ନାବକେଳି
ପ୍ରାୟ ୧୬୫୦–୧୭୧୦
- ପଢ଼ିବା ସମୟ
- ୨୧ ମିନିଟ୍
- ଶବ୍ଦ
- ୩୨୮୩
- ସ୍ଥିତି
- ସାର୍ବଜନୀନ (Public domain)
ଗୋପିଏ ବୋଇଲା ଶୁଣ ଗୋ ମିତ ।ଦିନେ ଯାହାକଲେ ଯଶୋଦା ସୁତ ।ତା ତହୁଁ ଆମ୍ଭକୁ ଆନ ନ ଦିଶେ ।କହିଲା ଲୋକର ହିଆ ଉଲୁସେ ॥
ଯେଉଁ କୃତ୍ୟକଲେ କରୁଣାସିନ୍ଧୁ ।କହିଲେ ହସିବେ ପରାଣ ବନ୍ଧୁ ।ଏକ ଦିନକରେ ସର୍ବଗୁଆଳୀ ।ରାତ୍ରହୁଁ ଉଠି ଦୀପମାନ ଜାଳି ॥
ମଥୁରା ହାଟକୁ ଯିବାର ପାଇଁ ।ଦଧିମନ୍ଥନରେ ପଶିଲୁ ଗୋଈ ।ସମୁଦ୍ର ପ୍ରାୟେ ଶୁଭେ ଦଧିମୁହାଁ ।ପକାପରେ ବୁଲେ ପଞ୍ଚଶଖୁଆ ॥
କାହିଁ ଷାଠିଏ ସତୁରୀଏ କାହିଁ ।ଶଏ ବୋଲିକରି କଳନା ନାହିଁ ।ଯା ଘରେ ଅଧିକ ହୁଏ ଗୋରସ ।ତା ଘରେ ବୁଲଇ ଖୁଆ ଦୁଇଶ ॥
ସବୁ ଗୋପୀଙ୍କର ହରଷ ଚିତ୍ତ ।ଦଧିମନ୍ଥନେ ଗାଉଛନ୍ତି ଗୀତ ।କେ ବୋଲେ କେଶବ କରୁଣା କାହ୍ନା ।କୁଞ୍ଜବିନୋଦିଆ ପଦ୍ମଲୋଚନା ॥
କେ ବୋଲେ ଖେଳାଉଛ ଦୟାନିଧି ।ଖଗ ଆସନ କରୁଣା-ବାରିଧି ।କେ ବୋଲେ ଗୋବିନ୍ଦ ଗୋକୁଳ ନାଥ ।ଗୋପ ମୋହନିଆ ଯଶୋଦାସୁତ ॥
କେ ବୋଲେ ଘଟୁଆଳ ନବରଙ୍ଗ ।ଘନଶ୍ୟାମଳିଆ ବରଜ ସଙ୍ଗ ।କେ ବୋଲେ ନାଗର ଶ୍ରୀବନମାଳୀ ।ନିଧନ ଧନିଆ ରଙ୍କଶଙ୍ଖାଳି ॥
କେ ବୋଲେ ଚନ୍ଦ୍ରମାମୁଖ ଉଜ୍ଜ୍ୱଳ ।ଚିତା ସଳଖେ କାଟିଥାଇ ଚୂଳ ।କେ ବୋଲେ ଛଇଳ ନାଗର କାହ୍ନା ।ଛନ୍ଦ ଶିରୋମଣି ଭକତଧନା ॥
କେ ବୋଲେ ଯାମଳର୍ଜ୍ଜୁନ ଭଞ୍ଜନ ।ଯୁବାସ୍ତିରୀଙ୍କର ଗରବ ଗଞ୍ଜନ ।କେ ବୋଲେ ଝଳି ଲୋଟଣି ଜୁଡ଼ା ।ଝାଡ଼ ବିନୋଦିଆ ଝିମିଟି ଖେଳା ॥
କେ ବୋଲେ ନବୀନ ନବ ସାଗରନୂଆ ମଦନିଆ ହଟ ନାଗର ।କେ ବୋଲେ ନବୀନ ନବସାଗରଟେକ ଟସକର ଲବଣୀ ଚୋର ॥
କେ ବୋଲେ ଠା ଠିକ୍ ଚାହାଣୀବଙ୍କା ।ଠଣବଦନିଆ ମୁରଲୀଫୁଙ୍କା ।କେ ବୋଲେ ଡଙ୍କକୁ ଭଲା ଗାରଡ଼ି ।ଡାକିଲେ ଯାଇଁ ଶେଷ ବିଷ ଉଡ଼ି ॥
କେ ବୋଲେ ଢଳି କହୁଥାଇ ଭାଷା ।ଢାଳେହିଁ ପୁତନା ଜୀବନ ଶୋଷା ।କେ ବୋଲେ ଅନନ୍ତ କଳପତରୁ ।ଆରତ ଭଞ୍ଜନ ଶରଣମେରୁ ॥
କେ ବୋଲେ ତାପ ଖଣ୍ଡନ ମୁରାରି ।ତ୍ରୈଲୋକ୍ୟ ସୁନ୍ଦର ଜଗଦ୍ବିହାରୀ ।କେ ବୋଲେ ସ୍ଥାଣୁ ଧ୍ୟାନଘେନା କାହ୍ନା ।ଥଣ୍ଟଚିରା ବକା ଜୀବନଘେନା ॥
କେବୋଲେ ଦୀନଦାରିଦ୍ର୍ୟ ଭଞ୍ଜନ ।ଦହି ଦୁଧଖିଆ ଦୁଃଖୀର ଧନ ।କେ ବୋଲେ ନୀପ କୁସୁମଚୂଳିଆ ।ବଂଶୀବଦନିଆ ନୀପ ମୂଳିଆ ॥
କେବୋଲେ ନିର୍ଗୁଣ ଗୁଣକବୁଝା ।ନବୀନ ସୁନ୍ଦର ତ୍ରିଭଙ୍ଗୀ ମଝି ।କେ ବୋଲ ପ୍ରଭୂପଣ ତାର ଭଲା ।ପାଣି ଘାଟୁଆଳ କେଣିକି ଗଲା ॥
କେ ବୋଲେ ଫୁଲ ବିନୋଦ କହ୍ନାଇ ।ଫୁଲାଚାଲିକି ପରିମୁଣ୍ଡା ଯାଇ ।କେ ବୋଲେ ବଂଶୀବଦନ ସୁନ୍ଦର ।ବୁଦ୍ଧି ଭୁଲିଆ ମୁରଲୀ ଅଧର ॥
କେ ବୋଲେ ଭଉଣୀ ଦୁଷ୍ଟ ଆଣ୍ଟୁଆ ।ଭେଳା ବୁଡ଼ାଣିଆ ଭେଳାଥେଣ୍ଟିଆ ।କେ ବୋଲେ ମନମୋହନିଆ ଠାଣି ।ମୋହିନୀ ଲାଗଇ ଚାହିଁଲାକ୍ଷଣି ॥
କେ ବୋଲେ ଜଗତ ଜନ ବନ୍ଦନ ।ଯୁବାବୟସିଆ ଯଦୁନନ୍ଦନ ।କେ ବୋଲେ ରସିକ ରୂପ କାଳିଆ ।ରଙ୍ଗ ଲୋଚନିଆ ଗୁଞ୍ଜମାଳିଆ ॥
କେ ବୋଲେ ଲକ୍ଷ୍ମୀପତି ବିନୋଦ ।ଲୋଭ ଛାଡ଼ି ନୁହେଁ ପରମାନନ୍ଦ ।କେ ବୋଲେ ବିବିଧରସିଆ ଗୋଟା ।ବିଷ୍ଣୁମାୟାଧର ପାବକ ଛଟା ॥
କେ ବୋଲେ ସୁନ୍ଦର ଦେବାଧିରାଜ ।ସୁଧାବଦନିଆ ଗରୁଡ଼ ଧ୍ୱଜା ॥
କେ ବୋଲେ ସୁନ୍ଦର ତ୍ରିମୁଣ୍ଡଚୁଡ଼ା ।ଶିରରେ ମୟୁରଚନ୍ଦ୍ରିକା ବେଢ଼ା ।କେ ବୋଲେ ସୃଜନ ଜଗତ କଲା ।ସନ୍ଥପଦ ବୁହା ମହିମା ଭଲା ।କେ ବୋଲେ ହରିକି ନୁହେ ଉପେକ୍ଷି ।ହିଆ ଉଲୁସଇ ହସିବା ଦେଖି ॥
କେ ବୋଲେ କ୍ଷତିଶ ପଦ୍ମଚରଣ ।କ୍ଷୁଦ୍ର କୃଷ୍ଣଦାସ ପଶେଶରଣ ।ବିବିଧ ପ୍ରକାରେ ଗାଆନ୍ତି ଗୀତ ।ସବୁ ଗୋପୀଙ୍କର ହରଷଚିତ୍ତ ॥
ଏମନ୍ତେ ସରିଲା ଦଧିମନ୍ଥନ ସଜ ।କଲେ ସବୁ ପସରାମାନ ।ଏକ ଆରକେ ଡକାଡକି ହୋଇ ।ବାହାର ହୋଇଲୁଁ ଘେନିଣଦହି ॥
ରାଧିକା ସହତେ ଯେତେକ ବାଳୀ ।ଦଧିମୁହାଁଇ ଯେ ସମସ୍ତେ ଚଳି ।ସୁବେଶ ହୋଇଣ ଚଳନ୍ତିବାମା ।ସୁନ୍ଦର ସୁଶୋଭିତ ଅନୁପମା ॥
କଟିକଙ୍କିଣୀ ବାଜେ ରୁଣଝୁଣ ।ବାହେ ବାହୁଟି ହସ୍ତରେ କଙ୍କଣ ।ଦଧିପସରା ଘେନିଣ ମୁଣ୍ଡର ।ବାହେ ଉଡ଼ୁଅଛି ପତନୀ ଫେର ॥
ସମସ୍ତେ ସୁନ୍ଦରୀ ଅପୂର୍ବରୂପ ।ନାକେ ନାକଚଣା ମୁକୁତା ଥୋପ ।ହେମର ତାଡ଼କା କର୍ଣ୍ଣରେ ଫୁଲ ।ଝଟକେ ବିଜୁଳି ଜ୍ୟୋତି ଅମୂଲ୍ୟ ॥
ଲୋଟଣୀଛନ୍ଦେ କେ କରିଛି ଖୋଷା ।ବିବିଧ କୁସୁମ ହୋଇଛି ମିଶା ।ହରିଣୀନୟନେ ଅଞ୍ଜନରଞ୍ଜେ ।ଚରଣ ନୂପୁରେ ଅଳତା ସାଜେ ॥
ଗୋପୀଏ ବୋଇଲେ ଶୁଣ ସଙ୍ଗାତ ।କହି ନ ପାରଇ ସେ ଦିନ କୃତ୍ୟ ।ଏମନ୍ତ ବେଶ ଯେ ହୋଇଣ ଗାଈ ।ଯମୁନା କୂଳରେ ମିଳିଲୁଯାଇ ॥
ଦଧିପସରାମାନ ଅଛି ମୁଣ୍ଡେ ।ରାମ ଗୋବିନ୍ଦ ବୋଲୁଥାଉଁ ତୁଣ୍ଡେ ।କହି ନପାରଇ ସେଦିନ ଛଟା ।ଦେଖିଲୁ ବଢ଼ିଅଛି ନଦୀ ଗୋଟା ॥
ପ୍ରଖର ହୋଇ ବହୁଅଛି ପାଣି ।ପୁଞ୍ଜା ପୁଞ୍ଜା ହୋଇ ଭାଷୁଛି ଫେଣୀ ।ମଟାଳିଆ ପାଣି ବହୁଛି ସଞ୍ଚେ ।ଲହଡ଼ା ମାରୁଛି ପର୍ବତ ଉଚ୍ଚେ ॥
ମହାଦାରୁମାନେ ଯାଆନ୍ତି ଭାସି ।ତଥି ଉପରେ ସର୍ପଛନ୍ତି ବସି ।ଛତ୍ର ଆକାରେ ଟେକିଛନ୍ତି ଫଣା ।ଗର୍ଜନ ଶୁଣିଲେ ହେବି ଭେଟଣା ॥
ସମୁଦ୍ରପ୍ରାୟେ ଶୁଭଇ ଚହଳ ।ଶଙ୍କୁ ସୁସମ୍ବର ଅତିଗହଳ ।ଚାହିଁ ନୁହଇ ଭୟଙ୍କର ଦିଶେ ।ଭେଳା ଭେଳା ହୋଇ କୁମ୍ଭୀର ଭାଷେ ॥
ବେନି କୂଳେ ନଦୀ ଯାଉଛି ମାଡ଼ି ।କେଉଁଠାରେ ବନ୍ଧ ପଡ଼ୁଛି ଛିଡ଼ି ।ଚାହିଁଲେ ପୁଣି ନ ଦିଶଇ କୂଳ ।ଚକ୍ରାକୃତି ହୋଇ ବୁଲୁଛି ଜଳ ॥
ନାବ କେରୁଆଳ କିଛିହିଁ ନାହିଁ ।ତାଟକା ହୋଇଲୁ ନଦୀକୁ ଚାହିଁ ।ଭରସା କରି ତ ନୁହଇ ପଶି ।କି କରିବୁ ବୋଲି ଭାଳୁଛି ବସି ॥
ଦେଖିଣ ସବୁକୁ ଲାଗିଲା ବ୍ୟଥା ।ଥୋକେ ବୋଇଲେ ଗୋ କେମନ୍ତ କଥା ।ଖରତର ସ୍ରୋତ ଯାଉଛି ବହି ।ଖରାବେଳେ କିମ୍ପା ବଢ଼ିଲା ନଈ ॥
କେହି ନ କହିଲେ ଆମ୍ଭ ଆଗର ।ଜାଣିଲେ ଘରୁ ନୁହନ୍ତି ବାହାର ।ଆମ୍ବିଳ ହେଉଛି ମୁହିଁଲା ଦହି ।କି ବୁଦ୍ଧି କରିବୁ କହ ଗୋ ସହି ॥
ପଡ଼ିଆ ହେଉଛି ରଜନୀ ଯୋଗେ ।କାହିଁ ବୁଲାଇବୁ ରାଜାଙ୍କ ଭୋଗେ ।ବିକଳ ହୋଇଣ ଯୁବତୀ ରାଶି ।ଭାଳୁଅଛୁଁ ଏକ ଠାବରେ ବସି ॥
ଏମନ୍ତ ବିଚାର କରନ୍ତେ ଏଣେ ।ନାବ ଗୋଟାଏକ ଦିଶିଲା ତେଣେ ।କୃଷ୍ଣ ବୋଲୁ ତାଙ୍କୁ ନ ଜାଣୁ କେହି ।ମାୟାରୁପେ ଛନ୍ତି କେଉଟ ହୋଇ ॥
ଅଝାଲ ଦଉଡ଼ି ବାନ୍ଧିଛି ଟାଣି ।ଦଦରା ନାବରୁ ବହୁଛି ପାଣି ।ପାକଲା ଗାମୁଛା କାନ୍ଧରେ ପଡ଼ି ।ନାବ ପୂର୍ବମଙ୍ଗ ବସିଛି ମାଡ଼ି ॥
କରେଣ ବଇଁଶୀ କଙ୍କଣ ଆଭା ।ମୟୁର ଖଲାରି ମଥାରେ ଶୋଭା ।ମୀନ ଖେଳୁଥାଏ ଅଛି ପାଖର ।ଜାଲ ପଡ଼ିଅଛି ନାବ ଭିତର ॥
ଢମାଳି କରି ଗୀତପଦେ ଗାଇ ।ସ୍ଥିରକରି ନାବ ଦେଇଛି ବାହି ।ଏତେ ହଟିଆ ଗୋ ନନ୍ଦର ବତ୍ସି ।ବୃଦ୍ଧ ରୂପ ଧରି ନାବ ବାହୁଛି ॥
ଅତି ସରପଞ୍ଚ ଖାଙ୍କର କେଶ ।ଦେଖି ନ ଯୋଗାଏ ଏମନ୍ତ ବେଶ ।ବେନି ନୟନରୁ ପେଚଡ଼ା ବହେ ।ବଙ୍କା ନୟନେ ଟେରିଆଇ ଚାହେଁ ॥
ଗୋଦଡ଼ ହୋଇଛି ଡାହାଣ ଗୋଡ଼ ।ବୁକୁରେ ପଡିଛି ପାକଲା ଥୋଡ଼ ।କଳା ଦେହ ତାର ବିସ୍ତାର ମୋଟି ।ଦାନ୍ତ ନାହିଁ ବୁଢ଼ା ପାକୁଆ ପାଟି ॥
ବଚନ କହିଲେ କୋମଳ ଭାଷେ ।ହସିଲେ ବୁଢ଼ା ପରପଞ୍ଚ ଦିଶେ ।ତାହା ଦେଖି ଆମ୍ଭେ ଉସତ ହୋଇ ।ନାବ ଆଣ ବୋଲି ଡାକିଲ ଗୋଈ ॥
ଜଣେ ଜଣେ ତୋତେ କଉଡ଼ି ।ଦେବୁଁ ପାରି କରିଦେଲେ ମଥୁରାଯିବ ॥
ଆମ୍ବିଳା ହୋଇଲା ବିକା ଗୋରସ ।ଆଉ ଘଡ଼ିରେ ସବୁ ଯିବ ନାଶ ।ସକାଳ ପ୍ରହରୁ ଅଛୁଁ ଅନାଇ ।ବେଗେ ନାବ ଆଣ କେଉଟ ଭାଇ ।ଅନେକ ପ୍ରକାରେ ଡାକିଲୁ ତାଙ୍କୁ ।କେଭେ ନ ଆସିଲା ଆମ୍ଭ ପାଖକୁ ॥
ବଦନ ଟେକି କଣିଆଇଁ ଚାହେଁ ।ଏଣିକି ବୋଇଲେ ତେଣିକି ଯାଏ ।କାଲ ଯେସନ ଥାଇ ପାଶେ ରହି ।ଡାକି ଡାକି ମଲେ ଶୁଣଇ ନାହିଁ ॥
ଆମ୍ଭେତ ଷୋଳସହସ୍ର ମୃଗାକ୍ଷୀ ।ବୟସ ଗରବେ ନ ଜାଣୁ କିଛି ।ମନେ ତାପକରି ଅତିଧିକାରେ ।ଗାଳିଦେଲୁ ତାକୁ ନାନା ପ୍ରକାରେ ॥
ପଡ଼ି ନ ମଲୁରେ ଜାଡ଼ୁଆ ଗୋଟା ।କାଲ ହୋଇଲୁ କି ଆରେ କେଉଟା ।ଡାକି ଡାକି ଆମ୍ଭେ ମରୁଛୁଁ ଏଣେ ।ସର୍ପ ଖାଉ ତୋର ବେନି ଶ୍ରବଣେ ॥
ଦଇବ ଯେମନ୍ତେ ହୋଇବ ସତ ।ବୁକୁରେ ତୋର ମାଡ଼ିବସୁ ଭୁତ ।ନାବ ମଙ୍ଗଖଣ୍ଡ ପଡ଼ିବ ଛିଡ଼ି ।ମଝି ନଈରେ ତୁ ମରିବୁ ବୁଡ଼ି ॥
ଅଝାଲ ଦଉଡ଼ି ଛିଡ଼ିଣ ଯାଉ ।ନାବ ବୁଡ଼ୁ ତୋତେ କୁମ୍ଭୀର ଖାଉ ।ଏକମୁଖ ହୋଇ ସର୍ବ ଗୁଆଳୀ ।ନାନା ପ୍ରକାରେ ଦେଉଛନ୍ତି ଗାଳି ॥
ଏମନ୍ତେ ଶ୍ରୀକୃଷ୍ଣ ତ ଲୟ କଲେ ।କେ ତୁମ୍ଭେ ବୋଲିଣ କୋପେ ବୋଇଲେ ।ଦଦରା ନାବରେ ଅଛଇ ଚଢ଼ି ।କାହିଁକି ମରୁଛ ବୋବାଳି ଛାଡ଼ି ॥
ଆମ୍ଭେତ ତୁମ୍ଭର ତରାଇ ନୋହୁ ।ମୀନ ମାରିବାକୁ ନଦୀରେ ଥାଉଁ ।ଭାତ ବରତନ ଦେଇଛ କେତେ ।କାହିଁକି ତେଜ ଲୋ କାଢ଼ୁଛ ଏତେ ॥
ଗୋପିଏ ବୋଇଲେ ତରାଇ ଭାଇ ।ଉଚିତ କଥାକୁ ଚଳୁ କିମ୍ପାଇ ।ତୋହ ଦୁଃଖମୂଲ କଉଡ଼ି ଦେବୁଁ ।ପାରି କରିଦେଲେ ମଥୁରା ଯିବୁ ॥
ପଣେ ପଣେ ଦେଲେ ଅଣ୍ଟଇ ସିନା ।କାହିଁକି ଭାବୁଛ କେଉଟ ନନା ।ତୋହ ପେଟ ଭାଇ ନଦେବୁଁ ନିକି ।ବେଗେ ପାରିକର ସର୍ବ ଗୋପୀଙ୍କି ॥
ଶ୍ରୀକୃଷ୍ଣ ବୋଇଲେ କେମନ୍ତ ଯିବ ।ଭାରା ନ ସହିବ ଦଦରା ନାବ ।ଜଣେ ଜଣେ ହୋଇ ଯାଅ ଗୋ ।ବସି ଅଧିକ ଜଳରୁ ନୁହେଁ ଭରସି ॥
ଦଇବେ ଷୋଳସସ୍ର ଗୋପନାରୀ ।ଯାନୁ ଯଉବନ ହୋଇଛି ଭାରି ।ନାବ ଭାଙ୍ଗିଗଲେ କିସି କରିବି ।ତୁମ୍ଭ ସଙ୍ଗତରେ ବୁଡ଼ି ମରିବି ॥
ତୁମ୍ଭେ ମାନେ କିଛି ନଜଣା ଅବା ।ଆମ୍ଭକଥା ଆମ୍ଭେ ମେଣ୍ଟାଇ ଥିବା ।ରାଧିକା ବୋଇଲେ ମୁଁ ଆଗ ଯିବି ।ଦଧି ଓହ୍ଲାଇ ତେଣେ କୂଳେଥିବି ॥
ନନ୍ଦ କୁମରକୁ ମୋହର ଭୟ ।ନିତି ଆସୁଥାଏ ଦେବଧିରାୟ ।ସେ ମୋର ଭଣଜା ମୁଁ ତାର ମାଇଁତାହାର ମୋହର ପଡ଼ଇ ନାହିଁ ॥
ବାଟେ ଦେଖିଣ ଓଗାଳଇ ଆଗ ।ଭଣ୍ଡ ଭାଷା କହି ମେଲାଇ ଢଗ ।ତେଣୁ କରି ମୋର କମ୍ପଇ ତନୁ ।ଏହିକ୍ଷଣି ନିକି ଅଇଲା କାହ୍ନୁ ॥
ଶ୍ରୀକୃଷ୍ଣ ବୋଇଲେ କହିଲୁ ଯେତେ ।ତୋହ କଥା ରାଧା ଲାଗଇ ମୋତେ ।ଦଇବେ ହଟିଆ ନାଗର କାହ୍ନା ।ଯୁବା ସ୍ତିରୀଙ୍କର ଜୀବନ ଘେନା ॥
ଗୁରୁ ଗଉରବ ତା ତହିଁ ନାହିଁ ।ଦୟା ଉପରୋଧ ନ କରେ ସେହି ।ଆମ୍ଭର ତାହାକୁ ଭୟ ଅପାର ।ଲୁଚି ବୁଲୁଥାଏ ତାହା ଡର ॥
ବଡ଼ ଦୁରୁଜନ ନନ୍ଦତନୟ ।ତୁମ୍ଭ ତହୁଁ ମୋର ତାହାକୁ ଭୟ ।ନାବ ଭିତରେ ଗୋ ଅଛଇ ବସି ।ଏଇକ୍ଷଣ ନିକି ଦେଖଇ ଆସି ॥
ଦଦରା ନାବ ମୋ ଜୀବିକା ସିନା ।ବାଡ଼ିଏ ପିଟି କରିଦେବ ଚୂନା ।ପୋଡ଼ୁ ଏଠାବରେ କେହି ନ ଥିବା ।ଏଣକୂଳ ଛାଡ଼ି ତେଣିକି ଯିବା ॥
ଏତେ ବୋଲି ନାବ ଦେଲେ ଘୁଞ୍ଚାଇ ।ଚନ୍ଦ୍ରମୁଖୀ ନାବ ଧଇଲା ଯାଇ ।କାହିଁକି ଯାଉଛୁ କେଉଟ ନନା ।ମୋତେ ମାତ୍ରକ ପାରିକର କିନା ॥
ଦଇନୀ କରି ମୁଁ କହୁଛି ତୋତେ ।ଦନ୍ତେ ତିରଣ ଘେନିଯାଅ ମୋତେ ।କୃଷ୍ଣ ବୋଇଲେ ଗୋ ଅଇଲେ ।ଆସ ନାବ ଭିତରେ ଗୋ ବହନ ବସ ॥
ଶୁଣି ରାଧିକା ହରଷ ମନକୁ ।ମେଲାଣି ମାଗିଲା ସଖୀମାନଙ୍କୁ ।ପହଣ ପଟ୍ଟାରେ ପସରା ଥୋଇ ।ସ୍ଥିର ହୋଇ ନାବେ ବସିଲା ଯାଇଁ ॥
ଗୋପୀଙ୍କି ବୋଇଲେ ସେ ରଙ୍ଗାଧର ।ତୁମ୍ଭମାନଙ୍କୁ ଯେ କରିବା ପାର ।ଏମନ୍ତ ବୋଲିଣ ସେ ବାସୁଦେବ ।ମଝି ନଇକି ବାନ୍ଧିଦେଲେ ନାବ ॥
ବିଷ୍ଣୁ ମାୟାଧର କଲେ କୁହୁଡ଼ି ।ଅକାଳ କୁହୁଡ଼ି ଅଇଲା ମାଡ଼ି ।ଅସମ୍ଭବ କଥା ଗୋଚର ନୁହେଁ ।ଦିବସେ ଦିଶିଲା ଅନ୍ଧାର ମୟେ ॥
ଦୂର କଥାମାନ ତେଣିକି ଥାଉ ।ବାହାକୁ ବାହା ନ ଦିଶଇ ଆଉ ।ନାବ ପୂର୍ବମଙ୍ଗେ କୃଷ୍ଣ ବସିଲେ ।ରାଧିକାକୁ ଆଉ ଦୃଶ୍ୟ ନୋହିଲେ ॥
ଚନ୍ଦ୍ରବଦନୀ ଯେ ମନେ କାତର ।ବୋଇଲା ନିଶ୍ଚେ ମୁଁ ମଲି ଏଥର ।ଅକାଳେ ମୋ ଶିରେ ବଜ୍ର ପଡ଼ିଛି ।ମଝି ନଈରେ ମୋ ଭେଳା ବୁଡ଼ୁଛି ॥
ଆଗ ପଛ ଦୁଇ ବିଚାର ନାହିଁ ।ଭଙ୍ଗା ନାବରେ ବସିଲି କି ପାଇଁ ।ନାବ ପୂର୍ବମଙ୍ଗ ଯାଉଛି ଫାଟି ।ପାଣି ପଶୁଅଛି ବିବର ଫୁଟି ॥
ସଙ୍ଗେ କେହି ନାହିଁ ସଖା ସୋଦର ।ଦୀନବନ୍ଧୁ ମୋତେ ବାରେ ଉଦ୍ଧର ।ସଖୀମାନଙ୍କୁ ଯେ ଅଇଲି ଛାଡ଼ି ।ମଝି ନଈରେ ମୁଁ ମରୁଛି ବୁଡ଼ି ॥
ଯେଉଁ କେଉଟ ବାହୁଥିଲା ନାବ ।ସେହି କେଣେ ଗଲା ନକରି ଠାବ ।ବୃଦ୍ଧଲୋକ ସିନା ତରସ୍ତେ ମଲା ।ନାବୁଁ ତାକୁ ଅବା କୁମ୍ଭୀର ନେଲା ॥
ନୋହିଲେ ତାହାର କର୍ମ ଅବଳ ।ପାଦ ଖସି ଯାଇ ପଡ଼ିଲା ଜଳ ॥
ପ୍ରଖର ସୂଅତ ଅଗାଧ ପାଣି ।କେଣେ ଭାସିଗଲା କେହି ନ ଜାଣି ॥
ବିଧାତା ପୁରୁଷ ଏମନ୍ତ କଲା ।ମୋତେ ନାଶକରି ଆପଣେ ମଲା ।ଭଲ ଯୋଗେ ଆଜି ଘରୁ ଅଇଲି ।ପୁରୁଷ ହତ୍ୟା ପାତକ ପାଇଲି ॥
ପୁଣି ବିଚାରଇ ଶଶାଙ୍କ ମୁଖୀ ।ବୁଢ଼ା ବୁଢ଼ା ବୋଲି ଡାକଇ ଦେଖି ।ଭଲ ମନ୍ଦ କଥା ନ ଜାଣେ କିଛି ।କେଉଁଠାରେ ଅବା ଶୋଇ ପଡ଼ିଛି ॥
କୁଟୁମ୍ବଲୋକଙ୍କୁ ଅନାଥ କଲୁ ।ମୋତେ ନାଶକରି ଆପଣେ ମଲୁଭଙ୍ଗା ନାବ ତୋର ଯାଉଛି ଫାଟି ।ପାଣି ପଶୁଅଛି ବିବର ଫୁଟି ॥
କାହିଁ ପଳାଇବି କିସ କରିବି ।ଏହିକ୍ଷଣି ନିକି ବୁଡ଼ି ମରିବି ।ଏମନ୍ତ ରାଧାର ବିକଳ ଚିତ୍ତ ।ମନରେ ଜାଣିଲେ ଦେବ ଅଚ୍ୟୁତ ॥
କେରୁଅଳ ଧରି ଅନନ୍ତରୂପୀ ରାଧାକୁ ।ବୋଇଲେ କି ବୋଲ ଗୋପୀ ।ଆମ୍ଭ ସୁଖେ ଆମ୍ଭେ ନିଦ୍ରା ଯାଉଛୁ ।ଗାଳି ଦେଇ ତୁ ଗୋ କିସ ବୋଲୁଛୁ ॥
ରାଧିକା ବୋଇଲେ କେଉଟ ଭାଇ ।ଉଚିତ କଥାକୁ ଚଳୁ କିମ୍ପାଇ ।ଶ୍ରୀକୃଷ୍ଣ ବୋଇଲେ ଜଣା ନାହିଁକି ।ଯାହା ଅରଜିଛି ଭୁଞ୍ଜିବଟିକି ॥
ଦଇବେ ମୋହର ନାବ ଦଦରା ।ତହିଁକି ହୋଇଛି ବିଷମ ଭରା ।ତୁମ୍ଭେ ଗୋପାଳୁଣୀ ନ ପାଅ ଲାଜ ।ଅନବରତେ ହୋଇଥାଅ ସଜ ॥
ଯେତେ ଅଳଙ୍କାର ହୋଇଛି ସାଜି ।ଭଙ୍ଗାନାବ କିମ୍ପା ନ ଯିବ ଭାଜି ।ତୋତେ କି ବୋଲିବା ନ ଜାଣ ଏହା ।ଜଳଦେବତାଙ୍କୁ ନ ମାନି ଯାହା ॥
ମଝି ନଈରେ ଗୋ ନପାର ଡକା ।ସବୁ ଅଳଙ୍କାର ପାଣିକି ପକା ।ତେବେ ହୋଇବ ସୁଫଳ କାର୍ଯ୍ୟ ।ନୋହିଲେ ନିଶ୍ଚୟ ମରିବ ଆଜ ॥
ଶୁଣି ଚନ୍ଦ୍ରମୁଖୀ ବିକଳ ମନ ।ଅଙ୍ଗରୁ କାଢ଼ିଲା ସବୁ ଭୂଷଣ ।ହେମର ତାଡ଼କା କର୍ଣ୍ଣର କାପ ।ନାଶିକା ବେଣ୍ଟୁଆ ମୁକୁତା ଥୋପ ॥
ପାଦରୁ ନୂପୁର ରୂପ ଝୁଣ୍ଟିଆ ।କର୍ଣ୍ଣରୁ କାଢ଼ିଲା ସୁନାଫାସିଆ ।ଭୁଜରୁ କଙ୍କଣ କାଢ଼ିଲା ଚାହିଁ ।ଦଧି ଚାଙ୍ଗୁଡ଼ିରେ ଥୋଇଲା ନେଇ ॥
ବୋଇଲା ଭାଇ ଅବଧାନ ହୁଅ ।ନାଶ ନ ଯାଉ ତୁମ୍ଭେ ପଛେ ନିଅ ।ଶ୍ରୀକୃଷ୍ଣ ବୋଇଲେ ଶୁଣ ଲୋ ଗୋପୀ ।ନିଶ୍ଚୟ ଜାଣିଲୁ ତୁ ବଡ଼ ପାପୀ ॥
ଗଙ୍ଗାଦେବୀଙ୍କର ଏ ଅଳଙ୍କାର ।ମୁଁ ତାହା କେମନ୍ତ କରିବି ପାରଭଲ ମନ୍ଦ କିଛି ନ ଜାଣ ଗୋଈ ।ଜୀବଥିଲେ ଧନ କୋଟିଏ ପାଇ ॥
ରାଧିକା ବୋଇଲେ ଅମୂଲ୍ୟ ରତ୍ନ ।ଦେବତା ମାନେ ଲୋଡ଼ନ୍ତି ଯତନ ।କେମନ୍ତେ ପାଣିକି ଦେବି ପକାଇ ।ସତ ନ ବଳଇ କେଉଟ ଭାଇ ॥
ମୋତେ ଏଥୁ ପଛେକିଛି ନ ଦିଅ ।ନାଶ ନ ଯାଉ ପଛେ ତୁହି ନିଅ ।ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋ ରାଧା ।ଧନକୁ ମୋହର ନାହିଁ ଶରଧା ॥
ତୁହି ଶୁଭେ ଯେବେ ନିଶ୍ଚିନ୍ତ ଥିବୁ ।ତୋ ଦୟାରେ ମୋତେ ମିଳିବ ସବୁ ।ଶୁଣି ରାଧିକାର ଉଡ଼ିଲା ମନ ।ଜିହ୍ୱା କାମୁଡ଼ି ଛୁଇଁଲା ଶ୍ରବଣ ॥
ବୋଇଲା ତୁ ଏଡ଼େ ପାପର ମୁଢ଼ା ।କି ଭାଷା ବୋଲୁଛୁ କେଉଟ ବୁଢ଼ା ।କେଉଟ ହୋଇ ତୋ ଏଡ଼େ ଭରସା ।ଆଉ ବେଳେ ତାହା ତୁଣ୍ଡେ ନ ବସା ॥
ଲୋକ ଜାଣିଲେ ତ ସହଜେ ମରି ।ଜାତି ହରାଇଚି କେମନ୍ତେ କରି ।ବଡ଼ଲୋକଙ୍କ ମୁଁ ଅଟଇବୋହୂ ।କେଉଟ ହୋଇ ତୁ ଏଭାଷା କହୁ ॥
କୃଷ୍ଣ ବୋଇଲେ ଗୋ ଶୁଣ ଯୁବତୀ ।ମୋ ତହୁଁ ତୋରକେଡ଼େ ବଡ଼ ଜାତି ।କେଉଟ ବୋଲିଣ ନ ପାଅ ଲାଜ ।ନନ୍ଦପୁଅ ମୁଁ ଯେ ଦେବାଧିରାଜ ॥
ତୋତେ ଦେଖି ମୋର ବଳିଲା ଆଶ ।ତେଣୁ ଧରିଲି ମୁଁ ତରାଇ ବେଶ ।ଯାହା ଭୟ କରୁ ଯୁବତୀଗୋଟି ।ଚିହ୍ନି ପାରିଲେ ମୁଁ ସେହି କାହ୍ନୁଟି ॥
ଏହା ଶୁଣି ବୋଲେ ରାଧା ସୁନ୍ଦରୀ ।ମଲା କୁଜାବୁଢ଼ା କଥା ଚାତୁରୀ ।ପିଠିରେ ଶୋଭଇ ବିଷମ ଭରା ।ଆଖି ଦୁଇ ଗୋଟି ହୋଇଛି ଟେରା ॥
ପାଚିଲା ମୁଖକୁ ପାଚିଲା ଦାଢ଼ି ।କନା ଖଣ୍ଡେ ଅଛୁ କଟିରେ ଭିଡ଼ି ।ଗୋଡ଼ ଗୋଦର ଦେହ ତୋର ମୋଟା ।ଦାନ୍ତ ନାହିଁ ବୁଢ଼ା ପାକୁଆ ଗୋଟା ॥
ବଙ୍କାହୋଇ ଆଉ ନ ପାରୁ ଚାଲି ।ମୋତେ ଭଣ୍ଡୁ ଅଛି ଶ୍ରୀକୃଷ୍ଣ ବୋଲି ।କୋଟି ମଦନ ଯା ରୂପଗଞ୍ଜନ ।ତୁ ହାଦେ ବୋଲୁ ନନ୍ଦପୁଅ କାହ୍ନାନନ୍ଦପୁଅ ବୋଲି ଭଣ୍ଡୁଛୁ ସିନା ।ନାମ ଅବା ତୋର ତରାଇ କାହ୍ନାଆମ୍ଭର ଶ୍ରୀକୃଷ୍ଣ ଏମନ୍ତ ରୂପ ।ଗୋପୀମାନଙ୍କର ଅମୀୟ କୂପ ।ପଟାନ୍ତର ନାହିଁ ପ୍ରଭୁ ପଣକୁ ।ଇନ୍ଦ୍ର ସରି ନୋହେଁ ପାଦତଳକୁ ॥
କୋଟିଲକ୍ଷ୍ମୀ ଯାର ଚରଣେ ଥିବ ।ସେ କିମ୍ପା ନଦୀରେ ନାବ ବାହିବ ॥
ବେଭାରେ ବାଳୁତ ଅଟଇ ସାନ ।ତାକୁ ଦିଅଇ କେ ଏ ବୁଦ୍ଧିମାନ ॥
ତୁ ଏବେ ତ ଧରିଛୁ ଏମନ୍ତବେଶ ।ତୋତେ ଦେଖି ମୋତେ ମାଡ଼ୁଛି ହସ ॥
ଶ୍ରୀକୃଷ୍ଣ ବୋଇଲେ ଶୁଣରେ ସଖୀ ।ସତ ମିଛ କଥା ବୁଝିବଟିକି ॥
ମୋର ତୁଣ୍ଡେ ମିଛ ନ ଥାଇ ଜାଣ ।ମାମୁଁଙ୍କ ଶପଥ ମାଇଁଙ୍କ ରାଣ ॥
ରାଧିକା ବୋଇଲେ ତରାଇ ଭାଇ ।ଏଡ଼େ ରାଣ ତୋର କି କଥାପାଇଁ ॥
ନିଶ୍ଚୟ ତୁ ଯେବେ ଯଶୋଦା ପୁଅ ।ସୁନ୍ଦର ବଦନେ ପ୍ରକାଶ ପାଅ ।ବଡ଼ିମା କରି ତୁ କରିଛୁ କେତେ ।ନିଜ ରୂପ ତୋର ଦେଖାଅ ମୋତେ ॥
ଶ୍ରୀକୃଷ୍ଣ ବୋଇଲେ ଅନାଇ ଥାଅ ।ରୂପ ଦେଖି ମୂର୍ଚ୍ଛାଗତ ନ ହୁଅ ।ଶରଧା ଯେବେ ଗୋ ବଳିଲା ମିତ ।ନୟନ ବୁଜି ସ୍ଥିର କରି ଚିତ୍ତ ॥
ଶୁଣି ଚନ୍ଦ୍ରମୁଖୀ ନୟନ ବୁଜି ।ଗୋବିନ୍ଦ ନାମ ମନେ ମନେ ହେଜି ।ରାଧାକୁ ବୋଇଲେ ଏବେ ତୁ ଅନା ।ତୁ ଯେ ବୋଲୁ ମୋତେ ନୁହଇ କାହ୍ନା ॥
ଶ୍ରୀକୃଷ୍ଣ ବଚନ ଶୁଣିଣ ରାଈ ।ନୟନ ଫେଡ଼ି ବେଗେଦେଲା ଚାହିଁ ।ପ୍ରତ୍ୟକ୍ଷ ଦେଖିଲା ଶାରଙ୍ଗଧର ।ନିସ୍ତରିଲି ବୋଲି ଯୋଡ଼ିଲା କର ॥
ସ୍ତୁତି କରି ରାଧା କହେ ବଚନ ।ଦ୍ରୋହକଲି ପ୍ରଭୁ ଦୋଷ ନ ଘେନ ।ବିଷ୍ଣୃ ମାୟାଧର ଯେ ବାସୁଦେବ ।ମୁଁ ତାହା କେମନ୍ତେ କରିବି ଠାବ ॥
ନ ଜାଣି ପ୍ରତିଜ୍ଞା କଲି ମୁଁ ଗାଢ଼ ।ସ୍ତିରୀ ଜନ୍ମ ସିନା ସ୍ୱଭାବେ ମୂଢ଼ ।ତୋ ରୂପ ଦେଖିଣ ଦେବାଧିରାଜେ ।ମଦନବାଣ ମୋ ଅଙ୍ଗରେ ବାଜେ ॥
କାମ ସାଗରୁ କର ମୋତେ ତ୍ରାହି ।ବେନିପାଦ ଧରି ପଡ଼ିଲା ରାଈ ।ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୋ ମିତ ।ଏବେ କାହିଁ ପାଇଁ ଏଡେ ଉସତ ॥
ରାଧିକା ବୋଇଲେ ମହିଁମା ମୋରୁ ।କ୍ଷଣକ ଭିତରେ କିସ ନ କରୁ ।କାମବାଣେ ହୃଦ ଯାଉଛି ଫାଟି ।ତ୍ରାହିକର ପ୍ରଭୁ ନିଶ୍ଚେ ମଲିଟି ॥
ଶ୍ରୀକୃଷ୍ଣ ବୋଇଲେ ଆରତ ନୁହ ।ବାଞ୍ଛା ପୂର୍ଣ୍ଣହେବ ସୁସ୍ଥିର ହୁଅ ।ତୋର ମନ କଥା ଜାଣଇ ରାଧା ।ମୋତେ ହିଁ ଦେହେ ମଦନ ହେଉଛି ବାଧା ॥
ଉଠ ଉଠ ସଖୀ ନ ପାଅ ଲାଜ ।କୋଳରେ ଧରିଲେ ଦେବାଧିରାଜ ।ବିବିଧ ରଙ୍ଗରେ ତୋଷିଲେ ମତି ।ସନ୍ତୋଷ ହୋଇଲେ ସେ ରସବତୀ ॥
ସରିଲା ରାଧାମାଧବ ବିହାର ।ଲାଜେ ପଳାଇଗଲା ପଞ୍ଚଶର ।ଗୋପୀଏ ବୋଇଲେ ଶୁଣ ମିତଣି ।ବଡ଼ ମାୟାଧର ଶାରଙ୍ଗପାଣି ॥
ଯଶୋଦା ପୁଅର ମହିମା ଭଲା ।ସେହିଠାରେ ପୁଣି ବୁଦ୍ଧି ଏ କଲା ।ରାଧାକୁ ବୋଇଲେ କୂଳକୁ ଯାଅ ।ସାଙ୍ଗ ସଖୀ ଆଣେ ସେ କୂଳେ ଥାଅ ॥
ସଖୀମାନଙ୍କୁ ତ ଆଣିବା ନିକି ।କେତେବେଳେ ଯିବ ଗୋରସ ବିକି ।ଏମନ୍ତ ବୋଲିଣ ଶ୍ରୀ ବାସୁଦେବ ।ମଝି ନଈକୁ ବାହିଦେଲେ ନାବ ।ଚତୁର୍ଭୁଜମୟ ଦେବାଧିରାଣ ।ସେଠାରେ ପୁଣି ହେଲେ ଅନ୍ତର୍ଦ୍ଧାନ ॥
ବ୍ରହ୍ମା ଯାହା ନାମ ଘୋଷଇ ବସି ।କ୍ଷୁଦ୍ର କୃଷ୍ଣଦାସ ତା ପାଦେ ରସି ॥
ତ୍ରିଭଙ୍ଗୀ ମୂରତି ଧରି କହ୍ନାଇ ।ନିକୁଞ୍ଜ ବନରେ ମିଳିଲେ ଯାଇ ।ଅତ୍ୟନ୍ତ ସୁନ୍ଦର ରୂପ ଧଇଲେ ।ନୂଆ ମଦନ କି ମୋହି ଅଇଲେ ॥
ରୁପଦେଖି ମୁନି ହେବ କାତର ।ଯୁବତୀ ଜୀବନ କେତେ ମାତର ।ସବୁଗୋପୀ ଆମ୍ଭେ ବସିଣ ଅଛୁ ।ସେଠାରେ ମିଳିଲେ କମଳଚକ୍ଷୁ ॥
ହସ ହସ ହୋଇ ଦେବ ଶ୍ରୀବତ୍ସ ।ବୋଇଲେ ଦଧିତ ରଖି ବସିଛ ।ଗୋପୀଏ ବୋଇଲେ ଶୁଣ ମାଧୋଇ ।ଖରାକାଳେ କିଆଁ ବଢ଼ିଲା ନଈ ।ଗୋଚର ନୁହଇ ଏକଥା ବାବୁ ।ସ୍ଥଳ କୂଳ ନାହିଁ କେମନ୍ତେ ଯିବୁଭଙ୍ଗା ନାବଖଣ୍ଡେ ନଦୀରେ ଥିଲା ।ଆଗ ହୋଇ ତହିଁ ରାଧିକା ଗଲା ॥
ତରାଇ କଥା ତୁ ଶୁଣ କହ୍ନାଇ ।କେଡ଼େ ପରପଞ୍ଚ ଦେଖି ତ ନାହିଁ ।ପାଚିଲା ଦଢ଼ିତା ନୟନ ଦେଢ଼ା ।ପିଠିଆଡ଼େ କୁଳ ଗୋଡ଼ଗୋଦଡ଼ା ॥
ଆମ୍ଭଙ୍କୁ ବୋଇଲେ କୂଳରେ ଥାଅ ।ଜଣେ ଜଣେ ବସି ସମସ୍ତେ ଯାଅ ।ଏତେବୋଲି ନାବ ବାହିଣ ଥିଲା ।ଚନ୍ଦ୍ରବଦନୀ କି ଭଣ୍ଡାଇ ନେଲା ॥
ଭାଳି ଆମକୁ ନ ଦିଶଇ ବାଟ ।କି ବୁଦ୍ଧି କରିବୁ ନନ୍ଦରଚାଟ ॥
ଶୁଣି ଦୟାନିଧି ମନେ କାତର ।ଜିଭ କାମୁଡ଼ିଲେ ଶାରଙ୍ଗଧର ॥
ତାଟକା ହୋଇଣ ଶ୍ରୀବନମାଳୀ ।ଭୂମିରେ ପଡ଼ିଲେ ମିଛେ ହେଁ ଢଳିଗୋପୀଙ୍କି ବୋଇଲେ ତୁମ୍ଭେ ନ ମଲ ।ମୋର ମାଇଁକି ଗୋ ଏମନ୍ତ କଲ ॥
ଆଉ କାହିଁ ତାର ପାଇବି ଭେଟ ।ରାଧାକୁ ନେଲା ସେ ବୁଢ଼ା କେଉଟ ।ଏଡ଼େ କରମ ଗୋ କିପାଇଁ କଲ ।ସାଙ୍ଗରେ କେହି ଜଣେ ନ ଗଲ ॥
ନାରାୟଣ ଲୋଭ କରେ ଯାହାକୁ ।ବୁଢ଼ା କେ ଘେନିଗଲା ତାକୁ ।ତୁମ୍ଭମାନଙ୍କୁ ଗୋ ଲାଜ ନାହିଁକି ।ଚୋର ଘେନିଗଲା ମୋର ମାଇଁକି ॥
ତୁମ୍ଭେମାନେ ଏବେ କରିବ କିସ ।ଆମ୍ବିଳା ହୋଇଲା ବିକା ଗୋରସମଥୁରା ହାଟକୁ ଯାଅ ଯା ବିକି ।ମାମୁଁ ଆଗେ ଆମ୍ଭେ କହିବୁ ଟିକି ॥
ଆପଣେ ଝିଙ୍ଗାସ ପରର କଥା ।ଜାଣି ନ କହିଲେ ଆମ୍ଭଙ୍କୁ ବ୍ୟଥା ।ଗୋପୀଏ ବୋଇଲେ ଶୁଣରେ ବାବୁ ।ତୋହ ସଙ୍ଗେ ଆମେ ବାହୁଡ଼ି ଯିବୁ ॥
ସାଙ୍ଗରୁ ତ ତେବେ ଗଲା ରାଧିକା ।ରାଜାର ଗୋରସ ହେଉ ଅବିକା ।ତହିଁକି ବଢ଼ିଛି ଯମୁନା ନଈ ।ଯୁବା ସ୍ତିରୀ ଯିବୁ କେମନ୍ତ ହୋଇ ॥
ଶ୍ରୀକୃଷ୍ଣ ବୋଇଲେ ଭାଳ କାହିଁକି ।ଭଲକଥା କିମ୍ପା କରୁଛ ନିକି ।ନଦୀ ବଢ଼ିବାକୁ ଭୟ ନ ପାଅ ।ମୁଣ୍ଡେ ବୋଝ ଘେନି ପହଁରି ଯାଅ ॥
ଗୋପୀଏ ବୋଇଲେ ଶୁଣ ଶ୍ରୀବତ୍ସି ।ବାଳୁତ ପୁଅ ତୁ ନ ଜାଣୁ କିଛି ।ବୁଡ଼ି ମରିବାକୁ କରିଛ ପଞ୍ଚା ।ଯେତେ କଥା କହୁ ଅଜଣା କଞ୍ଚା ॥
ଶ୍ରୀକୃଷ୍ଣ ବୋଇଲେ ଶୁଣ ଗୁଆଳୀ ।କାହିଁପାଇଁ ମୋତେ କର ଢମାଳୀ ।ଜାଣଟିକି ମୋର ମନ୍ତର ବାମା ।ଜଳ ସ୍ଥଳ ମୋତେ କିଞ୍ଚିତ ସିନା ।ଏକା ଫୁଙ୍କାଏ ଦେବି ମନ୍ତ୍ରପଢ଼ି ।ଯମୁନା ପାଣି କେଣେ ଯିବ ଉଡ଼ି ॥
ଜଳ ଶୁଖିଯାଇ ଦିଶିବ ବାଲି ।ତୁମ୍ଭେ ସୁଖେ ଯିବ ନଦୀରେ ଚାଲି ।ଗୋପୀ ବୋଇଲେ କି ତୁନୋହୁ ବଡ଼ ।ପାରିଲେ ତୁ ବାବୁ ସଂକଟ ଫେଡ଼ ॥
କୃଷ୍ଣ ବୋଇଲେ ଗୋ ଶୁଣ ତରୁଣୀ ।କଥାଏ ମାଗିଲେ ନ ଚଳ ପୁଣି ।ଯେଉଁ ମନ୍ତର ଗୋ ଶିଖିଛି ମୁହିଁ ।ଲାଞ୍ଚ ନ ପାଇଲେ କାଟଇ ନାହିଁ ॥
ନୂଆ କର ଆମ୍ଭେ ପଢ଼ିବା ଆଜ ।ନିଷ୍ଫଳ ହୋଇଲେ ନୁହଇ କାର୍ଯ୍ୟତାଳିମାରି ପୁଣି ହସିବ ତୁମ୍ଭେ ।ଗୁରୁନିନ୍ଦା ପୁଣି ପାଇବା ଆମ୍ଭେ ॥
ଅଳପ ବହୁତ ନାହିଁ ନୋହିବ ।ଏତେକ ମନ୍ତର ସିଦ୍ଧି ପାଇବ ।ଗୋପୀଏ ବୋଇଲେ ଶୁଣରେ ବାବୁ ।ତୋତେ ପୁଣି ଆମ୍ଭେ କି ଲାଞ୍ଚ ଦେବୁ ॥
ଶାଶୁଘରେ ଥାଇ କିବା ଗରବ ।କାହୁଁ ଭିଆଇବୁ କେଉଁ ଦରବଦେବୁ ।ଭିଆଣ କରିବା ପଦାର୍ଥ କାହିଁ ।କରିବା ଆଣିବା କିଛି ତ ନାହିଁ ॥
ଏଠାକୁ ଆଣିବୁ କେଉଁ ଦରବ ।କରକ କିବାରେ ଆସିଛୁ ସର୍ବ ।ଶ୍ରୀକୃଷ୍ଣ ବୋଇଲେ ଅଳପ କଥା ।କାହାରି ଦେହକୁ ନୋହିବ ବ୍ୟଥା ॥
ତୁମ୍ଭ ଆମ୍ଭ କଥା ଦୁଇ ମେଳକୁ ।କଥା ରହିଥିବ କାଳ କାଳକୁ ।ଗୋପୀଏ ବୋଇଲେ ମାଗିଲୁ ଯାହା ।ଫେଡ଼ି କରି କିମ୍ପା ନ କହୁ ତାହା ॥
ଶ୍ରୀକୃଷ୍ଣ ବୋଇଲେ ଯାହାମାଗିବା ।ସତ୍ୟ କଲେ ସିନା ଫେଡ଼ିକହିବା ।ଗୋପୀ ବୋଇଲେ ହେ ସେ କଥା ଛାଡ଼ ।ସତ୍ୟ କଲୁ ବାବୁ ବେଦନାଫେଡ଼ ॥
ଶ୍ରୀକୃଷ୍ଣ ବୋଇଲେ ଶୁଣ ତରୁଣୀ ।ହରି ନେଉଅଛି ଯମୁନା ପାଣି ।ଗୋପୀ ବୋଇଲେ ନେଉଁ କିନା ବାବୁ ।କେତେବେଳେ ଆମ୍ଭେ ମଥୁରା ଯିବୁଁ ॥
ଆମ୍ଭେ ବୁଝିଲେ ତୋ ମନ୍ତର ବାନା ।ନାମ ଦେଇ ଯିବୁ ଛଇଳ କାହ୍ନା ।ଶ୍ରୀକୃଷ୍ଣ ବୋଇଲେ ଆରତ ନୁହ ।ପଛଆଡ଼କୁ ଗୋ ସମସ୍ତେ ଚାହଁ ॥
ବିଷ୍ଣୁ ମାୟାକୁ ରଚିଲେ କହ୍ନାଇ ।ଆଜ୍ଞା ପ୍ରମାଣେ ଶୁଖିଗଲା ନଈ ।ମୀନ ମଗର ଯାଉଛନ୍ତି ଚାଲି ।ଝଲମଲ ହୋଇ ଦିଶୁଛି ବାଲି ॥
ନିର୍ମଳ ହୋଇଲା ଦିଶିଲା କୂଳ ।ଆଣ୍ଠୁକ ଭିତରେ ରହିଲା ଜଳ ।ଏମନ୍ତ ସମୟେ ଦେବାଧିରାୟେ ।ନବୀନ ସୁନ୍ଦର ବୟସ ହୁଏ ॥
ତ୍ରିଭଙ୍ଗ ଠାଣି ପ୍ରକାଶି ରହିଲେ । ନୂଆ ମଦନ କି କାହୁଁ ଅଇଲେ ।ହରଷେ ବୋଲନ୍ତି କମଳ ମୁଖ ।ନଦୀ ଶୁଖିଗଲା ସମସ୍ତେ ଦେଖ ॥
ଶୁଣି ଅନାଇଲେ ଗୋପ ଯୁବତୀ ।ଦେଖିଲା ଶ୍ରୀକୃଷ୍ଣ ଦିବ୍ୟମୂରତୀ ।ଦଧିପରାସ ସେ ଛାଡ଼ି ସକଳ ।ମଦନ ଆରତେ ହୋଇଲେ ଭୋଳ ॥
ଦେଖିଲେ ଶୁଖିଛି ଯମୁନା ନଈ ।ଉଭା ହୋଇଛି ଜଗତ ଗୋସାଇଁ ।ଗୋପୀଏ ବୋଇଲେ ମହିମାମେରୁ ।ମାଗିଲା କଥା ହେଳା ନ କରୁ ॥
ବିନ୍ଧୁଅଛି ବାଣ ଅନଙ୍ଗରାଶି ।ଭୁଜେ ଭିଡ଼ି କିମ୍ବା ନ ଧର ଆସି ।ହୃଦୟ ଫାଟୁଛି କିଛି ନ ବୁଝ ।ଆମ୍ଭମାନଙ୍କୁ ରକ୍ଷାକର ଆଜି ॥
ନୋହିଲେ ଜୀବନଗଲା ଗୋସାଇଁ ।ପଛେ ବୋଲିବଟି କହିଲ ନାହିଁ ।ଶ୍ରୀକୃଷ୍ଣ ବୋଇଲେ ଶୁଣ ତରୁଣୀ ।କେଉଁକଥା ଆମ୍ଭେ ମାଗିଲୁ ପୁଣ ॥
ଫେଡ଼ି ନ କହୁ ତ ଜାଣିଲ ତୁମ୍ଭେ ।ତହିଁକି ଚକିତ ହୋଇଲୁ ଆମ୍ଭେ ।ଗୋପୀ ବୋଇଲେ ତୁ ଗଣ୍ଠିଆ ଗୁରୁ ।କ୍ଷଣିକ ଭିତରେ କିସ ନ କରୁ ॥
ତୋର ମନ କଥା ଆମ୍ଭଙ୍କୁ ଜଣା ।ଆମ୍ଭମନ ନିକି ତୋତେ ଅଜଣା ।ନହିଁତ ଅଭେଦ କମଳ ଚକ୍ଷୁ ।କାହା ମନ କି ଭାବ ନ ଜାଣିଛୁ ॥
ଶୁଣି ଦୟାନିଧି ସ୍ନେହରେ ଭାଷି ।ଅରୁଣ ଅଧରେ ହାସ ପ୍ରକାଶିକ୍ଷଣକ ଭିତରେ ଦେବାଧିରାୟେ ।ଯେତେ ଗୋପୀ ତେତେ ରୂପ ଉଦୟେ ॥
ବିବିଧ ରଙ୍ଗେ ବିହାର କରନ୍ତି ।ସବୁ ଗୋପୀଙ୍କର ମନ ତୃପତି ।ବିହାର ସାରିଣ ନନ୍ଦର ଚାଟ ।ବୋଇଲେ ଯାଅ ଯା ମଥୁରା ହାଟ ॥
ଶୁଖିଲା ନଦୀରେ ଯାଅ ଯା ଚାଲି ।ଆମ୍ଭେ ଯାଉଅଛୁ ଘରକୁ ବୋଲି ।ଗୋପୀଏ ବୋଇଲେ ଶୁଣ ସଙ୍ଗାତ ।ଏମନ୍ତ ମହିମା ଯଶୋଦାସୁତ ॥
ହର ବଦନେ ସ୍ତୁତିକଲେ ଯାକୁ ।ଗୋପାଳ ପୁଅ କେ ବୋଲିବ ତାକୁ ।ଏଡ଼େ ବାଳକାଳୁ ତେଡ଼େ ହଟିଆ ।ସବୁ କଥା ତାର ଦିନ କାଟିଆ ॥
ଭକତ ବାନ୍ଧବ ଜଗଜ୍ଜୀବନ ।ଦୀନକୃଷ୍ଣଦାସ ପଶେ ଶରଣ ।ସମାପ୍ତ
ସମ୍ବନ୍ଧିତ ରଚନା
ରସ କଲ୍ଲୋଳ
ଦୀନକୃଷ୍ଣ ଦାସ
ପ୍ରସ୍ତାବ ସିନ୍ଧୁ
ଦୀନକୃଷ୍ଣ ଦାସ
ଚିଲିକା
ରାଧାନାଥ ରାୟ
ସୁଭଦ୍ରା
ଚିନ୍ତାମଣି ମହାନ୍ତି