ସ୍ତୁତି ଚିନ୍ତାମଣି
ଭୀମ ଭୋଇ · ଭାଗ ୫ / ୬ · ଭାଗ ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଠଷଠୀ ବୋଲିବୁଦ୍ଧମାନଙ୍କୁ ମୁଁ ବୁଝାଇ କହିଲି ଏ ଧର୍ମକୁ ଆଶ୍ରେ କର,ଏ କଳିଯୁଗରେ ଏହି ନାମ ସାର ଭବାର୍ଣ୍ଣବୁ ହେବୁ ପାର ।ଆତ୍ମା ଭକ୍ତି କଲେ ଉଦ୍ଧାର କରିବେ ଅଲେଖ ମହିମା ଗୁରୁ,ଏ କଳିଯୁଗରେ ଦେହଧାରୀ ହୋଇ ଆସିଅଛନ୍ତି ଶୂନ୍ୟରୁ ।କ୍ଷୀର ସିନ୍ଧୁ ବାସୀ ଅନନ୍ତ ଈଶ୍ୱର ହୋଇଛନ୍ତି ଅବତାର,ହେଳାକଲେ ସର୍ବେ ଭେଳା ବୁଡ଼ିଯିବ ବେଳଥାଉଁ ଆଶ୍ରେକର ।ବୃଦ୍ଧେ ବୋଇଲେ ତୁମ୍ଭେ ଯାହା କହିଲ ଉଚିତ ପ୍ରମାଣ ସତ,ବଳବୀର୍ଯ୍ୟ ସବୁ ଗଲାଣି ଅଙ୍ଗରୁ ହୋଇଲୁଣି ଅଶକତ ।ଅଲେଖ ମହିମା ବୋଲିବାର କଥା କେବେ ନାହିଁ ଶୁଣିଥିଲୁ,ବେଦଶାସ୍ତ୍ରେ ଏହା ଦେଖାହିଁ ନଥିଲା ଶୁଣି ଆଚମ୍ବିତ ହେଲୁ ।ବାପ ଅଜା ଆମ୍ଭ ବଡ଼ ବଡ଼େ ଥିଲେ ଏ ପଥେ କେହି ନ ଯାଇ,ଏତେବେଳେ ଆମ୍ଭେ ମହିମା ଭଜିବୁ କେବଣ ପରତେ ପାଇ ।ଏହି ଧର୍ମ କଲେ ସକଳ ଗୃହରେ ଖାଆନ୍ତି ପରା ସମସ୍ତେ,ପିତୃ-ପିତାମହ ପିଣ୍ଡ ପାଣି ଦେଲେ ନ ପାଇବେ ଆମ୍ଭହସ୍ତେ ।ମହିମା ଧର୍ମରେ କ୍ରିୟା କର୍ମ ନାହିଁ ସର୍ବେ ଯେମନ୍ତ ଭଜିବୁ,ମରିଗଲେ ଆମ୍ଭେ ଅଶୁଦ୍ଧ ହୋଇବୁ ଭୂତ ପ୍ରେତ ବୋଲାଇବୁ ।କିରସ୍ତାନ ମତ କିପାଇଁ କରିବୁ ମରିବାକୁ ଦିନେ ଅଛି,ବୁହା ପୋଡ଼ା ଆଉ କେହି ନ କରିବେ ହୋଇଯିବୁ ପୋକ ମାଛି ।ପ୍ରାଣ ଯିବ ପଛେ ମହିମା ନ ଭଜୁ ମୁକତି ନ ଲୋଡ଼ୁ ଆମ୍ଭେ,ଆମ୍ଭେ ପଛକେ ସମସ୍ତେ ମରିଯିବୁ ଜୀଇବ ସଂସାରେ ତୁମ୍ଭେ ।ଯାହା ବୋଇଲ ଏତିକି କହିଥାଅ ଆଉ ନ ଶୁଣିବୁ କର୍ଣ୍ଣେ,ହାଡ଼ି ଚଣ୍ଡାଳିଆ କର୍ମ କରିବାକୁ କେହୁ କଳପିବ ମନେ ।ପିତୃ ଲୋକମାନେ ପିଣ୍ଡ ନ ପାଇବେ ଅକାରଣ ହେବ ସବୁ,କୁଟୁମ୍ବ ପୋଷିବାକୁ ଠକ ହୋଇଲ ମିଛ କହୁଅଛ ବାବୁ ।ତୁମ୍ଭେ କାହିଁ ବ୍ରହ୍ମଜ୍ଞାନ ଜାଣିଲ ବୃଦ୍ଧେ ହୋଇ ନ ଜାଣୁଛୁ,ଶଏ ଷାଠିଏ ବରଷ ହୋଇଲାଣି ଏତେଦିନୁ ଆମ୍ଭେ ଅଛୁ ।ତୁମ୍ଭର ବାପ ଅଜାଙ୍କୁ ଜାଣୁ ଆମ୍ଭେ, ତାଙ୍କ ପୁତ୍ରନାତି ତୁମ୍ଭେ,କାଲି ଜନମ ହୋଇଛ ଦେଖିଅଛୁ କେତେ କହୁଛ ଆରମ୍ଭେ ।ସମସ୍ତ ବୃଦ୍ଧଜନ ଏହା ବୋଇଲେ ସେ ଠାବରୁ ପଳାଇଲୁଁ,ପଶ୍ଚାନ୍ତେ ଆମ୍ଭଙ୍କୁ ଦୋଷ ଦେବ ନାହିଁ ଡ଼ାକିକରି କହିଦେଲୁଁ ।ବାଳକମାନଙ୍କୁ ବୁଝାଇ କହିଲୁ ମହିମା ନାମକୁ ଭଜ,ଏକମନ ହୋଇ ଶୁଣସିରେ ବାବୁ ଖେଚଡ଼ ବୁଦ୍ଧିକି ତେଜ ।ବାଳକ ଦିନରୁ ଗୁରୁସେବା କରି ସତ୍ୟାଦି ପଥରେ ଚାଲ,ଅନ୍ୟାଏ ଅକର୍ମ ନ କରିବ ଯେବେ ନ ଛୁଇଁ ପାରିବ କାଳ ।ଧର୍ମ ଆଶ୍ରେ କଲେ ମୁକତି ପାଇବ ଗୁରୁ ପ୍ରସନ୍ନେ ତରିବ,ଗୁରୁବଚନ ଶିର ପରେ ବହିଲେ ବ୍ରହ୍ମଜ୍ଞାନୀ ବୋଲାଇବ ।ବେଳହୁଁ ଯେହୁ ମହିମା ଭଜିଥିବ ମହୀମଣ୍ଡଳେ ରହିବ,ଏ ଘୋର କଳିଯୁଗରୁ ପାର ହୋଇ ସତ୍ୟଯୁଗକୁ ପାଇବ ।ଗୁରୁସେବା କଲେ ଖାଇବାକୁ ମିଳେ ଶୁଣ ଶୁଣ ଆରେ ଭାଇ,ଗୁରୁପାଦ ଧ୍ୟାୟି କହେ ଭୀମ ଭୋଇ ଶିଶୁଙ୍କ ମେଳରେ ଥାଇ ।
ଅଣସ୍ତୁରି ବୋଲିବାଳକେ ବୋଇଲେ ଶୁଣସି ହୋ ବାବା ଅଜ୍ଞାନ ଆମ୍ଭର ବୁଦ୍ଧି,କିସ କିସ ତୁମ୍ଭେ ଆମ୍ଭଙ୍କୁ କହୁଛ ବୁଝି ନ ପାରୁଛୁ ଭେଦି ।ଏ ବୟସେ ଆମ୍ଭ ଚଞ୍ଚଳ ଯେ ମତି ଅଟୁ ଆମ୍ଭେ ବାଳ ଭୋଳା,ପାପ ପୁଣ୍ୟ କଥା କିଛିହିଁ ନ ଜାଣୁ ଖାଇ ଖେଳି ଦିନ ଗଲା ।କେଉଁ କଥା ପାପ କେଉଁ କଥା ପୁଣ୍ୟ ନୁହେ ଆମ୍ଭଙ୍କୁ ଗୋଚର,ଖେଚଡ଼ ପ୍ରକୃତି ବୁଦ୍ଧି ଅଟେ ଆମ୍ଭ ଅନୁକ୍ଷଣ ହରବର ।ଖଜା-ଭୁଜା ଭାତ-ତୁଣ-ପିଠା ଖାଇଲେ ଆମ୍ଭେ ଆନନ୍ଦ,କର୍ମ ଅକର୍ମ ବୁଦ୍ଧି କେମନ୍ତ ଅଟେ ନାହିଁ ଜାଣୁ ଭଲ ମନ୍ଦ ।ସୁବୁଦ୍ଧି କୁବୁଦ୍ଧି କାହାକୁ ବୋଲନ୍ତି ନୁହଇ ଆମ୍ଭଙ୍କୁ ଜଣା,ଶିଶୁମେଳରେ ବହୁତ ସ୍ନେହଭରେ ଖେଳିବା କଥା ଭାବନା ।ଆମ୍ଭେ ବୋଇଲୁ ତୁମ୍ଭେ ଯାହା କହିଲ ଉଚିତ ପ୍ରମାଣ ସତ,ବାଳକମାନେ ସର୍ବ ଶୁଭରେ ଥାଅ ପାଇ କଲ୍ୟାଣ ବାଞ୍ଛିତ ।ତୁମ୍ଭଙ୍କୁ ପାପ ପୁଣ୍ୟ କିଛି ନ ଲାଗେ ଅଜ୍ଞାନ ହୋଇଛ ଯେଣୁ,ଗୁରୁଙ୍କ କୃପା ତୁମ୍ଭଙ୍କୁ ହୋଇଥାଉ ବାହୁଡ଼ି ଅଇଲୁ ତେଣୁ ।ଜଣେ ଜଣେଆମ୍ଭେ ବୁଝାଇ କହିଲୁ ନୀଚ ଉଚ୍ଚ ପରିଯନ୍ତେ,ଏହି ଧର୍ମକୁ ସମସ୍ତେ ଆଶ୍ରେ କର ଶୁଦ୍ର ଚାଣ୍ଡାଳ ସହିତେ ।ରାଜା ବ୍ରାହ୍ମଣଙ୍କୁ ବତାଇ କହିଲୁ ଏହି ଧର୍ମ ତୁମ୍ଭେ କର,ଏ କଳିଯୁଗରେ ଏହି ଏକା ନାମ ଆଉ ନାହିଁ ନା ସଂସାର ।ମାତୃହରଣ କରିଥିବ ଯେ ଜନ ଏ ଧର୍ମେ କ୍ଷମା ପାଇବ,ଗୁରୁ ଅଗ୍ନି ରୂପ ମୂରତି ଅଟନ୍ତି ପାପଭାରାହିଁ ପୋଡ଼ିବ ।ସୁରା ପାନ କରିଥିବ ଯେଉଁ ଜନ କାଟ ହୋଇବ ଦୁରିତ,ଏହି ଧର୍ମକୁ ଆଶ୍ରେ କଲା ମାତ୍ରକେ ମୁକ୍ତି ହେବ ପରାପତ ।ବାଳହତ୍ୟା ଦୋଷ କରିଥିବ ଯେହୁ ପୋଡ଼ିବ ସେ ପାପମାନ,ଗୁରୁଙ୍କୁ ସେବା ଯେହୁ କରି ପାରିବ ମୋକ୍ଷ ହେବ ସେହୁ ଜନ ।ସ୍ତିରୀହତ୍ୟା ପାପ ଯେହୁ କରିଥିବ ମୋକ୍ଷ ହେବ ଏହୁ ଧର୍ମେ,ଜନମଯାକ ତା ଗୁରୁସେବା କରି ଚିତ୍ତ ରଖିଥିବ ନାମେ ।ଅଜ୍ଞାନରେ ଯେତେ ପାପ କରିଥିଲେ ଏ ଧର୍ମେ ହୋଇବ କ୍ଷୟ,ଗୁରୁବ୍ରହ୍ମ ଯେବେ ସୁଦୟା କରିବେ ନ ଥିବ ମନରେ ଭୟ ।ବ୍ରାହ୍ମଣ ହୋଇ ଶୁଦ୍ରଯୋନିରେ ଇନ୍ଦ୍ରି ବଳାଇ ଥିବ ଯେସନେ,ଧର୍ମ ଆଶ୍ରେକଲେ ସେ ପାପ ଖଣ୍ଡିବ ରଖିଥାଅ ଆରେ ମନେ ।ରାଜାମାନେ ପ୍ରଜା ସ୍ତିରୀ ହରିଥିଲେ ସେହି ପାପ ଯେବେ ଥିବ,ଏହି ଧର୍ମକୁ ଆଶ୍ରେ କରି ପାରିଲେ ଗୁରୁ ଆଜ୍ଞାରେ ପୋଡ଼ିବ ।ଗଣ୍ଡାଏ ଯୁଗକୁ ଗଣ୍ଡାଏ ଗଣ୍ଡାଏ ଭଜନା ତିଆର କରି,ସନ୍ଥଜନ ଦୁଷ୍ଟ ସମସ୍ତେ ତରନ୍ତୁ ହୃଦୟପଦ୍ମେ ବିଚାରି ।ବୃତ୍ତିକେ ଚାରିଗୋଟି ଲେଖେ ଭଜନା ଉତୁରାଇକରି ଭାଗ,ଘେନ ଘେନ ବୋଲି ସକଥ ଜନଙ୍କୁ ବାଣ୍ଟି ଦେଇ ଚାରିଦିଗ ।ଯେହୁ ଇଚ୍ଛା ସେହୁ ନାମକୁ ଭଜିଲେ ଏଥି କିଛି ଦୋଷ ନାହିଁ ,କି ଅବା ସ୍ତିରୀ ସେ କି ଅବା ପୁରୁଷ ଯେ ଜନ ପାରିବ ଧ୍ୟାୟି ।
ସତୁରି ବୋଲିଅନେକ ପ୍ରକାରେ ବୁଝାଇ କହିଲି ଗୁରୁଧର୍ମ ନ୍ୟାୟ ପଥ,ଅପ୍ରତେ କରିଣ ହୃଦରେ ବସିଛ ମନରେ ନ କର ସତ ।ଛତିଶ କୁଳ ଯେ ବାଉନ ପାଟକ ଯେତେ ଅଛନ୍ତି ସଂସାରେ,ସର୍ବେ ନାହିଁ ନାହିଁ ବୋଇଲେ ମୁଖରେ ନ ପଶିଲେ ଏ ଧର୍ମରେ ।ଆପଣା ଦୁଃଖସୁଖେ ସର୍ବେ ମଜ୍ଜିଲେ ଧର୍ମରେ ନ କଲେ ଚିନ୍ତା,ବେଦ ଶାହାସ୍ର ବଚନକୁ ସମସ୍ତେ ମଣିଲେଣି ବିଷ ପିତା ।ବ୍ରହ୍ମାଣ୍ଡର ପାପଭାରା ହୋଇଲାଣି କେମନ୍ତ କରିବି ସ୍ୱାମୀ,ସନ୍ଥ ସାଧୁ କେହି ରହି ନ ପାରିଲେ ଯାଗା ନାହିଁନି ମେଦିନୀ ।ଏବେ ପାପଭାରା ପୂରି ରହିଅଛି କେମନ୍ତେ ସ୍ଥାପନା ହେବ,କେଉଁ ଧର୍ମରେ ଦୁରିତ ନାଶ ହେବ ମୋ ଆଗେ ତାହା କହିବ ।ଏ କଳିଯୁଗର ମନୁଷ୍ୟ ଯେତେକ ବହୁତ ଅଧାର ଖାଇ,ପ୍ରକୃତିରେ ସର୍ବେ ବଶ ହୋଇଛନ୍ତି ଅତି ଉନୁମାଦ ହୋଇ ।ଜାତି ଅଜାତି କେହି ନାହିଁ ବାରିଲେ ଗୃହେ ଗୃହେ ସର୍ବେ ପଶି,ପାପ ପୁଣ୍ୟକୁ କାହାରି ଭୟ ନାହିଁ ସମସ୍ତେ ଗଲେଣି ଭାସି ।ଚାରି ବେଳ ଖାଇ ପ୍ରକୃତିବଳରେ ପାଞ୍ଚ ବେଳ କଲେ ରତି,ପ୍ରକୃତି ମତରେ ସର୍ବେ ବଶ ହେଲେ ଏଣୁ ବଢ଼ିଲା ଅକୀର୍ତ୍ତି ।କାହାକୁ କେହି ନ ମାନିଲେ ସଂସାରେ ଜାତିକୁଳ ବୁଡ଼ାଇଲେ,ଜାତି ଏକ ଜାତି ଏକ ଏକଠାରେ ରକ୍ତ ମାଂସ ବୁଡ଼ାଇଲେ ।କାହାରି ଜାତି କେହି ଯେ ନ ରଖିଲେ ବୁଡ଼ିଲା ବେଦ ଆଚାର,ତିନି ବ୍ରହ୍ମାଣ୍ଡରେ ଯେତେ ଦେହଧାରୀ ସର୍ବେ ହେଲେ ଏକାକାର ।ବାହ୍ୟ ମତକୁ ବଚନ କହୁଛନ୍ତି ଆମେ ବଡ଼ ବଡ଼ ଜାତି,ଗୁପତେ ଗୁପତେ ସବୁ ସରିଲାଣି ପ୍ରକୃତିରେ ଛନ୍ତି ମାତି ।ଛତିଶକୁଳ ଯେ ବାଉନ ପାଟକ ଜାତି ବୋଲା ନାହିଁ ଯାଏ,ପାଣି ଅନ୍ତର ପାଟକ ସିନା ଏହୁ ସୁପଣ୍ଡି ତେ କର ନ୍ୟାଏ ।ତିନି ବ୍ରହ୍ମାଣ୍ଡରେ ଲୋଡ଼ି ଆସ ତୁଣ୍ଡେ ଏକ ଜଣ ଏକ ଜାତି,ସେହି ସବୁଙ୍କୁ ଶତ ଜାତି କରିଛି ତାହାର ରଞ୍ଚିଲା ପୃଥ୍ୱୀ ।ସ୍ତିରୀ ପୁରୁଷ ଦୁହିଙ୍କି ଗଢ଼ିଅଛି ଯୋଡ଼ିଏ ସ୍ୱରୂପ ଦେଖ,ଦ୍ୱିତୀୟ ଜାତିରୁ ତିନି ଜାତି ନାହିଁ ସୁଜନେ କର ବିବେକ ।ପାଣି ପବନରୁ ସଞ୍ଚରି ଅଛନ୍ତି ଦେହଧାରୀ ଛନ୍ତି ଯେତେ,ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ ଚଳ ଅଚଳ ସହିତେ ।କେଉଁ ରୂପେ ପାପଭାରା ତୁଟାଇବ ବିଚାର ହେ ଗୁରୁଦେବ,କଳିଯୁଗ ଆସି ଶେଷ ହୋଇଲାଣି କେଉଁ ଗତି ରୀତି ହେବ ।ବ୍ରହ୍ମାଣ୍ଡକୁ ମୋର ବୁଦ୍ଧି ପାଉ ନାହିଁ ସାଗର ହୋଇଛି ପାପ,ମେଦିନୀରେ ଯେତେ ଥିଲେ ଆକାଶକୁ ଉଠିଲେଣି ଦେବେଲୋକ ।ରମ୍ଭାତରୁ ପ୍ରାଏ ତ୍ରିଭୁବନ ମହୀ ଥରହର କମ୍ପୁଅଛି,ଏକପାଦେ ଉଭା ହୋଇ ସତ୍ୟଧର୍ମ ଚାରିଦିଗେ ଚାହୁଁ ଅଛି ।କାହୁଁ ମୁଁ ଅଇଲି କେଉଁ ପଥେ ଯିବି ବୋଲି କରୁଛି ରୋଦନ,ପାତକଭାରାରେ ଆକୁଳ ହେଉଛି ଉର୍ଦ୍ଧ୍ୱ କୁ କରି ବଦନ ।ତ୍ରିଭୁବନ ଭାରା ସକଳ ସମର୍ପି ଅନୁସରି ଗୁରୁପାଦେ,
ଏକସ୍ତରି ବୋଲିଜୟ ଜୟ ପ୍ରଭୁ ଅଲେଖ ପୁରୁଷ ଅନାଦି ଈଶ୍ୱର ହରି,ଦୂରିତନାଶନ ବାନା ବହିଅଛ ଦୁର୍ଗତି ଖଣ୍ଡ ମୋହରି ।ଅନନ୍ତ ପୁରୁଷ ଅନ୍ତର୍ଯ୍ୟାମୀ ନାଥ ଅନ୍ତର୍ଗତ ଦୁଃଖ ଜାଣ,କରପତ୍ର ଶିରେ ଯୋଡ଼ି ଜଣାଉଛି ଏ ମୋର ବିନତି ଘେନ ।ଶତଜନ୍ମଠାରୁ କର୍ମ ଅକର୍ମରୁ କରିଅଛି ଯେତେ ପାପ,ଅନ୍ତର ବାହାରୁ ସର୍ବାଙ୍ଗ ଶରୀରୁ ନିବାର ହେଉ କଳଙ୍କ ।ଜାଣିବା ନ ଜାଣିବାର ଯେତେ ପାପ ଘୋଡ଼ାଅ ହେ ସଦଗୁରୁ,ତାଳୁ ପଦ ଅନ୍ତ ହୃଦୟ ନିର୍ମଳ କର ସର୍ବାଙ୍ଗ ଶରୀରୁ ।ଅଗ୍ନି ଅଙ୍ଗୀକାର ଗୁରୁ ବ୍ରହ୍ମ ଅଟ ବ୍ରହ୍ମରେ ପୋଡ଼ାଅ ରୋଗ,ଏହି ଶରୀରୁ ନିର୍ମଳ ହୋଇ ଯାଉ ଯେତେ ଦିନ ଥିଲା ଯୋଗ ।ଏତେବେଳେ ରୋଗ ଭୋଗକୁ ନିବାର ରୋମ ଚର୍ମରୁ ପଳାଉ,ଏହି ଶରୀରେ ଏତିକି ହୋଇଥାଉ ଅନ୍ୟ ଅଙ୍ଗେ ଯାଇଁ ରହୁ ।ଅନନ୍ତ ମଣ୍ଡଳେ ରହିବାକୁ ତୋତେ ଗୁରୁଙ୍କ ହୁକୁମ ନାହିଁ,ଭିତରୁ ବାହାର ହୋଇ ଦୁଃଖ ରୋଗ ଯାଉ ଯହିଁ ଇଚ୍ଛା ତହିଁ ।ବେନି କର୍ଣ୍ଣେ ମୁହିଁ ଯାହା ଶୁଣିଅଛି ଦୋଷ ପାପ କଥା ଯେତେ,ହିଂସା କପଟ କୁଟିଳ ବାଦ ଛନ୍ଦ ଅସତ୍ୟ ମିଥ୍ୟା ସହିତେ ।ରାଗ ଅହଂକାର କାମ କ୍ରୋଧ ଲୋଭ ଖଚ ମାୟା ଆଦି କରି,ବେନି କର୍ଣ୍ଣେ ମୋର ପୂରି ରହିଅଛି ସବୁ ପକାଅ ନିବାରି ।ଜଳର ପଙ୍କ ପ୍ରାଏ ପାପ ବକଳ ସର୍ବାଙ୍ଗରେ ଅଛି ଘୋଟି,ଶୂନ୍ୟ ପୁରୁଷ ବିଚାରି ଦୟା କର ସବୁଯାକ ପଡ଼ୁ ଫିଟି ।ଗୁରୁ ଅଜ୍ଞାତେ ନିର୍ମଳ ହୋଇଯାଉ ଶ୍ରବଣେ ନ ରଖ କିଛି,ଜନମ ଦିନରୁ ମିଥ୍ୟା ପାପ କଥା ଯାହା ଯାହା ଶୁଣିଅଛି ।ବେନି ନେତ୍ରେ ମୋର ଯେତେ ପାପ ଅଛି ଖଣ୍ଡନ କର ଶ୍ରୀଗୁରୁ,ମୋହର ଅବସ୍ଥା ଦେଖି ବ୍ରହ୍ମଗୁରୁ ଦୟା ହେଉ ଶ୍ରୀଛାମୁରୁ ।ରୂପ ଗୁଣ ବର୍ଣ୍ଣ ଜାନୁ ଯଉବନ ନେତ୍ରେ ଯାହା ଅଛି ଦେଖି,ଶୋଭା ସୁନ୍ଦର ସୁରଙ୍ଗ ଦ୍ରବ୍ୟମାନ ଯାହା ଦେଖିଅଛ ଆଖି ।ବେଶ ଭୁଷଣ ବୟସ ଦ୍ରବ୍ୟମାନ ଭଲ ମନ୍ଦ ଆଦି ଯେତେ,କଳା ଗୋରା ରଙ୍ଗ ପିଙ୍ଗଳ ଶାମଳ ଦେଖିଅଛି ନେତ୍ରପଥେ ।ଏ ପାତକମାନ ନେତ୍ରେ ଘୋଟିଅଛି କୁହୁଡ଼ି ଜାଲ ପରାଏ,ବ୍ରହ୍ମଧୁନିରେ ଝସାଇ କ୍ଷମାକର ଅଣାକାର ବ୍ରହ୍ମମଏ ।ଜନମକାଳରୁ ଦେଖିଅଛି ରୂପ ତହିଁର ଯେତେ ପାତକ,କୁହୁଡ଼ି-ଜାଲ-ବକଳକୁ ଫିଟାଅ ଅଣାକାର ଅନର୍ଯାପ ।ପ୍ରାନ୍ତରୁ ଯେସନ ଶିଶିର କୁହୁଡ଼ି ଆକାଶରେ ଥାଇ ଘୋଟି,ଅରୁଣ ତରାସ ପଡ଼ିଲେ ସେ ଯେହ୍ନେ ଚଉଦିଗେ ଯାଏ ଫାଟି ।ସେହିପରି ମୋର ବେନି ନେତ୍ରେ ପାପ କୁହୁଡ଼ି ପ୍ରାଏ ଘୋଟିଛି,ଏକ ରୂପ ଏକ ପାଦ ମହାବ୍ରହ୍ମ କୃପା ହସ୍ତେ ଦିଅ ପୋଛି ।ଗୁରୁଙ୍କର ହସ୍ତ ପଡ଼ୁଅଛି ଯହିଁ ଜଡ଼ା କହୁଅଛି ଜଡ଼ା କହୁଅଛି ବେଦ,ଏ ଛାର ବିଷୟ ଗୁରୁ ଶ୍ରୀଛାମୁକୁ କେତେ ଅବା ପରମାଦ ।ରବିତଳେ ଥାଇ ଶ୍ରୀଗୁରୁଙ୍କୁ ଧ୍ୟାୟି ମାନବ ତନୁକୁ ଧରି,
ବାସ୍ତରି ବୋଲିବେନି ନାସାରେ ଯେତେକ ପାପ ଅଛି ପୋଡ଼ାଅ ଗୁରୁ ଅଲେଖ,କଳିଯୁଗରେ ସବୁଠାରେ ପାତକ ଯାହା ପଡ଼ିଅଛି ମୁଖ ।ଗନ୍ଧ ପରକଟ ଭଲ ମନ୍ଦ ବାସ ସବୁ ଗ୍ରହଣ କରୁଛି,ସେହି ପାପମାନ ବେନି ନାସିକାରେ ବକଳ ପରାଏ ଅଛି ।ନିର୍ମଳ କରି ଛଡ଼ାଅ ପାପପଙ୍କ ଚାହିଁ କରୁଣା ନୟନେ,ତ୍ରିକୁଟ ମଣ୍ଡଳେ ଯାହା ପୂରିଅଛି ବେନି ନାସାରନ୍ଧ୍ର ବନେ ।କୈାଣସି ପ୍ରକାରେ ପାପତାପ ଭାରା ନିବାର ହେ ଗୁରୁଦେବ,ଜନମ ଦିନରୁ ଗନ୍ଧ ପରକଟ ଯାହା ଯାହା ପାଇଥିବ ।ଗୁରୁ କୃପା ହେଲେ କେତେକ ମାତର ଚାହିଁ ଦେଲେ ଯିବ ଉଡ଼ି,ସୁଗନ୍ଧ ବାସନା ଲୋଭ ମୋହରେ ମୁଁ ବିଅର୍ଥେ ମରୁଛି ବୁଡ଼ି ।ଏଥିର ନିମନ୍ତେ ଶ୍ରୀଗୁରୁ ଛାମୁରେ ଜଣାଉଛି ବାରୁଁ ବାର,ବ୍ରହ୍ମ ଅନଳେ ଦହନ କରି ପାପ ଉଚିତରେ କ୍ଷମା କର ।ତୁଣ୍ଡରୁ ପାତକ କହୁଅଛି ମୁହିଁ ନୁହଇ ହିସାବ କରି,ଜିହ୍ୱା ଅଗ୍ରେ ମୁହିଁ ଯାହା ଭାଷିଅଛି ଖଚ ମିଛ ଆଦି କରି ।ସେ ପାତକ ମୋର ବ୍ରହ୍ମରେ ପୋଡ଼ାଅ ଅଛି ସର ପଙ୍କ ପ୍ରାଏ,ବ୍ରହ୍ମ ଅନଳେ ସବୁଯାକ ଜାଳିଣ ପବିତ୍ର କର ମୋ କାଏ ।ଅସତ୍ୟ କହିବାକୁ ଭୟ ମାଡ଼ଇ କହିଥିବି ଅବା କେବେ,ଜନମ ଦିବସରୁ ପାପ ପ୍ରମାଦ ଭାଷିଅଛି ଯାହା ପୂର୍ବେ ।କେତେ ବଚନ ମୁଖରେ ପରକାଶ ନଦୀ ବଢ଼ି ପ୍ରାଏ ଦେଖ,ଜିହ୍ୱା ଅଗ୍ର କଣ୍ଠଦ୍ୱାରେ ଯେତେ ପାପ ନିବାର ଗୁରୁ ଅଲେଖ ।ହୃଦୟ ପଦ୍ମରେ ପାପ ମୋର ଯେତେ ତାହା ବିସ୍ତାରି କହୁଛି,ହୋଇବା ନୋହିବା ଯେତେ କଥାମାନ ପଞ୍ଚ ଭୂତେ ବିଚାରୁଛି ।ପଞ୍ଚୁଭୁତ ମନ ପଚିଶ ପ୍ରକୃତି ମିଛକୁ କରି ପସରା,ସେହି ପାପମାନ ବାସ କରିଅଛି ହୃଦୟମଣ୍ଡଳେ ପରା ।ଗୁରୁ କୃପା ବହି ଜ୍ଞାନ କତୁରୀରେ ଛେଦ ଖଣ୍ଡ ଖଣ୍ଡ କରି,ହୃଦୟରେ ମୋର ପାପ ପୂରିଅଛି ଦିନୁ ଦିନୁ ମହା ଭାରି ।ସେ ପାତକମାନ କ୍ଷମା କର ଏବେ ନିର୍ମଳ ହେଉ ଶରୀର,ପୁରୁଣା ହୋଇ ଯାହା ଯାହା ପଡ଼ିଛି ହୃଦରୁ କର ବାହାର ।ହୃଦରୁ ଉଶ୍ୱାସ ହେଉ ପାପବିଷ ହରଣ କରାଅ ସବୁ,ଦେବୀ ଦେବତା ମୁଁ କାହାକୁ ନ ଜାଣେ ତୁମ୍ଭେ ମୋର ବଡ଼ ପ୍ରଭୁ ।ତେଣୁ କରି ସିନା ତତ୍ତ୍ୱ ଚିତ୍ତେ ମୁହିଁ ଜଣାଣ କରୁଛି ଦୁଃଖ,ମୋ ଇଷ୍ଟଦେବତା ପ୍ରସନ୍ନ ହୋଇଲେ ହେବି ବୋଲି ନିଷ୍କଳଙ୍କ ।ଜାଲ ପ୍ରାଏ ଏବେ ଛାଟି ରହିଅଛି ହୃଦର ପାପ ବେଦନା,ବିନା ଭୟ ଭୀତି ନଥାଇ କାହାକୁ ପଞ୍ଚଭୂତରେ ଭାବନା ।ଶିରୀଧର ସ୍ୱାମୀ ଅଲେଖ ପୁରୁଷ ଛତ୍ରପତି ଦଣ୍ଡଧାରୀ,ପାପ ପରମାଦ ବୁଝିବେ ବୋଲି ମୁଁ ଅନୁସରି ଅଛି କରି ।ଆଜ୍ଞାହେଲେ ମୋତେ କାରଣ ମିଳିବ ଆଶା କରିଅଛ ଭୃତ୍ୟ,ପାପ ପୁଣ୍ୟ ଯାହା ପ୍ରକାଶ କଲି ମୁଁ ଗୁରୁଦେବ ସାମରଥ ।ଗୁରୁପାଦ ଧରି ଭରସା ମୁଁ କରି ଶ୍ରୀଛାମୁରେ ନୀଚ ହୋଇ,
ତେସ୍ତରି ବୋଲିକଟି ଉଦର ନାଭିଚକ୍ରମଣ୍ଡଳେ ପୂରି ରହିଅଛି ରୋଗ,ବାତ ପିତ ଆମ ଦଗଧ ପରାଏ କରୁଅଛି ଅଙ୍ଗେ ଭୋଗ ।କଫ କାଶ ଶେଳଷମା ଯେ ଶରଦ ଗରମ ଲସମ ରୂପେ,ଶିଶିର ହେମ ପରାଏ ହୋଇ ଅଙ୍ଗେ ପୀଡ଼ା କରୁଛନ୍ତି କୋପେ ।ଜ୍ୱର ଶିରବ୍ୟଥା ପଖା ଯେ ପାରୁଶ ତଣ୍ଟି ଓଷ୍ଠ କଣ୍ଠ ପୀଡ଼ା,ଶିର ସାଙ୍କୋଳି ଗଣ୍ଠି ମୁଠିରେ ପୂରି ସର୍ବାଙ୍ଗେ ପଡ଼ିଛି ବେଢ଼ା ।ରୁଧିର ମାଏଁ ସ ରୋମ ଚର୍ମେ ପୁରି ସର୍ବାଙ୍ଗ ଶରୀରେ ଘୋଟି,ପାପ ଦଉଡ଼ି ଜାଲ ଅଙ୍ଗେ ଘୋଟିଛି ଜୀବ ନ ପାରୁଛି ଉଠି ।ମଦାଙ୍ଗ ଲତା ପରାଏ ମହାପାପ ସର୍ବାଙ୍ଗ ଶରୀରେ ରହି,ଦିବସ ରଜନୀ ପୀଡ଼ା କରୁଅଛି ବଇରୀ ପରାଏ ହୋଇ ।କଷା ପିତା ଦୁଗ୍ଧ ମଧୁର ସହିତେ ସକଳ ମୁଁ ଅଛି ଖାଇ,ପୁଷ୍ପ ଫଳ ଡ଼ାଳ ପତର ସହିତେ ଯାହା ଭାଗ୍ୟରେ ମିଳଇ ।ଜଳ ଅନଳରେ ଯାହା ପାକ ହୁଏ ଆଧାର ବୋଲି ଭୁଞ୍ଜଇ,କଞ୍ଚା ଶୁଖା ଆଦି ଆମିଷ ସହିତେ ଶ୍ରୀଗୁରୁଙ୍କୁ ଟେକି ଦେଇ ।ଉଦର ଅନ୍ତରେ ପୂରି ରହିଅଛି ଖାଦ୍ୟ ଅର୍ଥ ପାକ ଯେତେ,ଚକ୍ର ପେଷି ଅନ୍ତ ଭିତରୁ ନିବାରି ଉଧାରିବା ହେଉ ମୋତେ ।ଉଦର ଖଣ୍ଡ ଅଟେ ବ୍ରହ୍ମାଣ୍ଡ ଭାଣ୍ଡ ଅଶେଷ ବ୍ୟାଧି ପୂରିଛି,ନିରୋଗୀ ପୁରୁଷ ଦୟାବହି ମୋତେ ନିର୍ମଳ କଲେ ହେଉଛି ।ବ୍ରହ୍ମ ଅଗ୍ନିଜାଳି ଦୁରିତ ପୋଡ଼ାଅ ମନ ଭ୍ରମ ଚିନ୍ତା ଯାଉ,ଆଜ୍ଞାରେ ଶ୍ରୀଗୁରୁ କ୍ଷମା କରି ନିଅ ଏତେବେଳରେ ନ ଥାଉ ।ଚିପି ଛାଣି ମାଜି ଧୋଇ ଅନ୍ତ ପିତ ବ୍ରହ୍ମରେ ପଖାଳି ଧୁଅ,ମାୟା ନ କରି ଏ ମାନବ ତନୁରୁ ପାରିକରି ମୋତେ ନିଅ ।ବାରମ୍ବାର ଶ୍ରୀଛାମୁରେ ଜଣାଇଛି ନ ରଖ ପାତକ କିଛି,ଅକଳଙ୍କ ହେବ ବୋଲି ପାପୀଜୀବ ଗୁରୁସେବା ଲାଗିଅଛି ।ଅନ୍ତର୍ଯ୍ୟାମୀ ପ୍ରଭୁ ନ ଜାଣ କି ତୁମେ କିସ ଜଣାଇବି ମୁହିଁ,ଉଦର ଅନ୍ତରେ ଯେତେ ପାପରୋଗ ନିବାର କର ଗୋସାଇଁ ।ଲିଙ୍ଗଚକ୍ରରେ ଯେତେକ ପାପ ଅଛି ପ୍ରକୃତିଗଣ ସ୍ୱରୂପେ,ରେତ ରସ ମୁତ୍ର ବିନ୍ଦୁ ଆଚ୍ଛାଦୁଛି ଏକାଦଶ ଇନ୍ଦ୍ରି ମୁଖେ ।ଅନ୍ତରେ ବିଚାରି କଳ୍ପଣା ଉଚ୍ଚାରି ଭାବି ମାୟାରୂପ ଗୁଣ,ଲିଙ୍ଗଚିତ୍ରରେ ଆବୋରି ରହିଅଛି ପ୍ରକୃତିରେ ପାପମାନ ।ସେହି ଦୋଷମାନ ଏବେ କ୍ଷମାକରି ଭବାର୍ଣ୍ଣବ ଦୋଷ ହର,ସଦଗୁରୁ ବ୍ରହ୍ମ ଅନଳେ ପୋଡ଼ାଇ ଏ ଜୀବକୁ ରକ୍ଷାକର ।ଗୁରୁଦେବ ବିନୁ ପ୍ରକୃତି ପାତକ ଅନ୍ୟରେ ନୁହଇ କ୍ଷମ,ଅଗ୍ନିରୂପ ହୋଇ ଉଦେ ହୋଇଅଛ ଅନାହତବାସୀ ବ୍ରହ୍ମା ।ନିବାର ନିବାର ନିର୍ମଳ କରିଣ ସର୍ବପାପ ଦୋଷମାନ,ଏକ ବ୍ରହ୍ମେ ମୁହିଁ ଏ ପିଣ୍ଡ ପରାଣ ସତ୍ୟରେ କରିଛି ଦାନ ।ଶୁଣ ସୁଜ୍ଞଜନେ ବୁଝାଇ କହୁଛି ସଦଗୁରୁ ସେବାକର,ଗୁରୁଙ୍କୁ ପ୍ରଭୁପଣହିଁ ବଡ଼ ନୁହେ ଆପଣା ମନେ ବିଚାର ।ଦୋଷ ଅପରାଧ କ୍ଷଏ ଯିବ ବୋଲି ଭରସା ମୋର ବହୁତ,
ଚଉସ୍ତରି ବୋଲିଗୁହ୍ୟ ଚକ୍ରର ଚରିତ ରୀତି ଗତି ଶୁଣିମା ଗୁରୁ ଅଲେଖ,ସେ ଦ୍ୱାରରେ ମଳ ମାଟି ଆଚ୍ଛାଦନ ତହିଁର ପାପ ଯେତେକ ।ରହ୍ୟର ପାପର ବ୍ୟାଧି ଜାତହୋଇ ପୀଡ଼ା କରେ ମଳଦ୍ୱାର,ଶତେ ଜନ୍ମଠାରୁ କର୍ମ ଅକର୍ମରୁ ପଡ଼ିଛି ମଙ୍ଗଳଭଣ୍ଡାର ।କହିଲା ବଚନ ନ କହି ବୋଇଲେ ହୁଅଇ ଗୁହ୍ୟ ପାତକ,ସାଧୁମଣ୍ଡଳରେ ନ ବସି ଜାଣିଲେ ତହିଁର ଦୋଷ ଯେତେକ ।ସେ ଦୁରିତ ଯେତେ ମଳଦ୍ୱାରେ ଅଛି ମାଟି ପଙ୍କ ପ୍ରାଏ ହୋଇ,ଏବେ ସେହି ପାପ ନିବାର ଶ୍ରୀଗୁରୁ ସୁଚିତ୍ତରେ ଦୟା ବହି ।ହରଣ କର ଏ ନବଦ୍ୱାର ପାପ ଯେ ରୂପେ ଯେ ଦେବ କ୍ଷମା,ଆପେ ପିଣ୍ଡକୁ ଗଢ଼ିଛ ସଦଗୁରୁ ଜାଣ ଦ୍ୱାରର ମହିମା ।ବ୍ରହ୍ମ ଅନଳରେ ପୋଡ଼ାଅ ଦୁରିତ ଯାହା ଅଛି ନବଦ୍ୱାରେ,ବ୍ରହ୍ମକୁ କି ଅବା ଅଗୋଚର ହେବ ଯେ ଅଛନ୍ତି ଯେଉଁ ଘରେ ।ବେନି ପୟର ପାତକ ମୋର ଯେତେ ଶୁଣିମା ଶ୍ରୀଗୁରୁଦେବ,ପଥ ଚାଲିବାରେ ଦୃଶ୍ୟ ଅଦୃଶ୍ୟରେ ମାଡ଼ିଅଛି ଯେତେ ଜୀବ ।ଅଜ୍ଞାନ କାଳରେ ପିତାମାତା ଅଙ୍ଗେ ପଡ଼ିଅଛି ଏହି ପାଦ,ବାଳକ ବୋଲି ବିଚାରି ପିତା ମାତା କ୍ଷମା କରି ହେଲେ ବୋଧ ।ସେହି କଥାମାନ ବିଚାରିଲେ ଏବେ ଘଟନା ହେଉଛି ଦୋଷ,ଦୟାବହି ହୃଦେ କ୍ଷମାକର ଦୋଷ ଅନାଦି ଶୂନ୍ୟ ପୁରୁଷ ।ପିତା ମାତା ରୂପେ ହୋଇଅଛ ତୁମ୍ଭେ ଆକାଶ ମଣ୍ଡଳୁ ଆସି,ଗୁରୁ ପିତା ମାତା କୋଳରେ ଏ ପାଦ ହୋଇଛି ବହୁତ ଦୋଷୀ ।ଏବେ କ୍ଷମାକର ସର୍ବ ଅପରାଧ ଅଜ୍ଞାନର କର୍ମ ଯେତେ,ଶତେବାର ଦଣ୍ଡ ପ୍ରଳମ୍ବିତ କରି କର ଯୋଡ଼ୁ ଅଛି ମାଥେ ।ଖଣ୍ଡନ କର ବେନି ଚରଣ ପାପ ତ୍ରାହି ତ୍ରାହି ପାଦବିନ୍ଦେ,ରକ୍ଷାକର ରକ୍ଷାକର ବୋଲି ମୁଖେ ପୁଣି ପୁଣି ପାଦ ବନ୍ଦେ ।ଯାହା କଲେ କଲା ଏ ବେନି ପୟର ଆଉ ନ କରୁ ଏ ଦୋଷ,ଏଥକୁ ଚାହିଁ ସୁଦୟା ମାତ୍ର ଥିବ ଅଣାକାର ଶୂନ୍ୟବାସ ।ଗୁହ୍ୟଦ୍ୱାର ପାପ ଯାହା ହେଲାହେଲା ଏଠାରୁ ଆଉ ନ ହେଉ,ଅମୃତ ଲୋଚନେ ଚାହିଁଥାଅ ପ୍ରଭୁ ଏହି ଦୟା ମାତ୍ର ଥାଉ ।ଲିଙ୍ଗ ଚିତ୍ର ପାପ ଯେତେ ହୋଇଥିଲା ଗୁରୁଦେବ କ୍ଷମାକଲେ,ପଶୁହରଣ ବେଶ୍ୟା ଯୋନିରେ ବୀଜ ନ ପଡ଼ିବ ତିନିକାଳେ ।ଅନ୍ତରେ ମାୟା କପଟ କଥାମାନ ନ ରହୁ ପାଞ୍ଚନା ଚିତ୍ତେ,ଦନ୍ତରେ ତିରଣ ଧରି ମାଗୁଅଛି ଏହି ଆଜ୍ଞା ହେଉ ମୋତେ ।ହୃଦୟ ପଦ୍ମରେ ପ୍ରକୃତି ବିଚାର ଆଉ ନ ଭାବୁ ଏ ମନ,ଗଳାରେ ବସନ ବାନ୍ଧି ଜଣାଉଛି ହେ ଅଲେଖ ମହାଶୂନ୍ୟ ।ଏ ଜିହ୍ୱାରେ ଆଉ ଅସତ୍ୟ ନ ବସୁ ବିଚଳ ନ ହେଉ ବାଚା,ଜନ୍ମ ଜନ୍ମାନ୍ତରେ ମିଥ୍ୟା ନ କହିବି ରଖିଥିବ କରି ସଚ୍ଚା ।ବେନି ନୟନେ ରୂପ ଗୁଣ ଚାହିଁଲେ କଳ୍ପଣା ନୋହିବ ଆଉ,ବେନି ପାଦଧରି ଗୁହାରି କରୁଛି ଶ୍ରୀଗୁରୁ ମୋ ମହାବାହୁ ।ବେନି ଶ୍ରବଣେ ଖଚକଥା ନ ପଶୁମାଗୁ ମୁଁ ଅଛି ଏତିକି,
ପଞ୍ଚସ୍ତରି ବୋଲିଅରୁଣ ତରାସ ପଡ଼ିଲେ ଯେସନେ ଅନ୍ଧକାର ଯାଏ ଫାଟି,ସେହିପରି ପ୍ରଭୁ ଜ୍ଞାନଖଡ଼ଗରେ ପାତକ ପକାଅ କାଟି ।ନିଶିରେ ଚନ୍ଦ୍ରମା ହୋଇଲେ ଯେସନ ରଜନୀ କରେ ଆଲୁଅ,ସେହି ପରକାର ପାପଭାରା ମୋର ନିବାରଣ କରି ନିଅ ।ସର୍ପଘାତ ହେଲେ ଗୁଣିକ ଯେସନ ବିଷରେ ପକାନ୍ତି ପଦ,ଅଙ୍ଗରେ ମୋର ପାପଲତା ଛାଟିଛି ଗୁରୁବାକ୍ୟେ ପାଉ ହଦ ।ସନ୍ନିପାତ ଘୋଟିଥିଲେ ବୈଦ୍ୟମାନେ ମେଲନ୍ତି ବିଷାନ ବଡ଼ି,ମଳୁଅଙ୍ଗରେ ସମୁଦ୍ର ପ୍ରାଏ ଜଳ ଶୁଖଇ ତା ତେଜ ପଡ଼ି ।ସେହିପରି ମୋର ଅଙ୍ଗରୁ ନିବାର ପାପ ଦୁଃଖସାଗରକୁ,ଜ୍ଞାନ ମଉଷଧି ଦେଇ ଭଲ କର ନଥାଉ କାଳ କାଳକୁ ।ରଜକ ଯେସନେ ମଳିଆ ବସନ ଉଜ୍ଜ୍ୱଳ କରଇ ତୁଠେ,ସେରୂପେ ମୋତେ ଉଜ୍ଜ୍ୱଳକର ପ୍ରଭୁ ଯେଉଁ ପାପ ଅଛି ଘଟେ ।ସୁବର୍ଣ୍ଣ ଯେସନେ ଅନଳେ ଦହିଲେ ରୂପ ତା ଦିଶଇ ଝଳି,ତେସନ ମୋତେ ବ୍ରହ୍ମ ଅନଳେ ଜାଳ ଛାଡ଼ିଯାଉ ପାପ ମଳି ।ମନୁଷ୍ୟ ଯେସନ ଜଳରେ ପଶିଲେ ସ୍ନାନ କଲେ ଶୁଦ୍ଧ ହୋଇପଙ୍କ ଧୂଳି ମଳି ଅଙ୍ଗେ ଲାଗିଥିଲେ ତତକ୍ଷଣେ ଛାଡ଼ିଯାଇ ।ସେହିରୂପେ ମୋର ଅଙ୍ଗେ ଲାଗିଅଛ ପାପପଙ୍କ ମଳି ଦେଖ;ଶୁନ୍ୟ ପୁରୁଷ ଏ ଶରୀରୁ ଓହ୍ଲାଇ କୋଠ ଭଣ୍ଡାରରେ ରଖ ।ଆକାଶେ ଯେସନେ ଘନ ଘୋଟିଥାଇ ଦିଶେ ଅନ୍ଧାର କୁହୁଡ଼ି,ଜଳ ବୃଷ୍ଟି ହେଲେ କାମରୁପୀ ଭାଜେ ବାତଘାତେ ଯାଏ ଉଡ଼ି ।ପାପ ମିଛ କତା ଘୋଟିଅଛି ଅଙ୍ଗେ ସର୍ବାଙ୍ଗେ ଅନ୍ଧାର ହୋଇ,ଶୂନ୍ୟ ପୁରୁଷ ଉଜ୍ୱଳ କର ମୋତେ ଅମୃତ ଲୋଚନେ ଚାହିଁ ।କଲିକତରା କୀଟପହଦପଙ୍କେ ଭିତରେ ଯେ ଥାଇ ପଡ଼ି,ବାହାର ହୋଇଲେ କିଛି ନ ଲାଗଇ ତା ଦେହୁଁ ପଡ଼ଇ ଛାଡ଼ି ।ସେହିପରି ମୁହିଁ ପାପ ହଦପଙ୍କେ ଭିତରରେ ଅଛି ପଶି,ଅନ୍ତର୍ଯ୍ୟାମୀ ଗୁରୁ ପାରିକର ମୋତେ ପଦ୍ମ କରରେ ଆଉଁସି ।ବେଶକାରୀମାନେ ଅଷ୍ଟଅଳଙ୍କାର ନୃତ୍ୟକାଳେ ହୋନ୍ତି ଖଞ୍ଜି,ନାଟ ସରିଗଲେ ଆପଣା ଦେହରୁ ପଛନ୍ତେ ପକାନ୍ତି ଭାଞ୍ଜି ।ସେହି ପରକାରେ ପାପ ଅଳଙ୍କାର ମୋ ଦେହେ ହୋଇଛି ମଣ୍ଡି,ଫେଡ଼ି କଷଣ ପାପ ଅଳଙ୍କାରକୁ ଦେହରୁ ପକାଅ ଖଣ୍ଡି ।ଶୀତକାଳେ ଯେହ୍ନେ ପ୍ରାଣୀଙ୍କ ଅଙ୍ଗରେ ନ ପାରଇ ଶୀତ ରହି,ହୁତାଶନ ହୋଇ ଉଠିଲେ ବହନ ତକ୍ଷଣେ ଯାଏ ପଳାଇ ।ସେହିପରି ମୋର ଅଙ୍ଗେ ପାପଶୀତ କରୁଅଛି ପରମାଦ,ବ୍ରହ୍ମ ଅନଳ ମୂରତି ହୋଇ ଗୁରୁ ଶ୍ରୀହସ୍ତେ ଦୁରିତ ଛେଦ ।କୈାଣସି ପ୍ରକାରେ ପାରି କର ମୋତେ କାଳ ବିକାଳ ମୁଖରୁ,ଶ୍ରୀହସ୍ତ ବଢ଼ାଇ ଛାଣି ନିଅ ମୋତେ ଚିର ଦୁଃଖପାତକରୁ ।କ୍ଷୀରସିନ୍ଧୁ ବାସୀ କ୍ଷୀର ପ୍ରାଏ ଦେହ ନିସ୍ତାରି ଉଜ୍ଜ୍ୱଳ କର,ଗୋଟି ଗୋଟି କରି କେତେ ବଖାଣିବି ଅଶେଷ ପାପୁ ଉଧର ।ମନର କଳ୍ପଣା ଜାଣୁଥିବ ଗୁରୁ ଯାହା ଜଣାଇଛି ଆଦ୍ୟେ,
ଛସ୍ତରି ବୋଲିଏ କଳିଯୁଗରେ ବହୁତ ପାତକ କେମନ୍ତେ ହୋଇବି ପାର,ପାପସିନ୍ଧୁରେ ଭାସିଣ ଡ଼ାକୁଅଛି ତ୍ରାହି କର ଅଣାକାର ।ନବଦ୍ୱାରେ ପାପ ଜଳ ପ୍ରାଏ ପଶି ତାଳୁରୁ ତଳିପାଯାଏ,ଅକ୍ଷଏ ପୁରୁଷ କ୍ଷଏ କର ଦୋଷ ନ ଥାଉ ମନ ସଂଶଏ ।ଚଉରି ମଦଙ୍ଗ କଳ୍ପଲତା ପ୍ରାଏ ପାପ ମିଛ କଳ୍ପମାନ,ସକଳ ପାପ ପରମାଦ ନିବାରି ମନବାଞ୍ଛା କର ପୂର୍ଣ୍ଣ ।ଆଜ୍ଞା ହୋଇଲେ କେମନ୍ତେ ନ ଛାଡ଼ିବ କୃପାରେ ଅଟ ବାରୀଧି,କରୁଣାସିନ୍ଧୁ ପାପସିନ୍ଧୁ ନିବାର ମନବାଞ୍ଛା କର ସିଦ୍ଧି ।ପାପ ଦୋଷ ଯେତେ ହୃଦୟ କଳ୍ପଣା ବିଚାର ମୋହର ଯେତେ,ଅଖଣ୍ଡ ପୁରୁଷ ଖଣ୍ଡନ କରାଅ ମନ କଳ୍ପଣା ସହିତେ ।ଉବାର୍ଣ୍ଣବରେ ପଡ଼ି ଦୋଷ କରିଛି ତହିଁର ପାତକ ଯାହା,ଭବରୋଗକୁ ବୈଦ୍ୟ ହୋଇ ଆପଣ କ୍ଷମା କର ପ୍ରଭୁ ତାହା ।ଭବାର୍ଣ୍ଣବେ ଜାତ ହୋଇଛି ଏ ଜୀବ ଜନ୍ମ ମୃତ୍ୟୁ ଦୋଷ ସବୁ,ଜନ୍ମ ମରଣ ବେନି ପକ୍ଷ ବିଚାରି ଦୟା କର ମୋତେ ପ୍ରଭୁ ।ବିନା ଆଜ୍ଞାରେ ତିରଣ ନ ହଲଇ ଆଜ୍ଞା ହେଲେ ପାପ ଯିବ,ଆଜ୍ଞାକୁ ଅବଜ୍ଞା କରି ପାପ ଦୋଷ କେମନ୍ତେ ଅଙ୍ଗେ ରହିବ ।ଆଜ୍ଞାରେ ସର୍ବେ ତ ବେହାରୀ ଅଟନ୍ତି ଆଜ୍ଞା ନ ଲଘଂନ୍ତି କେହି,ଛାର ପାତକ ପ୍ରକୃତି ପରମାଦ ଅଙ୍ଗେ କି ପାରିବ ରହି ।ଆଜ୍ଞାରେ ସପତସିନ୍ଧୁ ପୁରିଅଛି ଲଘିଂ ବାକୁ ନାହିଁ କୂଳ,ମୋର ପାତକ କେମନ୍ତେ ନ ଛାଡ଼ିବ କିମ୍ପା ଥିବ କାଳ କାଳ ।ଆଜ୍ଞାରେ ରହିଛି ନବଖଣ୍ଡ ମହୀ ନ ପଡ଼ୁଛି ରସାତଳେ,ଏ ମୋର ଦୁରିତ କେମନ୍ତେ ନ ଯିବ ଶକତିରୁ ଦୟା କଲେ ।ଆଜ୍ଞା ଘେନି ଚନ୍ଦ୍ର ସୂର୍ଯ୍ୟ ଆକାଶରେ ହେଉଛନ୍ତି ଉଦେ ଅସ୍ତ,ଏ ଛାର ପାପ ପ୍ରଭୁଙ୍କୁ ବଳିଆର କିମ୍ପା ନୋହିବ ଲେପତ ।ଆଜ୍ଞାରେ ନବଲକ୍ଷ ତାରା ଆକାଶେ ଫେରୁଛନ୍ତି ଚଉଦିଗ,ଆଜ୍ଞା ଯେବେ ହେବ ମହା ପୂର୍ଣ୍ଣବ୍ରହ୍ମ କିମ୍ପା ପାତକ ରହିବ ।ଆଜ୍ଞାରେ ଇନ୍ଦ୍ର ଜଳ ବୃଷ୍ଟି କରାଇ ମେଣ୍ଟି ନ ପାରଇ କେବେ,ଏ ମୋର ପାତକ କେତେକ ମାତର ଶ୍ରୀଗୁରୁଦେବ ଖଣ୍ଡିବେ ।ଆଜ୍ଞାରେ ପବନ ବହୁଅଛି ଦେଖ ପିଣ୍ଡ ବ୍ରହ୍ମାଣ୍ଡ ଆବୋରି,ଏ ଅଙ୍ଗରେ ପାଗ ଯାହା ଅଛି ମୋର ଗୁରୁବାକ୍ୟ ହେଉ ପାରି ।ଆଜ୍ଞା ଘେନି ଅଗ୍ନି ପାକ କରୁଅଛି ଏହି ପିଣ୍ଡ ବ୍ରହ୍ମାଣ୍ଡକୁ,ଏ ଛାର ପାତକ କେମନ୍ତେ ମେଣ୍ଟିବ ଅନାଦି ଗୁରୁ ଆଜ୍ଞାକୁ ।ଗୁରୁ ଆଜ୍ଞା ପାଇ ଏ ମେରୁ ମନ୍ଦର ଧରଣୀକୁ ଅଛି ଧରି,ଗୁରୁ କୃପା ହେଲେ ଏ ମୋର କଳୁଷ କିମ୍ପା ନୋହିବ ନିବାରି ।ଗୁରୁ ଆଜ୍ଞା ହେଲା ଯାଅରେ ପାତକ ନିଜ କର୍ମକୁ ଆଦରି,ଯହୁଁ ଆସିଥିଲୁ ତହିଁକି ତୁ ଯାଅ ଆଦ୍ୟର ବସା ସୁମରି ।ଏତେ ଦିନଯାଏ ଯାହା ଭୋଗକଲୁ ଆଉ ନ କର ତୁ ବଳେ,ସଦଗୁରୁଙ୍କର ଆଜ୍ଞା ଶିରେ ବହି ପଳାଅ ତୁ ଅନ୍ତରାଳେ ।ଶତ ଜନ୍ମଠାରୁ ହେତୁ କରି ଆଣି ଯେତେ ଥିଲା ପାପଭାର,
ସତସ୍ତରି ବୋଲିତାଳୁ ତଳିପାରୁ ପଳା ପାପ ରୋଗ ଆଜ୍ଞା ନ କର ମେଣ୍ଟଣ,ଆଜ୍ଞ ନ ମାନି ବଳତ୍କାରେ ରହିଲେ ଅଭିଶାପ ହେବ ଜାଣ ।ନଖ ନାସିକାରୁ ପଳାଅ ପାତକ ସକଳ ସ୍ଥାନରୁ ଛାଡ଼ିତୋହରି ନିମନ୍ତେ ଇଝାର ଦେଇଛି ଶ୍ରୀଛାମୁରେ ଅଛି ପଡ଼ି ।ଗଣ୍ଠି ମୁଷ୍ଟିରୁ ପଳାଅ ମହାକାଳ ଶିର ସାଙ୍କୋଳିରୁ ଘୁଞ୍ଚି,ଗୁରୁ ସମ୍ମୁଖେ ତୋହ କଥା ପଡ଼ିଛି ଦେଖ ତୁ ନ ପାରୁ ବଞ୍ଚି ।ଚଉଷଠି ବ୍ରହ୍ମ ଘରକୁ ପଳାଅ ଅଛି ଯେବେ ତୋର ଭାଗ୍ୟ,ନ ମାନିବୁ ଯେବେ ଦୁର୍ଦ୍ଦଶା ଦୁର୍ଦ୍ଦଣ୍ଡେ ନିଶ୍ଚୟ ଏ ସଜା ହେବ ।ଅନ୍ତ ପିତ୍ତରୁ ତୁ ବାହାରି ପଳାଅ ଅସ୍ଥି ମାଂସରେ ତୁ ନ ଥା,ଏତେ କାଳ ଆସି ଗୁରୁଙ୍କ ସନ୍ନିଧେ ଫୁଟିଲାଣି ତୋର କଥା ।ଅଙ୍ଗ ରୋମ ଚର୍ମରୁ ଛାଡ଼ି ପଳାଅ ନ ଗଲେ ଗୁରୁଙ୍କ ରାଣ,କିମ୍ପାଇ ଅମାନିଆ ଏତେ ହେଉଛୁ ବ୍ରହ୍ମର ବଚନ ଘେନ ।ଅଲେଖ ବ୍ରହ୍ମର ରାଣ ଅଛି ତୋତେ ପଳାଅ ପିଣ୍ଡରୁ ଛାଡ଼ି,ଫେଣ ପ୍ରାଏ ପଛେ ଆଉଯାଇ ହେବୁ ବାଜିଲେ ବ୍ରହ୍ମ ଲହଡ଼ୀ ।ସମସ୍ତଙ୍କୁ ଗୁରୁ ଜାତ କରିଛନ୍ତି ଅଜାତରେ କେହି ନାହିଁ,ଏବେ ତୋହର ମହତ୍ତ୍ୱ ଧରି ପଳା ତିଆରି କହୁଛି ମୁହିଁ ।ପାପ ପୁଣ୍ୟ ଧର୍ମ ଅଧର୍ମ ସହିତେ ଜନମ ହୋଇଛି ସତ,ସମସ୍ତେ ଅନାଦି ବ୍ରହ୍ମର ଗଢ଼ିଲା ନ ଗଢ଼ି ହୋଇ ଆପେ ତ ।ଗୁରୁଙ୍କ ବ୍ରହ୍ମାଣ୍ଡ ଧରତି ଆକାଶ ନବଦ୍ୱୀପ ପୃଥ୍ୱୀ ଅଛି,ଯହିଁ ଇଚ୍ଛା ତୋର ସେ ପଥରେ ଯା ଯା ଭାଳେଣି ନ କର କିଛି ।ଶୁଦ୍ଧ ସୁବର୍ଣ୍ଣ ପରାଏ ହେଉ ଅଙ୍ଗ ଅରୁଣ କିରଣ କାନ୍ତି,ଚାରି ଯୁଗେ ଗୁରୁ ପାଦ ମିଳିଥାଉ ରହୁ ମୋ ସେବା ଭଗତି ।ଚନ୍ଦ୍ର ତରାସ ପରାଏ ହେଉ ଦେହ ସ୍ଫଟିକ ପଥର ଜିଣି,ଶୂନ୍ୟ ପୁରୁଷ ନିର୍ଦୟ ନ ହୋଇବ ସେବା ଭକ୍ତି ଥିବ ଘେନି ।ନିକଳଙ୍କ ହେଉ କଳଙ୍କ ନଥାଉ ଗୁରୁ ସେବା କଲା ତନୁ,ପିଣ୍ଡ ପ୍ରାଣ ମୋର ସମର୍ପି ଦେଉଛି ଜ୍ଞାନ ବୁଦ୍ଧି ହେଲା ଦିନୁ ।ଦର୍ପଣ ତରାସ ପ୍ରାଏ ହେଉ ଦେହ ବିଦ୍ୟୁଝଟକାନ୍ତି ପ୍ରାଏ,ଏରୂପେ ଶୂନ୍ୟବ୍ରହ୍ମର ଦୟା ଥାଉ ତମ୍ବା ପ୍ରାଏ ହେଉ କାଏ ।ଜାଜୁଲ୍ୟ ମୂରତି ହେଉ ଏହି ଘଟ ଅଗ୍ନିରେ କାନ୍ତି ଯେସନ,ବ୍ରହ୍ମକୁ ତେଜି ବ୍ରହ୍ମ ଧର୍ମ ବର୍ଦ୍ଧିତ ହେଉ ବ୍ରହ୍ମତେଜମାନ ।ସକଳ ସ୍ଥାନରେ ମଳିନ ଅବସ୍ଥା ଲୋଡ଼ିଲେ ନ ମିଳୁ କାହିଁ,ସର୍ବାଙ୍ଗ ଶରୀର ପରିମଳ ହେଉ ଦିଶୁ ବ୍ରହ୍ମଭୂତମୟୀ ।ଲବଣୀ ପ୍ରାଏ ଚିକ୍କଣ ହେଉ ଦେହ ନ ଥାଉ ଯେ ଅବିଗୁଣ,ଅରୂପବ୍ରହ୍ମର ଦୟା ଥାଉ ମୋତେ ମିଳୁଥାଉ ଦରଶନ ।ଶତ ଶତବାର ଶତ ସସ୍ରଥର ଜଣାଣ କରୁଛି ମୁହିଁ,ତତ୍ତ୍ୱ ମନରେ ମୁଁ ଗୁରୁଙ୍କୁ କହୁଛି କଦାଚ ଅସତ୍ୟ ନାହିଁ ।ସାଧୁ ସୁଜ୍ଞନର ଗୁରୁ ସେବା କର ବ୍ରହ୍ମରେ ହୁଅ ଭଗତି,ଅଶେଷ ଜନ୍ମର କଳୁଷ ନାଶିବେ ଅବଶ୍ୟ ଦେବେ ମୁକତି ।
ଅଠସ୍ତରି ବୋଲିଏଥୁ ଅନନ୍ତରେ ଶୁଣ ସୁଜ୍ଞଜନେ କହିବା ଅପୂର୍ବ କଥା,ଅତି ଆଗୋଚର ଚରିତ ଅଟଇ ଶାହାସ୍ରେ ରହିଛି ପୋଥା ।ଯେତେ ଦିବସରୁ ହେତୁ ଜ୍ଞାନ ହେଲା ପ୍ରତକ୍ଷେ ଜାଣୁଛି ମୁହିଁ,ଗୁରୁଙ୍କର ସିନା ସକଳ ଅଟଇ କାହାରି ଅଧୀନ ନାହିଁ ।ଏ ମାଟି ପଥର ଏ ଜଳ ପବନ ଏମାନେ ନ ଥିଲେ କେହି,ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଅନ୍ଧକାର ଥିଲା ନିଶବଦ ହୋଇ ।ଚନ୍ଦ୍ର ସୂର୍ଯ୍ୟ କେହି ଆକାଶେ ନ ଥିଲେ ନବ ଲକ୍ଷ ତାରାଗଣ,ଦିବସ ରଜନୀ ଏକ ହୋଇଥିଲା ନ ଥିଲା ରଚନାମାନ ।ସ୍ୱର୍ଗ ମର୍ତ୍ତ୍ୟପୁର ପାତାଳ ନ ଥିଲା ବ୍ରହ୍ମା ବିଷ୍ଣୁ ରୂପ ତିନି,ତେତିଶ କୋଟି ଦେବ ତହିଁ ନ ଥିଲେନଥିଲା ଶବଦ ଧୂନି ।ପୃଥୀ ଆପ ତେଜ ବାୟବ ଆକାଶ ପଞ୍ଚୁଭୂତହିଁ ନ ଥିଲେ,ମହାଶୂନ୍ୟ ଅନ୍ଧକାରହିଁ ସହିତେ ନ ଥିଲେ ଏତେତେବେଳେ ।ଉର୍ମ ଧୂର୍ମ ଜ୍ୟୋତି ଜ୍ୱାଳାହିଁ ନ ଥିଲେ ହୋଇଥିଲା ମହାଶୂନ୍ୟ,ଶରଦ ଉଷୁମ ଏମାନେ ନ ଥିଲେ ଋତୁ ସଞ୍ଚାର ଗ୍ରୀଷମ ।କାମନା କଳ୍ପଣା ରଞ୍ଚନା ପାଞ୍ଚନା ନ ଥିଲେ ପ୍ରେମ ପ୍ରକୃତି,ପାପ ପୁଣ୍ୟ ଭଲ ମନ୍ଦହିଁ ନ ଥିଲେ ଶୂନ୍ୟ ହୋଇଥିଲା ପୃଥୀ ।ଛପନା କୋଟି ଜୀବ ଆଦି ନ ଥିଲେ ଚାରିଖାନି ଛନ୍ତି ଯେତେ,ଲାଭ ହାନି ଆଦି କିଛିହିଁ ନ ଥିଲା କର୍ମ ଅକର୍ମ ସହିତେ ।ଶୁଣ ସୁଜ୍ଞଜନେ ଯହୁଁ ଜାତ ହେଲେ କହିବା ତହିଁର ଭେଦ,ବେନି କର୍ଣ୍ଣେ ଶୁଣି ପଞ୍ଚଭୁତ ମନେ ଜାଗ୍ରତ କରି ସମ୍ପାଦ ।ନିଶବଦ ଘରୁ ଅନାମ ଶକ୍ତିରୁ ଜନମ ହୋଇଲା ଶୂନ୍ୟ,ଶୂନ୍ୟ ସଞ୍ଚାରରୁ ଆକାର ଧଇଲା ବାହାର ହୋଇଲା ବର୍ଣ୍ଣ ।ଅନାମରୁ ଅଗ୍ନି ପବନ ଜନ୍ମିଲା ଆକାଶେ ରହିଲା ପୂରି,ଘୁ ଘୁ ଶବଦ ନିରନ୍ତର ହୋଇଲା ତାମସ ଗୁଣକୁ ଧରି ।ଅନାମରୁ ତହୁଁ ଜଳ ଜାତ ହେଲା ଅଗ୍ନି ପବନେ ମିଶିଲା,ସତ୍ତ୍ୱ ରଜ ତମ ତିନି ନାମ ବହି ତିନି ଗୁଣ ବୋଲାଇଲା ।ଅନାମରୁ ଚନ୍ଦ୍ର ସୂର୍ଯ୍ୟ ଜାତ ହେଲେ ହେଲା ଦିବସ ରଜନୀ,ଆକାଶରେ ଉଦେ ଅସ୍ତ ହୋଇବାରୁ ବୋଲାଇଲା ଦିନମଣି ।ଅନାମରୁ ବ୍ରହ୍ମା ବିଷ୍ଣୁ ଶିବ ଜାତ ହୋଇଲେକ ତେତେବେଳେ,ଏ ବ୍ରହ୍ମାଣ୍ଡ ଜାତ ନୋହିଥିଲା ବେଳେ ଥିଲେ ନିରାକାର କୋଳେ ।ଏ ମାଟି ପଥର ଅନାମୁ ଜନ୍ମିଲା ହେଲା ମେଦମେଦା ମହୀ,ଛପ୍ନାକୋଟି ଜୀବ ଅନାମୁ ଜନ୍ମିଲେ ସମସ୍ତେ ବହିଲେ ଦେହୀ ।ଅନାମରୁ ପଞ୍ଚଭୂତ ଜାତ ହୋଇ ପୂରିଲେ ସେ ତ୍ରିଭୁବନ,ପୃଥ୍ୱୀ ଆପ ତେଜ ବାୟବ ଆକାଶ ବୋଲାଇଲା ପଞ୍ଚଗୁଣ ।ଅନାମରୁ ଉର୍ମ ଧୂର୍ମ ଜ୍ୟୋଜି ଜ୍ୱାଳା ଜନମ ହୋଇଲେ ଦେଖ,ଯାହାର ଯେମନ୍ତ ସ୍ୱଭାବକୁ ଘେନି ଉଦୟ ତିନି ତ୍ରୈଲୋକ୍ୟ ।ରଞ୍ଚନା ପଞ୍ଚନା ଅନାମୁ ଜନ୍ମିଲା ଅନାମରୁ ୠତୁ ଜାତ,ଷଡ଼ଋତୁରେ ଲାଗି ଜଳ ପବନ ଜୀବ ହେଲା ମୁର୍ତ୍ତିବନ୍ତ ।ଶୁଣ ସୁଜ୍ଞସାଧୁ ଆଦ୍ୟର ବାରତା ଜାତକର ନିରୂପଣ,
ଅଣାଅଶୀ ବୋଲିଅନାମରୁ କାଳପୁରୁଷ ଜନ୍ମିଲା କମଳରେ କଲା ବାସ,ଛପନା କୋଟିକି ଗ୍ରାସିବି ବୋଲିଣ ମନେ କଳ୍ପି କଲା ଆଶ ।ଅନାମରୁ ଜନ୍ମ ମୃତ୍ୟୁ ଜାତ ହୋଇ ରହିଲା ସେ ଆଗ ପଛେ,ମଧ୍ୟରେ ପିଣ୍ଡକୁ ସର୍ଜନା କରାଇ ଉଦିତ ହୋଇଲା ମଞ୍ଚେ ।ଅନାମରୁ ଜନ୍ମ ପଚିଶ ପ୍ରକୃତି ପ୍ରେମରେ ବଢ଼ିଲା ଲତା,ଆଜ୍ଞାରେ ନାନା ସଖ ଅଙ୍କୁରିଲା ଜୀବକୁ ହୋଇଲା ପିତା ।ଅନାମରୁ ରଜ ବୀଜ ଜନ୍ମ ହେଲା ବିନ୍ଦୁ ବ୍ରହ୍ମ ବୋଲାଇଲା,ଦରବି ଆସି ପିତା ଅଙ୍ଗଭାଗରୁ ମାତା ପଦୁରେ ପଶିଲା ।ଅନାମରୁ ପାପ ପୁଣ୍ୟ ଜନ୍ମ ଲଭି ଦୋଷକୁ ରହିଲେ ଜଗି,ଜୀବ ଆତ୍ମା ଯହିଁ ସେ ରହିଲେ ତହିଁ ସଙ୍ଗେ ସଙ୍ଗେ ଛନ୍ତି ଲାଗି ।ନବଲକ୍ଷ ତାରା ଅନାମରୁ ଜନ୍ମ ହୋଇ ରହିଲେ ଶୂନ୍ୟରେ,ଯୋଗ ଅନୁକୂଳ ଶୁଭରେ ରହିଲେ ଉଦେ ରାତ୍ର ଦିବସରେ ।ଦଶଦିଗପାଳ ତେତିଶ୍କୋଟି ଦେବ ଅନାମରୁ ଜନ୍ମ ହେଲେ,ଅନାମ ବୈକୁଣ୍ଠ ଭୁବନରୁ ଆସି ବୈକୁଣ୍ଠପୁରେ ରହିଲେ ।ସତ୍ୟଧର୍ମ ଦୁହେଁ ଅନାମରୁ ଜାତ ହୋଇଛନ୍ତି କେତେବେଳେ,ସକଳ ଭୂତେ ଠାବେ ଠାବେ ପୂରିଲେ ତିନି ଭୂବନମଣ୍ଡଳେ ।ନବଗ୍ରହ ସତାଇଶ ଯେ ନକ୍ଷତ୍ର ଅନାମରୁ ହେଲେ ଜାତ,ତିନିଭୁବନରେ ତାଙ୍କ ତେଜ ଲାଗିଲା ପୂରି ଅଶେଷ ଜଗତ ।କହନ୍ତା ବହନ୍ତା ଶୋରତା ବକତା ଅନାମରୁ ଜନ୍ମ ହେଲେ,ଯେତେ ଜୀବମାନ ପିଣ୍ଡକୁ ବହିଲେ ଘଟ ଆବୋରି ରହିଲେ ।କର୍ମ ଅକର୍ମ ଅନାମରୁ ଜନ୍ମିଲେ ଧଇଲେ ନିଜ ସ୍ୱଭାବ,ତେଣୁ ଏ ସଂସାରେ ସତ ମିଛ ଦୁଇ ବୋଲାଇଲେ ବେନି ଭାଗ ।ମାଇ ଅଣ୍ଡିର ଯେତେ ଛନ୍ତି ସଂସାରେ ଅନାମରୁ ହେଲେ ଜନ୍ମ,ମୁଖରେ ପ୍ରେମ ପୀୟୁଷ ଭାବନାରେ ଯୁଗଳରେ କଲେ କର୍ମ ।ହେତୁ ବୁଦ୍ଧି ଜ୍ଞାନ ଚିଆଁ ଚଇତନ ଅନାମରୁ ଜନ୍ମ ହୋଇ,ଯେ ଅଟଇ ଯେଉଁସ୍ଥାନେ ସମଯୋଗ ସମସ୍ତେ ବସିଲେ ଯାଇ ।ଅନାମରୁ ଚାରି ବେଦ ଜାତ ହୋଇ ଉଙ୍କାର ଅନାମୁ କ୍ଷରି,ଶ୍ରୀମୁଖ ବଚନ ପରିବନ୍ଧ ପଦ ରହିଲା ଶାହାସ୍ରେ ପୂରି ।ଅନାମ ମଣ୍ଡଳୁ ଅନନ୍ତ କୁହୁଡ଼ି ଜାତ ହେଲେ ମୋହମାୟା,ମୁହିଁ ମୁହଁ ବୋଲି ମୁଁ କାର ବହିଣ ମନୋମତେ ହେଲେ ବାୟା ।ଅନାମରୁ ଘନ ବିଦ୍ୟୁ ଜାତ ହେଲେ ଆକାଶେ କଲେ ଭ୍ରମଣି,ଘନ ଘୋଷ ଘଡ଼ଘଡ଼ି କମ୍ପମାନ ଶୁଭୁଅଛି ନାଦ ଧ୍ୱନି ।ଅନାମରୁ ଦେବଗଣ ଜାତ ହୋଇ ରହିଲେ ତ୍ରିପୁର ମହୀ,ଯାହାକୁ ଯେଉଁ ପରି ଭୋଗ ସୁଫଳ ଦେବାରୁ କରତା ବିହି ।ଶରଦ ଉଷୁମ ଅନାମରୁ ଜନ୍ମ ହୋଇ ତ୍ରିପୁରେ ଘୋଟିଲା,ତେଣୁକରି ସିନା ଆତ୍ମା ପୁରୁଷକୁ ଅନେକ ବ୍ୟାଧି କଣ୍ଟିଲା ।ଲାଭ ହାନି ଦୁହେଁ ଅନାମରୁ ଜାତ ହୋଇଛନ୍ତି ଏ ସଂସାରେ,ତେଣୁକରି ଦୁହେଁ ଲୋଭେ ମୋହେ ପଡ଼ି ବୋହିଗଲେ ତ୍ରିପୁରରେ ।ଏ କଳିଯୁଗରୁ ପାରିକର ମୋତେ ଅଛି ମୁହିଁ ଅନୁସରି,
ଅଶୀ ବୋଲିଉଡ଼ା ବୁଡ଼ା ଚଳ ଅଚଳ ସହିତେ ଅନାମରୁ ଜନ୍ମ ହେଲେ,ଜଳ ସ୍ଥଳାନଳ ଆକାଶରେ ପୂରି ଚାରିଖାନି ବୋଲାଇଲେ ।ଶାନ୍ତି ଶୀଳ ଦୟା କ୍ଷମା ଏହି ଚାରି ଅନାମରୁ ହେଲେ ଜାତ,ଚାରି ଧର୍ମ ବୋଲାଇଲେ ଚଉଦିଗେ ପୂରି ରହିଲେ ଜଗତ ।ଦୁଗ୍ଧ ମଧୁର କଷା ପିତା ଆମ୍ବିଳ ଅନାମରୁ ଜନ୍ମ ହୋଇ,ସର୍ବ ବ୍ୟାପିତ ହୋଇ ଅଣ୍ଟି ରହିଲେ ସ୍ୱଭାବମାନଙ୍କୁ ବହି ।ଅନାମରୁ କ୍ଷୀର ନୀର ଜନ୍ମ ହେଲା ତହୁଁ ଉପୁଜିଲା ମଞ୍ଜି,ଧାନ୍ୟଫଳ ବୋଲି ନାମ ବୋଲାଇଲା ଆଧାରକୁ ଦେଲେ ଖଞ୍ଜି ।ଅଷ୍ଟରତ୍ନ ଧାତୁ ଜନମ ହୋଇଲା ଅନାମ ଭିତରୁ ଦେଖ,ସୁନା ରୂପା ହୀରା ନୀଳା ବୋଲାଇଲା ମଣ୍ଡନ ହୋଇଲେ ଲୋକ ।ରସ ବାସ ଗନ୍ଧ କସ୍ତୁରୀ କର୍ପୂର ଅନାମୂ ହୋଇଛି ସବୁ,ଦେଖ ସୁଜ୍ଞ ସାଧୁ କେମନ୍ତ ମହିମା ଭିଆଇ ଅଛନ୍ତି ପ୍ରଭୁ ।ଝୀନ ବସ୍ତ୍ର ପାଟ ପତନୀ ସହିତେ ଅନାମରୁ ହେଲେ ସର୍ବେ,ପିଣ୍ଡ ବ୍ରହ୍ମାଣ୍ଡ ଯେତେବେଳେ ନ ଥିଲା ଏ ଆଦି ନ ଥିଲେ ପୂର୍ବେ ।ଅଶେଷ ରଞ୍ଚନା ଗୁରୁ କରିଛନ୍ତି ଆଉ ଜଣେ କେ ନ ରଞ୍ଚି,ଅନେକ ପଦାର୍ଥ ବ୍ରହ୍ମାଣ୍ଡ ଭିତରେ ଭିଆଇଣ ଦେଲେ ସଞ୍ଚି ।ହାକିମ ହୁକୁମ ଏ ରଜା ପରଜା ସର୍ବ କରିଛନ୍ତି ଗୁରୁ,ତେଜ ରଜ ଧନ ଦ୍ରବ୍ୟ ବାଡ଼ି ବୃତ୍ତି ଜାତ କରି ଅନାମରୁ ।ଛପ୍ନାକୋଟିକି ଛପ୍ନାକୋଟି ପ୍ରକୃତି ବସାଇଲେ ଏକେ, ଏକେ,ସମସ୍ତେ ଏକ ଭାବ ହୋଇ ରହିଲେ କେ ନ ପାଇବାକୁ ଠିକେ ।ମନ ପଞ୍ଚୁଭୂତି ହୃଦରେ ରହିଲା ବାଣ୍ଟିଲା ଅଶେଷ କଥା,ତହିଁରେ ପାଖକୁ ସାହାପକ୍ଷ ଦେଲେ ପଚିଶ ପ୍ରକୃତି ଲତା ।ହାକିମ ହୁକୁମ ଯେତେ ଏ ଅଛନ୍ତି କାହାରି ନୁହଇ କିଛି,ମୋହ ମୋହ ବୋଲି ଅଜ୍ଞାନ ମତରେ ହେଉଛନ୍ତି ଟାଣି ଘିଞ୍ଚି ।ମରିଗଲେ କେହି କିଛି ନ ନେବାକୁ ଅରଜି ଅଛନ୍ତି ଯେତେ,ତେତେବେଳେ ଆଉ କେହି ନ ଗଛନ୍ତି ଯାଉଛନ୍ତି ତୁଚ୍ଛା ହସ୍ତେ ।ଆସୁଅଛି ଏକା ଯାଉଅଛି ଏକା କେହି ନୁହନ୍ତି କାହାର,ବାମ ଡାହାଣରେ କେହି ନ ଲମ୍ବନ୍ତି ଘଟୁ ହୋଇଲେ ବାହାର ।ସାଧୁ ସୁଜ୍ଞଜନେ ଏହିପରି ପନ୍ଥା ସଂସାର ସାଗର ଅଟେ,ଘଟ ଥିବାଯାଏ ତ୍ରିଗୁଣର ମାୟା ଜୀବ ବନ୍ଧନ ନ ତୁଟେ ।ଏଥିକି ଚାହିଁ ବିଚାର ସୁଜ୍ଞଜନେ ଦେଖ ତ ମାୟାର ରୀତି,ସକଳ ମାୟାତ୍ରିଗୁଣରେ ବନ୍ଧନ ଘଟଣା ହୋଇଛି ପୃଥ୍ୱୀ ।ସାର ଅସାର ସମାନରେ କରିଛି କାହାକୁ ତେଜିବି ଦେଖ,ସଦବୁଦ୍ଧି ଜ୍ଞାନ ହୃଦରେ ବିଚାରି ମନରେ କର ବିବେକ ।ଯୋଗ ଭୋଗ ଦୁହେଁ ସମାନ ଅଟନ୍ତି କାହାର ପକ୍ଷରେ ଯିବ,ବିଷ ଅମୃତ ବେନି ଭାଗ କରିଛି କେବଣ ଭାଗକୁ ନେବ ।ସାଧୁ ସୁଜ୍ଞଜନ ନ୍ୟାୟ କର ତୁମ୍ଭେ ବେଦ ପକ୍ଷକୁ ବିଚାରି,ବେନି ଭାଗ ଯାକ ଏକ ଠାବେ ଅଛି ଯାହା ଗୁଣ ଯେଉଁପରି ।ବେନି ଭାଗ ଗୁଣ ତୋଳି ନ ପାରିଣ ପଡ଼ିଅଛି ସନ୍ଧି ମଧ୍ୟେ,
ଏକାଅଶୀ ବୋଲିଏଥୁ ଅନନ୍ତରେ ଶୁଣ ସୁଜ୍ଞଜନେ ଅଲେଖ ମହିମା କଥା,ମହାବ୍ରହ୍ମ ସେ ଯେ ଅଲେଖ ପୁରୁଷ ଅତି ଉଲୋକିତ ପନ୍ଥା ।ଅନାମିକା ବ୍ରହ୍ମ ଅକ୍ଷର ନ ବସେ ନ ଲାଗଇ ଶାସ୍ତ୍ର ବେଦ,ଏକ ବ୍ରହ୍ମପାଦ ଦିପାଦ ନୁହଇ ନ ଚଳେ ଅର୍ଥ ସଂପାଦ ।ଅରୂପ ବ୍ରହ୍ମ ସେ ରୂପ ବର୍ଣ୍ଣ ନାହିଁ ନ ଦିଶଇ ବର୍ଣ୍ଣ କାନ୍ତି,ଅକଳ ସାଗର ବ୍ରହ୍ମ ଅଟେ ସେହି ମହିମା ତା ଅଣଶ୍ରୁତି ।ନିଷ୍କାମ ବ୍ରହ୍ମ ସେ କାମ ନାହିଁ ଅଙ୍ଗେ ନାହିଁ ତାର ଇନ୍ଦ୍ରି ଅଣ୍ଡ,ଖୋଲି ପୋଲ ନାହିଁ ନିର୍ମୋଦ ପୁରୁଷ ନ ଲାଗଇ ମାୟା ଦଣ୍ଡ ।ସେ ବ୍ରହ୍ମକୁ ଯେହୁ ଭଗତି କରିବ ପିଣ୍ଡା ପ୍ରାଣେ ଆଶା ନାହିଁ,ଆଶା ରଖିଥିଲେ ଫଳ ନ ଫଳଇ ଭଜିବାର ବୃଥା ହୋଇ ।ନିଷ୍କାମ ପୁରୁଷ କାମନା ନୁହଇ ସକାମ ତହିଁ ନ ଚଳେ,ନିଷ୍କାମ ହୋଇ କର୍ମ ଯେବେ କରିବ ନିର୍ଗୁଣରେ କର୍ମ ଫଳେ ।କାମନାକୁ ଇଚ୍ଛି ସକାମେ ଭଜିଲେ ନାହିଁ କିଛି ତହିଁ ଲାଭ,ସେବା ଭକ୍ତି ଧର୍ମ କିଛି ନୁହେ ତାର ଗୁରୁପାଦକୁ ଅଯୋଗ୍ୟ ।ଅରୂପ ବ୍ରହ୍ମ ସେ ରୂପରେଖ ନାହିଁ ରୂପେ ନ କର ଭଜନା,ରୂପ ବର୍ଣ୍ଣକୁ ଚାହିଁ ଯେବେ ଭଜିବ ସବୁ ବ୍ୟର୍ଥ ହେବ ସିନା ।ନିଷ୍କାମ ବ୍ରହ୍ମକୁ ଯେବେ ଆଶ୍ରା କଲ ଆପଣେ ନିଷ୍କାମ ହୁଅ,ଗୁରୁ ଆଜ୍ଞା ବହି ସକାମେ ପଡ଼ିଲେ ହୋଇବ ବ୍ରହ୍ମରେ ଦ୍ରୋହ ।ଅରୂପ ବ୍ରହ୍ମକୁ ଭଜିବ ଯେମନ୍ତେ ଅରୂପରେ କର ସେବା,ଶୂନ୍ୟ କର୍ମରେ ଆକାର ଲଗାଇଲେ ନିଶ୍ଚେଁ ଅପରାଧ ହେବା ।ଅଭୟ ପାଦ ସେ ଭୟ ଭ୍ରାନ୍ତି ନାହିଁ ଆପଣେ ହୁଅ ନିର୍ଭଏ,ଅଭୟ ଭକ୍ତିରେ ଭୟ ଭ୍ରାନ୍ତି କଲେ ଗୁରୁପାଦେ ଦ୍ରୋହ ପାଏ ।ଅକଳ୍ପଣା ପ୍ରଭୁଙ୍କୁ ଭଜିବ ଯେମନ୍ତେ କଳ୍ପନା ନ କର ଚିତ୍ତେ,କଳ୍ପଣା ଭକ୍ତି କଲେ ମାଡ଼ ଖାଇବ ଅଦ୍ଭୁତ କାଳର ହସ୍ତେ ।ସତ୍ୟ ପୁରୁଷକୁ ଭଜିବ ଯେମନ୍ତ ସତ୍ୟ କହ ନାହିଁ ମିଛ,ସତ୍ୟ ପାଶେ ଯେବେ ଅସତ୍ୟ କହିବ ଆପଣେ ହେବ ମେଳଛ ।ଅହିଂସା ଧର୍ମକୁ ଆଶ୍ରା ଯେବେ କଲ ଅହିଂସାରେ କର ଦୃଢ଼,ଗୁରୁସେବା କରି ହିଂସ ବାଦୀ ହେଲେ ଶୂନ୍ୟରୁ ପଡ଼ିବ ମାଡ଼ ।ଧର୍ମ ପୁରୁଷକୁ ଅନୁସରି କଲେ ଧର୍ମାଦି ପଥରେ ଚାଲ,ଧର୍ମରେ ଥାଇ ଅଧର୍ମ ବୁଦ୍ଧି କଲେ ଭକ୍ଷି ପକାଇବ କାଳ ।ଅନାମ ପ୍ରଭୁ ସେ ନାମରେ ନ ଭଜ ଅନାମେ କର ଆସରା,ମାୟା ରଞ୍ଚନା ମନରେ ବିସୁରିଲେ ମାୟା ମୋହ ଯିବ ମାରା ।ଅକ୍ଷଏ ବ୍ରହ୍ମ ସେ କ୍ଷଏ ବୃଦ୍ଧି ନାହିଁ ଅକ୍ଷଏ କର୍ମରେ ଧର,କ୍ଷଏ ପଥ ଯେବେ ମନେ ବିଚାରିବ ବହିବ ପାତକଭାର ।ଅମର ବ୍ରହ୍ମ ସେ ମରଣ ନୁହଇ ଅମର କର୍ମରେ ରହ,ମୃତ୍ୟୁ ଦୋଷ କର୍ମ କରିବ ଯେମନ୍ତ ଟଳିଯିବ ନିଜ ଦେହ ।ନିକଳଙ୍କ ବ୍ରହ୍ମ କଳଙ୍କ ନୁହଇ ଭଜ ନିରିମଳ ଚିତ୍ତେ,ନିର୍ମଳ ଭକ୍ତିରେ ଗୋଳିଆ ରଞ୍ଚିଲେ ମିଶିବ ବାବନା ଭୂତେ ।
ବୟାଅଶୀ ବୋଲିଅନ୍ତରଯାମିନୀ ଭଜିବ ଯେମନ୍ତେ ଅନ୍ତ ପିତ ଶୁଦ୍ଧ କର,ମନର ମଳ ନ ରହିବ ଯେମନ୍ତେ ପଡ଼ିବ ଦେବୀ ଖପର ।ଖପର ପାରି ହୋଇଯିବ ଯେମନ୍ତେ ମାଟି ଖପରରେ ଭୁଞ୍ଜ,ଅଲେଖ ଅଲେଖ ବୋଲି ନିରନ୍ତର ମହିମା ସାଗରେ ମଜ୍ଜ ।ଅଲେଖର ଭକ୍ତି ଗୋଟା ଏକ ସିନା ଦୁଇଟା ତିନିଟା ନାହିଁ,ଛପ୍ନାକୋଟି ଜୀବ ଗୋଟାକରେ ଯାନ୍ତି ତାହାର ଗର୍ଭେ ସମ୍ଭାଇ ।ସତ୍ୟଧର୍ମ ଧର ସତ୍ୟକର୍ମ କର ସତ୍ୟେ କର ଗୁରୁ ସେବା,ପ୍ରସନ୍ନ ହୋଇବ ଅଲେଖ ଦେବତା ନିଶ୍ଚୟ ମୁକତି ଦେବା ।ସତ୍ୟରେ ସ୍ନାହାନ ସତ୍ୟରେ ମାର୍ଜନ ସତ୍ୟରେ କର ଭୋଜନ,ସାତ୍ୱିକ କର୍ମରେ ସେ ଅଲେଖ ଦିଅଁ ନିଶ୍ଚଏ ହେବ ପ୍ରସନ୍ନ ।ସତ୍ୟରେ ଶୋଇବ ସତ୍ୟରେ ବସିବ ସତ୍ୟେକର ଫନ୍ଦା ବୃତ୍ତି,ମାହିମା ଭଜିବା ଲୋକମାନେ ଯେତେ କର ଏହି ଧର୍ମ କୀର୍ତ୍ତି ।ସତ୍ୟରେ କହିବ ସତ୍ୟେ ରହିଥିବ ସତ୍ୟରେ ଯିବ ଆସିବ,ସତ୍ୟ କର୍ମର ଯେତେ କୀରତିମାନ ଯୁଗେ ଯୁଗେ ରହିଥିବ ।ଦୋଷ ଅପରାଧ ହାନି ଲାଭ ଯେତେ ଗୁରୁଙ୍କୁ କହିବ ସବୁ,କପଟ ରଖିଣ ନ କହିବ ଯେବେ ଅବଶ୍ୟ ଦଣ୍ଡିବେ ପ୍ରଭୁ ।ହୃଦୟ ନିର୍ମଳ ମନହିଁ ନିର୍ମଳ ହୋଇଥିବ ସଦା କାଳ,ଅନ୍ତର୍ଗତରେ କପଟ ନ ରଖିଲେ ସେ ଅଟଇ ଗଙ୍ଗାଜଳ ।ଗୁରୁଙ୍କୁ ଭଗତି କରିବ ଯେ ଜନ ଏପରି ମାର୍ଗରେ ରହ,କାମ କ୍ରୋଧ ଲୋଭ ମୋହ ତେଜ୍ୟାକରି ସତ ଶାନ୍ତି ଦୟା ବହ ।ଧୀର ସମୀର ଶୀତଳ ହେଲେ ଯାଇଁ ମହିମା ଭଜନ ଶୁଦ୍ଧ,ପିଣ୍ଡ ବ୍ରହ୍ମାଣ୍ଡ ଅନୁଭବରେ ତୋଳି ଯେମନ୍ତେ କରିବ ଭେଦ ।ଅମନ ପୁରୁଷ ଅଟଇ ସେ ବ୍ରହ୍ମ ଅମନରେ ଆଶ୍ରାକର,ଅମନ ଭିତରେ ମନ ଗଳାଇଲେ ଜାଣିବ ମହିମା ତାର ।ଅଗାଧ ମହିମା ଅନିଳ ସାଗର କଳିବାକୁ ଶକ୍ୟ ନାହିଁ,ନରଦେହ ବହି ବ୍ରହ୍ମଦେହୀ ହେଲେ ଆଦି ଅନ୍ତ ନ ମିଳଇ ।ଅଲେଖ ମହିମା ନାମକୁ ଭଜିଲେ ଧର କର୍ମଯୋଗ ଦଣ୍ଡ,ଗୃହରେ ଯେମନ୍ତେ ଶୋଇବ ନିଶାରେ ବାହାରେ କରିବ ମୁଣ୍ଡ ।କଞ୍ଚା ଭଗତି ନକର ଗୁରୁପାଦେ ସଚ୍ଚା ହୁଅ ମନ ମଧ୍ୟେ,ସକଳ ସ୍ୱଭାବ କର୍ମକୁ ତେଜିଣ ଧ୍ୟାନ କର ନିରବେଦେ ।ଅଶ୍ରୁତି ଅମୂର୍ତ୍ତି ଅଟଇ ସେ ବ୍ରହ୍ମ ପେଲି ପଶିଲେ ଝସାଇ,ନେତ୍ରରେ ଚାହିଁବି ବୋଇଲେ ନ ଦିଶେ ଯାର ନାହିଁ ହାଇ ଛାଇ ।ଏ କଳିଯୁଗରେ ଅନ୍ୟ ନାମ ନାହିଁ ଅଲେଖ ମହିମା ସାର,ସକଳ ବିଷୟ ହୃଦରୁ ନିବାରି ବେଳଥାଉଁ ଆଶ୍ରେ କର ।ମହାଶକ୍ତି ବ୍ରହ୍ମ ଅଟେ ସେ ପୁରୁଷ ନ ପାରିଲେ ଯିବ ଛାଡ଼ି,ହୃଦୟ ପଦ୍ମେ ଅଳପ ବିଚାରିଲେ ପାପରେ ମରିବ ବୁଡ଼ି ।ଜ୍ଞାନୀଜନମାନେ ମନେ ହେତୁ କର ବ୍ରହ୍ମର ଏକ ପାଦକୁ,ଗମି ତ ଗମି ତ ଘୁମି ଯାଉଛନ୍ତି ଏ ସଂସାରେ ଦେଖୁ ଦେଖୁ ।ଏ ଧର୍ମରେ ତୁମ୍ଭେ ଯେତେ ପ୍ରାଣୀ ଅଛି ଆସ ସମସ୍ତେ ଭଜିବା,
ତେୟାଶୀ ବୋଲିସତ୍ୟ ଧର୍ମେ ଗୁରୁ ସେବା ଯେ କରିବ ଛାଡ଼ଛାଡ଼ ଗୃହବାସ,ଆପଣା ପିଣ୍ଡ ପ୍ରାଣେ ଆଶା ନ ରଖି ଗୁରୁପାଦେ କର ଆଶା ।ଆପଣା କାମ କ୍ରୋଧ ଲୋଭ ମୋହକୁ ଜ୍ଞାନରେ କର ଆୟତ୍ତ,ହିଂସା କପଟ ଛନ୍ଦବାଦ କୁଟିଳ ନିବାରି କର ଦୁରାନ୍ତ ।ରାଗ ଈର୍ଷା ତମ ଅହଂକାର ଯେତେ ଏହାକୁ ଆୟତ୍ତ କର,ଏହି ଘରେ ସମସ୍ତେ ରହି ଅଛନ୍ତି ସଦଜ୍ଞାନରେ ବିଚାର ।ପର ଖଚ ମିଛ ନ ଧରିବ ମନେ ନାଶ ବାଟରେ ନ ଥିବ,ଅନ୍ତ ମୁଖରେ ନିରତେ ସତ୍ୟ କହି ତେବେ ସନ୍ୟାସ ହୋଇବ ।ଆପଣା ଦାରା ଧନ ସୁତ ଚିତ୍ତକୁ ମନେ ନ ଧରିବ ଆଶା,ପର କହିଲା ବଚନେ ପ୍ରତେ ଯାଇ ନ କର ଚିତ୍ତେ ଭରସା ।ଆପଣା ବନ୍ଧୁ ବାନ୍ଧବ ବାପ ଭାଇ ନ ବୋଲିବ ମୋର ମୋର,ଦେଖ ଅନିତ୍ୟ ସଂସାର ମାୟା ମୋହ କେହି ନୁହନ୍ତି କାହାର ।ପର ସ୍ତିରୀ ପର ଦ୍ରବ୍ୟକୁ ଦେଖିଲେ ନ ବଳାଇବ ପ୍ରକୃତି,ଏକପାଦ ବ୍ରହ୍ମ ଗୁରୁସେବା କଲେ ତେବେ ବୋଲାଇବ ଯତି ।ଗୁରୁ ପୟରେ ବିଶ୍ୱାସ ରଖିଥିବ ନୋହିବ ଆନରେ ସଙ୍ଗ,ପିଣ୍ଡ ପ୍ରାଣକୁ ହେତୁ ଘରେ ରଖିଲେ ତେବେ ନ ଟଳିବ ଅଙ୍ଗ ।ଯୋନିର ଜନ୍ମ ବାସନା ଅଙ୍ଗେ ଥିଲେ ପାଇ ନୁହେ ବ୍ରହ୍ମ ଜ୍ଞାନ,ନିରନ୍ତରେ ଗୁରୁ ସେବାରେ ଖଟିଲେ ଅଖଣ୍ଡିତ ବ୍ରହ୍ମେ ଲୀନ ।ଦେବୀ-ଖପରୁ ଉଧାର ହେବ ଯେବେ ମାଟି ଖପରାରେ ଭୁଞ୍ଜ,ସ୍ତିରୀଲିଙ୍ଗ ନେତ୍ରେ ଦେଖିବ ଯେମନ୍ତେ ମାତା ବୋଲି ମାନ ଖଞ୍ଜ ।ଅବିକାର ମତ ପଞ୍ଚୁଭୁତେ କର ଏକାଙ୍ଗ ବ୍ରହ୍ମକୁ ଚିହ୍ନି,ସକଳ ଜୀବ ସମାନରେ ଦେଖିବ ତେବେ ହେବ ବ୍ରହ୍ମଜ୍ଞାନୀ ।ଜନ୍ମ ମରଣକୁ ଭୟ ନ କରିବ ମୁରୁଛି ଥିବ ଆଦ୍ୟରୁ,ପିଣ୍ଡକୁ ମୋର ମୋର ନାହିଁ ବୋଲିବ ଯାହା କରିଯିବେ ଗୁରୁ ।ନିରନ୍ତରେ ଅଣସ୍ଥିତ ଆଚରିବ କାହାଠାରେ ନାହିଁ ସାଥି,ଏକପାଦକୁ ହୃଦେ ଯେବେ ଭାବିବ ଲଭିବ ପରମ ଗତି ।ଦିବା ନିଶିରେ ଉଦାସ ମତେ ଥିବ ବାତୁଳ ପରାଏ ହୋଇ,ବାଳକ ମତେ ଯେବେ ଭ୍ରମି ପାରିବ ତେବେ ବ୍ରହ୍ମ ଭେଟ ପାଇ ।ମେଦିନୀ ପ୍ରାଏ ଦେହ ସହି ରହିବ ନିନ୍ଦା ସ୍ତୁତି ଗାଳି ଶୁଣି,ଶୀତ ଗ୍ରୀଷମ ବରଷା ଅଙ୍ଗେ ସହି ତେବେ ବୋଲାଇବ ଗ୍ୟାନୀ ।ସମୁଦ୍ର ପ୍ରାଏ ଗଭୀର ବୁଦ୍ଧି ଥିବ ଉଶ୍ୱାସ ନୋହିବ କେଭେ,ପ୍ରସନ୍ନ ହୋଇଣ ସଦଗୁରୁ ପିତା ଯାହା ଆଜ୍ଞା ଦେଇଥିବେ ।ଘଟ ଭେଦର ଫନ୍ଦା ବୃତ୍ତି କରିବ ଅନ୍ୟ ଫନ୍ଦା ନାହିଁ କାର୍ଯ୍ୟ,ବ୍ରହ୍ମ ଜ୍ଞାନକୁ ତେବେ ଲଭି ପାରିବ ଅନୁଭବ ମାର୍ଗେ ହେଜ ।ଧୀର ସମୀର ହୃଦୟରେ ବହିବ ନ ପାଞ୍ଚିବ ଛିଦ୍ର ବୁଦ୍ଧି,ପ୍ରକୃତିଗଣେ ଯେବେ ସଙ୍ଗ ହୋଇଲେ ଏ ପିଣ୍ଡ ନୁହଇ ସିଦ୍ଧି ।ଜିହ୍ୱା ଇନ୍ଦ୍ରି ନାଶୁଛନ୍ତି ଏ ଜୀବକୁ ସମ୍ଭାଳିବ ତତ୍ତ୍ୱ କରି,ଅଖଣ୍ଡ ମହାବ୍ରହ୍ମ ପଦ୍ମପାଦକୁ ଦୃଢ଼ବନ୍ଧେ ଥିବ ଧରି ।
ଚୌରାଶୀ ବୋଲିସ୍ତିରୀ ତଇଳକୁ ନିଷେଧ କରିବ ହସ୍ତରେ ଛୁଇଁବ ନାହିଁ,କର୍ମଯୋଗରେ ଅକର୍ମ ସେ ବୋଲାଇ ବ୍ରହ୍ମମତ ତୁଟି ଯାଇ ।ସନ୍ୟାସର ମତେ କର୍ମଦଣ୍ଡ ପଥେ ବୋଲାଇବ ବ୍ରହ୍ମଚାରୀ,ଯତ ସତେ ଥିବ ଚିତ୍ତେ ନ କଳ୍ପିବ ନେତ୍ରେ ନ ଚାହିଁ ବ ସ୍ତିରୀ ।ଯଦ୍ୟପି ଚାହିଁବ ଭିକ୍ଷା ଦେବାକାଳେ ମୁଖେ ନାହିଁ ପାଦେ ଦୃଷ୍ଟି,ଆପଣା ମାତା ପରାଏ ମଣିଥିବ ତେବେ ଯାଇ ତପନିଷ୍ଠୀ ।ପରଶିଲା ବେଳେ ଉତ୍ତର ନ ଦେବ ମଥା ପୋତି ଥିବ ରହି,ସେ ପରାଣୀ ଯାହା ଧର୍ମପଣେ ଦେବ ସନ୍ତୋଷେ ଘେନିବ ତାହି ।ପଥ ଚାଲୁଥିଲେ କାହିଁ ନ ଚାହିଁବ ପାଦ ଅଗ୍ରେ ଦୃଷ୍ଟି ଥିବ,ଜନ୍ମ ମରଣକୁ କାଟି ଯେବେ ପାର ଯୋଗୀପୁତ୍ର ବୋଲାଇବ ।କର୍ଣ୍ଣରେ ପତିତ ମାୟା ବସିଅଛି ଶୁଣିଣ କମ୍ପିବ ଦେହ,ବିଷ୍ଣୁ ନାଦ ଦେହ ଅଟଳ ହୋଇଲେ ବୋଲାଇବ ଯୋଗୀପୁଅ ।ବେନି ନେତ୍ରେ ଲୋଭ ମାୟା ବସିଅଛି ଦେଖି ନ କରିବ ପାଞ୍ଚ,ଯୋଗୀପୁତ୍ର ହୋଇ ଭୋଗକୁ କଳ୍ପିଲେ ଜନ୍ମ ତାର ହେଲା ମିଛ ।ନାସାରେ ବାସନା ମାୟା ବସିଅଛି ଗନ୍ଧେ ନ କରିବ ଶ୍ରଦ୍ଧା,ସୌରଭ ବାସନା ବୋଲି ଦେବ ମାତ୍ରେ ଲାଗୁଅଛି ପାପବାଧା ।ଜିହ୍ୱାରେ ଗ୍ରହଣ ମାୟା ବସିଅଛି ସୁସ୍ୱାଦୁ ମଣିବ ନାହିଁ,ଯୋଗୀମାନଙ୍କର ଲକ୍ଷଣ ନୁହେ ସେ ଦେହ ବଞ୍ଚାଇବ ନାହିଁ ।ଇନ୍ଦ୍ରିରେ ଅନଙ୍ଗ ମାୟା ବସିଅଛି ନ କଳ୍ପିବ ସ୍ତିରୀ ରୂପ,ନିଃସଙ୍ଗୀ ହୋଇ ଯେବେ ସଙ୍ଗ କଳ୍ପିଲେ ଲାଗେ ଅପମୃତୁ ପାପ ।ମାୟା ହୋଇ ଯେତେ ହୃଦେ ନ କଳ୍ପିବ ମନେ ନ ଧରିବ କିଛି,ଦ୍ରୋହ ହୋଇଗଲେ ଅଦ୍ଭୁତ ମରଣ ଶାହାସ୍ରରେ ଲେଖୁଅଛି ।ଦିଗାମ୍ବରୀ ହୋଇ ଦିଗାମ୍ବର ଭାବେ ପ୍ରଚରିଲେ ସିନା ହେବ,ଯୋଗୀ ଯୋଗ ଲକ୍ଷଣେ ରହିଲେ ବ୍ରହ୍ମଅଙ୍ଗୀ ବୋଲାଇବ ।ବ୍ରହ୍ମ ପଇଚାନେ ଦିବା ନିଶି ଥିବ ଗୁରୁପାଦେ ରଖି ଚିତ୍ତ,ଇଷ୍ଟ ଧର୍ମ ପାଳି ସତ୍ୟ ଭାଷୁଥିବ ତେବେ ହେବ ନିଜ ଭୃତ୍ୟ ।ଆପଣା ଘଟକୁ ନିରନ୍ତରେ ଭେଦି ପିଣ୍ଡ ବ୍ରହ୍ମାଣ୍ଡ ତୋଳିବ,ଆପଣା ମନ ଧ୍ୟାନର ଯୋଗେ ପଶି ଘଟ ଭିତରେ ବୁଲିବ ।ଶରୀର ଭେଦେ ସର୍ବ ତୀର୍ଥ କରିବ ପଥଶ୍ରମ ହେବନାହିଁ,ଯୋଗୀପୁତ୍ର ହୋଇ ବାହାରେ ଭ୍ରମିଲେ ତା ତହୁଁ ଅଗ୍ୟାନ ନାହିଁ ।ପିଣ୍ଡ ବ୍ରହ୍ମାଣ୍ଡକୁ ଭେଦି ନ ପାରିଲେ ଯୋଗୀ ପଣ ଅକାରଣ,ଦୁନିଆ ଦୋରଙ୍ଗୀ ପରାଏକା ହୋଇ ବିଅର୍ଥେ ଯାଇଣ ଦିନ ।ସନ୍ନ୍ୟାସ ହୋଇ ଜୀବକୁ ହିଂସା କଲେ ତିନିପୁରେ ହୁଏ ଲଜ୍ଜା,ସମସ୍ତେ ତାକୁ ଉପହାସ କରନ୍ତି ରାଜା ବ୍ରାହ୍ମଣେ ଅପୂଜା ।ବୈଷ୍ଣବ ହୋବ ମତିଭ୍ରମ ନୋହିବ ରଖିଥିବ ଶ୍ରୋତା ହେତୁ,ପଞ୍ଚଭୁତରେ ବ୍ରହ୍ମକୁ ଲଏ କଲେ ତେବେ ପାଇ ଜ୍ଞାନ ତତୁ ।ଦିଗାମ୍ବରମାନେ ଏମନ୍ତ ଲକ୍ଷଣ ଆଚାର ମତରେ ଥିବ,ମାୟା ପାପ ପସରାକୁ ବୋଝକରି ହୃଦପଦ୍ମେ ନ ବୋହିବ ।