ସ୍ତୁତି ଚିନ୍ତାମଣି
ଭୀମ ଭୋଇ · ଭାଗ ୩ / ୬ · ଭାଗ ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚତ୍ରିଂଶ ବୋଲିଅରୂପ ଅନାଦି ସର୍ବଗୁଣେ ସିଦ୍ଧି ନାମ ଅଖଣ୍ଡିତ ପୂର୍ଣ୍ଣା,ଭଗତି ମୁକତି ସେଠାରୁ ଉଦଏ ସବୁ କାଳେ ନୁହେ ଊଣା ।ସତ୍ୟ ଧର୍ମ ବୋଲି ଅନୁସରି ଅଛି ସତ୍ୟେ ନାହିଁ ମୋର ବାଞ୍ଛା,ବୁଝିବ କି ନାହିଁ ବ୍ରହ୍ମାଣ୍ଡ କରତା ଦୟା ଯେ ତୁମ୍ଭର ଇଚ୍ଛା ।ଏକ ପାଦ ବିନୁ ଅନ୍ୟ ନ ଜାଣଇ ସର୍ବଘଟେ ପରିପୂର୍ଣ୍ଣ,ଅବିବେକପଣେ ଆନକୁ ନ ଭଜି ଚିହ୍ନି ଧର୍ମ ନିରିଗୁଣ ।ସର ଅବତାର ବ୍ରହ୍ମାଣ୍ଡ ଠାକୁର ସକଳ ଜୀବ କରତା,ପିଣ୍ଡ ପ୍ରାଣ ସଞ୍ଚି ରଖିଛ ବଞ୍ଚାଇ ପ୍ରଭୁ ସିନା ପିତା ମାତା ।ପ୍ରଭୁ ବର୍ଗ ବନ୍ଧୁ ପ୍ରଭୁ ଇଷ୍ଟ ଦାତା ପ୍ରଭୁ ସିନା ସାହା ବାହା,ସ୍ୱାମୀ ବିନୁ ମୋର ସଙ୍କଟୁ ଦୁର୍ଗତି ଆନ କେ ଫେଡ଼ିବ ଏହା ।ଶ୍ରୀଗୁରୁ ମୋହର ସକଳ କାରେଣି ବୁଝିବେ ସେ ମୋର ରୀତି,ଅନ୍ତର୍ଯ୍ୟାମୀ ପ୍ରଭୁ ଫେଡ଼ାଇ ପାରିବେ ମାନ ସନ୍ତାପ ବିପତ୍ତି ।ଯେତେ ପରକାରେ ଏ ମାୟା ସଂସାରେ ବୁଦ୍ଧି ବିଚାରଣା କଲି,ସକଳ ଉପାୟ ସବୁ ଏ ଅନ୍ୟାୟ କିଛି ଫଳ ନ ଦେଖିଲି ।ସପତ ବ୍ରହ୍ମାଣ୍ଡ ଏକୋଇଶପୁରେ ଲୋଡ଼ି ଆସିଲି ମୁଁ ଯାହା,ସତ୍ୟଧର୍ମ ବିନୁ ଏ ମହୀମଣ୍ଡଳେ ବଡ଼ ହୋଇ ନୁହେ କାହା ।ତେଣୁକରି ସାର ବ୍ରହ୍ମ ବୋଲି ଜାଣି ଧରିଅଛି ନିରିବନ୍ଧେ,ଦୁଃଖ ସୁଖ ସର୍ବ ଭାରା ପକାଇଛି ଶ୍ରୀଗୁରୁଙ୍କ ପାଦବିନ୍ଦେ ।ପ୍ରଭୁ ସେ ମାରିବେ ପ୍ରଭୁ ସେ ତାରିବେ ଯାହା ଇଚ୍ଛା ପଛେ କର,ଦିବସ ରଜନୀ ସନ୍ତାପ ମନରେ ନେତ୍ରୁ ବହୁଅଛି ନୀର ।ପଞ୍ଚଭୂତ ଆତ୍ମା ଦଗଧି ହେଉଛି ଜୀବନ କାନ୍ଦୁଛି ନିତି,ଅନ୍ୟାୟ ସଂସାର ଅନୀତି ଆଚାର ଦେଖି କଳିଯୁଗ ରୀତି ।ଅନୁମାନ କରୁଅଛି ଅନ୍ତର୍ଗତେ ସନ୍ଥ ହୋଇ ନାହିଁ କେହି,କଳିଯୁଗେ ଆଣି ମେଳଛଙ୍କ ସଙ୍ଗେ ଜାତ କଲେ କାହିଁପାଇଁ ।ସ୍ୱଦେହରେ ଉଦେ ହୋଇଅଛ ବୋଲି ଅଛି ମହତ୍ତ୍ୱ ବେଭାର,ଶୀତ ପ୍ରାୟେ ଦେହ ଥରୁଅଛି ମୋର ଦେଖି ଅନୀତି ଆଚାର ।ଡ଼ରି ଡ଼ରି କରି ଏ ମର୍ତ୍ତ୍ୟମଣ୍ଡଳେ କେତେକାଳ ନେବି ଦିନ,ଘାଣ୍ଟି ହେଉଅଛି ହୃଦରେ ମୋହର ପଚିଶ ପ୍ରକୃତି ମନ ।ଯେଣିକି ଚାହିଁଲେ ମହାଶୂନ୍ୟ ଶୂନ୍ୟ ନ ଦିଶଇ ଆଖାଶାଖା,କେଉଁ ମତ୍ତଗର୍ବେ ବଚନ କହିବି ହୁଦରେ ପଶୁଛି ଦକା ।ଯେ ଜନ ଭଜିଲା ଯା ମନ ମଜ୍ଜିଲା କେ କରିବ ତାକୁ କିସ,କବିତ୍ୱ ପଣେ ମୁଁ ଯାହା ବୁଝାଇଛି ଏତିକି ମୋହର ଦୋଷ ।ବୋଲିବେ ଜଗତେ ବ୍ରହ୍ମଜ୍ଞାନୀ ହୋଇ କରୁଛନ୍ତି ଅପକୃତ,ପାଖେ ନ ବସିଲେ ମନ ନ ରସିଲେ କହି ନୋହେ ସରି ଅର୍ଥ ।ଘଟ ଭେଦ କଥା ଯେବଣ ବିଧାନ ଏକ ଅଙ୍ଗ ହେଲେ ଯାଇ,କ୍ଷୀର ନୀର ଠାରୁ ଅଧିକ ପୀରତି ମନ ମିଶାଇଲେ ନେଇ ।କେହୁ ଅଟେ ଗୁରୁ କେହୁ ଅଟେ ଶିଷ୍ୟ ତହିଁ ନ ଥାଏ ବାରଣ,ଭକ୍ତ ଭଗବାନ ଏକ ଅଙ୍ଗ ଜାଣ ଏକାନ୍ତ ଠାବେ ଭୋଜନ ।ଏ ବେନି ପ୍ରକାରେ ଯେ କରେ ବିକାର ସେ ପ୍ରାଣୀ ହୁଅନ୍ତି ନାଶ,ଭଣେ ଭୀମ ଭୋଇ ସାତଶ ପଦରେ ଅଭୟ ପଞ୍ଜରେ ବାସ ।
ଷଟ୍ତ୍ରିଂଶ ବୋଲିବେନି ଜନ କଥା ଧର୍ମ ଉଲକିତା କେ କହିବ ତାହା କାଟି,ମୁଖରେ କହିଲେ ହୃଦ ଫାଟିଯିବ ଛିଡ଼ିଯିବ ଜିହ୍ୱାପାଟି ।ନୁହନ୍ତି ସେ ଗୁରୁ ନୁହନ୍ତି ସେ ଶିଷ୍ୟ ନାହିଁ ସାଆନ୍ତ ସେବକ,ନୁହନ୍ତି ବ୍ରାହ୍ମଣନୁହନ୍ତି ଚଣ୍ଡାଳ ନୁହନ୍ତି ସେ ବଡ଼ଲୋକ ।ନୁହନ୍ତି ସେ ସ୍ତିରୀ ନୁହନ୍ତି ପୁରୁଷ ନୁହନ୍ତି ଅଣ୍ଡିରାମାଈ,ନୁହନ୍ତି ସେ ପିତା ନୁହନ୍ତି ସେ ପୁତ୍ର ନୁହନ୍ତି ଭଉଣୀ ଭାଇ ।ନୁହନ୍ତି ସେ କ୍ଷୀର ନୁହନ୍ତି ସେ ନୀର ନୁହନ୍ତି ଦୁଗ୍ଧ ମଧୁର,ନୁହନ୍ତି ସେ କଷା ନୁହନ୍ତି ସେ ପିତା ନ ଥାଇ ଶୋଭା ସୁନ୍ଦର ।ନାହିଁ ତାଙ୍କ ଜାତି ନାହିଁ ତାଙ୍କ ଗୋତ୍ର ନ ଥାଇ ବାଛ ବେଭାର,ବେନି ଜନ ଏକ ଆତ୍ମା ମନ ହୋଇ କରୁଅଛନ୍ତି ସଂସାର ।ନୁହନ୍ତି ସେ ଜଳ ନୁହନ୍ତି ପବନ ନୁହନ୍ତି ରୂପଅରୂପ,ନୁହନ୍ତି ସେ ଜ୍ଞାନ ନୁହନ୍ତି ଅଜ୍ଞାନ ନ ମଣେ ବେଦ କଳପ ।ନୁହନ୍ତି ସେ ପାପ ନୁହନ୍ତି ସେ ପୁଣ୍ୟ ନୁହନ୍ତି ସେ ସେବା ଭକ୍ତି,ନୁହନ୍ତି ସେ କାମ ନୁହନ୍ତି ସେ କ୍ରୋଧ ନୁହନ୍ତି ଯତି ସେ ସତୀ ।ନୁହନ୍ତି ସେ ସେ କାଳ ନୁହନ୍ତି ସେ ମୃତ୍ୟୁ ନୁହନ୍ତି ଶୁଭ ଅଶୁ,ନାହିଁ ପତି ପତ୍ନୀ ସକଳ ଜାଣନ୍ତି ଏକ ଅଙ୍ଗେ ସବୁ ଭୋଗ ।ନୁହନ୍ତି ସେ ଦାସ ନୁହନ୍ତି ସେ ଦାସୀ ନୁହନ୍ତି ମାୟା ପ୍ରକୃତି,ନୁହନ୍ତି ସେ ସତ୍ୟ ନୁହନ୍ତି ସେ ମିଥ୍ୟା ବେନି ଅଙ୍ଗ ଏକ ମୂର୍ତ୍ତି ।ନୁହନ୍ତି ସେ କଳା ନୁହନ୍ତି ସେ ଧଳା ନାହିଁ ଭାରିଯା ଗୁରସ୍ତ,ନୁହନ୍ତି ସେ ହାନି ନୁହନ୍ତି ସେ ଲାଭ ଦୁଃଖ ସୁଖ ସମ ମତ ।ଭଗତ ଅଙ୍ଗଟି ପ୍ରଭୁ ଅଙ୍ଗ ଜାଣ ଜୀବରୂପେ କରି ବିଜେ,ଗୁରୁ ଚରଣକୁ ଶିଷ୍ୟ ଭଜୁଥାଇ ଶ୍ରୀଗୁରୁ ଶିଷ୍ୟକୁ ଭଜେ ।ଅସ୍ଥିର ଜୀବନ ଯେଉଁ ପରକାର ରହିଛି ଧାରଣ ହୋଇ,ସେହି ପରକାରେ ଗୁରୁ ଶିଷ୍ୟ କଥା ଫେଡ଼ି ଦେଲୁ ଆମ୍ଭେ କହି ।ଜୀବନେ ଯେସନେ ପଞ୍ଚଭୂତ ମନ ଆବୋରି ରହିଛି ଜଡ଼ି,ସେହି ପରକାରେ ବ୍ରହ୍ମାଣ୍ଡ ଭିତରେ ଗୁରୁ ଶିଷ୍ୟକୁ ନ ଛାଡ଼ି ।ପାଞ୍ଚ ମନଠାରେ ପଚିଶ ପ୍ରକୃତି ଲାଗିଛି ଯେସନେ ଲତା,ସେହି ପରକାରେ ସୁଜ୍ଞ ସାଧୁ ସନ୍ଥେ ଗୁରୁ ଶିଷ୍ୟଙ୍କରକଥା ।ପ୍ରକୃତିର ପରେ ବିକୃତି ଯେସନେ ରସରେ ତ ଅଛି ଭିଡ଼ି,ସେହି ପରକାରେ ଶାହାସ୍ର ମତରେ ଗୁରୁ ଶିଷ୍ୟଙ୍କର ଧାଡ଼ି ।ଅସ୍ଥିରେ ଯେସନ ମାଏଁସ ଘୋଡ଼ାଏ ମଝି ରହିଅଛି ଆଣ୍ଟ,ଜ୍ଞାନ ସିନ୍ଧୁ ଜଳେ ସେହି ପରକାରେ ଗୁରୁ ଶିଷ୍ୟଙ୍କର ବାଟ ।ମାଏଁସକୁ ଯେହ୍ନେ ରୁଧିର ସର୍ବାଙ୍ଗେ ବୁଡ଼ାଇ ରଖିଛି ପୂରି,ତେମନ୍ତ ପ୍ରକାରେ ଗୁରୁ ଶିଷ୍ୟ କଥା ନୁହେ ଆନ ଭିନ୍ନ କରି ।ପଞ୍ଜରା ହାଡ଼ ଖଞ୍ଜାମାନ ଗଣ୍ଠିରେ ଶିର ଯେସନେକେ ଛନ୍ଦି,ସେହି ସୁତ୍ର ଯନ୍ତ୍ରେ ବୁଝିନିଅ ସର୍ବେ ଗୁରୁ ଶିଷ୍ୟ ହୋନ୍ତି ବନ୍ଦୀ ।ଦେହରେ ଯେସନ ଚର୍ମ ଘୋଡ଼ାଇଛି ଚର୍ମରେ ଆବୋରି ରୋମ,
ସପ୍ତନ୍ତ୍ରିଂଶ ବୋଲିଶରୀରେ ଯେସନ ଜୀବ ପରମଟି ନୁହନ୍ତି ସେ ଭିନ୍ନାଭିନ୍ନ,ସେହି ଅନୁଭବେ ବୁଝାମଣା କର ଗୁରୁ ଶିଷ୍ୟଙ୍କର ମନ ।କର୍ଣ୍ଣକୁ ଆବୋରି ଶବଦ ବ୍ରହ୍ମଟି ରହିଅଛି ଯେଉଁ ରୂପେ,ପିଣ୍ଡପ୍ରାଣ ଦେଇ ଆଜ୍ଞାକାରୀ ହୋଇ ଶିଷ୍ୟ ଖଟେ ଗୁରୁ ପାଖେ ।ନ ବୁଝି ବିଚାରି ଅଜ୍ଞାନ ଆଚରି ସୁଜନେ ହେଉଛ ଭୋଳା,ସେବକ ଅଙ୍ଗଟି ଶ୍ରୀଗୁରୁ ଭୂଷଣ ଯେସନେ ଧବଳ ଡୋଳା ।କଳା ଧଳା ଡ଼ୋଳା ମଧ୍ୟରେ ଯେସନେ ପୁରୁଷେକ ଅଛି ରହି,ଶ୍ରୀଗୁରୁ କରୁଣା ଜଳ ଓଜାଡ଼ୁଛି ଶିଷ୍ୟ ସେବା ଭକ୍ତି ବୋହି ।କେତେ କେତେ ଦୂର ଅନ୍ତରି ରହିଲା ବୁଝ ସାବଧାନ କରି,ଭଗତି ଭାବରେ ସତ୍ୟାଦି ସ୍ନେହରେ ଗୁରୁ ଶିଷ୍ୟ ସେହିପରି ।ଯେସନେ ଦଶ ଅଙ୍ଗୁଳି ଲାଗିଅଛି ଫେଡ଼ିଲେ ଫେଡ଼ା ନ ଯାଇସେହି ରୂପେ ସିନା ଗୁରୁ ଶିଷ୍ୟଙ୍କର ଭଗତି ଭାବନା ଲିହି ।ଶ୍ରୀଗୁରୁ ଲୋଡ଼ଇ ଦୟା କରିବାକୁ ସେବକ ଲୋଡ଼ଇ ଦୟା,ବେନି ଜନ ତହିଁ ଏକ ପ୍ରାଣ ହୋଇ ନ ଥାଇ ଅନ୍ତରେ ମାୟା ।ତୃଷାର୍ତ୍ତ ଯେସନ ଜଳ ନ ମିଳିଲେ କାତର ହୁଅଇ ଅଙ୍ଗ,ପାଇଲେ ତୃପତି ଲଭି ସୁଖ ଶାନ୍ତି ତେସନେ ନୁହଇ ଭଙ୍ଗ ।ବାମ୍ଫିରେ ଯେସନେ ଜଳ ପୂରିଥାଇ ଗାର କାଟିଲେ କି ଛିଡ଼ି,ଯୁଗଯୁଗାନ୍ତରେ ତିନି ତ୍ରୈଲୋକ୍ୟରେ ଗୁରୁ ଶିଷ୍ୟ ସେହିପରି ।ସେବକ ବୋଲଟି ଯାହାକୁ ବୋଲନ୍ତି ଅଙ୍ଗର ଭୁଷଣ ମଳି,ସେହି ଶ୍ରୀଗୁରୁଙ୍କ ଭାରା ସମ୍ଭାଳଇ ସହି ନିନ୍ଦା ଗର୍ବ ଗାଳି ।ଶ୍ରୀଗୁରୁଙ୍କୁ ଶିଷ୍ୟ ଚିହ୍ନି ଯେବେ ଥାଇ ସମ୍ଭାଳି କରଇ ସେବା,ତାର ହୃଦପଦ୍ମେ ଯେତେ ଦୟା ଧର୍ମ କିସ ପଟାନ୍ତର ଦେବା ।ସାମନ୍ତ ପଣରେ ବସିଥିବ ଯେବେ ସୁଜ୍ଞାନ ନ ଥିଲେ ଜଣା,ଶ୍ରୀଗୁରୁ ହୋଇ ଶିଷ୍ୟକୁ ନ ତାରିଲେ ମୁଖ ପୋଡ଼ୁଥାଇ କିନା ।ପ୍ରତିଦିନ ଖଟି ଦୁଃଖ ସୁଖ ମେଣ୍ଟି ଯେ କରେ ଗୁରୁର ସେବା,ସୁଦୟା ନ କରି ଚିତ୍ତେ ନ ବିଚାରି ଯେ ଗୁରୁ କିଛି ନ ଦେବା ।ଧିକ ହେଇ କିନା ଜ୍ଞାନ ଧର୍ମ ତାର କିଛି ନ ମିଳିଲେ ଫଳ,ସେବା କରୁଥିଲେ କି କାର୍ଯ୍ୟ ହୋଇବ ନ ମିଳେ ଯହିଁରେ ମୂଲ ।ଭୋଗ ଯୋଗ ଧନ ସମ୍ପଦ ପ୍ରାପଦ ମୁକତି ପଦ ଚିହ୍ନାଇ,ନିତି ପ୍ରତି ଯେଉଁ ସେବକ ଖଟଇ ଅନ୍ତର କରିବ ନାହିଁ ।ଜୀବନରୁ ତାକୁ ଅଧିକ କରାଇ କରିବ ଗଳାର ମଣି,ଦେହରୁ ଯେବେ ଖଣ୍ଡେ କାଟି ଖାଇବ ନ ଥିବଟି ଛଳ ମାନି ।ସେ ଭକ୍ତମାନଙ୍କୁ ସଙ୍ଗୁ ନ ଛାଡ଼ିବ ପାଶରେ ବସାଇଥିବ,ଗାଇ ଗୁଣମାନ ହୃଦର ଚନ୍ଦନ କରିଥିବ ଆତ୍ମା ଜୀବ ।ଏମନ୍ତେ ଯେ ଗୁରୁ ଶିଷ୍ୟଙ୍କ ଚରିତ ଆନକେ ସମ୍ଭବ ନୋହି,ଗୁରୁ ଶିଷ୍ୟ ଦୁହେଁ ଏକତ୍ୱ ଅଟନ୍ତି ଅନ୍ତର ମଣିବ ନାହିଁ ।ଶ୍ରୀଗୁରୁଙ୍କ ଅଙ୍ଗ ବ୍ୟଥା କରୁଥିଲେ ଭକ୍ତକୁ ଲାଗଇ ଚିନ୍ତା,ଭଗତ ଦୁଃଖ ଫନ୍ଦାରେ ପଶିଥିଲେ ଶ୍ରୀଗୁରୁଙ୍କୁ ଲାଗେ ବ୍ୟଥା ।
ଅଷ୍ଟତ୍ରିଂଶ ବୋଲିହୃଦୟ ଭିତରେ ବିଚାରି ଅନ୍ତରେ ଅନୁଭବେ କରି ଠାବ,ଅଭୟ ପାଦ ତଳରେ ଧ୍ୟାନ ଦେଇ ଆଶା କରିଅଛି ଜୀବ ।ଯେସନେ ଚାତକ ଶୂନ୍ୟର ଜଳକୁ ଚାହିଁଥାଇ ନିରନ୍ତରେ,ପାଟିକି ବିସ୍ତାରି ବହୁ ଆଶାକରି ମଉନରେ ବସି ଧୀରେ ।କ୍ଷୁଧାତୃଷାର ପଥିକ ଯେସନ ଲୋଡ଼ି ବସି ବୃକ୍ଷମୂଳେ,ସ୍ନାହାନ ସାରିଣ ଭୋଜନ ଆଚରି ଚଳି ଯାଇ ତତକାଳେ ।ଦରିଦ୍ର ପରାଣୀ ଚିରକାଳ ରଙ୍କ ଅଟଇଟି ମୁହିଁ ପରା,ନିରାପକ୍ଷ କରୁଅଛ ପ୍ରଭୁ ମତେ ଛଡ଼ାଇ ସବୁ ଆଶରା ।ବଚନକୁ ଟାକି ହୋଇ ନିରିମାକ୍ଷିନିଷ୍କାମ ନାବରେ ବସି,ସ୍ୱଦେହରେ ସ୍ୱାମୀ ଉଦେ ହୋଇଅଛ ଯେସନେ ପୂର୍ଣ୍ଣମୀ ଶଶୀ ।ଏଡ଼େ ବଡ଼ ପ୍ରଭୁ ବୀରବଧୁ ବାନା ବିରାଜ କରୁଛ ମଞ୍ଚେ,ବିଷୟା ବୃଥାରେ କର୍ମରେ ଶ୍ରୁତିରେ ଘାଣ୍ଟି ମାରୁଅଛ ମିଛେ ।ହଟ ପଟ ନଟକୂଟ ଲଗାଉଛ ଯେସନେକେ ଖଣ୍ଟ ଚୋର,ଭୁଲାଇ ଚିତ୍ତକୁ ଆପଣା ଭୃତ୍ୟକୁ କରୁଅଛ ନାରଖାର ।ଆପଣା ମର୍ଯ୍ୟଦା ଆପେ ରଖି ପ୍ରଭୁ ଜାଣି ସମ୍ଭାଳନା ହେଉ,ତୁମ୍ଭର ନାଶିବ କାର କିସ ଯିବ କିମ୍ପା ପରୀକ୍ଷା ନ ଦେଉ ।ପ୍ରଭୁ ପ୍ରଭୁ ବୋଲି କେତେ କାଳ ଭାଳି ନର ଅଙ୍ଗ ବହି ମର୍ତ୍ତ୍ୟେ,କାମନା କଳ୍ପଣା ସମସ୍ତ ସମର୍ପି ପିଣ୍ଡ ପ୍ରାଣ ଆଦି ଯେତେ ।ହେବ କି ନ ହେବ ସିଦ୍ଧି ଶୁଭଯୋଗ ସୁଦୟାରେ ମେତେ କହ,ଗଙ୍ଗାଜଳେ ସ୍ନାନ କରିବି ବୋଲୁଛି ତାହା ହେଉଅଛି ଦେହ ।ପୁର୍ବକାଳୁ ମୋର କ୍ଷୁଧା ତୃଷା ଅଛି ମିଳିବ କି ନାହିଁ ଭାତ,ନିଜରୂପେ ପ୍ରଭୁ ବିଜେ କରିଅଛ ଏତେବେଳେ କହ ସତ ।ତୃଷା କରୁଅଛି ଆକୁଳ ହେଉଛି ପାଇବି କି ନାହିଁ ପାଣି,ଆଦି ଅନ୍ତ କରି ଫେଡ଼ି କହ ମତେ ବେନି କର୍ଣ୍ଣେ ଥିବି ଶୁଣି ।ରଙ୍କ ହୋଇଅଛି ନ ମିଳୁଛି କିଛି ପାଇବି କି ନାହିଁ ଧନ,କିମ୍ପାଇ ମଉନ ହେଉଛ ଆପଣ ଫେଡ଼ି କହ ନାରାୟଣ ।ଜାତ କରିଅଛ ବ୍ରହ୍ମାଣ୍ଡ ଭିତରେ ପାଳିବ କି ନାହିଁ ସ୍ଥିତି,କବିକୃତ୍ୟ ପଦ ପ୍ରଭୁ ଦେଇଅଛ ବାନ୍ଧିବି କି ନାହିଁ ପୋଥି ।ପିଣ୍ଡ ବ୍ରହ୍ମାଣ୍ଡ ଏକମତ ବୋଲନ୍ତି ଯଶ ଅପଯଶ କୀର୍ତ୍ତି,ଚାରି ଯୁଗ ବହି ଗଲାଣି ସଂସାରେ ନାମେ ଆତଯାତ ପୃଥୀ ।କେତେ ଜନ୍ମି କେତେ ମରି ଯାଉଛନ୍ତି ନାମ ବୋଲି ଜଣା ନାହିଁ,ମୁଁ ଛାର ପାମର କେତେ ମୋ ଶକତି ଥିବି ନର ତନୁ ବହି ।ପ୍ରଭୁ ଯେ ଅକ୍ଷଏ ଅବ୍ୟୟେ ପୁରୁଷ କ୍ଷୟ ବୃଦ୍ଧି ନାହିଁ କିଛି,ଚାରି ଯୁଗ ମଧ୍ୟେ ଏକାଙ୍ଗ ସ୍ୱରୂପ ଜନ୍ମ ମୃତ୍ୟୁ କାହିଁ ଅଛି ।ତୁମ୍ଭ ଅଙ୍ଗ ସିନା ତୁମ୍ଭେ ବଞ୍ଚାଇଛ ମାୟାରୁ କାୟାରୁ ଏଡ଼ି,ମୋର ପିଣ୍ଡ ପ୍ରାଣ କେତେ କାଳ ଥିବ ଯେସନ ସିନ୍ଧୁ ଲହଡ଼ୀ ।ଅନାଦି ଈଶ୍ୱର ବୁଝାମଣା କର ଏ ମୋ ବିନତିକୁ ଚାହିଁ,କାଳ ବେଳ ଆସି ନିକଟ ହୋଇଲା ମହତ୍ତ୍ୱ ରଖ ଗୋସାଇଁ ।
ଊନଚତ୍ୱାରିଂଶତ୍ ବୋଲିଜଳ ପବନରେ ପିଣ୍ଡକୁ ଗଢ଼ିଛି ଦେହ ଅଟେ ଘୋର ବନ,ପ୍ରକୃତି ଶରୀର ପ୍ରେମେ ବଳିଆର ଏହାର ବା କେତେ ଜ୍ଞାନ ।ନରଦେହେ ମୋତେ ଜାତ କରି ପ୍ରଭୁ ରବିତଳେ ଅଛ ରଖି,ଆସିବା ବେଳରେ କର କପାଳରେ ଯାହା ଦେଇଅଛ ଲେଖି ।ସେହି କଥା ଏବେ ସମ୍ପତ୍ତି ବିପତ୍ତି ଅଛି ପରା ବେନି ମତ,ମୁଁ କିସ ଜାଣଇ ପ୍ରଭୁ ସିନା ଜାଣ କେତେ ମିଛ କେତେ ସତ ।ପ୍ରଭୁ ସାମରଥ ମୋର କି ଆୟତ୍ତ ସଂସାର-ସାଗରେ ଅଛି,ବିପତ୍ତି ଲେଖାକୁ କି ଯୋଗ ଭାଷାକୁ ପ୍ରଭୁ ଯେବେ ଦେବ ପୋଛି ।ତେବେ ସିନା ଏହୁ ପିଣ୍ଡେ ପ୍ରାଣ ଥିବ କର୍ତ୍ତାଙ୍କୁ ଭେଟିବା ଯାଏ,ଏହି ଦେହେ ଯେବେ ଦର୍ଶନ ପାଇବି ତୁଟିବ ମନ ସଂଶୟେ ।ଘଟ ଜଗିଅଛି ଘାତ କରିବାକୁ ଘଟ ଯେବେ ଭାଙ୍ଗିଯିବ,ପ୍ରଭୁଙ୍କ ଦର୍ଶନ କରିବାର ଯାଏ କି ପ୍ରକାରେ ପିଣ୍ଡଥିବ ।ଏଥକୁ ଚାହିଁ ବିଚାର ମହାବାହୁ ଯେଉଁରୂପେ କ୍ଷମା ହୁଏ,ଅନ୍ତର୍ଯ୍ୟାମୀ ପ୍ରଭୁ ପ୍ରତ୍ୟକ୍ଷେ ତ ଜାଣ ଜନ୍ମ ମରଣର ନ୍ୟାୟେ ।ଆଗତ ନିୟତ ଭୁତ ଭବିଷ୍ୟତ ପ୍ରଭୁ ସିନା ସବୁ ଜାଣ,ଆଜ୍ଞା ହେଲେ ସିନା ଏ ପିଣ୍ଡ ରହିବ ଥୋଇଥିବ ଯେତେ ଦିନ ।ଅକାଳ ବିପତ୍ତି ପକାଅ ନା କାଟି ସାମରଥ ଅଟ ପ୍ରଭୁ,ନ ଜାଣିଲା ପ୍ରାଏ ବୋଲୁଅଛ ମତେ ଟିଆ ପରିଯନ୍ତେ ଥିବୁ ।ଗୁରୁ କୃପା କଲେ ଏ ଦେହ ରହିବ ଅନ୍ୟରେ ନୁହଇ କିଛି,ଚାରି ଯୁଗ ପଛେ ବହି ଯାଉଅଛି ଆଜ୍ଞା ମାତ୍ର ଏକା ଅଛି ।ଆଜ୍ଞାରେ ଯେମନ୍ତ ଏ ପିଣ୍ଡ ବ୍ରହ୍ମାଣ୍ଡ ହେଉଅଛି ଆଏ ବଏ,କୃପା ନୟନରେ ଚାହିଁଥିବ ଯେବେ ଏ ପିଣ୍ଡ ନୋହିବ କ୍ଷୟେ ।ଦୁର୍ଲ୍ଲଭ ଜନମ ମଣିଷ ଶରୀର ସଂସାରରେ କଲା ସାର,କିପାଇଁ କାଳ ମରଣେ ପକାଉଛ ଅନ୍ତର୍ଯ୍ୟାମୀ ଅଣାକାର ।ଗୁରୁଦେବ ସ୍ୱାମୀ ଅଲେଖ ମହିମା ନାମ ଯେବେ ନିରିଗୁଣ,ଏ ଛାର ବିପତ୍ତି କେତେକ ମାତର ଆଜ୍ଞାରେ ହୋଇବ ଲୀନ ।ବୁଦ୍ଧ ଅବତାର ସୁଜ୍ଞାନ ବିସ୍ତାର ସତ୍ୟେ ଅବଧୂତ ଯୋଗୀ,କୋପ କରୁଣା ସମାନ ଯେବେ ଅଟେ ବଚନରେ ଯାଉ ଲିଭି ।ସିଦ୍ଧ ବ୍ରହ୍ମବାଣୀ ସତ୍ୟାଦି ବଚନ ଚାରିଯୁଗେ ଯେବେ ଥିବ,ପ୍ରଭୁ ଦୟା ହେଲେ ପାପ କାଳ ଶର ନିଷ୍କାମରେ ଛିଡ଼ିଯିବ ।ଗୁରୁ ବଳବନ୍ତ ଗୁରୁ ସାମରଥ ଗୁରୁ ସିନା ପିତା ମାତା,ଏ ପିଣ୍ଡ ବ୍ରହ୍ମାଣ୍ଡ ଆୟ ବୟ ଯେତେ ଅଟ ହରତା କରତା ।ଅଲେଖ ବିନୁ ମୁଁ କିଛି ନ ଜାଣଇ କା ଆଗେ କହିବି ଦୁଃଖ,ଏ ମହୀ ମଣ୍ଡଳେ ମହାପ୍ରଭୁ ବିନୁ କେ ଖଞ୍ଜିବ ଭୋଗ ସୁଖ ।ହାନି ଲାଭ କଥା ଯାହା ହେଉଅଛି ନ ଜାଣ କି ପ୍ରଭୁ ତହିଁ,ଅନ୍ତର୍ଯ୍ୟୀମୀ ପ୍ରଭୁ ଭୃତ୍ୟର ଗୁହାରି ବୁଝିବ ଯେମନ୍ତେ ନାହିଁ ।ଆତଙ୍ଗ-ଫେଡ଼ନ ଦୁଃଖୀ-ଜୀବ-ଧନ ନିରେଖ-ପରାଣୀ ବନ୍ଧୁ,ଏ ମାୟା କୁହୁଡ଼ି ପ୍ରକାଶି ଦିହୁଡ଼ି ପାରି କର ଭବସିନ୍ଧୁ ।
ଚତ୍ୱାରିଂଶତ୍ ବୋଲିଏ ପିଣ୍ଡ ବ୍ରହ୍ମାଣ୍ଡ ଭାସି ଯିବ କିପାଇଁ ହୋଇଛ ଉଦେ,ଅବଧୂତ ଧର୍ମ ନିର୍ବିକାର କର୍ମ ପ୍ରକାଶିଲା ନିରିବେଦେ ।ମହାପ୍ରଭୁ ଥାଇ ନାଶ ଯେବେ ଯିବ କି ବୋଲିବେ ସାଧୁଜନ,ଗୁରୁ ବିଜେ ହୋଇ ଅକାଳ ବିପତ୍ତି ପଡ଼ୁଅଛି ସଂସାରେଣ ।ଜଗତ ଭଗତ ରଖିବ ଯେମନ୍ତ ସମ୍ଭାଳି ଧର ସକଳ,କୁହୁଡ଼ି ପରାଏ ଅଦଭୁତ ମାୟା ଘୋଟି ଆସୁଅଛି କାଳ ।ଏ ପିଣ୍ଡ ବ୍ରହ୍ମାଣ୍ଡ ଅହ୍ମଣିଆ କରି ପ୍ରଭୁଙ୍କୁ ଦେଉଛି ଟେକି,ଏ ଛତ୍ର ପାଦେ ଘୋଡ଼ାଇ ସମ୍ଭାଳ ଅମୃତ ଲୋଚନେ ଦେଖି ।ମୋର ପିଣ୍ଡ ପ୍ରାଣ ଦେଇଅଛି ଦାନ ଅଲେଖ ପୁରୁଷ ପାଦେ,ଶ୍ରୀଛାମୁରେ ମୁହିଁ ବ୍ରହ୍ମାଣ୍ଡର ପାଇଁ ଜଣାଣ କରୁଛି ଏବେ ।ଅଶେଷ ବ୍ରହ୍ମାଣ୍ଡ ଡ଼ୁବି ଯେବେ ଯିବ କାହିଁରେ ରହିବି ମୁହିଁ,ମନ ଛନ୍ନ ଛନ୍ନ ହେଉଛି ଉଚ୍ଛନ୍ନ ଏ ପିଣ୍ଡ ବ୍ରହ୍ମାଣ୍ଡ ପାଇଁ ।ଗୁରୁଙ୍କର ପିଣ୍ଡ ଗୁରୁଙ୍କ ବ୍ରହ୍ମାଣ୍ଡ ଗୁରୁଙ୍କର ତିନିପୁର,ସପତ ବ୍ରହ୍ମାଣ୍ଡ ଚଉଦ ଭୁବନ ଦୟା ବହି ରକ୍ଷା କର ।ଏକୋଇଶ ପୁର ଚଉଦ ଭୁବନ ଯେଉଁଠାରେ ଯେହୁଛନ୍ତି,ସବୁ ଘଟେ ପ୍ରଭୁ ହେତୁ ଚେତା ଦିଅ ଉଠୁ ଅଲେଖ ଭଗତି ।ଉଡ଼ାଖାନି ବୁଡ଼ାଖାନି ଚଳଖାନି ଅଚଳଖାନି ଏ ଯେତେ,ଜଣେ ଜଣେ କରି ଉଠାଅ ଏହାକୁ ଚେତା ହୁଅନ୍ତୁ ସମସ୍ତେ ।ଏ ଜନ ଜଗତ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ,ଏଣୁକରି ସିନା ପ୍ରଭୁ ଶ୍ରୀଛାମକୁ ନିତି ଜଣାଣ କରଇଁ ।କି ଆଜ୍ଞା କରୁଛ କିସ ବୋଲୁଅଛ ସଂଶୟ ଫିଟାଅ ପାଦେ,ଏଡ଼େ ବଡ଼ ଧର୍ମ ନାଶ ଯାଉଅଛି କୁଟୁମ୍ୱର ଘର ଭେଦେ ।ଜାଣି ଜାଣି କରି ନାମ ବ୍ରହ୍ମ ଧରି କେହି କାହାକୁ ନ ମାନି,ବ୍ରହ୍ମାଣ୍ଡ ଭିତରେ ଦେହ ଧରି ଯେତେ ହେଉଛନ୍ତି ଅନାଅନି ।ଯେଉଁ ରୂପେ ଏହୁ ଶାନ୍ତିକି ଲଭିବେ ସେହି ରୂପେ ହେଉ ଦୟା,ଏ କଳି ସାଗର ଧର୍ମରେ ନିବାର ଛିଡ଼ିଯାଉ ଛନ୍ଦ ମାୟା ।ଅଶେଷ ବ୍ରହ୍ମାଣ୍ଡ ପୃଥୀ ନବଖଣ୍ଡ ପ୍ରଳୟ ହେବ ନିଶ୍ଚଏ,ମୋର ବିଚାରକୁ ଭରସା ନ ଦିଶେ ମାଡ଼ୁଅଛି ବଡ଼ ଭଏ ।ପାଦରେ ଶରଣ ଦନ୍ତରେ ତିରଣ ରଖ ରଖ ଏ ବ୍ରହ୍ମାଣ୍ଡ,ଅଭୟ ପଞ୍ଜରେ ସମ୍ପାଦନା କରି କ୍ଷମାକର ଘୋର ଦଣ୍ଡ ।ଜଗତ ଭଗତ ଦାସ ଦାସୀ କଥା ଜଲଦି ବୁଝିଲେ ଯାଇ,ପ୍ରଭୁ ବିନୁ ଆଉ କେ ଅଛି ଶକତା କା ଆଗେ ବୁଝିବି ମୁହିଁ ।ଅନ୍ତର ବିଚାର ଅନ୍ତର୍ଯ୍ୟାମୀ ପ୍ରଭୁ ଜାଣୁ ତ ଥିବ ସକଳ,ଏ କଳି ଯୁଗରେ ଯାହା ହେଉଅଛି ବ୍ରହ୍ମାଣ୍ଡର ଫଳାଫଳ ।ଜାଣିବାରୁ ପ୍ରଭୁ ଉଦଏ ହୋଇଛ ଧର୍ମ ପ୍ରକାଶିଛ ଆଣି,ଏ କଳି ଯୁଗରେ ସଂସାର ସାଗରେ ଜଗାଇ ଅଲେଖ ଧୁନି ।ଅଲେଖ ମହିମା ନାମ ବେଇ ଅଛ ବିହନ ରହିବେ ବୋଲି,କଠୋର ଏ ଦୀକ୍ଷା କେଭେ ନାହିଁ, ଦେଖା ନ ପାରୁ ଅଛନ୍ତି ଚାଡ଼ି ।ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ,
ଏକଚତ୍ୱାରିଂଶତ୍ ବୋଲିନିଷ୍କାମ ଭଗତ ବୋଲି ନାମ ଦେଇ ଜଗତେ ଦେଇଛ ଡାକ,କବି ପଦ ନୁହେଁ ଶ୍ରୀମୁଖ ବଚନ ସଞ୍ଚରି ତିନି ତ୍ରୈଲୋକ୍ୟ ।ଜଣେ ଜଣେ କରି ବତାଇ କହିଲି ତାହାର ଏ ତିନିପୁର,ଗୁରୁଦାସ ବୋଲି ଯେବଣ ଭଗତ ବ୍ରହ୍ମାଣ୍ଡରେ ବୀରବର ।ତାହାର ବ୍ରହ୍ମାଣ୍ଡ ରଖୁ ବା ନ ରଖୁ ଆମ୍ଭର ଯାଉଛି କିସ,ଜୀବନ୍ତେ ଆମ୍ଭର ଧର୍ମଦାଣ୍ଡେ ଭିକ୍ଷା ମଲେ ଚଉରାଶି ବାସ ।ଏହା ବୋଲି ସ୍ୱାମୀ ଶ୍ରୀମୁଖେ କହିଛ ସେ କଥା କେମନ୍ତେ ହେବ,ବ୍ରହ୍ମାଣ୍ଡେ ଯେବେ ମୋତେ ଉଦେ କରିବ ପ୍ରଭୁ ଏକା ଅଙ୍ଗେ ଥିବ ।ମହାତେଜ ଘେନି ପ୍ରକାଶ ମେଦିନୀ କୋଟିଏ ଅରୁଣ କାନ୍ତି,ଜଗତ ଭଗତ ଦେଖନ୍ତୁ ସମସ୍ତେ ପ୍ରଭୁଙ୍କ ନୀଳ ମୂରତି ।ମୋତେ ଯେବେ ପ୍ରଭୁ ଭଗତ ବୋଇଲ ଦାସପଣକୁ କି ସରି,ଛପନା କୋଟିରୁ ସାନ ଜୀବ ଅଟେ ଅଛି ମୁଁ ମନେ ବିଚାରି ।ପ୍ରଭୁ ଭୃତ୍ୟ ପାଦେ ଭୃତ୍ୟ ହୋଇବାକୁ ଶକତି ମୋହର ନାହିଁ,ଅଖଣ୍ଡ ବ୍ରହ୍ମର ପାଦ ଲଭିବାକୁ ଭାଗ୍ୟ କରିଅଛି କାହିଁ ?ପ୍ରଭୁଙ୍କ ଭଗତ ଯେହୁ ସେ ବୋଲନ୍ତି ସମଯୁକ୍ତ ଥାନ୍ତି ସତ୍ୟେ;ଚାରି ବେଦ ଚାରି ଧର୍ମଗତି ମୁକ୍ତି ପୂରିଥାଇ ଗର୍ଭଗତେ ।ପ୍ରଭୁଙ୍କର ଦାସ ଯାହାକୁ ବୋଲନ୍ତି ଶକତି ଧାରଣ ସେହି,ନବଖଣ୍ଡ ପୃଥୀ ଅଶେଷ ବ୍ରହ୍ମାଣ୍ଡ ଅଙ୍ଗେ ତାର ପୂରିଥାଇ ।ମୁହିଁ ଛାର କିସ ଭଗତ ହୋଇବି କେଉଁ ଜୀବରେ ଗଣିତା,ମନେ ମନେ ମୋର ବିଚାର ଆଣୁଛି ବଡ଼ାଇ ଆଶ୍ଚର୍ଯ୍ୟ କଥା ।ଜନମ ଦିନରୁ କିଛି ନ ଜାଣଇ ମୁହିଁ ବଡ଼ ଅପରାଧୀ,ଖଟି ନ ପାରଇ ଗୁରୁପାଦବିନ୍ଦେ ନାହିଁ ମୋର ଜ୍ଞାନ ବୁଦ୍ଧି ।ମାନବ ଶକତି ବହିଉତପତ୍ତି ହୋଇଅଛି ଏ ସଂସାରେ,ଅନାଦି ପୁରୁଷ ଦରଶନେ ଦୃଶ୍ୟ ଦୟା ଥିବ ମୋହଠାରେ ।ଦୁଃଖୀ ଜନ ବନ୍ଧୁ ଦୁଃଖ ଚାହିଁ ମୋର ଫେଡ଼ିବ ଅଖିଳ ଦଶା,କଳିଯୁଗେ ମଧ୍ୟେ ପାପପଙ୍କ ହୃଦେ ନୁହଇ ମୋର ଭରସା ।କାତ କେଳୁଆର କିଛି ନ ପାଉଛି ନାବ ନ ରହୁଛି ଧୀରେ,ତେଣୁ କରି ଜୀବ ସନ୍ତାପି ହେଉଛି ପଞ୍ଚଭୂତ ହୃଦୟରେ ।ଅପମାନ ଯୋଗ ଦୁରାକଷ୍ଟ ଭୋଗ ଆହୁରି ରଖିଛ କେତେ,ନରଦେହେ ମୋତେ ଅବତାର କଲ ଭୁଞ୍ଜାଇବାର ନିମନ୍ତେ ।ଏଡ଼େ ପ୍ରଭୁ ଥାଇ ସଂଶୟ ନ ଗଲା ବସନ୍ତେ ଉଠନ୍ତେ ଚିନ୍ତା,ତିନିଶ ଷାଠିଏ ଦିନ ପରିଯନ୍ତେ ଭୋଜନ ହେଲାଣି ପିତା ।କେତେ ଜଣାଇବି ପୁନର୍ବାର କରି ମନ ହୃଦୟ ବେଦନା,ସାକ୍ଷାତରେ ବ୍ରହ୍ମ ବିଜେ କରିଅଛ ଗୁହାରି ନ ଗଲା ଶୁଣା ।କହନ୍ତା ବହନ୍ତା ସ୍ୱରୂପେ ପ୍ରକାଶ ଅଦେହ ହୋଇ ତ ମୁହିଁ,ଘୋର କଳିଯୁଗେ ଯାହା ମୁଁ ଦେଖିଲି ଦେହ ଧରିଛ ଗୋସାଇଁ ।ପଟ ପଟ କହି ମଟ ମଟ ଚାହିଁ ମଉନ ହୋଇ ରହୁଛ,ମଥା ଛେଚି ହୋଇ ଜଣାଇଲେ ସୁଦ୍ଧା ବିନତି ମୋ ନ ଘେନୁଛ ।ଯାହା ଅର୍ଜିଅଛୁ କପାଳର ଫଳ ଭୁଞ୍ଜ ଥାରେ ପାପୀ ଜୀବ,
ଦ୍ୱିଚତ୍ୱାରିଂଶତ୍ ବୋଲିଶୂନ୍ୟ ଶୂନ୍ୟ ମହାଶୂନ୍ୟ ଦିଶୁଅଛି ସାହସ ଯାଉଛି ଉଡ଼ି,ପଞ୍ଚଭୂତ ମଧ୍ୟେ ଭାଳେଣି ପଡ଼ିଛି ହେତୁ ବୁଦ୍ଧି ଚେତା ବୁଡ଼ି ।ଦଶଦିଗ ମୋତେ ଅନ୍ଧାର ଦିଶୁଛି ମଣୁଅଛି ଆଚମ୍ବିତ,ଦିବସ ରଜନୀ ସନ୍ତାପରେ ପଡ଼ି ଥୟ ନାହିଁ ମୋର ଚିତ୍ତ ।ତିନି ଭୁବନରେ ବାସ ନ ମିଳୁଛି ବାହ୍ୟ ଅନ୍ତେ ନାହିଁ ପାର,ଆକାଶର ବଜ୍ରଶିଳ ପଡ଼ୁଅଛି ପାତିଛି କମଳ ଶିର ।ମୁଣ୍ଡର ଶିରୀକି ପାଦରେ ଟାଳିଲି ମୋଠାରୁ ନାହିଁ ଅଧମ,ଗୋଡ଼ର ଦଉଡ଼ି ଗଳାରେ ଛନ୍ଦିଛି ପ୍ରଭୁ ଅଣାକାର ବ୍ରହ୍ମ ।ଶୋଲ ପିଣ୍ଡି ଛାଡ଼ି ଗଳାରେ ପଥର ବାନ୍ଧି ପହଁରୁଛି ମୁହିଁ,ମହାସୁଖ ଛାଡ଼ି ଦୁଃଖେ ମଜ୍ଜି ଅଛି ମୋହଠାରୁ ମୂର୍ଖ ନାହିଁ ।ହରଷକୁ ଛାଡ଼ି ବିରସ ଭାଜିଲି ଉଜ୍ଜ୍ୱଳ ଛାଡ଼ି ଅନ୍ଧାର,ଗ୍ରାମ ଦେଶ ଛାଡ଼ି ବିଅର୍ଥେ ପଶିଲି ଝାଡ଼ ବନ ଲତା ଘୋର ।ଶାନ୍ତି ଛାଡ଼ି ଅଣଶାନ୍ତିରେ ପଡ଼ିଲି କହିଲେ ନ ସରେ ଚିନ୍ତା,ଘର ଦିଅଁ ଛାଡ଼ି ମାୟା ପ୍ରକୃତିରେ ପୂଜିଲି ପର ଦେବତା ।ପଥ ଛାଡ଼ି ଅଣପଥରେ ଗମିଲି ସତ୍ୟ ଛାଡ଼ି ଅସତ୍ୟକୁ,କେଉଁରୂପେ ମୋର ଦିନକାଳ ଯିବ ଜଣାଉଅଛି ପ୍ରଭୁଙ୍କୁ ।ନିଜ ଧର୍ମ ଛାଡ଼ି ବାହ୍ୟ ଧର୍ମ କଲି ଅମୃତକୁ ଛାଡ଼ି ବିଷ,କଲା କର୍ମଫଳ ଏବେ ମୁଁ ଭୁଞ୍ଜୁଛି କହାକୁ ଦେବଇଁ ଦୋଷ ।ଚାହିଁଲା ନେତ୍ରରେ ଡାଙ୍ଗ କେଞ୍ଚୁଅଛି ଫୁଟିଲେ କାହାର ଯିବ,ମୋର ହସ୍ତେ ମୋହ ଜିହ୍ୱା କାଟୁଅଛି କାହାକୁ ଏ ଦୋଷ ହେବ ?କପାଳରେ ମୋର ଯାହା ଲେଖା ଅଛି ତାହା କେ କରିବ ଆନ,ଯାହା ମାଗିଅଛି ତାହା ଭୋଗ ହେବ ଯାହା ଅଛି ପାପ ପୁଣ୍ୟ ।ପାଦକୁ ଛାଡ଼ି ମୁଁ ବାଦରେ ପଡ଼ିଲି ଲାଗିଅଛି ଗୋଲମାଲ,ଘୋର କଳିଯୁଗେ ଅସତ୍ୟ ଠାବରେ କେମନ୍ତେ ବଞ୍ଚିବି କାଳ ।ତିଥି ଛାଡ଼ି ଅଣତିଥିରେ ପଡ଼ିଲି ବଣା ହୋଇ ମାୟା ମୋହେ,ନିଜ ବ୍ରହ୍ମ ଛାଡ଼ି ଭ୍ରମି ମରୁଅଛି ଦୁର୍ଲ୍ଲଭ ଜନମ ଦେହେ ।କୀର୍ତ୍ତି ଛାଡ଼ି ଅପକୀର୍ତ୍ତି ଭୁଞ୍ଜୁ ଅଛି ଆହାରେ ଜନମ ସାର,ଏହା ପରା ପିଣ୍ଡ ନ ମିଳିବ ଆଉ କଲେ ତପସ୍ୟା ଅପାର ।ବେଦ ପୋଥି ଛାଡ଼ି ଥୋତ ହେଉଅଛି ଧନ୍ୟ ସେ ପ୍ରଭୁଙ୍କୁ ବାକ୍ୟ,ଆଜ୍ଞା ଗରିଷ୍ଠ ସେ ଗୁରୁଙ୍କର ବାକ୍ୟ ମଣୁଅଛି ମୁଁ ଅମୋକ୍ଷ ।ପୃଥ୍ୱୀ ଛାଡ଼ି ପ୍ରୀତି ସ୍ନେହରେ ପଡ଼ିଛି ଗୁରୁପାଦ ଛାଡ଼ି ଦେଇ,ଏହା ପରା ହେତୁ ବୁଦ୍ଧି ନ ମିଳିବ ଆଉ ଜନ୍ମ ହେଲେ ମହୀ ।ନିଜ ଥାନ ଛାଡ଼ି ବିଥାନରେ ମୁହିଁ ବାସ କରି ନିରନ୍ତରେ,ପାଶେ ଥାଇ ମୋର ଗୁରୁ ପାଦବିନ୍ଦ ରହି ଯାଉଅଛି ଦୂରେ ।ନିଜ କାମ ଥାଇ କାମରେ ଅଚେତା ପ୍ରକୃତି ଲୋଭରେ ପଡ଼ି,କିଞ୍ଚିତ ତଥାକୁ ବହୁତ ବିଚାରି ଛାଡ଼ି ଗୁରୁ ଧର୍ମ ଧାଡ଼ି ।ନିଜ ବୃତ୍ତି ଛାଡ଼ି ବୃଥାରେ ପଡ଼ିଛି ଦିନ ଗଲା ଅକାରଣେ,ଅନୁକ୍ଷଣ ଯାର ପାଦ ଧରିଥାଇ ହେତୁ ନାହିଁ ମୋର ମନେ ।
ତ୍ରିଚତ୍ୱାରିଂଶତ ବୋଲିବିଚାରିଲେ ଅସମ୍ଭବ ଲାଗୁଅଛି ହେ ଅନାଦି ଗୁରୁଦବ,ଏ ପିଣ୍ଡ ବ୍ରହ୍ମାଣ୍ଡ ପୃଥ୍ୱୀ ନବଖଣ୍ଡ କେଉଁରୂପେ ସାଧ୍ୟ ହେବ ।ମନେ ମନେ ହେଜ ପାଞ୍ଚ କରୁଅଛି ମହୀ ମେଦିନୀରେ ଥାଇ,ନିଷ୍କାମ ଧର୍ମରେ ନିର୍ଗୁଣ କର୍ମରେ ଅଲେଖ ଧର୍ମକୁ ଧ୍ୟାୟି ।ଅଲେଖ ପ୍ରଭୁ ସେ ମହିମାସାଗର ପିଣ୍ଡ ବ୍ରହ୍ମାଣ୍ଡର ଗୁରୁ,ଚାରି ଯୁଗ ମଧ୍ୟେ ଚାରିଖାନି ଜୀବ ଜାତ ହ୍ୱନ୍ତି ସେ ବ୍ରହ୍ମରୁ ।ସେ ପ୍ରଭୁଙ୍କୁ ମୁହିଁ ଧ୍ୟାଏ କରୁଅଛି ନ ଗଲା ଦାରୁଣ ଦଶା;ପିଣ୍ଡ ବ୍ରହ୍ମାଣ୍ଡ ଅନ୍ଧକାର ଦିଶୁଛି ଶୂନ୍ୟକୁ କରି ସାହସା ।ନିଜ ନାମ ଛାଡ଼ି ଅଗମ୍ୟେ ପଶିଲି ନେତ୍ରେ ଚାହୁଁ ଚାହୁଁ ବଣା,ଥଳ ଛାଡ଼ି ମୁହିଁ ଅଥକେ ପଡ଼ିଲି ମୋ କର୍ମ ବହୁତ ଊଣା ।ସେବା ଭକ୍ତି ଛାଡ଼ି ଅଧର୍ମ ଭକ୍ତିରେ ହୋଇଲି ମୁଁ ଗତାଗତ,ନିଜ ଗୁରୁ ପାଦେ ଅପ୍ରାଧୀ ହେଉଛି ନ ଦେଇ ପାରୁଛି ସତ ।ନିଜ ଥାନ ଛାଡ଼ି ବିଥାନ ହେଉଛି ବୁଦ୍ଧି ଅନୁସାରେ ମୁହିଁ,ସଦଜ୍ଞାନ ଛାଡ଼ି ଅଜ୍ଞାନରେ ପଡ଼ି ଆଗକୁ ଯାଉଛି ଧାଇଁ ।ବୃକ୍ଷ ମୂଳ ଛାଡ଼ି ଡାଳ ତଳେ ପଡ଼ି ଶ୍ରମ ଲଭିବାକୁ ଇଚ୍ଛା,ନ ଜାଣି ମୁହିଁ ମନ୍ଦ କର୍ମ ବିଚାରେ ଆକାଶ ଫଳକୁ ବାଞ୍ଛା ।ପିତାମାତା ଯୁକ୍ତ କାଳେ ଯା ଲେଖିଛି ତାହା ସିନା ଭୋଗ ହେବ,ମୋ କର୍ମ ବ୍ୟବସ୍ଥା ମୁଁ କିସ ଜାଣିବ ପ୍ରଭୁ ହସ୍ତ ମାରି ଦେବ ।ବିନା ଲେଖନରୁ କର୍ମେ ନ ଫଳଇ ପାପ ପୁଣ୍ୟ ବେନି ମତ,କର୍ମ ଦଣ୍ଡ ଛପା ଲାଗି ବୁଲୁଅଛି ପରମ ଗୁରୁଙ୍କ ହସ୍ତ ।ନିରନ୍ତରେ ମୁହିଁ ଅନ୍ତରେ ଡାକୁଛି ଶୁଣୁଛ କି ନାହିଁ ଗୁରୁ,ଭଗତରକ୍ଷଣ ବାନା ବହିଅଛ ଦୟା ପଦେ ଆଦ୍ୟାନ୍ତରୁ ।ଦେଖ ଏ ବ୍ରହ୍ମାଣ୍ଡ କେମନ୍ତ ହେଲାଣି ଦିନୁ ଦିନୁ ମହାଘୋର,ଛପ୍ନାକୋଟି ଜୀବ ଅଚେତ ହେବାରୁ ଡାକୁଛି ମୁଁ ନିରନ୍ତର ।ଚାରିଖାନି ଜୀବ ପାପକର୍ମ କଲେ କେହି ନାହିଁ ମୋକ୍ଷଭାଗୀ,କଳିର ମହିମା ପିଣ୍ଡ ବ୍ରହ୍ମାଣ୍ଡରେ ତ୍ରିପୁରେ ଗଲାଣି ଲାଗି ।କଳିଯୁଗରୁ କିରୁପେ ବଞ୍ଚାଉଛ ବୁଡ଼ିଛନ୍ତି ପାପ ପଙ୍କେ,ପିଣ୍ଡ ବ୍ରହ୍ମାଣ୍ଡ ନାଶିବାକୁ ହେଲାଣି ଅପମୃତ୍ୟୁ କାଳମୁଖେ ।ମାୟାକୁ ଛେଦିଲେ କାଳକୁ ବଧିଲେ ତେବେ ପ୍ରତିକାର ଅଛି,ତିନି ବ୍ରହ୍ମାଣ୍ଡେ ଯେତେ ଜୀବ ଅଛନ୍ତି ଇଜତ ନାହିଁ ନା କିଛି ।ଧରଣୀ ଧରି ସମ୍ଭାଳି ସୁସ୍ଥ କର ନୋହିଲେ ଭାସିଲ ନିଶ୍ଚେ,ଡୁବିଲା ସଂସାର ଜଣାଇଲୁ ନାହିଁ ନ ବୋଲିବେ ମୋତେ ପଛେ ।ଚାରିଖାନି କର୍ମ କେତେ ମୁଁ କହିବି କରିଛନ୍ତି ଯାହା ଯାହା,ଘୋର କଳିଯୁଗେ ଯେଉଁ ବିଧିମତ କର୍ଣ୍ଣେ ଶୁଣି ନୁହେ ତାହା ।ଅନ୍ତର୍ଯ୍ୟମୀ ଗୁରୁ ଅନ୍ତର୍ଗତେ ଜାଣି ତାରି ମୁକ୍ତ ଦୟା କର,ସନ୍ଦେହରେ ଏହୁ ନର୍କେ ପଡ଼ିଛନ୍ତି ଧୋଇ ପଖାଳି ଉଧର ।ଚାରି ଯୁଗ ମଧ୍ୟେ ଗୁରୁ ପାଦ ଗୋଟି ଅଟଇଟି ଧର୍ମ ନାବ,
ଚତୁଶ୍ଚତ୍ୱାରିଂତ୍ ବୋଲିନମେ ଶୂନ୍ୟବାସ ଅନାଦି ପୁରୁଷ ଅନୁସରି ପାଦଗତେ,କପାଳରେ ମୋର ଅର୍ଦ୍ଧାଙ୍ଗ ତପସ୍ୟା ଲେଖି ଦେଇଛ କିମର୍ଥେ ।ଅର୍ଦ୍ଧ -କପାଳରେ ଅଢ଼ାଇ ଅକ୍ଷର କେଉଁ ଅପରାଧ ଗୁଣେ,ଅର୍ଦ୍ଧେକ ସଫଳ ଅର୍ଦ୍ଧେକ ବିଫଳ- ମାଗିଥିଲି କି ମୋ ମନେ ।ଶତେ ଜନ୍ମଠାରୁ ଏପରି କମାଣି କରିଥିଲି କି ମୁଁ ନିତ୍ୟେ,ଭୁଞ୍ଜିଲା ଆଧାରେ ଧୂଳି ପଡ଼ୁଅଛି ଏହା ଥିଲା କି ସୁକୃତେ ।କର୍ମ ବୃକ୍ଷ ମୋର ଆତି କ୍ଷୀଣ ହୋଇ ଫଳୁଛି ପୋକରା ଫଳ,ହସ୍ତେ ତୋଳି ଖାଇ ପକାଇ ନୋହିଲା ପଞ୍ଚୁମନେ ଖଳବଳ ।ଡାଳ ପୁଷ୍ପ-ପତ୍ରେ ଲୋଡ଼ିଲି ମୁଁ ଫଳ କାହିଁ ନ ପାଇଲି ଗୋଟା,ଯାହାକୁ ଭୁଞ୍ଜିଲେ ସୁସ୍ୱାଦୁ ନୋହିଲା ସକଳ ତୁଣ୍ଡକୁ ପିତା ।କସି ଦିନୁ କଞ୍ଚା ଅଧେ ଦରପଚା କଷା ମଧୁର ନୋହିଲା,ଶୂନ୍ୟ ଧର୍ମ ପ୍ରଭୁ ଗୁରୁ ହୋଇ ମୋର ଏହା ଲଲାଟେ ଲିହିଲା ।ପିତା କି ଆମ୍ବିକ ଆତ୍ମାକୁ କୁଶଳ ସନ୍ତୋଷ ନୋହିଲା କିଛି,ପ୍ରଥମ ଯୋଗରୁ ଯେତେ ଦୁର୍ଘଟଣା ଆଗତକୁ କିସ ଅଛି ।ଏପରି ଯୁଗକୁ ଏହିପରି ଭୋଗ ଭୋଗରେ ଦେଇଛ ବାଣ୍ଟି,କର୍ମ କାଣ୍ଡ ଗୋଟି ବସ୍ତ୍ର ଅଟେ ମୋର ସଳଖ କରି ନ କାଟି ।ପୂର୍ବକାଳେ ଗୁରୁସେବା ଅସନ୍ତୋଷ କରିଥିବାରୁ ଏମାନ,ତେଣୁକରି ସିନା ଭୋଗେ ଯୋଗେ ମୋର ସନ୍ତୋଷ ନୋହିଲା ମନ ।ଅଦୃଷ୍ଟକୁ ମାନି ବନରେ ପଡ଼ିଛି ସାର ଅସାର ଯେ ଗ୍ରାସ,ଏତେକାଳେ ଆସି ପ୍ରବେଶ ହୋଇଲା ପୂର୍ବର ଅର୍ଜିଲା ଦୋଷ ।ପୂର୍ଣ୍ଣ ସେବା ଭକ୍ତି ନ କରି ମୁଁ ନିତି ତେଣୁ ମୋ କରମ ଊଣା,ପୂର୍ବେ କାହାକୁ ବନସ୍ତକୁ ଖେଦିଲି ଏବେ ମୁଁ ହେଉଛି ବଣା ।ପୂର୍ବେ ମୁଁ କାହାର ଥିତି ବସା ଭାଙ୍ଗି ଥାନୀକି ବିଥାନୀ କଲି,ସେହି ଯୋଗେ ମୋତେ ପ୍ରାପତ ହୋଇଲା ଏବେ ପ୍ରତକ୍ଷେ ଜାଣିଲି ।ପୂର୍ବେ ମୁଁ କାହାର ସୁଖଭୋଗ ଖଣ୍ଡିଥିବାରୁ ପଡ଼ୁଛି ଦଣ୍ଡ,ଏବେ ସେହି ଶାସ୍ତି କରତି କାଟୁଛି ସବୁ ଦୋଷ ହୋଇ ରୁଣ୍ଡ ।ଅନ୍ତର୍ଯ୍ୟାମୀ ସ୍ୱାମୀ ଅନନ୍ତ ଗର୍ଭରେ ରଖିଥିଲା ଠୁଳ କରି,ଏବେ ସେ ଫଳମାନ ବ୍ୟର୍ଥ ହେଉଛି ଭୁଞ୍ଜାଉଛି ମୋତେ ଧରି ।କରି ଏବେ ଦୂର ପ୍ରଭୁ ଅଣାକାର କିପାଇଁ ଦେଉଛ ସଜା,ବେନି କନ୍ଧେ ବେନି ଭାର ବୁହାଇଛ ବୋଝର ଉପରେ ବୋଝା ।ପ୍ରକୃତି ସଂସାର ତିମିରି ଅନ୍ଧାର ଗୋଚର ନ ଥିଲା ଚିତ୍ତେ,ବେଳହୁଁ ଯେବେ ଜାଣିଥାନ୍ତି ଏମାନ କାହିଁକି ହୁଅନ୍ତା ଏତେ ।ଯେତେ ସରିକି ହୋଇଲାଣି ଆଜକୁ କେ କହୁ ମୋର ଭାଳେଣି,ଦିବା ନିଶି ଅସରନ୍ତି ହେଉଅଛି ଗୁରୁ ଦେବ ଗୁଣି ଗୁଣି ।ମିଛ ପସରାକୁ ଆବୋରି ବସିଛ ଧନ ରତ୍ନ ନାହିଁ କିଛି,ଏବେ ପ୍ରଭୁ ମୋର ମନେ ପଡ଼ୁଅଛି ବେନି ନେତ୍ରୁ ଲୁହ ପୋଛି ।କରୁ ମୁଁ ଅଛି ଯାହା ଯାହା ବିଚାର ହୃଦୟ ପଦ୍ମରେ ମୋର,ପଚିଶ ପ୍ରକୃତି ପିଣ୍ଡରେ ପ୍ରବଳ ଯୁଗ ଅଟେ ମହାଘୋର ।
ପଞ୍ଚଚତ୍ୱାରିଂଶତ୍ ବୋଲିଗୁରୁ ଦେବ ସ୍ୱାମୀ ନିର୍ଗୁଣ ପୁରୁଷ ମୁହିଁ ଅଟଇ ସଗୁଣ,ଏତେବେଳେ ମୋତେ ପଥ କହିଦିଅ ପଶି ଯାଉଅଛି ବନ ।ଅଣାକାର ସ୍ୱାମୀ ନିଷ୍କାମ ପୁରୁଷ ମୁହିଁ ଅଟଇ ସକାମ,ମାୟା ପ୍ରଳୟରୁ ବଞ୍ଚଇଣ ରଖ ତାରି ନିଅ ଦେଇ ନାମ ।ଗୁରୁଦେବ ସ୍ୱାମୀ ନିର୍ବେଦ ପୁରୁଷ ମୋର ତନୁ ଅଟେ ବେଦ,ପାପ ପ୍ରକୃତି ପିଣ୍ଡରୁ ଉଧରିବ କହି ବ୍ରହ୍ମଜ୍ଞାନ ଭେଦ ।ଗୁରୁଦେବ ସ୍ୱାମୀ ନିର୍ବେଦ ପୁରୁଷ ମୋ ଦେହ ଅଟଇ ରୂପ,ବ୍ରହ୍ମ ଗଙ୍ଗାଜଳେ ସ୍ନାନ କରି ନେବେ ପଡ଼ିଅଛି ଭବକୂପ ।ଶୂନ୍ୟବାସୀ ପ୍ରଭୁ ଏକ ପାଦ ବ୍ରହ୍ମ ମୋର ଅଛି ବେନି ପାଦ,ଏକ ପାଦେ ମୋତେ ପାରି କରି ନେବ ନ ରଖିବ ଭେଦାଭେଦ ।ଗୁରୁଦେବ ମୋର ଅପାପ ପୁରୁଷ ମୁଁ ଅଟଇ ମହାପାପୀ,କଳୁଷରୁ ସ୍ୱାମୀ ପାରି ନିଅ ମୋଠାରେ ମାୟା ନ ରଖି ।ଗୁରୁ ଦେବ ସ୍ୱାମୀ ବୁଦ୍ଧିବନ୍ତ ଅଟ ମୁଁ ଅଟଇ ନିର୍ବୁଦ୍ଧିଆ,ସଂସାର -ସାଗର ହାନିଲାଭ ଜାଣି ଟିକେ ଟିକେ ଥିବ ଦୟା ।ଗୁରୁଦେବ ସ୍ୱାମୀ ଜ୍ଞାନର ଭଣ୍ଡାର ମୁହିଁ ଅଟଇ ଅଜ୍ଞାନ,ଘୋର କଳିକାଳୁ ପାରି କରି ନେବେ ଜାଣି ମୋର ଅଭିମାନ ।ଗୁରୁ ଦେବ ସ୍ୱାମୀ ତାରଣରେ ସଚ୍ଚା ମୁଁ ମୁଢ଼ ଅଟଇ କଚା,ଷଠିସସ୍ର କୁମ୍ଭୀ ନର୍କ ପଡ଼ିଥିଲେ ଘିଞ୍ଚି ନେବେ କରି ବଚ୍ଛା ।ଅନ୍ତର୍ଯ୍ୟାମୀ ପ୍ରଭୁ ଅନ୍ତର୍ଗତେ ଜାଣି ଦୟାରେ ସାଗର ହୁଅ,ପଡ଼ିଅଛି ଜୀବ ପାପପଙ୍କ ମଧ୍ୟେ ବକଳ ଛଡ଼ାଇ ନିଅ ।ଗୁରୁଦେବ ସ୍ୱାମୀ ନିରୋଗୀ ପୁରୁଷ ମୁଁ ମୂଢ଼ ଅଟଇ ରୋଗୀ,ଶୂନ୍ୟ ଧର୍ମ ପ୍ରଭୁ ଶିରୀବନ୍ତ ଅଟ ଏ ଜୀବ ଅଟେ ଅଭାଗୀ ।ଗୁରୁଦେବ ସ୍ୱାମୀ ନିଅଙ୍ଗୀ ନିସଙ୍ଗୀ ମୋହର ଯୁଗଳ ତନୁ,ରୋମ ଚର୍ମେ ମୋର ମାୟା ଲାଗିଅଛି ଦେହଧାରୀ ହେଲା ଦିନୁ ।ଅଲେଖ ପୁରୁଷ ଶ୍ରୀଗୁରୁ ମୋହର ମୁଁ ଅଟଇ ତୁମ୍ଭ ଶିଷ୍ୟ,ବୁଡ଼ି ମରୁଅଛି ଛାଣିନିଅ ମୋତେ ଅଧିକ କହିବି କିସ ।ସଦଗୁରୁ ମୋର ପୁଣ୍ୟାଧି ପୁରୁଷ ମୁଁ ଅଟଇ ମହାପାପୀ;ଭବାର୍ଣ୍ଣବୁ ମୋତେ ପାରି କରି ନେବ ଅବସ୍ଥା ମୋହର ଦେଖି ।ଦୟାପାଦେ ଗୁରୁ ଅଗାଧ ସାଗର ଧର୍ମ ଅଟଇ ମହିମା,ଜ୍ଞାନୀଜନଙ୍କୁ ଅଗୋଚର ଅଟଇ ବେଦ ନ ଜାଣଇ ସୀମା ।ଧର୍ମ ପୁରୁଷର ରୂପ ରେଖ ନାହିଁ କାହାକୁ ଜପିବି ମୁହିଁ,ଅକର୍ମ ଦାୟକ ପୁରୁଷ ତୁ ପ୍ରଭୁ କ୍ରିୟା କର୍ମ ନ ଲାଗଇ ।ଅଚିନ୍ତା ପୁରୁଷ ଶୂନ୍ୟମୟ ଦେହ ଯହିଁରେ ନାହିଁ ବଚନ,ନିରୂପଣ କରି ଶାହାସ୍ର ପଥରେ କେ ପାଇବ ବର୍ଣ୍ଣ ଚିହ୍ନ ।ସାଧୁ ସଜ୍ଞଜନ କବି ତ ପଣ୍ଡିତ ଚିତ୍ତରେ ବିଚାର କର,ଘୋର କଳିଯୁଗେ ଅଲେଖ ମହିମା ଦିବା ନିଶି ଅନୁସର ।ଏ ଯୁଗରେ ଏକା ଏ ଧର୍ମ ଉଦିତ ଅନ୍ୟରେ ନାହିଁ ନା ସାର,ଗତି ମୁକତି ସମ୍ପତ୍ତି ପରାପତ ନିଷ୍ଠା ଏ ବଜ୍ରର ଗର ।ଯୁଗ କଳିକାଳ ପାପ ଅନର୍ଗଳ ଦିନୁ ଦିନୁ ମହାଭାରୀ,
ଷଟ୍ଚତ୍ୱାରିଂଶତ୍ ବୋଲିଜୟ ଜୟ ପ୍ରଭୁ ଅନାଦି ଈଶ୍ୱର ଅନନ୍ତ ଅରୂପ ହରି,ମହାଭାରା ହେଲା ଘୋର କଳିଯୁଗ ପାପ ହୋଇଲାଣି ଭାରି ।ସମୁଦ୍ର ପରାଏ ପୂରିତ ହେଲାଣି ନ ଚଳୁଛି ସତ୍ୟନାବ,ଏଥିକି ଚାହିଁ ବିଚାର ମହାପ୍ରଭୁ ଯେଉଁ ପରି କ୍ଷଏ ଯିବ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରକୁ ଡୁବାଇ ଦେଲାଣି ଧରି,ନିରନ୍ତରେ ଭାସୁଅଛି ନବଖଣ୍ଡ ଜଳରେ ମୀନ ଯେପରି ।ଅଗାଧ ପାତକ ଯେମନ୍ତ ତୁଟିବ ତହିଁକି ବିଚାର କର,ମହାବ୍ରହ୍ମତେଜ ପରକାଶ କରି ଅନଳମୂରତି ଧର ।ପାପ ସାଗରରେ ମହିସାଗର ବ୍ରହ୍ମାଣ୍ଡେ ସ୍ଥାପିଲ ଧୁନି,ଅବଧୂତ ନିର୍ବିକାର ଦୀକ୍ଷା ଦେଇ ଆପଣେ ହେଲ ଅଗ୍ରଣୀ ।ଅଗୋଜାକୁ ଗୋଜା କରି ମହାପ୍ରଭୁ ଅଚେତାକୁ ଚେତା କଲ,ଅଲେଖ ମହିମା ନାମ ସର୍ବେ ଡ଼ାକ ବୋଲି ମୁଖେ ଆଜ୍ଞା ଦେଲ ।ଘୋର କଳିଯୁଗେ ଏ ଧର୍ମ ଉଦିତ ଏଠାରୁ ନାହିଁ ନା ବଡ଼,ଅଲେଖ ମହିମା ନାମ ଯେଉଁ ପଦ ଅଙ୍ଗାଇତ ଖଣ୍ଡା ଦାଢ଼ ।ତୁମ୍ଭେ ଯେ ବୋଇଲ ମହିମା ଭଜିଲେ ମରଣ ତାହାକୁ ନାହିଁ,ଶ୍ରୀମୁଖ ବଚନ ବଜ୍ରଗାର ଅଟେ ଯାଉଛି ବିଅର୍ଥ ହୋଇ ।ମ ଅକ୍ଷର ନାମ ହୃଦେ ଲଏ କର ମହୀମଣ୍ଡଳେ ରହିବ,ବିନା ଆଶ୍ରିତରେ ନ ବର୍ତ୍ତିବେ କେହି ଯୁଗଭାଗେ ପଡ଼ିଯିବ ।ଏହା ବୋଲି ଗୁରୁ ଶ୍ରୀମୁଖେ କହିଛ ଶୁଣି ମୁଁ କରିଛି ହେତୁ,ଏକ ପାଦ ଅନୁସରି ଯେତେଦିନୁ ପାସୋରି ନ ଦେଇ ଚିତ୍ତୁ ।ସକଳ ବାରତା ପଶ୍ଚାନ୍ତକୁ ଥାଉ ମୋ କଥା କେମନ୍ତେ ହେବ,ତିନି ପୁରେ ମୋତେ ଅଚିନ୍ତା କରାଇ କାହିଁ ନେଇ ଠାବ ଦେବ ।ତିନି ପୁରଯାକ ଅସତ୍ୟ ହେଲାଣି ଧର୍ମ ଯାଉଅଛି ଛାଡ଼ି,ବେଳକୁ ବେଳ ଅପ୍ରମାଣ ହେଉଛି ପଡ଼ୁଅଛି କାଳ ଧାଡ଼ି ।ନିଜ ରୂପ ଧରି ମହାଘୋର କାଳ ବ୍ରହ୍ମାଣ୍ଡ ଭିତରେ ପଶି,ଛପନା କୋଟି ହୃଦୟରେ ଘାଣ୍ଟୁଛି ହୋଇ କାଳଦଣ୍ଡ ଫାଶି ।ଭବ ନଦୀରେ ଭସାଇ ନେଉଅଛି ଭାବନା କରାଇ ମୁଖେ,ପ୍ରକୃତି ଭିତରେ ପକ୍ଷୀ ମହାମାୟା ଭୋଗ କରୁଅଛି ସୁଖେ ।ଜନ ପ୍ରାଣୀମାନେ ବିଚାରୁ ଅଛନ୍ତି ଆମ୍ଭେ କରୁଅଛୁ ସବୁ,ଅନ୍ୟାୟକୁ ନ୍ୟାୟ ଏକାକାର କରି କଳି ପୁରୁଷର ଯୋଗୁଁ ।ଆତ୍ମା ଲିଙ୍ଗେ ପକ୍ଷୀ ରୂପ ଚର୍ମ ଭେଦି ପାଲଟି ନାଶୁଛି ପିଣ୍ଡ,ତେଣୁ ପାଞ୍ଚ ମନ ପଚିଶ ପ୍ରକୃତି ଅଜ୍ଞାନରେ ପରଚଣ୍ଡ ।ବେଳୁ ବେଳକୁ ବଚନ କହିଲାଣି ନାଶିବ ପିଣ୍ଡ ବ୍ରହ୍ମାଣ୍ଡ,ସମସ୍ତଙ୍କୁ ଏକାବେଳେ ମୁଁ ଭକ୍ଷିବି ଛେଦି ପକାଇବି ମୁଣ୍ଡ ।ଏ ବଚନ କାଳମୁଖେ ଭାଷିଲାଣି କେମନ୍ତେ ହେଉଛି କଥା,ଏ ପିଣ୍ଡ ବ୍ରହ୍ମାଣ୍ଡ କେମନ୍ତେ ରହିବ ଲାଗୁଅଛି ମୋତେ ଚିନ୍ତା ।ଏତେବେଳେ ଦେଖ ମହାଶୂନ୍ୟ ଦେହୀ ଛାଣିରଖ ଭବାର୍ଣ୍ଣବୁ,ସତ୍ୟ ଧର୍ମ ଘେନି ଉଦେ ହୋଇଅଛ ଅଟ ଯେବେ ମହାପ୍ରଭୁ ।ଏହିପରି କେତେ ବର୍ଣ୍ଣନା କରିବି ନ ଜାଣ କି ଗୁରୁଦେବ,
ସପ୍ତଚତ୍ୱାରିଂଶତ୍ ବୋଲିଅରୂପ ଶରୀର ରୂପ ନାହିଁ ଯାର କେମନ୍ତେ ଚିହ୍ନିବି ମୁହିଁ,ଦୟାକରି ମୋତେ ଦରଶନ ଦିଅ ଅନ୍ତର୍ଯ୍ୟାମୀ ଶୂନ୍ୟଦେହୀ ।ଏକ ଗୋଟା ପାଦ ନିର୍ବେଦ ନିଃଶଙ୍କ ପଡ଼ିଅଛି ଶୂନ୍ୟ ଶବ୍ଦ,ଅନାଦି ଅଗାଧ ଅଟଇ ସେ ଆଦ୍ୟ ଯେମନ୍ତେ ମିଳିବ ଭେଦ ।ବ୍ରହ୍ମମଧ୍ୟେ ସାର ଧର୍ମ ଧନୁର୍ଦ୍ଧର କର୍ମ ଅଟେ ବୀରବର,ଏକସ୍ଥାନେ ଥାଇ ସକଳ ଶରୀର ପୂରିଅଛ ତିନିପୁର ।ଜଳସ୍ଥଳାନଳ ପବନ ଶରୀରେ ଭିତର ବାହାରେ ରହି,ଶବଦ ସ୍ୱରୂପ ହୋଇ ଅଣରୂପ ଆତ୍ମାଭୂତ ପ୍ରାୟ ହୋଇ ।ସାନ ଦେହେ ସାନ ବଡ଼ ଦେହେ ବଡ଼ ଜୀବ ଅଜୀବ ସମାନ,ବିକାର ଅଣବିବାର ଠାବେ ବସି ନ ଥାଇଟି ଭିନ୍ନାଭିନ୍ନ ।ଦୁଷ୍ଟ ଦୁରାଚାରେ ଦୈତ୍ୟ ଦାନବରେ ସକଳ ଘଟେ ବିଶ୍ରାମ,କାହିଁ ଶୂନ୍ୟ ନାହିଁ ସକଳ ଭୂତରେ ବହି ଜୀବବ୍ରହ୍ମ ନାମ ।ସନ୍ଥସାଗର ସାଧୁଜନ ପଣ୍ଡିତ କବିତ୍ୱ ହୃଦରେ ଥାଇ,ଅନୁଭବ ଶକ୍ତି ଅଣାକାର ଜ୍ୟୋତି ଆକାଶରୁ ପଦ ଲିହି ।ଅଶେଷ ମହିମା ବହିଅଛି ପ୍ରଭୁ କେତେ ବର୍ଣ୍ଣିବି ତୁମ୍ଭଙ୍କୁ,ବ୍ରହ୍ମସାଗରରେ ମୁଁ ହଜି ଯାଉଛି ଆଶ୍ଚର୍ଯ୍ୟ ମଣି ମନକୁ ।ମୋହ ବୁଦ୍ଧିବଳେ ଅନେକ ପ୍ରକାରେ ଧରି ମନ କରୁଅଛି,ଯେତେ ଲୋଡ଼ିଲେ ତୁ ଚିହ୍ନା ନ ପଡ଼ୁଛୁ ବଚନ ନ କହୁ କିଛି ।କି ନିମନ୍ତେ ମୋତେ ସାଧି ମାରୁଅଛୁ ଲାଗିଅଛି ତୋର କେତେ,କାହିଁକି ଗୁପତେ ମଉନ ହେଉଛୁ ଫେଡ଼ି କହ ପ୍ରଭୁ ମୋତେ ।କରୁଣାକଟାକ୍ଷ କୃପାହିଁ ତ ଦୟା ଯାହା ଦେଇଅଛୁ ମୋତେ,ସେବା ଭକ୍ତି ଗୁଣ କଳନ୍ତର ଋଣ ଊଣା ହେଲା କେତେ କେତେ ।ପାରୁ ପରିଯନ୍ତେ ଶୁଝୁଅଛି ମୁହିଁ ଘେନୁଛୁ କି ନାହିଁ ତୁହି,ଜନମଯାକ ମୋ ବହି ଗଲାଣି ତ ଗଉଣୀରେ ମାପି ଦେଇ ।ଚାରି ବରଷ ହୋଇଲାଣି ଆଜକୁ ତୋଠାରୁ ମୋ ଅଣା ନିଆ,ବହିରେ ନ ଲେଖି ମାରୁଅଛୁ କୋପି କିପାଇଁ କରୁଛୁ ଏହା ।ମୁହିଁ ଏକା ନେଇଅଛି ତୋହ ଋଣ ସମସ୍ତେ ତ ଛନ୍ତି ନେଇ,ମୂଳ କଳନ୍ତର ବୁଝାଇବା ବେଳେ କିମ୍ପା ନ ଲେଖିଲୁ ବହି ।ପୁଣି ଯେତେଠାରୁ ଆଣିଅଛି ମୁହିଁ ଏପରି କରିବୁ ମୋତେ,ସାହୁ ରାହୁ ତୁହି ପାରି କରିନିଅ ଏବେ ମୁଁ କହୁଛି ତୋତେ ।ସାହୁ ହୋଇ କରି ଖାତକଠାବରେ ମାୟା କରିବାର ନୁହେ,ଅଶେଷ ବ୍ରହ୍ମାଣ୍ଡ ମହାଜନ ଅଟୁ ସମ୍ପତ୍ତି ତୋର ଅକ୍ଷଏ ।ତେଣୁକରି ମୁହିଁ ଆଶ୍ରେ କରିଅଛି ଅନନ୍ତ ଭଣ୍ଡାରେ ସିନା,ଶତେ ପୁରୁଷକୁ ଅଣ୍ଟିବ ବୋଲି ମୁଁ ମନେ କରିଛି ଭାବନା ।ସାହୁ ଗଙ୍ଗାଜଳ ହୃଦୟ ନିର୍ମଳ ହେଲେ ଖାତକକୁ ଲାଭ,ଖାତକ ଶୁଝିଲେ ସାହୁ ନେଉଥିଲେ ସବୁଦିନେ ପ୍ରୀତି ଥିବ ।ତୋହୋ ଦାନାପାଣି ଛପ୍ନା କୋଟି ପ୍ରାଣୀ ଖାଇ ସମସ୍ତେ ଆନନ୍ଦ,କାହାକୁ କେଉଁ ପରକାରେ ଦେଉଛୁ ତୁ ଜାଣିବୁ ସେହି ଭେଦ ।ଏବେ ଶ୍ରୀଛାମୁରେ ବିନତି କରୁଛି ଘେନ ମୋହର ବଚନ,
ଅଷ୍ଟଚତ୍ୱାରିଂଶତ୍ ବୋଲିତୁମ୍ଭେ ଯେବେ ସାହୁ ମୁଁ ଅଟେ ଖାତକ ପାରିକର କେଉଁ ରୂପେ,ବ୍ରହ୍ମସ୍ୱର କଥା ବ୍ରହ୍ମଶର ଅଟେ ମଗ୍ନ ହେବି ବୋଲି ପାପେ ।ଗଳାରେ ବସନ ଦନ୍ତରେ ତିରଣ ପାଦ ଧରି କହୁଅଛି,ଶ୍ରୀଗୁରୁ କୋପକୁ ବଡ଼ ଭୟ ମୋର ବାରମ୍ବାର ଜଣାଉଛି ।ନୋହିଲେ ପ୍ରସନ୍ନ କି ପାଇବି ଧନ ହେବି ଦରିଦ୍ର ଅବସ୍ଥା,ଅଣହେଳା କଲେ ଝୁଙ୍କି ମୁଁ ପଡ଼ିବି ଆଗୁ ରଖୁଅଛି କଥା ।କୌଣସି ପ୍ରକାରେ ଋଣଠାରୁ ମୋତେ ପାରି କର ଗୁରୁସ୍ୱାମୀ,ଅନ୍ତର୍ଗତ କଥା ଜାଣୁଥିବ ମୋର ଅଣାକାର ଅନ୍ତର୍ଯ୍ୟାମୀ ।ବହୁତ ଅବସ୍ଥା ହୋଇଲାଣି ମୋତେ କି କରିବି ଗୁରୁ କହ,କି ପ୍ରକାରେ ମୋତେ ନିଆରା କରିଛ ତାତପରିଯରେ ଥୁଅ ।ପ୍ରଭୁଙ୍କୁ ନ କହି କାହାକୁ କହିବି କେ ବୁଝିବ ମୋର ଦୁଃଖ,ଦୁଃଖୀଜନ ବନ୍ଧୁ ଅଟ ପରା ତୁମ୍ଭେ କୃପା କରି ମୋତେ ରଖ ।କା ଆଗେ କହିଲେ କେହୁ ସେ ବୁଝିବ ଶୁଣିବ ମୋର ଗୁହାରି,କେହି ନ ଦିଶନ୍ତି ତୁମ୍ଭେ ତ ଦିଶୁଛ ଅରୂପ ଶୂନ୍ୟବେହାରୀ ।ଗୁରୁ ଆଗେ ଶିଷ୍ୟ ନ କହିବ ଯେବେ କାହୁଁ ପାଇବ ସୁବୁଦ୍ଧି,ସୁଦୟାରେ ଗୁରୁ ସାଗର ଅଟନ୍ତି ପ୍ରତ୍ୟେକ୍ଷ କରୁଣାନିଧି ।ହାନି ଲାଭ ହେଲେ ନ କହିବ ଯେବେ କେମନ୍ତେ ବଞ୍ଚିବ ଦିନ,ଗୁରୁ ତ ମୋହର ସକଳ କାରେଣି ଦରିଦ୍ର ପ୍ରାଣୀଙ୍କ ଧନ ।ପିଣ୍ଡ ପ୍ରାଣ ରକ୍ଷା କେହି ନ ଅଟନ୍ତି ଏକା ଗୁରୁଦେବ ବିନୁ,ମେଦିନୀରେ ଥାଇ ସକଳ ଜାଣୁଛି ଜନ୍ମ ହେଲି ଯେତେଦିନୁ ।ଦୁଲଭ ଜନମ ସୁଲଭ କରମ ଦେଉଥିବ ଯୁଗେ ଯୁଗେ,ବାହ୍ୟ ଅନ୍ତରେ ପରାପର ନ କରି ରଖିଥିବ ସଙ୍ଗେ ସଙ୍ଗେ ।ପାଦପଦ୍ମେ ମୋତେ ଦୋଷୀ ନ କରିବ କ୍ଷମା କରିଥିବ ଚିତ୍ତେ,ନିର୍ମାଲ୍ୟକୁ ତୋର ଅନୁସରି ଅଛି ଦୟା ଥିବ ଅନ୍ତର୍ଗତେ ।ସତ୍ୟଧି ପୁରୁଷ ଭଗତବିଶ୍ୱାସ ମହାଶୂନ୍ୟେ ତୁମ୍ଭ ବାସ,ଅରୂପ ବୋଲନ୍ତେ ଆଶା କରିଅଛି ଅରୂପ ଶୂନ୍ୟ ଆକାଶ ।ସର୍ବଠାରେ ଥାଅ ଉତ୍ତର ନ ଦିଅ ବଡ଼ ଅସମ୍ଭବ କଥା,ଚିହ୍ନିବ ବୋଇଲେ ଚିହ୍ନାହିଁ ନ ଦିଅ ଛେଚି ହେଉଥିଲେ ମଥା ।ଆୟରେ ଆନନ୍ଦ ବ୍ୟୟରେ ଆନନ୍ଦ ବେନିଠାରେ ସମାସମ,ତେଣୁକରି ପ୍ରଭୁ ଶକତି ବହିଲ ଅଲେଖ ଅନାଦି ବ୍ରହ୍ମ ।ବ୍ରହ୍ମ ବ୍ରହ୍ମ ବୋଲି ଡାକ ପାରୁଅଛି କଣ୍ଠ ଯାଉଅଛି ଶୁଖି,ଗୁରୁ ମୋତେ ସଦା ସର୍ବଦା ଦେଖୁଛ ଶୂନ୍ୟ ମଧ୍ୟେ ହୋଇ ସାକ୍ଷୀ ।ବାରେ ହେଲେ ଘେନ ଏ ମୋର ବିନତି ନ କର ମୋତେ ନିରାଶ,ଦୋଷ ଅପରାଧ କ୍ଷମା କରି ଗୁରୁ ଯୁଗେ ଯୁଗେ କର ଦାସ ।ଅନାଦର କରି ଫୋପାଡ଼ି ନ ଦିଅ ଦୟା କର ଶୂନ୍ୟବାସୀ,କଳିଯୁଗେ ମୁହିଁ କଷଣ ପାଉଛି ତ୍ରିପୁର ମଧ୍ୟରେ ଆସି ।କାହିଁ ମୁଁ ପଡ଼ିଲି କେଉଁ ପଥେ ଯିବି କହିଦିଅ ସ୍ୱାମୀ ବାଟ,ଯହିଁ ଅନାଇଲେ ତହିଁ ପଶୁଛନ୍ତି କଳି ପୁରୁଷରେ ଥାଟ ।
ଊନପଞ୍ଚଶତ୍ ବୋଲିଶୂନ୍ୟ ଶୂନ୍ୟ ମହାଶୂନ୍ୟରେ ବିଶ୍ରାମ ନାମ ଅଟଇ ନିର୍ବେଦ,ନ କରି ଅଇଁଠା ନ ପାଇ ତୋ ମିଠା କେ ପାଇବ ପ୍ରତିବୋଧ ।ନ ଦେଖି ତୁମ୍ଭଙ୍କୁ କେ ସନ୍ତୋଷ ହେବ ନାହିଁ ଯହିଁରେ ଶରୀର,ଅନୁଭବ କରି ଥୟ କେ କରିବ ହୃଦରେ ଧଇର୍ଯ ଧର ।ନ ଚିହ୍ନି କାମନା ସୁଶନ୍ତି ଭଜିବ ବର୍ଣ୍ଣ ଚିହ୍ନ ଯାର ନାହିଁ,ନ ପାଇ କେହୁ ପରତେ ଯିବ ମନେ ନାହିଁ ଯାର ହାଇ ଛାଇ ।ଅଦେହ ଶ୍ରୁତିରେ କେ ଆଶ୍ରେ କରିବ ଭଜି କାହା ମନେ ଦମ୍ଭ,ଶୂନ୍ୟରେ ବିଶ୍ୱାସ କେ କରୁ ସାହସ ଦୃଢ଼ରେ ହେବ ଆରମ୍ଭ ।ନ ଜାଣି ନ ଶୁଣି କେହୁ ଚିତ୍ତ ଦେବ ତୁଚ୍ଛାକୁ ଭରସା କରି,ନାମ ନାହିଁ ଯହିଁ ମୁଖେ ନୁହେ କହି କେବଣ ଆଶାକୁ ଧରି ।ନ ବୁଝି ନ ଗମି କେ ପ୍ରୀତି କରିବ ଧରିବାର କଥା ନୁହେଁ,ଆପ ମନେ ଜାଣି ସୁଶାନ୍ତିକିଘେନି କେଉଁ ଜନ ଧୀରେ ରହେ ।ନ ଖାଇ କେହୁ ଜିହ୍ୱାକୁ ବୁଲାଇବ ଆସ୍ୱାଦେ ସନ୍ତୋଷ ପାଇ,ଆକାଶକୁ ଚାହିଁ ଅମନେ ମନାଇ କେ ପାରିବ ଧର୍ମେ ରହି ।ନ ଗମି ତୁମ୍ଭଙ୍କୁ କେ ଲଭି ପାରିବ ପଢ଼ିଣ ଶାହାସ୍ର ପଥ,ବୁଦ୍ଧି ପାଞ୍ଚନା କରି ବ୍ରହ୍ମ ଲଭିବି ବୋଲି କେ କରିବ ସତ ।ନ ପଶି କେହୁ କଳଣା କରି ବ୍ରହ୍ମ ମନରେ ହେବ ଆନନ୍ଦ,ବିନା ଆଶରାରେ କେ ପାତିବ ଶିର କର୍ଣ୍ଣେ ଣୁଣି ଅଧାଧୁନ୍ଦ ।ବିନା ପ୍ରଚେ ହୋଇ ଦିନ ବଞ୍ଚିବାର ବହୁତ କଠିନ କଥା,ପ୍ରକୃତି ଶରୀରେ କେ କରିବ ଧ୍ୟନ କାହୁଁ ପାଇବ ବାରତା ।ନର ଦେହ ବହି ନିରତେ ତୁମ୍ଭଙ୍କୁ କେ ଭଜି ପାରିବ ଠିକେ,ଅନାମରୁ ନାମ କ୍ଷରାକ୍ଷର କରି କେ ଜପି ପାରିବ ମୁଖେ ।ନିଶବ୍ଦରୁ ଶବ୍ଦ କେ କାଢ଼ି ପାରିବ ବୁଦ୍ଧିବଳ ପୂରେ ନାହିଁ,ବ୍ରହ୍ମସାଗର ଅଗାଧ ସିନ୍ଧୁ ଅଟେ ଥଳ କୂଳ ନ ମିଶଇ ।ମହିମାସାଗର ଝାସିପଶିବାକୁ କାହାର ଭରସା ଅଛି,ବ୍ରହ୍ମମୟ ପୁର ଅଦ୍ଭୁତ ମନ୍ଦିର ଜ୍ଞାନନେତ୍ରେ ନ ଦିଶୁଛି ।ଯୋଗିଜନମାନେ ଧ୍ୟାନ କରି କରି ରହି ଗଲେଣି ଅନେକ,ପାଇଲେ କି ନାହିଁ କେ ତାହା ଜାଣଇ ଯୋଗ ଘରେ କରି ସଖ୍ୟ ।ତିନି ଭୁବନରେ ଲୋଡ଼ୁଛନ୍ତି ତୋତେ ଅନ୍ତ ନ ପାଇଲେ ନାମ,ବ୍ରହ୍ମ ବ୍ରହ୍ମ ବୋଲି ଅନୁସରି ସରି ଲଭିଗଲେଣି ମରଣ ।ନ ଜାଣିମା ଲୋକେ ବୋଲନ୍ତି ତୁମ୍ଭଙ୍କୁ ଚିହ୍ନିଅଛୁ ଆମ୍ଭେ ବ୍ରହ୍ମ,ମିଛ କଥାରେ ସେ ଭ୍ରମି ହେଉଥାନ୍ତି ଯେସନେକ ପଥଶ୍ରମ ।ନିଷ୍କାମ ପଥରେ ବଡ଼ିମା ନ ଚଳେ ଛିଡ଼ିପଡ଼ିବାର ହୁଏ,ଅଜ୍ଞାନୀ ଜୀବ ଏ ପ୍ରକୃତି ବିଚାର ଯେଣୁକରି ଦେହ ବହେ ।ଜାଣିବାର ଲୋକେ ନିଊନ ହୁଅନ୍ତି ନ କରନ୍ତି ବେଦବାଦ,ଅଖଣ୍ଡ ବ୍ରହ୍ମକୁ ଖଣ୍ଡ ନ୍ୟାୟ କଲେ ଅଙ୍ଗେ ପଡ଼େ ପରମାଦ ।ମୂର୍ଖ ପ୍ରାଣୀମାନେ ନ ଜାଣି ଚିତ୍ତରେ କରନ୍ତି ଉଦଣ୍ଡ ଜ୍ଞାନ,ନ ବୁଝି ନିନ୍ଦା କଲେ ସତ୍ୟ ଧର୍ମକୁ ପରମାୟୁ ହୁଏ କ୍ଷୀଣ ।
ପଞ୍ଚାଶତ୍ ବୋଲିକଳିଯୁଗେ ମୋତେ ସଙ୍କଟ ପଡ଼ିଲା ନର ଅଙ୍ଗେ ଅବତରି,କି ବୁଦ୍ଧି କରିବି ବୁଦ୍ଧି ଦିଶୁନାହିଁ ଅଲେଖ ଶୂନ୍ୟ ବେହାରୀ ।ଦିବସ ପାହିଲା ରଞ୍ଚନା ସରିଲା ବିଚାର କରିବି କିସ,ଆଜି କାଲି ବୋଲି ସଂସାର ଭିତରେ ଯୁଗ ହୋଇଲାଣି ଶେଷ ।ନେତ୍ରେ ଦେଖୁ ଦେଖୁ ଚିହ୍ନି ନ ପାରିଲେ ତିନି ଭୁବନର ଲୋକ,ସତ୍ୟଧର୍ମଠାରୁ ଆହୁରି ମାଗୁଅଛନ୍ତି ପରୀକ୍ଷା ।କେମନ୍ତ ପ୍ରକାରେ ତ୍ରିପୁର ସଂସାରେ ପାଇବେ ଆତ୍ମାରେ ବୋଧ,ଅଚେତା ହୋଇ ସମସ୍ତେ ପଡ଼ିଛନ୍ତି ଖାଇଛନ୍ତି ମାୟାମଦ ।ଆଣ୍ଟୁଆ ପଣରେ ସରବେ ଅଛନ୍ତି ନିହାଇ ଭାଙ୍ଗେ ଗରବ,ବଡ଼ଲୋକ ହୋଇ ଗାରିମା ବହିଲେ ଅଜ୍ଞାନ ପଣରେ ସର୍ବ ।ଅଜ୍ଞାନ ଆଚାରେ ନିନ୍ଦିତ ବିଚାରେ କରୁଛନ୍ତି ଉପହାସ,ମୁହିଁ କୋପ କଲେ କି କାର୍ଯ୍ୟ ହୋଇବ ବୁଝ ପ୍ରଭୁ ଜଗଦୀଶ ।ବୋଲାଇ ନୃପତି ନିନ୍ଦା କରୁଛନ୍ତି ବସି ଦଣ୍ଡ ସିଂହାସନେ,ହସ୍ତ ଝାଡ଼ି ମୁଖ ଶିରକୁ ହଲାଇ କହୁଛନ୍ତି ଗର୍ବମନେ ।ତୁମ୍ଭର ଗୁରୁଙ୍କ ତୁମ୍ଭେ ସେବାକର ନୁହନ୍ତି ଆମ୍ଭର ଗୁରୁ,ପରୀକ୍ଷା କରି ତୁମ୍ଭେ ସେବା କରୁଛ ଆମ୍ଭେ ନ ପାଇ ଆଦ୍ୟରୁ ।ସଭା ବିଦ୍ୟମାନେ ହାସ୍ୟ ଆନୁକ୍ଷଣେ ଦଶ ପାଞ୍ଚ ହୋଇ ମେଳ,ସୁର ଅସୁର ଏକ ଠାବରେ ମିଳି ବିଚାରୁ ଅଛନ୍ତି ଖଳ ।କଉତୁକ କରି ଗେଲରେ ପଚାରି ମହିମା ତୁମ୍ଭେ ଭଜିଛ,କଥାଏ ତୁମ୍ଭଙ୍କୁ ପଚାରୁଛୁଁ ଆମ୍ଭେ ନାହିଁ କହ ପରା ମିଛ ।କେତେ ଦିବସେ ସତ୍ୟଯୁଗ କରୁଛ ଏକଠାବେ ପରା ଖାଅ,ଦାରା କର୍ମ କରି ମଦ ମାଂସ ଭକ୍ଷି ସମସ୍ତଙ୍କ ଜାତି ନିଅ ।ସ୍ତିରୀ ପୁରୁଷ ମୁଣ୍ଡିଆ ମରାମରି ହେଉଅଛ ପରା ତୁମ୍ଭେ,ସମସ୍ତେ ଆସି ଆମ୍ଭ ଆଗେ କହିଲେ କର୍ଣ୍ଣରେ ଶୁଣୁଛୁ ଆମ୍ଭେ ।ପୁରୁଷମାନେ ସର୍ବଘରେ ଭକ୍ଷିଲେ କଲେ ମହିମା ଭଗତି,ସ୍ତିରୀମାନେ ଆଦି ମହିମା ଭଜିଲେ କିପାଁ ବୁଡ଼ାଇଲେ ଜାତି ।ଭଲ ଘର ଝିଅ ଭଲ ଘର ବୋହୂ ଯାଉଛନ୍ତି ନଷ୍ଟ ହୋଇ,ଛତିଶ ପାଟକ ଏକଜାତି ହେଉ ଏହା ଲେଖିଥିଲା ବିହି ।କଳିଯୁଗ ମଧ୍ୟେ ବୋଲୁଥିଲେ ଯାହା ମେଳଛ ହୋଇବେ ସର୍ବେ,ତୁମ୍ଭେମାନେ ଯେଉଁ କର୍ମ କରୁଅଛ ନେତ୍ରରେ ଦେଖୁଛୁ ଏବେ ।ଉଶ୍ୱାସ ଲୋକ ତୁମ୍ଭେମାନେ ସମସ୍ତେ ମନିଷକୁ ବୋଲ ପ୍ରଭୁ,ଯାହାକୁ ତୁମେ ପରଂବ୍ରହ୍ମ ବୋଲୁଛ ଦେଖିଅଛୁ ତାଙ୍କୁ ସବୁ ।ପିତାମାତା ଗୃହ କୁଟୁମ୍ବ ଅଛନ୍ତି ସେହି କି ଅଟଇ ବ୍ରହ୍ମ,ବ୍ରାହ୍ମଣ ବୈଷ୍ଣବ ଶୁଦ୍ର ଆଦି କରି ସମସ୍ତେ ହେଉଛ ଭ୍ରମ ।ଜନମ ଭୂମି ଦେଖିଛୁ ଆମ୍ଭେମାନେ ବାଳୁତ ଦିନୁ ପ୍ରମାଣେ,କେହୁ ବୋଲେ ବୃତ୍ତ ଫନ୍ଦା କରୁଥିଲେ କେ ପରତେ ଯିବ ମନେ ।କେ ବୋଲେ ସଂସାରୀ ମତେ ରହିଅଛି ଆମ୍ଭରି ପରାଏ ହୋଇ,କେଉଁଶକତି ଦେଖି ପ୍ରଭୁ ବୋଲିବା ହେଉଛନ୍ତି କୁହାକୁହି ।