ରକ୍ତଦାନ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିପ୍ରଥମ ପରିଚ୍ଛେଦ
ବେଳ ପ୍ରହରକରୁ ବଜିଗଲାଣି । ସର୍କାରୀ ଘଡ଼ିରେ ଟଂ ଟଂ କରି ନଟା ବାଜିଗଲା । ଦିବସର ଏହି ସମୟଟା ବଡ଼ ମଧୁର । ଏହା ତାର କୈଶୋର କାଳ । ଆକାଶ ଇନ୍ଦୀବରନୀଳିମା ବୋଳିହୋଇ ଗଭୀର ଦୃଷ୍ଟିରେ ପୃଥିବୀର ଶୋଭା ଦେଖୁଅଛି । ସୂର୍ଯ୍ୟଙ୍କର କୈଶୋର କିରଣର କନକପ୍ରଭା ଧରଣୀବକ୍ଷରେ ବିସ୍ତୃତ ହୋଇ ପଡ଼ୁଅଛି । କୈଶୋରର କମନୀୟ ପ୍ରଭାରେ ସୃଷ୍ଟି ସମ୍ମାର୍ଜିତ । ସେଥିରୁ ଲାବଣ୍ୟ ଝରିପଡ଼ୁଅଛି । ଭାବୁକ, ସାଧକ ନେତ୍ର-ମୁଖରେ ସେହି ଅମୃତ ପାନକରି କୃତାର୍ଥ ହେଉଅଛନ୍ତି । ଦେବାଳୟରେ ଭୋଗ, ଆରତିର ଘଣ୍ଟା ମଧୁର ସ୍ୱରରେ ବାଜି ଉଠୁଅଛି । ପକ୍ଷିବୃନ୍ଦ ବିତତ ଶାଖା ବୃକ୍ଷ ଉପରେ ସଭାକରି ବସିଅଛନ୍ତି । କେତେ ମଧୁମ୍ରକ୍ଷିତ ଲଳିତ ସ୍ୱରରେ ବିହଙ୍ଗୀୟ ଭାଷାରେ କି ଅବୋଧ୍ୟ ଆଭାଷଣ ପ୍ରକାଶ କରୁଅଛନ୍ତି, ତାହା ସେହିମାନେ ଜାଣନ୍ତି । କେହି ବ୍ୟଥାବିଦୀର୍ଣ୍ଣ କର୍କଶ କଣ୍ଠରେ ଚିତ୍କାର କରୁଅଛି; ମାତ୍ର ତାହାର ଆକାଙ୍କ୍ଷାର କରୁଣ ଆବେଦନ କହି ଶୁଣିବାକୁ ନାହିଁ । ସେ ସଭାରେ ବକ୍ତା ସମସ୍ତେ; ମାତ୍ର ଶ୍ରୋତା କେହି ନାହିଁ । ଯୌବନ ଅପେକ୍ଷା କୈଶୋର ଅଧିକ ସୁନ୍ଦର । ଯୌବନ କଠୋର, କୈଶୋର କୋମଳ । ଯୌବନରେ ସୌନ୍ଦର୍ଯ୍ୟ ପୂର୍ଣ୍ଣତା ପ୍ରାପ୍ତ ହୁଏ ସତ୍ୟ; ମାତ୍ର ସେ ସୌନ୍ଦର୍ଯ୍ୟରେ ଗଭୀରତା ତେତେ ଥାଏ ନାହିଁ । କୈଶୋରର ଅପ୍ରଚଣ୍ଡତା ଏବଂ ଅକଠୋରତା ସୌନ୍ଦର୍ଯ୍ୟକୁ ମଧୁର, ମହିମିତ ଏବଂ ଆକୃତିଗତ କରେ । ଫୁଟିଲା ଫୁଲଠାରୁ ଦରଫୁଟା ଫୁଲ ଅଧିକ ସୁନ୍ଦର ସିନା ! ଉଚ୍ଛୃଙ୍ଖଳ ହାସ୍ୟୋଜ୍ଜ୍ୱଳ ମୁଖ ଅପେକ୍ଷା ମୃଦୁହାସ୍ୟ ବଦନ କି ମଧୁର ନୁହେଁ ?
କର୍ମ-କୋଳାହଳମୟ ଏହି କୈଶୋର କାଳରେ ଚାରିଆଡ଼େ କର୍ମର କୋଟି ଉପାସନା ଲାଗିଅଛି । କର୍ମ-ଦେବତାଙ୍କ ପୂଜା-ମନ୍ତ୍ରରେ ଗ୍ରାମନଗର ମୁଖରିତ । ସ୍କୁଲପିଲାଏ ଗାଧୋଇବା ପାଇଁ ନଈ ପୋଖରୀକୁ ଧାଇଁଅଛନ୍ତି; କେହି ତର ତର ହୋଇ ଦାନ୍ତକାଠି ଭାଙ୍ଗୁଅଛି ଏବଂ ଦାନ୍ତକାଠି ଖଣ୍ଡ ଚେମଡ଼ ହେତୁ ଦନ୍ତରୂପ ତୀକ୍ଷ୍ମ ଅସ୍ତ୍ରର ସାହାଯ୍ୟ ନେଉଅଛି, କେହି ବା ଆଖିରେ କାନରେ ପୁଞ୍ଜାଏ ଗୁଞ୍ଜିଦେଇ ଗୋଟାଏ ପୁସ୍ତକ-ହିମାଳୟ କାଖରେ ଯାକି ସ୍କୁଲକୁ ଧାଇଁ ଅଛି । ସାରା ସକାଳଟାଯାକ ପାଠ ଗିଳିଗିଳି ପେଟରେ ସ୍ଥାନ କାହିଁ ଯେ ଭାତ ଗିଳିବ ? ଆଜିକାଲି ପିଲାଙ୍କୁ ଏତେ ପାଠ ଗିଳିବାକୁ ହୁଏ ଯେ, ଅନେକେ ତାହା ଜୀର୍ଣ୍ଣ କରିପାରନ୍ତି ନାହିଁ । ଓକିଲ-ମୁକ୍ତିଆରଙ୍କ ଟରଣୀମାନେ ଶିକାର ଧରିବା ଆଶାରେ କାନରେ କଲମରୂପ ବଲ୍ଲମ ଖୋସି ଧାଇଁଅଛନ୍ତି । ରାନ୍ଧୁଣୀମାନଙ୍କର ବ୍ୟସ୍ତତାର ସୀମା ନାହିଁ; ଚୁଲୀ ଲଗାଇବା, ପରିବା ଯୋଗାଡ଼ିବା, ବେସର ବାଟିବା ପ୍ରଭୃତିରେ ସେମାନେ ଅଷ୍ଟାବଧାନୀ । ନିତି କିଣି ନିତି ଖାଇବା ଲୋକେ ଉଦର-ଦେବତାଙ୍କ ଅହ୍ମଣିଆର ଉପାଦାନ ସଂଗ୍ରହ କରି ବୁଲୁଅଛନ୍ତି । କିରାନୀବର୍ଗ ସକାଳଟାଯାକ ଗଧ ଖଟଣି ଖଟି ବସାକୁ ଫେରି ଆସୁଛନ୍ତି । ଦୋକାନୀ ଚିତାଚୈତନ୍ୟ କାଟି ଗୋଛାଏ କୁଞ୍ଚିକାଠି ଧରି ସିଟି ମାରି ମାରି ଦୋକାନକୁ ଯାଉଅଛି । ସଦ୍ୟ ନିଦ୍ରୋତଥିତ କୃଷ୍ଣଭକ୍ତ (ଅଫିମସେବୀ)ମାନେ ଘରୁ ଉଠି ଆସି ପିଣ୍ଡାରେ ବସି ଭାବରେ ବିଭୋର ହୋଇ ଧ୍ୟାନ କରୁଅଛନ୍ତି । ଥରେ ଥରେ ଧ୍ୟାନ ଭାଙ୍ଗିଯାଉଅଛି, ଭକ୍ତବୃନ୍ଦର ଜବାକୁସୁମରକ୍ତ ନେତ୍ର ଅର୍ଦ୍ଧ ଉନ୍ମୀଳିତ ହୋଇ ମୁହୂର୍ତ୍ତକ ମଧ୍ୟରେ ପୁଣି ମୁଦ୍ରିତ ହୋଇ ଯାଉଅଛି । କେଉଁଠାରେ ଖାଉଁନ୍ଦ ଏବଂ ମୂଲିଆ ମଧ୍ୟରେ କଳି ଲାଗି ଅଛି । ଖାଉନ୍ଦ କହୁଅଛି, ‘‘ଆରେ ତୁ ଏଡ଼େ ଅସତ୍ବଦ୍ନିୟତି, ବେଳ ପ୍ରହରେ ନ ହେଉଣୁ ହଳ ଫିଟେଇ ଦେଇ ଚାଲିଆସିଲୁ, ଉଛୁଣି ଓଳିକର ମୂଲ ତିନିଅଣା ଗଣିନେବୁ, ତାହା ତୋତେ ବରକତ ହେବ କିମିତି ? ତୋତେ ଧର୍ମ ସହିବ ନାହିଁରେ ଠକ, ଠାପୁଆ, ନିମକହାରାମ ।’’ ମୂଲିଆ କହୁଛି- ‘‘ତୁମେ ସେମିତି କଥା କୁହ ନାହିଁ ହେ, ମୁଁ ତାହା ସହିବା ଲୋକ ନୁହେଁ । ଭାରି ତ ତିନିଅଣା ପଇସା, ଷ୍ଟେସନ ପାଖରେ ଗୋଟାଏ ବସ୍ତା ଉଠାଇଦେଲେ ମୁଁ ଘଡ଼ିକେ ଚାରିଅଣା ଅର୍ଜନ କରିବି, ତୁମ ହେତା ବି କିଆରି ନିଅ ପଛେ ମୁଁ ଆଉ ତୁମର ମୂଲିଆ ହେବି ନାହିଁ । ତୁମରି ପାଖରେ ବେଳ ପହରେ ହୋଇ ନ ଥିବ, ତୁମପରି ଦାନ୍ତ ମଳିଖିଆ କିଏ ଅଛି ଯେ, ଅଢ଼େଇ ପହରଯାଏ ଦାନ୍ତ ଘଷିବ ନାହିଁ । ଆମେ ବାବୁ ସିମିତି କରି ପାରିବୁ ନାହିଁ । ତୁମ ମନକୁ ନ ପାଇଲେ ତୁମେ ଅନ୍ୟ ମୂଲିଆ ଦେଖ, ମୁଁ ତୁମର ସେ ତେଣ୍ଟାକଥା ବରଦାସ୍ତ କରି ପାରିବି ନାହିଁ ।’’ ଏହିପରି ସମସ୍ତେ କର୍ମ ସାଧାନରେ ବିବ୍ରତ ।
ଜଣେ ଗୃହସ୍ଥ ତର ତର ହୋଇ ବାହାରି ଆସି ଦାଣ୍ଡପିଣ୍ଡାରେ ଥୁଆ ହୋଇଥିବା ଜଳପାତ୍ରରେ ସନ୍ତରଣଶୀଳ ମତ୍ସ୍ୟ ପ୍ରତି ଦୃଷ୍ଟି ନିକ୍ଷେପ କରି ଏବଂ ଦକ୍ଷିଣ ହସ୍ତର ମଧ୍ୟମାଙ୍ଗୁଳିରେ ଦଧି ପାତ୍ରରୁ ଟିକିଏ ଦଧି ନେଇ ତାହା କପାଳରେ ଛୁଆଁଇ ସମ୍ମୁଖସ୍ଥ ବୈଠକଖାନାକୁ ଚାଲିଗଲେ । ତାଙ୍କ ଭାବ ଭଙ୍ଗିରୁ ବୋଧ ହେଲା- ସେ କୌଣସି ଗୁରୁତର କାର୍ଯ୍ୟୋପଲକ୍ଷେ ଶୁଭ ଅନୁକୂଳ କରି ବାହାରି ଅଛନ୍ତି । ବୈଠକଖାନାଟି ଏକୁଟିଆ ଘର; ସୁତରାଂ ନିର୍ଜନ । ତାହା ସୁସଜ୍ଜିତ ନ ହେଲେହେଁ ସୁପରିଷ୍କୃତ । କେଉଁଠି ଟିକିଏ ଧୂଳି ତା ମସିରେଖାର ଦାଗ ନାହିଁ । ଯେମନ୍ତ କି କାହାର ନିପୁଣ ହସ୍ତ ସର୍ବଦା ତାହା ପ୍ରତି ସତର୍କ ରହିଅଛି । ଗୃହଟିର ପୂର୍ବ ସୌଭାଗ୍ୟର ସ୍ମୃତି ଚିହ୍ନ ସ୍ୱରୂପ ଖଣ୍ଡେ ଭଙ୍ଗା ବେହେଲା ଏବଂ ହଳେ ଫଟା ଡୁବିତାବଲା ଏକାଂଶରେ ରକ୍ଷିତ ହୋଇଅଛି । ଗୋଟାଏ କାନ୍ଥ ଆଲମାରି ମଧ୍ୟରେ କେତେଖଣ୍ଡ ଜରାଜର୍ଜର ପୁସ୍ତକ ଅଛି । ଘର ମଝିରେ ଗୋଟାଏ ଟେବୁଲ ଏବଂ ଗୋଟାଏ ଚୌକି । ଏହା ବ୍ୟତୀତ ଅନ୍ୟ କୌଣସି ଉପକରଣ ନାହିଁ । ଅନୁକୂଳକାରୀ ଚୌକିରେ ବସି ଆଲମାରୀରୁ ଖଣ୍ଡେ ମୋଟା ବହି ଟାଣିଆଣି ପଢ଼ିବାକୁ ଲାଗିଲେ । ଲୋକଟି ଅଧୁଆଡ଼ ବର୍ଣ୍ଣ ନିଷ୍ପ୍ରଭଗୌର, ଆକୃତି ପାତଳ ହୋଇ ଡ଼େଙ୍ଗା । ନାସିକା ନିମ୍ନରେ ବୀରକେଶ ଅଛି, ତାହା ଏରୂପ ଅବିନ୍ୟସ୍ତ ଯେ, ଅଗମୂଳ ବାରିବା କଠିନ । କ୍ଷୌରକାର ସୁଦ୍ଧା ସେଥିରେ ନିଜର ‘‘ନରସୁନ୍ଦର’’ ଆଖ୍ୟା ସାର୍ଥକ କରିପାରି ନାହିଁ । ପୁରୁଣା ପାଣିନାଳ ଘାସରେ ପୋତି ପଡ଼ିଲା ପରି ମସ୍ତକରେ ଅର୍ଦ୍ଧସ୍ପଷ୍ଟ ‘ଟେରି’ ରେଖା ବିଦ୍ୟମାନ । ପରିଧ୍ୟେୟ ଖଣ୍ଡିଏ ଥାନପଡ଼ା ପିନ୍ଧା, ଗୋଟାଏ ଦୀର୍ଘ ଚପ୍ କନ୍ ଗ୍ରୀବାଠାରୁ ପାଦଯାଏଁ ଲମ୍ୱିଅଛି । ସେ ଏକ ଧ୍ୟାନରେ ବସି ପୁସ୍ତକ ପଢ଼ୁଛନ୍ତି । ଟିକିଏ ହଲଚଲ ହେବାକୁ ନାହାନ୍ତି କିମ୍ୱା ପୁସ୍ତକରୁ ଚକ୍ଷୁ ଉଠାଉ ନାହାନ୍ତି ଯେମନ୍ତ କି ପ୍ରତ୍ୟେକ ଅକ୍ଷରର ପ୍ରାଣ ଭିତରେ ପଶି କଅଣ ଅନୁସନ୍ଧାନ କରୁଅଛନ୍ତି । ପଢ଼ୁଁ ପଢ଼ୁଁ ଥରେ ଥରେ ଅଧରରେ ହାସ୍ୟ ଢୋଳାଇ ପଡ଼ୁଅଛି । ସେ ହାସ୍ୟ କ୍ଷଣକେ ସ୍ପଷ୍ଟ ଏବଂ କ୍ଷଣକେ ମଳିନ । ବୋଧହୁଏ ତାଙ୍କ ହୃଦୟରଙ୍ଗାଳସରେ ଆଶା ନିରାଶାର ବିରାଟ ଅଭିନୟ ଲାଗିଅଛି । କେତେବେଳେ ଆଶା ହସାଇ ଦେଉଅଛି, କେତେବେଳେ ବା ନିରାଶା ଆସି ସେ ହାସ୍ୟ ଉପରେ ଛାୟାପାତ କରୁଅଛି ।
ସମ୍ବନ୍ଧିତ ରଚନା
ଶନିସପ୍ତାଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଚିନ୍ତାମଣି ମହାନ୍ତି
ଘଡ଼ିକ ପରେ ଗୋଟିଏ ସୁନ୍ଦରୀ ସ୍ତ୍ରୀ ଆସି ବୈଠକଖାନାରେ ପ୍ରବେଶ କଲା । ତାହା ଶରୀରରେ ଯୌବନର ପୂର୍ଣ୍ଣ ବସନ୍ତ ଶ୍ରୀ ଉଭାସିତ, ଦେହ-ସମୁଦ୍ରରେ ସୌନ୍ଦର୍ଯ୍ୟର ପରିପୂର୍ଣ୍ଣ ଜୁଆର ଉଠିଅଛି, ଦୃଷ୍ଟିଉଦାର ଏବଂ କାତରତାକ୍ଳାନ୍ତ, ମୁଖ ବାସିଫୁଲ ପରି ଶୁଷ୍କ ଏବଂ ମ୍ଳାନ । କେଜାଣି କେଉଁ ନିଦାରୁଣ ଶୋକଚିନ୍ତା-କୀଟ ଏ ସୌମ୍ୟଲତାଟିକୁ ଝାଉଁଳାଇ ଦେଇଅଛି । ଯୁବତୀର ବର୍ଣ୍ଣ ହରିଦ୍ରାଗୌର, ସତେ ଯେପରି ସେ ବିଜୁଳିକୁ ଚିକ୍କଣ କରି ବାଟି ସର୍ବାଙ୍ଗରେ ବୋଳି ହୋଇଅଛି । ସୌନ୍ଦର୍ଯ୍ୟର ଗୋଟାଏ ଉଜ୍ଜ୍ୱଳ ଶିଖା ଶରୀରକୁ ଆଲୋକିତ କରି ରଖିଅଛି । ଦେହଜ୍ୟୋତିରେ ପରିଧେୟ ଅର୍ଦ୍ଧମଳିନ ବସ୍ତ୍ର ଖଣ୍ଡି ମଧ୍ୟ ଉଜ୍ଜ୍ୱଳ ଦିଶୁଅଛି । ହାତରେ କେତେପଟ କାଚ ଛଡ଼ା ଅନ୍ୟ ଅଳଙ୍କାର କିଛି ନାହିଁ । ନିସର୍ଗ ସୌନ୍ଦର୍ଯ୍ୟ ଯାହାର ମହାର୍ହ ଦୁର୍ଲ୍ଲଭ ଅଳଙ୍କାର, ଅନ୍ୟ ଅଳଙ୍କାରରେ ତାହାର କି ଲୋଡ଼ା । ଯୁବତୀ ପଠନରତ ବ୍ୟକ୍ତିଙ୍କ ନିକଟବର୍ତ୍ତିନୀ ହୋଇ କହିଲା, ‘‘ଭାଇ, ପାନ ନିଅ-।’’ ପଠନିରତ ବ୍ୟକ୍ତି ନିରୁତ୍ତର । ସେ ପୁସ୍ତକ ପାଠରେ ଏ ଭଳି ତନ୍ମୟ ଥିଲେ ଯେ, ଭଗିନୀର ଆଗମନ ଜାଣି ପାରି ନାହାନ୍ତି କିମ୍ୱା ତାହାର କଥା ଶୁଣିପାରି ନାହାନ୍ତି । ଭ୍ରାତାଙ୍କୁ ନୀରବ ଦେଖି ଭଗିନୀ ପୁନଶ୍ଚ କହିଲା- ‘‘ଭାଇ, ପାନ ନିଅ ।’’ ଏଥର ଭାଇଙ୍କର ଗଭୀର ଧ୍ୟାନ ଭାଙ୍ଗିଗଲା; ମାତ୍ର ସେ ପୁସ୍ତକରୁ ଦୃଷ୍ଟି ଉଠାଇଲେ ନାହିଁ । ହାତବଢ଼ାଇ ଦେଇ ଭଉଣୀ ହାତରୁ ସାନ ଡିବାଟି ଗ୍ରହଣ କଲେ । ଭଉଣୀ ନଯାଇ ସେହିଠାରେ ଠିଆହୋଇ ରହିଲା । ତାହାର ଭାବ ଦେଖି ବୋଧହେଲା- ତାହାର କିଛି କହିବାକୁ ଅଛି; ମାତ୍ର ସେ କଥା ମୁହଁ ଫିଟାଇ କହିହେଉନାହିଁ । କେତେଥର କଥା ଜିଭ ଅଗଯାଏ ଆସି ପୁଣି ଫେରି ଯାଉଅଛି, ଅଥଚ ସେ କଥା ନ କହିଲେ ତାହାର ଚଳିବ ନାହିଁ । ମୁହଁ ଫିଟାଇ କହି ନ ହେବା କଥାର ବଡ଼ ଅସହ୍ୟ, ଯୁବତୀ ସେହି ବ୍ୟଥାରୂପ ତେନ୍ତୁଳିଆ ବିଛାର ଦଂଶନରେ ଅସ୍ଥିର ହେବାକୁ ଲାଗିଲା ।
କେତେକ୍ଷଣ ପରେ ଭ୍ରାତା ପୁସ୍ତକରୁ ଦୃଷ୍ଟି ଉଠାଇ ଭଗିନୀକୁ ଠିଆ ହୋଇଥିବାର ଦେଖି କହିଲେ- ‘‘ଲାବଣ୍ୟ, ତୁ ଯାଇନାହୁଁ ?’’ ଭଗିନୀ କହିଲା- ‘‘ନା, ଭାଇ, ଯାଇ ନାହିଁ ।’’ ଭ୍ରାତା କହିଲେ- ‘‘ଠିଆହୋଇ ରହିଛୁ କାହିଁକି ? କିଛି କହିବାକୁ ଥିଲେ କହ ।’’ ଏ କଥାରେ ଭଗିନୀର ହୃଦୟର ରୁଦ୍ଧ କବାଟ ଉନ୍ମୁକ୍ତ ହୋଇଗଲା । ସେ ବ୍ୟଥାସିକ୍ତ କଣ୍ଠରେ କହିଲା- ‘‘ଭାଇ, ସତେ କଅଣ ତୁମ୍ଭେ ତାଙ୍କ ଘର ନା’ରେ ମାମଲା କରି ମୋ ଲାଗି ଖୋରାକି ପୋଷାକି ଆଦାୟ କରିବାକୁ ଇଚ୍ଛା କରିଛି ?’’ ଭାଇ ଖୁବ ଗାଲେ ହସି କହିଲେ, ‘‘ହଁ ଲୋ ପାଗଳି, ଆଜି ଅର୍ଜି ଦାଖଲ କରିବି । ସେଥିଲାଗି ପରା ଏହି ଆଇନ ବହିଟା ପଢ଼ୁଥିଲି । ଆଇନରେ ସଫା ଲେଖାଅଛି,- ବିନା ଦୋଷରେ ସ୍ତ୍ରୀକୁ ତ୍ୟାଗ କଲେ ତାହାକୁ ଉପଯୁକ୍ତ ଭରଣପୋଷଣ ଦେବାକୁ ହେବ, ଏଥର ଧନମଣି ଯିବେ କୁଆଡ଼େ ? ଦେଖିବି ଭଲା କେତେ ଦିମାକ୍, ମାସକୁ ମାସ କୋଡ଼ିଏଟି ଲେଖାଏଁ କନ୍ଦ୍ର ଆଦାୟ କରିବି, କରିବି, କରିବି ।’’ ଭ୍ରାତାଙ୍କର ଏ ଭୀଷ୍ମପ୍ରତିଜ୍ଞା ଶୁଣି ଭଗିନୀର ପ୍ରାଣର ଅନ୍ତଃପୁର ମଧ୍ୟରୁ ଗୋଟାଏ ନୀରବ ହାହାକାର ଉଠି ଆସିଲା । କି ଗୋଟାଏ ଉତ୍ତେଜନାର ଦାରୁଣ ଆଘାତରେ ତାହାର ଗାତ୍ରରୁହ କଣ୍ଟକିତ ହୋଇଉଠିଲା; ମାତ୍ର ସେ ଆତ୍ମସମ୍ୱରଣ କରି ବେଦନାଜଡ଼ିତ ସ୍ୱରରେ କହିଲା- ‘‘ନା-ଭାଇ, ତାହା କର ନାହିଁ । ତୁମ ଗୋଡ଼ତଳେ ପଡ଼ି ମୁଁ ଏହି ଭିକ୍ଷା ମାଗୁଛି ।’’
ଭାଇ- ତୋତେ ମୋର ଅଦେୟ କିଛି ନାହିଁ ଲାବଣ୍ୟ । ମୁଁ ତୋତେ ସବୁ ଦେଇପାରେ, କିନ୍ତୁ ଏହା ଦେଇପାରିବି ନାହିଁ । କଅଣ କହିବି ଭଉଣି, ସେ ଯେଉଁ ମର୍ମଜଳା କଥା କହିଛି, ସେ କଥା ଉପରେ ଚକ୍ଷୁଲଜ୍ଜା ବା ମୁଖଲଜ୍ଜାର ଗୋଟାଏ ଢାଙ୍କୁଣୀ ସୁଦ୍ଧା ନାହିଁ, ତାହା ଏକାବେଳକେ ଖୋଲା ।
ଭଉଣୀ-ସଂସାରରେ ଅନେକ ଲୋକ ଅଛନ୍ତି, ସେମାନେ ମର୍ମକଟା କଥାରେ ଅନ୍ୟକୁ ଆଘାତ କରନ୍ତି, ସେଟା ସେମାନଙ୍କର କୁତ୍ସକୃତି; ସେଥିରେ ସେମାନେ ଗୋଟାଏ ନିର୍ଦ୍ଦୟ କୌତୁକ ଉପଭୋଗ କରନ୍ତି, କେହି କେହି ପୁଣି ଗୋଟାଏ ତୁଚ୍ଛ ଗୌରବ ଅନୁଭବ କରନ୍ତି । ସେ ଯାହା ହେଉ, ସେମାନେ ଦୁର୍ଜନ ହେଲେବୋଲି ତୁମ୍ଭେ ସଜ୍ଜନ ନ ହେବ କାହିଁକି ? ବାବାଙ୍କଠଉଁ ଶୁଣିଛି, ପାଷଣ୍ଡମନରେ ସିନା ଉଚ୍ଚ ଭାବ ସ୍ଥାନ ପାଏ ନାହିଁ, ସଜ୍ଜନମନରେ ତ ତାହା ଚିରକାଳ ଥାଏ । ମୋ ରାଣତି- ଭାଇ, ତୁମେ ଆଉ ତାଙ୍କ ଘର ନାରେ ମାଲିମାମଲା କିଛି କର ନାହିଁ ।
ଭାଇ- ଆଛା କଥା କହୁଛୁ ଲାବଣ୍ୟ, ସେ ମୋତେ ଅପମାନ ଦେଲା । ମୋର ତୋହପରି ଭଉଣୀ ନାଁରେ ମିଛରେ ଗୋଟାଏ ଦୁର୍ଚ୍ଛନା ଦେଇ ମୋ ମୁହଁରେ କାଳି ଲଗାଇ ଦେଲା, ଆଉ ମୁଁ ତାହାର ପ୍ରତିଶୋଧ ନେବି ନାହିଁ, ଏ ତ ବଡ଼ ମଜାର କଥା ।
ଭଉଣୀ- ନା ଭାଇ, ତୁମେ ରାଗ ନାହିଁ । ବାବା କହନ୍ତି ପରା- ‘‘କ୍ଷମା ଅମୃତ, ଆଉ ପ୍ରତିହିଂସା ଆଇଁଷ ।’’ ଯେଉଁ ବାପଙ୍କ ଚରିତ୍ରଗୌରବ ଦେଖି ତାଙ୍କର ଚରଣଧୂଳି ମସ୍ତକରେ ବୋଳିହେବାକୁ ମନ ବଳେ, ତୁମେ ସେହି ବାପଙ୍କର ପୁଅ ହୋଇ ପ୍ରତିହିଂସା କରିବ ? ଛି, ତାହା କରନାହିଁ ଭାଇ । ତୁମ ଭଉଣୀକୁ କଅଣ ତୁମେ ମୁଠେ ଖାଇବାକୁ ଦେଇପାରିବ ନାହିଁ । ଏତକ ମହତ୍ତ୍ୱ କି ତୁମେ ଦେଖାଇ ପାରିବ ନାହିଁ ?
ଭାଇ- ଏଁ, ତାହା କାହିଁକି ପାରିବି ନାହିଁ ? ତୁ ମୋର ସହେ ଦରା, ମୋ ଦେହରେ ଯେଉଁ ରକ୍ତ ଅଛି, ତୋ ଦେହରେ ବି ସେହି ରକ୍ତ ଅଛି । ଭାଇ ହୋଇଥିଲେ ତୁ ଅଧେ ଭାଗ ନିଅନ୍ତୁ, ତୋତେ ମୁଠେ ଖାଇବାକୁ ଦେବିନାହିଁ ? ତେବେ ମୋର କଥା ଏତିକି ଯେ, ସେ ପାଷଣ୍ଡଟାକୁ ପଟାଏ ନ ଘାଣ୍ଟି ସହଜରେ ଛାଡ଼ିବି ନାହିଁ । ଯା, ତୁ ଏବେ ଘରକୁ ଯା, ବେଳ ହୋଇଗଲା, ମୁଁ କଚିରୀକୁ ଯିବି ।
ଭାଇଙ୍କର ପ୍ରକୃତି ଭଉଣୀର ଅଜ୍ଞାତ ନୁହେଁ । ସେ ରୂପ ପ୍ରକୃତିର ଲୋକ ନଇଁଲେ ତାଙ୍କୁ ସଳଖାଇବା ସହଜ ନୁହେଁ; ଏହା ମଧ୍ୟ ସେ ଭଲଜାଣେ । ସୁତରାଂ ସେ ଆଉ କିଛି ନ କହି ବେଦନାବିକ୍ଷତ ହୃଦୟରେ ହୁତାଶନ ଜ୍ୱାଳା ବହନ କରି ସେଠାରୁ ଚାଲିଗଲା । ତାହାର ମୁଖମଣ୍ଡଳ ଆଷାଢ଼ ମେଘପରି ଭାରାକ୍ରାନ୍ତ ହୋଇଉଠିଲା । ଦେହ ଓ ମନର ଦୁର୍ବଳତା ତାହା ଲଲାଟରେ କଳଙ୍କରେଖା ଅଙ୍କିତ କରିଦେଲା । ଗୋଟାଏ ବ୍ୟଥାବୋଳା ଦୀର୍ଘନିଃଶ୍ୱାସ ଛାଡ଼ି ସେ ମନେ ମନେ କହିଲା- ‘‘ପୋଡ଼ାମୁହାଁ ଯମ, ଏହି ହଟହଟା କରିବାଲାଗି ମୋତେ ଏତେ ଆଇଷ ଦେଇଛୁ ପରା ? ତୁ ପୋଡ଼ି ଭସ୍ମ ହୋଇ ଯା’’ ଲାବଣ୍ୟ; ତୁ କ୍ରୋଧର ଆବେଗରେ ଯାହା କହ ପଛେ; ମାତ୍ର ଯମର ଜନ୍ମ ଭସ୍ମ କରିବାପାଇଁ ଭସ୍ମ ହେବାପାଇଁ ନୁହେଁ । ତୋର ସହସ୍ର ଅଭିସମ୍ପାତରେ ତାହାର କେରାଏ କେଶ ସୁଦ୍ଧା ।
ଦ୍ୱିତୀୟ ପରିଚ୍ଛେଦ
ଗୁଆମାଳ ଗ୍ରାମରେ ଶ୍ରୀନାଥ ବରାଳଙ୍କର ଘର ବହୁକାଳର ପ୍ରାଚୀନ ଘର । ବରାଳ ବଂଶର ବଂଶଧରମାନେ ଐଶ୍ୱର୍ଯ୍ୟର ନିବିଡ଼ ନାଗପାଶରେ ଆବଦ୍ଧ ଥିଲେ । କିନ୍ତୁ ବର୍ତ୍ତମାନ ସେ ସୌଭାଗ୍ୟରବି ଅସ୍ତାୟମାନ । ଏହି ବଂଶର ବର୍ତ୍ତମାନ ବଂଶଧର ଶ୍ରୀନାଥ ବରାଳଙ୍କର ଅପରିଣାମଦର୍ଶିତା ଏବଂ ଅଯଥା ବ୍ୟୟବାହୁଲ୍ୟ ଏହି ଦୁର୍ଗତିର କାରଣ । ଶ୍ରୀନାଥ ନିଶାଖୋର ନୁହନ୍ତି; ମାତ୍ର ଭାରି ପଶାଖୋର । ଏହି ପଶା ହିଁ ତାଙ୍କର ଦୁର୍ଦ୍ଦଶା ଆନୟନ କରିଅଛି । ପଶାଖେଳରେ ସେ ଶକୁନିର ଗୁରୁ ସ୍ଥାନୀୟ । ଅମାବାସ୍ୟାରେ ରଜନୀ ଚନ୍ଦ୍ରର ବିଚ୍ଛେଦ ସହିପାରେ, ଅବସନ୍ତ କାଳରେ ଧରଣୀ ବସନ୍ତର ବିଚ୍ଛେଦ ସହି ରହେ; ମାତ୍ର ବରାଳଙ୍କ ବଙ୍ଗଳା ପଶାପାଲିର ବିଚ୍ଛେଦ ମୁହୂର୍ତ୍ତେ ମାତ୍ର ସହିପାରେ ନାହିଁ । ଦିନେ ଦିନେ ପଶାଖେଳରେ ଏତେ ଉନ୍ମତ୍ତତା ଜନ୍ମେ ଯେ ସକାଳୁ ସନ୍ଧ୍ୟା ହୋଇଯାଏ । ତହିଁପରେ ବରାଳେ ଯାଇ ସ୍ନାନ ଭୋଜନ କରନ୍ତି । ରାତିରେ ବେଳେ ବେଳେ ନିଦବାଉଳୀରେ କହି ଉଠନ୍ତି - ‘‘କେତେ ବାର, ପଂଝାଚାରି ନ’, ବାନ୍ଧରେ ଯୁଗବ ନ୍ଧ’’ ଇତ୍ୟାଦି ଇତ୍ୟାଦି । ଲୋକେ କହନ୍ତି- ବରାଳେ ସ୍ୱପ୍ନରେ ମଧ୍ୟ ପଶା ଖେଳନ୍ତି । ପଶା ତାଙ୍କର ଅଫିମ ଅମଳ, ତାହା ନ ହେଲେ ନ ଚଳେ । ତାଙ୍କ ମତରେ ସଂସାରରେ ଯେତେ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ବିଳାସବ୍ୟସନ, ଆମୋଦ-ପ୍ରମୋଦ ଅଛି, ପଶା ସେ ସବୁଠାରୁ ଶ୍ରେଷ୍ଠ । ବରାଳଙ୍କୁ କେତେଗୁଡ଼ିଏ ନିଖଟୁ ନିଷ୍କର୍ମା ସଙ୍ଗୀ ମଧ୍ୟ ମିଳିଥିଲେ, ସେହିମାନେ ତାଙ୍କ ସୌଭାଗ୍ୟର ଶ୍ୱାନ ଶୃଗାଳ । ପଶାଖେଳ ମଧ୍ୟରେ କେଉଁଦିନ ଚୂଡ଼ାଘସା ହୁଏ, ମହଣ ମହଣ ଚୂଡ଼ା ଉଡ଼ିଯାଏ । କେଉଁଦିନ ମିଠା ଖେଚଡ଼ି ହୁଏ, ଶତ ଟଙ୍କା ପାଣିପରି ବହିଯାଏ । ଏହିପରି ପ୍ରତିଦିନ ଗୋଟାଏ କିଛିହୁଏ । ବରାଳେ ଏବଂ ତାଙ୍କର ଗଳଗ୍ରହ ସୁବନ୍ଧୁଗୁଡ଼ିକ ମହାମଉଜରେ ଦିନ କାଟନ୍ତି । ଲକ୍ଷ୍ମୀ ସ୍ୱଭାବତଃ ଚଞ୍ଚଳା, ପୁଣି ସେ ସପତ୍ନୀ ଜଞ୍ଜାଳ ସହିପାରନ୍ତି; ମାତ୍ର ପଶାର ଉତ୍ପାତ ସହିପାରନ୍ତି ନାହିଁ-। ବରାଳଙ୍କ ରଙ୍ଗ ଢଙ୍ଗ ଦେଖି ସେ ତାଙ୍କ ଘରୁ ଧୀରେ ଧୀରେ ଗୋଡ଼ କାଢ଼ିଲେ । ଜମିବାଡ଼ି ଖଣ୍ଡିକ ପଛରେ ଖଣ୍ଡିଏ ବିକ୍ରି ହେବାକୁ ଲାଗିଲା । କେତେଟା ବର୍ଷ ମଧ୍ୟରେ କର୍ପୂର ଉଡ଼ିଯାଇ ଖାଲି କନା ପଡ଼ିରହିଲା ।
ଶ୍ରୀନାଥ ବରାଳ ଖୁବ୍ ସରଳ ପ୍ରକୃତିର ଲୋକ । ସେ ଯେପରି ଅଖଳ, ସେହିପରି ଅଛନ୍ଦ ଏବଂ ଅମାୟ । ତାଙ୍କର ମୁଖ ସର୍ବଦା ପ୍ରଫୁଲ୍ଲ, ସେଥିରେ ଧୂର୍ତ୍ତତା ବା ଆତ୍ମଗରିମାର ଛାୟା ସୁଦ୍ଧା ନାହିଁ । ଦୁଃଖିର ଦୁଃଖ ଦେଖିଲେ ତାଙ୍କର କରୁଣାପ୍ରବଣ ହୃଦୟ ତରଳି ଯାଏ । ସେ ଯଥାସାଧ୍ୟ ସାହାଯ୍ୟ ନ କରି ରହିପାରନ୍ତି ନାହିଁ । ତାଙ୍କର ଆଚାରନିଷ୍ଠା ଦେଖି ତାଙ୍କ ମୂଲିଆଣୀ କହେ- ‘‘ଆମ ସାଆନ୍ତଙ୍କର ଯେତେ ‘‘ନିନ’’ (ନିଷ୍ଠା) ଜଣେ ବ୍ରାହ୍ମଣ ବି ସେତେ କରିପାରିବନାହିଁ ।’’ ବାସ୍ତବରେ ସେ ଜଣେ ଶୁଚିବନ୍ତ, ହୃଦୟୀ, ଉଳମନା ଏବଂ ମିଷ୍ଟଭାଷୀ ବ୍ୟକ୍ତି । ତରୁଣ ଯୌବନ-ସୁଲଭ ଯେଉଁ ସବୁ ଉତ୍କଟ ଉପସର୍ଗ ଉନ୍ମାର୍ଗଗାମୀ ଯୁବକମାନଙ୍କୁ ସାଦର ଆଲିଙ୍ଗନ କରନ୍ତି, ସେ ସବୁ ତାଙ୍କୁ ସ୍ପର୍ଶ କରିନଥିଲେ । ଏତେ ସଦ୍ଗୁଣ ଥାଇ ମଧ୍ୟ ଏକା ପଶାନୁରକ୍ତି ତାଙ୍କ ସ୍ୱଚ୍ଛ ଶୁଭ୍ର ଚରିତ୍ରର ମସିବିନ୍ଦୁ ତୁଲ୍ୟ ହୋଇଥିଲା । ବଡ଼ ବଡ଼ ମୂଲ୍ୟବାନ୍ ସଦୁପଦେଶରେ ଯେଉଁ ଦୋଷ ସଂଶୋଧିତ ନ ହୁଏ, ସାମାନ୍ୟ କଥାପଦକରେ ସେ ଦୋଷ ସୁଧୁରି ଯାଏ, ଏହା ଅନେକତ୍ର ଦେଖାଯାଏ । ବରାଳଙ୍କ ପୁଅ ଅର୍ଜ୍ଜୁନ ଦିନେ କାହା ପାଖରେ କହିଥିଲା ‘‘ବାବା ପଶା ଖେଳରେ ସର୍ବସ୍ୱ ହରାଇ ମୋତେ ଦାଣ୍ଡରେ ଠିଆ କରାଇ ଦେଇ ଯିବେ ।’’ ବରାଳେ ଏକଥା ଶୁଣି ବଜ୍ରାହତ ତୁଲ୍ୟ ମଣିଲେ । ତାଙ୍କର ପ୍ରାଣପୁରୁଷର ଅସ୍ଥିପଞ୍ଜର ଚୂର୍ଣ୍ଣ ହୋଇଗଲା । ମୁହଁରୁ କିଏ ରକ୍ତ ଶୋଷିନେଇ ଗଲା । ହୃଦୟ ମଧ୍ୟରୁ କିଏ ବ୍ୟଙ୍ଗ ପରିହାସ କରିବାକୁ ଲାଗିଲା । ଗୋଟାଏ ଛାତିଫଟା ଆର୍ତ୍ତନାଦ ହୃଦୟ ଫଟାଇ ବାହାରି ଆସିଲା । ସେ ଗୋଟାଏ ଅନୁତାପର ତପ୍ତ ଶ୍ୱାସ ପରିତ୍ୟାଗକରି କହିଲେ- ‘‘ହାୟ, ମୁଁ କଅଣ କଲି, ସତେତ ମୋ ପୁଅଟିକୁ ମୁଁ ଦାଣ୍ଡରେ ଠିଆ କରାଇଲି । ଧିକ୍ ମୁଁ ନିର୍ଲ୍ଲଜ ପାମର ।’’ ବରାଳେ ଏହିପରି ନିଜଦ୍ୱାରା ତିରସ୍କୃତ ହୋଇ ଆଉ ପଶା ଖେଳିବେ ନାହିଁ ବୋଲି ସେହିଦିନ ପ୍ରତିଜ୍ଞା କଲେ ଏବଂ ଆପ୍ରାଣ ଚେଷ୍ଟାରେ ପ୍ରତିଜ୍ଞା ପାଳନ ମଧ୍ୟ କରିବାକୁ ଲାଗିଲେ । ଏତେକାଳଯାଏ ସେ ଯେଉଁ ବିସ୍ମୃତିର ସ୍ୱପ୍ନସ୍ରୋତରେ ସନ୍ତରଣ କରୁଥିଲେ, ସେ ସ୍ୱପ୍ନ ଭାଙ୍ଗିଗଲା । ସେ ପଶାଖେଳ ଛାଡ଼ି ଯାହା କିଛି ସ୍ୱଳ୍ପ ବିଷୟ ଅବଶିଷ୍ଟ ଥିଲା, ସେଥିର ରକ୍ଷଣାବେକ୍ଷଣରେ ଆତ୍ମନିୟୋଗ କଲେ । ତାଙ୍କ ଅବସ୍ଥାର ଅବନତି ସଙ୍ଗେ ସଙ୍ଗେ ତାଙ୍କ ବନ୍ଧୁମାନେ ଆପେ ଆପେ ବିଦାୟ ନେଇଥିଲେ । ଫୁଲରୁ ମହୁ ସରିଗଲେ ଭ୍ରମରମାନେ ଉଡ଼ି ଚାଲିଯାଆନ୍ତି ।
ସୁଖର ଦିନ ଦେଖୁଁ ଦେଖୁଁ କୁଆଡ଼େ ଚାଲିଯାଏ; ମାତ୍ର ଦୁଃଖର ଦିନ ବଡ଼ ଦୀର୍ଘ । ବରାଳେ କେତେବର୍ଷ ଅସହ୍ୟ ଦୁଃଖରେ କଟାଇଲେ; ମାତ୍ର ତିନିବର୍ଷ ହେଲା ପୁଅ ମୁକ୍ତିଆରି କରି ସାମାନ୍ୟ କିଛି କିଛି ଉପାର୍ଜନ କରିବାରୁ ଅବସ୍ଥା ଟିକିଏ ବଦଳି ଆସୁଅଛି । ଜଣେ ମୁକ୍ତିଆରର ସାମାନ୍ୟ ଉପାର୍ଜନ ଶୁଣି କେହି କେହି ଅବିଶ୍ୱାସ କରିପାରନ୍ତି; ମାତ୍ର କଥାଟା ମିଥ୍ୟା ନୁହେଁ । ଅର୍ଜ୍ଜୁନ ମୁକ୍ତିଆରି ପାସ୍କରିଅଛି ସତ୍ୟ; କିନ୍ତୁ ତାହାର ମୁହଁ ନାହିଁ । ଅର୍ଥାତ୍ ସେ ସୁଆଲ ଜବାବ କରିପାରେ ନାହିଁ । ଏହେତୁ ହାକିମଙ୍କ ସଙ୍ଗରେ ତାହାର ଦେଢ଼ଶୁର ଭାଇବୋହୁ ସମ୍ୱନ୍ଧ । କେହି କାହାରି ମୁହଁ ଦେଖନ୍ତି ନାହିଁ । ଥରେ ସେ ଖଣ୍ଡେ ଦଲୀଲରେ ଚିହ୍ନୋଟ ପଡ଼ିଥିଲା, ହାକିମ ତାହା ଦେଖି ପେସ୍କାରକୁ ପଚାରିଲେ- ‘‘ଏ ଲୋକଟି କିଏ ?’’ ପେସ୍କାର କହିଲା- ‘‘ସେ ଜଣେ ମୁକ୍ତିଆର ।’’ ତହୁଁ ହାକିମ କହିଲେ- ‘‘କାହିଁ, ମୁଁ ତ କେବେ ତାଙ୍କ ଚେହେରା ଦେଖିନାହିଁ, ତେବେ ତାଙ୍କୁ ଚିହ୍ନିବା ସକାଶେ ଆଉ ଜଣେ ଚିହ୍ନୋଟ ଦରକାର ।’’ ମୁକ୍ତିଆରଖାନା ସହିତ ଅର୍ଜ୍ଜୁନର କୌଣସି ସମ୍ପର୍କ ନାହିଁ-। ସେ ଗୋଟାଏ ଗଛମୂଳରେ ବସି ଲୋକଙ୍କର ଦଲୀଲଦସ୍ତାବିଜ ଲେଖିଦିଏ ଏବଂ ଚିହ୍ନୋଟ ପଡ଼େ-। ଏହି ଉପାୟରେ ସେ ଯତ୍ସାମାନ୍ୟ ଉପାର୍ଜନ କରେ । ଲୋକେ ତାକୁ ଗଛମୂଳିଆ ମୁକ୍ତିଆର ବୋଲି କହନ୍ତି ।
ଶ୍ରୀନାଥ ବରାଳଙ୍କର ସନ୍ତାନ ଦୁଇଟି । ଗୋଟିଏ ପୁତ୍ର ଏବଂ ଅପରଟି କନ୍ୟା । ପୁତ୍ରଜନ୍ମର କୋଡ଼ିଏ ବର୍ଷ ପରେ କନ୍ୟାଟି ଜାତହୋଇଅଛି । ପୁତ୍ରବଧୂ ‘‘ରତ୍ନରେଖା’’ ତିନିବର୍ଷହେଲା ଆସି ଶଶୁରଘରେ ଘରକରଣା କରୁଅଛି । ବରାଳଗୃହିଣୀ କନ୍ୟାଟି ପ୍ରସବ କରି ଇହଲୋକ ତ୍ୟାଗ କରିବାରୁ ନବଜାତ ନଣଦଟିର ଭାର ରତ୍ନରେଖା ଉପରେ ପଡ଼ିଅଛି । ସେ ମଧ୍ୟ ମାତ୍ରୁପମସ୍ନେହରେ ଶିଶୁଟିକୁ ଲାଳନ ପାଳନ କରୁଅଛି । କନ୍ୟାଟି ଅପୂର୍ବ ରୂପମୟୀ, ରତ୍ନରେଖା ଆଦର କରି ତାହାର ନାମ ‘‘ଲାବଣ୍ୟ’’ ଦେଇଅଛି । ବରାଳଙ୍କ ଘରେ ଅନ୍ୟ ପିଲାପିଲି ନ ଥିଲେ । ସୁତରାଂ ସମସ୍ତଙ୍କର ସ୍ନେହ ଏକା ଲାବଣ୍ୟ ଉପରେ ଆସି କେନ୍ଦ୍ରୀଭୂତ ହେଲା । ଶିଶୁଟି ସେହି ସ୍ନେହାମୃତ ପାନକରି ଶଶିକଳାପରି କ୍ରମେ କ୍ରମେ ଗଢ଼ିଉଠିଲା । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାହାର ରୂପ ମଧ୍ୟ ବୃଦ୍ଧିଲାଭକଲା । ସତେ ଯେପରି କବିକଳ୍ପିତରୂପ ଲାବଣ୍ୟ ନାମ ଧରି ସୌନ୍ଦର୍ଯ୍ୟ-ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଆସିଅଛି ।
ବାପ, ଭାଇ, ଭାଉଜ ସମସ୍ତେ ଲାବଣ୍ୟକୁ ଗେହ୍ଲା କରନ୍ତି । ସେମାନଙ୍କର ସ୍ନେହର ମାତ୍ର ଏତେ ବଳିପଡ଼ିଲା ଯେ, ସ୍ନେହରେ ପେଟ ପୂରୁଥିଲେ ବାଳିକା ଅନ୍ୟଖାଦ୍ୟ ଖୋଜନ୍ତା ନାହିଁ । ସ୍ନେହ ମଧୁର; ମାତ୍ର ତାହାର ଆଧିକ୍ୟ ବିଷମୟ ହୁଏ, ଏହା ଅନେକତ୍ର ଦେଖାଯାଏ । ଲବଣ ବ୍ୟଞ୍ଜନର ସ୍ୱାଦୁ ବଢ଼ାଏ; ମାତ୍ର ଅଧିକ ପ୍ରୟୋଗ କଲେ ବ୍ୟଞ୍ଜନ ଅଖାଦ୍ୟ ହୋଇଯାଏ । ସ୍ନେହ ସଙ୍ଗେ ସଙ୍ଗେ ଶାସନ ଏବଂ ଉପଦେଶ ବଡ଼ ଉପକାରୀ ଅନ୍ୟଥା ସ୍ନେହ ଅତି ଭୟଙ୍କର ହୁଏ । ଅତିରିକ୍ତ ସ୍ନେହହେତୁ ବାଳିକା ଟିକିଏ ପ୍ରଗଲ୍ଭା ହୋଇଉଠିଲା । ଶାସନର ବାଧା ନପାଇ ସେହି ପ୍ରଗଲ୍ଭବା କ୍ରମଶଃ ବଢ଼ିବାକୁ ଲାଗିଲା । କାଳେ ମା-ଛେଉଣ୍ଡଟିର ମନକୁ ବାଧିବ, ସେଥିଲାଗି ତାକୁ କେହି କିଛି କହନ୍ତି ନାହିଁ । ସେ ପୁଅପରି ଲୁଗାପିନ୍ଧେ, ପୁଅପରି କଥାକହେ । ପୁଅଙ୍କ ମେଳରେ ଖେଳିବାକୁ ସୁଖମଣେ । ଏହିପରି ବାଳକ ସହବାସରେ ବାଳିକାର ପ୍ରକୃତି ପରିବର୍ତ୍ତିତ ହୋଇଗଲା । ତାହାର ବାଳିକା-ସୁଲଭ କୋମଳ ସ୍ୱଭାବ କଠୋର ହୋଇଉଠିଲା । ସେ ବାଗଧରି କଥା କହିପାରେନାହିଁ, ଏଣୁତେଣୁ ଅଖାଡ଼ୁଆ କଅଣ ଗୁଡ଼ାଏ କହିପକାଏ । କାହାରିକୁ ତାହାର ଲଜ୍ଜା-ସରମ ନାହିଁ । ସେ ପୁରୁଷପରି ଧସ୍ଧସ୍ ହୋଇ ଚାଲେ, ଠୋ ଠୋ ହୋଇ ହସେ, ଭଡ଼ଭଡ଼ ହୋଇ କଥା କହେ, ପୁରୁଷଙ୍କ ପରି ବସେ, କାସେ । ସ୍ଥୂଳତଃ ତାହାର ନାରୀ ସୁଲଭ କୋମଳ ବୃତ୍ତଉପରେ କର୍କଶତାର ଗୋଟାଏ କଠିନ ଆବରଣ ପଡ଼ିଗଲା । ଏ ବଦଖୋଇ ତାହା ଜୀବନରେ ଆଉ ସୁଧୁରିଲା ନାହି । ତାହାର ଏପରି ଆଚରଣ ଦେଖି ଗାଁ ମାଇକିଣାମାନେ ତାକୁ ‘‘ଅଣ୍ଡିରାଚଣ୍ଡୀ’’ ଆଖ୍ୟା ଦେଇଥିଲେ ।
ଲାବଣ୍ୟ କଠୋର ପ୍ରକୃତିକା ହେଲେହେଁ, ନାରୀଗୌରବ-ଯୋଗ୍ୟତା ତାହାର ଯଥେଷ୍ଟ ଥିଲା । ଗାର୍ହସ୍ଥ୍ୟ କାର୍ଯ୍ୟରେ ତାହାର ଅସାଧାରଣ ଯୋଗ୍ୟତା ଶତ୍ରୁ ମୁଖରେ ମଧ୍ୟ ପ୍ରଶଂସିତ ହୁଏ । ରନ୍ଧାବଢ଼ାରେ ସେ ଭାରି ନିପୁଣା, ଘଡ଼ିକ ମଧ୍ୟରେ ନ’ ତୁଣ ଛ’ ଭଜା କରି ଥୋଇଦେଇପାରେ । ପାନଭଙ୍ଗା, ଠା-କଟା, ଝୁଟିଆ ପ୍ରଭୃତିରେ ତାହାପରି ଗୋଟାଏ ଝିଅ ଦେଶଦୁନିଆଁରେ ବିରଳ । ସେ ନାନାପ୍ରକାର ପିଠା, ବଡ଼ି ଏବଂ ଆଚାର ତିଆରି କରିପାରେ । ଥରେ ମାତ୍ର ତାହାର ରାନ୍ଧଣା ଯେ ଖାଇଛି ସେ ତାହା ଜୀବନରେ କେବେ ଭୁଲିପାରିବ ନାହିଁ । ରନ୍ଧାବଢ଼ାରେ ସେ ସ୍ୱୟଂ ମହାଲକ୍ଷ୍ମୀ କିମ୍ୱା ଅନ୍ନପୂର୍ଣ୍ଣା । ତାହାର ସେବାପରାୟଣ ହସ୍ତ ପିତୃସେବାରେ ସତତ ପବିତ୍ର । ବଡ଼ ଭାଇଙ୍କୁ ସେ ଯଥୋପଯୁକ୍ତ ଭକ୍ତିକରେ । ତାହାରି ହସ୍ତଗୁଣରେ ବରାଳଙ୍କର ଗୃହଶ୍ରୀ ଝଟକି ଉଠୁଅଛି । ବଡ଼ ଭାଉଜ ରତ୍ନରେଖା ତାହାକୁ କନ୍ୟାଧିକ ସ୍ନେହ, ଯତ୍ନ କରେ । ସେ ତାହାର ଶରୀରର ପ୍ରାଣ ଏବଂ ପ୍ରାଣର ଆନନ୍ଦ ପ୍ରତିମା । ଲାବଣ୍ୟ ମଧ୍ୟ ଭାଉଜର କରୁଣାର ଅନାବୃତ ମୂର୍ତ୍ତି ଦେଖି ମୁଗ୍ଧହୁଏ ଏବଂ ବିସ୍ମୟ, ଶ୍ରଦ୍ଧା, ପୁଲକରେ ତାହାର ହୃଦୟ ଅବନତ ହୋଇଆସେ । ଲାବଣ୍ୟ ସୁନ୍ଦରପଣରେ ବିଦ୍ୟାଧରୀ, ଚରିତ୍ରରେ ଦେବୀ ଏବଂ ଗୁଣରେ ଲକ୍ଷ୍ମୀସ୍ୱରୂପା । ସେ ସାମାନ୍ୟ ଲେଖାପଢ଼ା ମଧ୍ୟ ଶିଖିଅଛି । ଦୟା ଧର୍ମ ଆଦି ତାହା ଶରୀରର ଅପାର୍ଥିବ ମହାର୍ହ ଅଳଙ୍କାର । ତାହାର ଏତେ ଗୁଣ ଏତେ ଯୋଗ୍ୟତା ଥିଲେ ମଧ୍ୟ ସେହି ପୁରୁଷସୁଲଭ କଠୋରତା ସେ ସମସ୍ତଙ୍କୁ ନିଷ୍ପ୍ରଭ କରି ରଖିଥିଲା ।
ଲାବଣ୍ୟ କ୍ରମେ ବଢ଼ି ଉଠିଲା । ଝିଅ ବଡ଼ହେଲେ ପିତାମାତାର ଭାଳୁଣି କିପରି ବଢ଼େ, ତାହା ଅନୁମାନର ବିଷୟ ନୁହେଁ- ଅନୁଭବର ବିଷୟ । କନ୍ୟାକୁ ସତ୍ପାତ୍ରସୁ କରିବା ଚିନ୍ତା ଶ୍ରୀନାଥ ବରାଳଙ୍କୁ ଆସି ଘାରିଲା । ତାଙ୍କର ଉପସ୍ଥିତ ଅବସ୍ଥା ସତ୍ପାତ୍ର ପ୍ରାପ୍ତି ଅନୁକୂଳ ନୁହେଁ; ସୁତରାଂ ନିଜକୁ ସେ ବଡ଼ ବିପନ୍ନ ମଣିଲେ । ତାଙ୍କ ବଂଶର ଝିଅମାନେ ସମସ୍ତେ ବଡ଼ଘରରେ ପଡ଼ିଅଛନ୍ତି- କେହି ବାଟିଏ ଜମିରୁ ଊଣା ଯୌତୁକ ନେଇନାହାନ୍ତି । ତାଙ୍କୁ ତ ସେହି ବଂଶ ଗୌରବ ଅକ୍ଷତରଖି ଚଳିବାକୁ ହେବ । ନଚେତ୍ ସମାଜରେ ତାଙ୍କର ମୁଣ୍ଡ ଯେ ତଳକୁ ହୋଇଯିବ; କିନ୍ତୁ ତାଙ୍କର ଭୂମି କାହିଁ ଯେ, ସେ କନ୍ୟାକୁ ବାଟିଏ ଜମି ଯୌତୁକ ଦେବେ । ବର୍ତ୍ତମାନ ତାଙ୍କର ଭୂମିବାଡ଼ି ଯାହାଅଛି, ତାହା ସବୁମିଶିସୁଦ୍ଧା ବାଟିଏ ହେବ ନାହିଁ । ପଛକୁ କ୍ରମେ କ୍ରମେ ମାଣେ କଣେ ଲେଖାଏଁ କିଣିଦେଇ ପାରନ୍ତେ; ମାତ୍ର ବରବଜାରରେ ସେପରି କାଳିବାସି ଚଳେନାହିଁ, ସେଠାରେ ସବୁ ନଗଦ କାରବାର-। ବର୍ତ୍ତମାନକୁ ଛାଡ଼ିଦେଇ କାହିଁକି ବା କିଏ ଭବିଷ୍ୟତକୁ ଅପେକ୍ଷା କରି ରହିବ । ଭବିଷ୍ୟତର ଗର୍ଭ ଗାଢ଼ ଅନ୍ଧକାରମୟ, ସେଥିରେ କି ଫଳ ଫଳିବ ତାହା କିଏ କହିପାରେ । ବରାଳେ ଏହିପରି ନାନାକଥା ଭାବି ଚାରିଆଡ଼ ଅନ୍ଧକାର ଦେଖିଲେ । ଶେଷରେ ଅନନ୍ୟୋପାୟ ହୋଇ କନ୍ୟାଦାୟରୁ ମୁକ୍ତହେବା ସକାଶେ ସେ ଦେବତାଙ୍କର ଶରଣାପନ୍ନ ହେଲେ । ଦେବତା ମଧ୍ୟ ତାଙ୍କ ଆକାଙ୍କ୍ଷାର ସକରୁଣ ଆବେଦନ ସଦୟକର୍ଣ୍ଣରେ ଶୁଣିଲେ ଏବଂ ଅଳ୍ପଦିନ ପରେ ତାଙ୍କର ମନୋମତ ସୁପାତ୍ର ଗୋଟିଏ ଘଟାଇଦେଲେ ।
ତିହିଡ଼ି ଗ୍ରାମରେ ଋଷିରାଜ ବୈରିଗଞ୍ଜନଙ୍କର ଘର । ତାଙ୍କର କେଉଁ ପୁରୁଷରେ କିଏ କେବେ କେଉଁ ପ୍ରବଳବୈରିକୁ ଗଞ୍ଜନ କରି ଏହି ବୀରୋଚିତ ଉପାଧି ଘେନିଥିଲେ, ତାହା କେହି ଜାଣନ୍ତି ନାହିଁ । ଗ୍ରାମର କେହି କେହି ପ୍ରାଚୀନ ଲୋକ କହନ୍ତି- ‘‘ତାଙ୍କ ବଂଶର ମୂଳ ଉପାଧି ବାରିକ ଥିଲା । ଭଣ୍ଡାରିମାନଙ୍କର ବାରିକ ଉପାଧି ଅଛି; ମାତ୍ର ସେଟା ବଡ଼ ନୀଚ ଉପାଧି । ସେଭଳି ଉପାଧି ଭଦ୍ରଜାତିର ଗ୍ରହଣୀୟ ନୁହେଁ ବୋଲି ଭାବି ଋଷିରାଜଙ୍କ ପିତା ବାରିକ ପରିବର୍ତ୍ତରେ ନିଜକୁ ବୈରିଗଞ୍ଜନ କରିନେଇଅଛନ୍ତି । ଏହି ଦୁଇ ପୁରୁଷ ହେଲା ତାଙ୍କଘରେ ଏହି ନିଜଦତ୍ତ ନବୀନ ଉପାଧି ଚଳି ଆସୁଅଛି । ତାଙ୍କ ବଂଶ ପ୍ରାଚୀନ ବଂଶ ନୁହେଁ କି ସେ ବଂଶରେ କେହି ଧନୀ ନ ଥିଲେ; ମାତ୍ର ଋଷିରାଜ ବୈରିଗଞ୍ଜନ ନିଜର କଣ୍ଟକମୁନ-ସୂକ୍ଷ୍ମ ବୁଦ୍ଧିବଳରେ ଅଧିକ ଅର୍ଥୋପାର୍ଜ୍ଜନ କରି ଖଣ୍ଡେ ଛୋଟ ଜମିଦାରୀ କିଣିଅଛନ୍ତି; ସୁତରାଂ ସେ ଏକପୁରୁଷା ଧନୀ । ଅସଦୂପାୟରେ ଅର୍ଥ ଉପାର୍ଜ୍ଜନକୁ ସେ ଅକାର୍ଯ୍ୟ ମଣନ୍ତି ନାହିଁ । ତାଙ୍କ ମତରେ ଅର୍ଥୋପାର୍ଜ୍ଜନରେ ଧର୍ମାଧର୍ମର ବିଚାର କର୍ତ୍ତବ୍ୟ ନୁହେଁ । ଯେ କୌଣସି ଉପାୟରେ ହେଉ, ଘରକୁ ଟଙ୍କା ଆଣିବା ମନୁଷ୍ୟର ପୌରୁଷ । ବୈରିଗଞ୍ଜନ ଯେଉଁପରି ଧୂର୍ତ୍ତ, ସେହିପରି ଢିମୁଆ, ନିଜର ଏବଂ ନିଜବଂଶର ଢମବ୍ୟାଖ୍ୟାନରେ ସେ ସହସ୍ରଜିହ୍ୱ । ଶ୍ରୋତା ବିଶ୍ୱାସ କରୁ ବା ନ କରୁ; ମାତ୍ର ସେ ତାକୁ ନିଜର ବଡ଼ିମା ନ ଶୁଣାଇ ଛାଡ଼ନ୍ତି ନାହିଁ । ତାଙ୍କର ବାହାରଟା ଗଙ୍ଗାଜଳ ପରି ନିର୍ମଳ; ମାତ୍ର ଭିତରେ ଭିତରେ ଗୋଟାଏ ପଙ୍କିଳ ସ୍ରୋତ ପ୍ରଚ୍ଛନ୍ନରେ ବହୁଥାଏ । ତାଙ୍କ ଗୁଣକୀର୍ତ୍ତି ସମ୍ୱନ୍ଧରେ ଅନେକ ଅଭୁତ ଜନରବ ଶୁଣାଯାଏ । ତାଙ୍କର ଦୁଇଶଘର ଗୋଖା ପ୍ରଜା ଅଛନ୍ତି । ନିରକ୍ଷର ଗୋଖାଜାତି ଅତି ସରଳ; ଜମିଦାରୀ କୁଟନୀତି ସେମାନେ ଜାଣନ୍ତି ନାହିଁ; ସୁତରାଂ ଯେତେବେଳେ ଦୁହିଁଲେ କାମଧେନୁ ପରି କ୍ଷୀରଦାନ କରନ୍ତି । ଥରେ ଇଲୀଶ ମାଛ ବେପାରରେ ଗୋଖାମାନେ ଆଶାତୀତ ଲାଭ କରିଥିଲେ-। ବୈରିଗଞ୍ଜନ ସେମାନଙ୍କ ଗ୍ରାମକୁ ଯାଇ କାହାର କେତେ ଲାଭ ହେଲାବୋଲି ପଚାରିଲେ । ଗୋଖାମାନେ ନିଷ୍ପପଟ ମଇଁଷିଆ ପ୍ରଜା ଛନ୍ଦମନ୍ଦ ବୁଝନ୍ତି ନାହିଁ । ସମସ୍ତେ ସତକଥା କହିଗଲେ । କିଏ କହିଲା- ମୋର ଆଠକୋଡ଼ି ତିନି ଗଣ୍ଡା ଲାଭ ହେଲା କିଏ କହିଲା- ମୁଁ ପଣେ ତେର ଗଣ୍ଡା ଦିଟା ଲାଭପାଇଲି, କିଏ କହିଲା ମୋତେ ତ ଗଣି ଆସେ ନାହିଁ । ସେହି ଗୋରାବ ମା ଗଣିଆଣି ରଖେ । ଏଥର ସେ ରଖିଲାବେଳେ ଦେଖିଥିଲି, ସେରକିଆ ଶୁଖୁଆ କଣ୍ଟା ଠେକିରେ ଠେକିଏ ହୋଇଥିଲା । ସମସ୍ତେ ଏହିପରି ନିଜ ନିଜ ଲାଭର ପରିମାଣ ଜଣାଇଲେ । ସେମାନେ ଜମିଦାରକୁ ଭକ୍ତି କରନ୍ତି, ତାଙ୍କ ପାଖରେ ଲୁଚାଇବେ କାହିଁକି ? ବୈରିଗଞ୍ଜନ ପଚାରିଲେ ‘‘ଆରେ ଚକିଆଗୁଡ଼ାକ ଭଲକରି ଖରାରେ ଶୁଖାଇ ପାଛୁଡ଼ି ରଖିଛ ନା ? ଗୋଖାମାନେ ଟଙ୍କାକୁ ଚକିଆ ବୋଲି କହନ୍ତି । ସେମାନେ ତାଟଙ୍କାହୋଇ କହିଲେ- କି ବୈରାସାଆନ୍ତେ ନ ଶୁଖାଇଲେ କଣହେବ-? ବୈରିଗଞ୍ଜନ କହିଲେ- ନ ଶୁଖିଲେ ଗମିଯାଇ ଛତୁ ଫୁଟିଯିବ, ଏଣୁ ଭଲକରି ଶୁଖାଇ ପାଛୁଡ଼ି ଅଗାଡ଼ି କାଢ଼ିଦେବ ଆଉ ଯେ ଭଲ ତାକୁ ରଖିବ । ଅଗାଡ଼ି ମୁଠାକ ଯାହା ବାହାରିବ ତାହା ରଖିଦେଇଥିବ ମୁଁ ଆସି ନେଇଯିବି । ସେଗୁଡ଼ାକ କିଛି କାମରେ ଆସେ ନାହିଁ ଯେ ଖାଲି ଘର ଭରସାରେ ପଡ଼ିଥିବ । କାଳେ କେତେବେଳେ କାହାର ଦରକାର ହେବ । ଗୋଖାମାନେ ବୈରିଗଞ୍ଜନଙ୍କୁ ବୈରା ବୋଲି ଡ଼ାକନ୍ତି । ବୈରାର ଉପଦେଶ ଅନୁସାରେ ସେମାନେ ଟଙ୍କାକୁ ଶୁଖାଇ କୁଲାରେ ପାଛୁଡ଼ିଲେ । ଯେଉଁ ଗୁଡ଼ିକ କୁଲାରୁ ଗଡ଼ିଯାଇ ତଳେପଡ଼ିଲା, ସେ ସବୁ ହେଲା ଅଗାଡ଼ି, ଆଉ କୁଲାରେ ଯାହା ରହିଲା ତାହା ଭଲ । ଅଗାଡ଼ି ସବୁ ବୈରା ପାଇଁ ରଖିଦେଇ ଭଲଗୁଡ଼ିକ ଘରେ ରଖିଲେ । ବୈରିଗଞ୍ଜନ ଯଥାସମୟରେ ଆସି ଗାଁରୁ ଅଗାଡ଼ିଯାକ ରୁଣ୍ଡାଇ ପୁଣ୍ଡାଇ ନେଇଗଲେ । ବୈରିଗଞ୍ଜନଙ୍କ ସମ୍ୱନ୍ଧରେ ଏହିପରି ଆହୁରି ଅନେକ ଜନବାଦ ଶୁଣାଯାଏ; ମାତ୍ର ସେ ଶୁଣା କଥାର କିଛି ପ୍ରମାଣ ନାହିଁ- ତେଣୁ ଉପେକ୍ଷିତ ହେଲା ।
ବୈରିଗଞ୍ଜନଙ୍କ ଜ୍ୟେଷ୍ଠପୁତ୍ର ଗଜେନ୍ଦ୍ର ଅବିବାହିତ । ସେ ସାମାନ୍ୟ ଇଂରାଜୀ ପଢ଼ିଅଛି । ଗୋଟାଏ ଟାଇଫରାଇଟିଂ କଳ କିଣି ସ୍ୱାଧୀନ ବ୍ୟବସାୟ ଆରମ୍ଭ କରିଅଛି । ପିଲାଟି ରୂପବାନ, ସ୍ୱଭାବ ଚରିତ୍ର ନିର୍ଦ୍ଦୋଷ, ତାହାରି ସଙ୍ଗରେ ଲାବଣ୍ୟର ବିବାହ ସମ୍ୱନ୍ଧ ସ୍ଥିରହେଲା । ସାଧାରଣ ଭଦ୍ରଗୃହସ୍ଥମାନେ କନ୍ୟାକୁ ଯେପରି ଅଳଙ୍କାର ଏବଂ ଯୌତୁକ ପ୍ରଭୃତି ଦିଅନ୍ତି, ଶ୍ରୀନାଥ ବରାଳ ସେହିପରି ଦେବେ, ଅଧିକନ୍ତୁ ପାଞ୍ଚମାଣ ଭୂମି ଝିଅ ନାମରେ ରେଜେଷ୍ଟରୀ କରିଦେବେ । କିନ୍ତୁ ତାହା ନଗଦ ଦେଇପାରିବେ ନାହିଁ, ପ୍ରତିବର୍ଷ ମାଣେ ଲେଖାଏ କିଣିଦେବେ । ଏହିପରି କଥା ଛାଡ଼ିଲା, ବୈରିଗଞ୍ଜନ ମଧ୍ୟ ଏ ପ୍ରସ୍ତାବରେ ସ୍ୱୀକୃତ ହେଲେ ।
ଯଥା ସମୟରେ ବିବାହ ହୋଇଥିଲା । ବରାଳେ କନ୍ୟାଜାମାତାଙ୍କୁ ଯେଉଁ ଦାନ-ଯୌତୁକ ଦେଲେ ତାହାର କାହାରି ଅପସନ୍ଦ ହେଲାନାହିଁ । ରତ୍ନରେଖା ପ୍ରାଣାଧିକା ନଣନ୍ଦକୁ ନିଜର ଅଳଙ୍କାରମାନ ପିନ୍ଧାଇ ଦେଇ ଗୋଟାଏ ଗୌରବଗର୍ଭ ଆତ୍ମପ୍ରସାଦ ଅନୁଭବ କଲା । ଲାବଣ୍ୟ ଶ୍ୱଶୁର ଘରେ ଯଥେଷ୍ଟ ସ୍ନେହାଦର ଲାଭକଲା । ତାହାର ଶାଶୁ କହି ବୁଲିଲେ- ‘‘ବୋହୁ କରିବତ ମୋହରି ବୋହୁପରି ବୋହୁ କରିବ । ଆହା, ଆଖି-କାନ-ନାକ-ମୁହଁ କି ସୁନ୍ଦର, ସତେ ଯେପରି ବସନ୍ତର ଫୁଲ ରାଣୀ ।’’ ପ୍ରଥମ ପ୍ରଥମ ବୋହୁକୁ ସେ ଏତେ ସ୍ନେହ କଲେ ଯେ ସେହି ସ୍ନେହର ଗୁରୁଭାର ଲାବଣ୍ୟ ପକ୍ଷରେ ଦୁର୍ବହ ହୋଇ ଉଠିଲା । ସେ ନିଜ ହାତରେ ଖାଇବାର ସୁବିଧା ପାଇଲା ନାହିଁ । ଶାଶୁ ଆଗରେବସି ଗେହ୍ଲା ବୋହୁଟିକୁ କେତେଦିନ ଯାଏ ଖୁଆଇଦେବାକୁ ଲାଗିଲେ । ଶଶୁରଙ୍କର ତ ବୋହୁଟି ଜୀବନ ଧନ, ପୁଣି ସ୍ୱାମୀର ସୁଆଗ ସବୁଠାରୁ ବଳିଗଲା । ଲାବଣ୍ୟ ‘‘ରାତିକ ଭିତରେ ହାତୀଏ’’ ଆଣି ଘର ପୂର୍ଣ୍ଣକରି ଦେଲା; ସୁତରାଂ ସେ ସ୍ନେହ ସରାଗର ପାତ୍ରୀ ନ ହେବ କାହିଁକି ? ଏହିପରି ଭାବରେ ତାହାର ବଧୂଜୀବନର ପ୍ରଥମ ଅଧ୍ୟାୟ ଶେଷ ହେଲା-। ତାହାର ରୂପ ଗୁଣରେ ଶ୍ୱଶୁରାଳୟର ସମସ୍ତ ମୁଗ୍ଧ, କେବଳ ରୁଢ଼ ସ୍ୱଭାବହେତୁ କେହି କେହି କ୍ଷୁବ୍ଧ ହୁଅନ୍ତି । ତାହାର ଠୋସ୍ ଠୋସ୍ କଥା, ଡ଼ଗ ଡ଼ଗ ଚାଲି, ଫଲ ଫଲ ଚାହାଣି ଅନେକଙ୍କୁ ଭଲ ଲାଗେ ନାହିଁ ।
ଦେଖୁଁ ଦେଖୁଁ ଶଗଡ଼ଚକ ପରି ଗୋଟାଏ ବର୍ଷ ଗଡ଼ିଗଲା । ବରାଳେ ପ୍ରତିବର୍ଷ ମାଣେ ଲେଖାଁଏ ଜମି କିଣିଦେବାକୁ କହିଥିଲେ; ମାତ୍ର ସେ ଏଥି ମଧ୍ୟରେ ମାଟିର ଜମିବାଡ଼ି ସମ୍ୱନ୍ଧ ଛାଡ଼ି କେଉଁ ଅନିର୍ଦ୍ଧିଷ୍ଟ ଅମାଟି ରାଜ୍ୟକୁ ଚାଲିଗଲେ । ବୈରିଗଞ୍ଜନଙ୍କ ମୁଣ୍ଡରେ ଆକାଶ ଭାଙ୍ଗିପଡ଼ିଲା । ସେ ଦୁର୍ଭାର ଚିନ୍ତାରେ ପଡ଼ିଲେ । ମନେ ମନେ ଭାବିଲେ- ତେବେ କଅଣ ପାଞ୍ଚମାଣ ଜମି ମୁଁ ପାଇବି ନାହିଁ, କାହିଁକି ନ ପାଇବି ? ସେ ମଲେ ତାର ପୁଅତ ଅଛି, ସେ କଣ ପିତୃଋଣ ପାଇଁ ଦାୟୀ ନୁହେଁ । ପିତୃସତ୍ୟ ପାଳିବା କି ପୁତ୍ରର କର୍ତ୍ତବ୍ୟ ନୁହେଁ ? ଯେଉଁ ଦେଶର ରାଜପୁତ୍ର ପିତୃସତ୍ୟ ପାଇଁ ରାଜ୍ୟ ତ୍ୟାଗକରି ବନବାସ କଲେ । ଅର୍ଜ୍ଜୁନ ସେହି ତ୍ୟାଗିଦେଶରେ ଜନ୍ମଲାଭ କରି କଅଣ ପାଞ୍ଚମାଣ ଜମି ଦେଇ ପିତୃବାତ୍ସଲ୍ୟର ଆଦର୍ଶ ଦେଖାଇ ପାରିବ ନାହିଁ ? ସେ କଣ ସୁପୁତ୍ର ନୁହେଁ, ଜାଣୁ ଜାଣୁ ପିତୃସତ୍ୟ ଆଉ ଦେଶର ଗୌରବକୁ ଜଳାଞ୍ଜଳି ଦେବ ।’’ ବୈରିଗଞ୍ଜନ ଏହିପରି ଭାବି କିଛିଦିନ ପରେ ଲୋକଦ୍ୱାରା ଅର୍ଜ୍ଜୁନକୁ ଜମି କଥା କହିପଠାଇଲେ ଏବଂ ନିଜେ ମଧ୍ୟ ଅନେକଥର ଯାଇ ମାଗିଲେ । ଅର୍ଜ୍ଜୁନ କହିଲା- ‘‘ବାବା କହିଥିଲେ ମୁଁ ତାହା ଜାଣେ । ସେ ଥିଲେ ଅବଶ୍ୟ କୌଣସି ଉପାୟ କରିଥାଆନ୍ତେ; ମାତ୍ର ମୋର ଅବସ୍ଥା ଦୃଷ୍ଟିରେ ମୁଁ କଅଣ ପରିପାରିବି ? ପିତାଙ୍କ ଅନ୍ତ୍ୟେଷ୍ଠି କ୍ରିୟାରେ ମୁଁ ଋଣଗ୍ରସ୍ତ, ସେ ଋଣ ଶୁଝିବାର ଶୀଘ୍ର ଉପାୟ ନାହିଁ ।’’ ବୈରିଗଞ୍ଜନ ଆଉ ଅଧିକ କହିବାକୁ ଅବସର ନ ଦେଇ କହିଲେ- ‘‘ଯାହାହେଉ ବାବା, ତୁମେ ଯେତେବେଳେ ପିତୃସମ୍ପତ୍ତି ଭୋଗ କରିବ, ତେତେବେଳେ ପିତୃଋଣ ତୁମ୍ଭର ଶୁଝିବା ଉଚିତ । ନ ହେଲେ ତୁମ୍ଭର ପିତା ନରକରେ ପଡ଼ିବେ ।’’ ପ୍ରଥମତଃ ଦୁହିଁଙ୍କର ଶିଷ୍ଟାଚାରସତ୍ୱେ କଥାବାର୍ତ୍ତା ଚଳିଲା, ତହିଁପରେ କଥା ଟିକିଏ କଡ଼ା ହୋଇ ଉଠିଲା, ଶେଷରେ ରୋଷାରୋଷି, ଗୁହିପୁରାଣ ଖୋଳା, ଗାଳି ଧମକ ଚମକ ପର୍ଯ୍ୟନ୍ତ ଗଲା; ମାତ୍ର କିଛି ଫଳ ହେଲାନାହିଁ । ବୈରିଗଞ୍ଜନ ହତାଶ ହୋଇ ଫେରିଆସିଲେ-।
ଲୁହା ଦୋଷରେ ଅଗ୍ନିଦେବତା ମାଡ଼ଖାଏ; ସୁତରାଂ ପିତାର ଦୋଷ କନ୍ୟାମୁଣ୍ଡରେ ଚଢ଼ିଲା । ବୈରିଗଞ୍ଜନ ପରିବାର ପ୍ରତିଶୋଧର ଅନ୍ୟ ଉପାୟ ନ ଦେଖି ଲାବଣ୍ୟ ପ୍ରତି ନିର୍ଯ୍ୟାତନ ଆରମ୍ଭ କଲେ । ତାହାର ନାନା ଦୋଷ ବାହାରିଲା- ଗୁଣଗୁଡ଼ାକ ଖୁଣ ହୋଇଗଲା- ତୁଣ ଅଲଣା ନହେଲେ ସୁଦ୍ଧା ଅଲଣା ହୋଇଗଲା- ଭାତ ପୋଡ଼ିଗଲା, ଏହିପରି ନାନା ଦୂର୍ଚ୍ଛନା ବାହାରିଲା । ଶାଶୁ କହନ୍ତି- ‘‘ଅଙ୍ଗୁଳି ଚଟାଘର ଝିଅ, ସେ କାହୁଁ ତୁଣ ଶାଗ ରାନ୍ଧି ଜାଣିବ ।’’ ଶଶୁର କହନ୍ତି- ‘‘ତାହାର ରାନ୍ଧଣା ବିଦ୍ୟା ତ ମୁଟି ଶାଗ ମଦରଙ୍ଗା ଶାଗ ଖରଡ଼ାଯାଏ, ସେ ଆଳୁ ପଟୋଳର ମହତ୍ତ୍ୱ କଅଣ ବୁଝିବ । ଜନ୍ମକେ ତାହା ସବୁ ଆଖିରେ ବି ଦେଖି ନଥିବ । ଏହିପରି ବାକ୍ୟବାଣରେ ସମସ୍ତେ ତାକୁ ବିଦ୍ଧ କରନ୍ତି । ସେ ମଧ୍ୟ ପ୍ରତିବାଣପ୍ରୟୋଗରେ ଖୁବ୍ ପ୍ରବୀଣା । ଏହିପରି ବାକ୍ୟଯୁଦ୍ଧ ଲାଗେ, ପ୍ରତ୍ୟହ କଳି ହୁଏ । ବୈରିଗଞ୍ଜନଙ୍କ ଗୃହ କ୍ରମେ ଅଶାନ୍ତିମୟ ହୋଇଉଠିଲା । ଅବସର କ୍ରମେ ଲାବଣ୍ୟ ଏ ସବୁ କଥା ସ୍ୱାମୀଙ୍କୁ କହେ । ଗଜେନ୍ଦ୍ର ସବୁ ଜାଣେ ପ୍ରକୃତରେ ତୁଣ ଲୁଣୀ ବା ଅଲଣା ହୁଏନାହିଁ କିମ୍ୱା ଭାତ ପୋଡ଼ିଯାଏ ନାହିଁ । ତୁଚ୍ଛାରେ ଏ ଗୋଟାଏ ଦୁର୍ନାମ ରଟନା ଏବଂ ପିତା ଦୋଷରେ କନ୍ୟାର ଦଣ୍ଡ । କିନ୍ତୁ କଅଣ କରିବ, ପିତାମାତାଙ୍କୁ ତ ସେ ଏ ବିଷୟରେ କିଛି କହି ପାରିବ ନାହିଁ; ସୁତରାଂ ପତ୍ନୀକୁ ସହ୍ୟକରି ରହିବାକୁ ଉପଦେଶ ଦେଇ ନୀରବ ରହେ । ଲାବଣ୍ୟ ଶାଶୁ ଶଶୁରଙ୍କ ପ୍ରଥମ ସ୍ନେହ ସ୍ମରଣ କରି ଅନେକ କାନ୍ଦେ, ରାତିରେ ଖାଇଲେ ଦିନରେ ଖାଏନାହିଁ, ଦିନରେ ଖାଇଲେ ରାତିରେ ଖାଏ ନାହିଁ, କାନ୍ଦି କାନ୍ଦି ଶୋଇପଡ଼େ । ତାହା ମନରେ ଆଉ ତିଳାର୍ଦ୍ଧେ ସୁଖଶାନ୍ତି ରହିଲା ନାହିଁ ।
ଦିନେ ଲାବଣ୍ୟ ଚୁଲି ପାଖରେ ବସି ମାଛ ଭାଜୁଥିଲା । ଖଣ୍ଡେ ଦୂରରେ ତାହାର ଦ୍ୱାଦଶବର୍ଷୀୟା ନଣଦ ବିନୋଦିନୀ ଭାତ ଖାଉଥାଏ । ଲାବଣ୍ୟର ପଣତ କାନିରେ ଖଣ୍ଡେ ପାନ ବନ୍ଧା ହୋଇଥିଲା, ତାହା ମନରେ ପଡ଼ିଯିବାରୁ ସେ ପାନଖଣ୍ଡ କାନିରୁ ଫିଟାଇ ପାଟିକୁ ପକେଇ ଦେଲା । ବିନୋଦିନୀ ତାହା ଦେଖି ଲାବଣ୍ୟ ଭଜାମାଛ ଖଣ୍ଡେ ପାଟିକୁ ପକାଇଦେଲା ବୋଲି ମନେକଲା । ଆଉ ତାକୁ ସମ୍ଭାଳେ କିଏ ? ସେ ଭାତଖିଆ ଛାଡ଼ି ଗର୍ଜି ଗର୍ଜି ମା ପାଖକୁ ଧାଇଁଲା । ଡ଼ାକି ଡ଼ାକି କହିଲା- ‘‘ମାଆଲୋ, କୁଆଡ଼େ ଗଲୁ ଲୋ, ତୋ ବୋହୁଗୁଣ ଦେଖିବୁ ଧାଇଁଆଲୋ । ଛି ଛି, ଏଡ଼େ ଟାଉକୀ ହାଣ୍ଡିଖାଇ ଆହୁରି ଅଛନ୍ତି, ଭାଜୁ ଭାଜୁ ମାଛ ଖାଇ ଦେଉଛି ।’’ ମା ଘର ଭିତରୁ କହିଲେ- ‘‘କଅଣଲୋ ବିନ, କାହିଁକି ଡ଼ାକୁଛୁ ?’’ ବିନୋଦିନୀ କହିଲା- ‘‘ଆଉ କଣ, ମୋ ମୁଣ୍ଡ ଆଉ ଗଣ୍ଡି । ସରିଲା, ସରିଲା-ସବୁ ସରିଲା, ଏ ଘରକୁ ଲକ୍ଷ୍ମୀ ଛାଡ଼ିଲା । ଗୁଣମଣି ବୋହୁଙ୍କର ଗୁଣ ଶୁଣିବୁ ? ମାଛ ଭାଜୁ ଭାଜୁ ଖିଆ ଲାଗିଛି ।’’ ମା ଏକଥା ଶୁଣି ହାଣ୍ଡିଶାଳକୁ ଯାଇ ଫଟା ନାଗରାପରି ଖଣ୍ ଖଣ୍ ସ୍ୱରରେ କହିଲେ- ‘‘ଆଲୋ ସକଳଖାଇ ଝିଅ ଦରିଦ୍ରାଣି, ତୁ ସମସ୍ତଙ୍କୁ ଅଇଁଠା ଖୋଇବୁ-? ମାଛ ଭାଜୁ ଭାଜୁ ଖାଇ ଦେଉଛୁ, ତୋ ପେଟରେ ନିଆଁ ଲାଗିଛି ।’’ ଗୃହିଣୀଙ୍କ ମଧୁର ସ୍ୱର ଶୁଣି ବୈରିଗଞ୍ଜନ ଧାଇଁ ଆସି ସବୁ ଶୁଣି କହିଲେ- ‘‘ସେ ତ ଛୋଟଲୋକଘର ଝିଅ, ହାଣ୍ଡିଖାଈ, ଉଲେଇ, ଚୋରଣୀ ନ ହୋଇ ଆଉ କଅଣ ହେବ ।’’
କ୍ରୋଧ, ଘୃଣା ଏବଂ ଲଜ୍ଜାରେ ଲାବଣ୍ୟର ଦେହ ଝାଳେଇ ଆସିଲା, ସେ କର୍କଶ ସ୍ୱରରେ କହିଲା- ‘‘ମୁଁ କଅଣ ଏଡ଼େ ଡାଆଣୀ ନା ମାଛ ଭାଜୁ ଭାଜୁ ଖାଇଗଲି ? ଗୃହିଣୀ ଗର୍ଜି ଉଠି କହିଲେ- ‘‘ହଁ ଖାଇଛୁ ଅଲବତ୍ ଖାଇଛୁ ଆଛା ମୁଁ ଦେଖେଁ ।’’ ଏହା କହି ମାଛ ପଲମ ଉପରେ ନଇଁପଡ଼ି କହିଲେ- ‘‘ମୁଁ ତ କାଟିଲାବେଳେ ଦଶଖଣ୍ଡ ମାଛ ଗଣିଥିଲି, ଏହିତ ପଲମରେ ଆଠଖଣ୍ଡ ଅଛି, ଆଉ ଦି ଖଣ୍ଡ କାହିଁ ?’’ ଲାବଣ୍ୟ ବିରକ୍ତ ହୋଇ କହିଲା- ‘‘ଆଉ ଦି ଖଣ୍ଡ ମୁଁ ଖାଇଗଲି, ଆଛା କଲି ଖାଇଲି ବେଶ୍କଲି ଖାଇଲି । ମୋର କିଏ କଅଣ କରିବ କରୁ ।’’ ଗୃହିଣୀ ଆଉ ଧୈର୍ଯ୍ୟ ସମ୍ଭାଳି ପାରିଲେ ନାହିଁ, କଅଣ କହିଲୁ ପୁତଖାଇ ଝିଅ, ତୋର ଏତେ ଦିମାକ’’ ଏହି କହି ଚୁଲି ପାଖରୁ ଖଣ୍ଡେ ଅଡ଼ଚିଣା କାଠ ଟାଣିନେଇ ବୋହୁପିଠିରେ ପାହାରେ ବସାଇ ଦେଲେ । ଲାବଣ୍ୟ ଏ କାଣ୍ଡ ଦେଖି ସ୍ତମ୍ଭୀଭୂତ ହୋଇଗଲା । କ୍ରୋଧରୂପବିଷାକର ନାଗ ତାହାର ହୃଦୟ ମଧ୍ୟରୁ ଫଣାଟେକି ଗର୍ଜି ଉଠିଲା । ଅପମାନର ଦାରୁଣ ଆଘାତରେ ମର୍ମସ୍ଥଳ ରକ୍ତାକ୍ତ ହୋଇଉଠିଲା । ଓଷ୍ଠାଧର ଥରି ଉଠିଲା; କିନ୍ତୁ ସେ କିଛି କହିପାରିଲା ନାହିଁ । କେବଳ ଗୋଟାଏ ବ୍ୟଥାସିକ୍ତ ତପ୍ତ ନିଃଶ୍ୱାସ ତ୍ୟାଗ କରି ସେଠାରୁ ଉଠି ଚାଲିଗଲା । ସେଦିନ ସେ କିଛି ଖାଇଲା ନାହିଁ । ନିଜ ଘରେ କବାଟ କିଳି ଶୋଇଲା । ରାତିରେ ସ୍ୱାମିପାଖରେ ସବୁ କହିଲା । କାହିଁକି କେଜାଣି ସେ ଦିନ ଗଜେନ୍ଦ୍ରର ମନ ଭଲ ନ ଥିଲା । ସ୍ତ୍ରୀର ଅଭିଯୋଗ ଶୁଣି ସେ କହିଲା- ‘‘ତୁମର ସବୁଦିନେ ସେହି କଥା, ଘରକୁ ଆସି ଦୁଇଘଡ଼ି ସୁଖଶାନ୍ତି ଭୋଗକରିବା ମୋ କପାଳରେ ନାହିଁ । ତୁମ୍ଭମାନଙ୍କର ଯାହାର ଯାହା ଇଚ୍ଛା ତାହା କର, ତୁମ୍ଭମାନଙ୍କ ଜ୍ୱାଳାରେ ମୁଁ ଆଉ ରହିପାରିବି ନାହିଁ- ଘରଛାଡ଼ି ଚାଲିଯିବି ।’’ ଏ କଥା ଶୁଣି ଲାବଣ୍ୟର ପ୍ରାଣପୁରୁଷ ମୂର୍ଚ୍ଛିତ ହୋଇପଡ଼ିଲା । ସେ ମନେ ମନେ ଭାବିଲା- ‘‘ତେବେ ଏ ଘରେ ଆଉ ମୋର କିଏ । ମୋତେ ଏଠି କିଏ ରକ୍ଷାକରିବ ମୁଁ ଢେର ସହିଛି, ଆଉ ଏଣିକି ସହିପାରିବି ନାହିଁ । ସହିବାର ବି ତ ଗୋଟାଏ ସୀମା ଅଛି, ଆଉ ସହି ସହି ଅବା କଅଣ ହେଲା- ଯେତିକି ସହି ରହିଲି, କଳଙ୍କର ବୋଝ ତେତିକି ମୁଣ୍ଡାଇବାକୁ ହେଲା ।’’ ଲାବଣ୍ୟ ଏହିପରି ନାନା କଥା ଭାବି ଘରୁ ବାହାରି ଆସିଲା । ସେହି ଦିନ ଜଣେ ଗଉଡ଼ୁଣୀ ବୋଝେ କମଳାଲେମ୍ୱୁ ଘେନି ତାହା ବାପଘରୁ ଆସିଥିଲା । ସେ ଖାଇସାରି ଅମାର ପରସ୍ତରେ ଶୋଇଥିଲା । ଲାବଣ୍ୟ ଧୀରେ ଧୀରେ ତାହା ପାଖକୁ ଯାଇ ତାକୁ ଉଠାଇଲା ଏବଂ ସବୁକଥା କହି ତାହାରି ସଙ୍ଗରେ ବାପଘରକୁ ଯିବାକୁ ବାହାରିଲା । ଗଉଡ଼ୁଣୀ ପ୍ରଥମତଃ ମଙ୍ଗିଲା ନାହିଁ; ମାତ୍ର ପ୍ରାପ୍ତିର ଆଶା ଦେଖାଇବାରୁ ଶେଷରେ ସ୍ୱୀକୃତ ହେଲା । ତହୁଁ ଲାବଣ୍ୟ ସେହି ରାତିରେ ତାହାରି ସଙ୍ଗରେ ବାପଘରକୁ ଚାଲିଗଲା-।
ଉଷା ଜ୍ୟୋତିର୍ବିମାନରେ ଆରୋହି ପୂର୍ବାଶାର ହୈମ ସିଂହଦ୍ୱାର ମୁକ୍ତ କରିବା ସମୟରେ ଲାବଣ୍ୟ ଆସି ବାପଘରେ ପହୁଞ୍ଚିଲା । ରତ୍ନରେଖା ତାକୁ ଦେଖି ଚମକିଉଠି କହିଲା- ‘‘କିଏ, ଲାବଣ୍ୟ, ତୁ କୁଆଡ଼େ ଆସିଲୁ ?’’ ଲାବଣ୍ୟ ଭାଉଜ କତିରେ ସବୁକଥା କହିଲା । ରତ୍ନରେଖା ଶୁଣି ଆଶ୍ଚର୍ଯ୍ୟ ହେଲା ଏବଂ କହିଲା- ‘‘ତୁ କାହାର ଝିଅ ହୋଇ କି କାମ କଲୁ ? ଗୋଡ଼ ଉଠାଇ ଚାଲିଆସିବା ଟା ଭଲକଥା ନୁହେଁ- ସେଥିରେ ଯେ ତୋର ପିତୃକୁଳରେ କଳଙ୍କ ଲାଗିଲା ଭଉଣି । ତୁ କି ଭୁଲ କଲୁ, ମୁହୂର୍ତ୍ତକର ଭୁଲ ସାରା ଜୀବନରେ ସୁଧୁରିପାରେ ନାହିଁ- ଘଡ଼ିକ ପାପର ପ୍ରାୟଶ୍ଚିତ୍ତ ଅନେକ ଜନ୍ମରେ ହୋଇପାରେ ନାହିଁ ।’’ ଲାବଣ୍ୟ କହିଲା- ‘‘ମୁଁ କିଛି ଅକର୍ମ କରି ନାହିଁ ଯେ, ମୋର ପିତୃକୁଳରେ କଳଙ୍କ ଲାଗିବ । ଅତ୍ୟାଚାର ସହି ନ ପାରି ପ୍ରାଣଭୟରେ ପଳାଇଆସିଛି ।’’ ରତ୍ନରେଖା କହିଲା- ‘‘ଲୋକେ ତୋତେ ନାନା କଥା କହିବେ- ନାନା ଦୂର୍ଚ୍ଛନା ଦେବେ, ତାହା ସବୁ ସହିପାରିବୁ ତ ? ଲାବଣ୍ୟ କହିଲା- ‘‘ମୋ ଦେହ ସବୁ ସହିବ ନୂଆବୋହୁ ଦୁଃଖଗଞ୍ଜଣାର ଆଘାତରେ ସେ ପଥର ପାଲଟି ଯାଇଛି ।’’ ଏହା କହି ପିଠିରୁ ଲୁଗାକାଢ଼ି ଶାଶୁ ପିଟିଥିବା ଅଡ଼ଚିଣାଦାଗ ଦେଖାଇ ଦେଲା ଏବଂ କଇଁ କଇଁ ହୋଇ କାନ୍ଦି କହିଲା- ତୁମ ଘରେ ଯଦି ମୋ ପାଇଁ ସ୍ଥାନ ନ ହୁଏ, ତେବେ ଯେଉଁଆଡ଼କୁ ଦୁଇଆଖି ପାଇବ ସେ ଆଡ଼କୁ ଚାଲିବି । ଏ ମାତୃହୀନା ଦୁଃଖିନୀ ପାଇଁ ଭଗବାନ ଅବଶ୍ୟ ଆଶ୍ରୟ ସ୍ଥାନ ରଖିଥିବେ ।’’ ଏ କଥା ଶୁଣି ରତ୍ନରେଖାର ହୃଦୟ ତରଳିଗଲା । ଯେଉଁ ଲାବଣ୍ୟ ତାହାର କନ୍ୟା, ସଖୀ ଏବଂ ଅନୁଜାତୁଲ୍ୟ, ତାହାର ଏ ଅଭିମାନ ବାଣୀ ଶୁଣି ସେ କି ଧୈର୍ଯ୍ୟ ଧରିପାରିବ । ରତ୍ନରେଖା ନଣନ୍ଦକୁ କୁଣ୍ଢାଇ ଘରଭିତରକୁ ନେଇଗଲା ଏବଂ କହିଲା- ‘‘କିଛି ଚିନ୍ତା କରନା ଲାବଣ୍ୟ, ମୁଁ ତୋତେ ରାଣ୍ଡଝିଅ ପଣେ ବେକରେ ବାନ୍ଧିବି ।’’
ଅର୍ଜ୍ଜୁନ ଭଉଣୀର ଅପମାନ ଶୁଣି କ୍ରୋଧରେ ଅଗ୍ନି ଶର୍ମା ହୋଇଉଠିଲା । ସେ ପ୍ରତିଜ୍ଞା କଲା- ବୈରିଗଞ୍ଜନ ଘରୁ ଖୋରାକୀ ପୋଷାକୀ ଆଦାୟ କରି ଭଉଣୀର ଏ ଅପମାନର ପ୍ରତିଶୋଧ ନେବ, ତେବେ ଯାଇ ଛାଡ଼ିବ । ତହିଁ ପରେ ଭାଇ ଭଉଣୀଙ୍କର ଯେଉଁ କଥାବାର୍ତ୍ତା ହୋଇଥିଲା, ତାହା ମୂଳପରିଚ୍ଛେଦରେ ବର୍ଣ୍ଣିତ ହୋଇଅଛି ।
ରାମଚନ୍ଦ୍ରଚିନ୍ତାମଣି ମହାନ୍ତି ବୁଲା ଫକୀରଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି