ନଳରାଜା ଉପାଖ୍ୟାନ — ସାରଳା ମହାଭାରତ ବନପର୍ବ (ଦ୍ୱିତୀୟ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନଳରାଜା ଉପାଖ୍ୟାନ
କହନ୍ତି ଅଗସ୍ତି ଆହେ ମନୁ ମହୀପତିୟେ ଉତ୍ତାରୁ ଯାହା ହେଲା ଶୁଣ ଦେଇମତି ।୧।ୟେମନ୍ତର ସମୟେ ପ୍ରବେଶ ମୁନି ବ୍ୟାସେପାଣ୍ଡବେ ପୂଜାକଲେ ବଗତି ବିଶ୍ୱାସେ ।୨।ଆଶିଷ କଲ୍ୟାଣେ ମହାତମୀ ବହୁତ ବାଞ୍ଚ୍ଥିଦେଖିଲେ ଯୁଝେଷ୍ଠିଂକ ତୁଲେ ଅଛନ୍ତି ଶ୍ରୀବଚ୍ଛି ।୩।ଯୁଝେଷ୍ଠି ବୋଇଲେ ତାତ ପୁଣ୍ୟବନ୍ତ ଧୃତିରାଷ୍ଟିରାଜ୍ୟଧର ହୋଇଲେ ସେ ଆମ୍ଭେ ବନେ ୟେଡ଼େ କଷ୍ଟି ।୪।ଯେଉଂଣ ଦିନ ପାଉଂ ଫଳମୂଳ ଖାଉଂଅଳସ ସଂଜାତ ହୋଇଲେ ଉପବାସ ଥାଉଂ ।୫।ବଦୟନ୍ତି ବେଦବ୍ୟାସେ ଶୁଣ ଦେବ ଧର୍ମେଦୁଖ ସହିଲେ ସେ ହୋଅଇ ପରମ ମହାତମେ ।୬।ସତ୍ୟଯୁଗେ ଇଚ୍ଛାକରୁ ବଂଶେ ନଳନାମେ ନୃପତିମହାଧାର୍ମିକରାଜା ଯେ ପାଇଲାକ ବଡ଼ ଶାସ୍ତି ।୭।ତୁମେ ପଞ୍ଚୁଭ୍ରାଥ ତୁଲେଣ ଅଛଇ ପତ୍ନୀବଶିଷ୍ଠ ମାରକଣ୍ଡ ତୁଲେ ଲୋମଶ ମହାମୁନି ।୮।ଯୁଝେଷ୍ଠି ବୋଇଲେ ଅପୂର୍ବ ୟେହୁକଥାକିସ ଅର୍ଥେ ନଳରାଜା ପାଇଲେକ ୟେଡ଼େକ ଅବସ୍ତା ।୯।ବଦୟନ୍ତି ବ୍ୟାସେ ଶୁଣ ହୋ ଯୁଝେଷ୍ଠିଯେଉଂପରି ନଳରାଜା ହୋଇଲାକ କଷ୍ଟି ।୧୦।କୁଞ୍ଜକୁରାଳ ନଦୀକୂଳେ ନଇଷଧ ନାମେ ଦେଶବୀରସେନ ବୋଲି ରାଜା ଅର୍କସେନର ଶିଷ ।୧୧।ତାହାର ଭାରିଯା ନାମ ଅଟଇ ଋତୁମତୀନଳକୁମର ବୋଲିଣ ତାହାର ସନ୍ତତି ।୧୨।ବଇଦର୍ଭ ଦେଶରେ କୁଣ୍ଡୀ ନାମେ ନଗ୍ରୀଭୀମେକ ବୋଲିଣ ଯେ ତହିଂର ଦଣ୍ଡଧାରୀ ।୧୩।ସତ୍ୟଯୁଗେ ରୋମାଞ୍ଚ ନାମେଣ ମହଋଷିତାହାର ପ୍ରସନ୍ନେ ପାଇଲା ଦୁହିତା ୟେକ ତିନି ଶିଷି ।୧୪।ଜ୍ୟେଷ୍ଠ ଦୁହିତାର ନାମ ଅଟଇ ଦମୟନ୍ତୀଦମ ଦୃମୟନ ଦୃମତ ତିନି ଯେ ସନ୍ତତି ।୧୫।ଅତିଅନ୍ତ ରୂପବନ୍ତୀ ସେ ଦମୟନ୍ତୀ ବାରଙ୍ଗନାଦେବଗଣ ଋଷିଗଣ ଦେଖି ହୋଅନ୍ତି ମୋହ ସିନା ।୧୬।ମୟାଣ ବାଣ ତେଜଇ ତାହାକଇଂ ଦେଖିଦିନକର ନାଥ ଯାଇ ନୁଆରଇ ତାହାକୁ ଉପେକ୍ଷି ।୧୭।ନଇଷଧ ଦେଶରେ ଅଛି ମାନସରୋବରଇନ୍ଦ୍ରର ହଂସଯୂଥମାନେ ଚରନ୍ତି ତହିଂର ଭିତର ।୧୮।ଦିନେକ ନଳ ତହୁଂ ଧଇଲା ୟେକହଂସୀଆଉର ହଂସମାନେ ଗଗନେ ଯାଇ ପଶି ।୧୯।ହଂସିନୀ ବୋଇଲା ମୋତେ ନ ନାଶ ନରପତିଆମ୍ଭେ ସୁକାର୍ଯ୍ୟ ତୋହୋର କରାଇବୁ ପ୍ରାପତି ।୨୦।କୁଣ୍ଡୀ ନଗ୍ରେ ସେ ଯେ ଭୀମେକ ବୋଲି ରାୟେଦମୟନ୍ତୀ ବୋଲି ତାର ୟେକ ଦୋହିତାୟେ ।୨୧।ତୁ ଯେବେ ଆମ୍ଭରେ ପ୍ରିୟଭାବ ହୋଇବୁସେ ସୁନ୍ଦରୀକି ତୋତେ ଭେଟ କରାଇବୁ ।୨୨।
ଶୁଣିଣ ନଳକୁମାର ହୋଇଲା ଆଶ୍ରିଜ
ପଚ୍ଛୀ ହୋଇ ଭାଷା କହଇ ମନୁଜ ।୨୩।
ଅନେକ ରତ୍ନ ଭୂଷଣ କରାଇଲା ତାରକାୟେ
ୟେବେ ତୁ ବଇଦର୍ଭ ଦେଶକୁ ଚଳ ହଂସରାୟେ ।୨୪।
ମୋହୋର କଥାମାନ ଦମୟନ୍ତୀ ଆଗେ କହ
ଯେମନ୍ତେ କନ୍ୟା ମୋତେ ବଳାଇବ ସେନେହ ।୨୫।
ଆଗ୍ୟାଂ ପ୍ରମାଣେ ଯେ ଚଳଇ ହଂସଦୂତୀ
ବଇଦର୍ଭ ଦେଶରେ ଯାଇ ମିଳିଲା ତଡ଼ତି ।୨୬।
ସରୋବରେ ଚରନ୍ତେ ଦେଖିଲା ଦମୟନ୍ତୀ
ସନିଧ୍ୟେ ବସାଇ ଗଲା କଣୟ ହଂସଦୂତୀ ।୨୭।
ଦମୟନ୍ତୀ ପଚାରଇ କି ସରୂପ କହ ହଂସୀ
ପଚ୍ଛୀ ହୋଇଣ ତ ମନୁଷ୍ୟ ଭାଷା ଭାଷି ।୨୮।
ହଂସୀ ବୋଇଲା ତୁ ଶୁଣସି କୁମାରୀ
ଆମ୍ଭେ ଦେବଦୂତ ଅଟୁ ତୋର ଉପକାରୀ ।୨୯।
ନଇଷଧ ଦେଶେ ବୀରସେନ ବୋଲି ରାଜ
ନଳ ନାମେଣ ତାହାର ୟେକଇ ଆତ୍ମଜ ।୩୦।
ଅନଂଗ ପଟାନ୍ତର ପ୍ରାୟେ ସେ ଦିଶଇ କୁମର
ଚିତ୍ରପଟ ଦେଖାଇଲା ଦମୟନ୍ତୀ ଆଗର ।୩୧।
ତାହାର ସମାନେ ସୁନ୍ଦର ନାହିଂ ୟେ ପୃଥୀ
ତୋହୋର ସମାନେ କେହି ନାହିଂ ରୂପବନ୍ତୀ ।୩୨।
ଦୁହେଂ ୟେକଯୋଗ ହୋଇବ ଯେତେବେଳେ
ରତି କାମଦେବ ପ୍ରାୟେ ଦିଶିବ ମହୀତଳେ ।୩୩।
ବହୁତ ପଟାନ୍ତର କହଇ ହଂସଦୂତୀ
ନଳକଇଂ ସେନେହ ବଢ଼ାଇଲା ଦମୟନ୍ତୀ ।୩୪।
ମୁହିଂ ତୋହୋର ଶରଣ ଯାଇ ହଂସଦୂତୀ
ଉପାୟେ କରି ମୋରେ ନଳକୁ କରାଇବ ପତି ।୩୫।
ହଂସୀ ବୋଇଲା ତୋର କର୍ମ ଯେବେ ସୁଫଳ
ଆମ୍ଭେ ଆଣି ତୋତେ ଗୋ ଭେଟାଇବା ନଳ ।୩୬।
ପଞ୍ଚୁ ଦିବସକୁ ସେ କଣ୍ଟକରି ଗଲେ
ନଳର ଆଗେଣ ଯାଇ ବାରତା କହିଲେ ।୩୭।
ବୁଡ଼ିଲା ସୁନ୍ଦରୀ ସେ ତୋହୋର ପ୍ରତିଆଶେ
କେମନ୍ତେ ନଳ ଯାଇ ମିଳିବୁ ତାର ପାଶେ ।୩୮।
ଦିନକୁ ଦିନ କ୍ଷୀଣ ହୋଇଲାନି ବାଳୀ
ମଦନ ଶରାଘାତେ ଶରୀର ବିକଳି ।୩୯।
ସ୍ରାହାନ ଭୋଜନ ଯେ ମଣଇ ବିଷପିତା
ନଳକଇଂ ଲାଗିଲା ମଦନେ ମହାଚିନ୍ତା ।୪୦।
ମୁଦୁସୁଲୀ କହଇ ଶୁଣିମା ଭୀମେକ ରାଜନ
ଦୋହିତା ବୀରହୀତା ତୁମ୍ଭେ ନ କଲା ପ୍ରଦାନ ।୪୧।
ଅବିଭାଇ ହୋଇ ଦୋହିତା ପିତାଘରେ ହୋଇଲେ ରଜୋବତୀ
ଅପାଣାର ପିତୃଲୋକେ ହୋଅନ୍ତି ନର୍କଗତି ।୪୨।
ଭାଳଇ ଭୀମେକ ଯେ ଅଭୟେ ଚକ୍ରବ୍ରତୀ
ସ୍ୱୟଂବର କରିବା ୟେହା ରାଜାନ୍ତ ନିମନ୍ତି ।୪୩।
ପୃଥିବୀର ରାଜାମାନନ୍ତ କଲାକ ନିମନ୍ତ୍ରଣ
ସକଳ ଦେଶକଇଂ ପେଶିଲେ ଚାରଗଣ ।୪୪।
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗଚାରି
ସ୍ୱୟଂବର ନିମନ୍ତେ ଅଇଲେ ସକଳ ଦଣ୍ଡଧାରୀ ।୪୫।
ରଥ ଗଜ ଅଶ୍ୱ ସଇନି ଅଶେଷ
ଶତେଯୋଜନ ପରିଯନ୍ତେ ନାହିଂ ଅବକାଶ ।୪୬।
ବାଜଇ ବିଜିଘୋଷ ଟମକ ଦାଉଣ୍ଡି
ଅନେକ ରତ୍ନ ଭୂଷଣେ ରଥ ଗଜ ଅଶ୍ୱ ମଣ୍ଡି ।୪୭।
ଉତ୍ତରେ ଲକ୍ଷେ ରାଜା ପଚ୍ଛିମେ ରାଜା ଲକ୍ଷେ
ପୂର୍ବେ ଅହିବ୍ରତେକ ଦକ୍ଷିଣେ ଅହିବ୍ରତେ ଲଖେଂ ।୪୮।
ୟେତେକ ରାଜା ବସଇ ସତ୍ୟଯୁଗକଇଂ ପୃଥୀ
ଆନନ୍ଦେ ଅଇଲେ ସକଳ ଦେଶର ନୃପତି ।୪୯।
ଅନେକ ଭୂଷଣ ହୋଇଣ ସର୍ବରାୟେ
ପ୍ରବେଶ ହୋଇଲେ ଆସି ସୟଂବର ସଭାୟେ ।୫୦।
ବଡ଼ାଇ ସମ୍ଭର୍ବ ଅଟେ ନଗ୍ରେ ନଇଷଧ
ଢୋଲ ବିଜିଘୋଷ ଦମା ବାଜଇ ବିବିଧ ।୫୧।
ଉଚ୍ଛବ ଦେଖିତେ ନାରଦେ ପ୍ରବେଶି
ଦେଖିଲା ଭୀମେକ ଯେ ବିଜୟେ ବ୍ରହ୍ମଋଷି ।୫୨।
ନାରଦଂକ ପାଦେ ଆସି କଲେ ଦିବ୍ୟପୂଜା
ଆସନ ପାଦ୍ୟାସନରେ ପୂଜି ମହାରାଜା ।୫୩।
ସୁବର୍ଣ୍ଣ ଆସନେ ବିଜୟେ ବ୍ରହ୍ମଋଷି
କିସ ଉଛବ ବୋଲି ମୁନି ସଭାରେ ପ୍ରକାଶି ।୫୪।
ବୋଲଇ ଭୀମେକ ଶୁଣିମା ମହାଯତି
ଦୋହିତାର ନାମ ମୋର ଅଟଇ ଦମୟନ୍ତୀ ।୫୫।
ତାହାକଇଂ ବର ମୁଂ ଯେ ନପାଇଲି ସରୂପେ
ସୟଂବର କଲି ମୁହିଂ କନ୍ୟାର ଅନରୂପେ ।୫୬।
ନାରଦେ ଦେଖିଲେ ଯେ ଦମୟନ୍ତୀର ମୂରତୀ
ଆକାଶ ଅପର୍ଣ୍ଣା ୟେ ନ ଯୋଗାଇ ଭୂଅପତି ।୫୭।
ତତକ୍ଷଣେ ମହାତମା ଗଲେ ଅନ୍ତରୀଚ୍ଛେ
ଅମର ସ୍ୱର୍ଗେ ଯାଇଂ କହିଲେ ସହସ୍ରାକ୍ଷେ ।୫୮।
ଆହୋ ସୁରନାଥ ମଧ୍ୟପୁରେ ନଇଷଧ ଦେଶେ ଭୀମେକ ଚକ୍ରବ୍ରତୀ
ଅଶ୍ୱସେନ ନଳନ ସେ କାର୍ତ୍ତିକସେନ ନାତି ।୫୯।
ଦମୟନ୍ତୀ ବୋଲିକରି ତାହାର ଦୁଲଣୀ
ତୋତେ ଅଭିଷେକ ଯୋଗାୟେ ବଜ୍ରପାଣି ।୬୦।
ରାଜାନ୍ତ ନିମନ୍ତ୍ରଣ ସେ କରିଛି ସ୍ୱୟଂବର
ରମ୍ଭା ସହିତେ ତାକୁ ନୋହିବ ପଟାନ୍ତର ।୬୧।
ସ୍ତିରୀ ବଶେ ସମର୍ଥ ସେ ଅଟଇ ମଘବା
ମାତଳିକି ବୋଇଲେ ପୁଷ୍ୟେକ ସାଜ ବହନ ହୋଇଯିବା ।୬୨।
ଇନ୍ଦ୍ରକୁ ଚଳାଇ ସେ ନାରଦେ ଗଲେ ବେଗେ
ଦମୟନ୍ତୀ ବାରତା କହିଲେ କୁବେରର ଆଗେ ।୬୩।
ତୋହୋର ଅଳକାକୁ ସେ ଖଟଇ ଯୁଗତି
ପାରୁ ଯେବେ ଘେନିଆସ ଆହୋ ଧନପତି ।୬୪।
ଶୁଣିଣ କୁବେର ଯେ ହୋଇଲେ ଆରତ
ତତକ୍ଷଣେ ଆରୋହିଲେ କଣୟ ନାମେ ରଥ ।୬୫।
କୁବେରଂକୁ ଚଳାଇ ସେ କଳହପ୍ରିୟ ମୁନିବର
ଦମୟନ୍ତୀର ରୂପ ଗୁଣ କହିଲେ ଅଗ୍ନିଦେବତା ଆଗର ।୬୬।
ଆହୋ ବଇଶ୍ୟାନର ତୁମର ତେଜେ ସଂସାର ହୋୟେ ଦହି
ଦମୟନ୍ତୀ ରୂପ ତେଜକୁ ତୋହୋର ତେଜ କାହିଂ ।୬୭।
ନାରଦଂକ ବାକ୍ୟରୁ ୟେସନେକ ବାକ୍ୟ ଶୁଣି
ଅନଳ ଦେବତା ବିଜେକଲେ ତତକ୍ଷଣି ।୬୮।
ଅଗ୍ନିଂକି ଚଳାଇ ସେ କଳହପ୍ରିୟ ଋଷି
ବରୁଣ ଦେବତା ଆଗେ କହିଲେ ବେଗେ ଆସି ।୬୯।
ୟେ ଜଳଦ ଭୁବନେ ତୁ ଅଟୁ ଆଧିପତି
ୟେ ପୁରକଇଂ ଅଳଂକାର ଅଟଇ ଦମୟନ୍ତୀ ।୭୦।
ବରୁଣ ବାହାର ହୋଇଲେ ନାରଦଂକ ବୋଲେ
ତ୍ରିବେଣୀ ଗଂଗାକୂଳେ ଚାରିହେଂ ଭେଟହେଲେ ।୭୧।
ଚାରିଦିଗପାଳେ ଯେ କହନ୍ତି ହରଷେ
ସବୁଂକରି ଆଗତ ହୋଇଲା ଦମୟନ୍ତୀ ଆଶେ ।୭୨।
ୟେକକୁ ଆରେକ ରୂପ ଧରନ୍ତି ଦିଗପାଳେ
ୟେମନ୍ତର ସମୟେ ସୟଂବରକୁ ଯାନ୍ତେ ଭେଟିଲେକ ନଳେ ।୭୩।
ଦେବତାଂକର ସାଦ୍ରିଶେ ସେ ନଳର ତେଜ କାୟେ
ସରୂପେ ଦିଶଇ ସେ ଯେ ଦିଗପାଳ ପ୍ରାୟେ ।୭୪।
ଇନ୍ଦ୍ର ପୁଚ୍ଛାକଲେ ତୁମ୍ଭେ ଯାଉଛ କାହିଂକି
ନଳ ବୋଇଲେ ଯାଉଛି ଦମୟନ୍ତୀ ସୟଂବର ଦେଖି ।୭୫।
ଇନ୍ଦ୍ରଦେବତା ବୋଇଲେ ନଳକୁ ୟେକାନ୍ତରେ ରାଇ
ଦମୟନ୍ତୀରେ ତହିଂକି ଯାଅ ଆମ୍ଭର ଦୂତ ହୋଇ ।୭୬।
ମୁହିଂ ଦେବରାଜା ହାଦେ ଅମର ସ୍ୱର୍ଗ ଆଧିପତି
ସଭାରେ ମୋତେ ବରଣ କରିବ ଯେମନ୍ତେ ଦମୟନ୍ତୀ ।୭୭।
ଅଗ୍ନିଦେବତା ବୋଇଲେ ନଳକଇଂ ୟେକାକରି
ଆମ୍ଭର ରୂପଗୁଣ କହ ଦମୟନ୍ତୀକି ବିଚାରି ।୭୮।
ଆମ୍ଭନ୍ତ ବରୁ ସେ ସୟଂବର ଥାନେ
ଅନେକ ଭୋଗ ତାକୁ କରାଇବୁ ପ୍ରତିଦିନେ ।୭୯।
କୁବେରହିଂ ୟେକାନ୍ତେ ରାଇ କହିଲେ ନଳକୁ
ଯେମନ୍ତେ ପାର ଦମୟନ୍ତୀ ଭେଟାଅ ଆମ୍ଭଂକୁ ।୮୦।
ମୁହିଂ ସେ ଦେବଭଣ୍ଡାର ରକ୍ଷାପାଳ ସ୍ୱର୍ଗେ
ଆମ୍ଭନ୍ତ ବରିଲେ ସେ ପାଇବ ବଇଭୋଗେ ।୮୧।
ବରୁଣହିଂ ନଳକୁ ୟେକାନ୍ତେ ପ୍ରତିବାଦେ
ଆମ୍ଭର ରୂପଗୁଣ ଦମୟନ୍ତୀକି କହ ବାବୁ ହାଦେ ।୮୨।
ମୁହିଂ ସେ ବାରାନିଧି ଠାକୁର ରତ୍ନାକର
ଦମୟନ୍ତୀର ରୂପକଇଂ ଯୋଗାଇ ମୁହିଂ ବର ।୮୩।
ଇନ୍ଦ୍ର ଦେବତାକଇଂ ବରିଲେ କିଛି ସୁସ୍ଥ ନାହିଂ
ଅପଛରୀନ୍ତ ରମଣେ ସେ ଦମୟନ୍ତୀ ଯାୟେ କାହିଂ ।୮୪।
କୁବେରର ଭାରିଯା ଯେ ଅଟଇ ହାରାବତୀ
ଆନ ଭାରିଯାକୁ ସେ ଯାଇ ନ ଦିଅଇ କତି ।୮୫।
ଅଗ୍ନି ଦେବତାଂକର ଲୁଦୁବୁଦୁ ବ୍ୟାଧି
ସ୍ତିରୀ ରମଣେ ତାଂକର ନ ବଳଇ ବୁଦ୍ଧି ।୮୬।
ମୋତେ ଦମୟନ୍ତୀ ଯେବେ ଭେଟାଇ ପାରୁ ନଳ
ହୃଦଗତେ ଦିଲେ ତାର ମୋହନ ମଣିପାଳ ।୮୭।
ଇନ୍ଦ୍ର ଦେବତା ଦିଲେ ତିମିର ବିଦାରଣ ମଣି
ସ୍ତିରୀବଶ୍ୟ ଅଞ୍ଜନ ଅଗ୍ନିଦେବତା ଦିଲେ ଆଣି ।୮୮।
କୁବେର ଦେବତା ଦିଲେ ମୋହନ ଉଲ୍ଲୁକ ବିଦ୍ୟା
ଚିରାଞ୍ଜନ କାଳକୁ ସେ ରହିଲା ସର୍ବଦା ।୮୯।
ନଳ ବୋଇଲା ସମସ୍ତ ଦେବତାନ୍ତ ପରିଣାମି
ପୁରୁଷ ହୋଇ କେନେହେ ସ୍ତିରୀଂକ ପୁତ ହୋଇବି ଦେବସ୍ୱାମୀ ।୯୦।
ନଳ ବୋଇଲା ନ ଗଲେତ ନାଶଯିବି ତୁମ୍ଭର କୋପେ
ପୁରୁଷ ହୋଇ ସ୍ତିରୀଦୂତ ହୋଇଲେ ପଡ଼ିବି ଜୀର୍ଣ୍ଣକୂପେ ।୯୧।
ପୁଣ ପୁଣ ବୋଇଲେ ସେ ବୀରସେନର ଶିଷି
ସୂଚୀ ମାଛି ପରୀକ୍ଷ ଭୂମିରେ ପାରିବି କି ପଶି ।୯୨।
ଦେବତାୟେ ବୋଇଲେ ନଳ ତୁ ୟେମନ୍ତ କିଂପେ କହୁ
ଅଥବା ପାପକରୁ କି ପୁଣ୍ୟକରୁ ଆମ୍ଭେହେଂ ଆମ୍ଭେ ସର୍ବ ସହୁ ।୯୩।
ଦଧିବାବନ ସୁମରି ତୁ କର ଯା ଗବନ
କାର୍ଯ୍ୟ ସିଦ୍ଧି ହେଲେ ସିନା ଜାଣିମା ଆମ୍ଭର ମହିଂମାମାନ ।୯୪।
ଦେବତାଂକର ବଚନେ ସେ ଚଳଇ ସୂର୍ଯ୍ୟବଂଶୀ
ପୁଣି ବୋଇଲା ମୁଂ ରାଜପୁରେ ପାରିବି ଟିକି ପଶି ।୯୫।
ଅଗ୍ନିଦେବତାୟେ କହିଲେ ଉଲ୍ଲେକ ଯେ ବିଦ୍ୟା
ତୁ ସର୍ବ ଦେଖିବୁ ତୋତେ କେହି ନ ଦେଖିବେ ସର୍ବଦା ।୯୬।
ବରୁଣ ଦେବତା ଦିଲେ ପାଦୁକା ମନ୍ତ୍ର ମଉଷଧି
ନବଦୀପ ପୃଥୀ ତୁ ବୁଲିବୁ ୟେକପାଦୀ ।୯୭।
ଇନ୍ଦ୍ର ଦେବତାୟେ ଦିଲେ ଗୁଟିକା ଅଞ୍ଜନ
ୟେହା ଘେନି ଚାହିଂଲେ ଦିଶିବ ସମସ୍ତ ଭୁବନ ।୯୮।
କୁବେର ଦେବତାୟେ ବୋଇଲେ ମୋହନ ବିଦ୍ୟାଗୋଟି
ତତକ୍ଷଣେ ନଳରାଜା ବହନେ ଗଲା ତହୁଂ ଉଠି ।୯୯।
ୟେକା ପାଦକରେ ଯାଇଂ ପଶିଲା ଅନ୍ତେଶ୍ୱର ପୁରେ
ଦମୟନ୍ତୀକି ଭେଟିଲା ସୁବର୍ଣ୍ଣ ମେଢ଼ରେ ।୧୦୦।
ନଳର ନିମନ୍ତେ ବିରହିତା ବରାଂଗନେ
ବିଚାରଇ ନଳକୁ କେମନ୍ତେ ଦେଖିବି ନୟନେ ।୧୦୧।
ୟେସନେକ ବିକଳ ହୁଅନ୍ତେ ଦମୟନ୍ତୀ
ସନିଧ୍ୟରେ ନଳ ଯାଇଂ ଭେଟିଲାକ ଧାତି ।୧୦୨।
ଅଦଭୁତ ପୁରୁଷ ଦେଖି ପଚାରଇ ବାଳୀ
କେବଣ ଦିଗପାଳେ ହେ ତୁମେ ମନର ହିଆଳି ।୧୦୩।
ବୋଲଇ କୁମର ମୁହିଂ ସେ ହାଦେ ଅଟଇ ନଳ
ଦମୟନ୍ତୀ ବୋଇଲା ମୋହୋର କାର୍ଯ୍ୟ ତ ସୁଫଳ ।୧୦୪।
ଯେବଣ ରୂପ ଗୁଣ ତୋର କହିଲାକ ହଂସୀ
ତହୁଂ ଶତେ ଗୁଣରେ ତ ତେଜ ପରକାଶି ।୧୦୫।
ଶ୍ରୀକରେ ଘେନିଲା ନୀଳଉତ୍ପଳ ମାଳା
ନଳକୁମର ସନ୍ନିଧ୍ୟେ ପ୍ରବେଶ ଅବଳା ।୧୦୬।
ନଳ ବୋଇଲା ଦେବୀ ଗୋ ନ ବରନି ମୋତେ
ଦେବସ୍ତିରୀ ଅପର୍ଣ୍ଣା ହୋଇବୁ ମୋତେ ବରିବୁ କେମନ୍ତେ ।୧୦୭।
ତୋହୋର ନିମନ୍ତେ ଇନ୍ଦ୍ର କୁବେର ବରୁଣ ଅଗ୍ନି
ମୁହିଂ ହାଦେ ଆସିଅଛି ତାହାଂକର ସମସ୍ୟାନ୍ତ ଘେନି ।୧୦୮।
ଚାରିଦିଗପାଳେ ବିଜୟେ ସୟଂବରେ
ତାହାକଇଂ ବରିବୁ ଗୋ ନ ଇଛ ମୋହୋରେ ।୧୦୯।
ଦମୟନ୍ତୀ ବୋଲେ ମୋହୋର ଦେବେ କାର୍ଯ୍ୟ ନାହିଂ
ହଂସିନୀ ଯେବଣ ଦିନୁଂ ଗଲା ମୋତେ କହି ।୧୧୦।
ସେହିଦିନୁ ସଂକଳପ କରି ମୋର ଦେହୀ
ନଳ ବ୍ୟତ୍ରକେ ମୋର ଆନଗତି ନାହିଂ ।୧୧୧।
ଦମୟନ୍ତୀ ବୋଇଲେ ମୁହିଂ ହୋଇଲଇଂ ଯେ ରୋଗୀ
ତୁହି ସେ ମୋତେ ମଉଷଧି ଗାରେଡ଼ି ପରମ ଯୋଗୀ ।୧୧୨।
ନଳରାଜା ବୋଇଲେ ତୁ ମୁକୁଇ ବରିଲେ
ମୁହିଂ ବ୍ରତଇକି ଦେବତାଂକି କୋପକଲେ ।୧୧୩।
ଦମୟନ୍ତୀ ବୋଇଲେ ମୋହୋର ଯେହ୍ନେ ମନବାଞ୍ଚ୍ଥା
କିସ କରିବେ ଦିଗପାଳେ ତୋହୋରେ ମୋହୋର ଯେ ଇଛା ।୧୧୪।
ତୁହୋ ନଳରାଜା ଦେବତାଂକ ମେଳେ ଥିବୁଟିକି ରହି ।
ମୁହିଂ ମାଳାଗୋଟିୟେ ଦେଇ ବରିବି ତୁକୁଇ ।୧୧୫।
ଦମୟନ୍ତୀର ନିରାଶେଂ ବାହୁଡ଼ିଲେ ନଳ
ସୟଂବରେ ବିଜେକରି ଅଛନ୍ତି ଚାରି ଦିଗପାଳ ।୧୧୬।
ଦେବତାଂକ ସନ୍ନିଧ୍ୟେ ଯାଇଂ ନଳ ପରିଣାମି
ସାବଧାନେ ମୋହୋର ବାରତା ଶୁଣିମା ଦେବସ୍ୱାମୀ ।୧୧୭।
ଦମୟନ୍ତୀକି ଭେଟିଲେ ମୁହିଂ ତୁମ୍ଭର ନିମନ୍ତେ
ତୁମ୍ଭକଇଂ ଛାଡ଼ିଣ ସେ ଇଛଇ ହାଦେ ମୋତେ ।୧୧୮।
ଅଥବା ଯଦ୍ୟପି ଆସିଣ ବରିବ ହାଦେ ମୋତେ
ତୁମ୍ଭେ ତାଂକୁ ଘେନିଯିବ ବାହୁବଳ କୃତେ ।୧୧୯।
ଦେବତାୟେ ବୋଇଲେ ତୁ ଥାଅସି ଆମ୍ଭର କତି
ତୋହୋର ନିମନ୍ତେ ଅଇଲେ ଆମ୍ଭେ ହରିବୁ ଦମୟନ୍ତୀ ।୧୨୦।
ଦିଗପାଳମାନଂକର ରୂପ ଯେ ରାଜାମାନେ ଦେଖି
ବାହୁଡ଼ି ଯାଇଂ ଲୋଡ଼ନ୍ତି ସୟମ୍ୱର ଉପେକ୍ଷି ।୧୨୧।
ବୋଲଇ ମାନବ ଅବତାର ନୋହଇ ୟେହାଂକର ତନୁ
ବୃନ୍ଦାଅର୍କ ପ୍ରାୟେ ଶରୀର ଦିଶନ୍ତି କୃଶାନୁ ।୧୨୨।
ତାହାଂକର ସଂଗତେ ଦେଖ କୁମାର ନଳ
ସେହି ସେ ଦିଶୁଅଛି ସରୂପେ ଦିଗପାଳ ।୧୨୩।
ଶୁଣ ହୋ ଯୁଝେଷ୍ଠି ବଦୟନ୍ତି ପାରାଶରି
ନଳ କାରଣ ପାଇଲା ମହତ ଦ୍ରଶନ କରି ।୧୨୪।
ଜୟତୁ ବାସବେ ଋଚିର ଦିବ୍ୟରୂପ
କାମେନୀ ମନସିଜ ମୋହନ କନ୍ଦର୍ପ ।୧୨୫।
ଅମର ବିଳାସୁଣୀ ଯେ ଚଉଷଠି କୋଟି
ୟେକା ପୁରୁଷକେ ୟେତକ ଦର୍ପ ଘୋଟି ।୧୨୬।
କୋଟିୟେ ବ୍ରହ୍ମାଣ୍ଡର ସେ ଋଚିର ମୋହିନୀ
ପରଦାରା ଅର୍ଥେ କରି ହୋଇଲୁ ସସ୍ରଯୋନି ।୧୨୭।
କାମ୍ୟେକ ପୁରୁଷ ପରଦାରା ରଂଗରସେ ଭୋଳା
କଉତୁକେ ତୁ ଯେ ରମୁ ସ୍ତିରୀଲିଂଗ କୁତୂହୋଳା ।୧୨୮।
ୟେକା ଧରଣକେ ସହସ୍ରେ ନାରୀ ରମୁ
ଦିବାରାତ୍ରେ ସ୍ୱାମୀ ସ୍ତିରୀରସେ ଭ୍ରମୁ ।୧୨୯।
କୋଟିୟେ ବ୍ରହ୍ମାଣ୍ଡର ନାଥ ଅଭୟେ ବିଡ଼ୋଜା
ଅନନ୍ତ ଅରବିନ୍ଦ ଅମର ଅସକନ୍ଦ ଦେବରାଜା ।୧୩୦।
ଯାହାର ବଚନେ ଚଳନ୍ତି ମେଘାଦି ପବନେ
ଜମ୍ଭୋଦତ୍ୟ ନିଶୋଧନ ଅମରାଧି ନାଥ ମଘବାନେ ।୧୩୧।
ବୃନ୍ଦାଅର୍କ ନାଥ ଚରଣେ ଶରଣ ଅନବ୍ରତେ
ତବ ଭୁବନ ମାଗଇ ବିନୟ ଯୁଗତେ ।୧୩୨।
ଶଚୀର ବଲ୍ଲଭ ତବ ପଦ୍ମପାଦେ ମମ ହୃଦ ଧ୍ୟାୟେ
ଶୂଦ୍ରମୁନି ସାରୋଳା ଦାସ ନମାମି ଦେବରାୟେ ।୧୩୩-୧୧୮୯।
ଦମୟନ୍ତୀ ସ୍ୱୟମ୍ୱର, ନଳ ଓ
ଦମୟନ୍ତୀଙ୍କ ବନବାସ ଏବଂ ବିଚ୍ଛେଦ
ବଦୟନ୍ତୀ ବେଦବ୍ୟାସ ବାବୁ ଶୁଣ ଯୁଝେଷ୍ଠିର
ଦମୟନ୍ତୀକି ଭୀମେକ ଆଣିଲା ସୟମ୍ୱର ସଭାର ।୧।
ବୋଇଲା ଗୋସାଇଂ ୟେହାର ପାଇଂ ମୁଂ ବରିଲି ନୃପତି ସବୁନ୍ତି
ୟେ ମୋହୋର ଦୁହିତା ଯେ ଅଟଇ ଦମୟନ୍ତୀ ।୨।
ୟେ ହାଦେ ଯାହାକଇଂ କରଇ ମନବାଞ୍ଚ୍ଥା
ମାଳାଦେଇ ବରିବ ୟେ ଯାହାକଇଂ ଇଚ୍ଛା ।୩।
ବିମଳା ନାମେଣ ଯେ ଦମୟନ୍ତୀର ମୁଦୁସଲୀ
ରାଜାଂକର ରୂପ ଗୁଣମାନ କହିଲା ନିରୋଳି ।୪।
ଗୁଣବନ୍ତ ଧନବନ୍ତ ଧାର୍ମିକ ବଳବନ୍ତ
ଯେ ଯେତେମାନେ ସକଳେ ପ୍ରାକର୍ମେ ଶକତ ।୫।
ଦେଖାନ୍ତେ କେହି ନ ରୁଚଇ ତାହାର ହୃଦୟ ବିକଳ
ଉପଲେସି ଚଉକତି ନିରୋପଇ ନଳ ।୬।
ଉତ୍ତର ଦକ୍ଷିଣ ପୂର୍ବ ପଚ୍ଛିମ ନୃପତି
ବ୍ରହ୍ମ କ୍ଷତ୍ରିୟ ବଇଶ୍ୟ ଶୂଦ୍ର ଚାରିଜାତି ।୭।
ରାକ୍ଷସ ପିଚାଶ ଯେ ଅସୁର କିରାତ
ବିମଳା ମୁଦୁସଲୀ ଦେଖାଇଲା ସମସ୍ତ ।୮।
କେଉଣହିଂ ରାଜାକଇଂ ନୋହିଲା ତାର ଇଚ୍ଛା
ୟେକାମାତ୍ର ନଳକଇଂ ହୃଦଗତେ ବାଞ୍ଚ୍ଥା ।୯।
ଈଶାନଭାଗେ ବିଜୟେ ବୃନ୍ଦାଅର୍କେ
ନଳକଇଂ ଦେଖିଲା ଦେବୀ ତାହାଂକ ସମୀପେ ।୧୦।
ଶ୍ରୀଭୁଜେ ସୁନ୍ଦରୀ ଘେନିଣ ରତ୍ନମାଳୀ
ବୋଇଲା ପାଇଲି ସ୍ୱାମୀ ମୋର ମନରୁ ହିଆଳି ।୧୧।
ଦିଗପାଳଂକ ସନ୍ନିଧ୍ୟେ ଆସଇ ସୁନ୍ଦରୀ
ମୁକୁଇ ବରିବ ବୋଲି ଇନ୍ଦ୍ର ମନରେ ବିଚାରି ।୧୨।
କୁବେର ବିଚାରଇ ମୁହିଂ ଅଟଇ ଧନାଧି
ମୁକୁଇ ବରିବ ନିଶ୍ଚେ ସେ ଯୁବତୀ ରତ୍ନନିଧି ।୧୩।
ବରୁଣ ବୋଇଲା ମୁଂ ଜଳଧିପତି ରାଜା
ଯୁଗତେ ୟେହି ମୋର ହୋଇଲା ଭାରିଜା ।୧୪।
ଅଗ୍ନିଦେବତାୟେ ବିଚାରନ୍ତି ଆମ୍ଭେ ତ୍ରଇଲୋକ୍ୟର ଗୁରୁ
ବିଚାରଇ ଦମୟନ୍ତି ଆଜ ଆମ୍ଭନ୍ତ ହିଂ ସେ ବରୁ ।୧୫।
ୟେସନେକ ବିଚାରି ଦେବତାୟେ କରନ୍ତି ମନୋବାଞ୍ଚ୍ଥା
ନଳକୁମାର ବ୍ୟତ୍ରକେ ତାର ଆନ ନାହିଂ ଇଚ୍ଛା ।୧୬।
ଦେବତାୟେ ଜାଣିଲେ ଦମୟନ୍ତୀର ପ୍ରକୃତି
ବିଚାରି ଦିଗପାଳ ହୋଇଲେ ନଳମୃତ୍ତି ।୧୭।
ପଞ୍ଚପୁରୁଷସବାରେ ଦେଖିଲାକ ବାଳୀ
ନଳ କେହୁ ବୋଲି କରି ବାରିତ ନୁଆରି ।୧୮।
ଦମୟନ୍ତୀ ପ୍ରଣ୍ୟପତ୍ୟ ଦେବତାଂକ ପଦ୍ମପାୟେ
ନଳକୁ ହାଦେ ପ୍ରାପତ ମୋତେ କରିବା ଦେବତାୟେ ।୧୯।
ଦେବତାୟେ ବୋଇଲେ ତୋହୋର ମନର ହିଆଳି
ଅନରୂପ ଦେଖି ଦେଉନିକା ପୁଷ୍ୟମାଳୀ ।୨୦।
ଦମୟନ୍ତୀ ବୋଇଲା ମୁଂ ଅଟଇ ମାନବୀ
ମାନବୀ ହୋଇ କେମନ୍ତେ ଦେବତାନ୍ତ ବରିବି ।୨୧।
ତୁମ୍ଭର କଷଣକୁ ମୁହିଂ ଯେ କିସ କ୍ଷମ
ସଦୟ ଭୂତନାଥ ମୁକୁ ଉଦୟେ କର ଧର୍ମ ।୨୨।
ଅନେକ ବିନୟୀ ସେ କ୍ରୋଧେଣ ଦମୟନ୍ତୀ
ବଇକୁଲ୍ୟ ଦେଖିଣ ଦେବତାୟେ ହୋଇଲେକ ଶାନ୍ତି ।୨୩।
ଯେ ଯାହାର ରୂପ କଲେକ ନିଉନ
ନଳରୂପ ଦିଶିଲା ସବୁହୁଂ ବିତପନ ।୨୪।
ଶ୍ରୀକରେ ସୁନ୍ଦରୀ ଘେନିଲା ରତ୍ନମାଳ
ସନ୍ନିଧ୍ୟେ ଭେଟାଇଲା ଯାଇ ପୁରୁଷସୁନ୍ଦର ନଳ ।୨୫।
ନଳ ବୋଇଲେ ଗୋସାଇଂ ତୁମ୍ଭେ ବିଜେକର ସ୍ୱର୍ଗେ
ତେବେ ସେ ବରଣମାଳା ଘେନି ପାରଇ ଯୋଗେ ।୨୬।
ନଳର ବଚନେ ଅଦୃଶ୍ୟ ହୋଇଲେ ବୃନ୍ଦାଅର୍କେ
ଶୂନ୍ୟେଣ ଥାଇ ଦେଖନ୍ତି ସର୍ବ ଦେବଲୋକେ ।୨୭।
ଦେଖିଣ ସାନନ୍ଦ ଯେ ଭୀମେକର ବାଳୀ
ନଳର କଣ୍ଠେ ନେଇ ଦିଲାକ ରତ୍ନମାଳୀ ।୨୮।
ଯହୁଂ ନଳକୁମାରକୁ ବରିଲା ଦମୟନ୍ତୀ
ଦେଖିଣ ହରଷ ହୋଇଲେ ସକଳ ନୃପତି ।୨୯।
ଅନେକ ସାନନ୍ଦ ସେ ଭୀମକ ମହାଦେବା
ବଡ଼ାଇ ସମ୍ଭର୍ବେ ନଳ ଦମୟନ୍ତୀକି କରାଇଲେ ବିଭା ।୩୦।
କନ୍ୟାକଇଂ ଘେନିଣ ନଳ ଚଳଇ ନିଜଦେଶେ
ପୁରଜନମାନେ ମିଳି ଦେଖନ୍ତି ହରଷେ ।୩୧।
ନଳ ଦମୟନ୍ତୀ ଯେ ହୋଇଲେ ୟେକଯୋଗ
ବିଳସଇ ସୁନ୍ଦରୀ କରଇ ବଇଭୋଗ ।୩୨।
ୟେସନେକ ସମୟେ ଦମୟନ୍ତୀ ସୟଂମ୍ୱର ଶୁଣି
ତ୍ରେତୟା ଦ୍ୱାପର କଳି ସତ୍ୟଯୁଗେ ଘେନି ।୩୩।
ସେହି ଆସୁଛନ୍ତି ଦମୟନ୍ତୀଂକି କରି ଇଚ୍ଛା
ପବନହୁଂ ବେଗକରି ଆସନ୍ତି କଇଚ୍ଛା ।୩୪।
ଯାଆନ୍ତେଣ ଚାରିଯୁଗେ ଇନ୍ଦ୍ର ତାଂକୁ ଦେଖି
ବୋଲନ୍ତି ଚାରିହେଂ ତୁମ୍ଭେ ଗବନ କରୁଛ କାହିଂକି ।୩୫।
ପୁଷ୍କର ବୋଇଲେ ଧ୍ୟାୟେ ଯିବୁ ମଧୁପୁର
ଦମୟନ୍ତୀ ହରିବୁ ଆମ୍ଭେ ପଶିଣ ସୟଂବର ।୩୬।
ଇନ୍ଦ୍ର ବୋଇଲେ ଥିଲୁ ଆମ୍ଭେ ଚାରିଦିଗପାଳେ
ଆମ୍ଭକଇଂ ଛାଡ଼ିଣ ସେ ବରିଲାକ ନଳେ ।୩୭।
କନ୍ୟା ବିଭା ହୋଇଲାକ ନଳ ଯେ ନୃପତି
ନଇଷଧ ଦେଶେ ସେ ବିଳସଇ ଦମୟନ୍ତୀ ।୩୮।
ଶୁଣିଣ କୋପ କଲେ ଯୁଗ ଯେ ଚାରି
ଆମ୍ଭନ୍ତ ନ କହି କିଂପେ ସୟଂବର କରି ।୩୯।
ଆମ୍ଭେ ସେ ଭୂଅପାଳ ଚାରିଯୁଗ ଅଟୁଂ
ବିହନ୍ତା ପୁରୁଷ ଆମ୍ଭେ ଲୋକପାଳେ ଖଟୁଂ ।୪୦।
ଆମ୍ଭନ୍ତ ନ ବରି କେହ୍ନେ କଲାକ ସୟଂବର
ଆବର କିସ କଥା ରହିଲା ଆମ୍ଭର ।୪୧।
ଚାଲ ଆମ୍ଭେ ହରିବା ୟେବେ ନଳର ସଂପଦ
ଯେମନ୍ତେ ପାରି ଆମ୍ଭେ କରିବା ପ୍ରମାଦ ।୪୨।
ଇନ୍ଦ୍ର ବୋଇଲେ ନଳ ଧାର୍ମିକ ସତ୍ୟବାଦୀ
ଦାନ ଧର୍ମେଣ ସେ ସକଳ ସଂପାଦି ।୪୩।
ଯୁଗ ପୁରୁଷ ବୋଇଲେ ନ ଜାଣ କି ତୁମ୍ଭେ
ଧର୍ମେଣ କଷଣ ଯେ କରିଥାଉଂ ଆମ୍ଭେ ।୪୪।
ଇନ୍ଦ୍ର ବୋଇଲେ ତୁମ୍ଭେ ବିହନ୍ତା ପୁରୁଷ
ଆମ୍ଭର ବୋଲକର ଧର୍ମ ନ କର ନାଶ ।୪୫।
ଦେବତାଂକ ବଚନେ ସେ ନ କଲେ ବଇରାଗ
ନଇଷଧ ଦେଶକୁ ସେ ଚଳିଗଲେ ବେଗ ।୪୬।
ଚାରିଯୁଗ ଯାଇଂ ରହିଲେ ଗୁପତେ
ନଳରାଜାକଇଂ ଛିନ୍ଦ୍ର ଘେନିମା ନିମନ୍ତେ ।୪୭।
କହନ୍ତି ବ୍ୟାସମୁନି ଯେ ଶୁଣ କୁନ୍ତୀସୁତ
ବଡ଼ାଇ ଧର୍ମବନ୍ତ ଯେ ନଳକର ନାଥ ।୪୮।
ପୁତ୍ରହୁଂ ସ୍ନେହକରି ପାଳଇ ଜନପ୍ରଜା
ମାଣେକ ଭୂମିରେ ସେ ଚିନାୟେ ଘେନଇ ସଂଜା ।୪୯।
ଅତିଥି ଅଭ୍ୟାଗତେ କରଇ ରାଜା ଭୟେ
ଦୁଖୀ ଲୋକଇଂ ଦେଖିଲେ ଅହର୍ନିଶି ସଦୟେ ।୫୦।
ମାଗନ୍ତା ଜନେ ସେ , ଯେ ଯାହାର ଇଚ୍ଛା
ଦିଅଇ ନରନାଥ ପୂରୋଇ ମନବାଞ୍ଛା ।୫୧ ।
କୋଟିୟେ ହୋମ ଯାଗ ଅହନଶି ଆହୁତି
ଦେବ ବିପ୍ରେ ରାଜା ଅହନଶି ଭଗତି ।୫୨ ।
ଯେଣେ କାର୍ଯ୍ୟ ହୋଇବ କିଣଇ ଧନ ଦେଇ
କିଞ୍ଚିତ ପଦାର୍ଥ କଇଂ ବଳାତ୍କାର ନାହିଂ ।୫୩ ।
ମିଥ୍ୟା ନ ଭାଷଇ ପରସ୍ତିରୀରେ ନାହିଂ ମତି
ୟେକାପତ୍ନୀ ତାହାର ଅଟଇ ଦମୟନ୍ତୀ ।୫୪ ।
ଅପୂର୍ବ ପଦାର୍ଥମାନ ରାଜା ଦମୟନ୍ତୀ କି ଦେଇ
ଅତିଥେ କଷଣ ହୋଇବ ବୋଲି ଯତନେ ଥୋଇ ଥାଇଂ ।୫୫ ।
ରାତ ପ୍ରହରେ ଥାଉଂ ସାରଇ ନିତ୍ୟକର୍ମ
ଧାର୍ମିକ ପଣେ ତାର ନାହିଂ ନା ବିଶ୍ରାମ ।୫୬ ।
ଯଦ୍ୟପି କରିବେ ଜନେ ଅନେକ ଅପ୍ରାଧ
ତଦ୍ୟାପିହିଂ ରାଜ୍ୟେ ତାର ନାହିଂନା ଶିରଚ୍ଛେଦ ।୫୭ ।
ଅନୁବ୍ରତେ ଧାର୍ମିକ ରାଜାର ବଡ଼ାଇ ମହିମାଂ
କଷଣ ପୁରୁଷେ ପଶିତ ନୁଆରଇ ସୀମା ।୫୮ ।
ଅନେକ ଥାନେ ଜଗିଥାନ୍ତି ଅନୁବ୍ରତେ
ୟେ କିଛିହିଂ ଛିଦ୍ରେ ନୁଆରିଲେ ଦ୍ୱାଦଶ ବରଷ ପରିଯନ୍ତେ ।୫୯ ।
ଦେଖିଲେ ରାଜାର ପଶାଖେଡ଼େ ବଡ଼ ସ୍ରାଗ
କ୍ଷିଦ୍ର ଜାଣି ତହିଂ ବିଶ୍ରାମିଲେ ଚାରିଯୁଗ ।୬୦ ।
ତୁଳକୃଷ୍ଣ ଦଶମୀ ଦିନ ରାଜା ସ୍ରାହାନ କରି ଅଇଲା
ପାଦ ଶଉଚ ନ କରି ରାଜା ଆଂଚୋବନ କଲା ।୬୧ ।
କ୍ଷୁଧାର ଆରତେ ସେ ନଳ ମହାରାଜା
ଅଳପ ମାତ୍ର କଲା ସେ ଛଡ଼ଅର୍ଘ୍ୟ ପୂଜା ।୬୨ ।
ଆଂଚୋବନ କାଳେ ରାଜା ଉତ୍ତରକୁଇଂ ମୃତ୍ତି
କ୍ଷିଦ୍ରପାଇ କଳିକାଳ ପଶିଲା ଗର୍ଭେ ଝାତି ।୬୩ ।
ଅନୀତି କର୍ମେ ରାଜାର ବଳିଲାକ ଆଶା
ନଶନ୍ତକାଳେ ରାଜା ଖେଳନ୍ତି ଜୂଅ ପଶା ।୬୪ ।
ନଳ ବୋଇଲା ଗୋ ପଶା ଖେଳିବା ଦମୟନ୍ତୀ
ଭାରିଯାର ତୁଲେ ରାଜା ପଶା ଖେଡ଼ନ୍ତି ଦିବାରାତି ।୬୫ ।
ଦ୍ୱାପର ଯୁଗ ଯେ ହୋଇଲା ପଶାସାର
ଯୁଗ ବେନି କାଠି ହୋଇଲା ଆବର ।୬୬ ।
ନଳ ଖେଳନ୍ତି ସେ ପଶାୟେଣ ଜିଣି
ଜଗୁଜିତା ବୋଲି ରାୟେ ବୀରଧୂ ବଖାଣି ।୬୭ ।
ନଳର ପ୍ରତଗ୍ୟାଂ ଯେ ଶୁଣିଣ ପୁଷ୍କର
ବ୍ରାହ୍ମଣେକ ହୋଇଣ ସେ ପଶାକୁ ବଶିଜାର ।୬୮ ।
ନଳର ତୁଲେ ସେ ପଶିଲା ପଶା ଖେଳି
ପାଡ଼ନ୍ତେ ନଳକୁ ହରାଇଲା କଳି ।୬୯ ।
ରାଜ୍ୟଭଣ୍ଡାର ରଥ ଗଜ ଅଶ୍ୱ ସହିତେ
ମାୟା ବ୍ରାହ୍ମଣ ଜିଣିଲା କ୍ଷଣମାତ୍ରେ ।୭୦ ।
ଇନ୍ଦୁ ମଦନ ବ୍ରହ୍ମ ବୋଲି ତିନିପୁତ୍ର
ହାରାବତୀ ବୋଲିକରି ୟେକଇ ଦୁହିତ ।୭୧ ।
ମୁଦୁସୁଲୀକଇଂ ରାଇ ଆଗ୍ୟାଂ ଦିଲା ରାଣୀ
ଆଲୋ ସମସ୍ତ ହାରିଲେ ୟେ ନଳ ନୃପମଣି ।୭୨ ।
ପୁଅନ୍ତ ନିଅ ମୋର ବିବାନେ ବସାଇ
ମୋହୋର ପିତାପୁରେ ଛାଡ଼ିଆସ ଯାଇ ।୭୩ ।
ମହାଦେଈଂକ ବଚନେ ପୁତ୍ର ଦୁହିତାନ୍ତ ନେଲା
ବଇଧର୍ବ ଦେଶେ ନେଇ ପୁତ୍ରନ୍ତ ଲୁଚାଇଲା ।୭୪ ।
ପୁଷ୍କର ବୋଇଲା ହାରିଲୁ ସର୍ବ ନଳ
ସଂପଦଯାକ ତୋହୋର ହରିଲାକ କାଳ ।୭୫ ।
ବିପାକ କର୍ମେ ଯେ ନୁଆରିଲୁ ଜାଣି
ପୁଷ୍କର ବୋଇଲା ୟେଘାନ୍ତି ପୀଢ଼କର ତୋହୋର ଯେ ରାଣୀ ।୭୬ ।
ତୋହୋର ପୀଢ଼କରନ୍ତେ ରାଜ୍ୟଭାର ସହିତେ
ମୁହିଂ ଆତ୍ମା ବିକ୍ରୟେ ହୋଇବି ଜାଣ ତୋତେ ।୭୭ ।
ହାରିଣ ନଳରାଜା କଲାକ ସନମତ
ଦମୟନ୍ତୀ ବୋଇଲା ନାଥ ନୋହଇ ୟେମନ୍ତ ।୭୮ ।
ଶୁଣିକରି ନଳରାଜା ବିଷାଦ ହୋଇଲା
ଶିରେ କର ଦେଇଣ ଯେ ଦଇବ ସୁମରିଲା ।୭୯ ।
ପୁଷ୍କର ବୋଇଲା ଯେବେ ନ ଖେଳିବୁ ରାଜା
ୟେ ମୋହୋର ରାଜ୍ୟରୁ ତୁ ବହନ ହୋଇ ଯା ଯା ।୮୦ ।
କେହ୍ନେ ତୁହି ଦାତବ୍ୟରେ ଧାର୍ମିକ ବୋଲାଉ
ହାରିଲା ଭୂମିରେ ତୁହି କିପାଂଇ ରେ ରହୁ ।୮୧ ।
ଦମୟନ୍ତୀ ବୋଇଲେ ହୋ ଶୁଣ ଦେବସ୍ୱାମୀ
ପଶାରେ ହାରିଲ ହୋ ସମସ୍ତ ରାଷ୍ଟଭୂମି ।୮୨ ।
ନିର୍ଲଜ ମୁଖେ କିଂପେ ୟେଥି ଆମ୍ଭେ ଥିବା
ଛାଡ଼ି ଦେଶ ଘୋଷ ଦୁହେଂ ବନଗାମୀ ହେବା ।୮୩ ।
ଦମୟନ୍ତୀ ଘେନିଣ ସେ ନଳ ନୃପମଣି
ଛାଡ଼ିଣ ନିଜ ରାଜ୍ୟ ସେ ହେଲେ ବନଗାମୀ ।୮୪ ।
ସମସ୍ତ ଛାଡ଼ିଲେ ଘେନିଲା ସେ ପୁଷ୍କର ବ୍ରାହ୍ମଣ
ୟେକ ୟେକ ବସ୍ର ପହୁଡ଼ି ପଶିଲେ ବନସ୍ତେଣ ।୮୫ ।
ବଞ୍ଚନ୍ତି ବନେ ଦିନ ସେ କନ୍ଦମୂଳ ଭକ୍ଷି
ଦିନେକ ବନସ୍ତେ ବୁଲି ନ ପାଇଲେ କିଛି ।୮୬ ।
ଦିନା ପାଞ୍ଚସାତ ସେ ରହିଲେ ନିରାଶି ଉପବାସେ
ଶରୀର କ୍ଷୀଣ ହୋଇଲା ମଳିନ କେଶବାସେ ।୮୭ ।
ବିଛା ଶୁକଳ ସେ ଦଶମୀର ଦିନ
ସଉରିବାର ଉତ୍ତର ଭାଦ୍ରୟ ବିଦ୍ୟମାନ ।୮୮ ।
ନଳ ଦମୟନ୍ତୀ ଦୁହେଂ ମାଧବୀଲତା ତଳେ ଛନ୍ତି ବସି
ସୁବର୍ଣ୍ଣ କପୋତ ଦୃଶ୍ୟ ହୋଇଲାକ ଆସି ।୮୯ ।
ହସଇ ରାଣୀ ଦେଖି ସୁବର୍ଣ୍ଣ ପଚ୍ଛୀ ଲୋଭେ
କପୋତକୁ ଦିଅ ସ୍ୱାମୀ ବୋଲନ୍ତି ସରାଗେ ।୯୦ ।
ହାରିଣ ତହୁଂ ରାଜା ସୁବର୍ଣ୍ଣର ଲୋଭେ
ସେ ସୁବର୍ଣ୍ଣ କୋପତକଇଂ ଧରି ଲୋଡ଼ଇ ସ୍ରାଗେ ।୯୧ ।
ପିନ୍ଧିଲାର ବସ୍ରଗୋଟି ପାଲଟି ନଳରାୟେ
କପୋତ ଉପରକୁ ଫିଙ୍ଗିଦିଲେ କରିଣ ଫାଶ ଗୋଟାୟେ ।୯୨ ।
ମାୟାବୀ କପୋତ ସେ ପ୍ରତ୍ୟକ୍ଷେ କଳିକାଳ
ବସ୍ରଘେନି ଉଡ଼ିଲା ସେ ଗଗନ ମଣ୍ଡଳ ।୯୩ ।
ଲାଜେ ବାହାର ନୋହଇ ରାଜା ଲତାର ଭିତରୁ
ଦମୟନ୍ତୀ ବୋଇଲା ନାଥ ଆସକିନା କିସ କରୁ ।୯୪ ।
ନଳର ଉଲଗ୍ନ ଦେଖିଣ ଦମୟନ୍ତୀ
ଆପଣା ଶାଢ଼ୀ ପଣନ୍ତ ପିନ୍ଧାଇଲା ଧାତି ।୯୫ ।
ୟେକା ବସ୍ରେକ ପିନ୍ଧିଲା ପ୍ରଭୁ ସେ ଭାରିଯା
ଶିରୀ ହାନି ହୋଇଲା ସମସ୍ତ ଗ୍ୟାନ ଗଲା ତେଜ୍ୟା ।୯୬ ।
ବୁଲନ୍ତେ ବୁଲନ୍ତେ ରାଜା ଅଗ୍ୟମ ବନସ୍ତେ
ମଣ୍ଡୋପେକ ଦେଖିଲା ସେ ମାୟାରେ ଅଦଭୂତେ ।୯୭ ।
ସେହି କଳିକାଳ ମଣ୍ଡୋପେକ ହୋଇ
ପତି ପତ୍ନୀ ଛଡ଼ାଛଡ଼ି କରିବାର ପାଇଂ ।୯୮ ।
ନଳରାଜା ପୁଚ୍ଛା କଲେ ଶୁଣ ଗୋ ଦମୟନ୍ତୀ
ପିତାର ରାଜ୍ୟକୁ ତୋର ବାଟ କେଉଂଣ କତି ।୯୯ ।
ଦମୟନ୍ତୀ ବୋଇଲା ନାଥ କିଂକେ ପାପ ଧରୁ ହୃଦଗତେ
କି ଅବା ପିତା ରାଜ୍ୟକୁ ପଠିଆଇ ଲୋଡ଼ୁ ମୋତେ ।୧୦୦ ।
ନଳରାଜା ହୋଇଲେ ମୁହିଂ ସେ ମହାଦୁଖୀ
ପିତାର ଘରେ ଥିବୁ ତୁ ହୋଇଣ ବଡ଼ ସୁଖୀ ।୧୦୧ ।
ଦମୟନ୍ତୀ ବୋଇଲା କେହ୍ନେ କରିବି ତୋତେ ତେଜ୍ୟା
ଦୁଖର କାଳକୁ ସିନା କରିଛି ଭାରିଯା ।୧୦୨ ।
ନାନା ଝଗଡ଼ା ଯେ ପାଉଥାଇଂ ପତି
ଭାରିଯା ଦେଖନ୍ତେଣ ସମସ୍ତ ହୋଅଇ ଶ୍ୟାନ୍ତି ।୧୦୩ ।
ବିପତ୍ତି କାଳକୁ ସେ ପ୍ରସରଇ ବୁଦ୍ଧି
ଦୁଖର କାଳକୁ ସେ ଭାରିଯାହିଂ ମଉଷୋଧି ।୧୦୪ ।
ଭାରିଯା ଘେନି କୁଟୁମ୍ୱ ନ ଜାଣୁ କି ନାହା
ପୁରୁଷର ଅର୍ଦ୍ଧ ଅଂଗ ଭାରିଯା ସେ ସାହା ।୧୦୫ ।
ସ୍ୱାମୀ ଥାଉଂଣ ଯେଉଂ ସ୍ତିରୀ ପଳାନ୍ତି ଉପେକ୍ଷି
ସଂଚୟେ ଦୁରାଚାରୀ ସେ ବନ୍ଧୁ ବାନ୍ଧବ ନ ଗଚ୍ଛି ।୧୦୬ ।
ଯଦି ଅବା ପ୍ରାଣ ସମୟେକ ଥିବ
ମୋହୋର ଛାଡ଼ିଗଲେ ତତକ୍ଷଣାନ୍ତି ମରିବ ।୧୦୭ ।
ସ୍ୱାମୀର ଯେବେ ଦୁଖ ଭାରିଯା କିସ ସୁଖୀ
ମନ୍ଦବାଟି ସ୍ତିରୀ ସେ ଯାନ୍ତି ସ୍ୱାମୀକି ଉପେକ୍ଷି ।୧୦୮ ।
ଦମୟନ୍ତୀ ବୋଇଲେ ସ୍ୱାମୀ ମୋର ବୋଲେକ କରିବା
ଦୁହେଂ ଚାଲ ୟେବେ ମୋର ପିତା ରାଜ୍ୟକଇଂ ଯିବା ।୧୦୯ ।
ବିଭାକାଳେ ମଧୁଶଯ୍ୟାରେ ନିୟମ କଲୁ ଯାହା
କ୍ଷଣେ ଛଡ଼ାଛଡ଼ି ନୋହିବା ପାଶୋରିଲ କି ତାହା ।୧୧୦ ।
ନଳ ବୋଇଲା ଶରୀର ବସ୍ରହୀନ ଖୁନ ତେଜ
ୟେ ରୂପେ ପିତା ଘରକୁ ଗଲେ ପାଇବାନା ଲାଜ ।୧୧୧ ।
ନଳ ବୋଇଲା ଦମୟନ୍ତୀ ଗୋ ବିପତ୍ତିର କାଳେ
ବନ୍ଧୁହିଂ ନ ଚିହ୍ନଇ କର୍ମର ଅବଳେ ।୧୧୨ ।
ଦମୟନ୍ତୀ ବୋଇଲା ୟେମନ୍ତ ଭାଳୁ ଯେବେ ହୃଦେ
ୟେ ମଣ୍ଡୋପେ ଶରୀର ଛାଡ଼ିବା ଆସ ହାଦେ ।୧୧୩ ।
ୟେଡ଼େକ ବିଚାର ତହିଂ ବସିଲେକ ବେନି
ନିଦ୍ରାର ଅଳସରେ ଯେ ଶୁତିଲା କାମେନୀ ।୧୧୪ ।
ନଳରାଜା ରାଜ୍ୟଭାର ସମସ୍ତହିଂ ହାରି
ନିଦ୍ରାକଇଂ ଇଚ୍ଛା କି ବଳଇ ତାହାରି ।୧୧୫ ।
ନିଦ୍ରାରେ ଅଚେବନ ଯହୁଂ ହୋଇଲେ ଦମୟନ୍ତୀ
ଦେଖିଣ ବିଚାରଇ ନଳ ଯେ ନୃପତି ।୧୧୬ ।
ୟେହାକୁହିଂ ଆଶା କଲେ ଚାରି ଦିଗପାଳେ
ମୋତେ ସିନା ବରିଲା ପାମେରୀ ମନ୍ଦବେଳେ ।୧୧୭ ।
ଦିଗପାଳମାନେ ଯହୁଂ ପାଇଲେକ ଲଜ୍ଜା
ତାହାଂକର କୋପେ ମୁଂ ରାଜ୍ୟ ହେଲି ତେଜ୍ୟା ।୧୧୮ ।
ୟେ ମୋତେ ନିଚୟ ଯେ ହୋଇଲା କାଳସର୍ପ
ଚନ୍ଦନ ବୃକ୍ଷ ହୋଇ ମୁଂ ହୋଇଲି ହତରୂପ ।୧୧୯ ।
ଦମୟନ୍ତୀ ଅବିଗୁଣ ବାଛି ନଳରାୟେ
ପଣନ୍ତ ଚିରିବାକୁ କରଇ ଉପାୟେ ।୧୨୦ ।
ଯେତେବେଳେ ପ୍ରାଣୀକି ହୋ ପଡ଼ଇ ବିପଦ
ସୁନ୍ଦରୀ ଭାରିଯା ସଂଗେ ଥିଲେ ପଡ଼ଇ ପରମାଦ ।୧୨୧ ।
ଭାରିଯାକୁ ପୋଷି ନୁଆରିଣ ରାଜା ନଳ
ମନେ ମନେ ଭାଳିଣ ସେ ହୋଇଲା ବିକଳ ।୧୨୨ ।
ଦମୟନ୍ତୀକି ତେଜ୍ୟାକରି ଯାଇତେ ଭାଳଇ
ଶାଢ଼ୀ ପଣନ୍ତ ଚିରୁ ଚିରୁ ନ ପୁଣି ଚିଆଇଂ ।୧୨୩।
କେଉଂଣ ଉପାୟେ ୟେହା ମୁଖରୁ ହେବି ପାର
ମନେ ମନେ ସେ ରାଜା କରଇ ବିଚାର ।୧୨୪।
ତ୍ରଇଲୋକ୍ୟ ମୋହିନୀ ସେ ଯାହାର ଭାରିଯା
ବିପଦ କାଳକୁ ସେ ନଳରାଜା ତାକୁ କଲା ତେଜ୍ୟା ।୧୨୫।
ପଣନ୍ତ ଚିରିତେ ମନେ ବିଚାରଇ ରାୟେ
ଚାଳରୁ ଖସି ପଡ଼ିଲା କଟାରି ଗୋଟାୟେ ।୧୨୬ ।
ଦେଖିଣ ନଳରାଜା ଉଷତ ଭାବ ମତି
କଟୁରି ଘେନି ପଣତ ଛେଦିଲା ତଡ଼ତି ।୧୨୭ ।
ପଳାଇ ପଶିଲା ଯାଇ ଗହନ କାନନେ
ଲେଉଟି ନ ଚାହିଂଲା ସେ ଗମିଲା ନବ ଯୋଜନେ ।୧୨୮ ।
ବଦନ୍ତି ବ୍ୟାସମୁନି ଶୁଣ ଆହୋ ଯୁଝେଷ୍ଠି
ଚିଆଇଂ ଦମୟନ୍ତୀ କଉମୋଡ଼ି ଉଠି ।୧୨୯ ।
ବେନିହାଥେ ଆପଣେ ମର୍ଦ୍ଦର ବେନିଡୋଳ
ସାଷ୍ଟାମ ହୋଇ ଚାହାଂଇ ସନ୍ନିଧ୍ୟେ ନାହିଂ ନଳ ।୧୩୦ ।
ହାହା ପ୍ରାଣନାଥ କେଣେ ଗଲୁ ସ୍ୱାମୀ
ମୃକ୍ଷାଗତ ହୋଇ ସେ ପଡ଼ିଲାକ ଭୂମି ।୧୩୧ ।
ଦୁଖୀର ସଂଘାତ ମୋର କେଉଂଣ କତି ଗଲୁ
ପୋଷିବାର ଡରେ ମୋତେ ଛାଡ଼ି ପଳାଇଲୁ ।୧୩୨ ।
କି ଅବା ଭକ୍ଷିଲେ ତୁମ୍ଭନ୍ତ ବନ ଦୁଷ୍ଟଜୀବେ
ଅଥବା ତେଜ୍ୟା ମୋତେ କଲ କି ଅଭାବେ ।୧୩୩ ।
ସାଷ୍ଟାମ ହୋଇ ବୃକ୍ଷେ ଉଠିଲେ ଦମୟନ୍ତୀ
ଆହା ନଳ ନଳ ବୋଲି ଡ଼ାକ ଦିଅଇ ଚଉକତି ।୧୩୪ ।
ଖୁଞ୍ଚ କଣ୍ଟା ନ ମାନଇ ଧାମଇଂ ବନେ ହେଟି
କେବଣ କତି ଗଲୁ ମୋର ହୁଦର ବାନ୍ଧବ ଗୋଟି ।୧୩୫ ।
ମୁହିଂ ତୋର ନିଉଛଣା ଘେନିଯାଇ କିନା ନାହା
ୟେଡ଼େ ଭାବ ତେଜି କଲୁ ମୋତେ କାହା ।୧୩୬ ।
ସ୍ୱତୀର କ୍ରାଧ ଦେଖି ବ୍ୟାଘ୍ର ଭଲ୍ଲୁକ ବନଜୀବମାନେ
ପ୍ରଣପତ୍ୟ ହୋଇଲେ ଆସି ଦମୟନ୍ତୀ ସନ୍ନିଧାନେ ।୧୩୭ ।
ମାଗୋ ଆମ୍ଭେ କି ନ ଜାଣୁ ତୋହୋର ନଳ ନୃପତି
ଜନେ ନଗ୍ର ଉପଦର୍ପ କଲେ ନ ଦିଅଇ ଶାସ୍ତି ।୧୩୮ ।
ଯେ ଆମ୍ଭନ୍ତ ଗୋ ରକ୍ଷାକରଇ ୟେକବାର
ଶତେବାର ପରିଯନ୍ତେ ଦୋଷ ନ ଧରୁ ତାହାର ।୧୩୯ ।
ହିତ ଅଣହିତ ଦେଖିଲେ ଆମ୍ଭେ ଜାଣୁ
ପଶୁଜନ୍ତୁ ବୋଲି କି ଆମ୍ଭନ୍ତ ୟେମନ୍ତ ମଣୁ ।୧୪୦ ।
କଟାରିରେ ନଳ ପଣନ୍ତ ତୋର କାଟି
ଗହଳ ବନେ ପଳାୟେ ନ ଚାହେଂ ଲେଉଟି ।୧୪୧ ।
ଦମୟନ୍ତୀ ବୋଇଲା ନାହା ୟେଡ଼େକ ନିର୍ଦ୍ଦୟେ
ମୋତେ ଛାଡ଼ିତେ କଲୁ ୟେମନ୍ତ ଉପାୟେ ।୧୪୨ ।
ୟେ କେବେହେଂ ନୋହଇ ନା ପୁରୁଷ ଲକ୍ଷଣ
ଭାରିଯା ତେଜ୍ୟାକରି ବ୍ରତିବ ଆପଣ ।୧୪୩ ।
ତୋହୋର ନିମନ୍ତେ ଉପେକ୍ଷିଲି ଦେବତାଂକୁ
ୟେତେବେଳେ ସ୍ୱାମୀ ୟେହା କରିଗଲୁ ମୁକୁ ।୧୪୪ ।
ପୋଡ଼ୁ ପୋଡ଼ୁ ସ୍ତିରୀଜନ୍ମ ନୋହୁ ନୋହୁ ଜାୟେ
ସଂପଦେ ଆବୋରି ଥାୟେ ବିପଦେ ଛାଡ଼ି ଯାୟେ ।୧୪୫ ।
ପଞ୍ଚଭୂତ ଆତ୍ମାରେ ହୋଇଥାଇ ଅଧିକାରୀ
ଚାଣ୍ଡାଳ ପୁରୁଷ ଜାତି କ୍ଷଣକେ ଯାଇ ୟେଡ଼ି ।୧୪୬ ।
ହେ ଦଇବ ପୁରୁଷ ମୋର ବ୍ରତିବା କେବଣ କାରଣ
ନିର୍ଲଜ ଆତ୍ମା ମୋର ଯାଉ ୟେହିକ୍ଷଣ ।୧୪୭ ।
କାନ୍ଦଇ ସୁନ୍ଦରୀ ଯେ ବୁଲଇ ବନସ୍ତେ
ଅଜଗର ଗୋଟାୟେ ଦେଖିଲା ଅଜମିତ ବନସ୍ତେ ।୧୪୮ ।
ଦେଖିଣ ସର୍ପ ଯେ ଧାଇଂଲା ତତକ୍ଷଣାନ୍ତି
ଆକ୍ରୋଷିଣ ଗିଳି ସେ ଆଣଇ ଚରଣର କତି ।୧୪୯ ।
ନିରେଖ ସୁନ୍ଦରୀ ସେ ରୋବେ ଅତି ତାପେ
ରକ୍ଷାକର ନାହା ମୋତେ ଭକ୍ଷୁଅଛି କାଳସର୍ପେ ।୧୫୦ ।
ଅଜ ନାମେ କିରାତ ବନସ୍ତରେ ବୁଲୁଥିଲା
ନାରାଜେକ ବିନ୍ଧି ସେ ସର୍ପକୁ ନାଶକଲା ।୧୫୧ ।
ଦମୟନ୍ତୀକି କାଢ଼ି ଆଣିଲା ତାହାର ଗର୍ଭୁଂ
ଦମୟନ୍ତୀ ବୋଇଲେ ମୋତେ ବଡ଼ ଅପାଦୁଂ ରକ୍ଷାକଲୁ ବାବୁ ।୧୫୨ ।
କିସ ଦେଇ ଭଗତି ହୋଇବି ମୋହୋର କିଛି ନାହିଂ
କିରାତ ମୋହେ ବଶ୍ୟ ଦମୟନ୍ତି ମୁଖ ଚାହିଂ ।୧୫୩ ।
ଶବର ବୋଇଲା ତୋର ସ୍ୱାମୀ ତୋତେ କଲା ପରିତେଜ୍ୟା
ମୁହିଂତ ବନସ୍ତ ପତି ହୋଇବୁ କି ମୋର ଭାରିଯା ।୧୫୪ ।
ଅନେକ ରଂଗରସ ଉପୁଜାଇବି ତୋତେ ରେ ବାଳୀ
ତୁହି ସେ ସୁନ୍ଦରୀ ହୋଇବୁ ମୋର ମନର ହିଆଳୀ ।୧୫୫ ।
କୋଳକରି କିରାତ ଧରି ଲୋଡ଼ନ୍ତି ମନେ
କିରାତ ନାଶଗଲା ତାହାର ପତିବ୍ରତା ତୀକ୍ଷ ନୟନେ ।୧୫୬ ।
ବୁଲଇ ସୁନ୍ଦରୀ ସେ ନଳକୁ ଉପଲେସି
ହାକଇ ନଳରାଜା କାହିଂ ଅଛ ପଶି ।୧୫୭ ।
ଅନାତର ନାଥ ଯେ ମୋହୋର ପ୍ରାଣ ବନ୍ଧୁ
ଦୟା କିଂପେ ନ ବସଇ ୟେ ମୋହୋର କାନ୍ଦୁ କାନ୍ଦୁ ।୧୫୮ ।
କେବଣ ଲତାରେ ଅବା ପଶିଅଛୁ ନାହା
ମୁହିଂ ଅନାସ୍ତୁଣୀ ଲୋଡ଼ଇ ବାରେ ମୋତେ ଚାହାଂ ।୧୫୯ ।
ମୁହିଂ ତୁମ୍ଭର ଭାରିଯା ତୁମ୍ଭେ ମୋହୋର ପତି
କେଉଂଣ ଦୋଷ ପ୍ରାଣନାଥ ମୋତ ଦିଲୁ ୟେଡ଼େ ଶାସ୍ତି ।୧୬୦ ।
କାନ୍ଦଇ ସୁନ୍ଦରୀ ଯେ ବାଶୁତ ଭାବ ଜାଣି
ଯୁଗ ପ୍ରାୟ ନ ସରଇ ୟେକଇ ରୟେଣୀ ।୧୬୧ ।
କାଳନ୍ଦୀ ନଦୀ ତୀରେ କାଳୀ ମେଘା ନାମେ ପର୍ବତ
ତହିଂ ଯାଇ ସୁନ୍ଦରୀ ଉପଲେସଇ ପଥ ।୧୬୨ ।
ଅଭୟେ ବାଳଖିଳା ଯେ ପଉଲସ୍ତିଂକର ଶିଷି
ତାହାଂକର ଆଶ୍ରମେ ମିଳି ପ୍ରଣମ୍ୟ କଲା ଶୁଭ୍ରକେଶୀ ।୧୬୩ ।
ଋଷିମାନେ ବୋଇଲେ ତୁ ଅଟୁ କାହାର ଯୁବତୀ
ଈଶ୍ୱରେ ଉପେକ୍ଷ ଅବା ଭ୍ରମୁ ଗୋ ପାର୍ବତୀ ।୧୬୪ ।
ତ୍ରଇଲୋକ୍ୟ ମୋହିନୀ ଅପୂର୍ବ ରୂପରାଶି
ବାତୁଳ ହୋଇ କିଂପେ ଗହନ ବନେ ପଶି ।୧୬୫ ।
କି ଅବା ରାକ୍ଷସୀ ତୁ ବନର ଦେବତୀ
ଆମ୍ଭନ୍ତ ଭକ୍ଷିବାକୁ କି ବଳାଇଲୁ ମତି ।୧୬୬ ।
ବୋଲନ୍ତି ଦମୟନ୍ତୀ ନଳ ମୋର ସ୍ୱାମୀ
ମୁକୁଇ ଛାଡ଼ିଣ ସେ ହୋଇଲେ ବନଗାମୀ ।୧୬୭ ।
ଅନ୍ନହାନୀ ବସ୍ରହୀନ ମଳିନ ମୋର କାୟେ
ସ୍ୱାମୀର ଅଭାବେ ମୁହିଂ ଦିଶଇ ବାଇ ପ୍ରାୟେ ।୧୬୮ ।
ସେ ବାଳଖିଳାୟେ ବୋଇଲେ ତୁ ଅଟୁ ଦେବଦ୍ରୋହୀ
ତେଣୁକରି ନଳକୁ ଦେବେ ହୋଇଲେ ଅସାହି ।୧୬୯ ।
ଦେଖ ଦମୟନ୍ତୀ ଗୋ ୟେହି ବନେ ପଶି
ୟେଡ଼େ ବୋଲି ଅନ୍ତରୀଚ୍ଛେ ଗଲେ ସର୍ବ ଋଷି ।୧୭୦ ।
ନଳ ନାମ ଧରିଣ ରୋବଇ ଉଚ୍ଚସ୍ୱରେ
ବଳାଙ୍ଗୀ ନାମେ ଦେଖିଲା ୟେକଇ ସରୋବରେ ।୧୭୧ ।
ତହିଂରେ ଭିତରେ ଯେ କ୍ରୀଡ଼ନ୍ତି ହଂସଯୂଥ
ଦମୟନ୍ତୀ ବୋଇଲା ୟେହି ପଚ୍ଛୀମାନେ ମୋତ କଲେନା ୟେମନ୍ତ ।୧୭୨ ।
ଆହୋ ହଂସମାନେ ତୁମ୍ଭେ ତ ବେଳହୁଂ ଅଛ ଜଳେ
ମୋହୋର ବଲ୍ଲଭ ଦେଖିଲ କି ରାଜା ନଳେ ।୧୭୩ ।
ହଂସଯୂଥ ବୋଇଲେ ଗୋ ପୁରୁଷେକ ଅଇଲା
ଧାତିକାରେ ପାଣି ପିଇ ୟେଥୁଂ ବହନ ହୋଇଗଲା ।୧୭୪ ।
ୟେସନେକ ସନ୍ଦେଶ ଜାଣିଣ ଦମୟନ୍ତୀ
ଦିଗାମ୍ୱରୀ ପ୍ରାୟେ ହୋଇ ବୁଲଇ ଚଉକତି ।୧୭୫ ।
ଆହୋ ଜୀବମାନେ ତୁମ୍ଭେ ଅନେକ ବନେ ଅଛ
ମୁହିଂ ଅନାସ୍ତୁଣୀ ମୋତେ ୟେହିକ୍ଷଣି ଭକ୍ଷ ।୧୭୬ ।
ବ୍ୟାଘ୍ରଂକ ଉପରକୁ ଆସଇ ଖରକରି
ଦମୟନ୍ତୀ ଭୟେ ବନଜୀବମାନେ ଗଲେ ଅପସରି ।୧୭୭ ।
ରାଜୀବ ବୋଲିକରି ୟେକଇ ବନସ୍ତେ
ତହିଂ ସାଧବେ ରୂପ ହୋଇଲା କାଳଦୂତେ ।୧୭୮ ।
ଅନେକ ବଳଦରେ ଅନେକ ଦ୍ରବ୍ୟନ୍ତ ପୂରୋଇ
ଚୋଖାର ତୁରଙ୍ଗମ ସଙ୍ଗତେ ଚଳାଇ ।୧୭୯ ।
ବଡ଼ ସୁନ୍ଦର ସାଧବ ମଳୟାନିକ ଜାଣି
ଗଜ ଅଶ୍ୱ ଅହିବ୍ରତେ ବଳଦ ଅହିବ୍ରତେ ପଲାଣି ।୧୮୦ ।
କାବେରୀ ନଦୀ ଯେ ହୋଉଛନ୍ତି ପାରି
କଦମ୍ୱ ବୃକ୍ଷତଳେ ବସିଛି ସୁନ୍ଦରୀ ।୧୮୧ ।
କେଶବାସ ଅସମ୍ଭାଳ ଆନନ କ୍ରୋଟ ଦିଶି
ଦେଖିଣ ସମସ୍ତେ ଯେ କଲେ ଉପହାସୀ ।୧୮୨ ।
କେ ବୋଲଇ ବାଇ , କେ ବୋଲଇ ବାତୁଳ
କାନ୍ଦି ପଚାରଇ ବାଭିୟେ ଦେଖିଲେ , କି ନଳ ।୧୮୩ ।
ସାଧବ ବୋଇଲା ଦେଖିଲା ଅଛି ନଳ ବୋଲି ବୃକ୍ଷେ
ଇଚ୍ଛୁର ପ୍ରସଙ୍ଗେ ସେ ଥାଇଟି ପ୍ରତକ୍ଷେ ।୧୮୪ ।
କାଟନ୍ତି ଗୃହବାସକୁ କରନ୍ତି ତାକୁ ଲାଇ ବତା
ୟେଥେଂ ଯେ ତୋର କିସ କାର୍ଯ୍ୟ କହରେ ବନିତା ।୧୮୫ ।
ମୁହିଂ ସେ ସାଧବେ ଗୋ ଲକ୍ଷଶିରୀ
ନାନା ବଣିଜାର ମୋର ଭଣ୍ଡାର ଲକ୍ଷ ଚାରି ।୧୮୬ ।
ବାତୁଳୀ ଭାବ ତୋର ସମସ୍ତ ଛଡ଼ାଇବି
ଅତ୍ୟନ୍ତ କରି ତୋତେ ପ୍ରାଣ ସମାନେ ପୋଷିବି ।୧୮୭ ।
ଝୀନ ଦେବାଙ୍ଗ ବସନ ଦେଖାଇଲା ଜରିବାସ
ହୀରା ନୀଳା ମଣି ମାଣିକ୍ୟ ଦେଖାଇଲା ରତ୍ନକୋଷ ।୧୮୮ ।
ୟେମାନ ବିଳାସ କରସି ଗୋ ପ୍ରାଣସଖୀ
ୟେ ବରଙ୍ଗନା ଶରୀର କିମ୍ପାଇଂ କରାଉଛୁ ଦୁଖୀ ।୧୮୯ ।
ମୁହିଂ ସାଧବ ଅଟେ ଗୋ କଣୟ ବଣିଜାର
ସମସ୍ତ ସମ୍ପଦ ମୋର ସୁଖେଣ ଭୋଗକର ।୧୯୦ ।
ସାଧବର ବଚନ ସେ କୋପ କଲା ମହାସତୀ
ସାଧୁତ ପୁତ୍ର ହୋଇ ତୋର ୟେଡ଼େ ମନ୍ଦ ପ୍ରକୃତି ।୧୯୧ ।
ସତା ଲୋକନ୍ତ ତୁ ଅନମିତେ କିଂପା ଝିଂଘାସୁ
ମୋହୋର ଶାପେ ତୋତେ ମଣିଭଦ୍ର ଧଂସୁ ।୧୯୨ ।
ୟେସନେକ ଶାପ ଦେଇଣ ସେ ଚଳଇ ଦମୟନ୍ତୀ
ବନସ୍ତେ ଯାଉଂ ଯାଉଂ ଭେଟିଲା ନଦୀ ଗୋମତୀ ।୧୯୩ ।
ସେ ଗୋମତୀ ନଦୀ ତୀରେ ବଇଶାଳୀ ନାମେ ଦେଶ
ତହିଂ ଯାଇଂ ଦମୟନ୍ତୀ ହୋଇଲେ ପ୍ରବେଶ ।୧୯୪ ।
ସେ ରତ୍ନାକର ସାଧବେ ଚଲଇ ବନସ୍ତେ
ସମର୍ଥେକ ବନେ ସେ ରହିଲା ଦିନ ଅନ୍ତେ ।୧୯୫ ।
ବଡ଼ାଇ ବନସ୍ତ ସେ ଚିତ୍ରଉତ୍ପଳା ନଦୀକୂଳେ
ବିଶ୍ରାମିଲା ସାଧବେ ମୁଚୁକୁନ୍ଦ ଲତା ତଳେ ।୧୯୬ ।
ଅଢ଼ାଇ ପ୍ରହର ତହିଂ ହୋଇଅଛି ରାତ୍ରି
ବନସ୍ତେ ଚରି ଆସନ୍ତି ଅଷ୍ଟେଉତ୍ତର ଶତେ ହାଥୀ ।୧୯୭ ।
ସେ ଗଜଯୁଥମାନେ ମହା ମୟେମତ୍ତା
ପଶିଲେ ସେ ସାଧବେର ଗୋଷ୍ଠରେ ମହାଦନ୍ତା ।୧୯୮ ।
ପଲାଣ ଲହଣମାନ ପକାଇଲେ ଭାଙ୍ଗି
ଦେଖିଣ ମନୁଷ୍ୟମାନେ ପଳାଇଲେ ବେଗି ।୧୯୯ ।
ବଇଲ ଓଟ ଅଶ୍ୱ ବହୁତ କଚାଡ଼ି
ଫିଙ୍ଗି ଯେ ଦିଅନ୍ତି ସେ ବହୁତ ଦୂର ପଡ଼ି ।୨୦୦ ।
ଦମୟନ୍ତୀ ଶାପ ଯେ ନୋହିଲାକ ଆନ
ସାଧବର ସମସ୍ତ ସମ୍ପଦ ହୋଇଲା ନାଶମାନ ।୨୦୧ ।
ଶୁଣ ହୋ ଚଇତନ ମନୁ ଯେ ବଦୟନ୍ତି
ବଇଶାଳୀ ଦେଶେ ଯାଇ ପ୍ରବେଶ ଦମୟନ୍ତୀ ।୨୦୨ ।
ନଗ୍ରରେ ଲୋକେ ତାହାର ବାତୁଳ ରୂପ ଦେଖି
ୟେଡ଼େ ବଡ଼ ସୁଲକ୍ଷଣୀ କିପାଇଂ ନିରିମାଖି ।୨୦୩ ।
ଅନ୍ନର ବିହୁନେ ଯେ ଶରୀର ତେଜହୀନ
ତିଳ ବିହୁନେ କେଶ ଜଟା ମଳିନ ବସନ ।୨୦୪ ।
ବାତୁଳଭାବ ଜାଣି ବୁଲଇ ଦମୟନ୍ତି
ଅହର୍ନିଶି ଲୋଡ଼ୁଥାଇ ସେ ନଳ ନୃପତି ।୨୦୫ ।
ବାଇ ବୋଲି ପୋୟେ ଯେ ବୋବି ପଡ଼ୁଥାନ୍ତି ଦାଣ୍ଡେ
କୁରୁଳିଣ ଧୂଳି କେ ପକାନ୍ତି ନେଇ ମୁଣ୍ଡେ ।୨୦୬ ।
କେହୁ ଦୟା କରି ପୁଣି ସମାର୍ଜନ୍ତି ଆସି
ଆହୋ ଦୁଖୀ ଲୋକକୁ ଅନମିତେ କିଂପାଇଂ ଝିଂଘାସି ।୨୦୭ ।
ବିଦୁଳା ନାମେଣ ସେ ଅଟଇ ନାଗମାତା
କମଳା ନାଗର ସେ ଅଟଇ ବନିତା ।୨୦୮ ।
ମାୟାରେ ଭୁବନ ସେ କରିଅଛି ବନେ
କେହି ଉପଲେସି ତହିଂ ନୁଆରନ୍ତି ଜନେ ।୨୦୯ ।
ସେ ବିଦୁଳା ନାଗମାତା ବିଜୟେ ଜଗତୀ
ଦେଖିଲା ବାଇ ବୋଲି ବାଳକେ ବୋବି ଦ୍ୟନ୍ତି ।୨୧୦ ।
ଦାଣ୍ଡରେ ଗୋଳ ଦେଖି କହଇ ନାଗମାତା
ଦାଣ୍ଡେ କିସ ଚହଳ ପଚାରି ଆସ ଯା ବାରତା ।୨୧୧ ।
ଦେଖିଆସି ବାରତା ସେ କହି ମୁଦୁସୁଲୀ
ଗୋସାମଣୀୟେ ବଡ଼ ସୁନ୍ଦରୀ ସ୍ତିରୀୟେ ଦେଖିଲି ବାଇ ବୋଲି ।୨୧୨ ।
ବିଦୁଳା ବୋଇଲା ତାକୁ ଆଣ ସିନା ମୋହୋର କତି
ଛାମୁକୁ ହକାରି ଆଣିଲେ ତତକ୍ଷଣାନ୍ତି ।୨୧୩ ।
ତାହାର ସରୂପ ଦେଖିଣ ନାଗମାତା ପୁଣି
ବଡ଼ାଇ ଗୁଣବନ୍ତୀୟେ ଅଟଇ ସୁଲକ୍ଷଣୀ ।୨୧୪ ।
ରତ୍ନକୁଣ୍ଡ ନେଇ ସ୍ରାହାନ କରାଇ
ଦେବାଙ୍ଗ ବସ୍ର ଶରୀରେ ଆଭରଣ କରାଇ ।୨୧୫ ।
ଅମୃତ ପାକ କରିଣ କରାଇ ଭୋଜନ
ବିଦୁଳା ପଚାରେ ମାଗୋ ତୁ କେବଣ କୁଳେ ଜନ୍ମ ।୨୧୬ ।
ତୋର ବଦନ ଶରତ ପୂର୍ଣ୍ଣମୀର ଇନ୍ଦୁ
ସରୂପେ ଲକ୍ଷଣେ ତୁହି ନିଶାକର ଦର୍ପ ନିନ୍ଦୁ ।୨୧୭ ।
କେବଣ ପାତକେ କେବଣ ଶାପେ ହୋଇଲୁ ବାତୁଳୀ
ସରୂପ କଥା ମୋତେ କହସିରେ ବାଳୀ ।୨୧୮ ।
ଶୁଣ ଗୋ ମାତା ତୁମ୍ଭେ ଅଭୟେ ମହାତ୍ମାଣୀ
ସରୂପ କଥା ମୋର କହଇ ପରିଣାମୀ ।୨୧୯ ।
ବଇଦର୍ଭ ଦେଶର ରାଜା ଭୀମକେ ନରସାଇଂ
ଶରଯାତି ବୋଲି ତାହାର ମହାଦେଈ ।୨୨୦ ।
ତାହାର ଦୋହିତା ମୁହିଂ ମୋହୋର ନାମ ଦମୟନ୍ତୀ
ଦେବତାନ୍ତ ଛାଡ଼ି ମୁଂ ବରିଲି ନଳ ଯେ ନୃପତି ।୨୨୧ ।
ଦଇବ ସେ ହରିଲା ଗୋ ଆମ୍ଭର ସମ୍ପଦେ
ରାଜ୍ୟ ତାର ହାରିଲେ ସ୍ୱାମୀ ପଶାର ବିନୋଦେ ।୨୨୨ ।
ମୋହୋର କଷ୍ଟେ ନଳ ପାଇଲେ ବଡ଼ ଲଜ୍ଜା
ଦଣ୍ଡକାରଣ୍ୟେ ସେ ମୋତେ କରିଗଲେ ତେଜ୍ୟା ।୨୨୩ ।
କି ଅବା ବନଜୀବ କଲେ ତାଂକୁ ଭକ୍ଷ
ତାଂକର ଅଭାବେ ମୁଂ ହୋଇଲି ନିରେଖ ।୨୨୪ ।
ବିଦୁଳା ବୋଇଲା ଗୋ ନାଶଗଲା ପତି
ୟେଡ଼େ କଷ୍ଟ ନ ଦିଶଇ ତୋର ବିଧବା ମୂରତି ।୨୨୫ ।
ଅନେକ ଭାବେଣ ବିଦୁଳା କଲାକ ଯତନ
ବୋଇଲା ମୋହୋର ଭୁବନେ ଥାଅ ନଳକୁ ଦ୍ରଶନ ।୨୨୬ ।
ଦମୟନ୍ତୀ ବୋଇଲା ମୁଂ ଥିବଇଂ ତୋର ପାଶ
ବଚନେକ ମାଗଇ ମୁଂ କରିଣ ବିଶ୍ୱାସ ।୨୨୭ ।
ତିନିଗୋଟି କଥା ଯେ ନ କରାଇବାକୁ ମୁକୁ
ତେବେ ସେ ରହଇ ମାଗୋ କହିଲି ତୁମ୍ଭଂକୁ ।୨୨୮ ।
ଉଚ୍ଛିଷ୍ଟ ପାଲଟ ନ ଛୁଂଆଇବୁ ମୁକୁଇଂ
ପର ପୁରୁଷେ ନ ଛୁଇଂବେ ମୋର ଛାଇ ।୨୨୯ ।
ୟେତେକ ସତ୍ୟ କଲେ ରହିବ ଗୋ ମାୟେ
ନୋହିଲେ ବନସ୍ତକୁ ମୁଂ କରିବି ବିଜୟେ ।୨୩୦ ।
ତାହା ଶୁଣି ନାଗମାତା କଲା ତିନିବାର ସତ୍ୟ
ୟେକଥା ମୋ ସତ୍ୟ ସତ୍ୟ ଅଟଇ ନିୟତ ।୨୩୧ ।
ୟେତେକ ସତ୍ୟ କରାଇ ରହିଲା ଦମୟନ୍ତୀ
ତେଣେ ବନ ଗହନେ ଭ୍ରମଇ ନରପତି ।୨୩୨ ।
ଦିବାରାତ୍ର ସେହୁ ବୁଲଇ ବନଘୋରେ
ଚଲି ନୁଆରଇ ନଳ ଅଶକତ ଶରୀରେ ।୨୩୩ ।
ଭାରିଯାର ଅଭାବେ ସେ ହୋଇଲା ବଡ଼ ଦୁଖୀ
ମୁହିଂ ଚାଣ୍ଡାଳ ତାହାକଇଂ ଅଇଲି ଉପେକ୍ଷି ।୨୩୪ ।
ତୁ ଯେ ବୋଇଲ ମୋତେ ଲୋଡ଼ କି ପରିତ୍ୟାଗୀ
ମୋହୋର ଅଭାବେ ନଳ ହୋଇବୁଟି ଦୁଖଭୋଗୀ ।୨୩୫ ।
ତୁ ଯାହା ବୋଇଲୁ ଗୋ ବିଚାରି ମୋତେ ପ୍ରିୟା
କାଳେ ତାହା ଫଳିଲା ରେ ଜାଣିଲି ଶତଶ୍ରିୟା ।୨୩୬ ।
ହେ ବୁଧଜନେ ସୁଭାରିଯାର ମେଣ୍ଟିଲେ ହିତବାକ୍ୟ
ସାରୋଳା ଦାସ ବୋଇଲେ କାଳେ ହୁଅଇ ମହାଦୁଖ ।୨୩୭-୧୦୪୨୬ ।
ନଳଙ୍କର ଅଯ୍ୟୋଧ୍ୟା ପ୍ରବେଶ ଓ
ବାହୁକ ସାରଥି ନାମ ଧାରଣ
ଶୁଣ ରାଜା ବଇବସୁତମନୁ ବଦୟନ୍ତି ଅଗସ୍ତି
ସାବଧାନେ ଶୁଣ ବିଲଂକ ଦେଶ ଆଧିପତି ।୧ ।
ଦମୟନ୍ତୀ ଗୁଣ ଗୁଣି ସେ ନଳ ନୃପତି
ବନ ଘୋରେ ଉନ୍ମେଷଇ ସେ ଦମନ୍ତୀ ଦମନ୍ତୀ ।୨ ।
ପଛିମ ଦିଗକୁ ନଳରାଜା କଲେ ଆଗମନ
ବୃଷାମାଷରେ ଶୁକଳ ଚଉଠିର ଦିନ ।୩ ।
ପର୍ବତୁ ଓହ୍ଲାଇ ରାଜା ଆସଇ ବେଗେ ଚଳି
ମହାସର୍ପେକ ହୋଇ ପଡ଼ିଛି ଯୁଗ କଳି ।୪ ।
ନଳନୃପତି ଯାଇ ପଡ଼ିଲା ତାର ମୁଖ
ଆକ୍ରେଷିଣ କୁଣ୍ଡଳୀ କଲା ତାହାକଇଂ ଭକ୍ଷ ।୫ ।
ଚରଣଠାରୁ ଗିଲିଲା କଟିଭାଗ ପରିଯନ୍ତେ
ହା ହା ଦମୟନ୍ତୀ ବୋଲି ରାଜା ରୋବିଲା ଊର୍ଦ୍ଧ୍ୱଗତେ ।୬ ।
ବୋଲଇ ମହାସର୍ପ ମୁଂ ତୋତେ ଭକ୍ଷ କରୁଂ କରୁଂ
ପୁରୁଷ ହୋଇ କିଂପେ ତୁ ସ୍ତିରୀ କି ସୁମରୁ ।୭ ।
ବିଚକ୍ଷଣ ପୁରୁଷ ସୁନ୍ଦର ତୁ ଅଟୁ ମହାରାୟେ
ତୋହୋର ଗତି ହୋଇଲା ଦଶରଥ ରାଜା ପ୍ରାୟେ ।୮ ।
ଆଗତ ରାମାୟଣ କହନ୍ତି ବାଲମୀକେ
ପାତାଳବାସୀ ଯେତେ ଶୁଣନ୍ତି ନାଗଲୋକେ ।୯ ।
ପୃଥୀ ରାଜାନ୍ତ ପ୍ରଶୁରାମ ନିକ୍ଷତ୍ର କରି
ଅନ୍ତେଣ ଦିଲେ ଦଶରଥ ରାଜାକଇଂ ଧାଡ଼ି ।୧୦ ।
ପ୍ରଶୁରାମ ଦିଗବିଜେ ଶୁଣି ଅଜନୃପତିର ଶିଷ
ସେ ଦଶରଥ ନୃପତି ଯେ ହୋଇଲେ ସ୍ତିରୀବେଶ ।୧୧ ।
କବରୀ ଭାଇ ଖୋଷା ସ୍ତିରୀ ବେଶ ଅଳକାଂର
ଗୋପ୍ୟ ହୋଇଲେ ଦଶରଥ ସ୍ତିରୀଂକ ସଂଗତର ।୧୨ ।
ଶ୍ରୀଭୁଜେଣ ପ୍ରଶୁରାମ ଘେନିଣ ପ୍ରଶୁଫାଶି
ଦଶରଥକଇଂ ନ ପାଇଲେ ଅନ୍ତେଶ୍ୱର ପୁରେ ପଶି ।୧୩ ।
ଉଣାଇଶ ଶତ ତିନି ଉତ୍ତର ଦଶରଥର ରାଣୀ
ପ୍ରଶୁରାମ ସ୍ୱାମୀ ଦାନ ମାଗିଲେ ଅନାସ୍ତୁଣୀ ଜାଣି ।୧୪ ।
ଯଦ୍ୟପ ଦଶରଥ ସ୍ତିରୀ ବେଶ ହୋଇଲା
ଭୟେକରି ରାଜା କଉଶଲ୍ୟାକୁ କୋଳ କଲା ।୧୫ ।
ପ୍ରଶୁରାମ ହସିଲେ ଦଶରଥର ନିଶତ ଦେଖି
ସ୍ତିରୀବେଶ ହୋଇଅଛି ଛତ୍ରୀପଣକୁ ଉପେକ୍ଷି ।୧୬ ।
ସ୍ତିରୀମାନେ ମାଗିଲେ ତୋହୋର ଶରୀର
ଆଜିହୁଂ ନାରୀକପଟି ନାମ ହୋଉ ଯେ ତୋହୋର ।୧୭ ।
ଦଶରଥ ରକ୍ଷାଗଲା ସ୍ତିରୀଂକି ଶରଣେ
ତୁ ୟେବେ ଦମୟନ୍ତୀକୁ ସୁମରୁ ଶରଣେ ।୧୮ ।
ପୁରୁଷ ହୋଇଣ ଯେବେ ସ୍ତିରୀଂକ ଧର୍ମେ ବ୍ରତି
ସେ ପୁରୁଷକୁ ନାଶିଲେ ବ୍ରହ୍ମହତ୍ୟା ଦୋଷ ଗତି ।୧୯ ।
ବିଚାରି ନଳକୁ ଯେ ଫେଡ଼ିଲା କୁଣ୍ଡଳୀ
ଉଦୁଗାରି ପକାଇଲା ନ କଲା ତାକୁ ବଳି ।୨୦ ।
ନଳ ବୋଇଲା ତୁ ଉଡ଼ଙ୍ଗ ଜନ୍ମ ହୋଇ
ୟେଡ଼େବଡ଼ ଦୟାବନ୍ତ ତୁ ହୋଇଲୁ କିସ ପାଇଂ ।୨୧ ।
ମୁହିଂ ତୋର ଭକ୍ଷପାନ ଅଟଇ ଯୁଗତେ
ଯାହା ମାଗିବୁ ମାହାତ୍ମା ଆଜ ଦେବଇ ମୁହିଂ ତୋତେ ।୨୨ ।
ବୋଲଇ ମହାସର୍ପ ପୋଡ଼ି ଆସୁଅଛି ଘୋର ବନ
ତୁ ମହାତ୍ମା ମୋତେ ସଂହର ଗର୍ଭସ୍ଥାନ ।୨୩ ।
ୟେ ତୋର ଗର୍ଭେ କଳଂକ ପଶିଛି କଳିକାଳ
ମୁହିଂ ତାହା ଦହିବି ବିଷ ଗରୁଜାଳ ।୨୪ ।
ନଳ ବୋଇଲେ ମୁଂ ପଚାରଇ ତୋତେ
ଚଳି ନୁଆରିଛୁ ତୁ କେବଣ ଅଶକତେ ।୨୫ ।
ରାଜାର ବଚନେ ବୋଲଇ କଦ୍ରୂବଂଶୀ
ଶୁଣ ସାବଧାନେ ତୁ ହୋ ଯାହା ପ୍ରକାଶି ।୨୬ ।
ଶୂଦ୍ରେକ ବୋଲିଣ ଯେ ୟେକଇ ସତ୍ୟଯୁଗେ
ନାରଦେ ଯାଉଛନ୍ତି ଗଙ୍ଗାର ଉଦକେ ବେଗେ ।୨୭ ।
ମୁହିଂ ମିଳିଲି ତାର ମନପବନ ଦଣ୍ଡ
କୋପେଣ ଶାପ ମୋତେ ଦିଲେକ ପରଚଣ୍ଡ ।୨୮ ।
ବୋଇଲେ ୟେ ତୋହୋର ମୁଖେ ପଡ଼ିଲେ ବର୍ତ୍ତିବେ କି ଜନେ
ନିଚଳ ହୋଇ ତୁ ପଡ଼ି ଥାଅସି ୟେହିବନେ ।୨୯ ।
ନାରଦଂକ ଶାପେ ମୁଂ ହୋଇଲି ଅଚଳ
ୟେହିଠାରେ ପଡ଼ି ଅଛଇ ହୋଇଲା ଯୁଗ ଷୋଳ ।୩୦ ।
ଭଗତି ଅନାଇ ମୁଂ ମାଗିଲି ଅନଗୃହ
ମୁକତକଇଂ କାରଣ ମୋତେ କହିବା ସନ୍ଦେହ ।୩୧ ।
ନାରଦ ବୋଇଲେ ସର୍ପ ତୁ ଇଷିତ ସତ୍ୟ ଯୁଗେ
ନଳ ରାଜାକଇଂ ଭେଟିବୁ ତୁ ପାରଶୁ ବନ ଲାଗେ ।୩୨ ।
ବନସ୍ତ ପୋଡ଼ନ୍ତେ ତୋତେ ଗର୍ଭେ ଦେବ ଠାବ
ସେ ନଳ ପ୍ରସନ୍ନ ତୁ ହୋଇବୁ ନିଜ ଠାବ ।୩୩ ।
ଶୁଣ ହୋ ନଳରାଜା ତୋହୋର ଦ୍ରଶନୁ
ଷୋଳଯୁଗେ ମୁକତ ମୁଂ ହୋଇବି ନାରଦଂକ ବଚନୁ ।୩୪ ।
ସେ ସର୍ପର ବଚନେ ନଳ ଛାଡ଼ିଲା ମନଭ୍ରାନ୍ତି
ଗର୍ଭେ ମହାସର୍ପ ସଂହରିଲା ତତକ୍ଷଣାନ୍ତି ।୩୫ ।
ଯେତେବେଳେ କଳି ହେଲା ନଳ ଗର୍ଭବାସ
ସେ ନଳରାଜାର ହୋଇଲା କୁଦୃଶ୍ୟ ।୩୬ ।
କୁବୁଜ ପିଠି ଦନ୍ତବକ୍ର ଟେରା କେଶ ଯେ ପିଙ୍ଗଳ
ତତକ୍ଷଣେ ବିରୂପ ହୋଇଲା ହାଦେ ନଳ ।୩୭ ।
ଭ୍ରମଥାୟେ ନଳ ରାଜା ଦମୟନ୍ତୀ ପ୍ରତିଆଶେ
ଅଷ୍ଟାବକ୍ର ଋଷିଂକି ଦେଖିଲା ବନବାସେ ।୩୮ ।
କଳିର ଚେଷ୍ଟାରେ ରାଜା ଚଳଇ ଅନେକ ବାଗେ
ଦେଖିଣ ଅଷ୍ଟାବକ୍ରେ ପାଇଲେ ବଇରାଗେ ।୩୯ ।
କରପକ୍ଷ ଯୋଡ଼ି ଉଭା ହୋଇଲେକ ନଳ
ଅଷ୍ଟାବକ୍ରେ ବୋଇଲେ ତୁରେ କାହିଂର ବାତୁଳ ।୪୦ ।
ଆମ୍ଭେ ଯେ ଅଷ୍ଟାବକ୍ର ଋଷି ଅଷ୍ଟବକ୍ର ହୋଇଯାଉଂ
ତୁ ବାତୁଳ ରୂପେଣ ଆମ୍ଭନ୍ତ ଖତାଉ ।୪୧ ।
ନଳ ବୋଇଲେ ମୁଂ ନ ଖତାୟେ ତୁମ୍ଭନ୍ତ
ମୋହୋର ସେ ରୂପ ଗୁଣ ଦଇବେ ୟେମନ୍ତ ।୪୨ ।
ଆମ୍ଭନ୍ତୁ ତୁ ଯେବେ ଖତାଉ ଯତନେ
ସେହି ରୂପଗୋଟି ତୋହୋର ଥାଉ ସବୁଦିନେ ।୪୩ ।
ନିଚେଂ ଯେବେ ଦୁଖ ଦୁର୍ବଳ ନିରେଖ ତୁ ଅଟୁ
ମକର କେତନ ପରାୟେ ହୁଅ କେହି ତୋତେ ନ ଘଟୁ ।୪୪ ।
ଅଷ୍ଟାବକ୍ରଂକ ବଚନେ ଅନଙ୍ଗ ରୂପ ଜାଣି
ନଳରାଜା ଛାଡ଼ିଲାକ ହତରୂପ ମୋହିଲା ଧରଣୀ ।୪୫ ।
ମାତାଂଗୀର ନନ୍ଦନ ସେ ବଚନ ପ୍ରକାଶି
କେହୁଣ ମହାତମା ରେ ଅନଂଗ ରୂପରାଶି ।୪୬ ।
ନଳ ବୋଇଲେ ମୁନିଂ ହେ ମନ୍ଦର ପର୍ବତର ସନିଧ୍ୟେ ନଇଷଧ ବୋଲି ଦେଶ
ଇଚ୍ଛାକର ନୃପତି ଅମଳାନ ସୂର୍ଯ୍ୟବଂଶ ।୪୭ ।
ବ୍ରହ୍ମାର ନନ୍ଦନ ଯେ ଅଟଇ ମରୀଚି
ମରୀଚି ନନ୍ଦନ ଅଟଇ ସୁଋଚି ।୪୮ ।
ସୁଋଚିର ପୁତ୍ର ହୋଇଲା କାଶ୍ୟପ
କାଶ୍ୟପର ନନ୍ଦନ ସେ ପ୍ରଜାପତି ଦକ୍ଷ ।୪୯ ।
ସୂର୍ଯ୍ୟସେନ ବୋଲିକରି ତାହାର ଅଟଇ ବତ୍ସ
ମହା ଧର୍ମବନ୍ତ ସେ ହୋଇଲା ପ୍ରତକ୍ଷ ।୫୦ ।
ସୂର୍ଯ୍ୟସେନ ରାଜାର ଯେ ହୋଇଲା ବେନି ତନୁ
ଭାନୁସେନ ଆବର ଯେ ବଇବସୁତମନୁ ।୫୧ ।
ବଇବସୁତ ମନୁର ନନ୍ଦନ ଇଚ୍ଛାକୁରୁ
ଇଚ୍ଛାକୁରୁ ନନ୍ଦନ ହୋଇଲା ବାଞ୍ଛାକୁରୁ ।୫୨ ।
ବାଞ୍ଛାକୁରୁ ପୁତ୍ର ନାମ ହୋଇଲା ସମ୍ପାଦ
ସମ୍ପାଦର ଆତ୍ମଜ ହୋଇଲା ବେନି ପାଦ ।୫୩ ।
ୟେହାର ନନ୍ଦନ ଯେ ପୃଥୁକ ଉତପତ୍ତି
ପୃଥୁକର ନନ୍ଦନ ସେ କାକୁସ୍ତ ନୃପତି ।୫୪ ।
କାକୁସ୍ତର ନନ୍ଦନ ଯେ ଅଟଇ କୁମ୍ଭେକ
କୁମ୍ଭେକର ଧରତୀ ନାମରେ ତନୟେକ ।୫୫ ।
ଧରତୀର ନନ୍ଦନ ଯେ ଅଟଇ ଅଶ୍ୱଜା
ଅଶ୍ୱବନ୍ତ ବୋଲିକରି ତାହାର ଆତ୍ମଜା ।୫୬ ।
ଅଶ୍ୱବନ୍ତର ତନୁଜ ଅଟନ୍ତି ବୀରପାଳ
ତାହାଂକର ପୁତ୍ର ମୁହିଂ ଅଟଇ ହାଦେ ନଳ ।୫୭ ।
ତରି ନୁଆରିଲି ମୁଂ ଧର୍ମର କଷଣେ
ଜୂଅ ହୁଡ଼ରେ ରାଜ୍ୟ ହାରିଲି ଅକାରଣେ ।୫୮ ।
ଦଇବ କଷଣ ଦିଲା ତପୋବନ୍ତେ
ଭାରିଯା ସହିତେ ମୁଂ ତେଜିଲି ବନସ୍ତେ ।୫୯ ।
ତହୁଂ ମୁହିଂ ଚଳିଲଇଂ ଭାରିଯାକଇଂ ଲୋଡ଼ି
ସର୍ପେକ ଋଷିୟେ ମୋତେ ଅନମିତେ ଗିଳି ।୬୦ ।
ଦମୟନ୍ତୀ ସୁମରନ୍ତେ କଲା ମୋତେ ଦୟା
ବୋଇଲା ଗର୍ଭେ ମୋତେ ଠାବ ଦିଅ ନରରାହା ।୬୧ ।
ତାହାକଇଂ ମୁହିଂ ଗର୍ଭେ ଦେଲଇଂ ଯେ ଠାବ
ତେଣୁକରି ମୁନିୟେ ମୋର ୟେମନ୍ତ ସ୍ୱଭାବ ।୬୨ ।
ଅଷ୍ଟାବକ୍ର ବୋଇଲେ ଜାଣିଲୁ ଆମ୍ଭେ ତଥ୍ୟ
ଦମୟନ୍ତୀ ଯେହୁ ନ ବରିଲା ଦେବତାନ୍ତ ।୬୩ ।
ତେନ୍ୟାୟୁଂ ମାୟାକଲେ ଦେବତାୟେ ତୋତେ
କଳିକାଳ ଗଲା ତୋର ରାଜ୍ୟ ହରିବା ନିମନ୍ତେ ।୬୪ ।
ନଳ ବୋଇଲା ସତ୍ୟଯୁଗେ କଳି ଯେବେ କଲାକ ଅସାଧୁ
ଯାଅରେ କଳିଯୁଗ ପରିକ୍ଷିତ ତୋତେ ବାନ୍ଧୁ ।୬୫ ।
ନଳ ବୋଇଲେ ମୁନି ହେ ମୁହିଂ ତୁମ୍ଭନ୍ତ ପୁଚ୍ଛିବି କଥାୟେ
ୟେମନ୍ତ ପ୍ରପଞ୍ଚ କିଂପେ ହୋଇଲା ତୁମ୍ଭ କାୟେ ।୬୬ ।
ଅଷ୍ଟାବକ୍ର ବୋଇଲେ ଶୁଣସି ଆଦିକଥା
ଅନୁସାରକେ ବୋଲି ୟେକଇ ସତ୍ୟଯୁଗର ବାରତା ।୬୭ ।
ସେ ସତ୍ୟ ଯୁଗଣେ ସ୍ୱର୍ଗନାମେ ଅଟଇ ଦିବି
କ୍ଷିତିର ନାମ ପୁଣ ଅଟଇ ସେ ଭୁବି ।୬୮ ।
କଞ୍ଜନାମେ ବ୍ରହ୍ମା ଅଟଇ ମଧ୍ୟସ୍ୱର୍ଗେ
ଅସ୍କନ୍ଦ ନାମେ ରୁଦ୍ର ବସଇ ସତ୍ୟଯୁଗେ ।୬୯ ।
ସେ ସତ୍ୟଯୁଗର ବିଷ୍ଣୁ ଅଟଇ ନୀଳାମ୍ୱର
ଶୁଦ୍ଧ ସଷ୍ଟିକ ପ୍ରାୟେ ନାରାୟଣ ଶରୀର ।୭୦ ।
କରଞ୍ଜ ନାମେ ଇନ୍ଦ୍ର ଅମରେ ଦେବତା
ଅଇରାବତ ନାଗ ନାମ ଅଟଇ ପୁଷ୍ପଦନ୍ତା ।୭୧ ।
ଚିତ୍ରୋତ୍ପଳା ନଦୀର ପଛିମ ଭାଗ କୂଳେ
ଉଡ଼ଙ୍ଗ ନାମେ ନଗ୍ର ବାରାହୀନଦୀ କୂଳେ ।୭୨ ।
ସେ ଉଡ଼ଙ୍ଗ ଦେଶେ ରାଜା ଅଟଇ ଇନ୍ଦୁସିଂହ
ବଡ଼ାଇ ପ୍ରତାପୀ ରାଜା ଅଟେ ସେ ମହୀଭାଗ ।୭୩ ।
ବିଙ୍ଗସୀ ନାମେଣ ଅସୁର ରାଜା ଉପସ୍ଥିତା
ତାହାର ତହିଂ ଥିଲେ ଅଷ୍ଟ ଯେ ଦୁହିତା ।୭୪ ।
ଦୁହିତାନ୍ତ ଘେନିଣ ସେ ଅସୁର ଦାସ ରାଜନ
ଇନ୍ଦ୍ରସିଂହ ନୃପତିକି କଲାକ ପ୍ରଦାନ ।୭୫ ।
କାମ୍ୟେକ ପୁରୁଷ ସେ ଅଟଇ ରାଜା ଇନ୍ଦୁସିଂହ
ସେ ଅଷ୍ଟା କନ୍ୟାକଇଂ କଲାକ ବଇଭୋଗ ।୭୬ ।
ଧନୁ ଶୁକ୍ଳ ପୂର୍ଣ୍ଣମୀ ଦିନ ସେ ଅଷ୍ଟ ଯୁବତୀ
ୟେକ ଦିନେ ଅଷ୍ଟ କନ୍ୟାୟେ ହେଲେ ଗର୍ଭବତୀ ।୭୭ ।
ସୀମନ୍ତନ ହୋଇଲା ନରେନ୍ଦ୍ର ସିଂହମାସେ
ବର ଯାଚଇ ନୃପତି କନ୍ୟାଂକୁ ହରଷେ ।୭୮ ।
କଉତୁକେ କନ୍ୟାମାନେ ତାହାକଇଂ ବନ ଡୋହଳ ମାଗି
ବୋଇଲେ ଆମ୍ଭଂକୁ ଦେବ ବରଷି ମାଂସ ଭୋଜୀ ।୭୯।
କାର୍ତ୍ତିକ ନାମେଣ ଅଟେ ୟେକଇ ମହଋଷି
ତାହାଂକର ମାଂସ ଆମନ୍ତ ବନ ଡୋହୋଳେ ଦିଅସି ।୮୦।
କନ୍ୟାଂକର ବଚନେ ସେ ଚଳିଲା ଦ୍ରପିଷ୍ଠେ
କାର୍ତ୍ତିକ ଋଷିକଇଂ ଭେଟିଲେ ବଳାଙ୍ଗୀ ନଦୀ ତଟେ ।୮୧।
ଆହାର୍ଣ୍ଣିକ କରି ମୁନି ନିତ୍ୟକର୍ମ ବିଧାନେ
ୟେମନ୍ତର ସମୟେ ଯାଇ ଭେଟିଲେ ଯାତୁଧାନେ ।୮୨।
କାର୍ତ୍ତିକ ମହଋଷିଂକି ଅଇଲେ ତହୁଂ ଘେନି
ଅଷ୍ଟଖଣ୍ଡ କରି କଳେବର କାଟିଲେ ମହାମୁନି ।୮୩।
କାର୍ତ୍ତିକ ମହାଋଷିଂକର ମାଂସ ଖଣ୍ଡି ଖଣ୍ଡି କରି କାଟି
ଅଷ୍ଟ ଭୋଗ କରିଣ ଦେଲା ତାହାଂକୁ ସେ ବାଣ୍ଟି ।୮୪।
ମହୁମେଦ କରିଣ ତାହା ଅଗ୍ନିକୁଣ୍ଡେ ଦିଲା ଭରି
ଜାଳଇ ଅସୁରେଶ୍ୱର ସଉରୀ ପାକ କରି ।୮୫।
ରାନ୍ଧନ୍ତେଣ ହୋଇଲାନି ଅଢ଼ାଇ ପ୍ରହର ରାତି
ବନ ଭ୍ରମି ଆସୁଛନ୍ତି ଅଷ୍ଟ ଯେ ଦେବତୀ ।୮୬।
ଅମ୍ବା ଅମ୍ବିକା ଅମ୍ବୁବତୀ ଅମ୍ବାଳିକା
ଅମ୍ବୁ ଅମ୍ବୁକୀ ଅମ୍ବିଳିକା ଆବର ଅମ୍ବେକା ।୮୭।
ଆାକଶ କ୍ଷେପିଣ ଭ୍ରମନ୍ତେ ନିଶାୟେ ମହାମାୟା
ପୋଡ଼ନ୍ତେଣ ମାଂସ ଭେଟିଲେ ଯାଉଂ ତାହା ।୮୮।
ଦେବୀଂକି ଦେଖି ଭୟେ ପଳାଇଲେ ସେ ଇନ୍ଦୁସିଂହର ନାରୀ
ସ୍ୱାମୀ ସହିତେ ରହି ନୁଆରି ପଳାଇଲେ ତ୍ରାସ କରି ।୮୯।
ଲହ ଲହ ଜିହ୍ୱା ବିକଟ ଦାଢ଼ ବକ୍ରବକ୍ଷି
ରେ ରେ କାରେ ଡାକନ୍ତି କେ ରେ ମହୁମାଂସ ପୋଡ଼ୁଅଛି ।୯୦।
ଅଗ୍ନିକୁଣ୍ଡ ମଧ୍ୟେ ହାଥ ଭରିଣ ଦରାଣ୍ଡି
କାଢ଼ିଲେ ଦେବୀମାନେ ମାୟେଂସ ଅଷ୍ଟଖଣ୍ଡି ।୯୧।
ପୋଡ଼ନ୍ତେ ମାଂସ ମାଂସ ଶଙ୍ଖବର୍ଣ୍ଣ ପ୍ରାୟେ ଦିଶଇ
କ୍ଷେପଣୀୟେ ବୋଲନ୍ତି କେବଣ ଋଷିର ମାଂସ ୟେହି ।୯୨।
ବେଢ଼ିଣ ରାକ୍ଷାସୁଣୀ ତାହା ନ ଖାଇଲେ ଅଦ୍ୟାପି
ଖଣ୍ଡି ଖଣ୍ଡି କରି କରୂପେ ତାହା ଥାପି ।୯୩।
ସିଂଘମାସ ଶୁକଳ ପକ୍ଷ ନବମୀ ଦିନରେ
ଚନ୍ଦ୍ରଦେବତା ଗୋପ୍ୟାନ ରାତ୍ର ଅଢ଼ାଇ ପ୍ରହରେ ।୯୪।
ବିଶେଷ ଅନ୍ଧାରେ ଆବର ଘୋରବନ
ବାରଣ ନ ଯାଇ ନ ଚିହ୍ନନ୍ତି ବର୍ଣ୍ଣ ଚିହ୍ନ ।୯୫।
ଋଷିମାଂସ ବୋଲି ସେ ନ ଭକ୍ଷିଲେ ମହାମାୟୀ
ଅଷ୍ଟଦେବୀ ଅଷ୍ଟଖଣ୍ଡ ୟେକତ୍ୱ କଲେ ତହିଂ ।୯୬।
କେ ମୁଖଖଣ୍ଡି ଲଗାଇଲା ପିଠି ଯେ କତିକି
ହୃଦଖଣ୍ଡ ଲଗାଇଲା ଡାହାଣ ଅଙ୍ଗ ତହିଂକି ।୯୭।
ହୃଦଗତ କେ ନେଇ ଲଗାଇଲା ବାମକର
କେହୁ ନେଇ ଚରଣ ଖଞ୍ଜିଲା ପିଠି ଯେ କତିର ।୯୮।
ଅନିର୍ଯାପ କରିଣ ସେ ଥାପିଲେ ପିତୁଳି
ମୃତୁ ସଂଜୀବନୀ ମନ୍ତ୍ରେ ଜୀବନ୍ୟାସ କରି ତୋଳି ।୯୯।
ଶୁଣ ଆହୋ ନଳରାଜା ତୋଷେ ବୋଲନ୍ତି ବ୍ରହ୍ମଯତି
ୟେକ ଶରୀର ଆରମ୍ଭ ହେଲା ଅଷ୍ଟମୃତ୍ତି ।୧୦୦।
ୟେମନ୍ତ ଅଷ୍ଟାବକ୍ର ହୋଇଲା ଆମ୍ଭର କାୟେ
ଆମ୍ଭେ ଯେ ଅଷ୍ଟବକ୍ର ଜନ୍ମ ଅପିତା ଅମାୟେ ।୧୦୧।
ଶୁଣିଣ ସାନନ୍ଦ ସେ ନଳ ଯେ ନୃପତି
ୟେ ମୋହୋର ରୂପ ମୁନି ହେ ନିଜମୃତ୍ତି ।୧୦୨।
ଅଷ୍ଟବକ୍ରେ ବୋଇଲେ ତୋତେ ଅଛି ଭବିଷ୍ୟ
ସେ ଯେବେ ସଂପୂର୍ଣ୍ଣ ହୋଇବ ଲଭିବୁ ପରମ ଗତି ପାଇବୁ ନିଜ ଦେଶ ।୧୦୩।
ଆମ୍ଭର ବୋଇଲେ ତୁ ହୋଇପାରୁ ନିନା
ୟେ ରୂପ ଥିଲେ ରାଜା କାରଣ ତୋତେ ସିନା ।୧୦୪।
ସାୟନ୍ତ ରୂପରୁ ଯେବେ ସେବକ ହୋଇବ ସୁନ୍ଦର
ସେ ଯେ ନ ଶୋହଇ ତାହାର କତିର ।୧୦୫।
ତିନି ସହସ୍ର ବିଶାଶତେ ଦିନ
ୟେତେକ ପାରଯିବ ୟେ ତୋହୋର ବର୍ଣ୍ଣ ।୧୦୬।
ଅଷ୍ଟବକ୍ରେ କହିଲେ ସେ ସରୂପ ମଣାଇ
କଳିକାଳ ପୁରୁଷେ ତୋତେ କରୁଛନ୍ତି ବାଇ ।୧୦୭।
ୟେ ବାଳୁତ ଭାବ ତୋର ଆମ୍ଭେ କରୁ ଶାନ୍ତି
ତୋତହୁଂ ଦମୟନ୍ତୀର ଆନ ନାହିଂ ପତି ।୧୦୮।
ୟେବେ ତୁ ଆମ୍ଭ ବୋଲକରି ରାଜା ଯିବୁ
ରତୁପୂର୍ଣ୍ଣ କଟକେ ଅଯୋଧ୍ୟାରେ ଥିବୁ ।୧୦୯।
ମହତ ଧାର୍ମିକ ସେ ଅଟଇ ନୃପବର
ତାହାର କଟକେ ତୋର କଷ୍ଟ ଯିବ ପାର ।୧୧୦।
ସେ ରାଜ୍ୟର ରଥେ ବାହୁକ ହୋଇଥିବୁ
ତାହାର ସଙ୍ଗେ ଥିଲେ ତୁ କାରଣ ପାଇବୁ ।୧୧୧।
ଶୁଣିଣ ସାନନ୍ଦ ସେ ହୋଇଲେ ନୃପତି
ସେ ଅଯୋଧ୍ୟା କଟକକୁ ମୁନି ହେ ବାଟ କେଉଂଣ କତି ।୧୧୨।
ଅଷ୍ଟବକ୍ରେ ବୋଇଲେ ସେ ନଳ ରାଜାକୁ
ୟେକମୁଖ ହୋଇ ଯାଅ ଯା ଉତ୍ତର ଦିଗକୁ ।୧୧୩।
ୟେତେ କହି ଅଷ୍ଟବକ୍ରେ ଗଲେ ଅନ୍ତର୍ଦ୍ଧାନେ
ତହୁଂ ସେ ନଳରାଜା କରଇ ଗମନେ ।୧୧୪।
ଅନେକ ଗିରି କନ୍ଦର ବନ ଗହନେ ଭ୍ରମଇ
ପ୍ରବେଶ ନଳ ଯାଇଂ ବନସ୍ତ ନନ୍ଦୀ ଗ୍ରାମଇଂ ।୧୧୫।
ସେ ଦେଶେ ରାଜନ ସେ ନନ୍ଦୀକି ଚକ୍ରବ୍ରତୀ
ତାହାର ରାଜ୍ୟେ ପ୍ରବେଶ ନଳ ଯେ ନୃପତି ।୧୧୬।
ବାସୁକର ବୋଲିଣ ଯେ ୟେକଇ ଦ୍ୱିଜବରେ
ନନ୍ଦୀକି ପଶା ଖେଳୁଛି ତାହାର ସଂଗତରେ ।୧୧୭।
ତାହାର ପାଶେ ବାଳୁତ ଅବସ୍ତା ହୋଇଣ ନଳ
ଖମ୍ବକୁ ଆଉଜି ଉଭା ହୋଇଅଛି ଆସ୍ତାନର ତଳ ।୧୧୮।
ସେ ବାସୁକୀର ବ୍ରାହ୍ମଣକୁ ପଶାରେ ହାରିଲା ନନ୍ଦୀକ ଚକ୍ରବ୍ରତୀ
ମହାଦେଈ ବୋଇଲେ ରାଜା ନଳ ପ୍ରାୟେ ହେଉଛି ତୋର ଗତି ।୧୧୯।
ପଶା ଛାଡ଼ି ରାଜା ଚାହିଂଲା ଭାରିଯାକୁ
ନଳ ରାଜା ଚରିତ କିସ କହନି ଆମ୍ଭଂକୁ ।୧୨୦।
ଶୁଣ ହୋ ମହାରାଜ ବୋଲଇ ଇନ୍ଦୁମତୀ
ପୁଷ୍କର ବ୍ରାହ୍ମଣ ତୁଲେ ପଶା ଖେଡ଼ିଲେ ନଳ ଯେ ନୃପତି ।୧୨୧।
ରାଜ୍ୟଭାର ସିଂଘାସନ ସମସ୍ତ ସେ ହାରି
ୟେକାମାତ୍ର ଦମୟନ୍ତୀକି ଘେନି ହୋଇଲା ବନ ତପଚାରୀ ।୧୨୨।
ୟେକା ଭାରିଯାକଇଂ ବନସ୍ତେ ନୁଆରିଲା ପୋଷି
ପଣନ୍ତ କାଟି ବନେ ପଳାଇଲା ଅବିଶ୍ୱାସୀ ।୧୨୩।
କେହୁ ନ ଧରନ୍ତି ନଳ ରାଜାର ନାମ
ୟେହି ମହୀତଳେ ତାର ତହୁଂ କେହି ନାହିଂନା ଅଧମ ।୧୨୪।
ନନ୍ଦୀକ ରାୟେ ବୋଇଲା ତୁ ନିନ୍ଦିଲୁ ନଳ ଯେ ନୃପତି
ସ୍ତିରୀକୂଳେ ଅଧର୍ମୀ ଯେ ଅଟଇ ଦମୟନ୍ତୀ ।୧୨୫।
ସ୍ୱାମୀ ହୋଇ ବଢ଼ିଲା ସେ ଯେବଣ କଥାକୁ
ଭାରିଯା ହୋଇ କିଂପେ ନ ଘୁଞ୍ଚାଇଲା ତାହାକୁ ।୧୨୬।
ସ୍ତିରୀକୁଳ ମଧ୍ୟେ ସେ ଅଟଇ ଅନ୍ୟାଚାରୀ
ପ୍ରଭାତର କାଳେ ତାର ନାମହିଂ ନ ଧରି ।୧୨୭।
ଶୁଣିଣ ରୋଦନ କରଇ ନଳ ଯେ ନୃପତି
ସୂର୍ଯ୍ୟବଂଶେ ଯାତହୋଇ ମୋତେ ୟେଡେ ଅପକ୍ଷାତି ।୧୨୮।
ନିଲ୍ଲଜ ଆତ୍ମା ମୋର ଧରିବି କେବଣ ବାଗେ
ବେଣୀଚକ୍ର ଭେଦିବି ଝାସିବି ପ୍ରୟୋଗେ ।୧୨୯।
ଧିକ ଧିକ ଜୀବନ ବୋଲି ବନେ ପଶିଲାକ ରାୟେ
ବନସ୍ତେ ଭ୍ରମନ୍ତେ ଦେଖିଲେ ବ୍ୟାଘ୍ରପଲ ଯେ ଗୋଟାୟେ ।୧୩୦।
ନଳ ବୋଇଲେ ବ୍ୟାଘ୍ର ହେ ପାରକି ମୋତେ ଭକ୍ଷି
ନଳକଇଂ ଦେଖି ବ୍ୟାଘ୍ରେ ଗଲେ ସ୍ରବେ ଘୁଞ୍ଚି ।୧୩୧।
ଚଳଇ ନଳ ନରେନ୍ଦ୍ର ଧବଳମୁଖୀ ନଦୀତଟେ
ରତୁପନ୍ନ ରାଜାକଇଂ ଭେଟିଲେ ଅଯୋଧ୍ୟା ନିକଟେ ।୧୩୨।
ଭାନୁମଣ୍ଡଳ ରାଜା ରୁଦ୍ରସେନ ନୃପତି
ତାହାର ତହିଂକି ଦଣ୍ଡ ସାଜିଲା ରତୁପନ୍ନ ଚକ୍ରବ୍ରତୀ ।୧୩୩।
ରତୁପନ୍ନ ରୁଦ୍ରସେନର ବଡ଼ାଇ ସମର
ରତୁପନ୍ନ ସଇନି ଯେ ହୋଇଲେ ଅପହର ।୧୩୪।
ପଦ୍ମେକ ରଥ ତାର ଚାରିପଦ୍ମ ହାଥୀ
ପଞ୍ଚସାଗର ଅଶ୍ୱ ନବସାଗର ପାଦାନ୍ତି ।୧୩୫।
ରତୁପନ୍ନ ରାଜାର ପଡ଼ିଲା ୟେତେ ଥାଟ
ପଳାବଇଂ ନୃପତି ଯେ ନ ପାବଇଂ ବାଟ ।୧୩୬।
ଆପଣେ ଆସଇ ରାଜା ବାହିଣ ୟେକ ରଥେ
ସେନା ଟୋପର ରାଜାର ବୁଡ଼ିଅଛି ରକତେ ।୧୩୭।
ବନସ୍ତେ ପଳାଇ ରାଜା ୟେକ ରଥ ଗୋଟି
କାଶୀ ନଦୀ ତୀରେ ନଳ ତାହାକଇଂ ଭେଟି ।୧୩୮।
ନଳ ପଚାରଇ ତୁହୋ କେବଣ ଦେଶ ରଥୀ
ଦଣ୍ଡଭଗ୍ନ ପ୍ରାୟେକ ଦିଶଇ ତୁମ୍ଭ ମୃତ୍ତି ।୧୩୯।
ଶୁଣ ହୋ ମହାରାଜା ବଦୟନ୍ତି ରତୁପନ୍ନ
ପରଥାଠ ଯୁଦ୍ଧେ ମୋର ହୋଇଲା ଦଣ୍ଡଭଗ୍ନ ।୧୪୦।
ନଳ ବୋଇଲା ତୋର ମୁହିଂ ହୋଇବି ସାରଥି
ୟେକ ନିମିଷକେ ଜିଣିବୁ ଭୂଅପତି ।୧୪୧।
ବାହୁକ ନାମ ମୋର ଅଟଇ ଯୁଗତି
ଅଶ୍ୱିନୀ କୁମାରଂକର ମୁଂ ଅଟଇ ପଣନାତି ।୧୪୨।
ରେହନ୍ତ ମୋର ଗୁରୁ ମୁଂ ପାରଇ ରଥ ବାହି
ମୋହୋର ରଥେ ଥିଲେ ଅପ୍ରାଂଜୟେ ତୋତେ ନାହିଂ ।୧୪୩।
ଶୁଣିଣ ରତୁପନ୍ନ ନଳକଇଂ କଲା ଅନେକ ପୂଜା
ବାହା ମୋର ରହୁବର ବୋଲଇ ମହାରାଜା ।୧୪୪।
ବାହୁକ ନାମେଣ ନଳ ହୋଇଲା ସାରଥି
ରତୁପନ୍ନର ରଥ ବାହିଲା ପବନହୁଂ ଧାତି ।୧୪୫।
ଆକାଶ ମାର୍ଗେଣ ଉଡ଼ଇ ରଥଗୋଟି
ରୁଦ୍ରସେନ ରାଜାକଇଂ ଯାଇଂଣ ବେଗେ ଭେଟି ।୧୪୬।
ରଣଜୟ କରିଣ ସେ ଯାଉଅଛି ରୁଦ୍ରସେନ
ଆଗେ ଯାଇଂ ଉଗାଳିଲା ସେ ରାଜା ରତୁପନ୍ନ ।୧୪୭।
ଅେନକ ବିଦ୍ୟା ତାକୁ କହଇ ହାଦେ ନଳ
ମନ୍ତ୍ରଭେଦ ପାଇଣ ସେ ହୋଇଲା ମହାବଳ ।୧୪୮।
ସାଧୁ ସାଧୁ ନଳରାଜା ଯେ ଅଟଇ ମହାଯୋଧୀ
ରତୁପନ୍ନ ରାଜାକଇଂ ଶିଖାଇଲା ନାରାଜ ମନଭେଦୀ ।୧୪୯।
ମନେ ଧରନ୍ତେ ଯେ ରୁଦ୍ରସେନର ବଳ ଧ୍ୱଂସି
ଅନେକ ଯୋଦ୍ଧା ତାର ପାଡ଼ିଲା ବିଶେଷି ।୧୫୦।
ନବସାଗର ଯୋଦ୍ଧା ରୁଦ୍ରସେନର ଥିଲା
ୟେକା ପ୍ରହାରେକ ରତୁପନ୍ନ ନାରାଜ ସମସ୍ତ ନାଶକଲା ।୧୫୧।
ସଇନି ପଡ଼ନ୍ତେ ରାଜା ପଲାଇଲା ରୁଦ୍ରପାଦ
କଟାଳି ରତୁପନ୍ନ ରାଜା ନାରାଜ କଲା ଭେଦ ।୧୫୨।
ନାଗପାଶେ ରତୁପନ୍ନ ରୁଦ୍ରସେନକଇଂ ବାନ୍ଧି
ରୁଦ୍ରସେନ ରାଜା ତହିଂ ହୋଇଲାକ ବନ୍ଦୀ ।୧୫୩।
ଅନେକ ଧନ ଭଣ୍ଡାର ରାୟେ ପୂରୋଇଣ ରଥେ
ଅଯୋଧ୍ୟାରେ ପରବେଶ ହୋଇଲେ ନରନାଥେ ।୧୫୪।
ରାଜ୍ୟେଣ ରାଜା ଅନେକ ଉଚ୍ଛବ ବଧାଇ
ବାହୁକକଇଂ ଅନେକ ପୁରୁଷାର୍ଥ କରାଇ ।୧୫୫।
ରତୁପନ୍ନ ବୋଇଲା ଆଗ୍ୟାଂ ମୋତେ ଦେବା
ୟେ ମୋହୋର ରାଜ୍ୟେ ତୋତେ କରାଇବି ବିଭା ।୧୫୬।
ବାହୁକ ବୋଇଲା ମୁଂ ଅଟଇ ପୁରୁଷ ଯତି
ବ୍ରତ ଆଚାରେ ମୋହୋରି ୟେକଇ ଯୁବତୀ ।୧୫୭।
ଆବର ସ୍ତାନେ ଅଛଇ ମୋହୋର ଭାରିଯା
ମୁହିଂ ସେ ତାହାକଇଂ କରିଅଛଇ ବନେ ପରିତେଜ୍ୟା ।୧୫୮।
ଉତ୍ତର କୋଶଳେ ଯେ ଅଯୋଧ୍ୟା ମଣ୍ଡଳ
ରତୁପନ୍ନର ବାହୁକ ହୋଇ ତହିଂ ରହିଲା ରାଜା ନଳ ।୧୫୯।
ଛାଡ଼ିଲା ଦୁଷୁକୃତ ରହିଲା ଅଇଶୁର୍ଯ୍ୟେ
ବାହୁକକଇଂ ଘେନି ରତୁପନ୍ନ କରଇ ଦିଗବିଜେ ।୧୬୦।
ବଇବସୁତ ମୁନି ପୁଚ୍ଛାକଲେ ଅଗସ୍ତି
ବିଦୁଳା ନଗରେ ଯେ ରହିଲେ ଦମୟନ୍ତୀ ।୧୬୧।
ନଳରାଜା ରହିଲେ ଅଯୋଧ୍ୟା ନଗ୍ରପୁର
କହିବା ମୁନି ହେ ସେ କେତେ କେତେକ ଅନ୍ତର ।୧୬୨।
ଅଗସ୍ତି ବୋଇଲେ ଶୁଣ ହୋ ମନୁ ରାଜନ
ଅଯୋଧ୍ୟାକୁ କଉଶିକ ବନ ନବଶତ ଯୋଜନ ।୧୬୩।
କଉଶିକ ଦେଶକୁ ନଗ୍ର ସେ ଉଜାଣିକାନ୍ତି
ସହସ୍ରେ ପାଞ୍ଚଶତ ଯୋଜନ ତହିଂର ପ୍ରତି ।୧୬୪।
ଉଜାଣିକାନ୍ତି ନିର୍ଝର ଦେଶ ତିନି ସହସ୍ର ଯୋଜନ
ତହିଂକି କନାଉଜ ଦେଶ ପାଞ୍ଚଶତ ଯୋଜନ ପରିମାଣ ।୧୬୫।
କଉଶିକ ବନସ୍ତ ପଞ୍ଚଷଠୀ ଶତେ ଯୋଜନ ପରିଯନ୍ତେ
ଲକ୍ଷେ ଦଶ ସହସ୍ର ଷାଠିୟେ ଯୋଜନ ଲେଖନ୍ତେ ।୧୬୬।
ମନୁ ବୋଇଲେ ଅଗସ୍ତି ସେ ବହୁତ ଦୂର ବାଟ
ନଳ ଦମୟନ୍ତୀ କେମନ୍ତେ ପୁଣ ହୋଇଲେକ ଭେଟ ।୧୬୭।
ୟେହା ସଞ୍ଚପି ମୋତେ କହିବା ବ୍ରହ୍ମସୁତ
ତୋହୋର ମୁଖରୁ ଶୁଣିବି ନଳରାଜାର ଚରିତ ।୧୬୮।
ପୁଣ ନଳକଇଂ କେମନ୍ତେ ଭେଟ ପାଇଲା ଦମୟନ୍ତୀ
ୟେହା ସଞ୍ଚପି ମୋତେ କହିବା ଅଗସ୍ତି ।୧୬୯-୧୦୫୯୫।