ସ୍ତୁତି ଚିନ୍ତାମଣି
ଭୀମ ଭୋଇ · ଭାଗ ୨ / ୬ · ଭାଗ ୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟାଦଶ ବୋଲିପାପପଙ୍କେ ମନ ବୁଡ଼ି ଅନୁକ୍ଷଣ ନାହିଁ ସଦଜ୍ଞାନ ଗତି,ନର ଦେହ ବହି କେ ପାରିବ କହି ପ୍ରଭୁଙ୍କ ମହିମା ରୀତି ।ଅଣରୂପ ଶବ୍ଦ ନାହିଁ ବର୍ଣ୍ଣ ଭେଦ କେହୁ ମୁଖେ ବଖାଣିବ,ନିରାମିଷ ନିଅଇଁଠା ସେହୁ ପଦ ଓଲଟଇ ନାହିଁ ଜିଭ ।କାମନା କଳ୍ପନା ଶ୍ରୁତି-ସୁମରଣା ବର୍ଣ୍ଣିବାକୁ ଅଛି କାହିଁ,ଜ୍ଞାନ ବେନି ଚକ୍ଷୁ ଏକା ମାତ୍ର ସାକ୍ଷୀ ଚର୍ମ ନେତ୍ର ଦିଶୁନାହିଁ ।ନିରନ୍ତର ଶ୍ରମିକେ ପାରିବ ଗମି ନାସା ପବନେ ଭଜନା,ଅନାଦି ଅଶେଷ ଆକାରେ ନ ମିଶି ଅବିକାର ତା ବାସନା ।ମାୟା ମୋହେ ଦ୍ୱନ୍ଦୀ ପଡ଼ିଛନ୍ତି ବନ୍ଦୀ କେ ଅବା ତାକୁ ଜାଣୁଛି,ଚଉଦ ଭୁବନେ ସଂସାର ସାଗରେ ମୀନ ପ୍ରାୟ ଚହଟୁଛି ।ଅତି ଯତନରେ ମାୟା ଯୋନି-ଜାଲ ଶତେ-ପୁର ଅଛି ଛନ୍ଦି,ଜୀବ ପରମ ଜନମ ମୂଳ ଧରି ବାମ କରେ ଅଛି ବାନ୍ଧି ।ଶୂନ୍ୟର ପୁରୁଷ ଶୂନ୍ୟରେ ତା ବାସ ଚଉଦ ଭୁବନେ ଭେଦି,ଘୋଟିଛି ଆବୋରି ଯେସନେକ ବାରି ନାହିଁ ଯାର ଅନ୍ତ ଆଦି ।ରୋମ ଚର୍ମପ୍ରାୟେ ଆବୋରିଛି କାଏ ନାହିଁ ଯାର ରୂପ ଛାଇ,ଦୁଃଖ ବ୍ୟାଧିମାନ ଅଙ୍ଗରେ ପୀଡ଼ନ୍ତେ କରୁଥାଇ ହାଇ ହାଇ ।ଯେ ଯହିଁରେ ଥିଲେ କର୍ମ ଯୋଗବଳେ ଭେଟାଭେଟି ହେଲେ ଆସି,ପିତା ମାତା ପିଣ୍ଡ ବିଚାରି ସଞ୍ଚିଲେ ଦ୍ୱିତୀ ଯୁଗଳରେ ବସି ।ଏକା ଅଙ୍ଗ ବେନି ଅଙ୍ଗ ଏକ ଅଙ୍ଗ କରି ଏକାନ୍ତେ ମିଶାଇ,ବରଷା ଋତୁରେ ଜଳ ସୋହତିରେ ଯେସନେକ ବଢ଼ି ନଈ ।ମାତା ପ୍ରେମ ପସରା ହାଟ ବସାଇ ପରମକୁ କିଣି ନେଲେ,ବଣିଜର ବୁତା ନିତ୍ୟେ କରି ପିତା ବ୍ରହ୍ମକୁ ସହିତେ ଦେଲେ ।ପ୍ରଭୁ ସେବାକାଳେ ପୁଣ୍ୟ ଯେତେବେଳେ ଧର୍ମକୁ ହୋଇଲା ହିତ,କୋଟିଜନ୍ମ ତପ ବାସନାର ବଳେ ଏ ପିଣ୍ଡ ହୋଇଛି ଜାତ ।ଚିଆଁ ଚଇତନ ପଞ୍ଚୁଆତ୍ମା ମନ ବିଅର୍ଥେ ପଡ଼ୁଛି ହୁଡ଼ି,କାଳକ ଅନ୍ତରେ କୁମ୍ଭି ନରକରେ କୋଟି ଜନ୍ମ ଥିବି ପଡ଼ି ।ଛାଡ଼ିଗଲେ ଜୀବ ଅକାରଣ ହେବ ଏ ପିଣ୍ଡ ପଡ଼ିବ କାହିଁ,ସ୍ୱର୍ଗେ ଦେବଗଣ ସ୍ତୁତି କରୁଛନ୍ତି ଏ ଦୁର୍ଲ୍ଲଭ ଜନ୍ମ ପାଇଁ ।ଛେଦିବାକୁ ଦୁଃଖ ଲଭିବାକୁ ସୁଖ ମନେ କଲି ଯେତେ ବାଞ୍ଛା,ଅବିବେକ ବିହି ଯଶା ଅଛି ଲିହି ପ୍ରତିଦିନ ଦୋଦୋ ପଞ୍ଚା ।ନିରନ୍ତରେ ଭଗ୍ନ କରାଉଛି ବିଘ୍ନ ଅସ୍ତି ମାଂସ କରି ଲୋଚା,ସମସ୍ତ ଲୋକ ପକ୍ୱଫଳ ପାଇଲେ ମୋ ଭାଗ୍ୟେ ପଡ଼ିଲା କଞ୍ଚା ।ପ୍ରସାରନ୍ତେ ଅଣ୍ଟି ତୋଳିଦେଲେ ବାଣ୍ଟି ପାଇଲେ ସାରିଆ ପଡ଼ି,ଥିଲା ମୋ କର୍ମରେ ପୂର୍ବ ଅଧର୍ମରେ ଖୁଦ ମଳୁଖାଦି ଗୋଡ଼ି ।ସେ ଯେତେକ ପଡ଼ି କର୍ମକୁ ଆଦରି ଭୁଞ୍ଜନ୍ତେ ହୋଇଲା ବୃଥା,ପାଟିରେ ନ ପଡ଼ି ହସ୍ତୁଁ ଗଲା ଝଡ଼ି କରେ ସ୍ୱାଦୁ କରେ ପିତା ।ଜନ୍ମ ଫନ୍ଦାବୃତ୍ତି ଳଜଗତର ରୀତି ଆପକୁ ନୋହିଲା ହିତ,ଲଲାଟ ପଟେ ଅପକର୍ମକୁ ଦେଖି ଏହା କଲୁ ହୋ ବିଧାତ ।ଶୋକ ସନ୍ତାପରେ ଡୁବି ଚିନ୍ତାଜ୍ୱରେ ପୁଣି ପୁଣି ପଦ ବନ୍ଦେ,କପୋଳରେ ହସ୍ତ ଦେଇ ଭୀମ ଭକ୍ତ ଶ୍ରୀଗୁରୁ ସୁମରି କାନ୍ଦେ ।
ଊନବିଂଶ ବୋଲିବିଚାରି ଆଣନ୍ତେ ବେଭାର ବୁଝନ୍ତେ ଅଧିକେ ଉଠୁଛି କୋହ,ପଞ୍ଚଭୂତ ଆତ୍ମା କ୍ଷଣେ ସୁସ୍ଥ ନାହିଁ ପୋଡ଼ି ଯାଉଛି ହୃଦୟ ।ମୁଁ ଯେ ଏତେ ସରି ହେଉଅଛି ହରି କିପାଁ ନ କରୁଛ ଦୟା,ପାଞ୍ଚ ମନ ପଞ୍ଚଅଗ୍ନିରେ ପୋଡ଼ୁଛି ଯେସନେ କୁରାଳ ଉହା ।ବିଚାର ନ ପଡ଼ି କହୁଥାନ୍ତି ବଢ଼ି କା କର୍ମ କେ ଖୋଳି ନେବ,ପ୍ରଳୟକାଳରେ ସଂଯୋଗ ବଳରେ ଥାଇ ଯାକୁ ଯେଉଁ ଯୋଗ ।ସମୁଦ୍ର ପରାଏ କୃପାଜଳ ମଏ ଅନାଥ ଲୋକର ନାଥ,ଅକର୍ମ ପସରା ଖଣ୍ଡିବାକୁ ଭାରା ଗୁରୁଦେବ ସାମରଥ ।ରଙ୍ଗ କଳା ଧଳା ଏକତ୍ରେ ମିଶିଲା ଝାବୋଡ଼ା ହୋଇଛି ଧାନ;ଭିନ୍ନ ଭିନ୍ନ କରି ପକାଇବେ ବାରି ଗୁରୁଦେବ ଥିଲେ ଧନ୍ୟ ।ବାହ୍ୟକୁ ଲଗାଇ ଲଜ୍ଜାକୁ ଜଗାଇ ମିଛ ପସରାକୁ ସାର,ମହାକାଳ ଫଳ ବାହାରେ ସୁନ୍ଦର ଭିତର ପୋଡ଼ା ଅଙ୍ଗାର ।ମହିମା ସାଗର ବାନା ତିନିପୁର ଧୁନି ଯେବେ ଅନାହତ,ବଚନ ନ ମେଣ୍ଟି ପାଦତଳେ ଖଟି ଶତ୍ରୁ ଆସି ହେବ ମିତ ।ସର୍ବଠାରୁ ଆସି ଏକାନ୍ତରେ ମିଶି ଗୋଳିଆ ହୋଇଛି ପାଣି,ଆଦି ଅବଧୂତ କରିବେ ପବିତ୍ର ଜ୍ଞାନଖଡ଼ଗରେ ହାଣି ।ମୁଁ ଯେବେ କପଟେ ବିଷୟା ଲମ୍ପଟେ ଅଛି ଯେବେ ନାନା ଦୋଷେ,ଏଥିକି ଚାହିଁ ବିଚାର ମହାପ୍ରଭୁ ଯେବା ଦଣ୍ଡ ଶାସ୍ତି ଦିଶେ ।ପରହିଂସକ ପରବାଦ ରମଣୀ ଧନ ସଧେ ଯେବେ ଅଛି,ସତ୍ୟାନନ୍ଦ ସ୍ୱାମୀ ମହେ ଶୂନ୍ୟଚାନ୍ଦ ସଂଶୟ ନ ରଖ କିଛି ।ଧ୍ୟାନଯୋଗେ ବସି ଦର୍ଶନ ନିବେଶି ନାମ ବ୍ରହ୍ମେ ଥିଲେ ଚିତ୍ତ,ଶ୍ରୀଗୁରୁଦେବ ଯାକୁ କୋପ କରିବେ ହୋଇଯିବ ଭସ୍ମୀଭୂତ ।ପୋଡ଼ୁଅଛି ଆତ୍ମା ହୋଇବାକୁ କ୍ଷମା ଶାନ୍ତି କରାଇବ କେହୁ,ପିଣ୍ଡ ଆଦି ତିନି ବ୍ରହ୍ମାଣ୍ଡ ପୋଡ଼ିଲେ ସମ୍ଭାଳି ନୋହିବ ଆଉ ।ତିମିରି ଅନ୍ଧାର କରି ମହାଘୋର ଘୋଟିଲାଣି ତିନିପୁର,ଧନ ଦେଖି ମନକୁ ବଳାଇ ଦେଲେ ସାଧୁ ତ ହେଲେଣି ଚୋର ।ଦେଖ ଦେଖ ଭାସି ଗଲି ବ୍ରହ୍ମରାଶି ଶୋଲ ପିଣ୍ଡ ଦିଅ ଫିଙ୍ଗି,ସଂସାର ଆତଯାତ ଯେଉଁ ନାବରେ ସେ ନାବ ଲୋଡ଼ଇ ବେଗି ।ଅଣକିଳଣି କବାଟ ତଳେ ଥାଇ ଜଣାଉଛି ବାରମ୍ୱାର,ପ୍ରଳୟ ଜଳରେ ଡୁବିଗଲେ ପିଣ୍ଡ ଦୋଷ ନ ଧରିବ ମୋର ।ଆଲୋ ହେଲେ ପୃଥ୍ୱୀ ରହିବ କୀରତି ଯାର ତେଜ ଛାୟାରୂପ,ଅନ୍ଧାରେ ଲୁଚିବୁ ବୋଲୁଛ ନରେ ଲିଭାଇ ଅଛନ୍ତି ଦୀପ ।ପଣ ଧନେ ବଡ ହେଉଛନ୍ତି ଗାଢ଼ ଭବକୂପେ ଛନ୍ତି ପଡ଼ି,ମାୟାରେ ବଞ୍ଚିତ ହୋଇ ଏ ସମସ୍ତ ସତ୍ୟାଦି ଧର୍ମକୁ ଛାଡ଼ି ।ମୁଁ ଯେ ସତ୍ୟଧର୍ମ ପାଳିବି ବୋଲନ୍ତେ ମନେ କରାଉଛି ଚିନ୍ତା,ବ୍ରହ୍ମହାଣ୍ଡିରୁ ଅନ୍ନ ମୁଠାଏ ଦେଇ ଭୁଞ୍ଜନ୍ତେ କରୁଛ ପିତା ।ମୁହିଁ ସିନା ଜାଣିଥିଲି ବ୍ରହ୍ମଭଣ୍ଡେ ପକ୍ୱ ନ ହେଉଛି ପାକ,ପଞ୍ଚଭୂତ ଆତ୍ମା ପ୍ରତିବୋଧ କରି ଆଦରି ନିଜ କର୍ମକ ।ଛଡ଼ରସ ପାକ ଭୁଞ୍ଜିବାର ଯୋଗ କରୁଥିଲି ବହୁ ଆଶ,ଆପେ ମଣ୍ଡି ଥିଲ ଆପେ ଖଣ୍ଡି ଦେଲ କହେ ଭୀମ ଭକ୍ତଦାସ ।
ବିଂଶ ବୋଲିଜଣାଇଲି ଯେତେ ତୁମ୍ଭ ପାଦଗତେ ବୋଇଲେ ମୋତେ ବୁଝିବା,ମହିମା ମହିମା ବୋଲିବାକୁ ସ୍ୱାମୀ ଭଙ୍ଗୁଛ ମୋର ଗାରିମା ।କିରସ୍ତାନ ବୋଲି ଦେଉଛନ୍ତି ଗାଳି ନିନ୍ଦା କରୁଛନ୍ତି ଲୋକ,ଅଲେଖ ଅଲେଖ ବୋଲିବାକୁ ସ୍ୱାମୀ ଦେଉଛ ଦୁର୍ଦ୍ଦଣ୍ଡ ଦୁଃଖ ।ବସନ ପରାଏ ଘୋଡ଼ାଇ କାଏ କଳଙ୍କ ପାପ ବକଳ,ସତ୍ୟ ଧର୍ମ ସତ୍ୟ ଧର୍ମ ବୋଲିବାକୁ ନିନ୍ଦୁଅଛନ୍ତି ସକଳ ।ଜଗତର ହିତେ ବାନ୍ଧଲଇଁ ଗୀତେ ମୋ ମନକୁ କରି ସତ,ଅବଧୂତ ଅବଧୂତ ବୋଲିବାକୁ ବୋଇଲେ ବାବନାଭୂତ ।ମୁକତି ପସରା ଦିଗଦୀପାନ୍ତରା ବୋଲାଇଲେ ଭକ୍ତେ ନେଇ,ଅଣାକାର ଅଣାକାର ବୋଲିବାକୁ ଅନାଇଁ ଦେଖିଲେ ନାହିଁ ।ଅଜ୍ଞାନେ ବହୁତ ବୁଡ଼ିଅଛି ଚିତ୍ତ ଉଚ୍ଚପଦେ ଉତପାତ,ନିଷ୍କାମ ନିଷ୍କାମ ବୋଲିବାକୁ ସ୍ୱାମୀ ନିଶେ ଦେଉଛନ୍ତି ହାତ ।ନିଜ ନାମ ନିନ୍ଦି ମାରୁଛନ୍ତି ବାନ୍ଧି ହୋଇଲେଣି ଅପରାଧୀ,ନିର୍ଗୁଣ ନିର୍ଗୁଣ ବୋଲିବାକୁ ସ୍ୱାମୀ ଗ୍ରାମରୁ ଦେଲେଣି ଖେଦି ।ନେଉଛନ୍ତି ଜାତି ନାହିଁ ଜ୍ଞାନ ଗତିଆପେ ପାଞ୍ଚୁଛନ୍ତି ବୁଦ୍ଧି,ନିର୍ବେଦ ନିର୍ବେଦ ବୋଲିବାକୁ ସ୍ୱାମୀ ଲାଗି ବସୁଛନ୍ତି ବାଦୀ ।ପୋଥି ଗାଇ ଧୋତି ହେଉଛନ୍ତି ନିତି ନ ପାଇ ଜ୍ଞାନର ଗତି,ଏକ ବ୍ରହ୍ମ ଏକ ବ୍ରହ୍ମ ବୋଲିବାକୁ ମାୟା ଭ୍ରମ ବୋଲୁଛନ୍ତି ।ଗୁରୁ ଆଜ୍ଞା ଘେନି ହୁଅ ବ୍ରହ୍ମଜ୍ଞାନୀ ନିବାରି କଳି ମିଥ୍ୟାକ,ନାମ ଭଜ ନାମ ଭଜ ବୋଲିବାକୁ ଭାଙ୍ଗି ଯାଉଛନ୍ତି ଲୋକ ।ସଂସାରସାଗରେ ଏ କଳିଯୁଗରେ ଧୁନି ସ୍ଥାପିଛନ୍ତି ଗୁରୁ,ଧୁନି ଦେଖ ଧୁନି ଦେଖ ବୋଲିବାରୁ ଭାଙ୍ଗି ଯାଉଛନ୍ତି ଦୂରୁଁ ।କି ଧର୍ମ ଏ ହେଲା ଜଣା ତ ନ ଗଲା କହ ଶୁଣିଥାଉ ବେଳେ,ମହିମା ମହିମା ବୋଲିବାକୁ ସ୍ୱାମୀ ମହୁରା ବିଷ ମଣିଲେ ।ମୂର୍ତ୍ତିବନ୍ତ ତେଜ ଠାକୁରଙ୍କୁ ଭଜ କାହିଁ ତୋର ଗୁରୁ ଦେଖା,ଅରୂପା ଅରୂପା ବୋଲିବାକୁ ବୋଲ ଆସି ରଖୁ ତୁମ୍ଭ ବାପା ।ଖେଦ ଏ ସ୍ଥାନରୁ ରଖୁ ତାଙ୍କ ଗୁରୁ ସାତ ପାଞ୍ଚ ଏକ ମେଳେ,ଅଜପା ଅଜପା ବୋଲିବାକୁ ସ୍ୱାମୀ ଅଛବ ଜାତି ବୋଇଲେ ।କାହିଁ କାହିଁ ଥିଲେ ବାହାର ହୋଇଲେ ଯହୁଁ ନ ମିଳିଲା ଭାତ,ଏକାଙ୍ଗ ଭଗତି ବୋଲିବାରୁ ବୋଲେ ଅଧମ ଏ ଅରକ୍ଷିତ ।କରି ଠକପଣ ନେଉଛନ୍ତି ଦିନ ଘୋର ଯୁଗ କଳିକାଳେ,କାରଣ କର୍ତ୍ତାକୁ ଲାଭ ବୋଳିବାରୁ କର୍ଣ୍ଣପିଚାଶୀ ବୋଇଲେ ।ଶାସ୍ତ୍ରେ ବୁଝି ବସ ଏମନ୍ତ ଭବିଷ୍ୟ କେଉଁ ବେଦେ ଅଛି ଏହା,ତାଙ୍କ ଗୁରୁ ଜାତି ପଠାଣ ଅଟନ୍ତି ବୋଇଲେ ଖପରାଖିଆ ।ନ ଦିଅରେ ଠାବ ମୂଢ଼ ପାପୀଜୀବ ଦେଖିଲେ ଦୂରୁଁ ନିବାର,ସମ ଦୀକ୍ଷା ସମ ଦୀକ୍ଷା ବୋଲିବାକୁ ବୋଇଲେ ଶ୍ୱାନ କୁକୁର ।ଏ ବଚନ ଶୁଣି ମନେ ମନେ ଗୁଣି ବେନି ପାଦ ନ ଚଳଇ,ଯହିଁ ଗଲେ ତହିଁ ଉଦଣ୍ଡ ଏ କଲେ ପ୍ରଚରିବୁ ଆମ୍ଭେ କାହିଁ ।ଅଜ୍ଞାନୀକୁ ବିଷ ଭଗତଙ୍କୁ ରସ ସୁଜ୍ଞାନୀ ଜନଙ୍କୁ ଭେଦ,ଭଣେ ଭୀମ କନ୍ଧ ସ୍ୱାମୀ ଶୂନ୍ୟଚାନ୍ଦ ଠିକ ଚାରିଶତ ପଦ ।
ଏକବିଂଶ ବୋଲିଆହୁରି ରହିଲା ବର୍ଣ୍ଣି ନ ସରିଲା ସଂସାର ବିଷୟ କଥା,ଲେଖନ ପତର ଧରି ନିରନ୍ତର କେତେ ମୁଁ କରିବି ପୋଥା ।ବାଳୁତ କାଳରୁ ଜାଣିଅଛି ସ୍ୱାମୀ ଏ ମୋ ଦୂରଦଣ୍ଡ ଦୁଃଖ,ହୃଦପଦ୍ମେ ଚିନ୍ତା କରି ଅପ୍ରମିତା ଦଣ୍ଡେ ନାହିଁ ମୋର ସୁଖ ।ଜନମ ଦିନରୁ ଦୁଇ ବରଷରୁ ବସିଲାକ ହେତୁ ବୁଦ୍ଧି,ପଞ୍ଚୁମନେ ଆସି ଭେଦ ଗଲା ପଶି ଜୀବନ ହେଉଛି ଶୋଧି ।ଏକା ହୋଇ ମୁହିଁ ବସିଥିଲେ ଯହିଁ ମନେ ପଡ଼ିଗଲେ କଥା,ପଞ୍ଚଭୂତ ଆତ୍ମା ଦଗଧି ହୁଅଇ ବୁଡ଼ି ଯାଉଅଛି ଚେତା ।ବିଚାରୁଥାଇ ହୃଦୟରେ ମନକୁ ଦୁଲଭ ଜନମ ଦେହୀ,କୋମଳ ଶରୀର ପିଣ୍ଡ ଗୋଟା ମୋର ଜୀବ ପରା ପୁଣ ବହି ।ମେଦ ମେଦା ପୃଥ୍ୱୀ ଦେହ ବହିଛନ୍ତି ତରୁ ଅଛନ୍ତି କି କରି,ଚାହିଁ ଆକାଶକୁ ଭାଳଇ ମନକୁ ଦେହ ଯାଉଥାଇ ମରି ।ଚାରି ବରଷ ସମ୍ପୂର୍ଣ୍ଣ ସମୟରେ ଦେଖାଥିଲା ଜ୍ୟେଷ୍ଠମାସେ,ନିର୍ବେଦ କର୍ମେ ଯୋଗୀ ପୁତ୍ର ଗୋଟିଏ ଭ୍ରମୁଥିଲେ ଗ୍ରାମ ଦେଶେ ।କଷା କଉପୀନ ଚଢ଼ାଇ ସେ ପୁଣି ଦିଶୁଥାନ୍ତି ଅପ୍ରଚ୍ଛନ୍ନ,ବେନି ଭୁଜରେ ପତକ୍ଷେ ଦେଖିଅଛି ଥିଲା ଶଙ୍ଖ ଚକ୍ର ଚିହ୍ନ ।ଦୁଇ ପନ୍ଥା ଦାଣ୍ଡେ ବିଜେ କରି ସ୍ୱାମୀ ହସ୍ତରେ ଖପରା ଧରି,‘ଦିଅ ମାତା’ ‘ଦିଅ ମାତା’ ବୋଲୁଥିଲେ ଅନ୍ନ ଭିକ୍ଷା ଗୋଟା ଚାରି ।ତେତେବେଳେ ମୁହିଁ ପାଶେ ଠିଆ ହୋଇ ଅଳପ ମୁଁ ଅଛି ଜାଣି,ଥାଳ ଘେନି ସ୍ୱାମୀ ଆପେ ମାଗୁଥିଲେ ଦିଅ ବାବୁ ମୋତେ ପାଣି ।ସାତ ପାଞ୍ଚ ହୋଇ ମୁଖ ଚୁହାଁଚୁହିଁ ଯହୁଁ ଅମାନିଆ ହେଲେ,‘ଧର୍ମ’ ‘ଧର୍ମ’ ବୋଲି ତେଣୁ କରି ସ୍ୱାମୀ ସେଠାବରୁ ଚଳିଗଲେ ।ସେ ସମୟ କଥା ହୃଦେ କରି ଚିନ୍ତା ଜୀବନ ଯାଉଛି ପୋଡ଼ି,ପଞ୍ଚଭୂତ ଆତ୍ମା ନିତ୍ୟେ କାନ୍ଦୁଅଛି ଚିଆଁ ଚଇତନ ବୁଡ଼ି ।ସେ କଥାମାନ ଏବେ ମନେ ପଡ଼ିଲେ ହୃଦୟ ହେଉଛି ଯାହା,ଦେହେ ପୁଲକିତ ହୋଇ ଉତ୍କଣ୍ଠିତ ଚମକି ଉଠୁଛି ହିଆ ।ଏହି ପିଣ୍ଡ ପ୍ରାଣ ବହି ସହି ଥାଇ ଦୁଃଖ ସୁଖ ଯଥା ଅର୍ଥ,ତହିଁ ଉତ୍ତାରୁ ଦିବସ ବହିଗଲା ହୋଇଲା ବରଷ ସାତ ।କ୍ଷୁଧା ତୃଷା କଲେ ଭାଳଇ ବିକଳେ ବଗଧି ହୁଅଇ କାଏ,ଅତିଦୁଃଖେ ମୁହିଁ ଦିନ ବଞ୍ଚୁଅଛି କସ୍ତୁରୀ ଜୀବନ ପ୍ରାଏ ।ଗର୍ଭଧାରୀ ପିତା ଛାଡ଼ିଗଲେ ମୋତେ ଜନ୍ମରୁ ନିସାଖା ହୋଇ,ସୁସ୍ଥେ ଭୋଜନ ସୁଖଭୋଗ ବାଞ୍ଛିଲେ କାହିଁରୁ ପାଇବି ମୁହିଁ ।ସପ୍ତ ବରଷରୁ ଅଷ୍ଟମ ନବମ ଦଶମ ଏଗାର ହେଲା,ବାର ବରଷରୁ ବାଛାଙ୍କ ସଙ୍ଗତେ ବନେ ବୁଲି ଦିନ ଗଲା ।ଆଗ ପଛ କଥା ହୃଦୟରେ ଚିନ୍ତା ପଡ଼ି ପୁଣ ପୁଣି ଆସି,ଶୋକ ସନ୍ତାପରେ ରୋଦନ କରଇ ବୃକ୍ଷ ଛାୟାମୂଳେ ବସି ।ଏ ଚରିତ୍ରମାନ ଶୁଣ ସାଧୁଜନ ବୋଲୁଥିବ ଅବା ବୃଥା,ମିଥ୍ୟା କହୁଥିଲେ ଶ୍ରୀଗୁରୁ ଦଣ୍ଡିବେ ନିତ୍ୟ ସତ୍ୟବ୍ରତ କଥା ।ବଛା ଗଲେ ଚରି ପଛେ ଅନୁସରି ବୁଲୁଥାଇ ସଙ୍ଗେ ସଙ୍ଗେ,କହେ ଭୀମ ଭୋଇ ପୂର୍ବକାଳ କଥା କଚାଡ଼ି ହେଉଛ ଅଙ୍ଗେ ।
ଦ୍ୱାବିଂଶ ବୋଲିବୁଲୁଥାଇ ଦନେ ନିତି ପ୍ରତିଦିନେ ବତ୍ସାକୁ ସଙ୍ଗତେ ଘେନି,କ୍ଷୁଧା ତୃଷା କଲେ ଜୀବନ ବିକଳେ ପିଉଥାଇ ଝର ପାଣି ।ଆକାଶକୁ ଚାହିଁ ମନରେ ଭାଳଇ କରୁଥାଇ ପାଞ୍ଚ ହେଜ,ବେଳ ହୋଇନାହିଁ ଯିବି ମୁଁ କି ହୋଇ ନ ମିଳିବ ପାଣି ପେଜ ।ଧନ୍ୟ ଏ ପିଣ୍ଡ ନ ହୋଇ ଖଣ୍ଡ ଖଣ୍ଡ ପଡ଼ିଅଛି ଯେତେ ମାଡ଼,ଗାଳି ଦ୍ୱନ୍ଦ ପଛ ଆଡ଼କୁ ପକାଇ ହୃଦ କରିଥାଇ ଦୃଢ଼ ।ଲୁହ ନାହିଁ ରକ୍ତ ବହୁଥାଇ ମୋର ଶ୍ରୀହସ୍ତେ ଦିଅଇ ପୋଛି,କେହି ନ ଜାଣନ୍ତି ଶ୍ରୀଗୁରୁ ଜାଣନ୍ତି ଯେତେ କଷ୍ଟ ପାଇଅଛି ।ସେ ସମୟ କଥା ମନେ କଲେ ଚିନ୍ତା କରତି କାଟୁଛି ପିଣ୍ଡ,ଉଠୁଅଛି ନ୍ତ୍ରୋଧ ହୋଇ ଗଦ ଗଦ ବୁକୁରେ ପଡ଼ୁଛି କାଣ୍ଡ ।ବାର ଠାରୁ ତେର ଚଉଦ ବରଷ ବହିଗଲା ଏହି ରୂପେ,ମନ ଜାଣୁଅଛି ଅନ୍ତର ବେଦନା ଦହିଯ୍ୟ ହୋଇ ସନ୍ତାପେ ।ହାଇ ଘନ ଘନ ଆଖି ଥନ ଥନ ପଡ଼ିଛି ଚିନ୍ତା ସମୟ,ଜୀବନ ମୋର ଛିଡ଼ି ପୋଡ଼ି ଯାଉଛି ଅଗ୍ନି ଉଠୁଅଛି ଦେହ ।ଚଉଦିଗ ଚାହିଁ ମନରେ ଭାଳଇ ଲଲାଟରେ କର ମାରି,ଆହାରେ ଦାରୁଣ ଦଇବ ବିଧାତା କରିଗଲୁ ଏତେ ସରି ।କରେ ପଡ଼ି କରେ ସଢ଼ି ଯାଉଅଛି ତରତର ହୋଇ ଚିତ୍ତ,ପାପ ଦୁଃଖଭାର ନ ଖଣ୍ଡିଲେ ମୋର ଅଣାକାର ଅବ୍ୟକତ ।ସ୍ଥିତି ବସ୍ତି ନାହିଁ ପ୍ରଚରିବି କାହିଁ ସଙ୍ଗ ସାଥି ସଖା ନାହିଁ,ତଳକୁ ଶିର ଉପରକୁ ପୟର ମଧ୍ୟେ ମାରୁଛି ଭୁଲାଇ ।ଶୂନ୍ୟକୁ ଅନାଇ ରହିଅଛି ମୁହିଁ କି ରୂପେ ଧରିବି ଦେହୀ,କେଉଁ ଡାଳ ଧରି ପାରି ହୋଇ ଯିବି ହାତ ଗୋଡ଼ ପାଉ ନାହିଁ ।ଶ୍ରୀଗୁରୁ ବଚନ ପାଷାଣରେ ଗାର କଲେ ମୁହିଁ ଛିନ୍ନ ଭିନ୍ନ,ରୋମ ଚର୍ମେ ଭେଦି ଅଷ୍ଟାଙ୍ଗ ଶରୀର ଅସ୍ଥି ମାଂସ ହେବ ଭିନ୍ନ ।ବିଚାରୁ ଥାଇ ହୃଦୟରେ ମନକୁ ଅଲେଖ ବ୍ରହ୍ମକୁ ଧ୍ୟାୟି,ଏଡ଼େ ପ୍ରଭୁ ଥାଇ ଅଣାଦର କଲେ କାହାର ହୋଇବି ମୁହିଁ ।ବଚନକୁ ଜଗି ପାଦପଦ୍ମେ ସେବି ସେବା ଭକ୍ତି ଦାନ ଦେବି,ପିଣ୍ଡପ୍ରାଣ ମୋର ସମର୍ପଣ କରି ନିଜ ଅଙ୍ଗେ ଲୀନ ହେବି ।ପ୍ରଭୁ ସଙ୍ଗେ ସଙ୍ଗେ ଲାଗିଥିବି ଅଙ୍ଗେ ଦୟା ଯେବେ ମୋତେ ହେବ,ସ୍ୱାମୀ ସେବା ବିନୁ ନ ଯୋଗାଏ ଆଉ ଜୀବ ଯେତେଦିନ ଥିବ ।ଜନ୍ମ ଜନ୍ମାନ୍ତରେ ଯୁଗଯୁଗାନ୍ତରେ ଖଟିଥିବି ପାଦତଳେ,ଦାସପଣେ ସେବି ଏକାକ୍ଷରେ ରୂପ ଦେଖୁଥିବି ସଦାକାଳେ ।ଶ୍ରୀଗୁରୁ ପୟର କୋଟି ନମସ୍କାର ମୂର୍ଚ୍ଛିନ ପାରଇ ଦଣ୍ଡେ,ପାଖରୁ ଅନ୍ତର ହେଲେ ସତ୍ୟବ୍ରହ୍ମ ବଜ୍ର ପଡ଼ୁଥାଇ ମୁଣ୍ଡେ ।ପିତା ମାତା ଦୁଇ ଯୁଗଳରେ ଯାଇ କଲେ ଅବନୀରେ ଜାତ,ପୂର୍ବକାଳ ଘୋର ତପସ୍ୟା ପୂର୍ଣ୍ଣରୁ ହୋଇଲି କବି ପଣ୍ଡିତ ।ଜନନୀ ଉଦର ଗୋପ ମଧୁପୁର ପାସୋର ନ ଯାଏ ଚିତ୍ତୁ,ମାତୃଗର୍ଭଗତେ ପାଠ ପଢ଼ିଥିଲି ଟିକେ ଟିକେ ଅଛି ହେତୁ ।ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ,କହେ ଭୀମ ଭୋଇ ଏ ମୃତ୍ୟୁମଣ୍ଡଳେ ଯଶ ଅପଯଶ ଥାଉ ।
ତ୍ରୟୋବିଂଶ ବୋଲିକଷୀବାସ ପରିହରିଣ ଶ୍ରୀଅଙ୍ଗେ ଦାରୁଣ୍ୟ ମୂରତି ସାଜେ,ପୁରୁଷ ରତନ ଜୀବନର ଧନ କୋଟି କଳା ଧରି ବିଜେ ।ଗ୍ରୀଷମ ବରଷା ନାହିଁ ସ୍ଥିତି ବସା କ୍ଷଣେ ନ ରହନ୍ତି କାହିଁ,ନିଜେ ଭଗବାନ ଦୁଃଖ ପାଉଛନ୍ତି ବ୍ରହ୍ମାଣ୍ଡ ରଖିବା ପାଇଁ ।କ୍ଷୁଧା ତୃଷା ମାରି ଦିବସ ତିମିରି କଷଣ କହିବି କେତେ,ନିରନ୍ତରେ ପ୍ରଭୁ ଯୋଗ ସାଧୁଛନ୍ତି ଭକ୍ତମାନଙ୍କ ନିମନ୍ତେ ।ଅଳପ ସିଦ୍ଧିରେ ସାଧନା ନୁହଇ ବଡ଼ାଇ ଆଶ୍ଚର୍ଯ୍ୟ କଥା,ପ୍ରଭୁଙ୍କ ହୃଦେ ହେ ଯା ଲେଖା ପଡ଼ିଛି ତିନିଭୁବନ ବାରତା ।ନୁହସି ବିକଳ ଭଗତ ସକଳ ସମ୍ଭାଳି ଥାଅରେ ଘାଏ,ଏକା ଦିବସେ ସର୍ବସିଦ୍ଧି କରିବେ ଉଦେଠାରୁ ଅସ୍ତଯାଏ ।ସାଧୁ ସୁଜ୍ଞ ନର ଚିହ୍ନି ଧରି ଧର ଯାଚି ଦେଉଛନ୍ତି ଧର୍ମ,ସୈନ୍ତ୍ରିଂଶ ଅଙ୍କ ଆଗକୁ ଯେ ରହିବ ହୋଇବ ନୂଆରି ଜନ୍ମ ।ନାନା ପାପେ ନାଶ ଯିବ ନରବଂଶ କାହାରି ନଥିବ ଚାରା,ସପ୍ତନ୍ତ୍ରିଂଶ ଅଙ୍କୁ ଅଡ଼ଚାଳିଶ ଯାଏ ପଡ଼ିବ ବ୍ରହ୍ମାଣ୍ଡେ ଭାରା ।ମେଳଚ୍ଛ ପତିତ ପାମର ପାପିଷ୍ଠ ସକଳ ଏ ଯିବେ ନାଶ,ବିଷ୍ଣୁ ବ୍ରହ୍ମକଳା ଲାଗିଥିବ ଯାକୁ ରହିବେ ସ୍ତିରୀ ପୁରୁଷ ।ଗୋପ୍ୟ ହେବ ସର୍ବ ଯେତେ ଧନ ଦ୍ରବ୍ୟ ମହା ଦୁରୁଦଶା ଅଛି,ସାତଦିନ ସାତରାତି ଅନ୍ନ ପାଣି ଲୋଡ଼ି ନ ପାଇଲେ କିଛି ।ନବ ଖଣ୍ଡ ମହୀ ରହିଛି କି ହୋଇ ଲାଗୁଛି ମୋତେ କାତର,ଏଠାରୁ ଏଣିକି ସାଧୁ ସୁଜ୍ଞଜନ ସମ୍ଭାଳି ହୁଅ ଏଥର ।ପଢ଼ା ଶାସ୍ତ୍ର ଗୀତା ଶ୍ଲୋକ ଅପ୍ରମିତା ନ ଶୁଣି ଥିଲି ମୁଁ ବେଦେ,ଅଲେଖ ମହିମା ଦୂତୀକ୍ଷର ପାଦ ଏବେ ହୋଇଅଛି ଉଦେ ।ବ୍ରହ୍ମା ବିଷ୍ଣୁ ଶିବ କୋଟିକଳ୍ପ ଯୁଗ ଅନେକ ଗଲେଣି ବହି,ବହ୍ମକଳା ବିନା ନ ଥିଲେ ଅଙ୍ଗରେ ଭଜିତେ ସାମର୍ଥ ନାହିଁ ।ଅତି ଭାଗ୍ୟ ପୂର୍ବ ସୁକୃତ ବାସନା ତପସ୍ୟା ଯାହାର ଥିବ,ମାତୃଗର୍ଭ ହେତୁ ଆତ୍ମା ଜ୍ଞାନ ଭକ୍ତି ତାଙ୍କୁ ପରାପତ ହେବ ।ମୃତ୍ୟୁ ପିଣ୍ଡ ଗୋଟି ମାୟା ଅଛି ଘୋଟି ଚାହୁଁ ଚାହୁଁ ଯିବ ସରି,ଭଜି ଯେ ପାରିବ ଜନ୍ମ ମରଣରୁ ନିଶ୍ଚୟ ସେ ହେବ ପାରି ।ଭୟକୁ ତେଜିଲେ ନିର୍ଣ୍ଣୟ ବୁଝିଲେ ତେବେ ଅଛି ପୁଣ୍ୟ କାମ,ଅନ୍ତ ଡ଼ାକୁଥିବ ଅଲେଖ ମହିମା ମୁଖ ଡ଼ାକୁଥିବ ନାମ ।ଆପଣା ମନ ଆପକୁ ଉଧରିବ ପ୍ରସନ୍ନ ହୋଇବ ଯେବେ,ଧନ ଦାରା ସୁତ ଇଷ୍ଟ-ବନ୍ଧୁ ଭ୍ରାତ କେହି ସଙ୍ଗତେ ନ ଯିବେ ।ସକଳ ଛାଡିଲେ ମାୟାକୁ ଏଡ଼ିଲେ ପ୍ରସନ୍ନ ହୋଇବ ମନ,ଆପ ଦେହେ ଆପେ ଅର୍ଥ କରୁଥିଲେ ଉପୁଜିବ, ବ୍ରହ୍ମଜ୍ଞାନ ।ତିନିପୁର ଲୋକ କଲେଣି ଭାଳେଣି ଅବଧୂତ ବେଶ ଦେଖି,ଯତି ସତୀ ଆଦି ନାଗାନ୍ତି ଯୋଗାନ୍ତି ସର୍ବେ ରହିଲେଣି ଶଙ୍କି ।ଏବେ ଦେଖ ବୈଷ୍ଣବ ସ୍ୱରୁପ ଅପୂର୍ବ ଚରିତ କଥା,ଦାରୁ ପ୍ରତିମା ମୂର୍ତ୍ତି ଦେବୀ ଦେବତା ସର୍ବେ କି ହେଲେଣି ପୋତା ।ନାଶ ଯିବ ମହୀ ନ ରହିବେ କେହି ସମସ୍ତେ ଭଜିବା ଆସ,ଡ଼ାକି ଜଗତରେ କହେ ଭୀମ ଭୋଇ ଅନାଦି ଗୁରୁଙ୍କ ଶିଷ୍ୟ ।
ଚତୁର୍ବିଂଶ ବୋଲିଅଲେଖ ମହିମା ଭାଙ୍ଗିବେ ଗାରିମା ସରିବ ଏ ଉତପତ୍ତି,ଭାଦ୍ରବରୁ ସପ୍ତ ଅଙ୍କ ଲାଗିଲାଣି ସପ୍ତାଙ୍ଗ ହୋଇବ ପୃଥ୍ୱୀ ।ସ୍ୱାମୀ ଗୁରୁଦେବ ଗୁପତେ ସାଧିବେ ପ୍ରତ୍ୟେକ୍ଷ ନ ଦେବେ ଚିହ୍ନାଗୋଟି ଗୋଟି ହୋଇ ଖସି ଯାଉଥିବେ କାହାକୁ ନ ଥିବ ଜଣା ।ହୃଦେ ନାହିଁ ଭେଦ ଶାହାସ୍ର ସମ୍ବାଦ ମୁଖେ ନାହିଁ ଗୁରୁ ନାମ,ଏଣିକି ଏଠାରୁ ପ୍ରାଣୀଙ୍କ ହୃଦରୁ ଛାଡ଼ିଯିବ ସତ୍ୟ ଧର୍ମ ।ଅନ୍ୟାୟ ଆଚାରେ ଅନୀତି ବିଚାରେ ପଡ଼ି ଛନ୍ଦ ନଟକୂଟେ,କେଉଁ ଧର୍ମକୁ ଆଶ୍ରିତ କରି ପ୍ରାଣୀ ତରିଯିବେ କେଉଁ ବାଟେ ।ଅଗ୍ନିରେ ପୋଡ଼ିବେ ଜଳେ ବୁଡ଼ିଯିବେ ବୃକ୍ଷରୁ ପଡ଼ି ମରିବେ,ନିର୍ଦ୍ଦୟ ହୋଇବେ ସର୍ପାଘାତେ ଯିବେ ଗଳେ ଛୁରି ଲଗାଇବେ ।ରୋଗବ୍ୟାଧିମାନ ଅଙ୍ଗରେ ପିଡ଼ିତ ପଡ଼ୁଥିବ ଦୁଃଖ ଚିନ୍ତା,କେହୁ ମରିଥିବେ କେହୁ ଜୀଇଥିବେ ଅଙ୍ଗେ ନ ଥିବ ଶକତା ।ବ୍ୟାଧିରେ ସକଳେ ହେଉଥିବେ ଘାରି ଥରୁଥିବ ନିଜ ଦେହ,ଗୃହେ ପ୍ରାଣୀମାନେ ଯେତେ ଜଣା ଥିବେ ନେନ୍ତ୍ରୁ ବୋହୁଥିବ ଲୁହ ।ଅଷ୍ଟ କୋଟି ରୋଗ ଚୌଷଠି ବେଦନା ମାଗି ଆସିଲେଣି ବର,ସତୈଶ ଅଙ୍କରୁ ଶନ୍ତ୍ରୁ ସାଧିବାକୁ ହୋଇଲେଣି ଆଗୁସାର ।ଅଷ୍ଟ କୋଟି ଯୋଗ୍ନୀ ନକୋଟି କାନ୍ତାନୀ ପ୍ରଭୁ ଶ୍ରୀଛାମୁରେ ଯାଇ,ଶ୍ରୀଗୁରୁ ଛାମୁରୁ ସୁଧା ଶ୍ରୀମୁଖରୁ ଅଇଲେଣି ଆଜ୍ଞା ପାଇ ।ଏରୂପେ ଜଗତ ନାଶିବେ ସମସ୍ତ ଚାହୁଁ ଚାହୁଁ ଯିବେ ସରି,ରାନ୍ତ୍ର ପାହିଲା ବେଳକୁ ଗ୍ରାମ ମଧ୍ୟେ ଦଶ ପାଞ୍ଚ ଥିବେ ମରି ।ଗ୍ରାମ ଭାଙ୍ଗିଯିବ ଦେଶ ବସିଥିବ ରାଜ୍ୟ ଭାଙ୍ଗି ଯିବ ଜାଣ,ଗ୍ରାମଯାକେ ଦୁଇ ଚାରି ଜଣ ଥିବେ ଉଚ୍ଚାରି ମହିମା ନାମ ।ଦଶ ପାଞ୍ଚ ପ୍ରାଣୀ ପନ୍ଦର ପ୍ରାଣୀରେ କେ ବର୍ତ୍ତିବ କେହୁ ନାହିଁ,ବଂଶବୁଡ଼ା ହୋଇ ସର୍ବେ ମରିଯିବେ ତାଟି ବାଟ ଦିଆ ହୋଇ ।ତାହାକୁ ସେ ଶାଖା ତାକୁ ତାର ଶାଖା ଏକା ଘରେ ଥିବେ ରହି,ପାକକ ରନ୍ଧାରେ ସମସ୍ତ ଭୁଞ୍ଜିବେ ଏକାନ୍ତ ପରାଣ ହୋଇ ।ତେତେବେଳେ ଜାତି ଗୋନ୍ତ୍ର ରଖିଥିବ କେଉଁ ରାଣ୍ଡପୁଅ ଝିଅ,କର୍ମର ଆଚାର ବାଛନ୍ଦ ବିଚାର ବୁଝିବା ଯେ ରହ ରହ ।ଗାଈ ମହିଷ ଛାଗଳ ମେଣ୍ଢା ବିତ୍ତ ମାତା ଭୋଗ କରିଯିବେ,ମରିଯିବେ ସର୍ବ ହୋଇ ରୋଗ ବାଘ ହଳେ ଗୋଟେ ନ ମିଳିବେ ।ଏମନ୍ତେ କଳିରେ ଗୃହମ ନଙ୍କରେ ଧନ ଦ୍ରବ୍ୟ ପୂରିଥିବ,ପ୍ରଭୁଙ୍କ ବାହନ ଅଢ଼ୈବେଳ ଜାଣି ଗରୁଡ଼ ତା ବହିନେବ ।ଫଳମୂଳ ଖାଇ ଝରପାଣି ପିଇ ନାମ ଭଜନେ ତତ୍ପର,ଜଗତଯାକରୁ ତୁଚ୍ଛା ପଡ଼ିଯିବ ବାଉନକୋଟି ଭଣ୍ଡାର ।ନିନ୍ଦାଗର୍ଭମାନ ନ ରହିବ ଟାଣ କରୁଥିବେ ଏକ ଭାବ,ପୁରୁଷଙ୍କୁ ସ୍ତିରୀ ଜ୍ଞାନ ବୁଝାଇଲେ ଲେଉଟିବ ସତ୍ୟଯୁଗ ।ଭଜିବେ ସେ ଜନ ରହିବେ ସେମାନେ ସତ୍ୟାଦି ଗୃହକର୍ମକ,ସ୍ତିରୀ ଚାରିପଦ୍ମ ପୁଂସ ଚାରିପଦ୍ମ ଠିକ ଆଠ ପଦ୍ମଲୋକ ।କେମନ୍ତେ ବଞ୍ଚିବି ପିଣ୍ଡକୁ ସଞ୍ଚିବି ମନେ ପଡ଼ୁଛି କଷଣ,ଭୀମ ଅରକ୍ଷିତ ବୁଝି ଆଦି ଅନ୍ତ ଥରୁଛି ଦେହ ଜୀବନ ।
ପଞ୍ଚବିଂଶ ବୋଲିକାହିଁ ମୁଁ ଲୁଚିବି କେମନ୍ତେ ବଞ୍ଚିବି ପଳାଇବି କେଉଁ ପଥେ,ଜଗତ କଷଣ କେତେ ମୁଁ ସହିବି ବିପତ୍ତି ପଡ଼ିବ ଯେତେ ।ଆଗତର କଥା ଯେତେକ ବ୍ୟବସ୍ଥା ଘୋଡ଼ାଇ ରଖିଛି ଜାଣି,ଭକ୍ତଙ୍କ ଜୀବନ ନ ରହିବ ପିଣ୍ଡେ କାତର ହୋଇବେ ଶୁଣି ।ଆସିବେ ଯବନ ମାଡ଼ି ଘୋରବନ କରିଯିବେ ସମଛନ୍ତ୍ର,ତରୁ ତୃଣମାନ ଛେଦି ପକାଇବେ ନ ରହିବ ଡ଼ାଳ ପନ୍ତ୍ର ।ଗନ୍ଧ ପରକଟ ହୋଇ ଛଟପଟ ମହୀ ଲୋଟୁଥିବେ ମଡ଼ାଭୂମିରେ ତିରଣ ନ ରହିବ ଜାଣ ଚରିଯିବେ ହସ୍ତୀ ଘୋଡ଼ା ।ରାଜାମାନେ ତହିଁ ଯୁଦ୍ଧେ ପିଠି ଦେଇ ଥୋକାଏ ଆରମ୍ଭି ଭେକ;ପାଏକ ମାନଙ୍କୁ ଆପେ ଡ଼ାକୁଥିବେ ବୋଲୁଥିବେ ଛେକ ଛେକ ।ରଣ ଯୁଦ୍ଧଘାତେ ସମ୍ଭାଳିବେ କେତେ କାହାରି ନ ଥିବ ସକ୍ଷ,ଯେଝା ସୁଖେ ଯେଝା ପଳାଇ ପଶିବେ ରଣଭଣ ହୋଇ ଲୋକ ।ଯୁଝିବି ଫିରଙ୍ଗି ନ ପାରିବ ଭାଙ୍ଗି ରହିବ ତା ନିଜ ସ୍ଥାନେ,ସାକ୍ଷୀରୂପେ ଦେବତାଏ ଦେଖୁଥିବେ ରହି ଅଧା ସ୍ୱର୍ଗ ଶୂନ୍ୟେ ।କମ୍ପିବ ମେଦିନୀ ରଣଗୋଳ ଧୁନି ସ୍ୱର୍ଗ ପାତାଳରୁ ଭେଦି,ଅଠର ଦିବସ ଜମ୍ବୁଦ୍ୱୀପ ମଧ୍ୟେ ବହିବ ରକତ ନଦୀ ।ଦେବ ସିଦ୍ଧ ସୁର ମନୁଷ୍ୟ ଅସୁର ରହି ନ ପାରିବେ କେହି,ସୈନ୍ତ୍ରିଂଶ ଅଙ୍କରେ ଦିଗ ଦିଗାନ୍ତରେ ଉଧୁଳୁଥିବ ଏ ମହୀ ।ନାଗାନ୍ତି ଯୋଗାନ୍ତି ବେଦାନ୍ତିସିଦ୍ଧାନ୍ତି ଉଠିବେ ଆସନ ଛାଡ଼ି,କ୍ଷନ୍ତ୍ରି ପଣେ ରଣ ଯୁଦ୍ଧରେ ଚହଟି ଦେଉଥିବ ସିଂହରଡ଼ି ।ରାଜଋଷି ଦେବଋଷି ରୁଦ୍ରଋଷି ଶୂଦ୍ରଋଷି ଆଦିକରି,କରିବେ ଧନ୍ଦଳ ଉଠିବେ ସକଳ ସର୍ବେ ବୀରବେଶ ଧରି ।ଜପୀ ତପୀ ତୀର୍ଥବ୍ରତ ବ୍ରହ୍ମଚାରୀ ସମସ୍ତେ ହୋଇବେ ମେଳି,ଦକ୍ଷିଣୁ ଉତ୍ତର ପୂର୍ବ ପଶ୍ଚିମରୁ ରୁଣ୍ଡ ହେବେ ସର୍ବେ ମେଳି ।ଆଦି ଅବଧୂତ ଅନନ୍ତ ଅବ୍ଧୂତ ରାମ ଅବଧୂତତିନି,ଜଗନ୍ନାଥ ଅବଧୂତ ହନୁମନ୍ତ କୃଷ୍ଣ ଅବଧୂତ ଘେନି ।ଶିବ ଅବଧୂତ ବିଷ୍ଣୁ ଅବଧୂତ ଧର୍ମ ଅବଧୂତ ତୁଲେ,ଅଲେଖ ଅବଧୂତ ସଙ୍ଗତେ ମିଶିବେ ବଦଳିବେ ତେତେବେଳେ ।ଅନନ୍ତ କୋଟି ସାଧୁ ଚଉଷଠି ସିଦ୍ଧ କଷା କଉପୀନ ମାରି,ବୀରବେଶ ରୂପ ସକଳେ ଧରିବେ ହୋଇଥିବେ ଶସ୍ତ୍ରଧାରୀ ।ସେ ପଞ୍ଚୁପାଣ୍ଡବେ ଯୁଦ୍ଧେ ଧାଡ଼ି ଦେବେ ଉତ୍ତରୁ ଆସିବେ ମାଡ଼ି,ଗଦା ମୁଦୁଗର ବାଣ କାଣ୍ଡଘାତେ ସନ୍ୟ ପଡ଼ୁଥିବେ ଝଡ଼ି ।କଳିଙ୍ଗା ଅସୁର ହୋଇ କୋପଭର ଯୁଦ୍ଧେ ହେବ ରଣରଙ୍କା,ପାଦକ ବହଳେ ଏ ମହୀ ମଣ୍ଡଳେ ପଡ଼ିଯିବ ସୁନା ଟଙ୍କା ।ଷଡ଼ ବ୍ରହ୍ମବାସୀ ପ୍ରଭୁଙ୍କର ପୁନ୍ତ୍ର ହୋଇଥିବେ ଷଡ଼ରଥୀ,ତାଙ୍କ ସମାନରେ ତିନି ବ୍ରହ୍ମାଣ୍ଡରେ ନ ଥିବୋଟି ଆଉ କ୍ଷନ୍ତ୍ରି ।ନବ ଋଷି ନବ ବ୍ରାହ୍ମଣ ହୋଇବେ ଧରି ବେଦବାକ୍ୟ ପୋଥି,ଯୁଦ୍ଧକୁ ଅନାଇ ଶିରେ କର ଦେଇ ଉଚ୍ଚାରି କରିବେ ସ୍ତୁତି ।ବଡ଼ାଇ ଆସ୍ଫତେ ଅନ୍ୟାୟ ଅନର୍ଥେ ଭାଙ୍ଗିବ ଏ ଯୁଗ କଳି,କହେ ଭୀମ ଭୋଇ ପାଞ୍ଚଶତ ପଦେ ନିତ୍ୟ ମରୁଅଛି ଭାଳି ।
ଷଷ୍ଠବିଂଶ ବୋଲିନର ମନୁଷ୍ୟ ଦଶ ଖର୍ବ ମରିବେ ରାକ୍ଷସ ଅସୁର ନବେ,ପୃଥ୍ୱୀ ହଟପଟ ହେଲାଣି ନିକଟ ଘୋର କଳିକାଳ ଯୁଗେ ।ମୂର୍ଖ ପଣ୍ଡିତ ପାଷାଣ୍ଡ ପାପୀ ପ୍ରାଣୀ ଏମାନେ ମରିବେ ଆଗେ,ପାପକର୍ମେ ନାଶ କାହାର କି ଦୋଷ ଭୂତ ପ୍ରେତଙ୍କର ଭାଗେ ।ମେଳଛ ପାମର ଅଧର୍ମ ଏ ଜୀବ ଛନ୍ଦ ନଟକୂଟ ପ୍ରାଣୀ,ଛିଡ଼ିଯିବ ମୁଣ୍ଡ ହୋଇ ଖଣ୍ଡ ଖଣ୍ଡ ଲୋଟୁଥିବ ଏ ଧରଣୀ ।ଦାମ୍ଭିକ ନାସ୍ତିକ କପଟୀ ଲମ୍ପଟୀ ଖଚୁଆ ମିଛୁଆ ଲୋକେ,ହାବୁଡ଼େ ପଡ଼ିବେ ଖଡ଼ଗେ ଛିଡ଼ିବେ କାଳ ବିକଳାଙ୍ଗ ମୁଖେ ।କାମୀ ନ୍ତ୍ରୋଧୀ ଲୋଭୀ ଲାବରୀ ଯେ ଜନ ସକଳେ ଏ ଯିବେ ହତ,ଲୁଚି ପଳାଇଲେ ଧରି ଗିଳୁଥିବ ଅକାଳ ବାବନା ଭୂତ ।ହିଂସା ଅହଙ୍କାର ଥେଣ୍ଟ ଖଣ୍ଟ ଚୋର ଜଗତେ ଅଛନ୍ତି ଯେତେ,ଖପରେ ପଡ଼ିବେ ଖଡ଼ଗେ ଛିଣ୍ଡିବେ ଚଣ୍ଡୀ ଚାମୁଣ୍ଡାଙ୍କ ହସ୍ତେ ।ଏତେ ଉପଦର୍ପ ଜଗତେ ପଡ଼ିବ କି ବୁଦ୍ଧି କରିବି ମୁହିଁ,ତିନି ବ୍ରହ୍ମାଣ୍ଡରେ ଧର୍ମ ନ ଦିଶିବ ଦିବସେ ଅନ୍ଧାର ହୋଇ ।ମନେ ମନେ ହେଜି ହୋଇ ଚୁରି ଭାଜି କାତର ଲାଗୁଛି ଚିତ୍ତେ,ତେତେବେଳେ ସ୍ୱାମୀ ବ୍ରହ୍ମାଣ୍ଡ ଭିତରେ କାହିଁ ରଖିଥିବ ମତେ ।ଚାରିଦିଗ ଯାକ ସମୁଦ୍ର ଲହଡ଼ି ଅଧେ ଅଧେ ଯିବ ମଡ଼ି,ଦିହୁଡ଼ି ପରାଏ ତାରାଗଣ ସିନା ଶୂନ୍ୟରୁ ପଡ଼ିବେ ଝଡ଼ି ।ଶୁଭ ଅନକୂଳସମ୍ଭର୍ବ ଯୋଗାଡ଼ ଶେଷ ଯୁଗେ ଭିଆଇବେ,ନବଗ୍ରହ ଶନିଶ୍ଚର ସତାଇଶ ନିଜ ରୂପେ ଉଦେ ହେବେ ।ନାମ ପରକାଶ କର ଦଶ ଦିଶ ଘୋର କଳିକାଳ ତୁଟୁ,ମହିମା ବାନା ନିର୍ବେଦ ଦୀକ୍ଷାମତେ ଜମ୍ବୁଦ୍ୱୀପଯାକ ଉଠୁ ।ବୁଝାଇଲି ଯେତେ ନ ଗଲେ ପରତେ ଭରସା ନାହିଁ ନା ମୋର,ଏ ଜଗତ ଜନ ସର୍ବେ ହତଜ୍ଞାନ ହେଲେଣି ମାଟି ପଥର ।ସମ୍ପତ୍ତି ସୁଲଭ ଦେବଙ୍କୁ ଦୁଲଭ ଚାହାନ୍ତେ ସରିବ ଦେଖ,ନାମ ଆଶ୍ରିତ ଯେତେ ଭକ୍ତ ତୁମ୍ଭର ବାଛି ବାଛି କରି ରଖ ।ବେଳୁଁ ବେଳ ପୃଥ୍ୱୀ ହେଲାଣି ଉତ୍ପାତ ଘୋର କଳିକାଳ ପାପୁଁ,ଏ ଜଗତ ନରେ ଅନ୍ୟାୟ ଆଚାରେ ବହିଯିବେ ଦେଖୁଁ ଦେଖୁଁ ।ଭୁଲାଇଛ କେତେ କହି ନାନାମତେ ବୁଝାମଣା ନାହିଁ ବେଗ,ଛାହି ଦିଅ ମତେ ଗୁରୁଦେବ ସ୍ୱାମି ଭରଣା କରିବି ଯୁଗ ।ନବଖଣ୍ଡ ମହୀ ଥାଳି ପ୍ରାୟ ହୋଇ ହେଜିଲେ ମନକୁ ଆସେ,ଏ ମୋର ନେନ୍ତ୍ରକୁ ଛପ୍ନାକୋଟି ଜୀବ ତିରଣ ପରାଏ ଦିଶେ ।ଏକା ଦିବସରେ କ୍ଷଣକ ଭିତରେ ଦ୍ୟନ୍ତି ପୃଥ୍ୱୀ ଲେଉଟାଇ,ଦନ୍ତ କାମୁଡ଼ି କିସ ବୁଦ୍ଧି କରିବି ଶ୍ରୀଗୁରୁଙ୍କର ଆଜ୍ଞା ନାହିଁ ।କହୁଛି ସଂସାରେ ସତୈଶ ଅଙ୍କରେ ସାଧନ ନୋହିଲେ ପୃଥୀ,ନିଷ୍ଠୁର ବଚନ ସାଧୁ ସୁଜ୍ଞଜନ ଶୁଣ ଶୁଣ ମୋର ରୀତି ।ବସିଥାଇ କୂଳ ମହାନଦୀ ଜଳ ଛୁଇଁଅଛି ସତ୍ୟ କରି,ଧର୍ମକୁ ଲଙ୍ଘି ସୁରାପାନ କରିବି ହରିବି ବ୍ରାହ୍ମଣ ସ୍ତିରୀ ।ପ୍ରାଣୀଙ୍କ କଷଣ ଭେଦୁଅଛି ମନ ଜୀବନକୁ ମୋର ବାଧେ,ଭୀମ ଅରକ୍ଷିତ କରି ଦଣ୍ଡବତ ଶରଣ ମାଗୁଛି ପାଦେ ।
ସପ୍ତବିଂଶ ବୋଲିବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ,ଦାସପଣେ କିଣି ଅର୍ଦ୍ଧ ବାଟେ ଆଣି କିମ୍ପା ଏତେ ସରି କଲେ ।ନାହିଁ ମୋ ଭରସା ଉଡ଼ୁଛି ସାହାସା କି ବୁଦ୍ଧି କରିବି କହ,ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ।ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପାଦାର୍ବିନ୍ଦେ,ବାନ୍ଦିଥା ଯୋଗାରି ଆଗପଛ କରି ବହିଥାଅ ନିଜ କାନ୍ଧେ ।ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି,ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ।ବିଜେ କରିଅଛ କିମ୍ପା ନ ବୁଝୁଛ ପଳାଇ ପଶିବି କାହିଁ,ଅର୍ଜି ପାପଭରା କରିବି ପସରା ପାଦତଳେ ଦେବି ଥୋଇ ।ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ,ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ।ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ,ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।ଜଣାଉଛି ମୁଁ ଯେ ଭକ୍ତିଭାବରଞ୍ଜେ ଆହେ ଅଣିମା ଅନନ୍ତ,ତିନି ବ୍ରହ୍ମାଣ୍ଡରେ ଯେତେ ଜୀବ ଛନ୍ତି ସମସ୍ତେ ତୁମ୍ଭ ଭଗତ ।ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ,ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ।ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି,ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟେ ପୂରିଅଛି ।କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି,ତୁମ୍ଭେ ପୂରିଅଛ କାହିଁ ଉଣା ନାହିଁ ସର୍ବଘଟେ ସମସରି ।ମେଦିନୀ ପାଷାଣ କାଠ ତରୁତୃଣ ନିର୍ଜୀବରେ ଯେହୁ ଗଚ୍ଛି,ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ।ମୁଁ ଯେ ମୁର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର,ସମାନରେ ଦେଖି ସତ୍ୟ ଧର୍ମ୍ମ ସାକ୍ଷୀ କରି ନ ପାରେ ଅନ୍ତର ।ନ୍ତ୍ରିପୁର ଜଗତେ ଜୀବ ଛନ୍ତି ଯେତେ ଅଛି ନାମ କଳା ଚିହ୍ନ,ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନ କର ହୋ ଆନ ଭିନ୍ନ ।କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୁରିଥାଇ ଯେତେ,ପ୍ରାଣୀଙ୍କ ଅଙ୍ଗରେ ଜୀବ ପର୍ମରୁପ ଫୁଟି ଦିଶୁଥାଇ ସତେ ।ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ୱନ୍ଦ୍ୱହ୍ୱନ୍ତି ଯହିଁ,ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ।ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ,ତେସନ ପରାଏ ହୃଦେ ଡ଼େଉଁଥାଇ ପଞ୍ଚଭୂତ ଆଜ୍ଞାମାନ ।ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ,ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ।ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ,ଆରେକ ଅଙ୍ଗକୁ ପାଦେ ପହାରିଲେ ଏ ଅଙ୍ଗକୁ ମୋର ବାଧେ ।ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ,କହେ ଭୀମଭୋଇ ବ୍ରହ୍ମଶାପ ଦେଇଜ,ଜାଳିଦିଅ ମୋ ପିଣ୍ଡକୁ ।
ଅଷ୍ଟବିଂଶ ବୋଲିଶୂନ୍ୟ ପବନ ପୁରୁଷ ବୋଲାଇଲା ଜଳଧାରା ହେଲା ସ୍ତିରୀ,ଏଥିରୁ ଅଧିକ ଅଛି ଯେବେ ସନ୍ଥେ କହି ଦିଅ ବାଛି କରି ।ନାଗ ଅଂଶକଳା ଯାକୁ ଲାଗିଥାଇ ଶୁଣ କହିଦେବା ଠିକା,ସର୍ପକୁ ବନ୍ଦୀରେ ପକାଇ ଫାନ୍ଦରେ କରନ୍ତି ଗୁଣୀ ଜୀବିକା ।ପୃଥୀ ଅଂଶ କଳା ଯାର ଅଙ୍ଗେ ଥାଇ ସହିବା ପଣକୁ କ୍ଷମ,ନିନ୍ଦା ସ୍ତୁତିମାନ ନ ଘେନଇ ମନ ସବୁ ମଣୁଥାଇ ସମ ।ଦିଗ ଅଂଶ କଳା ଯେଉଁ ପ୍ରାଣୀ ବହେ ନିତ୍ୟେ କରେ ପରବାସ;ଚନ୍ତ୍ର ପବନ ପରାଏ କରେ ମନ ଭ୍ରମୁଥାଇ ଦଶଦିଶ ।ଧର୍ମ ଅଂଶ କଳା ଯାହା ଅଙ୍ଗେ ଥାଇ ସଭାମଧ୍ୟେ ବଳବନ୍ତ,ଅନ୍ୟାୟକୁ ଫିଙ୍ଗି ନ୍ୟାୟ କଥା ସ୍ଥାପି ସବୁ କହୁଥାଇ ସତ୍ୟ ।ପାପ ଅଂଶ କଳା ଯେଉଁ ପ୍ରାଣୀ ବହେ କହି ନୁହେ କର୍ମମାନ,ଅଜ୍ଞାନ ଆଚାରେ ଅନୀତି ବିଚାରେ ମୁର୍ଖପଣ ନିଏ ଦିନ ।କାଳ ଯମ ଅଂଶ କଳା ଯେ ବହନ୍ତି ବହୁତ ରାଗ କୋପିତ,ଭାରତଭୂମିକି ଆଗଭର ହୋଇ କ୍ଷନ୍ତ୍ରିପଣେ ସାମରଥ ।କାମ ଅଂଶ କଳା ଯାର ଅଙ୍ଗେ ଥାଇ ଥୟ ନୁହେ ପଞ୍ଚୁ ମନ,ପଚିଶ ପ୍ରକୃତି କରି ନାନା ମୂର୍ତ୍ତି ମତ୍ତ ପ୍ରେମେ ଛନ୍ନ ଛନ୍ନ ।ରମ୍ଭା ମେନକା ଅଂଶ କଳା ଯା ଅଙ୍ଗେ ଜାଣେ ଛବି ନଟକୂଟ,ଭାଙ୍ଗିମା ଚାତୁରୀ ବେନି ନେନ୍ତ୍ର ଠାରି କରେ ନବରଙ୍ଗେ ନାଟ ।ଦେବତା ଅଂଶରେ ଯେହୁ ଜନ୍ମିଥାଇ ଗାୟନରେ ଗୁଣବାଦ,ମୃଦଙ୍ଗ କର୍ତ୍ତାଳ ଖଞ୍ଜରି ମର୍ଦ୍ଦଳ ବଜାନ୍ତି ଅନେକ ବାଦ୍ୟ ।ରାଜ ଅଂଶ କଳାଯାକୁ ଲାଗିଥାଇ ବହୁତ ଲୋକ ତା ସଙ୍ଗ,ନ କରଇ ମାନ୍ୟ ଉଚ୍ଚ ପଦେ ମନ ଲୋଡ଼ୁଥାଇ ବଡ଼ ଢ଼ଙ୍ଗ ।ବିଷ୍ଣୁ ଅଂଶ କଳା ଯାର ଅଙ୍ଗେ ଜାଣ ସ୍ୱକାମେ ନିଷ୍କାମେ ଦୁଜା,ମଉନେ କପଟ ବେଶ ଧରିଥାନ୍ତି କରନ୍ତି ପ୍ରତିମା ପୂଜା ।ବ୍ରହ୍ମ ଅଂଶ କଳା ଯାହା ଅଙ୍ଗେ ଥାଇ କରୁଥାଇ କର୍ମମାନ,ବୋଲାଇ ଆଚାରୀ ହୋଇ ବ୍ରହ୍ମଚାରୀ କରେ ସନ୍ଧ୍ୟା ତରପଣ ।ଦେବ ଅଂଶ କଳା ଯାକୁ ଲାଗିଥାଇ ଚାରି ବେଦେ ଉଦ୍ଦୀପନ,ସ୍ନାହାନ ତର୍ପଣ ନ୍ତ୍ରିସନ୍ଧ୍ୟା ବିଧାନ ଜପ ମନ୍ତ୍ରେ ତାର ମନ ।ଶିବ ଅଂଶ କଳା ଯାର ଅଙ୍ଗେ ଥିବ ସ୍ନାନ ଶଉଚରେ ତେଜା,ସମ୍ଭର୍ବ ଯୋଗାଡ଼ ଧୂପ ଦୀପ ଘେନି କରୁଥାଇ ଲିଙ୍ଗପୂଜା ।ଇନ୍ଦ୍ର ଅଂଶ କଳା ଯେହୁ ପ୍ରାଣୀ ବହେ ଦାତାପଣେ ସମଯୋଗ,ସମାନରେ ଦେଖି ଚିଠିପନ୍ତ୍ର ଲେଖି ପାଳୁଥାଇ ଆତ୍ମା ଜୀବ ।କୁବେର ଅଂଶରେ ଯେହୁ ଜନ୍ମିଥାଇ ବହୁ ଧନ ଅଧୀକାର,ଏଠାକୁ ସେଠାକୁ କରୁଥାଇ ଧନ ଖଟି ବାଣିଜ୍ୟ ବେପାର ।ଚନ୍ଦ୍ରଅଂଶ କଳା ଯେ ଜନ ବହନ୍ତି ଧୀରପଣେ ସମଶୀଳ,ବଚନ ଭାସିଲେ ଅମୃତ ସମାନ ଅଗ୍ରଚନ୍ଦନୁ ଶୀତଳ ।ସୂର୍ଯ୍ୟ ଅଂଶ କଳା ଯେଉଁ ପ୍ରାଣୀ ବହେ ସପତ ଦ୍ୱୀପକୁ ଦୃଷ୍ଟି,ଘେନି କର୍ମଯୋଗ କରେ ସାଧୁ ସଙ୍ଗ ସକଳ ସ୍ଥାନରେ ଗୋଷ୍ଠୀ ।ନାମ ଅଂଶ କଳା ଯାକୁ ଲାଗିଥାଇ ପାଦେ ଖଟନ୍ତି ସମସ୍ତ,କହେ ଭୀମ ଭୋଇ ନାମ ବ୍ରହ୍ମପଦେ ଗୁରୁପଣେ ସାମରଥ ।
ଊନତ୍ରିଂଶ ବୋଲିବୃହସ୍ପତି ଅଂଶ କଳା ଯାର ଅଙ୍ଗେ କହିବା ଜାତକ ଗୁଣ,ପାପ ପୁଣ୍ୟ କଥା ଜାଣଇ ସର୍ବଥା କରି ଜଉତିଷପଣ ।ଶୁନ୍ତ୍ର ଶନ୍ତି କଳା ଯେଉଁ ପ୍ରାଣୀ ବହେ କରଇ ବଇଦ ବୃତ୍ତି,ଛୁତ ହସ୍ତେ ଦେଖି ଅନୁଭବ ରଖି ଜାଣେ ବ୍ୟାଧିର ଉତ୍ପତ୍ତି ।ଅସୁର ଅଂଶରେ ଯେହୁ ଜନ୍ମିଥାଇ ସତ ଶାନ୍ତିକି ନ ଭଜେ,ଚାରି ବେଦ କଥା ବୁଝାଇ କହିଲେ କଦାଚିତ୍ତରେ ନ ବୁଝେ ।ପବନ ଅଂଶରେ ଯେହୁ ଜନ୍ମିଥାଇ ନୁହଇ ଥିର ସମୀର,ଅଳପ କଥାକୁ ବହୁତ ମଣଇ ବଚନ କହେ ପ୍ରଖର ।ଅଗ୍ନି ଅଂଶ କଳା ଯାକୁ ଲାଗିଥାଇ ପ୍ରାଣୀକି ନାଶ କରଇ,କାଳକ ଅନ୍ତରେ କୁମ୍ଭୀ ନରକରେ କୋଟି ଜନ୍ମ ପଡ଼ିଥାଇ ।ବ୍ରହ୍ମ ଅଂଶ କଳା ଯାର ଅଙ୍ଗେ ଥାଇ ଶରଣ ତା ପାଦଗତ,ବିନୟ ବହୁତ ମଣି ସତ୍ୟ କୃତ୍ୟ ଶତବାର ଦଣ୍ଡବତ ।ସେ ଜନମାନଙ୍କୁ ଲେଖି ସମ୍ପାଦକୁ ସ୍ତୁତି କରି ପ୍ରତିଦିନେ,ବନ୍ଦନା କରି ମୁଁ ପ୍ରଭୁ ଭଗତଙ୍କୁ ଡ଼ରୁଥାଇ ପଞ୍ଚୁମନେ ।ମାଗୁଅଛି ବର ଏତେକ ମାତର କଲ୍ୟାଣ ବାଞ୍ଛା ସମ୍ପୂର୍ଣ୍ଣ,ଅଲେଖ ମହିମା ଯେ ଜନ ଭଜୁଛି ତା ପାଦେ ମୋର ଶରଣ ।ପ୍ରଭୁଙ୍କ ଭଗତ ସୁଜ୍ଞ ସାଧୁ ସନ୍ଥ ଶ୍ରୀଛାମୁକୁ ଯେବେ ଯିବ,କରପନ୍ତ୍ରଯୋଡ଼ି ବିନୟ ହେଉଛି ପଛ ଆଡ଼େ ମୋତେ ନେବ ।ନିର୍ବେଦ ଦୀକ୍ଷାରେ ଶ୍ରୀଗୁରୁ ଶିକ୍ଷାରେ ଅଟଇ କୀଟପ ମାଛି,ନିଜ ରୂପ ଚାହିଁ କାହିଁ ମୁଁ ଭଜନ୍ତି ବାନା ଦେଖି ଡ଼ରୁଅଛି ।ଯେଉଁ ଭଗବାନ ଗଙ୍ଗାରେ ସ୍ନାହାନ ନୀଳଗିରିରେ ଭୋଜନ,ବୃନ୍ଦାବନେ ନାଟ ରାଧା ସଙ୍ଗେ ଭେଟ ଦ୍ୱାରକାପୁରେ ଶୟନ ।ସେ ପୁରୁଷ ଆଜ ବୀରବେଶେ ସଜ ନିଜ ରୂପ ପରକାଶ,ଦିବସରେ ତିନି ପହର କାନ୍ଦୁଛି ଦୁଃଖ ମୁଁ କହିବି କିସ ।ଚଉଦ ଭୁବନ ଜୀବଜନ୍ତୁଗଣ କାହାରି ନାହିଁ ନା ସୁଖ,ଅକାଳ ମରଣ ଘୋଟି ଯାଉଅଛି ତିନିପୁରନ୍ତ୍ରଇଲୋକ ।ଅନନ୍ତ ଠାକୁର ଅନାଦି ପୁରୁଷ ଯେଉଁଦିନ ହେବେ ରାଜା,ସେହିଦିନ ମୁହିଁ ଶ୍ରୀଚରଣତଳେ ହୋଇବି ଦାସ ପରଜା ।ଏତେ ଦୁରାନ୍ତକୁବିଚାରି ମନକୁ ଜଗିଅଛିଟି ଆକଣ୍ଟ,ତେଣୁକରି ମୁହିଁ ବ୍ରହ୍ମାଣ୍ଡେ କହୁଛି ନ ପିନ୍ଧିବି କୁମ୍ଭୀପଟ ।ନାମଟି ଅକ୍ଷୟ ଅଜନ୍ମ ଅଜୟ ଚାରିଯୁଗେ ଯେବେ ସତ୍ୟ,ଗୃହେ ଥାଇ ବିହିତ କର୍ମେ ଚାଲିଲେ ସବୁ ହେବ ପରାପତ ।ନିଷ୍କାମ ପଦରୁ ସୁମରି ଆଦ୍ୟରୁ କରିଅଛି ଧ୍ୟାନଯୋଗ,ପ୍ରଭୁଠାରେ ବଡ଼ କଟାଳ କରିବି ନାହିଁ ଦେଲେ ମୋତେ ଭାଗ ।ଜନ୍ମ ହେଲେ ମୃତ୍ୟୁ ମୃତ୍ୟୁଠାରୁ ଜନ୍ମ ବେନି ପରକାର ଅଛି,ଏ ମୃତ୍ୟୁ ମଣ୍ଡଳେ ଥିବା ପରିଯନ୍ତେ ଭୋଗ କରୁଥିବି କିଛି ।ସତ୍ୟେ ଯେବେ ମୁହିଁ ଜନମ ଲଭିଛି ବ୍ରହ୍ମତେଜ କଳା ଘେନି,ଯିବାବେଳେ ନିଶ୍ଚେ ସେ ଠାବକୁ ଯିବି ଭୀମ ଅରକ୍ଷିତ ଭଣି ।
ତ୍ରିଂଶ ବୋଲିପିତା ଅଟନ୍ତି ମୋ ଅନାଦି ଠାକୁର ମାତା ଆଦି ଶକ୍ତି ନାରୀ,ଦୁତୀ ଯୁଗଳରୁ ଜନମ ଲଭିଛି କବି-କୃତ କଳା ଧରି ।ପିତା ମାତାଙ୍କର ଚରଣତଳକୁ ପ୍ରଳମ୍ବିତ ଶତେବାର,ଏଠାରୁ ଏଣିକି ନ ଦିଶୁଛି ପଦ ଜାଣି ବୁଝି ଦୟା କର ।ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ନାହିଁ ମୋର କହିବାକୁ,କାମନା କଳ୍ପଣା ସମସ୍ତ ଲାଗିଲା ଶ୍ରୀଗୁରୁ ପାଦ ତଳକୁ ।ସାର ଅସାର ଦୁତୀୟ ପରକାର ବାତ୍ସଲ୍ୟରେ ପଦ ବସୁ,ବରଷା ଋତୁରେ ମହାନଦୀ ପ୍ରାୟ ପଦ ଅର୍ଥ ବଢ଼ି ଆସୁ ।ପଶିବି ଶରଣ ମେଣ୍ଟିବି ମରଣ ମନେ ନ ଧରିବି କ୍ଷୋଭ,ପ୍ରାଣ ବଞ୍ଚାଇବି ପିଣ୍ଡକୁ ସଞ୍ଚିବି ଛନ୍ତ୍ର ପ୍ରାୟ ଯେଉଁ ପାଦ ।ଭଜୁଅଛି ମୁହିଁ ଦିବା ନିଶି ନାହିଁ ଯୁଗଳ ଚାରି ଚରଣ,ସୁଧା ମଧୁରସ ପିଉଥିବି ନିତ୍ୟେ ତାହା କରୁଅଛି ମନ ।ଦାରୁ ହୋଇ ଦୁବ ହୋଇଲି ମୁଁ ଆସି ବହି ଯାଉଅଛି ଯୁଗ,ପିତା ମାତାଙ୍କର କରୁଣା ନୋହିଲେ ଜଗତେ ନ ମିଳେ ଠାବ ।ସତେ ଯେବେ ଅବଧୁତ ଶୂନ୍ୟବାନା ଅଲେଖ ମହିମା ମେରୁ,ବିଚାରିଲେ ପ୍ରଭୁ କ୍ଷଣକ ମାନ୍ତ୍ରକେ ଦୁବ କରିପାର ଦାରୁ ।ଅନନ୍ତ ପୁରୁଷ ଅରୂପେ ଅଦୃଶ୍ୟ ଯାର ନାହିଁ ହାଇ ଛାଇ,ଶୂନ୍ୟକୁ ଅନାଇ ଦର୍ଶନ କରୁଛି ପାଦ ରେଣୁ ପାଇ ପାଇ ।ଅଜନ୍ମ ଅକ୍ଷଏ ନ ଦିଶଇ କାଏ ଅନାଦି ଅରୁପାନନ୍ଦ,ତରିଯିବି ବୋଲି ଚିତ୍ତରେ ମୋହର ଶୂନ୍ୟକୁ ପାତିଛି ଫାନ୍ଦ ।ଆଗତଭବିଷ୍ୟ ଆଜ୍ଞାରେ ଅଦୃଶ୍ୟ ମନେ ମନେ ହେତୁ କରି,ଦିବସ ରଜନୀ ସନ୍ତାପୀ ହେଉଛି ପ୍ରଭୁ ନାମ ଧରି ଧରି ।ମନରେ ନିମଜ୍ଜି ଆନକୁ ନ ଭଜି ଏକା ମହିମାଙ୍କ ବିନୁ,ପ୍ରଭୁ ସେ ରଖିବେ ପ୍ରଭୁ ସେ ଭକ୍ଷିବେ ଏ ମୋର ମାନବ ତନୁ ।ଏଥକୁ ଚାହିଁ ବିଚାରି ଦୟା କର ବାଞ୍ଛାଫଳ ପୂର୍ଣ୍ଣ ହେଉ,କବି କୃତ କଳା ଫୁଟି ଅନର୍ଗଳା ଯୁଗେ ଯୁଗେ କୀର୍ତ୍ତି ରହୁ ।ଯୋନିଜନ୍ମ ପିଣ୍ଡ ପ୍ରକୃତି ପ୍ରଚଣ୍ଡ ରୋମ ଚର୍ମେ ଲାଗି ମୟା,ଅନୁଭଦ ଭେଦ ମାର୍ଗେ କହିଦେଲେ ପିତା ମାତା ହେଲେ ଦୟା ।ଶ୍ରୀଗୁରୁଙ୍କ ଠାସ ନୟନ ସାଦୃଶ ବେଦଶାସ୍ତ୍ର ନାହିଁ ସାଧି,ଶୂନ୍ୟକୁ ଅନାଇ ପଦ ବଖାଣଇ ଅନୁଭବେ କରି ବୁଦ୍ଧି ।ଶଶୀ ତେଜ ପ୍ରାୟ ହୋଇଲା ଉଦୟ ହୁଦରୁ ଉବୁରି ଭେଦ,ଅଜ୍ଞାନ ପିଣ୍ଡରେ ଚେତା ପ୍ରକାଶିଲା ଶିରେ ଶିରେ ଲାଗି ପାଦ ।ପିତା ମାତା ଦୁଇ ଏକ ସଙ୍ଗ ହୋଇ ଭକ୍ତି କଳାକୁ ସୁମରି,ବେନି ଜନ ହୋଇ ଆଶୀର୍ବାଦ ଦେଇ କୃପାଜଳେ ସ୍ନାନ କରି ।କୀଟପ ଜନମ ଅଜ୍ଞାନ ପାମର ଜଡ଼ା ବୃକ୍ଷ ସଙ୍ଗେ ଜଣେ,କହିଲା ବଚନ ପାସୋରି ହୁଅଇ ହୃଦରେ ନ ଥାଇ କ୍ଷଣେ ।ସର୍ବ ସାଧୁଗଣ ହୋଇ ଏକ ସ୍ଥାନ ସିଦ୍ଧ ସାଧୁଙ୍କର ମେଳେ,ଆଶିଷ କଲ୍ୟାଣ ଦେଇ ଋଷିଗଣ ମାଥେ ହସ୍ତମାରି ଦେଲେ ।ଅନାଦି ଅଲେଖ ହୋଇଛନ୍ତି ଉଦେ କହନ୍ତେ ବୋଇଲେ ନାହିଁ,କହେ ଭୀମ ଭୋଇ ଷଡ଼ ଶତ ପଦ ସମସ୍ତେ ହେଲେଣି ବାଇ ।
ଏକତ୍ରିଂଶ ବୋଲିଦିନୁ ଦିନ ଆସି ପ୍ରବଳ ହେଲାଣି ଦୁଃଖ କଷ୍ଟ ଦୁରୁଦଣ୍ଡ,ଦୋଷ ଅପରାଧ କ୍ଷମା କରି ସ୍ୱାମୀ ସମ୍ଭାଳ ତୋ ଭକ୍ତ ମୁଣ୍ଡ ।ଧିକାର ବଚନେ ଧ୍ୟାନକୁ ଛଡ଼ାଇ ଧୀରେ ରହୁ ନାହିଁ ମନ,ଧିକ ଯାଉ କିନା ଜୀବ ଜନ୍ମ ମୋର ଧାଉଁଅଛି ଅନୁକ୍ଷଣ ।ବ୍ରହ୍ମାଣ୍ଡ କରତା ଆପେ ବିଜେ କରି ବାଛି ବେଭାର କରିଛ,ବାଧି ଯାଉଅଛି ଜୀବନକୁ ମୋର ସତ କଥା ନୋହେ ମିଛ ।ଅନ୍ତର୍ଯ୍ୟାମୀ ପ୍ରଭୁ ଅଶ୍ରୁତିଅମୃତି ଅନ୍ତର୍ଗତେ ପରା ଜାଣି,ଆଶ୍ରିତ ପ୍ରାଣୀକି ଅବସ୍ଥା ଦେଉଛ ହୃଦୟ ହେଉଛି ହଣି ।ଦୟାଳୁ ପୁରୁଷ ଦରଶନେ ଦୃଶ୍ୟ ଦଗଧି ହେଉଛି କାଏ,ବାମ ଡ଼ାହାଣକୁ ଯେଣିକି ଚାହିଁଲେ ଆଗ ପଛେ ନାହିଁ କିଏ ।ତେଣୁକରି ମୁଁ ଯେ ତରିବି ବୋଲିଣ ତୀରକୁ ଦେଉଛି ଦୃଷ୍ଟି,ନ୍ତ୍ରୈଲୋକ୍ୟର ପ୍ରଭୁ ତତ୍ତ୍ୱରେ ନ ବୁଝି ଲଗାଉଅଛ ଅରଷ୍ଟି ।ଅନାସ୍ତ ପ୍ରାଣୀକି ଛନ୍ଦ କୁଟେ ଆଣି ଅଥଳେ ପକାଉଅଛ,ଅନୁମାନ କରୁଅଛି ନିରନ୍ତରେ ଅନ୍ତର କରି ଦେଉଛ ।ଆଶା କରି କରି ଅବସ୍ଥା ହେଉଛି ଆସି ମୃତ୍ୟୁ ରବିତଳେ,ଅଜ୍ଞାନ ଅକର୍ମ ଯଶ ଅପଗୁଣ ଘୋଟିଲାଣି ଏକାବେଳେ ।ମନରେ ତବଦ ମାନି ନିଜ କର୍ମ ମୃତ୍ୟୁପଥକୁ ଆବୋରି,ମଲା ପିଣ୍ଡେ ମୋର ଭାରା ପକାଉଛ ମାୟା ମୋହ ଭରି କରି ।ଗୁରୁଦେବ ସ୍ୱାମୀ ସର୍ବ ଅନ୍ତର୍ଯ୍ୟାମୀ ଖାତକୁ ଦେଉଛ ଫିଙ୍ଗି;ଗରଳ ବିଷ ପରାୟେ ଲଗାଉଚ ଗାଢ଼ପଣେ ଅଛି ଜଗି ।ମହତ ମର୍ଯ୍ୟାଦା ସକଳ ବୁଡ଼ାଇ ମନୁଷ୍ୟ ପରାଏ ହୋଇ,ମାନ ଛଳ କଥା ଦୂରେ ଫିଙ୍ଗି ଦେଇ ମୃତ୍ତିକା ପରାଏ ମୁହିଁ ।ଛାର ଛିକାର ଛୋକାରିଆ କଥାକୁ ଛନ ଛନ ହୁଏ ଚିତ୍ତ,ଛାଡ଼ି ଲାଜ ଭୟ ଦୂରକୁ ତେଜିଲେ ସରିବ ମାନ ମହତ୍ତ୍ୱ ।ଗୁରୁ ସେ ହରତା କରତା ବିଧାତା କରିବେ ଯେ ଭଲ ମନ୍ଦ,କିସ ଜଣାଇବି ଶ୍ରୀଗୁରୁ ଛାମୁରେ ଜାଣିବେ ଅନାଦିକନ୍ଦ ।ଶୂନ୍ୟ ଶୂନ୍ୟ ବୋଲି ସକଳକୁ ଛାଡ଼ି ସତ୍ୟକୁ କରି ପସରା,ସହିବାକୁ କାହିଁ ଶକତି ମୋହରି ନେନ୍ତ୍ରୁ ବହୁଅଛି ଧାରା ।ଶୋକ ସନ୍ତାପରେ ଶରଣ ପ୍ରଣାମ ସକ୍ଷ ନାହିଁ ମୋର ଦେହେ,ସହି ସମ୍ଭାଳି ସାଧ୍ୟ କରିବି ପଢ଼ି ଏକାକ୍ଷର ନିରାମଏ ।ଘନ ପ୍ରାଏ ଘୋଟି ଗର୍ଜି ଆସୁଅଛି ଘୋର କଳି ମାୟା ଦେଖ,ବୀରବଧୂବାନା ଘୋଡ଼ାଇ ଜୀବକୁ ଅଭୟ ପଞ୍ଜରେ ରଖ ।ଡ଼ିଙ୍ଗରକୁ ଚାହିଁ ଡ଼ରୁଅଛି ମୁହିଁ ଡ଼ାକ ଜଗତରେ ପଡ଼ି,ଡ଼ୋଳା ଗୋଚରେ ଦେଖୁ ଦେଖୁ ସମସ୍ତେ ଅଙ୍ଗେ ବସିଲେଣି ମାଡ଼ି ।ପଞ୍ଚମନ ମଧ୍ୟେ ବିଚାରଣ କଲେ ପାସୋର ନୁହଇ କଥା,ପୁରାଉଛ ନେଇ ଅଗମ୍ୟ ଭିତରେ ରଖୁଛ କୀରତି ପୋଥା ।କାର୍ଯ୍ୟ ଯେବେ ଅଛି କାହିଁକି ଶ୍ରୀଗୁରୁ କରାଉଛ ହଟପଟ,କର୍ମକାଣ୍ଡେ ମୋର କି କି ଲେଖିଅଛ କହିଦିଅ ମୋତେ ବାଟ ।ନ ଜାଣଇ କିଛି ଆଶା କରିଅଛି ହୃଦୟରେ ପାଞ୍ଚି ଯାହା,ଭଣେ ଭୀମ ହୀନ ପାମର ଅଜ୍ଞାନ ଗୁରୁଦେବ ସ୍ୱାମୀ ସାହା ।
ଦ୍ୱାତ୍ରିଂଶ ବୋଲିଗୁରୁ ଦେବ ସ୍ୱାମୀ ମହିମାସାଗର ପିଣ୍ଡ ପ୍ରାଣ ରକ୍ଷା କର,ଶରଣ ପାଦପଦ୍ମରେ ଶତେବାର ଦୟାରେ ଉଦ୍ଧରି ଧର ।ଅବଧୂତ ସ୍ୱାମୀ ଅଲେଖ ଅବର୍ଣ୍ଣ ଅରୁପ ଅନାମ ଦୀକ୍ଷା,ହରତା କରତା ଜ୍ଞାନ ଗୁରୁ ଦାତା ଗତି ପତି ସ୍ୱାମୀ ଏକା ।ପ୍ରାଣର ବଲ୍ଲଭ ଜଗତ ବାନ୍ଧବ ଜୀବ ପ୍ରାୟେ ଅଙ୍ଗେ ବସି,ଏଡ଼େ ବଡ଼ ପ୍ରଭୁ ବାନା ଥାଉଁ ଥାଉଁ ବିଅର୍ଥେ ଯାଉଛି ଭାସି ।କୋଟିଏ ଶରଣ କୋଟିଏ ବିନତି କୋଟି ଦଣ୍ଡ ପରଣାମ,କୋଟି ପ୍ରଳମ୍ବିତ କୋଟି ଯୋଡ଼ା ହସ୍ତ ଅନାଦି ଅରୁପ ବ୍ରହ୍ମ ।କୋଟି କୋଟି ସ୍ତୁତି କୋଟି ପ୍ରଣପତ୍ୟ ଗଳାରେ ବସନ ବାନ୍ଧି,ଦନ୍ତରେ ତିରଣ ବିନୟ ଭାବେଣ ଜଣାଣ କରୁଛି କାନ୍ଦି ।ଅଯୋନି ଅଜାତ ଅବ୍ୟଏ ଅଚ୍ୟୁତ ଅଣାକାର ଏକ ବ୍ରହ୍ମ,ମହିମାସାଗର ବାନା ପ୍ରକାଶିଛ ଆଦି ଅବଧୂତ ଧର୍ମ ।ମେଳଛ ପତିତ ପାମର ଅଜ୍ଞାନ କୀଟପ ଏ କୁତା ଜୀବ,ଅନାସ୍ଥ ପ୍ରାଣୀକି ଅନ୍ତର୍ଗତେ ଜାଣି ସୁଦୟାରେ ଚାହିଁ ଥିବ ।ନିରେଖ ଜୀବକୁ ନିରାଶ ନକରି ନିଷ୍କାମରେ ଫଳ ଦେବ,ନିଶାଖା ପ୍ରାଣୀକି ଶୂନ୍ୟ ନାମ ବ୍ରହ୍ମ କୃପାଜଳେ ତାରି ନେବ ।କୀଟ ଜୀବ ଛାର ସମ ଦ୍ରୋହକାର ସଦା ଅପରାଧୀ ହୋଇ,ପାପ ପୁଣ୍ୟ କଥା କିବା ଭଲ ମନ୍ଦ କିଛି ନ ଜାଣଇ ମୁହିଁ ।ଏକାକ୍ଷର ନାମ ଏକାକ୍ଷର ବ୍ରହ୍ମ ଏକାକ୍ଷର ଧର୍ମ ସେବା,ଏକାନ୍ତ ଭଜନ ନିଷ୍କାମ ଭଗତି ଦୟା କଲେ ସିନା ହେବା ।ଏକାକ୍ଷର କର୍ମ ଏକାକ୍ଷର ପାଦ ଏକାନ୍ତ ସାଧନା ସିଦ୍ଧି,ଅଶ୍ରୁତିଅମୃତି ଅଣାକାର ଧର୍ମ ଏକାଙ୍ଗ ଭକ୍ତିର ବିଧି ।ଆଦି ଅନାଦି ଅରୂପ ଭଗବାନ ଅବ୍ୟକତ ଭାବଗ୍ରାହୀ,ଅନନ୍ତ ପୁରୁଷ ଅତୁଳ ମହିମା ଅଣଶବଦର ଦେହୀ ।ଅରୂପ ଗୋବିନ୍ଦ ଚିର ଜଣାନନ୍ଧ ଅନାଦିତ ଆଦିକନ୍ଦ,ଅଗ୍ନି ଅଙ୍ଗୀକାର ସର୍ବ ଅବିକାର ଅଲେଖ ପରମାନନ୍ଦ ।ତୁମ୍ଭରି ପିଣ୍ଡ ପ୍ରାଣ ତୁମ୍ଭେ ସମ୍ଭାଳ ତୁମ୍ଭରି ବ୍ରହ୍ମାଣ୍ଡ ରଖ,ଦେବକୂଟ ବିଷ୍ଣୁ କୂଟ କାଳକୂଟ ଦୟାରେ କରି ବିବେକ ।ତୁମ୍ଭ ମାୟାକୂଟ ଯମଦଣ୍ଡକୂଟ ଭୁପତିକୂଟକୁ ଛେଦି,ଅସୁର ମେଳଛ କୂଟରୁ ବଞ୍ଚାଇ ସମ୍ଭଳି ରଖ ଅନାଦି ।ତୁମ୍ଭରେ ଶରଣ ସମ୍ଭାଳି ଆପଣ ସେବା ଭକ୍ତି ଆପେ ଘେନ,ବଡ଼ ପଦେ ମୋର ଭରସା ନ ଥାଇ ଘେନିବାକୁ ଦରଶନ ।ତୁମ୍ଭ ସେବା ଭକ୍ତି ତୁମ୍ଭ ଭକ୍ତକୁଳ ତୁମ୍ଭ ଯଶ କୀର୍ତ୍ତିମାନ,ତୁମ୍ଭ ସାରସ୍ୱତ ତୁମ୍ଭ କବିକୃତ ଜଗତ ମଧ୍ୟେ ବଖାଣ ।ତୁମ୍ଭରି ନିନ୍ଦା ସ୍ତୁତି ପାପ ପୁଣ୍ୟାଦି ହେଉଅଛି ଲାଭ ହାନି,କର୍ମ ଅକର୍ମରେ ଆସ୍ତି ନାସ୍ତିଠାରେ ଶ୍ରୀଗୁରୁ ଦେବ କାରେଣି ।ମେଳଛ ଅସୁର ପାପିଷ୍ଠ ହସ୍ତରେ ନ ଦିଅ ସ୍ୱାମୀ ପକାଇ,ଅକୂଳ ସାଗରେ ଚିନ୍ତା ଦୁଃଖ ଘୋରେ ମାଡ଼ିବା ଉଚିତ ନାହିଁ ।ସତ୍ୟ ବାନା ସତ୍ୟ ନାମ ବ୍ରହ୍ମ ବୋଲି ଅଛି ମୁଁ ଭରସା କରି,କନ୍ଦି କାକୁସ୍ଥିରେ କହେ ଭୀମ ଭୋଇ ଗୁରୁ ପାଦପଦ୍ମ ଧରି ।
ତ୍ରୟତ୍ରିଂଶ ବୋଲିସତ୍ୟ ନାମ ବ୍ରହ୍ମ ଧରତୀ ଆକାଶ ପୃଥୀ ଆପ ତେଜ ବାଇ,ଚାରି ଧର୍ମ ଥିଲେ ବିଚାରି ବୁଝିବେ ନିଶ୍ଚୟ ପାଇବି ମୁହିଁ ।ନବ ଲକ୍ଷ ତାରା ସୁରାଟ ବିରାଟ ମହାରାଟ ଠୁଳ ଶୂନ୍ୟ,ବିନୟକୁ ଘେନି ବୁଝାମଣା କର ମନବାଞ୍ଛା ହେଉ ପୂର୍ଣ୍ଣ ।ଦଶଦିଗପାଳ ସ୍ୱର୍ଗ ସୁରପତି ତେତିଶକୋଟି ଦେବଗଣେ,ବ୍ରହ୍ମା ଦେବପତି ଚନ୍ଦ୍ର ସୂର୍ଯ୍ୟ ଆଦି ବୁଝିଦିଅ ସାବଧାନେ ।ଚାରି ଦିଗ ଚାରିଯୁଗ ଚାରି ମେଘ ବିଜୁଳି ଝଟକ ଆଦି,ଏ ମୋର ଭାରତୀ ବିଚାରି ଉଚିତ ବେଗେ କର ସର୍ବ ସିଦ୍ଧି ।ଜଳ ଅନଳ ପବନ ଆଦିକରି ବରୁଣ କୁବେର ଧାତା,ଚାରି ଯତି ଚାରି ସତୀ ରୁଣ୍ଡ ହୋଇ ବୁଝିଦିଅ ମୋର କଥା ।ସପତ ସାଗର ଅଷ୍ଟକୁଳ ନାଗ ଆଦି ନବଖଣ୍ଡ ମହୀ,ଏ ମୋର ବଚନ କଲେ ଅନୁମାନ କେଭେଁ ମୁଁ ଛାଡ଼ିବି ନାହିଁ ।ଉଡ଼ା ବୁଡ଼ା ଚଳ ଅଚଳ ଏ ଯେତେ ଅଛନ୍ତି ଯେ ଯେଉଁ ସ୍ଥାନେ,ଭଜିବା ନ ଭଜିବାର ଜାଣୁଅଛ ଦୃଷ୍ଟି ଦେଇ ଅନୁକ୍ଷଣ ।ଛପ୍ନାକୋଟି ଜୀବ ସୁଜ୍ଞ ସାଧୁ ସନ୍ଥ ନର ନାରାୟଣ ହରି,ବୁଝାମଣା କର ସକଳ ବୃତ୍ତାନ୍ତ ପଡ଼ୁଅଛି ପାଦ ଧରି ।ଅନନ୍ତ କୋଟି ସାଧୁ ଚୌଷଠୀ ସିଦ୍ଧ ଅନାହତ ବ୍ରହ୍ମଧୁନି,ଶକତରେ ବୁଝାମଣା କରିଦିଅ କମ୍ପୁଥାଉ ଏ ମେଦିନୀ ।ବ୍ରହ୍ମା ବିଷ୍ଣୁ ଶିବ ଆଦି ଚାରି ଯୁଗ ନବଗ୍ରହ ସତାଇଶ,ଏ ମୋର ଗୁହାରି ସଭାରେ ବିଚାରି ବୁଝାମଣା କରି ବସ ।ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନି ପୁରକୁ କୋଟିଏ ଶରଣ ଗଲି,ଚିନ୍ତା ଅର୍ଥ ଆରା ଭାରା ଯେତେ କଥା ସଭାରେ ପକାଇ ଦେଲି ।ବୁଝିଦେଲେ ବୁଝ ଏ ମୋର ନିଆୟ ନୋହିଲେ ଛାଡ଼ିବି ଦେହ,ତିନିପୁର ସଭାମଣ୍ଡଳରେ ଯେତେ କବି ହତ୍ୟା ଦୋଷ ବହ ।ଘର ଦ୍ୱାର ଇଷ୍ଟ ବନ୍ଧୁ ବର୍ଗ ଛାଡ଼ି ବ୍ରହ୍ମାଣ୍ଡେ ବୁଲୁଛି ଆସି,ମୋହର ପିତାର ରଚିଲା ଜଗତେ ଖେଳ କରୁଅଛି ବସି ।ପିତା ମାତା ସଙ୍ଗ ସାଥି ବାଡ଼ି ବୃତ୍ତ ଛାଡ଼ି ମୁଁ କଲି ଭରସା,ପ୍ରଭୁ ପ୍ରଭୁ ବୋଲି ନିରନ୍ତରେ ଭାଳି ଏକାକ୍ଷର ପାଦେ ଆଶା ।କର୍ମ ଧର୍ମ କ୍ରିୟା ଆଚାର ବେଭାର ବେଦମତ ଛାଡ଼ି ଦେଇ,ବାତୁଳ ପରାଏ ଭ୍ରମୁଛି ସଂସାରେ ଗୁରୁପାଦେ ଚିତ୍ତ ଦେଇ ।ଜପ ତପ ସନ୍ଧ୍ୟା ହୋମ ଯଜ୍ଞ ତେଜି ଧରି ନିରିବେଦ ପଥ,ଆତ୍ମା ଭଗତିରେ ଏ ମୃତ୍ୟୁ ସଂସାରେ ମଣିଲି ମୁଁ ଏକମତ ।ଦାରୁ ପ୍ରତିମା ସେବା ପୂଜା ଛାଡ଼ିଲି ଭୋଗରାଗ ଯେତେ କଥା,ପ୍ରଭୁଙ୍କ ନାମରେ ବୁଲନ୍ତି ସଂସାରେ ଲଗାଉ ଅଛନ୍ତି ଲେନ୍ତା ।ଜଗତ ଯାକରେ ଗୁରୁ ପିତା ମାତା ସକଳ ସମାନ ଚାହିଁ,ଦାରା ସୁତ ବିତ୍ତ ବନ୍ଧୁବର୍ଗ ବୋଲି ମନରେ ଘେନୁଛି ମୁହିଁ ।ତେଣୁକରି ସିନା ମନର ଭିତରେ ସମାନ ଭଗତି କରି,ହୃଦରେ ବିକାର ଚିତ୍ତେ ଅହଂକାର ସର୍ବ ସଂଶୟ ନିବାରି ।ଏଡ଼େ ପ୍ରଭୁ ଥାଇ ନ ଗଲା କଷଣ ନିଜ ରୂପେ ଉଦେ ହୋଇ,ଚାହିଁଛି ଶୂନ୍ୟକୁ ନିଷ୍କାମ ପୁଣ୍ୟକୁ ଭୀମ ଅରକ୍ଷିତ ଭୋଇ ।
ଚତୁଃତ୍ରିଂଶ ବୋଲିଜଗତରେ କବିପଣେ ବୋଲାଉଛି ଦୋଷ ନାହିଁ ଦେବ ମୋତେ,ନିନ୍ଦା ହାନି ଲାଭ ପାପ ପରମାଦ ପୂରି ରହିଛି ଜଗତେ ।ଅତି ଅନ୍ୟାଚାର ଏ ମାୟା ସଂସାରେ କେଉଁରୂପେ ନେବି ଦିନ,ପିଣ୍ଡ ବ୍ରହ୍ମାଣ୍ଡରେ ସକଳ ଠାବରେ ଛନ୍ଦିଅଛ ତିନିଗୁଣ ।ରଞ୍ଚନା ଦେଖାଇ ପାଞ୍ଚନା କରାଇ କରାଉଛ ଖଳବଳ,ଭବସିନ୍ଧୁ, ଭାବସିନ୍ଧୁ, ଦୁଇ ମିଶି ପୂରି ରହିଅଛି ଜଳ ।ତହିଁର ଭିତରେ ଛାଡ଼ି ଦେଇଅଛ ଏ ଜୀବକୁ ପିଣ୍ଡ ଦେଇ,ପାତକ ଲଗାଇ ଦୋଷ ନାହିଁ ଦେବ ଅନ୍ତର୍ଗତେ ଥିବ ଚାହିଁ ।ଅନାଥ ଜୀବଟି ବୁଲୁଛି ସଂସାରେ ନ ଜାଣଇ କିଛି କଥା,କେତେ ମିଛ କେତେ ପାପ ହେଉଅଛି ପ୍ରଭୁ ଜାଣନ୍ତି ଏ କଥା ।ଯେଉଁ ଦିନୁ ଜାତ କରି ଅଛନ୍ତି ତ ରବିତଳେ ମହାଶୁନ୍ୟ,ଚାରି ଯୁଗ ମତେ ନିଦ୍ରା ଗଲା ପରି ଲାଗୁଅଛି ଚାରିଦିନ ।ଏଥିରୁ ଆହୁରି କିସ ମୁଁ କହିବି ସଂସାରକୁ ସତ୍ୟ ସତ୍ୟ,ଯେ ଯହିଁରେ ଥାଇ ସେହି ସେ ଜାଣଇ ଆନକୁ ନ ଆସେ ହିତ ।ବଡ଼ିମା କହିଲା ବୋଲିବେ ଜଗତେ ତେଣୁକରି ମୋର ଭୟ,ମୁହିଁ ସିନା ଜାଣେ ମୋ ଜନ୍ମର କଥା ଅନାଦି ଗୁରୁଙ୍କ ପୁଅ ।ସଂସାର ମଧ୍ୟରେ କେମନ୍ତେ ଜାଣିବେ ନର ଅଙ୍ଗେ ଦେହ ବହି,ଆତଯାତ କଥା ଯୁଗର ବ୍ୟବସ୍ଥା ସମସ୍ତଙ୍କୁ ଜଣା ନାହିଁ ।ହୃଦୟରେ ଭେଦ ସାରସ୍ୱତ ପଦ ଅନୁଭବେ ନାହିଁ ବୁଦ୍ଧି,ନର ଦେହ ବହି ସର୍ବେ ଅଣଚେତେ କାହୁଁ ଜାଣିବେ ସେ ସିଦ୍ଧି ?ରୂପ ରସ ଗନ୍ଧ ରଙ୍ଗେ ମାତି ସର୍ବେ ଭୁଲାଇ ନେଉଛି ମାୟା,ମୋହିନୀ ମଦେ ପଡ଼ିଛନ୍ତି ସମସ୍ତେପାସୋରି ଜୀବନ କାୟା ।ଜଗତ ଭିତରେ ସଂସାର ହିତରେ ବଖାଣିଲି କବିକୃତ,ଯେତେ ବୁଝାଇଲି ନ ବୁଝିଲେ କେହି କୋପ କରି ଅପ୍ରମିତ ।କୋଳରେ ବସାଇ ମନରେ ମିଶାଇ କହୁଁ କହୁଁ କର୍ଣ୍ଣପାଶେ,ନଦୀଜଳ ପ୍ରାୟ ବଢ଼ି ଯାଉଅଛି ଜ୍ଞାନ ନ ଭେଦିଲା ଲେଶେ ।ମୁହିଁ କହୁଥାଇ ମନରେ ବିଚାରି ମୁକତି ପଦକୁ ଭାଳି,ଜଣ ଜଣ କରି ବୁଝାଇ କହଇ ସର୍ବେ ତରିଯିବୁଁ ବୋଲି ।ଦୁଲଭ ଜନମ ଦେହ ବହିଛନ୍ତି କରି ନୁହେ ବଡ଼ ସାନ,କଥାର ପ୍ରସଙ୍ଗେ କହି ନେଉଥାଇ ଶୁଣ ଶୁଣ ସର୍ବ ଜନ ।ଧରମ ପଥକୁ ଆଶ୍ରିତ କରାଇ ବତାଇ ଦିଅଇ ଜ୍ଞାନ,ଆତ୍ମା ଭକତିକି ଜୀବ ମୁକତିକି ପ୍ରତ୍ୟକ୍ଷେ କରାଇ ଚିହ୍ନ ।କପଟ ନକରି ଧୂଳିମାଟି ପରି ବାଣ୍ଟି ଦେଉଥାଇ ଭାଗ,ପୁତ୍ର ପରାଏ ଆହାଲାଦ କରାଇ କହୁଥାଇ ଜ୍ଞାନଯୋଗ ।କି ଅବା ସ୍ତିରୀ ସେ କି ଅବା ପୁରୁଷ ବାଳ ବୃଦ୍ଧ ଯୁବା ଯେତେ,ଭିନ୍ନ ଭିନ୍ନ କରି ଚିହ୍ନାଇ ଦିଅଇ ସଂଶୟ ନ ରଖି ଚିତ୍ତେ ।ପ୍ରାଣରୁ ଅଧିକ କରିଣ ତାହାକୁ କହୁଥାଉ ସଦବୁଦ୍ଧି,ଗୁରୁସେବା କଲେ ନିଶ୍ଚେ ଅନ୍ତକାଳେ ତରିଯିବ ବାରାନିଧି ।ଏଥକୁ ଚାହିଁ ବିଚାର ମହାପ୍ରଭୁ ହେବ ଯେବେ ମୋର ଦୋଷ,ଶ୍ରୀଗୁରୁ ଛାମୁରେ ବିନତି ମାଗୁଛି ଭୀମ ଅରକ୍ଷିତ ଦାସ ।