ତୃତୀୟ ସର୍ଗ — ପଦ୍ମିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ଆନନ୍ଦ ବିରାଜୁଅଛି ଚିତୋର ନଗରେ,ଉଡ଼ୁଛି ବିଜୟବାନା ପ୍ରାସାଦ-ଶିଖରେ ।ପରାଭବ ଲାଭକରି ନିକଟେ ଗୁର୍ଜ୍ଜର,ପ୍ରଭାବ ବଢ଼ାଇଅଛି ଚିତୋର ଦୁର୍ଗର ।ନିପଟେ ବସିବ ଏକ ଉଚ୍ଚ ଦରବାର,ଯୋଗାଡ଼ ହେଉଛି ତାର ସକଳ ସମ୍ଭାର ।ଯାହାର ଯେପରି ଅଛି ସୁପୁରୁଷକାର,ମିଳିବ ତାହାକୁ ସେହିପରି ପୁରସ୍କାର ।ନବ ନବ ପରିଚ୍ଛଦ ସମସ୍ତଙ୍କ ପାଇଁ ,ନାନାବିଧ ବସନରେ ହେଉଛି ସିଲାଇ ।ସୁମାର୍ଜ୍ଜିତ ହେଉଅଛି ରତ୍ନସିଂହାସନ,ବ୍ୟସ୍ତ ରହିଛନ୍ତ ତହିଁ ରତ୍ନଶିଳ୍ପିଗଣ ।ରତ୍ନମୟ ଛତ୍ର, ରତ୍ନଦଣ୍ଡ ମନୋହର,ରତନଖଚିତ ସ୍ୱର୍ଣ୍ଣ ମୁଷ୍ଟିକ ଚାମର ।ସ୍ୱର୍ଣ୍ଣମୟ ଶରାସନ ଶର କରବାଳ,ମୁଦ୍ଗର ପରିଘ ଛୁରୀ ଢାଲ ଭିନ୍ଦିପାଳ ।ଯାହା ଯାହା ମୁଷ୍ଟି ଅଛି ସୁବର୍ଣ୍ଣ ଜଡ଼ିତ,ଯହିଁ ଯହିଁ ହୋଇଅଛି ରତନ ଖଚିତ ।କରାଯାଉଅଛି ସବୁ ମାର୍ଜନେ ଉଜ୍ଜ୍ୱଳ,ଭିନ୍ନ ହେଉଅଛି ଖୋଲୁଁ ଜୀର୍ଣ୍ଣ ମଖମଲ ।ଲାଗିଛନ୍ତି ପୁଣି ରାଜଦରବାରୀ ଦଳ,ସାଜିବାରେ ନିଜ ନିଜ ପୋଷାକ ସକଳ ।ନାହିଁ ତହିଁ ଧନବଳ ଅଭାବ ବିଚାର,ପୋଷାକେ ଯେମନ୍ତ ହେବ ପ୍ରଭାବ ପ୍ରଚାର ।ସହସ୍ର ସହସ୍ର ବାଜୀ ଶତ ଶତ ଗଜ,ସମସ୍ତଙ୍କ ବାସଭୂଷା ହେଉଅଛି ସଜ ।ତୁନ୍ନବାୟଗଣ୧ ଲାଗିଅଛନ୍ତି ସୀବନେ,ଅଙ୍ଗୁଳିତ୍ର ସୂଚୀ କରେ ପ୍ରହୃଷ୍ଟ ଜୀବନେ ।ପ୍ରବୀଣଙ୍କ ସଙ୍ଗେ ବସି ନବୀନ ବାଳକ,ସୂଚୀ ଧରି ହେଉଅଛି ସ୍ୱହସ୍ତ ଚାଳକ ।ଦୁର୍ଗବାସୀ ସମସ୍ତଙ୍କ ହୃଦୟ ସଂପ୍ରୀତ,ସମୁଲ୍ଲାସେ ଉଠୁଅଛି ବିଜୟ-ସଙ୍ଗୀତ ।କେତେ ଲୋକ ଗାଉଛନ୍ତି ତାହା ମନେ ମନେକେତେ ଅବା ଗାଉଛନ୍ତି ଅସ୍ଫୁଟ ବଚନେ ।କେହି କେହି ଗାଉଛନ୍ତି ଟେକି ଉଚ୍ଚସ୍ୱର,ତୋଷ ତାଙ୍କ ହେଉଅଛି ଅନ୍ୟ ତୋଷକର ।ବାଳକବାଳିକାଗଣ ତା’ ଅନୁକରଣେ,ସେ ଗୀତକୁ ଗାଉଛନ୍ତି ନିଜର ବଚନେ ।ଶିଶୁଙ୍କ ବଦନ ଗୀତ ମଧୁମୟ ପଦ,ହେଉଛି ଅଧିକତର ପ୍ରାଣପ୍ରୀତିପଦ ।ଆନନ୍ଦର କଲ୍ଲୋଳରେ ସମସ୍ତ ନଗର,ବାଟ ଘାଟ ହାଟ ସହ ହେଉଛି ମୁଖର ।ବସିଛନ୍ତି ଭୀମ ସିଂହ ସ୍ୱକାର୍ଯ୍ୟ ସଦନେ,ଗୁର୍ଜ୍ଜର-ବିଜୟାନନ୍ଦ ପ୍ରଫୁଲ୍ଲ ବଦନେ ।ଦେଖୁଥିଲେ ଲିପିଶିଲ୍ପ ଉପହାରମାନ,କବିମାନେ କରିଥିଲେ ତାଙ୍କୁ ଯା’ ପ୍ରଦାନ ।
ବର୍ଣ୍ଣିଥିଲେ ଗୁଜୁରାଟ ରଣର ବିଷୟ,
ଯେଉଁରୂପେ ହୋଇଥିଲା ରାଣାଙ୍କ ବିଜୟ ।
ରଚନାରେ ଅଛି କିନା ପ୍ରକୃତ ଘଟନା,
ମିଶିଅଛି ଅବା ତହିଁ ଅନୃତ୨ ରଚନା ।
ବାଣୀପୀଠେ କେଉଁପରି କା’ ପୁରଶ୍ଚରଣ,
ହୋଇଅଛି ଭାରତୀଙ୍କ କି ପୁରସ୍କରଣ ।
ହୋଇଅଛି ଯେଉଁ ଭାବ ଭାଷା ବିରଚିତ,
ଉତ୍ତଜିତ ହୁଏ କିନା ତହିଁ ବୀରଚିତ୍ତ ।
ଏ ସମୟେ ଦ୍ୱାରେ ଉଭା ହୋଇ ଦ୍ୱାରପାଳ
ଜଣାଇଲା ଯୁଗ୍ମକରେ ଲଗାଇ କପାଳ-
‘‘ମହାରାଜ, ଆସିଅଛି ଦିଲ୍ଲୀପତି ଚାର,
ସଙ୍ଗେ ଘେନି ଉପହାର ଲେଖ୍ୟ ସମାଚାର ।
ଆସିଅଛି ଆଉ ଏକ କଷାୟବସନା,
ବେଶେ ସନ୍ନ୍ୟାସିନୀ କିନ୍ତୁ ରଞ୍ଜିତଦଶନା ।’’
ରାଣା ଆଜ୍ଞା ଦେଲେ ତାଙ୍କୁ ଆଣ ଯା’ ସତ୍ୱର
ଦେଖିବା କି ଉପହାର କେମନ୍ତ ପତର ।
‘ଯେ ଆଜ୍ଞା’ ଉଚ୍ଚାରି ହସି ଦେଖାଇ ସମ୍ମାନ,
ଲଉଟି ଚାରକୁ ନେଲା ରାଜ-ସନ୍ନିଧାନ ।
ଚାର ସଙ୍ଗେ ଗଲା ଜଣେ ମଞ୍ଜୁଷାଏ ବହି,
ସନ୍ନ୍ୟାସିନୀ ଗଲା ତାଙ୍କ ପଛେ ଦୂରେ ରହି ।
ଉପଗତ ହେଲେ ଯାଇ ମଣ୍ଡପ ଦୁଆରେ,
ଚାର ବିନା ଅନ୍ୟ ଦୁହେଁ ରହିଲେ ବାହାରେ ।
ଚାର ନେଇ ମଞ୍ଜୁଷାକୁ ଭୀମ ସନ୍ନିଧାନେ,
ପତ୍ର ସହ ଥୋଇଦେଲା ବନ୍ଦି ସବିଧାନେ ।
ପତ୍ର ଘେନିଥିଲା ପଟ୍ଟବାସ ଆବରଣ,
ଥିଲା ଯହିଁ ସ୍ୱର୍ଣ୍ଣଲତା ପୁଷ୍ପ ଆଭରଣ ।
ସୁବର୍ଣ୍ଣଥାଳିରେ ତାର ଥିଲା ଅଧିଷ୍ଠାନ,
ଥାଳି ଅଙ୍ଗେ ଲାଗିଥିଲା ମଣିରତ୍ନମାନ ।
ବିଚିତ୍ର ବସନେ ଥିଲା ମଞ୍ଜୁଷା ଆବୃତ,
କଞ୍ଚିକା ଗୋଟିଏ ଥିଲା ତାର ସହକୃତ ।
ପାଠକଳେ ଭୀମସିଂହ ପତ୍ର ନେଇ କରେ,
ଫିଟାଇ ଦେଖିଲେ ଯାହା ଥିଲା ସିନ୍ଦୁକରେ ।
ଚାରକୁ ବୋଇଲେ ଯାଅ ଅତିଥି ନିବାସେ,
ରହିବ ଉତ୍ତର ଆମ୍ଭ ନେବାର ସକାଶେ ।
ଚାର ସଞ୍ଚା ଦେବା ପାଇଁ ଭୃତ୍ୟକୁ ଆଦେଶ
ଦେଇ, ପୁଣି ପତ୍ରେ କଲେ ନୟନ ଆଦେଶ ।
ଏ ସମୟେ ଆଗେ ଉଭା ହୋଇ ସନ୍ନ୍ୟାସିନୀ,
ମନ୍ଦ୍ରସ୍ୱରେ ହେଲା ଜୟ ଶଙ୍କର ଭାଷିଣୀ ।
ପଚାରନ୍ତେ କାହିଁ ପାଇଁ ତାଙ୍କ ଆଗମନ,
ବୋଇଲା କରୁଛୁ ଆମ୍ଭେ ଅବନୀ ଭ୍ରମଣ ।
ଯେଉଁଠାରେ ଦେଖୁ ଶୁଦ୍ଧ ଶଙ୍କରଭକତ,
ହୋଇଥାଉଁ ତାଙ୍କ ପୂତ ପୁରେ ଅଭ୍ୟାଗତ ।
ଏକ ଦୁଇ ଦିନ ଥାଉଁ ଦେଖିଲେ ଆଦର,
ନତୁବା ତୁରନ୍ତ ଚାଲିଯାଉଁ ସ୍ଥଳାନ୍ତର ।
ଅଧୁନା କରୁଛିଁ ରାଜସ୍ଥାନ ବିଚରଣ,
ଶଙ୍କର ଆଶିଷ କରି କରି ବିତରଣ ।
ବଚନେ ବଚନେ ତାର ଥାଏ ମୃଦୁହାସ,
ତହିଁ ଫୁଟିପଡ଼ୁଥାଏ ଔଦାର୍ଯ୍ୟ ଆଭାସ ।
ଭୀମ ସିଂହ କରି ତାର ଓଷ୍ଠ ପରୀକ୍ଷଣ,
କଲେ ଅତି ସୂକ୍ଷ୍ମ ଲୋମରାଜି ନିରୀକ୍ଷଣ ।
ପ୍ରକୃତ ସେ ନାରୀ ବୋଲି ହେବାରୁ ବିଶ୍ୱାସ,
ସତ୍ୱରେ ପଠାଇଦେଲେ ପଦ୍ମିନୀଙ୍କ ପାଶ ।
ନିଜେ କଲେ ପତ୍ରିକାର କଥା ଆଲୋଚନା,
କେଉଁପରି ହୋଇଅଛି କୌଶଳ ରଚନା-
‘ଲେଖିଛି ଯବନ କରି ସୁହୃଦ ବିଚାର,
ପଠାଇଛି ମୋହଠାକୁ ପ୍ରୀତି ଉପଚାର ।
କରିଛି ଆହ୍ୱାନ ସଙ୍ଗେ ଘେନି ପରିବାର,
ପାଇବି ତା ପୁରେ ଯାଇ ବାନ୍ଧବ ସତ୍କାର ।
ମୋ ଉନ୍ନତି ପଥେ ସଦା ହେବ ସେ ସହାୟ,
ମୋଠାରୁ ପାଇବ ତାର ଶ୍ରୀବୃଦ୍ଧି ଉପାୟ ।
ପୂରିଛି ଯବନ ହୃଦେ ଆର୍ଯ୍ୟ-ଦ୍ୱେଷାନଳ,
ହଠାତ୍ କିପରି ହେଲା ଏମନ୍ତ ଶୀତଳ ?
ଅଦ୍ଭୁତ ତା’ ହୃଦୟର ଏ ପରିବର୍ତ୍ତନ,
ଚାହିଁ ହୃଦେ ହେଉଅଛି ସଂଶୟ ନର୍ତ୍ତନ ।
ମୋଠାରେ ତ ମିବାରର ନାହିଁ ରାଜପଣ,
ଏତେ ସମାଦରେ କିମ୍ପା ମୋତେ ନିମନ୍ତ୍ରଣ ।
ଯଦିବା ସେ ଶୁଣୁଥିବ ମୋହର କ୍ଷମତା,
ପରିବାର ପ୍ରତି ମୋର କିମ୍ୱା ତା’ ମମତା?
କିପରି କରିବ ସେ ମୋ ଶ୍ରୀବୃଦ୍ଧିସାଧନ,
କେଉଁଠାରୁ ଦେବ ମୋତେ ରାଜ୍ୟର ସାଧନ ।
ଯାହା ଅଛି ତାହା ସୁଦ୍ଧା ନୁହେ ତ ତାହାର,
ଆର୍ଯ୍ୟରାଜ୍ୟ କରିଅଛି ବଳେ ଅଧିକାର ।
କେମନ୍ତେ ମୁଁ ଦେବି ତାକୁ ସମୃଦ୍ଧିର ବାଟ,
ଆର୍ଯ୍ୟଲକ୍ଷ୍ମୀ ଶିରେ ଚଢ଼ି କରିବାକୁ ନାଟ ।
ପରନାରୀ ପରବିତ୍ତ ହରଣ ଯା’ ବ୍ରତ,
ସେ କି ହେବ ପରହିତ ଆଚରଣେ ରତ ?
ଅଙ୍ଗାର ପାଲଟିଯିବ ଦିନକରେ ଖଡ଼ି,
ଯାବନୀ ଚାତୁରୀ ପାଠ ଭୀମ ଅଛି ପଢ଼ି ।
ଭଲ ଥରେ ବୁଝିନିଏଁ ଲକ୍ଷ୍ମଣଙ୍କ ମତ,
ସଚିବ ସକଳ ଅବା କହିବେ କେମନ୍ତ ?’
ଏହିରୂପେ ଭୀମ ସିଂହ ଭାବି ମନେ ମନେ,
ଉପଗତ ହେଲେ ଯାଇ ଲକ୍ଷ୍ମଣ ସଦନେ ।
ଦେଖାଇଲେ ତାଙ୍କୁ ପତ୍ର ସହିତ ଭୂଷଣ,
ବୋଇଲେ, ‘‘ଏ ଯବନର ନବ ନିମନ୍ତ୍ରଣ ।
ଦିଲ୍ଲୀରୁ ଆସିଛି ଏହା ଘେନି ଏକ ଚାର,
କର ବାବା, ଏଥିପ୍ରତି ବିହିତ ବିଚାର ।’’
ପତ୍ର ପଢ଼ି କାକା ମୁଖ ଅନାଇ ଲକ୍ଷ୍ମଣ,
ବୋଇଲେ, ‘‘ଏ ଅଦ୍ଭୁତ ରହସ୍ୟ ଲକ୍ଷଣ ।
ଶତ୍ରୁ ବୋଲି ଯା’ କୁ ଆମ୍ଭ ମଣୁଅଛି ମନ,
କେମନ୍ତେ କରିବା ତାର ପୁରକୁ ଗମନ ?
କରିଅଛୁଁ ଆମ୍ଭେ ତାର କେଉଁ ଉପକାର,
କି ପ୍ରୀତିରେ ପଠାଇଛି ଏହି ଉପହାର ?
ଏକ ଅଛି ପୁରୁଷର ମସ୍ତକଭୂଷଣ,
ଅନ୍ୟ ଭୂଷା ପତିବ୍ରତା ହୃଦୟ ଦୂଷଣ ।
ମସ୍ତକେ ଶୋଭିବ ଆମ୍ଭ ଯବନର ଦାନ,
ତା’ ପ୍ରୀତି ପାଇବ ରାଣୀ ହୃଦୟରେ ସ୍ଥାନ ।
ମଣିଛି ଆମ୍ଭଙ୍କୁ ତାର ସାମନ୍ତ ସମାନ,
କି ବୋଲନ୍ତି କାକା ଏ ତ ଘୋର ଅପମାନ ।’’
ଭୀମ ସିଂହ ବୋଇଲେ, ‘‘ଏ କଳି ସୂତ୍ରପାତ,
ଭାବୁଛିଁ ଏଥିରୁ ନିଶ୍ଚେ ଦ୍ୱନ୍ଦ୍ୱ ହେବ ଜାତ ।
ପଚାରୁଁ କି ବୋଲୁଛନ୍ତି ସଚିବମଣ୍ଡଳ,
ନ ଥିବ ପଛକୁ ନିନ୍ଦା ଉଠିଲେ କନ୍ଦଳ ।’’
ପରଦିନ ସମାହୂତ ହେଲେ ମନ୍ତ୍ରିଗଣ,
ପ୍ରକାଶିତ ହେଲା ତହିଁ ସର୍ବ ବିବରଣ ।
ମନ୍ତ୍ରିବୃନ୍ଦ ପ୍ରକାଶିଲେ ହୋଇ ଏକମତ
ଆର୍ଜବ, କୂଟତା ଆଗେ ହେଉଁ ଅବଗତ ।
ଉପହାର ଦ୍ରବ୍ୟମାନ ରାଜକୋଷେ ଥାଉ,
ଉତ୍ତର ଗୋଟିଏ ଘେନି ଚାର ଫେରିଯାଉ ।
ଲେଖାଯାଉ ଦିଲ୍ଲୀଶଙ୍କ ପ୍ରୀତି ଉପହାର,
କରିଛି ରାଣୀଙ୍କ ହୃଦେ ସମ୍ପ୍ରୀତି ସଞ୍ଚାର ।
କୁଳାଚାର ଘେନି କ୍ଷତ୍ରକୁଳବଧୂଗଣ,
ଲେଉଟି ଦେଖନ୍ତି ନାହିଁ ଜନକ ପ୍ରାଙ୍ଗଣ ।
ନ ଥିଲେ ବିଶେଷ ବିଧି ଅଲଂଘ୍ୟ କାରଣ,
ନ କରନ୍ତି ଅନ୍ତଃପୁରୁ ଚରଣଚାରଣ ।
ଦିଲ୍ଲୀ ଆଉ ମିବାରର ସୀମା ମଧ୍ୟଦେଶ,
ତହିଁ ହେବ ଉଭୟଙ୍କ ଶିବିର ନିବେଶ ।
ସେ ଶିବିରେ ଦିଲ୍ଲୀପତି ମିବାର ଭୂପତି,
ସମାନ ସମ୍ମାନ ରଖି ପରସ୍ପର ପ୍ରତି,
କରିବେ ଯଦ୍ୟପି ହେବ ସୁସାକ୍ଷାତ୍କାର,
ଥିବ ଯଦି ଥିବ ଉଭ ଅଙ୍ଗେ ତରବାର ।
ତା’ ନ ହେଲେ ଉପହାର ହେବ ବିନିମୟ,
ପଶ୍ଚାତ ସାକ୍ଷାତ ଦେଖି ଉଚିତ ସମୟ ।
ତହିଁରେ ସମ୍ମତି ହେଲା ରାଣା ଦୁହିଁଙ୍କର,
ସେହି ମର୍ମ୍ମେ ଲେଖାଗଲା ଉତ୍ତର-ପତର ।
ପତର ସହିତ ପାଇ ଯୋଗ୍ୟ ପୁରସ୍କାର,
ଚିତୋର ଭୂପତି ପୁରୁ ବାହୁଡ଼ିଲା ଚାର ।
ସନ୍ନ୍ୟାସିନୀ ଆସି ଏଣେ ରାଣାଙ୍କ ନବରେ,
ଉଲ୍ଲସିଲା ପ୍ରାଣ ‘ଜୟ ଶଙ୍କର’ ରବରେ ।
ବସାଇ ପଦ୍ମିନୀ ତାକୁ ଶ୍ରଦ୍ଧା ସମାଦରେ,
ସମ୍ପାଦିଲେ ତୋଷ ତାର ସଙ୍ଗେ ସମ୍ୱାଦରେ ।
ମଧ୍ୟେ ମଧ୍ୟେ ଭାଷି ଜୟ ଶଙ୍କର ଶଙ୍କର
ସନ୍ନ୍ୟାସିନୀ କହୁଥାଏ ବାକ୍ୟ ତୋଷକର ।
ବାକ୍ୟେ ତା’ ନ ଥାଏ ଲୋଭ ଥାଏ ପ୍ରଲୋଭନ,
କଳୁଥାଏ ଅନ୍ତଃ ଆଉ ବାହ୍ୟର ଶୋଭନ ।
ସେ ଦିବସ କରି ଦେବ ଆରାଧନା ଛଳ,
ଅଳପ ଆଳାପ ପରେ ଚଳିଲା ଚଞ୍ଚଳ ।
ପଦ୍ମିନୀଙ୍କ ଅନୁରୋଧେ ବୋଇଲା ନିଶ୍ଚୟ,
କାଲି ଆସି କହିବି ମୋ ବିଷୟ ନିଚୟ ।
ଅନ୍ୟ ଦିନ ଆସି ପୁଣି ହୋଇ ଉପଗତ,
ଜଳପିଲା କଳ୍ନି ନିଜ ବୃତ୍ତାନ୍ତ ଯାବତ ।
ସଂକ୍ଷେପରେ କହି କେତେ ତୀର୍ଥର ମହିମା
ବିସ୍ତାରିତ କଲା ଏକ ଯମୁନା ଗରିମା ।
ବୋଇଲା, ‘‘ଯମୁନା ଗ୍ରହରାଜଙ୍କ ତନୁଜା,
ପାତକନାଶିନୀ ଧର୍ମରାଜଙ୍କ ଅନୁଜା ।
ସ୍ୱର୍ଗଧାମୁଁ ଅବତରି ଆସୁଛନ୍ତି ବହି,
ଅମୃତର ଧାରାରୂପେ ପବିତ୍ରତାମୟୀ ।
କୃଷ୍ଣବେଣୀ ବିଶୋଭିତ ବିନତବଦନେ,
ଢାଳନ୍ତି ଅମୃତ ନିଜ ଭକତ ସଦନେ ।
ଗ୍ରହଗଣ ତାରାଗଣ ଛାୟାତନୁ ବହି
ଯମୁନା ଚରଣତଳେ ନିତି ଥାନ୍ତି ରହି ।
ତରଙ୍ଗପଟଳ ତାଙ୍କ ସ୍ୱର୍ଗର ସୋପାନ,
ଝଟକିଉଠୁଛି ତହିଁ ହୀରାନୀଳାମାନ ।
ପୁଣ୍ୟେ ଭାସି ଲୋଟି ତହିଁ ଭକ୍ତଗଣ,
କରିଥାନ୍ତି ସ୍ୱର୍ଗସୁଖ ଲୁଟି ଆହରଣ ।
ଯମୁନା-ଚରଣାମୃତ ମସ୍ତକେ ଧାରଣ,
ନ କଲେ ମାନବ ଜନ୍ମଲାଭ ଅକାରଣ ।
ଯହିଁରେ ଯମୁନା ସର୍ବତୀର୍ଥ ମଧ୍ୟେ ସାର,
ବିଷ୍ଣୁ ତହିଁ ନେଇଥିଲେ କୃଷ୍ଣ ଅବତାର ।
ତାଙ୍କୁ ସେବି କରେ ଯେହୁ ତାଙ୍କ ତଟେ ବାସ,
ହୁଏ ତାର ଶତଜନ୍ମ କଳ୍ମଷ ବିନାଶ ।
ଭାଇ ବନ୍ଧୁ ପରିବାର କରି ପରିହାର,
ପବିତ୍ର ପୁଳିନେ ତାଙ୍କ କରେଁ ମୁଁ ବିହାର ।
ଯମୁନା ପ୍ରସାଦ ସର୍ବ ସମ୍ପଦର ଖଣି,
ତାହା ଲଭି ଧନରତ୍ନ ଥାଏ ତୁଚ୍ଛ ମଣି ।’’
ପଦ୍ମିନୀ ବୋଇଲେ ତୀର୍ଥ ପୁରୁଷଙ୍କ ପାଇଁ,
ପତି ସେବି ନାରୀ ଥାଏଁ ଚର୍ତୁବର୍ଗ ପାଇ ।
ପଣ୍ଡାମାନେ ତୀର୍ଥଭୂମି କରି ଅଧିକାର,
ଲୋଭବଶେ କରିଥାନ୍ତି ନାନା ଅବିଚାର ।
ଶୁଣିଅଛି ଗୟାକ୍ଷେତ୍ରେ କରି ଲୋଭିପଣ,
ସୀତାଙ୍କ ପଣତ କାଟିନେଲେ ପଣ୍ଡାଗଣ ।
ବିଶେଷତଃ ଆଜିକାଲି ଯବନ ବିପ୍ଲବେ,
ଉପଦ୍ରବ ହେଉଅଛି ସତୀତ୍ୱ ବିଭବେ ।
ଯେଉଁ ନାରୀ ସ୍ୱଭାବତଃ ଥାଏ ପତିବ୍ରତା,
ଜୀବନେ ତାହାର ପୂରିଥାଏ ପବିତ୍ରତା ।
ତାହା ଯୋଗୁଁ ତାହା ପିତା ଭ୍ରାତାଙ୍କର ଯଶଃ
ଉଠଇ ସ୍ୱର୍ଗକୁ ଶୁଭ୍ର କରି ବିହାୟସ ।
ପତିବ୍ରତା ହୃଦ ହୋଇ ସ୍ୱର୍ଗରୁ ଉନ୍ନତ,
ଦେବାଧିଦେବଙ୍କଠାରେ ହୁଏ ଉପଗତ ।
ପତିରେ ଭକତି ତାର ମୁକତି ସୋପାନ,
ପତି ତାର ଅଦ୍ୱିତୀୟ ଈଶ୍ୱର ସମାନ ।
ସତୀର ଚରିତ ପଡ଼ି ଶ୍ରବଣେ ଶ୍ରବଣେ,
କରଇ ପୀୟୂଷ ବୃଷ୍ଟି ଜୀବନେ ଜୀବନେ ।
ପତିବ୍ରତା ନ ଲୋଡ଼ଇ ନିଜର ଭକତ,
ନିଜେ ଥାଏ ସଦା ପତି ଭଜନେ ନିରତ ।
ଗ୍ରହତାରା ଯେ ହେଉନ୍ତୁ ବିନା ସୁଚରିତ୍ର,
ନ ପାରନ୍ତି ହୋଇ ପରେ ଆଶ୍ରୟେ ପବିତ୍ର ।
ସତୀତ୍ୱ ରତନ କିନ୍ତୁ ଶୋଭେ ଯା’ ହୃଦରେ,
ଦେବଗଣ ସଦା ତାକୁ ତୋଷିଥାନ୍ତି ବରେ ।
ଯମରାଜା ନେଇଥିଲେ ସତ୍ୟବାନ ପ୍ରାଣ,
ସତୀତ୍ୱ ପ୍ରଭାବେ କଲେ ସାବିତ୍ରୀ ଆଦାନ ।
ପତିର ଚରଣ ସତୀ ଜୀବନର ଭେଳା,
ତାହା ଘେନି ଭବ-ପୁଣ୍ୟଜଳେ ତାର ଖେଳା ।
ନ ବାଞ୍ଚ୍ଥଇ ସ୍ୱର୍ଗ ସତୀ ନ ଲୋଡ଼େ ରତନ,
ସକଳ ସମ୍ପଦ ପତିପଦେ ତା’ ଯତନ ।
ପତି-ପଦରେଣୁ କଲେ ମସ୍ତକେ ବହନ,
ସହସ୍ର ଜୀବନ ପାପ ହୁଅଇ ଦହନ ।
କୋଟିତୀର୍ଥ ଦର୍ଶନେ ଯେ ପୁଣ୍ୟ ଥାଏ ଫଳି,
ପତିପଦସେବା ପୁଣ୍ୟ ତାକୁ ଯାଏ ବଳି ।
ପତିପ୍ରୀତି ହୁଏ ଯେବେ ହୃଦୟମଣ୍ଡନ,
ସକଳ ବିପତ୍ତି ହୁଏ ଜୀବନେ ଖଣ୍ଠନ ।
ପତିପଦ ନ ସେବିଲେ ଯୁବତୀ ଅସତୀ
ଚିରକାଳ ହୁଏ ତାର ନରକେ ବସତି ।’’
ସନ୍ନ୍ୟାସିନୀ ବୋଇଲା, ‘‘ମୁଁ ହୋଇ ସନ୍ନ୍ୟାସିନୀ
ସ୍ୱାମୀପ୍ରୀତି ପାଇଁ ସିନା ଯମୁନାବାସିନୀ ।
ପ୍ରଭୁ ମୋର ଲୋକନାଥ ଯମୁନାର ତଟେ,
ଆବିର୍ଭୂତ ହୋଇଛନ୍ତି ଯମୁନା ନିକଟେ ।
ଅଭୀଷ୍ଟ ଫଳଦ ସେହି ପ୍ରଭୁଙ୍କ ଚରଣ,
ଭଜନାରେ ମଜ୍ଜି କରେଁ ସମୟହରଣ ।
ଦେଇଛନ୍ତି ପ୍ରଭୁ ମୋତେ ସ୍ୱପନେ ଆଦେଶ,
ବେଗେ ଦାସୀ ଚାଲିଯାଅ ଭୀମ ସିଂହ ଦେଶ ।
ଭୀମପତ୍ନୀ ପତିବ୍ରତା ପଦ୍ମିନୀ ସୁନ୍ଦରୀ,
କହିବୁ ନିକଟେ ତାର ମୋର ନାମ ଧରି ।
ପ୍ରବଳ ହୋଇଛି ଏବେ ଯବନ ପ୍ରଭାବ,
ହେଉଛି ପ୍ରଭୁଙ୍କ ଯୋଗ୍ୟପୂଜାର ଅଭାବ ।
ପତି ସଙ୍ଗେ ସତୀ କରି ଶୀଘ୍ର ଆଗମନ,
କରୁ ମୋର ହୃଦୟର ତାପ ପ୍ରଶମନ ।
ଯବନର ଦର୍ପ ଭୀମ ସିଂହ କରି ନାଶ,
କରୁ ତହିଁ ପଦ୍ମିନୀର ଗୌରବ ବିକାଶ ।
ଯମୁନାରେ ଅବଗାହି ଦେଲେ ମୋତେ ପାଣି
ନିଶ୍ଚୟ ପଦ୍ମିନୀ ହେବ ଭାରତ-ଇନ୍ଦ୍ରାଣୀ ।
ତା’ ନ ହେଲେ ଈଶ୍ୱରଙ୍କ ପ୍ରକୋପ ଉଦୟ,
କରିଦେବ ଏହି ରାଜ୍ୟ ବହୁ ଲୋକ କ୍ଷୟ ।
ପ୍ରଭୁଙ୍କ ଆଦେଶ ଘେନି ମନ୍ଦିରୁ ବାହାରି,
ଜଣାଇ ତୁମ୍ଭକୁ ତାହା କରୁଛି ଗୁହାରି ।
ବିଚାରି ନ କର ଯଦି ପ୍ରଭୁଙ୍କର ତୋଷ,
ତୁମ୍ଭ ଯୋଗୁଁ ହେବ ମହା ଲୋକକ୍ଷୟ ଦୋଷ ।
ନୁହେଁ ଭିଖାରିଣୀ କିଛି ନାହିଁ ମୋର ଊଣା,
ଦେଖିନିଅ ଏଥି ମୋର ପ୍ରଭୁଙ୍କ କରୁଣା ।’’
ଏହା କହି ସନ୍ନ୍ୟାସିନୀ ଝାଡ଼ିଦେଲା କର,
ଝଡ଼ିଲେ ତହିଁରୁ ମଣିମାଣିକ୍ୟନିକର ।
ଉଚ୍ଚେ କରି ଉଚ୍ଚାରଣ ଶଙ୍କର, ଶଙ୍କର,
ବୋଇଲା, ‘‘ସାଧବି, ହେଲି ମେଲାଣି ଏଥର ।’’
ଶୁଣି ସବୁ କଥା ପୁଣି ଦେଖି ଏ ଘଟନା,
କ୍ଷଣକେ ପଦ୍ମିନୀ ହୋଇଗଲେ ଛନ୍ନମନା ।
ପୁଣି କ୍ଷଣେ ସବୁକଥା ଆଲୋଚନା କରି,
ଉତ୍ତର ଆରମ୍ଭ କଲେ ଗୋଟି ଗୋଟି ସ୍ମରି-
‘‘କହୁଛ ସାଧବି, ତୁମ୍ଭେ ପ୍ରଭୁ-ଆଜ୍ଞାକ୍ରମେ
ଆସିଅଛି ନ କହିଲ କିନ୍ତୁ ତା’ ପ୍ରଥମେ ।
ପ୍ରଥମ ଦିବସ କଲ ଅଳପ ଆଳାପ,
ନ କହିଲ ଏ ଅଭୁତ ଆଦେଶ କଳାପ ।
ତା’ ପରେ କହିଲ ଯାହା ନିଜର ପ୍ରସଙ୍ଗ,
ପର କଥା ତା’ ସହିତ ହେଉ ନାହିଁ ସଙ୍ଗ ।
ତା’ ପରେ ଲାଗିଲ ରବିସୁତା ପ୍ରଶଂସାରେ,
ବୋଇଲ ଅଧମ ତୀର୍ଥ ଆଉ ଯା’ ସଂସାରେ ।
ସର୍ବଶେଷେ ଶୁଣାଉଛ ପ୍ରଭୁଙ୍କ ଆଦେଶ,
ତହିଁ ପାଇଁ ଏକା ଛାଡ଼ି ଆସିଅଛ ଦେଶ ।
କଥାରୁ ପ୍ରକାଶ ତୁମ୍ଭଠାରୁ ବଳି ସତୀ,
ହୋଇ ନ ପାରିବେ ଶିବଳାୟା ଭଗବତୀ ।
ଯେ ପ୍ରଭୁ କରିବେ କୋପେ ବହୁ ଲୋକକ୍ଷୟ,
ତୁମ୍ଭ ପାଣି ପାଇ ତୋଷ ଲଭନ୍ତେ ନିଶ୍ଚୟ ।
ତୁମ୍ଭ ସେବା ଏଡ଼ି ମୋତେ କରିବେ ଇନ୍ଦ୍ରାଣୀ,
ଏହା ତ ପ୍ରଭୁଙ୍କ ପକ୍ଷେ ଅନୁଚିତ ବାଣୀ ।
ଯବନପ୍ରତାପ ସେହୁ ନ ପାରନ୍ତି ସହି,
ତହିଁର ପ୍ରକୋପେ ଦେବେ ଅନ୍ୟଲୋକ ଦହି ।
ତୁମ୍ଭେ ନିଜେ ହେଲେ ଖଣ୍ଡା-ଖର୍ପରଧାରିଣୀ,
କ୍ଷଣକରେ ହୋଇପାର ଲୋକସଂହାରିଣୀ ।
ଭାଗ୍ୟ ଥିଲା ପାଇଗଲୁଁ ତୁମ୍ଭ ଦରଶନ,
ନ କର ଅଧିକ ଆଉ ଲୋମହରଷଣ ।
ପ୍ରଭୁ କୃପା ନିଦର୍ଶନ ରତନସକଳ,
ଆମ୍ଭ ଯୋଗ୍ୟ ନୁହେ ତାହା ଭକ୍ତଙ୍କ ସମ୍ୱଳ ।
ବିବିଧରୂପିଣୀ ଦେବି, ହେଉନ୍ତୁ ମେଲାଣି,
ଚାହିଁ ଚାହିଁ କେତେ ଆମ୍ଭ ରୋମାଞ୍ଚ ହେଲାଣି ।
କିଏ ତୁମ୍ଭେ କାହିଁ ପାଇଁ ତୁମ୍ଭ ଆଗମନ,
ନ ପାରିଲୁ ଜାଣି ହୋଇ ବିସ୍ମୟମଗନ ।
ଶୁଣି ଶୁଣି ପଦ୍ମିନୀଙ୍କ ବିଦ୍ରୂପ ବ୍ୟଞ୍ଜନା,
ହୃଦୟ ଭିତରେ ଭରି ବିଷମ ଗଞ୍ଜନା ।
ସତ୍ୱର ଚତ୍ୱର ଲଘିଂ ନବରୁ ବାହାରି,
ଚାଲିଗଲା ପଥେ ମୁଖ ନ ଚାହିଁ କାହାରି ।
ଦୁର୍ଗ ତେଜି ପଥେ ଭେଟି ସହଚର ଚାର,
ହସି ହସି କହିଗଲା ନିଜ ସମାଚାର ।
ବୋଇଲା ଚୌହାଣସୁତା ବଡ଼ ବୁଦ୍ଧିମତୀ,
ନ ପୂରିଲା ତାକୁ ମୋର ଠକିବା ଶକତି ।
ଚିତା କାଟି ଦେଇଅଛିଁ କେତେ ନରବରେ,
ପରାଜିତ ହେଲି ଆଜି ପଦ୍ମିନୀ-ନବରେ ।