ଗୋପପୁରେ ବଳରାମଙ୍କ ଆବିର୍ଭାବ ଏବଂ ନନ୍ଦରାଜାର ପୁତ୍ର ପ୍ରାପ୍ତି — ହରିବଂଶ (ଦ୍ୱିତୀୟ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକୁବେର ସମାନ ଧନୀ ଗୋପରେ ଗୋପାଳେ ।
ଶୁଣ ଆହୋ ପରୀକ୍ଷିତ କହେ ଶୁକଯତି
ଯହୁଁ ପୁଣି ପାହିଗଲା ସେ ଦିନର ରାତି ।
ତିମିର ବିଦାରଣ ଯେ ଉଦେ ଦିନକର
ଛନ୍ଦ ଘେନିଣ ଗୋପାଳେ ହୋଇଲେ ବାହାର ।
କେଉଁ ଗୋପାଳେ ଦେଖିଲେ ଦୂରେ ରହିଥାଇ
ଅପୂର୍ବ ପୁତ୍ରେକ ଅଛି ଗୋଗୋଷ୍ଠରେ ଶୋଇ ।
ଶ୍ୱେତକାନ୍ତି ଚନ୍ଦ୍ର ପ୍ରାୟ ଦିଶେ ଦିବ୍ୟ ଶୋଭା
ଧବଳ ବରନ ଜ୍ୟୋତି ସ୍ଫଟିକର ପ୍ରଭା ।
ପାଶେ କେହିଁ ନାହିଁ ପୁତ୍ର ପଡ଼ିଛି ଭୂମିରେ
କର ଚରଣ ହଲାଇ କାନ୍ଦଇ ଉଚ୍ଚରେ ।
ଗୋପାଳମାନେ ଗୋଠରେ ଏସନକ ଦେଖି
ଚାହିଁଛନ୍ତି ଅଭିମୁଖେ ନୟନ ନିରେଖି ।
ଏକକୁ ଆରେକ ଚାହିଁ କହନ୍ତି ଅନେକ
ଏ କାହାର ପୁତ୍ର କାନ୍ଦେ ବେଗେ ଯାଇ ଦେଖ ।
ଏହା ଶୁଣିଣ ଗୋପାଳେ ଧାଇଁଲେ ହରଷେ
ସମସ୍ତେ ମିଳିଲେ ଯାଇ ବଳରାମ ପାଶେ ।
ଆନନ୍ଦେ ଉସତ ହୋଇ ମିଳି ସବୁ ଗାଈ
ଶତେକ ପୁର କରିଣ ବେଢ଼ିଛନ୍ତି ଯାଇ ।
ସମସ୍ତ ଗୋପାଳ ତହିଁ ପୁତ୍ରମୁଖ ଦେଖି
ବିଚାରି ବୋଇଲେ କୋଟି କାମରୂପ ଏକି ।
ଏକ ଏକ କରି ଗୁଣ କି କହିବା ପୁଣ
ବାଳକାଳୁ ୟାର ଏଡ଼େ ସଉଦର୍ଯ୍ୟ ପଣ ।
ଭ୍ରୁଲତା ଫୁଲାଇ ପୁଣ ଚାହେଁ ଟେକି ଆଖି
ହୃଦୟ ବିଦାରେ ଏହା କଟାକ୍ଷକୁ ଦେଖି ।
ଅଣ୍ଡିର କୋକିଳ ଯେହ୍ନେ ରାବେ ମତ୍ତଭୋଳେ
ତେସନ ରାବେ ବାଳକ ଗୋଟି ଇଚ୍ଚସ୍ୱରେ ।
ନୟନ ବାଙ୍କ କରିଣ ଯେଣେ ଦିଏ ଦୃଷ୍ଟି
କାଷ୍ଠ ପାଷାଣ ହେଲେହେଁ ନିଶ୍ଚେ ଯିବ ଫାଟି ।
କେ ବୋଲଇ ଏହା ଆମ୍ଭେ ଜାଣି ତ ନ ପାରି
ନିରଞ୍ଜନ ପୁରୁଷ କି ହେଲା ଦେହଧାରୀ ।
କେ ବୋଲଇ ଏଥକୁ ଏ ଅଇଲାକ କାହୁଁ
ସଂସାରଜନ ମୋହିଲା ଏ ଯେ ଚାହୁଁ ଚାହୁଁ ।
କେ ବୋଲେ ୟାକୁ ଗଢ଼ିଲା କେବଣ ଦେବତା
କେ ବୋଲଇ ଏହାର ତ ଧନ୍ୟ ପିତା ମାତା ।
ସଂସାର ଭିତରେ ଏହା ଦେଖିଲା ତ ନାହିଁ
ପୁରୁଷ ଉତ୍ତମ ଏ ଯେ ପ୍ରଭୁ ଭାବଗ୍ରାହୀ ।
ଗୋପପୁର ପୁଣ୍ୟ ନିଶ୍ଚେ ଦିଶିଲାକ ଆସି
ଭୂମିରେ ତ ଉପଗତ ଗଗନର ଶଶୀ ।
କେ ବୋଲନ୍ତି ଏ ସିଦ୍ଧାନ୍ତ ପୁରୁଷର ରୂପ
ପ୍ରତ୍ୟକ୍ଷରେ ଈଶ୍ୱର ଏ ଗଣେଶଙ୍କ ବାପ ।
ଧବଳ କମଳ ଏହି ଦିଶେ ତେଜୋମୟ
ତିମିର ବିଦାରିଣ କି ହୋଇଛି ଉଦୟ ।
କେହୁ ବୋଲନ୍ତି ଏହାକୁ ମୂରୁଛି ନ ପାରି
ଘର ବର ଉପେକ୍ଷିଣ ଏହା ସେବା କରି ।
କେ ବୋଲଇ ଏହାର ଲୋ ଚାହିଁ ଚନ୍ଦ୍ରମୁଖ
ଦୂର ହୋଇଗଲା ଜନ୍ମ ଜନ୍ମାନ୍ତର ଦୁଃଖ ।
କେବଣ ଗୋପାଳ ପୁଣି ବୋଲେ ଆଗସରି
କାହାର ଏ ପୁତ୍ର ତାହା ବୁଝ ତଥ୍ୟକରି ।
ଏହା ଗୁଣ ରୂପ ବସି ବିଚାରୁଛ କେତେ
କହନ୍ତେ ତ ନ ସରଇ ରୂପ ଗୁଣ ଯେତେ ।
କଥା ବିଚାରିଣ ପୁଣି ବୁଝସି ନିୟତ
କାହାର କୋଳେ ଏ ପୁତ୍ର ହୋଇଲାକ ଜାତ ।
ଏ ପୁତ୍ର ଆମ୍ଭର ପୁଣ ମନକୁ ମୋହିଲା
ମୋର ପୁତ୍ର ବୋଲି କେହି ଜଣେ ନ କହିଲା ।
ସଭିଁଏ ବୋଇଲେ କଥା ଅଟଇ ନିୟତ
ନଗରେ ଘୋଷଣା ଦିଅ କାହାର ଏ ସୁତ ।
କେବଣ ପାମର ଗଲା ଏହାକୁ ମୂରୁଛି
ନିର୍ମାକ୍ଷୀ ହୋଇ ଭୂମିରେ ପୁତ୍ର ପଡ଼ିଅଛି ।
କାଟୁଛି ଦେଖିଣ ଲୋକମାନଙ୍କର ହିଆ
ଗର୍ଭେ ଧରି କେ ପାପିଷ୍ଠ ମୂରୁଛିଲା ଏହା ।
ଏତେବୋଲି ଗୋପନଗ୍ରେ ଘୋଷଣା ସେ ଦେଲେ
ନବଲକ୍ଷ ଗୃହ ଗୋଟି ଗୋଟି ପଚାରିଲେ ।
ଜଣେ ଜଣେ ହକାରିଣ ସବୁଙ୍କୁ ପୁଚ୍ଛନ୍ତି
ମୋର ପୁତ୍ର ବୋଲି କେହି ଜଣେ ନ ବୋଲନ୍ତି ।
ପୁଣି ଗୋପାଳେ ବିଚାରି ବୋଲନ୍ତି ଏ ବାଣୀ
ଅଦଭୂତେ ଏ ପୁତ୍ରକୁ ଧାତା ଦେଲା ଆଣି ।
ଏ ଗୋପ ଗୋପୀଙ୍କ ଭାଗ୍ୟ ଦିଶିଲାକ ଏବେ
ଭକ୍ତ ଉଦ୍ଧାରଣ ଜାତ ଆସି ପୁତ୍ରଭାବେ ।
ନନ୍ଦ ବସୁନନ୍ଦ ପୁଣି ଉପନନ୍ଦ ମୂଳେ
ଏକମୁଖ ହୋଇ ବସି ଭାଳନ୍ତି ସକଳେ ।
ନଗ୍ରେ ବୃଦ୍ଧ ନରନାରୀ ଥିଲେ ଯେତେ ଜାଣ
ସମସ୍ତେ ମିଳି ବସିଲେ ଆସି ଏକସ୍ଥାନ ।
ଅଦଭୂତେ ପୁତ୍ରଗୋଟି ଅଇଲା ଗୋ ଏଥେ
ସମସ୍ତେ ବିଚାର କର ବଞ୍ଚିବ କେମନ୍ତେ ।
କାହୁଁ ଅଇଲା ଏ ପୁତ୍ର କାହାର ଅଟଇ
କାହା ପୁତ୍ର ବୋଲି ଜଣେ ନ କହିଲେ କେହି ।
ନଗର ଚାରିପାଶରେ ଦେଲଇଁ ଘୋଷଣା
ଆବର ବିଶେଷ ପୁଣି ନ ଗଲାକ ଜଣା ।
କେହି ନ ପୁଣ ବୋଲଇ ମୋହର ଏ ପୁତ୍ର
ନିଶ୍ଚୟ ଜାଣିଲୁ ଆମ୍ଭେ ଦୈବ ଘଟସୂତ୍ର ।
ତିନିପୁର ମଧ୍ୟେ ଯେତେ ଛନ୍ତି ଜନ ଅବା
ଏହାର ରୂପକୁ କିସ ପଟାନ୍ତର ଦେବା ।
ଧବଳ ରୂପ କମଳ ନେତ୍ର ଚାରୁମୁଖ
ସବୁରି ମନ ମୋହୁଛି ଏକୁ ଏକ ଦେଖ ।
ସ୍ୱଭାବେ ବାଳୁତ ଯାର ପିତାମାତା ନାହିଁ
ଅନେକ କାରଣ ଅଛି ପ୍ରତିପାଳ ନେଇ ।
କେବଣ ଉପାୟ କରି ଜାଣିବା ସନ୍ଦେହ
ସକଳ ଗୋପାଳେ ଏହା ବିଚାରିଣ କହ ।
ନନ୍ଦ ଗୋପାଳ ବୋଲନ୍ତେ ଏସନକ ବାଣୀ
ବସୁନନ୍ଦ ପ୍ରତ୍ୟୁତ୍ତର ଦେଲା ତାହା ଶୁଣି ।
ଭୋ ସ୍ୱାମୀ ନନ୍ଦ ତୁମ୍ଭେ ସବୁରି ଯେ ପ୍ରଭୁ
ତୁମ୍ଭ ବିଚାର ଆମ୍ଭଙ୍କୁ କିପାଁ ନ କହିବୁ ।
ସମସ୍ତଙ୍କ ଉପରେ ତ ତୁମ୍ଭେ ଶିରୋମଣି
ଏ ଗୋପନଗ୍ରକୁ ଏକା ତୁମ୍ଭେ ଯେ କାରେଣି ।
ଆମ୍ଭେ ସମସ୍ତେ ତ ଅନ୍ଧ ତୁମ୍ଭେ ଆମ୍ଭ ଚକ୍ଷୁ
ଆମ୍ଭେ ସମସ୍ତେ ତ ଗୋରୁ ତୁ ଆମ୍ଭଙ୍କୁ ରଖୁ ।
ତୋର ଯାହା ଆଜ୍ଞା ମୁଖେ କହିବୁ ବିଚାରି
ଗୋପାଳେ ଆମ୍ଭେ ତାହା କି ପାରୁ ଆନକରି ।
ଅମୂଲ୍ୟ ପୁତ୍ର ଗୋଟିଏ ପ୍ରାପ୍ତ ହେଲା ଆସି
ଲଭିବୁ ଯଶ ତୁ ପାରୁ ପୁତ୍ର ଯେବେ ପୋଷି ।
ବିଶେଷେ ତୁ ଅପୁତ୍ରକ ଅଟୁ ନୃପମଣି
ବିଧାତା ପୁରୁଷ ତୋତେ ଦେଲା ଅବା ଆଣି ।
ପୁତ୍ର ପ୍ରତିପାଳ ମନେ ନ ଧର ତୁ କିଛି
ଏହାର ପ୍ରସାଦେ ଦେବୁ ଅବିଗୁଣ ପୋଛି ।
ଏ ପୁତ୍ର ପ୍ରତିପାଳିଲେ ହେବ ବହୁ କାର୍ଯ୍ୟ
ପରଦାରା ପୁତ୍ର ବୋଲି ନ ଯାଅ ତୁ ଲାଜ ।
ଆପଣା ବୀର୍ଯ୍ୟେ ଯାହାର ପୁତ୍ର ନ ହୁଅଇ
ଏ ଷଡ଼ ପ୍ରକାରେ ପୁତ୍ର ଶାସ୍ତ୍ରେ ଅଛି କହି ।
ଯାହାର ବୀର୍ଯ୍ୟରେ ପୁତ୍ର ନ ହୁଅଇ ଜାତ
ପୁତ୍ରର ନିମନ୍ତେ ସେହି କରାଇବେ ବ୍ରତ ।
ତଥାପି ପୁତ୍ର ନୋହିବେ ଯେବେ ପରାପତ
ବାଳୁତ ପୁତ୍ର ଗୋଟିଏ ପାଳିବ ତୁରିତ ।
ଆପଣା ଗୋତ୍ରେ କରିବ ତାକୁ ବ୍ରତ ବିଭା
ତେବେ ବଂଶକୁ ଦିଶିବ ସିନା ଦିବ୍ୟ ଶୋଭା ।
ପୋଷିଲା ପୁତ୍ର ଯଦ୍ୟପି ପ୍ରାପତ ନୋହିବ
ଦୁହିତା ଗୋଟିଏ ଥିଲେ କନ୍ୟାଦାନ ଦେବ ।
ସେ କନ୍ୟାର ଗର୍ଭେ ଜାତ ଯେବଣ ସନ୍ତତି
ବଂଶକୁ କାରଣ ହୋଇ କରିବ ମୁକତି ।
କନ୍ୟାଗୋଟି ଦାନ ଦେଇ ଯେବେ ନ ପାରିବ
ପରଗୃହେ ଥୋଇଦେଇ ତାହାକୁ ଆସିବ ।
ନୋହିଲେ ତ ପୋଷ୍ୟପୁତ୍ର ଗୋଟିଏ କରିବ
ଜାତ ପୁତ୍ରପ୍ରାୟ ପାଠ ଶାଠ ପଢ଼ାଇବ ।
ସେ ପୁତ୍ରଗୋଟି ଯଦ୍ୟପି ପଣ୍ଡିତ ହୋଇବ
ବଂଶ ମୋକ୍ଷ କରି ପୁତ୍ର କାରଣ କରିବ ।
ବିଦ୍ୟାହିଁ ଯେବେ ପଢ଼ାଇ ନ ପାରିବ ଅବା
ବୁଦ୍ଧି ସୁକୃତ ଥିଲେ ସେ ପୁତ୍ର ପାଏ ଶୋଭା ।
ଭଗ୍ନୀପୁତ୍ର ଥିଲେ ତାକୁ କରାଇବ ବିଭା
କୁଳ ସଦବୃତ୍ତି ଥିଲେ କୁଳ ବଢ଼େ ବାବା ।
ଭଣଜାର ବ୍ରତ କୁଳବଢ଼ା ସଙ୍ଗେ ସରି
ପିତୃ ପିତାମହମାନେ ଯାଆନ୍ତି ଉଦ୍ଧରି ।
ବସୁନନ୍ଦ କହିଲା ଯେ ନନ୍ଦର ଅଗ୍ରତେ
ଏସନକ କାର୍ଯ୍ୟଜାଣ ଅଛି ଷଡ଼ପୁତ୍ରେ ।
ଛେଦି ଅପୁତ୍ରକ ଦୋଷ ଷଡ଼ପୁତ୍ର ପାଇ
ପୁରାଣ ଉକତ କଥା ମିଥ୍ୟାହିଁ ନୁହଇ ।
ଏ ପୁତ୍ର ଗୋଟି ମିଳିଲା ତୋତେ ଶୁଭଯୋଗେ
ଏ ଶିଶୁଗୋଟି ତୁ ପାଳ ନେଇ ଅତିବେଗେ ।
ପୁତ୍ର ପ୍ରସାଦେ ସଂସାରେ ହୋଇବୁ କାରେଣି
ବଇକୁଣ୍ଠ ପୁରେ ପୂଜା ପାଇବୁ ତୁ ପୁଣି ।
ଜଗଦ୍ ବନ୍ଦନ ପୁରୁଷ ଅଟଇ ଯୁକତେ
ଏପରି ପୁତ୍ରକୁ ଭାଇ ମୂର୍ଚ୍ଛିବା କେମନ୍ତେ ।
ଏ ଗୋପନଗ୍ର ପ୍ରତିଷ୍ଠା ହୋଇଲାକ ଯହୁଁ
ଅଚଳାଚଳ ଲକ୍ଷ୍ମୀ ଯେ ନ ଛାଡ଼ିବେ ଆଉ ।
ଏ ଗୋପନଗର ମଧ୍ୟେ ନବଲକ୍ଷ ଘର
ସବୁରି ଉପରେ ତୁମ୍ଭେ ଅଟତ ଠାକୁର ।
ତୁମ୍ଭର ବଚନ କେହୁ କରିବ ଅବଜ୍ଞା
ଆମ୍ଭେ ସମସ୍ତେ ପାଳିଛୁ ଆପଣଙ୍କ ଆଜ୍ଞା ।
ସମସ୍ତେ ତୁମ୍ଭ କଥାକୁ ଅଛୁ ବାଟ ଚାହିଁ
ସଙ୍କୋଚ ପାଇ ତୁମ୍ଭଙ୍କୁ ନ କହନ୍ତି କେହି ।
ଆସ୍ତି ନାସ୍ତି ବଚନକୁ କହ ଦେବ ମୋତେ
ଏହା ପରା ପୁତ୍ର ଦୁଃଖ ପାଉଅଛି କେତେ ।
ନନ୍ଦବୋଲେ ମୋତେ ତୁମ୍ଭେ ନ ବୋଲ ହୋ କିଛି
ମୁହିଁ ତୁମ୍ଭମାନଙ୍କୁ ଯେ ବାଟ ଚାହିଁଅଛି ।
ଯୁକତେ ମୁଁ ଅପୁତ୍ରକ ପୁତ୍ର ମୋର ନାହିଁ
ପ୍ରାଣ ପଛେ ଯାଉ ମୋର ଏ ପୁତ୍ରର ପାଇଁ ।
ଯତ୍ନେ ତାହା ଲୋଡ଼ୁଥିଲି ମିଳିଲା ତ ଏବେ
ବିଧାତା ଆଣି ଘଟଣା କଲା ମୋର ଭାଗ୍ୟେ ।
ପୁତ୍ରନିଧି ଅଟେ ଏହା ମୂର୍ଚ୍ଛିବା କେମନ୍ତେ
ଇଷ୍ଟଦେବତା ପରାୟେ ଦିଶୁଅଛି ମୋତେ ।
ଏ ପୁତ୍ରକୁ ନେଇ ପ୍ରତିପାଳିବଇଁ ଆଜ
ଲଭିବି ପୁତ୍ର ଗୋଟିଏ ହେବ ଶୁଭକାର୍ଯ୍ୟ ।
ଯାବତ ସମ୍ପଦେ ପୁତ୍ର ଅଟଇ କାରେଣି
ଏହାଯୋଗୁ ବଂଶରେ ମୁଁ ହୋଇବି ବରଣି ।
ଏ ପୁତ୍ର ପ୍ରସାଦେ ମୋତେ ଅଛି ବହୁଯଶ
ଏ ପୁତ୍ର ପ୍ରଭୁ ଦେଲେଣି ନାହିଁ ଅପଯଶ ।
ଏ ପୁତ୍ର ଫେଡ଼ିବ ଦୁଃଖ ମୋହର ଯେତେକ
ଏତେକ କହିଣ ନନ୍ଦ ହୋଇଣ ଉତ୍ସୁକ ।
ଯଶୋବନ୍ତୀ ନାମେ ପୁଣ ନନ୍ଦର ଘରଣୀ
ତାହାକୁ ଡାକି ବୋଇଲେ ନନ୍ଦ ଧୀରେ ବାଣୀ ।
ତୁହି ଯଶୋବନ୍ତୀ ମୋର ପ୍ରାଣର ବଲ୍ଲଭା
ଜାତି କୁଳ ଦେଖି ତୋତେ ହେଲି ମୁହିଁ ବିଭା ।
ତୋହର ମୋହର ପୁଣି ସମୟେକ ଗଲା
ଗର୍ଭରୁ ତୋହରପୁତ୍ର ଜାତ ନ ହୋଇଲା ।
ତୋର ଉପ୍ରୋଧେ ମୁଁ ଆନ ଭାରିଯା ନ କଲି
ତେଣୁ କରି ଆଜଯାଏ ଅପୁତ୍ରକ ହେଲି ।
ପୁତ୍ର ନ ଥିବାର ଜନ ଅଟେ ମହାପାପୀ
ଅପୁତ୍ରକ ମୁଖ ଚାହିଁ ହୁଅନ୍ତି ସନ୍ତାପି ।
ଅଚଳାଚଳ ଲକ୍ଷ୍ମୀ ଯେ ଅଛି ଧନଧାନ୍ୟ
ଆମ୍ଭଅନ୍ତେ ଏହା ଭୋଗ କରିବ ଯେ ଆନ ।
ଆବର ଗୋଷ୍ଠେ ଅଛନ୍ତି ମହାଖୁଡ଼ ଗାଈ
ବେନିଶତ ଭାର ଘୃତ ନିତ୍ୟ ଜାତ ହୋଇ ।
ବିପୁଳ ଳକ୍ଷ୍ମୀଥିଲେ ବି ଶମଶାନ ଘର
ଆମ୍ଭ ଅନ୍ତେ ଦ୍ରବ୍ୟ ଭୋଗ କରିବ ଯେ ପର ।
ଏ ସଂସାରେ ଜାତ ହୋଇ ନିଶ୍ଚୟ ମରିବା
ପୁତ୍ର ବିହୀନେ ଏ ଧନ କିପାଇଁ ସଞ୍ଚିବା ।
ପୁତ୍ର ବିହୁନେ ଏ ମୁଖ ନ ପାରଇ ଟେକି
ଏଣୁ ମନେ ଆମ୍ଭେ ଦୁଃଖ ପାଉଥାଉଁ ସଖି ।
ଅପୁତ୍ରକ ହୋଇଲେ ଯେ ଲାଗେ ପାପବାଧା
ପୁରାଣବାକ୍ୟ ଗୋ ତୋତେ ଶୁଣାଇ ଯଶୋଦା ।
ଅପୁତ୍ରକ ଜନ ମୁଖ ଚାହିଁ ଯେତେ ଦୋଷ
ବାରମାଢ଼ ସୁନା ଦେଲେ ଯାଇ ସେହି ନାଶ ।
ଅପୁତ୍ରକଠାରୁ ନାହିଁ ସଂସାରେ କେ ପାପୀ
କର୍ମଚାଣ୍ଡାଳ ତାହାକୁ ବୋଲନ୍ତି ଅଦ୍ୟାପି ।
ଇହଲୋକ ଗୃହଶୂନ୍ୟ ପରଲୋକେ ଦୁଃଖ
ଯମଧର୍ମ ବିଚାରିଣ ନ ଚାହାନ୍ତି ମୁଖ ।
ଅପୁତ୍ରକ ହୋଇ ପ୍ରାଣୀ ଯେତେବେଳେ ମରି
ଯମଦୂତ ନିଅନ୍ତି ତା କେଶ ବେଗେ ଧରି ।
ଚର୍ମ ଦଉଡ଼ି ଧରିଣ ବାନ୍ଧି ତାର ମୁଣ୍ଡେ
କଣ୍ଟାଛାଟ ତୁଲେ ଭରି ବିଛୁଆତି ତୁଣ୍ଡେ ।
ବେନିପାଦେ ପିଟୁଥାନ୍ତି ତାକୁ ଆଣ୍ଟକରି
ରୁଧିରରେ ଜର ଜର ହେଉଥାଇ ଝରି ।
ମାଂସ ଖଣ୍ଡ ଖଣ୍ଡ ହୋଇ ପଡ଼ୁଥାଇ ଝଡ଼ି
ଆହା ଆହା ମଲି ମଲି ପାରୁଥାଇ ରଡ଼ି ।
ତତଲା ପାଣିରେ ଲୁଣ ବେସର ମିଶାଇ
ଯମଦୂତେ ନିଉଡ଼ନ୍ତି ଶିରେ ତାର ନେଇ ।
ତପତ ପାଣିରେ ପୁଣ ତାହାକୁ ପକାଇ
ଉର୍ଦ୍ଧ୍ୱମୁଖେ ଘେନିଯାନ୍ତି ଗାଳି ମାଡ଼ ଦେଇ ।
କ୍ଷୁଧା ତୃଷାରେ ସେ ପାପୀ ଚାଲୁଥାଇ ଦୁଃଖେ
ତପତ ଲୁଣ ଖପରା ଘଷୁଥାନ୍ତି ମୁଖେ ।
ଦେଖାଉ ଥାନ୍ତି ପନୀର ଗୋଳାପାଣି ଆଣି
ଗଣ୍ଡୁଷ ମାତ୍ର ମାଗିଲେ ନ ଦିଅନ୍ତି ପୁଣି ।
ଦଣ୍ଡଛତ୍ର ଅଶ୍ୱ ଗଜ ସିଂହାସନ ଆଗେ
ଦେଖାଇ ଦିଅଇ ନାବଭେଳା ଆଣି ବେଗେ ।
ଅଗ୍ନିରେ ମିଳାଇ ଗୋଡ଼ ପଡ଼ୁଥାଇ ଛିଡ଼ି
ପାଟିକରେ ପିଟନ୍ତି ସେ ଘେନି ଲୁହା ବାଡ଼ି ।
ତପତ ବଇତରଣୀ ନଦୀ ଆସେ ବଢ଼ି
ମହାତପତ ପାଣି ସେ ବେନିକୂଳ ମାଡ଼ି ।
ସେ ନଦୀରେ ପହଁରନ୍ତି କାଳ ଯେ ବିକାଳ
ଆପଣେ ନାବେ ବସନ୍ତି ଧରି ତାର ବାଳ ।
ଯେ ଅବା ଯାନ ବାହନ ଦେଇଥାଇ ବିତ୍ତ
ସେମାନେ ଯାନ ବାହନେ ତରନ୍ତି ସେ ପଥ ।
ଅନ୍ନ ବସ୍ତ୍ର ଜଳଦାନ ଯେହୁ ଦେଇଥାଇ
ଯମପଥେ ଯିବାବେଳେ ଅବଶ୍ୟ ତା ପାଇ ।
ଏଥି ହୋଇଥିଲେ ତାହା ଦେଇଥାଇ ଥୁଆ
ଜ୍ୱାଳାବଳି ନଦୀରେ ସେ ଦୁହେଁ କୁଆବୁଆ ।
ଏମନ୍ତ ଦୁଃଖ ଦେଇଣ ନିଅନ୍ତି ସେ ବେଗେ
ଧାତିକାରେ ପକାନ୍ତି ଯେ କୃତାନ୍ତକ ଆଗେ ।
ଆସ୍ଥାନ ତଳେ କହନ୍ତି କରିଣ ବିଖଣ୍ଡ
ଅପୁତ୍ରକ ପ୍ରାଣୀକୁ ସେ ଦିଅନ୍ତି ଯେ ଦଣ୍ଡ ।
ଶତେ ବରଷ ପକାନ୍ତି ପୂତିଗନ୍ଧ ଜଳେ
ପୁଣି ଶତବର୍ଷ ଯାଏ ପକାନ୍ତି ଅନଳେ ।
ଶତବର୍ଷ ଗଲେ ଅଗ୍ନିମଧ୍ୟୁ ଧରି କାଢ଼ି
ରଉରବ ନର୍କେ ନେଇ ପକାନ୍ତି ବାହୁଡ଼ି ।
ସେ ନର୍କେ ସେ ପଡ଼ିଥାଇ ଶତଜନ୍ମ ଯାଏ
ଗଗନ ପଥର ପରି ମିଳାଇ ତା କାୟେ ।
ଅଙ୍ଗେକ ମିଳାଇ ପୁଣି ଅଙ୍ଗେ କଅଁଳଇ
ଅଗ୍ନି ମହାକୋପେ ଉଠି ଜାଳି ଦେଉଥାଇ ।
ପୁଣ ଜ୍ୱାଳାବଳି ନର୍କେ ପକାନ୍ତି ତା ନେଇ
ରହ ରହ ବୋଲି ତାକୁ ନ ବୋଲନ୍ତି କେହି ।
ଟକମକ ହୋଇ ତଳେ ପଡ଼ୁଥାନ୍ତି ଧାସେ
ଶତେକ ଯୋଜନଯାଏ ନ ରହନ୍ତି ତ୍ରାସେ ।
ମହାଦୁସ୍ତର ମଳ ଯେ ଦୁର୍ଗନ୍ଧ ଅନେକ
ପକାନ୍ତି ନେଇ ତାହାର ମଧ୍ୟେ ଅପୁତ୍ରକ ।
ସେ ନର୍କକୁଣ୍ଡର ମଧ୍ୟେ ପଡ଼ଇ ଯେ ଯାଇ
ତତକ୍ଷଣେ ହାଡ଼ ମାଂସ ତାହାର ମିଳାଇ ।
ଶୁଣିଲୁ ତ ଯଶୋବନ୍ତୀ ଅପୁତ୍ରକ କଥା
ପୁତ୍ର ନ ଥିବା ପ୍ରାଣୀର ଏମନ୍ତ ଅବସ୍ଥା ।
ଅପୁତ୍ରକ ପ୍ରାଣୀକୁ ଯେ କେଭେ ନାହିଁ ପାର
ଜୀବନ ଯେ ଅକାରଣ ଅଟଇ ତାହାର ।
ଏକଜନ୍ମେ ଅପୁତ୍ରକ ହୋଇ ଯେବେ ପ୍ରାଣୀ
ସହସ୍ରେ ଜନ୍ମ ପର୍ଯ୍ୟନ୍ତ ଦଣ୍ଡ ପାଏ ପୁଣି ।
ଯେତେବେଳେ ଜ୍ୱାଳାଚଳି ନର୍କେ ଲିପ୍ତକାୟେ
ଗୃଧ୍ର ପକ୍ଷୀରୂପେ ଜାତ ସାତଜନ୍ମ ଯାଏ ।
ଗୃଧ୍ରପକ୍ଷୀ ପରେ ଜାତ କରଇ ଶୃଗାଳ
ତହୁଁ ଘୁଷୁରିରୂପେ ଜନ୍ମଇ ସାତବାର ।
ତହୁଁ କୀଟରୂପେ ତାର ହୁଏ ପରକାଶ
ତଦନ୍ତେ ଚାଣ୍ଡାଳରୂପେ କରଇ ସେ ବାସ ।
ଏମନ୍ତ ସେ କଷ୍ଟ କଥା କହିବି ଗୋ କେତେ
ଏ ସାମାନ୍ୟ ପୁତ୍ର ପ୍ରାୟ ଦିଶୁ ନାହିଁ ମୋତେ ।
ଏତେକାଳେ ଭାଗ୍ୟ ମୋର ଦିଶିଲାକ ଆସି
ପୁତ୍ର ଗୋଟିଏ ମିଳିଲା ପାରିବୁ କି ପୋଷି ।
ଅମୂଲ୍ୟ ପୁତ୍ର ଗୋଟିଏ ଧାତା ଦେଲା ଆଣି
ମୋ ପଞ୍ଚଭୂତ ଆତ୍ମାକୁ ହୋଇବ କାରେଣି ।
ଏ ପୁତ୍ରଯୋଗୁଁ ପାଇବା ଆମ୍ଭେ ବଡ଼ଯଶ
ମୋକ୍ଷଗତି ପାଇ ଏହା ପାରୁ ଯେବେ ପୋଷ ।
ନନ୍ଦ ବଚନ ଶୁଣିଣ ଯଶୋବନ୍ତୀ ମାଏ
ଆନନ୍ଦରେ ଜର୍ଜ୍ଜରିତ ପୁଲକିତ କାୟେ ।
ଯଶୋଦା ବୋଇଲେ ମୁହିଁ ଲୋଡ଼ୁଥିଲି ଯାହା
ଦଇବ ଆଣି ତ ମୋତେ ଘଟାଇଲା ତାହା ।
ଜନମ ସଫଳ ମୋର ହେଲା ଏତେ କାଳେ
ଏତେ ବୋଲି ବସାଇଲେ ପୁତ୍ର ଧରି କୋଳେ ।
ଶୁଭ ଅନୁକୂଳ ବେଳେ ପୁଣି ସେ କାମିନୀ
ପରମ ଆନନ୍ଦେ ଗଲେ ପୁତ୍ର କୋଳେ ଘେନି ।
ଦେବତାମାନେ ଯେ କଲେ ସ୍ୱର୍ଗୁ ପୁଷ୍ପବୃଷ୍ଟି
ଆନନ୍ଦରେ ସଉରଭ ଦିଶେ ନବସୃଷ୍ଟି ।
ପୁତ୍ରକୁ କୋଳରେ ଘେନି ଯଶୋଦା ହରଷ
ଆପଣା ମନ୍ଦିରେ ଯାଇ ହୋଇଲା ପ୍ରବେଶ ।
ନିରୁତା ଦୁଗ୍ଧରେ ଖଣ୍ଡ ଶାକର ମିଶାଇ
ଜାନୁରେ ବସାଇ ଦୁଗ୍ଧ ପିଆନ୍ତି ଶୁଆଇ ।
ଅପୂର୍ବ ରଙ୍ଗ ପାଟର ଶେଯ ପାଟଦୋଳି
ଅଷ୍ଟରତ୍ନରେ ନିର୍ମାଣ କଲେକ ଖଟୁଲି ।
ଅପୂର୍ବ ମାଣିକ୍ୟ ଲୋକେ ଚଉପାଶେ ତୋରା
ଖଞ୍ଜାମୂଳେ ଖଞ୍ଜାଇଲେ ଗଜମୋତି ହୀରା ।
ଗଜମୁକୁତା ଲମ୍ବାଇ ତାର ଚଉପାଶେ
ଆରଦ୍ରାବଳି ଯେସନେ ଉଦୟ ଆକାଶେ ।
ଦୋଳିର ଉପରେ ନେଇ ପାତିଲେ ସୁପାତି
କର୍ପୂର ଧୂଳି କସ୍ତୁରି ସିଞ୍ଚି ଚଉକତି ।
ସୁବାସିତ କୁସୁମ କୁମୁଦ ଶତଦଳ
ଲମ୍ବାଇଲେ ଦୋଳି ପରେ ଫୁଲ ମାଳ ମାଳ ।
ଚାଳର ଉପରେ ନେଇ ଖଞ୍ଜିଲେ ଚାନ୍ଦୁଆ
ବସନ୍ତ କମ ଯେ ଇନ୍ଦ୍ର ଗୋବିନ୍ଦ ଖଣ୍ଡୁଆ ।
ଦୋଳି ଉପରେ ଶୁଆଇ ଦେଲେ ଯଶୋବନ୍ତୀ
ନିକଟରେ ଥାଇ ଆପେ ଦୋଳି ପହୁଞ୍ଚାନ୍ତି ।
ଗୋରସ ଆଣି ଦିଅନ୍ତି କାମପାଳ ମୁଖେ
ଯୋଗାଧିପୁରୁଷ ପାନ କରନ୍ତି ତା ସୁଖେ ।
ନିଶ୍ଚିନ୍ତେ ରହିଲେ ରାମ ନନ୍ଦର ମନ୍ଦିରେ
ଗୋପ ଗୋପୀମାନେ ଚଳିଗଲେ ଯେଝାଘରେ ।
ଅଚିନ୍ତ୍ୟ ଅବ୍ୟକ୍ତ ରୂପ ପ୍ରଭୁ କାମପାଳ
ଗୋପେ ବଢ଼ି ପୃଥିବୀର କରିବେ ମଙ୍ଗଳ ।
ଅପାର ମହିମା ପ୍ରଭୁ ଅଟଇ ତୋହର
ଲାଙ୍ଗଳ ମୂଷଳେ ଶୋଭାପାଏ ବେନିକର ।
ନ ଜାଣନ୍ତି ସୁରଗଣେ ତୋର ଆଦିଅନ୍ତ
ତୁହି ସେ ପରମ ଯୋଗୀ ଅନାଦି ଅଚ୍ୟୁତ ।
ଦେବତାଙ୍କ ଛଳେ ଜନ୍ମହେଲୁ ନରରୂପେ
ଅସୁର ବଧିବାପାଇଁ ବଢ଼ୁଅଛୁ ଗୋପେ ।
ମୁଁ ଦୀନ ଅଚ୍ୟୁତଦାସ ମୁରୁଖ ଅଧମ
ତୋ ପାଦେ ଶରଣ ମୋତେ ରଖ ବଳରାମ ।