ଦମୟନ୍ତୀଙ୍କ ଦ୍ୱିତୀୟ ସ୍ୱୟମ୍ବର — ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦମୟନ୍ତୀଙ୍କ ଦ୍ୱିତୀୟ ସ୍ୱୟମ୍ବର
କଥୟନ୍ତି ଅଗସ୍ତି ପଣ୍ଡିତ ବିଗ୍ୟଂବନ୍ତାଶୁଣନ୍ତି ମନୁରାୟେ ହୋଇଣ ମହାଶ୍ରୋତା ।୧।ନଳ ଦମୟନ୍ତୀଂକର ନ ପାଇ ବାରତାବିଚାରଇ ଭୀମେକ ନୃପତି ଦମୟନ୍ତୀର ପିତା ।୨।ବସୁଦେବ, ସୁଦେବ, ବିଷ୍ଣୁକର, ବେଦକରୟେ ଚାରିନ୍ତି ରାଇ ବୋଇଲା ତୁମ୍ଭେ ଦମୟନ୍ତୀକି ଲୋଡ଼ ।୩।ତୁମ୍ଭେ ଚାରିବିପ୍ରେ ୟେବେ ଚଳ ଧାତିକାରନଳ ଦମୟନ୍ତୀକି ଲୋଡ଼ାକର ହେ ସତ୍ୱର ।୪।ଅନେକ ଧନରତ୍ନ ଗୋଧନ ଶାସନବିଚାରି ବ୍ରାହ୍ମଣଂକୁ ଦିଲା ଭୀମେକ ରାଜନ ।୫।ରାଜାଂକର ବଚନ ସେ ପାଇକରି ଦୀକ୍ଷାବନେଣ ଭ୍ରମନ୍ତି ସେ ନଗ୍ରେଣ ମାଗନ୍ତି ଭିକ୍ଷା ।୬।ଉନ୍ମେଷନ୍ତି ନଳ ଦମୟନ୍ତୀର ଚିହ୍ନଚିତ୍ରପଟ ଦେଖିଣ ସେ ବିଚାରନ୍ତି ବର୍ଣ୍ଣ ।୭।ସୁଦେବ ନାମେଣ ଯେବଣ ଦ୍ୱିଜବରସେ ଯାଇ ପ୍ରବେଶ ହୋଇଲା ବିଜୟା ନଗ୍ରପୁର ।୮।ଖୋଜଇ ବିପ୍ରବର ଉନ୍ମେଷଇ ଚଉକତିନଗ୍ର ହାକ ଦିଅଇ ସେ ଦମୟନ୍ତୀ ଦମୟନ୍ତୀ ।୯।କେସନୀ ବୋଲିକରି ବିଦୁଳା ନାଗମାତାର ମୁଦୁସୁଲୀସେ ବୋଇଲା ମାଗୋ ଦାଣ୍ଡେ ବ୍ରାହ୍ମଣେକ ଦେଖିଲି ।୧୦।ଉଚ୍ଚସ୍ୱରେ ସେ ବୋବିପାଡଇ ଦମୟନ୍ତୀ ନାମ ଧରିଶୁଣିଣ ବାହାର ହୋଇଲେ ଭୀମେକ କୁମାରୀ ।୧୧।ସୁଦେବ ପଣ୍ଡାକୁ ଚିହ୍ନିଲା ଦେବୀ ଦେଖିସନ୍ନିଧ୍ୟେ ହକାରିଲେ ଲଜ୍ଜାଭାବ ଉପେଖି ।୧୨।ଦମୟନ୍ତୀ ପ୍ରଣମିତ ବ୍ରାହ୍ମଣ ପାଦ ବେନିକୁଳବିପ୍ର ଦେଖି ଅନେକ ବିନୟ ଦଇନି ।୧୩।କ୍ରୋଧେଣ ଗଦ ଗଦ ହୋଇଣ ନଳ ରାଜାର ରାଣୀସମ୍ଭାଳି ନୁଆରି କ୍ରୋଧେ କରଇ ଉଚ୍ଚବାଣୀ ।୧୪।ଦମୟନ୍ତୀର କ୍ରୋଧେ ପୂରିଲେ ନଗ୍ରଜନେବିଦୁଳା ଶାନ୍ତି କରାଇଲେ ମାଧୁର୍ଯ୍ୟ ବଚନେ ।୧୫।କ୍ରୋଧ ସମ୍ଭାଳିଣ ସେ ପଚାରଇ ଦମୟନ୍ତୀବଇଦର୍ଭ ଦେଶ ଜନେ କୁଶଳ ଛନ୍ତିଟିକି ବ୍ରତି ।୧୬।କ୍ଷମେଣ ବ୍ରତନ୍ତି ନା ମୋହୋର ପୁତ୍ର ଦୁହିତେକ୍ଷମେଣ ଅଛନ୍ତି ନା ମୋହୋର ପିତାମାତେ ।୧୭।ସମସ୍ତ କୁଶଳ ବୋଲି ବୋଇଲେ ଦ୍ୱିଜବରଭୋ ବିପ୍ର ଅବସ୍ତା ତୁ ଦେଖସି ମୋହୋର ।୧୮।ବନସ୍ତେ ବୁଲୁଥିଲି ମୁଂ ବାଳୁତ ଭାବ ଘେନିମୁକୁଇଂ ଅନୁଗ୍ରହ କୟେ ସେ ୟେହି ମହାତ୍ମାଣୀ ।୧୯।ଅପ୍ରସଙ୍ଗେ ପ୍ରସଙ୍ଗ ମୋତେ ହୋଇଲେକ ନାଗମାତାଫିଟିଲା ଦୃଷୁକୃତ ମୋର ପାଶୋର ଗଲା ସର୍ବଗାଥା ।୨୦।ନଳଂକ କୁଶଳ ତୁମ୍ଭେ ଜାଣଟି କି ପଣ୍ଡାୟେବାରତା ପାଇଲେନିକି ପିତା ଭୀମେକ ରାୟେ ।୨୧।ବଦୟନ୍ତି ସୁଦେବ ଦମୟନ୍ତୀ ନଳରେ ନାହିଂ ଖୋଜା
ତୁମ୍ଭନ୍ତ ଖୋଜିବାକୁ ଆଗ୍ୟାଂଦିଲେ ଭୀମେକ ରାଜା ।୨୨।
ଭୋ ମାତା ଦମୟନ୍ତୀ ଗୋ ବଇଦର୍ଭ ଦେଶକୁ ଚାଲ ଯିବା
ପିତାର ନଗ୍ରେ ଥାଇ ନଳକଇଂ ଖୋଜାଇବା ।୨୩।
ଶୁଣିଣ ସାନନ୍ଦ ସେ ବିଦୁଳା ନାଗମାତା
ସ୍ତିରୀବୃନ୍ଦ ଘେନି ସେ ଆପଣେ ଗମିତା ।୨୪।
ଦମୟନ୍ତୀକି ଘେନି ସେ ଆରୋହିଲା ମତ୍ତନାଗ ପିଠି
ଆଗେଣ ସୁଦେବ ବ୍ରାହ୍ମଣ ପଛେଣ ସ୍ତିରୀବୃନ୍ଦ ଥାଠଗୋଟି ।୨୫।
ଚଳଇ ନାଗମାତା ଘୋର ଯେ ଅରଣ୍ୟେ
ବଇଦର୍ଭ ଦେଶେ ପ୍ରବେଶ ପଞ୍ଚତିରିଶ ଦିନେ ।୨୬।
ଦମୟନ୍ତୀ ଆଗମ ବୋଲି କହିଲେ ଦେଶାଉରେ
ନଗ୍ରଜନେ ଦେଖିଣ ଯେ କଲେ ହା ହା କରେ ।୨୭।
ଦମୟନ୍ତୀକି ଘେନିଗଲେ ଅନ୍ତେଶ୍ୱର ପୁର
ପ୍ରବେଶ ହୋଇଲେ ଯାଇଂ ଆପଣା ନବର ।୨୮।
ଦୁହିତାକଇଂ କୋଳେ ଘେନିଣ ମହାଦେଈ
କ୍ରୋଧେଣ ଗଦ ଗଦ ସମାସ୍ୟା ନୁଆରନ୍ତି କହି ।୨୯।
ଦୁହିତାର ପ୍ରବେଶ ଦେଖିଣ ନରସାଇଂ
ଅନେକ ଦୁଖକଲେ ଦମୟନ୍ତୀକି ଚାହିଂ ।୩୦।
ବିସ୍ମୟ ହୋଇଣ ପଚାରନ୍ତି ଦୃମସେନର ବାଳ
ମାଗୋ କାହିଂ ଛାଡ଼ି ଅଇଲୁ ତୋହୋର ସ୍ୱାମୀ ନଳ ।୩୧।
ଦମୟନ୍ତୀ ବୋଲଇ ଶୁଣିମା ଦେବରାୟେ
କନ୍ୟାମାସ ଶୁକ୍ଳପକ୍ଷ ଚଉଠୀ ଶଉରିବାର ହୋୟେ ।୩୨।
ସ୍ୱାତୀ ନକ୍ଷତ୍ର ଅନ୍ତେଣ ବିଶାଖା ପରବେଶ
ୟେକବିଂଶ ଦଣ୍ଡ ହୋଇଅଛଇ ଦିବସ ।୩୩।
ସେଦିନ ବସିଅଛୁଂ ବନସ୍ତେ ମଣ୍ଡୋପେ
ଜନଜନ୍ତୁ ଆତାଗତ ନାହିଂନ ସମୀପେ ।୩୪।
ଅଦଭୂତେ ଶୁତିଲି ମୋତେ ନିଦ୍ରା ଆକ୍ରେଷିଲା
ଅଞ୍ଚଳ କାଟି ମୋର ନଳ କେଣେ ଛାଡ଼ି ପଳାଇଲା ।୩୫।
ତିନିଶତ ନଉଦିବସ ହେଲାନି ସେ ମୋତେ ଗଲାନି ଉପେଖି
ସେ ଦିନରୁ ନଳର ମୋହୋର ନାହିଂନା ଦେଖାଦେଖି ।୩୬।
ଭୀମେକ ରାଜନ ବୋଇଲା ତୋତେ ପାଇଲି ପୁଣ୍ୟବଳେ
ଜୀବନର ସାର୍ଥୁକ ଯେବେ ଭେଟଇ ପୁଣି ନଳେ ।୩୭।
ଦମୟନ୍ତୀ ବୋଇଲା ତାତ ଖୋଜାଅ ଅବଦ
ଜୀବନ୍ତେ ଅଛନ୍ତିଟି ନଳ ନାହିଂନା ପରମାଦ ।୩୮।
ଭୀମେକ ବୋଇଲା ମାଗୋ ଜାଣିଲୁ କେମନ୍ତେ
ପାପ ଥିଲେ ପରମାଦ ପଡ଼ଇ ନା ଯୁଗତେ ।୩୯।
ଭୋ ତାତ ସୟଂମ୍ବର କାଳେ ମୁକୁଇଂ ବର ଯେ ହୋଇଲେ ଦେବଲୋକେ ।
ତେଣୁକରି ସେ କଷଣ ଆମ୍ଭନ୍ତ କଲେକ ବୃନ୍ଦାଅର୍କେ ।୪୦।
ତିନିଦିଗର ଦୂତେ ଯେ ଅଇଲେ ବାହୁଡ଼ି
ଅନେକ ବନ କନ୍ଦର ଦେଶେ ନଳକୁ ନ ପାଇଲେ ଲୋଡ଼ି ।୪୧।
ବିଦୁଳା ନାଗ ମାତାକଇଂ ରାଜା ଅନେକ ବିନୟେ ଭଗତି
ମାଗୋ କେମନ୍ତେ ସମ୍ଭାଳିଥିଲୁ ମୋହୋର ଦମୟନ୍ତୀ ।୪୨।
ବିଦୁଳା ବୋଇଲା ମୁଂ କମଳାଉର ନାଗର ଦୁଲଣୀ
ଦମୟନ୍ତୀ ବୋଲିଣ ମୋହୋର ବଡ଼ ଯେ ଭୟେଣୀ ।୪୩।
ଦେଶ ଘୋଷ ନ ବିଚାରି ମୁଂ ନାମ କଲି ସାର
ଭୟେଣୀର ମିତ୍ର ବୋଲି ମୁଂ ପାଳିଲି ନିରାଧାର ।୪୪।
ବଡ଼ ଭୟେଣୀ ମୋର ୟେହାର ସଙ୍ଗେ ମଇତ୍ର
ବିଦୁଳା ବୋଇଲା ଲେଖାରେ ମୋହୋର ସଂଘାତ ।୪୫।
ଶୁଣିଣ ହରଷ ଯେ ହୋଇଲେ ରାଜନ
ବିହିଲା ବିଧାତା ମୋହୋର ଦୋହିତାରେ କଷଣ ।୪୬।
ସୁପାକ କର୍ମେ ଯେ ମୋର ତୋହୋର ଦୋହିତାକଇଂ ଦେଖି
ୟେହାର କରି ମୋହୋର ବନ୍ଧୁ ସୋଦରନ୍ତ ଉପେଖି ।୪୭।
ବିଦୁଳା ଦମୟନ୍ତୀ ରହିଲେ ବଇଦର୍ଭ ଯେ ଦେଶେ
ନଳକଇଂ ଖୋଜି ନ ପାଇଲେ ରାଜା ପାଞ୍ଚମାସେ ।୪୮।
ବିଷାଦ ହୋଇକରି ସେ ଦମୟନ୍ତୀ ବୋଇଲା
ଜୀବନ୍ତେ ନାହିଂ ନଳ ନିଚୟେଂଟି ନାଶଗଲା ।୪୯।
ବିଷ୍ଣୁକଂର ପଣ୍ଡା ବୋଇଲା ମୁଂ ଦିନେକ ଥିଲି ବିଷ୍ଣୁକୂଟ ପର୍ବତେ
କଳପା ବୋଲିକରି ୟେକଇ କିରାତେ ।୫୦।
ସେ ପର୍ବତର ତଳେ କିରାତର ପଲ୍ଲୀ
ଅଭ୍ୟାଗତ ହୋଇଣ ମୁଂ ତାହାର ତହିଂ ଯେ ରହିଲି ।୫୧।
ବନଚର ୟେକ ହୋଇଣ ୟେ ବଡ଼ାଇ ସୁଗ୍ୟାନ
ଗଣ୍ଡା ମାଂସ ଦାରାକ୍ଷ ଫଳ ମୋତେ ଦିଲାକ ଭୋଜନ ।୫୨।
ତାହାନ୍ତ ପଚାରିଲି ମୁଂ ସକଳ ବୃତ୍ତାନ୍ତ
ସେ ବନେ ପଶିଣ ମୁଂ ଲୋଡ଼ିଲି ଦିନା ସାତ ।୫୩।
ମାନନୀ ବୋଲି କରି ତାହାର କିରାତୁଣୀ
ସେ ବୋଇଲା ପଣ୍ଡାୟେ ତୁମ୍ଭେ ୟେ ବନସ୍ତେ ନ କର ଭ୍ରମଣି ।୫୪।
କର୍କୋଟକ ବୋଲିକରି ୟେଥେ ଥାଇ ୟେକ ବ୍ୟାଳେ
ଅନେକ ଜନଜନ୍ତୁ ସେ ଭକ୍ଷଇ ସର୍ବକାଳେ ।୫୫।
ୟେହି ନିକଟରେ ହାଦେ ଦେଖ ପଞ୍ଚମାସର କଥା
ନଳ ବୋଲିକରି ୟେକଇ ମନୁଷ୍ୟ ଦେବତା ।୫୬।
ପାଣି ଘଟେକ ଘେନିଣ ମୁଂ ଯେ ଆସୁଥିଲି ଚଳି
ବେନି ଚରଣ କତିରୁ ଧରି ସର୍ପ ତାକୁ ଗିଳି ।୫୭।
ୟେସନେକ ସନ୍ଦେଶ କହିଲା କିରାତୁଣୀ
ତାର ତହୁଂ ୟେହା ଶୁଣିଥିଲି ଗୋସାମଣି ।୫୮।
ଶୁଣିଣ ମୃକ୍ଷାଗତ ହୋଇଲାକ ଦମନ୍ତୀ
ବାବୁ ୟେହା ସେ କଲୁ ମୋତେ ନଳ ଯେ ନୃପତି ।୫୯।
ଭୋ ସ୍ୱାମୀ ଦେବତାନ୍ତ ଛାଡ଼ିଣ ମୁଂ ବରିଲଇଂ ତୋତେ
କାଳେଣ ଅନାସ୍ତୁଣୀ ନାଥ କରିଗଲୁ ମୋତେ ।୬୦।
ଭୀମେକ ବୋଇଲେ ମାଗୋ ନ ଦେଖିଲୁ ଚଛୁଂ
ଶବଦ ମାତ୍ରକେ କିମ୍ପେ ବାତୁଳ ହୋଉଅଛୁ ।୬୧।
ପୁଣିହିଂ ନଳକୁ ମାଗୋ ଖୋଜିବା ନା ଯତନେ
ଦୂତ ପଠିଆଇବା ସମସ୍ତ ଘୋରବନେ ।୬୨।
ପିତାର ବଚନେ ସେ ଛାଡ଼ିଲା କ୍ରୋଧବାଣୀ
ଶତେକ ଦୂତ ମାଗୋ ବରଗିବି ୟେହିକ୍ଷଣୀ ।୬୩।
ଶୁଣ ହୋ ଧର୍ମରାୟେ ବଦୟନ୍ତି ପାରେଶ୍ୱରୀ
ଦୂତ ପେଷନ୍ତଣ ପୁଣ ଗଲା ମାସ ଚାରି ।୬୪।
ମୀନମାସ କୃଷ୍ଣପକ୍ଷ ଶଇରୀବାର ପଞ୍ଚମୀ
ହସ୍ତା ନକ୍ଷତ୍ର ଯେ ସେ ଦିନକାଳ ଭ୍ରମି ।୬୫।
ସେ କଳିକାଳ ପୁରୁଷ ଯେ କିରାତ ରୂପ ଧରି
ବଇଦର୍ଭ ଦେଶେ ଯାନ୍ତି ଦମୟନ୍ତୀକି ଲୋଡ଼ି ।୬୬।
ପରଦେଶୀ ଲୋକନ୍ତ ଦେଇ ଉନ୍ନେଷି ଥାଇ ବାଳୀ
ସେ କିରାତ ସନ୍ନିଧ୍ୟେ ଯାଇଂ ପଚାରଇ ଭୀମେକ ଦୁଲାଳୀ ।୬୭।
ନଳକଇଂ ଦେଖିଛ କିହେ କହ ମେନ ଭାଳି ।୬୮।
କିରାତ ବୋଇଲା ମା ଗୋ ତୁହିକି ସେ ଦମୟନ୍ତୀ
କ୍ରକୋଟକ ସର୍ପ ମୁଖେ ପଡ଼ିଲେ ତୋର ପତି ।୬୯।
ସର୍ପ ଗିଳନ୍ତେ ସେ ରୋବଇ ବିକଳେ
ମୁହିଂ ଯାଇ ଭେଟିଲଇଂ ପ୍ରାଣତ୍ୟାଜ ବେଳେ ।୭୦।
ଡାହାଣ ଭୁଜେ ଥିଲା ତାହାର ମୋହୋଲ ବିଦମାଳି
ମୋହୋର ଉପରକୁ ସେ ଫିଙ୍ଗିଦିଲା ତୋଳି ।୭୧।
ସେ ମୋତେ ବୋଇଲା ବାବୁ ଦମୟନ୍ତୀ ବୋଲିକରି ମୋହୋର ଭାରିଯା
ୟେ ବିଦମାଳି ତାକୁ ଦେବୁଟି ବନରାଜା ।୭୨।
ରାଜାର ଦ୍ରବ୍ୟମାନ ମୁଂ ଲଂଘିବି କେମନ୍ତେ
ନବମାସେ ଲୋଡ଼ି ଗୋ ପାଇଲି ମୁଂ ତୋତେ ।୭୩।
ଛାମୁକୁ ଫିଙ୍ଗିଦିଲା ମୋହନ ବିଦମାଳି
ହୃଦେ ଲଗାଇଣ ବାଳୀ ପଡ଼ିଲାକ ଢଳି ।୭୪।
ହା ହା ପ୍ରାଣନାଥ ବୋଲି ପଡ଼ିଲା ଦମୟନ୍ତୀ
ଶରୀରୁ ପ୍ରାଣ ତାର ଛାଡ଼ିଲାକ ଧାତି ।୭୫।
କୋଳ କରି ଧଇଲେ ବଇଦର୍ଭୀ ନିଜ ମାତ
ଥାନ ଥାନ ଧଇଲେ ପ୍ରାଣ ନାହିଂ ନିଜ ଗାତ୍ର ।୭୬।
ହୃହଗତେ ଲଗାଇଣ ପଡ଼ିଲାକ ଢଳି ରାଣୀ
ପୁରଜନେ କାନ୍ଦିଲେ ଶୁଭିଲା ଉଚ୍ଚସ୍ୱରେ ।୭୭।
ସେ ମୃତଶବ ଘେନି ଗଲେକ ଶମଶାନେ
ଦମୟନ୍ତୀ ପିଣ୍ଡ ଦହିଲେ ସୋଦରନ୍ତମାନେ ।୭୮।
ଇନ୍ଦୁ ମଦନ ବ୍ରହ୍ମ ବୋଲି ଦମୟନ୍ତୀର ପୁତ୍ର ତିନି
ଇନ୍ଦୁ ମଦନ ନେଇଣ ଦିଲେକ ମୁଖାଅଗ୍ନି ।୭୯।
ରୋବନ୍ତି କୁମାରେ ଯେ ଭୂମିରେଣ ପଡ଼ି
ମାଗୋ ଅନାସ୍ତ କରିଣ ଆମ୍ଭନ୍ତ କେଣେ ଗଲୁ ଛାଡ଼ି ।୮୦।
କେଉଂଣ ପାପକ୍ଷଣେ ଆମ୍ଭନ୍ତ କଲୁ ଜାତ
ଜନହୁଂ ଅନାସ୍ତ ଆମ୍ଭେ ନ ଦେଖିଲୁ ପିତାମାତ ।୮୧।
ଆମ୍ଭେ ତ ବାଳୁତ ନନ୍ଦନ କିସ ଯେ କରିବୁଂ
କାହାର ମୁଖକୁ ଚାହିଂ ଦୁଖ ପାଶୋରିବୁ ।୮୨।
ଆହୋ ଦଇବ ପୁରୁଷ ତୁମ୍ଭେ ଅଟ ଯେ ମହତ
ୟେହେନେକ ଅବସ୍ତା କରି କିମ୍ପେ ସ୍ରିଜିଲୁ ଆମ୍ଭନ୍ତ ।୮୩।
ରୋବନ୍ତି ନନ୍ଦନ ଯେ ଜାଣି ନିରୀମାଖି
ଯୁଗତେ ଗର୍ଭଧାରୀ ଆବର ଜନ୍ମଦୁଖୀ ।୮୪।
ସେ ପୁତ୍ରଂକର ବିକଳେ ରୋବନ୍ତି ପୁରଜନେ
ୟେହାନ୍ତ ଦେଖି କ୍ରୋଧ ସଂଘରିବା କେସନେ ।୮୫।
ଯେତେକ କ୍ରୋଧକଲେ ବାଳୁତ ନନ୍ଦନେ
ସଞ୍ଚପି କେହୁ ତାହା କରିବା ଲେଖନେ ।୮୬।
ହେ ଧର୍ମ ଦେବାତ ତୁହି ସେ ସର୍ବ ଜାଣୁ
ଜନ୍ମ ଦେଇ ପ୍ରାଣୀଂକି କିମ୍ପେ ହରିଆଣୁ ।୮୭।
ଧର୍ମ ଧର୍ମ ସୁମରି ଯାଉ ମୋର ଦିନ
ଧର୍ମ ବ୍ରତେକ ଚିତ୍ତ ନ ବଜୁଂ ମୋର ଆନ ।୮୮।
ଶ୍ରୀ ଧର୍ମ ଦେବତାଂକର ଚରଣ ପଂକଜେ
ଦୀକ୍ଷାଗୁରୁ ନାଥ ବାଞ୍ଛାଫଳ ଦିଜେ ।୮୯।
ଶ୍ରୀ ଧର୍ମ ଦେବତାର ଚରଣ ପଂକଜ ତଳେ
ଶୂଦ୍ରମୁନି ସାରୋଳା ଦାସ ଚିତ୍ତ ଯେ ଭ୍ରମଳେ ।୯୦।
ଜୟ ତୁ ରପୁରୁଷୋତ୍ତମ ନୀଳସୁନ୍ଦର ବାସୀ
ତୁହି ସେ ଖଣ୍ଡଣ ନାଥ କରୁ ମୋହଫାଶୀ ।୯୧।
ତୁଳୁସାର ବଲ୍ଲଭ ଚରଣେ ଶରଣ ମୋର ନିତ୍ୟେ
କ୍ରୋଧ ଖଣ୍ଡଣ ନାଥ ତୁହି ସେ ଜଗନ୍ନାଥେ ।୯୨।
ଧର୍ମ କଷଣ ବେଳେ ତୁହି ସେ କରୁ ପାରି
ସାରୋଳା ଦାସ ବୋଇଲେ ଶ୍ରୀ ପୁରୁଷୋତ୍ତମ ସୁମରି ।୯୩।
ଶୁଣ ବଇବସୁତ ମନୁ ଦମୟନ୍ତୀ ଦହନ ଅନ୍ତରେଣ କଥା
କ୍ରୋଧଭର ହୋଇଗଲା ବିଦୁଳା ନାଗମାତା ।୯୪।
ପିତାର ନାମ ତାହାର କମଳାଉର ନାଗ
କାନ୍ଦିଣ କହିଲା ସେ ନାଗରାଜାର ଆଗ ।୯୫।
କମଳାଉର ବୋଇଲା ମାଗୋ ଜଗତେ ତୁହି ସାଧୁ
ପରମ ମାହେଶ୍ୱରୀ ଗୋ ଅଦଭୁତେ କିମ୍ପେ କାନ୍ଦୁ ।୯୬।
ବିଦୁଳା ବୋଇଲା ତାତ ଦମୟନ୍ତୀ ମୋର ସଖୀ
ତୁମ୍ଭନ୍ତ ଉପେକ୍ଷିଲି ମୁଂ ତାହାର ଭାବ ଦେଖି ।୯୭।
ସ୍ୱାମୀ ନଳକୁ ତାହାର କର୍କୋଟକ ଭକ୍ଷକଲା
ତେଣୁକରି ଦମୟନ୍ତୀ ଯେ ଅଗ୍ନିରେ ଦହିଲା ।୯୮।
ଶୁଣିଣ କମଳାଉର କର୍କୋଟକ ନାଗକଇଂ ସୁମରି
ତକ୍ଷଣେ ଉଡ଼ଙ୍ଗ ଆସି ଛାମୁରେ ଉଭା କରପତ୍ର ଯୋଡ଼ି ।୯୯।
କମଳା ଉରଗ ବୋଇଲା ମୋତେ ସରୂପ କହ ବାଳ
ତୁ ପୁଣି ବନସ୍ତେ ଭକ୍ଷିଲୁକି ରାଜା ନଳ ।୧୦୦।
କର୍କୋଟକ ବୋଇଲା ମୁଂ ଭକ୍ଷନ୍ତେ ନଳକୁ
ଦମୟନ୍ତୀ ନାମ ଧରନ୍ତେ ମୁଂ ଛାଡ଼ିଦିଲି ତାକୁ ।୧୦୧।
ମୁହିଂ ତାଂକ ଗର୍ଭଗତେ ଥିଲଇଂ ବିଶ୍ରାମି
ତୋହୋର ସୁମରନ୍ତେ ମୁଂ ଅଇଲଇଂ ବିକ୍ରମି ।୧୦୨।
କ୍ଷମଣେ ନଳରାଜା ଅଛଇ ନିବ୍ରତି
କଳିକାଳ ଦୁହେଂ ହାଦେ ନାଶ କରାଇଲେ ଦମୟନ୍ତୀ ।୧୦୩।
ଦେବତାକଇଂ ଛାଡ଼ି ସେ ଦମୟନ୍ତୀ ନଳକଇଂ ବରିଲେ
ଅପାର ଦୁଖ ଦେଇଣ ସେ ସଂପତ୍ତି ନାଶିଲେ ।୧୦୪।
କର୍କୋଟକ ବୋଲଇ ମୁଂ ଜାଣଇ ସମସ୍ତ
ଦମୟନ୍ତୀ ବିଦୁଳା ବେନି ଯେ ସଂଘାତ ।୧୦୫।
ନଳକୁ ଗିଳିଲି ମୁ ସେ ପଡ଼ିଲା ମୋର ମୁଖେ
ଦମୟନ୍ତୀ ସୁମରନ୍ତେ ଛାଡ଼ିଲି ପ୍ରତକ୍ଷେ ।୧୦୬।
ଶୁଣିଣ ଅନେକ ବିକଳ ହୋଇଲା ବିଦୁଳା
ଅଦଭୁତ କାରଣେ ମୋହୋର ସଖୀ ନାଶଗଲା ।୧୦୭।
କର୍କୋଟକ ବୋଇଲା ଶୁଣ ରେ ବିଦୁଳା
କଥାୟେ କହଇଂ ତୋତେ ନୋହସି ମତିଭୋଳା ।୧୦୮।
ରତୁପୂର୍ଣ୍ଣ ବୋଲିକରି ଅଯୋଧ୍ୟା ରାଜନ
ନଳରାଜା ଅଛଇ ତାହାର ଘରେ ବିଦ୍ୟମାନ ।୧୦୯।
ଦୁହିତାର ବିକଳେ ସେ ବୋଇଲା କମଳାଉ
ଦେବଇଂ ମହାମନ୍ତ୍ର ମୁଂ ସଖୀ ତୋରେ ଜୀଉଂ ।୧୧୦।
ମୃତୁ ସଞ୍ଜିବନୀ ମନ୍ତ୍ର କହିଲା ଧାତୁବାଦ ବିଦ୍ୟା
ପର ଦୁଖେ କାତର ତୁ ଯେ ହୋଇଲୁ ସର୍ବଦା ।୧୧୧।
ଯେବଣ ପିତୁଳା କରି ଅଛନ୍ତି ଶମଶାନେ
ମୃତୁ ସଞ୍ଜିବନୀ ମନ୍ତ୍ର କହିବୁ ତାର କର୍ଣ୍ଣେ ।୧୧୨।
ପଞ୍ଚୁଘାତି କହିଲେ ପଶିବ ପଞ୍ଚୁଆତ୍ମା
ଧାତୁବାଦ ବିଦ୍ୟାମାନ କହିଲେ ମହାତ୍ମା ।୧୧୩।
ପିତାର ବଚନେ ସେ ଚଳଇ ନାଗେଣୀ
ଦହନ ଭୂମିରେ ପ୍ରବେଶ ହୋଇଲା ତତକ୍ଷଣି ।୧୧୪।
ମୃତ୍ତିକା ମେଦିଣ ସେ ରଞ୍ଜିଲେ ପିତୁଳୀ
ମୃତୁ ସଞ୍ଜିବନୀ ପଢ଼ି ସେ ଉଠ ଉଠ ବୋଲି ତୋଳି ।୧୧୫।
ଗଲା ପାପଆତ୍ମା ଯେ ଉଦିତ ଦେଲା ଧର୍ମ
ଉଠି ବସିଲା ସୁନ୍ଦରୀ ଯେ ହୋଇଣ ସାଷ୍ଟାମ ।୧୧୬।
ଦମୟନ୍ତୀ ପୁଚ୍ଛଇ ବିଦୁଳା ମୁଖକଇଂ ଚାହିଂ
ୟେ ଶମଶାନ ଭୂମିରେ ସଖୀ ଆନ ତ କେହି ନାହିଂ ।୧୧୭।
ବିଦୁଳା ବୋଇଲା ଶଖୀ ତୁ ନିଦ୍ରାଗଲୁ ଭୋଳେ
ମୁହିଂ କେହ୍ନେ ଛାଡ଼ିଯିବି ସଂଘାତ ଶମଶାନ ଭୂଇଂରେ ୟେହେନେକ ବେଳେ ।୧୧୮।
ବିଦୁଳା ଦମୟନ୍ତୀ ଦୁହେଂ ହୋଇ ହାଥ ଧରାଧରି
ହସ ଖେଡ଼େ ପଶିଲେ ଯାଇଂ କୁଣ୍ଡୀନାମେ ନଗ୍ରୀ ।୧୧୯।
ସମରାଜ୍ୟ ଲୋକେ ଦେଖିଣ ହୋଇଲେ ଆଶ୍ରିଜ
ବୋଇଲେ ଦମୟନ୍ତୀକି ଆମ୍ଭେ ପରଦିନ କଲୁନା ଦହିଜ ।୧୨୦।
ଅନ୍ତେଶ୍ୱର ପୁରେ ବାରତା କହିଲେ ବେଗେ ଯାଇଂ
ରାଜନ ସହିତେ ବିଜେ କଲେକ ମହାଦେଈ ।୧୨୧।
ବାବୁ ନାଗାନ୍ତେକ ବିଦ୍ୟା ସେ ଜାଣଇ ଉଡ଼ଙ୍ଗ ବଂଶୀ
ସାଧୁ ସାଧୁ ବିଦୁଳା ବୋଲି ସମସ୍ତେ ପରଶଂସି ।୧୨୨।
ଦମୟନ୍ତୀକି କୋଳେ ଧଇଲେକ ନୃପତି
ଦମୟନ୍ତୀ ମାତା ବିଦୁଳାକଇଂ କୋଳେ ଧରି ଅନେକ ଭଗତି ।୧୨୩।
ଭସ୍ମ ଆଂକୋରଇ ମାତା ଗୋ ତୋହୋର ବଚନେ
ଅନେକ ବିନୟ ଭଗତେ ତାହାକୁ ଖୋଟିଲେ ଜନମାନେ ।୧୨୪।
ବାହୁଡ଼ଇ ଦମୟନ୍ତୀ ସେ ବାତୁଳ ମୃତ୍ତି
କେମନ୍ତେଣ ପାଇବି ମୁହିଂ ନଳ ଯେ ନୃପତି ।୧୨୫।
ବିଦୁଳା ବୋଇଲା ଗୋ ସଖୀ ଲୋଡ଼ି ପାଇବା କାହିଂ ତାହା
ଦୁତୀ ସୟମ୍ବର କରସି ତୁହି ନରନାହା ।୧୨୬।
ଦୁତୀ ସୟମ୍ବର ବୋଲି ରାଜା କରସି ବରଣି
ନଳ ଆସିବ ଦମୟନ୍ତୀ ସୟମ୍ବର ଶୁଣି ।୧୨୭।
ବିଦୁଳାର ବଚନେ ସାନନ୍ଦ ଭୀମେକ ରାଜନ
ପୁରେ ପୁରେ ରଞ୍ଚିଲା ରାଜା ଉତ୍ସବ ବିଧାନ ।୧୨୮।
ଦୂତ ଅମନାତ୍ୟମାନନ୍ତ ବରଗିଲେ ଚାରିଦିଗେ
ଦମୟନ୍ତୀ ସୟମ୍ବର ବୋଲି ଜମାନ୍ତି ସେ ରାଜାମାନଂକର ଆଗେ ।୧୨୯।
ସମସ୍ତ ଦେଶର ଯେବେ ଆସନ୍ତି ମହୀପାଳ
ତେବେ ସେ ଦମୟନ୍ତୀର କାର୍ଯ୍ୟ ହୋଇବ ସୁଫଳ ।୧୩୦।
ଚଳିଲେ ଦୂତମାନେ କହିଲେ ଦମୟନ୍ତୀ
ଅକ୍ଷତ ଗୁଆ ଘେନି ଯାଉଅଛୁଂ ରାଜାନ୍ତ ନିମନ୍ତ୍ରି ।୧୩୧।
ଦମୟନ୍ତୀ ବୋଇଲା ଚାରଗଣନ୍ତ ରାଇ
ମୋହୋର ବଚନ କହିବ ରାଜାଂକ ଆଗେ ଯାଇ ।୧୩୨।
ବୋଲିବ ଦେଶେ ଦେଶେ ଶୁଣିବେ ସର୍ବଜନେ
ଭାରିଯା ଛାଡ଼ି ପଳାଇଲା କେବଣ ରାଜନେ ।୧୩୩।
ୟେଥିକଇଂ ସମସ୍ୟା ଦେବ ଯେଉଂଣ ଜନ
ତାହାକଇଂ ଆଣିମଟି ହୁଦେ କରି ଗ୍ୟାନ ।୧୩୪।
ସେ ଯେବେ ପଚାରିବ କେଉଂଣ ଦିନ ସୟମ୍ବର
ତୁମ୍ଭେ କହିବ କାଲି ପ୍ରଭାତେ ନିକର ।୧୩୫।
ରାଜ ଦୁହିତାର ଆଗ୍ୟାଂୟେ ଚଳିଲେ ଅମନାତ୍ୟେ
ଅକ୍ଷତ ଗୁଆ ଘେନି ରାଜାନ୍ତ ନିମନ୍ତ୍ରେ ।୧୩୬।
ସମସ୍ତେ ରାଜ୍ୟ କହନ୍ତି ଦମୟନ୍ତୀ ଚରିତ
ଦହନ ହୋଇଣ ପୁନରପି ହୋଇଲା ସମ୍ଭୁତ ।୧୩୭।
ଦୁତୀୟ ସୟମ୍ବର ଯେ ହୋଇବ ଦମୟନ୍ତୀ
ଶୁଣିଣ ଆଶ୍ରିଜ ହୋଇଲେ ସକଳ ନୃପତି ।୧୩୮।
ପଚ୍ଛିମେ ଲକ୍ଷେରାଜା ଛୟାଳୋଈ ସହସ୍ର ରାଜା ଉତ୍ତରେ
ପଞ୍ଚାଶ ସହସ୍ର ରାଜା ଦକ୍ଷିଣ ଦିଗରେ ।୧୩୯।
ପୂର୍ବ ଦିଗରେ ଚାଳିଶ ସହସ୍ର ନୃପମଣି
ସମସ୍ତ ନୃପତିୟେ ଆସନ୍ତି ଥାଠ ଯେ ପଲାଣି ।୧୪୦।
ବିଷ୍ଣୁଭଦ୍ରା ନଦୀ କୂଳେ ଛାୟା ଯେ ମଣ୍ଡୋପ
ଶତେକ ଯୋଜନ ଆୟେତନ ହୋଇଛି ସରୂପ ।୧୪୧।
ଅଯୋଧ୍ୟା ନଗ୍ରେ ଯାଇଂ ପ୍ରବେଶ ହୋଇଲେକ ଦୂତେ
ଦମୟନ୍ତୀର ସୟମ୍ବର ବାରତା କହିଲେ ନୃପତି ଅଗ୍ରତେ ।୧୪୨।
ଦମୟନ୍ତୀ ସୟମ୍ବର କହନ୍ତି ମଣାଇଂ
ପତ୍ନୀ ବନେ ଛାଡ଼ିଯାୟେ କେଉଂ ନରସାଇଂ ।୧୪୩।
ୟେସନେକ ଚରିତ ହୋ ଶୁଣିଅଛି କାହିଂ
ଆପଣା ପତ୍ନୀକି ଭ୍ରଥା ଛାଡ଼ି ନ ଯୋଗାଇ ।୧୪୪।
ନଳରାଜା ଜାଣିଲେ ଯେ ଦୂତଂକ କହନ୍ତେ
ନିଚୟେଂ ଦମୟନ୍ତୀ ମୋର ଅଛଇ ଜୀବିତେ ।୧୪୫।
ଶୁଣିଣ ମଉନ ବ୍ରତ ହୋଇଲା ନଳରାଜା
ଦୂତଂକ ମୁଖରୁଂ ଶୁଣି ପାଇଲା ବଡ଼ ଲଜ୍ଜା ।୧୪୬।
ଦୂତେ କହନ୍ତେଣ କେହି ସମସ୍ୟା ନ ଦିଲେ
ତଳେ ଥାଇଣ ବାହୁକ ଉତ୍ତର ବୋଇଲେ ।୧୪୭।
ଯେତେବେଳ ପ୍ରାଣୀକି ପଡ଼ଇ କାତର
ପୁତ୍ର ଭାରିଯା ଛାଡ଼ିବା କେତେକ ମାତର ।୧୪୮।
ଶୁଣିଣ ଦୁତମାନେ ରାଜାଂକୁ ଅକ୍ଷତ ଗୁଆ ଦିଲେ
ଦମୟନ୍ତୀ ଦୁତୀୟ ସୟମ୍ବର ବୋଲିଣ ବୋଇଲେ ।୧୪୯।
ଶୁଣିକରି ନଳମାନେ ଚିନ୍ତା ଯେ ଲାଗିଲା
ୟେ କଥା କି ସତ ବୋଲି ମନେ ବିଚାରିଲା ।୧୫୦।
ପୁଣି ବୋଇଲା ମୋତେ ପାଇବା ନିମନ୍ତେ
ଦୁତୀୟ ସୟମ୍ବର ଅବା ରଞ୍ଚିଛି ମୋ ଅର୍ଥେ ।୧୫୧।
ସେ ମହାସ୍ୱତୀର ମୁଂ ଜାଣଇ ସିନା ମାନ
ରତୁପର୍ଣ୍ଣ ପଚାରଇ ଶୁଣ ହୋ ବିଦୁଜନ ।୧୫୨।
କେଉଂଦିନ ସୟମ୍ବର ତଥ୍ୟ କରି କହ
କହିଣ ଦୂତମାନେ ଫେଡ଼ାଅ ସନ୍ଦେହ ।୧୫୩।
ଦୂତମାନେ ବୋଇଲେ ଯେ କାଲିର ପ୍ରଭାତରେ
ଦମୟନ୍ତୀ ସୟେମ୍ବର ଭୀମେକ କଟକରେ ।୧୫୪।
ରତୁପୂର୍ଣ୍ଣ ବୋଇଲେ ୟେତ ବଡ଼ାଇ ଦୁର୍ଗମ କଥା
କେବେହେଂ ଯିବାର ତ ନୁହଇ ବେବସ୍ତା ।୧୫୫।
ପାତ୍ର ଅମନାତ୍ୟେ ଯେ କହନ୍ତି ଦୂତପତି
ନଳ ଥାଉଂ ସୟମ୍ବର କିପାଇଂ ଦମୟନ୍ତୀ ।୧୫୬।
ଦୂତେ ବୋଲୁଛନ୍ତି ନଳ ରାଜ୍ୟଭାର ହାରି
ଦମୟନ୍ତୀକି ଛାଡ଼ିଗଲେ ଅଞ୍ଚଳ କାଟିକରି ।୧୫୭।
ସେ ନଳରାୟେ ପୁଣ ପଡ଼ିଲା ସର୍ପମୁଖେ
କର୍କୋଟକ ସର୍ପ ତାହାକଇଂ କଲାକ ହାଦେ ଭକ୍ଷ ।୧୫୮।
ବାରତା ପାଇ ନାଶ ସେ ଗଲାକ ଦମୟନ୍ତୀ
ଅଗ୍ନିରେ ଦହନ ଯେ ହୋଇଲା ତତକ୍ଷଣାନ୍ତି ।୧୫୯।
ବିଦୁଳା ନାମେ ନାଗମାତା ଅଟଇ ତାର ସଖୀ
ଭସ୍ମରୁ ଉତ୍ତାରିଲୁ ମୃତ ସଞ୍ଜୀବନୀ ମନ୍ତ୍ର ହାକି ।୧୬୦।
ଦୁତୀୟ ସୟମ୍ବର କରଇ ଭୀମେକ ନରନାଥ
ସମସ୍ତ ରାଜାୟେ ଗଲେନି ଦମୟନ୍ତୀ ନିମନ୍ତ ।୧୬୧।
ନଳ ଶୁଣି ବୋଇଲେ କିହୋ ସରୂପ ୟେହୁ କଥା
ନଳ ନାଶ ଯିବାର ମଣଇ ମୁହିଂ ମିଥ୍ୟା ।୧୬୨।
ନଳର ବଚନେ ସୋ ବୋଇଲେ ଅମନାତ୍ୟେ
ବ୍ରତିଥିଲେ ସୟମ୍ବରେ ଜାଣିମାନା ତଦନ୍ତେ ।୧୬୩।
ଦୂତ ମୁଖେ ୟେସନେକ ସେ ବାରତା ଶୁଣି
ପୁଣି ସୟମ୍ବର କଥା ପଚାରିଲେ ନୃପମଣି ।୧୬୪।
ଦୂତେ ବୋଇଲେ ସୟମ୍ବର ହୋଇବ ଯେ ରୟେଣୀ ପ୍ରଭାତେ
ରତୁପର୍ଣ୍ଣ ବୋଇଲେ ୟେ ବଡ଼ାଇ ଦୂରାନ୍ତେ ।୧୬୫।
କେତେବେଳେ ଯିବା ସୟମ୍ବର ସ୍ତାନକୁ
ୟେ କଥା ପ୍ରାପତ ସତେ ହୋଇବ ହାତେ ମୁକୁ ।୧୬୬।
ନଳ ବିଚାରଇ ଦମୟନ୍ତୀ ଯେ ସର୍ବଗ୍ୟାଂ
ସୟମ୍ବର କରିବ କରିବ କି ସତ୍ୟବ୍ରତ ଭଗ୍ନା ।୧୬୭।
ପୁଣି ବୋଲଇ ଅବା ମୋହୋର ନିମନ୍ତେ
ସୟମ୍ବର କରି ମୋତେ ପାଇବା ନିମନ୍ତେ ।୧୬୮।
ରତୁପର୍ଣ୍ଣ ମୁଖ ଚାହିଂ ବାହୁକ ବୋଇଲା
ମୁହିଂ କାଲି ସୟମ୍ବରେ ଭେଟାଇବି ମୋର ସତ୍ୟ ଯେ ହୋଇଲା ।୧୬୯।
ରତୁପର୍ଣ୍ଣ ବୋଇଲା ତୋର ଜାଣିମା ବାହୁକପଣ
ନେଇ ଭେଟାଇବୁ ଯେବେ ପାଇବୁ କାରଣ ।୧୭୦।
ରଥ ସଜ କର ରତୁପର୍ଣ୍ଣ ଯେ ବୋଇଲା
ଶୁଣି ବାହୁକ ଯେ ଆଗଭର ହୋଇଲା ।୧୭୧।
ଚୋଖାର ତୁରଙ୍ଗମ ଯେହୁ ଆଗସରି ବାଜୀ
ତାହାକଇଂ ଯୋଚିକରି ରହୁବର ବେଗେ ସାଜି ।୧୭୨।
ରତୁପର୍ଣ୍ଣ ବୋଇଲା ତୋହୋରେ ନୋହିବ କିସ କାର୍ଯ୍ୟ
ଅନମିତେ ବାହୁକ ରେ କରାଇବୁ ମୋତେ ଲାଜ ।୧୭୩।
ବାହୁକ ବୋଇଲେ ଦେବ ଆସ ସଜ ହୋଇ
ବାହୁକପଣ ମୋହୋର ଆଜ ବୁଝ କିନା ନରସାଇଂ ।୧୭୪।
ବାହୁକ ବଚନେ ରାଜା ବସିଲାକ ରଥେ
ପବନୁଂ ଆପାତୀ ରଥ ଉଡ଼ିଲା ଗଗନ ପଥେ ।୧୭୫।
ରତୁପର୍ଣ୍ଣ ଶିରେ ଯେ ଶ୍ରୀଭୂଷା ମୁକୁଟ ଥିଲା
ରଥ ଚଳିଯାନ୍ତେ ସେ ମସ୍ତକୁ ଖସିଣ ପଡ଼ିଲା ।୧୭୬।
ରତୁପର୍ଣ୍ଣ ବୋଇଲା ରହ ରହ ହୋ ବାହୁକ
ଶ୍ରୀଭୂଷା ମୁକୁଟ ଖସିପଡ଼ିଲା ଶିର ମୋର ଦେଖ ।୧୭୭।
ବାହୁକ ବୋଇଲା ରାଜା ଆବର ପାଇବ ତୁମେ କାହିଂ
ନବ ସହସ୍ର ଯୋଜନେ ଅଇଲିନି ରଥ ବାହି ।୧୭୮।
ରତୁପର୍ଣ୍ଣ ବୋଇଲା ଶୁଣିମାନା ତୋର ସତ
ବାହୁଡ଼ାଇ ବାହୁକ ରେ ବାହ ମୋର ରଥ ।୧୭୯।
ୟେତେକ ବଚନ ଶୁଣି ରଥ ବାହୁଡ଼ାଇ ବାହିଲା
ଲେଖନ୍ତେ ନବ ସହସ୍ର ଯୋଜନ ସ୍ଥଳେ ଶ୍ରୀଭୂଷା ପଡ଼ିଥିଲା ।୧୮୦।
ରତୁପର୍ଣ୍ଣ ବୋଇଲା ଧନି ତୋର ବାହୁକପଣ
ମୋହୋର ବିଦ୍ୟାୟେ ଅଛଇ ସର୍ବଜାଣ ।୧୮୧।
ବୃକ୍ଷର ମଧ୍ୟରେ ଯେତେକ ଫଳ ଥାଇ
ଦୃଷ୍ଟି ମାତ୍ରକେ ମୁଂ ସମସ୍ତ ଜାଣଇ ।୧୮୨।
ନଳ ଦେଖିଲେ ଯେ ଛାମୁରେ ବୃକ୍ଷ ଗୋଟାୟେ
ୟେଥି କେତେ ଫଳ ଅଛି ତୁ କହନି ହୋ ରାୟେ ।୧୮୩।
ରତୁପର୍ଣ୍ଣ କହଇ ଯେତେ ଫଳ ଅଛଇ ବୃକ୍ଷେ
ରଥ ବୁହାଇ ଯେ ନଳ ଗଣିଲା ପ୍ରତକ୍ଷେ ।୧୮୪।
ନଳର ଶରୀରେ କାଳପୁରୁଷ ଗୋଟିୟେ ଥିଲା
ଗର୍ଭୁଂ ବାହାର ହୋଇଣ ସେ ବୃକ୍ଷେ ସମ୍ଭାଇଲା ।୧୮୫।
ବାହୁଡ଼ି ନଳ ଯେ ହୋଇଲା ନିଜ ରୂପ
ସେ ନଳ ନୃପତି ଛାଡ଼ିଲା ତକ୍ଷଣି କୁରୂପ ।୧୮୬।
ରତୁପର୍ଣ୍ଣ ବିଦ୍ୟାଗୋଟି ନଳକୁ କହିଲା
ନଳ ସେହି ବିଦ୍ୟାଗୋଟି ପରୀକ୍ଷ କରିଣ ଘେନିଲା ।୧୮୭।
ନଳ ବୋଇଲା ମୋହୋର ବିଦ୍ୟା ଦେବି ତୋତେ
ରତୁପର୍ଣ୍ଣ ବୋଇଲା ମୋର କାର୍ଯ୍ୟ ବେଳେ ମାଗଇ ସିନା
ତୋତେ ।୧୮୮।
ଦୁଇରାଜା ସନମତେ ଯେ କରନ୍ତି ଗମନ
ପ୍ରବେଶ ହୋଇଲେ ଯାଇ କୁଣ୍ଡିନଗ୍ର ସ୍ତାନ ।୧୮୯।
ସମସ୍ତ ନୃପତିମାନେ ବିଜୟେ ସୟମ୍ବରେ
ରତୁପର୍ଣ୍ଣ ନଳ ଘେନି ବିଜୟେ ସମ୍ଭରେ ।୧୯୦।
କଉତୁକ ଦେଖିବାକୁ ଦିଗପାଳମାନେ
ମୋହନ ରୂପ ଧରି ବିଜୟେ ସଭାସ୍ଥାନେ ।୧୯୧।
ବାସବ କୁବେର ଯେ ବରୁଣ ହାଦେ ଅଗ୍ନି
ସତ୍ୟ ତ୍ରେତୟା ଦ୍ୱାପର କଳି ପୁଷ୍କର ଘେନି ।୧୯୨।
କାଳ କାମ ଅଧାତୁ ଶରୀର ଶତମନୁ
ଦ୍ୱାଦଶ ବିଶ୍ୱଦେବାୟେ ବିଜୟେ କୃଶାନୁ ।୧୯୩।
ଇନ୍ଦ୍ର ଦେବତାୟେ ଯେ ହକାରିଲେ ନଳକୁ
ପ୍ରଥମ ସୟମ୍ବରେ ଦମୟନ୍ତୀ ନ ବରିଲା ଆମ୍ଭଂକୁ ।୧୯୪।
ଆମ୍ଭେ ଦୟାକଲୁ ତୋତେ ତୋର ଘେନିଣ ଭଗତି
ଯୁଗାନ୍ତର ପୁରୁଷମାନେ ତୋତେ ଦିଲେ ୟେହେନେକ ଶାସ୍ତି ।୧୯୫।
ଉପାୟେ କରି କଳିଯୁଗ ମିଥ୍ୟା ଯେ କହିଲା
ନଳ ନାଶଗଲା ବୋଲି ଦମୟନ୍ତୀକି ବୋଇଲା ।୧୯୬।
ବିଦୁଳା ବୋଲିକରି କମଳାଉର ନାଗର କୁମାରୀ
ମୃତୁ ସଞ୍ଜୀବନୀ କହି ଜୀଆଂଇଲା ତୋର ନାରୀ ।୧୯୭।
ବାହୁଡ଼ି ସୁନ୍ଦରୀ ଯେ ବାତୁଳ ମୂରତି
ଦୁତୀ ସୟମ୍ବର ତୋତେ ରଞ୍ଚିଲା ଯୁବତୀ ।୧୯୮।
ତୁ ୟେବେ ନଳ ଲୁଚି ଥାଅସି ଆମ୍ଭ ତୁଲେ
ବୃଦ୍ଧ ଅବସ୍ତା ତାକୁ ଦେବତାୟେ କଲେ ।୧୯୯।
ପିଙ୍ଗଳ ପଳିତ କେଶ ଯେ ବଳିତ କୁବୁଜ କାୟେ
ମଳିଣ ବସ୍ର ପିନ୍ଧି ହାଥେ ଯଷ୍ଟି ଗୋଟିୟେ ।୨୦୦।
ଦେବତାୟେ ନଳକଇଂ ଦିଲେ ୟେତେକ ଅବସ୍ତା
ଅଥବା ୟେସନେକ ରୂପ ଗୁଣ ସଞ୍ଚିଲେ ତାହାକଇଂ ଯଥା ।୨୦୧।
ପ୍ରପଞ୍ଚ ରୂପ ଦେଖି ନଳକଇଂ ନ ବରୁ
ନଳର ବିହୁନେ ସେ ଆମ୍ଭନ୍ତ ଇଚ୍ଛାକରୁ ।୨୦୨।
କନ୍ୟାମାନେ ବେଶକଲେ ଦମୟନ୍ତୀ ସତୀକି
ରାଜାଗଣ ମୋହଗତ ହୋଇଲେ ତାହାର ରୂପ ଦେଖି ।୨୦୩।
ସାଧୁ ସାଧୁ ସୁନ୍ଦରୀ ତୁ ଜଗତମୋହିନୀ
ଆକାଶ ବୃନ୍ଦାଅର୍କେ ୟେହାକୁ ବର ସିନା ପୁଣି ।୨୦୪।
ରାଜା ଭୀମେକ ଦୁହିତାର ଧରି ହାଥ
ରୂପ ଗୁଣ ଲକ୍ଷଣ ଦେଖ ଗୋ ୟେହାନ୍ତ ।୨୦୫।
ଯେ ତୋହୋର ବିଚାରକୁ ବଳଇ ଯେ ଇଚ୍ଛା
ବରଣମାଳା ଦେସି ପୂରୁ ମନୋବାଞ୍ଛା ।୨୦୬।
ଦମୟନ୍ତୀ ବୋଇଲା ଶୁଣ ଶୁଣ ଲୋ କେଶିନୀ
ନଳ ରୂପଗୁଣ ବିଚାରନି ଭାବିନୀ ।୨୦୭।
ଯଦ୍ୟପି ନଳକୁ ମୁଂ ନ ଦେଖଇ ନୟନେ
ଅଥବା ଇଚ୍ଛା ମୋର ଯେ ନ ବଳଇ ଆନେ ।୨୦୮।
ଅନେକ ଦେଶର ରାଜାନ୍ତ ଦେଖିଲା
ଦେବତାମାନଂକ ସନ୍ନିଧ୍ୟେ ଯାଇଣ ମିଳିଲା ।୨୦୯।
ବିଦୁଲା ବୋଇଲା ଆୟି ଗୋ ୟେହି ସେ ବୃନ୍ଦାଅର୍କେ
ତୋହୋର ନିମନ୍ତେ ଆସିଅଛନ୍ତି ଦେବଲୋକେ ।୨୧୦।
ଦମନ୍ତୀ ବୋଇଲା ଗୋ ମୁଂ ଅଟଇ ମାନୁଷୀ
ମୋହୋର ନିମନ୍ତେ କିମ୍ପେ ଦେବତାୟେ ଛନ୍ତି ଆସି ।୨୧୧।
ନଳକଇଂ ନ ପାଇଣ ସେ ବିରସ ପଞ୍ଚୁମନେ
ଆପାଦ ଖଣ୍ଡଣି ମାଗୋ ମୋତେ ହୋଅସି ପ୍ରସନ୍ନେ ।୨୧୨।
ପରମ ଯୋଗେଶ୍ୱରୀ ମାଗୋ ଆଦି ଯେ ଅପର୍ଣ୍ଣା
ସ୍ତିରୀକୁଳେ ଉଦ୍ଧରିବାକୁ ତୁହି ସେ ନାବ ସିନା ।୨୧୩।
ବିଂଝଗିରି ବାସିନୀ ଗୋ ପରମ ଦୁଖେଣ ଦୁଖୀ
ଶରଣ ଉଦ୍ଧାରିଣୀ ମାଗୋ ଶରଦଚନ୍ଦ୍ରମୁଖୀ ।୨୧୪।
ଲୋକିତ ଅଲୋକିତ ଅଭୟେ ଚଞ୍ଚଳା
କରୁଣାମତ୍ସଳି ମାଗୋ ଶ୍ରୀସର୍ବମଙ୍ଗଳା ।୨୧୫।
ବିପତ୍ତି ବିନାଶିନୀ ମାଗୋ ଋଚିର ମାତାଙ୍ଗୀ
ଜଗୁଜନ ମୋହିନୀ ମାଗୋ ତୁ ଯୋଗୀବୃନ୍ଦ ସଙ୍ଗୀ ।୨୧୬।
କେଶରୀବାହିନୀ ମାଗୋ ଆସନ ଦୃଢ଼ ଋଚି
ବ୍ୟାଘ୍ର ମୃଗ ଶାର୍ଦ୍ଦୁଳ ଭାଲୁଂକ ସର୍ବରୂପ ସଞ୍ଚି ।୨୧୭।
ଅମଳାଣ ଅରବିନ୍ଦ ଚରଣ ତଳ କାନ୍ତି
ଡାକି ଡମ୍ବରୁ ଶବଦେ ବିଘଂସିତ ପଦ୍ମନେତ୍ରୀ ।୨୧୮।
ଜଳଦ ମେଦୁର ଯାହାର ଅଙ୍ଗଭାବ
ସର୍ବାଙ୍ଗ ସୁଲଳିତ ମୋହିନୀ ମହାଦେବ ।୨୧୯।
କ୍ଷଣେକେ ବାତୁଳ ଗୋ କ୍ଷଣକେ ଗଗନ କ୍ଷେପୀ
ୟେକାକାୟେ ଅନନ୍ତ ଅର୍ଦ୍ଧାଂଗ କାମରୂପୀ ।୨୨୦।
କାମିନୀ କାମସେଣା ଗୋ ଜଗତଜନନୀ ମାତା
ସମସ୍ତ ଦୁଷୁକୃତ ମାଗୋ ଆପାଦ ଖଣ୍ଡନ୍ତା ।୨୨୧।
ମମ ଦୁଷୁକୃତ ଆପାଦ ଦୁଖ ଖଣ୍ଡି
ସଦା ସମ୍ପଦ ମାଗୋ ଅଭୟେ ମଙ୍ଗଳ ଚଣ୍ଡୀ ।୨୨୨।
ଦଧିବାବନ ଉଦିତ ସମସ୍ତ ଅନକୂଳେ
ଜାତକ ଯାତ୍ରାୟେଣୀ ଗୋ ତୁହି ସେ ସର୍ବକାଳେ ।୨୨୩।
ତବ ପାଦପଦ୍ମେ ମୋର ବିନୟେ ଭଗତି
ଜୟ ଜୟ ଦୁର୍ଗେ ଗୋ ଅପର୍ଣ୍ଣା ପାର୍ବତୀ ।୨୨୪।
ଶ୍ରୀସର୍ବମଙ୍ଗଳା ଚରଣେ ବିନୟେ ଦୟିନୀ
ବଦୟନ୍ତି ସାରୋଳା ଦାସ ଗ୍ରନ୍ଥିକ ଶୂଦ୍ରମୁନି ।୨୨୫।
ତୁହି ମା ଜନନୀ ମୋତେ ପଦ ଆଗ୍ୟାଂ ଦେବୁ
ଦମୟନ୍ତୀ ସୟମ୍ବର କତା ବୁଝାଇ କହିବୁ ।୨୨୬।
ୟେ ଭବସାଗରୁ ମୋତେ ବାରେକ ଉଦ୍ଧରିବା
ଶ୍ରୀଭଗବାନୀଂକ ଚରଣେ ମୋର ଜନ୍ମେ ଜନ୍ମେ ସେବା ।୨୨୭।
ହେ ଦେବା ଗୋ ଶ୍ରୀ ଚରଣେ ସର୍ବଦା ନମାମି
ୟେ ଆପାଦୁଂ ବାରେ ରକ୍ଷାକର ଠାକୁରାଣୀ ।୨୨୮।
ଅନେକ ବିନୋୟୀ ଯହୁଂ ହୋଇଲା ଦମୟନ୍ତୀ
ପ୍ରସନ୍ନେ ଦ୍ରଶନ ପାଇଲା ନଳ ଯେ ନୃପତି ।୨୨୯।
ଦମୟନ୍ତୀ ବୋଇଲା ଶୁଣ କେଶିନୀ ମୁଦୁସୁଲୀ
ଆଗୋ ଦେବତାଂକ ମେଳେ ମୁଂ ବୃଦ୍ଧେକ ଦେଖିଲି ।୨୩୦।
ମାୟା ପରପଞ୍ଚ ଅବା କରାଇଛନ୍ତି ନଳ
ଅଲକ୍ଷଣ ରୂପ ଅବା କରିଛନ୍ତି ଦିଗପାଳ ।୨୩୧।
କେଶିନୀ ବୋଇଲା ମାଗୋ ସେ ବୃଦ୍ଧ ମଣିଷା
ତାହାକଇଂ ସଂଘାତୁଣୀ କିମ୍ପେ ବଳାଇଲୁ ମନୀଷା ।୨୩୨।
କରେଣ ଶୋଭଇ ଯେ ଉତ୍ପଳର ମାଳୀ
ସେ ବୃଦ୍ଧ କୁବୁଜ ସନ୍ନିଧ୍ୟେ ଯାଇଂ ମିଳି ।୨୩୩।
ଦମୟନ୍ତୀ ବୋଇଲା ତୁମ୍ଭେ ସଭାବେ ଯେବେ ଅଟ ବୃଦ୍ଧ
ୟେହି ସରୂପ ତୋହୋର ସର୍ବଦା କାଳେ ଥିବ ।୨୩୪।
ନଳ ହୋଇଣ ଯେବେ କପଟେ ୟେହି ରୂପ
ନିଜ ରୂପ ହୋଉ ଯେହ୍ନେ କନ୍ଦର୍ପ ସରୂପ ।୨୩୫।
ୟେସନେକ ବାକ୍ୟ ଯହୁଂ ବୋଇଲା ଦମୟନ୍ତୀ
ନିଜରୂପ ଦୁରୁଶାଇଲ ନଳ ଯେ ନୃପତି ।୨୩୬।
ଦେଖିଣ ଦମୟନ୍ତୀ ଯେ ପରମ ସାନନ୍ଦେ
ବରଣମାଳା ଦେଇ ନଳକୁ କରିଲାକ ହାଦେ ।୨୩୭।
ଦେବତାୟେ ବୋଇଲେ ସାଧୁ ସାଧୁ ପତିବ୍ରତା
ବନେ ନଳ ତୋତେ ଦିଲା ଯେତେକ ଅବସ୍ତା ।୨୩୮।
ଅେନକ କଷ୍ଟ ତୋତେ ଦିଲାକ ଯୁଗାନ୍ତେ
ବାହୁଡ଼ି ନଳକଇଂ ବରିଲୁ ହୃଦଗତେ ।୨୩୯।
ସାନନ୍ଦେଣ ଅଭୟେ ବର ଦିଲେକ ସସ୍ରଯୋନି
ଯାଅ ତୁମ୍ଭେ ଅକ୍ଷୟେ ସ୍ୱର୍ଗେ ବସ ପତିପତ୍ନୀ ।୨୪୦।
ଶୁଣ ହୋ ଯୁଝେଷ୍ଠି ଦେବ ବଦୟନ୍ତି ବେଦବ୍ୟାସେ
ବେନି ନକ୍ଷତ୍ର ହୋଇଚି ସେ ବସିଲେ ଆକାଶେ ।୨୪୧।
ପତିବ୍ରତା ତିରୀଂକର ୟେସନେକ ମହିମାଂ
ଚାରି ଯୁଗ ମଧ୍ୟରେ ସେ ରୁହାଇଲେ ସୀମା ।୨୪୨।
ତିରୀଂକର ସାର୍ଥୁକ ସେ ପତିରେ ଭଗତି
ଆପଣେ ତରଇ ସେ ପିତୃଲୋକେ ହୋଅସି ସଦଗତି ।୨୪୩।
ଆପଣା ପିତା କୁଳର ପଞ୍ଚଇଶ ପୁରୁଷ
ସ୍ୱାମୀକୁଳର ପଞ୍ଚିଶ ପୁରୁଷ ଘେନି ବସଇ ଆକାଶ ।୨୪୪।
ରାଜାଗଣମାନେ ଯେ ସୟମ୍ବରେ ସଭାରେ ଥିଲେ
ଅନେକ ପୂଜା ବିଧାନେ ଘେନି ଯେ ଯାହାର ଦେଶେ ଗଲେ ।୨୪୫।
ସତ୍ୟବତୀର ନନ୍ଦନ ଯେ ପାରେଶ୍ୱରଂକର ଶିଷି
ନାଉକା ବିବାନେ ଯାହାର ଜନମ ପ୍ରକାଶି ।୨୪୬।
ବେଦମନ୍ତ୍ରେ ସାଧନ୍ତା ଯାହାର ମାହୀନ୍ଦ୍ର ଯୋଗବେଳେ
ତାହାର ହୃଦେ ବିକାଶିଲା ତେଜ ଅନର୍ଗଳେ ।୨୪୭।
କାଳ କାମ ନିଦ୍ରା ଉପେକ୍ଷିଲା ଯେଉଂଣ ମହାମୁନି
ଭୂତ ଭବିଷ୍ୟ ବର୍ତ୍ତମାନ ଜାଣଇ ସର୍ବଗ୍ୟାନି ।୨୪୮।
ୟେକ ଶରୀରେ ଯାହାର ସତ୍ତ୍ୱ ରଜ ତମ
ପାଦେ ରୁଦ୍ର ନାଭିରେ ହରି ମୁଖେ ଯାର ଜନ୍ମ ।୨୪୯।
ପୃଥୀ ଆପେ ତେଜ ବାଇବ ଆକାଶ
ପଞ୍ଚଧାତୁ ଅଭ୍ୟାସିଲା ଯେଉଂଣ ପୁରୁଷ ।୨୫୦।
ସତ୍ୟବତୀର ନନ୍ଦନ ଅଭୟେ ସୋମବଂଶୀ
ମନୁକଳ୍ପ ଅନ୍ତରେ ଯାହାକୁ ନୋହେ ନିଶି ।୨୫୧।
ଅନଳ ନିବାରିଣ ଯେ ପ୍ରଳୟ କାଳ ବଂଚା
ଶୂନ୍ୟପବନବ୍ୟାପୀ ସେ କଲାକ ୟେକ ସଂଚା ।୨୫୨।
ପ୍ରଳୟ ଉଦ୍ଧାରଣ ମୁନି ବିଷ୍ଣୁର ବକ୍ଷସ୍ଥଳା
ବର୍ଣ୍ଣ ବାରିଲା ସେ ବତିଶ ସସ୍ରକଳା ।୨୫୩।
ଶ୍ରୀ ବ୍ୟାସଦେବଂକ ଚରଣେ ମୋହୋର ଦଣ୍ଡପ୍ରଳମ୍ବ ସେବା
ଶୂଦ୍ରମୁନି ସାରୋଳା ଦାସକୁ ଜୟମଂଗଳ ଦୀକ୍ଷାଦେବା ।୨୫୪।
ଶ୍ରୀମହାଭାରଥ ଆରଣ୍ୟକ ପର୍ବ କଥା
ମୁହିଂ ୟେହା ବଞ୍ଚାଇଲି ସଂସାର ଜନହିତା ।୨୫୫।
ସତ୍ୟଯୁଗେ ଯେହ୍ନେ ଅମୃତ ହୋୟେ ବୃଷ୍ଟି
ଶୁଣନ୍ତେ ଅନେକ ଜନ୍ମର ଦୁଷୁକୃତ ଯାୟେ ଫିଟି ।୨୫୬।
ଯେସନେ ନଳ ଯୋଗୋ ଦହଇ ତିରଣ ରାଶି
ଶ୍ରୀମହାଯୋଗ ସାଧିସେ ଯେହ୍ନେ ପାପ ହୋୟେ ଧଂସି ।୨୫୭।
ଶ୍ରୀପୁରୁଷୋତ୍ତମ ଚରଣେ ଶରଣ ଅଭ୍ୟାସୁ
ହୃଦଗତେ ଧରି ନରେ ପାତକମାନ ଧଂସୁ ।୨୫୮।
ଶୁଣିଣ ସାନନ୍ଦ ଯେ ପଣ୍ଡୁରାଜାଂକର ସୁତେ
ଗମନ୍ତି ପୁଣ୍ୟସ୍ତାନେ ଋଷିଗଣଂକ ସହିତେ ।୨୫୯।
ଅନେକ ଦାରାକ୍ଷ ଫଳ ଋଷିମାନନ୍ତ ଦିଲେ ଭୋଜି
ଧର୍ମହୁଂ ଆନନ୍ଦ କଥା ହୃଦେଣ ନ ଭଜି ।୨୬୦।
ଇନ୍ଦୁକରୁଣ ନାମେ ଅଟଇ ୟେକ ବନ
ଅତୁଟ ଭଦ୍ରାନଦୀର ଉତ୍ତର ସନ୍ନିଧାନ ।୨୬୧।
ସେ ଉତ୍ତର ଭାବ ନଦୀରେ ରାୟେ ସାରିଣ ସ୍ରାହାନ
କୋମଳ ପତ୍ର ଭକ୍ଷଣେ ସେ ବଞ୍ଚିଲେ କିଛିଦିନ ।୨୬୨।
ତହୁଂ ଯାଇଣ ପ୍ରବେଶ ରଇବ୍ରତକ ପରବତେ
ରେବା ନାମେ ନଦୀ ବହଇ ଦକ୍ଷିଣ ପ୍ରଶସ୍ତେ ।୨୬୩।
ରଇବତକ ଋଷିଂକର ତହିଂ ଅଟଇ ତପସ୍ତାନ
ମହାବ୍ରହ୍ମା ଋଷି ସେ କଳପୀ ଶୟନ ।୨୬୪।
ଦକ୍ଷିଣକଇଂ ଶିରକରି ଶୟନ ତପନିଷ୍ଠି
ସନ୍ନିଧ୍ୟେ ପ୍ରଣିପତ୍ୟ ହୋଇଲେ ଯାଇଣ ଯୁଝେଷ୍ଠି ।୨୬୫।
ସମ୍ପାଦେ କଲ୍ୟାଣ ସେ କଲେ ତପୋବନ୍ତ
ଯୁଝେଷ୍ଠିଦେବ ବୋଇଲେ କିମ୍ଭତେ ମଉନବ୍ରତ ।୨୬୬।
ଆଚର ତପ କି ବ୍ରତର ପ୍ରକୃତି
ଅନୁବ୍ରତେ ସମାଦି ମାନୁଷେ ନାହିଂ ଶ୍ରୁତି ।୨୬୭।
ଆଧାତ୍ମ ସାଧନ କିମ୍ଭୁତେ କୃତ ଯୋଗୀ
ନ ପାଇ ବଣା କି କଳହବଦ୍ଧ ରୋଗୀ ।୨୬୮।
କାମ୍ୟେକ ସାଧନ କି କନ୍ଦର୍ପ ଦର୍ପଭଞ୍ଜା
ଉପାୟ ଚିନ୍ତନ କି କାଳକର୍ମ ଗଞ୍ଜା ।୨୬୯।
ଅଦୃଷ୍ଟି ନିରାକୁଳ ନିରାଲମ୍ବକ ଦମ୍ଭ
ବିଶ୍ୱକର୍ମା କିବା ଅଜପା ବ୍ରହ୍ମବିମ୍ବ ।୨୭୦।
କୁଟୁମ୍ବ ଅଭାବେକି ମାନବେ ମହାକ୍ରୋଧୀ
ବିରହ ଅବସ୍ତା କି ପବନ ତପ ନିରୋଧି ।୨୭୧।
ଅଷ୍ଟାଂଗେ ଆୟତ୍ତ ନାହିଂ ବାଳୁତଭାବ ଚେତା
ହଠଲୟ କର୍ମେ କି ମୁଦୁରା ଖେଚଡ଼ା ।୨୭୨।
ତତ୍ତୁ ଆଶ୍ରା କରି ହଜାଇଣ ବଣା
କୃତାନ୍ତକର କଷଣ କି ଆରମ୍ଭ ଘଟଣା ।୨୭୩।
ଯୁଝେଷ୍ଠି ଦେବେ ଯହୁଂ କହିଲେ ପରମାର୍ଥ ବାଚି
ରଇବ୍ରତ ଋଷି ବୋଇଲେ ତୁ ଯୁଝେଷ୍ଠି ଅଟୁ କି ? ।୨୭୪।
କୋନ୍ତେ ବୋଇଲେ ଶତସହସ୍ର ଦଣ୍ଡ ପ୍ରଣମ୍ୟ ମୋର ବିନୁଂ
ଚେତନା ମହାତମା ମୋର ବର୍ଣ୍ଣ ଦେକି ଚିହ୍ନୁ ।୨୭୫।
ଶୁଣ ହୋ ମହାତମା ବଦୟନ୍ତି ବ୍ରହ୍ମଋଷି
ରଇବ୍ରତ ଦେଶର ରାଜା ମୁଂ ବିଶ୍ୱାବସୁ ବଂଶୀ ।୨୭୬।
ବିଶ୍ୱାବସୁଂକର ନନ୍ଦନ ଉମାବସୁ ପ୍ରାୟେବସୁ
ଉଦ୍ଦାନ,କାନ୍ତନ ବୋଲିକରି ୟେହାଂକର ବେନିଶିଶୁ ।୨୭୭।
କାନ୍ତନ ବସୁଂକର ଉପୁଜିଲେ ଚାରିପୁତ୍ର
ରୁଦ୍ରବସୁ ଗୁରୁବସୁ ରୂପବସୁ ରୁକ୍ଷପାତ ।୨୭୮।
ବହୁତ ଧର୍ମ ସେ ସାଧିଲେ ଚାରିପୁତ୍ରେ
ସାଧନେ ବଞ୍ଚିଲେ ପଞ୍ଚସ୍ତରୀ ଯୁଗ ପରିଯନ୍ତେ ।୨୭୯।
କହନ୍ତେ ନ ସରଇ ୟେ ଚାରିପୁତ୍ରଂକର କଥା
ସେହି ବନେ ଆସିଣ ସେ ନିୟଡ଼େ ବିହଡ଼ନ୍ତା ।୨୮୦।
ରୁଦ୍ରବସୁଂକର ହୋଇଲା ଚାରି ଯେ ଅପତୀ
ମୃତ୍ତି ଧୃତ୍ତି ଶ୍ରୃତ୍ତି ୟେ ଆବର ସ୍ୱତୀ ।୨୮୧।
ୟେହାଂକର ନନ୍ଦନ ଯେ ଆପାପୀ ୟେକଦଣ୍ଡୀ
ୟେହି ସେ ସ୍ରିଜିଲେ ଅଜପା ବେଦକାଣ୍ଡି ।୨୮୨।
ୟେହାଂକର ନନ୍ଦନ ଯେ ଅରୁଣ ଉଲ୍ଲୋଳ
ବାଳୁତଖେଡ଼େ ସେ ପିଇଲେ ସିନ୍ଧୁଜଳ ।୨୮୩।
ବାବୁ ମହାବ୍ରହ୍ମ ପୁରୁଷ ଯେ ୟେହାଂକର ଧାତା
ନିରାକାର ବୋଧିଣ ୟେ ହୋଇଲା ବିହନ୍ତା ।୨୮୪।
ୟେହାଂକର ନନ୍ଦନ ଇଚ୍ଛାଯେ ବୀରଧୂକ୍ଷ
ୟେହାଂକର ନନ୍ଦନ ବୀରପାକ୍ଷ ।୨୮୫।
ୟେହାଂକର ନନ୍ଦନ ହୋଇଲା ଯମନିକ ଦକ୍ଷ
ୟେହାଂକର ନନ୍ଦନ ଯେ ଜଳଣକ ଦକ୍ଷ ।୨୮୬।
ଜଳଣକ ଦକ୍ଷର ନନ୍ଦନ ରଣମାଳି
ରଣମାଳିର ନନ୍ଦନ ସୋମବାହୁକ ମହାବଳୀ ।୨୮୭।
ସୋମବାହୁର ନନ୍ଦନ ସାମଦୀର୍ଘ ନୃପତି
ୟେହାଂକର ନନ୍ଦନ ଯେ ହରଯାତି ସରଯାତି ।୨୮୮।
ସରଯାତିର ମହିମା ଶୁଣ ହୋ ଯୁଝେଷ୍ଠି
ସପତ ସମୋଦ୍ରେ ୟେ କଲା ୟେକବାଟି ।୨୮୯।
ଚାଲନ୍ତେ ଚରଣ ୟେହାର ନ ବୁଡ଼ଇ ଜଳେ
ମୃତୁ ବଞ୍ଚାଇଲା ରାଜ ଧାରମିକ ପୁଣ୍ୟବଳେ ।୨୯୦।
ସେ ସରଜାତିର ନ୍ନଦନ ଅନନ୍ତ ଶ୍ରୀକୃଷ୍ଣ
ଜୟନ୍ତିକ ବୋଲିକରି ତାହାର ନନ୍ଦନ ବଳିଷ୍ଠ ।୨୯୧।
ଜୟନ୍ତିକର ନନ୍ଦନ ମୁହିଂ ସେ ରଇବ୍ରତ
ଧାରମିକ ପଣେ ମୁଂ ପାରକଲି ଯୁଗ ସାତ ।୨୯୨।
ଧାରମିକ ପଣରେ ମୁହିଂ ବଞ୍ଚୁଥାଇ ଯୁଗ
ସାଧଇ ଯୋଗବିଦ୍ୟା ଅଲେଖ ଯୋଗ ମାରଗ ।୨୯୩।
ମୋତେ ଦୋହିତାୟେକ ଦିଲା ଭୂବୀବାହନ ନୃପତି
ସେ କନ୍ୟାର ନାମ ହାଦେ ଅଟଇ ଯେ ପୃଥୀ ।୨୯୪।
ତାହାର ତହୁଂ ହୋୟେ କନ୍ୟାୟେ ଉତପତ୍ତି
ସେ ଦୋହିତାର ନାମ ମୁଂ ଦିଲଇଂ ରେବତୀ ।୨୯୫।
ଆହୋ ମହାରାଜା କକଡ଼ା ମାସ ଯେ ପୌର୍ଣ୍ଣମୀର ଦିନ
ଭୂବିବାର ଶ୍ରବଣା ନକ୍ଷତ୍ର ବିଦ୍ୟମାନ ।୨୯୬।
ସମ୍ପୂର୍ଣ୍ଣ ରାତ୍ର ଯେ ହୋଇଅଛି ବତିଶ ଦଣ୍ଡ
ପାଦେଣ କୁମାରୀ ଯେ ପଡ଼ିଲା ଭୂଅଖଣ୍ଡ ।୨୯୭।
ଚନ୍ଦ୍ରକିରଣ ଜାଣି ବିରାଜେ ସର୍ବଗୁଣ
ସରୂପେ ଶତଶ୍ରିୟାର ଚଉରାଶି ଲକ୍ଷଣ ।୨୯୮।
ବଡ଼ାଇ ଆଶ୍ରିଜ ସେ ଅଟଇ ନନ୍ଦିନୀ
ଜନ୍ମ ହୋଇବା ମାତ୍ରକେ ସେ ରାବଇ ବେଦଧୁନି ।୨୯୯।
ଋକୁବେଦ ଆଧ୍ୟାନ ସେ କରଇ କୁମାରୀ
ମାତାର କ୍ଷୀର ସେହି ନ କରି ଆଧାରି ।୩୦୦।
ସତ୍ୟଯୁଗ ବହି ଲକ୍ଷେକ ବରଷ ଗଲା
ବାଳୁତ ବାବହୁଂ ସେ ଯୁବାବସ୍ଥା ନୋହିଲା ।୩୦୧।
ମହାବ୍ରହ୍ମଂ ବାକ୍ୟହୁଂ ଆଧାରେ ନାହିଂ ଇଚ୍ଛା
ଶୁକ୍ଳାମ୍ବର ପୁରୁଷକଇଂ କରଇ ମନୋବାଞ୍ଛା ।୩୦୨।
ଦିନେକ ପୁଚ୍ଛାକଲି କୋଳେଣ ବସାଇ
କାହାକଇଂ ପ୍ରଦାନ ଗୋ କରିବି ମହାମାଈ ।୩୦୩।
ମୋହୋର ବଚନେ ସେ ବାରତା ମୋତେ ପୁଚ୍ଛି
ଭୁବି ଭୁବନ ଭିତରେ ମୋତେ ସ୍ୱାମୀ କାହିଂ ଅଛି ।୩୦୪।
ତୁହି ମୋତେ ଭ୍ରାନ୍ତି କିଂପେ କରୁ ହୋ ପ୍ରଜାପତି
ମୋହୋର ସ୍ୱାମୀକି ଦେଖିଲେ ମୁଂ ହୋଇବି ରଜୋବତୀ ।୩୦୫।
ତାହାର ଉପଲୟେ ମୁଂ ଗଲଇଂ ଅମର ସରଗେ
ଯଶୋବନ୍ତୀପୁରେ ମିଳିଲି ପିତାମହର ଆଗେ ।୩୦୬।
ପିତାମହର ସନ୍ଧ୍ୟା ସୁମରିବାର କାଳେ
ମୁହିଂ ଉଭା ହୋଇଅଛି ଆସ୍ତାନର ତଳେ ।୩୦୭।
ନିତ୍ୟକର୍ମ ସାରିଣ ଯେ ଦେବ ବେଦପତି
ତାହାଂକର ଭୁବନ ଯେ ନାହିଂ ଦିବାରାତି ।୩୦୮ ।
କିଞ୍ଚିତ ଅବଲୋକନେ ମୋତେ ଚାହିଁଲେ ଦେବସ୍ୱାମୀ
ଆସ୍ତାନର ତଳେ ମୁଂ ଶୁତିଲି ପରିଣାମି ।୩୦୯ ।
ଧାତା ବୋଇଲେ ମୋତେ ତୋର ଲୋଡ଼ା କିସ ଅରଥେ
ମୁଂ ବୋଇଲି କ୍ଷଣେ ଅବଧାନ ହୋଇବା ଜଗତର ତାତେ ।୩୧୦ ।
ଦୋହିତା ଗୋଟିୟେ ଜନ୍ମିଲା ତା ନାମ ଯେ ରେବତୀ
ଶୁକ୍ଳାମ୍ୱର ପୁରୁଷକଇଂ ସେ ଚିନ୍ତଇ ଅନୁବରତି ।୩୧୧ ।
ଶୁକ୍ଳାମ୍ୱର ବଂଶେ ଜାତ କେଉଂ ନୃପତି ପ୍ରବର
ତାହାକଇଂ ପ୍ରଦାନ କରିବି ଦୋହିତା ମୋହୋର ।୩୧୨ ।
ପିତାମହ ବୋଇଲେ ତୁ ଯେ ଅଇଲୁ ଆମ୍ଭର ତହିଂ
ତୁନୀ ହୋଇ ଉଭା ହୋଇଲୁ ଆମ୍ଭନ୍ତ ନ କହି ।୩୧୩ ।
ସତ୍ୟଯୁଗେ ସତର ଲକ୍ଷ ଅଠାଇଶ ଯୁଗ ଗଲା
ତ୍ରେତୟା ଯୁଗ ବାରଲକ୍ଷ ଛୟାଳୋଇ ସହସ୍ର ବରଷ ସରିଲା ।୩୧୪ ।
ତୁ ଯେତେବେଳେ ଆସି ଦ୍ରଶନ କଲୁ ମୁକୁ
ଦୁଇଯୁଗ ଗଲାନି ସେ ମୃତୁ ମଣ୍ଡଳକୁ ।୩୧୫ ।
ଆମ୍ଭନ୍ତ ସେ ଲିତାକର ଅରଧ ହୋଇଅଛି
ଯେଉଂମାନଂକୁ ବରି ଲୋଡ଼ୁ ସେମାନେ ନୋହନ୍ତି କିଛି ।୩୧୬ ।
ସେ ଦୋହିତାର ପୁନ୍ୟ ଅଛଇ ଯାହାର ହୋଇବ ଭାରିଯା
ଯାହାକଇଂ ପ୍ରଦାନ କରିବୁ ଶୁଣସି ମହାରାଜା ।୩୧୭ ।
ମଥୁରାନଗ୍ର ବୋଲି ଯମୁନାନଦୀ ତଟେ
ଗୋପପୁର କୁଞ୍ଜବନ ବସଇ ସହିଂର ନିକଟେ ।୩୧୮ ।
ନନ୍ଦ ବୋଲି କରିଣ ତହିଂର ମହାଖୁଡ଼
ଅଶିପଦ୍ମ ଗାଈ ତାର ଗୋପେ ସେ ଅଟଇ ଠାକୁର ।୩୧୯ ।
ଷୋଳସହସ୍ର ଗୋପାଳଂକର ଗାଈମାନ
ପଞ୍ଚକୋଶ ମାଡ଼ିଣ ସେ ଚରନ୍ତି ଗୋଧନ ।୩୨୦ ।
ପ୍ରଳୟ ଉତ୍ତରୁଣୀ ଆଦିମାତା କପିଳା
କପିଳା ତହୁଂ ଉତପତ୍ତି ହୋଇଲା ବଉଳା ।୩୨୧ ।
ବଉଳାର ତହୁଂ ଜାତ ହୋଇଲା ଅବନୀ
ୟେହାଂକର ଦୋହିତା ଆଦି ଯେ ଅଶ୍ୱନୀ ।୩୨୨ ।
ଅଶ୍ୱନୀର ଦୋହିତା ହୋଇଲା ସୁରଭି
ସୁରଭିର ତହୁଂ ଉପୁଜିଲା ନନ୍ଦିନୀ ମହାଦେବୀ ।୩୨୩ ।
ଆହୋ ରଇବ୍ରତ କ୍ଷୀରସମୋଦ୍ର ଚଉବିଂଶ ଲକ୍ଷ ଯୋଜନ
କ୍ଷୁଧାୟେ ନନ୍ଦିନୀ ତାହା କଲାକ ଆପ୍ୟାନ ।୩୨୪ ।
ସେ ନନ୍ଦିନୀର ଦୋହିତା କୃତ୍ତିକା ନାମ ବୋଲି
ୟେହାର ତହୁଂ ଉପୁଜିଲେ ଅଶିପଦ୍ମ ଗାଈପଲ୍ଲୀ ।୩୨୫ ।
କୃତ୍ତିକାର ଜ୍ୟେଷ୍ଠ ଦୋହିତା ଅଟଇ ରୋହିଣୀ
ୟେହାର ତହୁଂ ଉପୁଜିଲେ ଜେନା ପୃଥୁନା ନାମେ ତାର ବେନି ଯେ ଭୟେଣୀ ।୩୨୬ ।
ରୋହିଣୀ ବୋଲିକରି ଯେଉଂଣ ଗାଈଗୋଟି
କ୍ଷୀର ସମୋଦ୍ର ୟେହାର ତହୁଂ ହୋଇଲାକ ବୃଷ୍ଟି ।୩୨୭ ।
ଯୁଗାନ୍ତ କଳପୀ ସେ ନ ଜାଣଇ ରାତ୍ରଦିବା
ପ୍ରଳୟ ହୋଇଲେ ବୋଲଇ ଦିବସେକ ଗଲା ଅବା ।୩୨୮ ।
ସଂକ୍ରିଷେଣ ପରବତ ଯେ ଯମୁନା ନଦୀ କୂଳେ
ରୋହିଣୀ ଗାଈର ଜଳ ଆଧାର କରିବାର ବେଳେ ।୩୨୯ ।
ଜଳ ଉପୁଚିଆଈ ଆସଇ ୟେକବିନ୍ଦୁ
ଶୁଦ୍ଧ ସଷ୍ଟିକ ପ୍ରାୟେ ଦିଶଇ ଜାଣି କି ଇନ୍ଦୁ ।୩୩୦ ।
ପାଣି ପିଅନ୍ତେ ସେ ପଶିଲା ଦେବୀର ଗରଭେ
ନ ପାଇଣ ଉଦ୍ଦେଶ ସେ ରହିଲା ରୋହିଣୀ କୁଚ୍ଛ ଠାବେ ।୩୩୧ ।
ଭ୍ରମଇ ନନ୍ଦନ ଯେ ଗଭୀର ହୃଦ କମଳେ
ଧାତିକାରେ ବାହାର ସେ ହୋଇଲା ବାମଡ଼ୋଳେ ।୩୩୨ ।
ଶୁକ୍ଳାମ୍ୱର ଶରୀର ନିରିମଳ ତେଜ ଜାଣି
ପୁତ୍ର ଦେଖି ପ୍ରାଣତ୍ୟାଜ ହୋଇଲା ରୋହିଣୀ ।୩୩୩ ।
ଶୁଭ୍ର ସୁନ୍ଦର ସୁଲକ୍ଷଣ ସପତଫେଣୀ ମାଥେ
ମେଦିନୀ ଦଲଦଲିତ ସେ କୁମର ପାଦଘାତେ ।୩୩୪ ।
ନୟନ କଟାକ୍ଷେ ଯେ ପଳାଇଲେ ଗୋରୁପଲ
ସୁତକଇଂ ଆବୋରି ରହିଲା ସେ ଅଣାକରା ବଇଲ ।୩୩୫ ।
ଦେଖୁଂ ଦେଖୁଂ କୁମରର ବିକାଶିଲା ସରୂପ ଡୋଳା ବେନି
ଦେଖିଣ ଦିନକର ନାଥ ତେଜଗଲା ହାନି ।୩୩୬ ।
ଦକ୍ଷିଣ ନୟନ ବିରାଜଇ ସୂର୍ଯ୍ୟ ବାମ ନୟନ ଶଶୀ
ବାଳୁତ ନନ୍ଦନର ବେନି ଲୋଚନ ପରକାଶି ।୩୩୭ ।
ଗୋପେ ଗୋରୁ ବିହଡ଼ନ୍ତି ଧାଇଂଲେକ ନନ୍ଦ
କୁମାରକଇଂ ଦେଖି ନନ୍ଦରାୟେ ହୋଇଲେ ସାନନ୍ଦ ।୩୩୮ ।
ଅଦଭୂତ ନନ୍ଦନ ୟେହା କେହୁ ଯେ ପ୍ରସବି
ଦେଖିଲେ ମୃତୁଗତି ହୋଇଛି ସେ ରୋହିଣୀ ନାମେ ଗାଭୀ ।୩୩୯ ।
ଆକାଶର ବାଣୀ ଯେ ଶୁଭଇ ଗଗନୁ
ସମ୍ଭାଳ ହୋ ମହାଖୁଡ଼ ୟେ ନୋହଇ କାହାର ତନୁ ।୩୪୦ ।
ଅଦଭୂତ ବାଣୀ ଯହୁଂ ଶୁଣିଲା ନନ୍ଦ ମହାଖୁଡ଼େ
ସେ ବାଳୁତ ନନ୍ଦନକଇଂ ଧରି ଲୋଡ଼ଇ କୋଡ଼େ ।୩୪୧ ।
ବାଳୁତ ନନ୍ଦନ ଗୋଟି ସେ ଅଟଇ ମହାଗୁରୁ
କାହାର ଦର୍ପେ ତୋଳି ପାରଇ ସେ ମେରୁ ।୩୪୨ ।
ନୟନେଣ ଚାହାନ୍ତେ ସେ ନନ୍ଦଗଲେ ମୃଚ୍ଛା
ଉଠି ବସିଲା କୁମାର ଆପଣାର ଇଚ୍ଛା ।୩୪୩ ।
ଅମୃତ ଦୃଷ୍ଟିରେ ସେ ଚାହିଂଲେ କୁମରମଣି
ସାଷ୍ଟମ ହୋଇ ଉଠିଲେ ନନ୍ଦ ଯେ ରୋହିଣୀ ।୩୪୪ ।
ଗୋଗୋଷ୍ଠି ଖେଳଇ ସେ ନ ଯାଇ କାହା ପୁରେ
ସନ୍ନିଧ୍ୟେ ଖଟିଛନ୍ତି ଯଶୋଦା ନନ୍ଦ ମହାଖୁଡ଼େ ।୩୪୫ ।
ରୋହିଣୀ ବୋଇଲେ ମୋତେ ସଂକଟୁ କଲୁ ଉଦ୍ଧାରଣ
ତେଣୁ ତୋହୋର ନାମଗୋଟି ଆଝଠୁଂ ହୋଉ ସକ୍ରିଷେଣ ।୩୪୬ ।
ନନ୍ଦ ବୋଇଲା ତୁ ମହାବଳୀ ପୁରୁଷ ଉତ୍ତମ
ଗୋଗୋଷ୍ଠ ମଧ୍ୟରେ ଜନମ ନାମ ତୋର ହେଉ ବଳରାମ ।୩୪୭ ।
ଯଶୋବନ୍ତୀ ବୋଇଲେ ତୋର ନିକଳଂକ ଶରୀର
ମୁହିଂ ତୋହୋର ନାମଗୋଟି ଦିଲି ନୀଳାମ୍ୱର ।୩୪୮ ।
ଗୋପଳୁଣୀ ମାନେ ବୋଇଲେ ଉଜ୍ଜ୍ୱଳ ଶୁଦ୍ଧକାମ
ସେନେହେ ବୋଇଲେ କାମପାଳ ହୋଉ ତୋର ନାମ ।୩୪୯ ।
କଳାନ୍ତକ ବୋଲି ୟେକ ମଣ୍ଡଳ ଆଧିପତି
ଲଂଗଳେକ ଘେନି ଆସି ମିଳିଲା ବଳରାମ କତି ।୩୫୦ ।
ପଞ୍ଚବକ୍ର ଦେଖିଣ ସେହୁ କୁମାର ହରଷେ
ସେ ଲଂଗଳ ବଳରାମ ଧଇଲେ ହରଷେ ।୩୫୧ ।
ନରସିଂଘ ପାଦ ଭାବେ ସେ ପରବତେ ଅଛି ଥମ୍ଭ
ତାହା ରୋଷେ ଉପାଡ଼ି ଧଇଲେ ବଳଦେବ ।୩୫୨ ।
ବାମେଣ ସମର୍ଥକ ବଜ୍ରମଂଗଳ ଡାହାଣେ ସଉନନ୍ଦ
ଗୋଗୋଷ୍ଠେ ଖେଡ଼ନ୍ତି ସେ ଦେବ ରାମଚନ୍ଦ୍ର ।୩୫୩ ।
ତୁ ହୋ ରଇବ୍ରତକ ୟେବେ ଯାଅସି ବହନ
ବଳରାମକଇଂ ରେବତୀକି କରଯା ପ୍ରଦାନ ।୩୫୪ ।
ରଇବ୍ରତର ବୋଇଲା ସ୍ୱାମୀ ଶୁଣ ହୋଇଲାଂକ ବଡ଼ାଇ ଆଶ୍ରିଜ
ଅଜଭୂତେ କାହୁଂ ଉପୁଚିଆଇଲା ସେହୁ ବୀଜ ।୩୫୫ ।
ରୋହିଣୀ ଉଦରେ ସେ ରହିଲା କେମନ୍ତେ
ସୃଷ୍ଟି କରତାନାଥ କହିବା ହୋଉ ମୋତେ ।୩୫୬ ।
ଶୁଣ ହୋ ରଇବ୍ରତକ ବୋଲନ୍ତି ବିରଞ୍ଚି
ପୂର୍ବରୁ ଭକତ ବାକ୍ୟେ ନିରାକାର ଯାହା ସଞ୍ଚି ।୩୫୭ ।
ଶ୍ରୀକୃଷ୍ଣ ଉତପତ୍ତି ଲଭିଲେ ମାନୁଷର ଯୋନି
ତେବେ ସେ ଦୁରନ୍ତାକ ବଳେ ନୁଆରିବେ ତାହା କଇଂ ଚିହ୍ନି ।୩୫୮ ।
ମୁନି ବୋଇଲେ ମନୁଷ୍ୟେ ତାହା ବୁଝିବେ କିଞ୍ଚିତ ପରାୟେ
ନାରାୟଣ ତାହାଂକୁ ଧଂସିବେ ଉପାୟେ ।୩୫୯ ।
ନିରାକାର ବୋଲିଣ ସେ ଯେବଣ ପୁରୁଷ
ସେ ମହାତମା ଅଟଇ ନିରାଲମ୍ୱ ପୁରୁଷ ।୩୬୦ ।
ନୀରର ବିନ୍ଦୁରୁ ଯେ ଫେଣର ସମ୍ଭବ
ସେ ଫେଣରୁ ସମ୍ଭୁତ ହୋଇଲାକ ହାଦେ ଡିମ୍ୱ ।୩୬୧ ।
ସେ ଅବ୍ୟୟ ଡିମ୍ୱରୁ ଯେ ଉପୁଜିଲା ନିରାକାର
ଅବିଶ୍ରାନ୍ତେ ଖେଳ ତାର ଜଳର ଭିତର ।୩୬୨ ।
କାଳ ଅନରୂପ ଯୁଗ ଉଦ୍ଧାରଣେ
ନାନା ରୂପ ସେ ଧରଇ କ୍ଷଣେ କ୍ଷଣେ ।୩୬୩ ।
ସେ ନିରାକାର ପୁରୁଷ ଜଳେ ଖେଡ଼ୁଥିଲା
ଇଚ୍ଛା ଉଦେକରି ରୋହିଣୀ ଗର୍ଭେ ସେ ପଶିଲା ।୩୬୪ ।
ଯେ ତୋହୋର ଦୋହିତା ନାମ ଯେ ରେବତୀ
ମହାମାୟା ଅବତାର ସେ ଅନାଦି ଶକତି ।୩୬୫ ।
ନିରାକାର ନରହରି ପୁରୁଷ ତାହାର ଉଦରେ
ତହୁଂ ଉତପତ୍ତି ହୋଇଲେ ବ୍ରହ୍ମା ବିଷ୍ଣୁ ମହେଶ୍ୱରେ ।୩୬୬ ।
ସେ ଆଦି ଅପର୍ଣ୍ଣା ମନେ ଯେହୁ ଇଚ୍ଛା
ଜାତ ଅନ୍ତ କରାଇ ଯେ ମନେଣ ଯାହା ବାଞ୍ଛା ।୩୬୭ ।
ମାତାହିଂ ହୋଅଇ କ୍ଷଣେ ଭାର୍ଯା ସେ ହୋଅଇ
କ୍ଷଣକେ କାଳିକାରୂପ କ୍ଷଣେ ଅଗ୍ନିରୂପେ ଦହି ।୩୬୮ ।
ଅନାଦି ମାହେଶ୍ୱରୀ ନିରଂଜନ ଦୀକ୍ଷା
ଶୁକ୍ଳାମ୍ୱର ପୁରୁଷକଇଂ ସେ କରିବ ଯେ ଇଚ୍ଛା ।୩୬୯ ।
ପାଇଲା ବଲ୍ଲଭ ୟେବେ ମନର ହିଆଳି
ସେ ସଂକ୍ରିଷେଣକୁ ପ୍ରଦାନ କର ଯା ତୋହୋର ଦୁଲାଳୀ ।୩୭୦ ।
ରଇବ୍ରତ ବୋଇଲା ସ୍ୱାମୀ ନାଗେ ଛନ୍ତି ତାର ମାଥେ
ଫୁଫୁକାର ଶବଦ ସେ କରନ୍ତି ନିରତେ ।୩୭୧ ।
ୟେ ମୋହୋର ନନ୍ଦିନୀ ଯେ ଅବଳା ଯୁଗତେ
ବାଳୁତ ନନ୍ଦିନୀକିଂ ମୁଂ ଦେବଇଂ କେମନ୍ତେ ।୩୭୨ ।
ସନ୍ନିଧକଇଂ ଗଲେ ସେ ରତିରଂଗ କାଳେ
ନ ପୁଣ ଦୋହିତାକଇଂ ମୋର ଡଂସନ୍ତି ମହାବ୍ୟାଳେ ।୩୭୩ ।
ଶୁଣ ହୋ ରଇବ୍ରତ ବଦୟନ୍ତି ଆଦିଗୁରୁ
ସେ ସପତ ଫଣାକଇଂ ତୁ କିମ୍ପେ ଭୟକରୁ ।୩୭୪ ।
ବିରାଳଚନ୍ଦ୍ର ମଣିକର୍ଣ୍ଣିକା ରୂଦ୍ର ଶତ ଅବଦ
ୟେ ସପତ ମନୁୟେ ସଞ୍ଚରନ୍ତି ଯୁଗ ଅବଦ ।୩୭୫ ।
ୟେହାଂକର ଉତପତ୍ତି ନ ଜାଣନ୍ତି କେହି
ୟେ ସପତ ମନୁ ପୁରୁଷେ ହୋଇଲେ ଜଳଶାୟୀ ।୩୭୬ ।
ସମୟେକ ଗଲେ ସେହି ସାର ବଇକୁଣ୍ଠେ
ଯାଇଣ ଭେଟିଲେ ପାତାଳ ବାସୀଂକ ନିକଟେ ।୩୭୭ ।
ମହାପ୍ରଳୟେ ନିର୍ଣ୍ଣେ ହୋଅନ୍ତି ବୃନ୍ଦାଅର୍କେ
ଜଳେ ବିହଡ଼ନ୍ତି ସେ ସପତ ନାଗଲୋକେ ।୩୭୮ ।
ଦେବତାୟେ ନିନ୍ନେ ହୁଅନ୍ତି ସେ ଜଳେ ଥାନ୍ତି ଅହୀ
ପରମ ନିରାକୁଳ ଉଡ଼ଂଶ ଶୂନ୍ୟଦେହୀ ।୩୭୯ ।
ଯେଉଂଣ ବଇକୁଣ୍ଠ ଅଣାକାର ପୁରୁଷ ଗୁରୁ
ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ପବନ କେହି ପଶିତ ନୁଆରୁ ।୩୮୦ ।
ସେ ଭୁବନକଇଂ ଦେଖିବାକୁ ୟେ ହୋଇଲା ସକତା
ଦେଖିଲେ ବିଷ୍ଣୁ ଭୁବନ ଅଭୟେ ବଳବନ୍ତା ।୩୮୧ ।
କୁମ୍ଭେକ ନାମେଣ ତହିଂ ଅଛଇ ଗରୁଡ଼
ଅଶି ଅଶି ଯୋଜନ ବିସ୍ତାର ତା ବେନି ପଛର ନାହୁଡ଼ ।୩୮୨ ।
ସେ ଗରୁଡ଼ ବାହାର ହୋଇଲା ଯେତେବେଳେ
ଭୟେଣ ସମ୍ଭାଇଲେ ଅହିୟେ ପାତାଳର ଜଳେ ।୩୮୩ ।
ସେ ନିରଞ୍ଜନ ପୁରୁଷ ତହିଂ ଜଳଶୟନ କରି
ଭୟେଣ ଶରଣ ଯାଇଂ ପଶିଲେ ତାହାଂକରି ।୩୮୪ ।
ସେ ସପତ ମନୁ ସର୍ପକଇଂ ଦେଖିଣ ନୀଳାମ୍ୱର
ବୋଇଲେ କେବଣ ପୁଣ୍ୟେ ତୁମ୍ଭେ ଅଇଲ ସେତେଦୂର ।୩୮୫ ।
ଭୋ ସ୍ୱାମୀ ଆମ୍ଭନ୍ତ କଟାଳୁଅଛି ଖଗେଶ୍ୱର
ଶରଣ ରକ୍ଷଣ ନାଥ ଆମ୍ଭନ୍ତ ବାରେ ରକ୍ଷାକର ।୩୮୬ ।
ଶୁଣିଣ ପରମାନନ୍ଦ ମନେ କଲେ ବଡ଼ ଦୟା
ସେ ସପତ ମନୁ ସର୍ପେ ଗୋପ୍ୟାନେ କଲେ ନିଜ କାୟା ।୩୮୭ ।
ସେ ସପତକଇଂ ସଂହରିଲେ ଅଭୟେ କାୟେ ଜାଣି
ମଉଳି ଉଦେକଲେ ସେ ସପତ ଯେ ଫେଣୀ ।୩୮୮ ।
ରାମର ଶରୀର ୟେ ଅଟଇ ଅଭିନ୍ନ
ଦେଖିଣ ଶାନ୍ତି ଭଜିଲେ ବନିତା ନନ୍ଦନ ।୩୮୯ ।
ତୁ ଯେ ପୁଚ୍ଛାକଲୁ ହୋ ରଇବ୍ରତର ରାୟେ
ସେ ସପତ ମନୁ ପୁରୁଷ ଯେ ନୀଳାମ୍ୱର କାୟେ ।୩୯୦ ।
ତୁ ଯେବେ ବଡ଼ ଭାଗ୍ୟ ଅର୍ଜିଲୁ ନରପତି
ସେ ବଳରାମକଇଂ ପ୍ରଦାନ କରଯା ରେବତୀ ।୩୯୧ ।
ବିନୟଭାବ ହୋଇଣ ରଇବ୍ରତ ପିତାଂକୁ ବୋଇଲେ
ସେ କାମପାଳର ମାତାପିତା କେଟି ହୋଇଲେ ।୩୯୨ ।
ଧାତାୟେ ବୋଇଲେ ସେ ପୂର୍ବର ବରଦାୟେ
ନନ୍ଦ ଯଶୋଦାୟେ ହୋଇଲେ ଯେ ପିତାମାୟେ ।୩୯୩ ।
ରଇବ୍ରତ ବୋଇଲେ ସ୍ୱାମୀ ଭେଟ କାହିଂ ପୂର୍ବେ
ୟେହାର ସନ୍ଧିକଥା ମୋତେ କହିବା ଦେବ ୟେବେ ।୩୯୪ ।
ବଦୟନ୍ତି ବେଦବର ମହାମନ୍ତ୍ର ଦୀକ୍ଷାଗୁରୁ
ଶୁଣ ହୋ ରଇବତ ତୁ ଯାହା ପୁଚ୍ଛାକରୁ ।୩୯୫ ।
ସପତମ ଅବତାରେ ଶ୍ରୀରାମ ମୂରତି
ଇକ୍ଷ୍ୱାକୁରୁ ବଂଶେ ଦଶରଥ ରାଜାଘରେ ହେଲେ ଉତପତ୍ତି ।୩୯୬ ।
ରାବଣକଇଂ ବଧ ସେ କରିବା ନିମନ୍ତେ
କଳିକାଳ ପୁରୁଷ ସେ ପେଷିଲେ ବନସ୍ତେ ।୩୯୭ ।
ତେର ବରଷ ଉତ୍ତାରେ ଦଣ୍ଡକା ଅରଣ୍ୟୁ
ଜାନକୀଂକି ହରିନେଲା ବିଶ୍ରବାର ତନୁ ।୩୯୮ ।
ଶ୍ରୀରାମ ଉଦ୍ଦେଶେ ନ କଲା କିଛି ଶଂକା
ସୀତାଂକୁ ଗୋପ୍ୟକରି ଥୋଇଲା ନେଇ ଲଂକା ।୩୯୯ ।
ସୀତାକଇଂ ଖୋଜନ୍ତେଣ ଶ୍ରୀରାମ କ୍ଷୁଧାର୍ଥୀ
ଗୋଧନ ପଲ ଗୋଟିୟେ ଠାବକଲେ ସଉମିତ୍ରୀ ।୪୦୦ ।
ବିଭୋକ୍ଷିତ ହୋଇଣ ସେ ମାଗନ୍ତେଣ କ୍ଷୀର
ମୋର ମୋର ବୋଲିଣ ଲକ୍ଷ୍ମଣକଇଂ ବୋଲନ୍ତି ଗଉଡ଼ ।୪୦୧ ।
ଦଇବେଣ ଅନ୍ଧ ସେ ଯେ ନାହିଂ ତାର ଚଚ୍ଛୁ
ବୋଇଲା ଦୁଧ ଯେବେ ଦେବା କିସ ଧନ ଆଣିଅଛୁ ।୪୦୨ ।
ମହାଯଗ୍ୟଂ ଜାତ ଅମୂଲ୍ୟ ରତ୍ନମୁଦି
ଲକ୍ଷ୍ମଣ ବୋଇଲେ ବିସରିଣ ପ୍ରବୋଧି ।୪୦୩ ।
ଘେନ ରେ ଗୋପାଳ ୟେ ଅମୂଲ୍ୟ ରତ୍ନ ମୁଦିଗୋଟି
ୟେହା ନେଇ ଆମ୍ଭନ୍ତ ଦିଅ ଦୁଧଫୁଟି ।୪୦୪ ।
ମୁଦି ଘେନିକରିଣ ତିନିକରକ ଦୁଧ ଦିଲେ
କ୍ଷୁଧା ତେଜି ଶ୍ରୀରାମ ଉଷତ ହୋଇଲେ ।୪୦୫ ।
ପଞ୍ଚକୋଟି ରତ୍ନ ଯେଉଂଣ ମୁଦିରେ ଅଛି ଲାଗି
ମୂର୍ଖ ଗଉଡ଼ାୟେ ଲୋଡ଼ନ୍ତି ତାହା ଭାଂଗି ।୪୦୬ ।
ନାସିକାୟେ ଶୁଘଂନ୍ତି ନୁହଇ ତ ଗଂଧ
ଚୋବାଇଣ ବୋଲନ୍ତି ନାହିଂ ତା ୟେଥେ ସ୍ୱାଦ ।୪୦୭ ।
କର୍ଣ୍ଣର କତିରେ ଯେ ବାଛନ୍ତି ତାହା ନେଇ
ଶବଦ ନାହିଂ ବୋଲି ତାହା ହାଦେ ଦିଲେ ଫୋପଡ଼ାଇ ।୪୦୮ ।
କେ ବୋଲଇ ଶରୀର ଯେ ନିର୍ମଳ ଦିଶଇ
ପାଣିକି ଫିଙ୍ଗିଦିଅ ୟେଥେ କିଛି କାର୍ଯ୍ୟ ନାହିଂ ।୪୦୯ ।
ଅଂଧ ଗୋପାଳ ଭାରିଯା ନାମ ଯଶୋବନ୍ତୀ
ଯତ୍ନ କରି ତାହା ଥୋଇଲାକ ମହାସତୀ ।୪୧୦ ।
ଶରୀର ସୁସ୍ଥକରି ଶ୍ରୀରାମ ଭୁଞ୍ଜିଲେକ ଦୁଧ
ଅମୂଲ୍ୟ ରତ୍ନମୁଦିକି ନ କଲେ କିଛି ସଧ ।୪୧୧ ।
ଲକ୍ଷ୍ମଣ ବୋଇଲେ ସ୍ୱାମୀ ୟେ ଗୋପାଳ ମୋଢ଼ାୟେ
ମହୀମର୍ଦ୍ଦନ ମଣିକି ଦିଲେ କ୍ଷୀର ଫୁଟିୟେ ।୪୧୨ ।
ଶ୍ରୀରାମ ବୋଇଲେ ବାବୁ ଯାଇକିନା ସେ ଆୟେ
ସେ କ୍ଷୀର ପରସାଦୁଂ ପାଇଲୁ ଆମ୍ଭେ କାୟେ ।୪୧୩ ।
ଲକ୍ଷ୍ମଣକଇଂ ବୁଝାଇ ଚଳିଲେ ରଘୁବତ୍ସି
ସେ ରତ୍ନମୁଦିକି ଅବଧାନ ନ କଲେ ରାମ କିଛି ।୪୧୪ ।
ଆହେ ରାବଣକଇଂ ବଧକରି ବାହୁଡ଼ିବାର ବେଳେ
ବାହୁଡ଼ି ଭେଟିଲେ ରାମ ସେହି ସେ ଗୋପାଳେ ।୪୧୫ ।
ମାନନୀ ନଦୀତୀରେ ରାମ ସଂଧ୍ୟା ସୁମରନ୍ତି
ଲକ୍ଷ୍ମଣ ଆଗ୍ୟାଂ ଦିଲେ ସୁଗ୍ରୀବର ନୃପତିଂକି ।୪୧୬ ।
କପିଳବନ୍ତ ଘେନି ଚଳ ହୋ ଦଣ୍ଡସାଇଂ
ୟେ ଗୋଧନ ପଲଯାକ ଘେନି ଅଯୋଧ୍ୟାକଇଂ ଓଡ଼ାଇଂ ।୪୧୭ ।
ଲକ୍ଷ୍ମଣ ବଚନେ ସୁଗ୍ରୀବର ଦଣ୍ଡ ଘେନି
ଗୋକୁଳ ଗୋଗୋଷ୍ଠକୁ ବେଢ଼ିଲେ ଗୋଲଂକା ସଇନି ।୪୧୮ ।
ଓଡ଼ାବନ୍ତେ ଗୋକୁଳ କଲେ ବହୁତ ଦ୍ୱନ୍ଦ
ମହାଗୋଳ ଦେଖିଣ ଯେ ବୋଇଲା ଶ୍ରୀରାମଚନ୍ଦ୍ର ।୪୧୯ ।
ଲକ୍ଷ୍ମଣ ବୋଇଲେ ସ୍ୱାମୀ ଅଂଧ ଯେ ଗୋପାଳ ପଲ
ତିନିକରକ ଦୁଧକୁ ଘେନିଅଛ ରତ୍ନ ଯେ ଅମୂଲ୍ୟ ।୪୨୦ ।
ଶ୍ରୀରାମ ଚନ୍ଦ୍ର ହସିଲେ ଲକ୍ଷ୍ମଣ ବଚନେ
ତୋହୋର ବୁଦ୍ଧିରେ ଉପୁଗାର କରିବେ କି ଜନେ ।୪୨୧ ।
ସେ କ୍ଷୀର ଫୁଟିକ ଯେବେ ନ ଦିଅନ୍ତା ତେତେବେଳେ
ସେ ସମ୍ପଦମାନ କାହିଂ ମୁଂ ଅରଜନ୍ତି ୟେତେବେଳେ ।୪୨୨ ।
ଯାଅ ଯା ବାବୁ ହନୁମନ୍ତ ଗୋପାଳନ୍ତ ଆଣ ରାଇ
ସୁଖେଣ ଥାଆନ୍ତୁ ସେ ବନେ ଗୋଧନ ପଲ ଚରାଇ ।୪୨୩ ।
ସ୍ୱାମୀର ବଚନେ ସେ ଚଳିଲା ମାରୁତି
ଓହୋକୁଳ ଦ୍ୱନ୍ଦ ଯେ ହନୁମନ୍ତ ନିବର୍ତ୍ତି ।୪୨୪ ।
ହନୁମନ୍ତ ବୋଇଲା ଆହୋ ଅନ୍ଧଗୋପାଳ ତୁ ଠାକୁରଂକୁ କରିବୁ ଦ୍ରଶନ
ସ୍ୱାମୀଂକ ଆଗ୍ୟାଂ ତୋତେ ତୁ ଆସସି ବହନ ।୪୨୫ ।
ଅନ୍ଧଗୋପାଳ ବୋଇଲା ସେ କେବଣ ଶ୍ରୀରାମ
ବାଳିକି ନିଶୋଧନ କଲା ସପତଶାଳା ଛେଦନ ।୪୨୬ ।
ଅନ୍ଧଗୋପାଳ ସାନନ୍ଦ ହୋଇଲା ତାହା ଶୁଣି
ଲକ୍ଷେଭାର ଯୋଗାଡ଼ିଲା କ୍ଷୀର ଅଧାମ ଲବଣୀ ।୪୨୭ ।
ହନୁମନ୍ତ କର ଧରି ଆସଇ ସେ ଗୋପାଳ ଅନ୍ଧ
ବୋଇଲା ନିକଟ ହୋଇଲେ ମୋତେ ଦେଖାଇବୁ ରଘୁକୁଳଚନ୍ଦ୍ର ।୪୨୮ ।
ଆହୋ ଅନ୍ଧଗୋପାଳ ପ୍ରଳମ୍ୱ ବେଗେ କର
ତୋତେ ଅବଧାନ ହୋଇଛନ୍ତି କୋଦଣ୍ଡ ଚାପଧର ।୪୨୯ ।
ଅନ୍ଧ ବୋଇଲାକ ସ୍ୱାମୀ କଇଚ୍ଛା ଜଗଜ୍ଜେଠୀ
ତ୍ରଇଲୋକ ବନ୍ଦନ ନାଥ ତୋର ନାମଗୋଟି ।୪୩୦ ।
ଶୂରବର ସୁନ୍ଦର ନାଥ ଭଗତ ମଚ୍ଛଳା
ମହୀ ଉଦ୍ଧାରଣ ପୁରୁଷ ତୁ ପ୍ରସନ୍ନେ ସର୍ବକଳା ।୪୩୧ ।
ରାଜୀବଲୋଚନ ସ୍ୱାମୀ ଶ୍ରୀରାମ ଗୋବିନ୍ଦ
ଶତସସ୍ରଦଣ୍ଡ ପ୍ରଳମ୍ୱ ହୋଇଲାକ ଅନ୍ଧ ।୪୩୨ ।
ଦୁଖୀଜନ ଉଦ୍ଧାରଣ ନାଥ କେଉଂଣ କତି ଅଛୁ
ବେନିଭୂଜେ ଦରାଦଣ୍ଡନ୍ତେ ଦିଶିଲା ବେନି ଚଛୁ ।୪୩୩ ।
ସୋମ ସତ୍ୟଯୁଗେ ସେ ଅନ୍ଧଗୋପାଳ ଅନ୍ଧ ହୋଇଥିଲା
ଶ୍ରୀରାମ ଦ୍ରଶନେ ତା ଅନ୍ଧପଟଳ ଫିଟିଲା ।୪୩୪ ।
ପଞ୍ଚସ୍ତରୀ ଯୁଗେ ସେ ପାଇଲା ଚଛୁଦାନ
କରୁଣାକର ନାଥ ଯେ ହୋଇଲେ ପ୍ରସନ୍ନ ।୪୩୫ ।
ଯାବତ ଜୀବନ ତାବତ ଥିବ ସର୍ବସଞ୍ଚା
ପରଲୋକ ବଂଧୁ ତୁ ପ୍ରଳୟ କାଳ ବଞ୍ଚା ।୪୩୬ ।
ତ୍ରଇଲୋକ୍ୟ ବନ୍ଦନ ନାଥ ଯାହାର ନାମଗୋଟି
ପ୍ରସନ୍ନେଣ ଗୋପାଳର ଅନ୍ଧପଟଳ ଗଲାଫିଟି ।୪୩୭ ।
ଶତେ ସହସ୍ର ଦଣ୍ଡ ପ୍ରଳମ୍ୱ କରଇ ଗୋପାଳ
ଦେଖଇ ରାମ ଲକ୍ଷ୍ମଣ ସୀତା ହରିରୁକ୍ଷ ବଳ ।୪୩୮ ।
ଅନ୍ଧପଟଳ ଫିଟନ୍ତେ ଯେହ୍ନେ ସାନନ୍ଦ ହ୍ୱନ୍ତି ପ୍ରାଣୀ
ସଂସାର ଅନ୍ଧପଟଳ ଫିଟୁ ଶ୍ରୀରାମ ନାମ ଶୁଣି ।୪୩୯ ।
ପୁଣ୍ୟତୋୟା ସାଗର ଯେ ରାମାୟଣ ବାଣୀ
ଧନ ସଂପଦ ଲଭ ଜନେ ସଦବାକ୍ୟ ଶୁଣି ।୪୪୦ ।
କିଛୁହୁଂ ପ୍ରସନ୍ନ ମୋତେ ଅଭୟେ ହିଂଗୁଳା
ଝଂଖେରପୁର ବାସିନୀ ଶ୍ରୀଚଣ୍ଡୀ ସାରୋଳା ।୪୪୧ ।
ବାଳୁତ ରୂପେ ଯାହାର ଖେଳ ମେରୁସ୍ଥଳେ
ଅଭୟେ କାନ୍ତାନୀ ଧ୍ୱଂସିଲା କଳିକାଳେ ।୪୪୨ ।
ମମଶାପ୍ୟ ଉଦ୍ଧାରିଲା ଯେ ସୁଗ୍ୟାନ ଭାବି
ସର୍ବମଙ୍ଗଳା କରନ୍ତା ଶ୍ରୀସାରୋଳା ଚଣ୍ଡୀ ଦେବୀ ।୪୪୩ ।
ହେ ବଧୁଜନମାନେ ହୃଦଗତ କର ଚିନ୍ତା
ଯମଦଣ୍ଡ ଖଣ୍ଡଣ କରିବେ ଅଭୟେ ବରଦାତା ।୪୪୪ ।
ପୂର୍ବଜନ୍ମ ଶାପରୁ ମୁଂ ଜନ୍ମିଲି ଶୂଦ୍ରଯୋନି
ତେଣୁକରି ଭାବିଲା ଯେ ସାରୋଳା ଦାସ ମୁନି ।୪୪୫ ।
ଶ୍ରୀରାମଚନ୍ଦ୍ର ବୋଇଲେ ହୋ ଜୀବନ ତୋର ସାଧୁ ସାଧୁ
ଯେ ରାମ ଅବତାରକୁ ତୁହି ସେ ପ୍ରାଣବଂଧୁ ।୪୪୬ ।
ତୁ ଯେବେ ମୁଦି ଘେନି ନ ଦ୍ୟନ୍ତୁ କ୍ଷୀର ଫୁଟି
କାହୁଂ ଉଦେ ହୁଅନ୍ତା ଶ୍ରୀରାମ ନାମଗୋଟି ।୪୪୭ ।
ତୋହୋର ଉପୁଗାର ମୁଂ କହିବି କିସ ହୃଦେ
ଦଶରଥ ରାଜା ତୋତେ ନୁହନ୍ତି ସମ ହାଦେ ।୪୪୮ ।
ଆଜହୁଂ ତୁହି ସେ ଅଟୁ ମୋହୋର ଧର୍ମ ପିତା
ୟେ ତୋହୋର ଘରଣୀ ମୋହୋର ନିଜ ମାତା ।୪୪୯ ।
ତୋହୋର କ୍ଷୀର ଭକ୍ଷି ମୁଂ ହୋଇଲି ମହାବଳା
କିଞ୍ଚିତ ମାତ୍ରକେ ମୁଂ ବିନ୍ଧିଲି ସପ୍ତଶାଳା ।୪୫୦ ।
ଲକ୍ଷେକ ସିଂଘର ପ୍ରାକର୍ମ ଅଟଇ ଯେଉଂଣ ବାଳୀ
ତୋହୋର ପ୍ରାସାଦେଣ ମୁଂ ତାହାକଇଂ ମର୍ଦ୍ଦିଲି ।୪୫୧ ।
ତୋହୋର ପରସାଦେ ମୁଂ ବାନ୍ଧିଲଇଂ ବାରାନିଧି
ରାକ୍ଷସବଳ ଧଂସିଲି ତୋହୋର ଦୁଧ ମୋତେ ପରମ ମଉଷଧି ।୪୫୨ ।
ତୋହୋର ପ୍ରସନ୍ନେ ପ୍ରାପତ ମୋତେ ସୀତା ମହାସତୀ
ବାହୁଡ଼ି ଅଯୋଧ୍ୟାରେ ମୁଂ ହୋଇବି ୟେକଛତ୍ରୀ ।୪୫୩ ।
କହୁଂ କହୁଂ ସାନନ୍ଦେ କମ୍ପିଲେ ଶ୍ରୀରାମ
ଅନ୍ଧ ଗୋପାଳକଇଂ କରି ଲୋଡ଼ନ୍ତି ପ୍ରଣାମ ।୪୫୪ ।
ଆମ୍ଭେ ବିଚାରିଲୁ ଶ୍ରୀରାମ ହୃଦକଥା
ଆକାଶରୁ ବାଣୀ ଦିଲେ ସକଳ ଦେବତା ।୪୫୫ ।
ତୁ ଯେବେ ପ୍ରଣପତ୍ୟ ହୋଇ ଲୋଡ଼ୁ ରଘୁପତି
ପିତାମହ ସମାନେ ଯେବେ ଧଇଲୁ ହୃଦଗତି ।୪୫୬ ।
ଦ୍ୱାପର ଯୁଗରେ ତୁ କହ୍ନା ଅବତାରେ
ୟେ ନନ୍ଦ ଗୋପାଳ ନାମ ହୋଇଥିବ ଗୋପପୁରେ ।୪୫୭ ।
ବସୁଦେବ ତୋତେ ପାଲଟ କରିବେ କଂସ ଡରେ
ଗୋଗୋଷ୍ଠେ ବଢ଼ିବୁ ତୁ ଗୋପାଳଂକ ମେଳରେ ।୪୫୮ ।
ୟେ ନନ୍ଦ ମହାଖୁଡ଼ ହୋଇବ ତୋର ପିତା
ୟେହାର ଭାରିଯା ଯଶୋବନ୍ତୀ ହୋଇବ ତୋର ମାତା ।୪୫୯ ।
କ୍ଷୀରପାନେ ଯେବେ ତୋର ୟେତେକ ପିରତୀ
ଅନେକ ଗୋରସ ଭୋଜ ତୁ କରିଥିବୁ ନିତି ନିତି ।୪୬୦ ।
ତୁ ଯେ ବୋଇଲୁ ମୁହିଂ ତୋହୋର ପ୍ରସନ୍ନେ ପାଇଲି ସୀତା
ଅବିଚ୍ଛନ୍ନେ ରମଣ କରତୁ ଷୋଳ ସହସ୍ର ବନିତା ।୪୬୧ ।
ଶୁଣ ହୋ ରଇବ୍ରତ ବଦୟନ୍ତି ବେଦବର
ୟେତେ କଥା ହୋଇଲାନି ତୋର ସ୍ୱର୍ଗକଇଂ ଅଇଲାର ।୪୬୨ ।
ରୁଦ୍ର ହେଲେ ଅବତାର ସଂକ୍ରିଷଣ ସରୂପ
ତୁ ଯାହା ପୁଚ୍ଛା କଲୁ ତା କହିଲୁ ସଞ୍ଚେପ ।୪୬୩ ।
ଶୁଣିଣ ଅନେକ ସାନନ୍ଦ ହୋଇଲା ରଇବ୍ରତକ ନୃପତି
ଆକାଶ ତେଜିଣ ରାଜା ଅଇଲା ତତକ୍ଷଣାନ୍ତି ।୪୬୪ ।
ରେବତୀକଇଂ ଘେନି ସେ ଗଲାକ ଗୋଗୋଷ୍ଠେ
ଦେଖଇ ଗୋପନଗ୍ର ଯମୁନା ନଦୀ ତଟେ ।୪୬୫ ।
ପଞ୍ଚୁକ୍ରୋଶ ମାଡ଼ିଣ ଯେ ନଗ୍ରର ଆୟତ୍ତନ
ସ୍ୱର୍ଗରେ ଇନ୍ଦ୍ରପ୍ରାୟ ବିହଡ଼ନ୍ତି ଗୋପାଳମାନ ।୪୬୬ ।
ଶ୍ରୀବଳରାମଂକ ସରୂପ ଯେ ଦେଖିଲାକ ରଇବ୍ରତ
ସୁବେଳେ ପ୍ରଦାନ ନେଇ କଲାକ ଦୁହିତ ।୪୬୭ ।
ଶୁଣ ବାବୁ ଧର୍ମରାଜା ପାଣ୍ଡବ ଯୁଝେଷ୍ଠି
ଶ୍ରୀବଳରାମକଇଂ ଦିଲଇଂ ମୁଂ ରେବତୀ କନ୍ୟାଗୋଟି ।୪୬୮ ।
କନ୍ୟା ସମର୍ପିଲି ୟେହି ରଇବ୍ରତ ପର୍ବତେ
ମହାଯୋଗନିଦ୍ରା ମୁଂ ବଞ୍ଚିଲି କାଳୟେତେ ।୪୬୯ ।
ରେବତୀଂକ ପିଅର ବଳରାମଂକ ଶ୍ୱଶୁରାନ୍ତ
ଧର୍ମର ନନ୍ଦନ ଶୁଣି ହୋଇଲେ ବିନୟ ଭଗତ ।୪୭୦-୧୧୦୬୫ ।
ଭୀମର ବନରେ ବିହାର ଓ
କାଳଞ୍ଚି ରାକ୍ଷସୀ ସହିତ ଗନ୍ଧର୍ବ ବିବାହ
ରଇବ୍ରତ ପର୍ବତୁଂ ଚଳିଲେ ପଞ୍ଚୁବୀରେ
ପ୍ରବେଶ ହୋଇଲେ ଯାଇଂ କାଳଞ୍ଚି ବନସ୍ତରେ ।୧ ।
ବହଇ ଧବଳାଂଗୀ କାଳନ୍ଦୀ ନାମେ ନଦୀ
ଦକ୍ଷିଣ ଭାଗେ ଶରଣଭଦ୍ରା ନଦୀ ଭେଦି ।୨ ।
କାଳନ୍ଦ ନଦୀ ତୀରେ କାଳେବର ନାମେ ବନ
ୟେଥେ ସେ ଉତପତ୍ତି ହୋଇଲା କାଳ ଯେ ଦମନ ।୩ ।
କାଳଞ୍ଚି ବୋଲିକରି ୟେକଇ ଅପକ୍ଷରୀ
କାଳଚକ୍ର ବିପ୍ରତୁଲେ ସେ ହୋଇଲା ରତକାରୀ ।୪ ।
କୋପେଣ ଶାପ ସେ ବିହିଲେ ବାସବ
ପରଦାରେଣୀ ତୁ ହୋଅସି ଠାବେ ଠାବ ।୫ ।
ତାହାର ବଂଶେଣ କାଳଞ୍ଚି ନାମେଣ ରାକ୍ଷସୀ
କାଳେବର ପରବତ ପରେ ସେହୁ ଅଛି ବସି ।୬ ।
ଭୀମସେନ ଯାଉଅଛି ବେଣ୍ଟ ଆହାରେ
ଦେଖିଲା ଯୁବତୀ ଯେ ମାନିନୀ ଅବତାରେ ।୭ ।
ଅନଂଗ ଅବତାର ଦିଶଇ ମାରୁତି
ଭଜିଲା ରାକ୍ଷସୀ ଚିତ୍ତକଲା ଭ୍ରାନ୍ତି ।୮ ।
ସର୍ବ ଅଂଳକାର ଭୂଷଣ ତାର କାୟେ
ଦେଖିଣ ମୋହିତ ହୋଇଲା ପବନ ତନୟେ ।୯ ।
ଭୀମସେନ ବୋଇଲା ଆୟି ତୁ କାହାର କତି
କେ ତୋହୋର ପିତାମାତା ତୁ କାହାର ଯୁବତୀ ।୧୦ ।
ଅନଂଗ ଦର୍ପ ଧଂସିନୀ ଗୋ ତୋହୋର ତେଜ ପରକାଶି
ୟେ ରୂପ ଯଉବନ ଘେନି ତୋର କିମର୍ଥେ ବନବାସୀ ।୧୧ ।
ଶୁଣ ହୋ ବୀରବର ବୋଲଇ ଶୁଭ୍ରକେଶୀ
ଯହିଂର ନିମନ୍ତେ ମୁଂ ହୋଇଲି ବନବାସୀ ।୧୨ ।
ବୋଲଇ ରାକ୍ଷସୀ ମୟେଶ୍ୱର ନନ୍ଦନ ଅମୟେସ୍ୱର ବୋଲି
ତାହାର ପୁତ୍ର ଜଟାସୁର ମୁଂ ତାହାର ଦୋହିତା ହୋଇଲି ।୧୩ ।
କେଶୀଦାନବ ଯେ ଅଟଇ ମୋର ଭାଇ
ବିଭା ନୋହିଲି ମୁହିଂ ଇଚ୍ଛାବର ନ ଗାଇ ।୧୪ ।
ତୋତେ ଦେଖିଣ ଯେ ବଳିଲାକ ମୋର ମତି
ମୁହିଂ ତୋହୋର ଭାରିଯା ହୋଇଲି ତୁ ମୋହୋର ନିଜପତି ।୧୫ ।
ଚାଲ ଚାଲ ସ୍ୱାମୀ ତୋର ଆଶ୍ରମକଇଂ ଯିବା
ବେଭାର ଯୁଗତେ ନାଥ ହୋଅସି ମୋତ ବିଭା ।୧୬ ।
ଭୀମସେନ ବୋଲଇ ମୋହୋର ଭାରିଯା ଦ୍ରୋପତୀ
ତାହାର ବ୍ୟତ୍ରକେ ମୋର ନ ବଳେ ଆନେ ମତି ।୧୭ ।
ଅସୁରୀକି ବାକ୍ୟ କହି ବାହୁଡ଼ାଇ ବ୍ରିକୋଦର
ପଛେଣ ଦାନବୀ ଯୋ ଗୋଡ଼ାଇ ସଂଗତର ।୧୮ ।
ଯୁଝେଷ୍ଠି ଦ୍ରୋପତୀ ଯେ ଆସ୍ତାନେ ଛନ୍ତି ବସି
ଭୀମସେନ ସନ୍ନିଧ୍ୟେ ହୋୟେ ଆସି ।୧୯ ।
ପଛେଣ ଗୋଡ଼ାଇ ଅଛଇ ସେହୁ ଦୁରାପାତୀ
ଯୁଝେଷ୍ଠି ପୁଚ୍ଛା କଲେ ବାବୁ ୟେ କାହାର ଯୁବତୀ ।୨୦ ।
ଭୀମସେନ ବୋଇଲା ୟେ ବନର ଅଧିକାରୀ
ଜଟାସୁର ଦାନବ ଦେବ ପିଅର ୟେହାରି ।୨୧ ।
ନାମ ସଂକେତ ୟେହାର ଅଟଇ କାଳଞ୍ଚି
ମୋତେ ଦେଖିଣ ଦେବ ୟେ ଗୋଡ଼ାଇ ଆସୁଅଛି ।୨୨ ।
ଯୁଝେଷ୍ଠି ବୋଇଲେ ୟେ ଯେବେ ବନର ଅଧିକାରୀ
ଥାଉ ୟେବେ ୟେ ବନସ୍ତେ ଇଚ୍ଛାୟେ ବିହରି ।୨୩ ।
ୟେମନ୍ତର ସମୟେ ଅର୍ଜୁନ ନକୁଳ ସହଦେବ
ମୃଗଭାର ଘେନିଣ ଯାଇଂ ବିଜୟେ ଠାବ ।୨୪ ।
କାଳଞ୍ଚି ବୋଇଲା ତୁମ୍ଭେ ପାଞ୍ଚେ କି କି ହୋଅ
ଭୀମସେନ ବୋଇଲା ଆମ୍ଭେ ୟେକ ପୁଅର ପଞ୍ଚପୁଅ ।୨୫ ।
ରାକ୍ଷସୀ ବୋଇଲା ମୁହିଂ ତୁମ୍ଭର କଥା ପରମୁଖେ ଅଛି ଶୁଣି
ପାଞ୍ଚକରି ହୋଇ କି ତୁମ୍ଭର ୟେକଇ ଘରଣୀ ।୨୬ ।
ଲାଜ ସଂକୋଚ କିପେଂ ନ ପାଅ ଅଭିମାନ
ୟେଡ଼େ ଧାର୍ମିକ ହୋଇ ଗୋଳକୁଣ୍ଡେ ନିଅ ଦିନ ।୨୭ ।
ଚାରିଭ୍ରାଥ ଘେନି ଭୋଗ୍ୟକର ତୁ ମହାତ୍ମାଣୀ
ମୁହିଂ ସେ ଜଣକର ବାଭିୟେ ହୋଇକିନା ଘରଣୀ ।୨୮ ।
ପାଞ୍ଚେହେଂ ବସିଛନ୍ତି ମଉନବ୍ରତ ହୋଇ
ଦ୍ରୋପତୀ ଭୟେକଲେ ଅସୁରୀ ମୁଖ ଚାହିଂ ।୨୯ ।
ଭୀମସେନ ବୋଇଲା ହୋ କାହାର ଇଚ୍ଛା ଅଛି
କ୍ଷଣେକ ବିଚାରି କହିବୁ ରହ ଗୋ କାଳଞ୍ଚି ।୩୦ ।
ଭୀମ ବୋଇଲା ମୁହିଂ ୟେହାକୁ ପାରଇ ଅବା ଗଚ୍ଛି
ହିଡ଼ିମ୍ୱକୀ ରାକ୍ଷସୀ ଯେ ଭାରିଯା ମୋର ଅଛି ।୩୧ ।
ଆହୋ ପରମ ପଣ୍ଡିତ ସୁନ୍ଦର ତୁ ଅଟୁରେ ବିବତ୍ସ
ଦଇବେ ଯେ ମିଳିଲା ଯେବେ ୟେହାକୁହିଂ ଗଚ୍ଛ ।୩୨ ।
ଅର୍ଜୁନ ବୋଇଲା ମୋର ସୁଭଦ୍ରା ଘରଣୀ
ଯାହାର ଭ୍ରାଥ ଅସୁରକୁଳ ନିଶୋଧନ ଦେବ ଚକ୍ରପାଣି ।୩୩ ।
ଜଳେ ଅନେଳେ କି ହୋୟେ ୟେକବାଟ
ଅସୁରୀ ତୁଲେ କି ମୋହୋର ସଙ୍ଗ ଭେଟ ।୩୪ ।
ଭୀମସେନ ବୋଇଲା ତୁ ଶୁଣସି ନକୁଳ
ୟେ ମାଈ ଝିଅ ଗୋଟିକ ତୁ ନେଇଣ ସମ୍ଭାଳ ।୩୫ ।
ନକୁଳ ବୋଇଲା ମୁହିଂ ଅଟଇ ପରମ ଯତି
ୟେକା ଭାରିଯାଉଂ ମୋର ଆନେ ନାହିଂ ମତି ।୩୬ ।
ଭୀମସେନ ବୋଇଲା ବାବୁ ଶୁଣରେ ସହଦେବ
ଆମ୍ଭନ୍ତ ଆଶ୍ରେ କରି ୟେ କି ନିଷ୍ଫଳ ହୋଇବ ।୩୭ ।
ସହଦେବ ବୋଇଲେ ମୋର ଦ୍ରେପତୀ ବଲ୍ଲଭୀ
ତାହା ତହୁଂ ଆନ ମୋର ନାହିଂଟି ସମ୍ଭବି ।୩୮ ।
ତିନିଂକରି ନାଶି ଯେ ଶୁଣିଣ ବ୍ରିକୋଦର
ବିନୟ ଭାବେ ପୁଚ୍ଛାକଲେ ଯେ ଯୁଝେଷ୍ଠି ଛାମୁର ।୩୯ ।
ସ୍ୱାମୀ ବଂଶେ ନିକଳଂକ ୟେ ଜଟାସୁର ଦୁଲାଳୀ
ତୁମ୍ଭେ ଦେବ ପାରିବକି ୟେହାକୁ ସମ୍ଭାଳି ।୪୦ ।
ଯୁଝେଷ୍ଠି ହେଠମାଥ ଭୀମର ବଚନ ଶୁଣି
କୋପେ ଭୀମସେନକୁ ପ୍ରତିବାକ୍ୟ ଦିଅନ୍ତି ଦ୍ରୋପତ ଦୁଲଣୀ ।୪୧ ।
ତୁହୋ ଭୀମସେନ ଅଚୁ ବଡ଼ ମନ୍ଦ
ଯାବତ କାଳେ ତୋ ତହୁଂ ସେ ଉପୁଜଇ ଦ୍ୱନ୍ଦ ।୪୨ ।
ଅସୁରୀ ଗୋଟାୟେକ ତୁ ଆଣିଲୁ ଯାଇଂ କାହୁଂ
ସୁସ୍ଥ ହୋଇଅଛୁଂ ୟେବେ ଅସୁସ୍ଥ କରାଉ ।୪୩ ।
କର୍ମେ ଯେବେ ପାଇଲୁ ତୁହି ସେ ଘେନିଅଛୁ
ଚନ୍ଦନ ବୃକ୍ଷକୁ କିଂପେ କାଳସର୍ପ ଆଣିଅଛୁ ।୪୪ ।
କହୁଂ କହୁଂ କୋପଭର ହୋଇଲେ ପାଞ୍ଚାଳୀ
ଅନେର ଭ୍ରଚ୍ଛନା କରି ଭୀମକଇଂ ଦିଲେ ଗାଳି ।୪୫ ।
ଭୀମସେନ ବୋଇଲା ତୁ ଲୋ ଯାଅ ଯା କାଳଞ୍ଚି
ତୋହୋର ଯୋଗେ ମୁଂ ୟେବେ ୟେଡ଼େ ଅପଛାତି ପାଉଅଛି ।୪୬ ।
ଅସୁରୀ ବୋଇଲା ମୁଂ ଆବର କାହିଂକି ଯିବି
ତୁମ୍ଭ ତହୁଂ ଗୁଣବନ୍ତ ବଳବନ୍ତ ବଲ୍ଲଭ କାହୁଂ ମୁଂ ପାଇବି ।୪୭ ।
ତୁମ୍ଭେ ଅବା ପେଲି ପକାଅ ଲୋଡ଼ ମୋତେ
ପ୍ରାପତ ନିଧି ମୁହିଂ ଛାଡ଼ିବି କେମନ୍ତେ ।୪୮ ।
ଦ୍ରୋପତୀଂକି ବୋଲଇ ତୁ ଗୋ ତିରୀଜନ୍ମ ହୋଇ
ତିରୀଂକର ବେଦନା ନ ଜାଣୁ କିସ ପାଇଂ ।୪୯ ।
ସ୍ୱାମୀର ବିହୁନେ ମୁହିଂ ହୋଇଛି ବଡ଼ଦୁଖୀ
ଦୟା କିଂପେ ନ ବସଇ ଗୋ ମୋହୋର କଷ୍ଟ ଦେଖି ।୫୦ ।
ଦ୍ରୋପତୀ ବୋଇଲା ତୁ ଗୋ ଅସୁରୀ ନିଲକ୍ଷଣୀ
ସୁଜନେ ସମ୍ଭୋଗ ଇଚ୍ଛାକରୁ ତୁ ନ ଜାଣି ।୫୧ ।
ଦ୍ରୋପତୀ ବଚନେ ଯେ ବଢ଼ିଲା ତାର କୋପ
ଯଷ୍ଠି ପ୍ରହାରେ ଯେହ୍ନେ ଗର୍ଜଇ କାଳସର୍ପ ।୫୨ ।
ୟେକ ସ୍ତିରୀକି ତୋହୋର ଅଛଇ ପଞ୍ଚୁପତି
ଅଭ୍ୟାଗତ ପଡ଼ିଲେ ଗୋ ସମ୍ଭାଳିବା ନା ଯୁଗତି ।୫୩ ।
ୟେହିକ୍ଷଣି ମୁହିଂ ଭକ୍ଷପାନ କରିବଇଂ ତୋତେ
ୟେହୁ ପାଞ୍ଚ ପୁରୁଷ ହୋଇବାକୁ ମୋତେ ।୫୪ ।
ୟେଡ଼େ ବୋଲି କାୟା ବଢ଼ାଇଲା ଜଞ୍ଜାଳୀ
ତୁଣ୍ଡ ବିସ୍ତାରିଲା ସେ ସହସ୍ର ଯୋଜନ ଅଗୁଳି ।୫୫ ।
ଯୋଜନେ ଯୋଜନେ ବେନିବାହା ବଢ଼ାଇ କାମରୂପୀ
ଦ୍ରୋପତୀ ଉପରକୁ ଦାନବୀ ପଡ଼ିଲାକ କ୍ଷେପି ।୫୬ ।
ଅସୁରୀ ଗୋଡ଼ାବନ୍ତେ ପଳାବନ୍ତୀ ଦ୍ରୋପତୀ
ଭୟେଣ ଲୁଚିଲେ ଦେବୀ ଯୁଝେଷ୍ଠିଂକ ପଛକତି ।୫୭ ।
ଯୁଝେଷ୍ଠିଂକି ଦୁରାପାତୀ ପକାଇଲା ପେଲି
ଦ୍ରୋପତୀ ବୋଇଲେ ରଖ ରଖ ଧନୁର୍ଜୟେ ତୋହୋର ଶରଣ ମୁଂ ଗଲି ।୫୮ ।
ଧାଇଂଣ ଦ୍ରୋପତୀଂକି ଯେ ଅର୍ଜୁନ କଲା କୋଳ
ଆମ୍ଭନ୍ତ ଭେଟିଲୁ ଯେବେ ଆୟି ତୋର କାର୍ଯ୍ୟ ହୋଇବ ସୁଫଳ ।୫୯ ।
ୟେମନ୍ତ ନାଶକରି ତୁ ଅର୍ଜିବୁ କେଉଂଣ
ଦେବା ପତିଦାନ ତୋତେ ଆମ୍ଭର ବୋଲ ଶୁଣ ।୬୦ ।
ଅର୍ଜୁନ ବଚନେ ସେ ବୋଲଇ ଦୁରାପାତୀ
ଧର୍ମ ବିଚାରେ ଯେବେ ୟେହେନ୍ନେକ ପ୍ରକୃତି ।୬୧ ।
ପୁରୁଷ କପଳେ ହୀନ ତୁମ୍ଭେ ଅଟ ପାଞ୍ଚଭାଇ
ୟେକା ଭାରିଯାଉଂ ତୁମ୍ଭର ଆନ ଇଚ୍ଛା ନାହିଂ ।୬୨ ।
ୟେହକଇଂ ଭକ୍ଷିଲେ ହୋଇବି ମୁଂ ୟେକା ଘରଣୀ
ତୁମ୍ଭେ ପାଞ୍ଚହେଂ ହୋଇବ ମୋର ପ୍ରାଣମଣି ।୬୩ ।
ମୁହିଂ ଯେତେକ ବିଦ୍ୟାକରି ଅଛଇ ଅଭ୍ୟାସ
ମୋ ତହୁଂ ଆନ କେହୁ ନ ଜାଣେ ରତିରସ ।୬୪ ।
ଚଉଷଠୀ ବନ୍ଧ ବିଦ୍ୟା ବାସ୍ତରୀ ରତି ରଂଗକ୍ରୀଡ଼ା
ଅତିଅନ୍ତ ଭାବ ମୁଂ ଜାଣଇଂ ରସଖେଡ଼ା ।୬୫ ।
ୟେମନ୍ତ କରି ତୁମ୍ଭନ୍ତ କରାଇବି ରତି
ମୋତେ ତେଜି କିମ୍ପା ତୁମ୍ଭେ ଯିବ ଆନର କତି ।୬୬ ।
ସ୍ତମ୍ଭନ ମୋହନ ଅଞ୍ଜନ ଦଶ ଉଚ୍ଚାଟଣ
ପ୍ରେମ କୂତୁହୋଳ ଯେ ମାରଣ ଜାରଣ ।୬୭ ।
ନିରୁତାନ୍ତ କରି ଯେବେ କରାଇବି ରମଣୀ
ଶତେ ପୁରୁଷ ହୋଇଲେ କି ପାରିବେ ମୋତେ ଜିଣି ।୬୮ ।
ପଞ୍ଚଭ୍ରଥା ଆବୋରି ଲୋଡ଼େ ତୋର ଗର୍ବ
ବିଭୋକ୍ଷିତ ହୋଇ କହିଲି ମୋତେ ଜଣେକହିଂ ନ ଦେବ ।୬୯ ।
ବିନୟଭାବ ହୋଇଣ ଯେ ବଦୟନ୍ତି ପାଞ୍ଚାଳୀ
ଶାନ୍ତି ଭଜ ମାତ ଗୋ ନ ଦେବା ମୋତ ଗାଳି ।୭୦ ।
ତୋହୋର ବିକଟ ରୂପ ଦେଖି ମୁହିଂ ଭୟେକରି
ସବୁହୁଂ ବଳବନ୍ତା ଭୀମସେନକଇଂ ତୋତେ ଦିଲି ।୭୧ ।
ଶୁଣିଣ ସାନନ୍ଦ ଯେ ଜଟା ସୁରର ଦୋହିତା
ପ୍ରଜାପତିର ଲେଖନ ମୋତେ ସେହି ଯେ ପ୍ରାପତା ।୭୨ ।
ଦ୍ରୋପତୀ ବିଚାରନ୍ତି ଯେ ଭୀମସେନର ଡରେ
ଭୟେଣ ଲୁଚଇ ଯାଇଂ ଅଗ୍ନିର ଭିତରେ ।୭୩ ।
ଦ୍ରୋପତୀ ବୋଇଲେ ତୁମ୍ଭେ ଭୀମସେନେ ନେଲେ
କାହାରି ହଂସିକା ନାହିଂ ୟେ ଚାରି ଭାଇରେ ।୭୪ ।
ୟେ ଯେବେ ଆଣିଲା ରାକ୍ଷସୀ ୟେହାକଇଂ ଖାଉ
ମରୁ ଦୁରାନ୍ତକ ଶଲ ମୋର ଯାଉ ।୭୫ ।
ଗନ୍ଧର୍ବ ଯୋଗେ ବିଭା ହୋଇଲା ପାବନୀ
କାଳିମେଘା ପରବତକୁ ଚଳଇ ତାକୁ ଘେନି ।୭୬ ।
ୟେକାନ୍ତେ ଦ୍ରୋପତୀ ବୋଇଲେ ତୁ ଯେବେ ମୋହୋର ବଲ୍ଲଭ
ଭାଂଜିଣ ଚୂରକରି ତୁ ୟେହାର ମତ୍ତଗର୍ବ ।୭୭ ।
ପାଞ୍ଚାଳୀ ବଚନ ଅଲିଘିଂତ ଶିରାଗ୍ରତେ
ରାକ୍ଷସୀକି ଘେନି ପଶିଲା କାଳି ମେଘା ପରବତେ ।୭୮ ।
ଶୃଂଗାର ରଞ୍ଚିଲା ଭୀମ ଯେ ଦାନବୀର ତୁଲେ
ସୂର୍ଯ୍ୟ ବେଳେ କାମ ଦୃଢ଼କରି ଥକାଇଲେ ।୭୯ ।
ପବନ ଭଂଜାଇଲା ନେଇ ସେ ପାଟଣା ଶ୍ରୀହଟ୍ଟେ
ଧାତୁଲାଇ ଟେକିଲା ସେ ଶୁଶୁମନା ଉଲଟେ ।୮୦ ।
ଅନର୍ଗଳ କୋଠକି ନେଇ ସେ ବୁଡ଼ାଇଲା ଇନ୍ଦୁ
ବ୍ରହ୍ମଘରେ ଭେଦିଣ ଯେ ନ ଟଳିଲା ବିନ୍ଦୁ ।୮୧ ।
କ୍ରମେଣ କରି କଷଣ ଟେକଇ ଅପର୍ଣ୍ଣା
ଚିତ୍ତ ନିବର୍ତ୍ତାଇ ଭାବ ନ ପାଇଲା ସେହ୍ନା ।୮୨ ।
ବାମ ଚରଣ କନିଷ୍ଠ ଆଂଗୁଳିରେ କାମ ଛନ୍ଦି
ତ୍ରିଗୁଣ ଥକାଇଲା ପବନ ମେଳ ବାନ୍ଧି ।୮୩ ।
କାମେନୀ କଳଂକ ଛଡ଼ାଇଲା ନେଇ ଦୂରେ
ଥନ ଦନ୍ତ ରେଖନାକ ଟାଳିଲା କଟି ଚାପିଲା ଗଭୀରେ ।୮୪ ।
ମନ ବଚନ କର୍ତ୍ତବ୍ୟେ ତଲୟେ ଉପେଖି
ଚେତନା ପୁରୁଷକଇଂ ସେ ସନ୍ନିଧ୍ୟେ ନ ଦେଖି ।୮୫ ।
ଅଭାବ କାମ ସେ ଯେ ଅଣାକାର ନାମ
ଉଜାଣି ପବନ ସେ ଶୃଂଗାର ଅବିଶ୍ରାମ ।୮୬ ।
ମହାରତି ଶାହାସ୍ରେ ଜିତା ସେ ପାଣ୍ଡବ ବୀର ଭୀମ
ତିରୀଲିଂଗ ଗର୍ବେ କରି ଟେକିଲା ମହାତମ ।୮୭ ।
ପୟାଣ ବୁଡ଼ାଇଲା ମୟାଣ ବର୍ଣ୍ଣ ନାହିଂ
ଶଶୀଘରେ ପବନ ହାଦେ ଥକାଇବି ଅବା କାହିଂ ।୮୮ ।
ତପନ ଉଦ୍ଦାନ ସେ କଲାକ ପାବେନି
ଢଳିଲା ନିରାକୁଳେ ସେ ବୁଡ଼ିଲା କାମିନୀ ।୮୯ ।
ଅସକତ ମନୁଆ ଯେ କିଛୁଥିଲା ଆଶ
ପବନ ନ ପାଇଣ ସେ ହୋଇଲା ନିରାଶ ।୯୦ ।
ବାହୁଡ଼ି ବିଜେ କଲା ଯୋଗବଳେ ବାଞ୍ଛା
ଡାକଇ ସୁନ୍ଦରୀ ଭୋଳାନାଥ କର ମୋତେ ରକ୍ଷା ।୯୧ ।
ଦୁସହ ସମରେ ମୋତେ ଜିଣିଲା ରାଉତ
ରଜ ଢାଳିଲା ସୁନ୍ଦରୀ ହୋଇଲା ଅସକତ ।୯୨ ।
ଆଧାରେ ଶୃଙ୍ଗାର ଯେ ଅତ୍ରିପୁତି ଭୀମା
ସମରେ ଅତ୍ରିପୁତି ଅଟଇ ଗାରିମା ।୯୩ ।
ଶୃଂଗାର ସମରେ ଯେ ତାକୁ ହାରିଲା ସୁନ୍ଦରୀ
ଛାଡ଼ ଛାଡ଼ ବୋଲିଣ ସେ ଶରଣ ଫୁକାରି ।୯୪ ।
ଦୁଗୁଣ ପ୍ରତଗ୍ୟାଂ ସେ ପାଣ୍ଡବ ପାବନି
କରଇ ରତିରସ ଗାଢ଼ କରି ଘେନି ।୯୫ ।
ଆକ୍ରୋଷି ଧାତୁ ଯେ ନ ଛାଡ଼ଇ ପାବନି
ନ ସରଇ ଶୃଂଗାର ସେ ପ୍ରସରେ ରୟଣି ।୯୬ ।
ଉଦୟେ ଦିନକର ସେ ଗଗନ ବିହାରୀ
ଅସାଷ୍ଟମ ହୋଇଣ ସେ ଢଳିଲା ସୁନ୍ଦରୀ ।୯୭ ।
ସମସ୍ୟା ନ ଫିଟଇ ଶରୀର ହୋଇଲା କାଲ
ଶରଣ ନ ରଖଇ ସେ ଭାରଥ କୁଳ ମଲ୍ଲ ।୯୮ ।
ପରର ପରଜା ନ ସହେ ଗାଢ଼ରୋଷେ କଦାଚିତେ
ସେ ଶୃଙ୍ଗାର ଯେ ଆଦିତ୍ୟ ଗଲେ ଅସ୍ତେ ।୯୯ ।
ଅଗ୍ନି ବୃଷ୍ଟି ହୋଇଲା ଗଲାକ ଭଗମୁଖେ
ଭୀମସେନ ଡାକ ଦିଅଇ ସମସ୍ୟା ନାହିଂ ମୁଖେ ।୧୦୦ ।
ଦୁଇ ଦିବସ ଦୁଇରାତ୍ର ହୋଇଲା ୟେକଇ ଶୃଙ୍ଗାର
ନିଜଆତ୍ମା ଛାଡ଼ିଲା ସେ ଅସୁରୀ ଶରୀର ।୧୦୧ ।
ପ୍ରାଣ ବିସର୍ଜନ ଯହୁଂ ହୋଇଲା କାମିନୀ
କାଳନ୍ଦୀ ନଦୀରେ ତାହା ମେଲିଲା ପାବେନି ।୧୦୨ ।
ଗଙ୍ଗାୟେ ସ୍ରାହାନ ସାରି ପ୍ରବେଶ ଆଶ୍ରମେ
ଦ୍ରୋପତୀ ପଚାରିଲେ ଭାରିଯା ତୁମ୍ଭର କେମନ୍ତ କଲ
ହୋ ଭୀମେ ।୧୦୩ ।
ବୋଲଇ ଭୀମସେନ କଲଇଂ ଶୃଙ୍ଗାର ମୁଂ ପ୍ରତଗ୍ୟାଂ ତାର ଦେଖି
ପିଣ୍ଡ ଛାଡ଼ି ପ୍ରାଣ ତାର ଗଲା ସଞ୍ଜୀବନୀ ପୁରୀକି ।୧୦୪ ।
କାଳଞ୍ଚି ବିଦାରିଣ କାଳେବର ବନଷଣ୍ଡା
ଅନର୍ଗଳ ବୀରବର ଚେତନା ବିଖଣ୍ଡା ।୧୦୫ ।
ହେ ବୁଧଜନେ ୟେ ଆରଣ୍ୟକ ପର୍ବ ଶୁଣ
ୟେ ବିଧିରେ ସାଧି ପାରିଲେ ଗିରିଂକର ଦର୍ପ ଜିଣ ।୧୦୬ ।
କିଛୁହିଂ ସାଧିବି ମୁଂ ଦେବୀ ପ୍ରସନ୍ନ ହୋଇଲେ
ଶୂଦ୍ରମୁନି ସାରୋଳା ଦାସେ ରତି ଶାହାସ୍ରେ ବୋଇଲେ ।୧୦୭ ।
ଜୟ ତୁ କାମସେଣୀ କାମରୂପୀ କାମାକ୍ଷୀ
ୟେ ଦୁରାପଦ ପ୍ରତଗ୍ୟାଂକୁ ତୁହି ସେ ମୋର ସାକ୍ଷୀ ।୧୦୮ ।
ନୋହଇ ପଣ୍ଡିତ ମୁଂ ନ ଜାଣଇଂ ଶାସ୍ର
ସାଧନେ ବୋଧନେ ଯେ ଭାବଇଂ ହୃଦଗତ ।୧୦୯ ।
ଅଭୟେ ଅପର୍ଣ୍ଣା ଯେ ଜଙ୍ଖେରପୁରବାସୀ
ଯମଦଣ୍ଡ ଖଣ୍ଡଣ କରି ମୋତେ ତବ ଭୁବନ ଦେସି ।୧୧୦ ।
ଶିବର ସିଂହଦ୍ୱାରେ ଦ୍ୱାରପାଳ ମୁହିଂ ପୂର୍ବେ
କିଞ୍ଚିତ ପାତକେ ମୁଂ ମାନବେ ଜନ୍ମ ୟେବେ ।୧୧୧ ।
କିଛୁଂ ବୟସେଣ ମୁଂ ପାଇଲି ଚେତନା
ହୃଦଗତେ ବିକାଶି ଉଦେକ କାମନା ।୧୧୨ ।
ତାମସ ପ୍ରକୃତି ଅନ୍ତର କରି ମନେ ଭାବେ
ଇତି ଶ୍ରୀ ମହାଭାରତ ଆରଣ୍ୟକ ପର୍ବ ବଞ୍ଚାଇଲି ପରସ୍ତାବେ ।୧୧୩ ।
ଶ୍ରୀ ମହାଭାରଥ ୟେ ଅମୃତ ରସ କଥା
ସଂସାର ବୋଧେନ ୟେ ପୁରାଣ ସଂହିତା ।୧୧୪ ।
ନୀଳେନ୍ଦ୍ରୀ ସରୋବରେ ଯେହ୍ନେ ଶତଦଳ ପଦ୍ମ ଫୁଟି
ଅନୁକୂଳ କାଳେ ଯେହ୍ନେ ଇନ୍ଦ୍ର କରଇ ବୃଷ୍ଟି ।୧୧୫ ।
ଶ୍ରବଣେ ଶୁଣିଣ ଯେ ହୃଦେ କରଇ ଗଣ୍ଠି
ଯମ ପାଶ ଛେଦନ ଯେ ସାଧନ ପୁଣ୍ୟଗୋଟି ।୧୧୬ ।
ବଧିର ଜଡ଼ା ଯେ ଅନ୍ଧ ଅପୁତ୍ରିକ
ଶୁଣନ୍ତେ ମୋକ୍ଷ ଗତି ଫିଟିବ ରୋଗ ଶୋକ ।୧୧୭ ।
ଶ୍ରୀଚଣ୍ଡୀ ସାରୋଳା ଦାସ ବାକ୍ୟ ଯେ ପ୍ରକାଶ
ବଦୟନ୍ତି ସାରୋଳା ଦାସ ଶ୍ରୀ ଚଣ୍ଡୀର ନିଜ ଦାସ ।୧୧୮- ୧୧୧୮୩ ।