ଧର୍ମପଦ — ଗୋପବନ୍ଧୁ ଦାସ · ସ୍ୱର୍ଣ୍ଣଲିପି(୧)
ବାର ବରଷର ବାଳୁତ ପୁଅ ସେବୁଦ୍ଧିମନ୍ତ ସୁକୁମାର,ଦେଖି ନାହିଁ କିବା ଶୁଣି ନାହିଁ କେବେକିଏ ସେ ବାପା ତାହାର ।ଜନନୀ-କୋଳରେ ବଢ଼ିଛି ଭୋଳରେଆଜନମୁ ଅତି ସୁଖେ,ମଅ ବୋଲି କେବେ ମାଛିକି ବୋଲିବାଆଣି ନାହିଁ ହେଲେ ମୁଖେ ।ସ୍ୱାମୀଙ୍କ ବିରହ ଭୁଲିଛନ୍ତି ମାତାପୁଅ ବଦନ ଅନାଇଁ,ଦେହରେ ଟିକିଏ ପଡ଼ିଗଲେ ଧୂଳିସହି ନ ପାରନ୍ତି ଚାହିଁ ।ଶଇଶବ କାଳୁଁ କୁଳ କାରିଗରି,ଶିଖାନ୍ତି ଅତି ଯତନେ,ଯାହା ଦେଖେ ଶୁଣେ ଶ୍ରୁତିଧର ପରିସବୁ ସେ ରଖଇ ମନେ ।ଶିଶୁଗଣ ମେଳେ ଦାଣ୍ଡଧୂଳି ଖେଳେକରେ କେତେ ନବ ସୃଷ୍ଟି,ତୋଳଇ ଦେଉଳ ଗଢ଼ଇ ଅଟ୍ଟାଳୀଧନ୍ୟ ବିଚକ୍ଷଣ ଦୃଷ୍ଟି ।ଦେଖି କାରିଗରି ତା କଳା ଚାତୁରୀଆଶ୍ଚର୍ଯ୍ୟ ମଣନ୍ତି ଜନେ,କହନ୍ତି, "ଆୟୁଷ ଥିଲେ ଏ ପିଲାଟିହେବ କେତେ ଲୋକେ ଜଣେ ।"ପଚାରଇ ପୁଅ ଯେବେ ଶିଳ୍ପତତ୍ତ୍ୱକହନ୍ତି ମାତା ଉତ୍ତରେ,"ପଢ଼ିଲେ ଜାଣିବୁ; ସବୁ ଆରେ ଧନପୋଥି ଅଛି ଆମ ଘରେ ।"ପାଞ୍ଚ ବର୍ଷ ବେଳେ ଗ୍ରାମ ଚାଟଶାଳେଓଝା ଛୁଆଁଇଲେ ଖଡ଼ି,ଚାହୁଁ ଚାହୁଁ ପୁଅ ଅଳପ ଦିନରେଗଲା ସବୁ ପାଠ ପଢ଼ି ।ଗୀତା, ଭାଗବତ ପୁରାଣ ଚରିତହୋଇଲା ଅଭ୍ୟାସ ତାର,ଦେବାଳୟ ତୋଳା ପୁଷ୍କରିଣୀ ଖୋଳାହିସାବ ଯେତେ ପ୍ରକାର ।ସଙ୍ଗ ଚାଟ କେତେ ସହି ନ ପାରନ୍ତିଆନେ କରନ୍ତି ଆଦର,ସମସ୍ତଙ୍କଠାରେ ସମ ସ୍ନେହ ତାରନାହିଁ କେହି ପରାପର ।ଚାହାଳିରୁ ଆସି ଘରେ ଶିଳ୍ପଶାସ୍ତ୍ରପଢ଼େ କରି ଏକ ଲୟ,କାଠ ପାଷାଣରେ ଗଢ଼ଇ ମୂରତିକେତେ ରଥ, ଦେବାଳୟ ।ଦିନେ ଚାହାଳିରୁ ଫେରିଆସି ପୁଅଉଭାହେଲା ମାତା ପାଶେ ;ଆଖି ଥନଥନ, ବଦନ ମଳିନତୁଣ୍ଡରେ କଥା ନ ଆସେ ।ପୁଅକୁ ଅନାଇ ମାତା ଅତି ଛନ୍ନେପଚାରନ୍ତି ବେଗେ ଦୁଃଖେ,"କିପାଇଁରେ ଧନ, ବିରସ ତୋ'ମନହସ ନାହିଁ କିପାଁ ମୁଖେ ?
ଚାହାଳିରୁ ଫେରି ଆନ ଦିନ କହୁ
ହରଷରେ କେତେ କଥା,
ଆଜି ତୋ ଏ ରୀତି ଦେଖି ମୋର ଭୀତି
ଲଗାଇ ପରାଣେ ବଥା ।
ଦେଇଛନ୍ତି ଦଣ୍ଡ ଅବଧାନେ ଅବା
ଗାଳିଦେଲେ ଆନ ଚାଟେ,
ହୀନିମାନ କରି କିଏ କି କହିଲା
କିବା ଦାଣ୍ଡେ ବାଟେ ଘାଟେ ?
ଫେଡ଼ି କହ ବାବୁ, ଘଟିଛି ଯା ସବୁ
ତୁଟୁ ମୋ ମନୁ ସନ୍ଦେହ,
ମୁଁ ତ ଜାଣେ ତୋର ଗୁଣ ଆଚରଣେ
ସମସ୍ତେ କରନ୍ତି ସ୍ନେହ ।
କାନ୍ଦ କାନ୍ଦ ହୋଇ କିପାଇଁ ରେ ବାଇ
କଥା ନ ଆଣୁଛୁ ମୁଖେ ?
ନ ଜାଣୁ କି ବାବୁ, ତୋ’ ଏ ଭାବ ଦେଖି
ବଜ୍ର ପଡ଼ଇ ମୋ ବୁକେ !
ଲକ୍ଷେ ଦେବଦେବୀ- ପାଦ ସେବି ସେବି
ପାଇଛିରେ ତତେ ଧନ !
କେତେ ମରି ମରି ରଙ୍କୁଣୀ ସଙ୍ଖାଳି
ତୁ ମୋର ଜୀବ-ଜୀବନ ।
ତତେ ଚାହିଁ ସିନା କାଟୁଛି ମୁଁ ଦିନ
ଏକାକିନୀ ଏତେ କାଳ,
କହ ମନକଥା ମୋ କୁଳ-ଚନ୍ଦ୍ରମା
ଭିକାରିଣୀ-ଗଳାମାଳ ।"
ମାତା ଆଶ୍ୱାସନା ପାଇ ପଛେ ପୁଅ
ତେଜିଣ ମନୁ ସନ୍ତାପ,
"କହ ମା, ସତେ କି ଅଛି ଆମ କୁଳ;
କହ କିଏ ସେ ମୋର ବାପା ?"
କହନ୍ତି ଜନନୀ, "କେବେ ତ ଏ କଥା
ପଚାରି ନ ଥିଲୁ ଥରେ,
ଚାହାଳିରୁ ଆସି କିପାଁ ବାବୁ, ଆଜି
ପଚାରୁ ଏଡ଼େ କାତରେ ?"
କହେ ପୁଅ, ‘‘ଆଜି ଚାହାଳିରେ ଚାଟେ
କହିଲେ ମତେ ଯେ କଥା,
ଲାଜ ଅପମାନେ ଗଲି ମୁହିଁ ସଢ଼ି
ଟେକି ନ ପାରିଲି ମଥା ।
ଚାହାଳିରେ ଯେବେ ଲେଖୁଥିଲି ପାଠ
ଗୋଟାଳି ମୋ ଗଲା ଗଡ଼ି,
ନିକଟ ପିଲାକୁ କହିଲି ହେ ଭାଇ,
ବଢ଼ାଇ ଦିଅ ସେ ଖଡ଼ି ।
ମୋ କଥାରେ ସେ ତ ଦେଲା ନାହିଁ ଖଡ଼ି
କହି କଲା ଉପହାସ,
‘ଭାଇ ଡାକି ଆଜ୍ଞା- ଦିଏ ଅବାବୁଆ
ଏହାର କେଡ଼େ ସାହାସ !’
ନ କହିଣ କିଛି ଅଳପେ ହସିଲେ
ତହିଁ ଆନ ପିଲାମାନେ,
ଲାଜେ ମଥା ପୋତି ଗୋଟାଳି ଉଠାଇ
ଆଣି ବସିଲି ମୋ ଥାନେ ।
ନ କରି ସଙ୍କୋଚ ଫେଡ଼ି ସତ କହ
ଛୁଇଁକରି ଏ ମୋ ଦେହ,
ଆମ କୁଳକଥା, କାହାନ୍ତି ମୋ ପିତା,
ଯାଉ ମୋ ଭ୍ରମ ସନ୍ଦେହ ।"
କୋପେ ଜରଜର ଜନନୀ ସତ୍ୱର
ଭାଷନ୍ତି ଉଚ୍ଚେ ବଚନ,
"କିଏ ସେହୁ ପିଲା ଦେଲା ଏହିପରି
ଅପମାନ ଅକାରଣ । ?
ତା ମା’ ଏଡ଼େ ସତୀ, ମୋ ପୁଅକୁ ପୁଣି
କହେ ସେ ଅଣବାବୁଆ
ତା କଥାରେ ଛଳ କରି କିବା ଫଳ
ସେ ବି ତ ଅଜ୍ଞାନ ଛୁଆ ।
ବୁଢ଼ା ବୁଢ଼ୀମାନେ କହୁଥାନ୍ତି ଯାହା
ଶୁଣିଛି ମୁଁ ପିଲାବେଳେ,
ପୂରୁବ ପୁରୁଷ ଯଶ ପଉରୁଷ
ବୁଝ ବାବୁ, ଏଥୁଁ ହେଳେ ।
ସୃଷ୍ଟି ଆଦ୍ୟକାଳୁଁ ବିଶ୍ୱକର୍ମା, ତହୁଁ
ଆମ କୁଳ ଉତପତ୍ତି,
ଏ କୁଳର ବଡ଼- ବଡ଼େ ରଖିଛନ୍ତି
କେତେ ଅକ୍ଷୟ କୀରତି ।
ଇନ୍ଦ୍ରଦ୍ୟୁମ୍ନ ରାଜା ତୋଳାଇଲେ ଯେବେ
ଶ୍ରୀକ୍ଷେତ୍ରେ ବଡ଼ ଦେଉଳ,
ହକାରିଣ ନାନା ଦେଶୁ କାରିଗର
କରାଇଲେ ଆଗେ ଠୁଳ ।
ପରଖି ସକଳେ ଯୋଗ୍ୟ ଶିଳ୍ପୀ ବାଛି
ଲଗାଇଥିଲେ ସେ କାମେ,
ତୋ ପୂର୍ବପୁରୁଷେ- ଶିରେ ଦେଲେ ଶାଢ଼ୀ
ପୂଣ୍ୟ ନୀଳାଚଳ ଧାମେ ।
କେତେ କାଳ ଅନ୍ତେ ସେ ମନ୍ଦିର ଯେବେ
ସଂସ୍କାର କଲେ ଯଯାତି,
ତୋ ପୂର୍ବପୁରୁଷେ ସେତେବେଳେ ତହିଁ
ରଖିଥିଲେ ବଂଶ-ଖ୍ୟାତି ।
ଶେଷେ ସେ ଦେଉଳ ତୋଳାଇଲେ ପୁଣି
ଶ୍ରୀ ଅନଙ୍ଗଭୀମ ରାଏ,
ଉତ୍କଳେ ଅକ୍ଷୟ କୀର୍ତ୍ତିସ୍ତମ୍ଭ ପ୍ରାୟ
ଶୋଭେ ଯାହା ଆଜିଯାଏ ।
ତୋ ପୂର୍ବପୁରୁଷ- ବୁଦ୍ଧି କାରିଗରି
ରହିଅଛି ତହିଁ ଜାଣ,
ଏଥିରୁ ରେ ବାବୁ, ବୁଝ ତୁ ଆପଣା
ବଂଶବଡ଼ିମା ପ୍ରମାଣ ।
ଖଣ୍ଡଗିରି-ଦେହେ ବିରଚିଲେ ଗୁମ୍ଫା
ଏହି ବଂଶ କାରିଗରେ,
ଯହିଁ ଖାରବେଳ- ଶାସନ-ନିଦେଶ
ରାଜେ ଅମର ଅକ୍ଷରେ ।
ରାଣୀହଂସପୁରେ ଶେଷ ଜୀବନରେ
ରାଣୀ ସଙ୍ଗେ ନରପତି,
ଯୋଗିଜନ ମେଳେ ରହିଲେ ନିଶ୍ଚଳେ
ତେଜି ରାଜ୍ୟ ହେଲେ ଯତି ।
ବୈତରଣୀ-କୂଳେ ଯଯାତିକେଶରୀ
କଲେ ଯେବେ ମହାଯାଗ,
ସରଗୁଁ ଦେବତା ଆସିଥିଲେ ତହିଁ
ନେବାଲାଗି ଯେଝା ଭାଗ ।
ବନ ପରବତେ ବୈତରଣୀ-ସ୍ରୋତେ
ହେଲା ବେଦ ପ୍ରତିଧ୍ୱନି,
ଯଜ୍ଞ-ଅନଳରୁ ଉଠିଲେ ବିରଜା
ଉଜ୍ଜ୍ୱଳି ଯେବେ ଅବନୀ ।
ଗଢ଼ିଲେ ଯେ ଶିଳ୍ପୀ ପୁଣ୍ୟ ଶୁଭସ୍ତମ୍ଭ
ସପ୍ତମାତୃକା ମୂରତି,
ନ କର ସଂଶୟ ଜାଣ ଆପଣାକୁ
ତାଙ୍କରି ବଂଶ-ସନ୍ତତି ।
ଏକାମ୍ର କାନନେ ଲଲାଟେନ୍ଦୁ-କୀର୍ତ୍ତି
ଅନୁପମ ଦେବାଳୟ,
ନିର୍ମିଲେ ଯେ, ତାଙ୍କ ରକ୍ତ ତୋ ଶରୀରେ
ତୁ ତାଙ୍କ କୁଳ-ତନୟ ।
ବାରବାଟୀ ଦୁର୍ଗ ମରାମତି ଲାଗି
ଶ୍ୱଶୁରେ ଗଲେ କଟକ,
ଯଥାକାଳେ କାମ ନ ସରିଲା ବୋଲି
ରହିଲେ ତହିଁ ଅଟକ ।
ବାହୁଡ଼ି ନାହାନ୍ତି ଘରକୁ ସେ ଆଉ
କଟକେ ତେଜିଲେ ପ୍ରାଣ,
ସେହି ଭାବନାରେ ମଲେ ଶାଶୁ ମୋର
ଶୋକେ ହୋଇ ହତଜ୍ଞାନ ।
ଯେଉଁ ଦିନୁ ତୋର ବାପା ଯାଇଛନ୍ତି
ଘର ଛାଡ଼ି ପରବାସ,
ମୋ ଦେହରୁ ବାବୁ, ଶୁଖିଛି ରକତ
ନାହିଁ ମୋ ଜୀବନେ ଆଶ ।
ଦିନେ ଗଲେ ମତେ ଯୁଗ ପରି ଲାଗେ
ମରୁଛି ମୁଁ ଭାଳି ଭାଳି,
ରହିଅଛି ସିନା ତୋ ମୁହଁ ଅନାଇ
ତୁ ମୋ ନୟନ ସଙ୍ଖାଳି ।"
ଏହିପରି କଥା କହୁଁ କହୁଁ ମାତା
ହୋଇଲେ ଅତି ବିକଳ,
ତଳେ ମୁହଁ ପୋତି ବିଳପିଲେ ସତୀ
ବହେ ଅଶ୍ରୁ ଅବିରଳ ।
"କିପାଇଁ କହ ମା, କାନ୍ଦୁଛୁ କାତରେ"
ଚକିତେ ପଚାରେ ପୁଅ,
ବସି ମାତା କୋଳେ ବସନ ଅଞ୍ଚଳେ
ପୋଛେ ତାଙ୍କ ନେତ୍ରୁ ଲୁହ ।
"କାହାନ୍ତି ମୋ ବାପା, କେତେ ଦିନ ହେଲା
କି କାର୍ଯ୍ୟେ ଗଲେ ସେ କାହିଁ ?
କେତେ ଦୂର ପଥ ଏଥୁଁ ସେ ରାଇଜ
ମୁଁ କି ନ ପାରିବି ଯାଇ ?
ନ ଆସେ କି ତହୁଁ ବାରତା ଏଠାକୁ
ଅଛନ୍ତି ଟିକି ସେ ଭଲେ ?
ଯିବାର ଉପାୟ କହ ମା, ତୁରିତେ
ବାର୍ତ୍ତା ଆଣିବି ମୁଁ ଗଲେ ।"
ପୁଅର ମଧୁର କୋମଳ ବଚନେ
ମାତା ପାଇଲେ ଆଶ୍ୱାସ,
ଚୁମ୍ବି ପୁତ୍ରମୁଖ କହନ୍ତି ଆହ୍ଲାଦେ
ପକାଇ ଦୀର୍ଘ ନିଃଶ୍ୱାସ ।
"ମରିଯାଏଁ ମୁଁ ଲୋ, କି ବିକଳେ ଲୁହ
ପୋଛି ଦିଅଇ ମୋ ଧନ,
ଏହି ଭରସାରେ ବାର ବର୍ଷ ହେଲା
ରହିଛି ଧରି ଜୀବନ ।
ବାର ବର୍ଷ ହେଲା ଯାଇଛନ୍ତି ବାପ
ଦେଉଳ ଗଢ଼ିବା ପାଇଁ,
ତୋଳାଉଛନ୍ତି ଯା ନରସିଂହ ଦେବ
ଗଜପତି ନରସାଇଁ ।
ଚନ୍ଦ୍ରଭାଗା ତୀର୍ଥେ ସାଗର-ପନ୍ତାରେ
ଗଢ଼ାହେଉଛି ଦେଉଳ;
କହିଛନ୍ତି ରାଜା, ‘କଳା କଉଶଳେ
ବିଶ୍ୱେ ସେ ହେବ ଅତୁଳ’ ।
ଶିବାଇ ସାନ୍ତରା ପୁରତ ପଧାନ
ବିଶ୍ୱକର୍ମା-କୁଳ ରାଇ
ଭଲ କାରିଗର ବାଛି ଲଗାଇଲେ
କାମେ ବାରଶ ବଢ଼ାଇ ।
ସେହି ଡାକରାରେ ଗଲେ ଯେ ତୋ ପିତା
ବାହୁଡ଼ି ନାହାନ୍ତି ଘରେ;
ସେତେବେଳେ ତୁ ମୋ ଗର୍ଭେ ଚାରି ମାସ,
ଜନ୍ମିଲୁ ଛ’ ମାସ ପରେ ।
କହୁଥିଲେ ଲୋକେ, ‘ହେବ ସେ ଦେଉଳ
ଧର୍ମଦେବତାଙ୍କ ରଥ,
ପୂର୍ବେ ଦୁର୍ଗ ରୂପେ ଉତ୍କଳର ପୁଣି
ଓଗାଳିବ ସିନ୍ଧୁ-ପଥ ।
ଧର୍ମଦେବତାଙ୍କ ଦେଉଳରେ ବାପ
କରୁଛନ୍ତି ବୋଲି କାମ,
ସୁମରିଣ ତାଙ୍କୁ ଶରଧାରେ ଦେଲି
‘ଧର୍ମପଦ’ ତୋର ନାମ ।
ଦେଖି ନାହିଁ ତୀର୍ଥ ଶୁଣିଛି କେବଳ
‘ସାତ ଥର ଯିବ ଗଙ୍ଗା,
ଥରେ କେହି ଯେବେ ଯିବ ଚନ୍ଦ୍ରଭାଗା
ମୁହଁ ପଡ଼ିଯିବ ରଙ୍ଗା’ ।
ଯିବା ଦିନୁଁ ବାପ ବାର ବର୍ଷ ହେଲା
ପାଇ ନାହିଁ ମୁଁ ବାରତା,
ତାଙ୍କ ଲାଗି ନିତି ପନ୍ଥାଇ ବସାଇ
ପୂଜଇ ପନ୍ଥ-ଦେବତା ।
ଅଖଣ୍ଡଳ ଜାଳି ଗ୍ରାମଦେବତାଙ୍କ
ପାଦେ ପଡ଼େ ଅନୁକ୍ଷଣ
ରବିବାର-ବ୍ରତ ପାଳି ମୁଁ ପଶିଛି
ଧର୍ମଦେବତା ଶରଣ ।’’
କହେ ପୁଅ ତହୁଁ, "ଯିବି ଚନ୍ଦ୍ରଭାଗା,
କରିବି ବାପାଙ୍କୁ ଦେଖା,
ଆଣିବି ତାଙ୍କର କୁଶଳ ବାରତା
ତାଙ୍କ ନିଜ ହାତଲେଖା ।’’
"ମୋ ନେତ୍ରପିତୁଳି, ଛାଡ଼ି କି ରେ ତତେ
ପାରିବି ମୁଁ କ୍ଷଣେ ବଞ୍ଚି ?
ମୋ ଅନ୍ଧାର ଘରେ ତୁ ଏକା ପ୍ରଦୀପ
ମୋ ହୃଦ-ସିନ୍ଧୁକ କଞ୍ଚି ।
ଆହୁଲା ତୁ ମୋର ଜୀବନ-ବୋଇତେ
ଅନ୍ଧର ଅଶ୍ରା-ଲଉଡ଼ି;
ତୋ’ ବିନେ ନ ଚଳି ଯିବି ସିନା ବାବୁ
ଶୋକ-ସିନ୍ଧୁ-ଜଳେ ବୁଡ଼ି ।’’
କହେ ପୁଅ ପୁଣି ବଳାଇ ସାଦରେ
"ଯିବି ନିଶ୍ଚେ ବାପ ପାଶ,
ମନତୋଷେ ମା ଗୋ ! ଦିଅ ଅନୁମତି
ଫେରିବି ନ ପୂରୁ ମାସ ।
ବାପ ସଙ୍ଗେ ତହିଁ ଦେଖିବି ସୁଯୋଗ୍ୟ
ଜାତିପୁଅ ଶତ ଶତ,
ଦେଖିବି କିପରି ଗଢ଼ା ହେଉଅଛି
ଧର୍ମଦେବତାଙ୍କ ରଥ ।
ଚନ୍ଦ୍ରଭାଗା ତୀର୍ଥେ ସ୍ନାନ କରି ସୁଖେ
ଦେଖିବି ସୂର୍ଯ୍ୟ-ଉଦୟ,
କର ନାହିଁ ଭୟ କହ ମା, ବାପାଙ୍କୁ
ଦେବି ମୁଁ କି ପରିଚୟ ?"
କହନ୍ତି ମା, "ବାବୁ, ଯିବାଲାଗି ଯେବେ
କରିଅଛୁ ଦୃଢ଼ପଣ,
କିପାଁ ନିବାରିବି, ନିବାରଣେ ସିନା
ହେବ ତୋ ମନେ କଷଣ ।
ଦେଖି ବାପ ତତେ ହେବେ ହରଷିତ
ହୃଦେ, ତୁ ଯିବୁ ପରତେ,
ଦେଖିବୁ ଆବର ଓଡ଼ିଆ ଶିଳ୍ପୀର
ଅଦ୍ଭୁତ କର୍ମ ଜଗତେ ।
ବୟସରେ ତୁହି ହେଲେ ହେଁ ବାଳୁତ
ବୁଦ୍ଧି ତୋର ସୁକୁମାର,
ବୁଝାଇ ବିଶେଷେ କହିବି ମୁଁ କିସ ?
କର ଯାହା ତୋ ବିଚାର ।"
କହିଲେ ଆବର ବାପ ନାମ ତାର
ଭୂମିରେ ସେ ଦେଇ ଲେଖି,
"ବାପ ପୁଅଙ୍କର ହେବ ଚିହ୍ନାଚିହ୍ନି
ହେବା ମାତ୍ରେ ଦେଖାଦେଖି ।
ତୋ ରୂପ ଆକୃତି ପିତୃ-ପ୍ରତିକୃତି
ଏକା ଛାଞ୍ଚେ ଯେହ୍ନେ ଢଳା,
ନେତ୍ରେ ନାସା ଆସ୍ୟ ଲଲାଟେ ପ୍ରକାଶ
ବାପ-ମୁଖ ଷୋଳକଳା ।
ନୟନେ ନୟନ ହେଲେ ଭେଟାଭେଟି
ହେବ ପରାଣ-ମିଳନ,
ଯେ ଯାହାର ତାକୁ ଲୋଡ଼େ ସେ ସହଜେ
କରିବାକୁ ଆଲିଙ୍ଗନ ।
ତଥାପି ନ ବଳେ ମନ ତତେ ଏକା
ଛାଡ଼ିବାକୁ ଏତେ ଦୂର"
"ନ ଡର ଲୋ ବୋଉ ସଙ୍ଗେ ଯିବ ମୋର
ଘର ବଳିଆ କୁକୁର ।
ବଳିଆ ବାପାଙ୍କୁ ନ ଚିହ୍ନିଲେ ତାକୁ
ବାପା ଚିହ୍ନିବେ ନିଶ୍ଚୟ,
ଗ୍ରାମ ନାମ ମୋର ଜନମ-ବୃତ୍ତାନ୍ତ
କହି ଦେବି ପରିଚୟ ।"
"ମରି ଯାଏ ଆହା ମୋ ଧନମାଳିର
କେଡ଼େ ବୁଦ୍ଧି କି ସାହସ ?
ଜଗନ୍ନାଥେ କୃପା- କଲେ ତୁ ରଖିବୁ
କୁଳ-ଗଉରବ ଯଶ ।’’
(୨)
ତ୍ରୟୋଦଶୀ ତିଥି ଶୁଭ ବେଳ ଦେଖିପୁଅ କଲା ଅନୁକୂଳ,ଜାଗୁଳାଈ ପୂଜି କାନିରେ ଜନନୀବାନ୍ଧିଲେ ପ୍ରସାଦ-ଫୁଲ ।ସ୍ୱାମୀ ଲାଗି ପୁଣି ବାଡ଼ି ବରକୋଳିଦେଲେ ଯାଉଁଳିରେ ବାନ୍ଧି,କହିଲେ,"ଏଥିରେ ବାପାଙ୍କ ଶରଧାନେବୁ ଯତନେ ସମ୍ପାଦି ।ବଳିଆ ସଙ୍ଗତେ ବାଡ଼ି-ବରକୋଳିହେବ ଆନ ପରିଚୟ,ଲକ୍ଷ୍ମୀ ନରସିଂହ ଶ୍ରୀଦୁର୍ଗା ମାଧବହୁଅନ୍ତୁ ତୋର ଆଶ୍ରୟ ।"ବୀର ଧର୍ମପଦ ମାତା ଆଶୀର୍ବାଦଘେନି ହୋଇଲା ବାହାର,ଯାଏ ପୂର୍ବ ମୁଖେ ବଳିଆ କୁକୁରଚାଲେ ପଛେ ପଛେ ତାର ।ଅପନ୍ତରା ବାଟ କେତେ ବେଣାପାଟବନ ବିଲ ନଦୀ ସର,ଚାଲେ ଧର୍ମପଦ ନ ଗଣି ପ୍ରମାଦଦିବା ନିଶି ନିରନ୍ତର ।ଗୁଡ଼କଙ୍କ ପଛେ ଗୋଡ଼ାଏ ଉତ୍ସାହେବଳିଆ ଧାଏଁ ତା ପଛେ,ଚନ୍ଦ୍ରଭାଗା-ଯାତ୍ରୀ ଧର୍ମପଦ ବୋଲିଲେଖେ କାହିଁ ବାଟେ ଘାଟେ ।ପଚାରି ପଚାରି ଚନ୍ଦ୍ରଭାଗା ତୀର୍ଥେହେଲା ଯାଇଁ ପରବେଶ,ଲାଗିଛନ୍ତି ଯହିଁ, ବାରଶ ବଢ଼ାଇବିଶ୍ରାମ ନାହିଁ ନିମେଷ ।ଦିନ ରାତି ଯହିଁ ଜଣା ନ ପଡ଼ଇମୁଖରିତ ନିରନ୍ତର,ଭୋଜନ ଶୟନ ଛାଡ଼ି ଲାଗିଛନ୍ତିପ୍ରାଣପଣେ କାରିଗର ।
(୩)
ବାରବରଷର ସରଳ ବାଳକସେ ଅଚିହ୍ନା ସ୍ଥାନେ ଏକା;ଚକିତେ ଚୌଦିଗେ ଅନାଇଁ ଚିନ୍ତିତବାପର ନପାଇ ଦେଖା ।ବିଚାରେ,"କାହାକୁ ପଚାରିବି ଏଥିକିଏ ବା ଦେବ ଉତ୍ତର,ସର୍ବେ କର୍ମେ ରତ ଏକକୁ ଆରେକଚାହିଁବାକୁ ନାହିଁ ତର ।"ଅବସର ବୁଝି କୋଳି ବିକ୍ରି ବ୍ୟାଜେବୁଲେ ସେ ଜନ ଗହଳେ,ରସାଳ ପୃଥୁଳ ସେ ବଦରି ଫଳଯେ ଦେଖେ ତା ମନ ବଳେ ।ଜଣେ କେହି ଶିଳ୍ପୀ ଘର କଥା ଭାବିମରମେ ଆହତ ଅତି,କହେ, ‘‘ମୋ ବାଡ଼ିରେ ଫଳୁଥିବ ଆହା !କେତେ କୋଳି ଏହିମତି ।"କୋଳିବିକା ପିଲା- ମୁହଁକୁ ଅନାଇଁକିଛି ନ ପାରଇ କହି,ନ ଜାଣେ ଅପୂର୍ବ ବାତ୍ସଲ୍ୟ-ମମତାକିପାଁ ହୃଦେ ଉପୁଜଇ ।ବାଳକ ବଚନ ଶୁଣି କୁତୂହଳେପୂଲକେ ପୂରେ ପରାଣ,କୁକୁରକୁ ଦେଖି ଅନ୍ତର ଇଙ୍ଗିତେକରେ ସେ ସତ୍ୟ ପ୍ରମାଣ ।ଗ୍ରାମ ନାମ ଆଦି ପଚାରି ପାଇଲାଯେବେ ପୁତ୍ର-ପରିଚୟ;ବାଳକ-ବଦନ ଚୁମ୍ବିଲା ସେନେହେ,ଚରଣେ ନମେ ତନୟ ।ବାପ ପୁଅ ବେନି ଗଲେ ବସାଘରେପକାଇଲେ କେତେ କଥା,କହେ ଶିଳ୍ପୀ, "ବେଗେ ଯାଉଛି କାମକୁନ ଗଲେ ନ ରହେ ମଥା ।"‘‘କିପାଁ ଏ ଉଦ୍ବେଗ ?’’ ପାଇ ମନେ ଖେଦପଚାରେ କାତରେ ପୁଅ,ବୃଦ୍ଧ ଶିଳ୍ପୀ ମୁଖେ ବଚନ ନ ସ୍ଫୁରେନୟନୁ ବହଇ ଲୁହ ।କ୍ଷଣକ ଅନ୍ତରେ କହେ ବୃଦ୍ଧ ପୁଣି"ଥିଲା ମୋ ପୂର୍ବ ସୁକୃତ,ଅନ୍ତକାଳେ ତୋତେ ଦେଖି ଏଥୁ ବାବୁହେଲି ଏବେ କୃତକୃତ୍ୟ ।ବାର ବର୍ଷ ହେଲା ଲାଗିଲାଣି କାମମୁଦା ନ ହେଲା ଦେଉଳ,କାଳ ଅତିକ୍ରମେ ରାଜା ନରସିଂହଦାରୁଣ ଦୁଃଖେ ଆକୁଳ ।ଦୁଇ ଦିନ ମଧ୍ୟେ ପୂରିବ ଦେଉଳନ ରହିବ କିଛି ଶେଷ,'ନ ହେଲେ କାଟିବି ବଢ଼ାଇଙ୍କ ମୁଣ୍ଡ'ହୋଇଛି ରାଜା ଆଦେଶ ।ଦୁଇ ଦିନୁଁ ଦିନେ ହେଲାଣି ଅତୀତଆଉ କାଲି ଦିନ ବାକୀ,ନିରାଶେ କାତର ସର୍ବେ କାରିଗରକାମକୁ ନ ପାଏ ଆଖି ।ନଦୀ-ଗର୍ଭେ ହେଲା ଦେଉଳ ପତନରହିଲା ତହିଁ କି ଦୋଷ,କେଜାଣି କାହାର ଅପରାଧେ ଅବାଗ୍ରହରାଜ କଲେ ରୋଷ !କଲେ ଯେତେ ଯତ୍ନ ନ ପୂରେ ଦେଉଳନ ବସେ ଦହି-ନଉତି,ଉପାୟ ନ ଦେଖି କାରିଗରଙ୍କରହଜିଲାଣି ବୁଦ୍ଧି ବୃତ୍ତି ।ଛାମୁରୁ ଆଦେଶ- ମନ୍ଦିର ମୁକୁଟେହେବ ଚୁମ୍ବକ ଖଚିତ,ପ୍ରଭାବେ ଯାହାର ମହୋଦଧି-ବକ୍ଷେନ ଯିବ ଶତ୍ରୁ ବୋଇତ ।ବାରଶ ବଢ଼ାଇ ଏକୁଁ ଏକ ସର୍ବେଶିଳ୍ପବିଦ୍ୟା-ବିଶାରଦ,ଗଢ଼ିଛନ୍ତି କେତେ ଦେଉଳ ଅଟ୍ଟାଳିସେତୁ ଦୁର୍ଗ ଜନପଦ ।ଯେଝା ବୁଦ୍ଧିବଳେ ଗଢ଼ନ୍ତି ପଥରଖସି ସବୁ ପଡ଼େ ତଳେ,ଦେଉଳ ମୁଦିବା ବୁଦ୍ଧି ନ ଦିଶଇନିରସ୍ତ ଏବେ ସକଳେ ।ଆଜି ନିଶି ଶେଷେ କାଲି ପ୍ରଭାତରେହୋଇବ ରବି-ଉଦୟ;ପର ଦିନ ରବି ଉଇଁଣ ଦେଖିବେବାରଶ ବଢ଼ାଇ କ୍ଷୟ ।ଆଜି ସଞ୍ଜବେଳେ କରିବେ ବିଚାରବସି ସବୁ କାରିଗର,ଯାଉଛି ମୁଁ ତେବେ, ରହି ଏଥି ବାବୁନିଶ୍ଚିନ୍ତେ ବିଶ୍ରାମ କର ।ବାପର ବିଷାଦ ଦେଖି ଧର୍ମପଦଆଶ୍ଚର୍ଯ୍ୟେ କହଇ ବାଣୀ-"ସତେ ନରସିଂହ ମହାରାଜା ଦେବବାରଶ ବଢ଼ାଇ ହାଣି ?ଉତ୍କଳର ଶିଳ୍ପୀ- କୁଳ ସୁପ୍ରସିଦ୍ଧଦକ୍ଷ କାରିଗରଗଣ ,ମିଳୁଛନ୍ତି ଯହିଁ, ସେ କାର୍ଯ୍ୟ କି କେବେରହିପାରେ ଅପୂରଣ ?ନ ଥିଲେ ଆପତ୍ତି ଦିଅ ଅନୁମତିସଭାସ୍ଥଳେ ଯିବା ପାଇ ?ଶିଳ୍ପ-ଗୂଢ଼ ପ୍ରଶ୍ନ ଶୁଣିବି, ଦେଖିବିବାର ଶତ ଜାତି ଭାଇ ।"ବାପ ପୁଅ ବେନି ତତକ୍ଷଣେ ତହୁଁଚଳିଗଲେ ସଭାସ୍ଥଳେ,କଲେ ତର୍କ ଯୁକ୍ତି ଉକ୍ତି ପ୍ରତିଉକ୍ତିସେଝା ବୁଦ୍ଧି କଉଶଳେ ।ରଥ ଦେବାଳୟ- ଗଠନ-ନିର୍ଣ୍ଣୟଚୁମ୍ବକର ତତ୍ତ୍ୱମାନ,ବୃଦ୍ଧ ଶିଳ୍ପୀଗଣେ କଲେ ଆଲୋଚନାଦେଖାଇ ଶାସ୍ତ୍ର-ପ୍ରମାଣ ।ରାତି ଅଧଯାଏ ଚାଲିଲା ବିଚାରନହେଲା କିଛି ମୀମାଂସା,ଉପାୟ ନ ପାଇ ବାରଶ ବଢ଼ାଇଛାଡ଼ିଲେ ପରାଣ ଆଶା ।ଯୋଡ଼ି କର ବେନି ସବିନୟ ବାଣୀକହେ ଶେଷେ ଧର୍ମପଦ-"ନୀଳାଚଳେ ଯେବେ ସତ୍ୟ ଜଗନ୍ନାଥ,ନ ହେବେ କିଛି ଆପଦ ।ଏକାମ୍ର କାନନେ ସତ୍ୟେ ପ୍ରତିଷ୍ଠିତଯେବେ ପ୍ରଭୁ ଲିଙ୍ଗରାଜ,ନ ସହିବ କେବେ ନିନ୍ଦା ଅପଖ୍ୟାତଉତ୍କଳ-ଶିଳ୍ପୀ-ସମାଜ ।ଯାଗାନଳୁ ଯେବେ ସତ୍ୟ ବେଦମନ୍ତ୍ରେଉଠିଥିବେ ବୀରଜାଈ,ମୁଣ୍ଡ କଟା ହୋଇ ନ ମରିବେ ଏଥିକେବେ ବାରଶ ବଢ଼ାଇ ।ମୁଁ ଅତି ସାମାନ୍ୟ ଶିଶୁ ଅକିଞ୍ଚନଜାତ ବିଶ୍ୱକର୍ମା-କୁଳେ,ଶିଳ୍ପୀ-ସାମନ୍ତଙ୍କ ହେବ ଯେବେ ଆଜ୍ଞାହାତ ଦେବି ଏ ଦେଉଳେ ।ଦିନକ ମଧ୍ୟରେ ମୁଦିବି ଦେଉଳମନେହୁଏ ମୋ ବିଶ୍ୱାସ,ମାଗେଁ ଏ ଆଦେଶ ଶିଳ୍ପୀ-ସାମନ୍ତଙ୍କଚରଣେ ମୁଁ ଦୀନ ଦାସ ।’’ବାଳକ-ବଚନ ଶୁଣି ସଭାଜନବିସ୍ମିତ ହେଲେ ସକଳ,କହିଲେ, ‘‘ଏ କଥା ଅତି ଅସମ୍ଭବଶିଶୁ-ସ୍ୱଭାବ ଚପଳ ।’’ଅଭିମାନୀ କେହୁ କହଇ ଗରବେ,‘‘ଉଚିତ ଆମ ମରଣ,ଦିନକରେ ଯେବେ ଏକା ଏ ବାଳକକରେ ଦେଉଳ ପୂରଣ ।’’ଅନ୍ୟ ବୋଲେ, ‘‘ଛାଡ଼ ଈର୍ଷା ଅହଙ୍କାରନାହିଁ ଏଥି ଅପମାନ,ପୂରୁ ଦେବାଳୟ ରହୁ ରାଜଦ୍ୱାରେଶିଳ୍ପୀକୁଳ-ସନମାନ ।’’‘‘ଗୋପନେ ଯଦ୍ୟପି ନ ହେବ ଏ କାର୍ଯ୍ୟଲୋକରେ ପଡ଼ିବ ଜଣା,ବନ୍ଧା ହେବ ଶାଢ଼ୀ ଏ ବାଳକ ମୁଣ୍ଡେଆମ ମୁଣ୍ଡ ହେବ ହଣା ।’’ସପକ୍ଷେ ବିପକ୍ଷେ କହିଲେ ଏପରିକେତେ କଥା କେତେ ଜଣ,ଅବଶେଷେ ଜଣେ ବୃଦ୍ଧ ଶିଳ୍ପୀ ଭଣେ;‘‘ଶୁଣ ଭାଇ ସଭାଜନ !ହେଲେ ହେଁ ବାଳକ ଶିଳ୍ପୀକୁଳେ ଜାତମୁଦିବ ଯେବେ ମନ୍ଦିର,ରହିବ ଉତ୍କଳେ ଶିଳ୍ପୀ-ଗଉରବଯାଉପଛେ ଆମ ଶିର ।ପ୍ରତିଜ୍ଞା ଏହାର ଅସମ୍ଭବ ବୋଲିମନେ ବିଚାର ନ କର,କାହାକୁ କି ଶକ୍ତି ଦେଇଛନ୍ତି ପ୍ରଭୁଜାଣିବ ତା କାହିଁ ନର ?ହୁଏ ଶିଶୁମୁଖେ ସତ୍ୟ ପରକାଶବାଳକେ ବଳ-ଉଦୟ,ଅସମ୍ଭବ ହୁଏ, ସମ୍ଭବ ଜଗତେଦୟା କଲେ ଦୟାମୟ !ଧ୍ରୁବ ପ୍ରହଲ୍ଲାଦ ପୁରାଣ-ପ୍ରବାଦକବି-କଳ୍ପନା ନ କହ,କାଳେ କାଳେ ଶିଶୁ ଅସାଧ୍ୟ ସାଧିବହେଲେ ପ୍ରଭୁ ଅନୁଗ୍ରହ ।ଶୁଣିଛ ତ ସର୍ବେ ଅଭିମନ୍ୟୁ କଥାବୀର-ବାଳକ-ବିକ୍ରମ,ଶୁଣିଛ ଜନମୁଁ ଥିଲେ ଶୁକଦେବବ୍ରହ୍ମଜ୍ଞାନୀ ଅନୁପମ ।ଶିଶୁ ବଢ଼ି କ୍ରମେ ହୁଏ ଯୁବା ବୃଦ୍ଧଚତୁର ପ୍ରବୀଣ ନର,ପ୍ରଭାତ ଅରୁଣେ ଲୁଚି ରହିଥାଏମଧ୍ୟାହ୍ନ ତେଜ ପ୍ରଖର ।କାଲି ଦିନ ରାତି ରହିଅଛି ବାକୀବିଚାରିବୁ ନାହିଁ କାଳ,ଯାହା କରିବାର ସ୍ଥିର କର ଏବେଆଉ ଅଧିକ ନ ଭାଳ ।ଦଇବ ବିଧାନେ ଏ ବାଳକ ଏଥିଯଥାକାଳେ ଉପଗତ,ଛାଡ଼ିଦେବା ଏହା ହାତେ ବାକି କାର୍ଯ୍ୟକର ସର୍ବେ ଏହି ମତ ।"ଏହିପରି ବହୁ ବିଚାର ଶେଷରେସ୍ଥିର କଲେ ଶିଳ୍ପୀଗଣ,କରନ୍ତୁ ବାଳକ କାଲି ଦିବାଭାଗେଆଗେ ମନ୍ଦିର ବୀକ୍ଷଣ ।କାଲି ସନ୍ଧ୍ୟାଯାଏ ଲାଗିବା ସରବେକାମ ନ ହେଲେ ପୂରଣ,ସମର୍ପି ଦେଉଳ ବାର ଶତ ଶିରବାଳକେ ଯିବା ଶରଣ ।ବାଳକେ ସରବେ କଲେ ଧନ୍ୟ ଧନ୍ୟଭାଜିଲା ସଭା ସେ ଦିନ,ବାରଶ ବଢ଼ାଇ ଲାଗିଲେ କାମରେନିରାଶେ ମୁଖ ମିଳିନ ।
(୪)
ତହିଁ ଆରଦିନ ଧର୍ମପଦ ଦେଖେଦେଉଳ ଗଠନ ରୀତି,ପରଖେ ପତନ ପୀଢ଼ ଖମ୍ବ କୋଣଆଦ୍ୟା ପ୍ରାନ୍ତ ଅବସ୍ଥିତି ।ବାରଶ ବଢ଼ାଇ ଲାଗିଛନ୍ତି କାମେକରି ପ୍ରାଣ ପ୍ରାୟଶ୍ଚିତ୍ତ,ଚାହୁଁ ଚାହୁଁ ଦିନ ହେଲା ଅବସାନରବି ହେଲେ ଅସ୍ତିମିତ ।ନ ସରିଲା କାମ ନ ଦିଶଇ ଆଶାରାତି ମଧ୍ୟେ ପୂରିବାର,ବାରଶ ବଢ଼ାଇ ମୁଣ୍ଡେ ହାତ ଦେଇବସିଲେ ତେଜି ଆହାର ।କହେ ଧର୍ମପଦ, “ଆଜ୍ଞା ହେଲେ ମତେକାମେ ଦେବି ଏବେ ହାତ,ପ୍ରଭୁ ଦୟା କଲେ ପୂରିବ ଦେଉଳନ ହେଉଁ କାଲି ପ୍ରଭାତ ।"ବାରଶ ବଢ଼ାଇ କଲେ ଧନ୍ୟ ଧନ୍ୟଦେଲେ ସର୍ବେ ଆଶୀର୍ବାଦ,“ଯାଅ ବାବୁ ଯାଅ ବିଳମ୍ବ ନ କରକହି କଲେ ଉଚ୍ଚନାଦ ।“ରହୁ କୁଳମାନ ପୂରୁ ନରସିଂହ-ନୃପତି ମନ କାମନା,ବାର ବରଷର ବଢ଼ାଇ ପୁଅରହେଉ କୀରତି ଘୋଷଣା ।"
(୫)
ଆରମ୍ଭିଲା କାମ ଦେଉଳ ଶିଖରେଏକ ଲୟେ ଧର୍ମପଦ,ଆଶାର ଆନନ୍ଦେ କାରିଗର ଏଣେଆଶଙ୍କା କଲେ ଆପଦ ।ବାଳକ କରଣୀ ନିଶ୍ଚେ ଯିବେ ଜାଣିନରସିଂହ ଗଜପତି,ଏ ବାଳକ ମୁଣ୍ଡେ ବନ୍ଧା ହେବ ଶାଢ଼ୀଘଟିବ ଆମ ବିପତ୍ତି ।ଯଥା ସମୟରେ ପୂରିବ ଦେଉଳଏହି ମାତ୍ରା ଆଶ୍ୱାସନା,ପରାଣ-ଭୟରେ ସବୁ କାରିଗରେକରନ୍ତି ନାନା ଭାବନା ।ବସି ଏକଠାଇଁ ବାରଶ ବଢ଼ାଇଆତଙ୍କେ କାଟନ୍ତି ନିଶି,ଏହି ସମୟରେ ପୂରିଲା ଦେଉଳଅଗ୍ର-କୁମ୍ଭ ଗଲା ଦିଶି ।ହରଷ-ବିଷାଦେ ଚାହିଁଲେ ସକଳେନିରେଖି ଦେଉଳେ ଚୂଳେ,ରାତି ଥାଉଁ ଥାଉଁ ଓହ୍ଲାଇ ମିଳିଲାଧର୍ମପଦ ତାଙ୍କ ତୁଲେ ।
(୬)
ଦେଖି କାରିଗରେ କରନ୍ତି ପ୍ରଶଂସାନାହିଁ କାହା ମନେ ସୁଖ,ପଚାରେ ବାଳକ, "କି ପାଇଁ ଦିଶନ୍ତିଆପଣ ସର୍ବେ ବିମୁଖ ?ଦର ବିକଶିତ କମଳ ସରସେକିପାଁ ହିମ ବିନ୍ଦୁପାତ ?ଉଲ୍ଲସିତ ପ୍ରାଣେ କାହୁଁ କି କାରଣେଅକସ୍ମାତେ କଷାଘାତ ?"ଜଣେ ବୃଦ୍ଧ ଶିଳ୍ପୀ କହନ୍ତି ନିରୋପିସମସ୍ତଙ୍କ ମନକଥା-“ପୂରିଲା ଦେଉଳ, ହେବ ତୁମ ଯଶନ ରହିବ ଆମ ମଥା ।"ନ ଶୁଣୁ ଅଧିକ କହଇ ବାଳକ‘‘ମୋର ସେ ଯଶେ କି ଫଳ ?ଯେବେ ଶିଳ୍ପୀକୁଳ ବାର ଶତ ଫୁଲଝାଉଁଳି ପଡ଼ିବେ ତଳ ।ମୁଁ ଶିଳ୍ପୀକୁଳର ଅଧମ ତନୟଜାତିଭାଇଙ୍କ କିଙ୍କର,ଦେଉଳ ପୂରଣେ ନାହିଁ ମୋ କରଣୀସେ ସବୁ କାର୍ଯ୍ୟ ତୁମ୍ଭର ।ଜାତି ଭାଇଙ୍କର ଆଦେଶେ ସିନା ମୁଁକଲି କାର୍ଯ୍ୟ ସମ୍ପାଦନ,ଜାତିପୁଅଙ୍କର ମୁଣ୍ଡ ଗଲେ ମୋରଜୀବନେ କି ପ୍ରୟୋଜନ ?ବାରଶ ବଢ଼ାଇ ମୋର ଜାତିଭାଇଜାଣ ଏ କଥା ନିଶ୍ଚୟ,ଯାହା ହେବ ହେବ କେବେ ନ ଘଟିବତୁମ୍ଭ ଜୀବନ-ସଂଶୟ;କେହି ନ ଜାଣନ୍ତି ମୋ ନାମ ଏଠାରେନ ଜାଣିବେ କେହି ତାହା,ନ ହେଉଁ ଆଜି ଏ ରଜନୀ ପ୍ରଭାତେଦେଖିବି ମୁଁ ନିଜ ରାହା ।ରାତିକେ ଦେଉଳ ପୂରିଲା ଯେପରିନ ହେବ ଲୋକେ ପ୍ରକଟ,ନ ଜାଣିଲେ ରାଜା କି ଅବା ପ୍ରଧାନପଡ଼ିବ କିପାଁ ସଙ୍କଟ ?ପହରେ ମାତର ଅଛି ଆଉ ରାତିଯାଅ ବାସେ ଶୁଅ କ୍ଷଣେ,ହେଉଛି ବିଦାୟ ଦଣ୍ଡବତ କରିଜାତିଭାଇଙ୍କ ଚରଣେ ।”
(୭)
ଯେ ଯାହା କୁଟୀରେ ଗଲେ କାରିଗରେବାପ ସଙ୍ଗେ ଧର୍ମପଦ,କହେ ପୁଅ, “ଏବେ ପୁଚ୍ଛିବି କଥାଏମନେ ନ ଗଣ ଆପଦ ।କହିବ ତୁରିତେ ପୁଅରେ ଦାୟ କିବାରଶ ବଢ଼ାଇ ଦାୟ,ଏ ବିଚାରେ ହେବ ବାରଶ ବଢ଼ାଇ-ତ୍ରାଣ-ଉଦ୍ଧାର-ଉପାୟ ।”ବାପ ମନେ ଭାଳେ କେତେ ପାପ ଚିନ୍ତାମୁଖେ ଉତ୍ତର ନ ଆସେ,ଉଭୟ ସଂକଟେ ପଡ଼ି ଯଥା ନରଯାଏ ନାହିଁ କେଉଁ ପାଶେ ।ବାପର ବିଷାଦ ଦେଖି ଧର୍ମପଦକହେ ସୁକୋମଳ ଭାଷା,“ବାରଶ ବଢ଼ାଇ ରହନ୍ତୁ ଜୀବନେଛାଡ଼ ଏବେ ମୋର ଆଶା ।ଏ ଜଗତେ କାହା ପୁଅ ବା କାହାର,ସମସ୍ତ ମାୟା ଭିଆଣ,ସାର୍ଥକ ଜନମ ତାର ଏକା ସିନାପର ହିତେ ଯାର ପ୍ରାଣ ।କହିଛନ୍ତି ମୁନି- ‘କୁଳରକ୍ଷା ଘେନିହେବ ଯେବେ ପ୍ରୟୋଜନ,ତେଜିବ ଜଣକୁ ହେଲେ ହେଉ ପଛେସେ ଯେଡ଼େ ସ୍ନେହଭାଜନ ।ନ ହୋଇ ବ୍ୟାକୁଳ ଗ୍ରାମହିତେ କୁଳବରଜନ୍ତି ସାଧୁଜନ,ଦେଶହିତେ ଗ୍ରାମ, ଜଗତ କଲ୍ୟାଣେକର ଦେଶ ବିସର୍ଜନ ।’ବାରଶ ବଢ଼େଇ ଆମ ଜାତି ଭାଇଶିଳ୍ପୀକୁଳ ଗଳାହାର,ପାଆନ୍ତୁ ଜୀବନ ମୋ ଜଣକ ଲାଗିମନେ କିଛି ନ ବିଚାର ।ତେଜ ମୋ ମମତା, ହେବ ନାହିଁ ବାପାଦେଖା ଆଉ ଏ ଜୀବନେ,ଦିଅ ଅନୁମତି, କର ଆଶୀର୍ବାଦବିଦା ହେବି ଏହି କ୍ଷଣେ ।"କହେ ବୃଦ୍ଧ, ‘‘ବାବୁ, ବାର ବର୍ଷ ହେଲାଛାଡ଼ି ଆସିଅଛି ଘର,ଯେତେବେଳେ ତୁହି ହୋଇଥିଲୁ ମାତ୍ର-ଗର୍ଭରେ ଚାରି ମାସର ।ପୁଅ କିବା ଝିଅ ହେଲା କି ଅପତ୍ୟକିବା ଗର୍ଭ ହେଲା ନାଶ,ଭାବିବାକୁ ମତେ କେବେହେଲେ ଦଣ୍ଡେମିଳିନାହିଁ ଅବକାଶ ।କି ଯୋଗରେ ବାବୁ ପହଞ୍ଚିଲୁ ଆସିକଲୁ ଅସାଧ୍ୟ ସାଧନ,ଏପରି ସୁଯୋଗ୍ୟ ପୁଅ ପାଏ କିରେଅଳପ ଭାଗ୍ୟରେ ଜନ !ବିଜୁଳି ପରାୟେ ଝଟକି ନିମିଷେଏବେ ଲୁଚିଯିବୁ କାହିଁ ?ଏଡ଼େ ଭାଗ୍ୟର କି ଏହି ପରିମାଣଏହା କି ମୁଁ ଥିଲି ଦାହି ?କେଉଁ ଜନ୍ମେ କାହା ଖାଇବା ପତରେପକାଇଥିଲି ମୁଁ ଧୂଳି,କାହା ଅଞ୍ଜଳିରୁ ଧନ ହରି ନେଇଦେଲି ତା ହାତେ ଶାଙ୍କୁଳି !ଅପାର ପାତକେ ପୂରି ରହିଅଛିମୋ ପ୍ରାରବ୍ଧ କର୍ମବନ୍ଧ,ପଲକେ ମୋ ପଥ ଉଜଳି ନୋହିଲେକିପାଁ ଯିବୁ କରି ଅନ୍ଧ ?ବାରଶ ବଢ଼ାଇ ଆମ ଜାତିଭାଇନୁହନ୍ତି ମୋ ପ୍ରୟୋଜନ,କୁଳ-ଗଉରବ ସଦା ରହିଥିବଥିଲେ ତୋ ପରି ନନ୍ଦନ ।ଯାର ଗୁଣରାଶି ଜଗତେ ପ୍ରକାଶିରଖେ ଜାତିକୁଳ ମାନ,ସେପରି ଗୋଟିକ ସଙ୍ଗତେ ନୁହନ୍ତିଆନ କୋଟିଏ ସମାନ ।"ତହୁଁ ପୁଅ ବେଗେ ବୋଲେ ଉଦ୍ବେଗେ‘‘ଅଧିକ ନ କହ ଆଉହେଉଛି ଉଛୁର ଯିବି ଏଠା ଛାଡ଼ିଏବେ ରାତି ଥାଉଁ ଥାଉଁ ।”“କାହିଁ ଯିବୁ ବାବୁ ଫେଡ଼ି କହ ସବୁରହିବୁଟିକି ପରାଣେ ?ବଞ୍ଚି ରହିଥିଲେ କେବେହେଲେ ଦେଖାକାହିଁ ହେବ କିଏ ଜାଣେ !”କହେ ପୁଅ, “ବାପ, ଜୀବନ-ମରଣଲାଗିଅଛି ଅନୁକ୍ଷଣ,ଜନମ ହୋଇଲେ ଆଗେ ଅବା ପଛେଅବଶ୍ୟ ହେବ ମରଣ ।କାପୁରୁଷ ପରି ମରିବା ଜଗତେନୁହେ ନର ପଉରୁଷପରହିତ ସାଧି ମରେ ଯେ ମହୀରେସେହି ଏକା ସୁପୁରୁଷ ।ମାନବ-ଜୀବନ ନୁହଇ କେବଳବର୍ଷ-ମାସ-ଦିନ-ଦଣ୍ଡ,କର୍ମେ ଜୀଏଁ ନର, କର୍ମ ଏକା ତାରଜୀବନର ମାନଦଣ୍ଡ ।ମୁହୂର୍ତ୍ତେ ମାତର ଉଜ୍ଜ୍ୱଳି ପ୍ରଖରଶିଖା ଟେକି ହୁତାଶନ,ଜଳି ଯେବେ କରେ ଆଲୋକ ଉତ୍ତାପଚଉଦିଗେ ବିତରଣ,ଲିଭୁ ସେ କ୍ଷଣକେ, ତଥାପି ଏ ଲୋକେରହେ ତା’ ଆଦର ଯଶ;କି ଲୋଡ଼ା ତହିଁରେ ରହେ ଯେ ମହୀରେକୁହୁଳି ସହସ୍ର ବର୍ଷ ?କହିଛି ନିଶ୍ଚୟ ଏ ଜୀବନେ ଆଉହେବ ନାହିଁ ଯେବେ ଦେଖା,ଜୀଇଁବା ମରିବା କିପାଇଁ ପଚାରସେ ଦୁଇ କଥା ତ ଏକା ।ଏ ମୋ ବଡ଼ ଭାଗ୍ୟ ଘଟିଲା ସୁଯୋଗମିଳି ଏଥି ଯଥା ବେଳେ,ମୁଦିଲି ଦେଉଳ କୂଟ ଶିଳ୍ପତନ୍ତ୍ରେଶିଖିଲି ଯା ଶିଶୁ-ଖେଳେ ।ବାରଶ ବଢ଼ାଇ ମୋର ଜାତିଭାଇସହି ନିନ୍ଦା ଅପମାନ ।ମଲେ ଯେବେ ଏଥି କି ସୁଖ ମୋହରକରି ମନ୍ଦିର ନିର୍ମାଣ ?ବାରଶ ବଢ଼ାଇ- ରକତ ରଞ୍ଜିତଯଶ ସନମାନ-ଧନ,ପାଇ ରାଜଦ୍ୱାରେ କହ କି ପ୍ରକାରେବଢ଼ିବ ମୋ ବଡ଼ପଣ ?ଶାଢ଼ୀ ବାନ୍ଧି ମୁଣ୍ଡେ ଯିବି ରାଜଦାଣ୍ଡେଦେଖି ଜାତି-କୁଳ-ନାଶ,କି ରଙ୍ଗେ ଚିତ୍ରିବ ଏ ଜଘନ୍ୟ ଛବିଭବିଷ୍ୟତ ଇତିହାସ !ଦେଉଳ ଅମୁଦା ରହି ମରିଥାନ୍ତେଯେବେ ସବୁ କାରିଗରେ,ମୋ କର୍ମ-କୌଶଳେ ଲଜ୍ଜା ଅପମାନନ ଥାନ୍ତା ତାଙ୍କ ମୁଖରେ ।ଉତ୍କଳର ଶିଳ୍ପୀ- କୁଳ ଇତିହାସେନ ରହୁ ଏ କଳା ଦାଗ,ତେଣୁ ସ୍ୱଚ୍ଛମନେ ଏ ଜୀବନ ଲାଗିକର ବାପା ମୋତେ ତ୍ୟାଗ ।‘ସଞ୍ଚାଣ-କପୋତ’- ଅଦ୍ଭୁତ ଚରିତଶୁଣିଛ ମହାଭାରତେ,ପରାଣ ବିକଳେ କପୋତ ବ୍ୟାକୁଳେମିଳିଲା ଶିବି-ପୁରତେ ।କାଶୀ-ନରପତି କପୋତ ବିପତ୍ତିଦେଖି ପାଇଲେ କଷଣ,ଯେବେ ଯଜ୍ଞାଗାରେ ଉଡ଼ିଣ ଆତୁରେପଶିଲା ପକ୍ଷୀ ଶରଣ ।ଯାଚକ-ଯାଚ୍ଞା ନ କଲେ ପୂରଣଯଜ୍ଞଫଳ ଯାଏ ନାଶ,ସଞ୍ଚାଣ ବଧିଲେ ହିଂସା ମହାପାପଆବର କରିବ ଗ୍ରାସ ।ଉଭୟ ସଂକଟେ ନ ଦେଖି ଉପାୟଶିବି ରାଜା ମହାମତି,ବେନି ପକ୍ଷୀ ମଧ୍ୟେ ଉଭା ହୋଇ ସଧେସଞ୍ଚାଣେ କଲେ ବିନତି ।‘‘ଦେବି ପକ୍ଷିରାଜ, ଯାହା ଇଛା ମାଗରଖ କପୋତ ଜୀବନ’’;କହଇ ସଞ୍ଚାଣ, ‘ଲୋଡ଼ା ନାହିଁ ଧନ,ମୁଁ ଯେ କ୍ଷୁଧା-ଅବସନ୍ନ ।କପୋତ ଉଦ୍ଧାରେ ଉଦାର ଅନ୍ତରେକର ଯେବେ ଅଭିଳାଷ,ନିଜ ଅଙ୍ଗୁ କାଟି ତୁଳିଦିଅ ମୋତେକପୋତ ସମାନ ମାଂସ ।’’ହରଷେ ନୃପତି ଦେଖାଇଣ ଛାତିକାଟିଦେଲେ ମାଂସ ଖଣ୍ଡେ,ପରିମାଣେ ମାଂସ କପୋତ ସମାନହେଲା ନାହିଁ ତୁଳାଦଣ୍ଡେ ।ଆଉ ଖଣ୍ଡେ ପୁଣି କାଟିଲେ ନୃମଣିସମ ନୋହିଲା ନିକିତି,ଖଣ୍ଡେ ଖଣ୍ଡେ କ୍ରମେ କଲିଜା କାଟିଲେକପୋତେ ପ୍ରକାଶି ପ୍ରୀତି ।ନୃପ-ଦୟାପଣ ଦେଖି ସେ ସଞ୍ଚାଣକଲା ଶେଷେ ଜୟନାଦ,ତେଜିଲା କପୋତେ ଗଲା ନିଜ ପୁରେଦେଇ ଦିବ୍ୟ ଆଶୀର୍ବାଦ ।କପୋତର ହିତେ ଶିବି ଶୁଦ୍ଧିଚିତ୍ତେକରି ଏ ଆତ୍ମ ଉତ୍ସର୍ଗଇହ ପରଲୋକେ ଲିଭିଲେ ଅକ୍ଷୟଧର୍ମ ଆଦି ଚାରି ବର୍ଗ ।ଏ ଜଗତ ବାପ, ମହା ମଖଶାଳାନରନାରୀ ଯଜମାନ,ସେହି କୃତୀ, ଯେହୁ ପରହିତେ କରେଜୀବନ ଆହୁତି ଦାନ ।ଭୁବନ-ବିଦିତ ଦଧୀଚି ଚରିତପୁରାଣେ ତ ଅଛ ଶୁଣି,କହି ସ୍ୱସ୍ତି ସ୍ୱସ୍ତି ଦେଲେ ନିଜ ଅସ୍ଥିବିଶ୍ୱହିତେ ମହାମୁନି ।ପରହିତେ ପ୍ରାଣ ଉତ୍ସର୍ଗି ପୂରବେକେତେ କେତେ ମହାଜନ,ଲଭିଛନ୍ତି ତ୍ୟାଗେ ପରାଣ ପୂର୍ଣ୍ଣତାମରଣେ ନିତ୍ୟ ଜୀବନ ।କୋରକିତ ପ୍ରାଣ ଫୁଟେ ପ୍ରେମ-ସରେପବନେ ମିଶାଏ ବାସ,ବିଶ୍ୱବ୍ୟାପୀ ରବି- ଉଜ୍ଜ୍ୱଳ ଆଲୋକେଚାରୁ ସ୍ନିଗ୍ଧ ମନ୍ଦହାସ ।ବାରଶ ବଢ଼ାଇ ରହିଛନ୍ତି ଚାହିଁଏବେ ତୁମ ମୁଖ ପ୍ରତି,ପୁତ୍ର-ସ୍ନେହ-ମାୟା ତୁଟାଇଲେ ତୁମ୍ଭେଯିବେ ସକଳେ ବିରତି ।ବାରଶ ବଢ଼ାଇ ମୁହଁକୁ ଅନାଇଁମୋ ମମତା ଏବେ ଛାଡ଼ଜାଣ ଏ ଦେଉଳୁଁ ଗଡ଼ି ମରିଛି ମୁଁଭାଙ୍ଗି ମଥା ବୁକୁହାଡ଼ ।ଚାହଁ ଏ ଦେଉଳେ, ଚାହଁ ଜାତିକୁଳେ,ଛାଡ଼ ମନୁବୃଥା କଷ୍ଟ,ବିଚାର ଜନମ ପାଇ ନାହିଁ ମୁହିଁହୋଇଅଛି ଗର୍ଭୁ ନଷ୍ଟ ।କରୁଛ ଭାବନା ନ ହେବ ମୋ ବିନାବଂଶ ରକ୍ଷା ତୁମ୍ଭ ଅନ୍ତେ,କର ହେ ବିଚାର କାହା ବଂଶ ଚିରରହିଛି ବା ଏ ଜଗତେ ?କେତେ ମହାଜନ ଅସାଧ୍ୟ ସାଧନକରିଗଲେ କାଳବଳେ,କାହିଁ ତାଙ୍କ ବଂଶ ? ଅଛି ମାତ୍ର ଯଶଆଜିଯାଏ ମହୀତଳେ ।ଏକର ବିନାଶେ ଅନେକ ପ୍ରକାଶେସୃଷ୍ଟିର ଏ ନିତ୍ୟ ବିଧି,ଏକର ଯା କ୍ଷୟ ଅନେକ ଉଦୟ,ଅନେକ ଏକର ସିଦ୍ଧି ।ବଂଶ ପଛେ ଯାଉ, ଜାତି ବୃଦ୍ଧି ପାଉସାଧ ଏ ଉଦାର ନୀତି,କୋଣାର୍କ ଦେଉଳ ଗାଉ ଚିରକାଳତୁମ୍ଭ ପୁଣ୍ୟ ତ୍ୟାଗ-ଗୀତି ।ପରେ ଦୟାବହି ସତ୍ୟ ରକ୍ଷା ପାଇଁପୂର୍ବେ କେତେ କେତେ ଲୋକ,କାଟିଛନ୍ତି ନିଜ ହାତେ ପୁଅ ମୁଣ୍ଡମୁହୂର୍ତ୍ତେ ନ କରି ଶୋକ ।ବିହିତ କରମ ମାନବ ଧରମବୀର ଭାବେ ଯେହୁ ସାଧେ,ସେହି ଧନୁର୍ଦ୍ଧର ରାମ ବୀରବରଭବାର୍ଣ୍ଣବେ ସେତୁ ବାନ୍ଧେ ।ତୁମର ମୋହର ଦେଖା ଦିନକରକିପାଁ ଏତେ ମାୟା ମୋହ ?ତେଜ ମୋ ମମତା ଦେଖାଅ ବୀରତାକର ନାହିଁ ଜାତି-ଦ୍ରୋହ ।କହ ମନ ସୁଖେ, ‘ନାହିଁ ପୁଏ ଦାୟ,ବାରଶ ବଢ଼ାଇ ଦାୟ’,ଜଗତେ ଏ କଥା ରହୁ କାଳେ କାଳେନେଉଛି ଏବେ ବିଦାୟ ।ପାହି ଆସିଲାଣି ଅନ୍ଧାର ରଜନୀନିର୍ମଳ ଦିଶେ ମୋ ପଥ,ଦିଅ ଆଶୀର୍ବାଦ ଘେନ ଏ ଜୀବନେଏହି ଶେଷ ଦଣ୍ଡବତ ।"
(୮)
ଏତେ କହି ପୁଅ ବାପ ପଦରଜନେଇ ଲଗାଇଲା ଶିରେ,ବୃଦ୍ଧ ମୁଖେ କିଛି ବଚନ ନ ଆସେଗଣ୍ଡ ସିକ୍ତ ନେତ୍ର-ନୀରେ ।ମୂକ ଆଶୀର୍ବାଦ ଇଙ୍ଗିତେ ପ୍ରକାଶିସ୍ନେହେ ଚୁମ୍ବିଲା ବଦନ,ଚାଲିଗଲା ପୁଅ କ୍ଷଣେ ବୃଦ୍ଧ ତହିଁହେଲା ଶୋକେ ଅଚେତନ ।ଅରୁଣ-ଆରକ୍ତ- ବରଣେ ରଞ୍ଜିତଦିଶେ ପୂରୁବ ଆକାଶ,ଫିଟି ନାହିଁ ନିଶା- ଅଙ୍ଗ କଳାଶାଢ଼ୀଫୁଟି ନହିଁ ଉଷାହାସ ।ଚନ୍ଦ୍ରଭାଗା-ନୀରେ ପାହାନ୍ତି ସମୀରେଖେଳଇ ମୃଦୁ ତରଙ୍ଗ,ଅଦୂର କାନନେ ପହର ପ୍ରମାଣେରାବେ କୁମ୍ଭାଟୁଆ ଖଗ ।ଏ ମୁହଁ ଅନ୍ଧାରି ବେଳେ ଧର୍ମପଦଚାଲିଗଲା ଅତି ଖରେ,ଚାର-ପଥେ ଚଢ଼ି ଉଠିଲା ତୁରିତେଦେଉଳ ଶିଖ ଉପରେ ।
(୯)
ଚୌଦିଗେ ବିସ୍ତୃତ ସାଗର-ସୈକତନିସ୍ତବ୍ଧ ବିଜନ ବେଳା,ସମ୍ମୁଖେ ଅପାର ନୀଳ ପାରାବାରଚିରନ୍ତନ ଊର୍ମି ଖେଳା ।ଊର୍ଦ୍ଧ୍ୱେ ସୁଶୋଭିତ ତାରକା-ଖଚିତଅନନ୍ତ ନୀଳ ଆକାଶ,ହେଲା ଶୁଦ୍ଧପ୍ରାଣେ ଅପୂର୍ବ ଉଦାରମହାଭାବ ପରକାଶ ।ଜଳ ସ୍ଥଳ ନଭ ହେଲା ଏକ ଭାବଲିଭିଗଲା ବିଚିତ୍ରତା,ଅନନ୍ତ ଅଭେଦେ ପରମ ନିର୍ବେଦେବ୍ୟକ୍ତ ବିଶ୍ୱ-ମହାସତ୍ତା ।ବାଳୁତ ହୃଦୟ ମିଶିଗଲା ସେହିମହା ଅନନ୍ତ ବିତାନେଅଜ ଭାବ ଭୁଲି ମଣେ ଆପଣାକୁଏକୀଭୂତ ବିଶ୍ୱପ୍ରାଣେ ।ମୁହୂର୍ତ୍ତକେ ପୁଣି ସେ କ୍ଷୁଦ୍ର ହୃଦୟେସଙ୍କୁଚିତ ବିଶ୍ୱସାରା,ଭିତର ବାହାର କଲା ଏକାକାରଅମୃତ ସଙ୍ଗୀତଧାରା ।ହୋଇ ଏକ ଧ୍ୟାନ ମିଳାଇଣ ତାନବିଶ୍ୱ-ସଙ୍ଗୀତ-ଲହରେ,ଗାଏ ଧର୍ମପଦ ପରମ ଆନନ୍ଦେ‘ଜୟ ଜଗଦୀଶ ହରେ ।’"ନମୋ ନିରଞ୍ଜନ ନିଖିଳ ନିଦାନବ୍ୟାପ୍ତ ସର୍ବ ଚରାଚରେ,ପ୍ରଭୁ ଦୟାମୟ ମଙ୍ଗଳ-ଆଳୟଜୟ ଜଗଦୀଶ ହରେ ।ନମୋ ନିରାକାର ସର୍ବ ବିଶ୍ୱାଧାରବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ,ପ୍ରଭୁ ବିଶ୍ୱପତି ଅଗତିର ଗତିଜୟ ଜଗଦୀଶ ହରେ ।ଧରି ତୁମ୍ଭ ବଳ ବହଇ ଅନିଳଅନ୍ତରୀକ୍ଷେ ନିରନ୍ତରେ,ଆଦେଶେ ଉଦଧି ନ ଲଙ୍ଘେ ଅବଧିଜୟ ଜଗଦୀଶ ହରେ ।ତବ ଦିବ୍ୟଜ୍ୟୋତି ପରକାଶେ ନିତିଗ୍ରହ ତାରା ନୀଳାମ୍ବରେ,ତବ ପୁଣ୍ୟ ହାସେ କୁସୁମ ବିକାଶେଜୟ ଜଗଦୀଶ ହରେ ।ନଦୀ ବନ ଗିରି ଭୀମକାନ୍ତ ଶିରୀତୁମ୍ଭରି କଟାକ୍ଷେ ଧରେ,ଗାଏ ତୁମ୍ଭ ଗୀତି ଏ ବିଶ୍ୱ-ଭାରତୀଜୟ ଜଗଦୀଶ ହରେ ।ଅନନ୍ତ ମହିମା ଅତୁଳ ସୁଷମାଦିଶେ ବିଶ୍ୱ ସ୍ତରେ ସ୍ତରେ,ତବ ମହାପ୍ରେମ ଖେଳେ ଚରାଚରେଜୟ ଜଗଦୀଶ ହରେ ।ସେ ମହାମହିମା କି ବୁଝିବି ପ୍ରଭୋ,କ୍ଷୁଦ୍ର ନର କଳେବରେ,କି ଭାଷାରେ ତବ କରିବି ହେ ସ୍ତବଜୟ ଜଗଦୀଶ ହରେ ।ଦେଶ କାଳ ସୀମା- ଅତୀତ ମହିମାଆଗୋଚର ସୁର ନରେ,ଏକ ଅଦ୍ୱିତୀୟ ପୂର୍ଣ୍ଣ ପ୍ରେମମୟଜୟ ଜଗଦୀଶ ହରେ ।ପ୍ରଭୁ ପରାତ୍ପର ପରମ ଈଶ୍ୱରଆଶ୍ରା ଦିଅ ଶ୍ରୀପୟରେ,ପୂରୁ ତବ ଇଛା ଏ ନର ପରାଣେଜୟ ଜଗଦୀଶ ହରେ ।ପ୍ରକାଶି କରୁଣା ଯେ ପୂଣ୍ୟ ପ୍ରେରଣାଦେଇଅଛ ମୋ ଅନ୍ତରେ,କର ତାହା ସିଦ୍ଧି କରୁଣା-ବାରିଧିଜୟ ଜଗଦୀଶ ହରେ ।ମୋ ହୃଦୟ-ସ୍ୱାମୀ ପ୍ରଭୁ ଅନ୍ତର୍ଯ୍ୟାମୀ,ଦେଖାଇଛ ଯାହା ଥରେ,ସେ ଅମୃତ-ଗତି ଦିଅ ପ୍ରାଣପତିଜୟ ଜଗଦୀଶ ହରେ ।ଚନ୍ଦ୍ରଭାଗା ମୋର ଘେନ ନମସ୍କାରନିଅ ମୋତେ ନିଜ ଅଙ୍ଗେ,ବହି ମାତୃସ୍ନେହ ମିଶାଅ ଏ ଦେହଅତଳ ଉଦଧି ସଙ୍ଗେ ।’’ଗାଇ ଏହିପରି କହି ‘ହରି ହରି’ଡେଇଁଲା ସେ ନଦୀଜଳେ,ନ ରହିଲା ତାର ଚିହ୍ନ କି ଆକାରଗଲା ମହାସିନ୍ଧୁ ତଳେ ।ଆର ଦିନ ରବି ଉଇଁଣ ଚୁମ୍ବିଲାସଂପୂର୍ଣ୍ଣ ମନ୍ଦିର-ଚୂଳ,ନ ଜାଣିଲେ କେହି କିଏ ସେ ମୁଦିଲାକୋଣାରକେ ଏ ଦେଉଳ ।ନଦୀ ଗିରି ବନେ ସାଗର କାନନେମିଶିଗଲା ହାଡ଼ ମାଂସ,‘ଧର୍ମପଦ’ ନାମ କାଳସିନ୍ଧୁ କଲାବିସ୍ମୃତି-ଗରଭେ ଗ୍ରାସ ।ଲୁଚି ରହେ ନାହିଁ ସତ୍ୟ ଚିରଦିନକାଳେ ହୁଏ ତା ବିବୃତ୍ତି,ନାହିଁ ଧର୍ମପଦ, ଭାଙ୍ଗିଛି ଦେଉଳଅଛି ଏବେ ଜନଶ୍ରୁତି ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ