ୍ରୂକୁଟି ଅଟଇ ନୁହଇ ସାତ୍ୱିକ ସେବା,କେହୁଣି କର୍ମରେ ପ୍ରସନ୍ନ ନୁହଇ କିସ ପଟାନ୍ତର ଦେବା ।ତାର ମନେ ମନେ ସବୁ ବିଚାରଇ ନ ଥାଇ କାହାରି ମନେ,ତାର ସୁଖରେ ଯାହା ଇଚ୍ଛା କରଇ ବସେ ଶୂନ୍ୟ ସିଂହାସନେ ।ଚନ୍ଦ୍ର ସୂର୍ଯ୍ୟଙ୍କର ତେଜ ନାହିଁ ତହିଁ ନାହିଁ ଶରଦ ଉଷୁମ,ବିନା ଅନଳରେ ଗରମ ଉଠୁଛି ନାହିଁ ଶିଶିର ଲଶମ ।ଜଳ ପବନର ଧାପ ନାହିଁ ତହିଁ ଚମକ ଦମକ ନୁହେ,ଅତି ନିଷ୍କାମ ଅଟଇ ସେହି ପୂର ଅଚିନ୍ତାରେ ବ୍ରହ୍ମ ରହେ ।ଦେବାସୁର ନର ନ ଜାଣନ୍ତି ତାଙ୍କୁ ମୂର୍ଖ ପାପୀକୁ ଅଦୃଶ୍ୟ,ଆଜ୍ଞାନୀମାନଙ୍କୁ ବହୁତ ଉହାଡ଼ ଜ୍ଞାନୀମାନଙ୍କୁ ବିଶ୍ୱାସ ।ମାୟା କାୟା ଯହିଁ ସମ୍ବନ୍ଧ ନୁହଇ ହାସ ରସ କାହିଁ ଜଣା,ପଞ୍ଚଭୁତ ଆଦି ଗମି ନ ପାରନ୍ତି ପଡ଼ିଛନ୍ତି ହୋଇବଣା ।ଅନାମରୁ ସର୍ବେ ବାହାର ହୋଇଲେ ଜାଣି ନ ପାରିଲେ କେହି,କାହାରି ମାୟା ପଥରେ ବଣା ହେଲେ ସୁତ୍ରେ ନ ପାରିଲେ ଯାଇ ।ଏ ମାୟାସାଗରୁ ତ୍ରିଗୁଣ ବାଧାରୁ ନେବ ଶ୍ରୀଗୁରୁ ବଞ୍ଚାଇ,
ଅଠାଶୀ ବୋଲିଏକୈଶ ଭୁବନ ଜିଣି ଯେବେ ଯିବ ହେବ ଅଲେଖର ଭକ୍ତ,ଗୃହୀ ଦିଗାମ୍ବରୀ ଯେ ଅଛ ସଂସାରେ ଦେଖ କେ ଅଛ ସାମର୍ଥ ।ଅଲେଖ ପ୍ରଭୁଙ୍କୁ ଯେ ଭଜି ପାରିବ ନ ପଡ଼ିବ ତାର କାୟା,ଚେତା ଚଇତନ ହେତୁ ନ ବୁଡ଼ିବ କରିବେ ସେ ଯେବେ ଦୟା ।ରଜବୀର୍ଯ୍ୟରେ ଜନ ମନ ଲଭି ଯୁଗେ ଯୁଗେ ଅଜାମ୍ୱର,ଇଚ୍ଛିଲେ ଦେହ ଅଦେହ ହୋଇପାରେ ଇଚ୍ଛା ମରଣ ତାହାର ।ଭବାର୍ଣ୍ଣବ ମାୟା ନ ଲାଗଇ ତାକୁ ନ ପଶଇ ଯମଦ୍ୱାର,ମୋ ପିଣ୍ଡ ଗଢ଼ିଲା ଶକତି ଏ ଅଟେ ଏଥୁ ହୋଇଛି ବାହାର ।ମାତାର ପଦ୍ମକୁ ଯେ ଭଜି ପାରିଛି ପ୍ରଳୟରୁ ହେଲା ପାର,ଅଲେଖ ପୁରୁଷ କରନ୍ତି ତାହାଙ୍କୁ ଜନ୍ମ ମରଣୁ ଉଧାର ।ମହାସୁଖ ପାନ୍ତି ଅଲେଖ ପୁରୁଷ ଏତେ କର୍ମରେ ନ ଥିଲେ,ଡାକି ଡାକି ତାକୁ ଅଲେଖ ପୁରୁଷ ମୁକତି ଯାଚନ୍ତି ବଳେ ।ଜିହ୍ୱା ସୁସ୍ୱାଦୁରେ ନ ଥାଇ ସେ ଜନ ନିତ୍ୟ ଅସାଧନା ଯୋଗ,ମୁକତି ଭଣ୍ଡାରୁ ଅଲେଖ ପୁରୁଷ ବୋଲେ ଅଧେ ନେବେ ଭାଗ ।ତୁହି ମୋତେ ଜାଣୁ ମୁହିଁ ତୋତେ ଜାଣେ ଏଥିରେ ସଂଶଏ ନାହିଁ,ତୁହି ଯହିଁ ଯିବୁ ମୁରୁଛି ନ ପାରି ମୁହିଁ ସଙ୍ଗେ ଯିବି ତହିଁ ।ମୁଁ ତୋହର ପୁତ୍ର ତୁ ମୋହର ପିତା ଏଥୁ କି ବିଶ୍ୱାସ ନେବି,ମୋତେ ତୁହି ଯହିଁ ବସାଇବୁ ଭକ୍ତ ତହିଁ ମୁହିଁ ବସିଥିବି ।ଏମନ୍ତ ବୋଲନ୍ତି ଅଲେଖ ପୁରୁଷ ନିଷ୍କାମ ଭକ୍ତକୁ ଚାହିଁ,ତୋହ ମୋହ ବାବା ଯେବଣ ପୀରତି ତ୍ରିଭୁବନେ କଣା ନାହିଁ ।ନିଷ୍କାମ ଭଗତ ଦେଖିଲେ ଅଲେଖ ହସି ପ୍ରସନ୍ନ ହୁଅଇ,ତାର ଦୁଆରକୁ ଆସି ଯାଇ ବ୍ରହ୍ମ କାଦୋ ଉଠି ଯାଉଥାଇ ।ନିଷ୍ଠା ଭକ୍ତିବଳେ ବନ୍ଦୀ ହୋଇ ଏକା କାହିଁ ନୁହଇ ବନ୍ଧନ,ଭକ୍ତ ପାଖରୁ ନ ଛାଡ଼ି ଜଗିଥାଇ ଯେସନେକ ପିଣ୍ଡପ୍ରାଣ ।ଅଲେଖ ଭକ୍ତିର ଏମନ୍ତ ବିଧାନ ଶୁଣ ସାଧୁ ସଜ୍ଞନର,ଅଘୋର ସତ୍ୟ ସାଗର ଧର୍ମ ଭକ୍ତି ପାରୁଅଛ ଯେବେ କର ।ଅଘୋର ନିଷ୍ଠା ଭଗତିରେ ଯେ ଜନ ଅମନେ କରିବ ମନ,ଆୟତ୍ତ ନାହିଁ ଅଲେଖ ପୁରୁଷର ହେବେ ତାହାର ଅଧୀନ ।କିଦା ନରଲୋକ କିବା ଦେବ-ଲୋକ କରୁଛନ୍ତି ଭକ୍ତି ଦେଖ,କିବା ସୁରଲୋକ କିବା ରୁଦ୍ରଲୋକ ଯେ ଅଛି ତିନି ତ୍ରୈଲୋକ୍ୟ ।ଅଲେଖ ବ୍ରହ୍ମରେ ଭଗତି ହୋଇଲେ ନ ହୁଅନ୍ତି କେହି ସାହା,ତ୍ରିଭୁବନ ଲୋକେ ନ ସହନ୍ତି ଏକା ଜାଣି ବୁଝି କରି ତାହା ।ଅଲେଖ ଭଗତି କେହି ନ ପାରନ୍ତି କୋଟିକେ ଗୋଟିଏ ସାର,ଯେହୁ ଇଚ୍ଛା ସେହୁ ସମର୍ଥ ନୁହନ୍ତି ଶୁଦ୍ଧମନରେ ବିଚାର ।ଅଶ୍ରୁତି ଶୂନ୍ୟ ଅଗୋଚର ଆସରା ଭରସା ଯେ କରିପାରେ,ଅନ୍ତର ବାହାରେ ସେ ଅଲେଖ ବ୍ରହ୍ମ ପୂରିଥାଇ ତାହାଠାରେ ।ତିନି ଭୁବନରେ ସଂସାରଯାକରେ କାହାକୁ ନାହିଁ ତା ଭୟ,ତେଣୁକରି ତାର ଇଷ୍ଟ ହୋଇଥାନ୍ତି ଅଲେଖ ପୁରୁଷ ଦିଅଁ ।ଅଲେଖ ଭଗତି କରିବାର ଚାହିଁ ପ୍ରାଣ ଥିବାଯାଏ ପିଣ୍ଡେ,
ଅଣନବେ ବୋଲିସତ୍ୟ ତ୍ରେତୟା ଦ୍ୱାପର କଳିକାଳ ଗଣ୍ଡାଏ ହୋଇଲା ଆସି,ଅଲେଖ ମହିମା ଏକାକ୍ଷର ପଦ ହୋଇ ନଥିଲା ପ୍ରକାଶି ।ଗଣ୍ଡାଏ ଯୁଗ ସମ୍ପୂର୍ଣ୍ଣ ହେଲା ଯେହୁଁ ଏକବ୍ରହ୍ମ ଉଦବେଗ,ସାଧୁ ସୁଜ୍ଞଜନେ ଶୁଣିଥାଅ କର୍ଣ୍ଣେ ଫେର ହେବ ସତ୍ୟଯୁଗ ।ଯେଉଁ ସତ୍ୟ ଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ପୂର୍ବେ ହୋଇଥିଲା ଜାତ,ସେହି ସତ୍ୟଧର୍ମେ ଏ ପିଣ୍ଡ ବ୍ରହ୍ମାଣ୍ଡ ସୁସ୍ଥାପନେ ହେବ ମୁକ୍ତ ।ଆଦ୍ୟରେ ଅଲେଖ ଅଦ୍ଭୁତ ମୁରତି ବଇଷ୍ଣବ ରୂପ ହେଲେ,ଦିଗାମ୍ବର ବେଶେ ଏ ପିଣ୍ଡ ବ୍ରହ୍ମାଣ୍ଡେ ସ୍ଥାପି ବଞ୍ଚାଇ ରଖିଲେ ।ଅଘୋର ମତ ଅବିକାର ଦୀକ୍ଷାନ୍ତ କରିଥିଲେ ପର୍ମେଶ୍ୱର,ସେହି ଧର୍ମ ଅବଧୂତ ବୋଲାଉଛି ନିର୍ବେଦୁ ହୋଇ ବାହାର ।ସେହି ବ୍ରହ୍ମ ଏବେ ନର ଦେହ ବହି ବୁଦ୍ଧରୂପେ ଅବତାର,ଏତେବେଳେ ନିଜ ନାମ ଛାଡ଼ିଛନ୍ତି ନ ରଖି କିଛି ଅନ୍ତର ।ସତ୍ୟ ପୁରୁଷ ସତ୍ୟ ପଦ ଜାଣନ୍ତି ଚାରିଯୁଗ ମଧ୍ୟେ ସାର,ତରିବେ ବୋଲି ନିଜ ନାମ ଦେଇଛି ସମସ୍ତେହେଁ ଆଶ୍ରା କର ।ଅଲେଖ ମହିମା ନାମରେ ଉଦ୍ଘାଟ ହେବେ ବୋଲି କଳିକାଳେ,ସନ୍ନ୍ୟାସ ଦୀକ୍ଷାରେ ନିଜ ସତ୍ୟ ଧର୍ମ ଛାଡ଼ିଛନ୍ତି ରବିତଳେ ।ମହାଘୋର କଳି ପାପସାଗରକୁ ମହିମାସାଗର ଧର୍ମ,ବେନିକୁଳ ମିଳି ଯୁଦ୍ଧ ଲାଗିଛନ୍ତି କିସ ଦେବା ଅନୁପାମ ।ତେଣୁକରି ସିନା ନର ମନୁଷ୍ୟଙ୍କୁ ଛଡ଼ାକ୍ଷର ମନ୍ତ୍ର ଦେଲେ,ଅଲେଖ ମହିମାସାଗର ନାମରେ କଳିକାଳେ ଉଦେ ହେଲେ ।ଏବେ ସେ ଅନାଦି ଦିଗାମ୍ବର ହୋଇ ବହିଛନ୍ତି ବୁଦ୍ଧ-ତନୁ,ଆଦି ପରମ ଏ ଧର୍ମ ଦେଇଛନ୍ତି ପାରି ହେଲା ଯେତେ ଦିନୁ ।ତିନିପୁର ଲୋକେ ଦରଶନ କର ବୃଦ୍ଧସ୍ୱରୂପ ଗୁରୁଙ୍କୁ,ନାଭିମଣ୍ଡଳରୁ ଅଲେଖର ପ୍ରଭା ଅଛି ତହିଁ ଉପରକୁ ।ଶକ୍ତି ଅନୁସାରେ ଭଜ ନିରନ୍ତରେ କାହାକୁ ନୁହଇ ମନା,କି ଅବା ସ୍ତିରୀ କିଅବା ପୁରୁଷ ମନରେ କର ଭାବନା ।ସତ୍ୟଯୁଗକୁ ଯେମନ୍ତେ ପହଞ୍ଚିବ କର ସେପରି ଉପାଏ,କଳି ଥିବା ଯାଏ ନିଜ ସତ୍ୟ ଧର୍ମ ହୋଇ ନ ପାରଇ ଥାଏ ।ସକଳ ଜନ ଅଲେଖ ମହିମାକୁ ଡାକ ଅନ୍ତେ ମୁଖେ ଉଚ୍ଚେ,ମହିମାଙ୍କ ପରା ପରୀକ୍ଷା ଦେଖିବ ନିନ୍ଦା ନାହିଁ ଦେବ ପଛେ ।ଜୀବର ଉପରେ ମହିମା ପରୀକ୍ଷା ହେବ ଏକା ତିନି କାଳେ,ଆପଣା ପିଣ୍ଡ ପରାଣକୁ ସମ୍ଭାଳି ନୋହିବଟି ତେତେବେଳେ ।ତିନି ଭୁବନକୁ ତିନିବାର ଆମ୍ଭେ ଡାକି କହୁଅଛୁ ଶୁଣ,ମୁକତି ଯାଚି ଯାଚି ଦେବା ହେଉଛି ଭାଗ୍ୟ ଅଛି ଯେବେ ଘେନ ।ସପ୍ତ ବ୍ରହ୍ମାଣ୍ଡକୁ ସାତବାର କରି ଯାଚି ଦେଉଛନ୍ତି ଧର,ପବିତ୍ର ନାମ ବ୍ରହ୍ମ ଏହୁ ପସରା ମନେ ବିରୁଧ ନ କର ।ନବଖଣ୍ଡ ମେଦିନୀକି ନବଥର ବୁଲାଉ ଅଛନ୍ତି ନାମ,ଗୁରୁ ରୂପ ହୋଇ ବତାଉ ଅଛନ୍ତି ଅଲେଖ ଅନାଦି ବ୍ରହ୍ମ ।ଏକୋଇଶ ପୁରେ ଏକୋଇଶ ବାର ନାମ ଫେରୁଛି ସମ୍ଭାଳ,
ନବେ ବୋଲିକାହାକୁ କେହି ସଙ୍ଖୋଳି ନ ପାରିବେ ସର୍ବେ ହେବେ ରଣଭଣ,କଳି ଯାଇ ସତ୍ୟ ଯୁଗ ହୋଇବାର ଅଛଇ ଏତିକି ଗୁଣ ।ତେତେବେଳେ ଆଉ ମହୀମଣ୍ଡଳରେ କେହି ନୋହିବେ କାହାର,ନବଖଣ୍ଡ ମହୀ ତରସ୍ତ ହୋଇଣ କମ୍ପୁଥିବ ଥରହର ।ଦକ୍ଷିଣଲୋକ ଉତ୍ତରେ ପଳାଇବେ ଉତ୍ତରବଲୋକେ ଦକ୍ଷିଣେ,ମହା ଅନର୍ଥ ହୋଇବ ଏ ମେଦିନୀ କଳି ସତ୍ୟବାଦ ଗୁଣେ ।ପୂର୍ବର ଲୋକେ ପଶ୍ଚିମେ ପଳାଇବେ ପଶ୍ଚିମର ଲୋକେ ପୂର୍ବେ.ଚାରିଦିଗ ଲୋକେ ଏକାନ୍ତ ହୋଇବେ ମିଶାମିଶି ହୋଇ ସର୍ବେ ।ପୁଣି କହୁଅଛୁଁ ହେ ପୁରୁଷମାନେ ମହିମା ନାମକୁ ଜପ,ବାଡ଼ି ବୃତ୍ତି ଫନ୍ଦା କରୁଥାଅ ପଛେ ହୃଦପଦ୍ମେ ନାମ ରଖ ।ସକଳ କର୍ମରେ ଲାଗିଥାଅ ପଛେ ବ୍ରହ୍ମ କର୍ମ ଧରି ଚିତ୍ତେ,ଗୁରୁଚରଣେ ବିଶ୍ୱାସ ରୂପିଥିଲେ ତରି ନେଇଯିବେ ସତ୍ୟେ ।ସ୍ତିରୀମାନେ ଆଗୋ ଯେ ଅଛ ସଂସାରେ ଘରଦ୍ୱାର ପଛେ କର,ପୁତ୍ର ଦୁହିତା ଜନ୍ମାଇଲେ କି ହେଲା ତରିବା ପଥକୁ ଧର ।ରତି ରମଣ ସୁରତି ସୁଖଭାବ କରୁଥାଅ ପଛେ ତୁମ୍ଭେ,ଅନେକ ବିଷୟା ଲାଗିଥାଉ ପଛେ ବ୍ରହ୍ମ କର୍ମ ଧର ଦମ୍ଭେ ।ରାଜାମାନେ ରାଜନୀତି କରୁଥାନ୍ତି ଦଣ୍ଡ ସିଂହାସନେ ବସି,ଦୋଷକୁ ଚାହିଁ ବୁଝାମଣା କରନ୍ତୁ ହୃଦରେ ମହିମା ଘୋଷି ।ଦୋଷକୁ ଚାହିଁ ଦଣ୍ଡ ଶାସ୍ତି ନ ଦେଲେ କିରୂପେ ଚଳିବ ପୃଥ୍ୱୀ,ରଇତ ପରଜା କିରୁପେ ମାନିବେ ବଣା ହୋଇଯିବ ମତି ।ମୁଲକର କଥା ବୁଝୁଥାଅ ପଛେ ସତ୍ୟ ଧର୍ମେ ଆଶ୍ରେ କର,ମହିମା ଭଜିଲୁଁ ବୋଲି ନ ବୁଝିଲେ ଦେଶ ହୋଇବ କାହାର ।ରାଜନୀତି ତାର କରୁଥାଅ ପଛେଗୁରୁ ଧର୍ମ ଥାଉ ଧ୍ୟାୟି,ଗୁରୁ ସେବାରେ ପରଚେ ହେବ ଯେବେ ନିଶ୍ଚିନ୍ତେ ତରିବ ସେହି ।କ୍ଷତ୍ରୀ ହୋଇ ପଞ୍ଚୁ ସହସ୍ରକୁ ଭିଡ଼ି ସତ୍ୟ ଧର୍ମ ଆଶ୍ରେ କରୁ,ଘୋର ସଂଗ୍ରାମେ ପଶି କରି ପଛକେ ଗୋରୁ ବ୍ରାହ୍ମଣକୁ ମାରୁ ।କ୍ଷତ୍ରୀ ହୋଇ ଯେବେ ଶସ୍ତ୍ର ନ ଧଇଲେ ଶତ୍ରୁ ଜୟ କରି ନୁହେ,ଗୁରୁ ନାମ ଧରି ସିଂହରଡ଼ି ଦେବ ନ ଥିବ କାହାକୁ ଭଏ ।କ୍ଷତ୍ରି ଧର୍ମରେ ଥାଉ ପଛେ ସେ ଜନ ଭଜୁଥାଉ ମହିମାକୁ,ଗୁରୁପାଦେ ଯେବେ ସତ୍ୟ ରଖିଥିବ ନିଶ୍ଚେଁ ତାରିବେ ତାହାକୁ ।ବ୍ରାହ୍ମଣ ହୋଇ ଚାରି ବେଦକୁ ପଢ଼ି କରୁ ପଛେ କ୍ରିୟା କର୍ମ,ସନ୍ଧ୍ୟା ତର୍ପଣ ଯଜ୍ଞହୋମ କରିଣ ଧରିଥାଉ ଗୁରୁ ଧର୍ମ ।ବେଦନ୍ତି ବ୍ରାହ୍ମଣ ହୋଇ ଥାଉ ପଛେ ଅଲେଖ ମହିମା ଭଜୁ,ବେଦର ମତ ଯେତେ କର୍ମ କରୁଛି ବାହ୍ୟରେ ପଛେ ନ ତେଜ ।ବ୍ରାହ୍ମଣ ହୋଇଣ ଗୁରୁସେବା କରୁ ବ୍ରହ୍ମକୁ ପରଚେ ହୋଇ,ସତ୍ୟ ଧର୍ମକୁ ଅଭ୍ୟାସ କରୁଥିଲେ ନିଶ୍ଚଏ ତରିବ ସେହି ।ରାଜା ବ୍ରାହ୍ମଣ କ୍ଷତ୍ରିକୁଳ ଯେ ଅଛ ସତ୍ୟଧର୍ମ ନ୍ୟାଏ ଧର;ଆଶ୍ୱାସନା ଭାବେ ସବୁଙ୍କୁ କହୁଛୁ ବେଳହୁଁ ମୋ ବୋଲକର ।ବେଳୁ ବେଳ ଯୁଗାବଦ ତୁଟୁଅଛି ଚିତ୍ତ ରଖ ଗୁରୁପାଦେ,
ଏକାନବେ ବୋଲିବିଦ୍ୟାବନ୍ତ ପ୍ରାଣୀ ବିଦ୍ୟାକୁ ସାଧନ କରୁଥାଉ ପଛେ ସେହି,ଅଲେଖ ମହିମା ଭଜୁଥାଉ ନିତ୍ୟେ ଗୁରୁପାଦେ ଚିତ୍ତ ଦେଇ ।ସକଳ ବିଷୟ କର୍ମ ଲାଗିଥାଉ ବିଦ୍ୟା କାହିଁକି ଛାଡ଼ିବ,ସଦଗୁରୁ ପାଦେ ଚିତ୍ତ ରଖିଥିଲେ ନିଶ୍ଚୟ ସେ ତରିଯିବ ।ତପସ୍ୱୀ ପରାଣୀ ତପ କରୁ ପଛେ ଗୁରୁ ଧର୍ମ ଭଜୁଥାଉ,ନାମ ନ ଭଜିଲେ ଏ ରବିତଳରେ ବାସ ନ ମିଳିବ ଆଉ ।ଅନେକ କର୍ମରେ ଥାଉ ପଛେ ସେହୁ ଗୁରୁପାଦେ ରଖି ଚିତ୍ତ,ସଦଗୁରୁ ପାଦେ ସେବା ରଖିଥିଲେ ମୋକ୍ଷ ହେବ ପରାପତ ।ଦୟାବନ୍ତ ପ୍ରାଣୀ ଦାନ ପୁଣ୍ୟ କରି ଅନ୍ନ ଜଳଛତ୍ର ଦେଉ,ଅନେକ ଚିନ୍ତାରେ ଜାଣିଥାଉ ପଛେ ମହିମାକୁ ଭଜୁଥାଉ ।ତେବେ ତାର କୀର୍ତ୍ତି ସୁଫଳ ହୋଇବ ନ ଯିବ ବିଅର୍ଥ ହୋଇ,ଶ୍ରୀଗୁରୁ ଛାମୁରେ ସେବା ଯୋଗାଇଲେ ମୁକତି ଲଭିବ ସେହି ।ଧର୍ମବନ୍ତ ପ୍ରାଣୀ ଧର୍ମ କରୁ ପଛେ ସକଳ ଜୀବକୁ ଚାହିଁ,ମହିମା ଧର୍ମକୁ ଆଶ୍ରା କରିଥାଉ ଆତ୍ମା ପରେ ଦୟା ବହି ।ତେବେ ସିନା ତାର କୀରତି ରହିବ ନ ଯିବ ବିଫଳ ହୋଇ,ଗୁରୁ ଧର୍ମ ଯେବେ ଆଶ୍ରା କରିଥିବ ମୁକତି ପାଇବ ସେହି ।ବ୍ୟାଧ ହୋଇ ଯେବେ ଜୀବମରା ବୃତ୍ତି ଜୀବ ବଧୁଥାଉ ପଛେ,ଅଲେଖ ମହିମା ଭଜୁଥାଉ ଏକା ଦୃଢ଼ କରି ଥାଉ ନିଶ୍ଚେ ।ତେବେ ସିନା ତାର ଜୀବ ବଧିବାର ଦୋଷରୁ ହୋଇବ ପାର,ସଦଗୁରୁ ଯେବେ ପ୍ରସନ୍ନ ହୋଇବେ ନିଶ୍ଚେ ହୋଇବ ଉଧାର ।ଧୀବର ହୋଇଣ ମୀନ ମାରୁ ପଛେ ମହିମାକୁ ଥାଉ ଧ୍ୟାୟି,ତାହାର ବୃତ୍ତି ତାକୁ ଦିଆ ହୋଇଛି କେମନ୍ତେ ଛାଡ଼ିବ ସେହି ।ଅନେକ ବିଷୟା କର୍ମରେ ଲାଗିବ ଗୁରୁସେବା କରୁଥାଉ,ଗୁରୁ ଚରଣରେ ଚିତ୍ତ ରଖିଥିଲେ କିମ୍ପା ନ ତରିବ ସେହୁ ।ମୋଚି ହୋଇ ଚର୍ମ କାଟୁଥାଉ ପଛେ ନାମରେ ଆଶ୍ରିତ ହେଉ,ତାହାର ବୃତ୍ତି ସେ କେମନ୍ତ ଛାଡ଼ିବ ରୋଜଗାର କରୁଥାଉ ।ଗୁରୁ ଧର୍ମେ ଯେବେ ତତ୍ତ୍ୱ କରିଥିବ ନିଶ୍ଚେଁ ଉଧାର ପାଇବ,ଏ କଳିଯୁଗରୁ ପିଣ୍ଡପ୍ରାଣ ବଞ୍ଚି ରବିତଳରେ ରହିବ ।ହାଡ଼ି ହୋଇ ଯେବ ଦାଣ୍ଡ ପହଁରଇ ବାଡ଼ିଘର ପଛେ ଖଟୁ,ଗୁରୁ ପାଦତଳେ ଚିତ୍ତବୃତ୍ତି ରଖି ଦୃଢ଼ଚିତ୍ତେ ନାମ ରଟୁ ।ତାହାର ବୃତ୍ତି ସେ ନ ରଖିବ ଯେବେ କେ କରିବ ସେହୁ କର୍ମ,ମୁଖେ ଯେବେ ଗୁରୁ ନାମ ଜପୁଥିବ ଉଧାର କରିବେ ବ୍ରହ୍ମ ।ଅଜ୍ଞାନୀ ଜନ ଯେବେ କିଛି ହିଁ ନଜାଣେ ଗୁରୁସେବା କରୁଥାଉ,ଜ୍ଞାନ ଧ୍ୟାନ ଆଦି କିଛିହିଁ ନ ଜାଣୁ ଗୁରୁ ଆଜ୍ଞା ଶିରେ ବହୁ ।ଦୟା ହେବ ଯେବେ ଅବଶ୍ୟ ତରିବ ଏଥିରେ ସଂଶୟ ନାହିଁ,ଗୁରୁପାଦେ ଯେବେ ସ୍ନେହ ରଖିଥିବ ବ୍ରହ୍ମେ ଲୀନ ହେବ ସେହି ।ଶୁଣ ସୁଜ୍ଞଜନେ ନାମର ମହିମା ନାମ ବିନୁ ନାହିଁ ଗତି,ନାମରେ ଆତଯାତ ହେଉ ଅଛନ୍ତି ଚାରିଯୁଗେ ଏହି ପୃଥ୍ୱୀ ।ନାମ ଛାଡ଼ିଦେଲେ ଦେହ ଛାଡ଼ିଯିବ ଧରିଥାଅ ଦୃଢ଼ କରି,
ବୟାନବେ ବୋଲିଛତିଶକୁଳୀ ବାଉନ ଯେ ପାଟକ ଯେ ଅଛି ସ୍ତିରୀ ପୁରୁଷ,ଉଚ୍ଚ ନୀଚ ବୋଲି ବାରଣ ନ କରି ନାମରେ ଶରଣ ପଶ ।କିବା ବେଶ୍ୟା ନାରୀ କିବା ଦୁରାଚାରୀ କିବା ପାଷାଣ୍ଡ ପୁରୁଷଅଦ୍ଭୁତ ବିପତ୍ତି ଘୋଟି ଆସୁଅଛି ବେନି ନେତ୍ରେ ସର୍ବେ ଦେଖ ।ଛପନାକୋଟିକି ନାଶିବାର ପାଇଁ ଏ ଚାରିଖାନି କି ଧରି,ଜଣେ ଜଣେ ଗୁରୁ ନାମ ଆଶ୍ରେକରି ମୁଖେ ବୋଲ ହରି ହରି ।ହରି ନ ବୋଇଲେ ହତ ହୋଇଯିବ ଅଣଓପ୍ରୋଧ ବିପତ୍ତି,ବାଳ ବୃଦ୍ଧ ଯୁବା କେହି ନ ରହିବ ସରିଯିବ ନବ କ୍ଷିତି ।ଅଷ୍ଟକୋଟି ଯୋଗ୍ନୀ ଚୌଷଷ୍ଠୀ ଜାନ୍ତାନୀ ନବକୋଟି ଦେବୀରାଣ,ଭୈରବୀ ମୁରତି ପ୍ରକାଶିଣ ସର୍ବେ ରୁଧିର କରିବେ ପାନ ।ସେ ଧର୍ମ ପୁରୁଷ କାଳରୂପ ହେବେ ଡାକିଲେ ଶୁଣିବେ ନାହିଁ,ଏତେବେଳରୁ ପରତେ ହୋଇଥିଲେ ଦାଢ଼ରୁ ବଞ୍ଚିବ ସେହି ।ତିନିପୁର ମଧ୍ୟେ କାଳଚକ୍ର ଗୋଟା ଫେରୁଥିବ ଦିବାନିଶି,ଦେବୀଗଣମାନେ ଆକାଶେ ରଡ଼ିବେ ନ ଦିଶିବେ ରବିଶଶୀ ।ଘୁଘୁ ଗରଜନ ଶୂନ୍ୟରେ ଶୁଭିବ ଦେବୀଙ୍କ ମୁଖ ଚହଳ,ଅଦ୍ଭୁତେ ରୁଧିର ବରଷା କରିବ ଧାରା ପରାଏବହଳ ।ତିନି ବ୍ରହ୍ମାଣ୍ଡ ଦୁଲୁ ଦୁଲୁ କମ୍ପିବ ହୋଇବ ଉଲୁକାପାତ,ଚଉଦିଗେ ଜନ ମନୁଷ୍ୟ ଯେ ଥିବେ ଠାଏ ଖାଉଥିବେ ଭାତ ।ବାସି ତୋରାଣିକି ଆୟୁଷ ନ ଥିବ ଜୀବନେ ନ ଥିବ ଆଶା,ସକଳ ହୃଦରେ ଭୟ ଉପୁଜିବ ପଡ଼ିବ ଅକାଳ ଦଶା ।ଏତେବେଳେ ଯେବେ ଧର୍ମ ଧରିଥିଲେ ତେତେବେଳେ ଭୟ ନାହିଁ,ଦେବୀମାନେ ତାଙ୍କୁ ସୁକୃପା କରିବେ ବ୍ରହ୍ମାଣ୍ଡେ ରହିବେ ସେହି ।ବାରମ୍ବାର କହୁଅଛୁଁ ସୁଜ୍ଞଜନେ ପଞ୍ଚଭୁତ ମନେ ଚେତ,ଯାହା କହୁଅଛୁଁ ମିଥ୍ୟା ବାକ୍ୟ ନୁହେ ଅବଶ୍ୟ ହୋଇବ ହିତ ।ଧର୍ମେ ଯେବେ ଥିବ ଧର୍ମ ସାହା ହେବ ରଖିବେ ବାନା ଘୋଡ଼ାଇ,ଦୋଷ ଅପରାଧ ଖଣ୍ଡନ କରିବେ ବ୍ରହ୍ମ ଅନଳେ ପୋଡ଼ାଇ ।ସଦଗୁରୁଠାରେ ସଦଶିକ୍ଷା ହୋଇ ସେବା କରି ଯେବେ ପାର,ଧର୍ମବଳେ କାଳମୁଖଁ ଉବୁରିବ ବଂଶ ନ ବୁଡ଼ିବ ତାର ।ଅନ୍ତ ଡାକୁଥିବ ମୁଖ ଡାକୁଥିବ ହୃଦପଦ୍ମେ ଥିବ ଧ୍ୟାନ ,ତେବେ କାଳମୁଖୁଁ ବଞ୍ଚାଇ ରଖିବେ ସେ ଅନାଦି ଭଗବାନ ।ଅନ୍ତର୍ଯ୍ୟାମୀ ଗୁରୁ ଅନ୍ତରେ ଡାକିଲେ ଅବଶ୍ୟ ଜାଣିବେ ସେହି,ଆତଙ୍ଗରେ ଯେବେ ଗୁହାରି କରିବ ନିଶ୍ଚେ ରଖିବେ ବଞ୍ଚାଇ ।ଟଙ୍କା ସୁନା କୌଡ଼ି କିଛି ନ ଲାଗଇ ଯେ ପାରୁଛ ସେହୁ ଭଜ,ତିନିକୋଶ ଯାଇ କିଣା ନ ପଡ଼ଇ ବହିବାକୁ ନୁହେ ବୋଝ ।ବସିଲା ଠାବରେ ଆୟ ବ୍ୟୟ କରି ସୁସ୍ଥେ ଅରଜିବ ଧର୍ମ,ନ ବୁଝି ସାଧୁ ସୁଜନ ସୁଜ୍ଞମାନେ କିପାଇଁ ହେଉଛ ଭ୍ରମ ।ନ ଜାଣି ଚାରି ଖୁଣ୍ଟିରେ ଫେରୁଅଛ ତୀର୍ଥ ବ୍ରତ ବୋଲି କରି,ଯହିଁରେ ଲୋଡ଼ିବ ତହିଁ ବ୍ରହ୍ମ ବୁଝିବ ଯେବେ ବିଚାରି ।ପଥଶ୍ରମ ହୋଇ ପାଦ ପ୍ରାସ ପାଇ ବାହ୍ୟରେ ଭ୍ରମି ନ ମରୁ,
ତେୟାନବେ ବୋଲିତାଳୁରୁ ତଳିପା ମୁଖ ପରିଯନ୍ତେ ମିଥ୍ୟାପଦ ତ୍ୟାଗ କର,ଜିହ୍ୱା ଅଗ୍ରରେ ସତ୍ୟ ଧର୍ମ ବସାଇ ପ୍ରକୃତିଗଣ ନିବାର ।ସତ୍ୟ ନ ପ୍ରକାଶି ମହିମା ଭଜିଲେ ପଡ଼ଇ ଅଦ୍ଭୁତ ମାଡ଼,ଅସ୍ଥି ମାଂସ ଏକ ଠାରେ ମେଦ ହୋଇ ମସିଗୁଣ୍ଡା ହୁଏ ହାଡ଼ ।ମହିମା ଭଜିଲେ ମିଥ୍ୟା ନ ଚଳଇ ସତ୍ୟାଦି କହିଲେ ପାର,ଗ୍ୟାନ ଧ୍ୟାନ ନ ଜାଣିଲେ କିସ ହେଲା ଅବଶ୍ୟ ହେବ ଉଧାର ।ମହିମା ଭଜିଲେ ପର୍ଦାରା ନ ଚଳେ ନିଅତ ପମାଣ ସତ୍ୟ,ଅଦ୍ଭୁତେ ତାହାକୁ ବିପତ୍ତି ପଡ଼ଇ ଅପମୃତ୍ୟୁ ପରାପତ ।ମହିମା ଭଜିଲେ ହିଂସା ନ ଚଳଇ ନ ଯିବ ତହିଁରପାଶ,କଦାଶ୍ଚିତରେ ଖଚୁଆ ଲୋକଠାରେ ତିଳେ ନୋହିବ ବିଶ୍ୱାସ ।ମହିମା ଭଜିଲେ ହିଂସା ନ ଚଳଇ ନ ଥିବ ତହିଁରେ ଲେଶ,ସତ୍ୟ ଧର୍ମ ଦଣ୍ଡ ତାହାକୁ ପଡ଼ଇ ଗ୍ରାହିଯ୍ୟ ହୁଏ ଯେ ଦୋଷ ।ମହିମା ଭଜି ପର ଖଚ ନ ଚଳେ ହୁଅନ୍ତି ଆତ୍ମାରେ ଘାତି,ଜୀବ ଥିବାଯାଏ ସୁଖ ନାହିଁ ତାର ମିଳେ ରାଜଦଣ୍ଡ ଶାସ୍ତି ।ମହିମା ଭଜିଲେ ପରକୁ ମଣିବ ଆପଣାର ଆତ୍ମା ପ୍ରାଏ,ସାଧୁ ହୋଇ ମରିଗଲେ କିସ ହେଲା ଯୁଗେ ଯୁଗେ କୀର୍ତ୍ତି ରହେ ।ମହିମା ଭଜିଲେ ପରପୁରୁଷକୁ ବୋଲିବ ଏ ମୋର ବାପ,ଗୁରୁ ପ୍ରସନ୍ନେ ସେ ଜନ ଫଳ ପାଇ ତପସ୍ୟାଠାରୁ ଅଧିକ ।ମହିମା ଭଜିଲେ ପର ଯୁବତୀକି ବୋଲିବ ଏ ମୋର ମାତା,ମାତା ବୋଲନ୍ତେ ମୋହମାୟା ନ ଲାଗେ ଆପେ ଛଡ଼ାନ୍ତି କରତା ।ମହିମା ଭଜିଲେ ଦୁଃଖ ସୁଖ କଥା ସକଳ ମଣଇ ଏକ,ପାପ ପୁଣ୍ୟ କଥା ଜଣା ନାହିଁ ତାକୁ ଆବୋରି ଥାନ୍ତି ଅଲେଖ ।ମହିମା ଭଜିଲେ ସ୍ତିରୀ ସଙ୍ଗମକୁ ନ କଳ୍ପିବ କଦାଶ୍ଚିତେ,ଆପଣା ଭାରିଯା ହେଲେ କିସ ହେଲା ବିଚାରିବ ଅନ୍ତର୍ଗତେ ।ଯେତେ ହେଲେ ସେହି କୁମ୍ଭି ନର୍କକୁଣ୍ଡ ଡୁବିଲେ ସକଳ ଗଲା,ଚାରି ଯୁଗେ ଜୀବ ପଡ଼ି ପଡ଼ି ତହିଁ ନିଜ ହେତୁ ପାସୋରିଲା ।ମହିମାକୁ ଭଜି ଯୋନି ଶକତିକି ଡାକି ନ ପାରଇ ଯେହୁ,ଗିଳି ପକାଉଛି ଆଚ୍ଛାଦି ଦେଉଛି ଚେତା ଥାଉଁ ମଲା ସେହୁ ।ଭବନଦୀ ଜଳ ଭିତରେ ପଶିଲେ ଭବରୋଗ ହୋଏ ପିଣ୍ଡେ,ନାନା ଦୁଃଖରେ ପତିତ ହୁଏ ପ୍ରାଣୀ ପଡ଼େ ଯମ କାଳଦଣ୍ଡେ ।ଶ୍ରବଣ ଥାଉ ବଧୀର ଜଡ଼ ନୁହେ ଡାକି କହୁଅଛି ଶୁଣ,ଚାରି ଯୁଗେ ଜନ୍ମିମରି ଯାଉଛନ୍ତି ଏକା ଭବନଦୀ ଗୁଣ ।ନିଦୟା ସମ୍ବର୍ବ ଶକତି ବହିଛି ସବୁ ପକାଉଛି ଭଷି,ଚାରିଯୁଗ ମଧ୍ୟେ ଯେତେ ଦେୟଧାରୀ ନିରୋଳା କରି ନ ରଖି ।ମାୟାର କଳ୍ପମୂଳ ଅଟେ ସେହୁ କଳ୍ପିଲେ ମନ କ୍ଷରିଲା,ପଞ୍ଚୁଭୁତ ଘେନି ପଚିଶ ପ୍ରକୃତ ଏକାବେଳେ ଓଟାରିଲା ।ଏଥକୁ ବିଚାର ଜ୍ଞାନୀଜନମାନେ ଅକଳ୍ପଣା ଧ୍ୟାନ କର,ଦିବସ ରଜନୀ ଲୋଡ଼ି ଠାବକରି ଧର ଅନାଦି ପୟର ।ବ୍ରହ୍ମବେତ୍ତାମାନେ ବେଳ ଥାଉଁ ଥାଉଁ ସ୍ଥିତି ବସା ତୁମ୍ଭେ ଧର,
ଚଉରାନବେ ବୋଲିସ୍ତିରୀମାନେ ଯେବେ ମହିମାକୁ ଭଜି ପତିଙ୍କି କହିବ ସତ୍ୟ,ସତୀ ସାଧବୀ ସୁଲକ୍ଷଣୀ ହୋଇବ ମୁକ୍ତି ହେବ ପରାପତ ।ପତି ଛାମୁରେ ଅନ୍ତର ନ ରଖିବ ଆପଣା ବିଷୟ ଯେତେ,ସ୍ତିରୀ ପିଣ୍ଡ ପ୍ରାଣଧନ ଅଟଇ ସେ ଠାକୁର ପରା ସାକ୍ଷାତେ ।ପତିସେବା କଲେ ସତୀପଣ ପାଇ ଗତିକି ଲଭଇ ସେହି,ପିଣ୍ଡ ପ୍ରାଣ ଜାନୁ ଯଉବନ ଦେଇ ପତିକି ଭୋଗ୍ୟ କରାଇ ।ମହିମାକୁ ଭଜି ଅସତୀ ନୋହିବ ପରକୁ ନ ଦେବ ଦେହ,ପତି ଛାଡ଼ି ଆନ ପୁରୁଷ ଲୋଡ଼ିଲେ ଏକଥା ବଡ଼ ଅନ୍ୟାୟ ।ସଭାର ଉପରେ ସଭା ନ ମଣନ୍ତି ଗଭା ପରେ ଗଭା ନାହିଁ,ଏକା ଦଳାରେ ବେନି ଖଣ୍ଡା ପଶେକ କେ କେ ଦେଖିଅଛି କାହିଁ ।ଯେଉଁ ଯୁବତୀର ବେନି ପତି ହୁଏ ଚାହିଁ ନ ଯୋଗାଏ ମୁଖ,ସେ ସ୍ତିରୀ ହସ୍ତେ ଯେବେ ଜଳ ଭକ୍ଷିବ ଘୋଟେ ଚନ୍ଦ୍ର ରାହୁ ଦୁଃଖ ।ସତୀ ନୁହେ ସେହୁ ବେଳହୁଁ ବିଟପୀ କୁଟୁମ୍ବରେ ନାହିଁ ସୁଖ,ନାଗ ବିଷ ଦେବା ଦୁରାନ୍ତ ନୁହଇ ମରନ୍ତି କୁଟୁମ୍ବଯାକ ।ତାହାର ହସ୍ତେ ଅନ୍ନପାଣି ଭକ୍ଷିଲେ ଗୃହଧର୍ମ ହୁଏ ନାଶ,ସତେ ପୁରୁଷ ଅହିନର୍କେ ପଡ଼ନ୍ତି ବଂଶକୁ ଲାଗେ କେଳେଶ ।ଧନ ରତ୍ନ ଅନ୍ନ ବସନ ନ ମିଳେ ଜ୍ଞାନହୀନ ହୋନ୍ତି ସର୍ବେ,ସେ ସ୍ତିରୀ କପାଳେ ଲେଖା ହୋଇଥାଇ ଏହି ଦଶାମାନ ପୂର୍ବେ ।ତାହା ନ ଜାଣନ୍ତି ଜନ ପ୍ରାଣୀମାନେ ଗୃହ କରିବାରେ ସ୍ନେହ,ଆଗ ପଛକୁ ବିଚାର ନ କରନ୍ତି କର୍ମକାଣ୍ଡର ବିଷୟ ।କୁଳ ବୁଡ଼ି ଯାଇ ବିଦ୍ୟାହୀନ ହୋଇ ବୁଦ୍ଧିମାନ ଯାଇ ନଷ୍ଟ,ସତେ ପୁରୁଷା ସୁଫଳ କର୍ମମାନ ତାହା ଯୋଗୁ ହୁଏ ଭ୍ରଷ୍ଟ ।ଏମନ୍ତ ସ୍ତିରୀକି ଗୃହେ ନ ରଖିବ ବେଗେ ଦେବ ବିଦା କରି,ଆପଣା ଅଦୃଷ୍ଟ ସୁକୃତ ସୁମରି ରହିବ କର୍ମ ଆଦରି ।ଶୁଣ ସୁଜ୍ଞଜନେ ବିଟପୀ ସ୍ତିରୀରେ ମିଳଇ ଏମନ୍ତ ଫଳ,ତାର ଗର୍ଭରୁ ଯେତେ ପୁତ୍ର ଦୋହିତା ବଂଶକୁ ନୁହେ କୁଶଳ ।ଏକ ବୀଜର ସନ୍ତାନ ନୁହନ୍ତି ସେ ଅନେକ ବୀଜରୁ ମିଶା,ସେ ପୁତ୍ର ଦୋହିତା ପିତାକୁ ନ ମାନି କହନ୍ତି କଠୋର ଭାଷା ।ଏମନ୍ତ ପ୍ରକାର ସଂସାର ଆଚାର ସୁଜ୍ଞାନୀ ପଣ୍ଡିତେ ବୁଝ,ସ୍ତିରୀ ହୋଇ ଯେତେ ଅବିଶ୍ୱାସୀ ଜାତି ମନେ ହେତୁକରି ହେଜ ।ଏ କଳିଯୁଗରେ ଗୃହ କରିବାର ଲେକୁନାହିଁ ଚାରି ବେଦ,କଳିଯୁଗ ସ୍ତିରୀମାନଙ୍କୁ ଛୁଇଁଲେ ଆୟୁ ଥାଉଥାଉ ବଧ ।ସ୍ତିରୀ ନୁହନ୍ତି ସେ ଦେବୀଗଣ ସବୁ କାଳମାୟାରେ ପ୍ରକାଶ,ମାୟାବଳରେ ଭାରିଯା ରୂପ ହୋଇ ପ୍ରାଣକୁ କରନ୍ତି ନାଶ ।ସ୍ତିରୀ ଯେ ଅଟଇ ପତିର ହିତରେ ଦିବାନିଶି ଚାହିଁଥାଇ,ପତିକୋଳେ ଘେନି ଭୋଗ ବିଳସଇ ଚଉବର୍ଗ ଫଳ ପାଇ ।ଯେ ଜନ ଜାଣିବ ଏ କଳିଯୁଗରେ କେବେ ନ କରିବ ଗୃହ,ସେହି ସେ ଜିଣିବ ଏ କଳିଯୁଗକୁ ଅଟଇ ଶକତା ପୁଅ ।ଜ୍ଞାନୀଜନମାନେ ଚେତ ଏତେବେଳେ ଚକ୍ଷୁ ଥାଉ ନୁହ ଅନ୍ଧା,
ପଞ୍ଚାନବେ ବୋଲିନବଖଣ୍ଡ ମେଦିନୀରୁ ଚାରି ଧର୍ମ ଉଠିଲେଣି ଆକାଶକୁ,ବହୁତ ଅନ୍ୟାଏ ଦେଖି ବ୍ରହ୍ମାଣ୍ଡର ଚାହିଁ ପାତକ ଭରାକୁ ।ଯହିଁ ଥିଲେ ଯେତେ ଦେବାଦେବୀଗଣ ଶୂନ୍ୟକୁ ଗଲେଣି ଉଠି,କାହାରି ହସ୍ତେ ନ ଖାଇବାକୁ ପୂଜା ଅକର୍ମ ଦେଖି ଏ ସୃଷ୍ଟ ।ଶ୍ରୀପୁରୁଷୋତ୍ତମ କପିଳାସ ଧାମ ତହୁଁ ଉଠିଲାଣି ଧର୍ମ,ତୀର୍ଥମାନେ ସବୁ ଭ୍ରଷ୍ଟ ହୋଇଲେଣି କାହିଁରେ ନାହିଁ ନା ବ୍ରହ୍ମ ।ଗଙ୍ଗା ଗୟା କାଶୀ ପ୍ରୟାଗ ସହିତେ ସେତୁବନ୍ଧ ରାମନାଥ,ଏ ତୀର୍ଥମାନଙ୍କ ଧର୍ମ ଉଠିଲାଣି କାହିଁରେ ନାହିଁନା ସତ୍ୟ ।ଗୋଦାବରୀ ଗଉମତୀ ବୃନ୍ଦାବନ ଦ୍ୱାରିକା ଯେ ହରଦ୍ୱାରା,ଏ ତୀର୍ଥମାନ ବିଫଳ ହୋଇଲାଣି ଡୁବିଲାଣି ଧର୍ମ ଧାରା ।ମାନସରୋବର ବଦରି ଯେ ନାଥ ବଇତ୍ରଣୀ ଆଦି କରି,ଯମୁନା ସରସ୍ୱତୀ ଭ୍ରଷ୍ଟ ହେଲେଣି ଚତୁର୍ଥ ଧାମକୁ ଧରି ।ମେଢ଼ ମଣ୍ଡପ ଦେଉଳ ଦେବାଳୟ ଜଗତି ଆଟ୍ଟାଳିମାନ,ଯହିଁରେ ଦେଖିଲେ ସତ୍ୟ ଧର୍ମ ନାହିଁ ସକଳେ ହେଲେଣି ଶୂନ୍ୟ ।ଦେବାଦେବୀ ଆଦି ଔଷଧ ମୌଷଧି ମନ୍ତ୍ର ଯନ୍ତ୍ର ଜପ ଯେତେ,ସକଳ କରଣି ସରିଲାଣି ଆସି ନେତ୍ରେ ଦେଖନ୍ତୁ ସାକ୍ଷାତେ ।ଦାରୁ ପ୍ରତିମା ଶିଳା ମୃତି ପାଷାଣ ଯେହୁ ଯେଉଁଠାରେ ଥିଲେ,ଏହାଙ୍କ କରଣି ସରିଲାଣି ସବୁ ନ କାଟଇ ଆଉ ବେଳେ ।ଯାହା ବାକି ଅଛି ଆଉ ଚାରି ଦିନେ ସକଳ ହେବ ବିପାକ,ଛପନା କୋଟିର ପିଣ୍ଡ ପ୍ରାଣ କଥା ଅନାଦି ପୁରୁଷ ସାକ୍ଷ୍ୟ ।ଆଉ ଚାରି ଦିନେ ବଦ୍ୟନାରାୟଣେ ଛାଡ଼ିବେ ଶାହାସ୍ର ପୋଥି,କର୍ମ ଅନୁସାରେ ଥୋକେ ଥୋକେ ଅଛି ସକଳ ହେଲାଣି ପୋତି ।ଅଚେତାରେ ସିନା ଜନ ପ୍ରାଣୀମାନେ କରୁଛନ୍ତି ଦେବପୂଜା,ପାଦେ ପଡ଼ି ରକ୍ଷାକର ବୋଲୁଛନ୍ତି ଦେବୁଁ ଖିରି ପୁରି ଖଜା ।ମୂର୍ତ୍ତିସିନା ସେହି ଜୀବ ଆତ୍ମା ନାହିଁ କାହୁଁ ଯାଚିଦେବେ ବର,ବିଷ୍ଣୁ ନଟ କୁଟ ମାୟାକୁ ନ ଜାଣି ଅଜ୍ଞାନରେ ମୂଢ଼ ନର ।ଯେହୁ ଗଢ଼ିଛି ଆପଣା ପିଣ୍ଡ ପ୍ରାଣ ତାକୁ ସମର୍ପଣ ନାହିଁ,ଦାରୁ ପ୍ରତିମା ମୂର୍ତ୍ତିକି ବୋଲୁଛନ୍ତି ପ୍ରାଣକୁ ବଞ୍ଚାଅ ତୁହି ।ମନୁଷ୍ୟ ହୋଇ ନିର୍ଜୀବ ସଙ୍ଗେ ଭାବ ଦେଖଟି କେଡ଼େ ଅଜ୍ଞାନ,ଶୂନ୍ୟରୁ ଯେହୁ ପିଣ୍ଡ ପ୍ରାଣ ଗଢ଼ିଲା ନାହିଁ ତାକୁ ଅନୁମାନ ।ଦୁଲଭ ଜନମ ବିଅର୍ଥ ହେଉଛି ପର୍ମେଶ୍ୱରଙ୍କୁ ନ ଚିହ୍ନି,ଅଗ୍ୟାନରେ ନରେ ସବୁକୁ ପୂଜିଲେ ପ୍ରକୃତିର ସୁଖ ମଣି ।ଆପଣା ମନରେ ଯାହା ବିଚାରିଲେ ସେହି କର୍ମମାନ କଲେ,ଷଟ କର୍ମକାଣ୍ଡେ ସମସ୍ତେ ପଡ଼ିଲୋ ନିଜ ଧର୍ମ ନ ଜାଣିଲେ ।ସାଧୁଜନମାନେ ଅବିବେକ ନୁହ ନିଜ କର୍ମ ଅନୁସର,ତଦଗତ କରି ନାମ ଆଶ୍ରେ କଲେ ଦୁସ୍ତରୁ ହୋଇବ ପାର ।ହେଳା କରନାହିଁ ଭେଳା ବୁଡ଼ିଯିବ ବେଳ ହୋଇଗଲାଣି ଆସି,ଅପରାଧ ଯେତେ ଖଣ୍ଡନ କରାଅ ନାମ ବ୍ରହ୍ମେ ନୁହ ଦୋଷୀ ।
ଛୟାନବେ ବୋଲିଭୋ ଗୁରୁ ଶୂନ୍ୟ ପୁରୁଷ ଅଣାକାର ଏ ମୋର ବିନତି ଘେନ,ସଦଗୁରୁ ମହାପ୍ରଭୁ ବୋଲି ଆଗେ କରୁ ମୁଁ ଅଛି ଜଣାଣ ।ଶିରେ କରଯୋଡ଼ି ଗୁରୁ ପାଦେ ପଡ଼ି ଶୁଣ ଏ ମୋର ଗୁହାରୀ,କଥାଏ ମାଗୁଛି ସୁଦୟା ହୋଇବ ଅଲେଖ ଶୂନ୍ୟ ବେହାରୀ ।ବ୍ରହ୍ମସିଦ୍ଧି ଅଟ ଧର୍ମସିଦ୍ଧି ଅଟ ସତ୍ୟସିଦ୍ଧି ଅଛି ପୂରି,ଦୟାସିଦ୍ଧି ଅଟ କ୍ଷମାସିଦ୍ଧି ଅଟ ଶାନ୍ତିସିଦ୍ଧି ଆଦିକରି ।ବେଦସିଦ୍ଧି ଅଟ ଭେଦସିଦ୍ଧି ଅଟ ଜ୍ଞାନସିଦ୍ଧି ପରିପୂର୍ଣ୍ଣ,ମୋକ୍ଷସିଦ୍ଧି ନିଧି ଅଟ ମହାପ୍ରଭୁ ବହିଛ ଅଲେଖ ନାମ ।ଅନ୍ତର୍ଯ୍ୟାମୀସିଦ୍ଧି ବହିଅଛି ପ୍ରଭୁ ଜାଣିବାକୁ ସର୍ବକଥା,ଛପନା କୋଟିର ହାନି ଲାଭ ଯେତେ ବୁଝିବାର ସାମରଥା ।ତେଣୁକରି ସିନା ଗୁରୁ ଶ୍ରୀଛାମୁରେ ମାଗୁଣି ମୋହର ଏତେ,ଅଲେଖ ମହିମାସାଗର ଧର୍ମକୁ ଆଶ୍ରେ କରିଛନ୍ତି ଯେତେ ।କିଅବା ସ୍ତିରୀ ସେକି ଅବା ପୁରୁଷ କି ଅବା ଜ୍ଞାନୀ ଅଜ୍ଞାନୀ,ସାର ଧର୍ମ ବୋଲି ପଶି ଯାଇଛନ୍ତି ନିଜ ଧର୍ମକୁ ନ ଜାଣି ।କିବା ବାଳ ବୃଦ୍ଧ କିବା ମୁର୍ଖପ୍ରାଣୀ କି ଅଦା ପତିତ ଜୀବ,ଏ କଳି ଯୁଗରୁ ତରିଯିବୁ ବୋଲି କରିଛନ୍ତି ଏହି ଭାବ ।ପାପ ନ ଜାଣଛି ପୁଣ୍ୟ ନ ଜାଣନ୍ତି ବେନିପକ୍ଷ ସମମତ,କଳିପୁରୁଷ ଅଚେତା କରିଅଛି ଏ କିସ ଜାଣନ୍ତି ସତ୍ୟ ।ଏହାଙ୍କର ପାଇଁ ଶ୍ରୀଗୁରୁ ଛାମୁରେ ମାଗୁ ମୁଁ ଅଛି ଏତିକି,କନ୍ଦର୍ପ ବାଧାରୁ ଉଦ୍ଧାର ହୁଅନ୍ତି ଏ ଧର୍ମେ ଛନ୍ତି ଯେତିକି ।ଧର୍ମେ ଆଶ୍ରେ କଲେ ଯୁଗଳ ନ ଚଳେ କର୍ମଭ୍ରଷ୍ଟ ହେବ ବୋଲି,ସ୍ତିରୀ ପୁରୁଷଙ୍କୁ ଅନଙ୍ଗ ପୀଡ଼ୁଛି ନ ପାରୁଛନ୍ତି ସମ୍ଭାଳି ।ନିଷ୍କାମ ଧର୍ମରେ ସକାମ ପଶୁଛି ହୋଇଯାଉଛନ୍ତି ଦୋଷୀ,ଭବ ସାଗରକୁ ଘୁଞ୍ଚି ଗୁରୁଦେବ ଫେରି ଯାଉଛନ୍ତି ଭାସି ।ସ୍ତିରୀ ପୁରୁଷଙ୍କ ପଞ୍ଚଭୁତ ମନ ଯେମନ୍ତେ ରହିବ ଥୟ,ଅନାଦିଗୁରୁ ଅନ୍ତର୍ଯ୍ୟାମୀପୁରୁଷ ସେହିରୂପେ ଦୟା ବହ ।ଆତ୍ମା ଭଗତିରେ ଆପ ଘଟ ଜୀବ ବଧୁଅଛନ୍ତି ସାକ୍ଷାତେ,ବାହ୍ୟ ଅନ୍ତରେ ପଶୁଜୀବକୁ ପାଳି ଗ୍ୟାନ କରିଛନ୍ତି ଚିତ୍ତେ ।ଏପରି ଜ୍ଞାନ ମୋ ମନକୁ ନଇଲା ଜଣାଉଅଛି ଛାମୁରେ,ଆାପ ଘଟ ଜୀବ ମରି ଯାଉଅଛି ବାହ୍ୟ ଜୀବ କେ ପଚାରେ ।ଆପ ଘଟ ଜୀବ ରକ୍ଷାକରି ପାଳୁ ବାହ୍ୟେ କରୁ ଅନୁମାନ,ତେବେ ସିନା ତାର କର୍ମସିଦ୍ଧି ହେବ ଆତ୍ମା ଭକ୍ତି ନିରୂପଣ ।ସୂକ୍ଷ୍ମାନୁଭାବରେ କିଷ୍ଣୁ ବଧିବାର ହେଉଅଛି ଆପହସ୍ତେ,ଅପଘଟ ଘରୁ ଜୀବ କାଢ଼ିଆଣି ହାଣି ଯାଉଛି ସାକ୍ଷାତେ ।ଯେଉଁରୂପେ ଗୁରୁ କନ୍ଦର୍ପବାଧାରୁ ସମ୍ଭାଳି ପାରିବେ ଦେହ,ସେପରି କରୁଣା ନେତ୍ରପଥେ ଚାହିଁ ହେ ଅନାଦି ବ୍ରହ୍ମମୟ ।ଯଥା ବିଧିମତେ ଏହାକୁ ଉଧର ଗୁରୁ ତ ସାକ୍ଷାତେ ଅଟ,କନ୍ଦର୍ପପୀଡ଼ାରେ ଡୁବି ଯାଉଛନ୍ତି ପଡ଼ି ଯାଉଅଛି ଘଟ ।
ସତାନବେ ବୋଲିଆହୁରି କଥାଏ ବିନତି କରୁଛି ଶ୍ରୀଛାମୁରେ ଏତେବେଳେ,ଏ ଧର୍ମରେ ଆଉ ଅସତ୍ୟ ନ ପଶୁ ଶୁଦ୍ଧ ହୋନ୍ତୁ ନାମ ଜଳେ ।ଏଡ଼େ ବଡ଼ ସତ୍ୟ ଧର୍ମ ନାମ ବ୍ରହ୍ମ ଭଜି ହେଉଛି ବିଅର୍ଥ,କ୍ଷୀରସିନ୍ଧୁ ବାସୀ ଦୀକ୍ଷା ଦେଉଁ ଦେଉଁ ପଶି ଯାଉଛି ଅସତ୍ୟ ।କ୍ଷୀରସିନ୍ଧୁ ବାସୀ ଗୁରୁରୂପ ହୋଇ ଦିଅନ୍ତେ ନ ରହୁ ଦୀକ୍ଷା,ସେ ପ୍ରଭୁଙ୍କ ବାକ୍ୟ ଉଠି ଯାଉଅଛି ଶୁଣି ହେଉଛି ତାଟକା ।ମନୁଷ୍ୟ ଗୁରୁରେ କି କାର୍ଯ୍ୟ ହୁଅନ୍ତା କି ରହନ୍ତା ଦୀକ୍ଷା ତାର,ବ୍ରହ୍ମକୁ ସେବି ସେ ଧର୍ମ ପ୍ରକାଶିଲେ କେହୁ ମାନନ୍ତା ସଂସାର ।କି ଅବା ସ୍ତିରୀ ସେ କି ଅବା ପୁରୁଷ ସମସ୍ତେ ଭାଷନ୍ତୁ ସତ୍ୟ,ଅନ୍ତର୍ଗତରୁ ସଂଶୟ ଛେଦ କରି ଧରନ୍ତୁ ନିଷ୍କାମ ମତ ।ଏଡ଼େ ବା ଧର୍ମେ ଅସତ୍ୟ ପଶୁଛି ଯାଉଛି ବିଅର୍ଥ ହୋଇ,ସମସ୍ତେ ମିଥ୍ୟାରେ ଡ଼ୁବି ଯାଉଛନ୍ତି ଦୟାକର ଶୂନ୍ୟଦେହୀ ।ତ୍ରିପୁର ଅସତ୍ୟ ହୋଇବାରୁ ପ୍ରଭୁ ପ୍ରକାଶିଲ ଗୁରୁଧର୍ମ,ଛଡ଼ାକ୍ଷର ମନ୍ତ୍ର ବ୍ରହ୍ମାଣ୍ଡକୁ ଦେଲ ଅଲେଖ ମହିମା ନାମ ।ନାମ ବୋଲି ସିନା ଜାଣୁଛନ୍ତି ସର୍ବେ ମନ୍ତ୍ର ବୋଲି ଜଣା ନାହିଁ,ଶୁଦ୍ର ଚାଣ୍ଡାଳ ସବୁକୁ ଯୋଗାଉଛି ମୁଖେ ଅଛ ଆଜ୍ଞା ଦେଇ ।ଯେହୁ ଇଚ୍ଛା ସେହୁ ଉଚ୍ଚାରୁ ଅଛନ୍ତି ତେବେ ସିନା ନାହିଁ ଦୋଷ,ଛଡ଼ାକ୍ଷର ମନ୍ତ୍ରର ଜୀବ ଗୋଟିକି କେ ପାଇବ ଅନ୍ତ ଲେଶ ।ଏ କଳିଯୁଗରେ କାମ ଆଶ୍ରେ କରି ଭଜ ଭଜ ସର୍ବଜନ,ନାମ ବୋଲି କରି ଭଜିବ ଯେମନ୍ତେ ଥୋକେ ରହିବ ବିହନ ।ଏମନ୍ତେ ବିଚାରି ସେ ଶୂନ୍ୟ ପୁରୁଷ କରିଛନ୍ତି ପରକାଶ,କାହାରି ହୃଦରେ ଅସତ୍ୟ ପଶୁ ଯେ ପ୍ରଭୁଙ୍କ ଦାସୀ ଦାସ ।ଅସତ୍ୟ ହୋଇଲେ ଅକାରଣ ହେଲା ଏଡ଼େ ଗୁରୁ ସେବା କରି,ତା ପରି ପାତକୀ ନାହିଁ କି ତ୍ରିପୁରେ ଜୀବ ଥାଉଁ ଗଲା ମରି ।ଧର୍ମହିଁ ବିଅର୍ଥ କର୍ମହିଁ ବିଅର୍ଥ ସେବାହିଁ ବିଅର୍ଥ ତାର,ଶତେ ଜନ୍ମ ତାର ହଦ ହୋଇଗଲା ନ ମିଳଇ ପ୍ରତିକାର ।ମିଥ୍ୟା ବଚନରୁ ପାତକ ସରିଛି ବଡ଼ ହୋଇ ଦୋଷ ନାହିଁ,ଦେବ ମାନବରେ ଅଗାଡ଼ି ଅଟଇ ନ ଯୋଗାଏ ମୁଖ ଚାହିଁ ।ତେଣୁକରି ମୁହିଁ ବିଚାର କରୁଛି କିପରି ତରିବେ ବୋଲି,ସଦଗୁରୁଙ୍କୁ ମୁଁ ଜଣାଣ କରୁଛି ରଖ ସତ୍ୟାଦିରେ ପାଳି ।ଉଦେ ଯେବେ କରିଅଛ ମୋକ୍ଷପଥ ନ କର ଏହାକୁ ହେଳା,କଳିଯୁଗେ ଲୋକ କିଛି ନ ଜାଣନ୍ତି ବିଳମ୍ବ ହୋଇଲେ ଗଲା ।ଅସତ୍ୟ ପଥରୁ ଉଧାରଣ କର ରହୁ ଶ୍ରୀଗୁରୁଙ୍କ ଯଶ,ଗୁରୁ ତ ସକଳ ଜାଣିବାର ଅଟ ଅଧିକ କହିବି କିସ ।ଜନ ପ୍ରାଣୀ ହୁଦେ ହେତୁ ଚେତା ବସୁ ସମ୍ଭାଳି ଧରା ଅସତ୍ୟ,ଧର୍ମ ଉଦେ ହୋଇ ଡ଼ୁବିଯିବ ଯେବେ କାହାକୁ ହେବ ନିନ୍ଦିତ ।ସମ୍ଭାଳ ତୁମ୍ଭର ଜଗତ ଭଗତ ଏ ଧର୍ମରେ ଯେ ଅଛନ୍ତି,କାହାରି ମନେ ଛନ୍ଦ ମାୟା ନ ପଶୁ ନିର୍ମଳ କରାଅ ମତି ।
ଅଠାନବେ ବୋଲିପରଦାରା କର୍ମ ନ କରନ୍ତୁ କେହି ଯେତେ ଏ ଧର୍ମେ ଆଶ୍ରିତ,କରପତ୍ର ଯୋଡ଼ି ଛାମୁରେ ମାଗୁଛି ଦୟା ହେଉ ହେ ଅଚ୍ୟୁତ ।ନିଷ୍କାମ ଧର୍ମରେ ସକାମ ପଶିଲେ ଗୁରୁସେବା ଫଳ ଗଲା,ଜନ୍ମଯାକ ତାର ନିଗୃହ ହୋଇଲେ କେଉଁ ଗତିକି ଲଭିଲା ।ଚାରିଯୁଗେ ତାକୁ ପାପ ଘୋଟିଲାଣି ଜୀବନ୍ତେ ପଡ଼େ ନରକ,ସଂସାରସାଗରେ ଯାହା ହେଉଛନ୍ତି ସେ ଗତି ଲଭିଲା ଦେଖ ।ତେଣୁକରି ଧର୍ମେ ପରଦାରା ନ ଚଳେ ବହୁତ ଅନ୍ୟାଏ କଥା,ଏ କଳିଯୁଗରେ ଯେମନ୍ତ ତରିବେ କୃପା କର ହେ କରତା ।ଏ ଧର୍ମେ ପଶିଲେ ପରଦ୍ରବ୍ୟମାନ ଚୋରି ନ କରିବା ଚଳେ,ଅବଶ୍ୟ ତାହାକୁ ଧର୍ମ ଦୁଆରରେ ଦଣ୍ଡ ହୁଏ ତିନିକାଳେ ।ଚୋରି ପରଦାରା ଖଚ କଥା ଯେତେ ଏ ଧର୍ମରେ ସବୁ କାଟ,ଆପଣା ଚିତ୍ତେ ଜାଣି ହୁଡ଼ି ପଡ଼ିଲେ ହେଉଛି ଅନ୍ୟାଏ ବାଟ ।ଏତିକି ଦଣ୍ଡରୁ ଏ ଧର୍ମ ଲୋକଙ୍କୁ ତ୍ରାହି କର ଗୁରୁଦେବ,ଏ କଳିଯୁଗରେ କିଛି ନ ଜାଣନ୍ତି ଅଜ୍ଞାନ ପାମର ଜୀବ ।ବ୍ରହ୍ମଗୁରୁ ପାଦେ ସେବା ଖଟିଥାଇ ଅଜ୍ଞାନ ହେଲେଣି ସବୁ,ଯୁଗ ଶେଷ ଜାଣି ଉଦେ ହୋଇଅଛ ତ୍ରାହି କର ମହାପ୍ରଭୁ ।ଧର୍ମ କଥା ଶୁଣି ବିଭୋଳ ହେଲେଣି ଭ୍ରମି ଯାଉଛନ୍ତି ସର୍ବେ,ଯେତେ ପାପ କଲେ ଶ୍ରୀଗୁରୁ ଖଣ୍ଡିବେ ବୋଲି କହୁଛନ୍ତି ଗର୍ବେ ।କାହାରି ହୃଦରେ ତତ୍ତ୍ୱ ଜ୍ଞାନ ନାହିଁ ମୂଢ଼ ଜ୍ଞାନ ସବୁ ସିନା,ପ୍ରାଣୀର ହୃଦୟ ପ୍ରକୃତି ବିଷୟ ଏବେ ପଡ଼ୁଅଛି ଜଣା ।ବେଳୁବେଳ ଧର୍ମ ଉଦେ ହୋନ୍ତା ସିନା ଯାଉଅଛି ଲୋପ ହୋଇ,ଏତେଦିନ ହୋଇଲାଣି ଏହି ଧର୍ମ ନ ପାରୁଛି ଥୟ ହୋଇ ।ବଢ଼ି ଆସୁଥିଲା ଛିଡ଼ି ପଡ଼ୁଅଛି ପାପଭାରା ସକାଶରୁ,ନିଜ କର୍ମେ ପଶି ଉଜ ହୋଇଥିଲେ ଛାଡ଼ିଗଳେ ଏ ଧର୍ମରୁ ।ଛାଡ଼ିଗଲା ପ୍ରାଣୀ ପତିତରେ ଗଣି ନାହିଁ ନା ମୁକତି ବାଟ,ହେତୁ ଥାଉଁ ଥାଉଁ ସଂସାରସାଗରେ ବହିଛନ୍ତି ମୃତ୍ୟଘଟ ।ଜୀବର ଭିତରେ ଗଣନା ନୁହନ୍ତି ଅଟନ୍ତି ଅଗାଡ଼ି ତସୁ,ମୋର ମନକୁ ଏମନ୍ତ ଯୋଗାଇଲା କାହାକୁ କେମନ୍ତ ଦିଶୁ ।ପାତକ ପୋଡ଼ିବ ବୋଲି ଏ ଧର୍ମରେ କରୁଛନ୍ତି ଗୁରୁସେବା,ସାତୁକ୍ୟ କର୍ମରେ ଥିବ ଯେଉଁ ଜନ ନିଶ୍ଚେ ମୁକତି ଲଭିବା ।ବେଳୁବେଳ କାଳ ନିକଟ ହେଲାଣି ଘଟି ଆସିଲାଣି ଯୋଗ,ମହା ବ୍ରହ୍ମଦେବୀ ପ୍ରକାଶ ହୋଇବେ ସରିବ ପାତକ ଭୋଗ ।ଯେ ଯହିଁରେ ଅଛ ମହିମାକୁ ଡାକ ମନେ ନ କର ସଂଶଏ,ଧର୍ମେ ଆଶ୍ରେ କଲେ ଅବଶ୍ୟ ବର୍ତ୍ତିବ କାଳମୁଖରୁ ଥୋକାଏ ।ମହିମାସାଗର ଧର୍ମ ଏ ସଂସାରେ ପୂର୍ବରୁ ହୋଇଛି ଶୁଣା,ବିପତ୍ତି ପଡ଼ିଲେ ଡାକିବ ସମସ୍ତେ ନ ହୋଇବ କେହି ବଣା ।ଏତେବେଳେ ସିନା କେହି ନ ଭଜୁଛ ପଶ୍ଚାନ୍ତେ ଭଜିବେ ନିଶ୍ଚେ,ଧର୍ମ ଧର ବୋଲିବାରୁ ନ ବୁଝୁଛ ନିନ୍ଦା ନାହିଁ ଦେବ ପଛେ ।ବେଳହୁଁ ଏ ଧର୍ମ କରି ଯେବେ ଥିବ ଦଣ୍ଡି ନ ପାରିବ ଯମ,
ଅନେସୋତ ବୋଲିଅଭୟ ପୟର ପଦ୍ମପାଦ ଭଜି ହୃଦେ କରୁଛନ୍ତି ଭୟ,ସଦଗୁରୁ ବୋଲି ଜାଣି ନ ପାରିଲେ ଖଣ୍ଡନ କର ସେ ଦ୍ରୋହ ।ନିରୋଗୀ ପୁରୁଷ ବୋଲି ଜଣାନାହିଁ ଅଙ୍ଗେ ପଶୁଅଛି ରୋଗ,ଅଗ୍ନି ଅଙ୍ଗୀକାର ଗୁରୁ ଅଟ ତୁମ୍ଭେ ନିବାର କଳୁଷ ଭବ ।ନିଷ୍ପାପୀ ପୁରୁଷ ବୋଲି ଜଣା ନାହିଁ କରୁଅଛନ୍ତି ପାପମାନ,ଗ୍ୟାନ ଦୀପାବଳୀ ହୃଦରେ ଚେତାଇ ଆଜ୍ଞାରେ କର ଛେଦନ ।ଅଚିନ୍ତା ପୁରୁଷ ବୋଲି ଜଣାନାହିଁ କରୁଛନ୍ତି ହୃଦେ ଚିନ୍ତା,ଅଜ୍ଞାନ ଜୀବ ଏ କିଛି ନ ଜାଣନ୍ତି ନିବାର ରାଗ ଅହନ୍ତା ।ଅରୂପ ପୁରୁଷ ବୋଲି ଜଣାନାହିଁ ସ୍ୱରୂପକୁ ଭଜୁଛନ୍ତି,ଅଚେତା ପ୍ରାଣୀ ଏ କେମନ୍ତେ ଜାଣିବେ ଫିଟାଅ ସଂଶୟେ ଭୀତି ।ନିଷ୍କାମ ପୁରୁଷ ବୋଲି ଜଣାନାହିଁ ସ୍ୱକାମରେ ହୋଇ ମତ୍ତା,ନିଷ୍କାମ ବ୍ରହ୍ମକୁ ଭଜିବା ଧର୍ମରେ ଥାଇକି ଏମନ୍ତ କଥା ।ନିର୍ଗୁଣ ପୁରୁଷ ବୋଲି ଜଣା ନାହିଁ ଗୁଣରେ ମିଶାଉଛନ୍ତି,ସ୍ୱଭାବେ ମନୁଷ୍ୟ ନର ଜନ୍ମ ଏହି କାହୁଁ ଜାଣିବେ ସେ ରୀତି ।ନାମ ନାହିଁ ତାଙ୍କ ଅନାମିକା ବ୍ରହ୍ମ ମିଶାଉ ଅଛନ୍ତି ନାମ,ନାମ ଉଚ୍ଚାରିଲେ ଅକ୍ଷର ହୋଇଲା ଲାଗି ଗଲାଣି ସେ କାମ ।ନିଶବଦ ବ୍ରହ୍ମ ବୋଲି ଜଣାନାହିଁ ମିଶାଉଛନ୍ତି ଶବଦ,ଦୁଇଗୁଣ ମିଳି ନିର୍ମାଣ ହୋଇଛି ପ୍ରକାଶିଛି ଏକ ପାଦ ।ନିର୍ବେଦ ପୁରୁଷ ବୋଲି ଜଣାନାହିଁ ଲଗାଉ ଅଛନ୍ତି ବେଦ,ଅଣଅକ୍ଷରରୁ ଅଣାକ୍ଷର ନାମ କାହୁଁ ଜାଣିବେ ସେ ଭାବ ।କଳା ଗୋରା ବାଲି ବାରି ବସୁଛନ୍ତି ମଧ୍ୟେ ରହିଲାଣି ବର୍ଣ୍ଣ,ମଧ୍ୟରୁ ରୂପ ଥୟ କରି ପାରିଲେ ସକଳ ଠାବରୁ ଭିନ୍ନ ।ଅନାଦି ବ୍ରହ୍ମ ସେ ନାଦବିନ୍ଦୁ ନାହିଁ ରଜବୀର୍ଯ୍ୟରୁ ବାହାର,ଜଳ ପବନରେ ନ ମିଶାଇ ତାକୁ ଏ ସୁତ୍ରରେ ଭକ୍ତି କର ।ନିର୍ମାୟା ବ୍ରହ୍ମ ସେ ମାୟା ନ ଲଗାଇ ମୋହରେ ମିଶାଉ ଅଛ,ମାୟାରୁ ଛାଡ଼ି ଛଡ଼ାଇ ଭକ୍ତି କର ମନରେ ନ ଧର ମିଛ ।ଅବ୍ୟକତ ବ୍ରହ୍ମ ବ୍ୟକତ ନୋହି ସେ ମିଶାଉଅଛ ବଚନ,ଲଗାଇ ଅର୍ଥ ସମ୍ପାଦ କରୁଅଛ ସକଳ ଜନ ଅଜ୍ଞାନ ।ଧର୍ମାଧି ପୁରୁଷ ଭଗତି ଭିତରେ ଅଧର୍ମ ମିଶାଉଅଛ,ଅଧର୍ମ ହେଲେ ବିପତ୍ତିମାନ ଘଟେ ଆତ୍ମାକୁ ପୀଡ଼େ କେଳଶ ।ଅକର୍ମଦାୟକ ପୁରୁଷ ସେ ପ୍ରଭୁ କର୍ମରେ ଲଗାଉଅଛ,ଅକର୍ମୀ ଜନ କର୍ମ ନିନ୍ଦା କରନ୍ତି ସତ୍ୟ ବାକ୍ୟ ନୁହେ ମିଛ ।ସେ ବ୍ରହ୍ମ ମହିମା କେହି ନ ଜାଣନ୍ତି ସମୁଦ୍ରରୁ ଅଟେ ଗରୁ,ତାହାର ନିଜକାମ ଲୋଡ଼ି ବୁଝିଲେ ସରିସମ ନୁହେ ମେରୁ ।ଯେଉଁ ଦିନୁ ମାଟି ପୃଥ୍ୱୀ ହୋଇଲାଣି ମନୁଷ୍ୟ ଜନମ ଲଭି,ମହିମା ସମ୍ପୂର୍ଣ୍ଣେ ଲେଖି ନ ପାରିଲେ ବହିଗଲେ ଭାବି ଭାବି ।କେତେ କେତେ କବି କେତେ କେତେ ଯୋଗୀ କେତେ କେତେ ଅନୁଭବୀ,ସମସ୍ତେ ରବିତଳରେ ବହିଗଲେ କେହି ନ ପାରିଲେ ଜାଗି ।
ଶହେ ବୋଲିଡାକି କହୁଅଛି ତିନିପୁର ମଧ୍ୟ ଅଲେଖ ମହିମା ଭଜ,ଦେଖ କଳିଯୁଗ ଘୋଟି ଆସୁଅଛି ବେନି କର୍ଣ୍ଣେ ଶୁଣି ବୁଝ ।ଆହେ ନରଲୋକ ଯେ ଅଛ ସଂସାରେ ଦେହଧାରୀ ହୋଇ ମର୍ତ୍ତେ,ଅଲେଖ ମହିମାସାଗର ନାମକୁ ଭଜନ କର ସମସ୍ତେ ।ଯେ ଅଛ ରାକ୍ଷସଗଣ ଆଦି କରି ଦୈତ୍ୟ ଦାନବ ସହିତେ,କଳିକାଳ ଆସି ଶେଷ ହୋଇଲାଣି ମହିମା ଡାକ ସମସ୍ତେ ।ଋଷି ମୁନି ଖାଖି ବଇରାଗୀ ଆଦି ନାଗାନ୍ତି ଯୋଗାନ୍ତି ଯାଏବେଦାନ୍ତି ସିଦ୍ଧାନ୍ତି ଯେ ଅଛ ସଂସାରେ ମହିମାକୁ କର ଲଏ ।କବିତ୍ତ୍ୱ ପଣ୍ଡିତ ସୁଜ୍ଞ ସାଧୁସନ୍ଥ ମହିମାକୁ ସର୍ବେ ଡ଼ାକ,ଯୁଗ ଶେଷ ହେଲା ଦୋଷ ନ ଧରିବ ଉଚ୍ଚେ ଦେଉଅଛୁଁ ହାଁକ ।ଜପୀତପୀ ତୀର୍ଥବ୍ରତୀ ଯେତେ ତୁମ୍ଭେ ଏ ମୋର ବଚନ ମାନ,ଶତେବାର ଆମ୍ଭେ ବୁଝାଇ କହୁଛୁଁ ମହିମା ନାମକୁ ଘେନ ।ଆହେ ନାଗଗଣ ପାତାଳ ଭୁବନେ ଅଛ ପରା ତୁମ୍ଭେ ରହି,ସମସ୍ତେ ତୁମ୍ଭେ ମହିମା ନାମ ଭଜ ଧରିଅଛ ଯେତେ ଦେହୀ ।ସୁରଗଣମାନେ ମହିମାକୁ ଡ଼ାକ ନ କର ବିଳମ୍ବ ମଠ,କଳିକାଳ ଭୋର ସରି ଆସିଲାଣି ଯୁଗ ହେଲାଣି ନିକଟ ।ଦେବଗଣମାନେ ମହିମା ନାମକୁ ଏତେବେଳେ ଆଶ୍ରା କର,କଳିଯୁଗ ଆସି ବାକି ରହିଲାଣି ସରିଯିବ ଏ ସଂସାର ।ରୁଦ୍ରଗଣ ତୁମ୍ଭେ ମହିମାକୁ ଭଜ ମନରେ ନ କର ହେଳା,ଏ ଯୁଗେ ଏ ନାମ ଯେହୁ ନ ଭଜିବ ବିଅର୍ଥେ ତା ଜନ୍ମ ଗଲା ।ବ୍ରହ୍ମା ଲୋକମାନେ ଯେହୁ ଅଛ ତୁମ୍ଭେ ମହିମାକୁ ଭଜ ଚିତ୍ତେ,ମହାଶୂନ୍ୟବାସୀ ଦେହଧାରୀ ହୋଇ ଉଦିଅଛନ୍ତି ସାକ୍ଷାତେ ।ଆହେ ଚନ୍ଦ୍ର ସୂର୍ଯ୍ୟ ଆକାଶରେ ଅଛ ଭଜ ମହିମା ନାମକୁ,ତୁମ୍ଭେମାନେ କେହି ଜାଣି ନ ପାରୁଛ ଘଟିଲାଣି ଦେଖୁ ଦେଖୁ ।ଆହୋ ନବଲକ୍ଷ ତାରାଗଣ ତୁମ୍ଭେ ମହିମା ନାମକୁ ଧର,ଏ କାଳ ଦୁସ୍ତରୁ ଯୁଗ ଶେଷେ ତୁମ୍ଭେ ହୋଇବ ଯେମନ୍ତ ପାର ।ଅଲେଖ ପ୍ରଭୁଙ୍କ ସେବାକାରୀ ଆମ୍ଭେ ଆଜ୍ଞାରେ ଦେଉଛୁ ଡାକ,ଜଗତ ସଂସାର କି କୃତ ହେଲାଣି କର୍ଣ୍ଣେ ଶୁଣି ନେତ୍ରେ ଦେଖ ।ଅଲେଖ ମହିମା ନାମ ଆଶ୍ରେ କଲେ ନ ଛୁଇଁବ କାଳଦଣ୍ଡ,ଏ କଳିଯୁଗରୁ ନିଶ୍ଚେଁ ପାର ହେବ ବଞ୍ଚିବ ପରାଣ ପିଣ୍ଡ ।ଆମ୍ଭର କିଛି ଦୋଷ ନାହିଁ ଏଥିରେ ଡାକି ଡାକି କହୁଅଛୁ,ଏ କଳିଯୁଗରେ ଏହି ଏକା ନାମ ମହିମା ଭଜ ବୋଲଛୁଁ ।ମାୟାରେ ନ ପଡ଼ି ବେଦରେ ନ ହୁଡ଼ ବୁଝ ବୁଝ ଭଲ କରି,ଆପଣା ହେତୁରେ ଚେତାଇ ପାରିଲେ କଳିରୁ ଯିବ ଉବୁରି ।ଯେବୁ ଯହିଁ ଅଛ ଭଜିବ ଯେମନ୍ତେ ନ ଜାଣିବେ କି ଶ୍ରୀଗୁରୁ,ଆତଙ୍ଗ ମନରେ ଡାକି ଯେବେ ପାର ଘୁଞ୍ଚିବେ କାଳମୁଖରୁ ।ଭଜ ଭଜ ସର୍ବେ କହୁଅଛୁଁ ଏବେ ଧର୍ମରେ ଆଶ୍ରିତ ହୁଅ,ଅଶେଷ ବ୍ରହ୍ମାଣ୍ଡେ ଜୀବ ହୋଇ ଯେତେ ଯେହୁ ବହିଅଛ ଦେହ ।ସୁତିଚିନ୍ତାମଣି ସମ୍ପୂର୍ଣ୍ଣ ହୋଇଲା ବେନି ସହସ୍ର ପଦରେ,