ଦଶମ ପରିଚ୍ଛେଦ — ରକ୍ତଦାନ — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ପରିଚ୍ଛେଦ
ଅର୍ଥଦ୍ୱାରା ଧର୍ମ କିଣିହୁଏ ନାହିଁ ସତ୍ୟ; ମାତ୍ର ସାନ ବଡ଼ ପ୍ରତ୍ୟେକ ଧର୍ମାନୁଷ୍ଠାନ ଅର୍ଥ ସାପେକ୍ଷ, ଏହା ଅସତ୍ୟ ନୁହେ । ହାତରେ ପଇସା ହେଲେ ଧର୍ମପ୍ରାଣ ହିନ୍ଦୁର ମନ ଧର୍ମ କର୍ମ ଆଡ଼କୁ ଆକୃଷ୍ଟ ହୁଏ । ଧର୍ମାର୍ଜ୍ଜନ ତାହାର ଅର୍ଥସଞ୍ଚୟର ମୁଖ୍ୟ ଉଦ୍ଦେଶ୍ୟ । ସେ ବର୍ଷ ଆଶାତୀତ କୃଷି ହେବାରୁ ଲୋକେ ପଣେ, ଗଣ୍ଡେ ସଞ୍ଚୟ କରିପାରିଥିଲେ । ଦୈବେ ସେ ବର୍ଷ ବୈତରଣୀ ଏବଂ ମହୋଦଧିରେ ସ୍ନାନଯୋଗ ପଡ଼ିଲା । ସାଧାରଣ ଯୋଗ ନୁହେ - ମହା ମହା ଯୋଗ । ଧର୍ମସର୍ବସ୍ୱ ହିନ୍ଦୁର ପ୍ରାଣ, ଧର୍ମସାଧନ ସକାଶେ ପୁଲକରେ ନାଚି ଉଠିଲା । ସ୍ତ୍ରୀ ପୁରୁଷ ଦଳ ହୋଇ ଚୂଡ଼ା ଚାଉଳ ବାନ୍ଧି କେହି ଯାଜପୁର କେହି ବା ପୁରୀ ଯାତ୍ରା କଲେ । ଯେଉଁ ସ୍ତ୍ରୀ ଲୋକମାନେ ପିଲାପିଲିଙ୍କ ଯାଁ ବାଳ; କିମ୍ବା ପୁଅ ବୋହୂଙ୍କ ବିବାହ ଲୋଳମୁକୁଟ ବହୁଦିନରୁ ବହୁ ଯତ୍ନରେ ସାଇତି ରଖିଥିଲେ, ସେମାନେ ସଙ୍ଗରେ ତାହା ନେବାକୁ ଭୁଲିଲେ ନାହିଁ । ସେମାନଙ୍କର ବିଶ୍ୱାସ, ସମୁଦ୍ରକୁ ସେଗୁଡ଼ିକ ଉପହାର ଦେଲେ ପିଲାପିଲିଙ୍କର ଆଉ ପୁଅ ବୋହୂଙ୍କର ମଙ୍ଗଳ ହେବ । ଜରାପଳିତ କେଶ ବୃଦ୍ଧଗଣ ପୂର୍ବ ସୁରକ୍ଷିତ ପତିତ ଦନ୍ତଗୁଡ଼ିକ ଆଗେ କାନିରେ ବାନ୍ଧି ପଛେ ଘରୁ ବାହାରିଲେ । ସେଗୁଡ଼ିକ ସମୁଦ୍ରଗର୍ଭରେ ନିକ୍ଷିପ୍ତ ହେଲେ ଦନ୍ତର ଅଧିକାରୀ ସଦ୍ଗତି ଲାଭ କରିବ । ମୃତ୍ୟୁ ପରେ ଗଙ୍ଗାସ୍ଥି ହୁଏ; ମାତ୍ର ସେମାନେ ଜୀଇ ଥାଉଁ ଥାଉଁ ନିଜ ହସ୍ତରେ ନିଜର ଗଙ୍ଗାସ୍ଥି କରି ଯିବାକୁ ଆଗ୍ରହିତ । ଏହା ସେମାନଙ୍କର ଅତିଚତୁର ପଣର ଚୂଡ଼ାନ୍ତ ପରିଚାୟକ । ଏକ ଯାତ୍ରାରେ ତୀର୍ଥ ସ୍ନାନ ଏବଂ ଗଙ୍ଗାସ୍ଥି ଉଭୟ ପୂଣ୍ୟ ଲାଭକରିବା ଅଳ୍ପ ବୁଦ୍ଧିମାନର କାର୍ଯ୍ୟ ନୁହେ । ତୀର୍ଥରେ ଦାନ୍ତ ପକାଇଲେ ଯେବେ ମୁକ୍ତି ମିଳେ ଏବଂ ଦନ୍ତ ସ୍ୱାମୀ ଚତୁର୍ଭୁଜ ହୋଇ ସ୍ୱର୍ଗକୁ ଉଠିଯାଏ, ତେବେ ମୁକ୍ତିର ଏଡ଼େ ସହଜ ଉପାୟ ଥାଉ ଥାଉ ପଣ୍ଡିତମାନେ ଶାସ୍ତ୍ର ଘାଣ୍ଟି ବୃଥା ହରବର ହୁଅନ୍ତି କାହିଁକି ? ଏରୂପ ସୁନ୍ଦର ମୁକ୍ତିତତ୍ତ୍ୱ ଯେ ଆବିଷ୍କାର କରିପାରେ, ସେହି ଏକା ପଣ୍ଡିତ ଏବଂ ମୁକ୍ତି ରାଜ୍ୟର ସାର୍ଆଇଜାକ୍ନିଉଟନ ।
ତୀର୍ଥସ୍ନାନ କାମନାରେ ପ୍ରତିଗ୍ରାମରୁ ଲୋକେ ବାହାରିଲେ । କେହି ବୈତରଣୀ ସ୍ନାନ ସକାଶେ, କେହି ବା ମହୋଦଧି ସ୍ନାନସକାଶେ ଗଲା । ପଥରେ ଅନବରତ ଜନସ୍ରୋତ ପ୍ରବାହିତ ହେଲା । ଗୁଆମାଳରୁ ଅନେକ ଲୋକ ପୁରୀ ଗଲେ । ଲାବଣ୍ୟ ସେମାନଙ୍କ ସଙ୍ଗରେ ଗଲା, ତାହାର ମାଉସୀ ପୀଡ଼ିତ ଥିବାରୁ ଯାଇପାରିଲା ନାହିଁ । ତାହାର ସେବା ଶୁଶ୍ରୂଷା କରିବା ସକାଶେ ଲାବଣ୍ୟ ଜଣେ ପରିଚାରିକା ନିଯୁକ୍ତ କରିଦେଇ ଗଲା । ସେ ଥର ପୁରୀରେ ଅନେକ ଯାତ୍ରୀ ରୁଣ୍ଡହେଲେ । ରହିବାକୁ ବସାଘର ମିଳିଲା ନାହିଁ । ଲୋକେ ଗଛମୂଳରେ. ବଡ଼ ଦାଣ୍ଡର ଶରଧାବାଲିରେ-ବାଟରେ ଘାଟରେ ପଡିରହିଲେ । କଷ୍ଟଭୋଗକରି ମଧ୍ୟ କାହାରି ମନରେ ଦୁଃଖ ନାହିଁ, କି ଅବସାଦ ନାହିଁ । ସମସ୍ତଙ୍କ ମୁଖ ଆନନ୍ଦ ପ୍ରଫୁଲ୍ଲ । ଧର୍ମପ୍ରାଣ ହିନ୍ଦୁଧର୍ମ ସକାଶେ କଷ୍ଟ ସହିବାକୁ ପଶ୍ଚାତ୍ପଦ ନୁହେଁ - ବରଂ କଷ୍ଟକୁ ମଧୁର ସୁଖ ମଣେ । ଲାବଣ୍ୟ ସହଯାତ୍ରୀମାନଙ୍କ ସଙ୍ଗରେ ଗୋଟାଏ ଝଙ୍କାଳିଆ ଲଙ୍କାଆମ୍ର ଗଛମୂଳରେ ଆଶ୍ରୟ ନେଲା । ରାତି ପାହିଲେ ସ୍ନାନଯୋଗ ଉପସ୍ଥିତ ହେବ । ସମସ୍ତେ ଅସମ୍ଭାଳ ଉତ୍କଣ୍ଠାରେ ସେହି ପୂଣ୍ୟ ଯୋଗର ଶୁଭାଗମନ ପ୍ରତୀକ୍ଷାରେ ରହିଲେ ।
ରାତି ପାହିଆସିଲା, ବଡ଼ଦେଉଳର ଆରାତ୍ରିକ ବାଦ୍ୟଧ୍ୱନିରେ ଶ୍ରୀକ୍ଷେତ୍ର କମ୍ପିଉଠିଲା । ମହାଯୋଗୀ ମହୋଦଧିର ଗଭୀର ପ୍ରଣବଧ୍ୱନି ସେ ଧ୍ୱନିକୁ ପୃଥୁଳକଲା । ସିନ୍ଧୁବାୟୁ ପବିତ୍ର ଆରାତ୍ରିକ ଗନ୍ଧ ଆଣି ସର୍ବତ୍ର ବିତରଣ କଲା । ଭକ୍ତକଣ୍ଠର ପ୍ରାର୍ଥନାସଙ୍ଗୀତ କର୍ଣ୍ଣରେ ମଧୁ ବର୍ଷଣ କରିବାକୁ ଲାଗିଲା । କେହି ଗୀତଗୋବିନ୍ଦର କାନ୍ତମଧୁର-ଲଳିତ ପଦାବଳୀ-ଆବୃତ୍ତ କଲା । ଆବୃତ୍ତିର ଭଙ୍ଗୀ କି ସୁନ୍ଦର । ତାଳ, ମାନ ଧରି ସ୍ୱର ଚଢାଇ ଖସାଇ ଗାଇବା ବେଳେ ସଙ୍ଗୀତ ଭିତରୁ ଗୋଟାଏ ଶକ୍ତି ବାହାରିଆସି ଶ୍ରୋତାକୁ ଆଚ୍ଛନ୍ନ କରିପକାଏ । ସଙ୍ଗୀତର କି ମୋହମାଦକତା, ଶୁଣିଲା କ୍ଷଣି ବିକ୍ଷିପ୍ତ ମନ କେନ୍ଦ୍ରସ୍ଥ ହୋଇରହେ, ପଥିକର ଗୋଡ଼ ଉଠେ ନାହିଁ । ସେହି ସମୟରେ ଯେଉଁ ରସ ପ୍ରବାହିତ ହୁଏ ତାହାହିଁ ଅମୃତ । ବାସ୍ତବରେ ସେ ସମୟରେ ସ୍ୱର୍ଗରେ ଥିବାପରି ବୋଧହୁଏ । ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭାତରେ ଜୀବନ୍ତ ଧର୍ମଭାବ ଖେଳିବୁଲେ । ସତେ ଯେପରି କିଏ ଶୂନ୍ୟରେ ମୁକ୍ତିମନ୍ତ୍ର ପ୍ରଚାର କରି ବୁଲୁଅଛି । ପୁରୀର ପ୍ରଭାତସୁଖ ଉପଭୋଗ୍ୟ, ବର୍ଣ୍ଣନାରେ ତାହା ଶେଷକରି ହେବ ନାହିଁ । ସେହି ସମୟରେ ଦେବତାମାନେ ସ୍ୱର୍ଗରୁ ଓହ୍ଳାଇ ଆସନ୍ତି । ଦୀନକୃଷ୍ଣ ଦାସଙ୍କର ଭକ୍ତସୁଲଭ ଅଭିମାନପୂର୍ଣ୍ଣ ପ୍ରାଣର ଜଣାଣ ଶୁଣିଲେ ନେତ୍ରରେ ଲୋତକ ରହିବନାହିଁ । ପ୍ରଭାତ କାଳରେ ରାଧାକୃଷ୍ଣମଠର ହରିସଂକୀର୍ତ୍ତନ ଯେ ଶୁଣିଛି, ସଂକୀର୍ତ୍ତନର ମହିଁମା ସେ ପ୍ରାଣ ମଧ୍ୟରେ ଉପଲବ୍ଧି କରିଥିବ । ଭକ୍ତମାନଙ୍କର ତ ପ୍ରେମର ସୀମା ନାହିଁ, ସେମାନେ ଭକ୍ତିରେ ବିହ୍ୱଳ । ସେମାନେ ପ୍ରେମ-ସରୋବରରେ ତ୍ୟାଗର ପଦ୍ମଫୁଲ ଫୁଟାଇ ଅଛନ୍ତି, ସେମାନଙ୍କର କିଛିନାହିଁ - କେବଳ ହରିନାମ ସମ୍ବଳ । କେହି ଗାଉଛି - ‘‘ଜଗନ୍ନାଥସ୍ୱାମୀ ନୟନପଥଗାମୀ ଭବତୁ ମେ’’ । କେହି ଗାଉଛି ‘‘ଜଗବନ୍ଧୁ ହେ ଗୋସାଇଁ ମୋହଯିବା ଯାଏଁ ନନ୍ଦିଘୋଷ ଥିବରହି ।’’ ଭୋଜପୁରୀ ଭକ୍ତମାନେ ସମସ୍ୱରରେ ଗାଉଛନ୍ତି - ‘‘ଜଗନାଥିଆ ଓ ଭାଏ, ଦାନି କେ ସୁରତ ମନ ରଖିଓ ।’’ ରାମକୃଷ୍ଣ ଭକ୍ତମାନେ ଗାଉଛନ୍ତି - ‘‘ଦେ ମା ଆମାୟ ତବିଲଦାରି, ଆମି ନିମକହାରାମ ନହି ଶଙ୍କରା ।’’ କେହି ସହସ୍ରନାମ ଆବୃତ୍ତ କରୁଅଛି, କେହି ତୁଳସୀଦାସ, କବିର ପ୍ରଭୃତିଙ୍କ ଦୋହା ଗାଉଅଛି । ଚତୁଷ୍ପାଠୀସ୍ଥ ବ୍ରାହ୍ମଣବାଳକମାନେ ଲଳିତ କୋମଳ ସ୍ୱରରେ ଶାସ୍ତ୍ରପାଠ କରୁଅଛନ୍ତି । ଶିଶୁତୁଣ୍ଡର ବେଦ ଆବୃତ୍ତି କି ମଧୁର; ସତେ ଯେପରି ଅମୃତ ଉପରେ ଅମୃତ ବର୍ଷିଯାଉଅଛି । ମଠମାନଙ୍କରୁ ମୃଦଙ୍ଗ କରତାଳି ଧ୍ୱନି ପୃଥୁଳଭାବରେ ଉଠି ମନରୁ କ୍ଷୁଦ୍ରଭାବ ତଡ଼ି ଦେଉଅଛି, ମନ କି ଏକ ଉଲ୍ଲାସକର ମହାଭାବରେ ପୂର୍ଣ୍ଣ ହୋଇଉଠୁଅଛି । ସଂସାରର ଦୁଃଖ, ଦୈନ୍ୟ ପ୍ରଭୃତି ମନକୁ ସ୍ପର୍ଶକରି ପାରୁନାହିଁ । ଭାଦ୍ରମାସର ଗଙ୍ଗା ପ୍ରାୟ ମନ ପ୍ରସନ୍ନ ଏବଂ ନିର୍ମଳ । ସ୍ଥୂଳତଃ ଶ୍ରୀକ୍ଷେତ୍ରର ପ୍ରଭାତ ଦୃଶ୍ୟ, ପ୍ରଭାତ ଉତ୍ସବ ଦେଖିଲେ ଆତ୍ମବିତସ୍ମୃତ ହେବାକୁ ହୁଏ, ହୃଦୟରୁ ପାପତାପ କ୍ଷଣକ ପାଇଁ କୁଆଡ଼େ ଉଡିଯାଏ, ଅନାବିଳ ଶାନ୍ତିଧାରାରେ ସ୍ନାନକରି ମନ ପ୍ରାଣ ଶୀତଳ ହୁଏ ।
ସୂର୍ଯ୍ୟୋଦୟ ପୂର୍ବରୁ ସମୁଦ୍ରକୂଳ ନର-ସମୁଦ୍ରରେ ପରିଣତ ହୋଇଗଲା । ବେଳାରେ ତିଳଧାରଣର ସ୍ଥାନ ରହିଲା ନାହିଁ । ଶଙ୍ଖ ହୁଳାହୁଳୀ ହରିବୋଲ ଶବ୍ଦ ସମୁଦ୍ର ଗର୍ଜନ ସଙ୍ଗେ ପ୍ରତିଯୋଗିତା କରିବାକୁ ଲାଗିଲା । ନୋଳିଆମାନେ ଟିପାକାଠିରେ ଚଢି ମାଛ ଧରିବାକୁ ବାହାରିଲେ । ସେମାନେ ସମୁଦ୍ରର ପରିବାରଭୁକ୍ତ; ସୁତରାଂ ସମୁଦ୍ର ପ୍ରତି ସେମାନଙ୍କର ଭୟ ବା ଭ୍ରୂକ୍ଷେପ ନାହିଁ । ପ୍ରଥମତଃ ସେମାନେ ଲହରୀ ସଙ୍ଗରେ ଯୁଦ୍ଧରେ ପ୍ରବୃତ୍ତ ହେଲେ । କେତେଥର ଲହରୀ ସେମାନଙ୍କୁ ଆଣି ବେଳାରେ ଫିଙ୍ଗି ଦେଇଗଲା; ମାତ୍ର ସେମାନେ ପ୍ରତି ଥର ଉଠି ଲହରୀର ନିକଟବର୍ତ୍ତୀ ହେଲେ । ଶେଷରେ ସେମାନେ ଲହରୀ ଭେଦ କରି ଚାଲିଗଲେ, ଅଧ୍ୟବସାୟର ଜୟ ହେଲା । କ୍ରମେ ସେମାନେ ସମୁଦ୍ରର ପାଣ୍ଡୁ ଜଳାରଣ୍ୟ ମଧ୍ୟରେ ଅଗ୍ରସର ହେଲେ । ଲହରୀ ଉହାଡ଼ରେ କେତେବେଳେ ଟିପାକାଠି ଆରୋହୀ ସହିତ ବୁଡି ଗଲାପରି ଜଣାଯାଏ, ପୁଣି ପରକ୍ଷଣରେ ଉପରକୁ ଉଚୁକି ଉଠୁଥାଏ । ଏହିପରି କ୍ଷଣେ ଲୁପ୍ତ କ୍ଷଣେ ମୁକ୍ତ ହୋଇ ନୋଳିଆମାନେ ଆଉ ଦେଖାଗଲେ ନାହିଁ । ଦେଖୁଁ ଦେଖୁଁ ସୂର୍ଯ୍ୟ ଉଦିତ ହେଲେ, ସମୁଦ୍ର ନବ୍ୟସଭ୍ୟ ବାବୁ ବେଶରେ ସଜ୍ଜିତ ହେଲା । ସୂର୍ଯ୍ୟପ୍ରତିବିମ୍ବ ତାହା ବକ୍ଷରେ ସୁନାଘଡ଼ି ପରି ଚକ୍ ଚକ୍ ଦିଶିଲା । ଅଥବା ଅତସୀ-ନୀଳିମା ବିଷ୍ଣୁବକ୍ଷରେ କୌସ୍ତୁଭମଣି ଝଟକି ଉଠିଲା । ବାସ୍ତବରେ ସମୁଦ୍ରଗର୍ଭରେ ସୂର୍ଯ୍ୟପ୍ରତିବିମ୍ବ ବଡ଼ ରମଣୀୟ ଦିଶେ । ସତେ ଯେପରି ପରମବ୍ରହ୍ମ ପରମାତ୍ମାଙ୍କ ଜ୍ୟୋତି ଦେହ ଭେଦ କରି ବାହାରକୁ ବାହାରି ଆସୁଅଛି । ଅଥବା ସତ୍ୟର ମହାଜ୍ୟୋତିରେ ତାମସ ହୃଦୟ ଆଲୋକିତ ହୋଇଅଛି । ଲାବଣ୍ୟ ସ୍ନାନୋବ୍ଦେଶ୍ୟରେ ସ୍ୱର୍ଗଦ୍ୱାର ଆଡ଼କୁ ଯାଇଥିଲା । ବେଳାରେ ଠିଆହୋଇ ସମୁଦ୍ରକୁ ଅନାଇଲା; ମାତ୍ର ବେଶିକ୍ଷଣ ଚାହିଁ ପାରିଲା ନାହିଁ, ତାହା ଆଖି ବୁଜିହୋଇ ପଡିଲା । ବାସ୍ତବରେ ସମୁଦ୍ରର ଦିଗନ୍ତବ୍ୟାପୀ ବିପୁଳ ବିସ୍ତୃତି କି ଅତିକ୍ଷୁଦ୍ର ନରନେତ୍ରର ଆୟତ୍ତୀଭୂତ ହେବ । ଅନନ୍ତ ଆକାଶ କି ମୁଷ୍ଟିଭିତରେ ରଖିହେବ, ତାହା ଅସମ୍ଭବ - ଅସମ୍ଭବ । ସମୁଦ୍ରର ଗର୍ଭ ଅନବରତ ଆଲୋଡିତ ହେବାର ଦେଖି ଏବଂ ଗର୍ଜନ ଶୁଣି ଲାବଣ୍ୟ ମନେ ମନେ କଅଣ ଭାବିଲା କେଜାଣି; ମାତ୍ର ତାହା ଅଜ୍ଞାତରେ ତୁଣ୍ଡରୁ ବାହାରିଆସିଲା, ‘‘ରତ୍ନାକର, ତୋ ହୃଦୟ ମୋ ହୃଦୟ ପରି ହାହାମୟ କାହିଁକି ? ତୁ କି ମୋହରି ପରି ଦୁଃଖୀ ? ମୁହୂର୍ତ୍ତକ ଭୁଲରେ ମୁଁ ସବୁ ହରାଇଛି, ତୋ ଜୀବନରେ କି ସେପରି କିଛି ଗୁରୁତର ଭୁଲ ଭ୍ରାନ୍ତି ଘଟିଛି ? ଜୀବନର ସୁଖକୁ ମୁଁ ସ୍ୱହସ୍ତରେ ସମାଧିସ୍ଥ କରିଛି, ତୁ କି ସେହିପରି ମହାଭୁଲ କରି ଅନୁତାପରେ ଦଗ୍ଧ ହେଉଛୁ ? ଏ ହାହାକାର ଧ୍ୱନି କଅଣ ତୋର ସେହି ଭୁଲର ପ୍ରାୟଶ୍ଚିତ୍ତ ? ନା-ନା, ତାହା କେଭେ ନୁହେଁ, ତୁ ଦେବତା, ଦେବତାଙ୍କର ସେଭଳି ଭୁଲ ହୋଇପାରେ ନାହିଁ । ପୁଣି ତୁ ବିରାଟ, ମୁଁ କ୍ଷୁଦ୍ର, ତୁ ସିନ୍ଧୁ, ମୁଁ ବିନ୍ଦୁ, ତୁ ହିମାଳୟ, ମୁଁ ଧୂଳିକଣା, ତୋ ସାଙ୍ଗରେ କି ମୋର ତୁଳନା ? ଛି, ଏହା ଯେ ହସିବାର କଥା ।’’ ଅନନ୍ତର ଲାବଣ୍ୟ ଜନତାକୁ ଅନାଇଦେଲେ ହଠାତ୍ ନୀରବ ହୋଇଗଲା । ତାହାର ଦେହ ଫୁଲି ଉଠିଲା, ସେ ଦୃଷ୍ଟି ଫେରାଇଆଣିଲା । ପୁଣି ଚାହିଁଲା ପୁଣି ଦୃଷ୍ଟି ନତ କଲା । ତାହାର ମୁଖ କ୍ଷଣକେ ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା ଏବଂ କ୍ଷଣକେ ଲଜ୍ଜାରେ ପାଣ୍ଡୁର ବର୍ଣ୍ଣ ଧାରଣ କଲା । ପଦ୍ମଫୁଲ ଉପରେ ଛାୟା ଆଲୋକ ନୃତ୍ୟକଲା ପ୍ରାୟ ସେ ମୁଖ ବଡ଼ ସୁନ୍ଦର ଦିଶିଲା । କି ବାଞ୍ଛିତ ସାଫଲ୍ୟର ମୃଦୁ ହାସ ଅଧରରେ ଲୁଚକାଳି ଖେଳିବାକୁ ଲାଗିଲା । ସନ୍ନ୍ୟାସିନୀ ଲାବଣ୍ୟ ଦେହରେ ଗୋଟାଏ ଅଗଭୀର ସରଳ ସୌନ୍ଦର୍ଯ୍ୟ ଫୁଟିଉଠିଲା । ଜନତା ମଧ୍ୟରେ ଏ କିଏ, କାହାକୁ ଦେଖି ଲାବଣ୍ୟର ଏ ଭାବାନ୍ତର ? ଏ ଯେ ଗଜେନ୍ଦ୍ର, ତାହାର ପୂଜାର ଜୀଅନ୍ତା ଠାକୁର; ଆଉ ତାହା ପଛରେ ତାହାର ବୃଦ୍ଧ ପିତାମାତା । ଏ କି ଆକସ୍ମକ ସମ୍ମଳନ, କି ଅପ୍ରତ୍ୟାଶିତ ଘଟଣା । ଲାବଣ୍ୟ ମନେ ମନେ କହିଲା- ତେବେ ଏମାନେ ବି ଆସିଛନ୍ତି, ହେଉ ଠାକୁରେ ଯାହା କରନ୍ତି ମଙ୍ଗଳ ପାଇଁ କରନ୍ତି । ଯାହାଙ୍କ ଚରଣ ଦର୍ଶନ ପୂଣ୍ୟରୁ ମୁଁ ଏତେଦିନ ଯାଏ ବଞ୍ଚିତ ଥିଲି, ତାଙ୍କୁ ଦେଖିଲି, ମୋର ତୀର୍ଥଯାତ୍ରା ସଫଳ ହେଲା । ଯୋଗସ୍ନାନ ପରେ ହୃଦୟର ଆରାଧ୍ୟ ଦେବତାଙ୍କୁ ଦର୍ଶନ କରିବି; ଏଥୁବଳି ଭାଗ୍ୟର କଥା କଅଣ ଅଛି ? ହେ ନୀଳାଦ୍ରିନାଥ, ଅନାଥା ପ୍ରତି ଏ ତୁମ୍ଭର କରୁଣା, ତୁମ୍ଭେ ମନ ଜାଣି ଫଳ ଦିଅ ।’’ ଏଥି ଉତ୍ତାରୁ ଲାବଣ୍ୟ ଶାଶୁ, ଶଶୂର, ସ୍ୱାମୀଙ୍କ ଉଦ୍ଦେଶ୍ୟରେ ମନେ ମନେ ଦଣ୍ଡବତ କରି, କାଳେ କିଏ ତାକୁ ଦେଖି ଚିହ୍ନିପକାଇବ, ଏହି ଆଶଙ୍କାରେ ସେଠାରୁ ଚାଲିଗଲା ଏବଂ ଉହାଡ଼ରେ ରହି ସେମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲା ।
ସ୍ନାନବେଳ ହେଲା, ସ୍ନାନ ବେଳ ହେଲାବୋଲି ଗୋଟାଏ ହୁରିପଡିଗଲା । ସମସ୍ତେ ଚଞ୍ଚଳ ହୋଇ ଉଠିଲେ । ମତି ଚଞ୍ଚଳ, ଗତି ଚଞ୍ଚଳ, ଭକ୍ତି ଚଞ୍ଚଳ, ସତେ ଯେପରି ଚାଞ୍ଚଲ୍ୟ ମୂର୍ତ୍ତିଧରି ଧାଁ ଦଉଡ଼ କରି ବୁଲିବାକୁ ଲାଗିଲା । ସ୍ନାନାର୍ଥୀମାନେ ତରତର ହୋଇ ସମୁଦ୍ରରେ ପଶିସ୍ନାନ କରିବାକୁ ଲାଗିଲେ । କିଏ ଅଣ୍ଟାଏ ପାଣିରେ ଠିଆ ହୋଇ ସ୍ନାନ କଲା, କିଏ ସାହସ ବାନ୍ଧି ଆବକ୍ଷ ଜଳରେ ପଶିଲା । କିଏ ବା ଆଣ୍ଠୁଏ ପାଣିରେ ବସି ମୁଣ୍ଡ ନୁଆଇଁ ଲହରୀ ଭାଙ୍ଗି ସ୍ନାନ କଲା । ଅନେକ ନାରୀ ପାଣିରେ ପଶିବାକୁ ଭୟକରି ‘‘ଭୀରୁ’’ ନାମ ସାର୍ଥକ କଲେ । କାହାର ଆତ୍ମୀୟ କାହାକୁ ଟାଣି ଘେନିଯାଆନ୍ତେ ସେ ଛେଳିକୁ ହଡିକାଠକୁ ନେଲାପରି ହେଲା । କେହି ଚଳେ ପାଣି ମୁଣ୍ଡରେ ଦେଇ ସଂକ୍ଷେପରେ ସ୍ନାନ କଲା ଏବଂ ତୀର୍ଥର ସମ୍ମାନ ରକ୍ଷାକଲା । ନିଜର ଭୟ ଏବଂ ଲଜ୍ଜା ଢାଙ୍କିବା ପାଇଁ କହିଲା - ‘‘କି କାଳ ରୋଗ ମୋତେ ଘୋଟିଲା ଯେ ମୁଣ୍ଡରେ ଟୋପାଏ ପାଣି ପଡିଲେ ମୁଁ ମଲି; ସାଙ୍ଗେ ସାଙ୍ଗେ ସନ୍ନିପାତ ହୋଇଯିବ । ସେହିଲାଗି ବୋହୁମାନେ ମୋତେ ପାଣି କତିକି ଛାଡି ଦିଅନ୍ତି ନାହିଁ । ଆସିବାବେଳେ ସାନବୋହୂ ଢେର ନିୟମ ସମଧ ପକାଇ କହିଥିଲା - ‘‘ଖବରଦାର ସାଆନ୍ତାଣୀଏ, ତମ ଜୁଇଁ ରାଣ ତି - ମୋ ମୁଣ୍ଡ ଖାଇବ, ନୂରସ୍ତମରେ ନାଧୁଆ ପାଧୁଆ କରିବ ନାହିଁ । ମୋ ବଡ଼ ପୁଅ ନା - ପୁରିଆ, ମଝିଆଁ ପୁଅନା - ଅଗାଧୁଆ, ଭାଇବୋହୂଟା ଦେଢଶୂର ନା’ କିମିତି ଧରିବ ? ସେହିଲାଗି ପୁରସ୍ତମକୁ ବାଆଁରେଇ ନୁରସ୍ତମ ବୋଲି କହେ, ଆଉ ଗାଧୋଇବାକୁ ନାଧୋଇବା କହେ । ସାନବୋହୂ କଥା ଶୁଣି ବଡ଼ ବୋହୂ କହିଲା - ସେ ମାନିବା ପିତୁଳି ଯେ, କାହା କଥା ମାନିବେ । ପାଣି ଦେଖିଲେ ତ ବାଇ, ତାଙ୍କୁ ପୁଣି ଅଟକାଇବ କିଏ ? ତୀର୍ଥ ସ୍ଥାନରେ ସେ କଣ ସମ୍ଭାଳି ହୋଇ ରହିବେ ? ତମ ଗେହ୍ଲା ପୁଅ ରାଣତି ସାଆନ୍ତାଣୀଏ, ମୁଁ ଅଫିମ ତେଲ ଫୁଟାଇ କାଚ କୁମ୍ପିରେ ଦେଉଛି, ସରଦ-ଲସମ ହେଲେ ଗୋଡ଼ ତଳିପାରେ ମାଲିସ କରିବ ।’’ ନିନ୍ଦାରୁ ପାର ପାଇବା ସକାଶେ ଅନେକେ ଏହିପରି ଗୋଟାଏ ଗୋଟାଏ ଛଳନାର ଆଶ୍ରୟ ଗ୍ରହଣ କଲେ । ଯେଉଁମାନେ ଅଧିକ ଭୀରୁ, ସମୁଦ୍ରକୁ ଦେଖି ସେମାନଙ୍କର ହୁତ୍କମ୍ପ ଆରମ୍ଭ ହେଲା । ସେମାନେ କଳ୍ପନାରେ ତୀର୍ଥସ୍ନାନ କରି ଦୂରରୁ ସମୁଦ୍ରକୁ ଜୁହାରହୋଇ ଫେରିଗଲେ ।
ଜଳସମୁଦ୍ର ମଧ୍ୟରେ ନରସମୁଦ୍ରର ସୃଷ୍ଟିହେଲା । ଯେଉଁ ଆଡ଼କୁ ଚାହିଁଲେ କେବଳ ଲୋକାରଣ୍ୟ । ଲୋକଗହଳରେ ସମୁଦ୍ରବାଲି ଦିଶୁନାହିଁ । କେତେ ସ୍ନାନ କରୁଛନ୍ତି - କେତେ ତର୍ପଣ କରୁଛନ୍ତି - କେତେ ସ୍ନାନସାରି ବେଳାରେ ଲୁଗା ପାଲଟୁଅଛନ୍ତି । ଗଜେନ୍ଦ୍ର ଏବଂ ଲାବଣ୍ୟ ସ୍ୱଳ୍ପ ବ୍ୟବଧାନରେ ସ୍ନାନ କରୁଥିଲେ । ବିପୁଳ ଜନତା ମଧ୍ୟରେ କିଏ କାହାକୁ ଦେଖୁଛି ବା ଚିହ୍ନୁଛି; ମାତ୍ର ଲାବଣ୍ୟ ଗଜେନ୍ଦ୍ର ଉପରେ ଦୃଷ୍ଟି ରଖିଥାଏ । ଗଜେନ୍ଦ୍ର ସ୍ନାନ କରୁଁ କରୁଁ ଟିକିଏ ଭିତରକୁ ଚାଲିଗଲା । ତେଣିକି ଲହରୀ ତାକୁ କ୍ରମେ ଭିତରକୁ ଟାଣିବାକୁ ଲାଗିଲା । ସେ କୂଳକୁ ଆସିବାକୁ ଯଥେଷ୍ଟ ଚେଷ୍ଟାକଲା; ମାତ୍ର ଲହରୀର ପ୍ରବଳ ଆକର୍ଷଣରୁ ମୁକ୍ତ ହୋଇପାରିଲା ନାହିଁ । ଶେଷରେ ହସ୍ତ ସଙ୍କେତରେ ସାହାଯ୍ୟ ଭିକ୍ଷାକଲା; କିନ୍ତୁ ପବନ ପ୍ରବଳ ଥିବାରୁ ଜନସଙ୍ଘ ମଧ୍ୟରୁ କେହି ତାହା ପାଖକୁ ଯିବାକୁ ସାହସୀ ହେଲେନାହିଁ । ସମସ୍ତେତା ଟଙ୍କା ମିଶ୍ରିତ ଭୀତ ନେତ୍ରରେ ଚାହିଁ ରହିଲେ । ସ୍ୱାମୀକୁ ବିପନ୍ନ ଦେଖି ଲାବଣ୍ୟର ହଂସା ଉଡିଗଲା । ତାହା ଚକ୍ଷୁରୁ ଶ୍ରାବଣର ଧାରା ବହିପଡିଲା । ସେ କାତରକମ୍ପିତ କଣ୍ଠରେ କହିଲା - ରତ୍ନାକର, ତୋର ରତ୍ନର ଅଭାବ ନାହିଁ, ଏ କାଙ୍ଗାଳୁଣୀର ହୃଦୟରତ୍ନଟି ଫେରାଇଦେ । ମୋର ସବୁ ଯାଇଛି - ଖାଲି ସେତକ ଅଛି । ହେ ଜଗନ୍ନାଥ, ଆତୁରର ଗୁହାରୀ ଶୁଣ ପ୍ରଭୋ, ମୁଁ ଯେବେ ପ୍ରକୃତରେ ସତୀ ହୋଇଥିବି, ପତିଚରଣରେ ଯେବେ ମୋର ଅଚଳା ମତି, ଭକ୍ତି ଥିବ, ତେବେ ଏ ସଙ୍କଟରୁ ପତିଙ୍କୁ ଉଦ୍ଧାର କରିବାର ଶକ୍ତି ମୁଁ ତୁମ୍ଭରିଠାରୁ ପାଇବି । ତୁମ୍ଭେ ଏକା ମୋର ସାହା ପ୍ରଭୋ ।’’ ଲାବଣ୍ୟ ଏତିକି ମାତ୍ର ପ୍ରାର୍ଥନା କରି ସ୍ୱାମୀକୁ ଉଦ୍ଧାର କରିବାକୁ ଅଗ୍ରସର ହେଲା । ସନ୍ତରଣରେ ସେ ଖୁବ୍ନିପୁଣା, ସେ ପିଲାକାଳରେ ସେ ବିଦ୍ୟା ଶିକ୍ଷା କରିଥିଲା । କିଛି ଦୂର ଯାଇ ନିଜର ପରିଧେୟ ଗୈରିକ ବସ୍ତ୍ରର ଗୋଟାଏ ପାଖ ଧରି ଅନ୍ୟ ପାଖଟା ଗଜେନ୍ଦ୍ର ଆଡ଼କୁ ଫିଙ୍ଗିଦେଲା । ତେତେବେଳକୁ ଗଜେନ୍ଦ୍ର ଅବସନ୍ନ ହୋଇପଡିଥିଲା; ମାତ୍ର ଲୁଗା କାନି ଧରିପାରିବାର ଶକ୍ତି ହରାଇ ନ ଥିଲା । ସେ ଦୃଢମୁଷ୍ଟିରେ ଲୁଗାକାନି ଧରିଲା । ଲାବଣ୍ୟ ସେହି ଲୁଗାକୁ ଟାଣି ଟାଣି ଧୀରେ ଧୀରେ କୂଳ ଆଡ଼କୁ ଆସିଲା, ଏହିପରି ଆସି ଆସି ଅଣ୍ଟାଏ ପାଣିରେ ଦେହ ବୁଡାଇ ରହିଲା । ତେତେବେଳେ ଲୋକେ ସାହସ କରି ତାହା ପାଖକୁ ଯାଇ ଗଜେନ୍ଦ୍ରକୁ ଧରାଧରି କରି କୂଳକୁ ଘେନି ଆସିଲେ । ଲାବଣ୍ୟ ଲୁଗା ପିନ୍ଧି ପଛେ ପଛେ ଆସିଲା । କୂଳକୁ ଆସି ଗଜେନ୍ଦ୍ର ମୂର୍ଚ୍ଛିତ ହୋଇପଡିଲା । ଲାବଣ୍ୟ ତାକୁ ବେଳା ବାଲୁକାରେ ଶୁଆଇଦେଇ କେତେଟା ପ୍ରକ୍ରିୟାଦ୍ୱାରା ତାହା ଉଦରରୁ ଜଳ ବାହାରକରିଦେଲା । ସନ୍ନ୍ୟାସିନୀର ଅଦ୍ଭୁତ ସାହସ ଦେଖି ସମସ୍ତେ ତାକୁ ଧନ୍ୟ ଧନ୍ୟ କହିଲେ ଏବଂ ତାକୁ ଦେଖିବା ପାଇଁ ଚାରିଆଡୁ ଲୋକେ ଆସି ରୁଣ୍ଡହେଲେ । ଆହା, କି ମହିମିତା ମାତୃମୂର୍ତ୍ତି । ସଦ୍ୟ ସିନ୍ଧୁସ୍ନାନରେ ସେ ମୂର୍ତ୍ତିର ପ୍ରଭା ବହୁଗୁଣ ବଢି ଉଠିଅଛି । ସମସ୍ତେ କହିଲେ, - ଏ ରୂପ ପୃଥିବୀର ନୁହେଁ - ସ୍ୱର୍ଗର । କେହି କହିଲା - ‘‘କେଉଁ ଦୟାବତୀ ଦେବୀ ମାନବଧର୍ମ ଶିକ୍ଷା ଦେବା ସକାଶେ ସନ୍ନ୍ୟାସିନୀ ରୂପରେ ପୃଥିବୀରେ ଆବିର୍ଭୂତ ହୋଇଅଛନ୍ତି । କି ଶୀତଳ ଅମୃତ ଦୃଷ୍ଟି, ଚାହିଁଦେଲା କ୍ଷଣି ହୃଦୟରୁ ଭକ୍ତି ଟାଣିନେଉଅଛନ୍ତି ।’’ କେହି କହିଲା- ‘‘ନା-ନା, ଏ ସ୍ୱୟଂ ସିନ୍ଧୁସୂତା ମହାଲକ୍ଷ୍ମୀ ।’’ ବୃଦ୍ଧ ବୈରିଗଞ୍ଜନ ଲୋତକଧାରାରେ ଗଣ୍ଡ ଭସାଇ କହିଲେ - ‘‘ମା, ତୁମେ ମୋର ଭାଗ୍ୟଦେବୀ, ମୋତେ ପୁତ୍ରଦାନ କଲ, ଏହି ଦୟା ପାଇଁ ମୁଁ ତୁମ ନିକଟରେ ସବଂଶରେ ଧାରୁଆ ହୋଇ ରହିଲି । ତୁମେ ମୋର ବଂଶ ରକ୍ଷାକଲ, ତୁମେ ଯାହା କହିବ ମୁଁ ତାହା ଦେବି । କହ ମା, କଅଣ ଦେଇ ତୁମ୍ଭଙ୍କୁ ସନ୍ତୁଷ୍ଟ କରିବି ?’’ ବୈରିଗଞ୍ଜନଙ୍କ ଗୃହିଣୀ ନିଜ ଦେହରୁ ସ୍ୱର୍ଣ୍ଣାଳଙ୍କାରଗୁଡ଼ିକ ବାହାର କରି ଲାବଣ୍ୟ ଆଗରେ ଥୋଇ ଦେଇ କହିଲେ - ‘‘ମା, ସେ ଯାହା ଦେବାର ଦେଉନ୍ତୁ ମୁଁ ଏହି ଗହଣାଗୁଡ଼ିକ ଦେଉଛି ।’’ ଲାବଣ୍ୟ ତାହାକୁ ସ୍ପର୍ଶ ନ କରି ଧୀର ମଧୁର ସ୍ୱରରେ କହିଲା, - ‘‘ମୁଁ ସନ୍ନ୍ୟାସିନୀ, ଧନ ଦ୍ରବ୍ୟ ମୋର ଲୋଡ଼ାନାହିଁ ମା, ମୁଁ ଏ ସବୁ ନେଇ କଅଣା କରିବି, ତେବେ ଯଦି ତୁମେ ନିତାନ୍ତ ନ ଛାଡ଼ିବ, ତେବେ ତୁମ ପୁଅ ଭଲ ହେଲା ପରେ ଯାହା ଦେବାର ଦେବ । ତାଙ୍କର ମୂର୍ଚ୍ଛା ଭାଙ୍ଗି ନାହିଁ, ଚଞ୍ଚଳ ତାଙ୍କୁ ଡାକ୍ତରଖାନାକୁ ନେଇଚାଲ-। କିଛି ଭୟ ନାହିଁ, ସେ ଭଲ ହେବାଯାଏ ମୁଁ ତାଙ୍କ ପାଖରେ ରହି ସେବା କରିବି । ମୁ ସନ୍ନ୍ୟାସିନୀ, ସେବା ମୋର ଧର୍ମ, ତୁମେ ଆଉକିଛି ବିଚାରିବ ନାହିଁ - ମା ।’’
ବୈରିଗଞ୍ଜନ ସୁଆରି କରି ପୁଅକୁ ପୁରୀର ବଡ଼ ଡାକ୍ତରଖାନାକୁ ନେଇଗଲେ । ଲାବଣ୍ୟ ସଙ୍ଗେ ସଙ୍ଗେ ଗଲା । ରୋଗୀର ପରିଚର୍ଯ୍ୟା କରିବା ପାଇଁ ସେ ଡାକ୍ତର ସାହେବଙ୍କୁ ପ୍ରାର୍ଥନା କଲା । ଅନେକ ପାସ୍କରା ଧାତ୍ରୀ ଅପେକ୍ଷା ସନ୍ନ୍ୟାସିନୀମାନେ ରୋଗୀର ସେବା-ଯତ୍ନ ଭଲ କରନ୍ତି, ଡାକ୍ତର ସାହେବ ଏହା ଜାଣନ୍ତି; ସୁତରାଂ ଲାବଣ୍ୟର ପ୍ରାର୍ଥନାରେ ସହଜରେ ସମ୍ମତ ହେଲେ; ମାତ୍ର ବୈରିଗଞ୍ଜନ ଏବଂ ତାଙ୍କ ଗୃହିଣୀଙ୍କୁ ରୋଗୀ ପାଖରେ ରହିବାକୁ ମନାକଲେ । କହିଲେ - ‘‘ତୁମ୍ଭେମାନେ ଅନ୍ୟ ସ୍ଥାନରେ ବସାକରି ରହ, ଦୁଇଓଳି ଦୁଇଥର ଆସି ତୁମ୍ଭ ପୁଅକୁ ଦେଖିଯାଇପାରିବ ।’’ ଫଳରେ ତାହାହିଁ ହେଲା, ଲାବଣ୍ୟ ରୋଗୀ ପାଖରେ ଡାକ୍ତରଖାନାରେ ରହିଲା । ଡାକ୍ତର ସାହେବ ରୀତିମତ ଚିକିତ୍ସା କଲେ । ଲାବଣ୍ୟ ପ୍ରାଣପଣରେ ସେବାରେ ଲାଗିଲା-। ଯଥାସମୟରେ ରୋଗୀକୁ ଔଷଧ ଖୁଆଏ, ଦୁଧ ପିଆଏ, ରୋଗୀକୁ ପରିଷ୍କାର କରିଦିଏ । ଦିନରାତି ଜଗିରହି ଏହିପରି ଶୁଶ୍ରୂଷା କରିବାକୁ ଲାଗିଲା । ଦିନେ ଗଲା, ଦୁଇଦିନ ଗଲା, ତେବେ ମଧ୍ୟ ଗଜେନ୍ଦ୍ରର ମୂର୍ଚ୍ଛାଭଙ୍ଗ ହେଲା ନାହିଁ । ଲାବଣ୍ୟ ଚିନ୍ତାରେ ବ୍ୟାକୁଳ ହୋଇଉଠିଲା ।
ତୃତୀୟ ଦିନ ସନ୍ଧ୍ୟା ସମୟରେ ଗଜେନ୍ଦ୍ରର ମୂର୍ଚ୍ଛାଭଙ୍ଗ ହେଲା । ସେ ଧୀରେ ଧୀରେ ଆଖି ଫିଟାଇ ଚାହିଁଲା । ଯାହା ଦେଖିଲା ସବୁ ତାକୁ ଅପୂର୍ବ ବୋଧ ହେଲା । ଦେହଟା ଶୂନ୍ୟ ଜଣାଗଲା, ଯେପରି ତାହା ଦେହରେ ସେ ନିଜେ ନାହିଁ । ବଡ଼ ଦୂର୍ବଳ, ଉଠିବାର ଶକ୍ତି ନାହିଁ । ସେ କ୍ଷୀଣ କଣ୍ଠରେ କହିଲା- ‘‘ମୁଁ କେଉଁଠି ଅଛି ? ମୋର ବୃଦ୍ଧ ବାପ ମା’ କାହାନ୍ତି ?’’ ଲାବଣ୍ୟ ତାହା ମୁଣ୍ଡ ଉପରେ ବସିଥିଲା, ସ୍ୱାମୀକୁ କଥା କହିବାର ଦେଖି ସେ ଆଶ୍ୱାନ୍ୱିତ ହେଲା ଏବଂ ମନେ ମନେ ଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇଲା । ସେ କହିଲା ‘‘ତୁମେ ଆଚ୍ଛା ଭଲ ଜାଗାରେ ଅଛ, ତୁମ ବାପ ମା ବି ଭଲଅଛନ୍ତି । ତୁମେ ବେଶି କଥା କୁହ ନାହିଁ, ତୁମର ଦୁର୍ବଳ ମୁଣ୍ଡ ତାହା ସହିପାରିବ ନାହିଁ । ଏତିକି କହି ସ୍ୱାମୀର ମୁଣ୍ଡ ଆଉଁସିଦେବାକୁ ଲାଗିଲା । ତାହା ହାତରେ କଅଣ ଥିଲା କେଜାଣି, ଗଜେନ୍ଦ୍ରର ଦେହ ଫୁଲି ଉଠିଲା । ସେହି ହାତକୁ ସେ ବକ୍ଷରେ ଚାପିଧରି କହିଲା- ‘‘ତୁମେ କିଏ, ଲାବଣ୍ୟ ? ତୁମେ କଅଣ ସମୁଦ୍ରସ୍ନାନକୁ ଆସିଥିଲ ?’’ ଲାବଣ୍ୟର ଛାତି ଦୁଲୁକି ଉଠିଲା, ତଣ୍ଟି ଶୁଖିଗଲା । ସେ ମନେ ମନେ ଭାବିଲା - ‘‘ଏ ମତେ କିପରି ଚିହ୍ନିଲେ । ଯେତେବେଳେ ଚିହ୍ନି ସାରିଲେଣି, ତେତେବେଳେ ମୁଁ ଲୁଚାଇଲେ କଅଣ ହେବ । ସ୍ୱାମୀ ପରମ ଗୁରୁ, ତାଙ୍କୁ ମିଥ୍ୟା କହି ପ୍ରତାରିତ କରିବା ମହା ପାପ ।’’ ଏହିପରି ଭାବି କହିଲା - ‘‘ହଁ ମୁଁ ତୁମର ଦାସୀ ଲାବଣ୍ୟ, ମୋତେ ତୁମେ କିମିତି ଚିହ୍ନିଲ ? ଆମ ଗାଁରୁ କେତେଲୋକ ଯୋଗସ୍ନାନକୁ ଆସିଥିଲେ, ମୁଁ ତାଙ୍କ ସାଙ୍ଗରେ ଆସିଥିଲି । ସେମାନେ ଫେରି ଗଲେଣି, ମୁଁ ଯାଇ ନାହିଁ ।’’
ଗଜେନ୍ଦ୍ର - ‘‘କିମିତି ଚିହ୍ନିଲ ?’’ ତୁମେ ସିନା ଚାଲିଆସି ଦୂରରେ ଥିଲ, ତୁମର ଅମୃତସ୍ପର୍ଶ ଆଉ ସ୍ୱରକୁ ଯେ ମୋ ପାଖରେ ଛାଡିଆସିଥିଲ । ତାହା କି କେହି ଭୁଲିଯାଇପାରେ ? ତୁମେ ତେବେ ମୋତେ ଅପମୃତ୍ୟୁରୁ ଉଦ୍ଧାର କରିଛ ?
ଲାବଣ୍ୟ - ନା, ମୁଁ ନୁହେଁ ଜଗନ୍ନାଥ ରକ୍ଷା କରିଛନ୍ତି, ଆଉ ମୁଁ ତାଙ୍କ କାର୍ଯ୍ୟରେ ଟିକିଏ ସାହାଯ୍ୟ କରିଛି ।
ଗଜେନ୍ଦ୍ର - ବାବା, ମା, ତୁମକୁ ଚିହ୍ନିପାରିଛନ୍ତି ତ?
ଲାବଣ୍ୟ - ନା, ମୁଁ ଚିହ୍ନା ଦେଇନାହି । ସେ ବେଳ ହୋଇ ନାହିଁ । ମୋ ରାଣତି, ତୁମକୁ ଜୁହାର ହେଉଛି, ତୁମ ଗୋଡ଼ ଧରୁଛି, ତୁମେ ତାଙ୍କୁ ମୋ କଥା କିଛି କହିବ ନାହିଁ ।
ଗଜେନ୍ଦ୍ର - ଆଚ୍ଛା ହେଉ, ତାହାହିଁ କରିବି । ମୋତେ କିପରି ଉଦ୍ଧାର କଲ, ସେ ସବୁ କଥା କହିଲ ?
ଲାବଣ୍ୟ - ତାହା ସବୁ ପରେ ଶୁଣିବ । ଏବେ ସେ କଥା କହିବାକୁ ଡାକ୍ତର ମନା କରିଛନ୍ତି ।
ଏହି ସମୟରେ ସସ୍ତ୍ରୀକ ବୈରିଗଞ୍ଜନ ଆସି ଉପସ୍ଥିତ ହେଲେ । ପୁଅକୁ ସଚେତ ହୋଇ କଥା କହିବାର ଦେଖି ସେମାନେ ଅପାର ଆନନ୍ଦଲାଭ କଲେ । ସେମାନଙ୍କର ମୃତ ଆତ୍ମା ପୁନଶ୍ଚ ଜୀଇଁ ଉଠିଲା । ସନ୍ନ୍ୟାସିନୀର ପ୍ରଶଂସାରେ ସେମାନେ ଶତଜିଦ୍ୱ ହେଲେ ।
ଗଜେନ୍ଦ୍ର କଥାବାର୍ତ୍ତା କରିପାରିଲା, ଲୁଣିଜଳ ପିଇ ତାହାର ଯେଉଁ ବିକାର ଘଟିଥିଲା, ତାହା ବି ଛାଡିଗଲା; ମାତ୍ର ଦୁର୍ବଳତା ଛାଡିଲା ନାହିଁ । ଠିଆ ହୋଇ ଚାଲିବାକୁ ତାହାର ଶକ୍ତି ପାଇଲା ନାହିଁ । ଡାକ୍ତର ଅନେକ ବଳକର ଔଷଧ ଦେଲେ । ଲାବଣ୍ୟ ସ୍ୱହସ୍ତରେ ପୁଷ୍ଟିକର ପଥ୍ୟ ପ୍ରସ୍ତୁତ କରି ଖୁଆଇଲା; ମାତ୍ର କିଛି ଫଳ ହେଲା ନାହିଁ । ତହୁଁ ଡାକ୍ତର ସାହେବ ଯନ୍ତ୍ର ସାହାଯ୍ୟରେ ଦେଖିଲେ - ଗଜେନ୍ଦ୍ର ହୃଦ୍ଯନ୍ତ୍ରରେ ରକ୍ତ ନାହିଁ, ଅତିଭୟ ହେତୁ ତାହା ଶୁଖିଯାଇଅଛି । କୌଣସି ସବଳ ଲୋକର ଉଷ୍ଣରକ୍ତ ହୃଦ୍ଯନ୍ତ୍ରରେ ପ୍ରବେଶ କରାଇଦେଲେ ରୋଗୀ ବଳପ୍ରାପ୍ତ ହେବ; ନଚେତ୍ଅନ୍ୟ ଉପାୟ ନାହିଁ । ଡାକ୍ତର ବୈରିଗଞ୍ଜନଙ୍କୁ ଏ କଥା ବୁଝାଇ ଦେଇ କହିଲେ - ‘‘କି ବୈରିଗଞ୍ଜନ କିଛି ସଜ ରକ୍ତର ବ୍ୟବସ୍ଥା କରିପାରିବ ?’’ ବୈରିଗଞ୍ଜନ କହିଲେ, - ‘‘ହଜୁର, ଟଙ୍କାଦେଲେ ସବୁ ମିଳିବ ସିନା ରକ୍ତ କାହୁୀଁ ମିଳିବ ? ଦେହରୁ ରକ୍ତ ଦେବାକୁ କିଏ ରାଜି ହେବ ? ମୁଁ ଦେବାକୁ ମନା କରୁନାହିଁ, ପୁଅ ଲାଗି ଲୋଡ଼ାହେଲେ ପ୍ରାଣ ଦେଇପାରେଁ, ରକ୍ତ ଟୋପାକ ବା କି ଛାର । ଦେଖୁଛ ତ ହଜୁର, ମୁଁ ବୁଢା ହେଲିଣି, ମୋର ମଲା ରକ୍ତରେ ଆଉ କଅଣ ତେଜ ଅଛି ଯେ କାମରେ ଲାଗିବ ? ହଜୁର ମା’ ବାପ, ଆଉ କିଛି ଉପାୟ ଥିଲେ କରନ୍ତୁ ।’’ ଡାକ୍ତର ଏକଥା ଶୁଣି ଟିକିଏ ହସିଦେଇ ନୀରବ ରହିଲେ । ଲାବଣ୍ୟ ସବୁ ଶୁଣୁଥିଲା, ସେ ଦୃଢ କଣ୍ଠରେ କହିଲା - ‘‘ହଜୁର ମୋ ଦେହରୁ ରକ୍ତ ନିଅ ।’’ ଡାକ୍ତର ସ୍ତମ୍ଭୀଭୂତ ହୋଇ ତାହା ମୁହଁକୁ ଚାହିଁରହିଲେ । କ୍ଷଣକ ପରେ କହିଲେ - ‘‘ତୁମେ କାହିଁକି ପରପାଇଁ ଦେହରୁ ରକ୍ତ ଦେବ ?’’ ଲାବଣ୍ୟ ଅକମ୍ପିତ କଣ୍ଠରେ କହିଲା - ‘‘ନା - ହଜୁର, ସେ ମୋର ପରନୁହେଁ । ମୁଁ ସନ୍ନ୍ୟାସିନୀ, ମୋର ପର କେହି ନୁହେଁ, ସମସ୍ତେ ଆପଣାର । ଜନସେବା ମୋର ବ୍ରତ । ମୋ’ ରକ୍ତରେ ଜଣକର ଉପକାର ହେଲେ ମୋର ଜୀବନ ସାର୍ଥକ ହେବ ।’’ ଡାକ୍ତର ମନେ ମନେ କହିଲେ - ‘‘ଏ ମହାପ୍ରାଣା ନାରୀ କିଏ, ଏହାର କି ଅଦ୍ଭୂତ ତ୍ୟାଗସ୍ୱୀକାର । ଏଭଳି ନାରୀରତ୍ନ ଯେଉଁ ଦେଶରେ ଜନ୍ମନ୍ତି, ସେ ଦେଶ ଧନ୍ୟ ।’’ ଅନନ୍ତର ଆନନ୍ଦ ପ୍ରକାଶ କରି କହିଲେ - ‘‘ତୁମେ ଏକା ପ୍ରକୃତ ଧାର୍ମିକା, ଧର୍ମର ମହତ୍ତ୍ୱ ରକ୍ଷାକରି ତୁମେ ଯେଉଁ ଆଦର୍ଶ ଦେଖାଇଲ, ସେହି ମହାଦର୍ଶ ତମ ଜାତିର ଇତିହାସରେ ଗୌରବମୟ ନୂତନ ଉଜ୍ଜ୍ୱଳ ଅଧ୍ୟାୟ ସଂଯୋଗ କରିବ । ତୁମର କିଛି ଭୟନାହିଁ, ଛଟାଙ୍କିଏ ରକ୍ତହେଲେ ଯଥେଷ୍ଟ । ସେଥିରେ ତୁମ୍ଭର ସବଳ ଦେହର କିଛି କ୍ଷତି ହେବନାହିଁ । ଲାବଣ୍ୟ କହିଲା - ‘‘ଛଟାଙ୍କିଏ କାହିଁକି, ଯେତେ ଲୋଡାହେବ ନିଅ, ମୋର କିଛି କଷ୍ଟ ହେବ ନାହିଁ ।’’ ବୃଦ୍ଧ ବୈରିଗଞ୍ଜନ ଏକଥା ଶୁଣି ଭୟରେ ଥରି ଉଠିଲେ । କହିଲେ - ‘‘ମା, ତୁମେ ସନ୍ନ୍ୟାସିନୀ, ତୁମ ଦେହରୁ ଟୋପାଏ ରକ୍ତ କ୍ଷୟହେଲେ ମୋର ସପ୍ତ ପୁରୁଷ ଅହିନର୍କରେ ପଡ଼ିବେ, ତୁମେ ମୋତେ ଏ ଚତୁର୍ଥକାଳରେ ମହାପାପରେ ବୁଡାଇ ମାରନାହିଁ ମା ।’’ ଲାବଣ୍ୟ ମଧୁର ବାକ୍ୟରେ ଶଶୁରଙ୍କୁ ଅନେକ ବୁଝାଇ କହିଲା - ‘‘ନା - ବାବା, ମୁଁ ସ୍ୱ ଇଚ୍ଛାରେ ରକ୍ତ ଦେଉଅଛି, ତୁମର ସେଥିପାଇଁ ପାପ ହେବନାହିଁ ।’’ ଲାବଣ୍ୟ ଆଉ ଅପେକ୍ଷା ନ କରି ଗଜେନ୍ଦ୍ର ପାଖରେ ଯାଇ ବସିଲା । ଡାକ୍ତର ଯନ୍ତ୍ର ଆଣି ଲାବଣ୍ୟର ବାହୁରେ ବସାଇ ତାହା ଦେହରୁ ରକ୍ତ ନେଇ ଗଜେନ୍ଦ୍ରର ହୃଦୟଯନ୍ତ୍ରକୁ ପ୍ରେରଣ କଲେ । ଲାବଣ୍ୟ ହସି ହସି ରକ୍ତଦାନ କଲା-।
ଗଜେନ୍ଦ୍ରର ଶରୀରରେ କ୍ରମେ ବଳ ସାଞ୍ଚିତ ହେବାକୁ ଲାଗିଲା । ସେ ଚାଲିବୁଲି ପାରିଲା-। ଦୁଇ ସପ୍ତାହ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହୃତ୍ଶକ୍ତି ଫେରିପାଇଲା । ପିତାମାତାଙ୍କ ଆନନ୍ଦ କହିଲେ ସରିବ ନାହିଁ । ତବୋଧିକ ଆନନ୍ଦିତା ହେଲା - ଲାବଣ୍ୟ । ତାହାର ଆଦର ଗୌରବ ଦିନକୁ ଦିନ ବଢିଉଠିଲା । ବୈରିଗଞ୍ଜନଦମ୍ପତି ତାକୁ ପ୍ରାଣଠାରୁ ଅଧିକ ମଣିଲେ । ତାହାର ପ୍ରଶଂସା ସେମାନଙ୍କ ମୁଖରେ ଧରିଲାନାହିଁ । ଦିନରେ ଏକାଧିକଥର କୃତଜ୍ଞତା ପ୍ରକାଶ କଲେ । ଏତେ ସମ୍ମାନ ଏତେ କୃତଜ୍ଞତା ଲାବଣ୍ୟର ଅସହ୍ୟ ହୋଇ ଉଠିଲା । ଦିନେ ଗଜେନ୍ଦ୍ର ଏବଂ ତାହାର ପିତାମାତା ବସି କେବେ ଘରକୁ ଫେରିଯିବେ, ଏହି ଆଲୋଚନା କରୁଥିଲେ; ଲାବଣ୍ୟ ଅଳ୍ପ ଦୂରରେ ବସି ଶୁଣୁଥିଲା-। ବୈରିଗଞ୍ଜନ ଗୃହିଣୀ କହିଲେ - ‘‘ମୋର ସନ୍ନ୍ୟାସିନୀ ମା’କୁ ସଙ୍ଗରେ ନେଇଯିବିୟ- ।’’ ଏହା କହି ସେଠାରୁ ଉଠିଯାଇ ଲାଲଣ୍ୟର ଚିବୁକ ଧରି କହିଲେ, ‘‘ମା, ତୁ ମୋର ଆର ଜନ୍ମରେ ମା ଥିଲୁ; ଏ ଜନ୍ମରେ ମୋତେ ପୁତ୍ର ଦାନକଲୁ । ଅକାତସମୁଦ୍ରରେ ମୋର ଜାହାଜ ବୁଡୁଥିଲା, ତୁ ତାକୁ ଉଦ୍ଧାର କଲୁ ମା । ଦଇବ ଘଟସୂତ୍ରକୁ- ମୋ ଭାଗ୍ୟବଳକୁ ତୁ ଆସିଥିଲୁ ମା । ତୋତେ ମୁଁ ସାଙ୍ଗରେ ନ ନେଇ ଫେରିବି ନାହିଁ ।’’ ବୈରିଗଞ୍ଜନ କହିଲେ - ଦଖେଁ ଭଲା ମା, ତୋର ଏ ବୁଢାପୁଅକୁ ଛାଡ଼ି ତୁ କୁଆଡ଼େ ଯିବୁ । ସହଜରେ ନଗଲେ ମୁଣ୍ଡରେ ବସାଇ ଟେକି ନେଇଯିବି ।’’ ପିତାମାତାଙ୍କର ଏ ବ୍ୟାକୁଳତା ଗଜେନ୍ଦ୍ର ସମ୍ଭାଳିପାରିଲା ନାହିଁ, ସେ ଉଠି ପଡି କହିଲା - ‘‘ଆସ ଲାବଣ୍ୟ, ବାବାମା’ଙ୍କୁ ଦଣ୍ଡବତ କରିବା ।’’ ଲାବଣ୍ୟ ଉଠି ଆସିଲା, ପୁତ୍ର ପୁତ୍ରବଧୂ ଦୁହେଁ ଯାଇ ବୃଦ୍ଧବୃଦ୍ଧାଙ୍କ ଚରଣରେଣୁ ମସ୍ତକରେ ଗ୍ରହଣ କଲେ । ବୃଦ୍ଧବୃଦ୍ଧା ନିର୍ବାକ ବିସ୍ମୟରେ ପୁତ୍ରର ମୁଖକୁ ଚାହିଁ ରହିଲେ । ଗଜେନ୍ଦ୍ର ମୁହଁ ତଳକୁ ପୋତି ସଲଜ୍ଜ ମୃଦୁ ହାସରେ କହିଲା, ‘‘କି ମା, ଚିହ୍ନିପାରୁ ନାହୁଁ ? ସେ ତୋ ବୋହୂ ପରା । ସେ ମନା କରିଥିବାରୁ ମୁଁ ତୋତେ କହିନାହିଁ । ଆଜି ତୋର ଆତୁରତା ଦେଖି ଆଉ ସହି ନପାରି କହି ପକାଇଲି ।’’ ସ୍ୱାମୀଙ୍କର ଏ ଉକ୍ତିରେ ଲାବଣ୍ୟର ମୁଖ ପାଣ୍ଡୁର ହୋଇଗଲା, ସେ ମଧ୍ୟ ଲଜ୍ଜାରେ ଅଧୋବଦନ ହୋଇରହିଲା । ବୃଦ୍ଧା ବୋହୂକୁ କୁଣ୍ଢାଇ ପକାଇ କହିଲେ - ‘‘ମା, ତୋର ଏବେଶ, ଏହାଦେଖି ମୋର ଛାତି ଫାଟିଯାଉନାହିଁ । ଆଖି ଫୁଟିଯାଉ ନାହିଁ । ଧିକ୍ ମୋତେ ମୋହରି ଲାଗି ତୋର ଏ କାଙ୍ଗାଳୁଣୀ ବେଶ ମା ।’’ ବୃଦ୍ଧା ଆଉ କହିପାରିଲେ ନାହିଁ, ଦାରୁଣ ଅନୁଶୋଚନା ତାଙ୍କର କଣ୍ଠରୋଧ କରିଦେଲା । ସେ ଭୋ ଭୋ କରି କାନ୍ଦିପକାଇଲେ । ସହଧର୍ମିଣୀଙ୍କୁ କାନ୍ଦିବାର ଦେଖି ବୈରିଗଞ୍ଜନଙ୍କର ଅଶ୍ରୁଝର ମୁକୁଳା ହୋଇଗଲା-। ଗଜେନ୍ଦ୍ର ଏବଂ ଲାବଣ୍ୟର ନେତ୍ର ମଧ୍ୟ ଶୁଷ୍କ ରହିଲା ନାହିଁ । ଅଶ୍ରୁରେ ବିଚ୍ଛେଦ ଘଟିଥିଲା, ପୁଣି ଅଶ୍ରୁରେ ମିଳନ ହେଲା । ବୃଦ୍ଧା ଲାବଣ୍ୟକୁ କୋଳରେ ବସାଇ ନିଜ ଦେହରୁ ଅଳଙ୍କାର ବାହାର କରି ତାକୁ ପିନ୍ଧାଇ ଦେଲେ । ଲାବଣ୍ୟ ଆଉଥରେ ଶାଶୂଶଶୁରଙ୍କୁ ଦଣ୍ଡବତ କଲା-। ସେମାନେ ଉପଯୁକ୍ତ ଆଶୀର୍ବାଦଦ୍ୱାରା ବଧୂକୁ ଆପ୍ୟାୟିତ କଲେ । ବୃଦ୍ଧା କହିଲେ - ‘‘ମା, ରାଗବଶରେ ତୋତେ ପାହାରେ ପିଟିଦେଇଥିଲି, ସେହି ସନ୍ତାପ ମୋ କଲିଜାରେ ଯେଉଁ ଚେଙ୍କା ବସାଇ ଦେଇଛି ସେ ଘା ଶୁଖିବ ନାହିଁ, କି ତାହାର ଜଳାପୋଡା ବନ୍ଦ ହେବ ନାହିଁ । ମାଟି, ପବନ, ଗଛ, ପତ୍ର ସମସ୍ତେ ମୋତେ ଧିକ୍କାର କରୁଅଛନ୍ତି । ତୁ ମୋର ଝିଅ, ମାର ଅପରାଧ ଘେନିବୁ ନାହିଁ, ତୋ’ପରି ଦେବୀ ବଧୂ ପାଇ ମୋର ବଂଶ ପବିତ୍ର ହେଲା ।’’ ବୃଦ୍ଧ କହିଲେ - ‘‘ମୁଁ ମଧ୍ୟ ସାମାନ୍ୟ ପାପୀ ନୁହେଁ ମା । ପାଞ୍ଚମାଣ ଜମି ଲାଗି ମୁଁ ତୋତେ ତ୍ୟାଗ କରିଥିଲି, ତୁ ଆଜି ମୋତେ ପାଞ୍ଚ କୋଟି ଟଙ୍କା ଦେଲୁ । ତୋର ବିନ୍ଦୁଏ ରକ୍ତର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ । ତୁ ସତୀ, ପତି ଲାଗି ବାରମ୍ବାର ନିଜ ପ୍ରାଣକୁ ବିପନ୍ନ କଲୁ । ତୋହରି ଧର୍ମ ତୋତେ ରକ୍ଷାକରି ମୋର ବଂଶ ରକ୍ଷାକଲା । ତୁ ଦେହରୁ ରକ୍ତଦାନ କରି ପତିର ପ୍ରାଣ ରକ୍ଷାକଲୁ । ତୋହର ଏହି ଅଦ୍ଭୁତ କରଣୀ ତୋତେ ଅମର କରି ରଖିବ । ସତୀ ସ୍ତ୍ରୀମାନେ ତୋର ଚରଣଧୂଳି ମସ୍ତକରେ ବୋଳିହେବାକୁ ଲାଳାୟିତ ହେବେ, ଆଉ ଅଧିକ କଅଣ କହିବି, ଏ ନିର୍ବୋଧ ବୃଦ୍ଧର ଅପରାଧ ତୁ ନିଜଗୁଣରେ ମାର୍ଜନା କରିବୁ ।’’ ଲାବଣ୍ୟ ଏହା ଶୁଣି ଅତିବ୍ୟଥିତ ହୋଇ କହିଲା, ‘‘କାହାରି ଦୋଷ ନାହିଁ ବାବା, ସବୁ ନିୟତିର ଖେଳ । ଯାହା ହେବାର ଥିଲା, ତାହା ହୋଇଗଲା, ସେଥିପାଇଁ ସନ୍ତାପି ହେବା ଅକାରଣ । ମୁଁ ସବୁ ଭୁଲି ଯାଇଛି, ତୁମ୍ଭେମାନେ ସେହିପରି ଭୁଲିଯାଅ । ତୁମ୍ଭେମାନେ ଗୁରୁଜନ ହୋଇ ମୋ ପାଖରେ ଲଘୁତା ପ୍ରକାଶ କଲେ ମୋର ମଙ୍ଗଳ ହେବ ନାହିଁ । ବୃଦ୍ଧ ଏହାଶୁଣି ବୋହୂ ମୁଣ୍ଡରେ ହାତ ଦେଇ ଆଶୀର୍ବାଦ କଲେ-। ସେ ପୁରୀରେ କେତେଦିନ ରହି ବଡ଼ଦେଉଳ ନୀଳଚକ୍ରରେ ଷାଠିଏ ହାତ ନେତ ବାନ୍ଧି ଏବଂ ଜଗନ୍ନାଥଙ୍କ ପାଇଁ ଭୋଗ ଖଞ୍ଜି ଭାର୍ଯ୍ୟା ଏବଂ ପୁଅବୋହୂଙ୍କୁ ସଙ୍ଗରେ ଘେନି ମହାନନ୍ଦରେ ଗୃହକୁ ପ୍ରସ୍ଥାନ କଲେ ।